ଅଷ୍ଟାଦଶ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ଷଷ୍ଠ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟାଦଶ ଅଧ୍ୟାୟ
ରାଜୋବାଚଶୁକ କହନ୍ତି ହରଷିତେ ।ସାନନ୍ଦେ ଶୁଣ ପରୀକ୍ଷିତେ ॥
ସବିତା ପତ୍ନୀ ପୃଶ୍ନୀ ହୋଇ ।ସାବିତ୍ରୀ ବ୍ୟାହୁତି ଯେ ତ୍ରୟୀ ॥
ଏ ତିନି କନ୍ୟା ଯେ ଏହାର ।ପୁତ୍ରର ନାମ ଶୁଣ ତାର ॥
ଅଗ୍ନି ହୋତ୍ର ଯେ ପଶୁ ସୋମ ।ଚାତୁର୍ମାସ୍ୟ ଏ ଚାରି ନାମ ॥
ଭଗର ପତ୍ନୀ ସିଦ୍ଧି ନାମ ।ତାହାର ପୁତ୍ର ମହୀ ମାନ ॥
ଆଶିଷ ବରାରୋହା ତାର ।କନ୍ୟା ହୋଇଲା ସେ ସିଦ୍ଧିର ॥
ଧାତାର ତହୁଁ ଯେତେ ସୁତ ।କୁହୁ ସାୟଂ ଯେ ଦର୍ଶ ପ୍ରାତ ॥
ସନିବାଲୀ ରାଜା ପୂର୍ଣ୍ଣିମା ।ଅନୁମତି କ୍ରମରେ ନାମା ॥
ବରୁଣଙ୍କ ପତ୍ନୀ ଚର୍ଷଣୀ ।ତାହାର ତହୁଁ ଭୃଗୁ ଜନ୍ମି ॥
ବାଲ୍ମୀକି ମହା ଯୋଗେଶ୍ୱର ।ବଲ୍ମୀକୁ ଜାତ ତାହାଙ୍କର ॥
ଅଗସ୍ତି ବଶିଷ୍ଠ ବରୁଣ ।ରେତସେକେ କୁମ୍ଭରୁ ଜନ୍ମ ॥
ରେବତୀ ଠାରେ ମିତ୍ରମୁନି ।ପିପ୍ପଳ ଅରିଷ୍ଟ ଏ ତିନି ॥
ପୌଲୋମୀ ଇନ୍ଦ୍ର ନିଜ ନାରୀ ।ତିନି ତନୟ ତାହାଙ୍କରି ॥
ଜୟନ୍ତ ଋଷଭ କୁମର ।ତୃତୀୟ ମୀଢୂଷ ଆବର ॥
ଉରୁକ୍ରମ ମାୟା ବାମନ ।ତାହାଙ୍କ ପତ୍ନୀ କୀର୍ତ୍ତିନାମ ॥
ସୌଭଗ ଆଦି ତାହାଙ୍କର ।ଯେମନ୍ତ ହେଲା ଅବତାର ॥
କଶ୍ୟପ ବଂଶେ ଯେ ବାମନ ।ତାହାଙ୍କ ବୀର୍ଯ୍ୟେ କର୍ମ ଗୁଣ ॥
ଅଦିତି ଗର୍ଭେ ତାହାଙ୍କର ।ଯେମନ୍ତେ ହେଲା ଅବତାର ॥
ଏ ଯେ ସକଳ ନୃପମଣି ।ପଛେ କହିବା ପରିମାଣି ॥
କଶ୍ୟପ ବଂଶେ ଯେ ଦଇତ୍ୟ ।ପ୍ରହ୍ଲାଦ ଭାଗବତ ଭକ୍ତ ॥
ଆଗେ ତାହାଙ୍କର ଚରିତ ।କହିବା ଶୁଣ ଏକଚିତ୍ତ ॥
ଦିତିର ବେନି ଏ ନନ୍ଦନ ।ଦୈତ୍ୟ ଦାନବଙ୍କ ବନ୍ଦନ ॥
ହିରଣ୍ୟାକ୍ଷ ନାମ ତାହାର ।ହିରଣ୍ୟକଶିପୁ ଅମର ॥
ହିରଣ୍ୟକଶିପୁ ଯେ ବୀର ।କୟାଧୁ ନାମେ ପତ୍ନୀ ତାର ॥
ଜମ୍ଭାର କନ୍ୟା ଯେ ଯୁକତେ ।ପ୍ରସବ କଲା ଚାରିସୁତେ ॥
ଏକ ବହିଣୀ ତାହାଙ୍କର ।ସିଂହିକା ନାମଟି ତାହାର ॥
ରାହୁ ଯେ ତାହାର କୁମର ।ଲୋକରେ ଖ୍ୟାତ ସେ ଅସୁର ॥
ଅମୃତ ପାନରେ ଗୋବିନ୍ଦ ।ଚକ୍ରେ ଛେଦିଲେ ତାର କନ୍ଧ ॥
ସଂହ୍ରାଦ ପତ୍ନୀ ମତି ନାମ ।ସୁତ ତାହାର ପଞ୍ଚଜନ ॥
ଧନ୍ୱନୀ ପତ୍ନୀ ସେ ହ୍ରାଦର ।ବାତାପି ଯାହାର କୁମର ॥
ଅନୁହ୍ରାଦର ସୂର୍ଯ୍ୟା ପତ୍ନୀ ।ବାସ୍ୱଳ ମହିଷ ଏ ବେନି ॥
