ତୃତୀୟ ଦୃଶ୍ୟ — ରାମାଭିଷେକ — ରାମଶଙ୍କର ରାୟ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଦୃଶ୍ୟ
ରାମଛାଉଣି[ରାମ, ଲକ୍ଷ୍ମଣ, ସୁଗ୍ରୀବ, ହନୁମାନ, ଅଙ୍ଗଦ, ନଳ, ନୀଳ, ସୁଷେଣ ଇତ୍ୟାଦି ଆସୀନ ।]ରାମ ।- (କାନଡେରିକି) ଗୋଳମାଳ ଶୁଭୁଛି?
ସୁଗ୍ରୀ ।-ସଖା ବିଭୀଷଣ ଉପଯୁକ୍ତ ପ୍ରହରିବେଷ୍ଟିତ ଶିବିକାରେ ସୀତାଙ୍କୁ ଆଣୁ ଥିବାରୁ ସେନାବଳ ଦେଖିବା କାରଣ ଉବୁରା ଉବୁରି ହୋଇ ଗୋଳମାଳ ଲଗାଇଛନ୍ତି ।
ବିଭୀ ।- (ପ୍ରଣାମାନନ୍ତର) ସଖେ ! ସୀତାଦେବୀ ଶିବିକାରେ ଆସି ପହୁଞ୍ଚିଲେଣି ।ରାମ ।- ରାକ୍ଷସପତେ ! ବୈଦେହୀଙ୍କି ଶୀଘ୍ର ମୋ ନିକଟକୁ ଆସିବାକୁ କହ ।ବିଭୀ ।- ଯଥାରୁଚି ।[ବେତ୍ରହସ୍ତ ଉଞ୍ଜୀଷଧାରୀ କଞ୍ଚୁକିମାନେ ଲୋକମାନଙ୍କୁ ଅନ୍ତର କରି ଶିବିକାରୁ ରାମଚନ୍ଦ୍ର ପର୍ଯ୍ୟନ୍ତ ବାଟକରିବାରେ ନିଯୁକ୍ତ ।
ରାମ ।- (ବିଭୀଷଣକୁ ଅନାଇ) ସଖେ ! କିପାଇଁ ମୋତେ ଅବଜ୍ଞାକରି ଏମାନଙ୍କୁ କ୍ଲେଶ ଦେଉଛ ? ଏମାନେ ସମସ୍ତେ ମୋର ସୁଜନ - ଦେଖିବା ସକାଶେ ସେମାନଙ୍କର ଉଦ୍ବେଗ ଦୂରକରିବା ଉଚିତ । ଘର, ଲୁଗା ବା ପାଚେରି ଅଥବା ଏପରିକରି ଲୋକଙ୍କୁ ଆଡ଼େଇଦେବା ସ୍ତ୍ରୀଲୋକଙ୍କର ଆବରଣ ନୁହେ । ସ୍ୱାମୀକର୍ତ୍ତୃକ ସମ୍ମାନିତ ହେବାହିଁ ତାଙ୍କର ଆବରଣ । ତାହାତ ସେ ପାଇଛନ୍ତି । ବିଶେଷତଃ ବ୍ୟସନ, କ୍ଲେଶ, ଯୁଦ୍ଧ, ସ୍ୱୟମ୍ବର, ଯଜ୍ଞ ଆଉ ବିବାହ କାଳରେ ସ୍ତ୍ରୀଲୋକମାନଙ୍କର ଜନସମାଜରେ ଦର୍ଶନ ଦେବା ଦୁଷଣୀୟ ନୁହେ ॥ ବର୍ତ୍ତମାନ ସେ ଭାରୀ ବିପଦ ଓ କଷ୍ଟରେ ପଡ଼ିଛନ୍ତି ଆଉ ଏମନ୍ତ ସମୟରେ ବିଶେଷତଃ ମୋ ପାଖରେ ତାଙ୍କର ଦର୍ଶନ ଦୋଷବହ ହୋଇ ନ ପାରେ । ସେ ଶିବିକା ଛାଡ଼ି ଚାଲିକରି ମୋ ନିକଟକୁ ଆସନ୍ତୁ- ସମସ୍ତ ଦେଖି ଶାନ୍ତ ହେଉନ୍ତୁ । ପାପାତ୍ମା ରାବଣ ଯାହାଙ୍କୁ ଚୋରାଇ ଆଣି କଷ୍ଟରେ ରଖିଥିଲା ଆଉ ଯାଙ୍କ ସକାଶେ ବହୁକଷ୍ଟ ପାଇ ମୁଁ ସମୁଦ୍ର ପାରି ହୋଇ ଲଙ୍କାକୁ ଆସି ରାବଣକୁ ମାରି ଉଦ୍ଧାର ସାଧନକଲି ତାଙ୍କୁ ଦେଖିବା ସକାଶେ ଲୋକେ ଆଗ୍ରହାନ୍ୱିତ ହେବା ସ୍ୱାଭାବିକ ।
ବିଭୀ ।- ଯେ ଆଜ୍ଞା ! (ପ୍ରସ୍ଥାନ ।)ସୁଗ୍ରୀ ।- ସଖେ ! ଆପଣଙ୍କ କଥାକୁ ଉତ୍ତର ନାହି ମାତ୍ର ଏତେ ସେନାବଳ ସମ୍ମୁଖରେ ସୀତାଦେବୀ ଚାଲିଆସିବାକୁ ଲଜ୍ଜା ବୋଧ କରିବେ ।
ଲକ୍ଷ୍ମ ।- ବିଶେଷ ସେ ଏତେକାଳ ରାକ୍ଷସପୁରୀରେ; ଥିବାରୁ ବର୍ତ୍ତମାନ କି ଘଟନା ହେବ ଦେଖିବାକୁ ଲୋକେ ଆଗ୍ରହ ହୋଇ ଅନାଇ ରହିଥିବାବେଳେ ସେ ବିଚ୍ଛେଦ ପରେ ପ୍ରଥମ ସ୍ୱାମିସନ୍ଦର୍ଶନରେ ସଙ୍କୁଚିତା ହେବା ସ୍ୱାଭାବିକ ।
ହନୁ ।- ଲଜ୍ଜା ତ ସ୍ତ୍ରୀଲୋକଙ୍କର ଭୂଷଣ - ତହିଁରେ ପତିବ୍ରତାସୀତାଦେବୀ ସ୍ତ୍ରୀଶିାରୋମଣୀ ।ରାମ ।- ଯଥାର୍ଥ କଥା - ମାତ୍ର ବନରେ ମୁଁ ତପସ୍ୱୀ ଓ ସେ ତପସ୍ୱିନୀ । ଆମ୍ଭମାନଙ୍କର କେହି ପର ନୁହନ୍ତି ଯେ ଯାହାକୁ ସେ ଆଡ଼ ହେବେ ।[ଆଗେ ଆଗେ ବିଭୀଷଣ ଓ ତତ୍ପଶ୍ଚାତ୍ସୀତାର ପ୍ରବେଶ ଏବଂ ଉଭୟପକ୍ଷର ବହୁସୈନିକମାନଙ୍କର ପ୍ରବେଶ ଓ ପାଶ୍ୱେ ଦଣ୍ଡାୟମାନ ।ସୀତା ।- (ବହୁକ୍ଷଣ ରାମଚନ୍ଦ୍ରର ମୁଖ ନିରୀକ୍ଷଣକରି ଧୀରେ ଧୀରେ ଯାଇ ପାର୍ଶ୍ୱେ ଦଣ୍ଡାୟମାନା ।)
ରାମ ।- (କିୟତ୍କାଳ ସୀତାକୁ ନିରୀକ୍ଷଣକରି) ଭଦ୍ରେ ! ମୁଁ ରଣାଙ୍ଗନରେ ଶତ୍ରୁ ଜୟକରି ତୁମ୍ଭଙ୍କୁ ଉଦ୍ଧାରକଲି । ପୌରୁଷବଳରେ ଯାହା କରିବାକୁ ହୁଏ ତତ୍ସମସ୍ତ କରିଛି । ସହିବାର ଆଉ ବାକୀ ନାହିଁ । ତୁମ୍ଭର ଅବମାନନା ହେତୁ କଳଙ୍କ ମୋଚନକଲି । ଅପମାନ ଆଉ ଶତ୍ରୁ ଏକାବେଳକେ ବିନଷ୍ଟ କରିଛି । ମୋର ପୌରୁଷ ଦେଖାଇଲି- ମୋର ଶ୍ରମ ସଫଳ ହେଲା । ଆଜି ମୋର ପ୍ରତିଜ୍ଞା ପୂର୍ଣ୍ଣହେଲା - ମୁଁ ଆଜି ସ୍ୱାଧୀନ । ମୁଁ ନ ଥିଲାବେଳେ ଚଳଚିତ୍ତ ରାକ୍ଷସ ତୁମ୍ଭଙ୍କୁ ହରଣ କରିଥିଲା । ଦୈବକର୍ତ୍ତୃକ ସେ ଦୋଷ ସମ୍ପାଦିତ ହୋଇଥିଲା - ମୁଁ ମନୁଷ୍ୟ ହୋଇ ତାହା ଦୁରକଲି ! ଯେ ମହାତାପୀ ଅବମାନିତ ହୋଇ ଆପଣା ତେଜଦ୍ୱାରା କ୍ଷାଳିତ ନ କରେ ସେହି ଲଘୁଚେତା ମନୁଷ୍ୟର ପୁରୁଷକାରର ପ୍ରୟୋଜନ କିସ ? ହନୁମାନର ସୁମଦ୍ରଲଙ୍ଘନ ଆଉ ଲଙ୍କାଦହନାଦି ପ୍ରଶଂସନୀୟ କାର୍ଯ୍ୟ ଆଜି ସଫଳହେଲା । ସସୈନ୍ୟ ସୁଗ୍ରୀବ ଯେଉଁ ହିତଜନକ ମନ୍ତ୍ରଣା ପ୍ରଦାନ ଆଉ ପରାକ୍ରମ ଯୁଦ୍ଧରେ ପ୍ରକାଶ କରିଥିଲେ ସେ ସବୁ ପରିଶ୍ରମ ଆଜି ସଫଳ ହେଲା !
