ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୧୨ / ୧୨ · ବିଂଶ ଅଧ୍ୟାୟ (୩)
ସମ୍ପୂର୍ଣ୍ଣ ସୂଚୀପତ୍ର
ତ୍ରିଂଶ ଅଧ୍ୟାୟବିଦୁର ଉବାଚତଦନ୍ତେ ପଚାରେ ବିଦୁର ।ଶୁଣ ମୈତ୍ରେୟ ମୁନିବର ॥
ତୁମ୍ଭେ ଯେ କହିଥିଲ ପୂର୍ବେ ।ତପେ ପ୍ରଚେତା ଭାଇ ସର୍ବେ ॥
ହରି ଭଜିବେ ଏକଭାବେ ।ସେମାନେ ରୁଦ୍ରଗୀତା ସ୍ତବେ ॥
କହ ସେ ଦେବ ଗୁରୁଈଶ ।ତାହାଙ୍କୁ ସାଧ୍ୟ ହେଲା କିସ ॥
ସେ ସର୍ବେ ବଡ଼ ଭାଗ୍ୟବନ୍ତ ।ଦେଖିଲେ ଉମାଦେବୀ କାନ୍ତ ॥
ସେ ତାଙ୍କୁ ରୁଦ୍ର ଗୀତ ଦେଲେ ।ସେ ତହିଁ ଯୋଗ ସିଦ୍ଧକଲେ ॥
ହରିଙ୍କୁ ପାଇବି କେମନ୍ତେ ।ଇହ କାଳରେ କିବା ଅନ୍ତେ ॥
ଏ କଥା କହ ମୁନିବର ।ତାହା ଶ୍ରବଣେ ଇଚ୍ଛା ମୋର ॥
ମୈତ୍ରେୟ ଉବାଚଶୁଣ ବିଦୁର ସୁଚେତନ ।ତଦନ୍ତେ ଯେବଣ ବିଧାନ ॥
ସେ ଗୀତ ବାକ୍ୟେ ହୋଇ ତୋଷ ।ତପ ସାଧିଲେ ଭାଇ ଦଶ ॥
ବାଟରେ ଭେଟିଲେ ଈଶାନ ।ସେ ତାଙ୍କୁ ଦେଲେ ଦିବ୍ୟଜ୍ଞାନ ॥
ସେ ଦୀକ୍ଷା ପାଇ ଦଶଭାଇ ।ସମୁଦ୍ରେ ପ୍ରବେଶିଲେ ଯାଇ ॥
ବୁଲିଣ ସମୁଦ୍ର ମଧ୍ୟରେ ।ତପସ୍ୟା କଲେ ନିରାଧାରେ ॥
ଅୟୁତ ସମ୍ବତ୍ସର ଯାଏ ।ସେ ତପ କଲେ ଏକଠାଏ ॥
ତଦନ୍ତେ ଦେବ ନାରାୟଣ ।ଦର୍ଶନ ଦେଲେ ତତକ୍ଷଣ ॥
ହରିଙ୍କ କାନ୍ତି ଶୋଭା କଲା ।ତା ଦେଖି ତାଙ୍କ ଦୁଃଖ ଗଲା ॥
ଖଗେନ୍ଦ୍ର ପୃଷ୍ଠେ ଦିବ୍ୟ ଅଙ୍ଗେ ।ଯେହ୍ନେ ଜୀମୁତ ମେରୁ ଶୃଙ୍ଗେ ॥
ପୀତବସନ ପରିଧାନେ ।ଯେହ୍ନେ ତଡ଼ିତ ନବଘନେ ॥
ଅତି ସୁନ୍ଦର ସୁଭୂଷଣ ।ସୁଗ୍ରୀବ କଣ୍ଠେ ମଣିଗଣ ॥
ରତ୍ନ ସମୂହେ ଶୁଦ୍ଧକାନ୍ତି ।ଯେ ଦିଗେ ତିମିର ନାଶନ୍ତି ॥
ଶୋଭନେ ନାହିଁ ପଟାନ୍ତର ।ଚାରୁ ସୁନ୍ଦର ମନୋହର ॥
ମକର କୁଣ୍ଡଳ ଶ୍ରବଣେ ।ରଞ୍ଜିତ ନାନା ମଣିଗଣେ ॥
କଞ୍ଜ ବଦନ ଶୋଭା କରେ ।କୋଟି ଅନଙ୍ଗ ଦର୍ପହରେ ॥
ଅଷ୍ଟ ଆୟୁଧ ସଙ୍ଗେ ଛନ୍ତି ।ସେବକ ସେବନ କରନ୍ତି ॥
