ଗୋପାଳଙ୍କ ସହିତ ନନ୍ଦର ଗୋପପୁର ପ୍ରତ୍ୟାବର୍ତ୍ତନ (୨) — ହରିବଂଶ (ଚତୁର୍ଥ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଅବହେଳେ ଜିଣିବ ସେ ସବୁ ଯାଦବନ୍ତ ॥
ଏତେ କହି ଅନ୍ତର୍ଦ୍ଧାନ ହେଲେ ଦେବକାଶୀ ।କୈଳାସେ ମିଳିଲେ ଏ ଯାଇ ବୃଷ ପୃଷ୍ଠେ ବସି ॥
ବର ପାଇ ଗର୍ଗମୁନି ମନେ ତୋଷ ହୋଇ ।ବଟମୂଳେ ବସିଲେ ସେ କନ୍ୟା ବାଟ ଚାହିଁ ॥
ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃମଣି ।ଇତି ଶ୍ରୀ ପୁରାଣ ପୁଣ୍ୟ ଭାଗବତ ଧ୍ୱନି ॥
ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେ ।ଇଦଂ ଅଷ୍ଟଚତ୍ୱାରିବଂଶ ଅଧ୍ୟା ଶେଷ ହୋଏ ॥
ଜଗତ ପ୍ରାଣର ପ୍ରାଣ ବସୁଦେବ ସୁତ ।ତା ନାମ ସର୍ବଦା ହୃଦେ ଚିନ୍ତଇ ଅଚ୍ୟୁତ ॥
କାଳ ଦମନର ଜନ୍ମଏଥୁଅନ୍ତେ କହନ୍ତି ଯେ ଶୁକ ମହାଯତି ।ଶୁଣ ସାବଧାନ ଚିତ୍ତେ ସୁଭଦ୍ରାର ନାତି ॥
ତ୍ରେତାଯୁଗେ ଜମ୍ୱୁମାଳି ଲଙ୍କାପୁରେ ଥିଲା ।ରାମାୟଣ ଯୁଧ୍ୟରୁ ସେ ଉବୁରି ରହିଲା ॥
ସୁମୁଖ ଦୁର୍ମୁଖ ନାମେ ତାର ବେନି ପୁତ୍ର ।ଶ୍ରୀରାମଙ୍କ ନାରାଚରେ ହେଲେ ପ୍ରାଣେ ହତ ॥
ବିଡ଼ମ୍ୱନା ନାମେ ଥିଲା ସୁମୁଖର ବାମା ।ଗର୍ଭବତୀ ହୋଇଥିଲା ସେହି ସୁମଧ୍ୟମା ॥
ସ୍ୱାମୀ ମଲା ବେଳକୁ ତା ଗର୍ଭେ ପାଞ୍ଚମାସ ।ପିତା ଗୃହେ ଯାଇ କନ୍ୟା ହୋଇଲା ପ୍ରବେଶ ॥
ଦଶମାସ ପୂର୍ଣ୍ଣେ ଏକ ପୁତ୍ର ପ୍ରସବିଲା ।ସ୍ନେହେ ସେ ପୁତ୍ରର ନାମ ପଦ୍ମନାଭ ଦେଲା ॥
ଲଙ୍କାରେ ବୀଜ ରହିଲା ଆସି ଜମ୍ୱୁଦ୍ୱୀପେ ।ଦିନୁଦିନ ପୁତ୍ର ବଢ଼େ କୃତାନ୍ତକ ରୂପେ ॥
ସେ ପେଟ ଲାଣ୍ଡିଆ ପୁଅ ମାମୁଁଘରେ ବଢ଼ି ।ମଉଳାର ରାଜ୍ୟ ବଳେ ବସିଲା ସେ ମାଡ଼ି ॥
ସେତୁବନ୍ଧ ଆଦିକରି ହିମାଳୟ ଯାଏ ।ଅକଣ୍ଟକ ରାଜ୍ୟ ଭୋଗ କଲା ଦୈତ୍ୟରାୟେ ॥
ପଦ୍ମନାଭର ନନ୍ଦନ ମେଘାସୁର ହେଲା ।ବଳୀୟାର ପଣେ ଯାଇ ଲଙ୍କା ଭୋଗ କଲା ॥
ମେଘାସୁର ଦାନବର ପୁତ୍ର ଲୋହାସୁର ।ତାଠାରୁ ଜନ୍ମିଲା ପୁଣି ତ୍ରିଜଟା ଅସୁର ॥
ତ୍ରିଜଟା ପୁତ୍ର କ୍ଷେମଜ୍ଞ ଦମନ ଏ ବେନି ।ସେଠାରୁ ଦମନବଂଶ ଘୋଟିଲା ମେଦିନୀ ॥
ପୃଥ୍ୱୀରେ ଦମନବଂଶ ହେଲେ ଆଦିପାଟ ।ବଂଶକ୍ରମେ ପୃଥ୍ୱୀ ପାଳି ହୁଅନ୍ତି ସମ୍ରାଟ ॥
ସ୍ୱଭାବେ ଅସୁରବଂଶ ଦେବଙ୍କର ବାଦୀ ।ସୁରାସୁର ବେନି ପକ୍ଷ କରିଅଛି ବିଧି ॥
ଏ ଦମନବଂଶେ ପୁଣି ପୁତ୍ରେକ ବିଖ୍ୟାତ ।ଦାସଦମନ ବୋଲିଣ ତା ନାମ ବିଦିତ ॥
ଅତି ବିଚକ୍ଷଣ ସେହୁ ପ୍ରଜ୍ଞାବନ୍ତ ରାଜା ।ସକଳ ନୃପତି ହେଲେ ତା ତଳେ ପରଜା ॥
ପିତୃ ପିତାମହ ରାଜ୍ୟ ଅକଣ୍ଟକ କରି ।ସାଗରାନ୍ତ ପୃଥ୍ୱୀ ଜିଣି ଭୋଗକଲା ଶିରୀ ॥
ଏଡ଼େ ରାଜାକୁ ବିଧାତା କଲା ଘଟସୁତ୍ର ।ଷାଠିଏ ସହସ୍ର ରାଣୀ ନାହିଁ ଏକ ପୁତ୍ର ॥
କେତେ ଧର୍ମ କର୍ମ କଲା ପୁତ୍ର ହେବାପାଇଁ ।ସନ୍ତତି ନୁହନ୍ତେ ରାଜା ବିକଳିତ ହୋଇ ॥
ଅନ୍ନଦାନ ବସ୍ତ୍ରଦାନ ସ୍ୱର୍ଣ୍ଣଦାନ ଦେଲା ।ନିଜେ କାୟକ୍ଳେଶ ସହି ବାର ବ୍ରତ କଲା ॥
ତଥାପି ସନ୍ତତି ଯହୁଁ ନୋହିଲାକ ଜନ୍ମ ।ଅଗସ୍ତି ଯଜ୍ଞ କରିଣ ଦେଲେ ଚରୁଅନ୍ନ ॥
ମେଖଳା ନାମେ ରାଜାର ଭାର୍ଯ୍ୟା ପ୍ରିୟବତୀ ।ପବିତ୍ର ସେ ପାଟବଂଶୀ ସାଧ୍ୱୀ ମହାସତୀ ॥
ସେହି ସତୀ ଚରୁଅନ୍ନ ଭୁଞ୍ଜି ମନ ତୋଷେ ।ଦୁହିତାଏ ଜାତ କଲା ପୂର୍ଣ୍ଣ ଦଶମାସେ ॥
ସର୍ବଗୁଣେ ସୁଲକ୍ଷଣୀ ସେହି ରାଜାଜେମା ।ରୂପେ ତାକୁ ହାରିଯିବେ ରମ୍ଭା ତିଳୋତ୍ତମା ॥
ଅନେକ ଯତନେ ରାଜା କନ୍ୟା ପ୍ରତିପାଳି ।ଶ୍ରଦ୍ଧା କରି ତାର ନାମ ଦେଲା ଗୋପାବଳୀ ॥
ଚନ୍ଦ୍ରକଳା ପରି କନ୍ୟା ହେଲା ବର୍ଦ୍ଧମାନ ।ଜାଜ୍ୱଲ୍ୟ ଦିଶଇ ତେଜ ବଢ଼ି ଦିନୁଦିନ ॥
ନାନା ବେଶ ବସନରେ ଦିଶେ ଦିବ୍ୟଶୋଭା ।ପଞ୍ଚଦଶ ବର୍ଷପୂର୍ଣ୍ଣେ ହେଲା ନବଯୁବା ॥
କନ୍ୟାର ଯୌବନ କାଳ ଜାଣି ସେ ନୃପତି ।ନାନା ଦେଶେ ଖୋଜାଇଲା ତା ପାଇଁକି ପତି ॥
ଅନେକ ବର ଆଣିଲା କନ୍ୟା ଅନୁରୂପେ ।ନବଖଣ୍ଡ ମର୍ତ୍ତ୍ୟପୁର ପୃଥ୍ୱୀ ସପଦ୍ୱୀପେ ॥
ରାଜା ମହାରାଜା ଦେବ ଗନ୍ଧର୍ବ ସହିତେ ।ଗୁଣବନ୍ତ ରୂପବନ୍ତ ବାଛିଲା ଜଗତେ ॥
କନ୍ୟାର ନିମନ୍ତେ ଆଣି ସ୍ୱୟମ୍ୱର କଲା ।ସେ କନ୍ୟାକୁ କେଉଁ ବର କେଭେ ନ ରୁଚିଲା ॥
ଅବିବାହି ହୋଇ କନ୍ୟା ରହି ପିତା ଘର ।ସମସ୍ତ ନୀତି କରଇ ବୁଝି ରାଜ୍ୟ ଭାର ॥
ରାଜସଭା ସିଂହନାଦ କରଇ ସେ ଭୋଗ ।ଯୁକତେ ରାଜାର କନ୍ୟା ରାଜ୍ୟେ ତାର ଭାଗ ॥
ଅଗସ୍ତିଙ୍କ ଯଜ୍ଞରୁ ସେ ହୋଇଅଛି ଜନ୍ମ ।ମହାମନ୍ତ୍ର ସୁମରିଣ ମନ୍ତ୍ରିଥିଲେ ଅନ୍ନ ॥
ଚରୁ ଅନ୍ନଜାତ ହେଲା ଯେଣୁ ସେ କୁମାରୀ ।ପୁତ୍ର ନ ଥିଲାରୁ କଲେ ରାଜ୍ୟ ଅଧିକାରୀ ॥
ନୃପତିର ପୁତ୍ର ନାହିଁ ଅପୁତ୍ରିକ ଯହୁଁ ।ସମସ୍ତେ ବିଚାରି ତାକୁ ରାଜା କଲେ ତହୁଁ ॥
ପାତ୍ର ମନ୍ତ୍ରୀ ଅମନାତ୍ୟ ସର୍ବେ କଲେ ପୂଜା ।ଏମନ୍ତ ରାଜତ୍ୱ କଲା ଦମନ-ତନୁଜା ॥
ରଥ ଗଜ ପଦାତିକ ଅଶ୍ୱ ଅକଳନା ।ସଂଗ୍ରାମେ ସେ ମହାରାଜା ହେଲା ଜଗଜ୍ଜିଣା ॥
ସମକକ୍ଷ ଶତ୍ରୁ ନାହିଁ ଅକଣ୍ଟକ ପୁରୀ ।ଚନ୍ଦ୍ରଚୂଡ଼ କଟକରେ ରାଜା ସେହୁ ନାରୀ ॥
ପରୀକ୍ଷ ଆଗେ କହନ୍ତି ପୁଣି ଶୁକବ୍ରହ୍ମା ।ଶୁଣ ନୃପ ଦଇବର ବିଚିତ୍ର ମହିମା ॥
କେବଣ ଦିନେହେଁ ସେହି ଗୋପାବଳୀରାୟେ ।ଲୋକଙ୍କୁ ଦୂର କରିଣ ଏକାନ୍ତେ ବିଜୟେ ॥
ସୁବର୍ଣ୍ଣ ନିର୍ମିତ ପୁରେ ଅଷ୍ଟ ରତ୍ନ ବେଦୀ ।ତହିଁପରେ ସିଂହାସନ ଗଗନକୁ ଭେଦି ॥
ସେ ସିଂହାସନ ଉପରେ ଶୋହେ ରତ୍ନଖଟ ।ଖଟପରେ ଶେଯାଇଛି ହଂସତୂଳୀ ପାଟ ॥
ସେବତୀ ପାଖୁଡ଼ା ପୁଣି ତା ଉପରେ ବିଞ୍ଚି ।କର୍ପୂର ପକାଇ ପାଣି ଦେଇଅଛି ସିଞ୍ଚି ॥
ଷାଠିଏ ସହସ୍ର ନାରୀ ସର୍ବେ ନବଯୁବା ।ଛତ୍ର ଚାମର ଧରିଣ ହୋଇଛନ୍ତି ଉଭା ॥
ଉପରେ ସୁଚିତ୍ର ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ।ଅପୂର୍ବ ତୋରଣ ଝୁଲେ ପନ୍ତି ପନ୍ତି ନୂଆ ॥
କର୍ପୂର କସ୍ତୁରୀ ଚୁଆ ଧୂପ ହୋମ ବାସ ।ଆମୋଦଇ ପରିମଳ ଗନ୍ଧେ ଚଇପାଶେ ॥
ମଲ୍ଲୀ ମାଳତୀ ଅଶୋକ ଚମ୍ପା ନବଦଳ ।ସେବତୀ ପାଖୁଡ଼ା ଧଣ୍ଡା ଲମ୍ୱେ ମାଳ ମାଳ ॥
ନାନା ମଣି ରତ୍ନଝରୀ ଚିତ୍ର ପାଟ ଗଣ୍ଠି ।ମାଳା ଝୁମ୍ପା ତୁଲେ ଲମ୍ୱେ ସୁବର୍ଣ୍ଣର କଣ୍ଠି ॥
କହନ୍ତେ ନ ସରେ ନୃପ ସେ ପୁର ମହିମା ।ନିର୍ମାଣ କରିଛି ତାହା ଆପେ ବିଶ୍ୱକର୍ମା ॥
କ୍ଷୁଧା ତୃଷା ନିଦ୍ରା ତହିଁ ହୋଇଛନ୍ତି ରୁଣ୍ଡ ।ସହସ୍ରେ ବଖରା ଘର ଖଞ୍ଜା କୋଣ କାଣ୍ଡ ॥
ଆଗହୁଁ ଅସୁର ପୁର ମଦେ ମତୁଆଳି ।ସୁରା ମାଂସ ଖାଇ ଦୈତ୍ୟେ କରୁଥାନ୍ତି କେଳି ॥
ସେ ଭୁବନେ ଅବକାଶ ଗୋପାଳୀ ନୃପତି ।ସନ୍ନିଧିରେ ଖଟିଛନ୍ତି ଅନେକ ଯୁବତୀ ॥
ବିଚିତ୍ର ପଲ୍ୟଙ୍କ ପରେ ବିଜେ କଲା ଯାଇ ।ଅନେକ ସୁରାମାଂସ ସେ ପଲ୍ୟଙ୍କରେ ଥୋଇ ॥
ଜାତି ଅନୁରୂପେ ତହିଁ କଲା ସେ ଭୋଜନ ।ପୂଜିଲା ଅଷ୍ଟବେତାଳ ତେଜି ନିରଞ୍ଜନ ॥
ଛାଡ଼ିଲାକ ନିଦ୍ରାବତୀ ଘାରେ କାମଜ୍ୱର ।ଆପଣା ଦେହକୁ ଆପେ ଚାହେଁ ବାରମ୍ୱାର ॥
କେଶବାସ ଆଦି କରି ପକାଇଲା ଫେଡ଼ି ।ବିବସନ ହୋଇ ରାଜା ପଲ୍ୟଙ୍କେ ପହୁଡ଼ି ॥
ରସାଣିଲା ସୁନା ପରି ବିରାଜୁଛି କାୟେ ।ମୁଖ ଦିଶେ ପୂର୍ଣ୍ଣଚନ୍ଦ୍ର ମଣ୍ଡଳ ପରାୟେ ॥
ସୁବର୍ଣ୍ଣ କଳଶ ପ୍ରାଏ ବିରାଜେ ଉରଜ ।ଉଲଟ କଦଳି ବୃକ୍ଷ ଜିଣି ଜାନୁ ଓଜ ॥
ହର ଡମ୍ୱରୁ ପ୍ରାୟେ ତା କ୍ଷୀଣ କଟି ସଞ୍ଚ ।ନାହିଁ ପଟାନ୍ତର ସ୍ୱର୍ଗ ରସାତଳ ମଞ୍ଚ ॥
ବାହୁ ବେନି ହସ୍ତୀ ଥୋର ପ୍ରାୟେ ଶୋଭାବନ ।ଏମନ୍ତ ରୂପକୁ ଆପେ ଦେଖେ ପୁନଃ ପୁନ ॥
ଅପୂର୍ବ ରତନ ମଣି ଗୁନ୍ଥା ସ୍ୱର୍ଣ୍ଣମାଳେ ।କଣ୍ଠଦେଶେ ପଡ଼ି ତାହା ଲମ୍ୱେ ବକ୍ଷସ୍ଥଳେ ॥
ସୁନ୍ଦର ନାସିକାପୁଟେ ଶୋହେ ରତ୍ନଗୁଣା ।ଚନ୍ଦ୍ରମା ମଣ୍ଡଳ ମୁଖ କଳଙ୍କରେ ଜିଣା ॥
ପାଖୁଡ଼ା ସେବତୀ ମାଥେ ବୀରବେଶ ଗଭା ।ଶ୍ରୀମନ୍ତ ମୁଖକୁ ତାହା ଦିଶେ ଅତି ଶୋଭା ॥
ଜାତିରେ ପଦ୍ମିନୀ ସ୍ତିରୀ ପୁରଷର ବେଶ ।ମୋହିଲା ଲାବଣ୍ୟ ରୂପ ଧରି ଦଶଦିଗ ॥
ବିଶେଷରେ ମହାରାଜା ରାଜ୍ୟ କରେ ଭୋଗ ।ଭୋଗ ହେତୁ ଶରୀରେ ବଢ଼େ କାମରୋଗ ॥
ନୟନ ମନ ଇନ୍ଦ୍ରିୟ କେ ପାରେ ନିଗ୍ରହି ।କୀଟୁଁ ବ୍ରହ୍ମ ପରିଯନ୍ତେ ଛନ୍ତି ଯେତେ ଦେହୀ ॥
ସ୍ତିରୀଏ ସର୍ଜିଲେ ଧାତା ପୁରୁଷେକ ସଞ୍ଚି ।ସବୁରି ଅଙ୍ଗରେ କାମ ବାଧା ଲାଗିଅଛି ॥
ଜନ୍ମ ହୋଇଲେ ଅବଶ୍ୟ ମରଇ ସେ ପ୍ରାଣୀ ।ପାପ ହେଇଲେ ଅବଶ୍ୟ ପୁଣ୍ୟେକ ନିର୍ମାଣି ॥
ଦିବସ ହୋଇଲେ ରାତି ଜଳ ଥିଲେ ପଙ୍କ ।ଏହିରୂପେ ଆତଯାତ ହ୍ୱନ୍ତି ସର୍ବ ଲୋକ ॥
ରାଜା ହେଉ ପ୍ରଜା ହେଉ ଜୀବଜନ୍ତୁ ଅବା ।ଦେବତା ଅସୁର ଯକ୍ଷ ଗନ୍ଧର୍ବ କି ଅବା ॥
ଦେହ ବହି କାହାଠାରେ ନାହିଁ କାମବାଧା ।ନାରୀ ବା ପୁରୁଷ ହେଉ କରଇ ଶରଧା ॥
ଭରସି ବୋଲିବାକୁ କେ ଭାଜନ ନୁହଇ ।ମହାରାଜାଏ ଖଟନ୍ତି ଭୃତ୍ୟପ୍ରାୟେ ହୋଇ ॥
ବିଭାପାଇଁ ଅଣାଇଲା ପିତା ଯେତେ ବର ।କେହି ହେଲେ ନ ରୁଚିଲା ମନକୁ ତାହାର ॥
ସମୟେକ ଦେହ ବହି ମତ୍ତଗର୍ବ ହେଲା ।ଫୁଲ ଫୁଟିବାରୁ ବାସ ଆପେ ଚହଟିଲା ॥
ବଢ଼ିଲା ବୟସ ଅନୁରୂପେ କାମଖେଦ ।ଆପଣେ ପଣ୍ଡିତା ନାରୀ ଜାଣେ ରସଭେଦ ॥
ହୃଦୟ ମଧ୍ୟରେ ତାର ସେ ନାରୀ ନୃପତି ।ସୁନ୍ଦର ପୁରୁଷ ବାଞ୍ଛା କରୁଥାଇ ନିତି ॥
ବଡ଼ିମା ପଣେ ଆନକୁ ତା ନ କହେ ଫେଡ଼ି ।କନ୍ଦର୍ପ ଅନଳେ ମନ ଯାଉଥାଏ ପୋଡ଼ି ॥
ଆପଣାର ଅନ୍ତର୍ଗତେ ବିଚାରଇ ବୁଦ୍ଧି ।ଜନ୍ମ ଅକାରଣ ମୋର କରାଇଲା ବିଧି ॥
ମହାରାଜା କୁଳରେ ମୁଁ ହୋଇଥିଲି ଜାତ ।ଏସନକ ମହାପାପ ଅର୍ଜିଲେ ମୋ ତାତ ॥
ପୁତ୍ର ଗୋଟିଏକ ଜାତ ନୋହିଲା ତାଙ୍କର ।ଏକମାତ୍ର ଦୁହିତା ମୁଁ ହେଲି ନାରଖାର ॥
ମୋହର ନିମନ୍ତେ ପିତା ସ୍ୱୟମ୍ୱର କରି ।ମୋ ପାଇଁ ଅନେକ ବର ଆଣିଲେ ହକାରି ॥
ଯେତେବେଳେ ନ ବରିଲି ମୁହିଁ ଆଣ୍ଟପଣେ ।ଛାଡ଼ିଲି ସଂସାର ଧର୍ମ ଆପେ ଅକାରଣେ ॥
ଗୁରୁଜନମାନଙ୍କର ଲଘିଂଲି ବଚନ ।କର୍ମର ଫଳକୁ ଆସ ଘଟିଲା ଏମାନ ॥
ପିତାଙ୍କର ପୁତ୍ର ଥିଲେ କିପାଁ ରାଜା ହ୍ୱନ୍ତି ।ପରପରିବାରୀ ହୋଇ କଳା କାଟିଥାନ୍ତି ॥
