ତୃତୀୟ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ଷଷ୍ଠ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଅଧ୍ୟାୟ
ରାଜୋବାଚଆପଣା ଦୂତ ବାକ୍ୟ ଶୁଣି ।କି କି ବୋଇଲେ ଦଣ୍ଡପାଣି ॥
ଯମ ରାଜାର ଆଜ୍ଞା ହତ ।ତେଣୁ ହୋଇଲା ବିପରୀତ ॥
ବିଷ୍ଣୁ ଦୂତରେ ଯମଦୂତ ।ଯେଣୁ ହୋଇଲେ ପରାଜିତ ॥
ଯାହାର ବଶ ସର୍ବଜନେ ।ଏ ଯେ ପବିତ୍ର ମୋର ମନେ ॥
ଯମର ଦଣ୍ଡ ଭଗ୍ନ କଥା ।ପୂର୍ବରୁ ଶୁଣିଲା ନାହିଁ ତା ॥
ଏ ତ ସଂସାରେ ଅଦଭୂତ ।ଭୋ ମୁନି କହିବା ତଦନ୍ତ ॥
ତୁମ୍ଭର ତହୁଁ ଅନ୍ୟ କେହି ।ସଂଶୟ ଛେଦି ମୋର ନାହିଁ ॥
ଶ୍ରୀ ଶୁକ ଉବାଚବିଷ୍ଣୁ ଦୂତରେ ଯମଦୂତ ।ଯେଣୁ ହୋଇଲେ ପରାଜିତ ॥
ଯମର ଛାମୁରେ ଚଳିଲେ ।ସକଳ ବାରତା କହିଲେ ॥
ଯମଦୂତା ଉଚୁଃସଂସାରେ ଜନ୍ମିଛନ୍ତି ଯେତେ ।ଏହାଙ୍କ ଶାସ୍ତି ଅବା କେତେ ॥
ତ୍ରବିଧ କର୍ମ ଯେ କରନ୍ତି ।ସଂସାରେ ଫଳ ସେ ଲଭନ୍ତି ॥
ତେବେ ଅଖିଳ ଲୋକଙ୍କର ।ଦଣ୍ଡ କରନ୍ତି ଯେ ଅପାର ॥
ତାହାର ମୃତ୍ୟୁ ଜାଣ ନାହିଁ ।ଅମୋକ୍ଷ ଅଛି ଅବା କାହିଁ ॥
କର୍ମର ବଶ ହୁଏ ଜନ୍ତୁ ।ଶାସ୍ତି ଲଭନ୍ତି କର୍ମ ହେତୁ ॥
ଯେଣୁ ଏ ଶାସ୍ତି ଏକ ଜାଣ ।ତେଣୁ ଏ ଦୁଷ୍ଟ ଶାସ୍ତିମାନ ॥
ଏହି ଅଶେଷ ଜନ୍ତୁଙ୍କର ।ତୁମ୍ଭେ ଯେ ଶାସ୍ତି ଦଣ୍ଡଧର ॥
ଈଶ୍ୱରମାନଙ୍କ ଈଶ୍ୱର ।ଶୁଭ ଅଶୁଭର ଠାକୁର ॥
ତୁମ୍ଭର ତାପ ଏବେ ନାହିଁ ।ପାପିଷ୍ଠ ଲୋକହିଁ ତରଇ ॥
ଅଦ୍ଭୁତ ସିଦ୍ଧ ଚାରିଜଣ ।ତୁମ୍ଭଙ୍କୁ କଲେ ଅବଜ୍ଞାନ ॥
ତୁମ୍ଭେ ଆଦେଶ ଘେନି ଶିରେ ।ଆମ୍ଭେ ଯେ ଆଣୁଥିଲୁ ତାରେ ॥
ଯାତନା ଗୃହକୁ ଆଣନ୍ତେ ।
ମୋଚନ କରିଣ ତୁରିତେ ॥
ପାଶକୁ ଛେଦିଲେ ପ୍ରତ୍ୟକ୍ଷେ ।ସେମାନେ ଗଲେ ଅନ୍ତରୀକ୍ଷେ ॥
ତାହାଙ୍କୁ ଜାଣିବାର ପାଇଁ ।ଇଚ୍ଛା କରିଛୁ ଦଣ୍ଡ ସାଇଁ ॥
ଶୁଣିବା କ୍ଷମା ଯେବେ ଅଛି ।ଏ କଥା କହ ପ୍ରଭୁ କିଛି ॥
ଯେ କ୍ଷଣେ ପାପୀ ଦୁଷ୍ଟଜନ ।ଉଚ୍ଚାରି ଥିଲା ନାରାୟଣ ॥
ଭୟ ନ କର ହୋ ବୋଇଲେ ।ତକ୍ଷଣେ ଆସି ସେ ମିଳିଲେ ॥
