ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୫ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ଅଧ୍ୟାୟ
ସୁତ ଉବାଚଘୋରବନେ ରାତ୍ରକାଳେ ଯାନ୍ତି ମୁନିଜନେ ।ଅନ୍ତରୀକ୍ଷ ବାଣୀ ତାଙ୍କୁ ଶୁଭିଲା ଗଗନେ ॥
ମଧୁବନ କାଳିନ୍ଦୀ ଦକ୍ଷିଣ ତଟେ ରହି ।ନିଶ୍ଚଳ ଆସନେ ତପ ସାଧ୍ୟ କର ତୁହି ॥
ଅନ୍ତରୀକ୍ଷ ବଚନ ଶୁଣିଲା ଯହୁଁ ଚିତ୍ତେ ।ତକ୍ଷଣେ ନମିଲା ସେ ମୁନିଙ୍କ ପାଦଗତେ ॥
କୃତକୃତ୍ୟ ହୋଇ ଯେ ବାଳକ ଅରକ୍ଷିତ ।ସେ ବନୁ ଚଳିଲା ଦୃଢ଼ଚିତ୍ତେ ଦୂର ପଥ ॥
ମନ ସଙ୍ଗମେଳେ ଯେ ଯମୁନା ତଟେ ଯାଇ ।ଅନ୍ତରୀକ୍ଷ ବାଣୀ ଚିନ୍ତେ ଗଗନକୁ ଚାହିଁ ॥
ମଧୁ ନାମେ ଦୈତ୍ୟ ଅଧିଷ୍ଠିତ ପୂର୍ବେ ଥିଲା ।ସେ କାରଣୁ ମଧୁବନ ନାମ ସେ ପାଇଲା ॥
ବିଷ୍ଣୁ ସମ ଧାମ ସେ ବୋଲାଇ ଯୁଗେ ଯୁଗେ ।ତାର ପୁତ୍ର ଲବଣ ଯେ ଥିଲା ବନ ଭାଗେ ॥
ଶତ୍ରୁଘନ ରୂପେ ତାକୁ ମାରି ଚକ୍ରଧର ।ଗ୍ରାମେ ବସାଇଲେ ନାମ ମଥୁରା ନଗର ॥
ସର୍ବପାପ ହରଇ ଯମୁନା ଜଳେ ଯହିଁ ।ତାର ତୀରେ ବସିଲା ନିଶ୍ଚଳେ ଧ୍ରୁବ ଯାଇ ॥
ମୁନିଙ୍କର ଉପଦେଶ ସୁମରେ ନିଶ୍ଚଳେ ।ଯମୁନାର ତୀରେ ସେ କଦମ୍ୱ ତରୁତଳେ ॥
ନିଶ୍ଚଳ ଆସନେ ବସି ପ୍ରତ୍ୟାହାର କଲା ।ହରି ଅନୁଗ୍ରହେ ମନ ନିଶ୍ଚଳେ ରହିଲା ॥
ଅଶେଷ ଦେବ ଈଶ୍ୱର ବିଷ୍ଣୁ ତା ହୃଦୟେ ।ପ୍ରକାଶ ହୋଇଲେ ପୂର୍ବ ଭାଗ୍ୟର ଉଦୟେ ॥
ସର୍ବଭୂତ ଦେହେ ବସେ ଆକାଶର ପ୍ରାୟେ ।ସର୍ବଗତେ ସର୍ବଭାବେ ସର୍ବ ଜୀବମୟେ ॥
ଦ୍ୱାଦଶ ଅକ୍ଷର ମନ୍ତ୍ର ହୃଦରେ ସୁମରି ।ବିଷ୍ଣୁର ଚରଣେ ଚିତ୍ତେ ଅତି ଦୃଢ଼େ ଧରି ॥
ମନେ ବିଚାରଇ ଏ ଆସନେ କାର୍ଯ୍ୟନାହିଁ ।ଊର୍ଦ୍ଧ୍ୱ ମୁଖେ ଊର୍ଦ୍ଧ୍ୱବାହୁ ତପ ସାଧିବଇଁ ॥
ଏମନ୍ତ ବିଚାରି ସେ ଆସନୁ ଉତୁରିଲା ।ଦକ୍ଷିଣ ଚରଣ ସେ ମେଦିନୀପୃଷ୍ଠେ ଦେଲା ॥
ସମସ୍ତ ଧରିତ୍ରୀ କମ୍ପେ ଧ୍ରୁବ ପାଦଭରେ ।ବନଗିରି ଜଳଧି ସହିତେ ଯା ଶରୀରେ ॥
ବାମ ପାଦଭରେ ଊର୍ଦ୍ଧ୍ୱେ ନମିଲା ଧରଣୀ ।ପୁଣି ଧ୍ରୁବ ଦ୍ୱିତୀୟ ଚରଣ ସ୍ଥାପେ ଆଣି ॥
ବାମପାଦ ଅଙ୍ଗୁଷ୍ଠି ଅଗ୍ରରେ ଭାର ଦେଇ ।ବାମ ଜାନୁ ଉପରେ ଦକ୍ଷିଣପାଦ ଥୋଇ ॥
ପାଦ ଅଙ୍ଗୁଷ୍ଠିରେ ଧ୍ରୁବ ନିଶ୍ଚଳେ ରହିଲା ।ଧ୍ରୁବର ଚରଣ ଭରେ ଅବନୀ କମ୍ପିଲା ॥
ପର୍ବତ ଆଦି ଯେ ବନ ଜଳଧି ସହିତେ ।କମ୍ପଇ ଧରଣୀ ରମ୍ଭାବୃକ୍ଷ ଯେହ୍ନେ ବାତେ ॥
ଦଶଦିଶ କମ୍ପିଲା କମ୍ପିଲେ ଦିଗପାଳେ ।ବିଚାରିଲେ ଧ୍ରୁବର ତପସ୍ୟା ଭଙ୍ଗ ଫଳେ ॥
ତେବେ ନିଜ ଅଧିକାରେ ରହିବା ସକଳେ ।ଯଦ୍ୟପି ଏହାର ତପ ରହିବ ନିଶ୍ଚଳ ॥
