ଚତୁର୍ଦ୍ଦଶ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ଷଷ୍ଠ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିଥିଲା ଯେ ଏକ ନୃପବରେ ॥
ଚିତ୍ରକେତୁ ନାମ ତାହାର ।କାମଧେନୁ ପୃଥ୍ୱୀ ଯାହାର ॥
ଦଶ ନିୟୁତ ପତ୍ନୀ ତାର ।ରୂପେ କି ଦେବା ପଟାନ୍ତର ॥
ଯେତେ ଅଛନ୍ତି ତାର ନାରୀ ।ପୁତ୍ର ଯେ ନୋହିଲା କାହାରି ॥
ରୂପେ ସୁନ୍ଦର ମନୋହର ।ବିଦ୍ୟା ସମ୍ପଦ ମତି ଧୀର ॥
ଏ ସର୍ବ ଗୁଣ ଅଛି ତାର ।ସୁତ ନୋହିଲା ନୃପବର ॥
ଅମାତ୍ୟ ସମ୍ପଦ ସହିତେ ।ପଟ୍ଟମହିଷୀ ତାର ଯେତେ ॥
ସେ ସାର୍ବଭୌମ ଭୁଞ୍ଜେ ମହୀ ।ସୁଖ ନୋହିଲା ତାର ତହିଁ ॥
ଶୁଣ ରାଜନ ଏକଦିନେ ।ଚିତ୍ରକେତୁ ରାଜ ଭବନେ ॥
ଅଙ୍ଗିରା ଋଷି ଆଦି ଯେତେ ।ମିଳିଲେ ରାଜାର ଅଗ୍ରତେ ॥
ସ୍ୱଇଚ୍ଛା ଲୋକରେ ବିହରେ ।ମିଳିଲେ ଚିତ୍ରକେତୁ ଘରେ ॥
ତାହାଙ୍କୁ ଦେଖି ସେ ରାଜନ ।ତକ୍ଷଣେ ତେଜିଲା ଆସନ ॥
ଉତ୍ତମ ଆସନେ ବସାଇ ।ପୂଜିଲେ ପାଦ୍ୟ ଅର୍ଘ୍ୟ ଦେଇ ॥
ସୁଖେ ଆସନେ ଋଷି ବସି ।ଚିତ୍ରକେତୁକୁ ପରଶଂସି ॥
ଭକତି ଦେଖିଣ ତାହାର ।ଆନନ୍ଦ ହୋଇ ଋଷିବର ॥
ରାଜାଙ୍କୁ କରି ଆରାଧନ ।କହନ୍ତି ମଧୁର ବଚନ ॥
ଅଙ୍ଗିରା ଉବାଚଭୋ ନୃପ ଚିତ୍ରକେତୁ ଶୁଣ ।ତୁମ୍ଭର ପରମ କଲ୍ୟାଣ ॥
ତୁମ୍ଭର ମହୀ ଅଛି ଯେତେ ।କୁଶଳଟି କିଏ ସମସ୍ତେ ॥
ପୁରରେ ଜନ ଆଦି ଯେତେ ।ଅମାତ୍ୟଗଣଙ୍କ ସଙ୍ଗତେ ॥
ଦାରା ଅପତ୍ୟ ବନ୍ଧୁ ଯେତେ ।ସମ୍ଭୁତ ରାଜ୍ୟର ସହିତେ ॥
ଯାହାର ଆତ୍ମାରାମ ବଶ ।ତାହାର ବେଶ ଏ ଅଶେଷ ॥
ଯାହାର ଆତ୍ମା ବଶ ହୋଇ ।ସର୍ବତ୍ର ପୂଜ୍ୟ ସେ ଅଟଇ ॥
ଆତ୍ମା ଆତ୍ମ ସମ୍ପଦ ଯେତେ ।ଅମାତ୍ୟ ପୁରସ୍ଥା ସହିତେ ॥
