ହରିବଂଶ (ଚତୁର୍ଥ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୬ / ୮ · ଗୋପାଳଙ୍କ ସହିତ ନନ୍ଦର ଗୋପପୁର ପ୍ରତ୍ୟାବର୍ତ୍ତନ (୪)
ସମ୍ପୂର୍ଣ୍ଣ ସୂଚୀପତ୍ର
ଅଚିନ୍ତେ ଐଶ୍ୱର୍ଯ୍ୟ ଭୋଗ କରନ୍ତି ସରବେ ।ରାଜା ବିନା ଆନେ ଭୟ ନ କରନ୍ତି ଲବେ ॥
କୁବେର ସମ ଅଟନ୍ତି ସର୍ବେ ଧନବନ୍ତା ।ଅକାଳ ମରଣ ନାହିଁ ରୋଗ ଶାନ୍ତି ଚିନ୍ତା ॥
ପ୍ରତ୍ୟକ୍ଷେ କମଳା ଯହିଁ ହୋଇଛନ୍ତି ଜାତ ।ପରାପର ଦେବତା ସେ ଜଗତର ମାତ ॥
ଧନ୍ୟ ସେ ଭୀଷ୍ମକ ରାଜା ଦ୍ୱିଜ ଶୁଦ୍ଧଜାତି ।ତେଣୁ ତା ଗୃହରେ ଲକ୍ଷ୍ମୀ ଜନ୍ମ ହୋଇଛନ୍ତି ॥
କ୍ଷଣକେ ଯେ କୋଟିଇନ୍ଦ୍ର ପଦ ପାରେ ଦେଇ ।ଭୀଷ୍ମ ଘରେ ଆସି ଜନ୍ମ ହୋଇଛନ୍ତି ସେହି ॥
ଚତର୍ଦ୍ଦଶ ବ୍ରହ୍ମାଣ୍ଡର ଆଦି ଠାକୁରାଣୀ ।ଜଗତର ସୃଷ୍ଟି ସ୍ଥିତି ପ୍ରଳୟ କାରିଣୀ ॥
ସେ ଦେବୀ ଜନମ ହୋଇଛନ୍ତି ଯାହାଘରେ ।ତା ସମ୍ପଦ ବର୍ଣ୍ଣି କେବା କହିବ ମୁଖରେ ॥
ରାଜା ମହାରାଜା ଆଦି ଭୂୟାଁ ସେ ଭୂପାଳେ ।ସମସ୍ତେ ଖଟନ୍ତି ଆସି ଭୀଷ୍ମ ପାଦତଳେ ॥
ସଂଗ୍ରାମେ ଦୁର୍ଜ୍ଜୟ ରାଜା ଧନ ଅପ୍ରମିତ ।ମହାରଥୀ ସଙ୍ଗରେ ସେ ହୁଅଇ ଗଣିତ ॥
ରୁକ୍ମଣ ପ୍ରତିର ରୁକ୍ମି କେଶରୀ ସୁମାଳି ।ଭୀଷ୍ମକର ଏହି ପାଞ୍ଚ ପୁତ୍ର ମହାବଳୀ ॥
ଜଣେ ଜଣେ ମହାବୀର ସମରେ ଦୁର୍ଜ୍ଜୟ ।ସୁର ସିଦ୍ଧ ଅସୁରଙ୍କୁ ନ କରନ୍ତି ଭୟ ॥
ଧନଗର୍ବେ ବଳଗର୍ବେ ସର୍ବେ ଉନମତ୍ତା ।ଲକ୍ଷ୍ମୀ ଯାର ଭଗ୍ନୀ ତାର ଅଛି କେଉଁ ଚିନ୍ତା ॥
ରାଜାପାଟ ମହାଦେଈ ସୁଲକ୍ଷଣୀ ନାରୀ ।ପାଞ୍ଚ ପୁତ୍ର ଦୁହିତାଏ ଅଛି ଜାତ କରି ॥
ଧନ୍ୟ ତାର ଗର୍ଭ କେତେ ପୁଣ୍ୟ ଅର୍ଜିଥିଲା ।ଜଗନ୍ନାଥ ଚଞ୍ଚଳାକୁ ଗର୍ଭେ ଠାବ ଦେଲା ॥
ଆବର ସେ ପାଞ୍ଚପୁତ୍ର ଗର୍ଭୁ କଲା ଜାତ ।ଧନ ବିଦ୍ୟା ବଳ ଗୁଣେ ସମସ୍ତେ ବିଖ୍ୟାତ ॥
ସାମବେଦୀ ବ୍ରାହ୍ମଣ ସେ ଭୀଷ୍ମ ମହାରାୟେ ।ଆଚାରେ ପଣ୍ଡିତ ସେହୁ ସଦା ପୁଣ୍ୟମୟେ ॥
କମଳିନୀ ଦେବୀ ଯହିଁ ଛନ୍ତି ଅବତରି ।ସମୂର୍ଣ୍ଣ ଏଗାର ବର୍ଷ ଅପୂର୍ବ ସୁନ୍ଦରୀ ॥
ତିନି ତ୍ରୈଲୋକ୍ୟରେ ନାହିଁ ତାଙ୍କୁ ପଟାନ୍ତର ।ତିନିପୁର ଶୋଭା ଖଟେ ଚରଣେ ଯାହାର ॥
କାମଦେବ ଅବତାର ହେବେ ଯାର ଗର୍ଭେ ।ସେ ଆସି ରୁକ୍ମିଣୀ ରୂପେ ଜନ୍ମିଛନ୍ତି ଏବେ ॥
ଯେବଣ କଟକରେ ସେ ଛନ୍ତି ଅବତରି ।ବରୁଣ ପାଟଣା ତାକୁ ନୋହେ ସମସରି ॥
କହନ୍ତି ପରୀକ୍ଷ ଆଗେ ଶୁକ ମହାଯତି ।ଏକମନ ହୋଇ ଶୁଣ ପଣ୍ଡୁ ପଣନାତି ॥
ହରିବଂଶ ଚରିତ ଏ ପୁଣ୍ୟ ଗଙ୍ଗାଜଳ ।ଶ୍ରବଣେ ଶୁଣିଲେ ଜନ୍ମ ହୋଇବ ସଫଳ ॥
ଅକାଶ ମଣ୍ଡଳେ ରଥ ରୁହାଇ ଶ୍ରୀପତି ।ଭୀଷ୍ମକ ସମ୍ପଦ ଦେଖି ପ୍ରଶଂସା କରନ୍ତି ॥
ହାତୀ ରଥୀ ମହାରଥୀ ପଦାତି ଗହଳ ।ଅଶ୍ୱ ଓଟ ସଇନରେ ନଗର ସଙ୍କୁଳ ॥
ଦେଉଳ ମଣ୍ଡପ ମେଢ଼ ଅଟ୍ଟାଳୀ ଜଗତୀ ।ପାତ୍ରମନ୍ତ୍ରୀ ଘରମାନ ଦିଶେ ପନ୍ତି ପନ୍ତି ॥
ଚାରିଊଣା ଲକ୍ଷେ ରାଜା ଚତୁରଙ୍ଗ ବଳ ।ସଙ୍ଗତେ ଘେନାଇଁ ଆସି ହୋଇଛନ୍ତି ଠୁଳ ॥
ସମସ୍ତେ ରହିବା ପାଇଁ ଚିତ୍ର ଗୃହମାନ ।ନିର୍ମାଣ କରଇଛନ୍ତି ଭୀଷ୍ମକ ରାଜନ ॥
ଯେ ଯେଡ଼େ ଭାଜନ ତାକୁ ତେଡ଼େ ସ୍ଥାନ ଦେଇ ।ସମାରୋହେ ରଖିଛନ୍ତି ଗୌରବ କରାଇ ॥
ହାତୀ ପାଇଁ ଉଚ୍ଚମେଲା ଅଶ୍ୱ ପାଇଁ ଶାଳ ।ରାଜାଙ୍କର ସୌଧମାନ ଦିଶଇ ଧବଳ ॥
ଚାରିବର୍ଣ୍ଣ ପାକଶାଳ ଗୃହ ଭିନ୍ନ ଭିନ୍ନ ।ସୁପକ୍ୱ ଅନ୍ନ ଭୁଞ୍ଜନ୍ତି ସର୍ବେ ପ୍ରତିଦିନ ॥
ଅମୃତପାଣି କଦଳୀ ପିଠା ଖଜା ଫେଣୀ ।ଦଧି ଦୁଗ୍ଧ ଛେନା ଘୃତ ଅଧାମ ଲବଣୀ ॥
ପଇଡ଼ ନଡ଼ିଆ ଆମ୍ୱ ଦାରାକ୍ଷ ଖଜୁରୀ ।ସିଂଘଡ଼ା ନାରଙ୍ଗ ଟଭା ଲେମ୍ୱୁ ଆଦିକରି ॥
କ୍ଷୀରୀ କ୍ଷୀରୀଷା କାକରା ଗଜା ସରପୁଳି ।ନାନାଦି ବ୍ୟଞ୍ଜନ ଅନ୍ନ ଏକୁ ଏକ ବଳି ॥
ସତ୍ରଶାଳାରେ କରଣେ ରହିଥାନ୍ତି ଜଗି ।ଗୌରବ କରି ଭୁଞ୍ଜାନ୍ତି ସକଳ ନିଯୋଗି ॥
ନଗ୍ରଯାକ ଆନନ୍ଦରେ ପଡ଼ଇ ଚହଳ ।ସମୁଦ୍ର ଗର୍ଜ୍ଜନ ପ୍ରାୟେ ମୁଖରାବ ଗୋଳ ॥
ଢ଼ୋଲ ଦମା ବିଜିଘୋଷ ମର୍ଦ୍ଦଳ ମହୁରୀ ।ଦାଉଣ୍ଡୀ ଟମକ ଚାଙ୍ଗୁଯୋଡ଼ା ଶଙ୍ଖ ଭେରୀ ॥
ମୁରଜ କଂସାଳ ତାଳ ନାନା ଯନ୍ତ୍ର ଗୁଣା ।ଡ଼ିଣ୍ଡିମ ପଟ୍ଟହ ଧୂଳି ସରହସ ବୀଣା ॥
ବିବିଧ ବାଜଣା ବାଜେ ଏକୁ ଏକ ବଳି ।ବାଦ୍ୟନାଦ ଶବଦରେ କୁରୁମ ଉଛୁଳି ॥
ନାରୀଙ୍କର ହୁଳହୁଳି ବିପ୍ରଙ୍କର ବେଦ ।ସେନାଙ୍କର ମୁଖରାବ ନୃତ୍ୟଗୀତ ନାଦ ॥
ହସ୍ତୀଙ୍କର ଗରଜନ ଘୋଡ଼ା ତଡ଼ବଡ଼ି ।ଶୁଭଇ ଶାରଦ ମେଘେ ଯେହ୍ନେ ଘଡ଼ଘଡ଼ି ॥
ଟଳ ଟଳ ବସୁମତୀ କମ୍ପେ ସପ୍ତଫେଣୀ ।ନାଚନ୍ତି ବିବିଧ ରଙ୍ଗେ ବାରବିଳାସିନୀ ॥
ଭାଟ ବନ୍ଦିଗଣେ ମିଳି କରୁଛନ୍ତି ସ୍ତୁତି ।ନାଚନ୍ତି ନର୍ତ୍ତକୀଗଣେ ଉତ୍ସବରେ ମାତି ॥
ଗଗନ ମାର୍ଗରେ ରଥ ରୁହାଇ ଶ୍ରୀହରି ।ପ୍ରଶଂସା କରନ୍ତି ଦେଖି କୁଣ୍ଡିନ ନଗରୀ ॥
ନଗ୍ରଯାକ ଘରେ ଘରେ କରନ୍ତି ମଣ୍ଡଣି ।ଦାଣ୍ଡ ପହଁରି ସିଞ୍ଚନ୍ତି ଚନ୍ଦନର ପାଣି ॥
ସୁଧାଲିପି କାନ୍ଥବାଡ଼େ ପିତୁଳିକା କମ ।ପୀଢ଼ାର କଳଶ ପରେ ଝଲକଇ ହେମ ॥
ତହିଁର ଉପରେ ନେତ ବିତପନ ଉଡ଼େ ।ନିର୍ମଳ ମେଘରୁ ଖସି ବିଜୁଳି କି ପଡ଼େ ॥
ନେତ ପତନି ସିନ୍ଧୁଆ କେଦାର ମାଞ୍ଜିଷ୍ଠ ।ସୁପୀତ ନୀଳ ବସନ୍ତ ନାନା ବର୍ଣ୍ଣେ ପାଟ ॥
ନାନା ବର୍ଣ୍ଣେ ଚିତ୍ରଶାଢ଼ୀ ଝଲମଲ ଝୁଲା ।ମେଲା କାଠ ମଣ୍ଡଣିରେ ଉଭା ତ୍ରୋଣାମାଳା ॥
କ୍ଷୁଦ୍ରଘଣ୍ଟି ଘର୍ଘରିକା ଦରପଣ ପନ୍ତି ।ଝଲକ ପାତିଆ ସଙ୍ଗେ ଶୋହେ ଚନ୍ଦ୍ରକାନ୍ତି ॥
ବିଚିତ୍ର ଚାନ୍ଦୁଆ ତଳେ ରଙ୍ଗପାଟ ଗଣ୍ଠି ।ବଦରିକା ଫଳ ପ୍ରାୟେ ଲମ୍ୱେ ସୁନା କଣ୍ଠି ॥
ଜାଇଯୂଈ ଶ୍ୱେତ ଚମ୍ପା ମାଳତୀର ଚୂଳ ।ପୁନ୍ନାଗ ପାଟଳୀ ମଲ୍ଲୀ ସେବତୀ ବକୁଳ ॥
ପଞ୍ଚବର୍ଣ୍ଣେ ଫୁଲ ଧଣ୍ଡା ପାଖୁଡ଼ା ସେବତୀ ।ମାଳ ମାଳ ଗୁନ୍ଥାହୋଇ ଲମ୍ୱେ ଚଉକତି ॥
ଥୋକାଏ ରାଜା ରହିଲେ ତମ୍ୱୁଘରେ ଟାଣି ।ପର୍ବତ ଶିଖରେ ଥୋକେ ରହିଲେକ ପୁଣି ॥
ନଦୀବାଲି ପରିମଳ ଦେଖି କେତେ ନୃପ ।ଠାବ ଠାବ ହୋଇ ବସା କରିଲେ ଅମାପ ॥
ପାତ୍ରମନ୍ତ୍ରୀ ସେନା ଘେନି ନୃପଗଣ ଯେତେ ।ଯେ ଯାହାରେ ବାସ ପାଇ ରହିଲେ ସମସ୍ତେ ॥
ଯେବଣ ପଦାର୍ଥ ଲୋଡ଼ା ହୁଅଇ ଯାହାକୁ ।ଭୀଷ୍ମକ ଆଜ୍ଞାରେ ଲୋକେ ଦିଅନ୍ତି ତାହାକୁ ॥
ଚତୁର୍ବିଧଭକ୍ଷ୍ୟ ଭୋଜ୍ୟ ମିଳେ ଅକଳନା ।ଯେ ଯାହା ନିଅଇ ତାକୁ ନ କରନ୍ତି ମନା ॥
ଅକଳିତ ଭଣ୍ଡାର ସେ ପଡ଼ଇ ଉଛୁଳି ।ଦିନକୁ ଦିନ ସହସକ୍ରେ ଗୁଣରେ ଉଗୁଳି ॥
ଲକ୍ଷ୍ମୀଙ୍କର ଯାହାଠାରେ ଅନୁଗ୍ରହ ଥାଏ ।କୋଟି ଇନ୍ଦ୍ର ସମ୍ପଦ ସେ ମଣେ ତୁଚ୍ଛ ପ୍ରାୟେ ॥
ସେ ଯେଉଁ ଭଣ୍ଡାର ଦେଇଛନ୍ତି ଦୟାକରି ।ମାନବେ ବହିଲେ ଶେଷ ହୋଇବ କିପରି ॥
ବଡ଼ ଅସମ୍ଭବ କଥା ଲୋକେ ଅଗୋଚର ।କେ ବର୍ଣ୍ଣିବ ରୁକ୍ମିଣୀଙ୍କ ବିଭା ସ୍ୱୟମ୍ୱର ॥
ଗୃହ ଲିପାପୋଛା କରି ପାତ୍ରମାନ ଥୋଇ ।ଚୌରାଶୀ ବର୍ଣ୍ଣେ ଯୋଗାଡ଼ ପରଷନ୍ତି ନେଇ ॥
ଏ ବିଧିରେ ଜଣେ ଜଣେ ବସାଇଣ ସର୍ବ ।ଚରଚା କରନ୍ତି ନେଇ ନାନା ମିଷ୍ଟଦ୍ରବ୍ୟ ॥
ଭୁଞ୍ଜି ଉଠିଲେ ସଙ୍ଖୁଡ଼ି ନିଅନ୍ତି ଉଠାଇ ।କୃଷ୍ଣବେଣୀ ଜଳେ ପାତ୍ର ପଖାଳନ୍ତି ନେଇ ॥
ଏ ବିଧିରେ ଲକ୍ଷେ ରାଜା ସଙ୍ଗେ ଯେତେ ସୈନ୍ୟ ।ଦିବସକେ ତିନିବେଳ କରନ୍ତି ଭୋଜନ ॥
ଭୋଜନ ଶେଷେ ଯୋଗାନ୍ତି ଦିବ୍ୟ ବାସଗୁଆ ।ଅଖଣ୍ଡିତ ଶ୍ରୀକର୍ପୂର ତାମ୍ୱୁଳ ବିଡ଼ିଆ ॥
କସ୍ତୁରୀ ଚନ୍ଦନ ସଙ୍ଗେ ଯେ ପନୀର ପାଣି ।ସମସ୍ତଙ୍କ ଶରୀରରେ ଲେପିଦ୍ୟନ୍ତି ଆଣି ॥
ସୁଗନ୍ଧ ସେବତୀ ଗଭା ମସ୍ତକରେ ବାନ୍ଧି ।ସତ୍ରଶାଳାରୁ ଆସନ୍ତି ନବଶସ୍ତ୍ର ପିନ୍ଧି ॥
ନାହିଁ ନୋହିବ ସଂସାରେ ଏସନ ମହିମା ।ରୁକ୍ମିଣୀଙ୍କ ସ୍ୱୟମ୍ୱର ଭୀଷ୍ମକ ଗାରିମା ॥
ସତ୍ରଶାଳା ମହିମା ଯେ ଅଟଇ ଏମନ୍ତ ।ରାଜାଙ୍କ ଗୌରବ ଅବା କେ କରିବ ଅନ୍ତ ॥
ହାତୀପାଇଁ ବଟ ଡାଳ ଘୋଡ଼ା ପାଇଁ ବିରି ।ଗୋରୁପାଇଁ ଘାସ ଆଣି ରଖିଛନ୍ତି ଭରି ॥
ବ୍ରାହ୍ମଣଙ୍କୁ ଆଦି କରି ଚଣ୍ଡାଳ ପର୍ଯ୍ୟନ୍ତେ ।ଚରଚା କରନ୍ତି ଲାଗି ଯାକୁ ଯେଝାମତେ ॥
ପ୍ରତ୍ୟକ୍ଷେ କମଳା ଜନ୍ମ ହୋଇଛନ୍ତି ଯହିଁ ।ସେଠାରେ ଖୋଜିଲେ ଅବା କିସ ନ ମିଳଇ ॥
ଆପଣେ ଭୀଷ୍ମକ ରାଜା ମନେ ଶ୍ରଦ୍ଧା କରି ।ଲକ୍ଷେ ରାଜା ଅଣାଇଛି ନିମନ୍ତ୍ରଣେ ବରି ॥
ଯେ ଯାହାର ଅଙ୍ଗବଳ ସଙ୍ଗତେ ଘେନାଇ ।ରାଜାମାନେ ଆସିଛନ୍ତି କନ୍ୟା ନେବପାଇଁ ॥
ନଦୀ ବେନି ପାରୁଶରେ ନଗ୍ର ଭିଆଇଲେ ।ସୈନ୍ୟ ଘେନି ରାଜାମାନେ ତହିଁରେ ରହିଲେ ॥
ବିଚିତ୍ର ତୋରଣା ଆମ୍ୱଡାଳ ପୂର୍ଣ୍ଣକୁମ୍ଭ ।ଦ୍ୱାରେ ଦ୍ୱାରେ ପୋତିଛନ୍ତି କଦଳୀର ସ୍ତମ୍ଭ ॥
ବିଚିତ୍ର ଚାମରପନ୍ତି ରଙ୍ଗ କଳା ଧଳା ।ସ୍ଥାନେ ସ୍ଥାନେ ଲମ୍ୱିଅଛି ମାଣିକ୍ୟରେ ମାଳା ॥
ସପତ ମର୍ଭୁତ ଘର କୁଣ୍ଡିନ ନଗରେ ।ଯେଝାପୁରେ ମଣ୍ଡିଛନ୍ତି ନୃପତି ଆଜ୍ଞାରେ ॥
ପାତ୍ର ମନ୍ତ୍ରୀ ସହିତରେ ପୁରବାସୀ ଯେତେ ।ନରନାରୀମାନେ ବେଶ ହୋଇଣ ସମସ୍ତେ ॥
ଉତ୍ସବ ଦେଖିବାପାଇଁ ହୁଅନ୍ତି ବାହାର ।ସବୁରି ମନରେ ଜାତ ହରଷ ଅପାର ॥
କାହିଁ ନୃତ୍ୟ ଗୀତ କାହିଁ ଖେଳ କଉତୁକ ।କାହିଁ ନାନା ଦ୍ରବ୍ୟ ଥୋଇ ବିଜନ୍ତି ବଣିକ ॥
କାହିଁ ଗଜ ଯୂଥ କାହିଁ ଘୋଡ଼ା ପନ୍ତି ପନ୍ତି ।କେଉଁଠାରେ ଫରି ଖଣ୍ଡା ପାଇକେ ସାଧନ୍ତି ॥
ସବୁରି ମନ ହରଷ ବିରସ ଯେ ନାହିଁ ।ଆସିଛନ୍ତି ସ୍ୱୟମ୍ୱର ଦେଖିବାର ପାଇଁ ॥
ଭୀଷ୍ମକର ଜ୍ୟେଷ୍ଠପୁତ୍ର ଅଟଇ ରୁକ୍ମଣ ।ଯେ ଯାହାର ଦେଖି ମାନ୍ୟ କରେ ଜଣେ ଜଣ ॥
ଛୟାଣୋଇ ସସ୍ର ରାଜା ଗଉରବ ପାଇ ।ରଙ୍ଗସଭା ଆସ୍ଥାନରେ ବିଜେ କଲେ ଯାଇ ॥
ପାଞ୍ଚ ସହସ୍ର ବଖରା ବିଚିତ୍ର ମଣ୍ଡଣି ।ଅମର ବାରସ୍ୱତୀକି ପଟାନ୍ତରେ ଜିଣି ॥
ମାରାଗ ରତନ ପୀଢ଼ ତିନି ତାଳ ଉଚ୍ଚ ।ବେଲାଉଳ କାଠେ ବଡ଼ ଶୋଭିତ ସୁସଞ୍ଚ ॥
ରତନ ଖମ୍ୱ ଉପରେ ସୁବର୍ଣ୍ଣର ଶ୍ରେଣୀ ।ଉପରେ ଧବଳ ଘର ଝିଙ୍କର ଛାଏଣି ॥
ଚାରା ପଗଡ଼ର କାଠ ନନ୍ଦାବର୍ତ୍ତକମ ।ଗଜଦନ୍ତ ପିତୁଳାରେ ଝଲକଇ ହେମ ॥
ହୀରା ନୀଳା ବଇଡ଼ୁର୍ଯ୍ୟ ଲମ୍ୱେ କେରି କେରି ।ପିତୁଳାମାନଙ୍କ ରୂପ ଦିଶେ ପରୀ ପରି ॥
ମାଣିକ୍ୟର ଦୀପାବଳୀ ଜଳେ ଚଉକତି ।ଶତେ ଚନ୍ଦ୍ର ଉଦେ ହେଲେ ପ୍ରାୟ ଦିଶେ ଜ୍ୟୋତି ॥
ଦଶ ନଳ ଆୟତନ ବଖରାକ ସ୍ଥଳୀ ।ଅଷ୍ଟରତ୍ନ ହାର ଲମ୍ୱ ଦିଶେ ଦିବ୍ୟ ଝଳି ॥
ପ୍ରତି ପଞ୍ଚବିଂଶ ନଳ ସଭାର ଆରମ୍ଭ ।ନଳକରେ ସ୍ଥାପିଅଛି ଏକ ଏକ ଖମ୍ୱ ॥
