ପୂର୍ବ ଓ ପଶ୍ଚିମ — ବିଶ୍ୱ ମାନବର ପଥେ — ରବୀନ୍ଦ୍ରନାଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପୂର୍ବ ଓ ପଶ୍ଚିମ
ଭାରତବର୍ଷର ଇତିହାସ–ଏ ଇତିହାସ କେଉଁମାନଙ୍କର ?
ସୂଦୂର ଅତୀତରେ ଶ୍ୱେତକାୟ ଆର୍ଯ୍ୟମାନେ ପ୍ରକୃତିର ଦୁର୍ଲଂଘ୍ୟ ବାଧା ଓ ମନୁଷ୍ୟର ଦୁରୂହ ପ୍ରତିରୋଧ ଲଙ୍ଘନ କରି ଭାରତବର୍ଷରେ ପ୍ରବେଶ କରିଥିଲେ । ଏହି ବୃହତ୍ ଦେଶକୁ ଆଚ୍ଛନ୍ନ କରି ରହିଥିବା ଅନ୍ଧକାରମୟ ନିବିଡ଼ ଅରଣ୍ୟକୁ ପରିଷ୍କାର କରି ସେମାନେ ତାହାକୁ ଫଳଶସ୍ୟରେ ସମୃଦ୍ଧ ଏକ ଆଲୋକମୟ ସୁବିସ୍ତୀର୍ଣ୍ଣ ଭୂଖଣ୍ଡରେ ପରିଣତ କରିଥିଲେ । ସେମାନଙ୍କର ବୁଦ୍ଧି, ଶକ୍ତି ଓ ସମ୍ମିଳିତ ଉଦ୍ୟମ ସାହାଯ୍ୟରେ ଆର୍ଯ୍ୟମାନେ ଭାରତ ଇତିହାସର ଭିତ୍ତି ରଚନା କରିଥିଲେ । କିନ୍ତୁ ସେମାନେ କେବେହେଲେ ଘୋଷଣା କରି ନ ଥିଲେ–‘ଭାରତବର୍ଷ ହେଉଛି ଆମର ।’
ଆର୍ଯ୍ୟମାନେ ଏ ଦେଶର ଅନାର୍ଯ୍ୟମାନଙ୍କ ସଙ୍ଗରେ ମିଳିତ ହେବାକୁ ଆରମ୍ଭ କଲେ । ଜାତିଗତ ପ୍ରାଧାନ୍ୟର ପ୍ରାଥମିକ ଦୀପ୍ତି ସତ୍ତ୍ୱେ ସେମାନେ ଅନାର୍ଯ୍ୟ ସ୍ତ୍ରୀମାନଙ୍କସହ ପ୍ରତିଲୋମ ବିବାହ କରିଥିଲେ । ବୌଦ୍ଧଯୁଗରେ ଏହି ପାରସ୍ପରିକ ମିଶ୍ରଣ ଅଧିକ ଅବାଧ ହୋଇଥିଲା । ଏହି ଯୁଗର ଅବସାନ ପରେ ହିନ୍ଦୁସମାଜ ବୈବାହିକ ସ୍ୱାଧୀନତା ବିରୁଦ୍ଧରେ ପ୍ରତିକ୍ରିୟାଶୀଳ ହେବାକୁ ଆରମ୍ଭ କଲା । ଜାତିଗତ ସୀମା ପୁନଃସ୍ଥାପିତ ହେଲା ଏବଂ ତାହା ଲଂଘନ କରିବା ଥିଲା କଷ୍ଟସାଧ୍ୟ-। କିନ୍ତୁ ଏହା ଫଳରେ ଅବସ୍ଥା ଏପରି ହୋଇଥିଲା ଯେ ଦେଶର କ୍ରିୟାକର୍ମ ପାଳନ ନିମନ୍ତେ ବିଶୁଦ୍ଧ ବ୍ରାହ୍ମଣ ଖୋଜି ପାଇବା କଠିନ ହେଲା । ଅନେକ ସ୍ଥାନରେ ଦୂରଦେଶରୁ ବ୍ରାହ୍ମଣଙ୍କୁ ଆମନ୍ତ୍ରଣ କରି ଅଣାଗଲା କିମ୍ବା ଅନେକ ସ୍ଥଳରେ ରାଜାଦେଶରେ ଉପବୀତ ପିନ୍ଧାଇ ନୂତନ ବ୍ରାହ୍ମଣଗୋଷ୍ଠୀ ରଚନା କରିବାକୁ ପଡ଼ିଲା । ଯେଉଁ ଗୌରବର୍ଣ୍ଣ ଦିନେ ଆର୍ଯ୍ୟମାନଙ୍କର ଗୌରବର ବିଷୟ ଥିଲା, ତାହା ଇତି ମଧ୍ୟରେ ମଳିନ ହୋଇଥିଲା ଏବଂ ଆର୍ଯ୍ୟମାନେ ଶୂଦ୍ରମାନଙ୍କର କ୍ରିୟାକର୍ମ ଓ ପରମ୍ପରାକୁ ନିଜର ସାମାଜିକ ରୀତିନୀତି ମଧରେ ମିଶ୍ରିତ କରି ସାରିଥିଲେ । ଏହିପରି ଭାବର ବୃହତ୍ତର ହିନ୍ଦୁସମାଜ ସୃଷ୍ଟି ହୋଇଥିଲା । ଏହା ବୈଦିକ ଯୁଗର ଆର୍ଯ୍ୟସମାଜଠାରୁ ଯେ କେବଳ ପୃଥକ୍ ଥିଲା, ତାହା ନୁହେଁ, ବରଂ ଅନେକ ଦିଗରୁ ଉଭୟମଧ୍ୟରେ ବହୁ ବିରୋଧ ପରିଲକ୍ଷିତ ହୋଇଥିଲା ।
ଯାହାହେଉ, ଭାରତର ଇତିହାସ, ସେହି ପର୍ବରେ କେବଳ ସମାପ୍ତ ହେଲା ନାହିଁ । ଭାରତବର୍ଷର ଇତିହାସ ହିନ୍ଦୁର ଇତିହାସ, ଏହା ତାକୁ କହିବାକୁ ଦେବା ବୋଧହୁଏ ବିଧାତାଙ୍କର ଅଭିପ୍ରାୟ ନ ଥିଲା । ରାଜପୁତ ରାଜାମାନେ ପରସ୍ପର ମଧ୍ୟରେ ସଂଗ୍ରାମରେ ଲିପ୍ତ ରହି ଆତ୍ମଘାତୀ ଅନ୍ତର୍ଯୁଦ୍ଧରେ ନିଜ ବୀରତ୍ୱର ଅଭିମାନ ପ୍ରଦର୍ଶନ କରୁଥିଲାବେଳେ ଦେଶର ସେହି ବିଚ୍ଛିନ୍ନତାର ସୁଯୋଗ ନେଇ ମୁସଲମାନମାନେ ବାହାରୁ ଆସି ଏ ଦେଶରେ ପ୍ରବେଶ କଲେ ଏବଂ ଚତୁର୍ଦ୍ଦିଗରେ ବିସ୍ତୃତ ହେଲେ । ପୁରୁଷାନୁକ୍ରମେ ଏ ଦେଶରେ ବାସ କରି ଓ ମୃତ୍ୟୁବରଣ କରି ଏ ଦେଶ ମାଟିକୁ ସେମାନେ ନିଜର କରିନେଲେ ।
ଯଦି ଏଇ ପର୍ଯ୍ୟନ୍ତ ଆସି ଗୋଟାଏ ରେଖା ଟାଣି ଅମେ ବଡ଼ ପାଟିରେ କହୁ ‘ବନ୍ଦକର, ଆଉ ଅଧିକ ଯିବା ଅନାବଶ୍ୟକ’ ଭାରତର ଇତିହାସକୁ ଆମେ ହିନ୍ଦୁ ଓ ମୁସଲମାନର ଇତିହାସ କହିବୁ–ତା’ ହେଲେ ଯେଉଁ ବିଶ୍ୱକର୍ମା ସର୍ବଦା କର୍ମନିରତ ରହି ମାନବସମାଜର ସଂପର୍କରୁ ସଂକୀର୍ଣ୍ଣ କେନ୍ଦ୍ର ମଧ୍ୟରୁ ବୃହତ୍ତର ପରିଧି ମଧ୍ୟରେ ବିସ୍ତୃତ କରିବାର କଳ୍ପନା କରୁଛନ୍ତି, ନିଜ ଅଭିପ୍ରାୟ ବଦଳାଇ କଣ ସେ ଆମ ଅହଂକାରକୁ ସାର୍ଥକ କରିବେ ?
