ହରିବଂଶ (ଚତୁର୍ଥ ଖଣ୍ଡ)
ମହାପୁରୁଷ · ପ୍ରାୟ ୧୪୮୫–୧୫୭୦
- ପଢ଼ିବା ସମୟ
- ୩୮୩ ମିନିଟ୍
- ଶବ୍ଦ
- ୬୧୩୧୫
- ସ୍ଥିତି
- ସାର୍ବଜନୀନ (Public domain)
ଗୋପାଳଙ୍କ ସହିତ ନନ୍ଦର ଗୋପ ପ୍ରବେଶ ଓ ପୁତ୍ର ବିଚ୍ଛେଦରେ ଯଶୋଦାଙ୍କ ଖେଦ୬.ଗୋପିକାମାନଙ୍କର ଶାପ ବିମୋଚନ୭.ଉଗ୍ରସେନ ସଭାରେ ଗର୍ଗମୁନିଙ୍କର ଅପମାନ, କୈଳାସ ଗହ୍ୱରେ ତପସ୍ୟା ଓ ବରଲାଭ୮.କାଳଦମନର ଜନ୍ମ୯.ଇନ୍ଦ୍ରଙ୍କ ଆଦେଶରେ ନାରଦଙ୍କ ମଥୁରା ଗମନ୧୦.ସାନ୍ଦୀପନି ପଣ୍ଡାଙ୍କଠାରୁ ବିଦ୍ୟା ପଢ଼ିବାପାଇଁ ରାମକୃଷ୍ଣଙ୍କୁ ନାରଦଙ୍କର ଆଦେଶ ଏବଂ ବସୁଦେବାଦି ଯାଦବଙ୍କର ଖେଦ୧୧.ବିଦ୍ୟା ପଠନାର୍ଥେ ରାମକୃଷ୍ଣଙ୍କର ଅବନ୍ତୀପୁରକୁ ଗମନ ଓ ବ୍ୟାସାଶ୍ରମ ପ୍ରବେଶ୧୨.ସାନ୍ଦୀପନି ପଣ୍ଡା ଗୃହେ ରାମକୃଷ୍ଣଙ୍କର ପ୍ରବେଶ ଏବଂ ବିଦ୍ୟାପଠନ୧୩.ଦାମୋଦର ବିପ୍ର ସହିତ କୃଷ୍ଣଙ୍କର ମିତ୍ରତା ସ୍ଥାପନ ଓ ଦକ୍ଷିଣାପାଇଁ ଶ୍ରୀକୃଷ୍ଣଙ୍କୁ ଗୁରୁପତ୍ନୀଙ୍କର ପ୍ରାର୍ଥନା୧୪.କୃଷ୍ଣ ଯମଭୁବନରୁ ପୁତ୍ରଙ୍କୁ ଆଣି ଗୁରୁଙ୍କୁ ଦେବା ଏବଂ ରାମକୃଷ୍ଣଙ୍କର ବାହୁଡ଼ା ବିଜେ୧୫.ସାନ୍ଦୀପନି ପଣ୍ଡାଙ୍କର ପୂର୍ବଶାପ ବିବରଣ୧୬.ରୁକ୍ମିଣୀଙ୍କ ସ୍ୱୟମ୍ୱର ଉପଲକ୍ଷ୍ୟେ ରାଜାମାନଙ୍କର ସମାଗମ ଓ ସ୍ୱୟମ୍ୱର ସଭା ବର୍ଣ୍ଣନା୧୭.ରୁକ୍ମିଣୀଙ୍କ ସାକ୍ଷାତରେ ସଖୀଦ୍ୱାରା ରାଜପୁତ୍ରମାନଙ୍କର ପରିଚୟ ଦାନ୧୮.କୌଶିକ ରାଜ୍ୟରେ ରାମକୃଷ୍ଣଙ୍କର ଅଭିଷେକ୧୯.ରାମକୃଷ୍ଣଙ୍କ ଅପମାନ ଏ ଗରୁଡ଼ କର୍ତ୍ତୃକ ସ୍ୱୟମ୍ୱର ଭଙ୍ଗ୨୦.ରାମକୃଷ୍ଣଙ୍କର ଇନ୍ଦ୍ରଭୁବନ ପ୍ରବେଶ୨୧.କୃଷ୍ଣଙ୍କର ନନ୍ଦନବନ ଭ୍ରମଣ ଏ ନିବାତ କବଚର ସ୍ୱର୍ଗ ଆକ୍ରମଣ୨୨.ବ୍ରହ୍ମାସହ ରାମକୃଷ୍ଣଙ୍କର ବ୍ରହ୍ମାଲୋକ ପ୍ରବେଶ୨୩.ବ୍ରହ୍ମାଙ୍କପୁରେ ରାମକୃଷ୍ଣଙ୍କର ଉପନୟନ ଓ ଶସ୍ତ୍ରାସ୍ତ୍ର ଲାଭ୨୪.ଦୁର୍ବାସା ଋଷିଙ୍କ ଆଶ୍ରମରେ ରାମକୃଷ୍ଣଙ୍କର ପ୍ରବେଶ ଓ ରାମକୃଷ୍ଣଙ୍କ ସହିତ ଉଗ୍ରସେନର ଭେଟ୨୫.ଉଗ୍ରସେନ ସହିତ ରାମକୃଷ୍ଣଙ୍କର ମଥୁରା ପ୍ରବେଶ୨୬.