ଏ ତୁମ୍ଭ ପ୍ରିୟ ନୋହେ କେହି ।ଏମନ୍ତ ପ୍ରାୟ ମୁଁ ମଣଇ ॥
ଚିନ୍ତାରେ ମଳିନ ଅଧର ।ଅଲବ୍ଧ କାମ ନୃପବର ॥
ରାଜା ଏମନ୍ତ ବାକ୍ୟ ଶୁଣି ।ଶୁଣ ପରୀକ୍ଷ ନୃପମଣି ॥
ହୃଦରେ ପୁତ୍ର କାମୀ ହୋଇ ।ବିରସେ ମୁନିଙ୍କୁ କହଇ ॥
ରାଜୋବାଚଭୋ ମୁନି ତୁମ୍ଭ ଅଗୋଚରେ ।କେ ଅବା ଅଛି ଏ ସଂସାରେ ॥
ପ୍ରାଣୀର ଅନ୍ତର ବାହାରେ ।ଦେଖ ତପସ୍ୟା ପ୍ରଭାବରେ ॥
ତୁମ୍ଭର ଆଜ୍ଞା ପରମାଣେ ।କହିବି ଶୁଣ ସାବଧାନେ ॥
ହୃଦରେ ଚିନ୍ତିତ ମୋହର ।ପ୍ରଶ୍ନ ଯେ କଲ ମୁନିବର ॥
ମୁନିମାନଙ୍କୁ ଯେ ଦୁର୍ଲ୍ଲଭ ।ଏ ଆଦି ଐଶ୍ୱର୍ଯ୍ୟ ସମ୍ପଦ ॥
ପୁତ୍ର ବିହୀନେ ମୋର ଦେହୀ ।ସୁଖ ନୁହଇ ସର୍ବେ କେହି ॥
କ୍ଷୁଧା ତୃଷାରେ ଯେହ୍ନେ ଜନ ।ଦିନକୁ ଦିନ ହୋନ୍ତି କ୍ଷୀଣ ॥
ଭୋ ମହାଭାଗ ମୁନିବର ।ଯେମନ୍ତେ ତରଇ ସଂସାର ॥
ପିତୃଋଣରୁ ମୋତେ ପାର ।କରିବା ହେଉ ମୁନିବର ॥
ପୁତ୍ରରେ କରି ଯେବେ ମୁହଁ ।ଦୁସ୍ତର ମାୟାରୁ ତରଇ ॥
ଶ୍ରୀ ଶୁକ ଉବାଚରାଜାର ଶୁଣି ଏ ବଚନ ।କୃପା କଲେ ବ୍ରହ୍ମା ନନ୍ଦନ ॥
ଯଜ୍ଞକୁ କରି ମୁନିବର ।ଆରାଧି ଜଗତ ଈଶ୍ୱର ॥
ରାଜାର ଜ୍ୟେଷ୍ଠ ଯେଉଁ ନାରୀ ।କୃତଦ୍ୟୁତି ନାମ ତାହାରି ॥
ଚରୁ ତାହାକୁ ନେଇ ଦେଲେ ।ରାଜାଙ୍କୁ ଏମନ୍ତ କହିଲେ ॥
ଭୋ ଚିତ୍ରକେତୁ ନୃପବର ।ହେଉ ଏକ କୁମର ତୋର ॥
ସତ୍ୟ କହିଲୁ ରାଜା ତୋରେ ।କହିଣ ଗଲେ ମୁନିବରେ ॥
ଚିତ୍ରକେତୁର ତହୁଁ ସେହି ।କୃତଦ୍ୟୁତି ଯେ ମହାଦେଈ ॥
ଚରୁ ଭୋଜନର ମାତ୍ରକେ ।ଗର୍ଭ ଧଇଲା ସେହୁ ସୁଖେ ॥
ଚରୁ ଭୋଜନର ମାତ୍ରକେ ।ଗର୍ଭ ଧଇଲା ସେହୁ ସୁଖେ ॥
ଅଗ୍ନିର କୁମାର ଯେମନ୍ତେ ।ଗର୍ଭେ ଧଇଲା ସେହି ମତେ ॥
ତାହାର ଗର୍ଭ ପ୍ରତିଦିନେ ।ଶୁକ୍ଳ ପକ୍ଷରେ ଚନ୍ଦ୍ର ଯେହ୍ନେ ॥
