ଯାତ୍ରାର ପୂର୍ବ ପତ୍ର — ବିଶ୍ୱ ମାନବର ପଥେ — ରବୀନ୍ଦ୍ରନାଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଯାତ୍ରାର ପୂର୍ବ ପତ୍ର
ପ୍ରାନ୍ତର ମଧ୍ୟରେ ଆମର ଆଶ୍ରମ ବିଦ୍ୟାଳୟ । ଏଠାରେ ପ୍ରକୃତି କୋଳରେ ବଡ଼ ଓ ସାନ, ଶିକ୍ଷକ ଓ ଛାତ୍ର ଏକତ୍ର ବାସ କରି ସମାଜ ଜୀବନ ଯାପନ କରନ୍ତି । ପ୍ରଭାତକାଳୀନ ସୂର୍ଯ୍ୟ ତାଙ୍କର ପ୍ରଥମ କିରଣ ସମ୍ପାତରେ ଆମକୁ ସ୍ପର୍ଶ କରନ୍ତି ଏବଂ ରାତ୍ରି କାଳରେ ଆକାଶକୁ ଚାହିଁଲେ ତାରକାମାନଙ୍କର ଜ୍ୟୋତି ଆମ ମୁଖମଣ୍ଡଳ ଉପରେ ଆସି ପଡ଼େ । ଦିଗନ୍ତରେ ଧୂଳିର ଉତ୍ତରୀୟ ଉଡ଼ାଇ ଝଡ଼ବହୁଦୂରରୁ ତା’ର ଆଗମନର ସମ୍ବାଦ ଆମକୁ ଦେଇଥାଏ । ଆମ ଚତୁଃପାର୍ଶ୍ୱରେ ଥିବା ବୃକ୍ଷର ପତ୍ରାବଳୀରେ ଋତୁ ପରିବର୍ତ୍ତନର ପ୍ରଥମ ବାର୍ତ୍ତା ପ୍ରକାଶିତ ହୁଏ । ଆମ୍ଭେମାନେ ବିଶ୍ୱପ୍ରକୃତିକୁ ଆମ ଜୀବନରୁ ରୁଦ୍ଧ କରି ରଖି ନାହୁଁ ଏବଂ ଅତି ସହଜ ଓ ସିଧା ସଳଖ ଭାବରେ ଏହା ଆମ୍ଭମାନଙ୍କ ନିକଟରେ ଆସି ପହଞ୍ଚିଥାଏ ।
ତଥାପି ଆମର ଏହି ବିଚ୍ଛିନ୍ନତା ମଧ୍ୟରେ ସୁଦ୍ଧା ଆମେ ବାହାର ଜଗତ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସମାନଭାବେ ସ୍ଥାପନ କରିବାକୁ ଇଛୁକ । ସର୍ବ ମାନବର ଇତିହାସରେ ଯେଉଁ ପରିବର୍ତ୍ତନ ଆସେ, ସୂର୍ଯ୍ୟଙ୍କର ଉଦୟାସ୍ତ ଘଟେ, ଯେଉଁ ସଂଘର୍ଷର ଝଡ଼ ମନୁଷ୍ୟ ଜୀବନକୁ ବିକ୍ଷୁବ୍ଧ କରେ ସେଗୁଡ଼ିକୁ ସ୍ପଷ୍ଟଭାବେ ଅନୁଭବ କରିବାକୁ ଆମର ବାସନା । କର୍ମବ୍ୟସ୍ତ ଲୋକାଳୟଠାରୁ ଦୂରରେ ଥିବାରୁ ଜଗତର ଘଟଣାବଳୀକୁ ପ୍ରକୃତ ଭାବେ ଗ୍ରହଣ କରିବାକୁ ସୁଯୋଗ ଆମ୍ଭମାନଙ୍କର ରହିଛି । ଉକ୍ତ ସମ୍ବାଦ କୌଣସି ଏକ ନିର୍ଦ୍ଦିଷ୍ଟ ଚିନ୍ତାର ଛଞ୍ଚରେ ଢଳାହୋଇ ଆମ ନିକଟରେ ଆସି ପହଞ୍ଚି ନ ଥାଏ । ତାହାକୁ ଆମେ ଅବାଧରେ ବିଶୁଦ୍ଧାରୂପେ ଗ୍ରହଣ କରୁଁ ।
ମନୁଷ୍ୟର ବୃହତ୍ତର ଜଗତସହ ଆମର ଏହି କ୍ଷୁଦ୍ର ଗ୍ରାମ୍ୟ ବିଦ୍ୟାଳୟର ସମ୍ବନ୍ଧ ଅବାରିତ ରଖିବା ପାଇଁ ପୃଥିବୀ ପ୍ରଦକ୍ଷିଣ କରିବାର ପ୍ରୟୋଜନ ଆମେ ଅନୁଭବ କରୁ । ସେହି ବିରାଟ ପୃଥିବୀ ଆମକୁ ନିମନ୍ତ୍ରଣ କରିଛି । ସେହି ନିମନ୍ତ୍ରଣ ବିଦ୍ୟାଳୟର ଦୁଇଶତ ଅନ୍ତେବାସୀଙ୍କ ପକ୍ଷରେ ଏକତ୍ର ରକ୍ଷା କରିବା ସମ୍ଭବ ନୁହେ । ତେଣୁ ମୁଁ ନିଜେ ତୁମ ପକ୍ଷରୁ ଏକାକୀ ସେହି ନିମନ୍ତ୍ରଣ ରକ୍ଷା କରି ଆସିବି । ମୋ ମଧ୍ୟରେ ତୁମ୍ଭେମାନେ ସମସ୍ତେ ଏହି ଭ୍ରମଣର ସୁଫଳ ଭୋଗ କରିବ । ଏହି ଆଶ୍ରମକୁ ଫେରି ଆସିଲା ବେଳକୁ ବାହାର ଜଗତର କିଛି ନା କିଛି ମୋ ନିଜ ଭିତରେ ସଞ୍ଚୟ କରି ତୁମ୍ଭମାନଙ୍କ ନିକଟକୁ ମୁଁ ବହନ କରି ଆଣିବି ।
ଫେରିବା ପରେ ସେ ବିଷୟରେ ବହୁ କଥାବାର୍ତ୍ତା ଆମ୍ଭେମାନେ ହେବା । ବର୍ତ୍ତମାନ ବିଦାୟ ଲଗ୍ନରେ ଗୋଟିଏ ଯୋଡ଼ିଏ କଥା ମୁଁ ପରିଷ୍କାର କରି ଯିବାକୁ ଚାହେ ।
ଅନେକ ମୋତେ ପଚାରିଛନ୍ତି, ‘‘ତୁମେ ଇଉରୋପ ଭ୍ରମଣ କରିବାକୁ କାହିଁକି ଯାଉଛ ? ଏ କଥାର ଉତ୍ତର କ’ଣ ଦେବୀ ମୁଁ ଜାଣେ ନା । ଭ୍ରମଣ ହିଁ କବଳ ଭ୍ରମଣର ଉଦ୍ଦେଶ୍ୟ, ଏପରି ଏକ ସରଳ ଉତ୍ତର ଦେଲେ ପ୍ରଶ୍ନକର୍ତ୍ତାମାନେ ହୁଏ ତ ମନେ କରିବେ କଥାଟାକୁ ମୁଁ ହାଲୁକା କରି ଉଡ଼ାଇ ଦେଉଛି । ଫଳା ଫଳ, ଲାଭ ଲୋକସାନ ବିଚାରରେ ଗୋଟିଏ କାର୍ଯ୍ୟର ପୂର୍ଣ୍ଣ ତାଲିକା ଦେଇ ନ ପାରିଲେ ମନୁଷ୍ୟ ଚିତ୍ତକୁ ଶାନ୍ତ କରିବା ସହଜ ନୁହେ ।
ଗୃହସହ ସୁଦୃଢ଼ ବନ୍ଧନରେ ଆମ୍ଭେମାନେ ଆବଦ୍ଧ । ବାହାରକୁ ବାହାରିବା ସଂଗେ ସଂଗେ ଏଯାତ୍ରା ଅବେଳା ଓ ଅଶୁଭର ଦୁର୍ଭାବନା ଏବଂ ଭୟ ଆମର ଅଧିକ, ବିଚ୍ଛେଦର ଅଶ୍ରୁପାତ ଅତି କରୁଣ-ଫଳତଃ ପୃଥିବୀ ଆମ ଦୃଷ୍ଟିସୀମାର ବହୁ ଦୂରକୁ ଚାଲି ଯାଇଛି । ଆତ୍ମୀୟବର୍ଗ ଆମ ଦେଶରେ ଏକ ନିବିଡ଼ ପରିଧି ଗଠନ କରିଛନ୍ତି, ଏହା ବାହାରେ ଥିବା ଅନ୍ୟ ସମସ୍ତେ ଆମ ସହିତ ଅସଂଯୁକ୍ତ, ଆମର ପର । ସେହି କାରଣରୁ ଅଳ୍ପ ସମୟ ପାଇଁ ବାହାରକୁ ବାହାରିଲେ ସୁଦ୍ଧା ଆମକୁ ବହୁ ପ୍ରଶ୍ନର ଜବାବ ଦେବାକୁ ଯେ ପଡ଼ିଥାଏ, ଏହା ନିଶ୍ଚିତ କଥା । ଆବଦ୍ଧ ରହିବା ଫଳରେ ଅବ୍ୟବହାର ହେତୁ ଆମର ପକ୍ଷ କଠିନ ହୋଇଛି, ତେଣୁ ଉଡ଼ିବାର ଆନନ୍ଦକୁ ଆମ ଦେଶରେ ପ୍ରକୃତ କେହି ଆନନ୍ଦ ବୋଲି ବିଶ୍ୱାସ କରି ନ ଥାନ୍ତେ ।
ଅଳ୍ପ ବୟସରେ ମୋର ବିଦେଶ ଯାତ୍ରାର ଏକ ବୈଷୟିକ ଉଦ୍ଦେଶ୍ୟ ଥିଲା । ସରକାରୀ ଶାସନ ବିଭାଗରେ ପ୍ରବେଶ କରିବା ବା ବାରିଷ୍ଟର ହେବାର ଚେଷ୍ଟା ସେତେବେଳେ ମୋ ଭ୍ରମଣର ଥିଲା ଏକ ଉପଯୁକ୍ତ କୈଫିୟତ । କିନ୍ତୁ ଆଜି ବାଉନ ବର୍ଷ ବୟସରେ ଏ ଧରଣର କୈଫିୟତ ଦେବା ସମ୍ଭବ ନୁହେ । ତେଣୁ ବର୍ତ୍ତମାନ କୌଣସି ପାରମାର୍ଥିକ ଉଦ୍ଦେଶ୍ୟର ଦ୍ୱାହି ନିଶ୍ଚୟ ଦେବାକୁ ପଡ଼ିବ ।
ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଭ୍ରମଣର ପ୍ରୟୋଜନୀୟତା ଭାରତରେ ଲୋକମାନେ ସ୍ୱୀକାର କରିଥାନ୍ତି । ସେଥିପାଇଁ କେହି କେହି ତାକୁ ମୋ ଯାତ୍ରାର ଉଦ୍ଦେଶ୍ୟ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ ସୁଦ୍ଧା ଆଶ୍ଚର୍ଯ୍ୟ ହୁଅନ୍ତି ଇଉରୋପରେ ସେ ଉଦ୍ଦେଶ୍ୟ ବା କିପରି ଭାବରେ ସାର୍ଥକ ହେବ । ଏହି ଭାରତବର୍ଷର ତୀର୍ଥସ୍ଥାନ ଗୁଡ଼ିକରେ ଭ୍ରମଣ କରି ସାଧୁ ସନ୍ୟାସୀମାନଙ୍କ ସଙ୍ଗଲାଭ କରିବା ହିଁ ତାଙ୍କ ପକ୍ଷରେ ମୁକ୍ତିର ଏକମାତ୍ର ପନ୍ଥା ।
ମୁଁ କହେ ‘‘କେବଳ ବୁଲିଯିବା ହିଁ ମୋ ଭ୍ରମଣର ଉଦ୍ଦେଶ୍ୟ । ଭାଗ୍ୟକ୍ରମେ ଏ ପୃଥିବୀରେ ଜନ୍ମ ହୋଇଛି, ପୃଥିବୀ ସଂଗେ ମୋ ପରିଚୟ ଯେତେ ଅଧିକ ହେବ, ସେତେ ଅଧିକ ତୃପ୍ତି ମୁଁ ଲାଭ କରିବି । ଚକ୍ଷୁଯୁଗଳ ମୁଁ ପାଇଛି, ଏହି ବିରାଟ ଜଗତର ବୈଚିତ୍ର୍ୟ ଯଥାସମ୍ଭବ ଦର୍ଶନ କରି ପାରିଲେ ନେତ୍ରଦ୍ୱୟ ସାର୍ଥକ ହେବ ।
ତଥାପି ମୁଁ ସ୍ୱୀକାର କରେ ଯେ, ଲାଭ ପ୍ରତି ମୋର ଲୋଭ ରହିଛି, ଭ୍ରମଣର ଆନନ୍ଦ ଉପଲବ୍ଧି କରିବାକୁ କେବଳ ମୁଁ ଚାହେଁ ନାହିଁ । ବରଂ ଏହି ଭ୍ରମଣର ସଙ୍କଳ୍ପ ମଧ୍ୟରେ ପ୍ରୟୋଜନ ସାଧନର ଏକ ଆକାଙ୍କ୍ଷା ମୋର ନିହିତ ।
