ଚିତ୍ତବୋଧ ବା ଚିତ୍ତବିନୋଦ (ଦ୍ୱିତୀୟ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୧ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ଉଗ୍ରସେନର ରାଜ୍ୟାଭିଷେକ
ଅକ୍ରୂରକୁ ରାଇ କୃଷ୍ଣ ବୋଲନ୍ତି ବଚନମଧୁନଗରେ ଅଜାକୁ କରିବା ରାଜନ ।ନନ୍ଦ ଗୋପାଳ ଅଛନ୍ତି ମଧୁବନେ ରହିତାହାଙ୍କୁ ଅକ୍ରୂର ତୁମ୍ଭେ ବେଗେ ଆଣ ଯାଇ ।ମଧୁନଗରେ ଘୋଷଣା ଦିଅ ହେ ବହନଆସନ୍ତୁ ନିଯୋଗୀମାନେ ସର୍ବେ ଏହି ସ୍ଥାନ ।ରାଜବିଧି ଯୋଗାଡ଼ ହୋ ଆଣ ବେଗକରିଛତ୍ର ଚାମର ଆଲଟ ଖଦିମାନ ଧରି ।ଚଞ୍ଚଳେ ଅଣାଅ ଯାଇ ନାନାତୀର୍ଥ ଜଳଅନ୍ତଃପୁର ନାରୀମାନେ ଆସନ୍ତୁ ସକଳ ।ଅପୂଜିତ ଦେବତାଙ୍କୁ ପୂଜା ତୁ କରାଅଦେବାର୍ଚ୍ଚନା ବିଧିମାନ ସକଳ ଭିଆଅ ।ବଜାନ୍ତୁ ବାଦକେ ବାଦ୍ୟ ମଙ୍ଗଳ ମହୁରୀଦେବଜ୍ଞ ବିପ୍ରଙ୍କୁ ଆଣ ଆମନ୍ତ୍ରଣ କରି ।ଶୁଭ ଅନୁକୂଳ ବେଳା ଦେବେ ସେହୁ କହିମଙ୍ଗଳାଷ୍ଟକ ପଠନ କରିବେ ଆବରସବୁ ଶୁଭକାର୍ଯ୍ୟେ ତାଙ୍କ ଲୋଡ଼ା ଅଟେ ମୂଳ ।ନାଚନ୍ତୁ ନର୍ତ୍ତକୀକୁଳ ହୋଇଣ ଆନନ୍ଦସମସ୍ତେ ଶୁଣନ୍ତୁ ତାଙ୍କ ଗୀତ ବାଦ୍ୟଛନ୍ଦ ।ଦ୍ୱାରେ ଦ୍ୱାରେ ମଧୁପୁରେ ବସୁ ପୂର୍ଣ୍ଣକୁମ୍ଭସର୍ବେ ଆନନ୍ଦେ ମଜ୍ଜନ୍ତି ଛାଡ଼ି ଚିନ୍ତା କ୍ଷୋଭ ।କୃଷ୍ଣ ଆଦେଶେ ଅକ୍ରୂର ସବୁ ଯୋଗାଇଲେସଧବା କାମିନୀମାନେ ହୁଳହୁଳି ଦେଲେ ।ମଥୁରାପୁର ଆନନ୍ଦ କେ ପାରିବ କହିଯହିଁରେ ବିଜୟ କରିଛନ୍ତି ଭାବଗ୍ରାହୀ ।ଶୁଣିହିଁ ଅକ୍ରୂର ଯାଇ ଭଣ୍ଡାରରୁ ବେଗେପୂର୍ବ ରହୁବରେ ବସିଗଲା ନନ୍ଦଠାବେ ।ମଧୁବନରେ ଗୋପାଳ ନନ୍ଦ ଥିଲେ ରହିଏଥକୁ ଦେଖି ଗୋପାଳ ନନ୍ଦ ଆଗେ କହି ।ବୋଇଲେ ରାଜନ ଦେଖ ଆସଇ ଅକ୍ରୂରଶୁଣନ୍ତେ ପାଛୋଟି ଗଲା ବ୍ରଜ ନରବର ।ଖଣ୍ଡେ ଦୂରରୁ ଅକ୍ରୂର ନନ୍ଦକୁ ଦେଖିଲାରଥରୁ ଓହ୍ଲାଇ ତାର ପାଦରେ ପଡ଼ିଲା ।ଦେଖି ନନ୍ଦ ଅକ୍ରୂରକୁ କଲା ଆଲିଙ୍ଗନବୋଇଲେ ହେ ମନ୍ତ୍ରୀ କହ କୃଷ୍ଣକଥାମାନ ।ସତେ କି ମୋ ରାମକୃଷ୍ଣ ଜୀବନେ ଅଛନ୍ତିଗୁପତ ନ କରି କହ ଛାଡୁ ମନୁ ଭ୍ରାନ୍ତି ।ଶୁଭୁଥିଲା ମଥୁରାରେ ଆଜ ଘୋର ରଡ଼ିକି ଅବା ମନ୍ଦିରଗିରି ପଡ଼ୁଅଛି ଝଡ଼ି ।ଦୁଷ୍ଟ କଂସ ଆଜି କିବା କୃଷ୍ଣଙ୍କୁ ମାଇଲାକହ ହେ ଅକ୍ରୂର ମୋତେ ସନ୍ଦେହ ଲାଗିଲା ।ନନ୍ଦ ବଚନେ ଅକ୍ରୂର ବେନି କରଯୋଡ଼ିକହଇ ବିକଳ ହୋଇ ନନ୍ଦପାଦେ ପଡ଼ି ।କୃଷ୍ଣ ସାକ୍ଷାତରେ ବ୍ରହ୍ମାକେ ତାଙ୍କୁ ମାରିବଅସୁର ନିପାତିବାକୁ ଜନ୍ମ ବାସୁଦେବ ।କଂସ ମଲା କୃଷ୍ଣ ଯଥା ବିଲୋକି ନୟନେକୃଷ୍ଣ ସଙ୍ଗେ ରଣକରି ମଲେ ଅନ୍ୟମାନେ ।ଉଗ୍ରସେନ ହେବେ ରାଜା ଆଜି ମଧୁପୁରେପେଶିଛନ୍ତ କୃଷ୍ଣ ମୋତେ ଚାଲହୋ ସେଠାରେଅକ୍ରୂର ବଚନେ ନନ୍ଦ ଆନନ୍ଦିତ ହେଲେଗୋପାଳଙ୍କୁ ସଙ୍ଗେ ଘେନି ରଥେ ବାହାରିଲେମଥୁରା ନଗରେ ଯାଇ ହୋଇଲେ ପ୍ରବେଶଯହିଁଛନ୍ତି ବସୁଦେବ ରାମ ପୀତବାସ ।ନନ୍ଦକୁ ଦେଖିଣ କୃଷ୍ଣ ପାଦରେ ପଡ଼ିଲେଉଗ୍ରସେନ ରାଜା ହେଉଅଛନ୍ତି ବୋଇଲେ ।ପରସ୍ପର ପ୍ରଣମିଲେ ନନ୍ଦ ବସୁଦେବଦେବକୀ ପଡ଼ିଲେ ନନ୍ଦ ପାଦେ କରି ସ୍ତବ ।ଏହି ସମୟରେ ଚାରେ ଆଣି ତୀର୍ଥ ନୀରଅକ୍ରୂର ଆଗରେ ଜଣାଇଲେ ଯୋଡ଼ି କର ।.ଦୂତ ବଚନେ ଅକ୍ରୂର ବିଷ୍ଣୁ ପାଶେ ଯାଇବୋଲେ ଦେବ ବିଧିମାନ ଆଣିଲୁ ଯୋଗାଇ ।ସକଳ ଠୁଳ ହୋଇଲା ଶୁଣ ଦେବରାଜକିପରି ହୋଇବ କର ବିଧିମତେ କାର୍ଯ୍ୟ ।ଅକ୍ରୂର ବଚନେ କହୁଛନ୍ତି ଶିରୀଧରଅଭିଷେକ କାର୍ଯ୍ୟ ଏବେ କରାଅ ସତ୍ୱର ।ତୀର୍ଥ ଜଳରେ ଅଜାକୁ ସ୍ନାହାନ କରାଅରାଜବିଧି କରି ସିଂହାସନରେ ବସାଅ ।କୃଷ୍ଣ ଆଦେଶେ ଅକ୍ରୂର ତହିଁ ଚଳିଗଲାତୀର୍ଥନୀରେ ଉଗ୍ରସେନେ ସ୍ନାନ କରାଗଲା ।ଦେବାଙ୍ଗ ବସନମାନ କୁଞ୍ଚି ପିନ୍ଧାଇଲାନାନାରତ୍ନ ଅଳଙ୍କାରେ ଶରୀର ଖଞ୍ଜିଲା ।କସ୍ତୁରୀ ଚୁଆ ଚନ୍ଦନ ଅଙ୍ଗେ ଲେପାଇଲାସୁବାସ କୁସୁମମାଳ ଗଳେ ଲମ୍ବାଇଲା ।ମଣିମା ମଣିମା ବୋଲି ଖୁଣ୍ଟିଆ ଡାକିଲାଗାଦିରେ ଉଗ୍ରସେନକୁ ନେଇ ବସାଇଲା ।ଆପେ ଉଗ୍ରସେନ ଶିରେ ପାଟକୁ ବାନ୍ଧଇସେ ପାଟ ଶ୍ରୀକୃଷ୍ଣ ନିଜେ ଦିଅନ୍ତି ଫିଟାଇ ।ପାଟ ବାନ୍ଧି ଉଗ୍ରସେନ ରାଜବିଧି ସାରିସିଂହାସନ ଉପରେ ସେ ଅଛି ବିଜେକରି ।