ହରିବଂଶ (ଚତୁର୍ଥ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୩ / ୮
ସମ୍ପୂର୍ଣ୍ଣ ସୂଚୀପତ୍ର
ଗୋପାଳଙ୍କ ସହିତ ନନ୍ଦର ଗୋପପୁର ପ୍ରତ୍ୟାବର୍ତ୍ତନ
ବଦନ୍ତି ଯେ ଇଦଂ ପ୍ରତିବାକ୍ୟ ଶୁକଯତି ।ଶୁଣ ହୋ ପରୀକ୍ଷ ରାଜା ପଣ୍ଡୁ ପଣନାତି ॥
ଏଥୁ ଅନନ୍ତରେ ପୁଣି କୃଷ୍ଣ କାମପାଳ ।ନନ୍ଦରାଜା ଆଦିକରି ସମସ୍ତ ଗୋପାଳ ॥
ମଧୁପୁରେ ରହି ଗୋପନଗର ପାସୋରି ।କୃଷ୍ଣ ସଙ୍ଗେ ଯେ ଯାହାର ନିତ୍ୟକର୍ମ ସାରି ॥
ଭୁଞ୍ଜିଲେ ସୁପକ୍ୱ ଅନ୍ନ ପାଇ ରାଜଗୋଷ୍ଠୀ ।ଦିନୁ ଦିନ ସମସ୍ତଙ୍କ ଅଙ୍ଗ ହେଲା ପୁଷ୍ଟି ॥
ହାସ୍ୟ ଲାସ୍ୟ ବିନୋଦରେ ବୁଲି ନାନରଙ୍ଗେ ।ବିହରିଲେ ଗୋପସୁତେ ରାମକୃଷ୍ଣ ସଙ୍ଗେ ॥
ଏମନ୍ତ ପ୍ରକାରେ ତହିଁ କେତେଦିନ ଗଲା ।ଗୋପକଥା ଚିନ୍ତି ନନ୍ଦ ଉଚ୍ଚାଟ ହୋଇଲା ॥
ରାମ କୃଷ୍ଣଙ୍କୁ ହକାରି କହଇ ଏସନ ।ଘର ଛାଡ଼ି ପରବାସେ ଥିବା କେତେ ଦିନ ॥
ଅପ୍ରମିତ ଗୋଧନ ଯେ ଗାଈ ଗୋରୁ ବତ୍ସା ।ଦୁହିଁ ବାନ୍ଧି ପାଳି ତାଙ୍କୁ କେ କରିବ ରକ୍ଷା ॥
ଖୁଣ୍ଟିଆ ଦଣ୍ଡପାଟ ଏ ରାଜାର ରାଜସ୍ୱ ।ବଳେ ଦହି ଦୁଧ ନେବେ କରି ସର୍ବନାଶ ॥
ହାଟ ପାଟଣା ଦାଣ୍ଡର ଘରସାର ବିଧି ।ମୋହର ନ ଥିଲେ କେହି ନ ପାରନ୍ତି ସାଧି ॥
ଅକ୍ରୂର ଆଣିଲା ଧାତିକାରେ ତ୍ୱରା କରି ।ସମସ୍ତେ ମରିବେ ବାର୍ତ୍ତା ନ ପାଇଣ ଝୁରି ॥
ଖଳବଳ ହୋଇ ଗୋପେ ହୋଇଣ ଉଚ୍ଚାଟ ।ଥୋକାଏ ଦୂରକୁ ଆସି ଚାହୁଁଥିବେ ବାଟ ॥
ଯଶୋଦାଙ୍କ ଦେହେ ଆଉ ଥିବ ଟିକି ଜ୍ଞାନ ।ତୁମ୍ଭଙ୍କୁ ନ ଦେଖି ଅବା ଛାଡ଼ିଥିବେ ପ୍ରାଣ ॥
ଦଣ୍ଡେ ମୂର୍ଚ୍ଛି ନ ପାରନ୍ତି ତୁମ୍ଭଙ୍କୁ ଜନନୀ ।ଅନ୍ଧର ଲଉଡ଼ି ତୁମ୍ଭେ ଅଟ ପୁତ୍ର ବେନି ॥
ଅନାଥର ବନ୍ଧୁ ତୁମ୍ଭେ ଦୁଃଖୀର ସଙ୍ଗାତ ।କାର୍ଯ୍ୟ ସିଦ୍ଧି ହେଲା ଏଥେଁ ଥିବା କିପାଁ ତାତ ॥
ବାବୁ କାର୍ଯ୍ୟ ସିଦ୍ଧି ହେଲା କିପାଇଁ ରହିବା ।ଆପଣା ଗୃହକୁ ଚାଲ ସର୍ବ ଶୁଭେ ଯିବା ॥
ନନ୍ଦମୁଖୁ ଶୁଣିକରି ଏସନକ ବାଣୀ ।କହନ୍ତି ଅଳପ ହସି ହଳ ଚକ୍ରପାଣି ॥
ଭୋ ତାତ ତୁମ୍ଭର ଆଗେ କହିବା ଅସାଧ୍ୟ ।ଦେବକୀ ନିମନ୍ତେ ଆମ୍ଭେ କଂସ କଲୁ ବଧ ॥
ତ୍ରିଭୁବନ କଣ୍ଟକ ସେ ଥିଲା ଅସୁରାଧି ।ପରସ୍ତିରୀ ପରଧନ ହରିଲା ଦୁର୍ବୁଦ୍ଧି ॥
ସ୍ୱର୍ଗ ମର୍ତ୍ତ୍ୟ ରସାତଳ ଜିଣି ଭୁଜବଳେ ।ନାନାବିଧ ଅପକୀର୍ତ୍ତି ଅର୍ଜିଲା ଭୂତଳେ ॥
ସକଳ ରାଜାଙ୍କୁ ରଣେ କରିଛି ଝିଙ୍ଗାସ ।କଂସ ମଲା ଶୁଣି ରାଜ୍ୟ କରିବେ ସେ ଧ୍ୱଂସ ॥
ଏତେ ବଡ଼ ରାଜା ବଧ କଲୁ ପର ବୋଲେ ।ଉଗ୍ରସେନ ଅରକ୍ଷିତ ହେବ ଆମ୍ଭେ ଗଲେ ॥
