କାଳାନ୍ତର — ବିଶ୍ୱ ମାନବର ପଥେ — ରବୀନ୍ଦ୍ରନାଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
କାଳାନ୍ତର
ଏହା ବେଶୀ ଦିନର କଥା ନୁହେ, ଯେତେବେଳେ ଆମର ପଲ୍ଲୀବାସୀ ଦଳବଦ୍ଧ ହୋଇ ସେମାନଙ୍କର ଅବସର ମୁହୂର୍ତ୍ତକୁ ମନ୍ଦିର ମଣ୍ଡପରେ ଗଳ୍ପ ଗୁଜବ୍ ବା ତାସ ଖେଳରେ ଅତିବାହିତ କରୁଥିଲେ । ଗ୍ରାମ୍ୟ ଜୀବନକୁ କେନ୍ଦ୍ର କରି ସେମାନଙ୍କର କାର୍ଯ୍ୟକଳାପ ବା ଚିନ୍ତା ସୀମାବଦ୍ଧ ରହୁଥିଲା । ଅନ୍ୟ କୌଣସି ବିଷୟ ସେମାନେ ଚର୍ଚ୍ଚା କରୁ ନ ଥିଲେ । ଏହା ବ୍ୟତୀତ ମଝିରେ ମଝିରେ ସେମାନଙ୍କର ଚିତ୍ତାନୁଶୀଳନ ଓ ସାଂସ୍କୃତିକ ଜୀବନଯାପନ ପାଇଁ ଭ୍ରାମ୍ୟମାଣ ଯାତ୍ରାଦଳ ଦ୍ୱାରା ନାଟକାଭିନୟ, ରାମାୟଣ ପାଠ, ଓ କବିତାଗାନ ବା କବିତା ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଉଥିଲା । ଏଗୁଡ଼ିକ ପାଇଁ ବିଷୟବସ୍ତୁ ସେମାନେ ପୁରାଣର କାହାଣୀ ଭଣ୍ଡାରରୁ ନିର୍ବାଚନ କରୁଥିଲେ ।
ସଂକୀର୍ଣ୍ଣ ଦିଗ୍ବଳୟର ଏହା ଏକ ସୁପରିଚିତ ଜଗତ, ଯାହାକି ନିଜ କକ୍ଷରେ ନିଜେ ଥିଲା ଘୂର୍ଣ୍ଣାୟମାନ ଏବଂ ଯାହାର ସମସ୍ତ ତଥ୍ୟ ଓ ରସଧାରା ବର୍ଷ ବର୍ଷ ଧରି ବଂଶାନୁକ୍ରମେ ଅପରିବର୍ତ୍ତିତ ଓ ପୁନରାବୃତ୍ତ ହୋଇ ରହୁଥିଲା । କିନ୍ତୁ ଏହି ସଂସାରର ବାହାରେ ମାନବଜଗତର ଦିଗ ଦିଗନ୍ତରେ ବିରାଟ ଇତିହାସର ଅଭିବ୍ୟକ୍ତି ସର୍ବଦା ପରିଲକ୍ଷିତ ହେଉଥିଲା । ପୁନଶ୍ଚ ତାହାର ଆଦ୍ୟପ୍ରାନ୍ତ ସନାତନ ପ୍ରଥା ଓ ଶାସ୍ତ୍ର ବଚନରେ ଚିରକାଳ ସ୍ଥାବର ହୋଇ ରହି ନଥିଲା । ବରଂ ତା' ମଧ୍ୟରେ ଅଂଶ ଅଂଶ ଭିତରେ ଘାତ ପ୍ରତିଘାତ ବା ସଂଘର୍ଷ ଫଳରେ ନବ ନବ ସମସ୍ୟାର ସୃଷ୍ଟି ହେବା ସଙ୍ଗେ ଇତିହାସର ରୂପ ମଧ୍ୟ ପରିବର୍ତ୍ତିତ ହେଉଥିଲା । ଏହା କିନ୍ତୁ ଆମର ଦୃଷ୍ଟି ସୀମାକୁ କେବେ ସ୍ପର୍ଶ କରି ପାରୁ ନ ଥିଲା ।
ମୁସଲମାନଙ୍କର ଭାରତ ଅଧିକାର ହିଁ ଆମର ଶାନ୍ତି ସନ୍ତୁଷ୍ଟିର ସଂକୀର୍ଣ୍ଣ ପ୍ରାଚୀର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ କରିଥିଲା । କିନ୍ତୁ ସେହି ମୁସଲମାନ ମଧ୍ୟ ପରିବର୍ତ୍ତନକୁଣ୍ଠ ପ୍ରାଚ୍ୟର ଅଧିବାସୀ ଏବଂ ସେମାନେ ନିଜ ଅତୀତ ମଧ୍ୟରେ ହିଁ ବନ୍ଦୀ । ବାହୁ ବଳରେ ସେମାନେ ଏକ ସାମ୍ରାଜ୍ୟ ସୃଷ୍ଟି କଲେ ସିନା, କିନ୍ତୁ ସେମାନଙ୍କର ମନୋରାଜ୍ୟରେ କୌଣସି ପ୍ରକାର ସୃଜନଧର୍ମୀ ଉଚ୍ଛ୍ୱାସ ନ ଥିଲା । ସେମାନେ ଯେତେବେଳେ ଆମ ସୀମାନ୍ତ ମଧ୍ୟରେ ବସବାସ କଲେ ସେତେବେଳେ ତାଙ୍କ ସଙ୍ଗରେ ଆମର ଘନ ଘନ ସଂଘର୍ଷ ସୃଷ୍ଟି ହେଲା । କିନ୍ତୁ ସେ ସଂଘର୍ଷ ବାହ୍ୟିକ–ଗୋଟିଏ ଅନମନୀୟ ଜୀବନଧାରା ସହିତ ଆଉ ଗୋଟିଏ ଅନମନୀୟ ଜୀବନଧାରାର ସଂଘର୍ଷ ମାତ୍ର । ଆମର ରାଷ୍ଟ୍ରୀୟ ଶାସନ ପ୍ରଣାଳୀକୁ ସେମାନେ ଗଭୀର ଭାବରେ ପ୍ରଭାବିତ କଲେ ସତ, କିନ୍ତୁ ସେମାନେ ଆମ ଚିତ୍ତରାଜ୍ୟକୁ ଅଧିକାର କରିବାକୁ ଅକୃତକାର୍ଯ୍ୟ ହେଲେ । ଫାର୍ସି ଭାଷା ବହୁଳ ପରିମାଣରେ ସମ୍ଭ୍ରାନ୍ତବଂଶୀୟ ଲୋକମାନଙ୍କ ଦ୍ୱାରା ବ୍ୟବହୃତ ହେବାକୁ ଲାଗିଲା । ଏପରି କି କେତେକ ଫାର୍ସି ଶବ୍ଦ ମଧ୍ୟ ବଙ୍ଗଳା ଭାଷା ମଧ୍ୟରେ ପ୍ରବେଶ ଲାଭ କଲା । ତଥାପି ସମକାଳୀନ ବଙ୍ଗଳା ସାହିତ୍ୟରେ ଫାର୍ସି ବିଦ୍ୟାର ସ୍ପଷ୍ଟ ନିଦର୍ଶନ ପ୍ରାୟ ମିଳି ନ ଥାଏ ଏବଂ ଏହାର ବିଷୟବସ୍ତୁ ଓ ଅନ୍ତଦୃଷ୍ଟିରେ ମୁସଲମାନ ସାହିତ୍ୟିକ ପରମ୍ପରାର ସଙ୍କେତ ପରିଦୃଷ୍ଟ ହୁଏ ନାହିଁ । କେବଳ ମାତ୍ର ଭାରତଚନ୍ଦ୍ରଙ୍କର ବିଦ୍ୟାସୁନ୍ଦର ଏକ ବ୍ୟତିକ୍ରମ-ଯାହାର କୃତିମ ଭାଷା ଓ ସଂଯତ ଛନ୍ଦରେ ଫାର୍ସି ସାହିତ୍ୟର ରସବୈଦଗ୍ଧ୍ୟର ପରିଚୟ ମିଳିଥାଏ ।