ଚତୁର୍ଦ୍ଦଶ ଲୋକ ଯହି ଏହାରେ କମ୍ପିଲେ ।ଧ୍ରୁବ ତପ ଭଗ୍ନ ଯିବ କି ଉପାୟ କଲେ ॥
ମହାଘୋର ତପ କରେ ସୁନୀତିର ବାଳେ ।ଦେବଙ୍କର ମାନସ କମ୍ପିଲା ଅନ୍ତରାଳେ ॥
ଯମ ଆଦି ଦେବଗଣ ପରମ ଆକୁଳେ ।ଇନ୍ଦ୍ରର ସଙ୍ଗତେ ବସି ଭାଳିଲେ ସକଳେ ॥
ଏମନ୍ତ ବିଚାରି ଦେବେ ରହିଲେ ଚକିତେ ।ଧ୍ରୁବର ନିଶ୍ଚଳ ତପ ବିଷ୍ଣୁ ପାଦଗତେ ॥
ପରଂବ୍ରହ୍ମ ଅନାମୟ ବାସୁଦେବ ଯନ୍ତ୍ରେ ।ଆଗମ ନିଗମ ପଥ ଯଥା ତନ୍ତ୍ର ମନ୍ତ୍ରେ ॥
ବାସୁଦେବ ପ୍ରାୟ ସେ ଯେ ଜଗତ ଦେଖଇ ।ଉନ୍ମୀଳ ଲୋଚନେ ଧ୍ରୁବ ପରାଭବ ସହି ॥
ସର୍ବଘଟେ ସର୍ବଭାବେ ଦେଖେ ହରି ରୂପ ।ସର୍ବଦିଗେ ଅନଳ ପବନ ସର୍ବଘଟ ॥
ବନଗିରି କନ୍ଦରେ ଯେତେକ ପଶୁଯୂଥ ।ବରୁଣ ଭୁବନେ ଜଳଜନ୍ତୁ ଯେ ସମସ୍ତ ॥
ଅଶ୍ୱ ଗଜ ସହିତେ ରାଜନ ପୁରେ ଯେତେ ।ବିଷ୍ଣୁର ସ୍ୱରୂପେ ରୂପ ଦେଖଇ ସମସ୍ତେ ॥
ପାତାଳେ ଅନନ୍ତ ରୂପ ଗଗନେ ଅନନ୍ତ ।ଏକରୂପେ ରୂପଭେଦ କେ କରିବ ଅନ୍ତ ॥
ଜୀବଙ୍କର ଦେହେ ନିତ୍ୟ ଯେ ଦେବ ବସନ୍ତି ।ତାର ନିଜ ଦେହରେ ଦେବଙ୍କର ବସତି ॥
ବିଶ୍ୱବ୍ୟାପୀ ଧାତାର ଗୋଚର ଅର୍ଥେ ଯେହୁ ।ଏଣୁ ବ୍ୟାପୀ ଅଛିଦ୍ର ମହିମା କେହୁ କହୁ ॥
ଏହି ଅର୍ଥେ ମନ ଯାର ବିଷ୍ଣୁ ଉଚ୍ଚାରନ୍ତି ।ସର୍ବଭୂତେ ରହିଛନ୍ତି କେହି ନ ଜାଣନ୍ତି ॥
ସର୍ବଜନ୍ତୁ ହୃଦଗତେ ରବି ପ୍ରାୟ ଦିଶେ ।ଇନ୍ଦ୍ରିୟଙ୍କ ଈଶ୍ୱର ଯେ ହୃଷୀକେଶ ଘୋଷେ ॥
ଯାହାର ଯେ ଭକ୍ତଜନ ପ୍ରଳୟେ ନ ମିଶେ ।ଏଣୁ ଏ ଅଚ୍ୟୁତ ନାମ ସର୍ବଦେବେ ଘୋଷେ ॥
ଚରାଚର ବିଶ୍ୱଭାବ ହୋଇ ସେ ବିନାଶେ ।ଏଣୁ ବିଶ୍ୱଭାବ ନାମ ସର୍ବ ଉପଦେଶେ ॥
ଧ୍ରୁବର ଲୋଚନ ବିଷ୍ଣୁ ପାଦେ ଲୀନ ଗଲା ।କର୍ଣ୍ଣଯୁଗ ବିଷ୍ଣୁର ଶବଦେ ଆଶ୍ରେ କଲା ॥
ବଚନ ରିହିଲା ବିଷ୍ଣୁ ଚରିତ ବର୍ଣ୍ଣନେ ।ବିଷ୍ଣୁ ପାଦପଦ୍ମ ଗନ୍ଧ ନାସାରନ୍ଧ୍ର ଜାଣେ ॥
ହସ୍ତ ବେନି ସେ ଭାବେ ଯେ ହୋଇଲେ ଅର୍ପିତ ।ପଦ ବେନି ଗୋବିନ୍ଦ ଭୁବନେ ଉପଗତ ॥
କର୍ମେନ୍ଦ୍ରିୟ ରମିଲା ପରମବ୍ରହ୍ମ ରସେ ।ଶୀତ ଘର୍ମ ନ ଲାଗିଲା ବିଷ୍ଣୁ ଉପଦେଶେ ॥
ଶଦ୍ଦ ସ୍ପର୍ଶ ରସ ରୂପ ଗନ୍ଧ ଆଦି ଯେତେ ।ବିଷ୍ଣୁର ଚରଣେ ଲୀନ ହୋଇଲେ ସମସ୍ତେ ॥
ବାକ୍ୟ ପାଣି ପାଦ ଲିଙ୍ଗ ମୂଳାଧାର ଆଦି ।ନିଶ୍ଚଳେ ରହିଲା ଧ୍ରୁବଯୋଗର ସନ୍ନିଧି ॥
ତାର ଘୋରତପ ତେଜେ ସର୍ବ ତପ ଲୀନ ।ଅଗ୍ନି ସୁଧାକର ବାୟୁ ଆକାଶ ତପନ ॥
ଧ୍ରୁବର ଉପରେ ଧରା ହୁଏ ରସାଗତ ।ତପ ଯଜ୍ଞ ଶରାସନେ ଉଦିତ ସମସ୍ତ ॥
ନିର୍ମଳ ଶୀତଳ ସ୍ୱାଦ ରସ ଯେ ବହନ୍ତି ।ସୁଗୁପ୍ତେ ସମୀର ବହେ ଶଦ୍ଦଦ୍ୱାରେ ଚିନ୍ତି ॥
