ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୧୦ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ବିଂଶ ଅଧ୍ୟାୟ
ମୈତ୍ରେୟ ଉବାଚଏମନ୍ତେ ପୃଥୁ ମୁଖ ଚାହିଁ ।ଭୟେ ଚରଣେ ଶିର ଦେଇ ॥
କୁପିତ ପୁରୁଷ ବଚନେ ।ସ୍ୱଭାବେ ଅରୁଣ ଲୋଚନେ ॥
ଏମନ୍ତେ କରି ଦିବ୍ୟସ୍ତୁତି ।ପୁଣି କହଇ ବସୁମତୀ ॥
ଭୋ ନାଥ କୋପ ଛାଡ଼ ମୋତେ ।ମୁହିଁ ଶରଣ ଗଲି ତୋତେ ॥
ଯେ ଆତ୍ମା କାରଣ ବିଚାରି ।ସଂସାର ସାର ବିଶ୍ୱ ହରି ॥
ଚିତ୍ତେ ନ କଳ୍ପେ ଭିନ୍ନେ ଭିନ୍ନେ ।ପୁଷ୍ପରୁ ମଧୁକର ଯେହ୍ନେ ॥
ଯେ ସତ୍ୟ ଇହ ପରଲୋକେ ।ସୁଯୋଗୀଜନ କହେ ମୁଖେ ॥
ଉପାୟେ ସେ ଫଳ ଭୁଞ୍ଜନ୍ତି ।ଉଭୟ ଲୋକେ ନାହିଁ ଭ୍ରାନ୍ତି ॥
ଏହା ଯେ ନ କରନ୍ତି ଚିତ୍ତେ ।ସେ ଯଶ ଲଭିବେ କେମନ୍ତେ ॥
ବ୍ରହ୍ମା ଯେ ଥାଇ ମୋର ହିତେ ।ଶସ୍ୟ ସାମଗ୍ରୀ କଲା ଯେତେ ॥
ସେ ସର୍ବ ମୋର ଦେହେ ଥିଲା ।ଏମନ୍ତେ ତୋର ପିତା ମଲା ॥
ଚତୁର ରାଜ୍ୟେ ଅରାଜକେ ।ଭବିଷ୍ୟ ଯଜ୍ଞ ରକ୍ଷା ଅର୍ଥେ ॥
ଯେତେ ଔଷଧ ବୀଜ ଥିଲା ।ଅରାଜ ଯୋଗେ ନାଶ ଗଲା ॥
ରାଜା ବିଯୋଗ ସର୍ବ ଧର୍ମ ।ଦୁଷ୍ଟେ ନାଶିଲା ମନ୍ଦ କର୍ମ ॥
କ୍ଷଣ ବିରୋଧ ଦୁଃଖ ସହି ।ଭକ୍ଷିଲି ଧେନୁ ରୂପ ହୋଇ ॥
ସେ ସର୍ବ ଶସ୍ୟରସ ଯେତେ ।କ୍ଷୀର ବର୍ଷନ୍ତି ମୋର ଗାତ୍ରେ ॥
ଦୋହନ କର ତୁ ଜଗତେ ।ଦୁଗ୍ଧ ସ୍ରବିବି ଧେନୁ ରୂପେ ॥
କ୍ଷରିବି ସର୍ବ ଶସ୍ୟ ମୁହିଁ ।ପ୍ରାଣୀ ଜୀବନ ଯେଣେ ରହି ॥
ମୁଁ ସର୍ବ କାମଧେନୁ ରୂପେ ।ସ୍ରବିବି ସର୍ବଜନ ମୁଖେ ॥
ତୁ ଏବେ ମୋତେ ରକ୍ଷାକର ।ଧନୁ ଆୟୁଧ ପରିହର ॥
ସୁଷମ କରି ମୋର ଗାତ୍ରେ ।ମୁହିଁ ଯେସନେ ଶସ୍ୟକ୍ଷେତ୍ରେ ॥
ସମ ହୋଇଲେ ମୋ ଶରୀରେ ।ଶସ୍ୟ ଉଠିବ ନିରନ୍ତରେ ॥
ହୋଇବ ନାନାରୂପେ ଧାନ୍ୟ ।ଜନ୍ତୁଏ କରିବେ ଅଶନ ॥
ଏମନ୍ତେ ଧରଣୀ ବଚନ ।ଶୁଣି ସନ୍ତୋଷ ପୃଥୁ ମନ ॥
ମନୁକୁ ବତ୍ସାରୂପ କରି ।ଭାବେ କହଇ ଦଣ୍ଡଧାରୀ ॥
ତୁ ଏବେ ସ୍ତନ୍ୟ ପାନ କର ।ଯେମନ୍ତେ ସଞ୍ଚରଇ କ୍ଷୀର ॥
ତକ୍ଷଣେ ପୃଥୁର ବଚନେ ।ସେ ମନୁ ମୁଖ ଦେଲା ସ୍ତନେ ॥
ପିବନ୍ତେ ସଞ୍ଚରଇ କ୍ଷୀର ।ମେଘ ଯେସନେ ବୃଷ୍ଟିଧାର ॥
ଚରଣେ ବାନ୍ଧି ବତ୍ସା ମନୁ ।ପୃଥୁ ଦୁହିଁଲା କ୍ଷୀର ସ୍ତନୁ ॥
କ୍ଷୀର ପୂରିଲା ବସୁନ୍ଧରୀ ।ଯେସନେ ସିନ୍ଧୁର ଲହରୀ ॥
ଗର୍ଭେ ଯେ ଶସ୍ୟମାନ ଥିଲା ।କ୍ଷୀର ସଙ୍ଗତେ ସଞ୍ଚରିଲା ॥
ଶସ୍ୟ ହୋଇଲା ଅପ୍ରମିତେ ।ପ୍ରଜାଏ ନେଲେ ଯେଝାମତେ ॥
ପୃଥୁ ଦୋହନ ଅନ୍ତେ ଦେବେ ।ସର୍ବେ ଦୁହିଁଲେ ଯେଝାଭାବେ ॥
ମିଳି ସକଳ ମୁନିଗଣ ।ଆନନ୍ଦେ ହରଷିତ ମନ ॥
ଗୁରୁଙ୍କୁ ବତ୍ସା ରୂପ କରି ।ଯେ ଯାହା ମତେ ସ୍ତନ ଧରି ॥
ଦୁହିଁଲେ ମୁଖଛନ୍ଦମୟ ।ଯେ ଭାବେ ତୁଟଇ ସଂଶୟ ॥
ପୁଣି ସକଳ ଦେବେ ଧରି ।ଇନ୍ଦ୍ରକୁ ବତ୍ସାରୂପ କରି ॥
ସର୍ବେ ଦୁହିଁଲେ ଯେଝାମତେ ।ଅଶେଷ ଯଜ୍ଞକର୍ମ ଅର୍ଥେ ॥
ସୁବର୍ଣ୍ଣମୟ ପାତ୍ର ଆଣି ।ଆନନ୍ଦେ ଦୁହିଁଲେ ଧରଣୀ ॥
ଦେବ ଦାନବ ପୁଣ ଧରି ।ଗ୍ରହରାଜକୁ ବତ୍ସା କରି ॥
ଦୁହିଁଲେ ଲୌହମୟ ପାତ୍ରେ ।ଏଣୁ ସର୍ବ ସଞ୍ଚୟେ ଗାତ୍ରେ ॥
ଗନ୍ଧର୍ବେ ଅପସରାଗଣେ ।ବେଗେ ମିଳିଲେ ତତକ୍ଷଣେ ॥
କମଳ ପାନପତ୍ର କରି ।ଦୁହିଁଲେ ଭୂମି ସ୍ତନ ଧରି ॥
ବିଶ୍ୱାବସୁଙ୍କୁ ବତ୍ସା କଲେ ।ଗନ୍ଧର୍ବ ଦୁହିଁ ଏକତୁଲେ ॥
ଶ୍ରାଦ୍ଧଦେବଙ୍କୁ ବତ୍ସା କରି ।ପିତୃ ଯେ କବ୍ୟପାତ୍ର ଧରି ॥
ପୟ ଦୁହିଁଲେ କବ୍ୟପାତ୍ରେ ।ଯେଣେ ଅମୃତପୁରେ ଗାତ୍ରେ ॥
ସିଦ୍ଧେ ମିଳିଲେ ନାନାରଙ୍ଗେ ।କପିଳ ବତ୍ସା ଘେନି ସଙ୍ଗେ ॥
ସଙ୍କଳ୍ପ କରି କ୍ଷୀର ଧାରେ ।ଦୁହିଁଲେ ଜନ ଉପକାରେ ॥
ପୁଣି ମିଳିଲେ ବିଦ୍ୟାଧରେ ।ଯେ ଯାହା ପାତ୍ର ଧରି କରେ ॥
ଆନନ୍ଦ ମନେ କ୍ଷୀର ଦୁହିଁ ।ବସିଲେ ନିଜ ଭାବେ ଯାଇ ॥
ପୁଣି ମିଳିଲେ ଶିବଜନେ ।କ୍ଷୀର ଦୁହିଁଲେ ଯୋଗଧ୍ୟାନେ ॥
ମାୟାବୀ ଗଣେ ପୁଣି ଆସି ।ଧରଣୀ ସ୍ତନତଳେ ବସି ॥
ଆନନ୍ଦ ପାତ୍ର କରି ମନେ ।ସର୍ବେ ଦୁହିଁଲେ ଅନ୍ତର୍ଦ୍ଧାନେ ॥
ଯମ ନିୟମ ବତ୍ସା କରି ।ଧରଣୀ ସ୍ତନ କରେ ଧରି ॥
ଧରଣୀ କ୍ଷୀର ମାୟାପାତ୍ରେ ।ସର୍ବେ ଦୁହିଁଲେ ଯେଝାମତେ ॥
ମିଳିଲେ ଯକ୍ଷ ଋଷିଗଣେ ।ଭୂତ ବେତାଳ ଯାତୁଧାନେ ॥
ମୃତ୍ତିକା ପାତ୍ରେ କ୍ଷୀର ଦୁହିଁ ।କ୍ଷୀର ରୁଧିର ମାଂସମୟୀ ॥
ତକ୍ଷଣେ ସର୍ପଗଣେ ଆସି ।ଧରଣୀ ସ୍ତନ ତଳେ ବସି ॥
ତକ୍ଷକ ବତ୍ସା ରୂପ କରି ।ଧରଣୀ ସ୍ତନ କରେ ଧରି ॥
ବିଳକୁ ପାତ୍ର କରି ବେଗେ ।ବିଷ ଦୁହିଁଲେ ସର୍ବନାଗେ ॥
ପଶୁଏ ମିଳି ସ୍ତନତଳେ ।ବୃଷକୁ ବତ୍ସା କରି ବଳେ ॥
କ୍ଷୀର ଦୁହିଁଲେ ଯେଝା ସୁଖେ ।ତକ୍ଷଣେ ଗ୍ରାସ କରି ମୁଖେ ॥
ସିଂହ ସହିତେ ପଶୁଗଣେ ।ଦୋହନ କଲେ ତତକ୍ଷଣେ ॥
ତକ୍ଷଣେ ଯାତୁଧାନେ ଆସି ।ଧରଣୀ ସ୍ତନ ତଳେ ବସି ॥
ଶରୀର ପାତ୍ରେ ଗାବ ଦୁହିଁ ।ଆନନ୍ଦ କଲେ ନିଜ ଦେହୀ ॥
ପକ୍ଷୀର କ୍ଷୀରପାନ ଆଶେ ।ମିଳିଲେ ଧରଣୀର ପାଶେ ॥
ଖଗେନ୍ଦ୍ର ବତ୍ସା କରି ବେଗେ ।ଦୋହନ କଲେ ଭୂମିଭାଗେ ॥
ସକଳ ବୃକ୍ଷେ ଆଗୁ ସରି ।ବଟବୃକ୍ଷକୁ ବତ୍ସାକରି ॥
ସନ୍ତୋଷେ ଦୁହିଁ କ୍ଷୀରମୟେ ।ଲତା ଯେସନେ ବୃକ୍ଷ ଦେହେ ॥
ହିମବନ୍ତକୁ ବତ୍ସା କରି ।କ୍ଷୀର ଦୁହିଁଲେ ସର୍ବ ଗିରି ॥
ପୃଥୁ ଭବିତା ମହୀ ଶୋଭା ।ସକଳମତେ କାମଦୁହାଁ ॥
ଏମନ୍ତେ ପୃଥୁ ଆଦି ସର୍ବେ ।କ୍ଷୀର ଦୁହିଁଲେ ଯେଝା ଭାବେ ॥
ଯେତେକ ଲୋକ ମୁନି ଆଦି ।ଦୁହିଁଲେ ଜୀବନ ସମ୍ପାଦି ॥
ପୃଥୁ ଧରଣୀ ରୂପ ଚାହିଁ ।ଆନନ୍ଦ ମନେ ବିଚାରଇ ॥
ଏ ମୋର ପାଇଁ ଦୁଃଖ ସହି ।ରୂପ ଧଇଲେ ଧେନୁ ହୋଇ ॥
ଯେ ଯାହା ସୁଖେ ଦୁହିଁ ନେଲେ ।ସର୍ବେ ତୋଷିଲା ମହୀସ୍ଥଳେ ॥
ସକଳ ଲଭିଲେ ଜୀବନ ।ଦେଖ ଏହାର ଦେହ ଧନ୍ୟ ॥
ଏ ମୋର ଦୁହିତା ହୋଇବ ।ଏଣେ ବିଚାରେ ସର୍ବ ଜୀବ ॥
ଜୀବଙ୍କ ଜୀବ ଦାତା ଯେଣୁ ।ଏହାର ପୃଥ୍ୱୀ ନାମ ତେଣୁ ॥
ହୋଇବ ଏ ମୋର ପ୍ରମାଣ ।ଏଣୁ ଏ ସଂସାର ଧାରଣ ॥
ଏମନ୍ତେ ପୃଥୁ ହୋଇ ରାଜା ।ସମେ ପାଳିଲେ ଜନପ୍ରଜା ॥
ଭୂମି ଉପରେ ନାନା ଦେଶ ।ସକଳ ସ୍ଥାପି ଉପ ଦେଶ ॥
ଜନଙ୍କୁ ସ୍ଥାପି ପିତା ପ୍ରାୟେ ।ସକଳେ ରହିଲେ ନିର୍ଭୟେ ॥
ନିର୍ଭୟେ ରହିଲେ ସକଳେ ।ଅଚଳେ ରହିଲେ ନିଶ୍ଚଳେ ॥
କହଇ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୃଥୁରାଜା ଗୋରୂପୀ ପୃଥ୍ୱୀଦୋହନେ ନାମ ବିଂଶୋଽଧ୍ୟାୟଃ ।
ଏକବିଂଶ ଅଧ୍ୟାୟମୈତ୍ରେୟ ଉବାଚଏବେ ହୋ ଶୁଣ ବିଷ୍ଣୁ ଗାଥା ।କହିବି ପୃଥୁ ଯଜ୍ଞ କଥା ॥
ମିଳି ସକଳ ମୁନିଜନେ ।ସନ୍ତୋଷେ ପୃଥୁ ସନ୍ନିଧାନେ ॥
ଯଜ୍ଞ କରିଣ ଉଦବେଗେ ।ସର୍ବ ସମ୍ଭାର ନାନାଭାବେ ॥
ଆରମ୍ଭ କଲେ ବ୍ରହ୍ମାବର୍ତ୍ତେ ।ସୁପ୍ରାଚୀ ସରସ୍ୱତୀ ତୀର୍ଥେ ॥
ଇନ୍ଦ୍ରାଦି ସର୍ବ ଦେବେ ଆସି ।ଯଜ୍ଞ ଉତ୍ସବ ଘରେ ପଶି ॥
ସେ ଯଜ୍ଞେ ଯଜ୍ଞପତି ହରି ।ମନ୍ତ୍ର ଆଧାନେ ତାଙ୍କୁ ବରି ॥
ଶଙ୍କର ପଦ୍ମଯୋନି ମୂଳେ ।ମିଳି ସକଳ ଦିଗପାଳେ ॥
ଗନ୍ଧର୍ବ ଅପସରାଗଣେ ।ମୁନିନ୍ଦ୍ର ବେଦ ଉଚ୍ଚାରଣେ ॥
ଆନନ୍ଦେ ନୃତ୍ୟ ଗୀତେ ସ୍ତୁତି ।ସିଦ୍ଧ ଗୁହ୍ୟକ ପନ୍ତି ପନ୍ତି ॥
ଦାନବ କିନ୍ନର ସକଳେ ।ସେ ଯଜ୍ଞେ ମିଳିଲେ ଗହଳେ ॥
ସେ ପୃଥୁରାଜ୍ୟେ ବସୁମତୀ ।ବତ୍ସାସୁରରେ ପ୍ରିୟବତୀ ॥
କାମଧେନୁର ପ୍ରାୟ ହୋଇ ।ସର୍ବ ସମ୍ପଦ ଦେଲା ମହୀ ॥
ନଦୀ ଯେ ଦୁଗ୍ଧ ରସ ଜଳେ ।ସଧୀରେ ବହନ୍ତି କଲ୍ଲୋଳେ ॥
ଘୃତ ସଂଯୋଗ ଦଧି ଅନ୍ନେ ।ତୋଷେ ଭୁଞ୍ଜନ୍ତି ସର୍ବଜନେ ॥
ସର୍ବ ବୃକ୍ଷରେ ମଧୁପନ୍ତି ।ଜୀମୂତ ପ୍ରାୟ ବରଷନ୍ତି ॥
ସମୁଦ୍ର ନାନା ରତ୍ନେ ପୂରି ।ଗର୍ଜ୍ଜନ୍ତି ଉଲ୍ଲୋଳେ ଲହରୀ ॥
ସର୍ବତ୍ର ତୋଷି ଦୁଗ୍ଧ ଅନ୍ନ ।ଦେଇ ରଞ୍ଜିଲେ ପୃଥୁ ମନ ॥
ଲୋକପାଳଙ୍କ ଲୋକ ତୁଲେ ।ସର୍ବ ସମ୍ଭାର ଶସ୍ୟ ତୁଲେ ॥
ଯଜ୍ଞ କରଣ ବିଷ୍ଣୁ ଅର୍ଥେ ।ସର୍ବ ସମ୍ପାଦିଲେ ସମସ୍ତେ ॥
ପୃଥୁର ଯଜ୍ଞାରମ୍ଭେ ଚାହିଁ ।ବାସବ ମନେ ବିଚାରଇ ॥
ଏ ପୃଥୁ ଶତତ୍ରତୁ କଲେ ।ଲଭିବ ଇନ୍ଦ୍ରପଦ ଭଲେ ॥
ମୋର ସମ୍ପଦ ଯିବ ନାଶ ।ଏମନ୍ତ ବୋଲି ଛାଡେ ଶ୍ୱାସ ॥
ଯଜ୍ଞର କିଛିଦିନ ଅନ୍ତେ ।ଆତ୍ମାର ହିତ ଚିନ୍ତି ଚିତ୍ତେ ॥
ଯଜ୍ଞ ପଶୁକୁ ହରିନେଲା ।ନିଜ ଭୁବନେ ବିଜେ କଲା ॥
ଆକାଶ ମାର୍ଗେ ଇନ୍ଦ୍ର ଗଲା ।ପାଷଣ୍ଡ ଧର୍ମ ଆଚରିଲା ॥
ଧର୍ମେ ବିଭ୍ରମ ତାର ମନ ।ସଭୟ ଚିତ୍ତେ ଛନ୍ନଛନ୍ନ ॥
