କର୍ତ୍ତାର ଇଚ୍ଛାରେ କର୍ମ — ବିଶ୍ୱ ମାନବର ପଥେ — ରବୀନ୍ଦ୍ରନାଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
କର୍ତ୍ତାର ଇଚ୍ଛାରେ କର୍ମ
ପବନ ଯୋଗୁ ବର୍ଷା ଏପରି ହୁଏ ଯାହା ଫଳରେ ଆମ ଗଳିଠାରୁ ସାଧାରଣ ରାସ୍ତା ପର୍ଯ୍ୟନ୍ତ ଜଳ ଜମି ରହିଥାଏ । ପଥିକମାନେ ଛତା ଭଳି ସେମାନଙ୍କ ଜୋତାକୁ ମୁଣ୍ଡରେ ଧରି ଚାଲନ୍ତି ଏବଂ ପଡ଼ାବାସୀମାନେ ଆତ୍ମରକ୍ଷା ପାଇଁ ସଂଗ୍ରାମ କରୁଥିବାବେଳେ ଜଳଜନ୍ତୁଠାରୁ କୌଣସି ଗୁଣରେ ଅଧିକ ବୋଲି ମନେ ହୁଅନ୍ତି ନାହିଁ । ମୋର ପିଲାଦିନରୁ ବାଳ ପାଚିବା ଯାଏଁ ବର୍ଷ ବର୍ଷ ଧରି ଏହି ଦୃଶ୍ୟ, ମୁଁ ବାରଣ୍ଡାରେ ଥାଇ ଲକ୍ଷ୍ୟ କରିଛି ।
ଏହା ଭିତରେ ପ୍ରାୟ ଷାଠିଏ ବର୍ଷ ଅତିବାହିତ ହୋଇଗଲାଣି । ସେତେବେଳେ ଆମ ଯନ୍ତ୍ରଯୁଗର ବାଷ୍ପୀୟଯାନ ହିଁ ରପ୍ତାନୀର ଥିଲା ପ୍ରଧାନ ଅବଲମ୍ବନ । କିନ୍ତୁ ସେ କାଳରୁ ମଧ୍ୟ ବୈଦ୍ୟୁତିକ ଶକ୍ତି ଏହାକୁ ବିଦ୍ରୁପ ସହକାରେ ଉଙ୍କି ମାରି ଆସିଛି । ପରମାଣୁ ମତବାଦ ସେତେବେଳେ ପ୍ରାୟ ଅଜ୍ଞାତ, ମାତ୍ର ବର୍ତ୍ତମାନ ଏହାର ବ୍ୟାପକତା ସର୍ବତ୍ର ଅନୁଭୂତି । ମୃତ୍ୟୁ ପୂର୍ବରୁ ପିପିଲିକା ଯେପରି ପକ୍ଷ ବିସ୍ତାର କରେ ଠିକ୍ ସେହିପରି ମନୁଷ୍ୟ ଆଜି ଆକାଶରେ ପକ୍ଷ ବିସ୍ତାର କରି ବୁଲୁଅଛି ଏବଂ ଆକାଶରେ ନିଜ ନିଜର ଭାଗ ସକାଶେ ଅଂଶୀଦାରଙ୍କ ମଧ୍ୟରେ କଳହ ସୃଷ୍ଟି ହେବାର ଦିନ କେବେ ଆସିବ, ଓକିଲମାନେ ତାହା ବସି ଗଣୁଛନ୍ତି ।
ଚୀନର ଲୋକମାନେ ବହୁଦିନରୁ ରଖିଥିବା ନିଜ ନିଜର ଚୁରକି ରାତାରାତି ମୁଣ୍ଡରୁ କାଟି ଫିଙ୍ଗିଦେଲେ ଏବଂ ଜାପାନୀମାନେ ସମୟ ସାଗରରେ ବିରାଟ ଲମ୍ଫ ପ୍ରଦାନ ପୂର୍ବକ ପାଞ୍ଚଶହ ବର୍ଷର ଇତିହାସକୁ ପଚାଶ ବର୍ଷରେ ଅତିକ୍ରମ କରି ଏକ ନୂତନ ଇତିହାସ ସୃଷ୍ଟି କଲେ । କିନ୍ତୁ ସେହି ବର୍ଷାଜଳ ପ୍ରତି ଆମ ଗଳିର ଯେଉଁ ଆତିଥ୍ୟ ତାହା ସେହିପରି ଅପରିବର୍ତ୍ତିତ ହୋଇ ରହିଛି । ଏପରିକି ଭାରତୀୟ ଜାତୀୟ କଂଗ୍ରେସର ମୂଳଦୁଆ ପଡ଼ିବା ପୂର୍ବରୁ ଆମ ଗଳିର ସ୍ତ୍ରୀଲୋକମାନେ ବର୍ଷାଦିନେ ଗୀତ ଗାଉଥିଲେ ଯାହାର ଅର୍ଥ ହେଉଛି :–
"ଦୁଃଖର ସାଗର ଅତିକ୍ରମ କରିବାକୁହେ ପଥିକ, ତୁମକୁ କେତେକାଳ ଆଉ ଲାଗିବ ।"
ଆଜି ସ୍ୱରାଜ୍ୟ ଯେତେବେଳେ ଆମ ହାତମୁଠାରେ ଏବଂ ଗୋଟାଏ ପାଚିଲା ଫଳପରି ଆମର ଆଖି ଆଗରେ ଝୁଲୁଛି, ସେତେବେଳେ ମଧ୍ୟ ଏହି ସ୍ତ୍ରୀଲୋକମାନେ ବର୍ଷାକାଳର ଉପଯୋଗୀ ଏହି ଅର୍ଥ ସମ୍ବଳିତ ଗୀତଟିକୁ ଏକ ସ୍ୱର ଛାନ୍ଦରେ ଆବୃତ୍ତି କରିଥାନ୍ତି ।
ଅତି ଶୈଶବକାଳରୁ ଆମ ଗଳିଟି ବର୍ଷା ଜଳରେ ପ୍ଲାବିତ ହେବାର ଦୃଶ୍ୟ ଆମେ ଦେଖି ଆସିଛୁଁ । ସେଥିପାଇଁ ଏଥିରେ ଆମେ କେବେ ବିସ୍ମିତ ହୋଇ ନାହୁଁ । ପ୍ରତ୍ୟାଶିତ ଘଟଣାରେ କେହି କେବେ ବିଚଳିତ ହୋଇ ନ ଥାଏ । ସେଥିପାଇଁ ବିଚଳିତ ହେବା ପରିବର୍ତ୍ତେ ଆମେ ପରିତୁଷ୍ଟ ହୋଇ ରହିଥିଲୁ । ଚିଠିର ଗୋଟାଏ ଅଚିହ୍ନିତ ଶବ୍ଦର ହୁଏତ ଆମର ଦୃଷ୍ଟିକୁ ଆକର୍ଷଣ କରି ନ ପାରେ । କିନ୍ତୁ ରେଖାଙ୍କିତ ହୋଇଥିବା ଶବ୍ଦଟି ନିଶ୍ଚୟ ଆମର ଦୃଷ୍ଟିପଥାରୂଢ଼ ହେବ । କେବଳ ମୋର ମନ ନୁହେଁ, ମୋ ଗାଡ଼ିର ଚକ ମଧ୍ୟ ଯେତେବେଳେ ଆମ ଗଲି ଶେଷରେ ଚିତ୍ପୁର ରାସ୍ତାରେ ଥିବା ଯୁଗ୍ମ ଟ୍ରାମ୍ ଲାଇନ୍ ଗୁଡ଼ିକରେ ବାରମ୍ବାର ଧକ୍କା ଖାଇଥିଲା, ସେତେବେଳେ ତାହା ହିଁ ଘଟିଥିଲା । କହିବାକୁ ଗଲେ ଟ୍ରାମ୍ କମ୍ପାନୀ ସତେ ଯେପରି ଆମର ସେହି ଜଳ ପ୍ଲାବିତ ହେବ ଗଳିର ଦୃଶ୍ୟକୁ ପ୍ରଥମେ ହିଁ ରେଖାଙ୍କିତ କରିଥିଲା । ଏପରିକି ଏହି ଟ୍ରାମ୍ ଲାଇନ୍ ଗୁଡ଼ିକର ମରାମତି କାମ ଯଦିଓ ବର୍ଷାକାଳରେ ଆରମ୍ଭ ହେଉଥିଲା, ଏବଂ ତର୍କବିଜ୍ଞାନ ଅନୁସାରେ ଯେ କୌଣସି ଆରମ୍ଭର ଗୋଟିଏ ପରିସମାପ୍ତି ରହିବ ନିଶ୍ଚିତ ହେଲେ ମଧ୍ୟ, ଯୁକ୍ତିହୀନ ନୀତି ଅନୁସରଣ କରୁଥିବା ଟ୍ରାମ୍ କମ୍ପାନୀର ମରାମତି କାମ ଶେଷ ହେବା ପାଇଁ କୌଣସି ବ୍ୟବସ୍ଥା ରହୁ ନ ଥିଲା । ତେଣୁ ଯେତେବେଳେ ଟ୍ରାମ୍ ଲାଇନ୍ ତିଆରି ହେବାର ଦୃଶ୍ୟ ଓ ଜଳସ୍ରୋତ ସହିତ ମଣିଷ ସ୍ରୋତର ସଂଗ୍ରାମ ଦୃଶ୍ୟ ମୁଁ ଲକ୍ଷ୍ୟ କରୁଥିଲି ସେତେବେଳେ ମୋର ଦେହ ଓ ମନ ଉଭୟ ସିକ୍ତ ହୋଇ ଉଠୁଥିଲା । ଏହା ଫଳରେ ମୁଁ ସେତେବେଳେ ଗଭୀରଭାବରେ ଚିନ୍ତା କରିବାକୁ ଲାଗିଲି ଯେ ଆମେ କାହିଁକି ଏପରି ମୁଣ୍ଡ ନୁଆଁଇ ଚିରକାଳ ପଡ଼ିରହିବା ?
ଆମେ ଯଦି ସହୁଛୁ, ତାହାହେଲେ ଆମେ ନିଜ ପାଇଁ ଯେ ଭଲ କାମଟାଏ କରୁ ନାହୁଁ, ଏକଥା ଚୌରଙ୍ଗୀର ୟୁରୋପୀୟ ମହଲରେ କେବଳ ପହଞ୍ଚିଲେହିଁ ଆମେ ଅନୁଭବ କରିଥାଉଁ । ଆମେ ଏକା ସହର ଓ ଏକା ମ୍ୟୁନିସପାଲିଟି ଭିତରେ ରହିଛୁଁ; ମାତ୍ର ଆମଭିତରେ ପାର୍ଥକ୍ୟ ହେଉଛି ଯେ, ଭାରତୀୟମାନେ ଅଳ୍ପରେ ପରିତୃପ୍ତ କିନ୍ତୁ ସେମାନେ ନୁହନ୍ତି ।
ଧୀର ସୁସ୍ଥ ଭାବରେ ଦୀର୍ଘକାଳ ଧରି ଯଦି ଚିତ୍ପୁର ରାସ୍ତାଭଳି ଟ୍ରାମ୍ କମ୍ପାନୀ ମରାମତିକାମପାଇଁ ଚୌରାଙ୍ଗୀକୁ ଖୋଳି ତାର ଆଠ ଭାଗରୁ ସାତ ଭାଗ ସ୍ଥାନ ଅଧିକାର କରନ୍ତା ତାହାହେଲେ ଦିନ ରାତି ତାକୁ ଖାଇବାକୁ ବା ଶୋଇବାକୁ ସମୟ ମିଳୁ ନ ଥାନ୍ତା ।
ଆମ ଭିତରୁ ନିରୀହ ଓ ଭଲଲୋକମାନେ କହିବେ ‘‘ତୁମେ କ’ଣ ଚାହୁଁଛ ଯେ ସାମାନ୍ୟ ଅସୁବିଧା ପାଇଁ ଟ୍ରାମ୍ଲାଇନର ମରାମତି କାମ ବନ୍ଦ ରହିବ ଏବଂ ସେ ଅସୁବିଧା ଅନ୍ୟ ପ୍ରକାରରେ ତ ଆମେ ସହୁଛୁ ?’’ ‘‘ଅବଶ୍ୟ ସେଗୁଡ଼ିକର ମରାମତି ହେବ ଆବଶ୍ୟକ କିନ୍ତୁ ଏକ ଅଦ୍ଭୁତଧରଣର ସହଜମନ୍ଥର ଗତିରେ ହେବ ଅନୁଚିତ ।’’ ‘‘ତାହା କ’ଣ ସମ୍ଭବ ?" ଆମ ଭିତରେ ଯେଉଁ ଭଲଲୋକ ଅଛନ୍ତି ସେମାନଙ୍କର ପତିଆରା ନାହିଁ ଯେ, ଯେଉଁ ଅବସ୍ଥାରେ କୌଣସି ବିଷୟ ବର୍ତ୍ତମାନ ରହିଛି, ତାର ରୂପ ଅଧିକତର ସୁନ୍ଦର ହୋଇପାରେ । ସେଥିପାଇଁ ଆମ ରାସ୍ତା ଓ ଗଳିଗୁଡ଼ିକ ବର୍ଷା ପାଣିରେ ବୁଡ଼ି ରହିଥାଏ । ତେଣୁ ସର୍ବତ୍ର ଆମେ ଦାରିଦ୍ର୍ୟ ଦ୍ୱାରା ଆଚ୍ଛନ୍ନ ହୋଇଥାଉଁ, ଏବଂ ଫଟା ଟିଣରୁ ଆଲାକତାରା ଝରିଲାଭଳି ଆମର ଦାରିଦ୍ର୍ୟ ସବୁଠୁଁ ଫୁଟି ବାହାରୁଥାଏ ।
ମୁଁ ଯାହା କହୁଛି ତାହା ସାମାନ୍ୟ ବୋଲି ଶୁଣାଗଲେ ମଧ୍ୟ ସେପରି ତୁଚ୍ଛ ନୁହେ । କୌଣସି ବିଷୟ ଉପରେ ଆମର ଯେ ଆଧିପତ୍ୟ ରହିଛି ତାହା କୌଣସି ସମୟରେ ଆମେ ପୂର୍ଣ୍ଣମାତ୍ରାରେ ଉପଲବ୍ଧି କରି ନାହୁଁ । କୌଣସି ବହିରେ ଗୋଟେ କାଚ ପାତ୍ରରେ ରଖା ଯାଇଥିବା ମାଛ ବିଷୟ ପଢ଼ିଥିଲି । ସେହି ମାଛଟି କାଚ ପାତ୍ରରେ ବହୁବାର ତାର ମୁଣ୍ଡକୁ ଆଘାତ କରିବା ପାରେ ବୁଝି ପାରିଲା ଯେ କାଚ ପାଣି ନୁହେଁ । ତା ପରେ ତାକୁ ଗୋଟାଏ ବଡ଼ ଜଳାଶୟରେ ଛାଡ଼ି ଦିଆଗଲା ଏବଂ ସେଠାରେ ପାଣି ଯେ କାଚ ମୁହଁ ଏ କଥା ବୁଝିବାକୁ କେବେ ସେ ଆଉ ଶକ୍ତି ଅର୍ଜନ କରି ପାରିଲା ନାହିଁ, ଫଳରେ ମାଛଟି କେବଳ ଗୋଟିଏ ସଂକୀର୍ଣ୍ଣ ସ୍ଥାନ ମଧ୍ୟରେ ଘୁରିବାକୁ ଆରମ୍ଭ କଲା ।
ଠିକ୍ ସେହି ମାଛଭଳି ଆମର ଶିର ଆଘାତପ୍ରାପ୍ତ ହେବାର ଆତଙ୍କ ଆମର ଅସ୍ଥି ମଜ୍ଜାଗତ ହୋଇଯାଇଛି ଏବଂ ନିରାପତ୍ତା ସତ୍ତ୍ୱେ ସ୍ୱାଧୀନ ଭାବରେ ସନ୍ତରଣ କରିବାର ଶକ୍ତି ମଧ୍ୟ ଆମେ ହରାଇବସିଛୁଁ ।
ଆମ ପୁରାଣରେ ଅଛି ଯେ ଅଭିମନ୍ୟୁ ମାତୃଗର୍ଭରେ ଥିବା ସମୟରେ ଶତ୍ରୁ ଦୁର୍ଗରେ ପ୍ରବେଶ କରିବାର ବିଦ୍ୟା ଶିଖିଥିଲା । କିନ୍ତୁ ସେଥିରୁ ବାହାରି ଆସିବାର ବିଦ୍ୟା ସେ ଜାଣି ନ ଥିଲା । ଫଳରେ ରଥାରୋହୀ ସାତଜଣ ଯୋଦ୍ଧାଙ୍କ ଦ୍ୱାରା ତାର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଆଘାତପ୍ରାପ୍ତ ହୋଇଥିଲା, ଠିକ୍ ସେହିପରି ଆମେ ମଧ୍ୟ ଜନ୍ମ ହେବା ପୂର୍ବରୁ ଆବଦ୍ଧ ହେବାର ବିଦ୍ୟା ହାସଲ କରୁଁ, କିନ୍ତୁ ବନ୍ଧନ ମୁକ୍ତ ହେବାର କୌଶଳ ଜାଣୁ ନାଁ; ତେଣୁ ଜନ୍ମ ମୁହୂର୍ତ୍ତରୁ ଆମେ ଯାହା କିଛି ଚିନ୍ତା ବା କର୍ମକରୁ, ପ୍ରତ୍ୟେକ ବିଷୟରେ କେବଳ ଜଡ଼ିତ ରହୁଁ, ଫଳରେ ବଡ଼ ସାନ ସମସ୍ତଙ୍କଠାରୁ ଆମେ ବିଧା ଗୋଇଠା ଖାଉଁ । ପୁରୁଷାନୁକ୍ରମେ ଆମେ ବିଭିନ୍ନ ବ୍ୟକ୍ତି, ଶାସ୍ତ୍ର, ଏପରି କି ଆମକୁ ସଂକୁଚିତ କରୁଥିବା ଭାବଭଙ୍ଗୀ ଓ ଲକ୍ଷଣ ନିକଟରେ ଏପରି ଗଭୀର ଆନୁଗତ୍ୟ ପ୍ରଦର୍ଶନ କରିଥାଉଁ ଯେ ପୃଥିବୀର କୌଣସି ସ୍ଥାନରେ ଆମର ଯେ କିଛି ଆଧିପତ୍ୟ ରହିଛି ତାହା ଅନୁଭବ କରିବାକୁ ଆମେ ଅକ୍ଷମ ହେଉଁ । ମନୁଷ୍ୟ ପକ୍ଷରେ ଜାଣିବାର ଶ୍ରେଷ୍ଠ କଥା ହେଉଛି କ୍ଷମତାର ଅଧିକାର ହିଁ ପୌରୁଷର ଐଶ୍ୱର୍ଯ୍ୟ । ଯେଉଁ ଦେଶରେ ଏହି ଜ୍ଞାନ ଧର୍ମର କେତେଗୁଡ଼ିଏ ଯଦୁମନ୍ତରା, ଶ୍ଳୋକ ଓ ଅନୁଷ୍ଠାନ ପଦ୍ଧତି ମଧ୍ୟରେ ଅବରୁଦ୍ଧ ହୋଇଥାଏ, ଯେଉଁଠି ମନୁଷ୍ୟ ନିୟମର ସୂକ୍ଷ୍ମତମ ବ୍ୟତିକ୍ରମ ମଧ୍ୟ ପରିହାର କରିବା ପାଇଁ ଆଚରଣ କ୍ଷେତ୍ରରେ ନିଜର ହସ୍ତପଦ ଶୃଙ୍ଖଳିତ କରିଥାଏ, ଯେଉଁଠି ଦୂରକୁ ଚାଲିଯିବା ଭୟରେ ନିଜ ହାତରେ ନିଜର ଗତିପଥ ସେ ନଷ୍ଟ କରି ଦେଇଥାଏ, ସେଭଳି ଦେଶ ଆଧ୍ୟାତ୍ମିକତା ନାମରେ ମାନବିକତା ପ୍ରତି ଘୋର ଅବମାନନା ପ୍ରଦର୍ଶନ କରିବାକୁ ଶିକ୍ଷା ଦେଇଥାଏ, ଏବଂ ପୃଥିବୀରେ କେବଳ କ୍ରୀତଦାସ ଉତ୍ପାଦନ କରିବା ପାଇଁ ବୃହତ୍ତମ କାରଖାନା ସେ ସୃଷ୍ଟି କରେ ।
ଆମର ଶାସକଗଣ ଶାସ୍ତ୍ରୀୟ ଆଡ଼ମ୍ବର ପ୍ରଦର୍ଶନ କରି ଆମକୁ କହିଥାନ୍ତି ଯେ ଆମ୍ଭେମାନେ ଅଯୋଗ୍ୟ, ଆମ୍ଭେମାନେ ଭୁଲ କରିବୁ ଏବଂ ସେଥିପାଇଁ କୌଣସି କ୍ଷମତା ଆମ ଉପରେ ନ୍ୟସ୍ତ କରାଯାଇ ନ ପାରେ । ଏ କଥାଗୁଡ଼ିକ ଆମର ଅତୀତଯୁଗ ରୁଷି ଓ ସ୍ମୃତିକାର ମନୁ ଏବଂ ପରାଶରଙ୍କ ନିକଟରେ ଶୋଭା ପାଇଁ ପାରେ; କିନ୍ତୁ ଇଂରାଜୀ ଶାସକଙ୍କ ମୁହଁରେ ତାହା ସୁନ୍ଦର ଶୁଣାଯାଏ ନାହିଁ । ତେଣୁ ସେମାନେ ସ୍ୱାଭାବିକ ଅବସ୍ଥାରେ ଥିବାବେଳେ ଯେପରି ସରଳ ଭାଷା ବ୍ୟବହାର କରିଥାଆନ୍ତି, ଠିକ୍ ସେହିପରି ସରଳ ଭାଷାରେ ଆମର ଶାସକମାନଙ୍କୁ ଆମେ ଉତ୍ତର ଦେଇ କହିଥାଉଁ ଯେ କ୍ଷମତା ନ ଥିବା ଅପେକ୍ଷା ଭୁଲ କରିବା ଅଧିକ ବିପଜ୍ଜନକ ନୁହେ । ଭୁଲ କରିବାର ସ୍ୱାଧୀନତାହିଁ ମନୁଷ୍ୟକୁ ସତ୍ୟରେ ଉପନୀତ ହେବାର ସ୍ୱାଧୀନତା ପ୍ରଦାନ କରିଥାଏ-। ନିର୍ଭୁଲ ହେବା ଆଶାରେ ପ୍ରାଣହୀନ ହେବା ଅପେକ୍ଷା ଆମେ ବରଂ ଭୁଲ କରିବା ଶ୍ରେୟସ୍କର-।
