ରାମାଭିଷେକ
ରାମଶଙ୍କର ରାୟ · ଭାଗ ୨ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଦୃଶ୍ୟ
ସଭାଗୃହ[ରାବଣ ଏକାକୀ ଅସୀନ ।]
ରାବ ।- (ଉଦ୍ବିଗ୍ନଭାବେ) କୁମାର ଇନ୍ଦ୍ରଜିତ ଗୋଟାଏ ଛାର ମନୁଷ୍ୟ ଲକ୍ଷ୍ମଣ ସହିତରେ ଲଢ଼ୁ ଲଢ଼ୁ ତିନିଦିନ ତିନିରାତି ଚାଲିଗଲା ! ବୀର ମେଘନାଦ ଦେବଯୁଦ୍ଧରେ ସୁରପତି ଇନ୍ଦ୍ରଙ୍କୁ ଧରି ଆଣିଥିଲା । ଦେବପୁର ସେହେତୁ ଶ୍ରୀହୀନ ହୋଇଗଲା । ଦେବତାମାନେ ବ୍ରହ୍ମାଙ୍କୁ ଘେନିଆସି ମେଘନାଦକୁ ଇନ୍ଦ୍ରଜିତ ନାମ ଦେଇ ଇନ୍ଦ୍ରଙ୍କୁ ମୁକୁଳାଇ ନେଲେ ।-ଇନ୍ଦ୍ରଜିତ ଅମରତ୍ୱ ଲାଭ କଲେହେଁ ଯଜ୍ଞ ସାଙ୍ଗକରି ରଥାରୁଢ଼ ହେଲେ କେହି ତାହାକୁ ମାରି ନ ପାରିବାର ବର ପାଇଥିଲା । ମାତ୍ର ନିକୁମ୍ଭିଲା ଯଜ୍ଞ ଶେଷ ନୋହୁଣୁ ହନୁମାନ ଇତ୍ୟାଦି ଦୁଷ୍ଟବିଭୀଷଣପରାମର୍ଶରେ ଗୋଳମାଳ ଲଗାଇବାରୁ ପୁତ୍ର ମୋର ଯଜ୍ଞ ଶେଷ ନ କରି ଯୁଦ୍ଧରେ ଲାଗିଛି । ଯଜ୍ଞ ଭ୍ରଷ୍ଟ ହେବାରୁ ମୋର ଜ୍ଞାନ ଭ୍ରଷ୍ଟ ହେଉଛି ।-ରାମ ଲକ୍ଷ୍ମଣ ଦୁଇଟା ମନୁଷ୍ୟ, (ରାଗରେ) ପାଇଲେ କଡ଼ମଡ଼ କରି ତାଙ୍କର ହାଡ଼ ମୁଁ ଚୋବାଇ ଯାଇଯାରେଁ । ସେ ପୁଣି ସେନା ଆଣିଛି ମାଙ୍କଡ଼ ଆଉ ଭାଲୁ-ସେ ଗୁଡ଼ାକ ମୋର ଜଳପାନ ! ସେମାନେ ଆସି ରାକ୍ଷସପୁରୀରେ ଏତେ ରଙ୍ଗ-ଏତେ ଅନର୍ଥ ଘଟାଉଛନ୍ତି । ଯେଉଁ ମେଘନାଦ ସୁରପୁରୀ ଜୟ କରିଥିଲା ତାକୁ ଋକ୍ଷ, ନର ବାନର କିବା କଥା ! (ଚିନ୍ତାନ୍ୱିତ)-ତଥାପି ମୋର ମନ କାହିଁକି ଉଦ୍ବିଗ୍ନ, କାହିଁକି ଚିତ୍ତ ଚଞ୍ଚଳ ହେଉଛି ! ଯଜ୍ଞଟିରେ ପୂର୍ଣ୍ଣାହୃତି ହୋଇଥିଲେ ମୋର ମନ ଶାନ୍ତ ଥାନ୍ତା । ଅକାଳେ ବୀର ଭାଇ କୁମ୍ଭକର୍ଣ୍ଣକୁ ଉଠାଇ ଫଳ ପାଇଲା ପରି ହେବ କି ? ନା, ନା ! ତ୍ରିଭୁବନରେ ଦେବତାଙ୍କୁ ବଳି ବାଳୀ ନାହିଁ-ମନୁଷ୍ୟ, ମାଙ୍କଡ଼, ଭାଲୁ ଭୀମପରାକ୍ରମୀ ମେଘନାଦର କ୍ରୀଡ଼ାକନ୍ଦୁକ !-ଭୟ ନାହିଁ, ମନ, ଆଶ୍ୱସ୍ତ ହୁଅ ।
[ସୁପାର୍ଶ୍ୱ, ମାହାପାର୍ଶ୍ୱ, ମନ୍ଦୋଦର ଓ ବିରୂପ କ୍ଷର ପ୍ରବେଶ ।]କି ମନ୍ତ୍ରି ! ଯୁଦ୍ଧର କି ବାର୍ତ୍ତା ? ଭାରୀ କୋଳାହଳ ଲାଗିଥିଲା । ତିନିଦିନ ତିନିରାତି ସେ କୋଳାହଳର ବିରାମ ନାହିଁ ।
ସୁପ ।- (କରଯୋଡ଼େ) ମହାରାଜ ! ଅପରାଧ କ୍ଷମା କରିବେ-ସୁରେନ୍ଦ୍ର ବିଜୟୀ ଶୁରଶ୍ରେଷ୍ଠ ମହାରାଜକୁମାର ଇନ୍ଦ୍ରଜିତ ବିଭୀଷଣସହାୟୀ ଲକ୍ଷ୍ମଣଙ୍କୁ ବାଣଜାଲରେ ପରିତପ୍ତ କରି ଶେଷକୁ ଲକ୍ଷ୍ମଣକର୍ତ୍ତୃକ ନିହତ ହୋଇ ପରଲୋକ ଗମନ କଲେ ।
ରାବ ।- (ଘୋର ବିକଳସ୍ୱରେ) ହାୟ କି କଥା ଶୁଣାଇଲ ! (ମୂର୍ଚ୍ଛାରେ ପତନ ।)ସୁପ ।- ଏ କଣ ? ଏ କିସ ? (ନିକଟକୁ ଧାଇଁଯାଇ ଦେଖି) ମହାରାଜ ମୂର୍ଚ୍ଛାଗଲେ ପରା ! ପାଣି-ପାଣି ଆଣ ।ମହା ।- ମୁଁ ପାଣି ଆଣୁଛି । (ବେଗେ ପ୍ରସ୍ଥାନ ।)ମନ୍ଦୋ ।- (ରାବଣ ନିକଟକୁ ଯାଇ ନାକ ଆଗରେ ହାତ ଦେଇ) ରହି ରହି ଖର ନିଶ୍ୱାସ ବହୁଛି-ଏ ମୂର୍ଚ୍ଛା ।ବିରୂ ।- ଏ ଭଳି ଅବସ୍ଥା ମହାରାଜଙ୍କର ପୂର୍ବେ କେବେ ଦେଖାଯାଇନଥିଲା । ନିଦାରୁଣ ପୁତ୍ରଶୋକ ଆଗରେ ବଳଦର୍ପ କାହାର ?[ଜଳପାତ୍ର ହସ୍ତେ ମହାପାର୍ଶ୍ୱର ପୁନଃ ପ୍ରବେଶ ।]ସୁପା ।- (ଜଳପାତ୍ର ନେଇ ତହିଁରୁ କିଞ୍ଚିତ୍ ଜଳ ରାବଣର ମୁଖରେ ଧୀରେ ଧୀରେ ସେଚନ କରି ଉଚ୍ଚସ୍ୱରେ) ମହାରାଜ ! ମହାରାଜ!ରାବ ।- (ମୂର୍ଚ୍ଛିତାବସ୍ଥାରେ ମୁଣ୍ଡ ଏ ପାଖ ସେ ପାଖ କରିବା ।)
ସୁପା ।- ମହାପାର୍ଶ୍ୱ ! ଜଳପାତ୍ର ଘେନି ଯାଅ । ମହାରାଜ ସଂଜ୍ଞା ଲଭୁଛନ୍ତି-ଏହିକ୍ଷଣି ଉଠିଲେ ପାଣି ଦେଇଛୁଁ ବୋଲି ଜାଣିପାରିଲେ ଆମ୍ଭମାନଙ୍କୁ ଭର୍ତ୍ସନା କରିପାରନ୍ତି । (ଜଳପାତ୍ର ବଢ଼ାଇଦେବା ।)
ମନ୍ଦୋ ।- ଠିକ୍ କହିଛ, ତାଙ୍କର ସ୍ୱଭାବ ସେହିପରି ।ମହା ।- (ଜଳପାତ୍ର ଘେନି ପ୍ରସ୍ଥିତ ।)ବିରୂ ।- ଇନ୍ଦ୍ରଜିତ ପରି ପୁଅକୁ ହରାଇ ସୁଦ୍ଧା ଯେବେ ମହାରାଜଙ୍କ ଚେତନା ନ ହେବ ତେବେ ଅଦୃଷ୍ଟ ନତାନ୍ତ ମନ୍ଦ ବୋଲାଯିବ ।ସୁପା ।- ସେ ଶେଷ ରକ୍ତଯାଏ ଲଢ଼ିବାକୁ ଛାଡ଼ିବେ ନାହିଁ ।[ମହାପାର୍ଶ୍ୱର ପ୍ରବେଶ ।]
ରାବ ।- (ସଂଜ୍ଞାଲାଭପୂର୍ବକ ଧୀରେ ଧୀରେ ଉଠି ବିକଳସ୍ୱରେ) ହା ବତ୍ସ ! ହା ରାକ୍ଷସ ସେନାପତେ ! ହା ମହାବଳ ! ତୁମ୍ଭେ ଦେବେନ୍ଦ୍ରକୁ ପରାଭୂତ କରି ଏବେ କିରୂପେ ଲକ୍ଷ୍ମଣର ବଶରେ ଆସିଲ ? ବୀର ! ଲକ୍ଷ୍ମଣ କିବା ଛାର-ତୁମ୍ଭେ ରାଗରେ ବାଣ ପେଷିଲେ କାଳାନ୍ତକଯୁଗଳ ଅଥବା ମନ୍ଦର ପର୍ବତର ଶିଖ ସବୁ ଭେଦ କରିପାର । ହେ ମହାବାହୋ ! ମୁଁ ଆଜି ଯମରାଜଙ୍କର ପ୍ରଶଂସା କରୁଛି-ସେ ଆଜି ତୁମ୍ଭଙ୍କୁ କାଳଧର୍ମରେ ଘେନିଗଲେ । ତୁମ୍ଭେ ଯେ ପଥର ପଥିକ ହେଲ ସୁଯୋଦ୍ଧା ଓ ଦେବଗଣ ତାହା ଅଭିଳାଷ କରନ୍ତି । ଯେ ପୁରୁଷ ପ୍ରଭୁ ସକାଶେ ହାଣ ଖାଏ ସେ ନିଶ୍ଚୟ ସ୍ୱର୍ଗକୁ ଯାଏ । (ଦୀର୍ଘନିଶ୍ୱାସ ଛାଡ଼ି) ହାୟ ! ଆଜି ଇନ୍ଦ୍ରଜିତକୁ ନିହତ ଦେଖି ଦେବତା, ମହର୍ଷି ଓ ଲୋକପାଳଗଣ ସୁଖେ ନିର୍ଭୟରେ ଶୋଇବେ । ହାୟ ! ଏକ ଇନ୍ଦ୍ରଜିତ ନ ଥିବାରୁ ଆଜି ତ୍ରିଲୋକ ଓ କାନନପୂର୍ଣ୍ଣା ପୃଥିବୀ ସମୁଦାୟ ଶୂନ୍ୟ ଜଣାଯାଉଛି ! ଗିରିଗହ୍ୱାରରେ କରିଣୀନାଦ ପରି ଆଜି ଅନ୍ତଃପୁରରେ ରାକ୍ଷସରମଣୀମାନଙ୍କର କାନ୍ଦବୋବାଳି ଶୁଣିବାକୁ ହେବ । ହେ ଶତ୍ରୁ ତାପନ ! ତୁମ୍ଭେ ଯିବରାଜ୍ୟ ଳଙ୍କା, ରାକ୍ଷସକୁଳ, ବାପ, ମା, ଭାର୍ଯ୍ୟାକୁ ଛାଡ଼ି କୁଆଡ଼େ ଗଲ ! (ପୁନର୍ବାର ଦୀର୍ଘନିଶ୍ୱାସ ଛାଡ଼ି) ହା ବୀର, କେଉଁଠି ମୁଁ ପରଲୋକ ଗଲେ ତୁମ୍ଭେ ମୋର । ଅନ୍ତ୍ୟେଷ୍ଟିକ୍ରିୟା କରନ୍ତ, ନା, ତୁମ୍ଭେ ଯମପୁରୀ ଯିବାରୁ ଓଲଟା ମୋତେ ତାହା କରିବାକୁ ପଡ଼ିଲା । (ପୁଣି ଦୀର୍ଘନିଶ୍ୱାସ ପକାଇ) ହା ପୁତ୍ର ! ସୁଗ୍ରୀବ, ରାମ, ଆଉ ଲକ୍ଷ୍ମଣ ବଞ୍ଚିଥାଉଁ ତୁମ୍ଭେ ମୋର ହୃଦୟରୁ କୀଳା ବାହାର ନ କରି କେଉଁଆଡ଼େ ଚାଲିଗଲ ! (କ୍ରୋଧଭରେ ଦାନ୍ତ ଚୋବାଇ) ରେ ଦୁର୍ମତି ଲକ୍ଷ୍ମଣ ! ଯେ ତୋତେ କଡ଼ୁମଡ଼ କରି ଦାନ୍ତରେ ଚୋବାଇ ଯାଇପାରେ ତୁ ପୁଣି ତାକୁ ମାରିଛୁ ! ଯେଉଁ ରାମର ହାଡ଼ ମୁଁ ଦାନ୍ତରେ କଡ଼ମଡ଼ କରି ଗୁଣ୍ଡା କରିଦେଇପାରେଁ ସେ ପୁଣି ମୋତେ ମାରିବାକୁ ଆସ୍ପର୍ଦ୍ଧା କରିଛି ! ତୁ ଛାର କୀଟ ! ମନୁଷ୍ୟ ମୋର ଚୋବାଇବା ପଦାର୍ଥ ବୋଲି ମୁ ସହସ୍ରବର୍ଷ ତପସ୍ୟା କରି ଦେବାସୁର ମଧ୍ୟରେ କେହି ମୋତେ ମାରି ନ ପାରିବା ବର ବ୍ରହ୍ମାଙ୍କଠାରୁ ପାଇଛି-ତୋତେ କି ତାହା ଜଣା ନାହିଁ ? ବ୍ରହ୍ମା ମୋତେ ଯେଉଁ କବଚ ଦେଇଛନ୍ତି ଦେବାସୁର ଯୁଦ୍ଧରେ ବଜ୍ରବି ତାକୁ ଛିଣ୍ଡାଇ ପାରିନାହିଁ । ଦେବାସୁର ଯୁଦ୍ଧବେଳେ ପିତାମହ ପ୍ରୀତ ହୋଇ ଉତ୍କୃଷ୍ଟ ଧନୁର୍ବାଣ ଦେଇଛନ୍ତି ।