ଶ୍ୱେତଛତ୍ର ଚାମର ତା ଶିରରେ ପଡ଼ଇଖଦି ଆଲଟ ଚାମର କେ ଗଣି ପାରଇ ।ସ୍ୱର୍ଣ୍ଣବେତ୍ର ହସ୍ତେ ଧରି ଆଗେ ଉଭା ହରିଦର୍ଶନ କରନ୍ତି ନେଇ ଜଣ ଜଣ କରି ।ପାତ୍ରମନ୍ତ୍ରୀମାନେ ଆସି କଲେ ଦରଶନଯେ ଯାହା ମନ ରୂପରେ ଦେଲେ ଭେଟିମାନ ।ଅଭିଷେକ ବିଧି ସାରି ଉଠି ଉଗ୍ରସେନଲକ୍ଷ୍ମୀନାରାୟଣ ପାଦ କଲେ ଦରଶନ ।ତଦନ୍ତେ ଇଷ୍ଟଦେବୀଙ୍କୁ ଦରଶନ କଲାଲକ୍ଷ ମେଷ ମହିଷ ଯେ ବଳି ତହିଁ ଦେଲା ।ତହିଁ ଶ୍ରୀକୃଷ୍ଣଙ୍କୁ ଧରି ଅନ୍ତଃପୁରେ ଯାଇହେତୀ ପ୍ରହେତୀ ରାଣୀଙ୍କୁ ପାଶକୁ ଡକାଇ ।କଂସ ନାରୀମାନେ ଆସି କଲେ ଦରଶନଅନାଇ ବନ୍ଧୁଗଣଙ୍କୁ ଦୁଃଖୀ ଉଗ୍ରସେନ ।ତହିଁ ଇନ୍ଦୁମତୀକି ଯେ ଶ୍ରୀକୃଷ୍ଣ ଦେଖିଲେରାଜା ସଙ୍ଗେ ରାମଙ୍କୁ ଯେ ରଖାଇଣ ଗଲେ ।ରାଣୀର ମନ୍ଦିରେ ଯାଇ କଲେ ସେ ପ୍ରବେଶଦେଖିଲେ ସବୁରି ମନ ଅତ୍ୟନ୍ତ ବିରସ ।ମୁଖପୋତି ବସିଅଛି କଂସର ଜନନୀବହିଯାଏ ନେତ୍ରୁ ନୀର ପୁତ୍ର ଗୁଣ ଗୁଣି ।ଏମନ୍ତ ସମୟେ କୃଷ୍ଣ ପାଦରେ ପଡ଼ିଲେଭୟ କରଯୋଡ଼ି ଖଣ୍ଡେ ଦୂର ଉଭାହେଲେ ।ଦେଖି ଇନ୍ଦୁମତୀ ଶୋକଭରେ କହେ ବାଣୀମୋହର ପୁତ୍ରକୁ ନାଶ କଲୁ ନୀଳମଣି ।ଏକା ପୁତ୍ର ମୁଖ ମୋର ନ ପାରିଲି ଦେଖିବୃଦ୍ଧକାଳେ ପୁତ୍ର ଲାଗି ମୁଁ ହୋଇଲି ଦୁଃଖୀ ।ତୁହି ତ ଦେବକୀ ପୁତ୍ର କି କହିବି ତୋତେମାମୁଁଙ୍କୁ ମାଇଲୁ ଦୟା ନ ବହିଲୁ ଚିତ୍ତେ ।ପୁତ୍ର ଥାଉଁ ପୁତ୍ର ମୁଖ ଦେଖି ନ ପାରିଲିମରିବା କାଳକୁ ମୁହିଁ ଅଗତି ଲଭିଲି ।ତାହାର ବଚନ ଶୁଣି ଦେବ ଭାବଗ୍ରାହୀବୋଲନ୍ତି ମାମୁଁଙ୍କୁ ଆଈ ମୁଁ ତ ମାରିନାହିଁ ।ମଧୁପୁର ନରନାରୀ ପାତ୍ରମନ୍ତ୍ରୀ ଗଣବସିଥିଲେ ପୁଣି ତହିଁ ଅଜା ଉଗ୍ରସେନ ।ପଚାର ଡକାଇ ତୁମ୍ଭେ ମଧୁପୁରଯାକମୁଁ ମାରିଛି ବୋଲି ଯଦି କହେ କେଉଁ ଲୋକ ।ତେବେ ମୁଁ ମାମୁଁଙ୍କୁ ଆଜି ଦେବିଗୋ ଜୀଆଇଁନ ବୁଝିଣ କ୍ରୋଧ କିମ୍ପା କରୁଅଛ ଆଈ ।ଅକ୍ରୂରକୁ ପେଶି ମାମୁଁ ମୋତେ ଡକାଇଲାକୁବଳୟା କରେ ମୋର ପ୍ରାଣ ନେଉଥିଲା ।ତହୁଁ ତୁମ୍ଭ ଦୟାରୁ ମୁଁ ବଞ୍ଚିଣ ଆସିଲିମାମୁଁଙ୍କୁ ଜଗତୀ ତଳେ ଥାଇ ଦେଖାକଲି ।ମୋତେ ଅନାଇଁଲେ ଯହୁଁ ମାମୁଁ ବେନିଡୋଳେଜଗତୀ ଉପରୁ ଖସି ପଡ଼ିଲେ ସେ ତଳେ ।ମୋ ଉପରେ ପଡୁଥିଲେ ଦଇବ ରଖିଲାତାହାର ଇଚ୍ଛାରେ ସିନା ମାମୁଁ ପଡ଼ି ମଲା ।ଶୁଣି ଇନ୍ଦୁମତୀ ରାଣୀ ଶୋକଭର ହୋଇବୋଇଲେ ମୋ ଅଭିଶାପ ଘନ କୃଷ୍ଣ ତୁହିତୋହର ପୁତ୍ର ପଉତ୍ର ହେବେରେ ବହୁତକଂସଠାରୁ ହୋଇବେ ସେ ଅତି ବଳବନ୍ତ ।ତୋ ତହୁଁ ଗୁଣେ ଅଧିକ ହୋଇବେ ତୋ ସୁତଦେଖୁଥିବୁ ତୋର ଆଗେ ସର୍ବେ ହେବେ ହତ ।ବୃଦ୍ଧ ପିତାମାତା ଆମ୍ଭେ ଅଛୁରେ ଜୀବନେଆମ୍ଭ ଆଗେ ଆମ୍ଭ ପୁତ୍ର ମାଇଲୁ କେସନେ ।ନନ୍ଦ ଯଶୋଦା ଦେବକୀ ବସୁଦେବ ଥିବେତୋହର ମରଣ ବୃଦ୍ଧକାଳେ ସେ ଦେଖିବେ ।ତୁହରେକୃଷ୍ଣ ଯେତେବେଳେହେବୁପ୍ରାଣେନାଶତୋ ବନ୍ଧୁ ପୁତ୍ରରୁ କେହି ନଥିବେ ତୋ ପାଶମୋର ପୁତ୍ର ମଲା ମୁଖ ନ ଦେଖିଲି ମୁହିଁତୋ ପୁତ୍ର ମୁଖ ନ ଦେଖି ମରିବୁରେ ତୁହି ।ମୋପୁତ୍ର ମୋ ମୁଖେଯେବେ ନଦେଲାରେ ଅଗ୍ନିନ ପାଇଲି ଯେବେ ତାର କରୁ ପିଣ୍ଡପାଣି ।ବନ୍ଧୁମାନେଯେବେ ମୋତେ କରିବେ ସଂସ୍କାରପୁତ୍ର ଜାତ କରି ଯେବେ ଏ ଗତି ମୋହର ।ତୋର ପୁତ୍ରେ ତୋ ମୁଖରେ ନଦେବେ ଅନଳନ ପାଇବୁ ତାହାଙ୍କର କରୁ ଜଳ ତିଳ ।ତୋର ବନ୍ଧୁମାନେ ତୋତେ କରିବେ ଦହନଆଉ କେତେ କହିବି ତୁ ଦେବକୀ ନନ୍ଦନ ।ଏତେବୋଲି କୃଷ୍ଣଙ୍କୁ ସେ କୋଳରେ ଧଇଲେଶ୍ରୀମୁଖେ ଚୁମ୍ବନ ଦେଇ ବିନୟେ କହିଲେ ।ମାଗୁଅଛି ବାବୁ ମୋର ଘେନିବୁ କଥାଏକୃଷ୍ଣ ନାମ ଅଟଇ ମୋ ବାଳୁତ ତନୟେ ।ତାକୁ ନ ମାରିବୁ କହୁଅଛି କର ଧରିତୋହର ଜ୍ୟେଷ୍ଠ ଭାଇରେ ଅଟେ ହଳଧାରୀ ।ତା ତହୁଁ ଅଧିକ କରି ପ୍ରତି ପାଳିଥିବୁମୋହର ଶପଥ ତୋତେ ତାକୁ ନ ମାରିବୁ ।ସେ ତ ବାଳକ ନନ୍ଦନ କିଛି ନ ଜାଣଇଗୃହରୁ ବାହାର ଆଜିଯାଏ ହୋଇନାହିଁ ।କଂସକୁ ଦେଖିଲେ ସେହୁ ଭୟ କରୁଥାଇରଖିବୁ ତୋହର ସଙ୍ଗେ କହୁଅଛି ମୁହିଁ ।ଯହିଁ ଯାଉଥିବୁ ତାଙ୍କୁ ସଙ୍ଗେ ନେଉଥିବୁହଂସକ ଡିମ୍ବକ ସଙ୍ଗେ ତାକୁ ନ ଛାଡ଼ିବୁ ।ତୋ ସଙ୍ଗରେ ବିଦ୍ୟାପାଇଁ ଗୁରୁଘରେ ନେବୁବିପତ୍ତି ପଡ଼ିଲେ ତାକୁ ରକ୍ଷା କରୁଥିବୁ ।