ତୃତୀୟ ଦୃଶ୍ୟ — ରାମାଭିଷେକ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଦୃଶ୍ୟ
ରଣଭୂମିର ଅପରଦେଶ[ ଧନୁର୍ଦ୍ଧାରୀ ରାମ ଓ ଲକ୍ଷ୍ମଣ ଶର ପ୍ରେରଣରେ ନିଯୁକ୍ତ । ]
ରାମ ।- ଆଜି ଦଶାନନ ଦଶଦିକ ଶୂନ୍ୟ ଦେଖିବ । (ବାଣ ମାରୁ ମାରୁ) ରାବଣ ସଙ୍ଗେ ଏକା ଲଢ଼େଇ କରିବାରେ ସୁଖ ଅଛି ! ପ୍ରକୃତରେ ସେ ସମର ବିଦ୍ୟା ବିଶାରଦ ସେଇଥିପାଇଁ ଏତେ ଗର୍ବ ।
ସୁଗ୍ରୀ, ସୁଷେ ଓ ଅଙ୍ଗ ।-(ରାମଚନ୍ଦ୍ରଙ୍କର ପଛପଟରେ ଠିଆହୋଇ ଉଚ୍ଚୈସ୍ୱରେ) ଜୟ ରାମଚନ୍ଦ୍ରଙ୍କର ଜୟ ।ଲକ୍ଷ୍ମ ।- ସମ୍ଭାଳ, ସମ୍ଭାଳ ରାବଣ ! ଏ ସାତ ଶରରେ ତୋର ଶିରୀ ସାତଖଣ୍ଡ ହୋଇଯିବ । (ସପ୍ତାସ୍ତ୍ର ପ୍ରେରଣ)
ସୁଗ୍ରୀ, ସୁଷେ ଓ ଅଙ୍ଗ ।- (ଉଚ୍ଚୈଃସ୍ୱରେ) ଜୟ ଲକ୍ଷ୍ମଣଙ୍କର ଜୟ ! ରାବଣ ରଥର ମନୁଷ୍ୟ ମୁଣ୍ଡିଆ ଧ୍ୱଜପଟ ସାତଖଣ୍ଡ ହୋଇ କଟିଯାଇ ତଳେ ପଡ଼ିଲା ।
ଲକ୍ଷ୍ମ ।- (ଧନୁରେ ଶର ବସାଇ ଟାଣି) ସମ୍ଭାଳ ଏଥର ତୋର ସାରଥିକି । (ଶର ପ୍ରେରଣ ।)ସୁଗ୍ରୀ, ସୁଷେ ଓ ଅଙ୍ଗ ।-ଜୟ ଲକ୍ଷ୍ମଣଙ୍କର ଜୟ ! କଟିଗଲା ରାବଣର ସାରଥିମୁଣ୍ଡ ।ଲକ୍ଷ୍ମ ।- (ଧନୁରେ ପାଞ୍ଚଶର ବସାଇ) ସମ୍ଭାଳ ଏଥର ତୋର ଧନୁକୁ ରବାଣ ! (ଶର ପ୍ରେରଣ ।)ସୁଗ୍ରୀ, ସୁଷେ ଓ ଅଙ୍ଗ ।-ଜୟ ଲକ୍ଷ୍ମଣଙ୍କର ଜୟ ! ରାବଣର ଧନୁ କଟିଗଲା, ଏଥର ଆସୁ ମରିବ ।
ଲକ୍ଷ୍ମ ।- (ଉଚ୍ଚୈଃସ୍ୱରେ) ବାଃ ବିଭୀଷଣ ! କୁଦିପଡ଼ି ଗଦାରେ ଚାରି ଘୋଡ଼ାଙ୍କୁ ଚୁନା କରିଦେଲ - ସାବାସ ! ଆସ ଏଆଡ଼େ ମୋ କତିରେ ଠିଆ ହୋଇ ଲଢ଼ିବ ।
ବିଭୀ ।- (ଲକ୍ଷ୍ମଣପାର୍ଶ୍ୱେ ଠିଆହୋଇ) ଧନୁଗଲା - ସାରଥି ଗଲା- ଘୋଡ଼ା ଗଲା- ଭାଇ ଆମର ଏଥର ମଲେ । ଏଥର ଖଣ୍ଡିଆ ରଥରୁ ଓହ୍ଳାଅ ।{ କୁଦିପଡ଼ି ରାବଣର ପ୍ରବେଶ ।}ରାବ ।- (ଶକ୍ତି ଉଠାଇ ଅତି କ୍ରୋଧ) କଣ କହିଲୁରେ ବିଭୀଷଣ ! - ମୁଁ ମରିବି କି ତୁ ମରିବୁ ଦେଖ (ଶକ୍ତି ନିକ୍ଷେପ ।)ଲକ୍ଷ୍ମ ।- ହେଉ ହେଉ - ପଡ଼ିଲା ଯେ (ଧନୁରେ ବସାଇ ଶର ପ୍ରେରଣ) ।ସୁଗ୍ରୀ, ସୁଷେ ଓ ଅଙ୍ଗ ।- ଜୟ ଲକ୍ଷ୍ମଣଙ୍କର ଜୟ ! ଶକ୍ତି ତିନିଖଣ୍ଡ ହୋଇ କଟିଗଲା ।
ରାବ - (ରାଗରେ ଦାନ୍ତ କିଡ଼ିମିଡ଼ି କରି) ହଇରେ ରାମର ଭାଇ ଲଇକ୍ଷଣିଆ ! ଦେଖିବା ଦେଖି ଏଥର ତୁ କିପରି ବିଭୀଷଣକୁ ରକ୍ଷା କରିବୁ - ମଣିଷ ଛୁଆଟାକୁ ପାଇଲେ ଚୋବାଇ ଯାନ୍ତି ! କେଡ଼େ ମିଠା ଲାଗନ୍ତା ! (ଗୋଟାଏ ଅତ୍ୟୁଜ୍ଜ୍ୱଳ ଶକ୍ତି ବିଭୀଷଣ ଆଡ଼କୁ ନିକ୍ଷେପ କରିବା ଉଦ୍ୟୋଗରେ ବୁଲାଇବା ଓ ବୁଲାଉ ଶକ୍ତି ପ୍ରଜ୍ଜ୍ୱଳିତ ହେବ ।)
ଲକ୍ଷ୍ମ ।- ମାରିବୁ ନା ବିଭୀଷଣକୁ ? (ହଠାତ୍ବିଭୀଷଣର ସମ୍ମୁଖକୁ ଯାଇ ଧନୁରେ ବାଣ ବଶାଇ ମୂର୍ହୁ ମୁର୍ହୁଃ ରାବଣ ପ୍ରତି ନିକ୍ଷେପ) ।
ରାବ ।- ଏ ଦେହରେ ଯେ ଦୁର୍ଭେଦ୍ୟ କବଚ ଅଛି ତୋର ସହସ୍ର ଛାଡ଼ି ଲକ୍ଷ୍ମ ବାଣ ବି ତାର କିଛି କରିପାରିବ ନାହିଁ । ରେ ରେ ଲଇକ୍ଷଣିଆ ! (ଆଗ୍ନେୟ ଶକ୍ତି ବୁଲାଉ) ତୁ ମୋର ଗୁଣର ଭାଇକୁ ବଞ୍ଚାଇବାକୁ ଆସିଲୁ ! ରାବଣର ଶକ୍ତି ବ୍ୟର୍ଥ ହେବାର ନୁହେ- ବସିଲା ଏ ତୋ ଦେହରେ ! (ଶକ୍ତି ନିକ୍ଷେପ ।) ସମ୍ଭାଳ, ସମ୍ଭାଳ ରେ ଲଇକ୍ଷଣିଆ !
