ବିଶ୍ୱ ମାନବର ପଥେ
ବିଶ୍ୱକବି · ୧୮୬୧–୧୯୪୧
- ପଢ଼ିବା ସମୟ
- ୫୫୧ ମିନିଟ୍
- ଶବ୍ଦ
- ୮୮୦୮୫
- ସ୍ଥିତି
- ସାର୍ବଜନୀନ (Public domain)
ଶିକ୍ଷାର ବ୍ୟବଧାନ
ଜୀବନର କେବଳ ପ୍ରୟୋଜନୀୟ ବିଷୟ ମଧ୍ୟରେ ପରିତୃପ୍ତି ଲାଭ କରିବା ମାନବର ଧର୍ମ ନୁହେ । ଆମ୍ଭେମାନେ କେତେକ ପରିମାଣରେ ଆବଶ୍ୟକତାର ଶୃଙ୍ଖଳାରେ ଆବଦ୍ଧ ଓ କେତେକ ପରିମାଣରେ ସ୍ୱାଧୀନ । ସାଧାରଣ ମନୁଷ୍ୟ ସାଢ଼େ ତିନିହାତ ଉଚ୍ଚତାବିଶିଷ୍ଟ କିନ୍ତୁ ସେ ଢେର ଅଧିକ ଉଚ୍ଚ ଗୃହରେ ବାସ କରେ । ସ୍ୱାଧୀନ ଚଳପ୍ରଚଳ ନିମନ୍ତେ ତାର ଅନେକ ସ୍ଥାନ, ବହୁକୋଠରୀ ଦରକାର । ଏହା ତାର ସ୍ୱାସ୍ଥ୍ୟ ଓ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ଏକାନ୍ତ ଆବଶ୍ୟକ । ଶିକ୍ଷା ସମ୍ବନ୍ଧରେ ମଧ୍ୟ ଏହି କଥା ପ୍ରଯୁଜ୍ୟ । ବିଦ୍ୟାଳୟ ପାଠ ନିମନ୍ତେ ନିର୍ଦ୍ଦିଷ୍ଟ ପାଠ୍ୟପୁସ୍ତକ ଛାତ୍ର ନିଶ୍ଚୟ ପଢ଼ିବ, କିନ୍ତୁ ଏହା ସହିତ ତାକୁ ନିଜର ରୁଚି ମୁତାବକ ଅନ୍ୟ ପୁସ୍ତକ ପଢ଼ିବାକୁ ଦିଆଯିବା ଉଚିତ । ଏହା ନ ହେଲେ ତାହାର ମନ ଯଥେଷ୍ଟ ପରିମାଣରେ ବିକଶିତ ହୋଇ ପାରିବ ନାହିଁ । ବୟଃପ୍ରାପ୍ତ ହେଲେ ସୁଦ୍ଧା ବୁଦ୍ଧି ବୃତ୍ତିରେ ସେ ଅନେକ ପରିମାଣରେ ବାଳକ ହୋଇ ରହିଯିବ ।
ଦୁର୍ଭାଗ୍ୟ କ୍ରମେ ଆମ ଦେଶରେ ବାଳକର ନିଜ ହାତରେ ଯଥେଷ୍ଟ ସମୟ ନଥାଏ । ଯେତେ ଶୀଘ୍ର ସମ୍ଭବ ଗୋଟିଏ ବିଦେଶୀ ଭାଷା ତାକୁ ଶିକ୍ଷା କରିବାକୁ ହେବ, ଗୁଡ଼ିଏ ପରୀକ୍ଷାରେ ପାସ୍ କରି ଚାକିରୀ ନିମନ୍ତେ ନିଜକୁ ଯୋଗ୍ୟ କରିବାକୁ ପଡ଼ିବ । ଫଳତଃ ଅଣନିଶ୍ୱାସୀ ହୋଇ ଦ୍ରୁତ ବେଗରେ କେତେଗୁଡ଼ିଏ ପାଠ୍ୟପୁସ୍ତକ ମୁଖସ୍ଥ କରିବା ଛଡ଼ା ତାର ଗତ୍ୟନ୍ତର ନାହିଁ । ଛାତ୍ର ନିଜ ଆମୋଦ ନିମନ୍ତେ ଖଣ୍ଡେ ପୁସ୍ତକ ପଢ଼ିବାର ଦେଖିଲେ ପିତାମାତା ଓ ଶିକ୍ଷକମାନେ ତାର ବହୁମୂଲ୍ୟ ସମୟ ନଷ୍ଟ ହେଲା ବୋଲି ମନେକରନ୍ତି; ସୁତରାଂ ପିଲାମାନଙ୍କ ହାତରେ ଏ ଧରଣର ଖଣ୍ଡେ ବହି ଦେଖିଲେ ତତ୍କ୍ଷଣାତ୍ ସେମାନେ ଛଡ଼ାଇ ନେବାକୁ ପଛାନ୍ତି ନାହିଁ ।
ଦୁର୍ଭାଗ୍ୟର ତାଡ଼ନା ବଶତଃ ବଙ୍ଗଦେଶର ବାଳକକୁ ବ୍ୟାକରଣ, ଅଭିଧାନ ଓ ଭୂଗୋଳ ବିବରଣର ଲଘୁ ଖାଦ୍ୟ ଉପରେ ନିର୍ଭର କରିବାକୁ ପଡ଼େ । ଅନ୍ୟ ଦେଶର ବାଳକମାନେ ଯେଉଁ ବୟସରେ ବିଭିନ୍ନ ପ୍ରକାର ଭୋଜ୍ୟ ପଦାର୍ଥ ଆନନ୍ଦରେ ଚର୍ବଣ କରି ଜୀର୍ଣ୍ଣ କରିବାର ସାମର୍ଥ୍ୟ ଲାଭ କରନ୍ତି ସେହି ବୟସରେ ବଙ୍ଗାଳି ପିଲା ସ୍କୁଲର ଶ୍ରେଣୀ କକ୍ଷର ବେଞ୍ଚ ଉପରେ ବସି ଜଗତର ହତଭାଗ୍ୟତମ ଶିଶୁ ଭଳି ତାର ଦୁଇଖଣ୍ଡ ଶୀର୍ଣ୍ଣ ଖର୍ବପଦକୁ ଦୋଦୁଲ୍ୟମାନ ଅବସ୍ଥାରେ ରଖି ଶିକ୍ଷକଙ୍କ ବେତ୍ରାଘାତକୁ ହଜମ କରେ, ଶିକ୍ଷକଙ୍କ କଟୁଗାଳି ଛଡ଼ା ସେଥିରେ ଅନ୍ୟ କିଛି ମସଲା ମିଶି ନ ଥାଏ ।
ଏ ଧରଣର ଖାଦ୍ୟ ନିଶ୍ଚିତ ଭାବରେ ଯେ କୌଣସି ବାଳକର ହଜମ ଶକ୍ତିକୁ ହ୍ରାସ କରିଦେବ । ଏହା ନିଃସନ୍ଦେହ ଯେ ଉପଯୁକ୍ତ ଖାଦ୍ୟ ଓ ଅବସର–ବିନୋଦନ ଅଭାବରୁ ବଙ୍ଗ ସନ୍ତାନର ଶରୀର ଯେପରି ଅପୁଷ୍ଟ, ମାନସିକ ଶକ୍ତି ମଧ୍ୟ ସେହିପରି ଅପରିଣତ । ଏହି କାରଣରୁ ଆମ୍ଭମାନଙ୍କ ମଧ୍ୟରୁ ଅନେକ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଉପାଧି ଲାଭ କରିଥିଲେ ସୁଦ୍ଧା ଓ ଅନେକ ଗ୍ରନ୍ଥର ରଚୟିତା