କଂସ ପରା ପୁତ୍ର ମଲା ହୋଇଛି ବିକଳି ।ପରଚକ୍ର ପଡ଼ିଲେ କି ପାରିବ ସମ୍ଭାଳି ॥
ସବୁ ନୃପେ ରିପୁ ହୋଇ ରହିଛନ୍ତି ତାକୁ ।ସମଦଣ୍ଡ ବାହିବେ ସେ ନିଶ୍ଚେଁ ମଥୁରାକୁ ॥
ମଥୁରା ନାଶ ଗଲେ କି ଗୋପରକ୍ଷା ହେବ ।ଧନ ଧାନ୍ୟ ଗାଈ ଗୋରୁ ସବୁ ନାଶଯିବ ॥
ରାଜା ନାଶ ଗଲେ ହେବ ଅରାଜ ସବୁହିଁ ।କୁଟୁମ୍ୱ ସମ୍ପଦ ରଖି ନ ପାରିବେ କେହି ॥
କାର୍ଯ୍ୟ ନ ପାଇବା ସର୍ବ ଧର୍ମ ଯିବ ନାଶ ।ସଂସାରରେ ଅପକୀର୍ତ୍ତି ଶୁଭିବ ଅବଶ୍ୟ ॥
ବୋଲିବେ ନନ୍ଦର ପୁଅ କଂସକୁ ମାଇଲା ।ଅରକ୍ଷିତ ହେଲା ନଗ୍ର ରଖି ନ ପାରିଲା ॥
ତୁମ୍ଭେ ତାତ ଆଗ ଯାଅ ଗୋପାଳଙ୍କୁ ଘେନି ।ରାଜ୍ୟ ସୁସ୍ଥ କର ଆମ୍ଭେ ଯିବୁ ଭାଇ ବେନି ॥
ଯଶୋଦା ମାତାଙ୍କୁ ତୁମ୍ଭେ କହିବେ ମନାଇ ।କିଛି ଚିନ୍ତା ନ କରିବ ସେ ଆମ୍ଭର ପାଇଁ ॥
ଆମ୍ଭ ପ୍ରିୟ ବନ୍ଧୁ ଯେତେ ଗୋପାଳ ଅଛନ୍ତି ।ଅନେକ ପ୍ରବୋଧି ତୁମ୍ଭେ କହିବ ସବୁନ୍ତି ॥
ପ୍ରତ୍ୟକ୍ଷରେ ଦେଖିଛନ୍ତି ସେ ଆମ୍ଭର କଥା ।ବିଳମ୍ୱ ହୋଇଲେ ମନେ ନ କରିବ ଚିନ୍ତା ॥
ବସୁନନ୍ଦ ଉପନନ୍ଦ ଚନ୍ଦ୍ରସେଣା ଆଦି ।ସମସ୍ତଙ୍କୁ ପ୍ରବୋଧିଣ କହିବ ସମ୍ପାଦି ॥
ରାମ କୃଷ୍ଣଙ୍କର ମୁଖୁଁ ଏ ବଚନ ଶୁଣି ।ନନ୍ଦ ମନେ ଚିନ୍ତା କଲା ବ୍ରଜାଘାତ ଜାଣି ॥
ଶରୀର ଭିତରୁ ଅବା ପ୍ରାଣ ଗଲା ଛାଡ଼ି ।ପିମ୍ପୁଡ଼ି ମୁଣ୍ଡରେ ଗିରି ପଡ଼ିଲା କି ମାଡ଼ି ॥
ଦଶଦିଗ ଅନ୍ଧକାର ହେଲା ଚାହୁଁ ଚାହୁଁ ।ଓଷ୍ଠ କଣ୍ଠ ତାଳୁ ଶୁଖିଗଲା କହୁଁ କହୁଁ ॥
ନୟନରୁ ଅଶ୍ରୁଜଳ ବହେ ଘନ ଘନ ।ବାଳୁତ ପ୍ରାୟେକ ହେଲା ମନ ଛନ୍ନ ଛନ୍ନ ॥
କ୍ଷଣକେ ଚେତନା ପାଇ ଚାହିଁ ପୁତ୍ରମୁଖ ।ବୋଲେ ବୃଦ୍ଧକାଳେ ମୋତେ ଏ ଦାରୁଣ ଦୁଃଖ ॥
ତୁମ୍ଭଙ୍କୁ ନ ଦେଖି ବଞ୍ଚିବଇଁ କେଉଁ ବାଗେ ।ବିଧାତା ଦାରୁଣ ଦୁଃଖ ଦେଲା ଆଣି ଆଗେ ॥
ବାବୁରେ ପ୍ରୟାଗ ବଟେ ଉଠି ଝାସ ଦେଲି ।ପଞ୍ଚାକ୍ଷର ମନ୍ତ୍ର ଜପି ଶିବଙ୍କୁ ତୋଷିଲି ॥
ତପଃସିଦ୍ଧ ହୋଇ ଦୃଶ୍ୟ ହେଲା ପୁଣ୍ୟବଳ ।ଫଳିଲା ସେ କଲା କର୍ମ ମନବାଞ୍ଛା ଫଳ ॥
ଧର୍ମ ମାର୍ଗ ମୋର ସିଦ୍ଧ ହୋଇଲାକ ଯହୁଁ ।ତୁମ୍ଭ ପରା ବେନି ପୁତ୍ର ପାଇଲି ମୁଁ ତହୁଁ ॥
ଦୁଃଖୀର ସଙ୍ଖାଳି ମୋର ପୁତ୍ର ଦୁଇଗୋଟି ।ବିଶ୍ୱାସ ଘାତକ ହୋଇ କାଟୁଅଛ ତଣ୍ଟି ॥
ମୁଁ ତୁମ୍ଭଙ୍କୁ ଏଥେଁ ଛାଡ଼ି ଗୋପପୁରେ ଗଲେ ।ଏହା ଶୁଣି ଯଶୋବନ୍ତୀ ବର୍ତ୍ତିବ କି ଭଲେ ॥
ବାବୁ ଗୋପପୁରେ ଛନ୍ତି ଯେତେ ଗୋପନାରୀ ।ପଞ୍ଚଭୂତ ଆତ୍ମା ତୁମ୍ଭେ ଅଟ ସବୁଙ୍କରି ॥
ଦଣ୍ଡେ ମାତ୍ର ନ ଦେଖିଲେ ମୂର୍ଚ୍ଛି ନ ପାରନ୍ତି ।ପ୍ରତ୍ୟକ୍ଷ ଦେବତା ବୋଲି ସମ୍ପ୍ରତେ କରନ୍ତି ॥