ପ୍ରହ୍ଲାଦ ପୁତ୍ର ବିରୋଚନ ।ଦ୍ରବୀ ତାହାର ପତ୍ନୀ ନାମ ॥
ତାହାର ବଳୀ ଯେ କୁମର ।ଲୋକରେ ବିଖ୍ୟାତ ସେ ବୀର ॥
ଅନାସଠାରେ ହେଲା ତାର ।ବାଣାଦି ଶତେକ କୁମର ॥
ବାଣାର ଯେ ପ୍ରତାପ ତେଜ ।ପଛେ କହିବା ମହାରାଜ ॥
ବାଣା ଆରାଧି ଈଶ୍ୱରଙ୍କୁ ।ଲଭିଲା ରଣ ପ୍ରଭୃତ୍ୱକୁ ॥
ପୁରପାଳକ ରୂପେ ହରି ।ଅଦ୍ୟାପି ଅଛନ୍ତି ଆବୋରି ॥
ଦିତିର ତନୟ ମରୁତ ।ଚତ୍ୱାରିଂଶ ନବ ଅଧିକ ॥
ଜନ୍ମ ନିକଟେ ତାହାଙ୍କର ।ଆତ୍ମାକୁ ନେଲେ ବଜ୍ରଧର ॥
ରାଜୋବାଚସ୍ୱଭାବେ ଅସୁରଙ୍କ ଭାବ ।କେମନ୍ତେ ଛାଡ଼ିଲେ ସ୍ୱଭାବ ॥
ଇନ୍ଦ୍ରର ସପକ୍ଷ ହୋଇଲେ ।କି ସାଧୁ କର୍ମ ଇନ୍ଦ୍ର କଲେ ॥
ଶ୍ରଦ୍ଧା ଅଧିକେ ଏଣେ ମୋର ।ଶୁଣିବି ବୋଲି ମୁନିବର ॥
ମୋହର ଜ୍ଞାନେ ଉଦେ ଯହିଁ ।ବିସ୍ତାରି କହିବା ଗୋସାଇଁ ॥
ଶ୍ରୀ ଶୁକ ଉବାଚବିଷ୍ଣୁ ଭକ୍ତର ଶ୍ରଦ୍ଧା ବାଣୀ ।ଶୁଣିଣ ସେ ବାଦରାୟଣି ॥
ରାଜାକୁ ଧନ୍ୟ ଧନ୍ୟ କରି ।ଚଞ୍ଚଳ ମନ ସ୍ଥିର କରି ॥
କହନ୍ତି ରାଜା ମୁଖ ଚାହିଁ ।ଶୁଣ ରାଜନ ମନ ଦେଇ ॥
ଇନ୍ଦ୍ରରେ କରି ହତ ସୁତ ।ଦିତି ହୋଇଲା ମୋହଗତ ॥
କ୍ରୋଧ ଅଗ୍ନିରେ କରି ଜଳି ।ଚିନ୍ତା କରନ୍ତି ମନେ ଭାଳି ॥
କନିଷ୍ଠ ଭ୍ରାତୃ ହନ୍ତା ଏହି ।କେବେ ମରିବ ପାପ ଦେହୀ ॥
କୁଟିଳ ହୃଦୟ ଏ ଜନ ।ଏ ମଲେ ସୁଖ ମୋ ଶୟନ ॥
ବିଷ୍ଠା କୃମି ଭସ୍ମ ସମାନେ ।ସେ ଲଭେ ଦେହ ଅବସାନେ ॥
ତା ଦେହ ଶ୍ୱାନାଦିରେ ଗ୍ରାସ ।କରି ନରକେ ସେ ପ୍ରବେଶ ॥
ଯେ ପ୍ରାଣୀ ଆତ୍ମାକୁ ଜାଣଇଁ ।ଏ ପାପେ ପ୍ରବେଶ ନୁହଇ ॥
ଏ ଯେ ପାପିଷ୍ଠ ଦୃଷ୍ଟମତି ।ଏହାର ନାହିଁ ଧର୍ମ ଗତି ॥
ଏ ଭାବେ ପୁତ୍ର ମୋର ଜାତ ।ଇନ୍ଦ୍ରକୁ କରିବ ନିପାତ ॥
ଏହା ମୁଁ କରିବି ବିଧାନେ ।ଏମନ୍ତ ବିଚାରିଣ ମନେ ॥
ଭର୍ତ୍ତାର ନିକଟେ ମିଳିଲା ।ପ୍ରୀତି ଭାବକୁ ଆଚରିଲା ॥
ନାନା ପ୍ରକାରେ ସେବା କରି ।ବିନୟ ଭାବକୁ ଆଚରି ॥
ପରମ ପ୍ରୀତିଯୁକ୍ତ ହୋଇ ।ମନୋଜ୍ଞ ବଚନ ବୋଲଇ ॥
ସସ୍ମିତ ଅପାଙ୍ଗ ବୀକ୍ଷଣେ ।ସ୍ୱାମୀର ମନ ଆକର୍ଷଣେ ॥
ଏମନ୍ତେ ତାର ଭାବ ଘେନି ।ପତ୍ନୀ ବିନୟ ଭାବେ ମାନି ॥
ତାହାର ବଶ ସେ ହୋଇଲେ ।ବାଞ୍ଛିତ ଦବୁ ସେ ବୋଇଲେ ॥
ଆଦ୍ୟ ସୃଷ୍ଟିରେ ପ୍ରଜାପତି ।ପ୍ରାଣୀମାନଙ୍କୁ ସୃଜିଛନ୍ତି ॥
ପୁରୁଷ ଅର୍ଦ୍ଧଅଙ୍ଗ ନାରୀ ।ନର ସ୍ୱଭାବେ ବଶ ସ୍ତିରୀ ॥
ଦିତି ଯେ ହୋଇ ସୁବେଶିତ ।ପ୍ରଭୁ ସେବାରେ ଉପଗତ ॥