ରାମ ।- ଓହୋ ଏଡ଼େ ପ୍ରଚଣ୍ଡ ଶକ୍ତି - ଲକ୍ଷ୍ମଣର ମଙ୍ଗଳ ହେଉ ! ଶକ୍ତି ନିଷ୍ଫଳ ଓ ହତ୍ୟୋଦ୍ୟମ ହେଉ ।ଲକ୍ଷ୍ମ ।- (ଉଚ୍ଚୈଃସ୍ୱରେ ବିକଳେ) ଓହୋ - ଛାତି ଫାଟିଯାଉଛି ! (ଆହତ ହୋଇ ଭୂତଳେ ପତିତ ।)[ ହନୁମାନର ପ୍ରବେଶ ଏବଂ ସୁଗ୍ରୀବ, ସୁଷେଶ ଓ ଅଙ୍ଗଦ ସହିତ ଲକ୍ଷ୍ମଣର ହୃଦୟରୁ ଶକ୍ତି ଉଠାଇବାର ଚେଷ୍ଟା କରି ବିଫଳପ୍ରଯତ୍ନ ହେବା ।)
ରାବ ।- (ମୁହୁମୁର୍ହୁଃ ବାଣ ମାରୁ ମାରୁ) ମାଙ୍କଡ଼ଗୁଡ଼ାକ ଏ ବ୍ରହ୍ମଶକ୍ତି କାଢ଼ିବେ ! ଏ ମୟମାୟାନିର୍ମିତା ଅଷ୍ଟଘଣ୍ଟା ଯୁକ୍ତା ଶକ୍ତି - ତୁମ ବାପର ସାଧ୍ୟ ନାହିଁ କାଢ଼ିବ !
ରାମ ।- (ଦ୍ରୁତବେଗେ ଲକ୍ଷ୍ମଣ ନିକଟକୁ ଯାଇ ଦୁଇ ହାତରେ ଶକ୍ତି ଆକର୍ଷଣପୂର୍ବକ ଭାଙ୍ଗିପକାଇ ଲକ୍ଷ୍ମଣଙ୍କୁ କୁଣ୍ଢାଇ ଧରି) ଡର ନାହିଁ ! ଜୀବନକୁ ଡର ନାହିଁ ! ସର୍ବଙ୍ଗ ଲହୁଲୁହାଣ ହୋଇଯାଇଛି । ଦେଖ ସଖେ, ତୁମେ ଓ ହନୁମାନ ପ୍ରଭୃତି ଲକ୍ଷ୍ମଣକୁ ବେଢ଼ିକରି ରହିଥାଅ । ଦେଖୁଛ ତ ମୁଁ ଶକ୍ତି ଉଠାଇବାକୁ ଆସିବାବେଳୁଁ ରାବଣଟା ଦୟାମାୟା ଛାଡ଼ି ବାଣବର୍ଷା କରୁଛି । ମୋର ଚିରବାଞ୍ଛିତ ବଳ ପ୍ରକାଶର ସମୟ ଉପସ୍ଥିତ । ତୁମ୍ଭମାନଙ୍କ ନିକଟରେ ମୁଁ ସତ୍ୟ କରି କହୁଛି ଏହି ମୁହୂର୍ତ୍ତରେ ତମ୍ଭେମାନେ ଜଗତ୍ରାମଶୂନ୍ୟ ବା ରାବଣଶୂନ୍ୟ ହୋଇଛି ଶୁଣିବ । ଶୋଷୀ ଚାତକ ପାଣି ପାଇଲା ପରି ମୁଁ ଆଜି ପାପାତ୍ମା ରାବଣକୁ ଆଗରେ ପାଇଛି । ତାହାର ପ୍ରାଣ ଏହିକ୍ଷଣି ଶୋଷି ନ ନେଇ ରଖିବି ନାହିଁ । ରାଜ୍ୟନାଶ, ବନବାସ ଦଣ୍ଡକାରଣ୍ୟ ଭ୍ରମଣ, ବୈଦେହୀ ଧର୍ଷଣ, ରାକ୍ଷସମାନଙ୍କ ସହିତ ଯୁଦ୍ଧ ସମୁଦାୟ ଦୁଃଖ ମୋର ଆଜି ରାବଣକୁ ମାରି ଦୂର ହେବ । (ଫେରିପଡ଼ି ରାବଣକୁ ବାଣ ମାରୁ ମାରୁ) ସମ୍ଭାଳ, ସମ୍ଭାଳରେ ଦୁଷ୍ଟ ରାକ୍ଷସ । ତୋ ପାଇଁ ମୁଁ ବାଳିକୁ ମାରି ସୁଗ୍ରୀବଙ୍କୁ ରାଜା କରି ମହାସମୁଦ୍ରରେ ସେତୁ ବନ୍ଧ ପାରି ହୋଇ ଆସିଛି । ଆଜି ଗରୁଡ଼ ଆଗରେ ସାପ ପଡ଼ିଲା ପରି ମୋ ଆଗରେ ତୁ ଭେଟ ପଡ଼ିଛୁ । ରଖିବୁ କେମନ୍ତ ତୋର ପ୍ରାଣ ରଖ ।