ଦେବ ସମୂହେ ମୁନି ଜନେ ।ସେବନ୍ତି ନିଗମ ବଚନେ ॥
ତାହାଙ୍କୁ ଦେଖି ଦଶଭାଇ ।ନମିଲେ ଦଣ୍ଡ ପ୍ରାୟ ହୋଇ ॥
ସନ୍ତୋଷେ ତାଙ୍କୁ ଦାମୋଦର ।କହନ୍ତି ବଚନ ମଧୁର ॥
ଶ୍ରୀଭଗବାନୁବାଚଶୁଣ ହେ ନୃପତି ନନ୍ଦନ ।ହୋଇଲୁ ତୁମ୍ଭରେ ପ୍ରସନ୍ନ ॥
ଯେଣୁ କଠୋର ତପ କଲ ।ଏବେ ହୋଇବ ତୁମ୍ଭେ ଭଲ ॥
ହେ ପୁତ୍ରେ ବର ମାଗ ଦେବା ।ଯେଣୁ ଆମ୍ଭରେ କଲ ସେବା ॥
ଏକତ୍ୱ ଭାବେ ଦଶ ଭାଇ ।କାହାରି ଭେଦାଭେଦ ନାହିଁ ॥
ସମାନ ଧର୍ମ ସମଶୀଳ ।ଏଣୁ ଆମ୍ଭରେ ଯୋଗ କଲ ॥
ତୁମ୍ଭର ଶୁଣି କୀର୍ତ୍ତି ଯଶ ।ଶ୍ରବଣେ କଳୁଷ ବିନାଶ ॥
ଯେ ନର ଶଯ୍ୟାରୁ ଉଠିଣ ।ତୁମ୍ଭରେ କରିବ ଶ୍ରବଣ ॥
ନୋହିବ ତାଙ୍କ ଭାଇ ଭେଦ ।ସେମାନେ ନ ପାଇବେ ଖେଦା ॥
ସକଳ ଭୂତେ ସମଭାବ ।ଖଣ୍ଡିବେ ଦୁଃଖ ପରାଭବ ॥
ଯେ ନିତ୍ୟ ଏ ପ୍ରାତଃସନ୍ଧ୍ୟାରେ ।ଏ ରୁଦ୍ର ଗୀତା ସ୍ତବକରେ ॥
ମୁଁ ତାରେ ଦେଖି କାମ୍ୟବର ।ଶୋଭନ ମତି ହେବ ତାର ॥
ଯେଣୁ ଏ ତୁମ୍ଭେ ଦଶଭାଇ ।ପିତାର ଆଜ୍ଞା ଶିରେ ବହି ॥
ସନ୍ତୋଷେ ତପ ଆଚରିଲ ।ଏଣୁ ଲଭିବ କୀର୍ତ୍ତି ଭଲ ॥
ବିମଳ ସୁଯଶ ତୁମ୍ଭର ।ବିଖ୍ୟାତ ରହିବ ମହୀର ॥
ତଦନ୍ତେ କିଛିକାଳ ଅନ୍ତେ ।ଏ ତୁମ୍ଭ ପତ୍ନୀ ଗର୍ଭଗତେ ॥
ହୋଇବ ଏକ ଯେ ତନୟ ।ସେ ହେବ ବ୍ରହ୍ମ ପୁଣ୍ୟମୟ ॥
ଏ ପୁତ୍ର ଆତ୍ମା ବୀର୍ଯ୍ୟବଳେ ।ପୂରିବ ଏ ଲୋକ ସକଳେ ॥
ବଂଶର ସଂଖ୍ୟା ତ ନ ଯିବ ।ସୃଷ୍ଟି ସର୍ଜ୍ଜନ ତେବେ ହେବ ॥
ଯେ କନ୍ୟା ବିଭାହେବ ତୁମ୍ଭେ ।କହିବା ତାର ଜନ୍ମ ଏବେ ॥
ଶୁଣ ହେ ନୃପତି ନନ୍ଦନେ ।ସେ କଣ୍ଡୁ ଋଷି ତପୋବନେ ॥
ତାଙ୍କ ଆଶ୍ରମେ ଅନୁସରି ।ଅଇଲା ଏକଇ ସୁନ୍ଦରୀ ॥
ପ୍ରମ୍ଳୋଚା ନାମ ଯେ ତାହାର ।ଅପ୍ସରାଗଣେ ଶ୍ରେଷ୍ଠ ସାର ॥
ତାହାକୁ ଦେଖି ମୁନିବର ।ଅନଙ୍ଗେ ହୋଇଲେ ଅସ୍ଥିର ॥
ଛାଡ଼ି ତପସ୍ୟା ଆଦି ଧ୍ୟାନ ।ତା ରୂପେ ପାଶୋରିଲେ ଜ୍ଞାନ ॥