ଏତେକ ମୁଁ ମାଗୁଅଛି ମୋତେ କୃଷ୍ଣ ଦିଅତୁ ମୋହର ଅଟୁ ଜ୍ୟେଷ୍ଠ ଦୁହିତାର ପୁଅ ।ରାଣୀର ବଚନେ କୃଷ୍ଣ ବୋଲନ୍ତି ଗୋ ଆଈମାମୁଁ ସିନା ମରୁ ମୋର ଭିନ୍ନାଭିନ୍ନ ନାହିଁ ।ଏ ମର୍ତ୍ତ୍ୟମଣ୍ଡଳେ ଯେହୁ ହେଇବେ ଗୋ ଜାତଘଟିବ ତାହାର ଦିନେ ମରଣ ନିଶ୍ଚିତ ।ସେଥିପାଇଁ ଆଈ ମୁଁ ଗୋ ନ ପାରଇ କହିତୋ କଥା ପାଳିବି ସତ୍ୟ କହୁଅଛି ମୁହିଁ ।କୃଷ୍ଣ ବଚନରେ ଇନ୍ଦୁମତୀ ହୃଷ୍ଟ ହୋଇତାଙ୍କ ସଙ୍ଗେ ଅନ୍ତଃପୁରୁ ବାହାର ହୁଅଇ ।ବଧୂଙ୍କର ପାଶେ ଉଗ୍ରସେନ ଥିଲେ ଯାଇଯାଇ ପ୍ରବେଶିଲେ ଇନ୍ଦୁମତୀ ବେଗେ ତହିଁ ।ବସି ବଧୂମାନଙ୍କର ସଙ୍ଗେ ଦୁଃଖ ଭାଳିଉଗ୍ରସେନ ପାଶକୁ ସେ ଗଲେ ବନମାଳୀ ।ବଧୂମାନଙ୍କୁ ବୁଝାଇ ଭୋଜ ଦଣ୍ଡଧାରୀହଂସକ ଡିମ୍ବକ ବେନି ଭାଇ କର ଧରି ।ଦେବକୀ ବସୁଦେବଙ୍କ ପାଶେ ପ୍ରବେଶିଲେଦୂରୁ ଦେଖି ବସୁଦେବ ପାଛୋଟି ଅଇଲେ ।ଦରଶନ କରି ପାଦତଳରେ ପଡ଼ିଲେକୃଷ୍ଣ ବଳରାମ ସଙ୍ଗେ ଅଛନ୍ତି ଦେଖିଲେ ।କର ଧରି ଚଳାଇଛି କଂସ ବେନିସୁତରାଜା ସମ୍ଭାରେ ଆସିଛି ମଥୁରାର ନାଥ ।ଏମନ୍ତ ଦେଖି ଦେବକୀ କିଛି ନ କହନ୍ତିଶୋକଭର ହୋଇ ମୁଖ ପୋତି ବସିଛନ୍ତି ।ମନେ ବିଚାରଇ ମୋର ଷଡ଼ପୁତ୍ର ମଲେକଂସର ପୁତ୍ରଙ୍କୁ ଧରିଅଛି କୁତୂହଳେ ।ତାହାଙ୍କୁ ଦେଖିଲେ ମୋର ହୃଦୟ ଜଳଇମୋ ପୁତ୍ର ସଙ୍ଗରେ ତାଙ୍କୁ ଆଣିଛି ଦେଖାଇ ।ଏ ମଲେ ସିନା କଂସର ବଂଶ ଯିବ ନାଶପୁତ୍ର କଷ୍ଟ ପାଶୋରି ମୁଁ ଲଭିବି ସନ୍ତୋଷ ।ମୋର ପୁତ୍ର କୃଷ୍ଣ କରେ ହୁଅରେ ବିନାଶଯେତେ ଦୁଃଖ ଦେଇଅଛି ତୁମ୍ଭ ବାପ କଂସ ।ମନେ ପଡ଼ିଲେ ହୃଦୟ ହୁଏ ମୋର ହାଣିନାତିମାନଙ୍କୁ ଦେଖାଏ ମୋର ପାଶେ ଆଣି ।କୃଷ୍ଣଙ୍କୁ ଦେଖି କଂସର ହୋଇଲା ମରଣତେଣୁ ସିନା ମଧୁପୁରେ ହୋଇଲା ରାଜନ ।କୃଷ୍ଣ ଯେବେ ମଧୁପୁରେ ହୋଇଥାନ୍ତା ରାଜାକାହୁଁ ମଧୁପୁରେ ତାତ ପାଇଥାନ୍ତା ପୂଜା ।ଏବେ ବଧୂନାତି ଧରି କରିବ ସେ ଭୋଗଏମନ୍ତେ ପାଞ୍ଚି ଦେବକୀ ମନେ କଲେ ରାଗ ।ଅନ୍ତର୍ଯ୍ୟାମୀ ନାଥ କୃଷ୍ଣ ତାଙ୍କ ମନ ଜାଣିବେନିକର ଯୋଡ଼ି ପଦେ ପଡ଼ିଲେ ତକ୍ଷଣି ।ବୋଲନ୍ତି ଗୋ ମାଏ ଶୁଣ ମୋହର ବଚନଯଦି ଭାଲପଟେ ବିହି କରିଛି ଲିଖନ ।ସବୁଦିନେ ଦୁଃଖ ମାଗୋ ନଥାଏ କାହାରିସବୁଦିନେ ସୁଖ କେହି ନଥାଏ ଆବୋରି ।ଦୁଃଖସୁଖ ପ୍ରାଣୀ ସିନା କରୁଥାଇ ଭୋଗସକଳ ଘଟେ ବିଧାତା କରିଛି ସଂଯୋଗ ।ପୂର୍ବଶାପ ଥିଲା ମାଗୋ ବନ୍ଦୀଘରେ ଥିଲବିହି ଲିହିଥିଲା ପୁତ୍ର ମରଣ ଦେଖିଲ ।ସର୍ବଦା ବିପତ୍ତି ଗୃହ କରିଣ ନ ଥାଇଜନମିଲେ ପ୍ରାଣୀ ମାଗୋ ନିଶ୍ଚୟ ମରଇ ।ଯେ ଯାହା ଅର୍ଜିଥାଇ ସେ ତାହାକରେଭୋଗତୁମ୍ଭ ଭାଲପଟେ ଥିଲା ପୁତ୍ର କଷ୍ଟଯୋଗ ।ବିନା ଦୋଷେ ମାମୁଁ ନାଶ କଲେ ଷଡ଼ଭାଇତେଣୁକରି ତାକୁ ମାଗୋ ଦଣ୍ଡିଲାଟି ବିହି ।ଅକାରଣେ ତୋତେ ଯେଣୁ ଦେଲା ଗର୍ଭକଷ୍ଟତାହାର ଧର୍ମକୁ ସେ ଗୋ ନିଜେ କଲା ନଷ୍ଟ ।ଧର୍ମ ଯେବେ ସତ୍ୟ ମାଗୋ ଅଟଇ ଜଗତେନ ମରିବ ପୁତ୍ର ତବ ଦେଖିବ ସାକ୍ଷାତେ ।ଭାଇମାନଙ୍କୁ ଦେଖିବ କହୁଛି ମୁଁ ସତ୍ୟଧର୍ମବଳେ ଧରା ଯେବେ ହୁଏ ଆତଯାତ ।ଏବେ ତୁମ୍ଭ ଦୁଃଖ ଅନ୍ଧକାର ଦୂର ହେଲାଭାଗ୍ୟ ନଭେ ସୁଖ ଶଶୀ ଆସି ପ୍ରବେଶିଲା ।ଆଉ ତୁମ୍ଭଙ୍କୁ ଦୁଃଖ ଯେ ନପାରଇ ଘାରିପିତା ତ ତୁମ୍ଭର ମଧୁପୁରେ ଦଣ୍ଡଧାରୀ ।ଆମ୍ଭେ ଏବେ ସୁଖେ ମଧୁନଗରେ ରହିବାତୁମର ପିତା ତ ରାଜା କାହାକୁ ଡରିବା ।ଆମ୍ଭମାନଙ୍କୁ ଗୋ ଅଜା କେଭେ ନ ଛାଡ଼ିବେଦେବକୀ ଦୁହିତା ମୋର ନାତିଏ ବୋଲିବେ ।କଂସର ବଂଶକୁ ମୁଁ ଗୋ କରିବି ବିନାଶମେଦିନୀରେ ତେବେ ସିନା ରହିବ ମୋ ଯଶ ।ଶୁଣ ଆଗୋ ମାଏ ଆମ୍ଭ ଭାଲପଟେ ବିହିରାଜଯୋଗ ଲେଖି ନାହିଁ ରାଜା ହେବା କାହିଁ ।ଦେବକୀ ବୋଇଲେ ତୁହି ଶୁଣ ଦାମୋଦରଆଉ ଦୁଃଖ ଭାଲପଟେ ଅଛି କି ମୋହର ।ପୁଣି କି ଦୁଃଖ ପଡ଼ିବ କହରେ କହ୍ନାଇଆଉ ଦୁଃଖେ ପଡ଼ିଲେ ମୁଁ ନ ପାରିବି ସହି ।ଆଗରୁ ଶରୀର ମୋର କରିବି ଦହନକହନ୍ତି ଦେବକୀ ବାକ୍ୟ ଶୁଣି ନାରାୟଣ ।ଶୁଣ ଗୋ ଜନନୀ ଏବେ କହୁଅଛି ମୁହିଁବିଧାତା ଲିଖନ କଥା ଜାଣିଲି ମୁଁ କାହିଁ ।ଶୁଣିଥିଲି ମୁନି ମୁଖୁ ଗୋପପୁରେ ରହିସୁଖ ଭୋଗ ଯେ କରଇ ଦୁଃଖ ସେ ଭୋଗଇ ।