ଈଷିତ ହର୍ଷ ପ୍ରୀତି ମନେ ।ଭାଷନ୍ତି ବିତର୍କ ବଚନେ ॥
କଶ୍ୟପ ଉବାଚବର ତୁ ମାଗ ଯେ ମନରେ ।ପ୍ରସନ୍ନ ହୋଇଲୁ ତୋହରେ ॥
କାନ୍ତ ପ୍ରସନ୍ନେ ସ୍ତିରୀଙ୍କର ।ଦୁର୍ଲ୍ଲଭ ଅଛି କି ସଂସାର ॥
ସ୍ୱାମୀ ଦେବତା ନାରୀଙ୍କର ।ଦେବେ କହନ୍ତି ଧର୍ମ ସାର ॥
ସର୍ବଭୂତରେ ଆତ୍ମା ହୋଇ ।ଅଛନ୍ତି ପ୍ରଭୁ ଭାବଗ୍ରାହୀ ॥
ସେ ହରି ନାନା ବେଦମତେ ।ରୂପକୁ ଧରନ୍ତି ଯୁକତେ ॥
ଗୋବିନ୍ଦ ପୂଜନ୍ତି ଯେ ଜନେ ।ନାନା ଯଜ୍ଞ ବେଦ ବିଧାନେ ॥
ପତିବ୍ରତା ନାରୀ ଯେମାନେ ।ଆତ୍ମା କାନ୍ତକୁ ଚିନ୍ତି ମନେ ॥
ଅନ୍ୟାନ୍ୟ ଭାବେ ଏ ଜଗତେ ।ସ୍ୱାମୀ ଚିନ୍ତନ୍ତି ବେଦମତେ ॥
ସେ ଭାବେ ମୁହିଁ ଗୋ ସୁନ୍ଦରୀ ।ପ୍ରସନ୍ନ ହୋଇଲି ତୋହରି ॥
ଯେ ଅଭିବାଞ୍ଚିତ ତୋହରି ।ପୂର୍ଣ୍ଣ କରିବି କୃଶୋଦରୀ ॥
ମୁଁ ଯେଉଁ ବର ଦେବି ତୋରେ ।ଦୁର୍ଲ୍ଲଭ ଅନ୍ୟ ସ୍ତିରୀଙ୍କରେ ॥
ଦିତିରୁବାଚଭୋ ସ୍ୱାମୀ ବର ଯେବେ ଦେବ ।ଏକ କୁମର ମୋର ହେବ ॥
ଅମର ହୋଇବ ମୋ ସୁତ ।ଇନ୍ଦ୍ରକୁ ମାରିବ ଯୁକତ ॥
ଯେଣୁ ମୋ ପୁତ୍ରକୁ ମାଇଲା ।ପୁତ୍ର ଶୋକକୁ ମୋତେ ଦେଲା ॥
ଶୁଣିଣ ତାହାର ବଚନ ।କଶ୍ୟପ ହୋଇଲେ ମଉନ ॥
ମନରେ ଗରୁ ତାପଭର ।କୋପେ ବୋଲନ୍ତି ମୁନିବର ॥
ଆଜ କି ଅଧର୍ମ ମହତ ।ହୋଇଲା ମୋର ଉପଗତ ॥
ସ୍ତିରୀରେ କରି ମୋର ମନ ।ହୋଇଲା ମହା ହତଜ୍ଞାନ ॥
କଠିନ ଘୋର ନରକରେ ।ନିଶ୍ଚୟ ପଡ଼ିବି ନିର୍ଭରେ ॥
ସ୍ତିରୀର କି ଅବା ଏ ଦୋଷ ।ସ୍ତିରୀ ସ୍ୱଭାବେ ଅବିଶ୍ୱାସ ॥
ଦୁର୍ବୁଦ୍ଧି ମୁହିଁ ଯେ ପାମର ।ଧିକ ହେଉ ଜନ୍ମ ମୋହର ॥
ଶରଦ ପଙ୍କଜ ଯେସନ ।ସ୍ତିରୀମାନଙ୍କର ବଦନ ॥
ବଚନ ସୁଧା ଶ୍ରବଣରେ ।ହୃଦରେ ଯେହ୍ନେ କ୍ଷୁରଧାରେ ॥
ଏମନ୍ତ ସ୍ତିରୀଙ୍କ ସ୍ୱଭାବ ।ଏହାଙ୍କ ଚେଷ୍ଟା ଯେ ଜାଣିବ ॥
ପ୍ରିୟ ନାହିଁ କେ ସ୍ତିରୀଙ୍କର ।କ୍ଷଣିକ ବୁଦ୍ଧିଟି ଯାହାର ॥
ସ୍ୱକୀୟ ଅର୍ଥେ ସେ ମାରନ୍ତି ।ପୁତ୍ର ଭ୍ରାତାର ନିଜ ପତି ॥
କରି ଯେ ଅଛି ଅଙ୍ଗୀକାର ।ଏହାରେ ଦେବି ବୋଲି ବର ॥
ମୋହର ବାକ୍ୟ ମିଥ୍ୟା ନୋହି ।ଇନ୍ଦ୍ର ତ ବଧଯୋଗ୍ୟ ନୋହି ॥
ଏମନ୍ତ ଚିନ୍ତା କରି ମୁନି ।ଶୁଣ କହିବା ନୃପମଣି ॥
ଆତ୍ମାର ନିନ୍ଦା ଭାବ ବହି ।ମୁନି ବୋଲନ୍ତି କୋପ ହୋଇ ॥
କଶ୍ୟପ ଉବାଚଗୋ ସଖି ପୁତ୍ର ତୋ ହୋଇବ ।ନିଶ୍ଚୟ ଇନ୍ଦ୍ରକୁ ମାରିବ ॥
ଏକ ବରଷ ଶୁଚି ହୋଇ ।ଏ ବ୍ରତ ଧରୁ ଯେବେ ତୁହି ॥
ତୋହର ପୁତ୍ର ଯେ ହୋଇବ ।ଇନ୍ଦ୍ର ହନ୍ତା ସେ ବୋଲାଇବ ॥