ଯେତେ ରୂପ ପୁଣ ଯେତେ ସୁନ୍ଦର ତ୍ରୈଲୋକ୍ୟେ ।ସର୍ବ ଲୀନ ହୋଇଲେ ସୁନୀତି ପୁତ୍ର ପାଖେ ॥
ସମୀର ବହଇ ଯେ ଧ୍ରୁବର ଦେହେ ଲାଗି ।ସେ ବାୟୁର ସ୍ପର୍ଶେ ସର୍ବଦିଗ ସୁଖଭାଗୀ ॥
ଅଶେଷ ଶବଦ ଘେନି ଗଗନେ ନିଶ୍ଚଳେ ।ଆଶ୍ରେକରି ରହିଲେ ଧ୍ରୁବର କର୍ଣ୍ଣମୂଳେ ॥
ଧ୍ରୁବ ତପ ଦେଖି ଯେ ପବନ ବିଚାରଇ ।ମୋର ଲୋକ ତପବଳେ ସଂହରିବ ଏହି ॥
ଏହାର ତପସ୍ୟା ବଳେ ମୁହିଁ କ୍ଷମ ନୁହେଁ ।ଏଣୁକରି ଧ୍ରୁବ ଅଙ୍ଗେ ଶୀତ ଉଷ୍ଣେ ବହେ ॥
ଅପସରାଗଣେ ଚାହିଁ ପାରିବୁ ସମାଧି ।ଏହିପରି ଭାବନା ସେ କରଇ ଆରାଧି ॥
କାମ କ୍ରୋଧ ଅଛନ୍ତି ଯେ ଆମ୍ଭରି ସଙ୍ଗତେ ।କେହି ନ ପାରିବେ ପଶି ଏ ବାଳକ ଚିତ୍ତେ ॥
ଏମନ୍ତେ ସମସ୍ତ ଦେବ ଇନ୍ଦ୍ର ମୁଖ ଚାହିଁ ।କହନ୍ତି ସଂଭ୍ରମ ଚିତ୍ତେ ଶିରେ କର ଦେଇ ॥
କି ବୁଦ୍ଧି କରିବା ଏବେ ଶୁଣ ଦେବରାୟ ।ଧ୍ରୁବର ତପସ୍ୟା ଭଗ୍ନେ କି ଅଛି ଉପାୟ ॥
ମୁହୂର୍ତ୍ତେ ରହିଲା ଇନ୍ଦ୍ର ଦେବବାକ୍ୟ ଶୁଣି ।ତପଭଗ୍ନ ନିମନ୍ତେ ଉପାୟ ମନେ ଗୁଣି ॥
ବୋଇଲେ ସ୍ୱଭାବେ ଏ ବାଳକ ଦେହ ଧରେ ।ଭୟଙ୍କର ଭୂତଗଣ ଦେଖି ଅବା ଡରେ ॥
ଭୟଙ୍କର ରୂପ ଦେଖି ବାଳକେ ଡରନ୍ତି ।ଅନ୍ୟ କିଛି ପ୍ରକାରେ ଏହାର ନାହିଁ ଭ୍ରାନ୍ତି ॥
ଆସୁରୀ ମାୟାରେ ଯେବେ ଭଗ୍ନ କରିପାର ।ନିଶ୍ଚିନ୍ତେ ଭୁଞ୍ଜିବ ତୁମ୍ଭେ ଯେଝା ଅଧିକାର ॥
ଅନ୍ୟଥା ଉପାୟ ନାହିଁ ସେ ତପର ଭଗ୍ନେ ।ଧ୍ରୁବର ତପସ୍ୟା ଯେବେ ଭଗ୍ନ ପ୍ରୟୋଜନେ ॥
ଇନ୍ଦ୍ରର ସଙ୍ଗତେ ଦେବେ ଏମନ୍ତ ବିଚାରି ।ଭୂତଗଣେ ଧାଇଁଲେ ଭୀଷଣ ରୂପ ଧରି ॥
ଭଲ୍ଲୁକ ଆକାର ଉଷ୍ଟ୍ର ଖରରୂପ ଧରି ।ଲମ୍ବଗ୍ରୀବା ଶିରୋଽଧବ ବଦନ ବିସ୍ତାରି ॥
ଭୂଜ ଦଣ୍ଡାଘାତେ ତରୁ ଭଗ୍ନ ସେ କରନ୍ତି ।ଅତି ବେଗବନ୍ତେ ଧ୍ରୁବ ନିକଟେ ମିଳନ୍ତି ॥
ବୃଷଭ ଆକାର ତୀକ୍ଷ୍ଣ ଶୃଙ୍ଗେ ଭୂ ବିଦାରି ।ମନୋଜବେ ଧାମନ୍ତି ଉନ୍ନତ୍ତ ରୂପ ଧରି ॥
ସର୍ବରୂପ ଧରି ଫଣା ଉଭାରନ୍ତି ବଳେ ।ବେନି କଳେ ବେନି ଜିହ୍ୱା ବିଜୁଳି ଚଞ୍ଚଳେ ॥
ଉଦ୍ଗାରନ୍ତି ବିଷକଣା ଜଳଦୃଷ୍ଟି ପ୍ରାୟେ ।ଏରୂପେ ଧ୍ରୂବ ସମୀପେ ମିଳିଲେ ଥୋକାଏ ॥
ମହିଷ ଆକାରେ ଗିରିଶୃଙ୍ଗ ଅଗ୍ରେ ଧରି ।ଉପାଡ଼ନ୍ତି କୋପଭରେ ଲାଙ୍ଗୁଡ଼ ଉଭାରି ॥
ଭୂତଗଣ ଧାମନ୍ତି ବିସ୍ତାରି ମହାକାୟ ।ବେନିପାଦ ଦିଶଇ ଖର୍ଜୁର ବୃକ୍ଷ ପ୍ରାୟ ॥
ମୁଖ ବିସ୍ତାରନ୍ତି କିବା ଭାକ୍ଷିବେ ଗଗନ ।ନାସା ଅଗ୍ରେ ବହଇ ଅଣଚାଶ ପବନ ॥
ଭଲ୍ଲୁକ ଆକାରେ ପୁଣି ଫୁ ଫୁ ନାଦକରି ।ହୃଦୟ କମ୍ପନେ ଧ୍ରୁବ ନିକଟରେ ମିଳି ॥