ରାବ ।- (ଘୋର ରଡ଼ିକରି) ହଁ ରେ ଲେଙ୍ଗୁଟିଆ ରାମ ! ତୋର ବଳ ଜଣାଗଲା ! ଲକ୍ଷ୍ମଣର ଛାତିରୁ ଶକ୍ତିଟା ଉପାଡ଼ିଲୁ ବୋଲି ଭାରୀ ହେଣ୍ଡିମାରୁଛୁ ! (ଶର ମାରୁ ମାରୁ) ଏବେ ତୋ ଜୀବନ ରଖ ! ମାଙ୍କଡ଼ ଗୋଟାକୁ ମାରି ଆଉ ଗୋଟାକୁ ରାଜା କରି ପଲେ ମାଙ୍କଡ଼ ଭାଲୁଙ୍କୁ ସଙ୍ଗରେ ଆରି ଗଛ ପଥର ପକାଇ ସମୁଦ୍ରଟା ପାରିହୋଇ ଆସି ଏଡ଼େ ଗର୍ବ ! (ଦାନ୍ତ କିଡ଼ିମିଡ଼ି କରି) ପାଇଲେ ରଡ଼ମଡ଼ କରି ଚୋବାଇ ଯାନ୍ତି ।
ରାମ ।- ହେଉ, ହେଉ ରେ ପାପିଷ୍ଠ !- ସମ୍ଭାଳ ଏ ଷାଠିଏ ବାଣକୁ ।ରାବ ।- ଦେଖୁଛି ! (କହୁ କହୁ ଷାଠିଏ ବାଣରେ ସର୍ବାଙ୍ଗବଦ୍ଧ ଦେହ ହେବାରୁ ହାତ କୁଣ୍ଡାଉ କୁଣ୍ଡାଉ ପଳାୟନ) ।
ରାମ ।- (ଚିତ୍କାର କରି) ପାପଷ୍ଠ ! ପଳାଉଛୁ କୁଆଡ଼େ ? ଲକ୍ଷ୍ମଣ ବ୍ୟସ୍ତ ହୋଇ ପଡ଼ି ନ ଥାନ୍ତେ କି - ଦେଖନ୍ତି ଏହିକ୍ଷଣି । (ଲକ୍ଷ୍ମଣ ନିକଟକୁ ଯାଇ କିଞ୍ଚିତ ନିରୀକ୍ଷଣ ପୂର୍ବକ) ସୁଷେଣ । ଲକ୍ଷ୍ମଣ ଆହତ ସାପପରି ଛାଟିପିଟି ହେଉଥିବା ଦେଖି ମୋର ଭାରୀ ଦୁଃଖ ହେଉଛି, ସର୍ବାଙ୍ଗ ରକ୍ତ ବୋଳି ହୋଇ ଗଲାଣି । ତାର ଅଙ୍ଗ ଅବସନ୍ନ ହୋଇ ଯାଉଛି, ହାତରୁ ଧନୁ ଖସି ପଡ଼ୁଛି ଆଉ ଆଖି ଛଳଛଳ ହୋଇ ଆସୁଛି ! ସେ ତ ଆଉ କଥା କହିପାରୁ ନାହିଁ- ମୋ ମନ ଭାରୀ ଘାଣ୍ଟୁଛି (କାନ୍ଦି ପକେଇ) ସେ ମଲେ ମୋର ପ୍ରାଣ ରଖି କି ହେବ ।
ସୁଷେ ।- ମୁଁ ତ ଓଷଧି ଦେଉଛି -ଆପଣ ଏତେ ବିକଳ ହେଉଛନ୍ତି କାହିଁପାଇଁ !
ରାମ ।- ସୁଷେଣ ! ତୁମ୍ଭେ ସ୍ୱୟଂ ଧନ୍ୱନ୍ତରି ! ତୁମ୍ଭେ ଔଷଧ ଦେଲା ମାତ୍ରକେ ଫଳ ହୁଏ । (ଲକ୍ଷ୍ମଣ ନିକଟରେ ବସିପଡ଼ି ଲକ୍ଷ୍ମଣର ହାତକୁ ଧରି) ଦେଖ ଏ ହାତ ନିଶ୍ଚେଷ୍ଟ ହୋଇ ଆସୁଛି । ତୁମ୍ଭେ ଏତେ ଔଷଧ କଲ, କିଛି ଫଳ ନୋହିବାର ଦେଖି ମୋର ମନ ବଡ଼ ବିକଳ ହେଲାଣି ! ପାପିଷ୍ଠ ରାବଣର ଶକ୍ତି ମୋ ଭାଇର ଛାତି ଫଟାଇ ଦେଉଛି ! (କାନ୍ଦେ) ହାୟ ଲକ୍ଷ୍ମଣ ! ତୁ ନ ଥିଲେ ମୋର ବିଜୟରେ କି ଲାଭ ? ଚନ୍ଦ୍ର ଅସ୍ତ ହେଲେ ଆଉ ଆନନ୍ଦ ଥାଏ କି ? ଲକ୍ଷ୍ମଣ ଗଲା ତ ଆଉ ଯୁଦ୍ଧରେ କି ପ୍ରୟୋଜନ ଅଛି ? ପ୍ରାଣରେ ବା କି ପ୍ରୟୋଜନ ! ଆଉ ମୁଁ ଯୁଦ୍ଧ କରିବି ନାହିଁ ! ମୁଁ ବନବାସକୁ ଆସିଲାରୁ ତୁମୋ ପଛରେ ଆସିଲୁ- ମୁଁ ଯମଭବନକୁ ତୋ ପଛେ ପଛେ ଯିବି !