ଶ୍ରୀ ଶୁକ ଉବାଚଦୂତଙ୍କ ବାକ୍ୟ ଶୁଣି ଯମ ।ଆନନ୍ଦେ ହରଷ ବଦନ ॥
ଶ୍ରୀକୃଷ୍ଣ ଅଭୟ ଚରଣ ।ତକ୍ଷଣେ କରି ସୁମରଣ ॥
ଅତ୍ୟନ୍ତ ପ୍ରୀତି ହୋଇ ମନେ ।ବୋଲନ୍ତି ଶୁଣ ଭୃତ୍ୟଜନେ ॥
ଯମ ଉବାଚମୋ ତହୁଁ ଅଛି ଶ୍ରେଷ୍ଠ ଶୁଣ ।ଜଗତ ଯାହାର ଭିଆଣ ॥
କାର୍ପାସୁ ଯେହ୍ନେ ବସ୍ତ୍ର ହୋଇ ।ବିଶ୍ୱ ତେମନ୍ତ ତାର ତହିଁ ॥
ଯାହାର ଅଂଶରୁ ଜଗତ ।ଜନ୍ମ ପାଳନ ପୁନର୍ହତ ॥
ଯାହାର ନାମ ତତ୍ତ୍ୱ ଗୁଣ ।ବନ୍ଧନ କରେ ପ୍ରାଣୀ ମନ ॥
କେଣିକି ଯାଇ ନ ପାରଇ ।ରଜ୍ଜୁରେ ଯେହ୍ନେ ଗୋରୁ ଥାଇ ॥
ନିୟମ ଡ଼ୋରେ ତାହାଙ୍କର ।ବନ୍ଧା ହୋଇଛି ଚରାଚର ॥
ନାନା କର୍ମରେ ବନ୍ଧା ହୋଇ ।ଜଗତ ତାହାକୁ ସେବଇ ॥
ମୁହିଁ ମହେନ୍ଦ୍ର ନଈର୍ଋତ ।ବରୁଣ ଆଦି ଯେ ଦିଗନ୍ତ ॥
ସୋମ ଅନଳ ମହେଶ୍ୱର ।ପବନ ବ୍ରହ୍ମା ଦିବାକର ॥
ଏ ଆଦି ବିଶ୍ୱାବସୁ ଯେତେ ।ରୁଦ୍ରଗଣଙ୍କର ସହିତେ ॥
ସିଦ୍ଧ କିନ୍ନର ଆଦିକରି ।ଯେତେ ସଂସାରେ ଅଧିକାରୀ ॥
ସଂସାରେ କର୍ତ୍ତା ଅଛି ଯେତେ ।ଭୃଗୁ ଆଦି ଦେବ ସହିତେ ॥
ଏ ଆଦି ଯେତେକ କହିଲୁ ।ତାହାର ମାୟା ନ ଜାଣିଲୁ ॥
କେବା ଜାଣିବ ତା ମହିମା ।ପ୍ରଭୁର ନାମ ଗୁଣ ସୀମା ॥
ଚକ୍ଷୁ ହୃଦୟ ବାକ୍ୟ ମନେ ।ଯାକୁ ଚିନ୍ତନ୍ତି ସାଧୁଜନେ ॥
ସର୍ବ ଶରୀର ଆତ୍ମା ରୂପ ।ଇନ୍ଦ୍ରିୟଙ୍କର ଯେ ଅମାପ ॥
ଯେ ପ୍ରଭୁ ଆତ୍ମା ତନ୍ତ୍ରେ ଥାଇ ।ସଂସାରେ ଚେଷ୍ଟା ଯେ କରଇ ॥
ହେ ଦୂତେ ଶୁଣ ମୋ ଉତ୍ତର ।ଯାହାର ରୂପ ଗୁଣ ସାର ॥
ସଂସାରେ ନିର୍ଭୟେ ବିହରେ ।ହେଳେ ଅଶେଷ ପ୍ରାଣୀ ତାରେ ॥
ଦେବ ପୂଜିତେ ଯେହୁ ଯୁକ୍ତ ।ଅତି ଅଦ୍ଭୁତ ବିଷ୍ଣୁ ଦୂତ ॥
ଭକ୍ତିବନ୍ତ ପ୍ରାଣୀମାନଙ୍କୁ ।ଶତ୍ରୁର ଶଙ୍କା ନାହିଁ ତାଙ୍କୁ ॥
ଆମ୍ଭଙ୍କୁ ସଦା ସେ ରଖନ୍ତି ।ସର୍ବତ୍ର ଯେ ବିହରୁ ଥାନ୍ତି ॥
ବିଷ୍ଣୁ ଅତିଥି ଯେଉଁ ଧର୍ମ ।ଅଜ୍ଞାନ ଦେବ ଋଷିଗଣ ॥
ସିଦ୍ଧ ଅସୁର ଯକ୍ଷଗଣେ ।ମନୁଷ୍ୟ ବିଦ୍ୟାଧରମାନେ ॥
ଏ ସର୍ବ ଜାଣିବେ କେମନ୍ତ ।ତାହାର ମାୟା ଅପ୍ରମିତ ॥
ସ୍ୱୟୁମ୍ଭୁ ନାରଦ କୁମର ।ଶିବ କପିଳ ମନୁବର ॥
