ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୪ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ଅଧ୍ୟାୟ
ମୈତ୍ରେୟ ଉବାଚଏମନ୍ତେ ବ୍ରହ୍ମା ବୋଲ ଶୁଣି ।ହସି କହନ୍ତି ଶୂଳପାଣି ॥
ହେ ବ୍ରହ୍ମା ମୋର ବୋଲ ଶୁଣ ।ବାଳକ କି ବର୍ଣ୍ଣିବା ଗୁଣ ॥
ବାଳକ ମତେ ଏହା ସହି ।ଆନ ସହିବ ଏହା କାହିଁ ॥
ଦେଖ ଏ କର୍ମ କଲା ଯେତେ ।କେ ସହିପାରେ ଏ ଜଗତେ ॥
ଏଣୁ ଏ ତୋହର ସନ୍ତତି ।ବୋଲାଇ ଦକ୍ଷ ପ୍ରଜାପତି ॥
ଯେ ଦେବ ମାୟାରେ ମୋହିତ ।ତାହାକୁ ଏ ଦଣ୍ଡ ଉଚିତ ॥
ଏବେ ସକଳ ଦେବେ ଯାଅ ।ମୋହର ଆଜ୍ଞା ଶିରେ ବହ ॥
ଦକ୍ଷର ମୁଣ୍ଡ ଅଗ୍ନି କୁଣ୍ଡେ ।ଭସ୍ମ ହୋଇଲା ଅତିଚାଣ୍ଡେ ॥
ଛାଗଳ ଶିର ତାର କନ୍ଧେ ।ବସାଇ ମନ୍ତ୍ର ଅନୁବନ୍ଧେ ॥
ଭୃଗୁର ଏକଚକ୍ଷୁ ରହୁ ।ମୋର ମହିମା ଶିରେ ବହୁ ॥
ଯଜ୍ଞର ଭାଗ ସେ ଭୁଞ୍ଜିବ ।ନିରତେ ସେବୁ ସଦାଶିବ ॥
ପୂଜିବ ତାର ଯଜ୍ଞମାନ ।ଏକ ପାଟିରେ ତା ଦଶନ ॥
ଦେବେ ପାଇବେ ନିଜ ରୂପ ।ଯାହାର ପୂର୍ବେ ଯେ ସ୍ୱରୂପ ॥
ଅଶ୍ୱିନୀକୁମାରଙ୍କ ବାହୁ ।ହସ୍ତେ ସର୍ବଦା କାଳେ ଥାଉ ॥
ପୁଣି ସହସ୍ର ବାହୁ ବଳେ ।ସର୍ବଦା ଖଟୁ କର୍ମବଳେ ॥
ଭୃଗୁରପାଟି ଏକ ଖଣ୍ଡେ ।ସର୍ବଦା ରହୁ ତାର ତୁଣ୍ଡେ ॥
ଏମନ୍ତେ ରୁଦ୍ର ବାକ୍ୟ ଶୁଣି ।ସକଳେ ସାଧୁ ସାଧୁ ଭଣି ॥
ଇନ୍ଦ୍ର ସହିତେ ଦେବଗଣ ।ବ୍ରହ୍ମା ବିରଞ୍ଚି ନାରାୟଣ ॥
ଦକ୍ଷର ଯଜ୍ଞଶାଳେ ମିଳି ।ବସିଲେ ବ୍ରହ୍ମା ବନମାଳୀ ॥
ରୁଦ୍ରଙ୍କୁ ବସାଇ ଆସନେ ।ତକ୍ଷଣେ ଶିବର ବଚନେ ॥
ଦକ୍ଷର ଶିରେ ଛାଗ ଶିର ।ମନ୍ତ୍ରେ ବସାଇଲେ ଶଙ୍କର ॥
ତକ୍ଷଣେ ପ୍ରଜାପତି ଅଙ୍ଗେ ।ଜୀବ ପଶିଲା ପ୍ରାଣ ସଙ୍ଗେ ॥
ଆନନ୍ଦେ ରୁଦ୍ର ପାଦେ ପଡ଼ି ।ତକ୍ଷଣେ ବେନିକର ଯୋଡ଼ି ॥
ଯେସନେ ସ୍ୱପ୍ନ ପ୍ରାଣୀମାନେ ।ଉଠନ୍ତି ନିଦ୍ରା ଅବସାନେ ॥
ଚକ୍ଷୁ ଘଷଇ ବେନି ହସ୍ତେ ।ଶିବଙ୍କୁ ଦେଖିଲା ଅଗ୍ରତେ ॥
ରୁଦ୍ର ଚାହାଁନ୍ତେ ତା ଶରୀର ।ତକ୍ଷଣେ ହୋଇଲା ସୁନ୍ଦର ॥
ଶରଦ ଚନ୍ଦ୍ର ପ୍ରାୟେ ଦିଶେ ।ରୁଦ୍ରଙ୍କୁ ଚାହିଁ ମନ ତୋଷେ ॥
ସ୍ତୁତି କରଣେ ଶକ୍ୟ ନୁହେଁ ।କଣ୍ଠ କୁଣ୍ଠିତ ବାଣୀ କହେ ॥
ଚଞ୍ଚଳ ମନ ସ୍ଥିର କରି ।ସତୀ ମରଣ କଥା ସ୍ମରି ॥
ନିର୍ମଳ ଚିତ୍ତେ ପ୍ରଜାପତି ।ରୁଦ୍ରଙ୍କୁ ଚାହିଁ କରେ ସ୍ତୁତି ॥
ଦକ୍ଷଉବାଚଭୋ ନାଥ ଶୁଣ ବିଶ୍ୱଦେହ ॥
ତୁ ମୋତେ କଲୁ ଅନୁଗ୍ରହ ॥
ମୁଁ ଯେ ହୋଇଲି ଜ୍ଞାନହତ ।ମୋତେ ତ ତୋ ଦଣ୍ଡ ଉଚିତ ॥
ତୋତେ ନିନ୍ଦିଲି ଗର୍ବ ବହି ।ମୋର କୁଶଳ ଆଉ ନାହିଁ ॥
ଅଭୟ ତୋର ପାଦପଦ୍ମ ।ମୁଁ ତହିଁ କଲି ଅପରାଧ ॥
ବ୍ରାହ୍ମଣ ତୋର ମୁଖୁ ଜାତ ।ସାଧନ୍ତି ବିଦ୍ୟା ତପୋବନ୍ତ ॥
ତାଙ୍କ ବିପତ୍ତି ତୁମ୍ଭେ ରଖ ।ଯେସନେ ପଶୁଙ୍କ ପାଳକ ॥
ମୋହର ସଭାମଧ୍ୟେ ତୋତେ ।ନିନ୍ଦା ଯେ କଲି ମୂଢ଼ ଚିତ୍ତେ ॥
ପ୍ରହାର କଲି ଦୁଷ୍ଟ ଚିତ୍ତେ ।ନିନ୍ଦିତ ବାକ୍ୟଗଣ ତୋତେ ॥
ସେ ଫଳ ପାଇଲି ପ୍ରତ୍ୟକ୍ଷେ ।ଏ ଋଷିଗଣଙ୍କ ସମକ୍ଷେ ॥
ମୈତ୍ରେୟ ଉବାଚଏମନ୍ତେ ରୁଦ୍ରେ ସ୍ତୁତି କରି ।ପୁଣି ଋତ୍ୱିଜ ଯଜ୍ଞେ ବରି ॥
ବିଷ୍ଣୁ ସନ୍ତୋଷ ବିପ୍ରଗଣେ ।ଦ୍ୱାବିଂଶ କଳ୍ପିତ ବରଣେ ॥
ପୂଜିଲେ ମନ୍ତ୍ରର ବିଶ୍ୱାସେ ।ଯେ ପୁରାତନ ଇତିହାସେ ॥
ସ୍ୱଭାବେ ଗରୁଡ଼ ଆସନେ ।ସକଳେ ବସି ଶୁଦ୍ଧମନେ ॥
ଅଗ୍ନି ପୂଜିତ ତପୋଧନେ ।ଅନଳ ରୂପେ ଜନାର୍ଦ୍ଦନେ ॥
ସାକ୍ଷାତେ ହୋଇଲେ ପ୍ରସନ୍ନ ।ପ୍ରସନ୍ନ ପାଇ ତପୋଧନ ॥
ତେଜେ ବିରାଜେ ଦଶଦିଶ ।ଅନଳ ହୋଇଲେ ପ୍ରକାଶ ॥
ଶ୍ୟାମ ହିରଣ୍ୟ ତନୁବର୍ଣ୍ଣ ।ନିଶ୍ଚଳ ଗରୁଡ଼ ଆସନ ॥
କିରୀଟି ରବି ତେଜ ଗଞ୍ଜେ ।ମର୍କତ କୁଣ୍ଡଳ ବିରାଜେ ॥
ଶଙ୍ଖ କମଳ ଚକ୍ର ଗଦାଶ୍ରୀଭୁଜେ ଶୋହେ ଯାର ସଦା ॥
ଏ ଅଷ୍ଟଭୁଜେ ଅନୁପମ ।ରୂପେ ଗଞ୍ଜଇ କୋଟି କାମ ॥
ବିଶ୍ୱ ମଙ୍ଗଳ ରୂପସାର ।ହୃଦେ ଲମ୍ବଇ ରତ୍ନହାର ॥
ଉପରେ ଶୋହେ ଶ୍ୱେତଛତ୍ର ।ଦିଶଇ କି ଶୁକ୍ଳ ଜୀମୁତ ॥
ଏମନ୍ତ ବିଷ୍ଣୁ ରୂପ ଚାହିଁ ।ସକଳେ ଶିରେ କର ଦେଇ ॥
ଉଠିଲେ ପଦ୍ମଯୋନି ହର ।ଉର୍ଦ୍ଧ୍ୱେ କରିଣ ନିଜ କର ॥
ପ୍ରଣାମ କରି ଜଣେ ଜଣେ ।ବନ୍ଦିଲେ ବିଷ୍ଣୁଙ୍କ ଚରଣେ ॥
ବିଷ୍ଣୁର ତେଜେ ଦଶଦିଶ ।ସକଳେ ଲଭିଲେ ସନ୍ତୋଷ ॥
କର ଅଞ୍ଜଳି ଶିରେ ଦେଇ ।ସ୍ତୁତି କରନ୍ତି ବିଷ୍ଣୁ ଚାହିଁ ॥
ଦକ୍ଷ ମିଲିଲା ଅର୍ଘ୍ୟ ଘେନି ।ଥିଲେ ଅଶେଷ ବ୍ରହ୍ମମୁନି ॥
ସୁନନ୍ଦ ଆଦି ପାରିଷଦେ ।ମିଳିଲେ ଜୟ ଜୟ ନାଦେ ॥
ଦକ୍ଷ ଯେ ଶିରେ କରଯୋଡି ।କହଇ ବିଷ୍ଣୁ ପାଦେ ପଡି ॥
ଦକ୍ଷ ଉବାଚତୁ ନାଥ ଶୁଦ୍ଧ ଚଇତନ ।ନିର୍ମଳ ନିତ୍ୟ ନିରଞ୍ଜନ ॥
ଚିହ୍ନିତ ଏ ବଡ଼ ନିର୍ଭୟେ ।ଏ ପୂର୍ଣ୍ଣ ତୋର ବିଶ୍ୱଦେହେ ॥
କେ ତୋତେ ଜାଣିବେ ସଂସାରେ ।ତୁ ଥାଉ ମାୟା ଅତି ଦୂରେ ॥
ଋଷିରୁବାଚଭୋ ନାଥ ରୁଦ୍ରଶାପେ ଆମ୍ଭେ ।ବୁଡିଲୁ ମାୟା ଅତି ଦମ୍ଭେ ॥
ନିରତେ କର୍ମ ବଶହୋଇ ।ତୋ ଭାବେ ଆତ୍ମଜ୍ଞାନ ନାହିଁ ॥