କାଳେ ସୁଖ ଯାଇ ଦୁଃଖ ଲଭଇ ପ୍ରକାଶପୁଣି ଦୁଃଖ ଯାଇ ସୁଖ ଆସଇ ଅବଶ୍ୟ ।ପୁଣି ସେ ଦୁଃଖ ଯେବେଟି ଅଳ୍ପଦିନେ ଯାଏଦୁଃଖ ନ ମଣି ମଣିବ ତାକୁ ସୁଖ ପ୍ରାୟେ ।ଜନମରେଯେବେ ଦୁଃଖଭୋଗ କରୁଥାଇସମ୍ପଦ ମିଳିଲେ ତାହା ମନେ ନ ପଡ଼ଇ ।କେବଳ ସମ୍ପଦ ମନେ ହେଉଥାଏ ଘାରିବିପଦ କିପରି ବୋଲି ନ ପାରେ ବିଚାରି ।କେବେହେଁ ବିଷ୍ଣୁର ପାଦେ ସେବା ନ କରଇହରିନାମ ତାକୁ ବିଷ ପୁରାଏ ଲାଗଇ ।ଯେ ଜନ ନସେବେ ହରି ମୋତେ ନୃତ୍ୟଗୀତେକିପରି ପଦାର୍ଥ ବିଷ୍ଣୁ ନ ଭାବଇ ଚିତ୍ତେ ।ପରବିତ୍ତ ପରଦାର ହିଂସା ଯେ କରଇକେବଳ ରାତ୍ର ଦିବସେ ପାପ ଚିନ୍ତୁଥାଇ ।ଜୀବ ମାରିବାରେ ମନ ଥାଏ ନିରନ୍ତରକ୍ଷୁଧାର୍ତ୍ତେ ତୃଷାର୍ତ୍ତେ ଦେଖି ମାରିକରେ ଦୂର ।ସୁଖିଲୋକ ହରିନାମ ମନୁ ପାଶୋରଇକେବଳ ପ୍ରାଣୀର ନାମ ନିରତେ ପାଞ୍ଚଇ ।ଏମନ୍ତ ସୁଖରେ ମାତା ନ ବଳାଅ ମନସୁଖୀ ହୁଅ ହରିନାମ ସ୍ମରି ନିଶିଦିନ ।ଯହୁଁ ଦେବକୀ ଏମନ୍ତ ବଚନ ଶୁଣିଲେଉଗ୍ରସେନ ପାଦତଳେ ଯାଇ ପ୍ରଣମିଲେ ।ଦେଖି ଉଗ୍ରସେନ ନିଜ କନ୍ୟାକୁ ଉଠାଇବୋଇଲେ ଦେବକୀ ଭାଗ୍ୟବତୀ ଅଟୁ ତୁହି ।ରାମକୃଷ୍ଣ ବେନିଭାଇ ପାଳନ୍ତୁ ଏ ପୁରମୁଁ ତାଙ୍କ ସେବକ ହୋଇଥିବି ନିରନ୍ତର ।ଅନ୍ତଃପୁରେ ବଧୂଗଣ ସେବିବେ ଗୋ ତୋତେଯାବତ ଭଣ୍ଡାର ତୁ ଗୋ ସମ୍ଭାଳ ଦୁହିତେ ।କୃଷ୍ଣ ବାକ୍ୟ ଶୁଣି ଉଗ୍ରସେନ ଭୟ କଲେକଂସ ବେନି ପୁତ୍ର ତାଙ୍କ ପାଦେ ପକାଇଲେ ।ବିଚାରିଲା କଂସ ବଂଶ କରିବେ ଏ ନାଶଶୁଣିଲ କହିଲେ ମାତ ଆଗେ ପୀତବାସ ।ତାର ଷଡ଼ପୁତ୍ର ଆଣିଦେବେ ଦଇତ୍ୟାରୀତେବେ ଯାଇ ହେବେ ତାରମନ ତୋଷକାରୀତା ଦେଖି ଦେବକୀ ମନୁ କଷ୍ଟ ପାଶୋରିବଏମନ୍ତ ପ୍ରକାରେ ରାଜା ମନେକଲେ ଭାବ ।ରାମକୃଷ୍ଣ ସହ ବେନି ନାତି କର ଧରିସିଂହଦ୍ୱାରେ ପ୍ରବେଶିଲେ ଆସି ଦଣ୍ଡଧାରୀ ।ରହିଛନ୍ତି ଅଶ୍ୱ ହସ୍ତୀ ପଦାତି ଅପାରଶଙ୍ଖ ଭେରୀ ତୂରୀ ଯେ ବାଜଇ ନିରନ୍ତର ।ବାଦ୍ୟର ଶବଦେ କମ୍ପୁଅଛି ମଧୁପୁରକହି ନ ନୁହଇ ଆନନ୍ଦ ମଥୁରାପୁରର ।ନାନାଜାତି ବାଦ୍ୟମାନ ଆନନ୍ଦେ ବାଜଇପାତ୍ର ଅମାତ୍ୟ ସକଳେ କରଯୋଡ଼ି କହି ।ବଜାଇ ବିବିଧ ବାଜା ଅଙ୍ଗବଳ ନେଇମଧୁପୁରେ ପର୍ଯ୍ୟଟନ କର ନରସାଇଁ ।ଶୁଣି ଉଗ୍ରସେନ ଶ୍ୱେତ ହସ୍ତୀ ମଣ୍ଡାଇଲାରାମକୃଷ୍ଣ ବେନିଭାଇ ତହିଁ ବସାଇଲା ।ଅନ୍ୟ ଶ୍ୱେତ ହସ୍ତୀ ପରେ ନନ୍ଦ ବସୁଦେବବସାଇଲେ ଉଗ୍ରସେନ କରିଣ ଗୌରବ ।ଯେତେକ ଗୋପାଳସୁତେ କୃଷ୍ଣସଙ୍ଗେ ଥିଲେସମସ୍ତେ ଅଶ୍ୱ ଉଷ୍ଟ୍ରାଦି ପୃଷ୍ଠେ ଆରୋହିଲେ ।ମଥୁରା ନଗର ରାଜା ପାତ୍ର ମନ୍ତ୍ରୀମାନେଅଶ୍ୱ ହସ୍ତୀ ଆରୋହିଲେ ଆନନ୍ଦିତ ମନେ ।ନିଜେ ରାଜା ଏକ ଶ୍ୱେତ ହସ୍ତୀ ଆରୋହିଲାକଂସର ବେନି ପୁତ୍ରକୁ ପାଶେ ବସାଇଲା ।ମଣିମା ମଣିମା ବୋଲି ଡାକଇ ଖୁଣ୍ଟିଆବାଦ୍ୟର ଶବଦେ ତହିଁ ଚମକଇ ହିଆ ।ନାଚନ୍ତି ନର୍ତ୍ତକୀଗଣ ଅତି ଆନନ୍ଦରେରାଜଦାଣ୍ଡେ ଉଗ୍ରସେନ ଚଳେ ଧୀରେ ଧୀରେ ।ଶୂନ୍ୟେ ଦେବଗଣ ଦେଖି ଭଜିଲେ ଆନନ୍ଦମଧୁପୁର ପର୍ଯ୍ୟଟନ କରନ୍ତି ଗୋବିନ୍ଦ ।ପାରିଜାତ ପୁଷ୍ପ ଆଣି ବୃଷ୍ଟିକଲେ ଦେବେବିଚାରିଲେ ମହୀଭାରା ଦୂର ହେଲା ଏବେ ।ମଧୁପୁର ଦେଖି କୃଷ୍ଣ ହରଷ ହୋଇଲେନଗ୍ର ଦ୍ୱାର ପାଶେ ଫେରି ସିଂହଦ୍ୱାରେ ଗଲେଉଗ୍ରସେନ ପାତ୍ରମନ୍ତ୍ରୀମାନଙ୍କୁ ଡକାଇଜଣ ଜଣ କରି ଶାଢ଼ୀ ବଳା ସେ ଦିଅଇ ।ଯେ ଯାହା ପୁରକୁ ଯାଅ ବୋଲି ଆଜ୍ଞାଦେଲେରାମକୃଷ୍ଣ କର ଧରି ଅନ୍ତଃପୁର ଗଲେ ।ରତ୍ନପଲ୍ୟଙ୍କ ଉପରେ ବିଜୟ କରାଇପୁଣି ଉଗ୍ରସେନ ସର୍ବ ଗୋପାଳ ଡକାଇ ।ସମସ୍ତ ଯାଦବ ବଂଶ ଡକାଇ ଆଣିଲାନନ୍ଦ ବସୁଦେବ ଘେନି ଆପଣେ ବସିଲା ।ଇନ୍ଦୁମତୀକି ଅନାଇ ବୋଲଇ ବଚନମଣୋହି ଯୋଗାଡ଼ ତୁମ୍ଭେ ବେଗକରି ଆଣ ।କାଲିଠାରୁ ରାମକୃଷ୍ଣ ଅଛନ୍ତି ଗୋ ଭୋକେକିଛି ନଖାଇ ଗୋପାଳେ ଅଛନ୍ତିଟି ଦୁଃଖେ ।ନନ୍ଦ ଭୋକେ ଅଛନ୍ତି ଗୋ ଶୁଣ ବଧୂଗଣେଅମୃତ ଯୋଗାଡ଼ମାନ ଆଣ ଗୋ ବହନେ ।ସୁବର୍ଣ୍ଣ ଝରିରେ ନୀର ନନ୍ଦକୁ ଯେ ଦେଲେବସୁଦେବର ପାଦକୁ ନିଜେ ପଖାଳିଲେ ।ରାମ କୃଷ୍ଣ ପାଦ ଧୋଇ ହୋଇଲେ ଆନନ୍ଦଏହି ସମୟେ ରାଜାକୁ କହିଲେ ଗୋବିନ୍ଦ ।