ତୁମ୍ଭେ ପ୍ରୀତି କରିଅଛ ଜଣ ଜଣ ସଙ୍ଗେ ।ଏଡ଼େ ପ୍ରୀତି ଛାଡ଼ୁଅଛ କେବଣ ପ୍ରସଙ୍ଗେ ? ॥
ଗୋବିନ୍ଦ ବୋଇଳେ ତାତ ନ ଯିବାର ନାହିଁ ।ଅବଶ୍ୟ ନିକଟେ ଯିବୁ ଥିବ ବାଟ ଚାହିଁ ॥
କାର୍ଯ୍ୟ ପାଇଁ ରହୁଅଛୁ ଆମ୍ଭେ ମଥୁରାରେ ।ପିଣ୍ଡ ଏଥେଁ ଥିବ ପ୍ରାଣ ଥିବ ତୁମ୍ଭଠାରେ ॥
ତୁମ୍ଭର ମନକୁ ଯେବେ ପ୍ରତେ ଲାଗୁନାହିଁ ।ଆମ୍ଭ ସଙ୍ଗେ ଦିନାକେତେ ଥାଅ ଏଥେଁ ରହି ॥
ରାଜ୍ୟ ପ୍ରଜା ହାନି ଲାଭ ସକଳ ବୁଝିବା ।ଉଗ୍ରସେନ ଆଗେ କହି ସର୍ବେ ମିଶିଯିବା ॥
ନନ୍ଦ ବୋଲେ ବାବୁ ରାଜ୍ୟେ ଘର ନାଶ ଯିବ ।ଦଣ୍ଡକେ ସାଧିବା କାର୍ଯ୍ୟ ବରଷେ ଲାଗିବ ॥
କହୁ କହୁ ବିଳମ୍ୱ ଯେ ହୋଇବ ଅବଶ୍ୟ ।ନ ଗଲେ ଆମ୍ଭର ତେଣେ ସବୁ ଯିବ ନାଶ ॥
ଅପ୍ରମିତ ଗୋରୁପଲ ବଳ ଅକଳଣା ।ଧେନୁ ଷଣ୍ଢ ବତ୍ସା ଆଦି ଏକୁ ଏକ ଜିଣା ॥
କେତେ କୋଟି କେତେ ଲକ୍ଷ କଳନା ନ ଜାଣି ।ବେନ ଚରି ବୁଲୁଥିବେ ପିଇ ନଦୀ ପାଣି ॥
ରଖୁଆଳ ବୋଲଣାରେ ନୁହନ୍ତି ଆୟତ୍ତ ।ଦିନକେ ଉପୁଜେ ଦୁଇସସ୍ର ଭାର ଘୃତ ॥
ଦଧି ଦୁଗ୍ଧ ଛେନା ସର ଗୋଟିକା ନିଯୋଗ ।ବୋଲଣା ହୋଇବ ଦେବେ ନ ପାଇବେ ଭୋଗ ॥
ଗ୍ରାମେ ବାସ କରିଥିଲେ କଳି ଦ୍ୱନ୍ଦ ଅଛି ।ଆମ୍ଭର ନ ଗଲେ କେହି ନ ବୁଝିବେ କିଛି ॥
ଗୋବିନ୍ଦ ବୋଇଲେ ତାତ ଆଗ ତୁମ୍ଭେ ଯାଅ ।ବର୍ଷାକାଳ ହୋଇଲାଣି ଗୁହାଳ ଛୁଆଁଅ ॥
ଗୋପାଳ ପୁଅଙ୍କୁ ଘେନି ଯାଅ ତୁମ୍ଭେ ବେଗି ।ପଛେ ଯିବୁ ଆମ୍ଭେ ନୃପେ ଗ୍ରାମଭୂମି ମାଗି ॥
ବୁଢ଼ା ହୋଇ ତୁମ୍ଭେ ଅର୍ଜି ବହୁତ ସମୃଦ୍ଧି ।ଆମ୍ଭେ ତ ବାଳକ କିଛି କରିନାହୁଁ ସିଦ୍ଧି ॥
ଦିନକାଳ କଟାଇଳେ ଖେଳ ଖେଳିବାରେ ।ପାଠ ନ ପଢ଼ିଲୁ ମୂର୍ଖହେବୁ ଜଗତରେ ॥
ଗଉଡ଼ ପିଲାଙ୍କ ସଙ୍ଗେ ଚରାଇଲୁ ଗାଈ ।ରାଜନୀତି କଥାମାନ ଶିଖୁଲୁ ତ ନାହିଁ ॥
ଏଣିକି ବସିବ ତୁମ୍ଭେ ବୁଢ଼ା ହୋଇ ଘରେ ।ଆମ୍ଭଙ୍କୁ ପୋଷିବ ଆଉ କେବଣ ପ୍ରକାରେ ॥
ଏଣୁ ଆମ୍ଭ କହୁଅଛୁଁ କେତେ ଦିନ ରହି ।ବୃଦ୍ଧି ବିଦ୍ୟା ପାଠ ଶାଠ ଶିଖିବୁ ଏଠାଇଁ ॥
ଶିକ୍ଷିତ ହୋଇଲେ ପୁଣି ଗୋପପୁରେ ଯିବୁ ।ଗୋରୁ ଗୋପୀ ଗୋପାଳକୁ ସମ୍ଭାଳି ରଖିବୁ ॥
କଥାଛଳେ ଭୁଲାଇଲେ ପ୍ରଭୁ ଚକ୍ରପାଣି ।ଗଉଡ଼ ହାଉଡ଼ ତାହା ନ ପାରିଲା ଜାଣି ॥
ଯାହାର ବୈଷ୍ଣବୀ ମାୟା ଦେବେ ଅଗୋଚର ।ନନ୍ଦ ତା ଜାଣିବ କାହୁଁ ଗଉଡ଼ ମାତର ॥
ଶ୍ରୀକୃଷ୍ଣ ବଚନେ ନନ୍ଦ ସନ୍ତୋଷ ହୋଇଲା ।ଧାତିକାରେ ବେନି ଭାଇ ଯିବଟି ବୋଇଲା ॥
ପ୍ରଣାମ କରାଇ ପୁଣି କହେ ଶତେବାର ।ପାସୋରି ନ ଦେବ ରାଜ୍ୟ ପାଇ ନିଜ ଘର ॥