ହୋଇଥିଲେ ମଧ୍ୟ ମନୁଷ୍ୟ ଭାବରେ ଆମର ବୁଦ୍ଧିବୃତ୍ତି ବଳିଷ୍ଠ ଓ ପରିପକ୍ୱ ନୁହେ-। କୌଣସି ବିଷୟରେ ଆମର ସେପରି ପାରଦର୍ଶିତା ନାହିଁ, କୌଣସି ବିଷୟକୁ ଦୃଢ଼ତା ସହକାରେ ଛିଡ଼ା କରାଇବାରେ ଆମେ ଶକ୍ତିହୀନ, ଆଦ୍ୟୋପାନ୍ତ କିଛି ପଢ଼ିବାରେ ଆମେ ଅସମର୍ଥ-। ଆମର କଥାବାର୍ତ୍ତା, ଚିନ୍ତା ଓ କାର୍ଯ୍ୟ ନାବାଳକ ତୁଲ୍ୟ । ତେଣୁ ଆମେ ଆମର ମାନସିକ ଦୈନ୍ୟ ଢାଙ୍କିବା ନିମନ୍ତେ ଅତ୍ୟୁକ୍ତି ଆଡ଼ମ୍ବର ଓ ଆସ୍ଫାଳନର ଆଶ୍ରୟ ନେଉ ।
ଏହାର ପ୍ରଧାନ କାରଣ; ବାଲ୍ୟକାଳାବଧି ଆମର ବାଳକମାନେ ଆନନ୍ଦହୀନ ଶିକ୍ଷା ଲାଭ କରୁଛନ୍ତି । କେତେଗୁଡ଼ିଏ ପାଠ୍ୟପୁସ୍ତକ ସେମାନଙ୍କର କେବଳ କଣ୍ଠସ୍ଥ, କୌଣସି ପ୍ରକାରେ କାର୍ଯ୍ୟ ଚଳାଇବା ନିମନ୍ତେ ସେମାନେ କେତେଗୁଡ଼ିଏ ବିଷୟରେ ସାମାନ୍ୟ ଜ୍ଞାନ ଅର୍ଜ୍ଜନ କରନ୍ତି । ଏଗୁଡ଼ିକ ଉପରେ ସେମାନଙ୍କର ପ୍ରକୃତ ଦଖଲ ଆସେ ନାହିଁ । ପବନ ପିଇ ପେଟ ପୂରେ ନାହିଁ, ସେଥିଲାଗି ଖାଦ୍ୟ ଦରକାର, କିନ୍ତୁ ଆହାର୍ଯ୍ୟ ପଦାର୍ଥକୁ ରୀତିମତ ହଜମ କରିବା ଲାଗି ବାୟୁ ସେବନ ଆବଶ୍ୟକ । ସେହିପରି ଖଣ୍ଡେ ପାଠ୍ୟପୁସ୍ତକକୁ ରୀତିମତ ହଜମ କରିବାଲାଗି ଆନନ୍ଦସହକାରେ ପାଠ କରିବାର ଉପଯୋଗୀ ବହୁ ପୁସ୍ତକ ଆବଶ୍ୟକ । ଆନନ୍ଦ ନିମନ୍ତେ ପଢ଼ୁ ପଢ଼ୁ ଛାତ୍ରର ପଢ଼ିବାର ଶକ୍ତି ଅଲକ୍ଷିତ ଭାବରେ ବୃଦ୍ଧିପ୍ରାପ୍ତ ହୁଏ । ତାର ଗ୍ରହଣଶକ୍ତି ଧାରଣାଶକ୍ତି ଓ ଚିନ୍ତାଶକ୍ତି ବେଶ୍ ସହଜରେ ଓ ସ୍ୱାଭାବିକ ନିୟମରେ ବିକଶିତ ହୁଏ ।
ଭାଷା ଆମର ପ୍ରଧାନ ଅସୁବିଧା । ଶବ୍ଦବିନ୍ୟାସ ଓ ପଦ ବିନ୍ୟାସରେ ଆମ ଭାଷାସହ ଇଂରାଜୀର ଅନେକ ପାର୍ଥକ୍ୟ ଥିବାରୁ ଇଂରାଜୀ ଭାଷା ଅତିମାତ୍ରାରେ ବିଜାତୀୟ ଭାଷା । ତା’ ପରେ ଭାବବିନ୍ୟାସ ଓ ବିଷୟ ପ୍ରସଙ୍ଗର ଅସୁବିଧା ହେତୁ ଇଂରାଜୀ ବହି ଆମ ନିକଟରେ ଅଧିକ ବିଜାତୀୟ ହୋଇଉଠେ । ଏଥିରେ ବର୍ଣ୍ଣିତ ଜୀବନର ଚିତ୍ର ଆମର ପୂର୍ଣ୍ଣ ଅପରିଚିତ, ସୁତରାଂ ଧାରଣା ଜନ୍ମିବା ପୂର୍ବରୁ ମୁଖସ୍ଥ କରିବା ନିମନ୍ତେ ଆମେ ଉଦ୍ୟମ କରୁ । ଫଳରେ ନ ଚୋବାଇ ଖାଦ୍ୟପଦାର୍ଥ ଗିଳିଦେବା ଭଳି ଅବସ୍ଥା ଉପୁଜେ । ମନେକରାଯାଉ ଇଂରାଜୀରେ ଖଣ୍ଡେ ଶିଶୁପାଠ୍ୟ ପୁସ୍ତକରେ hay-making ବା ଘାସ ଶୁଖାଇବା ସମ୍ବନ୍ଧରେ ଏକ ଗଳ୍ପ ଅଛି; କିମ୍ବା snow-ba)] ଖେଳୁଥିବା ବେଳେ ‘ଚାଲି’ ଓ ‘କେଟୀ’ଙ୍କ ମଧ୍ୟରେ ଘଟିଥିବା ବିବାଦର ବର୍ଣ୍ଣନା ଅନ୍ୟ ଏକ ଗଳ୍ପରେ ଅଛି । ଇଂରେଜ ସନ୍ତାନଙ୍କ ନିକଟରେ ଏହି ଗଳ୍ପବର୍ଣ୍ଣିତ ଘଟଣା ବେଶ୍ ପରିଚିତ, ତେଣୁ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଆନନ୍ଦଦାୟକ । କିନ୍ତୁ ଆମ ପିଲାମାନେ ସେଗୁଡ଼ିକ ପଢ଼ିବାବେଳେ ସେମାନଙ୍କ ମନରେ କୌଣସି ସ୍ମୃତିର ଉଦୟ ହୁଏ ନାହିଁ, ଚକ୍ଷୁ ସମକ୍ଷରେ କୌଣସି ଚିତ୍ର ତାହା ଉନ୍ମୋଚନ କରେ ନାହିଁ । ଏହି ପୁସ୍ତକଗୁଡ଼ିକ ପଢ଼ିଲାବେଳେ ଆମର ପିଲମାନେ ଅନ୍ଧକାର ମଧ୍ୟରେ ଇତସ୍ତତଃ ହେଲା ପରି ବୋଧ କରନ୍ତି ।