ଚିତ୍ରକେତୁ ହରଷ ମନ ।ଗର୍ଭ ବଢ଼ିଲା ଦିନୁ ଦିନ ॥
ଏମନ୍ତେ ସଂପୂର୍ଣ୍ଣ ବତ୍ସରେ ।ଜନ୍ମିଲା ତାହର କୁମରେ ॥
ଚିତ୍ରକେତୁର ଯେତେ ଲୋକ ।ହରଷ ହୋଇଲେ ଅନେକ ॥
ହରଷ ହୋଇ ସେ ରାଜନ ।ତକ୍ଷଣେ କଲାକ ସ୍ନାହାନ ॥
ସନ୍ତୋଷ ମନେ ନୃପବର ।ଭୂଷିତ ହୋଇ ଅଳଙ୍କାର ॥
ବ୍ରାହ୍ମଣେ ଆଣି ବେଦ ଧର୍ମ ।କଲା ସେ ପୁତ୍ରଜାତ କର୍ମ ॥
ବ୍ରାହ୍ମଣେ ସୁବର୍ଣ୍ଣ ଜଗତ ।ଦେଲା ଧେନୁ ଶତ ଅୟୁତ ॥
ପୃଥିବୀ ହୟ ଗଜଗଣ ।ଦେଲା ସେ ବିବିଧ ବସନ ॥
ଯେ ଯେତେ ଲୋକବାଞ୍ଚା କଲେ ।ମନ ସନ୍ତୋଷେ ସେ ଲଭିଲେ ॥
ପ୍ରାଣୀ ସନ୍ତୋଷେ ମଘବାନ ।ବରଷା କରଇ ଯେସନ ॥
ପୁତ୍ର ଆୟୁଶ ଯଶ ଧନ ।ବିବୃଦ୍ଧି ଅର୍ଥେ ଦେଲା ଦାନ ॥
କଷ୍ଟରେ ଲଭିଲା ସେ ସୁତ ।ପୁତ୍ରରେ ସ୍ନେହ ତା ବହୁତ ॥
ଦରିଦ୍ର ଯେହ୍ନେ ଧନ ପାଇ ।ତେସନେ ହରଷ ହୁଅଇ ॥
ମାତାର ଅତି ସ୍ନେହ ଭରେ ।ମୋହ ହୋଇଲା ପୁତ୍ରଠାରେ ॥
କୃତଦ୍ୟୁତି ସପତ୍ନୀମାନେ ।ଦୁଃଖିତ ସନ୍ତତି କାରଣେ ॥
ଚିତ୍ରକେତୁ ଯେ ସ୍ନେହ ବହି ।କୃତଦ୍ୟୁତିର ପୁତ୍ର ତହିଁ ॥
ଅନ୍ୟ ଯେ ପତ୍ନୀମାନେ ଛନ୍ତି ।ସେ ଭାବେ ନାହିଁ ସ୍ନେହମତି ॥
ଅପୁତ୍ର ଦୁଃଖ ତାହାଙ୍କର ।ରାଜାର ତେଣୁ ଅନାଦର ॥
ସେମାନେ ମନେ ଦୁଃଖ କରି ।ଆତ୍ମାର ନିନ୍ଦାକୁ ଆଚରି ॥
ପାପିଷ୍ଠ ଏଯେ କୃତଦ୍ୟୁତି ।ଧିକ ଏହାର ଦୁଷ୍ଟ ମତି ॥
ଗୃହ ସମ୍ପଦ ଯେ ସ୍ୱାମୀର ।ଏ ଧିକ ହେଉ ଦୁରାଚାର ॥
ଏ ସପତଣୀର ଚରଣେ ।ଦାସୀ ହୋଇଲୁ ଅକାରଣେ ॥
ଦାସୀର କି ଅବା ସନ୍ତାପ ।ସେ ଯେବେ ସ୍ୱାମୀର ସମୀପ ॥
ମାନ ନଲଭୁ ଆମ୍ଭେକ୍ଷଣେ ।ଦାସୀର ଦାସୀ ହୋଇ ଯେହ୍ନେ ॥
ସକଳେ ଏକଚିତ ହେଲେ ।ରାଜାର ହିଂସା ଆଚରିଲେ ॥
