ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୧୧ / ୧୨ · ବିଂଶ ଅଧ୍ୟାୟ (୨)
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚବିଂଶ ଅଧ୍ୟାୟମୈତ୍ରେୟ ଉବାଚଶୁଣ ସୁମନେ ହେ ବିଦୁର ।ଏମନ୍ତେ ମହେଶ ଠାକୁର ॥
କୃପା ସେ କଲେ ସେମାନଙ୍କୁ ।କହିଲେ ରୁଦ୍ରଗୀତା ତାଙ୍କୁ ॥
ସେ ସର୍ବେ ହରଷ ହୋଇଲେ ।ବିଧାନେ ଶିବଙ୍କୁ ପୂଜିଲେ ॥
ତାହାଙ୍କୁ ଦେଇ ଦିବ୍ୟଜ୍ଞାନ ।ଶିବ ହୋଇଲେ ଅନ୍ତର୍ଦ୍ଧାନ ॥
ସେ ଦଶଭାଇ ପ୍ରଚେତସ ।ଜ୍ଞାନରେ ହୋଇଲେ ହରଷ ॥
ବୁଡ଼ିଣ ସମୁଦ୍ର ସଲିଳେ ।ସେ ଘୋର ତପସ୍ୟା ନିଶ୍ଚଳେ ॥
ଅୟୁତ ସମ୍ବତ୍ସର ଶେଷ ।ତପ ସାଧିଲେ ଭାଇ ଦଶ ॥
ରହିଲେ ଷଡ଼ଋତୁ ମାରି ।ମନ ପବନ ହୃଦେ ଧରି ॥
ନିତ୍ୟେ ପଢ଼ନ୍ତି ରୁଦ୍ର ଗୀତା ।ତପେ ହୋଇଲେ ଉର୍ଦ୍ଧ୍ୱରେତା ॥
ତଦନ୍ତେ ଶୁଣ ହେ ବିଦୁର ।ସେ ଯେ ପ୍ରାଚୀନ ନୃପବର ॥
ରାଜ୍ୟ କରଇ ଅବିବେକ ।ସ୍ୱଭାବେ ଅଜ୍ଞାନୀ କାମୁକ ॥
ଏ କଷ୍ଟ କର୍ମ ଦେଖି ତାର ।ମନେ ଜାଣିଲେ ମୁନିବର ॥
ଏ ମହୀପତି ପୃଥୁବଂଶ ।ଏ କର୍ମ ମାର୍ଗେ ଗଲେ ନାଶ ॥
ବିପ୍ର ବଚନେ ଭ୍ରମ ହେଲା ।ଅନେକ ପଶୁ ବଧ କଲା ॥
ଅଦୋଷୀ ଜୀବ ଯଜ୍ଞେ ମାରି ।ଯେ ତାର ନୁହନ୍ତି ବଇରୀ ॥
ଦୁର୍ଲ୍ଲଭ ଜନ୍ମ କଲା ନାଶ ।କର୍ମେ ହୋଇଲା ଜ୍ଞାନ ଧ୍ୱଂସ ॥
ଏମନ୍ତ କରି ଦୟାଚିତ୍ତେ ।ସେ ମୁନି ସତ୍ୱରେ ଆରତେ ॥
ସେ ସର୍ବ ଘଟେ ଦୟାପର ।ଅଧ୍ୟାତ୍ମ ବିଦ୍ୟାଜ୍ଞାନେ ସାର ॥
କରୁଣା କରି ସେ ରାଜାକୁ ।ଦର୍ଶନ ଦେଲେ ଆସି ତାକୁ ॥
ମୁନିଙ୍କୁ ଦେଖି ସେ ରାଜନ ।ତେଜିଣ ଉଠିଲେ ଆସନ ॥
ସତ୍ୱରେ କରି ନମସ୍କାର ।ଆନନ୍ଦେ ପୂଜିଲେ ପୟର ॥
ଆସନେ ବସାଇଲେ ନେଇ ।ପାଦ କମଳ ଦେଲେ ଧୋଇ ॥
ତାହାର ଭକ୍ତିଭାବେ ତୋଷ ।ସେ ମୁନିବର ହେଲେ ବଶ ॥
କହନ୍ତେ ତାରେ ଦୟାବହି ।ଭୋ ନୃପ ତୋର ଜ୍ଞାନ ନାହିଁ ॥
ତୁ କର୍ମ ମାର୍ଗେ ହେଲୁ ହୀନ ।ବିଅର୍ଥେ ଗଲା ତୋର ଦିନ ॥
ନିରତେ କର୍ମେ ନିମଜ୍ଜିଲୁ ।ତୁ ଆମ୍ଭ ହିତ ନ ଜାଣିଲୁ ॥
ଯେ କର୍ମ ମୋକ୍ଷମାର୍ଗେ ହାନି ।ତୁ ତାହା ଶ୍ରେୟପ୍ରାୟେ ମଣି ॥
ଯେ ସଙ୍ଗଦୋଷେ ଜ୍ଞାନ କ୍ଷୟେ ।ବୁଝି ତା ନ ପାରିଲୁ ରାୟେ ॥
ତୁ ଅତି ସ୍ନେହେ ତହିଁ ବନ୍ଧା ।ଯେ ସଙ୍ଗଦୋଷେ ଧର୍ମ ବାଧା ॥
ତା ଶୁଣି ଭୟେ ନୃପମଣି ।ବଜ୍ର ନିର୍ଘାତ ପ୍ରାୟେ ମଣି ॥
ଉତ୍ସୁକେ କହଇ ନୃପତି ।ଭୋ ମୁନି ମୁଁ ଯେ ମୂଢ଼ମତି ॥
ବିଷୟ ଜଡ଼େ ବଦ୍ଧ ହୋଇ ।ମୁଁ ତୁମ୍ଭ ଜ୍ଞାନ ନ ଜାଣଇ ॥
ଯେବେ ଅଇଲ ମୋର ହିତେ ।ମୋ ଭାଗ୍ୟବଶେ ଦୟା ଚିତ୍ତେ ॥
ଏ ଘୋର କର୍ମ ଜଡ଼ ମୋର ।କହି ସୁଜ୍ଞାନେ ପରିହର ॥
ତୁମ୍ଭେ ସଂସାରେ ପ୍ରାଣୀହିତେ ।ଭ୍ରମଣ କରୁଥାଅ ନିତ୍ୟେ ॥
ଅବ୍ୟକ୍ତ ଗତି ଯେ ତୁମ୍ଭର ।ଦେବ ମାନବେ ଅଗୋଚର ॥
ଏଣୁ ତୁମ୍ଭର ଦରଶନ ।ନୁହଇ ବିଷୟ ବନ୍ଧେଣ ॥
ଭୋ ମୁନି ମୁ୍ଁ ମୂଢ଼ ଦୁର୍ମତି ।ଦାରା ତନୟେ ସ୍ନେହ ଅତି ॥
ଏଣୁ ନୋହିଲା ଜ୍ଞାନ ସଧ ।ରାଜ୍ୟ ବିଭୁତି ମଦେ ଅନ୍ଧ ॥
ଇନ୍ଦ୍ରିୟ ସୁଖରସ ମୁହିଁ ।ନିର୍ବନ୍ଧେ ଛାଡ଼ି ନ ପାରଇ ॥
ଯେବେ ସୁଦୟା ତୁମ୍ଭ ଚିତ୍ତେ ।ଏ ସ୍ନେହ ଛାଡ଼େ ମୋ ଯେମନ୍ତେ ॥
ଏମନ୍ତେ ତାର ବାକ୍ୟ ଘେନି ।ଅତି ଆନନ୍ଦେ ଦେବ ମୁନି ॥
କହନ୍ତି ଚିତ୍ତେ ଦୟା ବହି ।ଶୁଣ ପ୍ରାଚୀନ ପୁଣ୍ୟଦେହୀ ॥
ତୁ କର୍ମଜ୍ଞାନେ ବିଶାରଦ ।ଏଣୁ ହୋଇଲୁ କର୍ମେ ବଦ୍ଧ ॥
ଯେ ପୂର୍ବେ ପୁଣ୍ୟ ତୋର ଥିଲା ।ଏ ଯଜ୍ଞକର୍ମେ ନଷ୍ଟ ହେଲା ॥
ତୁ ବିପ୍ର ବାକ୍ୟେ ହେଲୁ ଅନ୍ଧ ।ଅନେକ କଲୁ ପଶୁ ବଧ ॥
ଅଦୋଷୀ ଜୀବ ଯାଗେ ମାରି ।ସେ ତୋର ନୁହନ୍ତି ବଇରୀ ॥
ତୁ ରାଜା ଏଡ଼େ ଅବିବେକ ।ଦୟା ନ ବସିଲା ତିଳେକ ॥
ଏ ପଶୁଗଣେ କୋପ ବହି ।ତୋ ମୃତ୍ୟୁ ମାର୍ଗେ ବାଟଚାହିଁ ॥
ସେ ତୋତେ ନିଶ୍ଚେ ବିନାଶିବେ ।ତୁ ନୃପ ବୋଲି ନ ଡରିବେ ॥
ତୁ ପୀଡ଼ା ଦେଇଅଛୁ ଯେତେ ।ଏ କୋପ ସୁମରନ୍ତି ନିତ୍ୟେ ॥
ଏହାଙ୍କ ଯାଇ ନାହିଁ କ୍ରୋଧ ।ଏ ନିଶ୍ଚେ ଦୁଃଖ ଦେବେ ମଧ୍ୟ ॥
ତୋତେ ପାଇଲେ ପରଲୋକେ ।କାଟି ଭକ୍ଷିବେ ଏକେ ଏକେ ॥
ଏହାଙ୍କ ଶୃଙ୍ଗ ତୀକ୍ଷ୍ଣ ଧାର ।ଲୌହ ସମାନେ ସେ କଠୋର ॥
ସେ ଶୃଙ୍ଗେ ତୁମ୍ଭଙ୍କୁ କାଟିବେ ।ତେବେ ସେ କ୍ରୋଧ ଉପେକ୍ଷିବେ ॥
ଆମ୍ଭେ ଦେଖିଲୁ ସ୍ୱର୍ଗ ପଥେ ।ତୋ ପ୍ରତିଆଶେ ପଶୁ ଯେତେ ॥
ଦଶନେ ଅଧର କାମୁଡ଼ି ।କୋପେଣ ଦ୍ୟନ୍ତି ଘୋର ରଡ଼ି ॥
ଦଶନ ଭିଡ଼ି ବିକରାଳେ ।ଖୂର ଖୋଳନ୍ତି ରବିତଳେ ॥
ସେ ତୋତେ ପାଇଲେ ରାଜନ ।କରିବେ ଅବଶ୍ୟ ଭୋଜନ ॥
ତାହାଙ୍କ ମୁଖରେ ରାଜନ ।ପଡ଼ିଲେ ନ ପାଇ ଜୀବନ ॥
ଆମ୍ଭେ ଦେଖିଣ ଭୟ ଚିତ୍ତେ ।ଶୀଘ୍ରେ ଅଇଲୁ ତୋର ହିତେ ॥
କହିଲୁ ସତ୍ୟ ନିରାଧାର ।ଏ ମିଥ୍ୟା ନୁହେଁ ନୃପବର ॥
ଯେବେ ସଂଶୟ ତୋର ଚିତ୍ତେ ।ପ୍ରତ୍ୟକ୍ଷେ ଦେଖାଇବା ତୋତେ ॥
ଏମନ୍ତ କହି ମୁନିବର ।ଯୋଗ ନିଦ୍ରାରେ ତା ଶରୀର ॥
ହରିଲେ ପ୍ରାଣ ବୁଦ୍ଧି ମନ ।ତକ୍ଷଣେ ନୃପତି ଅଜ୍ଞାନ ॥
ସେ ଯୋଗନିଦ୍ରାରେ ସ୍ୱପନେ ।ପ୍ରବେଶ ଯମର ଭୁବନେ ॥
ଦେଖିଲା ତହିଁ ନୃପଗଣେ ।ଦୁଃଖିତ ଇତ୍ୟାଦି କାରଣେ ॥
ଯେ ଯାହା ଭାଗ୍ୟ କର୍ମଦ୍ୱାରେ ।ପୀଡ଼ନ୍ତି ସେ ଶତ୍ରୁ ଯାହାରେ ॥
ଯେ ଶସ୍ତ୍ରେ ପଶୁକୁ ଯେ ମାରି ।ସେ ରୂପେ ଶୃଙ୍ଗ ଛନ୍ତି ଧରି ॥
ଗଦା ମୁଦ୍ଗର ଅସିଧାର ।କୁନ୍ତ କୁଠାର ତୀକ୍ଷ୍ଣ ଶର ॥
ଏ ଆଦି ଅସ୍ତ୍ର ଅପ୍ରମିତ ।ପ୍ରକୋପେ ପ୍ରହାରନ୍ତି ନିତ୍ୟ ॥
ଯେ ଯାହା ଶତ୍ରୁ କର୍ମଦ୍ୱାରେ ।ସୁମରି ଦଣ୍ଡ ଦ୍ୟନ୍ତି ତାରେ ॥
କେ ବୃକ୍ଷେ ବାନ୍ଧିଣ ପିଟନ୍ତି ।କେ ରୋଷେ ତୋଳି କଚାଡ଼ନ୍ତି ॥
ଅଧୋବଦନେ ଊର୍ଦ୍ଧ୍ୱେପାଦ ।ଏ ଆଦି ଅଶେଷ ବିପଦ ॥
ନାନା କଦର୍ଥନେ ପୀଡ଼ନ୍ତି ।ଭୟାଳୁ ରୂପେଣ ଚାହାନ୍ତି ॥
ଅଧର ଚାପି ରହେ ଭିଡ଼ି ।କୋପେ ଦିଅନ୍ତି ଘୋର ରଡ଼ି ॥
ଶତ୍ରୁଙ୍କ ଦଣ୍ଡ ଉଗ୍ରତାପେ ।ଉଚ୍ଚେଣ ରୋଦନ ଅଧିପେ ॥
ଦୁଃସହ ଦୁଃଖ ଭୟେ ଛନ୍ନ ।ସ୍ରବିତ ମୁତ୍ର ଦ୍ୱାରମାନ ॥
ତା ଦେଖି ପ୍ରାଚୀ ନୃପରାଣ ।ଭୟେ ଉତ୍ସର୍ଗେ ଆତ୍ମପ୍ରାଣ ॥
ଭ୍ରମ ହୋଇଲା ବୁଦ୍ଧି ମତି ।ପଳାଇ ଲୁଚିଲା ନୃପତି ॥
ତା ଯାଗବଧ ପଶୁଗଣେ ।ସେ ଆସି ବେଢ଼ିଲେ ତକ୍ଷଣେ ॥
ସେ ନିଜ ଶତ୍ରୁ ପାଇ କୋପେ ।ବେଗେ ଭକ୍ଷିଲେ କ୍ଷୁଧା ତାପେ ॥
ବୃକ ସମୂହେ ମୃଗ ଯେହ୍ନେ ।ରାଜାଙ୍କୁ ବେଢ଼ିଲେ ତେସନେ ॥
ଆବୋରି ଶତେପୁର କରି ।ଏକ ଆରେକ ବଳେ ଧରି ॥
ଦଶନେ ଧରି ଓଟାରନ୍ତି ।ଏକ ଆରେକ ନ ଛାଡ଼ନ୍ତି ॥
ଦୁଃସହ ଦୁଃଖେ ସେ ରାଜନ ।ବ୍ୟାକୁଳେ କରଇ ରୋଦନ ॥
ନିର୍ଦ୍ଦୟେ ରୁଷ୍ଟ ପଶୁଗଣେ ।ମାଂସ ଭକ୍ଷନ୍ତି ଅନୁକ୍ଷଣେ ॥
ଭକ୍ଷନ୍ତି ଅସ୍ଥି ଶେଷଯାଏ ।ଯାବତ କ୍ରୋଧ ଶାନ୍ତି ନୁହେ ॥
ତଦନ୍ତେ ଅନ୍ୟ ପଶୁଗଣେ ।ସେ ବେଢ଼ି ଭକ୍ଷନ୍ତି ତତ୍କ୍ଷଣେ ॥
ମାୟାରେ ପୁନରପି କାୟେ ।ସଦୃଶେ ପୂର୍ବ ତନୁ ପ୍ରାୟେ ॥
ଅଜ୍ଞାନେ ନ ଜାଣେ ନୃପତି ।ଭୟେ ପଳାଇ ଚାରିକତି ॥
ତେଣେ ଗୋଡ଼ାନ୍ତି ପଶୁଗଣେ ।କୋପେ ଭକ୍ଷନ୍ତି ଜଣେ ଜଣେ ॥
ଏମନ୍ତେ ଦଣ୍ଡଭୟ ଘୋରେ ।ରୋଦନ କରେ ଉଚ୍ଚସ୍ୱରେ ॥
ତାରେ ସପକ୍ଷ କେହି ନାହିଁ ।ଶତ୍ରୁ ସମୂହେ ପୀଡ଼େ ଦେହୀ ॥
ସଭୟେ ପଳାଇ ରାଜନ ।ନିଶ୍ଚେ ମୁଁ ଛାଡ଼ିବି ଜୀବନ ॥
ଏମନ୍ତେ ଭାଳନ୍ତେ ଆକୁଳେ ।ମୁନି ଜାଣିଲେ ଯୋଗବଳେ ॥
ଏ ମିଥ୍ୟା ଭୟେ ନୃପଚ୍ଛନ୍ନ ।ଅବଶ୍ୟ ଛାଡ଼ିବ ଜୀବନ ॥
ଉଚ୍ଛନ୍ନ ଭୟେ ନୃପବର ।ହରିଲେ ଯୋଗନିଦ୍ରା ତାର ॥
ତକ୍ଷଣେ ଚେତନା ଲଭିଲା ।ବିହ୍ୱଳେ ସତ୍ୱରେ ଉଠିଲା ॥
ମୁନିଙ୍କୁ କୋଳାଗ୍ରତେ ଧରି ।ସେ ମିଥ୍ୟାଭୟେ ନୃପ ଡରି ॥
କମ୍ପିତ କାତରେ ରାଜନ ।ବିକଳେ ହୋଇ ଛନ୍ନ ଛନ୍ନ ॥
ଏ ଦୁଷ୍ଟ ଭୟେ ପଶୁ ଘୋର ।ନିଶ୍ଚେ ନାଶିବେ ମୋ ଶରୀର ॥
ଏମନ୍ତ କହି ସେ ରାଜନ ।ତକ୍ଷଣେ କରଇ ରୋଦନ ॥
ମତି ବିଭ୍ରମ ଦେଖି ତାର ।କହି ବୋଧିଲେ ମୁନିବର ॥
ଏ ମିଥ୍ୟା ଭୟେ ତୁ ରାଜନ ।ବିଅର୍ଥେ ହେଉ ମୋହ ଛନ୍ନ ॥
ଏବେ ପ୍ରତ୍ୟକ୍ଷେ ଦେଖ ରାୟେ ।ନୟନ ଫେଡ଼ି ତୁ ନିର୍ଭୟେ ॥