ବିଳମ୍ୱ ହୋଇଲେ ପୁଣି ଆସିବି ଲେଉଟି ।ଯଶୋବନ୍ତୀ କ୍ରୋଧ ହେଲେ କିସ କହିବିଟି ॥
ଦିନକୁ ଦିନ ବାରତା ଦେଉଥିବ ଚାଳି ।ନ ପୁଣ ପାସୋର ମୋତେ ରାମ ବନମାଳୀ ॥
ଏତେ କହି ଯିବାପାଇଁ ବାହାରନ୍ତେ ନନ୍ଦ ।ଦେଖି ଯେ ଯାହାରେ ସଜହେଲେ ଗୋପବୃନ୍ଦ ॥
କୃଷ୍ଣ କାମପାଳ ପଛେ ଅଛନ୍ତି ଗୋଡ଼ାଇ ।ମଧୁବନ ତୋଟା ମଧ୍ୟେ ଉଭାହେଲେ ଯାଇ ॥
ଡଗର ମୁଖରୁ ତାହା ଶୁଣି ଉଗ୍ରସେନ ।ବସୁଦେବ ଆଦିକରି ଅଇଲେ ବହନ ॥
ନନ୍ଦକୁ ପ୍ରବୋଧ ବାକ୍ୟେ ସମସ୍ତେ ବୁଝାଇ ।ଉପହାର କରି ଦେଲେ ରତ୍ନ ବସ୍ତ୍ର ନେଇ ॥
ସ୍ୱହସ୍ତରେ ଶାଢ଼ୀ ମାଳା ଉଗ୍ରସେନ ଦେଲେ ।ସୁବର୍ଣ୍ଣର ସିଂହାସନ ପୁଣି ସମର୍ପିଲେ ॥
କୃଷ୍ଣ ସଙ୍ଗେ ଆସିଥିଲେ ଯେତେ ଗୋପବାଳ ।ଯେଝା ଅନୁରୂପେ ତାଙ୍କୁ ଦେଲେ ଶାଢ଼ୀମାଳ ॥
କାହାକୁ ସୁବର୍ଣ୍ଣ ହାର କାହାକୁ ବସନ ।କାହାକୁ କୁଣ୍ଡଳ ଦେଲେ କାହାକୁ ରତନ ॥
ତାଡ଼ ତୋଡ଼ ବିଦ ମୁଦୀ ବସ୍ତ୍ର ସୁନାସୂତା ।କାହାକୁ ନୂପୁର ଦେଲେ କାହାକୁ ମୁକୁତା ॥
ନେତପତନୀ ସିନ୍ଧୁଆ ମଖମଲ ପାଟ ।ପାଟ ବାଛି ବେତବାଡ଼ି ଗୁଞ୍ଜରା ମୁକୁଟ ॥
କର୍ପୂର କସ୍ତୁରୀ ମିଶା ସୁବାସ ଚନ୍ଦନ ।ବୋଳିଲେ ନନ୍ଦର ଅଙ୍ଗେ ଆପେ ଉଗ୍ରସେନ ॥
ତାମ୍ୱୁଳ ଦେଇଣ ବୋଲେ ଭୋଜ ଅବତଂସ ।ଯାତ୍ରାପାଇଁ ଆଣିଥିଲା ତୋତେ ଦୁଷ୍ଟ କଂସ ॥
ଯାତ୍ରାହିଁ ସରିଲା ତହିଁ କଂସ ହେଲା କ୍ଷୟ ।ତୋ ପୁତ୍ରଙ୍କ ପ୍ରସାଦରୁ ଗଲା ସବୁ ଭୟ ॥
ଜାଣିଲେ ତୁ ଜଗତର ସର୍ବ ଅଧିକାରୀ ।ତୋର ଗୁଣ ହାଦେ ଆମ୍ଭେ ପାରୁକି ପାସୋରି ॥
ଯୁଗେ ଯୁଗେ ରହିଥିବ ତୋର କୀର୍ତ୍ତିବାନା ।ରାମ କୃଷ୍ଣ ପ୍ରତିପାଳ ମୁକ୍ତ ହେଲୁ ସିନା ॥
ଜଗତ ନନ୍ଦନ ନାଥ ଦେବ ଶିରୋମଣି ।ମୂର୍ତ୍ତିମନ୍ତ ନାରାୟଣ ପାଳିବୁ ତୁ ଜାଣି ॥
ଆଠବର୍ଷ ବିହରିଲୁ ପୁଣି ତାଙ୍କ ସଙ୍ଗେ ।ଆବର ପାତକ ଆଉ ଅଛି କି ତୋ ସଙ୍ଗେ ॥
ନିମିଷକେ ଏହାଙ୍କର ସଙ୍ଗେ ହେଲେ ଗୋଷ୍ଠି ।ସେ ଲୋକ ଲଭଇ ତପଫଳ କୋଟି କୋଟି ॥
ଅଟନ୍ତି ପୁରୁଷ ଶ୍ରେଷ୍ଠ ଏ ଯେ ଭାଇ ବେନି ।ଆମ୍ଭ ପୁଣ୍ୟ ହେଲା ୟାଙ୍କୁ ଅଇଲୁ ତୁ ଘେନି ॥
କଟାଳ ନ କର ଆଉ ଏଥୁଁ ନେବାପାଇଁ ।ଏ ଆମ୍ଭର ସଙ୍ଗେ ଥାନ୍ତୁ ଦିନାକେତେ ରହି ॥
ଏ ତ ଉପକାରୀ ୟାଙ୍କୁ ଛାଡ଼ି ନୋହେ ମନ ।କଢ଼ାଇ ଆଣିଲା ଧାତା କି ଯୋଗେ ଏ ସ୍ଥାନ ॥
ଥୋକେ ଦିନ ରହିଥାନ୍ତୁ ଆମ୍ଭ ସହବାସେ ।ଉଗ୍ରସେନ ବାକ୍ୟେ ନନ୍ଦ ଚାହିଁଲା ହରଷେ ॥
ରାଜା ଆଗେ ନନ୍ଦ କହେ ଶିରେ କର ଯୋଡ଼ି ।ଏ ବେନି କୁମର ମୋର ଅନ୍ଧର ଲଉଡ଼ି ॥