ପୁଣି ଅନ୍ୟ ଏକ ଅସୁବିଧା ଶିକ୍ଷକମାନଙ୍କ ସମ୍ପର୍କରେ ଦେଖାଦିଏ । ଆମ ବିଦ୍ୟାଳୟମାନଙ୍କରେ ନିମ୍ନ ଶ୍ରେଣୀରେ ପଢ଼ାଉଥିବା ଶିକ୍ଷକମାନେ ସେମାନଙ୍କ କର୍ମ ନିମନ୍ତେ ଯଥେଷ୍ଟ ଶିକ୍ଷାପ୍ରାପ୍ତ ସିନା କିନ୍ତୁ ଅଭିଜ୍ଞ ନୁହଁନ୍ତି । ସେମାନଙ୍କ ମଧ୍ୟରୁ କେହି କେହି ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି, କେହି ବା ମାଟ୍ରିକ୍ ଫେଲ୍, ଇଂରାଜୀ ଭାଷା ଓ ସାହିତ୍ୟର ପର୍ଯ୍ୟାପ୍ତ ଜ୍ଞାନ ସେମାନଙ୍କର ନାହିଁ, ପୁଣି ଇଂରେଜ ଜାତିର ଜୀବନ, ଭାବଧାରା ସମ୍ପର୍କରେ ସେମାନେ ଅଜ୍ଞ । ତଥାପି ଇଂରେଜି ଶିକ୍ଷା ସହ ଆମର ପ୍ରଥମ ପରିଚୟ ସେମାନେ ଘଟାଇଥାନ୍ତି । ସେମାନେ ଭଲ ଇଂରାଜୀ ଜାଣନ୍ତି ନାହିଁ, ଭଲ ବଙ୍ଗଳା ମଧ୍ୟ ନୁହେ– ଶିଶୁମାନଙ୍କୁ ଭୁଲ ପଢ଼ାଇବାହିଁ ସେମାନଙ୍କ ପକ୍ଷରେ ଅତି ସହଜ କାର୍ଯ୍ୟ ।
ବିଚରା ଶିକ୍ଷକଙ୍କୁ ଦୋଷଦେଇ ଲାଭ ନାହିଁ । ‘The horse is a noble animal’ ମନେ କରାଯାଉ ଏହି ବାକ୍ୟଟିକୁ ବଙ୍ଗଳାରେ ପ୍ରକାଶ କରିବାକୁ ହେବ । ଏହା କିପରି କରାଯିବ ? ଏକ କାଳରେ ଉଭୟ ଭାଷା ପ୍ରତି କିପରି ବା ବିଶ୍ୱସ୍ତତା ପ୍ରଦର୍ଶନ କରାଯାଇ ପାରିବ ? ଘୋଡ଼ା ଗୋଟିଏ ମହତ୍ ପ୍ରାଣୀ, ଘୋଡ଼ା ଅତି ଉଚ୍ଚଦରର ଜାନୁଆର, ଘୋଡ଼ା ଜନ୍ତୁଟି ଖୁବ୍ ଭଲ– କଥାଟା କୌଣସି ପ୍ରକାରେ ସେପରି ମନଃପୂତ ହେଉ ନାହିଁ । Noble ଶବ୍ଦର ତର୍ଜମା କରି ଯେତୋଟି ବଙ୍ଗଳା ଶବ୍ଦ କୁହାଯାଏ, ପ୍ରାୟ କେହି ଠିକ୍ ନୁହଁ, କିନ୍ତୁ ଶେଷରେ ଠକିବା ଛଡ଼ା ଅନ୍ୟ ଉପାୟ ନାହିଁ । ତେଣୁ ଶିକ୍ଷକ ଯଦି ଶେଷରେ ଏ ଧରଣର ଫାଙ୍କି ଦେବା ପଦ୍ଧତିର ଆଶ୍ରୟ ନିଅନ୍ତି, ତାଙ୍କୁ ପ୍ରକୃତରେ ଦୋଷ ଦିଆଯିବ ନାହିଁ ।
ଫଳରେ ଛାତ୍ର କିଛି ଶିଖେ ନାହିଁ । କେବଳ ବଙ୍ଗଳା ଭାଷା ଶିଖୁଥିଲେ ସେ ରାମାୟଣ ଓ ମହାଭାରତ ପଢ଼ି ଆସ୍ୱାଦନ କରିବାକୁ ସମର୍ଥ ହୁଅନ୍ତା । ବିଦ୍ୟାଳୟକୁ ଆଦୌ ଯାଉ ନ ଥିଲେ ଖେଳି, ଗଛଚଢ଼ି, ନଦୀ ଓ ପାଖରୀରେ ପହଁରି, ଫୁଲତୋଳି ପ୍ରକୃତି ଜନନୀ ଉପରେ ଅଜସ୍ର ଦୌରାତ୍ମ୍ୟ କରିବାକୁ ପ୍ରଚୁର ଅବସର ପାଇ ତାର ବାଲ୍ୟ ପ୍ରକୃତିର ପୂର୍ଣ୍ଣ ପରିତୃପ୍ତି ଘଟିଥାନ୍ତା, ଶରୀରର ପୃଷ୍ଟି ଓ ମନର ଉଲ୍ଲାସ ଲାଭ କରିବାକୁ ସେ ସମର୍ଥ ହୋଇଥାନ୍ତା । କିନ୍ତୁ ଇଂରାଜୀ ଶିଖିବାକୁ ଯାଇ, ଏଥିଲାଗି ରୀତିମତି କସରତ କରି ସେ ହୁଏତ ଏହାକୁ ଶିଖିଲା ନାହିଁ, କିମ୍ବା ନିଜକୁ ଉପଭୋଗ କରିବାକୁ ସମର୍ଥ ହେଲା ନାହିଁ । ସାହିତ୍ୟର କଳ୍ପନା-ରାଜ୍ୟରେ ପ୍ରବେଶ କରିବାର ପଥ ରୁଦ୍ଧ ହେଲା, ପ୍ରକୃତିର ସତ୍ୟ ରାଜ୍ୟରେ ବିଚରଣ କରିବାର ଅବକାଶ ଆଉ ତାର ରହିଲ ନାହିଁ ।
ଦୁଇଟି ଜଗତ ମନୁଷ୍ୟର ବିହାରକ୍ଷେତ୍ର । ଗୋଟିଏ ତାର ଅନ୍ତରର ଅନ୍ୟଟି ବାହରର । ଏହି ଉଭୟ ତାକୁ ଜୀବନ, ସ୍ୱାସ୍ଥ୍ୟ ଓ ବଳଦାନ କରନ୍ତି; ରୂପ, ବର୍ଣ୍ଣ ଓ ଗନ୍ଧ, ଗତି ଓ ଗୀତି, ପ୍ରୀତି ଓ ପ୍ରଫୁଲ୍ଲତାରେ ତାକୁ ସର୍ବଦା ହିଲ୍ଲୋଳିତ ଏବଂ ସମ୍ପୂର୍ଣ୍ଣ ବିକଶିତ କରନ୍ତି । ଏହି ଦୁଇ ମାତୃଭୂମିରୁ ଆମର ହତଭାଗ୍ୟ ଶିଶୁମାନେ ନିର୍ବାସିତ ହୋଇ ଏକ ବିଦେଶୀ କାରାଗାରରେ ଶୃଙ୍ଖଳାବଦ୍ଧ ହୋଇଛନ୍ତି । ଈଶ୍ୱର ପିତା ମାତାଙ୍କର ଦୃଦୟରେ ସ୍ନେହ ପୂର୍ଣ୍ଣ କରିଛନ୍ତି କାରଣ ଶିଶୁମାନେ ତାର ପୂର୍ଣ୍ଣ ଅଧିକାରୀ ହେବେ । ସେ ଜନନୀର ବକ୍ଷ କୋମଳ କରିଛନ୍ତି କାରଣ ତାହା ଶିଶୁମାନଙ୍କର ଆଶ୍ରୟସ୍ଥଳ ହେବ ! ଶିଶୁମାନ ଆକାରରେ କ୍ଷୁଦ୍ର ତଥାପି ସମସ୍ତ ଗୃହର ସକଳ ଶୂନ୍ୟସ୍ଥାନ ଅଧିକାର କରି ମଧ୍ୟ ସେମାନଙ୍କର ଖେଳଲାଗି ସ୍ଥାନ ଅଣ୍ଟେ ନା । ସେହି ଶିଶୁମାନଙ୍କୁ ସେମାନଙ୍କର ବାଲ୍ୟକାଳଯାପନ ନିମନ୍ତେ ଆମେ ଗୋଟିଏ ବିଦେଶୀ ଭାଷାର ବ୍ୟାକରଣ ଓ ଶବ୍ଦକୋଷ ମଧ୍ୟରେ ଆବଦ୍ଧ ରଖୁଛୁ । ଯାହା ମଧ୍ୟରେ ଜୀବନ, ଆନନ୍ଦ, ଅବକାଶ ଓ ନବୀନତା ନାହିଁ ଏବଂ ଯଥେଷ୍ଟ ସ୍ଥାନର ମଧ୍ୟ ଅଭାବ ସେପରି ସ୍କୁଲ ଘରର ଅତି ଶୁଷ୍କ କଠିନ ସଂକୀର୍ଣ୍ଣତା ମଧ୍ୟରେ ଆଜି ଶିଶୁମାନେ ଅବସ୍ଥାପିତ ।