କଥାଏ କହିବି ରାଜା ଶୁଣ ମନଦେଇତୁମ୍ଭେ କର ମଣୋହି ମୁଁ ପରେ ଭୁଞ୍ଜିବଇଁ ।ଅକ୍ରୂର ଗୋପରୁ ମୋତେ ଯେ କାଳେ ଆଣିଲାମଧୁବନେ ରହିଲୁ ସେ କଂସକୁ କହିଲା ।ରାଜ ଦର୍ଶନେ ନିମନ୍ତେ ଆସୁ ବେନିଭାଇମାରୁଥୁଲା କୁବଳୟା ସିଂହଦ୍ୱାରେ ରହି ।ଚାଣୁର ମୁଷ୍ଟିକ ନେଉଥିଲେ ଆମ୍ଭ ପ୍ରାଣସେଠାରୁ ବଞ୍ଚିଲୁ ଆମ୍ଭେ ଶୁଣ ହେ ରାଜନ ।ମାଲମାନଙ୍କର ସୁତେ ମାରୁଥିଲେ ଧରିଆକୁଳ ହୋଇଲେ ଦେଖି ସର୍ବ ମଧୁନାରୀ ।ରାମକୃଷ୍ଣ ନ ମାରନ୍ତି ବୋଲି ମନାସିଲେକେ ବୋଲେ ରଖ ଈଶ୍ୱର ଏ ସଙ୍କଟକାଳେ ।କେ ବୋଲଇ ରାମକୃଷ୍ଣେ ରଖ ମା ମଙ୍ଗଳାକେ ଗ୍ରାମଦେବତୀ ମନେ ସୁମରଣା କଲା ।ରଙ୍ଗ ମନ୍ଦାର ସିନ୍ଦୂର ପୁଣି ରଙ୍ଗ ଶାଢ଼ୀଲକ୍ଷେକ ଛାଗଳ ସହ ଦେବି ରତ୍ନଚୂଡ଼ୀ ।ମେଷ ମହିଷ ତୋତେ ଗୋ ଦେବି ମହାମାୟୀଯେବେ ଜିଣନ୍ତି ଯୁଦ୍ଧରେ ରାମକୃଷ୍ଣ ଦୁଇ ।ଏହିରୂପେ ମଧୁପୁର ନରନାରୀ ଯେତେମୋପାଇଁ ଆକୁଳେ କହି ଅଛନ୍ତି ସମସ୍ତେ ।ଦେବତାମାନଙ୍କୁ ଦେବ ଭୋଗ ଦ୍ରବ୍ୟମାନଆକୁଳେ ମନାସିଛନ୍ତି ମଧୁପୁର ଜନ ।କୁବଳୟା ଗଜ ଯେତେବେଳେ ଫିଙ୍ଗିଦେଲାଦେଖଣାହାରୀଙ୍କ ନେତ୍ରୁ ଅଶ୍ରୁପାତ ହେଲା ।ସେମାନଙ୍କ ପୁଣ୍ୟରୁ ମୁଁ ପାଇଲି ଜୀବନଦେବଋଣ ନଦେଇ ନ କରିବି ଭୋଜନ ।କଂସ ମଲା ଆମ୍ଭର ତ ଜୀବନ ବଞ୍ଚିଲାତୁ ରାଜା ହୋଇଲୁ ତୋର ବାସ୍ଥାସିଦ୍ଧହେଲା ।ମାତା ପିତାଙ୍କ ଚରଣୁ ଶାଙ୍କୋଳୀ ଫିଟିଲାଦେବାଦେବୀଙ୍କର କୃପାରୁ ଦୁଃଖ ଦୂର ହେଲା ।କିମ୍ପାଇଁ ଦେବତା ଋଣ ରଖିବି ଯେ ମୁହିଁଦେବତାମାନେ ତ ତାଙ୍କୁ ମାଗିଯିବେ ନାହିଁ ।ସେହି ନାରୀଜାତି ସିନା ମନୁ ପାଶୋରିବେନ କହନ୍ତି କଥା ଦେବେ କେମନ୍ତ ମାଗିବେ ।ମୋ ଲାଗି ଆକୁଳେ ଯାଚିଛନ୍ତି ନରନାରୀକାର୍ଯ୍ୟସିଦ୍ଧ ହେଲା ମନେ ନଥିବ କାହାରି ।ନ ପାଇଲେ ପୂଜା ଦେବୀମାନେ କ୍ରୂଦ୍ଧହେବେଆଉ ବେଳେ କହିଲେ ସେ କିମ୍ପାଇଁ ଶୁଣିବେଶୁଣ ଆହେ ଅଜା ତୁମ୍ଭେ ମୋହର ବଚନଭଣ୍ଡାରୁ ଅଣାଅ ଦେବଯୋଗ୍ୟ ଦ୍ରବ୍ୟମାନ ।ଭଣ୍ଡାରେ ନଥିଲେ ଆଣ ବିପଣୀରୁ ଯାଇଁତହିଁ ନ ମିଳିଲେ ଆଣ ଗୋପପୁରୁ ତୁହି ।ମୋହଠାରୁ ଲେଖାନେଇ ଯିବେ ଦୂତଗଣଗୋପୀଙ୍କି କହି ଆଣିବେ ପୂଜା ଦ୍ରବ୍ୟମାନ ।ଶ୍ରୀକୃଷ୍ଣ ବଚନ ଶୁଣି କହେ ନରବରକିପରି ଏ ମଧୁପୁର ହୋଇଲା ମୋହର ।ତୁ ଯେ ବୋଲୁଅଛୁ ମଧୁପୁରୁ ଦ୍ରବ୍ୟ ଆଣତହିଁରେ କି ଅଧିକାର ମୋର ଭଗବାନ ।ଗୋପପୁର ହେଲା ତୋର ନୋହିଲା ଏ ପୁରଏମନ୍ତ ବଚନ କିମ୍ପା ଭାଷୁ ଚକ୍ରଧର ।ତୁ ଯେବେ ଏମନ୍ତ କଥା କହୁ ଭାବଗ୍ରାହୀତେଣେ ରାଜପଣ ନେବା ମୋର ନ ଯୋଗାଇମୁଁ ତାର ଭୃତ୍ୟର ଭୃତ୍ୟ ଅଟେ ନାରାୟଣକିମ୍ପା ଏ ଜଞ୍ଜାଳ ନେବି ଛାଡ଼ି ତୋ ଚରଣ ।ଶ୍ରୀକୃଷ୍ଣ ବୋଇଲେ ଅଜା ନ କହ ଏ ମାନମାମୁଁ ମଲା ଅରାଜକ ହେଲା ଏ ଭୁବନ ।ମୁଁ ଯେବେ ହୋଇବି ରାଜା ନିନ୍ଦିବେ ସକଳେବୋଲିବେ କଂସକୁ ମାରି କୃଷ୍ଣ ରାଜ୍ୟନେଲେଦୁଷ୍ଟ ବୋଲି ତାକୁ ଦେବେ କଲେ ସେ ସଂହାରନ ଥିଲା କିତାର ପିତା ଉଗ୍ରସେନ ବୀର ।ଅଛନ୍ତି ପୁଣି ତାହାର ଦୁଇ ଶିଶୁ ସୁତପିତାଙ୍କୁ ବିନାଶି ତାଙ୍କୁ କଲେଟି ଅନାଥ ।ଏମନ୍ତ ଅଖ୍ୟାତ ମୋତେ ନ ଦିଅ ନରେଶଗୋ ବ୍ରାହ୍ମଣ ହିତେ ସିନା କଂସ ଗଲା ନାଶ ।ରାଜ୍ୟ ଲୋଭେ ମାମୁଁଙ୍କୁ ମୁଁ କରିନାହିଁ ହତକିମ୍ପାଇଁ ଏମାନ ମୋତେ କହୁ ନରନାଥ ।ଶୁଣି ଉଗ୍ରସେନ ଚାରମାନଙ୍କୁ ହକାରିବୋଇଲା ସଖୀମାନଙ୍କୁ ଆଣ ବେଗକରି ।ଆଜ୍ଞାପାଇ ଚାରଗଣ ବେଗେ ଧାଇଁଗଲେପାତ୍ର ଅମାତ୍ୟମାନଙ୍କୁ ହକାରି ଆଣିଲେ ।ସେମାନଙ୍କୁ ଚାହିଁ ଆଜ୍ଞାଦେଲେ ନରବରଭଣ୍ଡାରୁ ଅଣାଅ ଦେବପୂଜାର ସମ୍ଭାର ।ରାଜଆଜ୍ଞା ପାଇ ମନ୍ତ୍ରୀ ଭଣ୍ଡାର ଫିଟାଇପୂଜା ଉପଚାରମାନ ଆଣିଲେ ବୁହାଇ ।ଦେଖି ଉଗ୍ରସେନ ବୀର ଶ୍ରୀକୃଷ୍ଣେ ଜଣାଇଉପହାରମାନ ସବୁ ଆସିଲା ଗୋସାଇଁ ।କିପରି ଜାଣିବ ଦୂତେ କାହାଘରେ ଦେବେକି ଉପାୟ ନାରୀମାନେ ଏ ସବୁ ପାଇବେ ।ଉଗ୍ରସେନ ବାକ୍ୟେ କୃଷ୍ଣ ଲେଖନ ପତରଧରିଣ କହିଲେ ନାମ ସର୍ବ ନାରୀଙ୍କର ।ଯେ ଯାହା ମନାସିଲେ ତାହା ସେ ଦେଖିଲେଗୋଟିଏ ନାମ କାହାରି ତହୁଁ ନ ଛାଡ଼ିଲେ ।ସାହି ସାହି କନ୍ଦି କନ୍ଦି ଘର ଘର କରିମଧୁ ନାରୀଙ୍କର ନାମ ଲିହିଲେ ଶ୍ରୀହରି ।