ଭାରତବର୍ଷ ହିନ୍ଦୁମାନଙ୍କର କି ମୁସଲମାନମାନଙ୍କର ଅଧିକ ହେବ, କିମ୍ବା ଅନ୍ୟ କୌଣସି ଜାତି ଆସି ଏଠାରେ ଆହୁରି ଅଧିକ ଆଧିପତ୍ୟ ବିସ୍ତାର କରିବେ–ବିଧାତା ଚିତ୍ତ ଏହି ସମସ୍ୟାରେ ଆନ୍ଦୋଳିତ ନୁହେ । ବିଧାତାଙ୍କର ଅଦାଲତରେ ବିଭିନ୍ନ ପକ୍ଷର ଓକିଲ ହିନ୍ଦୁ, ମୁସଲମାନ୍ ଏବଂ ଇଂରେଜମାନଙ୍କର ବିରୋଧୀ ଦାବୀ ସମ୍ବନ୍ଧରେ ବାକ୍ଯୁଦ୍ଧ କରୁଅଛନ୍ତି, କିମ୍ବା କୌଣସି ପକ୍ଷ ଅବଶେଷରେ ଏହି ଦ୍ୱନ୍ଦ୍ୱରେ ଚୂଡ଼ାନ୍ତ ଡିଗ୍ରୀ ହାସଲପୂର୍ବକ ନିଜ ବିଜୟପତାକା ପୋତି ଚିରସ୍ଥାୟୀ ଅଧିକାର ମାଡ଼ି ବସିବ, ଏପରି କୌଣସି କଥା ମଧ୍ୟ ସତ୍ୟ ନୁହେ । ଆମ୍ଭେମାନେ ଅହଙ୍କାର-ପରବଶ ହୋଇ ମନେ କରୁଁ, ଜଗତରେ ସ୍ୱତ୍ୱର ଲଢ଼ାଇ ଚାଲିଛି, କିନ୍ତୁ ପ୍ରକୃତରେ ଚିରନ୍ତନ ସଂଗ୍ରାମ କେବଳ ସତ୍ୟର ପ୍ରତିଷ୍ଠା ନିମନ୍ତେ ।
ଯାହା ଶ୍ରେଷ୍ଠ ଓ ଚରମ ସତ୍ୟ ତାହା ସମସ୍ତଙ୍କ ନିମନ୍ତେ-ନାନା ଆଘାତ, ସଘାଂତ ଓ ପ୍ରତିକୂଳ ଶକ୍ତିକୁ ଲଘଂନ କରି ଏହା ପ୍ରତିଷ୍ଠିତ ହୋଇଥାଏ । ଆମ୍ଭେମାନେ ଆମର ସକଳ ଇଚ୍ଛା ଦେଇ, ଏହାକୁ ଯେବେ ଅଗ୍ରସର କରିବାକୁ ଚେଷ୍ଟା କରିବୁ ସେହି ପରିମାଣରେ ଆମର ଚେଷ୍ଟା ସାର୍ଥକ ହେବ । ବ୍ୟକ୍ତିଭାବରେ ହେଉ ବା ଜାତିଭାବରେ ହେଉ, ନିଜକୁ ଚିରକାଳ ଜୟୀ କରିବାର ଉଚ୍ଚାଭିଳାଷ ବିଶ୍ୱବିଧାନ ମଧ୍ୟରେ ସ୍ଥାନ ପାଇ ନ ପାରେ । ଆଲେକ୍ଜାଣ୍ଡାରଙ୍କୁ ଆଶ୍ରୟ କରି ଗ୍ରୀସ୍ର ଜୟପତାକା ସମଗ୍ର ପୃଥିବୀକୁ ଏକତ୍ର କରି ପାରି ନାହିଁ, ସେଥିରେ ଗ୍ରୀସ୍ର ତୁଚ୍ଛ ଦାମ୍ଭିକତା ପ୍ରମାଣିତ ହୋଇଛି ମାତ୍ର । ଆଜି ଗ୍ରୀସ୍ର ସେହି ସ୍ପର୍ଦ୍ଧିତ ଅଭିଳାଷର କୌଣସି ମୂଲ୍ୟ ନାହିଁ । ବିଶ୍ୱସାମ୍ରାଜ୍ୟ ସ୍ଥାପନ ନିମନ୍ତେ ରୋମାନ୍ମାନଙ୍କର ସ୍ୱପ୍ନ ବର୍ବରମାନଙ୍କ ସଘାଂତରେ ଚୂର୍ଣ୍ଣୀଭୂତ ହୋଇଥିଲା । ରୋମର ସେହି ରାଜକୀୟ ସ୍ପର୍ଦ୍ଧାର ଅକୃତାର୍ଥତା ପାଇଁ ଜଗତରେ ଆଜି କେହି ବିଳାପ କରୁଛି କି ? ଗୀସ୍ ଓ ରୋମ୍ ମହାକାଳର ସ୍ୱର୍ଣ୍ଣତରୀରେ ନିଜ ସଂସ୍କୃତିର ପକ୍ୱ ଫସଲ ବୋଝାଇ କରିଦେଇଛନ୍ତି, କିନ୍ତୁ ସେମାନେ ନିଜେ ସେହି ତରଣୀରେ ସ୍ଥାନ ଗ୍ରହଣ କରି ଆଜି ପର୍ଯ୍ୟନ୍ତ ଯେ ବସି ନାହାନ୍ତି, ସେଥିରେ କାଳର ଅନାବଶ୍ୟକ ଭାର ଲାଘବ ହୋଇଛି ସିନା କୌଣସି କ୍ଷତି ଘଟି ନାହିଁ ।
ଏ ଦେଶର ହିନ୍ଦୁ ବଡ଼ ହେବେ କିମ୍ବା ଅନ୍ୟ କେହି ବଡ଼ ହେବେ ଭାରତବର୍ଷ ଇତିହାସର ତାହା ଲକ୍ଷ୍ୟ ନୁହେଁ, ବରଂ ଭାରତରେ ମାନବତା ଏକ ସାର୍ଥକ ପରିପୂର୍ଣ୍ଣ ମୂର୍ତ୍ତି ପରିଗ୍ରହ କରିବ ଏବଂ ଏହି ପରିପୂର୍ଣ୍ଣତାର ପ୍ରତିମା ଗଠନରେ ଯଦି ହିନ୍ଦୁ, ଓ ମୁସଲମାନ୍ ଓ ଇଂରେଜ ନିଜ ନିଜ ବ୍ୟକ୍ତିତ୍ୱର ଆକ୍ରମଣକାରୀରୂପକୁ ବିଲୁପ୍ତ କରଦିଅନ୍ତି, ସେଥିରେ ସେମାନଙ୍କର ଜାତିଗତ ଅଭିମାନର ଅପମୃତ୍ୟୁ ଘଟି ପାରେ, କିନ୍ତୁ ସତ୍ୟ ବା ମାନବିକ ଅଧିକାରର ଅପଚୟ ବୋଲି ତାହା ଗଣ୍ୟ ହେବ ନାହିଁ ।
ବିଶାଳ ଭାରତ ଗଢ଼ିବା ନିମନ୍ତେ ଆମେ ସମସ୍ତେ ସମବେତ । ଏହି ଉଦ୍ଦେଶ୍ୟରେ ସଫଳତା ନିମନ୍ତେ ଆବଶ୍ୟକୀୟ ଉପକରଣମାନଙ୍କ ମଧ୍ୟରୁ ଆମେ ଏକ ଏକ ଉପକରଣ । ଯଦି କୌଣସି ଏକ ଉପକରଣ ବିଦ୍ରୋହୀ ହୋଇ ଅନୁଚିତ ଆଧିପତ୍ୟ ଦାବୀ କରେ, ଅପରଙ୍କ ସହିତ ମିଳିତ ହେବାକୁ ଅନିଚ୍ଛା ପ୍ରକାଶ କରେ, ଗଠନ କର୍ମର ଗତି ନିଶ୍ଚୟ ହ୍ରାସପ୍ରାପ୍ତ ହେବ । ପୃଥକ୍ ରହିବାକୁ ଇଚ୍ଛା ପ୍ରକାଶ କରୁଥିବା ଅଂଶକୁ ଏକ ପାର୍ଶ୍ୱକୁ ଠେଲି ଦେବାକୁ ପଡ଼ିବ । କିନ୍ତୁ ଯେଉଁ ଅଂଶ କହିବ ମୁଁ ସ୍ୱୟଂ ଅକିଞ୍ଚନ, ଯେଉଁ ସମଗ୍ରତା ରଚିତ ହେଉଛି, ସେହି ଉଦ୍ଦେଶ୍ୟରେ ସଂପୂର୍ଣ୍ଣଭାବରେ ମୁଁ ଉତ୍ସୃଷ୍ଟ, ସେହି କେବଳ କ୍ଷୁଦ୍ରକୁ ତ୍ୟାଗ କରି, ବଳଶାଳୀ ବୃହତ୍ତର ମଧ୍ୟରେ ଚିରକାଳ ନିମନ୍ତେ ସ୍ଥାନ ଲାଭ କରିବ ।