ଆମେ ଅଧିକ ମଧ୍ୟ କହି ପାରନ୍ତୁ ଏବଂ ଆମର ଶାସକମାନଙ୍କୁ ସ୍ମରଣ କରାଇ ପାରନ୍ତୁ ଯଦିଚ ସେମାନେ ଆଜି ସ୍ୱାୟତ୍ତଶାସନର ମଟର ଗାଡ଼ିରେ ଚଢ଼ି ବୁଲୁଛନ୍ତି ସେମାନେ ପ୍ରଥମେ କୁକୁର ଟଣା ଗାଡ଼ିରେ ସେମାନଙ୍କର ରାଜନୀତିକ ଯାତ୍ରା ଆରମ୍ଭ କରିଥିଲେ । ସେତେବେଳେ ଉଷାର ଆବିର୍ଭାବ ହେବା ପୂର୍ବରୁ କେବଳ ଗୋଧୂଳିହିଁ ଲକ୍ଷିତ ହେଉଥିଲା । ସେଦିନ କାଦୁଅ ଗୁଲାରେ ଲାଖିଯାଉଥିବା ବେଳେ ସେମାନଙ୍କ ଗାଡ଼ି ଚକର କୋଳାହଳ ବିଜୟ-ଧ୍ୱନି ଭଳି ଶୁଣାଯାଉ ନ ଥିଲା । ଇଂରାଜୀ ପାର୍ଲାମେଣ୍ଟ ତାର ଆରମ୍ଭରୁ ଷ୍ଟିମ ରୋଲର ଦ୍ୱାରା ଚିକ୍କଣ ହୋଇଥିବା ପକ୍କା ରାସ୍ତାରେ କେବେ ଗତି କରି ନ ଥିଲା, ବରଂ ତାହାର ଜୀବନ ଇତିହାସରେ ସେ ବାରମ୍ବାର ଭୀଷଣ ଭାବରେ ବାଁ ଡାହାଣକୁ ନିକ୍ଷିପ୍ତ ହୋଇଛି ଏବଂ ବିଭିନ୍ନ ଦୃଷ୍ଟାନ୍ତର ବକ୍ର ପଥରେ ଗତି କରିଛି । ଏହା ବହୁ ଦୁର୍ନୀତି ଓ ଦ୍ୱନ୍ଦ, ବିରୋଧ, ଅନ୍ୟାୟ ଓ କୁ-ପରିଚାଳନା ମଧ୍ୟରେ ଦୋଳାୟିତ ହୋଇଅଛି ବା କେତେବେଳେ ପଛକୁ ପଡ଼ିଯାଇଛି । ଏହା କେତେବେଳେ ରାଜା, କେତେବେଳେ ଗୀର୍ଜା, କେତେବେଳେ ଜମିଦାର; ଏପରି କି କେତେବେଳେ ମଦ ବ୍ୟବସାୟୀଙ୍କ ସ୍ୱାର୍ଥଲାଗି ମଧ୍ୟ ବିନିଯୁକ୍ତ ହୋଇଛି । ସମୟ ଥିଲା ଯେତେବେଳେ କି ସଭ୍ୟଗଣ ଅର୍ଥଦଣ୍ଡ ଓ ତିରସ୍କାର ଭୟରେ ପାର୍ଲାମେଣ୍ଟରେ ଯୋଗଦାନ କରୁଥିଲେ । ମନୁଷ୍ୟର ଭ୍ରାନ୍ତି ସମ୍ପର୍କରେ କହିଲେ ଇଂରେଜ ଜାତିର ଗୋଟିଏ ଦୀର୍ଘ ତାଲିକା ଆମେ ଦେଇ ପାରୁ ଏବଂ ତାର ଅତୀତର ଆୟରଲାଣ୍ଡ ଓ ଆମେରିକା ସହିତ ସମ୍ପର୍କରୁ ଆରମ୍ଭ କରି ବର୍ତ୍ତମାନର ବୋର୍ ଯୁଦ୍ଧ, ମେସୋପଟାମିଆ, ଡାରଢ଼େନିଲିସ୍ ସହିତ ସମ୍ପର୍କ ସ୍ଥାପନରେ ଆମେ ଶେଷ କରି ପାରୁ । ଭାରତବର୍ଷରେ ମଧ୍ୟ ସେମାନେ ଯେଉଁ ଭୁଲ କରିଛନ୍ତି ତା'ର ତାଲିକା କିଛି କମ୍ ନୁହେଁ; କିନ୍ତୁ ସେ ସମ୍ବନ୍ଧରେ କିଛି ନ କହିବା ବରଂ ଭଲ । ଆମେରିକାର ରାଜନୀତିରେ ଧନକୁବେରର ଉପାସକଦଳ ଯେଉଁ ନିଷ୍ଠୁର ଅତ୍ୟାଚାରଲୀଳା ପ୍ରଦର୍ଶନ କରିଛନ୍ତି, ତାହା ଅବହେଳିତ ହେବାର ନୁହେ, ଫ୍ରାନ୍ସର ଡ୍ରାଇଫାସ ଘଟଣାରେ ସ୍ପଷ୍ଟ ହୋଇଥିବା ସାମରିକ ନେତାମାନଙ୍କର ଦୁର୍ନୀତି ଆମକୁ ଦେଖାଇ ଦେଇଛି ଫ୍ରାନ୍ସର ତତ୍କାଳୀନ ରାଜନୀତିରେ କିପରି ନୀଚତମ ପ୍ରବୃତ୍ତିର ଅନ୍ଧଶକ୍ତି ଆଧିପତ୍ୟ ବିସ୍ତାର କରିଥିଲା । ଏ ସକଳସତ୍ତ୍ୱେ ଆଜି କାହାର ଅଣୁମାତ୍ର ସନ୍ଦେହ ନାହିଁ ଯେ କେବଳ ସ୍ୱାୟତ୍ତଶାସନର ନିୟତ ସକ୍ରିୟ ପ୍ରେରଣାହିଁ ବିଭିନ୍ନ ପରୀକ୍ଷା ମଧ୍ୟରେ ମନୁଷ୍ୟକୁ ସକଳ ପ୍ରମାଦ ଅତିକ୍ରମ କରିବା ପାଇଁ ଏବଂ ପ୍ରତ୍ୟେକ ପତନ ପରେ ସଂଗ୍ରାମ କରି ଉନ୍ନତିର ଶୀର୍ଷସୋପାନ ଅପହରଣ କରିବାକୁ ସମର୍ଥ କରିଛି-। ସେଥିପାଇଁ ତାକୁ ଶୃଙ୍ଖଳବଦ୍ଧ କରି ତାର ସବୁଠୁ ବେଶୀ ରୁଚିକର ଖାଦ୍ୟଦେବା ପରିବର୍ତ୍ତରେ ସେ ଅନାହାରରେ ରହିଲେ ମଧ୍ୟ ତାକୁ ସ୍ୱାଧୀନ ଭାବରେ ନିଜ ଜୀବିକାର୍ଜନର ସୁଯୋଗ ଦେବା ଉଚିତ ।
ଏହାଠୁଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ରାଜନୀତିକ ସ୍ୱାଧୀନତା, ଏହା କେବଳ ଯେ ଦାୟିତ୍ୱଜ୍ଞାନ ଓ ସୁପରିଚାଳନାର କ୍ଷମତା ପ୍ରଦାନ କରିଥାଏ ତାହା ନୁହେଁ; ତାହା ମାନସିକ ପରିସରକୁ ମଧ୍ୟ ବିସ୍ତୃତ କରିଥାଏ । ଗ୍ରାମର ସାମାଜିକ-ଶ୍ରେଣୀ-ବୈଷମ୍ୟ ଓ ତାର ସମାଜ ଭିତରେ ଆବଦ୍ଧ ହୋଇଥିବା ଲୋକମାନେ ଯେତେବେଳେ ରାଜନୀତିକ କ୍ଷମତା ହାସଲ କରନ୍ତି, ସେତେବେଳେ ଏକ ବୃହତ୍ତର ପରିଧି ଭିତରେ ଜୀବନକୁ ଦେଖିବା ପାଇଁ ସେମାନେ ଆରମ୍ଭ କରନ୍ତି-। ଏହି ସୁଯୋଗର ଅଭାବରୁ ମଣିଷ ହିସାବରେ ସେମାନେ ସଂକୀର୍ଣ୍ଣ ହୋଇ ରହନ୍ତି । ସେମାନଙ୍କର ଜୀବନ ଯେ ମାନବିକତାର ବ୍ୟାପକ ବିସ୍ତୃତି ସହିତ ସଂଲଗ୍ନ, ସେମାନେ ତାହା ଅନୁଭବ କରି ପାରନ୍ତି ନାହିଁ । ଫଳରେ ସେମାନଙ୍କର ଶାରୀରିକ ଓ ମନାସିକାଶକ୍ତି, ଆଶା ଓ ଆକାଂକ୍ଷା ସବୁ ସଂକୁଚିତ ହୋଇପଡ଼େ । ମନୁଷ୍ୟ ଆତ୍ମାର ଏହି ସଂକୋଚନ ତାହାର ମୃତ୍ୟୁ ଅପେକ୍ଷା ମଧ୍ୟ ଅଧିକ ଭୟାବହ । "ଭୂମୈବ ସୁଖମ୍, ନାଳ୍ପେ ସୁଖମସ୍ତି"-ସ୍ୱଳ୍ପତା ନୁହେଁ; କେବଳ ପ୍ରାଚୁର୍ଯ୍ୟହିଁ ସନ୍ତୋଷ ପ୍ରଦାନ କରିଥାଏ । ଆମର ଶାସକମାନଙ୍କୁ ଆମେ କହୁଚୁ ଯେ ସ୍ୱାୟତ୍ତଶାସନର ଦାବି ଦ୍ୱାରା ଭୁଲ କରିବାର ପ୍ରତ୍ୟେକ ବିପଜ୍ଜନକ ସମ୍ଭାବନାକୁ ଆମେ ସ୍ୱୀକାର କରୁଛୁଁ । ସାମୟିକ ପତନର ଆଶଙ୍କା ଆମର ଥିଲେ ମଧ୍ୟ ଆମେ ଆଗେଇ ଚାଲିବାକୁ ପ୍ରସ୍ତୁତ । ପାଟନାର କଥା ବାରମ୍ବାର ଆମକୁ କହି ଆମର ଅଗ୍ରଗତିରୁ ଆମକୁ ନିରୁଦ୍ଧ ନ କରନ୍ତୁ ବୋଲି ଆମର ଶାସକମାନଙ୍କୁ ତେଣୁ ଆମେ କହୁଛୁଁ ।
ଏହାହିଁ ହେଉଛି ପ୍ରକୃତ ଉତ୍ତର । ଏହି ଉତ୍ତର ଦେଇ ଯେଉଁ ଅବାଧ୍ୟ ଲୋକ ଶାସକଗୋଷ୍ଠୀଙ୍କୁ ଉତ୍ତେଜିତ କରନ୍ତି, ସେମାନେ ତାଙ୍କ ଦ୍ୱାରା ଦଣ୍ଡିତ ହୋଇଥାଆନ୍ତି । ଅନ୍ୟ ପକ୍ଷରେ ଜାତୀୟତାବାଦୀମାନଙ୍କ ଦ୍ୱାରା ସେମାନେ ପ୍ରଶଂସିତ ହୋଇଥାଆନ୍ତି । ଆମର ସମାଜନେତାଙ୍କୁ ଏହିଭଳି ଯଦି ଏକ ଉତ୍ତର ଦେଉଁ, ତାହାହେଲେ ତାହାର ଫଳାଫଳ କ’ଣ ହେବ ତାହା ବର୍ତ୍ତମାନ ବିଚାର କରାଯାଉ । ଧରି ନିଆଯାଉ ଆମେ ଆମର ସମାଜଶାସକମାନଙ୍କୁ କହିଲୁ ଯେ ସେମାନେ ଆମ ସମ୍ପର୍କରେ ଯାହା କହୁଛନ୍ତି, ତାହା ଆମେ ଗ୍ରହଣ କରି ନେଇଛୁ । ଆମେ ଗୋଟିଏ ଭ୍ରଷ୍ଟ ଯୁଗରେ ବାସ କରୁଛୁ । ଆମର ବିଚାର ସ୍ୱାଧୀନତା ଯେତେବେଳେ ପ୍ରୟୋଗ କରୁଛୁ ଆମେ ଭୁଲ କରୁଛୁ ଓ ସ୍ୱାଧୀନ ଆଚରଣ ଦ୍ୱାରା ଅନ୍ୟକୁ ଅପମାନିତ କରୁଛୁ । ସେଥିପାଇଁ ଆମର ବିବେକବୁଦ୍ଧିକୁ ସମ୍ମାନ ଦେବା ଉଚିତ ନୁହେ ଓ ନତମସ୍ତକରେ ଶାସ୍ତ୍ରବାକ୍ୟକୁ ଆମେ ସ୍ୱୀକାର କରିଯିବା ଉଚିତ । କିନ୍ତୁ ଆମେ ଯଦି ଆମର ସମାଜଶାସକମାନଙ୍କୁ କହୁଁ ଯେ, ଏସବୁ ଆମେ ସ୍ୱୀକାର କରି ନେଉଛୁ ସତ, କିନ୍ତୁ ତାଙ୍କୁ ସମ୍ମାନ ଦେଖାଇ ନିଜକୁ ଅପମାନିତ କରିବାକୁ ଆମେ କୁଣ୍ଠିତ, ତାହାହେଲେ ସେମାନଙ୍କ ଚକ୍ଷୁ କ୍ରୋଧରେ ଆରକ୍ତ ହୋଇ ଉଠିବ ଏବଂ ସଙ୍ଗେ ସଙ୍ଗେ ଆମର ସାମାଜିକ ନିର୍ବାସନ ପାଇଁ ସେମାନେ ଦଣ୍ଡାଦେଶର ବିଧାନ କରିବେ । ଯେଉଁମାନେ ରାଜନୀତିକ ଆକାଶରେ ଉଡ଼ିବା ପାଇଁ ପକ୍ଷ ସଞ୍ଚାଳନ କରନ୍ତି ସେମାନେ ସାମାଜିକ ଭିତ୍ତି ଉପରେ ନିଜର ପଦ ସୁଦୃଢ଼ ଭାବରେ ସ୍ଥାପନ କରିଥାନ୍ତି । ଏହି ବିଷୟର ପ୍ରକୃତ ସ୍ୱରୂପ ହେଉଛି ଯେ ନୌକାକୁ ବାମ ଡାହାଣ ଉଭୟ ଦିଗରେ ପରିଚାଳିତ କରିବାକୁ ଗୋଟିଏ ମାତ୍ର ଆହୁଲା ପ୍ରୟୋଜନ-। ଠିକ୍ ସେହିଭଳି ଏକ ମୌଳିକ ନୀତି ଆବଶ୍ୟକ, ଯାହା ଉପରେ ପ୍ରଭୁତ୍ୱ ଅର୍ଜନ କରିବା ଦ୍ୱାରା ମନୁଷ୍ୟ ସାମାଜିକ ଓ ରାଜନୀତିକ ଉଭୟ କ୍ଷେତ୍ରରେ ସତ୍ୟବାନ ହେବାକୁ ସମର୍ଥ ହୁଏ । ଚୌରଙ୍ଗୀ ଓ ଚିତ୍ପୁର ରାସ୍ତାର ପାର୍ଥକ୍ୟ ଏହି ନୀତିର ଦୃଷ୍ଟିକୋଣର ପାର୍ଥକ୍ୟ ମଧ୍ୟରେ ନିହିତ । ଚିତ୍ପୁର ରାସ୍ତା ସିଧା ସଳଖ ଭାବେ ସ୍ଥିର କରିନେଇଛି ଯେ ପ୍ରତ୍ୟେକ କଥା ତାର ଉଚ୍ଚ କତ୍ତୃପକ୍ଷଙ୍କ ହାତରେ ରହିଛି ଏବଂ ସେଥିପାଇଁ ସେ ଅକର୍ମା ହୋଇ ପଛରେ ପଡ଼ିରହିଛି । କିନ୍ତୁ ଚୌରାଙ୍ଗୀର ଦୃଷ୍ଟିକୋଣ ହେଉଛି, ତା'ସହିତ ସମ୍ପର୍କିତ ଯେ କୌଣସି ପ୍ରସଙ୍ଗରେ କଥା କହିବାର ଅଧିକାର ତାର ରହିଛି । ଏହା ବିଶ୍ୱାସ କରେ ଯେ କତ୍ତୃପକ୍ଷ ଓ ତା ନିଜ ମଧ୍ୟରେ ସୁଦୃଢ଼ ସମ୍ପର୍କ ବିଦ୍ୟମାନ ଏବଂ ସେହି ବିଶ୍ୱାସ ଫଳରେ ନିଜ ଶକ୍ତି ମଧ୍ୟରେ ସେ ସମଗ୍ର ପୃଥିବୀକୁ ଧାରଣ କରିଛି-। ମାତ୍ର ଏହି ବିଶ୍ୱାସର ଅଭାବ ଫଳରେ ଚିତ୍ପୁର ରାସ୍ତା ନିଜ ହାତ ମୁଠାରେ ପୃଥିବୀକୁ ଧରି ରଖି ପାରି ନାହିଁ ଏବଂ ଆଖିବୁଜି ସଂଜ୍ଞାହୀନ ହୋଇ ପଡ଼ିରହିଛି । ଆମର ସଂକୀର୍ଣ୍ଣ ସ୍ୱଦେଶୀଶାସନ ଯେ ସର୍ବୋତ୍କୃଷ୍ଟ ଏହା ଭାବିବାକୁ ଗଲେ ଆମକୁ ଆଖି ବୁଝିବାକୁ ପଡ଼ୁଛି । ଆଖି ଖୋଲିଲାବେଳକୁ ଆମେ ଦେଖୁଛୁଁ ସମଗ୍ର ପୃଥିବୀବ୍ୟାପୀ ଏକ ମହତ୍ ନୀତି ସକ୍ରିୟ । ଏହି ନୀତିକୁ ଗ୍ରହଣ କରିବା ଅର୍ଥ ଶକ୍ତି, ସୁଖ ଓ ସମୃଦ୍ଧି ଅର୍ଜନ କରିବା । ବ୍ୟକ୍ତିବିଶେଷର ସଫଳତା ବ୍ୟକ୍ତିଗତ ବିଧାନ ଦ୍ୱାରା ଘଟି ନ ଥାଏ । ତାହା ସାର୍ବଭୌମିକ ନୀତିର ଅନୁସରଣ ଦ୍ୱାରାହିଁ ସଂଘଟିତ ହୋଇଥାଏ । ଏହାର ନିଶ୍ଚିତ ଜ୍ଞାନ ହିଁ ଇଉରୋପୀୟ ସଭ୍ୟତାକୁ ଶକ୍ତିର ସୁଦୃଢ଼ ଭିତ୍ତି ପ୍ରଦାନ କରିଛି ।
କିନ୍ତୁ ପୃଥିବୀର ଏହି କୋଣରେ ବସି ଆମେ ହସ୍ତ ଉତ୍ତୋଳନ କରି ଓ ଦୀର୍ଘନିଶ୍ୱାସ ଛାଡ଼ି କହୁଛୁ ଯେ ସବୁ ସେହି କର୍ତ୍ତାର ହିଁ ଇଚ୍ଛା । ଏହି ପ୍ରଭୁଙ୍କୁ ଆମେ ସହସ୍ର ନାମ ଦେଇଛୁଁ । ତାଙ୍କୁ ବାପା, ବଡ଼ ଭାଇ, ପୋଲିସ୍ ଇନିସ୍ ପେକ୍ଟର, ପୁରୋହିତ, ପଣ୍ଡିତ, ଶିତଳା (ବସନ୍ତର ଠାକୁରାଣୀ) ମନସା (ସର୍ପଦେବୀ), ଓରାବିବି (ହଇଜା ଠାକୁରାଣୀ), ଦକ୍ଷିଣରାୟ (ବ୍ୟାଘ୍ର ଦେବତା) ଏବଂ ସ୍ୱର୍ଗୀୟ ଗ୍ରହାଦି ଯଥା ସାନି, ମଙ୍ଗଳ, ରହୁ ଓ କେତୁ ପ୍ରଭୃତି ବିଭିନ୍ନ ନାମରେ ଡାକିଛୁ । ଆମେ ନିଜର ଆତ୍ମଶକ୍ତିକୁ ସହସ୍ର ଖଣ୍ଡରେ ବିଭକ୍ତ କରି ଶୂନ୍ୟ ଗର୍ଭକୁ ନିକ୍ଷିପ୍ତ କରି ଦେଉଛୁ ।
କଲେଜ ପଢ଼ୁଆ ନିଶ୍ଚୟ କହିବେ, ‘‘ଆମେ ସେହି ପୁରୁଣା ପ୍ରଥା ଓ ବିଶ୍ୱାସକୁ ସବୁବେଳେ ମାନୁ ନା, ବସନ୍ତ ପାଇଁ ଆମେ ଟୀକା ନେଉଛୁଁ ଓ ହଇଜା ହେଲେ ଆମକୁ ସାଲାଇନ୍ ଇଞ୍ଜେକ୍ସନ ଦିଆଯାଉଛ ।’’ ମଶା ଆଣୁଥିବା ମେଲେରିଆକୁ ଦୈବୀ ବୋଲି ନ ଭାବି ଆମେ ତାକୁ ଜୀବାଣୁ ଦ୍ୱାରା ଘଟୁଛି ବୋଲି ମନେକରୁଛୁଁ । ‘‘ପରନ୍ତୁ ଆମ ପେଟ ଫୁଲାଇ ଦେଉଥିବା ପ୍ଳୀହାର ଚିକିତ୍ସା ପାଇଁ ଗୋଟିଏ ମନ୍ତ୍ର କବଚ ପେଟ ଉପରେ ଆମେ ଝୁଲାଇ ରଖୁଁ । ‘‘ଏ ବିଷୟରେ ଆମେ ମୁକ୍ତ କଣ୍ଠରେ ସ୍ୱୀକାର କରୁ ବା ନ କରୁ ସେଥିରେ କିଛି ଯାଏ ଆସେ ନା, କିନ୍ତୁ ଏହା ସତ୍ୟ ଯେ ଆନୁଗତ୍ୟର ବିଷ ଦ୍ୱାରା ଆମର ମନ କ୍ଷୟପ୍ରାପ୍ତ ହୋଇଯାଇଛି । ଏହି ମାନସିକ ଭୀରୁତା ଏକ ଅନିର୍ଦ୍ଧିଷ୍ଟ ଓ ସର୍ବବ୍ୟାପୀ ଆତଙ୍କ ମଧ୍ୟରୁ ଜନ୍ମଲାଭ କରିଥାଏ । ବିଶ୍ୱବିଧାନ ହିସାବରେ ଆତ୍ମପ୍ରକାଶ କରୁଥିବା ସାର୍ବଭୌମିକ ଶକ୍ତିକୁ ଉପଲବ୍ଧି କରୁ ନ ଥିବା ହେତୁ, ଆମେ ଆମର ବିବେକ ବୁଦ୍ଧିକୁ ପ୍ରଥମରୁ ଘଉଡ଼ି ଦେଉଁ ଏବଂ ତାହାକୁ ସହସ୍ର ଆଶଙ୍କା ଭିତରେ ନିକ୍ଷେପ କରୁ ।