ଅତ୍ରି ଯେ ଥିଲେ ଯଜ୍ଞଶାଳେ ।ଅଶ୍ୱର ହରଣ ଜାଣିଲେ ॥
ପୃଥୁ ପୁତ୍ରକୁ ରାଇ ବେଗେ ।ଇନ୍ଦ୍ରର କର୍ମ ତାଙ୍କ ଆଗେ ॥
କହିଲେ ଅଶ୍ୱ ହର ବାଣୀ ।ପୃଥୁ ନନ୍ଦନ ତାହା ଶୁଣି ॥
ଧନୁକ ଶର ଘେନି ହସ୍ତେ ।ବେଗେ ଧାଇଁଲା ଶୂନ୍ୟପଥେ ॥
ଡାକଇ ରହ ରହ ବାଣୀ ।ସଭୟେ ଇନ୍ଦ୍ର ତାହା ଶୁଣି ॥
ନିଜ ଶରୀର ଛନ୍ନ କଲା ।ଜଟିଳ ରୂପ ପ୍ରକାଶିଲା ॥
ଭସ୍ମ ଭୂଷିତ ବେଶ ଚାହିଁ ।ପୃଥୁ ନନ୍ଦନ ବିଚାରଇ ॥
ଜଟିଳ ଭସ୍ମ ଏହା ଗାତ୍ରେ ।ଏହାକୁ ମାରିବି କେମନ୍ତେ ॥
ଏମନ୍ତ ମନେ ବିଚାରିଲା ।ଇନ୍ଦ୍ରକୁ ବାଟ ନ ଛାଡିଲା ॥
ତାର ରହିବା ପଥ ଦେଖି ।ଅତ୍ରି ଯଜ୍ଞଶାଳ ଉପେକ୍ଷି ॥
ଡାକଇ ମାର ମାର ବେଗେ ।ତା ଶୁଣି ଇନ୍ଦ୍ର ଶୂନ୍ୟମାର୍ଗେ ॥
ଭୟେ ଚାହିଁଲା ଦଶଦିଶେ ।ସ୍ୱଭାବେ କେହି ନାହିଁ ପାଶେ ॥
କହଇ ଇନ୍ଦ୍ର ବେଗେ ମାର ।ସ୍ୱଭାବେ ଯଜ୍ଞ ଅଶ୍ୱଚୋର ॥
ଏମନ୍ତ ଅତ୍ରିର ବଚନେ ।ଜାଣି ଧାଇଁଲା କୋପମନେ ॥
ଧାମଇଁ ଅତି କ୍ରୋଧ କରି ।ହସ୍ତୀକି ଯେସନେ କେଶରୀ ॥
ବାସବ ଦେଖି ତ୍ରାସ ମନେ ।ଅଶ୍ୱକୁ ଛାଡି ଅନ୍ତର୍ଦ୍ଧାନେ ॥
ହୋଇଲା ଶୂନ୍ୟ ମଧ୍ୟେ ଯାଇ ।ପୃଥୁ ନନ୍ଦନ ବିଚାରଇ ॥
ପରଶୁ ଘେନି ମହାରୋଷେ ।ଇନ୍ଦ୍ରକୁ ଚାହେଁ ଦଶଦିଶେ ॥
ନ ଦେଖି ପୁଣି ଯଜ୍ଞସ୍ଥାନେ ।ମିଳିଲା ଅତ୍ରି ସନ୍ନିଧାନେ ॥
ତାହାକୁ ରଜ୍ଜୁ ହସ୍ତେ ଧରି ।ଅତ୍ରି ଚରଣେ ନମସ୍କାରି ॥
ତାର ଅଦ୍ଭୁତ କର୍ମ ଦେଖି ।ମୁନିଏ ନାମ ଉପଲକ୍ଷି ॥
ବିଷ୍ଣୁ ଉଚ୍ଚାରି ପୁଣ୍ୟଧାମ ।ଦେଲେ ସେ ବିଜିତାଶ୍ୱ ନାମ ॥
ଏମନ୍ତେ ରଜନୀ ପ୍ରବେଶେ ।ଇନ୍ଦ୍ର ଯେ ମିଳି ଯଜ୍ଞ ଦେଶେ ॥
ବିଚାରି ଅନ୍ଧକାର ଛଳେ ।ଅଶ୍ୱକୁ ପୁଣି ନେଲା ବଳେ ॥
ଯଜ୍ଞର ଯୂପତଳେ ଛଳେ ।ରହିଲା ସୁବର୍ଣ୍ଣ ରଜ୍ଜୁରେ ॥
ଅତ୍ରି ଦେଖନ୍ତେ ଶୂନ୍ୟ ମାର୍ଗେ ।ତ୍ରାସେ ପଳାଇ ଇନ୍ଦ୍ର ବେଗେ ॥
ଅତ୍ରି ପୃଥୁର ମୁଖ ଚାହିଁ ।ବୋଲଇ ଅଶ୍ୱ ଆଣ ଯାଇ ॥
ତା ଶୁଣି ହସ୍ତେ ଧନୁ ଧରି ।ଧାଇଁଲା ଘୋର ନାଦ କରି ॥
ଡାକଇ ରହ ରହ ବାଣୀ ।ତାର ବଚନ ଇନ୍ଦ୍ର ଶୁଣି ॥
ପଥେ ଅଶ୍ୱକୁ ଛାଡି ଛନ୍ନେ ।ତକ୍ଷଣେ ଗଲା ଅନ୍ତର୍ଦ୍ଧାନେ ॥
ପୁଣି ସେ ଅଶ୍ୱ ଧରି କରେ ।ବେଗେ ମିଳିଲା ଦ୍ୱାରେ ଦ୍ୱାରେ ॥
ପାଷଣ୍ଡଜନ ସେହି ମତେ ।ରୂପ ପ୍ରକାଶିଲେ ଜଗତେ ॥
ପୃଥୁର ଯଜ୍ଞଘର ସ୍ଥାନେ ।ଇନ୍ଦ୍ରର ଯେତେ ରୂପ ଛନ୍ନେ ॥
ପାଷଣ୍ଡ ସେହି ରୂପ ଚିନ୍ତି ।ଅଧର୍ମ ଧର୍ମ ବିଚାରନ୍ତି ॥
କେ ନଗ୍ନ ରକ୍ତପଟ ଧରେ ।କେ ଭସ୍ମ ଭୂଷଣ ଶରୀରେ ॥
ଅଧର୍ମ ମାର୍ଗ ଆଚରନ୍ତି ।ଆତ୍ମାର ହିତ ନ କରନ୍ତି ॥
ପାଷଣ୍ଡମାର୍ଗେ ଥାଇ ନିତ୍ୟେ ।ଦୂଷଣ ଦେଇ ବେଦପଥେ ॥
ତାହାଙ୍କ ମତ ଯେ କରନ୍ତି ।ଅନ୍ତେ ନରକେ ପ୍ରବେଶନ୍ତି ॥
ଅଶ୍ୱ ଚୋରାନ୍ତେ ଇନ୍ଦ୍ର ପଥେ ।ଛନ୍ନେ ଧଇଲା ରୂପ ଯେତେ ॥
ସେ ରୂପେ ପ୍ରକାଶି ପାଷାଣ୍ଡେ ।ନିଗମ ନିନ୍ଦିଲେ ବ୍ରହ୍ମାଣ୍ଡେ ॥
ସେ କଥା ଶୁଣି ପୃଥୁ କୋପେ ।ଇନ୍ଦ୍ର ଝିଙ୍ଗାସେ ଦେହ କମ୍ପେ ॥
ଇନ୍ଦ୍ର ମାରଣେ କୋପ କରି ।ନିଜ କୋଦଣ୍ଡ କରେ ଧରି ॥
କୋପନ୍ତେ ଅରୁଣ ନୟନ ।ପ୍ରଚଣ୍ଡ ବିରାଜେ ବଦନ ॥
ପୃଥୁ ଗମନ ଦେଖି ରଣେ ।ବେଗେ ଚଳିଲେ ବିପ୍ରଗଣେ ॥
ଇନ୍ଦ୍ରର ହିତ ଚିତ୍ତେ ବହି ।କହନ୍ତି ପୃଥୁ ମୁଖ ଚାହିଁ ॥
ଶୁଣୁ ହେ ପୃଥୁ ଧର୍ମ କଥା ।ଆଗମ ନିଗମ ଯେ ପ୍ରଥା ॥
ଦେବଙ୍କ ଦେହେ ଇନ୍ଦ୍ର ତେଜେ ।ସେ ତେଜେ ଦେବ ଯଜ୍ଞ ଭୁଞ୍ଜେ ॥
ଏଣୁ ଇନ୍ଦ୍ରକୁ ଯାଗେ ବରି ।ମନ୍ତ୍ରେ ଅନଳେ ହୋମକରି ॥
ସୃଷ୍ଟି ପାଳନେ ଏ କାରଣ ।ଏ ଭାବେ ସଂସାର ଧାରଣ ॥
ଇନ୍ଦ୍ରରେ କୋପ ତୁ ସଂହର ।ଆମ୍ଭର ବାକ୍ୟ ଚିତ୍ତେ ଧର ॥
ଏମନ୍ତେ କହି ମୁନିଗଣେ ।ବ୍ରହ୍ମା ମିଳିଲେ ତତକ୍ଷଣେ ॥
ପୃଥୁ ବଦନ ଚାହିଁ ଧୀରେ ।କହନ୍ତି ବଚନ ଗଭୀରେ ॥
ବ୍ରହ୍ମୋବାଚଏ ଇନ୍ଦ୍ରନାରାୟଣ ତନୁ ।ଏହାକୁ କୋପ ଛାଡ ମନୁ ॥
ଏହାର ଦେହେ ସର୍ବ ଦେବେ ।ନିତ୍ୟେ ବସନ୍ତି ଯଜ୍ଞଭାବେ ॥
ଆହୁତି ଯାର ମୁଖେ ଦେଇ ।ତାହାକୁ କୋପ ନ ଯୋଗାଇ ॥
ଏହାକୁ କୋପ ତୁ ନ କର ।ଯଜ୍ଞପୁରୁଷ ଅର୍ଥେ ବର ॥
ଏ ଧର୍ମ ପରମ କାରଣ ।ଅଶେଷ ସୃଷ୍ଟିର ଧାରଣ ॥
ଏ ଯଜ୍ଞ ଦ୍ରୋହକର୍ମ କଲା ।ପାଷଣ୍ଡ ପଥ ବିଚାରିଲା ॥
ପାଷଣ୍ଡ ଉଦ୍ଧାରିବା ଅର୍ଥେ ।ତୋ ଅବତାର ଏ ଜଗତେ ॥
ବେଣୁର ଦେହେ ଯେତେ ଦୋଷ ।ତୋ ଜନ୍ମ କଲା ତାହା ନାଶ ॥
ତୁ ଏବେ ମୋର ବୋଲକର ।ପାଷଣ୍ଡ ସୃଷ୍ଟିକି ଉଦ୍ଧର ॥
ଏମନ୍ତ ବ୍ରହ୍ମାର ବଚନେ ।ଇନ୍ଦ୍ରକୁ କୋପ ଛାଡି ମନେ ॥
ଯୋଗେ ତୋଷିଲେ ସର୍ବଜନେ ।ଅନ୍ନ ବସନ ଜଳଦାନେ ॥
ସେ ବିପ୍ର ଜନେ ହୋଇ ତୋଷ ।ପୃଥୁକୁ କରନ୍ତି ଆଶିଷ ॥
ବ୍ରହ୍ମୋବାଚତୋର ବଚନେ ସର୍ବଦେବେ ।ତୋଷ ହୋଇଲେ ଯଜ୍ଞଭାବେ ॥
ଏମନ୍ତ କହି ପଦ୍ମଯୋନି ।ସଙ୍ଗେ ସକଳ ବିପ୍ର ଘେନି ॥
ମୈତ୍ରେୟ ଉବାଚତକ୍ଷଣେ ଗଲେ ନିଜ ସ୍ଥାନେ ।ଶୁଣ ବିଦୁର ତୋଷମନେ ॥
ପୃଥୁ ଯଜ୍ଞକୁ ଭଗବାନ ।ଇନ୍ଦ୍ର ସହିତେ ଆଗମନ ॥
କରି ପୂଜନ୍ତି ସେହି ହେଳେ ।ରାଜାକୁ ଏପରି କହିଲେ ॥
ଶ୍ରୀଭଗବାନୁବାଚଇନ୍ଦ୍ର ତୁମ୍ଭର ବିଘ୍ନ କଲା ।ଏବେ ସେ କ୍ଷମା ଯେ ଚାହିଁଲା ॥
ଏହାକୁ କ୍ଷମା ଦିଅ ତୁମ୍ଭେ ।ଶୁଣ ଯା କହୁଛ ପ୍ରସ୍ତାବେ ॥
ସୁବୁଦ୍ଧି ସାଧୁ ଯେ ପ୍ରଧାନ ।ହିଂସା ନ କରେ କଦାଚନ ॥
ଏପରି ଜ୍ଞାନ ତାଙ୍କ ଅଛି ।ଶରୀର ଆତ୍ମା ନୋହେ କିଛି ॥
ପୁରୁଷମାନେ ତୁମ୍ଭ ତୁଲେ ।ଦୈବୀ ମାୟାରେ ମୁଗ୍ଧହେଲେ ॥
ବୃଦ୍ଧ ସେବା ଯେ ଦୀର୍ଘକାଳ ।ହୁଅଇ ନିଶ୍ଚୟ ନିଷ୍ପଳ ॥
ବିଦ୍ୱାନ ପୁରୁଷ ଦେହକୁ ।ଅବିଦ୍ୟା କାମ୍ୟକର୍ମ ତାକୁ ॥
ଆରବ୍ଧ ବୋଲି ଜାଣି ଭଲେ ।ନୁହଁନ୍ତି ଆସକ୍ତ ତହିଁରେ ॥
ଏହି ଯେ ଆତ୍ମା ଦେହୁ ଭିନ୍ନ ।ଆତ୍ମା ଯେ ଏକଇ ନିର୍ଗୁଣ ॥
ଆତ୍ମା ଯେ ଅଟେ ସର୍ବବ୍ୟାପୀ ।ପୁଣି ସେ ଅଟେ ସାକ୍ଷୀ ରୂପୀ ॥
ଏହା ଯେ ଜାଣଇ ନିଶ୍ଚୟ ।ସେ କରେ ସଦା ଆତ୍ମାଲୟ ॥
ନିଷ୍କାମ ଶ୍ରଦ୍ଧାନ୍ୱିତ ହୋଇ ।ମୋର ଭଜନ ଯେ କରଇ ॥
କ୍ରମ କ୍ରମରେ ତାର ମନ ।ମୋଠାରେ ହୁଅଇ ପ୍ରସନ୍ନ ॥
ମନ ପ୍ରସନ୍ନ ତାର ହେଲେ ।ତତ୍ତ୍ୱଦର୍ଶୀ ସେ ହୁଏ ଭଲେ ॥
ଏହି ଆତ୍ମାକୁ ଯେଉଁମାନେ ।ଦେହ ଇନ୍ଦ୍ରିୟ କର୍ମଜ୍ଞାନେ ॥
ମନର ଅଧ୍ୟକ୍ଷ ଜାଣନ୍ତି ।ସକଳ ଦୁଃଖୁ ସେ ତରନ୍ତି ॥
ଶୋକାଦି ଦ୍ୱାରା ସେହିମାନେ ।ବ୍ୟଥିତ ନୁହନ୍ତି ଅଜ୍ଞାନେ ॥
ହେ ରାଜା ତୁମ୍ଭେ ଜ୍ଞାନୀ ଅଟ ।ସୁଖ ଦୁଃଖରେ ସମ ଅଟ ॥
ସବୁରେ ସମ ବୁଦ୍ଧି ହୋଇ ।ପ୍ରଜା ପାଳନ କର ତୁହି ॥
ଏକାକୀ କି ରୂପେ ପାଳିବୁ ।ଏ କଥା ମନେ ନ ଭାବିବୁ ॥
ମୁଁ ତୋର ରାଜ୍ୟାଙ୍ଗ ପ୍ରସ୍ତୁତ ।କରି ରଖିଛି ମନ୍ତ୍ରୀ ସାଥ ॥
ତାହାଙ୍କ ସଙ୍ଗେ ମିଳି ତୁହି ।ପ୍ରଜା ପାଳନ କର ଯାଇ ॥
ପ୍ରଜାଏ ପୁଣ୍ୟ ଅନୁଷ୍ଠାନ ।କଲେ ତହିଁର ଭାଗ ଜାଣ ॥
ରାଜା ଯେ ପରଲୋକେ ପାନ୍ତି ।ଷଷ୍ଠ ବିଭାଗ ନାହିଁ ଭ୍ରାନ୍ତି ॥
ଯେ ରାଜା ପ୍ରଜାଙ୍କୁ ନ ପାଳେ ।ତାହାର ପୁଣ୍ୟ ହରି ବଳେ ॥
ପ୍ରଜାଏ ନିଅନ୍ତି ଯେ ଜାଣ ।ଏଥିରେ ଅନ୍ୟଥା ନ ମଣ ॥
ତୋର ଗୃହରେ ତୁ ଦେଖିବୁ ।ଏଥିରେ ଆନ ନ ଭାବିବୁ ॥
ଏଥିରେ ତୋର ମନ ଥିଲେ ।ସିଦ୍ଧ ମହିଷ ଆଦି ତୁଲେ ॥
ହେ ରାଜା ତୋର ସଦଗୁଣେ ।ବଶ ହୋଇଛି ଏହିକ୍ଷଣେ ॥
ଯେ ବରେ ତୋର ଇଛା ହୁଏ ।ମାଗିଲେ ଦେବି ମୁଁ ନିଶ୍ଚୟେ ॥
ଯଜ୍ଞ ତପସ୍ୟା ଯୋଗାଦିରେ ।ପ୍ରାପ୍ୟ ମୁଁ ନୁହଇ ସଂସାରେ ॥
ଯାହାର ଭେଦ ଜ୍ଞାନ ନାହିଁ ।ତାହା ନିକଟେ ଥାଏ ମୁହିଁ ॥
ମୈତ୍ରେୟ ଉବାଚରାଜା ପ୍ରଭୁଙ୍କ ଆଜ୍ଞାମାନ ।ମସ୍ତକେ କଲା ଯେ ଧାରଣ ॥
ଇନ୍ଦ୍ରଦେବ ଯେ ଏ ସମୟେ ।ଆପଣା ଦୋଷେ ଲଜ୍ଜାପାଏ ॥
ରାଜାଙ୍କୁ କ୍ଷମା ସେ ମାଗିଲା ।ତାହାଙ୍କ ଚରଣ ଛୁଇଁଲା ॥
ପୃଥୁ ଯେ ତହିଁ ଆଲିଙ୍ଗନ ।କରି ତୋଷିଲେ ଇନ୍ଦ୍ର ମନ ॥
ଏ ଅନ୍ତେ ପ୍ରଭୁ ଭଗବାନ ।ଉଦ୍ୟମ କଲେ ସେ ପ୍ରସ୍ଥାନ ॥
କିନ୍ତୁ ପୃଥୁକୁ ବର ଦେବା ।ଅଭିପ୍ରାୟରେ ହେଲେ ଉଭା ॥
ଏ ଅବସରେ ପୃଥୁରାଜ ।ବହୁ ପ୍ରକାରେ କଲା ପୂଜା ॥
ଭକ୍ତି ସହିତ ସେ ଚରଣ ।କମଳ କଲା ସେ ଧାରଣ ॥
ସେ ପଦ୍ମପଳାଶ ଲୋଚନ ।କୃପା ଯେ କଲେ ବରଷଣ ॥
ପୃଥୁ ତାହାଙ୍କ ଦରଶନ ।ସ୍ତବ କରଣେ କଲା ମନ ॥
ଲୋଚନ ଅଶ୍ରୁରେ ପୂରଣ ।ହେବାରୁ ନ କଲା ଦର୍ଶନ ॥
ବାଷ୍ପରେ ଗଦଗଦ ହେଲା ।ସ୍ତୁତି ସେ କରି ନ ପାରିଲା ॥
ତୁଷ୍ଣୀ ଭାବରେ ରହି କରି ।ଆଲିଙ୍ଗେ ପୃଥୁ ଯେ ଶ୍ରୀହରି ॥
