ସତ୍ୟର ଆହ୍ୱାନ — ବିଶ୍ୱ ମାନବର ପଥେ — ରବୀନ୍ଦ୍ରନାଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସତ୍ୟର ଆହ୍ୱାନ
ପରାଙ୍ଗପୁଷ୍ଟ ଜୀବ ବା କୀଟ ସ୍ୱାଭାବିକ ଭାବେ ଖାଦ୍ୟକୁ ନିଜ ଦେହରେ ପରିଣତ କରିବାର କ୍ଷମତା ହରାଇବା ଦ୍ୱାରା ଶୀଘ୍ର ତାର ଜୀର୍ଣ୍ଣଶକ୍ତି କମିଯାଏ । ମାନବ-ଇତିହାସରେ ମଧ୍ୟ ଏହା ଦେଖାଯାଇଛି ଯେ ଶକ୍ତି ଯେତେବେଳେ ଅନ୍ୟକୁ ନିର୍ଜୀବ କରିବାର ପାପ ଅର୍ଜନ କରିଛି, ଯେତେବେଳେ ତାର ଅଧଃପତନ ଘଟିଛି । ଅନ୍ୟ ଉପରେ ନିର୍ଭର କରି ଜୀବନ ଧାରଣ କରୁଥିବା ମନୁଷ୍ୟକୁ ଯେ କେବଳ ପରାଙ୍ଗପୃଷ୍ଟ କୁହାଯାଏ ତାହା ନୁହେ; ପରନ୍ତୁ ଗତାନୁଗତିକ ପ୍ରଥା ଓ ବାହ୍ୟ ଘଟଣାରେ ବାଧ୍ୟ ହୋଇ ଯେତେବେଳେ ସେ ନିଜକୁ ଜଡ଼ିତ ରଖି କାଳସ୍ରୋତରେ ନିଜେ ନିଃସହାୟ ହୋଇ ଆତ୍ମସମର୍ପଣ କରେ, ସେତେବେଳେ ତାକୁ ମଧ୍ୟ ପରାଙ୍ଗପୃଷ୍ଟ ବୋଲି କୁହା ହାଇଥାଏ । ବାହ୍ୟ ଜୀବନ ପ୍ରତି ତାହାର ଏ ଯେଉଁ ଆତ୍ମସମର୍ପଣ ତାହା ଅନ୍ତରର ବଳ ଦ୍ୱାରା ଅନୁମୋଦିତ ନୁହେ । ଯେତେବେଳେ ମନୁଷ୍ୟ ନିଜ ଇଚ୍ଛାରେ କୌଣସି କାର୍ଯ୍ୟ କରିବାକୁ ଉଦ୍ୟମ ନ କରେ, ଏବଂ କେବଳ ଅଭ୍ୟାସବଶତଃ ଧରା ବନ୍ଧା ନୀତିରେ ଚାଲେ, ତାକୁ ମଧ୍ୟ ଏକପ୍ରକାର ପରାଙ୍ଗପୃଷ୍ଟ ବୋଲି ଅଭିହିତ କରାଯାଏ । କାରଣ ଅସାଧ୍ୟ ସାଧନ କରିବାର ଯେଉଁ କର୍ତ୍ତବ୍ୟ, ତାହା ପାଳନ କରିବାକୁ ସେ ହୁଏ ଅସମର୍ଥ ଏବଂ ମାନବିକ-ପ୍ରଗତିର ପ୍ରକୃତ ଲକ୍ଷ୍ୟ ପଥରେ ସେ ପହଞ୍ଚି ପାରେ ନା—
ଏହି ହିସାବରେ ତଳିଆ ପ୍ରାଣୀ ସମସ୍ତେ ପରାସକ୍ତ । ସ୍ୱ ପରିବେଷ୍ଟନୀରେ ଛାଡ଼ିଦେଇ ପ୍ରାକୃତିକ ନିର୍ବାଚନ କ୍ରମେ ସେମାନେ ମରନ୍ତି କିମ୍ବା ବଞ୍ଚନ୍ତି । ପ୍ରାକୃତିକ ଶାସନ ବା ନିୟମରେ ସେମାନେ ମରନ୍ତି କିମ୍ବା ବଞ୍ଚନ୍ତି । ପ୍ରାକୃତିକ ଶାସନ ବା ନିୟମରେ ସେମାନେ ଅଗ୍ରଗତି କରନ୍ତି କିମ୍ବା ପୁଣି ପଛକୁ ହଟି ଆସନ୍ତି । ବର୍ଦ୍ଧନ ଶକ୍ତିର ଅଭାବରେ କରନ୍ତି କିମ୍ବା ପୁଣି ପଛକୁ ହଟି ଆସନ୍ତି-। ବର୍ଦ୍ଧନ ଶକ୍ତିର ଅଭାବରେ ମାନସିକ ଅବସ୍ଥାର କୌଣସି ଉନ୍ନତ ସେମାନଙ୍କର ହୁଏ ନାହିଁ-। ଫଳରେ ସେମାନେ ଆଉ ବଢ଼ି ପାରନ୍ତି ନାହିଁ । ମହୁମାଛି ଲକ୍ଷ ଲକ୍ଷ ବର୍ଷ ଧରି ଯେଉଁ ମହୁଫେଣା ତିଆରି କରି ଆସୁଛି, ସେଥିରେ କୌଣସି ନୂତନତ୍ୱ ନାହିଁ, ମହୁଫେଣାର କେବଳ ଗୋଟିଏ ପ୍ରକାର ନମୁନା ଆମେ ଦେଖିବାକୁ ପାଉଛୁ । ଯେତେବେଳେ ମଧୁକୋଷ ଆକାରର ଏକ ପୂର୍ଣ୍ଣତାରେ ପହଞ୍ଚେ ସେତେବେଳେ ଏହି ଜୀବଟି ଅପରିବର୍ତ୍ତନୀୟ ଓ ସୀମାବଦ୍ଧ ଅଭ୍ୟାସର ଗଣ୍ଡି ମଧ୍ୟରେ ଆବଦ୍ଧ ହୁଏ ।
ଏହି ତଳିଆ ଜୀବଜନ୍ତୁଙ୍କ ବିଷୟରେ ପ୍ରକୃତି ଯେପରି ଏକ କୌତୁହଳମୟ ଭୀରୁତା । ପ୍ରଦର୍ଶନ କରିଛି, ଅଥଚ ସେମାନଙ୍କୁ ନିଜ କୋଳରେ ଧରି ରକ୍ଷା କରୁଛି । କାଳେ ସେମାନେ ଭୟାବହ ଓ ସାହସିକ ପରୀକ୍ଷାରେ ଲମ୍ଫ ପ୍ରଦାନ କରି ଅନିଷ୍ଟ ଘଟାଇ ପାରନ୍ତି, ଏହି ଆଶଂକାରେ ପ୍ରକୃତି ଯେପରି ସେମାନଙ୍କ ସ୍ୱଭାବକୁ ସୀମାବଦ୍ଧ କରିଅଛି ।
ବିଶ୍ୱସ୍ରଷ୍ଠା କିନ୍ତୁ ମାନବ ସୃଷ୍ଟିରେ ଏକ ନୂତନ ସୃଜନଧର୍ମୀ ସାହସିକତାର ପରିଚୟ ଦେଇଛନ୍ତି । ବାହ୍ୟତଃ ସେ ଦୁର୍ବଳ, ନିଃସହାୟ ଓ ନିଗ୍ନରୂପ ଧାରଣ କଲେ ମଧ୍ୟ, ଅନ୍ତଃପ୍ରକୃତିର କ୍ରିୟାକଳାପରେ ସେ ସ୍ୱାଧୀନତା ଲାଭ କରିଅଛି । ଏହି ମୁକ୍ତି ସାଧନରେ ସେ ଆନନ୍ଦରେ ଦଣ୍ଡାୟମାନ ଲାଭ କରିଅଛି । ଏହି ମୁକ୍ତି ସାଧନରେ ସେ ଆନନ୍ଦରେ ଦଣ୍ଡାୟମାନ ହୋଇ ତେଣୁ ଘୋଷଣା କଲା—‘‘ମୁଁ ଅସାଧ୍ୟ ସାଧନ କରିବି । ମୁଁ କଦାପି ଗତାନୁଗତିକ ଧାରାକୁ ଗ୍ରହଣ କରିବି ନାହିଁ । ଯାହା କେବେ ଦେଖା ନ ଥିଲା, ସେହିପରି ଅଦୃଷ୍ଟପୂର୍ବ ଘଟନା ମୁଁ ସୃଷ୍ଟି କରିବି ।’’ ସେଥିପାଇଁ ଇତିହାସର ଆଦିମ ଯୁଗର ଅତିକାୟ ନଖଦନ୍ତ ବିଶିଷ୍ଟ ପ୍ରାଣୀମାନଙ୍କ ମଧ୍ୟରେ ସେ ଯେତେବେଳେ ନିଜକୁ ସଂସ୍ଥାପିତ କଲା, ସେତେବେଳେ ସେ ହରିଣ ଭଳି ଭୟରେ ଦୌଡ଼ି ପଲାଇ ଯାଇ ନ ଥିଲା, କି କଚ୍ଛପଭଳି ଆତ୍ମାଗୋପନ କରି ନ ଥିଲା । ମାତ୍ର ଚକମକି ପଥର ଉତ୍କୃଷ୍ଟ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ଆପଣାର ଶକ୍ତିକୁ ସେ ବିନିଯୋଗ କଲା । ସେ ଯେଉଁ ନୂତନ ଭୟଙ୍କର ନଖ-ଦନ୍ତ ସୃଷ୍ଟି କଲା, ତା’ ମୂଳରେ ଥିଲା ମାନବର ଅନ୍ତର୍ନିହିତ କର୍ମଶକ୍ତି, କିନ୍ତୁ ତାହା ପ୍ରକୃତିର ଦାନ ନୁହେ । ତା ପରେ ପ୍ରାକୃତିକ ନିର୍ବାଚନର ପରାଧିନତା ଓ ସ୍ୱେଚ୍ଛାଚାରିତାରୁ ସେ ନିଜକୁ ମୁକ୍ତ କରି ପାରିଲା ।
ଚକମକି ପଥରରୁ କ୍ରମେ ତାର ଅସ୍ତ୍ର ଲୁହାକୁ ଉନ୍ନୀତ ହେଲା । ସେ ପ୍ରମାଣ କରିଦେଲା ଯେ ତାର ମନ ସର୍ବଦା ଅନ୍ୱେଷଣଧର୍ମୀ; ସେ ବଦ୍ଧ ବା ମୃତକଳ୍ପ ନୁହେ; କିମ୍ବା ପାରିପାଶ୍ୱିକ ଅବସ୍ଥାରେ ସେ ସୀମିତି ନୁହେ । ଯାହା ତାକୁ ଅସମ୍ଭବ ବୋଲି ମନେ ହେଉଥିଲା, ତାହା ମଧ୍ୟ ତା’ର ଆୟତ୍ତାଧୀନ ହେଲା । ତାହା ପାଖରେ ଯେଉଁ ପଥର ଥିଲା, ସେଥିରେ ସେ ସନ୍ତୁଷ୍ଟ ନ ହୋଇ ଭୂଗର୍ଭରେ ଥିବା ଲୁହାପଥର ସନ୍ଧାନରେ ସେ ହେଲା ବ୍ରତୀ । ପଥର କଟାର ସହଜ ଉପାୟରେ ସେ ତୃପ୍ତ ନ ହୋଇ ଲୁହାକୁ ନିଆଁରେ ତରଳାଇ ଏବଂ ହାତୁଡ଼ିରେ ପିଟି ତାକୁ ଏକ ନୂତନ ରୂପ ଦେଲା । ଫଳରେ ଯାହା ତା’ ପକ୍ଷରେ ଅତିଶୟ କଠିନ ଓ ଦୁଃସାଧ୍ୟ ଥିଲା, ତାହା ତା’ର ସାହାଯ୍ୟକାରୀ ରୂପେ ପରିଗଣିତ ହେଲା ।
ମନୁଷ୍ୟର ଧର୍ମ ହେଉଛି—ଅବିରତ କାର୍ଯ୍ୟ କରୁଥିବାବେଳେ ସେ ଯେ କେବଳ ସଫଳତା ଚାହେ ତା’ ନୁହେ, ଆନନ୍ଦର ମଧ୍ୟ ସେ ଅନୁସନ୍ଧାନ କରେ । ବହିଃ ପ୍ରଦେଶରୁ ଅନ୍ତରତମ ପ୍ରଦେଶକୁ, ପ୍ରତ୍ୟକ୍ଷରୁ ଅପ୍ରତ୍ୟକ୍ଷ୍ୟକୁ, ସହଜରୁ କଠିନ ମଧ୍ୟକୁ, ପରାସକ୍ତିରୁ ଆତ୍ମକର୍ତ୍ତୃତ୍ୱକୁ ଏବଂ ପ୍ରବୃତ୍ତିର ତାଡ଼ନାରୁ ଆତ୍ମସଂଯମର ସ୍ଥିରତା ଆଡ଼କୁ ଗତି କରି ଅବିଶ୍ରାନ୍ତ ପରିଶ୍ରମ କରିବାକୁ ମନୁଷ୍ୟ ବାଧ୍ୟ । ଏହାହିଁ ତା’ର ବିଜୟର ପଥ ।
ଦଳେ ବ୍ୟକ୍ତି ଯୁକ୍ତି ପ୍ରଦର୍ଶନ କରି କହିଲେ, ‘‘ଏହି ପଥର ଆମ ପୂଜ୍ୟ ପିତୃ-ପିତାମହଙ୍କର ଅସ୍ତ୍ର ଥିଲା—ଏହାର ବ୍ୟତିକ୍ରମ ହିଁ ଆମର ଜାତୀୟ ଐତିହ୍ୟ ମୂଳରେ କୁଠାରଘାତ କରିବା ସଙ୍ଗେ ସମାନ ।’’ ତେଣୁ ସେମାନେ ମାନବଜାତିର ବୃହତ୍ତର ଐତିହ୍ୟ ରକ୍ଷା ପରିବର୍ତ୍ତେ ନିଜ ଜାତୀୟ ଐତିହ୍ୟର ସୁରକ୍ଷା ପାଇଁ ଯତ୍ନଶୀଳ ହେଲେ । ସେମାନେ ଭୁଲିଗଲେ ଯେ ବୃହତ୍ତର ଐତିହ୍ୟର ଅଧିକାରୀ ମଧ୍ୟ ସେଇମାନେ । ପ୍ରସ୍ତର ଯୁଗରେ ବାସ କଲାଭଳି ବ୍ୟକ୍ତି ଏ ପର୍ଯ୍ୟନ୍ତ ମଧ୍ୟ ଆମ ଦେଶରେ ଅଛନ୍ତି, କିନ୍ତୁ ସେମାନେ ସମାଜବାସନ୍ଦ ଲୋକଙ୍କ ଭଳି ଗୁମ୍ଫା ବା ବଣଜଙ୍ଗଲରେ ବସବାସ କରୁଛନ୍ତି । ପାରିପାର୍ଶ୍ୱକ ଅବସ୍ଥା ପ୍ରତି ଆସକ୍ତ ନ ହୋଇ, ପ୍ରଚଳିତ ଅବସ୍ଥା ପ୍ରତି ଆଖି ବୁଜିଦେଇ ନିଜ ଅନ୍ତରରେ ସେମାନେ ସ୍ୱରାଜ ଲାଭରୁ ବଂଚିତ ହୋଇଅଛନ୍ତି । ପୁନଶ୍ଚ, ବହିର୍ଜଗତର ସ୍ୱରାଜ୍ୟଲାଭରୁ ମଧ୍ୟ ଏମାନେ ଭ୍ରଷ୍ଟ । ସ୍ୱକୀୟ ଶକ୍ତି ସାମର୍ଥ୍ୟ ବଳରେ ଅସାଧ୍ୟ ସାଧନ କରିବା ଯେ ମାନବର ବାସ୍ତବ ଧର୍ମ ଓ ଅତୀତ ଘଟଣାରେ ଆବଦ୍ଧ ନ ହୋଇ ଭବିଷ୍ୟ ଘଟଣା ପ୍ରତି ଲକ୍ଷ୍ୟ କରି ସିଦ୍ଧି ପଥରେ ଅଗ୍ରସର ହେବା ଯେ ମାନବର କର୍ତ୍ତବ୍ୟ-ଏ କଥା ସେମାନେ ଜାଣି ପାରନ୍ତି ନାହିଁ ।
ତିରିଶ ବର୍ଷ ତଳେ ଯେତେବେଳେ ଇଂରେଜୀ ଶିକ୍ଷିତ ଭାରତ ରାଜନୀତିକ ସାଧନାରେ ଲାଗିଥିଲି । ମୋର ଦେଶବାସୀଙ୍କୁ ମୁଁ କହିଥିଲି ଯେ ସ୍ୱକୀୟ ଅଧିକାର ପାଇଁ ମନୁଷ୍ୟ ଅନ୍ୟ ପାଖରେ ଦାବି କରେ ନାହିଁ ବରଂ ନିଜ ଭିତରେ ନିଜର ଅଧିକାର ତାକୁ ସୃଷ୍ଟି କରିବାକୁ ପଡ଼େ ।