କେବଣ ଖମ୍ୱେ ମର୍କତ ମାଣିକ୍ୟର ସଞ୍ଚା ।କେଉଁ ଖମ୍ୱ ନୀଳବର୍ଣ୍ଣ କେ ଦିଶଇ ପଚା ॥
ଖମ୍ୱେ ଖମ୍ୱେ ଖଞ୍ଜିଅଛି ନବରତ୍ନ ମଣି ।ଜାଜ୍ୱଲ୍ୟମାନ ତେଜରେ ନିନ୍ଦେ ଦିନମଣି ॥
ନିଜେ ବିଶ୍ୱକର୍ମା ଆସି ଗଢ଼ିଛି ସେ ସଭା ।ତିଳେ ବାଙ୍କ ବକ୍ର ନାହିଁ ଦିଶେ ଦିବ୍ୟ ଶୋଭା ॥
ପବିତ୍ର ଗଜ ପାତିଆ ରୁଅ ଶେଣୀ କାଣ୍ଡ ।ଧୂଳି ମାରି ଯୋଡ଼ିଅଛି କରିଣ ଅଖଣ୍ଡ ॥
ପ୍ରତି ବଖରାରେ ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ।ନାନାବର୍ଣ୍ଣେ ସଜାଇଛି ସୂଚୀକାମ ନୂଆ ॥
ବୀର କେଦାର ଚାମର ସୁବାସିତ ପୁଷ୍ପ ।ମେଲା କାଠ ମଣ୍ଡଣିରେ ଲମ୍ୱେ ଚଉପାଶ ॥
ଧାଡ଼ି ଧାଡ଼ି ରେଖ ଦିଶେ ପନ୍ତି ପନ୍ତି ।ନକ୍ଷତ୍ର ଉଦୟ ହେଲା ପ୍ରାୟ ଶୋଭାପାନ୍ତି ॥
ଅଳକା ଭୁବନ ପ୍ରାୟ ଦିଶଇ ସେ ଶୋଭା ।ବାରସ୍ୱତୀ ଭୁବନରୁ ଅଧିକରେ ପ୍ରଭା ॥
ମଧ୍ୟେ ରାଜିସିଂହାସନ ଅଛି ଧାଡ଼ି ଧାଡ଼ି ।ପାବଚ୍ଛକେ ବେନି ସିଂହ ବିସଛନ୍ତି ମାଡ଼ି ॥
ଛାୟା ମଣ୍ଡପର ମେଲା କାଠର ମଣ୍ଡଣି ।ନାରଙ୍ଗ ଗୁଆ କଦଳୀ ଯେ ଅମୃତପାଣି ॥
ଆମ୍ୱ ପଇଡ଼ ପଣସ ଦାରାକ୍ଷ ଖଜୁରୀ ।ନାନା ପ୍ରକାରେ ଗୋରସ ଥୋଇଅଛନ୍ତି ଭରି ॥
ଶାକର ଖଣ୍ଡର ଫେଣୀ ଛତୁଆ ସହିତେ ।କର୍ପୂର କସ୍ତୁରୀ ଗନ୍ଧ ଆଦିକରି ଯେତେ ॥
ନାନାବିଧ ଉପଚାର ନାନାବିଧ କାମ ।ବିବିଧ ଯୋଗାଡ଼ ନାନା ଅଳଙ୍କାର ହେମ ॥
କୋଟିରତ୍ନ ଆଭରଣ କୋଟିଏ ବସନ ।ଚାରିଊଣା ଲକ୍ଷେ ରାଜା ପାଇଁ ସିଂହାସନ ॥
ଅମୂଲ୍ୟ ସୁପାତି ସିଂହାସନର ଉପରେ ।ସେବତୀ ପାଖୁଡ଼ା ବିଞ୍ଚା ହୋଇଛି ତହିଁରେ ॥
କର୍ପୂର କସ୍ତୁରୀ ଗୁଣ୍ଡା ପନିଅର ସିଞ୍ଚି ।ବରହିପୁଚ୍ଛ ଚାମର ଠାବେ ଠାବେ ଅଛି ॥
ହଂସୁଲୀ ତୂଳୀ ମୁଚୁଳା ତୁଳା ଅପସର ।ଉପରେ ଚାନ୍ଦୁଆ ଝୁଲେ ନବରତ୍ନ ସାର ॥
ଛତ୍ର ଚାମର ଆଲଟ ରତ୍ନ ସିଂହାସନ ।ବଖରାକେ ପାଞ୍ଚ ପ୍ରତି ଆନ ଆନ ବର୍ଣ୍ଣ ॥
ଅଗୁରୁ ଚନ୍ଦନ ଚୂଆ ଧୂପ ଧୂମକାଠି ।ସୁଗନ୍ଧ କୁସୁମ ଧଣ୍ଡାମାଳ କୋଟି କୋଟି ॥
ତିନି ତାଳ ଉତ୍ସର୍ଗରେ ଦାଣ୍ଡ ଛାମିଣ୍ଡିଆ ।ବଖରାକେ ଭିନ୍ନ ଭିନ୍ନ କମ ନୂଆ ନୂଆ ॥
ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃମଣି ।ଇତି ଶିରୀ ଭାଗବତ ପୁଣ୍ୟମୟ ଧ୍ୱନି ॥
ଆପଣେ ଚଞ୍ଚଳା ଦେବୀ ଯହିଁ ଦେହବନ୍ତ ।ଅନ୍ତର୍ଯ୍ୟାମୀ ନାରାୟଣ ପ୍ରଭୁ ଯାର କାନ୍ତ ॥
ସେ ଦେବୀଙ୍କ ସ୍ୱୟମ୍ୱର ସଭା ଆଡ଼ମ୍ୱର ।ଅସମ୍ଭବ ବୋଲିବାକୁ ସାମର୍ଥ୍ୟ କାହାର ? ॥
ଶୁଣିବାକୁ ଅଗୋଚର ଦେଖିବା ଦୁର୍ଲ୍ଲଭ ।ମାନବ ଶରୀର ଧରି କେ ବର୍ଣ୍ଣି ପାରିବ ? ॥
କେତେ ନୃପ ସ୍ୱୟମ୍ୱର ପୂର୍ବେ କରିଥିଲେ ।ରୁକ୍ମିଣୀ ସ୍ୱୟମ୍ୱରକୁ ସମାନ ନୋହିଲେ ॥
ଦେହବନ୍ତ ଲକ୍ଷ୍ମୀ ରୂପବନ୍ତ ନାରାୟଣ ।ଏଥିର ମହିମା କେତେ କହିବ କେ ପୁଣ ॥
ଇନ୍ଦ୍ର ବ୍ରହ୍ମା ଶିବ ଯିହଁ ହେବେ ବରଜାତି ।ତା ବର୍ଣ୍ଣି କହିବା ପାଇଁ ଅଛି କାହା ଶକ୍ତି ? ॥
ଭାରା ନିବାରଣ ଅର୍ଥେ ଜନ୍ମିଲେ ରୁକ୍ମିଣୀ ।କୋଟି ବ୍ରହ୍ମାଣ୍ଡର ସେହି ଅଟନ୍ତି କାରେଣି ॥
ତାଙ୍କ ପାଇଁ ସ୍ୱୟମ୍ୱର କରିଛନ୍ତି ପିତା ।ସମଗ୍ର କହିବା ପାଇଁ କେ ଅଛି ଶକତି ? ॥
ଦଶବିଂଶ ପଞ୍ଚାଶତ ପଦମାନ ଛାଡ଼ି ।ଠିକ ଠିକ ବାଛି ଥୋକେ କହୁଅଛି ବଢ଼ି ॥
ଆସ୍ଥାନର ତଳେ ମିଳି ଭୀଷ୍ମକ ନୃପତି ।ପାତ୍ର ମନ୍ତ୍ରୀ ବେଢ଼ିଛନ୍ତି ତାର ଚଉକତି ॥
ପାଞ୍ଚପୁତ୍ର ସହିତରେ ଦୁର୍ବାକ୍ଷତ ଘେନି ।ସମସ୍ତ ରାଜାଙ୍କୁ ଚାହିଁ କରନ୍ତି ଦଇନୀ ॥
ସୁବାସ ଚନ୍ଦନ ପୁଷ୍ପ ଧୂପ ଦୀପ ଦେଇ ।ଅନେକ ପ୍ରକାରେ ରାଜା କହନ୍ତି ବିନୋଇ ॥
ଯହିଁ ନିମନ୍ତେ ତୁମ୍ଭଙ୍କୁ ଆଣିଅଛି ବରି ।ସେ କାର୍ଯ୍ୟ କର ସଭାର ମଧ୍ୟେ ବିଜେକରି ॥
ମୁହିଁ ଯେ ସହିଲି ରାଜାମାନଙ୍କ ଆର୍ଦ୍ଦୋଳି ।ଯେତେ ନୃପ ଆସିଅଛି ସର୍ବେ ଶୁଦ୍ଧଶାଳୀ ॥
ବହୁତ ପୁଣ୍ୟେ ତୁମ୍ଭଙ୍କୁ ରୁଣ୍ଡ କରିପାରି ।ଦୁହିତା ନିମନ୍ତେ ମୁଁ ଯେ ଆଣିଅଛି ବରି ॥
ସବୁ ରାଜାଏ ସଭାରେ ଆସି ବିଜେ କର ।ସିଂହାସନମାନ ବାଛି ବସ ଯେ ଯାହାର ॥
ମୋର ଦୁହିତା ରୁକ୍ମିଣୀ ମେଢ଼ପରେ ଥିବ ।ସେ ତୁମ୍ଭଙ୍କୁ ଜଣ ଜଣ ପ୍ରତିରେ ଦେଖିବ ॥
ଯାହାଠାରେ ମନ ତାର ହୋଇବ ତୃପତି ।ଗଳେ ମାଳ ଦେଲେ ତାର ହୋଇବ ସେପତି ॥
ଏହା ଶୁଣି ନୃପଗଣେ ଦିବ୍ୟ ବେଶ ହୋଇ ।ଆଗହୁଁ ସେ ଯିବେ ବୋଲି ଥିଲେ ବାଟଚାହିଁ ॥
ତତକ୍ଷଣେ ରାଜାମାନେ ଉଠି ଶୀଘ୍ରଗତି ।ଯେ ଯାହାର ସିଂହାସନେ ମାଡ଼ିଣ ବସନ୍ତି ॥
ଅନ୍ୟୋନ୍ୟରେ ନୃପଗଣେ ବିକାଶିଲେ ପ୍ରଭା ।ଧନ୍ୟ ସେ କୁଣ୍ଡିନ ନଗ୍ର ଦିଶେ କେଡ଼େ ଶୋଭା ॥
ମହାରଥୀ ଛୟାଣୋଇ ସହସ୍ର ନୃପତି ।ବିଦର୍ଭ ନଗରେ ସର୍ବେ ରୁଣ୍ଡେ ହୋଇଛନ୍ତି ॥
ଏକାକେ ଭୀଷ୍ମକ ତାଙ୍କୁ ସମ୍ଭାଳି ରଖିଲା ।ମର୍ତ୍ତ୍ୟପୁରେ ଅଲୋକିତ କର୍ମଗୋଟା କଲା ॥
ଏମନ୍ତ ବିଚାର କରି ସବୁ ନୃପମାନେ ।ସଭାକୁ ଚାହିଁ ପ୍ରଂଶସା କଲେ ଜଣେ ଜଣେ ॥
ପାଞ୍ଚପୁତ୍ର ସଙ୍ଗେ ଘେନି ଭୀଷ୍ମକ ନୃପତି ।ବଚନରେ କଲେ ସବୁ ରାଜାଙ୍କର ସ୍ତୁତି ॥
ସଭାର ଆଗରେ ଅଛି ସାତତାଳ ମେଢ଼ ।ଚଉପାଶେ ହୋଇଅଛି ଦରପଣ ବାଡ଼ ॥
ଗଜଦନ୍ତ ସିଂହାସନ ପିଣ୍ଡାର ଉପରେ ।ବିଶ୍ୱକର୍ମା ଗଢ଼ିଅଛି ଅତି ଯତନରେ ॥
ଅଷ୍ଟରତ୍ନ ବିନିର୍ମିତ ସେ ମଣ୍ଡପ ଗୋଟି ।ସେଠାରେ ପଡ଼ଇ ସବୁ ରାଜାଙ୍କର ଦୃଷ୍ଟି ॥
ତହିଁ ଥାଇ ଚାହିଁଦେଲେ ଦିଶେ ସଭାତଳ ।ଅତୁଲାଇତ ମେଢ଼ ସେ ଅତି ପରିମଳ ॥
ମଣି ରତ୍ନ କିରଣରେ ମେଢ଼ ଶୋଭାପାଏ ।ସେଠାରେ ରୁକ୍ମିଣୀ ଆସି କରିବ ବିଜୟେ ॥
ପାତ୍ର ମନ୍ତ୍ରୀ ସଙ୍ଗେ ଘନି ଭୀଷ୍ମକ ନୃପତି ।ରାଜାଙ୍କୁ ଯେ ସମ୍ୱୋଧନ କରି ଚାରି ପ୍ରତି ॥
ପଞ୍ଚାଶ ବଖରା ମାଡ଼ି ବସିଲା ସେ ସଭା ।ଭୂୟାଁ ଭୂପାଳେ ଯେତେକ ହେଲେ ତଳେ ଉଭା ॥
ପ୍ରାଙ୍ଗଣେ ଉଭା ହୋଇଲେ ପାତ୍ର ପୁରୋହିତ ।ସିଂହାସନେ ବିଜେ କଲେ ନୃପତି ସମସ୍ତ ॥
ଚାରିଊଣା ଲକ୍ଷେ ରାଜା ବସିଲେ ଆସ୍ଥାନେ ।କନ୍ୟାକୁ ଦେଖିବେ ବୋଲି ବିଚାରନ୍ତି ମନେ ॥
ଏମନ୍ତ ସମୟେ ଡାକ ଅନ୍ତଃପୁରେ ପଡ଼େ ।ରୁକ୍ମିଣୀ ବିଜେ କରିବେ ସ୍ୱୟମ୍ୱର ମେଢ଼େ ॥
ଆଗରେ ଚାଲିଛି ଦାସୀ ପଛରେ ହାନ୍ଦୋଳା ।ସିଂହାସନ ପରେ ବସି ବିଜୟେ ଚଞ୍ଚଳା ॥
ଅଶେଷ କୋଟି ଲକ୍ଷ୍ମୀର ରୂପ ରତ୍ନରାଶି ।ଜ୍ୟୋତି ବିକାଶଇ ଯେହ୍ନେ ଶରଦର ଶଶୀ ॥
ମଙ୍ଗଳ ମହୁରୀ ଶବ୍ଦ ଦୁନ୍ଦୁଭିର ବାଣୀ ।ଚଉବଳ ଲାଗିହୋଇ ବିଜେ ଠାକୁରାଣୀ ॥
ଶଙ୍ଖ ମହୁରୀ ଦୋସରୀ ଭେରୀ ଯନ୍ତ୍ରଗୁଣା ।ମୁରଜ କଂସାଳ ତାଳ ସୁଲଳିତ ବୀଣା ॥
ସମାରୋହେ ଆସୁଛନ୍ତି ଲକ୍ଷ୍ମୀ ବିଜେ କରି ।ଲକ୍ଷେକ ଧବଳ ଛତ୍ର ଦାସୀଗଣେ ଧରି ॥
ଉଦଣ୍ଡ ମେଘାଡମ୍ୱର ଆଲଟ ବିମଳ ।ଶୁକଳ ଚାମର ଲକ୍ଷେ ଦରପଣ ମାଳ ॥
ଚନ୍ଦନ ନାଡ଼ପ କାଠି ଅଗ୍ରଧୂପ ଧୂଆଁ ।ନିଯୋଗୀମାନେ ଉଭାରି ହୋଇଛନ୍ତି ଠିଆ ॥
ପୁଷ୍ପ ବୃଷ୍ଟି କରୁଛନ୍ତି ଅନେକ ବନିତା ।ଅଷ୍ଟରତ୍ନ ସିଂହାସନେ ବିଜେ ଜଗନ୍ମାତା ॥
କେ ବିଡ଼ିଆ ଲାଗି କରେ ଚତୁଃସମ ଘେନି ।ଛାମୁରେ ଆଲଟ ବିଞ୍ଚେ କେବଣ କାମିନୀ ॥
ସୁବର୍ଣ୍ଣ ଝରରେ ଭରି ସୁବାସିତ ପାଣି ।ପାଶେ ଉଭା ହୋଇଅଛି କେବଣ ତରୁଣୀ ॥
ରାଜାମାନେ ଚାହିଁଛନ୍ତି ଏକଲୟ କରି ।ମେଢ଼େ ଯାଇ ବିଜେ କଲେ ଭୀଷ୍ମକ କୁମାରୀ ॥
ଛୟାଣୋଇ ସସ୍ର ରାଜା ଆସ୍ଥାନରେ ବସି ।ରୁକ୍ମିଣୀଙ୍କ ରୂପ ଦେଖି ସର୍ବେ ହେଲେ ତୋଷି ॥
କେବଣ ମହିମା ତାର କେ କରିବ ଅନ୍ତ ।ଅନାଦି ବୃଦ୍ଧମାତା ସେ ହୋଇଅଛି ଜାତ ॥
ଏଗାର ବରଷ ପୂର୍ଣ୍ଣେ ସେ ପୁଣି ଯୁବତୀ ।ଅବତାର ଗୁଣ ଘେନି ଷୋଡ଼ଶୀ ମୂରତି ॥
ସବୁ ରାଜାଏ କାତର ହେଲେ ରୂପ ଦେଖି ।ଏକା ରୁକ୍ମିଣୀରେ ବନ୍ଦୀ ସବୁଙ୍କରି ଆଖି ॥
ଏକକୁ ଆରେକ ଚାହିଁ କହେ ମନଭାବ ।ମଦନ ସମୁଦ୍ରେ ଧାତା ମେଲିଦେଲା ନାବ ॥
ଅପୂର୍ବ ଅତୁଲାଇତ ଏ ରୂପ ସୁସଞ୍ଚ ।ନାହିଁ ପଟାନ୍ତର ସ୍ୱର୍ଗ ପାତାଳ ଯେ ମଞ୍ଚ ॥
ନିର୍ମାଣ କରିଛି ଧାତା କେତେକାଳ ବସି ।ଥୋକେ ବୋଲନ୍ତି ଲାବଣ୍ୟରୂପ ରତ୍ନ ରାଶି ॥
ଏକ ଏକ କରି କେତେ ବାହୁନିବା ଗୁଣ ।ସୁକୁମାରୀ ସୁଲକ୍ଷଣୀ ମଦନର ବାଣ ॥
ଅପାଙ୍ଗ ଲୋଚନେ ଏ ଯେ ଚାହୁଁଅଛି ଢ଼ଳି ।ଛଇଛାଡ଼େ କାମବାଣ ଯାଉଅଛି ବଳି ॥
ବିଧାତାକୁ ନିନ୍ଦାକରି କହିବା ଯେ କିସ ।ଅମୃତଭାଣ୍ଡରେ ଆଣି ଥୋଇଦେଲା ବିଷ ॥
ଏ ଯେଉଁ କଟାକ୍ଷପାତେ ମୋହୁଅଛି ସୃଷ୍ଟି ।ସେ କଟାକ୍ଷେ ବିରହୀର ହୃଦ ଯାଏ ଫୁଟି ॥
କେବଣ ନୃପତି ବୋଲେ ନ ହୁଅ ବିମନ ।ବିଧାତା କରିଛି ୟାକୁ ଯତ୍ନରେ ଗଠନ ॥
ସଂସାର ଭିତରେ ଯେତେ ଶୋଭାରତ୍ନ ଥିଲା ।ତା ସବୁ ଏକତ୍ର କରି ଏହାକୁ ଗଢ଼ିଲା ॥
ଆବର ଯେତେକ ରସ ଥିଲା ଜଗତରେ ।ସବୁ ଆଣି ରଖିଅଛି ଏହାର ମୁଖରେ ॥
ଅଧର ଦିଶଇ ଯେହ୍ନେ ପକ୍ୱବିମ୍ୱ ଫଳ ।ଏଣୁକରି ମୋହିଲା ଏ ବ୍ରହ୍ମାଣ୍ଡ ସକଳ ॥
ଅମୃତ ସମାନେ କହେ ସୁକୋମଳ ବାଣୀ ।ଅଣ୍ଡିର କୋକିଳ ଲାଜେ ପଳାଉଛି ଶୁଣି ॥
ସୁନା ଫରୁଆରେ ଥୋଇ ଗରୁଡ଼ ଉଦ୍ଗାର ।ଗୁନ୍ଥାମାଳୀ ମୁକୁତା କି ଥାପିଲା ତହିଁର ॥
ଦରହସିତ ବଦନେ ଦିଶେ ପନ୍ତି ପନ୍ତି ।ଅକଳଙ୍କ ଚନ୍ଦ୍ରବିମ୍ୱ ପ୍ରାଏ ଶୋଭାପାନ୍ତି ॥
କର୍ଣ୍ଣରେ ହୀରାକେଶର ନାସାରେ ବସଣୀ ।ଯାତ୍ରା ପୂର୍ଣ୍ଣ କଳସ କି ବସାଇଲା ଆଣି ॥
ସବର୍ଣ୍ଣ ବିବରୁ ଅବା ବାହାରି ବାସୁକି ।ଅମୃତ ମଣିକି ଦେଇ ରହିଛନ୍ତି ଲୁଚି ॥
କି ଅବା ଚନ୍ଦ୍ରମା ବୁଧ ଶୁକ୍ର ତାରାଶ୍ରେଣୀ ।ଆର୍ଦ୍ରାବଳି ଗୁଣାରେ କି ଗୁନ୍ଥି ଅଛି ଆଣି ॥
ପୂର୍ଣ୍ଣଚନ୍ଦ୍ର ବଦନକୁ ଦିଶେ ବଡ଼ ଶୋଭା ।ମର୍କତ ଲିଙ୍ଗ କି ସ୍ୱର୍ଣ୍ଣ ଶକତିରେ ଉଭା ॥
ପୂର୍ବକାଳେ ଦେବଦୈତ୍ୟେ ହୋଇ ଏକରୁଣ୍ଡ ।ସମୁଦ୍ର ମନ୍ଥିଣ ଜାତ କଲେ ସୁଧାଭାଣ୍ଡ ॥
ଯେଉଁ ଅମୃତ ଭକ୍ଷିଲେ ଜନ୍ମ ମୃତ୍ୟ ନାହିଁ ।କୃପଣ ବୋଲି ଥୋଇଲେ ଜାଣି ଏହିଠାଇଁ ॥
ଏ ତାହା ମୁଦ୍ରିତ କରି ରଖିଛି ନିବାଡ଼େ ।ତେଣୁ ଏ ବଚନ କହେ ଜଙ୍ଗିତରେ ଗାଢ଼େ ॥
କେଉଁ ନୃପ ବୋଲେ ୟାର ବକ୍ର ଭୂରୁଲତା ।ମନ୍ମଥର ଧନୁ ସଙ୍ଗେ ହୋଇଛି ତୁଳିତା ॥
କଟାକ୍ଷକୁ କରିଅଛି ସେ ଧନୁରେ ବାଣ ।ନିର୍ଦ୍ଦୟରେ ବିନ୍ଧିନିଏ ପୁରୁଷଙ୍କ ପ୍ରାଣ ॥
ମୂର୍ଦ୍ଧାଯାଏ ଲାଗିଅଛି କଜ୍ଜଳର ରେଖା ।ତେଣୁ ଜନମନ ମୋହି ନେଲା ଏ ନାୟିକା ॥