ବ୍ରହ୍ମାଣ୍ଡନାଥ ସେ ସର୍ବ ଘଟେ ପୂରିଅଛିତାହାକୁ ବା କାହା ନାମ ଅଗୋଚର ଅଛି ।ଏସନକ ପତ୍ରେ ଲେଖି ରାଜା ମୁଖ ଚାହିଁବୋଇଲେ ହେ ରାଜା ଏହି ପତ୍ର ନିଅ ତୁହି ।କୁଳ ପୁରୋହିତଙ୍କର ହସ୍ତେ ଏହା ଦେବୁବଡ଼ପାତ୍ରଙ୍କୁ ତାହାଙ୍କ ସଙ୍ଗେ ପଠାଇବୁ ।ବୋଲିବୁ ଏ ପତ୍ରେ ଯାହା ଯାହା ନାମ ଅଛିଲେଖିଛନ୍ତି କୃଷ୍ଣ ଯେବା ଯାହା ମନାସିଛି ।କୃଷ୍ଣର ଶ୍ରୀମୁଖ ଏହା ହସ୍ତେ ଥିବ ଧରିଡାକି କହିବ ନିଅ ଗୋ ଆସି ମଧୁନାରୀ ।ଯା ନାମ ପତ୍ରରେ ହୋଇଥିବଟି ଲିଖନଯେ ଯାହା ବୋଲିବ ତାହା ଦେବ ତତକ୍ଷଣ ।ଗୁଣେ କହିଲେ ଅଧିକ ଶତଗୁଣେ ଦେବଲୋଭ ନ ରଖିବ ତୁମ୍ଭେ ଶୁଣ ହେ ଗାର୍ଗବ ।ବୋଲିବ ହେ କୁବଳୟା ରହି ସିଂହଦ୍ୱାରେରାମକୃଷ୍ଣଙ୍କୁ ସେ ମାରୁଥିଲା ଯେତେବେଳେ ।ତୁମ୍ଭେ ଦେଖିଣ ମନରେ ଆକୁଳ ହୋଇଲାଗ୍ରାମ ଦେବାଦେବୀଙ୍କି ଗୋ ପୂଜା ମନାସିଲ ।ସ୍ୱପନେ ସେ ଦେବାଦେବୀ କୃଷ୍ଣଙ୍କୁ କହିଲେଦିବସରେ କୃଷ୍ଣ ଯହୁଁ ଶୟନ କରିଲେ ।ତେଣୁ କୃଷ୍ଣଚନ୍ଦ୍ର ଦେଇଛନ୍ତି ପଠିଆଇଯେ ଯାହା ଯାଚିଛ ନିଜେ ପୂଜାକର ଯାଇ ।ଯାହା କହିବେ ସେମାନେ ତାହା ତାଙ୍କୁ ଦେବନ ଅଣ୍ଟିଲେ ଆସି ମୋର ପାଶେ ଜଣାଇବ ।ପୂଜାବିଧିମାନ ଦେଇ ଆସ ବେଗହୋଇତୁମ୍ଭେ ଆସିଲେ ଶ୍ରୀକୃଷ୍ଣ କରିବେ ମଣୋହି ।ଏତେ କହି କୃଷ୍ଣ ପତ୍ର ରାଜା କରେ ଦେଲେସେ ପତ୍ର ଧରି ବାହାରେ ରାଜା ବିଜେକଲେ ।ରାଜପୁରୋହିତେ ଡାକି କହିଲେ ବଚନପାତ୍ରମନ୍ତ୍ରୀ ଘେନିଯାଅ ମଥୁରା ଭୁବନ ।ଭଣ୍ଡାର ଘରୁ ସକଳ ଦ୍ରବ୍ୟ ଘେନିଯିବନଥିବା ପଦାର୍ଥ କିଣି ବିପଣୀରୁ ଦେବ ।ଶୁଣି ମନ୍ତ୍ରୀ ପୁରୋହିତ କୃଷ୍ଣଲେଖା ଧରିବୁଲିଲେ ନଗରେ ପ୍ରତି ନାରୀ ନାମ ଧରି ।ଡାକିଲେ ଗୋ ମଧୁନାରୀମାନେ ଏବେ ଶୁଣଯାହା ଯାହା ତୁମ୍ଭେମାନେ ପାଞ୍ଚିଥିଲ ମନ ।ଗ୍ରାମଦେବାଦେବୀ ସେବା ପାଞ୍ଚିଲ ମନରେସଫଳ ହୋଇଛି ବାଞ୍ଛା ତାହାଙ୍କ କୃପାରେ ।ଲକ୍ଷ୍ମୀ ନାରାୟଣ ଶିବ ଗଉରୀଙ୍କ ପାଦେପୂଜା କରିବୁ ଶ୍ରୀକୃଷ୍ଣ ଜୟକଲେ ଯୁଦ୍ଧେ ।ଏବେ ସେହି ଯୁଦ୍ଧେ କୃଷ୍ଣ ଜିଣି କଂସାସୁରପଠାଇ ଅଛନ୍ତି ଯେଣୁ ପାଞ୍ଚିଲ ମନର ।ନିଅ ଏବେ ଆସି ତୁମ୍ଭେ ପୂଜା ଦ୍ରବ୍ୟମାନପୂଜାକର ଯାଇ ଦେବାଦେବୀଙ୍କ ଚରଣ ।ତୁମ୍ଭମାନଙ୍କୁ ନବୀନ ବସ୍ତ୍ର ଦେଇଛନ୍ତିନିଅ ତୁମ୍ଭେ ଯେତେ ମଧୁନଗର ଯୁବତୀ ।ଶୁଣି ମଧୁନାରୀମାନେ ମନରେ ବିଚାରିକେମନ୍ତେ ଜାଣିଲେ କୃଷ୍ଣ ମନ ଗୋ ଆମ୍ଭରି ।କେ ବୋଲେ ମନରେ ଯାହା ପାଞ୍ଚିଥିଲି ମୁହିଁସେକଥା ସେ କେଉଁପରି ଜାଣିଲେ ଗୋ ସହୀକେ ବୋଲଇ ସହୀ କେଡ଼େ ଆଶ୍ଚର୍ଯ୍ୟ ଏ କଥାକିପରି ଜାଣିଲେ ସେହୁ ଆମ୍ଭ ମନ କଥା ।ପ୍ରତ୍ୟେକର ନାମ ସଙ୍ଗେ ବାଞ୍ଛିତ ପଦାର୍ଥଲେଖି ପଠାଇ ଅଛନ୍ତି ଦେଖ ଆମ୍ଭ ପତ୍ର ।କେ ବୋଲଇ ଅନ୍ତର୍ଯ୍ୟାମୀ ଅଟନ୍ତି ଗୋ ସେହି ।ନୋହିଲେ ଅନ୍ତର କଥା ଜାଣନ୍ତେ ବା କାହିଁ ।କେ ବୋଲଇ ଭାବବତୀ କଥା ଦେଖିଛ ତକେ ବୋଲଇ ତେଜବତୀ ହୋଇଲେ କେମନ୍ତ ।କେ ବୋଲଇ ପ୍ରିୟବତୀ ଅନଳେ ପଶିଲାଯାହା କହିଛି ସେ କଥା ତାର ସତ୍ୟହେଲା ।କେ ବୋଲଇ ରଜକକୁ ଚାପୋଡ଼େ ମାଇଲେଛାଡ଼ିଲା ତାହାର ମୁଣ୍ଡ ଦେଖିଲ ତ ଡୋଳେ ।କେ ବୋଲଇ କୁବୁଜାକୁ କଲେ ଗୋ ସୁନ୍ଦରୀକେ ବୋଲେ ସୁଦାମ ଦେଇ ଗଳେ ପୁଷ୍ପମାଳିକେହୁ ବୋଲଇ ଧନୁକୁ ବେନିଖଣ୍ଡ କଲେତ୍ରିପୁର ଜିଣିଲା କଂସ ଯାହା ଘେନିକରେ ।କେ ବୋଲଇ କୁବଳୟା ଯେବେ ଫିଙ୍ଗିଦେଲାକୃଷ୍ଣର ବକ୍ଷ ଉପରେ ମାଡ଼ି ସେ ପଡ଼ିଲା ।ସେତେବେଳେ ମନରେ ମୁଁ ପାଞ୍ଚିଥିଲି ଯାହାକେମନ୍ତେ ଜାଣିଲେ କୃଷ୍ଣ ପଠାଇଲେ ତାହାକେ ବୋଲେ କୃଷ୍ଣ ନମରୁ ବୋଲି ମୁଁ ପାଞ୍ଚିଲିପୁଣି ଲକ୍ଷେ ଲକ୍ଷେ ବଳି ଦେବୀଙ୍କୁ ଯାଚିଲି ।କହନ୍ତି ପାତ୍ର ଅମାତ୍ୟ ପଶି ଘରେ ଘରେକୃଷ୍ଣ ଶ୍ରୀହସ୍ତ ଲେଖା ଧରିଛନ୍ତି କରେ ।ଆମ୍ଭମାନଙ୍କର ନାମ ଜାଣିବେ ବା କାହୁଁପତ୍ର ଲେଖିଛନ୍ତି କିଏ କହିଲା ବା ଆଉ ।ନରନାରୀମାନେ ସର୍ବ ଆନନ୍ଦ ମନରେପୂଜାବିଧି ନେଇ ଦେବାଦେବୀଙ୍କି ପୂଜିଲେ ।ଶଙ୍ଖ ଘଣ୍ଟାଘଣ୍ଟି ଧ୍ୱନି ଶୁଭେ ମଧୁପୁରେଅପୂଜିତ ଦେବାଦେବୀ ପୂଜାକୁ ପାଇଲେ ।