ମୋର ବିଶ୍ୱାସ, କୌଣସି ୟୁରୋପୀୟ ଯଥାର୍ଥ ଶ୍ରଦ୍ଧା ସହକାରେ ଭାରତ ଭ୍ରମଣ କରିବାକୁ ଯଦି ଆସନ୍ତି ତାହାହେଲେ ତୀର୍ଥାଟନର ଯଥାର୍ଥ ଫଳ ସେ ନିଶ୍ଚୟ ଲାଭ କରିବେ । ସେପରି ୟୁରୋପୀୟଙ୍କୁ ମଧ୍ୟ ମୁଁ ଜାଣେ ଏବଂ ସେମାନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ବିଦେଶୀମାନଙ୍କର ଗୁଣ ଗ୍ରହୀତା ହେତୁ ଏହା ଉକ୍ତ ମନ୍ତବ୍ୟର କାରଣ ନୁହେ । ସେମାନଙ୍କ ହୃଦୟର ଶକ୍ତି ନିକଟରେ ମୁଁ ଭକ୍ତିପ୍ରଣତ । ଅପରିଚୟର ପ୍ରତିବନ୍ଧକ ଅତିକ୍ରୟ କରି ସତ୍ୟକୁ ସ୍ୱୀକାର କରିବା ଓ କଲ୍ୟାଣକୁ ଗ୍ରହଣ କରିବାରେ ସେମାନଙ୍କ ଶକ୍ତି ପ୍ରାୟ ଅନ୍ୟତ୍ର ଦୁର୍ଲ୍ଲଭ । ଅନ୍ୟଦେଶ ପରିଦର୍ଶନ ନ କଲେ ସତ୍ୟ ମଧ୍ୟରେ ସ୍ୱଛନ୍ଦରେ ସଞ୍ଚରଣ କରିବା ଶକ୍ତିର ପରିଚୟ ମିଳେ ନାହିଁ । ସଂକୀର୍ଣ୍ଣମନା ବ୍ୟକ୍ତିମାନେ ଅଭ୍ୟସ୍ତ ବସ୍ତୁକୁ ଏକମାତ୍ର ସତ୍ୟବୋଲି ମନେ କରନ୍ତି । ଅନଭ୍ୟାସର ମନ୍ଦିର ଦ୍ୱାର ବଳପୂର୍ବକ ଉନ୍ମୁକ୍ତ କରି ତାର ଅନ୍ତର୍ନିହିତ ବସ୍ତୁ ଆବିଷ୍କାର ପୂର୍ବକ ଆମେ ଅନ୍ଧସଂସ୍କାର ପ୍ରଣୋଦିତ ନ ହୋଇ ଯଦି ମୁକ୍ତ ପ୍ରାଣରେ ତାକୁ ପୂଜାଦାନ କରିବାକୁ ସମର୍ଥ ହେବୁ, ତାହାହିଁ ହେବ ସତ୍ୟ ପ୍ରତି ଆମ ଅବିଚଳିତ ଭକ୍ତିର ପ୍ରମାଣ ।
ପ୍ରାଚୀନ ପ୍ରବଣତା ପରିତ୍ୟାଗ କରି ସଂସ୍କାରମୁକ୍ତ ଦୃଷ୍ଟିରେ ସତ୍ୟ ସଂଧାନର ମନୋଭାବ ନେଇ ଭାରତୀୟ ଯଦି ୟୁରୋପ ଯାତ୍ରା କରେ ତା’ର ଉଦ୍ଦେଶ୍ୟ ନିଶ୍ଚୟ ସଫଳ ହେବ । ଶ୍ରଦ୍ଧା ପରାୟଣ ୟୁରୋପୀୟ ତୀର୍ଥଯାତ୍ରୀ ମାନେ ଭାରତକୁ ଆସି ଆମ ଜୀବନର ବାହ୍ୟ ବିଭାବର ଦୁର୍ଗତି ଯେ ଦେଖି ନାହାନ୍ତି ତାହା ନୁହେଁ; କିନ୍ତୁ ସେହି ଧୂଳି ସେମାନଙ୍କ ଦୃଷ୍ଟିକୁ ଆଚ୍ଛନ୍ନ କରି ନାହିଁ; ଜୀର୍ଣ୍ଣ ଆବରଣର ଅନ୍ତରାଳରେ ସେମାନେ ଭାରତର ଅନ୍ତରତମ ସତ୍ୟ ଦର୍ଶନ କରିଛନ୍ତି ।
ୟୁରୋପର ସତ୍ୟ ଦୃଷ୍ଟି ଆମ ସମ୍ମୁଖରେ ଉନ୍ମୁକ୍ତ ନୁହେ; ତାହା ମଧ୍ୟ ଆବରଣ ଦ୍ୱାରା ପ୍ରଚ୍ଛନ୍ନ । କିନ୍ତୁ ପାର୍ଥକ୍ୟ ହେଉଛି, ସେ ଆବରଣ ଜୀର୍ଣ୍ଣ ନୁହେ, ବରଂ ସମୁଜ୍ଜ୍ୱଳ । ଏଥିପାଇଁ ସେଠାରେ ସତ୍ୟଦର୍ଶନ ହୁଏ ତ ଅଧିକ କଠିନ । ମଣିଷମୁକ୍ତର ଝାଲର ଥିବା ପରଦା ଦେଖି ଆମ ଚକ୍ଷୁ ହୁଏତ ଝଲସି ଉଠିପାରେ ଏବଂ ୟୁରୋପର ସର୍ବାପେକ୍ଷା, ମୂଲ୍ୟବାନ୍ ପଦାର୍ଥ ଭାବେ ତାକୁ ଆମେ ଆଶ୍ଚର୍ଯ୍ୟ ହୋଇ ଗ୍ରହଣ କରି ପାରୁ, କିନ୍ତୁ ସେହି ପରଦା ଅନ୍ତରାଳରେ ଥିବା ଦେବ ବିଗ୍ରହଙ୍କର କ୍ଷୀଣତମ ଦର୍ଶନ ସୁଦ୍ଧା ଲାଭ ନକରି ନିରାଶ ହୋଇ ଆମକୁ ଫେରିବାକୁ ପଡ଼ିବ ।
ସେହି ମଣିମୁକ୍ତା ଖଚିତ ପରଦା ହିଁ କେବଳ ସବୁକିଛି, ଏପରି ଏକ ଅଦ୍ଭୁତ ଅଶ୍ରଦ୍ଧା ନେଇ ଆମେ ଯଦି ୟୁରୋପ ଯାତ୍ରା କରୁ ତା’ହେଲେ ଆମର ଯାତ୍ରା ବିଫଳ ହେବା ସଙ୍ଗେ ବିରାଟ ଅପବ୍ୟୟରେ ପରିଣତ ହେବ ।
ୟୁରୋପୀୟ ସଭ୍ୟତା କେବଳ ବସ୍ତୁତାନ୍ତ୍ରିକ, ତାହା ମଧ୍ୟରେ ଆଧ୍ୟାତ୍ମିକତା ବୋଲି କିଛି ନାହିଁ; ଏ ଧରଣର ଏକ ଦୁହା ଆଜି ଚାରିଆଡ଼େ ପ୍ରଚଳିତ । ଏପରି ଜନଶ୍ରୁତି ପ୍ରଚାରଲାଭକଲେ ତାହାର ସତ୍ୟତା ପ୍ରମାଣର ଆବଶ୍ୟକତା ଆଉ ରହେ ନାହିଁ । କେତେଜଣ ଯାହା କହନ୍ତି ଅନ୍ୟମାନେ କେବଳ ତା’ର ପ୍ରତିଧ୍ୱନି କରନ୍ତି, ବହୁଲୋକଙ୍କ ଅନୁମୋଦନ ଲାଭ କରି ତାହା ଯୁକ୍ତିର ସ୍ଥାନ ଗ୍ରହଣ କରେ ।
ଆରମ୍ଭରୁ ଏ କଥାଏମେ ମନେରଖିବା ଉଚିତ ଯେ ମାନବ ସମାଜରେ ଯେଉଁଠି କିଛି ମଙ୍ଗଳ ଅଛି, ତା'ର ଅନ୍ତରାଳରେ ଆଧ୍ୟାତ୍ମିକ ଶକ୍ତି ବିଦ୍ୟମାନ । କାରଣ କଳ ଯେତେ ଶକ୍ତିଶାଳୀ ହେଉ ନ କାହିଁକି, ତଦ୍ୱାରା ସତ୍ୟ କେବେ ଲାଭ କରାଯାଇ ନ ପାରେ, କେବଳ ଆତ୍ମାହିଁ ତାକୁ ଲାଭ କରିବାକୁ ସମର୍ଥ । ୟୁରୋପରେ ଆମ୍ଭମାନେ ଯାହାକିଛି ଉନ୍ନତି ଦେଖୁଛି ତା ମୂଳରେ ନିଶ୍ଚିତ ଭାବେ ମାନବତାର ଶକ୍ତି ନିହିତ । ଏହା କେବେ ଜଡ଼ବସ୍ତୁର ସୃଷ୍ଟି ହୋଇ ନପାରେ । ଭୌତିକ ବସ୍ତୁର ବିକାଶରେ ମଧ୍ୟ ଆତ୍ମଶକ୍ତିର ପରିଚୟ ମିଳିଥାଏ ।
ଇଉରୋପ ତା’ର ମନବାତ୍ମାକୁ ପ୍ରକାଶ କରୁ ନାହିଁ, କେବଳ ଜଡ଼ବସ୍ତୁକୁ ସ୍ତୁପାକାର କରୁଅଛି, ଏ କଥା କହିବା ଯାହା, ବୃକ୍ଷ ତା’ର ଶୁଷ୍କପତ୍ର ଝଡ଼ାଇ ନିଜ ଜୀବନକୁ ପ୍ରକାଶ କରି ନଥାଏ, ଏ କଥା କହିବା ମଧ୍ୟ ଠିକ୍ ସେଇଆ । ବସ୍ତୁତଃ ବୃକ୍ଷର ପ୍ରବଳ ପ୍ରାଣଶକ୍ତି ହିଁ ପ୍ରଚୁର ପତ୍ର ବର୍ଷଣକରେ, ଶୁଷ୍କ ପତ୍ରସମୁହ ତା’ର ମୃତ୍ୟୁର ନିଦର୍ଶନ ନୁହେ । ଜୀବନ ହିଁ କେବଳ ପ୍ରତି ମୁହୂର୍ତ୍ତରେ ମରି ପାରେ-ମୃତ୍ୟୁର ବିରତି ହିଁ ପ୍ରକୃତ ମୃତ୍ୟୁର ପରିଚାୟକ ।
ଇଉରୋପରେ ମନୁଷ୍ୟ ନବ ନବ ପରୀକ୍ଷା ଓ ପରିବର୍ତ୍ତନ ବ୍ୟାପାରରେ ଅହରହ ନିଯୁକ୍ତ । ଯାହା ଆଜି ତା’ର ଗ୍ରହଣୀୟ, କାଲିକି ତାହା ବର୍ଜ୍ଜନୀୟ । ଚୁପ୍ ହୋଇ ଛିଡ଼ା ହେବ ତା’ ପକ୍ଷରେ ଅସମ୍ଭବ । ଅନେକ ଏହି ପରିବର୍ତ୍ତନଶୀଳତା ମଧ୍ୟରେ ଆଧ୍ୟାତ୍ମିକତାର ଅଭାବ ଲକ୍ଷ୍ୟ କରନ୍ତି ।
ବିଶ୍ୱ ଜଗତରେ ସକାଳ ପଦାର୍ଥ ମୃତ୍ୟୁ ଓ ପୁନର୍ଜ୍ଜନମର ପରିଧି ମଧ୍ୟରେ ଆବଦ୍ଧ । ତଥାପି ଆନନ୍ଦରୁ ଯେ ସକଳର ସୃଷ୍ଟି, ବିଶ୍ୱ ସମ୍ୱନ୍ଧରେ ଏହିକଥା ଆମର ଋଷିମାନେ ପୂର୍ବରୁ କହିଯାଇ ନାହାନ୍ତି କି ? ମୃତ୍ୟୁ ଉତ୍ସବର ମଧ୍ୟ ଦେଇ ଅମୃତ ନିରନ୍ତର ଆପଣାକୁ ପ୍ରକାଶ କରୁଛି । ବାହାରର ବସ୍ତୁକୁ ଆମ୍ଭେମାନେ ଭ୍ରମବଶତଃ ଚରମ ବୋଲି ଗ୍ରହଣ କଲେ ଆତ୍ମଦର୍ଶନ ହେବ ନାହିଁ କିମ୍ବା ଏହି ବର୍ହିବସ୍ତୁକୁ ଗ୍ରହଣ କରି ଆମେ ସୁଖୀ ପାରିବୁ ନାହିଁ । ଇଉରୋପରେ ମଧ୍ୟ ଆତ୍ମା ରହିଛି, ସେ ଆତ୍ମା ଶକ୍ତିହୀନ ନୁହେ । ଇଉରୋପର ସେହି ଆଧ୍ୟାତ୍ମିକତାକୁ ଆବିଷ୍କାର କଲେ ଆମେ ଏହାର ପ୍ରାଣ ସତ୍ୟ ଦର୍ଶନ କରି ପାରିବୁ । ସେହି ସତ୍ୟ କେବଳ ବସ୍ତୁ ନୁହେ, ବିଦ୍ୟା ନୁହେ, ଜୀବନର ଅବିମିଶ୍ର ଆନନ୍ଦ ମାତ୍ର ।