-ଆଜି ମହାଯୁଦ୍ଧରେ ରାମଲକ୍ଷ୍ମଣଙ୍କୁ ବଧ କରିବାପାଇଁ ଢାକ ଢୋଲ ଶତ ଶତ ତୁରୀ ଆଦି ମଙ୍ଗଳବାଦ୍ୟ ବଜାଇ ସେହି ଧନୁ ଉଠାଅ । ରାମ ବୋଲି ଗୋଟାଏ ମନୁଷ୍ୟ-ତାର ଏତେ ଗର୍ବ ସେ ମୋତେ ମାରି ମୋ ମୁହଁରୁ ସୀତାଙ୍କୁ ଘେନିଯିବ ! (ଚିନ୍ତାନ୍ୱିତ ହୋଇ) ନା, ମୋର ମନେ ହେଉଛି ମାଗିଲାବେଳେ ମନୁଷ୍ୟ ମୋତେ ମାରିପାରିବ ନାହିଁ ବୋଲି ବ୍ରହ୍ମାଙ୍କଠାରୁ ବର ମାଗି ନେଇଥାନ୍ତି । ମନୁଷ୍ୟ କଣ ଦେବତାଠାରୁ ବଡ଼ ! ମୋର ପ୍ରତାପରେ ଦେବତାମାନେ କମ୍ପମାନ । (ସକ୍ରୋଧେ) ସମସ୍ତେ ମୋତେ ହାତ ଯୋଡ଼ି ରହିଥାନ୍ତି । ମୋର ଧନଭଣ୍ଡାର ପୂର୍ଣ୍ଣ । ମୋର ସୁବର୍ଣ୍ଣପୂରୀ ଲଙ୍କାର ଚାରିଆଡ଼େ ରତ୍ନାକର ମଣିମୁକ୍ତାଦି ରତ୍ନ ଘେନି ଆଜ୍ଞାବହଭୃତ୍ୟ ପରି ମୁଣ୍ଡିଆ ମାରୁଛି । ମୋର ସୁନାର ସାପ୍ତଭୂମିକ ପ୍ରାସାଦମାନ ହୀରାନୀଳାରେ ଯେମନ୍ତ ଦାଉ ଦାଉ ଦିଶୁଛି ତ୍ରିଭୁବନର କୌଣସିଠାରେ ତାହା ଦେଖିବାକୁ ମିଳିବ ନାହିଁ । ମୋର ଅଶୋକକାନନ ଦେଖି ଇନ୍ଦ୍ରର ନନ୍ଦନକାନନ ଲାଜରେ ଲୁଚି ରହିଛି ! ତୁ ମୋଭଳି ପ୍ରତାପୀ ରାଜାଙ୍କ ଭଗିନୀ ସୁର୍ପଣଖାର ନାକ କାନ ଭାଇ ହାତରେ କଟାଇ ତାର ସୁନ୍ଦରପଣ ସାରି ଦେଇଛୁ । ସେହି ସୂର୍ପଣଖା ତୋର ସୀତାର କଥା ମୋତେ କହି ସେ ମୋର ଅଙ୍କଭାଗିନୀ ହେବାର ଉପଯୁକ୍ତା ବୋଲି ଜଣାଇଥିଲା । ମୁଁ ପଞ୍ଚବାଟୀରେ ତାର ସୌନ୍ଦର୍ଯ୍ୟ ଦେଖିଲାବେଳୁଁ ମୋର ଅନ୍ତରାତ୍ମା ସୀତାସୀତା ବୋଲି ଜପୁଛି । ସେ ପୁଣି ଏଡ଼ିକି ଦୁଷ୍ଟା ଯେ ଦେବବିଜୟୀ ଦୁର୍ଦ୍ଧର୍ଷ ରାବଣକୁ କଡ଼ାକରେ ଖାତର କରୁନାହିଁ । ରାମ ଗୋଟାଏ କୌପୁନିପିନ୍ଧା ପତ୍ରକୁଡ଼ିଆ-ମାଟିରେ ଶୁଆ ବଣୁଆ ସନ୍ନ୍ୟାସୀ ତାକୁ ଏଡ଼େବଡ଼ ହେଲା ଯେ ତ୍ରିଭୁବନରେ ଶ୍ରେଷ୍ଠ ସୁବର୍ଣ୍ଣମୟ ଲଙ୍କାର ସ୍ୱର୍ଗକୁ ସୋପାନ ପରି ସାତମହଲା ମଣି ମଣ୍ଡିତ ଶଙ୍ଖମର୍ମର ଗୃହର ଗଜଦନ୍ତ ପଲ୍ୟଙ୍କର ଦୁଗ୍ଧଫେନନିଭ ସୁକୋମଳ ଶୁଭ୍ରଶଯ୍ୟୋପରି ମଣିମୟ ସୁବର୍ଣ୍ଣାଭରଣୁଭୂଷିତ ବହୁମୂଲ୍ୟ ବସ୍ତ୍ରପରିଧାୟୀ ରାଜରାଜେଶ୍ୱର ମହାବୀର ରାବଣେଶ୍ୱରଙ୍କର ଅଙ୍କ ରୁଚୁନାହିଁ । ମୁଁ ଅଜି ତାକୁ ହାଣିବି । ତାହାରି ଲାଗି ମୋର ଏତେ ଦଶା ହେଲାଣି । ସେ ଅଲକ୍ଷଣୀ ଆସି ନ ଥିଲେ ଛାର ମାଙ୍କଡ଼ ଆସି ଲଙ୍କା ପୋଡ଼ିଦେଇ ନ ଥାନ୍ତା କି ସୁନ୍ଦର କାନନମାନଙ୍କର ଗଛବୃକ୍ଷ ଭାଙ୍ଗି ଛାରଖାର କରି ନ ଥାନ୍ତା । ସେହି କୁଲକ୍ଷଣା ଆସିବାରୁ ଧୂମ୍ରାକ୍ଷ, ବଜ୍ରଦଂଷ୍ଟ୍ରା, ଅକମ୍ପନ, ପ୍ରହସ୍ତ, ଭାଇ କୁମ୍ଭକର୍ଣ୍ଣ, ନରାନ୍ତକ, ଦେବାନ୍ତକ, ତ୍ରିଶିରା, ଅତିକାୟ, ନିକୁମ୍ଭ, ମକରାକ୍ଷ ଯେ ଜଣକୁ ଜଣେ ମହାବୀର ବୋଲି ଗଣା ସମସ୍ତେ ହାଣ ଖାଇଲେ ! ମୋର ପ୍ରିୟପୁତ୍ର ଇନ୍ଦ୍ରଜିତର ବଳରେ ତ୍ରିଲୋକ କମ୍ପିତ-ତାହାକୁ ଘେନି ଲଙ୍କାପୁରୀର ଶିରୀ ପୁରିରହିଥିଲା ।- ସେହି କୁଲକ୍ଷଣା ହେତୁ ଲଙ୍କାପୁରୀର ଶୋଭା ତୁଟି ଯାଇଛି !-ଲଙ୍କାପୁରୀ ଅରଣ୍ୟ ହେବାକୁ ବସିଲା ।-ନା ଆଉ ତାକୁ ରଖିବା ଉଚିତ ନୁହେ । ଇନ୍ଦ୍ରଜିତ ଛଳକରି ମାଙ୍କଡ଼ମାନଙ୍କୁ ଠକିବା ସକାଶେ ମାହାସୀତା ବଧ କରିଥିଲା, ମୁଁ ଆଜି ସତକୁ ସତ କ୍ଷତ୍ରିୟାଧମ ରାମର ଅନୁରାଗିଣୀ ସେହି ବୈଦେହୀକି ନିହତ କଚି ଆପଣାର ମଙ୍ଗଳ ସାଧନ କରିବି, (ଖଡ଼୍ଗ ଉଠାଇ) ଏହି ଖଡ଼୍ଗରେ ହାଣିବି-କିଏ ରଖିବ ଦେଖେଁ (ବେଗେ ଖଡ଼୍ଗଧରି ନିଷ୍କ୍ରାନ୍ତ) ।
ସୁପା ।- ରାକ୍ଷସରାଜଙ୍କ ରାଗରେ ଆଗେ ଲୋକପାଳ ଚତୁଷ୍ଟୟ ପରାଜିତ ଓ ଅସଂଖ୍ୟ ଶତ୍ରୁ ହତ ହୋଇଥିଲେ । ଏହାଙ୍କ ରୂପ ଦେଖି ଆଜି ରାମଲକ୍ଷ୍ମଣ ନିଶ୍ଚୟ ବ୍ୟଥିତ ହେବେ-ସୀତାଙ୍କୁ କିଏ ପଚାରେ ! ତ୍ରିଭୁବନରେ ଏହାଙ୍କପରି ବିକ୍ରାନ୍ତ କିଏ ଅଛି ?