ଭାରତବର୍ଷର ଯେଉଁ ଅଂଶ ସୁଦୂର ଅତୀତକାଳର ଅନ୍ତରାଳ ମଧ୍ୟରେ ପ୍ରଚ୍ଛନ୍ନ ରହି ଅନ୍ୟ ସମସ୍ତଙ୍କଠାରୁ ବିଚ୍ଛିନ୍ନ ରହିବାକୁ ଇଚ୍ଛା କରେ, ଭାରତ ଇତିହାସର ବିଧାତା ତାହାକୁ ସମସ୍ତଙ୍କ ସଙ୍ଗରେ ସମାନ କରି ଦେବେ, ନ ହେଲେ ତାହାକୁ ଅନାବଶ୍ୟକ ବ୍ୟାଘାତ ମନେ କରି ବର୍ଜ୍ଜନ କରିବେ । ଭାରତବର୍ଷର ଇତିହାସ କେବଳ ହିନ୍ଦୁମାନଙ୍କ କାହାଣୀ ନୁହେଁ, ସେହି ଇତିହାସ ମଧ୍ୟରେ ଆମେ ଉପାଦାନରୂପେ ସମାଦୃତ; ଆମେ ନିଜକୁ ସେହି ଆଦର୍ଶର ଉପଯୋଗୀ କରି ନ ପାରିଲେ ନିଶ୍ଚୟ ନଷ୍ଟ ହେବୁଁ । ସକଳ ସହିତ ସଂପର୍କ ଚ୍ଛିନ୍ନ କରି ଗର୍ବରେ ଯଦି ଆମ୍ଭେମାନେ ବିଶୁଦ୍ଧ ରହିବା ଆସ୍ଫାଳନରେ ବଂଶ ପରଂପରାକ୍ରମେ ଚେଷ୍ଟା କରୁଁ, ଯଦି ଆମ ଧର୍ମ, ସମାଜିକ ଆଚାର, ସ୍ୱତନ୍ତ୍ର ଭାବରେ କେବଳ ଆମର ହୁଏ, ଆମର ପୂଜା କ୍ଷେତ୍ର ବାହାର ଲୋକମାନଙ୍କ ନିମନ୍ତେ ନିଷିଦ୍ଧ ହୁଏ, ଆମର ପ୍ରାଚୀନ ଜ୍ଞାନ ଲୌହ ସିନ୍ଦୂକରେ ଆବଦ୍ଧ ରହେ, ତା’ହେଲେ ମାନବସମାଜର ଦରବାରରେ ଆମର ମୃତ୍ୟୁଦଣ୍ଡର ଆଦେଶ ଯେ ହୋଇଯାଇଛି ଓ ବର୍ତ୍ତମାନ ସେଥିନିମନ୍ତେ ଆମକୁ ସ୍ୱରଚିତ, ଅନ୍ଧକାରାଚ୍ଛନ୍ନ ବନ୍ଦୀ ଗୃହରେ କେବଳ ଅପେକ୍ଷା କରିବାକୁ ପଡ଼ିଅଛି-ଏହା ଆମେ ଜଗତବାସୀଙ୍କ ଆଗରେ ଘୋଷଣା କରିବା ଉଚିତ ।
ସଂପ୍ରତି ଇଂରେଜମାନେ ଆସି ଭାରତ ଇତିହାସରେ ଏକ ପ୍ରଧାନ ସ୍ଥାନ ଅଧିକାର କରିଛନ୍ତି । ଏହି ଘଟଣା ଆକସ୍ମିକ ନୁହେ । ପଶ୍ଚିମ ସହ ଏହି ସଂସଦର ଅଭାବରେ ଭାରତ ଅସମ୍ପୂର୍ଣ୍ଣ ରହିଥାନ୍ତା । ଇଉରୋପ ଆଜି ନିଜର ପ୍ରଦୀପ ପ୍ରଜ୍ଜ୍ୱଳିତ କରିଛି । ସେହି ଶିଖାରୁ ଆଲୋକ ନେଇ ଆମେ ଆମର ପ୍ରଦୀପ ଜଳାଇବା ଏବଂ କାଳର ପଥରେ ପୁଣି ଯାତ୍ରା ଆରମ୍ଭ କରିବା । ଆମ୍ଭେମାନେ ଏତେ ହତଭାଗ୍ୟ ନୋହୁ କିମ୍ୱା ଜଗତ ଏତେ ଦରିଦ୍ର ନୁହେ । ତିନି ହଜାର ବର୍ଷ ପୂର୍ବେ ଆମର ପୂର୍ବ ପୁରୁଷମାନେ ଏହି ବିଶ୍ୱଜଗତରୁ ସକଳ ଗ୍ରହଣ କରି ଯେ ନିଃଶେଷ କରିଛନ୍ତି ଏବଂ ଆମ ପାଇଁ କିଛି ଅବଶିଷ୍ଟ ନାହିଁ, ଏହା ସତ୍ୟ ନୁହେ । ଆମେ ଯାହା କରିବା ଆବଶ୍ୟକ, ତାହା ପୂର୍ବରୁ ସମ୍ପନ୍ନ ହୋଇଅଛି; -ଏ କଥା ସତ୍ୟ ହେଲେ ଜଗତର କର୍ମକ୍ଷେତ୍ରରେ ଆମର ଅଧିକ କାଳ ସ୍ଥିତି ପୃଥବୀ ପକ୍ଷରେ ଭାର ସଦୃଶ ହେବ । ଯେଉଁମାନେ ପୂର୍ବପୁରୁଷମାନଙ୍କ ମଧ୍ୟରେ ନିଜର ସର୍ବପ୍ରକାର ପୂର୍ଣ୍ଣତାର ସତ୍ତା ଉପଲବ୍ଧି କରନ୍ତି, ନିଜ ବିଶ୍ୱାସ ଓ ଆଚାର ଦ୍ୱାରା ଆଧୁନିକତାର ସଂସ୍ପର୍ଶରୁ ନିଜକୁ ମୁକ୍ତ ରଖିବାର ଚେଷ୍ଟା କରନ୍ତି, ସେମାନେ ବର୍ତ୍ତମାନର କେଉଁ ତାଡ଼ନାରେ, ଭବିଷ୍ୟତର କେଉଁ ଅଶ୍ୱାସରେ ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିବେ ?
ପୃଥବୀରେ ଆମର ଆବଶ୍ୟକତା ଅଛି, ସେ ପ୍ରୟୋଜନ ଆମ ନିଜର ସଂକୀର୍ଣ୍ଣ କ୍ଷୁଦ୍ରତା ମଧ୍ୟରେ ଆବଦ୍ଧ ନୁହେ । ନିଖିଳ ମାନବ ସଙ୍ଗରେ ଜ୍ଞାନ, କର୍ମ, ନୂତନ ଉଭାବନର କ୍ରମବର୍ଦ୍ଧମାନ ସମ୍ୱନ୍ଧରେ ଆମକୁ ଆବଦ୍ଧ ହେବାକୁ ହେବ, ଏହି ପ୍ରେରଣା ଆମକୁ ଦେବା ନିମନ୍ତେ ଶୁଭକ୍ଷଣରେ ସ୍ୱର୍ଗର ଦେବଦୂତ ତୁଲ୍ୟ ଇଂରେଜମାନେ ଜୀର୍ଣ୍ଣ ଦ୍ୱାରର ପ୍ରବେଶ ପଥ ଲଘଂନ କରି ଆମ ଗୃହରେ ପ୍ରବେଶ କରିଅଛନ୍ତି । ଆମ୍ଭେମାନେ ଯେ ପର୍ଯ୍ୟନ୍ତ ସେମାନଙ୍କର ଆମନ୍ତ୍ରଣର ଉତ୍ତର ନ ଦେଇଛୁ, ତାଙ୍କ ସଙ୍ଗରେ ସମପଦକ୍ଷେପରେ ଯାତ୍ରା ନ କରିଛୁ, ସେ ପର୍ଯ୍ୟନ୍ତ ସେମାନେ ଆମକୁ ପୀଡ଼ା ଦେବେ, ଏବଂ ଆମର ଦାୟକ ନିଦ୍ରାରୁ ଆମକୁ ବଞ୍ଚିତ କରିବେ । ଭାରତବର୍ଷ ନିମନ୍ତେ ଉନ୍ନତିର ପ୍ରକ୍ରିୟାକୁ ଅବିଚ୍ଛିନ୍ନ ରଖିବା ପୃଥିବାର ଲୋକଙ୍କର ସୁଖ ସାଧନ ପକ୍ଷରେ ଗୁରୁତ୍ୱପୂର୍ଣ୍ଣ । ଏ ଦେଶ କେବଳ ଆମର, ଏ କଥା କହିବାକୁ ଆମେ କିଏ ? ପ୍ରକୃତରେ ସେହି ‘ଆମ୍ଭେ ମାନେ’ ବା କିଏ ? ବଙ୍ଗାଳୀ, ମରାଠି, ପଞ୍ଜାବୀ, ହିନ୍ଦୁ ନା ମୁସଲମାନ୍ ? କେବଳ ସେହି ଅଖଣ୍ଡ ବୃହତ୍ତର ‘ଆମେ’ ଯେଉଁଥିରେ ହିନ୍ଦୁ, ମୁସଲମାନ, ଇଂରେଜ ଅବା ଅନ୍ୟ ଯେ କେହି ସମାଗତ-ନିଶ୍ଚୟ ଏକ ହେବେ ଏବଂ ସେମାନେ ହିଁ ‘ଭାରତ କଣ’ ଓ କେଉଁଟି ଭାରତ ବାହାରର ତାହା ନିଶ୍ଚିତରୂପେ ନିର୍ଦ୍ଧାରଣ କରିବେ ।