ଏ ଯେ ଉଭୟ ପୀଡ଼ା ତୋତେ ।ଅଜ୍ଞାନେ ଦେଉଥିଲା ନିତ୍ୟେ ॥
ଅଦୃଶ୍ୟ ହେଲେ ଆମ୍ଭ ଡରେ ।ତୋ ଅନ୍ତେ ପୀଡ଼ିବେ ସେ ନରେ ॥
ଶୁଣି ସଂଭ୍ରମେ ନୃପରାଣ ।ଏ କଷ୍ଟୁ ରଖ ମୋର ପ୍ରାଣ ॥
ଏ ଯେତେ ଦୁଷ୍ଟ ପଶୁ ଘୋର ।କି ରୂପେ ଏଥୁ ମୋ ନିସ୍ତାର ॥
କହିବା ଏଥିର କାରଣ ।ତୁମ୍ଭେ ସର୍ବଜ୍ଞ ସର୍ବ ଜାଣ ॥
ତା ଶୁଣି ଦେବ ମହାଋଷି ।ରାଜା ବିଭ୍ରମେ ମନ୍ଦେ ହସି ॥
ଶୁଣ ସୁମନେ ନୃପବର ।କହିବା ଏ ତୋର ନିସ୍ତାର ॥
ସୁତଠାରୁ ତୁ ଛାଡ଼ ବିତ୍ତ ।କି ଦାରା କି ତନୟ ମିତ ॥
ଅଷ୍ଟ ଐଶ୍ୱର୍ଯ୍ୟ ଭୋଗ ଯେତେ ।ଏ ରାଜ ବିଭୂତି ସହିତେ ॥
ଯେ ଘୋର ଭୟ ପୀଡ଼ା ଯେତେ ।ମାୟା ସଂସାରେ ବିମୋହିତେ ॥
ଏ ସର୍ବ ତେଜି ବିଷ୍ଣୁ ପାଦେ ।ଏକାନ୍ତେ ଭଜ ଅପ୍ରମାଦେ ॥
ତୋ ତହୁଁ ହତ୍ୟା ଦୁଃଖ ଘୋର ।ବେଗେ ଛାଡ଼ିବ ନୃପବର ॥
ଏ ବିନେ ତୋର ଅନ୍ୟ ଗତି ।ଅପରେ ନ ଦେଖେ ନୃପତି ॥
ତା ଶୁଣି ସଭୟେ ରାଜନ ।ଭୋ ମୁନି ମୁଁ ମୁଢ଼ ଅଜ୍ଞାନ ॥
ପୁତ୍ର ଶ୍ରଦ୍ଧାରେ ସ୍ନେହ ଅତି ।ଇନ୍ଦ୍ରିୟ ରସ ଭୋଗେ ମତି ॥
ଏ ଆଦି ଗୃହବାସ ଯେତେ ।ମୁଁ ଛାଡ଼ି ପାରିବି କେମନ୍ତେ ॥
ଉପାୟ ଥିଲେ ମୁନିବର ।କହି ଅଜ୍ଞାନ ଦୂରକର ॥
ତା ବାକ୍ୟେ ହସି ମୁନି ତୋଷ ।କହିବା ତୋତେ ଇତିହାସ ॥
ଶ୍ରବଣେ ହେବ ତୋର ଜ୍ଞାନ ।ଚରିତ ପୁରଞ୍ଜନାଖ୍ୟାନ ॥
ଏ ଘୋର ଭୟେ ସ୍ନେହ ତୋର ।ଶ୍ରବଣେ ବେଗେ ହେବ ଦୂର ॥
ସେ ପୁରଞ୍ଜନ ଏକ ରାଜା ।ପୂର୍ବେ ସେ ଥିଲା ମହାତେଜା ॥
ବିଜ୍ଞାନ ନାମେ ସଖା ତାର ।ଜ୍ଞାନରେ ଶ୍ରେଷ୍ଠ ଥାଇ ଯାର ॥
ସେ ନିଜ ସଖା ପରିହରି ।ଇନ୍ଦ୍ରିୟ ଭୋଗ ଇଚ୍ଛାକରି ॥
ନିରତେ ଭାବେ ଅନୁଦିନ ।ଇନ୍ଦିୟ ବଶେ ହୋଇ ଛନ୍ନ ॥
ସେ ରାଜା ପୃଥିବୀ ଭ୍ରମଇ ।ଉତ୍ତମ ସଂସ୍ଥାନ ଇଚ୍ଛଇ ॥
ନ ପାଇ ନିଜ ରୂପ ସ୍ଥିତି ।ବିଷାଦ ମନେ ସେ ନୃପତି ॥
ଯାବତ ପୁର ମହୀସ୍ଥଳେ ।ସେ ରାଜା ଦେଖିଲା ଶୟଳେ ॥
ତା ନିଜ କାମ ପୂର୍ଣ୍ଣ ପାଇଁ ।ସେ ରାଜା ସନ୍ତତେ ଭ୍ରମଇ ॥
ଏମନ୍ତେ ଏକାନ୍ତେ ଭ୍ରମନ୍ତେ ।ଗଲା ସେ ହିମାଳୟ ଅନ୍ତେ ॥
ସେ ଗିରି ଦେଖିଣ ଭାଗ୍ୟରେ ।ପ୍ରବେଶ ହୋଇଲା ସତ୍ୱରେ ॥
ସୁଦିବ୍ୟ ପୁର ତହିଁ ଥିଲା ।ସେ ରାଜା ସନ୍ତୋଷେ ଦେଖିଲା ॥
ନାନା ଲକ୍ଷଣେ ବିରାଜଇ ।ସେ ନବଦ୍ୱାରେ ଶୋଭା ପାଇ ॥
ନବରେ ପାଚେରୀ ଶୋଭନ ।ତା ଚାରିପାଶେ ଉପବନ ॥
ଗୃହାଦି ଅଟ୍ଟାଳି ଶୋଭନ୍ତି ।ପରିଖା ତ୍ରୋଣ ବିରାଜନ୍ତି ॥
ହେମ ରଜତମୟ ଶୃଙ୍ଗ ।ବିଚିତ୍ର ବର୍ଣ୍ଣେ ନାନା ରଙ୍ଗ ॥
ରତ୍ନ ସମୂହ ବିରାଜନ୍ତି ।ଶୁଭ୍ର ସୁନ୍ଦର ରୂପ କାନ୍ତି ॥
ନୀଳାଦ୍ରି ସ୍ଫଟିକ ପୋହଳା ।ମୋତି ମୌକ୍ତିକ ଆଦିମେଳା ॥
ନିର୍ମିତ ହେମମୟ ସ୍ଥଳୀ ।କାନ୍ତି ସମୂହ ଅତିଝଳି ॥
ସେ ପୁର ଦେଖିଣ ନୃପତି ।କିଏ ଦ୍ୱିତୀୟ ଭୋଗବତୀ ॥
ସଭା ଚତ୍ୱର ରାଜବାଟ ।ପଶା ଖେଳବା ସ୍ଥାନ ହାଟ ॥
ବିଶ୍ରାମ ସ୍ଥାନ ପ୍ରାଣୀଙ୍କର ।ଏ ଆଦି ଅଛି ସେ ମନ୍ଦିର ॥
ସେ ପୁର ବାହ୍ୟ ଉପବନ ।ଶୋଭନ ନାନା ଦ୍ରୁମମାନ ॥
ପୁଷ୍ପିତ ସରୋବର ତହିଁ ।ବିହଙ୍ଗକୁଳ କୂଳେ ଯହିଁ ॥
ହେମ ନିର୍ଝର ବିନ୍ଦୁ ଯୋଗେ ।କୁସୁମାକର ବାୟୁ ବେଗେ ॥
ପ୍ରବଳ ଦଳ ବିଟପୀରେ ।ସରସୀ ତଟ ସମ୍ପଦରେ ॥
ନାନା ବର୍ଣ୍ଣରେ ମୃଗମାନେ ।ବିହରୁ ଛନ୍ତି ଉପବନେ ॥
ଯହିଁ କୋକିଳ କ୍ରିଡ଼ୁଛନ୍ତି ।କିଏ ସେ କାନ୍ତକୁ ଡାକନ୍ତି ॥
ଏମନ୍ତେ ନାନା ପକ୍ଷୀକୁଳେ ।କ୍ରୀଡ଼ନ୍ତି କାମମତି ଭୋଳେ ॥
ସେ ଦିବ୍ୟ ଭୁବନେ ରାଜନ ।କହିବା ଅପାର ବିଧାନ ॥
କାମିନୀ ରତ୍ନ ସେହୁ ବନେ ।ଆସୁ ଯେ ଥିଲେ ସ୍ୱଚ୍ଛମନେ ॥
ରମଣୀ ରତ୍ନ ସେହୁ ବାଳା ।ତାହାକୁ ନୃପତି ଦେଖିଲା ॥
ସଙ୍ଗେ ତା ଦଶ ପରିବାରୀ ।ଘେନିଣ ଆସିଲା ସୁନ୍ଦରୀ ॥
ଭୂତ ମାନଙ୍କେ ଏକେ ଏକେ ।ସଙ୍ଗତେ ଶତ ସନାମିକେ ॥
ପଞ୍ଚ ମସ୍ତକେ ଏକା ଅହି ।ସେ ନାରୀ ଦ୍ୱାରପାଳ ସେହି ॥
ସେ କାମରୂପୀ ଦିବ୍ୟ ନାରୀ ।ବିବାହ ନୋହିଛି ତାହାରି ॥
ଅପାଙ୍ଗ ଅଙ୍କିତ ବିଶିଖ ।ଭୁରୁ କମାଣେ ସନ୍ଧି ଲାଖ ॥
ରାଜାକୁ ସତ୍ୱରେ ବିନ୍ଧିଲା ।ତକ୍ଷଣେ ରାଜା ମୋହ ହେଲା ॥
ସେ ବୀର ଲଜ୍ଜା ପାଇ ମନେ ।ନାରୀକୁ ପଚାରେ ଅଜ୍ଞାନେ ॥
ଭୋ ସଖୀ ନାମ ଗୋତ୍ର ତୋର ।କହ କି ଅର୍ଥେ ବନ ଘୋର ॥
ଭ୍ରମଣ କରୁଛୁ ସୁନ୍ଦରୀ ।ସୁର ମୁନୀଦ୍ର ମନୋହାରୀ ॥
ଏ ଦିବ୍ୟମୟ ଉପବନେ ।କହ କି ଅଛି ତୁମ୍ଭ ମନେ ॥
କି କାମମୃଗ ନିବାରଣେ ।ବିହାର କରୁ କି କାରଣେ ॥
ମୋ କାମ ଶତ୍ରୁ ବିଦାରଣେ ।ସଦନ ତେଜିଣ ବିପିନେ ॥
ମୁଁ ନିଶ୍ଚେ ଜାଣିଲି ମୋ ଚିତ୍ତେ ।ସୁଗୁଣ ଘେନି ମୋର ହିତେ ॥
ଏ ପୁରେ କରୁ ତୁ ବିହାର ।ମୁଁ ଯେଣୁ ତୋର ପରିଚାର ॥
ଭୋ ସଖୀ ଏ ତୋ ସଖୀଗଣ ।କହ କାହାର କି କି କାମ ॥
ଅଟନ୍ତି ଦଶଜଣ ଯେବା ।ଏ ତୁମ୍ଭ କରନ୍ତି କି ସେବା ॥
ଏ ସର୍ପ କେ ତୁମ୍ଭ ଆଗର ।ପଞ୍ଚ ମସ୍ତକ କିମ୍ପା ତାର ॥
ତୁମ୍ଭେ କି ଲଜ୍ଜାରୂପ ଧରି ।ଧର୍ମ ପତିକୁ ଚାହିଁକରି ॥
କି ଅବା ତୁମ୍ଭେ ଗୋ ଭବାନୀ ।ସଙ୍ଗକୁ ଇଚ୍ଛ ଶୂଳପାଣି ॥
କି ଅବା ତୁମ୍ଭେ ପଦ୍ମାଳୟା ।ଲୋଡ଼ୁଛ ପଦ୍ମପାଦ ଛାୟା ॥
ତୋ ଗୁଣ ବର୍ଣ୍ଣିବଇଁ କେତେ ।ତୋ ସମ ନାହିଁ ଏ ଜଗତେ ॥
ଏବେ ନିଶ୍ଚୟ ମୋତେ ଘେନି ।ଏ ପୁରେ ବିହର କାମିନୀ ॥
ଅନଙ୍ଗ ବାଣ ପୀଡ଼େ ମୋତେ ।ମୁଁ ଫେଡ଼ି କହିଲଇଁ ତୋତେ ॥
ତୁ ଅନୁରାଗ ମୋତେ କର ।ଏ କାମ ଅଗ୍ନି ତୁ ନିବାର ॥
ଅନେକ ବିନୟ ବଚନେ ।ସେ ନାରୀ ବଶ ପୁରଞ୍ଜନେ ॥
ହେ ନୃପ ତୋର ପ୍ରାୟ ସେହି ।ନାରୀ ସ୍ୱବଶ କଲା ଦେହୀ ॥
ସେ ନାରୀ ବୁଝିଲା ଏ ବୀର ।କାମେ ଯେ ହୋଇଛି ଅସ୍ଥିର ॥
କହିବି ଚିତ୍ତେ ସୁବଚନ ।ଶୁଣ ହେ ଦେବ ପୁରଞ୍ଜନ ॥
ଆମ୍ଭର କର୍ତ୍ତା କେହି ନାହିଁ ।ବିହରୁ ଏ ପୁରରେ ରହି ॥
ସ୍ୱନାମ ଗୋତ୍ର ତା ନ ଜାଣି ।ଏ ତନୁ ଅଛି କେ ନିର୍ମାଣି ॥
ଏତେକ ଜାଣି ଆମ୍ଭେମାନେ ।ସକଳେ ଅଛୁ ଏ ଭୁବନେ ॥
ଅପରେ ନ ଜାଣୁ ନା କିଛି ।ଏ ପୁରେ ମୋତେ କେ ରଖିଛି ॥
ଦେଖ ଏ ଯେତେ ପରିଜନ ।ମୋର ଏ ନୁହନ୍ତି ଅଭିନ୍ନ ॥
ଏହାଙ୍କ ନାମ କର୍ମ ଗୁଣ ।ପୁଚ୍ଛିଲେ ଶୁଣ ନୃପରାଣ ॥
ମୁଁ ଯେବେ ନିଦ୍ରାଗତ ହୁଏ ।ଏ ସର୍ପ ପୁର ଜଗିଥାଏ ॥
ଏମାନେ ଆମ୍ଭ ପରିଚାର ।ସକଳ କାର୍ଯ୍ୟରେ ଚତୁର ॥
ଏ କରେ ମୋର ଅନୁମତେ ।ଯେ ଭୋଗ ବାଞ୍ଛେ ଯେବେ ଚିତ୍ତେ ॥
ଯେ ଶୁଭାଶୁଭ ଚିତ୍ତେ ଦେଇ ।ବିଧି ନିଷେଧ ମାର୍ଗେ ନେଇ ॥
ଏଣୁ ଆତ୍ମୀୟ ପ୍ରିୟ ମୋର ।ତେଣୁ ଏ ସେବେ ନିରନ୍ତର ॥
ଏହାର ବେନି ପତ୍ନୀ ନାମ ।ପ୍ରବୃତ୍ତି ନିବୃତ୍ତି ରାଜନ ॥
ପ୍ରବୃତ୍ତି ପତ୍ନୀ ନାମ ଯାର ।ସେ ସେବେ ପ୍ରବୃତ୍ତି ମାର୍ଗର ॥
ନିବୃତ୍ତି ନାମେ ଯେ ଯୁବତୀ ।ସେ ଧର୍ମମାର୍ଗେ ସେବେ ପତି ॥
ଏ ବେନି ନାରୀଙ୍କ କୁମର ।ସେ ସାଧୁଶୀଳ ଦୁଷ୍ଟପର ॥
ଯେ ତେଜ ପ୍ରବୃତ୍ତି ନନ୍ଦନ ।ଏ କାମ କ୍ରୋଧ ଅଭିମାନ ॥
ଅଜ୍ଞାନ ଲୋଭ ମୋହ ହିଂସା ।ବିବାଦ ତର୍କ ମିଥ୍ୟା ଭାଷା ॥
ଅପରେ କହିବଇଁ କେତେ ।ଏ ଆଦି ପୁତ୍ର ଛନ୍ତି ଯେତେ ॥
ଏ ସର୍ବ ଧର୍ମର ବିବାଦୀ ।ପିତୃ ସେବନ୍ତି ନିରବଧି ॥
ଅଧର୍ମ ମାର୍ଗେ ନିରନ୍ତର ।ସୁସେବା କରନ୍ତି ପିଅର ॥
ଯେ କାମଭୋଗ ତୁମ୍ଭ ଇଚ୍ଛା ।ଦେଇ ପାରିବେ ତୁମ୍ଭ ବାଞ୍ଛା ॥
ଏଣୁ ଏ ତୁମ୍ଭ ସଙ୍ଗେ ଥିବେ ।ସେବାଦି କର୍ମରେ ତୋଷିବେ ॥
ଏହାଙ୍କୁ କ୍ଷଣେ ନ ଛାଡ଼ିବ ।ଆମ୍ଭର ଯେତେ ଦୟା ଥିବ ॥
ଏ ଯେତେ ନିବୃତ୍ତି ନନ୍ଦନ ।ଦୟା ବିବେକ ଧର୍ମ ଜ୍ଞାନ ॥
କ୍ଷମା ସନ୍ତୋଷ ଧୀର ଶାନ୍ତି ।ଏ ଅନୁକ୍ରମେ ଯେତେ ଛନ୍ତି ॥
ଅଧର୍ମ ମାର୍ଗେ ଏ ଦାରୁଣ ।ବାଞ୍ଛନ୍ତି ପିତାର ମରଣ ॥
ଏ ନିଶ୍ଚେ ମାରି ନିଜ ତାତ ।ରଖିବେ ପିତାର ପିତାନ୍ତ ॥
ଏଣୁ ଏହାଙ୍କୁ ନ ତେଜିବ ।ଭୋଗାଦି ବାଞ୍ଛା ଯେବେ ହେବ ॥
ଏ ଦୁଷ୍ଟ ଅଜ୍ଞାନ ବିନାଶ ।ଭୋଗାଦି ନୁହେଁ ଏଣେ ତୋଷ ॥
ଯେ ପିତୃ ବଧେ ଛିଦ୍ର ବାଞ୍ଛ ।ତୁମ୍ଭେ ପାଇବ କାହିଁ ରକ୍ଷା ॥
ତୁମ୍ଭେ ନବୀନ ପୁରଞ୍ଜନ ।ନ ଜାଣ କେ ସାଧୁ ଦୁର୍ଜ୍ଜନ ॥
ଆମ୍ଭର କହିବା ଉଚିତ ।ତୁମ୍ଭେ ଯେଣୁ ଆମ୍ଭର କାନ୍ତ ॥