ଚକ୍ଷୁରୁ ଜଳ ପୋଛି କରି ।ପୃଥୁ ଯେ ଚାହିଁଲା ଶ୍ରୀହରି ॥
ଶ୍ରୀହରି ଆପଣା ଚରଣ ।ସ୍ଥାପିଲେ ଭୂମିରେ ସେ ଜାଣ ॥
ଗରୁଡ଼ ସ୍କନ୍ଧେ ହାତ ଦେଇ ।ଉଭା ହୋଇଲେ ଭାବଗ୍ରାହୀ ॥
ପୃଥୁରୁବାଚହେ ଦେବଦେବଙ୍କର ଦେବ ।ମୋତେ ଏ ଦୁଃଖୁଁ ନିସ୍ତାରିବ ॥
ଯେ ବ୍ୟକ୍ତି ଜ୍ଞାନୀ ହୋଇଥିବ ।ଭୋଗ ବିଳାସ ନ ମାଗିବ ॥
ନାରକୀମାନଙ୍କର ଅଛି ।ଏହା ମୁଁ ପ୍ରତ୍ୟକ୍ଷେ ଜାଣୁଛି ॥
ହେ ପ୍ରଭୁ ଏହା ମୁଁ ମାଗଇ ।ଦଶ ସହସ୍ର ସ୍ୱର୍ଣ୍ଣ ଦେଇ ॥
ପୂରାଅ ମୋର ମନୋଭାବ ।ଶୁଣିବି ତୁମ୍ଭର ପ୍ରସ୍ତାବ ॥
ଯାହା ଶୁଣିଣ ଯୋଗୀ ଜନେ ।ନିଶ୍ଚଳେ ଥାନ୍ତି ରାତ୍ରଦିନେ ॥
ଯେ ମକରନ୍ଦ ପାନ କରି ।ଏ ଭବ ସାଗରୁ ନିସ୍ତରି ॥
ଶ୍ରୀଚରଣୁ ଯେ ମକରନ୍ଦ ।ଦିଅ ହେ ପରମ ଆନନ୍ଦ ॥
ଏହା ମୁଁ ମାଗୁଛି ଶ୍ରୀହରି ।ଦିଅ ହେ ପ୍ରଭୁ ଦୟାକରି ॥
ପୃଥୁର ସ୍ତୁତି ଶୁଣି କରି ।କହନ୍ତି ବଚନ ବିସ୍ତାରି ॥
ଶ୍ରୀଭଗବାନୁବାଚଭକ୍ତି ନିମିତ୍ତ ଅଭିଳାଷ ।ହୋଇଛି ତୋହର ନରେଶ ॥
ତୋହର ବିଶେଷ ଭକତି ।ରହିବ ନିଶ୍ଚେଁ ଆମ୍ଭପ୍ରତି ॥
ପ୍ରବଳ ଭାଗ୍ୟରୁଟି ଜାଣ ।ଏପରି ବୁଦ୍ଧି ହେଲା ଶୁଣ ॥
ଏହି ବୁଦ୍ଧିରେ ମହାଯତି ।ମୋର ମାୟାରୁ ତରିଯାନ୍ତି ॥
ମୋର ଆଜ୍ଞାକୁ ପାଳୁଥିଲେ ।ତୋର ମଙ୍ଗଳ ହେବ ଭଲେ ॥
ମୈତ୍ରେୟ ଉବାଚଏହି ପ୍ରକାରେ ମହାବାହୁ ।ଆନନ୍ଦେ ପ୍ରକାଶିଲେ ତହୁଁ ॥
ପୃଥୁ ତାହାଙ୍କୁ ପୂଜା କଲା ।ଦେବତା ଋଷି ଆଦି ମେଳା ॥
ଋତ୍ୱିଜ ପାର୍ଷଦ ସହିତେ ।ଯଜ୍ଞକୁ ଆସିଥିଲେ ଯେତେ ॥
ଯଥା ଯୋଗ୍ୟରେ ପୂଜା କଲା ।ସବୁ ଦେବଙ୍କୁ ସନ୍ତୋଷିଲା ॥
ଶ୍ରୀହରି ଗମନର କାଳେ ।ଋତ୍ୱିଜ ମନକୁ ହରିଲେ ॥
ଯହୁଁ ଚଳିଲେ ଭଗବାନ ।ପୃଥୁ ଚଳିଲା ନିଜଧାମ ॥
କହଇ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୃଥୁରାଜା ଯଜ୍ଞକରଣେନାମ ଏକବିଂଶୋଽଧ୍ୟାୟଃ ।
ଦ୍ୱାବିଂଶ ଅଧ୍ୟାୟଏ ଅନ୍ତେ ଶୁଣ ହେ ବିଦୁର ।ସେ ପୃଥୁ ଦେବ ରାଜେଶ୍ୱର ॥
ସେ କ୍ଷେତ୍ରେ ଯେତେ ପ୍ରଜାଗଣ ।ପିତୃ ଦେବ ଋଷି ବ୍ରାହ୍ମଣ ॥
ପୃଥୁଙ୍କ ଗୁଣ ବଖାଣନ୍ତି ।ସେ ସର୍ବେ ହରିଙ୍କୁ ପୂଜନ୍ତି ॥
ଏମନ୍ତେ କେତେ କାଳାନ୍ତରେ ।ବିଜୟ କଲେ ମୁନିବରେ ॥
ସେ ସିଦ୍ଧଗଣ ମଧ୍ୟେ ସାର ।ବିଶେଷେ ବ୍ରହ୍ମାଙ୍କ କୁମର ॥
ତପ ସାଧନେ ବିରାଜନ୍ତି ।ସୂର୍ଯ୍ୟ କିରଣ ପ୍ରାୟେ ଜ୍ୟୋତି ॥
ଆକାଶେ ଦେଖିଲେ ରାଜନ ।କାନ୍ତିରୁ କଲେ ଅନୁମାନ ॥
ସେ ସର୍ବସିଦ୍ଧ ସନକାଦି ।ବିଷ୍ଣୁର ଭକ୍ତ ବ୍ରହ୍ମବାଦୀ ॥
ନିଶ୍ଚେ ଜାଣିଲେ ଅନୁମାନେ ।ଉଠିଲେ ସର୍ବ ଶିଷ୍ୟଗଣେ ॥
ତାଙ୍କ ଦର୍ଶନେ ନୃପରାଣ ।ଉଦ୍ଧ୍ୱର୍କୁ କଲା ସେ ବଦନ ॥
ଯେହ୍ନେ ଜୀବନ ପ୍ରାଣ ପାଇ ।ସହସା ଉଠିଲେ ଝସାଇ ॥
ସଦସ୍ୟ ଆଦି ଯେତେ ଥିଲେ ।ସତ୍ୱରେ ସକଳେ ଉଠିଲେ ॥
ଯେସନେ ଗନ୍ଧାଦି ଗୁଣକୁ ।ଜୀବନ ଗମଇ ଉର୍ଦ୍ଧ୍ୱକୁ ॥
ତେସନେ ନୃପ ହେଲେ ଉଭା ।ପ୍ରବେଶ ହେଲେ ସେହି ସଭା ॥
ଆନନ୍ଦେ ପୃଥୁ ନୃପପଣି ।ପ୍ରଣାମ କଲେ ଶିର ଘେନି ॥
ସୁଗନ୍ଧ ଶୀତଜଳ ଦେଇ ।ପଦକମଳ ଦେଲେ ଧୋଇ ॥
ଦିବ୍ୟ ଆସନେ ବସାଇଲେ ।ସୁବୁଦ୍ଧି ବେଭାରେ ପୂଜିଲେ ॥
ତାହାଙ୍କ ଚରଣ ସଲିଳେ ।ଅଳକ ବନ୍ଧ ସମାର୍ଜିଲେ ॥
ଯେ ପ୍ରାଣୀ ହୁଏ ଶୀଳବନ୍ତ ।ତାହାଙ୍କ ଚରିତ ଏମନ୍ତ ॥
ଛାଡି ନୃପତି ଅଭିମାନ ।ଆନନ୍ଦେ କଲେ ବହୁ ମାନ୍ୟ ॥
ହାଟକ ଆସନେ ବସାଇ ।ପାଦ ଉଦକ ଶିରେ ଦେଇ ॥
ସେ ଭବ ଅଗ୍ରଜନ୍ମା ଯେଣୁ ।ରାଜନ ମାନ୍ୟ କଲେ ତେଣୁ ॥
ଭାବେ ପ୍ରତୋଷି ତାଙ୍କ ମନ ।ରାଜା ଯେ କହନ୍ତି ବଚନ ॥
ଆଜ ମୋ ପୂର୍ବ ଭାଗ୍ୟଫଳ ।ଜୀବନ ହୋଇଲା ସୁଫଳ ॥
ଦୁର୍ଲ୍ଲଭ ଦେଖିଲି ତୁମ୍ଭଙ୍କୁ ।ଖୋଜି ନ ପାନ୍ତି ଯୋଗୀ ଯାକୁ ॥
ଅବ୍ୟକ୍ତ ଗତି ଯେ ତୁମ୍ଭର ।ଭ୍ରମଣେ ଚତୁର୍ଦ୍ଦଶ ପୁର ॥
ଅଭାଗ୍ୟବନ୍ତ ପ୍ରାଣୀ ସେହି ।ତୁମ୍ଭ ଦର୍ଶନେ ଯୋଗ୍ୟ ନୋହି ॥
ଏ ଆତ୍ମା ପୁରୁଷ ଯେସନେ ।ସକଳେ ଦେଖଇ ଚେତନେ ॥
ତାହାକୁ ନ ଦେଖନ୍ତି କେହି ।ଏ ବିଶ୍ୱ ହେତୁ ଭୂତଦେହୀ ॥
ହେ ସିଦ୍ଧ ତୁମ୍ଭଙ୍କୁ ଦେଖିଲି ।ଧନ୍ୟ ମୋ ଜୀବନ ମଣିଲି ॥
ନିର୍ଦ୍ଧନ ଗୃହେ ଯେହ୍ନେ ଧନ ।ଅଣ ଆଭ୍ୟାସେ ଲଭେ ପୁଣ୍ୟ ॥
ତେହ୍ନେ ଯେ ମଣିଲି ଅଭୁତ ।ମୋ ଭାଗ୍ୟେ ତୁମ୍ଭେ ଉପଗତ ॥
ଯା ଗୃହେ ଅତିଥି ଆଗତ ।ଭାବେ ପୂଜିବ ଶୁଦ୍ଧଚିତ୍ତ ॥
ବିଭବେ ପୂଜି ବହୁମତେ ।କାୟ ବଚନ ଶୁଦ୍ଧଚିତ୍ତେ ॥
ବିଭବହୀନେ ଯେବା ଜନ ।ପୁଛିବ ଯେ ବିଧି ବିଧାନ ॥
ଭୂମି ଉଦକ ତୃଣାସନେ ।ଦେଇ ପୂଜିବ ସାଧୁଜନେ ॥
ଏ ବିଧି ଯେବା ନ ପୂଜନ୍ତି ।ସେ ବ୍ୟର୍ଥେ ଜୀବନେ ମରନ୍ତି ॥
ବ୍ୟାଳ ଆଳୟ ଦ୍ରୁମେ ଯେହ୍ନେ ।ତା ଗୃହ ଭୟଙ୍କର ତେହ୍ନେ ॥
ଯା ଗୃହଗତେ ଯେ ଅତିଥି ।ସୁଖେ ଚରଣ ନ ଧୁଅନ୍ତି ॥
ତାର ଜୀବନେ କି କାରଣ ।ବ୍ୟର୍ଥ ଆୟୁଷ ଯଶୋଗୁଣ ॥
ଯେ ଭକ୍ତଜନଙ୍କୁ ନ ସେବେ ।ତା ସୁଖ ସର୍ବ କି କି ଲଭେ ॥
ଭୋ ମୁନି ତୁମ୍ଭ ଆଗମନ ।ମଙ୍ଗଳ ମଣିଲି ଜୀବନ ॥
ତାହାଙ୍କ ବ୍ରତ ବିଧିଆଦି ।ତରନ୍ତି ଅନ୍ୟ ମୋକ୍ଷ୍ୟବାଦୀ ॥
ଯେ ବାଳ ବୟସୁ ତରନ୍ତି ।ସେ ଯେବେ ମୋକ୍ଷ୍ୟମାର୍ଗେ ଯାନ୍ତି ॥
ଏ ବାଳ ପୌଗଣ୍ଡ କିଶୋର ।ଯେ ଧରେ ଦୃଢ଼ ନିଷ୍ଠାପର ॥
ସେ ଯେବେ ମୋକ୍ଷମାର୍ଗେ ଯାନ୍ତି ।ଏ ବିଷ୍ଣୁ ମାୟାରୁ ତରନ୍ତି ॥
ଇନ୍ଦ୍ରିୟମାନଙ୍କ ବିଷୟ ।ନ ଛାଡ଼େ ଯାହାର ହୃଦୟ ॥
ସେ କେବେ ସୁଖ ନ ଲଭନ୍ତି ।ସ୍ୱକର୍ମ ବନ୍ଧେ ବନ୍ଦୀ ହ୍ୱନ୍ତି ॥
ଏ ଘୋର ସଂସାରେ ପଡ଼ିଣ ।ଦୁଃଖ ଭୁଞ୍ଜନ୍ତି ଜ୍ଞାନହୀନ ॥
ଭୋ ମୁନିଗଣେ ତୁମ୍ଭେ ଜ୍ଞାନୀ ।ଆତ୍ମାରାମଙ୍କ ମଧ୍ୟେ ମାନୀ ॥
ଏଣୁ ଯେ ତୁମ୍ଭ ମାନଙ୍କରେ ।କୁଶଳ ପ୍ରଶ୍ନ ନ ପଚାରେ ॥
ଯାହାଙ୍କ ମତି ଗତିମାନେ ।କୁଶଳ କଷଣ ନ ଘେନେ ॥
ଏମନ୍ତ ଶୁଣି ସେ ବିଦୁର ।ସେ ପୃଥୁବାକ୍ୟ ସୁମଧୁର ॥
ଶ୍ରବଣେ ତୋଷ ହେଲେ ମୁନି ।ସାଧୁ ସମ୍ମତ ବାକ୍ୟ ମାନି ॥
ହରଷେ କହନ୍ତି ମଧୁର ।ଶୁଣ ହେ ପୃଥୁ ନୃପବର ॥
ସଂସାରେ ସାଧୁଲୋକ ଯେହି ।ତାଙ୍କ ମହିମା ସିନା ଏହି ॥
ବିଷୟ ସୁଖ ନ ଘେନନ୍ତି ।ପ୍ରାଣୀଙ୍କ ଶ୍ରେୟ ପଚାରନ୍ତି ॥
ତୁମ୍ଭେ ଯେ ପଣ୍ଡିତ କୁଶଳ ।ଏଣୁ ଉତ୍ତମ ପଚାରିଲ ॥
ସୁସାଧୁ ଜନଙ୍କ ସଙ୍ଗତ ।ଉଭୟ ଲୋକ ସେ ବିଦିତ ॥
ଏଣୁ ସାଧୁଙ୍କ ସମ୍ଭାଷଣ ।ସୁପୁଣ୍ୟ ମଙ୍ଗଳ କାରଣ ॥
ଅଶେଷ ଜୀବ ହିତ କରେ ।ଏହା ପଚାରିଲେ ବେଭାରେ ॥
ସୁଶାନ୍ତି ଆମ୍ଭ ମନ ହେଲା ।ତୁମ୍ଭ ଦର୍ଶନେ ଦୁଃଖଗଲା ॥
ଶୁଣ ସୁମନେ ନୃପବର ।କହିବା ଏଥି ପ୍ରତିକାର ॥
ଯେ ମୋକ୍ଷ ସାଧନ ପୁଚ୍ଛିଲ ।ଅଶେଷ ଜୀବର ଯେ ଭଲ ॥
ତ୍ରିବିଧ କୃଷ୍ଣ ଉପାସନ ।ରଜ ସାତ୍ତ୍ୱିକ ତମୋଗୁଣ ॥
ତାମସ ଭକ୍ତିର କାରଣ ।କହିବା ଏବେ ନୃପ ଶୁଣ ॥
ସେ କୃଷ୍ଣ ଚରଣ କମଳେ ।ଯେ ନାମ ସଙ୍କୀର୍ତ୍ତନ ବଳେ ॥
ତହିଁ ଯାହାର ହୁଏ ଭୀତ ।ସେ ହୀନ କପଟ ଭକତ ॥
ତାହାର ଅନ୍ତର ମଳିନ ।କାମ କଷ୍ଟ ଏ ହୋଇ କ୍ଷୀଣ ॥
ତାମସ ଭକ୍ତ ବୋଲି ତାରେ ।ନ ତରେ ଏ ଭବସାଗରେ ॥
କୃଷ୍ଣ ଭଜନେ ହୁଏ ରତି ।ଆତ୍ମାକୁ ବିଶୁଦ୍ଧ କରନ୍ତି ॥
ଯେ ନିଷ୍ଠା ଶାସ୍ତ୍ରମାର୍ଗେ କହେ ।ନିଶ୍ଚୟ ବୁଝ ନରରାୟେ ॥
ଏଟି ନିର୍ମଳ ଜ୍ଞାନ ହେତୁ ।ଭବସାଗର ପାର ସେତୁ ॥
ଚିତ୍ତ ବିଶୁଦ୍ଧ ଯାର ନାହିଁ ।ତାର ବୈରାଗ୍ୟ ଜ୍ଞାନ କାହିଁ ॥
ହରି ଚରଣେ ସେବା ରତି ।ବୈରାଗ୍ୟ ନିଶ୍ଚଳ ଭକତି ॥
ଏଟି କୈବଲ୍ୟ ସୁସାଧନ ।ନିଶ୍ଚୟ ବୁଝ ତୁ ରାଜନ ॥
ବୈରାଗୁଁ ହୁଏ ଏ ଅସଙ୍ଗ ।ତହୁଁ ଜନ୍ମଇ ଭକ୍ତି ଅଙ୍ଗ ॥
ଏ ବେନି ଆତ୍ମା ଭେଟ କାହିଁ ।ତେଣୁ ତା ସଙ୍ଗ ଦେହ ବହି ॥
ସେ ବ୍ରହ୍ମ ନିର୍ଗୁଣ ନିର୍ମଳ ।ବ୍ୟାପିଛି ଅଶେଷ ସଂସାର ॥
ଭକ୍ତି ବୈରାଗ୍ୟ ତାକୁ ପାଇ ।ଏ ବନେ ଜୀବ ଭ୍ରମୁଥାଇ ॥
ସେ ବ୍ରହ୍ମେ ରତ ଏ କାଳର ।ଶାସ୍ତ୍ରରେ ଶ୍ରଦ୍ଧା ଥାଇ ଯାର ॥
ହରି ଚରଣେ ଯେବେ ଭାବେ ।ଅସଙ୍ଗ ଭକ୍ତି ହୁଏ ତେବେ ॥
ଯୋଗରେ ନିଷ୍ଠା ଥାଇ ଯାର ।ପୁଚ୍ଛଇ ଶାସ୍ତ୍ରମାର୍ଗ ସାର ॥
ଯୋଗୀନ୍ଦ୍ର ଗଣେ ସେବା କଲେ ।ସେ ଗତି ଲଭେ ବ୍ରହ୍ମ ତୁଲେ ॥
କି ଅବା ହରି ସଂକୀର୍ତ୍ତନ ।ଶୁଣି ଶ୍ରବଣେ କଲେ ଧ୍ୟାନ ॥
ଅସଙ୍ଗ ରତି ହୁଏ ତେବେ ।ସାଧି ପାରିଲେ ସାଧ୍ୟ ଯେବେ ॥
ଶୁଣ ରାଜନ କୃଷ୍ଣଲୟେ ।ତ୍ରିବିଧ ପ୍ରକାରେ ଯେ ହୁଏ ॥
ଏ ମାର୍ଗେ ଯେ ସାଧ୍ୟ କରନ୍ତି ।ବ୍ରହ୍ମ ନିର୍ବାଣେ ହୁଏ ଗତି ॥
