ମାମୁ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୩୪୩ ମିନିଟ୍
- ଶବ୍ଦ
- ୫୪୮୫୯
- ସ୍ଥିତି
- ସାର୍ବଜନୀନ (Public domain)
ଦାଶରଥି ଦାସଙ୍କ ପରିବାର
ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।
(ଛାନ୍ଦମାଳା)
ବାବୁ ଦାଶରଥି ଦାସ କଟକ କିଲଟରି ମୁନ୍ସିଖାନାରେ ମୋହରିର । ଦରମା ଅଳ୍ପ–ଯେ କର୍ମରେ ଥିଲେ, ସେଥିରେ ଉପରି ରୋଜଗାରର ଖୁବ୍ ଗୋଟାଏ ବାଟ ନ ଥିଲା । ହେଲେ କ’ଣ ହେବ, କରଣ ଘର ପିଲା–ସମୁଦ୍ର ଢେଉ ଗଣି ରୋଜଗାରିଆ ଜାତି, ଅକାଳେ ସକାଳେ ଟଙ୍କାଏ ମଷାଏ ହାତପୈଠ ନ ହୁଏ, ଏମନ୍ତ ନାହିଁ । ନୋହିଲେ ମାନମହତ୍ତ୍ୱକୁ ଜଗି ସଂସାରଟା ଚଳିବ କିଆଁ-? କଟକ ସାବଜାଦା ବଜାରରେ ବସା– ନିଜ ଘର ସୁମଡ଼ା, ପରଗଣା ଜଗତସିଂହପୁର ନିକଟ ରୁକୁଣାଦେଈପୁର । ଗୋଟିଏ ଚାକର ନ ହେଲେ ଅଚଳ, ଚାକର ମୁନିବ ଦୁଇଜଣ ବସାରେ ଥା’ନ୍ତି । ଚାକରଟି ସ୍ୱଜାତି–ରୋଷେଇବାସ, ବସାର ଆଉ ସବୁ କାମ ପାଇଟି ସୁରୁଖୁରୁରେ ଚଳିଯାଏ । ଦିନକୁଦିନ ବଜାର ସଉଦା ବଳିପଡ଼ିଲା । ଚାକରଟି ଏଣିକି ହୁସିଆାର ହେଲାଣି, ତାହାର ପେଟପାଟଣା ଅଛି ତ ? ସାନଠାରୁ ବଡ଼ଯାଏ ପେଟପାଟଣା କାହାର ନ ଥାଏ ? ଦାସେ ଦେଖିଲେ ଅଳ୍ପ ରୋଜଗାରରେ ଦୁଇ ଜାଗା ଘର ଚଳାଇବା ଏଣିକି ହେଟକାଟ । ଚାକର ଯେତେ ବିଶ୍ୱାସୀ ହେଉ ପଛକେ, ଯେତେହେଲେ ସେ ଚାକର । ବିଶେଷରେ ପିଲା ଦିଓଟି ବଢ଼ିଗଲେଣି, ଦୁଇ ଅକ୍ଷର ଇଂରେଜୀ ନ ପଢ଼ାଇ ଦେଲେ ନୁହେଁ । ଚାକିରିଆ ଜାତି, ଏଣିକି ଇଂରେଜୀ ନ ଜାଣିଲେ ଚାକିରି ଘଟିବା ମୁସ୍କିଲ । ଏହିପରି ନ’ ଛ’ ଭାବିଚିନ୍ତି ପରିବାର ଚଳିବାଭଳି ଟିକିଏ ବଡ଼ ରକମ ଗୋଟିଏ ବସାଘର କଟକ ଦରଘାବଜାରରେ ଠିକ୍ କଲେ । ଗ୍ରାମରୁ ପରିବାରମାନେ ଆସିଗଲେ । ପରିବାର ମଧ୍ୟରେ ସ୍ତ୍ରୀ ମେନକା ଦେଈ, ବଡ଼ପୁଅ ବାନାବର, ସାନ ନଟବର ଆଉ ସରସ୍ୱତୀ ଦେଈ । ମେନକା ଦେଈଟା ରୋଗିଣୀ–ଛ’ ଦିନରେ ନ’ ରୋଗ । ଆଜି ପେଟବଥା, କାଲି ବାଡ଼ିକି, ସଞ୍ଜବାଜିଲା ତ ମୁଣ୍ଡ ବିନ୍ଧିଲା, ବେରାମଗୁଡ଼ାକ ସାଙ୍ଗେ ସାଙ୍ଗେ ଲାଗି ରହିଛି । ସରସ୍ୱତୀ ଦେଈ ଘର ଚଳାନ୍ତି । ରନ୍ଧାବଡ଼ା ଘର ବାହାର ପାଇଟି ତାଙ୍କ ଜିମା । ଅଳ୍ପ ଆୟ, ଆପଣା ମଗଦୁରକୁ ଚାହିଁ ଚଳିବାକୁ ହେବ ତ– ଢମ କରି ଚାକରଟାଏ ରଖିଦେଲେ ସବୁ କଥାକୁ ଟାଣଟୁଣ । ଦାସେ ତ ମାସ ପହିଲା ତାରିଖରେ ଦରମାଟି ଆଣି ସରସ୍ୱତୀ ଦେଈଙ୍କ ଆଗରେ ଥୋଇଦେଇ ଖଲାସ । ସରସ୍ୱତୀ ଦେଈ ଇମିତି ସୁନ୍ଦର ହିସାବରେ ଘରଟା ଚଳେଇ ନିଅନ୍ତି ଯେ, କାହାରିକୁ ଉଁଚୁଁ କରିବାକୁ ବାଟ ନଥାଏ ।