ସ୍ୱାମୀ କପଟୀ ଯେତେ ନାରୀ ।ସେହିଟି ଅଜ୍ଞ ବ୍ୟଭିଚାରୀ ॥
ତୁମ୍ଭେ ଯେ ଭୋଗାଦି ଈଶ୍ୱର ।ଇତ୍ୟାଦି ଭୋଗ ବାଞ୍ଛା କର ॥
ଏ ସର୍ବ ଭୋଗ ବିନାଶିବେ ।କାମାଦି ବାଞ୍ଛା ଏ ନ ଦେବେ ॥
ଏହାଙ୍କ ସଙ୍ଗରେ ରାଜନ ।ପଡ଼ି ହୋଇବ ଭୋଗେ ହୀନ ॥
ଏ ପୁରେ ଭୋଗ ବାଞ୍ଛା ଯାର ।ଏ ଅଙ୍ଗେ ନୋହେ ନୃପବର ॥
ଏ ସଙ୍ଗ ବେଗେ ପରିହର ।ନିଶ୍ଚିନ୍ତେ ଏ ପୁରେ ବିହର ॥
ଏବେ ଆମ୍ଭର ସଙ୍ଗେ ତୁମ୍ଭେ ।ସୁକୃତ କରି ରହ ଦମ୍ଭେ ॥
ସେ ନାରୀ ବାକ୍ୟେ ନୃପମଣି ।ଅଜ୍ଞାନେ ମଜ୍ଜିଲେ ନ ଜାଣି ॥
ଅଧର୍ମ ମାର୍ଗେ ଚିତ୍ତ ଦେଲା ।ସ୍ୱ ପର ଭେଦ ବୁଦ୍ଧି କଲା ॥
ତାହାର ବଶେ ଗଲା ଦିନ ।ଅଜ୍ଞାନୀ ପୁରୁଷେ ଯେସନ ॥
ଭୋ ସଖୀ ଯାବତ ଏ ପୁରେ ।ଥିବି ତୋ ଆଜ୍ଞା ଅନୁସାରେ ॥
ଶୁଣି ପ୍ରତୋଷେ ସୁରନାରୀ ।ରାଜାଙ୍କୁ ଘେନିଲା ଆଦରି ॥
ହେ ନୃପ ଶୁଣ ପୁରଞ୍ଜନ ।ଏ ମୋର ଯେତେ ପରିଜନ ॥
ସୁସେବା କରିବେ ନିରତେ ।ଯେ ଭୋଗବାଞ୍ଛା ତୁମ୍ଭ ଚିତ୍ତେ ॥
ଏ ସଙ୍ଗେ ଆଣି ନିଯୋଗିବେ ।ତୁମ୍ଭଙ୍କୁ କ୍ଷଣେ ନ ଛାଡ଼ିବେ ॥
ଏ ରୂପେ ପ୍ରବୋଧି ବଚନ ।କହିଣ ତୋଷିଲା ରାଜନ ॥
ତା ବାକ୍ୟେ ରାଜା ବିମୋହିତ ।କନ୍ଦୂକ ପ୍ରତିମା ଯେମନ୍ତ ॥
ତା ବଶେ ସ୍ତବେ ଚାଟୁବାଣୀ ।ଭୋ କାମାନଳ ଉଦ୍ଧାରିଣୀ ॥
ପ୍ରମଦାକୁଳ ମଧ୍ୟେ ସାର ।ତୋ ତୁଲେ ନାହିଁ ପଟ୍ଟାନ୍ତର ॥
ଭୋ ନାରୀ ରତ୍ନ ସୀମନ୍ତିନୀ ।କେ ତୁମ୍ଭ ପିଅର ଜନନୀ ॥
କହ ତାହାଙ୍କ ଗୁଣ ନାମ ।ଶ୍ରବଣେ ମୋର ନିସ୍ତାରଣ ॥
ତା ବାକ୍ୟ ଶ୍ରବଣେ ପ୍ରତୋଷି ।ସେ ନାରୀ କହେ ମନ୍ଦେ ହସି ॥
ଶୁଣ ହେ ଦେବ ପୁରଞ୍ଜନ ।କହିବା ଯେ ପୂର୍ବ ବିଧାନ ॥
ଆମ୍ଭର କେବା ତାତ ମାତ ।ନ ଜାଣି ଜନ୍ମାଦି ଉଦନ୍ତ ॥
ଏ ତୁମ୍ଭ ଆଦି ଦେହଧାରୀ ।ସଚରାଚର ଆଦି କରି ॥
ଈଶ୍ୱର ସ୍ୱଇଚ୍ଛା ବିହରେ ।ପ୍ରକୃତି ଭେଦେ ସୃଷ୍ଟି କରେ ॥
ଏ ଘେନି କେ ଜାଣେ ତଦନ୍ତ ।ଏ ମାୟା ଜଡ଼େ ଯେ ଜଡ଼ିତ ॥
ସ୍ୱନାମ ଗୋତ୍ରେ କିବା ଫଳ ।ମୋ ଭାଗ୍ୟେ ତୁମ୍ଭେ ଯେ ମିଳିଲା ॥
ଆଜ ମୋ ଭାଗ୍ୟ ଅଗୋଚର ।ଦେଖିଲି ନୟନ ଗୋଚର ॥
ଯାକୁ ଅଷ୍ଟାଙ୍ଗ ଯୋଗଧ୍ୟନେ ।ଯୋଗୀ ଭାବନ୍ତି ଅନୁଦିନେ ॥
ଯେ ତୁମ୍ଭେ ମୋ ଭାଗ୍ୟେ ଆଗତ ।ଏଣୁ ମୁଁ ମଣିଲି ଅଦ୍ଭୁତ ॥
ଏ ପୁରେ କରିବା ବିଶ୍ରାମ ।ଭୁଞ୍ଜ ସ୍ୱଇଚ୍ଛା ସୁଖେ କାମ ॥
ମୁଁ ସର୍ବ ପୁଣି ନିଯୋଗିବି ।ଏହାଙ୍କ ସଙ୍ଗେ ମୁଁ ସେବିବି ॥
ମୋ ସଙ୍ଗେ କର ରତିଯୋଗ ।ଏ ଶତ ସମ୍ବତ୍ସର ଭୋଗ ॥
ଏ ତୁମ୍ଭ ବିନା ଯେବା ଜନ ।କେ ରତି କରେ ତା ସଙ୍ଗେଣ ॥
ସେ ଅପଣ୍ଡିତ ହୀନ ଦେହୀ ।ତା ରତି ରଙ୍ଗେ ଜ୍ଞାନ ନାହିଁ ॥
ନାହିଁ ଯାହାର ଲୋକ ଚିନ୍ତା ।ନ ଜାଣେ କାଳର କରତା ॥
କେବଳ ପଶୁତୁଲ୍ୟ ସେହି ।ତା ସଙ୍ଗେ କେବା ବିଳସଇ ॥
ଏ ପୁରେ ସର୍ବ ଧର୍ମ ସିଦ୍ଧି ।ଧର୍ମାର୍ଥ କାମ ମୋକ୍ଷ ଆଦି ॥
ପୁତ୍ର ଆନନ୍ଦ ସୁଖ ଯଶ ।ଏ ପୁରେ ଏ ସର୍ବ ପ୍ରକାଶ ॥
ଯେ ଲୋକ ନିର୍ମଳ ବିଶୋକ ।ଯାକୁ ଭାବନ୍ତି ଜ୍ଞାନୀ ଲୋକ ॥
ଯେ ଲୋକ ଏଥି ସାଧି ପାଇ ।ଏଣୁ ଏ ପୁର ସୁଖମୟୀ ॥
ପିତୃ ଦେବତା ମହାଋଷି ।ସୁଖ ଲଭନ୍ତି ଯହିଁ ଆସି ॥
ଏ ଭାବେ ଗୃହସ୍ଥ ଆଶ୍ରମ ।ରଖଇ ସର୍ବଲୋକ ଧର୍ମ ॥
ଏଣୁ ଏ ପୁରେ କର୍ମେ ଥାଇ ।ଯେ ଭୋଗବାଞ୍ଛା ନ ଇଚ୍ଛଇ ॥
କେ ଅବା ସେ ଅଜ୍ଞାନବତୀ ।ତୁମ୍ଭର ପ୍ରାୟ ପାଇ ପତି ॥
ବିହାର ନ କରେ ତା ତୁଲେ ।ସ୍ୱସ୍ୱାମୀ ଆସି ଯେବେ ମିଳେ ॥
ବ୍ୟର୍ଥ ସେ ନାରୀର ଜୀବନ ।ତେଜି ଏ ଭୁଜ ଆଲିଙ୍ଗନ ॥
ଯେବେ ସୁଦୟା ମୋତେ ହେବ ।ଶତେ ବରଷ ଏଥି ଥିବ ॥
ଏମନ୍ତ ତା ବାକ୍ୟେ ରାଜନ ।ସେ ନାରୀ ସଙ୍ଗେ ପୁରଞ୍ଜନ ॥
ସେ ପୁରେ କଲେକ ବସତି ।ଶତ ବତ୍ସର ସୁଖେ ମାତି ॥
ଗାୟକମାନେ ଯେ ଗାବନ୍ତି ।ସେ ବେନି ବିହାର କରନ୍ତି ॥
ସେ ସଖୀମାନଙ୍କୁ ଘେନିଣ ।ରୁଦ୍ରାଣୀ ଜଳରେ ପଶିଣ ॥
ନିଦାଘକାଳେ ସେ କ୍ରୀଡ଼ନ୍ତି ।ସେ ପୁର କେବେ ନ ଛାଡ଼ନ୍ତି ॥
ସେ ପୁରେ ଈଶ୍ୱରଟି ସେହି ।ତାହାକୁ ନ ଜାଣନ୍ତି କେହି ॥
ତା ପୂର୍ବ ପଞ୍ଚଶ୍ରେଷ୍ଠ ଦ୍ୱାର ।ଅଗ୍ରେ କହିବା ନାମ ତାର ॥
ଖଦ୍ୟୋତ ଅବୁମୁଖୀ ଦୁଇ ।ଏହାର ରୂପ ସମ୍ପାଦଇ ॥
ନଳିନୀ ନାଳିନୀ ଯେ ଦ୍ୱାର ।ଏ ପୂର୍ବଦ୍ୱାର ଅଛି ତାର ॥
ଏହାର ଅବଧୂତ ଦୀକ୍ଷା ।ସୁଗନ୍ଧ ଘେନିଥାଇ ଏକା ॥
ସୁଖ ନାମରେ ଦ୍ୱାର ଏକ ।ଉଭୟ କର୍ମରେ ଅଧିକ ॥
ବିବିଧ ଓଦନ ବସନ ।ସେ ଦ୍ୱାରେ ଘେନେ ପୁରଞ୍ଜନ ॥
ରସ ଆସ୍ୱାଦ ବାଦ୍ୟ ଦୁଇ ।ଏ ବେନି ସେ ଦ୍ୱାରେ ଘେନଇ ॥
ପିତୃହୁଁ ଦେବହୁଁ ଯେ ନାମ ।ଏ ବେନିଦ୍ୱାର ଦକ୍ଷ ନାମ ॥
ସେ ଦ୍ୱାରେ ବିଷୟ ରାଜନ ।ସର୍ବଦା କଲେ ଆସ୍ୱାଦନ ॥
ଦକ୍ଷିଣ ଉତ୍ତର ପଞ୍ଚାଳ ।ରାଜ୍ୟ ପାଳଇ ମହୀପାଳ ॥
ପଶ୍ଚିମ ଆସୁରୀ ତା ନାମ ।ସେ ବେନି ଦ୍ୱାରେ ଯେଝାକର୍ମ ॥
ଶ୍ରୀମଳ ନାମେ ଯେ ବିଜୟ ।ଯାହାକୁ ବୋଲି ହବ୍ୟବାହ ॥
ସେ ଦ୍ୱାରେ ପ୍ରଜା ଉତପତ୍ତି ।ଦୁର୍ମଦ ସହିତେ ନୃପତି ॥
ନିର୍ଋତ ନାମଟି ଯାହାର ।ମଳ ଉତ୍ସର୍ଗେ ସେହି ଦ୍ୱାର ॥
ବୈଶସ ବିଷୟକୁ ଯାଇ ।ଲୁବ୍ଧକ ମନ୍ତ୍ରୀ ସଙ୍ଗେ ଥାଇ ॥
ଏପୁରେ ଯେତେକ ଅଛନ୍ତି ।ଏ କେହି ଅନ୍ଧ ସେ ନୁହନ୍ତି ॥
ନିର୍ବାକ ପେଶି ଶୀତ ଦୁଇ ।ଏ ବେନି ଅନ୍ଧରୂପେ ତହିଁ ॥
ଏ ଦ୍ୱାର ଅର୍ଥେ ପୁରଞ୍ଜନ ।କରଇ ଆନନ୍ଦ ପ୍ରଦାନ ॥
ଯେ ଘୋର ଅନ୍ଧ ତା ପୟର ।ତହିଁ ଗମଇ ନୃପବର ॥
ଏ ରୂପେ ରାଜା ପୁରଞ୍ଜନ ।ସେ ପୁରେ ଥାଇ ଅନୁକ୍ଷଣ ॥
ଏ କାମ୍ୟ କର୍ମେ ଦେଇ ଚିତ୍ତ ।ଏଣୁ ହୋଇଲା ଜ୍ଞାନହତ ॥
ତା ପତ୍ନୀ ଯେଣେ ପ୍ରବର୍ତ୍ତାଇ ।ସେ ମାର୍ଗେ ରାଜନ ଗମଇ ॥
ଏମନ୍ତ ସେ ରାଜାକୁ ରାଣୀ ।ରଖିଲା ସ୍ୱବଶରେ ଆଣି ॥
ତା ବିନା ଆଜ୍ଞାରେ ରାଜନ ।ନ କରେ ଅନ୍ୟ ଚେଷ୍ଟାମାନ ॥
ଯେ ପ୍ରାଣୀ ନାରୀବଶ ହୋନ୍ତି ।ସେ ସର୍ବ ପୁଣ୍ୟ ବିନାଶନ୍ତି ॥
ଇହଲୋକରେ ଅପଯଶ ।ଦେହାନ୍ତେ ନରକେ ପ୍ରବେଶ ॥
ଏମନ୍ତ ନାନା ଧର୍ମବାଟେ ।ସେ ମୁନି ବୁଝାଏ ଉଚ୍ଚାଟେ ॥
ପ୍ରାଚୀନ ବରହି ନାରଦ ।ଏ ପୁରଞ୍ଜନର ସମ୍ବାଦ ॥
ଏହା ଯେ ଶ୍ରବଣେ ଶୁଣନ୍ତି ।ସର୍ବ ପାପରୁ ମୁକ୍ତ ହୋନ୍ତି ॥
କହଇ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେନାମ ପଞ୍ଚବିଂଶୋଽଧ୍ୟାୟଃ ।
ଷଡବିଂଶ ଅଧ୍ୟାୟମୈତ୍ରେୟ ଉବାଚଶୁଣି ନାରଦ ମହାମୁନି ।କହନ୍ତି ହରି ଭାବ ଘେନି ॥
ନାରଦ ଉବାଚଶୁଣ ପ୍ରାଚୀନ ନୃପବର ।ସେ ପୁରଞ୍ଜନ ସେ ମନ୍ଦିର ॥
ରହିଲା ସ୍ତିରୀବଶେ ଭୋଗେ ।ଅଜ୍ଞାନ ମୋହେ ଅନୁରାଗେ ॥
ସେ ଏକଦିନେ ଦଣ୍ଡଧର ।ମୃଗୟା ଅର୍ଥେ ବନଘୋର ॥
ଉଦ୍ୟମ କଲା ସେ ରାଜନ ।ସଙ୍ଗେ ଦୁର୍ଜ୍ଜୟ ଭଟ୍ଟମାନ ॥
ରଥ ଆରୋହୀ ଶୀଘ୍ର ଗତି ।ଅରଣ୍ୟେ ପ୍ରବେଶ ନୃପତି ॥
ସେ ପୁରଞ୍ଜନ ଦିବ୍ୟଯାନ ।ଅତି ସୁନ୍ଦର ନିରୁପମ ॥
ପଞ୍ଚ ତୁରଙ୍ଗ ରଥ ବହେ ।ଗମନ୍ତି ପଞ୍ଚମାର୍ଗେ ହୟେ ॥
ସେ ରଥେ ଅଛି ଦୁଇ ଚକ୍ର ।ତିନି ଧ୍ୱଜା ଯେ ଅକ୍ଷ ଏକ ॥
ପଞ୍ଚ ବନ୍ଧନ ରଜ୍ଜୁ ଏକ ।ଏକ ସାରଥି ନୀଡ଼ ଏକ ॥
ଦୁଇଟି ସୁଗନ୍ଧର ସ୍ଥାନ ।ତହିଁରେ ପାଞ୍ଚ କଥା ଜାଣ ॥
ସାତଟି ଚର୍ମ ଆବରଣ ।ପାଞ୍ଚ ପ୍ରକାରେ ଗତି ଜାଣ ॥
ସେ ହେମ ଭୂଷଣେ ଶୋଭନ ।ସାଞ୍ଜୁ ପିନ୍ଧଇ ସେ ରାଜନ ॥
ବସିଲେ ମନୋଜ୍ଞ ବିମାନେ ।ଦେଖି ଶଙ୍କିତ ରିପୁଗଣେ ॥
ଅଜୟ ଆୟୁଧ ବାନ୍ଧିଣ ।ଭୂପତି ଅତି ହରଷେଣ ॥
ମନ ନାମକ ସେନାପତି ।ସଙ୍ଗତ କରିଣ ନୃପତି ॥
ଛାଡ଼ି ତା ପ୍ରିୟବତୀ ନାରୀ ।ଏ କାଳେ ଗଲା ନ ବିଚାରି ॥
ଅସୁର ବୃତ୍ତି ଧରି ରାୟେ ।କଠିନ ହୃଦୟେ ନିର୍ଦ୍ଦୟେ ॥
ନାହିଁ ତା ଅନୁଗ୍ରହ ଚିତ୍ତେ ।ମୃଗୟା ଛଳେ ବିମୋହିତେ ॥
ନିଶିତ ବାଣେ ସେ ରାଜନ ।ବଧିଲେ ବନ ପଶୁମାନ ॥
ଯେ ରାଜା ହୋଏ ଅପଣ୍ଡିତ ।କରେ ଅଦୋଷୀ ଜୀବହତ ॥
ଯେ ପ୍ରାଣୀ ଜୀବ ବଧ କରେ ।ସେ ଯୋନି ମଧ୍ୟେଟି ବିହରେ ॥
ଏହା ନ ଜାଣି ନୃପବର ।ସେ ପଶୁ ମାଇଲା ଅପାର ॥
ବରାହ ଗବୟ ହରିଣ ।ଏମନ୍ତେ ଅନେକ ମାରିଣ ॥
ମେଧ ଅମେଧ୍ୟ ପଶୁ ଯେତେ ।ଇତ୍ୟାଦି ଜୀବନ୍ତ ସଙ୍ଗତେ ॥
ଏମନ୍ତେ ନାନା ଜୀବ ମାରି ।ସେ ଧର୍ମ ପଥ ନ ବିଚାରି ॥
