ସପ୍ତମ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ଷଷ୍ଠ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ଅଧ୍ୟାୟ
ରାଜୋବାଚଶୁକ ଚରଣେ ପ୍ରଣମିତ ।ହୋଇ କହନ୍ତି ପରୀକ୍ଷିତ ॥
କେଉଁ ହେତୁରୁ ଆଙ୍ଗୀରସ ।ଦେବଙ୍କୁ କଲେ ଅବିଶ୍ୱାସ ॥
ନିଜର ଶିଷ୍ୟ ଦେବଗଣେ ।ବର୍ଜିଲେ ତାଙ୍କୁ କି କାରଣେ ॥
କି ଦୋଷ ଥିଲା ତାହାଙ୍କର ।କହିବା ହେଉ ମୁନିବର ॥
ବାଦରାୟଣିରୁବାଚଶୁଣ କହିବା ଯା ପଚାର ।ଯେ ହେତୁ ଛାଡିଲେ ଅମର ॥
ଏକ କାଳରେ ପୁରୁହୁତ ।ଐଶ୍ୱର୍ଯ୍ୟେ ହୋଇ ବିହ୍ୱଳିତ ॥
ନିରତେ ଅସତ ମାର୍ଗରେ ।ପ୍ରବୃତ୍ତ ହେଲେ ସେ ଗର୍ବରେ ॥
ପବନ ବସୁ ରୁଦ୍ରଗଣ ।ଆଦିତ୍ୟ ଯେତେ ସିଦ୍ଧମାନ ॥
ବିଶ୍ୱଦେବାସୁର ସହିତେ ।ଅଶ୍ୱିନୀ କୁମାର ବେଷ୍ଟିତେ ॥
ସିଦ୍ଧ ଗନ୍ଧର୍ବ ଯେ ଚାରଣ ।ବ୍ରହ୍ମା ଶଙ୍କର ମୁନିଗଣ ॥
କୋଳରେ ବିଦ୍ୟାଧର ପୁଣ ।ସେବିତ ଅପସରାମାନ ॥
ପତଙ୍ଗ ଉରଗ ଯେ ଆଦି ।ସେବନ୍ତି ଯେ ଯାହା ପ୍ରସିଦ୍ଧି ॥
ସ୍ତୁତି କରନ୍ତି ବନ୍ଦିଗଣ ।ଆସ୍ଥାନେ ବସି ମଘବାନ ॥
ଲଳିତେ କେହୁ ଗୀତ ଗାଇ ।ଚାମର ଧରି କେ ବିଞ୍ଚଇ ॥
ଅନ୍ୟ ଯେ ପାରିଷଦଗଣ ।ବିଞ୍ଚନ୍ତି ଘେନି ସେବାମାନ ॥
ଶଚୀ ସଙ୍ଗତେ ଦେବରାୟେ ।ରତ୍ନ ଆସନରେ ବିଜୟେ ॥
ଏମନ୍ତ ସମୟେ ରାଜନ ।କହିବା ଶୁଣ ଦେଇ ମନ ॥
ପରମ ଗୁରୁ ଦେବଙ୍କର ।ପ୍ରବେଶ ହୋଇଲେ ସଭାର ॥
ପୂଜିତ ମୁନିମାନଙ୍କର ।ସକଳ ଜ୍ଞାନେ ତତପର ॥
ଏମନ୍ତ ମୁନିଙ୍କୁ ଦେଖିଲେ ।ଇନ୍ଦ୍ର ଆସନୁ ନ ଉଠିଲେ ॥
ସେଠାରୁ ଶୀଘ୍ର ଆଙ୍ଗୀରସ ।ମନ୍ଦିରେ ହୋଇଲେ ପ୍ରବେଶ ॥
ଶ୍ରୀମଦେ ଇନ୍ଦ୍ରିୟ ବିକ୍ରିୟା ।ମନେ ଜାଣିଲେ ଗୁରୁ ଏହା ॥
ଯେଣୁ ଏ ସର୍ବଜ୍ଞ ପଣ୍ଡିତ ।ଜାଣି ପାରିଲେ ଇନ୍ଦ୍ରଚିତ୍ତ ॥
ତକ୍ଷଣେ ଇନ୍ଦ୍ର ଜାଣିକରି ।ଗୁରୁ ଅପରାଧ ବିଚାରି ॥
ଆତ୍ମାକୁ ଇନ୍ଦ୍ର ନିନ୍ଦାକଲା ।ଅନେକ ସନ୍ତାପ ପାଇଲା ॥
ବଡ଼ ଅସାଧୁ କର୍ମ କଲି ।ମୁଁ ଅଳ୍ପ ବୁଦ୍ଧିକୁ ପାଇଲି ॥