ସୁଷେ ।- (ଚିକିତ୍ସା କରୁ କରୁ) ହେ ନରଶାର୍ଦୁଳ ! ଆପଣ ସ୍ଥିରହେଉନ୍ତୁ-କାତର ହେବେ ନାହିଁ । ଲକ୍ଷ୍ମୀମନ୍ତ ପ୍ରାଣତ୍ୟାଗ କରି ନାହାନ୍ତି-ତାଙ୍କର ମୁହଁରେ ତେଜ ଅଛି-କାଳି ପଡ଼ି ନାହିଁ କି ବିକାର ଘଟି ନାହିଁ । (ଛାତିରେ ହାତ ହେଇ) ଦେଖନ୍ତୁ, ଅଦ୍ୟାପି ଛାତି କମ୍ପୁଛି-ଅନ୍ତଃଶ୍ୱାସ ବହୁଛି । (ହନୁମାନ ପ୍ରତି) ବୀର ! ମନ୍ତ୍ରିବର ଜାମ୍ବବାନ ଯେଉଁ କଥା କହୁଥିଲେ ତୁମ୍ଭେ ଶୀଘ୍ର ଏଠାରୁ ସେହି ମହୋଦୟ ଓଷଧି ଗିରିକୁ ଯାଅ । ତାହାର ଦକ୍ଷିଣ ଶିଖରେ ବିଶଲ୍ୟକରଣୀ, ସାବର୍ଣ୍ଣ୍ୟକରଣୀ, ସଞ୍ଜୀବକରଣୀ ଓ ସନ୍ଧାନ କରଣୀ ନାମରେ ଚାରୋଟି ମହୌଷଧି ଅଛି-ଲକ୍ଷ୍ମଣଙ୍କୁ ଜୀଆଇବା କାରଣ ଶୀଘ୍ର ସେହି ଓଷଧି ସବୁ ଆଣ ।
ହନୁ ।- ଏ ହି ଆଣିଲି ବୋଲି । (ପ୍ରସ୍ଥାନ ।)
ରାମ ।- ସୁଷେଣ ! ହନୁମାନ ସେ ଓଷଧି ସବୁ ଚିହ୍ନି ଆଣି ପାରିବ ତ ? (କାନ୍ଦୁ କାନ୍ଦୁ) କବିରାଜେ ! ଲକ୍ଷ୍ମଣର ଦେହରୁ କ୍ରମେ ଜୀବ ଛାଡ଼ିଯିବାର ଦେଖି ମୋର ମନ ବ୍ୟାକୁଳ ହେଉଛି । ଲକ୍ଷ୍ମଣପରି ମୁଁ ଭାଇ ପାଇବିନାହିଁ । ଲକ୍ଷ୍ମଣ ନାହିଁତ ମୋର ଆଉ ରାଜ୍ୟରେ ପ୍ରୟୋଜନ ନାହିଁ । ହାୟ ! ମୁଁ କିରୂପେ ପୁତ୍ରବତ୍ସଳା ମାତା ସୁମିତ୍ରାଙ୍କୁ ଲକ୍ଷ୍ମଣର ମୃତ୍ୟୁବାର୍ତ୍ତା ଜଣାଇବି । ମା କୌଶଲ୍ୟା ମା କୈକେୟୀଙ୍କି ମୁଁ କିସ କହିବି ? ମୁଁ ମା ସୁମିତ୍ରାଙ୍କ ଗାଳି ସହି ପାରିବି ନାହିଁ ! ମହାବଳି ଭାଇ ଭରତ ଆଉ ଶତ୍ରୁଘ୍ନ ଲକ୍ଷ୍ମଣକୁ ସଙ୍ଗରେ ନ ଧରି ଆସିଲ କାହିଁକି ପଚାରିଲେ ମୁଁ କି ବୋଲି ଉତ୍ତର ହେବି । ହାୟ, ବନ୍ଧୁମାନଙ୍କର ତିରସ୍କାର ସହିବାଠାରୁ ମୋର ଏହିଠାରେ ପ୍ରାଣ ହରାଇବା ଉଚିତ । ହାୟ । ମୁଁ ଜନ୍ମାନ୍ତରେ କି ପାପ କରିଥିଲି ଯେ ଆଗେ ମୋର ସାନ ଭାଇ ମରି ପଡ଼ିଲେ । ହାୟ ବଳିୟାର ଭାଇ । ତୁ କିମ୍ପାଇ ମୋ ଆଗେ ପରଲାକକୁ ଯାଉଛୁ । ହାୟ ଭାଇ ! ମୁଁ ଏତେ କାନ୍ଦୁଛି, ତୁ ମୋତେ କଥା କହୁ ନାହୁଁ ! ଥରେ ଉଠ, -କାହିଁକି ଏତେ ଶୋଇଛୁ । ଥରେ ମୋର ଅବସ୍ଥା ଆଖିରେ ଦେଖ । ମହାବାହୋ । ପାହାଡ଼ଜଙ୍ଗଲରେ ମୁଁ ବିକଳ-ମୁଁ ଶୋକାର୍ତ୍ତ ହେଲେ-ମୁଁ ବୁଦ୍ଧି ହରାଇଲେ ତୁ ସିନା ମୋତେ ଆଶ୍ୱାସ ଦେଉଥିଲୁ ! ତୋତେ ଛାଡ଼ି ମୁଁ କେଉଁଠାକୁ ଯିବି ?
(ପର୍ବତ କାନ୍ଧରେ ଘେନି ହନୁମାନର ପ୍ରବେଶ)ହନୁ ।- କବିରାଜେ ! ମୁଁ ଓଷଧି ଚିହ୍ନି ନ ପାରି ପର୍ବତ ଶିଖଟାଯାକ ଘେନି ଆସିଛି ।ସୁଷେ ।- ବେଶ୍ ବେଶ୍ ! ଏହି ପର୍ବତ ଶିଖରେ ଓଷଧି ଅଛି । ଏଡ଼େବଡ଼ ଶିଖଟାକୁ ଆଣିଲ କିପରି ? (ଉଠିଯାଇ ଓଷଧି ଖୋଜିବା ।)
ହନୁ ।- ବିଳମ୍ବ ହେଲେ ବିଘ୍ନ ଘଟିବ ମନେ କରି ତିନିଥର ପର୍ବତକୁ ଝୁଙ୍କାଇଦେଲି-ଶିଖଟି ଅଲଗା ହୋଇଯିବାରୁ କାନ୍ଧରେ ପକାଇ ଯେମତେ ବିମାନରେ ଗଲି ସିଧା ସେହିବାଟେ ଫେରିଲି ।
ସୁଷେ ।- ସାଧୁ ସାଧୁ ! ତୁମ୍ଭପରି ବୀର ଜଗତରେ ଦୁର୍ଲ୍ଲଭ- (ଆନନ୍ଦରେ ଲମ୍ଫପ୍ରଦାନ କରି) ହେଇଟି ତ ଓଷଧି ! (ଓଷଧି ଆଣି ଚୂରିକରି ଲକ୍ଷ୍ମଣର ନାକରେ ଦେବା ।)
ଲକ୍ଷ୍ମ ।- ଆଃ-କେଡ଼େ ଆରାମ ଜଣାଗଲା । (ଉଠିବସିବା ।)ସୁଗ୍ରୀ, ଅଙ୍ଗ, ହନୁ ।- ସାଧିୁ ସାଧୁ ବୀର ଲକ୍ଷ୍ମଣ । ସାଧୁ ବୀର ହନୁମାନ !
ରାମ ।- (ଆନନ୍ଦରେ ଉଠି) ଆସ ଆସ ହନୁମାନ । ଏ ୠଣ ମୁଁ କେବେ ଶୁଝିପାରିବି ନାହିଁ ! (ହନୁମାନକୁ ଗାଢ଼ ଆଲିଙ୍ଗନ କରି) ତୁମ୍ଭେ ବାୟୁ-ବିଦ୍ୟାରେ ପାରଦର୍ଶୀ; କାର୍ଯ୍ୟସମ୍ପାଦିକା ସିଦ୍ଧି, ବୁଦ୍ଧି, ଉଦ୍ୟମ, ଶୌର୍ଯ୍ୟ ଆଉ ଶାସ୍ତ୍ରଜ୍ଞାନ ସବୁ ତୁମ୍ଭଠାରେ ପ୍ରତିଷ୍ଠିତ । ଚରାଚରରେ ତୁମ୍ଭର କିଛି ଦୁଷ୍ପ୍ରାପ୍ୟ ନାହିଁ । ଆଜି ତାହାର ସୁନ୍ଦର ପରୀକ୍ଷା ହେଲା । (ଲକ୍ଷ୍ମଣ ନିକଟରେ ବସି ଲକ୍ଷ୍ମଣକୁ କୁଣ୍ଢାଇ ଧରି) ବୀର ଭାଇ ! ମୁଁ ଭାଗ୍ୟବଳରେ ତୋତେ ଯମହାତରୁ ଫେରି ପାଇଲି । ତୁ ନ ଥିଲେ ବିଜୟଲାଭ, ସୀତା ଆଉ ପ୍ରାଣଧାରଣ ଏ ସବୁ ମୋର ଆଉ କାମରେ ଆସନ୍ତା ନାହିଁ । ତୁ ହତ ହୋଇଥିଲେ ମୋର ବଞ୍ଚି କି ଲାଭ ହୋଇଥାନ୍ତା ?