ଏ ଯଜ୍ଞ ଧର୍ମର ଲକ୍ଷଣ ।ଅଶେଷ ପରମ କାରଣ ॥
ଏ ତୋର ରୂପ ଭାବଗ୍ରାହୀ ।ଆମ୍ଭେ ଜାଣିବୁ ଅବା କାହିଁ ॥
ସଦସ୍ୟାଉଚୁଃତକ୍ଷଣେ ସବୁଲୋକେ ଉଠି ।ବିଷ୍ଣୁଙ୍କୁ ଦେଇ ତୁଲ୍ୟ ଦୃଷ୍ଟି ॥
ଭୋ ନାଥ ତୋର ମାୟାବଳେ ।ଏ ଜୀବ ଆତ୍ମା ଏ ଶୟଳେ ॥
ନିରତେ ଚିନ୍ତେ ଆତ୍ମାସୁଖ ।ଏଣୁ ଭଜନ୍ତି ସର୍ବଦୁଃଖ ॥
ରୁଦ୍ରଉବାଚତୋର ଚରଣେ ଭଗବାନ ।ଆଶିଷ ଫଳେ ମୁନିଜନ ॥
ଅଖିଳ କାମେ ଅନାସକ୍ତ ।ଆଦରେ ପୂଜନ୍ତି ନିରତ ॥
ସେ ପାଦପଦ୍ମ ଶିରେ ଧରି ।ତମେ ମୁଁ ଜଗତ ସଂହାରି ॥
ବର୍ତ୍ତଇ ତୋ ଚରଣ ଆଶେ ।ନିରତେ ଉମା ଘନି ପାଶେ ॥
ଭୃଗୁରୁବାଚଭୋ ନାଥ ତୋ ମାୟା ଗହନେ ।ବ୍ରହ୍ମାଦି ସର୍ବ ମୁନିଜନେ ॥
ନିନ୍ଦିତ ପ୍ରାୟ ତମ ଶାନ୍ତି ।ତୋର ମହିମା ନ ଜାଣନ୍ତି ॥
ତୁ ଏବେ ରଖ ଆମ୍ଭ ମନ ।ତୋର ଚରଣେ କରି ଲୀନ ॥
ବ୍ରହ୍ମା ଉବାଚଯେ ତୋତେ ନାନା ରୂପେ ଦେଖି ।ପଦାର୍ଥ ଗୁଣ ଭେଦ ରଖି ॥
ଜ୍ଞାନ ସଙ୍ଗତେ ଆତ୍ମାମତେ ।ଆଶ୍ରୟ କରି ଏ ଜଗତେ ॥
ମାୟାର ବଳେ ଜ୍ଞାନ ଥାଇ ।ତୋତେ ଜାଣିବ ଅବା କାହିଁ ॥
ଇନ୍ଦ୍ର ଉବାଚହେ ବିଶ୍ୱଭାବନ ମୁରାରି ।ତୁ ଯେ ଆନନ୍ଦ ବପୁଧାରୀ ॥
ସକଳ ପ୍ରାଣୀ ମନୋହର ।ଭୋ ନାଥ ତୋହର ଶରୀର ॥
ଏ ଯେ ତୋହର ଅଷ୍ଟକର ।ଏ ଦିଗପାଳଙ୍କ ଶରୀର ॥
ପତ୍ନ୍ୟୁବାଚଏ ଯଜ୍ଞ ପ୍ରଜା ତୋର ଅର୍ଥେ ।ଏ ପ୍ରଜାପତି ଏ ଜଗତେ ॥
କେବଳ ବିଧାତାର ବଳେ ।ତୁ ନାଥ ପଶି ଯଜ୍ଞଶାଳେ ॥
ଦକ୍ଷକୁ ଦେଲୁ କର୍ମଫଳ ॥
ତୁ ନାଥ ପରମ ମଙ୍ଗଳ ॥
ଏବେ ପବିତ୍ର ମୋ ଭୁବନ ।କଳ୍ପିଲା ତୋର ଦରଶନ ॥
ଋଷୟଃଉଚୁଃଭୋ ନାଥ ତୋର ବିଚେଷ୍ଟିତ ।ବିଶ୍ୱ ସଂସାରେ ବିପରୀତ ॥
ଈଶ୍ୱର ମାୟାର ବିଭୂତି ।ଯା ବଳେ ଦେବେ ଭ୍ରମିଯାନ୍ତି ॥
ସିଦ୍ଧାଉଚୁଃତୋ କଥା ସୁଧା ତରଙ୍ଗିଣୀ ।ସୁଶୀଳ ଜଳ ପ୍ରାୟେ ମଣି ॥
ମନ ବାରଣ ତୃଷାକାଳେ ।ପ୍ରବେଶ ହୋଇ ଶୀତଜଳେ ॥
ନ ପୁଣ ସ୍ମରେ ଦାବାନଳ ।ତୋର ପ୍ରସନ୍ନେ ଆଦିମୂଳ ॥
ଦକ୍ଷପତ୍ନ୍ୟୁବାଚଭୋ ନାଥ ତୋର ଆଗମନ ।ଆନନ୍ଦ କଲା ଆମ୍ଭ ମନ ॥
ତୁ ଲକ୍ଷ୍ମୀକାନ୍ତ ସୁଧାନିଧି ।ସକଳ ସମ୍ପଦ ପ୍ରସିଦ୍ଧି ॥
ତୋ ବିନୁ ଏ ଯେ ଯଜ୍ଞଘର ।ତୋ ନାମ ବିଶେଷ ସୁନ୍ଦର ॥
କି ଅବା ଦେବା ପଟାନ୍ତର ।କବନ୍ଧ ପ୍ରାୟ ଛିନ୍ନଶିର ॥
ଲୋକପାଳା ଉଚୁଃଆମ୍ଭର ଦୃଷ୍ଟଗ୍ରହ ଦୋଷେ ॥
ତୋତେ ଦେଖିବୁ କାହିଁ ଦୃଶ୍ୟେ ॥
ତୁ ସତ୍ତ୍ୱେ ପଞ୍ଚଭୂତେ ବସୁ ।ତୁ ମାୟା ସ୍ୱରୂପ ପ୍ରକାଶୁ ॥
ଯୋଗେଶ୍ୱରା ଉଚୁଃଭୋ ନାଥ ତୋର ଦରଶନେ ।ଆମ୍ଭେ ଯେ ଦୃଢ କଲୁ ମନେ ॥
ଅଷ୍ଟାଙ୍ଗମତେ ଯୋଗ ସାଧି ।ଲଭିବାପାଇଁ ଅଷ୍ଟନିଧି ॥
ସେ ପୁଣି ତୋର ମାୟା ବଳେ ।କେମନ୍ତେ ଧରିବୁ ନିଶ୍ଚଳେ ॥
ତୁ ନାଥ ଯେବେ କଲୁ ଦୟା ।ତେବେ ବଞ୍ଚିବୁ ତୋର ମାୟା ॥
ଜଗତ ସ୍ଥିତ ଦେହବନ୍ତ ।ତ୍ରିଗୁଣେ କଲୁ ଆତଯାତ ॥
ନିର୍ଲ୍ଲେପ ଗୁଣେ ସର୍ବବ୍ୟାପୀ ।ତୁ ନାଥ ନିରଞ୍ଜନ ରୂପୀ ॥
ବ୍ରହ୍ମୋବାଚସତ୍ତ୍ୱ ଗୁଣକୁ ଅବଲମ୍ୱୀ ।ଧର୍ମାଦି କରୁଛ ସମ୍ପାଦି ॥
ନିର୍ଗୁଣ ଅଟ ଯେ ଆପଣ ।ତୁମ୍ଭଙ୍କୁ କରୁଛି ପ୍ରମାଣ ॥
ଅଗ୍ନିରୁବାଚଯାହାର ତେଜବଳ ମୁହିଁ ।ଅନଳ ରୂପେ ଯଜ୍ଞେ ରହି ॥
ଘୃତ ଆହୁତି ପଞ୍ଚବିଧେ ।ମନ୍ତ୍ର ନିବେଦିତ ସମିଧେ ॥
ତୁ ଯଜ୍ଞରୂପୀ ଦାମୋଦର ।ନିରତେ ମୋର ନମସ୍କାର । ॥
ଦେବାଉଚୁଃତୁ ନାଥ ପୂର୍ବ ପାପହରି ।ପ୍ରଳୟେ ମୀନ ରୂପ ଧରି ॥
ସର୍ବ ସଂହାରି ବିଶ୍ୱରୂପେ ।ଶୟନ ନାଗମୟ କଳ୍ପେ ॥
ଆମ୍ଭେ ଯେ ତୋର ନିଜ ଭୃତ୍ୟ ।ଏ କଥା ଜଗତେ ବିଖ୍ୟାତ ॥
ଆମ୍ଭଙ୍କୁ ସଙ୍କଟ ପଡ଼ିଲେ ।ତୁ ନାଥ ରକ୍ଷାକରୁ ଭଲେ ॥
ଗନ୍ଧର୍ବାଉଚୁଃମରୀଚି ଆଦି ପ୍ରଜାପତି ।ବ୍ରହ୍ମା ଇନ୍ଦ୍ରାଦି ତୋର ସ୍ଥିତି ॥
ବ୍ରହ୍ମାଣ୍ଡ କ୍ରୀଡ଼ାଭାଣ୍ଡ ତୋର ।ହେ ପ୍ରଭୁ ତୋତେ ନମସ୍କାର ॥
ବିଦ୍ୟାଧରଉଚୁଃତୁମର ମାୟାବଳେ ପ୍ରାଣୀ ।ମମତା ଇତି ପରିମାଣି ॥
ଉତ୍ପଥଗାମି ଇନ୍ଦ୍ରିଗଣେ ।ଏ ନିତ୍ୟ ଭଜେ କରଷଣେ ॥
ତୋ କଥା ଅମୃତ ନ ସେବେ ।ଏଣୁ ପଡଇ ଭବାର୍ଣ୍ଣବେ ॥
ବ୍ରାହ୍ମଣାଉଚୁଃତୁ ନାଥ ଯଜ୍ଞ ଅଗ୍ନି ସୋମ ।ତୁ ନିତ୍ୟାଚାର ବିଧିକର୍ମ ॥
ସମିଧ ପାତ୍ର କୁ ଋତ୍ୱିଜ ।ଯଜ୍ଞାଦି ଯଜମାନ ଦ୍ୱିଜ ॥
ତୁ ସ୍ୱାହା ସ୍ୱଧା ଯଜ୍ଞ ପଶୁ ।ତୁ ଯଜ୍ଞ ପୁରୁଷ ପ୍ରକାଶୁ ॥
ଦନ୍ତେ ଉଦ୍ଧାରୁ ଏ ଧରଣୀ ।ସଂଗ୍ରାମେ ହିରଣ୍ୟାକ୍ଷ ଜିଣି ॥
ଧରଣୀ ସ୍ଥାପି ମହାଜଳେ ।ଯେଣୁ ଏ ରହିଲା ନିଶ୍ଚଳେ ॥
ଏହା ଉପରେ ଲୋକ ସ୍ୱର୍ଗ ॥
ଏଣୁ ତୋ ରୂପ ଉପବର୍ଗ ॥
ସକଳ କର୍ମ ସାକ୍ଷୀ ତୁହି ।ଭୋ ନାଥ ରଖ ଭାବଗ୍ରାହୀ ॥
ଯାହାର ନାମ ଉଚ୍ଚାରଣ ।କରଇ ବିଘ୍ନ କରଷଣ ॥
ମୈତ୍ରେୟ ଉବାଚଏମନ୍ତ ଦେବଗଣ ସ୍ତୁତି ।ଶୁଣି ସନ୍ତୋଷ ଯଜ୍ଞପତି ॥
ଦକ୍ଷକୁ ଚାହିଁ ଚକ୍ରପାଣି ।ମେଘ ଗମ୍ଭୀର ମଞ୍ଜୁବାଣୀ ॥
ଶ୍ରୀଭଗବାନୁବାଚମୁଁ ବ୍ରହ୍ମା ହରରୂପ ଧରି ।ଏ ବିଶ୍ୱ ସୃଷ୍ଟି ପାଳି ହରି ॥
ଏଣୁ ମୋହର ତିନିଗୁଣ ।ସଂସାର ପରମ କାରଣ ॥
ନିର୍ଲ୍ଲେପ ନିରଞ୍ଜନ ମୁହିଁ ।ସକଳ ଭୂତେ ମୁଁ ବସଇ ॥