ମନୁଷ୍ୟ ତା’ର ଅନ୍ତରର ପ୍ରକୃତି ଦ୍ୱାରା ଜୀବନଧାରଣ କରେ ଏବଂ ସେଠାରେ ସେ ସ୍ୱୟଂକର୍ତ୍ତାରୂପେ ବିଦ୍ୟମାନ । ବାହାରର ଲାଭ ଉପରେ ନିର୍ଭର କରିବା ଅର୍ଥ ନିଜ ବ୍ୟକ୍ତିତ୍ୱକୁ ଅପମାନ କରିବା । ରାଜନୀତିକ ଅଧିକାରରୁ ବଂଚିତ ହେବାର ଅପମାନଠାରୁ ଲଜ୍ଜାଜନକଭାବେ ନିବେଦନ ଆବେଦନର ବୋଝ ଅଧିକ ଦୁଃସହ । ତତ୍ପରେ ଛୁରିକା ସାହାଯ୍ୟରେ ଧମକ ଦେଇ ବଙ୍ଗଭଙ୍ଗ ଆନ୍ଦୋଳନର ଅଶାନ୍ତ ଝଡ଼ ବଙ୍ଗପ୍ରଦେଶରେ ପ୍ରବାହିତ ହେବାକୁ ଲାଗିଲା ଓ ବ୍ରିଟିଶ ଦ୍ୱୀପପୁଞ୍ଜରୁ ଆମଦାନୀ ହେଉଥିବ ବସ୍ତ୍ରାଦି ବର୍ଜନ କରିବାକୁ ଦେଶବ୍ୟାପୀ ଏକ ଆନ୍ଦୋଳନ ମଧ୍ୟ ସୃଷ୍ଟି ହେଲା । ମାତ୍ର ଏହା ବମ୍ବେର ମିଲ୍ ମାଲିକମାନଙ୍କର ଲଭ୍ୟାଂଶକୁ ବହୁକାଂଶରେ ବୃଦ୍ଧି କରିବାରେ ହିଁ ସାହାଯ୍ୟ କଲା । ସେତେବେଳେ ମୁଁ କହିଥିଲି—‘‘ ଏ ପଥ ଠିକ୍ ନୁହେ । ଏହା ଶସ୍ତା ଧରଣର । ଏଥିରେ ଭାରତୀୟମାନେ କେବଳ ଉପଲକ୍ଷ୍ୟ, କିନ୍ତୁ ବୈଦେଶିକମାନେ ହିଁ ଆମର ଲକ୍ଷ୍ୟ ହୋଇପଡ଼ୁଛନ୍ତି ।’’ ଏହାର ମୁଖ୍ୟ ଉତ୍ତେଜନା ଦେଶଲୋକଙ୍କ ପ୍ରତି ପ୍ରେମ ନୁହେ, ପରନ୍ତୁ ବିଦେଶୀୟମାନଙ୍କ ପ୍ରତି କ୍ରୋଧ ।’’ ତା’ପରେ ମୁଁ ସାବଧାନ ବାଣୀ ଶୁଣାଇ କହିଥିଲି ଯେ—ଭାରତରେ ଏହି ବୈଦେଶିକ ମାନଙ୍କର ଆବିର୍ଭାବ ଇତିହାସର କେବଳ ଏକ ଆକସ୍ମିକ ଘଟଣା । ଏହାର ଗଭୀର ଅର୍ଥ ହେଉଛି ଆମ ଦେଶ ଯେଉଁଠି ସେଇଠି ରହିଛି ଏହାର ଅସ୍ତିତ୍ୱ ମଧ୍ୟ ରହିଛି । ଗୋଟିଏ ଯଦି ମାୟା ବା ଭ୍ରମ ହୁଏ ଅପରଟି ଗୁଢ଼ତମ ବାସ୍ତବ ତଥା ଅପରିବର୍ତ୍ତିତ ଅଖଣ୍ଡ ସତ୍ୟ ଯେତେବେଳେ କ୍ରୋଧ ବା ଅନୁରାଗବଶତଃ ଆମେ ମାୟାକୁ ଆମ ଉପରେ ପ୍ରଭାବ ବିସ୍ତାର କରିବାକୁ ଛାଡ଼ିଦେଉଁ ସେତେବେଳେ ମାୟା ଆମ ମୁଷ୍ଟିଯୁଦ୍ଧରେ ବ୍ୟାପୃତ ହେଉଁ ବା ଭକ୍ତିରେ ତା’ର ପଦାନୁଗତ ହେଉଁ—ଏହାର ଫଳ ହେଉଛି ସମାନ ।
ମାୟା ଅନ୍ଧକାର ସଦୃଶ—ଦ୍ରୃତଗାମୀ ବାଷ୍ପୀୟଯାନ ଦ୍ୱାରା ଆମେ କଦାପି ଅନ୍ଧକାରକୁ ଅତିକ୍ରମ କରି ପାରିବୁ ନାହିଁ କି ସପ୍ତ ସମୁଦ୍ରର ବାରିରାଶି ଦ୍ୱାରା ତାକୁ ଧୋଇଦେଇ ପାରିବୁ ନାହିଁ । ତଥାପି ସତ୍ୟର ପ୍ରଦୀପ ପ୍ରଜ୍ଜ୍ୱଳିତ ହେଉ ଏବଂ ତାହାର ସାମାନ୍ୟ ଜ୍ୟୋତିଃଶିଖାରେ ମାୟା ଅନ୍ତର୍ହିତ ହେଉ, ଏହାହିଁ ମୋର କାମନା ।
ଏଥିପାଇଁ ଶାସ୍ତ୍ର କହିଛି ଯେ ଏକ ସାମାନ୍ୟ ସତ୍ୟ ମଧ୍ୟ ଆମକୁ ମହତ୍ ଭୟରୁ ତ୍ରାଣ କରେ । ଭୟ ହେଉଛି ମନୁଷ୍ୟ ମନର ଏକ ନାସ୍ତିବାଚକ ଦିଗ । ଅନ୍ୟ ଏକ ନାସ୍ତିକ ବିଭାବ ଦ୍ୱାରା ଏହାକୁ ଅତିକ୍ରମ କରାଯାଇ ପାରିବ ନାହିଁ । ଥରେ ଭୟ ଅନ୍ତରରେ ପ୍ରବେଶ କଲେ ସେ ନୂତନ ଜୀବନ ପାଏ ଏବଂ ଏହି ଦୈତ୍ୟ ରକ୍ତବୀଜ ପରି କ୍ରମେ କ୍ରମେ ନିଜକୁ ବହୁଗୁଣିତ କରେ । ସତ୍ୟର ହିଁ କେବଳ ବାସ୍ତବ ଧର୍ମବୋଧ ଅଛି, ଯାହା ନାସ୍ତିକତାକୁ ବିଦୂରିତ କରି ପାରେ ।
ଭାରତରେ ବୈଦେଶିକଶାସନ ବହୁରୂପୀ ସଦୃଶ । ଆଜି ସେ ଇଂରେଜରୂପରେ, କାଲି ସେ ଅନ୍ୟ ଏକ ବିଦେଶୀୟ ମୂର୍ତ୍ତିରେ ଏବଂ ତା’ ପରଦିନ ତା’ର ବିଦ୍ୱେଷ ବୁଦ୍ଧିକୁ ପ୍ରଶମିତ ନ କଲେ ସେ ଆମ ନିଜ ଦେଶୀୟ ଲୋକର ମୂର୍ତ୍ତିରେ ଆବିର୍ଭୂତ ହେବ ।
ଆମେ ବିଦେଶୀଶାସନରୂପୀ ଏହି ଦୈତ୍ୟକୁ ମାରଣାସ୍ତ୍ର ଦ୍ୱାରା ବିତାଡ଼ିତ କରିପାରୁ; କିନ୍ତୁ ପ୍ରତିଥର ଏ ତା’ର ଚର୍ମ ଓ ରଙ୍ଗ ପରିବର୍ତ୍ତନ କରି ଆମକୁ ବିଚଳିତ କରିବ । ଆମେ ଯେତେବେଳେ ଅନୁଭବ କରିବୁଁ ଯେ ଦେଶ ଆମର ରହିଛି ଓ ତାହା ହେଉଛି ବାସ୍ତବ, ସେତେବେଳେ ହିଁ ମାୟା ଅନ୍ତର୍ହିତ ହେବ ।
‘‘ସ୍ୱଦେଶରେ ଜନ୍ମଗ୍ରହଣ କଲୁଁ ବୋଲି ଯେ ଦେଶ ଆମର’’—ଏହି ଧାରଣା କେବଳ ପରାଙ୍ଗପୁଷ୍ଟ ଭଳି ଦେଶର ବହିର୍ଜୀବନ ସହିତ ଆବଦ୍ଧ ରହିଥିବା ବ୍ୟକ୍ତିମାନେ ହିଁ ହୃଦୟରେ ପୋଷଣ କରିଥାଆନ୍ତି । କାରଣ ମାନବର ପ୍ରକୃତ ରୂପ ତାହାର ଅନ୍ତଃପ୍ରକୃତିରେ ହିଁ ପ୍ରକଟିତ । ଯେଉଁ ଦେଶକୁ ମନୁଷ୍ୟ ନିଜ ଜ୍ଞାନରେ, ବୁଦ୍ଧିରେ, ପ୍ରେମରେ ଓ କର୍ମରେ ସୃଷ୍ଟି କରି ତୋଳେ ସେତେବେଳେ ସେ ଦେଶ ହୁଏ ତା’ର ପ୍ରକୃତ ଜନ୍ମଭୂମି । ଏପରି କି ବିଶ୍ୱକର୍ମା ମଧ୍ୟ ନିଜ ସୃଷ୍ଟିରେ ନିଜକୁ ସନ୍ଧାନ କରିଥାଆନ୍ତି ।
ଆମେ ଯେତେବେଳେ ନିଜ ଦେଶକୁ ନିଜେ ସୃଷ୍ଟି କରିବା କଥା କହୁଁ, ସେତେବେଳେ ନିର୍ଦ୍ଦିଷ୍ଟ ଭାବରେ ଆମେ କ’ଣ ବୁଝୁଁ ଆମେ ବୁଝୁ ଯେ ନିଜ ଦେଶରେ ନିଜର ଆତ୍ମଶକ୍ତିକୁ ବ୍ୟାପକ ଭାବରେ ଉପଲବ୍ଧି କରି ଚିନ୍ତା, କର୍ମ ଓ ସେବାରେ ସେହି ଶକ୍ତିକୁ ବିନିଯୋଗ କରିବା । ମନୁଷ୍ୟର ଜନ୍ମଭୂମି ହିଁ ତା’ର ଆତ୍ମିକ ଜୀବନର ଦର୍ପଣ ଓ ପ୍ରତିଫଳନ ହେବା ବଞ୍ଛନୀୟ ।
ଯେଉଁ ଦେଶରେ ଆମେ ଜନ୍ମଗ୍ରହଣ କରିଛୁ କିପରି ସେ ଦେଶକୁ ଆମେ ନିଜର ଆପଣାର କରି ପାରିବା ସେ ସମ୍ବନ୍ଧରେ ବହୁକାଳ ପୂର୍ବେ ମୁଁ ମୋର ‘‘ସ୍ୱଦେଶ ଓ ସମାଜ’’ ଶୀର୍ଷକ ପ୍ରବନ୍ଧରେ ଆଲୋଚନା କରିଥିଲି । ମୁଁ ଜୋରଦେଇ କହିଥିଲି ଯେ ଆମ ଦେଶକୁ କେବଳ ଯେ ବିଦେଶୀ ହାତରୁ ଆମକୁ ଆଣିବାକୁ ପଡ଼ିବ ତାହା ନୁହେଁ, ପରନ୍ତୁ ଆମର ଔଦାସୀନ୍ୟ ଓ ନୈଷ୍କମ୍ୟରୁ ମଧ୍ୟ ଦେଶକୁ ମୁକ୍ତ କରିବାକୁ ପଡ଼ିବ । ଆମର ଉନ୍ନତି ସାଧନ ପାଇଁ ଯେତେବେଳେ ଆମେ ବିଦେଶୀ ସରକାରଙ୍କ ଦ୍ୱାରସ୍ଥ ହୋଇଛୁ, ଆମେ ଆମର ନିଶ୍ଚେଷ୍ଟତା ତଥା, ଜଡ଼ତାକୁ କେବଳ ନିବିଡ଼ତର କରିଅଛୁ । ଫଳରେ ସରକାର ଆମର ସକଳ ଉନ୍ନତି ପାଇଁ ସୁନାମ ଅର୍ଜନ କରିଛନ୍ତି, କିନ୍ତୁ ଆମେ ବହୁଳ ପରିମାଣରେ ଆମ ଦେଶକୁ ହରାଇ ବସିଛୁ । ଆମେ ଆମର ବୈଷୟିକ ସୁବିଧା ପାଇଁ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଉଛୁଁ । ଯାଜ୍ଞବଳ୍ଚ୍ୟ ଯଥାର୍ଥରେ କହିଛନ୍ତି—‘‘ନବା ଅରେ ପୁତ୍ରସ୍ୟ କାମାୟ ପୁତ୍ରଃ ପ୍ରିୟୋଭବତି, ଆତ୍ମନସ୍ତୁ କାମାୟ ପୁତ୍ରଃ ପ୍ରିୟୋଭବତି ।’’ ଆମେ ଗୋଟିଏ ପୁତ୍ର ପାଇବାକୁ ଇଚ୍ଛୁକ ବୋଲି ଯେ ପୁତ୍ର ଆମ ନିକଟରେ ଅତିପ୍ରିୟ ତାହା ନୁହେ; ତା’ ଭିତରେ ଆମକୁ ଆମେ ଉପଲବ୍ଧି କରୁଁ ବୋଲି ସେ ଆମରି ପ୍ରିୟ ।
ଆମର ଜନ୍ମଭୂମି ପକ୍ଷରେ ମଧ୍ୟ ଏହା ପ୍ରଯୂଜ୍ୟ । ଆମର ଆତ୍ମସତ୍ତାର ପ୍ରକାଶ ଯୋଗୁ ହିଁ ଦେଶ ଆମ ନିକଟରେ ପ୍ରିୟ । ଆମେ ଯେତେବେଳେ ଏହି ଭାବରେ ଉଦ୍ବୁଦ୍ଧ ହେବୁ, ସେତେବେଳେ ଆମ ଦେଶର ଗଠନମୂଳକ ପ୍ରଗତି ପାଇଁ ଅନ୍ୟ ଅନ୍ୟର ମର୍ଜି ଉପରେ ଆମକୁ ନିର୍ଭର କରିବାକୁ ପଡ଼ିବ ନାହିଁ । ଆମ ଦେଶପ୍ରେମୀଙ୍କର ଶ୍ରୂତିକଟୁ ହେବା ଭଳି ସେଥିରେ ଏପରି କୌଣସି ମତବାଦ ନ ଥିଲା, କିନ୍ତୁ ଏହା ଦ୍ୱାରା ପ୍ରତିବାଦର ଯେଉଁ ଝଡ଼ ସୃଷ୍ଟି ହୋଇଥିଲା, ତାହା ମୁଁ କଦାପି ଭୁଲି ପାରିବି ନାହିଁ । ଏହାର ଦୁଇଟି କାରଣ ଥିଲା—ଗୋଟିଏ କ୍ରୋଧ ଓ ଅପରିଟି ପ୍ରଲୋଭନ । ସ୍ୱକୀୟ କ୍ରୋଧର ପ୍ରକାଶ ହିଁ ଏକ ପ୍ରକାର ଭାବୋଚ୍ଛ୍ୱାସର ବିଲାସିତା । ଆମର ଏହି ଉଚ୍ଛୃଙ୍ଖଳାଜନିତ ବିଲାସକୁ ନିରୁଦ୍ଧ କରିବା ପାଇଁ ସେତେବେଳେ କିଛି ପନ୍ଥା ନ ଥିଲା । ଆନନ୍ଦରେ ଆମେ ପିକେଟିଂ କଲୁ—ଗାଣ୍ଠି ଗାଣ୍ଠି ଲୁଗା ପୋଡ଼ିଦେଲୁଁ ଏବଂ ଯେଉଁମାନେ ଆମ ପଥ ଅନୁସରଣ ନ କଲେ ଭାଷା ଓ ଆଚରଣରେ କୌଣସି ପ୍ରକାର ସଂଯମ ନ ରଖି ସେମାନଙ୍କୁ ସାବଧାନ ବାଣୀ ଶୁଣାଇଦେଲୁଁ । ଏହିସବୁ ଘଟଣା ଘଟିଯିବାର ଅଳ୍ପକାଳ ପରେ ଜଣେ ଜାପାନୀ ବନ୍ଧୁ ମୋତେ ପଚାରିଲେ ‘‘ତୁମେ କାର୍ଯ୍ୟ ତୁଲେଇ ପାରୁ ନା ? ନିଜ ଲକ୍ଷ୍ୟରେ ଉପନୀତ ହେବା । ପ୍ରଚେଷ୍ଟାରେ ଶକ୍ତିର ଅପଚୟ କଦାପି ଶ୍ରେଷ୍ଠ ପନ୍ଥା ନୁହେ ।’’ ଉତ୍ତର ଦେବାକୁ ଯାଇ ମୁଁ କହିଥିଲି ‘‘ଯଦି ଲକ୍ଷ୍ୟ ଆମ ଦୃଷ୍ଟିପଥରେ ପରିଷ୍କାର ଭାବରେ ପ୍ରତିଭାତ ହୁଏ, ତାହାହେଲେ ଆମକୁ ଆତ୍ମସଂଯମର ସହିତ ଆମ ଶକ୍ତିର ବିନିଯୋଗ କରିବାକୁ ପଡ଼ିବ, କିନ୍ତୁ ଯେତେବେଳେ କ୍ରୋଧର ତୃପ୍ତି ସାଧନ ପାଇଁ ଆମେ ଉନ୍ମତ୍ତତାର ଶୀର୍ଷ ସ୍ଥାନରେ ପହଞ୍ଚୁ, ସେତେବେଳେ ଆମର ଉଦ୍ଦେଶ୍ୟ ସିଦ୍ଧିଲାଭ କରେ ନାହିଁ; ପରନ୍ତୁ ଆମ ଶକ୍ତିର ଅପଚୟ ସଙ୍ଗେ ଶକ୍ତି ମଧ୍ୟ ନିଃଶେଷ ହୋଇଯାଏ ।
ସେ ଯାହାହେଉ ସେତେବେଳେ ମୋ ଦେଶବାସୀ ସେମାନଙ୍କ ଉତ୍କଟ ବିଦ୍ୱେଷ ଭାବର ପ୍ରଦର୍ଶନରେ କୌଣସି ବାଧା ସେମାନେ ସହ୍ୟ କରି ପାରୁ ନ ଥିଲେ । ଏଗୁଡ଼ିକ ମୋତେ ଏପରି ମୋତେ ଏପରି ହାସ୍ୟସ୍ପଦ ଓ କାଳ୍ପନିକ ବୋଧ ହୋଇଥିଲା ଯେ ଠିକ୍ ସେହି ସମୟରେ ମୁଁ ଦେଶରେ ବିରାଗଭାଜନ ହେବାସତ୍ତ୍ୱ ଏକ ଭିନ୍ନ କ୍ରିୟାନୁଷ୍ଠାନର ନଜୀର ଦେଇଥିଲି ।