ସୀତା ।- (ଉତ୍ଫୁଲ୍ଲ ନୟନରେ ଅଶ୍ରୁ ବିସର୍ଜନ ପୂର୍ବକ ନିଜାଞ୍ଚଳରେ ମୋଚନ ।)
ରାମ ।- ତୁମ୍ଭର ଧର୍ଷଣା ଧୋଇବା ସକାଶେ ମନୁଷ୍ୟର ଯାହା କର୍ତ୍ତବ୍ୟ ଆପଣା ମାନ ରକ୍ଷା ପାଇଁ ରାବଣକୁ ବଧ କରି ତାହା ମୁଁ କରିଛି । ଅଗସ୍ତ୍ୟମୁନି ଜୀବଲୋକର ଦୁର୍ଜୟ ଦକ୍ଷିଣଦିକ୍ଜୟ କଲାପରି ମୁଁ ରାବଣ ସଙ୍ଗେ ଯୁଦ୍ଧ କରି ତୁମ୍ଭଙ୍କୁ ପାଇଛି । ଭଦ୍ରେ ! ଜାଣିରଖ, ମୁଁ ସୁହୃଦ୍ଗଣର ବୀର୍ଯ୍ୟବଳରେ ଯେ ଦାରୁଣ ରଣପରିଶ୍ରମ କରିଛି ତାହା ତୁମ୍ଭପାଇଁ ନୁହେ - ତୁମ୍ଭର ହରିଣହେତୁ ଅପବାଦ ମୋଚନ ଆଉ ବିଖ୍ୟାତ ବଂଶର ମର୍ଯ୍ୟାଦା ରକ୍ଷା କରିବା ସକାଶେ ମୁଁ ଏ କାର୍ଯ୍ୟ କରିଛି । ତୁମ୍ଭର ଚରିତ୍ରରେ ସନ୍ଦେହ ଜାତ ହୋଇଛି । -ମାତ୍ର ରୋଗୀ ଆଗରେ ଦୀପଶିଖା ପରି ତୁମ୍ଭେ ମୋ ସମ୍ମୁଖରେ ଠିଆହୋଇ ମୋତେ ବିଶେଷ କଷ୍ଟ ଦେଉଛ । ହେ ଜନକଦୁହିତେ ! ମୁଁ ଅନୁଜ୍ଞା କରୁଛି ଏହି ଦଶଦିଗରୁ ତୁମ୍ଭର ଯେଉଁଆଡ଼େ ଇଚ୍ଛା ସେହିଆଡ଼େ ଯାଅ । ହେ ଭଦ୍ରେ ! ତୁମ୍ଭଠାରେ ମୋର କିଛି କାର୍ଯ୍ୟନାହିଁ । ଯେଉଁ ସ୍ତ୍ରୀ ବହୁକାଳ ପରଘରେ ବାସ କରେ କେଉଁ ସଦ୍ବଂଶରଜାତ ତେଜସ୍ୱୀ ପୁରୁଷ ସୁହୃଦଲୋଭରେ ତାହାକୁ ପୁଣି ଘେନିବ ? ରାବଣ ତୁମ୍ଭଙ୍କୁ କୋଳରେ ଘେନିଛି - ଦୁଷ୍ଟଚକ୍ଷୁରେ ତୁମ୍ଭଙ୍କୁ ଦେଖିଛି, ତେଣୁ ତୁମ୍ଭଙ୍କୁ ନେଇ ମୁଁ ମହତ୍କୁଳରେ କଳଙ୍କ ଲଗାଇ ନ ପାରେ । ଯେଉଁ କାରଣରେ ତୁମ୍ଭଙ୍କୁ ମୁଁ ଉଦ୍ଧାର କରିଛି ମୋର ସେ ଉଦ୍ଦେଶ୍ୟ ସଫଳ ହୋଇଛି । - ତୁମ୍ଭ ସଙ୍ଗରେ ମୋର ପ୍ରୟୋଜନ ନାହିଁ, ଯେଉଁଆଡ଼େ ଇଚ୍ଛା ଚାଲିଯାଅ । ଭଦ୍ରେ ! ମୁଁ ବିବେଚନା କରି ଯାହା କହିବାର ତାହା ଆଜି କହିଲି -ଏବେ ଲକ୍ଷ୍ମଣ, ଭରତ ବା ଶତ୍ରୁଘ୍ନ ନିକଟରେ ରହିବାକୁ ତୁମ୍ଭର ଇଚ୍ଛା ହେଲେ ସୁଖେ ରହ । ଅନ୍ୟଥା ସୁଗ୍ରୀବ କିମ୍ବା ରାକ୍ଷସରାଜ ବିଭୀଷଣ ନିକଟରେ ରହିବାକୁ ସୁଖ ବୋଧ ହେଲେ ରହିପାର । ସୀତେ ! ତୁମ୍ଭେ ରାବଣଘରେ ବହୁକାଳ ଥିଲ- ସେ ଯେ ତୁମ୍ଭର ଲୋକତୀତ ମନୋରମ ରୂପ ଦେଖି କ୍ଷମା କରିଛି ଏରୂପ ବୋଧହୁଏ ନାହିଁ ।
ସୀତା ।- (ବସ୍ତ୍ରାଞ୍ଚଳରେ ଲୁହ ପୋଛି) ବୀର ! ଇତରଲୋକ ଇତରସ୍ତ୍ରୀକୁ କହିଲା ପରି ଏ ଭଳି କର୍କଶକଥା କାହିଁକି ମୋତେ ଶୁଣାଉଚନ୍ତି ? ମହାବାହୋ ! ଆପଣ ମୋତେ ଯେପରି ମନେ କରୁଚନ୍ତି ମୁଁ ସେପରି ନୁହେଁ । ମୁଁ ଆପଣାର ଚରିତ୍ରର ରାଣପକେଇ କହୁଚି ମୋତେ ବିଶ୍ୱାସ କରନ୍ତୁ । ଇତରସ୍ତ୍ରୀଙ୍କ ବ୍ୟବହାର ଦେଖି ଆପଣ ସ୍ତ୍ରୀଜାତି ଉପରେ ଆଶଙ୍କା କରୁଚନ୍ତି, ମାତ୍ର ମୋତେ ତ ଆପଣ ଜାଣନ୍ତି, ଏଭଳି ଆଶଙ୍କା ଛାଡ଼ନ୍ତୁ । ପ୍ରଭୋ ! ମୁଁ ଆତ୍ମବଶରେ ନ ଥିଲାବେଳେ ରାବଣ ସହିତ ମୋର ଯେ ଶରୀର ସଂସ୍ପର୍ଶ ଘଟିଥିଲା ତାହା ମୋର ଇଚ୍ଛାକୃତ ନୁହେ - ସେ ବିଷୟରେ ଦୈବ ଅପରାଧୀ । ନାଥ ! ଯାହା ମୋର ଅଧୀନ ସେ ହୃଦୟକୁ କେହି ସ୍ପର୍ଶ କରିନାହିଁ - ସେ ହୃଦୟ ଆପଣଙ୍କଠାରେ ଅନୁରାଗୀ ହୋଇ ରହିଚି । ରକ୍ଷକ ନ ଥିଲାବେଳେ ପରାଧୀନ ଦେହକୁ ରାବଣ ସ୍ପର୍ଶ କରିବାରେ ମୋର କି ଦୋଷ ? ହାୟ ! ବହୁକାଳ ଏକତ୍ର ରହି ଉଭୟର ଅନୁରାଗ ବଢ଼ି ସୁଦ୍ଧା ଆପଣ ଯେ ମୋର ଚରିତ୍ର ଜାଣି ନ ପାରିଲେ ଏଥିରେ ମୁଁ ଏକାବେଳେ ସରିଗଲି । ହେ ରାଜନ ! ଆପଣ ଯେତେବେଳେ ବୀର ହନୁମାନକୁ ଲଙ୍କାରେ ମୋତେ ଠାବ କରିବାକୁ ପଠାଇଲେ ତେତେବେଳେ ଛାଡ଼ିଲେ ନାହିଁ କାହିଁକି ? ହନୁମାନ ମୋତେ ଆପଣ ଛାଡ଼ିଦେବା କଥା ଶୁଣାଇଥିଲେ ମୁଁ ସେହି ଦଣ୍ଡରେ ତାହାରି ଆଗରେ ପ୍ରାଣ ହରାଇ ଥାନ୍ତି । ହେ ରାଘବ ! ତାହାହେଲେ ଆପଣଙ୍କୁ ଏତେ ପ୍ରାଣସଂଶୟ କ୍ଲେଶ କରି ଅକାରଣ ସୁହୃଦ୍ବର୍ଗଙ୍କୁ କଷ୍ଟ ଦେଇ ଏପରି ଯୁଦ୍ଧଶ୍ରମ କରିବାକୁ ହୋଇ ନ ଥାନ୍ତା । ରାଜଶାର୍ଦ୍ଦଳ ! ଆପଣ ରାଗରେ କେବଳ ସାଧାରଣ ଲୋକ ପରି ମୋର ସତୀତ୍ୱର ବିଚାର କଲେ । ମୁଁ ରାଜର୍ଷି ଜନକଙ୍କ ଯଜ୍ଞଭୂମିରୁ ଜାତ - ଏହା ଛଳ ନୁହେ । ହେ ବୃତ୍ତଜ୍ଞ ! ଆପଣ ମୋର ଚରିତ୍ରର ସମୁଚିତ ସମ୍ମାନ କଲେନାହିଁ ! ବାଲ୍ୟକାଳରୁ ମୁ ଆପଣଙ୍କ ପାଣିଗ୍ରହଣ କରି ଆପଣଙ୍କ ଆଗରେ ମୋର ଭକ୍ତି ସବୁ ପଡ଼ିଥିଲେ ସୁଦ୍ଧା ଆପଣ ତାହା ବିବେଚନା କଲେନାହିଁ ! (କାନ୍ଦୁ କାନ୍ଦୁ) ମୋର କପାଳ ମନ୍ଦ ! ମୋର ରୂପ କାଳ ହୋଇଥିଲା ! ମୁଁ ,ଏଡ଼େବଡ଼ ବଂଶରେ ଜନ୍ମି ଏଡ଼େବଡ଼ କୁଳରେ ବିବାହ ହୋଇ ମୋର କପାଳରେ ଏ ଧର୍ଷଣା ଥିଲା ! ମୁଁ ସ୍ୱାମିସଙ୍ଗକୁ ସ୍ୱର୍ଗକୁ ମଣି ରାଜପ୍ରସାଦ ଛାଡ଼ି ବନବାସିନୀ ହେଲି ତଥାପି ମୋର ଦୁଃଖ ଗଲା ନାହିଁ ! ଦୈବ ମୋର ବାଦୀ ହେଲା ! ସ୍ୱାମି-ସଙ୍ଗ- ଗର୍ବରେ ସୁବର୍ଣ୍ଣହରିଣୀ ଦେଖି ମୋର ମନରେ ଲୋଭ ହୋଇଥିଲା - ତହିଁରୁ ପରାଭବ ମୁ ତେମନ୍ତ ପାଇଲି । ଯେଉଁ ସ୍ୱାମୀ ସକାଶେ ମୁ ସବୁ ଛାଡ଼ି ଥିଲି ସେ ଯେବେ ସଭାସମକ୍ଷରେ ମୋତେ ଛାଡ଼ିଲେ ତେବେ ମୋର ଏ ଜୀବନରେ ଆଉ ପ୍ରୟୋଜନ ନାହିଁ ! ରାବଣ ଏଡ଼େବଡ଼ ପ୍ରତାପୀ ହୋଇ ଲଙ୍କାପୁରୀରେ ମୁ ପକାଇଲା କୁଟାଖଣ୍ଡିକ ଭରସି ଡେଇଁପାରିନାହିଁ । ମୁ ବୀର ହନୁମାନ ହାତରେ ସବୁ କହି ପଠାଇଥିଲେ ସୁଦ୍ଧା ଯେବେ ଆର୍ଯ୍ୟପୁତ୍ର ମୋତେ ବିଶ୍ୱାସ ନ କଲେ ତେବେ (ଛାତିରେ ବାହୁପିଟି) ଏ ଜୀବନକୁ ଧିକ୍! (ଦମ୍ଭଭାବେ ଲକ୍ଷ୍ମଣକୁ ଅନାଇ) ସୈମିତ୍ରେ! ଏପରି ମିଥ୍ୟା ଅପବାଦ ପାଇ ମୁ ଦଣ୍ଡେ ସୁଦ୍ଧା ଜୀଇବାକୁ ଇଚ୍ଛା ନ କରେଁ । ତୁମେ ଚିତା ପ୍ରସ୍ତୁତ କର - ତାହାହିଁ ଏହି ଘୋର ବିପଦର ଓଷଧି ? ସ୍ୱାମୀ ମୋର ଗୁଣରେ ଅସନ୍ତୁଷ୍ଟ ହୋଇ ଜନସମୂହ ମଧ୍ୟରେ ମୋତେ ପରିତ୍ୟାଗ କଲେ - ମୁଁ ନିଆଁରେ ପଶି ମୋର କର୍ମାନୁରୂପ ଗତିଲାଭ କରିବି ।
ଲକ୍ଷ୍ମ । - (କ୍ରୋଧଭରେ ଚତୁର୍ଦ୍ଦିଗ ଓ ରାମକୁ ବାରମ୍ବାର ନିରୀକ୍ଷଣ ପୂର୍ବକ) ଆଜ୍ଞାପାଳନହିଁ ମୋର ଧର୍ମ । ଜ୍ୟେଷ୍ଠ ଭ୍ରାତା ମୋର ପିତା ଏବଂ ଆପଣ ମାତା । ଭାଇ ଯେତେବେଳେ କିଛି କହୁ ନାହାନ୍ତି ମୁଁ ଆପଣଙ୍କ ଆଜ୍ଞାନୁସାରେ ଚିତା ପ୍ରସ୍ତୁତ କରିବି - ମୋର ଦୋଷ ନାହିଁ ! (କାଷ୍ଠାଦି ଆନୟନ ପୂର୍ବକ ତହିଁରେ ଚିତା ପ୍ରସ୍ତୁତ କରି ନିଆଁ ଲଗାଇଦେବା) ।
ସୀତା ।- (ରାମକୁ ପ୍ରଦକ୍ଷିଣ କରି ଚିତା ନିକଟକୁ ଯାଇ କରଯୋଡ଼େ) ମୋର ମନ ଯେତେବେଳେ ରାଘବଙ୍କଠାରୁ ବିଚଳିତ ହୋଇନାହିଁ ତେତେବେଳେ ଲୋକସାକ୍ଷୀ ପାବକ ମୋତେ ସର୍ବତୋଭାବେ ରକ୍ଷା କରନ୍ତୁ ! ଯେତେବେଳେ ଶୁଦ୍ଧ - ଚରିତ୍ରା ମୋତେ ରାଘବ ଦୁଷ୍ଟା ବୋଲି ଜାଣିଲେ ତେତେବେଳେ ଲୋକସାକ୍ଷୀ ପାବକ ମୋତେ ରକ୍ଷା କରନ୍ତୁ ! (ଜ୍ୱଳନ୍ତ ଚିତାକୁ ପ୍ରଦକ୍ଷିଣ କରି ତହିଁରେ ଡେଇଁ ପଡ଼ିବା ।)
ଅନ୍ୟ ସମସ୍ତେ । -(ଉଚ୍ଚସ୍ୱରେ) ହାୟ ହାୟ ! (ଲୁଗା କାନିରେ ଲୁହ ପୋଛିବା ।)ରାମ - (ଅଶ୍ରୁପୂର୍ଣ୍ଣଲୋଚନ ହାତରେ ଘୋଡ଼ାଇବା ।)[ଜ୍ୱଳନ୍ତ ଚିତାରୁ ସୁବର୍ଣ୍ଣମୟ ପୀଠୋପରି ଉପବିଷ୍ଟା ସୀତାର ଉତ୍ଥାନ ଓ ଚିତା ନିର୍ବାପିତା ।]