ବନ ଭ୍ରମଣେ ନୃପବର ।ବହୁତ ଶ୍ରମ ହେଲା ତାର ॥
କ୍ଷୁଭିତ ତୃଷା କ୍ଷୁଧା କାଳେ ।ଆତ୍ମ ପୀଡ଼ିତ ଶ୍ରମ ବଳେ ॥
ସତ୍ୱରେ ସଦନେ ପ୍ରବେଶ ।ସ୍ନାନାଦି ଭୋଜନେ ସୁବେଶ ॥
ସୁକାନ୍ତି କରାନ୍ତି ଶରୀର ।ଅତି ଆନନ୍ଦେ ନୃପବର ॥
ସୁଗନ୍ଧ ଦ୍ରବ୍ୟ ପୁଷ୍ପ ମାଳ ।ଭୂଷଣ ହେଲା ମହୀପାଳ ॥
ବିବିଧ ନାନା ଆଭରଣ ।ସ୍ୱକର୍ମ ଭୋଗେ ନୃପରାଣ ॥
ଇଚ୍ଛଇ ସ୍ୱପତ୍ନୀ ସଙ୍ଗତ ।ଅନଙ୍ଗ ଶରୀରେ ପୀଡ଼ିତ ॥
ପ୍ରବେଶ ଅନ୍ତଃପୁରେ ଯାଇ ।ପତ୍ନୀ ବିଷୟେ ମନ ଧ୍ୟାୟୀ ॥
ସକଳ ପୁରେ ସେ ରାଜନ ।ସ୍ୱପତ୍ନୀ ଲୋଡ଼ିଣ ଉଚ୍ଛନ୍ନ ॥
ନ ପାଇ ସେ ନବଯୁବତୀ ।ସଖିଙ୍କି ଚାହିଁ ପଚାରନ୍ତି ॥
ବିଷାଦେ ପୁଚ୍ଛଇ ରାଜନ ।ଶୁଣ ଏ ମୋହର ବଚନ ॥
ମୋ ପ୍ରାଣସଖୀ ଛନ୍ତି କାହିଁ ।କହି ସନ୍ତୋଷ କର ଦେହୀ ॥
ସେ ଧର୍ମେ ଆତ୍ମାଟି ମୋହର ।ଅର୍ଦ୍ଧେକ ନ ରହେ ଶରୀର ॥
ସଦନେ ଅଛନ୍ତି ନା ଭଲେ ।ସେ ସଖିଗଣ ସଙ୍ଗମେଳେ ॥
ତୁମ୍ଭେ ତାହାଙ୍କ ଅନୁଚର ।କହ କୁଶଳ ତାହାଙ୍କର ॥
ଏମନ୍ତ ବୋଲି ସେ ରାଜନ ।ଅନ୍ୟୋଽନ୍ୟେ କହଇ ବଚନ ॥
ଶୁଣ ଗୋ ସଖିଗଣ ମୋର ।ଏ ଗୃହାଶ୍ରମର ବେଭାର ॥
ପତ୍ନୀ ନ ଥିଲେ ନ ଶୋଭନ୍ତି ।ଏ ରାଜ ସମ୍ପଦ ବିଭୂତି ॥
ଯେ ଗୃହେ ନାହିଁ ତାତ ମାତ ।ସୁପୁତ୍ର ସୁତା ପତିବ୍ରତ ॥
ଯେ ଗୃହେ ପତି ଧର୍ମହୀନ ।ସୁଖେ ତା ନାହିଁ ପ୍ରୟୋଜନ ॥
ଯେସନେ ଚକ୍ରହୀନ ରଥ ।ବସିଲେ ସୁଖ ନୋହେ ଜାତ ॥
ତେସନେ ଗୃହିଣୀ ବିହୀନେ ।ଗୃହସ୍ଥ ନ ଶୋଭେ ସଦନେ ॥
ଯେସନେ ଆତ୍ମହୀନ ଦେହୀ ।ତା ଗୃହ ତେହ୍ନେ ନ ଶୋଭଇ ॥
କହ ମୋ କାହିଁ ସୁଲକ୍ଷଣୀ ।ସେ ମୋର ପ୍ରାଣ ଉଦ୍ଧାରିଣୀ ॥
ତା ବିନୁ ନ ସ୍ଫୁରଇ ଜ୍ଞାନ ।କହି ଗୋ ରଖ ମୋ ଜୀବନ ॥
ମୁଁ ଦୁଃଖ ସାଗରେ ବୁଡ଼ିଲେ ।ଉଦ୍ଧରି ରଖ ପ୍ରାଣ ଭଲେ ॥
ତା ଶୁଣି ସଖିଗଣ ଭୟେ ।କହନ୍ତି ଶୁଣ ମହାରାୟେ ॥
ଆମ୍ଭେ ତ ନ ଜାଣୁ କିମ୍ପାଇ ।ଭୂମି ଶଯ୍ୟାରେ ଛନ୍ତି ଶୋଇ ॥
ଦେଖିଲେ ଜାଣ ମହାରାୟ ।ଆମ୍ଭେ ନ ଜାଣୁ ଅଭିପ୍ରାୟ ॥
ତକ୍ଷଣେ ସତ୍ୱର ରାଜନ ।ରାଣୀକୁ କଲା ଆଲିଙ୍ଗନ ॥
ଭୂମିରୁ କୋଳରେ ବସାଇ ।ଅନେକ ଚାଟୁବାକ୍ୟ କହି ॥
ସେ ନାରୀ ଦୁଃଖ ବିମୋଚନେ ।କହେ କାକୁସ୍ଥ ଭୟଛନ୍ନେ ॥
ଭୋ ସଖି ମୁଁ ଯେ ଅପରାଧୀ ।ତୋ ସଙ୍ଗ ତେଜିମୁଁ ଦୁର୍ବୁଦ୍ଧି ॥
ମୃଗୟା ଛଳେ ବନେ ଗଲି ।ଏଣୁ ଦୁଃଖିତ ତୋରେ ହେଲି ॥
ତୁ ରକ୍ଷା ନ କଲେ ସୁନ୍ଦରୀ ।ମୁଁ ପ୍ରାଣ ନ ପାରବି ଧରି ॥
ପତି ବିନୟ ବାକ୍ୟ ଶୁଣି ।ସେ ମାନ ନ ତେଜେ ତରୁଣୀ ॥
ଅନେକ ବିନୟେ ରାଜନ ।ଚରଣେ ପଡ଼ିଲା ତକ୍ଷଣ ॥
ଚରଣ ଧରି ତାର ରାୟେ ।ଅତି ବିଭ୍ରମ ଶୋକେ କହେ ॥
ଭୋ ସଖି ତୋର ଚିନ୍ତାଭରେ ।ମୋ ପ୍ରାଣ ନ ରହେ ଶରୀରେ ॥
ବାକ୍ୟ ତୁ ହସି କରି କହ ।ବିକଳ ହେଉଅଛି ଦେହ ॥
ଭୋ ସ୍ତିରୀରତ୍ନ ଶିରୋମଣି ।ମୋ କାମ ଦୁର୍ଗତି ତାରିଣୀ ॥
ତୋ ବିନୁ ଅନ୍ୟ କେବାମୋରେ ।ଏ ଦୋଷ କ୍ଷମା କରିପାରେ ॥
ଯେ ପୁଣ୍ୟବନ୍ତ ଭୃତ୍ୟଠାରେ ।ଦୋଷେ ଦଣ୍ଡନ୍ତି ପ୍ରଭୁ ତାରେ ॥
ଦୋଷାନୁସାରେ ପାଇ ଦଣ୍ଡ ।ତା ଅପରାଧ ହୁଏ ଖଣ୍ଡ ॥
ଯେ ସ୍ୱାମୀ ଭୃତ୍ୟ ନ ଦଣ୍ଡନ୍ତି ।କପଟଭାବ ତାଙ୍କ ମତି ॥
ଯେ ନିତ୍ୟ ଭୟେ ଦୁଃଖଦେହେ ।ତା ରସେ ଚିତ୍ତ କାହିଁ ରହେ ॥
ସ୍ୱାମୀ ସେବକ ଯେବେ ଦଣ୍ଡି ।ଦିଅନ୍ତି ଅନୁଗ୍ରହେ ଖଣ୍ଡି ॥
ତା ଯେବେ ଭୃତ୍ୟ ନ ବୁଝଇ ।ସେ ମୂଢ଼ ଅଧମ ଅଟଇ ॥
ତାହାର କାହିଁ ଜ୍ଞାନ ବୁଦ୍ଧି ।ଚିତ୍ତ ବିଭ୍ରମେ ନିରବଧି ॥
ଯେସନେ ପିତା ଅଭିମାନେ ।ବାଳକ ରୋଦଇ ଯେସନେ ॥
ସେ ପୁତ୍ର ଦୋଷ ନ ଧରନ୍ତି ।ପୁଣି ବାଳକେ ଆଶ୍ୱାସନ୍ତି ॥
ସେରୂପେ ମୋର ଅଭିମାନ ।ଭୋ ସଖି କର ବିମୋଚନ ॥
ମୁଁ ଯେ ତୁମ୍ଭର ନିଜପତି ।ମୃଗୟା ଦୁଃଖେ ଶ୍ରମେ ଅତି ॥
ଏବେ ତୁ ତେଜି ଅଭିମାନ ।ଆପଣା କରି ମୋତେ ଘେନ ॥
ହେ ବରନାରୀ ଶୁଣ ଏବେ ।ଧାତା ଅପରାଧିନୀ ଯେବେ ॥
ପଳାଇ ଏ ତିନି ଭୁବନେ ।ଯେବେ ପଶିବେ ଭୟେଛନ୍ନେ ॥
ତାରେ ଶରଣ ରଖେ କେବା ।ତୋ ବିନୁ ଅନ୍ୟ ସୁରଦେବା ॥
ଯେ ବିପ୍ର ବୈଷ୍ଣବର କୁଳେ ।ଦଣ୍ଡନେ ଶକ୍ୟ ହେବା ବଳେ ॥
ଏ ବିନେ ଅନ୍ୟ ସୁର ନର ।ମୂଢ଼ ଜୀବନ ତାହାଙ୍କର ॥
ଅପରେ ଚରାଚର ଯେତେ ।ସେ ସର୍ବ ଅଜ୍ଞାନେ ମୋହିତେ ॥
ଏବେ ହୋ ତାପ ଚିନ୍ତା ଜ୍ୱର ।ତୋର କଟାକ୍ଷେ ଦୂର କର ॥
ଅନେକ ପ୍ରବୋଧ ବଚନ ।କହିଣ ତୋଷିଲେ ରାଜନ ॥
ସେ ନାରୀ ମାନ ଦୂର କଲା ।ସନ୍ତୋଷେ ସତ୍ୱରେ ଉଠିଲା ॥
ଏମନ୍ତେ ଶୁଣ ହେ ବିଦୁର ।ସେ ପୁରଞ୍ଜନ ନୃପବର ॥
ତା ବଶେ ହୋଇଲା ଆୟତ୍ତ ।ବିଭ୍ରମ ହେଲା ତା’ର ଚିତ୍ତ ॥
ଏ ସର୍ବ ଅନୁଭବ ବାଣୀ ।ନାରଦ ନୃପରେ ବଖାଣି ॥
କହିଲେ ବିପ୍ର ଜଗନ୍ନାଥ ।ଅମୃତ ଜ୍ଞାନମୟ ପଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୁରଞ୍ଜନ ବିଷୟେ ନାରଦ ନାମ ପ୍ରାଚୀନବର୍ହିସମ୍ୱାଦେ ନାମ ଷଡବିଂଶୋଽଧ୍ୟାୟଃ ।
ସପ୍ତବିଂଶ ଅଧ୍ୟାୟନାରଦ ଉବାଚକହନ୍ତି ବ୍ରହ୍ମାଙ୍କ ନନ୍ଦନ ।ତଦନ୍ତେ ସେ ଯେ ପୁରଞ୍ଜନ ॥
ଅନେକ ମତେ ପ୍ରବୋଧିଲା ।ରାଣୀଙ୍କ ମାନ ଦୂରକଲା ॥
ପ୍ରସନ୍ନ ବଦନେ ସୁନ୍ଦରୀ ।ସ୍ନାନ ମାର୍ଜନା ବେଗେ ସାରି ॥
କୁଙ୍କୁମ କସ୍ତୁରୀ ଲଗାଇ ।ସୁବାସ ଗନ୍ଧେ ମନ ମୋହି ॥
ସୁଗନ୍ଧ ପୁଷ୍ପମାଳା ଦେଇ ।କବରୀ ବାନ୍ଧିଲା ସଜାଇ ॥
ଖଞ୍ଜିଲା ନାନା ଅଳଙ୍କାର ।ମୁକୁରେ ନିରେଖି ଶରୀର ॥
ଭୋଜନ ସାରି ଷଡ଼ରସେ ।ତାମ୍ବୁଳ ଭୁଞ୍ଜିଲା ହରଷେ ॥
ନୃପତି ସମୀପେ ମିଳିଲା ।ହସି ପଲ୍ୟଙ୍କେ ବିଜେ କଲା ॥
ସକାମ ବିକାରେ ରାଜନ ।ରାଣୀଙ୍କି କଲା ଆଲିଙ୍ଗନ ॥
ବିବିଧ ସକାମ ବିକାର ।ହାସ୍ୟ କଟାକ୍ଷ ମନୋହର ॥
ଏକାନ୍ତ ସଙ୍ଗ ରତିରଙ୍ଗେ ।ସେ ରାଜା ପୁରଞ୍ଜନ ସଙ୍ଗେ ॥
ରାତ୍ର ଦିବସ ନ ଜାଣିଲେ ।ଅଜ୍ଞାନ ମୋହେ ନିମଜ୍ଜିଲେ ॥
ସେ କାମ ଭୋଗରେ ନୃପତି ।ଫୁଟିଣ ଶ୍ରାନ୍ତ ହେଲା ଅତି ॥
ଉପଧି କରି ପତ୍ନୀ କର ।ସୁଖେ ଶୋଇଲେ ନୃପବର ॥
ପଲ୍ୟଙ୍କେ ବହୁ ନିଦ୍ରା ଗଲା ।ସେ କାଳ ଗତି ନ ଜାଣିଲା ॥
ଅଜ୍ଞାନେ ପତ୍ନୀ ବଶେ ରତ ।ନ ଦେଲା ଜ୍ଞାନମାର୍ଗେ ଚିତ୍ତ ॥
ନବୀନ ବୟସ ରାଜନ ।ନାଶିଲା ଏ ନାରୀ ଭୋଗେଣ ॥
କ୍ଷଣକ ପ୍ରାୟ ତା ଜାଣିଲା ।ଏ ଯୁବାକାଳେ ବିନାଶିଲା ॥
ଭୋଗାନ୍ତେ ପୁରଞ୍ଜନଠାରେ ।ଜନ୍ମିଲେ କନ୍ୟା ଯେ କୁମରେ ॥
ଦଶଉତ୍ତର କନ୍ୟା ଶତ ।ସୁକନ୍ୟା ଗୁଣଶୀଳେ ଜାତ ॥
ଏଗାର ଶତ ଯେ କୁମର ।ଜନ୍ମ ଲଭିଲେ ଆଦ୍ୟେ ତାର ॥
ସେ କନ୍ୟା ପୁତ୍ରେ ବିଭା ଦେଇ ।ସତ୍ୱରେ ଗଲା ନୃପସାଇଁ ॥
ବିଷୟ ବନ୍ଧେ ନିମଜ୍ଜିଲା ।ଅର୍ଦ୍ଧ ଆୟୁଷ ତାର ଗଲା ॥
ପୁତ୍ର କନ୍ୟାଙ୍କ ସୁଖାଶୟେ ।ଜଞ୍ଜାଳ ବଢ଼ାନ୍ତି ସେ ରାୟେ ॥
ଏ ସର୍ବ ରାଜାର ଭଣ୍ଡାର ।ଲୁଟିଣ କଲେ ସେ ବେଭାର ॥
ବିଷୟେ ମମତା ବଢ଼ାଇ ।ବନ୍ଦୀ ହୋଇଲା ନୃପସାଇଁ ॥
ତଦନ୍ତେ ଘୋର ଯଜ୍ଞ କଲା ।ଅନେକ ପଶୁ ବଧ କଲା ॥
ଦେବତା ପିତୃ ଭୂତପତି ।ସେ ଯଜ୍ଞେ ପୂଜିଲା ନୃପତି ॥
ଯେ ରୂପେ ତୁମ୍ଭେ ହେ ରାଜନ ।କରିଛ ଘୋର ଯଜ୍ଞମାନ ॥
ସେ ରୂପେ ପୁରଞ୍ଜନ ରାୟେ ।ଅନେକ ପଶୁ କଲା କ୍ଷୟେ ॥
ବିଷୟ ଜଡ଼ରେ ଉନ୍ମତ୍ତ ।କୁଟୁମ୍ବେ ବଦ୍ଧ କଲା ଚିତ୍ତ ॥
ତଦନ୍ତେ ଉପୁଜିଲା କାଳ ।ଯେ ହରେ ପ୍ରାଣୀ ଆୟୁବଳ ॥
ତାହାର ନାମ ଚଣ୍ଡବେଗ ।ଗନ୍ଧର୍ବ ରାଜ୍ୟ କରେ ଭୋଗ ॥
ଗନ୍ଧର୍ବମାନଙ୍କର ପତି ।ଅତି ପ୍ରଚଣ୍ଡ ତାର ଗତି ॥
ତ୍ରିଂଶତି ଷଟ ତା ପ୍ରମାଣ ।ଗନ୍ଧର୍ବ ଅତି ବଳବାନ ॥
ମିଥୁନ ଭାବେ କରି ସ୍ତୁତି ।ଏତେ ଗନ୍ଧର୍ବେ ତହିଁ ସ୍ଥିତି ॥
ଗନ୍ଧର୍ବୀ ଗନ୍ଧର୍ବେ ପ୍ରବଳ ।କେ କୃଷ୍ଣ କେ ଅବା ଶୁକଳ ॥
ସେ ସର୍ବ ଚଣ୍ଡବେଗଙ୍କର ।ଅଟନ୍ତି ତାଙ୍କ ଅନୁଚର ॥
ସେ ଚଣ୍ଡବେଗ ଆଜ୍ଞା ପାଇ ।ବେଢ଼ିଲେ ରାଜାପୁରେ ଯାଇ ॥
ସେ ପୁରଞ୍ଜନ ଦିବ୍ୟପୁରୀ ।ଗନ୍ଧର୍ବେ ବେଗେ ଲୁଟିକରି ॥
ସେ ନଗ୍ରେ ସେନାପତି ଏକ ।ରକ୍ଷଣେ ଥିଲା ଯେ ଅଧିକ ॥
ତାହାର ନାମ ପ୍ରଜାପର ।ସେ ବେଗେ ମିଳିଲା ଆଗର ॥
ତାହାକୁ ମାରି ଘଉଡ଼ିଲା ।ଅନେକ ଘୋର ଯୁଦ୍ଧ କଲା ॥