ସୁତରାଂ ଭାରତ ଭୂମିରେ ଦୁଇଟି ପ୍ରଚୀରାବଦ୍ଧ ସଭ୍ୟତା ସ୍ୱ ସ୍ୱ ଦୃଢ଼ ବିଶ୍ୱାସ ଘେନି ପାଖାପାଖି ଦଣ୍ଡାୟମାନ ହୋଇଥିଲେ ମଧ୍ୟ କେହି କାହାରି ମୁଖ ଦର୍ଶନ କରି ନ ଥିଲେ । ସେମାନଙ୍କ ମଧ୍ୟରେ ଯେ କିଛି ପ୍ରତିକ୍ରିୟା ସୃଷ୍ଟି ହୋଇ ନାହିଁ ତାହା ନୁହେ, କିନ୍ତୁ ତାହା ମଧ୍ୟ ଅତି ସାମାନ୍ୟ । ମୁସଲମାନମାନଙ୍କର ଶାରୀରିକ ବିକ୍ରମ ଦେଶକୁ ପ୍ରବଳ ଭାବରେ ଆଘାତ ଦେଇଛି ସତ, କିନ୍ତୁ କୌଣସି ନୂତନ ସୃଷ୍ଟି ପ୍ରଚେଷ୍ଟା ବା ଚିନ୍ତାରେ ସେମାନଙ୍କ ମନକୁ ଉଦ୍ବୁଦ୍ଧ କରି ନହିଁ । ତା' ଛଡ଼ା ଆଉ ଗୋଟିଏ ବିଷୟ ଲକ୍ଷ୍ୟ କରିବାର କଥା ଯେ ଯଦିଓ ବାହାରୁ ମୁସଲମାନମାନେ ଆଘାତ ଓ ଆକ୍ରମଣ ଦ୍ୱାରା ହିନ୍ଦୁସ୍ଥାନରେ ବଳପୂର୍ବକ ପ୍ରବେଶ କଲା, ତଥାପି ସେମାନେ ଆମ ଦୃଷ୍ଟିକୁ ବହିର୍ଜଗତ ପ୍ରତି ସଂପ୍ରସାରିତ କଲେ ନାହିଁ । ବସତି ସ୍ଥାପନ କରିସାରିଲା ପରେ ସେମାନେ ଯେଉଁ ଦ୍ୱାର ଦେଇ ପ୍ରବେଶ କରିଥିଲେ, ବାହାରର ସେହି ଦ୍ୱାର ମଧ୍ୟ ବନ୍ଦ କରିଦେଲେ । ଯଦିଓ ମଝିରେ ମଝିରେ ସେହି ଦ୍ୱାର ଦେଇ ନୂତନ ଆକ୍ରମଣ ହୋଇଛି, କିନ୍ତୁ ଏପରି କିଛି ଘଟିନାହିଁ ଯେଉଁଥିରେ କି ଆମେ ବହିର୍ବିଶ୍ୱ ପ୍ରତି ଆକୃଷ୍ଟ ହୋଇଛୁଁ । ସେହି କାରଣରୁ ଆମେ ଆମର ଗ୍ରାମ, ଦେବାଳୟ, ମଣ୍ଡପର ସଂକୀର୍ଣ୍ଣ ଦିଗ୍ବଳୟ ପ୍ରତି ଦୃଷ୍ଟି ଦେଉଥିଲୁ ଓ ସେହି ପରିଚିତ ଗଳ୍ପଗୁଜବ ଏବଂ ତାସ ଖେଳରେ ସନ୍ତୁଷ୍ଟ ଥିଲୁ । ତା' ପରେ ଇଂରେଜ ଏ ଭୂମିରେ ପଦାର୍ପଣ କଲେ; କେବଳ ମାନବ ରୂପରେ ନୁହେ, ସେମାନେ ଦେଖାଦେଲେ ଇଉରୋପୀୟ ଚିନ୍ତାଧାରା ଓ ନବଜୀବନର ବିଶ୍ୱସ୍ତ ବାର୍ତ୍ତାବହ ରୂପେ । ଇଂରେଜମାନଙ୍କ ଆଗମନ ଏ ଦେଶର ଇତିହାସରେ ଏକ ବିଚିତ୍ର ଘଟଣା । ମନୁଷ୍ୟ ହିସାବରେ ଏହି ଆଗନ୍ତୁକମାନେ ମୁସଲମାନମାନଙ୍କ ଅପେକ୍ଷା ଆମଠାରୁ ବହୁ ଦୂରରେ ରହିଲେ ସତ; କିନ୍ତୁ ଇଉରୋପୀୟ ସଭ୍ୟତାର ଦୂତ ରୂପେ ପୂର୍ବବର୍ତ୍ତୀ ବୈଦେଶୀକମାନଙ୍କ ଅପେକ୍ଷା ଏମାନେ ଆମ ସହିତ ଗଭୀର ଓ ବ୍ୟାପକ ସମ୍ପର୍କ ସ୍ଥାପନ କଲେ । ଯେପରି ସୁଦୂର ଆକାଶର ବୃଷ୍ଟିଧାରା ମାଟି ଆଘାତ କରେ, ଭୂଗର୍ଭର ନିର୍ଜୀବ ଅନ୍ତରକୁ ସ୍ପର୍ଶ କରେ, ଭୂଗର୍ଭରେ ପ୍ରାଣଶକ୍ତି ସଞ୍ଚାରକରେ ଓ ସେହି ଉଦ୍ୟମକୁ ନବଜୀବନ ପ୍ରଦାନ କରେ, ଠିକ୍ ସେହିଭଳି ଇଉରୋପୀୟ ଚିତ୍ତରେ ଜଙ୍ଗମ ଶକ୍ତି ଆମର ସ୍ଥାବର ମନରେ ପ୍ରଥମ ଥର ପାଇଁ ଆଘାତ ସୃଷ୍ଟିକଲା-। ନବଜାଗରଣର ବନ୍ୟା ଇଟାଲୀ ଭୂମିରୁ ଉତ୍କୁଳ ହୋଇ ଠିକ୍ ଏହିଭଳି ଭାବରେ ସମଗ୍ର ମହାଦେଶକୁ ଦିନେ ପ୍ଲାବିତ କରିଥିଲା । ଏହାର ବିଚିତ୍ର ଓ ସମୃଦ୍ଧ ପ୍ରଭାବ ଜାତୀୟ ସମ୍ମାନ ପାଇଁ ଯେ ଅନୁକୂଳ ଏ କଥା ସମସ୍ତେ ଅନୁଭବ କରିଥିଲେ । ଗ୍ରହଣଶୀଳ ମନ ନୂତନ ଚିନ୍ତାର ଐଶ୍ୱର୍ଯ୍ୟକୁ ଗ୍ରହଣ କରିବାକୁ ବାଧ୍ୟ । ବୁଦ୍ଧି ଯେଉଁଠି ଜୀବନ୍ତ ଓ ଜାଗ୍ରତ ସେଠାରେ ଆଦାନ ପ୍ରଦାନର ଏହି ପାରସ୍ପରିକ ସ୍ରୋତ ପ୍ରଖର ହେବା ସ୍ୱାଭାବିକ । ବର୍ତ୍ତମାନ ଯୁଗର ମାନସିକ ଜ୍ୟୋତି ମୁଖତଃ ପଶ୍ଚିମ ଦିଗନ୍ତରୁ ତା'ର ଆଲୋକଛଟା ବିକୀରଣ କରିଛି, ଏବଂ ଏହା ଦ୍ୱାରା ମାନବ ଇତିହାସର ସମଗ୍ର ଆକାଶ ଆଜି ଉଦ୍ଭାସିତ । ଏକ ପ୍ରବଳ ଆବେଗରେ ଇଉରୋପୀୟ ମନ ସମଗ୍ର ପୃଥିବୀରେ ଆଜି ପ୍ରତିବିମ୍ବିତ । ଯେଉଁଠି ସେ ପ୍ରବେଶ କରିଛି ସେଠାରେ ସେ ବିଜୟ ହାସଲ କରିଛି । ଏହି ମାନସିକ ଶକ୍ତିର ଗୁପ୍ତରହସ୍ୟ କଣ ? ଅଖଣ୍ଡ ଭାବରେ ସତ୍ୟର ଅନୁସନ୍ଧାନ ହିଁ ହେଉଛି ଏହାର ଏକମାତ୍ର ଉତ୍ତର । ବୁଦ୍ଧିର ଆଳସ୍ୟ, କଳ୍ପନାର କୁହୁକ, ଆପାତ ପ୍ରତୀୟମାନ ସଦୃଶ୍ୟ, ପ୍ରାଚୀନ ପାଣ୍ଡିତ୍ୟର ଅନ୍ଧ ଅନୁବର୍ତ୍ତନରେ ସେ ବିସ୍ମିତ ହୋଇ ନାହିଁ, ଏବଂ ଯେଉଁ ବିଶ୍ୱାସରେ ମନୁଷ୍ୟର ସ୍ୱାଭାବିକ ପ୍ରବୃତ୍ତି ନିଶ୍ଚିନ୍ତ ରହିବାକୁ ଚାହେଁ, ତାହାର ପ୍ରଲୋଭନକୁ ମଧ୍ୟ ସେ ନିର୍ମମ ଭାବରେ ଦମନ କରିଛି । ନିଜର ବ୍ୟକ୍ତିଗତ ଚିନ୍ତାନୁଯାୟୀ ସତ୍ୟକୁ ସେ ପରିଚାଳିତ କରିବାକୁ ଚେଷ୍ଟା କରି ନାହିଁ । ଜ୍ଞାନ-ଜଗତକୁ ସେ ପ୍ରତିଦିନ ଜୟ କରିଛି, କାରଣ ତାହାର ବୁଦ୍ଧିର ସାଧନା ବିଶୁଦ୍ଧ ଓ ବ୍ୟକ୍ତିଗତ ମୋହରୁ ବିମୁକ୍ତ । ଯଦିଚ ଭାରତବର୍ଷରେ ଆଜି ଆମେ ଚତୁର୍ଦ୍ଦିଗରେ ପଞ୍ଜିକାର ପ୍ରାଚୀର ଦ୍ୱାରା ସୀମାବଦ୍ଧ, ତଥାପି ତା ରନ୍ଧ୍ର ମଧ୍ୟରେ ଇଉରୋପୀୟ ଚିତ୍ତ ଆମ୍ଭମାନଙ୍କ ପ୍ରାଙ୍ଗଣରେ ପ୍ରବେଶ କରିଅଛି । ଏହା ଆମ ଆଖି ଆଗରେ ଜ୍ଞାନର ବିଶ୍ୱରୂପ ଉପସ୍ଥାପିତ କରିଛି । ଆମ ବୁଦ୍ଧିରେ ଏପରି କି ଏକ ସର୍ୱଵ୍ୟାପୀ ଔତ୍ସୁକ୍ୟ ସୃଷ୍ଟି କରିଛି ଯାହା ଫଳରେ ଅହେତୁକ ଆଗ୍ରହରେ ଆମେ ନିକଟତମ ଓ ଦୂରତମ, ଅଣୁତମ ଓ ବୃହତ୍ତମ, ଏବଂ ପ୍ରୟୋଜନୀୟ ଓ ଅପ୍ରୟୋଜନୀୟ ସମସ୍ତ ପଦାର୍ଥକୁ ସନ୍ଧାନ କରିବାକୁ ଆଜି କୌତୁହଳୀ । ଏହା ଆମକୁ ଦେଖାଇଦେଇଛି ଯେ ଜ୍ଞାନରାଜ୍ୟ ଅବିଭାଜ୍ୟ ଏବଂ ସକଳ ତଥ୍ୟ ଅଚ୍ଛେଦ୍ୟ ସୂତ୍ରରେ ପରସ୍ପର ସହିତ ଗ୍ରଥିତ । ପ୍ରଚଳିତ ନୀତି ଯେତେ ସୁପ୍ରାଚୀନ ଓ ପରିଶୁଦ୍ଧ ହେଉ ନା କାହିଁକି, ତାହା ପ୍ରାକୃତିକ ଘଟଣାର କ୍ଷୁଦ୍ରତମ ପ୍ରମାଣ ବିରୁଦ୍ଧରେ ମଧ୍ୟ ସାକ୍ଷ୍ୟ ଦେଇ ପାରେ ନା-।