ମହା ।- ଏହାଙ୍କପରି ବଳଶାଳୀ କେହି ନାହିଁ ।-ତହିଁରେ ପୁଣି ରାଗ ହେଲେ ଆଉ ରକ୍ଷା ଅଛି !ବିରୂ ।- ଚାଲ ଦେଖିବା ଏ ଏକା ରାଗ ହୋଇ କୁଆଡ଼େ ଗଲେ ।ମନ୍ଦୋ ।- ହଁ ଚାଲ-ଅଶୋକବନ ଆଡ଼କୁ ମୁହଁ କରି ଧାଉଁଛନ୍ତି ।[ସୁପାର୍ଶ୍ୱ ପ୍ରଭୃତିଙ୍କର ପଶ୍ଚାଦ୍ଧାବନ ।]ପଟପରିବର୍ତ୍ତନ ।
ତୃତୀୟ ଦୃଶ୍ୟ
ଅଶୋକବନସ୍ଥ କିଂଶପା ବୃକ୍ଷମୂଳ[ସୀତା ଓ ସରସା ଆସୀନା ।]
ସୀତା ।- ତିନିଦିନ ତିନିରାତି ଅବିରାମ ଯୁଦ୍ଧ କରି ପ୍ରିୟ ଦେବର ଲକ୍ଷ୍ମଣ ଯେତେବେଳେ ଇନ୍ଦ୍ରଜିତକୁ ମାରିପାରୁନାହାନ୍ତି ମୋର ମନରେ ଭାରୀ ଶଙ୍କା ଉପସ୍ଥିତ ହେଉଚି । ସଖି ! ଆର୍ଯ୍ୟପୁତ୍ର ଆସିଥିଲେ ଏତେବେଳକୁ ଇନ୍ଦ୍ରଜିତର ଅସ୍ତିତ୍ୱ ନ ଥାନ୍ତା ।
ସର ।- ତା ସତ, ମାତ୍ର ଇନ୍ଦ୍ରଜିତର ବଧ ଲକ୍ଷ୍ମଣ ହସ୍ତରେ ନିଶ୍ଚୟଜାଣି ବିଭୀଷଣ ତାଙ୍କୁ ସଙ୍ଗରେ ଘେନି ଗଲେ । ରାମ ଏତିକି ବେଳେ ବିଶ୍ରାମ କରୁଛନ୍ତି । ଇନ୍ଦ୍ରଜିତ ମଲା ବୋଲି ଶୁଣିଲାମାତ୍ରକେ ରାବଣର ଦେହ ଏକାବେଳକେ ଶୋକ ଓ ରାଗରେ କୁଣ୍ଡାଇ ହେବ ଆଉ ସେ ପତଙ୍ଗପରି ପୋଡ଼ି ମରିବାପାଇଁ ସମରାନଳରେ ଝାସ ଦେଲାମାତ୍ରକେ ରାମଚନ୍ଦ୍ର ତାକୁ ନାଶ କରିବେ ।
ସୀତା ।- ସଖି ! ତୁମ କଥାରେ ଫୁଲଚନ୍ଦନ ପଡ଼ୁ । ରାବଣ ଏଡ଼େ ମାୟାବୀ-ସେ ଅର୍ଯ୍ୟପୁତ୍ରଙ୍କ ମାୟାକଟା ମୁଣ୍ଡ ଆଉ ଧନୁ ଆଣି ତାଙ୍କୁ ନିହତ କରିଥିବା ବିଶ୍ୱାସ ଜନ୍ମାଇ ମୋତେ ଆୟତ୍ତ କରିବାର ବାସନା କରିଥିଲା । ସେ ଜାଣେ ନାହିଁ ସତୀର ପ୍ରାଣ ସ୍ୱାମିର ପ୍ରାଣରେ ଗୁନ୍ଥା-ଗୋଟିଏ ଗଲାମାତ୍ରକେ ଆରଟି ତଦ୍ଦଣ୍ଡେ ବାହାରି ଯିବ । ସଖି, ମୁଁ ମାୟାମୁଣ୍ଡ ଦେଖି ବ୍ୟାକୁଳ ହୋଇ ଭୂଇଁରେ ଗଡ଼ାଚଡ଼ି ହେଉ ଥିଲାବେଳେ ତୁମେ ମୋତେ ସତ୍ୟଘଟନା କହି ଆଶ୍ୱାସ ଦେଇ ଜଳନ୍ତା ନିଆଁରେ ପାଣି ପକାଇଥିଲ । ସଖି ! ରାକ୍ଷସୀ ହୋଇ ତୁମର ଏ ଅନୁପମ ସ୍ନେହ ଅସୀମ ଉପକାର ମୋତେ ୠଣପାଶରେ ବାନ୍ଧିଚି । ସେ ଋଣ ମୁଁ ଶୁଝପାରିବି ନାହିଁ । ତୁମେ ଅଲକ୍ଷିତଭାବରେ ଆକାଶପାତାଳ ସବୁଠାକୁ ଯାଇପାରେ, ତୁମେ ମୋତେ ଅର୍ଯ୍ୟପୁତ୍ର ଅଗଣିତ ସେନା ଘେନି ସମୁଦ୍ର ପାରି ହୋଇ ଲଙ୍କାରେ ଛାଉଣ ପକାଇବା କଥା କହିଚ । ସଖି, ଯେତେ ରାକ୍ଷସୀ ଏ ବନ ଜଗିଚନ୍ତି ସମସ୍ତେ ମୋର ବିରୋଧି ନୁହନ୍ତି । ସେ ଦିନ ରାକ୍ଷସୀମାନେ ମୋତେ ରାବଣର ଆୟତ୍ତ କରିବା ସକାଶେ ଭୟ ଦେଖାଇ ଗାଳିଦେବା ସମୟରେ ବୃଦ୍ଧା ତ୍ରିଜଟା ସେମାନଙ୍କୁ ଗାଳିଦେଇ ତୁନି କରାଇ ଥିଲେ । ତଥାପି ବେଳେ ବେଳେ ଦୃଷ୍ଟା ଯୌବନମଦଗର୍ବିତା ରାକ୍ଷସୀଗୁଡ଼ାକ ମୋତେ ନାନାପ୍ରକାର ସନ୍ତାପ ଦିଅନ୍ତି ତେତେବେଳେ ତୁମେ ଏକା ହୃଦୟର ଅଶାନ୍ତିକୁଣ୍ଡରେ ଶାନ୍ତିବାରି ସିଞ୍ଚନ କର । ଯେତେବେଳେ ଇନ୍ଦ୍ରଜିତ ଲକ୍ଷ୍ମଣ ସହିତ ଆର୍ଯ୍ୟପୁତ୍ରଙ୍କୁ ନାଗଫାଶରେ ବାନ୍ଧିଥିଲା ତେତେବେଳେ ରାବଣ ଶରବିଦ୍ଧ ମ୍ରିୟମାଣ ଭାଇଦୁହିଙ୍କି ମରିଯାଇଚନ୍ତି ବୋଲି ଦେଖାଇବା କାରଣ ତ୍ରିଜଟା ସହିତ ମୋତେ ପୁଷ୍ପକରଥରେ ବୁଲାଇଥିଲା । ତ୍ରିଜଟା ମୋର ଦୁଃଖ ଦେଖି ମୋତେ ପ୍ରକୃତ କଥା କହି ମୋର ଜୀବନ ବଞ୍ଚାଇଚନ୍ତି । ସଖି ! ମୋର ରୂପ ମୋର କାଳ ହୋଇଚି । ମୋର ରୂପ ଦେଖି ରାବଣ ମରି ନ ଯାଇ ମୋହିତ ହୋଇ ମୋତେ ଛଳ କରି ଘେନିଆସି ଏତେ ଅବସ୍ଥା କରୁଚି । ତାର ଅବସ୍ଥା ବି କହିଲେ ନ ସରେ । ସେ କୁମ୍ଭକର୍ଣ୍ଣ ପରି ଭାଇ ଆଉ ପୁଅ ଅକ୍ଷୟକୁମାର, ଜମ୍ବମାଳି ଆଦି କେତେ କେତେ ସ୍ୱବଂଶ ଆଉ ଅନ୍ୟ ବଂଶର ବୀରମାନଙ୍କୁ ହରାଇ ଲଙ୍କାପରୀ ହତଶ୍ରୀ କରି ଦେଲାଣି । ତେବେ ବି ସେ ମୋର ଆଶା ଛାଡ଼ିନାହିଁ ।
ସର ।- ତାର ବିନାଶକାଳ ଉପସ୍ଥିତ ।-ତାକୁ ଭଲକଥା କେବେ ରୁଚିବ ନାହିଁ । ତାକୁ ତାର ମା, ବୃଦ୍ଧମନ୍ତ୍ରୀ ମାଲ୍ୟବାନ, ବିଭୀଷଣ ଆଉ ଅନ୍ୟ ଅନେକେ କହିଲେ ସୀତାଙ୍କୁ ଫେରାଇ ଦେଇ ରାମଚନ୍ଦ୍ର ସଙ୍ଗେ ସନ୍ଧି କର ।- ସେ କି ମାନିବାର ଜନ୍ତୁ !- ଯେ କାମର ବଶୀଭୂତ ସେ ଅନ୍ଧ ।
ସୀତା - ସଖି ! ଯାହା କହିଲ ସତ । ଆପଣା ପକ୍ଷର ଲୋକଙ୍କର ବେଳେ ବେଳେ ଯୁଦ୍ଧରେ ବିପଦ ଆଉ ଶତ୍ରୁ ପକ୍ଷ ହେଲେ ସୁଦ୍ଧା ଏତେ ଲୋକଙ୍କର ପିମ୍ପୁଡ଼ିପରି ପଲ ପଲ ହୋଇ ମରିବା ଦେଖି ମୋ ମନ ଘାଣ୍ଟି ହେଉଚି । ଏତେଗୁଡ଼ିଏ ଲୋକ ଖାଲି ପେଟପାଇଁ ରାବଣର ଚାକରି ବଜାଇ ପାପରେ ସହାୟ ହୋଇ ମରୁଚନ୍ତି । ମାତ୍ର ଯେତେବେଳେ ମୁଁ ଭାବେ ଏକା ମୋରିପାଇଁ ଏ ଯୁଦ୍ଧ ତେତେବେଳେ ମୋ ମନ ଅବଶ ହୋଇଯାଏ !