ପ୍ରହଲ୍ଲାଦ ଜନକ ଭୀଷ୍ମ ।ବଳି ଶୁକ ମୁନି ଦ୍ୱାଦଶ ॥
ହେ ଦୂତେ ଶୁଣ ମୋର ବାଣୀ ।ବିଷ୍ଣୁ ଭକତ ଏତେ ପ୍ରାଣୀ ॥
ଗୁପତ ବିଶୁଦ୍ଧ ଦୁର୍ବୋଧ ।ଏ ଧର୍ମ ଜାଣି ମୃତ୍ୟୁଚ୍ଛେଦ ॥
କୃଷ୍ଣ ଚରଣେ ଯାର ମନ ।ସଂସାରେ ଶ୍ରେଷ୍ଠ ସେହି ଜନ ॥
ନାମ ଉଚ୍ଚାରନ୍ତି ଯେ ବାରେ ।ଭକତ ବୋଲି କହି ତାରେ ॥
ଭାଗବତ ଯେ ବିଷ୍ଣୁ ବାଣୀ ।ପରମଧର୍ମେ ପରିମାଣି ॥
ହେ ଦୂତେ ଈଶ୍ୱରଙ୍କ ନାମ ।ମାହାତ୍ମ୍ୟ ଦେଖ ଉଚ୍ଚାରିଣ ॥
ଅଜାମିଳ ଯେ ସେ ନାମରୁ ।ମୁକ୍ତ ହେଲା ମୃତ୍ୟୁ ପାଶରୁ ॥
ବିଷ୍ଣୁର ନାମ ସଂକୀର୍ତ୍ତନ ।ପ୍ରାଣୀର ପାପ ବିମୋଚନ ॥
ତକ୍ଷଣେ ନିକଟେ ମରଣ ।ପୁତ୍ରର ନାମ ନାରାୟଣ ॥
ଉଚ୍ଚାର କଲା ଅଜାମିଳ ।ମୁକ୍ତି ଳଭିଲା ତତକାଳ ॥
ନାମ ମହିମା ନ ଜାଣନ୍ତି ।ବିଷ୍ଣୁ ମାୟାରେ ମୋହି ହୋନ୍ତି ॥
ଯଜ୍ଞାଦି କରି ଜଡ଼ମତି ।ନାନା କର୍ମରେ ପ୍ରବର୍ତ୍ତନ୍ତି ॥
ଏମନ୍ତ ଯେ ଜାଣି ପଣ୍ଡିତେ ।କୃଷ୍ଣ ସ୍ମରନ୍ତି ଅବିରତ ॥
ତାହାଙ୍କୁ ମୋର ଦଣ୍ଡ ନାହିଁ ।ପାତକ ଯେତେ ତାଙ୍କୁ ଥାଇ ॥
ସକଳ ପାପ ହୁଏ ଭଙ୍ଗ ।ଯେବେ ସେ ଈଶ୍ୱରରସଙ୍ଗ ॥
ସମ ଦରଶୀ ସାଧୁଜନ ।ଯେସନେ ବିଷ୍ଣୁ ନାରାୟଣ ॥
ଦେବତା ସିଦ୍ଧି ତାହାଙ୍କର ।ଯଶ କରନ୍ତି ସେ ବିସ୍ତାର ॥
ପରମ ଈଶ୍ୱର ପାଦରେ ।ରକ୍ଷିତ ହୋଇ ସେହୁ ନରେ ॥
ତାହାର ଦଣ୍ଡରେ ମୋହର ।କେବେହେଁ ନାହିଁ ଅଧିକାର ॥
ମୁକୁନ୍ଦ ଚରଣାରବିନ୍ଦ ।ନିତ୍ୟ ସ୍ରବଇ ମକରନ୍ଦ ॥
ତହୁଁ ବିମୁଖେ ଯେତେ ଜନ ।ତାହାଙ୍କୁ କରାଇ ବନ୍ଧନ ॥
ତାହାଙ୍କୁ ଆଣି ମୋ ଅଗ୍ରତେ ।ଯାତନା ଦିଅ ଅବିରତ ॥
ନିର୍ଲ୍ଲୋଭ ଯେ ପରମ ହଂସ ।ତା ସଙ୍ଗେ ନ କରି ଜିଘାଂସ ॥
ଗୃହ ବନ୍ଧନେ ମନ ଦେଇ ।ନିତ୍ୟେ ଅସାଧୁ ପଣେ ଥାଇ ॥
ଜିହ୍ୱାକୁ ନ ଆସଇ ନାମ ।ନ ଚିନ୍ତେ ଅଭୟ ଚରଣ ॥
କୃଷ୍ଣର ପାଦେ ଶିର ଦେଇ ।କେଭେହେଁ ସ୍ତୁତି ନ କରଇ ॥
ବିଷ୍ଣୁର କର୍ମରେ ବର୍ଦ୍ଧିତ ।ନିରତେ କୁସଙ୍ଗେ ପ୍ରାପତ ॥
ଏମନ୍ତ ଭାବେ ଯେତେ ପ୍ରାଣୀ ।ଯାତନା ଦିଅ ତାଙ୍କୁ ଆଣି ॥
ମୋର ଦୂତର ଅପରାଧ ।କ୍ଷମା କରନ୍ତୁ ପଦ୍ମନାଭ ॥