ଏହା ଯେପରି ଭୌତିକ ଜଗତ ପକ୍ଷରେ ସତ୍ୟ, ସେହିପରି ନୈତିକ ଜଗତ ପକ୍ଷରେ ମଧ୍ୟ ସତ୍ୟ । ଆଧୁନିକ ଯୁଗର ନୀତି ଉପଦେଶ ଯାହାକି ଆଜି ଆମ ନିକଟରେ ଆସି ପହଞ୍ଚିଛି, ତାହା ଆଇନ ଚକ୍ଷୁରେ ସମସ୍ତଙ୍କୁ ସମାନ ଆସନ ପ୍ରଦାନ କରିଛି । ଜଣେ ବ୍ରାହ୍ମଣ ଜଣେ ଶୁଦ୍ରକୁ ଵଧ କରୁ ବା ଜଣେ ଶୁଦ୍ର ଜଣେ ବ୍ରାହ୍ମଣକୁ ବଧ କରୁ, ଏହା ଯେ ଏକ ହତ୍ୟା ଓ ଏହି ଅପରାଧ ସମଭାବରେ ଦଣ୍ଡନୀୟ ଏହାହିଁ ଆଜି ଆମ ଆଇନର ନୀତି । କୌଣସି ଶାସ୍ତ୍ରୀୟ ଅନୁଶାସନ ଏ କ୍ଷେତ୍ରରେ ଏ ଯୁଗର ନ୍ୟାୟାଦର୍ଶକୁ ପ୍ରଭାବିତ କରି ପାରେ ନା ।
ଆଜି ଆମର ମନୋଭାବ ଓ ଚିନ୍ତା ଜଗତରେ ଏକ ବୈପ୍ଲବିକ ପରିବର୍ତ୍ତନ ସୃଷ୍ଟି ହୋଇଛି । ସାମାଜିକ ପ୍ରଥା ଯେଉଁମାନଙ୍କୁ ଦିନେ ଅସ୍ପୃଶ୍ୟ ଶ୍ରେଣୀରେ ଗଣ୍ୟ କରିଥିଲା, ଆଜି ସେମାନଙ୍କର ମନ୍ଦିର ପ୍ରବେଶ ଉଚିତ ବୋଲି ଯେଉଁ ପ୍ରସ୍ତାବ ଆଗତ ହୋଇଛି–ଏହାହିଁ ତା'ର ପ୍ରମାଣ । ବର୍ତ୍ତମାନ ମଧ୍ୟ ଏକ ଶ୍ରେଣୀୟ ନୈଷ୍ଠିକ ଶକ୍ତି ଅଛନ୍ତି ଯେଉଁମାନେ ଜାତିହୀନ ବ୍ୟକ୍ତିମାନଙ୍କର ମନ୍ଦିର ପ୍ରବେଶକୁ ନୈତିକ ଭିତ୍ତିରେ ସମର୍ଥନ ନ କରି ଧର୍ମଶାସ୍ତ୍ରର ଅନୁଶାସନ ଉପରେ ନିର୍ଭର କରି ସମର୍ଥନ କରିବାକୁ ଆଗ୍ରହୀ ମାତ୍ର-ଦୂରଦୃଷ୍ଟିହୀନ ଏପରି ସମର୍ଥନ କଦାପି କୌଣସି ପ୍ରଭାବ ପକାଇ ପାରେ ନାହିଁ ।
ବର୍ତ୍ତମାନ ଜନସାଧାରଣଙ୍କର ଅନ୍ତରର ବାଣୀ ହିଁ ତାଙ୍କୁ ସଚେତନ କରିଛି ଯାହା ଫଳରେ ସେମାନେ ଜାଣୁଛନ୍ତି ଯେ କୌଣସି ଶାସ୍ତ୍ରଗତ, ପରମ୍ପରାଗତ ବା ବ୍ୟକ୍ତିଗତ ପ୍ରଭାବ କଦାପି ଅନ୍ୟାୟକୁ ନ୍ୟାୟରେ ପରିଣତ କରି ପାରିବ ନାହିଁ । ମୁସଲମାନ ଅମଳର ବଙ୍ଗସାହିତ୍ୟ ପ୍ରତି ଦୃଷ୍ଟିପାତ କଲେ ଆମେ ଦେଖୁଁ ଯେ ବିନା ବାଧାରେ ଅନ୍ୟାୟ କରିବାର ଯେଉଁ ଅସୀମ ଅଧିକାର ବ୍ୟକ୍ତି ପ୍ରାପ୍ତ ହୁଏ ତାହା ଯେ ବୃହତ୍ତମ ଶକ୍ତିର ନିଦର୍ଶନ-ଏହି ଭାବ ହିଁ ଐଶ୍ୱରିକ କଳ୍ପନାକୁ ନିଷ୍ପ୍ରଭ କରିଛି । ଶକ୍ତିମାନ ପୁରୁଷ ନିର୍ମମ ଅତ୍ୟାଚାର ଦ୍ୱାରା ଯେତେବେଳେ ତାର ସାମ୍ରାଜ୍ୟକୁ ଦୃଢ଼ କରିବାକୁ ଚେଷ୍ଟା କରିଛି, ସେତେବେଳେ ହିଁ ସେହି ବିଭୀଷିକାରେ ଦେବଦେବୀର କଳ୍ପନା ଆମ ମନରେ ଉଭାସିତ ହୋଇଅଛି ଏବଂ ଆତଙ୍କ ସୃଷ୍ଟି କରିବାର ଦକ୍ଷତା ଦ୍ୱାରା ହିଁ ସେମାନଙ୍କର ଯୋଗ୍ୟତା ମଧ୍ୟ ପ୍ରମାଣିତ ହୋଇଅଛି ।
ସାଧାରଣ ଲୋକେ ସାମାଜିକ ଓ ଶାସନ ପ୍ରଥା ମାନି ଚଲୁଥିଲେ; କିନ୍ତୁ ଯେ କୌଣସି ଆଇନ ଭଙ୍ଗ କରିବାରେ ଦୁର୍ଦ୍ଦମନୀୟ ଅଧିକାର ଥିଲା କେବଳ ଅସାଧାରଣ ବ୍ୟକ୍ତିମାନଙ୍କର । ଅପରିମିତ ଶକ୍ତିର ଔଦ୍ଧତ୍ୟ ଓ ଦୁଃସାହାସିକତାକୁ ମନୁଷ୍ୟ ଈଶ୍ୱରତତ୍ତ୍ୱର ଲକ୍ଷଣ ବୋଲି ସ୍ୱୀକାର କରିଛି । ସେହି ସମୟର ପ୍ରଚଳିତ ପ୍ରବାଦ ଥିଲା ‘‘ଦିଲ୍ଳୀଶ୍ୱରେ ବା ଜଗଦୀଶ୍ୱରେ ବା’’–ଉଭୟ ଏହି ଭାବର ସମାନ ଅଧିକାରୀ ଥିଲେ; କିନ୍ତୁ ନ୍ୟାୟପରାୟଣତାର ଆଶୁ ଦାୟିତ୍ୱ ତୁଲେଇବାରେ ନୁହେ, ପରନ୍ତୁ ଶକ୍ତିର ଯଥେଷ୍ଟ ଅପବ୍ୟୟ କରିବାରେ ଏହି ଅଧିକାର ପର୍ଯ୍ୟବସିତ ଥିଲା ।
ବ୍ରାହ୍ମଣମାନେ ସେତେବେଳେ ଭୂଦେବ ଅର୍ଥାତ୍ ପୃଥିବୀର ଦେବତା ରୂପେ ପରିଗଣିତ ହେଉଥିଲେ । ତାଙ୍କର ଶ୍ରେଷ୍ଠତ୍ୱର ଦାବୀ କୌଣସି ଦେବତ୍ୱର ମହତ୍ତ୍ୱ ଉପରେ ପ୍ରତିଷ୍ଠିତ ନ ଥିଲା; ଏଥିରେ ମଧ୍ୟ ନୀତିଶାସ୍ତ୍ରର କୌଣସି କର୍ତ୍ତୃତ୍ୱ ନଥିଲା । ନୀଚ ବା ଅନୁନ୍ନତ ଜାତି ଉପରେ ଅନ୍ୟାୟ ଆଚରଣ କରିବାର ପୈତୃକ ତଥା ଅଲଂଘ୍ୟ ଅଧିକାର ସେମାନେ ସ୍ମୃତିଶାସ୍ତ୍ରର ପରମ୍ପରା ସୂତ୍ରରେ ପାଇଥିଲେ ।
