ଟଙ୍କାଗଛ
୧୮୬୭–୧୯୪୩
- ପଢ଼ିବା ସମୟ
- ୨୬୬ ମିନିଟ୍
- ଶବ୍ଦ
- ୪୨୫୫୪
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ପରିଚ୍ଛେଦ
କେନ୍ଦୁଝର ରାଜ୍ୟର ସୀମାରେ ସୁନାଘାଇ ନାମରେ ଗୋଟିଏ ପର୍ବତ ଅଛି । ପର୍ବତଟି ଅତି ବଡ଼ କିମ୍ବା ଅତି ସାନ ନୁହେଁ–ତାହା ମଧ୍ୟଭଳିଆ । ପର୍ବତର ପାଦଦେଶରେ ଗୁରୁପାଦତଳେ ଶିଷ୍ୟବୃନ୍ଦ ବସିଲା ପ୍ରାୟ କିମ୍ବା ଦେବପାଦ ତଳେ ପୂଜାପୁଷ୍ପପୁଞ୍ଜ ପ୍ରାୟ ଶୀତଳପୁର ଗ୍ରାମ ଅବସ୍ଥିତ । ଗ୍ରାମର ଉପକଣ୍ଠରେ କୋକିଳାକ୍ଷୀ ନଦୀ କଳକଳ ନାଦରେ ବହିଯାଉଅଛି । ଦୂରରୁ ତାହା ଭକ୍ତ କଣ୍ଠରେ ତୁଳସୀମାଳା ପ୍ରାୟ ସୁନ୍ଦର ଦିଶେ । ଗ୍ରାମଟି ପର୍ବତର ପାଦଦେଶଠାରୁ କଟିପର୍ଯ୍ୟନ୍ତ ବିସ୍ତୃତ-। ଦେଖିଲା ମାତ୍ରେ ବୋଧହୁଏ, ଯେମନ୍ତ କି ସୁନ୍ଦରୀ ନଗରୀରାଣୀ ନୀଳପାଟରଚିତ ଅପସର ଉପରେ ଦେହଭାର ନ୍ୟସ୍ତ କରି ଆରାମରେ ବସିଅଛନ୍ତି । ଗ୍ରାମରେ ପ୍ରାୟ ପଞ୍ଚଶତାଧିକ ଘର । ଛତିଶ ପାଟକର ଲୋକ ବାସ କରନ୍ତି । ଘରଗୁଡିକ ଧାଡ଼ି ଧାଡ଼ି ହୋଇ ନିର୍ମିତ । ମଧ୍ୟରେ ପ୍ରଶସ୍ତ ପଥ । ଗ୍ରାମର ଶାଖାପ୍ରଶାଖା ସୁଦ୍ଧା ଅଳ୍ପ ନୁହେଁ । ରାସ୍ତାଗୁଡ଼ିକ ଛକିମୟ । ପର୍ବତ ଶିଖର ଉପରୁ ଚାହିଁଲେ ଗ୍ରାମଟି ନିପୁଣ ଶିଳ୍ପୀ ଅଙ୍କିତ ଖଣ୍ଡିଏ ଛବି ପରି ସୁନ୍ଦର ଦିଶେ । ଗ୍ରାମର ଛକି ରାସ୍ତାମାନ ଗିରିଦେବତାଙ୍କର ଅସଂଖ୍ୟ ପଶାପାଲି ଏକତ୍ର ବିସ୍ତୃତ ହେଲାପ୍ରାୟ ବଡ଼ ରମଣୀୟ ବୋଧହୁଏ । ଘରଗୁଡ଼ିକ ସେହି ପଶାପାଲିର ସାର, କିଏ ଯୁଗ ବାନ୍ଧିଅଛି–କିଏ ଡବଲ ଯୁଗ ବାନ୍ଧିଛି–କେତେ ବା ଯୁଗ ନ ବାନ୍ଧି ଇତସ୍ତତଃ ରହିଅଛି । ଗ୍ରାମବାସୀଏ ସମସ୍ତେ ଚାଷୀବନ୍ଦୀ ଲୋକ; ସୁତରାଂ ନବୀନ ଶିକ୍ଷା ବା ନବୀନ ସଭ୍ୟତାର ଜ୍ୱାଳାକର ଉଜ୍ଜ୍ୱଳ ଆଲୋକ ସେମାନଙ୍କ ହୃଦୟରେ ସ୍ଥାନ ପାଇ ନାହିଁ । ସମସ୍ତେ ଅପ୍ରବାସୀ, ଚାଷବାସ କରି ବଞ୍ଚନ୍ତି । ନିଜର ଗ୍ରାମଟି ସେମାନଙ୍କ ନିକଟରେ ବିଶାଳ ସଂସାର । ନିଜର ଗ୍ରାମ ଛାଡ଼ି କେହି କେବେ ବିଦେଶ ଯାଇଥିବାର ଶୁଣାଯାଇ ନାହିଁ । ଏହେତୁ ସାହରିକ ଦୂଷିତ ଚାତୁରୀ ବା ଅତିସିହାଣପଣ ସେମାନଙ୍କୁ ସ୍ପର୍ଶ କରି ପାରି ନାହିଁ ।
ଗ୍ରାମର ଆଉ ଗୋଟିଏ ବିଶେଷତ୍ୱ ଏହି ଯେ, ଗୋଟିଏ ଗୋଟିଏ ସାହି ଗୋଟିଏ ଜାତି ସକାଶ ନିର୍ଦ୍ଦିଷ୍ଟ । ଅର୍ଥାତ୍ ବ୍ରାହ୍ମଣ ସାହିରେ କେବଳ ବ୍ରାହ୍ମଣ ବ୍ୟତୀତ ଅନ୍ୟ ଜାତିର ଘର ନାହିଁ । ସେହିପରି କରଣ ସାହିରେ କେବଳ କରଣ, ଧୋବା ସାହିରେ କେବଳ ଧୋବା, ଏହିପରି ପ୍ରତି ସାହିରେ ଗୋଟିଏ ଗୋଟିଏ ଜାତି ବାସ କରନ୍ତି । ଏଡ଼େ ବଡ଼ ଗ୍ରାମ, ଏତେ ଲୋକଙ୍କର ବାସ; ମାତ୍ର ଗ୍ରାମଟି ପରିଷ୍କାର ପରିଚ୍ଛନ୍ନ, ଯେପରି କି ପରିଚ୍ଛନ୍ନତା ରୂପ ଧରି ହସିଖେଳ ଗ୍ରାମସାରା ବୁଲୁଅଛି । ଗ୍ରାମର ପବିତ୍ରତା କେତେବେଳେ ମଳିନ ହୁଏ ନାହିଁ । କଥାରେ କହନ୍ତି, ଗାଁ ପରିମଳ ଧୋବାତୁଠରୁ ଜଣା । ଶୀତଳପୁର ଗ୍ରାମର ପରିଚ୍ଛନ୍ନତା ଦେଖିଲେ ଗ୍ରାମବାସୀଙ୍କର ହୃଦୟ ନିହିତ ସ୍ୱରୁଚିର ସୁନ୍ଦର ପରିଚୟ ମିଳେ । ଗ୍ରାମମୁଣ୍ଡରେ ଚଣ୍ଡୀଙ୍କର ମନ୍ଦିର । ମନ୍ଦିରଟି ପ୍ରସ୍ତରନିର୍ମିତ ଏବଂ ଅପାଦମସ୍ତକ ଚାରୁଶିଳ୍ପକଳାରେ ମଣ୍ଡିତ । ତାହା ଅତୀତର ଅମର ମୋହନ ମାଧୁରୀ ବୋଳି ହୋଇ ସଦର୍ପରେ ଉଭା ହୋଇଅଛି । ମନ୍ଦିରଟି ଉଜ୍ଜ୍ୱଳର ଅତୀତ ଶିଳ୍ପସମୃଦ୍ଧିର ମୂକସାକ୍ଷୀ । ତାହାକୁ ଦେଖିଲେ ଖଣ୍ଡିଏ ପ୍ରାଚୀନ ଇତିହାସ ପାଠକଲା ପ୍ରାୟ ବୋଧହୁଏ । କି ପ୍ରେମର ଅମର ଭାଷା ମନ୍ଦିରର