ତୁମ୍ଭେ ଯେବେ ରଖିଅଛ ମନେ ଶ୍ରଦ୍ଧାକରି ।ଯେ ତୁମ୍ଭର ଆଜ୍ଞା ତାହା କେବା ଲଘିଂପାରି ॥
ମହତକୁ ଆଶ୍ରେକଲେ ମହତ ହୁଅନ୍ତି ।ଉତ୍ତମ ପ୍ରାଣୀଏ ସିନା ରାଜପୂଜା ପାନ୍ତି ॥
ଭୋ ଦେବ ଛାମୁରେ ଆଉ କହିବି ମୁଁ କେତେ ।ଖେଳୁଆଳ ପୋଏ ମୋର ଲାଗିଲେଟି ତୋତେ ॥
ଜାଣି ବା ନ ଜାଣି ପୁତ୍ରେ କରିଲେହେଁ ଦୋଷ ।ତୁ ମହାତ୍ମା ତାଙ୍କଠାରେ ନ ଧରିବୁ ରୋଷ ॥
ଏମନ୍ତ କହିଣ ନନ୍ଦ କରପତ୍ର ଯୋଡ଼ି ।ସ୍ନେହେ ନିଉଛାଳି କଲା ରାଜା ପାଦେ ପଡ଼ି ॥
ଉଗ୍ରସେନ ବୋଲେ ନନ୍ଦ ମନୁ ଛାଡ଼ି ଚିନ୍ତା ।ଏ ତୋହର ବେନିପୁତ୍ର ତ୍ରୈଲୋକ୍ୟ ଜିଣନ୍ତା ॥
ଯା ନାମ ଧରନ୍ତେ ଯମ ଦଣ୍ଡି ନ ପାରଇ ।ତୁ ତାହାଙ୍କୁ ସମର୍ପିଣ କରୁ କିସ ପାଇଁ ॥
ଚରାଚର ହାନିଲାଭ ଯାକୁ ଲାଗେ ଏକା ।ଅପାରୁ ଅପାର ଯାର ମହିମା ଅଲେଖା ॥
ଆଜଯାଏ ତାଙ୍କର ତୁ ମହିମା ନ ଜାଣୁ ।ବାଳୁତ କୁମର ବୋଲି ମନେ ମନେ ମଣୁ ॥
ଶୁଣ ହେ ପରୀକ୍ଷ ବଦୟନ୍ତି ଶୁକଯତି ।ଉଗ୍ରସେନ କଥା ଶୁଣି ନନ୍ଦ ହେଲା ଶାନ୍ତି ॥
ଜଗନ୍ନାଥେ ଆଜ୍ଞା ଦେଲେ ସାତ୍ୟକୀଙ୍କୁ ରାଇ ।ନନ୍ଦଙ୍କୁ ଗୋପରେ ଛାଡ଼ ରଥରେ ବସାଇ ॥
ଆବର ଗୋପାଳବାଳେ ସଙ୍ଗେ ଛନ୍ତି ଆସି ।ପାଦଶ୍ରମ ପାଇବେ ସେ ଯାନ୍ତୁ ରଥେ ବସି ॥
ଆଜ୍ଞା ପାଇଣ ସାତ୍ୟକି ରଥ ମଣ୍ଡି ବେଗେ ।ଅଶ୍ୱ ଯୋଚି ରଥ ଟେକି ଉଭା କଲେ ଆଗେ ॥
ମଙ୍ଗଳ ପଢ଼ିଲେ ଦ୍ୱିଜେ ରାଜ ଆଜ୍ଞା ପାଇ ।ଗୋପାଳନ୍ତ ଘେନି ନନ୍ଦ ରଥରେ ବସାଇ ॥
ବାହିଲେ ସାତ୍ୟକି ରଥ ଚଳେ ଧୀର ଧୀର ।ଏଡ଼େ ମାୟା ଛଡ଼ାଇଲେ ରାମ ଦାମୋଦର ॥
ଯମୁନାକୁ ପାର ହୋଇ ରଥ ଗଲା ଚଳି ।ବସୁଦେବ ଉଗ୍ରସେନ ରାମ ବନମାଳୀ ॥
ମଧୁବନ ତୋଟା ଛାଡ଼ି ନବରକୁ ଗଲେ ।ସକଳ ଯାଦବେ ତାଙ୍କ ପଛରେ ଚଳିଲେ ॥
ଯେ ଯାହାରେ ନିତ୍ୟକର୍ମ ସାରି ଯଥାବିଧି ।ରାଜକାର୍ଯ୍ୟ ଆବୋରିଲେ ପାତ୍ର ପ୍ରତିନିଧି ॥
ନିଶ୍ଚିନ୍ତେ ପାଳିଲେ ରାଜ୍ୟେ ଉଗ୍ରସେନ ରାଜା ।ସାତବଂଶ ଯଦୁବୀରେ କଲେ ପାଦପୂଜା ॥
ଅଣିମାଦି ରାଜସିଦ୍ଧି ଦଣ୍ଡ ସିଂହାସନ ।ଆନନ୍ଦରେ ଭୋଗକଲେ ରାଜା ଉଗ୍ରସେନ ॥
ହଂସ ଡ଼ିମ୍ୱ ବୋଲି ନାମ କଂସ ବେନି ବଳା ।ଜରାସନ୍ଧ ନାତି ଦୁହେଁ ତେଜେ ଅନର୍ଗଳା ॥
ହେତି ପ୍ରହେତି ଏ ଦୁହେଁ ଦୁହିଁଙ୍କର ମାତ ।କଂସ ପରି ବେନି ପୁତ୍ର ବଳେ ବଳବନ୍ତ ॥
ଦୁରାଚାର ଦୁଷ୍ଟବୁଦ୍ଧି ନିତି ସେ କରନ୍ତି ।ଉଗ୍ରସେନ ନୃପତିର ଆୟତ୍ତ ନୁହନ୍ତି ॥
କେଶୀର ପୁତ୍ର ଉଡ଼ଙ୍ଗ ଆଉ ଅଂଶୁମାଳି ।ଶକଟା ନନ୍ଦନ ବେନି ବୀର ବେଲାବଳି ॥
କଙ୍କଣ କାଳିନ୍ଦ ନାଗ ମୋହ ସଉମିତ୍ର ।ଏ ଚାରିହେଁ ଅଟନ୍ତି ଷଣ୍ଢାସୁର ପୁତ୍ର ॥