ଯଦିଓ ମୋଗଲ ସାମ୍ରାଜ୍ୟ ଅପେକ୍ଷା ବ୍ରିଟିଶ ସାମ୍ରାଜ୍ୟ ଅଧିକତର ବ୍ୟାପକ ଓ ଶକ୍ତିଶାଳୀ, ତଥାପି ଜଣେ ନିର୍ବୋଧ ବ୍ୟକ୍ତି ମଧ୍ୟ ଲର୍ଡ ଉଲିଂଡ଼ନଙ୍କ ଜଗଦୀଶ୍ୱର ଆଖ୍ୟାରେ ଆଖ୍ୟଟି କରିବାକୁ ସାହସ କରିବ ନାହିଁ । ଆକାଶରୁ ବୋମା ବର୍ଷଣପୂର୍ବକ ପଲ୍ଲୀର ଧ୍ୱଂସ ସାଧନ କ୍ରିୟାକୁ ମଧ୍ୟ ଈଶ୍ୱରଙ୍କ କାର୍ଯ୍ୟ ବୋଲି ମାନେ କରୁ ନାଁ । ଆମେ ଯେତେବେଳେ ବ୍ରିଟିଶ ଶାସନ ଅଧୀନରେ ଦୁଃଖ କଷ୍ଟ ଭୋଗ କରୁଥିଲୁ । ନ୍ୟାୟ ଅନ୍ୟାୟର ସାଧାରଣ ଆଦର୍ଶ ଦ୍ୱାରା ଆମେ ତାକୁ ବିଚାର କରୁଥିଲୁ । କିନ୍ତୁ ଆମେ ଶକ୍ତିମାନଠାରୁ ଯଥୋଚିତ ବ୍ୟବହାର ଦାବୀ କରିବାକୁ ମଧ୍ୟ କୁଣ୍ଠାବୋଧ କରୁ ନ ଥିଲୁ । ବାସ୍ତବରେ ସାର୍ବଭୌମା ନ୍ୟାୟଦର୍ଶକୁ ସ୍ୱୀକାର କରି ବ୍ରିଟିଶ ସାମ୍ରାଜ୍ୟ ନିଜର ଦୁର୍ବଳତମ ପ୍ରଜାମାନଙ୍କ ପରି ଏକ ସମାନ ନୈତିକ ସ୍ତରରେ ଦଣ୍ଡାୟମାନ ହୋଇଥିଲା ।
ଯେତେବେଳେ ପ୍ରଥମ ଇଂରାଜୀ ସାହିତ୍ୟ ସହିତ ଆମର ପରିଚୟ ଘଟିଲା, ସେତେବେଳେ କେବଳ ଯେ ଆମେ ତା'ଠାରୁ ଅଭିନବ ସାହିତ୍ୟିକ ରସ ଆହରଣ କଲୁ ତାହା ନୁହେ; ମାନବ ଉପରେ ମାନବର ଅତ୍ୟାଚାର ଦୂରୀଭୂତ କରିବାରେ ସଂଗ୍ରାମ କରିବାର ପ୍ରେରଣା ଆମେ ତା'ଠାରୁ ପାଇଲୁ । ରାଜନୀତିକ ଦାସତ୍ୱର ଶୃଙ୍ଖଳା ଚ୍ଛିନ୍ନ କରିବାର ଘୋଷଣା ଆମ କର୍ଣ୍ଣ କୁହରରେ ନିନାଦିତ ହେବାକୁ ଲାଗିଲା । ମାନବିକ ପରିଶ୍ରମକୁ ପଣ୍ୟଦ୍ରବ୍ୟରେ ପରିଣତ କରିବାର କଠୋର ସ୍ପର୍ଦ୍ଧା ବିରୁଦ୍ଧରେ ପ୍ରତିବାଦ କରିବାକୁ ଆମେ ଶିକ୍ଷାଲାଭ କଲୁ । ଏହା ଆମ ପକ୍ଷରେ ଥିଲା ଏକ ନୂତନ ଦୃଷ୍ଟିଭଙ୍ଗୀ । ଆମେ ଧରି ନେଇଥିଲୁ ଯେ ଆମର କର୍ମଫଳେ ଓ ଜନ୍ମଗତ ବିଧିବିଧାନ ସବୁ ପୂର୍ବ ଜନ୍ମାର୍ଜିତ ଓ ଅପରିବର୍ତ୍ତନୀୟ । ଆମର ଆହୁରି ଏ ବିଶ୍ୱାସ ଥିଲା ଯେ ଦୁଃଖ କଷ୍ଟର ଫଳାଫଳ ଏବଂ ଏକ ନିକୃଷ୍ଟ ଜାତି ହିସାବରେ ଯେଉଁ ଘୃଣା ଓ ଲାଞ୍ଛନା ଆମେ ଶିରୋଧାର୍ଯ୍ୟ କରିଛୁ ତାହା ଆମର ଭାଗ୍ୟଲିପି ।
ଏବେବି ଆମ ଶିକ୍ଷିତ ମଣ୍ଡଳୀରେ ମଧ୍ୟ ଏପରି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାଷ୍ଟ୍ରୀୟ ନିଗ୍ରହ ବିରୁଦ୍ଧରେ ପ୍ରତିବାଦ କରିବାରେ ବାଶ୍ୱାସ କରନ୍ତି, ଅଥଚ ଭାଗ୍ୟର ଦ୍ୱାହିଦେଇ ସାମାଜିକ ଓ ଧର୍ମ ବିଧାନର ଅପମାନକୁ ସହ୍ୟ କରିବାକୁ ପରାମର୍ଶ ଦିଅନ୍ତି । ସେମାନେ ଭୁଲିଯାଆନ୍ତି ଯେ ଭାଗ୍ୟ ନିର୍ଦ୍ଦିଷ୍ଟ ବା ଅନିବାର୍ଯ୍ୟ ବିଧିବିଧାନକୁ ନିର୍ବିବାଦରେ ମାନିବାର ମନୋବୃତ୍ତି ହିଁ ରାଜନୀତିକ ଦାସତ୍ୱ ବନ୍ଧନର ଏକ ବଳିଷ୍ଠ ଶୃଙ୍ଖଳା ବିଶେଷ । ସେ ଯାହାହେଉ, ଇଉରୋପ ସହିତ ଆମର ସମ୍ପର୍କ ଆଜି ଆମକୁ ବିଶ୍ୱପ୍ରକୃତିର କାର୍ଯ୍ୟକାରଣ ବିଧିର ସାର୍ବଭୌମିକତା ପ୍ରତି ଆମକୁ ସଚେତନ କରାଇଛି, ଯାହା ଫଳରେ ଶାସ୍ତ୍ରାବାକ୍ୟରେ ନିର୍ଦ୍ଦେଶ, ପୁରାତନ ପ୍ରଚଳିତ ପ୍ରଥାର ଅନୁଶାସନ ଆଜି ଆମ ନିକଟରେ ବ୍ୟର୍ଥ ବୋଲି ଅନୁମିତ ହେଉଛି ।
ଆମର ତୃଟିସତ୍ତ୍ୱେ ଆଜି ଆମେ ସେହି ଭିତ୍ତି ଉପରେ ଦଣ୍ଡାୟମାନ ହୋଇ ଆମର ରାଜନୀତିକ ମର୍ଯ୍ୟାଦାର ଉନ୍ନତି ପାଇଁ ସଚେଷ୍ଟ ହଇଛୁ । ଦିନେ ଯେଉଁସକଳ ଦାବୀ ଆମେ କୌଣସି ଦିନ ମୋଗଲ ସମ୍ରାଟଙ୍କ ନିକଟରେ ଉପସ୍ଥାପିତ କରିବାର କଳ୍ପନା କରି ନ ଥିଲୁ, ସେହି ଦାବୀ ଆଜି ଆମର ଶାସକମାନଙ୍କ ନିକଟରେ ଉପସ୍ଥାପିତ କରି ପାରୁଛୁ । ତାର କାରଣ ହେଉଛି, ‘‘ମଣିଷ ହିଁ ମଣିଷ ଏବଂ ତାହା ହିଁ ହେଉଛି ଚରମ ସତ୍ୟ’’–କବିବାଣୀର ଏହି ଆଦର୍ଶ ଉପରେ ଆଜି ଆସ୍ଥାବାନ ।
ମୁଁ ଆଜି ୭୦ ବର୍ଷ ବୟସ ଅତିକ୍ରମ କରି ଏକ ନୂତନ ଯୁଗରେ ପଦାର୍ପଣ କଲି, ଯାହାକୁ ଯଥାର୍ଥ ରୂପେ ୟୁରୋପୀୟ ଯୁଗ ବୋଲି କୁହାଯାଇଥାଏ । ଏହି ସମୟ ହେଉଛି ଉନବିଂଶ ଶତାବ୍ଦୀର ପ୍ରାୟ ମଧ୍ୟକାଳ । ଆଧୁନିକ ଯୁଗର ଯୁବକମାନେ ପରିହାସରେ ଏହାକୁ ଭିକ୍ଟୋରିଆନ ଯୁଗ ବୋଲି କହିଥାଆନ୍ତି ।