ଏବେ ସେ ବରଙ୍କୁ ଯେବେ ଲେଉଟି ବରିବି ।ଲୋକମୁଖେ ଲଜ୍ଜା ହେବ ସହି ନ ପାରିବି ॥
ଆପଣା ଭୃତ୍ୟଙ୍କୁ ଯେବେ ଦେହ ଦେବି ରସି ।ଏ ଦେହେ ନୃପତି ହୋଇ ପୁଣି ହେବି ଦାସୀ ॥
ସବୁକାଳେ ଅଜ୍ରାମର ନୁହେ ଏ ଶରୀର ।ସଂସାର ଜନଙ୍କ ମୁଖେ ପାଇବି ଧିକ୍କାର ॥
କେତେ କଷ୍ଟ ପାଉଥିବି କାମବାଧା ସହି ।ବଡ଼ବାନଳ ସମୁଦ୍ରେ ଝାସଦେବି ଯାଇଁ ॥
ପାର୍ବତୀଙ୍କୁ ବଳି ଆଉ ଅଛି କେଉଁ ସ୍ତିରୀ ।ଈଶ୍ୱରଙ୍କୁ ବରିଛନ୍ତି ତେଡ଼େ ବଡ଼ ନାରୀ ॥
ଯେଉଁ ଲକ୍ଷ୍ମୀଦେବୀ ତିନିଜଗତର ମାତା ।ସେ ପୁଣି ବିଷ୍ଣୁଙ୍କୁ ଆପେ କରିଛନ୍ତି ଭର୍ତ୍ତା ॥
ରତି ଦମୟନ୍ତୀ ଶଚୀ ଉଗ୍ରତାରା ଯାଏ ।ସର୍ବେ ବରିଛନ୍ତି ସ୍ୱାମୀ ଗୋଟିଏ ଗୋଟିଏ ॥
ମୁଁ ଅବା ସଂସାର ମଧ୍ୟେ କଲି କେଉଁ ପାପ ।କେବଣ ପୁରୁଷ ମୋତେ ଦେଲା ଅଭିଶାପ ॥
ଅଭାଗିନୀ ଗଣିତାରେ ହୋଇଲି ମୁଁ ଲେଖା ।ଭୋ ଧର୍ମଦେବତା ତୁମ୍ଭେ ହୁଅ ମୋର ସଖା ॥
ଉଭୟ କୁଳର ଲଜ୍ଜା ଫିଟଇ ଯେମନ୍ତେ ।ତେସନକ ଆଜ୍ଞା ପ୍ରଭୁ ଦିଅ କୃପା ଚିତ୍ତେ ॥
ଏଡ଼େ ବଡ଼ ରାଜଶିରୀ ନାଶ ହୋଇଯିବ ।ସନ୍ତତି ବିହୀନେ ଏହା କେ ଭୋଗ କରିବ ॥
କେବଣ ପାତଳ କରି ନାରୀଜନ୍ମ ହେଲେ ।ଇହଲୋକ ପରଲୋକ କାହିଁରେ ନୋହିଲେ ॥
ସଂସାରୁ ବାହାର ଏବେ ହେଲା ମୋର କଥା ।ମନ ସେ ଜାଣଇ ସିନା ମନରେ ଯେ ବ୍ୟଥା ॥
ଭୋ ଧର୍ମ ଦେବତା ପ୍ରତିକାର କର ମୋତେ ।ଦୁଃସହ ମଦନ ବାଧା ସହିବି କେମନ୍ତେ ॥
ଏତେବୋଲି ରାଜଜେମା ଶୋକ କଲା ବସି ।ବେନି ନୟନରୁ ପଡ଼େ ଅଶ୍ରୁଧାର ଖସି ॥
କ୍ରୋଟରାଗ୍ନି ପ୍ରାୟେ ଚିତ୍ତ ଦହେ ଅନ୍ତରାଳ ।ଅଧର କମ୍ପଇ ଫୁଲି ଉଠେ ରୋମମୂଳ ॥
ମଦନରେ ଅସାଷ୍ଟମ ହୋଇ ଗୋପାବଳୀ ।ନିଜ ଅନ୍ତର୍ଗତେ ଚିନ୍ତା କଲା ଅଂଶୁମାଳି ॥
ଜୟ ଜୟ ନିରଞ୍ଜନ ପରଂବ୍ରହ୍ମ ଯୋଗୀ ।ଅକ୍ଷୟ ପୁରୁଷ ତୁମ୍ଭେ ଅଟ ବାୟୁଭୋଗୀ ॥
ଦେବଙ୍କ ଉପରେ ଦେବ ନିରାକାର ସ୍ୱାମୀ ।ଚରାଚର ପ୍ରାଣୀଙ୍କର ନାଥ ଅନ୍ତର୍ଯ୍ୟାମୀ ॥
ତୁ ଅନାଦି ଜ୍ୟୋତିର୍ଲିଙ୍ଗ ଅଷ୍ଟାଙ୍ଗରେ ଜିତା ।ଆତ୍ମଯୋନି ସ୍ୱୟଂଜାତ ନାହିଁ ପିତାମାତା ॥
ସକଳ ଅର୍ଜିଲ ତୁମ୍ଭେ ଆଉ କେହି ନାହିଁ ।ଆତ୍ମାର ଆତ୍ମା ଯେ ତୁମ୍ଭେ ଦେହ ମଧ୍ୟେ ଦେହୀ ॥
ମନବୁଦ୍ଧି ଅହଙ୍କାର ନାହିଁ ତୁମ୍ଭ ସଙ୍ଗ ।ପଞ୍ଚଭୂତ ପଞ୍ଚବିଂଶ ପ୍ରକୃତିରେ ଅଙ୍ଗ ॥
ଠୁଳ ଶୂନ୍ୟ ବିବର୍ଜ୍ଜିତ ସ୍ୱୟଂ ବିଶ୍ୱମୟ ।ଅବିନାଶୀ ଅଟ ତୁମ୍ଭେ ନାହିଁ ତୁମ୍ଭ କ୍ଷୟ ॥
ସମସ୍ତଙ୍କ ସୁଖ ଦୁଃଖ ତୁମ୍ଭେ ପରିମାଣ ।ସର୍ବଜୀବ ଜନ୍ତୁଙ୍କର ହୃଦବ୍ୟଥା ଜାଣ ॥
କୀଟୁ ବ୍ରହ୍ମ ପରିଯନ୍ତେ ସମସ୍ତଙ୍କୁ ସାହା ।ମୁଁ କିସ କିହିବି ତୁମ୍ଭେ ନ ଜାଣ କି ଏହା ॥
ମୋ ମନ ବେଦନା ପ୍ରଭୁ ଫେଡ଼ କୃପାଚିତ୍ତେ ।ଯେ ମୋହର ନିଜ ଭର୍ତ୍ତା ତାଙ୍କୁ ଦିଅ ମୋତେ ॥
ତୁମ୍ଭେ ତ ପ୍ରତ୍ୟକ୍ଷେ ଜାଣ କାମଜ୍ୱାଳା ଯେତେ ।ଏ କାମ ତୁମ୍ଭଙ୍କୁ କଷ୍ଟ ଦେଇ ନାହିଁ କେତେ ॥
ନିରନ୍ତର ଭାରିଯାକୁ କୋଳେ ଅଛ ବହି ।ଆବର ଉଲଗ୍ନ ହୋଇଅଛ ପ୍ରଭୁ ହୋଇ ॥
ମୁଁ ହୀନ ପାମରୀ ତୁଚ୍ଛ ହୀନ ମୋର ମତି ।ଇହଲୋକ ପରିତ୍ରାଣ କର ଛାୟାପତି ॥
ନିଜ ପିତ ପାଇଲେ ମୁଁ ହୋଇବି ପ୍ରତିଷ୍ଠା ।ମନର ବେଦନା ଫେଡ଼ ରହୁ ମୋର ନିଷ୍ଠା ॥
ପୁଣ ପୁଣ ଗୋପାବଳୀ ମୁଖେ ବାସ ଭରି ।ବହୁ ସ୍ତୁତିକଲା ସଦାଶିବଙ୍କୁ ସୁମରି ॥
ଏମନ୍ତ ଭକତି ଯହୁଁ କଲା ନିରନ୍ତରେ ।ଶିବଙ୍କ ଆସନ କମ୍ପେ କୈଳାସ କନ୍ଦରେ ॥
ଅନ୍ତର୍ଗତେ ଧ୍ୟାନ କରି ଜାଣିଲେ ତା କାଶୀ ।ଗର୍ଗମୁନି ତପେ ଆଗୁ ହୋଇଛନ୍ତି ତୋଷୀ ॥
ବୃଷଭ ଆରୋହି ସ୍ୱାମୀ ଗଲେ ଧାତିକାରେ ।ତକ୍ଷଣେ ମିଳିଲେ ଯାଇ ଗୋପାବଳୀ ପୁରେ ॥
ଆକାଶ ମାର୍ଗରେ ଉଭା ହୋଇଣ କପାଳୀ ।ବୋଇଲେ ଆମ୍ଭର ବାକ୍ୟ ଶୁଣ ଗୋପାଳବଳୀ ॥
ଯହିଁପାଇଁ ମନରେ ତୁ ପାଇଅଛୁ ବ୍ୟଥା ।ହେତୁକରି ଶୁଣ ତୋତେ କହିବା ସେ କଥା ॥
ରୁଦ୍ର ଗଙ୍ଗାନଦୀ ବହେ କୈଳାସର ତଳେ ।ବ୍ରହ୍ମନାମେ ଗୁମ୍ଫା ଅଛି ତା ଉତ୍ତର କୂଳେ ॥
ବହୁତ କାଳରୁ ଅଛି ସେହି ଗୁମ୍ଫା ଗୋଟି ।ସେଠାରେ ଚାହିଁଲେ ଦୃଶ୍ୟ ହୁଏ ନବସୃଷ୍ଟି ॥
କହନ୍ତେ ନ ସରେ ସେହି ଗୁମ୍ଫାର ମହିମା ।ଅତିଯତ୍ନେ ଗଢ଼ିଅଛି ମୟ ବିଶ୍ୱକର୍ମା ॥
ସେ ଗୁମ୍ଫା ଭିତରେ ଛନ୍ତି ଗର୍ଗ ବ୍ରହ୍ମବେତ୍ତା ।ସେ ଅଟନ୍ତି ମହାଋଷି ତିନିକାଳଜ୍ଞାତା ॥
ବ୍ରହ୍ମା ସମାନରେ ଜ୍ଞାନୀ ସେହି ମୁନିବର ।ଯାଦବଙ୍କ ସଭାରେ ସେ ପାଇଲେ ଧିକାର ॥
ବେଦମନ୍ତ ନିର୍ଜିତ ସେ କରିଛନ୍ତି କାଷ୍ଠା ।ତୁ ତାଙ୍କ ଅଙ୍ଗରେ ଲାଗି ହୋଇବୁ ପ୍ରତିଷ୍ଠା ॥
ସେ ତୋହର ନିଜ ଭର୍ତ୍ତା ଅଟନ୍ତି ଯୁକତେ ।ପୂର୍ବ ଅଭିଶାପେ ଦୁହେଁ ଜନ୍ମିଅଛ ମର୍ତ୍ତ୍ୟେ ॥
ବିଳମ୍ୱ ନ କରି ତୁ ଯେ ଚଳ ଶୀଘ୍ରହୋଇ ।ସେ ମୁନି ବସିଣଛନ୍ତି ତୋ ବାଟକୁ ଚାହିଁ ॥
ତାଙ୍କ ସଙ୍ଗେ ଆଜିତୋର ହୋଇଲେ ଏକାନ୍ତ ।ପୁତ୍ରେକ ଜନମ ହୋଇ ଜିଣିମ ଜଗତ ॥
ସପ୍ତଦ୍ୱୀପା ପୃଥିବୀରେ ହେବ ଏକ ରାଜା ।ଦେବାସୁର ମାନବରେ ପାଇବ ସେ ପୂଜା ॥
ଉଭୟକୁଳ କାରଣ ହେବ ସେହି ପୁତ୍ର ।ଆଗହୁଁ ବିଧାତା କରିଅଛି ଘଟସୂତ୍ର ॥
ବିଳମ୍ୱ ନ କର ବେଗେ ଚଳ ରଥେ ବସି ।ବ୍ରହ୍ମ ଗୁମ୍ଫାରେ ଅଛନ୍ତି ଗର୍ଗ ମହାଋଷି ॥
ଏତେ କହି ଅନ୍ତର୍ଦ୍ଦାନ ହେଲେ ଶୂଳପାଣି ।ପରମ ସନ୍ତୋଷ ହେଲା ଗୋପାବଳୀ ଶୁଣି ॥
ତକ୍ଷଣେ ସେ ନାରୀବର ବସି ବିମାନରେ ।ପ୍ରବେଶ ହୋଇଲା ଯାଏ ରୁଦ୍ର ଗଙ୍ଗାତୀରେ ॥
ଗୁମ୍ଫାର ଦ୍ୱାରେ ମିଳିଲା ରଥରୁ ଓହ୍ଲାଇ ।ସାରଥିକି ବୋଲେ ରଥ ରଖ ଏହିଠାଇଁ ॥
ଏତେବୋଲି ଗୋପାବଳୀ ପଶିଲା ଗୁମ୍ଫାରେ ।ରଥଘେନିଣ ସାରଥି ରହିଲେ ସେ ଦ୍ୱାରେ ॥
କବାଟ ଫେଡ଼ି ପଶିଲା ଗୋପାବଳୀ ନାରୀ ।ମୁନିଙ୍କୁ ବରିବ ବୋଲି ଆନନ୍ଦରେ ପୂରି ॥
ବୀରବେଶ ଜୂଡ଼ାଫେଡ଼ି ଖୋଷିଲା ସେ ଖୋଷା ।ତ୍ରିକଚ୍ଛ ଫେଇ ପିନ୍ଧିଲା ବାସଝୁଲା ମିଶା ॥
କଙ୍କଣ ବାହୁଟି ଫେଡ଼ି ପିନ୍ଧି ରତ୍ନଚୁଡ଼ି ।ସୀମନ୍ତେ ଖଞ୍ଜିଲେ ମୁକ୍ତା ମାଣିକ୍ୟରେ କଢ଼ି ॥
କେନ୍ଦୁଡ଼ି ଛନ୍ଦରେ ଶାଢ଼ି ପିନ୍ଧି ଆଡ଼ଭଙ୍ଗେ ।ଝୋଲା ଝୀନ ଆଭରଣ ହାର ଦିବ୍ୟଅଙ୍ଗେ ॥
ପନୀର ପାଣିରେ ଗୋଳି କର୍ପୂର କସ୍ତୁରୀ ।ଦେହେ ଘଷି ଉପାଡ଼ିଲା ଶତେପୁର କରି ॥
ନାସାରେ ଦିବ୍ୟବସଣି ମୁଖେ ପାନ ଭୁଞ୍ଜେ ।ଅପାଙ୍ଗେ ଚାହିଁଣ ବାଳା ମୁନି ମନ ରଞ୍ଜେ ॥
ସଙ୍ଗତରେ ଯେତେ ଦାସୀ ପରିବାରୀ ଥିଲେ ।ବେଳକାଳ ଜାଣି ସର୍ବେ ଆଡ଼ ହୋଇଗଲେ ॥
ଅପୂର୍ବ ସେ ବ୍ରହ୍ମଗୁମ୍ଫା ବିଶ୍ୱକର୍ମା ସଞ୍ଚି ।ଏକ ଖମ୍ୱ ଉହାଡ଼ରେ ଶତେଲୋକ ଲୁଚି ॥
ଜ୍ୟୋତିର୍ମୟ ଭୁବନ ସେ ନାହିଁ ଦିନରାତି ।ଚନ୍ଦ୍ର ଉଦେ ହେଲା ପରି ବିରାଜଇ ଜ୍ୟୋତି ॥
ବାରମାସ ବହେ ତହିଁ ବସନ୍ତ ସମୀର ।ମନ୍ଦଗନ୍ଧ ପରିମଳ ଅତ୍ୟନ୍ତ କାକର ॥
ମନୋହର ଭୁବନ ସେ ସ୍ୱର୍ଗସମ ଶୋଭା ।ସ୍ଥବିର ପଶିଲେ ତହିଁ ହେବ ନବଯୁବା ॥
ସେ ଗୁମ୍ଫା ମଧ୍ୟରେ ଶତେ କବାଟ ଫିଟାଇ ।ଭିତରେ ପଶିଣ ଦେଖେ ଗୋପବଳୀ ଯାଇ ॥
ଆସନରେ ବସିଛନ୍ତି ଗର୍ଗ ମହାଋଷି ।ପୂର୍ଣ୍ଣଚନ୍ଦ୍ର ପଡ଼ିଛି କି ଆକାଶରୁ ଖସି ॥
ବନ୍ଧଭେଦ ମୁଦ୍ରା ଆଦି ମନ ଥୟ କରି ।ଈଶ୍ୱରଙ୍କ ଆଜ୍ଞା ଦୃଢ଼େ ରଖିଛନ୍ତି ଧରି ॥
ଅନ୍ୟଥା ନୁହଇ କେଭେ ଈଶ୍ୱରଙ୍କ ବାଣୀ ।ଅବଶ୍ୟ କନ୍ୟାଏ ଆସି ମିଳିଲେ ଏକ୍ଷଣି ॥
ଏମନ୍ତ ବିଚାରି ମୁନି ଥିଲେ ବାଟ ଚାହିଁ ।ଏକାଳେ ସେ ଗୋପାବଳୀ ପ୍ରବେଶିଲା ଯାଇ ॥
ମୁନିଙ୍କ ଛାମୁରେ ହେଲା ସାଷ୍ଟାଙ୍ଗରେ ଉଭା ।ଚନ୍ଦ୍ରଆଗେ ରୋହିଣୀ କି ପାଉଅଛି ଶୋଭା ॥
ଈଶ୍ୱରଙ୍କ ଆଗେ ଅବା ମିଳିଲେ ପାର୍ବତୀ ।କାମଦେବ ଛାମୁରେ କି ଉଭାହେଲା ରତି ॥
ଇନ୍ଦ୍ରଙ୍କ ଆଗରେ ଯେହ୍ନେ ଦିଶେ ପୁଲୋମଜା ।ତେସନ ମୁନିଙ୍କ ଆଗେ ଦମନ ତନୁଜା ॥
ଦୁହିଙ୍କ ମନ ଦୁହିଙ୍କଠାରେ ଅଛି ବଳି ।ଅଙ୍ଗ ସଙ୍ଗ ହେବେ ବୋଲି ମନେ ମନେ ଭାଳି ॥
କନ୍ୟାର ମୁଖକୁ ମୁନି ଚାହିଁଲେ ପାଲଟି ।ଦୁହିଙ୍କର ଚାରି ଚକ୍ଷୁ ହେଲା ଭେଟାଭେଟି ॥
ଆଲିଙ୍ଗନ କରି ମୁନି ବସାଇଲେ କୋଳେ ।ଆଶ୍ୱାସି ଚୁମ୍ୱନ ଦ୍ୟନ୍ତି କନ୍ୟାରେ କପୋଳେ ॥
ନାନାଦି ପ୍ରକାରେ ଦୁହେଁ କଲେ ରତିକ୍ରୀଡ଼ା ।ବଢ଼ିଲା ପ୍ରେମତରଙ୍ଗ ଛାଡ଼ିଗଲା ବ୍ରୀଡ଼ା ॥
ବାରଣ ମାରଣ ନଖ ଦନ୍ତ କ୍ଷତ ରତି ।ସର୍ବ ବିଦ୍ୟାରେ କୁଶଳ ଗର୍ଗ ମହାଯତି ॥
ଷୋଳକଳା ରତି ପୁଣି ଚଉଷଠି ବନ୍ଧ ।ଛୟାନବେ ମୁଦ୍ରା ଶତେ ଚୋଖୀର ଯେ ଖେଦ ॥
ଅସୁରୀ ସମ୍ଭବି ପୁଣି ଗାନ୍ଧର୍ବ ବିଚାର ।ଜାଣଇଁ ସେ ଗୋପାବଳୀ ଜାଣେ ମୁନିବର ॥
ଏଣୁକରି ଦୁହିଁଙ୍କର ବଢ଼ିଲା ପୀରତି ।ଈଶ୍ୱରଙ୍କଠାରୁ ଦୁହେଁ ବର ପାଇଛନ୍ତି ॥
କାହାଙ୍କୁହି ଶଙ୍କା ନାହିଁ ଏକାନ୍ତ ମନ୍ଦିରେ ।ଦୁହେଁ ଲଜ୍ଜା ଛାଡ଼ି କେଳି କଲେ ମତ୍ତଭରେ ॥
ମାର୍ଗଶିର ଶୁକ୍ଳ ଚତୁର୍ଦ୍ଦଶୀ ଚନ୍ଦ୍ରବାର ।କୃତ୍ତିକା ନାମେ ନକ୍ଷତ୍ର ଅଟେ ସେ ଦିନର ॥
ଗର ନାମରେ କରଣ ପ୍ରୀତିନାମେ ଯୋଗ ।ବିଛା ସଂକ୍ରାନ୍ତିକି ଦିନ ଚଉବିଂଶ ଭୋଗ ॥
ରଜନୀର ଅବଶେଷେ ଖସି ବ୍ରହ୍ମରେତ ।ପୁତ୍ରେକ ରହିଲା ଗର୍ଭେ ମହାବଳବନ୍ତ ॥
ବଢ଼ିଲା ଶୃଙ୍ଗାର ରସ ଗଲା କାମବାଧା ।ପ୍ରୀତି ସମ୍ଭାଷଣେ ପୁଚ୍ଛି ଅନେକ ଶରଧା ॥
ଗର୍ଗ ପଚାରିଲେ ତୁମ୍ଭେ କାହାର ଦୁହିତା ।କି ନାମ ତୁମ୍ଭର କହ କିଏ ପିତାମାତା ॥
କେବଣ ପୁରେ ଆଶ୍ରମ ଗୋତ୍ର ଅଟେ କିସ ।ତଥ୍ୟ କରି ମିତଣି ଗୋ କହ ମୋର ପାଶ ॥
ଗୋପାବଳୀ ବୋଲେ ମୁହିଁ ଦୈତ୍ୟକୁଳେ ଜାତ ।ଦାସଦମନ ନୃପତି ଅଟନ୍ତି ମୋ ତାତ ॥
ପୁତ୍ର ନ ଥିବାରୁ ପିତା ଅପମାନ ପାଇ ।ଦେଶାନ୍ତର ଗଲେ ମୋତେ ରାଜ୍ୟଭାର ଦେଇ ॥
ପିତା ଆଜ୍ଞା ପ୍ରମାଣେ ମୁଁ ରାଜ୍ୟେ ହେଲି ରାଜା ।ମୋ ପାଦେ ଖଟିଲେ ତହୁଁ ସର୍ବ ଜନପ୍ରଜା ॥
ମୋହର ନିମନ୍ତେ ପିତା ସ୍ୱୟମ୍ୱର କଲେ ।ରାଜପୁତ୍ରମାନଙ୍କୁ ସେ ଅନେକ ବରିଲେ ॥
ତହିଁରେ ସେ କାଳେ ମୋର ନୋହିଲା ଶରଧା ।ସହି ନ ପାରିଲି ଏବେ ମଦନର ବାଧା ॥
ଈଶ୍ୱର ପ୍ରସନ୍ନ ହୋଇ ଦେଲେ ମୋତେ ବର ।ତୁମ୍ଭପାଶେ ଆସିବାକୁ ପେଷିଲେ ସତ୍ୱର ॥
ମୁଁ ତୁମ୍ଭର ଭାର୍ଯ୍ୟା ହେଲି ତୁମ୍ଭେ ମୋର ପତି ।ସୁଖେ ଭୋଗ କର ଏବେ ମୋ ରାଜ୍ୟ ସମ୍ପତ୍ତି ॥