ଭକତ ପୁରୁଷ ପୁରାଣ ।କ୍ଷମା କରିବେ ନାରାୟଣ ॥
ପଣ୍ଡିତେ ଯାର ପଦ୍ମପାଦେ ।ସେବନ୍ତି ନିତ୍ୟ ଅପ୍ରମାଦେ ॥
ତାହାଙ୍କୁ ମୋର ନମସ୍କାର ।ଦୋଷକୁ କ୍ଷମା କର ମୋର ॥
ଶ୍ରୀ ଶୁକ ଉବାଚଏଣୁ ସେ ବିଷ୍ଣୁ ସଂକୀର୍ତ୍ତନ ।ଜଗତେ ମଙ୍ଗଳ କାରଣ ॥
ମହତ ଲୋକମାନଙ୍କର ।ଏକାନ୍ତ ଭକ୍ତି ନୃପବର ॥
ଈଶ୍ୱର ଉଦନ୍ତ ଚରିତ ।ଶୁଣି ଗାବନ୍ତି ଅବିରତ ॥
ଶ୍ରୀକୃଷ୍ଣ ପାଦ ପଙ୍କଜରେ ।ଯେ ଜନ ମନ ସ୍ଥିର କରେ ॥
ସେ ପ୍ରାଣୀ ମାୟା ବନ୍ଧ ମୋହେ ।ନ ପଡେ ଯାତନା ସମୂହେ ॥
ଯେ ଜନ ଲୋଭ ମୋହେ ପଡି ।ରଜ ତମରେ ଥାନ୍ତି ଜଡ଼ି ॥
ତାହାର ପୁନଃ ପୁନଃ ହୋଇ ।ରଜ ତାମସ ଉପୁଜଇ ॥
ଏମନ୍ତ ଯମ ବାକ୍ୟ ଶୁଣି ।ବିସ୍ମୟ ମନେ ପରିମାଣି ॥
ଯମ କିଙ୍କର ଭୟ ଚିତ୍ତ ।ବୋଲନ୍ତି ଏ କି ବିପରୀତ ॥
ଅଚ୍ୟୁତ ଆଶ୍ରେ ଯେତେ ଜନ ।ତାହାଙ୍କୁ ଭୟ କରେ ଯମ ॥
ସେ ଦିନଠାରୁ ହେ ରାଜନ ।ଦେଖିଲେ ଭୟେ ହ୍ୱନ୍ତି ଛନ୍ନ ॥
ମଳୟଗିରି ତଟେ ବସି ।ହରି ଚରିତ ପରଶଂସି ॥
କହିଲେ କୁମ୍ଭଜନ୍ମ ଋଷି ।ଶ୍ରୀକୃଷ୍ଣ ମହିମା ପ୍ରକାଶି ॥
ଦାସ ଜଗନ୍ନାଥ କହଇ ।କୃଷ୍ଣ ମହିମା ଯମ କହି ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଶ୍ରୀକୃଷ୍ଣ ମହିମା ଯମ ବର୍ଣ୍ଣନେନାମ ତୃତୀୟାଽଧ୍ୟାୟଃ ।
ଚତୁର୍ଥ ଅଧ୍ୟାୟ
ରାଜୋବାଚଦେବ ଅସୁର ନରନାଗ ।ତୁମ୍ଭେ କହିଲ ମହାଭାଗ ॥
ମୃଗ ପକ୍ଷୀଙ୍କ ସୃଷ୍ଟି ଯେତେ ।କହିଲ ମୋହର ଅଗ୍ରତେ ॥
ଯେତେ ସ୍ୱାୟମ୍ଭୂ ମନ୍ୱନ୍ତରେ ।ଦୟାରେ ବିସ୍ତାରିଲ ମୋରେ ॥
ସେ ମନ୍ୱନ୍ତରେ ଭଗବାନ ।ଯେ ଅନ୍ୟ ସଂସାରେ ଭିଆଣ ॥
ଯେମନ୍ତେ ଆତ୍ମଶକ୍ତି ଘେନି ।ସର୍ଜ୍ଜିଲେ ପ୍ରଭୁ ଅନ୍ତର୍ଯ୍ୟାମୀ ॥
ସେ କଥା ଶୁଣିବାକୁ ମୋର ।ଶ୍ରଦ୍ଧା ବଳିଲା ମୁନିବର ॥
ସୂତ ଉବାଚରାଜାର ପ୍ରଶ୍ନ ଶୁଣି କର୍ଣ୍ଣେ ।ଆନନ୍ଦେ ହରଷ ବଦନେ ॥
ଭୋ ମୁନିଗଣେ ଶୁଣ ତାହା ।ପୁର୍ବେ କହିଲେ ଶୁକ ଯାହା ॥
ଶ୍ରୀ ଶୁକ ଉବାଚଯେବେ ପ୍ରଚେତ ସୁତ ଦଶ ।ସମୁଦ୍ରୁ ଉଠି ଦଶଦିଶ ॥
ଦେଖିଲେ ବହୁ ଦ୍ରୁମମାନ ।ପୃଥିବୀ କଲା ଆଚ୍ଛାଦନ ॥