ଆକାଶ-ବାଣୀ ।- ବୈଦେହୀ ଦେହରେ ପାପର ଲେଶ ନାହିଁ - କାୟମନୋବାକ୍ୟରେ ତୁମ୍ଭଠାରେ ଅନୁରକ୍ତା ସୀତା କ୍ଷଣମାତ୍ର ରାବଣକୁ ଚିନ୍ତାକରି ନାହାନ୍ତି । ଘୋରରୂପା ଘୋରବୁଦ୍ଧି ରାକ୍ଷସୀମାନଙ୍କ ତର୍ଜନ ବା ପ୍ରଲୋଭନ ଏହାଙ୍କୁ ବିଚଳିତ କରିନାହିଁ । ରାଘବ ! କିଛି ନ କହି ବିଶୁଦ୍ଧ ସ୍ୱଭାବା ନିପ୍ପାପା ସୀତାଙ୍କୁ ଗ୍ରହଣ କର ।
ଅନ୍ୟ ସମସ୍ତେ ।- ଭୟାନକ ପରୀକ୍ଷା ! ସୀତା ସତୀ - ଶିରୋମଣୀ ଓ ରମଣୀକୁଳର ଆଦର୍ଶ । ଏହାଙ୍କୁ ଗ୍ରହଣ କରିବାରେ ଆଦୌ ଦୋଷ ନାହିଁ ।
ରାମ ।- (କିଞ୍ଚିତ୍ଚିନ୍ତାକରି ସହର୍ଷ ବଦନେ) ଉପସ୍ଥିତ ସମସ୍ତେ ! ଅବଶ୍ୟ ଜାନକୀ ସକଳଲୋକମଧ୍ୟରେ ସମଧିକପବିତ୍ରା ମାତ୍ର ସେ ରାବଣର ଅନ୍ତଃପୁର ମଧ୍ୟରେ ଦୀର୍ଘକାଳ ବାସ କରିଥିଲେ । ମୁଁ ଜାନକୀଙ୍କି ବିଶୁଦ୍ଧରୂପେ ପରୀକ୍ଷା କରି ନ ନେଲେ ଲୋକେ କହନ୍ତେ ଦଶରଥ ପୁତ୍ର ରାମ ନିତାନ୍ତ କାମପରତନ୍ତ୍ର ଓ ମୁର୍ଖ । ସୀତା ଅନନ୍ୟହୃଦୟା ଆଉ ମୋଠାରେ ଏକାନ୍ତ ଅନୁରକ୍ତା ଏହା ମୁଁ ଜାଣେଁ । ମହାସାଗର ବେଳାଭୂମି ଅତିକ୍ରମ କରି ନ ପାରିଲା ପରି ରାବଣ ସୁଦ୍ଧା ନିଜ ତେଜୋବଳରେ ରକ୍ଷିତା ବିଶାଳାକ୍ଷୀ ସୀତାଙ୍କୁ ଅତିକ୍ରମ କରିନାହିଁ । ସେ ଦୁଷ୍ଟତ୍ମାଜ୍ୱଳନ୍ତ ଅଗ୍ନିଶିଖାପରି ଅନନ୍ୟଲଭ୍ୟା ସୀତାଙ୍କୁ ମନରେ ସୁଦ୍ଧା ଧର୍ଷଣ କରିପାରି ନାହିଁ । ସୂର୍ଯ୍ୟର ପ୍ରଭାପରି ମୋଠାରୁ ଅଭିନ୍ନା ସତୀ ସୀତା ରାବଣାନ୍ତଃପୁରରେ ଅନ୍ୟହୃଦୟା ହେବା ଅସମ୍ଭବ । ଆତ୍ମବାନ୍ଲୋକ କୀର୍ତ୍ତୀତ୍ୟାଗକରି ନ ପାରିଲା ପରି ତ୍ରିଲୋକ ବିଶୁଦ୍ଧା ଜନକତନୟା ମୈଥିଲୀଙ୍କୁ ମୁଁ ତ୍ୟାଗକରି ନ ପାରେଁ । ତୁମ୍ଭେମାନେ ହିତବାଦୀ, ତୁମ୍ଭମାନଙ୍କର ମଙ୍ଗଳମୟବାକ୍ୟ ମୁ ଅବଶ୍ୟ ପ୍ରତିପାଳନ କରିବି । (ଉଠିଯାଇ ସୀତାର ହାତଧରି ପୀଠରୁ ଓହ୍ଲାଇ ଆଣିବା ।)
ସୀତା ।- (ରାମବାମରେ ଦଣ୍ଡାୟମାନା ହୋଇ ବସ୍ତ୍ରାଞ୍ଚଳରେ ଲୋତକ ମୋଚନ ।)
ରାମ ।- ପ୍ରିୟେ ! ଆଉ କାନ୍ଦିବାର ପ୍ରୟୋଜନ ନାହିଁ ! ବିଧିବଶରୁ ଯାହା ଘଟିବାର ଥିଲା ଘଟିଲା ! ତୁମ୍ଭ ହେତୁ ରାକ୍ଷସରାଜ ନିହତ ହୋଇ ପୃଥିବୀର ଭାର ଊଣା ହେଲା ଆଉ ତୁମ୍ଭେ ମଧ୍ୟ ଭୟଙ୍କର ଅଗ୍ନି-ପରୀକ୍ଷାରେ ଉତ୍ତୀର୍ଣ୍ଣା ହୋଇ ଜଗତରେ ଅଭୂତ ପୂର୍ବ ସତୀତ୍ୱର ପରିଚୟ ଦେଲ । ପଛକଥା ଭାଳିବାର ପ୍ରୟୋଜନ ନାହିଁ - ଆପଣା ଜୀବନରେ ମୋଠାରୁ ବର୍ଷ କାଳ ଭିନ୍ନ ହୋଇ ଅନେକ କ୍ଲେଶ ପାଇଛ । ଏବେ ଚାଲ ସୁଖରେ ମଣୋହି ସାରି ମନସ୍ତାପ କରିବ ।
ଅନ୍ୟ ସମସ୍ତେ ।- ଜୟ ରାମଚନ୍ଦ୍ରଙ୍କର ଜୟ ! ଜୟ ସତୀ ସ୍ୱାଧୀ ଦେବୀଙ୍କର ଜୟ ‘ପଟପରିବର୍ତ୍ତନ ।
ଚତୁର୍ଥ ଦୃଶ୍ୟ
ରାମଛାଉଣିର କିଞ୍ଚଦୂରବର୍ତ୍ତୀ ପ୍ରାଙ୍ଗଣ[ବନ୍ଦୀ-ଚତୁଷ୍ଟୟର ପ୍ରବେଶ ଓ ତାନପୂରାସହ ଗୀତ ।]ରାଗ ଭୈରୋଁ । ତାଳ କଓ୍ୟାଲୀ ।ଜଗ ଆହେ ରଘୁବର ଜଗେ ଦେଖ ଦିନକର ଉଷାଦେବୀ ଉଭା ରଙ୍ଗେ ପ୍ରାଚୀ - ନଭେ ।ବନବାସ ଦୁଃଖ-ନିଶି ସୁଖେପାହିଲାଣି ଆସି ଗାଏ ବିହଙ୍ଗମକୁଳ କଳରବେ । ଘୋଷା ।ପାପେ ପରାଜୟ ପୁଣ୍ୟେ ରିପୁକ୍ଷୟ ଲାଗିଅଛି ନିତି ଲୀଳା ଭବେ ।ସନ୍ତାପ - ସାଗର ପାପୀ ପାଏ ନିରନ୍ତର ଧାର୍ମିକେ ଧରଣୀ ଭରା ଯଶ ସୌରଭେ । ୧ ।ସ୍ୱର୍ଣ୍ଣଲଙ୍କା - ଶିରୀ ଦେଖ କେଡ଼େ ମନୋହାରୀ ମେଘମୁକ୍ତ ନିଶାମଣି ଭାବେ ।