ଯାହାକୁ ଯେବା ଶିକ୍ଷାଦେଇ ।ପ୍ରାଣୀ ଛାଡିବ ତାହା କାହିଁ ॥
ସକଳ କର୍ମ ମୋ ଗୋଚର ॥
ଅଜ୍ଞାନୀ ଜନେ ମୁହିଁ ଦୂର ॥
ଦେଖ ଏ ଦେହ ମଧ୍ୟଗତେ ।ଶିର ଚରଣ କର ଯେତେ ॥
ଏହାକୁ ଭିନ୍ନ ପ୍ରାୟ ମଣେ ।ଆତ୍ମାର ଗତି ନ ପ୍ରମାଣେ ॥
ଯାହାର ନିର୍ମଳ ବିବେକ ।ବାହ୍ୟ ଅନ୍ତରେ ଦେଖେ ଏକ ॥
ଦୂରେ ରହଇ ଆତ୍ମା ଭ୍ରାନ୍ତି ॥
ସେ ପ୍ରାଣୀ ଲଭେ ଆତ୍ମା ଶାନ୍ତି ॥
ମୈତ୍ରେୟ ଉବାଚଏ କଥା ବିଷ୍ଣୁ ମୁଖୁ ଶୁଣି ।ଅମୃତ ପ୍ରାୟ ମଞ୍ଜୁବାଣୀ ॥
ହରିଙ୍କି ଯଜ୍ଞେ ପୂଜା କଲା ।ଯେଣୁ ତାହାର ଭାଗ୍ୟ ଥିଲା ॥
ଋଷି-ଦେବତା ପୂଜା କରି ।ରୁଦ୍ରଙ୍କୁ ରୁଦ୍ର ଭାବେ ବରି ॥
ଯଜ୍ଞର ଶେଷଭାଗ ଦେଲା ।ସେ ଅବଭୃଥେ ସ୍ନାନ କଲା ॥
ଦକ୍ଷ ରହିଲା ଯଜ୍ଞ ଘରେ ।ଦେବେ ଚଳିଲେ ନିଜପୁରେ ॥
ଶ୍ରୀ ଶୁକ ଉବାଚଏବେ ହୋ ଶୁଣ କୁରୁବୀର ।ସତୀ ଯେ ଛାଡିଲା ଶରୀର ॥
ସେ ପୁଣି ହିମବନ୍ତ ଘରେ ।ଜନ୍ମିଲା ମେନକା ଉଦରେ ॥
ପୁଣି ସେ ରୁଦ୍ରଙ୍କୁ ବରିଲା ।ଅମ୍ବିକା ହିମଗିରିବାଳା ॥
ଏମନ୍ତେ ରୁଦ୍ରର ଚରିତ ।ଯେମନ୍ତେ ଦକ୍ଷଯଜ୍ଞ ହତ ॥
ଉଦ୍ଧବ ମୁଖୁ ମୁହିଁ ଶୁଣି ।ତୋତେ କହିଲି ପରିମାଣି ॥
ଏଣୁ ଏ ବିଷ୍ଣୁର ଚରିତ ।ଭକ୍ତ ତାରଣ ଭାଗବତ ॥
କହଇ ଦାସ ଜଗନ୍ନାଥ ।ଭକ୍ତଜନଙ୍କର ସହିତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଯଜ୍ଞ ପୁରୁଷ ପ୍ରସନ୍ନେନାମ ସପ୍ତମୋଽଧ୍ୟାୟଃ ।
ଅଷ୍ଟମ ଅଧ୍ୟାୟ
ଧ୍ରୁବ ଚରିତ(ରାଗ-କଳଶା)ନମାମି ଅମ୍ବିକା ସୁତ ଚରଣ ପଙ୍କଜ ।ସର୍ବ ଦେବଙ୍କ ମଧ୍ୟେ ଯା ନାମ ବିଘ୍ନରାଜ ॥
ଅମ୍ୱରୀଷ ଗିରି ସମୁଦ୍ରର କଳେବର ।କିରୀଟ କୁଣ୍ଡଳ କଣ୍ଠେ ହାର ମନୋହର ॥
ତୁଙ୍ଗ ବକ୍ଷସ୍ଥଳ ଦୀର୍ଘ ଶୋହେ ଭୁଜଚାରି ।ଅକ୍ଷୟ ଅମୃତ ତୃଣ ପାଶାଙ୍କୁଶଧାରୀ ॥
ଯାହାର ପ୍ରସନ୍ନ ବଳେ ଜଡ଼ ବୁଦ୍ଧି ତୁଟେ ।ନିର୍ମଳ ବଚନ ଯେ ସ୍ଫୁରଇ କଣ୍ଠତଟେ ॥
ମୋର ଚିତ୍ତେ ପ୍ରସନ୍ନ ହୁଅ ହେ ଲମ୍ବୋଦର ।କହେ ଭାଗବତ ବାଣୀ ସଂସାରରେ ସାର ॥
ଭକ୍ତିଯୋଗ ମଧ୍ୟେ ଯେ ଉତ୍ତମ ଭାଗବତ ।କହିବି ଚତୁର୍ଥ ସ୍କନ୍ଧେ ଧ୍ରୁବର ଚରିତ ॥
ସପତ ବରଷ ପୁତ୍ର ଘୋର ତପ କଲା ।ମାତୃ ସପତ୍ନୀର ବାକ୍ୟେ ହରିଙ୍କୁ ଭଜିଲା ॥
ପିତା ଜାନୁଆରୋହଣ ଭଙ୍ଗ ଦୋଷ ମନେ ।ସପ୍ତଋଷି ଉର୍ଦ୍ଧ୍ୱେ ଯାଇ ବସିଲା ଗଗନେ ॥
ଯାର ଘୋର ତପ ଦେଖି ଭୃଗୁ ମନ ତୋଷେ ।ଧନ୍ୟ ଧନ୍ୟ ଧ୍ରୁବ ବୋଲି ଋଷି ମଧ୍ୟେ ଭାଷେ ॥
ଜନନୀ ସହିତେ ଧ୍ରୁବ ଗମଇ ଆକାଶେ ।ଦରଶନ ମାତ୍ରେ ତ୍ରିକାଳର ପାପ ନାଶେ ॥
ଅଧିକ ଆୟୁଷ ଲଭେ ତ୍ରୟୋଦଶ ସମା ।ଯାର ଭାବ ନ ଲଭନ୍ତି ଇନ୍ଦ୍ର ହର ବ୍ରହ୍ମା ॥
ତାହାର ଚରିତ ଯେ ଶୁଣନ୍ତି ସାବଧାନେ ।ସର୍ବପାପ ହରେ ମନ ରହେ ବିଷ୍ଣୁଧ୍ୟାନେ ॥
ଅଶେଷ ଅମୃତ ବାଣୀ ଧ୍ରୁବର ଚରିତ ।କହିବି ପ୍ରସନ୍ନ ହୁଅ ମୋତେ ଗଣନାଥ ॥
ପୁଣ୍ୟକ୍ଷେତ୍ର ବନେ ସରସ୍ୱତୀ ତଟେ ରହି ।ମୈତ୍ରେୟ ମୁନି ବିଦୁରର ଆଗେ କହି ॥
ଦୁର୍ଗତିତାରଣ ପୁଣ୍ୟେ ଭୀଷ୍ମ ନିବାରଣ ।କହେ ବିପ୍ର ଜଗନ୍ନାଥ ସାବଧାନେ ଶୁଣ ॥
ମୈତ୍ରେୟ ଉବାଚସର୍ବଶାସ୍ତ୍ର ଜାଣି ଯେ କହଇ ନାନାମତେ ।ଧ୍ରୁବର ଚରିତ ବିଷ୍ଣୁ ଭକ୍ତ ଜନ ହିତେ ॥
ମଇତ୍ରେୟ ଆଗେ ପରାଶର ମୁନି କହି ।ବିଷ୍ଣୁ ଜନହିତେ ବଇଷ୍ଣବ ଭାବ ବହି ॥
ପରମହଂସ ବିମାନେ ବୈକୁଣ୍ଠ ଯାଆନ୍ତେ ।ବୈଷ୍ଣବ ଅଗ୍ରଣୀ ଶିବକୁମାର ଅଗ୍ରତେ ॥
ବିଷ୍ଣୁ ଦୂତେ ହରିକଥା କହିଛନ୍ତି ଯାହା ।ଭାଷା ପ୍ରବନ୍ଧରେ ମୁହିଁ ପ୍ରକାଶିବି ତାହା ॥
ସାବଧାନେ ଦୃଢଚିତ୍ତେ କର ଏଥେ ଭାବ ।ଏ ଦୃଢ ବୋଇତେ ଭବ ବାରିଧି ତରିବ ॥
ବିଷ୍ଣୁର ଆଦେଶେ ସୃଷ୍ଟି କାଳେ ପଦ୍ମଯୋନି ।ମୈଥୁନ ପ୍ରକାରେ ସେହି ଶିବଶକ୍ତି ଘେନି ॥
ନିଜ କଳେବର ବ୍ରହ୍ମା ବେନିଖଣ୍ଡ କଲେ ।ସ୍ୱାୟମ୍ଭୂବ ମନୁ ଶତରୂପା ପ୍ରକାଶିଲେ ॥
ମୈଥୁନ ବନ୍ଧେ ଉପୁଜାଇଲେ ପୁତ୍ର ବେନି ।ସୃଷ୍ଟି ଅଂଶ ହେତୁ ତିନି କନ୍ୟା ସଙ୍ଗେ ଘେନି ॥
ପ୍ରିୟବ୍ରତ ଉତ୍ତାନପାଦ ନାମ ଆଦ୍ୟର ।ସୁଗୁଣ ସୁରୂପ ରୂପେ ମୋହେ ତିନିପୁର ॥
କନ୍ୟା ଏକ ତହୁଁ ପ୍ରଜାପତିର ସମ୍ଭୂତ ।ଯେଣୁ ବ୍ରହ୍ମା ଭିଆଇ ସର୍ଜିଲା ଏ ଜଗତ ॥
ସୃଷ୍ଟି ପୂର୍ବେ ଆନ ରୂପେ ବେନି ସହୋଦର ।ପ୍ରଜାବର୍ଗ ସଞ୍ଚିଲେ ସେ ଅନେକ ପ୍ରକାର ॥
ଉତ୍ତାନପାଦର ସେ ହୋଇଲେ ପତ୍ନୀ ବେନି ।ସୁରୁଚି ସୁନୀତି ଯେ ସୁନ୍ଦର ଗୁଣ ଘେନି ॥
ସେ ବେନି ପତ୍ନୀଙ୍କ ମଧ୍ୟେ ସୁରୁଚି ସୁପ୍ରିୟା ।ଉତ୍ତାନପାଦର ଚିତ୍ତେ ତାରେ ବଡ଼ ଦୟା ॥
ତାହାର ଉଦରେ ଯେଉଁ ବେନି ପୁତ୍ର ହୁଏ ।ରୂପ ଗୁଣ ସୁନ୍ଦରରେ ଜଗଜ୍ଜନ ମୋହେ ॥
ତାର ବଡପ୍ରିୟ ଉତ୍ତାନପାଦ ରାଜା ।ଭୂଷଣ ବସନ ଆଦି କରେ ତାଙ୍କୁ ପୂଜା ॥
ନିତ୍ୟେ ପ୍ରିୟବତୀ ସେ ନିମିଷେ ନ ଛାଡ଼ଇ ।ପତ୍ନୀ ସୁତ ଭାବେ ସ୍ୱଗୌରବ ଭାବ ବହି ॥
ସୁନୀତି ଅପ୍ରିୟ ତାର ସୁତ ଧ୍ରୁବ ନାମ ।ରୂପ ଗୁଣେ ସୁନ୍ଦର ମୋହିତ କୋଟିକାମ ॥