କି ଅପୂର୍ବ ଶୋଭାକର ଦେଖ ୟା ଲଲାଟ ।ନିର୍ମଳ ମୁକୁର ପ୍ରାୟେ ଦିଶେ ଝଟ ଝଟ ॥
କପାଳର ମୃଗନାଭି କସ୍ତୁରୀର ଚିତା ।ଅଜ୍ଞାନରେ ବକ୍ର ଅବା କରିଛି ବିଧାତା ॥
କପାଳରୁ ଗଣ୍ଡଯାଏ ପାଇଅଛି ବେଢ଼ ।କାମଦେବ ଭଣ୍ଡାରେ କି ଦେଇଅଛି ବାଡ଼ ॥
କିବା ସମାଦର ମନେ ହିମବନ୍ତ ରାଜା ।ଆପେ ସ୍ଥାପି ଇଷ୍ଟଦେବ କରିଛନ୍ତି ପୂଜା ॥
ଅଳକା ବଳିର ଶୋଭା ତହିଁପରେ ଝଳି ।ଦୁର୍ଜ୍ଜୟ ମଦନ ଗଡ଼େ କି ଅବା ଅର୍ଗଳି ॥
ଚାରୁ ଚିକୁର ମସ୍ତକେ ଶୋହେ ଦିବ୍ୟବେଣୀ ।ରତନ ପର୍ବତେ ଯେହ୍ନେ ଖେଳେ କୃଷ୍ଣଫଣୀ ॥
ମଣି ମୁକୁଟରେ ସୁବାସିତ ପୁଷ୍ପ ଗଭା ।ମଧୁଲୋଭା ମଧୁପରେ ପାଉଛନ୍ତି ଶୋଭା ॥
ବେଣୀମୂଳେ ମରିଗଣ ଝଲକି ଦିଶନ୍ତି ।ନୀଳ ଗଗନରେ ଯେହ୍ନେ ଉଦେ ଗ୍ରହପନ୍ତି ॥
ଚୁଳବନ୍ଧଠାରୁ ବେଣୀ ଲମ୍ୱେ କଟୀଯାଏ ।ଫୁଲିତଳେ ମଣିରତ୍ନ ପୁଞ୍ଜି ଶୋଭାପାଏ ॥
ଯେବଣ କାଳରେ ଧାତା ସରଜିଲେ ସୃଷ୍ଟି ।ମେରୁ ଦଣ୍ଡେ ଖଟାଇଲେ ସେ ବ୍ରହ୍ମାଣ୍ଡ ଗୋଟି ॥
ଟଳ ଟଳ ହେଲା ପୁଣି ସେ ଲହରୀ ଜଳେ ।ଅଷ୍ଟକିଳା ପୋତି ବ୍ରହ୍ମା ଥୋଇଲେ ନିଶ୍ଚଳେ ॥
ତା ମଧ୍ୟେ ରଖିଲେ ପୁଣି ଗୁପ୍ତେ ଅଷ୍ଟନିଧି ।ତାହାଙ୍କ ଉପରେ ଶ୍ରେଷ୍ଠ କଲେ ୟାକୁ ବିଧି ॥
କେବଣ ରାଜା ବୋଲଇ କର୍ଣ୍ଣମୂଳ ଚାହିଁ ।ଦଣ୍ଡ ଘେନି ସପ୍ତନିଧି ଅଇଲା କି ବାହି ॥
ଏହା କର୍ଣ୍ଣାଞ୍ଚଳ ଆଦି ଗୁଣ ଅଛି ଯେତେ ।ଏକ ଏକ ନାମ ଧରି କହିବା ତା କେତେ ॥
ବେନି କର୍ଣ୍ଣେ ମଲିକଢ଼ ସୁନା ନାଗବନ୍ଧେ ।ତହିଁ ତଳେ କାପ ବେନି କନ୍ଦର୍ପର ଫାନ୍ଦ ॥
ସେ ଫାନ୍ଦରେ ବାନ୍ଧିପାରେ ସକଳ ମେଦିନୀ ।ଯଦି ବ୍ରହ୍ମଚାରୀ ମନ ହେଳେ ନେବ ଟାଣି ॥
ପୂର୍ବକାଳେ ଜୀର୍ଣ୍ଣକୂପେ ଯମ ପଡ଼ିଥିଲେ ।ଆଦି ଅପର୍ଣ୍ଣା ତାହାଙ୍କୁ ଉଦ୍ଧରି ଆଣିଲେ ॥
କାଳପାଶ ଗୋଟି ଥିଲା ଯମଙ୍କ ହସ୍ତରେ ।ଅପର୍ଣ୍ଣାଙ୍କୁ ତାହା ଦେଲେ ସନ୍ତୋଷ ମନରେ ॥
ସେ ଆଦି ଅପର୍ଣ୍ଣା ଏବେ ହିଂସା ଘେନି ମନେ ।ହାତରୁ ଛାଡ଼ିଣ ଅବା ଘେନିଛନ୍ତି କର୍ଣ୍ଣେ ॥
କେ ବୋଲଇ କାମଦେବ ୟାକୁ ବର ଦେଲା ।ନୋହିଲେ ଦୁର୍ଜ୍ଜୟ ପାଶ କାହୁଁ ଏ ପାଇଲା ॥
କେ ବୋଲଇ କାମ ନୁହେ ସେ ଅଟଇ କାଳ ।ମହୀରେ ଜନମିଅଛି ତେଜି ସ୍ୱର୍ଗ ଆଳ ॥
କେ ବୋଲେ ଏ କି ପରମ ଆକାଶରେ ବେଢ଼ି ।ବ୍ରହ୍ମ ପ୍ରଳୟ ବଞ୍ଚକ ବୋଲି ବନ୍ଧ ପାରି ॥
କେ ବୋଲଇ କର୍ଣ୍ଣ ନୋହେ ବୈକୁଣ୍ଠ ବିବର ।ମୁକ୍ତି ମନ୍ଦିରେ ପଶିବା ପାଇ ସିଂହଦ୍ୱାର ॥
କେ ବୋଲେ ଆଜାନୁଲମ୍ୱ ଏହା ଭୁଜଦଣ୍ଡ ।ଗଣ୍ଠି ନ ଦିଶଇ ସୁବଳିତ ଏକ ଖଣ୍ଡ ॥
ହସ୍ତୀ ଥୋରହସ୍ତକୁ କି ଦେବା ପଟାନ୍ତର ।ତାଠାରୁ କୋଟିଏ ଗୁଣେ ଅଟଇ ସୁନ୍ଦର ॥
ଅଫୁଟିତ ଚମ୍ପା ପ୍ରାୟ ଅଙ୍ଗୁଳିର ଶୋଭା ।ବିରାଜିତ ନଖରାଜି ଅର୍ଦ୍ଧଇନ୍ଦୁ ପ୍ରଭା ॥
ରକ୍ତପଦ୍ମ ପ୍ରାୟ ଶୋଭା ପାଏ କରପତ୍ର ।ରସାଣିଲା ସୁନା ପ୍ରାୟ ଦିଶୁଅଛି ଗାତ୍ର ॥
ମୁକୁତା କାଞ୍ଚଲା ଉରେ ଖଞ୍ଜିଅଛି ଭଲା ।ବିସ୍ତାର ବକ୍ଷସ୍ଥଳକୁ ସୁସଞ୍ଚ ଦିଶିଲା ॥
ଅତି କ୍ଷୀଣ କଟୀ ହର ଡ଼ମ୍ୱରକୁ ଜିଣି ।ତିହିଁକି ଶୋହଇ ଅଷ୍ଟରତ୍ନ ଓଢ଼ିଆଣି ॥
ସେଠାରୁ କଣ୍ଠ ପର୍ଯ୍ୟନ୍ତେ ବେଢ଼ିଛି ତ୍ରିବଳୀ ।ତ୍ରିଧାର ତ୍ରିବେଣୀ ଅବା ପଡ଼ୁଅଛି ଗଳି ॥
କଣ୍ଠେ ନାନା ମଣି ରତ୍ନ ଦିଶଇ ସୁସଞ୍ଚ ।ରେଖ ରେଖ ପନ୍ତି ପନ୍ତି ବିଶାଳ ନିଘଞ୍ଚ ॥
ହୀରା ନୀଳା ବଇଡ଼ୁର୍ଯ୍ୟ ମୁକ୍ତା ପଦ୍ମରାଗ ।ରତ୍ନଜ୍ୟୋତି ବିରାଜଇ ତାର ମଧ୍ୟଭାଗ ॥
କଣ୍ଠ ଆଭରଣ ରତ୍ନ ପଦକର ମାଳା ।ଆକାଶେ ବିଜୁଳି ଜାଳି କରୁଅଛି ଖେଳା ॥
କୋଟି ବ୍ରହ୍ମାଣ୍ଡର ଠାକୁରାଣୀ ସଉଭାଗୀ ।ଆଭରଣ ଶୋଭା ପାଏ ତା ଅଙ୍ଗରେ ଲାଗି ॥
ତାଡ଼ ତୋଡ଼ର ବାହୁଟି ମୁଦ୍ରିକା କଙ୍କଣ ।ବହୁମୂଲ୍ୟ ଅଳଙ୍କାର ଅଙ୍ଗେ ଆଭରଣ ॥
ଅମ୍ଳାନ ପତନୀ ଝୀନ ଶାଢ଼ୀ ଏକ ପିନ୍ଧି ।ଚୁଟିବନ୍ଧ ପରେ ଜଟ ଲେଉଟାଇ ବାନ୍ଧି ॥
କର୍ପୂର ବିଡ଼ିଆ ମୁଖ ହସ୍ତେ ଫୁଲକାଠି ।କ୍ଷୀର ସିନ୍ଧୁ ମଧ୍ୟରୁ କି ଲକ୍ଷ୍ମୀ ଆସେ ଉଠି ॥
ପୂର୍ଣ୍ଣ ଏକାଦଶ ବର୍ଷ କନ୍ୟା ଶୁଭ୍ରକେଶୀ ।ଅଂଶାବତାର ହେତୁ ଏ ଦିଶଇ ଷୋଡ଼ଶୀ ॥
କେ ବୋଲଇ ଅତି କ୍ଷୀଣ ଦିଶେ କଟୀମଝା ।ସିଂହାସନେ ବସିବାରୁ ସିଂହ ପାଏ ଲଜ୍ଜା ॥
ସଦାଶିବ ଡମ୍ୱରୁ ଏ କଟୀଦେଶ ବହି ।ମଦନକୁ ଅମରଷ ନ କରେ କିପାଇଁ ॥
ୟା ଯୌବନ-ସିଂହାସନେ ବସି କାମରାଜ ।ସବୁ ରାଜାଙ୍କର ଅଙ୍ଗୁ ହରିନିଏ ତେଜ ॥
ଚରଣ ଝୁଣ୍ଟିଆ ତାର ହୋଇଛି ନିର୍ମାଣ ।ତେଣୁ ମନେ ଗର୍ବ ବହି ବିନ୍ଧୁଅଛି ବାଣ ॥
ଯାହାଠାରେ ଦୟା ଦୃଷ୍ଟି ଦେବ ଏ ସୁନ୍ଦରୀ ।ସଂସାରେ ସଫଳ ଜନ୍ମ ହୋଇବ ତାହାରି ॥
ସେ ଦେବୀଙ୍କ ପାଦପଦ୍ମ ରେଣୁ କିଞ୍ଚିତରେ ।ମାଗଇ ଅଚ୍ୟୁତ ଦାସ ବହିବାକୁ ଶିରେ ॥
ରୁକ୍ମିଣୀଙ୍କ ସାକ୍ଷାତରେ ସଖୀଦ୍ୱାରା ରାଜପୁତ୍ରମାନଙ୍କର ପରିଚୟ ଦାନଶୁକ ବୋଇଲେ ହୋ ଶୁଣ ପରୀକ୍ଷ ନୃମଣି ।ପୁରାଣ ଶ୍ରୀ ଭାଗବତ ପୁଣ୍ୟମୟ ଧ୍ୱନି ॥
ରୁକ୍ମିଣୀଙ୍କ ସ୍ୱୟମ୍ୱର ଏ ଗହନ ପଥ ।କର୍ଣ୍ଣରେ ଶୁଣିଲେ ପ୍ରାଣୀ ହୁଅଇ ମୁକତ ॥
ଆସ୍ଥାନରେ ବସି ଚାରିଊଣା ଲକ୍ଷେ ନୃପ ।ମୋହିତ ହୋଇଲେ ସର୍ବେ ଦେଖି କନ୍ୟା ରୂପ ॥
ଉଲ୍ଲସଇ ରୋମାବଳୀ ପୁଲକଇ ଗାତ୍ର ।ରୁକ୍ମିଣୀର ଶୋଭା ଦେଖି ନ ଫେରଇ ନେତ୍ର ॥
ବ୍ରାହ୍ମଣୁ ଚଣ୍ଡାଳ ଯାଏ ଥିଲେ ଯେତେ ଜନ ।ସେ ଶୋଭା-ଜଳରେ ସର୍ବେ ହୋଇଛନ୍ତି ମଗ୍ନ ॥
ସର୍ବେ ଚାହିଁ ରହିଛନ୍ତି ଏକଦୃଷ୍ଟି କରି ।କନ୍ୟା ନେବାପାଇଁ ଲୋଭ ବଳିଛି ସବୁରି ॥
ଆଶ୍ଚର୍ଯ୍ୟ ହୁଅନ୍ତି ଲୋକେ ଚାହିଁ ଏକଲୟେ ।ଜଗତୀ ଭିତରେ ବିଜେ କରିଛନ୍ତି ମାଏ ॥
ସ୍ୱୟମ୍ୱର ସଭା ମଧ୍ୟ ବିଜେ ନୃପଗଣ ।ସବୁରି ମୁଖକୁ ଦେବୀ କଲେ ନିରୀକ୍ଷଣ ॥
ସୁମେଧା ନାମେ ରୁକ୍ମିଣୀ ଦେବୀ ପରିବାରୀ ।ଛାମୁରେ ଉଭା ହୋଇଛି ଘେନି ରତ୍ନ ଝରୀ ॥
ପାତ୍ର ଦୁହିତା ଅଟେ ସେ ସର୍ବ ସୁଲକ୍ଷଣୀ ।ତାହାରେ ଅନେକ ଦୟା କରନ୍ତି ରୁକ୍ମିଣୀ ॥
ରୁକ୍ମିଣୀ ଦେବୀଙ୍କ ମନ ରଞ୍ଜିବାର ପାଇଁ ।ପୂର୍ବ ଅଭିଶାପେ ଜନ୍ମ ହୋଇଅଛି ସେହି ॥
ସେ ଜାଣଇ ଭୂତ ଭବିଷ୍ୟତ ବର୍ତ୍ତମାନ ।ଲକ୍ଷ୍ମୀଙ୍କର ପରିବାରୀ ଯୁବତୀ ରତନ ॥
କ୍ଷୀରସିନ୍ଧୁ ମନ୍ଥନରୁ ପଦ୍ମବନ ଜାତ ।ସେ ପଦ୍ମବନରୁ ଲକ୍ଷ୍ମୀ ହୋଇଲେ ସମ୍ଭୂତ ॥
ତାଙ୍କ ସଙ୍ଗେ ଜନ୍ମିଥିଲେ ଯେ ଅଷ୍ଟ ନାୟିକା ।ସେ ଚୌଷଠି କୋଟି ପରିବାରୀ ଅଗ୍ରଲେଖା ॥
କମଳା ବିମଳା ନିରମଳା ଚନ୍ଦ୍ରକାନ୍ତି ।ହରିଣାକ୍ଷୀ ହରିପ୍ରିୟା ସୁମେଧା ସୁକାନ୍ତି ॥
ଲକ୍ଷ୍ମୀଙ୍କର ପରିବାରୀ ଏ ଅଷ୍ଟ ନାୟିକା ।ଏହାଙ୍କ ମଧ୍ୟେ ସୁମେଧା ଅଟେ ଅଗ୍ରଲେଖା ॥
ଯେଉଁଦିନ ପଦ୍ମବନୁ ହେଲେ ଅବତାର ।ଏ ସୁମେଧା କନ୍ୟା ଆଗେ ହୋଇଲା ବାହାର ॥
କହନ୍ତେ ଯେ ନ ସରଇ ସୁମେଧାର ଗୁଣ ।ଲକ୍ଷ୍ମୀଙ୍କର ସହଚାରୀ ଦେବଙ୍କର ପ୍ରାଣ ॥
ରୁକ୍ମିଣୀଙ୍କ ଛାମୁରେ ସେ ହୋଇଅଛି ଉଭା ।ଅମ୍ୱିକା ଛାମୁରେ ଯେହ୍ନେ ଗୋମାତାର ଶୋଭା ॥
ସୁମେଧାର ମୁଖ ଚାହିଁ ବୋଇଲେ ରୁକ୍ମିଣୀ ।ଏ ମୋର ବଚନ ତୁମ୍ଭେ ଶୁଣ ସଙ୍ଗାତୁଣୀ ॥
ମୋହର ନିମନ୍ତେ ପିତା କେତେ ଗଞ୍ଜିହୋଇ ।ଏଡ଼େ ସଭା କଲେ ସିନା ଶୁଭ ଦିଶୁ ନାହିଁ ॥
ଅକାରଣେ ଏତେ ରାଜା ହୋଇଛନ୍ତି ରୁଣ୍ଡ ।ପୁଣି ପଳାଇବେ ସର୍ବେ ହୋଇ ଲଣ୍ଡ ଭଣ୍ଡ ॥
ଏ ସଭା ମଧ୍ୟରେ ଯେତେ ରାଜା ବସିଛନ୍ତି ।ମୋ ପାଇଁ ସେ ବହୁଦୂର ଲଘିଂ ଆସିଛନ୍ତି ॥
ଏମାନଙ୍କୁ ଯେବେ ମୁହିଁ କରିବି ନିରାଶ ।ଶାସ୍ତ୍ର ପ୍ରମାଣରେ ମୋତେ ଲାଗିବନା ଦୋଷ ॥
ନ ଜାଣିମା ପଣେ କିପାଁ ଏଡ଼େ କର୍ମ କଲି ।କାର୍ଯ୍ୟ ନ ପାଇଲି ଉପହାସରେ ପଡ଼ିଲି ॥
ଏ ସଭାରେ ବସିଛନ୍ତି ନରପତି ଯେତେ ।ମୋ ଭୃତ୍ୟର ଭୃତ୍ୟ ପ୍ରାୟ ଦିଶୁଛନ୍ତି ମୋତେ ॥
ମନ ବଳୁ ନାହିଁ ମୋର ଏଥିରୁ ଗୋଟିକୁ ।ଅନିମିତ୍ତେ ପିତା କିପାଁ ବରିଲେଟି ୟାକୁ ॥
ମୁଁ ହାଦେ ନ ଜାଣେ ୟାଙ୍କୁ ଜାତି କୁଳଗୁଣ ।କେମନ୍ତେ କରିବି ଅବା ପତିତ୍ୱେ ବରଣ ॥
ଯାର ଯେଉଁ ଜାତି କୁଳ ଘର ଅଟେ ଯହିଁ ।ଏକ ଏକ କରି ମୋତେ କହ ଆଗୋ ସହି ॥
ସୁମେଧା ବୋଇଲେ ସଖି ସାବଧାନେ ଶୁଣ ।ଯେବେ ପଚାରିଲ ମୋତେ ଏମାନଙ୍କ ଗୁଣ ॥
ସଭାର ଈଶାନ ଭାଗେ ମଳୟ ରାଜନ ।ମୁକୁଟରେ ମଣ୍ଡିଅଛି ବିବଧ ରତନ ॥
ସର୍ବ ଗୁଣେ ପରିପୂର୍ଣ୍ଣ ଅଟଇ ଏ ନୃପ ।ଧନୀ ମାନୀ ସୁପଣ୍ଡିତ କମନୀୟ ରୂପ ॥
ଚନ୍ଦ୍ରଚୂଡ଼ା ମୁକୁଟ ସେ ବାନ୍ଧିଅଛି ଶିର ।ସେହି ଦୁର୍ଯ୍ୟୋଧନ ରାଜା ହସ୍ତିନା ଠାକୁର ॥
ପନ୍ନଗ ନାରାୟଣ ସେ ନୃପ ଶିରୋମଣି ।ଏକଇ ଭାରିଯା ତାର ଭାନୁମତୀ ରାଣୀ ॥
ମାନେ ମାନଗୋବିନ୍ଦ ସେ ରାଜରାଜେଶ୍ୱର ।ନ କରଇ ପିତା ମାତା ଆଦି ନମସ୍କାର ॥
ସନ୍ତତରେ କଉତୁକ ସୁତ୍ରକରେ ବାନ୍ଧି ।ବରବେଶ ହୋଇଥାଏ ନବବସ୍ତ୍ର ପିନ୍ଧି ॥
ଶରଣ ପଞ୍ଜର ବାନା କକ୍ଷା ଜଗଜ୍ଜେଠୀ ।ଚାଲିଯାନ୍ତେ ପାଦତଳେ ସୁବର୍ଣ୍ଣ ଉକୁଟି ॥
ହସ୍ତେ ପଦ ପାଦେ ପଦ୍ମ କୁରୁଚକ୍ରବର୍ତ୍ତୀ ।ଆଠଦିନେ ବିଭା ହୋଏ ରାଣୀ ଭାନୁମତୀ ॥
ଦୁଃଶାସନ ଆଦି ଶତେ ଭାଇଙ୍କର ଜ୍ୟେଷ୍ଠ ।ମାତା ଏହାର ଗାନ୍ଧାରୀ ପିତା ଧୃତରାଷ୍ଟ୍ର ॥
ଭୀଷ୍ମ ଦ୍ରୋଣ ଅଶ୍ୱତ୍ଥାମା କର୍ଣ୍ଣ କୃପାଚାର୍ଯ୍ୟ ।ସୋମଦତ୍ତ ଭୂରିଶ୍ରବା ଜୟଦ୍ରଥ ରାଜ ॥
ଶଲ୍ୟ ଆଦି ଭାଇବନ୍ଧୁ ଅଚଳା ସମୃଦ୍ଧି ।ବାହୁବଳେ ସାତସିନ୍ଧୁ ନବଦ୍ୱୀପ ସାଧି ॥
ଦୁର୍ବାସା ଋଷିଙ୍କ ମନ୍ତ୍ର ପ୍ରଭାବରୁ ଜନ୍ମ ।ଅଙ୍ଗରେ ବହଇ କୋଟି ସିଂହ ପରାକ୍ରମ ॥
ସର୍ବ ସୁଲକ୍ଷଣ ୟାର ଅଙ୍ଗେ ପୂରିଅଛି ।ତୁ ଏହାକୁ ବର ଯେବେ ତୋ ମନ ପାଉଛି ॥
ଏହାର ପାରୁଶେ ଦେଖ ରତ୍ନ ସିଂହାସନ ।ତହିଁପରେ ବସିଛନ୍ତି ଯେବଣ ରାଜନ ॥
କର୍ଣ୍ଣରେ କୁଣ୍ଡଳ କଣ୍ଠେ ରୁଦ୍ରାକ୍ଷର ମାଳ ।ମସ୍ତକେ ସୁବର୍ଣ୍ଣ ପାଗ ଦିଶେ ପରିମଳ ॥
ଅର୍କମଣି ମୁକୁଟ ସେ ବାନ୍ଧିଛନ୍ତି ଶିରେ ।ଗୁଣଦିଆ ଧନୁ ଗୋଟି ଅଛି ବାମ କରେ ॥
ପଣ୍ଡୁ ରାଜା ନନ୍ଦନ ଏ ଧର୍ମ ଅବତାର ।କୁନ୍ତୀଙ୍କ ଗର୍ଭରୁ ଜାତ ନାମ ଯୁଧିଷ୍ଠିର ॥
ଭୀମ ଆଦି ଚାରିଭାଇ ପାଶେ ହୋଇ ଉଭା ।ଚାମରେ ଚାମରେ ଧରି ପାଉଛନ୍ତି ଶୋଭା ॥
ଭୀମ ଅର୍ଜ୍ଜୁନ ନକୁଳ ଅଉ ସହଦେବ ।ଯୁଧିଷ୍ଠିର ଆଦିକରି ଏ ପଞ୍ଚ ପାଣ୍ଡବ ॥
ସତ୍ୟବାଦୀ ପୁରୁଷ ଏ ଅଙ୍ଗେ ପାପେ ନାହିଁ ।ବାରୁଣା ବନ୍ତରେ ନୃପ ହୋଇଛନ୍ତି ଏହି ॥