ଇଂରେଜମାନଙ୍କ ସଙ୍ଗରେ ଆମର ମିଳନକୁ ଫଳପ୍ରଦ କରିବାକୁ ହେବ । ମହାଭାରତ ଗଠନର ବ୍ୟାପାରରେ ଏହି ଭାର ଆମ୍ଭମାନଙ୍କ ଉପରେ ନ୍ୟସ୍ତ । ବିମୁଖ ରହିବୁ, ବିଚ୍ଛିନ୍ନ ହେବୁ; କିଛି ଗ୍ରହଣ କରିବୁ ନାହିଁ, ବା ଦେବୁ ନାହିଁ,-ଏହି ମନୋଭାବ ଦ୍ୱାରା ଭାରତର ଇତିହାସକୁ ଆମେ ଦରିଦ୍ର କରିବୁ ।
ତେଣୁ ଆଧୁନିକ ଭାରତର ମଣୀଷୀମାନେ ପୂର୍ବ ଓ ପଶ୍ଚିମର ମିଳନ ସାଧନକୁ ନିଜ ଜୀବନର କର୍ମଭାବେ ଗ୍ରହଣ କରିଅଛନ୍ତି । ରାମମୋହନ ରାୟ ହେଉଛନ୍ତି ଏହାର ଦୃଷ୍ଟାନ୍ତ । ମନୁଷ୍ୟତ୍ୱର ଉଦାର ଭିତ୍ତି ଉପରେ ଭାରତକୁ ସମଗ୍ର ପୃଥିବୀ ସହ ମିଳିତ କରାଇବା ଲାଗି ସେ ଦିନେ ଏକାକୀ ଦଣ୍ଡାୟମାନ ହୋଇଥିଲେ । କୌଣସି ଅନ୍ଧବିଶ୍ୱାସ, କୌଣସି ବଂଶଗତ ସଂସ୍କାର ତାଙ୍କ ଦୃଷ୍ଟିକୁ ଆଚ୍ଛନ୍ନ କରି ପାରି ନ ଥିଲା । ଆଶ୍ଚର୍ଯ୍ୟକର ଉଦାର ହୃଦୟ ଓ ବୁଦ୍ଧି ଦ୍ୱାରା, ସେ ପୂର୍ବକୁ ପରିତ୍ୟାଗ ନ କରି ପଶ୍ଚିମକୁ ଗ୍ରହଣ କରିଥିଲେ ଏବଂ ଏକାକୀ ନବରଙ୍ଗ ଗଠନ କରିଥିଲେ । ସାହସ ସହକାରେ ସେ ତାଙ୍କ କର୍ମରେ ନାନା ବିରୋଧର ସମ୍ମୁଖୀନ ହୋଇ ସତ୍ୟ ସନ୍ଧାନରେ ମାନବର ଚିରନ୍ତର ଅଧିକାର ଆମ ନିମନ୍ତେ ହାସଲ କରିବାକୁ ସମର୍ଥ ହୋଇଥିଲେ । ପୃଥିବୀର ଉତ୍ତରାଧିକାର ନେଇ ଯେ ଆମେ ଜନ୍ମଗ୍ରହଣ କରିଅଛୁ, ଏହା ଆମକୁ ସେ ଉପଲବ୍ଧି କରାଇ ଦେଇଥିଲେ । ସେ ପ୍ରଥମେ ଅନୁଭବ କରି ଘୋଷଣା କରିଥିଲେ ଯେ ବୁଦ୍ଧ, ମହମ୍ମଦ ଓ ଖ୍ରୀଷ୍ଟଙ୍କ ଜନ୍ମ ଆମରି ପାଇଁ, ଆମ୍ଭମାନଙ୍କ ନିମନ୍ତେ ଆମ ପ୍ରାଚୀନ ଋଷିମାନଙ୍କର ସାଧନାର ଫଳ ସଞ୍ଚିତ; ଯେ କେହି ଜ୍ଞାନ ପଥରୁ ପ୍ରତିବନ୍ଧକ ଦୂର କରିଛନ୍ତି ବା ଜଡ଼ତ୍ୱର ଶୃଙ୍ଖଳ ମୋଚନ କରି ମାନବ ଶକ୍ତିକୁ ମୁକ୍ତି ଦେଇଛନ୍ତି, ସେମାନେ ସମସ୍ତେ ଆମ ଆପଣାର ଏବଂ ସେମାନଙ୍କ ସମ୍ପର୍କ ହେତୁ ଆମ ପ୍ରତ୍ୟେକ ଧନ୍ୟ ।
ରାମମୋହନ ରାୟ ଭାରତବର୍ଷ ଓ ୟୁରୋପ ମଧ୍ୟରେ ଏକ ସେତୁ ନିର୍ମାଣ କରିଥିଲେ । ଆଜି ପର୍ଯ୍ୟନ୍ତ ସେ ଭାରତବର୍ଷର ପ୍ରତ୍ୟେକ ସୃଷ୍ଟିକ୍ଷମ କ୍ରିୟାକଳାପରେ ପ୍ରେରଣାଦାତା ଶକ୍ତି ତୁଲ୍ୟ ବିରାଜମାନ । କୌଣସି ଅନ୍ଧ ଅଭ୍ୟାସ ବା ଅହଙ୍କାର ତାଙ୍କୁ ମହାକାଳର ଅଭିପ୍ରାୟ ଅସ୍ୱୀକାର କରିବାକୁ ପ୍ରବର୍ତ୍ତନା ଦେଇ ନ ଥିଲା । ଏହି ଅଭିପ୍ରାୟ କେବଳ ଅତୀତ ମଧ୍ୟରେ ନିଃଶେକ୍ଷିତ ହୋଇ ନାହିଁ, ଭବିଷ୍ୟତର ପୂର୍ଣ୍ଣତାପ୍ରାପ୍ତି ଦିଗରେ ଏହା ଗତିଶୀଳ ।
ଦକ୍ଷିଣ ଭାରତରେ ରାନାଡ଼େ ପୂର୍ବପଶ୍ଚିମର ଏ ଧରଣର ସେତୁବନ୍ଧନ କର୍ମରେ ନିଜ ଜୀବନ ନିୟୋଜିତ କରିଥିଲେ । ଯାହା ଅସାମଞ୍ଜସ୍ୟକୁ ଦୂର କରେ, ଇଛାଶକ୍ତିର ସ୍ୱାଧୀନତାକୁ ପ୍ରକାଶ କରେ, ସେହ ମିଳନତତ୍ତ୍ୱ ରାନାଡ଼େଙ୍କ ପ୍ରକୃତି ମଧ୍ୟରେ ନିହିତ ଥିଲା । ସେଥିଲାଗି ଭାରତବାସୀ ଓ ଇଂରେଜମାନଙ୍କ ମଧ୍ୟରେ ନାନାପ୍ରକାର ଭାବର ସଂଘର୍ଷ ଓ ସ୍ୱାର୍ଥର ବିରୋଧ ଥିଲେ ସୁଦ୍ଧା, ସେ ସମସ୍ତ ସମାଧାନ କରିବାରେ ନିରନ୍ତର ଚେଷ୍ଟା କରି ରାନାଡେ ଆମ ଇତିହାସକୁ ସମୃଦ୍ଧ କରିବାରେ ଇଂରେଜମାନଙ୍କ ଅବଦାନକୁ ଗ୍ରହଣ କରିବାର ପଥ ପରିଷ୍କାର କରି ଦେଇଥିଲେ-।
ଅଳ୍ପଦିନ ତଳେ ଯେଉଁ ମହାତ୍ମାଙ୍କ ମୃତ୍ୟୁଶୋକ ଆମ ସମସ୍ତଙ୍କୁ ଆଚ୍ଛନ୍ନ କରିଥିଲା, ସେ ବିବେକାନନ୍ଦ ସମାନ ଧରଣର କର୍ମରେ ମଧ୍ୟ ନିଯୁକ୍ତ ଥିଲେ । ଗ୍ରହଣ କରିବାର, ମିଲନ ଘଟାଇବାର ଓ ସୃଷ୍ଟି କରିବାର ପ୍ରତିଭା ତାଙ୍କର ଥିଲା । ସେ ଭାରତବର୍ଷ ଓ ପଶ୍ଚିମ ମଧ୍ୟରେ ସାଧନାଜନିତ ଆଦର୍ଶର ଆଦାନପ୍ରଦାନ ନିମନ୍ତେ ନିଜର ଜୀବନ ଉତ୍ସର୍ଗ କରିଥିଲେ ।
ଦିନେ ବଙ୍କିମଚନ୍ଦ୍ର ବଙ୍ଗଦର୍ଶନ ପତ୍ରିକା ମଧ୍ୟରେ ପୂର୍ବ ଓ ପଶ୍ଚିମର ମିଳନ ଜନିତ ବାସ୍ତବ ଉତ୍ସବ ଦର୍ଶନ ନିମନ୍ତେ ନିଜ ପାଠକମାନଙ୍କୁ ଆମନ୍ତ୍ରଣ କରିଥିଲେ । ସେହି ଦିନଠାରୁ ବଙ୍ଗ ସାହିତ୍ୟରେ ବିଶ୍ୱଜନୀନତାର ଆବାହନ ଆଶ୍ଚାର୍ଯ୍ୟକର ଅଭିବୃଦ୍ଧି ଲାଭ କରିଅଛି ଏବଂ ବିଶ୍ୱସାହିତ୍ୟ ସହ ଏହାର ଐକ୍ୟ ସ୍ଥାପିତ ହୋଇଅଛି ।