ବେନି ସୁତ ବେନି ଧାତ୍ରୀ ଘେନିଥାନ୍ତି ନିତ୍ୟେ ।ପିତାର ସମୀପେ ଦ୍ୟନ୍ତି ରାଜସେବା ମତେ ॥
ଏକଦିନେ ସୁରୁବି ଉତ୍ତମ କର ଧରି ।ନୃପତି ସମୀପେ ମିଳେ ପ୍ରିୟଭାବ ଭରି ॥
ଉତ୍ତମକୁ କୋଳେଦେଇ ରହିଲା ଅନ୍ତରେ ।ନୃପତି ସଭାର ମଧ୍ୟେ ପ୍ରିୟଭାବ ଭରେ ॥
ଏମନ୍ତ ସମୟେ ଧାତ୍ରୀ ଧ୍ରୁବ ଘେନି ସଙ୍ଗେ ।ରାଜାର ସମୀପେ ପ୍ରେମ ପୁତ୍ର ଭାବ ରଙ୍ଗେ ॥
ଉତ୍ତମକୁ କୋଳେ ଦେଖି ଧ୍ରୁବ ସ୍ନେହ କଲା ।ପିତାକୋଳେ ବସିବାକୁ ହସ୍ତ ପ୍ରସାରିଲା ॥
ତାହା ଦେଖି କୋପ ଚିତ୍ତେ ସୁରୁଚି ।କହଇ ଦୁର୍ଭଗା ତନୟେ ତୋ ବଦନେ ଲାଜ ନାହିଁ ॥
ଆରୋହଣ କରି ଲୋଡ଼ୁ ନୃପ ସିଂହାସନେ ।ଯେ ଆସନ ସୁପୂଜିତ ଏ ତିନି ଭୁବନେ ॥
ପୂର୍ବ ତପଫଳେ ଦେଖ ଉତ୍ତମ କୁମର ।ନୃପବୀର୍ଯ୍ୟେ ଉପୁଜିଲା ମୋହର ଉଦର ॥
ଏ ଯେ ନୃପ ସିଂହାସନେ ବସିବାକୁ ଏକ ।ଏ କଥା ବିଦିତ ଭଲେ ଜାଣନ୍ତି ତ୍ରିଲୋକ ॥
ବିଷ୍ଣୁରେ କଠୋର ତପ ପୂର୍ବେ ଯେ କରଇ ।ତପବଳେ ଲଭେ ସେ ଦୁର୍ଲ୍ଲଭ ନରଦେହୀ ॥
ଯେଉଁ ତପେ ଯେତେ ଭୋଗ କରନ୍ତି ଜଗତେ ।କହଇ ବାଳକ ପୁତ୍ର ଶୁଣ ଏକଚିତ୍ତେ ॥
ଯେଉଁ ତପେ ବସନ୍ତି ଯେ ଏ ରାଜା ଆସନେ ।କୋଟି ତପେ ପାଇଛନ୍ତି ତାହା ରାଜାମାନେ ॥
ଜାଣିଲି ମୁଁ ପୂର୍ବେ ତୋର କିଛି ତପ ନାହିଁ ।ତେଣୁ ଅଭାଗିନୀ ଗର୍ଭେ ଉପୁଜିଲୁ ତୁହି ॥
ଏହି ଅନୁମାନେ ତୋର ଅଳ୍ପ ପୁଣ୍ୟ ଜାଣ ।ଶୁଭାଶୁଭ ଫଳ ଅନୁମାନ ଏ ପ୍ରମାଣ ॥
ରାଜାରକୁମର ପଣେ ଏ ଜନ୍ମେ ତୋହର ।ନାନାସୁଖ ଭୋଗେ ତୋର ନାହିଁ ଅଧିକାର ॥
ଦେଖ ଏ କୁମର ମୋର ଗର୍ଭେ ଜାତ ହୋଇ ।ଏ ନୃପ ସିଂହାସନକୁ ଯୋଗ୍ୟ ଏ ଅଟଇ ॥
ନୃପାସନେ ବସିବାକୁ ଚିତ୍ତ ଯେବେ ତୋର ।କିମ୍ପା ଜନ୍ମ ନ ଲଭିଲୁ ମୋହର ଗର୍ଭର ॥
ଏମନ୍ତ ସଭାର ମଧ୍ୟେ ସୁରୁଚିବଚନ ।ଶୁଣି ଧ୍ରୁବ ଶୋକଚିତ୍ତେ ହୋଇଲା ମଉନ ॥
ଅନ୍ତର୍ଗତେ କମ୍ପଇ ତାହାର ନିଜଦେହୀ ।ଅଧୋ ମୁଖେ ରହିଲା ଭୂମିକୁ ଦୃଷ୍ଟି ଦେଇ ॥
ଅନୁଚିତ ଉଚିତ ନ କହେ ନୃପମଣି ।ସଭାମଧ୍ୟେ ଶୁଣି ସେ ସୁରୁଚି ଗର୍ବବାଣୀ ॥
ତାହାର ଗୌରବେ ଯେ ଯନ୍ତ୍ରିତ ଚିତ୍ତ ହୋଇ ।ସଭାମଧ୍ୟେ ଏକବାକ୍ୟ ନ ପାରଇ କହି ॥
ଏମନ୍ତେ ନୃପତି ଗୁଣ ଦେଖି ଧୃବ ମନେ ।ଧାତ୍ରୀ ସଙ୍ଗେନୃପ ସୂନୁ ଗମିଲେ ଭୁବନେ ॥
ମାର୍ଗେ ଯାନ୍ତେ ବ୍ୟାକୁଳେ ନ ଦିଶେ ଦଶଦିଶ ।ସର୍ପ ପ୍ରାୟ ପୁଣ ପୁଣ ଛାଡଇ ନିଃଶ୍ୱାସ ॥
ମାତାର ସନ୍ନିଧେ ଧ୍ରୁବ ନିଜପୁରେ ଯାଇ ।ଅଶ୍ରୁ ବହେ ଲୋଚନୁ କମ୍ପଇ ନିଜଦେହୀ ॥
ଅଶ୍ରୁକଣ୍ଠ କୁଣ୍ଠିତ ବଚନ ଗଦଗଦ ।ନ ସ୍ଫୁରଇ ବାକ୍ୟ ମୁଖୁ ଦୁଃଖ ମନେ ଖେଦ ॥
ଏମନ୍ତ ପୁତ୍ର ବଦନ ସୁନୀତି ଅନାଇ ।ଛନ୍ନଚିତ୍ତେ ପଚାରିଲେ ଧାତ୍ରୀ ମୁଖ ଚାହିଁ ॥
ତୁ ଯେ ପୁତ୍ର ଘେନିଗଲୁ ନୃପତି ସମୀପେ ।କିମ୍ପା ଏ ରୋଦନକରେ ଅତି ମନସ୍ତାପେ ॥
ମାତାର ବଚନ ଶୁଣି ନୃପତି ନନ୍ଦନ ।ଉର୍ଦ୍ଧ୍ୱମୁଖେ ଚାହିଁ କହେ ବିକଳ ବଦନ ॥
ଜନନୀ ଜାଣିଲେ ପୁତ୍ର ଅପମାନ ପାଇ ।ପିତାର ସମୀପେ କିବା ଅପମାନ ବହି ॥
ମୁଖଲକ୍ଷ୍ମୀ ଏହାରତ ନ ଦିଶେ ସୁ୍ନ୍ଦର ।ଅତିଦୁଃଖେବୁଡିଲା ଯେ ମୋହର କୁମର ॥
ବେନି କରେ ଆକର୍ଷି ପୁତ୍ରକୁ କୋଳେ ଧରି ।ମୁର୍ଦ୍ଧନି ଆଘ୍ରାଣ କରି ନିଃଶ୍ୱାସ ସଂହରି ॥
ଅତି ମ୍ଳାନ ମୁଖ ଦେଖି ପୁନଃ ପୁନଃ କୋଳେ ।ଉଦରେ ଲଗାଇ ପୁଚ୍ଛେ ଅତି ସ୍ନେହଭରେ ॥
ମୁଖେ ଜଳସିଞ୍ଚି ସେ ବଦନୁ ପୋଛେ ଲୁହ ।କିମ୍ପା ତୁ ରୋଦନ କରୁ ବେଗେ ବତ୍ସ କହ ॥
ରାଜାର କୁମର ତୁ ଦୁର୍ଲ୍ଲଭ ପ୍ରାଣୀଙ୍କର ।ସ୍ୱଭାବେ ସୁନ୍ଦର ଗୁଣ ନିତି ମନୋହର ॥
ତୋତେ ଶୋକ ଦେବାକୁ କେ ଅଛଇ ଜଗତେ ।କିମ୍ପା ତୁ ରୋଦନ କରୁ କହ ମୋ ଅଗ୍ରତେ ॥
ମାତାର ବଚନ ଶୁଣି ଧ୍ରୁବ ଦୁଃଖମନେ ।ନିଃଶ୍ୱାସ କୁଣ୍ଠିତ ଅଶ୍ରୁ କଣ୍ଠ ପୂର୍ଣ୍ଣମନେ ॥
ଶୁଣ ଗୋ ଜନନୀ କହୁ ତୋହର ଅଗ୍ରତେ ।ରାଜ ମହାଦେଈ ତୁମ୍ଭେ ବୋଲାଅ କେମନ୍ତେ ॥
ସୁରୁଚି ପ୍ରାୟେ ତୁମ୍ଭଙ୍କୁ ଜାଣନ୍ତି ଜଗତେ ।ସେ ରାଜାରେ ପ୍ରିୟା ତୁମ୍ଭେ ଦୁର୍ଭାଗୀ କେମନ୍ତେ ॥
କେଉଁ ମତେ ଉତ୍ତମ ବୋଲାଇ ତାର ପୁଅ ।ମୁଁ ଅଧମ ମାତା ସତ ମୋତେ କହ ॥
ନୃପ ସିଂହାସନେ ବସିବାକୁ ବେନି ଭାଇ ।ସେ କିମ୍ପା ହୋଇଲା ଯୋଗ୍ୟ ମୋତେ ଭୋଗ ନାହିଁ ॥
ସେ କିମ୍ପା ଉତ୍ତମ ନାମ ବହିଲା ଜଗତେ ।ତୋର ପୁଅ ହୋଇ ମୁହିଁ ଅଧମ କେମନ୍ତେ ॥
ମୋହର ସୁକୃତ କିମ୍ପା ଏମନ୍ତ ହୋଇଲା ।ଉତ୍ତମ ଉତ୍ତମ ସୁଖ କେମନ୍ତେ ପାଇଲା ॥
ଏମନ୍ତ ପୁତ୍ର ବଚନ ଶୁଣିଣ ସୁନୀତି ।ପୁତ୍ରର ବିଚାର ପ୍ରଶ୍ନେ ଦୃଢ଼ତର ମତି ॥
ସ୍ତବଧେ ରହି ନିଃଶ୍ୱାସ ଛାଡେ ଧୀରେ ଧୀରେ ।ଶିଶୁ କୋପ ଶାନ୍ତି ଅର୍ଥେ କହଇ ମଧୁରେ ॥
ସ୍ୱଭାବେ ରାଜନୀତି ସେ କହେ ପୁତ୍ରେ ଚାହିଁ ।କହିବି ସକଳ ମନୁ ଦୁଃଖ ଛାଡ଼ ତୁହି ॥
ଜାଣିଲି ନୃପ ସମୀପେ ଅପମାନ କଥା ।ଶୁଣ ରେ ସାଧୁ ନନ୍ଦନ ଛାଡି ମନୁ ବ୍ୟଥା ॥
ତୁ ଯେତେ କହିଲୁ ବାବୁ ଏ ଦତ୍ୟ ପ୍ରତ୍ୟକ୍ଷେ ।ସୁରୁଚି ବଚନ ଶୁଣି ନୃପବର ପକ୍ଷେ ॥