ଏକ ବୟସରୁ ଅନ୍ୟ ଏକ ବୟସ ପର୍ଯ୍ୟନ୍ତ ସର୍ବଦା ଗୋଟିଏ ଯୋଗସୂତ୍ର ରହିଛି । ଶୈଶବ କ୍ରମେ କ୍ରମେ ଯୌବନରେ ପରିଣତ ହୁଏ ଏହି ଚିର ପରିଚିତ କଥା ନୂତନ କରି କହିବା ବାହୁଲ୍ୟମାତ୍ର ! ଜଗତର କର୍ମକ୍ଷେତ୍ରରେ ପ୍ରବେଶ କରିଥିବା ବୟସ୍କ ଲୋକ ନିମନ୍ତେ କେତେକ ମାନସିକ ଗୁଣ ଅତ୍ୟାବଶ୍ୟକ । କିନ୍ତୁ ଏହି ଶକ୍ତିଗୁଡ଼ିକ ଯେ ସଙ୍ଗେ ସଙ୍ଗେ ମିଳିଯାଏ ତାହା ନୁହେଁ, ସେଗୁଡ଼ିକର ବିକାଶ ଆବଶ୍ୟକ । ହସ୍ତ ପଦ ପରି ଆମର ମାନସିକ ଗୁଣାବଳୀ ଜୀବନର ପ୍ରତ୍ୟେକ ସ୍ତରରେ ଆବଶ୍ୟକତା ଅନୁପାତରେ ବର୍ଦ୍ଧିତ ହେଉଥାଏ । ସେମାନେ ପ୍ରସ୍ତୁତ ସାମଗ୍ରୀ ତୁଲ୍ୟ ନୁହଁନ୍ତି, ପ୍ରୟୋଜନ ସମୟରେ ସେମାନଙ୍କୁ ବଜାରରୁ କିଣାଯିବା ସମ୍ଭବ ହେବ ନାହିଁ ।
ଜୀବନଯାତ୍ରା ନିର୍ବାହ ନିମନ୍ତେ ଚିନ୍ତାଶକ୍ତି ଓ କଳ୍ପନାଶକ୍ତି ଦୁଇଟି ଯେ ଅତ୍ୟାବଶ୍ୟକ ଏଥିରେ ସନ୍ଦେହ ନାହିଁ । ପ୍ରକୃତ ମନୁଷ୍ୟ ଭାବରେ ବଞ୍ଚିରହିବାକୁ ହେଲେ ଏହି ଦୁଇ ଶକ୍ତିକୁ ଜୀବନରୁ ବାଦ-ଦେଲେ ଚଳିବ ନାହିଁ । ବାଲ୍ୟକାଳରୁ ସେଗୁଡ଼ିକ ଅଭ୍ୟାସ ନ କଲେ ପରିଣତ ବୟସରେ ସେଗୁଡ଼ିକୁ ଲାଭ କରିବା କଷ୍ଟକର ।
ଆମର ବର୍ତ୍ତମାନ ଶିକ୍ଷାପଦ୍ଧତି ଆମକୁ ଚିନ୍ତା ଓ କଳ୍ପନାର ଅଭ୍ୟାସ ନିମନ୍ତେ ଅବସର ଦେଇ ନ ଥାଏ । ଆମ ବାଲ୍ୟକାଳର ବହୁବର୍ଷ ଗୋଟିଏ ବିଦେଶୀ ଭାଷା ଶିକ୍ଷାରେ ବ୍ୟୟିତ ହୁଏ ଏବଂ ଏହି ଶିକ୍ଷା ସାଧାରଣତଃ ଆମେ ଅଳ୍ପ ଶିକ୍ଷିତ ଶିକ୍ଷକମାନଙ୍କଠାରୁ ଲାଭ କରୁ । ଇଂରାଜୀ ଭାଷା ଶିକ୍ଷା କରିବା ଅତ୍ୟନ୍ତ କଷ୍ଟକର, ପୁଣି ଇଂରେଜୀ ଚିନ୍ତା ଓ ଅନୁଭୂତି ସଙ୍ଗରେ ଆମକୁ ସୁପରିଚିତ କରାଇବା ଅଧିକ ଆୟାସସାଧ୍ୟ । ଏଥିପାଇଁ ବହୁସମୟ ଲାଗେ ଏବଂ ଏହି ସମୟରେ ଆମର ଚିନ୍ତାଶକ୍ତି ଉପଯୁକ୍ତ ପ୍ରକାଶର କ୍ଷେତ୍ର ନ ପାଇ ନିଶ୍ଚେଷ୍ଠ ଭାବରେ ରହେ ।
ଗୃହ ନିର୍ମାଣର ସାମଗ୍ରୀ ସ୍ତୁପାକାରରେ ଜମାଇ ଘର ନିର୍ମାଣ ନ କରିବା ଯାହା, ପଡ଼ିବା ସଙ୍ଗେ ସଙ୍ଗେ ଚିନ୍ତା ନ କରିବାହିଁ ତାହା । ପର୍ବତ ପ୍ରମାଣ ସୁରକି, ଚୂନ, ବାଲି, ଇଟା, କଡ଼ି ଓ ବରଗା ଜମା କଲା ପରେ ବିଶ୍ୱବିଦ୍ୟାଳୟରୁ ହଠାତ୍ ହୁକୁମ ଆସିଲା ତିନିତାଲା ଘରର ଛାତ ପ୍ରସ୍ତୁତ କର । ତେଣୁ ସଙ୍ଗେ ସଙ୍ଗେ ସେହି ଉପକରଣ ସ୍ତୁପ ଉପରେ ଚଢ଼ି ଦୁଇ ବର୍ଷ ପର୍ଯ୍ୟନ୍ତ ତାକୁ ଅବିଶ୍ରାନ୍ତ ପିଟାପିଟି କରି କୌଣସି ପ୍ରକାରେ ଆମେ ଏହାକୁ ସମତଳ କରିଦେଲୁ ଏବଂ କେତେକ ପରିମାଣରେ ତାହା ଘରର ଛାତ ପରି ମଧ୍ୟ ଦେଖାଗଲା । କିନ୍ତୁ ଏହି ସ୍ତୂପକୁ କଅଣ ଅଟ୍ଟଳିକା କୁହାଯିବ ? ଏହା ମଧ୍ୟରେ ବାୟୁ ଓ ଆଲୋକ ପ୍ରବେଶ କରିବାର କଅଣ କୌଣସି ବାଟ ଅଛି ? ଚିରଜୀବନ ନିମନ୍ତେ ବାସଯୋଗ୍ୟ କୌଣସି ଆଶ୍ରୟ ଏହା ମଧ୍ୟରେ ମନୁଷ୍ୟ ପାଇଁ କଅଣ ରହିଛି ? ଏହାର କଣ କୌଣସି ଶୃଙ୍ଖଳା; ସୌନ୍ଦର୍ଯ୍ୟ ଓ ସାମଞ୍ଜସ୍ୟ ଅଛି ?