ସେ ଶତ ସମ୍ବତ୍ସର ନିତ୍ୟେ ।ଯୁଝିଲା ଗନ୍ଧର୍ବ ସଙ୍ଗତେ ॥
ଗନ୍ଧର୍ବ ଅତି ବଳବାନ ।ତାହାକୁ ମାରି କଲେ ଛିନ୍ନ ॥
ସେ ପୁରବାସୀ ଯେତେଥିଲେ ।ସେ ସର୍ବ ଆକୁଳେ ଶୋଚିଲେ ॥
ଅନେ ଯେ ନ ପାରନ୍ତି ଯାଇ ।ଦୁଃଖେ ରୋଦନ୍ତି ସୁଖ ପାଇଁ ॥
ଯେ ପୁରେ ନୃପ ପୁରଞ୍ଜନ ।ସଙ୍ଗତେ ଘେନି ପରିଜନ ॥
ପଞ୍ଚାଳ ଦେଶେ ନାନା ସୁଖ ।ଯେଣୁ ଭୁଞ୍ଜିଲା ଅବିବେକ ॥
ପତ୍ନୀ ବଶେ ତା ଦିନ ଗଲା ।ଅଳପ ସୁଖେ ନିମଜ୍ଜିଲା ॥
ନ କଲା ସେ ଭୟେ ବିଚାର ।ଏଣୁ ହୋଇଲା ଦୁଃଖ ଘୋର ॥
ପ୍ରାଚୀନ ଅଗ୍ରତେ ନାରଦ ।କହିଲେ ଯୁଦ୍ଧର ସମ୍ବାଦ ॥
କାଳର କନ୍ୟା ଏକ ଥିଲା ।ତାହାକୁ କେହି ନ ବରିଲା ॥
ଏ ତିନିଲୋକେ ସେ ଭ୍ରମଇ ।ତା ଠାରେ କେହି ବିଭା ନୋହି ॥
ସେ ଯାରେ ବର ଇଚ୍ଛା କରେ ।ସେ ଦେଖି କମ୍ପେ ଥରହରେ ॥
ସେ ସର୍ବ ଅଭାଗ୍ୟର ଧାମ ।ଦୁର୍ଭାଗୀ ଏଣୁକରି ନାମ ॥
ସେ କନ୍ୟା ପୂର୍ବେ ଏକକାଳେ ।ଯଯାତି ବିଭା ହେଲା ବଳେ ॥
ତା’ଠାରେ ବଇ ଭୋଗ ସାରି ।ପୁତ୍ରକୁ ବରେ ଇଚ୍ଛାକରି ॥
ତାହାକୁ ଯଯାତି ରାଜନ ।ପୁତ୍ରକୁ କଲେ ସମର୍ପଣ ॥
ତା ଜ୍ୟେଷ୍ଠ ଯେତେକ କୁମର ।କେହି ନ କଲେ ଅଙ୍ଗୀକାର ॥
କନିଷ୍ଠ ପୁତ୍ର ପୁରୁ ଥିଲା ।ସେ ପିତା ଆଜ୍ଞାରେ ବରିଲା ॥
ଏମନ୍ତେ ସେ କାଳ ଦୁହିତୀ ।ସେ ବରେ ନୁହେଁ ତୁଷ୍ଟମତି ॥
କାମ ଭୋଗେଣ ବଳ ହରି ।ତଦନ୍ତେ ସଂସାରେ ବିହରି ॥
ମୁଁ ନିତ୍ୟେ ବ୍ରହ୍ମଲୋକଠାରୁ ।ଏ ମହୀ ଭ୍ରମଣ ଇଚ୍ଛାରୁ ॥
ଆସନ୍ତେ କୃଷ୍ଣ ରସେ ରସି ।ସେ ମୋତେ ଭେଟିଲା ଦୁର୍ଦ୍ଧଷୀ ॥
ବୋଇଲା ଶୁଣ ମୁନିବର ।ମୋ କାମ ଦୁଃଖ ପରିହର ॥
ଯତିତ୍ୱ ପଣ ମୋର ଜାଣ ।ତଥାପି ବରିଲା ଭ୍ରମେଣ ॥
ହେ ମୁନିଶ୍ରେଷ୍ଠ ଯୋଗେଶ୍ୱର ।ମୋ ତୁଲେ ଗୃହ ଧର୍ମ କର ॥
ତୁମ୍ଭେ ମୋହାର ନିଜ ପତି ।ଏଣୁ ଅଇଲି ତୁମ୍ଭ କତି ॥
ପୁରୁଷ ସ୍ୱଧର୍ମଟି ଏହି ।ପ୍ରାପତ ଧନ ନ ତେଜଇ ॥
ଯାଚକ ଧନ ପ୍ରତେଜିଲେ ।ସେ ସୁଖ ନ ଲଭନ୍ତି ଭଲେ ॥
ଏମନ୍ତ ବାକ୍ୟ ତାର ଶୁଣି ।ଆମ୍ଭେ ପ୍ରକୋପେ ତାକୁ ଭଣି ॥
କହିଲୁ ତୁ ନିଶ୍ଚେ ଯୁବତୀ ।ପ୍ରମଦାକୁଳେ ନୋହୁ ସତୀ ॥
କୁଳ ଦୂଷଣ କର୍ମ ତୋର ।ନ ମରି ଧରିଛୁ ଶରୀର ॥
ପାତ୍ର ଅପାତ୍ର ତୁ ନ ଜାଣୁ ।ଦୂଷଣ କଥା ମୁଖେ ଭଣୁ ॥
ଶୁଣ ତୁ ପାମରୀ ଅଜ୍ଞାନୀ ।ଆମ୍ଭେ ଯେ ଅଟୁ ମହାମୁନି ॥
ଗୃହସ୍ଥ ଧର୍ମ ଆମ୍ଭ ନାହିଁ ।ତୋର ବରଣେ ଇଚ୍ଛା କାହିଁ ॥
ତୋହର ବରେ ଯେବେ ଇଚ୍ଛା ।କହିବା ପୂରିବ ତୋ ବାଞ୍ଛା ॥
ଯବନମାନଙ୍କ ଈଶ୍ୱର ।ତୁ ଯାଇ ବେଗେ ତାକୁ ବର ॥
ଏ ତୋର ଯେତେ କାମ ଇଚ୍ଛା ।ସେ ତୋର ପୂରାଇବେ ବାଞ୍ଛା ॥
ତା ଶୁଣି ବିମୁଖେ ତରୁଣୀ ।ସେ ମୋତେ କୋପେ ଶାପ ଭଣି ॥
ବୋଇଲା ଶୁଣ ମୁନିବର ।ମୋ ପ୍ରୀତି ଆଶା କଲୁ ଦୂର ॥
ତୁ ଏକଠାବେ ନ ରହିବୁ ।ଜୀବନେ ଯେତେ କାଳ ଥିବୁ ॥
ବ୍ରହ୍ମାଣ୍ଡ ମଧ୍ୟେ ସ୍ଥାନ ଯେତେ ।ଭ୍ରମଣ କରୁଥିବୁ ନିତ୍ୟେ ॥
କାହିଁ ତୁ ନ ଲଭିବୁ ସୁଖ ।ଇତ୍ୟାଦି ଭୋଗ ତୁ ବିମୁଖ ॥
ଏ ଘୋରଶାପ ମୋତେଦେଇ ।ବରିଲା ଭୟେ ପତି ଯାଇ ॥
ଭୋ ଦେବ ଯବନ ଈଶ୍ୱର ।ତୁ ବୀର ବଳେ ବଳୀୟାର ॥
ଏଣୁ ବରିଲି ମୁହିଁ ତୋତେ ।ମୋର ବିନୟ ଘେନ ଚିତ୍ତେ ॥
ତୁମ୍ଭଙ୍କୁ ଯେବା ମାଗେ ଯାହା ।ବିନାଶ ନୋହେ କାମ ତାହା ॥
ଶୁଣ ଯବନ ଅଧିପତି ।ଏ ବେନି ଲୋକ ଶିଶୁ ମତି ॥
ଯେ ଲୋକ ଶାସ୍ତ୍ରରେ ଉଚିତ ।ଦ୍ରବ୍ୟ ହୋଇଛି ଉପଗତ ॥
ଯାଚକ ଜନେ ତା ନ ଦେଇ ।ଅଥବା ଦେଲେ ନ ଘେନଇ ॥
ଏ ବେନି ଶିଶୁ ସଙ୍ଗେ ସରି ।ଏଣୁ ତାହାଙ୍କୁ ମୁଁ ନ ବରି ॥
ତୁମ୍ଭେ ଦୟାଳୁ ଶୂରବନ୍ତ ।ଯବନମାନଙ୍କ ସାମନ୍ତ ॥
ମୁଁ କାମେ ତୁମ୍ଭଙ୍କୁ ଭଜିଲି ।ଲଜ୍ଜା ସଙ୍କୋଚ ଉପେକ୍ଷିଲି ॥
ମୋ ସଙ୍ଗେ କର ବଇଭୋଗ ।ହର ଦୂର୍ଜ୍ଜୟ କାମ ରୋଗ ॥
ପୁରୁଷ ସ୍ୱଧର୍ମଟି ଏହି ।ଦୀନଜନଙ୍କୁ ଉଦ୍ଧାରଇ ॥
ମୁଁ ଜନ୍ମକାଳୁ କାମ ଦୁଃଖେ ।ତୁ ମୋତେ ନ ତେଜ ବିମୁଖେ ॥
ତାର କାର୍ପଣ ବାକ୍ୟ ଶୁଣି ।ଯବନେଶ୍ୱର ମନେ ଗୁଣି ॥
ଦେବଙ୍କ ଗୁପ୍ତ ଯେ ମରଣ ।ଏହା ସାଧିବି ନିଶ୍ଚେଁ ଜାଣ ॥
ଏମନ୍ତ ମନେ ବିଚାରିଲା ।କନ୍ୟାକୁ ପ୍ରତିବାକ୍ୟ ଦେଲା ॥
ଶୁଣ ହେ କାଳର ଦୁହିତୀ ।ତୋ ମନେ ବିରିଅଛୁ ପତି ॥
ଏକାକୀ ବୋଲି ଭୟ ଯେବେ ।ମୋ ସେନା ସଙ୍ଗେ ନିଅ ତେବେ ॥
ଏମନ୍ତେ ପ୍ରଜାଙ୍କୁ ବିନାଶ ।ଏମାନେ ହୋନ୍ତୁ ତୋର ଦାସ ॥
ମୋହର ଭାଇ ଯେ ପ୍ରଜ୍ଜ୍ୱର ।ତୁ ଭଗ୍ନୀ ହେବୁ ଯେ ମୋହର ॥
ଏକତ୍ୱେ ଭାଇ ଭଗ୍ନୀ ଥିବ ।ମୋ ସୈନ୍ୟଗଣ ସଙ୍ଗେ ନେବ ॥
ଲୋକେ ତୋ ଗତି ନ ଜାଣିବେ ।ଚାରି ଦିଗରେ ଭ୍ରମୁଥିବେ ॥
ଜୀବନ ଭୋଗ ଅନୁସାରେ ।ପଡ଼ିବେ ଲୋଭାଦି ବ୍ୟାଧିରେ ॥
ଏମନ୍ତେ ଶିକ୍ଷା ତାକୁ ଦେଇ ।ଅଗ୍ରେ ପେଷିଲା ଭଗ୍ନୀ ଭାଇ ॥
ଚତୁର୍ଥ ସ୍କନ୍ଧ ଭାଗବତ ।ନାରଦ ପ୍ରାଚୀନ ଉକତ ॥
ଏ ପୁରଞ୍ଜନର ଆଖ୍ୟାନ ।ଭଣଇ ଜଗନ୍ନାଥ ହୀନ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୁରଞ୍ଜନ ଉପାଖ୍ୟାନେ ନାମସପ୍ତବିଂଶୋଽଧ୍ୟାୟଃ ।
ଅଷ୍ଟାବିଂଶ ଅଧ୍ୟାୟମୈତ୍ରେୟ ଉବାଚତଦନ୍ତେ ଶୁଣ ହେ ବିଦୁର ।ସମ୍ୱାଦ ସେ ପୁରଞ୍ଜନର ॥
ନାରଦ ଉବାଚନାରଦ କହନ୍ତି ରାଜନ ।ଏବେ କହିବା ବୀର ଶୁଣ ॥
ଯବନ ଅଧିପତି ସେହି ।ତାହାର ନାମ ଭୟ କହି ॥
ସୈନ୍ୟାଦି ବ୍ୟାଧିଗଣେ ତାର ।ସଙ୍ଗତେ ଥାନ୍ତି ନିରନ୍ତର ॥
ପ୍ରଜ୍ଜ୍ୱର କାଳ କନ୍ୟା ବେନି ।ଏହାଙ୍କ ସଙ୍ଗେ ନୃପମଣି ॥
ଏ ସର୍ବ ସଙ୍ଗତେ ଚଳନ୍ତି ।ଯେ ଦିଗେ ବିଜୟେ ନୃପତି ॥
ସେ ଏକଦିନେ ନୃପବର ।ସଙ୍ଗତେ ସୈନ୍ୟ ଯେ ପ୍ରଜ୍ଜ୍ୱର ॥
ସେ ମହୀ ଭ୍ରମଣ କରନ୍ତେ ।ଦେଖିଲା କାଳ କର୍ମଗତେ ॥
ସେ ପୁରେ ଥିଲା ପୁରଞ୍ଜନ ।ତା ବେଗେ ବେଢ଼ିଲା ରାଜନ ॥
ସେ ପୁରେ ଦ୍ୱାରୀ ଜୀର୍ଣ୍ଣ ଅହି ।ନିରତେ ପୁରଦ୍ୱାରେ ଥାଇ ॥
ଏ ପଞ୍ଚଭୂତେ ଦେହ ଯେତେ ।ଯାକୁ ନ ଛାଡ଼େ କଦାଚିତ୍ତେ ॥
ବ୍ରହ୍ମାଣ୍ଡ ମଧ୍ୟେ ଦେହ ବହି ।ତାକୁ ଜିଣନ୍ତା କେହି ନାହିଁ ॥
ବ୍ରହ୍ମାଦି ମୁନି ସୁରଦେବା ।ଭୟେ କରନ୍ତି ତାକୁ ସେବା ॥
ତାକୁ ଜିଣନ୍ତା କେବା ଜନ ।ନିଶ୍ଚିନ୍ତେ ରହେ ନିଜ ସ୍ଥାନ ॥
ଅଜ୍ଞାନେ ସେ ପୁରେ ପଶିଲେ ।ସେ ପୁରେ ପୁରଞ୍ଜନ ଥିଲେ ॥
ଯେ କାଳ କନ୍ୟା ସଙ୍ଗେ ଥିଲା ।ସତ୍ୱରେ ସେ ପୁରେ ପଶିଲା ॥
ସେ ନାରୀ ଯାରେ ସ୍ପରଶଇ ।ସେ ପ୍ରାଣୀ ଉଠି ନ ପାରଇ ॥
ଆଗେ ସେ ନାରୀ ପ୍ରବେଶିଲା ।ଯେତେ ଯବନ ବଳ ଥିଲା ॥
ସେ ସର୍ବଦ୍ୱାର ମାର୍ଗେ ଗଲେ ।ପ୍ରବେଶି ପୁର ବିନାଶିଲେ ॥
ପୁର ଉଜାଡ଼ି ଭୟକରି ।ସେ ପୁରଞ୍ଜନ ଦଣ୍ଡଧାରୀ ॥
ବହୁତ ସନ୍ତାପ ସେ କଲା ।ନିର୍ବଳେ ଶଙ୍କିତ ରହିଲା ॥
ସେ ରାଜା କ୍ରୋଧେ ଅଭିମାନୀ ।ଦେଖିଲା ସ୍ୱକୁଟୁମ୍ବ ହାନି ॥
ସ୍ନେହାନୁବନ୍ଧେ ନ ଛାଡ଼ଇ ।ଆକୁଳେ ସନ୍ତାପେ ଶୋଚଇ ॥
ସେ କାଳ କନ୍ୟା ଆସି ଆଗେ ।ରାଜାକୁ କୋଳ କଲା ବେଗେ ॥
ତାର ସ୍ପରଶେ ମହାରାୟ ।ହୋଇଲା ନଷ୍ଟ କାନ୍ତି କାୟ ॥
କୃପଣ ବିଷୟେ ରାଜନ ।ହୋଇଲା ଅସଙ୍ଗ ପାଇଣ ॥
ପ୍ରତିଜ୍ଞା ହେଲା ତାର ନାଶ ।ସଘନେ ଛାଡ଼ଇ ନିଃଶ୍ୱାସ ॥
ଯବନ ଗନ୍ଧର୍ବେ ପଶିଲେ ।ରାଜାର ସମ୍ପଦ ନାଶିଲେ ॥
ସେ ପୁର କ୍ଷୀଣ ଦେଖି ତାର ।ପୁତ୍ରାଦି ଛାଡ଼ିଲେ ଆଦର ॥
ଆତ୍ମୀୟ ଲୋକ ଯେତେ କହି ।ଦେଖିଲା ପୂର୍ବ ସ୍ନେହ ନାହିଁ ॥
ତା ପତ୍ନୀଠାରେ ଯେଉଁ ପ୍ରୀତି ।ଦେଖିଲା ଅସ୍ନେହ ଅନୀତି ॥
ଆତ୍ମାକୁ ଜରାଗ୍ରସ୍ତ କଲା ।ପଞ୍ଚାଳ ବିଷୟ ତା ଗଲା ॥
ଦୂରନ୍ତ ଚିନ୍ତା ପାଇ ରାୟ ।ନ ଦେଖି ତରିବା ଉପାୟ ॥
ସେ କନ୍ୟା ବିଷୟେ ନିର୍ବଳ ।ଏକାନ୍ତେ ଝୁରେ ମହୀପାଳ ॥
ଦୁର୍ବଳ ଦେଖି ନିଜ ଦେହ ।ଛାଡ଼ିଲେ ପୁତ୍ର ଆଦି ସ୍ନେହ ॥
ସ୍ୱପୁର ଲୋକ ଚିନ୍ତା କଲା ।ସେ କାଳ କନ୍ୟା ଏହା କଲା ॥
ସେ ପୁର ଛାଡ଼ିବାରେ ମନ ।ରୋଦନ କରେ ଅନୁକ୍ଷଣ ॥
ନ ପାରେ ସହି ଦୁଃଖ ଘୋର ।ନିଶ୍ଚୟ ଛାଡ଼ିବି ଶରୀର ॥
ଆତୁରେ ଭାଳଇ ନୃପତି ।ଭ୍ରମ ତା ହେଲା ବୁଦ୍ଧି ଅତି ॥
ଭୟରେ ଅଗ୍ରଜ ପ୍ରଜ୍ୱ୍ୱର ।ଆଚ୍ଛାଦି ରହିଲା ସେ ପୁର ॥