ସୁରୁଚି ସୌଭଗୀ ସେହି ରାଜ ପାଟରାଣୀ ।ସର୍ବ ରାଜ୍ୟପତ୍ନୀଙ୍କ ଉପରେ ଶିରୋମଣି ॥
ଜନ୍ମାନ୍ତରେ ଯେଣୁ ସେ ଅନେକ ତପ କଲା ।ତପ ବଳେ ସ୍ୱାମୀର ସେ ସୁହାଗୀ ହୋଇଲା ॥
ଜାଣିଲି ନିଶ୍ଚୟ ମୋର ପୂର୍ବ ତପ ନାହିଁ ।ସେ ଫଳେ ଦୁର୍ଭାଗୀ ମୁହିଁ ରାଜପତ୍ନୀ ହୋଇ ॥
ପୂର୍ବେ ତୋର ଭାଇ ଯେ ଉତ୍ତମ ତପ କଲା ।ତପବଳେ ନୃପ ସିଂହାସନରେ ବସିଲା ॥
ସୁରୁଚି ସୁଭାଗୀ ତପବଳେ ରାଜରାଣୀ ।ସର୍ବ ପତ୍ନୀ ମଧ୍ୟେ ସେ ବୋଲାଇ ଇଷ୍ଟରାଣୀ ॥
ଉତ୍ତମ ଉତ୍ତମ ପୁତ୍ର ପୁଣ୍ୟ ତା ଉଦର ।ଜନ୍ମିଲା ଉତ୍ତମ ସିଂହାସନେ ଅଧିକାର ॥
ଶୁଣ ହେ କୁମରମଣି ସ୍ଥିର କରି ମନ ।ସାବଧାନ ହୋଇ ଶୁଣ ମୋହର ବଚନ ॥
ଯେବା ଭାଗ୍ୟେ ପୂର୍ବଜନ୍ମେ ନାନା ତପ କରି ।ନାନାରୂପେ ଭୋଗ ଭୂଞ୍ଜେ ନାନା ଦେହ ଧରି ॥
ଚନ୍ଦ୍ର ଜ୍ୟୋତି ପାଟଛତ୍ର ଚାମର ସମେତେ ।ନୃପ ସିଂହାସନେ ବସେ ବାଦ୍ୟନାଦ ଗୀତେ ॥
ସିନ୍ଦୂରେ ମଣ୍ଡିତ ଶିର ରାଜବୃନ୍ଦ ମେଳେ ।ମନୋଗାମୀ ତୁରଙ୍ଗମ ଚତୁରଙ୍ଗ ବଳେ ॥
ଅନାଦି ବ୍ୟାଧି ଜୀବନେ ଜୟ ଶିତସିମା ।ଉତ୍ତମ ସୁଜନେ ତାର ସୁଚିତ୍ତ ମହିମା ॥
ଶୁଭ ରାଜ୍ୟେ ରାଜପଦ ଲଭେ ଅକଣ୍ଟକ ।ରାଜା ଯଶ ଗୁଣେ ପୁରେ ଇହ ପରଲୋକ ॥
ହରି ହର ଚରଣେ ସେବଇ ନିତ୍ୟ ନିତ୍ୟ ।ଦୁଃଖୀଜନଙ୍କରେ ଦୟା ବହେ ହୃଦଗତ ॥
ନିର୍ମଳ ପବିତ୍ର ଜ୍ଞାନ ନିତ୍ୟ ଯାର ଚିତ୍ତେ ।ସର୍ବଶାସ୍ତ୍ର ଅଭ୍ୟାସ କରଇ ଶୁଦ୍ଧ ଚିତ୍ତେ ॥
ରିପୁ ରାଜ ବର୍ଗ ଜୟ ସତ୍ୟଗୁଣେ ମତି ।କାରୁଣ୍ୟ ସମ୍ପନ୍ନ ଦୃଷ୍ଟି ବାଣୀ ଶୁଦ୍ଧାକୃତି ॥
ସର୍ବଦା ନିଶ୍ଚଳେ ସଦଗୁରୁ ପାଦେ ଭକ୍ତି ।ସର୍ବଦା ସୁଖ ଯେ ଜାତ ସଂଯୋଗରେ ଶକ୍ତି ॥
ଉପାସନା ମନ ରୁଚି ଅଭୟ ବଚନ ।ସଭା ମଧ୍ୟେ ସୁପଣ୍ଡିତ ଅତି ବିଦ୍ୟମାନ ॥
ପ୍ରଜାନ୍ତ ତାରଣ ମଧ୍ୟେ ଅତି ବୀରପଣ ।ଇହ ପରଲୋକେ ହୁଏ ସୁଯଶ ସ୍ମରଣ ॥
ବନ୍ଧୁ ବର୍ଗେ ଧୀର ପଣେ ଅନୁବ୍ରତ ରହେ ।ବାଣିଜ୍ୟେ ଚତୁର ଭାବ ବାକ୍ୟେ ମନ ମୋହେ ॥
ଯୋଷିତ ପ୍ରୟୋଗ ମୃଦୁବଚନ ଭାଷିତ ।ବ୍ରାହ୍ମଣ ବିଷୟେ ଚିତ୍ତ ଭଜେ ସବିନୀତ ॥
ସ୍ୱଧର୍ମେ ଜୀବନେ ପୋଷେ ନିଜ ବୃତ୍ତି ରହି ।ବୁଦ୍ଧଙ୍କର ଭାବେ ସେ ସାତ୍ତ୍ୱିକେ ମନଦେଇ ॥
ଭାଗୀରଥି ତୀରେ ବାସ ସୁତୀର୍ଥେ ମରଣ ।ଅର୍ଥୀ ଭୋଗୀଗଣେ ମୁଖ୍ୟ ଅତିଥି ତୋଷଣ ॥
ବନ୍ଧୁଜନ ତୁଲେ ଭୋଗ କରେ ସମତୁଲେ ।ଦାନଦକ୍ଷେ ଦିବସ ଯାହାର ଯାଇ ଭଲେ ॥
ନିଜ ବିଦ୍ୟା ବ୍ୟସନେ ବର୍ତ୍ତଇ ନିରନ୍ତରେ ।ନିତ୍ୟେ ସେବାକରେ ତାତ ଜନନୀ ପୟରେ ॥
ଯଶ ଧର୍ମ ନିରନ୍ତରେ ସଞ୍ଚେ ଧନ ପ୍ରାୟେ ।ସ୍ୱର୍ଗ ଅପବର୍ଗ ବୁଦ୍ଧି ସର୍ବଗୁଣ ବହେ ॥
ନିତ୍ୟ ମିଳେ ସାଧୁସଙ୍ଗ ମିତ୍ର ସର୍ବଭୂତେ ।ଇତିହାସ ପୁରାଣାଦି ଶୁଣେ ଶୁଦ୍ଧଚିତ୍ତେ ॥
ବିପଦର କାଳେ ଧୀରଚିତ୍ତ ହୋଇ ରହେ ।ସମ୍ପଦ ଆଗମେ ଧୀରଗାତ୍ରେ ବୁଦ୍ଧି ବହେ ॥
ବିଦ୍ୟା ପଢ଼ି ଗଭୀର ସାଗର ପ୍ରାୟ ରହେ ।ପାତ୍ରେ ଦାନ ସମ୍ପଦେ ଉଦାସ ଭାବ ବହେ ॥
ଯଶ ଧର୍ମ ସଞ୍ଚିବାରେ ନିତ୍ୟ କରେ ମତି ।ସ୍ୱର୍ଗ ମୋକ୍ଷ ଶୁଦ୍ଧଫଳ ସ୍ୱଭାବେ ଯେ କୀର୍ତ୍ତି ॥
ସାଧୁ ସଙ୍ଗମେଳ ଦୃଢ଼ ନିତ୍ୟ କରେ ଆଶା ।ପିତୃ ମାତୃ ପ୍ରାୟେ ଜୀବ ଯେବେ କରେ ବାଞ୍ଛା ॥
ଇତିହାସ ବାଣୀ ଯେହୁ ପୁରାଣ ଶ୍ରବଣେ ।ଉତ୍କଣ୍ଠ ସ୍ୱଭାବ ନିତ୍ୟ ବହେ ଅନୁକ୍ଷଣେ ॥
ବିପଦ ଆଗମେ ଯେ ଆପଣେ ବଞ୍ଚେ ଦିନ ।ସମ୍ପଦର କାଳେ ଭାଷେ ମଧୁର ବଚନ ॥
ଗଭୀର ବଚନ କହେ ବଚନ ବିକାଶେ ।ଉତ୍ତମ ଉଦାର ବୁଦ୍ଧି ପ୍ରାୟେ ଉପଦେଶେ ॥
ଶମ ଦମ ମହତ ଯେ ଶରୀରେ ଧରଇ ।ଏତେ ଗୁଣ ବହେ ଯାର ପୂର୍ବଭାଗ୍ୟ ଥାଇ ॥
ଏଣୁ ପୂର୍ବେ ତୋହର ମୋହର ତପ ନାହିଁ ।ଏ ଜନ୍ମେ ଲୋଡିଲେ ପୁତ୍ର ପାଇବା ତା କାହିଁ ॥
ମାନ ଅପମାନ ଯେ ଫଳଇ କର୍ମବଳେ ।ଏହା ଜାଣି ପ୍ରାଣୀ ଚିତ୍ତ ନ ରହେ ନିଶ୍ଚଳେ ॥
ଆପଣା ଅର୍ଜିଲା କର୍ମ ଆପଣେ ଭୁଞ୍ଜଇ ।ବିଧାତାର ବଳେ କର୍ମ ଅନ୍ୟଥା ନୁହଇ ॥
ଏଣୁ ତୁ ନ କରି ଶୋକ କର୍ମକୁ ଆଦର ।ମୋହର ବଚନେ ପୁତ୍ର କୋପ ତୁ ସଂହର ॥
ଏମନ୍ତ ମାତାର ବାକ୍ୟ ସାବଧାନେ ଶୁଣି ।ଧ୍ରୁବ ହିଁ ପଣ୍ଡିତ ବାକ୍ୟ ମନେ ମନେ ଗୁଣି ॥
ଜନନୀ ବଦନ ଚାହିଁ ବେନି କରଯୋଡି ।କହେ ସୁପ୍ରମୋଦ ବାକ୍ୟ ମାତା ପାଦେ ପଡି ॥
ଧ୍ରୁବଉବାଚକହଇ ମଧୁର ବାଣୀ ଜନନୀ ଗୋ ଶୁଣ ।ମୋତେ ତୁ ବାଳକ ପ୍ରାୟେ କେବେହେଁ ନ ମଣ ॥
ପବିତ୍ର ମନୁ ବଂଶରେ ଜନ୍ମ ଯେ ମୋହର ।ଉତ୍ତାନପାଦର ବୀର୍ଯ୍ୟେ ତୋହର ଉଦର ॥
ତୁ ଯେ ବୋଲୁ ତପେ ସର୍ବ ସମ୍ପଦ କାରଣ ।ତେଣୁ କହୁଅଛି ତୁହି ସ୍ଥିର ମନେ ଶୁଣ ॥
ସଂସାର ଦୁର୍ଲ୍ଲଭ ପଦ ଯଦି ତପେ ପାଇ ।ନିଗମ ଦୁର୍ଗମ ବନେ ସାଧିବଇଁ ମୁହିଁ ॥
ଏକମାତ୍ର ଆଜ୍ଞା ମୋତେ ଦିଅ ଶୁଦ୍ଧ ଚିତ୍ତେ ।ଆଶୀର୍ବାଦ ଦିଅ ତପ ସାଧଇ ଯେମନ୍ତେ ॥
ଏମନ୍ତ ନିଷ୍ଠାର ବାଣୀ ଶୁଣି ପୁତ୍ରମୁଖେ ।ସୁନୀତି କପାଳେ କର ଦେଇ ମନଦୁଃଖେ ॥
ଏମନ୍ତେ ଧ୍ରୁବର ବାଣୀ ଦୃଢ଼ ଶୁଣି ମାତା ।ପୁତ୍ରମୁଖ ଚାହିଁ ମନେ କଲା ଗୁରୁ ଚିନ୍ତା ॥