ପାଷାଣ ହୃଦୟରେ ନୀରବରେ ଧ୍ୱନିତ ହେଉଅଛି, ତାହା ଶୁଣିଲେ ଏବଂ ପାଷାଣ ଛନ୍ଦରେ ରଚିତ କି ସ୍ୱପ୍ନ ସଙ୍ଗୀତ ମନ୍ଦିର ଦେହରେ ମୂର୍ଚ୍ଛିତ ହୋଇଅଛି, ତାହା ପାଠ କଲେ, ଆଉ ଶିଳ୍ପକଳାର ସୌନ୍ଦର୍ଯ୍ୟର ଉଚ୍ଛ୍ୱାସ ଅନନ୍ୟମନା ହୋଇ ଅନୁଧ୍ୟାନ କଲେ ଦର୍ଶକର ହୃଦୟ ନିର୍ବାକ ବିସ୍ମୟରେ ଅଭିଭୂତ ହୁଏ । ମନ୍ଦିରମଧ୍ୟସ୍ଥ ଚଣ୍ଡୀମୂର୍ତ୍ତି କି ସୁନ୍ଦର ! ସତେ ଯେପରି ଦର୍ଶନମାତ୍ରେ ଦେବୀ ଦର୍ଶକର ଅନ୍ତଃକରଣର ଅନ୍ତସ୍ତଳନିହିତ ଭକ୍ତ-ବିତ୍ତ ନିଃଶେଷ କରି ଜୁରି ନେଉଅଛନ୍ତି । ମୂର୍ତ୍ତିଟି ସ୍ୱୟଂ ବିଶ୍ୱବିଧାତାଙ୍କର କିମ୍ବା ଶୋଭାଦେବୀଙ୍କର କାହାର ପୂଜାପ୍ରତିମା, ତାହା କିଏ କହିପାରିବ ? ମୁଖ ଏବଂ ନେତ୍ରରୁ ଆନନ୍ଦ ଏବଂ ତୃପ୍ତିର ଅମୃତଧାରା ଝରିପଡ଼ୁଅଛି । ପ୍ରଶସ୍ତ ଲଲାଟ ପଟରେ ଅପୁର୍ବ ଅମରୀ ପ୍ରତିଭା ଖେଳି ବୁଲୁଅଛି । ଦେହକାନ୍ତି ସିନ୍ଦୂର ରାଗରେ ସମୂଜ୍ଜ୍ୱଳ ଏବଂ ସୁମଧୁର । ଯେମନ୍ତ କି ଔଜ୍ଜ୍ୱଲ୍ୟ ମାଧୁର୍ଯ୍ୟକୁ କୋଳରେ ଧରି ବସିଅଛି । ଅଧରସୁପ୍ତ ପ୍ରଦୀପ୍ତ ହାସ୍ୟରେଖା ସ୍ୱର୍ଗରୁ ଗୋଟାଏ ମହିମାର ରଶ୍ମି ଛିଡ଼ିପଡ଼ିଲା ପ୍ରାୟ ପ୍ରତୀୟମାନ ହୁଏ । ମନ୍ଦିର ସମ୍ମୁଖରେ ବୃହତ୍ ପୁଷ୍କରିଣୀ ସେବାଦାସୀରୂପେ ଦେବୀଙ୍କୁ ଖଟିଅଛି । ପୁଷ୍କରିଣୀଟି କମଳ, କୁମୁଦ, କହ୍ଲାର ପ୍ରଭୃତିରେ ଅଳଂକୃତ । ତହିଁରେ ନାନାଜାତୀୟ ପକ୍ଷୀ ଦୂର୍ବୋଧ୍ୟ ‘‘କେଁକଟ୍ର’’ ଭାଷାରେ ପରସ୍ପରକୁ ସମ୍ଭାଷଣ କରୁଅଛନ୍ତି । ସମସ୍ତେ ଏକାବେଳକେ ସ୍ନେହ-ପ୍ରେମାଳାପରେ ନିଯୁକ୍ତ; କିନ୍ତୁ କାହା କଥା କିଏ ଶୁଣୁଛି, ତାହା ଜାଣିବାର ଉପାୟ ନାହିଁ । ସେମାନଙ୍କର ଏହି କଳ କୋଳାହଳର ମଧୁର ବାଣୀ ଶୁଣିଲେ ଚିତ୍ତ ମୁଗ୍ଧ ହୁଏ; ମାତ୍ର ପ୍ରମତ୍ତ ହୁଏ ନାହିଁ । ସେମାନେ କେବଳ ଗଳ୍ପାମୋଦରେ କାଳହରଣ କରୁ ନାହାନ୍ତି । କୀଟପତଙ୍ଗ ଧରି ଉଦରନାମକ ଧ୍ୱଂସପଟୁ ଦେବତାଙ୍କୁ ମଧ୍ୟେ ମଧ୍ୟେ ଉତ୍ସର୍ଗ କରୁଅଛନ୍ତି । ସରସୀସମୀରର ଲୀଳା ଅକଥନୀୟ । ସେ କେତେବେଳେ କେତେ ରଙ୍ଗ କରୁଅଛି ! ସେ କେବେ ପକ୍ଷୀଗୁଡ଼ିକୁ ଯୁଥଭ୍ରଷ୍ଟ କରି ଏକ ପାଖରୁ ଅନ୍ୟ ପାଖକୁ ଭସାଇ ଘେନିଯାଉଅଛି । କେବେ ବା ଲୁଚି ଲୁଚି ଆସି ପଛରୁ ଫୁଲର ଦେହ ଫୁଙ୍କି ଦେଇ ହୋ ହୋ ରବରେ ହସି ହସି ଫୁଲର ସୁରଭି ଚୋରି କରି ତାହାକୁ ନିଜ ଦେହରେ ବୋଳିହୋଇ ପଳାଇ ଯାଉଅଛି । ଦୁଷ୍ଟ ଅବାଧ୍ୟ ପିଲାତୁଲ୍ୟ ଏହିପରି ସେ କେତେ ଉପଦ୍ରବ କରୁଅଛି, ସେଥିରେ କଳନା ନାହିଁ ।
ଗାଁଆର ମୁଣ୍ଡରେ ସିଦ୍ଧେଶ୍ୱର ଶିବଙ୍କର ମନ୍ଦିର । ମହାଦେବଙ୍କ ପରି ମନ୍ଦିରଟି ନିରାଡ଼ମ୍ବର ଏବଂ ନିରଳଙ୍କାର । ବାହନ ବୃଷଭ ମନ୍ଦିର ମଧ୍ୟରେ ଶୋଇ ସ୍ୱୀୟ ପ୍ରଭୁଙ୍କ ଅଖଣ୍ଡ ଧ୍ୟାନରେ ନିମଗ୍ନ ରହିଅଛି । ଗ୍ରାମବାସୀଏ ଏହାକୁ ‘‘ବାସୁଆ ବଳଦ’’ ବୋଲି କୁହନ୍ତି । ଏହା ବ୍ୟତୀତ ଗ୍ରାମର ମଧ୍ୟଭାଗରେ ଆଉ ଗୋଟିଏ ରମଣୀୟ ମନ୍ଦିର ଅଛି । ସେଥିରେ ପ୍ରତାପୀ ଦେବତା ଗୋପୀନାଥ ଅଧିଷ୍ଠିତ । ଏହି ମନ୍ଦିର ସମ୍ମୁଖରେ ତିନିଗୋଟି ପ୍ରକାଣ୍ଡ ବଙ୍ଗଳା ଅଛି । ସାଧୁ, ସନ୍ଥ ବା ଅତିଥି ଅଭ୍ୟାଗତ ଆସିଲେ ସେଠାରେ ରହନ୍ତି । ଗୋପୀନାଥ ଦେବଙ୍କ ମନ୍ଦିର ସଂଲଗ୍ନରେ ଗୋଟିଏ ପୋଥିଗାଦି ଅଛି । ସେଥିରେ ତାଳପତ୍ରଲିଖିତ ଶାସ୍ତ୍ରପୁରାଣଠାରୁ କାବ୍ୟନାଟକ ପର୍ଯ୍ୟନ୍ତ ଅନେକ ସଦ୍ଗ୍ରନ୍ଥ ସଞ୍ଚିତ ହୋଇଅଛି । ପ୍ରତ୍ୟହ ସନ୍ଧ୍ୟା ସମୟରେ ସେଠାରେ ପୁରାଣ ଆଦି ପାଠହୁଏ । ସମୟ ସମୟରେ ଗ୍ରାମବାସୀଙ୍କର ଦୋଷାପରାଧର ପଞ୍ଚାୟତ ବିଚାର ମଧ୍ୟ ସେହିଠାରେ ହୁଏ । ଏହି ତିନି ଦେବତାଙ୍କ ନୀତି ଚଳିବା ସକାଶ ମରହଟ୍ଟା ସୁବାଦାର ଭୋଁସଲା ରଘୁଜି ଯଥେଷ୍ଟ ଭୂସମ୍ପତ୍ତି ଖଞ୍ଜିଦେଇ ଯାଇଅଛନ୍ତି । ସେଥିରେ ଆୟରେ ଦେବଦେବୀଙ୍କର ସେବା ସୂଚାରୁରୂପେ ଚଳି ଆସୁଅଛି । ମରହଟ୍ଟାମାନେ ଅତ୍ୟାଚାରୀ ଶୋଷଣପଟୁ ଥିଲେ ସତ୍ୟ; ମାତ୍ର ଦେବଭକ୍ତି ସେମାନଙ୍କର ଗୋଟିଏ ପ୍ରଶଂସନୀୟ ଗୁଣ ଥିଲା । ଚନ୍ଦ୍ରର କିରଣ ଚନ୍ଦ୍ରକଳଙ୍କକୁ ଘୋଡ଼ାଇ ରଖିଲା ପ୍ରାୟ ଏହି ମହତ୍ ଗୁଣଟି ସେମାନଙ୍କର ସମସ୍ତ ଦୋଷ ଢାଙ୍କି ରଖିଅଛି । ବର୍ତ୍ତମାନ ଉତ୍କଳର ମଠବାଡ଼ିମାନଙ୍କରେ ଯେଉଁ ସବୁ ଭୂସମ୍ପତ୍ତି ଦେବପୂଜାର ସମ୍ବଳ ଅଛି, ସେଥିମଧ୍ୟରୁ ଅଧିକାଂଶ ମରହଟ୍ଟା ରାଜପ୍ରଦତ୍ତ । ସେମାନଙ୍କର ଏହି ମହାଦାନ ସେମାନଙ୍କୁ ଚିରସ୍ମରଣୀୟ କରି ରଖିଅଛି ଏବଂ ଚିରକାଳ ରଖିଥିବ । ଏଥିରେ ସନ୍ଦେହର ଅବକାଶ ମାତ୍ର ନାହିଁ-। ସୂକୀର୍ତ୍ତିହିଁ ମାନବକୁ ଅମର କରି ରଖେ । ସୂକୀର୍ତ୍ତି ଅମରତ୍ୱର ପ୍ରାଣପୋଷୀ ପୁଷ୍ଟିକର ଖାଦ୍ୟ-।
ଦ୍ୱିତୀୟ ପରିଚ୍ଛେଦ
ଶୀତଳପୁର ଗ୍ରାମର ଯେଉଁ ସବୁ ଉନ୍ନତିର ଆଭାସ ଦିଆଗଲା, ତାହା ମୂଳରେ ନିଶ୍ଚୟ ଜଣେ କର୍ମକୁଶଳ ବ୍ୟକ୍ତିଙ୍କର ମଙ୍ଗଳ ହସ୍ତ ଲୁକ୍କାୟିତ ଅଛି । ମସ୍ତକଶୂନ୍ୟର ମସ୍ତକ-ବ୍ୟଥା ଯେପରି ଅସମ୍ଭବ, କର୍ତ୍ତାଶୂନ୍ୟ କର୍ମ ସେହିପରି ଅସମ୍ଭବ । ଫୁଲହାର ମଧ୍ୟସ୍ଥ ସୂତା ପରି କାର୍ଯ୍ୟ ମଧ୍ୟରେ କାରଣ ଅପ୍ରକଟ ଥାଏ । କର୍ମ ଥିଲେ କର୍ତ୍ତା ଅବଶ୍ୟ ଅଛି, ପଣ୍ଡିତମାନେ ଏହି ସୂତ୍ର ଧରି ଈଶ୍ୱରଙ୍କ ଅସ୍ତିତ୍ୱ ପ୍ରମାଣିତ କରନ୍ତି । ଶୀତଳପୁର ଗ୍ରାମର ଉନ୍ନତିରେ ଜଣେ କର୍ତ୍ତା ଅଛନ୍ତି–ସେ ହେମହରି ସାମନ୍ତ । ହେମହରି ଜାତିରେ କ୍ଷତ୍ରିୟ, ତାଙ୍କର ପୂର୍ବପୁରୁଷମାନେ ଦକ୍ଷିଣରୁ ଆସି ଏହି ଗ୍ରାମରେ ବାସ କରିଥିଲେ । ହେମହରି ଅବସ୍ଥାପନ୍ନ ବ୍ୟକ୍ତି । ସେ କେନ୍ଦୁଝର ରାଜାଙ୍କ ନିକଟରୁ ୨୫ ବାଟି ନିଷ୍କର ଭୂମି ପାଇଥିଲେ । ସେହି ଭୂମିର ଆୟରେ ତାଙ୍କର ସଂସାରଯାତ୍ରା ସୁଖସ୍ୱାଚ୍ଛନ୍ଦ୍ୟରେ ନିର୍ବାହିତ ହୁଏ । ଏହା ବ୍ୟତୀତ ସେ ଜଣେ ଆଦର୍ଶ କୃଷକ । ଧାନ, ମୁଗ, ରାଶି, ହରଡ଼ ଓ ଆଖୁଚାଷ ପ୍ରଭୃତିରୁ ୧୦/୧୫ ହଜାର ଟଙ୍କା ତାଙ୍କର ବାର୍ଷିକ ଆୟ ହୁଏ । ସେ ଜଣେ ସତ୍ୟନିଷ୍ଠ, ନ୍ୟାୟପ୍ରାଣ, ସଚ୍ଚରିତ୍ର ଏବଂ ଦୟା ଧର୍ମପରାୟଣ ପରୋପକାରୀ ବ୍ୟକ୍ତି । ଅତିଥିଅଭ୍ୟାଗତ ଦ୍ୱାରରୁ କେବେ ନିରାଶ ହୋଇ ଫେରନ୍ତି ନାହିଁ । ଅଧିକନ୍ତୁ ସେ ଗୁପ୍ତଦାନରେ ମହାଦାତା । ତାଙ୍କର ଦକ୍ଷିଣ ହସ୍ତର ଦାନ ବାମ ହସ୍ତ ଜାଣିପାରେ ନାହିଁ । କୃତୀ ବ୍ୟକ୍ତିମାନଙ୍କ ବୈଚିତ୍ରମୟ କର୍ମଜୀବନ ପଛରେ ଏହିପରି ଅନେକ ମଣିମାଣିକ୍ୟ ଲୁକ୍କାୟିତ ଥାଏ, ତାହା ଲୋକଲୋଚନର ଆଗୋଚର ।
ସାମନ୍ତେ ଭାଗ୍ୟଧର ପୁରୁଷ; ସୁତରାଂ ଅଭାବର କଶାଘାତ ତାଙ୍କୁ ଜୀବନରେ କେବେ ସହ୍ୟ କରିବାକୁ ପଡ଼ିନାହିଁ । ଗ୍ରାମର ପ୍ରତ୍ୟେକ କଲ୍ୟାଣ କାର୍ଯ୍ୟରେ ସେ ପୁରଶ୍ଚର ହୋଇ ବାହାରନ୍ତି-। ଗ୍ରାମରେ କେହି ଆପଦବିପଦରେ ପଡ଼ିଲେ ପ୍ରାଣପଣ ଯତ୍ନରେ ସେ ତାହାକୁ ଉଦ୍ଧାର କରନ୍ତି । ଏହି ହେତୁ ସମସ୍ତେ କହନ୍ତି–‘‘ସାଆନ୍ତେ ରାଜା ନ ହେଲେ ସୁଦ୍ଧା ଏ ଗ୍ରାମର ରାଜାଠାରୁ ବଳନ୍ତି ।’’ କେବଳ କହନ୍ତି ନାହିଁ, ରାଜାତୁଲ୍ୟ ଭକ୍ତିଶ୍ରଦ୍ଧା ମଧ୍ୟ ପ୍ରଦର୍ଶନ କରନ୍ତି । ଗ୍ରାମବାସୀମାନେ କେହି ଭାଗରେ, କେହି ବା ଖଜଣା ଦେଇ ସାମନ୍ତଙ୍କ ଜମି ଚାଷ କରନ୍ତି । ଅଭାବ ପଡ଼ିଲେ ଧାନ କିମ୍ବା ଟଙ୍କା କରଜ ନିଅନ୍ତି । ସାଧାରଣ ସୁଧଜୀବୀ ବାର୍ଦ୍ଧୁଷିକ ପରି ସାମନ୍ତେ ଖାତକର ତଣ୍ଟି ଚିପି ତାହାର ଶୋଣିତ ଶୋଷଣର ବ୍ୟବସ୍ଥା କରନ୍ତି ନାହିଁ । ତାଙ୍କର ସୁଧର ହାର ଟଙ୍କାରେ ମାସିକ ଅଧ ପାହୁଲେ ଏବଂ ଦଶ ପୁଡ଼ି ଧାନରେ ଏକପୁଡ଼ି । ପୂନେଇ ପର୍ବରେ ଗ୍ରାମବାସୀଏ ନିମନ୍ତ୍ରିତ ହୋଇ ତାଙ୍କ ଘରେ ଆହାର କରନ୍ତି । ତାଙ୍କ ଘରେ ଥରେ ଯାହାର ପତ୍ର ପଡ଼ିଅଛି, ସେ କହେ ଘରପରି ଘରଟାଏ ଏକା-! ବାସ୍ତବରେ ତାଙ୍କର ନରଦୁର୍ଲଭ ଦେବ ବ୍ୟବହାରରେ ଆବାଳବୃଦ୍ଧ ସମସ୍ତେ ସନ୍ତୁଷ୍ଟ, ଏହା ବୋଲିବା ଦ୍ୱିରୁକ୍ତି ମାତ୍ର । ସାମନ୍ତଙ୍କ ପରି ହୃଦୟୀ ଜଗତରେ ବିରଳ ପରିଲକ୍ଷିତ ହୁଅନ୍ତି । ଯେଉଁଦିନ ସେ ପରୋପକାରର ସୁବିଧା ପାଆନ୍ତି, ସେଦିନକୁ ସେ ସୌଭାଗ୍ୟର ସୁଦିନ ବୋଲି ମନେ କରନ୍ତି । ମାତ୍ର ଏତେ ସୁଖ, ଏତେ ସୌଭାଗ୍ୟରେ ସୁଦ୍ଧା ସାମନ୍ତଙ୍କ ଜୀବନରେ ଗୋଟାଏ ଅପୂର୍ଣ୍ଣତା ରାଜପଣ କରୁଥିଲା । ବିଧାତା ସୃଷ୍ଟିରେ କିଛିହିଁ ପରିପୂର୍ଣ୍ଣ ନୁହେଁ । ଦରିଦ୍ରର ଧନର ଅଭାବ, ଧନୀର ପୁତ୍ରକନ୍ୟା ଅଭାବ, ଏହିପରି ଗୋଟାଏ କୌଣସି ନା କୌଣସି ଅପୂର୍ଣ୍ଣତା ସମସ୍ତଙ୍କ ପ୍ରାଣରେ ଲାଗି ରହିଅଛି । ପୂର୍ଣ୍ଣତାପ୍ରଦାନ ଯେପରି ବିଧାତାଙ୍କର ମାନହାନିକର । ମନୁଷ୍ୟ ଅବସ୍ଥାର ଦାସ; ମାତ୍ର ଅବସ୍ଥା ମନୁଷ୍ୟର ଦାସ ନୁହେଁ । ହେମହରିଙ୍କ ଜୀବନ-ଗ୍ରନ୍ଥର ଶେଷ ଅଧ୍ୟାୟ ଦୁଃଖପୂର୍ଣ୍ଣ ଥିଲା । ଦୁଃଖ-ବଜ୍ରସୂଚିର ପ୍ରଚଣ୍ଡ ଆଘାତ ତାଙ୍କର ହୃଦୟ-ପଞ୍ଜରକୁ ଚୂର୍ଣ୍ଣୀଭୁତ କରିଦେଇଥିଲା । ଗତ ସନ ବୈଶାଖ ମାସରେ ତାଙ୍କର ଗୁଣବତୀ ସତୀ ସହଧର୍ମିଣୀ ନଶ୍ୱର ଇହଧାମ ତ୍ୟାଗକରି ଅବନିଶ୍ୱର ଅନନ୍ତ ଧାମକୁ ଚାଲିଯାଇଛନ୍ତି । ସେ ସ୍ମୃତିର ଅଗ୍ନିରେଖା ଅବଧି ନିଭି ନାହିଁ । ସେହି ନିଦାରୁଣ ସ୍ମୃତିର ତଣ୍ଟି ଚିପି ମାରିବାକୁ ଯେତେ ଚେଷ୍ଟା କଲେହେଁ ସେ ମଲା ନାହିଁ । ଯେତେ ଥର ମରେ, ପୁଣି ପର ମୁହୂର୍ତ୍ତରେ ଜୀଇଉଠେ । ଦୂର୍ଜନର ପରମାୟୁ ଅଧିକ, ଏହା ସ୍ୱତଃ ସିଦ୍ଧ କଥା ।
କେତେ ଲୋକ ଆସି କେତେ କଥା କହି ବୁଝାଇଲେ । କେହି କହିଲା–‘‘ଜୀବନ ସିନା ମୃତ୍ୟୁ ମହାସମୁଦ୍ରର କ୍ଷୀଣ ଲହରୀ । ତାହା ଏହି ମାତ୍ର ଅଛି, ଏହି ମାତ୍ର ନାହିଁ । ଆପଣ ସେଥିପାଇଁ ଦୁଃଖ କରନ୍ତୁ ନାହିଁ ।’’ କେହି କହିଲା, ‘‘ଆପଣ ଦ୍ୱିତୀୟ ସଂସାର କରନ୍ତୁ ।’’ ସାମନ୍ତେ ହସି ହସି କହିଲେ, ‘‘ଏ ତ ଆଚ୍ଛା ଉପଦେଶ ! ଶ୍ମଶାନ ପଥରେ ଚାଲୁଁ ଚାଲୁଁ ପୁଣି କୌତୁକ ସୁଆଙ୍ଗ କାହିଁକି ? ସେ ମୋର ଇନ୍ଦ୍ରିୟଚରିତାର୍ଥକାରିଣୀ ସ୍ତ୍ରୀ ଥିଲା ନାହିଁ, ସେ ମୋର ରୋଗର ଚିକିତ୍ସକ, ଶୋକର ସାନ୍ତ୍ୱନା, ବିପଦର ମନ୍ତ୍ରୀ ଏବଂ ଗୃହର ଅଳଙ୍କାର ସ୍ୱରୂପ । ତାହା ଅଭାବରେ ଧୂମ-ମଳିନ କାଚାଧାରମଧ୍ୟସ୍ଥ ଦୀପଶିଖା ପରି ମୋର ଗୃହ ହତଶ୍ରୀ ଦିଶୁଅଛି । ତାହାର ଅମର ସ୍ମୃତି ଗଗନପବନରେ ତରଙ୍ଗିତ ହୋଇ ରହିଅଛି । ତାହାର ଗୁଣ ମୋତେ କନ୍ଦାଉଅଛି । ସଂସାରରେ ଗୁଣବତୀ ସ୍ତ୍ରୀ ମନୁଷ୍ୟର ଦ୍ୱିତୀୟ ଜୀବନ । ତାହାର ପବିତ୍ର ଅଧିକାରୀ ମୁଁ ଅପରକୁ ଦେବାକୁ ଏକାନ୍ତ କୁଣ୍ଠିତ । ମୃଗୁଣୀ ବ୍ୟତୀତ ବାଘୁଣୀ କି ମୃଗର ବ୍ୟଥା ବୁଝିବ ? ଚନ୍ଦନ ବ୍ୟତୀତ ଅଗ୍ନି କି ଦାହଶାନ୍ତିର ହେତୁ ହେବ ? ବର୍ଷାର ବାରିପ୍ରବାହ ତୁଲ୍ୟ ମୋର ଚିନ୍ତାଧାରା ଖରଗତିରେ ପ୍ରବାହିତ ହେଉ ଅଛି ସତ୍ୟ; ମାତ୍ର ତାହା ତାହା ପାଇଁ ନୁହେଁ । ସେ ସତୀ ଶିରୋଭୂଷା, ହସି ହସି ସତୀ ସ୍ୱର୍ଗକୁ ଚାଲିଯାଇଅଛି ! ତାହା ପାଇଁ ଶୋକ କରି