ଆମ ଦେଶରେ ମାନସିକ ଅଟ୍ଟାଳିକା ନିର୍ମାଣର ଉପଯୁକ୍ତ ମାଲମସଲା ବର୍ତ୍ତମାନ ବହୁପରିମାଣରେ ସଂଗୃହୀତ ହୋଇଅଛି ଏଥିରେ ସନ୍ଦେହ ନାହିଁ । ଏ ଦେଶର ଇତିହାସରେ କେବେହେଲେ ଏତେ ଉପାଦାନ ଏକତ୍ର ଆମ ଆୟତ୍ତରେ ନ ଥିଲା । କିନ୍ତୁ, କେବଳ ସଂଗ୍ରାମ କରିବାକୁ ଶିଖିଲେ ଯେ ନିର୍ମାଣର ଶିକ୍ଷା ଲାଭ କରାଗଲା, ଏ ଧରଣର ଚିନ୍ତା କରି ଆମେ ଭୁଲ କରିବା ଅନୁଚିତ । ସଂଗ୍ରହ ଓ ନିର୍ମାଣ କର୍ମ ଏକ ସଙ୍ଗରେ ଧୀରେ ଧୀରେ ସମ୍ପନ୍ନ ହେଲେ ସୁଫଳ ଫଳିବା ନିଶ୍ଚିତ ।
ତେଣୁ ପୁଅକୁ ମଣିଷ କରିବାକୁ ଇଚ୍ଛା କଲେ ପିଲାବେଳରୁ ସେ ଯେପରି ମନୁଷ୍ୟ ହୁଏ ତାର ଯତ୍ନନେବାକୁ ହେବ । ତା ନ ହେଲେ ସେ ଚିରକାଳ ପିଲା ହୋଇ ରହିଯିବ, ମଣିଷ ହୋଇ ପାରିବ ନାହିଁ । ତାକୁ କୁହାଯିବ ଯେ କେବଳ ସ୍ମରଣ ଶକ୍ତି ଉପରେ ପୂର୍ଣ୍ଣ ନିର୍ଭର କରବା ଉଚିତ ନୁହେଁ । ଚିନ୍ତାଶକ୍ତି ଓ କଳ୍ପନାଶକ୍ତିର ସ୍ୱାଧୀନ ପରିଚାଳନା ନିମନ୍ତେ ତାକୁ ଯଥେଷ୍ଟ ସୁଯୋଗ ଦେବାକୁ ହେବ । କେବଳ ଲଙ୍ଗଳ ଦ୍ୱାରା ଚାଷ ବା ମଈ ସାହାଯ୍ୟରେ ଟେକା ଭାଙ୍ଗିଦେଲେ ଭଲ ଫସଲ ହେବ ନାହିଁ– ଏହା ସଙ୍ଗକୁ ଜମିରେ ଉତ୍ତମରୂପେ ଜଳ ଯୋଗାଇବା ବ୍ୟବସ୍ଥା ଭଲ ଫସଲ ଆମଦାନୀ ଲାଗି ଆବଶ୍ୟକ, ବିଶେଷତଃ ଉତ୍ତମ ଜଳଯୁକ୍ତ ମୃତ୍ତିକାରେ ଧାନ ଫସଲ ଭଲ ଉତ୍ପନ୍ନ ହୁଏ । ଚାଷର ଏକ ବିଶେଷ ଅବସ୍ଥାରେ ଧାନ ଲାଗି ପାଣି ଦରକାର । ସେହି ଅଧିକ ଦରକାର ବେଳରେ ବର୍ଷା ନ ହେଲେ ଫସଲ ନଷ୍ଟ ହୋଇଯିବ । ସେ ବେଳ ଗଡ଼ିଗଲେ ହଜାର ବର୍ଷା ହେଲେ ସୁଦ୍ଧା ଫସଲର ଲାଭ ନାହିଁ । ସେପରି ଶୈଶବ ଓ ବୟୋବିକାଶର ବିଶେଷ ଅବସ୍ଥାରେ ସାହିତ୍ୟର ପ୍ରେରଣା ମନୁଷ୍ୟର ବିକାଶ ନିମନ୍ତେ ଆବଶ୍ୟକ । ସେହି ପ୍ରେରଣା ଦ୍ୱାରା ଚାଳିତ ହୋଇ ତାର ଚିତ୍ତ ଓ ହୃଦୟର ସୂକ୍ଷ୍ମ ଭାବନା ଓ କଳ୍ପନାସମୂହ ଜଗତରେ ପ୍ରକାଶିତ ହେବ । ସେ ସ୍ୱାସ୍ଥ୍ୟ ଓ ଶକ୍ତିରେ କ୍ରମବିକାଶ ଲାଭ କରିବ । କିନ୍ତୁ ଶୁଷ୍କ ଓ ମଳିନ ବ୍ୟାକରଣ ଏବଂ ଶବ୍ଦକୋଷ ଅଧ୍ୟୟନ କରିବାରେ ସେହି ବିଶେଷ ମୁହୂର୍ତ୍ତ ନିୟୋଜିତ ହେଲେ ତାର ଚିତ୍ତବୃତ୍ତି ଅବିକଶିତ ରହିଯିବ । ପରେ ଇଉରୋପୀୟ ସାହିତ୍ୟର ନବ ନବ ଜୀବନ୍ତ ସତ୍ୟ, ବିଚିତ୍ର କଳ୍ପନା ଓ ଉନ୍ନତ ଭାବ ସମ୍ପଦର ଜଳଧାରା ଜୀବନର ଅବଶିଷ୍ଟ କାଳଯାଏ ତା ଉପରେ ମୁଷଳଧାରାରେ ବୃଷ୍ଟି କରାଇଲେ ସୁଦ୍ଧା ସାହିତ୍ୟର ଅନ୍ତର୍ନିହିତ ଜୀବନୀଶକ୍ତି ଆଉ ସେ ଜୀବନରେ ଅନୁଭବ କରିବାକୁ ସମର୍ଥ ହେବ ନାହିଁ ।
ଆମ ଜୀବନର ସେହି ମାହେନ୍ଦ୍ରବେଳା ନୀରସ ଶିକ୍ଷାରେ ଅତୀତ ହୋଇଯାଏ । ବାଲ୍ୟକାଳରୁ କୈଶୋର, କୈଶୋରରୁ ଯୌବନ କାଳରେ ପ୍ରବେଶ କରି ଆମେ କେବଳ ବିଦ୍ୟାଦେବୀ ସରସ୍ୱତୀଙ୍କ ସମ୍ରାଜ୍ୟରେ ମଜୁରୀଦାର ରୂପ ଜୀବନ କଟାଉ, ଆମ ପୃଷ୍ଠର ମେରୁଦଣ୍ଡ ବକ୍ର କରି ଶବ୍ଦର ବିରାଟ ଭାର ବହନ କରୁ । ଯଦି ବା ଇଂରାଜୀ ଭାବରାଜ୍ୟ ମଧ୍ୟରେ କୌଣସି ପ୍ରକାରେ ପ୍ରବେଶ କରିବାକୁ ସମର୍ଥ ହେଉ, ତାକୁ ନିଜର ଘରଭଳି ଆମେ ମନେକରୁନା ! ଭାବଗୁଡ଼ିକ କୌଣସି ପ୍ରକାରେ ବୁଝିପାରିଲେ ସୁଦ୍ଧା ସେଗୁଡ଼ିକୁ ମର୍ମସ୍ଥଳରେ ଗ୍ରହଣ କରିବାକୁ ଅସମର୍ଥ ହେଉ । ବକ୍ତୃତା ଓ ଲେଖା ମଧ୍ୟରେ ସେଗୁଡ଼ିକୁ ବ୍ୟବହାର କଲେ ସୁଦ୍ଧା ଆମ ବ୍ୟବହାରିକ ଜୀବନରେ ସେଗୁଡ଼ିକର ପ୍ରୟୋଗ ସମ୍ଭବ ହୁଏ ନାହିଁ ।
