ରାଷ୍ଟ୍ର ଓ ସମାଜ — ବିଶ୍ୱ ମାନବର ପଥେ — ରବୀନ୍ଦ୍ରନାଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ରାଷ୍ଟ୍ର ଓ ସମାଜ
ଆମ ଦେଶରେ ରାଜା ଯୁଦ୍ଧ ବିଗ୍ରହ, ରାଜ୍ୟରକ୍ଷା ଓ ବିଚାର କାର୍ଯ୍ୟ ସମ୍ପନ୍ନ କରୁଥିଲେ, କିନ୍ତୁ ଜଳଦାନଠାରୁ ବିଦ୍ୟାଦାନ ପର୍ଯ୍ୟନ୍ତ ଅନ୍ୟ ସକଳ ଦାୟିତ୍ୱ ସମାଜ ବହନ କରିଥିଲା । ଏହା ଅତ୍ୟନ୍ତ ଦକ୍ଷତା ସହକାରେ ସମ୍ପନ୍ନ ହେଉଥିବାରୁ ବିଭିନ୍ନ ଶତାବ୍ଦୀରେ ନୂତନ ନୂତନ ରାଜାଙ୍କର ରାଜତ୍ୱ ବନ୍ୟାତୁଲ୍ୟ ପ୍ରବାହିତ ହୋଇ ସୁଦ୍ଧା ଆମର ଆଧ୍ୟାତ୍ମିକ ଜୀବନ ନଷ୍ଟ କରି ଆମକୁ ପଶୁ ସମାନ କରି ପାରି ନାହିଁ କିମ୍ବା, ଆମ ସମାଜକୁ ଖଣ୍ଡେ ଖଣ୍ଡେ କରି ଆମକୁ ଲକ୍ଷ୍ମୀଛଡ଼ା କରିବାକୁ ସମର୍ଥ ହୋଇ ନାହିଁ ।
ରାଜା ରାଜା ମଧ୍ୟରେ କେବେ ଯୁଦ୍ଧର ଅନ୍ତ ନ ଥିଲା; କିନ୍ତୁ ବଂଶକୁଞ୍ଜର ପରିଷ୍କୃତ ସ୍ଥାନରେ, ଆମ୍ରୋଦ୍ୟାନର ଛାୟା ତଳେ, ଦେବାୟତନ ଓ ଅତିଥିଶାଳା ସ୍ଥାପିତ ହେବା ସଙ୍ଗେ ପୁଷ୍କରିଣୀ ଖନନ ମଧ୍ୟ ହୋଇଥିଲା । ଗୁରୁ ମହାଶୟ ଗ୍ରାମ୍ୟ ପାଠଶାଳାରେ ଶୁଭଙ୍କରୀ କଷାଉଥିଲେ, ଶାସ୍ତ୍ର ଅଧ୍ୟୟନ କେବେ ବନ୍ଦ ହେଉ ନ ଥିଲା ଏବଂ ଚଣ୍ଡୀ ମଣ୍ଡପରେ ରାମାୟଣ ପାଠ ଓ କୃଷ୍ଣକୀର୍ତ୍ତନର ସଙ୍ଗୀତ-ମାଧୁର୍ଯ୍ୟରେ ଗ୍ରାମ ପ୍ରାଙ୍ଗଣ ମୁଖରିତ ହେଉଥିଲା । ଆମର ଗ୍ରାମ୍ୟ ସମାଜ ବାହାରର ସାହାଯ୍ୟ ନିମନ୍ତେ ଅପେକ୍ଷା ରଖି ନ ଥିଲା କିମ୍ବା ବାହାରର ଉପଦ୍ରବରେ ଏହାର ଗଠନ-ସମୃଦ୍ଧି ଶ୍ରୀଭ୍ରଷ୍ଟ ହୋଇ ନ ଥିଲା ।
ଆଜି ଦେଶରେ ଜଳାଭାବ ନିମନ୍ତେ ଆମର ଅଭିଯୋଗ ଅପେକ୍ଷାକୃତ ଏକ ସାମାନ୍ୟ ବିଷୟ । ଏହି ଅଭାବର ମୂଳ କାରଣ ହିଁ ହେଉଛି ପ୍ରକୃତରେ ପରିତାପର ବିଷୟ । ଆଜି ସମାଜ ନିଜ ସମ୍ପର୍କରେ ସକଳ ଆଗ୍ରହ ହରାଇ ବସିଛି ଏବଂ ତାର ମନୋଯୋଗ ବହିର୍ଦିଗରେ ହିଁ ପରିଚାଳିତ ।
କୌଣସି ଗ୍ରାମ ପାର୍ଶ୍ୱଦେଇ ଅବିରତ ପ୍ରବାହିତ ହେଉଥିବା ନଦୀ ନିଜର ପୁରାତନ ଗତିପଥ ବଦଳାଇଲେ ଗ୍ରାମର ଜଳ ଯୋଗାଣ, ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୁଏ, ସ୍ୱାସ୍ଥ୍ୟ ଓ ବାଣିଜ୍ୟ ନଷ୍ଟ ହୁଏ । ବଗିଚା ଜଙ୍ଗଲରେ ପରିଣତ ହୁଏ ଏବଂ ପୂର୍ବ ସମୃଦ୍ଧର ଭଗ୍ନାବଶେଷ ନିଜର ଜୀର୍ଣ୍ଣ ଭିତ୍ତିର ଛିଦ୍ର ମଧ୍ୟରେ ବଟ ଅଶ୍ୱତ୍ଥକୁ ପ୍ରଶ୍ରୟ ଦେଇ ପେଚା ଓ ବାଦୁଡ଼ିଙ୍କର ବିହାରସ୍ଥଳୀ ହୋଇଉଠେ ।
ମନୁଷ୍ୟର ଚିନ୍ତାସ୍ରୋତ ନଦୀର ପ୍ରବାହ ଅପେକ୍ଷା କମ୍ ଗୁରୁଢ୍ୱପୂର୍ଣ୍ଣ ନୂହେ । ଏହି ଚିନ୍ତା ପ୍ରବାହ ଚିରକାଳ ବଙ୍ଗଦେଶର ଛାୟାଶୀତଳ ଗ୍ରାମମାନଙ୍କରେ ଉତ୍ତମ ସ୍ୱାସ୍ଥ୍ୟ ଓ ଆନନ୍ଦ ରକ୍ଷା କରିବାରେ ସହାୟକ ହୋଇ ଆସିଥିଲା । କିନ୍ତୁ, ବର୍ତ୍ତମାନ ବଙ୍ଗଦେଶର ଚିତ୍ତଧାରା ବିକ୍ଷପ୍ତ । ସେହି କାରଣରୁ ତା’ର ଦେବାଳୟଗୁଡ଼ିକ ଜୀର୍ଣ୍ଣପ୍ରାୟ, ସଂସ୍କାର ନିମନ୍ତେ ଲୋକ ଅଭାବ; ତାହାର ଜଳାଶୟଗୁଡ଼ିକ ଦୁଷିତ–ପଙ୍କୋଦ୍ଧାର ନିମନ୍ତେ ଲୋକ ନାହାନ୍ତି; ଧନୀମାନଙ୍କର ଅଟ୍ଟାଳିକାଗୁଡ଼ିକ ପରିତ୍ୟକ୍ତ–ସେଠାରେ ଆନନ୍ଦଦାୟକ ଉତ୍ସବାଦି ଅନୁଷ୍ଠିତ ହୁଏ ନାହିଁ । ତେଣୁ ବର୍ତ୍ତମାନ ପାନୀୟଜଳ ଦାତା, ଉତ୍ତମ ସ୍ୱାସ୍ଥ୍ୟର କର୍ତ୍ତା ସରକାର ବାହାଦୁର, ବିଦ୍ୟାଦାନର ବ୍ୟବସ୍ଥା ନିମନ୍ତେ ଆମ୍ଭମାନଙ୍କୁ ବିନୀତ ଭାବରେ ଜାନୁପାତ ପୂର୍ବକ କର୍ତ୍ତୃପକ୍ଷଙ୍କର ଦ୍ୱାରସ୍ଥ ହେବାକୁ ପଡ଼ୁଛି । ଯେଉଁ ବୃକ୍ଷ ଦିନେ ଆପଣାର ପୁଷ୍ପ ପ୍ରସ୍ଫୁଟିତ କରୁଥିଲା, ଆଜି ନିଜର ସମସ୍ତ ଶୀର୍ଣ୍ଣ ଶାଖାପ୍ରଶାଖା ଟେକି ପୁଷ୍ପବୃଷ୍ଟି ନିମନ୍ତେ ତାହା ସ୍ୱର୍ଗଲୋକକୁ ଆବେଦନ ଜଣାଉଛୁ । ଯଦି ବା ତା’ର ଆବେଦନ ସଫଳ ହୁଏ ଏ ସମସ୍ତ ଆକାଶ କୁସୁମରେ ତା’ର ସାର୍ଥକତା କେତେଦୂର ପ୍ରକଟିତ ହେବ ?
ଇଂରାଜୀରେ ‘ଷ୍ଟେଟ’ କହିଲେ ଯାହା, ଆମ ଦେଶରେ ସରକାର ବା ‘ଗଭର୍ଣ୍ଣମେଣ୍ଟ’ କହିଲେ ତାହାକୁହିଁ ବୁଝାଏ । ଏହି ସରକାର ପ୍ରାଚୀନ ଭାରତବର୍ଷରେ ରାଜଶକ୍ତି ଆକାରରେ ଥିଲା । କିନ୍ତୁ, ବର୍ତ୍ତମାନ ବିଲାତର ଷ୍ଟେଟ ସଙ୍ଗରେ ଆମ ରାଜଶକ୍ତିର ପ୍ରଭେଦ ରହିଛି । ବିଲାତ ନିଜ ଦେଶର ସମସ୍ତ କଲ୍ୟାଣ କର କାର୍ଯ୍ୟ ଷ୍ଟେଟର ଦାୟିତ୍ୱରେ ଛାଡ଼ିଦିଏ—ଭାରତବର୍ଷ ତାହା ଏକ ସୀମାବଦ୍ଧ କ୍ଷେତ୍ରରେ କରିଥିଲା ମାତ୍ର ।
ଦେଶର ଯେଉଁ ଗୁରୁସ୍ଥାନୀୟ ବ୍ୟକ୍ତିମାନେ ସମସ୍ତ ଦେଶକୁ ବିନା ବେତନରେ ବିଦ୍ୟା ଓ ଧର୍ମଶିକ୍ଷା ଦାନ କରୁଥିଲେ ସେମାନଙ୍କୁ ରାଜାପାଳନ ଓ ପୁରଷ୍କୃତ ଯେ କରୁ ନ ଥିଲେ ତାହା ନୁହେ, କିନ୍ତୁ ତାଙ୍କର ଦାୟିତ୍ୱ ଆ°ଶିକ ଥିଲା, ପ୍ରକୃତ ଦାୟିତ୍ୱ ଥିଲା ଗୃହସ୍ଥ ଉପରେ । ରାଜା ଯଦି ସାହାଯ୍ୟ ବନ୍ଦ କରୁଥିଲେ କିମ୍ବା ହଠାତ୍ ଯଦି ଦେଶରେ ଅରାଜକତା ଦେଖା ଦେଉଥିଲା, ବିଦ୍ୟାଶିକ୍ଷା ଓ ଧର୍ମଶିକ୍ଷା ଏକାନ୍ତ ବାଧାପ୍ରାପ୍ତ ହେଉ ନ ଥିଲା । ରାଜା ପ୍ରଜାମାନଙ୍କ ନିମନ୍ତେ ପୁଷ୍କରିଣୀ ଯେ ଖନନ କରୁ ନ ଥିଲେ ତାହା ନୁହେ, କିନ୍ତୁ ସମାଜର ଜଣେ ସଙ୍ଗତିସମ୍ପନ୍ନ ବ୍ୟକ୍ତି ଅପେକ୍ଷା ସେ କ୍ୱଚିତ୍ ଅଧିକ କିଛି କରୁଥିଲେ । ଏକାକୀ ରାଜା ଅମନୋଯୋଗୀ ହେଲେ ଦେଶର ଜଳଧାରଗୁଡ଼ିକ ଶୁଷ୍କ ହୋଇଯାଉ ନ ଥିଲା ।
ଇଂଲଣ୍ଡରେ ଲେକମାନେ ନିଜର ଆରାମ, ଆମୋଦ, ଉପଭୋଗ ଓ ସ୍ୱାର୍ଥସାଧନରେ ସ୍ୱାଧୀନ । ସେମାନେ ସାମାଜିକ କର୍ତ୍ତବ୍ୟରେ ଭାରାକ୍ରାନ୍ତ ନୁହନ୍ତି । ସେମାନଙ୍କ ବଡ଼ ବଡ଼ କର୍ତ୍ତବ୍ୟଭାର ରାଜଶକ୍ତି ଉପରେ ନ୍ୟସ୍ତ । ଆମ ଦେଶରେ ରାଜଶକ୍ତି ଅପେକ୍ଷାକୃତ ସ୍ୱାଧୀନ–ପ୍ରଜାସାଧାରଣ ସାମାଜିକ କର୍ତ୍ତବ୍ୟ ଦ୍ୱାରା ଆବଦ୍ଧ । ରାଜା ଯୁଦ୍ଧ ବା ଶିକାର କରିବାକୁ ଯାଆନ୍ତୁ, ନିଷ୍ଠା ସହକାରେ ରାଜକାର୍ଯ୍ୟ ଚଳାନ୍ତୁ, ବା ଆମୋଦପ୍ରମୋଦପୂର୍ବକ ବିଳାସରେ ଦିନ କାଟନ୍ତୁ, ସେଥିଲାଗି ସେ ଧର୍ମର ବିଚାରରେ ଦାୟୀ, କିନ୍ତୁ ଲୋକମାନେ ନିଜ ସାମାଜିକ ମଙ୍ଗଳସାଧନ ନିମନ୍ତେ ତାଙ୍କ ଉପରେ ନିର୍ଭର କରୁ ନ ଥିଲେ । ସମାଜର କାର୍ଯ୍ୟ ସମାଜର ପ୍ରତ୍ୟେକ ବ୍ୟକ୍ତି ଉପରେ ନିର୍ଦ୍ଦିଷ୍ଟଭାବରେ ଅର୍ପିତ ହୋଇଥିଲା ।