ଏହାଛଡ଼ା ଆଉ ଗୋଟିଏ ବିଷୟ ହେଉଛି ଲୋଭ । କେବଳ କଠିନ ଦ୍ୱାରା ହିଁ ଦୁର୍ଲ୍ଲଭ ଓ ଯୋଗ୍ୟବସ୍ତୁ ଲାଭ କରାଯାଇଥାଏ । କିନ୍ତୁ ଆମେ ସେ ବସ୍ତୁ ଲାଭ କରିବାକୁ ଏକ ପ୍ରକାର ଶସ୍ତା ଉପାୟ ଅବଲମ୍ବନ କଲୁଁ । କେବଳ ହାତଯୋଡ଼ି ଭିକ୍ଷା କରିବାରେ ନୁହେଁ—ଏପରିକି ଆମ ଭିକ୍ଷା ବୃତ୍ତିରେ ଧମକ୍ ମଧ୍ୟ ରହିଥିଲା । ଏହା ସତେ କି ରାଜନୀତିକ ବଜାରରେ ଅତି ଶସ୍ତାଦରର ଏକ ପଣ୍ୟଦ୍ରବ୍ୟ ରୂପେ ପରିଗଣିତ ହେଲା ଓ କମ୍ ଦରରେ ବିକ୍ରି ହେବାକୁ ଲାଗିଲା । ଯେଉଁ ବ୍ୟକ୍ତି ସମ୍ବଳହୀନ ସେ ଶସ୍ତାଦର ଶୁଣିବା ମାତ୍ରେ ଆନନ୍ଦରେ ଏପରି ବିଭୋର ହୋଇଯାଏ ଯେ ଜିନିଷଟା ଭଲ କି ମନ୍ଦ ତାହା ଜାଣିବାକୁ ତା’ର ଧୈର୍ଯ୍ୟ ନ ଥାଏ ଏବଂ ଯିଏ ସେଥିରେ ସନ୍ଦେହ ପ୍ରକାଶ କରେ ତାକୁ ଆକ୍ରମଣ କରିବାକୁ କୁଣ୍ଠାବୋଧ କରି ନ ଥାଏ । ସେତେବେଳେ ମାୟା ଅର୍ଥାତ୍ ବାହାରର ରୂପ ଆମକୁ ଅଧିକାର କରିଥିଲା । ସେହି ସମୟରେ ଜଣେ ରାଜନୀତିକ ନେତା ଯଥାର୍ଥର କହିଥିଲା—‘‘ମୋର ଗୋଟିଏ ହାତ ଇଂରେଜ୍ ସରକାରଙ୍କ ଗଲାରେ ଆଉ ଗୋଟିଏ ତାର ପାଦତଳେ ରହିଛି ।’’ ତେଣୁକରି ଦେଶ ପାଇଁ ତାଙ୍କର ଆଉ ହାତ ନ ଥିଲା । ସେ ପ୍ରକାର ମନୋଭାବ ବହୁଦିନରୁ ଗଲାଣି । ଆମର ବର୍ତ୍ତମାନ ଗୋଟିଏ ଦଳ ଅଛି, ଯାହାର ଦୁଇଟି ହାତ ବିଦେଶୀ ସରକାରଙ୍କ ଗଳାରେ ରହିଛି, ମାତ୍ର ଆଉ ଏକ ଦଳର ହାତ ସରକାରଙ୍କ ପଦଦେଶରେ ନିହିତ । କେବଳ ଭାବଭଙ୍ଗୀ ଆମକୁ ସାହାଯ୍ୟ କରିପାରେ ନା—ଏପରି କି ବୈଦେଶିକମାନଙ୍କ ସହିତ ଲିପ୍ତ କୌଣସି ଭାବଭଙ୍ଗୀ ଆମକୁ ସାହାଯ୍ୟ କରିପାରେ ନାହିଁ ।
ସେଦିନ ସକଳ ଦିଗରୁ ଉଦ୍ଭୁତ ଉତ୍ତେଜନା ବଙ୍ଗର ହୃଦୟ ପ୍ରଦେଶକୁ ଅଧିକାର କରିଥିଲା, କିନ୍ତୁ ସେହି ହୃଦୟାବେଗ ଅଗ୍ନି ସଦୃଶ କେବଳ ତା’ର ଇନ୍ଧନକୁ ହିଁ ଧ୍ୱଂସ କରି ଭସ୍ମରେ ପରିଣତ କରିଥାଏ, କିନ୍ତୁ ତାର ସେ ସୃଷ୍ଟିଶକ୍ତି ନ ଥାଏ । ଧୈର୍ଯ୍ୟ, ନୈପୁଣ୍ୟ ଓ ଦୂରଦୃଷ୍ଟି ସହ ଏହି ଅଗ୍ନିଦ୍ୱାରା କଠିନ ଉପାଦାନକୁ ଦ୍ରବୀଭୂତ କରି ମନୁଷ୍ୟର ମନ ନିଜର ପ୍ରୟୋଜନୀୟ ବସ୍ତୁ ତିଆରି କରିପାରେ । ଆମର ମାନସିକ ତଥା ବୌଦ୍ଧିକ ଶକ୍ତିକୁ ଜାଗ୍ରତ କରିବାରେ ଅସମର୍ଥ ହୋଇଥିବାରୁ ଆମର ସେହି ସମୟର ଜାଜ୍ୱଲ୍ୟମାନ ଅସୀମ ଭବୋଚ୍ଛ୍ୱାସ ଭିତରେ ସ୍ଥାୟୀ ମୂଲ୍ୟର କୌଣସି ସଙ୍ଗଠନ ଆମେ ନିର୍ମାଣ କରିବାକୁ ଅକ୍ଷମ ହେଲୁ । ଆମ ଭିତରେ ହିଁ ଆମ ବିଫଳତାର କାରଣ ନ୍ୟସ୍ତ ଥିଲା । ଅତୀତରୁ ବହୁକାଳ ଧରି ଆମର ସମସ୍ତ କର୍ମ ଗୋଟିଏ ଦିଗରେ ଉଚ୍ଛ୍ୱାସ ଦ୍ୱାରା, ଅପର ଦିଗରେ ଅଭ୍ୟାସ ଦ୍ୱାରା ବଶୀଭୂତ ହୋଇପଡ଼ିଥିଲା । ଆମର ଚିନ୍ତାଶକ୍ତି ନିଶ୍ଚେଷ୍ଟ ହୋଇ ରହିଲା ଓ ଆମେ ଏହାର ସ୍ୱାଧୀନ ବିକାଶ ପାଇଁ କୌଣସି ସୁଯୋଗ ଦେଲୁ ନାହିଁ । ତେଣୁ ଯେତେବେଳେ କୌଣସି କାମ କରିବା ପାଇଁ ଡକରା ପଡ଼ିଲା, ସହସା ଆମର ଆବେଗକୁ ଅଧିକାର କରିବାକୁ ଚେଷ୍ଟା କରାଗଲା, ଏବଂ ଆମ ବୁଦ୍ଧିଶକ୍ତିକୁ ଜାଗ୍ରତ କରିବା ପାଇଁ ଉଦ୍ୟମ କରାଗଲା । ସେତେବେଳେ ରହସ୍ୟମୟ ଯାଦୁ ମନ୍ତ୍ରର ଆବଶ୍ୟକତା ଅନୁଭୂତ ହୋଇଥିଲା ।
ମନର ଏହି ଜଡ଼ତା ତଥା ମୃତାବସ୍ଥାରେ ହିଁ ଅତି ସହଜରେ ଭ୍ରାନ୍ତି ବା ମାୟା ଆସିଥାଏ-। ଆଲ୍ଲାଦିନ୍ଙ୍କର ପ୍ରଦୀପର ପ୍ରତିଶ୍ରୁତି କଥା ଶୁଣିଲେ ଲୋଭାବିଷ୍ଟ ହୃଦୟରେ ଶିହରଣ ସୃଷ୍ଟି ହୋଇଥାଏ । ଏହା ସର୍ବବାଦୀସମ୍ମତ ଯେ ଆମେ ଯଦି ପ୍ରକୃତରେ ଆଲ୍ଲାଦିନ୍ଙ୍କର ପ୍ରଦୀପ ଭଳି ଆଶ୍ଚର୍ଯ୍ୟକର ଏକ ପଦାର୍ଥ ପାଉଁ, ତାହାହେଲେ ତାକୁ ପରାସ୍ତ କଲା ଭଳି ଅନ୍ୟ ଏକ ପଦାର୍ଥ ମିଳିବା ଦୁର୍ଲ୍ଲଭ । ସେ ଯାହାହେଉ ଯାହାର ଲୋଭ ବେଶୀ ଆଉ ସାମର୍ଥ୍ୟ କମ୍-ଏପରି ବ୍ୟକ୍ତି କଦାପି ଏହା ସ୍ୱୀକାର କରି ପାରିବ ନାହିଁ । କେବଳ ପ୍ରଦୀପର ଦାନ କଥା ଶୁଣିବା ମାତ୍ରେ ତା’ର ହୃଦୟରେ ଗଭୀର ଉଦ୍ୱେଗ ଜାତ ହୁଏ; କିନ୍ତୁ ତା’ର ଆଶାର ନିରର୍ଥକଥା ପ୍ରତି ତାର ଦୃଷ୍ଟି ଆକର୍ଷଣ କଲେ ସେ ଏକାଥରକେ ବିଚଳିତ ହୋଇଯାଏ । ମନେହୁଏ ଯେପରି କି ତା’ର ସମସ୍ତ ସମ୍ପତ୍ତି କିଏ ଅପହରଣ କରି ନେଇଛି ।
ବଙ୍ଗ ବିଚ୍ଛେଦର ପ୍ରବଳ ଉତ୍ତେଜନା ସମୟରେ ଦଳେ ଯୁବକ ରାଷ୍ଟ୍ରବିପ୍ଳବ ଦ୍ୱାରା ଯୁଗାନ୍ତର ଆଣିବାକୁ ସଚେଷ୍ଟ ହୋଇଥିଲେ । ଯେଉଁ ଅଗ୍ନି ସେମାନେ ପ୍ରଜ୍ଜ୍ୱଳିତ କରିଥିଲେ, ସେହି ଅଗ୍ନିରେ ସେମାନେ ନିଜକୁ ଆହୂତି ଦେଲେ, ଏବଂ ସେଥିପାଇଁ ସେମାନେ ଆଜି କେବଳ ଆମ ଦେଶର ନୁହନ୍ତି, ସମଗ୍ର ପୃଥିବୀର ନମସ୍ୟ, ଏପରିକି ସେମାନଙ୍କର ନିଷ୍ଫଳତା ମଧ୍ୟ ଆଧ୍ୟାତ୍ମିକ ଗୌରବର ଦୀପ୍ତିରେ ସମୁଜ୍ଜ୍ୱଳ । ପରମ ଆତ୍ମାତ୍ୟାଗ ଓ ଅସହ୍ୟ ଦୁଃଖବଳରେ ସେମାନେ ଜାଣିଲେ ଯେ ଦେଶ ପ୍ରକୃତରେ ପ୍ରସ୍ତୁତ ନ ହେବାଯାଏ ବିପ୍ଳବ ଆମକୁ ବିପଥକୁ ଟାଣିଆଣେ ଓ ବ୍ୟର୍ଥତାରେ ପରିଣତ ହୁଏ । ଯେଉଁ କୃତ୍ରିମ ପଥ ସେମାନଙ୍କୁ ଅତି ସହଜ ପଥ ପରି ମନହୋଇଥିଲା, ସେ ପଥ ସାହାଯ୍ୟରେ ସେମାନେ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇ ପାରିଲେ ନାହିଁ, ବରଂ ସେମାନଙ୍କର ପଦ କଣ୍ଟକବିଦ୍ଧ ହୋଇ ଚ୍ଛିନ୍ନବିଚ୍ଛିନ୍ନ ହେଲା । ଯେଉଁ ଜିନିଷର ଯାହା ମୂଲ୍ୟ ତାହା ତାକୁ ପୂରା ନ ଦେଲେ ଦାମ୍ ତ ଯାଏ, ଏପରି କି ଜିନିଷ ମଧ୍ୟ ମିଳେ ନା । ସେଦିନର ସେହି ଦୁଃସାହସିକ ଯୁବକମାନେ ଭାବିଥିଲେ ଯେ ସମଗ୍ର ଦେଶ ତରଫରୁ ଯଦି ସେମାନେ ଆତ୍ମୋତ୍ସର୍ଗ କରନ୍ତି, ତାହାହେଲେ ରାଷ୍ଟ୍ରବିପ୍ଲବ ଘଟିବା ସମ୍ଭବ । ସେମାନେ ତାଙ୍କ ଶକ୍ତି ଅନୁଯାୟୀ ସର୍ବସ୍ୱ ଦାନ କଲେ ସତ, କିନ୍ତୁ ଦେଶ ପକ୍ଷରେ ତାହା ଯଥେଷ୍ଟ ହେଲା ନାହିଁ । ଗୋଟିଏ ଦେଶର ମୁକ୍ତି କଳ୍ପନା ସମଗ୍ର ଜନସାଧାରଣଙ୍କର ଅନ୍ତଃକରଣରେ ହିଁ ଜାଗ୍ରତ ହେବା ଉଚିତ୍-କିନ୍ତୁ କେବଳ ଗୋଟିଏ ଅଂଶରୁ ତାହା ଜନ୍ମଲାଭ କରିବା ଅନୁଚିତ । ଗୋଟିଏ ରେଳଗାଡ଼ିର ପ୍ରଥମଶ୍ରେଣୀ ଡବାଟି ଯେତେ ସୁନ୍ଦର ଓ ମୂଲ୍ୟବାନ ଉପକରଣରେ ସଜ୍ଜିତ ହେଲେ ମଧ୍ୟ ତା’ ସହିତ ସଂଯୁକ୍ତ ତୃତୀୟ ଶ୍ରେଣୀ ଡବା ଅପେକ୍ଷା କଦାପି ଦ୍ରୁତ ବେଗରେ ଗତି କରିପାରେ ନା । ମୁଁ ନିଶ୍ଚିତ ଭାବରେ କହୁଛି ଯେ ସେହି ଦଳର ଯେଉଁମାନେ ଆଜି ଜୀବିତ, ସେମାନେ ବର୍ତ୍ତମାନ ବୁଝିଲେଣି ଯେ ଦେଶ କହିଲେ ଦେଶର ସମଗ୍ର ଜନସାଧାରଣଙ୍କର ସୃଷ୍ଟିକୁ ହିଁ ବୁଝାଏ । ଏହି ସୃଷ୍ଟି ତା’ର ସମସ୍ତ ହୃଦୟବୃତ୍ତି, ବୃଦ୍ଧିବୃତ୍ତି ଓ ଇଚ୍ଛାଶକ୍ତିର ବିକାଶ ମାତ୍ର ।
ଅନ୍ୟ ଦେଶର ପ୍ରଗତି ଉପରେ ଯେତେବେଳେ ଆମେ ଦୃଷ୍ଟିପାତ କରୁ ସେତେବେଳେ ରାଜନୀତିକ ଘୋଡ଼ାଗାଡ଼ି ପ୍ରଥମେ ଆମ ଦୃଷ୍ଟି ପଥରେ ପଡ଼ିଥାଏ । ଏହାର ଉପରେ ହିଁ ସେହି ଗାଡ଼ିର ଦ୍ରୂତଗତି ସଂପୂର୍ଣ୍ଣଭାବରେ ନିର୍ଭର କରିଥାଏ । ଆମେ ଭୁଲିଯାଉଁ ଯେ ଏହା ପଛରେ ଦେଶ ବୋଲି ଯେଉଁ ଗାଡ଼ିଟି ଅଛି ତାହା ମଧ୍ୟ ଠିକ୍ ଭାବରେ ଚାଲିବା ଉଚିତ । ଆହୁରି ମଧ୍ୟ ସେ ଗାଡ଼ିର ଚକଗୁଡ଼ିକ ମଧ୍ୟରେ ସାମଞ୍ଜସ୍ୟ ରହିବା ଓ ଏକ ଅଂଶ ଅପର ଅଂଶ ସହିତ ଠିକ୍ ଭାବରେ ସଂଯୁକ୍ତ ହେବା ଆବଶ୍ୟକ । ବିଭିନ୍ନ ଉପକରଣ ସହ ହାତୁଡ଼ି, କରତ ଓ କଳକବ୍ଜା ଦ୍ୱାରା କେବଳ ଏ ଗାଡ଼ି ତିଆରି ହୋଇ ନାହିଁ, ପରନ୍ତୁ ଏହା ମଧ୍ୟରେ ବହୁ ଚିନ୍ତା, ସାଧନା ଓ ତ୍ୟାଗ ରହିଛି । ଆମେ ଏପରି ଦେଶ ସବୁ ଦେଖୁଛୁ ଯେ କି ବାଲ୍ୟତଃ ସ୍ୱାଧୀନ, କିନ୍ତୁ ରାଜନୀତିକ ଘୋଡ଼ା ତାକୁ ଯେତେବେଳେ ଟାଣେ, ଗତି ଶବ୍ଦରେ ସମସ୍ତ ପ୍ରତିବେଶୀଙ୍କର ନିଦ ଭାଙ୍ଗିଯାଏ । ତା’ର ଧକ୍କା ଲାଗି ଯାତ୍ରୀମାନଙ୍କର ଅଙ୍ଗପ୍ରତ୍ୟଙ୍ଗ ବ୍ୟଥାପ୍ରାପ୍ତ ହୁଏ ଓ ପଥରେ ଚାଲୁ ଚାଲୁ ସେହି ଗୋଡ଼ିଟି ବହୁବାର ଭାଙ୍ଗିଯାଏ, ପୁଣି ସଜାଡ଼ିବାକୁ ବହୁ କଷ୍ଟ ସହ୍ୟ କରିବାକୁ ପଡ଼େ ।
ସେ ଯାହାହେଉ ସେଗୁଡ଼ିକ ଏକପ୍ରକାର ଗାଡ଼ି, କିନ୍ତୁ ଆମ ଦେଶ ପାଇଁ ଯେଉଁ ଖଣ୍ଡାଂଶ ସବୁ ସାଧାରଣରେ ରହିଯାଏ ସେଥିରେ ଯେ କୌଣସି ପ୍ରକାର ଜୋର ନ ଥାଏ, ତାହା ନୁହେ, ପରନ୍ତୁ ସେହି ଅଂଶଗୁଡ଼ିକ ପରସ୍ପର ବିରୋଧିତାରେ ପରିପୂର୍ଣ୍ଣ, କିନ୍ତୁ କ୍ରୋଧ, ଲୋଭ ଅଥବା ଅନ୍ୟ କୌଣସି ପ୍ରବୃତ୍ତିର ବାହୁ ବନ୍ଧନରେ ବାନ୍ଧି କୋଳାହଳ ଓ ଯନ୍ତ୍ରଣାର ସହିତ ତାକୁ ଟାଣିଲେ କ’ଣ ପ୍ରକୃତ ରାଜନୀତିକ ପ୍ରଗତି ବୋଲି କୁହାଯିବ ? ଟାଣିବାର ଶକ୍ତି ବା କେତେକାଳ ପର୍ଯ୍ୟନ୍ତ ତିଷ୍ଠି ପାରିବ ? ଅତଏବ ଘୋଡ଼ାଟିକୁ କିଛିସମୟ ପାଇଁ ଘୋଡ଼ାମେଳରେ ରଖିଦେଇ ପ୍ରଥମରେ ଗାଡ଼ିକୁ ସଜାଡ଼ି ତାକୁ ସୁନ୍ଦର ଆକାରରେ ରଖିବା କ’ଣ ବୁଦ୍ଧିମାନର କାର୍ଯ୍ୟ ନୁହେ ?