–୨–
ଉତ୍ତରରାୟ ବଂଶ
ବାବୁ ଦାଶରଥି ଦାସଙ୍କ ଘର ଚଳାଚଳ ପ୍ରସଙ୍ଗ ପୂର୍ବେ ବୋଲିଅଛୁଁ । ଦାସଙ୍କ ଦୁଆରୁ ଭାଟ ଭିକାରିଟା ନିରାଶ ହୋଇ କେବେ ବାହୁଡ଼ିବାର ଦେଖାଯାଏ ନାହିଁ । କେହି ଝଗଡ଼ିଆ ଭିକାରିଟା ଦୁଆରେ ଜଞ୍ଜାଳ ଲଗାଇଲେ ସରସ୍ୱତୀ ତାକୁ ‘ବୋପା ଲୋ, ଧନ ଲୋ’ ସୁଆଗିଆ ମିଠା କଥା କହି ଚାଉଳ ମୁଠାକରେ ବିଦା କରିବେ ପଛକେ, ତା’ ଉପରେ ଦିକ୍ଦାର ହେବାର ଦେଖାଯାଏ ନାହିଁ । ସବୁଦିନେ ଦି’ ଜଣ ନାହିଁ, ଚାରଜଣ ନାହିଁ, କୁଣିଆ ଲାଗିଛନ୍ତି । ଅଳ୍ପରେ ମର୍ଯ୍ୟାଦାରେ ଏମନ୍ତ କରି ଚଳାଇ ନିଅନ୍ତି ଯେ ସମସ୍ତଙ୍କ ମନ ଖୁସି । କଟକରେ ବଡ଼ ବଡ଼ ଧନବନ୍ତ ଅନେକ ଅଛନ୍ତି, ହେଲେ କ’ଣ, କୁଣିଆମାନେ ଆଗେ ଦାସଙ୍କ ଦୁଆରେ ହାଜର । ସରସ୍ୱତୀ ଦେଈ ସକାଳୁ ଅଧରାତିଯାଏ ଚର୍ଖିପରି ଘୂରୁଥିବେ, ନାକ ପୋଛିବାକୁ ତର ନାହିଁ । ହେଲେ କ’ଣ ଦିକ୍ଦାରୀ ଭାବ ଦେଖିବ ନାହିଁ–ସବୁବେଳେ ହାସ୍ୟମୁଖୀ । ସମସ୍ତଙ୍କ ପଛରେ ଶୋଇବେ, ଉଠିବାକୁ ସମସ୍ତଙ୍କ ଆଗ-। ଦାସଙ୍କ ବସାର ଆଡ଼ମ୍ବର ଦେଖି ଲୋକେ କହନ୍ତି, ଏତେ ଅଳ୍ପ ଆୟରେ ଏତେ ଆଡ଼ମ୍ବର କିପରି-? ଆମ୍ଭେମାନେ ଯେତେବେଳେ ଦାସଙ୍କ ହାଲଚାଲ ଲେଖିବାକୁ ବସିଛୁ, ଅନ୍ଧିସନ୍ଧି ସବୁ କଥା ଫିଟାଇ ଲେଖିବା ଭଲ । ଦାସଙ୍କର ପୂର୍ବ ତିନି ପୁରୁଷଠାରୁ ତାଙ୍କ ପିତା ଗୋବିନ୍ଦରାମ ଦାସଙ୍କ ପର୍ଯ୍ୟନ୍ତ କିଲେ ନରିପୁର ଚାରିପଣିଆ କିସମତ୍ ସାମନ୍ତ ଛୋଟରାୟଙ୍କ ଘରେ ଛାମୁକରଣ ଥିଲେ, ବିଶ୍ୱସ୍ତରୂପେ ଜମିଦାରୀ କାର୍ଯ୍ୟ ସୁନ୍ଦର ଚଳାଇ ପଞ୍ଚାଶ ମାଣ ଭୂମି ଇନାମ ସ୍ୱରୂପ ଲାଭ କରିଅଛନ୍ତି-। ସେହି ଭୂମିରୁ ଭାଗଧାନ ଆସେ । ଜମିଗୁଡ଼ିକ ବାହେଲି–କେବଳ ସୁନିଆ ଦିନ ବଂଶ ମଧ୍ୟରୁ କେହି ହେଲେ ଜଣେ ଯାଇ ସୁନିଆବେଦୀରେ ବିଜେ ଛୋଟରାୟ ସା’ନ୍ତଙ୍କ ଶ୍ରୀଛାମୁରେ ଗୋଟିଏ ନୂଆ ଲେଖନ ଆଉ ଗୋଟିଏ ତାଳପତ୍ର ଭେଟି ଦେଇ ଆସନ୍ତି । ତାହା ମଧ୍ୟ ଆଜକୁ ପାଞ୍ଚବର୍ଷ ହେଲା ଦେବାକୁ ପଡ଼ୁନାହିଁ । ସେଥିର କାରଣ–ହେଲେ କାରଣଟା କହିବାକୁ ଗଲେ ଅନେକଗୁଡ଼ିଏ କଥା ବୋଲିବାର ପ୍ରୟୋଜନ–କଥାଗୁଡ଼ାକ ପାଠକ ମହାଶୟଙ୍କ ମନକୁ ନ ରୁଚିପାରେ-। ଇଚ୍ଛାକଲେ ଦୁଇ ଚାରି ପୁଡ଼ା ଓଲଟାଇ ଦେଇ ଯାଇପାରନ୍ତି, ମାତ୍ର ଆମ୍ଭମାନଙ୍କ ପରାମର୍ଶ, ଅଧୈର୍ଯ୍ୟ ହେବା ଭଲ ନୁହେଁ । ମନରେ କରନ୍ତୁ, ଗୋଟିଏ ଅଟ୍ଟାଳିକା ଛିଡ଼ା କରାଇବାକୁ ହେବ, ମୂଳଦୁଆରେ ଗୁଡ଼ାଏ ଇଟା ପଥର ପୋତି ପକାଇବା ଦରକାର, ଅବଶ୍ୟ ସେଗୁଡ଼ିକ ସୌଧର ଶୋଭାବର୍ଦ୍ଧନ ନୁହେଁ– ହେଲେ ତାହା ଉପରେ ଅଟ୍ଟାଳିକା ଅବସ୍ଥିତ । ଏହା ମଧ୍ୟ ବୋଲିବା ଉଚିତ, ଏଇଟା ସାହିତ୍ୟର ଅଟ୍ଟାଳିକା ନୁହେଁ, ଅତି ସମାନ୍ୟ ପିଲାଟିଏ, ତଥାପି ମୂଳଦୁଆ ଦରକାର-।