ଶିକ୍ଷିତ ସମ୍ପ୍ରଦାୟ ମଧ୍ୟରେ ଆଜି ଆମ୍ଭମାନଙ୍କ ମଧ୍ୟରୁ ଅନେକ ମନେ କରନ୍ତି, ଭାରତବର୍ଷର ବିଭିନ୍ନ ଜାତିକୁ ଏକ କରିବାର ଚେଷ୍ଟା ରାଜନୈତିକ ବଳଲାଭ ଉଦ୍ଦେଶ୍ୟର ହେତୁ । ଗୋଟିଏ ମହତ୍ ଉଦ୍ୟମକୁ କ୍ଷୁଦ୍ର ଉଦ୍ଦେଶ୍ୟ ସମ୍ବଳିତ କହି ଆମ୍ଭେମାନେ ଏହାକୁ ତୁଚ୍ଛ କରିବାର ପ୍ରୟାସ କରୁ । ଭାରତବର୍ଷରେ ସମସ୍ତ ମନୁଷ୍ୟଙ୍କ ମିଳନ ସର୍ବାପେକ୍ଷା ମହନୀୟ ଉଦ୍ଦେଶ୍ୟ, କାରଣ ଏହା ମନୁଷ୍ୟତ୍ୱ, ଏହି ଉଦ୍ଦେଶ୍ୟ ବିଫଳ ହେଲେ ଆମେ ଜୀବନର ଏକ ମୂଳନୀତି ହରାଇବସୁ, ଆମର ସମସ୍ତ ପ୍ରକାର ଶକ୍ତି କ୍ଷୀଣ ଓ ବାଧାପ୍ରାପ୍ତ ହୁଏ ।
ମନୁଷ୍ୟର ଉଦାର ଧର୍ମବୁଦ୍ଧିରେ ଏହି ମିଳନ ଚେଷ୍ଟାକୁ ଆମ୍ଭେମାନେ ଗ୍ରହଣ କଲେ ଆମର ଉଦ୍ୟମ ସଫଳ ହେବ । କିନ୍ତୁ ପ୍ରକୃତ ଧର୍ମ ଚେତନା କୌଣସି କ୍ଷୁଦ୍ର ଅହଙ୍କାର ବା ପ୍ରୟୋଜନ ମଧ୍ୟରେ ଆବଦ୍ଧ ନୁହେ । ସେହି ବୁଦ୍ଧିର ଅନୁଗତ ହେଲେ, ଆମର ଉଦ୍ୟମ କେବଳ ଭାରତବର୍ଷର କ୍ଷୁଦ୍ର କ୍ଷୁଦ୍ର ଜାତି ମଧ୍ୟରେ ଆବଦ୍ଧ ରହିବ ନାହିଁ, ଏହା ଇଂରେଜମାନଙ୍କ ନିକଟରେ ପହଞ୍ଚିବା ଲାଗି ମଧ୍ୟ ପ୍ରସାରିତ ହେବ ।
ସଂପ୍ରତି ଇଂରେଜମାନଙ୍କ ସଙ୍ଗରେ ଭାରତୀୟମାନଙ୍କର ଯେଉଁ ବିରୋଧ ଦେଖାଦେଇଛି, ତାହା ଆମେ କି ଭାବରେ ଗ୍ରହଣ କରିବୁ । ତାହା ମଧ୍ୟରେ କଣ କୌଣସି ସତ୍ୟ ନାହିଁ ? ତାହା କଣ କେବଳ କେତେଜଣ ଚକ୍ରାନ୍ତକାରୀଙ୍କର ଇନ୍ଦ୍ରଜାଲ ମାତ୍ର ? ଭାରତର ଏହି ବିରାଟ ଭୂଖଣ୍ଡରେ ସମାଗତ ନାନାଜାତି ଓ ନାନାଶକ୍ତିର ସଂଘାତ ଓ ସମ୍ମିଳନରେ ଯେଉଁ ଇତିହାସ ଗଠିତ ହୋଇଅଛି, ବର୍ତ୍ତମାନ ବିରୋଧର ଆବର୍ତ୍ତ କଣ ତାର ପ୍ରତିକୂଳ ? ବର୍ତ୍ତମାନ କାଳରେ ଏହି ବିରୋଧର ତାତ୍ପର୍ଯ୍ୟ ବୁଝିବା ପାଇଁ ଆମେ ଚେଷ୍ଟା କରିବା ଉଚିତ ।
ଭାରତୀୟ ଭକ୍ତି ଧର୍ମରେ ବିରୋଧକୁ ଈଶ୍ୱରଙ୍କସହ ମିଳନ ସାଧନର ଏକ ଅଙ୍ଗରୂପେ ଗ୍ରହଣ କରାଯାଏ । ଲୋକପ୍ରସିଦ୍ଧ ଅଛି, ରାବଣ ଭଗବାନଙ୍କ ସହ ଶତ୍ରୁତା କରି ମୁକ୍ତିଲାଭ କରିଥିଲା-। ଏହାର ଅର୍ଥ ପ୍ରଥମରେ ସତ୍ୟସହ ‘ଯୁଦ୍ଧଂ ଦେହି’ ଆହ୍ୱାନପୂର୍ବକ ତା’ ନିକଟରୁ ପରାସ୍ତ ହେଲେ, ନିବିଡ଼ ଭାବରେ ସତ୍ୟର ଉପଲବ୍ଧି ଘଟେ । ବିରୋଧ ନ କରି, ସଂଶୟ ପ୍ରଦର୍ଶନ ନ କରି, ସହଜରେ ସତ୍ୟକୁ ଗ୍ରହଣ କଲେ, ଏହି ଗ୍ରହଣ ସଂପୂର୍ଣ୍ଣ ହୁଏ ନାହିଁ । ଏହି ହେତୁ କଠୋର ସନ୍ଦେହ ଓ ପ୍ରତିବାଦ ଉପରେ ସକଳ ବିଜ୍ଞାନ ପ୍ରତିଷ୍ଠିତ ।
ଦିନେ ଆମ୍ଭେମାନେ ୟୁରୋପର ଚାକଚକ୍ୟରେ ଅଭିଭୂତ ହୋଇ ଭିକ୍ଷାବୃତ୍ତି ଅବଲମ୍ବନ ପୂର୍ବକ ତାହାର ଦାନ ନିର୍ବିଚାର ଭାବରେ ଗ୍ରହଣ କରିଥିଲୁ । ଏହାଦ୍ୱାରା କୌଣସି ଯଥାର୍ଥ ଲାଭ ସାଧିତ ହୋଇ ନ ପାରେ । ଜ୍ଞାନ ହେଉ ବା ରାଷ୍ଟ୍ରୀୟ ଅଧିକାର ହେଉ, ତାହା ଉପାର୍ଜନର ଅପେକ୍ଷା ରଖିଥାଏ, ଅର୍ଥାତ୍ ବିରୋଧ ଓ ବ୍ୟାଘାତସହ ସଂଗ୍ରାମ କରି ଆତ୍ମଶକ୍ତି ଦ୍ୱାରା ଲାଭ କଲେ ତାହାର ଯଥାର୍ଥ ଉପଲବ୍ଧି ଘଟିଥାଏ । ଯଦି କେହି ଏହାକୁ ଆଣି ଆମ ହାତରେ ଭିକ୍ଷାଦାନ ଭଳି ଅର୍ପଣ କରେ ଆମେ ତାହାକୁ ଆମ ଅଧିକାରରେ ରଖିବାକୁ ସମର୍ଥ ହେବା ନାହିଁ । ଏପରି ଭାବରେ ଗ୍ରହଣ କଲେ ଆମେ ନିଜକୁ କେବଳ ଅପମାନିତ କରୁଁ ଏବଂ ଲାଭ ଅପେକ୍ଷା ଆମର ଅଧିକ କ୍ଷତି ହୋଇଥାଏ ।
ଏଥିପାଇଁ ଇଉରୋପର ସଂସ୍କୃତି ଓ ଆଦର୍ଶ ବିରୁଦ୍ଧରେ ଆମ ମନରେ ପ୍ରତିକ୍ରିୟା ଦେଖା ଦେଇଛି । ଆତ୍ମାଭିମାନର ଏକ ସଦ୍ୟଜାତ ଧରଣା ଆମକୁ ଅଧିକରୁ ଅଧିକ ନିଜ ଆଡ଼କୁ ଫେରି ଆସିବାକୁ ପ୍ରରୋଚନା ଦେଇଛି ।
ଭାରତ ଭୂମିରେ ଯେଉଁ ମହାକାଳର ବିବର୍ତ୍ତନ ବିଷୟ ପୂର୍ବରୁ କହିଛି, ସେହି ଅଭିପ୍ରାୟର ଅନୁଗତ ହୋଇ ଇତିହାସର ଉଦ୍ଦେଶ୍ୟ ସାଧନ ନିମନ୍ତେ ଏହି ପରିବର୍ତ୍ତନ ଆବଶ୍ୟକ ହୋଇଅଛି । ଆମ୍ଭେମାନେ ନିର୍ବିଚାର ଭାବରେ ମାନସିକ ଦୁର୍ବଳତା ହେତୁ ଦୀନ ଭାବରେ ଯାହା ଗ୍ରହଣ କରିଥିଲୁ, ତାହା କେବେହେଲେ ଆମର ନିଜସ୍ୱ ହୋଇ ପାରିଲା ନାହିଁ । କାରଣ ସେଗୁଡ଼ିକର ମୂଲ୍ୟ ନିରୂପଣରେ ଅସମର୍ଥ ହୋଇ ଆମ୍ଭେମାନେ ତାହାକୁ ବାହାରର ପୋଷାକୀ ଜିନିଷଭାବେ ବ୍ୟବହାର କଲୁ । ଏହା ଉପଲବ୍ଧି କରିବା ପରେ ପରିବର୍ତ୍ତନର ଆକାଙ୍କ୍ଷା ଆମଠାରେ ସ୍ୱାଭାବିକ ହୋଇଅଛି-।