ଯାଇଛି କଳଙ୍କ ତାର ଶୋଭେ ନବରାଜାଶିର ଶୋଭା ଏକା ରଘୁବର ଠାବେ । ୨ ।ଅଯୋଧ୍ୟାପୁରୀ ପରି ଯଶୋଗାନ ଲଙ୍କାଭରି ଶାନ୍ତି ସୁଖେ ଭୋଳ ସରବେ ।ସତୀସାଧ୍ୱୀ ସୀତାଦେବୀ ଶ୍ରୀପଦଯୁଗଳ ସେବି ଧର୍ମଶୀଳ ସିନା ସବୁ ଲଭେ । ୩ ।(ଉଚ୍ଛସ୍ୱରେ) ଜୟ ଧର୍ମରାଜ ଶ୍ରୀ ରାମଚନ୍ଦ୍ରଙ୍କର ଜୟ !ଜୟ ଲଙ୍କେଶ୍ୱର ବିଭୀଷଣଙ୍କର ଜୟ !ଜୟ କିସ୍କିନ୍ଧ୍ୟାରାଜ ସୁଗ୍ରୀବଙ୍କର ଜୟ !(ବନ୍ଦିମାନଙ୍କର ପ୍ରସ୍ଥାନ ଓ ପଟପରିବର୍ତ୍ତନ ।)
ପଞ୍ଚମଦୃଶ୍ୟ
ଛାମୁଛାଉଣିର ସମ୍ମୁଖଭାଗ[ରାମ, ସୀତା, ଲକ୍ଷ୍ମଣ, ସୁଗ୍ରୀବ, ଅଙ୍ଗଦ, ହନୁମାନ, ନଳ, ନୀଳ, ଜାମ୍ବୁବାନାଦି ସେନାପତି ଓ ସେନାବର୍ଗ ଆସୀନ ।]
ରାମ ।- ଆଜି ଆମ୍ଭମାନଙ୍କର ସୁପ୍ରଭାତ । କାଲି ମୋର ଚୌଦବର୍ଷ ବନବାସ କାଳ ପୂର୍ଣ୍ଣ ହେଲା ଆଉ ମୁ ବ୍ରାହ୍ମଣମୁହୂର୍ତ୍ତରେ ଉଠେଁ ବୋଲି ଅତି ପ୍ରତୁଷରୁ ମିତ୍ରବର ରାଜା ବିଭୀଷଣ ବନ୍ଦୀ ପଠାଇ ସ୍ମରଣକରାଇଦେଲେ - ରାବଣବଧ ଓ ସୀତାପରୀକ୍ଷା ପରେ ପ୍ରକୃତରେ ରାତ୍ରଟି ସୁଖନିଦ୍ରାରେ ଅତିବାହିତ ହେବାରୁ ମନରେ ଯେମନ୍ତ ସୁଖ ଦେହରେ ତେମନ୍ତ ବଳ ଜାତ ହୋଇଛି ।- ପ୍ରିୟେ ! ଅଯୋଧ୍ୟା ବାହୁଡି ଯିବାକୁ ମନ ହେଉନାହିଁ କି ?
ସୀତା ।- ଆପଣ ଯେଉଁଠାରେ ଥିବେ ସେହି ମୋର ସ୍ୱର୍ଗ - ସେହି ମୋର ଅଯୋଧ୍ୟା । ଆପଣ ବାହୁଡ଼ି ଗଲେ ମୁଁ ସଙ୍ଗେ ଯାଇ ଶାଶୁମାନଙ୍କର ଚରଣବନ୍ଦନା କରି ସ୍ୱର୍ଗସୁଖ ଭୁଞ୍ଜିବି ।
ଲକ୍ଷ୍ମ ।- ଯଥାର୍ଥ କଥା । ସେ, ମୁଁ ଆଉ ଅନ୍ୟ ଆଜ୍ଞାକାରିମାନେ ଆପଣଙ୍କ ଆଦେଶକୁ ଅନାଇ ବସିଛୁଁ । ଘଟନାଚକ୍ରରେ ପଡ଼ି ଆପଣଙ୍କ ହେତୁ ଚଉଦବର୍ଷ ଦିନ ଚାରିଟା ଭଳି କେଉଁଆଡ଼େ ଉଭେଇ ଗଲାପରି ଲାଗୁଛି ।
(ବିଭୀଷଣର ପ୍ରବେଶ ।)ରାମ ।- କି ମିତ୍ର ! ଏତେ ସକାଳୁ କୁଆଡ଼େ ?
ବିଭୀ ।- (ଯଥାବିଧି ଅଭିବାଦପପୂର୍ବକ କରଯୋଡ଼େ) ମୁଁ ଧାଇଁଛି ଆଜ୍ଞା ହେଲେ ଦାସ ଦାସୀ ଆଣି ସେବା କରିବି - ସ୍ନାନାଦିର ଆୟୋଜନରୁ ଅନୁଜ୍ଞା ହେଉ ।
ରାମ ।- ସଖେ ! ଚଉଦବର୍ଷକାଳ ଦାସଦାସୀ ବିନା ହାତହାତେ କାର୍ଯ୍ୟ ଚାଲିଯାଇଛି - ଆଜି କଣ ବାକୀ ଥାନ୍ତା ! ଆମ୍ଭେମାନେ ଅତି ପ୍ରତ୍ୟୂଷରୁ ଉଠି ପ୍ରାତଃକୃତ୍ୟାଦି ସମାପନ କରି ବସିଛୁଁ । ସଖା ସୁଗ୍ରୀବ, ଯୁବରାଜ ଅଙ୍ଗଦ ଓ ବୀର ହନୁମାନ ପ୍ରଭୃତି ସମସ୍ତେ ଯେ ଯାହା କାର୍ଯ୍ୟ ସାରି ଅତି କ୍ଲେଶକର କାର୍ଯ୍ୟ ସମାଧାନ୍ତେ ଯେଉଁ ଶାନ୍ତିସୁଖ ଜାତ ହୁଏ ତାହା ଅସ୍ୱାଦନ କରୁଛନ୍ତି । ସଖେ ! ତୁମ୍ଭର ହିତକାମନାରେ ମୋର ଜୟଲାଭ ଓ ଅଭିନ୍ନ - ହୃଦୟା ପ୍ରିୟା ଭାର୍ଯ୍ୟାର ଉଦ୍ଧାରସାଧନ ହେଲା । କାଲିଠାରୁ ମୋର ଚଉଦବର୍ଷ ବନବାସର ସମୟ ଶେଷ ହୋଇଛି । ତେଣେ ମହାବାହୁ ଧର୍ମାତ୍ମା ସୁଖୋଚିତ ସୁକୁମାର ସତ୍ୟସଂଶ୍ରୟ ଭରତ ମୋ ପାଇଁ କଷ୍ଟ ପାଉଛନ୍ତି । -ମୁଁ ଯେ ପର୍ଯ୍ୟନ୍ତ ଧର୍ମାଚାରୀ କ୍ୟୈକେୟୀନନ୍ଦନ ଭରତଙ୍କୁ ନ ଦେଖିଛି ସେ ପର୍ଯ୍ୟନ୍ତ ସ୍ନାନ ବା ବସ୍ତ୍ରାଳଙ୍କାରରେ ମୋର ପ୍ରୟୋଜନ ନାହିଁ । ସଖା ସୁଗ୍ରୀବ ଇତ୍ୟାଦିଙ୍କି ତୁମ୍ଭେ ନିମନ୍ତ୍ରଣ କରିପାର ମାତ୍ର ମୁଁ ଯେପରି ଶୀଘ୍ର ଅଯୋଧ୍ୟାକୁ ଫେରି ଯାଇପାରେଁ ତହିଁର ଉପାୟ ଦେଖ, କାରଣ ଯିବାବାଟ ଅତି ଦୁର୍ଗମ ।