ମଥୁରାପୁରେ ଚନ୍ଦନଯାତ୍ରାରମ୍ଭ ଓ ରାମକୃଷ୍ଣଙ୍କୁ ବଧିବା ପାଇଁ କଂସପୁତ୍ରାଦିଙ୍କ କୂଟ ବିଚାର୨୭.ଚନ୍ଦନଯାତ୍ରା୨୮.ହଂସ, ଡିମ୍ୱ ଓ ଅଷ୍ଟମଲ୍ଲ ପୁତ୍ରଙ୍କର ମୃତ୍ୟୁ ଏବଂ ମଥୁରା ନରନାରୀଙ୍କ ଶୋକ୨୯.ହେତି ପ୍ରହେତିଙ୍କର ଜରାସନ୍ଧ ନିକଟକୁ ଗମନ ଓ ଦୁଃଖ ନିବେଦନସପ୍ତଖଣ୍ଡହରିବଂଶ ଚତୁର୍ଥ ଖଣ୍ଡନାରାୟଣଂ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ।ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ ॥
ବ୍ୟାସଂ ବଶିଷ୍ଠନପ୍ତାରଂ ଶକ୍ତୈଃ ପୌତ୍ରମକଳ୍ମଷଂ ।ପରାଶରାତ୍ମଜଂ ବନ୍ଦେ ଶୁକତାତଂ ତପୋନିଧିଂ ॥
ବେଦେ ରାମାୟଣ ଚୈବ ପୁରାଣେ ଭାରତେ ତଥା ।ଆଦ୍ୟେପ୍ରାନ୍ତେ ଚ ମଧ୍ୟେ ଚ ହରିଃ ସର୍ବତ୍ର ଗୀୟତେ ॥
ଉଗ୍ରସେନର ରାଜ୍ୟାଭିଷେକ
ଜୟ ଜୟ ଜଗନ୍ନାଥ ଆରତ ଭଞ୍ଜନ ।ପତିତପାବନ ସ୍ୱାମୀ ଶ୍ରୀମଧୁସୂଦନ ॥
ପୃଥ୍ୱୀଭାରା ନିବାରଣେ ମର୍ତ୍ତ୍ୟେ ହେଲ ଜାତ ।ମଧୁପୁରେ ଜନ୍ମି ଗୋପେ ବଢ଼ିଲ ଅଚ୍ୟୁତ ॥
ପୂତନା ଶକଟା ବକା ତୃଣାବର୍ତ୍ତ କେଶୀ ।ଚାଣୁର ମୁଷ୍ଟିକ ଆଦି କଂସ ପ୍ରାଣ ନାଶି ॥
ପିତା ମାତାଙ୍କର କ୍ଳେଶ ଦେବତାଙ୍କ ଦୁଃଖ ।ନିବାରିଲ ଦୁଷ୍ଟ ଦୈତ୍ୟ ବଧି ପଦ୍ମମୁଖ ॥
ମୋଠାରେ ସୁଦୟା କର ଆହେ ବାସୁଦେବ ।ହରିବଂଶ ଅର୍ଥ ମୋତେ ଗୋଚର ହୋଇବ ॥
ତିନି ଖଣ୍ଡ ଶେଷ କରି ଚତୁର୍ଥ ଖଣ୍ଡରେ ।ମନ ମଜ୍ଜାଇଛି ଏବେ ତୁମ୍ଭ ଭରସାରେ ॥
ତବ ପାଦଭୃତ୍ୟ ଅଟେ ମୁଁ ଦୀନ ଅଚ୍ୟୁତ ।ଆଜ୍ଞା ଦିଅ ଶେଷ ହେଉ ହରିବଂଶ ଗ୍ରନ୍ଥ ॥
ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜା ।ଶୁକମୁନି ପାଦପଦ୍ମେ କରି ଦିବ୍ୟ ପୂଜା ॥
ବୋଇଲେ ଭୋ ମୁନି ମୋତେ କହ ଦିବ୍ୟଜ୍ଞାନ ।ହରିବଂଶ ଶୁଣି ପାପ କରିବି ଦହନ ॥
ଭୋ ମହାତ୍ମା ଭାଗବତ କହ ତଥ୍ୟ କରି ।ଶ୍ରୀକୃଷ୍ଣ ଚରିତ ଶୁଣି ଭବୁ ଯିବି ତରି ॥
ଦନୁଜ ନାଶନେ ମର୍ତ୍ତ୍ୟେ ଜନ୍ମି ଚକ୍ରପାଣି ।କଂସ ପ୍ରାଣ ନେଲେ କରି ଅପୂର୍ବ ମାରେଣି ॥