ଦାରୁଣ ଚିତ୍ତ ସ୍ତିରୀଜନ ।କ୍ରୋଧେ ହୋଇଲେ ହତଜ୍ଞାନ ॥
ସ୍ୱାମୀକୁ ଅତି କ୍ରୋଧ କଲେ ।ଗରଳ କୁମରକୁ ଦେଲେ ॥
ଏହା ନ ଜାଣେ କୃତଦ୍ୟୁତି ।ସପତ୍ନୀ ମାତାଙ୍କର ଗତି ॥
ପୁତ୍ର ଶୁଆଇଥିଲା ଘରେ ।ଗଲା ଯେ ଅନ୍ୟାନ୍ୟ ବେଭାରେ ॥
ଅନେକ ବେଳ ଶୋଇଥିଲା ।ପୁତ୍ର ଆଣିବା ଅର୍ଥେ ଗଲା ॥
ଭୋ ସଖି ଆଣ ପୁତ୍ର ମୋର ।ଧାଈ କି ବୋଇଲା ଉତ୍ତର ॥
ତାହାର ଆଜ୍ଞା ପାଇ ଧାଈ ।ବାଳକ ନିକଟେ ମିଳଇ ॥
ଦେଖିଲା ପୁତ୍ର ଅଛି ଶୋଇ ।ନିବୃତ୍ତ ନେତ୍ର ତାର ହୋଇ ॥
ଶରୀରେ ପ୍ରାଣ ନାହିଁ ତାର ।ଦେଖି ପଡିଲା ସେ ଭୂମିର ॥
ହତ ଦେଖିଣ ତାର ଧାଈ ।ପଡ଼ିଲା ଅଚେତନ ହୋଇ ॥
ବେନି କରରେ ହୃଦ ତାଡି ।ଆରତେ ଛାଡ଼ୁ ଅଛି ରଡି ॥
ତା ଦେଖି ପାଟ ମହାଦେଈ ।ଧାଇଁଲା ଅସମ୍ଭାଳ ହୋଇ ॥
ପୁତ୍ରର ନିକଟେ ମିଳିଲା ।ମୃତ ପୁତ୍ରକୁ ସେ ଦେଖିଲା ॥
ମହାକ୍ରୋଧରେ ଶୋକଭରେ ।ଭୂମିରେ ପଡ଼ିଲା ନିର୍ଭରେ ॥
ତକ୍ଷଣେ ମୋହକୁ ପାଇଲା ।କେଶ ବସନ ଖସିଗଲା ॥
ରାଜାର ଅନ୍ତଃପୁର ଜନ ।ସ୍ତିରୀ ପୁରୁଷ ହେ ରାଜନ ॥
ରୋଦନ ଶୁଣି ସେ ଧାଇଁଲେ ।ତୁଲ୍ୟେ ଶୋକକୁ ସେ ଧଇଲେ ॥
କହିବା ଶୁଣ ନୃପବର ।ଯେତେକ ସପତ୍ନୀ ତାହାର ॥
ଅନ୍ତରେ ସୁଖ ସେ ଆଚରି ।ବାହ୍ୟେ କପଟ ଶୋକ କରି ॥
ପୁତ୍ର ମରଣ ରାଜା ଶୁଣି ।ମୃତ୍ୟୁର କାରଣ ନ ଜାଣି ॥
ଶୋକରେ ନ ଦିଶଇ ପଥ ।ମୋହରେ ହୋଇ ଜ୍ଞାନ ହତ ॥
ସ୍ନେହ ହେତୁରୁ ଶୋକ ବଢ଼ି ।ମୂର୍ଚ୍ଛିତ ହୋଇ ଗାଢେ ପଡ଼ି ॥
ଅମାତ୍ୟ ଆଦି ଯେତେ ଜନ ।ଦେଖୁ ଅଛନ୍ତି ହେ ରାଜନ ॥
ମୃତ ବାଳକ ପାଦତଳେ ।ପଡ଼ିଲା ଯାଇ ଜ୍ଞାନ ଭୋଳେ ॥
ଖସିଣ ପଡିଅଛି କେଶ ।ବିଚିତ୍ର ପରିଧାନ ବାସ ॥
ଦୀର୍ଘ ନିଃଶ୍ୱାସ ସେ ଛାଡ଼ଇ ।ନୟନୁ ଅଶ୍ରୁଜଳ ବହି ॥