କିନ୍ତୁ ବ୍ରତର ବିଘ୍ନ ହେଲେ ।ଦେବଙ୍କ ମିତ୍ର ହେବ ଭଲେ ॥
ଦିତି ଉବାଚଭୋ ସ୍ୱାମୀ ବ୍ରତ ଧରିବଇଁ ।ବିଧାନ କହିବା ଗୋସାଇଁ ॥
ବ୍ରତ ଯେ ଖଣ୍ଡନ କରଇ ।କି ଅବା ନିଷେଧ ଅଛଇ ॥
କଶ୍ୟପ ଉବାଚପ୍ରାଣୀଙ୍କୁ ହିଂସା ନ କରିବ ।କ୍ରୋଧରେ ଶାପକୁ ନ ଦେବ ॥
ମିଥ୍ୟା ନ କହିବ ବଚନ ।ଛେଦିବ ନାହିଁ ନଖ ଲୋମ ॥
ଅମଙ୍ଗଳ ଯେ ଦ୍ରବ୍ୟ ଥାଇ ।କେବେହେଁ ପରଶିବ ନାହିଁ ॥
ଜଳରେ ପଶିଣ ଯେ ସ୍ନାନ ।କୋପରେ ନ କହି ବଚନ ॥
କୁଜନ ସଂଗତେ ଆଳାପ ।କେବେହେଁ ନ କରିବ ପାପ ॥
ଅଧୌଚ ବସ୍ତ୍ର ପରିଧାନ ।ମାଳା ନ କରିବ ଗ୍ରହଣ ॥
ଆମିଷ ନ କରି ଭୋଜନ ।ହସ୍ତେ ନ କରି ଜଳପାନ ॥
ଉଚ୍ଚିଷ୍ଟ ହୋଇ ଜଳ ବିନେ ।କେବେହେଁ ନ ରହିବ କ୍ଷଣେ ॥
ବହୁ ବଚନ ନ କହିବ ।ସନ୍ଧ୍ୟାରେ କେଶ ନ ମେଲିବ ॥
ସତ୍ୱରେ ଅସମ୍ଭାଳ ହୋଇ ।କେବେ ବାହାର ହେବ ନାହିଁ ॥
ଅଧୌତ ପାଦ ଥିବ ଯେବେ ।ଶୟନ ନ କରିବ କେବେ ॥
ଉତ୍ତର ପଶ୍ଚିମକୁ ଶିର ।ଶୟନ ନ କରି ସନ୍ଧ୍ୟାର ॥
ଉଲଗ୍ନ ଭାବରେ ଶୟନ ।ଏତେ ନ କରି ଆଚରଣ ॥
ଧଉତ ବସ୍ତ୍ର ପରିଧାନ ।ଶୁଚି ହୋଇବ ଅନୁକ୍ଷଣ ॥
ପ୍ରାତଃ କାଳରେ ଉଠି କରି ।ସର୍ବ ମଙ୍ଗଳକୁ ଆଚରି ॥
ଲକ୍ଷ୍ମୀ ସହିତେ ନାରାୟଣ ।ପୂଜିବ ଗୋରୁ ଯେ ବ୍ରାହ୍ମଣ ॥
ସାଧ୍ୱୀ ସ୍ତିରୀଙ୍କୁ ଯେ ଆଣିବ ।ମାଳା ଚନ୍ଦନ ତାଙ୍କୁ ଦେବ ॥
ଯଥା ବିଧିରେ ଆତ୍ମ ପତି ।ପୂଜିବ ସ୍ଥିର କରି ମତି ॥
ଏକ ଧିଆନେ ଦୃଢ଼ ଚିତ୍ତ ।ଧରିବ ପୁଂସବନ ବ୍ରତ ॥
ତେବେ ଇନ୍ଦ୍ର ହନ୍ତା କୁମର ।ନିଶ୍ଚୟ ହୋଇବ ତୁମ୍ଭର ॥
ବ୍ରତକୁ ଧରିବି ବୋଇଲା ।ଚଞ୍ଚଳ ଚିତ୍ତ ସ୍ଥିର କଲା ॥
କଶ୍ୟପ ବୀର୍ଯ୍ୟ ଗର୍ଭେ ଧରି ।ବିଧିରେ ବ୍ରତକୁ ଆଚରି ॥
ଦିତିର ଏମନ୍ତ ବିଧାନ ।ଇନ୍ଦ୍ର ଜାଣିଣ ହେ ରାଜନ ॥
ଦିତିକି ବ୍ରତୀ ଦେଖିକରି ।ଇନ୍ଦ୍ର ତା ସେବାକୁ ଆଚରି ॥
ପବିତ୍ର ଶୁଚିମନ୍ତ ହୋଇ ।ତାହାଙ୍କ ସଙ୍ଗତେ ବୁଲଇ ॥
ନିତ୍ୟ ବନରୁ ପୁଷ୍ପ ଫଳ ।ସମୀଧ କୁଶ କନ୍ଦମୂଳ ॥
ପତ୍ର ଅଙ୍କୁର ଜଳ ଆଣି ।ସମୀପେ ଦ୍ୟନ୍ତି ବଜ୍ରପାଣି ॥
ଏମନ୍ତ ବ୍ରତ ଛିଦ୍ର ତାର ।ଇନ୍ଦ୍ର ଇଚ୍ଛଇ ନୃପବର ॥
ଯେମନ୍ତେ ବ୍ୟାଧ ଯେ ମୃଗର ।ଛିଦ୍ରଟି ଖୋଳି ନିରନ୍ତର ॥
କେବେହେଁ ବ୍ରତ ଛିଦ୍ର ସେହି ।ଅନେକ ଯତ୍ନେ ନ ଦେଖଇ ॥
ତୀବ୍ର ଚିନ୍ତାରେ ଇନ୍ଦ୍ର ମନ ।ଛନ୍ନ ହୋଇଲା ହେ ରାଜନ ॥