ମୃତ୍ୟୁର ସିଂହଦ୍ୱାରରୁ ବଙ୍ଗଳାର ଯେଉଁ ତରୁଣଦଳ ଫେରି ଆସିଛନ୍ତି, ସେମାନଙ୍କର ଲେଖାଲେଖିରୁ ମୁଁ ଅନୁମାନ କରୁଛି ଯେ ଏହି ଚିନ୍ତା ହିଁ ଆଜି ସେମାନଙ୍କର ମନକୁ ବିବ୍ରତ କରୁଛି । ତାଙ୍କ ମତରେ ବର୍ତ୍ତମାନ ପରିସ୍ଥିତିରେ ଆମର ସବୁଠାରୁ ଅଧିକ ପ୍ରୟୋଜନ ହେଉଛି ଆତ୍ମପ୍ରସ୍ତୁତି ଓ ଅନ୍ତର୍ନିହିତ ମାନବର ଉନ୍ନତ ସାଧନର ଦୃଢ଼ ଉଦ୍ୟମ, ଯାହା ଫଳରେ ଏକ ମିଳିତ ଓ ସାଧାରଣ ପ୍ରଚେଷ୍ଟାର ମୂଳଭିତ୍ତି ପ୍ରତିଷ୍ଠିତ ହେବ । ବାହାରର ବନ୍ଧନ ପ୍ରତି ଅନ୍ଧ ଭାବରେ ଆନୁଗତ୍ୟ ସ୍ୱୀକାର କରିବା ଦ୍ୱାରା ଏହା ସମ୍ଭବ ନୁହେ । କିନ୍ତୁ ଏକ ଶୃଙ୍ଖଳିତ ବିଚାରବୁଦ୍ଧି ଦ୍ୱାରା ହିଁ ଏହାକୁ ଲାଭ କରିବାକୁ ପଡ଼ିବ । ଯାହା ଦେଶର ମନକୁ ଉଦ୍ବୋଧିତ ନ କରି କେବଳ ଅଭିଭୂତ ବାସ୍ତବ୍ଧ କରିଦିଏ, ତାହା ଦେଶ ପକ୍ଷରେ ଅନ୍ତରାୟ ସ୍ୱରୂପ ।
ନିଜର ସୃଷ୍ଟିଶକ୍ତି ଦ୍ୱାରା ଦେଶକୁ ନିଜର କରି ତୋଳିବାର ଯେଉଁ ଆହ୍ୱାନ ତାହା ପ୍ରକୃତରେ ଏକ ମହତ୍ ଆହ୍ୱାନ । ଏହା କଦାପି କୌଣସି ଏକ ଯାନ୍ତ୍ରିକ ଅନୁଷ୍ଠାନର ତାଗିଦ୍ ନୁହେ, କାରଣ ମନୁଷ୍ୟ ମହୁମାଛି ପରି କେବଳ ଗୋଟିଏ ମାପରେ ମଧୁଚକ୍ର ନିର୍ମାଣ କରିବା ବା ମାଙ୍କଡ଼ସା ପରି ସର୍ବଦା ଗୋଟିଏ ଛାଞ୍ଚରେ ଜାଲ ବୁଣିବାରେ ତାର ଶକ୍ତିକୁ ସୀମିତ କରେ ନାହିଁ । ଅନ୍ତରରେ ହିଁ ତାର ସର୍ବୋକୃଷ୍ଟ ଶକ୍ତି ନିହିତ–ସେଥିରୁହିଁ ତା’ର ଶକ୍ତିକୁ ସେ ଆହରଣ କରିବ; କିନ୍ତୁ ଅଭ୍ୟାସ ଦ୍ୱାରା ନୁହେ, ‘‘ଚିନ୍ତା କର ନାହିଁ, କେବଳ କାମ କରିଯାଅ’’ ତାକୁ ଏକଥା କହିବା ଦ୍ୱାରା ଯେଉଁ ମାୟା ବହୁକାଳରୁ ଆମ ଦେଶକୁ ଭୟଙ୍କର ଭାବରେ ମୋହାବିଷ୍ଟ କରିଛି, ସେହି ମାୟାକୁହିଁ ପ୍ରଶ୍ରୟ ଦେବା । ଏତେକାଳ ଧରି ଆମେ ପବିତ୍ର ଅନୁଶାସନ ଓ ପ୍ରତିଷ୍ଠିତ ପ୍ରଥାର ଶକ୍ତି ନିକଟରେ ଅନ୍ଧ ଭାବରେ ଆମର ସର୍ବୋଚ୍ଚ ଅଧିକାର–ଅର୍ଥାତ୍ ବିଚାରାଧିକାରକୁ ସମର୍ପଣ କରି ସନ୍ତୁଷ୍ଟ ରହିଅଛୁଁ । ଆମେ କହିଛୁ ଆମେ ସମୁଦ୍ର ଲଂଘନ କରିବୁ ନାହିଁ–କାରଣ ମନୁ ଏହା ନିଷେଧ କରିଛନ୍ତି-। ଆମେ ଜଣେ ମୁସଲମାନ ପାଖରେ ବସି ଖାଇବୁ ନାହିଁ–କାରଣ ଏହା ଶାସ୍ତ୍ର ବିରୋଧୀ-। ଅନ୍ୟ କଥାରେ କହିଲେ ଠିକ୍ହେବ ଯେ ଆମ ଏ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ କର୍ମପନ୍ଥା ଓ ଅଭ୍ୟାସକୁ ଅନୁସରଣ କରି ଆସିଅଛୁ, ଯେଉଁଠିକି ବୁଦ୍ଧିର ସ୍ଥାନ ନାହିଁ । ଜଣେ ପ୍ରଭୁ ଯେପରି ତାର ଭୃତ୍ୟ ଉପରେ କେବଳ ନିର୍ଭର କରି ଅକର୍ମା ହୋଇଯାଏ, ଠିକ୍ ସେହି ଅବସ୍ଥାରେ ଆମେ ଆସି ଉପନୀତ ହୋଇଅଛୁ । କାରଣ ମୁଁ ପୂର୍ବରୁ କହିଛି ଯେ ଆମ ଅନ୍ତର ହିଁ ଆମର ପ୍ରକୃତ ପ୍ରଭୁ । ଯେତେବେଳେ ସେ ଏକାନ୍ତ ଭାବରେ ବାହ୍ୟ ଘଟଣାରେ ଆସକ୍ତ ହୁଏ ସେତେବେଳେ ତାର ଆଉ ଦୁର୍ଗତିର ସୀମା ରହେ ନାହିଁ–ସେ ହୁଏ ଏକ ପରାସକ୍ତ ଜୀବ; କେବଳ ଦାସତ୍ୱର କାରଖାନାରେ ସେ ହୁଏ ଗୋଟିଏ ଯନ୍ତ୍ରଚାଳିତ କଳ । ଯଉଁ ଜଡ଼ତାରୁ ଆମ ଦାସ ମନୋଭାବର ସୃଷ୍ଟି ତାକୁ କଦାପି ଆଉ ବେଶୀ ପରିମାଣରେ ଅନ୍ଧ ଆନୁଗତ୍ୟ ବା ଯନ୍ତ୍ରଚାଳିତ ଗୋଟିଏ କଳ କଣ୍ଢେଇର ଚାପ ଦ୍ୱାରା ମୁକ୍ତ କରି ହେବ ନାହିଁ । ବଙ୍ଗ-ଭଙ୍ଗ ଆନ୍ଦୋଳନ ପରେ ଦେଶରେ ଆଉ ଯେଉଁ ଗୋଟିଏ ଆନ୍ଦୋଳନର ବର୍ତ୍ତମାନ ସୂତ୍ରପାତ ହୋଇଛି, ତାହା ବୃହତ୍ ଆକାର ଧରଣ କରିବା ସଙ୍ଗେ ସଙ୍ଗେ ସାରା ଭାରତରେ ତା’ର ପ୍ରଭାବ ପରିଲକ୍ଷିତ ହେଉଅଛି ।
ପୂର୍ବରୁ ଆମର ରାଜନୀତିକ ନେତାମାନେ ଇଂରେଜୀ ଶିକ୍ଷିତ ଶ୍ରେଣୀ ଛଡ଼ା ଆଉ ବାହାରକୁ ଦୃଷ୍ଟିପାତ କରି ନାହାନ୍ତି, କାରଣ ସେହିମାନେ ହିଁ ଏ ଦେଶରେ ପ୍ରାଧାନ୍ୟ ଲାଭ କରିଥିଲେ । ଆମ ଦେଶ ସେତେବେଳେ ଇଂରେଜ ଭାଷାର ବାଷ୍ପାବୃତ ଗୋଟିଏ ମରୀଚିକା ସଦୃଶ ପ୍ରତୀୟମାନ ହେଉଥିଲା ଏବଂ ସେଥିରେ ବାର୍କ, ଗ୍ଳାଡ଼ଷ୍ଟୋନ୍, ମାଜିନୀ ଓ ଗାରିବାଲ୍ଡ଼ିଙ୍କର ଅସ୍ପଷ୍ଟମୂର୍ତ୍ତି ଭାସମାନ ଆକାରରେ ଦେଖାଯାଉଥିଲା । ଦେଶ ମଧ୍ୟରେ ପ୍ରକୃତ ଆତ୍ମତ୍ୟାଗ ବା ଜନତା ପ୍ରତି ସହାନୁଭୂତି ପ୍ରଭୃତି ଉଚ୍ଚ ମାନବିକ ଧର୍ମର ପରିଚୟ ମିଳୁ ନ ଥିଲା ।
ତାହା ପରେ ଏହି ଘୋର ସଂକଟ ମୁହୂର୍ତ୍ତରେ ଭାରତର କୋଟି କୋଟି ଦୁଃସ୍ଥ ନିରନ୍ନ ଜନତାର ଦ୍ୱାରଦେଶରେ ତାଙ୍କରି ପୋଷାକ ପିନ୍ଧି ତାଙ୍କରି ଭାଷାରେ କଥା କହିବାକୁ ଠିଆହେଲେ ମହାତ୍ମା ଗାନ୍ଧୀ । ଏହା ଏକ ସତ୍ୟ ଘଟଣା- ଛପା ପୃଷ୍ଠାର ଗୋଟିଏ ଗଳ୍ପ ମାତ୍ର ନୁହେ ସେହି ସକାଶେ ସେ ପ୍ରକୃତ ମହାତ୍ମା ନାମରେ ପରିଚିତ । କାରଣ ଭାରତର ଏହି ବିପୁଳ ଜନତାକୁ ନିଜର ରକ୍ତମାଂସର–ନିଜର ଆପଣାର କରି ଆଉ କିଏ ଦେଖିଛି ? ସତ୍ୟର ସ୍ପର୍ଶ ମାତ୍ରକେ ଅଫୁରନ୍ତ ଶକ୍ତିର ଉତ୍ସ ଖୋଲିଯାଏ । ବାସ୍ତବିକ୍ ଯେଉଁ ମୁହୂର୍ତ୍ତରେ ପ୍ରେମ ଭାରତର ଦ୍ୱାରଦେଶରେ ଆସି ପହଞ୍ଚିଲା, ସଙ୍ଗେ ସଙ୍ଗେ ସେ ଦ୍ୱାର ଖୋଲିଗଲା । ସକଳ ପ୍ରକାର ଅନ୍ତର୍ନିହିତ କାର୍ପଣ୍ୟଭାବ ଅଦୃଶ୍ୟ ହୋଇଗଲା–ସତ୍ୟର ସ୍ପର୍ଶରେ ସତ୍ୟ ଜାଗିଉଠିଲା ।
ଚାତୁରୀ ଦ୍ୱାରା ଯେଉଁ ରାଷ୍ଟ୍ରନୀତି ଚାଳିତ ହୁଏ, ସେ ନୀତି ବନ୍ଧ୍ୟା । ଏ ଶିକ୍ଷା ବହୁକାଳରୁ ଆରମ୍ଭ ହେବା ଆବଶ୍ୟକ ଥିଲା । ଆମ ହୃଦୟରେ ସତ୍ୟବୋଧ ଜାଗ୍ରତ କରିବା ସମ୍ମାନର ଅଧିକାରୀ କେବଳ ହିଁ ମହାତ୍ମା, କିନ୍ତୁ ଚାତୁରୀ ହେଉଛି ଭୀରୁ ଓ ଦୁର୍ବଳର ସହଜ ଧର୍ମ-ଭୀରୁ ଓ ଦୁର୍ବଳ ବ୍ୟକ୍ତି କେବଳ ଶସ୍ତା ଧରଣର କୌଶଳ ଅବଲମ୍ବନ କରେ । ଆଜି ମଧ୍ୟ ବହୁ ବିଜ୍ଞବ୍ୟକ୍ତି ମହାତ୍ମାଙ୍କର ପ୍ରଚେଷ୍ଟାକୁ ନିଜ ନିଜର ରାଜନୀତିକ ଜୁଆଖେଳରେ ଗୋଟିଏ ଚାଲବାଜି ସହିତ ସମାନ କରିଥାନ୍ତି, ଏହା ମୁକ୍ତିର ଜନ୍ମଲଗ୍ନ–ଏହା ଅନ୍ୟ କିଛି ନୁହେ । ଏଥିରେ ହିଁ ଦେଶ ନିଜକୁ ଆବିଷ୍କାର କରିଛି । ଏହା ସହିତ ଭାରତର ବୈଦେଶିକ ଅଧିକାରର କୌଣସି ସମ୍ବନ୍ଧ ନାହିଁ । ଏହି ପ୍ରେମ ହିଁ ପବିତ୍ର; ସ୍ୱକୀୟ, ଜ୍ୟୋତିରେ ଉର୍ଜ୍ଜସ୍ୱଳ । ସେ ଅସ୍ୱୀକାର ସୂଚକ ମନୋଭାବ ସହିତ ତର୍କରେ ନିଜକୁ ଜଡ଼ିତ ରଖେ ନାହିଁ- କୌଣସି ପ୍ରକାରେ ଯୁକ୍ତି ତର୍କର ଅବକାଶ ସେଠାରେ ନାହିଁ ।
ପ୍ରେମର ଆହ୍ୱାନରେ ଭାରତବାସୀଙ୍କ ହୃଦୟରେ ଯେଉଁ ଉଦ୍ବୋଧନ ଦେଖାଗଲା ତାହାର ସ୍ୱର ଦରିଆ ପାରି ହୋଇ ବିଦେଶରେ ମୋ କାନରେ ପହୁଞ୍ଚିଥିଲା । ସେତେବେଳେ ଅତି ଆନନ୍ଦର ସହିତ ଏହି କଥା ମୋର ମନେହେଲା ଯେ ଉଦ୍ବୋଧନର ଦରବାରରେ ଏହିଥର ଆମ ସମସ୍ତଙ୍କୁ ଡକରା ପଡ଼ିବ, ଭାରତବାସୀଙ୍କ ଚିତ୍ତରେ ଯେଉଁ ଅପୂର୍ବ ଶକ୍ତି ପ୍ରଚ୍ଛନ୍ନ ଭାବରେ ନିହିତ, ସେ ଶକ୍ତି ଆଜି ପୂର୍ଣ୍ଣ ଭାବେ ପ୍ରକାଶିତ ହେବ । ଏହାକୁହିଁ ମୁଁ ଦେଶର ପ୍ରକୃତ ମୁକ୍ତି ବୋଲି ବିଶ୍ୱାସ କରିଥିଲି । ଯେତେବେଳେ ବୁଦ୍ଧ ଭାରତବର୍ଷରେ; ନିଜର ସତ୍ୟ ସାଧନାର ଭିତର ଦେଇ ସର୍ବଭୂତଙ୍କ ପ୍ରତି ମୈତ୍ରୀମନ୍ତ୍ର ଘୋଷଣା କରିଥିଲେ ସେତେବେଳେ ସେହି ସତ୍ୟର ପ୍ରେରଣା ଭାରତୀୟ ଜୀବନର ସକଳ ବିଭାବକୁ ସ୍ପର୍ଶ କରିଥିଲା ଓ ସୃଜନାତ୍ମକ ଶିଳ୍ପକଳାକୁ ମଧ୍ୟ ସମୃଦ୍ଧ କରିଥିଲା, କିନ୍ତୁ ଅତୀତର ସେହି ପୁରାତନ ଯୁଗରେ ରାଷ୍ଟୀୟ ଏକତା ଉପରେ ବାର ବାର ଆକ୍ରମଣ ହେବାରୁ ଭାରତ ଛିନ୍ନବିଚ୍ଛିନ୍ନ ହୋଇ ଯାଇଥିଲା । ସେହି ମୈତ୍ରୀ ଓ ମୁକ୍ତିର ପ୍ରଭାବ ଏପରି ଥିଲା, ଯାହା ଫଳରେ ତାହା ଭାରତର ସୀମାନ୍ତକୁ ଅତିକ୍ରମ କରି ଅନ୍ୟାନ୍ୟ ଜାତିର ଅନ୍ତର୍ନିହିତ ଐଶ୍ୱର୍ଯ୍ୟ ପ୍ରତି ସେମାନଙ୍କୁ ସଚେତନ କରିଥିଲା ।