ତା ଅନୁସଙ୍ଗେ ମୁନିବର ।ଗୃହସ୍ଥ ଧର୍ମେ ସୁବିଚାର ॥
ଏମନ୍ତେ କିଛି କାଳାନ୍ତରେ ।ଅମୋଘ ବୀର୍ଯ୍ୟ ତା ଉଦରେ ॥
ରହିଲା କାଳ କର୍ମଫଳେ ।ବିଧି ସଂଯୋଗେ କର୍ମବଳେ ॥
ତାହାରି ଗର୍ଭେ ଏକ କନ୍ୟା ।ହୋଇଲା ଗୁଣଶୀଳେ ଧନ୍ୟା ॥
ସେ କନ୍ୟା ବନେ ତେଜ୍ୟାକରି ।ତକ୍ଷଣେ ଗଲା ନିଜପୁରୀ ॥
ସେ ବନେ ଯେତେ ବୃକ୍ଷ ଥିଲେ ।ସେ ସର୍ବେ କନ୍ୟାକୁ ଘେନିଲେ ॥
ସେ କନ୍ୟା କ୍ଷୁଧାର ବିକଳେ ।ରୋଦନ କଲା ବୃକ୍ଷମୂଳେ ॥
ତାହାକୁ ଦେଖି ପୁରନ୍ଦର ।ଦୟାରେ ହୋଇଲେ କାତର ॥
ତର୍ଜନୀ ଅଙ୍ଗୁଷ୍ଠି ତାହାର ।ତା ମୁଖେ ଦେଲେ ତୋଷଭର ॥
ସେ ଇନ୍ଦ୍ରି କରେ ସୁଧା ଥିଲା ।ତା ପାନେ କ୍ଷୁଧା ଦୂର ହେଲା ॥
ଏମନ୍ତେ ସେ ବନେ ସୁନ୍ଦରୀ ।ରହିଲା କର୍ମ ଅନୁସରି ॥
ସେ ଗୁଣବତୀ କନ୍ୟାସାର ।ତା ଅନୁରୂପେ ତୁମ୍ଭେ ବର ॥
ଆମ୍ଭର ଭକ୍ତ ତୁମ୍ଭ ପିତା ।ସୃଷ୍ଟି ସର୍ଜନେ କରି ଚିନ୍ତା ॥
ତେଣୁ ତୁମ୍ଭଙ୍କୁ ଆଜ୍ଞା ଦେଲେ ।ଏ ସୃଷ୍ଟି କର ତାଙ୍କ ବୋଲେ ॥
ଏଣୁ ଏ ତୁମ୍ଭେ ଦଶ ଭାଇ ।ସେ କନ୍ୟା ବିଭା କର ଯାଇ ॥
ସମାନଧର୍ମେ ତୁମ୍ଭେମାନେ ।ଏ ମୋର ବାକ୍ୟେ ତୋଷ ମନେ ॥
ସେ କନ୍ୟା ତୁଲେ ସୃଷ୍ଟିକର ।ସେ ଯୋଗ୍ୟ ଅଟଇ ତୁମ୍ଭର ॥
ଦେବତା ଆୟୁଷ ପ୍ରମାଣେ ।ଜୀବନ୍ତେ ରହ ସୁକଲ୍ୟାଣେ ॥
ପୃଥିବୀ ସୁଖେ ଭୋଗ କର ।ତ୍ରିବିଧ ତାପ ପରିହର ॥
ମୋ ପାଦେ କରିବ ଭକତି ।ବୈକୁଣ୍ଠେ ଲଭିବ ବସତି ॥
ଏ କର୍ମବନ୍ଧ ବିନାଶିବ ।ବିଷୟଭୋଗ ନ ଲାଗିବ ॥
ଏ ଗୃହଧର୍ମେ ବସ୍ତୁ ଯେତେ ।ମୋତେ ସମର୍ପି ଶୁଦ୍ଧଚିତ୍ତେ ॥
ଉଦାସୀ ଜନ ପ୍ରାୟ ହୋଇ ।ମୋର ଭକତି ହୃଦେ ଧ୍ୟାୟି ॥
ତାକୁ ନ ଲାଗେ ମାୟା ମୋହ ।ହୁଡ଼େ ଦୁର୍ଜନ ବନ୍ଧୁ ସ୍ନେହ ॥
ମୈତ୍ରେୟ ଉବାଚମୈତ୍ରେୟ କହନ୍ତି ବିଦୁର ।ଏମନ୍ତେ କହନ୍ତେ ଈଶ୍ୱର ॥
ମୁଣ୍ଡ ନୁଆଇଁ ଦଶ ଭାଇ ।ପ୍ରଣାମ କରନ୍ତି ବିନୟୀ ॥