ଶକ୍ର ବିଚାରୁଛନ୍ତି ମନେ ।ଛିଦ୍ର ମୁଁ ପାଇବି କେସନେ ॥
ବ୍ରତରେ ବଶ ହୋଇଛନ୍ତି ।ସନ୍ଧ୍ୟାରେ ଏକ ଦିନେ ଦିତି ॥
ବିଧାତା ବଶେ ମୋହ ହୋଇ ।ଉଚ୍ଚିଷ୍ଟେ ଜଳ ସ୍ପର୍ଶ ନାହିଁ ॥
ପାଦ ଧଉତ ନ କରିଣ ।କଲେ ସେ ଭୂମିରେ ଶୟନ ॥
ନିଦ୍ରାରେ ଭ୍ରଷ୍ଟ ତାଙ୍କ ଜ୍ଞାନ ।ଶକ୍ର ଦେଖିଲେ ବ୍ରତହୀନ ॥
ଯୋଗମାୟାର ଯେ ଯୋଗେଣ ।ଇନ୍ଦ୍ର ତା ଗର୍ଭରେ ପଶିଣ ॥
ସେ ବଜ୍ରଧର ବଜ୍ର ଧରି ।ସପତ ଖଣ୍ଡ ଗର୍ଭ କରି ॥
ଶୁଦ୍ଧ କନକ ପ୍ରାୟେ ହୋଇ ।ଗର୍ଭ ତାହାର ବିରାଜଇ ॥
ବଜ୍ରରେ ସାତଖଣ୍ଡ ହୋଇ ।ରୋଦନ କରୁଛନ୍ତି ସେହି ॥
ଏକକୁ ସାତଖଣ୍ଡ କରି ।ନ କାନ୍ଦ ବୋଲେ ବଜ୍ରଧାରୀ ॥
ସେ ସପ୍ତଖଣ୍ଡ ହୋଇଛନ୍ତି ।ଇନ୍ଦ୍ରଙ୍କୁ ବଚନ ବୋଲନ୍ତି ॥
ଭୋ ଇନ୍ଦ୍ର ତୁ ଆମ୍ଭମାନଙ୍କୁ ।କିମ୍ପାଇ ଭଜିଲୁ ହିଂସାକୁ ॥
ତୁମ୍ଭର ଆମ୍ଭେମାନେ ଭାଇ ।ମରୁତ ଆମ୍ଭ ନାମ ହୋଇ ॥
ଇନ୍ଦ୍ର ଉବାଚଇନ୍ଦ୍ର ବୋଲଇ ହେ ରାଜନ ।ଭୟ ନକର ଭ୍ରାତୃଗଣ ॥
ଅନ୍ୟାନ ଭାବକୁ ଆଚର ।ପାରିଷଦ ହେବ ମୋହର ॥
ଶ୍ରୀ ଶୁକ ଉବାଚମରୁତ ହେଲେ ଅଣଚାଶ ।ରହିଲେ ଦେବରାଜ ପାଶ ॥
ଦିତିର ଗର୍ଭେ ସେ ନ ମଲା ।ବିଷ୍ଣୁର ଅନୁକମ୍ପା ହେଲା ॥
ଅନେକ ବାର ସେହିମାନ ।କୁଳିଶେ ହୋଇଲେ ଛେଦନ ॥
ଦ୍ରୋଣି ଶସ୍ତ୍ରରେ କରି ତୁହି ।ଯେମନ୍ତ ହେଲୁ କୁରୁସାଇଁ ॥
ବାରେକ ଗୋବିନ୍ଦ ଭଜନେ ।ପାପ ନାଶନ୍ତି ପ୍ରାଣୀମାନେ ॥
କିଛି ନିଉନ ସମ୍ବତ୍ସର ।ଯେଣୁ ପୁଜିଲା ସେ ଈଶ୍ୱର ॥
ଏହି କାରଣୁ ଇନ୍ଦ୍ରେ ବରି ।ପବନ ଦେବ ଦେହ ଧରି ॥
ଅସୁର ଭାବକୁ ଛାଡ଼ିଲେ ।ଅମର ଭାବ ଆଚରିଲେ ॥
ନିଦ୍ରା ଉପେକ୍ଷିଣ ବସିଲେ ।ଦିତି ପୁତ୍ରଙ୍କୁ ଅନାଇଲେ ॥
ଅନଳ ପ୍ରଭା ପ୍ରାୟ ହୋଇ ।କୁମରମାନେ ଛନ୍ତି ରହି ॥
ଇନ୍ଦ୍ର ସହିତେ ପୁତ୍ରମାନେ ।ଦେଖି ଆନନ୍ଦ ଦେବୀମନେ ॥
ଇନ୍ଦ୍ରର ଚାହିଁଣ ବଦନ ।ଦିତି ଯେ ବୋଲଇ ବଚନ ॥
ଅଦିତି ପୁତ୍ରକୁ ମୋହର ।ଭୟକୁ ଦେବ ଏ କୁମର ॥
ଏମନ୍ତ ଇଚ୍ଛା ମୁହିଁ କରି ।ଦୁସ୍ତର ବ୍ରତକୁ ଆଚରି ॥
ବ୍ରତରେ ଏକଇ କୁମର ।ମୁହିଁ ଯେ ମାଗିଥିଲି ବର ॥
ସପ୍ତ ସପ୍ତ ହୁଏ କେସନ ।କହ ତୁ ଏହାର ବିଧାନ ॥
ତୋହର ମୁଖୁଁ ଏ ବିଧାନ ।ଶୁଣିବି ମୁହିଁ ଭୋ ନନ୍ଦନ ॥
ସତ୍ୟ କହିବୁ ମୋର ଆଗେ ।ମିଥ୍ୟା ନ କହି ଅନୁରାଗେ ॥
ଇନ୍ଦ୍ର ଉବାଚଭୋ ମାତ ଶୁଣ ସାବଧାନେ ।ନିଦ୍ରା ମୋହିତ ତୁମ୍ଭ ମନେ ॥
ତୁମ୍ଭର ବ୍ରତ ଛିଦ୍ର ନେଇ ।ନିକଟେ ମିଳିଲି ମୁଁ ଯାଇ ॥