ମାଗୋ ସୋମବଂଶୀ ରାଜା ପଣ୍ଡୁ ନରପତି ।କୁନ୍ତୀ ମାଦ୍ରୀ ନାମେ ଦୁଇ ଭାର୍ଯ୍ୟା ପ୍ରିୟବତୀ ॥
ମାଦ୍ରୀ ତନୟ ନକୁଳ ସହଦେବ ବେନି ।କୁନ୍ତୀ ପୁତ୍ର ଯୁଧିଷ୍ଠିର ଭୀମାର୍ଜ୍ଜୁନ ତିନି ॥
ଧୃତରାଷ୍ଟ୍ର ପୁତୁରା ଏ ଦୁର୍ଯ୍ୟୋଧନ ଭ୍ରାତ ।ସୋମବଂଶୀ ମାହାରାଜା ଜଗତେ ବିଖ୍ୟାତ ॥
ମହାବୀର ପାଞ୍ଚଭାଇ ଏକୁ ଏକ ଯୋଧୀ ।ମନ କଲେ ତ୍ରିଭୁବନ ପାରନ୍ତି ଏ ସାଧି ॥
ଏ ପାଞ୍ଚ ଭାଇଙ୍କ ଗୁଣ କହିବି ମୁଁ କେତେ ।ଦେବ ଅଂଶେ ଜନ୍ମିଛନ୍ତି ଦେଖ ଗୋ ସାକ୍ଷାତେ ॥
ବଳବନ୍ତ ରୂପବନ୍ତ ଗୁଣବନ୍ତ ଯୁବା ।ଆଜ ପରିଯନ୍ତେ ହୋଇ ନାହିନ୍ତି ଏ ବିଭା ॥
ଏହାଙ୍କ ପିଅର ପଣ୍ଡୁ ଶତଶୃଙ୍ଗେ ଥିଲେ ।ରତିକାଳେ ଶିରେ ବଜ୍ର ପଡ଼ିବାରୁ ମଲେ ॥
ଥୋକେ ଦିନ ବନବାସେ ଥିଲେ ଦୁଃଖ ସହି ।ପୁଣି ଆସି ପିତୃରାଜ୍ୟେ ହେଲେ ନରସାଇଁ ॥
ଯଦ୍ୟପି ଏହାଙ୍କୁ ମନ ବଳୁଛି ତୋହର ।ଏ ପାଞ୍ଚ ଭାଇରୁ ଜଣେ ବାଛିକରି ବର ॥
ତାଙ୍କ ପାଶେ ଦେଖ ଜରାସନ୍ଧ ନରପତି ।ବଡ଼ଇ ବଳବନ୍ତ ସେ ମଗଧ ଭୂପତି ॥
କ୍ଷଣକରେ ସାଗରନ୍ତ ପୃଥ୍ୱୀ ପାରେ ଜିଣି ।ଛୟାଣୋଇ ସସ୍ର ରାଜା ବାନ୍ଧିଅଛି ଆଣି ॥
ତୋହର ନିମନ୍ତେ ଦୟାକରି ସେ ନୃପଙ୍କୁ ।ଛାଡ଼ିଅଛି ଏଥୁଁ ଗଲେ ଧରି ନେବ ତାଙ୍କୁ ॥
ବୁଦ୍ଧିମନ୍ତ ଗୁଣବନ୍ତ ପ୍ରତାପୀ ଏ ରାଜା ।ସବୁ ନୃପେ କରୁଛନ୍ତି ୟା ପାଦରେ ପୂଜା ॥
ପୁତ୍ର ନାତି ଅପ୍ରମିତ ଅଚଳ ସମୃଦ୍ଧି ।ଏହାଙ୍କୁ ବରିଲେ ମାଗୋ କାର୍ଯ୍ୟ ହେବ ସିଦ୍ଧି ॥
ତେଇଶି କ୍ଷଉଣୀ ହାଦେ ୟାର ଅଙ୍ଗବଳ ।ଛୟାଣୋଇ ସସ୍ର ରାଜା ଖଟି ପାଦତଳ ॥
କୁଳରେ ପବିତ୍ର ପୁଣି ବଳେ ବଳବନ୍ତା ।ଏହାଙ୍କୁ ବରିଲେ ଆଉ ନାହିଁ କିଛି ଚିନ୍ତା ॥
ଜରାସନ୍ଧ ପାଶେ ଦେଖ ନୃପ ଦମଘୋଷ ।ଶିଶୁପାଳ ନାମେ ପୁତ୍ର ବସିଛି ତା ପାଶ ॥
ଶଶବିନ୍ଦୁ ନୃପତିର ବଂଶଧର ଏହି ।ବଳବନ୍ତ ଗୁଣବନ୍ତ ଗରିଷ୍ଠ ଅଟଇ ॥
ଚେଦି ନାମେ କଟକର ଏହି ଯେ ନୃପତି ।ଏକାଦଶ କ୍ଷୌଣୀ ସୈନ୍ୟ ଏହାର ଅଛନ୍ତି ॥
ତିନିସସ୍ର ପାରିଦଣ୍ଡ ଖଟିଥାନ୍ତି ପାଦେ ।ଅଚିନ୍ତେ ଐଶ୍ୱର୍ଯ୍ୟ ଭୋଗ କରେ ଅପ୍ରମାଦେ ॥
ଏ ଯେବେ ମନକୁ ମାଗୋ ଯୋଗାଉଛି ତୋର ।ପିତା ପୁତ୍ର ଦୁହେଁ ଛନ୍ତି ଯାକୁ ଇଚ୍ଛା ବର ॥
ଏହାଙ୍କ ପାରୁଶେ ଦେଖ କଳିଙ୍ଗ ନୃପତି ।ଉତ୍ତମ ବଂଶରେ ଜାତ ବିଚକ୍ଷଣ ମତି ॥
ଆଖଡ଼ାରେ ବିଦ୍ୟା ସାଧି ସଂଗ୍ରାମରେ ଜିତା ।ନବ ଲକ୍ଷ ହସ୍ତୀ ୟାର ସର୍ବେ ମଦମତ୍ତା ॥
ଅସଂଖ୍ୟକ ରଥ ଅଶ୍ୱ ଅପ୍ରମିତ ଥାଟ ।ମଦନସେନ ରାଜାରପ ଅଟଇ ଏ ଚାଟ ॥
ପଞ୍ଚଜନ ନାମ ୟାର ଅଟେ ବଙ୍ଗଦେଶ ।ଆସିଅଛି ତୋଠାରେ ଏ ବଳାଇ ମାନସ ॥
ଇଚ୍ଛା ହେଲେ ଗଳେ ମାଳା ଦେଇ ୟାକୁ ବର ।ସହସ୍ରେ ଯୋଜନ ରାଜ୍ୟେ ଅଟେ ଅଧୀଶ୍ୱର ॥
ୟା ପାରୁଶେ ବସିଅଛି ଯେଉଁ ନୃପବର ।ସାରାବତୀ ରାଜ୍ୟେ ରାଜା ତା ନାମ ସମ୍ୱର ॥
ଲବଣ ସମୁଦ୍ର ମଧ୍ୟେ କରିଅଛି ସ୍ଥାନ ।କପିଳ ମୁନି ସରଜିଥିଲେ ସେ ଭୁବନ ॥
ଅନେକ କାଳ ବୃଦ୍ଧ ଏହି ନୃପମଣି ।ମାୟାବଳେ ତ୍ରିଭୁବନ ପାରଇ ଏ ଜିଣି ॥
ଅସଂଖ୍ୟ କୁଟୁମ୍ୱ ୟାର ଅଗାଧ ପୟୋଧି ।ସହସ୍ରେକ ପୁତ୍ରଛନ୍ତି ଏକୁ ଏକ ଯୋଧୀ ॥
ଏ ତୋର ଚିତ୍ତକୁ ଯେବେ ଯୋଗାଏ ସଙ୍ଗାତ ।ବରିବୁ କି ମୋ ଆଗରେ କହ କିନା ସତ ॥
ଦେଖ ସଖି ତା ପାଖରେ ଜୟଦ୍ରଥ ରାଜା ।ପିତା ଥାଉ ଥାଉ ଆପେ ପାଳଇ ପରଜା ॥
ଦୁଃଶୀଳା ନାମରେ କନ୍ୟା ଧୃତରାଷ୍ଟ୍ର ଜେମା ।ଦୁର୍ଯୋଧନର ଭଗିନୀ ରୂପେ ଅନୁପମା ॥
ତାକୁ ଗତ ପଞ୍ଚମୀରେ ହୋଇଛି ବିଭା ।ସର୍ବଗୁଣେ ପରିପୂର୍ଣ୍ଣ ଏକେ ନବଯୁବା ॥
ସିନ୍ଧୁନାମ କଟକରେ ଅଟେ ଅଧିପତି ।ପାଞ୍ଚ କ୍ଷୌଣୀ ଅଙ୍ଗବଳ ଏହାର ଅଛନ୍ତି ॥
ଜୟଦ୍ରଥ ବାମ ଭାଗେ ଶିବ ନାମେ ନୃପ ।ବସିଅଛି ଦେଖ ସଖି କି ସୁନ୍ଦର ରୂପ ॥
ବୀରପଣେ ୟା ସମାନେ ନାହିଁ ଆଉ କେହି ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଗଣନା ହୁଅଇ ॥
ସ୍ୱସ୍ତିକ ନାମରେ ରାଜା ଭକ୍ଷି ମନ୍ତ୍ର ନୀର ।ଗର୍ଭ ହୋଇ ଦିନୁ ଦିନ ବଢ଼ିଲା ଉଦର ॥
ଦଶମାସ ପୂର୍ଣ୍ଣ ତାର ଗର୍ଭ ହେଲା ଭାରୀ ।ପ୍ରସବକୁ ବାଟ ନାହିଁ କ୍ଷୁରେ ପେଟ ଚିରି ॥
ଏ ପୁତ୍ରକୁ ଜାତ କରି ମଲା ସେ ନୃପତି ।ଈଶ୍ୱର ପ୍ରସନ୍ନେ ୟାକୁ ବର ଦେଇଛନ୍ତି ॥
ନିଜେ ଯାଚି ସଦାଶିବ ଦେଲେ ବ୍ରହ୍ମଶର ।ହାତୀ ଘୋଡ଼ା ରଥ ରଥୀ ଅଛନ୍ତି ଅପାର ॥
ବ୍ରହ୍ମଶର ଧଇଲେ ଏ ଜିଣଇ ଜଗତ ।ତ୍ରିଶଙ୍କୁ ରାଜାର ବଂଶେ ହୋଇଅଛି ଜାତ ॥
ସୁବର୍ଣ୍ଣ କଟକେ ରଜା ବିନ୍ଧ୍ୟଗିରି ତଳେ ।ଚିତ୍ରସେନ ଗନ୍ଧର୍ବକୁ ଜିଣିଅଛି ବଳେ ॥
ଶୁଣିଲୁ ତ କୁଳ ଶୀଳ ସମସ୍ତ ଏହାର ।ମନ ହେଲେ ଏ ନୃପକୁ ମାଳା ଦେଇ ବର ॥
ଦେଖ ସଖି ୟା ପାରୁଶେ ବସଇ ବିରାଟ ।ମତ୍ସ୍ୟଦେଶ ନୃପତି ଏ ସଂଗ୍ରାମରେ ଆଣ୍ଟ ॥
ବଡ଼ ବିଚକ୍ଷଣ ଏହି ଧର୍ମବନ୍ତ ରାୟେ ।ଅକଣ୍ଟକ ରାଜ୍ୟ ୟାର ଗୋରୁ ପଲମୟେ ॥
ବିରାଟ ପାଶରେ ଦେଖ ରାଜା ସୂର୍ଯ୍ୟସେନ ।ନବକ୍ଷୌଣୀ ଅଙ୍ଗବଳ ଯାର ବିଦ୍ୟମାନ ॥
ମେରୁଗିରି ପାରୁଶରେ ଅଟଇ ଏ ରାଜା ।ପାର୍ବତେୟ ରାଜାମାନେ ସବୁ ୟାର ପ୍ରଜା ॥
ଆବର ଦେଖ ଗୋ ସଖୀ କାଶୀ ନରପତି ।ଚୌଦକୋଟି ଅଙ୍ଗବଳ ସର୍ବ ଆସିଛନ୍ତି ॥
ବଡ଼ ସମାରୋହେ ଆସି କରିଅଛି ବିଜେ ।ବର ମାଲ୍ୟ ନ ପାଇଲେ ବାହୁଡ଼ିବେ ଲାଜେ ॥
ଦେଖ ଏ ଦ୍ରୁପଦରାଜା ପଞ୍ଚାଳ ନୃପତି ।ଶିଖଣ୍ଡୀ ଧୃଷ୍ଟଦ୍ୟୁମନ ବେନି ପାଶେ ଛନ୍ତି ॥
ସ୍ୱୟମ୍ୱରେ ବସିଅଛି ତୋତେ ନେବାପାଇଁ ।ତୁ ମାଳା ନ ଦେଲେ ଫେରିଯିବ ଲାଜ ପାଇ ॥
ଜାତିବନ୍ତ ଗୁଣବନ୍ତ ଦ୍ରୁପଦ ରାଜନ ।ଇଚ୍ଛା ହେଲେ ମାଳା ଦେଇ କର ତୁ ବରଣ ॥
ତା ପାଶେ ଦେଖ ତ୍ରିଗର୍ତ୍ତ ନାମେ ଦଣ୍ଡଧାରୀ ।ପାଞ୍ଚ କ୍ଷୌଣୀ ଅଙ୍ଗବଳ ଅଟଇ ଏହାରି ॥
ଦେଖ ଶାଲ୍ୱ ଦନ୍ତବକ୍ର କୌଶିକ ରାଜନ ।ଏମାନେ ଅଟନ୍ତି ରାଜାମାନଙ୍କ ପ୍ରଧାନ ॥
ତୋତେ ନେବାପାଇଁ ସର୍ବେ ବସିଛନ୍ତି ଆସି ।ଇଚ୍ଛା ହେଲେ ଏମନଙ୍କୁ ବର ଗୋ ପ୍ରେୟସି ॥
ମଥୁରା ରାଜ୍ୟର ଏହି ରାଜା ଉଗ୍ରସେନ ।ଯାଦବ ସପତ ବଂଶେ ଅଟଇ ପ୍ରଧାନ ॥
ବଡ଼ ଦୁଷ୍ଟ ପୁତ୍ର ଥିଲା କଂସ ନାମେ ୟାର ।ଯା ନାମ ଶୁଣିଲେ ଦେବେ ହୁଅନ୍ତି କାତର ॥
ସେ କଂସକୁ ରାମ କୃଷ୍ଣ ମାରି ଅବହେଳେ ।ଏହାଙ୍କୁ ନୃପତି କଲେ ମଥୁରା ମଣ୍ଡଳେ ॥
ଦେବକୀ ନାମରେ କନ୍ୟା ଅଛି ଏହାଙ୍କର ।ପ୍ରତ୍ୟକ୍ଷ ଅଦିତି ସେହି ମର୍ତ୍ତ୍ୟ ଅବତାର ॥
ତା ଗର୍ଭରୁ ରାମ କୃଷ୍ଣ ହୋଇଛନ୍ତି ଜାତ ।ସ୍ୱୟଂ ନାରାୟଣ ତାଙ୍କୁ ବୋଲନ୍ତି ଜଗତ ॥
ଆବର ଦେଖ ଏ ମଧୁ କେଶର ନୃପତି ।ମଧୁନାମେ ଗିରିତଳେ କରଇ ବସତି ॥
ସହସ୍ରେ ଭୂୟାଁ ଖଟନ୍ତି ଏହା ପାଦତଳେ ।ବରିବାକୁ ମନ ଥିଲେ ମାଳାଦିଅ ଗଳେ ॥
ବୀରବାହୁ ସସ୍ରବାହୁ ନୃପ ଶରଜିତ ।ବିକ୍ରମ କେଶରୀ ଆଧି ଅଛନ୍ତି ବହୁତ ॥
ସର୍ବେ ବରବେଶ ହୋଇ ଚାହିଁଛନ୍ତି ବସି ।ତୋତେ ନେବା ମାନସରେ ନାନା ଦେଶୁ ଆସି ॥
ସୟମ୍ୱର ସିଦ୍ଧ ହେଉ ପିତା ପାଉ କାର୍ଯ୍ୟ ।ପାରିଲେ ଏଥିରୁ ଜଣେ ବରି ଘେନ ଆଜ ॥
ଆବର ପଶ୍ଚିମ ମେଲା ଆଡ଼କୁ ଗୋ ଅନା ।ଅସୁର ରାଜାଙ୍କ ସଭା ଏହି ଅଟେ ସିନା ॥
ପୃଥୁନନ୍ଦନ ନାରକାସୁର ମହାରାୟେ ।ଯା ନାମ ଶୁଣିଲେ କମ୍ପେ ଇନ୍ଦ୍ରଙ୍କର କାୟେ ॥
ବତିଶ ସହସ୍ର ନାରୀ ଖୋଜି ନବଯୁବା ।ରଖିଅଛି ଲକ୍ଷ ପୂର୍ଣ୍ଣେ ହୋଇବ ସେ ବିଭା ॥
ବଡ଼ଇ ଦୁର୍ବାର ଦୈତ୍ୟ ଅଟେ ଚାରୁହଂସୀ ।ଧନଗର୍ବୀ ମତ୍ତଗର୍ବୀ ଏ ରାକ୍ଷସ ବଂଶୀ ॥
ଈଶ୍ୱଙ୍କୁ ସେବା କରି ପାଇଅଛି ବର ।ଶତେ ଯୁଗ ପରିଯନ୍ତେ ହୋଇବ ଅମର ॥
ଇନ୍ଦ୍ର ଚନ୍ଦ୍ର ଧନପତି ଯମ ନଇର୍ଋତ ।ବରୁଣ ଆଦିତ୍ୟ ଅଗ୍ନି ଗନ୍ଧର୍ବ ମରୁତ ॥
ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦାନବ ସହିତେ ।ଏ ଦୈତ୍ୟର ମୃତ୍ୟୁ ନାହିଁ ଏମାନଙ୍କ ହସ୍ତେ ॥
ଜନ୍ମକଲା ପିତା ଏକା ପାରେ ୟାକୁ ନାଶି ।ଏସନକ ବର ତୋଷେ ଦେଇଛନ୍ତି କାଶୀ ॥
ତେଣୁକରି ଅମର ଏ ନ ମରେ କେବେହେଁ ।ଇନ୍ଦ୍ର ବଜ୍ର ଆଦି ନ କାଟଇ ୟାର ଦେହେ ॥
ସଂଗ୍ରାମ କାଳରେ ତିଳେ ନ ବହଇ ଭୀତି ।ଏଗାର କ୍ଷଉଣୀ ବଳ ଏହାର ଅଛନ୍ତି ॥
ନିରାଧାର ବଚନ ତୁ ଶୁଣ ଗୋ ରୁକ୍ମିଣୀ ।ଏହାକୁ ବରିଲେ କାର୍ଯ୍ୟ ଅଛି ଥାଅ ଜାଣି ॥
ଏହାର ପାରୁଶେ ଦେଖ ବାଣାସୁର ରାଜ ।ଏକା ଶରୀରରେ ବହେ ସହସ୍ରେକ ଭୁଜ ॥
ପାର୍ବତୀଙ୍କ ସ୍ତନରୁ ଏ କଲା କ୍ଷୀରପାନ ।ଶୋଣିତ ନଗରେ ଏହୁ ଅଟଇ ରାଜନ ॥
ସଦାଶିବ ପ୍ରସାଦରୁ ଅଜ୍ରାମର ଦେହୀ ।ପୃଥିବୀ ମଧ୍ୟରେ ନାହିଁ ୟା ସମାନ କେହି ॥
ଧନ ଜନ ସମ୍ପଦ ଗୋ ଅଟେ ଅକଳନା ।କୁବେର ଦେବତାଠାରୁ ଶତେଗୁଣେ ଜିଣା ॥
ଈରଶ୍ୱଙ୍କ ଧର୍ମପୁତ୍ର ଏହି ବାଣାସୁର ।ଏହାକୁ ବରିଲେ କାର୍ଯ୍ୟ ସିଦ୍ଧ ହେବ ତୋର ॥
ବାଣାସୁର ପାଶେ ଦେଖ ନୃପ ବଜ୍ରନାଭ ।ଏହାର ମହିମା ମାଗୋ ଜଗତେ ଦୁର୍ଲ୍ଲଭ ॥
ଗଡ଼ ପାଚେରୀ ଉନ୍ନତ ଚାରିପାଖେ ଖଣା ।ଲୁହା ମୁଷଳ ଅଙ୍କିତ ଯୋଜନେକ ଠଣା ॥
ଚକ୍ର ପର୍ବତ ଚଉଦ ଯୋଜନେକ ବେଢ଼ା ।ଏ ବିଧିରେ ପାଞ୍ଚ ପାଞ୍ଚ ଯୁଣ ଅଛି ଛଡ଼ା ॥
ଅଗ୍ନିର ପାଚେରୀ ପୁଣି ଅଛି ତା ଭିତରେ ।ଶତ୍ରୁ ସୈନ୍ୟ ପଶି ଭସ୍ମ ହୁଅନ୍ତି ତହିଁରେ ॥
ସେ କଟକ ରାଜା ଏହି ବହୁକାଳ ବୃଦ୍ଧ ।ଏହାକୁ ବରିଲେ ବର ଯେବେ ଅଛି ଶଧ ॥
ଏହାର ପାରୁଶେ ଅଛି ଗୋଶିଘଂ ନୃପତି ।ଯା ନାମ ଶୁଣିଲେ ଦେବେ ସ୍ୱର୍ଗ ଛାଡ଼ିଯାନ୍ତି ॥
ଚୌଦ କ୍ଷୌଣୀ ଦୈତ୍ୟବଳ ଖଟନ୍ତି ପାଦରେ ।ସର୍ବଦା ଏ ନବଯୁବା ଧୂର୍ଜଟୀଙ୍କ ବରେ ॥
କୋଟି କନ୍ଦର୍ପ ଏହାକୁ ରୂପେ ନୋହେ ସରି ।ବାୟବ୍ୟ କୋଣରେ ଏକା ଏହି ଦଣ୍ଡଧାରୀ ॥
କ୍ଷଣକରେ ଭ୍ରମିପାରେ ସକଳ ମେଦିନୀ ।ଅବହେଳେ ଜୟ କରିପାରେ ପୁର ତିନି ॥
ସୁକୁମାର ସୁଲକ୍ଷଣ ସର୍ବଦା ଏ ଯୁବା ।ଭାଗ୍ୟବତୀ ସ୍ତିରୀ ହେଲେ ୟାକୁ ହେବ ବିଭା ॥
ଏହାର ପାରୁଶେ କାଳଦମନ ଯେ ବୀର ।ଦାସଦମନର ନାତି ଗୋପାଳି କୁମର ॥
କେ ଏହାର ପିତା ତାହା ନ ଜାଣନ୍ତି କେହି ।ବ୍ରହ୍ମଋଷି ବୀର୍ଯ୍ୟେ ଜାତ ହୋଇଅଛି ଏହି ॥
ଏହାର ମହିମା କେତେ ସଞ୍ଚପି କହିବା ।ଜନ୍ମ ହେବା ମାତ୍ରକେ ଏ ହେଲେ ନବଯୁବା ॥
ଅନଳରେ ନ ପୋଡ଼ଇ ଜଳେ ନ ବୁଡ଼ଇ ।ଦେବତା ଗନ୍ଧର୍ବ ଦୈତ୍ୟ ହସ୍ତେ ନ ମରଇ ॥
ମାତାମହ କଟକରେ ହୋଇଛି ରାଜନ ।ପୃଥ୍ୱୀ ସାଧ୍ୟ କରିବ ଗୋ ଏହି ଏକ ଜଣ ॥
ସତାଇଶ ଅକ୍ଷୌହଣୀ ଅଙ୍ଗବଳ ୟାର ।ବଡ଼ଇ ଗରିଷ୍ଠ ଅଟେ ଦୁର୍ଦ୍ଦାନ୍ତ ଅସୁର ॥