ଅର୍ଥ ବାଞ୍ଛିତ ମନ ଯାର ।ତାମସେ ବଞ୍ଚେ ସେହୁ ନର ॥
ଯେ ପ୍ରାଣୀ ଇନ୍ଦ୍ରିଭାବେ ବଶ ।ତାହାକୁ ବୋଲିଟି ରାଜସ ॥
ଏହାକୁ ନ କରିବ ଗୋଷ୍ଠୀ ।ତହିଁ ନ ଦେବ ମନ ଦୃଷ୍ଟି ॥
ଏମାନେ ଯେବା ଭଲ ପାନ୍ତି ।ସେ ଅର୍ଥ କାମହିଁ ବାଞ୍ଛନ୍ତି ॥
ଏଣୁ କୁସଙ୍ଗ ଭାବ ତେଜି ।ଯେ ପ୍ରାଣୀ ଆତ୍ମଲାଭ ଖୋଜି ॥
ନିଃସଙ୍ଗ ବିଜନେ ବସଇ ।ସେ ତେବେ ଆତ୍ମାକୁ ଭେଟଇ ॥
ଏ ରୂପେ ହୁଏ ବ୍ରହ୍ମେ ରତି ।ଶୁଣ ସୁମନେ ହେ ନୃପତି ॥
ଅପରେ ଯେ ସାଧ୍ୟ କହିବା ।ଯାହାର ନାହିଁ ଭକ୍ତି ସେବା ॥
ହରି ଚରଣେ ଭକ୍ତି ନୋହି ।ତାହାର ବ୍ରହ୍ମେ ରତି କାହିଁ ॥
ଯେ ହରିଗୁଣ ସୁଧାପାନ ।ସେ ବିନେ ବ୍ରହ୍ମେ ନୁହେଁ ଜ୍ଞାନ ॥
ଅହିଂସା ଧର୍ମେ ଯେବା ଥାନ୍ତି ।ଏ ବ୍ରହ୍ମଜ୍ଞାନ ସେ ଲଭନ୍ତି ॥
ପରମ ବ୍ରହ୍ମଚର୍ଯ୍ୟ ବିଧି ।ତପସ୍ୟା ଶମ ଦମାରାଧି ॥
ଆପଣା ହିତ ଅନୁଧ୍ୟାନେ ।ନିପୁଣ ହୁଏ ବ୍ରହ୍ମଜ୍ଞାନେ ॥
ସେ ହରି ପରମ ପୁରୁଷ ।ଯାହାର ଚରିତ ପୀୟୁଷ ॥
ସେ ସୁଧାପାନ ଯେବେ କରେ ।ସେ ତେଜେ ବ୍ରହ୍ମଜ୍ଞାନ ବରେ ॥
ଯମ ନିୟମ କାମ ହୀନେ ।ଏ ଆଦି ସାଧିବ ନିର୍ଗୁଣେ ॥
ପାପାଦି ଧର୍ମ ବିଧର୍ମରେ ।ନିନ୍ଦା ସ୍ତବନ ସଜ୍ଜିତରେ ॥
ପରମ ଧର୍ମ ଏ ବିଚାର ।ନିର୍ମଳ ବାହ୍ୟ ଅଭ୍ୟନ୍ତର ॥
ଶୀତୋଷ୍ଣ ଦୁଃଖ ସୁଖ ସହେ ।ସେ ତେବେ ବ୍ରହ୍ମଜ୍ଞାନ ବହେ ॥
ସେ ବ୍ରହ୍ମ ଯାର ନିଷ୍ଠାବ୍ରତ ।ଯେବା ତା ହୁଏ ଦୃଢ଼ମତ ॥
ଶ୍ରୀହରି ଭକ୍ତ ଯେବା ଜନ ।ଏ ସର୍ବ ତାଙ୍କର ଭୂଷଣ ॥
ତେଣୁ ବଢ଼ଇ ତାର ଭକ୍ତି ।ସେ ତେବେ ଲଭଇ ମୁକତି ॥
ସେ ବ୍ରହ୍ମ ଅଟେ ସଦା ସତ ।ଅନାତ୍ମା ନିର୍ଗୁଣ ଅନନ୍ତ ॥
ତହିଁ ଯାହାର ରତି ହୁଏ ।ସେ ଜୀବ ବଦ୍ଧ ନୁହେଁ ମୋହେ ॥
ସେ ବ୍ରହ୍ମେ ଯାର ନିଷ୍ଠା ରତି ।ଯେବେ ତା ହୁଏ ଦୃଢ଼ମତି ॥
ସଦଗୁରୁ ସେବା ଯେ କରେ ।ସେ ତେବେ ଜ୍ଞାନମାର୍ଗ ଧରେ ॥
ଜ୍ଞାନ ବୈରାଗ୍ୟ ଯୋଗବଳେ ।ଏ ଜୀବ କୋପ ଦହେ ହେଳେ ॥
ଏ ପଞ୍ଚଭୂତରେ ହୃଦୟ ।ଜୀବର ହୋଇଛି ଆଳୟ ॥
ଜ୍ଞାନ ଅନଳ ହେଲେ ଜାତ ।ତେବେ ସେ ହୁଏ ଭସ୍ମୀଭୂତ ॥
ଏ ଜୀବ କୋପ ଯେବେ ଯାଇ ।ତେବେ ସେ ବ୍ରହ୍ମଜ୍ଞାନ ପାଇ ॥
ଅନଳ ପ୍ରକାଶିଲେ ଯେହ୍ନେ ।ସମିଧ ହୁଏ ଦଗ୍ଧମାନେ ॥
ତେସନେ ଏ ଲିଙ୍ଗ ଶରୀର ।ଜ୍ଞାନ ନ ରହେ ନୃପବର ॥
ଏମନ୍ତ ଜ୍ଞାନ ଉଦେ ଯାର ।ହୁଅଇ ଭବସିନ୍ଧୁ ପାର ॥
ଉପାଧି ବାସନା ଅଶେଷ ।ଜ୍ଞାନ ଅନଳେ ହୁଏ ଧ୍ୱଂସ ॥
ଉପାଧି ଅନ୍ତେ ନୃପରାୟେ ।ତାର ଗୁଣାଦି ହୋନ୍ତି ଲୟେ ॥
ବିନଷ୍ଟ ହୁଏ ଅଭିମାନ ।ଆପଣା କର୍ତ୍ତା ଆଦି ଜ୍ଞାନ ॥
ଜନ୍ମଇ ନିଜ ଭାବେ ରତି ।ଏ ପରାପରେ ନୋହେ ଗତି ॥
ସେ ପୁଣି ଅନ୍ତର ବାହାରେ ।ଏ ଦୁଃଖ ସୁଖ ନ ବିଚାରେ ॥
ବାହାରେ ନ ଦିଶଇ କିଛି ।ଘଟାଦି ବସ୍ତୁ ଯେବା ଲକ୍ଷି ॥
ଏଥକୁ ପ୍ରତିଲକ୍ଷ୍ୟ ଦେବା ।ଭୋ ନୃପ ଦେଖାଇ କହିବା ॥
ଦୁଷ୍ଟ ଦୁଷ୍କର ହୀନବୁଦ୍ଧି ।ଏହାଙ୍କ ହେତୁ ମନ ଶୁଦ୍ଧି ॥
ଯେ ଆତ୍ମା ଏ ମୋହର ପର ।ଏ ଭେଦ କରେ ଅହଙ୍କାର ॥
ଭେଦ କରନ୍ତା ଯେବେ ମଲା ।ତାର ଅଜ୍ଞାନ କ୍ଷୟ ଗଲା ॥
ଶେଷେ ଅଜ୍ଞାନ ସର୍ବ ଏକ ।ଭୋ ନୃପ ବିଚାର ବିବେକ ॥
ଯେସନେ ଶୟନ ସ୍ୱପନେ ।ମିଥ୍ୟା ବିଳାପ ଦେଖେ ମନେ ॥
ଆପଣେ ହୋଇଥାଇ ରାଜା ।ସମତ୍ୱେ ଦେଖେ ଜନପ୍ରଜା ॥
ସୈନ୍ୟ ସାମନ୍ତ ରଥ ଗଜ ।ସତ୍ୟ ପ୍ରତୀପେ ମଣେ ତେଜ ॥
ସେ ପୁଣି ସ୍ୱପ୍ନ ଅବସାନେ ।ସକଳ ମିଥ୍ୟା କରି ମଣେ ॥
ରାଜସମ୍ପଦ ଭୋଗ ଯେତେ ।ଶୋଚନା ନ କରଇ ଚିତ୍ତେ ॥
ତକ୍ଷଣେ ଜ୍ଞାନ ଉପୁଜିଲେ ।ଏ ସର୍ବ ନାଶଯାନ୍ତି ଭଲେ ॥
ଏ ଆତ୍ମା ଦେଖନ୍ତା ପୁରୁଷ ।ଇନ୍ଦ୍ରିୟ ଅର୍ଥାଦି ପ୍ରକାଶ ॥
ଏ ବେନି ପର ଅହଂକାରେ ।ଏ ଭେଦ ବ୍ୟବସ୍ଥା ବିଚାରେ ॥
ଯାବତ ଉପାଧି ଅଛଇ ।ତାବତ ଭେଦ ବୁଦ୍ଧି ଥାଇ ॥
ଉପାଧି ଅନ୍ତେ ସର୍ବ ନାଶେ ।ତେବେ ସେ ଆତ୍ମା ପରକାଶେ ॥
ଏ ଆତ୍ମା ପରମ ପୁରୁଷ ।ଯାହାର ନାହିଁ ଗୁଣ ଦୋଷ ॥
ଉପାଧି ଭେଦ ଭିନ୍ନେ ଦୃଶ୍ୟେ ।ତା ବିନା ଏକାଗ୍ରେ ପ୍ରକାଶେ ॥
ଯେବେ ଦର୍ପଣ ଜଳାଦିରେ ।ଆପଣା ପ୍ରତିବିମ୍ବ ଧରେ ॥
ଏ ବେନି ଯେସନେ ଦିଶନ୍ତି ।ଆପଣା ଶରୀର ଅତିଥି ॥
ଉପାଧି ହେତୁ ଭିନ୍ନ ଭିନ୍ନ ।ତା ଅବଶେଷ ଏକ ଚିହ୍ନ ॥
ଶୁଣ ହେ ପୃଥୁ ମହୀପତି ।ଅସଙ୍ଗ ବ୍ରହ୍ମେ ହୁଏ ରତି ॥
ଏ ବେନି ମୋକ୍ଷମାର୍ଗ ହେତୁ ।ଭବସାଗର ପାର ସେତୁ ॥
ଶୁଣ ସୁମନେ ହେ ରାଜନ ।ବିବେକହୀନ ଯେବା ଜନ ॥
ତାହାର ଆତ୍ମା ରତି ନୋହେ ।ଯେବେହେଁ ଅହଙ୍କାର ବହେ ॥
ଏ ମୋର ଦାରା ସୁତ ଘର ।ବୋଲି ବିଷୟେ ଅନ୍ଧକାର ॥
ବିଷୟା ରସେ ଇନ୍ଦ୍ରି ରସି ।ମନକୁ ଆଣନ୍ତି ଆକର୍ଷି ॥
ଇନ୍ଦ୍ରିୟ ସଙ୍ଗେ ମନ ରସେ ।ନିଜ ଚେତନା ବଳେ ଧ୍ୱଂସେ ॥
ଏଣୁ ବିବେକ ତାର ନୋହି ।କୁସଙ୍ଗ ଦୋଷ ମନ ମୋହି ॥
ଯେସନେ କୁଶ ଆଦି ମୂଳ ।ହ୍ରଦରୁ ଓଟାରଇ ଜଳ ॥
ତେସନ ଦେଖ ବିଷୟାଦି ।ହରଇ ସର୍ବ ମନ ବୁଦ୍ଧି ॥
ଚେତନା ବଳେ ଶ୍ରୁତି ରହି ।ତାର ଅଭାବେ ଶ୍ରୁତି କାହିଁ ॥
ଯାହାର ଶ୍ରୁତି ହୁଏ ନାଶ ।ତା ହୃଦେ ଜ୍ଞାନ ଅପ୍ରକାଶ ॥
ଜ୍ଞାନ ବିନାଶେ ଆତ୍ମା ହତ ।ବେଦାନ୍ତେ କହନ୍ତି ପଣ୍ଡିତ ॥
ଶୁଣ ନୃପତି ପୁରୁଷର ।ଏଥୁଟି କାହିଁ ନାହିଁ ପାର ॥
ବିଷୟ ସୁଖଭୋଗ ଲାଗି ।ହୁଅଇ ଆତ୍ମାବଧେ ଭୋଗୀ ॥
ଯେ ନିଜ ହାନି ନ ବୁଝଇ ।ତାର ବିବେକ ଗୁଣ କାହିଁ ॥
ଅର୍ଥ କାମାଦି ଧନ ରାୟେ ।ଏ ସର୍ବ ବିନାଶ ଉପାୟେ ॥
ଯେ ନର ଜ୍ଞାନ ବିଦ୍ୟାହୀନ ।ତା ଜୀବ ସ୍ଥାବର ସମାନ ॥
ଯା ଚିତ୍ତେ ବ୍ରହ୍ମରତି ନୋହେ ।ସର୍ବ ଅନାଥେ ଭାବ ହୁଏ ॥
ଏବେ ହୋ ଶୁଣ ନୃପରାଣ ।ଚୁତର୍ବର୍ଗର ଯେ କାରଣ ॥
ଯେ ଧର୍ମ ଅର୍ଥ କାମ ମୋକ୍ଷ ।ଏ ଚାରି ମଧ୍ୟେ ଶ୍ରେୟ ମୋକ୍ଷ ॥
ଧର୍ମାଦି କାମ ବୋଲି ଯାହା ।ଅନିତ୍ୟ ମିଥ୍ୟା ବୋଲି ତାହା ॥
ଅନିତ୍ୟ ମୃତ୍ୟୁ ଭୟ ପାଇ ।ଏଣୁ ଜ୍ଞାନୀ ତା ନ ଭାବଇ ॥
ତୁତୀୟ ବର୍ଗ ବୋଲି ରାୟେ ।ଦୁର୍ଲ୍ଲଭ ସେହି ଏ ଉପାୟେ ॥
ମୃତ୍ୟୁର ଭୟ ଯହିଁ ନାହିଁ ।ନିତ୍ୟେ ଆନନ୍ଦ ରୂପ ବହି ॥
ଏ ଚତୁର୍ବର୍ଗ ନୁହେ ତୁଲ୍ୟ ।ତୁମ୍ଭର ଅର୍ଥ ବହୁ ମୂଲ୍ୟ ॥
ଯାହାର କାଳ ଭୟ ଅଛି ।ତାହାର ସୁଖ କାହିଁ ଅଛି ॥
ଆବର ବ୍ରହ୍ମାଦି ପର୍ଯ୍ୟନ୍ତ ।ଈଶ୍ୱର ମାୟାରେ ଯନ୍ତ୍ରିତ ॥
ଏହାଙ୍କ ଶ୍ରେଷ୍ଠ କେବେ ନୁହେ ।ତେଣୁ ଦଣ୍ଡଇ ଜନ୍ତୁରାୟେ ॥
ଆପଣେ ଅର୍ଜଇ ଅନର୍ଥ ।ରାଜନ ବୁଝ ଏହି ମତ ॥
ସ୍ଥାବର ଜଙ୍ଗମାଦିଠାରେ ।ଦେହ ଇନ୍ଦ୍ରିୟ ଅହଙ୍କାରେ ॥
ପ୍ରାଣ ବୁଦ୍ଧିରେ ଯନ୍ତ୍ରିକୃତ ।ଏହାଙ୍କ ହୃଦୟ ଯେ ବ୍ୟକ୍ତ ॥
ଯେ ଅଧ ଉର୍ଦ୍ଧ୍ୱେ ଛନ୍ତି ପୂରି ।ସର୍ବବ୍ୟାପକ ନରହରି ॥
ଯେ କୁରୁକ୍ଷେତ୍ର ବୋଲି କହି ।ଜୀବ ନ ଜାଣେ ଦେହ ବହି ॥
ଏ ଦେହ ବହି ଅହଙ୍କାରେ ।ଜୀବ ପରମ ବୁଦ୍ଧି ହରେ ॥
ଜୀବର ପ୍ରଭୁ ଭଗବାନ ।ପ୍ରମାଣ କରନ୍ତି ଚେତନ ॥
ଭୋ ରାଜା ଶୁଣ ନିଶ୍ଚେ ତହିଁ ।ସେ ଆତ୍ମା ରୂପେ ତୁହି ମୁହିଁ ॥
ଏ ଆଦି ଚରାଚର ମତେ ।ଆତ୍ମା ସ୍ୱରୂପେ ସର୍ବଭୂତେ ॥
ଯେ ଆତ୍ମା ଆଶ୍ରୟ ଜଗତେ ।ଶୋଭା ସେ ପାଉଛି ସତତେ ॥
ମାୟାରେ ହୋଇଣ ପ୍ରଭେଦ ।ଜ୍ଞାନ ବିବେକେ ତାହା ଛେଦ ॥
ମାୟାକୁ ଆତ୍ମା ନ ସ୍ପରଶେ ।ଯେସନେ ପବନ ଆକାଶେ ॥
କର୍ମର ମୂଳ ଏ ପ୍ରକୃତି ।ତାହାକୁ ସେ ନାଶ କରନ୍ତି ॥
ସେ ଆତ୍ମା ସର୍ବଠାରେ ମୁକ୍ତ ।ଲିପ୍ତ ହୋଇଣ ଥାଇ ମୁକ୍ତ ॥
ସେ ଶୁଦ୍ଧ ପରମ ପୁରୁଷ ।ତାରେ ଶରଣ ବେଗେ ପଶ ॥
ତାହାର ପଦ୍ମପାଦେ ଭକ୍ତି ।କରି ସାଧୁଏ ନିସ୍ତରନ୍ତି ॥
ସୁଗମ ପଥ ଏ କାରଣ ।ଅବିଘ୍ନେ ଲଭେ ନାରାୟଣ ॥
କଠୋର ଯୋଗାଦି ସାଧନ ।ସୁଗମ ଭକ୍ତି ହେ ରାଜନ ॥
ସେ ଆତ୍ମା ଆନନ୍ଦ ପାଇବ ।ଭକ୍ତିରେ ଭଜ ବାସୁଦେବ ॥
ଏ ଭବ ସମୁଦ୍ର ଅପାର ।ଇନ୍ଦ୍ରିୟ ବର୍ଗ ମହାଘୋର ॥
ଏ ଜଳ ଚରଣେ ଯେ ଭେଳା ।ନ କରି କେମନ୍ତେ ତରିଲା ॥
ଅଷ୍ଟାଙ୍ଗ ଯୋଗ ଯୋଗୀ ସାଧି ।ତରନ୍ତି ଯୋଗଭେଳା ବାନ୍ଧି ॥
ସେ ଅତିଦୁଃଖେ ହ୍ୱନ୍ତି ପାର ।ନୋହିଲେ ଭ୍ରମଇ ଅପାର ॥
ସୁଗମ ତରଣୀ ଉପାୟେ ।ତୁମ୍ଭଙ୍କୁ କହିଦେବା ରାୟେ ॥
ଗୋବିନ୍ଦ ଅଭୟ ପୟର ।ଯେ ଭଜେ ଭେଳା ମଧ୍ୟେ ସାର ॥
ସେ ପାଦେ କଲେ ଏକ ଭାବ ।ସୁଖେ ତରିବ ଭବାର୍ଣ୍ଣବ ॥
ସେ ଭକ୍ତି ଯୋଗେ ସୁସାପାନ ।ମୋକ୍ଷକୁ ପରମ କାରଣ ॥
ଏମନ୍ତେ କହିଲେ ବିଦୁର ।ସେ ଜ୍ଞାନେ ବ୍ରହ୍ମାଙ୍କ କୁମର ॥
ପୃଥୁ ଶ୍ରବଣେ ଆତ୍ମଗତି ।ପ୍ରସନ୍ନ ଚରଣେ ସେବନ୍ତି ॥