ପ୍ରତାପୀ ଦାନବ ବୋଲି ପୁତନାର ପୁଅ ।ଅଘାସୁର ବେନି ସୁତେ ଜୟ ଯେ ବିଜୟ ॥
ଚାଣୁର ବେନି କୁମର ଦୁର୍ଗମ ଦୁର୍ଜଟି ।ମହୋଦର ନାମେ ପୁଣ ମୁଷ୍ଟିକ ପୁତ୍ରଟି ॥
ଏମାନଙ୍କୁ ସଙ୍ଗେ ଧରି କଂସର କୁମରେ ।ଅନୀତି କରନ୍ତି ବୁଲି ମଥୁରା ନଗରେ ॥
ରାଜା ବୋଲ ନ ମାନନ୍ତି ତିଆରଲେ ଖଙ୍ଗ ।ନିର୍ଦ୍ଦୟ ସେ ନିରପେକ୍ଷ ଅସୁରଙ୍କ ଅଙ୍ଗ ॥
କଂସର ଅନ୍ତିମକ୍ରିୟା ସମାପନ କରି ।ଯାଦବ ରହିଲେ ସୁଖେ ଭୟ ପରିହରି ॥
ସୁଦାମାର ନନ୍ଦନ ସୁରଥ ପଦ୍ମନିଧି ।ଗାର୍ଗ୍ୟମୁନି ଦେଲେ ତାଙ୍କୁ ବିଦ୍ୟା ସଦବୁଦ୍ଧି ॥
ଦିବ୍ୟଜ୍ଞାନ ପାଇଲେ ସେ ମୁନିଙ୍କ ପ୍ରସାଦେ ।ନିତି ସେବା କରିଥାନ୍ତି ରାମକୃଷ୍ଣ ପାଦେ ॥
ହାତୀ ରଥୀ ପଦାତିକ ଅଶ୍ୱଙ୍କ ପାଳନ ।ବିଧିମତେ ହେଲା ପୁଣି ଯଜନ ଯାଜନ ॥
ଗାର୍ଗ୍ୟୁମୁନି ସମସ୍ତଙ୍କୁ ଦେଲେ ଉପଦେଶେ ।ଧର୍ମେ ପ୍ରଜା ରକ୍ଷାକଲେ ସେ ଭୋଜ ନରେଶ ॥
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରି ବର୍ଣ୍ଣ ।ଯେ ଯାହା ନିୟମେ ଥାଇ ଆଚରିଲେ ଧର୍ମ ॥
ଅକାଳମରଣ ନାହିଁ ନାହିଁ ରୋଗ ବାଧା ।ପାପ ହୁଡ଼ି ପ୍ରାଣୀମାନେ ଧର୍ମେ କଲେ ଶ୍ରଦ୍ଧା ॥
ଏମନ୍ତେ ମଥୁରାପୁରେ ଅନେକ ସମୃଦ୍ଧି ।ହାତୀ ରଥୀ ପଦାତି ଯେ ଅପ୍ରମିତ ଯୋଧୀ ॥
ହାଟ ପେଣ୍ଠ ପାଟଣା ଯେ ବଜାର ସଜାଡ଼ି ।ବିକିଲେ ସକଳ ଦ୍ରବ୍ୟ ପସରାନ୍ତି ବାଢ଼ି ॥
ଯାଦବଙ୍କୁ ସଙ୍ଗେ ଘେନି ଉଗ୍ରସେନ ରାଜା ।ରାମକୃଷ୍ଣ ଚରଣରେ ନିତି କଲେ ପୂଜା ॥
ପ୍ରତ୍ୟକ୍ଷ ଏ ନାରାୟଣ ବୋଲି ଜାଣି ଲୋକେ ।ବୈଷ୍ଣବ ଦୀକ୍ଷାରେ ଆସି ପୂଜାକଲେ ଥୋକେ ॥
ନୃପତିମାନଙ୍କ ଆଗେ ଡ଼ଗରେ କହିଲେ ।ବସୁଦେବ ବେନି ପୁତ୍ରେ କଂସକୁ ମାଇଲେ ॥
ରାମକୃଷ୍ଣ ଅବତାର ସେହି ବେନି ରୂପେ ।ନାରାୟଣ ବୋଲି ତାଙ୍କୁ ବୋଲନ୍ତି ସମସ୍ତେ ॥
ଜନ୍ମ ହେଲା ଦିନୁ ଯାଇ ଗୋପପୁରେ ଥିଲେ ।ନନ୍ଦ ଘରେ ଆଠବର୍ଷ କାଳ ସେ ବଢ଼ିଲେ ॥
ସେଠାରେ ଅନେକ ଦୈତ୍ୟମାରି ନାନାରଙ୍ଗେ ।ବାଳଲୀଳା କରିଥିଲେ ଗଉଡ଼ଙ୍କ ସଙ୍ଗେ ॥
ଏବେ ସେ କଂସକୁ ମାରି ମଥୁରା ରହିଲେ ।ଏମନ୍ତ ନୃପଙ୍କ ଆଗେ ଚାରେ ଜଣାଇଲେ ॥
ଶୁଣିଣ ସନ୍ତୋଷ ହେଲେ ସକଳ ନୃପତି ।ଥୋକେ ରାଜା ଏହା ଶୁଣି ମନେ କଲେ ଭ୍ରାନ୍ତି ॥
ଦମଘୋଷ ଦନ୍ତଚକ୍ର ଶାଲ୍ୱ ଯେ ରୁକ୍ମଣ ।ଗୋସିଂହ ନାରକାସୁର ବଜ୍ରନାଭ ବାଣ ॥
ଜରାସନ୍ଧ ଶିଶୁପାଳ ଆଦି ଯେ ଶୁଣିଲେ ।ପ୍ରମାଦ ପଡ଼ିଲା ବୋଲି ଅନ୍ତରେ ଜାଣିଲେ ॥
ଇତି ଶିରୀ ଭାଗବତ ପୁଣ୍ୟମୟ ଧ୍ୱନି ।କହନ୍ତି ପରୀକ୍ଷ ଆଗେ ଶୁକ ମହାମୁନି ॥