ଗୁରୁ ଆଚାର୍ଯ୍ୟଙ୍କୁ ସଭାରେ ।ନିନ୍ଦିଲି ଐଶ୍ୱର୍ଯ୍ୟ ମଦରେ ॥
ମୁଁ ଦେବମାନଙ୍କ ଈଶ୍ୱର ।କଲି ଅସୁରଙ୍କ ବେଭାର ॥
ଧର୍ମ କର୍ମରେ ଯେଉଁମାନେ ।ସାଧୁ ସଙ୍ଗତେ ଥାନ୍ତି ଜନେ ॥
ଏହାକୁ ନିନ୍ଦା ଯେ କରନ୍ତି ।ସେମାନେ ଧର୍ମ ନ ଜାଣନ୍ତି ॥
କୁପଥ ଦେଖାନ୍ତି ଯେ ଜନ ।ନରକେ ପଡ଼ନ୍ତି ବହନ ॥
ତାହାଙ୍କ ବୋଲ ଯେ କରନ୍ତି ।ପାଷଣ ଭେଳା ପ୍ରାୟ ହ୍ୱନ୍ତି ॥
ସେ କଥା ଯେ କରେ ପ୍ରମାଣ ।ତାହାର ଆଶ୍ରୟ ମରଣ ॥
ମୁଁ ମୁଢ ସେହି ବ୍ରାହ୍ମଣର ।ପୟରେ ମଣ୍ଡିବି ମୋ ଶିର ॥
ତାକୁ କରାଇଲେ ପ୍ରସନ୍ନ ।ମୋ ଦୁଃଖ ହୋଇବ ଦହନ ॥
ଏମନ୍ତେ ମନେ ଚିନ୍ତା କରି ।ଗୁରୁ ଭବନେ ଆଗସରି ॥
ଗୁରୁ ତା ଆଗମନ ଦେଖି ।ଗୃହକୁ ଗଲେ ସେ ଉପେକ୍ଷି ॥
ଗୁରୁ ଦରଶନ ନ ପାଇ ।ଭୟ ଶୋକରେ ସେ ବୁଡ଼ଇ ॥
ଆତ୍ମାର ଅକୁଶଳ ଜାଣି ।ଚିନ୍ତିତ ହେଲେ ବଜ୍ରପାଣି ॥
ଏହା ଜାଣି ଅସୁରମାନେ ।ଶୁକ୍ର ମନ୍ତ୍ରୀଙ୍କର ବଚନେ ॥
ଦେବଙ୍କ ନାଶ ବିଚାରନ୍ତି ।ସ୍ୱଭାବେ ଦ୍ରୋହୀ ସେ ଅଟନ୍ତି ॥
ଦେବତା ହୋଇଲେ ଅଜ୍ଞାନ ।ତାହାର ଦେହ ହେଲା ଜୀର୍ଣ୍ଣ ॥
ବ୍ରହ୍ମା ଛାମୁକୁ ଦେବେ ଗଲେ ।ସେ ସବୁ କଥା ନିବେଦିଲେ ॥
ତତକ୍ଷଣରେ ଦେବଗଣେ ।ନମିଲେ ବ୍ରହ୍ମାଙ୍କ ଚରଣେ ॥
ଦେବଙ୍କୁ ଦେଖନ୍ତେ ଦୁଃଖିତ ।ଭାଷନ୍ତି ସ୍ନେହେ ଚଉମାଥ ॥
ପରମ କୃପାଯୁକ୍ତ ହୋଇ ।କିଛି କହିଲେ ସ୍ନେହବହି ॥
ବ୍ରହ୍ମୋବାଚହେ ଦେବ ଶୁଣ କହୁ ଆମ୍ଭେ ।ଅତ୍ୟନ୍ତ ମନ୍ଦ କଲ ତୁମ୍ଭେ ॥
ବ୍ରହ୍ମନିଷ୍ଠ ଯେ ଏ ବ୍ରାହ୍ମଣ ।ଏହାଙ୍କୁ ଦେଲ ଅପମାନ ॥
ତୁମ୍ଭେ ଯେ ପାପର କାରଣ ।ତେଣୁ ଜିଣିଲେ ଶତ୍ରୁଗଣ ॥
ତୁମ୍ଭଙ୍କୁ ନ ଜିଣନ୍ତା ବାଦେ ।ତେଣୁ ଜିଣିଲେ ଅପ୍ରମାଦେ ॥
ହେ ଇନ୍ଦ୍ର ଶୁଣ ସାବଧାନ ।ଗୁରୁଙ୍କୁ ଦେଇ ଅପମାନ ॥
ଶୁକ୍ରଙ୍କୁ ଆରାଧି ଅସୁରେ ।ଐଶ୍ୱର୍ଯ୍ୟ ଲଭିଲେ ସ୍ୱର୍ଗରେ ॥
ଆଶ୍ଚର୍ଯ୍ୟ ଭଜି ଦୈତ୍ୟଗଣ ।ଲଭିଲେ ଆମ୍ଭର ଭୁବନ ॥