ସେ ମୁଖ ନିରୋପି ଚାହିଁଲେ ।ଆନନ୍ଦ ସାଗରେ ବୁଡ଼ିଲେ ॥
ନମସ୍ତେ ପ୍ରଭୁ ଭଗବାନ ।ଏ ଭବୁଁ କରିବେ ମୋଚନ ॥
ସ୍ତୁତି ପଠନେ ଦଶଭାଇ ।ଶୁଣି ସନ୍ତୋଷେ ଭାବଗ୍ରାହୀ ॥
ସମ୍ପୂର୍ଣ୍ଣ ଲୋଚନେ ଦେଖିବା ।ନିରତେ ଚରଣ ସେବିବା ॥
ଏମନ୍ତେ ସେ ବାଞ୍ଛନ୍ତେ ମନ ।ହରି ହୋଇଲେ ଅନ୍ତର୍ଦ୍ଧାନ ॥
ସେ ଯେ ପ୍ରଚେତା ଭାଇଦଶ ।ଆକୁଳେ ଚାହିଁ ଦଶଦିଶ ॥
ନ ଦେଖି ପ୍ରଭୁ ଚକ୍ରଧର ।ସେ ଦିଗେ କରି ନମସ୍କାର ॥
ବିଚ୍ଛେଦ ଶୋକେ ନିମଜ୍ଜିଲେ ।ସେ ଦୁଃଖ ସାଗରେ ବୁଡ଼ିଲେ ॥
ପଡ଼ିଲେ ମୃତ୍ୟୁଶବ ଜାଣି ।ସେ ହରି ବିଚ୍ଛେଦେ ଧରଣୀ ॥
ଆତ୍ମା ବିହୀନେ ଯେତେ ଦେହୀ ।ଚେତନା ଶୂନ୍ୟ ସର୍ବଭାଇ ॥
ତକ୍ଷଣେ ଦେହ ଭାବ ପାଇ ।ଜଳୁ ଉଠିଲେ ଦଶଭାଇ ॥
ଉଠି ଚାହିଁଲେ ଦଶ ଦିଗ ।ଦ୍ରୁମ ଆଚ୍ଛାଦେ ଭୂମି ଭାଗ ॥
ଆକାଶେ ଘୋଟି ବେଢ଼ିଛନ୍ତି ।ଦେଖିଣ ପ୍ରକୋପେ ଜଳନ୍ତି ॥
ସର୍ବେ ବିଚାରି ଏକମନେ ।ବୃକ୍ଷ ନ ରଖିବା ଭୁବନେ ॥
ଅଗ୍ନି ପବନ ଶୀଘ୍ର ଦୁଇ ।ମୁଖୁଁ ଉଦ୍ଗାର କଲେ ସେହି ॥
ସେ ଅଗ୍ନି ପବନ ବହିଲେ ।ସମସ୍ତ ଦ୍ରୁମ ନାଶଗଲେ ॥
ଅନିଳ ଅନଳ ପ୍ରତାପେ ।ଅତି ଉତ୍ସନ୍ନ ଧୂମ ବ୍ୟାପେ ॥
ତା ଦେଖି ବେଗେ ପିତାମହ ।ଜାଣିଳେ ଗଲା ଭୂମିରୁହ ॥
ସେ ନିଜ ଲୋକକୁ ଅଇଲେ ।ସେ ଦ୍ରୁମ ବିନାଶ ଦେଖିଲେ ॥
କ୍ରୋଧ ସାନ୍ତ୍ୱନା କରି ତାଙ୍କ ।ପ୍ରବୋଧି କହିଲେ ଅନେକ ॥
ହେ ପ୍ରଚେତସଗଣେ ଶୁଣ ।ବୃକ୍ଷ ହୋଇଲେ ଅତିକ୍ଷୀଣ ॥
ତୁମ୍ଭେ ଯେ ଅଟ ସର୍ବଜ୍ଞାନୀ ।କିମ୍ପା କରୁଛ ସୃଷ୍ଟି ହାନି ॥
ଏବେ ଯେତେକ ଦ୍ରୁମଶେଷ ।ରହନ୍ତୁ ଯାଇ ବନଦେଶ ॥
ବୃକ୍ଷ ସାନ୍ତ୍ୱନା କରି ତାଙ୍କ ।ପ୍ରବୋଧି କହିଲେ ଅନେକ ॥
ବୃକ୍ଷଙ୍କୁ ଡାକି ପଦ୍ମଯୋନି ।କହିଲେ କନ୍ୟା ଆସ ଘେନି ॥
ଦଶଭାଇଙ୍କୁ କନ୍ୟା ଦେଇ ।ନିର୍ଭୟେ ବନେ ରହଯାଇ ॥
ପାଦପେ ବିଧି ବାକ୍ୟ ଶୁଣି ।ତାହାଙ୍କୁ ଦେଲେ କନ୍ୟା ଆଣି ॥