ବୃକ୍ଷମାନଙ୍କୁ ଦେଖି ଡୋଳେ ।ତପେ ଦୀପିତ କ୍ରୋଧାନଳେ ॥
ମୁଖରୁ ବାୟୁ ଅଗ୍ନି ଦୁଇ ।ସୃଜିଲେ ବୃକ୍ଷ କ୍ଷୟ ପାଇଁ ॥
ପବନ ଅଗ୍ନିର ସଂଯୋଗେ ।ନାଶ ହୋଇଲେ ଯହୁଁ ନଗ୍ରେ ॥
ତା ଦେଖି ଶୁଣ ପରୀକ୍ଷିତ ।ଚନ୍ଦ୍ର ହୋଇଲେ ଉପଗତ ॥
କ୍ରୋଧ ସାନ୍ତ୍ୱନା କରିବାରେ ।ତାଙ୍କୁ ବୋଇଲେ ସୁଧାକରେ ॥
ଭୋ ସ୍ୱାମୀମାନେ ତୁମ୍ଭେ ଶୁଣ ।ବୃକ୍ଷେ ହୋଇଲେ ଅତି କ୍ଷୀଣ ॥
ଦହନ ଆଉ ହେ ନ କର ।ତୁମ୍ଭେ ଯେ ପତି ପ୍ରଜାଙ୍କର ॥
ପ୍ରଜାପତିଙ୍କ ପତି ହରି ।ଅବ୍ୟୟ ପୁରୁଷ ମୁରାରି ॥
ଔଷଧି ବନସ୍ପତି ଯେତେ ।ତାର ସଞ୍ଚିତ ଏ ଜଗତେ ॥
ଚର ଅଚର ଆଦି ଯେତେ ।ପଦ ନିଷ୍ପଦର ସହିତେ ॥
ଅହସ୍ତ ହସ୍ତ କେହୁ ବହି ।ଦ୍ୱିପଦ ଚତୁଷ୍ପଦ କେହି ॥
ତୁମ୍ଭେ ଏ ସକଳେ ସର୍ଜ୍ଜିବ ।ସଂସାରେ ଛନ୍ତି ଯେତେ ଜୀବ ॥
ପ୍ରଜାର ସୃଷ୍ଟି କରିବାରେ ।ଯେଣୁ ଅଇଲ ଏ ସଂସାରେ ॥
ଶୁଣିମା ହେଉ ସାବଧାନେ ।ଦହନ ନ କର ଏ ବନେ ॥
ନ କର ସଦମାର୍ଗ ଦୂର ।କ୍ରୋଧ ଅନଳ ଦୂର କର ॥
ପିତୃ ପିତାମହ ତୁମ୍ଭର ।ସେବିତ ପ୍ରପିତାମହର ॥
ବାଳକ ବନ୍ଧୁ ପିତାମାତା ।ନୟନ ବନ୍ଧୁ ଲୋମପତା ॥
ସ୍ତିରୀଙ୍କ ବନ୍ଧୁ ସ୍ୱାମୀ ନିଜ ।ପ୍ରଜାର ବନ୍ଧୁ ମହାରାଜ ॥
ଭିକ୍ଷୁକ ବନ୍ଧୁ ଗୃହୀଜନ ।ଅବନ୍ଧୁ ବନ୍ଧୁ ଶୁଦ୍ଧଜ୍ଞାନ ॥
ଜନ୍ତୁର ହୃଦଗତେ ହରି ।ଅଛନ୍ତି ନିଜ ରୂପ ଧରି ॥
ସେ ସର୍ବ ସମାନ ଦେଖଇ ।ତାହାର ଶତ୍ରୁ ମିତ୍ର ନାହିଁ ॥
ଅନନ୍ତ ଗୁଣ ବୋଲି ତାରେ ।ନିର୍ଭୟେ ବୁଲଇ ସଂସାରେ ॥
ମଙ୍ଗଳ ହୋଇବ ତୁମ୍ଭର ।ଶେଷ ଦ୍ରୁମକୁ ରକ୍ଷାକର ॥
ବୃକ୍ଷ ପାଳିତ ଯେଉଁ କନ୍ୟା ।ସେ ହେଉ ତୁମ୍ଭ ମନୋରମା ॥
ଏତେକ ବୋଲି ରାଜା ସୋମ ।ଆନନ୍ଦେ ହରଷ ବଦନ ॥
କନ୍ୟାକୁ ଆଣି ତାଙ୍କୁ ଦେଲେ ।ଆନନ୍ଦେ ନିଜ ପୁରେ ଗଲେ ॥
ସେମାନେ କନ୍ୟା ପ୍ରାପ୍ତ ହୋଇ ।ବିବାହ ହେଲେ ଦୟାବହି ॥
ତାହାଙ୍କ ବୀର୍ଯ୍ୟେ ସେ କନ୍ୟାର ।ଜନ୍ମିଲେ ଦକ୍ଷ ବେଦବର ॥
ଯାହାର ପ୍ରଜାର ସୃଜନେ ।ପ୍ରଜା ପୂରିଲେ ତ୍ରିଭୁବନେ ॥
ଯେମନ୍ତେ ଦକ୍ଷ ପ୍ରଜାପତି ।ସୃଜିଲେ ସର୍ବଭୂତେ ସ୍ଥିତି ॥