ବିପ୍ରବର ଯେ ସୁରନର ।ଅପରେ ଯେତେ ଦେବଙ୍କର ॥
ଅଶେଷ ପ୍ରାଣୀଙ୍କ ଈଶ୍ୱର ।ଶୁଭେ କରିବେ ଚକ୍ରଧର ॥
ବିଶ୍ୱରୂପକୁ ବେଗେ ଭଜ ।ତୁମ୍ଭର କରିବେ ସେ କାର୍ଯ୍ୟ ॥
ସେ ବିପ୍ର ପ୍ରସନ୍ନ ହୋଇଲେ ।ତୁମ୍ଭର କାର୍ଯ୍ୟ ହେବ ଭଲେ ॥
ଶ୍ରୀ ଶୁକ ଉବାଚଶୁଣି ଦେବତାଏ ହରଷ ।ବ୍ରହ୍ମାଙ୍କ ଏହି ଉପଦେଶ ॥
ଋଷିଙ୍କଠାରୁ ବେଗେ ଗଲେ ।ହରଷେ ଆଲିଙ୍ଗନ କଲେ ॥
ଶ୍ରାଦ୍ଧ କର୍ମରେ ଯୁକ୍ତ ହୋଇ ।ଦେବେ ଯେ କହିଲେକ ଧ୍ୟାୟି ॥
ଦେବାଉଚୁଃଆମ୍ଭେ ଅତିଥି ହେଲୁ ଯହୁଁ ।ତୁମ୍ଭ ଆଶ୍ରୟେ ଶୁଭ ହେଉ ॥
ପିତୃମାନଙ୍କ କାର୍ଯ୍ୟ ପୂର୍ଣ୍ଣ ।କରିବ ଯଥୋଚିତ ଧର୍ମ ॥
ଉତ୍ତମ ପୁତ୍ରଙ୍କର ଧର୍ମ ।ଯେ ପିତୃ ଗଣେ ଭକ୍ତି କର୍ମ ॥
ଗୃହସ୍ଥ ଜନଙ୍କ ଯେ ଧର୍ମ ।ନ ତୁଲ୍ୟ ବ୍ରହ୍ମଚାରୀ କର୍ମ ॥
ଆଚାର୍ଯ୍ୟ ଦେବର ମୂରତି ।ପିତା ପ୍ରତ୍ୟକ୍ଷ ପ୍ରଜାପତି ॥
ଭ୍ରାତା ମୂରତି ପତି ଭାବି ।ମାତା ସାକ୍ଷାତେ ପୃଥ୍ୱୀଦେବୀ ॥
ଭଗିନୀ ଦୟାର ମୁରତି ।ଧର୍ମର ମୂରତି ଅତିଥି ॥
ଅଗ୍ନି ମୂରତି ଅଭ୍ୟାଗତ ।ଆତ୍ମା ମୂରତି ସର୍ବଭୂତ ॥
ସତ୍ୟର ଠାରୁ ପରାଭବ ।ସେ ପୁଣି ସୁଜନଙ୍କ ଲାଭ ॥
ତୁ ଏ କାରଣୁ ମୁନିବର ।ତପସ୍ୟା ସିଦ୍ଧି ଏବେ କର ॥
ଗୁରୁ ତୁମ୍ଭଙ୍କୁ କଲୁ ଜାଣ ।ଯେଣୁ ବ୍ରହ୍ମଣ୍ୟ ତୁମ୍ଭ ଗୁଣ ॥
ତୁମ୍ଭଙ୍କୁ କରି ଗୁରୁ ସତ୍ୟ ।ଶତ୍ରୁଙ୍କୁ ଜିଣିବୁ ତୁରିତ ॥
କାର୍ଯ୍ୟର ପ୍ରୟୋଜନ ପାଇଁ ।କନିଷ୍ଠ ପୂଜା ନିନ୍ଦା ନୋହି ॥
ବେଦରେ ଯାର ଜ୍ଞାନ ନାହିଁ ।ଜ୍ୟେଷ୍ଠରେ ଯୋଗ୍ୟ ସେହୁ ନୋହି ॥
ଶ୍ରୀ ଶୁକ ଉବାଚତାହାଙ୍କୁ ପୁରୋହିତ ପଣେ ।ବରଣ କଲେ ଦେବଗଣେ ॥
ମୁନି ବିଶ୍ୱରୂପ ଧଇଲେ ।ଦେବତାମାନଙ୍କୁ କହିଲେ ॥
ବିଶ୍ୱରୂପ ଉବାଚହେ ଦେବଗଣ କହେ ଶୁଣ ।ଆଚାର୍ଯ୍ୟ କାର୍ଯ୍ୟର ଯେ ଗୁଣ ॥
ଧାର୍ମିକ ଲୋକ ଯେ ନିନ୍ଦନ୍ତି ।ଅଧର୍ମ ହେତୁ ସେ ଜାଣନ୍ତି ॥
ତଥାପି ତୁମ୍ଭର କଥାରେ ।ଏହା କେ ଅସ୍ୱୀକାର କରେ ॥
ହେ ଅଧୀଶ୍ୱରଗଣ ଶୁଣ ।ଦରିଦ୍ର ବ୍ୟକ୍ତି ପରି ଜାଣ ॥