ତହିଁପରେ ରାମକୃଷ୍ଣ ପୁଣି କଲେ କିସ ।ସେ କଥା ବିସ୍ତାରି ମୋତେ କହ ବ୍ୟାସ ଶିଷ୍ୟ ॥
ଏତେ ବୋଲି ମହାରାଜା କୃତାଞ୍ଜଳି ହୋଇ ।ଶୁକପାଦେ ପ୍ରଣମିଲେ କୋଟି ସ୍ୱର୍ଣ୍ଣଦେଇ ॥
ସଂକଳ୍ପ କରିଣ ନୃପ ପୁଚ୍ଛେ ପୁଣି ପୁଣି ।ସନ୍ତୋଷ ହୋଇଲେ ଦେଖି ଶୁକ ତପିମଣି ॥
ବ୍ରହ୍ମବେତ୍ତା ମହାମୁନି ତିନି କାଳଜ୍ଞାତା ।କହନ୍ତି ବିଚିତ୍ର ଶିରୀ ଭାଗବତ କଥା ॥
ଶୁଣ ତୁ ହୋ ମହାରାଜା ପଣ୍ଡୁ ପଣ ନାତି ।କଂସ ବଧି ବହୁ ମାୟା ରଚିଲେ ଶ୍ରୀପତି ॥
ପୁଣ ତତକ୍ଷଣେ ସର୍ବ ମାୟା କରି ଗୋପ୍ୟ ।ସମସ୍ତଙ୍କୁ ଦେଖାଇଲେ ଭିନ୍ନ ଭିନ୍ନ ରୂପ ॥
ବାହୁଡ଼ି ବାଳକରୂପ ଧରି ଦେବସ୍ୱାମୀ ।ଲହୁଲି ଅଷ୍ଟ ବରଷ ରୂପ ଅନ୍ତର୍ଯ୍ୟାମୀ ॥
କଂସ ମୃତ୍ୟପିଣ୍ଡ ପଡ଼ିଅଛି ସଭାତଳ ।ମଥୁରା ନଗରେ ବିଜେ ହରି କାମପାଳ ॥
ବେନି ଭାଇ ବିଜେ ହସ୍ତ ଧରାଧରି ହୋଇ ।ଉଗ୍ରସେନ ଉଭା ହେଲେ ଶିରେ କର ଦେଇ ॥
ବସୁଦେବ ଅନାଧୃଷ୍ଟ ସାତ୍ୟକି ଅକ୍ରୂର ।ଶକ୍ରାଜିତ କୃତବର୍ମା ଆଦି ଯେତେ ବୀର ॥
ସାତବଂଶ ଭାଇ ବନ୍ଧୁମୁନି ବ୍ରହ୍ମଚାରୀ ।କଉତୁକେ ବିଷ୍ଣୁ ମାୟା ଦେଖୁଛନ୍ତି ହେରି ॥
ବେନି ଧାଡ଼ି ପଟୁଆର ଯଦୁବଂଶେ ଉଭା ।ଦେଖନ୍ତି ଗୋପାଳ ମେଳେ ରାମକୃଷ୍ଣ ଶୋଭା ॥
ଉତ୍ସବରେ ମାତି ସର୍ବେ ଯାତ୍ରା ଦେଖୁଥିଲେ ।ଦୁଷ୍ଟ କଂସ ନାଶ ଯାନ୍ତେ ସନ୍ତୋଷ ଲଭିଲେ ॥
ଜୟ ରାମକୃଷ୍ଣ ବୋଲି ଡାକ ଦ୍ୟନ୍ତି ଲୋକେ ।ଦୁଷ୍ଟ ରାଜାମାନେ ଦେଖି ପଳାଇଲେ ଥୋକେ ॥
ନାନା ନୃପେ ହୋଇଥିଲେ ସେଠାରେ ସଙ୍କୁଳ ।ଯାତ୍ରା ଛାଡ଼ି ପଳାଇଲେ ଭୟେ ଦୁଷ୍ଟବଳ ॥
ବିଷ୍ଣୁପ୍ରିୟକାରୀ ଯେତେ ଜ୍ଞାନବନ୍ତ ଜନ ।ଯାଦବଙ୍କ ସଙ୍ଗେ ଉଭା ହୋଇଲେ ସେ ଜାଣ ॥
ଅପୂର୍ବ ମୁଖକୁ ସର୍ବେ ଦେଇଛନ୍ତି ଦୃଷ୍ଟି ।ପୂର୍ଣ୍ଣଚନ୍ଦ୍ର ପ୍ରାୟ ମୁଖ ଦିଶଇ ଚହଟି ॥
ଅତୁଲାଇତ ପୁରୁଷ ମଞ୍ଚେ ଉତପତ୍ତି ।ଭକ୍ତଙ୍କର ହୃଦୟରେ ବଢ଼ାଇଲେ ପ୍ରୀତି ॥
ଯେଉଁପରି ଅବଶେଷ ହୁଅନ୍ତେ ରଜନୀ ।ଅନ୍ଧପଟଳ ଫିଟାନ୍ତି ଉଇଁ ଦିନମଣି ॥
ଏହିମତେ ସବୁଠାରେ ପୂରି ଦେବହରି ।ନାରାୟଣ ଅବତାର ଜାଣି ତଥ୍ୟ କରି ॥