ମୁଁ ତାହାର ମୁକ୍ତିପଥର କଣ୍ଟକ ହେବି କାହିଁକି ? ମୋର ଦୁଃଖ ମୋର ବାଳିକା କନ୍ୟା ସକାଶ । ସେ ତାହା ମାତାର ସ୍ମୃତିର ମୁକୁର ସ୍ୱରୁପ । ରୂପ ଅଳଙ୍କାର ରୂପକୁ ଉଜ୍ଜ୍ୱଳ କଲା ପରି ସେ ଉଭୟେ ଉଭୟକୁ ସୁନ୍ଦର କରିଥିଲେ । ତାହାର ଦେବୀକଳ୍ପା ଜନନୀ ତାହାଠାରେ ନିଜର ଅନେକ ଗୌରବମୟ ପବିତ୍ର ନିଦର୍ଶନ ରଖିଯାଇଅଛି । ହାୟ ! ମାତୃହରା ମା ମୋର କିପରି ବଞ୍ଚିବ ? ଉଷାର ଅଙ୍କଭ୍ରଷ୍ଟ ହୋଇ କୁଆଁ ତାରାଟି କେତେ କ୍ଷଣ ବଞ୍ଚିପାରେ ? ଦୂରନ୍ତ ବାତ୍ୟା ଲତାକୁ ଉପାଡ଼ିଦେଲେ ସୁକୁମାର ଫୁଲଟି ମଉଳି ଝଡ଼ିପଡ଼ିବ ସିନା ! ମୃଗୁଣୀକୁ ବ୍ୟାଘ୍ର ଭକ୍ଷଣ କଲେ ଦୁଗ୍ଧଜୀବୀ ମୃଗଶିଶୁର ଯେଉଁ ଦଶାହୁଏ, ମୋର କନ୍ୟାଟିର ସେହି ଦଶା ହେବ, ଏହା ଭାବି ମୁଁ ଦୁଃଖିତ ଏବଂ ଚିନ୍ତିତ । ନଚେତ୍ ସେ ତ ମୋତେ ଅର୍ଦ୍ଧମୁକ୍ତ କରିଦେଇଅଛି, ଏହା ତ ମୋ ଭାଗ୍ୟରେ ମନ୍ଦର ଭଲ । ଏ ସଂସାର ବଡ଼ ବିଷମ । ଏଠାରେ ଯାହାର ବନ୍ଧନ ଯେତିକି ଛିଡ଼ୁଥିବ, ସେ ତେତିକି ମୁକ୍ତ ହେଉଥିବ । ଯେଉଁମାନେ ଚିରକୁମାର, ସେମାନେ ସମ୍ପୂର୍ଣ୍ଣ ବନ୍ଧନମୁକ୍ତ ଏବଂ ସୌଭାଗ୍ୟବାନ୍ । ସେମାନଙ୍କର ସ୍ୱାଧୀନଚିନ୍ତା ସଂସାରରେ ପ୍ରତିହିତ ହୁଏ ନାହିଁ । ଯାହା ପାଇଁ ସଂସାରରେ କେହି କାନ୍ଦିବାକୁ ନାହିଁ । ସେ ଧନ୍ୟ । ତାହାର ଜୀବନ ଚିରଜୀବିତ । ଅନ୍ୟଥା କୁଟୁମ୍ବୀ ଲୋକର ଜୀବନ ମୃତ ଏବଂ ଅସାତ । ତାହାର ଇଚ୍ଛା ଏକଆଡ଼େ ଯାଏ ଏବଂ କାର୍ଯ୍ୟ ଅନ୍ୟଆଡ଼େ ଯାଏ । ସେ ଶୃଙ୍ଖଳାବଦ୍ଧ ଏବଂ ତାହାର କାମନା ବିଶୃଙ୍ଖଳ । ତାହାର ମନ ସୁଦ୍ଧା ତାହାର ନୁହେଁ, ସେ ପରିବାର ହସ୍ତର କ୍ରୀଡ଼ାପିତୁଳା ଏବଂ ନାକଫୋଡ଼ା ବଳଦ !
ସମୟ ଏବଂ ନଦୀ ସ୍ରୋତ କେବେ ପଛକୁ ଫେରି ଚାହାନ୍ତି ନାହିଁ କିମ୍ବା କାହାରିକୁ ଅପେକ୍ଷା କରନ୍ତି ନାହିଁ । ସେମାନେ ସର୍ବଦା ସମାନଭାବରେ ଚାଲିଥାଆନ୍ତି । ଦେଖୁଁ ଦେଖୁଁ କେତେ ବର୍ଷ ଚାଲିଗଲା । ସାମନ୍ତଙ୍କ କନ୍ୟା କିଶୋରୀମଣି ଉପଯୁକ୍ତା ହେବାରୁ ସାମନ୍ତେ ତାହାକୁ ସତ୍ପାତ୍ରରେ ଅର୍ପଣ କରି ତାହା ସମ୍ବନ୍ଧରେ ନିଶ୍ଚିତ ହେଲେ ତାଙ୍କର ସନ୍ତାନ ତିନୋଟି, ଦୁଇଟି ପୁତ୍ର ଏବଂ ଗୋଟିଏ କନ୍ୟା । ଜ୍ୟେଷ୍ଠ ପୁତ୍ର ଗୋପାଳର ସ୍ୱଭାବ ଚରିତ୍ର ଠିକ୍ ପିତାଙ୍କ ପରି । ସୁବର୍ଣ୍ଣରୁ ଅଳଙ୍କାର ଜାତ ହେଲା ପ୍ରାୟ ସେ ପିତୃ ସଦ୍ଗୁଣର ଉପଯୁକ୍ତ ଦାୟାଦ । ମାତ୍ର ସାନ ପୁଅଟି ତାର ଠିକ୍ ବିପରୀତ । ସେ ଭାରି ଖୁଜୁବୁଜିଆ, ଗାଁ ପିଲାଙ୍କ ସଙ୍ଗରେ ଖୂରେଇ ହୋଇ ଲାଗିବା ତାହାର ଗୋଟାଏ ପ୍ରକୃତି । ୧୫/୧୬ ବର୍ଷର ହେଲାଣି, ତଥାପି ଅନକ୍ଷର । ନାମ ମଧୁ, କିନ୍ତୁ ସ୍ୱଭାବ ବଡ଼ ତିକ୍ତ । ସାଆନ୍ତେ ତାକୁ ପଢ଼ାଇବାର ବ୍ୟବସ୍ଥା କରି ଝଙ୍କଡ଼ରୁ ଜଣେ ଓଝା ଅବଧାନ ଅଣାଇଲେ । ସେ କାଳର ଓଝାମାନେ ଖଣ୍ଡେ ଖଣ୍ଡେ ନିଆଁ ମୁଣ୍ଡା କିମ୍ବା ଜଣେ ଜଣେ ଦୁର୍ବାସା ଋଷିତୁଲ୍ୟ ଥିଲେ । ସେମାନେ ଅଭିମାନରେ ଗୋଟିଏ ଗୋଟିଏ ହିମାଳୟ ପର୍ବତ । ନିଜକୁ ମୁଁ ବୋଲି କହିଲେ ସେମାନଙ୍କର ମାନ ହାନି ହୁଏ, ସୁତରାଂ ଆମେ ବୋଲି କହନ୍ତି । କଥା କଥାକେ ରୁଷା, କଥା କଥାକେ ଅପମାନ । ଯାହାହେଉ ମଧୁ ଯେପରି କାମୁଡ଼ା ଘୋଡ଼ା ଅବଧାନ ତାହାକୁ ସେହିପରି ସୈତାନ ସଇଷ ମିଳିଲା । ମାତ୍ର ମଧୁର ଅଦୃଷ୍ଟ ଭଲ, ଅବଧାନେ ଦିନେମାତ୍ର ରହି ଚିର ବିଦାୟ ନେଲେ । ନୈଶ ଭୋଜନ ସମୟରେ ଦୈବାତ୍ ଅବଧାନଙ୍କ ଭାତରୁ ଗୋଟାଏ ଧାନ ବାହାରିଲା । ଆଉ ସମ୍ଭାଳେ କିଏ ? ରାଗରେ କଣ୍ଟିଆ ମାଛ କରି କଁ କଁ ହୋଇ ଧଡ଼ପଡ଼ ଉଠିପଡ଼ି କହିଲେ–