ମୁଁ ଯାହା କହିବାକୁ ଚେଷ୍ଟା କରୁଛି, ତାହା ସମ୍ପ୍ରତି ଘଟି ଯାଇଥିବା ଗୋଟିଏ ଘଟଣା ଦ୍ୱାରା ଉତ୍ତମରୂପେ ବୁଝାଇ ଦିଆଯାଇ ପାରେ । ଦୁଇ ହଜାର ଯାତ୍ରୀ ବହନ କରି ଏକ ଜାହାଜ ଅତଲାନ୍ତିକ ମହାସାଗର ଅତିକ୍ରମ କରୁଥିଲା । ଅର୍ଦ୍ଧରାତ୍ରରେ ଗୋଟିଏ ଭାସମାନ ହିମଶୈଳୀରେ ତାହା ଧକ୍କା ଲାଗିଲା । ଏହା ବୁଡ଼ିବାର ଉପକ୍ରମ କରିବାରୁ ଅଧିକାଂଶ ୟୁରୋପୀୟ ଓ ଆମେରିକାବାସୀ ଯାତ୍ରୀ ନିଜ ଜୀବନ ରକ୍ଷା ନିମନ୍ତେ ବ୍ୟାକୁଳତା ପ୍ରକାଶ ନ କରି ସ୍ତ୍ରୀଲୋକ ଓ ବାଲାକମାନଙ୍କ ଜୀବନ ରକ୍ଷା ପାଇଁ ଅକ୍ଲାନ୍ତ ଉଦ୍ୟମ କଲେ । ଏହି ଭୟାବହ ଦୁର୍ଘଟଣାରେ ୟୁରୋପର ବହିରାବରଣ ଅପସାରିତ ହେଲା, ଗୋଟିଏ ମୁହୂର୍ତ୍ତରେ ଆମ୍ଭେମାନେ ସେମାନଙ୍କର ଅନ୍ତରାତ୍ମାର ପରିଚୟ ଲାଭକଲୁ, ସେମାନେ କର୍ମର ପ୍ରଂଶସାରେ ଆମ ହୃଦୟ ଉଲ୍ଲସିତ ହେଲା ଏବଂ ଆମେ ସେମାନଙ୍କ ନିକଟରେ ନତମସ୍ତକ ହେଲୁ ।
ଏହି ଘଟଣାର ଅନତିକାଳ ପରେ ଆମର କେତେଜଣ ବନ୍ଧୁ ଢାକାରୁ ଷ୍ଟିମରରେ ଫେରୁଥିଲେ । ନଇଁ ମଝିରେ ଗୋଟିଏ ଲଞ୍ଚର ଆଘାତରେ ଆକସ୍ମିକଭାବେ ଏହି ନୌକଟି ଓଲଟି ପଡ଼ିଲା ଏବଂ ଏହାର ତିନି ଜଣ ଆରୋହୀ ପ୍ରାୟ ସଳିଳସମାଧୀ ଲାଭ କରିଥାନ୍ତେ । ଲଞ୍ଚରେ ଥିବା ପ୍ରତ୍ୟେକ ଲୋକ ନିକଟବର୍ତ୍ତୀ ନୌକାର ଆରୋହୀମାନଙ୍କୁ ଚିତ୍କାର କରି ଉଦ୍ଧାର ନିମନ୍ତେ ଡାକିଲେ, ମାତ୍ର ସେମାନେ କର୍ଣ୍ଣପାତ ନ କରି ଆଉ ଦ୍ୱିତୀୟବାର ନ ଚାହିଁ ଚାଲିଗଲେ । ଏହି ବିପନ୍ନମାନକୁ ଉଦ୍ଧାର କରିବା କାର୍ଯ୍ୟରେ ବିପଦର ଆଶଙ୍କା ନ ଥିଲା, ଅସୁବିଧା ମଧ୍ୟ ନ ଥିଲା, ତଥାପି ସେହି ମାଝିମାନେ ଭ୍ରୂକ୍ଷେପ ସୁଦ୍ଧା କଲେ ନାହିଁ ।
ଆଉ ଗୋଟିଏ ଦିନର ଘଟଣା ମାନେ ପଡୁଛି । ରାତିସାରା ପ୍ରବଳ ଝଡ଼ ହୋଇଥିଲା ଏବଂ ସକାଳବେଲା ବତାସର ବେଗ କମିଥିଲା । ମୋର ନୌକା ନଦୀ କୂଳରେ ଲଙ୍ଗର ପକାଇ ରହିଥିଲା । ହଠାତ୍ ମନେହେଲା ନଇଁ ମଝିରେ ଗୋଟିଏ ସ୍ତ୍ରୀ ଲୋକର ଦେହ ଯେପରି ଭାସି ଯାଉଛି କେବଳ ଜଳ ଉପରେ ତା’ର ଦୀର୍ଘ କେଶଗୁଛ ଦେଖାଯାଉଛି । ନିକଟରେ ଥିବା ଲୋକମାନଙ୍କୁ ମୁଁ ଡାକିଲି । ମୋର ଛୋଟ ଲାଇଫ୍ବୋଟ ନେଇ ସେଇ ସ୍ତ୍ରୀଲୋକଟିକୁ ଚଞ୍ଚଳ ଉଦ୍ଧାର କରି ଆଣିବାକୁ ଅନୁରୋଧ କଲି, କାଳେ ସ୍ତ୍ରୀଲୋକଟିର ଜୀବନ ହୁଏତ ଥାଇ ପାରେ । କେହି କିନ୍ତୁ ଟଳିଲେ ନାହିଁ । ତା’ ପରେ ଯେ ଉଦ୍ଧାର କରିବାକୁ ଯିବ ମୁଁ ତାଙ୍କୁ ପାଞ୍ଚ ଟଙ୍କା କରି ପୁରସ୍କାର ଦେବାକୁ କହିଲି । ସଙ୍ଗେ ସଙ୍ଗେ କେତେଜଣ ଲୋକ ଡଙ୍ଗା ନେଇ ବାହାରିଗଲେ ଓ ସେହି ସଜ୍ଞାହୀନ ସ୍ତ୍ରୀଲୋକଟିକୁ ଉଦ୍ଧାର କରି ଆଣିଲେ । କିଛି ସମୟ ପରେ ସେ ଚେତନା ଲାଭକଲା । ପୁରସ୍କାର ନ ଦେଖାଇଥିଲେ ସ୍ତ୍ରୀଲୋକଟିର ଜୀବନ ନଷ୍ଟ ହୋଇଥାନ୍ତା ।
ଆଉ ଦିନେ ମୁଁ ଗୋଟିଏ ବିସ୍ତୃତ ଓ ଅଗଭୀର ଜଳପୂର୍ଣ୍ଣ ପାଟି ନୌକାରେ ଅତିକ୍ରମ କରୁଥିଲି । ଏହି ଜଳଭାଗ ଯେଉଁଠି ନଦୀରେ ଆସି ମିଶିଛି, କେଉଁଟମାନେ ବଡ଼ ବଡ଼ ଖୁଣ୍ଟ ପୋତି ଜଳର ନିର୍ଗମପଥକୁ ସଂକୀର୍ଣ୍ଣ କରି ଦେଇଥାନ୍ତି । ଏହାଦ୍ୱାରା ମାଛ ଧରିବା ସେମାନଙ୍କ ପକ୍ଷରେ ସୁବିଧାଜନକ ହୁଏ କିନ୍ତୁ ଜଳସ୍ରୋତ ଅତ୍ୟନ୍ତ ପ୍ରବଳ ଓ ଭୟପ୍ରଦ ହୁଏ । ଏହିପରି ସ୍ଥାନରେ ଅନେକ ନୌକା ବିପନ୍ନ ହେବାର ମୁଁ ଦେଖିଛି, ଖୁଣ୍ଟ ମଝିରେ ଥିବା ଏହି ସଂକୀର୍ଣ୍ଣ ପଥ ପାରିହେବା ସମୟରେ ମୋର ନୌକା ଏକ ସଂକଟଜନକ ସ୍ଥାନରେ ଅଟକିଗଲା । ସାମାନ୍ୟ କେତେଗଜ ଦୂରରେ କେଉଁଟମାନେ ମାଛ ଧରୁଥିଲେ । କିନ୍ତୁ ସାହାଯ୍ୟ ପାଇଁ ଆମର ଅନୁରୋଧ ସେମାନେ ଶୁଣିଲେ ନାହିଁ । ଆମର ମାଝିମାନେ ପୁରସ୍କାର ଘୋଷଣା କଲେ କିନ୍ତୁ କେଉଟମାନେ ପୁରସ୍କାରର ପରିମାଣ ବଢ଼ାଇବା ପ୍ରତ୍ୟାଶାରେ ବଧିରତାର ଛଳନା କଲେ । ଅଥଚ ସେମାନଙ୍କର କୃତକର୍ମ ହିଁ ଆମ ବିପଦର କାରଣ । ଯେତେବେଳେ ପୁରାସ୍କାରର ପରିମାଣ ବେଶ୍ ମୋଟା ଅଙ୍କରେ ପହଞ୍ଚିଲା, ସେହି କେଉଟମାନଙ୍କର ଶ୍ରବଣଶକ୍ତି ହଠାତ ଫେରି ଆସିଲା ।
ତୁମ୍ଭମାନଙ୍କର ମନେଥିବ ଯେ, କିଛିକାଳ ପୂର୍ବେ ବୋଲପୁର ବଜାରରେ ଗୋଟିଏ ଦୋକାନରେ ନିଆଁ ଲାଗିବା ବେଳେ ଚାରି ଜଣ ଅ ବିଦେଶୀ କାବୁଲି ନିଆଁ ଲାଗିବା ବେଳେ ଚାରି ଜଣ ବିଦେଶୀ କାବୁଲି ନିଆଁ ଲିଭାଇଲା କାର୍ଯ୍ୟରେ ତୁମ୍ଭମାନଙ୍କୁ ସାହାଯ୍ୟ କରିଥିଲେ । କିନ୍ତୁ ପଡ଼ୋଶୀ ଲୋକମାନଙ୍କଠାରୁ କୌଣସି ସାହାଯ୍ୟ ମିଳି ନ ଥିଲା । ବସ୍ତୁତଃ ସେମାନେ ତାଙ୍କର ଜଳପାତ୍ର ମଧ୍ୟ ତୁମକୁ ଦେବାକୁ ମନା କରିଥିଲେ, କାରଣ କାବୁଲିମାନେ ଛୁଇଁଲେ ସେଗୁଡ଼ିକ ଅପବିତ୍ର ହୋଇ ନଷ୍ଟ ହେବ ।
ଆମ୍ଭେମାନେ ଚାରିଆଡ଼େ ସର୍ବଦା ଏହି ଆତ୍ମତ୍ୟାଗର କାର୍ପଣ୍ୟ ଦେଖୁଛୁଁ । ବହୁଳ ଦୃଷ୍ଟାନ୍ତ ଦେଇ ତାହା ପ୍ରମାଣ କରିବା ଅନାବଶ୍ୟକ । ଆତ୍ମସମର୍ଥନ ପାଇଁ ଆମେ ଯାହା କହୁ ନା କାହିଁକି ଅନ୍ତତଃ ମନେ ମନେ ଚରିତ୍ରର ଏହି ଶୋଚନୀୟ ଦୈନ୍ୟ ସ୍ୱୀକାର କରିବା ଛଡ଼ା ଆମର ଗତ୍ୟନ୍ତର ନାହିଁ ।
ଆତ୍ମତ୍ୟାଗ ସହିତ ଆଧ୍ୟାତ୍ମିକତାର କଣ କୌଣସି ଯୋଗସୂତ୍ର ନାହିଁ ? କେବଳ ଜନସଂଗ ବର୍ଜ୍ଜନ କରି ବିଚ୍ଛିନ୍ନତା ମଧ୍ୟରେ ଶୁଚିବନ୍ତ ହୋଇ ଈଶ୍ୱରଙ୍କ ନାମ ଜପ କରିବା କଣ ଆଧ୍ୟାତ୍ମିକତା ? ଆଧ୍ୟାତ୍ମିକ ଶକ୍ତି କଣ ମନୁଷ୍ୟକୁ ସାହାସ ଦାନ କରେ ନାହିଁ ।
ଟିଟାନିକ ଜାହାଜ ବୁଡ଼ିବା ଘଟଣାରେ ଆମ୍ଭେମାନେ ଗୋଟିଏ ମୁହୂର୍ତ୍ତରେ ବହୁ ମନୁଷ୍ୟକୁ ମୃତ୍ୟୁ ସମ୍ମୁଖରେ ଉଜ୍ଜ୍ୱଳ ଆଲୋକସ୍ନାତ ହୋଇ ଛିଡ଼ା ହେବାର ଲକ୍ଷ୍ୟ କରୁ । ଏହି ଘଟଣା କୌଣସି ଜଣେ ମାତ୍ର ମନୁଷ୍ୟର ଅସାମାନ୍ୟ ବୁଦ୍ଧି ବୃତ୍ତିର ପ୍ରକାଶକ ମଧ୍ୟ ନୁହେ । ସର୍ବାପେକ୍ଷା ଆଶ୍ଚର୍ଯ୍ୟର ବିଷୟ, ବିଳାସର ପାଚୁର୍ଯ୍ୟରେ ଲାଳିତ, ଆତ୍ମାଶ୍ଲାଘାପୂର୍ଣ୍ଣ ଶ୍ରେଣୀ ପ୍ରାଧାନ୍ୟର ଅହମିକା ମଧ୍ୟରେ ପରିପୁଷ୍ଟ ଧନୀବ୍ୟକ୍ତିମାନେହିଁ ଦୁର୍ବଳ ଓ ଅକ୍ଷୟଙ୍କୁ ବଞ୍ଚିବାର ପଥ ଛାଡ଼ି ଦେଇ ସ୍ୱେଚ୍ଛାକୃତ ଭାବରେ ମୃତ୍ୟୁ ବରଣ କଲେ ।