ଯକ୍ଷିଣୀ ମିଳିଲା ଯେ ହୁଙ୍କାର ନାଦ କରି ।ରୋଦନ କରଇ ଶିଶୁ ବେନି ପାଦ ଧରି ॥
ଧ୍ରୁବର ନିକଟେ ଅତି କୋପେ ସେ ମିଳିଲା ।ମୃଣାଳ ପ୍ରାୟେକ ଶିଶୁ ମୁଣ୍ଡ ଚୋବାଇଲା ॥
ଅଧର ବିସ୍ତାରି ସେ ରୁଧିର ପାନକରି ।ଧ୍ରୁବର ବଦନ ଚାହିଁ ବୋଲେ ମାୟାଧାରୀ ॥
ସୁଲଳିତ ପ୍ରାଣ ତୋର ଶୁଣରେ କୁମର ।ସନ୍ତୋଷେ ରୁଧିର ପାନ କରିବି ତୋହର ॥
ମୃଣାଳ ପ୍ରାୟେକ ଅସ୍ଥି କରିବି ଆହାର ।ଦଣ୍ଡେ ଯେବେ ରହିପାରୁ ମୋହର ଆଗର ॥
ଏମନ୍ତ କହନ୍ତେ ପୁଣି ଗୁହ୍ୟକ ମିଳିଲେ ।ଧ୍ରୁବ ଚାରିପାଖେ ଶୁଷ୍କ କାଷ୍ଠ ରୁଣ୍ଡ କଲେ ॥
ଦାବାଗ୍ନି ଲଗାଇ ସେ ବିଞ୍ଚନ୍ତେ କରପତ୍ର ।ବୃଷ୍ଟିପ୍ରାୟ ଅଗ୍ନିକଣା ପଡେ ଧ୍ରୁବ ଗାତ୍ର ॥
ମଣ୍ଡପ ଅପୂର୍ଣ୍ଣାକାରେ ବୃକ୍ଷ ଉପାଡ଼ନ୍ତି ।ଧ୍ରୁବର ସମୀପେ ରହି ଶବଦେ ଗର୍ଜନ୍ତି ॥
ଗଗନେ କ୍ଷେପନ୍ତି ତରୁଲତା କୋଟି କୋଟି ।ଅନ୍ୟାନ୍ୟ ତୃଣ ଘେନିଣ ଧାମନ୍ତି ତରାଟି ॥
ଶତ ଶତ ଶୃଗାଳ ଶବଦ ଶୁଭେ ଶୁନ୍ୟେ ।ଧ୍ରୁବ ପାଶେ ମିଳନ୍ତି ସେ କୁପିତ ବଦନେ ॥
ପୁଣି ଏକ ରାକ୍ଷସୀ ସୁନୀତି ରୂପଧରି ।ଧ୍ରୁବର ସମୀପେ ବସେ ମାତୃମାୟା କରି ॥
ହା ହା ପୁତ୍ର ବୋଲି ବେନି କର ହୃଦେ ତାଡି ।କେଶବାସ ଅସମ୍ଭାଳ ପୁଣ ପୁଣ ପଡି ॥
ବହୁ ମାୟା ବିନିର୍ମିତ ଚାଟୁବାକ୍ୟେ କହେ ।ଜନନୀ ବାଳକ ମଧ୍ୟେ କେହୁ ବା ତା ସହେ ॥
ଅତ୍ୟନ୍ତ କାରୁଣ୍ୟ ପୁତ୍ରସ୍ନେହେ ସେ ରୋଦନ ।ପୁଣି ସ୍ଥିରକରି ଚାହେଁ ଧ୍ରୁବର ବଦନ ॥
ତୁହି ଏକ ପୁତ୍ର ମୋର ସଙ୍ଗେ କେହି ନାହିଁ ।କେବଳ ତୋହର ଧ୍ୟାନେ ପ୍ରାଣ ମୁଁ ରଖଇ ॥
ତୁହି ମୋ ରକ୍ଷକ ତୋର ତହୁଁ ଆନ ନାହିଁ ।ତୋର ବନ ଗମନେ ଅଜ୍ଞାନ ମୋର ଦେହୀ ॥
ତୋର ବିନୁ ମରଣ ନିକଟେ ମୋର ମିଳେ ।କାଳସର୍ପ ପ୍ରାୟେ ମୋତେ ନିତ୍ୟେ ନିତ୍ୟେ ଜାଳେ ॥
ତୋହର ଉଦ୍ଦେଶ୍ୟେ ମୁଁ ଅନେକ ଗ୍ରାମ ପୁରେ ।ଖୋଜି ନ ପାଇଲି ବଳା ଅନେକ ପ୍ରକାରେ ॥
ବନ ଗିରି ପାଟଣା ଅନେକ ପୁରେ ଖୋଜି ।ପ୍ରାଣରକ୍ଷା କରଇ ଉଦକ ପତ୍ର ଭୁଞ୍ଜି ॥
ଯେଉଁଦିନୁ ମୋର ପୁରୁ ହୋଇଲୁ ବାହାର ।ନିତ୍ୟ ଶବଦ ଉଛୁଳେ କଣ୍ଠେ ହାହାକାର ॥
ଯେତେଦିନ ତୋହର ବିହୁନେ ଥିଲି ମୁହିଁ ।ସପତ୍ନୀର ବାଣୀ ମୁହିଁ ସହି ନ ପାରଇ ॥
ଦାବାଗ୍ନି ବନକୁ ଯେହ୍ନେ ଦହେ ଗ୍ରୀଷ୍ମକାଳେ ।ସପତ୍ନୀ ବଚନାନଳ ଦହେ ଅତି ବଳେ ॥
ନିଦ୍ରା ଉଜାଗର ମୁହିଁ ନ ଜାଣଇ କିଛି ।ଶୟନ ଭୋଜନମାନ ନ କରଇ କିଛି ॥
ତପର ଯୋଗିନୀ ଯୋଗ ପ୍ରାୟେ କରି ଧ୍ୟାନ ।ସ୍ୱପ୍ନରେ ହିଁ ନ ଦେଖଇ ତୋହର ବଦନ ॥