ଗର୍ଭେ ଛେଦିଲି ଆତ୍ମ ଅର୍ଥେ ।ବିଚାର ନାହିଁ ଧର୍ମ ପଥେ ॥
ଗର୍ଭକୁ ସାତଖଣ୍ଡ କରି ।ଛେଦିଲି ଧର୍ମ ନ ବିଚାରି ॥
ସାତ କୁମରେ ହେଲେ ଜାତ ।ଏକକୁ କଲି ସାତ ସାତ ॥
ତେବେହେଁ ନ ମଲେ ଏ କେହି ।ଏ ତ ସଂଶୟ ବଡ଼ ହୋଇ ॥
ସେବାରୁ ମହାପୁରୁଷର ।ସିଦ୍ଧି ଯେ ହୋଇଛି ତୁମ୍ଭର ॥
ପରମେଶ୍ୱର ଆରାଧନ ।ସକଳ ମଙ୍ଗଳ କାରଣ ॥
ନିରତେ କରନ୍ତି ଯେ ନରେ ।ଆତ୍ମଜ୍ଞାନୀ ବୋଲି ତାହାରେ ॥
ସେ ଆତ୍ମାପଦ ଭଗବାନ ।ତାହାଙ୍କୁ କରି ଆରାଧନ ॥
କେବେହେଁ ନାହିଁ ଅକୁଶଳ ।ସେ ସର୍ବ ପରମ ମଙ୍ଗଳ ॥
ଦୁର୍ଜନ ଭାବ ଏ ମୋହର ।ଭୋ ମାତ ଏବେ ରକ୍ଷାକର ॥
ସ୍ୱଭାବେ ବାଳକ ମୁଁ ହୋଇ ।ତୁମ୍ଭର ସହିବା ଯୋଗାଇ ॥
ମୃତ୍ୟୁରୁ ଏ ଯେତେ କୁମରେ ।ରହିଲେ ତୁମ୍ଭର ଭାଗ୍ୟରେ ॥
ଆଜ୍ଞା ମାଗିଣ ସୁନାସୀର ।ସୁସାଧୁ ଭାବରେ ମନର ॥
ମରୁତ ଗଣଙ୍କୁ ଘେନିଲା ।ଆନନ୍ଦେ ଦିତିଙ୍କୁ ନମିଲା ॥
ଶୁଣ ରାଜନ ଶିରୋମଣି ।ସ୍ୱର୍ଗକୁ ଗଲା ବଜ୍ରପାଣି ॥
ଯେ ପ୍ରଶ୍ନ କଲୁ ତୁହି ମୋତେ ।ସକଳ କହିଲି ଶାଶ୍ୱତେ ॥
ମଙ୍ଗଳ ମରୁତଙ୍କ ଜନ୍ମ ।ଈଶ୍ୱର ମହିମା ରାଜନ ॥
ବୋଲଇ ଦାସ ଜଗନ୍ନାଥ ।ଦେବ ଅସୁରଙ୍କ ଚରିତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଦେବାସୁର ଜନ୍ମ ଲକ୍ଷଣେ ପବନଜନ୍ମେ ନାମ ଅଷ୍ଟାଦଶୋଽଧ୍ୟାୟଃ ।
ଊନବିଂଶ ଅଧ୍ୟାୟ
ରାଜୋବାଚଭୋ ମୁନି ହୁଅ ସାବଧାନ ।ଯେ ବ୍ରତ ନାମ ପୁଂସବନ ॥
ତୁମ୍ଭେ ଯେ କହିଲ ବିଧାନ ।ଏହା ଶୁଣିତ ମୋର ମନ ॥
ଏ ବ୍ରତ ପ୍ରସାଦରୁ କରି ।ପ୍ରସନ୍ନ ହୁଅନ୍ତି ମୁରାରୀ ॥
ବାଦରାୟଣୀରୁବାଚପ୍ରଥମେ ମାର୍ଗଶିରେ ଯହିଁ ।ଶୁକ୍ଳ ପ୍ରତିପଦାର ଠାଇଁ ॥
ଭର୍ତ୍ତାର ଆଜ୍ଞା ପରମାଣେ ।ବ୍ରତ କରିବେ ସ୍ତିରୀଗଣେ ॥
ଯେ ବ୍ରତ ହୋଇ ସର୍ବସିଦ୍ଧି ।ଆଦ୍ୟରେ ଯେ କରଇ ବିଧି ॥
ବ୍ରାହ୍ମଣେ କରିଣ ବରଣ ।ଶୁଣିବ ମରୁତଙ୍କ ଜନ୍ମ ॥
ଶୁଚି ହୋଇବ କରି ସ୍ନାନ ।ଶୁକ୍ଳ ବସନ ପରିଧାନ ॥
ପୂର୍ବ ଦିଗକୁ ମୁଖ କରି ।ଚଞ୍ଚଳ ମନ ସ୍ଥିରେ ଧରି ॥
ଲକ୍ଷ୍ମୀ ସହିତେ ଭଗବାନ ।ପୂଜିବ ହୋଇ ତୋଷମନ ॥
ଭୋ ନିରପେକ୍ଷ ପୂର୍ଣ୍ଣକାମ ।ନମସ୍ତେ ପ୍ରଭୁ ଆତ୍ମାରାମ ॥
ନମୋ ମହା ବିଭୁତେଶ୍ୱର ।ସକଳ ସିଦ୍ଧଙ୍କ ଠାକୁର ॥
ଅନନ୍ତ ଗୁଣେ ଯୁକ୍ତ ତୁହି ।ନମସ୍ତେ ପ୍ରଭୁ ଭାବଗ୍ରାହୀ ॥
ଭୋ ଦେବୀ ଗୋବିନ୍ଦ ଘରଣୀ ।ଅଶେଷ ଗୁଣେ ସୁଲକ୍ଷଣୀ ॥