ସେ କନ୍ୟା ନାମ ଯେ ମାରିଷା ।ପଦ୍ମଲୋଚନୀ ପିକଭାଷା ॥
ସେ ସର୍ବ ଲକ୍ଷଣେ ସୁନ୍ଦର ।ତା ତୁଲେ ନାହିଁ ପଟାନ୍ତର ॥
ବିଧି କହିଲେ ପ୍ରଚେତସ ।ଏ କନ୍ୟା ବର ତୁମ୍ଭେ ଦଶ ॥
ଏମନ୍ତ ଧାତାର ବଚନେ ।ସନ୍ତୋଷ ଭଜିଲେ ସେମାନେ ॥
ତକ୍ଷଣେ କନ୍ୟାକୁ ବରିଲେ ।ସେ ଧାତା ନିଜପୁରେ ଗଲେ ॥
ତଦନ୍ତେ ସେ ଯେ ଦଶଭାଇ ।ନୃପ ଆସନେ ସୁଖେ ରହି ॥
ସେ ବିଷ୍ଣୁ ବାକ୍ୟେ ପ୍ରଚେତସ ।ସୁଖେ ପାଳିଲେ ପ୍ରଜାଦେଶ ॥
ଅନେକ ଦାନ ଯଜ୍ଞ କଲେ ।ହରିଙ୍କୁ ସ୍ୱଧର୍ମେ ତୋଷିଲେ ॥
ଏମନ୍ତେ ଶୁଣ ହେ ବିଦୁର ।ସେ କନ୍ୟା ଉଦରେ ତାଙ୍କର ॥
ଜନ୍ମିଲେ ଦକ୍ଷ ପ୍ରଜାପତି ।ପୂର୍ବେ ଯେ ବ୍ରହ୍ମାର ସନ୍ତତି ॥
ଗିରୀଶ ନିନ୍ଦା ପୂର୍ବେ ଯେଣୁ ।ଗର୍ଭ ଯାତନା କଷ୍ଟ ତେଣୁ ॥
ସେ ପାପ ବୀଜେ କୂଟେ ଥିଲା ।କେବେହେଁ ମୋଚନ ନ ହେଲା ॥
ଚାକ୍ଷୁଷ ମନ୍ୱନ୍ତର ଅନ୍ତେ ।ପୂର୍ବ ସୁକୃତ ଲୁପ୍ତ ଯାନ୍ତେ ॥
ସେ ଦକ୍ଷ ଗର୍ଭୁ ଜନ୍ମ ହେଲେ ।ଏବେ ସେ ପ୍ରଜା ସୃଷ୍ଟି କଲେ ॥
ଜନ୍ମିଳା ମାତ୍ରକେ କୁମର ।ତେଜ ତା ହେଲା ଅଗୋଚର ॥
ତେଜସ୍ୱୀମାନେ ଯେତେ ଥିଲେ ।ତା ତେଜେ ସର୍ବେ ଲୀନହେଲେ ॥
ସେ ସର୍ବ କର୍ମେ ଦକ୍ଷ ଯହୁଁ ।ତା ନାମ ଦକ୍ଷ ଦେଲେ ତହୁଁ ॥
ବିବିଧ ପ୍ରଜା ପ୍ରଜାପତି ।ସୃଷ୍ଟି ସେ କଲେ ମହାମତି ॥
ତାହାକୁ ପ୍ରଜା ରକ୍ଷାପାଇଁ ।ନିଯୁକ୍ତି କଲେ ବେଦସାଇଁ ॥
ଏମନ୍ତେ ଦକ୍ଷର ବ୍ୟବସ୍ଥା ।ଶୁଣ ବିଦୁର ଶୁଦ୍ଧଚେତା ॥
ଯେଣୁ ସେ ପ୍ରଜା ସୃଷ୍ଟି କଲେ ।ଏଣୁ ରାଜତ୍ୱ ଉପେକ୍ଷିଲେ ॥
ତେଣୁ ସେ ଧ୍ରୁବ ବଂଶେ ରାଜା ।ନୋହିଲେ ହେ ବ୍ୟାସ ତନୁଜା ॥
ପ୍ରିୟବ୍ରତରେ ରାଜ୍ୟ ଦେଲେ ।ସେ ଦକ୍ଷ ବାକ୍ୟେ ସୃଷ୍ଟିକଲେ ॥
ସେ ପ୍ରିୟବ୍ରତର ଚରିତ ।ପଞ୍ଚମ ସ୍କନ୍ଧେ ସେ ଉଦିତ ॥
ବିସ୍ତାରି କହିବାକ ତୋତେ ।ପ୍ରଚେତା ଜ୍ଞାନ ଉପଗତେ ॥