ରାମମୋନହନରାୟ ପଶ୍ଚିମର ଭାବଧାରାକୁ ଏପରି ପରିପୂର୍ଣ୍ଣ ଭାବରେ ଆତ୍ମସାତ୍ କରିବାକୁ ସମର୍ଥ ହୋଇଥିଲେ କାରଣ ଏହା ତାହାଙ୍କୁ ଅଭିଭୂତ କରି ପାରି ନ ଥିଲା । ତାଙ୍କର କୌଣସି ଦୁର୍ବଳତା ନ ଥିଲା । ନିଜ ଦେଶର ସଂସ୍କୃତିକଭିତ୍ତି ଉପରେ ଦୃଢ଼ ଭାବରେ ଦଣ୍ଡାୟମାନ ହୋଇ ନିଜର ବିଚାର ମାନଦଣ୍ଡ ସାହାଯ୍ୟରେ ସେ ବାହାରର ଜିନିଷ ଗ୍ରହଣ କରିଥିଲେ ଏବଂ ସେମାନଙ୍କର ମୂଲ୍ୟ ନିର୍ଣ୍ଣୟ କରିଥିଲେ ।
ଯେଉଁ ଶକ୍ତି ନବଭାରତର ପ୍ରଥମ ବିରାଟ ଶିଳ୍ପୀଙ୍କ ପ୍ରକୃତି ମଧ୍ୟରେ ସହଜ ଭାବରେ ଥିଲା, ଆମ ମଧ୍ୟରେ ତାହା ନାନା ଘାତପ୍ରତିଘାତ, କ୍ରିୟା ପ୍ରତିକ୍ରିୟାଜନିତ ଦ୍ୱନ୍ଦ୍ୱ ଭିତର ଦେଇ ଧୀରେ ଧୀରେ ଅଭିବ୍ୟକ୍ତ ହେଉଅଛି । ସେହି କାରଣରୁ ଆମେ ଏକ ସୀମାରୁ ବିପରୀତ ସୀମାର ଚୂଡ଼ାନ୍ତକୁ ନିକ୍ଷିପ୍ତ ହେଉଅଛୁ । ପର୍ଯ୍ୟାୟ କ୍ରମେ ଆମ୍ଭେମାନେ ଆଗ୍ରହ ସହକାରେ ଗ୍ରହଣ କରୁଅଛୁ ଏବଂ ଭୀତ ହୋଇ ପ୍ରତ୍ୟାଖ୍ୟାନ କରୁଅଛୁ, ଉଭୟ ପ୍ରକ୍ରିୟା ସମାନଭାବେ ଅସଙ୍ଗତ । ତେଣୁ ଆମେ ଅନ୍ଧଭାବରେ ଅଗ୍ରସର ହେଉଅଛୁ ।
ବର୍ତ୍ତମାନ ଇଂରେଜ ଓ ଭାରତବାସୀଙ୍କ ମଧ୍ୟରେ ଯେଉଁ ବିରୋଧ ଦେଖାଦେଇଛି ତା’ର ଏକ ପ୍ରଧାନ କାରଣ ଏହି ଭାବ ପ୍ରତିକ୍ରିୟାର ବଳିଷ୍ଠ ପ୍ରଭାବ । ଇଂରେଜମାନଙ୍କର ଜ୍ଞାନ ଓ ଶକ୍ତିକୁ କ୍ରମାଗତ ନିଶ୍ଚେଷ୍ଟ ଭାବରେ ମୁଣ୍ଡପୋତି ଗ୍ରହଣ କରି କରି ଆମର ଅନ୍ତରାତ୍ମା ପୀଡ଼ିତ ହୋଇ ଉଠିଥିଲା । ସେହି ପୀଡ଼ାର ମାତ୍ରା ଅଲକ୍ଷିତଭାବେ ବୃଦ୍ଧି ପାଇ ଆଜି ହଠାତ୍ ଦେଶର ଅନ୍ତଃକରଣ ପ୍ରବଳ ବେଗରେ ପରିବର୍ତ୍ତିତ ହେବାକୁ ଯାଉଛି ।
ଏହାର ଅନ୍ୟ କାରଣ ମଧ୍ୟ ଅଛି । ପଶ୍ଚିମ ଭାରତବର୍ଷର ଗୃହ ମଧ୍ୟରେ ଆସି ଉପସ୍ଥିତ । ତାହାକୁ କୌଣସି ପ୍ରକାରେ ଅନଭ୍ୟର୍ଥିତ ଅତିଥି ଭାବରେ ଫେରାଇ ଦେଇ ହେବ ନାହିଁ । ଆମ ତରଫରୁ ଯଦି ଭ୍ରାତୃତ୍ୱର ଅବମାନନା ଘଟେ ଆମେ କାଳର ଅଭିପ୍ରାୟକୁ ପରାହତ କରିବା । ଅନ୍ୟ ପକ୍ଷରେ ପଶ୍ଚିମ ନିଜର ଯାହା କିଛି ଉତ୍ତମ ଆମକୁ ଦେବାରେ ଯଦି କାର୍ପଣ୍ୟ ପ୍ରକାଶ କରେ ସମଭାବରେ କାଳର ଅଭିପ୍ରାୟ ମଧ୍ୟ ତା’ଦ୍ୱାରା ବ୍ୟାହାତ ହେବ ।
ଇଂରେଜ ଜାତିର ଯାହା ଶ୍ରେଷ୍ଠ ସତ୍ୟ ତାହା ସହିତ ଆମର ଯଦି ସଂସ୍ରବ ନ ଘଟେ, ଆମେ ଯଦି ସେମାନଙ୍କ ମଧ୍ୟରେ ପ୍ରଧାନତଃ ସୈନିକ, ବଣିକ ବା ଶାସନତନ୍ତ୍ର ଚାଳକର ପରିଚୟ ପାଉଁ ଯେଉଁ କ୍ଷେତ୍ରରେ ମନୁଷ୍ୟ ମନୁଷ୍ୟ ସଙ୍ଗରେ ଆତ୍ମୀୟଭାବେ ମିଶି ପରସ୍ପରକୁ ଗ୍ରହଣ କରେ ତା’ହା ଯଦି ସେମାନଙ୍କ ମଧ୍ୟରେ ପ୍ରତିଷ୍ଠିତ ନ ହୁଏ- ମୋଟ ଉପରେ ଭାରତୀୟ ଓ ଇଂରେଜ ଯଦି ପରସ୍ପର ବ୍ୟବହିତ ହୋଇ ପୃଥକ୍ ରହନ୍ତି- ତା’ହେଲେ ସେମାନେ ପରସ୍ପରର ପରମ ନିରାନନ୍ଦର କାରଣ ହୋଇ ରହିବେ । ଏପରି ସ୍ଥଳରେ ଶକ୍ତିଶାଳୀ ପକ୍ଷ ବିଦ୍ରୋହ ଦମନର ଆଇନ ପ୍ରଣୟନ କରି ଦୁର୍ବଳ ପକ୍ଷର ଅସନ୍ତୋଷକୁ ଲୌହଶୃଙ୍ଖଳ ମଧ୍ୟରେ ଆବଦ୍ଧ ରଖିବାର ଚେଷ୍ଟା କରିବ; ଫଳତଃ ଅସନ୍ତୋଷ ଦୂର ନ ହୋଇ କେବଳ ମାତ୍ର ଅବରୁଦ୍ଧ ହୋଇ ରହିବ ।
ଏକ ସମୟରେ ଡଭିଡ଼୍ହେୟାରଙ୍କ ପରି ମହାତ୍ମା ଇଂରେଜମାନେ ଆମର ଅତି ନିକଟକୁ ଆସି ଇଂରେଜ ଚରିତ୍ର ମହତ୍ୱ ଆମକୁ ଉପଲବ୍ଧି କରାଇଥିଲେ । ସୁତରାଂ ସେତେବେଳର ଛାତ୍ରଗଣ ଇଂରେଜ ଜାତି ନିକଟରେ ହୃଦୟ ସମର୍ପଣ କରିଥିଲେ । ଆଜିକାଲି ଆମ ସ୍କୁଲ ଓ କଲେଜର ଇଂରେଜ ଶିକ୍ଷକମାନେ ସ୍ୱଜାତିର ଯାହା କିଛି ଶ୍ରେଷ୍ଠ ସଂପଦ ତାହା କେବଳ ଯେ ନିଜ ଛାତ୍ରମାନଙ୍କ ସମ୍ମୁଖରେ ସ୍ଥାପନ କରୁ ନାହାନ୍ତି ତା ନୁହେ, ବରଂ ଇଂରେଜ ଆଦର୍ଶକୁ ଖର୍ବ କରୁଅଛନ୍ତି ମାତ୍ର । ଫଳତଃ ପୂର୍ବ ଛାତ୍ରଙ୍କ ତୁଲ୍ୟ ଆଜିର ଛାତ୍ରମାନେ ଇଂରେଜୀ ସାହିତ୍ୟର ପ୍ରକୃତ ତାତ୍ପର୍ଯ୍ୟ ବୁଝିବାକୁ ସମର୍ଥ ହେଉ ନାହାନ୍ତି । ସେମାନେ ଗ୍ରାସ କରୁ ଅଛନ୍ତି; ଉପଭୋଗ କରୁ ନାହାନ୍ତି । ପୂର୍ବ ଛାତ୍ରମାନେ ସେକ୍ସପିଅର୍ଓ ବାଇରନ୍ଙ୍କ ଯେପରି ଆନ୍ତରିକତା ସହକାରେ ଆସ୍ୱାଦନ କରୁଥିଲେ ତାହା ଆଜି ବିରଳ । ସାହିତ୍ୟର ବିମଳ ରାସାସ୍ୱଦନ ମଧ୍ୟ ଦେଇ ଇଂରେଜ ଜାତି ସଂଗରେ ଯେଉଁ ସମ୍ପର୍କ ସ୍ଥାପିତ ହୋଇଥାଆନ୍ତା ତାହା ଆଜି ବାଧାପ୍ରାପ୍ତ ହୋଇଅଛି ।