ଫଳତଃ ‘ଧର୍ମ’ କହିଲେ ଆମ୍ଭେମାନେ ଯାହା ବୁଝୁ ତାହା ସମାଜର ସର୍ବତ୍ର ସଞ୍ଚାରିତ ହୋଇଥିଲା । ପ୍ରତ୍ୟେକ ମନୁଷ୍ୟ ଆତ୍ମସଂଯମର ଶୃଙ୍ଖଳା ଅଭ୍ୟାସ କରୁଥିଲେ, ପ୍ରତ୍ୟେକ ବ୍ୟକ୍ତି ଧର୍ମପାଳନ କରିବାରେ ବାଧ୍ୟ ଥିଲେ ।
ଭିନ୍ନ ଭିନ୍ନ ସଭ୍ୟତାର ପ୍ରାଣଶକ୍ତି ଭିନ୍ନ ଭିନ୍ନ ସ୍ଥାନରେ ପ୍ରତିଷ୍ଠିତ । ସାଧାରଣଙ୍କର କଲ୍ୟାଣଭାର ଯେଉଁଠାରେ କେନ୍ଦ୍ରୀଭୂତ, ସେହି ସ୍ଥାନହିଁ ଦେଶର ପ୍ରକୃତ ମର୍ମସ୍ଥାନ । ସେଠାରେ ଆଘାତ କଲେ ସମଗ୍ର ଦେଶ ସାଂଘାତିକ ଭାବରେ ଆହତ ହୁଏ । ବିଲାତରେ ରାଜଶକ୍ତି ବିପର୍ଯ୍ୟସ୍ତ ହେଲେ ସମଗ୍ର ଦେଶର ବିନାଶ ଉପସ୍ଥିତ ହୁଏ, ସେ କାରଣରୁ ସେଠାରେ ରାଜନୀତି ଏତେ ଅଧିକ ଗୁରୁତର ବିଷୟ । ଆମ ଦେଶରେ ସମାଜ ପଙ୍ଗୁ ହେଲେ ହିଁ ଦେଶର ସଙ୍କଟାବସ୍ଥା ଯଥାର୍ଥରୂପେ ଉପସ୍ଥିତ ହୁଏ । ତେଣୁ ରାଷ୍ଟ୍ରୀୟ ସ୍ୱାଧୀନତା ନିମନ୍ତେ ଆମ୍ଭେମାନେ ଏତେକାଳ ପ୍ରାଣପଣ ଉଦ୍ୟମ କରି ନାହୁଁ କିନ୍ତୁ ସାମାଜିକ ସ୍ୱାଧୀନତା ସର୍ବତୋଭାବେ ଆମେ ରକ୍ଷା କରିଅଛୁ । ନିଃସ୍ୱକୁ ଭିକ୍ଷାଦାନଠାରୁ ଆରମ୍ଭ କରି ସାଧାରଣଙ୍କୁ ଧର୍ମଶିକ୍ଷା ଦାନ ପର୍ଯ୍ୟନ୍ତ ସକଳ ବିଷୟରେ ଇଂଲଣ୍ଡ ଷ୍ଟେଟ ଉପରେ ନିର୍ଭର କରେ । କିନ୍ତୁ ଆମ ଦେଶରେ ଏହା ଲୋକମାନଙ୍କର କର୍ତ୍ତବ୍ୟବୋଧ ଉପରେ ପ୍ରତିଷ୍ଠିତ । ସେହି କାରଣରୁ ଇଂଲଣ୍ଡ ଷ୍ଟେଟକୁ ବଞ୍ଚାଇଲେ ହିଁ ବଞ୍ଚିବ, କିନ୍ତୁ ଆମେ ଆମର ସମାଜ ସଚେତନତାକୁ ରକ୍ଷା କରିଲେ ପ୍ରକୃତରେ ବଞ୍ଚି ପାରିବା ।
ଇଂଲଣ୍ଡ ସ୍ୱଭାବତଃ ଷ୍ଟେଟକୁ ଜାଗ୍ରତ ଓ ସଚେଷ୍ଟ ରଖିବାକୁ ସର୍ବଦା ନିଯୁକ୍ତ । ଆମ୍ଭେମାନେ ଇଂରାଜୀ ବିଦ୍ୟାଳୟମାନଙ୍କରେ ପଢ଼ି ସ୍ଥିର କରିଅଛୁ ଯେ ସକଳ ଅବସ୍ଥାରେ ସରକାରକୁ ଆଘାତ ଦେଇ ମନୋଯୋଗୀ କରାଇବା ହେଉଛି ଜନସାଧାରଣଙ୍କର ପ୍ରଧାନ କର୍ତ୍ତବ୍ୟ-। କନ୍ତୁ, ଅନ୍ୟର ଶରୀରରେ ପ୍ରଲୋପ ବୋଳି ନିଜ ବ୍ୟାଧିକୁ ଯେ କେବେ ଆରୋଗ୍ୟ କରି ପାରିବୁ ନାହିଁ ଏହା ଆମ୍ଭେମାନେ ଭୁଲି ଯାଇଅଛୁ ।
ଏହି ପ୍ରସଙ୍ଗରେ ଏକ ଯୁକ୍ତି ଏଠାରେ ଉତ୍ମାପିତ ହୋଇ ପାରେ ସାଧାରଣଙ୍କ କର୍ମଭାର ସାଧାରଣଙ୍କର ସର୍ବଙ୍ଗରେ ସଞ୍ଚାରିତ ହୋଇ ରହିବା ଉତ୍ତମ, ନା ତାହା ବିଶେଷ ଭାବରେ ସରକାର ନାମକ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆବଦ୍ଧ ରହିବା ଶ୍ରେୟସ୍କର ? ମୁଁ ଜୋରଦେଇ କହିବାକୁ ଚାହେ ଯେ ଏ ଧରଣର ଆଲୋଚନା ଗୋଟିଏ ବିଦ୍ୟାଳୟର ତର୍କସଭା ପାଇଁ ଉପଯୁକ୍ତ, କିନ୍ତୁ ବର୍ତ୍ତମାନ ଆମ ନିମନ୍ତେ ଏହା ଉପାଦେୟ ନୁହେ । ବିଲାତି ଷ୍ଟେଟ ଲୋକମାନଙ୍କର ସମ୍ମତି ଓ ଶୁଭେଚ୍ଛା ଉପରେ ଦୃଢ଼ରୂପେ ସ୍ଥାପିତ ଓ ଏକ ସ୍ୱାଭାବିକ ନିୟମରେ ତାହା ଅଭିବ୍ୟକ୍ତ, ଆମ୍ଭେମାନେ ଏହା ବୁଝିବା ଉଚିତ । କେବଳ ତର୍କ ଦ୍ୱାରା ଆମ୍ଭେମାନେ ତାହା ଲାଭ କରି ପାରିବୁ ନାହିଁ । ଯେତେ ଉତ୍ତମ ହେଲେ ମଧ୍ୟ ଏହା ଆଜି ଆମ୍ଭମାନଙ୍କ ପକ୍ଷରେ ଅନଧିଗମ୍ୟ ।
ଆମ ଦେଶରେ ସମାଜ ସହିତ ସରକାରର ସମ୍ପର୍କ ନାହିଁ, ସମାଜ ସଂସ୍ଥାର ତାହା ବହିର୍ଭୂତ । ତେଣୁ ସରକାର ନିକଟରୁ ଆମେ ଯାହା କିଛି ପ୍ରତ୍ୟାଶା କରୁ, ସ୍ୱାଧୀନତାର ମୂଲ୍ୟ ଦେଇ ତାହା ଲାଭ କରିବାକୁ ପଡ଼ିବ । ସରକାରଙ୍କ ଉପରେ ଦାୟିତ୍ୱ ଲଦିଦେଲେ ସମାଜ ସେହି କର୍ମ ସମ୍ବନ୍ଧରେ ନିଜକୁ ଅକର୍ମଣ୍ୟ କରିବ । ଅଥଚ ଏହି ଅକର୍ମଣ୍ୟତା ଆମ ଦେଶର ସ୍ୱଭାବସିଦ୍ଧ ନୂହେ । ଆମ୍ଭେମାନେ ବହୁ ଜାତିର, ବହୁ ରାଜାଙ୍କର ଅଧୀନତା ସ୍ୱୀକାର କରିଅଛୁ, କିନ୍ତୁ ସମାଜ ଚିରଦିନ ନିଜର ସମସ୍ତ କାର୍ଯ୍ୟ ନିଜେ ସମ୍ପନ୍ନ କରି ଆସିଅଛି । ଛୋଟ ହେଉ ବା ବଡ଼ ହେଉ କୌଣସି ବିଷୟରେ, ଏହା ବାହାରର ଅନ୍ୟ କାହାକୁ ହସ୍ତକ୍ଷେପ କରିବାକୁ ପ୍ରଶୟ ଦେଇ ନାହିଁ । ସୁତରାଂ ରାଜଶ୍ରୀ ରାଜ୍ୟରୁ ନିର୍ବାସିତ ହେବା କାଳରେ ସମାଜଲକ୍ଷ୍ମୀ ବିଦାୟ ଗ୍ରହଣ କରି ନାହାନ୍ତି ।
ଆଜି ଆମ୍ଭେମାନେ ନିଜ ଇଚ୍ଛାରେ ସମାଜର ସକଳ ଦାୟିତ୍ୱ ଗୋଟି ଗୋଟି କରି ସରକାରଙ୍କ ହସ୍ତରେ ଅର୍ପଣ କରିବାକୁ ଉଦ୍ୟତ । କାଳକ୍ରମେ ଆମ ସମାଜ ମଧ୍ୟରେ ବହୁ ନବ ନବ ସମ୍ପ୍ରଦାୟର ଆବିର୍ଭାବ ଘଟିଅଛି । ସେମାନେ ହିନ୍ଦୁସମାଜ ମଧ୍ୟରେ ଥାଇ ନିଜର ବିଶେଷ ଆଚାର ବିଚାର ଓ ନିୟମର ପ୍ରବର୍ତ୍ତନ କରିଛନ୍ତି, ହିନ୍ଦୁସମାଜ କେବେହେଁ ସେମାନଙ୍କୁ ତିରସ୍କାର କରି ନାହିଁ । କିନ୍ତୁ, ଆଜି ସବୁକିଛି ଇଂରେଜଙ୍କ ଶାସନ ଆଇନରେ କଠିନ ଭାବରେ ଆବଦ୍ଧ, ସାମାନ୍ୟ ବିଚ୍ୟୁତି ମାତ୍ରେହିଁ ତାହାକୁ ଅହିନ୍ଦୁ ବୋଲି ଘୋଷଣା କରିବାକୁ ସମାଜ ବାଧ୍ୟ ହୋଇଅଛି । ନିଜ ଅନ୍ତର ମଧ୍ୟରେ ଯତ୍ନ ସହକାରେ ଯୁଗ ଯୁଗ ଧରି ରକ୍ଷା କରି ଆସିଥିବା ଆମ ସମାଜର ମର୍ମସ୍ଥାନ ଶେଷରେ ଅନାବୃତ ଓ ବାହ୍ୟ ଆକ୍ରମଣର ସମ୍ମୁଖୀନ ହୋଇ କେବଳ ବିପର୍ଯ୍ୟୟ ଓ ବିଶୃଙ୍ଖଳା ବରଣ କରିଅଛି । ଏହାହିଁ ବିପଦର ମୂଳ, ଜଳକଷ୍ଟ ପ୍ରଧାନ ବିପଦ ନୁହେ ।
ଅତୀତ କାଳରେ ଯେଉଁମାନେ ରାଜଦରବାରରେ ବିଶେଷ ସମ୍ମାନ ଓ ପ୍ରତିଷ୍ଠା ଲାଭ କରିଥିଲେ, ଯେଉଁମାନଙ୍କ ମନ୍ତ୍ରଣା ଓ ସହାୟତା ଶାସକମାନଙ୍କର ଅପେକ୍ଷିତ ଥିଲା, ସେମାନଙ୍କ ଦୃଷ୍ଟିରେ ଏହି ରାଜପ୍ରାସାଦଜନିତ ସନ୍ତୋଷ ଯଥେଷ୍ଟ ନ ଥିଲା । ନିଜ ସମାଜର ସ୍ୱୀକୃତିକୁ ସେମାନେ ବଡ଼ ମନେକରୁଥିଲେ । ଅଖ୍ୟାତ ପଲ୍ଳୀର କୁଟୀର ଦ୍ୱାରରେ ସେମାନେ ସେହି ଚରମ ସମ୍ମାନ ନିମନ୍ତେ ଅପେକ୍ଷା କରୁଥିଲେ, ରାଜରାଜେଶ୍ୱରଙ୍କର ରାଜଧାନୀ ଦିଳ୍ଳୀ ଦରବାର ତାଙ୍କୁ ସେ ସମ୍ମାନ ଦେଇ ପାରୁ ନ ଥିଲା । ଜନସାଧାରଣଙ୍କର ନିକଟରୁ ଲବ୍ଧ ସମ୍ମାନ ରାଜପ୍ରଦତ୍ତ ସର୍ବୋଚ୍ଚ ଉପାଧି ଅପେକ୍ଷା ସେମାନଙ୍କ ନିକଟରେ ବଡ଼ ଥିଲା ।
ଦେଶ ଲୋକମାନେ ଧନ୍ୟ କହିବେ, ଏ ଧରଣର ସମ୍ମାନ ପ୍ରତି ଆମେ ଆଜି ଅଧିକ ଗୁରୁତ୍ୱ ଦେଉ ନାହୁଁ; ଫଳତଃ ଜନସାଧାରଣଙ୍କର ମଙ୍ଗଳ ଦିଗରେ ଆମ ଚେଷ୍ଟା ସ୍ୱାଭାବିକ ଭାବରେ ଗତି କରୁ ନାହିଁ । ବର୍ତ୍ତମାନ ସରକାରଙ୍କ ନିକଟରୁ ହୁଏତ ଆଶୀର୍ବାଦ ବା ଭିକ୍ଷା ଆମ ପକ୍ଷରେ ଅପରିହାର୍ଯ୍ୟ । ଦେଶର ଜଳକଷ୍ଟ ନିବାରଣ ନିମନ୍ତେ ଶାସକ, ଲୋକମାନଙ୍କୁ ତାଗିଦ ଦେଉଛନ୍ତି । ଆମ ହୃଦୟ ଇଂରେଜମାନଙ୍କ ନିକଟରେ ଦାସତ୍ୱର ସ୍ୱୀକୃତି ପ୍ରଦାନ କରିଅଛି, ଆମର ସୁରୁଚି ସାହେବୀ ଦୋକାନରେ ମଧ୍ୟ ବିକ୍ରୀତ ।