ବ୍ରିଟେନ ଯେତେବେଳେ ଇଉରୋପର ପ୍ରତିନିଧି ଭାବେ ରାଜୈଶ୍ୱର୍ଯ୍ୟ ଓ ରାଷ୍ଟ୍ରୀୟ କ୍ଷମତାର ଶୀର୍ଷ ସ୍ଥାନରେ ଅଧିରୂଢ଼, ସେତେବେଳେ କେହି ଭାବି ନ ଥିଲେ ଦିନେ ଦୁର୍ଭାଗ୍ୟବଶତଃ ତା'ର ବିରାଟ ସୌଧରେ ଛିଦ୍ରପଥ ସୃଷ୍ଟିହେବ । ଇତିହାସର ଶିକ୍ଷା ଯାହା ଥାଉ ନା କାହିଁକି, ବର୍ତ୍ତମାନର ଇଉରୋପୀୟ ସଭ୍ୟତା ଦିନେ ଯେ ଚରମ ଦୁର୍ଗତି ଓ ଦୁଃସମୟର ସମ୍ମୁଖୀନ ହେବ, ତାର କୌଣସି ନିଦର୍ଶନ ସେତେବେଳେ ପରିଲକ୍ଷିତ ହୋଇ ନ ଥିଲା; ଅଥବା ବ୍ୟକ୍ତି ସ୍ୱତନ୍ତ୍ର, ମତ ପ୍ରକାଶର ସ୍ୱାଧୀନତା ଓ ମୂଲ୍ୟବୋଧକୁ ହ୍ରାସ କରି ପାରେ, ଏପରି କୌଣସି ଘଟଣା ମଧ୍ୟ ଘଟି ନ ଥିଲା । ଏହି ଆଦର୍ଶବାଦ ଉପରେ ହିଁ ଫରାସୀ ବିପ୍ଳବ ଓ ସଂସାର ଯୁଗର ଯୁଦ୍ଧସମୂହ ସଂଘଟିତ ହୋଇଥିଲା । ସେହି ଭିକ୍ଟୋରିଆ ଯୁଗରେ ନିଗ୍ରୋ ଜାତିକୁ ଦାସତ୍ୱବନ୍ଧନରୁ ମୁକ୍ତି ଦେବା ନିମନ୍ତେ ଯୁକ୍ତରାଷ୍ଟ୍ର ଗୃହଯୁଦ୍ଧରେ ଲିପ୍ତ ହୋଇଥିଲା । ମାଜିନି ଓ ଗାରିବାଲଡ଼ିଙ୍କ ଅମର ବାର୍ତ୍ତାରେ ସେହି ଯୁଗ ପ୍ରତିଧ୍ୱନିତ ହେଲା । ତୁର୍କୀ ଅତ୍ୟାଚାରର ନିନ୍ଦାରେ ଗ୍ଲାଡଷ୍ଟୋନ୍ର ବଜ୍ରସ୍ୱର ମନ୍ଦ୍ରିତ ହୋଇଥିଲା । ସେହି ସମୟରେ ହିଁ ଭାରତବାସୀମାନେ ଦେଶ ମୁକ୍ତିର ସ୍ୱପ୍ନ ହୃଦୟରେ ପୋଷଣ କରିଥିଲେ । ଏହା ସତ୍ୟ ଯେ ସେହି ସ୍ୱପ୍ନରେ ବ୍ରିଟିଶ ବିଜେତାମାନଙ୍କ ପ୍ରତି ଯେପରି ଶତ୍ରୁ ମନୋଭାବ ଥିଲା, ସେହିପରି ଇଂରେଜ ଜାତିର ଚରିତ୍ର ପ୍ରତି ଆମର ଅଗାଧ ବିଶ୍ୱାସ ମଧ୍ୟ ନିହିତ ଥିଲା । ତା'ନ ହେଲେ କିପରି ଆମ ମନରେ ଏ ଧାରଣା ଜନ୍ମିଲା, ଯାହା ଫଳରେ ଆମେ ମନୁଷ୍ୟରତ୍ୱର ଦ୍ୱାହି ଦେଇ ଭାରତର ରାଷ୍ଟ୍ର ଶାସନରେ ସମାନ ଅଧିକାରର ଦାବୀ ଉପସ୍ଥାପିତ କରି ପାରିଲୁ ।
ଅତି ଦ୍ରୁତ ବେଗରେ ଆମେ ଗୋଟିଏ ଯୁଗରୁ ଆଉ ଅନ୍ୟ ଏକ ଯୁଗରେ ପଦାର୍ପଣ କଲୁ-। ଏ ଯୁଗ ନୂତନ ତାତ୍ପର୍ଯ୍ୟ ଓ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ । ଆମ ଘରେ, ବାହାରେ, ପ୍ରତିବେଶରେ, ସଂପ୍ରଦାୟରେ ଓ ସମାଜରେ ମଧ୍ୟ ମନୁଷ୍ୟର ଅଧିକାର, ମନୁଷ୍ୟର ମର୍ଯ୍ୟାଦାବୋଧ ଓ ଶ୍ରେଣୀ ସଂପର୍କରେ ଆମେ ସଚେତନ ନ ଥିଲୁ । ସେ ସମୟରେ ପରସ୍ପର ବିରୋଧୀଭାବ ଥିବା ସତ୍ତ୍ୱେ ବିଜ୍ଞାନ ପ୍ରତି ଆମର ସନ୍ଦେହୀ ମନୋଭାବ ପ୍ରଦର୍ଶିତ । ଯେତେବେଳେ ବିଜ୍ଞାନ ଆମ ଦ୍ୱାର ଦେଶରେ ଉପସ୍ଥିତ ସେତେବେଳେ ମଧ୍ୟ ପବିତ୍ର ପଞ୍ଜିକାର ଗ୍ରହଗଣନ ଆମ ମନରେ ଦୃଢ଼ ଆସନ ଲାଭ କରିଛି । ତଥାପି ପଶ୍ଚିମୀ-ସଭ୍ୟତାର ଯୁକ୍ତି ଧର୍ମୀ-ମନର ପ୍ରଭାବ ଆମ ପକ୍ଷରେ ବାସ୍ତବ । ତେଣୁ ଭିକ୍ଟୋରିଆ ଯୁଗ ହିଁ ଇଉରୋପ ସହିତ ଆମ୍ଭମାନଙ୍କର ଗଭୀର ସହଯୋଗିତାର ଯୁଗ । ବସ୍ତୁତଃ ଇଉରୋପୀୟ ମନ ସହିତ ଆମ ଚିତ୍ତବୃତ୍ତିର ସଂପର୍କ ଯେଉଁଠି ସ୍ଥାପିତ ନୁହେ ବା ଆମର ଶିକ୍ଷାପ୍ରାଣାଳୀ ଇଉରୋପୀୟ ପ୍ରଣାଳୀ ସହିତ ସମାନ ଭାବରେ ଗତିଶୀଳ ନୁହେ, ସେ କ୍ଷେତ୍ରରେ ପରାଜୟ କେବଳ ଆମ୍ଭମାନଙ୍କର । ଇଉରୋପ ପ୍ରତି ଆମର ସମ୍ମାନବୋଧରେ ଯେ ପର୍ଯ୍ୟନ୍ତ କିଛି ଆଘାତ ସୃଷ୍ଟି ହୋଇ ନ ଥିଲା, ସେ ପର୍ଯ୍ୟନ୍ତ ଏହି ସହଯୋଗିତା ଥିଲା ଅକ୍ଷୁର୍ଣ୍ଣ । ସେଥିପାଇଁ ମୁଁ ପୂର୍ବରୁ କହିଛି ଯେ ଇଉରୋପ ପ୍ରତି ଅସୀମ ଶ୍ରଦ୍ଧା ଭାବରୁ ହିଁ ଆମ ଦେଶରେ ନୂତନ ଯୁଗର ସୂତ୍ରପାତ ହୋଇଅଛି । କାରଣ ବୁଦ୍ଧି କ୍ଷେତ୍ରରେ ଇଉରୋପ କିପରି ମହାମୁକ୍ତ, ଯୁକ୍ତିକୁ ସମ୍ମାନ ପ୍ରଦର୍ଶନ କାରିଥିଲେ ଏବଂ ବାସ୍ତବ ଜୀବନ କ୍ଷେତ୍ରରେ ମାନାବାଧିକାରର ପ୍ରତିଷ୍ଠା ପାଇଁ କିପରି ଉଦ୍ୟମ କରିଥିଲା, ତାହା ଆମେ ଲକ୍ଷ୍ୟ କରିଥିଲୁଁ । ତେଣୁ ସମସ୍ତ ପ୍ରତିକୂଳ ପରିବେଶ ସତ୍ତ୍ୱେ ଆମ ମନରେ ଆତ୍ମସମ୍ମାନବୋଧ ଓ ନିଜ ଦେଶବାସୀଙ୍କର ଭବିଷ୍ୟତ ଉନ୍ନତି ପାଇଁ ଆଶା ଜାଗ୍ରତ ହୋଇଥିଲା । ତାଙ୍କର ଆଲୋକରେ ହିଁ ତାଙ୍କର ଅଖଣ୍ଡ କ୍ଷମତାକୁ ବିଚାର କରିବାକୁ ଆମେ ଶିକ୍ଷା କଲୁଁ । ଆମର ପୂର୍ବବର୍ତ୍ତୀ ଶାସକମାନଙ୍କ ନିକଟରେ ଆମ ଦାବୀ ଜଣାଇବାର କୌଣସି ପନ୍ଥା ଆମ ନିକଟରେ ନ ଥିଲା । ଆମର ଭାଗ୍ୟୋଦୟ ହେଲେ ଶାସକମାନଙ୍କର ଅନୁଗ୍ରହ ଲାଭ କରିଥିଲୁଁ, କିନ୍ତୁ ଏହି ଅନୁଗ୍ରହ ସାଧାରଣ ନ୍ୟାୟନୀତି ବା ମନୁଷ୍ୟ ନିକଟରେ ମନୁଷ୍ୟ ଦାବୀ କରୁଥିବା ହୃଦୟ ବିଚାର ଉପରେ ପ୍ରତିଷ୍ଠିତ ନ ଥିଲା । ଏହା ପରେ ଇତିହାସ ନିଜ ଗତି ପଥରେ ଆଗେଇ ଚାଲିଛି । ବହୁକାଳରୁ ସୁପ୍ତ ଏସିଆ ପ୍ରାଣରେ ଆଜି ନବଜାଗରଣର ଉଦ୍ୟମ ଦେଖାଦେଇଛି । ଜାପାନ ମଧ୍ୟ ପାଶ୍ଚାତ୍ୟ ସହ ସଂପର୍କ ଓ ସଂଘର୍ଷ ଫଳରେ ଆଜି ବିଶ୍ୱର ଶକ୍ତିଗୋଷ୍ଠୀ ମଧ୍ୟରେ ସମାନ ଆସନର ଅଧିକାରୀ । ସୁଦୂର ଅତୀତର ଏକ ଅସ୍ପଷ୍ଟ ଗୋଧୂଳି ମଧ୍ୟରେ ସେ ଆଉ ଯେ ବଞ୍ଚି ନାହିଁ ତାହା ଆଜି ସେ ପ୍ରମାଣିତ କରିଛି ।