ଏହା ଶୁଣି ଗର୍ଗମୁନି ହେଲେ ସ୍ତମ୍ଭୀଭୂତ ।ବୋଲନ୍ତି ଆମ୍ଭେ ତ କଲୁ ଏଡ଼େ ମନ୍ଦକୃତ୍ୟ ॥
ଚାଣ୍ଡାଳୀ ବିଭା ହୋଇଲୁଁ କାମେ ହୋଇ ମତ୍ତ ।ଧର୍ମଶାସ୍ତ୍ର ପ୍ରମାଣରେ ହୋଇଲୁ ପତିତ ॥
ପୁଣି ବିଚାରନ୍ତି ଏଥେଁ ନାହିଁ ମୋର ଦୋଷ ।ଈଶ୍ୱର ତ ଆଜ୍ଞା ଦେଲେ କରବଇଁ କିସ ॥
ବିଶେଷେ ପଦ୍ମିନୀ ସ୍ତିରୀ ଏ ରମଣୀବର ।ଏ ଗୁଣେ ପବିତ୍ର ଅଙ୍ଗ ଅଟଇ ଏହାର ॥
ଯୁକତେ ଆମ୍ଭର କାର୍ଯ୍ୟ ଗୁରୁତର ଅତି ।ଏମନ୍ତ ବିଚାରି ମନେ ଗର୍ଗ ମହାଯତି ॥
ଗୋପାବଳୀ ମୁଖ ଚାହିଁ ବୋଲନ୍ତି ସେ ମୁନି ।ଆମ୍ଭର ବଚନ ଏବେ ଶୁଣରେ କାମିନୀ ॥
ପୂର୍ବ ଅଭିଶାପରେ ତୁ ହୋଇଅଛୁ ଜାତ ।ଶାପରୁ ନିସ୍ତରି ଏବେ ଯିବୁ ସ୍ୱର୍ଗପଥ ॥
ଆମ୍ଭର ଅମୋଘ ରେତ ବହୁକାଳୁ ଥିଲା ।ତୋହର ଗର୍ଭରେ ଏବେ ପତିତ ହୋଇଲା ॥
ମହାବଳୀ ଏକପୁତ୍ର ହେବ ତହୁଁ ଜାତ ।ଅବହେଳେ ଜିଣିବ ସେ ସକଳ ଜଗତ ॥
ଜନ୍ମ ହେବା ମାତ୍ରକେ ସେ ହେବ ନବଯୁବା ।ସକଳ ନୃପେ କରିବେ ତା ପାଦରେ ସେବା ॥
ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ତାକୁ ହାରିଯିବେ ରଣେ ।ସାଧିବ ସକଳ ପୃଥ୍ୱୀ ସେହି ଏକା ଜଣେ ॥
ଚଉରାଶୀ କୋଟି ବଳ ଅଟନ୍ତି ଯାଦବେ ।ଅପମାନ ଦେଇଛନ୍ତି ସେ ମୋତେ ସରବେ ॥
ତାହାଙ୍କୁ ମର୍ଦ୍ଦିବ ଘେନି ମୋର ଅପମାନ ।ଧ୍ୱଂସିବ ମଥୁରାପୁର ଆଦି ମଧୁବନ ॥
ଯାଦବେ ପଳାଇଯିବେ ତା ଭୟରେ ଛାଡ଼ି ।ସ୍ୱର୍ଗ ମଞ୍ଚ ପାତାଳକୁ ବଳେ ଦେବ ଧାଡ଼ି ॥
ଜଳ ସ୍ଥଳ ଅନଳରେ ନୋହିବ ତା ମୃତ୍ୟୁ ।ମନମଧ୍ୟେ ଏ କଥା ତୁ ରଖିଥିବୁ ହେତୁ ॥
ଅନେକ କାଳରୁ ରେତ ସମ୍ଭାଳିଣ ଥିଲୁ ।ସେ ଅମୋଘ ବ୍ରହ୍ମବୀର୍ଯ୍ୟ ତୋତେ ସମର୍ପିଲୁ ॥
ଅତି ଯତ୍ନକରି ପ୍ରିୟେ ପୁତ୍ର ପ୍ରତିପାଳ ।ଏ ପୁତ୍ର ଯୋଗେ ଗଣିତା ହେବୁ ରବିତଳ ॥
ରାଜ୍ୟ ପ୍ରଜା ରକ୍ଷା ହେବ ରହିବ ତୋ ବଂଶ ।ଦେବ ଗନ୍ଧର୍ବଙ୍କ ଦର୍ପ କରିବ ସେ ଧ୍ୱଂସ ॥
ଗୋପାବଳୀ ବୋଲେ ତୁମ୍ଭେ ସର୍ବଜ୍ଞ ପୁରୁଷ ।ରାଜ୍ୟେ ମହାରାଜା ହେବ ମୋ ସଙ୍ଗରେ ଆସ ॥
ମୁହିଁ ତୁମ୍ଭ ପରିବାରୀ କରୁଥିବି ସେବା ।ରାଜ୍ୟ ଧନ ଭୋଗ କରି ଅଚିନ୍ତେ ରହିବା ॥
ମୁଁ ତୁମ୍ଭର ନିଜ ଭାର୍ଯ୍ୟା ତୁମ୍ଭେ ମୋର ପତି ।ମିଳିଅଛି ରାଜଲକ୍ଷ୍ମୀ ନ ଛାଡ଼ ହେ ଯତି ॥
ବିଳମ୍ୱ ନ କରି ରଥେ ବସ ବେଗ ହୋଇ ।ଏତେ ବୋଲି ଗୋପାବଳୀ ପାଦ ଧରି ଶୋଇ ॥
ଗର୍ଗମୁନି ବୋଇଲେ ତୁ ଶୁଣ ସଙ୍ଗାତୁଣୀ ।ସନ୍ତୋଷ ହୋଇଲୁ ଆମ୍ଭେ ତୋ ବଚନ ଶୁଣି ॥
ତୁ ଯେ ବୋଲୁଅଛୁ ମୋର ରାଜ୍ୟ ଯିବା ଆସ ।ତୋ ଅନ୍ନ ଭୁଞ୍ଜିଲେ ଅଛି ଆମ୍ଭଙ୍କୁ ଯେ ଦୋଷ ॥
ତୁ ଆମ୍ଭର ନିଜ ଭାର୍ଯ୍ୟ ହୋଇଲୁ ଯୁକତେ ।ଗାନ୍ଧର୍ବ ମତରେ ଆମ୍ଭେ ବିଭା ହେଲୁ ତୋତେ ॥
ଭାରିଯା ଅର୍ଜିଲା ଧନ ଭୁଞ୍ଜେ ଯେବେ ପତି ।ଶତେ ଜନ୍ମଯାଏ ପାଇ ସେ ନରକ ଗତି ॥
ନରାଧମ ପୁରୁଷ ସେ ତା ମୁଖ ନ ଚାହିଁ ।ନପୁଂସକ ଗଣତିରେ ଲେଖା ହୁଏ ସେହି ॥
ପିତାର ଅର୍ଜିଲା ଧନ ପୁତ୍ର ଭୋଗ କରି ।ବଂଶ ରକ୍ଷା କଲେ ତାକୁ କେ ନୁହଇ ସରି ॥
ଧନ୍ୟ ସେହି ପୁତ୍ର ଅଟେ ଧନ୍ୟ ତାର ପିତା ।ଉତ୍ତର କୋଟିରେ ଦୁହେଁ ହୁଅନ୍ତି ଗଣିତା ॥
ଜ୍ୟେଷ୍ଠଭାଇ ଧନ ଭୋଗ କଲେ ସାନଭାଇ ।ମଧ୍ୟମ କୋଟିରେ ସେହୁ ଗଣିତା ହୁଅଇ ॥
ମାତାର ଅର୍ଜିଲା ଧନ ଭୁଞ୍ଜେ ଯେଉଁ ପୁତ୍ର ।ଅଧମ କୋଟିର ମଧ୍ୟେ ସେ ହୁଏ ଗଣିତ ॥
ଜାଣୁ ଜାଣୁ କେଉଁ ରୂପେ କରିବା ଅକର୍ମ ।ଆମ୍ଭର ଲଘିଂଲେ ନାଶ ଯିବେ ସର୍ବ ଧର୍ମ ॥
ଯାହାର ନିମନ୍ତେ ଆମ୍ଭେ କଲୁ ଏଡ଼େ ନିଷ୍ଠା ।ସେ କାୟା ଗୋଟା ଆମ୍ଭର ହେବ ଅପ୍ରତିଷ୍ଠା ॥
ଈଶ୍ୱରଙ୍କ ମୁଖୁ ଯେଣୁ ଶୁଣିଲୁ ଭାରତୀ ।ତେଣୁ ସିନା ତୋ ପ୍ରୀତିରେ ବଳାଇଲୁ ମତି ॥
କାଳବେଳ ଯୋଗେ ଆସି ମିଳିଲୁ ତୁ ଆଗେ ।ତୋ ସଙ୍ଗେ ରମିଲୁ ଆମ୍ଭେ ଅତ୍ୟନ୍ତ ସରାଗେ ॥
ଦୁହିଙ୍କର ଅନୁମତେ ବଢ଼ିଲା ପୀରତି ।ତୁ କହନ୍ତେ ଜଣାଗଲା ଏବେ ତୋର ଜାତି ॥
ନ ଜାଣି ଅଜାତି ସଙ୍ଗକଲେ ଦୋଷ ନାହିଁ ।ଜାଣୁ ଜାଣୁ ପାପ କଲେ ନରକେ ପଡ଼ଇ ॥
ତୁ ଆମ୍ଭର ହେଲୁ ଆମ୍ଭେ ତୋହର ହେଲୁଣି ।ଶ୍ରଦ୍ଧା ଥିଲେ କିଛି ଦିନେ ଭେଟ ହେବା ପୁଣି ॥
ଏବେ ତୋର ନଗରକୁ ସୁଖେ ବାହୁଡ଼ି ଯା ।ପୁତ୍ର ପ୍ରସବିଲେ ତାକୁ କରାଇବୁ ରାଜା ॥
ଏଥକୁ ମନରେ ଆନ ନ ଧର ସୁକେଶୀ ।ଏତେ ବୋଲି ମୌନ ହେଲେ ଗର୍ଗମହାଋଷି ॥
ମୁନିବାକ୍ୟେ ଗୋପାବଳୀ ନିଜକୁ ପ୍ରଶଂସି ।ବୋଲେ ମୋ ଜନ୍ମ ସଫଳ ହେଲା ଏବେ ଆସି ॥
ତହିଁର ନିମନ୍ତେ ମନେ ପାଉଥିଲି ବ୍ୟଥା ।ସଫଳ ହୋଇଲା ଏବେ ମୋର ସେହି କଥା ॥
ଗୁରୁ ଆଜ୍ଞା ଅବଜ୍ଞା ମୁଁ କରି ତ ନ ପାରେ ।ଏମନ୍ତେ ସେ ଗୋପାବଳୀ ବିଚାରି ମନରେ ॥
ମୁନିଙ୍କ ଚରଣ ତଳେ ନମସ୍କାର କଲା ।ରଥରେ ଆରୋହି ନିଜ ଭୁବନେ ମିଳିଲା ॥
ନବର ଭିତରେ ପଶି କଲା ନିତ୍ୟକର୍ମ ।ଯେଉଁପରି ଥିଲା ତାର ରାଜନୀତି ଧର୍ମ ॥
ଏସନକ କୃତ୍ୟ କେହି ନ ଜାଣନ୍ତି ଆନ ।ଦିନୁ ଦିନ ତା ଉଦର ହେଲା ବର୍ଦ୍ଧମାନ ॥
ପାତ୍ର ମନ୍ତ୍ରୀ ଅମନାତ୍ୟେ ଦେଖୁଥାନ୍ତି ଚାହିଁ ।ଭୟକରି ତାକୁ କିଛି ନ କହନ୍ତି କେହି ॥
ଅନୀତି ଆଚାର ଯେବେ ବଡ଼ଲୋକ କରେ ।ସେବକ ତା ଦେଖିଲେ କି ଆଗେ କହିପାରେ ॥
ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃମଣି ।ପବିତ୍ର ପୁରାଣ ଶିରୀ ଭାଗବତ ଧ୍ୱନି ॥
ଏମନ୍ତ ପ୍ରକାରେ ତହୁଁ କେତେ ଦିନ ଅନ୍ତେ ।ଦଶମାସ ଦଶଦିନ ପୂରିଲା ଲେଖନ୍ତେ ॥
କନ୍ୟା ଶୁକ୍ଳ ଦଶମୀ ଯେ ତିଥି ଭୃଗୁବାର ।ଅଶ୍ଳେଷା ନାମେ ନକ୍ଷତ୍ର ଅଟେ ସେ ଦିନର ॥
ବବନାମେ କରଣ ଯେ ବଇଧୃତି ଯୋଗ ।ସଂକ୍ରାନ୍ତି କଳାରେ କନ୍ୟା ଷଡ଼ଦିନ ଭୋଗ ॥
ରାତ୍ର ଦଶଦଣ୍ଡ ଲଗ୍ନ ଗ୍ରହଆଦି ଶୁଭେ ।ପୁତ୍ରେକ ଜନମ ହେଲା ଗୋପାବଳୀ ଗର୍ଭେ ॥
ତ୍ରିପଣ୍ଡ କଳା ବଦନ ଭୟଙ୍କର ମୂର୍ତ୍ତି ।ନିର୍ଧୂମ ଅନଳ ଜାଣି ବିରାଜଇ ଜ୍ୟୋତି ॥
ସର୍ବଗୁଣେ ସୁଲକ୍ଷଣ ଗର୍ଗମୁନି ବଳା ।ପ୍ରଚଣ୍ଡ ଘୋର ବଦନ ତେଜେ ଅନର୍ଗଳା ॥
ତଳେ ପଡ଼ି ବର୍ଦ୍ଧମାନ ହେଲା ତାର କାୟ ।ଚାହୁଁ ଚାହୁଁ ଦିଶିଲା ସେ ନବଯୁବା ପ୍ରାୟ ॥
ସଦାଶିବ ବଚନ କେ କରିପାରେ ଆନ ।ଜନ୍ମିଲା ମାତ୍ରେ କୁମର ହେଲା ବର୍ଦ୍ଧମାନ ॥
ପଞ୍ଚୁଆତି ଷଷ୍ଠୀଘର ଉଠିଆରି କଲେ ।ଏକବିଂଶ ଦିନେ ପୁତ୍ର ଦୋଳି ଶୁଆଇଲେ ॥
ପୁତ୍ର ଜନ୍ମ ହେବା କଥା ଜାଣି ଗର୍ଗଋଷି ।କାଳଦମନ ତା ନାମ ଦେଲେ ଆପେ ଆସି ॥
ଆଶିଷ ତଣ୍ଡୁଳ ଦେଲେ ମହାମନ୍ତ୍ର ସ୍ମରି ।ମୁଖରେ ଚୁମ୍ୱନ ଦ୍ୟନ୍ତି ପୁତ୍ର କୋଳେ ଧରି ॥
ଗୋପାବଳୀକି ବୋଇଲେ ଧନ୍ୟ ତୋର ଗର୍ଭ ।ଏ ପୁତ୍ର ଜନମ କଲୁ ମର୍ତ୍ତ୍ୟରେ ବାସବ ॥
ମୋର ଅପମାନ ନିଶ୍ଚେ ଫେଡ଼ିବ ଏ ସୁତ ।ଏତେ ବୋଲି ହରଷରେ ଗଲେ ତପୋବନ୍ତ ॥
ବ୍ରହ୍ମ ଗୁମ୍ଫା ମଧ୍ୟେ ଯାଇ ପ୍ରବେଶ ହୋଇଲେ ।ଆସନରେ ବସି ଦୃଢ଼େ ଯୋଗଧ୍ୟାନ କଲେ ॥
ଏଥୁ ଅନନ୍ତରେ ଗୋପାବଳୀର ନନ୍ଦନ ।ମହାବଳିଷ୍ଠ ହୋଇଲେ ସେ କାଳଦମନ ॥
ଦିନୁ ଦିନ ବୃଦ୍ଧି ହୋଇ ଆନୁଆନ ଦିଶେ ।ବିକ୍ରମ କେଶରୀ ଅବା କାମଦେବ କି ସେ ॥
ଅସ୍ତ୍ର ଶସ୍ତ୍ରେ ପାରଙ୍ଗମ ହୋଇଲା କୁମର ।ବଳେ ଅତି ବଳବାନ ସଂଗ୍ରାମରେ ଶୂର ॥
ପୁତ୍ର ବିଚକ୍ଷଣ ହେବା ଦେଖି ଗୋପାବଳୀ ।ତା ହସ୍ତରେ ସମର୍ପିଲା ରାଜ୍ୟର ଆର୍ଦୋଳି ॥
ଚନ୍ଦ୍ରଚୂଡ଼ କଟକରେ ହୋଇଳା ସେ ରାୟ ।ଇନ୍ଦ୍ର ବ୍ରହ୍ମଠାରେ ତାର ନାହିଁ ତିଳେ ଭୟ ॥
ଅକଣ୍ଟକ ରାଜ୍ୟ ଭୋଗ କଲା ସମରାଷ୍ଟ୍ର ।ରଥ ଗଜ ପଦାତିକ ଅପ୍ରମିତ ଥାଟ ॥
ଷଡ଼ଶାସ୍ତ୍ରେ ବିନିର୍ଜିତ ଦାନୀ ମହାଜ୍ଞାନୀ ।ତପବଳେ ଜାତ କଲେ ଗର୍ଗ ମହାମୁନି ॥
ସଦାଶିବ ପ୍ରସାଦରୁ ବର ପାଇଅଛି ।ତ୍ରୈଲୋକ୍ୟ ଜିଣିମା ଶକ୍ତି ତାଠାରେ ପୂରିଛି ॥
ଅମୋଘ ରେତରୁ ପୁଣି ହୋଇଅଛି ଜାତ ।ଦାସଦମନ ନନ୍ଦିନୀ ଗୋପାବଳୀ ମାତ ॥
ଜନମ ହୋଇଲା ମାତ୍ରେ ହେଲା ନବଯୁବା ।ଏସନକ ବର ଦେଇଥିଲେ ମହାଦେବା ॥
ଏମନ୍ତ ପୁତ୍ରକୁ ଦେଖି ଗୋପାବଳୀ ତୋଷେ ।ଅଭିଷିକ୍ତ କରି ରାଜା କରାଇଲେ ଦେଶେ ॥
ଘୋଷଣା ଦିଆଇ ଶିରେ ବନ୍ଧାଇଲା ପାଟ ।ସିଂହାସନେ ବିଜେ କାଳଦମନ ସମ୍ରାଟ ॥
ଭୂୟାଁ ଭୂପାଳ ଆସିଣ କଲେ ନିଉଛାଳି ।ଯୁବତୀଏ ବନ୍ଦାଇଲେ ଘେନି ଅର୍ଘ୍ୟସ୍ଥାଳି ॥
ଶିରରେ ମୁକୁଟ ବାନ୍ଧି ଧରାଇଲେ ଛତ୍ର ।ଯେ ଯାହା ନିଯୋଗେ ସେବା କଲେ ପାତ୍ର ମିତ୍ର ॥
ଚନ୍ଦ୍ରଚୂଡ଼ ଦେଶେ କାଳଦମନ ନୃପତି ।ଏସନ ଶବଦ ଜାତ ହେଲା ଚଉକତି ॥
ବିଚକ୍ଷଣ ପୁତ୍ର ଦେଖି ଗର୍ଗ ଲଭି ଶାନ୍ତି ।ବୋଇଲେ ଫିଟିଲା ଏବେ ମୋ ମନର ଭ୍ରାନ୍ତି ॥
ଯାଦବଙ୍କ ଦର୍ପ ନିଶ୍ଚେଁ କରିବ ଏ ଧ୍ୱଂସ ।ଏମନ୍ତ ବିଚାରି ମୁନି ହୁଅନ୍ତି ସନ୍ତୋଷ ॥
ଗୋପାବଳୀ ବିଚାରେ ମୁଁ କୃତାର୍ଥ ହୋଇଲି ।ବଂଶ ରକ୍ଷା ହେଲା ପୁଣି ଆପେ ରକ୍ଷା ହେଲି ॥
ଚଣ୍ଡାଳ ଯୋନିରେ ଜନ୍ମ ହୋଇଥିଲି ପାପେ ।ବ୍ରହ୍ମ ଋଷି ଅଙ୍ଗ ସଙ୍ଗ ହେଲା ପୂର୍ବତପେ ॥
ପୂର୍ବରୁ ବିଧାତା କରିଥିବାରୁ ରଚନା ।ବାଟେ ଯାଉ ସପ୍ତନିଧି ପାଇଲି ମୁଁ ସିନା ॥
ଧନ୍ୟ ମୋର ପିତା ଧନ୍ୟ ଧନ୍ୟ ମୋ ଜନନୀ ।ମୋ ଆଗରେ ପୁତ୍ର ମୋର ହେଲା ଏଡ଼େ ଜ୍ଞାନୀ ॥
ଶୁକ ବୋଲନ୍ତି ହେ ଶୁଣ ପରୀକ୍ଷ ନୃମଣି ।ପବିତ୍ର ଏ ହରିବଂଶ ପୁରାଣର ବାଣୀ ॥
ଏମନ୍ତ ଚରିତ ଆଉ ନ ଜାଣନ୍ତି କେହି ।ଗର୍ଗମୁନି ଜାଣିଥାନ୍ତି କାହାକୁ ନ କହି ॥
ଗୋପାବଳୀ ରାଜଜେମା ଜାଣଇ ସ୍ୱର୍ଗତେ ।ଗୁପତ ଚରିତ ଆନେ କହିବ କେମନ୍ତେ ॥
ଇତି ଶିରୀ ଭାଗବତ ପୁରାଣ ବ୍ୟବସ୍ଥା ।ଯାଦବଙ୍କ ସଭାପର୍ବ ଗର୍ଗପୁତ୍ର କଥା ॥
ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେ ।ଇଦଂ ଊନପଞ୍ଚାଶତ ଅଧ୍ୟା ଶେଷ ହୋଏ ॥
ବନ୍ଦଇ ଶ୍ରୀ ରାମଚନ୍ଦ୍ର ରଘୁକୁଳେ ଜାତ ।ଦଶରଥ ଯାର ପିତା କଉଶଲ୍ୟା ମାତ ॥
ମହାଯଜ୍ଞ ଚରୁମଧ୍ୟୁଁ ହେଲ ଉତପତ୍ତି ।ମନ୍ତ୍ରବଳେ ଜାତ କଲେ ଋଷ୍ୟଶୃଙ୍ଗ ଯତି ॥
ନିରଞ୍ଜନ ସ୍ୱାମୀ ତୁମ୍ଭେ ପୁରାଣ ପୁରୁଷ ।ଅନଳ ଅନିଳ ଜଳ ସ୍ଥଳ ଶୂନ୍ୟେ ବାସ ॥
ନବଦୁର୍ବାଦଳ ଶୋଭା ଦିଶେ ଦିବ୍ୟ ବପୁ ।ନମସ୍ତେ ଶ୍ରୀ ରଘୁନାଥ ଦଶକନ୍ଧ ରିପୁ ॥