ନିରୋଧ କଣ୍ଠଦ୍ୱାର ହୋଇ ।ବଚନ ନ ପାରଇ କହି ॥
ପତିର ଦେଖି ଶୋକଭର ।ମୃତ୍ୟୁକୁ ଦେଖିଣ ପୁତ୍ରର ॥
ବିଚିତ୍ର ବିଳାପ କରଇ ।କୃତଦ୍ୟୁତି ସେ ମହାଦେଈ ॥
ସ୍ତନ ଯୁଗଳରେ ତାହାର ।ମଣ୍ଡିତ କୁଙ୍କୁମ ପୟର ॥
ଅଞ୍ଜନ ସହିତେ ଲୋତକ ।ସେ ସ୍ତନ ଯୁଗଳ ଧଉତ ॥
କେଶ ହୋଇଲା ଅସମ୍ଭାଳ ।ଖସି ପଡ଼ିଲା ଫୁଲମାଳ ॥
କୁରରୀ ପ୍ରାୟ ସେ ବିକଳ ।ନୟନୁ ବହେ ଅଶ୍ରୁଜଳ ॥
ହେ ବିଧି ତୋ ମତି ଦାରୁଣ ।ବାଳକ ପ୍ରାୟ ଆଚରଣ ॥
ଆପଣେ କରିଣ ରଚନ ।କ୍ଷଣକେ କରି ଭଗ୍ନମାନ ॥
କେ ଅବା ଅଛି କେବା ନାହିଁ ।ଏହାର ନିଦାନ ନ ଥାଇ ॥
ଯେବା ସଂସାର ପ୍ରାଣୀଙ୍କର ।ପ୍ରାକର୍ମ ଜନ୍ମ ମରଣର ॥
ସେନେହ ପାଶ ବଢ଼ାଇଣ ।ଆପଣେ ସୃଷ୍ଟି ଭିଆଇଣ ॥
ଛେଦନ କଲା ଅକାରଣ ।ଅଜ୍ଞାନ ପ୍ରାଣୀଏ ଯେସନ ॥
ହେ ତାତ ତନୟ ମୋହର ।ଦେଖୁନାହୁଁ ତୋ ପିଅର ॥
ଛାଡ଼ି ନ ଯାଅ ବାବୁ ତୁହି ।ଶୋକସାଗରେ ମୋତେ ଥୋଇ ॥
ମୁଁ ଯେ ପାପିଷ୍ଠ ଦୁଃଖୀ ହୋଇ ।ମୋତେ ଛାଡ଼ିଣ ନ ଯା ତୁହି ॥
ତୋହର କରି ବାବୁ ମୁହିଁ ।ଦୁସ୍ତର ତମରୁ ତରଇ ॥
ଦାରୁଣ ଯମ ବଶ ହୋଇ ।ଛାଡ଼ି ନ ଯାଅ ମୋତେ ତୁହି ॥
ଉଠ ହେ ନୃପତି ନନ୍ଦନ ।ଆନନ୍ଦେ କର ସ୍ତନ୍ୟ ପାନ ॥
ସମବୟସୀୟ କୁମରେ ।ଡାକୁ ଅଛନ୍ତି ବାବୁ ତୋରେ ॥
ବାଳକ ସଙ୍ଗତେ ବିହର ।ବହୁତ ନିଦ୍ରା ଦୂର କର ॥
ମୋହର ଶୋକ ତୁ ନିବାର ।ରୋଦନ୍ତି ପିଅର ତୋହର ॥
ହରଷ ଆନନ୍ଦ ପଙ୍କଜ ।ମୁଖ ତୋ ନ ଦେଖି ତନୁଜ ॥
ଦାରୁଣ ଯମକି ତୋହରେ ।ଘେନାଇ ଗଲା ନିଜ ପୁରେ ॥
ତେଣୁ ମୋ କୋମଳ ବଚନ ।ଶୁଣିଲୁ ନାହିଁରେ ନନ୍ଦନ ॥
ଶ୍ରୀ ଶୁକ ଉବାଚମୃତ ପୁତ୍ରଠାରେ ତାହାର ।ବିଳାପ ଶୁଣି ନୃପବର ॥