‘‘କୁଣ୍ଡା ସଲ ସଲ ପେଜ ବଲ ବଲ ଗୁଣ୍ଡାକେ ଛ ଗଣ୍ଡା ଧାନ,
ଖାଆନ୍ତି କି ଏହା ଗଣ୍ଡାକଡ଼ା ଡକା ପିଣ୍ଡାବସା ଅବଧାନ ।’’
ଯେତେ ବୁଝାଇଲେ ଅବଧାନେ ଆଉ ରହିଲେ ନାହିଁ । ତହିଁ ଆରଦିନ ସକାଳୁ ଉଠି ବୁଜୁଳାବୁଜୁଳି ଏବଂ ପୋଥିପତ୍ର ଧରି ଚାଲିଗଲେ । ମଧୁ ମହା ଖୁସି, ଢାଳି ଚାପଡ଼ା ମାରି କହିଲା,–
‘‘କେଉଟ, ଯେଉଁ ବାଟେ ଆସିଥିଲ ସେହି ବାଟେ ନେଉଟ ।’’
ପଛରେ ଶୁଣାଗଲା, ଅବଧାନେ ଯିବାବେଳେ ବାଟରେ ରାନ୍ଧୁଣୀର ଚୌଦପୁରୁଷ ଉଦ୍ଦେଶ୍ୟରେ ନାନା ଅଖାଦ୍ୟ ଏବଂ ଅପେୟ ପଦାର୍ଥରେ ଶ୍ରାଦ୍ଧ ବାଢ଼ି ବାଢ଼ି ଯାଉଥିଲେ । ଆହୁରି ମଧ୍ୟ ଛଟା ମେଲି କହୁଥିଲେ,–
ଶୀତଳପୁରିଆ ପଢ଼ନ୍ତି ପାଠ,
ଯେବେ ପଢ଼ନ୍ତି ଦିନା ଆଠ ଆଠ,
ଯେବେ ନ ବରଷେ ପାଣି,
ତେବେ ଯାଆନ୍ତି ତେଣ୍ଡା ଟାଣି ।
ସେ କାଳର ଓଝାମାନେ ଛଟା, ଢଗ ଏବଂ ତୁଣ୍ଡେ ତୁଣ୍ଡେ ଅନୁପ୍ରାସ ରଖି କବିତା ରଚନାରେ ଖୁବ୍ ନିପୁଣ ଥିଲେ । ପୁଣି ଶିଷ୍ୟକୁ ଗାଳିମାଡ଼ରେ ସମ୍ବର୍ଦ୍ଧନା କରିବାକୁ ମଧ୍ୟ ତତୋଽଧିକ ନିପୁଣ ଥିଲେ । ସେମାନଙ୍କର କୀର୍ତ୍ତିକାହାଣୀ ଲେଖି ବସିଲେ ମହାଭାରତ ଭଳି କେତେ ଖଣ୍ଡ ପ୍ରକାଣ୍ଡ ପୋଥି ହେବ । ଗର୍ବରେ ତ ନବାବଙ୍କ ନାତି ତାଙ୍କୁ ସରି ନୁହେଁ ।
ଅନନ୍ତର ଅନ୍ୟ ଜଣେ ଶିକ୍ଷକ ଅଣାଇ ମଧୁର ଶିକ୍ଷାର ବ୍ୟବସ୍ଥା କରାଗଲା । କାଳିଦାସଙ୍କ ପରି ମଧୁଟି ମା ସରସ୍ୱତୀଙ୍କର ବରପୁତ୍ର, ସୁତରାଂ ମହାଶ୍ରୁତିଧର । ଗଣ୍ଡାକ ଚାରିକଡ଼ା ବୋଲି ଆଜି ତାକୁ ଶିଖାଇ ଦେଇ କାଲି ପାଚାରିଲେ, ଛ’ କଡ଼ା କିମ୍ବା ତେର କଡ଼ା କହେ । ଗୁରୁଦେବ ଛାତ୍ରର ଏହି ଅସାଧାରଣ ସ୍ମୃତିଶକ୍ତିରେ ତାଟଙ୍କା ହୋଇ କୃତାର୍ଥ ମଣନ୍ତି ଏବଂ ତାହାକୁ ଜନ୍ତୁ ବିଶେଷ ବୋଲି ଅଭିହିତ କରନ୍ତି । କେବେ ଅବା ପୁରସ୍କାର ସ୍ୱରୂପ ଗୋଟି କେତେ ମଧୁର ପ୍ରହାର ସ୍ନେହୋପହାର ପ୍ରଦାନ କରନ୍ତି । ମଧୁର ବିଚାରା ନାଚାର ହୋଇ ଲୁଚେ । ଥରେ ଥରେ ତାହାକୁ ୪/୫ ଦିନଯାଏ ଗଛରେ ଚଢ଼ି ଲୁଚିବାର ଦେଖାଯାଇଅଛି । ସାମନ୍ତଙ୍କ ହାଣ୍ଡିଶାଳ ଘର ଓଳିରେ ଗୋଟାଏ ପ୍ରକାଣ୍ଡ ଝଙ୍କାଳିଆ ତେନ୍ତୁଳି ଗଛ ଅଛି । ସେହି ଗଛଟି ମଧୂସୂଦନଙ୍କର ମହଦାଶ୍ରୟ । ରାତ୍ରିରେ ସମସ୍ତେ ଖାଇସାରି ଶୋଇଲେ ମଧୁ ଗଛରୁ ଓହ୍ଲାଇ ହାଣ୍ଡିଶାଳରେ ପଶି ପଖାଳର ସଦ୍ବ୍ୟବହାର କରି ଶୋଇପଡ଼େ ଏବଂ ରାତି ନ ପାହୁଣୁ ପୁଣି ଗଛକୁ ଉଠି ଆତ୍ମଗୋପନ କରେ । ପିତା ପୁତ୍ରର ଏହିପରି ବ୍ୟବହାରରେ ବିରକ୍ତ ହୋଇ ତାହାର ପଢ଼ାଶୁଣା ବନ୍ଦ କରିଦେଲେ ଏବଂ ମନେ ମନେ ଭାବିଲେ, ନପଢ଼ିଲା ତ ନାହିଁ ମନକୁ ବାଧିଲେ ମା’ ଛେଉଣ୍ଡ ପିଲାଟା ପୁଣି କି ଉପଦ୍ରବ କରି ବସିବ । ଆଉ ପଢ଼ି ଅବା କଣ କରିବ, ଚାକିରି କରିବାକୁ ତ ଯିବ ନାହିଁ ? ମୋର କଅଣ ଅଭାବ ଯେ, ପର ଗୋଡ଼ତଳେ ମୁଣ୍ଡ ବିକିବ ? ବଢ଼ିଲେ, ବୁଦ୍ଧି ହେଲେ, ବେଳେ ଚାଷବାସରେ ଲାଗିବ । ମଳୁ ଯାହା ଖୋଜୁଥିଲା, ବୈଦ୍ୟ ତାହା ବତାଇଲା । ସୂତରାଂ ମଧୁ ସେହିଦିନଠାରୁ ଶିକ୍ଷାରେ ଜଳାଞ୍ଜଳି ଦେଇ ତାସ, ପଶା ନେଇ ବସିଲା । କିନ୍ତୁ ଅବଧାନେ ଯେ ଏତେ ମାରିଥିଲେ, ତାଙ୍କ କହୁଣୀରେ ଉପଯୁକ୍ତ ଗୁରୁଦକ୍ଷିଣା ନ ଦେଲେ ତାକୁ ଆଜୀବନ ଋଣୀ ହୋଇ ରହିବାକୁ ହେବ । ଏହା ଭାବି ଗୁରୁଙ୍କର ଗୋଟିଏ କୁଶପିତୁଳା ପ୍ରସ୍ତୁତ କରି ତାହା ଅଗ୍ନି ଦେବଙ୍କୁ ସମର୍ପଣ ପୂର୍ବକ ସେ ଋଣରୁ ମୁକ୍ତ ହେଲା । ଗୁରୁଦେବ ଏହା ଶୁଣି ଛାତ୍ରକୁ ଆର୍ଶୀବାଦ କରି କହିଲେ ‘ତୁ ଜହ୍ନିଫୁଲର ପରମାୟୁ ଘେନି ବଞ୍ଚିଥା’ରେ ମଧୁଆ ।’