ନମସ୍ତେ ଜାନକୀନାଥ ଶରଚାପପାଣି ।ନମସ୍ତେ ଦେବାଧିଦେବ ବୀରଚୂଡ଼ାମଣି ॥
ଶ୍ରୀରାମ ନାମ ତାରକ ମନ୍ତ୍ର ବ୍ରହ୍ମଜ୍ଞାନ ।ସର୍ବଦା ଜପନ୍ତି ଯାହା ଦେବ ତ୍ରିଲୋଚନ ॥
ଅଶେଷ ମହିମା ସ୍ୱାମୀ ଅଟଇ ତୁମ୍ଭର ।ନିର୍ମଳ ସୁନୀଳ ଜ୍ୟୋତି ଅତି ମନୋହର ॥
ଯେବଣ ରୂପକୁ ସରିନୋହେ କୋଟି କାମ ।ନମସ୍ତେ ଶ୍ରୀରାମଚନ୍ଦ୍ର ପରଂଧ୍ୟାନ ଧାମ ॥
ମତ୍ସ୍ୟ କୂର୍ମ ବରାହ ଯେ ନୃସିଂହ ବାମନ ।ପର୍ଶୁରାମ ଦାଶରଥି ରାମ ବଳରାମ ॥
ବଉଦ୍ଧ କଳକୀ ମୂଳେ ଦଶ ଅବତାର ।ସବୁଠାରେ ଉତ୍ତମ ଶ୍ରୀରାମ ନାମସାର ॥
ଚାରିବେଦ ଷଟଶାସ୍ତ୍ର ଦଶାଷ୍ଟ ପୁରାଣ ।କହନ୍ତେ ନ ସରେ ଏକା ରାମନାମ ଗୁଣ ॥
ନମସ୍ତେ ହେ ଦଶରଥସୁତ ସତ୍ୟବାଦୀ ।ସର୍ବଜୀବେ ଆତ୍ମା ତୁମ୍ଭେ ସର୍ବେଶ୍ୱର ଆଦି ॥
ରାତ୍ର ପାହିଥିଲେ ରାଜା ହୋଇଥାନ୍ତ ସ୍ୱାମୀ ।ପିତୃସତ୍ୟ ପାଳି ଆପେ ହେଲ ବନଗାମୀ ॥
କୈକେୟୀ ବଚନେ ରାଜ୍ୟ ଧନ ତ୍ୟାଗ କଲ ।ସଙ୍ଗେ ଭାଇ ଭାର୍ଯ୍ୟ ଘେନି ବନବାସେ ଗଲ ॥
ଦଣ୍ଡକାରାଣ୍ୟେ ରହିଲ ବିରାଧକୁ ମାରି ।ସ୍ୱର୍ଣ୍ଣ ମୃଗ ଦେଖାଇଲା ଲଙ୍କ ଦଣ୍ଡଧାରୀ ॥
ସୀତା ବୋଲେ ମୃଗ ମାରି ଗଲ ବେନିଭାଇ ।ରାବଣ ସେଠାରୁ ନେଲା ସୀତାଙ୍କୁ ଚୋରାଇ ॥
ସୀତା ଖୋଜୁ ଖୋଜୁ ବନେ ଜଟାୟୁ ଭେଟିଲ ।ତାଠାରୁ ସନ୍ଦେଶ ପାଇ ଋଷ୍ୟମୂକେ ଗଲ ॥
ସୁଗ୍ରୀ ସଙ୍ଗେ ମିତ୍ର ହେଲ ହନୁମାନ ବୋଲେ ।ଦୁନ୍ଦୁଭି ହାଡ଼କୁ ଫିଙ୍ଗିଦେଲ ଅବହେଳେ ॥
ସପ୍ତଶାଳ ଭେଦକରି ବାଳିକି ବଧିଲ ।କିଷ୍କିନ୍ଧ୍ୟାରେ ସୁଗ୍ରୀବକୁ ରାଜା କରାଇଲ ॥
ସୀତାଙ୍କୁ ଖୋଜିଲ ପୁଣି ବାନରକୁ ପେଷି ।ବାରତା କହିଲା ପଛେ ହନୁ ଦେଖି ଆସି ॥
ସମୁଦ୍ରରେ ସେତୁ ବାନ୍ଧି ସୈନ୍ୟ ଘେନିଗଲ ।ଲଙ୍କା ଗଡ଼େ ପଶି ଦୁଷ୍ଟ ଦୈତ୍ୟଙ୍କୁ ବଧିଲ ॥
କୁମ୍ଭକର୍ଣ୍ଣ ଇନ୍ଦ୍ରଜିତ ରାବଣ ସହିତେ ।ସମସ୍ତଙ୍କ ପ୍ରାମ ନେଲ ରଣେ କୋପଚିତ୍ତେ ॥
ବିଭୀଷଣେ ଲଙ୍କା ରାଜ୍ୟ ସମର୍ପଣ କଲ ।ସୀତା ଘେନି ଅଯୋଧ୍ୟାରେ ଅଭିଷିକ୍ତ ହେଲ ॥
ଏମନ୍ତ ମହିମା ପ୍ରଭୁ ଅଟଇ ତୁମ୍ଭର ।କି ବୋଲି ବର୍ଣ୍ଣିବି ତାହା ମୁହିଁ ନର ଛାର ॥
ମହତ ମର୍ଯ୍ୟାଦାଶୀଳ ତୁମ୍ଭେ ରଘୁମଣି ।କୋମଳ ମଧୁର ପ୍ରିୟ ତୁମ୍ଭର ଯେ ବାଣୀ ॥
ଧରଣୀର ଭାରାଭର ନିବାରଣ ଅର୍ଥେ ।ରଘୁବଂଶେ ଅବତାର ହେଲ ଜଗନ୍ନାଥେ ॥
ମୁନିଯାଗ ରକ୍ଷା କଲ ଅସୁରଙ୍କୁ ମାରି ।ନମସ୍ତେ ଜାନକୀନାଥ ଶର ଚାପଧାରୀ ॥
ସୀତା ବିଭାହେଲ ଶିବଧନୁ ଭାଙ୍ଗି ହେଳେ ।ରାମନାମ ମୂଳମନ୍ତ୍ର ବୋଲନ୍ତି ସକଳେ ॥
ରାମନାମ ହୃଦୟରେ ଜପ କରି ହର ।ବ୍ରହ୍ମହତ୍ୟା ପାତକରୁ ହୋଇଲେ ଉଦ୍ଧାର ॥
ରାମନାମ ଜପି ଉମା ଶିବଙ୍କୁ ଲଭିଲେ ।ରାମନାମେ ବାଲମୀକି ବ୍ରହ୍ମଋଷି ହେଲେ ॥
ରାମନାମ ସ୍ମରି ବ୍ରହ୍ମା ସୃଷ୍ଟି ସରଜନ୍ତି ।ରାମନାମ ଜପି ଇନ୍ଦ୍ର ହେଲେ ସୁରପତି ॥
ରାମନାମ ଜପି ଲକ୍ଷ୍ମୀ ଜଗତର ମାତ ।ରାମନାମ ଜପି ହନୁ ମହା ବଳବନ୍ତ ॥
ରାମନାମେ ବିଭୀଷଣ ହୋଇଲା ଅମର ।ରାମନାମେ ଜାମ୍ୱବାନ ହେଲା ମନ୍ତ୍ରୀବର ॥
ନମସ୍ତେ ହେ ରାମଚନ୍ଦ୍ର ଭକ୍ତ ଚିନ୍ତାମଣି ।ଅଶେଷ କୋଟି ବ୍ରହ୍ମାଣ୍ଡ କରତା କାରେଣି ॥
ଯେଉଁନାମ ସୁମରନ୍ତେ ଯମ କରେ ଭୀତି ।ନମସ୍ତେ ନମସ୍ତେ ରାମ ଅଯୋଧ୍ୟାର ପତି ॥
ଏ ଭବସାଗର ଜଳ ଅଟଇ ଦୁଷ୍ପାର ।ତବ ନାମ ଭେଳା ମାତ୍ର ସହାୟ ଏଥିର ॥
ଅନ୍ତଃକାଳେ ରାମନାମ ପ୍ରାପ୍ତ କର ମୋତେ ।ତୁମ୍ଭ ସର୍ବଅନ୍ତର୍ଯ୍ୟାମୀ କହିବି ମୁଁ କେତେ ॥
ମାୟା ମୋହ ସଂସାର ଏ ଅନିତ୍ୟ ପାଟଣା ।ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ହେଉଛନ୍ତି ବଣା ॥
ତୁମ୍ଭର ମହିମା ପ୍ରଭୁ ତୁମ୍ଭେ ଏକା ଜାଣ ।ବେଦ ଶାସ୍ତ୍ର ପୁରାଣରେ ଏ କଥା ପ୍ରମାଣ ॥
ଅବ୍ୟକ୍ତ ଅଚିନ୍ତ୍ୟ ରୂପ ତୁମ୍ଭେ ଭାବଗ୍ରାହୀ ।ଅଚ୍ୟୁତ ଦାସ କବିକି ବାରେ କର ତ୍ରାହି ॥
ଇନ୍ଦ୍ରଙ୍କ ଆଦେଶରେ ନାରଦଙ୍କ ମଥୁରା ଗମନଏଥୁ ଅନନ୍ତରେ ପୁଣି ପରାକ୍ଷିତ ରାଜା ।ଶୁକମୁନି ଚରଣରେ କରି ଦିବ୍ୟ ପୂଜା ॥
ବୋଇଲେ ଶୁଣିଲି କାଳଦମନର ଜନ୍ମ ।ଏଥୁ ଅନନ୍ତରେ କଥା କିସ ହେଲା ଆନ ॥
ରାଜା ବଚନେ ବୋଲନ୍ତି ଶୁକ ମହାଯତି ।ଶୁଣ ତୁହୋ ସାବଧାନେ ଅରଜୁନ ନାତି ॥
ଏ ଦୁର୍ଗମ ହରିବଂଶ ଭାଗ୍ୟେ ଭାଗବତ ।ଭକ୍ତି ମୁକ୍ତି ସଙ୍ଗେ ଅଛି ବେଦତତ୍ତ୍ୱ ଅର୍ଥ ॥
ଶ୍ରବଣ ମାତ୍ରକେ ହୁଏ ମନୋବାଞ୍ଛା ସିଦ୍ଧି ।ପୁତ୍ର ଦାରା ଆଦି ମିଳେ ଅଚଳ ସମୃଦ୍ଧି ॥
ସସ୍ରେ ଜନ୍ମଯାଏ ତପ ସାଗରେ କରିବ ।କି ଅବା ପ୍ରୟାଗବଟେ ଉଠି ଝାସ ଦେବ ॥
ଅନ୍ନଦାନ ବସ୍ତ୍ରଦାନ ନାନା ତୀର୍ଥ କଲେ ।ସମ ନୋହେ ହରିବଂଶ ଶ୍ରବଣର ତୁଲେ ॥
ମାତୃ ହରଣ ଗୋ ହତ୍ୟା ସ୍ତେୟ ସୁରାପାନ ।ବ୍ରହ୍ମହତ୍ୟା ଆଦି ପାପ ହୁଅଇ ଦହନ ॥
ଏକମନ ହୋଇ ତୁ ଯେ ଶୁଣ ନୃପରାୟେ ।ଅନେକ ଜନ୍ମର ପାପ ହେଉ ତୋର କ୍ଷୟେ ॥
ଏସନ ପ୍ରକାରେ କେତେ ଦିନେ ନନ୍ଦଶିଷ୍ୟ ।ମଥୁରା କଟକେ ରହି ସୁଖେ କଲେ ବାସ ॥
ଦିନକୁ ଦିନ ସେ ପୂଜା ପାଇ ଅପ୍ରମାଣ ।ରାଜାଙ୍କ ଉପରେ କଲେ ମହାରାଜପଣ ॥
ଚୌରାଶୀ କୋଟି ଯାଦବଗଣେ ଅଗ୍ରଲେଖା ।ସ୍ଥାବର ଜଙ୍ଗମ ଆଦି ସବୁଙ୍କରି ସଖା ॥
କେତେଦିନ ଅନ୍ତେ ପୁଣି ଉଗ୍ରସେନ ରାୟେ ।ରାମ କୃଷ୍ଣ ସଙ୍ଗେ ଘେନି ଆସ୍ଥାନେ ବିଜୟେ ॥
ସାତବଂଶ ଯଦୁବୀରେ ବସିଲେ ଆବୋରି ।ପାତ୍ର ମନ୍ତ୍ରୀ ଅମନାତ୍ୟେ ରହିଛନ୍ତି ପୂରି ॥
ଆସ୍ଥାନରେ ପଢ଼ିହାରୀ ଲୋକ ଦୂରକରେ ।ଆଲଟ ଚାମର ଛତ୍ର ଧରିଛନ୍ତି କରେ ॥
ଗୁଗ୍ଗୁଳ ଚନ୍ଦନ ଚୂଆ ଗୁଆଘୃତ ଧୂପେ ।ଚହଟି ଆମୋଦି ଉଠେ ସେ ସଭାମଣ୍ଡପେ ॥
ରଥ ଗଜ ପଦାତିକ ଅଶ୍ୱ ଅପ୍ରମିତ୍ତ ।ବାରନାରୀଗଣେ ମିଳି କରୁଛନ୍ତି ନୃତ୍ୟ ॥
ପାତ୍ର ମନ୍ତ୍ରୀ ଖଟିଛନ୍ତି ଯେ ଯାହା ନିଯୋଗେ ।ଦେଶାଉରେ ଦେଶାନ୍ତର ବାର୍ତ୍ତା କହେ ଆଗେ ॥
ଗଣଗନ୍ଧର୍ବ ଦେବତା ସବୁ କରି ଜୟେ ।ଅପ୍ରମିତ ଧନ ଅର୍ଜିଅଛି କଂସ ରାୟେ ॥
ଅକଣ୍ଟକ ମଧୁବନ ଦେଶ ଅକଳନା ।ଚୌରାଶୀ କୋଟି ଯାଦବେ ଏକୁ ଏକ ଜିଣା ॥
ଅଠାଶୀ ମର୍ଭୁତ ଘର ବସଇ ଅଚିନ୍ତ ।କୁବେର ଦେବତା ପ୍ରାୟ ସର୍ବେ ଧନବନ୍ତ ॥
ଯମୁନା ଦକ୍ଷିଣ ଦିଗେ ଅଛି ନଗ୍ରଗୋଟି ।ପୂର୍ବେ ସରସ୍ୱତୀ ନଦୀ ଉତ୍ତରକୁ ଭେଟି ॥
ଦକ୍ଷିଣରେ ମଧୁଗିରି ନାମେ ପରବତ ।ତିନିଯୋଜନ ଉତ୍ସର୍ଗ ଅନେକ ବିସ୍ତୃତ ॥
ବାସ୍ତରି ପର୍ବତ ଚାରି ପାରୁଶରେ ଖଟି ।ମଥୁରା ପର୍ବତ ସଙ୍ଗେ ମିଶିଅଛି ଘୋଟି ॥
ଅମୃତ ଫଳ ଫଳନ୍ତି ତା ଶିଖରେ ତରୁ ।ଅଷ୍ଟଧାତୁ ଗଳୁଅଛି ପର୍ବତ ଭିତରୁ ॥
ପାରା ରସ ହରିତାଳ ଖପର ଗନ୍ଧକ ।ହିଙ୍ଗୁଳା ଟାଙ୍ଗଣା ଲୁହା ତମ୍ୱା ଯେ ସୀସକ ॥
ବତିଶବାନୀ ରୂପିଆ ଶତବାନୀ ସୁନା ।ଏହିରୂପେ ଧାତୁମାନେ ଜାତ ଅକଳନା ॥
ଦିନକରେ ବେନି ଲକ୍ଷ ଜାତ ହୁଏ ମୁକ୍ତା ।ଆୟ ବ୍ୟୟ କରନ୍ତି ତା ସହସ୍ରେ ଭୁକୁତା ॥
ଧନ୍ୟ ସେ ପର୍ବତଗୋଟି ମଥୁରାକୁ ଢ଼ାଙ୍କେ ।ଧନୁ ପ୍ରାୟ ମୋଡ଼ି ହୋଇଅଛି ତିନି ବାଙ୍କେ ॥
ନିକଟେ ଯମୁନା ନଦୀ ଅତି ପୁଣ୍ୟଜଳ ।ଝର ଝର ହୋଇ ସ୍ରୋତ ବହେ ପରିମଳ ॥
ଅଗାଧ ଗମ୍ଭୀର ଜଳ କଳନା ନ ଯାଇ ।ଐରାବତ ଦନ୍ତେ ଫୁଟି ବହଇ ସେ ନଈ ॥
ତେଣୁ ବେନିକୂଳ ଲଙ୍ଘି ନ ଯାଏ କେବେହେଁ ।ଶାଳ ଶିଳ ଲତା ବୃକ୍ଷେ ଲାଗିଛନ୍ତି ଦେହେ ॥
ନାବେ ଆତଯାତ ଜନେ ନ ମିଳଇ ବାଟ ।ପାଇକେ ଠଣା ବସାଇ ଜଗିଛନ୍ତି ଘାଟ ॥
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରି ଜାତି ।ତପୀ ମୁନି ଆଦି କେତେ ସନ୍ନ୍ୟାସୀ ଅଛନ୍ତି ॥
ଛତିଶ ପାଟକ ଜାତି ନାନା ଶ୍ରେଣୀ ମୂଳେ ।ଯେ ଯାହାର ନିଜ କର୍ମ କରନ୍ତି ସକାଳେ ॥
ଅଚିନ୍ତେ ମଥୁରାପୁରେ ବସେ ଜନ ପ୍ରଜା ।ଯତ୍ନରେ ପାଳନ୍ତି ତାଙ୍କୁ ଉଗ୍ରସେନ ରାଜା ॥
ଅକାଳ ମରଣ ଆଦି ନାହିଁ ରୋଗ ଭୟ ।ଯେ ଯାହା ଧର୍ମରେ ଥାଇ ସର୍ବେ ପୁଣ୍ୟମୟ ॥
ଦେହବନ୍ତ ହୋଇ ବିଷ୍ଣୁ ଯହିଁ ବିଜେ କରି ।ସ୍ୱର୍ଗ ମର୍ତ୍ତ୍ୟ ରସାତଳ ନୋହେ ତାକୁ ସରି ॥
ଗୁପତରେ ବିଶ୍ୱକର୍ମା ନିର୍ମାଣିଛି ପୁର ।ଦିନକୁ ଦିନ ମଥୁରା ଦିଶେ ଶୋଭାକର ॥
ଯାଦବେ ଦିଶନ୍ତି ଶୋଭା କୃଷ୍ଣ ତେଜ ଲାଗି ।ଭର୍ତ୍ତାଯୋଗେ ସ୍ତିରୀ ଯେହ୍ନେ ଦିଶେ ସଉଭାଗି ॥
ସୁକୁମାର ସୁଲକ୍ଷଣ ସର୍ବେ ନବଯୁବା ।ସ୍ତିରୀ ବା ପୁରୁଷ ହେଉ ଦିଶେ ଦିବ୍ୟଶୋଭା ॥
ଖଟିଛି ସହସ୍ରେ ପାଦେ ଲକ୍ଷ୍ମୀ ଚଉପାଶେ ।ଅବସନ୍ତରେ ବସନ୍ତ ବହେ ବାରମାସେ ॥
ରାମକୃଷ୍ଣଙ୍କର କୀର୍ତ୍ତି ଶୁଭେ ଠାବେ ଠାବେ ।ପୁଣ୍ୟବନ୍ତ ରାଜାମାନେ ସେବାକଲେ ଭାବେ ॥
ଦୁଷ୍ଟ ରାଜାଙ୍କର ମନେ ଉପୁଜିଲା ଭୟ ।ସୁରସିଦ୍ଧ ମୁନିଗଣେ କଲେ ଜୟ ଜୟ ॥
ଡାହାଣା ବର୍ତ୍ତକ ଶଙ୍ଖେ ଜଳତିଳ ଘେନି ।ମୁନିଏ କରନ୍ତି ଉଚ୍ଚେ ସୁକଲ୍ୟାଣ ଧ୍ୱନି ॥
ଦେବତା ଦନ୍ଧର୍ବ ବିଦ୍ୟାଧରେ ହୋଇ ଗୋଷ୍ଠୀ ।ଅଧ ଆକାଶରେ ଥାଇ କଲେ ପୁଷ୍ପ ବୃଷ୍ଟି ॥
କଂସାଳ ମୃଦଙ୍ଗ ବୀଣା କରତାଳ ଘେନି ।ଆନନ୍ଦରେ ନୃତ୍ୟକଲେ ସ୍ୱର୍ଗ ବିଳାସିନୀ ॥
ଗନ୍ଧର୍ବେ ପଞ୍ଚମସ୍ୱରେ ଗାନ କଲେ ଗୀତ ।ଆନନ୍ଦ ଉତ୍ସବେ ପୂର୍ଣ୍ଣ ସବୁଙ୍କରି ଚିତ୍ତ ॥
ରାମକୃଷ୍ଣଙ୍କୁ ଆସ୍ଥାନେ ଦେଖି ବୃହସ୍ପତି ।ଇନ୍ଦ୍ରଙ୍କୁ ବୋଇଲେ ତୁମ୍ଭେ ଶୁଣ ଶଚୀପତି ॥
ପୃଥିବୀର ଭାରାଭର ନିବାରିବା ପାଇଁ ।ବିଷ୍ଣୁ ଜନ୍ମ ହୋଇଛନ୍ତି ନରତନୁ ବହି ॥
ନନ୍ଦ ଗୋପେ ବଢ଼ୁଥିଲେ ଆଠବର୍ଷ ଯାଏ ।ଏବେ ସେ ମଥୁରା ପୁରେ କଲେକ ବିଜୟେ ॥
ଅଠର ବେଳ ସହିବେ ଜରାସନ୍ଧ ଧାଡ଼ି ।କୂଟେ କାଳଦମନକୁ ମରାଇବେ ପୋଡ଼ି ॥
ତଦନ୍ତେ ଦ୍ୱାରକା ପରି ରହିବେ ସମୟେ ।ତେବେ ଯାଇ ପୃଥିବୀର ଭାରା ହେବ କ୍ଷୟେ ॥
ଅସଂଖ୍ୟକ ପୁତ୍ର ନାତି ହୋଇବେ ଅଲେଖା ।ଷୋଳସସ୍ର ଶତେଅଷ୍ଟ ଉତ୍ତର ନାୟିକା ॥
ଏତେ ଭାରିଯାଙ୍କ ଠାରୁ ବୃଦ୍ଧି ହେବ ବଂଶ ।ଭାରିଯା ଗୋଟିକେ ପୁତ୍ର କନ୍ୟା ଦଶ ଦଶ ॥
ଦୁହିତାକେ ଦଶ ପୁତ୍ର ପୁତ୍ରେ ଦଶନାତି ।ଏ ପ୍ରମାଣେ ବର୍ଦ୍ଧମାନ ହୋଇବେ ସନ୍ତତି ॥
ଅସଂଖ୍ୟକ କୃଷ୍ଣବଂଶ କେ ପାରିବ କହି ।ପିମ୍ପୁଡ଼ି ପାରେ କି ମୁଣ୍ଡେ ପରବତ ବହି ॥
ଚୌରାଶୀ କୋଟି ସଂଖ୍ୟାରେ ଅଛନ୍ତି ଯାଦବେ ।ସମସ୍ତଙ୍କ ବଂଶ ବୃଦ୍ଧି ହେବ ଏହି ଭାବେ ॥