ଚିତ୍ରକେତୁ ମଗ୍ନ ଶୋକରେ ।ରୋଦନ କରେ ଉଚ୍ଚ ସ୍ୱରେ ॥
ବିଳପେ ପତ୍ନୀର ସହିତେ ।ନୃପକୁ ଦେଖିଣ ସମସ୍ତେ ॥
ଯେତେ ଅମାତ୍ୟ ଆଦି ତାର ।ରୋଦନ କଲେ ଉଚ୍ଚ ସ୍ୱର ॥
ସ୍ତିରୀ ପୁରୁଷ ଯେତେ ଜନ ।ସକଳେ ହେଲେ ଅଚେତନ ॥
ଏମନ୍ତେ ଶୁଣ ନୃପବର ।ସକଳେ ଅତି ଦୁଃଖତର ॥
ଦୁଃଖ ରାଜାର ଦେଖି ମୁନି ।ଅଙ୍ଗିରା ନାରଦଙ୍କୁ ଘେନି ॥
ଶୀଘ୍ରରେ ଘେନି ଋଷି ଗଲେ ।ରାଜାର ପୁରରେ ମିଳିଲେ ॥
ବୋଲଇ ବିପ୍ର ଜଗନ୍ନାଥ ।ଚିତ୍ରକେତୁ ରାଜା ଚରିତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁ ରାଜା ଚରିତେନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।
ପଞ୍ଚଦଶ ଅଧ୍ୟାୟ
ଶ୍ରୀ ଶୁକ ଉବାଚଶୋକରେ ଜ୍ଞାନ ଭ୍ରଷ୍ଟ ହୋଇ ।ଚିତ୍ରକେତୁ ପଡି ଅଛଇ ॥
ଯେମନ୍ତେ ଶବ ପଡ଼ିଥାଇ ।ଏ ବେନି ତାର ପାଶେ ଯାଇ ॥
ଉତ୍ତମ ବାକ୍ୟମାନଙ୍କରେ ।ବୋଧୁ ଅଛନ୍ତି ନୃପବରେ ॥
ଭୋ ଚିତ୍ରକେତୁ ନୃପବର ।ତୁମ୍ଭେ ଯା ପାଇଁ ଶୋକ କର ॥
ତୁମ୍ଭେ ଏହାର ପୂର୍ବ ସୂତ ।ହୋଇଣ ଥିଲା ବା କେମନ୍ତ ॥
ଏବେ ତୁମ୍ଭର ପୁତ୍ର ଏହି ।ସଂସାର ମାୟା ଯେ ଅଟଇ ॥
ଯେମନ୍ତେ ନଦୀ ସ୍ରୋତ ହୋଇ ।ବାଲୁକା ଆସି ଯାଇ ଥାଇ ॥
ତେମନ୍ତେ ପ୍ରାଣୀ ଯଥାକାଳେ ।ଆସଇ ଯାଇ କର୍ମ ବଳେ ॥
ବିଲଗ୍ନ ଯେହ୍ନେ ହୋଇ ନାହିଁ ।ପ୍ରାଣୀହିଁ ତେମନ୍ତ ଅଟଇ ॥
ଈଶ୍ୱର ମାୟାରେ ଜଗତ ।ଉତ୍ପତ୍ତି ନାଶ ସର୍ବଭୂତ ॥
ସ୍ଥାବର ଆଦିକରି ଯେତେ ।ଚର ଅଚର ଏ ସହିତେ ॥
ଜନ୍ମ ମରଣ ଆଗପଛ ।ହୋଇଣ ଦେଖଇ ପ୍ରତ୍ୟକ୍ଷ ॥
ଭୂତରେ କରିଣ ଈଶ୍ୱର ।ଜନ୍ମଇ ଅଖିଳ ସଂସାର ॥
ପ୍ରତିପାଳନ କରି ପୁଣ ।ହତ କରାଇ ତତକ୍ଷଣ ॥
ଆୟତ୍ତ ନୁହଇ କାହାର ।ଯେହ୍ନେ ବାଳୁତ ଖେଳଘର ॥