ତୁ ଲୋକମାତ ଏ ସୃଷ୍ଟିରେ ।ପ୍ରସନ୍ନ ହୁଅ ତୁ ମୋହରେ ॥
ନମଇଁ ତୋହର ଚରଣ ।ଜଗତ ଯାହାର ଭିଆଣ ॥
ନମସ୍ତେ ପ୍ରଭୁ ଭଗବତ ।ମହାପୁରୁଷ ଆଦି କୃତ ॥
ମହା ବିଭୂତି ପତି ତୁହି ।ମହା ବିଭୂତି ଯୁକ୍ତ ହୋଇ ॥
ଅଖିଳ ବ୍ରହ୍ମାଣ୍ଡ ଈଶ୍ୱର ।ଗ୍ରହଣ କର ଉପହାର ॥
ଏମନ୍ତ କରି ଆରାଧନ ।ପୂଜିବ ଲକ୍ଷ୍ମୀ ଭଗବାନ ॥
ପାଦାର୍ଘ୍ୟ ଅର୍ଘ୍ୟ ଆବାହନ ।ବିଧିରେ କରାଇଣ ସ୍ନାନ ॥
ଦିବ୍ୟ ବସନ ସମର୍ପିବ ।ଶୁକ୍ଳ ଉତ୍ତରୀ ନିବେଦିବ ॥
ନାନା ଭୂଷଣ ଗନ୍ଧ ଧୂପ ।ସ୍ପର୍ଶନ ଉପଚାର ଦୀପ ॥
ଅପର ଯେତେ ଉପହାର ।ସ୍ଥାପିବ ବିଷ୍ଣୁର ଛାମୁର ॥
ହବି ଆହୁତି ଯେ ଦ୍ୱାଦଶ ।ଆନନ୍ଦେ କରିବ ପ୍ରବେଶ ॥
ନମୋ ଭଗବାନ ଈଶ୍ୱର ।ମହାପୁରୁଷ ବେଦବର ॥
ମହା ବିଭୂତିପତି ତୁହି ।ସ୍ୱାହା ବୋଲି ଅପୂର୍ବ ତହିଁ ॥
ହେ ଶ୍ରୀୟା ବରଦା ଅଚ୍ୟୁତ ।ବରଦ ସର୍ବଦା ଭକତ ॥
ଭକ୍ତିରେ ନିତ୍ୟେ ଯେ ପୂଜିବ ।ସର୍ବ ସଂପଦ ଯେ ଇଚ୍ଛିବ ॥
ଭାବରେ ହୋଇ ଭକ୍ତି ଯୁକ୍ତ ।ଭୂମିରେ କରି ଦଣ୍ଡବତ ॥
ଏମନ୍ତ ଜପି ଦଶବାର ।ଏ ସ୍ତୋତ୍ର କରିବ ଉଚ୍ଚାର ॥
ତୁମ୍ଭେ ଯେ ତ୍ରଲୋକ୍ୟ ଠାକୁର ।ବ୍ୟାପକ ଅଟ ହେ ଈଶ୍ୱର ॥
ସଂସାରେ ପରମ କାରଣ ।ତୁମ୍ଭେ ଯେ ପ୍ରଭୁ ନାରାୟଣ ॥
ଏ ଯେ ସୁକ୍ଷ୍ମ ମାୟା ପ୍ରକୃତି ।ଦୂର ତା ଅଟଇ ଶକତି ॥
ଏହାର ତୁମ୍ଭେ ଅଧୀଶ୍ୱର ।ସାକ୍ଷାତେ ତୁ ପୁରୁଷ ବର ॥
ତୁମ୍ଭେ ସକଳ ଯଜ୍ଞମୟ ।ପତ୍ନୀ ରୂପରେ ଲକ୍ଷ୍ମୀ ହୁଅ ॥
ଅଶେଷ କ୍ରିଡ଼ାରେ ଈଶ୍ୱର ।ଫଳ ବୁଝନ୍ତା ଯଜ୍ଞେଶ୍ୱର ॥
ଗୁଣ ବ୍ୟକ୍ତିର ଏ କାରଣ ।ଏହାର ଭୋକ୍ତା ଭଗବାନ ॥
ସର୍ବ ଶରୀରେ ଆତ୍ମା ତୁହି ।ଲକ୍ଷ୍ମୀ ଇନ୍ଦ୍ରିୟ ପ୍ରାଣ ହୋଇ ॥
ନାନା ରୂପେଣ ଉତପତ୍ତି ।ସର୍ବ ଶରୀରେ ତୁମ୍ଭ ସ୍ଥିତି ॥
ଯେମନ୍ତେ ତୁମ୍ଭେ ବ୍ରହ୍ମାଣ୍ଡର ।ବର ଦିଅନ୍ତା ହେ ଈଶ୍ୱର ॥
ତେମନ୍ତ ହୋଇ ଚକ୍ରଧର ।ସର୍ବ ମଙ୍ଗଳ ହେଉ ମୋର ॥
ଲକ୍ଷ୍ମୀ ନିବାସ ସେ ପୁରୁଷ ।ଏହି ପ୍ରକାରେ କରି ତୋଷ ॥
ପୂଜିବ ଲକ୍ଷ୍ମୀ ନାରାୟଣ ।ହେ ପ୍ରଭୁ ବ୍ରହ୍ମାଣ୍ଡ କାରଣ ॥
ଯେତେ ଉପଚାର ଲେଖିବ ।ପୁଣି ଆଚମନ କରିବ ॥
ଏଥି ଉତ୍ତାରୁ ପୁନର୍ବାର ।ଅର୍ଚ୍ଚନା କରିବ ଈଶ୍ୱର ॥
ଯଜ୍ଞ ଉଚ୍ଛିଷ୍ଟ ଯେବା ଥିବ ।ମନ ସନ୍ତୋଷେ ତା ଭକ୍ଷିବ ॥
ପୁଣି କରିବ ସ୍ତୋତ୍ର ସ୍ତୁତି ।ଚିତ୍ତରେ ହୋଇ ଭାବ ଭକ୍ତି ॥
ସ୍ୱାମୀକୁ ଭକ୍ତିରେ ଭଜିବ ।ଈଶ୍ୱର ଭାବିଣ ଚିନ୍ତିବ ॥