ଯେ ଯାହା ମାନନା କରି କଲେ ଜୟ ଜୟ ।ପରମାନନ୍ଦ ପୁରୁଷ କରନ୍ତି ବିଜୟ ॥
ଏଥୁ ଅନନ୍ତରେ ପୁଣି କେତେହେଁକ ବେଳେ ।ଉଗ୍ରସେନ ମୁଖ ପ୍ରଭୁ ଚାହିଁଲେ ନିରୋଳେ ॥
କହନ୍ତି ମଧୁର ବାଣୀ ଶୁଣ ମାତାମହ ।କଂସ ମଲା ବୋଲି ମନେ ନ ଧର ତୁ କୋହ ॥
ପ୍ରତ୍ୟକ୍ଷେ ତୁ ମହାଜ୍ଞାତା ଜାଣୁ କଥାସର୍ବ ।ଦୁଷ୍ଟପଣେ ପୁତ୍ର ତୋର ହେଲା ମତ୍ତଗର୍ବ ॥
ଦେବାସୁର ନରଙ୍କର ହୋଇଲା ବଇରୀ ।ତା ପାଦ ଭାରାକୁ ଭୟ କଲା ବସୁନ୍ଧରୀ ॥
ପୁଣି ସେ ବିକଳେ ଦେବସଭାରେ କାନ୍ଦିଲା ।ପଡ଼ୁ ରସାତଳେ ପୃଥ୍ୱୀ ଛାଡ଼ିବି ବୋଇଲା ॥
ମୁଖବାଟେ ରକ୍ତ ବହେ ନେତ୍ରୁ ବହେ ଜଳ ।ଏହିରୂପେ ବସୁମତୀ ହୁଅନ୍ତେ ବିକଳ ॥
ତା ଦେଖି ଦେବତାଗଣେ ଘୋର ଚିନ୍ତା କଲେ ।ଅନନ୍ତ ଶଯ୍ୟାରେ ଥିଲି ମୋତେ ଜଣାଇଲେ ॥
ଦେବକାର୍ଯ୍ୟ ନିମନ୍ତେ ମୁଁ ଜନ୍ମି କଂସ ପାଇଁ ।ନର ଦେହ ଆଶ୍ରେ କରି ପରମାତ୍ମା ହୋଇ ॥
ଆବର ଯେତେକ ଦୁଷ୍ଟ ଛନ୍ତି ରବିତଳେ ।ସେମାନଙ୍କୁ ସଂହାରିବି ମୁହିଁ ଭୁଜବଳେ ॥
ନୋହିଲେ ଧରଣୀଭାର ନ ହୁଅଇ କ୍ଷୟ ।ଏଥିପାଇଁ ଉଗ୍ରସେନ ନ କର ତୁ ଭୟ ॥
ତୋ ଦୁହିତା ପୁତ୍ର ଆମ୍ଭେ ଅଟୁ ବେନିଭାଇ ।ଆମ୍ଭର ସମାନେ ନାତି କେତେ ଭାଗ୍ୟେ ପାଇ ॥
ତୋହର ଦୁହିତା ଅଟେ ଦଇବକୀ ନାରୀ ।ସେ ପ୍ରତ୍ୟକ୍ଷେ ଗର୍ଭଧାରୀ ଅଟଇ ଆମ୍ଭରି ॥
ଆମ୍ଭେ ଜନ୍ମ ହେବା କଥା ଆପେ ତୁହି ଜାଣୁ ।ବାଟେ ଭେଟ ହେଲୁ ବସୁଦେବ ଆଣୁ ଆଣୁ ॥
ସେ କଥା ସୁମରି ମନୁ ଦୁଃଖ ଦୂର କର ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ହେବୁ ଅଧୀଶ୍ୱର ॥
ଏମନ୍ତ ପ୍ରବୋଧି କହି କୃଷ୍ଣ କାମପାଳ ।ପ୍ରଣାମ କରିଲେ ଉଗ୍ରସେନ ପାଦତଳ ॥
ବସୁଦେବ ପାଦେ ନମି ବେନି ସହୋଦର ।ଯାଦବମାନଙ୍କୁ କଲେ ବହୁତ ଆଦର ॥
ସାତବଂଶ ଲୋକେ ଆସି ହେଲେ ଏକରୁଣ୍ଡ ।ସଭାତଳେ ପଡ଼ିଅଛି କଂସ ମୃତ୍ୟୁପିଣ୍ଡ ॥
କୁବଳୟା ନାମେ ଗଜ ପଡ଼ିଅଛି ମରି ।ଚାଣୁର ମୁଷ୍ଟିକ ଆଦି ଯେତେ ଦେବ ଅରି ॥