ବୋଲଇ ମୋହର ଗର୍ଭୁ ଜାତ ଏ କୁମର ।ରାଜାର ଆତ୍ମା ସମ୍ଭୂତେ ତେଜେ ପରଖର ॥
କ୍ଷତ୍ରିୟ ସ୍ୱଭାବ ବହେ ଦୁର୍ଗମ ଚରିତ ।ତପବଳ ଶ୍ରବଣେ ଦ୍ରବିଲା ଅନ୍ତର୍ଗତ ॥
ତେଜ ବିରାଜଇ ଦେହେ ତପନ ପରାୟେ ।ଅବଶ୍ୟ ଗମିବ ତପେ ଜାଣିଲି ନିଶ୍ଚୟେ ॥
ଏ କେବେହେଁ ନ ରହିବ ମୋହର ବଚନେ ।ନ ଜାଣି ମୁଁ ଉପଦେଶ କହିଲି ଅଜ୍ଞାନେ ॥
ତାହାର ସୁନ୍ଦର ମୁଖ ନ ଦେଖି ସମ୍ମୁଖେ ।ନିମିଷ କୋଟିଏ ଯୁଗ ହୋଇବ ପ୍ରତ୍ୟକ୍ଷେ ॥
କି ବୁଦ୍ଧି ଉପାୟ କରି କେମନ୍ତେ ରଖିବି ।ଦୁର୍ଗମ ସଙ୍କଟୁ ଏବେ କେମନ୍ତେ ବଞ୍ଚିବି ॥
ଏମନ୍ତ ବିଚାରି ସେ ପୁତ୍ରର ମୁଖ ଚାହିଁ ।କହଇ ସୁନୀତି ମନ ଦୁଃଖେ ଖେଦ ବହି ॥
ଶୁଣ ପୁତ୍ର ସାବଧାନେ ମୋହର ବଚନ ।କେବଳ ଅଟୁ ତୁ ପୁତ୍ର ରାଜାର ନନ୍ଦନ ॥
ତୋତେ ଆଜ୍ଞା ଦେବାରେ ମୋହର ଶକ୍ତି ନାହିଁ ।ତୁତ ସପ୍ତ ବର୍ଷ ସୁକୁମାର ତୋର ଦେହୀ ॥
ତଥାପି କହିବି ଶୁଣ ସାବଧାନ ଚିତ୍ତେ ।ରାଜାର ଭୁବନେ ଅଛି ସପତ୍ନୀ ଆୟତ୍ତେ ॥
ତାର ବାକ୍ୟ ନିର୍ଘାତେ ମୋହର ଚିତ୍ତ ଦହେ ।ଗିରିରୁ ସ୍ରବିଲା ପ୍ରାୟ ଅଶ୍ରୁଧାରା ବହେ ॥
ଏବେ ତୋର ବନଗତି ଶୁଣି ମୋର ମନ ।ଅଧିକେ ସ୍ରବଇ ଯେ ଲୋତକ ମୋ ନୟନ ॥
ନଦୀପ୍ରାୟ ବହେବାରି କେବେହେଁ ନ ରହେ ।କହ ପୁତ୍ର ଏବେ ମୁଁ କି କରିବି ଉପାୟେ ॥
ସ୍ୱଭାବେ ମୁଁ ଏକ ପୁତ୍ରୀ ରାଜାର ଭବନେ ।ପ୍ରାଣ ଦେହ ଧରଇ ତୋହର ଦରଶନେ ॥
ମୋହର ତୁ ଅନ୍ଧଯଷ୍ଟି ତୋର ପଛେଥାଇ ।ବାଡ଼ି ହସ୍ତୁ ଗଲେ ଅନ୍ଧ କେମନ୍ତେ ବଞ୍ଚଇ ॥
ପୁତ୍ରଜନ୍ମ ନୋହିଲାରୁ ମୋର ମନେ ବ୍ୟଥା ।ତୋର ପ୍ରାପ୍ତି ଅର୍ଥେ କେତେ ପୂଜିଲି ଦେବତା ॥
କୁଚ୍ଛ ଚାନ୍ଦ୍ରାୟଣ ଉପାସିଣ ବ୍ରତ କଲି ।ସେ ତପ ସାଧନ୍ତେ ପୁତ୍ର ତୋତେ ମୁଁ ପାଇଲି ॥
ତୋର ମୁଖ ଚନ୍ଦ୍ରୋଦୟ ଦେଖି ମୋର ମନ ।ସମୁଦ୍ରେ ତରଙ୍ଗ ପ୍ରାୟ ଉଲ୍ଲୋଳ ନୟନ ॥
ଆନନ୍ଦେ ପୟ ଯେ ପୂରେ ମୋର ବେନି ସ୍ତନ ।ଗଳିତ ହୁଅଇ ଦେଖି ତୋହର ବଦନ ॥
ତୋର ମୁଖ ନ ଦେଖି ମୋହର ଅଙ୍ଗତାପେ ।ତକ୍ଷଣେ ଶୀତଳ ହୋଏ ମିଳିଲେ ସମୀପେ ॥
ମୋହର ହୃଦରେ ତୁ ନିଦ୍ରିତ ସ୍ତନ୍ୟପାନେ ।ବସ୍ତ୍ର ଆରୋହିତ ଦୁଗ୍ଧବୋଧିତ ବଦନେ ॥
ତୋହର ଶୀତଳ ବାକ୍ୟ କର୍ଣ୍ଣେ ଶୁଭେ ଯେବେ ।ସପତ୍ନୀର ବାକ୍ୟ ତାପ ହୃଦରେ ନ ବାଧେ ॥
ବିଳମ୍ବ ତୋହର ନିଦ୍ରା ଦେଖି ମୋର ଚିତ୍ତ ।ପଦ୍ମ ଯେହ୍ନେ ଚାହୁଁ ଥାଇ ସୂର୍ଯ୍ୟର ଉଦିତ ॥
ବାଳକଙ୍କ ସଙ୍ଗେ କ୍ରୀଡ଼ା କରିବାର ଅର୍ଥେ ।ଗୃହରୁ ବାହାର ହୋଇ ମିଳୁ ଯେବେ ପଥେ ॥
ତୋହର ବିଳମ୍ବେ ହୃଦେ ବେନି ସ୍ତନ ମୋର ।ଉନ୍ମୁଖେ ଝରଇ ଯେହ୍ନେ ମେଘ ଜଳଧାର ॥
ତୁ ମୋର ତପସ୍ୟା ଅର୍ଥେ ଯେବେ ଯିବୁ ହଟେ ।ମୋର ପଞ୍ଚପ୍ରାଣ ଯେ ମିଳିବ କଣ୍ଠତଟେ ॥
ଅତି ତାପେ ତାପିବି ଯେ ତୋହର ଗମନେ ।ଏକାନ୍ତ କୁମରମଣି ଜନନୀ ବଚନେ ॥
ବିଷ୍ଣୁର ପୟରେ ହୃଦେ କରି ନମସ୍କାର ।ମଙ୍ଗଳ ମୁହୂର୍ତ୍ତେ ଧ୍ରୁବ ହୋଇଲା ବାହାର ॥
ଜନନୀର ମନ ଯେ ପୁତ୍ରର ପଛେ ଗଲା ।ଚଳନ୍ତେ ରାଜାର ପୁରେ କେହି ନ ଦେଖିଲା ॥
ବାଳକ ବାଳ ଆଦିତ୍ୟ ପ୍ରାୟେ ପଥେ ଯାନ୍ତେ ।ଅନୁକୂଳ ପବନ ବହିଲା ଅକସ୍ମାତେ ॥
ପବନେ ଚଳିତ ବନଲତା ତରୁଗଣ ।ହସ୍ତ ପ୍ରସାରିଲା ପ୍ରାୟ କରନ୍ତି କଲ୍ୟାଣ ॥
କାନନେ ପଶିଲା ଧ୍ରୁବ ଗୋବିନ୍ଦ ସୁମରି ।ଜନନୀ ଚରଣ ବେନି ହୃଦଗତେ ଧରି ॥
ଭୂମିକି ଅନାଇ ଯେ ଅନେକ ଦୂର ଗଲା ।ଗହନ କାନନ ରାଜପଥ ନ ଜାଣିଲା ॥
ନ ଭକ୍ଷିଣ ତୃଷିତ ବାଧିତ ଦୁଃଖମନେ ।ବୃକ୍ଷ ମୂଳେ ବସିଲା ଆଦିତ୍ୟ ଅବସାନେ ॥
ବାଳକ ଭାବଇ ମନେ ଦଶଦିଗ ଚାହିଁ ।କାହାକୁ ପୁଚ୍ଛିବି ମୋର ସଙ୍ଗେ କେହି ନାହିଁ ॥
ବେନି ଚକ୍ଷୁ ବୁଜି ସେ କୃଷ୍ଣଙ୍କୁ ସୁମରଇ ।ବଣଜନ୍ତୁ ଭୟେ ଧ୍ରୁବ ପୁଣିହିଁ ଅନାଇ ॥
ତା’ର ପୂର୍ବ ତପବଳେ ସେ ଘୋର କାନନେ ।ସାୟଂକାଳେ ସମୀପେ ମିଳିଲେ ମୁନିମାନେ ॥
ପର୍ବତ କାନନେ ଦ୍ରୁମ ଜଳ ଅଗ୍ନିପଥେ ।ବାଳବୃଦ୍ଧ ବନିତା ଦୁର୍ବଳ ବ୍ୟାଧିଗ୍ରସ୍ତେ ॥
ପୂର୍ବ ଭାଗ୍ୟଥିଲେ ପ୍ରାଣୀ ଦୁସ୍ତରୁ ତରନ୍ତି ।ଭାଗ୍ୟହୀନେ ଗୃହେ ଯତ୍ନ କରନ୍ତେ ମରନ୍ତି ॥
ଦେଖ ତାର ଭାଗ୍ୟବଳ ସପ୍ତଋଷି ଗଣେ ।ସମୀପେ ମିଳିଲେ ଆସି ଭୟଙ୍କର ବନେ ॥
ରାଜାର କୁମର ଅବା କାହିଁ ବନବାସ ।ଦୈବର ଘଟନ ଦେଖ ଧର୍ମର ବିଶ୍ୱାସ ॥
ଏଣୁ ନିଜ କର୍ମକୁ କରିବ ନମସ୍କାର ।ଯାହାର ଉପରେ ନାହିଁ ପ୍ରଭୁ ଅଧିକାର ॥
ଯାହାର ଯେ ଶୁଭାଶୁଭ ପୁଣ୍ୟଫଳ ଥାଇ ।ମନେ ନ କଳ୍ପିଲେ ଅକସ୍ମାତେ ସେ ମିଳଇ ॥
ଭବିଷ୍ୟତ ରଜ୍ଜୁବନ୍ଧେ କରି ଆକର୍ଷଣ ।ନାନାସ୍ଥାନେ କରୁଥାଇ ଭବିଷ୍ୟ କାରଣ ॥
ଶରୀର ସମ୍ପଦ ବିତ୍ତ ବିବିଧ ଚେଷ୍ଟିତ ।ତେଜୋବଳ ଉଦ୍ୟମ ସେ ସହାୟ ପ୍ରମଥ ॥
ପୁଣ୍ୟବଳ ଥିଲେ ସେ ସମସ୍ତ ଫଳ ପାଇ ।ପୂର୍ବେ ନ ଅର୍ଜିଲେ ଲାଭ ନ ପାଇଟି କାହିଁ ॥
ଚକ୍ଷୁ ମଳି ଚାହାନ୍ତେ ଦେଖିଲା ମୁନିଗଣ ।ତେଜ ବିରାଜଇ ଯେହ୍ନେ ସୂର୍ଯ୍ୟର କିରଣ ॥