ମନ୍ତ୍ରୀ ପୁରୋହିତ ଆଦି ସକଳେ ଫେରିଲେରାଜା ଆଗରେ ସମସ୍ତ ବୁଝାଇ କହିଲେ ।ଶୁଣି ଉଗ୍ରସେନ ରାଜା କୃଷ୍ଣ ଆଗେ କହିପୁରୋହିତ ସହକାରେ ଆସିଲେଣି ନେଇ ।ଶୁଣି ଶ୍ରୀକୃଷ୍ଣ ମନରେ ଆନନ୍ଦ ହୋଇଲେବସୁଦେବ ଆଦି ସର୍ବେ ମଣୋହି କରିଲେ ।ମଣୋହି ସାରି ବାହାରେ ଆସି ବିଜେକଲେମାତାପିତା ସଙ୍ଗେ କୃଷ୍ଣ ଆନନ୍ଦ ହୋଇଲେ ।ମଧୁପୁରେ ଉଗ୍ରସେନ ନୃପତି ହୋଇଲେପାତ୍ରମନ୍ତ୍ରୀଗଣ ତାଙ୍କ ସେବାରେ ରହିଲେ ।ଏଥୁଅନ୍ତେ କୃଷ୍ଣ କଲେ ମନରେ ବିଚାରବହୁତ ଦିନରୁ ଶୂନ୍ୟ ହେଲା ଗୋପପୁର ।ମୋତେନଦେଖିଣ ସେ ଯେ ହତାଶ ହୋଇବେଯଶୋଦା ଗୋପୀ ସକଳେ ବାଟ ଚାହିଁଥିବେ ।ଏତେ ବିଚାରି ଶ୍ରୀକୃଷ୍ଣ ନନ୍ଦ ପାଶେ ଯାଇଗୋପାଳ ପୁଅମାନଙ୍କୁ କୁହନ୍ତି ବସାଇ ।ବୋଲନ୍ତି ହେ ତାତ ତୁମ୍ଭେ ଗୋପପୁରେ ଯାଅଗୋପାଳ ପୁଅମାନଙ୍କୁ ସଙ୍ଗତରେ ନିଅ ।କଂସ ମଲା ବୋଲି ଶତ୍ରୁ ହେବ ଉପଗତକାହାକୁ ନଦେଖି ଗୋପେ କରିବ ଉତ୍ପାତ ।ନାରୀ ଅଛନ୍ତି ପୁରୁଷ ତହିଁ ନାହିଁ ଜଣେଗୋରୁବତ୍ସାମାନ ବୁଲୁଥିବେ ଏଣେତେଣେ ।ମୁହିଁ ଚାରିଦିନେ ଛାଡ଼ିଯିବି ଗୋପପୁରଦେଖିଲେ ବିପକ୍ଷ ଭୟ ପଠାଇବ ଚାର ।କଂସମଲା ବୋଲି ଶୁଣି ସକଳ ଦଇତ୍ୟସତ୍ୟ ମିଥା ବୁଝିବାକୁ ପଶୁଛନ୍ତି ଦୂତ ।ଗୁପତରେ ଚାରଗଣ ଦେଖି ଯାଉଛନ୍ତିଦଣ୍ଡୁଆସିମାନେ ଦେଖି ମୋତେ ତା କହନ୍ତି ।ପଡ଼ିଲେ ସାକ୍ଷାତେ ମୋର ନ ପାରିବେ ସେହିତୁମ୍ଭେ ଯାଅ ତାତ ଗୋପପୁରେ ଥିବ ରହି ।ଉଗ୍ରସେନ ଆସି ବୃଦ୍ଧ ହେଲାଣି ରାଜନଏହାର ବଳେ ଅସୁରେ ନୁହନ୍ତି ନିଧନ ।ଏତେ କହି ନନ୍ଦ ତହିଁ ମନକୁ ମୋହିଲେମାୟାରେ ପଡ଼ି ଗୋପାଳ ସୀଉକାର କଲେ ।ନନ୍ଦଗୋପାଳଙ୍କୁ ଧରି କୃଷ୍ଣ ଉଠି ତହୁଁଉଗ୍ରସେନ ପାଶକୁ ଯେ ଗଲେ ମହାବାହୁ ।ଦୂରୁ ନନ୍ଦକୁ ଦେଖିଣ ଉଗ୍ରସେନ ଉଠିଖଣ୍ଡେ ଦୂର ଆସି ପଥୁନେଲା ସେ ପାଛୋଟି ।ରାମ ଶ୍ରୀକୃଷ୍ଣ ନନ୍ଦର ସଙ୍ଗରେ ଅଛନ୍ତିଉଗ୍ରସେନ ରାଜା ପାଦେ ପ୍ରଣାମ କରନ୍ତି ।ଉତ୍ତମ ଆସନେ ରାଜା ବସାଇଲେ ନେଇକହନ୍ତି ଶ୍ରୀକୃଷ୍ଣ ଉଗ୍ରସେନ ମୁଖ ଚାହିଁ ।ବୋଇଲେ ହେ ଅଜା ତୁମ୍ଭେ ଶୁଣ ମୋ ବଚନବହୁତଦିନୁ ଛାଡ଼ିଲୁ ଏ ଗୋପଭୁବନ ।ବୋଇଲେ ନନ୍ଦ ଗୋପାଳେ ଆଜି ସ୍ୱଭୁବନଚାରିଦିନ ଛାଡ଼ି ଆମ୍ଭେ ଯିବୁ ହୋ ବହନ ।ମୋତେନଦେଖିଗୋପାଳେ ହେବେଣି ବିକଳଗୋପୀଏ ନ ଦେଖି ତେଜୁଥିବେ ଅଶ୍ରୁଜଳ ।ସକଳେ ଅଛନ୍ତି ନାରୀଜାତି ଗୋପପୁରେପୁରୁଷ ହୋଇଣ ଜଣେ ନାହିଁ କେ ତହିଁରେ ।ଧେନୁବତ୍ସାମାନେ ଏଣେତେଣେ ଯିବେ କାହିଁଗୋପପୁର ଶୂନ୍ୟ ହୋଇଥିବ ନରସାଇଁ ।ଏଣେ ମାମୁଁ ମଲା ବୋଲି ଅସୁରେ ଶୁଣିବେକୃଷ୍ଣ ମାରିଅଛି ବୋଲି ଗୋପେ ଧାଡ଼ିଦେବେ ।ନ ଦେଖି କାହାକୁ ଗୋପୀମାନଙ୍କୁ ସେ ନେବେମହତ ହରିଣ ଗୋପପୁରି ଉଜାଡ଼ିବେ ।ଯାଆନ୍ତୁ ନନ୍ଦଗୋପାଳେ ଗୋପକୁ ବହନଶ୍ରୀକୃଷ୍ଣ ବଚନ ଶୁଣି କହେ ଉଗ୍ରସେନ ।ବୋଲନ୍ତି ହେ କୃଷ୍ଣ ଶୁଣ ବଚନ ମୋହରକିମ୍ପାଇଁ ନନ୍ଦଗୋପାଳେ ଯିବେ ଗୋପପୁର ।ହେତୀ ପ୍ରହେତୀ ଦେବକୀ ଇନ୍ଦୁମତୀ ରାଣୀରୋହିଣୀ ଆଦି ଯେତେକ ଅଛନ୍ତି କାମିନୀ ।ହାନ୍ଦୋଳା ଘେନି ଅକ୍ରୂର ତାଙ୍କ ସଙ୍ଗେ ଯାଉବାଦ୍ୟକାର ଚାରଗଣ ଯେତେ ଇଚ୍ଛା ନେଉ ।ଯଶୋଦା ସହିତ ଗୋପୀ ଯେତେକ ଗୋପରେଜଣେ ନ ଛାଡ଼ି ଆଣିବ ତାଙ୍କୁ ହାନ୍ଦୋଳାରେମଧୁପୁରେ ମିଳିଣ ହେ ସମସ୍ତେ ରହିବାଅସୁରଙ୍କ ଧାଡ଼ି ଦେଖି କିମ୍ପାଇଁ ଡରିବା ।କହନ୍ତି ଉଗ୍ରସେନର ବାକ୍ୟେ ନାରାୟଣରାଜ୍ୟ ଛାଡ଼ିବା ଉଚିତ ନୁହେଁ କଦାଚନ ।ଅସୁର ବୋଲିବେ କୃଷ୍ଣ କଂସକୁ ମାଇଲାଏବେ ଆମ୍ଭ ଭୟରେ ସେ ଗୋପୁଁ ପଳାଇଲା ।ନୁହଇ ଉଚିତ ଏହା ଶୁଣି ହେ ରାଜନଗୋପପୁରେ ନନ୍ଦରାଜା କରନ୍ତୁ ଗମନ ।କରି ବଚନେ ରାଜା ନନ୍ଦ କରି ଧରିଅନ୍ତଃପୁରକୁ ସେ ନେଲା ସମାଦର କରି ।ଦେବକୀ ରୋହିଣୀ ହେତୀ ପ୍ରହେତୀ ସହିତବସାଇ ଇନ୍ଦୁମତୀକି କହଇ ଏମନ୍ତ ।ଏ ନନ୍ଦ ଯିବେ ଗୋ ଆଜି ଗୋପ ଭୁବନକୁସଙ୍ଗେ ସଙ୍ଗେ ଘେନି ସର୍ବ ଗୋପାଳମାନଙ୍କୁ ।ପଡ଼ିଲେ ସକଳ ନାରୀ ଶୁଣି ନନ୍ଦ ପାଦେଅପୂର୍ବ ପଦାର୍ଥମାନ ସଜାଡ଼ିଲେ ମୋଦେ ।ଦେବକୀ ବୋଇଲେ ନନ୍ଦ ଶୁଣ ମୋ ବଚନତୁମ୍ଭ ଧର୍ମବଳେ ମୁହିଁ ପାଇଲି ନନ୍ଦନ ।