ନିଜ ବୁଦ୍ଧିକୁ ସନ୍ଦେହ କରିବା ପାଇଁ ଭୀତ ସର୍ବଦା ପ୍ରେରଣା ଦିଏ ଏବଂ କୌଣସି କର୍ମପନ୍ଥା ଗ୍ରହଣ ନ କରିବାକୁ ଆଦେଶ ଦିଏ । ମୁଁ ମଧ୍ୟ ଦେଖିଛି ଯେ, ଯେତେବେଳେ ରାଜନୈତିକ ଶାସନର କୌଣସି ଛିଦ୍ରପଥରେ ଭୟ ଯେଉଁ ମୁହୂର୍ତ୍ତରେ ପ୍ରବେଶ କରେ, ସହସା ଆମର ଶାସକମାନେ ସେମାନଙ୍କର ପାଶ୍ଚାତ୍ୟ ନୀତିକୁ ଭୁଲିଯାଆନ୍ତି । ସେତେବେଳେ ତାଙ୍କ ଶକ୍ତିର ନିଶ୍ଚିତ ଭିତ୍ତିରୁପେ ରହିଥିବା ଅଲଂଘନୀୟ ନୀତିକୁ ମଧ୍ୟ ସେମାନେ ନିର୍ବିଚାର ଭାବରେ ଲଙ୍ଘନ କରିଥାନ୍ତି । ସେ କ୍ଷେତ୍ରରେ ନ୍ୟାୟ ନୀତି ଉପରେ ଆସ୍ଥା ହରାଇ ସେମାନେ ମର୍ଯ୍ୟାଦା ଜଗିବାକୁ ଅଧିକ ଜରୁରୀ ବୋଲି ମନେ କରିଥାନ୍ତି । ଏହା ପ୍ରକୃତରେ ବିଶ୍ୱବିଧାନ ପ୍ରତି ଅନାସ୍ଥା ଭାବରୁ ହିଁ ଘଟିଥାଏ ଏବଂ ଏହା ମୂଳରେ ରହିଛି ବ୍ୟକ୍ତିଗତ ସ୍ୱାଧୀକାର ପ୍ରତି ଅତ୍ୟଧିକ ବିଶ୍ୱାସ । ସାମାନ୍ୟ ଭୟ, ସଂକୀର୍ଣ୍ଣ ଲୋଭ ଓ ନିଜ କାମ ସହଜ କରିବାର ତୁଚ୍ଛ ଛଳନା ମଧ୍ୟରୁ ହିଁ ଏହା ଜନ୍ମଲାଭ କରିଥାଏ । ଅନ୍ଧ ଆତଙ୍କ ଦ୍ୱାରା ପରିଚାଳିତ ହୋଇ ଆମେ ମଧ୍ୟ ଆମର ମୌଳିକ ମାନବିକ ଶକ୍ତିକୁ ଜଳାଞ୍ଜଳି ଦେବାକୁ ଓ ପୃଥିବୀରେ ଯାହା କିଛି ରହିଛି ବା ରହି ନାହିଁ, ହାତଯୋଡ଼ି ସମସ୍ତଙ୍କର ଆଜ୍ଞାପାଳନ କରିବାକୁ ସର୍ବଦା ପ୍ରସ୍ତୁତ । ଆମେ ଜଡ଼ ବା ଜୀବନ୍ତ ବିଜ୍ଞାନ ପଢ଼ିଲେ ମଧ୍ୟ କିମ୍ବା ରାଜନୀତି ବିଜ୍ଞାନରେ ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲେ ମଧ୍ୟ, ‘‘କର୍ତ୍ତାର ଇଛାରେ ଯେ ସବୁ କର୍ମ’’ ଏହି ରହସ୍ୟମୟ ମନକୁ ମନ ମଧ୍ୟରୁ ଫିଙ୍ଗିଦେଇ ପାରୁ ନା । ସୌଭାଗ୍ୟବଶତଃ ବର୍ତ୍ତମାନ ଯୁଗରେ ଆମ ଦେଶରେ ମିଳିତ ଉଦ୍ୟମର ମୂଳଭିତ୍ତି ଅନେକ କାର୍ଯ୍ୟ ସକାଶେ ସ୍ଥାପିତ ହୋଇଛି ।
କିନ୍ତୁ ଆମର ଅତୀତ ନିକଟରେ ଆମେ କୃତଜ୍ଞ ଯେ ମିଳିତ ଉଦ୍ଦେଶ୍ୟକୁ ବ୍ୟକ୍ତିଗତ ଉଦ୍ୟମରେ ପରିଣତ କରିବା ପାଇଁ ଏକ ଅବିରତ ପ୍ରଭାବ ସର୍ବଦା ସେଠାରେ ପରିଲକ୍ଷିତ । ଯେ କୌଣସି ଉଦ୍ଦେଶ୍ୟ ପାଇଁ ହେଉନା କାହିଁକି ଜଣେ ମାଲିକ କେବେ ତା’ର ମୁଣ୍ଡ ଦେଖାଇ ନଥାଏ । ତା'ର ପ୍ରଧାନ କାରଣ ହେଉଛି ଯେଉଁ ବ୍ୟକ୍ତିଗତ ଦଳ ଗଠନ କରନ୍ତି ସେମାନେ ପ୍ରଭୁଙ୍କ ଇଛାରେ ଛିଡ଼ା ହୁଅନ୍ତି, ବସନ୍ତି, ଖାଆନ୍ତି, ବିବାହ କରନ୍ତି ଓ ମୃତ୍ୟୁ ପରେ ନିଜର ବଂଶଧରଙ୍କ ଠାରୁ ପିଣ୍ଡ ଗ୍ରହଣ କରିଥାନ୍ତି ।
ପୁଣ୍ୟ ଓ ପାପକାର୍ଯ୍ୟ ସଂକ୍ରାନ୍ତୀୟ ସକାଳ କର୍ମ ଏବଂ ଏପରିକି ସେମାନଙ୍କର ସ୍ନାନପଯୋଗୀ ଗୋଟିଏ କୂପର ଜଳ ସକାଶେ, ତା'ର ପରିସୀମାର ହସ୍ତପରିଣାମ ଆଦି ସକାଳ ସମସ୍ୟାର ସମାଧ୍ୟାନ ପ୍ରଭୁଙ୍କ ଇଛା ଉପରେ ନିର୍ଭର କରି ସେମାନେ କରିଥାନ୍ତି । ସେହି ଦୃଷ୍ଟିକୋଣରୁ ଜଣେ ବିଦେଶୀ ଦ୍ୱାରା ପ୍ରସ୍ତୁତ ମଦ ଓ ଜଣେ ଅସ୍ପୃଶ୍ୟ ସ୍ପର୍ଶ କରିଥିବା ଜଳର ତୁଳନାତ୍ମକ ବିଚାରାଦି ସମସ୍ତ ସମସ୍ୟା ମଧ୍ୟ ସେହି ପ୍ରଭୁଙ୍କ ଇଛାରେ ସମାହିତ ହୋଇଥାଏ । ଆମେ ଯଦି ସେମାନଙ୍କୁ କହୁଁ ଯେ "ଜଣେ ହିନ୍ଦୁ ଯେଉଁ ପାଣି ପିଇବା ପାଇଁ ଦେଉଛି ତାହା ପାନୀୟ ପାଇଁ ଉପଯୁକ୍ତ ନୁହେ, କାରଣ ସେ ତାକୁ ଗୋଟିଏ ଅପରିଷ୍କାର ପାତ୍ର ସାହାଯ୍ୟରେ ତା'ର କଳସିରୁ କାଢ଼ୁଛି କିନ୍ତୁ ଜଣେ ମୁସଲମାନ ଯେଉଁ ସ୍ୱଚ୍ଛଜଳ ପିଇବା ପାଇଁ ଦେଉଛି ତାହା ସୁଦ୍ଧା ଓ ସ୍ୱାସ୍ଥ୍ୟକର ହେତୁ ପାନୀୟ ?’’ ପ୍ରଭୁଙ୍କର ଇଛା ନୁହେ ।
ଆମେ ଯଦି ପୁଣି ଜବାବ ଦେଇ କହୁ ଯେ, ସେଥିରେ କିଛି ଯାଏ ଆସେ ନ ଓ ତାହା ପ୍ରଭୁଙ୍କର ଇଛା ନୁହେ, ତାହାହେଲେ ସେମାନେ କେବେ ଆମକୁ ତାଙ୍କ ଘରକୁ ନିମନ୍ତ୍ରଣ କରିବେ ନାହିଁ ଏବଂ ଆମ ଭିତରର ସମସ୍ତ ସାମାଜିକ ଯୋଗାଯୋଗ ଛିନ୍ନ ହୋଇଯିବ । ଏହି ଲୋକମାନେ ପ୍ରତି ପଦକ୍ଷେପରେ ନିଷ୍ଠୁରତମ ବାଧ୍ୟବାଧକତା ଦ୍ୱାରା ସେମାନଙ୍କର ଖାଦ୍ୟ ଓ ସ୍ପୃଶ୍ୟତାର ମୌଳିକ ଅଧିକାରକୁ ସଂକୁଚିତ କରିଥାନ୍ତି ଏବଂ ସଂକୋଚକୁ ସେମାନେ କଲ୍ୟାଣକର ବୋଲି ଭାବିଥାନ୍ତି । ତାହାହେଲେ ସେମାନେ କାହିଁକି ଅବାଧ ରାଜନୀତିକ ଅଧିକାର ଦାବି କରିବାକୁ ଦ୍ୱିଧା ବୋଧ କରୁ ନାହାନ୍ତି ?
ଯେତେବେଳେ ଗୋଟାଏ ଜାତି ନିଜ ଶକ୍ତିର ମୂଳଧନରେ ତା'ର ବାଣିଜ୍ୟ ଚଳାଇବାକୁ ଅସମର୍ଥ, ସେତେବେଳେ ଭୟ ଓ ଭିକ୍ଷାବୃତ୍ତି ମଧ୍ୟରେ ସେମାନଙ୍କର ଦିନ ଅତିବାହିତ ହୋଇଥାଏ ଏବଂ ଅନ୍ୟ ଜାତି, ଦେବତା ଓ ଗ୍ରହମାନଙ୍କୁ ପ୍ରତ୍ୟେକ ବିପଦରେ ସାହାଯ୍ୟ କରିବାକୁ ପ୍ରାର୍ଥନା କରିଥାଆନ୍ତି । ବଙ୍ଗଳାର ପ୍ରାଚୀନ ମଙ୍ଗଳ କାବ୍ୟଗୁଡ଼ିକରେ ଏହାର ସୁନ୍ଦର ବର୍ଣ୍ଣନା ରହିଛି । ଚାନ୍ଦ ସୌଦାଗର ଜଣେ ଉଚ୍ଚ ଆଦର୍ଶବାଦୀ ବ୍ୟକ୍ତି ଥିଲା କିନ୍ତୁ ଯେଉଁ ଦେବତାକୁ ସେ ନୀଚ ଓ ସମ୍ମାନର ଅଯୋଗ୍ୟ ବୋଲି ବିବେଚନା କରୁଥିଲା ଶେଷରେ ବହୁ ଦୁଃଖ ଯନ୍ତ୍ରଣା ସହି ତାହାରି ନିକଟରେ ହିଁ ପରାଜୟ ସ୍ୱୀକାର କରିଥିଲା । ଏହି ଦେବତାଜ୍ଞାନ ଓ ନ୍ୟାୟବୋଧର ବିପକ୍ଷ ଶକ୍ତିର ଏକ ପ୍ରତୀକ । ସେ ଯେପରି ଅତ୍ୟାଚାରୀ ସେହିପରି ଭୟଙ୍କର ଥିଲା ଏବଂ ସେ ଚରମ ଆନୁଗତ୍ୟ ଦାବୀ କରିଥିଲା-। ମଙ୍ଗଳ କାବ୍ୟର ଆରମ୍ଭରୁ କବି କଙ୍କଣଙ୍କ ଛନ୍ଦି ପର୍ଯ୍ୟନ୍ତ ଆମେ ବିଶ୍ୱାସକର ଯେଉଁ ଧାରଣା ପାଇଥାଉଁ ସେକାଳର ରାଜନୀତିକ ଶାସନପଦ୍ଧତି ସହିତ ତାହାର ଗଭୀର ସମ୍ପର୍କ ରହିଛି । ସେ କାଳରେ ନ୍ୟାୟ ନ ଥିଲା ଓ କୌଣସି ଆଇନକୁ ଅସ୍ୱୀକାର କରିବାର ବାଟ ନ ଥିଲା କିମ୍ବା ବଳବାନର ଅତ୍ୟାଚାରକୁ ପ୍ରତିରୋଧ କରିବାକୁ କୌଣସି ନ୍ୟାର୍ଯ୍ୟପନ୍ଥା ମଧ୍ୟ ନ ଥିଲା । ପଶୁ ଶକ୍ତିର ଅଧିକାରୀ ହିଁ ଥିଲେ ଭୂମିର ମାଲିକ । କେବଳ ତୋଷାମଦ, ଉତ୍କୋଚଦାନ ଓ ଶେଷ ଆଶ୍ରୟ ହୋଇଛି ପଳାୟନ-ଏହିଗୁଡ଼ିକ ହିଁ ଦୁର୍ବଳତାର ପନ୍ଥାରୂପେ ସେତେବେଳେ ଉନ୍ମୁକ୍ତ ଥିଲା । ତତ୍କାଳୀନ ସାମାଜିକ ଓ ରାଜନୀତିକ ପରିସ୍ଥିତି ଏବଂ ପ୍ରଚଳିତ ଦେବବିଶ୍ୱାସ ମଧ୍ୟରେ ସାମଞ୍ଜସ୍ୟ ରହିଥିଲା ।
ତଥାପି ଦିନେ ଉପନିଷଦ ଯେଉଁ ବିଧାନ ସମ୍ପର୍କରେ କହିଥିଲା, ତାହା ନ୍ୟାୟାପର, ଶୃଙ୍ଖଳିତ ଓ ଚିରନ୍ତନ । ଚିରନ୍ତନତା ପାଇଁ ଏହା ହେଉଛି ଚିରକାଳର ବାଣୀ । ଅସ୍ଥିର ଓ ପରିବର୍ତ୍ତନଶୀଳ ମୁହୂର୍ତ୍ତଗୁଡ଼ିକର ଏହା ଅଧୀନ ନୁହେ । ସେହି କାରଣରୁ ହିଁ ନିଜର ଜ୍ଞାନ ମାଧ୍ୟମରେ ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକେ ତାହାକୁ ନିଜସ୍ୱ କରିଥିଲୁ । ଏହାକୁ ଯେତେ ଗଭୀର ଭାବରେ ଆମେ ଆପଣାର କରି ପାରିବୁ ଆମେ ନିତ୍ୟ ନୂତନ ପ୍ରତିବନ୍ଧକକୁ ଅତିକ୍ରମ କରି ଅଗ୍ରସର ହୋଇ ପାରିବୁ । ଏହି ନ୍ୟାୟପର ଓ ଚିରନ୍ତନ ବିଧାନକୁ ଠିକ୍ ଭାବରେ ଜାଣିବା ହିଁ ହେଉଛି ବିଜ୍ଞାନ । ଏହି ବୈଜ୍ଞାନିକ ଶକ୍ତିରେ ବିଶ୍ୱାସୀ ଓ ବଳିୟାନ୍ ହୋଇ ଇଉରୋପ ଆଦି ମେଲେରିଆ ଓ ଅନ୍ୟାନ୍ୟ ରୋଗଗୁଡ଼ିକ ଧ୍ୱଂସ କରିବାକୁ ଏବଂ ଦାରିଦ୍ର୍ୟ ଓ ଅଜ୍ଞାତ ମାନବ କୁଟୀରରୁ ନିର୍ବାସିତ କରିବାକୁ ବଦ୍ଧପରିକର ।
ପ୍ରତ୍ୟେକ ଶିଶୁ ଦେହମନରେ ସୁସ୍ଥ ଓ ସବଳ ହୋଇ କିପରି ବିକାଶଲାଭ କରିବ ଏବଂ ରାଜନୀତିକ କ୍ଷେତ୍ରରେ ବ୍ୟକ୍ତିଗତ ସ୍ୱାଧୀନତା ଓ ସାମୁହିକ କଲ୍ୟାଣ ମଧ୍ୟରେ କିପରି ପୂର୍ଣ୍ଣ ସମନ୍ୱୟ ପ୍ରତିଷ୍ଠିତ ହେବ ସେଥିପାଇଁ ଇଉରୋପ ଆଜି ଯତ୍ନଶୀଳ । ଆଧ୍ୟାତ୍ମିକ ଭାବରେ ଭାରତବର୍ଷ ଦିନେ କହିଥିଲା ଯେ, ଅଜ୍ଞାତ ହେଉଛି ବନ୍ଧନ ଓ ଜ୍ଞାନ ହେଉଛି ମୁକ୍ତି କରିଥାଉଁ । ତାହାହେଲେ ଅସତ୍ୟ କ'ଣ ? ନିଜକୁ ସମ୍ପୂର୍ଣ୍ଣରୂପେ ବିଛିନ୍ନ କରି ଦେଖିବା ହିଁ ଅସତ୍ୟ । ସମଗ୍ର ବିଶ୍ୱ ସହିତ ଏକୀଭୂତ କରିବା ହିଁ ସତ୍ୟ ଜ୍ଞାନ । ମଣିଷର ମନ ନିକଟରେ ଏପରି ଏକ ମହାନ ସତ୍ୟ ପ୍ରାଚୀନ ଭାରତୀୟଗଣ କିପରି ଆଶ୍ଚର୍ଯ୍ୟଜନକ ଭାବରେ ପହଞ୍ଚାଇ ପାରିଥିଲେ ତାହା ଆଜି ଆମେ କଳ୍ପନା କରିବାକୁ ଅସମର୍ଥ ।
ଆଧ୍ୟାତ୍ମିକ ଜଗତରେ ପ୍ରାଚୀନ ଭାରତ ଦିନେ ଯେଉଁ ମୁକ୍ତି ସନ୍ଧାନ କରିଥିଲା, ଆଜି ଆଧୁନିକ ଇଉରୋପ ମଧ୍ୟ ବସ୍ତୁ ଜଗତରେ ସେହିପରି ମୁକ୍ତି ସନ୍ଧାନ କରିବାକୁ ତତ୍ପର; ଏବଂ ଏହି ଉଭୟ ମଧ୍ୟରେ ମୌଳିକ ସମୟ ବିଦ୍ୟମାନ । ବସ୍ତୁ-ଜଗତରେ ମଧ୍ୟ ଅଜ୍ଞତା ହେଉଛି ବନ୍ଧନର କାରଣ ଏବଂ ଜ୍ଞାନ ହେଉଛି ମୁକ୍ତିର ପନ୍ଥା । ବୈଜ୍ଞାନିକ ସତ୍ୟ ଆଜି ମନୁଷ୍ୟ ମନକୁ ବିଛିନ୍ନତାରୁ ସର୍ବଜନୀନତା ଆଡ଼କୁ ପରିଚାଳିତ କରୁଛି ଏବଂ ବ୍ୟକ୍ତିଗତ ଶକ୍ତି ଓ ବିଶ୍ୱଶକ୍ତି ମଧ୍ୟରେ ଯୋଗସୂତ୍ର ସ୍ଥାପନ କରୁଛି ।
ଋଷିମାନଙ୍କର ସଂସାର ତ୍ୟାଗପୂର୍ବକ ଆଧ୍ୟାତ୍ମିକ ସାଧନାର ଯୁଗ ଭାରତବର୍ଷରୁ କାଳକ୍ରମେ ଅନ୍ତର୍ହିତ ହୋଇଗଲା ଏବଂ ତା’ ପରେ ଆସିଲା ବୌଦ୍ଧଯୁଗ । ଭାରତବର୍ଷ ଯେଉଁ ମହାନ୍ ସତ୍ୟ ଲାଭ କରିଥିଲା, ତାହାକୁ ଜୀବନଠାରୁ ସେ ସର୍ବଦା ବିଛିନ୍ନ କରି ରଖିଥିଲା ଏବଂ ସଂସାର ତ୍ୟାଗକୁ ହିଁ ମୁକ୍ତିଲାଭର ଅପରିହାର୍ଯ୍ୟ ପନ୍ଥା ବୋଲି ଘୋଷଣା କରିଥିଲା । ଫଳରେ ଜ୍ଞାନ ଓ ଅଜ୍ଞାତ ମଧ୍ୟରେ ପରସ୍ପର ସମ୍ମତିକ୍ରମେ ଏକ ବିଭାଗୀକରଣ ଆମ ଦେଶରେ ଦେଖାଦେଲା । ଆଇନ ଦ୍ୱାରା ଗୋଟିଏ ପ୍ରାଚୀର ସାହାଯ୍ୟରେ ପୃଥକ୍ ହୋଇଥିବା ସମ୍ପତ୍ତି ପାଖାପାଖି ହୋଇ ରହିବାଭଳି ସେହି କାଳରୁ ହିଁ ସେମାନେ ସ୍ୱତନ୍ତ୍ରଭାବେ ତେଣୁ ରହି ଆସିଛନ୍ତି । ସଂକୀର୍ଣ୍ଣତା, ଅସଭ୍ୟତା ଓ ନିର୍ବୋଧତାରେ ପୃଥିବୀ ନିମଜ୍ଜିତ ହୋଇଯାଉ ପଛକେ ଏହି ମହାନ୍ ସତ୍ୟ ସାଧକଗଣ ତାହା ବିରୁଦ୍ଧରେ ପ୍ରତିବାଦ କରୁ ନ ଥିଲେ; ବରଂ ସେମାନେ ତାହା ସମର୍ଥନ କରୁଥିଲେ-। ଜ୍ଞାନ ସାଧକ କୌଣସି ବୃକ୍ଷ ମୂଳରେ ବସି କହୁଥିଲା–"ନିଜ ମଧ୍ୟରେ ସେ ସମସ୍ତଙ୍କୁ ଓ ସମସ୍ତ ମଧ୍ୟରେ ସେ ନିଜକୁ ଅନୁଭବ କରିଛି, ସେହି କେବଳ ସତ୍ୟ-ଦର୍ଶନ ଲାଭ କରିଛି । ‘‘ଏହା ଦ୍ୱାରା ସଂସାରୀ-ବ୍ୟକ୍ତି ସହସା ଭକ୍ତିରେ ତରଳି ଯାଉଥିଲା ଏବଂ ସାଧକକୁ ଦାନପତ୍ର ଲେଖିଦେଉଥିଲା । ସଂସାରୀଲୋକ ନିଜ ଘରେ ବସି କହୁଥିଲା–‘‘ଯେଉଁ ବ୍ୟକ୍ତି ଅନ୍ୟମାନଙ୍କୁ ଯେତେଦୂର ସମ୍ଭବ ନିଜଠୁ ଦୂରରେ ନ ରଖେ ସେଇ ନିର୍ବୋଧ ନିଜର ବିପଦ ହିଁ ବରଣ କରିଥାଏ । ‘‘ଜ୍ଞାନୀ ବ୍ୟକ୍ତି ତାକୁ ଆଶୀର୍ବାଦ କରିବା ସଙ୍ଗେ ତାର ଦୀର୍ଘ ଜୀବନ କାମନା କରୁଥିଲା, ଏହି କାରଣରୁ ହିଁ ଆମର ବୈରାଗ୍ୟ ଓ ନିଷ୍କ୍ରିୟତା ବିନା ପ୍ରତିରୋଧରେ ବରାବର ବୃଦ୍ଧିଲାଭ କରିଛି ଏବଂ ବହୁଶତାବ୍ଦୀଧରି କର୍ମ-ରାଜ୍ୟରେ ଆମେ ଅପମାନିତ ଓ ପରାଜିତ ହୋଇଅଛୁ ।