ମହାଘୋର ଧନୁଯାତ୍ରା କରିଥିଲା କଂସ ।କ୍ଷଣକରେ ରାମ କୃଷ୍ଣ କଲେ ତାହା ଧ୍ୱଂସ ॥
ଯାଦବେ ହରଷ ହୋଇ ବରଗିଣ ଥାଟ ।ନଗରେ ଘୋଷଣା ଦେଇ ଜଗାଇଲେ ବାଟ ॥
ଦ୍ୱାରପାଳମାନେ ଦ୍ୱାର ନିରୋଧି ଜଗିଲେ ।ଯେ ଯାହା ନିଯୋଗେ ରହି ସକଳେ ଖଟିଲେ ॥
ତାହା ଦେଖି କୃଷ୍ଣ ଆ ଜ୍ଞା ଦେଲେ ଯାଦବଙ୍କୁ ।ରାଜ୍ୟେ ଅଭିଷିକ୍ତ କର ଏ ଉଗ୍ରସେନକୁ ॥
କରଯୋଡ଼ି ଉଗ୍ରସେନ କହେ ମୃଦୁ ବାଣୀ ।ଭୋଦେବ ତୁ ନିରଞ୍ଜନ ନିରାକାର ସ୍ୱାମୀ ॥
ଦେବଙ୍କ ପରେ ଦେବ ତୁହି ଚକ୍ରଧର ।ସକଳ ଦେବତାମାନେ ତୋ ପାଦେ କିଙ୍କର ॥
ତୁହି ସେ ସର୍ଜ୍ଜନା କରୁ ଚରାଚର ସୃଷ୍ଟି ।ତୁହି ଶିବ ତୁହି ବିଷ୍ଣୁ ତୁ ଯେ ପରମେଷ୍ଠି ॥
ଲିହନ୍ତା ବିହନ୍ତା ଅଟୁ ତୁ ଯେ ଆଦିମୂଳ ।ରେଖ ରୂପ ବର୍ଣ୍ଣ ତୋର ନାହିଁ ଶୂନ୍ୟ ଠୁଳ ॥
ତୋ ପାଦକୁ ଇନ୍ଦ୍ର ବ୍ରହ୍ମା କରିଥାନ୍ତି ଲୟ ।ଚରାଚର ପ୍ରାଣୀଙ୍କର ତୁହି ଯେ ଆଶ୍ରୟ ॥
କୀଟୁ ବ୍ରହ୍ମା ପରିଯନ୍ତେ ତୋ ଦେହରେ ସ୍ଥିତି ।ମୁଁ ତୋହର ଭୃତ୍ୟ ପ୍ରଭୁ ତୁ ମୋହର ଗତି ॥
ଅଧିକ ଜଣାଇ ଅବା କହିବି ମୁଁ କେତେ ।ଏହି ବିଡ଼ମ୍ୱନା ନାଥ ନ କରାଅ ମୋତେ ॥
ତୋ ଛାମୁରେ ଦଣ୍ଡଛତ୍ର ଟେକାଇବି ମୁହିଁ ।ଏକା କି ଉଚିତ ହେଲା କହ ଭାବଗ୍ରାହୀ ॥
ଏତେ ବୋଲି ଉଗ୍ରସେନ ଶ୍ରୀକୃଷ୍ଣ ପୟରେ ।ନମସ୍କାର କରି ଉଭା ହେଲେ ଖଣ୍ଡେଦୂରେ ॥
ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଜନନୀର ପିତା ।ପୁଣି ମୋର ଦୃଢ଼ ଭକ୍ତ ଭିବଷ୍ୟତ ଜ୍ଞାତା ॥
ଆମ୍ଭ ଜନ୍ମ ପୃଥ୍ୱୀ ଭାରା ନିବାରଣ ଅର୍ଥେ ।ତୁମ୍ଭ ସୁତା ଗର୍ଭୁ ଜାତ ହେଲୁ ବେନିଭ୍ରାତେ ॥
ହରିବଂଶେ ଜନ୍ମିଅଛୁ ଦୁଷ୍ଟ ସଂହାରିବୁ ।ଜାଣୁ ଜାଣୁ ଅନାଚାର କେମନ୍ତେ କରିବୁ ॥
ସାନେ ମାନ୍ୟ କଲେ ନାଶ ଯାଏ ଯଶ ଶିରୀ ।ଆମ୍ଭ ଭଳି ଲୋକ ଏହା କରିବ କିପରି ॥
ବେଦ ଶାସ୍ତ୍ର ପ୍ରମାଣରେ ନ କରି ସ୍ୱଧର୍ମ ।ଅନାଚାର କଲେ ନିଶ୍ଚେଁ ନାଶଯାଏ ଧର୍ମ ॥
ଧର୍ମ ନାଶଗଲେ ପ୍ରାଣୀ ହୁଅଇ ନିର୍ଦ୍ଧନ ।ନିର୍ଦ୍ଧନ ହୋଇଲେ କାହୁଁ ଦେବ ଅବା ଦାନ ॥