ସେ ସର୍ବେ ପୁରମାର୍ଗେ ରହି ।ପ୍ରଚଣ୍ଡ ତେଜ କୋପ ବହି ॥
ସାନ ଭ୍ରାତାର ପ୍ରିୟ ଅର୍ଥେ ।ସେ ପୁର ଦହିଲା ତ୍ୱରିତେ ॥
ପୁର ଦହନ ଯହୁଁ ହେଲା ।ସେ ରାଜା ମହାଭୟ କଲା ॥
ସେ ପୁରେ ଯେତେ ଦାସୀ ଥିଲେ ।ସେ ସର୍ବେ ଭୟରେ କମ୍ପିଲେ ॥
ଯବନ ପୁର ଦେଲେ ଦହି ।କାଳ କନ୍ୟାର ପକ୍ଷ ବହି ॥
ଭୟେ ଏ ନ ପାରନ୍ତି ରହି ।ଦୁଃଖେ ରୋଦନ୍ତି ଛନ୍ନ ହୋଇ ॥
ଯବନପୁର ନେଲେ ବେଗେ ।ସେ କାଳକନ୍ୟା ଘେନି ସଙ୍ଗେ ॥
ଭୟରେ ଅଗ୍ରଜ ପ୍ରଜ୍ଜ୍ୱର ।ପୁର ନାଶିଲେ ବେଗେ ତାର ॥
ଦେଖିଣ ବିଷାଦେ ନୃପତି ।ରୋଦନ କଲା ଭୟେ ଅତି ॥
ବହୁତ କଷ୍ଟେ ସେ ରାଜନ ।ପୁର ଛାଡ଼ିବା କଲା ମନ ॥
ଯେସନେ ବୃକ୍ଷକ୍ରୋଟ ଅହି ।ଅନଳ ତେଜେ ତାପେ ଦହି ॥
ସେ ଯେହ୍ନେ ସେ ସ୍ଥାନ ଉପେକ୍ଷି ।ରହେ ଅତ୍ୟନ୍ତ ଭୟେ ଦୁଃଖୀ ॥
ତେସନେ ଛାଡ଼ି ନିଜପୁରୀ ।ସେ ରାଜା ବହୁ ଚିନ୍ତାକରି ॥
ହସ୍ତ ଚରଣ ନ ଚଳିଲେ ।ପୌରୁଷେ ଗନ୍ଧର୍ବେ ହାରିଲେ ॥
ଯବନ ଶତ୍ରୁ ବ୍ୟାଧିରୂପେ ।କଣ୍ଠ ନିରୋଧି କଲେ କୋପେ ॥
ମୂଢ଼ କୁମତି ସେ ରାଜନ ।ନ ତେଜି କରଇ ରୋଦନ ॥
ଏ ମୋର ପୁତ୍ର କନ୍ୟା ଯେତେ ।ମୋ ବିନୁ ବଞ୍ଚିବେ କେମନ୍ତେ ॥
ମୁଁ ଏବେ ପୁର ପ୍ରତେଜିଲେ ।ଏ ସର୍ବେ ନ ବର୍ତ୍ତିବେ ଭଲେ ॥
ସ୍ୱପତ୍ନୀ ସହିତେ ରାଜନ ।ଅନେକ କରନ୍ତି ରୋଦନ ॥
ମୁଁ ଏବେ ନିଶ୍ଚୟ ମରିବି ।ଏ ବହୁ ଦୁଃଖ ନ ସହିବି ॥
ମୋର ଅଭାବେ ଏ କାମିନୀ ।ଭାଳିବ କୁଟୁମ୍ବ ଘେନି ॥
ବାଳକେ ହୋଇବେ ଅନାଥ ।ତା ଦେଖି ରୋଦିବେ ବହୁତ ॥
ମୋ ଅନ୍ତେ ଏ ସର୍ବେ ମରିବେ ।କିବା ଭକ୍ଷିବେ କାହିଁ ଥିବେ ॥
ଯେହ୍ନେ ସମୁଦ୍ର ମଧ୍ୟେ ନାବ ।ଭଗ୍ନେ ନାଶନ୍ତି ପ୍ରାଣୀ ସର୍ବ ॥
ଏମନ୍ତେ ଭାଳନ୍ତି ରାଜନ ।କାଳ ହୋଇଲା ଅବସାନ ॥
ଯଜ୍ଞାଦି ପୁଣ୍ୟକର୍ମ ଯେତେ ।କରଣେ ନୋହିଲେ ସମର୍ଥେ ॥
କାମ୍ୟ କର୍ମକୁ ତ୍ୟାଗକରି ।ଅନେକ ପଶୁଥିଲା ମାରି ॥
ସେ ଦୋଷ ମନେ ଧରିଥିଲେ ।ତକ୍ଷଣେ ରାଜାକୁ ଭେଟିଲେ ॥
ବଳେ ବେଢ଼ିଲେ ପଶୁଗଣ ।ନାନାଦି ଅବସ୍ଥା କରିଣ ॥
କୃଷ୍ଣ ଅଭାବେ ମୂଢ଼ମତି ।ଏଣୁ ନରକେ ହେଲା ଗତି ॥
ଈଶ୍ୱର ବାକ୍ୟ ବେଦ ବାଣୀ ।ସେ ଜ୍ଞାନ ତେଜିଲା ନ ଜାଣି ॥
ତେଣୁ କର୍ମାନୁସାରେ ତାର ।ଜନ୍ମିଲା ବିଦର୍ଭ ମନ୍ଦିର ॥
ସେ ରାଜା ମରଣ ସମୟେ ।ସ୍ତ୍ରୀଲିଙ୍ଗ ଭାବିଲା ହୃଦୟେ ॥
ତେଣୁ ସେ ପ୍ରମଦା ହୋଇଲା ।ପୁରୁଷ ଅଙ୍ଗ ପ୍ରତେଜିଲା ॥
ସେ ପ୍ରତିବ୍ରତା ସଙ୍ଗ ଫଳେ ।ଜନ୍ମ ଲଭିଲା ସାଧୁକୁଳେ ॥
ଏଣୁ ସୁସଙ୍ଗେ ମୋକ୍ଷ ପ୍ରାଣୀ ।ଜ୍ଞାନେ ଭକତି ପରିମାଣି ॥
ବିଦର୍ଭ ମନ୍ଦିରେ ସୁନ୍ଦରୀ ।ଜନ୍ମ ଲଭିଲା ଦେହ ଧରି ॥
ମଳୟଧ୍ୱଜ ନାମେ ରାଜା ।ସେହି ବୈଷ୍ଣବ ମହାତେଜା ॥
କନ୍ୟାର ରୂପ ଗୁଣ ଶୁଣି ।ଚିତ୍ତେ କଳ୍ପିଲା ନୃପମଣି ॥
ସେ କନ୍ୟା ସାମନ୍ତ ସାଜିଲା ।ବିଦର୍ଭ ଦେଶେ ବିଜେ କଲା ॥
ସେ ରାଜା ସଙ୍ଗତେ ରାଜନ ।ଯୁଦ୍ଧେ ଜିଣିଲା ରାଜ୍ୟଧନ ॥
ବଳେ ହରିଣ ତା ଦୁଲଣୀ ।ବିବାହ କଲା ନୃପମଣି ॥
ମଳୟ ଧ୍ୱଜ ନୃପବର ।ଦ୍ରାବିଡ଼ ଦେଶେ ଅଧିକାର ॥
ସେ କନ୍ୟା ଗର୍ଭେ ତା ସନ୍ତତି ।ଜନ୍ମିଲା ସୁଗୁଣ ସୁମତି ॥
ସେ ରାଜା ସଦୃଶ କୁମାରୀ ।ପ୍ରସବ କଲା ତାର ନାରୀ ॥
ଶ୍ରୀକୃଷ୍ଣ ରୁଚି ସେବାପର ।ତା ନାମ ଦେଲା ନୃପବର ॥
ସପତ ତନୟ ଅନ୍ତରେ ।ଜନ୍ମିଲେ ସେ ନାରୀ ଉଦରେ ॥
ଶ୍ରବଣ କୀର୍ତ୍ତନ ଏ ଆଦି ।ଏ ସପ୍ତନାମେ ଭକ୍ତି ସିଦ୍ଧି ॥
ଏକୁ ଅନେକ ତାହାଙ୍କର ।ଅର୍ବୁଦ ଅର୍ବୁଦ କୁମର ॥
ବଂଶର ସଂଖ୍ୟା ତା ନ ଯାଇ ।ଅସଂଖ୍ୟ ଅପ୍ରମିତ ହୋଇ ॥
ସେ ସର୍ବେ ମହୀଭୋଗ କଲେ ।ଆନନ୍ଦେ କୃଷ୍ଣକୁ ଭେଟିଲେ ॥
ମଳୟଧ୍ୱଜର ଦୁହିତା ।ସେ ଜ୍ଞାନ ବଳେ ଧ୍ରୁବବତା ॥
ଅଗସ୍ତ୍ୟେ ତାର ବିଭା ଦେଲେ ।ତା ଗର୍ଭେ ଦୃଢ଼ଚ୍ୟୁତ ହେଲେ ॥
ମଳୟଧ୍ୱଜ ରାଜଋଷି ।ପୁତ୍ରକୁ ଡକାଇଲେ ବସି ॥
ବିଭାଗ କରି ରାଜ୍ୟ ଖଣ୍ଡ ।ପୁତ୍ରକୁ ଦେଲେ ଛତ୍ର ଦଣ୍ଡ ॥
କୃଷ୍ଣ ଭଜନେ ନରସାଇଁ ।ରହିଲେ କୁଳାଚଳେ ଯାଇ ॥
ତାର ବୈଦର୍ଭୀ ନାମେ ଜାୟା ।ଛାଡ଼ିଣ ଗୃହ ସୁତ ମାୟ ॥
ସେ ରାଜା ପଛେ ଗୋଡ଼ାଇଲା ।ସୁଧାଂଶୁ ପ୍ରାୟ ଶୋଭା କଲା ॥
ସେ କୁଳାଚଳ ଗିରିବର ।ସକଳ ତୀର୍ଥଙ୍କ ମନ୍ଦିର ॥
ତୀର୍ଥଙ୍କ ନାମ ଏକ ଏକ ।ଯେ ତାମ୍ରପର୍ଣ୍ଣୀ ବଟୋଦକ ॥
ଅପରେ ଚନ୍ଦ୍ରରସା ନାମ ।ଏ ଆଦି ପୁଣ୍ୟ ତୀର୍ଥଧାମ ॥
କୃଷ୍ଣ ଭକତି ସୁସାଧନେ ।ତପ ଆଚରି ଶୁଦ୍ଧମନେ ॥
ସେ ପୁଣ୍ୟ ତୀର୍ଥ ଜଳେ ନିତି ।ସ୍ନାନାଦି ମାର୍ଜନା ସାରନ୍ତି ॥
ଦୂରନ୍ତ ବାହ୍ୟାନ୍ତରେ ମଳ ।ସେ ଜଳେ ହୋଇଲା ନିର୍ମଳ ॥
ତପ ସାଧନେ ଅତିରେକ ।ଭକ୍ଷଣ ଫଳ ମୂଳ ଶାକ ॥
ପୁଷ୍ପ ପଳାଶ ପତ୍ର ଜଳ ।ତୃଣାଦି ଶଯ୍ୟାରେ ନିଶ୍ଚଳ ॥
କଠୋର ତପ ଆଚରିଲା ।ଶରୀର ତାପେ ଶୁଖାଇଲା ॥
ଶୀତ ଉଷ୍ଣାଦି ତ୍ରୟ ତାପ ।କ୍ଷୁଧା ପିପାସା ତେଜି ଭୂପ ॥
ଦୁଃଖ ସୁଖାଦି ଶ୍ରମେ ତାରେ ।ଶୋକେ ହରଷ ଏକାକାରେ ॥
ଏ ରୂପେ ସୁସାଧନ କଲେ ।ବ୍ରହ୍ମରେ ଆତ୍ମା ନିବେଶିଲେ ॥
ମନ ପବନ ବଶ କରି ।ଦୁର୍ଜୟ ଇନ୍ଦ୍ରିୟ ନିବାରି ॥
ଦୃଢ଼ ଆସନେ ନୃପବର ।ସେ ଯୋଗବଳେ ଯୋଗେଶ୍ୱର ॥
ତାହାର ପତ୍ନୀ ଯେ ରୋଦିଲା ।ଆପଣା ମନେ ବିଚାରିଲା ॥
କାଷ୍ଠ କୁଢ଼ାଇ ଅଗ୍ନି ଦେଲେ ।ପତି ପତ୍ନୀ ମଧ୍ୟେ ପଡ଼ିଲେ ॥
ତକ୍ଷଣେ ବିପ୍ରେକ ମିଳିଲେ ।ସେ ପୂର୍ବେ ତାର ସଖା ଥିଲେ ॥
ସେ ବେଗେ ତାର ହସ୍ତ ଧରି ।କହେ ପ୍ରବୋଧ ଶାନ୍ତକରି ॥
ଶୁଣ ସୁନ୍ଦରୀ ମନୋହାରୀ ।କେ ତୁମ୍ଭେ କାହାର ବା ନାରୀ ॥
ମୁଁ ପୂର୍ବ ସଖା ଯେ ତୋହର ।ତୁ ଜୀବ ଆତ୍ମା ଅଟୁ ମୋର ॥
ତୋ ଆମ୍ଭ ଏକ ବେନିହଂସ ।ଏ ମାନସରେ ନିତ୍ୟ ବାସ ॥
ତୁ ମୋତେ ଛାଡ଼ିଣ ସେଠାରେ ।ଅଇଲୁ ଏ ମହୀ ଭୋଗରେ ॥
ପ୍ରବେଶ ଏ ସୂର୍ଯ୍ୟ ମଣ୍ଡଳ ।ଏଥେ ଦେଖିଲୁ ଦିବ୍ୟସ୍ଥଳ ॥
ସେ ପୁରେ ନାରୀ ଏକ ଥିଲା ।ସେ ତୋର ମନ ବନ୍ଦି କଲା ॥
ତୋ ବଶେ ନୁହେଁ ତା ଆୟତ୍ତ ।ମିଥ୍ୟା ବିଳାପ ଭ୍ରମ ଚିତ୍ତ ॥
ସେ ନଗ୍ରେ ପଞ୍ଚ ଉପବନ ।ସେ ନବଦ୍ୱାରେ ଶୋଭାବନ ॥
ରକ୍ଷଣେ ଏକ ଦ୍ୱାରପାଳ ।ସେ ତ୍ରୟ କୋଠରୀ ବିଶାଳ ॥
ଅପରେ ଅଛି କୁଳ ଅଷ୍ଟ ।ବସଇ ଭଲେ ପଞ୍ଚ ହାଟ ॥
ପଞ୍ଚ ଯେ ପ୍ରକାରେ ପ୍ରକୃତି ।ସେ ଏକନାରୀ ରୂପବତୀ ॥
ସେ ପଞ୍ଚଇନ୍ଦ୍ରିୟ ବିଷୟେ ।ଆରାମ ତହିଁରେ ନିଶ୍ଚୟେ ॥
ଏକଇ ପ୍ରାଣ ତହିଁ ଦ୍ୱାରୀ ।ସେ ନବଦ୍ୱାର ରକ୍ଷାକାରୀ ॥
ପୃଥିବୀ ଆପ ତେଜମାନ ।ଏକବିଂଶ ତହିଁ ସଦନ ॥
ମନ ଇନ୍ଦ୍ରିଗଣ ପଞ୍ଚେଣ ।ତହିଁର ଅଷ୍ଟକୋଣେ ଜାଣ ॥
ଏ କ୍ରିୟା ଶକ୍ତି ତହିଁ ବାଟ ।ନାନା ବିଷୟ ତହିଁ ହାଟ ॥
ପ୍ରକୃତି ନବ ଦ୍ୱାର କରି ।ଏ ରୂପେ ହାଟକୁ ବିଚାରି ॥
ଏ ଧର୍ମା ଧର୍ମ ବେନି ଯହିଁ ।କ୍ରୟ ବିକ୍ରୟ ନିତ୍ୟ ତହିଁ ॥
ସେ ହାଟେ ସ୍ତିରୀ ବୃଦ୍ଧ ଥିଲା ।ତୋ ମନେ ତା ବଶେ କିଣିଲା ॥
ତୁ ଭୋଗ କଲୁ ତାକୁ ତହିଁ ।ତୁ ମୋରେ ସମ୍ପାଦିବୁ କାହିଁ ॥
ଏକାନ୍ତେ ନାରୀ ସଙ୍ଗ କଲୁ ।ଏ ପାପ ଦଶା ତୁ ଲଭିଲୁ ॥
ନୋହୁ ତୁ ବିଦର୍ଭ ଦୁହିତ ।ଏ ବୀର ନୁହେଁ ତୋର କାନ୍ତ ॥
ଅଟୁ ତୁ ପୁରଞ୍ଜନ ପତି ।ତା ଲାଗି ଏ ତୋର ଦୁର୍ଗତି ॥
ଛାଡ଼ ଏ ମାୟା ମୋହ ମତି ।ଆମ୍ଭେ ଏ ବେନି ସୁସଂଗତି ॥
ଏ ତୁମ୍ଭ ଆମ୍ଭ ନୋହେ ଭିନ୍ନ ।ଏ ବେନି ଏକ କରି ଚିହ୍ନ ॥
ନାରଦ କହନ୍ତି ସଦୟେ ।ଶୁଣ ପ୍ରାଚୀନ ନୃପରାୟେ ॥
ଏ ଯେ ଆଧ୍ୟାତ୍ମ ଦିବ୍ୟଜ୍ଞାନ ।କହିଲୁ ପରୀକ୍ଷା ବାଦେଣ ॥
ଚତୁର୍ଥ ସ୍କନ୍ଧେ ଭାଗବତ ।କହଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥ ସ୍କନ୍ଧେ ପୁରଞ୍ଜନ ଚରିତେନାମ ଅଷ୍ଟାବିଂଶୋଽଧ୍ୟାୟଃװ
ଊନତ୍ରିଂଶ ଅଧ୍ୟାୟମୈତ୍ରେୟ ଉବାଚସେ ଯେ ପ୍ରାଚୀନ ନୃପବର ।ନାରଦ ପାଦେ ଦେଇ ଶିର ॥
ରାଜୋବାଚଭୋ ମୁନି ତୁମ୍ଭେ ଜ୍ଞାନପର ।କହିଲ ଅଧ୍ୟାତ୍ମ ବିଚାର ॥
ତୁମ୍ଭେ ଏ ପରୀକ୍ଷା ବାଦେଣ ।କହିଲ ସେ ସାଂଖ୍ୟ କାରଣ ॥
ମୁଁ ବୁଝି ନ ପାରିଲି ଚିତ୍ତେ ।ଛେଦି ସଂଶୟ କହ ମୋତେ ॥
ଯେ ମାର୍ଗେ ବୁଝିବଇଁ ମୁହିଁ ।ସେ ଭାବେ କହିବା ଗୋସାଇଁ ॥