ଅଧ୍ୟାପକ, ମାଜିଷ୍ଟ୍ରେଟ, ବଣିକ ବା ପୋଲିସ୍ ବିଭାଗର କର୍ତ୍ତା ଭାବରେ ଭାରତରେ ଥିବା ଇଂରେଜମାନେ ତାଙ୍କ ସଭ୍ୟତାର ଚରମ ପରିଚୟ ଆମକୁ ପ୍ରଦାନ କରିବାକୁ ଅସମର୍ଥ । ଭାରତବର୍ଷକୁ ଇଂରେଜ ଆଗମନର ସର୍ବଶ୍ରେଷ୍ଠ ଲାଭର ସୁଫଳରୁ ଆମକୁ ବଞ୍ଚିତ କରି ସେମାନେ ଆମର ଆତ୍ମଶକ୍ତିର ବିକାଶକୁ ବାଧାଗ୍ରସ୍ତ ଓ ଆତ୍ମସମ୍ମାନକୁ ଖର୍ବ କରୁଛନ୍ତି । ସୁଶାସନ ଓ ଉତ୍ତମ ଆଇନ ମନୁଷ୍ୟର ସକଳ ଆବଶ୍ୟକତାକୁ ଚରିତାର୍ଥ କରେ ନାହିଁ । ମାନବିକ ସମ୍ପର୍କର ଅଭାବ ବଡ଼ ଅଭାବ । ମାନବିକ ସମ୍ପର୍କ ନିମନ୍ତେ ପ୍ରାର୍ଥନା କରି କେବଳ ବିଚାର ଏବଂ ଆଇନ ପାଇବା ଅର୍ଥ ରୁଟି ମାଗି ପଥର ପାଇବା ସଙ୍ଗେ ସମାନ । ପଥର ଦୁର୍ଲଭ ଓ ମୂଲ୍ୟବାନ ହୋଇ ପାରେ କିନ୍ତୁ କ୍ଷୁଧା ନିବାରଣ କରିବାର ଶକ୍ତି ଏହାର ନାହିଁ ।
ପୂର୍ବ ଓ ପଶ୍ଚିମର ମିଳନର ବିଫଳତା ହେତୁ ଆଜି ଯାହା କିଛି ଉତ୍ପାତର ସୃଷ୍ଟି । ପରସ୍ପରର ଅତି ନିକଟରେ ଥାଇ ମିଳିତ ନ ହେବା ଏକାନ୍ତ ଅସହ୍ୟ ଓ ଅନିଷ୍ଟକର । ସୁତରାଂ ଦିନେ ନା ଦିନେ ଏ ଧରଣର ଅବସ୍ଥା ବିରୁଦ୍ଧରେ ବିଦ୍ରୋହ କରିବାର ଆକାଙ୍କ୍ଷା ଦୁର୍ଦ୍ଦମ ହୋଇଉଠେ । ଏ ବିଦ୍ରୋହ ହୃଦୟର ବିଦ୍ରୋହ, ତେଣୁ ଏହା ଫଳାଫଳ ବିଚାର କରେ ନା ଏବଂ ଆତ୍ମହତ୍ୟା ପର୍ଯ୍ୟନ୍ତ ସ୍ୱୀକାର କରିବାକୁ ଏହା ପ୍ରସ୍ତୁତ ହୋଇଥାଏ ।
ତତ୍ସତ୍ତ୍ୱେ ଏହା ସତ୍ୟ ଯେ ଏ ସକଳ ବିଦ୍ରୋହ କ୍ଷଣିକ । ପ୍ରତିବନ୍ଧକର ସକଳ ଉପାଦାନ ସତ୍ତ୍ୱେ ପଶ୍ଚିମ ସହିତ ଆମର ସଂପର୍କ ପୂର୍ଣ୍ଣ ମିଳନରେ ପରିଣତ ହେବ । ପଶ୍ଚିମର ଯାହା କିଛି ଉପାଦେୟ, ତାହା ଗ୍ରହଣ ନ କରିବା ପର୍ଯ୍ୟନ୍ତ ଭାରତର ଅବ୍ୟାହତି ନାହିଁ । ଅପରିପକ୍ୱ ଫଳ ତାର ବୃନ୍ତଦେହରେ ସଂପୃକ୍ତ ନ ହେଲେ ତାହା ଆଦୌ ପରିପକ୍ୱ ହୋଇ ପାରିବ ନାହିଁ ।
ଆଉ ଗୋଟିଏ କଥା କହି ଏ ପ୍ରବନ୍ଧ ଶେଷ କରିବି । ଇଂରେଜମାନେ ସେମାନଙ୍କର ଶ୍ରେଷ୍ଠ ସଂପଦ ଆମକୁ ଯେ ଦେଉ ନାହାନ୍ତି, ଏଥିଲାଗି ଆମ୍ଭେମାନେ ଅଂଶତଃ ଦାୟୀ । ଆମ୍ଭମାନେ ଆମର ଦୈନ୍ୟ ଘୁଞ୍ଚାଇଦେଲେ ସେମାନେ ତାଙ୍କର କାର୍ପଣ୍ୟ ଦୂର କରିବେ । ବାଇବେଲ କହେ, ଯାହାର ଅଛି, ତାକୁ ହିଁ ଦେବାକୁ ହେବ । ସକଳ ଦିଗରୁ ଆମକୁ ଶକ୍ତିଶାଳୀ ହେବାକୁ ପଡ଼ିବ । ସେତେବେଳେ କେବଳ ଇଂରେଜମାନେ ଭାରତବର୍ଷକୁ ଯାହା ଦେବାକୁ ଆସିଛନ୍ତି ତାହା ଦେବେ । ଯେତେଦିନଯାଏଁ ସେମାନେ ଆମକୁ ଅବଜ୍ଞା କରିବେ, ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ସଙ୍ଗେ ଆମର ମିଳନ ହୋଇ ପାରିବ ନାହିଁ । ଆମ୍ଭେମାନେ ରିକ୍ତ ହସ୍ତ ପ୍ରସାରପୂର୍ବକ ସେମାନଙ୍କ ଦ୍ୱାରା ଦେଶରେ ଦଣ୍ଡାୟମାନ ହେଲେ ଆମକୁ ଫେରି ଆସିବାକୁ ପଡ଼ିବ ।
ଆମର ମନୁଷ୍ୟତ୍ୱ ଦ୍ୱାରା ଇଂରେଜମାନଙ୍କ ମନୁଷ୍ୟତ୍ୱକୁ ଆମେ ଉଦ୍ବୋଧିତ କରିବା–ଏହାହିଁ ଏକମାତ୍ର ପନ୍ଥା । ଯାହା କିଛି ଉତ୍ତମ ଓ ଶ୍ରେଷ୍ଠ, ଇଂରେଜମାନେ କଠିନ ଦୁଃଖ ଓ ଶ୍ରମ ମଧ୍ୟ ଦେଇ ତାହା ଲାଭ କରିଅଛନ୍ତି । ଏହି ସଦ୍ଗୁଣର ଯଥାର୍ଥ ସାକ୍ଷାତ୍ଲାଭ କରିବାକୁ ହେଲେ ଆମକୁ ଶକ୍ତିଶାଳୀ ହେବାକୁ ପଡ଼ିବ । ଅବନତ ମସ୍ତକରେ, ଯୋଡ଼ି ହାତରେ, ଇଂରେଜମାନଙ୍କ ସମ୍ମୁଖରେ ଉପସ୍ଥିତ ହେଲେ, ସେମାନଙ୍କ ଚରିତ୍ରର କ୍ଷୁଦ୍ରତା ଓ ନୀଚତା ଜାଗରିତ ହେବ । ଅନ୍ୟପକ୍ଷରେ ଅସଂଯତ କ୍ରୋଧ ଦ୍ୱାରା ଉନ୍ମତ୍ତଭାବେ ସେମାନଙ୍କୁ ଆଘାତ କଲେ ସେମାନଙ୍କର ପାପ ପ୍ରକୃତିହିଁ ଭଦ୍ରିକ୍ତ ହେବ । ଭାରତବର୍ଷ ଇଂରେଜମାନଙ୍କ ଲୋଭ, ଔଦ୍ଧତ୍ୟ, କାପୁରୁଷତା ଓ ନିଷ୍ଠୁରତାକୁ ଉଦ୍ବୋଧିତ କରିଅଛି, ଏହା ଯଦି ସତ୍ୟ ହୁଏ, ଏଥିଲାଗି ତାଙ୍କୁ କେବଳ ଦୋଷଦେଲେ ଚଳିବ ନାହିଁ, ବରଂ ଏ ଅପରାଧ ନିମନ୍ତେ ଆମେ ନିଜକୁ ଦୋଷୀ କରିବା ଉଚିତ ହେବ ।