କୌଣସି ମହାନ ବିଜେତା କିମ୍ବା କୌଣସି ଧନୀ ରାଜପୁତ୍ର ଏପରି କୃତିତ୍ୱ କେବେ ହାସଲ କରି ପାରିନି । ସେମାନେ କେବଳ ବିରୋଧ, ମନ୍ତ୍ରଣା ଓ ଅପମାନ ନିଜ ପାଇଁ ବହନ କରି ଆଣିଛନ୍ତି । ଜୀବନର ମୌଳିକ ଉପାଦାନକୁ ସ୍ପର୍ଶ କରି ପ୍ରେମ ତା’ର ମୁକ୍ତିପଥ ହାସଲ କରେ, କିନ୍ତୁ ପ୍ରଲୋଭନ ବଳ ପ୍ରୟୋଗପୂର୍ବକ ନିଜର ଲକ୍ଷ୍ୟବସ୍ତୁ ଲାଭ କରିଥାଏ । ବଙ୍ଗ ବିଚ୍ଛେଦ ବିରୁଦ୍ଧରେ ଯେତେବେଳେ ଆନ୍ଦୋଳନ ହୋଇଥିଲା, ସେତେବେଳେ ଆମେ ଏହା ଲକ୍ଷ୍ୟ କରିଥିଲୁ- ସେଦିନ ଲୋକେ ଅନ୍ତର୍ନିହିତ ପ୍ରେମ ଦ୍ୱାରା ନୁହେ- ବରଂ ଲୋଭାସକ୍ତ ହୋଇ ବାହାରର ନାନାପ୍ରକାର ଚାପରେ ତ୍ୟାଗସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ । ଫଳଲାଭ ଅସ୍ଥାୟୀ ହେଲେ ସୁଦ୍ଧା ଲୋଭ ଅଳ୍ପସମୟ ମଧ୍ୟରେ ତାହା ପାଇବାକୁ ଚେଷ୍ଟା କରେ । ପ୍ରେମର ଫଳ ଦୀର୍ଘସ୍ଥାୟୀ ଓ ସ୍ୱୟଂ ସଂପୂର୍ଣ୍ଣ ।
ସେହି ସକାଶେ ଉତ୍କଣ୍ଠିତ ଆଶାରେ ନବଜାତ ମୁକ୍ତିର ବାୟୁ ସେବନ କରିବାକୁ ମୁଁ ମୋର ଜନ୍ମଭୂମିକୁ ଅତିଶୀଘ୍ର ଫେରିଆସିଲି, କିନ୍ତୁ ମୁଁ ଯାହା ଦେଖିଲି, ସେଥିରେ ମୁଁ ହତାଶ ହୋଇପଡ଼ିଲି । ମୁଁ ଦେଖିଲି, ସେଥିରେ ମୁଁ ହତାଶ ହୋଇପଡ଼ିଲେ । ମୁଁ ଦେଖିଲି ସତେ ଯେପରି ଦେଶର ମନ ଉପରେ ଏକ ଗଭୀର ଚାପ ସକ୍ରିୟ ଅବସ୍ଥାରେ ରହିଛି, ଫଳରେ ପ୍ରତ୍ୟେକ ବ୍ୟକ୍ତି ସମାନ ସ୍ୱରରେ କଥାବାର୍ତ୍ତା କରୁଛନ୍ତି ଓ ସେମାନଙ୍କର ଭାବଭଙ୍ଗୀରେ ମଧ୍ୟ ସାମ୍ୟ ପରିଦୃଷ୍ଟ ।
ମୁଁ ଯେତେବେଳେ ପ୍ରଶ୍ନ କରିବାକୁ ଯାଇଛି, ସେତେବେଳେ ମୋର ହିତୈଷୀ ବନ୍ଧୁମାନେ ମୋତେ କିଛି ନ କହିବାକୁ ବ୍ୟାକୁଳ ଭାବରେ ଅନୁରୋଧ କରି କହିଛନ୍ତି, ‘‘ଆଜି କିଛି ତୁମେ କୁହ ନାହିଁ, ତୁମକୁ ହାତଯୋଡ଼ି ପ୍ରାର୍ଥନା କରୁଛୁ ।’’ ଦେଶର ପବନରେ ମଧ୍ୟ ଏକ ଅଲକ୍ଷ୍ୟ ଉତ୍ପୀଡ଼ନ ଅଛି- ଯାହାକି ମୁକ୍ତ ହିଂସା ଅପେକ୍ଷା ମଧ୍ୟ ଆହୁରି ଭୟଙ୍କର । ଉଦ୍ଘୋଷିତ ନୀତିର ବିଚାରଶୀଳତା ଉପରେ ବର୍ତ୍ତମାନ ଜଣେ ସନ୍ଦେହ ପ୍ରକାଶ କଲେ ପରମୁହୂର୍ତ୍ତରେ ତାକୁ ଏକ ଶୃଙ୍ଖଳଗତ ଶାସ୍ତି ବିଧାନର ସମ୍ମୁଖୀନ ହେବାକୁ ପଡ଼ିବ । ଗୋଟିଏ ସମ୍ବାଦ ପତ୍ରର ସମ୍ପାଦକ ବିଦେଶୀ ବସ୍ତ୍ର ପୋଡ଼ିବା ବିରୁଦ୍ଧରେ ସାମାନ୍ୟ ଆପତ୍ତିର ସଙ୍କେତ ଦେବା ଦ୍ୱାରା ପାଠକମଣ୍ଡଳୀ ମଧ୍ୟରେ ଘୋର ପ୍ରତିବାଦ ସୃଷ୍ଟି ହୋଇଥିଲା । ଫଳରେ ଯେଉଁ ଅଗ୍ନିଶିଖା ଗାଣ୍ଠି ଗାଣ୍ଠି ମିଲ୍ ଲୁଗା ପୋଡ଼ି ଛାରଖାର କରି ଦେଇଥିଲା, ସେହି ଅଗ୍ନିଶିଖାରେ ତାହାର କାଗଜଟି ମଧ୍ୟ ଭସ୍ମୀଭୂତ ହେଲା ।
ମୁଁ ଦେଖୁଛି ଦଳେ ଲୋକ ସେମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟରେ ପ୍ରାଣପଣେ ଲାଗିଛନ୍ତି, କିନ୍ତୁ ଅନ୍ୟ ଦଳଟି ଭୀତତ୍ରସ୍ତ ଓ ମୂକ ଭଳି ନିର୍ବାକ୍ ହୋଇ ରହିଛନ୍ତି । ‘‘ସକଳପ୍ରକାର ପ୍ରଶ୍ନ ବା ଯୁକ୍ତି ବା ଯୁକ୍ତି ବନ୍ଦ କରିବାକୁ ହେବ, କେବଳ ଅନ୍ଧ ଭାବରେ ତୁମେ ଆଜ୍ଞା ପାଳନ କର’’–ଏହି ଭାବ ଆଜି ବାୟୁମଣ୍ଡଳରେ ଖେଳିଯାଇଛି ।
କାହା ପାଖରେ ଏ ବାଧ୍ୟତା ? କେବଳ କଅଣ କେତେକ ଶବ୍ଦର ଯାଦୁମନ୍ତ୍ର ଓ ବୁଦ୍ଧିହୀନ ଗୋଷ୍ଠୀ ନିକଟରେ ? କାହିଁକି ଏ ପ୍ରକାରର ଅଜ୍ଞାବହତା ? ପୁଣି ଆସିଛି ସେଇ ପ୍ରୟୋଜନ ପ୍ରଶ୍ନ–ଆମର ସେଇ ଆଧ୍ୟାତ୍ମିକ ମନ୍ତ୍ର ଲୋଭ । ଅତିଶୀଘ୍ର ଅତି ଦୁର୍ଲ୍ଲଭ ଧନ ଲାଭ କରିବାର ଏକ ଚିତ୍ତାକର୍ଷକ ପ୍ରତିଶ୍ରୁତି ଆଜି ଦେଶକୁ ଦିଆଯାଇଛି । ଏହି ପ୍ରତିଶ୍ରୂତିର ପ୍ରଲୋଭନରେ ମନୁଷ୍ୟ ଆଜି ନିଜର ବିଚାର ବୁଦ୍ଧି ଅନାୟାସରେ ଜଳାଞ୍ଜଳି ଦେଇଛି ଏବଂ ଅନ୍ୟମାନେ ଏଥିରେ ଅସମ୍ମତ ହେବା ଦ୍ୱାରା ସେମାନଙ୍କର ବିରାଗଭାଜନ ମଧ୍ୟ ହୋଇଛନ୍ତି । କ୍ଷୋଭର ବିଷୟ ଏହି ଯେ ଯେଉଁମାନେ ଏହି ପ୍ରତିଶ୍ରୂତିରେ ସଂପୂର୍ଣ୍ଣ ବିଶ୍ୱାସ କରି ନାହାନ୍ତି ସେମାନେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଇବାକୁ ବ୍ୟଗ୍ର । ସେମାନେ କହନ୍ତି ଯେ ‘‘ଏହା ଏକ ସତ୍ଉଦ୍ଦେଶ୍ୟ ସାଧନ କରିବ ।’’ ସେମାନେ ନିଃସନ୍ଦିଗ୍ଧ ଭାବେ ଚିନ୍ତା କରି କହନ୍ତି, ଭାରତ ବାଣୀ ସେ ଭାରତ କଦପି ସ୍ୱରାଜ ଲାଭ କରି ପାରିବ ନାହିଁ ।
ଦୁଃଖର କଥା ଯେ ଯେଉଁ ଲାଭ ପାଇଁ ଏପରି ଦାବୀ କରାଯାଉଛି ତାକୁ ଗୋଟିଏ ନାମ ଦିଆଯାଇଛି ସତ, କିନ୍ତୁ ତାର ସଂଜ୍ଞା କିଛି ସ୍ଥିର ହୋଇ ନାହିଁ । ଭୟର କାରଣଟା ଅସ୍ପଷ୍ଟ ହେଲେ ସେ ଯେପରି ଅତି ଭୟଙ୍କର ହୁଏ, ଲୋଭ ବିଷୟଟି ଅସ୍ପଷ୍ଟ ହେଲେ ତାର ମଧ୍ୟ ପ୍ରାବଲ୍ୟ ବୃଦ୍ଧିପ୍ରାପ୍ତ ହୁଏ । କଳ୍ପନାକୁ ଛାଡ଼ିଦେଲେ ପ୍ରତ୍ୟେକ ବ୍ୟକ୍ତି ତାର ସୁବିଧା ଅନୁସାରେ ତାକୁ ଏକ ରୂପ ଦେଇ ପାରେ । ଏହାର ବାସ୍ତବ ପ୍ରକୃତି ସଂପର୍କରେ ଅନୁସନ୍ଧାନର ପ୍ରଚେଷ୍ଟା ବ୍ୟର୍ଥ ହୁଏ, କାରଣ ତାହା ନିଜକୁ ଅନାୟାସରେ ଆତ୍ମସାତ୍ କରିଦିଏ । ଏହିପରି ଯେତେବେଳେ ଲୋଭର ଲକ୍ଷ୍ୟ ଅନିର୍ଦ୍ଦିଷ୍ଟ ଭାବରେ ବଡ଼ ଆକାର ଧାରଣ କରେ ଲାଭର ଉପାୟ ଓ ମୁହୂର୍ତ୍ତ ନିର୍ଦ୍ଦିଷ୍ଟ ଭାବରେ ସୂଚିତ ହୋଇଥାଏ । ବହୁ ଲୋକ ନିଶ୍ଚିତ ଭାବରେ ଜାଣନ୍ତି ସେ ଅଳ୍ପସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ମାସ ଓ ଦିନ ମଧ୍ୟରେ ସ୍ୱରାଜ୍ୟ ଲାଭ ହେବ । ନିଜେ ମନର ସ୍ୱାଧୀନତା ହରାଇ ସେମାନେ ଅନ୍ୟକୁ ସେଥିରୁ ବଞ୍ଚିତ କରି ଥାଆନ୍ତି । ଏହା ସତେ ଯେପରି ଭୂତ ଛଡ଼ାଇବାକୁ ଆମେ ଗୁଣିଆର ସନ୍ଧାନ ନେଉଁ, ଏବଂ ସେତେବେଳେ ସେହି ଭୂତ ଗୁଣିଆ ବେଶରେ ନିଜକୁ ପରିଣତ କରେ ।
ମହାତ୍ମାଗାନ୍ଧୀ ପ୍ରେମ ଦ୍ୱାରା ଭାରତବାସୀଙ୍କ ହୃଦୟ ଅଧିକାର କରିଛନ୍ତି । ସେଥିସକାଶେ ଆମ ମସ୍ତକ ସ୍ୱତଃ ତାଙ୍କ ପାଖରେ ଅବନତ । ଆମ ନିକଟରେ ସତ୍ୟର ପୂର୍ଣ୍ଣ ସ୍ୱରୂପକୁ ସେ ପ୍ରକାଶ କଲେ ଏବଂ ସେଥିପାଇଁ ଆମେ ତାଙ୍କ ନିକଟରେ ଋଣୀ । ଗ୍ରନ୍ଥମାନଙ୍କରୁ ଆମେ ଚିରନ୍ତନ ସତ୍ୟ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରୁ ଆମେ ସେ ସମ୍ବନ୍ଧରେ ଆଲୋଚନା କରୁ । ଯେତେବେଳେ ସତ୍ୟକୁ ଆମେ ସମ୍ମୁଖରେ ଦେଖୁ ସେହି ମୁହୂର୍ତ୍ତଟି ଆମ ପକ୍ଷରେ ଏକ ମୁହୂର୍ତ୍ତ–ଯେଉଁ ମୁହୂର୍ତ୍ତର ସୁଯୋଗ ଜଣକ ଜୀବନରେ ଅତି ବିରଳ । ପ୍ରଦେଶରୁ ଆଉ ଏକ ପ୍ରଦେଶକୁ ଯାଇ ରାଜନୀତିକ ବକ୍ତୃତା ଦେବା ଖୁବ୍ ସହଜ ଏବଂ ଏପରି କି ଜାତୀୟ କଂଗ୍ରେସକୁ ଭାଙ୍ଗିବା ଗଢ଼ିବା ମଧ୍ୟ ଅତି ସହଜ, କିନ୍ତୁ ସତ୍ୟ ଓ ପ୍ରେମର କାଉଁରିକାଠିର ସ୍ପର୍ଶରେ ଯେପରି ଶତବର୍ଷର ସୁପ୍ତ ଚିତ୍ତ ଜାଗି ଉଠିଲା, ତାହା ପାଇବା ସହଜ ନୁହେ । ଯାହା ହାତରେ ଏହି ଦୁର୍ଲ୍ଲଭ ସୁନାକାଠି ଅଛି ତାଙ୍କୁ ଆମର କୋଟି କୋଟି ପ୍ରଣାମ ।
କିନ୍ତୁ ସତ୍ୟର ସ୍ୱରୂପ ଦର୍ଶନ କରି ସାରିଲା ପରେ ମଧ୍ୟ ଯଦି ଆମର ବିଶ୍ୱାସ ଏଥିରେ ଦୃଢ଼ୀଭୂତ ନ ହୁଏ, ତାହାହେଲେ ଏସବୁର ଫଳ କ’ଣ ? ଯେପରି ହୃଦୟ ପ୍ରେମର ସତ୍ୟକୁ ଗ୍ରହଣ କରେ ସେହିପରି ଆମର ମନ ବୌଦ୍ଧିକ ସତ୍ୟକୁ ଗ୍ରହଣ କରେ । ଏ ପର୍ଯ୍ୟନ୍ତ କଂଗ୍ରେସ ବା ଆଉ କୌଣସି ଅନୁଷ୍ଠାନ ଭାରତବାସୀଙ୍କ ହୃଦୟରେ ଏପରି ଶକ୍ତିଶାଳୀ ପ୍ରଭାବ ପକାଇ ପାରି ନ ଥିଲା । ପ୍ରେମର ସ୍ପର୍ଶ ଅପେକ୍ଷାରେ ଏହା ରହିଥିଲା, ମାତ୍ର ବର୍ତ୍ତମାନ ଯେତେବେଳେ ଆମେ ପ୍ରେମର ସତ୍ୟ ଅନୁଭବ କଲୁ, ସେତେବେଳେ କଣ ଆମେ ଆମର ବିଶ୍ୱାସ, ଅନ୍ୟ ସତ୍ୟ ତଥା ସ୍ୱରାଜ ଲାଭରୁ ଅପସାରଣ କରିବୁ ?