କିନ୍ତୁ ୟୁରୋପର ପରିସ୍ଥିତି ଥିଲା ସମ୍ପୂର୍ଣ୍ଣ ବିପରୀତ । ଆଦର୍ଶ ଓ ଆଚରଣ ଉଭୟ କ୍ଷେତ୍ରରେ ସତ୍ୟର ଅନୁସରଣ ସେମାନେ କରୁଥିଲେ । ସେମାନଙ୍କର ରାଜନୀତିକ ବା ସାମାଜିକ ଅନୁଷ୍ଠାନଗୁଡ଼ିକରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହେଉଥିଲା, ସତ୍ୟର ଆଲୋକରେ ତାର ଆଲୋଚନା ଓ ସଂଶୋଧନ ପାଇଁ ସେମାନେ ଏକତ୍ରିତ ହେଉଥିଲେ । ସତ୍ୟ ବଳରେ ଯେଉଁ ଶକ୍ତି ଓ ସ୍ୱାଧୀନତା ସେମାନେ ଲାଭ କରୁଥିଲେ, ଏହିପରି ଭାବରେ ସମସ୍ତେ ସେଥିରେ ଅଂଶୀଦାର ହୋଇ ପାରୁଥିଲେ ଏବଂ ସମସ୍ତଙ୍କୁ ଏହା ଆଶା ଓ ସାହାସିକତା ପ୍ରଦାନ କରୁଥିଲା । ଧାର୍ମିକ ଅନୁଷ୍ଠାନ ପଦ୍ଧତି ଓ ମନ୍ତ୍ରର କୁହେଳି ମଧ୍ୟରେ ଅସ୍ପଷ୍ଟ ନ ହୋଇ ସ୍ପଷ୍ଟ ଦିବାଲୋକରେ ସତ୍ୟ ବିକଶିତ ହେବା ସଙ୍ଗେ ଅନ୍ୟମାନଙ୍କର ବିକାଶ ପାଇଁ ମଧ୍ୟ ସହାୟକ ହେଉଥିଲା ।
ଯେଉଁ ଅପମାନ ଆମେ କର୍ମ ଜଗତରେ ବହୁବର୍ଷ ଧରି ସହିଆସୁଥିଲେ, ତାହାହିଁ ରାଜନୀତିକ ପରାଧିନତା ରୂପରେ ଆମ ନିକଟରେ ମୂର୍ତ୍ତିମନ୍ତ ହୋଇଥିଲା । ଶରୀରର କ୍ଷତ ସ୍ଥାନକୁ ଯେପରି ଆମର ହାତ ଆପେ ଆପେ ଚାଲି ଯାଇଥାଏ, ଠିକ୍ ସେହିପରି ଆମର ଶାସକ ହୋଇଥିବା ୟୁରୋପୀୟମାନଙ୍କ ଦ୍ୱାରା ସ୍ଥାପିତ ରାଜନୀତିକ ପ୍ରତିଷ୍ଠାନ ଆଡ଼କୁ ଆମର ମନ ଆଜି ସ୍ୱତଃ ଆକର୍ଷିତ । ଭାରତୀୟ ଶାସନ ବ୍ୟବସ୍ଥାରେ ଆମେ ନିଜର ବକ୍ତବ୍ୟ ପ୍ରକାଶ କରିବାର ସୁଯୋଗ କିପରି ଲାଭ କରିବୁଁ; କେବଳ ଏହାରି ଉପରେ ହିଁ ଅନ୍ୟ ସମସ୍ତ ବିଷୟ ଭୁଲିଯାଇ ଆମର ଧ୍ୟାଦ ଆଜି ସମ୍ପୂର୍ଣ୍ଣଭାବେ ନିବଦ୍ଧ । ଉପରୁ ନ୍ୟସ୍ତ କରାଯାଉଥିବା ସ୍ୱେଚ୍ଛାଚାରୀ ଆଦେଶ ମେ ପାଳନ କରିବାକୁ ବର୍ତ୍ତମାନ ଅସ୍ୱୀକାର କରୁଛୁଁ । ପ୍ରଭୁତ୍ୱକୁ ଯେତେବେଳେ କାନ୍ଧରେ ବୋହିବା ପାଇଁ ଜଣକୁ ପଡ଼ିଥାଏ, ସେତେବେଳେ ତାହା ଗୋଟାଏ ବୋଝରେ ପରିଣତ ହୁଏ । ତେଣୁ ତାକୁ ଗୋଟିଏ ଠେଲାଗାଡ଼ି ଉପରେ ଥୋଇ ଦେବାକୁ ଆମେ ଚହୁଁଛୁଁ, କାରଣ ହାତରେ ତାକୁ ଆମେ ଠେଲି ନେଇ ପାରିବୁ ।
ନିଜର ସମ୍ପୂର୍ଣ୍ଣ ସ୍ୱାର୍ଥ ପାଇଁ କୌଣସି ବିଦେଶୀ ଶକ୍ତି ଯେ ମନୁଷ୍ୟକୁ ଆଉ ଏଣିକି ଶାସନ କରି ନ ପାରେ ଏ ଚିତ୍କାର ସମଗ୍ର ପୃଥିବୀରେ ଆଜି ପ୍ରତିଧ୍ୱନିତ, ସେଇ ସାଧାରଣ ଚିତ୍କାର ସହିତ ଆମର ସ୍ୱର ମିଳାଇବାରେ ଆମେ ଯୁଗର ଚିନ୍ତାଧାରା ପ୍ରତି କେବଳ ସମ୍ମାନ ପ୍ରଦର୍ଶନ କରିଛୁ । ଏହା କରିବାକୁ ଆମେ ଯଦି ବିଫଳ ହୋଇ ରାଜନୀତିକ ପରାଧିନତା ଚିରକାଳ ପାଇଁ ସ୍ୱୀକାର କରି ନିଅନ୍ତୁ ତା'ହେଲେ ଆମେ କେବଳ ନିଜକୁ ହିଁ ଅତି ଚରମଭାବରେ ଲାଞ୍ଛିତ କରିଥାନ୍ତୁ । ଗୋଟିଏ କ୍ଷୁଦ୍ର ଛିଦ୍ର ପଥଦେଇ ଆସିଥିଲେ ମଧ୍ୟ ଆମ ନିକଟରେ ସତ୍ୟ ଯେ ଶେଷରେ ଆସି ପହଞ୍ଚିଛି, ତାହା ଏକ ଶୁଭ ଲକ୍ଷଣ । ତେଣୁ ସାହସର ସହିତ କହୁଛି ଯେ ଆମର ନବ ଜାଗ୍ରତ ଜାତୀୟ ଆତ୍ମସମ୍ମାନ ଆମକୁ ଅଗ୍ରଗତିର ପ୍ରେରଣା ଯେତେବେଳେ ଦେଉଛି ମୁଁ ତାକୁ ପ୍ରଶଂସା କରୁଛି ଏବଂ ତାହା ଯେତେବେଳେ ବଳି ଉଦ୍ଦେଶ୍ୟରେ ଖୁଣ୍ଟାରେ ବନ୍ଧା ହୋଇଥିବା ଗୋଟିଏ ଛେଳି ପରି ଆମକୁ ଅତୀତ ସହିତ ଚିରକାଳ ବାନ୍ଧି ରଖିବାକୁ ଚେଷ୍ଟା କରୁଛି, ସେତେବେଳେ ମୁଁ ତାକୁ ଘୃଣା କରୁଛି । ଜାତୀୟ ଆତ୍ମସମ୍ମାନ ଆମକୁ ଆଜି ବିଶ୍ୱମୁଖୀନ କରାଇବା ସଙ୍ଗେ ରାଜନୀତିକ କ୍ଷମତା ଦାବୀ କରିବା ସକାଶେ ପ୍ରେରଣା ଦେଇଛି । କିନ୍ତୁ ଅନ୍ୟ ଦିଗରେ ନିଜର ଦେଶ ପ୍ରତି ଏହା ଆମକୁ ବିମୁଖ କରାଇବା ସଙ୍ଗେ ଧାର୍ମିକ, ସାମାଜିକ ଓ ଏପରିକି ବ୍ୟକ୍ତିଗତ ଆଦି ସମସ୍ତ ବିଷୟରେ ମଧ୍ୟ କର୍ତ୍ତାଙ୍କ ଇଚ୍ଛା ବିରୁଦ୍ଧରେ ଏକ ପାଦ ଯେପରି ଅଗ୍ରସର ନ ହେଉ, ତାହା ଦାବୀ କରିବାକୁ ପ୍ରବର୍ତ୍ତନା ଦେଇଛି-। ଏହାକୁ ହିଁ ହିନ୍ଦୁଧର୍ମର ନବ ସଂସ୍କାର ବୋଲି ମୁଁ କହୁଛି ।
ଏହି ଜାତୀୟ ଆତ୍ମସମ୍ମାନବୋଧ ଆମକୁ ଗୋଟିଏ ଚକ୍ଷୁ ଜାଗ୍ରତ ଓ ଅନ୍ୟ ଚକ୍ଷୁଟିକୁ ନିଦ୍ରିତ କରି ରଖିବାର ଅସମ୍ଭବ କାର୍ଯ୍ୟ ସାଧନ କରିବାକୁ ଆଦେଶ ଦେଉଛି । ଯେତେବେଳେ ଉପରର ଦଣ୍ଡବିଧାନ ନାମରେ ଆମ ପିଠି ବକ୍ରାଘାତ ଲାଭ କଲା, ଆମର ଜାତୀୟ ଆତ୍ମସମ୍ମାନ ବୋଧ ସହସା ଜାଗ୍ରତ ହୋଇ ଉଠିଲା ଏବଂ ଆମେ ସଙ୍ଗେ ସଙ୍ଗେ ଦାବୀ କଲୁ ଯେ, ବେତବଣ ପୋଡ଼ିଦେବା ଆବଶ୍ୟକ; କିନ୍ତୁ ଆମେ ଭୁଲିଗଲୁ ଯେ, ବେତବଣ ସହିତ ବାଉଁଶ ବଣ ମଧ୍ୟ ଅଛି, ବେତ ବା ବାଉଁଶ ଏଥିପାଇଁ ନିନ୍ଦିତ ହେବା ଉଚିତ ନୁହେ, କେବଳ ଆମେ ହିଁ ସେଥିପାଇଁ ନିନ୍ଦନୀୟ-। ପୁନଶ୍ଚ ସତ୍ୟ ଅପେକ୍ଷା ପ୍ରଭୁଙ୍କର ଇଛାକୁ ଆମେ ଯେପରି ସମ୍ମାନ ଦେଇଥାଉଁ ଓ ଆମ ନିଜର ଚକ୍ଷୁ ଅପେକ୍ଷା ତାର ଆବରଣକୁ ବିଶ୍ୱାସ କରିବାର ମଜ୍ଜାଗତ ଅଭ୍ୟାସ ଯେପରି ସୃଷ୍ଟି କଋଥାଉଁ ତାହାହିଁ ନିନ୍ଦନୀୟ । ଯେତେକାଳ ପର୍ଯ୍ୟନ୍ତ ଆମେ ଏହିଭଳି ଅବସ୍ଥାରେ ରହିବୁ; ସେ ପର୍ଯ୍ୟନ୍ତ ପୃଥିବୀର ଯେ କୌଣସି ସ୍ଥାନରେ ହେଲେ ବି ଆମ ପାଇଁ ବେତ ଥୁଆହୋଇ ରହିଛି ।
ସମୟ ଥିଲା, ଯେତେବେଳେ ଇଉରୋପରେ ମଧ୍ୟ ସବୁ କ୍ଷେତ୍ରରେ ଗୀର୍ଜା ତାର ଆଧିପତ୍ୟ ବିସ୍ତାର କରିଥିଲା । ୟୁରୋପୀୟ ଜାତିଗୁଡ଼ିକ ଯେତେବେଳେ ତାଙ୍କ ଶୃଙ୍ଖଳ ଭାଙ୍ଗିଦେବାକୁ ସମର୍ଥ ହୋଇଥିଲେ, କେବଳ ସେତେବେଳେ ହିଁ ସ୍ୱାୟତ୍ତଶାସନ ହାସଲ କରିବାକୁ ସେମାନେ ଉଦ୍ୟମ କରିଥିଲେ । ଇଂଲଣ୍ଡ ଗୋଟିଏ ଦ୍ୱୀପ ହୋଇଥିବାରୁ ଏବଂ ରୋମ୍ ଗୀର୍ଜାର ପ୍ରଧାନ ପୀଠ ହୋଇଥିବାରୁ ଇଂରେଜ ଜାତି ଗୋଟିଏ ବିଶେଷ ସୁଯୋଗ ଲାଭ କରିଥିଲା ଏବଂ ତାହାରି ଫଳରେ ରୋମର ପ୍ରଭୁତ୍ୱକୁ ଅସ୍ୱୀକାର କରିବା ତା' ପକ୍ଷରେ ସହଜ ହୋଇଥିଲା । ମୁଁ କହୁ ନାହିଁ ଯେ, ଇଂଲଣ୍ଡରେ ଗୀର୍ଜାର କୌଣସି କ୍ଷମତା ନାହିଁ; କିନ୍ତୁ ଜଣେ ସମ୍ଭ୍ରାନ୍ତ ମହିଳା, ବିଧବା ହେବା ଫଳରେ ପରିବାରରେ ଯେପରି ତାର ପୁରୁଣା କର୍ତ୍ତୃତ୍ୱ ହରାଇ ବସେ, ଠିକ୍ ସେହିଭଳି ଏହାର ଅବସ୍ଥା ଆଜି କରୁଣ । ଦିନ ଥିଲା, ଯେତେବେଳେ ସେ ଘରେ ଅନ୍ୟମାନଙ୍କ ଉପରେ ହାକିମ ଜାରି କରି ଧମକ ଦେଉଥିଲା, କିନ୍ତୁ ଅଳ୍ପ ପରିମାଣରେ ମାସିକ ଭତ୍ତା ପାଇ ସେ ଆଜି ଗୋଟାଏ କୋଠରୀ ଭିତରେ ବଞ୍ଚି ରହିଛି । ନୂଆ ଟୋକାଦଳ ତାଙ୍କୁ ପ୍ରାଚୀନ ପ୍ରଥାନୁଯାୟୀ କେବଳ ସମ୍ମାନ ଦିଅନ୍ତି ସିନା, କିନ୍ତୁ ମାନନ୍ତି ନାହିଁ । ତାଙ୍କର ଯଦି ଆଗର କ୍ଷମତା ଓ ପ୍ରଭୁତ୍ୱ ରହିଥାଆନ୍ତା, ତାହାହେଲେ ସେ ଏମାନଙ୍କୁ ଚୁପ୍ କରିଦେଇ ପାରନ୍ତା ।
ଏହି ବୃଦ୍ଧ ମହିଳାଙ୍କର ଜୁଆଳି ଇଂଲଣ୍ଡ ବହୁଦିନରୁ ଫିଙ୍ଗିଦେଇ ସାରିଛି କିନ୍ତୁ ସ୍ପେନ୍ ତାହା ସମ୍ପୂର୍ଣ୍ଣ ଭାବରେ ଫିଙ୍ଗି ଦେବାକୁ ବର୍ତ୍ତମାନ ସୁଦ୍ଧା ଅସମର୍ଥ । ସମୟ ଥିଲା ଯେତେବେଳେ ସ୍ପେନ୍ର, ନୌଜାହାଜ ବିଭିନ୍ନ ସମୁଦ୍ରରେ ଗତି କରୁଥିଲା ଏବଂ ବହୁ ବିଦେଶୀ ଉପକୂଳରେ ନିଜର ଜାତୀୟ ପତାକା ଉଡ଼ାଇଥିଲା । କିନ୍ତୁ ତାର ସେହି ନୌବାଣିଜ୍ୟର ଆଜି ପାଟଣା ଘଟିଛି । ତାହାର କାରଣ ହେଉଛି ଯେ, ସେହି ବୃଦ୍ଧ ମହିଳା ଏ ପର୍ଯ୍ୟନ୍ତ ସେଠାରେ ସମ୍ମାନର ଶୀର୍ଷାସନରେ ଅଧିରୁଢ଼ା । ଆକାଶରେ ଉଡ଼ିବାର ଉଦ୍ୟମ ସ୍ପେନ୍ କରିଥିଲା ସତ କିନ୍ତୁ ସେହି ବୃଦ୍ଧ ମହିଳା ତାର କାନ୍ଧ ଉପରେ ଚଢ଼ି ବସିଥିବାରୁ ସହସା ସେ ଶ୍ୱାସରୁଦ୍ଧ ହୋଇଯାଇଥିଲା । ସ୍ପେନର ରଣପୋତସମୂହ ଯେତେବେଳେ ଇଂଲଣ୍ଡ ନିକଟରେ ପରାଜୟ ସ୍ୱୀକାର କରିଥିଲା ସେତେବେଳେ ମଧ୍ୟ ସ୍ପେନ ଏହିଭଳି ଶ୍ୱାସରୁଦ୍ଧ ଅବସ୍ଥାରେ ଥିଲା । ଧର୍ମବିଶ୍ୱାସ ଭଳି ନୌଯୁଦ୍ଧ ବିଦ୍ୟାରେ ମଧ୍ୟ ସ୍ପେନ ସେତେବେଳେ ପରମ୍ପରା ଦ୍ୱାରା ଶୃଙ୍ଖଳାବଦ୍ଧ ହୋଇଥିବାର ଦେଖାଯାଇଥିଲା । ଇଂରେଜ ଜାହାଜ ପାଣି ଓ ପବନର ଗତିଭଳି ସେତେବେଳେ ସ୍ୱଚ୍ଛନ୍ଦରେ ବିହାର କରୁଥିଲା କିନ୍ତୁ ସ୍ପେନ୍ର ଜାହାଜ ରକ୍ଷଣଶୀଳତାର ବନ୍ଧନରେ ଗୁପ୍ତ ଭାବରେ ଆବଦ୍ଧ ହୋଇ ରହିଥିଲା । ଯେ କୌଣସି ଲୋକର ଆବଶ୍ୟକୀୟ ଯୋଗ୍ୟତା ଥିଲେ ଜାତି ନିର୍ବିଶେଷରେ ସେ ଇଂରେଜ ଜାତିର ଯୁଦ୍ଧ ଜାହାଜର ସୈନାଧକ୍ଷ ହୋଇପାରୁଥିଲା, କିନ୍ତୁ ସ୍ପେନ୍ରେ ଏହି ସୁଯୋଗ କେବଳ ଉଚ୍ଚ ସମ୍ଭ୍ରାନ୍ତ ବ୍ୟକ୍ତିହିଁ ଲାଭ କରୁଥିଲେ ।
ଆଦି ଇଉରୋପର ସବୁ ଦେଶରେ ବଡ଼ ହୁଅନ୍ତୁ ବା ସାନ ହୁଅନ୍ତୁ ପ୍ରତ୍ୟେକ ସାଧାରଣ ଲୋକ ନିଜର ମୁଣ୍ଡ ଟେକିବାର ସାମର୍ଥ୍ୟ ଅର୍ଜନ କରିଛନ୍ତି ଏବଂ ଗୀର୍ଜାର ଅନ୍ଧଶକ୍ତି ଦୁର୍ବଳ ହୋଇଯିବା ଫଳରେ ମଣିଷ ନିଜକୁ ସମ୍ମାନ କରିବାକୁ ଶିକ୍ଷାଲାଭ କରିଛି । ଜାର୍ ଶାସିତ ରୁଷିଆ ଭଳି ଯେଉଁ ଦେଶଗୁଡ଼ିକ ମାନବିକତା ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଅସମର୍ଥ ହୋଇଛନ୍ତି, ସେମାନେ ମାଲିକହୀନ ଓ ଗୁଳ୍ମକଣ୍ଟକାଚ୍ଛନ୍ନ ପତିତ ଜମିଭଳି ଅଧଃପତନ ହୋଇ ରହିଛନ୍ତି । ଏହିଭଳି ଦେଶଗୁଡ଼ିକରେ ମନୁଷ୍ୟ ଅତୀତର ଧର୍ମଗ୍ରନ୍ଥ, ବର୍ତ୍ତମାନ ଶାସକଙ୍କର ପିଆଦା ଏବଂ ସ୍ୱେଚ୍ଛାଚାରୀ କ୍ଷମତାର ଯେ କୌଣସି ଯନ୍ତ୍ର ଦ୍ୱାରା ଅପମାନିତ, ଅତ୍ୟାଚାରିତ ଓ ଲୁଣ୍ଠିତ ହୋଇଛନ୍ତି-।
ଅଗ୍ନି ଓ ଭସ୍ମର ପାର୍ଥକ୍ୟଭଳି ଧର୍ମର ବହିଃରୂପ ଓ ଅନ୍ତଃରୂପର ପାର୍ଥକ୍ୟ ଆମେ ସ୍ମରଣ ରଖିବା ଉଚିତ । ଯଦି ଧର୍ମର ବହିଃରୂପ ଅନ୍ତଃରୂପ ଅପେକ୍ଷା ପ୍ରାଧାନ୍ୟ ଅର୍ଜନ କରେ, ତା'ହେଲେ ନଦୀର ଜଳ ଅପେକ୍ଷା ତାର ଶର୍ଯ୍ୟାର ବାଲୁକାରାଶି ପ୍ରାଧାନ୍ୟ ଅର୍ଜନ କରିଥାଏ ଏବଂ ସ୍ରୋତର ଗତି ଅବରୁଦ୍ଧ ହେବ ସଙ୍ଗେ ପରିଣତିରେ ମରୁଭୂମିହିଁ ସୃଷ୍ଟି ହୋଇଥାଏ ।