ଲକ୍ଷ୍ମ ।- ସତ୍ୟପରାକ୍ରମ ଭାଇ ! ଆଗ ପ୍ରତିଜ୍ଞା ମନେ ରଖନ୍ତୁ-ଦୁର୍ବଳ ପରି କଥା କହିବେ ନାହିଁ । ମୋ ପାଇଁ ଆପଣ ନିରାଶ ହେଉଛନ୍ତି କାହିଁକି ? ଆଜି ଆପଣ ରାବଣକୁ ମାରି ପ୍ରତିଜ୍ଞା ପାଳନ୍ତୁ । ଆପଣଙ୍କ ଆଗରୁ ରାବଣ ପ୍ରାଣ ଘେନି ଫେରିଯିବ ? ତୀକ୍ଷ୍ଣ ଦନ୍ତ ସିଂହ ହାବୁଡ଼ୁଁ ମହାଗଜ ବଞ୍ଚିଯିବ ? ସୂର୍ଯ୍ୟ ଅସ୍ତ ହେଲା ଆଗରୁ ଦୂରାତ୍ମା ରାବଣକୁ ବଧ କରନ୍ତୁ । ଆଜି ରଣଭୂମିରେ ରାବଣର ଦେହ ପାତିତ କରନ୍ତୁ-ପ୍ରତିଜ୍ଞା ରକ୍ଷା କରନ୍ତୁ, ରାଜନନ୍ଦିନୀ ସୀତାଙ୍କୁ ଲାଭ କରନ୍ତୁ ।
ରାମ ।- ତୁ ତ ବଞ୍ଚିଗଲୁ-ଆଉ ମୋର କ୍ଷୋଭ କିସ ? (ଧନୁର୍ବାଣ ଉଠାଇ) ଏହି ମୁଁ ରଣଭୂମିକୁ ଚାଲିଲି-ଉଠ, ସେନାପତି ଓ ସେନାଗଣ !ସୁଗ୍ରୀ ।- ଉଠ ସମସ୍ତେ ! ଥରେ ରାମଚନ୍ଦ୍ରଙ୍କର ଜୟଧ୍ୱନି କର ।ସମସ୍ତେ ।- ଜୟ ରାମଚନ୍ଦ୍ରଙ୍କର ଜୟ !ନେପଥ୍ୟେ ।- ଜୟ ରାମଚନ୍ଦ୍ରଙ୍କର ଜୟ !ରାମ ।- ଆସ, ରାବଣ କୁଆଡ଼େ ଲୁଚିଛି ଦେଖିବା ।(ଆଗେ ଆଗେ ରାମଚନ୍ଦ୍ରଙ୍କର ଓ ତତ୍ପଶ୍ଚାତ୍ ଅନ୍ୟ ସମସ୍ତଙ୍କର ପ୍ରସ୍ଥାନ ଓ ଅଦୃଷ୍ଟକୁମାରୀଙ୍କର ପ୍ରବେଶ ।)ଅଃ କୁଃ ।- (ନୃତ୍ୟ ସହିତ ଗୀତା ।)ରାଗିଣୀ ଇମନ । ତାଳ ଖଏରା । (କୀର୍ତ୍ତନ ଏକତାଳୀ) ।ସମର ଅନଳେ ଝାସ ଦେଲେ ନରେ କେତେ ଦୁଃଖ ତହିଁ ଘଟେ ହେ ।ଧର୍ମବଳ ତାର ଅଟଇ ଉତାର ପରାଣ ପାଇ ସଙ୍କଟେ ହେ । ଘୋଷା ।ଧର୍ମ ରଖଇ ମହତପଣ ।ଧର୍ମ ଜଗଇ ଜୀବଜୀବନ ।ଧର୍ମ ରଣେ ସାକ୍ଷୀ ଜୀବନ ପରଖି ଜନମ କରଇ ଧନ୍ୟ ॥
ଜନୈକ ଅ,କୁ ।- ଧନ୍ୟ ଧନ୍ୟ ହେ-ଧନ୍ୟ ଧନ୍ୟ ରାମଚନ୍ଦ୍ର ବୀର !ସମସ୍ତେ ।- ସତେ ମର୍ତ୍ତ୍ୟେ ଅବତରି ଅସୁର ବିନାଶେ ଦୃଢ଼ କରିଛ ଶରୀର ॥
ଜଃ ଅଃ କୁ ।- ଧନ୍ୟ ଧନ୍ୟ ହେ-ଧନ୍ୟ ଧନ୍ୟ ଶୂର ଲଛମଣ ।ସମସ୍ତେ ।- କେତେ ଅରଜିଲ ଯଶ ବଡ଼ଭାଇ ସେବି ଅବିରତ ପ୍ରାଣପଣ ।ଜଃ ଅଃ କୁ ।- ଧନ୍ୟ ଧନ୍ୟ ହେ-ଧନ୍ୟ ଧନ୍ୟ ବଳୀ ହନୁମାନ ।ସମସ୍ତେ ।- ହେଳେ ବିମାନେ ସାଗର ପାରି ହୋଇ ବଳେ ବହିଲ ଗନ୍ଧମାଦନ ॥
ଜଃ ଅଃ କୁ ।- ଧନ୍ୟ ଧନ୍ୟ ହେ ଧନ୍ୟ ଧନ୍ୟ ଭିଷକ ସୁଷେଣ ।
ସମସ୍ତେ ।- ଏବେ ଭୀମ ରଣକ୍ଷେତ୍ରେ ଦିବ୍ୟ ପ୍ରତିକାରେ ଧନ୍ୱନ୍ତରି ନାମ ଘେନ ॥ ଧନ୍ୟ ଧନ୍ୟ ରାମ ଧନ୍ୟ ସେନା ବଳ ଧନ୍ୟ କଳ କୌଶଳ ପ୍ରକଟେ ହେ ।୧।
ପାପୀ ଯାଇନାହିଁ ସେହି ଦିକ ।ପାପେ ଘୂରାଇ ମଥା ଅଧିକ ॥
ପାପେ ମତ୍ତ ହୋଇ ସମର ଭିଆଇ ମାରେ ଯେ ତାହାକୁ ଧିକ ॥
ଜ, ଅ, କୁ ।- ଧିକ ଧିକ ରେ-ଧିକ ଧିକ ଅସୁର ରାବଣ ।ସମସ୍ତେ ।- ଏତେ ଭୋଗ ଐଶର୍ଯ୍ୟରେ ଚୋରି କରି ସତୀ ଭିଆଉ ନିଜ ମରଣ ॥