ଦାନୀ ନ ହୋଇଲେ ନାଶ ଯାଏ ସର୍ବ ଯଶ ।ଯଶ ନାଶ ଯିବା ସଙ୍ଗେ ତୁଟଇ ଆୟୁଷ ॥
ଆୟୁ ନାଶ ଗଲେ ହୁଏ ଅକାଳରେ ମୃତ୍ୟୁ ।ପ୍ରାଣୀଙ୍କର କୁଳଧର୍ମ ସଦମାର୍ଗ ହେତୁ ॥
ଏମନ୍ତ ବୁଝାଇ ଉଗ୍ରସେନକୁ ତିଆରି ।ପୁନରପି କହନ୍ତି ଯେ କୃଷ୍ଣ ହଳଧାରୀ ॥
ଆମ୍ଭ ବୋଲେ ରାଜା ହୁଅ ମଧୁବନ ଦେଶେ ।ଆନଠାରେ ଶୋଭାବନ ଏ କଥା ନ ଦିଶେ ॥
ତ୍ରିଭୁବନ ରାଜାମାନେ ତୋ ପାଦେ ଖଟିବେ ।ଯାହା ଆଜ୍ଞା ଦେହୁ କେହି ଲଘିଂ ନ ପାରିବେ ॥
ସୋମବଂଶ ଉଦ୍ଧାରିଣ ଯଦୁ ଦଣ୍ଡଧାରୀ ।ଯାଦବୀ ନାମରେ ଥିଲେ ତାଙ୍କ ମନୋହାରୀ ॥
ମେନକା ନନ୍ଦିନୀ ବିଶ୍ୱାମିତ୍ରଙ୍କ ଦୁହିତା ।ସଙ୍କେତ ନୃପତି ପାଳି ହେଲେ ତାଙ୍କ ପିତା ॥
ସମୟରେ ସେ କୁମାରୀ ହ୍ୱନ୍ତେ ନବଯୁବା ।ଯଦୁ ନୃପତିଙ୍କୁ ଆଣି କରାଇଲେ ବିଭା ॥
ସେ କନ୍ୟା ଗର୍ଭୁରୁ ହେଲେ ସାତପୁତ୍ର ଜାତ ।ଏକକୁ ଆରେକ ବଳୀ ସର୍ବେ ଗୁଣବନ୍ତ ॥
ଭୋଜ କୁନ୍ଦ କୁରୁ ଜିଷ୍ଣୁ ଅନ୍ଧକ ବାମନ ।ବୃଷ୍ଣି ଆଦି କରି ଏହି ସାତବଂଶ ଜାଣ ॥
ଏମନାଙ୍କ ମଧ୍ୟେ ଜ୍ୟେଷ୍ଠ ଭୋଜ ମହାବଳୀ ।ସର୍ବ ଗୁଣେ ଗୁଣବନ୍ତ ପରାକ୍ରମ ଶାଳୀ ॥
ତେଣୁ ତାକୁ ସବୁ ଭାଇ କଲେ ପାଦପୂଜା ।ସପ୍ତଦ୍ୱୀପା ଅବନୀରେ ସେ ହୋଇଲେ ରାଜା ॥
ଏହି ମଧୁପୁରେ ଭୋଜ ଟେକାଇଲେ ଛତ୍ର ।ଆବର ଯେ ଷଡ଼ବିଂଶ ହେଲେ ତାର ପାତ୍ର ॥
ଯେ ଯାହାର ରାଜଭୋଗ କରି ଜଣେ ଜଣେ ।ଭୋଜକୁ ଖଟିଲେ ସର୍ବେ ପାତ୍ର ମନ୍ତ୍ରୀଗଣେ ॥
ସେହି ଭୋଜବଂଶରେ ତୁ ଅଟୁ ଜ୍ୟେଷ୍ଠପୁତ୍ର ।ବିଶେଷରେ ମୋର ଭକ୍ତ ପରମ ପବିତ୍ର ॥
ପୁଣି ତ ପଡ଼ିଛି ଏବେ ତୋତେ ପୁତ୍ରକଷ୍ଟ ।ମାନହାନି ହେବୁ ନିଶ୍ଚେଁ ହେଲେ ରାଜ୍ୟଭ୍ରଷ୍ଟ ॥
ଆମ୍ଭ ପିତାମାନେ ରାଜ ନୁହନ୍ତି ତ ଏଥେ ।ପାତ୍ର ପୁତ୍ର ଆମ୍ଭେ ରାଜା ହୋଇବୁ କେମନ୍ତେ ॥
ଉଗ୍ରସେନ ବୋଲେ ତୁମ୍ଭେ ନାଶ କଲ କଂସ ।ପୃଥିବୀ ଦେବୀର ଭାରା ହୋଇଲା ଉଶ୍ୱାସ ॥
ଏବେ ତୁମ୍ଭେ ନାରାୟଣ ଦୁଯେ କାର୍ଯ୍ୟଗ୍ରାହୀ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏ ସବୁ କଲ ତ୍ରାହି ॥