ଦେହରୁ ଦେହ ହୋଇ ଜାତ ।ସଂସାର ହୋଇଛି ପୂରିତ ॥
ଆତ୍ମା ଶରୀରୁ ଭିନ୍ନ କରି ।ପୂର୍ବେ ଯେ ବିଧାତା ବିଚାରି ॥
ଜାତି ସଂଖ୍ୟାରେ କରି ଭିନ୍ନେ ।ସୁବର୍ଣ୍ଣେ ନାନା ଦ୍ରବ୍ୟ ଯେହ୍ନେ ॥
ଶ୍ରୀ ଶୁକ ଉବାଚଏସନ ବାକ୍ୟେ ବିପ୍ରଙ୍କର ।ଆଶ୍ୱସ୍ତ ହୋଇ ନୃପବର ॥
ମଜ୍ଜିଣ ଏ ଦୁଃଖ ଅପାର ।ଶୁଣି କହଇ ନୃପବର ॥
ରାଜୋବାଚକେ ତୁମ୍ଭେ ବିପ୍ର ଦୁଇଜଣ ।ଅଶେଷ ଜ୍ଞାନରେ ନିପୁଣ ॥
ଜ୍ଞାନୀମାନଙ୍କ ତୁମ୍ଭେ ବର ।ଅବଧୂତ ବେଶକୁ ଧର ॥
ସ୍ୱଭାବେ ଗୁପ୍ତ ପ୍ରାୟ ହୋଇ ।ଆସିଣ ଅଛ ତୁମ୍ଭେ ଦୁଇ ॥
ବିଷ୍ଣୁର ଦୂତ ପ୍ରାୟ ଲୋକେ ।ପୃଥ୍ୱୀରେ ଭ୍ରମୁଥାଅ ସୁଖେ ॥
ମୋହର ପ୍ରାୟ ଦୁଃଖୀ ହୋଇ ।ସଂସାରେ କେ ଅବା ଅଛଇ ॥
ପ୍ରାଣୀଙ୍କ ସୁଖ ଇଚ୍ଛା କରି ।ଏମାନେ ବୁଲନ୍ତି ବିହରି ॥
ଗୌତମ ଅସୀତ ଦେବଳ ।କୁମାର ବଶିଷ୍ଠ କପିଳ ॥
ମାର୍କଣ୍ଡେୟ ବ୍ୟାସ ଅଙ୍ଗିରା ।ଲୋମଶ ଦତ୍ତ ବେଦଶିରା ॥
ଦୁର୍ବାସା ଆଦି ଗାଧି ପୁଣ ।ସୁମନ୍ତ ଋଷି ନାରାୟଣ ॥
କ୍ରତୁଧ୍ୱଜ ଏ ଶ୍ରୁତଦେବ ।ପଞ୍ଚଶିଖ ହିରଣ୍ୟନାଭ ॥
କୌଶିକ ନାରଦ ଆସୁରି ।ଧୌମ୍ୟ ଚ୍ୟବନ ପାତାଞ୍ଜଳି ॥
ଚିତ୍ର ସହିତେ ସିଦ୍ଧ ସୁର ।ଏମନ୍ତେ ଭ୍ରମନ୍ତି ସଂସାର ॥
ପ୍ରାଣୀର ମଙ୍ଗଳ କାରଣେ ।ଭ୍ରମୁ ଅଛନ୍ତି ଅନୁକ୍ଷଣେ ॥
ସ୍ୱଭାବେ ଗ୍ରାମ ପଶୁ ମୁହିଁ ।ରଜ ତମରେ ବୁଡିଛଇଁ ॥
କେ ଦୁଇ ସିଦ୍ଧ ତୁମ୍ଭେ କହ ।ଜ୍ଞାନ ଦୀପକୁ ମୋତେ ଦିଅ ॥
ଅଙ୍ଗିରା ଉବାଚହେ ଚିତ୍ରକେତୁ ନୃପବର ।ମୁଁ ତୋତେ ଦେଇଛି କୁମର ॥
ଅଙ୍ଗିରା ନାମଟି ମୋହର ।ଏ ଦେଖ ବ୍ରହ୍ମାଙ୍କ କୁମର ॥
ଆଦ୍ୟହୁଁ ବିଷ୍ଣୁ ଭକ୍ତ ଏହି ।ନାରଦ ବୋଲି ଯାକୁ କହି ॥