ମୁଁ ଭାବୁଛି ମୋରେ ଅନେକେ ଭୁଲ୍ ବୁଝି ପାରନ୍ତି । ସମସ୍ତେ ନିଜ ନିଜ ପଲ୍ଳୀମାଟି ଆବୋରି ପଡ଼ି ରହିବେ, ବିଦ୍ୟା, ସମ୍ମାନ ଓ ଧନ ଅର୍ଜନ ନିମନ୍ତେ ଗ୍ରାମ ବାହାରକୁ ଆସିବେ ନାହିଁ । ଏହା ମୁଁ କହୁ ନାହିଁ । ଯେଉଁ ଆକର୍ଷଣ ବଙ୍ଗାଳୀଜାତିକୁ ବାହାରକୁ ଟାଣୁଛି, ତା'ର ପ୍ରଚ୍ଛନ୍ନ ଶକ୍ତିକୁ ଉଦ୍ବୋଧିତ ଓ କର୍ମକ୍ଷେତ୍ରକୁ ପ୍ରସାରିତ କରି ଚିତ୍ତକୁ ବିସ୍ତୀର୍ଣ୍ଣ କରୁଅଛି ସେହି ଆକର୍ଷଣ ପ୍ରତି କୃତଜ୍ଞତା ଜ୍ଞାପନ ଛଡ଼ା ଆମର ଅନ୍ୟ ପନ୍ଥା ନାହିଁ । କିନ୍ତୁ, ଘର ଓ ବାହାରର ସ୍ୱାଭାବିକ ସମ୍ପର୍କ ଯେପରି ବିପର୍ଯ୍ୟସ୍ତ ନ ହୁଏ ତାହା ଆମ ଲେକମାନଙ୍କୁ ସ୍ମରଣ କରାଇଦେବାର ବେଳ ଆସି ପହଞ୍ଚିଛି । ବାହାରକୁ ଅର୍ଜ୍ଜନ କରିବାକୁ ଯିବାକୁ ହେବ ଏବଂ ସଞ୍ଚୟଲବ୍ଧ ଧନସହ ପ୍ରତ୍ୟାବୃତ୍ତ ହେବାକୁ ପଡ଼ିବ । ବାହାରେ ଶକ୍ତିର ବିନିଯୋଗ ଘଟିଲେ ସୁଦ୍ଧା ହୃଦୟ ସ୍ୱଦେଶରେ କେନ୍ଦ୍ରୀଭୂତ ହେବା ଆବଶ୍ୟକ । ଆମେ ବାହାରେ ଯାହା ଶିଖିବା ଘରେ ତାହାର ପ୍ରୟୋଗ କରିବା, କିନ୍ତୁ ଆମ୍ଭେମାନେ ଘର ଓ ବାହାରର ସମ୍ପର୍କକୁ, ଆତ୍ମୀୟ ଓ ଆଗନ୍ତୁକଙ୍କ ସମ୍ବନ୍ଧକୁ ଠିକ୍ ବିପରୀତଭାବେ ପରିବର୍ତ୍ତିତ କରିଛୁ ।
ଆମ୍ଭମାନଙ୍କର ବହୁ କାର୍ଯ୍ୟରେ ଯେଉଁ ଅସଙ୍ଗତ ଅଛି ପ୍ରାଦେଶିକ ସଭା ତାହାର ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ । ଏହି କନଫରେନ୍ସ ବା ସଭା ଦେଶକୁ ମନ୍ତ୍ରଣା ଦେବା ନିମନ୍ତେ ସମବେତ । ଅଥଚ ଏହାର ବ୍ୟବହୃତ ଭାଷା ବିଦେଶୀ । ଜଣାଯାଏ ବେବଳ ଇଂରେଜୀ ଶିକ୍ଷିତ ଲୋକମାନଙ୍କ ବିଷୟରେ ଆମେ ଆଗ୍ରହୀ । ଜନସାଧାରଣ ଏବଂ ଆମ୍ଭମାନଙ୍କ ମଧ୍ୟରେ ଏକ ଦୁର୍ଭେଦ୍ୟ ପ୍ରାଚୀର ଆମେ ଛିଡ଼ା କରାଇଛୁ ।
ଏହି ସଭା ଦେଶ ଉପରେ ବଳିଷ୍ଠ ପ୍ରଭାବ ପକାଇବା ନିମନ୍ତେ କିପରି ସମର୍ଥ ହେବ ଏବଂ ଏହି ଉଦ୍ଦେଶ୍ୟରେ ଆମେ କିପରି ଅଗ୍ରସର ହେବା, ତାହା ବର୍ତ୍ତମାନ ଚିନ୍ତା କରାଯାଉ । ବିଲାତି ଧରଣରେ ସଭା କରିବା ଅପେକ୍ଷା ଦେଶୀ ଧରଣର ଏକ ବୃହତ୍ ମେଳା ଆମେ କରିଥାନ୍ତେ-। ସେଠାରେ ଯତ୍ରା; ସଙ୍ଗୀତ ଆମୋଦ ଆହ୍ଳାଦର ବିରାଟ ଉତ୍ସବର ଆକର୍ଷଣରେ ଦେଶର ଦୂରଦୂରାନ୍ତରୁ ଲୋକମାନେ ଏକତ୍ର ହୁଅନ୍ତେ, ଭଲ ଗାୟକ, ଯାତ୍ରାଦଳ ଓ କଥକମାନଙ୍କୁ ସେଠାରେ ପୁରସ୍କୃତ କରାଯାଆନ୍ତା । ଦେଶର କୃଷିଜାତ ଦ୍ରବ୍ୟର ପ୍ରଦର୍ଶନୀ ହୁଅନ୍ତା, ମ୍ୟାଜିକଲଣ୍ଠନ ପ୍ରଭୃତି ସାହାଯ୍ୟରେ ସ୍ୱାସ୍ଥ୍ୟରକ୍ଷାର ନିୟମ ଓ ଉପଦେଶ ସ୍ପଷ୍ଟଭାବେ ବୁଝାଇ ଦିଆଯାଆନ୍ତା । ସର୍ବୋପରି ଜାତୀୟ ସ୍ୱାର୍ଥ ସମ୍ବନ୍ଧରେ ଆମର ଯାହା କିଛି କହିବାର ଅଛି ସରଳ ବଙ୍ଗଳାଭାଷାରେ ତାହା ଆଲୋଚିତ ହୁଅନ୍ତା ଏବଂ ଏ ଆଲୋଚନାରେ ସମ୍ଭ୍ରାନ୍ତ ଓ ସାଧାରଣ ସମଭାବରେ ଭାଗ ନେଇ ପାରନ୍ତେ ।
ଆମ ଦେଶର ଜନସାଧାରଣ ପ୍ରଧାନତଃ ପଲ୍ଲୀବାସୀ । ଏହି ପଲ୍ଲୀ ବେଳେ ବେଳେ ବାହାର ଜଗତର ବୃହତ୍ତର ଜୀବନର ସ୍ପନ୍ଦନ ଅନୁଭବ କରିବା ନିମନ୍ତେ ଉତ୍ସୁକ ହୋଇଉଠେ, ଏହାର ଚରିତାର୍ଥତା ନିମନ୍ତେ ମେଳା ସର୍ବୋତ୍କୃଷ୍ଟ ପନ୍ଥା ।
ଏହି ମେଳା ମଧ୍ୟ ଦେଇ ଆମ ଘର ଭିତରେ ବାହାର ଜଗତକୁ ଅନୁଭବ କରିବାକୁ ହେବ । ଏ ଧରଣର ଉତ୍ସବ ମଧ୍ୟରେ ଗ୍ରାମ ତାହାର ସଂକୀର୍ଣ୍ଣତା ବିସ୍ମୃତ ହୁଏ, ହୃଦୟ ଖୋଲି ଦାନ ଓ ଗ୍ରହଣ କରିବାର ଏହା ଉପଯୁକ୍ତ ସୁଯୋଗ । ଆକାଶ ଜଳରେ ଜଳାଶୟ ପୂର୍ଣ୍ଣ ହେବାର ସମୟ ଯେପରି ବର୍ଷାଋତୁ, ସେହିପରି ପଲ୍ଲୀହୃଦୟକୁ ବିଶ୍ୱଭାବରେ ପୂର୍ଣ୍ଣ କରିବାର ଉପଯୁକ୍ତ ଅବସର ହେଉଛି ମେଳା ।
ଏହି ମେଳା ଆମ ଦେଶରେ ଅତ୍ୟନ୍ତ ସ୍ୱାଭାବିକ ବ୍ୟାପାର । ଗୋଟିଏ ସଭା ନିମନ୍ତେ ଲୋକଙ୍କୁ ଡାକ ଦିଅ, ସେମାନେ ସନ୍ଦେହ ଓ ଅବିଶ୍ୱାସ ଭାବାକ୍ରାନ୍ତ ମନନେଇ ଆସିବେ, ତାଙ୍କର ମନ ସହଜରେ ଉନ୍ମୁକ୍ତ ହେବ ନାହିଁ । କିନ୍ତୁ ମେଳା ଉପଲକ୍ଷରେ ଏକତ୍ର ହେଉଥିବା ଲୋକମାନେ ସେମାନଙ୍କ ହୃଦୟ ଖୋଲି ଆସନ୍ତି । ହଳ ଲଙ୍ଗଳ ପଛରେ ପଡ଼ିରହେ, ଲୋକମାନଙ୍କର ସେ ଦିନ ପ୍ରକୃତ ଛୁଟି । ସେମାନଙ୍କ ପାଖରେ ବସିବାର ତାହାହିଁ ଉପଯୁକ୍ତ ବେଳ, ଏହିଠାରେ ହିଁ ଦେଶର ମନ ଚିହ୍ନିବାର ପ୍ରକୃତ ସୁଯୋଗ ମିଳେ ।
ବଙ୍ଗଦେଶରେ ବର୍ଷର ବିଭିନ୍ନ ସମୟରେ ମେଳା ଅନୁଷ୍ଠିତ ହୁଏ । ଏହି ମେଳାମାନଙ୍କରେ ଏକ ତାଲିକା କରି, ସେହି ଉନ୍ନୁକ୍ତ ଦ୍ୱାର ମଧ୍ୟଦେଇ ଦେଶର ଲୋକମାନଙ୍କ ସଙ୍ଗରେ ଯଥାର୍ଥ ଭାବେ ପରିଚିତ ହେବା ଉଚିତ ।
ଶିକ୍ଷିତ ସମ୍ପ୍ରଦାୟ ଯଦି ମେଳାଗୁଡ଼ିକର ଆୟୋଜନ ନିଜ ଅଞ୍ଚଳରେ କରି ସେଗୁଡ଼ିକୁ ନବଭାବରେ ଜାଗ୍ରତ ଓ ନବପ୍ରାଣରେ ସଜୀବ କରି ପାରନ୍ତି, ଏହା ମଧ୍ୟରେ ଯଦି ସେମାନେ ହିନ୍ଦୁ ଓ ମୁସଲମାନମାନଙ୍କୁ ଏକତ୍ର କରି ସେମାନଙ୍କ ମଧ୍ୟରେ ସଦ୍ଭାବ ସ୍ଥାପନ କରିବାକୁ ସମର୍ଥ ହୁଅନ୍ତି; କୌଣସି ପ୍ରକାର ନିଷ୍ଫଳ ରାଜନୀତିରୁ ଦୂରରେ ରହି ବିଦ୍ୟାଳୟ, ରାସ୍ତା ଘାଟ, ଜଳାଧାର, ଗୋଚର ଜମିପ୍ରଭୃତି ଲେକମାନଙ୍କ ପ୍ରକୃତ ଅଭାବ ସ୍ଥିରପୂର୍ବକ ସେଗୁଡ଼ିକର ପ୍ରତିକାରର ପରାମର୍ଶ ଦିଅନ୍ତି ତେବେ ଅତି ଅଳ୍ପକାଳ ମଧ୍ୟରେ ଦେଶ ନବଜୀବନରେ ପରିପୂର୍ଣ୍ଣ ହୋଇ ପାରିବ ।
ଦଳେଲୋକ ବଙ୍ଗଦେଶର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ମେଳା ନିମନ୍ତେ ସଙ୍ଗୀତ, ପୌରାଣିକ ଗଳ୍ପ ‘କଥକ’ ଆବୃତ୍ତି ମ୍ୟାଜିକ ଲଣ୍ଠନ ପ୍ରଦର୍ଶନୀ ପ୍ରଭୃତିର ଆୟୋଜନ କଲେ, ବ୍ୟୟ ନିର୍ବାହ ନିମନ୍ତେ ସେମାନଙ୍କୁ ଚିନ୍ତିତ ହେବାକୁ ପଡ଼ିବ ନାହିଁ । ପ୍ରତ୍ୟେକ ମେଳା ନିମନ୍ତେ ସେମାନେ ଜମିଦାରଙ୍କୁ ନିଜ ସଂଗୃହୀତ ଅର୍ଥର ସାମାନ୍ୟ କର ଆକାରରେ ଦେଇ ଉପଯୁକ୍ତ ବ୍ୟବସ୍ଥା ଦ୍ୱାରା ସମସ୍ତ ଆୟୋଜନକୁ ଲାଭଜନକ କରି ପାରିବେ । ଏହି ଲାଭର ଉଦ୍ବୃତ୍ତାଂଶ ଦେଶର କଲ୍ୟାଣକର କର୍ମରେ ନିୟୋଜିତ ହୋଇ ପାରିଲେ ମେଳା ଦଳସହ ସମସ୍ତ ଦେଶର ହୃଦୟର ସମ୍ବନ୍ଧ ଘନିଷ୍ଠ ହେବ । ଏହି ଭାବରେ ଯେ କେତେ ଉପକାର ସାଧିତ ହୋଇ ପାରିବ ତାହାର ସୀମା ନାହିଁ । ଏହା ମନେରଖିବାକୁ ହେବ ଯେ ବହୁକାଳରୁ ଆନନ୍ଦ ଉତ୍ସବ ମଧ୍ୟଦେଇ ଲୋକମାନଙ୍କୁ ସାହିତ୍ୟରସ ପରିବେଷଣ ଓ ଧର୍ମଶିକ୍ଷା ଦାନ କରା ହୋଇଅଛି ।