ତୋହର ବଦନ ମୁହିଁ ପ୍ରତିକ୍ଷଣେ ଦେଖି ।ତୋର ମୁଖ ଧ୍ୟାନେ ମୋର ସ୍ରବେ ବେନି ଆଖି ॥
ଅନେକ ପ୍ରକାରେ ମାତୃ ବଚନହିଁ ଶୁଣି ।ସମାଧି ସଂଯୋଗେ ଧ୍ରୁବ ମନେ ମନେ ଗୁଣି ॥
ବିଚାରଇ ଜନନୀ ଏ ନୁହଇ ମୋହର ।ସର୍ବଥା ଜାଣଇ ଏ ଆସୁରୀ ମାୟା ଘୋର ॥
ଏମନ୍ତ ବିଚାରି ମନେ ନିଶ୍ଚଳେ ରହିଲା ।ରଖ ହେ ଗୋବିନ୍ଦ ବୋଲି ଶରଣ ପଶିଲା ॥
ଏମନ୍ତ ଅସୁରୀ ମାୟା ଇନ୍ଦ୍ରର ବଚନେ ।ଯେତେ ମାୟା ପ୍ରକାଶିଲେ ଧ୍ରୁବ ସନ୍ନିଧାନେ ॥
ଧ୍ରୁବ ତପଭଙ୍ଗେ କେହି ସମର୍ଥ ନୋହିଲେ ।ବିଷ୍ଣୁଚକ୍ର ତେଜ ଧ୍ରୁବ ନିକଟେ ଦେଖିଲେ ॥
ସକଳେ ଭାଜିଲେ ତେଜ ଦେଖି ଧ୍ରୁବ ଦେହେ ।ନିଶି ଅନ୍ଧକାର ଯେହ୍ନେ ତପନ ଉଦୟେ ॥
ସର୍ବଭୂତ ବଳ ଧ୍ରୁବ ଚରଣେ ନମିଲେ ।ବ୍ୟର୍ଥ ମନୋରଥେ ନିଜମନ୍ଦିରେ ମିଳିଲେ ॥
ଇନ୍ଦ୍ରଆଦି ଦିଗପାଳେ ଭୂତବଳ ଭଗ୍ନେ ।ପୁଣି ବିଚାରନ୍ତି ବସି ବିଘ୍ନ ଅନୁମାନେ ॥
ବିଚରି ନ ପାରି ଦୁଃଖ ମନେ ଦେବଗଣେ ।ଶରଣ ପଶିଲେ ଯାଇ ବ୍ରହ୍ମାଙ୍କ ଚରଣେ ॥
ପିତାମହ ଚରଣେ ମନିଲେ ଦେବଗଣ ।ଦେଖି ବ୍ରହ୍ମା ପଚାରିଲେ ଆଗମ କାରଣ ॥
ଧାତାର ବଚନ ଶୁଣି ଶିରେ କର ଯୋଡି ।ଦେବଗଣେ କହନ୍ତେ ଚରଣ ତଳେ ପଡି ॥
ଉତ୍ତାନପାଦର ପୁତ୍ର ଧ୍ରୁବ ତପତେଜେ ।ଧରଣୀ କମ୍ପିଲା ଗିରି ସମୁଦ୍ର ସମେତେ ॥
ଆମ୍ଭେ ରହି ନ ପାରୁଲୁ ଗଗନ ମଣ୍ଡଳେ ।ତାର ତପେ କମ୍ପିଲେ ସକଳ ଦିଗପାଳେ ॥
ତ୍ରୈଲୋକ୍ୟେ ସକଳେ କେହି ନ ପାରିଲୁ ରହି ।ନ ଜାଣୁ କାହାର ପଦ ମନେ ସେ ବାଞ୍ଛଇ ॥
ଏମନ୍ତ ବଚନ ସେ ଦେବଙ୍କ ମୁଖୁ ଶୁଣି ।ଊର୍ଦ୍ଧମୁଖେ କ୍ଷଣକେ କହିଲେ କୁଶପାଣି ॥
ଧ୍ରୁବ ତପ ଦେଖି କିମ୍ପାଭାଳ ଦେବଗଣ ।ହରଷେ କହନ୍ତି ଧ୍ରୁବ ତପର କାରଣ ॥
ବ୍ରହ୍ମୋବାଚକହନ୍ତି ଚତୁରାନନ ଶୁଣ ଦେବଗଣେ ।ଯେ ନିମନ୍ତେ ଧ୍ରୁବ ତପ କରେ ଘୋରବନେ ॥
ଘୋର ତପ ବଳେ ତାକୁ ବିଷ୍ଣୁ ବର ଦେବେ ।ତ୍ରୈଲୋକ୍ୟ ଉପରେ ଧ୍ରୁବପୁରେ ବସାଇବେ ॥
ତୁମ୍ଭ ଅଧିକାର ପ୍ରୟୋଜନ ନାହିଁ ତାର ।ନିଶ୍ଚିନ୍ତେ ଗମନ କର ଦେବେ ନିଜ ପୁର ॥
ବିଷ୍ଣୁ ଭକ୍ତି ପ୍ରାଣୀ ବିଷ୍ଣୁ ପ୍ରାୟେ ଦେଖେ ସର୍ବ ।କେବେହେଁ ତପର ବଳେ ନ କରେ ସେ ଗର୍ବ ॥
କେବେହେ ପରକୁ ପୀଡ଼ା ନ କରଇ ଚିତ୍ତେ ।ନିରନ୍ତରେ ରହେ ସର୍ବ ଜନଙ୍କର ହିତେ ॥
ବିଷ୍ଣୁଙ୍କ ଆଦେଶେ ଧ୍ରୁବ ଆସନେ ବସିବ ।ତୁମ୍ଭ ଦିଗପାଳ ପଦ ନିଶ୍ଚଳେ ସ୍ଥାପିବ ॥
ଏମନ୍ତେ ବ୍ରହ୍ମାର ବାକ୍ୟ ଶୁଣି ସାବଧାନେ ।ନିଜ ପୁରେ ଦେବତାଏ ଗଲେ ତୋଷ ମନେ ॥