କ୍ଷେତ୍ରରୁ ଧାନ୍ୟାଦି ଗ୍ରହଣ ।କରି ବଞ୍ଚଇ ମୁହିଁ ଦିନ ॥
ମୁଁ କିମ୍ପା ପୁରୋହିତ କାର୍ଯ୍ୟ ।କରି ହୋଇବି ନିନ୍ଦା ଯୋଗ୍ୟ ॥
ଅଜ୍ଞାନୀ ଲୋକ ଏହି କର୍ମ ।ପାଇ ହୁଅନ୍ତି ମହାପ୍ରେମ ॥
କିନ୍ତୁ ତୁମ୍ଭେ ଯେ ମୋର ଗୁରୁ ।ଆମ୍ଭେ ଯେ ଅବଜ୍ଞା ନ କରୁ ॥
ତୁମ୍ଭର ପାର୍ଥିତ ବିଷୟ ।କରିବି ଜାଣ ହେ ନିଶ୍ଚୟ ॥
ବାଦରାୟଣିରୁବାଚଏ ଅନନ୍ତରେ ବିଶ୍ୱରୂପ ।ବରଣ ହୋଇ ପରିତାପ ॥
ଶ୍ରୀକୃଷ୍ଣ ବୋଲିଣ ସୁମରି ।ପରମ ସମାଧିରେ କରି ॥
ଶୁକ୍ରର ବିଦ୍ୟାବଳୁ କରି ।ଅସୁରଙ୍କର ଯଶ ଶିରୀ ॥
ନିଶ୍ଚୟ ଏ କରିବେ ତୋଷ ।ଶୁଣ ରାଜନ ଇତିହାସ ॥
ବିଷ୍ଣୁ ସ୍ୱରୂପ ମହାମାୟା ।ଇନ୍ଦ୍ର ପାଳିତ ପାଇ ତାହା ॥
ଇନ୍ଦ୍ରଙ୍କୁ ଆଣି ତାହା ଦେଲେ ।ଯାହାକୁ ଅସୁରେ ଶଙ୍କିଲେ ॥
ଯେ ବିଦ୍ୟା ପ୍ରଭାବରୁ ଇନ୍ଦ୍ର ।ଜାଣିଲା ଦାନବଙ୍କ ଭେଦ ॥
ଦେଲେ ଇନ୍ଦ୍ରଙ୍କୁ ଦୀର୍ଘ ଶର ।ମହତ ବିଶ୍ୱରୂପଧର ॥
ଇନ୍ଦ୍ରଙ୍କ ଗୁରୁଦ୍ରୋହ ଦୋଷ ।କହିଲେ ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଇନ୍ଦ୍ର ଅପରାଧ କଥନେନାମ ସପ୍ତମୋଽଧ୍ୟାୟଃ ।
ଅଷ୍ଟମ ଅଧ୍ୟାୟ
ରାଜୋବାଚଶୁଣ ହେ ମୁନି ତପୋଧନ ।ଯେ ତୁମ୍ଭେ କହିଲ ବିଧାନ ॥
ଯେଣେ ରକ୍ଷା ଇନ୍ଦ୍ର ହୁଅଇ ।ସ୍ୱର୍ଗେ ଇନ୍ଦ୍ର ଭୋଗ କରଇ ॥
ଜଗତ ରଙ୍ଗ ରିପୁବଳେ ।କଳା ମାତ୍ରକେ ଏ ଶୟଳେ ॥
ତୁଲ୍ୟ କେ ଅଶେଷ ସମ୍ପଦେ ।ଭୁଞ୍ଜୁ ଅଛନ୍ତି ଅପ୍ରମାଦେ ॥
ଭୋ ସ୍ୱାମୀ ମୋରେ ଯେବେ ଦୟା ।ବିସ୍ତାରି କହ କି ନା ତାହା ॥
କେମନ୍ତ ବେଳେ ନାରାୟଣ ।ଇନ୍ଦ୍ରର ରକ୍ଷଣ କାରଣ ॥
ଯେ କର୍ମବଳେ ଶତ୍ରୁ ଜିଣି ।ସ୍ୱର୍ଗେ ନିର୍ଭୟେ ବଜ୍ରପାଣି ॥
ବାଦରାୟଣିରୁବାଚଇନ୍ଦ୍ର ନିମନ୍ତେ ହୋଇ କୃତ ।ପ୍ରସନ୍ନ ହୋଇ ପୁରୋହିତ ॥
ସେ କର୍ମ ନାମ ନାରାୟଣ ।କହିବା ଏକମନେ ଶୁଣ ॥
ବିଶ୍ୱରୂପ ଉବାଚମୋର ଚରଣେ ଯେବେ ଧ୍ୟାୟି ।ପରମ ବ୍ରହ୍ମ ସୁଖ ହୋଇ ॥