ବହୁତ ବିନୟ ହୋଇ ପାଦରେ ପଡ଼ିଲାଯଶୋଦା ପାଇଁ ଅପୂର୍ବ ପଦାର୍ଥ ସେ ଦେଲା ।ଶୁଣି ବସୁଦେବ ଆଗେ ରାଜା ଉଗ୍ରସେନନନ୍ଦକୁ ଉଭା କରାଇ ବୋଲଇ ବଚନ ।ଶୁଣି ବସୁଦେବ ନନ୍ଦ ଗୋପପୁର ଯିବେଗୋପାଳମାନେ ଯେ ଏଥି କେହି ନ ରହିବେ ।ଶୁଣି ସେ ନନ୍ଦରାଜାଙ୍କୁ ଉଠି କୋଳକଲେତୋହ ଯୋଗୁ ପୁତ୍ର ମୁହିଁ ପାଇଲି ବୋଇଲେ ।ପୁଣି ନନ୍ଦରାଜା ଇନ୍ଦୁମତୀଙ୍କି ଦେଖିଲେପାଦତଳେ ପଡ଼ି ସେହୁ ବିନୟେ କହିଲେ ।ଇନ୍ଦୁମତୀ ବୋଇଲେ ହେ ନନ୍ଦରାଜା ଶୁଣଲୁଚାଇ ରଖିଲ କୃଷ୍ଣ ବରଜ ଭୁବନ ।ଯଶୋଦା ଗର୍ଭରୁ ଜାତ ହୋଇଲା ବୋଇଲୁଆପଣାର ପୁତ୍ର ପ୍ରାୟେ ପ୍ରତିପାଳିଥିଲୁ ।ସେ କୃଷ୍ଣ ନୁହଇ କେବେ ତୋହର ନନ୍ଦନମିଥ୍ୟରେ ତାହାକୁ ସିନା କଲୁରେ ପାଳନ ।ତୋ ଘରେ ଅଷ୍ଟ ବରଷ କୃଷ୍ଣ ଯେ ବଢ଼ିଲାତୋର ଘରୁ ଆସି ମୋର ପୁତ୍ରକୁ ମାଇଲା ।ମଥୁରାପୁରକୁ ସେ ଯେ କଲା ନାରଖାରତୋ ଯୋଗୁଁ ବଂଶ ସିନା ବୁଡ଼ିଲା ମୋହର ।ଯାଅ ଯାଅ ନନ୍ଦ ଗୋପପୁରେ ଥିବୁ ରହିକୃଷ୍ଣ ମଲାବେଳେ ଜଣେ ନଥିବରେ କେହି ।ଉଗ୍ରସେନ ଇନ୍ଦୁମତୀ ବଚନ ଶୁଣିଲାଦୋଚାରୁଣୀ ଶାପ ନ ପଡ଼ଇଟି ବୋଇଲା ।ନନ୍ଦଙ୍କୁ ଘେନିଣ ରାଜା କୃଷ୍ଣପାଶେ ମିଳିବୋଇଲେ ତହୁଁ ମନ୍ତ୍ରୀକି ଚାହିଁ ବନମାଳୀ ।ରହୁବରେ ନନ୍ଦ ଗୋପସୁତଙ୍କୁ ବସାଇଗୋପପୁରେ ମନ୍ତ୍ରୀବର ଛାଡ଼ିଆସ ଯାଇଁ ।ଏଥୁଅନ୍ତେ ଉଗ୍ରସେନ ନନ୍ଦ କର ଧରିମନ୍ତ୍ରୀମାନଙ୍କୁ ଅନାଇ ବୋଲେ ଦଣ୍ଡଧାରୀ ।ଭଣ୍ଡାରୁ ରତ୍ନ ବସନମାନ ଘେନିଯାଅଗୋପାଳ ପୁତ୍ରମାନଙ୍କୁ ସୁବେଶ କରାଅ ।ରାଜାଆଜ୍ଞା ପାଇ ମନ୍ତ୍ରୀମାନେ ବେଗେ ଗଲେଭଣ୍ଡାରରୁ ରତ୍ନ ବସନ ଗୋପାଳଙ୍କୁ ଦେଲେ ।ସୁବେଶ ହୋଇ ଗୋପାଳେ ରାମକୃଷ୍ଣ ସଙ୍ଗେଚଳନ୍ତି ଦାଣ୍ଡରେ ନାନାବାଦ୍ୟ ବାଜେରବେ ।ଢଳି ଢଳି କରି ଚାଲେ ରାଜା ଉଗ୍ରସେନତହିଁ ମନ୍ତେ ପାତ୍ରମନ୍ତ୍ରୀ କରନ୍ତି ଗମନ ।ତାଙ୍କ ପଛେ ଚାଲିଛନ୍ତି ମଧୁନରନାରୀଏକକୁ ଆରକେ ବୋଲେ ଆସ ବେଗକରି ।ଏ ନନ୍ଦ ଗୋପାଳ ଗୋପପୁରେ ଯାଉଛନ୍ତିଦେଖ ଗୋ କିପରି ଶୋଭା ଧରିଛି ଧରିତ୍ରୀ ।ପ୍ରବେଶ କରନ୍ତି ସର୍ବେ ମଧୁ ବନେ ଯାଇକହୁଛନ୍ତି ରାମକୃଷ୍ଣ ନନ୍ଦମୁଖ ଚାହିଁ ।ଏହିଠାରୁ ଆମ୍ଭେମାନେ ଯିବୁ ମଧୁପୁରଏତେବୋଲି ନନ୍ଦର ସେ ଧରିଲେ ପୟର ।ନନ୍ଦକୁ ରଥ ଉପରେ ବସାଇଲେ ନେଇବିବିଧ ପାରିତୋଷିକ ସମ୍ଭାର ଲଗାଇ ।ସଫଳା ସୁତ ସ୍ୟନ୍ଦନ ବାହେ ଘନଘନଦେଖୁଛନ୍ତି ରାମକୃଷ୍ଣ ସହ ସର୍ବଜନ ।କ୍ରମେ ରହୁବର ଯହୁଁ ଅଦୃଶ୍ୟ ହୋଇଲାଫେରିଲେ ମଧୁବନରୁ ଦେବକୀର ବଳା ।ନନ୍ଦଗୋପାଳ ଗୋପରେ ହୋଇଲେ ପ୍ରବେଶଯଶୋଦାଙ୍କୁ ପ୍ରବୋଧିଲେ ନିନ୍ଦ ନରଈଶ ।ଗୋପୀମାନଙ୍କୁ ଗୋପାଳ ପ୍ରବୋଧି କହିଲେମଧୁପୁର କଥାସବୁ ଗୋପୀଏ ଶୁଣିଲେ ।କୃଷ୍ଣ ଗୁଣ ଗୁଣି ଗୋପୀ ରହିଲେ ଗୋପରେପିନ୍ଧି ତାହାଙ୍କ ପ୍ରଦତ୍ତ ଶାଢ଼ୀ ଭକ୍ତିଭରେ ।ତେଣୁ ମଧୁପୁରେ କୃଷ୍ଣ କରନ୍ତି ବିଚାରମଲା କଂସାସୁର ଦୂର ହେଲା ମହୀଭାର ।ଏହିପରି ଛନ୍ତି ଆଉ ଯେତେକ ଦାନବମାରିବି ସହାୟ କରି ମଧ୍ୟମ ପାଣ୍ଡବ ।ଏମନ୍ତ ବିଚାରି କୃଷ୍ଣ ହୋଇଲେ ମଉନଦ୍ୱିତୀୟ ଖଣ୍ଡ ଏ ଚିତ୍ତବୋଧ ଗ୍ରନ୍ଥ ପୂର୍ଣ୍ଣ ।ପରୀକ୍ଷିତ ଆଗେ ବ୍ୟାସ ନନ୍ଦକୁ କହନ୍ତିଶୁଣିଲଟି ମନଦେଇ ସୁଭଦ୍ରାର ନାତି ।ସତ୍ୟ କରାଇଣ ଭାଗବତ ମୁଁ କହିଲିରାଧାନାମ ବେନିକର୍ଣ୍ଣ ଗୋପରେ ରଖିଲି ।ଷଡ଼ଦିନ ଅଷ୍ଟବିଂଶ ଦଣ୍ଡ ବ୍ରହ୍ମଭାଗଶେଷ ହୁଅନ୍ତେ କହିଲେ ତୋତେ ପ୍ରେମଭାଗ ।ଦୁଇଖଣ୍ଡ ମଧ୍ୟେ ମୁହିଁ ସଂକ୍ଷେପି କହିଲିପ୍ରେମମୟୀ ରାଧାନାମ ତୋତେ ଶୁଣାଇଲି ।ଯାହାର ରୂପକୁ ବ୍ରହ୍ମା ଇନ୍ଦ୍ର ନ ଦେଖିଲେଯା ରୂପକୁ ତ୍ରିଲୋଚନ ଧ୍ୟାନେ ନ ପାଇଲେ ।ସେ ରାଧା ରୂପକୁ କାହିଁ ପାଇବ ଚିନ୍ତିଲେକହିଲି ରାଜା ତୋ ଚିତ୍ତବୋଧ ନିମିତ୍ତରେ ।ଚିତ୍ତବୋଧ ଗ୍ରନ୍ଥ ଏହୁ ଗୁପତ ଅଟଇଜଗନ୍ନାଥ ଭାବହୃଦେ ଅଚ୍ୟୁତ କହଇ ।ପଢ଼ିଶୁଣି ସାଧୁଜନେ ଦୋଷ ମୋ ନଧରଅମୃତ ସମାନ ଏହି କରିବ ନିସ୍ତାର ।ଶ୍ରୀକୃଷ୍ଣ ଚରିତ ଏ ଅମୀୟ ରସବାଣୀସୁଜନଙ୍କ ହିତେ ଅଚ୍ୟୁତ ଦାସ ୟା ଭଣି ।-ସମାପ୍ତ-ଇତି ଚିତ୍ତବୋଧ ବା ଚିତ୍ତବିନୋଦ ଗ୍ରନ୍ଥ ଦ୍ୱିତୀୟ ଭାଗ ସମାପ୍ତଏହାପରେ ତୃତୀୟ ଓ ଚତୁର୍ଥ ଭାଗ ପଢନ୍ତୁ ।