ଅଲୋକିତ ସାତବଂଶ ବଢ଼ିବେ ବହୁତ ।ରୂପ ଗୁଣ ପରାକ୍ରମେ ମଣ୍ଡିବେ ଜଗତ ॥
ସନ୍ତରା ବଣରେ ଏତେ କୁଟୁମ୍ୱ ମରାଇ ।ଦ୍ୱାରକା ଛାଡ଼ିବେ କୃଷ୍ଣ ନିର୍ମୋହିତ ହୋଇ ॥
ଶିଆଳୀ ଲତାରେ ଯାଇ ଶୋଇବେ ବିଷାଦେ ।ବାଜିବ ଜରାଶବର ବାଣ ଦକ୍ଷ ପାଦେ ॥
ସେଦିନ ଛାଡ଼ିବେ କୃଷ୍ଣ ମାନବ ଶରୀର ।ନୋହିଲେ ଉଶ୍ୱାସ ନୋହେ ପୃଥିବୀର ଭାର ॥
ଉଗ୍ରସେନ ଆସ୍ଥାନରେ ଏବେ ଛନ୍ତି ବସି ।ଦେଖ ଆସି ଅବ୍ୟକତ ରୂପ ବ୍ରହ୍ମରାଶି ॥
ଏହି ସେ କରୁଣାମୟ ଦୁଃଖୀ ଜନବନ୍ଧୁ ।ଏ ସେ ଗୁଣନିଧି କୃଷ୍ଣ କୃପା ଜଳ ସିନ୍ଧୁ ॥
ଏହି ପ୍ରଭୁ ଆଦିମୂଳ କରୁଣା ବାରିଧି ।ଏହି ସେ ସର୍ବଜ୍ଞ ନାଥ ସର୍ବ ବିଦ୍ୟା ସିଦ୍ଧି ॥
ଏହି ପ୍ରଭୁ ନାରାୟଣ କ୍ଷୀରସିନ୍ଧୁ ଶାୟୀ ।ଅଶେଷ ଲୋକର ଆତ୍ମା ଏହି ଭାବଗ୍ରାହୀ ॥
ଏହି ସର୍ବ ଜୀବ ହୃଦେ ରହିଛନ୍ତି ପୂରି ।ଏହି ସେ କାରଣ କର୍ତ୍ତା ଦୀନଦୁଃଖ ହାରୀ ॥
ଅସାର ସାର ଦେହରେ ଏ ଅଟନ୍ତି ଦେହୀ ।ଏ ସବୁ ସର୍ଜିଲେ ୟାଙ୍କୁ ସର୍ଜିଲା କେ ନାହିଁ ॥
ଯାଦବଙ୍କୁ ସଙ୍ଗେ ଧରି କରିଛନ୍ତି ସଭା ।ଅଶେଷ କୋଟି ବ୍ରହ୍ମାଣ୍ଡ ପାଉଅଛି ଶୋଭା ॥
ନୀଳୋତ୍ପଳ ଦଳ ଶୋଭା ବହିଅଛି ତନୁ ।ନୀଳ ଜଳଧର ଯେହ୍ନେ ଦିଶେ ଇନ୍ଦ୍ରଧନୁ ॥
ପାରୁଶରେ ବସିଛନ୍ତି ଭାଇ କାମପାଳ ।ତେଜ ଦିଶେ କୁନ୍ଦ ଇନ୍ଦୁ ଗୋକ୍ଷୀର ଧବଳ ॥
କର୍ଣ୍ଣରେ କୁଣ୍ଡଳ ଶିରେ ଶୋହେ ସପ୍ତଫେଣୀ ।ଲଙ୍ଗଳ ମୂଷଳ କରେ ଧରିଛନ୍ତି ସ୍ୱାମୀ ॥
ଲୋହିତ ପିଙ୍ଗଳ ଜଟା ମସ୍ତକେ ସୁସଞ୍ଚ ।ନାହିଁ ପଟାନ୍ତର ସ୍ୱର୍ଗ ରସାତଳ ମଞ୍ଚ ॥
ହରଡ଼ମ୍ୱରୁ ପରାୟେ କ୍ଷୀଣ ମଝାକଟୀ ।କର୍ଣ୍ଣମୂଳରେ ବିସ୍ତାରି ଶୋଭା ପରିପାଟୀ ॥
ରକତ କୁମୁଦ ପ୍ରାୟେ ବିରାଜେ ନୟନ ।ଉପମା ଦେବାକୁ ନାହିଁ ଜଗତରେ ଆନ ॥
ଏ ପୁରୁଷ ଆଦିମୂଳେ ଅଟେ ପୁଣ୍ୟମୟ ।ସଞ୍ଚିତ ପାତକମାନ କରିପାରେ କ୍ଷୟ ॥
ଦ୍ୱାପରେ ଭାରତ ଯୁଦ୍ଧ କରିବେ ଆପଣେ ।ଲକ୍ଷେ ରାଜା ରୁଣ୍ଡ ହେବେ ସେ ଭାରତ ରଣେ ॥
ଅସଂଖ୍ୟ ପଦାତି ବଳ ରଥ ଗଜ ଅଶ୍ୱ ।ମହାଘୋର ସଂଗ୍ରାମରେ ସର୍ବେ ଯିବେ ନାଶ ॥
ଅଷ୍ଟାଦଶ ଦିବସରେ ବଢ଼ିବ ସମର ।ବହିବ ରକତ ନଦୀ ସ୍ରୋତ ଭୟଙ୍କର ॥
ଗୋସିଂହ ନାରକା ବାଣ ଶାଳ୍ୱ ଶିଶୁପାଳ ।ଏମାନଙ୍କ ଆଦି ଦୈତ୍ୟେ ଯିବେ ଯମଆଳ ॥
ଦନ୍ତବକ୍ର ଜରାସନ୍ଧ ବଜ୍ରନାଭ ବୀର ।ପୃଥ୍ୱୀ ଦେବୀ ନ ସହଇ ଏହାଙ୍କର ଭାର ॥
ଅଳ୍ପଦିନେ ଜଗନ୍ନାଥ ସବୁ କରି କ୍ଷୟ ।ଦେବତାଙ୍କ ହୃଦୟରୁ ଛଡ଼ାଇବେ ଭୟ ॥
ଆବର କଥାଏ ତୁମ୍ଭେ ଶୁଣ ଶଚୀସାଇଁ ।ନାରଦଙ୍କୁ ଡାକି ଆମ୍ଭେ ଦେବା ପଠିଆଇ ॥
ରାମ କୃଷ୍ଣଙ୍କ ଛାମୁରେ ମଣାଇ କହିବେ ।ସନ୍ଦୀପନି ପଣ୍ଡା ଘରେ ବିଦ୍ୟା ପଢ଼ିଯିବେ ॥
ଏହା ଶୁଣି ନାରଦଙ୍କୁ ଡାକି ଇନ୍ଦ୍ର ରାଜା ।ବୋଇଲେ ଭୋ ମୁନି ରାମ କୃଷ୍ଣ ପାଶେ ଯା ଯା ॥
ବୁଝାଇ କହିବ ତାଙ୍କୁ ବସାଇ ପାଶରେ ।ସାନ୍ଦୀପନି ପଣ୍ଡା ଘର ଅବନ୍ତୀ ନଗରେ ॥
ତାଙ୍କ ପାଶେ ବେନିଭାଇ ପାଠ ପଢ଼ିଯାନ୍ତୁ ।ବେଦମନ୍ତ୍ର ଆଦି ବିଦ୍ୟା ପଠନ କରନ୍ତୁ ॥
ଏତେ ବୋଲି ଇନ୍ଦ୍ର ନିଜ ଭଣ୍ଡାରକୁ ଗଲେ ।ମୁଦ ଭାଙ୍ଗି ମଣି ମନ୍ତ୍ର ପାଦୁକା ଆଣିଲେ ॥
ତାହା ଦେଇ ନାରଦଙ୍କୁ କହିଲେ ବାସବ ।ଏ ମଣି ନେଇ ଯତନେ କୃଷ୍ଣ କରେ ଦେବ ॥
ଏସନ ଇନ୍ଦ୍ରଙ୍କ ଆଜ୍ଞା ପାଇ ଦେବଋଷି ।ଶୂନ୍ୟମାର୍ଗେ ଚଳିଗଲେ ମନଦଣ୍ଡେ ବସି ॥
ଉଗ୍ରସେନ ଆସ୍ଥାନରେ ମିଳିଲେ ସତ୍ୱର ।ଖଣ୍ଡେ ଦୂରୁ ଦେଖି ତାଙ୍କୁ ରାମ ଚକ୍ରଧର ॥
ଉଗ୍ରସେନ ସହିତରେ ଆସନୁ ଉଠିଲେ ।ମସ୍ତକରେ କର ଦେଇ ଆଗେ ଉଭାହେଲେ ॥
ସକଳ ଯାଦବେ ଉଭା କାଖେ ହସ୍ତ ଭରି ।ସଭା ଉପରେ ଉଠିଲେ ଯାଇ ବ୍ରହ୍ମଚାରୀ ॥
ନିର୍ଧୂମ ଅନଳ ଜାଣି ବିରାଜଇ କାୟ ।ପାପବର୍ଜିତ ଶରୀର ଦିଶେ ପୁଣ୍ୟମୟ ॥
ଦକ୍ଷିଣରେ ବୀଣାଦଣ୍ଡ ବାମେ କମଣ୍ଡଳ ।ତମ୍ୱା କୁଣ୍ଡଳରେ ଶୋଭାପାଏ ଗଣ୍ଡସ୍ଥଳ ॥
କପିଳାମଳ ବିଭୂତି ସର୍ବାଙ୍ଗେ ଲେପନ ।ଲଲାଟେ ଦ୍ୱାଦଶ ଚିତା ହରି ପାଦଚିହ୍ନ ॥
କାଖରେ ବେଦ କରାଣ୍ଡି ଶାଳଗ୍ରାମ ଶିଳା ।କଣ୍ଠରେ ତୁଳସୀ କାଷ୍ଠ ରୁଦ୍ରାକ୍ଷର ମାଳା ॥
ମସ୍ତକେ ପିଙ୍ଗଳ ଜଟା ହସ୍ତେ ଆଶାବାଡ଼ି ।ଶୁକଳ ଚାମର ପ୍ରାୟ ମୁଖେ ଦିଶେ ଦାଢ଼ି ॥
କଟିଦେଶେ ପିନ୍ଧିଛନ୍ତି ମୃଗଚର୍ମ ଧୋତି ।କନ୍ଧରେ ଉତ୍ତରୀ ଚୀର କରେ ତମ୍ୱାପତ୍ରୀ ॥
କୁଶବିଡ଼ି ସ୍ରୂବ ସ୍ରୂଚ ଛତା ପୀଢ଼ା ଘେନି ।ଯାଦବ ସଭାରେ ଯାଇ ମିଳିଲେ ସେ ମୁନି ॥
ତାଙ୍କୁ ଦେଖି ରାମ କୃଷ୍ଣ ଆନନ୍ଦିତ ମନେ ।ବୋଲନ୍ତି କୃତାର୍ଥ ହେଲୁ ମୁନିଙ୍କ ଦର୍ଶନେ ॥
ପାଦେ ପଡ଼ି ଉଗ୍ରସେନ ଉଠି ଉଭା ହୋଇ ।ଆପେ ପାଦ ପଖାଳିଲେ ଶୁଦ୍ଧଜଳେ ନେଇ ॥
ଆସନ ଯେ ପାଦାସନ ଗନ୍ଧପୁଷ୍ପ ଦେଇ ।ଭକ୍ତିଭରେ ପୂଜାକଲେ ଭୋଜ ନରସାଇଁ ॥
ସୁବର୍ଣ୍ଣର ସିଂହାସନେ କୃଷ୍ଣଜିନ ପାଡ଼ି ।ସନ୍ତୋଷେ ବସିଲେ ମୁନି ସେ ଆସନ ମାଡ଼ି ॥
ନାରଦଙ୍କ ମୁଖ ଚାହିଁ ପ୍ରଭୁ ଦେବରାଜ ।ବୋଲନ୍ତି ମୁଁ ଧନ୍ୟ ହେଲି ନିସ୍ତରିଲି ଆଜ ॥
ପବିତ୍ର ହୋଇଲା ଆଜ ଏ ମଥୁରା ପୁରୀ ।ପ୍ରତ୍ୟକ୍ଷରେ ବ୍ରହ୍ମରୂପୀ ତୁମ୍ଭେ ବ୍ରହ୍ମଚାରୀ ॥
ଯଜନ ଯାଜନ ଅଧ୍ୟୟନ ଆଦି ଷଟ ।କର୍ମରେ ନିର୍ଜିତ ତୁମ୍ଭେ ଅଟ ମୁନିଶ୍ରେଷ୍ଠ ॥
ପୁଣି ଯମ ନିୟମାଦି ଅଷ୍ଟାଙ୍ଗରେ ଜିତା ।ଚାରିବେଦ ଷଡ଼ଶାସ୍ତ୍ରେ ଅଟ ତତ୍ତ୍ୱଜ୍ଞାତା ॥
ଆପଣଙ୍କ ଦରଶନ କେତେ ଭାଗ୍ୟେ ମିଳେ ।ଏହିପରି ଦୟା ରଖିଥିବେ ସବୁକାଳେ ॥
ନାରଦ ସନ୍ତୋଷ ମନେ କୃଷ୍ଣ କଥା ଶୁଣି ।ବୋଇଲେ ଦେବଙ୍କ ଦେବ ତୁମ୍ଭେ ଚକ୍ରପାଣି ॥
ତୁମ୍ଭେ ଜଳ ସ୍ଥଳ ବାୟୁ ଅଗ୍ନି ଶୂନ୍ୟଭେଦୀ ।ତୁମ୍ଭେ ଦେବ ଆଦି ଅଟ ତୁମ୍ଭେ ଯେ ଅନାଦି ॥
ପୃଥିବୀର ଭାରାଭର ନିବାରିବା ଅର୍ଥେ ।କୋଇଲି ବୈକୁଣ୍ଠ ତେଜି ଅବତାର ଏଥେ ॥
ଭୋ ନାଥ ସଂସାରସିନ୍ଧୁ ଅନିତ୍ୟ ପାଟଣା ।ସୁରସିଦ୍ଧ ମୁନି ପଡ଼ି ହେଉଛନ୍ତି ବଣା ॥
ପରମ ପୁରୁଷ ତୁମ୍ଭେ ଆଦିଅନ୍ତ ହୀନ ।ରୋମକେ କୋଟିଏ ପୃଥ୍ୱୀ କରିଛ ଧାରଣ ॥
ଭୂଲୋକ ଯେ ଭୁବଲୋକ ସ୍ୱର୍ଗଲୋକ ତିନି ।ମହଲୋକ ଜନଲୋକ ତପଲୋକ ଘେନି ॥
ଚାରିଖାନି ଆଦି ଚଉରାଶୀ କୋଟି ଜୀବ ।ସମସ୍ତଙ୍କୁ ବାସଦେଇ ନାମ ବସୁଦେବ ॥
ସର୍ବ ପାପ ହରିବାରୁ ତୁମ୍ଭ ନାମ ହରି ।ସଞ୍ଚିଲା କର୍ମ ତୁମ୍ଭରେ ହୁଏ ଆନ କରି ॥
ଅଚ୍ୟୁତ ଦାସ କବି ଯେ ମାଗୁଛି ଏ ବର ।ଅନ୍ତଃକାଳେ ଦିଅ ମୋତେ ତବ ଶ୍ରୀପୟର ॥
ସାନ୍ଦୀପନି ପଣ୍ଡାଙ୍କଠାରୁ ବିଦ୍ୟା ପଢ଼ିବାପାଇଁ ରାମକୃଷ୍ଣଙ୍କୁ ନାରଦଙ୍କର ଆଦେଶ ଏବଂ ବସୁଦେବାଦି ଯାଦବଙ୍କର ଖେଦଶୁକ ବୋଇଲେ ହେ ଶୁଣ ପରୀକ୍ଷ ରାଜନ ।ହରିବଂଶ ଚରିତ ଏ ଅପୂର୍ବ ଆଖ୍ୟାନ ॥
ଏସନକ ସ୍ତୁତି ଯହୁଁ କଲେ ଦେବଋଷି ।ରାମ କୃଷ୍ଣ ଦୁହେଁ ଶୁଣି ହେଲେ ଅତି ତୋଷୀ ॥
କହନ୍ତି ଯେ ଇଦଂ ପ୍ରତିବାକ୍ୟ ଜଗନ୍ନାଥେ ।ଏତେ ସମ୍ଭାବନା ମୁନି କର କିସ ଅର୍ଥେ ॥
ନାରଦ ବୋଇଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ ।ମୁଁ କିସ କହିବି ତୁମ୍ଭେ ନ ଜାଣ କି ସ୍ୱାମୀ ॥
ସ୍ୱର୍ଗରୁ କହିଣ ମୋତେ ପେଷିଲେ ବାସବ ।ଅବନ୍ତୀପୁରକୁ ତୁମ୍ଭେ ବିଦ୍ୟା ପଢ଼ିଯିବ ॥
କୋଟିମୁଖ ବ୍ରହ୍ମା ସ୍ଥାପିଥିଲେ ସେ ଶାସନ ।ଯେତେ ବିପ୍ର ଛନ୍ତି ତହିଁ ବ୍ରହ୍ମାଙ୍କ ସମାନ ॥
ବେଦ ବେଦାନ୍ତରେ ଜିତା ସେହି ମହାଜନେ ।ତ୍ରିକାଳର କଥା ଜାଣିପାରନ୍ତି ସେ ଜ୍ଞାନେ ॥
ସେ ଆସନେ ସନ୍ଦୀପନି ପଣ୍ଡାଙ୍କର ମଠ ।ତାଙ୍କ ପାଶେ ପଢ଼ୁଛନ୍ତି ସହସ୍ରେକ ଚାଟ ॥
ଅନେକ ସମ୍ପଦ ଅଛି ତାରା ବାଡ଼ିବୃତ୍ତି ।ବ୍ରହ୍ମଲୋକ ପରିଯନ୍ତେ ଶୁଭଇ କୀରତି ॥
କୁବେର ସମାନ ହୁଏ ତାଙ୍କ ଧନ ଲେଖା ।ପୁତ୍ର ନାହିଁ କନ୍ୟା ନାହିଁ ପତିପତ୍ନୀ ଏକା ॥
ଅଶେଷ ବିଦ୍ୟାରେ ସେହି ବିପ୍ର ଅଧିକାରୀ ।ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ଚାରି ॥
ଉଲ୍ଲୁକ କୁହୁକ ବିଦ୍ୟା ଅଞ୍ଜନର ବିଧି ।ଚାରିବେଦ ଷଡ଼ଶାସ୍ତ୍ର ପ୍ରଜ୍ଞା ଋଷି ସିଦ୍ଧି ॥
ଅଠର ପୁରାଣ ଆଉ ନବ ବ୍ୟାକରଣ ।ଧନୁ ଅସ୍ତ୍ର ଶସ୍ତ୍ରବିଦ୍ୟା ଅଛି ଅପ୍ରମାଣ ॥
ମନ୍ତ୍ର ଯନ୍ତ୍ର ଗାନ୍ଧାର ଯେ ଗୀତ ନାଟ୍ୟ ରଙ୍ଗ ।ଶ୍ରୁତି ସ୍ମୃତି ଇତିହାସ ଜ୍ୟୋତିଷ ଷଡ଼ଙ୍ଗ ॥
ବ୍ରହ୍ମବିଦ୍ୟା ଆଦିକରି ବତିଶ ଅକ୍ଷର ।ସାନ୍ଦୀପନି ପଣ୍ଡା ଗର୍ଭେ କରିଛନ୍ତି ଘର ॥
ତୁମ୍ଭେ ବେନିଭାଇ ଏବେ ଚଳ ବେଗ ହୋଇ ।ସେ ବ୍ରାହ୍ମଣ ବସିଛନ୍ତି ତୁମ୍ଭ ବାଟ ଚାହିଁ ॥
ତୁମ୍ଭେ ତ ଆପଣେ ହରି ଜାଣ ବିଦ୍ୟାଗୁଣ ।ବିଦ୍ୟା ଅଧିକାରୀ ଜନ ଜଗତେ କାରଣ ॥
ବିଦ୍ୟାର ପ୍ରସାଦେ ପ୍ରାଣୀ ପାଏ ଦିବ୍ୟପୂଜା ।ବିଦ୍ୟାବନ୍ତ ଜନ ସଙ୍ଗେ ସମ ନୁହେ ରାଜା ॥
ବିଦ୍ୟା ପ୍ରସାଦରୁ ଭକ୍ତି ମୁକ୍ତିଲାଭ କରି ।ବିଦ୍ୟା ଥିଲେ ମହାଘୋର ବିପଦରୁ ତରି ॥
ବିଦ୍ୟା ସେ ଚକ୍ଷୁର ଚକ୍ଷୁ ବିଦ୍ୟା ଜ୍ଞାନଦାତା ।ବିଦ୍ୟା ଥିଲେ ଲାଭ ହୁଏ ଉତ୍ତମ ବନିତା ॥
ବିଦ୍ୟା ଥିଲେ ଧନରତ୍ନ ବସ୍ତ୍ର ଅର୍ଜିପାରି ।ବିଦ୍ୟାର ସମାନ ନୁହେ ଅନ୍ୟ ଧନ ସରି ॥
ବିତରଣେ କ୍ଷୟ ନୁହେ ନ ନିଅଇ ଚୋର ।ତେଣୁ ସାଧୁଜନେ ତାକୁ କରନ୍ତି ଆଦର ॥
ଧନବନ୍ତ ରୂପବନ୍ତ ଜାତିବନ୍ତ ତିନି ।ସର୍ବେ ଶୋଭା ପାଉଥାନ୍ତି ବିଦ୍ୟାଗୁଣ ଘେନି ॥
ଗୁରୁଙ୍କ ଉପରେ ଗୁରୁ ବିଦ୍ୟାହିଁ ଦେବତା ।ବିଦ୍ୟା ପ୍ରସାଦରୁ ପ୍ରାଣୀ ଭବିଷ୍ୟତ ଜ୍ଞାତା ॥
ବିଦ୍ୟାବଳେ ସ୍ୱର୍ଗ ମଞ୍ଚ ପାତାଳହିଁ ଜିଣି ।ବିଦ୍ୟାବନ୍ତ ହୁଏ ରାଜସଭାରେ ବରଣି ॥
ବିଦ୍ୟା ବଳେ ଆତ୍ମଜ୍ଞାନ ଲଭଇ ମାନବ ।ଏ ସଂସାର ସାଗରକୁ ବିଦ୍ୟା ଅଟେ ନାବ ॥
ତିଥି ବାର ନକ୍ଷତ୍ର ଯେ ଯୋଗଲଗ୍ନ ଆଦି ।କାଳାନ୍ତକ ଯୁଗାନ୍ତକ ବିଦ୍ୟାବଳେ ସାଧି ॥
ବିଦ୍ୟାଯୋଗେ ଆତଯାତ ହେଉଛି ମେଦିନୀ ।ରବି ଶଶୀ ଦୁହେଁ ଚଳୁଛନ୍ତି ବିଦ୍ୟା ଘେନି ॥
ବିଦ୍ୟାରେ ବିହୀନ ହୋଇ ବଞ୍ଚେ ଯେଉଁ ପ୍ରାଣୀ ।ପ୍ରତ୍ୟକ୍ଷରେ ମୃତ୍ୟୁଶବ ବୋଲି ତାକୁ ଜାଣି ॥
ନର କି ରାକ୍ଷସ ହେଉ କିବା ଦେବ ହେଉ ।ବିଦ୍ୟାରେ ବିହୀନେ ଶୋଭା ନ ପାନ୍ତିଟି କେହୁ ॥
ଯଦ୍ୟପି ଜ୍ଞାନ ପାଇବ ଅଜ୍ଞାନକୁ ଛାଡ଼ି ।ଶରୀର ପ୍ରତିଷ୍ଠା ତେବେ କର ବିଦ୍ୟା ପଢ଼ି ॥