ତୁମ୍ଭେ ଦୟାଳୁ ଯୋଗୀଜନ ।ସୁଭାଗ୍ୟେ ତୁମ୍ଭ ଦରଶନ ॥
ଯେଣୁ ଗୋବିନ୍ଦ କୃପା ଥିଲା ।ତେଣୁ ଦର୍ଶନ ମୋର ହେଲା ॥
ହରିଙ୍କୁ ଦେଖାଇବା ପାଇଁ ।ମୋ ହିତେ ଅଇଲ ଗୋସାଇଁ ॥
ମୋର ସଂଶୟ ଯେବା ଥିଲା ।ତୁମ୍ଭ ପ୍ରସନ୍ନେ ଦୂର ହେଲା ॥
ମୋ କାମ ମନୋରଥ ଯେତେ ।ସମ୍ପୂର୍ଣ୍ଣ କରିଦେଲ ମୋତେ ॥
ତୁମ୍ଭଙ୍କୁ କି ଭାବେ ସେବିବି ।ଉତ୍ତମ ଦ୍ରବ୍ୟ କିବା ଦେବି ॥
ଯେ କିଛି ଦ୍ରବ୍ୟ ଅଛି ମୋର ।ସାଧୁଙ୍କ ଉତ୍ତମ ବେଭାର ॥
ସୁଦୟା କରି ସାଧୁଜନେ ।ରାଜ ବିଭୂତି ତୋଷମନେ ॥
ସମର୍ପିଛନ୍ତି ମୋର ତହିଁ ।ଯେଣେ ପ୍ରଭୁତ୍ୱ ମୋର ନାହିଁ ॥
କି ଭାବେ କରିବୁ ସେବନ ।ଏ ଦେହ ସାଧୁଙ୍କ ଅଧୀନ ॥
ଯେହ୍ନେ ବାଳକେ ସ୍ନେହ ବହି ।ତାତ ଜନନୀ ଧନ ଦେଇ ॥
ସମର୍ପି ନ କରେ ଗ୍ରହଣ ।ସେ ସର୍ବ ତୁମ୍ଭର ଅର୍ପଣ ॥
ତୁମ୍ଭ ସନ୍ତୋଷେ ଶକ୍ୟ ନାହିଁ ।ରାଜସେବକ ପ୍ରାୟ ହୋଇ ॥
ତାଙ୍କୁ ତାମ୍ବୁଳ ନିଯୋଜନ୍ତି ।ମଧ୍ୟରେ ସେବକ ବୋଲାନ୍ତି ॥
ସେ ଅନୁସାରେ ମୋ ବିଚାର ।ଯେ କିଛି ଦ୍ରବ୍ୟ ଅଛି ମୋର ॥
ପ୍ରାଣ ତନୟ ଆଦି ଯେତେ ।ସେ ରାଜ ବିଭୂତି ସହିତେ ॥
ଅପରେ ଚତୁରଙ୍ଗ ବଳ ।ସମର୍ପି ଅଛି ମୁଁ ସକଳ ॥
ଏଣେ ମୋ ନାହିଁ ଅଧିକାର ।ଦେବ ବିଦିତ ଏ ସଂସାର ॥
ଯେ ବିପ୍ର ନିଜଧନେ ଶାନ୍ତି ।ଜୀବକୁ କଲ୍ୟାଣେ ପାଳନ୍ତି ॥
ବ୍ରାହ୍ମା ସର୍ଜନେ ଏହୁ ଅନ୍ନ ।ଭୁଞ୍ଜନ୍ତି କ୍ଷତ୍ରିୟାଦି ବର୍ଣ୍ଣ ॥
ଏ ସର୍ବ ଯେବେ ସମର୍ପିବି ।ତେବେ ମୁଁ ତୋଷି ନ ପାରିବି ॥
ନିଗମବେତ୍ତା ପ୍ରଭୁ ଗାନେ ।ମୋତେ ସଞ୍ଚିଲ ଆତ୍ମଜ୍ଞାନେ ॥
ଏକାନ୍ତେ ଦେଲ ଆତ୍ମପଦ ।ମୋହର ନାଶିଲ ପ୍ରମାଦ ॥
ତୁମ୍ଭେ ଦୟାଳୁ ଯୋଗେଶ୍ୱର ।ଅଧମ ଜନେ ଦୟାକର ॥
ଅବ୍ୟକ୍ତ ବ୍ରହ୍ମ ଦୃଷ୍ଟିଗତେ ।ପ୍ରତ୍ୟକ୍ଷେ ଦେଖାଇଲ ମୋତେ ॥
ଅକାଳ ଭାବ ବିନାଶିଲ ।ସଂସାରବନ୍ଧୁ ନିସ୍ତାରିଲ ॥
ଏମନ୍ତ ମହିମା ତୁମ୍ଭର ।ଅଶେଷ ଜୀବେ ଦୟାପର ॥
ଏଣୁ ଗୁରୁଙ୍କ ସୁକଲ୍ୟାଣ ।ସାଧକ ମୋକ୍ଷର କାରଣ ॥
ଏମନ୍ତେ ସନକାଦି ଜନେ ।ସନ୍ତୋଷେ ସେ ପୃଥୁ ବଚନେ ॥
ନୃପଶୀଳତା ପ୍ରଶଂସିଲେ ।ତକ୍ଷଣେ ଅନ୍ତର୍ଦ୍ଧାନେ ଗଲେ ॥
ସକଳ ଜନ ଦୃଷ୍ଟିଗ୍ରତେ ।ସିଦ୍ଧେ ଗମିଲେ ଇଚ୍ଛାମତେ ॥
ତଦନ୍ତେ ସେ ପୃଥୁ ରାଜନ ।ମହତ ଗୁଣେ ସେ ପ୍ରଧାନ ॥
ଅଧ୍ୟାତ୍ମ ଶିକ୍ଷାରେ ରହିଲେ ।ସେ ଆତ୍ମଜ୍ଞାନେ ପୂର୍ଣ୍ଣହେଲେ ॥
ଆତ୍ମାରେ କରି ଅବସ୍ଥିତି ।କାଳରେ କର୍ମାଦି କରନ୍ତି ॥
ଯେ ତତ୍ତ୍ୱବଳ ଯଥୋଚିତ ।ଏମନ୍ତ ଅଛଇ ନା ବିତ୍ତ ॥
ସେ ଅନୁସାରେ କର୍ମ କଲେ ।ବିପ୍ରଙ୍କୁ ଦାନେ ପ୍ରତୋଷିଲେ ॥
ନିଜ ପ୍ରଜାଗଣଙ୍କୁ ରାଇ ।ଅତି ଆନନ୍ଦେ ଦୟାବହି ॥
ହେ ପୁତ୍ର ସାବଧାନେ ଶୁଣ ।ଯେବେ ପାଇବ ପରିତ୍ରାଣ ॥
ଯେଣେ ଖଣ୍ଡିବ ମୃତ୍ୟୁଭୟ ।କହିବା ତହିଁର ଉପାୟ ॥
ସକଳ କୃଷ୍ଣ ଆଶ୍ରେ କର ।ଏ ଘୋର ସଂସାରୁ ନିସ୍ତର ॥
ଯେ କୃଷ୍ଣ ଚରଣେ ସେବନ୍ତି ।ଏ ଭବ ଭୟୁ ନିସ୍ତରନ୍ତି ॥
ଆମ୍ଭର ବାକ୍ୟ ଦୃଢ଼େ ଧର ।ରାଜସ ଭୟ ପରିହର ॥
ରାଜସ ଧର୍ମ ଧନ ଯେତେ ।ପାଇଲୁ ଆମ୍ଭେ ତୋଷ ଚିତ୍ତେ ॥
ଏମନ୍ତ ମଧୁର ବଚନେ ।ପ୍ରଜା ଶିଖାଇ ପ୍ରବୋଧନେ ॥
ଅର୍ପଣ କରି କାମ୍ୟଫଳ ।ନିବୃତ୍ତ ହୋଇଲେ ଭୂପାଳ ॥
ମୁଁ ଆତ୍ମା ପ୍ରକୃତି ରୂପର ।ଅଧର୍ମ କର୍ମମାନଙ୍କର ॥
ଆତ୍ମାକୁ ଏମନ୍ତ ସେ ମଣି ।ଗୃହେ ରହିଲେ ନୃପମଣି ॥
ସମ୍ପଦ ପୂରି ପୁରେ ଛନ୍ତି ।ଇନ୍ଦ୍ରିୟ ଭୋଗ ନ ଇଚ୍ଛନ୍ତି ॥
ଛାଡ଼ି ସକଳ ଅହଙ୍କାର ।ବିଷୟ ଆଦି ଯେ ବିକାର ॥
କେଉଁ କର୍ମରେ ଲିପ୍ତ ନୋହି ।ସୂର୍ଯ୍ୟ କିରଣ ପ୍ରାୟ ଦେହୀ ॥
ଏରୂପେ ଅଧ୍ୟାତ୍ମ ଗୋଚରେ ।କର୍ମ ଆଚରନ୍ତି ସଂସାରେ ॥
ତାଙ୍କର ଅର୍ଚ୍ଚୀ ନାମେ ନାରୀ ।ପ୍ରତ୍ୟକ୍ଷେ ଲକ୍ଷ୍ମୀ ଅବତରି ॥
ପଞ୍ଚ ତନୟ ତାଙ୍କଠାରେ ।ପୃଥୁ ଜନ୍ମାଇଲେ ବେଭାରେ ॥
ବିଜିତ ଅଶ୍ୱ ଧୂମ୍ରକେଶ ।ହର୍ଯ୍ୟକ୍ଷ ଦ୍ରବିଣ ବୃକେଶ ॥
ଏ ପଞ୍ଚତନୟ ତାଙ୍କର ।ନୃପ ସମାନେ ଶୂର ବୀର ॥
ଏବେ କହିବା ହେ ବିଦୁର ।ରାଜାଙ୍କ ଗୁଣ ଏ ପ୍ରଚୁର ॥
ଇନ୍ଦ୍ରାଦି ଦଶଦିଗପାଳ ।ଏହାଙ୍କ ସୁଗୁଣ ଭୂପାଳେ ॥
ସେ ନୃପ ଅଙ୍ଗେ ଏକେ ଏକେ ।ଏ ଅବୟବ ଆଦି ଯାକେ ॥
ବସିଲେ ସ୍ୱବୃତ୍ତି ଆବୋରି ।ଶୁଣ ବିଦୁର ହେତୁ କରି ॥
ଜଗତ ପରିପାଳିବାରେ ।ଯେ ଜନ୍ମ ଲଭିଲେ ସଂସାରେ ॥
ମନ ବଚନ ତୋର ବୃତ୍ତି ।ଅତି ସୁନ୍ଦର ଗୁଣ କୀର୍ତ୍ତି ॥
ଏଣୁ ରଞ୍ଜିତ ଜନପ୍ରଜା ।ତେଣୁ ତାହାଙ୍କ ନାମ ରାଜା ॥
ତା ତୁଲେ ନାହିଁ ନୃପବର ।ତା ପ୍ରତି ସମତୁଲ କାର ॥
ସେ ରାଜା ସୂର୍ଯ୍ୟଙ୍କ ସମାନ ।ଯା ତେଜେ ମହୀ ଦ୍ୟନ୍ତି ଦାନ ॥
କେହି ନ ପାରେ ତେଜ ଧ୍ୱଂସି ।ତେଣୁ ସେ ଅଗ୍ନିରସ ରଶ୍ମି ॥
ରଣେ ଦୁର୍ଜ୍ଜୟ ମହାରାଜା ।ତେଣୁ ମହେନ୍ଦ୍ର ସମ ତେଜା ॥
ସହିଷ୍ଣୁ ଗୁଣେ ସେ ପୃଥିବୀ ।ଅଭୀଷ୍ଟ ଦାନେ ସ୍ୱର୍ଗ ଛବି ॥
ଜୀମୁତ ପ୍ରାୟେ ବୃଷ୍ଟିକରେ ।ପ୍ରଜା ପ୍ରାର୍ଥନେ କାମ ପୁରେ ॥
ପୟୋଧି ପ୍ରାୟେ ସେ ଗମ୍ଭୀର ।ସୁଧୀରେ କନକ ଭୂଧର ॥
ଧର୍ମ ସମାନେ ସାକ୍ଷ୍ୟ କରି ।ଆଶ୍ଚର୍ଯ୍ୟେ ହିମବାନ ଗିରି ॥
କୁବେର ତୁଲେ ଧନେଶ୍ୱର ।ରକ୍ଷଣେ ଯତ୍ନେ ରତ୍ନାକର ॥
ଗୁଣେ ସକଳ ଜୀବେ ପ୍ରାଣ ।ତେଣୁ ଅତୁଲ୍ୟ ସମୀରଣ ॥
ଗଗନେ ବଳ ତେଜ ଘେନି ।ଏଣୁ ମରୁତ ସମ ମାନି ॥
କ୍ରୋଧରେ କାଳରୁଦ୍ର ସମ ।ସୁନ୍ଦରେ ତାଙ୍କ ରିପୁ କାମ ॥
ପ୍ରାକର୍ମେ ସମ ଗଜଇନ୍ଦ୍ର ।ଦୟାରେ ସେ ମନ ନରେନ୍ଦ୍ର ॥
ପ୍ରଭୁତ୍ୱପଣେ ଯେହ୍ନେ ବିଧି ।ଗୁରୁ ସମାନେ ବ୍ରହ୍ମ ସାଧି ॥
ହରଷ ମନେ ଜିତେନ୍ଦ୍ରିୟ ।ପାଳନେ ଗୋରୁ ବିପ୍ରପ୍ରିୟ ॥
ବିଷ୍ଣୁ ବୈଷ୍ଣବ ଜନଠାରେ ।ସେବନ୍ତି ବିନୟ ଭାବରେ ॥
ସମେ ପ୍ରତୁଲ୍ୟ କେହି ନାହିଁ ।ସର୍ଜ୍ଜନେ ଦ୍ୱିତୀବ୍ରହ୍ମା ସେହି ॥
ଏ ତିନି ଲୋକେ ତାଙ୍କ ଯଶ ।ଯେହ୍ନେ ଶ୍ରବଣେ ହରିରସ ॥
ଶ୍ରୀରାମ ତୁଲେ କୀର୍ତ୍ତିକାରୀ ।ଗୁଣ ଗାବନ୍ତି ନରନାରୀ ॥
ଶୁଣ ବିଦୁର ଭାଗ୍ୟବନ୍ତ ।ସେ ପୃଥୁ କୁମର ଚରିତ ॥
କହଇ ବିପ୍ର ଜଗନ୍ନାଥ ।ସନ୍ଥ ଚରଣେ ଦେଇ ଚିତ୍ତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୃଥୁ ଚରିତେନାମ ଦ୍ୱାବିଂଶୋଽଧ୍ୟାୟଃ ।
ତ୍ରୟୋବିଂଶ ଅଧ୍ୟାୟବିଦୁର ଉବାଚଶୁଣି ବିଦୁର କୃତକୃତ୍ୟ ।ନମେ ମୈତ୍ରେୟ ପାଦଗତ ॥
ଭୋ ମୁନି କରିବ ନିସ୍ତାର ।କହ ସଂଶୟ ଯାଉ ଦୂର ॥
ମୈତ୍ରେୟ ଉବାଚଶୁଣ ବିଦୁର ଶୁଦ୍ଧଚିତ୍ତେ ।ରାଜାର କିଛି କାଳ ଅନ୍ତେ ॥
ବୃଦ୍ଧ ଶରୀର ଗ୍ରସ୍ତ କାଳ ।ଦେଖି ବିଷାଦ ମହୀପାଳ ॥
ମୁଁ ଯେ ଦ୍ୱିତୀୟ ପ୍ରଜାପତି ।ତେଣୁ ମୁଁ କରି ସର୍ବସ୍ଥିତି ॥
ଅନାଦି ଉତ୍ପତ୍ତି ମୁଁ କଲି ।ନଗ୍ରାଦି ପୁର ବସାଇଲି ॥
ସ୍ଥାବର ଜଙ୍ଗମାଦି ଯେତେ ।ଆଜ୍ଞା ମୁଁ ଦେଲି ଯେଝାମତେ ॥
ସାଧୁଙ୍କ ଧର୍ମ ରକ୍ଷା କଲି ।ଈଶ୍ୱର ବଚନ ପାଳିଲି ॥
ଏ ଧର୍ମ ରକ୍ଷା କଲି ମୁହିଁ ।ଜନ୍ମ ଲଭିଲି କର୍ମ ଭୂଇଁ ॥
ଏ ମୋ ଶରୀର ବୃଦ୍ଧ ହେଲା ।କାମାଦି କର୍ମହିଁ ସରିଲା ॥
ପୁତ୍ରକୁ ନ ଦେଇ ରାଜ୍ୟାଦି ।ନୃପଚିହ୍ନ ଦଣ୍ଡଛତ୍ରାଦି ॥
ଦୁହିତା ପ୍ରତୁଲ୍ୟ ଧରଣୀ ।ପୁତ୍ର ନିବେଶି ନୃପମଣି ॥
ପୃଥିବୀ ପିତା ତ୍ୟାଗଭରେ ।ଶୋକେ ରହିଲା ପୁତ୍ରଠାରେ ॥
ସକଳ ସମର୍ପି କୁମରେ ।ଗମନ କରେ ବନଘୋରେ ॥
ସଙ୍ଗତେ ଘେନି ଅର୍ଚ୍ଚି ନାରୀ ।ରୋଦନ୍ତି ପ୍ରଜା ନଗ୍ରପୁରୀ ॥
ସ୍ୱଇଚ୍ଛା ମନେ ଦୁଃଖାଶ୍ରମେ ।ତପ ଆରାଧି ଯୋଗକ୍ରମେ ॥
କଠୋର ଉଗ୍ର ତପେ ରାୟ ।ଯେସନେ ପୂର୍ବ ରାଜ୍ୟ ଜୟ ॥
ଯେ ବାନପ୍ରସ୍ଥର ବିଧାନ ।ନିୟମ କଲେ ସେ ରାଜନ ॥
ଫଳାଦି ଶାକ କନ୍ଦମୂଳ ।ଭୋଜନ କଲେ ମହୀପାଳ ॥
ଏମନ୍ତେ କେତେ କାଳାନ୍ତରେ ।ତାହା ତେଜିଲେ ନୃପବରେ ॥
ନୀରସ ଦଳ ଭୋଗକରି ।ତୁଷ୍ଟେ ଆନନ୍ଦେ ପ୍ରାଣ ଧରି ॥
ତାହା ଭକ୍ଷିଣ କିଛିଦିନ ।ତପ ସାଧିଲେ ତୋଷମନ ॥
ସେ ପତ୍ରାଶନ ତେଜି ରାୟ ।ଜଳ ଆହାରେ ସୁଖମୟ ॥
ଏମନ୍ତେ କେତେ କାଳାନ୍ତରେ ।ସେ ଜଳ ତେଜି ନୃପବରେ ॥
ନିରାଶ ତପସ୍ୟା କଠୋର ।କେବଳ ପବନ ଆହାର ॥
ପୁଣି ନିଦାଘ କାଳେ ନୃପ ।ତପସ୍ୟା କଲେ ପଞ୍ଚାତପ ॥
ସକଳ ଦିଗେ ଅଗ୍ନି ଜାଳି ।ମଧ୍ୟେ ବସିଲେ ନିର୍ବିକଳି ॥
ସୂର୍ଯ୍ୟ ମଣ୍ଡଳେ ଦୃଷ୍ଟି କରି ।ପରମ ବ୍ରହ୍ମଧ୍ୟାନ କରି ॥
କୃଷ୍ଣ ଚରଣ ପଦ୍ମରସେ ।କଠୋର ତପ ବହୁ କ୍ଳେଶେ ॥