ମନ୍ତ୍ରରେ କରି ଅଙ୍ଗନ୍ୟାସ ।ମଉନ ଶୁଚି ହୋଇ ତୋଷ ॥
ଏମନ୍ତ କର୍ମ ନାରାୟଣ ।ରାଜନ ସାବଧାନେ ଶୁଣ ॥
ନିକଟେ ଭୟ ଯେତେବେଳେ ।ଉଦୟ ହୃଦୟ କମଳେ ॥
ଚରଣ ଜାନୁ ବକ୍ଷସ୍ଥଳେ ।ମନ୍ତ୍ରକୁ ନ୍ୟାସିବେ ଚପଳେ ॥
ଓଁ କାର ଆଦି ନାରାୟଣ ।ଉଚ୍ଚାର କରିବ ତକ୍ଷଣ ॥
କରିବ କର ଅଙ୍ଗନ୍ୟାସ ।ସେ ବିଦ୍ୟା ଅଛଇ ଦ୍ୱାଦଶ ॥
ପ୍ରଣବ ଆଦିକରି ଯେତେ ।କରିବ ବିଶୁଦ୍ଧି ନିମନ୍ତେ ॥
ତର୍ଜ୍ଜନୀ ଆଦି ଅଙ୍ଗୁଳିରେ ।ନ୍ୟାସିବ ମନ୍ତ୍ରକୁ କ୍ରମରେ ॥
ହୃଦରେ ଦେଇଣ ଓଁ କାର ।ମସ୍ତକେ ନ୍ୟାସିବ ବକାର ॥
ସକାର ଭୂରୁଯୁଗେ ଦେଇ ।ଣକାର ଶିଖାରେ ବସାଇ ॥
ବକାର ନୟନ ମଧ୍ୟରେ ।ନକାର ମକାର ସନ୍ଧିରେ ॥
ଓଁ କାର କରିବ ସ୍ମରଣ ।ମନ୍ତ୍ର ସ୍ୱରୂପ ହୋଇ ଜନ୍ମ ॥
ବିଷ୍ଣୁର ନାମ ଉଚ୍ଚାରିବ ।ଓଁ କାର ତାର ଅଦ୍ୟେଦେବ ॥
ପରମ ଆତ୍ମା ଯେଉଁମାନେ ।ଧ୍ୟାନ କରିବ ଏ ବିଧାନେ ॥
ଷଟ ଶକତି ଆଦି ଯୁକ୍ତ ।ଅନାଦି ଦିବ୍ୟ ଶୁଦ୍ଧ ଚିତ୍ତ ॥
ଯେ ହରି ଗରୁଡ଼ ପୃଷ୍ଠରେ ।ପାଦ ପଦ୍ମ ଦେଇଛି ଶିରେ ॥
ଯା ଅଷ୍ଟ ବାହୁରେଣ କରି ।ଚକ୍ର ଅସି ଗଦାଦି ଧରି ॥
ବିଷୟ ପାପକୁ ଯେ ହରେ ।ରଖନ୍ତୁ ସେ ସର୍ବକାଳରେ ॥
ଯେ ଜଳେ ମତ୍ସ୍ୟରୂପ ହୋଇ ।ସେ ପ୍ରଭୁ ରକ୍ଷାକରୁ ଦେହି ॥
ଜଳଜନ୍ତୁଙ୍କ ସକାଶରୁ ।ରଖିବେ ବରୁଣ ଆଗରୁ ॥
ମାୟା ବାମନ ରୂପ ଜଳେ ।ସେ ରକ୍ଷାକରୁ ଅବହେଳେ ॥
ତ୍ରିବିକ୍ରମ ରଖୁ ଭୂମିରେ ।ଏ ବିଶ୍ୱରୂପ ଆକାଶରେ ॥
ଦୁର୍ଗମ ଗ୍ରାମ ଆଦିକରି ।ସେ ସ୍ଥଳରୁ ମୋତେ ଉଦ୍ଧରି ॥
ଅସୁର ଯୂଥର ବଇରୀ ।ନୃସିଂହ ମୋତେ ସେ ଉଦ୍ଧରି ॥
ଯାହାର ଉଟ୍ଟହାସ ଶୁଣି ।କମ୍ପନ୍ତି ଦିଗ ଯେ ଧରଣୀ ॥
ସେ ପ୍ରଭୁ ଯୁଦ୍ଧ ଆଦି ସ୍ଥଳେ ।ମୋତେ ରଖନ୍ତୁ ଅବହେଳେ ॥
ପଥେ ରଖନ୍ତୁ ଯଜ୍ଞକଳ୍ପ ।ଅଖିଳଧାରୀ ବିଶ୍ୱରୂପ ॥
ଶ୍ରୀରାମ ଲକ୍ଷ୍ମଣ ସହିତେ ।ପ୍ରବାସେ ରଖନ୍ତୁ ସେ ମୋତେ ॥
ନାନାଦି ଅନ୍ୟାୟରୁ ଜାଣ ।ମୋତେ ରଖନ୍ତୁ ନାରାୟଣ ॥