ବିଭୀ ।- ସଖେ ! ସେଥିପାଇଁ ଭାବନା କିସ ? ମୁଁ ଅତିଶୀଘ୍ର ଆପଣଙ୍କୁ ଅଯୋଧ୍ୟା-ପୁରୀରେ ପହୁଞ୍ଚାଇଦେବି । ଆପଣଙ୍କର ମଙ୍ଗଳ ହେଉ । ମୋର ଭାଇ କୁବେରଙ୍କୁ ଜୟ କରି ସୂର୍ଯ୍ୟସମ ପୁଷ୍ପକରଥ ବଳପୂର୍ବକ ଛିଡ଼ାଇ ଆଣିଥିଲେ; ସେହି କାମଗାମୀ ପୁଷ୍ପକରଥ ରଣବିଜୟୀ ଆପଣଙ୍କ ଆଜ୍ଞାଧୀନ ଅଛି - ତହିଁରେ ଚଢ଼ି ସୁଖରେ ଆକାଶମାର୍ଗରେ ଅଯୋଧ୍ୟାକୁ ବାହୁଡ଼ିବାକୁ ଆଜ୍ଞା ହେଉ । ଯଦି ମୁଁ ଆପଣଙ୍କର ଅନୁଗ୍ରହର ପାତ୍ର ହୁଏଁ, ଯଦି ମୋର ଗୁଣ କିଛି ଆପଣଙ୍କର ମନେଥାଏ ଆଉ ମୋଠାରେ ସୌହାର୍ଦ୍ଦ ଥାଏ ତାହା ହେଲେ ଆପଣ ଭାଇ ଲକ୍ଷ୍ମଣ ଓ ଭାର୍ଯ୍ୟା ବୈଦେହୀଙ୍କ ସହିତ କିଛିକାଳ ,ଏଠାରେ ରହି ସକଳରୂପେ ମୋର ଅର୍ଚ୍ଚନା ଘେନି ଯିବେ । ମୁଁ ପ୍ରୀତିପୂର୍ବକ ସସୈନ୍ୟ, ସବାନ୍ଧବ ଆପଣଙ୍କୁ ସତ୍କାର କରିବାକୁ ମନ ବଳାଇଛି । ମୁଁ ଆଦେଶ କରୁନାହିଁ, ଆପଣ ପ୍ରଣୟ ଓ ବହୁମାନରୁ ମୋତେ ମିତ୍ର ବୋଲି ଡାକନ୍ତି - ସେହି ହେତୁ ମୁଁ ଭୃତ୍ୟଭାବରେ ଆପଣଙ୍କ ପ୍ରସାଦ ଲାଭ ସକାଶେ ଅଭିଳାଷ କରୁଛି ।
ରାମ ।- ହେ ବୀର ସୁହୃଦବର ! ତୁମ୍ଭେ ମୋର କାର୍ଯ୍ୟରେ ସର୍ବପ୍ରକାର ମନ୍ତ୍ରଣା ଓ ଚେଷ୍ଟା ଆଉ ମୋ ସହିତ ଅକପଟ ମିତ୍ରାରୂପେ ବ୍ୟବହାର କରି ମୋର ଯଥେଷ୍ଟ ପୂଜା କରିଛ । ରାକ୍ଷସେଶ୍ୱର ! ଭାଇ ଭରତକୁ ଦେଖିବାସକାଶେ ମୋ ମନ ଏକାନ୍ତ ଉତ୍ସୁକ ହୋଇଥିବାରୁ ତୁମ୍ଭ କଥା ରଖିପାରୁ ନାହିଁ । ମୋତେ ଫେରାଇ ନେବା ସକାଶେ ଭରତ ଚିତ୍ରକୂଟ ପର୍ଯ୍ୟନ୍ତ ଆସି ମୁଣ୍ଡ କୋଡ଼ି ହୋଇଥିଲେ ସୁଦ୍ଧା ମୁଁ ତା କଥା ରଖିନାହିଁ - ମୁଁ ସେହି ଭରତକୁ ଆଉ ଯଶସ୍ୱିନୀ ମାତା କୌଶଲ୍ୟା, ସୁମିତ୍ରା, କୈକେୟୀ, ଗୁରୁ, ସୁହୃଦ୍, ପୁରବାସୀ ଓ ଗ୍ରାମବାସୀମାନଙ୍କୁ ଦେଖିବା ସକାଶେ ଉତ୍କଣ୍ଠିତ ହେ ସଖେ ! ହେ ସୌମ୍ୟ ବିଭୀଷଣ । ଦୁଃଖ ନ କର - ତୁମ୍ଭେ ମୋର ଯଥେଷ୍ଟ ସତ୍କାର କରିଛ । ତୁମ୍ଭଙ୍କୁ ମୁଁ ଅନୁନୟ କରୁଛି, ରାକ୍ଷସେଶ୍ୱର, ଶୀଘ୍ର ବିମାନ ଘେନି ଆସ । -ମୋର କାର୍ଯ୍ୟ ଶେଷ ହେଲା- ଆଉ ଏଠାରେ ରହିବା ଉଚିତ ନୁହେ ।
ବିଭୀ ।- ସାରଥେ !-[ସାରଥିର ପ୍ରବେଶ]ସାର ।- (କରଯୋଡ଼େ) ଅବଧାନ !ବିଭୀ ।- ପୁଷ୍ପକ ବିମାନ ଠିକ୍ଅଛି ତ ?ସାର ।- (କରଯୋଡ଼େ) ଆଜ୍ଞା ସବୁ ଠିକ୍ଅଛି । -ଆଣିବି କି ?ବିଭୀ ।- ଚାଲ ମୁଁ ଦେଖି ସଙ୍ଗରେ ଘେନି ଆସିବି ।[ବିଭୀଷଣର ସାରଥି ସହିତ ପ୍ରସ୍ଥାନ ।
ରାମ ।- ପ୍ରିୟେ ! ବନବାସକାଳ ଶେଷ ହୋଇଥିବାରୁ ଆଉ ଏଠାରେ ରହିଲେ ମା ଭାଇ ସମସ୍ତଙ୍କର ମନ ବିକଳ ହେବ । ଏଠାରୁ ଶୀଘ୍ର ଯିବା ଉଚିତ ନୁହେ କି ?
ସୀତା ।- ଆର୍ଯ୍ୟପୁତ୍ର ! ଯଥାର୍ଥ ଭାବିଚ- ଶୀଘ୍ର ଯିବାହିଁ ଉଚିତ । ଆମମାନଙ୍କୁ ନ ଦେଖି ଶାଶୁ ଓ ଦେବରମାନେ କଣ୍ଟାପରି ହୋଇ ଯାଇଥିବେ । ଯେତେ ଶୀଘ୍ର ଯାଇ ତାଙ୍କୁ ସାକୁଳି ବାକୁଳି ଦେଖାଦେବୁଁ ତେତେ ଭଲ ।
ଲକ୍ଷ୍ମ ।- ଭାଇ, ମୋର ସେହି ମତ । ବିଭୀଷଣ ଅତି ଭଲ ଲୋକ - ତାଙ୍କର ମନ ଯେମନ୍ତ ସରଳ ତେମନ୍ତ କୋମଳ । ସେତ ବର୍ଷେକାଳ ଆମ୍ଭମାନଙ୍କୁ ପାଇଲେ ଛାଡ଼ିବେ ନାହିଁ । ତାଙ୍କ ସଙ୍ଗେ ତ ଏତେକାଳ ସୁଖରେ ହେଉ ଦୁଃଖରେ ହେଉ ରହିଲୁଁ ମାତ୍ର ସେମାନେ ଆଉ ସମସ୍ତେ ଆମ୍ଭମାନଙ୍କ ସକାଶେ ଦିନ ଗଣୁଥିବେ । ଚୌଦ ବର୍ଷ ଉତ୍ତାରୁ ଦିନଟାଏ ତାଙ୍କୁ ଯୁଗ ପରି ଜଣାଯିବ । ଏତେବେଳେ ତିଳେ ବିଳମ୍ବ କରିବା ଭଲ ନୁହେ ।
[ବିଭୀଷଣର ପ୍ରବେଶ ।ବିଭୀ ।- (କରଯୋଡ଼େ) ପୁଷ୍ପକରଥ ଆସିଲା ପରି-ଏବେ କିସ କରିବି ଆଜ୍ଞା ହେଉ !