ଅନ୍ୟାନ୍ୟ ପ୍ରାଚ୍ୟ ଜାତିସମୂହ ମଧ୍ୟ ଆଜି ଏକ ନୂତନ ଯୁଗରେ ପଦାର୍ପଣ କରିଛନ୍ତି । ଏହି ସମୟ ମଧ୍ୟରେ ଆମେ ସର୍ବଦା ଅପେକ୍ଷା କରିଥିଲୁଁ ଯେ ବିଶ୍ୱଇତିହାସର ଅଗ୍ରଗତି ସହିତ ଆମେ ମଧ୍ୟ ସାମନ୍ତରାଳଭାବେ ଗତି କରିବୁ । ଆମ ଆତ୍ମନିୟନ୍ତ୍ରଣର ରଥଚକ୍ର ପ୍ରଗତି ପଥରେ ହିଁ ଗତି ଲାଭ କରିବ ଏବଂ ଏହି ଅଗ୍ରଗତିର ପ୍ରେରଣା ଇଂରେଜ ଜାତିଠାରୁ ଆମେ ଲାଭ କରିବୁ, କିନ୍ତୁ ଦୀର୍ଘକାଳ ଧରି ଅପେକ୍ଷା କରି ଆମେ ଅନୁଭବ କରୁଛୁଁ ଯେ ଏହି ରଥଚକ୍ରର ଗତି ଅଚଳ । ଭାରତବର୍ଷ ସହିତ ଇଂରେଜମାନଙ୍କର ଯେଉଁ ସମ୍ପର୍କ ତାହା କେବଳ ଆଇନଶୃଙ୍ଖଳା ଓ ନିୟମ ପଦ୍ଧତିର ସମ୍ପର୍କ । ଦେଶର ଆବଶ୍ୟକାନୁଯାୟୀ ଆମର ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ସେମାନେ ସାଧନ କରୁ ନାହାନ୍ତି କି ଆମର ଐଶ୍ୱର୍ଯ୍ୟ ବୃଦ୍ଧି ସକାଶେ କୌଣସି ଉଦ୍ୟମ ସେମାନେ କରୁ ନାହାନ୍ତି । ଆମର ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ଏବଂ କେବଳ ଆଇନ ଶୃଙ୍ଖଳା ମଧ୍ୟରେ ଆମ ଉନ୍ନତିର ସକଳ ସମ୍ଭାବନା ଆଜି ଅବଲୁପ୍ତ । ଇଉରୋପ ସହିତ ଭାରତର ସମ୍ପର୍କ ସେ ଆଜି ଭାରତକୁ ଯୁଗୋଚିତ ଅନୁଗ୍ରହରୁ ବଞ୍ଚିତ କରିଛି, ତାହା ଭାଗ୍ୟର ଏକ ବିଦ୍ରୂପ ।
ନବଯୁଗ ଆଜି ଯେତେବେଳେ ସୌରଲୋକରେ ଉଦ୍ଭାସିତ, ଭାରତବର୍ଷ ସେହି ବର୍ଣ୍ଣୋଜ୍ଜ୍ୱଳ ସୌରମଣ୍ଡଳ ମଧ୍ୟରେ ଏକ ତାମସାଚ୍ଛନ୍ନ ଅଂଶ ସଦୃଶ୍ୟ ବିଦ୍ୟମାନ । ଆଜି ଇଂଲଣ୍ଡ, ଫ୍ରାନ୍ସ ଓ ଜର୍ମାନୀ ଯୁକ୍ତରାଷ୍ଟ୍ର ନିକଟରେ ଗଭୀରଭାବେ ଋଣୀ । କିନ୍ତୁ ଏହି ଋଣର ପରିଣାମ ଦ୍ୱିଗୁଣ ହେଲେ ମଧ୍ୟ ଯଦି ସେମାନେ ନିଜର ଜୀବନଧାରଣର ମାନ ଯଥେଷ୍ଟ ଭାବରେ ତଳକୁ ଖସାଇ କେବଳ ଆଇନଶୃଙ୍ଖଳା ବଜାୟ ରଖନ୍ତେ, ତାହାହେଲେ ଏ ଋଣ ପରିଶୋଧ କରିବା ସହଜସାଧ୍ୟ ହୁଅନ୍ତା । ଆବଶ୍ୟକୀୟ ଖାଦ୍ୟର ପରିମାଣ ଯଦି ଅଧା ହୁଅନ୍ତା, ପାନୀୟ ଜଳର ପରିମାଣ ତୃଷାନୁପାତରେ ଅଳ୍ପ ହୁଅନ୍ତା, ଶତକଡା ପାଞ୍ଚ ସାତ ଜଣ ମଣିଷ ପାଇଁ ଶିକ୍ଷା ବ୍ୟବସ୍ଥା ରହିଲେ ଚଳିଯାଆନ୍ତା ଓ ଚିରସ୍ଥାୟୀ ରୋଗ ଦେଶର ଅସ୍ଥିମଜ୍ଜାଗତ ହେଲେ ମଧ୍ୟ ଆରୋଗ୍ୟର ବ୍ୟବସ୍ଥା କ୍ୱଚିତ କ୍ଷେତ୍ରରେ ଥିଲେ ଚଳିଯାଉଥାନ୍ତା, ତାହାହେଲେ ଏପରି ପରିବେଶରେ ଋଣ ପରିଶୋଧ ସମ୍ଭବପର ହୁଅନ୍ତା, କିନ୍ତୁ ଜୀବନଯାତ୍ରାର ସଭ୍ୟାଦର୍ଶ ବଜାୟ ରଖିବା ପାଇଁ ଏସମସ୍ତ ଅଭାବ ଏକାବେଳେକେ ମାରାତ୍ମକ । ସେଥିପାଇଁ ଋଣ ଅସ୍ୱୀକାର କରି ଅନେକ ସମୟରେ ଋଣଗ୍ରହୀତା କହିଥାଏ ଯେ ଋଣ ପରିଶୋଧ କରିବାକୁ ସେ ବାଧ୍ୟ ନୁହେ । ଜୀବନର ଏହି ସାଧାରଣ ଆବଶ୍ୟକତା ଦୃଷ୍ଟିରୁ ଭାରତବର୍ଷ ମଧ୍ୟ ଆଜି ହୁଏତ କହିପାରେ ଯେ ସରକାରଙ୍କର ଯେଉଁ ଦୁଃସହ ଓ ବ୍ୟୟସାଧ୍ୟ ଶାସନପ୍ରଣାଳୀ ଆଜି ତାକୁ ସର୍ବସ୍ୱାନ୍ତ କରିଛି ଏବଂ ଯାହାର ରୂପ ଏକ ଅସହନୀୟ ପ୍ରସ୍ତରଖଣ୍ଡ ପରି ତାକୁ ଭାରାକ୍ରାନ୍ତ କରି ଆଦିମ ଓ ବର୍ବର ଅବସ୍ଥାରେ ତାକୁ ନିକ୍ଷେପ କରିଛି-ତାହା ସେ କଦାପି ବରଦାସ୍ତ କରି ନ ପାରେ । ଯେଉଁ ସଭ୍ୟତାର ଆଦର୍ଶକୁ ଇଉରୋପ ଆଜି ନିଜ ପାଇଁ ଗ୍ରହଣ କରିଛି, ଅନ୍ୟକୁ ତାହା ପ୍ରଦାନ କରିବାରେ ଏପରି ସଂକୀର୍ଣ୍ଣ ଦୃଷ୍ଟିର ପରିଚୟ ସେ ବା ଦେଉଛି କାହିଁକି ? ସମଗ୍ର ବିଶ୍ୱ ପ୍ରତି କଣ' ଇଉରୋପୀୟ ସଭ୍ୟତାର ଦାୟିତ୍ୱବୋଧ ନାହିଁ ? କ୍ରମେ କ୍ରମେ ଏହା ସ୍ପଷ୍ଟ ହୋଇଉଠିଲା ଯେ ଇଉରୋପର ବାହାରେ ଇଉରୋପୀୟ ସଭ୍ୟତାର ମଶାଲଟି ଆଲୋକ ଦେଖାଇବା ପାଇଁ ନୁହେ, ଅଗ୍ନି ପ୍ରଜ୍ଜ୍ୱଳିତ କରିବା ପାଇଁ ଉଦ୍ଦିଷ୍ଟ । ତେଣୁ ଦିନେ ଦେଖାଗଲା ଯେ କମାଣ ଗୋଳା ସହିତ ଅଫିମ ପିଣ୍ଡ ଚୀନ୍ର