ଯେବା ପଣ୍ଡିତ ଦୃଢ଼ମତି ।ଏ ଅନୁଭବ ସେ ଜାଣନ୍ତି ॥
ଆମ୍ଭର ନାହିଁ ଏଣେ ଜ୍ଞାନ ।ବିଷୟ ଛନ୍ନେ ଅବିଛିନ୍ନ ॥
ଏଣୁ ନ ଧରେ ଜ୍ଞାନ ରତି ।ବିବେକ ନୁହେଁ ଆମ୍ଭ ମତି ॥
ଭୋ ମୁନି ଫେଡ଼ ପ୍ରତି ତାହା ।ମୋ ଅର୍ଥେ କହ ପୁଣ୍ୟଦେହା ॥
ସେ ପୁରଞ୍ଜନର ବିଚାର ।ଶ୍ରବଣେ ହେବ ଜ୍ଞାନ ମୋର ॥
ଶୁଣି ନାରଦ ମହାଋଷି ।ତା ଭାବେ କହନ୍ତି ବିଶେଷି ॥
ନାରଦ ଉବାଚଶୁଣ ରାଜନ ସାବଧାନ ।କହିବା ଏ ପରୋକ୍ଷ ଜ୍ଞାନ ॥
ପୁରୁଷ ପୁରଞ୍ଜନ ଯେହୁ ।କର୍ମର ପୁର କଲା ସେହୁ ॥
ଏମନ୍ତେ ନାନ ପୁର କରି ।ଏ ଜୀବ ତା ମଧ୍ୟେ ବିହରି ॥
ଅଜ୍ଞାତ ସଖା ଯାକୁ କହି ।ଈଶ୍ୱର ନାମ ଅଟେ ସେହି ॥
ସେ ନାମ ରୂପର ବାହାର ।ଏଣୁ ଅଜ୍ଞାତ ନାମ ତାର ॥
ସେ ନଗ୍ର ପ୍ରକୃତି ଗୁଣକୁ ।ପୁରୁଷ ଇଚ୍ଛଇ ଭୋଗକୁ ॥
ଏଣୁ ଏ ପୁର ନବଦ୍ୱାରେ ।ରଚନା କଲା ଏ ବେଭାରେ ॥
ଯେ ପୁରେ ପଦ ହସ୍ତ ଘେନି ।କରଇ କର୍ମ ଲାଭ ହାନି ॥
ସେ ପୁରେ ଥାଇ କରେ ଭୋଗ ।ମାୟା ନିର୍ବନ୍ଧେ ଅନୁରାଗ ॥
ଏ ରୂପେ ପୁଣ୍ୟପୁର ସେହି ।ଭୋଗ ସୁଖାଦି ନୁହେଁ ତହିଁ ॥
ଏ ଯେ ମାନବ କଳେବର ।ଅଶେଷ ଦେହ ମଧ୍ୟେ ସାର ॥
ଏ ପୁର ମଧ୍ୟେ ଜୀବ ରହି ।ଇନ୍ଦ୍ରି ବିଷୟ ରସେ ମୋହି ॥
ବିବିଧ ଭୋଗ ସୁଖ ସାର ।ଜୀବ ଭୁଞ୍ଜଇ ଏ ମନ୍ଦିର ॥
ସେ ପୁର ମଧ୍ୟେ ବୁଦ୍ଧି ନାରୀ ।ଏ କାଳେ ସର୍ବତ୍ର ବିହରି ॥
ସେ ଯେ ସମତ୍ୱେ ହୋଏ ଛନ୍ନ ।କହଇ ଏ ମୋର ସଦନ ॥
ସେ ନାରୀ ବଶେ ଜୀବ ଥାଇ ।ଇନ୍ଦ୍ରିୟ ଭୋଗେ ତୁଷ୍ଟ ହୋଇ ॥
ଇନ୍ଦ୍ରିୟଗଣେ ବୁଦ୍ଧିସଖା ।ବିଷୟ ହୃଦେ ସଖା ଲେଖା ॥
ଏ ଜ୍ଞାନ କର୍ମ ଇନ୍ଦ୍ରିଗଣେ ।ପୁରୁଷ ଭୋଗ ବଶେ ଟାଣେ ॥
ଅଜ୍ଞାନ କର୍ମ ଇନ୍ଦ୍ରିଦେଶ ।ଏହାଙ୍କ ଭୋଗେ ଜୀବ ତୋଷ ॥
ଏ ପାପ ପୁଣ୍ୟ ଆଦି କରି ।ବଳେ ଭୁଜ୍ଞଇ କର୍ମ କରି ॥
ଏ ପୁରଦ୍ୱାରୀ ସର୍ପ ସେହି ।ଏ ଦେହ ପଞ୍ଚପ୍ରାଣ ଯେହି ॥
ମୋ ପଞ୍ଚବୃତ୍ତିରେ ସଞ୍ଚାର ।ଏଣୁ କହିଲି ପଞ୍ଚଶର ॥
ଉତ୍ତର ବୋଲି ଯାହା କହି ।ମନର ନାମ ଅଟେ ସେହି ॥
ଦଶ ଇନ୍ଦ୍ରିୟ ଅନାମକ ।ତାକୁ ଜିଣନ୍ତା ନାହିଁ ଲୋକ ॥
ତାକୁ ଜିଣନ୍ତା ଯେବା ଜନ ।ସେ ଯୋଗ୍ୟ ଏ ତିନିଭୁବନ ॥
ଉତ୍ତର ଦକ୍ଷିଣ ଯା କହି ।ମନର ନାମ ଅଟେ ସେହି ॥
ଏ ପଞ୍ଚ ବିଷୟ ଜଞ୍ଜାଳ ।ଏହା ତୁ ବୁଝ ମହୀପାଳ ॥
ମନ ଇନ୍ଦ୍ରିୟ ଚକ୍ଷୁ କହି ।ଏ ପୁର ନବଦ୍ୱାର ସେହି ॥
ଏ ବେନି ନାସା ଚକ୍ଷୁ କର୍ଣ୍ଣ ।ଏ ମୁଖ ଲିଙ୍ଗ ଗୁହ୍ୟସ୍ଥାନ ॥
ଏହାକୁ ନବଦ୍ୱାର କହି ।ଇନ୍ଦ୍ରିୟଗଣ ସ୍ଥାନ ଏହି ॥
ଏ ସଙ୍ଗେ ଜୀବର ଗମନ ।ବିଷୟ କଲେ ଆସ୍ୱାଦନ ॥
ଏ ଚକ୍ଷୁ ମୁଖ ନାସା ତାର ।ଏ ପୂର୍ବ ମୁଖେ ପଞ୍ଚଦ୍ୱାର ॥
ଉତ୍ତର ଦକ୍ଷିଣ ଯା କହି ।ଏ ପୂର୍ବ ନବଦ୍ୱାର ସେହି ॥
ପଶ୍ଚିମ ବେନି ଭାଗ ଦ୍ୱାର ।ଏ ଲିଙ୍ଗ ଗୃହ୍ୟ ନୃପବର ॥
ଏ ନବଦ୍ୱାରରେ ନିର୍ମିତ ।ଯେଝା ବିଷୟ ଆସ୍ୱାଦିତ ॥
ସେ ବେନି ଆତ୍ମା ଦେବହରି ।ଏକ ଆରେକ ଆଗ ସରି ॥
ଖଦ୍ୟୋତ ଆଦିମୁଖ ଦୁଇ ।ଚକ୍ଷୁର ନାମ ଏ ଅଟଇ ॥
ସେ ବେନି ଦ୍ୱାରେ ପୁରଞ୍ଜନ ।କରଇ ରୂପ ସମ୍ପାଦନ ॥
ନଳିନୀ ନାଳିନୀ ଯେ ଦୁଇ ।ନାସିକା ନାମ ସେ ଅଟଇ ॥
ଏ ଦ୍ୱାର ଅବଧୂତ ନାମ ।ଗନ୍ଧାଦି ଆମୋଦ ପବନ ॥
ସେ ପାପ ପୁଣ୍ୟ ଆଦି ଯେତେ ।ଜୀବ ଭୁଞ୍ଜଇ ଏ ଜଗତେ ॥
ସୁଗନ୍ଧ ଦୁର୍ଗନ୍ଧ ସହିତେ ।ଏ ଦ୍ୱାରେ ଘେନଇ ନିରତେ ॥
ବଦନ ନାମେ ମୁଖ ଦ୍ୱାର ।ରସନା ବାକ୍ୟେ ତା ମଧୁର ॥
ଏ ବେନି ଇନ୍ଦ୍ରିୟେ ରାଜନ ।ବାକ୍ୟାଦି ରସ ଆସ୍ୱାଦନ ॥
ଏ ସାରାସାର ଭାବ ଯେତେ ।ଏ ଦ୍ୱାରେ ଘେନଇ ନିରତେ ॥
ପ୍ରବୃତ୍ତି ନିବୃତ୍ତି ଯେ ଦୁଇ ।ପଞ୍ଚାଳ ବିଷୟ ତା କହି ॥
ଶକ୍ର ଇନ୍ଦ୍ରିୟ ଶ୍ରୁତିଧର ।ପିତୃଯାନ ଦେବ ଯାନର ॥
ଏ ମାର୍ଗେ ଗତି ନିରନ୍ତର ।ସ୍ୱଇଚ୍ଛା ଚିତ୍ତେ ନୃପବର ॥
ଆସୁରୀ ଲିଙ୍ଗଦ୍ୱାର ସ୍ଥାନ ।ଦୁର୍ମଦ ଉପସ୍ଥର ନାମ ॥
ବ୍ୟବାୟରତ ନାମ କହି ।ପ୍ରଜା ସର୍ଜନ କରେ ତହିଁ ॥
ଅପରେ ଗୃହ୍ୟ ନାମ ରତି ।ତହିଁ ଲୁବ୍ଧକ ବାୟୁ ସ୍ଥିତି ॥
ବୈଶସ ନାମେ ନର୍କ କହି ।ସେ ଦ୍ୱାରେ ମଳ ଉତ୍ସର୍ଗଇ ॥
ଅନ୍ଧ ବୋଲି କହିଲୁ ଯାହା ।ଏ ପାଦପାଣି ବୋଲି ତାହା ॥
ଏ ବେନି ଇନ୍ଦ୍ରିୟ ବିଷୟ ।କହିବା ଶୁଣ ତୁ ନିର୍ଣ୍ଣୟ ॥
ଆଦାନ ପ୍ରଦାନ ଏ କରେ ।ଯେଝା ବିଷୟ ଅଧିକାରେ ॥
ଦ୍ୱିତୀୟ ଅନ୍ଧ ଯେ ପୟର ।କହିବା ଏଥିର ବିଚାର ॥
ଇନ୍ଦ୍ରିୟ ଯୋଗେ ପୁରଞ୍ଜନ ।ହରଇ ଗତାଗତେ ଦିନ ॥
ଅନନ୍ତପୁର ବୋଲି ଯାହା ।ହୃଦୟ ପୁର ବୋଲି ତାହା ॥
ବିସୁଚି ନାମଟି ତାହାର ।ଏମନ୍ତ ନାମ ନୃପବର ॥
ତା ବଶେ ଥାଇ ଏ ପୁରୁଷ ।ଭଜଇ ହରଷ ବିରସ ॥
ସେ ଗୁଣ ସକାଶୁ ତରଇ ।ବୁଦ୍ଧି ଯହିଁକି ଚଳାବଇଁ ॥
ତା ବଶେ ପୁରୁଷ ଅଧୀନ ।କରଇ ନାନା କର୍ମମାନ ॥
ଏ ଦେହ ରଥ ସ୍ୱରୂପେଣ ।ତୋତେ କହିଛି ନୃପରାଣ ॥
ଏ ରଥେ ଅଶ୍ୱରୂପ ହୋଇ ।ଇନ୍ଦ୍ରିୟଗଣେ ଛନ୍ତି ରହି ॥
ପଞ୍ଚବିଷୟେ ମାର୍ଗେ ହୟେ ।ଗମନ୍ତି ସମ୍ବତ୍ସର ଯାଏ ॥
ଈଶ୍ୱର ଆଜ୍ଞାରେ ନିର୍ମିତ ।ଯେ ରଥେ ସକଳ ସଂଯୁକ୍ତ ॥
ପୁଣ୍ୟ ପାତକ ଚକ୍ର ଯହିଁ ।ଈଶ୍ୱର ଅହଙ୍କାର ବହି ॥
ଧ୍ୱଜ ସ୍ୱରୂପ ତିନିଗୁଣ ।ରଥେ ବନ୍ଧନ ପଞ୍ଚ ପ୍ରାଣ ॥
ଏ ଅଶ୍ୱ ରୂପ ବହିଛନ୍ତି ।ବାହ୍ୟ ଅନ୍ତରେ ପ୍ରକାଶନ୍ତି ॥
ବୁଦ୍ଧି ସାରଥି ରୂପେ ଯହିଁ ।ଏ ମନରଶ୍ମି ତଳେ ତହିଁ ॥
ରଥ ପୁଞ୍ଜର ବ୍ୟବହାର ।ଇନ୍ଦ୍ରିୟ ବିଷୟ ତାହାର ॥
ସପତ ଧାତୁ ଆଭରଣ ।ତାର ବିକ୍ରମ ମତ୍ତ ଜାଣ ॥
ଇନ୍ଦ୍ରିୟ ରସେ ରସୁଥାଇ ।ସେ ମୃଗତୃଷ୍ଣାରେ ଧାମଇଁ ॥
ଇନ୍ଦ୍ରିୟ ଅନ୍ୟାୟ ବିଷୟେ ।ଭଜଇ ମୃଗ ଜାଲ ପ୍ରାୟେ ॥
ଏ ସମ୍ବତ୍ସର ରୂପେ କାଳ ।ଚଣ୍ଡବେଗ ନାମ ଭୂପାଳ ॥
ଗନ୍ଧର୍ବୀ ଗାନ ଦିବା ନିଶି ।ତ୍ରିଦଶ ଷାଠିଏ ପ୍ରକାଶି ॥
ଏ ସର୍ବେ କାଳ ସଙ୍ଗେ ଥାନ୍ତି ।ପୁରୁଷ ଆୟୁକୁ ହରନ୍ତି ॥
କାଳ ଦୁହିତା ଯାକୁ କହି ।ଜାରାର ନାମ ଅଟେ ସେହି ॥
ସେ ପ୍ରାଣୀ ରୂପ କାନ୍ତି ହରେ ।ଦେଖିଲେ ପ୍ରାଣୀ ତାକୁ ଡରେ ॥
ଏଣୁ ତାହାକୁ କେହି ଭଲେ ।ବରଣେ କେହି ନ ଇଚ୍ଛିଲେ ॥
ସେ ମୂଳ ତାର ଭଙ୍ଗ ପ୍ରାୟେ ।ସେହୁ ଆବୋରି ନିତ୍ୟେ ରହେ ॥
ସେ ପ୍ରାଣୀ ରୂପ କାନ୍ତି ହରେ ।ମୃତ୍ୟୁ ପର୍ଯ୍ୟନ୍ତେ ପୀଡ଼ା କରେ ॥
ପ୍ରଜ୍ଜ୍ୱଳ ଆଦି ଯେତେ ନର ।ପ୍ରବେଶି ନାଶନ୍ତି ଶରୀର ॥
ବିବିଧ ଦୁଃଖ ତାପ ତ୍ରୟେ ।ପୀଡ଼ନ୍ତି ପ୍ରାଣ ଶେଷଯାଏ ॥
ପ୍ରାଣ ଇନ୍ଦ୍ରିୟ ମନ ଧର୍ମ ।ନିର୍ଗୁଣ ଆତ୍ମାର ଅଧୀନ ॥
ଏ କାମ ସୁଖ ଲବ ମାତ୍ର ।ଭୁଞ୍ଜଇ ଦୁଃଖ ସୁଖ ପାତ୍ର ॥
ଏ ମୋର ବୋଲି ଅହଙ୍କାରେ ।ବହିଛୁ ଦୁଃଖ ନିରନ୍ତରେ ॥
ପରମ ଆତ୍ମା ଭଗବାନ ।ସେ ସର୍ବ ହେତୁ ଚଇତନ ॥
ଯାବତ ତାକୁ ନ ଜାଣଇ ।ଏ ଭ୍ରମେ ଭ୍ରମ ହେଉଥାଇ ॥
ତାବତ ପ୍ରକୃତି ଗଣରେ ।ଜୀବ ପଡ଼େ ମହା ଘୋରରେ ॥
ଗୁଣାଭିମାନ ନିରନ୍ତର ।ତା ବଶେ କର୍ମରେ ସତ୍ୱର ॥
ସାତ୍ତ୍ୱିକେ ତମ ରଜ ଆଦି ।କରମ ହୁଏ ତ୍ରୟବିଧି ॥
ପୁରୁଷ ଯେ କର୍ମ କରଇ ।ସେ ଅନୁସାରେ ଜନ୍ମ ହୋଇ ॥
ସାତ୍ତ୍ୱିକେ ଯେବା କର୍ମ କରେ ।ଅଧିକ ପ୍ରକାଶିତ କରେ ॥
ଏହି ତ୍ରିଲୋକ ଯଶ ତାର ।ଗାବନ୍ତି ଦେବ ସୁର ନର ॥
ରାଜସ କର୍ମ ଯେ କରନ୍ତି ।ଆଦ୍ୟରେ ସେ ସୁଖ ଲଭନ୍ତି ॥
ପଶ୍ଚାତେ ଲଭେ ବହୁ ଦୁଃଖ ।ଏ ଭାବ ନ ଜାଣେ ମୂରୁଖ ॥
ତାମସ କର୍ମ ସଦ୍ୟ ଫଳ ।ସେ ସୁଖ ଶୋକ ମୋହ ଆଳ ॥
ଅଜ୍ଞାନ ଭାବେ ମୂଢ଼ ମୁହିଁ ।ସ୍ୱକର୍ମ ବଶେ ଭ୍ରମୁଥାଇ ॥
ଭେଦ ପୁରୁଷ ନାରୀ ଦେହୀ ।ଏ ଚରାଚର ଭ୍ରମେ ମହୀ ॥
ନପୁଂସ ଜନ୍ମ କେବା ଧରେ ।ଏ ରୂପେ କର୍ମ ଅନୁସାରେ ॥
କେବେହେଁ ଦେବ ତନୁ ପାଇ ।ମନୁଷ୍ୟ ଜନ୍ମ କେ ଲଭଇ ॥
ଖଗାଦି ପଶୁ ଚରାଚରେ ।ସ୍ୱକର୍ମ ଭୁଞ୍ଜନ୍ତି ପାମରେ ॥
ଯେସନେ କ୍ଷୁଧାତୁର ହୋଇ ।କୁକୁର ପ୍ରାୟେକ ଭ୍ରମଇ ॥
ଆହାର ଅର୍ଥେ ନିରନ୍ତରେ ।ସତ୍ୱରେ ଭ୍ରମେ ନାନାପୁରେ ॥
କାହିଁ ବା ଆହାର ମିଳଇ ।କାହିଁ ନିର୍ଘାତ ଦଣ୍ଡ ପାଇ ॥
ସର୍ବେ କହନ୍ତି ବେଗେ ମାର ।ଦୁଷ୍ଟ ସଜ୍ଜନ ଆଦି ନର ॥
ତା ଭାବେ କର୍ମ ଶତ୍ରୁ ପଣେ ।ନିରତେ ଦଣ୍ଡେ ଅନୁକ୍ଷଣେ ॥