ରାମ ।- ସଖେ ! ସେନାପତି ଓ ସୈନିକମାନେ ଯଥେଷ୍ଟ ଯତ୍ନ କରି ଭୟଙ୍କର ଯୁଦ୍ଧ କରିଛନ୍ତି । ତୁମ୍ଭେ ଲଙ୍କାର ରାଜା ହେଲ - ଏତେବେଳେ ଏମାନଙ୍କ ବହୁବିଧ ରତ୍ନ, ଅର୍ଥ ଓ ବସ୍ତ୍ରାଦି ଦେଇ ସର୍ବେତୋଭାବେ ସନ୍ତୁଷ୍ଟ କର । ଯେ ଲଙ୍କାକୁ କେହି କେବେ ଜୟ କରିପାରି ନାହିଁ ଏହି ସେନା ପ୍ରାଣପଣେ ଭୟ ଛାଡ଼ି ଯୁଦ୍ଧରେ ପରଙ୍ମୁଖ ନ ହୋଇ ଖୁସିରେ ଲଢ଼ି ଜୟଲାଭ କରିଛନ୍ତି । ତେଣୁ ଧନରତ୍ନ ପ୍ରଦାନପୂର୍ବକ ଏମାନଙ୍କର କର୍ମ ସଫଳ କର । କୃତଜ୍ଞତାସହକାରେ ଏମାନଙ୍କୁ ଯଥାବିଧି ସମ୍ମାନିତ କଲେ ଏମାନେ ଆହ୍ଲାଦିତ ଓ କୃତାର୍ଥ ହେବେ । ତୁମ୍ଭେ ଯଥାବିଧି ଦାନ କଲେ, କର ଗ୍ରହଣ କଲେ, ସଦୟ ଓ ଜିତେନ୍ଦିୟ ହେଲେ ସମସ୍ତେ ତୁମ୍ଭର ଅନୁଗତି ହେବେ । ସେଥିସକାଶେ ମୁଁ ତୁମ୍ଭଙ୍କୁ ଏହା କରିବାକୁ କହୁଛି । ରାକ୍ଷସରାଜା ! ଯାହାର ଲୋକରଞ୍ଜକ କିଛି ଗୁଣ ନାହିଁ ସେ ଯୁଦ୍ଧରେ ବୃଥା ଲୋକକ୍ଷୟ କରନ୍ତି, ଆଉ ତାଦୃଶ ନରପତିଙ୍କି ସେନାମାନେ ଭୟରେ ଛାଡ଼ି ପଳାନ୍ତି ।
ବିଭୀ ।- ଭାଇ ସୁଗ୍ରୀବ ! ସଖାଙ୍କ କଥା ଶୁଣିଲେତ ? ଆପଣ ଅନୁମତି କରି ଆଗଭର ହେଉନ୍ତୁ - ସମସ୍ତେ ନବରକୁ ଯାଇ ପୂଜା ପାଇ ଆସିଲେ ମୁଁ ଚରିତାର୍ଥ ହେବି - ମୋର ଜୀବନ ଧନ୍ୟ ହେବ ! ସଖା କହିବା ଆଗରୁ ମୁଁ ସବୁ ସଜାଡ଼ି ରଖିଛି - ତାଙ୍କର ବନବାସକାଳ ପୂର୍ଣ୍ଣ ହେଲେ ସୁଦ୍ଧା ସେ ଘରକୁ ଫେରି ନ ଯିବା ପର୍ଯ୍ୟନ୍ତ ବ୍ରତୋଦ୍ଯାପନ ହୋଇନାହିଁ । ତାଙ୍କୁ ପୂଜା କରି ନ ପାରି ମୁଁ ବଡ଼ ଦୁଃଖିତ ।
ରାମ ।- ତୁମ୍ଭର ଭକ୍ତି ହିଁ ମୋର ଯଥେଷ୍ଟ - ତହୁଁ ଅଧିକ ମୋତେ ଆଉ କିସ ଦେବ ? ଏମାନଙ୍କର ପୂଜା କଲେ ମୋର ପୂଜା ହେଲା ନାହିଁକି ? ସଖେ ସୁଗ୍ରୀବ ! ଯାଅ ସମସ୍ତେ, ବିଳମ୍ବ କର ନାହିଁ ।
[ସୁଗ୍ରୀବାଦି ସହିତ ବିଭୀଷଣର ପ୍ରସ୍ଥାନ ।
ସୀତା ।- ଆର୍ଯ୍ୟପୁତ୍ର ! ରାକ୍ଷସ ହୋଇ ବିଭୀଷଣ ଏଡ଼େ ଧର୍ମାତ୍ମା ! -ସେ ଏକା ନୁହନ୍ତି, ତାଙ୍କର ଭାର୍ଯ୍ୟା ସରମା ଆଉ ତାଙ୍କ କନ୍ୟା କଳାବତୀଙ୍କର ପ୍ରକୃତି ଯେମନ୍ତ ନମ୍ର ତେମନ୍ତ ସରଳ ଆଉ ଧର୍ମାନୁକୂଳ ।
ରାମ ।- ଗୁଣ ଘେନି ଦେବି, ମାନବ, ରାକ୍ଷସ ହେଲେ ସୁଦ୍ଧା ଧର୍ମ ସମସ୍ତଙ୍କର ଆଚରଣୀୟ ଯେ ଧର୍ମପଥରେ ରହିବ ସେ କୁଳରୁ ମୁକ୍ତିଲାଭ କରିବ । ଦେହର ବଳ ଏକା ବଳ ନୁହେ - ତାହା ସଙ୍ଗେ ଧର୍ମବଳ ନ ଥିଲେ ରାବଣ ପରି ଅକାଳେ ବିନାଶ ଘଟେ ।
ଲକ୍ଷ୍ମ ।- ଆଉ ଧର୍ମବଳ ଥିଲେ ବିଭୀଷଣ ପରି ରାଜ୍ୟ ମିଳେ ।
ରାମ ।- ଯାହାହେଉ ବନବାସ ଆରମ୍ଭରୁ ଆମ୍ଭମାନଙ୍କର ସବୁ ଅନୁକୂଳ ଥିଲା । ତୁମ୍ଭର ହରଣ କାଳରେ ଦୁର୍ଦ୍ଦଶା ଘୋଟିଲେ ବି ଜଗଦୀଶ୍ୱରଙ୍କ କରୁଣାରୁ ଲଙ୍କାଜୟର ସକଳ ସୁଯୋଗ ଘଟିଛି । ପରନ୍ତୁ ବିଭୀଷଣ ପରି ରାକ୍ଷସକୁଳରୁ ଜଣକର ସାହାଯ୍ୟ ପାଇବା ପରମ ସୌଭାଗ୍ୟରେ କଥା ।
ନବବସ୍ତ୍ରାଳଙ୍କାରରେ ବିଭୂଷିତ ସୁଗ୍ରୀବାଦି ସହିତ ବିଭୀଷଣର ପ୍ରବେଶ ।ସୁଗ୍ରୀବାଦି ।- (ରାମ ପାଦତଳେ ପଡ଼ି ଉଠି କରଯୋଡ଼େ) ଆପଣଙ୍କ ହେତୁ ଆମ୍ଭ ମାନଙ୍କର ଏ ସମ୍ମାନ ସ୍ୱର୍ଗରୁ ଅଧିକ ସୁଖକର ।ରାମ ।- ମୋର ଏଥିରେ ବିଶେଷତୃପ୍ତି ହେଲା । ସମସ୍ତେ ଲଙ୍କେଶ୍ୱର ବିଭୀଷଣଙ୍କର ଜୟଧ୍ୱନି କର ।ସୁଗ୍ରୀବାଦି ।- ଜୟ ଲଙ୍କେଶ୍ୱର ବିଭୀଷଣଙ୍କର ଜୟ !ବିଭୀ ।- ସଖା ରାମଚନ୍ଦ୍ରହିଁ ଏ ସମସ୍ତର ମୂଳ – ଜୟ ତାଙ୍କରି । (ପାଟିକରି) ସମସ୍ତେ ଜୟ ରାମଚନ୍ଦ୍ରଙ୍କର ଜୟ ବୋଲ ।ସୁଗ୍ରୀବାଦି ।- (ଉଚ୍ଚୈଃସ୍ୱରେ) ଜୟ ଶ୍ରୀରାମଚନ୍ଦ୍ରଙ୍କର ଜୟ ![ ପୁଷ୍ପକରଥ ସହିତ ସାରଥିର ପ୍ରବେଶ ]ସାର ।- ରଥ ପ୍ରସ୍ତୁତ । ଚଢ଼ିଲେ ଆକାଶକୁ ଉଠାଇବି ।ରାମ ।- (ସୀତାର ହାତ ଧରି ଉଠି ଲକ୍ଷ୍ମଣକୁ ଅନାଇ) ଆସ, ରଥରେ ବସ ।ଲକ୍ଷ୍ମ- ।- (ଉଠି) ଚାଲନ୍ତୁ ।[ ରାମ , ଲକ୍ଷ୍ମଣ ଓ ସୀତାର ରଥରେ ଉପବେଶନ ]