ମୁଁ ବର୍ତ୍ତମାନ ଗୋଟିଏ ଦୃଷ୍ଟାନ୍ତ ହେଉଛି । ଧର ମୁଁ ଗୋଟିଏ ବୀଣାବାଦକକୁ ଖୋଜୁଛି । ସବୁଠାରେ ଚେଷ୍ଟା କରିଛି, କିନ୍ତୁ କେଉଁଠି ଉପଯୁକ୍ତ ଲୋକ ପାଇ ନାହିଁ । ସେମାନେ ସମସ୍ତେ ସୁଦକ୍ଷ ଏବଂ ତାଙ୍କର ରୋଜଗାର ଖୁବ୍ ବେଶୀ । କୌଣସି ଆବେଗର ବଶବର୍ତ୍ତୀ ନ ହୋଇ ମୁଁ ତାଙ୍କର ଶିଳ୍ପକୌଶଳକୁ ପ୍ରଶଂସା କରୁଛି । ଶେଷରେ ମୁଁ ଜଣକୁ ପାଇଛି । ସେ ବୀଣାର ପ୍ରଥମ ସ୍ୱରରେ ହାତ ଦେବାମାତ୍ରେ ସ୍ୱରଲହରୀ ଯେପରି ସୃଷ୍ଟି ହୋଇଯାଏ । ତାଙ୍କୁ ମୁଁ ମୋର ଶିକ୍ଷକ ରୂପେ ଗ୍ରହଣ କଲି । ତା’ପରେ ମୁଁ ଗୋଟିଏ ବୀଣା ତିଆରି କରିବାକୁ ଚେଷ୍ଟା କଲି–ମାତ୍ର ମୋର ସମ୍ବଳ ଯଥେଷ୍ଟ ନ ଥିଲା । ଯଦି ମୋର ଗୁରୁ ମୋର ଦୁରବସ୍ଥା ପ୍ରତି ସମବେଦନା ଜ୍ଞାପନ କରି କହନ୍ତି–‘‘ତୁମେ ବ୍ୟସ୍ତ ହୁଅ ନାହିଁ, ଗୋଟାଏ କାଠି ଦେହରେ ଖଣ୍ଡିଏ ତାର ବାନ୍ଧି ଝଙ୍କାର ଦିଅ ଏବଂ ଏହିପରି ଅଭ୍ୟାସ କର । ତା’ହେଲେ ଏକ ନିର୍ଦ୍ଦିଷ୍ଟ ମାସର ନିର୍ଦ୍ଦିଷ୍ଟ ତାରିଖରେ ଏ କାଠି ପ୍ରକୃତି ବୀଣାରେ ପରିଣତ ହେବ ।’’
ଏ କ’ଣ ମୋତେ ଏ ଦିଗରେ ସାହାଯ୍ୟ କରିବ ? ମୋର ଅବସ୍ଥା ପ୍ରତି ସମବେଦନା ଜ୍ଞାପନ କରିବା ବାସ୍ତବିକ୍ ମୋର ଶିକ୍ଷକଙ୍କ ପକ୍ଷରେ ‘ଅପାତ୍ର ଦାନ’ ବୋଲି ଗଣ୍ୟ ହେବ । ତାଙ୍କ ପକ୍ଷରେ ଉଚିତ ହେବ ଯଦି ସେ ମୋତେ କହିଦିଅନ୍ତି ଯେ ଏ କାର୍ଯ୍ୟ ଅତି ଶସ୍ତାରେ କରାଯାଇ ପାରେ ନା, ବୀଣା ଗୋଟିଏ ମାତ୍ର ତାର ନୁହେ; ଏହାର ଉପକରଣ ଅନେକ, ଏହାର ରଚନା ପ୍ରଣାଳୀ ସୂଷ୍ମ, ନିୟମରେ ଟିକିଏ ମାତ୍ର ବ୍ୟତିକ୍ରମ ହେଲେ ଏହା ବେସୁରା ହୋଇଯିବ ।
ମହାତ୍ମାଙ୍କ ପ୍ରେମର ଗଭୀରତା ଉପରେ ଆମର ଶ୍ରଦ୍ଧା ଅକ୍ଷୂର୍ଣ୍ଣ ରହୁ–କିନ୍ତୁ ସ୍ୱରାଜ୍ୟ ଜିନିଷଟି ଗୋଟିଏ ବୀଣାର ଗୋଟିଏ ତାର ବା କାଠି ଭଳି କ୍ଷୂଦ୍ର ନୁହେଁ । ଏହା ଏକ ମହତ୍କାର୍ଯ୍ୟ ଏବଂ ଏହାକୁ ଗଢ଼ିବାକୁ ହେଲେ ପ୍ରୟୋଜନ ହୁଏ ଗଭୀର ଜ୍ଞାନ, ସୁସ୍ପଷ୍ଟ ଚିନ୍ତା ଓ ମାନବିକ ପ୍ରେରଣା ତଥା ଆବେଗର ଜଟିଳ ପ୍ରଣାଳୀ । ଅର୍ଥନୀତି ବିଶାରଦ, ଶିକ୍ଷାବିଦ୍, ମନ୍ତ୍ରତତ୍ତ୍ୱବିଦ୍, ସମସ୍ତେ ଏହି ବହୁମୁଖୀ ପ୍ରଚେଷ୍ଟାରେ ସେମାନଙ୍କର ଧ୍ୟାନ ଓ ଚିନ୍ତା ବିନିଯୋଗ କରିବେ । ଜନସାଧାରଣଙ୍କର ବୁଦ୍ଧିଶକ୍ତି ପୂର୍ଣ୍ଣ ଭାବରେ ବିକଶିତ ହେବ, ଯାହା ଫଳରେ ଅନୁସନ୍ଧିତ୍ସା ଓ ଜିଜ୍ଞାସାବୃତ୍ତି ନିର୍ମଳ ଓ ଚିରଉଜ୍ଜଳ ରହିବ । ପ୍ରକାଶ୍ୟ ଭାବରେ ହେଉ ବା ଗୋପନ ଭାବରେ ହେଉ ମନୁଷ୍ୟ ମନକୁ ବାଧ୍ୟବାଧକତା ସାହାଯ୍ୟରେ ନିଷ୍କ୍ରିୟ ବା ଭୟଭୀତ କରିବା ଉଚିତ୍ ନୁହେ ।
ଯେ କୌଣସି ଆହ୍ୱାନରେ ଦେଶ ଜାଗିଉଠେ ନା । ଆମର ଅତୀତ ଅଭିଜ୍ଞତାରୁ ଆମେ ତାହା ଜାଣୁ । ଯେହେତୁ ଜଣେ କେହି ଏ ପର୍ଯ୍ୟନ୍ତ ଦେଶର ସକଳ ଶକ୍ତିକୁ ସୃଷ୍ଟି କାର୍ଯ୍ୟରେ ବିନିଯୋଗ କରି ପାରି ନାହିଁ, ଫଳରେ ସମୟ ଅଯଥା ବ୍ୟୟିତ ହୋଇଛି । ସେଥିପାଇଁ ଏତେକାଳ ଆମେ ସେହି ବ୍ୟକ୍ତିର ଅପେକ୍ଷାରେ ବସିଛୁଁ ଯିଏ ଦେଶର ଲୋକଙ୍କୁ ଆହ୍ୱାନ କରିବାର ଶକ୍ତି ଓ ଅଧିକାର ହାସଲ କରିଛି । ଦିନେ ତପୋବନରୁ ଆମର ଗୁରୁମାନେ ସେମାନଙ୍କର ଗଭୀର ଜ୍ଞାନ ଓ ପ୍ରଭାବଳରେ ଆମକୁ ଏହିପରି ଆହ୍ୱାନ ଦେଇଥିଲେ–
‘‘ଯଥାପଃ ପ୍ରବଣୟନ୍ତି ଯଥାମାସା ଅହର୍ଜରମ୍
ଏବଂ ମା ବ୍ରାହ୍ମଚାରିଣୋ ଧାତ୍ ଆୟନ୍ତୁ ସର୍ଗତଃ ସ୍ୱାହା’’
ଯେପରି ଝରଣାଗୁଡ଼ିକ ନିମ୍ନଗାମୀ ହୁଅନ୍ତି, ମାସଗୁଡ଼ିକ ଯେପରି ସମ୍ୱତ୍ସର ଦିଗକୁ ଧାବିତ ହୁଅନ୍ତି, ସେହିପରି ସକଳ ଦିଗରୁ ବ୍ରହ୍ମଚାରୀମାନେ ମୋ ନିକଟକୁ ଆସନ୍ତୁ । ସେହି ପୁରାତନ ଯୁଗର ସତ୍ୟ ଦୃଷ୍ଟି ଏପର୍ଯ୍ୟନ୍ତ ବଞ୍ଚି ରହିଛି । ଏହାର ସ୍ୱର ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ଓ ପ୍ରତିଧ୍ୱନିତ । କାହିଁକି ଆଉ ଆମର ସର୍ବଶ୍ରେଷ୍ଠ ନେତା ସେହିପରି ଦେଶର କର୍ମଶକ୍ତିକୁ ଆହ୍ୱାନ ଚ୍ଛରୁ ନାହାନ୍ତି ? କାହିଁକି ସେ କହୁ ନାହାନ୍ତି ଯେ ‘‘ଆୟାନ୍ତ ସର୍ବତଃ ସ୍ୱାହା’’ ସେମାନେ ସକଳ ଦିଗରୁ ମୋ ନିକଟକୁ ଆସନ୍ତୁ । ସ୍ୱାଧୀନତାର ଅର୍ଥ ଦେଶରୁ ସଂମ୍ପୂର୍ଣ୍ଣରୂପେ ଜାଗ୍ରତ କରିବା । ପରମେଶ୍ୱର ମହାତ୍ମା ଗାନ୍ଧୀଙ୍କ କଣ୍ଠରେ ଆହ୍ୱାନ କରିବାର ଶକ୍ତି ଦେଇଛନ୍ତି–ଏହା କାହିଁକି ଆମର ଚରମ ଶୁଭମୁହୂର୍ତ୍ତ ହେବ ନାହିଁ ?
କିନ୍ତୁ ତାଙ୍କର ଆହ୍ୱାନ କେବଳ ସୀମାବଦ୍ଧ କ୍ଷେତ୍ରରେ ପହଞ୍ଚିଲା । ସମସ୍ତଙ୍କୁ ସେ କହିଲେ ‘‘ସୂତାକାଟ, - ଲୁଗାବୁଣ’’–ଏହା କ’ଣ ନବଯୁଗର ବିଶାଳ ସୃଷ୍ଟି ପାଇଁ ଏକ ବୈପ୍ଲବିକ ଆହ୍ୱାନ ? ଯେତେବେଳେ ପ୍ରକୃତି ମହୁମାଛିକୁ ଏକ ସଂକୀର୍ଣ୍ଣ ମଧୁଚକ୍ରର ଜୀବନ-ଯାପନ କରିବାକୁ ଆହ୍ୱାନ କରିଛି, ସେତେବେଳେ ଲକ୍ଷ ଲକ୍ଷ ମହୁମାଛି ନିଜର କର୍ମଶକ୍ତିର ବିକାଶ ପାଇଁ ନିଜ ନିଜକୁ କ୍ଳୀବ କରିଛନ୍ତି । କିନ୍ତୁ ଆପଣାକୁ ଖର୍ବ କରି ସେମାନେ ଯେଉଁ ଆତ୍ମତ୍ୟାଗ କଲେ ତାଙ୍କ ମୁକ୍ତି ପନ୍ଥାର ବିରୋଧୀ । ସେହିପରି ଯେଉଁ ବ୍ୟକ୍ତିମାନେ କୌଣସି ଆଦେଶ ପାଳନ ପାଇଁ ନିଜ ଶକ୍ତିର କ୍ଳୀବତ୍ୱ ସାଧନରେ କୁଣ୍ଠାବୋଧ କରନ୍ତି ନାହିଁ, ସେମାନେ ନିଜ ମଧ୍ୟରେ ନିଜର ବନ୍ଦୀଶାଳା ବହନ କରିଥାଆନ୍ତି । ସହଜପନ୍ଥା ପାଇଁ ଯେ ଆହ୍ୱାନ ତାହା ମହୁମାଛି ପାଇଁ ସିନା, ମନୁଷ୍ୟ ପାଇଁ ନୁହେ । ମନୁଷ୍ୟ ନିକଟରେ ତା’ର ଚୂଡ଼ାନ୍ତ ଶକ୍ତି ପାଇଁ ଦାବିକଲେ ସେତେବେଳେ ସେ ନିଜକୁ ତାର ସକଳ ଐଶ୍ୱର୍ଯ୍ୟସହ ପ୍ରକାଶ କରିଥାଏ ।
ସ୍ପାର୍ଟା ତାର ମାନବିକ ଶକ୍ତିକୁ ସଂକୀର୍ଣ୍ଣ କ୍ଷେତ୍ରରେ ବିନିଯୋଗ କରି ଶକ୍ତିଶାଳୀ ଦେବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ ତାର ଲକ୍ଷ୍ୟ ହାସଲ କରି ପାରିଲା ନାହିଁ । ଏଥେନ୍ସ କିନ୍ତୁ ମଣିଷର ସମଗ୍ର ଶକ୍ତିକୁ ଉନ୍ମୁକ୍ତ କରି ତାକୁ ପୂର୍ଣ୍ଣତା ଦେବାକୁ ଚାହିଁଥିଲା । ଫଳରେ ସେ ଜୟଯୁକ୍ତ ହେଲା- ତା’ର ସେହି ଜୟଧ୍ୱଜା ଆଜି ମଧ୍ୟ ମାନବ ସଭ୍ୟତାର ଶିଖର ପ୍ରଦେଶରେ ଉଡ଼ୀୟମାନ । ଇଉରୋପର ସେନାନିବାସ ଓ କାରଖାନା ମାନଙ୍କରେ ମାନବ ଶକ୍ତିର କ୍ଲୀବତ୍ୱ ସାଧନ କରାଯାଉଛି–ନିୟମିତ ଭାବରେ ମନୁଷ୍ୟର ଆକୃତି କ୍ଷୁଦ୍ରାକାର ଧରଣ କରୁଛି । ସଂକୀର୍ଣ୍ଣ ଆତ୍ମସ୍ୱାର୍ଥ ନିକଟରେ ଆଜି ମାନବିକତାକୁ ବଳି ଦିଆଯାଉଛି । ଏହି କାରଣରୁ ହିଁ ଆଉ ପାଶ୍ଚାତ୍ୟର ଦୁଃଖ ତମିସ୍ରା ଇଉରୋପର ଆକାଶକୁ ଅନ୍ଧକାରାଚ୍ଛନ୍ନ କରିଅଛି । ବଡ଼ ସାନ ଉଭୟ ପ୍ରକାର କଳ, ବିରାଟ ଇଂଜିନ୍ ବା କ୍ଷୁଦ୍ର ଚରଖା ଦ୍ୱାରା ଆଜି ମାନବକୁ ଛୋଟ କରି ଦିଆଯାଇଛି । ଚରଖା ଯଥା ସ୍ଥାନରେ ରହିଲେ ମଙ୍ଗଳକାରକ ହୁଏ । କିନ୍ତୁ ଯେଉଁଠି ମନୋଭାବର ବୈଚିତ୍ର୍ୟ ବଶତଃ ଚରଖା ଅପାତ୍ରରେ ରଖାଯାଏ, ସେଠାରେ ସୂତାକଟା ହେବା ସଙ୍ଗେ ସଙ୍ଗେ ମନକୁ ମଧ୍ୟ କଟା ଯାଇଥାଏ । ମନ ଜିନିଷଟି କଦାପି ଚରଖା ସୂତା ଅପେକ୍ଷା କମ୍ ମୂଲ୍ୟବାନ୍ ନୁହେଁ ।
ଯୁକ୍ତିଛଳରେ କୁହାଯାଇଥାଏ ଯେ ଶତକଡ଼ା ୮୦ ଜଣ ଲୋକ ଭାରତର ଚାଷ କାର୍ଯ୍ୟରେ ନିଯୁକ୍ତ ଏବଂ ପ୍ରାୟ ୬ ମାସ ସେମାନେ କର୍ମହୀନ ହୋଇ ବସନ୍ତି । ଏମାନଙ୍କୁ ଉତ୍ସାହିତ କରିବା ପାଇଁ କିଛି ସମୟ ଭଦ୍ରଲୋକମାନେ ଚରଖା ଧରିବା ଉଚିତ । କିନ୍ତୁ ପ୍ରଥମରୁ ତା’ର ମୌଳିକ ତଥ୍ୟ ବା ସତ୍ୟକୁ ପ୍ରମାଣିତ କରିବା ଉଚିତ । ‘‘କେତେ ଜଣ ଚାଷୀ କେତେକାଳ ପାଇଁ ବେକାର ହୋଇ ବସି ରହନ୍ତି ?’’ ସେମାନେ କ’ଣ ସୂତାକଟାଠାରୁ ଅନ୍ୟ ପନ୍ଥାରେ ବେଶୀ ରୋଜଗାର କରିବେ ? ‘‘ଚାଷ ବ୍ୟତୀତ ଜୀବିକା ଉପାର୍ଜନର ଅନ୍ୟ କୌଣସି ପନ୍ଥା ଚାଷୀମାନଙ୍କ ପାଇଁ ସ୍ଥିର କଲେ ତାହା କଲ୍ୟାଣକର ହେବ କି ନା, ଏ ବିଷୟରେ ମଧ୍ୟ ଘୋର ସନ୍ଦେହ ଅଛି । ଗୋଟିଏ କଥାରେ କେବଳ ମାତ୍ର ଅନୁମାନ ଉପରେ ନିର୍ଭର କରି ସେମାନଙ୍କ ପାଇଁ ଏକ ସାଧାରଣ ପନ୍ଥା ନିର୍ଦ୍ଦେଶ କରିବା ଆମ ପକ୍ଷରେ ଉଚିତ ହେବ ନାହିଁ । ଆମେ ବୈଜ୍ଞାନିକ ରୀତିରେ ଏହାର ଗବେଷଣା କରିବାକୁ ଦାବି କରୁ, ତାହାହେଲେ ଯାଇ ଏହାର ଯଥାଯୋଗ୍ୟ ବିଚାର କରିବା ସମ୍ଭବପର ହେବ ।