ନାନା ପ୍ରୀତିରେ ବାକ୍ୟ କରି ।ସ୍ୱାମୀ ତୋଷିବ ନିଜନାରୀ ॥
ପତ୍ନୀ ସହିତେ ହୋଇକରି ।ସର୍ବ କର୍ମ ସ୍ୱାମୀ ଆଚରି ॥
ଏ ବିଷ୍ଣୁ ବ୍ରତକୁ ଧରିବ ।କେବେହେଁ ଭଗ୍ନ ନ କରିବ ॥
ଗନ୍ଧମାଲ୍ୟ ମଣି ଭୂଷଣେ ।ବ୍ରତେ ତୋଷିବ ବିପ୍ରଗଣେ ॥
ଭକ୍ତି ଭାବରେ କରି ମନ ।ନିୟମେ ଥାଇ ବ୍ରତୀଜନ ॥
ପରମ ଈଶ୍ୱରେ ନମିବ ।ସ୍ୱସ୍ଥାନେ ନେଇ ନିବେଶିବ ॥
ଭକ୍ତି ଭାବରେ ବେନିଜନ ।ନିର୍ମାଲ୍ୟ କରିବ ସେବନ ॥
ସର୍ବକାମନା ପୂର୍ଣ୍ଣ ପାଇଁ ।କରିବ ଭକ୍ତିଯୁକ୍ତ ହୋଇ ॥
ଦ୍ୱାଦଶ ମାସ ଏ ବିଧିରେ ।ମଳମାସ ମଧ୍ୟବନ୍ତରେ ॥
ତାହାର ଯେଉଁ ପରଦିନ ।ବିଧିରେ କରି ଆଚମନ ॥
ପୂର୍ବର ପ୍ରାୟ କରି ପୁଣି ।ବିଷ୍ଣୁ ଅର୍ପିବ ତହୁଁ ଆଣି ॥
ଚରୁ ଘୃତ ସହସ ଧୀରେ ।ହୋମ କରିବ ଏ ବିଧିରେ ॥
ଯଜ୍ଞ ବିଧାନେ ପାକ ଶେଷ ।ଆହୁତି ଦେବେ ଯେ ଦ୍ୱାଦଶ ॥
ଆଶିଷ ଘେନିବ ମସ୍ତକେ ।ବ୍ରାହ୍ମଣ କଲ୍ୟାଣ ବିଧିକେ ॥
ଭକ୍ତିରେ କରି ନମସ୍କାର ।ଆଜ୍ଞାକୁ ଘେନି ବିପ୍ରଙ୍କର ॥
ଆଚାର୍ଯ୍ୟ କରିଣ ଅଗ୍ରତେ ।ଶୁଚି ହୋଇ ବନ୍ଧୁ ସହିତେ ॥
ପତ୍ନୀକୁ ଚରୁ ଦେବ ନେଇ ।ସୁପୁତ୍ର ସୌଭାଗ୍ୟରେ ପାଇ ॥
ଏ ବିଷ୍ଣୁ ବ୍ରତ ଯେ କରଇ ।ବାଞ୍ଛିତ ଫଳ ସେ ଲଭଇ ॥
ଯେ ସ୍ତିରୀ ଏ ବ୍ରତ ଆଚରି ।ସୌଭାଗ୍ୟେ ଭର୍ତ୍ତାକୁଳେଶ୍ୱରୀ ॥
ଉତ୍ତମ ପୁତ୍ର ସ୍ୱାମୀ ଯଶ ।ଏ ସର୍ବ ଲଭଇ ଅକ୍ଳେଶ ॥
ସମସ୍ତ ଲକ୍ଷଣ ଯାହାର ।କନ୍ୟା ଲଭଇ ସ୍ୱାମୀ ତାର ॥
ବିଧବା ଅନପତ୍ୟ ଯେହି ।ସେ ନାରୀ ନିଷ୍ପାପୀ ହୁଅଇ ॥
ଦୁର୍ଭାଗା ସୁଭାଗା ହୁଅଇ ।କୁରୂପୀ ସୁରୂପୀ ହୁଅଇ ॥
ମୃତ ବତ୍ସିକା ଯେବା ନାରୀ ।ଯେଅ ବିଧବା ଧନେଶ୍ୱରୀ ॥
ସର୍ବ ରୋଗରୁ ମୁକ୍ତ ହୋଇ ।ନିର୍ମଳ ହୋଇ ତାର ଦେହୀ ॥
ସକଳ କର୍ମର ଅନ୍ତରେ ।ଯେ ଏହା ପଢ଼େ ମନ ସ୍ଥିରେ ॥
ପିତୃ ଦେବତା ତୋଷ ହୋଇ ।ବାଞ୍ଛିତ ଫଳ ତାରେ ଦେଇ ॥
ହୋମର ପୂର୍ଣ୍ଣ ଯଜ୍ଞସାର ।ହବି ଭୁଞ୍ଜନ୍ତି ଚକ୍ରଧର ॥
ମରୁତ ଜନ୍ମର ବିଧାନେ ।ଶୁଣି ଶରଧା କଲ ମନେ ॥
ଦିତିର ବ୍ରତ ଆଦିକରି ।ତୋ ଆଗେ କହିଲୁ ବିସ୍ତାରି ॥
ବୋଲଇ ବିପ୍ର ଜଗନ୍ନାଥ ।ପବନ ଜନ୍ମର ଚରିତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ବିଷ୍ଣୁ ବ୍ରତେ ନାମ ଊନବିଂଶୋଽଧ୍ୟାୟଃ ।ଭୀମସ୍ୟାପି ଋଣେ ଭଙ୍ଗୋ ମୁନେରପି ମତିଭ୍ରମଃ ।ଯଦି ଶୁଦ୍ଧମଶୁଦ୍ଧଂ ବା ମମଦୋଷୋ ନ ବିଦ୍ୟତେ ॥