ରାମ ।- ସଖେ ସୁଗ୍ରୀବ ! ଯୁବରାଜ ଅଙ୍ଗଦ ! ବୀରବର ହନୁମାନ୍ ! ମନ୍ତ୍ରୀବର ଜାମ୍ବୁବାନ୍ ! ସମସ୍ତ ବୀର ସୈନିକ ବୃନ୍ଦ ! ମିତ୍ରର ଯାହା କର୍ତ୍ତବ୍ୟ ତୁମ୍ଭେମାନେ ସମସ୍ତେ ତାହା କହିଛ । ମୁ ଅନୁମତି କରୁଛି ତୁମ୍ଭେମାନେ ଆପଣା ଆପଣା ଘରକୁ ଫେରିଯାଅ । ବନ୍ଧୁବର ସୁଗ୍ରୀବ ! ହିତକାଙ୍କ୍ଷୀ ବୟସ୍ୟର ଯାହା କର୍ତ୍ତବ୍ୟ ତୁମ୍ଭେ ଧର୍ମଭୀରୁ ହୋଇ ସ୍ନେହସହକାରେ ସେ ସବୁ କରିଛ ।ଏବେ ସ୍ୱସୈନ୍ୟପରିବେଷ୍ଟିତ ହୋଇ କିଷ୍କିନ୍ଧ୍ୟାକୁ ଯାଅ । ମିତ୍ରବର ବିଭୀଷଣ ! ମୁ ତୁମ୍ଭଙ୍କୁ ଲଙ୍କା ରାଜ୍ୟ ଦେଇଛି – ତହିଁରେ ତୁମ୍ଭେ ରାଜ୍ୟ କର ।- ଇନ୍ଦ୍ରାଦି କେହି ତୁମ୍ଭଙ୍କୁ ଧର୍ଷଣା କରିପାରିବେ ନାହିଁ । ତୁମ୍ଭ ସମସ୍ତଙ୍କୁ ଆମନ୍ତ୍ରଣ କରି ତୁମ୍ଭମାନଙ୍କର ଅନୁଜ୍ଞା ଘେନି ମୁଁ ଅଯୋଧ୍ୟ ଚାଲିଲି ।
ବିଭୀ ।- ସଖେ ! ଆପଣଙ୍କପାଇଁ ମୁଁ ଜଣେ ହେଲି । ଆପଣଙ୍କୁ ଛାଡ଼ି ରହିବାକୁ ମୋର ମନ ବଳୁ ନାହିଁ । ବିଶେଷତଃ ମୁ ଅଯୋଧ୍ୟା ଦେଖି ନାହିଁ – ସେଠାକୁ ଯାଇ ଆପଣଙ୍କର ଅଭିଷେକ ଦେଖି ମାତା କୈଶଲ୍ୟାଦେବୀଙ୍କ ଚରଣ ବନ୍ଦନା କରି ସୁଖେ ବାହୁଡ଼ି ଆସିବି । ଅନୁଗ୍ରହ କରି ସଙ୍ଗେ ଘେନି ଚାଲନ୍ତୁ ।
ସୁଗ୍ରୀବାଦି ।- ଆମ୍ଭମାନଙ୍କର ମଧ୍ୟ ସେହି ପ୍ରାର୍ଥନା ।
ରାମ ।- ତୁମ୍ଭମାନଙ୍କ ପରି ସୁହୃଦ୍ବର୍ଗ ଘେନି ମୁଁ ଅଯୋଧ୍ୟାକୁ ଯାଇପାରିଲେ ତହୁଁ ବଳି ଆଉ ସୁଖର କଥା କି ଅଛି ? ବିଭୀଷଣ ଅମାତ୍ୟବର୍ଗ ସହିତ ଆସନ୍ତୁ । ସେ, ସୁଗ୍ରୀବ, ଅଙ୍ଗଦ, ହନୁମାନ, ଜାମ୍ବବାନ ପ୍ରଭୃତି ସେନାପତିମାନେ ଏହି ରଥରେ ବସନ୍ତୁ । ଅନ୍ୟ ସୈନିକମାନେ ଅପର ବିମାନରେ ଯିବେ । ଆଉ ବିମାନ ଅଛି ତ ?
ବିଭୀ ।- (କୃତାଞ୍ଜଳିପୁଟେ) ଯଥେଷ୍ଟ ଅଛି ।- ସୈନ୍ୟମାନେ । ସମସ୍ତେ ଯାଅ ମୋର ଅମାତ୍ୟ ସହିତ ବିମାନରେ ବସି ପଛେ ପଛେ ଆସିବ ।
[ ସୈନିକମାନଙ୍କ ପ୍ରସ୍ଥାନ ଓ ବିଭୀଷଣ, ସୁଗ୍ରୀବ, ଅଙ୍ଗଦ, ହନୁମାନ, ଜାମ୍ବବାନ ପ୍ରଭୃତିଙ୍କର ପୁଷ୍ପକରଥାରୋହଣାନ୍ତେ ରଥ ଆକାଶକୁ ଉଠିଯିବା ଓ ଅଦୃଷ୍ଟକୁମାରୀମାନଙ୍କର ପ୍ରବେଶ ]
ଅ: କୁ: ।- (ନୃତ୍ୟ ସହିତ ଗୀତ)ରାଣୀ ମାଲକୌଶ । ତାଳ ଏକତାଳୀ ।ଚାଲେ ସୁଖେ ଘର - ମୁଖେ ବିମାନ ଆକାଶ-ପଥେ ।କେତେ ଆଶ କେତେ ଶ୍ୱାସ ଖେଳଇ ମାନସ-ରଥେ । ଘୋଷା ।ଜନନୀଜୀବନ - ଧନ କେତେ ଦିନେ ଦରଶନପାଇ ଅମୂଲ୍ୟ ରତନ ସ୍ନେହେ ଚୁମ୍ବ ଦେବେ ମାଥେ । ୧ ।ସୁବର୍ଣ୍ଣ-ପ୍ରତିମା ସୀତା ରାକ୍ଷସୀ କବଳେ ଭୀତା ।ଅନଳ - ଗର୍ଭୁ ଆନୀତା କଳଙ୍କ - କ୍ଷାଳିତା ॥
ସେବିବେ ସେ ଶ୍ୱଶ୍ରୂପଦ ପାଇବେ ପରମପଦପ୍ରେମେ ହେବେ ଗଦଗଦ ପୁଣି ଭ୍ରାତୃ - ଜାୟା ସାଥେ । ୨ ।ଆସି ବିମାନରେ ଦୁଃଖେ ଫେରନ୍ତି ବିମାନେ ସୁଖେ ।ଲାଗିଛି ହରଷ ମୁଖେ ଦେଖନ୍ତି ଭୂଲୋକେ ॥
ସୁଖ ଦୁଃଖ ଚକ୍ର ପରି ସଂସାରେ ବୁଲଇ ଘୁରିବଢ଼ାଏ ଲୋକଙ୍କ ଶିରୀ ଥିଲେ ଏକା ଧର୍ମମତେ । ୩ ।ଯବନିକାପତନ ।ପଞ୍ଚମ ଅଭିନୟ(ପ୍ରୟାଗ)