ବିଚାରେ ଅବା ମନେ ଯାହା ।ସୃଜିଲେ ବହୁ ଗୁଣେ ତାହା ॥
ଦେବ ଅସୁର ନର ଆଦି ।ଆକାଶ ଜଳ ସ୍ଥଳ ସିଦ୍ଧି ॥
ପ୍ରଜା ଅବୃଦ୍ଧି ଦେଖି ଦକ୍ଷ ।ମନରେ କଲେ ଅତି ଦୁଃଖ ॥
ବିନ୍ଧ୍ୟ ପର୍ବତକୁ ସେ ଯାଇ ।ତପ ଆରମ୍ଭ କଲେ ତହିଁ ॥
ତକ୍ଷଣେ କରି ଆଗମନ ।ସେ ତୀର୍ଥ ଅଘମରଷଣ ॥
ଯାହାର ଜଳ ସ୍ପରଶରେ ।ସକଳ ପାପ ଯାଏ ଦୂରେ ॥
ତହିଁ ବସିଲେ ତପ କରି ।ତୋଷିବି ପ୍ରଭୁ ନରହରି ॥
ଏହି ସ୍ତବରେ କଲେ ସ୍ତୁତି ।ତକ୍ଷଣେ ଗମିଲେ ଶ୍ରୀପତି ॥
ପ୍ରଜାପତି ଉବାଚନମସ୍ତେ ପ୍ରଭୁ ଆଦିଭୂତ ।ତ୍ରିଗୁଣେ ଯାହାର ଏକତ୍ୱ ॥
ଅଦୃଷ୍ଟ ଯାହାର ମହିମା ।ଗୁଣ ବୁଦ୍ଧିରେ ନୁହେଁ ସୀମା ॥
ଯାହାର ଆଜ୍ଞାରେ ଜଗତ ।ନମସ୍ତେ ପ୍ରଭୁ ଆଦିଭୂତ ॥
ସଂସାରେ ଅଛି ପୂର୍ଣ୍ଣ ହୋଇ ।ଯାହାର ଶତ୍ରୁ ମିତ୍ର ନାହିଁ ॥
ଗୁଣରେ ଗୁଣଗ୍ରାହୀ ହୋଇ ।ସେ ମହେଶ୍ୱରଙ୍କୁ ନମଇଁ ॥
ଯାହାର ଗୁଣ ଏ ସଂସାରେ ।ଶ୍ରୁତି ସ୍ମୃତିରେ ଅଗୋଚରେ ॥
ସକଳ ଭୂତରେ ସେ ଥାଇ ।ତାହାଙ୍କୁ କେହି ନ ଜାଣଇ ॥
ସର୍ବଜ୍ଞ ଅନନ୍ତ ଅଟଇ ।ତାହାଙ୍କୁ ନମସ୍କାର ହୋଇ ॥
ଯାହାର ରୂପ ଦୃଷ୍ଟି ସ୍ମୃତ ।ହୁଅଇ ପ୍ରାଣୀର ଅତୀତ ॥
ସେ ପ୍ରଭୁ ଚରଣେ ନମଇଁ ।ସକଳ ଘଟେ ଯେହୁ ଥାଇ ॥
ହଂସ ଶିଖରେ ଶୁଚି ଘର ।ତାହାଙ୍କୁ ମୋର ନମସ୍କାର ॥
ହୃଦ ପଦ୍ମରେ ଯାକୁ ଧରି ।ପଣ୍ଡିତେ ତପକୁ ଆଚରି ॥
ସର୍ବ ବିଷୟା ମାୟା ଯାର ।ନିଃଶେଷ ମୋକ୍ଷ ସୁଖଘର ॥
ସର୍ବ ସ୍ୱରୂପ ସର୍ବ ନାମ ।ସକଳ ଯାହାର ଭିଆଣ ॥
ସେ ପ୍ରଭୁ ହୁଅନ୍ତୁ ପ୍ରସନ ।ସର୍ବ କାରଣ ଭଗବାନ ॥
ଭଜନ କରନ୍ତି ଯେ ଜନେ ।ବୁଦ୍ଧି ଇନ୍ଦ୍ରିୟର ବଚନେ ॥
ସେ ପ୍ରଭୁ ସର୍ବେ ଅଗୋଚର ।ତାହାଙ୍କୁ ମୋର ନମସ୍କାର ॥
ସେ କାର୍ଯ୍ୟ କରାଇ କରଇ ।ତାହାର ତହୁଁ ଅନ୍ୟ ନାହିଁ ॥
ପର ଉପରେ ଯେହୁ ପର ।ଆଦ୍ୟହୁଁ ସିଦ୍ଧ ଯେ ଈଶ୍ୱର ॥
ଏମନ୍ତ ଯେହୁ ପରଂବ୍ରହ୍ମ ।ତାହାଙ୍କୁ ନମସ୍କାର ମମ ॥
ନିଜ ଶକ୍ତିମାନେ ଯାହାର ।ବକ୍ର ବିବାଦ ମାନଙ୍କର ॥
ବିବାଦ ସମ୍ବାଦରେ କରି ।ପ୍ରାଣୀମାନଙ୍କ ଚିତ୍ତ ହରି ॥