ଶୁକ କହେ ଶୁଣ ପରୀକ୍ଷିତ ନୃପମଣି ।ଧ୍ରୁବ ତପେ ତାରେ ଦୟା କଲେ ଚକ୍ରପାଣି ॥
ଗରୁଡ଼ ଆସନେ ବସି ଚତୁର୍ଭୁଜ ରୂପେ ।କାତିନ୍ଦୀ ତଟେ ମିଳିଲେ ଧ୍ରୁବର ସମୀପେ ॥
ଅମୃତ ବରଷେ କିବା ମଧୁବନ ବନେ ।ଧ୍ରୁବକୁ ଅନାଇ ହରି ପ୍ରସନ୍ନ ବଦନେ ॥
ତପ ତେଜ ଶାନ୍ତିକର ଅମୃତ ବଚନେ ।ତପ ଶାନ୍ତି କଲା ଧ୍ରୁବ ବିଷ୍ଣୁ ଦରଶନେ ॥
ଶ୍ରୀଭଗବାନୁବାଚବର ମାଗ ପ୍ରସନ୍ନ ହୋଇଲି ମୁହିଁ ତୋତେ ।ତପୀଗଣେ ଶ୍ରେଷ୍ଠ ତୁ ହୋଇଲୁ ସର୍ବମତେ ॥
ବାଳକ ବୟସ ତୋର ଅତି ସୁକୁମାର ।କାହିଁ ଘୋର ତପବନେ ସାଧନେ କଠୋର ॥
ଏମନ୍ତ ବଚନ ବିଷ୍ଣୁ ତହୁଁ ଶୁଣି ଧ୍ରୁବ ।କଠୋର ସମାଧି ଛାଡି ବହେ ମୃଦୁଭାବ ॥
ଅମୃତ ସମାନେ ବିଷ୍ଣୁ ବଚନ ଶୁଣିଲା ।ଉନ୍ମୀଳ ଲୋଚନେ ଉର୍ଦ୍ଧ୍ୱ ମୁଖେ ଅନାଇଲା ॥
ଇନ୍ଦ୍ର ନୀଳମଣି ପ୍ରାୟ ଗଗନେ ପ୍ରକାଶେ ।ନୀଳୋତ୍ପଳ ସମୁହ କି ଦିଶେ ଦଶଦିଶେ ॥
ଗଗନ ମଣ୍ଡଳ ସରୋବର ପ୍ରାୟ ହୋଇ ।ଲକ୍ଷ୍ମୀଦେବୀ କଟାକ୍ଷେ କି ଜଗତ ମୋହଇ ॥
ପୁତ୍ର ଦୁଃଖ ଦେଖି ଯେହ୍ନେ ପିତା ଦୟାକରେ ।ଧ୍ରୁବକୁ ଧଇଲେ କୋଳେ ତୋଳି ବେନି କରେ ॥
ଧୂଳିରେ ଧୂସର ତନୁ ଝାଡ଼ି ସ୍ନେହଭରେ ।ବାମଭୁଜେ ଆଲିଙ୍ଗନ ପୁଲକ ଶରୀରେ ॥
କୃଷ୍ଣ କର ଲାଗି ଧ୍ରୁବ ତପଦୁଃଖ ଗଲା ।କୋଟିଏ ବ୍ରହ୍ମାର ବୁଦ୍ଧି ହୃଦେ ପ୍ରକାଶିଲା ॥
ସେ ହରି ଚରଣ ଯୁଗ ହୃଦେ କରି ଧ୍ୟାନ ।ବିପ୍ର ଜଗନ୍ନାଥ କହେ ଶୁଣ ହେ ସୁଜନ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ବିଷ୍ଣୁ ପ୍ରସନ୍ନେନାମ ନବମୋଽଧ୍ୟାୟଃ ।
ଦଶମ ଅଧ୍ୟାୟ
ବିଷ୍ଣୁର ଚରଣେ ଧ୍ରୁବ କରି ଧୀରମତି ।ଶ୍ରୀକୃଷ୍ଣ ଚରଣେ ମୁହିଁ ଆରମ୍ଭିଲି ସ୍ତୁତି ॥
ହିରଣ୍ମୟ ବ୍ରହ୍ମା ଯା ଶରୀରୁ ଜାତ ହୋଇ ।ସର୍ବ ସୃଷ୍ଟି ବିଧାନ କରଇ ଆଜ୍ଞା ବହି ॥
ଏଣୁ ସେ ହିରଣ୍ୟରେତ ସୁହିରଣ୍ୟ ଦାତା ।ନମସ୍ତେ ହିରଣ୍ୟରୂପ ସୃଷ୍ଟି ପିତାମାତା ॥
ହିରଣ୍ୟକ ରୂପ ତୋର ସୃଷ୍ଟି ସଂହାରଣେ ।ମହାପ୍ରଭୁଙ୍କର ଆତ୍ମା ବହୁ ତୁ କାରଣେ ॥
ଏଣୁ ଭୂତଙ୍କର ଗତି ପତି ରୂପ ହୋଇ ।କ୍ଷିତିକୃତେ ବିଷ୍ଣୁ ଗର୍ଭେ ବିଷ୍ଣୁ ରୂପ ତୁହି ॥
ସୃଷ୍ଟି ସଂହାରଣେ କୃଷ୍ଣରୂପ ଯେ ତୋହର ।ମହାଭାରା ସହି ବିଷ୍ଣୁ କୂର୍ମରୂପ ଧର ॥
ଅସୁର ଅରଣ୍ୟେ ମହାଦାବାଗ୍ନି ସ୍ୱରୂପ ।ଦୈତ୍ୟ ତମଚ୍ଛେଦନ କୁଠାର ବହୁ ଦର୍ପ ॥
ଶାରଙ୍ଗ ଧନୁ ଧରିଣ ରିପୁବଳ ନାଶି ।କୌମୋଦକୀ ଗଦା ତେଜେ ଦୈତ୍ୟବଳ ଧ୍ୱଂସି ॥
ମହାଦୈତ୍ୟ ନାଶନେ ସେ ନନ୍ଦକ ଧାରଣ ।ନମୋ ଲକ୍ଷ୍ମୀପତେ ଦୈତ୍ୟଙ୍କର ନିସୂଦନ ॥