ବରଷାକାଳେ ମହୀପତି ।ଦୁଃସହ ଜଳଧାରେ ତିନ୍ତି ॥
ଶିଶିରକାଳେ ତପସ୍ୟାରେ ।ବୁଡି ଆକଣ୍ଠ ଶୀତ ନୀରେ ॥
ଶୟନେ ଭୂମି ଶଯ୍ୟା କରି ।ଏ ଘୋର ତପସ୍ୟା ଆଚରି ॥
କୃଷ୍ଣ ଚରଣେ ସେବିବାରେ ।ତପ କରନ୍ତି ବନଘୋରେ ॥
ଲୋକ ଶିକ୍ଷାର୍ଥେ ତପ କଲେ ।ବିଷୟ କର୍ମ ବିନାଶିଲେ ॥
ନିରତେ ପ୍ରାଣାୟାମ କରି ।ଇନ୍ଦ୍ରିୟ ବିଷୟ ସଂହରି ॥
ସେ କିଛି ବାସନାଦିମାନ ।ଛାଡ଼ିଲା ଅଶେଷ ବନ୍ଧନ ॥
ନିଶ୍ଚଳ ଚିତ୍ତେ ନୃପବର ।ଯୋଗ ସାଧନେ ନିଷ୍ଠାପର ॥
ଯେ ଦୀକ୍ଷା ବ୍ରହ୍ମାଙ୍କ କୁମର ।କହି ଯେ ଥିଲେ ଯୋଗେଶ୍ୱର ॥
ସେ ଯୋଗେ ଗୋବିନ୍ଦ ଚରଣ ।ନିତ୍ୟେ ଆରାଧି ନୃପରାଣ ॥
ଦୃଢ଼ ଭକତିଭାବ ଯୁକ୍ତେ ।ଭକ୍ତି ଜନ୍ମିଲା ହୃଦଗତେ ॥
ପ୍ରେମାଙ୍ଗ ଆନନ୍ଦେଣ ଭକ୍ତି ।ଶ୍ରୀକୃଷ୍ଣେ କଲେ ମହୀପତି ॥
ସେ ହରି ଭଜନ ପ୍ରବଳ ।ହୋଇଲା ମନ ସୁନିଶ୍ଚଳ ॥
ନିର୍ମଳ ମନ ପ୍ରକାଶିଲା ।ବିରକ୍ତି ଜ୍ଞାନ ଉପୁଜିଲା ॥
ସେ ଜ୍ଞାନ ଅସିତୀକ୍ଷ୍ଣେ ରାୟେ ।ଛେଦିଲେ ହୃଦୟ ସଂଶୟେ ॥
ଯେ କର୍ମଗ୍ରନ୍ଥି ଜୀବକୋଷ ।ଜ୍ଞାନ ଖଡ଼ଗେ ଗଲା ନାଶ ॥
ଯେ ଅହଙ୍କାରେ ଆତ୍ମାଦେହୀ ।ତକ୍ଷଣେ ଦୂର ଗଲା ସେହି ॥
ତେଣୁ ପାଇଲେ ଆତ୍ମା ଗତି ।ନିରହଙ୍କାର ତା ସୁମତି ॥
ଏ ସର୍ବ ଜ୍ଞାନ ଯେ ପ୍ରକାଶ ।ତା ପଛେ ତେଜି ନୃପଈଶ ॥
ଯାବତ ହରିଙ୍କ ଭଜନ ।ନୋହିଲେ ତାବତ ସାଧନ ॥
ଯେବେ ଶ୍ରୀକୃଷ୍ଣ ଭାବେ ରତି ।ପୂତ ହୋଇବ ତେବେ ମତି ॥
ଭଜନେ ରସମତ ଦେହେ ।ନ ପଡ଼େ ଶୋକ ମାୟାମୋହେ ॥
ଏ ରୂପେ ସେ ନୃପ ଈଶ୍ୱର ।ଆତ୍ମାରେ କଲେ କଳେବର ॥
ଯେ ଯୋଗେ ଯୋଗାସନ ବଳେ ।ସେ ବ୍ରହ୍ମସ୍ୱରୂପ ନିଶ୍ଚଳେ ॥
କାଳେ ଛାଡିଲେ କଳେବର ।ଏ ଅନୁକ୍ରମେ ହୋ ବିଦୁର ॥
ବସିଣ ଆସନ ସଧୀରେ ।ସମୀର ସମ କଳେବରେ ॥
ବାମଚରଣ ମୂଳାଧାରେ ।ନିରୋଧି ଚାପିଲେ ନିର୍ଭରେ ॥
ସେ ମୂଳାଧାରରୁ ପବନ ।ଉର୍ଦ୍ଧ୍ୱକୁ ଟେକିଲେ ରାଜନ ॥
ନାଭିରୁ ହୃଦୟ କୋଷରେ ।ପବନ ରଖିଲେ ସଧୀରେ ॥
ତହୁଁ ଷୋଡ଼ଶ ଦଳେ ନେଲେ ।ସେ ଆଜ୍ଞାଚକ୍ରେ ବାୟୁବଳେ ॥
ଏମନ୍ତେ ପ୍ରାଣାଦି ପବନ ।ଭେଦିଲା ସେ ଷଡଚକ୍ରେଣ ॥
ସେ ବ୍ରହ୍ମରନ୍ଧ୍ରେ ଯୋଗବଳେ ।ଏ ସର୍ବ କରି ଏକ ତୁଲେ ॥
ମନ ପବନ ହୃଦେ ଧରି ।ଭିତରେ ରହିଲେ ପାଶୋରି ॥
ସେ ବନେ ନୃପ ରାଜା ସୁତ ।ଦେହ ଧାରଣ ପଞ୍ଚଭୂତ ॥
ଯେ ଯାହା କର୍ମ ଯୋଗବଳେ ।ସମଷ୍ଟି ଭୂତ ଲୟ କରେ ॥
ପବନ ନ୍ୟାସ ସମୀରଣ ।ଯେ କିଛି ଦେହାଦି ଧାରଣ ॥
କ୍ଷିତି କି ଆପ ମଧ୍ୟେ ନାଶି ।ସେ ଜନ ଅନଳେ ନିବେଶି ॥
ତେଜକୁ ପବନେ ସଂହରି ।ଶବଦଗୁଣ ତମେ ଭରି ॥
ଇନ୍ଦ୍ରିୟ ଛିଦ୍ର ଯେତେ ପୂର୍ଣ୍ଣ ।ତାହା ଆକାଶେ କରି ଲୀନ ॥
ଆକାଶେ ଶବଦ ସଂହରି ।ଶବଦ ଗୁଣ ତମେ ଭରି ॥
ଏ ଯେ ତାମସ ଅହଙ୍କାର ।କାର୍ଯ୍ୟ ଯେ ମହାଭୂତ ତାର ॥
ଏମନ୍ତ ଲୟେ ଭୂତ ଭୂପ ।ଶୁଣ ବିଦୁର ତା ସ୍ୱରୂପ ॥
ପୃଥିବୀ ଲୟେ ଗନ୍ଧକରି ।ଆପକୁ ରସ ମଧ୍ୟେ ଭରି ॥
ତେଜକୁ ରୂପ ମଧ୍ୟେ ଥୋଇ ।ପବନ ସ୍ପରଶେ ଲଗାଇ ॥
ଶବଦ ଆକାଶେ ସଂହରି ।ଏ ସର୍ବ ତମ ଗୁଣେ ଭରି ॥
ଯେ ତମ ସାତ୍ତ୍ୱିକ ରାଜସ ।ଏକତ୍ୱେ କଲେ ବିଶ୍ୱବଶ ॥
ଇନ୍ଦ୍ରି ସହିତେ ବୁଦ୍ଧିମନ ।ଯେଝାର କର୍ମେ କଲେ ଲୀନ ॥
ଶବଦ ଆଦି ଇନ୍ଦ୍ରିମାନେ ।ଲୟ ପାଇଲେ ଯେଝାସ୍ଥାନେ ॥
ଏହାଙ୍କ ଅଧିଷ୍ଠିତ ଦେବେ ।ଯେ ଲୟ ଯେଝା ନିଜ ଠାବେ ॥
ଏକତ୍ୱ ଅହଙ୍କାର ନେଇ ।ସେ ମହତତ୍ତ୍ୱରେ ମିଶାଇ ॥
ଏ ସର୍ବ ତତ୍ତ୍ୱଗୁଣେ ନ୍ୟାସ ।ମହତ୍ତ୍ୱ ରୂପେ ପରକାଶ ॥
ସେ ମହାତତ୍ତ୍ୱ ମାୟାମୋହେ ।ପ୍ରକୃତି ଅଙ୍ଗେ ହୋଏ ଲୟେ ॥
ଜ୍ଞାନ ବୈରାଗ୍ୟ ଯୋଗବଳେ ।ସେ ବ୍ରହ୍ମେ ଜୀବ ଯାଇ ମିଳେ ॥
ଏ ରୂପେ ସେ ପୃଥୁ ଭୂପାଳ ।ଦେହ ତେଜିଲେ ପାଇ କାଳ ॥
ସେ ଅର୍ଚ୍ଚିରାଣୀ ସୁକୁମାରୀ ।ସେ ପତିବ୍ରତେ ଧର୍ମାଚାରୀ ॥
ଦେହ ଶୁଖାଇ ତପେ ଥିଲା ।ସ୍ୱାମୀର ମରଣ ଦେଖିଲା ॥
ତକ୍ଷଣେ ହୋଇ ହତଜ୍ଞାନ ।ଆକୁଳେ କରଇ ରୋଦନ ॥
ଭୋ ନାଥ ମୋର ପ୍ରାଣନାହା ।ମୋତେ ଦେଖାଅ କିମ୍ପା ଏହା ॥
କପଟେ ମୁଦ୍ରିତ ଲୋଚନ ।ସ୍ୱର୍ଗାପବର୍ଗ ଯା ଈକ୍ଷଣ ॥
ତୁ କାଳବିହନ୍ତା ଈଶ୍ୱର ।ଏ ତୋର ମାୟା ଖେଳଘର ॥
ସ୍ଥିତି ଉତ୍ପତ୍ତି କରୁ ନାଶ ।ତୁ ମାତ୍ର ରହୁ ଅବଶେଷ ॥
ତୁ ସର୍ବ କାରଣ ମୁରାରି ।କର୍ମ କାରଣେ ଦେହଧରି ॥
ଏବେ ତୁ ମୂତ୍ୟୁଭୟ ଦେହେ ।ମୋତେ ଦେଖାଉ ମାୟା ମୋହେ ॥
ଭୋ ଯୋଗେଶ୍ୱର ତୋ ମହିମା ।ଜାଣି ନ ପାରେ ସୁର ବ୍ରହ୍ମା ॥
ଯେ ନାମେ ମୃତ୍ୟୁଭୟ ନାଶେ ।ଅମୃତ ମୃତ ସେ ପ୍ରକାଶେ ॥
ଏ ମାୟାମୋହ ଦ୍ୱନ୍ଦ୍ୱପାଶ ।ମୁଁ ଯେ ତେଜିବି ତୁମ୍ଭ ଆଶ ॥
ଏବେ ଉପେକ୍ଷି ବନଘୋରେ ।ପ୍ରତେଜି ଗଲ ନିଜ ପୁରେ ॥
ମୁଁ ଯେ ନିରତେ ଅପରାଧୀ ।ତୋ ପାଦେ ନ ସେବି ଦୁର୍ବୁଦ୍ଧି ॥
ସେ ଅପରାଧେ ଦେବ ମୋତେ ।ଏବେ ତେଜିଲ ଦୁଃଖ ଚିତ୍ତେ ॥
ତୁମ୍ଭେ ଯେ ମୋର ମନ ଦୁଃଖେ ।କହ ସୁଦୟା ଭାବେ ସୁଖେ ॥
ଭୋ ସଖି ନ ତେଜିବି ତୋତେ ।ଯାବତ ପ୍ରାଣ ଦେହଗତେ ॥
ସେ ଆଜ୍ଞା ଅଭାଗ୍ୟେ ମୋହର ।ଏବେ ଫଳିଲା ଯୋଗେଶ୍ୱର ॥
ଏ ରୂପେ ବିଳପେ ସୁନ୍ଦରୀ ।ଶୋକାର୍ଣ୍ଣବରେ ତନୁହାରି ॥
ସେ ଅର୍ଚ୍ଚିଦେବୀ ଜ୍ଞାନବତୀ ।ତକ୍ଷଣେ ଧୀର କରି ମତି ॥
ଅଦ୍ରି ସାନୁରେ ଚିତା କଲେ ।ସ୍ୱାମୀଙ୍କୁ ତହିଁ ନିଯୋଗିଲେ ॥
ମୁଖାଗ୍ନି କରି ବିଧିମତେ ।ସ୍ନାନ ଉଦକ କ୍ରିୟା ଯେତେ ॥
ଏ ସର୍ବ ସାରିଣ ସୁନ୍ଦରୀ ।ଅଗ୍ନିକୁ ପ୍ରଦକ୍ଷିଣ କରି ॥
ପ୍ରବେଶ ଅଗ୍ନି ମଧ୍ୟେ ଯାଇ ।ଦେବେ ଦେଖନ୍ତି ଶୂନ୍ୟେ ଥାଇ ॥
ସିଦ୍ଧ ଚାରଣ ବିଦ୍ୟାଧର ।ଇନ୍ଦ୍ରାଦି ଯେତେ ଅନୁଚର ॥
ଯେ ଯାହାମତେ କରି ସ୍ତୁତି ।ଆନନ୍ଦେ ପୁଷ୍ପ ବରଷନ୍ତି ॥
ଦୁନ୍ଦୁଭି ବାଦ୍ୟ ନାଦ କରି ।ରଙ୍ଗେ ନାଚନ୍ତି ଅପସରୀ ॥
ସେ ପତି ପତ୍ନୀ ବେନି ଜନେ ।ଆକାଶେ ଯାନ୍ତି ଦେବଯାନେ ॥
ଦେବେ ଆନନ୍ଦେ ସ୍ତୁତି ଭଣି ।ଶିରେ ନିବେଶି ବେନିପାଣି ॥
ପ୍ରଶଂସି ଦେବେ ଅନୁକ୍ଷଣେ ।ଆନନ୍ଦେ ଅଶ୍ରୁଳ ଲୋଚନେ ॥
ଧନ୍ୟ ସାଧବୀ ପତିବ୍ରତା ।ସ୍ୱାମୀ ସେବାରେ ଅନୁରତା ॥
ତେଜିଣ ଅଚଳ ବିଭୂତି ।ସ୍ୱାମୀଙ୍କ ସଙ୍ଗରେ ଚଳନ୍ତି ॥
ଯେଣୁ ଏ ପୂର୍ବେ ତପ କଲେ ।ତେଣୁ ଦେବଙ୍କ ଉର୍ଦ୍ଧ୍ୱେଗଲେ ॥
ଯେସନେ ଲକ୍ଷ୍ମୀନାରାୟଣ ।ଏ ବେନି ଦିଶନ୍ତି ତେସନ ॥
ଏ ଅନୁସାରେ ଯେ ବିଭୂତି ।ତେଣୁ ଲଭିଲେ ନିଜ ପତି ॥
ଧନ୍ୟ ସେ ମର୍ତ୍ତ୍ୟ କର୍ମଭୂମି ।ଅଳ୍ପ ଆୟୁଷେ ଯହିଁ ଭ୍ରମି ॥
ସ୍ୱନିତ୍ୟ କର୍ମ ଆଚରନ୍ତି ।ସକଳ ଦୁଃଖରୁ ତରନ୍ତି ॥
ନିଷ୍ପାପ ଅଟେ ଯେଉଁ ନର ।ସ୍ୱର୍ଗାପବର୍ଗ ନୁହେଁ ଦୂର ॥
ଏଣୁ ନିଷ୍କାମ ଯାର ମତି ।ସେ ଲଭେ ଏକାନ୍ତ ଭକତି ॥
ସ୍ୱର୍ଗାଦି ଭୋଗ କିବା ତାର ।ଯହିଁ ଲଭନ୍ତି ଭକ୍ତି ନର ॥
ବିଷ୍ଣୁ ଚରିତ ନିତ୍ୟେ ଭାବି ।ଲୋମ ପୁଲକ ଅଛି ଦ୍ରବି ॥
ନିର୍ମଳ ହୁଏ ବୁଦ୍ଧି ମତି ।ଅଜ୍ଞାନେ ମୋହ ବିନାଶନ୍ତି ॥
ଏ ଭାବ ନ ଘେନି ଯା ଚିତ୍ତ ।ସେ ଦୁଃଖ ସାଗରେ ପୀଡ଼ିତ ॥
ଯେ ଆତ୍ମାବଧେ ଭାଗୀହୋଇ ।ଯେ ନିତ୍ୟେ ବିଷୟେ ବର୍ତ୍ତଇ ॥
ଏମନ୍ତେ ଶୁଣ ହେ ବିଦୁର ।ସେ ଦେବ କାମିନୀ ବିଚାର ॥
ଯେ ପଥ ଲଭନ୍ତି ଉତ୍ତମ ।ଯାହାର ଚିତ୍ତର ଉଦ୍ଦାମ ॥
ବର୍ଣ୍ଣିଲୁ ତାହାଙ୍କ ଚରିତ ।ଶ୍ରବଣେ ହୁଅ ଶୁଦ୍ଧ ଚିତ୍ତ ॥
ଶ୍ରଦ୍ଧାରେ ପଢ଼ନ୍ତି ଯେ ଜନ ।ଏ ପୃଥୁ ପୁଣ୍ୟ ଉପାଖ୍ୟାନ ॥
ସେ ପୃଥୁ ପଦହିଁ ଲଭନ୍ତି ।ଅଥବା ଶ୍ରବଣେ ଶୁଣନ୍ତି ॥
ଏ ଚାରି ବର୍ଣ୍ଣ ମଧ୍ୟଗତେ ।ଶୁଣନ୍ତି ପଢ଼ନ୍ତି ଯେ ନିତ୍ୟେ ॥
ତା ସର୍ବ କାମ ହୁଏ ସିଦ୍ଧ ।ସମସ୍ତ ବର୍ଣ୍ଣେ ସେ ପ୍ରସିଦ୍ଧ ॥
କହଇ ଜଗନ୍ନାଥ ଦାସ ।ଶୁଣ ସୁଜନେ ହରି ରସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୃଥୁରାଜା ବୈକୁଣ୍ଠ ଗମନେ ନାମତ୍ରୟବିଂଶୋଽଧ୍ୟାୟଃ ।
ଚତୁର୍ବିଂଶ ଅଧ୍ୟାୟମୈତ୍ରେୟ ଉବାଚମୈତ୍ରେୟ କହନ୍ତି ବିଦୁର ।ସେ ପଞ୍ଚ ପୃଥୁଙ୍କ କୁମରେ ॥
ବିଜିତଅଶ୍ୱ ନାମ ଯାର ।ବସିଲା ନୃପାସନେ ବୀର ॥
ତାର ଅନୁଜ ଚାରିଭ୍ରାତ ।ରାଜ୍ୟ ବିଭାଗେ ଯଥୋଚିତ ॥
ଉତ୍ତର ଦକ୍ଷିଣ ପଶ୍ଚିମେ ।ଏ ଚାରି ପୂର୍ବ ଅନୁକ୍ରମେ ॥
ହର୍ଯ୍ୟକ୍ଷ ନାମେ ଯେ କୁମର ।ତାହାର ପୂର୍ବେ ଅଧିକାର ॥
ଧୂମ୍ରକେଶକୁ ଦେଲେ ଭୂପ ।ଦକ୍ଷିଣ ଦିଗେ ସେ ଅଧିପ ॥
ପଶ୍ଚିମେ ବୃକ ନୃପରାଣ ।ଉତ୍ତର ଦିଗରେ ଦ୍ରବିଣ ॥
ବିଜିତଅଶ୍ୱ ନାମ ଯାର ।ସେହି ସେ ପୃଥୁଙ୍କ କୁମର ॥