ସେ ରୂପେ ଏ ଜୀବ ସଞ୍ଜାତ ।ସ୍ୱକର୍ମ ବଳେ ଆତ ଜାତ ॥
ଏମନ୍ତ ଉଚ୍ଚ ନୀଚେ ଭ୍ରମି ।କର୍ମ ଭୁଞ୍ଜଇ ଦୁଃଖେ ଭ୍ରମି ॥
ତୁ ବିପ୍ର ବାକ୍ୟେ ବିମୋହିତ ।ନ ଜାଣି ବେଦର ବୃତ୍ତାନ୍ତ ॥
ଏହାଙ୍କ ବାକ୍ୟେ ତୁ ରାଜନ ।ଭ୍ରମେ ହୋଇଲୁ ହତଜ୍ଞାନ ॥
ଏବେ ଯେ ହରିଙ୍କ ଚରଣ ।ତୁ ଯାଇ ପଶ ଯା ଶରଣ ॥
ଏ ତୁମ୍ଭ ସନ୍ଦେହ ଫେଡ଼ିଲୁ ।ଏ ଆତ୍ମଜ୍ଞାନ ଶିକ୍ଷା ଦେଲୁ ॥
ଅପର ଗୁପ୍ତ ଦୃଷ୍ଟାନ୍ତର ।ତୋତେ କହିବା ନୃପବର ॥
ତା ତୋତେ ବୁଝାଇ ରାଜନ ।ତେବେ ହୋଇବ ତୋର ଜ୍ଞାନ ॥
ଇଚ୍ଛଇ ମିଥୁନ ସଂଯୋଗ ।କୁସୁମ ବାଡ଼ି ମଧ୍ୟେ ମୃଗ ॥
ହରିଣୀ ବଶେ ବଶ ହୋଇ ।ଅଜ୍ଞାନେ ମୃତ୍ୟୁ ନ ଜାଣଇ ॥
ଅଳପ ସୁଖେ ଭ୍ରମେ ଅତି ।ଭ୍ରମର ଗୀତେ ଡେରି ଶ୍ରୁତି ॥
ତା ଅଗ୍ରେ ବୃକମାନେ ଛନ୍ତି ।ସେ ତାର ମାଂସରେ ବଞ୍ଚନ୍ତି ॥
ତାହାଙ୍କ ମୁଖକୁ ରାଜନ ।ନିର୍ଭୟେ କରଇ ଗମନ ॥
ତା ପଛେ ବ୍ୟାଧ ଗୋଡ଼ାଇଛି ।ସଘନେ ବାଣ ବିନ୍ଧୁ ଅଛି ॥
ତାହାକୁ ନ କରିଣ ଭୟ ।ଆନନ୍ଦେ ମୃଗୀବଶେ ମୋହ ॥
ଭେଦିଣ ବ୍ୟାଧ ତୀକ୍ଷ୍ଣ ଶର ।ମିଳାଇ ଅଧେ ତା ଶରୀର ॥
ଗଲାଣି ନ ଜାଣଇ ସୁଖେ ।ତେବେ ସେ ଉତ୍ସର୍ଗତା ଭକ୍ଷେ ॥
ତାହାକୁ ନ କରିଣ ଭୟେ ।ସଧୀରେ ବୃକ୍ଷଲତା ଖାଏ ॥
ଏମନ୍ତ ମୃଗ କେ ରାଜନ ।ବିବେକୀ ଖୋଜ ତୁ ବହନ ॥
ଯେବେ ତୁ ଜାଣି ଧୂର୍ତ୍ତମତି ।ବିଷୟ ଧ୍ୟାନ ତ୍ୟାଗ ଗତି ॥
ଏ ଅନୁଭବେ ବୁଝ ରାୟେ ।ବିବେକୀ ଜାଣିବ ଥୋକାଏ ॥
ତା ଶୁଣି ସଭୟେ ରାଜନ ।ଭୋ ମୁନି ସାବଧାନେ ଶୁଣ ॥
ରାଜୋବାଚଆମ୍ଭର ଏଣେ ନାହିଁ ମତି ।ବିବେକି ନୋହେ ଆତ୍ମଗତି ॥
ଏବେ ମୋଠାରେ ଦୟାବହ ।ଏ କଥା ମୋତେ ଫେଡି କହ ॥
ତୁମ୍ଭେ ଦୟାଳୁ ଯୋଗେଶ୍ୱର ।ସକଳ ଘଟେ ଦୟାପର ॥
ମୁଁ ବୁଝି ନ ପାରିଲି ଚିତ୍ତେ ।କ୍ଷୀଣ ସଂଶୟ କହ ମୋତେ ॥
କେ ମୃଗ ବ୍ୟାଧ ବୃକଦେହୀ ।ଭୋ ମୁନିବର ଦେବ କହି ॥
ନାରଦ ଉବାଚଶୁଣ ରାଜନ ଶୁଦ୍ଧ ଚିତ୍ତେ ।ଫେଡ଼ିଣ କହିଦେବା ତୋତେ ॥
ହେ ରାଜା ମୃଗରୂପୀ ତୁହି ।ତୋ ପତ୍ନୀ ଗଣେ ବୃକଦେହୀ ॥
ସେ ତୋତେ ବେଢ଼ି ଅଗ୍ରେଛନ୍ତି ।ତୋ ପ୍ରାଣ ବିବାଦେ ନାଶନ୍ତି ॥
ତୁ ତାହା ତର୍କି ନ ପାରିଲୁ ।ସୁବେଶେ ତନୁକୁ ପୂଜିଲୁ ॥
ସର୍ପାଗ୍ନି ଯେ ସ୍ତିରୀ ଦୁର୍ଜ୍ଜନ ।ବିଶ୍ୱାସ ନ ଯିବ ଏ ଜନ ॥
ତୁ ତାଙ୍କ ବଶେ ନିମଜ୍ଜିଲୁ ।ପ୍ରାଣୁ ଅଧିକେ ସ୍ନେହ କଲୁ ॥
ସେ ତୋର ବଶ କଲେ ମନ ।ଯେସନେ ପଶୁ ଯେ ବନ୍ଧନ ॥
ଏ ତୋତେ ନିଶ୍ଚେଁ ବିନାଶିବେ ।ତୋ ସ୍ନେହବଶେ ପ୍ରାଣନେବେ ॥
ଏ ସଙ୍ଗୁ ତୋର ନୃପବର ।ହୋଇବ ମୋକ୍ଷମାର୍ଗ ଦୂର ॥
ତୁ ଅନୁଭବ ଏହା ବେଗେ ।ଆଉ କି କହିବି ତୋ ଆଗେ ॥
କୁସୁମବନ ବୋଲି ଯାହା ।ନାରୀଙ୍କ ଧର୍ମ ବୋଲି ତାହା ॥
ତା ସଙ୍ଗେ ଏ ପୁରୁଷ ଘର ।ଆନନ୍ଦେ କରଇ ବିହାର ॥
ଏବେ ତୁ ବୁଝ ମହୀପତି ।ଏ ମୃଗତୃଷ୍ଣା ଜୀବ ଗତି ॥
ଆପଣା ଚିତ୍ତେ ତୁ ବିଚାର ।ଏ ଚିତ୍ତ ହୃଦେ ତୁହି ଧର ॥
କାମୁକ କାମ ସୁଖ ପାଇ ।ଗୃହ କରଣେ ବନ୍ଦୀହୋଇ ॥
ଯେହ୍ନେ ପଙ୍କଜ ମଧୁ ଆଶେ ।ଭ୍ରମର ଚୁମ୍ୱେ ସ୍ନେହ ବଶେ ॥
ସ୍ନେହାନୁବନ୍ଧେ ନ ଛାଡ଼ିଲା ।ପଦ୍ମ ମୁଦ୍ରିତେ ପ୍ରାଣ ଦେଲା ॥
ସେ ରୂପେ ନାରୀ ମୁଖାମ୍ବୁଜେ ।ଯହିଁ ଯୋଗୀନ୍ଦ୍ର ଯୋଗତ୍ୟଜେ ॥
ପୁଣ୍ୟାଦି ଧର୍ମ କରେ ନାଶ ।ଯେ ସଙ୍ଗେ ନାହିଁ ସୁଖ ଲେଶ ॥
ସତ୍ୟ ଶଉଚ ଦୟା ଧର୍ମ ।ଶାନ୍ତି ସୁଶୀଳ ମତି ଭ୍ରମ ॥
ତୁ ଗୃହ ଛାଡ଼ି ହରି ଭଜ ।ବିଷୟ ଧ୍ୟାନ କର ତେଜ ॥
ତା ଶୁଣି ବୋଲଇ ରାଜନ ।ଭୋ ମୁନି ଏ ତୁମ୍ଭ ବଚନ ॥
ବିଚାରି ବୁଝିବଇଁ ଚିତ୍ତେ ।ମୋ ରାଜ୍ୟେ ବିପ୍ରଛନ୍ତି ଯେତେ ॥
ଏ ସର୍ବେ ନ ଜାଣନ୍ତି ଜ୍ଞାନ ।ବିଦ୍ୟା ବିବଦ୍ଧେ ଅଭିମାନ ॥
ସେ ଯେବେ ଜାଣନ୍ତେ ନା ଏହା ।କିମ୍ପାଇଁ ନ କହନ୍ତେ ତାହା ॥
ଏଣୁ ସେ କର୍ମେ ମୋତେ ଟେକି ।ଯେଣୁ ଅଟନ୍ତି ଅବିବେକୀ ॥
ଭୋ ମୁନି ତୁମ୍ଭପ୍ରାୟ ଯେତେ ।ସାଧୁଏ ଅଛନ୍ତି ଜଗତେ ॥
ଏ ତୁମ୍ଭ ପ୍ରାୟେ ଦୟାକରି ।କେହି ନ ଛାଡ଼ନ୍ତି ମୋ ପୁରୀ ॥
ଏ କଥା କହ ମୁନିବର ।ମୋର ସଂଶୟ ଯାଉ ଦୂର ॥
ଏମନ୍ତେ ଦେବ ମହାଋଷି ।ତା ବାକ୍ୟେ କହନ୍ତି ପ୍ରଶଂସି ॥
ତୁ ଯାହା ପୁଚ୍ଛିଲୁ ରାଜନ ।କହିବି ଏଥିର ବିଧାନ ॥
ଯେ ପାଦ ଲାଭ ପଦାଶ୍ରିତ ।ଏଣେ ନ ଭାବେ ତାଙ୍କ ଚିତ୍ତ ॥
ସ୍ୱର୍ଗାପବର୍ଗ ତୁଚ୍ଛ ଗଣି ।ତୋ ରାଜଭୋଗ ମୃତ୍ୟୁଗଣି ॥
ଏଣୁ ସାଧବେ ତାହା ଦେଖି ।ଭୟ ବିମୁଖେ ଦୂରୁପେକ୍ଷି ॥
ଆତ୍ମା ବିହୀନେ ପିଣ୍ଡ ଯେହ୍ନେ ।ସଭୟେ ତେଜନ୍ତି ଯେସନେ ॥
ତେସନେ ଏ ରାଜ୍ୟ ବିଭୂତି ।ଭୟେ ସାଧବେ ନ ଛାଡ଼ନ୍ତି ॥
ତୁ ରାଜା ଚିତ୍ତେ ପରିମାଣ ।ଭୋଗାଦି ଅନର୍ଥ କାରଣ ॥
ତା ଶୁଣି ସଭୟେ ନୃପତି ।ଚିନ୍ତା ବିମୁଖେ ଦୁଃଖୀ ଅତି ॥
ଏ ବିପ୍ରଗଣ ଅନୁକ୍ଷଣେ ।କହନ୍ତି ଯଜ୍ଞାଦି କାରଣେ ॥
ଏହାଙ୍କ କର୍ମ ଦୀକ୍ଷା ଯେତେ ।ଛାଡ଼ିଲା ତୁମ୍ଭ ବାକ୍ୟ ଚିତ୍ତେ ॥
ଯେ କର୍ମେ ଯୋଗୀଜନ ମୋହ ।ଏଣୁ ଏ ସର୍ବଠାରେ ସ୍ନେହ ॥
ଏକ ସଂଶୟ ହୃଦେ ଅଛି ।ଭୋ ମୁନି କହ ପଚାରୁଛି ॥
ଯେ ଦେହେ ପ୍ରାଣୀ କର୍ମ କରେ ।ତା ଛାଡ଼ି ପ୍ରଲୋକେ ସଞ୍ଚରେ ॥
କର୍ମ ଭୁଞ୍ଜଇ ଅନ୍ୟ ଦେହେ ।ଏ କଥା ସର୍ବ ବେଦ କହେ ॥
ଫେଡ଼ିଣ କହିବା ଗୋସାଇଁ ।ଆବର ସନ୍ଦେହ ଅଛଇ ॥
ତା ପଚାରିବି ହୃଦଭାବେ ।ମୋ ମନେ ସୁମରୁଛି ଏବେ ॥
ଦେହ ସହିତେ ଯେତେ କର୍ମ ।ଲୋକ ବିଚାରେ ବିଧି ଧର୍ମ ॥
କର୍ମ ଉତ୍ତାରେ ତା ନ ଜାଣି ।କେମନ୍ତେ କର୍ମ ଭୁଞ୍ଜେ ପ୍ରାଣୀ ॥
ଅଦୃଷ୍ଟ କର୍ମେ ସଂଯୋଗଇ ।ସନ୍ଦେହ ଲାଗେ ମୋର ଦେହୀ ॥
ନାରଦ ଉବାଚଶୁଣ କହିବା ନୃପରାଣ ।ଏ ବେନି ସନ୍ଦେହ ଫେଡ଼ିଣ ॥
ଯେ ଦେହେ ଜୀବ କର୍ମ କରେ ।ପ୍ରଲୋକେ ଭୁଞ୍ଜେ ସେ ଶରୀରେ ॥
ଏ ସ୍ଥୂଳଦେହ ଗଲେ ନାଶ ।ଏ ଲିଙ୍ଗ ଅନ୍ୟ ଦେହେ ବାସ ॥
କର୍ତ୍ତା ଭୋକତା ନୁହେଁ ଭିନ୍ନ ।ସ୍ୱପ୍ନେ ଦୃଷ୍ଟାନ୍ତର ଯେସନ ॥
ଶୟନେ ଦେହ ପଡ଼ିଥାଇ ।ଶ୍ୱାସ କ୍ଷେପଣ ନ ଜାଣଇ ॥
ଏ ହେତୁ ସ୍ନେହ ପରିହର ।ଏମନ୍ତ ଲିଙ୍ଗ ଦେହଧରି ॥
ଅଦ୍ଭୁତ କର୍ମ ଏ ବେଭାର ।ଏମନ୍ତ କରେ ଅଙ୍ଗୀକାର ॥
ଏମନ୍ତ ଜାଣି ଦୃଷ୍ଟାନ୍ତର ।ଏ ମନ ଅନ୍ୟତ୍ର ଶରୀର ॥
ଧରିଣ ସ୍ଥୂଳ ଦେହମାନ ।ମୁଁ କୁଳେ ଶ୍ରେଷ୍ଠ ବିଦ୍ୱଜନ ॥
ଏ ପୁତ୍ର ଦାରାଦି ମନ୍ଦିର ।ବୋଲିଣ କରେ ଅଙ୍ଗୀକାର ॥
ଏ ଅଭିମାନେ କର୍ମ କରେ ।ସେ କର୍ମଦୋଷ ଯୋଗ ଧରେ ॥
କର୍ମ ନଥିଲେ ଯୋଗ କାହିଁ ।ଏମନ୍ତ ଜାଣି ନ ପାରଇ ॥
ଏମନ୍ତ ଲିଙ୍ଗ ଦେହ ଘେନି ।ଭୋଗାର୍ଥେ ସ୍ଥୂଳଦେହ ଘେନି ॥
ଯାହା ତୁ ପୁଚ୍ଛିଲୁ ନୃପତି ।ବିନାଶ କର୍ମ ଉପଗତି ॥
ତା ଫେଡ଼ି କହିବାକୁ ତୋତେ ।ସନ୍ଦେହ ଫେଡ଼ିବ ଯେମନ୍ତେ ॥
ଏ ଜ୍ଞାନ କର୍ମ ଇନ୍ଦ୍ରି ଦୁଇ ।ଭେଦେଣ କର୍ମାଣି କରଇ ॥
ଏ ସର୍ବ ପାପାଦି ବିଷୟ ।କରନ୍ତି ଏ ମନ ଇନ୍ଦ୍ରିୟ ॥
ବିଷୟ କର୍ମ ମନ ଜାଣି ।ନୋହିଲେ କେବା ପରିମାଣି ॥
ଏ ରୂପେ ଜାଣି ଚିତ୍ତ ବୁଦ୍ଧି ।ଭୁଞ୍ଜଇ ସର୍ବ କର୍ମ ସିଦ୍ଧି ॥
କର୍ମେ ନ ଥିଲେ ଭୋଗ ନାହିଁ ।ବିବେକୀ ବୁଝ ନରସାଇଁ ॥
ଏ ପ୍ରତିଲକ୍ଷେ ଦୃଷ୍ଟାନ୍ତର ।ତୋତେ କହିବା ନୃପବର ॥
ତୋ ଅନ୍ୟଦେହ ଥାଉ ଏବେ ।ଏ ଦେହ ବୁଝ ଅନୁଭବେ ॥
ଜାଗ୍ରତେ ଯେତେ ରୂପମାନ ।ଏ ଦେହେ ଭାବିଥାଇ ମନ ॥
ଦୃଷ୍ଟି ଶ୍ରବଣେ ଏ ବିଷୟ ।ସ୍ୱପନ ସଙ୍ଗେ ସେ ଉଦୟ ॥
ଏ ଦେହ ଲିଙ୍ଗ ଧରି ମନ ।ବିଷୟ କର୍ମ କରେ ଧ୍ୟାନ ॥
ଯେ କଥା ଅନୁଭବ ନାହିଁ ।ସ୍ୱପନେ ଦେଖିବ ତା କାହିଁ ॥
ଏହାର ପୂର୍ବ କର୍ମ ଦୋଷ ।ଯାବତ ହୋଇଛି ବିଶ୍ୱାସ ॥
ତା ଅନ୍ୟଦେହ ଭୋଗ କରେ ।ଯେ ଶୁଭାଶୁଭ ଅବେଭାରେ ॥
ଏ ସର୍ବେ ହ୍ୱନ୍ତି ମୋକ୍ଷପର ।କହିଲୁ ବ୍ରହ୍ମତତ୍ତ୍ୱ ସାର ॥
ସଂସାର ବନ୍ଧୁ ମୁକ୍ତ ହୁଏ ।ଅଜ୍ଞାନେ ଗୃହ ବାସେ ରହେ ॥
ପରୀକ୍ଷ ତତ୍ତ୍ୱଜ୍ଞାନ ସାର ।ତୋ ଭାବେ କହିଲୁ ବିଦୁର ॥
କହଇ ବିପ୍ର ଜଗନ୍ନାଥ ।ମୈତ୍ରେୟ ବିଦୁର ଚରିତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ମୈତ୍ରେୟ ବିଦୁର ଚରିତେନାମ ଊନତ୍ରିଂଶୋଽଧ୍ୟାୟଃ !