ଏହିପରି ଆମ ଜୀବନର ପ୍ରଥମ କୋଡ଼ିଏ, ବାଇଶ ବର୍ଷ ଇଂରାଜୀ ପୁସ୍ତକର ଭାବ ଶିକ୍ଷା କରିବାରେ କଟିଯାଏ । କିନ୍ତୁ ଆମ ଜୀବନ ସହିତ ସେହି ଭାବଧାରାମାନଙ୍କର ଏକ ରାସାୟନିକ ମିଶ୍ରଣ କେବେହେଲେ ସମ୍ଭବ ହୋଇ ପାରେନାହିଁ । ଫଳତଃ ଆମ ମନର ଏକ ଅଦ୍ଭୂତ ରୂପ ପ୍ରକାଶିତ ହୁଏ । ସେହି ଭାବଧାରାମାନଙ୍କ ମଧ୍ୟରୁ କେତେକ ଆମ ମନର ଅଠାଲଗା କାଗଜ ପରି ଯୋଡ଼ି ହୋଇ ରହେ, କେତେକ କାଳକ୍ରମେ ଲିଭିଯାଏ । ଅସଭ୍ୟ ଜାତିର ଲୋକମାନେ ଯେପରି ଦେହରେ ରଙ୍ଗବୋଳି, ଚିତ୍ରଆଙ୍କି ପରମ ଗର୍ବ ଅନୁଭବ କରନ୍ତି, କନ୍ତୁ ଶରୀରର ସ୍ୱାଭବିକ ଉଜ୍ୱଳତା ଓ ଲବଣ୍ୟ ଆଚ୍ଛନ୍ନ ହୁଏ, ସେହପରି ଆମର ଅନ୍ତର୍ଜୀବନ ସହିତ ସମ୍ପର୍କ ନ ଥିବା ବିଲାତି ବିଦ୍ୟା ଆମ ଦେହରେ ବୋଳି ଦମ୍ଭ ସହକାରେ ପାଦ ପକାଇ ଆମେ ଏଣେ ତେଣେ ବୁଲୁ । ଆଦିମ ଅସଭ୍ୟ ରାଜାମାନେ ଇଉରୋପୀୟ ପୋଷାକ ପିନ୍ଧା ଏବଂ ଶସ୍ତା ବିଲାତି କାଚାମାଳାରେ ନିଜକୁ ସଜାଇ ହାସ୍ୟଜନକ ଦେଖାଗଲେ ସୁଦ୍ଧା ନିଜେ ତାହା ବୁଝି ପାରନ୍ତି ନାହିଁ । ଆମେ ମଧ୍ୟ ସେହିପରି କେତେଗୁଡ଼ିଏ ଶସ୍ତା ଚକମକ ବିଲାତି କଥା ନେଇ ଗର୍ବ ସହକାରେ ଅଗ୍ରସର ହେଉ । ବଡ଼ ବଡ଼ ବିଲାତି ଭାବଗୁଡ଼ିକ ହୁଏତ ସମ୍ପୂର୍ଣ୍ଣ ଅସ୍ଥାନରେ ଅସଙ୍ଗତରୂପେ ପ୍ରୟୋଗ କରୁ ତଥାପି ଅଜ୍ଞାତସାରରେ କି ଏକ ଅପୂର୍ବ ପ୍ରହସନର ଅଭିନୟ କରୁଛୁ ବୁଝି ପାରୁ ନା । ଆମକୁ ଅନାଇ କେହି ହସୁଥିବାର ଦେଖିଲେ ତତ୍କ୍ଷଣାତ୍ ବଡ଼ ବଡ଼ ନଜିର ଦେଖାଇ ଆମେ ନିଜ କର୍ମର ଯାଥାର୍ଥ୍ୟ ପ୍ରତିପାଦନ କରୁ ।
ଆମ ଜୀବନସହ ଶିକ୍ଷାର ସମ୍ପର୍କ ନ ଥିବାରୁ ପାଠ୍ୟପୁସ୍ତକରେ ଆମ ବାସଗୃହର ଉନ୍ନତି ଚିତ୍ର ମିଳେ ନା, ଆମ ସମାଜର ଆଦର୍ଶାବଳୀ ମଧ୍ୟ ପ୍ରଶଂସିତ ହୋଇ ନ ଥାଏ । ଆମର ଦୈନିକ ଜୀବନର କାର୍ଯ୍ୟକଳାପ ଏହି ପୁସ୍ତକର ପୃଷ୍ଠାମାନଙ୍କରେ ବର୍ଣ୍ଣିତ ହୁଏ ନାହିଁ, ଆନନ୍ଦସହକାରେ ଆମେ ସମ୍ବନ୍ଧ ସ୍ଥାପନ କରିଥିବା ଆମର ବନ୍ଧୁସୁହୃଦ, ଆମର ଆକାଶ ଓ ପୃଥିବୀ, ଆମର ପ୍ରଭାତ ଓ ପ୍ରଦୋଷ, ଆମର ଶସ୍ୟକ୍ଷେତ୍ର ଓ ସ୍ରୋତସ୍ୱିନୀ ଗୁଡ଼ିକର ଚିତ୍ର ସେଥିରେ ନ ଥାଏ । ଏପରି ଅବସ୍ଥାରେ ଶିକ୍ଷା ଓ ଜୀବନର କେବେ ହେଲେ ନିବିଡ଼ ମିଳନ ହୋଇ ପାରିବ ନାହିଁ । ଉଭୟ ମଧ୍ୟରେ ବ୍ୟବଧାନର ଏକ ପ୍ରାଚୀର ସୃଷ୍ଟି ହେବ । ଆମର ଶିକ୍ଷାକୁ ବୃଷ୍ଟିପାତ ସହ ତୁଳନା କରାଯାଇ ପାରେ, କିନ୍ତୁ ତାହା ଆମ ସମସ୍ତ ଜୀବନର ଚେରଠାରୁ ବହୁଦୂରରେ ଜଳଧାରା ବର୍ଷଣ କରିଅଛି । ବାଧା ଭେଦକରି ଯେତିକି ରସ ଆସି ନିକଟରେ ପହୁଞ୍ଚୁଛି ଆମ ଜୀବନର ଶୁଷ୍କତା ଦୂର କରିବା ପକ୍ଷରେ ତାହା ଯଥେଷ୍ଟ ନୁହେଁ ।
ଜୀବନଠାରୁ ଶିକ୍ଷାକୁ ବିଚ୍ଛିନ୍ନ କରି ରଖୁଥିବା ପ୍ରତିବନ୍ଧକ ଅତିକ୍ରମ କରିବା ଏ ଦେଶରେ ପ୍ରକୃତରେ କଷ୍ଟସାଧ୍ୟ । ଫଳତଃ, ସେମାନଙ୍କର ମିଳନ ଲାଭ ବିଡ଼ମ୍ବନା ମାତ୍ର । ତେଣୁ ଏହାର ପରିଣତି ରୂପେ ଉଭୟଙ୍କ ମଧ୍ୟରେ ଦୁରନ୍ତ ବୈରଭାବ କ୍ରମଶଃ ବୃଦ୍ଧିଲାଭ କରୁଛି । ସ୍କୁଲ ଓ କଲେଜରେ ଆମେ ସାହା ଶିଖୁ ଆମର ଚତୁସ୍ପାର୍ଶ୍ୱସ୍ଥ ଜୀବନର ପରିବେଶ ମଧ୍ୟରେ ତାହା ଗୋଟି ଗୋଟି କରି ଅସ୍ୱୀକୃତ ହୁଏ, ଅସଙ୍ଗତ ମନେ ହୁଏ, ଫଳତଃ ଏହା ପ୍ରତି ଆମର ଏକ ମୌଳିକ ଅଶ୍ରଦ୍ଧା ଓ ଅବିଶ୍ୱାସ ଜାତ ହୁଏ । ଆମେ ଅସତ୍ୟ ଶିଖୁଅଛୁ ଏବଂ ଇଉରୋପୀୟ ସଭ୍ୟତା ଏହାରି ଉପରେ ପୂର୍ଣ୍ଣ ପ୍ରତିଷ୍ଠିତ । ଭାରତୀୟ ସଭ୍ୟତା ପୂର୍ଣ୍ଣତଃ ସତ୍ୟାଶ୍ରୟୀ ଏବଂ ଆମର ଶିକ୍ଷା ଆମକୁ ସମ୍ମୋହିତ କରି ଏକ ପ୍ରବଞ୍ଚନା ଆଡ଼କୁ ନେଇଯାଉଅଛି, ଏହିପରି ଭାବନାକୁ ପ୍ରଶ୍ରୟ ଦେବାକୁ ଆମେ ଆରମ୍ଭ କରୁ । ଇଉରୋପୀୟ ବିଦ୍ୟା ଆମକୁ ଅନେକ ସମୟରେ ବିଫଳ କରାଉଛି, ଏହାର କାରଣ ସେହି ବିଦ୍ୟାର ଦୁର୍ବଳତା ମଧ୍ୟରେ ଖୋଜିବାକୁ ହେବ ନାହିଁ, ବରଂ ଆମ ଜୀବନର ପ୍ରତିକୂଳ ଅବସ୍ଥାହିଁ ଏଥିପାଇଁ ଦାୟୀ । ତଥାପି ଆମ୍ଭେମାନେ କହୁ ବିଲାତିପାଠ ଆମକୁ ଅକୃତକାର୍ଯ୍ୟ କରାଉଛି କାରଣ ଅକୃତକାର୍ଯ୍ୟତା ଏହାର ସ୍ୱାଭାବିକ ବୈଶିଷ୍ଟ୍ୟ । ଏହି ପାଠ ପ୍ରତି ଆମର ଅଶ୍ରଦ୍ଧା ଯେତେ ଅଧିକ ବଢ଼ୁଥିବ, ଆମ ନିମନ୍ତେ ଏହାର ଉପଯୋଗିତା ତେତିକି ହ୍ରାସପ୍ରାପ୍ତ ହେବ । ଫଳରେ ଆମ ଶିକ୍ଷା ଓ ଜୀବନ ମଧ୍ୟରେ ବିରୋଧ ତୀବ୍ର ହୋଇଅଛି । ଉଭୟେ ପରସ୍ପରଠାରୁ ଅଧିକ ଦୂରବର୍ତ୍ତୀ ହେଲେ, ଆମ ଜୀବନର ଦିନଗୁଡ଼ିକ ଆମ ନିମନ୍ତେ ରଙ୍ଗମଞ୍ଚ ତୁଲ୍ୟ ମନେହୁଏ ଓ ଏଠାରେ ସେମାନେ ପ୍ରହସନର ଦୁଇଟି ଚରିତ୍ର ପରି ପରସ୍ପରକୁ ବିଦ୍ରୂପ ଓ ତୀବ୍ର ପରିହାସ କରନ୍ତି ।