ଧର୍ମର ଅନ୍ତଃରୂପ ଆମକୁ କହେ ଯେ, ମନୁଷ୍ୟ ପ୍ରତି ଅସମ୍ମାନ ପ୍ରଦର୍ଶନ ଦ୍ୱାରା, ଅପମାନକାରୀ ଓ ଅପମାନିତ ବ୍ୟକ୍ତି ଉଭୟଙ୍କର କୌଣସି କଲ୍ୟାଣ ସାଧିତ ହୋଇ ନ ଥାଏ । କିନ୍ତୁ ଧର୍ମର ବହିଃରୂପ କହେ ଯେ, ଶାସ୍ତ୍ରବିଧାନ ନିଃସନ୍ଦେହ ଭାବେ ପାଳନ କରି ମନୁଷ୍ୟକୁ ନିର୍ମମ ଭାବେ ଘୃଣା କଲେ ମଧ୍ୟ ତାହା ସ୍ୱଧର୍ମ ବୋଲି ଅଭିହିତ ହୁଏ । ଆମର ସହବାସୀ ପ୍ରାଣୀମାନଙ୍କୁ ଅହେତୁକ ଯନ୍ତ୍ରଣା ପ୍ରଦାନ କରି ନିଜ ଆତ୍ମାକୁ ନଷ୍ଟ ନ କରିବାକୁ ଧର୍ମଭାବ ଆମକୁ ଶିକ୍ଷା ଦେଉଛି । କିନ୍ତୁ ଧର୍ମାଚାର ପଦ୍ଧତି ବାପା ମାଙ୍କୁ ସତର୍କ କରିଦିଏ ଯେ, ମାସର କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ଦିନରେ ତାଙ୍କର ବିଧବା କନ୍ୟାକୁ ଦୁଃଖ, ଯନ୍ତ୍ରଣାର ଉପଶମ ପାଇଁ ମଧ୍ୟ ଖାଦ୍ୟ ପାନୀୟ ଦେବା ହେଉଛି, ପାପ । ପାପଚିନ୍ତା ଓ ପାପକର୍ମର ପ୍ରାୟଶ୍ଚିତ୍ତ ପାଇଁ ଅନୁତାପ ଓ ପୁଣ୍ୟକର୍ମ କରିବା ପାଇଁ ଧର୍ମଭାବ ଆମକୁ ଉପଦେଶ ଦେଉଛି, କିନ୍ତୁ ଧର୍ମର ବାହ୍ୟାଚାର ସୂଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ସମୟରେ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ନଦୀରେ ସ୍ନାନ କରିବାକୁ ଆମକୁ ବିଧାନ ଦେଉଛି । ସାଗର ପର୍ବତ ଅତିକ୍ରମ କରି ବିଶ୍ୱ ଦର୍ଶନ ଦ୍ୱାରା, ଆମର ମାନସିକ ଉନ୍ନତି ସାଧନ କରିବାକୁ ଧର୍ମଭାବ ଯେତେବେଳେ ଉପଦେଶ ଦେଉଛି, ସେତେବେଳେ ଧର୍ମର ବାହ୍ୟରୂପ ସମୁଦ୍ର ଯାତ୍ରା ନ କରିବାକୁ ପ୍ରାୟଶ୍ଚିତ୍ତ ବିଧାୟକ ନିଷେଧାଜ୍ଞା ପ୍ରଦାନ କରୁଛି । ଜାତି ନିର୍ବିଶେଷରେ ସମସ୍ତ ସଜ୍ଜନଙ୍କୁ ସମ୍ମାନ କରିବା ପାଇଁ ଧର୍ମଭାବ ଯେତେବେଳେ ନିର୍ଦ୍ଦେଶ ଦେଉଛି, ସେତେବେଳେ ଯେତେ ଅଯୋଗ୍ୟ ହେଲେ ମଧ୍ୟ ବ୍ରାହ୍ମଣକୁ ସମ୍ମାନ କରିବାକୁ ଧର୍ମର ବହିଃପଦ୍ଧତି ଆଦେଶ ପ୍ରଦାନ କରୁଛି । ମୋଟାମୋଟି ଧର୍ମଭାବ ଆମକୁ ମୁକ୍ତି ଆଡ଼କୁ ଓ ଧର୍ମାନୁଷ୍ଠାନ ପଦ୍ଧତି ଆମକୁ ଦାସତ୍ୱ ଆଡ଼କୁ ପରିଚାଳିତ କରୁଛି ।
ଧର୍ମ ନିଷ୍ଠାରେ ଗୋଟିଏ ଧରଣର ସୌନ୍ଦର୍ଯ୍ୟ ରହିଛି ଏବଂ ବିଦେଶୀ ପର୍ଯ୍ୟଟକମାନେ ସେ ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି; କିନ୍ତୁ ଗୋଟିଏ ପ୍ରାଚୀନ ଓ ଜରାଜୀର୍ଣ୍ଣ ସୌଧକୁ ଜଣେ ଚିତ୍ରକର ଅବଲୋକନ କରି ତାର ରୂପରମ୍ୟତାରେ ଯେପରି ମୁଗ୍ଧ ହୋଇଥାଏ କିନ୍ତୁ ତାହାର ବାସୋପଯୋଗିତା ସମ୍ପର୍କରେ ବିବେଚନା କରି ନ ଥାଏ, ଠିକ୍ ସେହିପରି ବିଦେଶୀ ପର୍ଯ୍ୟଟକଗଣ ଏହି ଧର୍ମନିଷ୍ଠାର ଅନ୍ତଃରୂପ ପରିବର୍ତ୍ତେ କେବଳ ବହିଃରୂପକୁ ପରିଦର୍ଶନ କରିଛନ୍ତି । ସ୍ନାନଯାତ୍ରା ଉତ୍ସବଦିନ କଲିକତା ଫେରିବା ବାଟରେ ମୁଁ ବହୁତୀର୍ଥଯାତ୍ରୀ ଦେଖିଚି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସ୍ତ୍ରୀଲୋକ । ସେମାନେ ଗଙ୍ଗାସ୍ନାନ କରିବାକୁ ଆସି ଷ୍ଟିମର୍ ଓ ରେଳଷ୍ଟେସନମାନଙ୍କରେ ଅକଥନୀୟ ନିଗ୍ରହ ଓ ଯନ୍ତ୍ରଣା ସହ୍ୟ କରୁଥାନ୍ତି । ବାହାର ଦୃଷ୍ଟିରେ ସେମାନଙ୍କର ଏହି ଆକୁଳ ସହିଷ୍ଣୁତାରେ ଗୋଟିଏ ପ୍ରକାରର ସୌନ୍ଦର୍ଯ୍ୟ ରହିଛି–କିନ୍ତୁ ଆମର ଅନ୍ତର୍ଯ୍ୟାମୀ ପରମେଶ୍ୱର ଏହାକୁ ଅନୁମୋଦନ କରନ୍ତି ନାହିଁ କିମ୍ବା ଏହି ଧରଣର ଅନ୍ଧଉକ୍ତିକୁ ପୁରସ୍କୃତ ମଧ୍ୟ କରନ୍ତି ନାହିଁ । ନିଜର ସନ୍ତାନ ସନ୍ତତିକୁ ନାନାପ୍ରକାର ବ୍ରତ, ପ୍ରାୟଶ୍ଚିତ୍ତାଦିର ବେଢ଼ା ଭିତରେ ରଖି ପାଳନ କରିବା ଦ୍ୱାରା ଏହି ସ୍ତ୍ରୀଲୋକମାନେ ପୃଥିବୀର ପ୍ରତ୍ୟେକ ବସ୍ତୁ ନିକଟରେ ମୁଣ୍ଡ ନୁଆଁଇଛନ୍ତି ଏବଂ ଅପାର୍ଥିବ ଜଗତର ପ୍ରତ୍ୟେକ ଅବାସ୍ତବ ଛାୟା ନିକଟରେ ଏମାନେ ମୁଣ୍ଡ ବାଡ଼େଇଛନ୍ତି । ନିଜର ସ୍ୱାଧୀନ କର୍ମରେ ବାଧାସୃଷ୍ଟି କରିବା ହିଁ ହେଉଛି ସେମାନଙ୍କର କାର୍ଯ୍ୟ ଏବଂ ନିଜର ବାସ୍ତବ ପ୍ରଗତିପଥରେ ବିରାଟ ପ୍ରତିବନ୍ଧକ ସୃଷ୍ଟି କରି ତାହାକୁ ପ୍ରଗତି ଆଖ୍ୟା ଦେଇଥାନ୍ତି । ସତ୍ୟ ସକାଶେ କଷ୍ଟସହିଷ୍ଣୁତା ଶୋଭନୀୟ କିନ୍ତୁ ଦୁର୍ବଳତା ଓ ଅନ୍ଧତା ସକାଶେ ଯନ୍ତ୍ରଣା ଭୋଗ କୁତ୍ସିତ । ବୀରତ୍ୱ ସହକାରେ ଆମର ତ୍ୟାଗ ସ୍ୱୀକାର କରିବାର ଶ୍ରେଷ୍ଠତମ ଈଶ୍ୱରଦତ୍ତ ସମ୍ପତ୍ତିର ଏହା କେବଳ ଅର୍ଥହୀନ ଅପବ୍ୟୟ ମାତ୍ର ।
ଆଜି ଆମେ ତାହାର ହିସାବ ନିକାଶ କରୁଛୁ ଏବଂ ଦେଖୁଛୁଁ ଯେ ଆମର ବ୍ୟୟ ଆୟକୁ ଅତିକ୍ରମ କରି ଯାଇଛି । ପୁଣ୍ୟ ଅର୍ଜନ କରିବା ପାଇଁ ସହସ୍ର ନରନାରୀ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ଗଙ୍ଗାରେ ସ୍ନାନ କରିବାକୁ ଆସୁଥିବାର ଦୃଶ୍ୟ ମୁଁ ସ୍ୱଚକ୍ଷୁରେ ଦେଖିଛି । ଯେତେବେଳେ ସେମାନଙ୍କ ମଧ୍ୟରୁ ଜଣେ ପୀଡ଼ିତ ବ୍ୟକ୍ତି ରାସ୍ତାକଡ଼ରେ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିଲା, ଅନ୍ୟମାନେ ତାକୁ ସ୍ପର୍ଶ କରିବାକୁ ଘୃଣା କରିଥିଲେ; କାରଣ ସେହି ଅଗନ୍ତୁକର ଜାତି କଣ, ସେମାନେ ତାହା ଜାଣି ନ ଥିଲେ । ଏହା ସ୍ପଷ୍ଟତଃ ଆମର ଆଧ୍ୟାତ୍ମିକ ନିଃସ୍ୱତାର ପରିଚାୟକ । ତୀର୍ଥଯାତ୍ରୀମାନଙ୍କର ଧର୍ମାନୁରାଗହିଁ ମୁମୂର୍ଷୁ ବ୍ୟକ୍ତିଟି ପ୍ରତି ସେମାନଙ୍କୁ ନିଷ୍କରୁଣ କରିଥିଲା ।
ଭକ୍ତି ସକାଶେ ଏକଲବ୍ୟ ନିଷ୍ଠୁର ଦ୍ରୋଣାଚାର୍ଯ୍ୟଙ୍କୁ ନିଜର ବୃଦ୍ଧାଙ୍ଗୁଳିକୁ କାଟି ଦାନ କରିଥିଲା । ଏହା ଦ୍ୱାରା ଜୀବନବ୍ୟାପୀ ପରିଶ୍ରମ କରି ସେ ଯେଉଁ ଧନୁର୍ବିଦ୍ୟା ହାସଲ କରିଥିଲା ସେହି ବିଦ୍ୟା ଶିକ୍ଷାରୁ ସେ ତା'ର ନିଜ ଲୋକଙ୍କୁ ବଞ୍ଚିତ କରିଥିଲା । ଏହି ଧରଣର ନିର୍ବୋଧ ଓ ନିଷ୍ଫଳ ଭକ୍ତି ଭଗବାନ ଶ୍ରଦ୍ଧାଚିତ୍ତରେ ଗ୍ରହଣ କରନ୍ତି ନାହିଁ; କାରଣ ଏହା ଦ୍ୱାରା ମନୁଷ୍ୟକୁ ଦେଇଥିବା ତାଙ୍କର ଦାନ ଅପମାନିତ ହୋଇଥାଏ । ଆଖି ବନ୍ଦକରି ଚାଲିବାକୁ ଯେ ଅଭ୍ୟସ୍ତ ଆଖି ଖୋଲି ଚାଲିବାକୁ ସେ ନିଶ୍ଚୟ ଅସମର୍ଥ ହେବ । ନିଜକୁ ନିଜର କର୍ତ୍ତା ମନେକଲେ ସୁଦ୍ଧା ଜଣେ ଆଜନ୍ମଦାସ ଯେ କି ତା'ର ପ୍ରଭୁ ପାଇଁ ନିଜର ଜୀବନ ଦେବାକୁ କେବଳ ଜାଣେ, ସେ କେବେ ନିଜ ଇଚ୍ଛାରେ କୌଣସି ନ୍ୟାୟ କାରଣ ପାଇଁ ନିଜର ଜୀବନୋତ୍ସର୍ଗ କରି ପାରେ ନା ।
ଆମ ଗ୍ରାମଗୁଡ଼ିକରେ ଚିରନ୍ତନ ଦୁର୍ଦ୍ଦଶାର କାରଣ ହେଉଛି ଯେ, ସମସ୍ତ ଜନହିତକର କାର୍ଯ୍ୟ କେବଳ ପୁଣ୍ୟାର୍ଜନର ପ୍ରେରଣାବଶତଃ କରାଯାଉଥିଲା । ନିଜେ ଈଶ୍ୱର ନ ହେଲେ ମଧ୍ୟ ଏହି ପୁଣ୍ୟପ୍ରାର୍ଥୀଦଳ ଏପର୍ଯ୍ୟନ୍ତ ଗ୍ରାମୋନ୍ନତିର ଦାୟିତ୍ୱ ବହନ କରିଆସିଛନ୍ତି । ଅନ୍ୟମାନେ ଶୋଷରେ ମରିଯାଆନ୍ତୁ ପଛକେ ନିଜ ହାତରେ ମୁଠାଏ ମାଟି ଖୋଳିବାକୁ ପଶ୍ଚାତ୍ପଦ ହୋଇଥାନ୍ତି-। ଗ୍ରାମର ଜନସାଧାରଣ ଆଜି ମଧ୍ୟ ଠିକ୍ ପୂର୍ବଭଳି ଅବସ୍ଥାରେ ରହିଛନ୍ତି ଏବଂ ସେହି "ବୃଦ୍ଧମହିଳା" ହାତରେ ରହିଛନ୍ତି ଏବଂ ସେହି ବୃଦ୍ଧମହିଳା ହିଁ ପ୍ରତ୍ୟେକ ନରନାରୀ ପାଇଁ ସମସ୍ତ ବିଷୟ ପୂର୍ବରୁ ନିର୍ଦ୍ଧାରଣ କରିଦେଉଛି-ସେମାନଙ୍କର ଜାତି, ଗୋତ୍ର, ସେମାନଙ୍କର ବୈଷୟିକ ଓ ଆଧ୍ୟାତ୍ମିକ ସାଧନା, ସେମାନଙ୍କର ଦୋଷଗୁଣ ଓ ଏପରିକି ସେମାନଙ୍କର ଖାଇବା, ବସିବା ମଧ୍ୟ ତାହାରି ଦ୍ୱାରା ନିୟନ୍ତ୍ରିତ ।
ଆମେ ପ୍ରକୃତରେ ସେମାନଙ୍କୁ ଦୋଷଦେଇ ପାରୁ ନା, କାରଣ ସେହି ବୁଢ଼ୀ ହିଁ ଅଫିମ ଦେଇ ତାଙ୍କର ମନକୁ ନିଦ୍ରାଚ୍ଛନ୍ନ କରିଛି । କିନ୍ତୁ ବିସ୍ମୟର କଥା ହେଉଛି ଯେ, ଆଜିର ଶିକ୍ଷିତବ୍ୟକ୍ତି ଏପରିକି ବିଶ୍ୱବିଦ୍ୟାଳୟର ତରୁଣ ଛାତ୍ରମାନେ ମଧ୍ୟ ଏହି ବୁଢ଼ୀର ମତ ପ୍ରତି ସମ୍ମାନ ପ୍ରଦର୍ଶନ କରିଥାଆନ୍ତି । ସେହି ସ୍ମରଣାତୀତ କାଳର ଧାତ୍ରୀକୋଳରେ ବସି ଭାରତବର୍ଷ ଗତି କରୁଥିବାର ଦେଖିଲେ ସେମାନେ ପରିତୃପ୍ତ ହୋଇଥାଆନ୍ତି । ଏଭଳି ଏକ ଉଚ୍ଚ ସ୍ଥାନରୁ ଭାରତବର୍ଷ ପାଦ ଭୂତଳ ସ୍ପର୍ଶ ନ କରିବା ସ୍ୱାଭାବିକ । ତଥାପି ଭାରତବର୍ଷ ସେହି ଧାତ୍ରୀକୋଳରେ ଥାଇ ନିଜ ହାତରେ ସ୍ୱାୟତ୍ତଶାସନ କ୍ଷମତା ଧାରଣା କରିଥିବାର ଦୃଶ୍ୟଠାରୁ ବଳି ସୁନ୍ଦର ଦୃଶ୍ୟ ଯେ ନାହିଁ-ଏହା କହି ସେମାନେ ଗର୍ବ ଅନୁଭବ କରିଥାନ୍ତି ।
ସେ ଯାହା ହେଉ ନା କାହିଁକି ଦୈନ୍ୟ, କ୍ଷୁଧା ଓ ମୃତ୍ୟୁର ଅନ୍ୟ ସକଳ ଚର ଆମ ଗୃହକୁ ଯେ ଆବାସସ୍ଥଳୀରେ ପରିଣତ କରିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । ସେମାନେ ଯେତେବେଳେ ଲମ୍ଫ ଦେବାକୁ ପ୍ରସ୍ତୁତ ହୁଅନ୍ତି ଏବଂ ବିଷଦନ୍ତ ସାହାଯ୍ୟରେ ଆମର ଗଲା ଉପରେ ଦଂଶନ କରନ୍ତି, ସେତେବେଳେ ଆମେ ଦେଖୁ ଯେ, ଆମ ହାତରେ ବନ୍ଧୁକ ନାହିଁ । ଆମ ସମାଜଶାସକଗଣ ମଧ୍ୟ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବାର ଅଧିକାର ପାଇବାକୁ ଆମକୁ ଅନୁମତି ଦେଇ ନ ଥାନ୍ତି, ଯାହା ଫଳରେ ଏହି ସାମାଜିକ ଶତ୍ରୁ ବିରୁଦ୍ଧରେ ସଂଗ୍ରାମ କରି ପାରନ୍ତୁ । ଠିକ୍ ଏହିଭଳି ଆମ ସରକାର ମଧ୍ୟ ବନ୍ଧୁକ ବ୍ୟବହାର କରିବାକୁ ଆମକୁ ନିଷେଧ କରିଛି, ଯାହା ଦ୍ୱାରା ହୁଏତ ଆମେ ବ୍ୟାଘ୍ର ଓ ଦସ୍ୟୁମାନଙ୍କ କବଳରୁ ନିଜକୁ ରକ୍ଷା କରି ପାରନ୍ତୁ । ଜ୍ଞାନ, ଯୁକ୍ତି ଓ ବୁଦ୍ଧି ହିଁ ଏହି ସକଳ ଅମଙ୍ଗଳକୁ ବିତାଡ଼ିତ କରିବାର ଅସ୍ତ୍ର ସ୍ୱରୂପ । ସେହି ବୃଦ୍ଧ ମହିଳାର ଶାସନ ପ୍ରତି ଯେଉଁ ଲୋକମାନଙ୍କର ବିଶ୍ୱାସ ଅବିଚଳିତ ରହିଛି, ସେମାନେ ପ୍ରତିବାଦ କରି କହନ୍ତି ଯେ, ଏହି ଅସ୍ତ୍ରଗୁଡ଼ିକୁ ତ ସମ୍ପୂର୍ଣ୍ଣରୂପେ ନିଷିଦ୍ଧ କରାଯାଇ ନାହିଁ । ସ୍ୱାଧୀନ ଭାବରେ ବିଜ୍ଞାନ ଅଧ୍ୟୟନ କରିବାର ଅଧିକାର ଆମର ଅଛି ଏବଂ ଏହାର ନୀତିଗୁଡ଼ିକ ଯେତେଦୂର ସମ୍ଭବ ପ୍ରୟୋଗ କରିବାକୁ ନିରୁତ୍ସାହିତ କରିବା ସକାଶେ ଅନୁମତି ପ୍ରଦାନ କରିବାରେ ନାନାପ୍ରକାର କଠୋର ନୀତି ଅବଲମ୍ବନ କରାଯାଉଛି, ସେଥିପାଇଁ ବହୁ କଟକଣା ଏପରିକି ସାମାନ୍ୟ ଆଇନଭଙ୍ଗ ପାଇଁ କଠୋର ଦଣ୍ଡାଦେଶ ମଧ୍ୟ ରହିଛି-। ଆମର ଗୁରୁ ଓ ପୁରୋହିତ, କୁହୁକ ଓ କବଚ, ପ୍ରାଚୀନ ଅନୁଶାସନ ଓ ସାହିତ୍ୟିକ ପ୍ରବଚନ, ଆମର ସଯତ୍ନ ଦୃଷ୍ଟି ଓ ସଭକ୍ତି ଆଜ୍ଞାପାଳନ ଏତେ ବେଶୀ ଦାବି କରନ୍ତି ଯେ, ଫଳରେ କେବେ ବ୍ୟବହାର କରି ନ ଥିବା ବନ୍ଧୁକ ଅପେକ୍ଷା ଦସ୍ୟୁ ଆକ୍ରମଣକୁ ଆମେ କମ୍ ବିପଜ୍ଜନକ ବୋଲି ଭାବିଥାଉ ।