ଜଗତ କରତା ପ୍ରଭୁ କୃଷ୍ଣ ହଳଧର ।ମୁଁ ଦୀନ ଅଚ୍ୟୁତ ଦାସ ସେବକ ତାଙ୍କର ॥
ଗୋପାଳଙ୍କ ସହିତ ନନ୍ଦର ଗୋପ ପ୍ରବେଶ ଓ ପୁତ୍ର ବିଚ୍ଛେଦରେ ଯଶୋଦାଙ୍କ ଖେଦଏଥୁ ଅନନ୍ତରେ କଥା ଶୁଣ ନରନାଥ ।ସାତ୍ୟକି ପ୍ରଖର ବେଗେ ବାହିନେଲେ ରଥ ॥
ନନ୍ଦ ଆଦି ଗୋପସୁତେ ଥିଲେ ସେ ରଥରେ ।ଗୋପାନଗ୍ରେ ପରବେଶ ହେଲେ ଧାତିକାରେ ॥
ଦିବସେ ଉଦୟ କିବା ଗଗନରେ ଶଶୀ ।ସେହିପରି ଆକାଶରୁ ରଥ ପଡ଼େ ଖସି ॥
ନନ୍ଦର ନବର ଦ୍ୱାରେ ରହିଲା ସେ ଯାଇ ।ସମସ୍ତ ବାଳ ଗୋପାଳେ ଅଇଲେ ଓହ୍ଲାଇ ॥
ରଥରୁ ଓହ୍ଲାଇ ନନ୍ଦ ଗଲେ ନିଜପୁର ।ସାତ୍ୟକି ମଥୁରା ଗଲେ ଘେନି ରହୁବର ॥
ଯଶୋଦା ଛାମୁରେ ନନ୍ଦ ମିଳିଲେକ ଯାଇ ।ଆଗହୁଁ ସେ ଯଶୋବନ୍ତୀ ଥିଲେ ବାଟ ଚାହିଁ ॥
ପତି ପତ୍ନୀ ଭେଟ ହୋଇ ସ୍ନେହରସେ ବୁଡ଼ି ।ନନ୍ଦ ପାଦଧୂଳି ଦେବୀ ବସ୍ତ୍ରେ ଦେଲେ ଝାଡ଼ି ॥
ପତି ମୁଖ ଚାହିଁ ଦେବୀ ପଚାରନ୍ତି ଧୀରେ ।ତୁମ୍ଭେ ତ ଅଇଲ କାହିଁ ଗଲେ ମୋ କୁମରେ ॥
ପୁତ୍ରଙ୍କୁ ନ ଦେଖି ମୋର ଯାଉଅଛି ପ୍ରାଣ ।ପଥ ତାହିଁ ଚାହିଁ ଚକ୍ଷୁ ହୋଇଲାଣି କାଣ ॥
ସର୍ବ ଶୁଭବାର୍ତ୍ତା ନାଥ ମୋ ଆଗରେ କହ ।ତେବେ ଜୀବ ପାଇ ଥୟ ହେବ ମୋର ଦେହ ॥
ଯଶୋଦା ମୁଖରୁ ନନ୍ଦ ଏ ବଚନ ଶୁଣି ।ବିଷାଦେ କହିଲେ ତାଙ୍କୁ ସୁକୋମଳ ବାଣୀ ॥
ନେତ୍ର ବେନି ଥନ ଥନ କମ୍ପେ ଓଷ୍ଠପୁଟ ।ସନ୍ତାପ ବାଧାରେ ବାକ୍ୟ ନ ଆସଇ ସ୍ପଷ୍ଟ ॥
ଶୁଣ ଗୋ ଯଶୋଦା ତୋର ପୁତ୍ରଙ୍କର ରୀତି ।ପ୍ରଥମେ ସେ ଯାହା କଲେ ଅସମ୍ଭବ କୀର୍ତ୍ତି ॥
ଏଠାରୁ ଅକ୍ରୂର ନେଲା ରଥରେ ବସାଇ ।ମଧୁବନେ ପହଞ୍ଚିଲେ ଯମୁନାକୁ ଡେଇଁ ॥
ଗୋପାଳେ ରଜତ ତୁଠ ବସ୍ତ୍ର ଜୂର କଲେ ।ରାଜାଲାଗି ମଢ଼ିଆଳ ବାଣ୍ଟିଣ ପିନ୍ଧିଲେ ॥
କ୍ରୋଧରେ ରଜକମାନେ ପଡ଼ୁଥିଲେ ମାଡ଼ି ।ଦେଖିଣ ଗୋପାଳେ ତାଙ୍କୁ ପିଟିଲେ ବାହୁଡ଼ି ॥
ରଜକଙ୍କ ହାଡ଼ ଗୋଡ଼ ଚୂନା କରି ରାଗେ ।ଧାଇଁଲେ ଗୋପାଳ ପୁଏ ତୋ ପୁଅଙ୍କ ସଙ୍ଗେ ॥
ମଥୁରା କଟକ ଦାଣ୍ଡେ ଧସାଇ ପଶିଲେ ।ଘୁମୁରା ବଜାଇ ହାଟପେଣ୍ଠ ଜୁର କଲେ ॥
ଭୟଙ୍କର ରୂପ ଦେଖି ପୁରବାସୀ ଲୋକେ ।ଘରଦ୍ୱାର କିଳିଦେଇ ଲୁଚିଲେ ଆତଙ୍କେ ॥
ଖଣ୍ଡେ ଦୂରେ ଦେଖିଲେ ସେ ରାଜା ଗନ୍ଧପେଡ଼ି ।ନବରକୁ ନେଉଥିଲା କୁବୁଜା ସଜାଡ଼ି ॥
ତୋ ପୁତ୍ରଙ୍କୁ ଦେଖି କୁଜୀ ଆନନ୍ଦ ହୋଇଲା ।ସୁଗନ୍ଧ ଚନ୍ଦନ ପେଡ଼ି ତାଙ୍କୁ ଯୋଗାଇଲା ॥
ଦୁଇପୁତ୍ରେ ଗନ୍ଧ ଲାଗି ହୋଇଲେ ଆପଣେ ।ଗୋପାଳ ପୁଅଙ୍କୁ ଯାଚି ଦେଲେ ଜଣେ ଜଣେ ॥
ଆବର ଅପୂର୍ବ ଯାହା ଦେଖିଲୁ ନୟନେ ।ତା କହିବା ଶୁଣ ଏବେ ତୋର ବିଦ୍ୟମାନେ ॥