ଯେବେ ବିଦ୍ୟା ନ ପଢ଼ିବ ନରଦେହ ବହି ।ସଂସାରେ ଜନମ ଲଭ ପ୍ରୟୋଜନ ନାହିଁ ॥
ପୂର୍ବରୁ ଏ କଥା ତୁମ୍ଭେ କରିଛ ଭିଆଣ ।ଆପେ ଧର୍ମ ନ ରଖିଲେ କେ ରଖିବ ପୁଣ ॥
କି ଅବା ବୋଲିବ ଆମ୍ଭେ ସର୍ବ ଗୁଣନିଧି ।ମୋତେ ବିଦ୍ୟା ପଢ଼ାଇବ ଅଛି କାର ବୁଦ୍ଧି ॥
ମୋ ନାଭିକମଳୁଁ ବ୍ରହ୍ମା ହେଇଅଛି ଜାତ ।ମୁହିଁ ସେ ଦେବଙ୍କ ଦେବ ଆଦି ବୃଦ୍ଧତାତ ॥
ଏମନ୍ତ ବିଚାର ଯେବେ କର ନାରାୟଣ ।ତହିଁର ଯେ ପ୍ରତିଭାଷା କହୁଅଛି ଶୁଣ ॥
ତୁମ୍ଭେ ଅବତାର ହେଲ ଭାରାଭର ଅର୍ଥେ ।ନରତନୁ ବହିଅଛ ମାତା ଗର୍ଭଗତେ ॥
ଜନ୍ମହେବା ଦିନଠାରୁ ମୃତ୍ୟୁ ହେବା ଯାଏ ।ବେଦଶାସ୍ତ୍ରେ ପ୍ରମାଣରେ କର ଦେବରାୟେ ॥
ତୁମ୍ଭେ ତ ସକଳ କଥା ଜାଣି ବିଶ୍ୱବାସୀ ।ଗୁରୁ ବିନା ବିଦ୍ୟା ନୁହେଁ ସର୍ବଜନେ ଭାଷି ॥
ଉତ୍ତମ ମଧ୍ୟମ ଆଉ କନିଷ୍ଠ ଏ ତିନି ।ଯେଝାମତେ ଚଳୁଛନ୍ତି ବିଦ୍ୟାଗୁଣ ଘେନି ॥
ଆପେ ଜାଣି ଶୁଣି ଯେହୁ ପଚାରେ ପରକୁ ।ଉତ୍ତମ ବୋଲିଣ ଲୋକେ ବୋଲନ୍ତି ତାହାକୁ ॥
ନ ଜାଣି ପରକୁ ପୁଚ୍ଛା କରେ ଯେଉଁ ଜନ ।ମଧ୍ୟମ କୋଟିରେ ସେ ଯେ ହୁଅଇ ଗଣନ ॥
ଆପେ ନ ଜାଣି ପରକୁ ଯେହୁ ନ ପଚାରେ ।ଅଧମ କୋଟିରେ ଲେଖା ସେ ହୁଏ ସଂସାରେ ॥
ମହାତ୍ମା ପୁରୁଷ ତୁମ୍ଭେ ସର୍ବ ଗୁଣନିଧି ।ଗୁରୁ ମୁଖୁଁ ବିଦ୍ୟା ଘେନ କାର୍ଯ୍ୟ ହେଉସିଦ୍ଧ ॥
ଏତେ କହିଣ ନାରଦ ହେଲେ ଅନ୍ତର୍ଦ୍ଧାନ ।ଶୁଣୁଥିଲେ ଯାଦବଙ୍କ ସଙ୍ଗେ ଉଗ୍ରସେନ ॥
ରାମ କୃଷ୍ଣଙ୍କର ମନେ ଲାଗିଲା ଉଚ୍ଚାଟ ।ନାରଦ ବଚନେ ହୃଷ୍ଟ ହେଲେ ନନ୍ଦଚାଟ ॥
ଏମନ୍ତେ ଅଠର ଦଣ୍ଡ ହେଲା ଆସି ବେଳ ।ଭିତରକୁ ବିଜେ କଲେ ଉଠି ମହୀପାଳ ॥
ମଣିମା ମଣିମା ଡାକ ସୁଲକିତ ବାଣୀ ।ବସୁଦେବ ନଗରକୁ ବିଜେ ଚକ୍ରପାଣି ॥
ଚୌରାଶୀ କୋଟି ଯାଦବେ ଯେଝାପୁରେ ଗଲେ ।ସ୍ନାହାନ ଭୋଜନ ଆଦି ବିଧାନ ସାରିଲେ ॥
ଏଥୁ ଅନନ୍ତରେ ହେଲା ପ୍ରହରେ ରଜନୀ ।ଆସ୍ଥାନରେ ବିଜେ କଲେ ରାମ କୃଷ୍ଣ ବେନି ॥
ବସୁଦେବ ଉଗ୍ରସେନ ଦୁହିଙ୍କୁ ବସାଇ ।ମୁଖ୍ୟ ମୁଖ୍ୟ ଯାଦବଙ୍କୁ ଆଣିଲେ ଡକାଇ ॥
ଶକ୍ରାଜିତ ଅନାଧୃଷ୍ଟ ସାତ୍ୟକି ଅକ୍ରୂର ।ଏହାଙ୍କ ମୂଳେ ବିଶ୍ୱାସୀ ଥିଲେ ଯେତେ ବୀର ॥
ମାତାଙ୍କର ନିଜ ମାତା ଆଈ ଇନ୍ଦୁମତୀ ।ଦେବକୀର ହସ୍ତ ଧରି ମିଲିଲେ ତଡ଼ତି ॥
ସ୍ୱଜନ ବାନ୍ଧବ ଡାକି ବସାଇ ପାରୁଶେ ।ଦ୍ରହସିତ ମୁଖେ କୃଷ୍ଣ କହନ୍ତି ହରଷେ ॥
ଦେବର୍ଷି ନାରଦ ମୋତେ କହିଗଲେ ଯାହା ।ଆସ୍ଥାନରେ ବସି ସର୍ବେ ଶୁଣିଅଛ ତାହା ॥
ଆଠବର୍ଷ ଯାଏ ଥିଲୁ ଆମ୍ଭେ ଗୋପପୁରେ ।ରାତ୍ର ଦିବସେ ବଢ଼ିଲୁ ଗୋପାଳ ସଙ୍ଗରେ ॥
ଗଉଡ଼ ବାଉଡ଼ ସେହୁ କେତେ ତାଙ୍କ ବୁଦ୍ଧି ।ଜାତି ସ୍ୱଭାବରେ ମୂର୍ଖ କାହିଁ ବିଦ୍ୟା ସିଦ୍ଧି ॥
ସମ୍ପୂର୍ଣ୍ଣ ହୋଇଲା ଏବେ ନବମ ବରଷ ।ଗୁରୁ ଅଭାବରେ ବିଦ୍ୟା ନ ଜାଣିଲୁ ଲେଶ ॥
ଜନ୍ମ ପାଇ ଅପ୍ରତିଷ୍ଠା ହେଲା ଆମ୍ଭେ କାୟେ ।ଅକାରଣେ କାଳକ୍ଷେପ କଲୁ ଆଜଯାଏ ॥
କିରୂପେ ଅକ୍ଷର ଆମ୍ଭେ ନ ଜାଣିଲୁ କିଛି ।ସ୍ୱର୍ଗେ ତା ଜାଣିଲେ ଇନ୍ଦ୍ର ଆମ୍ଭ ଗୁଣ ବାଛି ॥
ଅବନ୍ତୀ ପୁରକୁ ଆମ୍ଭେ ଦୁଇଭାଇ ଯିବୁ ।ଶସ୍ତ୍ର ଶାସ୍ତ୍ରଆଦି ବିଦ୍ୟା ସମସ୍ତ ପଢ଼ିବୁ ॥
ତୁମ୍ଭେମାନେ କେହି ଚିନ୍ତା ମନରେ ନ କର ।ବିଦ୍ୟା ପଢ଼ି ଅଳ୍ପଦିନେ ଆସିବୁ ସତ୍ୱର ॥
ଉଗ୍ରସେନ ବୋଲେ ତୁମ୍ଭେ ଶୁଣ ବିଶ୍ୱବାସ ।ଏ ମଥୁରାପୁରେ ମୋର ପ୍ରୟୋଜନ କିସ ॥
ତୁମ୍ଭେ ଗଲେ ପଛେ ପଛେ ଗୋଡ଼ାଇ ମୁଁ ଯିବି ।ତୁମ୍ଭ ଯହିଁ ଥିବ ମୁହିଁ ସେହିଠାରେ ଥିବି ॥
ତୁମ୍ଭ ଅଭାବରେ ମୋର ଲୋଡ଼ା ନାହିଁ ରାଜ୍ୟ ।ପଞ୍ଚଭୂତ ଆତ୍ମା ମୋର ତୁମ୍ଭେ ଦେବରାଜ ॥
ତୁମ୍ଭର ସଞ୍ଚିତ ସିନା ଏ ସମ୍ପଦ ମାନ ।ସମସ୍ତଙ୍କ ପୂଜ୍ୟ ତୁମ୍ଭେ ଯାଦବ ପ୍ରଧାନ ॥
ତୁମ୍ଭେ ବେନିଭାଇ ଯେବେ ଏଥୁ ଚାଲିଯିବ ।ରାଜ୍ୟେ ପ୍ରମାଦ ପଡ଼ିଲେ କେ ରକ୍ଷା କରିବେ ॥
ଏହା ଶୁଣି କରଯୋଡ଼ି କହଇ ସାତ୍ୟକି ।ପଣ୍ଡାଙ୍କୁ ଡକାଇ ଆମ୍ଭେ ଆଣିବା ଏଥିକି ॥
ଧନରତ୍ନ ଦେଇ ତାଙ୍କୁ କରିବା ତୃପତି ।ଦକ୍ଷିଣା ପାଇଲେ ତୋଷ ହୋଇବ ସେ ଅତି ॥
ଏଠାରେ ରହି ତୁମ୍ଭଙ୍କୁ ବିଦ୍ୟା ପଢ଼ାଇବେ ।ସନ୍ତୋଷ ହୋଇବେ ଦେଖି ସମସ୍ତ ଯାଦବେ ॥
ନୋହିଲେ ସମସ୍ତେ ମିଶି ଚାଲ ଆମ୍ଭେ ଯିବା ।ପାଠ ପଢ଼ା ଶେଷକରି ଲେଉଟି ଆସିବା ॥
ଶ୍ରୀକୃଷ୍ଣ ବୋଇଲେ ଏହା ନୁହଇ ସର୍ବଥା ।ସମଦଣ୍ଡ ଦେଖି ଗୁରୁ ପାଇବେ ଯେ ବ୍ୟଥା ॥
ଅକ୍ରୂର ବୋଇଲେ ତୁମ୍ଭେ ଶୁଣ ନନ୍ଦବତ୍ସି ।ରଥ ଗଜ ତୁରଙ୍ଗମ ଥୋକେ ଦେବା ବାଛି ॥
ଉଦ୍ଧବ ବୋଇଲେ ଦେବ ଶୁଣ ଚକ୍ରଧର ।ଆମ୍ଭେ ସାତଜଣ ଯିବୁ ସଙ୍ଗରେ ତୁମ୍ଭର ॥
ବସୁଦେବ ଅନାଧୃଷ୍ଟ ସାତ୍ୟକି ଅକ୍ରୂର ।ମୁଁ ଆଉ ପ୍ରସନ୍ନାଜିତ ଶକ୍ରାଜିତ ବୀର ॥
ସାତବଂଶ ଶ୍ରେଷ୍ଠ ଅଟୁ ଆମ୍ଭେ ସାତଜଣ ।ସମସ୍ତଙ୍କ ଦେହେ ଅଛି ବୀର ଶୂରପଣ ॥
ମନ କଲେ ପାରୁ ଆମ୍ଭେ ତିନିପୁର ଜିଣି ।ଏଣେ ତୁମ୍ଭ ସଖା ଆମ୍ଭେ ସାତେ ଅଟୁ ପୁଣି ॥
ଆମ୍ଭଙ୍କୁ ସଙ୍ଗତେ ଘେନି ଚଳ ଦେବରାୟ ।ଏମାନେ ସଙ୍ଗରେ ଥିଲେ ନାହିଁ କିଛି ଭୟ ॥
ବସୁଦେବ ବୋଲେ ବାବୁ ଶୁଣ ବନମାଳି ।ତୁମ୍ଭେ ମୋର ପଞ୍ଚଭୂତ ଆତ୍ମାର ସଙ୍ଖାଳି ॥
ତୁମ୍ଭେ ବା ଆମ୍ଭଙ୍କୁ ଛାଡ଼ି ଯିବ ରାମ ହରି ।ଆମ୍ଭେମାନେ ଛାଡ଼ିଦେବୁ ତୁମ୍ଭଙ୍କୁ କିପରି ॥
ଦୁଃଖୀର ସଙ୍ଖାଳି ତୁମ୍ଭେ କୃପାଜଳ ସିନ୍ଧୁ ।ଅନ୍ଧର ଲଉଡ଼ି ଦୁହେଁ ମୋର ପ୍ରାଣବନ୍ଧୁ ॥
ଆମ୍ଭଙ୍କୁ ନ ନେଇ ଯେବେ ଏକା ଯିବ ହରି ।ମନ ଜାଣି ମଣୋହି କେ ଦେବ ଯତ୍ନକରି ॥
ଏଣୁ ଆମ୍ଭେମାନେ ତୁମ୍ଭ ସଙ୍ଗତରେ ଯିବୁ ।ଯେତେବେଳେ ଯାହା ଲୋଡ଼ା ତାହା ଆଣିଦେବୁ ॥
ଇନ୍ଦୁମତୀ ବୋଇଲେ ମୁଁ ତୁମ୍ଭ ବୃଦ୍ଧଆଈ ।ମୁଁ ସଙ୍ଗତେ ଥିଲେ ବାବୁ କିଛି ଭୟ ନାହିଁ ॥
ତୁମ୍ଭ ଦୁଇଭାଇଙ୍କୁ ମୁଁ ପ୍ରତିପାଳିଥିବି ।ସୈରନ୍ଧ୍ରୀ ପରାୟେ ଖଟି ରାନ୍ଧି ପରଷିବି ॥
ଯତ୍ନେ ବସି ଭୁଞ୍ଜାଇବି ପୋଛିବି ଉଚ୍ଚିଷ୍ଟ ।କାଖକରି ବୁଲାଇବି ଦେଖାଇବି ନାଟ ॥
ମାତାର ମୁଁ ମାତା ଅଟେ ତୁମ୍ଭ ମାତାମହୀ ।ଅପାର କାର୍ଯ୍ୟ କରିବ ସଙ୍ଗେ ମୋତେ ନେଇ ॥
ମୁହିଁ ତୁମ୍ଭ ବିଶ୍ୱକୂଟ ମାୟା ଜାଣେ ସବୁ ।ଅଭିଶାପ ପାଇ ଜନ୍ମ ହୋଇଅଛି ବାବୁ ॥
ତୁମ୍ଭେ ସ୍ୱୟଂ ନାରାୟଣ କ୍ଷୀରସିନ୍ଧୁ ଶାୟୀ ।ଅଚିନ୍ତ୍ୟ ସ୍ୱରୂପ ଚିନ୍ତାମଣି ଭାବଗ୍ରାହୀ ॥
ଦେବଙ୍କ ଉପରେ ଦେବ ଅଟ ତୁମ୍ଭେ ସ୍ୱାମୀ ।ସର୍ବଭୂତେ ଆତ୍ମା ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ ॥
ଦ୍ୱାପରେ ପୃଥିବୀଭାର ନିବାରଣ ଅର୍ଥେ ।କୌତୁକେ ମାନବ ରୂପ ହେଲେ ଜଗନ୍ନାଥେ ॥
ଧନ୍ୟ ସେ ଦେବକୀ ମୋର ସଉଭାଗ୍ୟବତୀ ।ଜଗତନାଥଙ୍କୁ ଗର୍ଭୁଁ କଲା ଉତପତ୍ତି ॥
ଧନ୍ୟ ଏ ଦ୍ୱାପର ଲୋକେ ଧନ୍ୟ ତାଙ୍କ କର୍ମ ।ଶ୍ରୀକୃଷ୍ଣ ସଙ୍ଗତେ ଆସି ହୋଇଛନ୍ତି ଜନ୍ମ ॥
ସାକ୍ଷାତରେ ବିଷ୍ଣୁରୂପ ଦେଖୁଛନ୍ତି ଡ଼ୋଳେ ।ଏତେ ବୋଲି ଇନ୍ଦୁମତୀ ଗଦ ଗଦ ଭୋଳେ ॥
ପୁଣି ବୋଲେ ନିସ୍ତରିଲି ପଦ୍ମମୁଖ ଚାହିଁ ।ଲଭିଲି ନିର୍ବାଣ ମୁକ୍ତି ଜନ୍ମ ଆଉ ନାହିଁ ॥
ବାବୁ ମୋତେ ଅନୁଗ୍ରହ କର ଭାଇ ବେନି ।ସମୟେକ ତୁମ୍ଭ ସଙ୍ଗେ ଥିବି ଦେହ ଘେନି ॥
ନୟନରେ ଦେଖୁଥିବି ତୁମ୍ଭ ଦିବ୍ୟ ଲୀଳା ।ଏସନକ ଆଜ୍ଞା ମୋତେ ଦିଅ ନନ୍ଦବଳା ॥
ବାବୁ କ୍ଷଣେମାତ୍ର ମୁଖ ଦେଖନ୍ତେ ତୋହରି ।କୋଟିଏ କୈବଲ୍ୟ ମୁକ୍ତି ନୋହେ ତାକୁ ସରି ॥
ଏଡ଼େ ବଡ଼ ସୁଲଭ ମୁଁ ନ ପାରଇ ଛାଡ଼ି ।ପ୍ରାପ୍ତକାଳ ଯାଏ ଥିବି ତୁମ୍ଭ ସଙ୍ଗ ଲୋଡ଼ି ॥
ଶ୍ରୀକୃଷ୍ଣ ବୋଇଲେ ଆଈ ଯାହା କଲ ଇଚ୍ଛା ।ସେ ସକଳ ସିଦ୍ଧ ହେଉ ପୂର୍ଣ୍ଣ ହେଉ ବାଞ୍ଛା ॥
ଆବର ଗର୍ଭରୁ ଅଷ୍ଟ ପୁତ୍ର କର ଜାତ ।ଯଦୁବଂଶ ଠାକୁରାଣୀ ତୁମ୍ଭେ ବୃଦ୍ଧମାତ ॥
ବସୁଦେବ ଉଗ୍ରସେନ ମାତା ଇନ୍ଦୁମତୀ ।ଏହାଙ୍କ ଅର୍ଜିତ ଏହି ସମଗ୍ର ବିଭୂତି ॥
ଏ ସମ୍ପଦ ପାଇବାକୁ ନରଦେହ ବହି ।ଖୋଜିଲେ ଜଗତ ମଧ୍ୟେ ଜଣେ ଦିଶୁନାହିଁ ॥
ମୋ ମାତାର ଷଡ଼ପୁତ୍ର ମରିଛନ୍ତି ଯୋଗେ ।ତାହାଙ୍କୁ ଜୀଆଇଁ ଆଣି ଦେବି ତୋର ଆଗେ ॥
ତୋ ଗର୍ଭୁରୁ ଅଷ୍ଟପୁତ୍ର ହେବେ ନିଶ୍ଚେ ଜାତ ।ମୁଁ ତାହା କରାଇ ଦେବି ଏ କଥା ନିୟତ ॥
ଆବର ଏଣିକି ତୁମ୍ଭେ ନ କର ଗୋ ଭୟ ।ପୃଥିବୀକି ଭାରା ହେଲା ତୋ କଂସ ତନୟ ॥
ସେ ନାନା ଅନ୍ୟାୟ କଲା ନ ସହିଲା ମହୀ ।ତା ଭୟେ ସ୍ୱର୍ଗରେ ଦେବ ନ ପାରିଲେ ରହି ॥
ଦେବକାର୍ଯ୍ୟ ନିମନ୍ତେ ମୁଁ ତାକୁ କଲି ନାଶ ।ଆବର ମାରିବି ଖୋଜି ଅସୁରଙ୍କ ବଂଶ ॥
ଅସୁରଙ୍କୁ ନ ମାଇଲେ ପୃଥ୍ୱୀ ନୋହେ ରକ୍ଷା ।ଦେବକାର୍ଯ୍ୟ ହେବା ପାଇଁ କରିଅଛି କକ୍ଷା ॥
ଇନ୍ଦୁମତୀ ବିଚାରିଲେ ଜାଣି କଥା ବାଗ ।କଂସ ପୁତ୍ରଠାରେ କୃଷ୍ଣ ରଖିଛନ୍ତି ରାଗ ॥
କେଶୀ ବେନି ପୁତ୍ର ଭଦ୍ରଅଙ୍ଗ ଅଂଶୁମାଳୀ ।ଶକଟା ତନୟ ଦୁହେଁ ବୀର ବେଲାବଳୀ ॥
କଙ୍କଣ କୁମୁଦ କାଳିନାଗ ସଉମିତ୍ର ।ଏ ଚାରିହେଁ ଅଟନ୍ତି ଯେ ଷଣ୍ଢାସୁର ପୁତ୍ର ॥
ପ୍ରତାପ ବଦନ ଦାବାନଳ ବେନିଭାଇ ।ପୂତନାର ବେନି ପୁତ୍ର ଅଟନ୍ତି ଏ ଦୁଇ ॥
ଦୃମନ ନାମରେ ଅଛି ଚାଣୂର ତନୟ ।ମହାସୁର ବୋଲି ନାମ ମୁଷ୍ଟିକର ପୁଅ ॥
ଏ ଚଉଦ ଜଣ ଯାକ ଏକୁ ଏକ ଦୁଷ୍ଟ ।ଶ୍ରୀକୃଷ୍ଣ ହସ୍ତରେ ନିଶ୍ଚେଁ ହେବେ ପ୍ରାଣଭ୍ରଷ୍ଟ ॥
ହଂସ ଡ଼ିମ୍ୱ ନାମେ ଛନ୍ତି କଂସ ବେନି ପୁତ୍ର ।ଏମାନେ ନୁହନ୍ତି କେହି କୃଷ୍ଣଙ୍କର ମିତ୍ର ॥
ଏ ସମସ୍ତେ ଆଡ଼ ହୋଇ ଏକସ୍ଥାନେ ମିଳି ।ରାମକୃଷ୍ଣ ଦ୍ରୋହ ଚିନ୍ତି କରୁଛନ୍ତି ମେଳି ॥
ବୀଜ ଅନୁକ୍ରମେ ଦୁଷ୍ଟ ପ୍ରକୃତିରେ ଜନ୍ମ ।ବିଧାତା ଜାଣଇ ଯାର ଅଛି ଯେଉଁ କର୍ମ ॥
ଏତେ ଭାଳି ଇନ୍ଦୁମତୀ ମନେ ଲଭି ଶାନ୍ତି ।କୃଷ୍ଣଙ୍କୁ ବୋଇଲେ ବାବୁ ଗଲା ମୋର ଭ୍ରାନ୍ତି ॥
ଅଶେଷ କୋଟି ବ୍ରହ୍ମାଣ୍ଡେ ତୁମ୍ଭେ ବଜ୍ରସେହ୍ନା ।ତୁମ୍ଭେ ଯାହା ଭିଆଇଛ ତୁମ୍ଭେ ଜାଣ ସିନା ॥
ଏତିକି ମାଗୁଛି ମାତ୍ର ଦେବ ମୋତେ ହରି ।ସୁନାସ ପୁତ୍ରଟି ଥିବ ତୁମ୍ଭ ସେବା କରି ॥
ସକଳ ଅପ୍ରାଧ କ୍ଷମା କରିବ ଏହାର ।ଏ ତୁମ୍ଭ ମଉଳା ପୁତ୍ର ଅଟେ ସହୋଦର ॥