ଯେଉଁ ଦୟାଶୀଳ ଲୋକମାନେ ଆଶୀର୍ବଚନ ଶୁଣାଇ କହନ୍ତି ଯେ, ଆମର ପଦଶୃଙ୍ଖଳ ଚିରନ୍ତନ ହେଉ ସେମାନେ କହିବା ଉଚିତ ଯେ, ଅନ୍ୟ ଲୋକଙ୍କର କାନ୍ଧରେ ବସି ତାଙ୍କରି ପାଦରେ ହିଁ ଚିରକାଳ ଆମେ ଚାଲୁଥାଉଁ । ଏହି ସମସ୍ତ ଲୋକେ ଆମର ସମସ୍ତ ପ୍ରାଚୀନ, ସାମାଜିକ ଭେଦଭାବର ପ୍ରାଚୀର ଓ ବ୍ୟକ୍ତିଗତ ବିଧିନିଷେଧଗୁଡ଼ିକୁ ମରାମତି ଓ ରକ୍ଷା କରିଥାନ୍ତି ଏବଂ ଏହାକୁ ନବ ଜାଗରଣ ବୋଲି କହିଥାନ୍ତି । ଜୀବନର ସ୍ଥାଣୁତ୍ୱ ଓ ତାକୁ ଅନୁସରଣ କରୁଥିବା ବୁଦ୍ଧି ନିରୋଧରେ ମଧ୍ୟ ସେମାନେ ଗର୍ବ ଅନୁଭବ କରିଥାନ୍ତି । ସେମାନଙ୍କୁ କହିଦେବା ଉଚିତ ଯେ, ତାଙ୍କର କାର୍ଯ୍ୟଫଳରେ ଯେଉଁ ଲକ୍ଷ ଲକ୍ଷ ଲୋକ ନିଃସ୍ୱ ଓ କ୍ଷୁଧାର୍ତ୍ତ ହେବେ ସେମାନଙ୍କର ଦାୟିତ୍ୱ ନେବାକୁ ସେମାନେ ପ୍ରସ୍ତୁତ ହେବା ଆବଶ୍ୟକ । ଜାଣେ ଯେତେ ଦକ୍ଷ ହେଉ ନା କାହିଁକି ଏକ ସମୟରେ ଦୁଇଟି ବିପରୀତମୁଖୀ ସ୍ୱାର୍ଥର ସେବା କରି ନ ପାରେ । ଏମାନଙ୍କର ବୋଧହୁଏ ଉଦ୍ଦେଶ୍ୟ ଯେ ପାଣି ଆଣିବା ପାଇଁ ଜାଣେ ତୁଷାର୍ତ୍ତ ବ୍ୟକ୍ତିର ଯେଉଁ ସମସ୍ତ ବାସନକୁସନ ଅଛି, ତାହାକୁ ପ୍ରଥମେ ସେମାନେ ଭାଙ୍ଗି ଚୁନା କରିଦିଅନ୍ତେ ଏବଂ ତା' ପାଇଁ ଗୋଟିଏ ଚାଲୁଣିରେ ଜଳ ଆଣିବାକୁ ସେମାନେ ନଦୀ ଓ ଘର ଭିତରେ ବେଶ୍ ଯିବା ଆସିବା କରୁଥାନ୍ତେ ।
ଅନେକ ମତ ପୋଷଣ କରିଥାନ୍ତି ଯେ, ଆମ ଦେଶର ଦୁରବସ୍ଥା ପାଇଁ ବିଦେଶୀ ଶାସନ ହିଁ ମୁଖ୍ୟତଃ ଦାୟୀ । ଏହି ମତ ସାବଧାନତାର ସହିତ ବିଚାର କରାଯିବା ଉଚିତ । ଶାସନ ଓ ଶାସିତର କ୍ଷମତା ମଧ୍ୟରେ ସଦ୍ଧିସ୍ଥାପନ ହିଁ ଇଂରେଜ ରାଜନୀତିର ମୌଳିକନୀତି । ଇଂଲଣ୍ଡରେ ଏହି ନୀତି ସକାଶେ ସ୍ୱୈର ଶାସନ ବିରୁଦ୍ଧରେ ଏକ ତିକ୍ତ ସଂଗ୍ରାମ ଚିରକାଳ ଦେଖାଦେଇଛି ଏବଂ ସେହି ସଂଗ୍ରାମର ଇତିହାସ ଆମ ନିକଟରେ ଅଜ୍ଞାତ ନୁହେ ଆମେ ଖୋଲାଖୋଲି ଭାବରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଏହା ଅଧ୍ୟୟନ କରୁଛୁ । ତାହା ପାଠ କରି ପରୀକ୍ଷାରେ କୃତକାର୍ଯ୍ୟ ହେଉଚୁ ଏବଂ ତାହାକୁ ଆମ ନିକଟରୁ କଦାପି କାଢ଼ି ନିଆଯାଇ ପାରେ ନା । କଂଗ୍ରେସ ଭଳି ଆମର ସକଳ ରାଜନୀତିକ ଅନୁଷ୍ଠାନଗୁଡ଼ିକର ମୂଳଭିତ୍ତି ଏହାରି ମୃତ୍ତିକାରେ ହିଁ ନିହିତ ।
ଇଉରୋପୀୟ ବିଜ୍ଞାନ ଉଆଁରେ ଆମର ଅଧିକାର ଯେପରି ସେହି ବିଜ୍ଞାନର ସ୍ୱଭାବ ମଧ୍ୟରେ ନିହିତ, ଠିକ୍ ସେହିପରି ଇଂରେଜ ରାଜନୀତିରେ ଆମର ଅଧିକାର ସେହି ରାଜନୀତିର ମୌଳିକ ପ୍ରକୃତି ମଧ୍ୟରେ ଗର୍ଭିତ । ମୁଷ୍ଟିମେୟ ଇଂରେଜ କହି ପାରନ୍ତି ଯେ, ଭାରତୀୟ ଛାତ୍ରମାନଙ୍କୁ ବିଜ୍ଞାନ ଅଧ୍ୟୟନର ସୁଯୋଗ ନ ଦେବା ଶ୍ରେୟସ୍କର କିନ୍ତୁ ବିଜ୍ଞାନ ଯେତେବେଳେ ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ଏହାକୁ ଅଧ୍ୟୟନ କରି ଶକ୍ତିମାନ୍ ହେବାକୁ ବଜ୍ରସ୍ୱରରେ ଆହ୍ୱାନ କରିବ ସେତେବେଳେ ଏହି ଇଂରେଜମାନେ ବିଜ୍ଞାନ ଦ୍ୱାରା ସ୍ୱତଃ ଲଜ୍ଜିତ ହେବେ । ଠିକ୍ ସେହିପରି ଅଳ୍ପ କେତେଜଣ ବା ବହୁସଂଖ୍ୟକ ଇଂରେଜ ରାଜନୀତିଜ୍ଞ ଓ ସାମ୍ବାଦିକ ହୁଏତ କହିପାରନ୍ତି ଯେ, ଭାରତର ସ୍ୱାୟତ୍ତଶାସନ ପଥରେ ଯେ କୌଣସି ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରିବା ଅଧିକ କାମ୍ୟ କିନ୍ତୁ ଇଂରେଜ ରାଜନୀତି ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ନିଜ ଦେଶର ଶାସନ କ୍ଷମତା ହାସଲ କରିବାକୁ ପ୍ରତ୍ୟେକ ଭାରତୀୟଙ୍କୁ ଆହ୍ୱାନ କରି ତାଙ୍କର ସେହି ଉପଦେଶକୁ ପଣ୍ଡ କରିଦେବ । ପ୍ରାଚୀନ ଭାରତରେ ବ୍ରାହ୍ମଣ ଯେପରି ଶୂଦ୍ରଙ୍କୁ ମୁହେଁ ମୁହେଁ କହି ଦେଉଥିଲା ଯେ ଧର୍ମ ଓ ବୁଦ୍ଧି ସାଧନା କ୍ଷେତ୍ରରେ ତାର କୌଣସି ଅଧିକାର ନାହିଁ, -ଠିକ୍ ସେହିପରି ଆମକୁ ସେମାନେ ସିଧାସଳଖ କହି ପାରନ୍ତି ଯେ, ଇଂରେଜ ରାଜନୀତିକ ଅନୁଷ୍ଠାନ ପାଇଁ ଆମେ ଅନୁପଯୁକ୍ତା ବ୍ରାହ୍ମଣ ଯେଉଁ ଶୁଦ୍ରର ଦେହକୁ ପଙ୍ଗୁ କରିଦେବାକୁ ଚାହିଁଥିଲା, ତାହାକୁ ମନରେ ପ୍ରଥମେ ପଙ୍ଗୁ କରିଦେବା ପାଇଁ ଯତ୍ନଶୀଳ ହୋଇ ସେ ଦୃଢ଼ ଭାବରେ ଅଧିକାର ଭେଦ ଆମୂଳଚୂଳ ସୃଷ୍ଟି କରିଥିଲା ।
ମନୁଷ୍ୟର କର୍ମରାଶି ଗୋଟିଏ ବୃକ୍ଷର ଶାଖା ପ୍ରଶାଖା ସଦୃଶ । ବୃକ୍ଷର ମୂଳ ଦୁର୍ବଳ ହେଲେ ଶାଖା ପ୍ରଶାଖା ଯେପରି ନୀରସ ଓ ଶୁଷ୍କ ହୋଇଯାଏ ଠିକ୍ ସେହିଭଳି ବୁଦ୍ଧିବୃତ୍ତି ପଙ୍ଗୁ ହୋଇଗଲେ ମନୁଷ୍ୟର ସକଳ କର୍ମ ନିଷ୍ପ୍ରଭ ହୋଇଯାଏ । ଶୁଦ୍ର ଜୀବନର ମୂଳରେ କୁଠାରାଘାତ କରିବାର ସହଜ କାର୍ଯ୍ୟ, ବ୍ରାହ୍ମଣ ସମ୍ପନ୍ନ କରି ସାରିବା ପରେ ଶୁଦ୍ରର ମସ୍ତକ ସ୍ୱତଃ ଅବନତ ହୋଇ ବ୍ରାହ୍ମଣର ପାଦ ଦେଶରେ ଶରଣାର୍ଥୀ ହୋଇଥିଲା । ଜ୍ଞାନର ଦ୍ୱାର ସ୍ୱାଧୀନତାର ପ୍ରଧାନ ତୋରଣ ହେଲେହେଁ, ଇଂରେଜ ଜାତି କିନ୍ତୁ ତାହା ଆମ ସକାଶେ ନିରୁଦ୍ଧ କରି ନାହିଁ । ମୁଁ ଭାବୁଛି, ଅନେକ ଇଂରାଜୀ କର୍ମଚାରୀ ଏଥିପାଇଁ ଦୁଃଖିତ; ଏବଂ ଶିକ୍ଷା ଜଗତରେ ସେମାନେ ଧୀର ମନ୍ଥରଗତି ଅନୁସରଣ କରୁଥିବାର ମୁଁ ଲକ୍ଷ୍ୟ କରୁଛି । କିନ୍ତୁ ଆତ୍ମସ୍ୱାର୍ଥ ପାଇଁ ନିଜର ମାନବିକତାକୁ ଜଳାଞ୍ଜଳି ଦେବା ଯେ ଆତ୍ମହତ୍ୟା ସଙ୍ଗେ ପ୍ରାୟ ସମାନ, ଏହା ସମ୍ପୂର୍ଣ୍ଣ ଭୁଲିଯିବାକୁ ସେମାନେ କେବେ ସମର୍ଥ ହେବେ ନାହିଁ ।
ସ୍ୱାୟତ୍ତଶାସନ ଦାବି କରିବାର ନ୍ୟାର୍ଯ୍ୟ ଧାରଣା ଇଂରେଜ ଜାତିର ମନୋବୃତ୍ତି ମଧ୍ୟରେ ମୌଳିକ ଭାବେ ଯେ ନିହିତ ଏହା ଯଦି ଦୃଢ଼ ଭାବରେ ଆମେ ବିଶ୍ୱାସ କରୁ, ତାହାହେଲେ ଏହା ହାସଲ କରିବା ପାଇଁ ବହୁ ଯନ୍ତ୍ରଣା ଓ ବହୁ ତ୍ୟାଗ ସ୍ୱୀକାର କରିବା ମଧ୍ୟ ଆମ ପକ୍ଷରେ ସହଜ ହେବ । କିନ୍ତୁ ପ୍ରଭୁଙ୍କର ଅପରିବର୍ତ୍ତନୀୟ ଇଛା ନିକଟରେ ସବୁକିଛି ଛାଡ଼ିଦେବାର ଦୁର୍ବଳ ଅଭ୍ୟାସକୁ ଯଦି ଆମେ ପ୍ରଶ୍ରୟ ଦେଉଁ, ତାହାହେଲେ ଫଳରେ ଯେଉଁ ଗଭୀର ବ୍ୟର୍ଥତା ଦେଖାଦେବ, ତାହା ଦୁଇଟି ମାର୍ଗରେ ଆତ୍ମପ୍ରକାଶ କରିବ । ପ୍ରଥମତଃ ଦେଶବ୍ୟାପୀ ଷଡ଼ଯନ୍ତ୍ର ହୁଏତ ଦେଖାଦେଇ ପାରେ ଓ ତାହା ଫଳରେ ସହସା ସନ୍ତ୍ରାସବାଦର କ୍ରିୟାକଳାପ ପରିଲକ୍ଷିତ ହୋଇପାରେ । ଦ୍ୱିତୀୟତଃ ଦେଶରେ ନାନାପ୍ରକାର ଛୋଟ ଛୋଟ ଗୋପନୀୟ କଥା ପରସ୍ପର କହୁଥିବାର ଶୁଣାଯିବ ଯେ, ଆମୁକ ଲୋକ ଜାଣେ ଭଲ ବଡ଼ଲାଟ ଓ ଅମୁକ ଜଣକ ହେଉଛନ୍ତି ଜାଣେ ଖରାପ ବଡ଼ଲାଟ; ଅମୁକ ବ୍ୟକ୍ତି ବଡ଼ଲାଟଙ୍କ କାର୍ଯ୍ୟ ନିର୍ବାହିକା ପରିଷଦରେ ଥିବାରୁ ଭାରତର କିଛି ମଙ୍ଗଳ ହେଉ ନାହିଁ; ପୁଣି ହୁଏତ କିଏ କହିବ, ମିଷ୍ଟର ମର୍ଲେ ଯେତେବେଳେ ଭାରତର "ସେକ୍ରେଟାରୀ ଅଫ୍ ଷ୍ଟେଟ୍" ହେବେ ସେତେବେଳେ ଭାରତର ଭାଗ୍ୟାକାଶରେ ସୌଭାଗ୍ୟ ଦିବସର ସୂର୍ଯ୍ୟୋଦୟ ଘଟିବ । ଏହିଭଳି ଅନ୍ୟ କେତେକ ବିଷୟରେ କଥାବାର୍ତ୍ତା ହୁଏତ ଶୁଣାଯିବ । ସଂକ୍ଷେପରେ ଏହି ବ୍ୟର୍ଥତା ହୁଏତ ଆମର ଶକ୍ତିକୁ ବିପଥଗାମୀ କରି ତାହାକୁ ରସାତଳଗାମୀ କରାଇବ କିମ୍ବା ନୀଚ ସଂଳାପର ବ୍ୟର୍ଥତା ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଃଶେଷ କରିଦେବ, ତଥାପି ମାନବିକତା ଉପରେ ମୁଁ ଆସ୍ଥା ହରାଇ ନ ପାରେ କିମ୍ବା ଇଂରେଜ ରାଜନୀତିରେ ଶକ୍ତି ଅପେକ୍ଷା ନୈତିକତା ଯେ ଏକ ବୃହତ୍ତର ସ୍ୱାର୍ଥ, ଏ କଥା ଅସ୍ୱୀକାର କରି ନ ପାରେ । ଅବଶ୍ୟ ପ୍ରତିଦିନ ଏହା ବିପକ୍ଷରେ ନାନାପ୍ରକାର ପ୍ରମାଣ ମୋ ନିକଟକୁ ଆସୁଛି ଏବଂ ମୁଁ ଦେଖୁଚି ଯେ ସ୍ୱାର୍ଥପରତା, କ୍ଷମତାଲିପ୍ସା, ଲୋଭ, କ୍ରୋଧ, ଭୀରୁତା ଓ ଗର୍ବ ଭିତରେ ଇଂରେଜ ଜାତି ନିଜକୁ ନିକ୍ଷିପ୍ତ କରୁଛି । ଇଂରେଜ ଜାତିର ଏହି ତ୍ରୁଟି ଆମକୁ ଆଘାତ ଦେବାର କାରଣ ହେଉଛି ଯେ, ଆମେ ନିଜେ ସେହି ତୃଟି ଗୁଡ଼ିକର ଅଧିକାରୀ; ଆମେ ମଧ୍ୟ ସହଜରେ ଆତଙ୍କିତ ହେଉଛୁ ଓ ସହଜରେ ପ୍ରଲୁବ୍ଧ ହେଉଛୁ ଏବଂ ଆମେ ହୃଦୟରେ ଇର୍ଷା, ପରଶ୍ରୀକାତରତା ଓ ଅବିଶ୍ୱାସ ଭାବ ପୋଷଣ କରିଛୁ । ଆମେ ଯଦି ମହତ୍ ଓ ବୀରଭାବାପନ୍ନ ହୁଅନ୍ତୁ, ଉଦାର, ବିଶ୍ୱାସୀ ଓ ସଦ୍ଗୁଣସମ୍ପନ୍ନ ହୁଅନ୍ତୁ ଏବଂ ଆମେ ଯଦି ଆମର ଶତ୍ରୁ ଯେଉଁ ମହତ୍ତ୍ୱର ଅଧିକାରୀ ସେହି ମହତଗୁଣ ହାସଲ କରନ୍ତୁ, ତାହାହେଲେ ଆମ ଶତ୍ରୁର ତ୍ରୁଟିଜନିତ ଆଘାତ ସତ୍ତ୍ୱେ ଶାରୀରିକ ବଳରେ ନ ହେଲେହେଁ ନୈତିକ ବଳରେ ଆମେ ନିଶ୍ଚୟ ବିଜୟ ଲାଭ କରନ୍ତୁ । ଆମ ନିଜର ଭୀରୁତା ଫଳରେ ହିଁ ଆମେ ବ୍ରିଟିଶ୍ ସରକାରଙ୍କର ଗୁଣଗୁଡ଼ିକୁ ସାନ କରି ଏବଂ 'ଦୋଷ'ଗୁଡ଼ିକୁ ବଡ଼ କରି ଦେଖୁଚୁ । ଯେତେବେଳେ କୌଣସି ବ୍ୟାପାରରେ ମିଳିତ ଶକ୍ତି, ସେମାନଙ୍କୁ ସଫଳତା ପ୍ରଦାନ କରିଥାଏ । ବ୍ରାହ୍ମଣର ପ୍ରଭୁତ୍ୱ, ଶୁଦ୍ର ନମ୍ର ଭାବରେ ଗ୍ରହଣ କରିନେବା ଫଳରେ ବ୍ରାହ୍ମଣର ଅଧଃପତନ ପାଇଁ ସେ ଗଭୀର ଗର୍ତ୍ତ ଖନନ କରିଥିଲା । ବଳବାନ୍ ଦୁର୍ବଳର ଯେପରି ଶତ୍ରୁ, ଠିକ୍ ସେହିଭଳି ଦୁର୍ବଳ ମଧ୍ୟ ବଳବାନ୍ର ଶକ୍ତିଶାଳୀ ଶତ୍ରୁ ।
ଅନ୍ୟାୟର ପ୍ରତିରୋଧ ପାଶବିକ ଶକ୍ତିବିଶେଷ ନୁହେ । ନିଜର କର୍ତ୍ତବ୍ୟବୋଧ ମଧ୍ୟରୁ ଜନ୍ମଗ୍ରହଣ କରିଥିବା ଏହା ନୈତିକ ଶକ୍ତି । ଦେଶକୁ ପୋଲିସ୍ ଶାସନର ଚିରନ୍ତନ ଅତ୍ୟାଚାରରୁ ଉଦ୍ଧାର କରିବା ପାଇଁ ବହୁ ଶକ୍ତିଶାଳୀ ଓ ସାହସିକ ଲୋକ ଆବଶ୍ୟକ । ସେଇମାନେ ହିଁ ଏହାର ବାସ୍ତବରୂପ ବାରମ୍ବାର ପାଦରେ ପକାଇବେ ଏବଂ ନିଜର ଜୀବନୋତ୍ସର୍ଗ ଦ୍ୱାରା ସେମାନେ ଏହାକୁ ପ୍ରମାଣିତ କରିବେ । ମୁଁ ଜାଣୁଚି ଯେ, ଜଣେ ନିମ୍ନତମ ପୋଲିସ କର୍ମଚାରୀ ମଧ୍ୟ ଜଣେ ମଣିଷ ଅପେକ୍ଷା ଯଥେଷ୍ଟ ବଡ଼ ଏବଂ ସେ ଏକ ବିରାଟ ଶକ୍ତି । ଆଇନ ଅଦାଲତରେ ଜଣେ ପୋଲିସ ଗୁପ୍ତଚରର ଯଦି ବିଚାର ହୁଏ, ତାହାହେଲେ ତାକୁ ରକ୍ଷା କରିବା ପାଇଁ ସରକାର ସହସ୍ରାଧିକ ଟଙ୍କା ବ୍ୟୟ କରିବେ । ଗୋଟିଏ ରୂପକ ଛଳରେ କୁହାଯାଇ ପାରେ ଯେ, ବିଚାରର ବିକ୍ଷୁବ୍ଧ ସାଗର ଅତିକ୍ରମ କରିବା ପାଇଁ ଜଣେ ଗୁପ୍ତଚରକୁ ଯେତେବେଳେ ସରକାରଙ୍କ ଦ୍ୱାରା ଗୋଟିଏ ବାଷ୍ପୀୟ ଜାହାଜ ଯୋଗାଇ ଦିଆଯାଏ, ସେତେବେଳେ ବିଚରା ଅଭିଯୋଗକାରୀଟିକୁ ସମୁଦ୍ରରେ କେବଳ ପହଁରିବାକୁ ପଡ଼ିଥାଏ, ଏବଂ ଏପରିକି ତାର ଆଶ୍ରୟ ପାଇଁ ଖଣ୍ଡେ ଛୋଟ କାଠଭେଲା ମଧ୍ୟ ତାକୁ ଦିଆଯାଇ ନ ଥାଏ । ଏହା ଯେପରି ସେହି ନିର୍ଯ୍ୟାତିତ ବ୍ୟକ୍ତିକୁ ଅନେକଗୁଡ଼ିଏ କଥାରେ ସରକାର କହିଲା ଭଳି, "ହେ ମୋର ପ୍ରିୟ ସାଥି, ତୁମେ ମାଡ଼ ଖାଇଚ ସତ, କିନ୍ତୁ ପ୍ରତିବାଦ ନ କରି ମରିଯିବା ତୁମ ପକ୍ଷରେ ଅଧିକ ଶ୍ରେୟସ୍କର । ତାହାହେଲେ ତୁମେ ଆଉଥରେ ମାଡ଼ଖାଇ ପାରିବ ନାହିଁ ।"