କହଇ ବିପ୍ର ଜଗନ୍ନାଥ ।ଚତୁର୍ଥ ସ୍କନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପରୀକ୍ଷିତ ସମ୍ୱାଦେପ୍ରଚେତସ ଚରିତ କଥନେ ନାମ ତ୍ରିଂଶୋଽଧ୍ୟାୟଃ ।
ଏକତ୍ରିଂଶ ଅଧ୍ୟାୟମୈତ୍ରେୟ ଉବାଚମୈତ୍ରେୟ କହନ୍ତି ବିଦୁର ।ପ୍ରଚେତା ବୈରାଗ୍ୟ ବିଚାର ॥
ସେ ଦଶଭାଇ ଦିବ୍ୟଜ୍ଞାନୀ ।ହରିଙ୍କ ଆଜ୍ଞା ଅନୁଧ୍ୟାନି ॥
ପତ୍ନୀକୁ ପୁତ୍ର ସମର୍ପିଲେ ।ରାଜ୍ୟକୁ ତେଜି ବନେ ଗଲେ ॥
ପଶ୍ଚିମ ଜଳଧି ତଟରେ ।ରହିଲେ ସିଦ୍ଧ ଆଶ୍ରମରେ ॥
ଜାବାଳ ନାମେ ଦ୍ୱିଜବର ।ଯହିଁ ହୋଇଲେ ସିଦ୍ଧେଶ୍ୱର ॥
ତହିଁ ସେମାନେ ତପ କରି ।ପୂଜନ୍ତି ବ୍ରହ୍ମା ଚିତ୍ତେ ସ୍ମରି ॥
ଏ ମନ ଲୋଚନ ବଚନ ।ସଂଯମ କଲେ ପ୍ରାଣ ମନ ॥
ଅଶନ ଆଦି ଜୟ କଲେ ।ଶୁଦ୍ଧାନ୍ତ ବିଗ୍ରହ ହୋଇଲେ ॥
ଏମନ୍ତ ସମୟେ ବିଦୁର ।ନାରଦ ବ୍ରହ୍ମାଙ୍କ କୁମର ॥
ମିଳିଲେ ସେଠାବରେ ଆସି ।ସେମାନେ ତପେଛନ୍ତି ବସି ॥
ଦେଖି ନାରଦ ମୁନିବର ।ସେମାନେ ଉଠିଲେ ସତ୍ୱର ॥
ବେଗେ ଆସନ ଆଣିଦେଲେ ।ଚରଣ ଯୁଗ ପଖାଳିଲେ ॥
ଆସନେ ବସାଇଲେ ନେଇ ।ପୁଜିଲେ ଅର୍ଘ୍ୟ ଆଦିଦେଇ ॥
ଆନନ୍ଦେ ବସି ମୁନିବର ।ସେମାନେ ଅଗ୍ରେ ଯୋଡ଼ିକର ॥
ବସି ବିଚାରନ୍ତି ବିନୟେ ।ଭୋ ମୁନି ସ୍ୱାଗତ ନିର୍ଣ୍ଣୟେ ॥
କି ଭାଗ୍ୟ ଆମ୍ଭେ କରିଥିଲୁ ।ଏ ତୁମ୍ଭ ଦର୍ଶନ ଲଭିଲୁ ॥
ଭୋ ମୁନି ଏ ତୁମ୍ଭ ଭ୍ରମଣ ।ଅଜ୍ଞାନ ଜନେ ଉଦ୍ଧାରଣ ॥
ନିର୍ଭୟ ହେତୁ ପ୍ରାଣୀଙ୍କର ।ତୁମ୍ଭ ଦର୍ଶନ ମୁନିବର ॥
ଯେସନେ ସୂର୍ଯ୍ୟଙ୍କ ଉଦୟ ।ଅଶେଷ ପ୍ରାଣୀ ସୁଖୋଦୟ ॥
ସେ ରୂପେ ତୁମ୍ଭ ଦରଶନ ।ସୁଭାଗ୍ୟ ଆମ୍ଭର ଜୀବନ ॥
ଭୋ ମୁନି ମନ ଦୁଃଖ ଯେତେ ।କହିବୁ ତୁମ୍ଭର ଅଗ୍ରତେ ॥
ପୂର୍ବେ ଯେ ପ୍ରଭୁ ଭଗବାନ ।କହି ଯେ ଥିଲେ ଦିବ୍ୟଜ୍ଞାନ ॥
ଆମ୍ଭେ ଯେ ଗୃହ ଧର୍ମେ ପଡ଼ି ।ସେ ଦିବ୍ୟଜ୍ଞାନ ଦେଲୁ ହୁଡ଼ି ॥