ଆଉ ସେ ନରରୂପୀ ହରି ।ରଖନ୍ତୁ ଗର୍ବରୁ ଉଦ୍ଧରି ॥
ଯୋଗଭ୍ରଷ୍ଟରୁ ଦତ୍ତାତ୍ରେୟ ।ରଖନ୍ତୁ ହୋଇ ସେ ସଦୟ ॥
କପିଳରୂପୀ ଦେବ ହରି ।ରଖନ୍ତୁ କର୍ମ ବନ୍ଧ ହରି ॥
କାମତାପୁଁ କରି ଉଦ୍ଧାର ।ରଖନ୍ତୁ ସନତ କୁମାର ॥
ଦେବହେଳନାଦି ଦୋଷରୁ ।ହୟଗ୍ରୀବ ମୂର୍ତ୍ତି ଉଦ୍ଧରୁ ॥
ଅନ୍ୟଦେବ ସେବା ଦୋଷରୁ ।ନାରଦରୁପୀ ରକ୍ଷା କରୁ ॥
ଅପଥ୍ୟାଦି ରୋଗ ତାପରୁ ।ଧନ୍ୱନ୍ତରୀ ମୁର୍ତ୍ତି ଉଦ୍ଧରୁ ॥
ନାଶି ଦୁଃଖ ଶୋକାଦି ଭୟ ।ଋଷଭ କରନ୍ତୁ ଅଭୟ ॥
ଜନାପବାଦରୁ ତୁରିତେ ।ତାରନ୍ତୁ ଯଜ୍ଞମୂର୍ତ୍ତି ମୋତେ ॥
ଜଳ ନିମିତ୍ତ ଉତପାତ ।ନାଶି ରଖନ୍ତୁ ହଳହସ୍ତ ॥
ସର୍ପଙ୍କ ପ୍ରତାପରୁ ମୋତେ ।ଶେଷରୂପୀ ରଖୁ ଯୁକତେ ॥
କଳିର ପାପ ନାଶ କରି ।ରଖନ୍ତୁ କଳ୍କୀ ରୂପଧାରୀ ॥
ହେ ଦେବ ଇନ୍ଦ୍ର ଏ ବିଧିରେ ।ଧ୍ୟାୟିବା ଦିବା ରଜନୀରେ ॥
ପ୍ରାତଃକାଳରେ କୃପା କରି ।ମୋର ସକଳ ରିଷ୍ଟ ହରି ॥
ରଖନ୍ତୁ ନାରାୟଣ ମୋତେ ।ଗଦା ଶକ୍ତି ଧରିଣ ହସ୍ତେ ॥
ରଖିବେ ବିଷ୍ଣୁ ଚକ୍ରଧର ।ଦିବସ ମଧ୍ୟମ ଭାଗର ॥
ରଖନ୍ତୁ ସାୟଂକାଳେ ମୋତେ ।ତ୍ରିଧାମ ମାଧବ ତୁରିତେ ॥
ଅପରାହ୍ନରେ ମଧୁଅରି ।ରଖିବେ କରେ ଧନୁ ଧରି ॥
ପ୍ରଦୋଷେ ରଖୁ ହୃଷୀକେଶ ।ଅଶେଷ ବ୍ରହ୍ମାଣ୍ଡର ଈଶ ॥
ଅର୍ଦ୍ଧରାତ୍ର ତଥା ନିଶୀଥେ ।ରଖିବେ ପଦ୍ମନାଭ ମୋତେ ॥
ଶ୍ରୀବତ୍ସ ଧାମ ମଧ୍ୟଗତେ ।ଖଡ୍ଗ ଆୟୁଧ ଧରି ହସ୍ତେ ॥
ଅନୁସନ୍ଧ୍ୟାରେ ଦାମୋଦର ।ରାତ୍ର ପ୍ରଭାତେ ବିଶ୍ୱେଶ୍ୱର ॥
କାଳ ମୂରତି ଭଗବାନ ।ରଖନ୍ତୁ ମୋହର ଜୀବନ ॥
ଯୁଗାନ୍ତ ଅନଳ ପରାୟେ ।ଯାର ନେମିର ତେଜ ହୋଏ ॥
କୃଷ୍ଣରେ ନିଯୋଜିତ ହୋଇ ।ନିର୍ଭୟେ ଜଗତେ ଭ୍ରମଇ ॥
ସେ ଚକ୍ର ମୋର ଅରି ସୈନ୍ୟ ।ଦହନ କରିବେ ବହନ ॥
ପବନ ସହ ହୁତାଶନ ।ଦହଇ ଯେହ୍ନେ ଶୁଷ୍କ ତୃଣ ॥
ସେ ଗଦା ବକ୍ର ପ୍ରାୟ ହୋଇ ।ସ୍ପୁଲିଙ୍ଗ ତୁମ୍ଭର ବାଧଇ ॥
ତୁମ୍ଭେ ଅଖିଳନାଥ ପ୍ରିୟା ।ମୁଁ ତାଙ୍କ ଦାସ କର ଦୟା ॥
କୁଷ୍ମାଣ୍ଡ ବିନାୟକ ଯକ୍ଷ ।ଗୁହ୍ୟକଗଣ ଭୂତ ରକ୍ଷ ॥