ଯଦ୍ୟପି ଏହାର ଶ୍ରଦ୍ଧା ବଳୁଅଛି ମନେ ।ଗଳେ ପୁଷ୍ପହାର ଦେଇ ବର ବରାନନେ ॥
ଏହାର ପାରୁଶେ ଦେଖ ଯମାଗୋଷ୍ଠ ରାୟ ।ମୟ ନାମ ଦାନବର ଅଟଇ ତନୟ ॥
କାନ୍ତିମାଳା କଟକରେ ଏହି ଦଣ୍ଡଧାରୀ ।ପାରିଦଣ୍ଡ ଅଛି ତିନି ମେବଚ୍ଛ ଏହାରି ॥
ଇନ୍ଦ୍ର ଦେବତାର ମିତ୍ର ଅଟଇ ଯୁକତେ ।ଅନେକ ଦୂରୁ ଆସିଛି ତୋହରି ନିମନ୍ତେ ॥
ଏହାର ପାରୁଶେ ଦେଖ ଜପାସୁର ରାୟେ ।ଦୁର୍ବାର ଏ ବିକରାଳ ମୂର୍ତ୍ତି ତେଜୋମୟେ ॥
ରଥ ଗଜ ଅଶ୍ୱ ନାହିଁ ଆପେ ମହାଯୋଧୀ ।କ୍ଷଣକରେ ତ୍ରିଭୁବନ ଏ ପାରଇ ସାଧି ॥
ପାଞ୍ଚ ସହସ୍ର ବଖରା ଅପୂର୍ବ ମନ୍ଦିର ।ବଖରାକେ ବସିଛନ୍ତି ଦଶ ନୃପବର ॥
ରଥୀ ମହାରଥୀ ସୈନ୍ୟ ଏହାଙ୍କର ଯେତେ ।ଏକ ଏକ ନାମ ଧରି କହିବଇଁ କେତେ ॥
ଦେଖ ଏ ସଭାରେ ବସିଚ୍ଛନ୍ତି ଯେତେ ରାୟ ।ବଳବନ୍ତ ବୁଦ୍ଧିମନ୍ତ ସର୍ବେ ତେଜୋମୟ ॥
ଜମ୍ବୁଦ୍ୱୀପ ମହୀ ଲକ୍ଷେ ଯୂଣ ଦୀର୍ଘ ପ୍ରତି ।ନବଖଣ୍ଡ କରି ବାଣ୍ଟି ପୃଥୁ ନରପତି ॥
ନବ କୁମରଙ୍କୁ ତାହା ଦେଲେ ତୋଷଚିତ୍ତେ ।ଯେ ଯାହାର ସୀମା ମାଡ଼ି ରହିଲେ ସେ ସୂତ୍ରେ ॥
ଚାରି ଊଣା ଲକ୍ଷେ ରାଜା ଏକୁ ଏକ ବଳି ।ଏ ତୋହର ସ୍ୱୟମ୍ୱରେ ଛନ୍ତି ସର୍ବେ ମିଳି ॥
ଏଡ଼େକ ଆର୍ଦ୍ଦୋଳି ମାଗୋ ସହିଛି ତୋ ପିତା ।ଧନ୍ୟ ଏ ଭୀଷ୍ମକ ରାଜା ଅଟେ ଜଗଜ୍ଜିତା ॥
ଏହାଙ୍କ ଚରଚା ପାଇଁ ଲାଗେ ଯେତେ ଦ୍ରବ୍ୟ ।ଅପୂର୍ବ ପଦାର୍ଥମାନ ଯୋଗାଇଛି ସର୍ବ ॥
ଅସମ୍ଭବ ଯୋଗାଡ଼ ତା କେ ପାରିବ କହି ।ଗୁଣେ ବ୍ୟୟ କଲେ ଶତେ ଗୁଣରେ ବଢ଼ଇ ॥
ବ୍ରାହ୍ମଣୁ ଚଣ୍ଡାଳ ଯାଏ ଛନ୍ତି ଯେତେ ଜାତି ।ଯେ ଯାହା ମାଗଇ ତାହା ସତ୍ୱରେ ଦିଅନ୍ତି ॥
କେତେ ଦ୍ରବ୍ୟ ଅଛି ତାର ଆଦିଅନ୍ତ ନାହିଁ ।କେବଣ ପ୍ରକାରେ ଏହା ଭିଆଇଲେ କାହିଁ ॥
କାହୁଁ କେତେ ଦ୍ରବ୍ୟ ଆଣି କଲେ ଏକ ରୁଣ୍ଡ ।ନାହିଁ ନୋହିବ ଏପରି ଖୋଜିଲେ ବ୍ରହ୍ମାଣ୍ଡ ॥
ଜାଜ୍ଜ୍ୱଲ୍ୟ ତେଜରେ ଶୋଭାପାଏ ସଭାଗୋଟି ।ହରଷରେ ଦେଖ ମାଗୋ ଦେଇ ଏକଦୃଷ୍ଟି ॥
କମଳା ଅଂଶରେ ଅଟେ ତୋର ଅବତାର ।ଦ୍ୱାପର ଯୁଗେ ନାଶିବୁ ପୃଥିବୀର ଭାର ॥
ଏ ସବୁ ଉଦରୁ ଜାତ କରିଅଛୁ ତୁହି ।ତୁ କିସ ନ ଜାଣୁ ଅବା କହିବି ଯେ ମୁହିଁ ॥
ମାଗୋ ଯେତେ ରାଜାଙ୍କର ଯେତେ ସୈନ୍ୟବଳ ।ତୋ ଯୋଗେ ତାଙ୍କର ଜନ୍ମ ହୋଇଲା ସଫଳ ॥
ଏ ତୋହର ଦିବ୍ୟ ରୂପ ନୟନେ ଦେଖିଲେ ।ଇହଲୋକ ପରଲୋକ ମୁକତ ହୋଇଲେ ॥
ସମସ୍ତଙ୍କ ଦୃଷ୍ଟି ପଡ଼ିଅଛି ତୋର ତହିଁ ।ତ୍ରୈଲୋକ୍ୟ ଉଦ୍ଧାର କର ଅପାଙ୍ଗରେ ଚାହିଁ ॥
କୋଟି ଇନ୍ଦ୍ର ସମ୍ପତ୍ତି ସେ ବିଳୋହିଣ ପାରି ।ଜାତ କରି ତୁହି ପୁଣି ସଂହାରୁ ଏପରି ॥
ଜନ୍ମ ଜନ୍ମାନ୍ତରେ ଥାଉ ତୋର ପାଦତଳେ ।ମୁଁ ତୋହର ଦାସୀ ହୋଇଅଛି କାଳେ କାଳେ ॥
ଦ୍ୱାପର ଠାକୁରାଣୀ ତୁ ଅଟୁ ନବଯୁବା ।ନାରାୟଣ ବିନୁ ତୋତେ ହୋଇବ କେ ବିଭା ॥
ସ୍ୱୟମ୍ୱର କରିଛନ୍ତି ପିତା ଏତେ ଦୁଃଖେ ।କାରଣ ନୋହିବ କଥା ରହିବ ତ୍ରୈଲୋକ୍ୟେ ॥
ସ୍ୱଦେଶୀ ବିଦେଶୀ ସାଧୁ ଭୂପାଳଙ୍କ ମୂଳେ ।ରାଜା ରାଜପୁତ୍ରେ ଉଭା ଏହି ସଭା ତଳେ ॥
ଉତ୍ତମ ବଂଶରେ ଜାତ ଏହି କ୍ଷତ୍ରି କୁଳ ।ମିଳିଛନ୍ତି ଯେ ଯାହାରେ ଘେନି ଅଙ୍ଗ ବଳ ॥
ଛୟାଣୋଇ ସସ୍ର ରାଜା ଅପ୍ରମିତ ଥାଟ ।କଳନା ନ ଯାଏ କେତେ ହାତୀ ଘୋଡ଼ା ଓଟ ॥
ହାଟୁଆ ବାଟୁଆ ସାଧୁ ଜନରେ ସଂକୁଳ ।ଅପ୍ରମିତ ଯାତ୍ରା ପ୍ରାୟ ହୋଇଛି ଗହଳ ॥
ଦେବ ଦାନବ ମାନବ ନ ଯାଏ ବାରଣ ।ପାତ୍ର ମନ୍ତ୍ରୀ ପୁରୋହିତ ଘେନି ନୃପଗଣ ॥
ସର୍ବେ ରୁଣ୍ଡ ହୋଇଛନ୍ତି ଏ ମହାସଭାରେ ।ତୋତେ ପ୍ରତିଆଶା କରିଛନ୍ତି ଯେ ଯାହାରେ ॥
ତୁ ପରମ ମାହେଶ୍ୱରୀ ବିଷ୍ଣୁର ଅଙ୍ଗନା ।ମୁକତି ହୁଅନ୍ତି ସର୍ବେ ତୁ ଏହାଙ୍କୁ ଅନା ॥
କୁନ୍ତଭୋଜ ନାମେ ନୃପ ରତ୍ନ ସିଂହାସନେ ।ବସିଅଛି ପୂର୍ବ ଭାଗେ ଦେଖ ସୁଲୋଚନେ ॥
ମାଗୋ ଏହି କୁନ୍ତଭୋଜ ଅପୁତ୍ରକ ଥିଲା ।ମିତ୍ରପଣେ ଉଗ୍ରସେନ ଦୁହିତାଏ ଦେଲା ॥
ସେ ପ୍ରତିପାଳି ପଣ୍ଡୁକୁ ଦେଲେ ତାକୁ ବିଭା ।ଅପୁତ୍ରକ ଦୋଷ ଗଲା ବଂଶ ପାଇ ଶୋଭା ॥
ତା ପାଶେ ବସିଛି ଦେଖ ଗାନ୍ଧାର ରାଜନ ।ଶୂରବନ୍ତ ଶତେ ପୁତ୍ର ଏହାରଟି ଜାଣ ॥
ଗାନ୍ଧାରୀ ନାମରେ ପୁଣି କନ୍ୟା ଏକ ଥିଲା ।ସେ କନ୍ୟା ରାକ୍ଷସୀ ଜାତି କେ ବିଭା ନୋହିଲା ॥
ଧୃତରାଷ୍ଟ୍ର ନାମେ ରାଜା ସେ ଅସୁର ଜାତି ।ସେ କନ୍ୟାକୁ ସେହି ବର ହୋଇଥିଲା ଯୁକତି ॥
ଗାନ୍ଧାରୀ ଗର୍ଭରୁ ଜାତ ଶତେକ ନନ୍ଦନ ।କୁରୁକୁଳ ଚକ୍ରବର୍ତ୍ତୀ ନାମ ଦୁର୍ଯ୍ୟୋଧନ ॥
ଏହାର ପାରୁଶେ ଅଛି ଧନୁ ଏକ ଧରି ।ପଦ୍ମ ଦେଶ ନରପତି ସେ ପଦ୍ମକେଶରୀ ॥
ଆଠ ଅକ୍ଷୌହିଣୀ ୟାର ଅଙ୍ଗ ବଳ ସୈନ୍ୟ ।ସୂର୍ଯ୍ୟଦେବ ହୋଇଛନ୍ତି ଏହାଙ୍କୁ ପ୍ରସନ୍ନ ॥
ତାଙ୍କ ତହୁଁ ଦିବ୍ୟ ଚକ୍ଷୁ ପାଇଅଛି ଏହି ।ତ୍ରିଭୁବନ କଥା ଜାଣେ ହସ୍ତକୁ ଅନାଇଁ ॥
ସୌରାଷ୍ଟ୍ର ଦେଶର ଶମ୍ଭୁକଳ୍ପ ନରପତି ।ବହୁତ କୁଟୁମ୍ୱ ୟାର ନାତି ପଣନାତି ॥
ମନ୍ଦାର ଦେଶର ରାଜା କାଳ ବାସୁଦେବ ।ଏଗାର କ୍ଷଉଣୀ ବଳ ବଡ଼ଇ ସମ୍ଭବ ॥
କଞ୍ଚନ ଦେଶର ରାଜା ବୀରବର ଏଟି ।ବେନିଲକ୍ଷ ପାରିଦଣ୍ଡ ୟା ପାଦରେ ଖଟି ॥
କୋଶଳ ଦେଶର ରାଜା ଭୂଷଣ ନୃପତି ।ପାଞ୍ଚକୋଟି ଅଙ୍ଗବଳ ପାଦେ ଖଟିଛନ୍ତି ॥
କାଞ୍ଚୀଦେଶ ରାଜା ଏହି ଦେଖ ବିଷ୍ଣୁସେନ ।ସଙ୍ଗତରେ ଆଣିଅଛି ଅପ୍ରମିତ ସୈନ୍ୟ ॥
ହିମବନ୍ତ ଦେଶ ରାଜା ହିମ ନରପତି ।ଦୁହିତା ଗୋଟି ଏହାର ଅନୁଭବବତୀ ॥
ଏ ନୃପତି ସେ କନ୍ୟାକୁ ନ କରାଇ ବିଭା ।ସ୍ନେହରେ ପାଳନ୍ତେ କାଳେ ହେଲା ନବଯୁବା ॥
ଅଦ୍ୟାପି କନ୍ୟାକୁ ଦେଖ ସଙ୍ଗେ ଅଛି ଘେନି ।ଦେଖି ହସ ହସ ହେଲେ ଭୀଷ୍ମକ ନନ୍ଦିନୀ ॥
ସୁମେଧା ମୁଖକୁ ଚାହିଁ ବୋଲନ୍ତି ରୁକ୍ମିଣୀ ।ଉପହାସ ନ କର ଗୋ ମୋହର ମିତଣି ॥
ସୁମେଧା ବୋଲଇ ଏହା ଜାଣଇ ନା ମୁହିଁ ।ଏତେ ବୋଲି ହରଷରେ ଚାହନ୍ତେ ସେ ଦୁଇ ॥
ଅନେକ ନୃପତି ଥିଲେ ସଭା ମଧ୍ୟ ବସି ।ବୋଇଲେ ଆକାଶୁ ଖସି ଅଇଲାକି ଶଶୀ ॥
ତେସନ ସଞ୍ଜାତ ଶୋଭା ଦିଶିଲା ଏ ମୁଖ ।କେ ବୋଲଇ ଚନ୍ଦ୍ରମାରେ ଅଛଇ କଳଙ୍କ ॥
ସମୂର୍ଣ୍ଣ ମାସକେ ହୋଏ ତା ଶରୀର ଭଲ ।ନିରନ୍ତର ଏହା ମୁଖ ପୂର୍ଣ୍ଣଚନ୍ଦ୍ର ତୁଲ୍ୟ ॥
ଆଉ ଅବିଗୁଣ ଅଛି ଚନ୍ଦ୍ରମାର ତହିଁ ।ଜନ୍ମରୁ କଳଙ୍କ ଗୋଟା ଅଙ୍ଗେ ଅଛି ବହି ॥
ଦେଖ ଏ ମୁଖରେ ଅବିଗୁଣ ନାହିଁ କିଛି ।ପଦ ପଦକେ ବଚନୁ ସୁଧା ଗଳୁଅଛି ॥
ହାବ ଭାବ କଟାକ୍ଷରେ ରହିଅଛି ପୂରି ।ଚନ୍ଦ୍ରମା ହୋଇବ କାହୁଁ ଏ ମୁଖକୁ ସରି ॥
ଆବର ଚନ୍ଦ୍ରମାଠାରେ ଅଛଇ ଦୂଷଣ ।ଛ ମାସକେ ରହୁ ଥରେ କରଇ ଭକ୍ଷଣ ॥
ନିର୍ମଳ କଳଙ୍କହୀନ ଏହା ମୁଖଗୋଟି ।ଦେଖିଲେ କୋଟି ଜନ୍ମର ଦୁଃଖ ଯାଏ ତୁଟି ॥
ପଦ୍ମକୁ ଯେ ପଟାନ୍ତର ଦିଅନ୍ତୁ ବା ଯିସ ।ଶିଶିର ପଡ଼ନ୍ତେ ସେହି ପଦ୍ମ ଯାଏ ନାଶ ॥
ସୁଧାକର ନିଧି କି ଏ ଅପୂର୍ବ ନଳିନୀ ।ମଧୁର ଅଧରୁ ଗଳିପଡ଼େ ଚାରୁବାଣୀ ॥
ବିଧାତା ନ ଜାଣି ଏହା ନାମ ସ୍ତିରୀ ଦେଲା ।ସ୍ତିରୀଙ୍କି ଅଭଳା ବୋଲି ପୁରାଣେ ଲିହିଲା ॥
କୁବେର ବରୁଣ ଇନ୍ଦ୍ର ବ୍ରହ୍ମା ଚକ୍ରପାଣି ।ଚକ୍ଷୁ ପିଛାଡ଼ିଲା ମାତ୍ରେ ଏ ପାରଇ ଜିଣି ॥
ସ୍ତିରୀଙ୍କି ଅବଳା ବୋଲି ବୋଲିବା କେମନ୍ତେ ।ଯାର ବଳ ପୂରିଅଛି ସକଳ ଜଗତେ ॥
ଏହାର ଗମନ ଦେଖି ମରାଳ ଲଜ୍ଜାରେ ।ପଳାଇ ପଶିଲା ଯାଇ ବ୍ରହ୍ମାଙ୍କର ପୁରେ ॥
ମତ୍ତଗଜ ସେହିପରି କୁଟୁମ୍ୱ ସହିତେ ।ଲଜ୍ଜାପାଇ ଗୁପତରେ ରହିଲା ବନସ୍ତେ ॥
ହସିବାରେ ବିରାଜଇ ଏହା ଦନ୍ତପନ୍ତି ।ବୁଧ ଶୁକ୍ର ଘେନି କିବା ଉଦେ ନିଶାପତି ॥
ନବ ଅରୁଣ ଉଦେ କି ହେଲେ ବେଳକାଳେ ।ବିଧୁ ମଣ୍ଡଳ ଭାସେ କି ପୂର୍ବସିନ୍ଧୁ ଜଳେ ॥
ଏସନକ ବିଚାରିଣ ନୃପତି ସକଳ ।ରୁକ୍ମିଣୀ ରୂପକୁ ଦେଖି ହେଲେ ଖଳବଳ ॥
କେ ବୋଲେ ଯାହାକୁ ଲଭ୍ୟ ହେବ ଏହି ନାରୀ ।କେ ବୋଲଇ ପୂର୍ବଭାଗ୍ୟ ଥିବଟି ଯାହାରି ॥
ନ ଜାଣି ଅଇଲେ ଆମ୍ଭେ କିପାଁ ଏହାପାଇଁ ।ଏକନ୍ୟା ପ୍ରାପତ ହେଲା ପ୍ରାୟ ଦିଶୁ ନାହିଁ ॥
ଇନ୍ଦ୍ର ଯମ ନଇର୍ଋତ କୁବେର ବରୁଣ ।ଏ କନ୍ୟାକୁ ପତିପଣେ ନୁହନ୍ତି ଭାଜନ ॥
ମାନବ ଶରୀରେ ଅବା କେ ପାରିବ ଲଭି ।ସାକ୍ଷାତେ ଏ ରତି ଉମା କିବା ଲକ୍ଷ୍ମୀଦେବୀ ॥
ଇନ୍ଦ୍ରଜାଲେ ମାୟା ଯେହ୍ନେ ଦେଖୁ ଦେଖୁ ଯାଇ ।ସ୍ୱର୍ଗର ଫଳ ଯେସନେ ଲୋଡ଼ିଲେ ନ ପାଇ ॥
ମୃଗତୃଷ୍ଣା ଜଳେ ଯେହ୍ନେ ତୃଷ୍ଣା ନୋହେ ଶାନ୍ତି ।ରୁକ୍ମିଣୀ ଆଶାରେ ଆମ୍ଭେ ତେହ୍ନେ ହେବା ଭ୍ରାନ୍ତି ॥
ଚକୋର ଫୁଟଇ ଯେହ୍ନେ ବାରିଦକୁ ଚାହିଁ ।ତେସନେ ହୋଇଣ ଆମ୍ଭେ ସର୍ବ ନରସାଇଁ ॥
କେତେ କଷ୍ଟପାଇ ଆମ୍ଭେ ଅଇଲୁ ସକଳେ ।କାର୍ଯ୍ୟ ନ ପାଇବୁ କଥା ଥିବ କାଳେ କାଳେ ॥
କେ ବୋଲଇ ଆସିବାର କଷ୍ଟ ସାର୍ଥ ହେଲା ।ଏହାର ବଦନ ଦେଖି ସବୁ ଦୁଃଖ ଗଲା ॥
ଯାହାକୁ ଏ ବରିନେବ ଗଳେ ଦେଇ ହାର ।ତେବେ ସେ ଜାଣିବା ଧନ୍ୟ ଜୀବନ ତାହାର ॥
ଶୁଣ ପରୀକ୍ଷ ବଦନ୍ତି ଶୁକ ମହାମୁନି ।ପୁରାଣ ଶ୍ରୀଭାଗବତ ପୁଣ୍ୟମୟ ବାଣୀ ॥
ଏସନ ରୁକ୍ମିଣୀ ଆଗେ ଜଣ ଜଣ କରି ।ନୃପଙ୍କୁ ଚିହ୍ନାଇ ଦିଏ ସୁମେଧା ଚତୁରୀ ॥
ରୂପଗୁଣ ପରାକ୍ରମ ବଂଶ ଯେ ଯାହାର ।ଏକ ଏକନାମ ଧରି କହିଲା ଅପାର ॥
ଚାରିବର୍ଣ୍ଣ ହାଟକରେ ଅଷ୍ଟାଦଶ ମୂଳେ ।ସବୁ ଚହ୍ନାଇଲା ଯେତେ ଥିଲେ ସଭାତଳେ ॥
ଶୁଣିଣ ରୁକ୍ମିଣୀ ଦେବୀ ପୋତି ଦେଇ ମଥା ।ଲଜ୍ଜାରେ ମଉନ ହେଲେ ନ କହିଣ କଥା ॥
ସୁମେଧା ବୋଇଲା ମାଗୋ କିପାଁହେଲୁ ମୌନ ।ତୋ ପାଇଁ ହୋଇଛି ସିନା ଏ ସର୍ବ ବିଧାନ ॥
ଏଡ଼େକ ଆର୍ଦୋଳି ପିତା ସହିଲେ ତୋ ପାଇଁ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ କେହି କରି ନାହିଁ ॥
ମାଗୋ ସ୍ତିରୀ ଏକ ହେଲେ ପୁରୁଷେକ ଜାତ ।ଜନମ ହୋଇଲେ ମୃତ୍ୟୁ ହୁଅଇ ନିୟତ ॥
ରୂପେକ ହୋଇଲେ ନିଶ୍ଚେ ନାମେକ ବହିବ ।ନଦୀ ଯହିଁ ଥାଏ ତହିଁ ଥାଏ ନିଶ୍ଚେ ନାବ ॥
ଦିବସେକ ହେଲେ ନିଶ୍ଚେ ରାତ୍ରି ଏକ ଅଛି ।ପୂର୍ବରୁ ବିଧାତା ଏହା ଘଟାଇ ରଖିଛି ॥
ଅନେକ ଜନ୍ମରେ ତପ କରିଥାଏ ଯେହୁ ।ସଂସାରେ ମାନବ ହୋଇ ଜନ୍ମ ହୁଏ ସେହୁ ॥
ଆବର ତୁ ବିଶେଷରେ ରାଜାର ଦୁଲାଳୀ ।ସୁପବିତ୍ର ପାଟବଂଶୀ ପୁଣି ଶୁଦ୍ଧଶାଳୀ ॥
ପ୍ରତ୍ୟକ୍ଷରେ ଲକ୍ଷ୍ମୀ ଦେବୀ ନାରୀ ଅବତାର ।ବ୍ରହ୍ମାଣ୍ଡ ଭିତରେ ନାହିଁ ତୋତେ ପଟାନ୍ତର ॥