ସର ।- ସ୍ୱଭାବକୋମଳ ତୁମର ମନ ଅବଶ ହେବାରେ ସଂଶୟ ନାହିଁ ।- ମୋର ମନ କି ଘାଣ୍ଟି ହୁଏ ନାହିଁ ? ମାତ୍ର ହେଲେ କି ହେବ ଯେଉଁଟା ଦୁଷ୍ଟ, ଯାହାକୁ ଭଲ କଥା ଆଦୌ ରୁଚେ ନାହିଁ, ତାର ପଦେ ପଦେ ପରାଭବ ଦେଖି ଉପଯୁକ୍ତ ଶାସ୍ତି ହେଉଚି ବୋଲି ମୋର ମନ ଆନନ୍ଦରେ ନାଚି ଉଠେ ।
ସୀତା ।- ସଖି ସରମେ ! ତୁମେ ରାକ୍ଷସୀ ମଧ୍ୟରେ ଦେବୀ । ପୂର୍ବକାଳରେ ତୁମେ ମୋର ମାତୃସ୍ଥାନୀୟା ଥିଲ ବୋଲି ଏ କାଳରେ ମୋର ସହଚରୀ ହୋଇ ମୃତକଳ୍ପ ପ୍ରାଣରେ ଅମୃତ ଢାଳୁଚ । ସଖି, ହନୁମାନ ମୋତେ ଠାବ କରି ସାରି ବିଦାୟ ହେଲାବେଳେ ମୋତେ ପିଠିରେ ଘେନି ଲଙ୍କାରୁ ପାରକରିନେବାର ପରାମର୍ଶ ଦେଇଥିଲେ, ତେତେବେଳେ ମୁଁ ରାଜୀ ହୋଇ ଯାଇଥିଲେ ଏତେ ଅନର୍ଥ ଲାଗି ନ ଥାନ୍ତା ।
ସର ।- କି ଏଥୁଁ ବଳି ଆହୁରି ଅଧିକ ନଟ ଲାଗିଥାନ୍ତା କିଏ କହିପାରେ ! ତୁମେ ହନୁମାନର କଥାରେ ରାଜୀ ନ ହୋଇ ଭଲ କରିଚ । ଦେଖିଲତ ଫେରିଗଲାବେଳେ ଇନ୍ଦ୍ରଜିତ ହନୁମାନକୁ ବାନ୍ଧି ରାବଣର ସଭାକୁ ଘେନିଗଲା । ତୁମେ ପିଠିରେ ଥିଲେ ସେଠି ପହୁଞ୍ଚିଥାନ୍ତ ।-ତେତେବେଳେ ଗୋଟାଏ କି କାଣ୍ଡ ହୋଇଥାନ୍ତା !-ସେପରି ଭାବରେ ପଳାଇଯିବା ମହତର କାର୍ଯ୍ୟ ନୁହେ । ତୁମେ ପଳାଇ ନ ଯାଇ ଅତି ବୁଦ୍ଧିମତୀର କାର୍ଯ୍ୟ କରିଚ ।
ସୀତା ।- ସବୁ ବୁଦ୍ଧି ଏତେବେଳେ ହଜିବାକୁ ବସିଚି । ଇନ୍ଦ୍ରଜିତ ନ ମଲେ ମୋର ପରିତ୍ରାଣ ନାହିଁ । ରାବଣ ମୋତେ ଲଙ୍କାପୁରୀକି ଆଣି ବର୍ଷେକାଳ କଣ୍ଟ କରିଥିଲା । ଯୁଦ୍ଧ ଆରମ୍ଭ ଆଗେ ଦୁଇମାସ ବାକୀ ଥିବା ମନେ ପକାଇ ଦେଇ ଯାଇଚି । ସେ ସବୁବେଳେ ଆସି ମୋର ଭାର୍ଯ୍ୟା ହୁଅ କହି କହି ମୋତେ ଏତେ ଜଳାଇଲାଣି ଯେ ମୁଁ ବେଳେ ବେଳେ ବେଣୀ-ସାହାଯ୍ୟରେ ଫାଶି ଲଟକିବାକୁ ବାହାରି ପଡ଼େ । ହନୁମାନ ଠାବ କଲାବେଳେ ଆଉ ଟିକିଏ ବିଳମ୍ବ କରିଥିଲେ କଥା ଶେଷ ହୋଇ ଯାଇଥାନ୍ତା -ଏତେ ଲୋକ ମୋ ପାଇଁ ପ୍ରାଣ ହରାଇ ନ ଥାନ୍ତେ କି ମୋର ହୃଦୟର ରାଜା ଆର୍ଯ୍ୟପୁତ୍ର ଏତେ ବିପଦ ସହୁ ନ ଥାନ୍ତେ କିମ୍ବା ପ୍ରାଣପ୍ରିୟ ଦେବର ଲକ୍ଷ୍ମଣ ସୁଦ୍ଧା ଏତେ ଘାଣ୍ଟି ହେଉ ନ ଥାନ୍ତେ ! ସବୁ ମୋର ବୁଦ୍ଧିର ଦୋଷ । ମୁଁ ଯେବେ ମାରିଚର ‘‘ଲକ୍ଷ୍ମଣ ରଖ ଲକ୍ଷ୍ମଣ ରଖ’’ ବୋଲି ମାୟାରୋଦନରେ ଭୁଲି ଲକ୍ଷ୍ମଣଙ୍କୁ ପରୁଷ କଥା କହି ଏକା ହୋଇ ପଞ୍ଚବଟୀ କୁଟିରରେ ରହି ନ ଥାନ୍ତି ତେବେ ଏତେଦଶା କାହିଁକି ଘଟିଥାନ୍ତା ! (ଅଞ୍ଚଳରେ ଲୋତକ ମୋଚନ ।)
ସର ।- (ବସ୍ତ୍ରାଞ୍ଚଳରେ ଲୁହ ପୋଛି ଦେଇ) ଛି ସଖି, ଏ କାନ୍ଦିବାର ବେଳ ନୁହେଁ ! ଏତେବେଳେ ଆଉ ଆତ୍ମଗ୍ଲାନି କଲେ କି ହେବ ? ସବୁ ବିଧାତାଙ୍କ ବିଧାନ ! ତୁମେ ସେରୂପ କରି ନ ଥିଲେ ରାବଣ ମରନ୍ତା କିପରି-ସେ ଭିଆଣର ଖିଆ ତେତିକି ବେଳୁଁ କାଣ୍ଡିଆରୁ ବାହାରିଚି । ନଈସୁଅପରି, ସେନା ମାଡି ଆସିଲା-ସମୁଦ୍ରଜଳରେ ମିଶି ନ ଯାଇ ତାକୁ ଡେଇଁ ଆର ପାରିରେ ଉଚ୍ଛନ୍ନଦଶା ଘଟାଇଲାଣି । ରାମଚନ୍ଦ୍ରଙ୍କ ଯୋଗେ ସମୁଦ୍ର ବନ୍ଧା ହେବା ଦେଖାଗଲା । ଯେ ବୀର ସେ କୌଣସି ବାଧା ମାନନ୍ତି ନାହିଁ । ଦେହରେ ବଳ ଥିଲେ ମନରୁ ବୁଦ୍ଧି ବାହାରେ । ସଖି ! ଚିନ୍ତା ନ କର- ଅଚିରେ ତୁମେ ହୃଦୟର ମଣି ହୃଦୟରେ ଧରି ପ୍ରାଣ ଶୀତଳ କରିବ ।