ସମ୍ପ୍ରତି ନାନା କାରଣବଶତଃ ଆମର ଜମିଦାରମାନେ ସହର ପ୍ରତି ଆକୃଷ୍ଟ । ସେମାନଙ୍କ ପୁତ୍ର କନ୍ୟାର ବିବାହ ଉତ୍ସବ ଉପଲକ୍ଷରେ ଯାହାକିଛି ଆମୋଦ ଆହ୍ଳାଦ, ସଙ୍ଗୀତ, ଥିଏଟର ପ୍ରଭୃତି କେବଳ ସହରର ଧନୀ ବନ୍ଧୁମାନଙ୍କୁ ଦେଖାଇବା ନିମନ୍ତେ ଅନୁଷ୍ଠିତ ହୁଏ, କିନ୍ତୁ ଦରିଦ୍ର ପ୍ରଜାମାନେ ହିଁ ଅଧିକ ଚାନ୍ଦା ଦେବାର ଭାର କେବଳ ବହନ କରନ୍ତି । ଦରିଦ୍ର ଓ ଇତର ଲୋକମାନେ ଭୋଜୀ ଉପଲକ୍ଷେ ମିଷ୍ଠାନ୍ନର ସମ୍ବଳ ଯୋଗାନ୍ତି କିନ୍ତୁ ନିଜେ ମିଷ୍ଟାନ୍ନର କଣାମାତ୍ର ଆସ୍ୱାଦନ କରି ପାରନ୍ତି ନାହିଁ । ଏଥିପାଇଁ ବଙ୍ଗଦେଶର ଗ୍ରାମଗୁଡ଼ିକ ଦିନୁଦିନ ଆନନ୍ଦଶୂନ୍ୟ ହୋଇପଡ଼ୁଛି, ଏବଂ ଯେଉଁ ସାହିତ୍ୟ ସଂସ୍କୃତି ଏସରୁ ଉତ୍ସବର ସ୍ୱାତନ୍ତ୍ର୍ୟରୂପେ ସାଧାରଣତଃ ଗୃହୀତ ହୋଇଥିଲା ଏବଂ ଦେଶର ଆବାଳବୃଦ୍ଧବନିତା ସମସ୍ତଙ୍କ ମନକୁ ସରସ ଓ ଶୋଭନ କରିଥିଲା, ତାହା ଆଜି ସାଧାରଣ ଲୋକମାନଙ୍କ ନିକଟରୁ ଦୂରକୁ ଚାଲିଯାଇଅଛି । ଆମର ଏହି କଳ୍ପିତ ମେଳାସମ୍ପ୍ରଦାୟ ଯଦି ସାହିତ୍ୟର ଧାରା ଆନନ୍ଦର ସ୍ରୋତ ବଙ୍ଗଦେଶର ପଲ୍ଲୀଦ୍ୱାରରେ ପୁଣି ପ୍ରବାହିତ କରିପାରେ, ଏହି ଶସ୍ୟଶ୍ୟାମଳା ବଙ୍ଗଦେଶର ଅନ୍ତଃକରଣ ଯାହାକି କ୍ରମେ କ୍ରମେ ମରୁଭୂମିରେ ପରିଣତ ହେଉଛି, ସେଥିରୁ ପରିତ୍ରାଣ ଲାଭ କରିବ ।
ଆମ୍ଭମାନଙ୍କୁ ପାନୀୟଜଳ ଓ ଉତ୍ତମ ସ୍ୱାସ୍ଥ୍ୟ ଦାନ କରୁଥିବା ଜଳାଧାରଗୁଡ଼ିକ ଆଉ ଦୂଷିତ । ସମାନେ ଯେ କେବଳ ଜଳକଷ୍ଟ ଦେଉଛନ୍ତି ତାହାନୁହେ, ରୋଗ ଓ ମୃତ୍ୟୁ ମଧ୍ୟ ବିତରଣ କରୁଛନ୍ତି । ସେହିପରି ଆମଦେଶରେ ଅନୁଷ୍ଠିତ ହେଉଥିବା ମେଳାମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଶିକ୍ଷାର ମାଧ୍ୟମ ହେବାକୁ ଯେ ଅଯୋଗ୍ୟ ହୋଇଛି ତାହା ନୁହେଁ, ବରଂ ଅନ୍ୟାୟ ଅନୀତିର ଆକାର ଧାରଣ କରିଅଛି । ଏହି ଶୋଚନୀୟ ଅଧୋଗତି ନିବାରଣ କରିବାକୁ ଅସମର୍ଥ ହୋଇ ଆମ୍ଭେମାନେ ଦୋଷ ଓ ଲଜ୍ଜାରେ ନିଜକୁ ଆଚ୍ଛାଦିତ କରିଛୁ ।
ମନୁଷ୍ୟ ସଙ୍ଗରେ ମନୁଷ୍ୟର ଆତ୍ମୀୟ ସମ୍ବନ୍ଧ ସ୍ଥାପନହିଁ ଚିରକାଳ ଭାରତବର୍ଷର ସର୍ବପ୍ରଧାନ ଉଦ୍ୟମ ହୋଇଆସିଛି । ଦୂର ଆତ୍ମୀମାନଙ୍କୁ ସଙ୍ଗରେ ମଧ୍ୟ ସମ୍ବନ୍ଧ ରଖିବାକୁ ହେବ; ସନ୍ତାନମାନେ ବୟସ୍କ ହେଲେ ସୁଦ୍ଧା ଶିଥିଳ ହେବ ନାହିଁ, ସେମାନଙ୍କୁ ଗ୍ରାମର ଲୋକମାନଙ୍କ ସଙ୍ଗରେ ଜାତି ଓ ଅବସ୍ଥା ନିର୍ବିଚାରରେ ଯଥାଯୋଗ୍ୟ ଆତ୍ମୀୟ ସମ୍ପର୍କ ରକ୍ଷା କରିବାକୁ ହେବ । ଗୁରୁ, ପୁରୋହିହ, ଅତିଥି, ଭିକ୍ଷୁକ, ଭୂସ୍ୱାମୀ, ପ୍ରଜା ସମସ୍ତଙ୍କ ସଙ୍ଗରେ ଯଥୋଚିତ ସମ୍ବନ୍ଧ ରହିଛି । ଏଗୁଡ଼ିକ କେବଳ ଶାସ୍ତବିହିତ ନୈତିକ ସମ୍ପର୍କ ମାତ୍ର ନୁହେ - ଏହାହିଁ ହୃଦୟର ପ୍ରକୃତ ସମ୍ବନ୍ଧ । କେହି ପିତୃସ୍ଥାନୀୟ, କେହି ବା ପୁତ୍ରସ୍ଥାନୀୟ, କେହି ବା ଭାଇ, କେହି ବା ବନ୍ଧୁ । କୌଣସି ମନୁଷ୍ୟର ସଂସ୍ରବରେ ଆସିଲେ ଆମ୍ଭେମାନେ ତାଙ୍କ ସହିତ ସମ୍ବନ୍ଧ ନର୍ଣ୍ଣୟ କରିବସୁ । ତେଣୁ ଆମ୍ଭେମନେ ମନୁଷ୍ୟକୁ ଆମର କାର୍ଯ୍ୟସାଧନ ବା କୌଣସି ଉଦ୍ଦେଶ୍ୟର ଚରିତାର୍ଥତା ନିମନ୍ତେ ଉପକରଣ ମାତ୍ର ମନେକରୁ ନାହିଁ । ଏହାର ଭଲ ମନ୍ଦ ଉଭୟଦିଗ ଥାଇପାରେ, କିନ୍ତୁ ଏହା ଆମଦେଶର ଚଳଣି, ଅଧିକନ୍ତୁ ଏହା ପ୍ରାଚ୍ୟର ରୀତି ।
ଆମର ପ୍ରକୃତି ଏହିପରି । ପ୍ରୟୋଜନର ସମ୍ବନ୍ଧକୁ ହୃଦୟର ସମ୍ବନ୍ଧ ଦ୍ୱାରା ବିଶୋଧନ କରି ଆମ୍ଭେମାନେ ଗ୍ରହଣ କରୁ । ସୁତରାଂ ଅଧିକ ଦାୟିତ୍ୱ ମଧ୍ୟ ଆମକୁ ଗ୍ରହଣ କରିବାକୁ ହେବ । ପ୍ରୟୋଜନର ସମ୍ପର୍କ, ସଂକୀର୍ଣ୍ଣ, ଅଫିସ ମଧ୍ୟରେ ଏହାର ଆରମ୍ଭ ଓ ଶେଷ । ଯଦି ପ୍ରଭୁ ଓ ଭୃତ୍ୟ ମଧ୍ୟରେ ଦ୍ୱିତୀୟ ସମ୍ବନ୍ଧ ନାହିଁ ତାହେଲେ କାର୍ଯ୍ୟ ଆଦାୟ ଓ ବେତନ ଦେବା ମଧ୍ୟରେ ସବୁକିଛି ତୁଟିଯାଏ । କିନ୍ତୁ ଯେଉଁ ମୁହୂର୍ତ୍ତରେ ଆମେ ମାନବିକ ସମ୍ପର୍କ ସ୍ୱୀକାର କରୁ, ଆମର ଦାୟିତ୍ୱ, ଭୃତ୍ୟର ପୁଅ ଝିଅର ବିବାହ କର୍ମ ଓ ପିତୃପିତାମହଙ୍କ ଶ୍ରାଦ୍ଧକ୍ରିୟା ପ୍ରଭୃତି ବ୍ୟକ୍ତିଗତ ସୁଖ ଦୁଃଖ ପ୍ରତି ପ୍ରସାରିତ ହୁଏ ।
ଏଇଠି ଗୋଟିଏ ଅପେକ୍ଷାକୃତ ଆଧୁନିକ ଦୃଷ୍ଟାନ୍ତ ଦେଖନ୍ତୁ । ଢାକା ରାଜସାହୀଠାରେ ପ୍ରାଦେଶିକ ସମ୍ମିଳନୀରେ ମୁଁ ଉପସ୍ଥିତ ଥିଲି । ଏହି ସମ୍ମିଳନୀ ବ୍ୟାପାରକୁ ଆମ୍ଭେମାନେ ସେ ଗୁରୁତର ବିଷୟ ବୋଲି ମନ କରୁ, ଏହା କହିବା ବାହୁଲ୍ୟ ମାତ୍ର । କିନ୍ତୁ, ଆଶ୍ଚର୍ଯ୍ୟର ବିଷୟ ଏହା ମଧ୍ୟରେ କର୍ମର ଉତ୍ସାହ ଅପେକ୍ଷା ଅତିଥି ସତ୍କାରର ଭାବ ସୁପରିସ୍ଫୁଟ ହେବାର ଦେଖିଲି । ମନେହେଲା ଯେପରି ମୁଁ ବରଯାତ୍ରୀ ଦଳରେ ଯାଇଅଛି; ଆହାର ବିହାର, ଆରାମ ଆମୋଦ ନିମନ୍ତେ ଆୟୋଜନ ଏତେ ଅତିରିକ୍ତ ଯେ ତାହା ଆମର ଅତିଥିସେବାମାନଙ୍କ ପକ୍ଷରେ ଅତ୍ୟନ୍ତ ବ୍ୟୟସାପେକ୍ଷ ହୋଇଥିବା ନିଶ୍ଚିତ ।
ସେମାନେ ଯଦି କହିଥାନ୍ତେ, ‘‘ତୁମ୍ଭ ଦେଶସେବା କରିବା ନିମନ୍ତେ ଏଠାକୁ ଆସିଛ, ଆମକୁ ଅନୁଗୃହୀତ କରିବାକୁ ଆସି ନାହଁ । ଆଗେ କାହିଁକି ଏତେ ପରିମାଣରେ ଉତ୍ତମ ଖାଦ୍ୟ ମଧୁର ପାନୀୟ, କୋମଳ ଶଯ୍ୟା ଓ ସୁଗମ ଯାନବାହନର ଆୟୋଜନ କରିବୁ ?’’ –କଥାଟା କୌଣସି ପ୍ରକାରେ ଅନ୍ୟାୟ ହୁଅନ୍ତା ନାହିଁ । କିନ୍ତୁ, କଠିନ କର୍ତ୍ତବ୍ୟର ଦ୍ୱାହିଦେଇ ଏପରି ମନୋଭାବ ପୋଷଣ କରିବା ଆମର ସ୍ୱାଭାବସମ୍ମତ ନୁହେ । ଆମ୍ଭେମାନ ବ୍ୟକ୍ତିଗତ ସମ୍ପର୍କସହ କର୍ତ୍ତବ୍ୟ ଅର୍ପଣ କରିବାକୁ ଚାହୁ । ତେଣୁ ସମ୍ମିଳନୀର କାର୍ଯ୍ୟକ୍ରମ ଆମ ଚିତ୍ତକୁ ଯେତେ ଆକୃଷ୍ଟ କରି ପାରି ନ ଥିଲା, ଏଠାରେ ଲାଭ କରିଥିବା ଆତିଥ୍ୟ ଦ୍ୱାରା ଆମେ ଅଧିକ ମୁଗ୍ଧ ହୋଇଥିଲୁ । ସେହି ସମ୍ମିଳନୀଗୁଡ଼ିକ ତା’ର ବିଲାତି ବହିରାବରଣ ସତ୍ତ୍ୱେ ଭାରତୀୟ ହୃଦୟକୁ ବାଦ୍ଦେଇ ପାରି ନ ଥିଲା-। ଆମର ଜାତୀୟ କଂଗ୍ରେସ ପକ୍ଷରୁ ମଧ୍ୟ ସମାନ କଥା । କଂଗ୍ରେସ ମଧ୍ୟରେ ଆତିଥ୍ୟ ଅଂଶଟି ପ୍ରକୃତ ଦେଶୀୟ, ତାହା ସର୍ବଦା ଦେଶ ମଧ୍ୟରେ କାର୍ଯ୍ୟକରେ, କିନ୍ତୁ ବାର୍ଷିକ ଅଧିବେଶନର କାର୍ଯ୍ୟ ମାତ୍ର ତିନିଦିନରେ ସରିଯାଏ, ବାକି ବର୍ଷସାରା ଏହା ପାଖରେ ଜୀବନର କୌଣସି ଚିହ୍ନ ନ ଥାଏ ।