ସ୍ୱଦେଶରେ ଇଂରେଜମାନଙ୍କ ସମାଜ ସେମାନଙ୍କର ନୀଚ ପ୍ରକୃତିକୁ ଦମନ କରି ଲୋକମାନଙ୍କ ମହତ୍ୱର ବିକାଶ ନିମନ୍ତ ନାନା ଚେଷ୍ଟା କରି ନିୟତ ଉତ୍ସାହ ପ୍ରଦାନ କରୁଅଛି । ସମସ୍ତ ସମାଜରେ ଧର୍ମବୁଦ୍ଧି ପ୍ରତ୍ୟେକ ବ୍ୟକ୍ତିକୁ ଉଚ୍ଚ ସ୍ଥାନରେ ଅଧିଷ୍ଠିତ ହେବା ନିମନ୍ତେ ଉତ୍ସାହିତ କରି ସେଠାରେ ତା’ର ଆସନ ଦୃଢ଼ ରଖେ । କିନ୍ତୁ ଭାରତବର୍ଷରେ ଇଂରେଜ ସମୂହ ଭାବରେ ସମାଜରେ ଅନ୍ତର୍ଭୁକ୍ତ ନୁହେ । ସେ ହୁଏତ ସିଭିଲିଆନ୍ ସମାଜ, ବଣିକ ସମାଜ ବା ସୈନିକ ସମାଜର ଅନ୍ତର୍ଭୁକ୍ତ । ଏହି ବର୍ଗ ମଧ୍ୟରୁ ପ୍ରତ୍ୟେକ ନିଜର ବିଶେଷ କାର୍ଯ୍ୟକ୍ଷେତ୍ରର ସଂକୀର୍ଣ୍ଣତା ଦ୍ୱାରା ଆବଦ୍ଧ । ଏହି ସକଳ କ୍ଷେତ୍ରର ପରମ୍ପରା ଓ ସଂସ୍କାର ତାହାର ଚାରି ଦିଗରେ ସାବଧାନତା ସହକାରେ କଠିନ ଆବରଣ ରଚନା କରେ । ଫଳତଃ ସେ ଜଣେ କଡ଼ା ଶାସକ, ଦକ୍ଷ ବ୍ୟବସାୟୀ ବା ଷୋଳ ଅଣା ସୈନିକ ହୋଇ ଉଠେ । ତାହା ମଧ୍ୟରେ ଥିବା ମନୁଷ୍ୟତ୍ୱର ସମାଧି ଘଟେ ।
ଅନ୍ୟ ପକ୍ଷରେ ଭାରତବର୍ଷର ସମାଜ ନିଜ ଦୁର୍ଗତିର ପରିଚୟ ଇଂରେଜକୁ ଦେଇ ତାର ଇଂରେଜତ୍ୱ ତାର ବିଶିଷ୍ଟ ଶକ୍ତିକୁ ଉଦ୍ବୋଧିତ କରି ପାରେ ନାହିଁ । ଫଳତଃ ଉଭୟ କ୍ଷତିଗ୍ରସ୍ତ ହୁଅନ୍ତି-। ପ୍ରକୃତ ଇଂରେଜ ସହିତ ଆମର ସାକ୍ଷାତ୍କାର ଘଟେ ନା । କେବଳ ତାର ବିକୃତ ପ୍ରତିମୂର୍ତ୍ତିର ପରିଚୟ ଆମେ ପାଉଁ । ସେ ଆମ ଅପମାନ ଓ ଦୁଃଖର କାରଣ ହୁଅନ୍ତି ।
ଶକ୍ତ କଥା କିମ୍ବା ଦୁଃସାହସିକ କାର୍ଯ୍ୟ ବଳର ପ୍ରକୃତ ପରୀକ୍ଷା ନୁହେ, ତ୍ୟାଗ ଓ କର୍ମ ଦ୍ୱାରା ବଳର ପ୍ରକୃତ ପରୀକ୍ଷା ଘଟେ । ଯେତେବେଳେ ଦେଶକୁ ଆପଣାର ମଣି ଦେଶର ମଙ୍ଗଳ ନିମନ୍ତେ ସମସ୍ତ ଶକ୍ତି ପ୍ରୟୋଗ କରିବୁ ଭାରତରେ ଇଂରେଜମାନେ ଆମ ସହ ମିତ୍ରତା ସ୍ଥାପନ କରିବେ । ଯେତେବେଳ ପର୍ଯ୍ୟନ୍ତ ସାମାଜିକ ବା ବ୍ୟକ୍ତିଗତ ମୂଢ଼ତା ପ୍ରଣୋଦିତ ହୋଇ ଆମର ନିଜ ଦେଶବାସୀଙ୍କ ପ୍ରତି ଅମନୁଷ୍ୟ ତୁଲ୍ୟ ବ୍ୟବହାର କରିବୁ, ଯେତେଦିନ ଯାଏଁ ଆମ ଦେଶର ଜମିଦାରମାନେ ପ୍ରଜାମାନଙ୍କୁ ନିଜ ବ୍ୟକ୍ତିଗତ ସମ୍ପତ୍ତିର ଅଙ୍ଗ ବୋଲି ଗଣନା କରିବେ, ଯେତେଦିନ ଯାଏଁ ଦେଶର ପ୍ରବଳ ପକ୍ଷ ଦୁର୍ବଳକୁ ପଦାନତ କରି ରଖିବାକୁ ସନାତନ ଅଧିକାର ବୋଲି ମନେ କରିବେ, ଉଚ୍ଚବର୍ଣ୍ଣ ନିମ୍ନବର୍ଣ୍ଣକୁ ପଶୁ ଅପେକ୍ଷା ହୀନ ଭାବରେ ଘୃଣା କରିବେ, ସେତେଦିନ ପର୍ଯ୍ୟନ୍ତ ଆମ୍ଭେମାନେ ଇଂରେଜମାନଙ୍କର ଉତ୍ତମ ଗୁଣଗୁଡ଼ିକର ଉଦ୍ଦୀପନରେ ଅସମର୍ଥ ହେବୁ ଏବଂ ହେୟ ଓ ଅପମାନିତ ଭାବରେ କଳକ୍ଷେପଣ କରିବୁ ।
ଭାରତବର୍ଷ ଆଜି ସକଳ ଦିଗରୁ ନିୟମ ଓ ଆଚାର, ଧର୍ମ ଓ ସାମାଜିକ ଅନୁଷ୍ଠାନମାନଙ୍କରେ ନିଜକୁ ପ୍ରବଞ୍ଚିତ ଓ ଅପମାନିତ କରୁଅଛି । ସେହି କାରଣରୁ ଆମ ଦେଶରେ ପୂର୍ବ ଓ ପଶ୍ଚିମର ମିଳନ ପୂର୍ଣ୍ଣତା ଲାଭ କରିବାକୁ ଅସମର୍ଥ । ବରଂ ସେହି ମିଳନ ଆମକୁ ଅପମାନ ଓ ଦୁଃଖ ଦେଉଅଛି । ଛଳବଳ ଓ କଉଶଳ ପ୍ରୟୋଗରେ ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିଦେଲେ ସୁଦ୍ଧା ଆମର ଏ ଦୁଃଖ ରହିବ । ଉଭୟ ମଧ୍ୟରେ ଏକ ଆନ୍ତରିକ ମିଳନ ସାଧନ କରି ନ ପାରିବା ପର୍ଯ୍ୟନ୍ତ ଏ ଦୁଃଖର ନିଷ୍କୃତି ନାହିଁ । ସେତିକିବେଳେ କେବଳ ପୂର୍ବ ଓ ପଶ୍ଚିମ ଭାରତରେ ମିଳିତ ହେବେ ଯେତେବେଳେ ଦେଶ ସହ ଦେଶର, ଜାତି ସହ ଜାତିର, ଜ୍ଞାନ ସହ ଜ୍ଞାନର, ଉଦ୍ୟମ ସହ ଉଦ୍ୟମର ଯୋଗ ସାଧନ ଘଟିବ । ସେତିକିବେଳେ ହିଁ ଭାରତ ଇତିହାସର ବର୍ତ୍ତମାନ ଅଧ୍ୟାୟ ସମାପ୍ତ ହେବ ଏବଂ ଏକ ନୂତନ ଅଧ୍ୟାୟର ଆରମ୍ଭରେ ମନୁଷ୍ୟ ଜୀବନର ମହତ୍ତମ ଅଧ୍ୟାୟ ରଚିତ ହେବ ।