ମୋଗଲ ସମ୍ରାଟଙ୍କ ଭୟରେ ଯେତେବେଳେ ପଠାଣମାନେ କତଲୁ ଖାଁକୁ ସେନାପତି କରି ଉତ୍କଳକୁ ଆସିବାପାଇଁ ପ୍ରଥମେ ସୁବର୍ଣ୍ଣରେଖା ପାରିହେଲେ, ସେମାନଙ୍କ ଗତିରୋଧ ନିମନ୍ତେ ତେତେବେଳେ ଉତ୍କଳର ସ୍ୱାଧୀନ ମହାରାଜାଙ୍କୁ କେତେଗୁଡ଼ିଏ ଉପାୟ ଅବଲମ୍ବନ କରିବାକୁ ହୋଇଥିଲା । ଗୋଟିଏ ପ୍ରଧାନ ଉପାୟ, ରାଜ୍ୟ ମଧ୍ୟରେ ସ୍ଥାନେ ସ୍ଥାନେ ଘାଟି ବସାଇବା । ସେହି ଘାଟି ସମସ୍ତର ନାମ ଥିଲା ଚୌପାଢ଼ୀ । ଅଦ୍ୟାବଧି ସେହି ଘାଟିର ଚିହ୍ନ ନାନା ସ୍ଥାନରେ ବିଦ୍ୟମାନ ଅଛି, ମାତ୍ର କାଳକ୍ରମରେ ସେ ଚୌପାଢ଼ୀ ନାମ ବଦଳରେ କିଲ୍ଲା ଅଥବା ଗଡ଼ ନାମ ଧାରଣ କଲାଣି-। ପ୍ରତ୍ୟେକ ଚୌପାଢ଼ୀରେ ଜଣେ ସେନାପତି ଏବଂ ତାହାଙ୍କ ଅଧୀନରେ ସ୍ଥାନର ଅବସ୍ଥା ବୁଝି ପାଞ୍ଚଶତଠାରୁ ପାଞ୍ଚହଜାର ପର୍ଯ୍ୟନ୍ତ ଖଣ୍ଡାଏତ ପାଇକ ନିଯୁକ୍ତ ଥିଲେ । ସେମାନଙ୍କର ମାସିକ ବେତନ ନଗଦ ଟଙ୍କା ନ ଥିଲା, ପଦମର୍ଯ୍ୟାଦା ଅନୁସାରେ ଜାୟଗିରି ଭୂମି ଭୋଗ କରୁଥିଲେ । କାଳକ୍ରମରେ ସେ ସମସ୍ତ ଭୂମି ପୁରୁଷାନୁକ୍ରମିକ ଦଖଲ ହୋଇଯାଇଥିଲା । ପଠାଣମାନେ ଯେପରି ଦେଶ ମଧ୍ୟରେ ପଶି ଉତ୍ପାତ କରିବାକୁ ସୁଯୋଗ ନ ପାନ୍ତି, ସେଥିପ୍ରତି ଦୃଷ୍ଟି ରଖିବା ସେନାପତିମାନଙ୍କର କାର୍ଯ୍ୟ ଥିଲା । ଗଡ଼ ନରିପୁର ଉକ୍ତବିଧ ଚୌପାଢ଼ୀ ମଧ୍ୟରୁ ଅନ୍ୟତମ ଅଟେ । ମହାରାଜାଙ୍କ ନିଯୁକ୍ତ ପ୍ରଥମ ସେନାପତିଙ୍କ ନାମ ବୀରବର ମଲ୍ଲ ମର୍ଦ୍ଦରାଜଉତ୍ତରରାୟ । ଏଥିପାଇଁ ନରିପୁର ବୃତ୍ତୀଶ୍ୱର ବଂଶ ଉତ୍ତରରାୟ ନାମରେ କଥିତ ହୁଅନ୍ତି । ବୀରବର ମଲ୍ଲ ମର୍ଦ୍ଦରାଜ ଉତ୍ତରରାୟଙ୍କ କେତେ ପୁରୁଷ ତଳେ ନବଘନ ଉତ୍ତରରାୟଙ୍କର ଚାରି ପୁତ୍ର ଥିଲେ । ପ୍ରଥମ–ପାର୍ଥସାରଥି ବାଘସିଂହ, ଦ୍ୱିତୀୟ–ଭୀମସେନ ହରିଚନ୍ଦନ, ତୃତୀୟ–ଶତ୍ରୁଘ୍ନ ଭ୍ରମରବର, ଚତୁର୍ଥ–ସନାତନ ଅରିଦମନ । ପୂର୍ବକାଳରେ ଉଦ୍ଦଣ୍ଡ ଖଣ୍ଡାଏତମାନେ ଅତି ତୁଚ୍ଛ କଥାରେ ମଧ୍ୟ ଫରିଖଣ୍ଡା କଷି ପଦାକୁ ବାହାରି ପଡ଼ୁଥିଲେ । ବଂଶର ମଙ୍ଗଳ କାମନା ପୁଣି ଭ୍ରାତୃବିରୋଧ ନିବାରଣ ନିମନ୍ତେ ନବଘନ ମଲ୍ଲ ଉତ୍ତରରାୟ ସମସ୍ତ ଜାୟଗିରିଭୂମି ଚାରି ପୁତ୍ରଙ୍କୁ ସମାନ ଭାବରେ ବାଣ୍ଟି ଦେଇଥିଲେ-। ମାତ୍ର ଏହି ବଣ୍ଟନ ନ୍ୟାୟସଙ୍ଗତ ହୋଇ ନ ଥିଲା, ଯେହେତୁ ଜାୟଗିରିର ସ୍ୱାମିତ୍ୱ ରାଜକୀୟ ବିଧାନ ଅନୁସାରେ କେବଳ ଜ୍ୟେଷ୍ଠପୁତ୍ର ପ୍ରତି ବର୍ତ୍ତିବାର କଥା । ହେଲେ ପୁତ୍ରମାନେ ପିତୃଭକ୍ତ ଏବଂ ବଂଶର ମଙ୍ଗଳକାମୀ ଥିବାଯୋଗୁଁ ବଣ୍ଟନକାର୍ଯ୍ୟ ସହଜରେ ସମାହିତ ହୋଇଥିଲା । ନବଘନ ଉତ୍ତରରାୟଙ୍କ ଚରମପତ୍ରରେ ଏହା ମଧ୍ୟ ଉଲ୍ଲିଖିତ ଥିଲା କି, କେହି ଭ୍ରାତା ନିଃସନ୍ତାନ ଅବସ୍ଥାରେ ପରଲୋକ ଗମନ କଲେ ତାହାଙ୍କ ପରିତ୍ୟକ୍ତ ସ୍ଥାବର ସମ୍ପତ୍ତିରେ ଜ୍ୟେଷ୍ଠ ଅଂଶ ଅଧିକାରୀ ହେବ । ପୁତ୍ରମାନଙ୍କୁ ଭୂସମ୍ପତ୍ତି ବିଭାଗ କରିଦେଇ ନବଘନ ଉତ୍ତରରାୟ ଶ୍ରୀକ୍ଷେତ୍ର ଧାମରେ ଶେଷ ଜୀବନ ଅତିବାହିତ କରିଥିଲେ ।
ପ୍ରଥମରେ ଚାରି ସହୋଦର ବିଭକ୍ତ ସମ୍ପତ୍ତି ଇଜମାଇଲରେ ରଖି ନିଜଗଡ଼ ନରିପୁରରେ ବାସ କରୁଥିଲେ । ଘଟନାସୂତ୍ରରେ ଭାଇମାନଙ୍କ ମଧ୍ୟରେ ମନୋମାଳିନ୍ୟ ଉପସ୍ଥିତ ହେବାରୁ ସର୍ବକନିଷ୍ଠ ସନାତନ ଅରିଦମନ ଭ୍ରାତାମାନଙ୍କଠାରୁ ପୃଥକ ହୋଇ ନିଜଗଡ଼ଠାରୁ ଦେଢ଼ କୋଶ ଦୂର ମଫସଲ କଚେରି ଘର ଗଡ଼ ଫତେପୁରରେ ବାସ କରିବାକୁ ଲାଗିଲେ । କିଲ୍ଲା ମଧ୍ୟରେ ତାହାଙ୍କ ଉତ୍ତରାଧିକାରୀମାନେ ଛୋଟରାୟ ଉପାଧିରେ ପରିଚିତ । ଦ୍ୱିତୀୟ ଏବଂ ତୃତୀୟ ପୁତ୍ର ନିଃସନ୍ତାନ ଅବସ୍ଥାରେ ଲୋକାନ୍ତର ଗମନ କରିବାରୁ ସେମାନଙ୍କ ସମସ୍ତ ସମ୍ପତ୍ତି ପ୍ରଥମ ପୁତ୍ର ପାର୍ଥସାରଥି ପ୍ରାପ୍ତ ହୋଇଥିଲେ । ଏଥକୁ ସେ ବାରପଣି କିସ୍ମତ୍ର ଅଧିକାରୀ ଅଟନ୍ତି ।
ଏହି ଆଖ୍ୟାୟିକାର ଆରମ୍ଭ ସମୟରେ ବାରପଣି କିସ୍ମତ୍ର ଅଧିକାରୀ ପ୍ରଥମ ପୁତ୍ର ପାର୍ଥସାରଥି ଉତ୍ତରରାୟ ଲୋକାନ୍ତର ଗମନ କରିବାର କିଲ୍ଲା କୋର୍ଟ ଅଫ୍ ଉଆର୍ଡ଼ ଅଧୀନ ହୋଇଥିଲା । ନାବାଳକ ପୁତ୍ର ପ୍ରତାପ ଉଦିତମଲ୍ଲ ଉତ୍ତରରାୟ କଟକରେ ରହି ସରକାରଙ୍କ ତତ୍ତ୍ୱାବଧାନରେ ବିଦ୍ୟାଧ୍ୟୟନ କରୁଥିଲେ । ତାହାଙ୍କ ସହିତ ରହି ଇଂରାଜୀ ଅଧ୍ୟୟନ କରିବା ନିମନ୍ତେ ଛୋଟରାୟ ସନାତନ ଅରିଦମନ ଆପଣାର ପୁତ୍ର ପୀତାମ୍ବର ଛୋଟରାୟଙ୍କୁ କଟକରେ ରଖାଇ ଦେଇଥିଲେ । ପ୍ରତାପଉଦିତ ଏବଂ ପୀତାମ୍ବର ଦୁଇଜଣ ଏକବୟସୀ–ଦୁଇଜଣଙ୍କ ମଧ୍ୟରେ ଅଭେଦ ପ୍ରୀତି । ଏକତ୍ର ଶୟନ, ଅଧ୍ୟୟନ, ଭୋଜନ, ଭ୍ରମଣ ସମସ୍ତ କାର୍ଯ୍ୟ–ଦଣ୍ଡକ ନିମନ୍ତେ ଛାଡ଼ବାଡ଼ ନାହିଁ । ଯେବେହେଁ ବଂଶ ସମ୍ପର୍କରେ ଦୁଇଜଣଙ୍କ ଭାଇଲେଖା–ହେଲେ, ସ୍ନେହରେ ଦୁଇଜଣ ପରସ୍ପରକୁ ସଙ୍ଗାତ ସମ୍ବୋଧନ କରିଥାନ୍ତି । ଦୁଇବଂଶ ମଧ୍ୟରେ କଦାଚିତ୍ ଅପ୍ରୀତି ଘଟି ନ ଥିଲା । କେବଳ ପାଞ୍ଚ ସାତବର୍ଷ ତଳେ ସୁନିଆ ଭେଟି ଘେନି ଉଭୟ ବଂଶ ମଧ୍ୟରେ କିଞ୍ଚିତ୍ ମନୋମାଳିନ୍ୟ ଉପସ୍ଥିତ ହେବାରୁ ସୁଯୋଗ ପାଇ ଅନେକ ଲୋକ ଭେଟି ବନ୍ଦ କରି ଦେଇଥିଲେ । ସେହିଦିନାବଧି ଦାଶରଥି ଦାସେ ଲେଖନ ତାଳପତ୍ର ଆଉ ଭେଟି ଦେଉ ନାହାନ୍ତି ।