ପ୍ରତିବାଦର ସ୍ୱର ମୋ କାନରେ ବାଜିଲା । ‘‘କୁହାଗଲା ଆମେ ଚିରକାଳ ମନକୁ ପଙ୍ଗୁ କରିବାକୁ ଚାହୁଁନା, କେବଳ ଅଳ୍ପକାଳ ସକାଶେ ।’’ ଅଳ୍ପକାଳ ସକାଶେ ବା କାହିଁକି ? ଏହାର କ’ଣ କାରଣ ଏହି ଯେ ଆମର ସଂକ୍ଷିପ୍ତକାଳ ସ୍ୱରାଜ ସୃଷ୍ଟି କରିଥାଏ । ପୃଥିବୀର କୌଣସି ପ୍ରାନ୍ତରେ ଏହି ସ୍ୱରାଜ ସୃଷ୍ଟି କାର୍ଯ୍ୟ ଶେଷ ହୋଇ ନାହିଁ । ସବୁ ଦେଶର କୌଣସି କୌଣସି ଅଂଶରେ ଲୋଭ ବା ମୋହର ପ୍ରରୋଚନାରେ ଏହି ବନ୍ଧନଦଶା ରହିଯାଇଛି । କିନ୍ତୁ ସେହି ବନ୍ଧନ ମାନବର ମନରେ ହିଁ ନିହିତ । ସବୁ ଦେଶ ଭଳି ଏ ଦେଶରେ ମଧ୍ୟ ଜ୍ଞାନରେ, ବୈଜ୍ଞାନିକ ଚିନ୍ତାଧାରାରେ ଓ ମାନସିକ ବିକାଶ ଉପରେ ହିଁ ସ୍ୱରାଜ୍ୟକୁ ପ୍ରତିଷ୍ଠା କରିବାକୁ ପଡ଼ିବ, କିନ୍ତୁ କୌଣସି ଅଗଭୀର ଭାବଭଙ୍ଗୀ ଉପରେ ନୁହେ ।
କିଛି କାଳ ପାଇଁ ଚରଖା କାଟି ଆମେ ଯେ ସ୍ୱରାଜ ଲାଭ କରି ପାରିବୁ ଏହା କହିବାରେ କୌଣସି ଯୁକ୍ତି ନାହିଁ । ଯଦି ଆମେ ମାନବ ମୁଖରୁ ଏହା କହିବାରେ କୌଣସି ଯୁକ୍ତି ନାହିଁ । ଯଦି ଆମେ ମାନବ ମୁଖରୁ ଦୈବବାଣୀ ଶୁଣିବାକୁ ସମ୍ମତ ହେଉ ତାହାହେଲେ ହଜାର ପ୍ରକାର କୁସଂସ୍କାର ଆସି ମନକୁ ଆଚ୍ଛନ୍ନ କରିବ । ଯଦି ଥରେ ଦେଖାଯାଏ ଯେ ଦୈବବାଣୀ ଛଡ଼ା ଆଉ କୌଣସିଥିରେ ଆମ ଦେଶ ଗତି କରୁ ନାହିଁ, ତାହାହେଲେ ରାତ୍ରଦିନ ପ୍ରୟୋଜନ ଦୃଷ୍ଟିରେ କେବଳ ସେହି ଦୈବବାଣୀ ସୃଷ୍ଟି କରିବାକୁ ପଡ଼ିବ । ଅନ୍ୟ ସକଳ ପ୍ରକାର ସ୍ୱର ନିସ୍ତବ୍ଧ ହୋଇଯିବ । ଯୁକ୍ତି ପରିବର୍ତ୍ତରେ ଯଦି ଅନ୍ଧବିଶ୍ୱାସ ସ୍ଥାନ ପାଏ, ତାହାହେଲେ ସ୍ୱାଧୀନତା ସ୍ୱେଚ୍ଛାଚାରିତାରେ ପରିଣତ ହୁଏ । ଏହା କିଛି ନୂତନ ନୁହେ । ଆମ ଭାରତବର୍ଷରେ ଆମେ ଯଥେଷ୍ଟ ପରିମାଣରେ ଅଲୌକିକ ଘଟଣା ଓ ଗୁଢ଼ ରହସ୍ୟମୟ କ୍ରିୟା ଦେଖିଛୁଁ । ଆହୁରି ମଧ୍ୟ ଜାଗତିକ ବିଭିନ୍ନ ବିଷୟରେ ଆମେ ଐନ୍ଦ୍ରଜାଲିକ ଓ ସକଳ ପ୍ରକାର ଦୈବୀକ୍ରିୟାର ପରିଚୟ ପାଇଛୁଁ । ସେହି କାରଣରୁ ମୁଁ ସେହି ନଷ୍ଟବେଦୀ ଉପରେ ପୁଣି ଥରେ ଯୁକ୍ତିର ସ୍ତମ୍ଭ ସ୍ଥାପନ କରିବାକୁ ବ୍ୟାକୁଳ ।
ଆଜି ବସ୍ତ୍ରାଭାବରେ ଲଜ୍ଜ୍ୟାଶୀଳା ଜନ୍ମଭୂମିର ପ୍ରାଙ୍ଗଣରେ ରାଶି ରାଶି ମିଲ୍ ଲୁଗାରେ ଅଗ୍ନି ସଂଯୋଗ କରାଯାଉଛି । କେବଳ ଅନ୍ଧବିଶ୍ୱାସ ଛଡ଼ା ଏପରି ଅପଚୟର କାରଣ ମୁଁ କିଛି ଦେଖି ପାରୁ ନାହିଁ । ବିଦେଶୀ ଲୁଗାକୁ ବ୍ୟବହାର କରିବା କି ବର୍ଜନ କରିବା, ଏ ବିଷୟ ଅର୍ଥନୀତିଜ୍ଞମାନେ ହିଁ ବିଚାର କରିବେ । ଏହାକୁ ବିଚାର କରିବାକୁ ଗଲେ ଅର୍ଥନୀତିକ ଭାଷାର ପ୍ରୟୋଜନ ହେବ । ଯଦି ଲୋକେ ବୈଜ୍ଞାନିକ ରୀତିରେ ଚିନ୍ତା କରିବାକୁ ଅସମର୍ଥ ହୁଅନ୍ତି, ତାହାହେଲେ ଆମକୁ ପ୍ରଥମରୁ ହିଁ ସେହି ବିଷାଦ ଭାରାକ୍ରାନ୍ତ ମନୋଭାବ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଡ଼ିବ । ଏପ୍ରକାର ଅଯୋଗ୍ୟତା ଆମର ଆଦିମ ପାପ ସହିତ ତୁଳନୀୟ. ଯେଉଁଠାରୁ କି ସକଳ ପ୍ରକାର ଅମଙ୍ଗଳ ସୃଷ୍ଟି ହୋଇଥାଏ । ସେତେବେଳେ ହିଁ ସେହି ମୌଳିକ ପାପ ସମର୍ଥନ ପାଏ, ଯେତେବେଳେ ଘୋଷଣା କରାଯାଏ ଯେ ବିଦେଶୀ ବସ୍ତ୍ର ଅପବିତ୍ର ଓ ତା'ର ଧ୍ୱଂସ ବାଞ୍ଛନୀୟ । ଅସତ୍ୟ ଯେତେବେଳେ ଧର୍ମନୀତିରୂପରେ ଦେଖାଦିଏ ସେତେବେଳେ ଅର୍ଥନୀତିର ଦୋଦୁଲ୍ୟମାନ ଅବସ୍ଥା ହେବା ସ୍ୱାଭାବିକ-। କେବଳ ଆମର ଉଦ୍ଦେଶ୍ୟ ସାଧନ କରିବାକୁ ଅସମର୍ଥ ହେଲା ବୋଲି ପରିତ୍ୟଜ୍ୟ । ତାହାର ଆଉ ଯାହା ପ୍ରଭାବ ଥାଉ ନା କାହିଁକି ଏହା ଆମର ଅନ୍ତର୍ନିହିତ ପ୍ରକୃତିକୁ ଅପବିତ୍ର କରେ । ଏହା ଅର୍ଥନୀତି ଓ ରାଜନୀତିର ସ୍ତର ଉପରେ କେବଳ ଗୋଟିଏ ନୈତିକ ଭିତ୍ତି ମାତ୍ର । ଏହା ଛଡ଼ା ଯଦି ଏକ ନିର୍ଦ୍ଦିଷ୍ଟ ଧରଣର ଲୁଗା ବ୍ୟବହାର କରିବାରେ କୌଣସି ଭୁଲ ରହେ ସେ ଭୁଲ ଅର୍ଥନୀତି, ସ୍ୱାସ୍ଥ୍ୟନୀତି ଓ ସୌନ୍ଦର୍ଯ୍ୟତତ୍ତ୍ୱର ସିନା, କିନ୍ତୁ ସେ ଭୁଲ ପାଇଁ କଦାପି ନୀତିଶାସ୍ତ୍ର ଦାୟୀ ନୁହେ ।
ବିପରୀତ ଯୁକ୍ତି ଦର୍ଶାଇ କେହି କେହି କହନ୍ତି ଯେ ଯେଉଁ ଭ୍ରାନ୍ତି ଦୁଃଖ ଆନୟନ କରେ ତାହା ନୈତିକ ଭ୍ରାନ୍ତି ବା ଅଧର୍ମ । ତାହାର ଉତ୍ତରରେ ମୁଁ କହେ ଯେ ପ୍ରତ୍ୟେକ ଭୁଲରେ ଦୁଃଖ ରହିଛି । ଜ୍ୟାମିତି ଶାସ୍ତ୍ରରେ ଭୁଲ ହେଲେ ତାହା ରାସ୍ତାକୁ ଅତି ଦୀର୍ଘ ବା ଗୋଟିଏ ଭିତ୍ତିକୁ ଦୁର୍ବଳ କରେ; ଅଥବା ଗୋଟିଏ ପୋଲକୁ ବିପଜ୍ଜନକ କରିଦିଏ, କିନ୍ତୁ ଗାଣିତିକ ଭୁଲ୍ ନୀତିଶାସ୍ତ୍ର ଦ୍ୱାରା ସଂଶୋଧିତ ହୋଇ ନ ପାରେ । ଯଦି ଜଣେ ଛାତ୍ର ଜ୍ୟାମିତିର କୌଣସି ସମସ୍ୟା ପୂରଣ କରିବାରେ ଭ୍ରମ କରେ, ତାହାହେଲେ ଖାଲି ଜ୍ୟାମିତି ଖାତାକୁ ଚିରିଦେଲେ ଚଳିବ ନାହିଁ-ପୁଣି ନୂତନ ଭାବରେ ଜ୍ୟାମିତିକ ସତ୍ୟର ନିୟମରେ ତାକୁ ଭୁଲ୍ ସଂଶୋଧନ କରିବାକୁ ପଡ଼ିବ । ଯଦି ଶିକ୍ଷକ କହନ୍ତି, ଯେ ପର୍ଯ୍ୟନ୍ତ ସେହି ଖାତାକୁ ପୋଡ଼ି ନ ଦିଆଯାଇଛି, ସେ ପର୍ଯ୍ୟନ୍ତ ଛାତ୍ରଟି ଭୁଲ ଧରି ପାରିବ ନାହିଁ, ଏହା ଯଦି ଠିକ୍ ହୁଏ ମୁଁ କହିପାରେ ସ୍କୁଲପାଠ୍ୟ ଜାଣିବା ଅପେକ୍ଷା ଛାତ୍ରଟି ସଂସ୍କାରମୁକ୍ତ ହେବା ଉଚିତ ।
ବିଦେଶୀ ବସ୍ତ୍ର ପୋଡ଼ିବାକୁ ଆମକୁ ଆଦେଶ ଦିଆଯାଇଛି, କିନ୍ତୁ ମୁଁ ଏହା ସ୍ୱୀକାର କରିବାକୁ ଅସମର୍ଥ । ପ୍ରଥମତଃ ମୁଁ ବିଶ୍ୱାସ କରେ ଯେ ଅନ୍ଧ ଆନୁଗତ୍ୟର ଅଭ୍ୟାସ ବିରୁଦ୍ଧରେ ସଂଗ୍ରାମ କରିବା ମୋର କର୍ତ୍ତବ୍ୟ । ଦ୍ୱିତୀୟ ମୁଁ ଅନୁଭବ କରେ ଯେ ଯେଉଁ ଲୁଗା ପୋଡ଼ିବାକୁ ପଡ଼ିବ, ତାହା ମୋର ନୁହେ । ଯେଉଁମାନଙ୍କର ଏହା ଅତୀବ ପ୍ରୟୋଜନ, ଏହା ସେହିମାନଙ୍କର । ଯେଉଁମାନେ ଏହି ଅଗ୍ନିଦାହ ଜରିଆରେ ଗୋଟିଏ ତ୍ୟାଗ କଲେ ବୋଲି ଭାବୁଛନ୍ତି, ସେମାନଙ୍କର ଲୁଗାଯୋଗାଣର ଅନ୍ୟ ପନ୍ଥା ରହିଛି, କିନ୍ତୁ ଯେଉଁମାନେ ପ୍ରକୃତରେ ବସ୍ତ୍ରାଭାବରେ ପୀଡ଼ିତ, ନଗ୍ନତା ହେତୁ ସେମାନେ ଘରୁ ବାହାରକୁ ଆସି ପାରନ୍ତି ନାହିଁ । ବାଧ୍ୟତାମୂଳକ ପ୍ରାୟଶ୍ଚିତ୍ତ ଆମର ପାପକ୍ଷାଳନ କରି ପାରେ ନା । କୌଣସି ବାହ୍ୟ ସୁବିଧା ଲାଭ ଯୁକ୍ତି-ନିଷ୍ଠ ଇଚ୍ଛାର ଶୂନ୍ୟତାକୁ ପୂରଣ କରି ପାରେ ନାହିଁ ।
ଯେଉଁ ଯନ୍ତ୍ରବଳରେ ସମସ୍ତ ପୃଥିବୀ ଅତ୍ୟାଚାରିତ ସେହି ଯନ୍ତ୍ରର ଦୌରାତ୍ମ୍ୟ ବିରୁଦ୍ଧରେ ମହାତ୍ମାଗାନ୍ଧୀ ଯୁଦ୍ଧ ଘୋଷଣା କରିଅଛନ୍ତି । ଏଠାରେ ଆମେ ସମସ୍ତେ ତାଙ୍କରି ପତାକା ତଳେ ସମବେତ । ଆମ ଜାତୀୟ ଜୀବନର ଦୁଃଖ ଅପମାନ ମୂଳରେ ଯେଉଁ ଦାସତ୍ୱ ମନୋଭାବ ରହିଛି ଏହା ବିରୁଦ୍ଧରେ ସଂଗ୍ରାମ କରିବାକୁ ଯାଇ ତାକୁ ଆମେ କେବେହେଲେ ଆମର ସହାୟକ ବୋଲି ଗ୍ରହଣ କରି ପାରିବୁ ନାହିଁ । ସେହି ଦାସତ୍ୱ ହିଁ ବାସ୍ତବିକ ଆମର ପ୍ରକୃତ ଶତ୍ରୁ । ଏହାକୁ ପରାଜିତ କରି ପାରିଲେ ଆମର ଅନ୍ତର ଓ ବାହାରେ ସ୍ୱରାଜ ଲାଭ ହୋଇ ପାରିବ ।
ଲୁଗା ପୋଡ଼ିବାକୁ ମୁଁ ପ୍ରସ୍ତୁତ–କିନ୍ତୁ କୌଣସି ଅନ୍ଧ ଆଦେଶରେ ଚାପରେ ନୁହେ । ବିଶେଷଜ୍ଞ ବ୍ୟକ୍ତିମାନେ ଆଜି ଯଥେଷ୍ଟ ସମୟ ନେଇ ଚିନ୍ତା କରି ପ୍ରମାଣ ସଂଗ୍ରହ କରନ୍ତୁ ଏବଂ ସୁଯୁକ୍ତି ଦ୍ୱାରା ଆମକୁ ବୁଝାଇ ଦିଅନ୍ତୁ ଯେ ବିଦେଶୀ ଲୁଗା ବ୍ୟବହାର କରିବା ଦ୍ୱାରା ଆମେ ଯେଉଁ ଆର୍ଥନୀତିକ ରୋଗରେ ପୀଡିତ ତାହା କିପରି ସେହି ଆର୍ଥନୀତିକ ଉପାୟରେ ହିଁ ଉପଶମ ହୋଇ ପାରିବ । ବିନା ପ୍ରମାଣରେ, ବିନା ଯୁକ୍ତିରେ କିପରି ଆମେ ନିଶ୍ଚିତ ଭାବରେ କହିବୁ ଯେ ବିଶେଷ ଧରଣର ଲୁଗାପିନ୍ଧି ଆମେ ଯେଉଁ ଆର୍ଥନୀତିକ ଅପରାଧ କରିଛୁ, ଲୁଗା ପୋଡ଼ିଦେଇ ସେହି ଅପରାଧର ମୂଳୋତ୍ପାଟନ କରି ପାରିବୁ ? ଏହାଦ୍ୱାରା ଅପରାଧର ମୂଳକୁ କ'ଣ ଅଧିକ ବିସ୍ତୃତ କରୁ ନାହୁଁ ? ଫଳରେ କ'ଣ ମାଞ୍ଚେଷ୍ଟର ସୁରକ୍ଷିତ ସ୍ଥାନଟି ଆହୁରି ଦୃଢ଼ତର ହେବ ନାହିଁ ? ମୁଁ ଜଣେ ସୁଦକ୍ଷ ବ୍ୟକ୍ତି ହିସାବରେ ଏ ଯୁକ୍ତି ଉପସ୍ଥାପିତ କରୁ ନାହିଁ-ମୁଁ କେବଳ ଜିଜ୍ଞାସୁ ଭାବରେ ଭାବରେ ଏ ପ୍ରଶ୍ନ ପଚାରୁଛି । ବିଶେଷଜ୍ଞମାନେ ବର୍ତ୍ତମାନ ଯାହା କହିବେ ମୁଁ ତାକୁ ଦେବବାକ୍ୟ ବୋଲି ଗ୍ରହଣ କରିବି, କିନ୍ତୁ ଦେବବାକ୍ୟର ଭାଷା ଛଳରେ ସେମାନେ ଏହା କୁହନ୍ତି ନାହିଁ । ଆମର ବୁଦ୍ଧିଶକ୍ତିକୁ ଜାଗ୍ରତ କରିବା ନିମନ୍ତେ ଏକ ଆହ୍ୱାନ ସେମାନେ ଦେଇଥାନ୍ତି ଏବଂ ପ୍ରକାଶ୍ୟ ଭାବରେ ଯୁକ୍ତି କରିବାକୁ ଆମକୁ ତାଗିଦ୍ କରନ୍ତି ।