ଆକସ୍ମିକ ବିପତ୍ତିରେ ମନୁଷ୍ୟର ଆଦିମପ୍ରବୃତ୍ତି ସଭ୍ୟ ସମାଜର ଶୃଙ୍ଖଳା ଛିନ୍ନ କରି ପ୍ରକାଶିତ ହେବାକୁ ଚାହେଁ । ଭାବିବାଲାଗି ବେଳ ପାଇଲେ ଆତ୍ମସମ୍ୱରଣର ସମ୍ଭାବନା ଥାଏ । ଟିଟାନିକ ଜାହାଜରେ ସେହି ଅନ୍ଧକାର ଛିନ୍ନ ରାତ୍ରିରେ କେହିବା ଗଭୀର ନିଦ୍ରାରେ ଶାୟିତ କେହିବା ଆମୋଦପ୍ରମୋଦରେ ରତ ଥିଲେ । କିନ୍ତୁ ହଠାତ ରୁକ୍ଷ ଭାବରେ ନିଦ୍ରୌତ୍ଥିତ ହୋଇ ସମ୍ମୁଖରେ ଆଘାତ ମୃତ୍ୟୁର କୃଷ୍ଣମୂର୍ତ୍ତି ସେମାନେ ଦେଖିବାକୁ ପାଇଲେ । ତଥାପି ଏହି ନିଦାରୁଣ ଆତଙ୍କ ସେମାନଙ୍କୁ ପାଗଳ କରି ନଥିଲା । ନିଜ ଜୀବନ ରକ୍ଷା ନିମନ୍ତେ ସେମାନେ ପ୍ରୟାସ କରି ନ ଥିଲେ । ନିଜ ଜୀବନ ରକ୍ଷା ନିମନ୍ତେ ସେମାନେ ପ୍ରୟାସ କରି ନ ଥିଲେ । ଏହି ଭାବରେ ପ୍ରକଟିତ ବୀରତ୍ୱ, ଆକସ୍ମିକ ଘଟଣା କିମ୍ବା ବ୍ୟକ୍ତିଗତ ସୁଗୁଣ ନୁହେ, ଏହା ଦୀର୍ଘକାଳର ସାଧନା ଓ ଆତ୍ମସଂଯମ ବଳରେ ଲବ୍ଧ ସମସ୍ତ ଜାତିର ଏକ ବିଶେଷ ଗୁଣର ନାଟକୀୟ ରୂପ । ଏହା ଉପରେ ମନୁଷ୍ୟର ଆଧ୍ୟାତ୍ମିକ ଶକ୍ତିର ବିଜୟ ।
ଏହି ଜାହାଜବୁଡ଼ା ଘଟଣାରେ ନିବିଡ଼ ଭାବେ ପ୍ରକାଶିତ ସେଇ ଆଧ୍ୟାତ୍ମିକ ଶକ୍ତି ନାନା ଆକାରରେ ନାନା ବିଭାବରେ, ପାଶ୍ଚତ୍ୟ ଭୂଖଣ୍ଡର ଜୀବନରେ କଣ ପରିଦୃଷ୍ଟ ନୁହେ ? ଦେଶହିତ ଓ ଲୋକହିତ ନିମନ୍ତେ ସର୍ବସ୍ୱ ତ୍ୟାଗ ଓ ଆତ୍ମବିସର୍ଜନର ଅଗଣିତ ଦୃଷ୍ଟାନ୍ତ ସେଠାରେ ରହିଛି, ସେହି ଅଜସ୍ର ସଞ୍ଚିତ ପୁଞ୍ଜୀଭୂତ ତ୍ୟାଗର ଫଳ ମଧ୍ୟରୁ ହିଁ ୟୁରୋପୀୟ ସଭ୍ୟତା, ସମୁଦ୍ର ମଧ୍ୟରେ ପ୍ରବାଳ ଦ୍ୱୀପର ସୃଷ୍ଟି ହେଲାଭଳି ଜନ୍ମଲାଭ କରିଛି ।
ଦୁଃଖର ଭିତ୍ତି ଉପରେ ପ୍ରତିଷ୍ଠିତ ନ ହେଲେ କୌଣସି ସମାଜ ଯଥାର୍ଥ ଉନ୍ନତିଲାଭ କରି ପାରେ ନାହିଁ । କିନ୍ତୁ ଏହି ଦୁଃଖ ସହ୍ୟ କରିବାର ଶକ୍ତି ଜଡ଼ବାଦୀର ନାହିଁ । ଵସ୍ତୁ ମଧ୍ୟରେ ଚରମ ଆନନ୍ଦ ପାଉଥିବା ବ୍ୟକ୍ତି ବସ୍ତୁକୁ ବା କାହିଁକି ତ୍ୟାଗ କରିବ ? ଶାସ୍ତ୍ରବିହିତ ପୁଣ୍ୟକୁ ମନୁଷ୍ୟ ଇହଲୋକର ବିଷୟ ସମ୍ପତ୍ତି ତୁଲ୍ୟ ହିତକର ବୋଲି ଜାଣେ, ସେହି ସ୍ୱାର୍ଥପର ପୁଣ୍ୟଲାଗି ସେ ଦୁଃଖ ସ୍ୱୀକାର କରି ପାରେ, କିନ୍ତୁ ଯେଉଁ ପୁଣ୍ୟ ହୃଦୟରେ ସ୍ୱାଧୀନ ପ୍ରରୋଚନା ମାତ୍ର, କେବଳ ତାରି ସକାଶେ ଜଡ଼ବସ୍ତୁର କୌଣସି ଉପାସକ ନିଜ ଜୀବନ ଦେବାକୁ ଇଚ୍ଛା କରି ନ ଥାଏ ।
ୟୁରୋପରେ ଦେଶ ପାଇଁ, ମନୁଷ୍ୟ ସମାଜ ପାଇଁ, ପ୍ରେମ ଓ ଜ୍ଞାନର ପ୍ରସାର ପାଇଁ ହୃଦୟର ସ୍ୱାଧୀନ ଆବେଗର ବଶବର୍ତ୍ତୀ ହୋଇ ଦୁଃଖ ଓ ମୃତ୍ୟୁ ବରଣ କରିବାର ପ୍ରବଳ ଆଗ୍ରହର ଦୃଷ୍ଟାନ୍ତ ଆମ୍ଭେମାନେ ପ୍ରତିଦିନ ଦେଖିବାକୁ ପାଉଁ । ଏହା ମଧ୍ୟରେ ସମସ୍ତ ଅକୃତିମ ନୁହେ, ଅନେକଟା ହୁଏତ ବାହାଦୁରୀ । କିନ୍ତୁ ତାହା ବୋଲି ଅସଲ ପଦାର୍ଥର ମହତ୍ତ୍ୱକୁ ଖର୍ବ କରିବା ଉଚିତ ନୁହେ । କୌଣସି କୌଣସି ରାତ୍ରିରେ ଚନ୍ଦ୍ରଙ୍କ ଚାରିଦିଗରେ ଜ୍ୟୋତିର ଏକ ମଣ୍ଡଳ ଦେଖାଯାଏ । ଆମ୍ଭେମାନେ ଜାଣୁ, ତାହା ଚନ୍ଦ୍ର ନୁହେ, ମିଥ୍ୟା ଛାୟା, ତାହା, ମିଥ୍ୟା । ଯାହା ହେଉ, ସେହି ଛାୟା ଚନ୍ଦ୍ର ଚାରି ପାଖରେ ନିଶ୍ଚୟ ରହିବ । ପ୍ରତ୍ୟେକ ସମାଜରେ ବାସ୍ତବ ଆଲୋକର ଚାରିପାଖରେ ପ୍ରତିଫଳିତ ଗୌରବ ରହିଥାଏ । କିନ୍ତୁ ସେହି ନକଲ ବସ୍ତୁ ଅସଲର ପ୍ରତିବାଦ କରେ ନାହିଁ ବରଂ ଅସଲ ପଦାର୍ଥର ଅସ୍ତିତ୍ୱ ପ୍ରମାଣ କରେ ।
ପାଶ୍ଚାତ୍ୟର ଅସାମାନ୍ୟ ଲୋକଙ୍କ ସମ୍ବନ୍ଧରେ ଆମେ ପୁସ୍ତକାଦିରେ ପଢ଼ିଛୁଁ, ସେମାନଙ୍କୁ ନିକଟରେ ଦେଖିନାହୁଁ । ଯେଉଁ କେତେଜଣଙ୍କୁ ଆମେ ଦେଖିଛୁଁ, ୟୁରୋପର ଜୋତିଷ୍କମଣ୍ଡଳୀ ମଧ୍ୟରେ ସେମାନଙ୍କ ସ୍ଥାନ ନାହିଁ । ଅନେକ ଦିନ ତଳେ ସୁଇଡେନ୍ର ଜଣେ ବ୍ୟକ୍ତିଙ୍କୁ ଆମେ ଦେଖିଥିଲୁଁ, ତାଙ୍କର ନାମ ହାମାରଗ୍ରେନ୍ । ସେ ରାମମୋହନ ରାୟଙ୍କ ସମ୍ବନ୍ଧରେ କିଛି ପଢ଼ିବାର ସୁଯୋଗ ପାଇଥିଲେ, ଫଳରେ ତାଙ୍କର ମନରେ ଭାରତ ପ୍ରତି ଏକ ଗଭୀର ଅନୁରକ୍ତି ଜାତ ହୋଇଥିଲା । ତାଙ୍କର ସମ୍ୱଳଜନିତ ଅଭାବର ବାଧା ଲଙ୍ଘନ କରି ସେ ଏ ଦେଶକୁ ଆସିଥିଲେ । ଏଠାକାର ଭାଷା ତାଙ୍କୁ ଜଣା ନ ଥିଲା, ତଥାପି ସେ ଜଣେ ବଙ୍ଗାଳୀଙ୍କ ଘରେ ଆଶ୍ରୟ ଗ୍ରହଣ କରି ରାମ ମୋହନ ରାୟଙ୍କ ଦେଶକୁ ଆପଣାର କରିନେଲେ । ସେ ଅଳ୍ପକାଳ ବଞ୍ଚିଥିଲେ, ତଥାପି ଦୁଃସହ କଷ୍ଟ ସହ୍ୟ କରି ନିଷ୍ଠା ଓ ଅଧ୍ୟବସାୟ ସହକାରେ ସେ ଯେପରି ଏ ଦେଶର ହିତ ସାଧନ କରିଥିଲେ, ତାଙ୍କୁ ଜାଣିଥିବା ଲୋକେ ତାହା କେବେ ଭୁଲିବେ ନାହିଁ । ତଥାପି ନିମତୋଳା ଘାଟରେ ତାଙ୍କର ଶବ ଯେତେବେଳେ ସଂସ୍କାର କରାଗଲା ଆମର ଏକ ସାପ୍ତାହିକ ପତ୍ରିକା ହିନ୍ଦୁ ଶ୍ମଶାନ କଳୁଷିତ ହେଲା କ୍ଷୋଭ ପ୍ରକାଶ କରିଥିଲା ।
ଭଗିନୀ ନିବେଦିତା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତି ଭକ୍ତିପ୍ରଣୋଦିତା ହୋଇ ଅଦ୍ଭୁତ ଆତ୍ମତ୍ୟାଗ ଦ୍ୱାରା ଭାରତବର୍ଷ ନିକଟରେ ଯେପରି ନିଜକୁ ଉତ୍ସର୍ଗ କରିଥିଲେ ତାହା ସମସ୍ତଙ୍କର ସୁବିଦିତ ।
ଏହି ଦୃଷ୍ଟାନ୍ତ ଦୁଇଟିରୁ ଆମେ ଦେଖୁ, ଦୁଇଜଣ ମହତ ଲୋକ ଯେପରି ସ୍ଥାନ ଓ ଅବସ୍ଥା ମଧ୍ୟରେ ଆତ୍ମଦାନ କରିଛନ୍ତି ସେଥିରେ ସେମାନଙ୍କ ସମ୍ମୁଖରେ ତାଙ୍କ ଜୀବନ ଓ ଅନୁଭୂତିର ପୂର୍ବ ଅଭ୍ୟସ୍ତ ସହଜ ପଥ ନ ଥିଲା । ସେମାନେ ସମ୍ମୁଖୀନ ହୋଇଥିବା ପରିବେଶର ସମସ୍ତ ଉପାଦାନ ତାଙ୍କ ହୃଦୟ ମନର ଆଜନ୍ମ ସଂସ୍କାରର ପୂର୍ଣ୍ଣ ବିରୋଧୀ ଥିଲା । ସେମାନେ କେବଳ ଆତ୍ମୋତ୍ସର୍ଗ କରି ନ ଥିଲେ, ପଦେ ପଦେ ଆତ୍ମୋତ୍ସର୍ଗର ସ୍ୱକୀୟ ପଥ ସେମାନଙ୍କୁ ଖନନ କରିବାକୁ ପଡ଼ିଥିଲା, କାରଣ ସକଳ ପରିଚିତ ପଥ ସେମାନଙ୍କର ପ୍ରବେଶ ନିମନ୍ତେ ନିଷିଦ୍ଧ ଥିଲା ।
ଏହି ଆଦର୍ଶ ଏବଂ ଏଥି ନିମନ୍ତେ ନିଜକୁ ଆକୁଣ୍ଠିତ ଭାବରେ ଦାନ କରିବାର ସାମର୍ଥ୍ୟ ସେମାନେ ନିଜର ଜତୀୟ ଚରିତ୍ରରୁ ନିଃସନ୍ଦେହ ଭାବରେ ଗ୍ରହଣ କରିଥିଲେ । ଏହି ଆଶ୍ଚର୍ଯ୍ୟକର ଶକ୍ତି ବସ୍ତୁ ଉପାସନାର ପରମ୍ପରା ମଧ୍ୟରୁ କ'ଣ କେବେହେଲେ କେହି ଲାଭ କରି ପାରେ ? ଏହା କ'ଣ ଯଥାର୍ଥ ଆଧ୍ୟାତ୍ମିକ ଶକ୍ତି ନୁହେ ? ଆମ ଦେଶରେ ଯଥେଷ୍ଟ ପରିମାଣରେ ଦେଖିବାକୁ ମିଳେ-?
ତଥାପି ଆମ ଦେଶରେ ଯେ ଆଧ୍ୟାତ୍ମିକତା ନାହିଁ, ଏହା ମୁଁ କେବେ କହୁ ନାହିଁ । ଏଠାରେ ମଧ୍ୟ ଆଧ୍ୟାତ୍ମିକତାର ଏକ ବିଭବ ସ୍ପଷ୍ଟଭାବେ ପ୍ରକାଶିତ । ଆମ ଦେଶର ପ୍ରକୃତ ସାଧକ କେହି ବା ଜ୍ଞାନ-ଚକ୍ଷୁ ଦ୍ୱାରା କେହି ବା ଭକ୍ତିର ଅନୁଭବ ଦ୍ୱାରା ଅଖଣ୍ଡ ସ୍ୱରୂପକୁ ସମସ୍ତ ଖଣ୍ଡ ପଦାର୍ଥ ମଧ୍ୟରେ ସହଜରେ ଉପଲବ୍ଧି କରିବାକୁ ସମର୍ଥ । ଏହି ଶକ୍ତିର ଅନ୍ତରାଳରେ ବହୁ ଶତାବ୍ଦୀର ଦୃଢ଼ ଭାବନା ଓ ଏକନିଷ୍ଠ ସାଧନା ବିଦ୍ୟମାନ । ଏହି କାରଣରୁ ଏ ଦେଶର ସାଧୁ ପୁରୁଷମାନେ ନିଜ ହୃଦୟଧାମରେ ଅନନ୍ତ ସହିତ ସହଜରେ ସଂଯୋଗ ସ୍ଥାପନ କରିବାକୁ ସମର୍ଥ ।
ଆମ ଜାତୀୟ ଚରିତ୍ରର ଏହି ଶକ୍ତିର ଅନ୍ୱେଷଣରେ କୌଣସି ବିଦେଶୀ ଶ୍ରଦ୍ଧାନ୍ୱିତ ହୋଇ ଆମ ଦେଶକୁ ଆସିଲେ ନିଶ୍ଚୟ ସେ ନିଜ ଇପ୍ସିତ ବସ୍ତୁର ସନ୍ଧାନ ଲାଭ କରିପାରିବେ ଏବଂ ଫଳରେ ତାଙ୍କ ନିଜ ପ୍ରକୃତିର ଏକ ଅଭାବ ପୂରଣ ହୋଇ ପାରିବ । ଆମ ଭିତରେ ମଧ୍ୟ ପୂରଣ ହେବା ନିମନ୍ତେ ସମାନ ଅଭାବ ରହିଛି । ସେହି ଅଭାବହିଁ ବହୁ କାଳରୁ ଆମର ଅଶେଷ ଦୁର୍ବଳତା ଓ ଅବସାଦର କାରଣ ।
ଏ କଥା ଶୁଣିଲେ ଆମ ପରମ୍ପରାଭିମାନୀ ବ୍ୟକ୍ତିମାନେ ତୀବ୍ର ଭାବରେ ଉତ୍ତର ଦେଇ କହିବେ, ଆମର ଅଭାବ ଆଧ୍ୟାତ୍ମିକତାର ନୁହେ, ଇଉରୋପ ଯେଉଁ ଵାସ୍ତୁଜ୍ଞାନ, ବିଷୟ ବୁଦ୍ଧି ବଳରେ ସମଗ୍ର ପୃଥିବୀରେ ପ୍ରାଧାନ୍ୟ ବିସ୍ତାର କରିଛି, ତାହା ହିଁ ଆମର ଅଭାବ ।
କିନ୍ତୁ କେବଳ ଜଡ଼ବସ୍ତୁ ସଞ୍ଚୟ ଦ୍ୱାରା କୌଣସି ଜାତି କେବେ ଉନ୍ନତି ଲାଭ କରିନାହିଁ କିମ୍ବା ବିଷୟ ବୁଦ୍ଧି ହେତୁ ଶକ୍ତିର ଅଧିକାରୀ ହୋଇ ନାହିଁ । ପ୍ରଦୀପରେ ଅଜସ୍ର ତେଲ ଢାଳିଲେ କିମ୍ବା ନୈପୁଣ୍ୟ ସହକାରେ ସଳିତା ତିଆରି କଲେ ଦୀପ ଜଳେ ନାହିଁ, କୌଣସି ପ୍ରକାରେ ପ୍ରଦୀପରେ ଅଗ୍ନି ସଂଯୋଗ କରିବା ଆବଶ୍ୟକ ।
ଇଉରୋପ ନିଜର ଜଡ଼ବାଦୀ ଶକ୍ତି ବଳରେ ସମଗ୍ର ଜଗତକୁ ଯେ ଶାସନ କରୁଛି, ଏହା ଅଵିଶ୍ୱାସୀ ନାସ୍ତିକ କେବଳ କହିପାରେ । ଏହା ଶାସନର ମୂଳଶକ୍ତି ପ୍ରକୃତରେ ଧର୍ମବଳ, ତାହା ଛଡ଼ା ଅନ୍ୟ କିଛି ସେହି ଶକ୍ତିର କାରଣ ହୋଇ ନ ପାରେ ।
ବୌଦ୍ଧଧର୍ମ ଯେ ବିଷୟାଶକ୍ତିର ଧର୍ମ ନୁହେ, ଏହା ସମସ୍ତେ ସ୍ୱୀକାର କରିବେ । ଅଥଚ ବୌଦ୍ଧଧର୍ମର ଅଭ୍ୟୁଦୟ ଓ ପ୍ରାଧାନ୍ୟ କାଳରେ ବୌଦ୍ଧସଭ୍ୟତା ପ୍ରଭାବରେ ବିଜ୍ଞାନ, ଶିଳ୍ପ ଓ ସାମ୍ରାଜ୍ୟ ଶକ୍ତିର ଯେପରି ବିକାଶ ଘଟିଥିଲା, ଆମ ଦେଶର ଇତିହାସରେ ଅନ୍ୟ କୌଣସି କାଳରେ ସେପରି ଘଟି ନାହିଁ । ତାହାର କାରଣ ମନୁଷ୍ୟର ଆତ୍ମା ଯେତେବେଳେ ଜଡ଼ତ୍ୱର ନିଶ୍ଚଳତା ମଧ୍ୟରୁ ମୁକ୍ତ ହୁଏ ତାହାର ଶକ୍ତିର ପ୍ରସାର ଘଟେ ଏବଂ ପୂର୍ଣ୍ଣ ବିକାଶ ଦିଗରେ ସେ ଉଦ୍ୟତ ହୁଏ । ଆଧ୍ୟାତ୍ମିକତାହିଁ ମନୁଷ୍ୟର ସକଳ ଶକ୍ତିର କେନ୍ଦ୍ର । ପରିପୂର୍ଣ୍ଣତା ହିଁ ଏହାର ସ୍ୱଭାଵ । ଅନ୍ତରରେ ହେଉ ବା ବାହାରେ ହେଉ ମନୁଷ୍ୟର ବିକାଶକୁ ଖର୍ବ କରି ଏହା କେବେ ନିଜକୁ ପରାହତ କରିବାକୁ ଚାହେ ନାହିଁ ।
ଇଉରୋପର ଶକ୍ତିର ବାହ୍ୟରୂପ ଯାହା ହେଉନା କାହିଁକି ତାହାର ଅନ୍ତର ରୂପ ଯେ ଧର୍ମବଳ, ଏଥିରେ ମୋର ସନ୍ଦେହ ନାହିଁ ।
ଏହି ଧର୍ମବଳ ଏକ ସଚେତନ ଶକ୍ତି । ଏହା ମନୁଷ୍ୟର କୌଣସି ଦୁଃଖ, କୌଣସି ଅଭାବ ପ୍ରତି ଅବହେଳା ପ୍ରଦର୍ଶନ କରି ନ ପାରେ । ମନୁଷ୍ୟର ସକଳପ୍ରକାର ଦୁର୍ଗତି ମୋଚନ କରିବା ନିମନ୍ତେ ଏହା ସର୍ବଦା ଦୁଃସାଧ୍ୟ ଚେଷ୍ଟାରେ ନିଯୁକ୍ତ । ଏହା ଉଦ୍ୟମର ପଶ୍ଚାତରେ ଏକ ସକ୍ରିୟ ଶୁଭବୁଦ୍ଧି ନିହିତ । ଏହି ଶୁଭବୁଦ୍ଧି ମନୁଷ୍ୟକୁ ତାହାର ଆରାମଦାୟକ ଶଯ୍ୟାରୁ ଟାଣିଆଣି ସ୍ୱାର୍ଥତ୍ୟାଗମୂଳକ କର୍ମାସାଧନରେ ଉଦ୍ବୁଦ୍ଧ କରେ ଏବଂ ମୃତ୍ୟୁର ଆହ୍ୱାନ ଶୁଣିବାକୁ ମଧ୍ୟ ପ୍ରେରଣା ଦିଏ । ଏହି ଉଦାର ମଙ୍ଗଳ କାମନାକୁ ସତେଜ କରୁଛି କିଏ ? ଏହା ସେହି ଅମର ଆତ୍ମା ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ ।
ଖ୍ରୀଷ୍ଟଙ୍କର ଜୀବନ ବୃକ୍ଷରୁ ଏକ ଧର୍ମବୀଜ ଇଉରୋପର ଚିତ୍ତକ୍ଷେତ୍ରରେ ପ୍ରବେଶ କରି ପ୍ରଚୁର ଫଳୋତ୍ପାଦନରେ ସମର୍ଥ ହୋଇଛି । ସେହି ବୀଜ ମଧ୍ୟରେ କି ଜୀବନୀ ଶକ୍ତି ନିହିତ ? ତାହା ହେଉଛି ଦୁଃଖକୁ ପରମ ବଳଭାବରେ ଗ୍ରହଣ କରିବାର ସାମର୍ଥ୍ୟ ।
ସ୍ୱର୍ଗୀୟ କରୁଣା ମନୁଷ୍ୟର ସକଳ ଦୁଃଖକୁ ଆପଣାର କରିନିଏ, ଏହି ବାଣୀ ବହୁଶତ ବର୍ଷ ହେଲା ନାନା ସଙ୍ଗୀତ, ପ୍ରାର୍ଥନା ଓ ଅନୁଷ୍ଠାନ ପଦ୍ଧତି ମଧ୍ୟରେ ଇଉରୋପ ଶୁଣି ଆସିଛି । ଯୁଗ ଯୁଗ ଧରି ଏହି ଧାରଣା ଇଉରୋପ-ଚିତ୍ତରେ ମର୍ମ ସ୍ଥାନରେ ପ୍ରବେଶ କରି ଅତି ଚେତନାର ଯେଉଁ ଗୋପନ ଗଭୀରତା ମଧ୍ୟରେ ମନୁଷ୍ୟର ସକାଳ ଉଦ୍ୟମର ବୀଜ ନିହିତ ଏବଂ ଏଇଶ୍ୱର୍ଯ୍ୟର ଭିତ୍ତି ସ୍ଥାପିତ, ସେଠାରେ ସ୍ଥାନ ଅଧିକାର କରି ବସିଛି ।
ସେହି କାରଣରୁ ଇଉରୋପର ଯେଉଁ ଲୋକମାନେ ମୁହଁରେ ଖ୍ରିଷ୍ଟଧର୍ମ ଅସ୍ୱୀକାର କରି ଜଡ଼ବାଦର ପ୍ରଶଂସା ଗାନ କରିଛନ୍ତି । ସେହିମାନେ ହିଁ ସମୟ ଉପସ୍ଥିତ ହେଲେ ଅକପଟ ଚିତ୍ତରେ ଆତ୍ମୋତ୍ସର୍ଗ ନିମନ୍ତେ ଅଗ୍ରସର ହୁଅନ୍ତି ଏବଂ ସକାଳ ଦୁଃଖ ଓ ବିଦ୍ରୁପକୁ ବୀରତ୍ୱ ସହକାରେ ସହ୍ୟ କରନ୍ତି । ଏହାର ବହୁଳ ଦୃଷ୍ଟାନ୍ତ ଆମ୍ଭେମାନେ ଇଉରୋପରେ ସର୍ବଦା ଦେଖିବାକୁ ପାଉଁ । ଅଜ୍ଞାତସାରରେ ସୁଦ୍ଧା ମୃତ୍ୟୁ ଉପରେ ଅମୃତର ମହତ୍ତ୍ୱ ସେମାନେ ସ୍ୱୀକାର କରନ୍ତି, ବ୍ୟକ୍ତିଗତ ସୁଖ ଅପେକ୍ଷା ସାମୁହିକ ମଙ୍ଗଳକୁ ଉଚ୍ଚ ସ୍ଥାନ ଦିଅନ୍ତି ।
ଟିଟାନିକ ଜାହାଜରେ ଯେଉଁମାନେ ନିଜ ବିପଦକୁ ଅଵଜ୍ଞା କରି ଅପରର ପ୍ରାଣ ରକ୍ଷା କଲେ ସେମାନେ ନୈଷ୍ଠିକ ଖ୍ରୀଷ୍ଟିୟାନ ନୁହନ୍ତି । ସେମାନଙ୍କ ମଧ୍ୟରେ ସମ୍ଭବତଃ ଅନେକେ ନିରୀଶ୍ୱରବାଦୀ ବା ଅତି ପ୍ରାକୃତବାଦରେ ଅଵିଶ୍ୱାସୀ । କିନ୍ତୁ କେବଳ ମାତ୍ର ମତାନ୍ତର ଗ୍ରହଣ ଦ୍ୱାରା ନିଜ ଧର୍ମ ସାଧନାର ପରମ୍ପରାରୁ ସେମାନେ ନିଜକୁ ବିଛିନ୍ନ କଲେ କିପରି ? କୌଣସି ମହତ ଉଦ୍ଦେଶ୍ୟ ନିମନ୍ତେ ଜୀବନୋତ୍ସର୍ଗ କରିଥିବା ବ୍ୟକ୍ତି ସମଗ୍ର ମାନବ ସମାଜ ନିମନ୍ତେ ଏକାକୀ ଭାବେ ସାଧନା କରିଥାନ୍ତି । ମୁଢ଼ତାବଶତଃ ଅସଂଖ୍ୟ ଲୋକ ନାସିକାକୁଞ୍ଚନ ପୂର୍ବକ ତାଙ୍କୁ ଅଵଜ୍ଞା କରି ପାରନ୍ତି । ତଥାପି ତାଙ୍କ ତପସ୍ୟାର ଫଳ ସେମାନଙ୍କର ଅଶେଷ ଉପକାର ସାଧନ କରିବ ।
ଭଗବତ ପ୍ରେମର ପ୍ରକୃତ ପ୍ରକାଶଭାବେ ପରର ଦୁଃଖକୁ ଆପେ ବହନ କରିବାର ସାମର୍ଥ୍ୟ ଓ ଉଦ୍ୟମ ଆମଦେଶରେ ବ୍ୟାପକଭାବେ ଦେଖିବାକୁ ମିଳେ ନାହିଁ, ଏ କଥା ଯେଡ଼େ ଅପ୍ରିୟ ହେଉ ନା କାହିଁକି ଆମକୁ ନିଶ୍ଚୟ ସ୍ୱୀକାର କରିବାକୁ ପଡ଼ିବ । ପ୍ରେମ ଭକ୍ତି ମଧ୍ୟରେ ଭାବର ଆବେଗ, ରସର-ଲୀଳା, ଉତ୍ସାହର ଗଭୀରତା ଆମର ଯଥେଷ୍ଟ ଅଛି, କିନ୍ତୁ ପ୍ରେମ ମଧ୍ୟରେ ନିହିତ ଅବିଚଳିତ ଦୁଃଖ ସ୍ୱୀକାର, ଆତ୍ମତ୍ୟାଗ ଓ ସେବାର ଆକାଙ୍କ୍ଷା ଆମ ମଧ୍ୟରେ ଅତି କ୍ଷୀଣ, ଆମ୍ଭେମାନେ ବିଭୁ ପ୍ରେମର ରସ-ଲୀଳାକୁ ଏକାନ୍ତଭାବେ ଗ୍ରହଣ କରି ଏହାର ଦୁଃଖ-ଲୀଳାକୁ ସ୍ୱୀକାର କରି ନାହୁଁ ।
କୌଣସି ଲାଭ ଉଦ୍ଦେଶ୍ୟରେ ଦୁଃଖ ସ୍ୱୀକାର କରିବାରେ ଆଧ୍ୟାତ୍ମିକତା ନାହିଁ, ପ୍ରେମ ନିମନ୍ତେ ଦୁଃଖ ବରଣକରିବା ହିଁ ପ୍ରକୃତ ଆଧ୍ୟାତ୍ମିକତା । ଅହରହ ସମ୍ପଦର ଅନ୍ୱେଷଣ ମନୁଷ୍ୟକୁ ଯେଉଁ ଦୁଃଖ ଦିଏ କିମ୍ବା ପରଲୋକରେ ନିରାପଦ ସ୍ଥାନ ଲାଭ କରିବା କାମନାରେ ମୁକ୍ତି ଲୋଲୁପ ବ୍ୟକ୍ତି ଯେଉଁ ଦୁଃଖବ୍ରତ ଗ୍ରହଣ କରେ ତାହା କେବେହେଲେ ପରିପୂର୍ଣ୍ଣତାର ସାଧନା ନୁହେ । ସେଥିରେ ଆତ୍ମାର ଦୈନ୍ୟମାତ୍ର ପ୍ରକାଶିତ ହୁଏ । ପ୍ରେମ ନିମନ୍ତେ ଦୁଃଖ ହିଁ ଯଥାର୍ଥ ତ୍ୟାଗର ଐଶ୍ଚର୍ଯ୍ୟ, ତାହା ଆତ୍ମାକୁ ଶକ୍ତି ଓ ଆନନ୍ଦର ସମୁଚ୍ଚ ଶିଖରରେ ମହୀୟାନ କରେ ଏବଂ ମନୁଷ୍ୟକୁ ମୃତ୍ୟୁଞ୍ଜୟ ହେବାରେ ସହାୟତା ପ୍ରଦାନ କରେ ।
ଦୁଃଖଲବ୍ଧ ଆନନ୍ଦରେ ହିଁ ଆମେ ଆପଣାକୁ ଅତିକ୍ରମ କରି ବିଶ୍ୱକୁ ଗ୍ରହଣ କରି ପାରୁଁ । ଦୁଃଖ ହିଁ ସତ୍ୟର ମୂଲ୍ୟ । ଏହି ଦୁଃଖସମ୍ପଦ ହିଁ ମାନବାତ୍ମାର ଶ୍ରେଷ୍ଠ ଐଶ୍ଚର୍ଯ୍ୟ । ଦୁଃଖ ମଧ୍ୟ ଦେଇ ଆତ୍ମାର ବଳ ପ୍ରକାଶିତ ହୁଏ । ଏହାରି ମଧ୍ୟ ଦେଇ ଆମ୍ଭେମାନେ ନିଜକୁ ଓ ମନୁଷ୍ୟ ସମାଜକୁ ବୁଝିବାକୁ ସମର୍ଥ ହେଉଁ, ଫଳତଃ ଶାସ୍ତ୍ର କହେ, 'ନାୟମାତ୍ମା ବଳହୀନେନ ଲଭ୍ୟଃ' ଅର୍ଥାତ୍ ଦୁଃଖ ସ୍ୱୀକାର କରିବାର ବଳ ନ ଥିଲେ କେହି ଆପଣାକୁ ଉପଲବ୍ଧି କରି ପାରିବ ନାହିଁ ।
ଆମ୍ଭେମାନେ ଦୁଃଖ ମଧ୍ୟ ଦେଇ ପରସ୍ପରକୁ ଆପଣାର ନିକଟତମ କରି ପାରି ନାହୁଁ । ଆମ୍ଭେମାନେ କୌଣସି ମୂଲ୍ୟ ନ ଦେଇ ଦେଶର ମନୁଷ୍ୟମାନଙ୍କୁ ଆପଣାର ବୋଲି କହି ପାରିବୁ କିପରି ? ମାତା ଆପଣାର ଗର୍ଭଜାତ ସନ୍ତାନକୁ ମଧ୍ୟ ଅହରହ ସେବା-ଦୁଃଖର ମୂଲ୍ୟ ଦେଇ ଲାଭ କରେ । ସତ୍ୟ ବୋଲି ମନ ମଧ୍ୟରେ ଯାହାକୁ ଶ୍ରଦ୍ଧା କରୁଁ, ତାହାକୁ ଅନାହୂତ ଭାବରେ ସ୍ୱଭାବତଃ ଏହି ମୂଲ୍ୟ ଆମ୍ଭେମାନେ ପ୍ରଦାନ କରୁ । ତଥାପି ଆମ ଚାରିପାଖର ମନୁଷ୍ୟମାନଙ୍କ ଅନ୍ତରର ସହିତ ସତ୍ୟ ବୋଲି ଗ୍ରହଣ କରିବାରେ ଆମ୍ଭେମାନେ ବିଫଳ ହୋଇଛୁଁ, ତେଣୁ ସେମାନଙ୍କ ନିମନ୍ତେ ଆନନ୍ଦ ସହକାରେ ଆତ୍ମତ୍ୟାଗ କରିବା ଆତ୍ମପକ୍ଷେ ସହଜ ନୁହେ ।
ଆମ୍ଭେମାନେ ଆତ୍ମାର ସତ୍ୟ ଦୃଷ୍ଟି ଅର୍ଥାତ୍ ପ୍ରେମଦ୍ୱାରା ଅନ୍ୟମାନଙ୍କ ସତ୍ୟ ସ୍ୱରୂପକୁ ଦେଖି ପାରୁ । ଦର୍ଶନଶାସ୍ତ୍ର ଯେତେବେଳେ କହେ, ସର୍ୱଭୂତ ହେଉଛି ଏକ, ତାହା କେବଳ ବାକ୍ୟ ମାତ୍ର । ସର୍ୱଭୂତକୁ ଆତ୍ମବତ ଦେଖିବାରେ ଏହି ତତ୍ତ୍ୱକଥା କେବଳ ଆମକୁ ବିଶେଷ ସାହାଯ୍ୟ କରି ପାରେ ନା । ଏହା କେବଳ ପ୍ରେମ ଦ୍ୱାରା ଲାଭ କରାଯାଏ । ଏହି ପ୍ରେମ ଆତ୍ମାର ଚରମ ଶକ୍ତି ଏହାର ଧୈର୍ଯ୍ୟ ଅସୀମ । ଆତ୍ମତ୍ୟାଗରେ ହିଁ ଏହାର ସ୍ୱାଭାବିକ ଆନନ୍ଦ । ଏହି ଶକ୍ତି ବଳରେ ଦେଶପ୍ରେମୀ ପରମାତ୍ମାଙ୍କୁ ନିଜ ଦେଶ ମଧ୍ୟରେ ଉପଲବ୍ଧି କରେ । ମାନବପ୍ରେମୀ ପରମାତ୍ମାଙ୍କୁ ସମସ୍ତ ମନୁଷ୍ୟ ମଧ୍ୟରେ ଲାଭ କରେ ।
ଇଉରୋପର ଧର୍ମ ପ୍ରେମର ଧର୍ମ । ସେଵାପରାୟଣାତା ମଧ୍ୟରେ ପ୍ରକାଶିତ ହେଉଥିବା ଦୁଃଖର ଧର୍ମ ହିଁ ତା'ର ମନୁଷ୍ୟ ସହିତ ମନୁଷ୍ୟର ମିଳନ ଘଟାଇଛି । ଦୁଃଖର ଅନିର୍ବାଣ ଶିଖା, ତାହାର ହୋମାଗ୍ନି ରଚନା କରିଛି ଏବଂ ଶତ ଶତ ତାପର ଆତ୍ମାହୁତି ଦାନପୂର୍ବକ ଏହି ଅଗ୍ନିକୁ ଜ୍ୱଳନ୍ତ ରଖି ସମଗ୍ର ଦେଶ–ଚିତ୍ତରେ ସେମାନେ ଅହରହ ତେଜ ସଞ୍ଚାର କରୁଛନ୍ତି । ସେହି ଦୁଃସହ ଯଜ୍ଞର ହୁତାଶନ ମଧ୍ୟରୁ ଯେଉଁ ଅମୃତର ଉଦ୍ଭବ ଘଟିଛି, ତାହାରି ଶକ୍ତି ହିଁ ସେଠାରେ ବିଜ୍ଞାନ, କଳା, ସାହିତ୍ୟ, ରାଷ୍ଟନୀତି ଓ ବାଣିଜ୍ୟ ମଧ୍ୟରେ ଆତ୍ମପ୍ରକାଶ କରିଛି । ଏଗୁଡ଼ିକ କୌଣସି ପ୍ରକାରେ କାରଖାନାରେ ତିଆରି ହୋଇ ପାରିବ ନାହିଁ । ଏହା ତପସ୍ୟାର ସୃଷ୍ଟି ଓ ସେହି ତପସ୍ୟାର ଅଗ୍ନି ହିଁ ମନୁଷ୍ୟର ଆଧ୍ୟାତ୍ମିକ ଶକ୍ତି, ମନୁଷ୍ୟର ଧର୍ମବଳ ।
ସୁତରାଂ ଆମ୍ଭେମାନେ ଦେଖୁଁ ବୌଦ୍ଧ ଯୁଗରେ ଭାରତବର୍ଷ ପ୍ରେମ ଓ ତ୍ୟାଗ ଧର୍ମକୁ ବରଣ କରି ଏପରି ଏକ ଉନ୍ନତି ଲାଭ କରିଥିଲା ଯାହା ଇଉରୋପରେ ସମ୍ପ୍ରତି ଦେଖିବାକୁ ମିଳିଥାଏ-। ସେ କାଳର ରୋଗୀମାନଙ୍କ ଲାଗି ଔଷଧ ପଥ୍ୟର ବ୍ୟବସ୍ଥା କେବଳ ହୋଇ ନ ଥିଲା, ପଶୁମାନଙ୍କ ନିମନ୍ତେ ଚିକିତ୍ସାର ସୁବିଧା ମଧ୍ୟ ଥିଲା । ନାନା ଭାବରେ ଜୀବନ ଓ ସ୍ୱାଚ୍ଛନ୍ଦ୍ୟକୁ ତୁଛ କରି ଦୁର୍ଗମପଥ ଉତ୍ତୀର୍ଣ୍ଣ ହୋଇ ବିଦେଶକୁ ଯାତ୍ରା କରୁଥିଲେ ଏବଂ ସଭ୍ୟତା ଲୋକବର୍ଜ୍ଜିତ ବୈଦେଶୀକମାନଙ୍କର ସଦ୍ଗତି ନିମନ୍ତେ ଅଶେଷ କଷ୍ଟ ସହ୍ୟ କରୁଥିଲେ । ସେକାଳରେ ଭାରତ ଦୁଃଖ ଦେଇ ତା'ର ସାଧକମାନଙ୍କୁ ଶକ୍ତି ଓ ମନୁଷ୍ୟତ୍ୱ ଦୀକ୍ଷା ଦେଇଥିଲା । ତେଣୁ ଧର୍ମ ଦ୍ୱାରା ଭାରତବର୍ଷ କେବଳ ନିଜର ଆତ୍ମା ନୁହେ, ପୃଥିବୀକୁ ମଧ୍ୟ ଜୟ କରିଥିଲା । ଆଧ୍ୟାତ୍ମିକତାର ତେଜରେ ଐହିକ ଓ ପର୍ୱତ୍ରିକ ଉନ୍ନତିକୁ ସେ ସମ୍ମିଳିତ କରିଥିଲା । ସେ କାଳରେ ଇଉରୋପରେ ଖ୍ରୀଷ୍ଟିୟାନ ସଭ୍ୟତା ସ୍ୱପ୍ନାତୀତ ଥିଲା । ସେହି ଦୁଃଖ ଓ ଆତ୍ମତ୍ୟାଗର ଉଜ୍ୱଳ ଦୀପ୍ତି ବର୍ତ୍ତମାନ କୃତ୍ରିମତା ଓ ଭାବେଗାର ଉତ୍ତେଜନା ଦ୍ୱାରା ଆଚ୍ଛନ୍ନ ହୋଇଛି । କିନ୍ତୁ ଏହି ଦୀପ୍ତି କ'ଣ ଚିରକାଳ ନିମନ୍ତେ ନିର୍ବାପିତ ? ବାହାରେ କେଉଁଠି ଯଦି ତା'ର ଉଦ୍ବୋଧନ ଆମେ ଦେଖିବାକୁ ପାଉଁ ଆମ ମଧ୍ୟରେ ଲୁପ୍ତ ହୋଇଥିବା ସେହି ପୂର୍ବଶକ୍ତି କ'ଣ ଆମର ମନେପଡ଼ିବ ନାହିଁ ?
ଆମ୍ଭେମାନେ ମାନେ ରଖିବା ଉଚିତ ଯେ ଯେଉଁଠି ଅଗ୍ନି ଉଜ୍ୱଳ ଭାବରେ ପ୍ରଜ୍ଜ୍ୱଳିତ ସେଠାରେ ପ୍ରଚୁର ପରିମାଣରେ ଭସ୍ମ ମଧ୍ୟ ନିହିତ । କ୍ଷୁଦ୍ରଶିଖା ଅଳ୍ପ ଉତ୍ତାପ ଦିଏ, ଏହା ବିଶେଷ ଫଳଦାୟକ ମଧ୍ୟ ନୁହେ ଏବଂ ଏହାର ଧ୍ୱଂସକାରୀ ଶକ୍ତି ମଧ୍ୟ କ୍ଷୀଣ । ପାପର ଭୟଙ୍କର ପ୍ରଚଣ୍ଡତା ଅଶାନ୍ତିର ବିକ୍ଷୋଭ ରୂପରେ ଇଉରୋପରେ ଯେପରି ପରିଦୃଷ୍ଟ, ଆମ ଦେଶରେ ତାହା ଯେ ବିରଳ ଏ କଥା ସ୍ୱୀକାର କରିବାକୁ ପଡ଼ିବ । ତଥାପି ଇଉରୋପର ଲୋକମାନେ ସେହି ଅବସ୍ଥାକୁ ଉଦାସୀନ ଭାବରେ ଗ୍ରହଣ କରି ନାହାନ୍ତି ବରଂ ଏହା ସେମାନଙ୍କୁ ସମଧିକ ଜାଗ୍ରତ କରିଛି । ମ୍ୟାଲେରିଆର ବାହାନ ମଶାଠୁଁ ଆରମ୍ଭ କରି ସମାଜ ଜୀବନର ପାପ ପର୍ଯ୍ୟନ୍ତ ସମସ୍ତ ଅସୁରଙ୍କ ସହିତ ସେମାନେ ସାହସ ସହକାରେ ସଂଗ୍ରାମ କରିବାକୁ ଆହ୍ୱାନ ଦିଅନ୍ତି, ନିଜର ପ୍ରାଣକୁ ମଧ୍ୟ ସଙ୍କଟାପନ୍ନ କରିବାକୁ ପଶ୍ଚାତ୍ପଦ ହୋଇ ନ ଥାନ୍ତି, ଗୀତାର ପ୍ରସିଦ୍ଧ ବାଣୀ 'ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ' ସ୍ୱଳ୍ପ ପରିମାଣ ଧର୍ମ ମଧ୍ୟ ମନୁଷ୍ୟକୁ ମହତ ଭୟରୁ ପରିତ୍ରାଣ କରେ । କୌଣସି ସମାଜରେ ସେହି ସଜୀଵ ଧର୍ମକଣାକୁ ମଧ୍ୟ ଅପରିମିତ ଦୁର୍ଗତି ଅପେକ୍ଷା ବଡ଼ ମନେ କରିବାକୁ ହେବ ।
ଇଉରୋପରେ ଦୁର୍ବଳ ଜାତି ପ୍ରତି ନ୍ୟାୟଧର୍ମର ବ୍ୟଭିଚାର ଦେଖାଯାଇଥାଏ । କିନ୍ତୁ ସେହି ବ୍ୟଭିଚାର ଏକ ମାତ୍ର ସତ୍ୟ ନୁହେ, ସେହି ନିଷ୍ଠୁର ବଳଦୃପ୍ତ ଲୁବ୍ଧତା ମଧ୍ୟରୁ ଧିକ୍କାର ଓ ଭର୍ତ୍ସନାର ସ୍ୱର ଉଚ୍ଛ୍ୱସିତ ହୁଏ । ପ୍ରବଳର ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଦୃଢ଼ଭାବରେ ଦଣ୍ଡାୟମାନ ହେବା ନିମନ୍ତେ ଇଉରୋପରେ ସାହସିକ ବୀରମାନଙ୍କର ଅଭାବ ନାହିଁ । ଏହି ଦୃଢ଼ନିଷ୍ଠ ସାଧୁ ବ୍ୟକ୍ତିମାନେ ସୁଦୂରବର୍ତ୍ତୀ ଦେଶର ବିଦେଶୀ ଜାତିପକ୍ଷ ଗ୍ରହଣ କରି ସେମାନଙ୍କ ନିମନ୍ତେ ନିର୍ଯ୍ୟାତନା ସହ୍ୟ କରିବାକୁ କୁଣ୍ଠିତ ହୋଇ ନ ଥାନ୍ତି । ଭାରତୀୟମାନେ ସ୍ୱଦେଶ ପାଇଁ ସ୍ୱାୟତ୍ତଶାସନର ଅଧିକାର କାମନା କରୁଛନ୍ତି । ସେମାନଙ୍କର ଏହି ଉଦ୍ୟମରେ ଯଥାର୍ଥ ମିତ୍ର ତୁଲ୍ୟ ସହାୟକ କିଏ ? ପ୍ରତିକୂଳତା ଓ ବିଦ୍ରୁପ ପ୍ରତି ଭୂକ୍ଷେପ ନକରି ନ୍ୟାୟ ନିମନ୍ତେ ଆତ୍ମସ୍ୱାର୍ଥ ତ୍ୟାଗ କରିବା ପାଇଁ ନିଜ ଦେଶବାସୀଙ୍କୁ ସେମାନେ ପ୍ରବର୍ତ୍ତନା ଦେଉଛନ୍ତି । ବାହ୍ୟ ଦୃଷ୍ଟିରେ ସେମାନେ ସଂଖ୍ୟାରେ ଅଳ୍ପ ସତ୍ୟ, କିନ୍ତୁ ସତ୍ୟ ଦୃଷ୍ଟିରେ ସେମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । କାରଣ ଏହି ଲୋକମାନେ ନିଜର ସଂଖ୍ୟା ଅପେକ୍ଷା ଖୁବ୍ ବେଶୀ, ଦେଶର ପରମ୍ପରାର ସେମାନେ ଅଙ୍ଗବିଶେଷ-। ସେମାନେ ସମସ୍ତେ ଏକ ସମୟରେ ସମାନ ଲକ୍ଷ ପୋଷଣପୂର୍ବକ କାର୍ଯ୍ୟ କରି ନ ଥାନ୍ତି. ମାତ୍ର ସେଇମାନେ ହିଁ ସମାଜର ପ୍ରକୃତ ନ୍ୟାୟଶକ୍ତି । ସେମାନେ କ୍ଷତ୍ରିୟ, ଦୁର୍ବଳର ରକ୍ଷାବତ ସେମାନେ ଗ୍ରହଣ କରିଛନ୍ତି । ଦୁଃଖ ମଧ୍ୟରୁ ମନୁଷ୍ୟକୁ ଉଦ୍ଧାର କରିବା ନିମନ୍ତେ ଯେ ଦୁଃଖ ବହନ କରିଥିଲେ, ମୃତ୍ୟୁ ମଧ୍ୟରୁ ମନୁଷ୍ୟକୁ ଅମୃତଲୋକକୁ ନେବା ଲାଗି ଯେ ମୃତ୍ୟୁ ସ୍ୱୀକାର କରିଥିଲେ, ଅନ୍ଧକାର ମଧ୍ୟରୁ ଉଦ୍ଧାର କରି ମନୁଷ୍ୟକୁ ଆଲୋକର ସ୍ପଶଦେବା ଯାହାଙ୍କର କାମନା ଥିଲା, ସେହି ସ୍ୱର୍ଗୀୟ ଗୁରୁ ଯୀଶୁଖ୍ରୀଷ୍ଟଙ୍କର ରକ୍ତାପ୍ଲୁତ ଦୁର୍ଗମ ପଥରେ ସେମାନଙ୍କର ଯାତ୍ରା । ଇଉରୋପର ଅନ୍ତଃସ୍ଥଳର ଗଭୀର ପ୍ରଦେଶରେ ସେହି ଆଲୋକ ଏବେ ମଧ୍ୟ ଉଜ୍ଜ୍ୱଳକିରଣ ଦାନ କରୁଛି ।
ଅନ୍ୟ ପକ୍ଷରେ ଆମ୍ଭେମାନେ ଧର୍ମପ୍ରାଣ ଓ ଆଧ୍ୟାତ୍ମିକ ଜାତି, ଆମଠାରେ ଈଶ୍ୱର ଭୟ ରହିଛି, ପାର୍ଥିବବସ୍ତୁ ପ୍ରତି ଆମର ମନୋଯୋଗ ଅଳ୍ପ, ତେଣୁ ଜଗତିକ ବ୍ୟାପାରରେ ଆମର ଉନ୍ନତିର ଅଭାବ, ସବୁବେଳେ ଏହି କଥା କହି ଆମ୍ଭେମାନେ ନିଜକୁ ସାନ୍ତ୍ୱନା ଦେବାକୁ ଚାହୁଁ । ଏହିପରି ଭାବରେ ଆମ ଦୈନ୍ୟର ଲଜ୍ଜାକୁ ଆମେ ଖର୍ବ କରିବାକୁ ଚାହୁଁ । ଆମ୍ଭମାନଙ୍କ ମଧ୍ୟରୁ ଅନେକ ଆସ୍ଫାଳନ ପ୍ରକାଶ କରି କହିଥାଆନ୍ତି 'ଦାରିଦ୍ର୍ୟ ହିଁ ଆମର ପରମ ସମ୍ପଦ' ।
କିନ୍ତୁ ଐଶ୍ୱର୍ଯ୍ୟକୁ ଅଧିକାର କରିବାର ଶକ୍ତି ଯେଉଁମାନଙ୍କର ଅଛି, ଦାରିଦ୍ର୍ୟ ସେମାନଙ୍କର ହିଁ ଭୂଷଣ । ସମ୍ପଦ ତ୍ୟାଗ କରିବାରେ ଗୌରବ ଅଛି କିନ୍ତୁ ଅଭାବର ଦାରିଦ୍ର୍ୟ ଗୌରବଜନକ ନୁହେ । ଖାଦ୍ୟାଭାବରେ ଅର୍ଦ୍ଧମୃତ, କୌଣସି ପ୍ରକାରେ ପ୍ରାଣ ବଞ୍ଚାଇବାକୁ ଇଚ୍ଛୁକ, ଦରିଦ୍ର ହୋଇଥିବାରୁ ଦରିଦ୍ରକୁ ପୋଷଣ କରିବା ନିମନ୍ତେ ପ୍ରସ୍ତୁତ, ଶକ୍ତିହୀନ ହୋଇଥିବାରୁ ଶକ୍ତିଲାଭ ମାତ୍ରେ ଦୁର୍ବଳକୁ ଆଘାତ କରିବାକୁ ଉଦ୍ଗ୍ରୀବ ବ୍ୟକ୍ତିମାନଙ୍କୁ ଦାରିଦ୍ର୍ୟ କେବେହେଲେ ସମ୍ମାନିତ କରି ପାରେ ନାହିଁ ।
ଆମର ଦୁଃଖ ଦାରିଦ୍ୟ ଓ ଅପମାନ କୌଣସି ପ୍ରକାରେ ଆତ୍ମାକୁ ପ୍ରସାରିତ କରୁଥିବା ଧର୍ମପ୍ରାଣତାର ପୁରସ୍କାର ନୁହେ । ଆମ୍ଭେମାନେ ଆଧ୍ୟାତ୍ମିକତାର କ୍ଷେତ୍ରକୁ ବିସ୍ତୃତ କରି ପାରି ନାହୁଁ, ବ୍ୟକ୍ତିଗତ ଭକ୍ତିସାଧନା ମଧ୍ୟରେ ଏହା ସୀମାବଦ୍ଧ, ସେଠାରେ ବୃହତ୍ତର ମାନବସମାଜର ସ୍ଥାନ ନାହିଁ-। ଆମ ଧର୍ମବୋଧର ସଂକୀର୍ଣ୍ଣତା ଓ ମତାନ୍ଧତା ଆମକୁ ଦାସତ୍ୱ ବ୍ୟତୀତ ଅନ୍ୟ ସକଳ କ୍ଷେତ୍ର ନିମନ୍ତେ ଅଯୋଗ୍ୟ କରିଛି । ଆନନ୍ଦ ସହକାରେ ଆମେ କଳ୍ପନା କରୁ, ଆମର ଦୁଖଗୁଡ଼ିକର ସମାପ୍ତି ଆଇନ ଦ୍ୱାରା ହୋଇପାରେ ଏବଂ ରାଷ୍ଟ୍ରୀୟ ବିଧାନସଭାରେ ସ୍ଥାନ ଲାଭ କଲେ ଆମ୍ଭେମାନେ ପୂର୍ଣ୍ଣ ମନୁଷ୍ୟ ହୋଇ ପାରିବା । କିନ୍ତୁ ଗୋଟିଏ ଜାତିର ଉନ୍ନତି ଯାନ୍ତ୍ରିକ ଉପାୟରେ ସାଧିତ ହୋଇ ନ ପାରେ । ଆମ୍ଭେମାନେ ଯେ ପର୍ଯ୍ୟନ୍ତ ତା'ର ମୂଲ୍ୟଦେବା ନିମନ୍ତେ ପ୍ରସ୍ତୁତ ହୋଇ ନାହୁଁ, ତାହା ଲାଭ କରିବାକୁ ଆମେ ଅସମର୍ଥ ହେବା–‘ନାନ୍ୟଃ ପନ୍ଥା ବିଦ୍ୟତେ ଅୟନାୟ ।’
ତେଣୁ କହୁଥିଲି, ତୀର୍ଥଯାତ୍ରାର ମନୋଭାବ ନେଇ ଇଉରୋପ ଯାତ୍ରା କଲେ ତାହା ନିଷ୍ଫଳ ହେବ ନାହିଁ । ସେଠାରେ ମଧ୍ୟ ଆମର ଗୁରୁ ଅଛନ୍ତି । ଇଉରୋପୀୟ ମନବସମାଜର ଅନ୍ତରତମ ସେହି ଦିବ୍ୟଶକ୍ତି ହିଁ ଗୁରୁ । ଶ୍ରଦ୍ଧାନ୍ୱିତ ଚକ୍ଷୁରେ ସେହି ଗୁରୁଙ୍କ ସର୍ବତ୍ର ଆମକୁ ସନ୍ଧାନ କରିବାକୁ ପଡ଼ିବ । ଚାରିଆଡ଼େ କେବଳ ଠାରେ ଆଖି ବୁଲାଇ ଆଣିଲେ ଯଥେଷ୍ଟ ନୁହେ । ତା’ ହେଲେ ଆମର ଅନ୍ଧତା ଓ ଅହଂକାର ବଶତଃ ଆମେ ଗୁରୁଙ୍କୁ ଦର୍ଶନ କରି ପାରିବା ନାହିଁ । ପରନ୍ତୁ ଇଂଲଣ୍ଡର ଶକ୍ତି ତା'ର ପାର୍ଲାମେଣ୍ଟରେ ନିହିତ, ଇଉରୋପର ଐଶ୍ୱର୍ଯ୍ୟ ହେଉଛି କାରଖାନା ତିଆରି ସାମଗ୍ରୀ ଏବଂ ପାଶ୍ଚାତ୍ୟ ମହାଦେଶର ସମସ୍ତ ମାହାତ୍ମ୍ୟ କେବଳ ଯୁଦ୍ଧାସ୍ତ୍ର, ବାଣିଜ୍ୟର ଉପକରଣ ଓ ଅନ୍ୟ ବାହ୍ୟବସ୍ତୁ ପୁଞ୍ଜି ଦ୍ୱାରା ସଂଘଟିତ, ଏହିପରି କିଛି ଅଦ୍ଭୁତ ଧାରଣା ପୋଷଣ କରି ପ୍ରତ୍ୟାବର୍ତ୍ତନ କରିବା ହିଁ ଆମ ପକ୍ଷରେ କେବଳ ସାର ହେବ ।
ନିଜର ଅନ୍ତର୍ନିହିତ ଶକ୍ତି ସମ୍ବନ୍ଧରେ ଯେଉଁମାନଙ୍କର ପ୍ରକୃତ ଅନୁଭୂତି ନାହିଁ, ବାହାର ପଦାର୍ଥରେ ଯେ ଶକ୍ତି ରହିଛି, କୌଣସି ସୁଯୋଗକ୍ରମେ ସେ ପଦାର୍ଥଗୁଡ଼ିକୁ ଲାଭ କଲେ ସବୁକିଛି ଲବ୍ଧ ହେବ ବୋଲି ସେମାନେ ଅତି ସହଜରେ ମନେକରନ୍ତି । କିନ୍ତୁ ପ୍ରାଚୀନ ଭାରତର ବାଣୀ–‘ଯେନାହଂ ନା ମୃତା ଶ୍ୟାମ କିମହଂ ତେନ କୁର୍ଯ୍ୟାମ ।' –ଯେଉଁ ପଦାର୍ଥ ମୋତେ ଅମୃତ ଦେଇ ପାରିବ ନାହିଁ ତାହାକୁ ନେଇ ମୋର କ'ଣ ଲାଭ ? ଏହାହିଁ ଇଉରୋପର କଣ୍ଠରେ ଆଜି ପ୍ରତିଧ୍ୱନିତ । ଇଉରୋପ ଜାଣେ ଯେ ରେଳରାସ୍ତା । ଟେଲିଗ୍ରାଫ ଖୁଣ୍ଟ, କଳକାରଖାନା ଯୋଗୁ ସେ ବଡ଼ ନୁହେ । ସେହି କାରଣରୁ ସେ ବୀର ସଦୃଶ ସତ୍ୟବ୍ରତ ଗ୍ରହଣ କରିଛି । ସତ୍ୟ ନିମନ୍ତେ ତା'ର ଧନ ପ୍ରାଣ ଉତ୍ସର୍ଗୀକୃତ ଏବଂ ପ୍ରତ୍ୟେକ ଭ୍ରାନ୍ତି, ପ୍ରତ୍ୟକ ବିଫଳତା ତାହାକୁ ବହୁଗୁଣିତ ଉତ୍ସାହ ସହକାରେ ନୂତନ ଉଦ୍ୟୋଗରେ ବ୍ରତୀ କରୁଛି । ସମୟ -ସମୟରେ ଅମଙ୍ଗଳ ଦେଖାଯାଇଛି, ସଂଘାତ ଓ ସଂଘର୍ଷର ଅଗ୍ନି ଜଳିଉଠିଛି, ସମୁଦ୍ରମନ୍ଥନରୁ ମଧ୍ୟେ ମଧ୍ୟେ ବିଷ ଉଦ୍ଗୀର୍ଣ୍ଣ, କିନ୍ତୁ ମନ୍ଦକୁ ଚରମ ସମ୍ମାନ ଦେବାକୁ ସେ କେବେ ସମ୍ମତ ନୁହେ । ତା'ର ଅସ୍ତ୍ର ତୀକ୍ଷ୍ଣ, ତା'ର ସୈନ୍ୟଗଣ ନିର୍ଭୀକ, ସତ୍ୟର ଦୀକ୍ଷା ଗ୍ରହଣ କରି ସେମାନେ ମୃତ୍ୟୁଞ୍ଜୟ ହୋଇଛନ୍ତି । ଆମ୍ଭେମାନେ କିନ୍ତୁ ସତ୍ୟର ସମ୍ମୁଖୀନ ହେବା ନିମନ୍ତେ ଆଳସ୍ୟପରାୟଣ, ଏହାର ସାଧନାରେ ଉଦାସୀନ । ନିଜ ଗାଢ଼ ଶୃଙ୍ଖଳ ବନ୍ଧନ ମଧ୍ୟରେ ଆପାଦମସ୍ତକ ଆପଣାକୁ ଆବଦ୍ଧ କରି ଆମ୍ଭେମାନେ ତାହାକୁ ପ୍ରକୃତ ଆଶ୍ରୟ ବୋଲି କଳ୍ପନା କରିଛୁ ।
ସେଥିପାଇଁ ବିପଦର ଦିବସ ଆସନ୍ନ ହେଲେ ଓ ସତ୍ୟପନ୍ଥା ବ୍ୟତୀତ ଅନ୍ୟ ଗତି ନଥିଲେ ଆମ୍ଭେମାନେ ଯେ ପରିସ୍ଥିତିର ଆହ୍ୱାନ ଗ୍ରହଣ କରି ପାରୁ ନାହୁଁ ଏଥିରେ ବିସ୍ମିତ ହେବାର କିଛି ନାହିଁ । ଆମେ କ୍ରୀଡ଼ାରତ ରହି ତାହାକୁ କର୍ମ ମନେକରୁ ଏବଂ ଅସାରତା ମଧ୍ୟରେ ବାସ କରି ସତ୍ୟର ଫଳ ପ୍ରତ୍ୟାଶା କରୁ । ଆରବ୍ଧ କର୍ମକୁ ଶେଷ କରିବା ନିମନ୍ତେ ଆମର କୃତ୍ରିମ ଉତ୍ସାହକୁ ମଧ୍ୟ ପ୍ରଦୀପ୍ତ କରି ରଖିବାରେ ଆମେ ବିଫଳ ହୋଇଥାଉ । ପ୍ରଭୁତ୍ୱ ପରିଣାମ ତାତ୍ତ୍ୱିକତା ଓ ଭାବୁକତାର ଜାଲରେ ବିଜଡ଼ିତ ହୋଇ ଆମେ ବାରମ୍ବାର କର୍ମରେ ଵ୍ୟର୍ଥକାମ ହେଉ । ତେଣୁ ତୀର୍ଥଯାତ୍ରୀର ଶ୍ରଦ୍ଧା ସହକାରେ ଜୀବନର ପ୍ରକୃଷ୍ଟ ମୂଲ୍ୟବୋଧକୁ ଉପଲବ୍ଧ କରିବାର ଆକାଙ୍କ୍ଷା ନେଇ ଇଉରୋପ ଯାତ୍ରା କଲେ ଯାତ୍ରା କେବେ ବିଫଳ ହେବ ନାହିଁ । କିନ୍ତୁ ତୀର୍ଥଯାତ୍ରୀ ପକ୍ଷରେ ଐକାନ୍ତିକ ନିଷ୍ଠା ଓ ଅଟଳ ଶ୍ରଦ୍ଧା ଆବଶ୍ୟକ ଓ ସର୍ବାଙ୍ଗୀନ ମନୁଷ୍ୟତ୍ୱର ପରିପୂର୍ଣ୍ଣତା ହିଁ ତାଙ୍କର ସନ୍ଧାନ-ବିଷୟ ହେବା ଉଚିତ ।
ମୁଁ ଜାଣେ, ଇଉରୋପ ସହିତ ଆମର ଏକ ସ୍ଥାନରେ ସ୍ବାର୍ଥର ସଂଘର୍ଷ ରହିଛି । ତାହା ହେଉଛି ଆତ୍ମହିତ ସାଧନର ସଂଘର୍ଷ, ତାହା ଆମକୁ ନାନାଭାବରେ ଗଭୀର ବେଦନା ଦେଉଛି । ଆମର ଆଧ୍ୟାତ୍ମିକ ଦୈନ୍ୟର ଦୁଃଖ ଏବଂ ସଞ୍ଚିତ ପାପର ପ୍ରାୟଶ୍ଚିତ ମଧ୍ୟରୁ ସେହି ବେଦନା ଜନ୍ନଲାଭ କରିଥିଲେ ସୁଦ୍ଧା ତାହା ଆମକୁ ଆଘାତ ଦେଇଥାଏ । ଆମର ପ୍ରତିପକ୍ଷମାନେ ନିଜ ହୃଦୟର କ୍ଷୁଦ୍ରତାକୁ ଔଦ୍ଧତ୍ୟର ଛଦ୍ମତା ତଳେ ଲୁକ୍କାୟିତ କରନ୍ତି ଏବଂ ନିଜର ଅନ୍ଧତା ଓ ଅହଙ୍କାର ବଶତଃ ନିଜ ଛଡ଼ା ଅନ୍ୟ ଜାତିର ମାହାତ୍ମ୍ୟ ଅସ୍ୱୀକାର କରିଥାନ୍ତି । ଏହି କାରଣରୁ ଆମର ସେହି କ୍ଷତବେଦନା ସହ ଇଉରୋପର ସତ୍ୟ ଉପଲବ୍ଧି କରି ଗ୍ରହଣ କରିବା ଆମ ପକ୍ଷରେ ସହଜ ହୋଇ ନଥାଏ । ଇଉରୋପୀୟ ସଭ୍ୟତାର ଆନ୍ତଃରାଳରେ ନିହିତ ଧର୍ମଶକ୍ତି ଆମର ଅବିଶ୍ୱାସ୍ୟ ହୁଏ, ଏହି ସଭ୍ୟତାକୁ ବସ୍ତୁ ଜାଲଜଡ଼ିତ ସ୍ଥୂଳପଦାର୍ଥ ଜ୍ଞାନରେ ଆମେ ପ୍ରତ୍ୟାକ୍ଷାନ କଋଥାଉଁ । କେବଳ ସେତିକି ନୁହେ, ପାଖରେ ପ୍ରବଳ ପ୍ରତାପକୁ ସତ୍ୟର ଆସନ ପ୍ରଦାନ କରି ଭୁଲୁଣ୍ଠିତ ହୋଇ ତାହାର ଆରାଧନା କଲେ ଆତ୍ମା ଅପବିତ୍ର ହେବାର ଆଶଙ୍କା ଆମର ରହିଛି । ପୁଣି ଆମର ଭୟ ଯେ ଅନ୍ୟର ଗୌରବକୁ ସମ୍ମାନଜନକଭାବେ ଗ୍ରହଣ କରିବାକୁ ଆମେ ଅସମର୍ଥ ଏବଂ ସହଜରେ ଆତ୍ମବିଶ୍ୱାସର ଅବସାଦ ହେତୁ ନିଜ ବିଶ୍ୱାସର ବିସର୍ଜ୍ଜନ ପୂର୍ବକ ଅନୁକରଣର ଶୂନ୍ୟତା ମଧ୍ୟରେ ଲିପ୍ତ ରହି ଅପର କାୟାର ଛାୟା ଭାବରେ ସଂସାରରେ ନିଜ ଅସ୍ତିତ୍ୱ ଆମେ ରକ୍ଷା କରି ପାରିବୁ ନାହିଁ ।
ଏହି ସକଳ ବାଧାବିଘ୍ନ ରହିଛି; ସେଥିପାଇଁ ଏହି ପଥରେ ସତ୍ୟ ସନ୍ଧାନର ଯାତ୍ରା ହିଁ ତୀର୍ଥଯାତ୍ରା । ସମସ୍ତ ବାଧା ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ; କ୍ଲେଶଦାୟକ ଉଦ୍ୟମର ଦୁଃଖ ସହ୍ୟକରି ଅଗ୍ରସର ହେବାର ଆବଶ୍ୟକତା ଉପଲବ୍ଧ ହେବ । ଆତ୍ମାଭିମାନର ବ୍ୟର୍ଥ ଭାରକୁ ପଛକୁ ଠେଲି ଏବଂ ଆତ୍ମଗୌରବର ପ୍ରକୃତ ପାଥେୟକୁ ଏକାନ୍ତ ଯତ୍ନ ସହକାରେ ସଞ୍ଚୟ କରି ଅଗ୍ରସର ହେବାକୁ ପଡ଼ିବ । ବସ୍ତୁତଃ ଏହି ସକଳ ବିଘ୍ନ ହେତୁ ଏହି ଯାତ୍ରାରେ ଫଳଲାଭର ପୂର୍ଣ୍ଣ ଆଶା ରହିଛି କାରଣ ସହଜଲବ୍ଧ ବସ୍ତୁ ଆମ ଆତ୍ମସତ୍ତାର ଅଙ୍ଗ ହୋଇ ନ ପାରେ । ଅଥଚ କୌଣସି ମହତ୍ ଲାଭର ଯଥାର୍ଥ ସଫଳତା ହିଁ ଚେତନାର ପୂର୍ଣ୍ଣତମ ପରିପ୍ରକାଶ । ଅର୍ଥାତ୍ ଯାହା କିଛି ଆମ୍ଭେମାନେ ସତ୍ୟ ଭାବରେ ଲାଭ କରୁ ତାହା ସତ୍ୟତାର ରୂପେ ବୃହତ୍ତର ଆତ୍ମୋପଲବ୍ଧି ଦିଗରେ ଆମକୁ ଚାଳନା କରିବା ବିଧେୟ । ଯଦି ତାହା ନ ହୁଏ ବାହାରର ବସ୍ତୁ ବାହାରର ହୋଇ ରହିବ ଏବଂ ଅନ୍ୟ ସକଳ ବସ୍ତୁ ତୁଲ୍ୟ ତାହା ମାୟା ଓ ମିଥ୍ୟା ।
ନିଜର କଣ୍ଟା ଲାଗି ଗୋଲାପ ଏକ ଲଜ୍ଜାରୁଣ
କ୍ଷମାଭିକ୍ଷା ମାତ୍ର ନୁହେ, ଏହା ତା'ଠାରୁ ଯଥେଷ୍ଟ ଅଧିକ ।