ମର୍ମସ୍ଥାନ ଉପରେ ବୃଷ୍ଟି ହୋଇଛି । ଏପରି ସର୍ବନାଶ, ଇତିହାସରେ କୌଣସି ଦିନ କୌଣସିଠାରେ ଆଜି ପର୍ଯ୍ୟନ୍ତ ସଂଘଟିତ ହୋଇନି । କେବଳ ଗୋଟିଏ ସ୍ଥାନରେ ହୋଇଥିଲା ଏବଂ ତାହା ହେଉଛି ଇଉରୋପୀୟ ସଭ୍ୟ ଜାତିଗଣ ଯେତେବେଳେ ନବାବିଷ୍କୃତ ଆମେରିକାରେ ସ୍ୱର୍ଣ୍ଣପିଣ୍ଡ ଲୋଭରେ ଛଳେ ବେଳେ କୌଶଳରେ ମାୟାଜାତିର ଅପୂର୍ବସଭ୍ୟତାକୁ ଧ୍ୱଂସ କରିଥିଲେ । ମଧ୍ୟଯୁଗରେ ଅସଭ୍ୟତା ତାର ଜାତି ବିଦିତ ଦେଶରେ ନରମୁଣ୍ଡର ସ୍ତୁପ ଉଚ୍ଚ କରି ଉତ୍ତୋଳନ କରିଥିଲେ । ଅବଶ୍ୟ ଅଳ୍ପ କାଳ ପରେ ସେ ବେଦନାଲୁପ୍ତ ହୋଇଛି । କିନ୍ତୁ ଚୀନ ଭଳି ଏକ ବିରାଟ ଦେଶକୁ ଇଉରୋପ ଯେଉଁ ହଳାହଳ ବଳପୂର୍ବକ ପାନ କରାଇଛି ଚିରକାଳ ପାଇଁ ସେଥିରେ ତା'ର ଅସ୍ଥିମଜ୍ଜା ଜର୍ଜରିତ ହୋଇଯାଇଛି । ଯୁଗ ଯୁଗର ସଂଜ୍ଞାହୀନତାର ଜାଗରଣ ପାଇଁ ପାରସ୍ୟରେ ଯେତେବେଳେ ଯୁବ-ଆନ୍ଦୋଳନ ଦେଖାଯାଇଥିଲା, ସେତେବେଳେ ସଭ୍ୟ ଇଉରୋପ ସେହି ଆନ୍ଦୋଳନକୁ କିପରି ନିର୍ମମଭାବେ ଦମନ କାରିଥିଲେ, ତାହାର ଶୋକବାହ କାହାଣୀ ମୁସ୍ତାରଙ୍କର "ଶ୍ୱାସରୁଦ୍ଧ ପାରସ୍" (Strangling of Persia) ପୁସ୍ତକ ଅଧ୍ୟୟନ କଲେ ଜଣାପଡ଼େ । ଏ ଦିଗରେ ଆଫ୍ରିକାର କଙ୍ଗୋ ପ୍ରଦେଶରେ ଇଉରୋପୀୟ ଶାସକ କିପରି ବିଭୀଷିକାର ପରିଣତ ହୋଇଥିଲା, ତାହା ସମସ୍ତଙ୍କ ନିକଟରେ ବିଦିତ । ଆଜି ମଧ୍ୟ ଆମେରିକାର ଯୁକ୍ତରାଷ୍ଟ୍ରରେ ନିଗ୍ରୋଜାତି ସାମାଜିକ ଅସମ୍ମାନ ଦ୍ୱାରା ଲାଞ୍ଛିତ ।
ପାଶ୍ଚାତ୍ୟ ଇତିହାସରେ ପରଦା ଉତ୍ତୋଳନ କରି ତା'ପରେ ଅକସ୍ମାତ ମହାଯୁଦ୍ଧ ଦେଖାଦେଲା । ମନେହେଲା, ସତେ ଯେପରି ଜଣେ ମାତାଲ ଲୋକ ସମସ୍ତ ନଗ୍ନ ଓ ବିଭତ୍ସରୂପ ଧରି ସହସା ଆତ୍ମପ୍ରକାଶ କରିଛି । ଏତେ ମିଥ୍ୟା, ଏତେ ବିଭତ୍ସ ହିଂସ୍ରତା ନିବିଡ଼ ହୋଇ ସୁଦୂର ଅତୀତର ଅନ୍ଧକାର ଯୁଗରେ ହୁଏତ କ୍ଷଣକଳ ସକାଶେ ସାମୟିକ ଭାବେ ଉତ୍ପାତ ସୃଷ୍ଟି କରିଛି; କିନ୍ତୁ ଏପରି ଭୀଷଣ ଉଗ୍ରମୂର୍ତ୍ତିରେ ଆପଣାକୁ କେବେ ପ୍ରକାଶ କରି ନାହିଁ । ଅତୀତର ଏହି ଉତ୍ପାତ ଏକ ଘୁର୍ଣ୍ଣିବାଯୁ ସଦୃଶ୍ୟ ଧୂଳିରେ ଆପଣାକୁ ଆବୃତ କରି ହୁଏତ ଦେଖାଦେଉଥିଲା । କିନ୍ତୁ ଏ ବିଭତ୍ସତା ଆଜି ଆଗ୍ନେୟଗିରି ଅଗ୍ନିସ୍ରାବ ସଦୃଶ୍ୟ ଅବରୁଦ୍ଧ ପାପର ବାଧାମୁକ୍ତ ଉଚ୍ଚବାସରେ ଦିଗ ଦିଗନ୍ତକୁ ଅନୁରଞ୍ଜିତ କରି ପୃଥିବୀର ଦୂର ଦୁରାନ୍ତର ଶ୍ୟାମଳ ଶ୍ରୀକୁ ଦଗ୍ଧୀଭୂତ କରିଦେଇଛି । ସେହିଦିନଠାରୁ ଇଉରୋପ ନିଜର ଶୁଭ-ବୁଦ୍ଧି ଉପରେ ଆପଣାର ଆସ୍ଥା ହରାଇଛି ଏବଂ ସାର୍ବଜନୀନ ମାନବ କଲ୍ୟାଣର ଆଦର୍ଶକୁ ଏହା ଉପହାସ କରିବାକୁ ଆଗଭର ହୋଇଛି । ଦିନେ ଇଂରେଜ ଜାତିର ସଂସ୍ରାବରେ ଆସି ଆମେ ଯେଉଁ ଇଉରୋପକୁ ଜାଣିଥିଲୁ, କୁତ୍ସିତତା ସମ୍ବନ୍ଧରେ ସେ ଇଉରୋପର ଲଜ୍ଜା ଓ ସଂକୋଚବୋଧ ରହିଥିଲା । କିନ୍ତୁ ଆଜି ତାହା ସୌଜନ୍ୟର ଏକ ଛଳନା ବୋଲି ପ୍ରମାଣିତ-।
ଆମେ ଦେଖୁଛୁ ଯେ ନିଜକୁ ଭାଦ୍ରବୋଲି ପ୍ରମାଣିତ କରିବା ସକାଶେ ପାଶ୍ଚାତ୍ୟ ସଭ୍ୟତାର କୌଣସି ଦାୟିତ୍ୱବୋଧ ଆଜି ନାହିଁ । ଅମାନୁଷିକ ନିର୍ମମତା ପ୍ରକାଶ୍ୟ ଭାବରେ ସ୍ପର୍ଦ୍ଧାର ସହିତ ଆତ୍ମପ୍ରକାଶ କରିଛି । ଇଉରୋପୀୟ ସଭ୍ୟତାର ଯେଉଁ ଶିଷ୍ୟଦଳ ଏସିଆ ଓ ଜାପାନରେ ରହିଅଛନ୍ତି, ସେମାନେ କୋରିଆ ଓ ଚୀନରେ ନିଜର ପ୍ରଭୁତ୍ୱ ଅଧିକାର ସାବ୍ୟସ୍ତ କରିବାକୁ କିପରି ନିଷ୍ଠୁରତା ପ୍ରଦର୍ଶନ କରୁଛନ୍ତି, ତାହା ଆମେ ଲକ୍ଷ୍ୟ କଲୁଁ । ଆୟର୍ଲାଣ୍ଡରେ ରକ୍ତପିଙ୍ଗଳ ଦଳର ଯେଉଁ ଉନ୍ନତ ବର୍ବରତା ଦେଖାଗଲା, ତାହା ଆମେ କୌଣସି ଦିନ କଳ୍ପନା କରି ନ ଥିଲୁ । ତା' ପରେ ଆମ ଭାରତବର୍ଷରେ ଆମ ଚକ୍ଷୁ ସମକ୍ଷରେ ଦେଖିଲୁ ଜାଲିଆନାବାଲା ବାଗର ବିଭୀଷିକା । ଦିନେ ଆମେ ଲକ୍ଷ୍ୟ କରିଥିଲୁ ଯେଉଁ ଇଉରୋପ ତତ୍କାଳୀନ ତୁର୍କକୁ ଅମନୁଷ୍ୟ ବୋଲି ନିନ୍ଦା କରୁଥିଲା, ତାହାର ମୁକ୍ତ ପ୍ରାଙ୍ଗଣରେ ଦେଖାଦେଲା ଫାର୍ସିଜିମ୍ର ନିର୍ବିଚାର ନିଦାରୁଣତା । ଆତ୍ମପ୍ରକାଶର ସ୍ୱାଧୀନତା ମାନବ ସଭ୍ୟତାକୁ ଇଉରୋପର ଏକ ମହତ ଦାନ ବୋଲି ଆମେ ଜାଣିଥିଲୁଁ । ଆଜି ଆମେ ଦେଖଛୁଁ ଯେ ସେଠାରେ ସ୍ୱାଧୀନତାର