ଆଉ ଏକ ବିଷୟ ଆଜି ଆମର ଚିନ୍ତା କରିବା ଉଚିତ୍ । ତା'ହେଉଛି ଭାରତର ଏ ଯେଉଁ ଉଦ୍ବୋଧନର ଅଙ୍ଗ । ମହା ସମରର ତୁର୍ଯ୍ୟ ନାଦରେ ନବଯୁଗର ଦ୍ୱାର ଉନ୍ମୁକ୍ତ-ପୃଥିବୀର ଲୋକେ ଆଜି ଅଜ୍ଞତାଭାବରେ ପରସ୍ପରର ନିକଟବର୍ତ୍ତୀ, କିନ୍ତୁ ଯେତେବେଳେ ସମଗ୍ର ପୃଥିବୀର ଲୋକେ ଯୁଦ୍ଧ ଆଘାତରେ ବିଚଳିତ ହେଲେ, ସେତେବେଳେ ସେମାନଙ୍କର ପାରସ୍ପରିକ ନିର୍ଭରଶୀଳତା ଯେ ନ ଥିଲା-ଏହା କଦାପି ଅସ୍ୱୀକାର କରାଯାଇ ପାରେ ନା । ହଠାତ୍ ଦିନେ ସଭ୍ୟତାର ଭିତ୍ତି ଅର୍ଥାତ୍ ପାଶ୍ଚାତ୍ୟ ସଭ୍ୟତାର ଭିତ୍ତି କମ୍ପିତ ହେଲା । ବୁଝାଗଲା ଯେ ଏହି କମ୍ପନର କାରଣ ସ୍ଥାନୀୟ ନୁହେଁ ବା କ୍ଷଣିକ ନୁହେଁ; ଏହା ସମଗ୍ର ପୃଥିବୀବ୍ୟାପୀ । ଯେତେବେଳ ପର୍ଯ୍ୟନ୍ତ ମାନବିକ ସମ୍ପର୍କ ତଥା ଆତ୍ମୀୟତା କ୍ରମେ କ୍ରମେ ଏକ ମହାଦେଶରୁ ଆଉ ଏକ ମହାଦେଶରେ ପରିବ୍ୟାପ୍ତ ହୋଇ ପ୍ରକୃତ ଐକ୍ୟ ଉପରେ ପ୍ରତିଷ୍ଠିତ ନ ହୁଏ, ସେତେବେଳ ପର୍ଯ୍ୟନ୍ତ ଏହାର ନିବୃତ୍ତି ହେବ ନାହିଁ ।
ଏଣିକି ଯେ କୌଣସି ଜାତି ଯଦି ନିଜ ଦେଶକୁ ଏକାନ୍ତ ସ୍ୱତନ୍ତ୍ର ବୋଲି ମନେକରେ, ତେବେ ବର୍ତ୍ତମାନ ଯୁଗ ସଙ୍ଗରେ ତା'ର ବିରୋଧ ଘଟିବ; ସେ କଦାପି ଶାନ୍ତି ପାଇବ ନାହିଁ । ଆଜିଠାରୁ ପ୍ରତ୍ୟେକ ଜାତିର ଚିନ୍ତାର ସ୍ତର ଆନ୍ତର୍ଜାତିକ ହେବା ଆବଶ୍ୟକ । ବର୍ତ୍ତମାନ ଏହି ନବୀନ ଯୁଗର ଲକ୍ଷ୍ୟ ହେଉଛି ମନରେ ଏହି ବିଶ୍ୱଜନୀନ ଭାବର ସମୃଦ୍ଧି ସାଧନ କରିବା । ଅଳ୍ପଦିନ ହେଲା ଭାରତର ରାଷ୍ଟ୍ର ଶାସନରେ ଏକ ମୌଳିକ ପରିବର୍ତ୍ତନ ଆମେ ଲକ୍ଷ୍ୟ କରି ଆସୁଅଛୁ । ଭାରତୀୟ ସମସ୍ୟାକୁ ବିଶ୍ୱାସମସ୍ୟାର ଅନ୍ତର୍ଭୁକ୍ତ କରିବାର ପ୍ରଚେଷ୍ଟା ଆଜି ଦେଖାଯାଉଛି । ଆମର ମାନସିକ ଦୃଷ୍ଟିକୁ ସୀମିତ କରି ରଖୁଥିବା ପରଦା ଆଜି ଯୁଦ୍ଧ ଫଳରେ ଅପସାରିତ ହୋଇଛି । ଯାହା ବିଶ୍ୱ ସ୍ୱାର୍ଥର ବିରୋଧୀ ତାହା ମଧ୍ୟ ଆମ ସ୍ୱାର୍ଥର ପରିପନ୍ଥୀ । ବହୁଦିନ ଧରି ଗ୍ରନ୍ଥପୃଷ୍ଠାରେ ଥିବା ଏହି ପ୍ରବାଦ ଆଜି ବାସ୍ତବକ୍ଷେତ୍ରରେ କାର୍ଯ୍ୟକାରୀ ହୋଇଅଛି । ଅନ୍ୟାୟ ଭାବରେ ଅର୍ଜନ କରିଥିବା ଲାଭାଧିକାର ଯେ ଅସ୍ଥାୟୀ ତାହା ଆଜି ମାନବଜାତି ହୃଦୟଙ୍ଗମ କଲାଣି । ବାହ୍ୟାଧିକାରକୁ ଜଳାଞ୍ଜଳି ଦେଇ ଯଦି ସତ୍ୟାଧିକର ମିଳେ ତେବେ ତାହା ଲାଭ ସିନା, ଲୋକସାନ ନୁହେ । ମନୋଭାବରେ ଏହି ଯେଉଁ ସୁଦୂରସ୍ପର୍ଶୀ ପରିବର୍ତ୍ତନ ମନୁଷ୍ୟର ମନକୁ ସଂକୀର୍ଣ୍ଣତାରୁ ବିଶାଳତା ଆଡ଼କୁ ନେଇଯାଉଛି, ତାହା ଆଜି ମଧ୍ୟ ଭାରତୀୟ ରାଜନୀତିକୁ ରୂପାନ୍ତରିତ କରୁଛି । କେତେକ ଅନ୍ତରାୟକୁ ଅତିକ୍ରମ କରିବାକୁ ପଡ଼ିବ । ସ୍ୱାର୍ଥ-ବୁଦ୍ଧି ପ୍ରତିସ୍ତରରେ ଚେତନ-ବୁଦ୍ଧିକୁ ଆକ୍ରମଣ କରିଛି-କିନ୍ତୁ ସ୍ୱାର୍ଥ-ବୁଦ୍ଧି ଯେ ଏକମାତ୍ର ସଦ୍ବୁଦ୍ଧି ତାହା ଭାବିବା ଅନ୍ୟାୟ ।
ମୋର ୬୦ ବର୍ଷ ଅଭିଜ୍ଞତାରୁ ମୁଁ ଜାଣି ପାରିଛି ଯେ ଖାଣ୍ଟି କପଟତା ଭଳି ଦୁଃସାଧ୍ୟ ଓ ଦୁର୍ଲଭ ପଦାର୍ଥ ଆଉ କିଛି ନାହିଁ । ପକ୍କା କପଟୀ ଲୋକ ବିରଳ । କଥା ହେଉଛି ପ୍ରତ୍ୟେକ ଚରିତ୍ର କମ୍ ବେଶୀ ଦ୍ୱୈତଭାବାପନ୍ନ । ଏକାବେଳକେ ଦୁଇଟି ବିରୋଧାତ୍ମକ ମନୋଭାବ ଏକତ୍ରିତ ହୋଇ ପାରନ୍ତି-ଏହା ସ୍ୱୀକାର କରିବାକୁ ଆମର ତାର୍କିକ ବୁଦ୍ଧି ଅସମର୍ଥ । ଆମେ ଯେତେବେଳେ ଭଲକୁ ମନ୍ଦ ସହିତ ଦେଖୁ ଆମେ ହଠାତ୍ ସିଦ୍ଧାନ୍ତରେ ଉପନୀତ ହେଉ ଯେ ସେ ଭଲ ନ କରେ ଭଲ । ଆନ୍ତର୍ଜାତିକ ସଂପର୍କ କ୍ଷେତ୍ରରେ ଏହି ଦ୍ୱୈତବୋଧ ସୁସ୍ପଷ୍ଟ । ଆମେ ଯଦି ଏହାକୁ ଆମ ଅତୀତ ଅରିଷ୍ଟତା ଦିଗରୁ ବିଚାର କରୁ ଆମେ ଏଥିରେ ପ୍ରଭାବିତ ହୋଇଥାଉଁ । କିନ୍ତୁ ଭବିଷ୍ୟତ ପ୍ରତିଶୃତି ଦୃଷ୍ଟିରୁ ବିଚାର କଲେ ମନୋଭାବର ଏ ପରିବର୍ତ୍ତନକୁ ଖାଣ୍ଟି ବୋଲି ଅବଶ୍ୟ ଗ୍ରହଣ କରିବୁ ।
ଆଜି ଆମେ ଯେଉଁ ଭାବୀଯୁଗର ପ୍ରେରଣା ହୃଦୟରେ ଅନୁଭବ କରୁ ତାହା ବିଶ୍ୱମାନବର ଏକତ୍ୱ ସାଧନ ଦିଗରେ ପ୍ରସାରିତ । ମିଳିତ ଜାତିସଂଘ ବା ଭାରତ ଶାସନସଂସ୍କାର ପ୍ରତିଷ୍ଠା-ଏସବୁ ହେଉଛି ଭାବୀଯୁଗ ସମ୍ବନ୍ଧରେ ପଶ୍ଚିମର ବାଣୀ । ଯଦ୍ୟପି ଏହି ବାଣୀ ସତ୍ୟକୁ ପୂର୍ଣ୍ଣଭାବେ ପ୍ରକାଶ କରି ପାରେ ନା, ତଥାପି ସମସ୍ତ ଆନ୍ତରିକତା ସହିତ ସତ୍ୟରେ ପହଞ୍ଚିବା ପାଇଁ ସେ ଚେଷ୍ଟା କରେ । ବିଶ୍ୱ ଜାଗରଣର ପ୍ରତ୍ୟୁଷରେ ଯଦି ଆମର ଜାତୀୟ ପ୍ରଚେଷ୍ଟା ଓ ପ୍ରେରଣା ବିଶ୍ୱଜନନୀ ବାଣୀ ପ୍ରଚାର ନ କରେ, ତାହାହେଲେ ଅତି କରୁଣ ଭାବରେ ଆମର ଚିନ୍ତା ଦୈନ୍ୟ ପ୍ରକଟିତ ହେବ । ଆମ ହାତରେ ବର୍ତ୍ତମାନ ଯେଉଁ କର୍ତ୍ତବ୍ୟ ଅଛି ତାକୁ ଅବହେଳା କରିବାକୁ ମୁଁ କହୁ ନାହିଁ । କିନ୍ତୁ ଯେତେବେଳେ ଗୋଟିଏ ପକ୍ଷୀ ପ୍ରତ୍ୟୁଷରୁ ଉଠେ, ସେ କେବଳ ଆହାର ଅନ୍ୱେଷଣରେ ନିଜକୁ ନିଯୁକ୍ତ କରେ ନା, ପରନ୍ତୁ ଆକାଶର ଆହ୍ୱାନରେ ତାର ପକ୍ଷଯୁଗଳ ଚଞ୍ଚଳ ହୋଇଉଠେ ଏବଂ ନୂତନ ଆଲୋକର ଆନନ୍ଦରେ ତା'କଣ୍ଠରେ ସଙ୍ଗୀତର ସଞ୍ଚାର ହୁଏ । ବିଶ୍ୱ ମାନବିକତାର ଏହି ଜରୁରୀ ଆହ୍ୱାନ ଆମ ନିକଟକୁ ପ୍ରେରଣ କରିଛି, ଆଜି ଆମର ମନ ନିଜ ଭାଷାରେ ତା'ର ଉତ୍ତର ଦେଉ । ପୂର୍ବେ ଆମେ ଆମର ଶାସକମାନଙ୍କ ଦୋଷତୃଟି ଆବିଷ୍କାର କରିବା ଓ ଦର୍ଶାଇବାରେ ବୁଡ଼ି ରହିଥିଲୁ । ଆଜି ଯେତେବେଳେ ଆମେ ପର ନିର୍ଭରତାଠାରୁ ରାଜନୀତିକୁ ପୃଥକ୍ ବା ଛିନ୍ନ କରିବାକୁ ଚାହୁଁଛୁ, ବର୍ଜନନୀତି ପୋଷଣ ପାଇଁ ଆମେ କ'ଣ ବାର ବାର ଖାଦ୍ୟ ଯୋଗାଇବୁ ? କ୍ରୋଧ ଓ ମାନସିକ ଉତ୍ତେଜନାର ଧୂଳି କେବଳ ବୃହତ୍ ଜଗତଠାରୁ ଆମର ଦୃଷ୍ଟିଶକ୍ତିକୁ ଆଚ୍ଛନ୍ନ କରି ରଖିବ । ବିଶ୍ୱ ସହିତ ଯୁକ୍ତ ହୋଇ ଆମେ ଯଦି ଭାରତର ବିରାଟ ରୂପ ନିଜ ଆଖିରେ ଦେଖିବାକୁ ଅକୃତକାର୍ଯ୍ୟ ହେଉଁ, ତାହାହେଲେ ଆମ ଦେଶର କେବଳ ଏକ ଦୈନ୍ୟ ରୂପ ଆମେ ଅନ୍ୟ ନିକଟରେ ପ୍ରକାଶ କରିବୁ । ପରିତାପର ବିଷୟ ଏହି ଯେ ଭୌତିକ ଆଶା ପାଇଁ ଆମେ ଆମର ଦୃଷ୍ଟିଶକ୍ତିକୁ ସଂକୀର୍ଣ୍ଣ କରିଛୁ । କିନ୍ତୁ ଏପରି କି ପାଶ୍ଚାତ୍ୟ ଜଗତରେ ମଧ୍ୟ ବୈଷୟିକ ସ୍ୱାର୍ଥକୁ ଅତିକ୍ରମ କରି ଉଚ୍ଚତର ସିଦ୍ଧି ଲକ୍ଷ୍ୟରେ ପହଞ୍ଚିବାକୁ ଏକ ପ୍ରବଳ ଆକାଂକ୍ଷା ଦେଖାଯାଇଛି । ସେଠାରେ ମୁଁ ବହୁ ଲୋକ ଦେଖିଚି ଯେଉଁମାନଙ୍କ ହୃଦୟରେ ନୂତନ ଆତ୍ମତ୍ୟାଗବୋଧ ମୂର୍ତ୍ତିମନ୍ତ ହୋଇ ରହିଛି । ସେମାନେ ଜାତୀୟତାର ସଂକୀର୍ଣ୍ଣ ବନ୍ଧନରୁ ନିଜକୁ ମୁକ୍ତ କରି ହୃଦୟରେ ମାନବଜାତିର ଅନ୍ତର୍ନିହିତ ଏକତ୍ୱର ଉପଲବ୍ଧି କରିଥାନ୍ତି, ସେମାନେ ସେହି ମହତ୍ ଆଦର୍ଶର ପୂର୍ଣ୍ଣତା ପାଇଁ ଯେ କୌଣସି ତ୍ୟାଗରେ ନିଜକୁ ଦୀକ୍ଷିତ କରିବାକୁ ଉଦ୍ୟତ ହୋଇଥାନ୍ତି । ଇଂଲଣ୍ଡରେ ଏହିପରି ମହାପୁରୁଷ ମୁଁ ଦେଖିଛି । ଶକ୍ତିମାନର ଅତ୍ୟାଚାରରୁ ପରାଧୀନ ଜାତିକୁ ମୁକ୍ତି କରିବାକୁ ସଂଗ୍ରାମରେ ଅବତୀର୍ଣ୍ଣ ହୋଇ ସେମାନେ ନିଜ ଦେଶବାସୀଙ୍କ ଠାରୁ ନିନ୍ଦା ଅପମାନ ଏପରି କି ଆଘାତ ମଧ୍ୟ ପାଇଛନ୍ତି । ଫ୍ରାନ୍ସରେ ମଧ୍ୟ ଏହିପରି ତ୍ୟାଗୀ ବ୍ୟକ୍ତି ମୁଁ ଦେଖିଛି-ଉଦାହରଣ ସ୍ୱରୂପ ତାଙ୍କ ନିଜ ଦେଶରେ ରୋମାଁ ରୋଲାଁ ଜଣେ ସମାଜଚ୍ୟୂତ ବ୍ୟକ୍ତିରୂପେ ବିବେଚିତ । ଇଉରୋପର କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ମଧ୍ୟ ମୁଁ ଏହିପରି ଲୋକ ଦେଖିଛି । ମୁଁ ଇଉରୋପୀୟ ଛାତ୍ରମାନଙ୍କୁ ମଧ୍ୟ ଦେଖିଛି, ଯେଉଁମାନଙ୍କର ମୁଖମଣ୍ଡଳ ସକଳ ମାନବର ଐକ୍ୟ ସାଧନର ଦୀପ୍ତିରେ ସମୁଜ୍ଜ୍ୱଳ । ସେମାନେ ସେହି ଗୌରବମୟ ଭାବୀଯୁଗର କଳ୍ପନାରେ ସକଳପ୍ରକାର ଧୈର୍ଯ୍ୟ ଓ ସାହସ ବରଣ କରିବାକୁ ମଧ୍ୟ ପ୍ରସ୍ତୁତ ।
ଏହି ଶୁଭ ପ୍ରଭାତରେ ଆମେ କ’ଣ କେବଳ ଅନ୍ୟର ତ୍ରୁଟି ଦର୍ଶନରେ ସନ୍ତୁଷ୍ଟ ହୋଇ ଆମର ଗଠନମୂଳକ ଯୋଜନାକୁ ବିଦ୍ୱେଷର ଭିତ୍ତି ଉପରେ ଛିଡ଼ା କରାଇବୁ ? ଏହି ନବୀନ ଭାଷାରେ ଆମେ କଣ ତାକୁ ସ୍ମରଣ କରିବୁ ନାହିଁ-‘‘ଯଃ ଏକଃ, ଯିଏ ଏକ, ଅବର୍ଣ୍ଣଃ–ଯିଏ ବର୍ଣ୍ଣହୀନ ବହୁଧା ଶକ୍ତିଯୋଗାତ୍ ବର୍ଣ୍ଣାନନେକାନ୍ ନିର୍ହତାର୍ଥେ, ଦଧାତି-ଯିଏ ବହୁଧାଶକ୍ତି ଯୋଗେ ଅନେକ ବର୍ଣ୍ଣର ଲୋକ ସଙ୍ଗେ ସେମାନଙ୍କର ଅନ୍ତର୍ନିହିତ ପ୍ରୟୋଜନ ସାଧନ କରୁଛନ୍ତି ।’’ ଏବଂ ତାଙ୍କରି ନିକଟରେ କ’ଣ ଆମେ ପ୍ରାର୍ଥନା କରିବାନି ? ‘‘ସ ଯେ ବୃଦ୍ଧ୍ୟା ଶୁଭୟା ସଂଯୁନକ୍ତୁ’’–ସେ ଆମ ସମସ୍ତଙ୍କୁ ଶୁଭବୁଦ୍ଧି ଦ୍ୱାରା ସଂଯୁକ୍ତ କରନ୍ତୁ ।
‘‘ତୁଷାରସ୍ତୂପ ହେଉଛି ପର୍ବତର ନିଜସ୍ୱ ବୋଝ, କିନ୍ତୁ ତାର
ନିର୍ଝରଣୀର ପ୍ରବାହ ସମଗ୍ର ଧରିତ୍ରୀର ହେଉଛି ଐଶ୍ୱର୍ଯ୍ୟ ।’’