ସୀତା ।- ସଖି ! ତୁମର କଥା ବସୁଧାରେ ସୁଧାସାର ପରି-ମଲା ପିଣ୍ଡ ଜୀଆଇବ । ତୁମରି ସ୍ୱାମୀ ବିଭୀଷଣ ଆର୍ଯ୍ୟପୁତ୍ରଙ୍କ ସଖା ହୋଇ ନାନା ପ୍ରକାର ମନ୍ତ୍ରଣାରେ ଯୁଦ୍ଧରେ ଜୟଲାଭ କରାଉଚନ୍ତି ଆଉ ତୁମେ ମୋର ସଖୀରୂପେ ମୋର ତାପିତ ପ୍ରାଣରେ ସୁଧା ଢାଳି ସ୍ନିଗ୍ଧ କରୁଚ । ତୁମର ସ୍ନେହମୟୀ ଝିଅ କଳାବତୀ ମଧ୍ୟ ଗୁଣବତୀ ତାର ବଚନ ଅମୃତରୁ ବଳି ।- (କିଛି କାଳ କାନ ଡେରି) ସଖି ! ଯୁଦ୍ଧଭୂମିରୁ ରାକ୍ଷସମାନଙ୍କର ଆନନ୍ଦସୂଚକ ସିଂହନାଦ ଶୁବୁଚି-ଆର୍ଯ୍ୟପୁତ୍ର ଆଉ ଲକ୍ଷ୍ମଣଙ୍କର କିଛି ବିପଦ ହେଲା କି ?-ସଖି କ୍ରମେ, କ୍ରମେ ସିଂହବାଦ ଅଧିକ ଶୁବୁଚି-ମୋର ମନ ଘାଣ୍ଟି ହେଉଚି ! ଟିକିଏ ରଣଭୂମିକ ଯାଇ ମୋତେ ବାର୍ତ୍ତା ଆଣିଦିଅ-ମୋ ମୁଣ୍ଡ ଖାଅଟି ସଖି !
ସର ।- ଛି ସଖି, ଏମନ୍ତ କଥା କହ ନା-ଏଭଳି ବିକଳ ହେବାର କିଛି କାରଣ ନାହିଁ ! ରାମଲକ୍ଷ୍ମଣଙ୍କର କିଛି ବିପଦ ହେବନାହିଁ-ମୁଁ ଯାଉଚି, ଏହିକ୍ଷଣି ଖବର ଆଣିବି ।
[ସରମାର ପ୍ରସ୍ଥାନ ।]
ସୀତା ।- (କାନ ଡେରି ରହି) କ୍ରମେ କୋଳାହଳ ଅଧିକ ହେଲା ।-ଦେଖାଯାଉ ସଖୀ ସରମା କି ସମ୍ବାଦ ଆଣୁଚନ୍ତି । ବିଧାତା ଏ ଦେହକୁ କଷଣରେ ଗଢ଼ିଚନ୍ତି ଯେତେ ରଖିଥିବି ସହିବି ।-ଆଜି ଏତେବେଳଯାଏ ଚଉକିଦିଆ ରାକ୍ଷସୀମାନେ ଉଠି ନାହାନ୍ତି-ନିତି ରାତିରେ ଗୁଡ଼ାଏ ମଦ ଆଣି ଢକ ଢକ କରି ପିଅନ୍ତି ଆଉ ମୁହଁରେ ଯା ଆସେ ବକନ୍ତି ! ଏମାନଙ୍କୁ ଜଗାଇ ରାବଣ କି ପାଉଚି ସେ ଜାଣେ । ମୋ ମନ ଯେବେ ମୋତେ ନ ଜଗିଲା ଆଉ ଜଗିବ କିଏ ? ସେ ଗୁଡ଼ାକ ପୁଣି ଏଡେ ନିଷ୍ଠୁରା-ଏମତେ ମରମପଶା କଥା କହିବେ ଯେ ନାହିଁ ନୋହିବାର ! କେବେ ଦଇବ ତାଙ୍କ କବଳରୁ ମୋତେ ଉଦ୍ଧାର କରିବ !
[ଶୂଳହସ୍ତେ ଚଣ୍ଡୋଦରୀ, ଗଦାହସ୍ତେ ପ୍ରଷ୍ୱସା ଓ ଖଣ୍ଡାହସ୍ତେ ଅଜାମୁଖୀର ପ୍ରବେଶ ।]
ଚଣ୍ଡୋ ।- (ବିକଟହାସ୍ୟ ସହିତ ଟଳୁ ଟଳୁ) ହାଃ, ହାଃ, ସ୍ତିରୀଟା ଦେଖିବାକୁ ଡଉଲର ।-ଯା ମ, ରାତିଯାକ ଏମତେ ଏକୁଟିଆ ମୁହଁକୁ ପୋତି ସଢ଼ୁଚୁ କାହିଁକି ? ରାବଣକୁ ଭଜିଲେ ଲଙ୍କାର ରାଣୀ ହେବୁ ।
ପ୍ରଷ୍ୱ ।- (ତଦ୍ବତ୍) ରତ୍ନଭଣ୍ଡାରମାନ ତୋର ପାଦତଳେ ଥୁଆ ହେବ ।ଅଜା ।- ରାଜରାଜେଶ୍ୱେର ଦଶାନନ ହାତରେ ଚାନ୍ଦ ପାଇଲା ପରି ଆହ୍ଲାଦରେ ଗଡ଼ିଯିବ ତାର ପ୍ରାଣ ଶୀତଳ ହେବ-ମୋର ଜୀବନ ସ୍ୱାର୍ଥକ ହେବ ।
ଚଣ୍ଡୋ ।- ଏ ମାଇକିନିଆଟା ଏଡ଼ିକି ହୁଣ୍ଡୀ-ଗୋଟାଏ ମଣିଷକୁ ଝୁରି ରାତି ରାତି କଟାଇ ଦଉଚି-ଦିନକୁ ଦିନ ଚାଲି ଯାଉଚି-ମୁହଁପୋତି ବସିଚି ଯେମନ୍ତେ ମଣିଷ ନୁହେ ହୁଙ୍କା ।-କି ଗୁଣ ଦେଖି ରାବଣ ୟାକୁ ଧରି ଆଣିଚି । ଆମଠୁ କଣ ୟାର ଶୋଭା ଏଡ଼େ । ଆମେ ରାବଣର କୋଳରେ ଶୋଇବା ପାଇଁ ଉବୁରା ଉବୁରି ହେଉଥାଇଁ-ୟାର ପୁଣି ଗରବ କେଡ଼େ !-ମୋର ଗୋଟାଏ ପୁରୁଷ-ସେଇଟା ଚନ୍ଦନ ଘୋରି ଘୋରି ଲଗାଇବେ ଆଉ ସବୁ ପାଉଁଶ ! (କୋପଭରେ ଶୂଳ ଟେକି) ଉଠି ମୁହଁ ଟେକୁଚୁନା, ଦେହରେ ଶୁଳ ଭୂଷି ଦେବି-ଦର ଦର ଦେହରୁ ରକ୍ତନଦୀ ବହିବ ।
ପ୍ରଷ୍ୱ ।- ରାବଣର କୋଳକୁ ତୁ ଯେବେ ଆଶ୍ରା ନ କରିବୁ (ଗଦା ଉଞ୍ଚାଇ) ଏହି ଗଦାରେ ତୋତେ ଚୂନା କରି ଚୋବାଇଯିବି-ଆଉ ଥିବୁ ନା ତୋ ପୁରୁଷକୋଳକୁ ଯିବୁ ।