ତୁ ଯାହାକୁ ଅନୁଗ୍ରହ କରିବୁ ଗୋ ମାଏ ।ତା ପାଦରୁ କୋଟି ଇନ୍ଦ୍ର ପଦ ସମ ନୋହେ ॥
ଦେଖ ସବୁ ନୃପେ ବସି ମଣ୍ଡିଛନ୍ତି ସଭା ।ଯେ ତୋର ମନକୁ ପାଏ ତାକୁ ହୁଅ ବିଭା ॥
ସୁମେଧା ବଚନ ଶୁଣି ବୋଲନ୍ତି ରୁକ୍ମିଣୀ ।ଏତ ଉପହାସ କଥା କହିଲୁ ମିତଣି ॥
ଆସ୍ଥାନରେ ବସିଛନ୍ତି ଯେତେକ ନୃପତି ।ଥୋକାଏ ଅସୁର ଥୋକେ ମାନବ ଅଟନ୍ତି ॥
ଏହାଙ୍କୁ ମୁଁ ପତିପଣେ ବରିବି କେମନ୍ତେ ।ମୋ ଭୃତ୍ୟର ଭୃତ୍ୟପରି ଦିଶନ୍ତି ଏ ମୋତେ ॥
ଯଦ୍ୟପି କେଶରୀ ଶିଶୁ ହୋଇଥାଏ ସାନ ।ମୂଷାକୁ ମାରିଣ କେଭେ ନ କରେ ଭୋଜନ ॥
କ୍ଷୁଧାତୁର ହୋଇ ରାହୁ ପାଉଥିଲେ ପ୍ରାସ ।ଚନ୍ଦ୍ର ବିନା ଆନକୁ ସେ ନ କରଇ ଗ୍ରାସ ॥
ଅଳି ଯେବେ ହୋଇଥାଏ ମତ୍ତ ମତୁଆଳ ।ପଦ୍ମ ଉପେକ୍ଷିଣ ଖୋଜଇ କି ବାସିଫୁଲ ॥
ମଞ୍ଚର ଏ ରାଜାମାନେ ନ ରୁଚନ୍ତି ମୋତେ ।ଦେବତାମାନଙ୍କ ନାମ କହି ଅଛି ଯେତେ ॥
ସୁମେଧା ବୋଲଇ ସଖି ବିଧାତାଙ୍କୁ ବର ।ରୁକ୍ମିଣୀ ବୋଇଲେ ପିତାମହ ସେ ମୋହର ॥
ସୁମେଧା ବୋଲଇ ଯେବେ ବ୍ରହ୍ମା ତୋର ପିତା ।ଈଶ୍ୱରଙ୍କୁ ବର ସେହି ଅଷ୍ଟାଙ୍ଗରେ ଜିତା ॥
ରୁକ୍ମିଣୀ ବୋଇଲେ ଶିବ ମୋର ଗୁରୁଜନ ।ତାଙ୍କୁ ବରିବାକୁ ସଖି ନ ବଳଇ ମନ ॥
ସୁମେଧା ଯେ ବୋଲେ ନ ବରିଲେ ଶୂଳପାଣି ।ଇନ୍ଦ୍ରଙ୍କ ବରିଣ ହୁଅ ସ୍ୱର୍ଗେ ପାଟରାଣୀ ॥
ଯମ କୁବେର ପବନ ନୈର୍ଋତ ବରୁଣ ।ଚନ୍ଦ୍ର ସୂର୍ଯ୍ୟ ବୈଶ୍ୱାନର ଗନ୍ଧର୍ବ ଚାରଣ ॥
ରାଜଋଷି ଦେବଋଷି ବ୍ରହ୍ମର୍ଷି ସହିତେ ।ଅନନ୍ତ ବାସୁକି ଆଦି ପାତାଳରେ ଯେତେ ॥
ଚଉଷଠି ସିଦ୍ଧ ମୂଳେ ଯେତେ ଯୋଗେଶ୍ୱର ।ଆବର ଯେ ଚଉଷଠି କୋଟି ବିଦ୍ୟାଧର ॥
ଏ ସମସ୍ତ ନାମ ଧରି ସୁମେଧା କହନ୍ତେ ।ନ ରୁଚିଲା ରୁକ୍ମିଣୀଙ୍କ ମନକୁ କିଞ୍ଚିତେ ॥
ଦଣ୍ଡେ ସେ ମଉନ ହୋଇ ଗଣ୍ଡେ ଦେଇ ହସ୍ତ ।ଆକାଶକୁ ଦୃଷ୍ଟିଦେଲେ ଚିନ୍ତି ଚକ୍ରହସ୍ତ ॥
ଚକ୍ଷୁବେନି ଥନ ଥନ ଅଶ୍ରୁ ପଡ଼େ ଗଳି ।ବିଚାରନ୍ତି ଆହା କାହିଁ ଗଲ ବନମାଳୀ ॥
ନୟନରୁ ଜଳ ଖସି ପଡ଼େ ବକ୍ଷସ୍ଥଳେ ।ସୁଧାକର ବିକାଶେ କି ଅମର ମଣ୍ଡଳେ ॥
କିବା ଗଙ୍ଗା ବହିଗଲେ ସୁମେରୁ କନ୍ଦରୁ ।ମୁକ୍ତାମାଳା ନାମ ବହି ବୈକୁଣ୍ଠ ଭିତରୁ ॥
କର୍ପୂର କସ୍ତୁରୀ ସଙ୍ଗେ ମିଶିଣ ସେ ଜଳ ।ବସନ ତିନ୍ତାଇ ଗଳି ଖସି ପଡ଼େ ତଳ ॥
ଏଣୁ କରି କଣ୍ଠେ ଶୋଭା ପାଉଅଛି ହାର ।କୋଟିଲିଙ୍ଗ ବିଜେକଲା ଶୋଭା ଭୂମିପର ॥
ମୃଗନାଭିରେ ପଙ୍କଜ ହୋଇ ଲୋଳି ଲୋଳି ।ସବୁରସ ଉପରେ କି ଆଦି ଆର୍ଦ୍ରବଳି ॥
ଅକଣ୍ଠୀ ତରୁଣୀ ବାଳା ଏକାଦଶ ବର୍ଷୀ ।କେଶବାସ ନ ରୁଚିଲା ମନେ ଚିନ୍ତା ପଶି ॥
ସୁମେଧା ବୋଇଲେ ମୋତେ ସତ କହ ସହି ।ଏ ସଭା ମଧ୍ୟରେ ଜଣେ ବରିବୁ କି ନାହିଁ ॥
ରୁକ୍ମିଣୀ ବୋଇଲେ ସଖୀ କି କହିବି ତୋତେ ।ଏ ରାଜାଏ କୀଟପ୍ରାୟ ଦିଶୁଛନ୍ତି ମୋତେ ॥
ଆବର କହିଲୁ ଯେତେ ଦେବ ନାମ ଧରି ।ବିଚାରେ ସେ ପତିଯୋଗ୍ୟ ନୁହନ୍ତି ମୋହରି ॥
ଏହା ଶୁଣି ସୁମେଧା ଯେ ବୋଲେ ପ୍ରାଣସହି ।ଜାଣିଲି ତୋହର ବିଭା ହେବା ମନ ନାହିଁ ॥
ଦେବଦୈତ୍ୟ ନାଗନରେ ନରୁଚିଲେ ତୋତେ ।ଏଥୁଁ ଭିନ୍ନ ବର କାହୁଁ ପାଇବୁ ଜଗତେ ॥
ରୁକ୍ମିଣୀ ବୋଇଲେ ସଖି ଅଛି ମୁଁ ଭିଆଇ ।ଯେ ମୋହର ନିଜ ଭର୍ତ୍ତା ମୁଁ ତାଙ୍କୁ ଜାଣଇ ॥
ସୁମେଧା ବୋଇଲା ମାଗୋ ତୁହି ଲୋକ ମାତା ।ଏ ତୋର ମାୟାକୁ କେବା ଅଛଇ ଜାଣନ୍ତା ॥
ତୁ ଯେ ଆଦି ଅନ୍ନପୂର୍ଣ୍ଣା ଅଟୁ ମାହେଶ୍ୱରୀ ।ଭିଆଇଛୁ ଜଳସ୍ଥଳ ଶୂନ୍ୟ ଆଧିକରି ॥
ସୀତା ନିମନ୍ତେ ଜନକ ସ୍ୱୟମ୍ୱର କରେ ।ଧନୁ ଭାଙ୍ଗି ରାମଚନ୍ଦ୍ର ତାଙ୍କୁ ବିଭାହେଲେ ॥
ବସୁନାମେ ସତ୍ୟଯୁଗେ ଦମୟନ୍ତୀ ପାଇଁ ।ଭୀମରାଜା ସ୍ୱୟମ୍ୱର କଲେ କଷ୍ଟ ପାଇ ॥
ନଳକୁ ବରିବି ବୋଲି ବୋଇଲା ସୁନ୍ଦରୀ ।ଚାରି ଦେବତା ଆସିଲେ ନଳରୂପ ଧରି ॥
ତଥାପି ସେ ଦମୟନ୍ତୀ ତାଙ୍କୁ ନ ବରିଲା ।ଦେବକୂଟ ମାୟା ଜିଣିଣ ନଳଙ୍କୁ ବରିଲା ॥
ତ୍ରିଶଙ୍କୁ ରାଜାର କନ୍ୟା ନାମ ଚନ୍ଦ୍ରାବତୀ ।ତା ପାଇଁକି ସ୍ୱୟମ୍ୱର କଲା ସେ ନୃପତି ॥
ଦେବତା ଗନ୍ଧର୍ବ ନର ଦାନବଙ୍କ ମୂଳେ ।ସମସ୍ତେ ମିଳିଲେ ଆସି ସ୍ୱୟମ୍ୱର ସ୍ଥଳେ ॥
ଏକ ଏକ କରି ତାଙ୍କୁ ଦେଖିଣ ସେ ବାଳୀ ।ଯମ ଦେବତା କଣ୍ଠରେ ଦେଲା ପୁଷ୍ପମାଳୀ ॥
ଶଶବିନ୍ଦୁ ନରପତି ଅଶ୍ୱମେଧ କଲା ।କେତୁକା ନାମରେ କନ୍ୟା ତହୁଁ ଜାତ ହେଲା ॥
ତା ସାଙ୍ଗରେ ଜାତ ହେଲେ ଲକ୍ଷେ ପରିବାରୀ ।ଏକକୁ ଆରେକ ସର୍ବେ ଅଟନ୍ତି ସୁନ୍ଦରୀ ॥
ଥୋକାଏ ଦିନ ଅନ୍ତେ ସେ ହେଲେ ନବଯୁବା ।ନୃପ ଚିନ୍ତାକଲେ କେହ୍ନେ କରାଇବି ବିଭା ॥
ଖୋଜି ଖୋଜି ଅଣାଇଲେ ଅନେକ ବରଙ୍କୁ ।କେହି ବର ନ ରୂଚଇ ସେ କନ୍ୟା ମନକୁ ॥
ମେରୁ ଗିରି ପଶ୍ଚିମରେ ବିନ୍ଧ୍ୟାଗିରିମାଳ ।ରୂପରେଖ ନାମେ ତହିଁ କଟକ ନିର୍ମଳ ॥
ସେ କଟକେ ସ୍ୱୟମ୍ବର ଶଶବିନ୍ଦୁ ରାଏ ।କରନ୍ତେ ମିଳିଲେ ଆସି ସର୍ବ ଦେବତାଏ ॥
ଭୂଲୋକ ଯେ ଭୁବଲୋକ ସ୍ୱର୍ଗଲୋକ ତିନି ।ମହଲୋକ ଜନଲୋକ ତପଲୋକ ଘେନି ॥
ବ୍ରହ୍ମଲୋକ ରୁଦ୍ର ବିଷ୍ଣୁ ଲୋକର ସହିତେ ।ମିଳିଲେ ତେତିଶକୋଟି ଦେବେ ଯେଝାମତେ ॥
ପାଞ୍ଚବର୍ଷ ପରିଯନ୍ତେ ହେଲା ସ୍ୱୟମ୍ୱର ।ଦେବତାମାନଙ୍କୁ କେଭେ ନ ଦେଲା ସେ ହାର ॥
ସେ କନ୍ୟା ମନକୁ ଆନ ବର ନ ରୁଚିଲା ।ପରମ ପୁରୁଷ ବୋଲି ଧର୍ମଙ୍କୁ ବରିଲା ॥
କ୍ଷୀର ସମୁଦ୍ରରୁ ଲକ୍ଷ୍ମୀ ଜନମ ହୋଇଲେ ।ତାଙ୍କୁ ନେବା ପାଇଁ ଦେବଦୈତ୍ୟ ଗୋଳ କଲେ ॥
ପରିଶେଷେ ରୁଣ୍ଡ ହୋଇ କଲେ ଏକ ସଭା ।କନ୍ୟା ଯାହାକୁ ବରିବ ସେ ହୋଇବ ବିଭା ॥
ଏତେ ବୋଲି କନ୍ୟା ହସ୍ତେ ଆଣିଦେଲେ ମାଳା ।ସର୍ବ ସାକ୍ଷାତେ ବିଷ୍ଣୁଙ୍କୁ ବରିଲେ ଚଞ୍ଚଳା ॥
ପୂର୍ବେ ହିମବନ୍ତ ରାଜା ସ୍ୱୟମ୍ୱର କଲେ ।ସର୍ବେ ଦେଖୁଥିଲେ ଉମା ଶିବଙ୍କୁ ବରିଲେ ॥
ଏହିରୂପେ ସ୍ୱୟମ୍ୱର ହୋଇଅଛି ଯେତେ ।ଏକ ଏକ ନାମ କରି କହିବଇଁ କେତେ ॥
ନାନା ଦ୍ରବ୍ୟେ ପରିମଳ ସ୍ୱୟମ୍ୱର ସଭା ।କନ୍ୟା ବରିଲେ ଯେ ତାହା ନ ଦିଶଇ ଶୋଭା ॥
ସଭା ମଣ୍ଡି ବସିଥାନ୍ତି ଯେତେ ମହାରାଜ ।କନ୍ୟା ଫେରିଗଲେ ତାଙ୍କୁ ଲାଗେ ବଡ଼ ଲାଜ ॥
ରୁକ୍ମିଣୀ ବୋଇଲେ କହ କାହକୁ ବରିବି ।ସିଂହନାରୀ ହୋଇ କେହ୍ନେ ଶୃଗାଳ ଭଜିବି ॥
ଅନିମିତ୍ତେ ଡେଙ୍ଗୁରା ଗୋ ବାଜିଲା ମୁରାଟ ।କାରଣ ନୋହିଲା ମାତ୍ର କାର୍ଯ୍ୟ ହେଲା ନଷ୍ଟ ॥
ଏତେ କହି ସଖୀକର ନିଜେ କରେ ଧରି ।ମେଢ଼ରୁ ଓହ୍ଲାଇ ଗଲେ ଭୀଷ୍ମଙ୍କ କୁମାରୀ ॥
ହାନ୍ଦୋଳାରେ ବିଜେ କରି ସହଚରୀ ମେଳେ ।ଭିତର ପୁରୁକୁ ଗଲେ ସର୍ବେ ଏକାବେଳେ ॥
ରାଜସଭା ମଉଳିଲା କନ୍ୟା ଯାନ୍ତେ ଫେରି ।ଯେ ଯାହା ବସାକୁ ଗଲେ ସର୍ବ ଦଣ୍ଡଧାରୀ ॥
ପାତ୍ର ମନ୍ତ୍ରୀ ସେନାପତି ପୁରୋହିତ ମେଳେ ।ଯେ ଯାହାର ନିତ୍ୟକର୍ମ କଲେ ନଦୀକୂଳେ ॥
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଦେଶୀ ପରଦେଶୀ ।ଅମୃତ ମଣୋହି ଭୁଞ୍ଜି ସର୍ବେ ହେଲେ ତୋଷୀ ॥
ଦେବାଙ୍ଗ ବସନ ଗନ୍ଧ କର୍ପୂର କସ୍ତୁରୀ ।ଯେ ଯାହା ନିଯୋଗେ ଆଣିଦେଲେ ପଡ଼ିହାରୀ ॥
ତାମ୍ୱୁଳ ବିଡ଼ିଆ ଭୁଞ୍ଜି ଗଉରବ ପାଇ ।ବର ବରଯାତ୍ରୀ ସୁଖେ ବିହରିଲେ ରହି ॥
ସମସ୍ତଙ୍କୁ ଚର୍ଚ୍ଚା କଲେ ଭୀଷ୍ମକ ନୃପତି ।ଯେ ଯାହା ଲୋଡ଼ଇ ତାହା ଯୋଗାଇ ଦିଅନ୍ତି ॥
ଯାହାର ଦୁହିତା ପୁଣି କମଳା ସାକ୍ଷାତେ ।କି ଅପୂର୍ବ ହୋଇ ତାକୁ ଅଛି ଏ ଜଗତେ ॥
ରୁକ୍ମିଣୀ ଦେବୀଙ୍କ ପାଦେ କୋଟିଏ ଦଇନୀ ।ଅଚ୍ୟୁତ ଦାସକୁ ଦୟା କର ଗୋ ଜନନି ॥
କୌଶିକ ରାଜ୍ୟରେ ରାମକୃଷ୍ଣଙ୍କର ଅଭିଷେକଶୁଣ ପରୀକ୍ଷ ବଦନ୍ତି ଶୁକ ବ୍ରହ୍ମବେତ୍ତା ।ପ୍ରତ୍ୟକ୍ଷରେ ମହାଲକ୍ଷ୍ମୀ ଭୀଷ୍ମକ ଦୁହିତା ॥
ତେଣୁ ଗୁଣେ ବ୍ୟୟ କଲେ ଶତେ ଗୁଣେ ପୂରି ।ଅସଂଖ୍ୟକ ଦ୍ରବ୍ୟ କେତେ କହିବା ବିସ୍ତାରି ॥
ସତ୍ରଶାଳେ ଭୁଞ୍ଜୁଛନ୍ତି ଲୋକ ଲକ୍ଷ ଲକ୍ଷ ।ଦଶଗୁଣେ ଲେଖିଛନ୍ତି ମନ୍ତ୍ରୀ ଯେ ସୁଦକ୍ଷ ॥
ଭୁଞ୍ଜନ୍ତି ସୁବର୍ଣ୍ଣ ପାତ୍ରେ ଯୋଗାଡ଼ିଣ ନୂଆ ।କର୍ପୂର ବିଡ଼ିଆ ପାନ ସୁବାସିତ ଗୁଆ ॥
ଯେତେବେଳେ ଯାର ଯହିଁ ବଳୁଥାଏ ଚିତ୍ତ ।ମନ ଜାଣି ସେ ଯୋଗାଡ଼ ଦିଅନ୍ତି ସମସ୍ତ ॥
ଭୀଷ୍ମକ ପୁତ୍ର ରୁକ୍ମଣ ନାମେ ମହାବୀର ।ସକଳ କାର୍ଯ୍ୟରେ ହୋଇଥାଏ ଆଗଭର ॥
ସମସ୍ତଙ୍କୁ ଚର୍ଚ୍ଚା କରେ ଆପେ ଉଭା ହୋଇ ।ରାମ କୃଷ୍ଣ ଦେଖୁଥାନ୍ତି ଅନ୍ତରୀକ୍ଷେ ଥାଇ ॥
ଆକାଶ ମାର୍ଗରେ ରଥ ରଖି କୃପାନିଧି ।ପ୍ରଶଂସା କରନ୍ତି ଦେଖି ସ୍ୱୟମ୍ୱର ବିଧି ॥
ବଳଦେବ ସହିତରେ ଜ୍ୟେଷ୍ଠ ସପ୍ତଭ୍ରାତ ।ସୁରଥକୁ ଘେନି ରଥେ ବିଜେ ଜଗନ୍ନାଥ ॥
ଘୋଡ଼ାଙ୍କର ବାଗ ଧରି ମାତଳି ସାରଥି ।ଗଗନରେ ସ୍ଥିରୀ କଲେ ରହୁବର ଗତି ॥
ଏଥିୁଅନ୍ତେ ସୂର୍ଯ୍ୟ ହେଲ ପଶ୍ଚିମରେ ଅସ୍ତ ।ଯେ ଯାହା ସ୍ଥାନରେ ସୁସ୍ଥେ ରହିଲେ ସମସ୍ତ ॥
ଜଗନ୍ନାଥ ଆଜ୍ଞା ଦେଲେ ମାତଳିକି ଚାହିଁ ।କୌଶିକ ରାଜନବରେ ରଥ ନିଅ ବାହି ॥
ବିଚକ୍ଷଣ ଅଟନ୍ତି ସେ ଧାର୍ମିକ ନୃପତି ।ସେ ଦ୍ରାବିଡ଼ ସାମବେଦୀ ବିପ୍ର ଶୁଦ୍ଧ ଜାତି ॥
ଭୀଷ୍ମକ ରାଜାର ପୁଣି ସେ ଯେ ସାନ ଭ୍ରାତା ।ତ୍ରିଲୋଚନା ନାମେ ନାରୀ ଗର୍ଭଧାରୀ ମାତା ॥
ଆବର ନନ୍ଦିନୀ ନାମେ ତାଙ୍କର ଜନନୀ ।ବେନି ମାତାଙ୍କର ପୁତ୍ର ଏ ଯେ ଭାଇ ବେନି ॥
ଦୁଇଭାଇ ରାଜ୍ୟ ବାଣ୍ଟି କରୁଛନ୍ତି ଭୋଗ ।ଅନେକ ସମ୍ଭାରେ କଲେ ଅଶ୍ୱମେଧ ଯାଗ ॥
ବଡ଼ ପୁଣ୍ୟବନ୍ତ ଏହି କୌଶିକ ନୃମଣି ।ବୈଷ୍ଣବ ରାଜାମାନଙ୍କ ସଙ୍ଗେ ୟାଙ୍କୁ ଗଣି ॥
ବିବେକ ମହତ୍ତ୍ୱ ବିଦ୍ୟା ଜାତି କୁଳ ଧୈର୍ଯ୍ୟ ।ସଂଗ୍ରାମେ ଶକତା ଜାଣ ଏହି ମହାରାଜ ॥
ତାଙ୍କ ଘରେ ରହି ଆଜ ରାତ୍ରକ ବଞ୍ଚିବା ।ରଜନୀ ପାହିଲେ କାଲି ସଭାକୁ ଆସିବା ॥
ମାତଳି ଏମନ୍ତ ଶୁଣି ରଥ ବାହେ ବେଗେ ।ପ୍ରବେଶ ହୋଇଲେ କଉଶିକପୁର ଲାଗେ ॥
ଆକାଶ ମଣ୍ଡଳୁ ଯେହ୍ନେ ସୂର୍ଯ୍ୟ ପଡ଼େ ଖସି ।ତେସନ ପ୍ରକାରେ ଶୂନ୍ୟେ ଦେବଯାନ ଦିଶି ॥
ତା ଦେଖି କୌଶିକ ରାଜା ସିଂହାସନ ଛାଡ଼ି ।ସହସ୍ରେ ପ୍ରଣାମ କଲେ ଭୂମିତଳେ ପଡ଼ି ॥
କରପତ୍ର ଶିରେ ଯୋଡ଼ି ପୁଣି କଲେ ସ୍ତୁତି ।ଜୟ ଜୟ ନାରାୟଣ ଅଗତିର ଗତି ॥
କଳ୍ପନା କାମନା ନିଧି ସର୍ବ ଗୁଣଗ୍ରାହୀ ।ଶରଣ ସୋଦର ନାଥ ତୁମ୍ଭେ ବେନି ଭାଇ ॥
ତୁମ୍ଭେ ସତ୍ତ୍ୱ ରଜ ତମ ତ୍ରିଗୁଣ ଅନ୍ତର ।ପୁରାଣ ପୁରୁଷ ତୁମ୍ଭେ ବେନି ସହୋଦର ॥