ଦୁସ୍ତର ଶୋକେ ମଗ୍ନ ତୋର ।ଦେଖିଲୁ ଯହୁଁ ନୃପବର ॥
ତୋହର ଯୋଗ୍ୟ ତ ନୁହଇ ।ଏହା ବିଚାରି ଆମ୍ଭେ ଦୁଇ ॥
ତୋଠାରେ ଅନୁଗ୍ରହ କରି ।ଅଇଲୁ ଶୁଣ ଦଣ୍ଡଧାରୀ ॥
ବ୍ରାହ୍ମଣ ବିଷ୍ଣୁ ଭକ୍ତ ହେଉ ।ଶୋକେ ନ ବୁଡ଼ ଭୂମି ବାହୁ ॥
ପୂର୍ବେ ତୋ ଗୃହେ ଆସିଥିଲୁ ।ସେଦିନ ଜ୍ଞାନକୁ କହିଲୁ ॥
ପୁତ୍ର ବିଷୟେ ଜ୍ଞାନ ତୋର ।ଜାଣିଣ ଦେଲୁ ପୁତ୍ରବର ॥
ଏବେ ତୁ ପୁତ୍ର ଶୋକଭର ।ଏ ଅନୁଭବେ ନୃପବର ॥
ଐଶ୍ୱର୍ଯ୍ୟ ପୁତ୍ର ଦାରାଧନ ।ଭୃତ୍ୟ ଅମାତ୍ୟ ପ୍ରିୟଜନ ॥
ବିଷୟ ରାଜ ସୈନ୍ୟ କୋଷ ।ଶୂରସେନା ଲୋକ ଅଶେଷ ॥
ଏ ସବୁ ଲୋକେ ଭୟଙ୍କର ।ଭୟକୁ ଦେବ ନୃପବର ॥
କର୍ମକୁ ଧ୍ୟାୟି ଯେଉଁ ଜନ ।କରଇ ନାହିଁ କର୍ମମାନ ॥
ନାନା କର୍ମରେ ମନ ତାର ।ପ୍ରବେଶ ହୋଇ ନିରନ୍ତର ॥
ଏମନ୍ତେ ଦେହୀମାନଙ୍କର ।ଦେହଟି ଏ ମାୟା ସଂସାର ॥
ବିବିଧ କ୍ଲେଶ ଦେହୀଙ୍କର ।ସନ୍ତାପ ଯେତେକ ଅସାର ॥
ଏହି କାରଣୁ ହେ ରାଜନ ।ଆପଣ ସୁସ୍ଥ କର ମନ ॥
ଏ ବିଶ୍ୱ ସଂସାରେ ଅସାର ।ଦେହର ଗତିକୁ ବିଚାର ॥
ଶୋକ ନ କରି ନୃପବର ।ଆତ୍ମା ମନକୁ ସ୍ଥିର କର ॥
ନାରଦ ଉବାଚଉପନିଷଦ ମନ୍ତ୍ର ଦୀକ୍ଷା ।ଶୁଚି ହୋଇଣ କର ଶିକ୍ଷା ॥
ସେ ବିଦ୍ୟାବଳୁ ସପ୍ତଦିନ ।ଦେଖିବ ପ୍ରଭୁ ଭଗବାନ ॥
ପାଦ ପଙ୍କଜଟି ଯାହାର ।ଆଶ୍ରୟ କରିଣ ଶଙ୍କର ॥
ସର୍ବ ବିଷୟକୁ ଛାଡିଲେ ।ତକ୍ଷଣେ ସେ ପଦ ଲଭିଲେ ॥
ତୁମ୍ଭେ ଏ ବିଦ୍ୟାର ପ୍ରସାଦେ ।ତାହା ଲଭିବ ଅପ୍ରମାଦେ ॥
ବୋଲଇ ଦାସ ଜଗନ୍ନାଥ ।ହରି ଚରିତ ଭାଗବତ ॥
ଚିତ୍ରକେତୁ ଶୋକ ଖଣ୍ଡନ ।ସୁଜନେ ଏଣେ ଦିଅ ମନ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁ ପୁତ୍ର ଶୋକଖଣ୍ଡନେ ନାମ ପଞ୍ଚଦଶୋଽଧ୍ୟାୟଃ ।