–୩–
ଚାନ୍ଦମଣି
ପ୍ରସନ୍ନ ଦିକ୍ପାଂଶୁବିବକ୍ତବାତଃ
ଶଙ୍ଖସ୍ୱନାନନ୍ତରପୁଷ୍ପବୃଷ୍ଟିଃ ।
ଶରୀରିଣାଂ ସ୍ଥାବରଜଙ୍ଗମାନାଂ
ସୁଖାୟ ତଜ୍ଜନ୍ମଦିନଂ ବଭୂବ ।
(କୁମାରସମ୍ଭବ)
ପରବାର କଟକ ଆସିବାର ବର୍ଷକ ଉତ୍ତାରେ ଦାଶରଥି ଦାସଙ୍କର ଗୋଟିଏ କନ୍ୟା ଜାତ ହେଲା । ମାଘ ମାସ ପୂର୍ଣ୍ଣିମା ତିଥି ଠିକ୍ ଚନ୍ଦୋଦୟ ସମୟରେ ଜନ୍ମ । ପିଲା ଜନ୍ମ ସମୟରେ କୁଆଁ କୁଆଁ ରଡ଼ି ଛାଡ଼ନ୍ତି–ହେଲେ ନବଜାତ କନ୍ୟାର ରଡ଼ି ଠିକ୍ ବୀଣାଝଙ୍କାର ପରି ଲୋକେ ଶୁଣିଲେ । ପୁତ୍ର ଜାତ ହେବାବେଳେ ଶଙ୍ଖ ବାଜେ, କନ୍ୟା ଜନ୍ମ ସମୟରେ ବାଜେ ନାହିଁ । ମାତ୍ର ସରସ୍ୱତୀ ଦେଈ ତ ଝିଅଟିକୁ ଦେଖି ଅଜ୍ଞାନ, ଗୋଡ଼ ତଳେ ପଡ଼ୁ ନାହିଁ, ମୁଣ୍ଡଟା ମୁକୁଳା, ଶଙ୍ଖୁଟାଏ ଧରି ଭେଁ ଭେଁ କରି ତାନେ ଖୁବ୍ ବଜାଇଦେଲେ । ଯେମନ୍ତ ଭଲ କାରିଗର ହାତରେ ଗଢ଼ା ସୁନ୍ଦର ସୁନାର ପ୍ରତିମାଟିଏ ତଳେ ପଡ଼ି ହାତଗୋଡ଼ ହଲାଉଛି ! ମସ୍ତକରେ ସରୁ ରେଶମ ସୂତାପରି ଘନ ନିବିଡ଼ ଲଲାଟବ୍ୟାପୀ ଅନତିଦୀର୍ଘ କଜ୍ଜଳକୃଷ୍ଣ କେଶରାଶି, ସମ୍ମୁଖରେ ମୁଖାରବିନ୍ଦ । ଲଲାଟଟି ମାର୍ଜିତ ଦର୍ପଣ ପରି ମସୃଣ, ଲାବଣ୍ୟମୟ, ସୁଗୋଲ । କ୍ଷୁଦ୍ର ମୁଖଟିକୁ ମନାଣ ମାଫିକେ ଖଣ୍ଡାଧାର ପରି ଉନ୍ନତ ଦୋଷବର୍ଜିତ କ୍ଷୁଦ୍ର ନାସିକାଟିଏ । ସୁନିପୁଣ ଚିତ୍ରକର ହସ୍ତ ତୂଳୀ ଟାଣିଲା ପରି ଉଭୟ ପାର୍ଶ୍ୱରେ ବିସ୍ତୃତ ଅପାଙ୍ଗସ୍ପର୍ଶୀ ଭ୍ରୂଲତାଯୁଗଳ । ନିମ୍ନରେ ଏଣୀ ଶିଶୁନୟନିଭ ଅପାଙ୍ଗ ବିସ୍ତୃତ ସ୍ୱଚ୍ଛ ସଲିଳରେ ଭାସମାନ ନୀଳେନ୍ଦୀବର ନେତ୍ରଯୁଗଳ । ଅଧର ଶୋଭାମୟ, ସେଥିରୁ ଘର୍ଷିତ ହିଙ୍ଗୁଳ ଥୋପି ପଡ଼ୁଛି । ସୁଠାମ ସୁଗୋଲ ପଦଦ୍ୱୟ ଓ କରଯୁଗଳ ପ୍ରାନ୍ତଭାଗ ପାପୁଲି ଘନ ଅଲକ୍ତଲିପ୍ତବତ୍ ଲୋହିତ ବର୍ଣ୍ଣ । ନଖାବଳୀ ରସାଣ କ୍ଷୁଦ୍ର ରଜତଖଣ୍ଡବତ୍ ଶୁକ୍ଳାଭ, କଣ୍ଠଦେଶ ଈଷତ୍ ଦୀର୍ଘ ଚମ୍ପକବର୍ଣ୍ଣ ଶଙ୍ଖବତ୍ ଶୋଭାମୟ ।
ସରସ୍ୱତୀ ଦେଈ ସର୍ବଗୁଣରେ ସୁନିପୁଣା । ଧାଈ ଅଭାବ ଅନୁଭବ କରିବାକୁ ହେଲା ନାହିଁ । ପୁଆତୀକୁ ସାଷ୍ଟାମ କରାଇ ଶିଶୁ ସକାଶେ ଗୋଟିଏ କ୍ଷୁଦ୍ର ଶେଯ ରଚନା କରିଦେଲେ ।
ଦୟାମୟ ଭଗବାନ ପ୍ରାଣୀଶ୍ରେଣୀର ରକ୍ଷଣ, ବର୍ଦ୍ଧନ, ସାଧନ ସକାଶେ ସ୍ତ୍ରୀଜାତି ହୃଦୟରେ କେମନ୍ତ ଗୋଟିଏ ଅନିବାର୍ଯ୍ୟ ଅପତ୍ୟ ସ୍ନେହ ପ୍ରଦାନ କରିଅଛନ୍ତି । ଅନେକ ଅପତ୍ୟବିହୀନା ରମଣୀ ଅନ୍ୟର ସନ୍ତାନ-ସନ୍ତିତିଙ୍କୁ ଲାଳନପାଳନ କରି ଅନ୍ତର୍ନିହିତ ନିସର୍ଗଦତ୍ତ ବୃତ୍ତିକୁ ଚରିତାର୍ଥ କରିଥାନ୍ତି । ନିତାନ୍ତ ଅଭାବ ପକ୍ଷରେ ତାଦୃଶୀ ରମଣୀମାନେ ଶୁଆଟିଏ ବା ମାର୍ଜାରଶିଶୁ ଗୋଟିଏ ପ୍ରତିପାଳନପୂର୍ବକ ଆନନ୍ଦ ଅନୁଭବ କରୁଥିବାର ଦେଖାଯାଏ । ସରସ୍ୱତୀ ଦେଈଙ୍କ ହୃଦୟ ସହଜରେ ସ୍ନେହପ୍ରବଣ, ଅପୂର୍ବ ଶ୍ରୀମଣ୍ଡିତ କନ୍ୟାଟିର ରୂପଲାବଣ୍ୟ ଦେଖି ତାଙ୍କର ହୃଦୟନିହିତ ସମସ୍ତ ପ୍ରେମ, ସମସ୍ତ ସ୍ନେହ ଯେମନ୍ତ ଉଛୁଳି ପଡ଼ୁଅଛି ।