ନମସ୍ତେ ହେ ଜଗନ୍ନାଥ ଆଦି ବିଶ୍ୱବାସ ।ଠୁଳ ଶୂନ୍ୟ ବିବର୍ଜିତ ପରମ ପ୍ରକାଶ ॥
ଯୋଗୀଜନମାନଙ୍କର ମୂଳମନ୍ତ୍ର ଜପ ।ପାପ ପୁଣ୍ୟ ବିବର୍ଜିତ ସକଳ ସ୍ୱରୂପ ॥
ଅଶେଷ କୋଟି ବ୍ରହ୍ମାଣ୍ଡ ତୁମ୍ଭ ଖେଳା ଲୀଳା ।କଉତୁକେ ଅବତାର ହେଲ ନନ୍ଦବଳା ॥
ତୁମ୍ଭେ ସ୍ୱାମୀ ଆଦି ଅଟ ତୁମ୍ଭେ ଯେ ଅନାଦି ।ନିର୍ମଳ ପୁରୁଷ ନାଥ ତୁମ୍ଭେ ଶୂନ୍ୟଭେଦୀ ॥
ଧରଣୀର ମହାଭାରା ନିବାରଣ ଅର୍ଥେ ।ମାନବ ସ୍ୱରୂପେ ତୁମ୍ଭ ଜନ୍ମ ଜଗନ୍ନାଥେ ॥
ଦ୍ୱାପରେ ଭାରତ ଯୁଦ୍ଧ ରଚନା କରାଇ ।ଲକ୍ଷେ ରାଜା ମରାଇବ ଆପେ ଉଭା ହୋଇ ॥
ତୁମ୍ଭ ଦାଢ଼ରୁ ଉବୁରି କେହି ଯିବେ ନାହିଁ ।ଚାରିଖାନି ଚାରିବାନି ସବୁ ଅଛ ମୋହି ॥
ନମସ୍ତେ ଆଦିପୁରୁଷ ହଳୀ ଚକ୍ରପାଣି ।କଳ୍ପନା କାମନା ନିଧି ଦେବ ଶିରୋମଣି ॥
ତୁମ୍ଭେ ଯାହା ସର୍ଜିଲ ତା ସଂସାର ହୋଇଛି ।ତା ଅନ୍ୟଥା କରିବାକୁ କାହା ଶକ୍ତି ଅଛି ॥
ଶ୍ରୀ ଜଗନ୍ନାଥ ଚରଣେ ସଦା ମୋର ସେବା ।ଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ॥
ଏସନ କୌଶିକ ରାଜା କଲେ ଯହୁଁ ସ୍ତୁତି ।ସନ୍ତୋଷ ହୋଲେ ଶୁଣି ରାମ ଶିରୀପତି ॥
ରଥୁଁ ଓହ୍ଲାଇ ରାଜାଙ୍କୁ ଧରି କୋଳ କଲେ ।ଆଜ ଆମ୍ଭେ ନିସ୍ତରିଲୁ ବୋଲିଣ କହିଲେ ॥
ଆମ୍ଭର ଭକତ ତୁମ୍ଭେ ଯୁଗେ ଯୁଗେ ଅଟ ।ପରିବାର ପଣେ ସବୁ ଅବତାରେ ଖଟ ॥
ତୁମ୍ଭେ କି ନ ଜାଣ ନୃପ ଆମ୍ଭେ ଜନ୍ମ କଥା ।ଅସୁରଙ୍କ ପାଦଭରେ ପୃଥ୍ୱୀ ପାଇ ବ୍ୟଥା ॥
ବିକଳେ ଗୁହାରି କଲା ଯାଇ ଆମ୍ଭ ଆଗେ ।ତେଣୁ ଯୋଗେ ଜନ୍ମ ହେଲୁ ଆସି ଭୂମିଭାଗେ ॥
କଣ୍ୱ ନାରଦ ଆବର ଭରଦ୍ୱାଜ ଋଷି ।ବଶିଷ୍ଠ ଜାବାଳି ବାଲମିକ ବ୍ରହ୍ମଋଷି ॥
ଅଗସ୍ତ୍ୟ କପିଳ ଭୃଗୁ ଅଙ୍ଗିରା ବିଦୁର ।ଉଗ୍ରସେନ ଅନାଧୃଷ୍ଟ ସାତ୍ୟକି ଅକ୍ରୂର ॥
ଭୀଷ୍ମ ବଳି ବ୍ୟାସ ଭୀମସେନ ଲଙ୍କପତି ।ସନକ ଯେ ସନାତନ ପଉଲସ୍ତ୍ୟ ଯତି ॥
କୁନ୍ତୀ ସୁତ ଯୁଧିଷ୍ଠିର ବସୁଦେବ ନନ୍ଦ ।ଶୁକ ସନକାଦି ଯେତେ ବଇଷ୍ଣବ ବୃନ୍ଦ ॥
ଆବ୍ରହ୍ମସ୍ତମ୍ଭ ପର୍ଯ୍ୟନ୍ତ ଅଛନ୍ତି ଏ ପୁରୀ ।ସତ୍ତ୍ୱ ରଜ ତମ ତିନି ଗୁଣ ଏକ କରି ॥
ସତ୍ତ୍ୱ ଗୁଣୁ ସନ୍ଥଜନେ ହେଲେ ଅବତାର ।ରଜରୁ କ୍ଷତ୍ରିୟେ ତମ ଗୁଣରୁ ଅସୁର ॥
ଗୋଶିଘଂ କାଳଦମନ ବାଣାସୁର ବୀର ।ଶମ୍ୱର ନାରକା ବଜ୍ରନାଭ ମୂଢ଼ାସୁର ॥
ଶାଲ୍ୱ ଆଉ ଶିଶୁପାଳ ଦନ୍ତବକ୍ର ଜରା ।ପୃଥ୍ୱୀଦେବୀ ନ ସହଇ ଏହାଙ୍କର ଭାରା ॥
କଳିଯୁଗ ପରବେଶ ହୋଇବ ନିକଟେ ।ସତ୍ୟ ଛାଡ଼ି ପ୍ରାଣୀମାନେ ଚାଲିବେ ଅବାଟେ ॥
ମୁଁ ଯେବେ ଆଗହୁଁ ୟାଙ୍କୁ ନ କରିବି ହତ ।ନିଶ୍ଚେ ନାଶ ଯିବ ଚରାଚର ଏ ଜଗତ ॥
ଦୁଷ୍ଟ ନାଶି ଖଣ୍ଡିବଇଁ ପୃଥିବୀର ଭାର ।ମ୍ଳେଚ୍ଛାଦି ମୁକ୍ତି ନିମନ୍ତେ ମୋର ଅବତାର ॥
କୌଶିକ ବୋଇଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟମୀ ।କେ ତୁମ୍ଭ ମହିମା ଅନ୍ତ କରିପାରେ ସ୍ୱାମୀ ॥
ତୁମ୍ଭେ ମୋର ମନ୍ଦିରକୁ ବିଜେ କଲ ହରି ।ଯଥୋଚିତ ଅକ୍ଷତ ମୁଁ ଦେବି ସତ୍ୟକରି ॥
ଗୁରୁଙ୍କର ଗୁରୁ ତୁମ୍ଭେ ପୁଣି ଅଭ୍ୟାଗତ ।ଦେବଙ୍କ ଉପରେ ଦେବ ଆତ୍ମା ପଞ୍ଚଭୂତ ॥
ଜଗନ୍ନାଥ ବୋଇଲେ ତୁ ବୈଷ୍ଣବରେ ଲେଖା ।ଆଦର୍ଶରେ ପିତୃତୁଲ୍ୟ ଭକ୍ତଗୁଣେ ସଖା ॥
କୌଶିକ ବୋଇଲେ ସତ୍ୟ ବଚନ ଏ ମୋର ।ଜୀବନ ଆଦି ସମସ୍ତ ଦେଲି ତୁମ୍ଭ କର ॥
ରାଜ୍ୟ ସମ୍ପଦ ମୋହର ଯେତେ ଧନ ଦ୍ରବ୍ୟ ।ପୁତ୍ର ଭାର୍ଯ୍ୟା ଆଦିକରି ସମର୍ପିଲି ସର୍ବ ॥
ଏତେ ବୋଲିଣ ଶଙ୍ଖରେ ଜଳ ତିଳ ଭରି ।ଗୋବିନ୍ଦ ଶ୍ରୀକରେ ଦେଲେ ମହାବାକ୍ୟ ସ୍ମରି ॥
ବାଜିଲା ଶଙ୍ଖ ମହୁରୀ ଉପାଙ୍ଗ ଯେ ବୀଣା ।କୁଣ୍ଡଳୀ ଯନ୍ତ୍ର ଅଧାଟି ଅଳାବେଶୀ ଗୁଣା ॥
ଟମକ ମର୍ଦ୍ଦଳ ଢ଼ୋଲ ନାନା ବାଦ୍ୟ ବାଜେ ।ଦୋସରୀ ମହୁରୀ ଭେରୀ ବୀରବାଜା ସାଜେ ॥
ଗାଇଲେ ମଙ୍ଗଳଗୀତ ଶୁଭେ ବେଦ ଧ୍ୱନି ।ସ୍ୱସ୍ତି କଲ୍ୟାଣ କରନ୍ତି ସୁର ସିଦ୍ଧ ମୁନି ॥
ପଞ୍ଚାଣୋଇ ଗୋଟି ସିଦ୍ଧ ଶାଳଗ୍ରାମ ମୂର୍ତ୍ତି ।ବେଦମନ୍ତ୍ରେ ପୂଜାକଲେ ସ୍ଥାପି ଚଉକତି ॥
ପ୍ରୟାଗ କେଦାରକୁଣ୍ଡ ବାରଣସୀ ଗଙ୍ଗା ।ଗୋଦାବରୀ ତୁଙ୍ଗଭଦ୍ରା ଗୋମତୀ ନିମ୍ନଗା ॥
ଯମୁନା ନର୍ମଦା ସରସ୍ୱତୀ ପୁଣ୍ୟ କୁଣ୍ଡ ।ଗନ୍ଧବତୀ ବ୍ରହ୍ମପୁତ୍ରୀ ବେଣୀ କଳ୍ପ ଗଣ୍ଡ ॥
ହରିତା ଯେ ହରିପ୍ରିୟା ପ୍ରୟାଗ ସହିତେ ।ଶତେ ତୀର୍ଥ ଜଳ ଭରି ସୁବର୍ଣ୍ଣର ପାତ୍ରେ ॥
ସୁବେଦୀ ବ୍ରାହ୍ମଣେ କରି ବୃହତ୍ସାମ ଗାନ ।ରାମକୃଷ୍ଣ ଶିରେ ତାହା ଢ଼ାଳିଲେ ବହନ ॥
ଆପେ କଉଶିକ ରାଜା ହସ୍ତେ ପାତ୍ର ଘେନି ।ରାଜ୍ୟେ ଅଭିଷେକ କଲେ ରାମକୃଷ୍ଣ ବେନି ॥
ଦୁନ୍ଦୁଭି ବାଦନ କଲେ ଦେବତାଏ ସ୍ୱର୍ଗେ ।ଜୟ ଜୟ ଶବ୍ଦ ପୂର୍ଣ୍ଣ ହେଲା ଶୂନ୍ୟ ମାର୍ଗେ ॥
ରାମ ଅଭିଷେକ ଯେହ୍ନେ ଅଯୋଧ୍ୟା ନଗରେ ।ତେସନ ଶୋଭା ଦିଶିଲା କଉଶିକ ପୁରେ ॥
ରାଜ୍ୟେ ଅଭିଷିକ୍ତ ଯହୁଁ ହେଲେ ନାରାୟଣ ।ସବୁ ରାଜାଙ୍କୁ କହିଲେ ଯାଇ ଚାରଗଣ ॥
ରୁକ୍ମିଣୀଙ୍କ ସ୍ୱୟମ୍ୱରେ ଥିଲେ ରୁଣ୍ଡ ହୋଇ ।ଦୈତ୍ୟମାନେ ଶଙ୍କାକଲେ ଏ ବାରତା ପାଇ ॥
ଭଗବନ୍ତ ରାଜାମାନେ ହୋଇଲେ ଉଷତ ।ଆବର ବୋଇଲେ ଆମ୍ଭେ ହୋଇଲୁ କୃତାର୍ଥ ॥
କେ ବୋଲଇ ଆମ୍ଭର କି ସତେ ଏଡ଼େ ପୁଣ୍ୟ ।ଅବ୍ୟକତ ବିଷ୍ଣୁରୂପ କରିବୁ ଦର୍ଶନ ॥
କେ ବୋଲଇ କୃଷ୍ଣ ଯେବେ ଅଇଲେଣି ସତେ ।ରୁକ୍ମିଣୀ ବରିବେ ତାଙ୍କୁ ଦେଖିବା ସାକ୍ଷାତେ ॥
ସଫଳ ହେଲା ଭୀଷ୍ମକ ରାଜା କାର୍ଯ୍ୟ ଆସି ।ବର ପ୍ରବେଶିଲେ ବରଯାତ୍ରୀ ଅଛୁ ବସି ॥
ଦନ୍ତବକ୍ର ଜରାସନ୍ଧ ଶାଲ୍ୱ ଶିଶୁପାଳ ।ରୁକ୍ମଣ ସେ ବଜ୍ରନାଭ ବାଣ ମହାବଳ ॥
ଏମାନଙ୍କୁ ଆଦି ଦୁଷ୍ଟେ କଲେ ଉପହାସ ।ବୋଇଲେ ଏଠାରେ ତାର ପ୍ରୟୋଜନ କିସ ॥
କୌଶିକ ରାଜା କିପାଇଁ ବାତୁଳ ହୋଇଲା ।ନନ୍ଦ ଗଉଡ଼ ପୁଅକୁ ରାଜ୍ୟ ଦାନ ଦେଲା ॥
କେ ବୋଲଇ ଏ ତ ବଡ଼ ବିଡ଼ମ୍ୱନ କଥା ।ନପୁଣ ଏ କଥାଗୋଟି ନୁହଇ ଅନ୍ୟଥା ॥
ରାଜ୍ୟ ଶିରୀ ସମ୍ପଦ କି ବ୍ୟର୍ଥେ ଛାଡ଼ିପାରେ ।ଏ କଥାକୁ ସାବଧାନ ଥିବା ଯେ ଯାହାରେ ॥
କେ ବୋଲନ୍ତି କରୁଅଛ କିପାଁ ଉପହାସ ।କଂସପରା ରାଜାକୁ ସେ ହେଳେ କଲେ ନାଶ ॥
ଆବର ଯେ ଅଷ୍ଟମଲ୍ଲ ଥିଲେ ବଳବନ୍ତ ।ଅବହେଳେ ବଧ କଲେ ତାଙ୍କୁ ନନ୍ଦସୁତ ॥
ଗୋପପୁରେ ଯେତେ କଥା କଲେ ଦେହବହି ।ଦେବାସୁର ମାନବରେ ଗୋଚର ନୁହଇ ॥
କୃଷ୍ଣ ସଙ୍ଗେ ବୈର ହେବା ନୁହଇ ଯୁକତି ।ଏତେ ବୋଲି ଶାନ୍ତହେଲେ ଥୋକାଏ ନୃପତି ॥
ଯେଝାମତେ ନୃପଗଣେ ପାଇଲେ ବାରତା ।ଲକ୍ଷେ ରାଜା ଆଗେ ପଡ଼େ ରାମକୃଷ୍ଣ କଥା ॥
କେ ବୋଲଇ ଏ ତ ଅସମ୍ଭବ କଥା କଲେ ।ମଲା ଲୋକଙ୍କୁ କେମନ୍ତେ ଜୀଆଇଁ ଆଣିଲେ ॥
କେଉଁମାନେ ବୋଲନ୍ତି ଏ ପ୍ରତ୍ୟକ୍ଷେ ଶ୍ରୀହରି ।ନୋହିଲେ କି ଆନ ପାରେ ଏଡ଼େ କର୍ମ କରି ॥
ସାନ୍ଦୀପନି ଷଡ଼ପୁତ୍ର ଜୀଆଇ ଆଣିଲେ ।ମାନବ ହୋଇଣ ଅସମ୍ଭବ କର୍ମ କଲେ ॥
ତାଙ୍କ ତୁଲେ ପ୍ରୀତି କଲେ ଅଛି ବହୁ ଲାଭ ।ଏତେ ବୋଲି ଥୋକେ ରାଜା କଲେ ସଦଭାବ ॥
ବିଚାର କରନ୍ତି ସର୍ବେ ବସି ସ୍ଥାନେ ସ୍ଥାନେ ।ସମସ୍ତେ ଉଚ୍ଚାଟ ହେଲେ କୃଷ୍ଣ ଆଗମନେ ॥
ଦୁଷ୍ଟ ରାଜାମାନେ ଶୁଣି ହୋଇଲେ ତାଟକା ।କଂସ ମଲା ଦିନ ଦେଖି ପାଇଥିଲେ ଶଙ୍କା ॥
କୌଶିକ ରାଜନବରେ ରହିଲେ ଶ୍ରୀହରି ।ସଙ୍ଗେ ବଳରାମ ଆଦି ଭାଇଗଣ ଧରି ॥
ମଣୋହି ଯୋଗାଡ଼ ଦେଲେ କୌଶିକ ରାଜନ ।ଭୁଞ୍ଜିଣ ସନ୍ତୋଷ ହେଲେ ରାମ ଭଗବାନ ॥
ଅପୂର୍ବ ନାନା ବ୍ୟଞ୍ଜନ ସୁପକ୍ୱ ରାନ୍ଧଣା ।ରାମକୃଷ୍ଣଙ୍କ ମଣୋହି ଏକୁ ଏକ ଜିଣା ॥
ଷଡ଼ଭ୍ରାତ ମାତଳି ଯେ ରାମ ଜଗନ୍ନାଥ ।ସୁରଥ ସହିତେ ଭୁଞ୍ଜି ଦେହ କଲେ ସୁସ୍ଥ ॥
ଆଚମନ ସାରି ପୁଣି ତାମ୍ୱୁଳ ଭୁଞ୍ଜିଲେ ।ସୁବର୍ଣ୍ଣ ପଲ୍ୟଙ୍କେ ଶୋଇ ରଜନୀ ବଞ୍ଚିଲେ ॥
ପ୍ରଭାତରୁ ନିତ୍ୟକର୍ମ ସାରି ଯେ ଯାହାରେ ।ରାଜାମାନେ ବିଜେ କଲେ ଆସିଣ ସଭାରେ ॥
ଯେଝା ସିଂହସନ ମାଡ଼ି ବସି ସଜ ହୋଇ ।ଛୟାଣୋଇ ସସ୍ର ରାଜା ରୁଣ୍ଡ ହେଲେ ତହିଁ ॥
ଅପୂର୍ବ ଦିଶଇ ସଭା ମଣ୍ଡଣି ସୁସଞ୍ଚ ।ନାହିଁ ପଟାନ୍ତର ସ୍ୱର୍ଗ ପାତାଳ ଯେ ମଞ୍ଚ ॥
ଦିନୁଦିନ ଭିନ୍ନ ଭିନ୍ନ କରନ୍ତି ମଣ୍ଡଣି ।ଅଷ୍ଟରତ୍ନ ସିଂହାସନେ ବସି ନୃପଶ୍ରେଣୀ ॥
ହଂସୁଲି ତୂଳି ସୁପାତି ଶେଯ ଆଉଜାଣି ।ପନୀର କର୍ପୂର ଗୁଣ୍ଡି କୁସୁମ ବିଞ୍ଚଣି ॥
ଆସ୍ଥାନ ମାଡ଼ି ବସିଲେ ସର୍ବ ମହୀପାଳେ ।ପାତ୍ର ଅମନାତ୍ୟେ ଉଭା ହୋଇଛନ୍ତି ତଳେ ॥
ଖୁଣ୍ଟିଆ ଲେଙ୍କା ପ୍ରଭୃତି ଚାର ପ୍ରତିହାରୀ ।ନିଯୋଗନ୍ତ ଘେନି ଉଭା ହେଲେ ଯେ ଯାହାରି ॥
ପାଞ୍ଚପୁତ୍ର ସଙ୍ଗେ ଘେନି ଭୀଷ୍ମକ ନୃମଣି ।ଆସ୍ଥାନରେ ଉଭା ହେଲେ ବେଳ କାଳ ଜାଣି ॥
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରି ଜାତି ।ଭୋଜନ ସାରି ସଭାରେ ମିଳିଲେ ତଡ଼ତି ॥
ରଥ ଗଜ ପଦାତିକ ଅଶ୍ୱ ଅପ୍ରମାଣ ।ବାଜିଲା ଟମକ ଭେରୀ ମୁରଜ ନିଶାଣ ॥
ଶଙ୍ଖ ମହୁରୀ କାହାଳୀ ଉପାଙ୍ଗ ଦୋସରୀ ।ଢ଼ୋଲ ଦମା ବିଜିଘୋଷ ମଡ଼ୁଆଦି କରି ॥
ଷଡ଼ବର୍ଗ ଅଷ୍ଟାଦଶ ପାଟକଙ୍କ ମୂଳେ ।ସର୍ବେ ରୁଣ୍ଡହେଲେ ସ୍ୱୟମ୍ୱର ସଭାତଳେ ॥
ସ୍ୱଦେଶୀ ଯେ ପରଦେଶୀ ଦୂର ଦେଶାନ୍ତରୀ ।କୌତୁକ ବାରତା ପାଇ ଦେଖୁଛନ୍ତି ଘେରି ॥
ଦେଖଣାହାରୀଏ ଯେଝା ଅନୁରୂପେ ରହି ।ସ୍ୱୟମ୍ୱର ଦେଖୁଛନ୍ତି ଖଣ୍ଡଦୂରେ ଥାଇ ॥
ଭୀଷ୍ମକର ଜ୍ୟେଷ୍ଠ ପୁତ୍ର ତା ନାମ ରୁକ୍ମଣ ।ରାଜାମାନଙ୍କୁ ସମ୍ୱୋଧି ବସାଏ ନେଇଣ ॥
ଏମନ୍ତ ସମୟେ ଆସି ମିଳିଲେ ଶ୍ରୀହରି ।ସୁରଥ କୌଶିଳ ବଳଦେବ ଆଦିକରି ॥
ଏକ ରଥରେ ସମସ୍ତେ ଆସିଛନ୍ତି ବସି ।ଆକାଶ ମଣ୍ଡଳୁ ରଥ ପଡ଼ିଲାକ ଖସି ॥
ସଭାର ନିକଟେ ଛାୟାମଣ୍ଡପର ତଳେ ।ରହୁବର ପରବେଶ ହେଲା ତତକାଳେ ॥
ରଥର ଉପରେ ବିଜେ କରିଛନ୍ତି ହରି ।ଚାମର ଢ଼ାଳନ୍ତି ଶିରେ କଉଶିକ ଧରି ॥
ଗୋବିନ୍ଦ ଦକ୍ଷିଣ ପାଶେ ବିଜେ ହଳପାଣି ।ବାମେ ଉଭା ଷଡ଼ଭାଇ ତେଜେ ସୂର୍ଯ୍ୟ ଜିଣି ॥
ପ୍ରାଙ୍ଗଣ ତଳେ ସାରଥି ରୁହାଇଲା ଯାନ ।ରଥପରୁ ଓହ୍ଲାଇଲେ ରାମ ଭଗବାନ ॥
ଚାମର ଧରି ଛାମୁରେ କଉଶିକ ଉଭା ।ଆସ୍ଥାନରେ ବସି ନୃପେ କରିଛନ୍ତି ସଭା ॥
ନୟନକୁ ସ୍ଥିର କରି ସମସ୍ତେ ଯେ ଚାହିଁ ।ଉଠିବାକୁ ବାଟ ନାହିଁ ତଳେ ଉଭା ହୋଇ ॥
ରୁକ୍ମଣ ମୁଖକୁ ଚାହିଁ ବୋଲେ ଜରାସନ୍ଧ ।ନିଶ୍ଚୟ ଜାଣିଲୁ ଆମ୍ଭେ ହେଲା କଥା ମନ୍ଦ ॥