ଏମନ୍ତ ଅନନ୍ତ ଯା ଗୁଣ ।ନମଇଁ ତାହାର ଚରଣ ॥
ସଂସାରେ ଆସ୍ତି ନାସ୍ତି ଯେତେ ।ବସ୍ତୁର ନିଷ୍ଠା ଏହିମତେ ॥
ଭିନ୍ନ ବିରୋଧ ଧର୍ମ ସେହି ।ତା ବିନୁ ଅନ୍ୟ କେହି ନାହିଁ ॥
ସାଂଖ୍ୟ ଯୋଗରେ ପ୍ରବର୍ତ୍ତିତ ।ସେ ସର୍ବ ଅଳପ ବହୁତ ॥
ପାଦପଦ୍ମରେ ଯେ ଭଜଇ ।ତାହାଙ୍କ ଅନୁଗ୍ରହ ପାଇ ॥
ଜନ୍ମଇ ନାନା ରୂପ ଧରି ।ଶରୀର ବହଇ ସେ ହରି ॥
ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନ ।ସର୍ବ କାରଣ ଭଗବାନ ॥
ସୁକୃତ ଜ୍ଞାନ ପଥେ କରି ।ସେ ପ୍ରଭୁ ସର୍ବ ଘଟେ ପୂରି ॥
ଶୋଭା ପାଉଛି ଅନୁକ୍ଷଣ ।ଯା ନାମ ପରମ କାରଣ ॥
ପୃଥିବୀ ଗୁଣରେ ବହଇ ।ଅନଳ ଯେସନେ ଦହଇ ॥
ସେ ପ୍ରଭୁ ମହିମା ଏମନ୍ତ ।ପୂର୍ଣ୍ଣ ମୋ’ କରୁ ମନୋରଥ ॥
ଶ୍ରୀ ଶୁକ ଉବାଚଏମନ୍ତେ ଦକ୍ଷ ସ୍ତବ ଶୁଣି ।ପ୍ରସନ ହେଲେ ଚକ୍ରପାଣି ॥
ତକ୍ଷଣେ ଅଘ ବିନାଶନ ।ଆସି ମିଳିଲେ ଭଗବାନ ॥
ଶୁଣ ହୋ ରାଜ କୁରୁମଣି ।ଭକ୍ତବତ୍ସଳ ଚକ୍ରପାଣି ॥
ଆରୋହୀ ଖଗପତି ଗଜ ।ଲମ୍ବିତ ଅଷ୍ଟ ମହାଭୂଜ ॥
ଶଙ୍ଖ ଚକ୍ର ଗଦା ଖଡଗ ।ପଦ୍ମ ଚର୍ମ ପାଶ ଶାରଙ୍ଗ ॥
ଧରିଣଛନ୍ତି ଅଷ୍ଟ କରେ ।ଅଦ୍ଭୂତ ରୂପ ମନୋହର ॥
ପୀତବସନ ଘନଶ୍ୟାମ ।ବଦନ ଈକ୍ଷଣ ପ୍ରସନ୍ନ ॥
ନିବିଡ ଅଙ୍ଗେ ବନମାଳ ।ଶୋଭିତ ମକର କୁଣ୍ଡଳ ॥
ଶ୍ରୀବତ୍ସ କଉସ୍ତୁଭ ସାଜେ ।କିରୀଟ କୁଣ୍ଡଳ ବିରାଜେ ॥
କାଞ୍ଚି ଅଙ୍ଗଦ ରତ୍ନମୁଦି ।ବଳୟ ନୂପୁର ପ୍ରସିଦ୍ଧି ॥
ରୂପ ତ୍ରୈଲୋକ୍ୟ ମନୋହର ।ଧରିଣ ବ୍ରହ୍ମାଣ୍ଡ ଠାକୁର ॥
ନନ୍ଦ ନାରଦ ଆଦି ଯେତେ ।ବେଷ୍ଟିତ ହୋଇଣ ସମସ୍ତେ ॥
ବିଷ୍ଣୁଙ୍କୁ କରନ୍ତି ଭଜନ ।ସିଦ୍ଧ ଗନ୍ଧର୍ବ ଯେ ଚାରଣ ॥
ଅତି ଅଦ୍ଭୁତ ରୂପ ହରି ।ଦକ୍ଷ ଦେଖିଣ ଭୟକରି ॥
ନମିଲେ ଦଣ୍ଡବତ ହୋଇ ।ଆନନ୍ଦ କେ ପାରିବ କହି ॥
ମୁଖରୁ ନ ସ୍ଫୁରେ ବଚନ ।ହରଷେ ବିହ୍ୱଳିତ ମନ ॥
ଇନ୍ଦ୍ରିୟଙ୍କର ପୂର୍ଣ୍ଣମନ ।ନିର୍ଝରେ ହ୍ରଦିନୀ ଯେସନ ॥
ମୋର ଭକତ ପ୍ରଜାକାମ ।ଏମନ୍ତ ଜାଣି ଭଗବାନ ॥
ସକଳ ପ୍ରାଣୀଙ୍କର ମନ ।ଜାଣନ୍ତି ପ୍ରଭୁ ନାରାୟଣ ॥