ଭାଗ୍ୟ ଜାତ ଆକ୍ରୋଶେ ମିଳିଲେ ସର୍ବମୁନି ।ଲଲାଟେ ତିଳକ ଦଣ୍ଡ ପ୍ରଭା କରେ ଘେନି ॥
କୃଷ୍ଣାଜିନ ପରିଧାନ ପବିତ୍ର ଉତ୍ତରୀ ।ଉନ୍ମୀଳ ଲୋଚନ ଅକ୍ଷସୂତ୍ର ଦଣ୍ଡଧାରୀ ॥
ଅକସ୍ମାତେ ମିଳିଲେ ଅଗାଧ କ୍ଷୀରନିଧି ।ଆଦିମାତା ଜାଣି ଜ୍ଞାନଗୁଣେ ଯେ ପ୍ରସିଦ୍ଧି ॥
ଅମୃତ ବଚନ କି ବଦନେ ବରଷନ୍ତି ।କ୍ଷୀରନିଧି ମଧ୍ୟେ ହ୍ରାସ ପ୍ରାୟ ସେ ଦିଶନ୍ତି ॥
ଏମନ୍ତ ମୁନିଙ୍କି ଧ୍ରୁବ ସନ୍ନିଧିରେ ଦେଖି ।ସଂଭ୍ରମ ଚିତ୍ତେ ଉଠିଲା ଆସନ ଉପେକ୍ଷି ॥
କପାଳେ କର ସଂପୁଟ ଦେଇ ଦୃଢ଼ ମନେ ।ମୁନିଙ୍କି ପ୍ରଣାମ କଲା ହରଷ ବଦନେ ॥
ଆନନ୍ଦେ ମୁନିଙ୍କ ପାଦେ ଧ୍ରୁବ କରଯୋଡି ।କହଇ କୋମଳ ବାଣୀ ବିନୟ ଆଚରି ॥
ଉତ୍ତାନପାଦ ବୀର୍ଯ୍ୟରେ ସୁନୀତି ଉଦରେ ।ଶରୀର ବହିଲି ମୁହିଁ ଏ ଘୋର ସଂସାରେ ॥
ଧ୍ରୁବ ନାମ ବୋଲାଇ ଅଧ୍ରୁବ ନାମ ମୋର ।ନିର୍ମଳ ମାନସେ ମୁହିଁ ମନ୍ଦିରୁ ବାହାର ॥
ଅନାଥ ହୋଇ ମିଳିଲି ଏ ଘୋର କାନନେ ।ସନାଥ ହୋଇଲି ଏବେ ତୁମ୍ଭ ଦରଶନେ ॥
ନିରାଶ ଶରୀର ମୋର ଏଣେ କାର୍ଯ୍ୟ ନାହିଁ ।ବଞ୍ଚିତ ହୋଇଲି ନୃପ ସିଂହାସନେ ମୁହିଁ ॥
ପୂର୍ବେ କୋଟିଜନ୍ମେ ମୁଁ ନ କଲି ତପ ରାଶି ।ଏବେ କଲି ଚିତ୍ତ ନୃପ ସିଂହାସନେ ବସି ॥
ଏଣୁ ମୁଁ ନିରାଶ ଚିତ୍ତେ ପଶିଲି ବନସ୍ତେ ।ସ୍ଥିର ଭାବେ ମନ ମୋ ନ ରହେ ଅନ୍ତର୍ଗତେ ॥
ଏମନ୍ତ ଧ୍ରୁବର ବାଣୀ ଶୁଣି ମୁନିଗଣେ ।ତା’ର ମୁଖ ଚାହିଁ ସେ କହନ୍ତି ଜଣେ ଜଣେ ॥
ସ୍ୱଭାବେ ମଧୁରାକୃତି ଦେଖି ତା ବଦନ ।ସୁଧାରୁ ଅଧିକ କହେ ମଧୁର ବଚନ ॥
ଅତି ଦୟାଚିତ୍ତେ ବସି ଧ୍ରୁବର ସମୀପେ ।ଦୟା ଚିତ୍ତେ ମୁନିଏ ବୋଲନ୍ତି ଏକେ ଏକେ ॥
ଋଷିରୁବାଚଆହେ ବାଳ ବିଶାଳାକ୍ଷ ମହାରାଜ ସୁତ ।ବିଚାରି ନ ପାରିଲୁ ତୋହର ଅନ୍ତର୍ଗତ ॥
ନିବେଦନ କାରଣ ଆମ୍ଭର ଆଗେ କହ ।ତୋର ବାକ୍ୟେ ଆମ୍ଭଙ୍କୁହିଁ ଲାଗିଲା ସନ୍ଦେହ ॥
ସ୍ୱଭାବେ ବାଳକ ତୋର ଅର୍ଥଚିନ୍ତା ନାହିଁ ।ରାଜପୁରେ ଜନନୀର ସଙ୍ଗେ ଥାଉ ତୁହି ॥
ଅଧି ବ୍ୟାଧି ନ ଦେଖୁତ ତୋହର ଶରୀରେ ।ନିବେଦ୍ୟ କାରଣ କହ ଆମ୍ଭର ଆଗରେ ॥
ଯୁବାକାଳେ ଭୋଗ ଯେବେ ନ ପାଆନ୍ତି ନରେ ।ସ୍ୱଭାବେ ବୈରାଗ୍ୟ ଜନ୍ମ ହୁଅଇ ଶରୀରେ ॥
ସପ୍ତଦ୍ୱୀପ ମଧ୍ୟରେ ତୁ କୁମର ସ୍ୱଭାବେ ।କି କାରଣେ କାନନେ ପଶିଲୁ ବାଳଭାବେ ॥
ଯୁବାନୋହୁ ବୃଦ୍ଧ ନୋହୁ ବ୍ୟାଧି ଦେହେ ନାହିଁ ।ବାଳକାଳେ ଅରଣ୍ୟେ ପଶିଲୁ କାହିଁପାଇଁ ॥
ଏମନ୍ତ ପ୍ରକାରେ ଶୁଣି ମୁନଙ୍କ ବଚନ ।ଗଦ ଗଦ ବାକ୍ୟେ କହେ ନୃପତି ନନ୍ଦନ ॥
ଶୁଣ ହେ ସକଳ ବ୍ରହ୍ମ ମୁନିଗଣ ଧୀରେ ।ନିବେଦ୍ୟ କାରଣ କହେ ତୁମ୍ଭର ଛାମୁରେ ॥
ରାଜସେବା ଅର୍ଥେ ମୋତେ ଜନନୀ ପେଷିଲା ।ମୋର ଧାତ୍ରୀ ପିତା ଆଗେ ନେଇ ବସାଇଲା ॥
ପିତାଙ୍କ ଚରଣେ ମୁହିଁ ନମସ୍କାର କରି ।ଉଭା ହୋଇଅଛି ମୁଁ ଧାତ୍ରୀର ବସ୍ତ୍ର ଧରି ॥
ମୋର ଭାଇ ଉତ୍ତମକୁ ଦେଖି ପିତା କୋଳେ ।ମୁହିଁ ଧରିବାକୁ ଯାଇ ଧଇଲି ଅଞ୍ଚଳେ ॥
ତାହା ଦେଖିଣ ସୁରୁଚି ମୋ ମାତା ସପତ୍ନୀ ।ଅନେକ ଭର୍ତ୍ସନା କଲା ସଉତୁଣୀ ଘେନି ॥
ଆପଣା ପୁତ୍ରକୁ କଲା ଉତ୍ତମ ସ୍ୱଭାବେ ।ଅନେକ ନିନ୍ଦିଲା ମୋତେ ନିନ୍ଦିତ ପ୍ରସ୍ତାବେ ॥
ଅଭାଗିନୀ ଗର୍ଭୁ ହେଲା ଜନମ ତୋହର ।ଦେଖ ଅତି ଭାଗ୍ୟବନ୍ତ ମୋହର କୁମର ॥
ଏ ଗର୍ଭେ ଜନ୍ମିଲେ ନୃପ ସିଂହାସନ ପାଇ ।ମୋର ଗର୍ଭେ କିମ୍ପା ଜନ୍ମି ନ ଲଭିଲୁ ତୁହି ॥
ତୋହର ମାତାର ପୂର୍ବେ କିଛି ପୁଣ୍ୟ ନାହିଁ ।ସେ ଗର୍ଭେ ଜନ୍ମିଲୁ ସୁଖ ଲଭିବୁ ତୁ କାହିଁ ॥
ଦୁର୍ଭାଗୀର ପୁତ୍ର ହୋଇ ନୃପ ସିଂହାସନେ ।ତୋର ପୁଣ୍ୟ ନାହିଁ ଏବେ ବସିବୁ କେସନେ ॥
ଏମନ୍ତ ପ୍ରକାରେ ମୋର ମାତା ନିନ୍ଦା କଲା ।ଧିକ ଧିକ ଜନ୍ମ ବୋଲି ବହୁ ଝିଙ୍ଗାସିଲା ॥
ମୁଁ କାନ୍ଦି କହିଲି ନିଜ ଜନନୀ ଅଗ୍ରତେ ।ତପ କରିବାକୁ ମାତା ଆଜ୍ଞା ଦେଲେ ମୋତେ ॥
ବୋଇଲେ ସଂସାରେ ସାର ତପସ୍ୟା କରିଣ ।ଉଚ୍ଚ ନୀଚ ମଧ୍ୟେ ଦେଖ ସଂସାର ଧାରଣ ॥
ନୃପ ସିଂହାସନେ ଯେବେ ବାଞ୍ଛା ଅଛି ତୋର ।ଏବେ ନରଦେହେ ପୁତ୍ର ତପ ସିଦ୍ଧ କର ॥
ଏମନ୍ତ ଜନନୀ ମୁଖୁଁ ପାଇ ଉପଦେଶ ପାଇ ।ତପସାଧେ ଘୋରବନେ ପ୍ରବେଶ ହେଲଇଁ ॥
ନିବେଦନ କାରଣ କହିଲି ତୁମ୍ଭ ଆଗେ ।ପଶି ବନେ ଭାଳଇ ମୁଁ ବାଳକ ସ୍ୱଭାବେ ॥
ଏମନ୍ତ ଧ୍ରୁବର ବାକ୍ୟ ମୁନିଗଣ ଶୁଣି ।ଅନ୍ୟୋନ୍ୟରେ ଚାହିଁ ସେ କହନ୍ତି ମନେ ଗୁଣି ॥
ଦେଖ ଏ କ୍ଷତ୍ରିୟ ତେଜ ସଂସାରେ ଦୁସ୍ତର ।ପୁଣି ଧ୍ରୁବ ମୁଖ ଚାହିଁ କହନ୍ତି ମଧୁର ॥
ଆମ୍ଭର କି ସାଧ୍ୟ କର୍ମ ତୋର ଉପକାର ।ନିର୍ଣ୍ଣୟ କରିଣ କହ ଆମ୍ଭର ଆଗର ॥
ତୋର ମନୋରଥ ଆମ୍ଭେ ଜାଣିବୁ କେମନ୍ତେ ।ଭ୍ରାନ୍ତି ଛାଡିକରି କହ ଆମ୍ଭର ଅଗ୍ରତେ ॥
ଶୁଣିମା ଭୋ ମୁନିଜନେ ମୋର ମନୋରଥ ।ପିତାର ଦୁର୍ଲ୍ଲଭ ପୁତ୍ର ଉତ୍ତମ ମୋ ଭ୍ରାତ ॥
ପିତାର ସମୀପେ ବସେ ନୃପ ସିଂହାସନେ ।ତାହାକୁ ମୋହର କିଛି ଆନ ନାହିଁ ମନେ ॥
ତୁମ୍ଭେ ମୋତେ ସାହା ହୁଅ ଏ ଘୋର କାନନେ ।ଉପଦେଶ କୁହ ମୁନି ନିସ୍ତାରେ ଯେସନେ ॥