ଦିନେ ହେମହରି ସାଆନ୍ତେ ବଡ଼ ପୁଅକୁ ଡାକି କହିଲେ,- ଗୋପାଳ, ମୋର ତ ଜୀବନର ସନ୍ଧ୍ୟାକାଳ ଉପସ୍ଥିତ, ଏଣିକି ଅନ୍ଧକାର ମାଡ଼ି ଆସିବ । ଏ ସଂସାର ସଂସାର–ନୁହେ ଅସାର । ଏଠାରେ ଲୋକେ ଉପାଧି ଖୋଜି ଖୋଜି ବ୍ୟାଧିଗ୍ରସ୍ତ ହୁଅନ୍ତି, ତଥାପି ଲାଳସା ପୂର୍ଣ୍ଣ ହୁଏ ନାହିଁ । ଶେଷରେ ଅତୃପ୍ତ ଲାଳସାର ଦୁର୍ବହ ଭାର ହୃଦୟରେ ବହନ କରି ହାହାମୟ ଜୀବନ ଘେନି ସଂସାରରୁ ଫେରି ଆସନ୍ତି । ଆସକ୍ତି-ଅନଳ ବଡ଼ ଦୁର୍ବାର, କୋଟି ବ୍ରହ୍ମାଣ୍ଡ ଜାତ କଲେ ସୁଦ୍ଧା ସେ ତୃପ୍ତ ହୁଏ ନାହିଁ । ମନୁଷ୍ୟ ମାଟିର ସନ୍ତାନ, ଦୁଇଦିନେ ମାଟିରେ ମିଶିଯିବ । ଭ୍ରାନ୍ତ ମନୁଷ୍ୟ ଏହି କଠୋର ସତ୍ୟ ଭୁଲିଯାଇ ବିଷୟ ନିଶାରେ ଭୋଳ ହୋଇଥାଏ । ଯେଉଁ କୃତୀ ପୁରୁଷ କର୍ମରୂପ ଅଗ୍ନି ପରୀକ୍ଷାରେ ଶରୀର ଏବଂ ମନ ବିଶୁଦ୍ଧ କରିପାରେ, ତାହାରି ସୌଭାଗ୍ୟ-ଶୂକ୍ତିକାରେ ଦେବ କୃପାରୂପ ସ୍ୱାତୀ ନକ୍ଷତ୍ରର ବୃଷ୍ଟିବାରିପାତ ହୋଇ ମୁକ୍ତିରୂପ ମୁକ୍ତା ଲାଭହୁଏ । ସ୍ୱର୍ଗର ଗୌରବମାଲ୍ୟର ସେହି କେବଳ ଅଧିକାରୀ । ଏହା ଭାବି ମୁଁ ପାର୍ଥିବ ନଶ୍ୱର ବିଷୟ-ରାଜ୍ୟରୁ ଅବସର ନେବାକୁ ଇଚ୍ଛା କରିଅଛି । ଏଣିକି ଦଶର ଏବଂ ଦେଶର ସେବା କରି ପରକାଳର ସମ୍ବଳ ସଂଗ୍ରହ କରିବି । ତୁ ଦୁଇବର୍ଷ ବିଷୟବାଡ଼ି ଯେପରି ରକ୍ଷଣାବେକ୍ଷଣ କରୁଛୁ, ସେହିପରି କରୁଥା । ଆର୍ଶୀବାଦ କରୁଛି–ଈଶ୍ୱର ତୋତେ ସର୍ବଦା ସୁମତି ପ୍ରଦାନ କରନ୍ତୁ । ମୁଁ କାଲିଠାରୁ ଗ୍ରାମର ଉନ୍ନତିରେ ଆତ୍ମନିୟୋଗ କରିବି ।’’ ପିତାଙ୍କର ଏହି ସାଧୁ ପ୍ରସ୍ତାବରେ ସାଧୁ ପୁତ୍ର ସମ୍ମତ ହୋଇ କହିଲା, ‘‘ପିତଃ, ଆପଣ ଦୂରତୀର୍ଥକୁ ଗଲେ ବିଷୟ ସମ୍ଭାଳିବାକୁ ମୋର ବହକ ଖଟନ୍ତାନାହିଁ । ମାତ୍ର ଆପଣ ତ ଏହିଠାରେ ରହିବେ । ଆପଣଙ୍କ ଉପଦେଶମତେ କାର୍ଯ୍ୟ କରିବି, ଏଥିରେ ମୋର ଚିନ୍ତା ବା ଭୟ କଅଣ ? ମୁଁ ଅଯୋଗ୍ୟ ହେଲେ ସୁଦ୍ଧା ଆପଣଙ୍କ ଅବ୍ୟର୍ଥ ଦେବ-ଆର୍ଶୀବାଦ ମୋତେ ନିଶ୍ଚୟ ସୁପଥ ଦେଖାଇବ । ହିମାଳୟ ପଦ-ପ୍ରାନ୍ତରେ କ୍ଷୁଦ୍ରତରୂପ୍ରାୟ ମୁଁ ଆପଣଙ୍କ ପଦତଳେ ବସି ନୀତି ଉପଦେଶ ଗ୍ରହଣ କରିବି, ଏହା ତ ମୋର ସୌଭାଗ୍ୟର କଥା ।’’ ଏହା ଶୁଣି ପିତା କହିଲେ, ‘‘ଗୋପାଳ, ଦୂର ତୀର୍ଥକୁ କାହିଁକି ଯିବି ? ତୀର୍ଥ ଦର୍ଶନରେ ପୂଣ୍ୟ ବା ମୁକ୍ତି ଥିଲେ ଆଜନ୍ମ ତୀର୍ଥବାସୀଙ୍କର ପାପ ବ ବନ୍ଧନ କଅଣ ? ତୀର୍ଥର ମହାତ୍ମ୍ୟ ଅସ୍ୱୀକାର୍ଯ୍ୟ ନୁହେ; ମାତ୍ର ତୀର୍ଥ ମାନବକୁ ଯାହା ଦାନ କରେ, ତାହା ଯେବେ ଏହି ଗ୍ରାମରୁ ମିଳିପାରେ, ତାହାହେଲେ ଏହି କ୍ଷୁଦ୍ର ଗ୍ରାମଖଣ୍ଡି ସୁଦ୍ଧା ତୀର୍ଥ ହୋଇପାରେ । ଏହା ଯଦି ପରିଷ୍କାର ପରିଚ୍ଛନ୍ନ ଏବଂ ସ୍ୱାସ୍ଥ୍ୟପ୍ରଦ ହୁଏ, ଆଉ ଏହାର ପ୍ରତ୍ୟେକ ଅଧିବାସୀ-ହୃଦୟରୁ ଦ୍ୱେଷ, ଈର୍ଷା, ପାପ, ତାପ ଇତ୍ୟାଦି ଦୂରୀଭୂତ ହୋଇ ସ୍ନେହ, ପ୍ରେମ, ମୈତ୍ରୀ, ଦୟା, କ୍ଷମା, ସାଧୁତା ପ୍ରଭୃତି ପ୍ରକୃତ ଧର୍ମଭାବରେ ସମସ୍ତେ ମଣ୍ଡିତ ହୁଅନ୍ତି, ତେବେ ଏ ସ୍ଥାନ ଦେବବାଞ୍ଛିତ ପୂଣ୍ୟତୀର୍ଥରେ ପରିଣତ ନ ହେବ କାହିଁକି ? ଅଧିକନ୍ତୁ ମାତୃସମା ମାତୃଭୂମିଠାରୁ ବଳି ତୀର୍ଥ କେଉଁଠାରେ ଅଛି ? ସ୍ୱର୍ଗ ଯାହାକୁ ସରି ନୁହେ, ଆଉ କିଏ ବା ତାହାର ସମାନ ହେବ ? ଏ ଶରୀର ମାତୃମହୀର ଅଂଶରୁ ଜାତ ହୋଇଅଛି । ସୁତରାଂ ଶେଷରେ ତାହାରି ଅଂଶ ତାହାରି ଦେହରେ ମିଶାଇବା ହିଁ କର୍ତ୍ତବ୍ୟ ଏବଂ ଧର୍ମ । ଅତଏବ ତୀର୍ଥମୃତ୍ୟୁରେ କେଉଁ କାରଣ ଅଛି ?’’ ଏହା ଶୁଣି ଗୋପାଳ ଆନନ୍ଦ ଗଦ୍ଗଦ୍ କଣ୍ଠରେ କହିଲା, ‘‘ପିତଃ, ଆଜି ମୁଁ ଆପଣଙ୍କ ମୂଖରୁ ତୀର୍ଥତତ୍ତ୍ୱ ଶୁଣି କୃତାର୍ଥ ହେଲି । ଆପଣ ନର ନୁହନ୍ତି, ଦେବତା । ମୁଁ ଦେବପିତାଙ୍କର ପୁତ୍ର ବୋଲି ବାସ୍ତବରେ ଗର୍ବ ଅନୁଭବ କରୁଅଛି । ମୋର ଏ ଗର୍ବ ନିରର୍ଥକ ନୁହେ, ପ୍ରତ୍ୟୁତ ସତ୍ୟାନୁପ୍ରାଣିତ ।’’ ପିତା ପୁତ୍ରର ଏବଂବିଧ ବାକ୍ୟ ଶୁଣି କହିଲେ, ‘‘ଗୋପାଳ, ପ୍ରାଣର ଗୋପାଳ, ତୋ ପରି ଗୁଣଧର ସୁପୁତ୍ର ଏବଂ ବଧୂ-ମାତାଙ୍କ ପରି ଲକ୍ଷ୍ମୀକଳ୍ପା ସୁବଧୂ ପାଇ ମୁଁ ନିଜକୁ ଧନ୍ୟ ମଣିଅଛି । ଉଭୟେ ଦୀର୍ଘଜୀବୀ ହୋଇ ସଂସାରରେ ଅକ୍ଷୟ କୀର୍ତ୍ତ ଉପାର୍ଜନ କର, ମୋର ଏହି ଆଶୀର୍ବାଦ ।’’
ହେମହରି ସାମନ୍ତ ଗ୍ରାମରୁ କେତେ ଜଣ ନିଜର ମନୋମତ ଚରିତ୍ରବାନ୍ ସହକାରୀ ବାଛିନେଇ ସେମାନଙ୍କ ସାହାଯ୍ୟରେ ଗ୍ରାମର ସଂସ୍କାରରେ ପ୍ରବୃତ୍ତ ହେଲେ । ବସନ୍ତ ଏବଂ ମହାମାରୀରେ ପ୍ରତିବର୍ଷ ଗ୍ରାମର ଅନେକ ଲୋକ ମରନ୍ତି । ସେଥିରେ କାରଣ ପାନୀୟ ଜଳର ଅଭାବ । ସାମନ୍ତଙ୍କର ଦୃଷ୍ଟି ପ୍ରଥମେ ସେହି ଦିଗରେ ପଡ଼ିଲା । ତହୁଁ ସେ ଗ୍ରାମବାସୀଙ୍କୁ ଡକାଇ, ଗୋଟିଏ ସ୍ଥାନ ଦେଖାଇ ଦେଇ କହିଲେ, ‘‘ତୁମ୍ଭେମାନେ ପ୍ରତ୍ୟହ ବିଲରୁ ଫେରିଲାବେଳେ ବୋଝେ ଲେଖାଏଁ ମାଟି ଏହିଠାରୁ ଖୋଳିନେଇ ଗ୍ରାମର ମଝି ଦାଣ୍ଡରେ ପକାଇବ । ମଝି ଦାଣ୍ଡଟା ଏପରି ଖାଲ ଯେ, ବର୍ଷା ହେଲେ କାଦୂଅରେ ଅତି କଦର୍ଯ୍ୟ ହୋଇଯାଏ । ସେହିପରି କରିବାରୁ ଅଳ୍ପଦିନ ମଧ୍ୟରେ ଗୋଟିଏ ସୁପେୟ ଜଳର ପୁଷ୍କରିଣୀ ଖୋଳା ହୋଇଗଲା । ଅଧିକନ୍ତୁ ଯାତ୍ରା ଦେଖା, କୋଳି ବିକା ଏକ ସଙ୍ଗରେ ହେଲାପରି ଗ୍ରାମ ମଧ୍ୟରେ ଗୋଟିଏ ପ୍ରଶସ୍ତ ସଡ଼କ ପ୍ରସ୍ତୁତ ହୋଇଗଲା-। ଅଥଚ ଗୋଟାଏ ପଇସା ଖର୍ଚ୍ଚ ହେଲାନାହିଁ । ତହିଁ ପରେ ସାଆନ୍ତେ କହିଲେ, ‘‘ଗାଧୋଇବା ସମୟରେ ସମସ୍ତେ ପୁରୁଣା ପୋଖରୀରୁ ମେଞ୍ଚାଏ ଲେଖାଏଁ ଦଳ ଏବଂ ପଙ୍କ ନେଇ ଆଡ଼ିରେ ପକାଇବ ।’’ ଏହି କୌଶଳରେ ମାସକ ମଧ୍ୟରେ ପୁରୁଣା ପୋଖରୀ ଦୁଇଟିର ସଂସ୍କାର ହୋଇଗଲା-। ଶସ୍ୟ ଅମଳ ସମୟରେ ପ୍ରତ୍ୟେକ ଚାଷିଠାରୁ କିଛି ଶସ୍ୟ ଆଦାୟ କରି ସେହି ଶସ୍ୟ-ବିକ୍ରୟଲବ୍ଧ ଅର୍ଥରେ ଗୋଟିଏ ପାଣ୍ଠି କରାଗଲା । ଗ୍ରାମର ପଞ୍ଚାୟତ ବସାଇ ହାରିଫେରାଦି ବୁଝାଗଲା । ସ୍ଥଳ-ବିଶେଷରେ ଦୋଷୀକୁ ସାମାନ୍ୟ ଅର୍ଥଦଣ୍ଡ ହୁଏ । ତାହା ଅର୍ଥ ପାଣ୍ଠିକୁ ଆହୁରି ପୃଷ୍ଟ କଲା । ପାଣ୍ଠିର ଅର୍ଥରେ ପାଠଶାଳା, ଔଷଧାଳୟ, ପାନ୍ଥଶାଳା ପ୍ରଭୃତି ସ୍ଥାପିତ ହେଲା । ଗ୍ରାମର ଉପକଣ୍ଠରେ ଗୋଟିଏ ସାପ୍ତାହିକ ହାଟ ବସିଲା । ତଦ୍ଦ୍ୱାରା ଗ୍ରାମବାସୀଙ୍କର ବିକା କିଣାର ସୁବିଧା ହେଲା । ଏହିପରି ଯେଉଁ ଦିଗରେ ଯାହା ଅଭାବ ଦେଖା ଗଲା, ତାହା ପୂର୍ଣ୍ଣ କରି ଦିଆଗଲା-। ଏହିପରି କରିବା ଦ୍ୱାରା ଗ୍ରାମଟି ଗୋଟିଏ ସହର ତୁଲ୍ୟ ସର୍ବାଙ୍ଗସୁନ୍ଦର ହୋଇ ଉଠିଲା-। ନାଗରିକ ଉପାଦାନର ଆଉ ଅଭାବ ରହିଲା ନାହିଁ । ଗ୍ରାମବାସୀମାନେ ପରମୁଖାପେକ୍ଷୀ ନ ହୋଇ ସ୍ୱାବଲମ୍ବୀ ହୋଇ ଉଠିଲେ । କେତେ ଜଣ ସ୍ୱେଚ୍ଛାସେବକ ବାହାରି ରାତିରେ ଜଗି ଗ୍ରାମକୁ ଚୋର ଖଣ୍ଟ ଉପଦ୍ରବରୁ ରକ୍ଷା କଲେ । ଲୋକଙ୍କର ସଦ୍ଭାବ ସଂପ୍ରୀତି କ୍ରମେ କ୍ରମେ ବଢ଼ିବାକୁ ଲାଗିଲା । ଗ୍ରାମଟି ଗୋଟିଏ ପରିବାର ତୁଲ୍ୟ ହୋଇ ରହିଲା । ଯେଉଁମାନେ ରାଜକୀୟ ସାହାଯ୍ୟ ବ୍ୟତୀତ ଗ୍ରାମର ଶ୍ରୀବୃଦ୍ଧି ଅସମ୍ଭବ ବୋଲି ଉଚ୍ଚ ଚିତ୍କାରରେ ଗଗନପବନ ବିଦୀର୍ଣ୍ଣ କରନ୍ତି, ସେମାନେ ଶୀତଳପୁରର ଉନ୍ନତି ଦେଖି କିଛି ଶିକ୍ଷା କରିବେ କି ?