ଏତେ ବୋଲି ଇନ୍ଦୁମତୀ ବହୁ ସ୍ତୁତି କଲେ ।ସୁନାସ ପୁତ୍ରକୁ ଧରି କୃଷ୍ଣେ ସମର୍ପିଲେ ॥
ବାବୁ ଏ କୁମର ଗୋଟି ତୁମ୍ଭ ସଙ୍ଗେ ଯାଉ ।ଦାସପଣେ ସେବାକରି ପାଦେ ଖଟିଥାଉ ॥
ଆପଣା ଉଚ୍ଛିଷ୍ଟ ଯେବେ ନିଜ ହସ୍ତେ ପୋଛି ।ପୁରୁଷଙ୍କ ଆୟୁ ତୁଟେ ଶାସ୍ତ୍ରେ ଲେଖିଅଛି ॥
ଶ୍ରୀମନ୍ତ ପୁରୁଷ ତୁମ୍ଭେ ଲକ୍ଷ୍ମୀଦେବୀ ସାଇଁ ।ତୁମ୍ଭେ ଯହିଁ ଥିବ କିସ ନ ମିଳବ ତହିଁ ॥
ବୁଦ୍ଧିମନ୍ତ ବଳବନ୍ତ ଭାଗ୍ୟବନ୍ତ ଲୋକ ।ବଡୁ ବଡ଼ ପୃଥିବୀରେ ଅଛନ୍ତି ଅନେକ ॥
ସବୁଠାରୁ ଉତ୍ତମ ଯେ ଶ୍ରୀମନ୍ତ ପରାଣୀ ।ଶ୍ରୀମନ୍ତ ଶ୍ରୀମନ୍ତ ପରେ ତୁମ୍ଭେ ଚକ୍ରପାଣି ॥
ବିଦ୍ୟା ପଢ଼ି ଯାଅ ବାବୁ ନାହିଁ କିଛି ଭୀତି ।ଏସନକ ଆଜ୍ଞା ଦେଲେ ତୋଷେ ଇନ୍ଦୁମତୀ ॥
ସମସ୍ତଙ୍କ ମୁଖଚାହିଁ କୃଷ୍ଣ ଆଗେ ବଢ଼ି ।ବୁଝାଇ କହନ୍ତି ଆମ୍ଭେ ଯାଉଅଛୁ ପଢ଼ି ॥
କହୁ କହୁ ଲେଉଟିବୁ ସବୁ ବିଦ୍ୟା ଶିଖି ।ନୋହିଲେ ଗୁରୁଙ୍କୁ ଡାକି ଆଣି ମୁଁ ଏଥିକି ॥
ଆମ୍ଭର ନ ଗଲେ ଗୁରୁ ଗୌରବ ନ ପାନ୍ତି ।କୃଷ୍ଣଙ୍କ ବଚନ ଶୁଣି ସର୍ବେ ହେଲେ ଶାନ୍ତି ॥
ଅଶେଷ ଜଗତ ଯାର ମାୟା ମୋହ ଭ୍ରମ ।ଯେଉଁ ପ୍ରଭୁ ସର୍ଜିଛନ୍ତି ଶୁଭାଶୁଭ କର୍ମ ॥
ତାହାଙ୍କ ବଚନ ଭାଙ୍ଗି କେ କରିବ ନାହିଁ ।ମାୟାଧର ପୁରୁଷ ସେ ସବୁ ଅଛି ମୋହି ॥
କହିବା ଭଙ୍ଗିରେ କୃଷ୍ଣ ମନ ମୋହି ନେଲେ ।ଯାଦବେ ସନ୍ତୋଷ ହୋଇ ମଉନେ ରହିଲେ ॥
ମକର ମାସ ପୂର୍ଣ୍ଣମୀ ଚନ୍ଦ୍ରନାମେ ବାର ।ମଘା ନାମେ ନକ୍ଷତ୍ର ଯେ ଅଟେ ସେ ଦିନର ॥
ଶୁଭ ନାମେ ଯୋଗ ପୁଣି ସିଂହେ ଚନ୍ଦ୍ର ଅଛି ।ତୁଳା ଲଗ୍ନେ ଅନୁକୂଳ କଲେ ଶିରୀବତ୍ସି ॥
ମାତା ପିତା ଗୁରୁଜନ ପାଦରେ ନମିଲେ ।ଯାଦବଙ୍କୁ ତିଆରି ତା ପୁରେ ରୁହାଇଲେ ॥
କହଇ ଅଚ୍ୟୁତ ଦାସ ହରିବଂଶ ବାଣୀ ।ସଂସାର ସାଗରୁ ତର ସାଧୁଜନେ ଶୁଣି ॥
ବିଦ୍ୟା ପଠନାର୍ଥେ ରାମକୃଷ୍ଣଙ୍କର ଅବନ୍ତୀପୁରକୁ ଗମନ ଓ ବ୍ୟାସାଶ୍ରମ ପ୍ରବେଶଶୁକ ବୋଇଲେ ହେ ଶୁଣ ଅଭିମନ୍ୟୁବାଳ ।ନାରଦଙ୍କ ଆଦେଶରେ କୃଷ୍ଣ କାମପାଳ ॥
ପାଠ ପଢ଼ିବାକୁ ମନେ ଉତ୍ସାହିତ ହୋଇ ।ଅନୁକୂଳ କଲେ ଦୁହେଁ ସମସ୍ତଙ୍କୁ କହି ॥
ଆଗେ ଯାନ୍ତି ବଳଭଦ୍ର ପଛେ ଚକ୍ରଧର ।ଶୁଭଲଗ୍ନ ବେଳ ନଗ୍ରୁ ହୋଇଲେ ବାହାର ॥
ସୁନାସ ନନ୍ଦନ ଉଗ୍ରସେନ ରାଜାନାତି ।ଗୋଡ଼ାଇଲା ରାମକୃଷ୍ଣ ସଙ୍ଗେ ପଛକତି ॥
ନଗ୍ରରୁ ବାହାର ହୋଇ ଗଲେ ତିନିଜଣ ।ଶ୍ରୀପୟରେ ଚାଲିଯାନ୍ତି କୃଷ୍ଣ ସଙ୍କର୍ଷଣ ॥
ଯମୁନାର କୂଳେ କୂଳେ ଥୋକେ ଦୂର ମାଡ଼ି ।ସେଠାକୁ ନୈର୍ଋତେ ଗଲେ ପଶ୍ଚିମକୁ ଛାଡ଼ି ॥
ଅନେକ ବନ କନ୍ଦର ଲତା ଶାଳ ଶିଳ ।ଫଳଭରେ ତରୁଙ୍କର ଲୋଟୁଅଛି ଡାଳ ॥
ହରିଣ ବାହୁଟି ସିଂହ ଶାର୍ଦ୍ଦୂଳ ଯେ ହସ୍ତୀ ।ଗୋଧିକା ନେପାଳ ମୂଷା କପି ନାନାଜାତି ॥
ବାଘ ଭାଲୁ ଗଣ୍ଡା ମୃଗ ବରାହ ସହିତେ ।ଅଗମ୍ୟ ବନରେ ଚରି ବିହରନ୍ତି କେତେ ॥
ତେନ୍ତୁଳି ପଣସ ଆମ୍ୱ କପିତ୍ଥ ଜମ୍ୱିଳ ।ଗମ୍ଭାରୀ ପାଟଳୀ କେନ୍ଦୁ ଶାଳ ନାଗେଶ୍ୱର ॥
ଗୁଗ୍ଗୁଳ ଚନ୍ଦନ ତାଳ ବେତ୍ର ରାମଗୁଆ ।ସଲପ ଭଇଞ୍ଚ ନିମ୍ୱ କ୍ଷୀର ପାଳଧୂଆ ॥
ହରିଡ଼ା ବାହାଡ଼ା ଅଁଳା ଜେଉଟ ସରଳ ।କଞ୍ଚନ ପଲାଶ ନୀପ ମହୁଲ ବକୁଳ ॥
ଖଦିର ଧାତୁକୀ ବେଲ ଜାମୁ ଗଣ୍ଠିଅନା ।ମରିଚ ଲବଙ୍ଗ ଲତା ତରୁ ଅକଳନା ॥
ଫଳପୁଷ୍ପେ ମଣ୍ଡିହୋଇ ଦିଶୁଛନ୍ତି ଶୋଭା ।ତିନିଭାଇ ଚାଲିଗଲେ ଦେଖି ବନ ପ୍ରଭା ॥
ଏ ପ୍ରକାରେ ଦୁଇ ଶତ ଯୋଜନ ସେ ଗଲେ ।ଆଦିତ୍ୟ ଅସ୍ତେ ଗହନ ବନରେ ରହିଲେ ॥
ତ୍ରାସବେଦୀ ନାମେ ନଦୀ ଯାଉଅଛି ବହି ।ରାନ୍ଧିଣ ଅନ୍ନ ଭୁଞ୍ଜିଲେ ନଦୀକୂଳେ ରହି ॥
ଖଣ୍ଡେ ଦୂରେ ଗ୍ରାମ ଥିଲା ଯାଇ ରାତ୍ରକାଳେ ।ନିଶିରେ ଶୟନ କଲେ ଦେବତାଙ୍କ ଆଳେ ॥
ଶିବାଳୟେ ଶଙ୍ଖ ଶୁଭେ ପ୍ରଭାତ ହୁଅନ୍ତେ ।ଜାଣିଲା ଲୋକଙ୍କୁ ପୁଚ୍ଛି ଚଳିଗଲେ ପଥେ ॥
ଥୋକେ ଦୂର ଯାଇ ପୁଣି ନିତ୍ୟକର୍ମ ସାରି ।ସୁପନ୍ଥାରେ ତିନିଭାଇ ଗଲେ ଶୀଘ୍ର କରି ॥
ଥୋକେ ଦୂର ଯାଇ କୋଳାହଳ ବନଲାଗେ ।ଦେଖିଲେ ଆସନ୍ତି ବିଶ୍ୱାମିତ୍ର ମୁନି ଆଗେ ॥
ଖଣ୍ଡେଦୂରୁ ମୁନି ଦେଖି ରାମ କୃଷ୍ଣ ମୁଖ ।ଭାବିଲେ ଖଣ୍ଡିଲି ଆଜି ଜନ୍ମ ମୃତ୍ୟୁ ଦୁଃଖ ॥
ଜଗଦ୍ବନ୍ଦନ ନାଥ ଏ ଦେବ ଦେବରାଜା ।ଯା ପାଦେ କରନ୍ତି ହର ବ୍ରହ୍ମା ଇନ୍ଦ୍ରପୂଜା ॥
ଅନନ୍ତ କୋଟି ବ୍ରହ୍ମାଣ୍ଡେ ଅଟନ୍ତି କାରେଣି ।ଦେବଙ୍କ ଉପରେ ଦେବ ଏହି ଚକ୍ରପାଣି ॥
ପୃଥିବୀର ଭାରାଭର ନିବାରିବା ପାଇଁ ।କଉତୁକେ ଜନ୍ମିଛନ୍ତି ନରତନୁ ବହି ॥
ଆଜ ଦେଖି ନିସ୍ତରିଲି ଧନ୍ୟ ମୋ ଜୀବନ ।ଏତେ ପାଞ୍ଚୁ ଭେଟ ହେଲେ ଆସି ଭଗବାନ ॥
ମୁନିଙ୍କ ମୁଖକୁ ଚାହିଁ କୃଷ୍ଣ ବଳରାମ ।କରଯୋଡ଼ି ହରଷରେ କରନ୍ତି ପ୍ରଣାମ ॥
ପୁଣି ସୁକୋମଳ ବାକ୍ୟେ କଲେ ନାନା ସ୍ତୁତି ।ପରମ ସନ୍ତୋଷ ହେଲେ ଶୁଣି ମହାଯତି ॥
ମୁନି ପଚାରିଲେ ବାବୁ କେଣିକି ଗମନ ।ଶ୍ରୀକୃଷ୍ଣ ବୋଇଲେ ବିଦ୍ୟା କରିବୁ ପଠନ ॥
ଅବନ୍ତୀ ନଗରେ ସାନ୍ଦୀପନି ପଣ୍ଡାଘର ।ଦୁର୍ଗମ ଅରଣ୍ୟ ଲଘିଂ ଯିବୁ ବହୁଦୂର ॥
ମୁନି ବୋଇଲେ କହିବା ଶୁଣ ଦେବରାୟ ।ଆଦିମୂଳ ପୁରୁଷ ତୁ ଅଟୁ ବିଶ୍ୱମୟ ॥
ତୁମ୍ଭ ଦେହେ ପୂର୍ଣ୍ଣ ହୋଇ ସବୁ ବିଦ୍ୟାଅଛି ।କିପାଁ ଶ୍ରମେ ଏତେ ଦୂର ଯିବ ନନ୍ଦବତ୍ସି ॥
ତୁମ୍ଭେ ଭକ୍ତପ୍ରାଣବନ୍ଧୁ ବାଞ୍ଛାଗୁଣନିଧି ।ବିନାଭ୍ୟାସେ ସବୁ ବିଦ୍ୟା କରିପାର ସିଦ୍ଧି ॥
ଯଦ୍ୟପି ଶରଧା ତୁମ୍ଭେ କଲ ଭଗବାନ ।ସାନ୍ଦୀପନି ପଣ୍ଡାଙ୍କର ଜନ୍ମ ହେଲା ଧନ୍ୟ ॥
ଆଜିଠାରୁ ଗଲା ତାଙ୍କୁ ଜନ୍ମମୃତ୍ୟୁ ଭୀତି ।ସୁଗତି ଲୋକେ ଗଣିତା ହୋଇଲେ ଏଘାନ୍ତି ॥
ଏତେ ବୋଲି ମୁନିବର ସୁକଲ୍ୟାଣ କଲେ ।ରାମକୃଷ୍ଣ ଶିରେ ଟେକି ଦୁର୍ବାକ୍ଷତ ଦେଲେ ॥
ଶାଳଗ୍ରାମ ପାଦୋଦକ ଦେଇ ମୁନୀଶ୍ୱର ।ବୋଇଲେ ଭୋ ରାମକୃଷ୍ଣ ବାଞ୍ଛା ସିଦ୍ଧକର ॥
ବେଦବ୍ୟାସ ମହାମୁନି ଅଛନ୍ତି ନିକଟେ ।ଥୋକେଦୂରେ ଭେଟ ହେବ ଯାଇ ତାଙ୍କ ମଠେ ॥
ଏତେ ବୋଲି ଚଳିଗଲେ ବିଶ୍ୱାମିତ୍ର ମୁନି ।ପଥେ ଗଲେ ରାମକୃଷ୍ଣ ସୁରଥ ଏ ତିନି ॥
ଚୁଡ଼ଙ୍ଗ ଦେଶେ ପ୍ରବେଶ ବେଳ ସାତଘଡ଼ି ।ଗଣ୍ଡୁକୀ ତୀରରେ ଗଲେ ଥୋକେ ଦୂର ମାଡ଼ି ॥
ଚନ୍ଦ୍ରକୂଟ ବୋଲି ଏକ ପର୍ବତ ଆରମ୍ଭ ।ପଚିଶ ଯୋଜନ ଉଚ୍ଚ ଶତେ ଯୂଣ ଲମ୍ୱ ॥
ସେଠାରେ ଚୁଡ଼ଙ୍ଗ ସୀମା ହୋଇଅଛି ଶେଷ ।ଦକ୍ଷିଣ ମାର୍ଗରେ ଚଳିଗଲେ ହୃଷୀକେଶ ॥
ବିସ୍ତାର ଗହ୍ୱର ବନ ଲତା ଶାଳ ଶିଳ ।ଆକାଶ ମଣ୍ଡଳେ ଘୋଟି ପୂରିଅଛି ଡାଳ ॥
ସୂର୍ଯ୍ୟତେଜ ନ ଲାଗଇ ଚାଲିଯାନ୍ତେ ପଥ ।ବୁଲନ୍ତି ବନରେ ବନ୍ୟ ଜୀବେ ଯୂଥ ଯୂଥ ॥
ଧାଡ଼ି ଧାଡ଼ି ରେଖ ରେଖ ଶାଳ ଶିଳପନ୍ତି ।ଫଳପୁଷ୍ପେ ତରୁଲତା ଶୋଭିତ ଦିଶନ୍ତି ॥
ତିନିଭାଇ ବନେ ଚାଲି ଯାଇ ଅତି ଖରେ ।ଅଠର ଦଣ୍ଡେ ମିଳିଲେ ବ୍ରହ୍ମନଦୀ ତୀରେ ॥
ସେ ନଦୀର ତୀରେ ବ୍ରହ୍ମ ପର୍ବତ ସୁସଞ୍ଚ ।ଶତେକ ଯୋଜନ ଲମ୍ୱ ଦଶ ଯୁଣ ଉଚ୍ଚ ॥
ସେ ପର୍ବତ ପୂର୍ବଭାଗେ ଏକ ନଗ୍ର ଅଛି ।ରଘୁରାମ ପାଟଣା ସେ ନାମ ବୋଲାଉଛି ॥
ଗ୍ରାମସୀମା ଆୟତନ ପାଞ୍ଚ କ୍ରୋଶ ମାଡ଼ି ।ବ୍ରହ୍ମପୁତ୍ର ନଦୀଠାରୁ ଖଣ୍ଡେ ଦୂର ଛାଡ଼ି ॥
ବେନିଲକ୍ଷ ଘର ତହିଁ ଶ୍ରୋତ୍ରିୟ ଦ୍ୱିଜାତି ।ପୂର୍ବେ ତାଙ୍କୁ ସ୍ଥାପିଥିଲେ ରାମ ନରପତି ॥
ଛତିଶ ପାଟକ ନାନା ବର୍ଣ୍ଣ ନାନାଜାତି ।ନଗରକୁ ବେଢ଼ି ରହିଛନ୍ତି ଚଉକତି ॥
ଅନେକ ଦେଉଳ ମେଢ଼ ମଣ୍ଡପ ଅଟ୍ଟାଳୀ ।ଅନ୍ନସତ୍ର ଜଳସତ୍ର ବସା ଚାଟଶାଳୀ ॥
ରାମେଶ୍ୱର ବୋଲି ତହିଁ ଛନ୍ତି ଏକ ଲିଙ୍ଗ ।ଅଟ୍ଟାଳୀ ନାଟ୍ୟମନ୍ଦିର ଦେଖନ୍ତି ଶ୍ରୀରଙ୍ଗ ॥
ନଦୀ ପାର ହୋଇ ତହୁଁ ଗଲେ ଅତି ବେଗେ ।ତିନି ପ୍ରହରେ ମିଳିଲେ ଚିତ୍ରୋତ୍ପଳା ଲାଗେ ॥
ଯଯାତି କଟକ ନାମେ ନଗ୍ର ଶାଳଭୂମି ।ଭୂଭୈରବୀ ନଦୀ ବହେ ଉତ୍ତର ଗାମିନୀ ॥
ପାଞ୍ଚକ୍ରୋଶ ଆୟତନ ସେ କଟକ ଗୋଟି ।ଦକ୍ଷିଣ ପୂର୍ବ ଭାଗରେ ନଦୀ ଅଛି ଗୋଟି ॥
ଅଷ୍ଟଚଣ୍ଡୀ ଅଷ୍ଟଶମ୍ଭୁ ସେ ନଦୀର କୂଳେ ।ପଙ୍କ ନାହିଁ ନଦୀ ପୂର୍ଣ୍ଣ ନିର୍ମଳ ସଲିଳେ ॥
ଐରାବତ ନାମେ ହସ୍ତୀ ଇନ୍ଦ୍ରଙ୍କର ପାଟ ।ପାଦେ ମାଡ଼ି ସେ କଟକ ସଞ୍ଚିଲା ମୁରାଟ ॥
ସେଠାରୁ ପଶ୍ଚିମ ମୁଖେ ଯାଇ ବହୁଦୂରେ ।ତିନିପ୍ରହର ମିଳିଲେ ରେଣୁକା ନଗରେ ॥
ଗନ୍ଧମାଦନ ପର୍ବତ ଉପତ୍ୟକା ଭାଗେ ।ଅନେକ ଦୂର ଗମିଲେ ନଇର୍ଋତେ ମାର୍ଗେ ॥
ଗୋଦାବରୀ କୃଷ୍ଣବେଣୀ ନଦୀଗଲେ ଜିଣି ।କନାଉଜ ପାଟଣାରେ ମିଳି ଚକ୍ରପାଣି ॥
ଶୀତଳ ମଣୋହି ସଞ୍ଚା ସୁରଥ ଆଣିଲେ ।ଏକାବେଳେ ତିନିଭାଇ ମଣୋହି ସାରିଲେ ॥
ଦେବାଳୟେ ନିଦ୍ରା ଯାଇ ବଞ୍ଚି ସେ ରଜନୀ ।ପ୍ରଭାତରେ ଚଳିଗଲେ ଶଙ୍ଖଧ୍ୱନି ଶୁଣି ॥
କିଛି ଦୂର ପଥ ଲଘିଂ ନଦୀକୂଳେ କୂଳେ ।ନିତ୍ୟକର୍ମ ବଢ଼ାଇଲେ ମହେନ୍ଦ୍ର ଶଇଳେ ॥
ଯୋଗବଳେ ଜାଣିପାରି ବ୍ୟାସ ମହାମୁନି ।ବିଚାରିଲେ ଆସୁଛନ୍ତି ରାମ କୃଷ୍ଣ ବେନି ॥
ସାନ୍ଦୀପନି ପଣ୍ଡାପୁରେ ଯାଉଛନ୍ତି ପଢ଼ି ।ଅବଶ୍ୟ ରଖିବା ତାଙ୍କୁ ନ ଦେବାକ ଛାଡ଼ି ॥
ଏପରି ସୁଯୋଗ ଆଉ ନ ପାଇବା କାହିଁ ।ମଣୋହି କରିବେ ଦୁହେଁ ଆମ୍ଭ ମଠେ ରହି ॥
ଏତେ କହି ବ୍ୟାସଦେବ ପାଛୋଟି ଅଇଲେ ।ଜଗନାଥଙ୍କୁ ଆଜ ଦେଖିବା ବୋଇଲେ ॥
ପଞ୍ଚାଣୋଇ ସସ୍ର ଶିଷ୍ୟ ଆସି ତାଙ୍କ ପଛେ ।ଖଣ୍ଡେଦୂର ଚାରିଆଡ଼େ ଚାହିଁ ଋଷିବତ୍ସେ ॥
ଆଗରେ ଦେଖିଲେ ରାମ କୃଷ୍ଣ ଭାଇ ବେନି ।ଆସୁଛନ୍ତି ସୁରଥକୁ ସଙ୍ଗତରେ ଘେନି ॥
ନିସ୍ତରିଲି ନିସ୍ତରିଲି ବୋଲି ବେଦବ୍ୟାସ ।ଗଦ ଗଦ ସ୍ୱରେ କହି ହୋଇଲେ ହରଷ ॥
ଏମନ୍ତ ସମୟେ ଆସି ନନ୍ଦ ବେନି ଚାଟ ।ବ୍ୟାସମୁନି ଅଗ୍ରତରେ ହେଲେ ଏକ ଯୋଟ ॥
ବ୍ୟାସଙ୍କୁ ଦେଖିଣ ଦୂରୁ ଶିରେ କର ଦେଇ ।ଶୁତିରେ ଚରଣ ତଳେ ରାମ କୃଷ୍ଣ ଦୁଇ ॥
ଆନନ୍ଦରେ ବ୍ୟାସଦେବ କୃତକୃତ୍ୟ ହେଲେ ।ବେନିହସ୍ତ ଧରି ବେନି ଭାଇଙ୍କି ତୋଳିଲେ ॥
ମୁଖରେ ଚୁମ୍ୱନ ଦେଇ ଶିର ଆଉଁଷନ୍ତି ।ନାନାସ୍ତୁତି ବଚନରେ ବନ୍ଦନ କରନ୍ତି ॥
ପଞ୍ଚାଣୋଇ ସସ୍ର ଶିଷ୍ୟ ବ୍ୟାସ ସଙ୍ଗେ ଥିଲେ ।ସର୍ବ ରାମକୃଷ୍ଣଙ୍କର ମଙ୍ଗଳ ପାଞ୍ଚିଲେ ॥
ଋକ ଯଜୁ ସାମ ବେଦ ଉଚ୍ଚାରି ମୁଖରେ ।ବୃହତ୍ସାମ ଗାନ କଲେ ସର୍ବେ ଏକସ୍ୱରେ ॥