ପାଞ୍ଚ ଦିନରେ ପଞ୍ଚୁଆତି । ମାମୁ ସିନା ପଞ୍ଚୁଆତି ବଳନ୍ତେ, ବଳୁଛି କିଏ ? ପାଞ୍ଚ ଲେଖାରେ ଲେଖା ଜଣେ କରଣ ସା’ନ୍ତ ଆର୍ବିଭୂତ ହୋଇ ହେଁସୁଆତିରେ ପଞ୍ଚୁଆତି ବଳି ଦେଲେ-। ଗୋଟାଏ କ୍ୟାଁ– ଲୋଡ଼ିଥିଲେ ପଞ୍ଝାଏ କନ୍ୟାମାତୁଳ ମିଳିଥାନ୍ତେ–ପାଇଟି ଭିତରେ ମୁହୂର୍ତ୍ତକ ମଧ୍ୟରେ ପଞ୍ଚୁଆତି ବଳା–ଏଣେ ସରୁଚାଉଳ ଅନ୍ନ, ପାଞ୍ଚ ତିଅଣ, ଲୁଗା ଯୋଡ଼ାଏ, ମାତୁଳ ହେବାକୁ କିଏ ନ ମଙ୍ଗିବ ? ଛ’ଦିନରେ ଷଠୀଘର । ସରସ୍ୱତୀ ଦେଈ ଦିନବେଳରୁ କାନ୍ଥରେ କାଦୁଅ ଥାପି ଗୋଟିଏ ଷଠୀଘର ବନାଇଲେ । ସେଥିରେ ମଣ୍ଡାଇବାକୁ ଅଢ଼ାଇପଣ କଉଡ଼ି ବଜାରରୁ କିଣିବାକୁ ପଡ଼ିଲା । ଷଠୀମା’ଙ୍କ ଭୋଗ ସକାଶେ ସାତଫଡ଼ା ଚିତଉ ପିଠା, ଚାଉଳ ବିରି ଏକାସାଙ୍ଗରେ ଭଜା, କିଛି ଗୁଡ଼, ସାତଟା ମିଠାଇ ଷଠୀଘର ଆଗରେ ବଢ଼ାଗଲା । ସ୍ୱୟଂ ଷଠୀଦୁଛୀ ମା’ ଅର୍ଥାତ୍ ଗୋଟିଏ ଶିଳପୁଆ ଖଣ୍ଡିଏ ହଳଦିଆ କନା ପିନ୍ଧି ଷଠୀଘର ତଳେ କାନ୍ଥକୁ ଆଉଜି ବସିଲେ । ଦେବୀଙ୍କ ମସ୍ତକ ଉପରେ ଦୂବ ବରକୋଳି ପତ୍ର ଓ ଗୋଟାକେତେ ଫୁଲ ଦେଇ ସରସ୍ୱତୀ ଦେଈ ରାତି ଘଡ଼ିକ ସମୟରେ ପୂଜା ଆରମ୍ଭ କଲେ । ପୁଆତୀ ପିଲାଟିକୁ କୋଳରେ ଧରି ଷଠୀଦୁଛୀମା’ଙ୍କ ଆଗରେ ବସିଲେ । ଏମାନଙ୍କ ମୁଣ୍ଡରେ ଧାନ ଦୂବ ପକାଇବା ସକାଶେ ସାତଜଣ ଅହିଅ ସ୍ତ୍ରୀ ଦରକାର । ଗ୍ରାମ ତ ନୁହେଁ, ଚିହ୍ନା ମଣିଷ କେହି ନାହାନ୍ତି । ଦାସେ ଆଗ ଦିନକଠାରୁ ଖୋଜି ଲୋଡ଼ି ସାତଜଣ ଅହିଅ ସ୍ତ୍ରୀ ଠିକଣା କରି ରଖିଥିଲେ–ଠିକ୍ ପୂଜା ସମୟରେ ସେମାନେ ଉପସ୍ଥିତ । ପୂଜା ବଢ଼ାଇ ପ୍ରତିଜଣ ଫଡ଼ାଏ ଚିତଉ, କିଛି ବିରି ଚାଉଳ ଭଜା, ଗୋଟାଏ ଲେଖାଏଁ ମିଠାଇ ଧରି ଆପଣା ଆପଣା ଘରକୁ ଚାଲିଗଲେ । ହଳଦୀ ପାଣିରେ ଗୋଳା ଗୋଟାଏ ତାଳପତ୍ର ଆଉ ଗୋଟିଏ ଲେଖନ ଷଠୀଦୁଚ୍ଛେଇ ମା’ଙ୍କ ପାଖରେ ଥୋଇଦେଇ କବାଟ ବାହାରୁ କିଳାଗଲା । ରାତିଯାକ କବାଟ ଫିଟିବ ନାହିଁ । ଯେଉଁ ତାଳପତ୍ରଟି ଥୁଆ ଯାଇଛି, ସେଥିରେ ଷଠୀଦୁଛୀ ମା’ ପିଲାଟିର ସମସ୍ତ ଜୀବନର ଭଲମନ୍ଦ ସବୁକଥା ଲେଖିବେ । ସେହି ତାଳପତ୍ରରେ କୋଷ୍ଠୀ ଲେଖାଯିବ-।