ଦ୍ୱିତୀୟ ଅନ୍ତର୍ଦ୍ଧାନ ନାମ ।ତାହାକୁ କଲେକ ସଜ୍ଜନ ॥
ଶୁଣି ବିଦୁର ହରଷିତ ।ନମେ ମୈତ୍ରେୟ ପାଦଗତ ॥
କିମର୍ଥେ ଅନ୍ତର୍ଦ୍ଧାନ ନାମ ।ତାହାକୁ ଦେଲେ ନରୋତ୍ତମ ॥
ଏ ବଡ଼ ସଂଶୟ ମୋ ଚିତ୍ତେ ।ଭୋ ମୁନି କହିବା ତଦନ୍ତେ ॥
ଏମନ୍ତେ ତାର ବାକ୍ୟ ଶୁଣି ।କହେ ମୈତ୍ରେୟ ମହାମୁନି ॥
ହେ କୁରୁଶ୍ରେଷ୍ଠ ଭାଗ୍ୟବନ୍ତ ।ଅମୃତ ପୃଥୁର ଚରିତ ॥
ଶ୍ରବଣେ ଯେବେ ଇଚ୍ଛା ତୋର ।କହିବା ଯେ ପୂର୍ବ ବିଚାର ॥
ପୃଥୁ ଯେ ଅଶ୍ୱମେଧ କଲେ ।ସକଳ ଦେବଙ୍କୁ ବରିଲେ ॥
ଯଜ୍ଞେ ପୂଜିଲେ ଭଗବାନ ।ବେଦୋକ୍ତ କର୍ମେ ଧରି ମନ ॥
ଯଜ୍ଞେ ସୁବୁଦ୍ଧି ଭାବ ଯେତେ ।ସମ୍ଭାର କରି ନାନା ମତେ ॥
ଏମନ୍ତ ଯଜ୍ଞାରମ୍ଭ କାଳେ ।ଅଶ୍ୱ ହରିଲେ ଇନ୍ଦ୍ର ବଳେ ॥
ବିଜିତଅଶ୍ୱ ତାହା ଜାଣି ।ଇନ୍ଦ୍ର ନ ମାରି ଅଶ୍ୱ ଆଣି ॥
ତା ଦେଖି କହେ ପୁରନ୍ଦର ।ଭୋ ବୀର ବେଗେ ମାଗ ବର ॥
ତା ଶୁଣି ସେ ପୃଥୁ ନନ୍ଦନ ।ଅତି ଆନନ୍ଦେ ତୋଷ ମନ ॥
ମୋହର ବରେ ଇଚ୍ଛା ନାହିଁ ।ଯେବେ ଯାଚିଲୁ ସୁରସାଇଁ ॥
ଏ ତୋର ଅନ୍ତର୍ଦ୍ଧାନ ଗତି ।ପ୍ରସନ୍ନେ ଦିଅ ଶଚୀପତି ॥
ଶୁଣି ସନ୍ତୋଷ ମଘବାନ ।ତାହାକୁ ଦେଲେ ଅନ୍ତର୍ଦ୍ଧାନ ॥
ସେ ଘେନି ଅନ୍ତର୍ଦ୍ଧାନ ନାମ ।ଶୁଣ ବିଦୁର ପୁଣ୍ୟୋତ୍ତମ ॥
ସେ ପୁଣି ନିଜ ରାଜ୍ୟେ ରାଜା ।ଧର୍ମେ ପାଳଇ ଜନ ପ୍ରଜା ॥
ତାର ଶିଖଣ୍ଡୀ ନାମେ ନାରୀ ।ରୂପେ କାମିନୀ ମନୋହାରୀ ॥
ତାହାର ଗର୍ଭେ ନୃପ ବୀର୍ଯ୍ୟେ ।ପୁତ୍ରେ ଜନ୍ମିଲେ ମହାତେଜେ ॥
ପାବକ ଶୁଚି ପବମାନ ।ପୂର୍ବେ ଯେ ଥିଲେ ଅଗ୍ନିଜାଣ ॥
ସେ ଅଗ୍ନି ବଶିଷ୍ଠ କୋପରୁ ।ଜନ୍ମିଲେ ଏ ତିନି ଯୋଗରୁ ॥
ଆର ଯେ ପତ୍ନୀ ସରସ୍ୱତୀ ।ଏ ଅନ୍ତର୍ଦ୍ଧାନର ଯୁବତୀ ॥
ତାହାର ଗର୍ଭେ ଯେ କୁମର ।ହବିର୍ଦ୍ଧାନ ଯେ ନାମ ତାର ॥
ତାହାକୁ କଲେ ଯେ ନୃପତି ।ତା ଅଂଶେ ରାଜାର ସନ୍ତତି ॥
ଅନ୍ତର୍ଦ୍ଧାନର ମାର୍ଗେ ରାୟେ ।ବିଷୟ ସୁଖ ନ ଯୋଗାଏ ॥
ସେ ଜ୍ଞାନ ବୈରାଗ୍ୟେ ନୃପତି ।ତେଜି ଏ ଶୟଳେ ବିଭୂତି ॥
ମନେ ବିଚାରେ ନୃପରାଣ ।ଏ ସର୍ବ ଅନର୍ଥ କାରଣ ॥
ରାଜ ସମ୍ପଦେ ଅନ୍ଧ ହୋଇ ।ଅଜ୍ଞାନେ ଧର୍ମ ନ ଜାଣଇ ॥
ମଣଇ ଶତ୍ରୁ ମିତ୍ର ଭାବ ।ସକଳ ଘଟେ ଏକ ଜୀବ ॥
ରାଜତ୍ୱ ଧର୍ମେ କ୍ରୋଧ ବହି ।ପ୍ରଜା ପୀଡ଼ନେ ଧନ ଦେଇ ॥
ଅଧର୍ମ ମାର୍ଗେ ନ୍ୟନ୍ତି ବଳେ ।ପ୍ରଜା କ୍ଷୋଭିତ କ୍ଷୁଧାନଳେ ॥
ପ୍ରଜା ବିନାଶେ ଘୋର ପାପ ।ନରକେ ପଡ଼ନ୍ତି ଅଧିପ ॥
ପୋଡ଼ୁ ଏ ରାଜ୍ୟେ କାର୍ଯ୍ୟନାହିଁ ।ଯଜ୍ଞ କରିବା ସୁଖେ ରହି ॥
ଯଜ୍ଞର ଛଳେ ସେ ରାଜନ ।ତେଜିଲେ ନୃପ ସିଂହାସନ ॥
ନିଷ୍କାମ ପଥ ଆଶ୍ରେ କଲେ ।ପରମ ପୁରୁଷ ଭଜିଲେ ॥
ସୋଽହଂସ ଦୀକ୍ଷାରେ ରାଜନ ।ଗମିଲେ ବୈକୁଣ୍ଠ ଭୁବନ ॥
ଯେ ହବିର୍ଦ୍ଧାନ ତା କୁମର ।ବସିଲା ନୃପାସନେ ବୀର ॥
ଯା ପତ୍ନୀ ନାମ ହବିର୍ଦ୍ଧାନୀ ।ସୁର ମୋହିନୀ ସୁଲୋଚନୀ ॥
ତାହାର ଗର୍ଭେ ଛଅ ସୁତ ।ଜନ୍ମିଲେ ତେଜେ ବଳବନ୍ତ ॥
ଗୟ ଯେ ବର୍ହିଷଦ ଶୁକ୍ଳ ।କୃଷ୍ଣ ସତ୍ୟ ଯେ ଜିତବ୍ରତ ॥
ସେ ହବିର୍ଦ୍ଧାନର ସନ୍ତତି ।ମହତ ଗୁଣ ଅତିପ୍ରତି ॥
ସେ ଭାଗ୍ୟବନ୍ତ ଦଣ୍ଡଧାରୀ ।ତା ଯଶ ତ୍ରୈଲୋକ୍ୟ ବିସ୍ତାରି ॥
ସେ କ୍ରିୟା କାଣ୍ଡର ଦ୍ୱିଗୁଣ ।ଅଦ୍ଭୁତ ତାର କର୍ମମାନ ॥
ଯେ କର୍ମ କଲେ ଏ ଜଗତେ ।ଶୁଣ ବିଦୁର କହୁ ତୋତେ ॥
ଭୂତ ଭବିଷ୍ୟ ବର୍ତ୍ତମାନେ ।ନ ଦେଖି ଏ ତିନି ଭୁବନେ ॥
ଏ ଯୋଗେ ପ୍ରାଚୀ ନଗ୍ରସ୍ଥଳ ।ଗୁଣେ ଆଚ୍ଛାଦିଲା ସକଳ ॥
ଏଣୁ ତା ନାମ ମହୀସ୍ଥଳେ ।ପ୍ରାଚୀନ ବର୍ହିଷଦ ଦେଲେ ॥
ସେ ଯେ ପ୍ରାଚୀନ ମହୀପତି ।ବିବାହ ସମୁଦ୍ର ଦୁହିତୀ ॥
ସେ ଶତଦ୍ରୁତି କନ୍ୟା ସାର ।ତ୍ରୈଲୋକ୍ୟେ ନାହିଁ ପଟାନ୍ତର ॥
ତାର ଚରିତ ପୂର୍ବ କଥା ।ହୋଇଲା ଯେବଣ ବ୍ୟବସ୍ଥା ॥
ବ୍ରହ୍ମା ତାହାର ପୁରେ ଆସି ।କନ୍ୟାକୁ ବରିଲା ବିଶ୍ୱାସୀ ॥
ବ୍ରହ୍ମା ବଚନେ ସିନ୍ଧୁପତି ।ରାଜାରେ ବରିଲେ ଦୁହିତୀ ॥
ସେ ଯେ ପ୍ରାଚୀନ ମହୀପତି ।ତା ବିଭା କାଳେ ଶତଦ୍ରୁତି ॥
ଅଗ୍ନି ପ୍ରଦକ୍ଷିଣ କରନ୍ତେ ।ଯେହ୍ନେ ଚଣ୍ଡାଂଶୁ ଭୂମିଗତେ ॥
ସେ କନ୍ୟା ରୂପେ ହୁତାଶନ ।ଅନଙ୍ଗେ ହୋଇଲା ଅଧୀନ ॥
ସେ ଶତଦ୍ରୁତି ରୂପବତୀ ।ଚରଣେ ନୂପୁର ଶୋଭନ୍ତି ॥
ସେ ମତ୍ତ ଦ୍ୱିରଦଗାମିନୀ ।ଚରଣେ ନୂପୁରର ଧ୍ୱନି ॥
ଶ୍ରବଣେ ଅନଙ୍ଗ ପୀଡ଼ିତ ।ମୂର୍ଖ ପଣ୍ଡିତ ଶୁରବନ୍ତ ॥
ତା ରୂପ ଦେଖି ବୁଧଜନେ ।ମୋହେ ପଡ଼ନ୍ତି ହତଜ୍ଞାନେ ॥
ଅମର କିନ୍ନର ଉରଗ ।ସିଦ୍ଧ ଚାରଣ ଖଗ ମୃଗ ॥
ଇତ୍ୟାଦି ପଶୁ ଜୀବ ଯେତେ ।ତା ରୂପ ଦୃଶ୍ୟେ ବିମୋହିତେ ॥
ତାପ୍ରତିତୁଲେ ଏ ଜଗତେ ।ନ ଦେଖି ସ୍ୱର୍ଗ ମର୍ତ୍ତ୍ୟ ଗତେ ॥
ସେ ପ୍ରାଚୀବରହି ରାଜନ ।ତା ରୂପେ ହୋଇଲା ଅଧୀନ ॥
ସକଳ ଧର୍ମ ପରିହରି ।ତା ବଶେ ନିତ୍ୟେ ଦଣ୍ଡଧାରୀ ॥
ସେ କ୍ରୀଡ଼ାମୃଗ ଜୀବ ପ୍ରାୟେ ।ତା ବଶେ ଧର୍ମ କଲା କ୍ଷୟେ ॥
ରାତ୍ର ଦିବସ ନ ଜାଣିଲା ।ତା ରୂପେ ଧ୍ୟାନେ ଦିନ ଗଲା ॥
ତା ବିନା ଆଜ୍ଞାରେ ରାଜନ ।ନ କରେ ଅନ୍ୟ କର୍ମମାନ ॥
ସେ ପତ୍ନୀଠାରେ ତାର ବୀର୍ଯ୍ୟେ ।ପୁତ୍ର ଜନ୍ମିଲେ ମହାତେଜେ ॥
ସେ ଦଶ ପୁତ୍ର ଆତ୍ମା ଏକ ।ଶୁଦ୍ଧ ସୁନ୍ଦର ସୁବିବେକ ॥
ସମ ଆକୃତି ରୂପ ବେଶ ।ଏକଇ ନାମ ପ୍ରଚେତସ ॥
ତାହାଙ୍କୁ ଚାହିଁ ନୃପବର ।କହିଲେ ପ୍ରଜା ସୃଷ୍ଟିକର ॥
ତକ୍ଷଣେ ପିତା ଆଜ୍ଞା ପାଇ ।ସେ ଯେ ପ୍ରଚେତା ଦଶ ଭାଇ ॥
ତପ ସାଧନେ ଆଗମନ ।ପଥରେ ଭେଟିଲେ ଈଶାନ ॥
ବୃଷଭ ବାହନେ ମହେଶ ।ଡମ୍ବରୁ ବାଦ୍ୟନାଦ ଘୋଷ ॥
ଦୀର୍ଘେ ଉଚ୍ଚାରି ମୁଖେ ନାମ ।ରାମ ଗୋବିନ୍ଦ କୃଷ୍ଣ ଶ୍ୟାମ ॥
ଗୋବିନ୍ଦ ଗୋପାଳ ଶ୍ରୀହରି ।ହେ ହୃଷୀକେଶ ହେ ଦୈତ୍ୟାରୀ ॥
ଆନନ୍ଦେ ଲୋମ ପୁଲକିତ ।ପ୍ରେମାଙ୍ଗ କଣ୍ଠ ଅଶ୍ରୁ ଜାତ ॥
ଏମନ୍ତ ସମୟେ କୁମର ।ଦର୍ଶନ କଲେ ଦେବହର ॥
ଭେଟିଲେ ପୂର୍ବ ପୁଣ୍ୟ ଫଳେ ।ଯା ନାମ ଧରି ଅନ୍ତକାଳେ ॥
ପ୍ରାଣୀ ତରନ୍ତି ଅଘାର୍ଣ୍ଣବ ।ସେ ସର୍ବ ଦେବଙ୍କୁ ଦୁର୍ଲ୍ଲଭ ॥
ତାହାଙ୍କୁ ଚାହିଁଣ ଗିରୀଶ ।କହନ୍ତି ଶୁଣ ବାଳଶିଷ୍ୟ ॥
କାହାର ପୁତ୍ର ତୁମ୍ଭେମାନେ ।କି ନାମ ଗୋତ୍ର ବାଞ୍ଛାମନେ ॥
ବୟଃ ଆକୃତି ସମଦୃଶ ।ବାଳ ନବୀନ ତୁମ୍ଭେ ଦଶ ॥
କିମର୍ଥେ ତୁମ୍ଭ ଆଗମନ ।କହ ସଂଶୟ ତେଜି ମନ ॥
ସେ ଦେବବାକ୍ୟ ସୁମଧୁର ।ଅମୃତ ଜିଣି ସୁଧାକର ॥
ଶୁଣି ପ୍ରଚେତା ଦଶ ଭାଇ ।କହନ୍ତି ଶିରେ କର ଦେଇ ॥
ଶୁଣିମା ପ୍ରଭୁ ଦେବଈଶ ।ପ୍ରଚେତା ନାମେ ଆମ୍ଭେ ଦଶ ॥
ପ୍ରାଚୀ ନଗର ଅଧିପତି ।ତା ବୀର୍ଯ୍ୟେ ଆମ୍ଭ ଉତପତ୍ତି ॥
ପିତା ବଚନେ ତପ ଅର୍ଥେ ।ଅଇଲୁ ପ୍ରାଚୀ ଦିଗ ପଥେ ॥
କଠୋର ତପ ସାଧ୍ୟ କରି ।ଭାବେ ସେବିବୁ ନରହରି ॥
ତୁମ୍ଭ ଦର୍ଶନେ ଯୋଗେଶ୍ୱର ।ଆମ୍ଭ ସଂଶୟ ହେଲା ଦୂର ॥
ତା ଶୁଣି ଦେବ ଉମାସାଇଁ ।ସନ୍ତୋଷେ ତାଙ୍କୁ ଶିକ୍ଷାଦେଇ ॥
ସେ ତପେ ତୋଷି ତାଙ୍କ ମନ ।ସାନନ୍ଦେ ଗଲେ ନିଜସ୍ଥାନ ॥
ଶୁଣି ବିଦୁର ବିପରୀତ ।ସଂଶୟ ଚିତ୍ତେ ଆଚ୍ଛାଦିତ ॥
କହେ ମୈତ୍ରେୟ ମୁଖ ଚାହିଁ ।ଅଦ୍ଭୁତ ଦୁର୍ଘଟିତ ଏହି ॥
ନର ଅମରେ କାହିଁ ସଙ୍ଗ ।କେମନ୍ତେ ହୋଇଲା ସଂଯୋଗ ॥
ଏ ବଡ଼ ସଂଶୟ ଯେ ମୋତେ ।ଭୋ ମୁନି ଫେଡ଼ିବା ତଦନ୍ତେ ॥
ଯେ କାଳ ରୁଦ୍ରରୂପେ ଜାତ ।ଉତ୍ପତ୍ତି ପାଳନ ତଦନ୍ତ ॥
ସେ ଯେ ପ୍ରଚେତା ଭାଇ ଦଶ ।କିରୂପେ କଲେ ତାଙ୍କୁ ତୋଷ ॥
ଦେବ ମାନବ ସଙ୍ଗ କାହିଁ ।ସେ ଯେ ଭେଟିଲେ ଉମାସାଇଁ ॥
ଅତି ଦୁର୍ଲ୍ଲଭ ମୋକ୍ଷ ଅଙ୍ଗ ।ମନୁଷ୍ୟେ ହୋଇଲା ସଂଯୋଗ ॥
ଯେ ମୁକ୍ତ ଅଙ୍ଗ ଯୋଗୀଜନେ ।ତାଙ୍କୁ ଭାବନ୍ତି ତତ୍ତ୍ୱଜ୍ଞାନେ ॥
ଧ୍ୟାନ ଧାରଣେ ନ ଦେଖନ୍ତି ।ସେ ଯେ ତୋଷିଲେ କାଳମୂର୍ତ୍ତି ॥
ସେ ଆତ୍ମା ବିହନ୍ତା ପୁରୁଷ ।ଘୋର ଶକ୍ତିଏ ଯାର ପାଶ ॥
ସେ ଶିବ ମୃତ୍ୟୁ ଦଣ୍ଡଧର ।ଏ ଚରାଚର ପ୍ରାଣହର ॥
ଏଣୁ ସଂଶୟ ମୋର ଚିତ୍ତେ ।ଭୋ ମୁନି କହିବା ତଦନ୍ତେ ॥
ମୈତ୍ରେୟ ଉବାଚଶୁଣ ବିଦୁର ତୋଷ ମନେ ।ଯେ ପୂର୍ବେ ଆଦ୍ୟନ୍ତ ବିଧାନେ ॥
ଯେ ଶିବ ଶରୀରେ ଅଶେଷ ।ସ୍ଥିତି ପାଳନ କରେ ନାଶ ॥
କର୍ମାନୁସାରେ ପ୍ରାଣୀଙ୍କର ।ସୃଜନ ପାଳନ ସଂହାର ॥
ଅବିଦ୍ୟା କର୍ମେ କାଳରୂପୀ ।ସେ ଶିବ ସୂର୍ଯ୍ୟରୂପେ ବ୍ୟାପୀ ॥
ସୁବିଦ୍ୟା ଆଚାର ଯାହାର ।ତାକୁ ସନ୍ତୋଷ ଶୂଳଧର ॥
ସମ ବିଷମ ତାଙ୍କ ନାହିଁ ।ମିତ୍ର ବଇରୀ ଅବା କାହିଁ ॥
ଏଣୁ ସେ ମତେ ଯେ ଭାବନ୍ତି ।ଏ ଘୋର ମୃତ୍ୟୁ ନିସ୍ତରନ୍ତି ॥