ଜଃ ଅଃ କୁ ।- ଧିକ ଧିକରେ-ଧିକ ଧିକ ତୋର ରାଜପଣ ।ସମସ୍ତେ ।- ହେଳେ ଧର୍ମଛଡ଼ା ହୋଇ ଲକ୍ଷ୍ମୀଛଡ଼ା ହେଲୁ ନ ଦେଖା ପାପବଦନ ।ଜଃ ଅଃ କୁ ।- ଧିକ ଧିକରେ-ଧିକ ଧିକ ତୋହର ପ୍ରତାପ ।ସମସ୍ତେ ।- ଦେଖୁ ବଂଶ ନାଶ କଲା ଏଡ଼େ ମନ୍ଦ ବୁଦ୍ଧି ତଥାପି ନ ଛାଡ଼ୁ ପାପ ।ଜଃ ଅଃ କୁ ।- ଧିକ ଧିକ ରେ-ଧିକ ତୋହରି ଜନମ ।ସମସ୍ତେ ।- ଯେବେ ଭଲ ବୋଲି କହି ଗୁଣ ନ ଗାଇଲେ ବୃଥା ତୋହର ଜୀବନ ।ଧିକଧିକ ଦଶାନନ ଧିକ ତୋ ପରାଣ ଭଲ ନାହିଁ ଭାଲପଟେ ରେ ।୨।ତୃତୀୟ ଅଭିନୟ(ଲଙ୍କା)
ପ୍ରଥମ ଦୃଶ୍ୟ
। ରଣଭୂମିରେ ପାର୍ଶ୍ୱଦେଶ ।[ ରଥୋପରି ରାବଣ ଅଚେତନ ଅବସ୍ଥାରେ ନିପତିତ ଓ ସାରଥି ଉପବିଷ୍ଟ ଏବଂ ଚତୁର୍ଦ୍ଦିକରେ ରାକ୍ଷସସେନାଏ ବିକଳେ ଉପସ୍ଥିତ । ]
ସାର ।- ଓଃ ! ରାମଚନ୍ଦ୍ରଙ୍କର କି ଅଭୁତଶକ୍ତି-କି ଆଶ୍ଚର୍ଯ୍ୟ ରଣଶିକ୍ଷା ! କେତେ ପ୍ରକାର ବାଣ ତାଙ୍କଠାରେ ଅଛି ! ବାଣ ସରିବାକୁ ନାହିଁ କି ଗୋଟାଏ ସୁଦ୍ଧା ବାଣ ବ୍ୟର୍ଥ ହେଉନାହିଁ ! ତଳେ ଠିଆହୋଇ ଲଢ଼ୁଥିବାର ଦେଖି ଇନ୍ଦ୍ର ରଥସହିତ ତାଙ୍କର ଧନୁ, କବଚ, ବାଣ, ଆଉ ଶକ୍ତି ପଠାଇଦେଲେ । ରଥରେ ଚଢ଼ି ଯୁଦ୍ଧ କଲାବେଳେ ତାଙ୍କର ଶକ୍ତି ପୁଣି ଅପରିମିତ ଦେଖାଯାଏ । ରାବଣ ପରି ଏଡ଼େବଡ଼ ଯୋଦ୍ଧାକୁ ସେ ତ ତିଳେ ଖାତିର କରୁନାହାନ୍ତି ! ଦୈବ ବାଣ, ଗାନ୍ଧର୍ବ ଅସ୍ତ୍ର କଣ ତାଙ୍କର ଊଣା ଅଛି କି ! ରାବଣ ଭୟଙ୍କର ସର୍ପାସ୍ୱ ମାରିବାରୁ ସେ ଗରୁଡ଼ାସ୍ତ୍ରରେ ତାହା ନଷ୍ଟ କଲେ । ରାବଣ କ୍ରୋଧରେ ସହସ୍ରବାଣ ମାରିବାରୁ ରାମଚନ୍ଦ୍ର ଅସଂଖ୍ୟ ଦିବ୍ୟାସ୍ତ୍ରରେ ଚାରିଦିକ ଘୋଡ଼ାଇ ପକାଇଲେ । ତୁମୁଳ ଯୁଦ୍ଧ-ବାଣଗର୍ଜନରେ ଆକାଶ ପାତାଳ କମ୍ପିଗଲା । ରାବଣ ଶୂଳ ଉଠାଇ ମାରିବାରୁ ରାମ ଶକ୍ତି ପ୍ରେରଣ କରି ତାକୁ ବ୍ୟର୍ଥ କଲେ । ଦେଖୁଁ ଦେଖୁଁ ସିଧା ରାମର ବାଣମାନ ଆସି ରାବଣର ଛାତି ଓ କପାଳରେ ବସି ଚେତନା ବୁଡ଼ାଇଦେଲା ।- (ନାକ ନିକଟରେ ହାତ ଦେଇ) ଅଦ୍ୟାପି ନିଶ୍ୱାସ ବହୁଛି । ସେ ଅଚେତନ ହେଲାରୁ ମୁଁ ତ ରଥ ଏପାଖକୁ ଘେନିଆସିଲି, ମାତ୍ର ଉଠିଲେ ଏହିକ୍ଷଣି କେତେଗୁଡ଼ାଏ ଗାଳିଦେବେ । ଏମାନଙ୍କର ଭଲ କରିବାର ନୁହେ ।- ଆଉ ଟିକିଏ ଥିଲେ ରାମ ଆଉ ତାର ସେନାଦଳ ପଶି ଆସି ଯେ ମାରିପକାଇଥାନ୍ତେ ତାହା ବୁଝୁଛି କିଏ ? ଦେଖେଁ ! (ରାବଣକୁ କିଞ୍ଚିତ୍ ନିରୀକ୍ଷଣ କରି) ଦେହରୁ ରକ୍ତର ଧାରା ବହିଯାଉଛି । ନିଶ୍ୱାସ ଟିକିଏ ତେଜ ହୋଇଆସିଲାଣି । ଯାହାହେଉ ଘୋଡ଼ାଗୁଡ଼ାକ ବାଣରେ ଜର୍ଜରିତ ହୋଇଯାଇଥିଲେ-ସେ ବି ଟିକିଏ ଦମ ନେଲେ । ଇନ୍ଦ୍ରସାରଥି ମାତଳି ବଡ଼ ବିଚକ୍ଷଣ-କେମନ୍ତ ସଜରେ ସେ ବାଗ ଦେଖି ରଥ ଚଳାଇ ବାଣ ଏଡ଼ୁଛନ୍ତି । ସେ ମାଙ୍କଡ଼ଭାଲୁ ଗୁଡ଼ାକ ପୁଣି ଗଛପଥର ପକାଇ ଏପରି ଲଢ଼ୁଛନ୍ତି ଯେ ହେବାର ନୁହେଁ !