କଣ୍ଠ ପ୍ରତିଦିନ ରୁଦ୍ଧ ହେଉଛି । ବ୍ୟକ୍ତିଗତ ଵିଵେକବୋଧ ପାଇଁ ଶ୍ରଦ୍ଧା କରିବାର ବାଣୀ ଇଉରୋପର ବେଦୀରୁ ଆମେ ଦିନେ ଶୁଣିବାକୁ ପାଉଥିଲୁଁ । କିନ୍ତୁ ସେଠାରେ ଯୀଶୁଙ୍କର ବାଣୀକୁ ବିଶ୍ୱାସ କରୁଥିବା ଓ ଶତ୍ରୁକୁ ମଧ୍ୟ ପ୍ରେମ କରିବାକୁ ଉପଦେଶ ପାଇଥିବା ସେହି ଇଉରୋପୀୟମାନଙ୍କର ଅବସ୍ଥା ଆଜି କଣ ? ରାଜନୀତିକ ମତଭେଦ ସକାଶେ ଇଟାଲୀ ଦ୍ୱୀପାନ୍ତର ବାସର ଯେଉଁ ଶାସ୍ତି ବିଧାନ କରିଛି ତାହା କିପରି ଏକ ଦୁଃସହ ନରକାବାସ, ତାହା ସମସ୍ତଙ୍କୁ ବିଦିତ । ଯେଉଁ ଜର୍ମାନୀରେ ଦିନେ ଇଉରୋପୀୟ ସଭ୍ୟତାର ଜ୍ୟୋତି ଉଜ୍ଜ୍ୱଳତମ ଭାବେ ପ୍ରକାଶିତ ହୋଇଥିଲା, ଆଜି ସେଠାରେ ସଭ୍ୟତାର ସକଳ ଆଦର୍ଶ ଚୂର୍ଣ୍ଣୀଭୂତ ଓ ଉନ୍ନତ ମାନବିକତା କିପରି ସହଜ ଭାବରେ ସମଗ୍ର ଦେଶକୁ ଅଧିକାର କରିଛି, ତାହା ଅବର୍ଣ୍ଣନୀୟ ।
ଶାନ୍ତିକାମୀ ଫରାସୀ ଯୁବକ ରେନେରେମ୍ଙ୍କ ଦ୍ୱାରା ଲିଖିତ କିୟଦଂଶ ମୁଁ ବର୍ତ୍ତମାନ ଉଦ୍ଧାର କରୁଛି ।
"ଯୁଦ୍ଧ ପରେ ମୁଁ ଗିନିଆକୁ ପ୍ରେରିତ ହେଲି । ଦୀର୍ଘ ୧୫ ବର୍ଷର କାରାବାସ ବରଣ କରି ତିକ୍ତତାର ହଳାହଳ ମୁଁ ଆକଣ୍ଠ ପାନ କରିଛି; କିନ୍ତୁ ଏହି କାରାବାସର କାଳ ପୂର୍ଣ୍ଣ ହୋଇଗଲେ ମଧ୍ୟ ମୋ ପାଇଁ ଆହୁରି ଶାସ୍ତିବିଧାନ ରହିଛି । ତାହା ହେଉଛି ଏକ ଆଜୀବନ ନିର୍ବାସନ ଦଣ୍ଡ । ଗିନିଆରେ ଜଣେ ତା'ର ସ୍ୱାସ୍ଥ୍ୟ, ତାରୁଣ୍ୟ, ବଳିଷ୍ଠତା ଧରି ପହଞ୍ଚିଥାଏ; କିନ୍ତୁ ଫେରିଲା ବେଳକୁ ଯଦିବା ସେ ଫେରିବାକୁ ସମର୍ଥ ହୁଏ, ତାହାହେଲେ ସେ ରୁଗ୍ଣତା, ଦୁର୍ବଳତା ଓ ବାର୍ଦ୍ଧକ୍ୟ ଧରି ଫେରିଥାଏ । ଜଣେ ସାଧୁଲୋକ ସେଠାରେ ପହଞ୍ଚିଲେ ମଧ୍ୟ ଅଳ୍ପ କେତେମାସ ପରେ ତାର' ଚରିତ୍ର କଳୁଷିତ ହୋଇଥାଏ । ଦ୍ୱୀପାନ୍ତରିତ ବ୍ୟକ୍ତିମାନେ ଏହି ଭୂମିର ଜ୍ୱର, ଆମାଶୟ, କ୍ଷୟରୋଗ ଓ ସବୁଠୁଁ ମାରାତ୍ମକ କୁଷ୍ଠରୋଗର ସହଜ ଶିକାର ହୋଇଥାନ୍ତି ।
ଯୁଦ୍ଧର ପରବର୍ତ୍ତୀ କାଳୀନ ଇଉରୋପର ବର୍ବର ନିର୍ଦ୍ଦୟତା ଆଜି ଯେତେବେଳେ ପୃଥିବୀ ପରିବ୍ୟାପ୍ତ, ସେତେବେଳେ ବାରମ୍ବାର ଆମେ ନିଜକୁ ପ୍ରଶ୍ନ କରୁ ଯେ ଅନ୍ୟାୟ ଅତ୍ୟାଚାରର ଶିକାର ହୋଇଥିବା ମନୁଷ୍ୟର ନିବେଦନ ଶୁଣିବାକୁ ମଣିଷର ସେହି ଚରମ ଦରବାର ଆଜି କେଉଁଠି ? ମନୁଷ୍ୟତା ଉପରେ ଆଜି କ'ଣ ଆମେ ସକଳ ଆସ୍ଥା ହରାଇଦେବୁ ? ଏହି ବର୍ବରତାର ପ୍ରତିରୋଧ କ'ଣ କେବଳ ବର୍ବରତା ଦ୍ୱାରା ହିଁ ସମ୍ଭବ ? କିନ୍ତୁ ସେହି ନୈରାଶ୍ୟ ମଧ୍ୟରେ ଆଜିର ଦୁର୍ଗତି ଯତେ ଭୟଙ୍କର ହେଉ ନା କାହିଁକି ଆମେ ଏହି ସମସ୍ୟାର ବିଚାର ନିର୍ଭୀକ ଭାବରେ କରିବାକୁ ସମର୍ଥ । ଏହା ଘୃଣ୍ୟ ଓ ନିନ୍ଦନୀୟ ବୋଲି ଆମେ ଘୋଷଣା କରି ପାରୁ । ଏବଂ ଏହା ଧ୍ୱଂସ ହେଉ ବୋଲି ଆମେ ଆଭିଶାପ ମଧ୍ୟ ଦେଇ ପାରୁ । ସତ୍ୟ ପ୍ରକାଶ ପାଇଁ ଆଜିର ଅନ୍ଧକାରଛନ୍ନ ଦୁର୍ଦ୍ଦିନ ମଧ୍ୟରେ ଜୀବନ ପଣ କରି ପ୍ରତିବାଦ କରିବାକୁ ଯେ ଲୋକ ଅଛନ୍ତି, ତାହା ହିଁ ଦୁଃଖ ଓ ଆତଙ୍କ ମଧ୍ୟରେ ଆମ ପକ୍ଷରେ ଯଥେଷ୍ଟ ଆଶାର କାରଣ । ଅତ୍ୟାଚାରୀର ପୀଡ଼ନରେ ଆଜି ଜଣେ ଶକ୍ତିର ମେରୁଦଣ୍ଡ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇ ପାରେ, ବୋଲି କହି ନ ପାରେ, କିମ୍ବା ଶକ୍ତିମାନର ଯେ କୌଣସି ଭୁଲ ନାହିଁ, ଏକଥା ସେ ସ୍ୱୀକାର କରି ନ ପାରେ । ବରଂ ମୁକ୍ତକଣ୍ଠରେ ସେ କହି ପରେ ଯେ ଶକ୍ତିମାନର ଦାୟିତ୍ୱ ହେଉଛି ସର୍ବାଧିକ ଏବଂ ତା'ର ଆଦର୍ଶର ମାନଦଣ୍ଡରୁ ବିଚାର କଲେ ତାର ଯେ କୌଣସି ଅନ୍ୟାୟ କାର୍ଯ୍ୟ, ନିନ୍ଦନୀୟ ହେବା ବାଞ୍ଚନୀୟ ।
ଦଳିତ ଓ ଅତ୍ୟାଚାରିତ ଜନତା ନିଜର ନ୍ୟାଯ୍ୟ ଦାବୀକୁ ଅତ୍ୟାଚାରର ହିଂସ୍ର ଗର୍ଜନ ଉପରେ ଯଦି ଜାହିର ନ କରେ ଏବଂ ଅତ୍ୟାଚାରକୁ ଲଜ୍ଜାଜନକ ବୋଲି ଧିକ୍କାର କରିବାର ଅଧିକାର କୌଣସି ଦିନ ଯଦି ହରାଇବସେ, ସେହି ଦିନ ହିଁ ଆମେ ଜାଣିବୁ ଯେ ନବଯୁଗ ନିଜର ସକାଳ ଐଶ୍ୱର୍ଯ୍ୟ ହରାଇ ସର୍ବଶ୍ୱାନ୍ତ ହୋଇଯାଇଛି ।
ବନ୍ଧୁ, ମୋର ପ୍ରେମ ତୁମଠି ଯେମିତି ଗୋଟିଏ ବୋଝ ବୋଲି ମନେ ନ ହେଉ; ତୁମେ ଜାଣିରଖ ଯେ ଏହା ନିଜେ ନିଜକୁ କରେ ୠଣମୁକ୍ତ ।