ଅଜା ।- ରାବଣ ଫେର୍ ୟାକୁ କହନ୍ତି ଚାନ୍ଦମୁହୀଁ ! ମୋ ମୁହଠୂ ୟାମୁହଁ ପୁଣି ସୁନ୍ଦର ମୋର ଛେଳିପରି ଡଉଲର ମୁହଁରେ ସୁରାଘଡ଼ା ସୁନ୍ଦର ଢଳା ହେବା ଦେଖି ରାବଣ କେତେଥର ଭୋଳ ହୋଇ ମୋତେ ଅଙ୍ଗଲାଗି କରିଚନ୍ତି ।-(ଖଣ୍ଡା ଉଞ୍ଚାଇ) ପୋଡ଼ାମୁହିଁ, ରାବଣ କତିକି ଯାଉଚୁ ନା ଏହି ଖଣ୍ଡାରେ ତୋତେ ଖଣ୍ଡଖଣ୍ଡ କରି କାଟିବି ! ତୋର ରକ୍ତରେ ବସି ମୁହଁ ପଖାଳିବି । ତୋର ମାଉଁସ ସମସ୍ତେ ଖଣ୍ଡଖଣ୍ଡ କରି ଖାଇବୁଁ ।
ସୀତା ।- (ନମ୍ରଭାବେ) ମାନୁଷୀ କେବେ ରାକ୍ଷସର ଭାର୍ଯ୍ୟା ହୋଇ ନ ପାରେ । ତୁମେମାନେ ମୋତେ ଖାଇଯାଅ ଭଲ-ମୁଁ ତୁମମାନଙ୍କ କଥା ପାଳିପାରିବି ନାହିଁ । ଚଣ୍ଡୋ, ପ୍ରଷ୍ୱା, ଓ ଅଜା ।- (ଠୋ ଠୋ ହୋଇ ହସି) ପୁଣି ସେହିକଥା-ଏ ମଣିଷ ନୁହେ !
[ଖଡ଼୍ଗହସ୍ତେ ରାବଣର ପ୍ରବେଶ ।]
ରାବ ।- (ରାଗରେ କଟମଟ ଚକ୍ଷୁ ବୁଲାଇ) ରେ ସୀତା, ତୁ ମୋର ଭାର୍ଯ୍ୟା ହେବୁ କି ନାହିଁ କହ । (ଖଡ଼୍ଗ ଦେଖାଇ) ଆଉ ମୁଁ ସମ୍ଭାଳି ରହି ନ ପାରେଁ । ଏହିକ୍ଷଣି ତୋତେ ଏହି ଖଡ଼୍ଗରେ ଦୁଇଖଣ୍ଡ କରି ହାଣିପକାଇବି ।-ତୋରୂପରେ ମୋହିତ ହୋଇ ଉପଭୋଗ କରିବା ଲାଳସାରେ ଏତେକାଳ ତୋତେ ଜୀଆଇ ରଖିଛି, ସୁବର୍ଣ୍ଣମୟୀ ଲଙ୍କାପୁରୀ ତୋତେ ରୁଚିଲା ନାହିଁ ! ରତ୍ନ-ଅଞ୍ଜଳୀ ଘେନି ଦ୍ୱାରେ ଧରଣା ଦେଇଥିବା ରତ୍ନାକରବାହୀ ଚିରଶୀତଳ ମଳୟାନିଳ ତୋତେ ଫାବିଲା ନାହିଁ । ସାପ୍ତଭୂମିକ ସ୍ୱର୍ଗକୁ ନିଶୁଣିପରି ଉତ୍ତୁଙ୍ଗ ମଣିମୁକ୍ତାଖଚିତ ରତ୍ନପ୍ରାସାଦ ତୋର ଚିତ୍ତପ୍ରସାଦକ ହେଲା ନାହିଁ । ଗଜଦନ୍ତ ପଲଙ୍କରେ ମଣିମୁକ୍ତାଝରା ଲଗା ସୁନା ରୂପାର କାମରେ ଚକଚକ ସନ୍ନିଗ୍ଧ ଶେଯରେ ତୋ ଅଙ୍ଗ ଶୋଇଲା ନାହିଁ । ମୋର ଏ ସୁନ୍ଦର ଲଲାମ ଅପ୍ସରାବଞ୍ଛିତ ଚନ୍ଦନାଗୁରୁଚର୍ଚ୍ଚିତ ମହାର୍ହ ବସ୍ତ୍ରାଳଙ୍କାର ଶୋଭିତ ଦେହ ତୋର ଅଙ୍ଗଭୂଷଣ ହେଲାନାହିଁ !- (ଅତି କ୍ରୋଧରେ ଧାଇଁଯାଇ ଦାନ୍ତ କନମଡ଼ କରି) ତୋରି ହେତୁ ମୋର ପୁଅ ଭାଇ ସମସ୍ତେ ମଲେ ! ତୋତେ ପାଇବି ବୋଲି ବୃଥା ଲାଳସାରେ ମନ୍ଦୋଦରୀ ସୁଦ୍ଧା ମୋତେ ରୁଚିଲା ନାହିଁ । ତୁ ଥିବୁ ନା ତୋର ଲେଙ୍ଗୁଟିଆ ଘଇତା କତିକି ଯିବୁ । (ବଧାର୍ଥ ଖଡ୍ଗ ଉତ୍ତୋଳନ ।)
[ବେଗେ ସୁପାର୍ଶ୍ୱ, ମହାପାର୍ଶ୍ୱ, ମନ୍ଦୋଦର ଓ ବିରୂପାକ୍ଷର ପ୍ରବେଶ ।]
ସୁପା ।- (ହାତ ଉଠାଇ) ହଁ ।-ହଁ ।- କି କରୁଛନ୍ତି ମହାରାଜ ! ଆପଣ ବୈଶ୍ରବଣର ମା-ପେଟର ସାନ ଭାଇ ହୋଇ ଦଶଗ୍ରୀବ ନାମ ଧରି ବୈଦେହୀକି ବଧ କରିବାକୁ ଯାଉଛନ୍ତି ! ହେ ବୀରରକ୍ଷସେଶ୍ୱର ! ଆପଣ ବେଦବିଦ୍ୟାପରଦର୍ଶୀ ବ୍ରତ-ସ୍ନାନ-ଶୀଳ ନିତ୍ୟ ଅଗ୍ନିହୋତ୍ରାଦି ସ୍ୱକର୍ମନିରତ ହୋଇ ସୁଦ୍ଧା ସ୍ତ୍ରୀବଧ କରିବାକୁ ଉଦ୍ୟତ ହେଉଛନ୍ତି ! ରାମ ଉପରେ ଆପଣଙ୍କର କୋପ ହେବା ଉଚିତ । ବରବର୍ଣ୍ଣିନୀ ମୌଥଳୀକି ଛାଡ଼ି ଆମ୍ଭମାନଙ୍କ ସହିତ ରଣକ୍ଷେତ୍ରକୁ ବିଜେ ହେଉନ୍ତୁ । ଆଜି କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ-ଆଜି ଯୁଦ୍ଧର ଆୟୋଜନ କରି କାଲି ଅମାବସ୍ୟାରେ ଅସଂଖ୍ୟ ସେନା ଘେନି ବିଜୟାର୍ଥ ଯାତ୍ରା କରିବା । ମହାରାଜ ! ଆପଣ ଶୂର ! ଆପଣ ଧୀମାନ୍ । ଆପଣ ଦିବ୍ୟ ରଥରେ ଚଢ଼ି ଖଡ଼୍ଗଦ୍ୱାରା ଦାଶରଥି ରାମଚନ୍ଦ୍ରକୁ ବଧ କରି ଜନକନନ୍ଦିନୀ ସୀତାକୁ ଲାଭ କରନ୍ତୁ ।