ନବମ ଦିନ ଓପରଓଳି ଅବଧାନ ସଦାଶିବ ଖଡ଼ିରତ୍ନେ ଡେବିରି କାଖରେ ତାଳପତ୍ର ପାଞ୍ଜିବିଡ଼ାଟି ଯାକି, ଖାଇଲା ହାତରେ ଖଣ୍ଡିଏ ବାଉଁଶ ବାଡ଼ି ଧରି ଉପସ୍ଥିତ । ସରସ୍ୱତୀ ଦେଈ ପିଣ୍ଡା ଉପରେ ଖଣ୍ଡିଏ କମ୍ବଳାସନ ଚଞ୍ଚଳ ପାରିଦେଇ ଥାଳିଆଟିରେ ଅରୁଆ ଚାଉଳ ସେରେ, ଗୁଆଟିଏ, ଦୂବ, ବରକୋଳିପତ୍ର, ଷଠୀଦୁଛୀ ମା’ଙ୍କ ନିକଟରୁ ତାଳପତ୍ର ଲେଖନ ଆଣି ଜ୍ୟୋତିଷଙ୍କ ଆଗରେ ଥୋଇଦେଲେ । ଖଡ଼ିରତ୍ନେ କୋଣରେ ବାଡ଼ିଖଣ୍ଡିକ ଥୋଇଦେଇ ଆସନରେ ବସିଲେ । କାଖରୁ ପାଞ୍ଜିବିଡ଼ାଟି ବାହାର କରି ତହିଁରେ ବନ୍ଧାଥିବା ବାପାଙ୍କ ଅମଳର କାଠ ଖୋଳରେ ଥିବା ପ୍ରତିଚକ୍ଷୁଟି ବାହାର କଲେ–କୁଞ୍ଚ କାନି କୋଣରେ ପ୍ରତିଚକ୍ଷୁଟି ଉତ୍ତମରୂପେ ପରିଷ୍କାର କରି ନାସିକାରେ ସଂଲଗ୍ନ କରିଦେଲେ । ତହିଁ ଉତ୍ତାରେ ଦୁଇ ହସ୍ତରେ ପାଞ୍ଜିବିଡ଼ାଟି ଧରି : –
ମଙ୍ଗଳଂ ଭଗବାନ ବିଷ୍ଣୁଃ
ମଙ୍ଗଳଂ ଗରୁଡ଼ଧ୍ୱଜଃ ।
ମଙ୍ଗଳଂ ପୁଣ୍ଡରୀକାକ୍ଷଃ
ମଙ୍ଗଳଂ ମଧୁସୂଦନଃ ।
ଶ୍ଳୋକଟି ପାଠ ଉତ୍ତାରେ ପାଞ୍ଜିକୁ ଚାହିଁ ମାସ, ଦିନ, ବାର, ତିଥି, ଚନ୍ଦ୍ର, ନକ୍ଷତ୍ର, ଯୋଗିନୀର ଅବସ୍ଥିତି, କରଣ ଇତ୍ୟାଦି ଶୁଣାଇଦେଇ ଧୀରେ ଧୀରେ ପାଞ୍ଜିଟି ତଳେ ଥୋଇଦେଲେ-। ଅଣ୍ଟାରୁ ଖଡ଼ି ଗୋଟାଳିଟି ବାହାରକରି ପୁନର୍ବାର ‘‘ମଙ୍ଗଳଂ ଭଗବାନ ବିଷ୍ଣୁଃ’’ ଇତ୍ୟାଦି ପାଠପୂର୍ବକ ଭୂମିରେ ଗୋଟିଏ ଶ୍ରୀ ଲେଖି ନିଭାଇ ଦେଲେ । ମୁଣ୍ଡରେ ଗୋଟାଳିଟି ଲଗାଇ ଭୂମିରେ ରାଶିଚକ୍ର କାଟି ତହିଁରେ ଗ୍ରହନକ୍ଷତ୍ରାଦିର ଅବସ୍ଥାନ ଲେଖିଲେ । ଯଥା–
ରାଶିଚକ୍ର ତଳେ ଗାଇଛନ୍ଦିଣୀ ଲେଖି ତାହା ଉପରେ ଖଡ଼ି ଗୋଟାଳିଟି ଥୋଇଦେଲେ ।
ରାଶିଚକ୍ରକୁ ଉତ୍ତମରୂପେ ନିରୀକ୍ଷଣ କରି କେତେକ ସ୍ଥାନରେ ଅଙ୍ଗୁଳି ସ୍ପର୍ଶପୂର୍ବକ ଗୁଣୁଗୁଣୁ ସ୍ୱରେର କେତେକକ୍ଷଣ ଆଲୋଚନା କଲା ଉତ୍ତାରେ ଅନେକଗୁଡ଼ିଏ ଶ୍ଳୋକ ପାଠକଲେ । ଦାସେ ନିକଟରେ, ସରସ୍ୱତୀ ଦେଈ କିଛି ଦୂରରେ ବସିଥିଲେ, ଆଉ ମେନକା ଦେଈ କବାଟ ଉହାଡ଼ରୁ ନାକଟି କାଢ଼ିଦେଇ ଶ୍ଳୋକ ଶୁଣୁଥାନ୍ତି । ଖଡ଼ିରତ୍ନେ କହିଲେ–ବୁଝିବା ହେଲେଟିକି ଦାସେ, କନ୍ୟା ତ ନୁହେଁ, ଏଇଟି ଦେବକନ୍ୟା–ଲକ୍ଷେ ଦଶ ହଜାର ମଧ୍ୟରେ ଗୋଟାଏ କୋଷ୍ଠୀ ଦେଖିଲି ଏକା । କଙ୍କଡ଼ା ଲଗ୍ନରେ ଜନ୍ମ–ଲଗ୍ନରେ ବୃହସ୍ପତି ଉଚ୍ଚ । ଧନ ସ୍ଥାନରେ ଚନ୍ଦ୍ର । ଚତୁର୍ଥ ସୁଖାଧିପତି ଶୁକ୍ର ନବମ ସ୍ଥାନରେ–ସେ ପୁଣି ତୁଙ୍ଗୀ । ରବି ଧର୍ମ ସ୍ଥାନରେ ଉଚ୍ଚ । ଆଉ କ’ଣ ଶୁଣିବେ ?
‘‘ଜାତାଙ୍ଗନା ଭବତି ପୂର୍ଣ୍ଣବିଭୂତିଯୁକ୍ତା
ସାଧ୍ୱୀ ସୁପୁତ୍ରଜନନୀ ସୁଖିନୀ ଧନାଢ଼୍ୟା ।’’
ସରସ୍ୱତୀ ଦେଈ ପଚାରିଲେ, କ’ଣ ବୋଇଲେ ଅବଧାନେ, କ’ଣ ବୋଇଲେ ?