ପ୍ରଜାପତିଙ୍କୁ ଚାହିଁ ହରି ।କିଛି ବୋଇଲେ ଦୟାକରି ॥
ଶ୍ରୀ ଭଗବାନ ଉବାଚହେ ପ୍ରଜାପତି ମହାଭାଗ ।ତୁମ୍ଭର ଅତି ଅନୁରାଗ ॥
ଯେଣୁ ଭକତି ଦୃଢ଼ମନେ ।ଭଜିଲ ମୋହର ଚରଣେ ॥
ତୋହର ତପେ ପ୍ରଜାନାଥ ।ପ୍ରସନ୍ନେ ହେଲୁ ଉପଗତ ॥
ଭକତମାନଙ୍କ ସମ୍ପତ୍ତି ।ନିରତେ ମନେ ମୁହିଁ ଚିନ୍ତି ॥
ବ୍ରହ୍ମା ଶଙ୍କର ମନ୍ୱନ୍ତର ।ତୁମେ ଇନ୍ଦ୍ରାଦି ଦେବବର ॥
ଆତ୍ମାର ହିତେ ପ୍ରାଣୀଙ୍କର ।ତୁମ୍ଭେ ଯେ ହେତୁ ସମ୍ପତ୍ତିର ॥
ତପସ୍ୟା ମୋହର ହୃଦୟ ।ବିଦ୍ୟା ଯେ ମୋର ନିଜଦେହ ॥
କ୍ରିୟା ଯେ ମୋହର କାରଣ ।ଯଜ୍ଞ ଯେ ମୋହର ଭୂଷଣ ॥
ମୋହର ଆତ୍ମା ଧର୍ମ ଜାଣ ।ଦେବତାମାନେ ମୋର ପ୍ରାଣ ॥
ବାହ୍ୟ ଅନ୍ତରେ ମୁହିଁ ଥାଇ ।ସକଳ ଆଦିମୂଳ ମୁହିଁ ॥
ନାମରେ ଅବଶେଷ ହୋଇ ।ମୋ ତହୁଁ ଅନ୍ୟ କେହି ନାହିଁ ॥
ସଂସାରେ ସର୍ବ ରୂପ ହୋଇ ।ଅବ୍ୟକ୍ତ ରୂପେ ମୁହିଁ ଥାଇଁ ॥
ଅନନ୍ତ ଗୁଣେ ମୁଁ ଅନନ୍ତ ।ମୋର ଗୁଣରୁ ହୁଏ ଜାତ ॥
ଗୁଣ ସ୍ୱରୂପକୁ ଧ୍ୟାୟିଲେ ।ସ୍ୱୟୁମ୍ଭୂ ଦେହକୁ ପାଇଲେ ॥
ସେ ସ୍ୱାହିୟମ୍ଭୂ ଏ ସଂସାରେ ।ଦେଖିଲେ ସର୍ବ ଆତ୍ମା ପରେ ॥
ସୃଷ୍ଟି କରିବା ଚିତ୍ତେ ଧରି ।ଉଦ୍ୟମ କଲେ ସେ ବିଚାରି ॥
ବୋଇଲୁ ଆମ୍ଭ ବାକ୍ୟ କର ।ଘୋର ତପସ୍ୟାକୁ ଆଚର ॥
ସୃଷ୍ଟି କରତା ତୁମ୍ଭେ କାହିଁ ।ତପର ବଳେ ସୃଷ୍ଟି ହୋଇ ॥
ପଞ୍ଚଜନର ଏ କୁମାରୀ ।ଅସିକ୍ନ ନାମେ ସେ ସୁନ୍ଦରୀ ॥
ଏହାକୁ ପତ୍ନୀ ଭାବେ ବର ।ପ୍ରବେଶ ସୃଷ୍ଟି ବେଗେ କର ॥
ମିଥୁନ ହୋଇ ବହୁ ଶୋଭା ।ଆନନ୍ଦେ ହୁଅ ଶୁଭେ ବିଭା ॥
ତୁମ୍ଭର ଠାରୁ ପ୍ରାଣୀ ଯେତେ ।ମୈଥୁନ ହୋଇବ ଯୁକତେ ॥
ମାୟାରେ ମାହିତ ହୋଇବେ ।ହରଷେ ସଂସାରେ କରିବେ ॥
ଶ୍ରୀ ଶୁକ ଉବାଚଏତେକ କହି ଭଗବାନ ।ଅଖିଳ ବିଶ୍ୱର ଭାବନ ॥
ସ୍ୱପ୍ନେ କହିଲା ପ୍ରାୟ କରି ।ଅନ୍ତର ହୋଇଲେ ମୁରାରି ॥
ବୋଲଇ ଦାସ ଜଗନ୍ନାଥ ।କୃଷ୍ଣ ଚରିତ ଏ ଅମୃତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଆଦିସୃଷ୍ଟି କଥନେନାମ ଚତୁର୍ଥୋଽଧ୍ୟାୟଃ ।