ଅଷ୍ଟମଲ୍ଲ ମାରି କଲ ଅକଣ୍ଟକ ରାଷ୍ଟ୍ର ।ତୁମ୍ଭଙ୍କୁ ଦିଶିବ ଶୋଭା ବନ୍ଧାଇଲେ ପାଟ ॥
ବୃଷ୍ଣୀବୀର ବସୁଦେବ ଅଟେ ତୁମ୍ଭ ପିତା ।ମୋ କନ୍ୟା ଦେବକୀ ପୁଣି ଗର୍ଭଧାରୀ ମାତା ॥
ବଂଶ କ୍ରମେ ଜାତିଶ୍ରେଷ୍ଠ ତୁମ୍ଭେ ଶିରୀବତ୍ସୀ ।ଝିଆଣିଆ ଅଂଶେ ରାଜ୍ୟେ ଅଧିକାର ଅଛି ॥
ବିଷ୍ଣୁଅଂଶେ ଜାତ ହୋଇଅଛ ଚକ୍ରଧର ।ତୁମ୍ଭେ ପାଟ ବନ୍ଧାଇଲେ ଦିଶିବ ସୁନ୍ଦର ॥
ଗୋବିନ୍ଦ ବୋଇଲେ ଆମ୍ଭେ ଦେବକାର୍ଯ୍ୟ ଅର୍ଥେ ।ସହୋଦର ମାତୁଳକୁ ବଧିଲୁ ସ୍ୱହସ୍ତେ ॥
ଜାଣୁ ଜାଣୁ ଅରିଜିଲୁ ଅଧର୍ମ ଏ ଦେହେ ।ଲୋକାଚାରେ ଅପକୀର୍ତ୍ତି ନ ଯିବ କେବେହେଁ ॥
ଦେବତାଙ୍କ ହିତେ ଯେବେ କଲୁ ଏତେ କୃତ୍ୟ ।ରାଜା ହେଲେ କି ବୋଲିବେ ଆମ୍ଭଙ୍କୁ ଜଗତ ॥
ଉଗ୍ରସେନ ବୋଇଲା ତୁ ଶୁଣ ଶୁଭଦାନୀ ।ତୁହି ସେ ଭିଆଣ କଲୁ ପାପପୁଣ୍ୟ ବେନି ॥
ସର୍ବଲୋକ ଈଶ୍ୱର ତୁ ଅଟୁ ବିଶ୍ୱବାସ ।ତୁହି ଜାତ କରୁ ପୁଣ ତୁହି କରୁ ନାଶ ॥
ରେଖ ରୂପ ବର୍ଣ୍ଣ ଚିହ୍ନ ନାଥ ତୋର ନାହିଁ ।ତୋ ଅଙ୍ଗରେ ପାପ ପୁଣ୍ୟ ଲାଗିବ ଯେ କାହିଁ ॥
ତୋ ମାୟାରୁ ଉବୁରି କେପାରେ ଅନ୍ତର୍ଯ୍ୟାମୀ ।ଅନିମିତ୍ତେ ନ ଭୁଲାଅ ମୋତେ ଦେବସ୍ୱାମୀ ॥
ଶ୍ରୀକୃଷ୍ଣ ବୋଇଲେ ତୁହୋ ଶୁଣ ସିଦ୍ଧ କଥା ।ତ୍ରେତାଯୁଗେ ବଧ କଲୁ ଆମ୍ଭେ ଦଶମଥା ॥
ସେ ଆମ୍ଭର ଭାରିଯାକୁ ନେଲା ଚୋରୀକରି ।ସେ କାରଣୁ ତାକୁ ଆମ୍ଭେ ମହାକ୍ରୋଧ ଧରି ॥
ଦେବ କଣ୍ଟକ ରାବଣ ବୋଲି କଲୁ ନାଶ ।ପୁଣି ସେହି ଦେବେ ଦେଲେ ବ୍ରହ୍ମହତ୍ୟା ଦୋଷ ॥
ଦେବ ସଭାରେ ମୋ ମୁଖ ନ ଚାହିଁଲେ ତୋଳି ।ଉପହାସ୍ୟ ବଚନ ଯେ କହିଲେ ସମ୍ଭାଳି ॥
ମାନବ ହୋଇଲୁ ଆସି ଏ ଦ୍ୱାପର ଯୁଗେ ।ଭାରାଭର ନିବାରିବୁ ବୁଲି ମହୀଭାଗେ ॥
ଧର୍ମ ପାଳି ଅଧର୍ମକୁ କରିବୁ ବିନାଶ ।ତେବେ ସେ ନିଶ୍ଚିନ୍ତ ହେବେ ସକଳ ତ୍ରିଦଶ ॥
ଆମ୍ଭେ ନ ରଖିଲେ ଧର୍ମ ରଖା ହେବ କାହିଁ ।ଭୋ ମାତାମହ ତୁ କିପାଁ କରୁଅଛୁ ନାହିଁ ॥
ଆମ୍ଭେ ରାଜା ହୋଇବାର ନୁହଇ ଯୁକତି ।ତୁ ଯେ ଅଭିଷେକ ହୋଇ ଟେକାଇବୁ ଛତ୍ରୀ ॥