ସେ ଯେ ପ୍ରଚେତା ଭାଇ ଦଶ ।ପିତା ବଚନେ ତେଣୁ ତୋଷ ॥
ତପ ସାଧନେ ଆଗମନ ।ତେଜି ଅଚଳ ଭୋଗମାନ ॥
ସମୁଦ୍ର ନିକଟେ ମିଳିଲେ ।ଦିବ୍ୟ ସରୋବରେ ଦେଖିଲେ ॥
ସେ ଜଳ ଅତ୍ୟନ୍ତ ନିର୍ମଳ ।ଦର୍ଶନେ ହରେ ତୃଷାକୁଳ ॥
ସୁଖ ଆନନ୍ଦ ସ୍ଥିତିକର ।ଅମୃତ ତୁଲ୍ୟେ ସୁମଧୁର ॥
ପୁଷ୍ପ ସମୂହେ ବିରାଜନ୍ତି ।ଯେହ୍ନେ ଆକାଶେ ଗ୍ରହପନ୍ତି ॥
ପ୍ରସନ୍ନ ଛଳେ ସୁନିର୍ମଳ ।ନାନାଦି ବର୍ଣ୍ଣେ ଜାତିକୁଳ ॥
ନୀଳ ଉତ୍ପଳ ଆଦି କରି ।ପୁଷ୍ପ ସମୂହେ ଛନ୍ତି ପୁରି ॥
ପଙ୍କଜାରୁଣ ସୁପ୍ରକାଶେ ।ଶୋଭନ୍ତି ଇନ୍ଦୀବର ପୁଷ୍ପେ ॥
ସେ ଜଳେ ନାନା ପକ୍ଷୀକୁଳ ।କ୍ରୀଡ଼ନ୍ତି କାମେ ମତିଭୋଳ ॥
ହଂସ ସାରସ ଚକ୍ରବାକ ।କାରଣ୍ଡ କୁକ୍କୁଟ ଡାହୁକ ॥
ମତ୍ତେ ଭ୍ରମର ସ୍ୱନ ଦ୍ୟନ୍ତି ।ଆନନ୍ଦେ ମଧୁପାନେ ମାତି ॥
ତୀରେ ଶୋଭନ୍ତି ତରୁଲତା ।ବିବିଧ ଲତା ଆଚ୍ଛାଦିତା ॥
ଶୁକ କୋକିଳ ପକ୍ଷୀଗଣେ ।ସୁସ୍ୱର ନାଦ ଅନୁକ୍ଷଣେ ॥
ପଦ୍ମ କେଶର ରଜ ନେଇ ।ଆନନ୍ଦେପବନ ବହଇ ॥
ପୁଷ୍ପ ସୁଗନ୍ଧ ସୁମଧୁରେ ।ଯେ ଦିଗ ବିଦିଗ ପ୍ରସରେ ॥
ବୃଷରେ ଆରୋହି ମହେଶ ।ସେ ବନେ ହୋଇଲେ ପ୍ରବେଶ ॥
ଦେଖି ପ୍ରଚେତା ଦଶଭାଇ ।ଉଭା ଯେ ଶିରେ କରଦେଇ ॥
ଦଗ୍ଧ ହାଟକ ଦିଶେ କାନ୍ତି ।ରତ୍ନ ସମୂହେ ବିରାଜନ୍ତି ॥
ସୁଗ୍ରୀବ କଣ୍ଠେ ଶୋଭାବନ ।ସୁନୀଳପ୍ରଭା ସୁଲକ୍ଷଣ ॥
ଏମନ୍ତ ସମୟେ କୁମରେ ।ଦେଖି ସାନନ୍ଦ ସୁଖଭରେ ॥
ସତ୍ୱରେ ଦଣ୍ଡବତ କଲେ ।ପ୍ରସନ୍ନ ରକ୍ଷଣ ବୋଇଲେ ॥
ଭୋ ଧର୍ମ ରକ୍ଷଣ ଈଶାନ ।ତୋ ପାଦେ ନ ସେବି ଅଜ୍ଞାନ ॥
ପ୍ରାଣୀ ବୃଜିନ ଦୁଃଖାନଳେ ।ଦଗ୍ଧ ସନ୍ତାପ ମହାକୁଳେ ॥
ଦାରା ତନୟ ସ୍ନେହ ଜଡି ।ଦୁଃଖ ସଙ୍କଟେ ନିତ୍ୟ ପଡି ॥
ଏ ଘେନି ତୋ ପାଦକମଳେ ।ତା ଚିତ୍ତ ନ ରହେ ନିଶ୍ଚଳେ ॥
ତୁ ନାଥ ଭକ୍ତଙ୍କ ସୋଦର ।ଅଧମ ଜନ ପାପ ହର ॥
ତୋ ନାମ ଭାବନ୍ତି ଯେ ନିତ୍ୟେ ।ସେ ତରି ତାରନ୍ତି ଜଗତେ ॥
ଏମନ୍ତେ ପ୍ରଚେତସ ଭଣି ।ଶୁଣି ସନ୍ତୋଷ ଶୂଳପାଣି ॥
ପ୍ରସନ୍ନ ଚିତ୍ତେ ଶୂଳହସ୍ତ ।ଦେଖି ତାହାଙ୍କ ଶୀଳବନ୍ତ ॥
କହନ୍ତି ପ୍ରଚେତ ସମାନ ।ଜାଣିଲୁ ତୁମ୍ଭ ମନ ଜ୍ଞାନ ॥
ତେଣୁ ଦର୍ଶନ ଦେଲୁ ଆଗେ ।ଭୋ ପୁତ୍ର ବର ମାଗ ବେଗେ ॥
ଶୁଣି ସନ୍ତୋଷ ପ୍ରଚେତସ ।ଯେହ୍ନେ ଆପ୍ୟାନେ ସୁଧାରସ ॥
ସତ୍ୱରେ ଦଣ୍ଡବତେ ପଡି ।କହନ୍ତି ଶିରେ କରଯୋଡି ॥
ଭୋ ପ୍ରଭୁ ତୋ ପାଦ କମଳେ ।ନ ଭଜି ମଜ୍ଜିଲୁ ଶୟଳେ ॥
ବିଫଳେ ଗଲା ଆମ୍ଭ ଦିନ ।ତୋ କୃପା ବିନେ ହୋ ଈଶାନ ॥
ଏବେ ଜାଣିଲୁ ଶୁଦ୍ଧ ଚିତ୍ତେ ।ତୋର ଦର୍ଶନ ଆମ୍ଭ ହିତେ ॥
ଅଶେଷ କର୍ମ ଗଲା ନାଶ ।ତୋର ପ୍ରସନ୍ନେ ଦେବଈଶ ॥
ଭୋ ଦେବ କରୁଣା ସାଗର ।ପ୍ରସନ୍ନେ ଦୀନ ପାପ ହର ॥
ତୁମ୍ଭ ପ୍ରସନ୍ନେ ପ୍ରାଣୀଙ୍କର ।ସ୍ୱର୍ଗାପବର୍ଗ ନୁହେଁ ଦୂର ॥
ଭୋ ଯୋଗେଶ୍ୱର ତୋ ମହିମା ।ନ ଜାଣି ପାରେ ସୁରବ୍ରହ୍ମା ॥
ଆମ୍ଭେ ବାଳକ ଶିଶୁମତି ।କାହୁଁ ଜାଣିବୁ ତୋର ଗତି ॥
ଯେ ଆଜ୍ଞା ପ୍ରଭୁ କୃପା ତୋର ।ଧର୍ମାଦି କାମ ମୋକ୍ଷଦ୍ୱାର ॥
ଏମନ୍ତେ ନାନା ସ୍ତୁତିକରି ।ପ୍ରେମ ଆନନ୍ଦେ ଅଶ୍ରୁପୂରି ॥
ଶୁଣି ପ୍ରମୋଦେ ଉମାକାନ୍ତ ।ପ୍ରସନ୍ନେ କହନ୍ତି ଅନନ୍ତ ॥
ହେ ପୁତ୍ର ଶୁଣ ମୋ ଉତ୍ତର ।ହରିଙ୍କ ଭକ୍ତ ପ୍ରିୟ ମୋର ॥
ଭକ୍ତଜନ ଯେ ମୋ ହୃଦୟ ।ଏଣୁ ଭକ୍ତଙ୍କଠାରେ ଲୟ ॥
ଯେ ଯଜ୍ଞେଶ୍ୱର ବାସୁଦେବ ।ଯାହାର ନାମ ଦୟାର୍ଣ୍ଣବ ॥
ତ୍ରିଗୁଣେ ପାରେ ଯା ବେଭାର ।ପ୍ରଧାନ ପୁରୁଷ ଈଶ୍ୱର ॥
ତାହାଙ୍କ ଭକ୍ତ ଯେତେଜନ ।ସେ ମୋର ଅଟନ୍ତି ଜୀବନ ॥
ଏଣୁ ମୁଁ ତୁମ୍ଭରେ ପ୍ରସନ୍ନ ।ବୈଷ୍ଣବ ନୁହନ୍ତି ଅଭିନ୍ନ ॥
ତାଙ୍କ ମହିମା ଯଶ ଗୁଣ ।ମୋ ତହୁଁ ସାବଧାନେ ଶୁଣ ॥
ଯେ ପ୍ରାଣୀ ଶତ ସମ୍ୱତ୍ସରେ ।ସ୍ୱଧର୍ମେ ସ୍ୱନିଷ୍ଠା ଆଚରେ ॥
ତଦନ୍ତେ ବ୍ରହ୍ମଜ୍ୟୋତି ପାଇ ।ଅଶେଷ କଳ୍ମଷ ଛାଡ଼ଇ ॥
ସେ ବିପ୍ର ଦେହ କି ପ୍ରକାର ।ସେ ପୁଣ୍ୟ କରେ ନିରନ୍ତର ॥
ଅଶେଷ ପୁଣ୍ୟଗର୍ଭ ଫଳେ ।ସେ ମୋତେ ଲଭେ ଅନ୍ତକାଳେ ॥
ବୈଷ୍ଣବ ପଦ ଯେବେ ପାଇ ।ଏ ଲିଙ୍ଗ ଶରୀର ଧ୍ୱଂସଇ ॥
ଲିଙ୍ଗ ଭଙ୍ଗନେ ମୋକ୍ଷ ଯୋଗ ।ନ ଲଭେ ମୃତ୍ୟୁଭୟ ଅଙ୍ଗ ॥
ତୁମ୍ଭେ ଭକ୍ତର ମଧ୍ୟେ ସାର ।ଲକ୍ଷଣ ଜାଣିଲୁ ତୁମ୍ଭର ॥
ଆମ୍ଭର ପ୍ରିୟ ଯେବେ ହରି ।ତୁମ୍ଭେ କେମନ୍ତେ ମୋତେ ସରି ॥
ଏଣୁ ମାନବ ଭକ୍ତ ଯେହି ।ମୋ ପ୍ରିୟ ତହୁଁ କେହି ନାହିଁ ॥
ଆହେ ପ୍ରଚେତା ଭାଇ ଦଶ ।ଏ ତୁମ୍ଭ ବାକ୍ୟେ ହେଲୁ ତୋଷ ॥
ହରି ଭଜନ ଯେ ପ୍ରକାର ।କହିବା ଦୃଢ଼ ଚିତ୍ତେ ଧର ॥
ସେ ହରି ପ୍ରସନ୍ନ ଏମନ୍ତେ ।ହେବେ ତୁମ୍ଭର ଦୟାଚିତ୍ତେ ॥
ଏ ସର୍ବ ସ୍ତୋତ୍ରମଧ୍ୟେ ସାର ।ତୁମ୍ଭେ ସକଳ ଚିତ୍ତେ ଧର ॥
ଏମନ୍ତ କହିଣ ସନ୍ଦେଶ ।ଶୁଣ ବିଦୁର ମନେ ତୋଷ ॥
ନୃପ କୁମରେ ଦୟାବହି ।ପ୍ରସନ୍ନେ କହନ୍ତି ଗୋସାଇଁ ॥
ସେ ସର୍ବେ ଯୋଡ଼ି ବେନିକର ।ଶ୍ରବଣେ ଡେରି କର୍ଣ୍ଣଦ୍ୱାର ॥
ରୁଦ୍ର ଉବାଚନିରତେ ସ୍ୱୟଂ ଯେ ପରମ ।ଆନନ୍ଦ ସୁକ୍ଷ୍ମ ନିରୁପମ ॥
ସେ ରୂପେ ସିଦ୍ଧ ହୁଅ ତୁମ୍ଭେ ।ଯେଣୁ ଗୋବିନ୍ଦ ନାମ ଭାବେ ॥
ତୁମ୍ଭର ସେବା ବଡ଼ ପଣ ।ଜ୍ଞାନୀଙ୍କ ଆନନ୍ଦ କାରଣ ॥
ଏଣୁ ଆନନ୍ଦ ଲଭ ମୋର ।କରୁଣାକର ଚକ୍ରଧର ॥
ସକଳ ଆତ୍ମେ ନମସ୍କାର ।ନିରତେ ହୋଇବ ମୋହର ॥
ତୋ ନାଭିପଦ୍ମ ବ୍ରହ୍ମା ଜାଣ ।ସେ ବିଶ୍ୱ ଉତ୍ପତ୍ତି କାରଣ ॥
ଏଣୁ ତୋ ନାମ ପଦ୍ମନାଭ ।କହନ୍ତି ସଂସାରେ ଦୁର୍ଲ୍ଲଭ ॥
ସେ ନାମେ ପ୍ରଣିପତ୍ୟ ମୋର ।ଏ ବିନୁ ବାଞ୍ଚା ନାହିଁ ଆର ॥
ଏ ପୃଥ୍ୱୀ ଆପ ତେଜ ବାୟୁ ।ଆକାଶ ପଞ୍ଚଭୂତ ଯେହୁ ॥
ଶବଦ ସ୍ପର୍ଶ ରୂପ ରସ ।ଅପରେ ଗନ୍ଧମାତ୍ର ଶେଷ ॥
ଏହାଙ୍କ ଅନ୍ତରାତ୍ମା ଏହି ।ଯେ ବିଶ୍ୱ ସଂସାର ସର୍ଜଇ ॥
ତାହାଙ୍କୁ ପ୍ରଣିପାତ ମୋର ।ଏ ଭବୁ କରିବେ ନିସ୍ତାର ॥
ଯେ ଅନ୍ତଃକରଣ ତତ୍ତ୍ୱର ।ଏ ମନ ବୁଦ୍ଧି ଅହଙ୍କାର ॥
ତାହାଙ୍କ ଅନ୍ତରାତ୍ମା ହୋଇ ।ପ୍ରକାଶ କରୁ ତୁ ଗୋସାଇଁ ॥
ଯେ ପ୍ରଭୁ ବୁଦ୍ଧି ଇଷ୍ଟଦାତା ।ଶ୍ରୀ ବାସୁଦେବ ଶୁଦ୍ଧଚେତା ॥
ସେ ଅତି ଶାନ୍ତ ନିର୍ବିକାର ।ନମଇଁ ଭକ୍ତିମତେ ତାର ॥
ଅଧିଷ୍ଠାତାଧିକାରୀ ଯେହୁ ।ଶ୍ରୀ ଶଙ୍କର୍ଷଣ ମହାବାହୁ ॥
ସେ ଯେ ଅନନ୍ତ ସିଦ୍ଧମୟେ ।ମୋ ପ୍ରଣିପାତ ତାଙ୍କ ପାୟେ ॥
ଯେ ପ୍ରଭୁ ଚିତ୍ର ଅଧିଷ୍ଠାତା ।ପ୍ରଦ୍ୟୁମ୍ନ ରୂପେ ବିଚାରନ୍ତା ॥
ସେ ପ୍ରଭୁ ପାଦେ ମୋ ବିନତି ।ସେ ବିଶ୍ୱ ପ୍ରବୋଧ କରନ୍ତି ॥
ତାଙ୍କ ପ୍ରସନ୍ନେ ମୋ ଅଜ୍ଞାନ ।ତକ୍ଷଣେ ହେବ ବିନାଶନ ॥
ଇନ୍ଦ୍ରିୟ ଅଧିପ ଯେ ମନ ।ତାହାଙ୍କ ଅଧିଷ୍ଠାନ ନାମ ॥
ଯେ ଅନିରୁଦ୍ଧ ଯେ ଈଶ୍ୱର ।କରିବେ ସଂସାରୁ ନିସ୍ତାର ॥
ଯେ ସୂର୍ଯ୍ୟ ରୂପେଣ ପ୍ରକାଶ ।ପ୍ରତ୍ୟକ୍ଷ ସେ ପରମହଂସ ॥
ସେ ତେଜେ ଜ୍ୟୋତିରୂପ ଧରି ।ଏ ବିଶ୍ୱ ପ୍ରକାଶକୁ କରି ॥
ସ୍ୱାର୍ଗାପବର୍ଗ ଦ୍ୱାର ବେନି ।ଥାଇ ତାହାର ବୁଦ୍ଧି ଘେନି ॥
ପବିତ୍ର ଚିତ୍ତେ ଯାର ସ୍ଥିତି ।ସେ ପ୍ରଭୁ ପାଦେ ମୋ ବିନତି ॥
ସେ ନାମେ ପ୍ରଣିପତ୍ୟ ମୋର ।ଏ ବିନୁ ନାହିଁ ବାଞ୍ଚା ଆର ॥
ଯେ ଅଗ୍ନିରୂପେ ଭଗବାନ ।ଯଜ୍ଞାଦି ଯାହାର ସାଧନ ॥
ପ୍ରବୃତ୍ତି ନିବୃତ୍ତିରେ କରି ।ଯେ ହରି ସଂସାରେ ବିହରି ॥
ସେ ପିତୃଦେବଙ୍କ କାରଣ ।ହୋଇଲେ ଅନ୍ୟ ସ୍ୱରୂପେଣ ॥
ସେ ସୋମରୂପ ନାରାୟଣ ।ଧଇଲେ ଯେ ଅର୍ଥ କାରଣ ॥
ତ୍ରିପଦୀ ପାଦେ ମୋ ବିନତି ।ଯେଣେ ହୋଇବ ମୋର ଗତି ॥
ଯେ ଆତ୍ମାରୂପେ ଭଗବାନ ।ସେ ସ୍ପର୍ଶରୂପେ ଆସ୍ୱାଦନ ॥
ଯେ ମହୀରୂପେ ସର୍ବକାୟେ ।ବିଶ୍ୱ ସଂସାର ଯାର ଦେହେ ॥
ସେ ପ୍ରଭୁ ଚରଣେ ମୋ ମନ ।ନିରତେ ରହୁ ଅନୁକ୍ଷଣ ॥
ଯେ ତୁମ୍ଭ ପଙ୍କଜ ଚରଣ ।ଯେ ପ୍ରାଣୀ ପଶନ୍ତି ଶରଣ ॥
ଅଶେଷ ମାୟା ଦ୍ୱନ୍ଦ୍ୱଭୟେ ।ଖଣ୍ଡନ୍ତି ପ୍ରଭୁ ଦେବରାୟେ ॥
ସେ ରୁବ୍ର କହନ୍ତି କୁମର ।ଏ ଗୀତା ଶୁଦ୍ଧ ମନେ ଧର ॥
ଏ ଗୀତା ପୂର୍ବେ ବ୍ରହ୍ମା ମୋତେ ।କହିଲେ ଭୃଗ୍ୱାଦି ସହିତେ ॥
ଏ ସ୍ତବ ପଢ଼ନ୍ତେ ଆମ୍ଭର ।ଅଜ୍ଞାନ ଦଶା ହେଲା ଦୂର ॥
ମହେଶ କହିଲେ କର୍ଣ୍ଣରେ ।ଆନନ୍ଦେ ଧରି ତା କୁମରେ ॥
ସାଷ୍ଟାଙ୍ଗେ ତାହାଙ୍କ ଚରଣେ ।ନମିଲେ ପ୍ରଚେତସଗଣେ ॥
କହଇ ବିପ୍ର ଜଗନ୍ନାଥ ।ଚତୁର୍ଥ ସ୍କନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ରୁଦ୍ରଗୀତା ଉପାଖ୍ୟାନେନାମ ଚତୁର୍ବିଂଶୋଽଧ୍ୟାୟଃ ।