ରାବ ।- (ସଂଜ୍ଞା ଲାଭପୂର୍ବକ ଉଠି ଚକ୍ଷୁ ଆରକ୍ତ କରି) ରେ ନିର୍ବୋଧ ! ତୁ ସାରଥିର ଅଯୋଗ୍ୟ । ତୁ ଭାବିଛୁ ମୁଁ ବୀର୍ଯ୍ୟହୀନ, ଅସ୍ତ୍ରପ୍ରୟୋଗରେ ଅସମର୍ଥ, ପୌରୁଷବିବର୍ଜିତ, ଅଳ୍ପଚିତ୍ତ, ମୋର ସତ୍ତ୍ୱ ନାହିଁ, ତେଜ ନାହିଁ, ମାୟା ନାହିଁ, ମୁଁ ଅସ୍ତ୍ରଶସ୍ତ୍ରରେ ଅନଭିଜ୍ଞ ! ତୁ ଏଡ଼େ ଡରକୁଡ଼ା ! ତୁ ସେହିତା ଭାବି ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରି ମୋ ରଥକୁ ଚିରଶତ୍ରୁ, ଲେଙ୍ଗୁଟିଆ ରାମ ଆଗରୁ ଆଣି ଏକପାଖିଆ କରି ଥୋଇଛୁ ! ମୋର ମହତ ସାଇଲୁ! ମୁଁ ତ୍ରିଭୁବନବିଜୟୀ ରାବଣ ବୋଲି କି ତୁ ଜାଣୁ ନା । ତୁ ମୋତେ ଅବଜ୍ଞା କଲୁ-ଛାର ମଣିଷ ନିକଟରେ ମୋର ମହତ୍ୱ ଦିକଡ଼ାର କରିଦେଲୁ । ମୋର ଚିରାପାର୍ଜିତ ଯଶ, ବୀର୍ଯ୍ୟ, ତେଜ ଆଉ ବଳବାନ ବୋଲି ଲୋକଙ୍କର ବିଶ୍ୱାସ ସବୁ ତୁ ନଷ୍ଟ କଲୁ । ମୁଁ ଚିରକାଳ ଯୁଦ୍ଧଲୋଭୀ ଜାଣି ସଦା ତୁ ଶତ୍ରୁ ନିକଟରେ ମୋତେ କାପୁରୁଷ କରିପକାଇଲୁ ।- ଜାଣିଲି ତୁ ଶତ୍ରୁର କଥା ଶୁଣି ରଥ ଲେଉଟାଇ ଆଣିଲୁ । ତୁ ମୋର ଶତ୍ରୁ । ହିତାକାଂଙ୍କ୍ଷୀ ବନ୍ଧୁ ହୋଇଥିଲେ କେବେ ଏପରି କାମ କରି ନ ଥାନ୍ତୁ । ତୁ ପୁରୁଣା ଚାକର ବୋଲି ମୁଁ ଏଥର ଛାଡ଼ି ଦେଲି । (ଅତି କ୍ରୋଧରେ) ଚାଲ, ଶତ୍ରୁ, ରଣଭୂମି ଛାଡ଼ିଯିବା ପୂର୍ବରୁ ରଥ ଚଳାଇ ଦେ ।
ସାର ।- (କରଯୋଡ଼େ) ରାକ୍ଷସେନ୍ଦ ! ମୁଁ ଭୟରେ, ଅନବଧାନରେ, ମୋହବଶରେ, ଛାମୁ ପ୍ରତି ସ୍ନେହହୀନ ଅଥବା ଶତ୍ରୁର କୌଣସି କଥା ଶୁଣି ଏରୂପ କାର୍ଯ୍ୟ କରିନାହିଁ । ଛାମୁରୁ ମୋତେ ଶାଢ଼ୀ, ଶିରପା ଆଦି ଯେତେ ମିଳିଛି ତାହା ମୁଁ ଭୁଲିନାହିଁ । ରଣମଧ୍ୟରୁ ରଥ ଆଣିବା ଅନୁଚିତ ହେଲେ ସୁଦ୍ଧା ମୁଁ ଛାମୁ ଯଶୋରକ୍ଷା ଓ ମଙ୍ଗଳସାଧନ କାମନାରେ ସ୍ନେହବଶରୁ ହିତ ମନେ କରି ଏହି ଅପ୍ରିୟ କାର୍ଯ୍ୟ କରିଛି । ମହାରାଜ ! ମୁଁ ଚିରକାଳ ଛାମୁର ପ୍ରିୟ ଆଉ ହିତକର କାର୍ଯ୍ୟରେ ରତ ! ମାତ୍ର ଏତେବେଳେ ମୋତେ ଛୋଟ ଲୋକ ବାପୁଡ଼ା ପରି ଗାଳିଦେବା ଛାମୁର ଉଚିତ ନୁହେ ।
ରାବ ।- ତୁ ରଥ ଫେରାଇଲୁ କାହିଁକି ? ତୁ ପ୍ରବୀଣ ସାରଥି । ଇନ୍ଦ୍ରଲୋକରେ ଯୁଦ୍ଧ କଲାବେଳେ ତ ତୁ ମୋର ବଳକଳ ଦେଖିଛୁ-ଏ ସାମାନ୍ୟ ଶତ୍ରୁସଙ୍ଗେ ଲଢ଼ିଲାବେଳେ ରଥ ଫେରାଇଲୁ ! ମୋର ମାନମହତ୍ୱସାରିଦେଇଛୁ ନା ରଖିଛୁ !