ଦୁଷ୍ଟ ପୁତ୍ର କଂସ ଅନିବାରଣ ହୋଇଲା ।ତୋହର ଜୀବନ୍ତେ ଥାଉ ଆପେ ରାଜା ହେଲା ॥
ଆମ୍ଭେ ଦୁଇଭାଇ ଅଟୁ ତୋର ସହୋଦର ।ତେଣୁ ଆମ୍ଭ ସମ୍ପଦ ତୁ ସୁଖେ ଭୋଗ କର ॥
ସୁଦେବର ନନ୍ଦନ ଯେ ବସୁଦେବ ବୀର ।ବସୁଦେବଠାରୁ ଜନ୍ମ ହୋଇଛି ଆମ୍ଭର ॥
ବୃଷ୍ଣିବଂଶେ ଜାତ ଆମ୍ଭେ ଯାଦବ ଯେ ଅଟୁ ।ଭୋଜବଂଶୀ ରାଜା ପାଶେ ପାତ୍ରପଣେ ଖଟୁ ॥
ଏହିପରି ଲାଗିଅଛି ପୁରୁଷାନୁକ୍ରମେ ।ଅନ୍ୟଥା କରିବା ତାହା କହ କେଇଁ କ୍ରମେ ॥
ଦେବକୀ ଦେବୀର ପିତା ତୁମ୍ଭେ ପୁଣ୍ୟମୟ ।ଆମ୍ଭେ ବେନି ଭାଇ ତୁମ୍ଭ ଝିଅର ତନୟ ॥
ଅରଜିଲୁ ଆମ୍ଭ ପରା ନାତି ପୁଣ୍ୟବଳେ ।ତେଣୁ ଏକଚକ୍ରବର୍ତ୍ତୀ ହୁଅ ରବିତଳେ ॥
ଏତେ କହି ସ୍ୱାମୀ ଦେଲେ ଶ୍ରୀହସ୍ତରେ ଶାଢ଼ୀ ।ନିଉଛାଳି କଲେ ପୁଣି ଶୁତି ଗଡ଼ଘାଲି ॥
ଶିରେ ଟେକାଇଲେ ଛତ୍ର ଧବଳ ଉଦ୍ଦଣ୍ଡ ।ନିଯୋଗି ଖଟିଲେ ଆସି ପାଶେ ପାରିଦଣ୍ଡ ॥
ସିଂହାସନେ ବିଜେ କରାଇଲେ ଶୁଭବେଳେ ।ମୂର୍ଦ୍ଧା ଅଭିଷେକ ପୁଣି କଲେ ତୀର୍ଥଜଳେ ॥
ଉଦ୍ଧବ ଯେ ଅନାଧୃଷ୍ଟ ସାତ୍ୟକି ଅକ୍ରୁର ।ଶକ୍ରାଜିତ ଆଦିକରି ସର୍ବ ଯଦୁବୀର ॥
ମହାରାଜା ବିଜେକଲେ ସିଂହାସନ ପରେ ।ସର୍ବେ ନିଉଛାଳି କଲେ ମିଳି ଯେ ଯାହାରେ ॥
ନିଜ କୁଳ ପୁରୋହିତ ଗାର୍ଗ୍ୟ ମହାମୁନି ।ଡାହାଣା ବର୍ତ୍ତକ ଶଙ୍ଖେ ଗଙ୍ଗାଜଳ ଘେନି ॥
ଓଁକାର ପୂର୍ବକ ବୃହତ୍ସାମ ମନ୍ତ୍ର ପଢ଼ି ।ଉଗ୍ରସେନ ନୃପତିର ଶିରେ ଦେଲେ ଇଡ଼ି ॥
ବାଆସ୍ତରି ଶାଳଗ୍ରାମ ଶିଳା ଶୁଦ୍ଧଜ୍ୟୋତି ।ବିଜେ କରାଇଣ ଆଗେ ମଣ୍ଡି ପାଟହସ୍ତୀ ॥
ବ୍ରହ୍ମା ପାଟଯୋଷି ପାତ୍ର ମହାପାତ୍ର ହୋଇ ।ସବୁଠାରୁ ଶ୍ରେଷ୍ଠ ଯେଉଁ ପାଟ ମହାଦେଈ ॥
ସିଂହାସନ ଆଗି ଅଷ୍ଟ ପାଟ ଯେ ଗଣିତା ।ଯଥାବିଧାନେ ବରଣ କଲେ ମହାଜ୍ଞାତା ॥
ମଥୁରା କଟକେ ରାଜା ହେଲେ ଉଗ୍ରସେନ ।ସନ୍ତୋଷ ହୋଇଲେ ଶୁଣି ତିନିପୁର ଜନ ॥
ଦେବଦେବୀ ପୂଜା କଲେ ବଳିଭୋଜା ଦେଇ ।କହଇ ଅଚ୍ୟୁତ ଦାସ ରାମକୃଷ୍ଣ ଧ୍ୟାୟି ॥
ସମ୍ବନ୍ଧିତ ରଚନା
ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି