ରାମାଭିଷେକ
ରାମଶଙ୍କର ରାୟ · ଭାଗ ୩ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଦୃଶ୍ୟ
ଅନ୍ତଃପୁର[ମନ୍ଦୋଦରୀ ପଲ୍ୟଙ୍କୋପରି ଆସୀନା । ପରିଚାରିକାମାନେ ପାର୍ଶ୍ୱେ ଦଣ୍ଡାୟମାନା ।]
ମନ୍ଦୋ ।- ଆଜି ତିନିଦିନ ତିନିରାତି ଶେଷ ହେଲା ମୋର ପୂଅ ଇନ୍ଦ୍ରଜିତ ଆଉ ଲକ୍ଷ୍ମଣର ଘୋର ଯୁଦ୍ଧ ଲାଗିଚି । ଯୁଦ୍ଧରେ ବିରାମ ନାହିଁ । ପୁଅପରି ବୀର ବ୍ରହ୍ମାଣ୍ଡରେ ନାହିଁ । ଯେ କ୍ଷଣକେ ଇନ୍ଦ୍ରକୁ ଧରିନେଇ ଆସିପାରେ ସେ କାହିଁକି ତିନିଦିନ ତିନିରାତି ଲଢ଼ିବି ଲକ୍ଷ୍ମଣକୁ ମାରିପାରୁନାହିଁ ? ମୋର ମନରେ ଭାରୀ ଚିନ୍ତା ହେଉଚି-ମନ ଘାଣ୍ଟି ହୋଉଚି । ମୁଁ ଶେଷରାତ୍ରରେ ସ୍ୱପ୍ନ ଦେଖିଲି ଲଙ୍କାଦେବୀ ମୋତେ ଉଠାଇ କହୁଚନ୍ତି ହନୁମାନ ଆସିଲ ଦିନ ତାଙ୍କୁ ପରାଜୟ କରିବାରୁ ସେ ଭୟରେ ସ୍ତମ୍ଭିତ ହୋଇଚନ୍ତି,-ଆଉ ଲଙ୍କା ରକ୍ଷା କରିପାରିବେନାହିଁ । ରାମର ଧର୍ମବଳ ଅଧିକ-ଲକ୍ଷ୍ମଣବି ଧର୍ମାତ୍ମା ଇନ୍ଦ୍ରଜିତ ଲକ୍ଷ୍ମଣ ହାତରୁ ପାର ପାଇବ ନାହିଁ-ମହାରାଜଙ୍କର ମଧ୍ୟ ରାମଚନ୍ଦ୍ରଙ୍କ ହାତରୁ ନିସ୍ତାର ନାହିଁ-ସୀତାକୁ ମହାରାଜ ଆଣିଲା ଦିନରୁ ମୋ ମନରେ ପାପ ଛୁଇଚି-ଆଜି ଏ ସ୍ୱପ୍ନ ଦେଖି ମୋ ମନ ଭାରୀ ଘାଣ୍ଟିଚକଟି ହେଉଚି ।-ଚାଲ ସମସ୍ତେ ଏହିକ୍ଷଣି ଯାଇ ଲଙ୍କା ଦେବୀଙ୍କି ମାର୍ଜ୍ଜନା କରିବା-ସେ ସନ୍ତୁଷ୍ଟା ନ ହେଲେ ଆମମାନଙ୍କୁ-ଏ ଲଙ୍କାପୁରୀକି ରକ୍ଷା କରିବ କିଏ ?
ଜନୈକ ପରି ।- ଯେ ଆଜ୍ଞା ମଣିମା, ଏ କାମ କରିବା ଆଗ ।- ସବୁତ ଗଲାଣି ! ଖଣ୍ଡିକ ବୋଲି ପୁଅ ଅଛି-ସେ ଯିବା ଆଗୁଁ ଆମେ ନ ଗଲୁଁ କାହିଁକି ? ଦେବୀଙ୍କି ମାଜଣା କରାଇ ଭୋଗରାଗ ଦେଇ ପ୍ରସନ୍ନା କରିବା-କପାଳରେ ଯାହା ଥିବ ।
ମନ୍ଦୋ ।- ତେବେ ଚାଲ ଆଉ ବିଳମ୍ବ କରିବାର ନୁହେ (ପଲ୍ୟଙ୍କରୁ ଓହ୍ଲାଇ ତଳେ ଦଣ୍ଡାୟମାନା) ।[କାନ୍ଦୁ କାନ୍ଦୁ ଜନୈକ ଦାସୀର ପ୍ରବେଶ ।]ଦାସୀ ।- (କାନ୍ଦୁ କାନ୍ଦୁ) ସମ୍ପଦ ସଇଲା-ଇନ୍ଦ୍ରଜିତ ହାଣ ଖାଇଲେ !ମନ୍ଦୋ ।- (ଉଚ୍ଚକ୍ରନ୍ଦନସ୍ୱରେ) କଣ କହିଲୁ ଦାସି ! ମେଘନାଦ !-(ମୂର୍ଚ୍ଛାଗତା ହୋଇ ପତିତା ।)ଜ, ପରି ।- (ଦଉଡ଼ି, ନିକଟକୁ ଯାଇ ନିରୀକ୍ଷଣପୂର୍ବକ) ,ତ ମୂର୍ଚ୍ଛାଯାଇ ପଡ଼ିଗଲେ । ପାଣି,-ପାଣି ଆଣ-ଦାସୀ ।- (ତ୍ରସ୍ତଭାବେ) ମୁଁ ଆଣୁଚି । (ନିଷ୍କ୍ରାନ୍ତା ।)
ଜ, ପରି ।- ହାୟ ! ଦେବୀ ଲଙ୍କେଶ୍ୱରୀ ହୋଇ ସ୍ୱାମିପାପଯୋଗୁଁ କେତେ କଷ୍ଟ ସହିଲେ । ଇନ୍ଦ୍ରଜିତ ପରି ପୁଅକୁ ଜନ୍ମ ଦେଇ ଶେଷକୁ ଆଣ୍ଠୁକୁଡ଼ୀ ହେଲେ । ସ୍ୱାମିର ପାପ, ସ୍ୱାମିର ପରସ୍ତ୍ରୀଗମନ-ଶଶ ସଉତୁଣୀଙ୍କ ଭିତରେ ଥାଇସୁଦ୍ଧା ପୁଅଙ୍କ ବିଭବରେ ସବୁ ପାସୋରିଥିଲେ । ଆଉ କାକୁ ଦେଖି ବଞ୍ଚିବେ ?
[ଦାସୀର ଜଳପାତ୍ର ହସ୍ତେ ପୁନଃପ୍ରବେଶ ।]ଦାସୀ ।- ହେଇ, ନିଅ- (ଜଳପାତ୍ର ବଢ଼ାଇ ଦେବା ।)
ଜ, ପରି ।- (ଜଳ ପାତ୍ର ନେଇ ଧୀରେ ଧୀରେ ମନ୍ଦୋଦରୀମୁଖରେ ସିଞ୍ଚୁ ସିଞ୍ଚୁ) ହା ଭଗବନ୍ । ଏଡ଼େବଡ଼ ଗାଦିରେ ବସାଇ ଏତେ କଷ୍ଟ କପାଳରେ ଲେଖିଚ ! ତ୍ରିଭୁବନବିଜୟୀ ଲଙ୍କେଶ୍ୱର ଯାହା ଚରଣରେ ଧନ ରତ୍ନ ଐଶ୍ୱର୍ଯ୍ୟାଦି ସବୁ ଲୁଟାଇଦେଇଚି ତା କପାଳରେ ଏ ହୀନମାନିଆ ଅବସ୍ଥା ! ଲଙ୍କେଶ୍ୱରୀ ବୋଲି ଯାର ଗୋଡ଼ ଭୂଇଁରେ ନ ଲାଗେ ସେ ପୁଣି ଆଜି ଭୂଇଁରେ ଦୀନା ହୋଇ ଗଡ଼ାଗଡ଼ି ଯାଉଚି !-ଆମେମାନେ ଆଉ କାକୁ ଘେନି ବଞ୍ଚିବୁଁ ! ଜଣକର ପାପରୁ ଆମମାନଙ୍କର କପାଳ ବି ଫାଟିବାକୁ ବସିଲା !
ମନ୍ଦୋ ।- (ଟିକିଏ ସଂଜ୍ଞାପ୍ରାପ୍ତ ହୋଇ) ପରିଚରି ! ତୁ ମୋର ପ୍ରାଣ ରଖିବାକୁ କାହିଁକି ଚେଷ୍ଟା କଲୁ-ମୁଁ ମରିଯାଇ ପରଲୋକରେ ପୁଅ ମୁହ ଚାହିଁ ଜୀବନ ଧରି ରହିଥାନ୍ତି ! ଏ ଲୋକ ମୋପାଇଁ ନୁହେ !-ଯାଙ୍କୁ ଦେବତା ମଣି ହୃଦୟରହାର ଜ୍ଞାନ କରି ନିଷ୍କପଟମନରେ ପଦସେବା କରୁଥିଲି ସେ ପରସ୍ତ୍ରୀରେ ମନ ଦେଇ ପତିବ୍ରତା ସୀତାଙ୍କୁ ଚୋରାଇ ଆଣି ଘୋର ପାପସାଗରରେ ବୁଡ଼ି ସମସ୍ତଙ୍କୁ ବୁଡ଼ାଇ ମାରିଲେ-ସେ ବୁଡ଼ିମରିବା ଆଗୁଁ ମୋତେ ମରିବାକୁ ନ ଦେଇ, ପରିଚରି, ମୋର କେତେ ଅନିଷ୍ଟ କଲୁ ! ହାୟ ! ମୋର ଦୁଃଖ-ମୋର କଷ୍ଟ-ମୋର ପ୍ରାଣର ଯନ୍ତ୍ରଣା ତୁମେମାନେ କଣ ବୁଝିବ ? ମୁଁ ଘୋର ପାପୀୟସୀ । ବୋଧହୁଏ ମୁଁ ପୂର୍ଣ୍ଣମାତ୍ରାରେ ସ୍ୱାମୀ ସେବା କରିପାରିନାହିଁ ।-ସେହି ହେତୁ ମୋତେ ଏ ଦଣ୍ଡ ମିଳିଲା । ପୁଅ ଜନ୍ମ କରି ମୁଁ ଏବେ ଆଣ୍ଠୁକୁଡ଼ୀ ହୋଇ ମରିବି । ହା ବିଧାତଃ ! ଏ ହୃଦ ଏତେ ଦୁଃଖରେ ବି ଫାଟି ଯାଉନାହିଁ କାହିଁକି ! ଆଉ କିସ ପାଇଁ ଏତେ ଦୁଃଖ ସହି ବଞ୍ଚିଚି!- ଲଙ୍କାଦେବୀ ଆମମାନଙ୍କୁ ଛାଡ଼ି ଚାଲି ଗଲେଣି । ସେ ଥିଲେ କି ମଣିଷଦାଉ ଏ ପୁରୀରେ ପଶିପାରନ୍ତି ! (ଉଠିବସି) ପରିଚରି ! ମୋ ତଣ୍ଟି ଶୁଖିଯାଉଚି, ଟିକିଏ ପାଣିଦେ ।