ଶରୀର ବାଳକ ମୋର ବୁଦ୍ଧି ବାଳ ନୁହେଁ ।କହିଲି ତୁମ୍ଭର ଆଗେ ଚିତ୍ତର ନିର୍ଣ୍ଣୟେ ॥
ମୋର ମନ କହେ ତୁମ୍ଭେ ଶୁଣ ମୁନିଗଣେ ।ଯେବେ ଅଭିମାନେ ମୁଁ ପଶିଲି ଘୋରବନେ ॥
ଯେ ପଦକୁ ପୂର୍ବେ ତପେ କେହି ଲଭି ନାହିଁ ।ଇନ୍ଦ୍ର ଆଦି ଦେବତାଙ୍କୁ ଗୋଚର ନୁହଇ ॥
ତ୍ରିଲୋକ ଉପରେ ସର୍ବବନ୍ଦିତ ଯେ ସ୍ଥାନ ।ତହିଁ ବସିବି ନିଶ୍ଚିନ୍ତେ କଳ୍ପଇ ମୋ ମନ ॥
ମୋର ପିତୃ ପିତାମହ ଯାହା ନ ପାଇଲେ ।କଳ୍ପ କଳ୍ପାନ୍ତରେ ଯାହା ନ ପାଇବେ ଭଲେ ॥
ସେ ଭୁବନେ ଯେଉଁ ଭାବେ ବସିବଇଁ ମୁହିଁ ।ତହିଁର ଉପାୟ ମୋତେ କହ ଭାବ ବହି ॥
ଧନ ରାଜ୍ୟ ଭୋଗ ମୋର ପ୍ରୟୋଜନ ନାହିଁ ।ଏତେ କହି ମୁନିଙ୍କ ଚରଣେ ପ୍ରଣମଇଁ ॥
ଧ୍ରୁବର ବଚନ ଶୁଣି ସର୍ବ ମୁନିଗଣେ ।ଅନ୍ୟୋନ୍ୟରେ ମିଳି ସେ କହନ୍ତି ତୋଷମନେ ॥
ମରୀଚି ଉବାଚଶୁଣ ହୋ ନୃପନନ୍ଦନ କହୁଁ ତୋର ଆଗେ ।ଯେ ସର୍ବବେଦ ପୁରାଣ ଶାସ୍ତ୍ର ଅନୁଭବେ ॥
ବିଷ୍ଣୁର ଚରଣେ ସେବା ଯେ କରେ ନିଶ୍ଚୟେ ।ଇହ ପରଲୋକେ ସେ ବାଞ୍ଛିତ ଫଳ ପାଏ ॥
ଅନ୍ୟ ଦେବଙ୍କର ବର ଅନୁଭବେ ସରେ ।ବିଷ୍ଣୁର ପ୍ରସନ୍ନେ ଭୋଗ ଭୁଞ୍ଜେ ନିରନ୍ତରେ ॥
ଅତ୍ରି ଉବାଚଅତ୍ରି କହେ ଶୁଣ ବାବୁ ସୁନୀତି କୁମର ।ନାରାୟଣ ସନ୍ତୋଷେ ନିର୍ମଳ ତପ କର ॥
ସେ ନାରାୟଣ ପ୍ରଭୁ ଯାହାକୁ ତୋଷ ହୋଇ ।ମନର ବାଞ୍ଛାରୁ ସେ ଅଧିକେ ଫଳ ପାଇ ॥
ଅକ୍ଷୟ ସ୍ଥାନରେ ତୁ ହୋ ପାଅ ଅଧିକାର ।ବିଘ୍ନକରି ନ ପାରନ୍ତି ଶିବ ସିଦ୍ଧ ସୁର ॥
ଏ ସତ୍ୟ ବଚନ ମୋର କର ହରି ଧ୍ୟାନ ।ଅଳ୍ପଦିନେ ଲଭିବୁ ଅକ୍ଷୟ ଦିବ୍ୟ ସ୍ଥାନ ॥
ଅଙ୍ଗିରା ଉବାଚଅଙ୍ଗିରା କହନ୍ତି ଶୁଣ ନୃପତି କୁମର ।ଭାବେଶ ଗୋବିନ୍ଦଙ୍କ ଚରଣେ ଆଶ୍ରେ କର ॥
ବିଶ୍ୱ ବାହ୍ୟାଭ୍ୟନ୍ତରରେ ଯାହାର ନିବାସ ।ଆତ୍ମାରୂପେ ସର୍ବଭୂତେ ଯାହରା ଆବାସ ॥
ଅଗ୍ରସ୍ଥାନେ ବସିବାକୁ ଇଚ୍ଛା ଯେବେ ତୋର ।ସର୍ବଭାବେ ବିଷ୍ଣୁର ଚରଣେ ଆଶ୍ରା କର ॥
ପୁଲହ ଉବାଚପରଂବ୍ରହ୍ମ ପରଂଧାମ ପରାପର ନାହିଁ ।ବିଶ୍ୱ ବାହ୍ୟ ଅଭ୍ୟନ୍ତରେ ଯାର ବିଶ୍ୱଦେହୀ ॥
ସେ ହରି ଚରଣେ ଆଶ୍ରେ କର ଦୃଢ଼ ଚିତ୍ତେ ।ତ୍ରୈଲୋକ୍ୟ ଦୁର୍ଲଭ ସ୍ଥାନ ଲଭିବୁ ଯେମନ୍ତେ ॥
କ୍ରତୁ ଉବାଚକ୍ରତୁ କହେ ଶୁଣ ବୀର ମୋହର ବଚନ ।ଯେ ଯଜ୍ଞ ପୁରୁଷ ଭୁଞ୍ଜେ ଏ ତିନି ଭୁବନ ॥
ତାହାର ପ୍ରସନ୍ନେ ସେ ଦୁର୍ଲ୍ଲଭ ଲଭେ ପ୍ରାଣୀ ।ମୁଁ ଏହା ଜାଣଇ ସର୍ବ ଶାସ୍ତ୍ର ପରମାଣି ॥
ପୌଲସ୍ତ୍ୟ ଉବାଚପୌଲସ୍ତ୍ୟ କହନ୍ତି ଧ୍ରୁବ ଶୁଣ ଏକ ଚିତ୍ତେ ।ଇନ୍ଦ୍ରାଦି ଦୁର୍ଲ୍ଲଭ ସ୍ଥାନ ଲଭିବୁ ଯେମନ୍ତେ ॥
ଘୋର ତପେ ବିଷ୍ଣୁର ଚରଣେ ଆଶ୍ରେ କର ।ଦୁର୍ଲଭ ଆସନେ ବସି ଭୁଞ୍ଜ ଭୋଗ ସାର ॥
ବଶିଷ୍ଠ ଉବାଚବଶିଷ୍ଠ କହନ୍ତି ଶୁଣ ନୃପତି ନନ୍ଦନ ।ତପୋବଳେ ବାସୁଦେବ କର ଦୃଢ଼େ ଧ୍ୟାନ ॥
ପରମ କୈବଲ୍ୟଦାତା ପ୍ରଭୁ ଚକ୍ରଧର ।ତାହାର ପ୍ରସନ୍ନେ କି ଦୁର୍ଲ୍ଲଭ ଅଗୋଚର ॥
ଧ୍ରୁବ ଉବାଚଶୁଣି ବେନିକର ଧ୍ରୁବ ଶିରେ ଦେଇ ତୋଷେ ।ପୁନଃ ପୁନଃ ପ୍ରଣମିଲା ଭକ୍ତିର ବିଶ୍ୱାସେ ॥
ତୁମ୍ଭ ଉପଦେଶେ ଯେବେ ହରିଙ୍କୁ ଭଜିବି ।ଉପାୟ କହିବା ମୋତେ କେମନ୍ତେ ପାଇବି ॥
ସାଂଖ୍ୟଯୋଗେ କିବା ଜପ ତପ ମନ୍ତ୍ରଧ୍ୟାନେ ।ପ୍ରାଣାୟାମ ବଳେ କିବା ନିଶ୍ଚଳ ଆସନେ ॥
କେମନ୍ତେ ପାଇବି ଅଳ୍ପଦିନେ ତପ କରି ।ସ୍ୱଭାବେ ବାଳକ ମୁହିଁ ଦୁଃଖୀ ଦୁରାଚାରୀ ॥
ଯେ ଆରାଧନେ ଭଜିବି ହରିଙ୍କ ଚରଣ ।ପ୍ରସନ୍ନ ବଦନେ ମୋତେ କହ ମୁନିଗଣ ॥
ଋଷିଗଣ ଏମନ୍ତ ବାଳକ ବାକ୍ୟ ଶୁଣି ।ସପ୍ତ ଋଷିଗଣେ ଏକଚିତ୍ତେ ପରିମାଣି ॥
ଋଷୟ ଉଚୁଃକହନ୍ତି ହେ ଧ୍ରୁବ ଶୁଣ ନିର୍ବାଣ ପ୍ରକାର ।ଯେଉଁ ଆରାଧନେ ଭବୁଁ ନିସ୍ତରନ୍ତି ନର ॥
ପ୍ରତ୍ୟାହାର ବିଷୟ ବଳେ ସେ ଇନ୍ଦ୍ରିଗଣ ।ବାହାର ଭିତରେ ମନେ କରନ୍ତି ଗମନ ॥
ଇନ୍ଦ୍ରିଙ୍କ ବିଷୟ ମନ ନିଶ୍ଚଳେ ନିରୋଧି ।ଗୁରୁବାକ୍ୟ ସାଧନ ବିଧାନ ଏ ପ୍ରସିଦ୍ଧି ॥
ଜାଗ୍ରତ ସ୍ୱପ୍ନ ମଧ୍ୟେ ତୁରୀୟ ଭୂମିସ୍ଥାନେ ।ପଞ୍ଚପ୍ରାଣ ନିରୋଧନ କର ତତ୍ତ୍ୱଜ୍ଞାନେ ॥
ବାହ୍ୟ ଅନ୍ତେ ଜଳ ଘଟେ ଗଗନ ଯେସନେ ।ସେହି ଭାବେ ସର୍ବ ଘଟେ ଦେଖି ଦିବ୍ୟଜ୍ଞାନେ ॥
ନାଭିଚକ୍ର ଉର୍ଦ୍ଧ୍ୱେ ଦେଖ ଦଶହିଁ ଅଙ୍ଗୁଳେ ।ପୀତବର୍ଣ୍ଣ ପ୍ରାୟେ ଦିଶେ ହୃଦୟ କମଳେ ॥
ଦ୍ୱାଦଶ ପାଖୁଡ଼ା ମଧ୍ୟେ ଷଡ଼ ଯେ କେଶର ।ଅଗ୍ନି ଚନ୍ଦ୍ର ସୂର୍ଯ୍ୟ ଦିଶେ ମଣ୍ଡଳ ଆକାର ॥
ତାର ମଧ୍ୟେ ଧ୍ୟାନକରି ଚିନ୍ତ ଦିବ୍ୟରୂପ ।ସର୍ବ ଭୂତାଶ୍ରୟ ଯେ ପୁରୁଷୋତ୍ତମ କଳ୍ପ ॥
ସେହି ସ୍ଥାନେ ବସ ତୁ ଆସନ ଦୃଢ଼କରି ।ନାରାୟଣ ମନ୍ତ୍ର ଯେ ଜପ ତୁ ହୃଦେ ଧରି ॥
ଏହି ମନ୍ତ୍ର ପୂର୍ବେ ଜପି ସ୍ୱାୟମ୍ଭୂବ ମନୁ ।ସୃଷ୍ଟି ହେତୁ ସାଧ୍ୟ କଲା ବ୍ରହ୍ମା ନିଜ ତନୁ ॥
ସାଧୁଜନେ ଏହିଭାବେ କର ଦୃଢ଼ଚିତ୍ତ ।ସଂସାର ନିସ୍ତାରେ କହେ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ଚରିତେଅଷ୍ଟମୋଽଧ୍ୟାୟଃ ।