ସମ୍ମାନ ! ସେ ଭଦ୍ରମହିଳା ହେଉଛନ୍ତି ଆମର ପୂର୍ବ ପରିଚିତା, ଆତ୍ମୀୟା, କବି କଙ୍କଣଙ୍କ କବିତାରେ ତାଙ୍କୁ ଆମେ ଚଣ୍ଡୀ ଭାବରେ ଏବଂ ବେହୁଲା କବିତାଗୁଡ଼ିକରେ ତାଙ୍କୁ ଆମେ ମନସା ରୂପରେ ଦେଖିଛୁ । ସେ ନ୍ୟାୟ, ଧର୍ମ ଏବଂ ପ୍ରତ୍ୟେକ ବସ୍ତୁ ଓ ପ୍ରତ୍ୟେକ ପ୍ରାଣୀର ଉପରେ । ଆମର ଶରୀରର ପ୍ରତ୍ୟେକ ଅସ୍ଥିଖଣ୍ଡ ଯଦି ଚୂର୍ଣ୍ଣ ବିଚୂର୍ଣ୍ଣ ନ କରିବାକୁ ଚାହୁଁ, ତା'ହେଲେ ଆମେ ତାଙ୍କୁ ଆରାଧନା କରିବା ଉଚିତ । ତାହାହେଲେ ଚାଲ ଆମେ ଗାଇବା-
କିନ୍ତୁ ଏହା ହେଉଛି ଅଜ୍ଞତା ଓ ମାୟା । ବହିଃଚକ୍ଷୁରେ ଏହା ସେହିଭଳି ପ୍ରତୀୟମାନ ହେଲେ ମଧ୍ୟ ସତ୍ୟ ନୁହେ । ପ୍ରକୃତ ସତ୍ୟ ହେଉଛି ଯେ ସରକାର ଜନସାଧାରଣଙ୍କର ପ୍ରତିନିଧି ଏବଂ ସବୁ ସରକାରୀ କର୍ମଚାରୀଙ୍କୁ ଏକତ୍ରିତ କଲେ ମଧ୍ୟ ତାହା ଅପେକ୍ଷା ସେ ବୃହତ୍ତର । ଇଂରେଜ ଜାତିର ପ୍ରକୃତ ଶକ୍ତି ଏହି ସତ୍ୟ ଉପରେ ପ୍ରତିଷ୍ଠିତ । ସେମାନଙ୍କର ଶକ୍ତିହିଁ ଆମର ଶକ୍ତି । ସତ୍ୟକୁ ଆମେ ଯଦି ହେଉ, ତାହାହେଲେ ସେମାନେ ମଧ୍ୟ ତାକୁ ହରାଇ ବସିବେ । ବ୍ରିଟିଶ୍ ରାଜନୀତିର ନୈତିକତା ଉପରେ ବିଶ୍ୱାସ ହରାଇବାକୁ ଆମେ ଯଦି ଭୀରୁତା ପ୍ରକାଶ କରୁ, ତାହାହେଲେ ପୋଲିସ୍ର ଅତ୍ୟାଚାର ବରାବର ଚାଲିବ ଏବଂ ନ୍ୟାୟ ବିଚାର ଦେବା ବିଚାରପତିମାନଙ୍କ ପକ୍ଷରେ କଷ୍ଟକର ହେବ । ସମ୍ମାନର ଦେବୀ ଚିରକାଳ ସେହିଭଳି ନରବଳି ଦାବୀ କରିବ ଏବଂ ଯୁଗ ଯୁଗଧରି ଇତିହାସରେ ଅଭିବ୍ୟକ୍ତି ଲାଭ କରିଥିବା ଇଂରେଜର ମୌଳିକ ଜୀବନଧାରାକୁ ଭାରତବର୍ଷର ଇଂରେଜଶାସନ ଚିରକାଳ ହାସ୍ୟାସ୍ପଦ କରୁଥିବେ ।
ବର୍ତ୍ତମାନ ମୁଁ ଯାହା କହିଲି ତାହାର ଉତ୍ତର ଠିକ୍ ଏହି ଧରଣର ହେବ-"ରାଜନୀତିରେ ଶକ୍ତି ଅପେକ୍ଷା ନୈତିକତା ଯେ ଏକ ବୃହତ୍ତର ସତ୍ୟ-ଏହି ନୀତି ଆଦର୍ଶ ଦୃଷ୍ଟିରୁ ଠିକ୍ ହେଲେ ମଧ୍ୟ ପ୍ରୟୋଗ ବା ବାସ୍ତବ କ୍ଷେତ୍ରରେ ବିପଜ୍ଜନକ । ତେଣୁ ଆମ ନିକଟରେ ଦୁଇଟି ପଥ ବିଦ୍ୟମାନ-ଗୋଟିଏ ହେଉଛି ଗୁପ୍ତ ଷଡ଼ଯନ୍ତ୍ରର ଦୁର୍ଗମପଥ ଏବଂ ଅନ୍ୟଟି ହେଉଛି ପ୍ରେସ ଆଇନର ନଖଦନ୍ତ ତଳେ ଚରମ ନୀରବତା ଅବଲମ୍ବନ କରିବାର ସହଜ ପଥ । "ଅବଶ୍ୟ ନାନାପ୍ରକାରର ବାଧାବିଘ୍ନ ରହିଛି; ତଥାପି ଆମକୁ ପ୍ରମାଣ କରିବାକୁ ହେବ ଯେ, ଆମେ ଚିନ୍ତାରେ ଯାହାକୁ ସତ୍ୟ ବୋଲି ଜାଣୁଛୁ ତାହା ଆମର ଆଚରଣରେ ମଧ୍ୟ ସତ୍ୟ ।
"ଆମର ନିଜଲୋକ ଭୟ ଓ ଲୋଭର ବଶବର୍ତ୍ତୀ ହୋଇ ଆମ ବିପକ୍ଷରେ ସାକ୍ଷ୍ୟଦେବେ ।"
"ସତକଥା, ତଥାପି ସତ୍ୟ ଅନୁସୃତ ହେବା ଆବଶ୍ୟକ ।"
"ପ୍ରଶଂସା ଓ ପୁରସ୍କାର ଦ୍ୱାରା ପ୍ରଲୁବ୍ଧ ହୋଇ ଆମ ନିଜଲୋକେ ପଛରୁ ଛୁରା ମାରିବେ-।"
"ତାହା ମଧ୍ୟ ସତ୍ୟ, ତଥାପି ସତ୍ୟାନୁସରଣ ବାଞ୍ଛନୀୟ ।" "ତୁମେ କଣ ଏତେ ବେଶୀ ଅଶୀ କରୁଛ ?"
"ହ, ଆମେ ଅଧିକହିଁ ଆଶା କରିବା ଉଚିତ ।"
ଗୋଟିଏ ଅଣୁ ମଧ୍ୟ ଉଣା ହେବ ଅନୁଚିତ । ସରକାରଙ୍କ ନିକଟରେ ଆମେ ଆମର ଦାବୀ ଉପସ୍ଥାପିତ କରିବୁ ସତ, କିନ୍ତୁ ଆମ ନିଜ ନିକଟରେ ବୃହତ୍ତର ଦାବୀ ଉପସ୍ଥାପିତ ନ କଲେ ସେ ଦାବୀ ଆମର ମଞ୍ଜୁର ହେବ ନାହିଁ । ମୁଁ ଜାଣୁଛି ଯେ, ଲୋକମାନେ ସବଳ ନୁହନ୍ତି ଏବଂ ଅଧିକାଂଶ ଲୋକ ହିଁ ପ୍ରକୃତପକ୍ଷେ ଦୁର୍ବଳ । କିନ୍ତୁ ପ୍ରତ୍ୟେକ ବିରାଟ ଦେଶରେ ପ୍ରତିଦିନ ମାନବଜାତିର ପ୍ରତିନିଧି ହେବା ଭଳି ବହୁ ବ୍ୟକ୍ତି ଜନ୍ମଗ୍ରହଣ କରୁଛନ୍ତି । ସମସ୍ତ ପୃଥିବୀର ଦୁଃଖ ଦୁର୍ଦ୍ଦଶାର ବୋଝ ଏହି ଲୋକମାନେ ହିଁ ନିଜ ପୃଷ୍ଠଦେଶରେ ବହନ କରୁଛନ୍ତି ଏବଂ ସେମାନେ ନିଜ ହାତରେ ସମସ୍ତଙ୍କର ଯାତ୍ରାପଥ ମଧ୍ୟ ନିର୍ମାଣ କରୁଛନ୍ତି । ସମସ୍ତ ବିରୋଧ ମଧ୍ୟରେ ସେମାନେ ମାନବିକତା ଉପରେ ବିଶ୍ୱାସ ସ୍ଥାପନ କରିଥାନ୍ତି ଏବଂ ବ୍ୟର୍ଥତାର ଘନାନ୍ଧକାର ମଧ୍ୟରେ ବିଶ୍ୱାସ ସ୍ଥାପନ ପ୍ରାଚୀ-ଦିଗ୍ବଳୟର ସୂର୍ଯ୍ୟୋଦୟ ଅପେକ୍ଷାରେ ଜାଗ୍ରତ ହୋଇ ରହିଥାନ୍ତି । ନାସ୍ତିକମାନଙ୍କର ବିଦ୍ରୁପ ସତ୍ତ୍ୱେ ସେମାନେ ଉଚ୍ଚକଣ୍ଠରେ ଘୋଷଣା କରିଥାନ୍ତି-" ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହୋତୋ ଭୟାତ୍"-ସାମାନ୍ୟ ଧର୍ମ ମଧ୍ୟ ଆମକୁ ମହତ୍ ଭୟରୁ ପରିତ୍ରାଣ କରିଥାଏ । ତେଣୁ ଆମେ ଭୟ ନିକଟରେ ନତମସ୍ତକ ହେବ ନାହିଁ ଏବଂ ରାଜନୀତିରେ ଯେଉଁଠି ଆମେ ନୈତିକତା ଲକ୍ଷ୍ୟ କରିବା, ତାହା ପ୍ରତି ଆମେ ସମ୍ମାନ ପ୍ରଦର୍ଶନ କରିବା । ଆମେ ଧର୍ମରେ ବିଶ୍ୱାସ କରୁ ଏବଂ ଜୀବନ ବିପନ୍ନ କରି ମଧ୍ୟ ଆମେ ଏହାର ସାଧନାରେ ବ୍ରତୀ ହେବୁ ।
ଭାରତବର୍ଷରେ ଇଂରେଜ ଶାସନର ଦେଢ଼ଶ ବର୍ଷ ପରେ ମଧ୍ୟ ଆମ ନିକଟରେ କୁହାଯାଇଛି ଯେ, ମାନ୍ଦ୍ରାଜ ସରକାରଙ୍କର ଦୁଷ୍କର୍ମ ସକାଶେ ସହାନୁଭୂତିର ନିଶ୍ୱାସ ପକାଇବାକୁ ମଧ୍ୟ ବଙ୍ଗବାସୀଙ୍କର ଅଧିକାର ନାହିଁ । କିନ୍ତୁ ଏ ପର୍ଯ୍ୟନ୍ତ ଆମକୁ କୁହାଯାଉଥିଲା ଯେ ଅବିଭାଜ୍ୟ ବ୍ରିଟିଶ୍ ଶାସନର ଅଧୀନରେ ମାନ୍ଦ୍ରାଜ, ବଙ୍ଗ, ପଞ୍ଜାବ ମହାରାଷ୍ଟ୍ର ଓ ଅନ୍ୟ ସକଳ ଭାରତୀୟ ପ୍ରଦେଶଗୁଡ଼ିକ ସେମାନଙ୍କର ଅନ୍ତରୀଣ ଓ ଆଭ୍ୟନ୍ତରୀଣ ବ୍ୟାପାରରେ ଏକତାବଦ୍ଧ ଏବଂ ବ୍ରିଟିଶ୍ ସାମ୍ରାଜ୍ୟର ମୁକୁଟଖଚିତ କୋହିନୁର୍ ହିଁ ସେମାନଙ୍କର ଏହି ସ୍ପର୍ଦ୍ଧିତ ଏକତା-ସାଧନାର ନିଦର୍ଶନ । ଠିକ୍ ଏହି ମୁହୂର୍ତ୍ତରେ ପାଶ୍ଚାତ୍ୟ ଜଗତରେ ଇଂରେଜମାନେ ଅନୁଭବ କରୁଛନ୍ତି ଯେ, ବେଲଜିଅମ୍ ଓ ଫ୍ରାନ୍ସର ଶତ୍ରୁମାନେ ସେମାନଙ୍କର ମଧ୍ୟ ଶତ୍ରୁ; ଏବଂ ବେଲଜିଅମ୍ ଓ ଫ୍ରାନ୍ସର ଯୁଦ୍ଧକ୍ଷେତ୍ରରେ ସେମାନେ ଜୀବନୋତ୍ସର୍ଗ କରିବାକୁ ଯାତ୍ରା କରୁଛନ୍ତି । ଏଭଳି ମୁହୂର୍ତ୍ତରେ ପ୍ରାଚ୍ୟରେ ଯେତେବେଳେ କୁହାଯାଇଛି ଯେ, ମାନ୍ଦ୍ରାଜ ଲୋକଙ୍କର ସୁଖ, ଦୁଃଖ, ଆନନ୍ଦ ଓ ବେଦନାସହିତ ବଙ୍ଗବାସୀଙ୍କର କୌଣସି ସମ୍ପର୍କ ନାହିଁ, ତାହାହେଲେ ଏ ନୀତି ପ୍ରାଚ୍ୟରେ ସଫଳ ହୋଇ ପାରେ କି ? ଏଭଳି ଏକ ଆଦେଶକୁ ଆମେ କଣ ନୀରବଭାବରେ ପାଳନ କରିବା ? ଦୃଢ଼କଣ୍ଠରେ ଯେତେ ଗର୍ଜନ କଲେ ମଧ୍ୟ, ଆମେ ନିର୍ଦ୍ଦିଷ୍ଟ ଭାବରେ ଜାଣୁ ଯେ, ସେମାନଙ୍କ ଆଦେଶର ଅନ୍ତରାଳରେ ଦୁଷ୍କର୍ମଜାତ ଏକ ଆତ୍ମଗ୍ଲାନି ରହିଛି ଏବଂ ସେହି ଗୁପ୍ତ ଆତ୍ମଗ୍ଳାନିକୁ ପୌରୁଷର ମୁକ୍ତ ଅଭିଯୋଗ ଦ୍ୱାରା ସମ୍ମୁଖୀନ ହେବା ଆବଶ୍ୟକ । ଇଂରେଜଜାତି ଭାରତସହିତ ସତ୍ୟର ବନ୍ଧନରେ ଆବଦ୍ଧ । ସେମାନେ ଇଉରୋପୀୟ ସଭ୍ୟତାର ଦାୟିତ୍ୱ ବହନ କରି ଏହି ପ୍ରାଚ୍ୟ ଦେଶକୁ ଆସିଛନ୍ତି । ଆମେ ମଧ୍ୟ ତାଙ୍କର ସେହି କର୍ମ ପ୍ରତି ଚରମସମ୍ମାନ ପ୍ରଦର୍ଶନ କରିବା ଏବଂ ସେମାନେ ଯେ ଭାରତର ମାଂସ ଖଣ୍ଡ ଖଣ୍ଡ କରିବାପାଇଁ ଦରିଆପାରି ହୋଇ ଦୂର ଦେଶରୁ ଆସିଛନ୍ତି ଏକଥା ଇଂରେଜଜାତିକୁ ଆମେ କେବେ କହିବାକୁ ଦେବା ନାହିଁ ।
ଗୋଟିଏ ଜାତିର ଅର୍ଜିତ ସମ୍ପତ୍ତିର ସକଳ ଜାତିର ଅଂଶ ରହିଛି ଏବଂ ଅନ୍ୟମାନଙ୍କ ସହିତ ସେ ତାହା ଭୋଗ କରିବା ଉଚିତ । କିନ୍ତୁ ସବୁସମ୍ପତ୍ତିକୁ ଜାତି ନିଜେ ଭୋଗ କରିବା ପାଇଁ ଯଦି ରଖେ, ତାହାହେଲେ ଜାତି ନିଜେ ମଧ୍ୟ ସେଥିରୁ ବଞ୍ଚିତ ହୋଇଥାଏ । ଇଉରୋପର ପ୍ରଧାନ ଐଶ୍ୱର୍ଯ୍ୟ ହେଉଛି–ବିଜ୍ଞାନ, ଜାତୀୟତା ଓ ଗଣତନ୍ତ୍ର ଏବଂ ଭାରତବର୍ଷକୁ ଏହା ପ୍ରଦାନ କରିବା, ବ୍ରିଟିଶ୍ ଶାସନର ହେଉଛି ଦୈବ ନିର୍ଦ୍ଦିଷ୍ଟ ରାଜକୀୟ ଅନୁଜ୍ଞା । ଆମର ଶାସକମାନଙ୍କୁ ଏହା ସ୍ମରଣ କରାଇଦେବା ମଧ୍ୟ ଆମର ହେଉଛି ଦାୟିତ୍ୱ । ଇଂରେଜଜାତି ହୁଏତ ତାର ନିଜ ଇତିହାସର ଦ୍ୱାହି ଦେଇ କହିବ ଯେ, ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ତାକୁ ବହୁ ଉଦ୍ୟମ କରିବାକୁ ପଡ଼ିଛି ଏବଂ ତାର ମହତ୍ତ୍ୱ ଉପଲବ୍ଧି କରିବା ପାଇଁ ବହୁ ବିପ୍ଳବ ମଧ୍ୟରେ ଗତି କରିବାକୁ ହୋଇଛି । ଏହି ଯୁକ୍ତି ମୁଁ ସ୍ୱୀକାର କରୁଛି, କିନ୍ତୁ ପୃଥିବୀର ଅଗ୍ରଣୀ ଜାତିଗୁଡ଼ିକ ସତ୍ୟର ବିଭିନ୍ନ ବିଭାବକୁ ବହୁପ୍ରକାରରେ ଆବିଷ୍କାର କରିଛନ୍ତି, ଏବଂ ପ୍ରତ୍ୟେକ ଆବିଷ୍କାର ପାଇଁ ପ୍ରଥମେ ତାଙ୍କୁ ବହୁ ଭ୍ରାନ୍ତି, ଯନ୍ତ୍ରଣା ଓ ତ୍ୟାଗର ସମ୍ମୁଖୀନ ହେବାକୁ ପଡ଼ିଛି । ଏହି ଆବିଷ୍କାରଗୁଡ଼ିକର ଉପକାରିତା ଯେଉଁ ଯେଉଁ ଜାତିଗୁଡ଼ିକ ଉପଭୋଗ କରୁଛନ୍ତି, ତାଙ୍କୁ କିନ୍ତୁ ସେହି ଭ୍ରାନ୍ତି, ଯନ୍ତ୍ରଣା ଓ ତ୍ୟାଗର ଦୀର୍ଘପଥରେ ଗତିକରିବାକୁ ପଡ଼ୁ ନାହିଁ । ବଙ୍ଗାଳି ଛାତ୍ରମାନେ ଆମେରିକା ଯାଇ ଆଦର୍ଶ ଓ ବ୍ୟବହାରିକ କ୍ଷେତ୍ରରେ ଗତିଶୀଳ ବାଷ୍ପୀୟ ଯନ୍ତ୍ର ନିର୍ମାଣ କରିବା ଓ ସେହି ବିଜ୍ଞାନରେ ଦକ୍ଷତା ଅର୍ଜନ କରୁଥିବାର ମୁଁ ଜାଣେ । ଅଳ୍ପ କେତେବର୍ଷ ମଧ୍ୟରେ ଏହା କରିବାକୁ ସେମାନେ ସମର୍ଥ ହୋଇଛନ୍ତି, କିନ୍ତୁ ସେମାନଙ୍କୁ ଯଦି ବାଷ୍ପୀୟ ଯନ୍ତ୍ର ପ୍ରସ୍ତୁତ କରିବାର ପ୍ରଣାଳୀ ଜାଣିବାକୁ କେଟଲି ଗରମ କରାଇବାଠାରୁ ଆରମ୍ଭକରି ସେହି ବିଜ୍ଞାନର ବିଭିନ୍ନ ଐତିହାସିକ ସ୍ତରଭିତରେ ଦେଇ ଗତି କରିବାକୁ ପଡ଼ନ୍ତା, ତାହାହେଲେ ବର୍ଣ୍ଣାଡ୍ ଶ'ଙ୍କ ନାଟକବର୍ଣ୍ଣିତ ମେଁଥୁସିଲା'ଙ୍କ ଅପେକ୍ଷା ମଧ୍ୟ ତାଙ୍କୁ ଅଧିକକାଳ ବଞ୍ଚିବାକୁ ପଡ଼ନ୍ତା । ଇଉରୋପୀୟ ବିଜ୍ଞାନ ନିଜ ଜନ୍ମ ମାଟିରେ ବହୁଯୁଗର ରୌଦ୍ର, ବୃଷ୍ଟି ଓ ଝଡ଼ବତାସ ମଧ୍ୟରେ ବିକାଶ ଲାଭ କରିଥିଲା, କିନ୍ତୁ ତାକୁ ନେଇ ଜାପାନରେ ରୋପଣ କରିବାକୁ ବେଶୀଦିନ ଲାଗି ନ ଥିଲା ।