ପିଶାଚ ପ୍ରେତ ଗ୍ରହଗଣ ।ଶୀଘ୍ରେ କରନ୍ତୁ ପ୍ରମନ୍ଥନ ॥
ହେ ପାଞ୍ଚଜନ୍ୟ ଦରସାର ।ସେ ଭୀମନାଦରେ ତୋହର ॥
ଶତ୍ରୁଙ୍କ ହୃଦୟ କମ୍ପଇ ।ଦ୍ରବାଅ ମହାଭୟ ଦେଇ ॥
ହତ ହୋଇବେ ଯାଦୁଧାନେ ।ସ୍ୱର୍ଗ ଲଭିବେ ଦେବଗଣେ ॥
ତେଜ ଗୁଣ ଯେତେ ଆୟୁଧ ।ପୁଣିହିଁ ଲଭିବ ସମ୍ପଦ ॥
ମୋର ଭକତ ଲୋକଙ୍କର ।ହିଂସା ନୋହିବ ପୁନର୍ବାର ॥
ପୁଣି କହନ୍ତି ବିଶ୍ୱରୂପ ।କହିବା ଶୁଣ ସାଧୁନୃପ ॥
ତୁମ୍ଭର ଖଡ୍ଗେ ତୀକ୍ଷ୍ଣ ଧାର ।ଅଶେଷ ରିପୁବଳ ମାର ॥
କୃଷ୍ଣରେ ତୋର ପ୍ରୟୋଜିତ ।ଛେଦନ କର ଅବିରତ ॥
ସେ ଶତଚନ୍ଦ୍ର ତୁମ୍ଭେ ଶୁଣ ।ଯେତେ ଅଛନ୍ତି ରିପୁଗଣ ॥
ଏହାଙ୍କ ଲୋଚନ ଆଚ୍ଛାଦ ।ଈକ୍ଷଣ ହେଉ ତାଙ୍କ ଭେଦ ॥
ଯେ ମୋହ ଭୟ ଜାତ ହୋଇ ।ଗ୍ରହମାନଙ୍କେ କେତୁ ତୁହି ॥
ଯେ ନର ସରୀସୃପ ଆଦି ।ହିଂସ୍ର ଜନ୍ତୁ ଭୂତ ପ୍ରେତାଦି ॥
ଅନ୍ୟ ଯେ ଆମ୍ଭ ମନ୍ଦ ଚିନ୍ତି ।ଶ୍ରେୟରେ ବ୍ୟାଘାତ କରନ୍ତି ॥
ଶ୍ରୀକୃଷ୍ଣ ଅସ୍ତ୍ରରୂପ ନାମ ।ଯେଣୁ ମୁଁ କଲି ସଂକୀର୍ତ୍ତନ ॥
ତେଣୁ ଏ ଦୁଷ୍ଟମାନେ ସର୍ବେ ।କ୍ଷୟକୁ ପ୍ରାପତ ହୋଇବେ ॥
ଯେ ମୋର ଶ୍ରେଷ୍ଠ ତା ଚରଣେ ।ହିଂସା କରନ୍ତି ଦୁଷ୍ଟପଣେ ॥
ଆତ୍ମାର ଅଂଶେ ପ୍ରାଣୀଙ୍କର ।ସକଳ ଶରୀରୁ ବାହାର ॥
ଭଗବାନ ଗରୁଡ ମୋତେ ।ରକ୍ଷା କରିବେ ଅନୁବ୍ରତେ ॥
ରଖିବେ ବିଶ୍ୱରୂପ ହରି ।ଅଶେଷ କଷ୍ଟୁ ମୋତେ ତାରି ॥
ବିଷ୍ଣୁର ନାମରୂପ ଯାନ ।ଆବର ଆୟୁଧ ବାହନ ॥
ଏମାନେ ହୋଇ ପରସନ୍ନ ।ଆପଦୁଁ କରିବେ ମୋଚନ ॥
ପ୍ରଭୁ ନିକଟେ ଯେତେ ଜନ ।ଅପରେ ଛନ୍ତି ଭୃତ୍ୟଗଣ ॥
ବୁଦ୍ଧି ଇନ୍ଦ୍ରିୟ ମୋର ମନ ।ସେ ସର୍ବେ ରଖନ୍ତୁ ମୋ ପ୍ରାଣ ॥
ଏମନ୍ତ ପ୍ରଭୁ ଭଗବାନ ।ଅବ୍ୟୟ ସତ୍ୟର କାରଣ ॥
ଏହି ସତ୍ୟରେ ମୋର ସର୍ବ ।ନଷ୍ଟ ହୁଅନ୍ତୁ ଉପଦ୍ରବ ॥
ଏମନ୍ତେ ପରମ ଈଶ୍ୱର ।ରକ୍ଷା କରିବେ ମୋ ଶରୀର ॥
ଭୂଷଣ ଆଉ ଶସ୍ତ୍ରମାନ ।ମାୟାରେ ହ୍ୱନ୍ତି ଭଗବାନ ॥
ସର୍ବଜ୍ଞ ଭଗବାନ ହରି ।ସଦା ସର୍ବଦା ଦୟାକରି ॥