ଶିକ୍ଷାସହ ଜୀବନର ସାମଞ୍ଜସ୍ୟ ବିଧାନହିଁ ଆଜି ଆମର ପ୍ରଧାନତମ ସମସ୍ୟା, ଏହି ମିଳନ ବଙ୍ଗଭାଷା ଓ ସାହିତ୍ୟ ଦ୍ୱାରା ସାଧିତ ହୋଇ ପାରିବ । ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ବଙ୍ଗଦର୍ଶନ’ ପତ୍ରିକା ବଙ୍ଗଦେଶର ଆକାଶରେ ଏକ ନୂତନ ପ୍ରଭାତତୁଲ୍ୟ ଅତ୍ମପ୍ରକାଶ କରିଥିଲା, ତାହା ଆମେ ସମସ୍ତେ ଜାଣୁ । ସମଗ୍ର ଶିକ୍ଷିତ ଶ୍ରେଣୀକୁ ଏହା କାହିଁକି ଏତେ ଅପୂର୍ବ ଆନନ୍ଦ ଓ ସନ୍ତୋଷ ଦେଇଥିଲା ? ଇଉରୋପର ଇତିହାସ, ଦର୍ଶନ ଓ ବିଜ୍ଞାନର ଏପର୍ଯ୍ୟନ୍ତ ଅଜ୍ଞାତ ଏପରି କିଛି ନୂତନ ତତ୍ତ୍ୱ, ନୂତନ ସତ୍ୟ ଏଥିରେ ପ୍ରକାଶିତ ହୋଇଥିଲା କି ? ଏହାର ଉତ୍ତର ହେଉଛି, ବଙ୍ଗ ଦର୍ଶନକୁ ଅବଲମ୍ବନ କରି ଜଣେ ପ୍ରବଳ ପ୍ରତିଭାସମ୍ପନ୍ନବ୍ୟକ୍ତି ଆମର ଶିକ୍ଷା ଓ ଜୀବନର ବ୍ୟବଧାନ ଭାଙ୍ଗି ଦେଇଥିଲେ ଏବଂ ବହୁଦିନ ପରେ ହୃଦୟ ସହିତ ଭାବର ଏକ ଆନନ୍ଦମୟ ସମ୍ମିଳନ ଘଟାଇଥିଲେ । ଏପର୍ଯ୍ୟନ୍ତ ଇଉରୋପୀୟ ସଂସ୍କୃତି ଆମ ମଧ୍ୟରେ ବୈଦେଶିକ ହୋଇ ରହିଥିଲା । ଶିକ୍ଷାର ‘ବଙ୍ଗଦର୍ଶନ’ ଏହି ପ୍ରବାସୀକୁ ସ୍ୱଗୃହମଧ୍ୟକୁ ଆଣିବାରୁ ଆମ୍ଭେମାନେ ନିଜକୁ ଏକ ନୂତନ ପ୍ରକାଶକ୍ଷମ ଆଲୋକର ଜ୍ୟୋତି ମଧ୍ୟରେ ଦେଖିବାକୁ ପାଇଲୁ । ‘ବଙ୍ଗଦର୍ଶନ’ର ଶିକ୍ଷାରେ ଆମେ ଆମ ଘରର ସ୍ତ୍ରୀଲୋକମାନଙ୍କୁ ସୂର୍ଯ୍ୟମୁଖୀ, କମଳିନୀରୂପେ ଦେଖିବାକୁ ସମର୍ଥ ହେଲୁ । ଚନ୍ଦ୍ରଶେଖର ଓ ପ୍ରତାପ ଚରିତ୍ର ମଧ୍ୟରେ ବଙ୍ଗୀୟ ପୁରୁଷତ୍ୱର ଅଦର୍ଶ ଏକ ଉଚ୍ଚତର ଭାବାଲୋକରେ ପ୍ରତିଷ୍ଠିତ ହେଲା, ଆମର ପ୍ରତିଦିନର କ୍ଷୁଦ୍ର ଜୀବନ ଉପରେ ଏକ ମହିମା ରଶ୍ମି ନିପତିତ ହେଲା ।
‘ବଙ୍ଗଦର୍ଶନ’ରୁ ଲାଭ କରିଥିବା ନୂତନ ଆନନ୍ଦର ଆସ୍ୱାଦ ହେତୁ ଶିକ୍ଷିତ ବଙ୍ଗୀୟମାନେ ଆଜିକାଲି ନିଜ ମାତୃଭାଷାରେ ଭାବପ୍ରକାଶ ନିମନ୍ତେ ଉତ୍ସାହୀ ହୋଇଛନ୍ତି । ଇଂରାଜୀଭାଷା କେବଳ ବ୍ୟବସାୟର ପ୍ରୟୋଜନ ମେଣ୍ଟାଇ ପାରେ କିନ୍ତୁ ତାହା ଭାବର, ସାହିତ୍ୟ ପ୍ରୟୋଜନର ଭାଷା ନୁହେ, ଏହା ସେମାନେ ବୁଝିଛନ୍ତି । ସେମାନେ ପ୍ରତ୍ୟକ୍ଷଭାବେ ଦେଖିଛନ୍ତି ଯେ ଏକାନ୍ତ ଯତ୍ନ ସହକାରେ ଇଂରାଜୀଭାଷା ଏ ଦେଶରେ ଶିକ୍ଷା କରାଯାଉଥିଲେ ସୁଦ୍ଧା ଆମ ଦେଶର ବର୍ତ୍ତମାନ ଯାହା କିଛି ସ୍ଥାୟୀ ସାହିତ୍ୟ ତାହା ସମସ୍ତ ବଙ୍ଗଳାରେ ହିଁ ଲିଖିତ ହୋଇଛି । ଏହାର ପ୍ରଧାନ କାରଣ, ସାହିତ୍ୟର ସ୍ୱାଧୀନ ଭାବୋଚ୍ଛ୍ୱାସ ଇଂରାଜୀଭାଷା ମଧ୍ୟରେ ସହଜରେ ପ୍ରକାଶ କରିବା ନିମନ୍ତେ ଜଣେ ବଙ୍ଗୀୟ ବ୍ୟକ୍ତି କେବେ ହେଲେ ଉକ୍ତ ଭାଷାରେ ସେପରି ଘନିଷ୍ଠ ଆତ୍ମୀୟ ଜ୍ଞାନ ଲାଭ କରିବାକୁ ସମର୍ଥ ହେବେ ନାହିଁ । ଇଂରାଜୀ ଭାଷାରେ ତାଙ୍କର ସେପରି ଦଖଲ ଆସିଥିଲେ ସୁଦ୍ଧା ସେ ବଙ୍ଗୀୟଭାବ ଓ ଅନୁଭୂତ ଇଂରାଜୀରେ ଜୀବନ୍ତରୂପେ ପ୍ରକାଶ କରି ପାରିବେ ନାହିଁ । ଯେଉଁ ସକଳ ଅସାଧାରଣ ସୁଷମା ଓ ବିଶେଷ ସ୍ମୃତି ଆମ୍ଭମାନଙ୍କୁ ସୃଷ୍ଟି କର୍ମ ନିମନ୍ତେ ପ୍ରେରଣା ଦିଏ, କିମ୍ବା ଯେଉଁ ସକଳ ସଂସ୍କାର ପୁରୁଷାନୁକ୍ରମେ ଆମର ମନକୁ ଏକ ବିଶେଷ ଗଠନ ଦାନ କରିଛି, ଏକ ବୈଦେଶିକ ଭାଷାରେ ସେଗୁଡ଼ିକ ଯଥାର୍ଥ ରୂପ ଲାଭ କରି ପାରିବ ନାହିଁ ।
ପୂର୍ବରୁ କହିଛି ଆମର ବାଲ୍ୟ ଓ ବୟଃପ୍ରାପ୍ତିକାଳ ଗୋଟିଏ ଭାଷା ଶିକ୍ଷାରେ ଅତିବାହିତ ହୁଏ, କିନ୍ତୁ ଏହାର ଅନ୍ତର୍ନିହିତ ଭାବଧାରା ମଧ୍ୟରେ ଆମର ପ୍ରବେଶ ଘଟେ ନାହିଁ । ଆମେ ବୟସ୍କ ହେଲେ ବିପରୀତ ଅବସ୍ଥା ଦେଖାଦିଏ । ସେତେବେଳେ ଭାବର ସାକ୍ଷାତକାର ଘଟିଲେ ସୁଦ୍ଧା ଏହାର ପ୍ରକାଶ ନିମନ୍ତେ ଭାଷାର ଅଭାବ ଆମେ ଅନୁଭବ କରୁ । ଏକଥା ମଧ୍ୟ ମୁଁ ପୂର୍ବରୁ ଉଲ୍ଳେଖ କରିଛି ଯେ ଜୀବନର ପ୍ରଥମ ଅବସ୍ଥାରେ ଭାଷାଶିକ୍ଷା ସଙ୍ଗେ ସଙ୍ଗେ ଭାବଶିକ୍ଷା ଅବିଚ୍ଛେଦ୍ୟାଭାବେ ବୃଦ୍ଧିପାଏ ନା ବୋଲି ଇଂରାଜୀ ସାହିତ୍ୟର ଯଥାର୍ଥ ନିକଟ ସଂସର୍ଗ ଆମ୍ଭେମାନେ କେବେହେଲେ ଲାଭ କରୁ ନାହୁଁ । ଏହି କାରଣରୁ ପରବର୍ତ୍ତୀ କାଳରେ ଆମର ଅନେକ ଶିକ୍ଷିତ ଲୋକ ଇଂରାଜୀ ସାହିତ୍ୟ ପ୍ରତି ଅସନ୍ତୋଷ ପ୍ରଦର୍ଶନ କରିଛନ୍ତି । ଏହି ଶିକ୍ଷିତ ଲୋକଙ୍କ ପ୍ରତି ଦୃଷ୍ଟି ଫେରାଇଲେ ଆମେ ଦେଖୁ, ସେମାନଙ୍କ ଚିନ୍ତାଧାରା କେବଳ ଇଂରାଜୀ ସହ ସଂପର୍କଚ୍ୟୂତ ନୁହେ, ମାତୃଭାଷାଠାରୁ ଦୂରରେ ପଡ଼ିଥିବାରୁ ତାହା ସହ ମଧ୍ୟ ଅସମ୍ପୃକ୍ତ । ବଙ୍ଗଳାଭାଷା ପକ୍ଷରେ ସେମାନେ ଆଗନ୍ତୁକ ଅଜ୍ଞାତ ବ୍ୟକ୍ତି ହୋଇଥିବାରୁ ଏହା ପ୍ରତି ସେମାନଙ୍କର ଅବଜ୍ଞା ମଧ୍ୟ ଜାତ ହୋଇଛି । ବଙ୍ଗଳା ଜାଣନ୍ତି ନାହିଁ, ଏକଥା ସ୍ପଷ୍ଟରୂପେ ପ୍ରକାଶ୍ୟଭାବରେ ସ୍ୱୀକାର ନ କରି ସେମାନେ କହନ୍ତି, ବଙ୍ଗଭାଷାରେ କ’ଣ କୌଣସି ଭାବ ପ୍ରକାଶ କରାଯାଇ ପାରେ ? ଏହା ଆମ୍ଭମାନଙ୍କ ଭଳି ଶିକ୍ଷିତ ଲୋକଙ୍କର ମନର ଉପଯୋଗୀ ଭାଷା ନୁହେ । ପ୍ରକୃତ କଥା ହେଉଛି, ଆୟତ୍ତର ଅତୀତ ହେଲେ ଅଙ୍ଗୁର ଖଟା ବୋଲି ଉପେକ୍ଷା କରିବା ପୁରୁଣା ନୀତିଟିର ଏହା ପୁନରାବୃତ୍ତି ମାତ୍ର ! ଯେଉଁ ଦିଗରୁ ଆମେ ଏ ଘଟଣାର ବିଚାର କରୁ ନା କାହିଁକି ଏହା ସ୍ପଷ୍ଟ ଯେ ଆମ ଜୀବନ, ଆମ ଭାବ ଓ ଭାଷା ମଧ୍ୟରେ ସାମଞ୍ଜସ୍ୟ ନାହିଁ । ଏହି ମୌଳିକ ଅନୈକ୍ୟ ହେତୁ ଆମ୍ଭେମାନେ ଦୃଢ଼ ଭାବରେ ଦଣ୍ଡାୟମାନ ହେବାକୁ ଅକ୍ଷମ, ଆମର ଆବଶ୍ୟକତାକୁ ସହଜରେ ମେଣ୍ଟାଇ ପାରୁ ନା, ଆମର ଉଦ୍ୟମରେ ସଫଳକାମ ହେବାକୁ ଅସମର୍ଥ । ଗୋଟିଏ ଗଳ୍ପ ଥରେ ପଢ଼ିଥିଲି, ଜଣେ ଦରିଦ୍ର, ଶୀତକାଳ ପାଇଁ ଉଷ୍ଣବସ୍ତ୍ର ଓ ଗ୍ରୀଷ୍ମକାଳ ଉପଯୋଗୀ ଶୀତଳବସ୍ତ୍ର କିଣିବାକୁ ଇଚ୍ଛା କରି ଭିକ୍ଷାଲବ୍ଧ ସମସ୍ତ ଧନ ସଞ୍ଚୟ କଲା । ତା’ର ସକଳ ଚେଷ୍ଟା ସତ୍ତ୍ୱେ ଗ୍ରୀଷ୍ମର ଲଘୁବସ୍ତ୍ର ନିମନ୍ତେ ସଞ୍ଚୟ କରିବା ପୂର୍ବରୁ ଗ୍ରୀଷ୍ମକାଳ ଅତୀତ ହୋଇଗଲା । ବର୍ଷ ବର୍ଷ ଧରି ଏହିପରି ତାର ଅସାମର୍ଥ୍ୟ ପ୍ରକାଶ ପାଇବାରୁ ଦେବତା କରୁଣା-ପରବଶ ହୋଇ ତାହାକୁ ଏକ ବର ଦେବାକୁ ଇଚ୍ଛା ପ୍ରକାଶ କଲେ । ମନୁଷ୍ୟଟି କହିଲା, ‘‘ମୋର ଏହି ପ୍ରାର୍ଥନା, ଭାଗ୍ୟ ବ୍ୟବଧାନର ସମାପ୍ତି ଘଟୁ ଏବଂ ମୁଁ ଯେପରି ଗ୍ରୀଷ୍ମକାଳରେ ଶୀତଳ ପୋଷାକ ଓ ଶୀତକାଳରେ ଗରମ ପୋଷାକ ଲାଭ କରିବାକୁ ସମର୍ଥ ହୁଏ-।’’
ଈଶ୍ୱରଙ୍କ ନିକଟରେ ଆମର ମଧ୍ୟ ସେହି ପ୍ରାର୍ଥନା । ଆମ ଶିକ୍ଷାର ବ୍ୟବଧାନ ଘୁଞ୍ଚିଲେ ଆମେ ଚରିତାର୍ଥ ହେବୁ ଏବଂ ଶୀତକାଳର ଶୀତବସ୍ତ୍ର, ଗ୍ରୀଷ୍ମକାଳରେ ଗ୍ରୀଷ୍ମବସ୍ତ୍ର ଲାଭ କରିବାକୁ ସମର୍ଥ ହେବୁ । ଈଶ୍ୱର ଆମ ଆବଶ୍ୟକତା ଉପଯୋଗୀ ସକଳ ପଦାର୍ଥ ଆମ ନିକଟରେ ରଖିଛନ୍ତି, କିନ୍ତୁ ଉପଯୁକ୍ତ ମୁହୂର୍ତ୍ତରେ ଉପଯୁକ୍ତ ପଦାର୍ଥମାନ ଆମେ ପାଇ ପାରୁ ନାହୁଁ । ସେହି କାରଣରୁ ପୂର୍ବ ଗଳ୍ପର ଭିକ୍ଷୁକ ତୁଲ୍ୟ ଆମ ଜୀବନର ଦୈନ୍ୟ । ତେଣୁ ବିଧାତାଙ୍କ ନିକଟରେ ଆମର ପ୍ରାର୍ଥନା, ଆମ କ୍ଷୁଧା କାଳରେ ଅନ୍ନ, ଶୀତ କାଳରେ ବସ୍ତ୍ର ସେ ଆମକୁ ଦିଅନ୍ତୁ । ଆସ, ପ୍ରାର୍ଥନା କରିବା, ଯେ ଆମର ଭାବ ସହିତ ଭାଷା ଓ ଶିକ୍ଷା ସହିତ ଜୀବନର ଐକ୍ୟ ସେ ବିଧାନ କରନ୍ତୁ ।
(୧୮୯୨)