ସାର ।- (ଯୋଡ଼ହସ୍ତେ) ମହାରାଜ ! ସାଗରଜଳ ଫୁଲିଉଠି ନଦୀବେଗକୁ ଫେରାଇଲା ପରି ମୁଁ ରଣରୁ ଯେ ଛାମୁରଥ ଫେରାଇ ଆଣିଲି ତାହାର କାରଣ ଶୁଣନ୍ତୁ । ଛାମୁ ଯେତେବେଳେ ଯୁଦ୍ଧଶ୍ରମରେ ନିତାନ୍ତ କାତର ହୋଇଗଲେ ଆଉ ଦେଖିଲି ଯେତେବେଳେ ଶତ୍ରୁ ନିତାନ୍ତ ବଳୋଦ୍ଧତ, ଯୁଦ୍ଧରେ କିଛିମାତ୍ର କ୍ଲାନ୍ତ ହୋଇନାହିଁ, ଯେତେବେଳେ ଆମର ଘୋଡ଼ାଗୁଡ଼ାକ ବର୍ଷାମାଡ଼ ଖାଇଲା ଗୋରୂପର ରହିଯାଇ ରଥ ଟାଣିବାକୁ ଅକ୍ଷମ ହୋଇଗଲେ ମୁଁ ଏହା ନ କରି ଆଉ କିସ କରିଥାନ୍ତି ? ଯେଉଁସବୁଁ ଅଶୁଭ ଲକ୍ଷଣ ଦେଖାଗଲା ତହିଁରେ ଆମର ଅନିଷ୍ଟ ହେବା ବୁଝିଲି । ଦେଶ, କାଳ, ରଥିର ଲକ୍ଷଣ, ଇଙ୍ଗିତ, ଦୈନ୍ୟ, ହର୍ଷ, ଖେଦ, ବଳ ଆଉ ଦୌର୍ବଲ୍ୟ, ସ୍ଥାନର ସମତା ଓ ଅସମତା ଆଉ ନିମ୍ନତା, ଯୁଦ୍ଧର ଅବସର, ପୁଣି ଶତ୍ରୁର ଛିଦ୍ର ଏ ସବୁ ଜାଣି ଚଳିବା ସାରଥିର ଉଚିତ । କେତେବେଳେ ରଥ ଶତ୍ରୁଆଡ଼କୁ ନେବାକୁ ହେବ, କେତେବେଳେ ଫେରି ପଳାଇବ, ଆଉ କେତେବେଳେ ଶତ୍ରୁର ଆଗରେ ରହିବ ଅଥବା କେତେବେଳେ ପାଖରେ ଚଳାଇବ ଏ ସବୁ ବିଷୟ ସାରଥି ବିଶେଷରୂପେ ଜାଣିବା କର୍ତ୍ତବ୍ୟ । ମୁଁ ଛାମୁ ବିଶ୍ରାମ ସକାଶେ ଆଉ ଘୋଡ଼ାଙ୍କୁ ଦମ୍ ଦେବା କାରଣ ଭଲ ଜାଣି କରିଛି-ମୋ ମନକୁ ମୁଁ ରଥ ଫେରାଇନେଇ ଆସିନାହିଁ, ପ୍ରଭୁଙ୍କ ସ୍ନେହବଶରୁ ଏପରି କରିଛି ! ଛାମୁ ବୀର, ଶତ୍ରୁ ହନ୍ତାଯେପରି ଆଜ୍ଞା ଅବଧାନ ହେବେ ସେହପରି ଋଣ ଶୁଝିବି ।
ରାବ ।- ଭଲ ଭଲ ସୁତ ! ମନରେ କଳ୍ପନା ନ କର-ତୁ ଭଲ ବୁଝି କରିଛୁ । ଯାହା ହେବାର ତ ହେଲାଣି-(ହାତରୁ ବଳା ବାହାର କରି) ନେ ଏ ସୁନାଖଡ଼ ତୋତେ ପୁରସ୍କାର ଆଜ୍ଞା ହେଲା । ଏହାକୁ ନାଇ ରଥ ଚଳା । (ସାରଥିର ହାତକୁ ଟାଣିନେଇ ବଳା ପିନ୍ଧାଇବା ।)
ସାର ।- (କରଯୋଡ଼େ) ଛାମୁ ବୁଝିଲେ ଏହି ମୋର ଲକ୍ଷେଟଙ୍କା ! ଛାମୁ-ଅନ୍ନ ଖାଇ ଯେବେ ଛାମୁଙ୍କ ପ୍ରାଣକୁ ନ ଜଗିଲି, ତେବେ ସାରଥିପଣକୁ ଧିକ୍ ! ରାମର ବଳ କମ୍ ନୁହେଁ- ସେ ଲକ୍ଷଣିଆର ଛାତିରୁ ଶକ୍ତି ଟାଣି ଆଣି ଭାଙ୍ଗି ପକାଇଲା । ଛାମୁ ଖୁବୁ ଜଗି ତା ସଙ୍ଗେ ଲଢ଼ିବେ । ତୈଲୋକ୍ୟରେ ଛାମୁ ସରି ବୀର ନାହିଁ-ଛାମୁ ସେ ଛାର ମଣିଷଟାକୁ ଡରିବେ । ମାତ୍ର ତାର କଳକୌଶଳ ଯେପରି ଦଳବଳ ବି ସେପରି । ଲକ୍ଷଣିଆଟା ସୁକ୍ ସୁକ୍ ହୋଇ ଗଲାଗଲା ପରି ହେଲାବେଳେ ତା ସଙ୍ଗେ ଯେଉଁ ବଇଦଟା ଅଛି ସଙ୍ଗେ ସଙ୍ଗେ ଭଲ କରିଦେଲା, ଆଉ ରାମା ତ ନାଚିଉଠି ଛାମୁ ସଙ୍ଗେ ଲଢ଼ିଲା । ବର୍ତ୍ତମାନ ଛାମୁ ବିଶ୍ରାମାନ୍ତେ ଦ୍ୱିଗୁଣବଳରେ ଲଢ଼ି ପାରିବେ-ମୁଁ ରଥ ଚଳାଇଲି ।
ରାବ ।- (ସଦର୍ପେ) ସେ ଲେଙ୍ଗୁଟିଆ ରାମାର ଗାଲଟିପି ଦେଲେ ଦୁଧ ବାହାରିବ-ସେ ଆମ୍ଭଙ୍କୁ ଲଢ଼ାଇରେ ଜିଣିଯିବ ! -ଆଜି ଯେବେ ତାକୁ ମାରି ତାର ରକ୍ତ ପିଇ (ଦାନ୍ତ କଡ଼ମଡ଼ କରି) ହାଡ଼ ଗୋଡ଼ କଡ଼ମଡ଼ କରି ଚୋବାଇ ନ ଯାଉଛୁଁ ତେବେ ଆମ୍ଭେ ବୀର ନୋହୁଁ । -ଉଠ ସେନାଏ, ସିଂହନାଦ କରି ଶତ୍ରୁବିନାଶ କର !
ରାକ୍ଷସସେନା ।- (ଉଠି ଘୋରରାବରେ ଲମ୍ଫ ପ୍ରଦାନ କରି) ଜୟ ରାକ୍ଷସେନ୍ଦ୍ର ରାବଣେଶ୍ୱରଙ୍କ ଜୟ !(ଲମ୍ଫ ପ୍ରଦାନପୂର୍ବକ ରାକ୍ଷସସୈନିକଙ୍କର ବେଗେ ପ୍ରସ୍ଥାନ ଓ ତତ୍ପଶ୍ଚାତ୍ ରଥ ପରିଚାଳିତ ।)ପଟପରିବର୍ତ୍ତନ ।