ମହା ।- (ହାତଯୋଡ଼ି) ମୋର ସେହି କଥା ।ମନ୍ଦୋ ।- (ତଦ୍ବତ୍) ମୋର ସେହି ପ୍ରାର୍ଥନା ।ବିରୂ ।- (ତଦ୍ବତ୍) ପ୍ରବଳ ଶତ୍ରୁକୁ ଛାଡ଼ି ଅବଳା ଉପରେ ବଳପ୍ରକାଶରେ ନୀତିବିଦ୍ୟା, ପୌରୁଷ, ଚୌରବ ସବୁନଷ୍ଟ ହେବ ।
ରାବ ।- (ହାତ ଫେରାଇ ଦାନ୍ତ କଡ଼ମଡ଼ କରି) ଠିକ୍ କହିଛ । ୟାକୁ ମାରି କି ଲାଭ ! ରାମକୁ ହାଣି ପକାଇଲେ ସୀତା ବଳେ କୋଳରେ ଶୋଇବେ । (ଖଡ୍ଚ ଦେଖାଇ) ଏହି ଖଡ଼୍ଗରେ ରାମକୁ ହାଣି ତାହାର ରକ୍ତପିଇ ଜାନକୀଙ୍କି ଲଙ୍କାର ରାଣୀ ରାବଣର ହୃଦୟେଶ୍ୱରୀ କରିବି । ଚାଲ-ଏହିକ୍ଷଣି ସେନା ସଜାଅ ।
[ଆଗେ ଆଗେ ରାବଣ ଓ ତତ୍ପଶ୍ଚାତ୍ ସୁପାର୍ଶ୍ୱ, ମହାପାର୍ଶ୍ୱ, ମନ୍ଦୋଦର ଓ ବିରୂପାକ୍ଷର ପ୍ରସ୍ଥାନ ।]
ଚଣ୍ଡୋ, ପ୍ରଷ୍ୱା ଓ ଅଜା ।- (ନାଚୁ ନାଚୁ) ହେଁ, ହେଁ ।-ଆଉ ଦିନେ-କାଲି ରାମ ମରିବ କାଲି ଲଙ୍କାର ରାଣୀହେବୁ-କାଲି ରାବଣର ହୃଦୟେଶ୍ୱରୀ ହେବୁ-କାଲି ଆମେ ରଙ୍ଗ ଦେଖିବୁଁ-ଆନନ୍ଦରେ ଗଡ଼ିଯିବୁଁ-ମନ୍ଦୋଦରୀ ଛାଡ଼ି ସୀତା ରାଣୀ ! ବାଃ ବାଃ ବାଃ !-ଚାଲ ସବୁ ଖାଇ ଆସିବା-ଏଟା ଏଠି ପଡ଼ିଥାଉ । (ପ୍ରସ୍ଥାନ ।)
ସୀତା ।- ଗଲା ପାପ ଗଲା । ରାବଣର କଥାରେ ତାର ଆଉ କିଛି ଅମଙ୍ଗଳ ହେଲା ପରି ଜଣାଯାଏ । ଇନ୍ଦ୍ରଜିତ ମରି ନ ଥିଲେ ୟାକୁ କାହିଁକି ଯୁଦ୍ଧକୁ ଯିବା ସକାଶେ ମନ୍ତ୍ରୀମାନେ ପରାମର୍ଶ ଦେଇଥାନ୍ତେ ? ବର୍ତ୍ତମାନ ତ ରଣଭୂମିରେ ସବୁ ଶୂନ୍ୟ ଜଣାଯାଉଚି ।-କାହିଁ, ସରମାସୁନ୍ଦରୀ କୁଆଡ଼େ ଗଲେ ?
[ସରମାର ପ୍ରବେଶ ।]
ସର ।- (ଆନନ୍ଦରେ ଗଦ୍ଗଦ୍ ହୋଇ) ସଖି, ଶାନ୍ତ ହୁଅ । ଇନ୍ଦ୍ରଜିତ ରଣଭୂମିରେ ମରି ପଡ଼ିଚି-ଅସୁର ହଣା ହୋଇଚନ୍ତି ଏତେ ସେ ଯୁଦ୍ଧଭୂମିରେ ଭୂଇଁ ଦିଶୁନାହିଁ । ଯେ ବଞ୍ଚିଥିଲେ ଅସ୍ତ୍ରଶସ୍ତ୍ର ଛାଡ଼ି ପ୍ରାଣ ଘେନି ପଳାଇଚନ୍ତି । ଲଙ୍କାପୁରୀରେ ଘରେ ଘରେ କାନ୍ଦବୋବାଳି ପଡ଼ିଚି । ଏବେ ରାବଣଟା ଗଲେ ତୁମେ ରାମଚନ୍ଦ୍ରଙ୍କର ହୃଦୟେଶ୍ୱରୀ ହୋଇ ଚରାଚର ଉଜ୍ଜ୍ୱଳ କରିବ ।
ସୀତା ।- (ଆନନ୍ଦରେ ଉଠି ସରମାକୁ କୁଣ୍ଢାଇଧରି) ସଖି ! ତୁମ ବିନା ଏ ବିପତ୍କାଳରେ ଆଉ କିଏ ତାପିତପ୍ରାଣରେ ଶାନ୍ତିବାରି ଢାଳନ୍ତା । ସଖି, ତୁମର ସ୍ୱାମୀ ଏ କାଳରେ ଆର୍ଯ୍ୟଙ୍କର ସହାୟ ହୋଇଚନ୍ତି । ସେ ସହାୟ ହେଲା ସମ୍ବାଦ ତୁମଠାରୁ ପାଇଲାଦିନୁ ମୋ ମନରେ କୌଣସି ବିପଦର ଆଶଙ୍କା ନାହିଁ କି ବିଜୟ-ଲାଭରେ ସନ୍ଦେହ ନାହିଁ । ସଖି, ଏବେ ଦୁରାଚାର ରାବଣଟା ମଲେ ତୁମେ ବିଭୀଷଣକୋଳରେ ଲଙ୍କେଶ୍ୱରୀ ହେବ !-ସଖି, ରାବଣଟା ଏହିକ୍ଷଣି ଆସି ମୋତେ ମାରିବାକୁ ଖଣ୍ଡା ଉଞ୍ଚାଇ ଥିଲା । -ମନ୍ତ୍ରୀମାନେ ସ୍ତ୍ରୀବଧ ଅନ୍ୟାୟ କହି ଯୁଦ୍ଧରେ ଆର୍ଯ୍ୟପୁତ୍ରଙ୍କୁ ନିହତ କରିବାର ପରାମର୍ଶ ଦେଇ ବାହୁଡ଼ାଇ ନେଲେ ।-ଆଜି ଯୁଦ୍ଧର ଆୟୋଜନ କରି କାଲି ବାହାରିବେ ।-ସଖି, ମୁଁ ମୋ କପାଳ ଘେନି ଥାଏଁ, ତୁମେ ଯାଇଁ ରାବଣର ଗତିବିଧିର ସନ୍ଧାନ ଘେନ । ଏହିକ୍ଷଣି ଦୁଷ୍ଟା ରାକ୍ଷସୀଗୁଡ଼ାକ ଆସିବେ । ମୋର ମନ ଆଶ୍ୱସ୍ତ ଅଛି ।
ସର ।- ତେତିକି ମୋର ଲୋଡ଼ା । ଯୁଦ୍ଧବେଳେ ମନକୁ ଅଧୀର କରିବ ନାହିଁ । ଧୈର୍ଯ୍ୟ ଧରି ଜଗଦୀଶ୍ୱରଙ୍କ ଠାରେ ସମସ୍ତ ଅର୍ପଣ କରି ଫଳକୁ ଅନାଇ ରହିବା କର୍ତ୍ତବ୍ୟ ।- ମୁଁ ଚାଲିଲି । (ସୀତାର ବାହୁବନ୍ଧନ ଛଡ଼ାଇ ପ୍ରସ୍ଥିତା ।)
ପଟପରିବର୍ତ୍ତନ ।