ଖଡ଼ିରତ୍ନେ–ପାଠ ଡାକୁଛି, ଏ କନ୍ୟାଟି ରାଣୀ ହେବ–ଆଉ ଏହାର ସୁନ୍ଦର ସୁନ୍ଦର ପୁଅ ହେବ । ଆଉ ଦେଖୁଛନ୍ତି, ଧନ ସ୍ଥାନ ଯେ ଦ୍ୱିତୀୟକୁ, ବୋଲି, ସ୍ଥାନରେ ରହିଗଲେ ଚନ୍ଦ୍ର–ଧନର ସୀମା ନାହିଁ । ତନ, ଧନ– ସହଜ ଯେ ତୃତୀୟ ସ୍ଥାନ, ସେଠି ରହିଗଲା କେତୁ–ଭ୍ରାତୃଯୋଗେ କଷ୍ଟ । ଆଉ ଗୋଟିଏ କଥା– ପାଠରେ ଦିଶୁଛି, କିମିତି ଲୁଚାଇବି ? ସ୍ତ୍ରୀ କୋଷ୍ଠୀରେ ଅଷ୍ଟମ ସ୍ଥାନରେ ମଙ୍ଗଳ ଖରାପ–ପତିଯୋଗେ କଷ୍ଟ ।
ସରସ୍ୱତୀ–ଆଚ୍ଛା ସେ କଥାଟା କୋଷ୍ଠୀରେ ନ ଲେଖିଦେଲେ ତ ହେଲା । ଖଡ଼ିରତ୍ନେ–ଉଁ–ହୁଁ ! ସେଇଟା ହାତକଥା ନୁହେଁ, ଅଷ୍ଟମ ଘରକୁ ମାଡ଼ି ବସିଲାଣି । ହେଲେ କ’ଣ, ସେଥିର ପ୍ରତିକାର ଅଛି–କିଞ୍ଚିତ୍ ପ୍ରାଶ୍ଚିତ୍ତ କରିଦେଲେ ସବୁ ଦୋଷ ଠକ୍ କରି କଟିଯିବ । କେଡ଼େ କେଡ଼େ ଦୋଷ ପ୍ରାଶ୍ଚିତ୍ତରେ କଟିଯାଇଛି; ଏଇଟା ବା କ’ଣ ?
ସରସ୍ୱତୀ ଦେଈ–କ’ଣ କରାଯିବ ? କ’ଣ ପ୍ରାୟଶ୍ଚିତ୍ତ ଲୋଡ଼ା ?
ଖଡ଼ିରତ୍ନେ–ଗୋଟିଏ କୃଷ୍ଣବର୍ଣ୍ଣ ମେଷ–କି କଳା ଗାରଡ଼, ପାଞ୍ଚପା ଅରୁଆ ଚାଉଳ, ପାଞ୍ଚପା ବିରି, ପାଞ୍ଚପା ପଞ୍ଚୁବର୍ଣ୍ଣି ଭୋଗ, ପାଞ୍ଚ ରଙ୍ଗର ପୁଷ୍ପ, ପାଞ୍ଚଟା ଦୂବ ବରକୋଳି ପତ୍ର, ଦେଢ଼ମସା ଶୁଦ୍ଧ ସୁବର୍ଣ୍ଣ, ଗୋଟିଏ ମାଣିଆବନ୍ଧି ଜଥା–ସେଥିରେ ନାଲି କିମ୍ବା ହଳଦିଆ ରଙ୍ଗ ମୁସଲମ ନ ଥିବ–ଏ ସମସ୍ତ ପଦାର୍ଥ ଏକବିଂଶତି ବୋଇଲା କି ଏକୋଶିଆ ଦିନ ନିଶାରାତିରେ ଏକମୁହାଁ ହୋଇ ଗ୍ରହାଚାର୍ଯ୍ୟ ହାତକୁ ଟେକିଦେଇ ଚଞ୍ଚଳ ପଛକରି ଚାଲିଯିବ, ଏକୋଇଶ ଦିନଯାଏ ସେ ଗ୍ରହାଚାର୍ଯ୍ୟର ମୁହଁ ଚାହିଁବ ନାହିଁ । ମଙ୍ଗଳଗ୍ରହ ଅଶ୍ଳେଷା ନକ୍ଷତ୍ରକୁ ଯିମିତି ଚାଲିଯିବ ଠିକ୍ ସେହି ମୁହୂର୍ତ୍ତରେ ଦାନ କରିବା ଦରକାର । ଲିତ୍ୟାଏ ଟଳିଗଲେ ଯୋଗ ବାହାରିଯିବ, ମୁଁ ପାଞ୍ଜିଧରି ବସିଥିବି । ହଁ ଗୋଟାଏ କଥା ବୋଲିବାକୁ ଭୁଲିଛି, ପାଞ୍ଚ ସୁକା ଦକ୍ଷିଣା ଦେବାକୁ ହେବ । ଏ ଉତ୍ତାରେ ଖଡ଼ିରତ୍ନେ–
‘‘ମାଧବୋ ମାଧବୋ ବାକ୍ୟଂ ମାଧବୋ ମାଧବୋ ହରିଃ ।
ସ୍ମରନ୍ତି ସାଧବୋ ନିତ୍ୟଂ ସର୍ବକାର୍ଯ୍ୟେଷୁ ମାଧବଃ’ ॥’’
ଏହି ଶ୍ଳୋକ ପାଠ କରୁଁ କରୁଁ ହଳଦୀପାଣିରେ ରାଶିଚକ୍ର ନିଭାଇ ଦେଲେ । ଥାଳିରେ ଥିବା ଚାଉଳଗୁଡ଼ିକ କାନିରେ ବାନ୍ଧି ଟଙ୍କାଟିଏ ଦକ୍ଷିଣା ଧରି ଚାଲିଗଲେ ।
ଆଜି ପିଲାଟିର ନାମ ଥୋଇବାର ଦିନ । ଅବଧାନେ କହିଯାଇଛନ୍ତି, ଏହାର ରାଶିନାମ ‘ଚ’ ଅକ୍ଷରରୁ ହେବ । ଦାସେ କହିଲେ, ପିଲାଟିର ଜନ୍ମଦିନ ମୋହର ନାଜରାତି କର୍ମ ହେଲା–ପିଲାଟି ଲକ୍ଷ୍ମୀବନ୍ତ–ଏହାର ନାମ ଲକ୍ଷ୍ମୀ ହେଉ । ମା’ କହିଲେ, ନା–ନା, ଏହାର ନାମ ଅନ୍ନପୂର୍ଣ୍ଣା । ସରସ୍ୱତୀ ଦେଈ କହିଲେ, ତୁମେ ସବୁ ଯେ ଯାହା କହ, ସ୍ୱର୍ଗରୁ ଚାନ୍ଦ ଓହ୍ଲାଇ ଆସିଚି, ମୋ ଝିଅର ନାମ ହେଉଚି ଚାନ୍ଦମଣି ।
–୪–