ଆମ ଚରିତ୍ର ଓ ଆଚରଣରେ ଗାମ୍ଭୀର୍ଯ୍ୟର ଅଭାବ ପରିଲକ୍ଷିତ, ଏହା ଯଦି ପ୍ରକୃତରେ ସତ୍ୟ ହୋଇଥାଏ, ତାହାହେଲେ ମଧ୍ୟ ସେହି କାରଣରୁ ହିଁ ଆମେ କ୍ଷମତାର ଅଧିକାରୀ ହେବା ଉଚିତ । କୌଣସି ଲୋକ ଯଦି ପ୍ରଥମରୁ ଆରମ୍ଭ କରେ ଯେ, ଅମୁକ ଲୋକଠି କିଛି ନାହିଁ, ତାହାହେଲେ ସେ କେବେ ଆବିଷ୍କାର କରି ପାରିବ ନାହିଁ ଯେ, ପ୍ରକୃତରେ ତା’ଠି କିଛି ରହିଛି । ଇଂରେଜ ସରକାର ଆମକୁ ସ୍ୱାୟତ୍ତଶାସନର ଅଧିକାର ଦେବା ଦ୍ୱାରା, ଯେଉଁ ନୂତନ ପଥ ସୃଷ୍ଟି କରିବ, ତା'ଫଳରେ ଆମେ ନିଜ ମଧ୍ୟରେ ନୂତନ ଶକ୍ତି ଆବିଷ୍କାର କରି ପାରିବୁଁ । ଏହି ଅଧିକାରରୁ ବଞ୍ଚିତ କରିବା ଫଳରେ ସେମାନେ ଆମକୁ ଚିରକାଳ ସକାଶେ ପୃଥିବୀର ହସକୋଳି ଓ ଥଟା ବୋବାଳିର ଉପାଦାନ କରି ରଖିବେ ଏବଂ ସେମାଇନ ଯେ ଆମର ଚରମ ଶତ୍ରୁ, ତାହା ନିଜେ ପ୍ରମାଣିତ କରିବେ । ଯେଉଁଲୋକ ଏଭଳି ଗୋଟିଏ କ୍ଷୁଦ୍ର କକ୍ଷ ମଧ୍ୟରେ ଆବଦ୍ଧ ଯେ, ବାଁ ବା ଡାହାଣକୁ ପଦେ ଦି'ପଦ ମାତ୍ର ଅଗ୍ରସର ହେଲେ କାନ୍ଥ ଦେହରେ ତାର ମୁଣ୍ଡ ଧକ୍କା ଲାଗୁଚି, ସେ କେବେ ଜୀବନର ପ୍ରତି ପଦକ୍ଷେପରେ ନିଜର ମହତ୍ତ୍ୱ ପ୍ରମାଣ କରିବାର ମହତ୍ ଅଭିଳାଷ ପୋଷଣ କରି ପାରେ ନା ।
ମୁଁ ଜାଣେ ଯେ ଇତିହାସରେ କୌଣସି ନୂତନ ଦିବସର ଉଷାକାଳରେ ସୂର୍ଯ୍ୟ ପ୍ରାଚୀ ଦିଗ୍ବଳୟରେ ଆବିର୍ଭୂତ ହେବାମାତ୍ରେ ପଶ୍ଚିମ, ଉତ୍ତର ଓ ଦକ୍ଷିଣଦିଗକୁ ଆଲୋକଛଟା ବିଚ୍ଛୁରିତ ହୋଇଥାଏ । ଗୋଟିଏ ପଦକ୍ଷେପରେ ଗୋଟିଏ ଇଞ୍ଚ ମାତ୍ର ଗତି କରିବାଠୁଁ ଏହି ଆଲୋକର ଗତି ଯଦି ଦ୍ରୁତତର ହୋଇ ନ ଥାନ୍ତା, ତାହାହେଲେ ଅନନ୍ତକାଳ ଅତିବାହିତ ହୋଇଗଲେ ମଧ୍ୟ କୌଣସି ଜାତି ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଆସମ୍ଭବ ହୋଇପଡ଼ନ୍ତା । ଇଂରେଜ ଜାତି ଆମକୁ କହୁଛି ଯେ, ସ୍ୱାଧୀନତା ଲାଭ କରିବାକୁ ସମ୍ପୂର୍ଣ୍ଣ ଯୋଗ୍ୟତାର ଅଧକାରୀ ନ ହେବା ପର୍ଯ୍ୟନ୍ତ କୌଣସି ଦେଶ ସ୍ୱାଧୀନ ହୋଇ ନ ପାରେ । ଏହା ଯଦି ସତ୍ୟ ହୋଇଥାନ୍ତା, ତା'ହେଲେ ପୃଥିବୀର କୌଣସି ଦେଶ ଆଜି ପର୍ଯ୍ୟନ୍ତ ସ୍ୱାଧୀନ ହୋଇ ପାରି ନ ଥାନ୍ତା । ତାଙ୍କର ଗଣତନ୍ତ୍ର ଶାସନ ସକାଶେ ସେମାନେ ଗର୍ବ ଅନୁଭବ କରିଥାନ୍ତି, କିନ୍ତୁ ସେମାନେ ଭୁଲିଯାଆନ୍ତି ଯେ, ଇଉରୋପର ସାଧାରଣ ଲୋକଙ୍କର ବହୁଗୁରୁତର ତ୍ରୁଟି ବିଚ୍ୟୁତି ରହିଛି । ସେଗୁଡ଼ିକ ସମ୍ପର୍କରେ ମୁଁ କହିବାକୁ ଚାହୁଁ ନାହିଁ । ତେବେ କୌଣସି ଏକଛତ୍ର ଶାସକ ଯଦି ଆଦେଶ ଦିଅନ୍ତା, ଯେ ପର୍ଯ୍ୟନ୍ତ ସେହି ଲୋକଙ୍କର ତ୍ରୁଟି ବିଚ୍ୟୁତି ରହିଛି, ସେ ପର୍ଯ୍ୟନ୍ତ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ରହିବା ଅନୁଚିତ; ତାହାହେଲେ ତାଙ୍କର ତ୍ରୁଟିଗୁଡ଼ିକ ଯେ କେବଳ ରହନ୍ତା, ତା' ନୁହେ, ସେଗୁଡ଼ିକର ଦୂରୀକରଣ ସକାଶେ ସ୍ୱାଭାବିକ ଅବଲମ୍ବନରୁ ମଧ୍ୟ ସେମାନେ ବଞ୍ଚିତ ହୁଅନ୍ତେ ।
ଆମର ସାମାଜିକ ଓ ବ୍ୟକ୍ତିଗତ ଜୀବନରେ ଯେ ବହୁତ୍ରୁଟି ରହିଛି, ତାହା ଆମେ ଗୋପନ କରିବାକୁ ଚାହୁଁନା ଏବଂ ଗୋପନ କରି ରଖିବାରେ ଆମେ ସଫଳ ହେବ ମଧ୍ୟ ଅନୁଚିତ, କିନ୍ତୁ ତଥାପି ଆମେ ସ୍ୱାୟତ୍ତଶାସନ ଦାବୀ କରୁଁ । ଯଦି ମୋ କକ୍ଷର ଚାରୋଟିଯାକ କୋଣରେ ଚାରୋଟି ଦ୍ୱୀପ ପ୍ରଜ୍ଜ୍ୱଳିତ, ତା'ହେଲେ ଗୋଟିଏ ଦୀପ ନିଷ୍ପ୍ରଭ ହୋଇ ଜାଳିଲେ ମଧ୍ୟ ତଦ୍ୱାରା ଅନ୍ୟ ଗୋଟିଏ ଦୀପ ପ୍ରଜ୍ଜ୍ୱଳିତ କରିବାର ଅଧିକାରରୁ ମୁଁ ବଞ୍ଚିତ ହୋଇ ନ ଥାଏ । ଯେ କୌଣସି କୋଣର ଯେ କୌଣସି ଦୀପ ଶିଖାରୁ ମୁଁ ଯେ ଆଲୋକ ଚାହେ, ତାହାହିଁ ହେଉଛି ପ୍ରଧାନ କଥା । ମାନବିକତାର ମହାନ୍ ଆଲୋକାତ୍ସବରେ କୌଣସି ଜାତି ଏ ପର୍ଯ୍ୟନ୍ତ ତାର ପ୍ରଦୀପ ପ୍ରଜ୍ଜ୍ୱଳିତ କରିବାକୁ ସମର୍ଥ ହୋଇ ନାହିଁ; କିନ୍ତୁ ଉତ୍ସବର ବିରାମ ମଧ୍ୟ କେବେ ଘଟି ନାହିଁ । କିଛିକାଳ ହେଲା ଆମର ନିଜ ଦିପ୍ତୀ ନିର୍ବାପିତ ହୋଇଯାଇଛି ଏବଂ ଇଂଲଣ୍ଡର ପ୍ରଦୀପରୁ ଆମେ ପୁଣିଥରେ ତାକୁ ଜଳାଇନେବାକୁ କେବଳ ଚାହୁଁ । ଏହା ଫଳରେ କୌଣସି ବୈରଭାବ ଦେଖାଦେବା ଅନୁଚିତ । ଇଂଲଣ୍ଡର ପ୍ରଦୀପ ଏହା ଦ୍ୱାରା ମ୍ଳାନ ହୋଇଯିବ ନାହିଁ, ବରଂ ଆଲୋକର ଉତ୍ସବ ଅଧିକତର ଉଜ୍ଜ୍ୱଳରୂପ ଧାରଣ କରିବ ।
ଏଥିପାଇଁ ଆଶାନ୍ୱିତ ହେବାର ଯଥେଷ୍ଟ କାରଣ ରହିଛି ଏବଂ ତାହା ଆମ ନିଜ ମଧ୍ୟରେ ଓ ଇଂଲଣ୍ଡରେ ଉଭଯତ୍ର ବିଦ୍ୟମାନ । ବଙ୍ଗବାସୀଙ୍କୁ ମୁଁ ସମ୍ମାନ କରେ ଏବଂ ଜାଣେ ଯେ ଆମର ତରୁଣଦଳ ଅଭିଜ୍ଞତାର ଧାରକରା ମୁଖ ପିନ୍ଧି ନିଜକୁ ଜ୍ଞାନୀ ବୋଲି ପରିଚିତ କରାଇବାର ଚେଷ୍ଟା ଚିରକାଳ ପାଇଁ କେବେ କରିବେ ନାହିଁ । ଇଂରେଜ ଜାତିର ଅନେକ ମହାତ୍ମାଙ୍କୁ ମଧ୍ୟ ମୁଁ ଜାଣେ; ଯେଉଁମାନେ କି ତାଙ୍କ ଇତିହାସର ଅମୃତମୟ ଫଳ ଭାରତବର୍ଷକୁ ଆଣିବା ପାଇଁ ଆଗ୍ରହୀ । ଆମ ମଧ୍ୟରେ ଆଜି ବହୁ ସାହସିକ ବ୍ୟକ୍ତିଙ୍କର ପ୍ରୟୋଜନ ରହିଛି । ଯେଉଁମାନେ ସରକାରଙ୍କର ଦଣ୍ଡାଦେଶ ଗ୍ରହଣ କରିବାକୁ ଓ ନିଜ ଲୋକଙ୍କର ବିଦ୍ରୁପ ସହ୍ୟ କରିବାକୁ ପ୍ରସ୍ତୁତ ହେବେ ଏବଂ ପରାଜୟର ଆଶଙ୍କା ଅତିକ୍ରମ କରି ନିଜ ପୌରୁଷର ପରିଚୟ ଦେବାକୁ ସେମାନେ ସର୍ବଦା ଆଗ୍ରହୀ ହେବେ ।
ଭାରତର ଚିର ତରୁଣ ଚିର ଜାଗ୍ରତ ଭଗବାନ ଆଜି ଆମର ଆତ୍ମାକୁ ଆହ୍ୱାନ କରୁଛନ୍ତି । ଯଦିଚ ଆଜି ଆମର ଆତ୍ମା, ଧୂଳି ଓ ଅନ୍ଧ ସାମାଜିକ ପ୍ରଥା ଏବଂ ଅନ୍ଧ ରାଜନୀତିକ କ୍ଷମତା ମଧ୍ୟରେ ଆଚ୍ଛନ୍ନ, ତଥାପି ଆମର ଅନନ୍ତ ଓ ଅଜେୟ ଆତ୍ମାର ଏକ ଅନନ୍ୟ ସୁଲଭ ଅଧିକାର ଅମୃତରାଜ୍ୟରେ ରହିଛି । ଭାରତର ଭଗବାନ ଆଜି ତାଙ୍କର ପ୍ରତ୍ୟେକ ଆଘାତ ଓ ତାଙ୍କ ପ୍ରେରିତ ନିର୍ଯ୍ୟାତନା ମଧ୍ୟରେ ଆମକୁ ଆତ୍ମଚେତନ ହେବାକୁ ଆହ୍ୱାନ କରୁଛନ୍ତି । ଆଜି ଆମେ ପରିଷ୍କାର ଭାବରେ ଦେଖି ପାରୁଚୁ ଯେ, ମଣିଷର ସଂସାର କି ବିଶାଳ ଓ ମଣିଷର ଇତିହାସ କି ବିରାଟ । ମଣିଷ ମଧ୍ୟରେ ସେହି ଭୂମା, ସେହି ପରମାତ୍ମାଙ୍କର ପ୍ରକାଶ ଆଜି ଆମେ ଦେଖୁଚୁ । ଶକ୍ତି-ରଥରେ ଆରୂଢ଼ ହୋଇ ରୋଗ ବା ଯନ୍ତ୍ରଣା ବିପଦ ଅବା ମୃତ୍ୟୁର ଆଶଙ୍କା ଅତିକ୍ରମ କରି ସେ ମହାକାଳର ରାଜପଥରେ ନିୟତ ଭ୍ରାମ୍ୟମାଣ । ବିଶ୍ୱପ୍ରକୃତି ତାଙ୍କ ଗଳାରେ ନିଜର ପୁଷ୍ପମାଲ୍ୟ ଅର୍ପଣ କରିଛି । ତାଙ୍କର ଉନ୍ନତ ଲଲାଟ, ଜ୍ଞାନ ଦୀପ୍ତିରେ ଭାସ୍ୱର ଏବଂ ସୁଦୂର ଭବିଷ୍ୟତର ଶିଖର ପ୍ରଦେଶରୁ ଆରୋହୀ ଯାତ୍ରୀଦଳ ଦ୍ୱାରା ତାଙ୍କର ଅଭ୍ୟର୍ଥନା ଗୀତ ଶୁଣାଯାଉଛି । ଅକାଳ ବାର୍ଦ୍ଧକ୍ୟ ଦ୍ୱାରା ଆମେ ଯଦିଚ ଜରାଗ୍ରସ୍ତ, ଆତ୍ମ-ଅବିଶ୍ୱାସ ଦ୍ୱାରା ଆମେ ଯଦିଚ କାପୁରୁଷ ଏବଂ ମିଥ୍ୟାର ବୋଝ ଦ୍ୱାରା ଆମେ ଯଦିଚ ଅବିନୀତ ଓ ଭାରାକ୍ରାନ୍ତ ତଥାପି ସେହି ଭୂମା ପୁରୁଷ କେବଳ ମୋର ନୁହେ-ସମସ୍ତଙ୍କ ହୃଦୟ ସିଂହାସନରେ ଅଧିରୁଢ଼ ହେବାକୁ ଚାହାନ୍ତି ।
କ୍ଷୁଦ୍ର ଈର୍ଷା ଓ ପରଶ୍ରୀକାତରତା ମଧ୍ୟରେ କ୍ଷୁଦ୍ର ଶକ୍ତି ଓ କ୍ଷୁଦ୍ର ସମ୍ମାନ ପାଇଁ ଭିକ୍ଷୁକଭଳି ଆମ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା ଓ କଳହ କରିବାର ଦିନ ଆଜି ନୁହେ । ଯେଉଁ ମିଥ୍ୟା ଦାମ୍ଭିକତା ଫଳରେ ମନୁଷ୍ୟ ନିଜର କ୍ଷୁଦ୍ର ଗୃହର ଅନ୍ଧକାରାଚ୍ଛନ୍ନ କକ୍ଷରେ ଦର୍ପସହକାରେ ବିଚରଣ କରୁଥାଏ ଏବଂ ବିଶ୍ୱଦରବାର ସମ୍ମୁଖରେ ଉପହାସିତ ହୋଇଥାଏ, ସେହିଭଳି ମିଥ୍ୟା ଦର୍ପର ଭ୍ରାନ୍ତ ଦିବସ ଆଜି ଆଉ ନାହିଁ । ଅନ୍ୟକୁ ନିନ୍ଦା କରି ଆତ୍ମସନ୍ତୋଷ ଲାଭ କରିବା କେବଳ ଦୁର୍ବଳ ବ୍ୟକ୍ତିର ହିଁ ବିଳାସ ଏବଂ ସେ ଧରଣର କୌଣସି ଦୁର୍ବଳତା ଆମ ନିଜ ପାଖରେ ରଖିବା ନାହିଁ । ଏହା ହେଉଛି ଆତ୍ମା-ସମୀକ୍ଷାର ଦିନ । ଅସଂଖ୍ୟ ତ୍ରୁଟିର ସଞ୍ଚିତ ବୋଝ, ଯାହା ଆମର ପୌରୁଷକୁ ପଦଦଳିତ କରିଛି ଓ ଯୁକ୍ତି ବୁଦ୍ଧିକୁ ମୂକ କରିଛି-ଏବଂ ବହୁଶତାବ୍ଦୀ ଧରି ଯେଉଁ ଅସ୍ୱୀକୃତି ସ୍ତୂପୀଭୂତ ହୋଇଛି, ତାହାକୁ ଆମର ସମସ୍ତ ଶକ୍ତି ସାହାଯ୍ୟରେ ଦୁରକୁ ଫିଙ୍ଗି ଦେବା ପାଇଁ ଆତ୍ମସମାଲୋଚନାର ଦିନ ଆଜି ଆସିଛି । ଆମ ଅଗ୍ରଗତିର ଶ୍ରେଷ୍ଠ ପ୍ରତିବନ୍ଧକ ଆମ ପାଶ୍ଚାଦ୍ଦେଶରେ ହିଁ ରହିଛି । ଆମର ଅତୀତ ତାର ବଶୀକରଣର ଶର ଦ୍ୱାରା ଆମର ଭବିଷ୍ୟତକୁ ବଦ୍ଧ କରିଛି । ଯେଉଁ ଧୂଳି ଓ ଶୁଷ୍କପତ୍ର ଆମର ସେହି ଅତୀତକୁ ଆବୃତ୍ତ କରିଛି, ତଦ୍ଦ୍ୱାରା ଆମ ନବଯୁଗର ସୂର୍ଯ୍ୟୋଦୟ ପଥ ଆଜି ଅନ୍ଧକାରାଚ୍ଛନ୍ନ ଏବଂ ଏହା ଦ୍ୱାରା ଆମର ନବୋତ୍ଥିତ ଯୁବଶକ୍ତିର ପ୍ରାଣପ୍ରାଚୁର୍ଯ୍ୟ ଆଜି ଶୁଷ୍କ, ନିର୍ମମ ଭାବରେ ଆମର ସେହି ଅତୀତକୁ ଭାଙ୍ଗି ତାର କବଳରୁ ମୁକ୍ତ ହେବା ଆମର ଆବଶ୍ୟକ ଏବଂ ପୃଥିବୀବ୍ୟାପୀ ଯେଉଁ ନରନାରୀ ଆଜି ନିୟତ ପ୍ରଗତିଶୀଳ, ନିୟତଜୀବନ୍ତ, ନିୟତଜାଗ୍ରତ ଓ ନିୟତ ସନ୍ଧାନୀ, ସେହିମାନଙ୍କ ମଧ୍ୟରେ ଆମକୁ ଆସନ ଗ୍ରହଣ କରିବାକୁ ପଡ଼ିବ । ଏହି ନର ନାରୀ ହିଁ ସମଗ୍ର ପୃଥିବୀର ସ୍ରଷ୍ଟା ବିଶ୍ୱକର୍ମାଙ୍କର ଦକ୍ଷିଣ ହସ୍ତ ସ୍ୱରୂପ । ସତ୍ୟର ଅକ୍ଲାନ୍ତ ସନ୍ଧାନ ପାଇଁ ଯେଉଁ ସରଣୀରେ ସେମାନେ ଗତିଶୀଳ, ତାହା ଜ୍ଞାନଦୀପ୍ତିରେ ଉଜ୍ଜ୍ୱଳ ଏବଂ ତାଙ୍କର ବିଜୟଯାତ୍ରାର ଧ୍ୱନି ପ୍ରତ୍ୟେକ ଦେଶରେ ଓ ପ୍ରତ୍ୟେକ ଯୁଗରେ ପ୍ରତିଧ୍ୱନିତ । ଶ୍ରାବଣର ଅବିଶ୍ରାନ୍ତ ଧାରା ଭଳି ଦୁଃଖ-ଯନ୍ତ୍ରଣା ଆମ ଉପରେ ବୃଷ୍ଟି ହୋଇଛି ଏବଂ ଫଳରେ ଆମ ମଧ୍ୟରେ ଯେଉଁ ତାମସାଚ୍ଛନ୍ନ ଅପବିତ୍ରତା ଦେଖଦେଇଛି, ତାହାର ପ୍ରାୟଶ୍ଚିତ୍ତ ବିଧାନ ଆଜି ଆବଶ୍ୟକ । କିନ୍ତୁ କିପରି ଏହାର ପ୍ରାୟଶ୍ଚିତ୍ତ ହେବା ଉଚିତ ? ସେହି ଦୁଃଖ ଯନ୍ତ୍ରଣାକୁ ତ୍ୟାଗର ପବିତ୍ର ହୋମାନଳରୂପେ ବରଣ କରି ଆମ ପାପ, ଅଜ୍ଞତା ଓ ଜଡ଼ତାକୁ ଦଗ୍ଧ କରିବା ଦ୍ୱାରା ତାର ପ୍ରାୟଶ୍ଚିତ୍ତ କେବଳ ସମ୍ଭବ ।
ତେଣୁ ଚାଲ ଆମେ ସେହି ପରମାତ୍ମାକୁ ଆହ୍ୱାନ କରିବା ଏବଂ ତାଙ୍କୁ ଆମର କ୍ଷୁଦ୍ରତା ବଦଳରେ ଆମ ଅନ୍ତରର ମହାନ ଓ ଅମର ଦେବତା ଆମର ଜୀବାତ୍ମାକୁ ତାଙ୍କୁ ଉପହାର ଦେବା । ଆମର ଜୀବାତ୍ମା ତାଙ୍କର ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଯେପରି ଆସୀନ ହୁଅନ୍ତି ସେଥିପାଇଁ ଚାଲ ସେହି ପରମାତ୍ମାଙ୍କୁ ଆମେ ପ୍ରାର୍ଥନା କରିବା । ଚାଲ ଆମେ ପ୍ରାର୍ଥନା କରିବା,-କ୍ଷୁଦ୍ରତା ଚିରକାଳ ହାସ୍ୟାସ୍ପଦ ହେଉ, ପରାଧିନତା ନିର୍ଯ୍ୟାତିତ ହେଉ ଏବଂ ନିର୍ବୋଧତା ଚିରକାଳ ସକାଶେ ଭର୍ତ୍ସିତ ଓ ନିର୍ବାସିତ ହେଉ ।