ଦିଗ ବିଦିଗ ଅଧ ଉର୍ଦ୍ଧ୍ବ ।ରଖନ୍ତୁ ନରସିଂହ ଦେବ ॥
ସ୍ୱନରେ ଲୋକ ଭୟ ଧ୍ୱଂସେ ।ସ୍ୱତେଜେ ସର୍ବ ତେଜ ନାଶେ ॥
ଭୋ ଇନ୍ଦ୍ର ଶୁଣ ମୋ ବଚନ ।କହିଲି ଧର୍ମ ପରାୟଣ ॥
ତୁମ୍ଭେ ଏ ବର୍ମକୁ ଧାରଣ ।ଶରୀରେ କର ଦେବଗଣ ॥
ଅସୁର ଯୂଥପତି ଯୁଦ୍ଧେ ।ଜୟ କରିବ ଅପ୍ରମାଦେ ॥
ଏ ବିଦ୍ୟା ଯାର ଯହିଁ ଥାଇ ।ସେ ଜନ ଯାହାକୁ ଦେଖଇ ॥
ପାଦେ ବା ସ୍ପରଶ କରଇ ।ତା ଗାତ୍ରେ ଭୟ ନ ରହଇ ॥
ଏ ବିଦ୍ୟା ଯେହୁ ଧରିଥାଇ ।ଭୟ ତାହାର କିଛି ନାହିଁ ॥
ଚୋର ତସ୍କର ଗ୍ରହ ଆଦି ।ରାଜଭୟ ଯେ ନାନା ବ୍ୟାଧି ॥
ଏ ବିଦ୍ୟା ପୂର୍ବେ ବିପ୍ର ଏକ ।ଧରିଣ ଥିଲା କଉଶିକ ॥
ମରୁଭୂମିରେ ବସି ସେହି ।ଯୋଗ ଧାରଣେ ନିଜ ଦେହୀ ॥
ତେଜିଲା ତହିଁ ଦ୍ୱିଜବର ।ଶୁଣ କହିବା ସୁନାଶୀର ॥
ଗନ୍ଧର୍ବପତି ଏକଦିନେ ।ତାହାର ଉପରେ ବିମାନେ ॥
ଯାଉଣ ଥିଲା ଚିତ୍ରରଥ ।ଅମର କନ୍ୟାରେ ବେଷ୍ଟିତ ॥
ବ୍ରାହ୍ମଣ ଯହିଁ ମରିଥିଲା ।ତାହାଙ୍କ ଉର୍ଦ୍ଧ୍ୱେ ଯହୁଁ ଗଲା ॥
ଗଗନୁ ପଡିଲା ତକ୍ଷଣେ ।ବିମାନ ଗଲା ତାର କେଣେ ॥
ପଡିଲା ଅଧୋମୁଖ ହୋଇ ।ସଭୟେ ଚକିତେ ଅନାଇ ॥
ବାଳଖିଲ୍ୟାର ବାକ୍ୟ ଶୁଣି ।ତକ୍ଷଣେ ବିପ୍ର ଅସ୍ଥି ଆଣି ॥
ନଦୀରେ ନେଇ ପକାଇଲା ।ମନରେ ବିସ୍ମୟ ହୋଇଲା ॥
ସରସ୍ୱତୀରେ କରି ସ୍ନାନ ।ଶୀଘ୍ରେ ସେ କଲାକ ଭୋଜନ ॥
ପୁଣି ବିମାନେ ଆରୋହିଲା ।ସୁଖେ ସେ ନିଜ ପୁରେ ଗଲା ॥
ଶ୍ରୀ ଶୁକ ଉବାଚଯେ ଏହା ଶ୍ରବଣରେ ଶୁଣି ।ଆଦର କରି ଧରେ ପ୍ରାଣୀ ॥
ସେ ସର୍ବ ପାପୁଁ ହୁଏ ପାର ।ସର୍ବେ କରନ୍ତି ନମସ୍କାର ॥
ଇନ୍ଦ୍ର ବିଶ୍ୱରୂପରେ ତହିଁ ।ଏ ମହାବିଦ୍ୟା ଶିକ୍ଷା ପାଇ ॥
ସଂଗ୍ରାମେ ଦୈତ୍ୟଙ୍କୁ ଜିଣିଲେ ।ତ୍ରୈଲୋକ୍ୟେ ଲକ୍ଷ୍ମୀ ଭୋଗକଲେ ॥
ଦ୍ୱିଜ ଜଗନ୍ନାଥ ବୋଲଇ ।ନାମ ଶ୍ରବଣେ ସିଦ୍ଧ ହୋଇ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ନାରାୟଣ ଧର୍ମୋପଦେଶ କଥନେନାମ ଅଷ୍ଟମୋଽଧ୍ୟାୟଃ ।