ଅକ୍ଷତ ବଦରୀ ଦଳ ପୁଷ୍ପ ଦୁର୍ବା ଘେନି ।ଆଶିଷ ଦିଅନ୍ତି ଶିରେ ବ୍ୟାସ ମହାମୁନି ॥
ହରଷରେ ଗଦ ଗଦ ତନୁ ଲୋମାଞ୍ଚିତ ।ରାମ କୃଷ୍ଣ ମୁଖ ଚାହିଁ ସତ୍ୟବତୀ ସୁତ ॥
ବୋଲନ୍ତି ଆମ୍ଭର ବାକ୍ୟ ଶୁଣ ଦେବରାଜ ।ବିଶ୍ରାମ କରିବ ଆମ୍ଭ ମଠେ ତୁମ୍ଭେ ଆଜ ॥
ପବିତ୍ର ହୋଇବୁ ଆମ୍ଭେ ଅଛୁ ଯେତେ ଋଷି ।ଶୁଣିଣ ସନ୍ତୋଷ ମନେ ପ୍ରଭୁ ବ୍ରହ୍ମରାଶି ॥
ବୋଇଲେ ଭୋ ମୁନି ତୁମ୍ଭେ ନାରାୟଣ ରୂପୀ ।କେ ତୁମ୍ଭ ବଚନ ଲଘିଂ ପାରିବ ଅଦ୍ୟାପି ॥
ରହିବୁ ତୁମ୍ଭର ମଠେ ସୁଖେ ଭୁଞ୍ଜି ଅନ୍ନ ।ଏଥିରେ ମଙ୍ଗଳ ଆଉ ଅଛଇ କି ଆନ ॥
ଏତେ କହି ମୁନିଗଣ ସଙ୍ଗେ ଦେବରାଜେ ।ବ୍ୟାସଋଷି ଆଶ୍ରମରେ ଯାଇ କଲେ ବିଜେ ॥
ହରଷରେ ବେଦବ୍ୟାସ ମଣ୍ଡିଲେ ଆଶ୍ରମ ।ମନ୍ଦିର ଲିପିଣ ଝୋଟି ଦେଇ କଲେ କମ ॥
କାମଧେନୁ ସାହା ଅଛି ଯେବଣ ବ୍ୟାସଙ୍କୁ ।ମନ କଲେ କେଉଁ କଥା ଅପୂର୍ବ ତାହାଙ୍କୁ ॥
ତତକ୍ଷଣେ ବିଚାରିଲେ ମନେ ଯେତେ ଦ୍ରବ୍ୟ ।ସେ ଦ୍ରବ୍ୟ ଆଶ୍ରମେ ଆସି ଠୁଳ ହେଲା ସର୍ବ ॥
ବ୍ରହ୍ମଋଷି ଆଶ୍ରମରେ ବିଜେ ଲକ୍ଷ୍ମୀପତି ।ସେଠାରେ ଅପୂର୍ବ ନୁହେ କୋଟି ଇନ୍ଦ୍ରଭୂତି ॥
ପରୀକ୍ଷ ନୃପତି ଆଗେ ଶୁକ ମହାମୁନି ।କହନ୍ତି ଶ୍ରୀ ଭାଗବତ ପୁଣ୍ୟମୟ ଧ୍ୱନି ॥
କ୍ଷଣ କ୍ଷଣକରେ ଯାହା କରିବେ ଶ୍ରୀହରି ।ଅସଂକ୍ଷେପ ମାୟା ତାହା କେବା କହିପାରି ॥
ଚୋଳ କରି ବାହିଲେ କି ସାତ ସିନ୍ଧୁ ଶୁଖେ ।ବରପତ୍ରେ ଢ଼ାଙ୍କିଲେ କି ସୂର୍ଯ୍ୟ ତାପ ରଖେ ॥
ପଦେ ମାପି ବ୍ରହ୍ମାଣ୍ଡକୁ କେ ପାରଇ କଳି ।ପିମ୍ପୁଡ଼ି କି ପରାକ୍ରମେ ଗିରି ପାରେ ତୋଳି ॥
ଲେଖନ୍ତି କହନ୍ତେ ଆଦି ଅନ୍ତ ନ ମିଳଇ ।ଚାରିବେଦ ଷଡ଼ଶାସ୍ତ୍ର ପୂରିଅଛି ଯହିଁ ॥
ଅଷ୍ଟାଦଶ ପୁରାଣର ସାଙ୍ଗତା ଯହିଁରେ ।କହି ନ ପାରିବେ ବ୍ରହ୍ମା ଚାରି ବଦନରେ ॥
ସହସ୍ର ମୁଖେ ବାସୁକୀ ପୃଥ୍ୱୀ ବହିଛନ୍ତି ।ତାଙ୍କଠାରୁ ଜ୍ଞାନୀ ଆଉ ଜଗତେ ନାହାନ୍ତି ॥
କାଳାନ୍ତକ ଯୁଗାନ୍ତକ ହୋଇ ସେ ପୁରୁଷ ।କହି ଶେଷ ନ କରିବେ ଯେଉଁ ହରିବଂଶ ॥
ମାନବ ଶରୀର ବହି କେ କହିବ ତାହା ।କେବଳ ଶାରଦା ମୋତେ ହୋଇଛନ୍ତି ସାହା ॥
ସେ ଦେବୀ ମୋ କଣ୍ଠ ମଧ୍ୟେ ବସିଛନ୍ତି ଆସି ।ଗୋବିନ୍ଦ କହନ୍ତି ମୋର ହୃଦୟରେ ପଶି ॥
ନ ପଢ଼ିଲି ବ୍ୟାକରଣ ନ ଜାଣିଲି କିଛି ।ଛଳ ଛଦ୍ମ ଅହଙ୍କାରେ ଶରୀର ଜଡ଼ିଛି ॥
ଅନିତ୍ୟ ସଂସାର ମାୟା ମୋହ ଏ ଯାତନା ।ବ୍ରହ୍ମା ରୁଦ୍ର ଇନ୍ଦ୍ର ଏଥେଁ ହେଉଛନ୍ତି ବଣା ॥
ରକ୍ତ ମାଂସରେ ନିର୍ମିତ ହୋଇଛି ଏ କାୟା ।କ୍ଷଣକରେ ନାଶଯିବ ଜଳବିମ୍ୱ ପ୍ରାୟ ॥
କହୁ କହୁ ଏ ପିଣ୍ଡରୁ ପ୍ରାଣ ଯିବ ଛାଡ଼ି ।କଞ୍ଚା ମାଟି ମେଞ୍ଚା ପ୍ରାୟ ଶବ ଥିବ ପଡ଼ି ॥
ବନ୍ଧୁ ସହୋଦର ପୁତ୍ର ଭାରିଯା ସ୍ୱଜନ ।ବାଡ଼ିବୃତ୍ତି ଦାସ ଦାସୀ ରତନ କାଞ୍ଚନ ॥
ଛନ୍ଦମନ୍ଦ କରି ଅର୍ଜିଥିବ ଦୁଃଖେ ପଡ଼ି ।କ୍ଷଣକରେ ଚାଲିଯିବେ ଏ ସକଳ ଛାଡ଼ି ॥
ପ୍ରାଣ ଥିବାଯାଏ ସର୍ବେ ହୋଇଥାନ୍ତି ସଖା ।ଜୀବନ ଗଲେ ନୁହନ୍ତି କେ କାହାର ଲେଖା ॥
ଶୁଭାଶୁଭ କର୍ମ ଯେତେ ଅର୍ଜିଥାଏ ଅଙ୍ଗେ ।ଯମ ପଥେ ଯିବାକାଳେ ସେହି ଥାନ୍ତି ସଙ୍ଗେ ॥
ଏ ଜନ୍ମରେ ଅର୍ଜିଥିଲେ ସେ ଜନ୍ମରେ ଭୁଞ୍ଜି ।ପାପ ପୁଣ୍ୟ ଲେଖି ଯମ କରିଥାଏ ପାଞ୍ଜି ॥
ଜପ ତପ ବାର ବ୍ରତ ତୀର୍ଥ ମନ୍ତ୍ର ହୋମ ।କ୍ଷୟା ଚତୁର୍ଦ୍ଦଶୀ ବ୍ରତ ଏକାଦଶୀ ଧର୍ମ ॥
ଦାନ ଯଜ୍ଞ ଆଦି ଯେତେ ତୀର୍ଥ ପର୍ଯ୍ୟଟନ ।ଏକା ହରିନାମ ସଙ୍ଗେ ନୁହନ୍ତି ସମାନ ॥
ପ୍ରାଣ ପ୍ରୟାଣ ସମୟେ ହରିନାମ ସଖା ।ଏ ସଂସାର ସାଗରକୁ ହରିନାମ ନୋକା ॥
ମନ ବଚନରେ ହରିନାମ ସୁମରନ୍ତେ ।ଭୁଞ୍ଜଇ ଅଚଳା ଲକ୍ଷ୍ମୀ ଚଳେ ସ୍ୱର୍ଗପଥେ ॥
ଗୁଣବନ୍ତ ପୁଣ୍ୟବନ୍ତ ପ୍ରାଣୀ ଯେଉଁ ନରେ ।ଦିନରାତି ହରିନାମ ସ୍ମରନ୍ତି ମନରେ ॥
ପବିତ୍ର ଗଙ୍ଗାଜଳ ଏ କର୍ଣ୍ଣ ସୁଧାରସ ।ହରିବଂଶ ପଢ଼ି ମୁଖେ ହରି ହରି ଘୋଷ ॥
ଆପଣେ ସେ ପ୍ରଭୁ ମୋତେ କହିଦ୍ୟନ୍ତି ଯାହା ।ସେ ବାଣୀ କର୍ଣ୍ଣରେ ଘେନି ଲେଖଇ ମୁଁ ତାହା ॥
ଜନ୍ମରୁ ମୂରୁଖ ମୋର ନାହିଁ ବିଦ୍ୟାଗତି ।ଜଳେ ଭଙ୍ଗା ନାବ ପ୍ରାୟ ଜାତ ହୁଏ ଭୀତି ॥
ଶିରେ କରପତ୍ର ଯୋଡ଼ି ମାଗୁଅଛି ଏତେ ।ସୁପଣ୍ଡିତେ ଉପହାସ ନ କରିବେ ମୋତେ ॥
ଶ୍ରୀଜଗନ୍ନାଥଙ୍କ ପାଦେ ଲୁଳୁ ମୋର ମାଥ ।ଅଚ୍ୟୁତ ଦାସ କବିକି ରଖ ନନ୍ଦସୁତ ॥
ସାନ୍ଦୀପନି ପଣ୍ଡାଗୃହେ ରାମକୃଷ୍ଣଙ୍କର ପ୍ରବେଶ ଏବଂ ବିଦ୍ୟା ପଠନଶୁକ ବୋଲନ୍ତି ଯେ ଶୁଣ କୁରୁଚୂଡ଼ାମଣି ।ବେଦବ୍ୟାସ ଆଶ୍ରମକୁ ଗଲେ ଚକ୍ରପାଣି ॥
ସୁନାସା ପୁତ୍ର ସୁରଥ ଅଛି ତାଙ୍କ ସଙ୍ଗେ ।ତିନିଭାଇ ମଢ଼ିଆରେ ବିଜେ କଲେ ରଙ୍ଗେ ॥
ବିଶ୍ୱକୂଟ ମଢ଼ିଆ ସେ ମାୟାଧର ସ୍ଥାନ ।ବେଦବ୍ୟାସଙ୍କ ଆଜ୍ଞାରେ ହୋଇଛି ଗୋପନ ॥
ପର୍ଣ୍ଣଶାଳା ପ୍ରାୟେ ଦିଶେ ବାହାରେ ଚାହିଁଲେ ।ସ୍ୱର୍ଗମୟ ଦେଖାଯାଏ ଭିତରକୁ ଗଲେ ॥
ମନୋହର ଭୂମି ତାକୁ ପଟାନ୍ତର ନାହିଁ ।ଅନେକ ବ୍ରାହ୍ମଣେ ମଠ କରିଛନ୍ତି ତହିଁ ॥
ପଞ୍ଚାଣୋଇ ସହସ୍ର ଯେ ବ୍ୟାସଙ୍କର ଶିଷ୍ୟ ।ଶତେ ବାଲଖିଲ୍ୟା ଛନ୍ତି ଏକ ଶିଷ୍ୟ ପାଶ ॥
ଏକ ବାଳଖିଲ୍ୟା ପାଶେ ଶତେ ବିପ୍ର ଖଟି ।ଏସନ ପ୍ରକାରେ ପୂର୍ଣ୍ଣ ସେ ଆଶ୍ରମ ଗୋଟି ॥
ଯେତେ ଋଷି ମୁନି ବିପ୍ର ଆଶ୍ରମରେ ଥାନ୍ତି ।ଯେଝା କର୍ମ କରିବାକୁ ସୁସ୍ଥେ ଠାବ ପାନ୍ତି ॥
କୋଠରୀ ଗମ୍ଭୀରୀ ପିଣ୍ଡା ଦକ୍ଷିଣକୁ ମେଲା ।ବିଶ୍ୱକର୍ମା ସଞ୍ଚିଅଛି ଏକୁ ଏକ ଭଲା ॥
ତପୀଙ୍କର ବସ୍ତ୍ର ମାଳା ମେଖଳା ଏ ସର୍ବ ।ଥୋଇବାକୁ ଅଛି ଯେଝା ଅନୁରୂପେ ଠାବ ॥
ସମଦଣ୍ଡ ଘେନି ଶତେ ଇନ୍ଦ୍ର ଆସେ ଯେବେ ।ସେ ଆଶ୍ରମ ମଧ୍ୟେ ଏକ କୋଣକେ ରହିବେ ॥
ଏତେ ତେତେ ବୋଲି କହିବାକୁ ସଂଖ୍ୟା ନାହିଁ ।ଯାହା ଲୋଡ଼ା କଲେ ତାହା ପୂରିଅଛି ତହିଁ ॥
ନାନାଦି ବ୍ୟଞ୍ଜନ ଅନ୍ନ ଷଡ଼ରସ ବିଧି ।କ୍ଷଣକରେ ଅଷ୍ଟ ଅଇଶ୍ୱର୍ଯ୍ୟ ହୁଏ ସିଦ୍ଧି ॥
ଯତ୍ନକରି ମଣିରତ୍ନେ ମଣ୍ଡିଛି ସେ ପୁର ।ଦେବ ସିଂହାସନ କିବା ଅଳକା ନଗର ॥
ହୋମଶାଳେ କାମଧେନୁ ଅଛଇ ପହୁଡ଼ି ।ଦିବ୍ୟ ସୁକୋମଳ ଘାସ ମୁଖେ ଅଛି ପଡ଼ି ॥
ରାମକୃଷ୍ଣ ଦୁହେଁ ଦେଖି ସନ୍ତୋଷ ହୋଇଲେ ।ଧନ୍ୟ ବ୍ୟାସ ତପୋବନ୍ତ ବୋଲି ପ୍ରଶଂସିଲେ ॥
କୃଷ୍ଣାଜିନ ପାତି ରତ୍ନ ସିଂହାସନ ପରେ ।ରାମକୃଷ୍ଣ ଘେନି ବ୍ୟାସ ବସିଲେ ତହିଁରେ ॥
ଏମନ୍ତ ସମୟେ ପାକ ସିଦ୍ଧ ହେଲା ସବୁ ।ବ୍ୟାସେ ବୋଇଲେ ଭୁଞ୍ଜିବା ଚାଲ ଆଗ ବାବୁ ॥
ଏତେ କହି ଧାତିକାରେ ଆସନୁ ଉଠିଲେ ।ଆହ୍ନିକ ସାରି ମଣୋହି ଶାଳାରେ ବସିଲେ ॥
ସୁପକ୍ୱ ଅନ୍ନ ବ୍ୟଞ୍ଜନ ଭୁଞ୍ଜି ତୋଷ ହୋଇ ।ଦୋହରା ଅଗ୍ନିରେ ବ୍ୟାସଦେବ ବଳି ଦେଇ ॥
ଉଠି ଆଚମନ ସାରି ଭୁଞ୍ଜିଲେ ତାମ୍ୱୁଳ ।ବ୍ୟାସଙ୍କୁ ପୁଚ୍ଛିନ୍ତି କର ଯୋଡ଼ି କାମୁପାଳ ॥
ଭୋ ମୁନି ଅପୂର୍ବ ଆମ୍ଭେ ମଣିଲୁ ଏ କଥା ।ଆନକୁ ଗୋଚର ଏହା ନୁହଇ ସର୍ବଥା ॥
ବାହାରକୁ ଦିଶୁଅଛି କୁଡ଼ିଆଟି ସାନ ।ଭିତରେ ପଶିଲେ ଦିଶେ ସ୍ୱର୍ଗରେ ସମାନ ॥
ରତ୍ନାକରପୁର ପ୍ରାୟେ ରତ୍ନ ତେଜ ଦିଶି ।ଏକ କୋଣେ ତିନି ପୁର ଲୁଚିଯିବେ ପଶି ॥
ବଡ଼ ଅସମ୍ଭବ କଥା ହୋଇଅଛି ଏହୁ ।ଏତେ ଦ୍ରବ୍ୟ ସମ୍ପାଦନ କଲ ତୁମ୍ଭେ କାହୁଁ ॥
ପଇଡ଼ ଶାକର ଖଜା ଖଣ୍ଡ ଇକ୍ଷୁ ପଣା ।କଦଳୀ ଡାଳିମ୍ୱ ଏକୁ ଏକ ଜିଣା ॥
ସିଂଘଡ଼ା ଶାଲୁକ ବେଣ୍ଟି ମୂଳା କନ୍ଦମୂଳ ।କମଳା ନାରଙ୍ଗ ଟଭା ନାରିକେଳ ଫଳ ॥
ଅଧାମ ଗୋଟିକା ସର ଲବଣୀ ଯେ ଛେନା ।ସୁପକ୍ୱ ଅନ୍ନ ବ୍ୟଞ୍ଜନ ଷଡ଼ରସ ନାନା ॥
ଅରଣ୍ୟ ନିବାସୀ ତୁମ୍ଭେ ଅଟ ତପୋଧନ ।ଏଠାରେ ପାଇଲ ମୁନି କିରୂପେ ଏମାନ ॥
ବ୍ୟାସ ବୋଇଲେ ଆପଣେ ଶ୍ରୀମନ୍ତ ପୁରୁଷ ।ତୁମ୍ଭେ ଯହିଁ ଯିବ ତହିଁ ନ ମିଳିବ କିସ ॥
ମୁଁ କି ଜଣାଇବି ତୁମ୍ଭେ ନ ଜାଣ କି ବାବୁ ।ତୁମ୍ଭେ ପରା ମାୟାଧର ଭିଆଇଛ ସବୁ ॥
ଏହି କାମଧେନୁ ଗୋଟି ଅଛି ମୋର କତି ।କପିଳାଙ୍କ ଦୁହିତା ଏ ନାମ ବେଦବତୀ ॥
ଏହାଙ୍କର କଲ୍ୟାଣରୁ ସଂସାର ପ୍ରକାଶ ।ଏ ଗାଭୀ ପ୍ରସନ୍ନ ଥିଲେ ଅପୂର୍ବ ବା କିସ ॥
ଏହାଙ୍କର ପ୍ରସାଦରୁ ସୃଷ୍ଟି ହୁଏ ଜାତ ।ସମୟକେ ଏହି ପୁଣି କରନ୍ତି ନିପାତ ॥
କପିଳାର ଏହିରୂପ ଚୌଷଠି ନନ୍ଦିନୀ ।ବ୍ରହ୍ମ ପ୍ରଳୟେ ଏମାନେ ଥାନ୍ତି ଦେହ ଘେନି ॥
ନନ୍ଦିନୀକେ ଜନମିଲେ ବାରଲକ୍ଷ ବତ୍ସା ।ବତ୍ସାକେହି ଷଡ଼ଲକ୍ଷ ଉପୁଜିଲେ ଶାଖା ॥
ଏହିରୂପେ କାମଧେନୁ ଗୋଲକରେ ଥାନ୍ତି ।ତପସିଦ୍ଧ ହେଲେ ମୁନି ଏକ ଧେନୁ ପାନ୍ତି ॥
ଆମ୍ଭେ ତପ ସିଦ୍ଧ ଯହୁଁ ହେଲା ନନ୍ଦବତ୍ସି ।ତେଣୁ କାମଧେନୁ ଏକ ବତ୍ସା ଦେଲେ ଯାଚି ॥
ଏ ଧେନୁଙ୍କ ମୁଖ ଚାହିଁ ବାଞ୍ଛେ ଯେଉଁ ଦ୍ରବ୍ୟ ।ଏକ ନିଃଶ୍ୱାସକେ ତାହା ମିଳେ ଆସି ସର୍ବ ॥
ନନ୍ଦିନୀ ପ୍ରସାଦେ ମୋର ନାହିଁ କିଛି ଚିନ୍ତା ।ରାମ କୃଷ୍ଣ ଆଗେ ବ୍ୟାସ କହନ୍ତି ଏକଥା ॥
ବଳରାମ ବୋଇଲେ ହେ ବ୍ୟାସ ତୁମ୍ଭେ ଧନ୍ୟ ।ତପସିଦ୍ଧ କରି ଯେଣୁ ପାଇଲ ଏମାନ ॥
ତୁମ୍ଭ ଯଜ୍ଞ ଅନ୍ନ ଭୁଞ୍ଜି ତୋଷ ହେଲୁ ଆଜ ।ପାଇଲୁ ପରମ ଗତି ହେଲା ବହୁ କାର୍ଯ୍ୟ ॥
ଏତେ କହି ଆଶ୍ରମରେ ସୁଖେ ଛନ୍ତି ବସି ।ସେଠାରେ ମିଳିଲେ ଆସି ନାରଦ ମହର୍ଷି ॥
ମନପବନ ଦଣ୍ଡକୁ ଆରୋହିଣ ବେଗେ ।ପ୍ରବେଶ ହୋଇଲେ ଆସି ବ୍ୟାସଙ୍କର ଆଗେ ॥
ନାରଦଙ୍କୁ ଦେଖି ବ୍ୟାସ କୁଶାସନ ତେଜି ।ଉଠିଣ ପ୍ରଣାମ କଲେ ଆନନ୍ଦରେ ମଜ୍ଜି ॥
ଋଷିପୁତ୍ର ବାଳଖିଲ୍ୟା ଯେତେ ତହିଁ ଥିଲେ ।ନାରଦଙ୍କ ପାଦେ ସର୍ବେ ନମସ୍କାର କଲେ ॥
କୃଷ୍ଣ କାମପାଳ ଆଉ ସୁନାସ କୁମର ।ନାରଦଙ୍କ ପାଦତଳେ କଲେ ନମସ୍କାର ॥
ସମସ୍ତଙ୍କୁ ସୁକଲ୍ୟାଣ କରି ତପଶୀଳ ।କୃଷ୍ଣଙ୍କୁ ବୋଇଲେ ପାଅ ମନବାଞ୍ଛା ଫଳ ॥
ଇନ୍ଦ୍ର ତାଙ୍କୁ ଯେଉଁ ମଣି ମନ୍ତ୍ର ଦେଇଥିଲେ ।ସେ ପାଦୁକା ମଣିମନ୍ତ୍ର ଯତ୍ନେ ରଖିଥିଲେ ॥
ରାମକୃଷ୍ଣ କରେ ତାହା ଦେଇ ମୁନୀଶ୍ୱର ।ବୋଇଲେ ଯତନେ ରଖ ହଳୀ ଚକ୍ରଧର ॥
ଏ ମଣି ପାଦୁକା ମନ୍ତ୍ର ଥିଲେ ତୁମ୍ଭଠାରେ ।ଲକ୍ଷେକ ଯୋଜନ ଯିବ କ୍ଷଣକ ଭିତରେ ॥
ମଣିଘେନି ମନ୍ତ୍ର ଯେବେ ସ୍ମରଣ କରିବ ।ଅବନ୍ତୀପୁରକୁ ଅର୍ଦ୍ଧ ନିଃଶ୍ୱାସକେ ଯିବ ॥