ଏହା ସ୍ପଷ୍ଟ ଯେ ଭାରତୀୟମାନେ ପ୍ରଚୁର କର୍ମ ମଧ୍ୟରେ ସୁଦ୍ଧା ମାନବ ସମ୍ବନ୍ଧର ମାଧୁର୍ଯ୍ୟ ପରିତ୍ୟାଗ କରି ପାରିବେ ନାହିଁ । ଫଳତଃ ଦେଶ ସାରା ଆମ୍ଭୀୟ ଓ ଆଗନ୍ତୁକ, ଉଚ୍ଚ ଓ ନୀଚ, ଗୃହସ୍ଥ ଓ ଅତିଥି ମଧ୍ୟରେ ଘନିଷ୍ଠ ସମ୍ପର୍କ । ଏହି କାରଣରୁ ଏ ଦେଶରେ ଟୋଲ୍, ପାଠଶାଳା, ଅତିଥିଶାଳା, ମନ୍ଦିର ଓ ଜଳାଶୟର ପ୍ରତିଷ୍ଠା; ନିରାଶ୍ରୟ ଅନ୍ଧ ଓ ଦୁର୍ବଳର ପ୍ରତିପାଳନ ନିମନ୍ତେ କୌଣସି ଦିନ କୌଣସି ବାହାରର ଲୋକକୁ ଚିନ୍ତିତ ହେବାକୁ ପଡ଼ି ନାହିଁ ।
ସର୍ବାପେକ୍ଷା ଅଧିକ ଉପକାର ଲାଭ କରୁଥିବା ବିଷୟମାନଙ୍କରେ ନିଜର ସକଳ ସ୍ୱାର୍ଥ ଓ ଉଦ୍ୟମ କେନ୍ଦ୍ରୀଭୂତ କରିବା ଗୋଟିଏ ଦେଶ ପକ୍ଷରେ ସ୍ୱାଭାବିକ । ଦେଶର ଧନ ବିଭିନ୍ନ ବାଟଦେଇ ନାନା ଆକାରରେ ବିଦେଶକୁ ଚାଲିଯାଉଛି ବୋଲି ଆମ୍ଭେମାନେ ଆକ୍ଷେପ କରିଥାଉଁ । କିନ୍ତୁ, ଦେଶର ଆତ୍ମା ଯଦି ଲକ୍ଷ୍ୟଚ୍ୟୂତ ହୁଏ, ଆମ ଦେଶର ଯାହାକିଛି କଲ୍ୟାଣକର ସମ୍ବନ୍ଧ ଯଦି ବିଦେଶୀମାନଙ୍କ ହାତକୁ ଚାଲିଯାଏ, ଆମ ନିମନ୍ତେ କିଛି ଅବଶିଷ୍ଟ ରହେ ନାହିଁ ତା’ହେଲେ ବିଦେଶଗାମୀ ଧନସ୍ରୋତ ଅପେକ୍ଷା ଏହା କଣ କମ୍ ଦୁଃଖଦାୟକ ହେବ ?
ଆମ ଦେଶରେ ଅନେକ ଉଦ୍ୟୋଗୀ ବ୍ୟକ୍ତି ପ୍ରାଥମିକ ଉତ୍ସାହର ପ୍ରେରଣାରେ ବହୁ କାଳ୍ପନିକ ଫୁଲ ଫୁଟାଇ ଦିଅନ୍ତି, କିନ୍ତୁ ପରିଶେଷରେ ଅଧିକାଂଶ ପୁଷ୍ପ ଫଳପ୍ରସୂ ହୁଏ ନାହିଁ । ତା’ର ପ୍ରଧାନ କାରଣ ଆମ୍ଭମାନଙ୍କଠାରେ ଐକ୍ୟର ଅଭାବ । ଦାୟିତ୍ୱବୋଧ ପ୍ରତି ଲଘୁ ମନୋଭାବ ହେତୁ ତାହା ସ୍କନ୍ଧରୁ କ୍ରମଶଃ ଅପସାରିତ ହୋଇ ଶେଷରେ ନଷ୍ଟ ହୁଏ ।
ଆମର ସମାଜ ଏହି ଭାବରେ ଅଧିକ କାଳ ଚଳି ପାରିବ ନାହିଁ, କାରଣ ବାହାରୁ ଯେଉଁ ଶକ୍ତିସମୂହ ସମାଜକୁ ଆତ୍ମସାତ୍ କରୁଛନ୍ତି, ସେମାନେ ଦୃଢ଼ ଓ ଏକତାବଦ୍ଧ । ଆମର ବିଦ୍ୟାଳୟଠାରୁ ଆରମ୍ଭ କରି ପ୍ରତିଦିନର ଦୋକାନ ବଜାର ପର୍ଯ୍ୟନ୍ତ ସେମାନେ ଅଧିକାର କରିଛନ୍ତି ଏବଂ ତାଙ୍କର ଅଖଣ୍ଡ ଆଧିପତ୍ୟ ସ୍ଥୂଳ ସୂକ୍ଷ୍ମଭାବରେ କିପରି ସର୍ବତ୍ର ପରିବ୍ୟାପ୍ତ, ତାହା ସ୍ପଷ୍ଟଭାବେ ପରିଲକ୍ଷିତ । ଏହା ବିରୁଦ୍ଧରେ ଆତ୍ମରକ୍ଷା କରିବାକୁ ହେଲେ ସମାଜର ମିଳିତଶକ୍ତି ସାହାଯ୍ୟରେ ନିଶ୍ଚିତ ଭାବରେ ଦଣ୍ଡାୟମାନ ହେବାକୁ ପଡ଼ିବ । ତାହା କରିବାର ଏକମାତ୍ର ଉପାୟ ଜଣେ ସମର୍ଥ ବ୍ୟକ୍ତିଙ୍କୁ ଅଧିପତି ଭାବରେ ବରଣ କରି ସମାଜର ପ୍ରତ୍ୟେକଙ୍କୁ ତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ କରିବା ଏବଂ ତାଙ୍କ ଶାସନକୁ ମାନିନେବାକୁ ଆତ୍ମସମ୍ମାନ ହାନିକର ମନେ ନ କରି ତାଙ୍କୁ ଆମ ସ୍ୱାଧୀନତାର ପ୍ରତୀକ ବୋଲି ମନେ କରିବା ।
ଏହି ସମାଜପ୍ରତି କେତେବେଳେ ଭଲ୍ ବା କେତେବେଳେ ମନ୍ଦ ହୋଇ ପାରନ୍ତି, କିନ୍ତୁ ସମାଜ ଯଦି ଜୀବନ୍ତ ଓ ଜାଗ୍ରତ ରହେ କୌଣସି ନେତା ସମାଜର ସ୍ଥାୟୀ ଅନିଷ୍ଟ କରି ପାରିବେ ନାହିଁ । ବରଂ ଏ ଧରଣର ଅଧିପତିଙ୍କର ଅଭିଷେକ ସମାଜକୁ ଜାଗ୍ରତ ରଖିବାର ଏକ ବାସ୍ତବ ପନ୍ଥା-। ସମାଜ ଜଣେ ବିଶେଷ ବ୍ୟକ୍ତିକୁ ନିଜ ଐକ୍ୟର ପ୍ରତୀକ ଭାବରେ ଉପଲବ୍ଧ କଲେ ତାହାର ଶକ୍ତି ଅପରାଜେୟ ହେବ ।
ସମାଜର ପ୍ରତ୍ୟେକ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ପ୍ରତ୍ୟହ ସ୍ୱଦେଶ ନିମନ୍ତେ ଅତି ଅଳ୍ପ ପରିମାଣରେ କିଛି ଉତ୍ସର୍ଗ କରିବେ । ଏହାଛଡ଼ା ପ୍ରତ୍ୟେକ ଗୃହରେ ବିବାହାଦି ଉତ୍ସବ କାଳରେ ଏହି ସ୍ୱଦେଶୀ ସମାଜ ନିମନ୍ତେ କର ଆକାରରେ କିଛି ଅର୍ଥ ସଂଗୃହୀତ ହେବ । ଏହି ଧରଣର ପ୍ରାପ୍ୟ ଉପଯୁକ୍ତ ଉପାୟର ଆଦୟ କରାଗଲେ ଅର୍ଥାଭାବ ଘଟିବ ନାହିଁ ।
ଭାରତବର୍ଷରେ ସ୍ୱେଚ୍ଛାଦତ୍ତ ଦାନରେ ବଡ଼ ବଡ଼ ମଠ ଓ ମନ୍ଦିର ସ୍ଥାପିତ ହୋଇଅଛି । ସମାଜ କ’ଣ ଏହିପରି ଭାବରେ ଚାଳିତ ହେବା ସମ୍ଭବ ନୁହେଁ ? ବିଶେଷତଃ ଏହାର ଜନମଙ୍ଗଳକର କର୍ମ ନିମନ୍ତେ କୃତଜ୍ଞ ଲୋକମାନଙ୍କର ଦାନ ଲାଭ କରିବାକୁ ଏହା ନିଶ୍ଚୟ ସମର୍ଥ ହେବ ।
ଏ ପର୍ଯ୍ୟନ୍ତ ବଙ୍ଗଦେଶକୁ ମୁଁ ମୋର ଚକ୍ଷୁ ସମକ୍ଷରେ ରଖିଥିଲେ । ଯଦି ଆମ୍ଭେମାନେ ବଙ୍ଗରେ ସମାଜର ଜଣେ ଉପଯୁକ୍ତ ଅଧିନାୟକ ନିର୍ବାଚନ କରିପାରୁ, ଆମର ସାମାଜିକ ସ୍ୱାଧୀନତାକୁ ଉଜ୍ଜ୍ୱଳ ଓ ସ୍ଥାୟୀ କରି ପାରୁ ଭାରତବର୍ଷର ଅନ୍ୟାନ୍ୟ ଅଞ୍ଚଳ ଆମର ଅନୁବର୍ତ୍ତୀ ହେବ-। ଏହି ଭାବରେ ଭାରତବର୍ଷର ପ୍ରତ୍ୟେକ ପ୍ରଦେଶ ନିଜ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଏକ୍ୟ ଲାଭ କରି ପାରିଲେ ପରସ୍ପରର ସହଯୋଗିତା ଲାଭ କରିବା ପ୍ରତ୍ୟେକ ପକ୍ଷର ସହଜ ହେବ । ଏକ୍ୟର ନିୟମ ଥରେ ପ୍ରତିଷ୍ଠିତ ହେଲେ ସହଜରେ ବ୍ୟାପ୍ତ ହୁଏ, କିନ୍ତୁ ରାଣୀକୃତ ବିଚ୍ଛିନ୍ନତାକୁ କେବଳ ମାତ୍ର ସ୍ତୁପୀ କୃତ କଲେ ତାହା ଐକ୍ୟରୂପେ ବିବେଚିତ ହେବ ନାହିଁ ।
ଏକ ବିଶେଷ ସ୍ଥାନରେ ଆତ୍ମଶକ୍ତି ସଞ୍ଚୟ କରି ଉପଲବଧ୍ କରିବା ଓ ସେହି ସ୍ଥାନରୁ ଏହାକୁ ସର୍ବତ୍ର ପ୍ରୟୋଗ କରିବାର ଏକ ବ୍ୟବସ୍ଥା କରିବା ଆମ ପକ୍ଷରେ କିଭଳି ପ୍ରୟୋଜନୀୟ, ଆଲୋଚନା କଲେ ତାହା ସୃଷ୍ପରୂପେ ବୁଝାଯିବ । ନିଜ କାର୍ଯ୍ୟର ସୁବିଧା ବା ଅନ୍ୟ ଯେ କୌଣସି କାରଣରୁ ହେଉ ନା କାହିଁକ ସରକାର ବଙ୍ଗଦେଶକୁ ଦ୍ୱିଖଣ୍ଡ କରିବାକୁ ଇଚ୍ଛା କରୁଛନ୍ତି, ଆମର ଆଶଙ୍କା ବଙ୍ଗଦେଶ ଏଥିରେ ଦୁର୍ବଳ ହେବ । ସେହିହେତୁ ଆମ୍ଭେମାନେ ପ୍ରତିବାଦ ସ୍ୱରୂପ ଯଥେଷ୍ଟ ଦୁଃଖପ୍ରକାଶ କରନ୍ତି । କିନ୍ତୁ, ଆମର ପ୍ରତିବାଦ ବୃଥା ହେଲେ ସମସ୍ତ କଅଣ ସେଠାରେ ଶେଷ ହେବ ? ଦେଶ ଖଣ୍ଡିତ ହେଲେ ଯେଉଁ ସକଳ ଅମଙ୍ଗଳ ଘଟିବାର ସମ୍ଭାବନା ସେଗୁଡ଼ିକର ପ୍ରତିକାର ନିମନ୍ତେ ଦେଶ ମଧ୍ୟରେ କଣ କୌଣସି ବ୍ୟବସ୍ଥା ରହିବ ନାହିଁ ?
ବ୍ୟାଧିର କୀଟ ଶରୀର ମଧ୍ୟରେ ପ୍ରବେଶ ନ କଲେ ଉତ୍ତମ, କିନ୍ତୁ ଯଦି ସେମାନେ ପ୍ରବେଶ କରନ୍ତି ଶରୀରର ଅନ୍ତର୍ନିହିତ ରୋଗକୁ ପ୍ରତିରୋଧ କରି ସ୍ୱାସ୍ଥ୍ୟର ପୁନଃପ୍ରତିଷ୍ଟା ନିମନ୍ତେ କୌଣସି ଶକ୍ତି ଥିବା ଉଚିତ ନୁହେଁ କି ? ଆମ ସମାଜରେ ଆମେ ଯଦି ସୁଦୃଢ଼ ଓ ସୁସ୍ପଷ୍ଟ ଭାବରେ ସେହି କର୍ତ୍ତୃତ୍ୱକୁ ପ୍ରତିଷ୍ଠା କରି ପାରୁ ତେବେ କୌଣସି ବହିଃଶକ୍ତି ବଙ୍ଗଦେଶକୁ ନିର୍ଜୀବ କରିବାକୁ ସମର୍ଥ ହୋଇ ପାରିବ ନାହିଁ ! ପ୍ରତ୍ୟେକ କ୍ଷତକୁ ଆରୋଗ୍ୟ କରିବା, ଐକ୍ୟର ବନ୍ଧନକୁ ଦୃଢ଼ କରିବା, ମୁର୍ଚ୍ଛିତକୁ ସଚେତନ କରିବା ଏହି ଶକ୍ତିର କାର୍ଯ୍ୟ ହେବ ।
ଆଜିକାଲି ବିଦେଶୀ ରାଜପୁରୁଷ ସତ୍କର୍ମର ପୁରଷ୍କାର ସ୍ୱରୂପ ଆମ୍ଭମାନଙ୍କୁ ଉପାଧି ବିତରଣ କରୁଛନ୍ତି । କିନ୍ତୁ ସ୍ୱଦେଶର ଲୋକମାନଙ୍କ ଠାରୁ ନିଜ ସତ୍କର୍ମ ନିମନ୍ତେ ସାଧୁବାଦ ଓ ଆଶୀର୍ବାଦ ଲାଭ କଲେ ଆଗ ପ୍ରକୃତରେ ଧନ୍ୟ ହେବୁ । ପୁରସ୍କାର ଦେବାର ଶକ୍ତି ସମାଜ ଉପରେ ଅର୍ପଣ ନ କଲେ ଏକ ସ୍ୱତନ୍ତ୍ର ସନ୍ତୋଷରୁ ଆମେ ଚିରଦିନ ଲାଗି ନିଜକୁ ବଞ୍ଚିତ କରିବୁ । ଆମ ଦେଶରେ ସାମାନ୍ୟ ଘଟଣାରେ ସମୟ ସମୟରେ ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ କଳହ ଘଟିଥାଏ । ଏ ଧରଣର ବିରୋଧ ମୀମାଂସା କରି ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଓ ସଦ୍ଭାବ ସ୍ଥାପନ, ଉଭୟ ପକ୍ଷର ଅଧିକାର ନିୟମିତ କରିବାର କର୍ତ୍ତୃତ୍ୱ ଯଦି ସମାଜର କୌଣସି ଉପାଦାନ ଉପରେ ଅର୍ପିତ ନ ହୁଏ, ବାରମ୍ବାର କ୍ଷତବିକ୍ଷତ ହୋଇ ସମାଜ ଉତ୍ତରୋତ୍ତର ଦୁର୍ବଳ ହେବ ।
ନିଜ ଶକ୍ତିକୁ ଅବିଶ୍ୱାସ କର ନାହିଁ । ନିଶ୍ଚୟ ଜାଣିରଖ, ପ୍ରକୃଷ୍ଟ ସମୟ ଆସି ଉପସ୍ଥିତ । ଭାରତବର୍ଷର ଐକ୍ୟବିଧାନର ଏକ ଶକ୍ତି ସର୍ବଦା କାର୍ଯ୍ୟକାରୀ ଏହା ମଧ୍ୟ ମନେରଖିବା ଉଚିତ୍ । ନାନା ପ୍ରତିକୂଳ ପରିସ୍ଥିତିରେ ଭାରତବର୍ଷ ବରାବର ନିଜର ବ୍ୟବସ୍ଥା କରିଥିବାରୁ ଆଜି ଆତ୍ମରକ୍ଷା କରିଛି । ଏହି ଭାରତବର୍ଷ ଉପରେ ମୋର ଅଖଣ୍ଡ ବିଶ୍ୱାସ । ଆଉ ମଧ୍ୟ ଏହି ମୁହୂର୍ତ୍ତରେ ଭାରତବର୍ଷ ଧୀରେ ଧୀରେ ନିଶ୍ଚିତ ଭାବରେ ନୂତନ କାଳ ସହ ନିଜ ପୁରାତନ ପରମ୍ପରାର ଏକ ଆଶ୍ଚର୍ଯ୍ୟକର ସାମଞ୍ଜସ୍ୟ ବିଧାନ କରିଛି । ଆମ୍ଭେମାନେ ପ୍ରତ୍ୟେକ ସଜ୍ଞାନ ଭାବରେ ଏଥିରେ ଯୋଗଦେବା, ବିଦ୍ରୋହର ମନୋଭାବ ବା ଜଡ଼ତ୍ୱର ବଶବର୍ତ୍ତୀ ହୋଇ ପ୍ରତିକ୍ଷଣରେ ଆମ୍ଭେମାନେ ଅସହଯୋଗ ପୂର୍ବକ ଏହାର ପ୍ରତିକୂଳତା ଆଚରଣ କରିବା ନାହିଁ ।
ବାହାର ଜଗତ ସହ ହିନ୍ଦୁ ସମାଜର ସଂଘାତ ନୂତନ ନୁହେ । ଭାରତବର୍ଷରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ଏଠାରେ ଆଦିମ ଅଧିବାସୀମାନଙ୍କ ସହ ଆର୍ଯ୍ୟମାନଙ୍କର ତୁମୁଳ ବିରୋଧ ଘଟିଥିଲା । ଏହି ସଂଘର୍ଷରେ ଆର୍ଯ୍ୟମାନେ ଜୟୀ ହେଲେ, କିନ୍ତୁ ଅନାର୍ଯ୍ୟମାନେ ଆଦିମ ଅଷ୍ଟେଲିଆବାସୀ ବା ଆମେରିକାବାସୀଙ୍କ ତୁଲ୍ୟ ଉଚ୍ଛନ୍ନ ହୋଇଯାଇ ନ ଥିଲେ । ଆର୍ଯ୍ୟ ଉପନିବେଶମାନଙ୍କରୁ ଅନାର୍ଯ୍ୟମାନେ ବହିଷ୍କୃତ ହୋଇ ନ ଥିଲେ ବରଂ ଆଚାରବ୍ୟବହାର ଓ ସଂସ୍କୃତିର ସକଳ ପାର୍ଥକ୍ୟ ସତ୍ତ୍ୱେ ଏକ ସମାଜତନ୍ତ୍ର ମଧ୍ୟରେ ନିଦ୍ଦିଷ୍ଟ ସ୍ଥାନ ସେମାନଙ୍କୁ ମିଳିଥିଲା । ସେମାନଙ୍କୁ ନେଇ ଆର୍ଯ୍ୟସମାଜ ବିଚିତ୍ର ଓ ସମୃଦ୍ଧ ହେଲା ।
ପରବର୍ତ୍ତୀ କାଳରେ ଏହି ସମାଜ ପୁଣି ତା’ର ରକ୍ଷଣଶୀଳତାକୁ ଘୁଞ୍ଚାଇ ଦେବାର ଆହ୍ୱାନ ପାଇଲା । ବୌଦ୍ଧଯୁଗରେ ନୂତନ ବୌଦ୍ଧଧର୍ମର ଆକର୍ଷଣରେ ଆକୃଷ୍ଟ ବହୁ ବିଦେଶୀ ଲୋକଙ୍କସହ ଭାରତୀୟମାନଙ୍କର ଘନିଷ୍ଟ ସଂସ୍ରବ ସ୍ଥାପିତ ହେଲା । ବିରୋଧର ସଂଘର୍ଷ ଅପେକ୍ଷା ମିଳନର ସଂସ୍ରବ ଅଧିକ ଶକ୍ତିଶାଳୀ । ମିଳନର ମୁହୂର୍ତ୍ତରେ ଅତି ସହଜରେ ସମସ୍ତେ ଏକାକାର ହୁଅନ୍ତି । ବୌଦ୍ଧଯୁଗରେ ତାହାହିଁ ଘଟିଥିଲା । ଏସିଆବ୍ୟାପୀ ଧର୍ମ ଭାବନାର ସେହି ବନ୍ୟାପ୍ଳାବନରେ ନାନାଜାତିର ଆଚାର ବ୍ୟବହାର, କ୍ରିୟାକର୍ମ ଓ ଅନୁଷ୍ଠାନ ଭାରତବର୍ଷକୁ ଆସିଥିଲା, ତାର ପ୍ରତିରୋଧ କରିବା କାହାରି ପକ୍ଷରେ ସମ୍ଭବ ହୋଇ ନ ଥିଲା ।
କିନ୍ତୁ ଏହି ବିରାଟ ବିଶୃଙ୍ଖଳା ମଧ୍ୟରେ ସୁଦ୍ଧା ସଂଯୋଗସାଧନର ପ୍ରତିଭା ଭାରତକୁ ତ୍ୟାଗ କରି ନ ଥିଲା । ଯାହା କିଛି ନିଜର, ଯାହା କିଛି ଅତିଥିମାନଙ୍କଦ୍ୱାରା ଆନୀତ ସକଳ ଏକତ୍ର କରି ଭାରତ ପୁନର୍ବାର ନିଜର ସମାଜଗଠନ ଆରମ୍ଭ କଲା । ଫଳତଃ ପୂର୍ବାପେକ୍ଷା ଏହା ଅଧିକ ସମୃଦ୍ଧ ହୋଇଉଠିଲା ।
ଏହି ବିପୁଳ ସଂଗୃହୀତ ଉପାଦାନ ମଧ୍ୟରେ ସର୍ବତ୍ର ଆପଣାର ଐକ୍ୟର ମୁଦ୍ରା ଅଙ୍କନ କରିଅଛି । ଆଜି ଅନେକ ଲୋକ ଜିଜ୍ଞାସା କରନ୍ତି , ‘‘ନାନା ଆତ୍ମବିରୁଦ୍ଧ, ଆତ୍ମଖଣ୍ଡନ ସଙ୍କୁଳ ଏହି ହିନ୍ଦୁସମାଜ ଓ ଧର୍ମ ମଧ୍ୟରେ ଐକ୍ୟ-ଚେତନା କେଉଁଠାରେ ? ଏହା ଏକ ଦୁରୁହ ପ୍ରଶ୍ନ । ଏହା ଠିକ୍ ଏକ ବିରାଟ ବୃତ୍ତର କେନ୍ଦ୍ର ଆବିଷ୍କାର କରିବା ତୁଲ୍ୟ କଠନ, କିନ୍ତୁ କେନ୍ଦ୍ର ସର୍ବଦା ବିଦ୍ୟମାନ । ଛୋଟ ଗୋଲକର ଗୋଲତ୍ୱ ବୁଝିବା ସହଜ, କିନ୍ତୁ ଯେଉଁମାନେ ଗୋଲ ପୃଥିବୀକୁ ଖଣ୍ଡ ଖଣ୍ଡ କରି ଦେଖନ୍ତି ଏହା ସେମାନଙ୍କୁ ସମତଳ ପ୍ରତୀତ ହୁଏ । ସେହିପରି ହିନ୍ଦୁସମାଜ ନାନା ପରସ୍ପରଅସଙ୍ଗତ ବୈଚିତ୍ର୍ୟକୁ ନିଜ ମଧ୍ୟରେ ଏକ କରି ନେଇଥିବାରୁ ମିଳନର ବନ୍ଧନସୁତ୍ର ଏହାର ଅକୃତି ମଧ୍ୟରେ ନିଗୂଢ଼ ହୋଇଅଛି । ସେହି ଐକ୍ୟ ଅଙ୍ଗୁଳି ଦ୍ୱାରା ନିର୍ଦ୍ଦେଶ କରିବା କଷ୍ଟକର, କିନ୍ତୁ ଆପାତ ପ୍ରତୀୟମାନ ବିରୋଧ ମଧ୍ୟରେ ଏହାର ନିର୍ଦ୍ଦିଷ୍ଟ ସ୍ଥିତ ଯେ ବିଦ୍ୟମାନ ତାହା ସ୍ପଷ୍ଟ ଉପଲବ୍ଧ କରି ହେବ ।
ଏହାପରେ ଭାରତ ମୁସଲମାନମାନଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲା । ବାହ୍ୟ ସଂଘର୍ଷମୟ ଉପାଦାନସହ ସାମଞ୍ଜସ୍ୟ ସାଧନର ପ୍ରକ୍ରିୟା ଭାରତର ସଙ୍ଗେ ସଙ୍ଗେ ଆରବ ହେଲା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଏକ ସାଧାରଣ ସଂଯୋଗ ସ୍ଥଳ ବିସ୍ତୃତ ହେଲା, ସେଠାରେ ଉଭୟ ସମାଜର ସୀମାରେଖା କ୍ରମଶଃ କ୍ଷୀଣତର ହୋଇଥିଲା । ନାନକପନ୍ଥୀ, କବୀରପନ୍ଥୀ ଓ ନିମ୍ନଶ୍ରେଣୀୟ ବୈଷ୍ଣବସମାଜ ଏହାର ଦୃଷ୍ଟାନ୍ତସ୍ଥଳ ।
ଆମ ଦେଶରେ ସାଧାରଣଙ୍କ ମଧ୍ୟରେ ନାନାସ୍ଥାନରେ ଧର୍ମ ଓ ଆଚାର ସମ୍ବନ୍ଧୀୟ ଯେଉଁସକଳ ଅଗଣିତ ଭଙ୍ଗାଗଢ଼ା-ବ୍ୟାପାର ଚାଲିଛି, ଶିକ୍ଷିକ ସମ୍ପ୍ରଦାୟ ତା’ର ଖବର ରଖନ୍ତି ନାହିଁ; ରଖୁଥିଲେ ସେମାନେ ଲକ୍ଷ୍ୟ କରିଥାନ୍ତେ ଯେ ଆଜି ମଧ୍ୟ ଭିତରେ ଭିତରେ ଏହି ସାମଞ୍ଜସ୍ୟ ସାଧନର ଗୁପ୍ତ ଅଥବ ସଜୀବ ପ୍ରକ୍ରିୟା ସ୍ଥଗିତ ହୋଇ ନାହଁ ।
ଶେଷରେ ଆଉ ଏକ ପ୍ରବଳ ବିଦେଶୀଧର୍ମ ନିଜର ବିଶ୍ୱାସ, ରୀତିନୀତି, ପରମ୍ପରା ଓ ଶିକ୍ଷାଦୀକ୍ଷା ନେଇ ସମ୍ପ୍ରତି ଭାରତର୍ଷରେ ଉପସ୍ଥିତ । ତେଣୁ ପୃଥବୀରେ ଯେଉଁ ଚାରି ପ୍ରଧାନ ଧର୍ମକୁ ଅବଲମ୍ବନ କରି ଚାରୋଟି ବୃହତ ସମାଜ-ହିନ୍ଦୁ, ବୌଦ୍ଧ, ମୁସଲମାନ ଓ ଖ୍ରୀଷ୍ଟିୟାନ ସେମାନେ ସମସ୍ତେ ଭାରତବର୍ଷରେ ଆଜି ସମ୍ମିଳିତ । ମନେହୁଏ, ବିଧାତା ପୁରୁଷ ଯେପରି ଏକ ବିରାଟ ସାମାଜିକ ମିଳନ ନିମନ୍ତେ ଭାରତବର୍ଷରେ ଏକ ବୃହତ ରାସାୟନିକ କାରଖାନା ଖୋଲିଛନ୍ତି ।
ଏଇଠି ଗୋଟିଏ କଥା ମତେ ସ୍ୱୀକାର କରିବାକୁ ପଡ଼ିବ । ବୌଦ୍ଧ ଧର୍ମର ପ୍ରାଦୁର୍ଭାବ କାଳରେ ସମାଜରେ ଯେଉଁ ବିପର୍ଯ୍ୟସ୍ତତା ଓ ସମ୍ମିଶ୍ରଣ ଘଟିଥିଲା ତାହା ପରବର୍ତ୍ତୀ ହିନ୍ଦୁସମାଜ ମଧ୍ୟରେ ଏକ ଆତଙ୍କର ଚିହ୍ନ ଛାଡ଼ି ଯାଇଛି ! ନୂତନତ୍ୱ ଓ ପରିବର୍ତ୍ତନ ପ୍ରତି ସମାଜର ଏକ ନିରତିଶୟ ସନ୍ଦେହ ଅଦ୍ୟାବଧି ସେ କାଳରୁ ରହିଆସିଛି । ଏପରି ଚିରସ୍ଥାୟୀ ଆତଙ୍କ ଜନକ ଅବସ୍ଥାରେ ସମାଜର ଅଗ୍ରଗତି ହୋଇ ନ ପାରେ, ବାହାରର ‘‘ଯୁଦ୍ଧଂଦେହି’’ ଆହ୍ୱାନରେ ଜୟୀହେବା ତା'ପକ୍ଷରେ ଅସାଧ୍ୟ ହୋଇ ପଡ଼େ । କେବଳମାତ୍ର ଆତ୍ମରକ୍ଷାରେ ନିଜର ସକଳ ଶକ୍ତି କ୍ଷୟ କରୁଥିବା ସମାଜ ତାର ସହଜ ଗତିଶୀଳତା ହାସଲ କରି ପାରେ ନାହିଁ । ସମାଜରେ ସ୍ଥିତଶୀଳତା ସଙ୍ଗେ ସଙ୍ଗେ କେତେକ ଗତିଶୀଳ ବୈଶିଷ୍ଟ୍ୟ ମଧ୍ୟ ରକ୍ଷା କରିବାକୁ ହେବ, ତା’ନ ହେଲେ ସମାଜ ନିଜ ରକ୍ଷଣଶୀଳତାର ପାଶରେ ଆବଦ୍ଧ ହୋଇ ପଡ଼ିବ । ଏହା ତା’ପକ୍ଷରେ ଏକ ପ୍ରକାର ଜୀବନ୍ମୃତ୍ୟୁ-।
ବୌଦ୍ଧ-ପରବର୍ତ୍ତୀ ହିନ୍ଦୁସମାଜ ବାହାର ପ୍ରଭାବରୁ ନିଜକୁ ସର୍ବତୋଭାବେ ମୁକ୍ତ ରଖି ନିଜର ଅବଶିଷ୍ଟ ଗୌରବର ସୁରକ୍ଷା ନିମନ୍ତେ ବିଧିନିଷେଧର ଏକ ପ୍ରାଚୀର ନିର୍ମାଣ କରିଥିଲା । ଫଳତଃ ଭାରତବର୍ଷକୁ ତାର ଗୌରବମୟ ସ୍ଥାନ ହରାଇବାକୁ ପଡ଼ିଛି ।
ଏକ ସମୟରେ ଭାରତବର୍ଷ ପୃଥିବୀରେ ଗୌରବର ଶୀର୍ଷସ୍ଥାନ ଅଧିକାର କରିଥିଲା ଏବଂ ଧର୍ମ, ଦର୍ଶନ ଓ ବିଜ୍ଞାନ କ୍ଷେତ୍ରରେ ତାର ଅଭିଯାନର ସାହସିକତା ଥିଲା ଅସୀମ । ଚିନ୍ତା-ଜଗତରେ ନୂତନ ବାକ୍ୟ ଅଧିକାର କରିବା ନିମନ୍ତେ ଅବାଧରେ ତାର ଶକ୍ତି ବହୁଦୂର ପର୍ଯ୍ୟନ୍ତ ବିସ୍ତୃତ ହେଉଥିଲା । ଏହି ଭାବରେ ଭାରତ ଦିନେ ଯେଉଁ ଗୁରୁର ସିଂହାସନରେ ଆସୀନ ହୋଇଥିଲା ତହିଁରୁ ସେ ଆଜି ଭ୍ରଷ୍ଟ, ଏବଂ ଆଜି ତାକୁ ଶିଷ୍ୟର ସ୍ଥାନ ଗ୍ରହଣ କରିବାକୁ ପଡ଼ିବ । ଏହାର କାରଣ ହେଉଛି ଯେ ତାର ଆତ୍ମା ଆଜି ସନ୍ତ୍ରସ୍ତ୍ର ।
ଆତଙ୍କ ହେତୁ ଗଭୀର ସମୁଦ୍ରରେ ଆମର ଜଳଯାତ୍ରା–କି ଜଳମୟ ସମୁଦ୍ର କି ଜ୍ଞାନମୟ ସାଗର ଉଭୟ କ୍ଷେତ୍ରରେ ବନ୍ଦ ହୋଇ ଯାଇଛି । ଆମ୍ଭେମାନେ ଥିଲୁ ସମଗ୍ର ବିଶ୍ୱର-କିନ୍ତୁ ଆଜି ଆମେ ପଲ୍ଲୀରେ ନିର୍ବାସିତ । ସଞ୍ଚୟ ଓ ରକ୍ଷା କରିବା ନିମନ୍ତେ ସମାଜରେ ଯେଉଁ ଭୀରୁ ନାରୀଶକ୍ତି ଅଛି ସେହି ଶକ୍ତିହିଁ ଆମର ପୁରୁଷସୁଲଭ ସାହସିକତାକୁ ପରାଭୂତ କରିଛି । ଜ୍ଞାନ ରାଜ୍ୟରେ ମଧ୍ୟ ଆମ୍ଭେମାନେ ଦୃଢ଼ ସସ୍କାରବଦ୍ଧ ସ୍ତ୍ରୈଣ ପ୍ରକୃତିସମ୍ପନ୍ନ ହୋଇପଡ଼ିଛୁ । ଜ୍ଞାନର ବାଣିଜ୍ୟ ଭାରତ, ଯାହା କିଛି ଆରମ୍ଭ କରିଥିଲା, ଯେଉଁ ବାଣିଜ୍ୟ ଦିନୁଦିନ ବର୍ଦ୍ଧିତ ହୋଇ ଜଗତକୁ ସମୃଦ୍ଧ କରିଥିଲା, ତାହା ଆଜି ଅନ୍ତଃପୁରର ସଂକୀର୍ଣ୍ଣ ଅଳଙ୍କାର ପେଡ଼ିରେ ସ୍ଥାନଲାଭ କରିଛି । ସେଠାରେ ଏହା ଯଥେଷ୍ଟ ନିରାପଦ ରହି ପାରେ, କିନ୍ତୁ ଏହା ଆଉ ବଢ଼ିବ ନାହିଁ, ଯାହ ନଷ୍ଟ ହେଲା ପ୍ରକୃତରେ ତାହା ନଷ୍ଟହିଁ ହୋଇଯାଇଅଛି ।
ଏହି ଗୁରୁର ପଦ ଆମ୍ଭେମାନେ ହରାଇଅଛୁ । ରାଜପଦ କୌଣସି ଦିନ ଆମ ଦେଶର ଚରମ ସମ୍ପଦ ନ ଥିଲା ଓ ଏହା କେବହେଁ ଆମ ଦେଶର ସମସ୍ତ ଲୋକଙ୍କର ଚିତ୍ତ ଅଧିକାର କରି ନ ଥିଲା । ଏହାର ଅଭାବ ମଧ୍ୟ ଦେଶ ପକ୍ଷରେ ପ୍ରାଣାନ୍ତକ ନୁହେ । ବ୍ରାହ୍ମଣତ୍ୱର ଅଧିକାର ଅର୍ଥାତ୍ ଜ୍ଞାନ, ଧର୍ମ ଓ ତପସ୍ୟାର ଅଧିକାର ଆମ ସମାଜର ଯଥାର୍ଥ ପ୍ରାଣର ଆଧାର ଥିଲା । ଯେଉଁ ସମୟରୁ କେବଳ ଆଚାର ପାଳନ ମାତ୍ରହିଁ ତପସ୍ୟାର ସ୍ଥାନ ଗ୍ରହଣ କଲା । ସମାଜକୁ ନର ନବ ତପସ୍ୟାର ଫଳ, ନବ ନବ ଐଶର୍ଯ୍ୟ ବିତରଣରେ ଦାୟିତ୍ତ୍ୱ ଯେଉଁ ବ୍ରାହ୍ମଣ ଉପରେ ନ୍ୟସ୍ତ ଥିଲା, ସେ ଯେଉଁଦିନଠାରୁ ନିଜର ଯଥାର୍ଥ ମାହାତ୍ମ୍ୟ ବିସର୍ଜ୍ଜନ ଦେଇ ସମାଜର ଦ୍ୱାର ଦେଶରେ ନିମ୍ନସ୍ଥାନ ଗ୍ରହଣପୂର୍ବକ କେବଳମାତ୍ର ପ୍ରହରୀର ଦାୟିତ୍ୱ ଗ୍ରହଣ କଲା ସେହିଦିନଠାରୁ ଆମ୍ଭେମାନେ ଜଗତକୁ ଆଉ କିଛି ଦେବାରୁ ବିରତ ହୋଇ ନିଜର ଯାହା କିଛି ଥିଲା ତାକୁ ବିକୃତ ଓ ଅକର୍ମଣ୍ୟ କରିଅଛୁ ।
ପ୍ରତ୍ୟେକ ଜାତି ବିଶ୍ୱମାନବର ଅଙ୍ଗ, ଏହା ଆମ୍ଭେମାନେ ନିଶ୍ଚୟ ଜାଣିବା ଉଚିତ । ‘‘ବିଶ୍ୱମାନବକୁ କ’ଣ ଦାନ କରିଅଛ; ତା’ର ସୁଖବିଧାନ ନିମନ୍ତେ କି ନୂତନ ପନ୍ଥା ଉଦ୍ଭାବନ କରିଅଛ, ପ୍ରତ୍ୟେକ ଏହି ପ୍ରଶ୍ନର ସଦୁତ୍ତର ଦେବା ବିଧେୟ । ଏକ ଜାତି ଏ ଧରଣର ଉଦ୍ଭାବନର ପ୍ରାଣଶକ୍ତି ହରାଇଲେ, ଉକ୍ତ ବରାଟ ବିଶ୍ୱମାନବର କଳେବରରେ ପକ୍ଷାଘାତଗ୍ରସ୍ତ ଅଙ୍ଗସ୍ୱରୂପ କେବଳ ଭାର ତୁଲ୍ୟ ବିରାଜମାନ କରେ । ବସ୍ତୁତଃ କେବଳ ବଞ୍ଚିରହିବାହିଁ ଗୌରବଜନକ ନୁହେ ।
ଭାରତବର୍ଷ ନୂତନ ରାଜ୍ୟ ନିମନ୍ତେ କେବେହେଁ ଲୋଭପରବଶ ହୋଇ ନାହିଁ; କିମ୍ବା ବାଣିଜ୍ୟର ଲୁଣ୍ଠିତ ସମ୍ଭାର ପାଇଁ ମଧ୍ୟ ପ୍ରତିଦ୍ୱନ୍ଦିତା କରି ନାହିଁ । ଯେଉଁ ଚୀନ, ଜାପାନ ଓ ତିବ୍ଦତ ଇଉରୋପର ଅଗ୍ରଗତି ଭୟରେ ନିଜର ସକଳ ଦ୍ୱାର ଓ ବାତାୟନ ରୁଦ୍ଧ କରିବା ଲାଗି ଆଜି ବ୍ୟଗ୍ର ହୋଇ ଉଠିଛନ୍ତି, ଦିନେ ସେହିମାନେହିଁ ଧର୍ମଗୁରୁ ଭାବରେ ଭାରତକୁ ଆଦର ସହକାରେ ନିଜ ଗୃହକୁ ସ୍ୱାଗତ ଜଣାଇଥିଲେ ।
ଭାରତବର୍ଷ କେବେ ସୈନ୍ୟବାହିନୀ ପଠାଇ ଅନ୍ୟ ଦେଶକୁ ଲୁଣ୍ଠନ କରି ନାହିଁ, କେବଳ ଶାନ୍ତି ଓ ସଦ୍ଭାବର ବାର୍ତ୍ତା ବହନ କରିବା ତା’ର ଉଦ୍ଦେଶ୍ୟ । ଏହି ଭାବରେ ସେ ଯେଉଁ ଗୌରବ ଲାଭ କରିଛି ତାହା ତପସ୍ୟାର ଫଳ ଏବଂ ତାହା ରାଜଚକ୍ରବର୍ତ୍ତୀର ମର୍ଯ୍ୟାଦା ଅପେକ୍ଷା ମହତ୍ତର ।
ସେହି ଗୌରବରୁ ବଞ୍ଚିତ ହୋଇ ଆମ୍ଭେମାନେ ଆମର ସାମାନ୍ୟ ପୁଟୁଳି ପତ୍ର ଧରି ଭୀତ ଚିତ୍ତରେ ଗୃହର ଏକ କୋଣରେ ବସିଥିଲୁ, ଏହି ସମୟରେ ଇଂରେଜମାନଙ୍କର ଆସିବାର ଆବଶ୍ୟକତା ପଡ଼ିଲା । ଏହି ଭୀରୁ ପଳାତକ ସମାଜ ଆତ୍ମରକ୍ଷା ନିମନ୍ତେ ଯତ୍ନ ସହକାରେ ନିର୍ମାଣ କରିଥିବା ପ୍ରାଚୀର ସେମାନଙ୍କ ପ୍ରବଳ ଆଘାତରେ ବହୁ ସ୍ଥାନରେ ଭାଙ୍ଗି ଗଲା । ଏ ପର୍ଯ୍ୟନ୍ତ ବାହାର ଜଗତକୁ ଭୟ କରି ଆମେ ନିଜକୁ ଦୂରରେ ରଖିଥିଲୁ, କିନ୍ତୁ ଏହି ଭଗ୍ନ ପଥଦେଇ ବାହାର ଜଗତ ଦ୍ରୁତ ବେଗରେ ଭିତରକୁ ପଶି ଆସିଛି । ଏହାକୁ ପଛକୁ ଠେଲି ଦେବାର ସାଧ୍ୟ କାହାର ? ଏହି ଉତ୍ପାତରେ ଆମର ଯେଉଁ ପ୍ରାଚୀର ଭାଙ୍ଗିଗଲା, ତହିଁରୁ ଆମେ ଦୁଇଟି ପଦାର୍ଥ ଆବିଷ୍କାର କଲୁ । ଦିନେ ଆମର ଯେଉଁ ଆଶ୍ଚର୍ଯ୍ୟକର ଶକ୍ତି ଥିଲା ତାହା ଆମେ ଉପଲବ୍ଧି କଲୁ ଏବଂ ସେମାନଙ୍କୁ ହରାଇ ଆମେ ଯେପରି ଶୋଚନୀୟଭାବେ ଅଶକ୍ତ ହୋଇପଡ଼ିଛୁ ତାହା ମଧ୍ୟ ଆମର ଅନୁଭୂତ ହେଲା ।
ଦୂରରେ ନିଜକୁ ଲୁଚାଇରଖିବା ଆତ୍ମରକ୍ଷା ନୁହେ, ଆଜି ମଧ୍ୟ ଏହା ଆମ୍ଭେମାନେ ଉତ୍ତମରୂପେ ଉପଲବ୍ଧି କରିଛୁ । ନିଜର ଅନ୍ତର୍ନିହିତ ଶକ୍ତିକୁ ସର୍ବତୋଭାବେ ଜାଗ୍ରତ କରି ଚାଳନା କରିବା ଆତ୍ମରଷାର ପ୍ରକୃତ ଉପାୟ । ଆମ୍ଭେମାନେ ଆମ ଜଡ଼ତ୍ୱ ତ୍ୟାଗ ନ କରିବା ପର୍ଯ୍ୟନ୍ତ ଇଂରେଜ ଆମର ଚିତ୍ତକୁ ଅଭିଭୂତ କରି ରଖିବ । ଏକ କୋଣରେ ବସିରହି ଆମ ପରାଭବ ନିମନ୍ତେ ହାହାକାର କରି ବିଳାପ କରିବାରେ କୌଣସି ଫଳ ନାହିଁ । ଇଂରେଜମାନଙ୍କ ଅନୁକରଣ ପୂର୍ବକ ଛଦ୍ମବେଶ ଧାରଣ କରି ନିଜକୁ ରକ୍ଷା କରିବାର ଚେଷ୍ଟା କେବଳ ଆତ୍ମପ୍ରତାରଣା ମାତ୍ର । ଆମେ କେବେହେଁ ଇଂରେଜ ହୋଇ ପାରିବୁ ନାହିଁ । କିମ୍ବା ନକଲି ଇଂରେଜ ହୋଇ ଇଂରେଜଙ୍କୁ ଠକାଇବା ଆମ ପକ୍ଷରେ ଅସମ୍ଭବ ।
ଆମର ବୁଦ୍ଧି, ଅନୁଭୂତି ଓ ରୁଚି ଦିନକୁଦିନ ଶସ୍ତା ଧରଣର ହୋଇଉଠୁଛି । ତାହାକୁ ରୋକିବାର ଏକମାତ୍ର ଉପାୟ ହେଉଛି ଯେ ସଜ୍ଞାନରେ, ସକ୍ରିୟ ଭାବରେ ଏବଂ ସମସ୍ତ ଶକ୍ତି ସାହାଯ୍ୟରେ ଆମର ଯଥାର୍ଥ ଆତ୍ମାର ପରିଚୟ ଲାଭ କରିବା ।
ଆମ ମଧ୍ୟରେ ଆବଦ୍ଧ ଥିବା ଶକ୍ତିସମୂହ ବିଦେଶୀ ସଂଘର୍ଷର ଚାପରେ ମୁକ୍ତିଲାଭ କରିବ-। ପ୍ରାଚୀନ ଭାରତର ଋଷିମାନେ ଆତ୍ମସଂଯମ ଦ୍ୱାରା ଯେଉଁ ମହାମୂଲ୍ୟ ଶକ୍ତି ସଞ୍ଚୟ କରିଥିଲେ, ତାହା ଲାଭ କରିବା ଆଜି ପୃଥିବୀ ପକ୍ଷରେ ଅତ୍ୟନ୍ତ ଆବଶ୍ୟକ । ବିଧାତା ଏହି ଶକ୍ତିସମୂହକୁ ନିଷ୍ଫଳ ହେବାକୁ ଦେବେ ନାହିଁ । ସେହି କାରଣରୁ ପ୍ରକୃଷ୍ଟ ମୁହୂର୍ତ୍ତରେ ସେ ନିଶ୍ଚେଷ୍ଟ ଭାରତକୁ କଠିନ ଆଘାତ ଦ୍ୱାରା ଜାଗ୍ରତ କରିଛନ୍ତି ।
ବହୁ ମଧ୍ୟରେ ଐକ୍ୟର ଉପଲବ୍ଧି, ବୈଚିତ୍ର୍ୟ ମଧ୍ୟରେ ସମନ୍ୱୟ ସ୍ଥାପନହିଁ ଭାରତବର୍ଷର ଅନ୍ତର୍ନିହିତ ଧର୍ମ । ଭାରତବର୍ଷ ପାର୍ଥକ୍ୟକୁ ବିରୋଧ ବୋଲି ଭାବେ ନା କିମ୍ବା କୌଣସି ଆଗନ୍ତୁକକୁ ସେ ଶତ୍ରୁ ଜ୍ଞାନ କରେ ନା । ତେଣୁ ପରିତ୍ୟାଗ ନ କରି, ବିନାଶ ନ କରି ଏକ ବୃହତ୍ ସମାଜ ବ୍ୟବସ୍ଥା ମଧ୍ୟରେ ସମସ୍ତଙ୍କୁ ସ୍ଥାନ ଦେବାକୁ ସେ ଇଚ୍ଛୁକ । ପ୍ରତ୍ୟେକ ପନ୍ଥାକୁ ସେ ସ୍ୱୀକାର କରି ଉପଯୁକ୍ତ ସ୍ଥାନରେ ସମସ୍ତଙ୍କ ମାହାତ୍ମ୍ୟ ଉପଲବ୍ଧ କରେ ।
ଐକ୍ୟ ବିଧାନରେ ଏହି ପ୍ରତିଭା ଭାରତବର୍ଷର ଥିବାରୁ କାଳ୍ପନିକ ଶତ୍ରୁର ଚିନ୍ତାରେ ଆମେ ଭୟଭୀତ ହେବା ଉଚିତ ନୁହେଁ । ପ୍ରତ୍ୟେକ ନୂତନ ସଂଘାତର ଚରମ ଫଳସ୍ୱରୂପ ଆମ୍ଭେମାନେ ଆତ୍ମବିସ୍ତାରକୁହିଁ ପ୍ରତ୍ୟାଶା କରିବା । ହିନ୍ଦୁ, ବୌଦ୍ଧ, ମୁସଲମାନ; ଖ୍ରୀଷ୍ଟିୟାନ ଭାରତବର୍ଷର ଭୂମିରେ ପରସ୍ପର ସହ ଯୁଦ୍ଧରତ ରହି ମୃତ୍ୟୁବରଣ କରିବେ ନାହିଁ । ଏଠାରେ ସେମାନେ ସାମଞ୍ଜସ୍ୟ ଖୋଜି ପାଇବେ । ସେହି ସାମଞ୍ଜସ୍ୟ ଅହିନ୍ଦୁ ହେବ ନାହିଁ, ଅନ୍ୟ ପକ୍ଷରେ ତାହା ବିଶେଷ ଭାବରେହିଁ ହିନ୍ଦୁ ହେବ । ତା’ର ଅଙ୍ଗ ପ୍ରତ୍ୟଙ୍ଗ ଯେତେ ଦେଶ ବିଦେଶରେ ହେଉ ନା କାହିଁକି, ତାହାର ଆତ୍ମା ହେବ ଭାରତବର୍ଷର ଆତ୍ମା ।
ବିଧି ନିର୍ଦ୍ଦିଷ୍ଟ ଏହି ନିୟୋଗ ଆମେ ସ୍ମରଣ କଲେ ଆମ ଲକ୍ଷ୍ୟ ସ୍ଥିରହେବ, ଲଜ୍ଜା ଦୂର ହେବ, ଭାରତର ମୃତ୍ୟୁହୀନ ଶକ୍ତିର ପ୍ରକୃତ ସନ୍ଧାନ ଆମେ ଲାଭ କରି ପାରିବା । ଆମ୍ଭେମାନେ କେବଳ ଶିଷ୍ୟ ଭାବରେ ଚିରକାଳ ଇଉରୋପର ଜ୍ଞାନ ବିଜ୍ଞାନ ଯେ ଗ୍ରହଣ କରିବା ନାହିଁ, ଏ କଥା ଆମକୁ ସ୍ମରଣ ରଖିବାକୁ ପଡ଼ିବ । ଭାରତବର୍ଷର ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀ, ଆମ୍ଭମାନଙ୍କ ପାଇଁ ଶତଦଳବିଶିଷ୍ଟ ପଦ୍ମତୁଲ୍ୟ ପ୍ରତ୍ୟେକ କଳା ଓ ବିଜ୍ଞାନକୁ ବିକଶିତ କରିବେ ।
‘‘ଐଶ୍ୱର୍ଯ୍ୟ ବିପୁଳତାର ବୋଝ ମାତ୍ର,
କିନ୍ତୁ କଲ୍ୟାଣ ହେଉଛି ପ୍ରାଣୀର ପରିପୂର୍ଣ୍ଣତା ।”