ବେଭାରେ ଶତ୍ରୁ ମୋହର ଅଟଇ ଏ ହରି ।ଏଡ଼େ ଦୁଷ୍ଟ ଏ ସଭାକୁ ଅଇଲା କିପରି ॥
ଏହାକୁ ବରଣ କିପାଁ କଲ ଜାଣି ଶୁଣି ।ରାଜସଭା ମଧ୍ୟେ କେହ୍ନେ ବସାଇବେ ଆଣି ॥
ତୁମ୍ଭେ କି ନ ଜାଣ ୟାର କୁଳ ଗୋତ୍ର ଜାତି ।କାହାର ପୁତ୍ର ଅଟଇ ଏ କାହାର ନାତି ॥
ଥୋକେ ନୃପତି ବୋଇଲେ ଦେବକୀ ୟା ମାତା ।ବନ୍ଦିଘରେ ଜନ୍ମ ୟାର ବସୁଦେବ ପିତା ॥
ଦୃଷ୍ଟାନ୍ତ ବଚନ କଥା ପ୍ରସଙ୍ଗେ ଶୁଣିଲୁ ।ନନ୍ଦ ଗଉଡ଼ର ପୁତ୍ର ବୋଲି ତ ଜାଣିଲୁ ॥
ନାନା ପରପଞ୍ଚ ରୂପେ ବଢ଼ି ବାଳକାଳେ ।ରାତ୍ର ଦିବସ ବୁଲଇ ଗଉଡ଼ଙ୍କ ମେଳେ ॥
ଭୋଜନ ମୈଥୁନ ନିଦ୍ରା ଗୋପୀ ସଙ୍ଗ ପାଇ ।ଆଠବର୍ଷ ଶେଷ କଲା ଗୋପପୁରେ ରହି ॥
ମାଉସୀ ପିଉସୀ ଖୁଡ଼ା ମାଇଁ ଭଗ୍ନୀ ହରି ।ବୃନ୍ଦାବନେ ବୁଲୁଥିଲା ଜାର ବୃତ୍ତି କରି ॥
ଗୁରୁ ଗୌରବ ନ ମାନି ତ୍ୟାଗକରି ଲଜ୍ଜା ।ମାତା ଭଗିନୀ ସହିତେ କଲା ଏକଶଯ୍ୟା ॥
ନଟ ପ୍ରାୟେ କରୁଥିଲା ନାନାରଙ୍ଗ ନାଟ ।ଘାଟୁଆଳପଣ କରି ଜଗୁଥିଲା ଘାଟ ॥
ବାଳକାଳେ ପୂତନାକୁ ମାଇଲା ପ୍ରତ୍ୟକ୍ଷ ।ରୋଳ ଟାଣି ଉପାଡ଼ିଲା ଯାଁଳାର୍ଜ୍ଜୁନ ବୃକ୍ଷ ॥
ବିଶେଷରେ ରାଜଦ୍ରୋହୀ କଲା ପାପ କର୍ମ ।କଂସକୁ ମାଇଲା ଠାରୁ ଛାଡ଼ିଲା ସ୍ୱଧର୍ମ ॥
ମିଛ ମାୟା ନଟ କୂଟ ଜୀବିକା ଏହାର ।ସମାଜକୁ ଯୋଗ୍ୟ ନୁହେଁ ଜାତିରୁ ବାହାର ॥
ଆବରହିଁ ଅବିଗୁଣ ଅଛି ଯେତେ ଅଙ୍ଗେ ।ଛୁଇଁଲେ ଦୋଷ କେମନ୍ତେ ବସିବ ଏ ସଙ୍ଗେ ॥
ମିଛେ ମିଛେ ପୁରୁଷାର୍ଥ ଦେଖାଇବ ବୋଲି ।ମାଗଣ ରଥରେ ବସି ଆସୁଅଛି ପେଲି ॥
ପ୍ରତିହାରୀ ଉପ୍ରୋଧରେ ଛାଡ଼ି ଦେଲା ଯହୁଁ ।ପ୍ରାଙ୍ଗଣ ଭିତରେ ତେଣୁ ପଶିଅଛୁ ଏହୁ ॥
ଏଡ଼େକ ଭରସା କରି ଆସୁଅଛି ପୁଣି ।ଏ ମହାସଭରେ ଆସି ବସିବ ଏକ୍ଷଣି ॥
ଦନ୍ତବକ୍ର ରାଜା ଉଠି ବୋଲେ ହେ ରୁକ୍ମିଣ ।ତୁମ୍ଭେ ଅଟ କାର୍ଯ୍ୟଗ୍ରାହୀ ମୋ ବଚନ ଶୁଣ ॥
ସ୍ୱୟମ୍ୱରେ ବରିବାକୁ ତୁମ୍ଭର ଭଉଣୀ ।ଚାରିଊଣା ଲକ୍ଷେ ରାଜା ରୁଣ୍ଡ କଲ ଆଣି ॥
ଏଡ଼େ ଆର୍ଦ୍ଦୋଳି ସହିଛ ନ କରିଣ ଚିନ୍ତା ।ମହାରାଜା ସଙ୍ଗେ ତୁମ୍ଭେ ହୋଇଣ ଗଣିତା ॥
ବେନିମାସ ସହିଲ ଏ ରାଜାଙ୍କ ଆର୍ଦ୍ଦୋଳି ।କନ୍ୟା ନେବା ପାଇଁ ସର୍ବେ ହୋଇଅଛୁ ମେଳି ॥
ନନ୍ଦ ଗଉଡ଼ର ପୁଅ ଏହି ଗୋପୀନାଥ ।ୟାକୁ ତୁମ୍ଭେ ବରିଛ କି କହ ତା ଯଥାର୍ଥ ॥
ରୁକ୍ମଣ ବୋଲଇ ଆମ୍ଭେ ୟାକୁ ବରିନାହୁଁ ।ଅବରଣ ହୋଇ କିପାଁ ଆସିଅଛି ଏହୁ ॥
ଶାଲ୍ୱ ବୋଲେ ପୁଚ୍ଛ ଯାଇ କୌଶିକ ନୃପକୁ ।କିପାଁ ଏତେ ଦୂରଯାଏ ଆଣିଲା ଏହାକୁ ॥
ରାଜପୁତ୍ର ନୁହଇ ଏ ନୁହେ ରାଜବଂଶୀ ।ମୂର୍ଦ୍ଧା ଅଭିଷେକୀ ରାଜସଭା ମଧ୍ୟେ ବସି ॥
ନ ଜାଣି ସଭାକୁ କିପାଁ ଆସୁଅଛି ଏହି ।ମହତ୍ତ୍ୱ ଯିବ ଗଳଥା ମାଡ଼ ଏଥେଁ ଖାଇ ॥
କାଳଦମନ ବୋଇଲା କଉଶିକ ଶୁଣ ।ତୋ ସମାନେ ଜଗତରେ ନାହିଁ ନିଲକ୍ଷଣ ॥
ଗୌଡ଼ ବାଉଡ଼ ହାଉଡ଼ ଜାତି ମତୁଆଳ ।ତିନି ନାମ ବହନ୍ତି ଏ ବର୍ବର ଗୋପାଳ ॥
ଭୀଷ୍ମକର ସାନଭାଇ ତୁ ଅଟୁ ମହତ ।ଅଜାତିକି ପୂଜା କରି ହୋଇଲୁ ପତିତ ॥
ଏବେ ତୁ ଏହାକୁ ଘେନି ସଭାକୁ ଅଇଲୁ ।ଆପଣା ମନରେ ଆପେ ଲଜ୍ଜା ନ ପାଇଲୁ ॥
ସମରାଜ୍ୟ ଦେଲୁ ମନେ କି ବିଚାର କରି ।ଏଠାକୁ ସରିଲା ଜାତି ମହତ୍ତ୍ୱ ତୋହର ॥
ଗଉଡ଼ ପୁଅକୁ ଯେବେ ଦେଲୁ ସିଂହାସନ ।ବିଚାର ଏକଥା ହେଲା କେଡ଼େ ବିଡ଼ମ୍ୱନ ॥
ରୁକ୍ମିଣୀର ସ୍ୱୟମ୍ୱର ହେବ ବରଯାତ୍ରୀ ।ଏଥିପାଇଁ ତୁ ଏହାକୁ କଲୁ ଚକ୍ରବର୍ତ୍ତୀ ॥
ଗଉଡ଼ ଗୋଟାଏ ଯେବେ କରିୁଅଛୁ ରାଜା ।ଆପଣା ରାଜ୍ୟକୁ ନେଇ ଆପେ କର ପୂଜା ॥
ନ ଜାଣିମାପଣେ ଯେବେ ହୋଇଲୁ ବାତୁଳ ।ସମୁଦ୍ର ଲଘିଂଲେ କାହିଁ ରକ୍ଷା ହେବ କୂଳ ॥
ଆମ୍ଭେ ଲକ୍ଷେ ମହାରାଜା ଏକୁ ଏକ ଯୋଧୀ ।ଅପାର ସୈନ୍ୟ ଆମ୍ଭର ଯେସନେ ବାରିଧି ॥
ସୁପବିତ୍ର ପାଟବଂଶୀ କୁଳ ଶୀଳ ଯୁତ ।ପୁରୁଷାନୁକ୍ରମେ ଆମ୍ଭେ ରାଜା ରାଜଗୋତ୍ର ॥
ଏକ ଯୋଗ ହୋଇ ସର୍ବେ କରିଅଛୁ ସଭା ।ଗଉଡ଼ ପୁଅକୁ କେହ୍ନେ ବସାଇଛୁ ଅବା ॥
ତୁ ଯେବେ ଆସିବୁ ଆସ ଏକା ହୋଇ ଉଠି ।ନନ୍ଦର ପୁଅକୁ ବୋଲ ସେ ଯାଉ ଲେଉଟି ॥
ଏହା ଶୁଣି କଉଶିକ ହେଲେ କୋପାନଳ ।କାଳଚନ୍ଦ୍ର ପ୍ରାୟେ ନେତ୍ର ବୁଲେ ଅନ୍ତରାଳ ॥
ଅଙ୍ଗୁଳି ଫୁଟାଇ ବୀର ଉଗ୍ର କୋପ କରି ।ବିଚାରଇ ସମସ୍ତଙ୍କୁ ପକାଇବି ମାରି ॥
ଅଜ୍ଞାନ ପାମର ମୂଢ଼ ଦୁର୍ବୁଦ୍ଧି ଏ ଦୁଷ୍ଟ ।ପ୍ରତ୍ୟକ୍ଷରେ ବିଷ୍ଣୁ ନିନ୍ଦା କରଇ ପାପିଷ୍ଠ ॥
ଆୟୁଷ ଲକ୍ଷ୍ମୀ ଏହାର ହୋଇଲାଣି ଶେଷ ।ଅକାଳେ ମରଣ ଲଭି ଯିବ ଯମପାଶ ॥
ଯେଉଁ ବିଷ୍ଣୁଙ୍କୁ କରନ୍ତି ସନକାଦି ଲୟେ ।ଅବ୍ୟକତ ପୁରୁଷ ଏ ଅତି ପୁଣ୍ୟମୟେ ॥
କଉତୁକେ ଧରିଛନ୍ତି ମାନବର କାୟା ।ଚରାଚର ଘୋଟିଅଛି ଏହାଙ୍କର ମାୟା ॥
ଏ ନୃପେ ଅଜ୍ଞାନୀ ପଣେ ନିନ୍ଦା କରୁଛନ୍ତି ।ଧର୍ମଶାସ୍ତ୍ର ପ୍ରମାଣେ ମୁଁ କରିବି ଯୁକତି ॥
ଏତେ ଚିନ୍ତି କଉଶିକ ବୋଲେ ସର୍ବେ ଶୁଣ ।ନିରଲମ୍ୱ ପୁରୁଷ ଏ ସ୍ୱୟଂ ନାରାୟଣ ॥
ପୃଥିବୀର ଭାରାଭର ନିବାରିବା ପାଇଁ ।ଅବନୀରେ ଜନ୍ମିଛନ୍ତି ନରଦେହ ବହି ॥
ଆସ୍ଥାନରେ ବସିବାକୁ ୟାଙ୍କୁ ଠାବ ଦେବା ।ମେଦିନୀ ପବିତ୍ର ହେଉ ଶୋଭା ପାଉ ସଭା ॥
ଭୀଷ୍ମକ ରାଜାର କାର୍ଯ୍ୟ ହୋଇବ ସଫଳ ।ସଭାରେ ବିଜେ କରନ୍ତୁ କୃଷ୍ଣ କାମପାଳ ॥
କୌଶିକ ବଚନ ଶୁଣି ବୋଲେ ଜରାସନ୍ଧ ।ତୋ ସମାନ ଆମ୍ଭେମାନେ ହୋଇନାହୁଁ ଅନ୍ଧ ॥
ତୁ ପାମର ମୂର୍ଖ ତୋର ଦେହେ ନାହିଁ ଜ୍ଞାନ ।ତେଣୁ ଏ ସଭାରେ ଆସି କହୁଛୁ ଏସନ ॥
ପରମ ପଣ୍ଡିତ ହୋଇ ଜ୍ଞାନଧ୍ୱଂସ ହେଲୁ ।ଆପଣାର ରାଜଲକ୍ଷ୍ମୀ ପରହସ୍ତେ ଦେଲୁ ॥
ବିଶୁଦ୍ଧ ବ୍ରାହ୍ମଣ ତୁ ଯେ ଭୀଷ୍ମ ରାଜା ସରି ।ସବୁଠାରେ ପୂଜା ପାଉ ବସି ଆମ୍ଭପରି ॥
ତୁ ଯଦ୍ୟପି ବୋଲୁଅଛୁ ନାରାୟଣ ଏହି ।ମାନବ ଯୋନିରେ ଜନ୍ମ ହୁଅନ୍ତି କିପାଇଁ ॥
ସେ କିପାଁ ହରନ୍ତି ମାଇଁ ମାଉସୀ ପିଉସୀ ।କି କାରଣେ ତାକୁ ଏତେ କହୁଛୁ ପ୍ରଶଂସି ॥
ତୁ ମୂଢ଼ ହୋଇଲୁ ବୋଲି ଆମ୍ଭେ ନୋହୁ ମୂଢ଼ ।ଜାଣୁ ଜାଣୁ ବସାଇବୁ ସଭାରେ ଗଉଡ଼ ॥
ଏହା ଶୁଣି କଉଶିକ କୋପେ ପରଜ୍ୱଳି ।ବୋଲେ କେତେ ବିଷ୍ଣୁ ନିନ୍ଦା କରୁଅଛ ବଳି ॥
ସୃଷ୍ଟି ସ୍ଥିତି କରିଛନ୍ତି ଏହି ନାରାୟଣ ।ନିମିଷକେ ବିନାଶିବେ ତୋର ମୂର୍ଖପଣ ॥
ବଜ୍ରନାଭ ବୋଲେ ଏହା ତୁହି ଜାଣୁ ଏକା ।ରାଜହଂସ ଗୋଷ୍ଠୀରେ କି କୁମ୍ଭାଟୁଆ ଲେଖା ॥
ତୁ ଯେଡ଼େ ଭାଜନ ତେଡ଼େ ଆଭରଣ କଲୁ ।ଆପଣା ସମ୍ପଦ ଯାଚି ପରହସ୍ତେ ଦେଲୁ ॥
ଏବେହେଁ ଚାମର ଧରି କଲୁ ଭୃତ୍ୟପଣ ।ତୋଠାରେ ଅଛି କି ଆଉ ନୃପତି ଲକ୍ଷଣ ॥
ଶିରୀ ତୁଟିଲେ ପ୍ରାଣୀର ବୁଦ୍ଧି ଯାଏ ନାଶ ।ବାଳୁତ ପରାୟେ ବାକ୍ୟ କହେ ଯିସ ତିସ ॥
ତୋର ଏ କଥାରେ ଅବା ଅଛି କେଉଁ ଫଳ ।ବୃଥାରେ ଗୁଡ଼ାଏ କହି କରୁଅଛୁ ଗୋଳ ॥
ଲାଜ ନ ପାଇଣ ତୁ ଯେ ପଶୁଅଛୁ ପେଲି ।ଗୋଡ଼ ଲମ୍ୱାଇ ବସିଲେ ଦୁଷ୍ଟେ ଏତେ ବୋଲି ॥
ପଡ଼ିହାରୀଙ୍କି ବୋଇଲେ ଓଗାଳ ଯେ ବାଟ ।ପେଲି ପଶିଲେ ନିରାଟେ ବେତ ଘେନି ପିଟ ॥
ଶୁଣିଣ ଖୁଣ୍ଟିଆମାନେ ଦ୍ୱାର ନିରୋଧିଲେ ।ପ୍ରାଙ୍ଗଣରେ ତଳେ ରାମ ଗୋବିନ୍ଦ ରହିଲେ ॥
ରାଜାମାନେ ବସିଛନ୍ତି ସିଂହାସନ ମାଡ଼ି ।କଉଶିକ ତଳେ ଉଭା ଶିରେ କର ଯୋଡ଼ି ॥
କୃଷ୍ଣମୁଖ ଚାହିଁ ଧୀରେ ସ୍ତତିବାକ୍ୟ ଭଣି ।ସବୁରି ମନ ଜାଣନ୍ତି ପ୍ରଭୁ ଚକ୍ରପାଣି ॥
ପ୍ରାଙ୍ଗଣ ତଳେ ତିନିହେଁ ହୋଇଛନ୍ତି ଉଭା ।ଆସ୍ଥାନ ଉପରେ ନୃପେ କରିଛନ୍ତି ସଭା ॥
ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନି ।ରୁକ୍ମିଣୀ ପ୍ରଥମ ସ୍ୱୟମ୍ୱର ପୁଣ୍ୟଧ୍ୱନି ॥
ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେ ।ଇଦଂ ଚତୁଃପଞ୍ଚାଶତ ଅଧ୍ୟା ଶେଷ ହୋଏ ॥
ରାମକୃଷ୍ଣଙ୍କ ଅପମାନ ଓ ଗରୁଡ଼ କର୍ତ୍ତୃକ ସ୍ୱୟମ୍ୱର ଭଙ୍ଗଏହା ଶୁଣି ପରୀକ୍ଷିତ ଶୁକମୁନି ପାଦେ ।ବିନୟରେ ପୁଚ୍ଛା କଲେ ହରଷ ବିଷାଦେ ॥
ଭୋ ମୁନି କହିଲ ତୁମ୍ଭେ ଶୁଣିଣ ସମସ୍ତ ।ତହିଁ ପରେ କିସ କଲେ ରାମ ଜଗନ୍ନାଥ ॥
ଅପମାନ ପାଇ ପ୍ରଭୁ କଲେ କି ବିଚାର ।ସେ କଥା ସଂକ୍ଷେପି ମୋତେ କହ ମୁନିବର ॥
ରାଜାର ବଚନ ଶୁଣି ଶୁକ ମହାମୁନି ।ବୋଇଲେ କହିବା ଶୁଣ ଅପୂର୍ବ କାହାଣୀ ॥
ଏମନ୍ତ ହୋଇଲା ଆସି ସାତଘଡ଼ି ବେଳ ।ରାମ କୃଷ୍ଣ ଶ୍ରୀଅଙ୍ଗରୁ ବହେ ଶ୍ରମଝାଳ ॥
ଦୁଷ୍ଟ ରାଜାମାନଙ୍କର କଟୁ ବାକ୍ୟ ଶୁଣି ।କୋପେ ପ୍ରଜ୍ଜ୍ୱଳିତ ହେଲେ ରାମ ଚକ୍ରପାଣି ॥
ପୂର୍ଣ୍ଣଚନ୍ଦ୍ର ବଦନରେ ପଡ଼ିଗଲା କାଳି ।ଅନେକ ଲଜ୍ଜା ପାଇଲେ ରାମ ବନମାଳୀ ॥
ଅପମାନେ ମଥା ପୋତି ରହିଲେ ମଉନେ ।କେମନ୍ତେ ବାହୁଡ଼ି ଯିବା ବିଚାରନ୍ତି ମନେ ॥
କୌଶିକ ବୋଇଲେ ମୋତେ ଆଜ୍ଞା ଦିଅହରି ।ନିମିଷକେ ଏ ଦୁଷ୍ଟଙ୍କୁ ପକାଇବି ମାରି ॥
ରାମ ପ୍ରସାଦରୁ ମୋର ନାହିଁ କିଛି ଭୟ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମୁଁ କରିପାରେ ଜୟ ॥
ଏକମାତ୍ର ସାହା ତୁମ୍ଭେ ଥିବ ନାରାୟଣ ।ଘଡ଼ିକେ ଘେନିବି ସବୁ ରାଜାଙ୍କର ପ୍ରାଣ ॥
ଏମନ୍ତ ବୋଲିଣ ଧନୁ ଧରି ବାମ କରେ ।ଟଙ୍କାରିଲେ ତୀକ୍ଷ୍ଣ ଶର ବସାଇ ଗୁଣରେ ॥
ଜଗନ୍ନାଥ ଆଜ୍ଞା ଦେଲେ କଉଶିକେ ଚାହିଁ ।କୋପ ଛାଡ଼ି ସମୟେକ ରୁହ ସ୍ଥିର ହୋଇ ॥
ଏମାନେ ନ ଜାଣି ଅବା କଲେ ମୂର୍ଖ ବୁଦ୍ଧି ।ଦେବକାର୍ଯ୍ୟ ପାଇଁ ଆମ୍ଭେ ସହିବାର ବିଧି ॥
ଏ ସଭାରେ ବସିଛନ୍ତି ଯେତେ ଦଣ୍ଡଧାରୀ ।ବିଚାରିଲେ କ୍ଷଣକରେ ଦେବି ମୁଁ ସଂହାରୀ ॥
କେବଳ କାର୍ଯ୍ୟ ନିମନ୍ତେ ଥୋକେ ଦିନ ଥିବେ ।ଯେ ଯାହା ଦୋଷରେ ପୁଣି ସର୍ବେ ନାଶଯିବେ ॥
କୋପ ଶାନ୍ତି କରି ଏବେ ତୁମ୍ଭେ ହୁଅ ସ୍ଥିର ।ପଣ୍ଡିତ ଲୋକର ନୁହେ ଏପରି ବେଭାର ॥
ଏ ଦୁଷ୍ଟେ ଆମ୍ଭଙ୍କୁ ଯେବେ କଲେ ଉପହାସ ।ଆପଣା ପାପରେ ଆପେ ନିଶ୍ଚେଁ ଯିବେ ନାଶ ॥
ଏତେ ବୋଲି କଉଶିକ କରୁ ଧନୁଶର ।ଛଡ଼ାଇଣ ଘେନି ଗଲେ ଆପେ ଚକ୍ରଧର ॥
ଯେତେ ସନ୍ଥ ରାଜା ବସିଥିଲେ ସେ ସଭାରେ ।କୃଷ୍ଣ ନିନ୍ଦା ନ ସହିଣ କହିଲେ କ୍ରୋଧରେ ॥
ଜରାସନ୍ଧଠାରୁ ବଳି ନାହିଁ ଆଉ ମୂଢ଼ ।ବସୁଦେବ କୁମରକୁ ବୋଲୁଛି ଗଉଡ଼ ॥
ପୂତନା ଶକଟା ବକା ତୃଣାବର୍ତ୍ତ ମାରି ।ଇନ୍ଦ୍ର ବିବାଦେ ଧଇଲେ ଗୋବର୍ଦ୍ଧନ ଗିରି ॥
କାଳୀୟର ଦର୍ପ ଦଳି କାଳିନ୍ଦୀ ହ୍ରଦରେ ।ସେ ଜଳ ନିର୍ବିଷକଲେ ତଡ଼ି ତାକୁ ଦୂରେ ॥