ବାସୁଦେବ ନମସ୍ତୁଭ୍ୟଂ ଦେବକୀ ନନ୍ଦନ ।ପ୍ରଦ୍ୟୁମ୍ନାଦି ଅନିରୁଦ୍ଧ ଅବ୍ୟକ୍ତ କାରଣ ॥
କଂସ କେଶୀ ଚାଣୁର ପୂତନା ଦର୍ପହାରୀ ।ନିଗୁଡ଼ ବନ୍ଧନୁ ପିତାମାତାଙ୍କୁ ଉଦ୍ଧାରି ॥
ଦାମୋଦର ହୃଷୀକେଶ ଗୋବିନ୍ଦ ଅଚ୍ୟୁତ ।ହେ ମାଧବ ଅନନ୍ତ ଦୈତ୍ୟଙ୍କ ପ୍ରାଣହତ ॥
ନାରାୟଣ ନରକ ନାଶନ ପାପହାରୀ ।ବାମନାୟ ନମୋସ୍ତୁଭ୍ୟଂ ନମୋ ନରହରି ॥
ଅନନ୍ତାୟ ଅନନ୍ତଶୟନ ବନମାଳୀ ।ରୁକ୍ମିଣୀବଲ୍ଲଭ ରୁକ୍ମ ଗର୍ବ ଦେଇ ଦଳି ॥
ଶିଶୁପାଳ ପ୍ରାଣହତ ଅସୁର ଦଳନ ।ଦାନବାନ୍ତକ ଶ୍ରୀକୃଷ୍ଣ ଜୟ ନାରାୟଣ ॥
ମୁକୁନ୍ଦ ପରମାନନ୍ଦ ଜୟ ନନ୍ଦବାଳ ।ନମସ୍ତେ ପୁଣ୍ଡରୀକାକ୍ଷ ଦନୁଜେନ୍ଦ୍ର କାଳ ॥
ନମସ୍ତେ ଗୋପାଳ ରୂପ ବେଣୁ ବାଦ୍ୟକାରୀ ।ରାମ ରଘୁନାଥ ଯେ ରାବଣ ପ୍ରାଣହାରୀ ॥
ବଳେ ବଳଭଦ୍ର ନାମ ବଳାରାତି ପ୍ରିୟ ।ବଳିଯଜ୍ଞ ଭଞ୍ଜନ ଯେ ଭକ୍ତଜନୋଦୟ ॥
ରଣପ୍ରିୟ ହିରଣ୍ୟକଶିପୁ ବିଦାରଣ ।ନମୋ ବ୍ରହ୍ମଣ୍ୟ ଦେବାୟ ରକ୍ଷ ଗୋ ବ୍ରାହ୍ମଣ ॥
ସତ୍ୟଯୁଗେ ବ୍ରହ୍ମରୂପ ଧରୁ ଅନ୍ତରୀକ୍ଷେ ।ସକଳ ଜଗତଜୀବ ପାଳୁ ତୁ ପ୍ରତ୍ୟକ୍ଷେ ॥
ସହସ୍ର ଶିରରେ ନମୋ ସହସ୍ର ବଦନ ।ସହସ୍ର ବାହୁ ନାସିକା ସହସ୍ର ଶ୍ରବଣ ॥
ବିଷ୍ଣୁର ଶ୍ରବଣ ନମୋ ଗରୁଡ଼ ବାହନ ।ବିଶ୍ୱକ୍ସେନ ନମୋ ଜଗନ୍ନାଥ ଜନାର୍ଦ୍ଦନ ॥
ତ୍ରିବିକ୍ରମ ସତ୍ୟ ନମୋନମଃ ସତ୍ୟପ୍ରିୟ ।ଅନେକ ପ୍ରକାରେ ଧ୍ରୁବ କରେ ସ୍ତୁତିଚୟ ॥
ବହୁ ସ୍ତୁତିକରି ଧ୍ରୁବ ମଉନ ରହିଲା ।ନିଶ୍ଚଳେ ଗୋବିନ୍ଦ ପାଦେ ଚିତ୍ତ ସମର୍ପିଲା ॥
ଏମନ୍ତ ତା ଭକ୍ତିଭାବ ଗୋବିନ୍ଦ ଜାଣିଲେ ।ଗରୁଡ଼ୁ ଉତ୍ତୁରି ଧ୍ରୁବ ସମୀପେ ମିଳିଲେ ॥
ଧ୍ରୁବକୁ ଲଗାଇ ହୃଦେ କମଳାରମଣ ।ଜଳଦ ଗମ୍ଭୀର ବାକ୍ୟେ ପ୍ରଭୁ ନାରାୟଣ ॥
ଶ୍ରୀଭଗବାନୁବାଚଶୁଣ ହେ ବାଳକ ମୁଁ ଜାଣଇ ତୁମ୍ଭ ମନ ।ଘୋର ତପ କଲ ତୁମ୍ଭ ଜନନୀ ବୋଲେଣ ॥
ତୋହର ମନବାଞ୍ଚା ତ ଜାଣଇ ମୁଁ ଭଲେ ।ଧ୍ରୁବଲୋକେ ବସାଇବି ଜନନୀର ତୁଲେ ॥
ଧ୍ରୁବଲୋକେ ଅଧିକାର ତୋହର ହୋଇଲା ।କୋଟି କଳ୍ପାନ୍ତରେ ଯାହା କେହି ନ ପାଇଲା ॥
ତୋର ପିତୃ ପିତାମହ ଅଗୋଚର ସ୍ଥାନ ।ସେ ପଦକୁ ଭୁଞ୍ଜି ନିତ୍ୟେ ବସତୁ ଆସନ ॥
ସ୍ୱର୍ଗଲୋକ ଉର୍ଦ୍ଧ୍ୱ ଗତେ ମର୍ତ୍ତ୍ୟଲୋକ ତଳେ ।ତ୍ରୈଲୋକ୍ୟ ପ୍ରଳୟ କାଳେ ନ ଜଳେ ଅନଳେ ॥
ଶିଶୁମ୍ନାର ଚକ୍ରେ ବସ ଧ୍ରୁବ ଅଧିକାରେ ।ଯେ ଚକ୍ର ଭ୍ରମରେ ଭ୍ରମେ ଶଶୀ ଦିବାକରେ ॥
ଗ୍ରହ ରକ୍ଷ ଋଷି ଯୋଗୀ ପବନ ସହିତେ ।ଧ୍ୟାନ ନିବନ୍ଧନେ ଛନ୍ତି ସମୀରଣ ଯନ୍ତ୍ରେ ॥
ସେହି ସ୍ଥାନେ ବସ ଗ୍ରହ ଚକ୍ରେ ତୁ ପ୍ରତ୍ୟକ୍ଷେ ।ଉଚ୍ଚେ ରହି ମନୋରଥ ପୂର୍ଣ୍ଣ କଳ୍ପ ସଂଖ୍ୟେ ॥
ପୂର୍ବେ ମହାଦେବ ବରେ ସେ ସ୍ଥାନ ମୋହର ।ମୁହିଁ ଦେଲି ଧ୍ରୁବ ତୁ ନିଶ୍ଚୟ ଭୋଗ କର ॥
ମନୁ ଯାହା ନ ପାଇଲା କେ ଅନ୍ୟ ମାନବେ ।ଜନନୀ ସହିତେ ଚଳ ସୁଖ ଭୁଞ୍ଜ ଏବେ ॥
ପୂର୍ବେ ତୁହି ବ୍ରହ୍ମପୁତ୍ର ରାଜପୁତ୍ର ସଙ୍ଗେ ।ମାତୃ ବୋଲ ଶୁଣି ଚିତ୍ତ କଳ୍ପି ଅଛୁ ଭୋଗେ ॥
ଏ ପୁଣ୍ୟ ସ୍ୱଭାବେ ରାଜକୁଳେ ହୋଇ ଜନ୍ମ ।ଏବେ ତପ ବଳେ ଭୁଞ୍ଜ ସମ୍ପାଦିଲା କର୍ମ ॥
ଶୁଣ ଅବହତି ଚିତ୍ତେ ମୁଁ କହିଲି ତୋତେ ।ତପସ୍ଥାନେ ରହି ସ୍ତୁତି କଲୁ ଯେତେ ମୋତେ ॥
ସର୍ବ ସ୍ତୋତ୍ରମାନଙ୍କର ରାଜା ଏ ପ୍ରତ୍ୟକ୍ଷେ ।ଯେ ନର ଏ ସ୍ତୁତି କରେ ମୋହର ସମ୍ମୁଖେ ॥
ତ୍ରିସନ୍ଧ୍ୟା ପଢ଼ନ୍ତି ଯେବା ଏହା ଇଷ୍ଟ କରି ।ତ୍ରିବିଧ ପାତକ ମୁଖୁଁ ବେଗେ ଯାନ୍ତି ତରି ॥
ତାହାର ଭୁବନୁ ଲକ୍ଷ୍ମୀ କେବେହେଁ ନ ତେଜେ ।ଜନନୀ ବନ୍ଧୁ ବିଯୋଗ କେବେହେଁ ନ ଭଜେ ॥
ଏ ତୋହର ସ୍ତୁତି ପୁଣ୍ୟ ପାପବିନାଶିନୀ ।ବ୍ରହ୍ମହତ୍ୟା ଦୋଷ ହରେ ମୋର ଆଜ୍ଞା ଘେନି ॥
ଶ୍ରଦ୍ଧାଯୁକ୍ତେ ମୋର ଭାବେ ନିତ୍ୟ ଯେବା ପଢ଼େ ।ସୁଖେ ମୋହ ଜଳୁ ତରେ କେବେହେଁ ନ ବୁଡ଼େ ॥
ଏମନ୍ତ ପ୍ରସନ୍ନେ କହି ପ୍ରଭୁ ଚକ୍ରଧର ।ସନ୍ତୋଷେ ଧ୍ରୁବକୁ ଚାହିଁ ଧରି ବେନିକର ॥
କହନ୍ତି ମନୁର ବଂଶେ ଜନ୍ମ ତୋ ଶରୀର ।ନର ନାରାୟଣ ଦେବତାଙ୍କୁ ଅଗୋଚର ॥
ଏ ଶରୀର ଭୋଗେ ତୁ ଆତ୍ମାକୁ କରି ଭୋଗ ।ଆଧି ବ୍ୟାଧି ବର୍ଜିତ ଜୀବ ତୁ ସତ୍ୟଯୁଗ ॥
ଶରୀର ଅନ୍ତରେ ଧ୍ରୁବଲୋକେ ବସ ତୁହି ।କଳ୍ପସଂଖ୍ୟା ପ୍ରମାଣେ ଜନନୀ ସଙ୍ଗେ ନେଇ ॥
ଏମନ୍ତ ଧ୍ରୁବକୁ ବର ଦେଇ ଜନାର୍ଦ୍ଦନ ।ଗରୁଡ଼ ବାହନେ ସେ ହୋଇଲେ ଅନ୍ତର୍ଦ୍ଧାନ ॥
ବିଷ୍ଣୁବର ପାଇ ସେ ଉତ୍ତାନପାଦ ବଳା ।ଦିବ୍ୟରୂପ ନିଜେ ଧରି ସଦନେ ଗମିଲା ॥
ଜନନୀ ଚରଣେ ସେବା କଲା ଅନୁକ୍ଷଣେ ।ଅନୁଭବ ଦୁଃଖ ଗଲା ଯେତେ ଥିଲା ମନେ ॥
ପିତାର ବଲ୍ଲଭ ଦିନେ ଦିନେ ସେ ବଢ଼ଇ ।ଧ୍ରୁବର ମହିମା ଅବା କେ ପାରିବ କହି ॥
ଏମନ୍ତ ବିଦୁର ଆଗେ ମଇତ୍ରେୟ ମୁନି ।କହିଲେ ଧ୍ରୁବର କଥା ହରିଭାବ ଘେନି ॥
ବିଷ୍ଣୁପଦୀ ତୀରେ ରହି ପରୀକ୍ଷିତ ଆଗେ ।ଭାବଭକ୍ତି ଯୋଗେ ସେ କହିଲେ ଅନୁରାଗେ ॥
ସାନନ୍ଦ ମନେ କହିଲେ ବ୍ୟାସଙ୍କର ଶିଷ୍ୟ ।ସେ ଚରିତ କଥା ଯେ ପବିତ୍ର ପୁଣ୍ୟ ରସ ॥
ସାଧୁଜନ ହିତେ ମୁହିଁ କଲଇଁ ପ୍ରକାଶ ।ଭାଗବତେ କହେ ବିପ୍ର ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ତପସ୍ୟାଚରଣେଭଗବାନ ପ୍ରସନ୍ନେ ନାମ ଦଶମୋଽଧ୍ୟାୟଃ ।