ଭୋ ମୁନି କର ଅନୁଗ୍ରହ ।ସେ ତତ୍ତ୍ୱଜ୍ଞାନ ଏବେ କହ ॥
ଏ ଭବ ସାଗର ଦୁସ୍ତର ।ଯେ ଜ୍ଞାନେ ହୋଇବୁ ନିସ୍ତାର ॥
ମୈତ୍ରେୟ ଉବାଚମୈତ୍ରେୟ କହନ୍ତି ଭାରତ ।ଏମନ୍ତ ବାକ୍ୟେ ସେ ପ୍ରଚେତ ॥
ସ୍ମରି ନାରଦ ଭଗବାନ ।ଉତ୍ତମ ଶ୍ଲୋକେ କଲେ ଧ୍ୟାନ ॥
ଧ୍ୟାନ କରନ୍ତି ମୁନିବର ।ରୋମ ପୁଲକ କଳେବର ॥
କୃଷ୍ଣ ବିଷୟେ ନିମଜ୍ଜିଲେ ।ଦେହ ଜୀବନ ପାଶୋରିଲେ ॥
ତକ୍ଷଣେ ପାଇ ଦେହ ବୁଦ୍ଧି ।ତାହାଙ୍କୁ କହନ୍ତି ପ୍ରବୋଧି ॥
ନାରଦ ଉବାଚଶୁଣ ନୃପତି ଧର୍ମଶୀଳ ।ଯେଣେ ତୋ ହୋଇବ କୁଶଳ ॥
କହିବା ଶୁଣ ସାବଧାନ ।ଯେ ଧର୍ମେ ହେବ ତୁମ୍ଭ ଜ୍ଞାନ ॥
ହରି ଭଜନ ଯେବେ ନାହିଁ ।ଏଥୁ ଅଭାଗ୍ୟ ପରେ କାହିଁ ॥
ସୁସାଧ୍ୟ କଲେ ଦିବ୍ୟଜ୍ଞାନ ।ଅପରେ ଯେତେ ତପଦାନ ॥
ଏ ସର୍ବ ତାର ଅକାରଣ ।ଯେବେ ନ ଭଜେ ନାରାୟଣ ॥
ଯେସନେ ଜନେ ତରୁ ମୂଳେ ।ସେଚନ କଳେ ନେଇ ଜଳେ ॥
ତାହାର ଭୁଜ ସ୍କନ୍ଧ ଶାଖା ।ସର୍ବ ସନ୍ତୁଷ୍ଟ ମୂଳେ ଏକା ॥
ଏମନ୍ତେ ସେ ହରିଙ୍କ ସେବା ।କଲେ ସନ୍ତୋଷ ସର୍ବଦେବା ॥
ହରିଟି ସର୍ବ ଆତ୍ମାମୂଳ ।ଯେତେ ପ୍ରପଞ୍ଚେ ସୂକ୍ଷ୍ମ ସ୍ଥୂଳ ॥
ଅପରେ ହରି କଥାମାନ ।କହି ତୋଷିଲେ ତାଙ୍କ ମନ ॥
ତକ୍ଷଣେ ବ୍ରହ୍ମଲୋକେ ଗଲେ ।ସେ ସର୍ବ ସନ୍ତୋଷେ ରହିଲେ ॥
ମୈତ୍ରେୟ ଉବାଚଶୁଣ ବିଦୁର ଜ୍ଞାନବନ୍ତ ।ନାରଦ ମୁଖରୁ ନିର୍ଗତ ॥
ହରିଙ୍କ ନାମ ଯଶୋଗୁଣ ।ଯେବା ଭାବନ୍ତି ଅନୁକ୍ଷଣ ॥
ସେ ସର୍ବ କାମାର୍ଥ ଲଭନ୍ତି ।ଇତ୍ୟାଦି ତାର ବିନାଶନ୍ତି ॥
ଶୁଣ ଆନନ୍ଦେ ନୃପଗଣେ ।ହରିଙ୍କୁ ଭଜି ଅନୁକ୍ଷଣେ ॥
ସେ ଅନ୍ତେ ହରିଙ୍କୁ ଲଭିଲେ ।ନାରଦ ହେତୁ ନିସ୍ତରିଲେ ॥
ଏଣୁ ସାଧୁଙ୍କ ସଙ୍ଗେ ପ୍ରାଣୀ ।ଅନ୍ତରେ ଲଭେ ଚକ୍ରପାଣି ॥
ଅପରେ ନାହିଁ ସଦଗତି ।ଏ ଗୁହ୍ୟ ଗୁପ୍ତଜ୍ଞାନ ଅତି ॥
ସେ ସାଧୁସଙ୍ଗେ ଚିତ୍ତେ କର ।ଏ ମାୟା ସ୍ନେହ ଯାଉ ଦୂର ॥
କହିଲୁ ବ୍ରହ୍ମ ତତ୍ତ୍ୱସାର ।ମୈତ୍ରେୟ କହନ୍ତି ବିଦୁର ॥
ତୋର ସଂଶୟ ହୃଦଗତେ ।ପଚାରିଥିଲୁ ଯେ ବୃତ୍ତାନ୍ତେ ॥
ସାରୋଦ୍ଧାର ଏ ଭାଗବତେ ।କହି ଯେ ଥିଲୁ ଆମ୍ଭେ ତୋତେ ॥
ନାରଦ ପ୍ରଚେତ ଦଶଙ୍କ ।ସମ୍ୱାଦ ଚରିତ ହରିଙ୍କ ॥
ମୁଁ ଫେଡ଼ି କହିଲଇଁ ତାହା ।ସନ୍ଦେହ କରିଥିଲୁ ଯାହା ॥
ଶ୍ରୀଶୁକ ଉବାଚକହନ୍ତି ଶୁକ ମହାମୁନି ।ଶୁଣ ପରୀକ୍ଷ ମହାଜ୍ଞାନୀ ॥
ମୈତ୍ରେୟ ଏମନ୍ତ କହିଲେ ।ବିଦୁର ବିନୟେ ଶୁଣିଲେ ॥
ଆନନ୍ଦେ ଲୋମ ପୁଲକିତ ।ଭାବ ଗଦ୍ଗଦେ ଅଶ୍ରୁପାତ ॥
ଆନନ୍ଦ ସାଗରେ ବୁଡ଼ିଲେ ।ଦେହ ଜୀବନ ପାଶୋରିଲେ ॥
ଧରିଣ ମୁନିଙ୍କ ଚରଣ ।ହେ ମୁନି କର ଉଦ୍ଧାରଣ ॥
ତୁମ୍ଭ ପ୍ରସନ୍ନେ ତତ୍ତ୍ୱଜ୍ଞାନ ।ପାଇ ଛାଡ଼ିଲା ଅଭିମାନ ॥
ଭୋ ମୁନି ତୁମ୍ଭେ ଜ୍ଞାନପର ।ଦେଖାଇଦେଲ ତତ୍ତ୍ୱ ସାର ॥
ଏମନ୍ତ ଜନ ଯେତେ ହୋଇ ।ସେ ପ୍ରାଣୀ ହରିଙ୍କୁ ଲଭଇ ॥
ମୁଁ ଏବେ ହେଲି ମୋକ୍ଷପର ।ତୁମ୍ଭ ଦର୍ଶନେ ମୁନିବର ॥
ଭୋ ମୁନି ଆଜ୍ଞାଦେବେ ଯେବେ ।ନିଜ ସଦନେ ଯିବି ତେବେ ॥
ମୁନିଙ୍କ ଚରଣେ ନମିଲେ ।ସେ ତାକୁ ତୋଷେ ଆଜ୍ଞାଦେଲେ ॥
ହସ୍ତିନା ଗମଇ ବିଦୁର ।ଦେଖିବା ଅର୍ଥେ ସହୋଦର ॥
ଛାଡ଼ି ସମସ୍ତ ମାୟା ମୋହେ ।ଗମିଲା ମାତ୍ର ଭ୍ରାତୃ ସ୍ନେହେ ॥
ଶୁଣ ରାଜନ ଦଣ୍ଡଧର ।ସେ ଯେ ପ୍ରାଚୀନ ନୃପବର ॥
ତାହାଙ୍କ ପୁଣ୍ୟ ଯଶ କୀର୍ତ୍ତି ।ଯେ ନିତ୍ୟେ ଶୁଣେ ଦୃଢ଼େ ଅତି ॥
ତା ଯଶ ଆୟୁଷ ବଢ଼ଇ ।ବିପୁଳ ଭୋଗ ନ ଛାଡ଼ଇ ॥
ଷଡ଼ ଐଶ୍ୱର୍ଯ୍ୟ ଭୋଗେ ତୋଷ ।ଅନ୍ତେ ଯେ ଗତି ଚତୁର୍ଦ୍ଦଶ ॥
କହଇ ବିପ୍ର ଜଗନ୍ନାଥ ।ଏ କୃଷ୍ଣ ଆଜ୍ଞାରୁ ଭକତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ନାରଦ ପ୍ରଚେତା ପ୍ରସଙ୍ଗେନାମ ଏକତ୍ରିଂଶୋଽଧ୍ୟାୟଃ ।ଭୀମସ୍ୟାପି ରଣେ ଭଙ୍ଗୋ ମୁନିରପି ମତିଭ୍ରମଃଯଦି ଶୁଦ୍ଧମଶୁଦ୍ଧଂ ବା ମମ ଦୋଷୋ ନ ବିଦ୍ୟତେ ।