ଗନ୍ଧପେଡ଼ି ନେଉଥିଲା ଯେଉଁ କୁଜୀନାରୀ ।ରାମ କୃଷ୍ଣ ଦରଶନେ ହେଲା ବିଦ୍ୟାଧରୀ ॥
ପୁଷ୍ପକ ବିମାନ ଆସି ତା ଆଗେ ଲାଗିଲା ।ସମସ୍ତେ ଦେଖୁଛୁଁ ସେହୁ ସ୍ୱର୍ଗକୁ ଚଳିଲା ॥
ତହୁଁ ଥୋକେ ଦୂର ଯାନ୍ତେ ରାମ ବନମାଳୀ ।ସୁବାସ କୁସୁମ ହାର ଯୋଗାଇଲା ମାଳୀ ॥
ପାନ ଖାଇ ଫୁଲ ଘେନି ବିକାଶିଣ ଶୋଭା ।ଆପେ ଆପେ ପୁଏ ତୋର ବାନ୍ଧିହେଲେ ଗଭା ॥
ଯାତ୍ରୀଲୋକେ ତାହା ଦେଖି ହେଲେ ଚମତ୍କାର ।ବୋଇଲେ ସ୍ୱର୍ଗ ତେଜି କି ବିଜେ ପୁରନ୍ଦର ॥
ଏକ ଦୃଷ୍ଟିରେ ଯାଦବେ ବେଢ଼ିଛନ୍ତି ଚାହିଁ ।ରଙ୍ଗ ସଭାରେ ଉଠିଲେ ରାମକୃଷ୍ଣ ଯାଇ ॥
ପୁର ମଣ୍ଡାଇଣ ଡେରିଥିଲେ ଯେ କୋଦଣ୍ଡ ।ଅବହେଳେ ଧନୁ କଲେ କୃଷ୍ଣ ବେନିଖଣ୍ଡ ॥
ଯଦୁବୀରେ ଧନୁଭଗ୍ନ ଦେଖି କଲେ ଭୟ ।ଅନ୍ତଃପୁରେ ଏ ବାରତା ଶୁଣି କଂସରାୟ ॥
ସିଂହଦ୍ୱାପେ ବନ୍ଧାଇଲା କୁବଳୟା ହସ୍ତୀ ।ତାକୁ ଦେଖି ବେନିଭାଇ ମାଇଲେ ବିକୋତି ॥
ଚାଣୁର ମୁଷ୍ଟିକ ମଲ୍ଲ ସିଂହଦ୍ୱାରେ ଥିଲେ ।ଘୋର ଯୁଦ୍ଧକରି ତାଙ୍କୁ ତୋପୋଏ ମାଇଲେ ॥
ଜଗତୀ ଉପରେ କଂସ ଥିଲାକ ଗୁପତେ ।କେହି ନ କହିଲେ ତାହା ଜାଣିଲେ କେମନ୍ତେ ॥
ରାଜାଧିରାଜ ସେ ବଳବନ୍ତ ଶିରୋମଣି ।ଜଗତୀର ତଳେ ତାକୁ କଚାଡ଼ିଲେ ଆଣି ॥
କହିଲେ ଦୁର୍ଲ୍ଲଭ ତାହା ଶ୍ରୁତି ଅଗୋଚର ।ଅପାର ମହିମା କଲେ ତୋ ବେନି କୁମର ॥
ଚୌରାଶୀକୋଟି ଯାଦବେ ଦେଖି କଲେ ପୂଜା ।କଂସ ମାରି କରାଇଲେ ଉଗ୍ରସେନେ ରାଜା ॥
ଦୁଇଭାଇ ବସିଲେକ ସିଂହାସନ ମାଡ଼ି ।ତଳେ ଉଗ୍ରସେନ ଥିଲେ କରପତ୍ର ଯୋଡ଼ି ॥
କଂସ ମାରି ରାମକୃଷ୍ଣ ବସୁଦେବ ପୁରେ ।ବିଜେକରି ରାଜପୂଜା ଘେନିଲେ ସେଠାରେ ॥
ଚୌରାଶୀ କୋଟି ଯାଦବେ ରହିଛନ୍ତି ମାନି ।କ୍ଷଣେ ନ ଛାଡ଼ନ୍ତି ଉଗ୍ରସେନ କୋଳେ ଘେନି ॥
କଂସକୁ ମାଇଲା ଦିନୁ ସର୍ବେ କଲେ ଭୀତି ।ଦେବତା ସମାନେ ମାନି ଅର୍ଚ୍ଚନା କରନ୍ତି ॥
ବହୁତ ବିନୟୀ ମୋତେ ଉଗ୍ରସେନ ରାୟେ ।ପାଛୋଟି ଅଇଲେ ଆପେ ମଧୁବନ ଯାଏ ॥
ପୁତ୍ରଙ୍କୁ ଘେନିଣ ଗୋପେ ଆସୁଥିଲି ମୁହିଁ ।ସମସ୍ତ ଯାଦବେ ବାଟୁ ନେଲେ ବାହୁଡ଼ାଇ ॥
ଅପାର ଗୌରବ କରି ରଖି ଦିନା କେତେ ।ଛାଡ଼ିଦେବେ ବୋଲି ସତ୍ୟ କହିଛନ୍ତି ମୋତେ ॥
ମନେ ଚିନ୍ତା ନ କର ତୁ ଆଗୋ ଯଶୋବନ୍ତୀ ।କଂସ ମଲାରୁ ସରିଲା ସବୁ ଭୟ ଭ୍ରାନ୍ତି ॥
ସଦବିଦ୍ୟା ସଦଗୋଷ୍ଠୀ କେତେ ପୁଣ୍ୟେପାଇ ।ସୁପଣ୍ଡିତ ପୁତ୍ର ହେଲେ ରାଜପୂଜା ପାଇ ॥
ଅନେକ କାଳରୁ ଥିଲା ଯେତେକ ଅକର୍ମ ।ଏଠାରେ ଦିଶିଲା ତାହା ଯାଇ ଆମ୍ଭ ଧର୍ମ ॥
ଦଶବର୍ଷ ଶେଷ ହେଲା କାଲି ଦେଖୁ ଦେଖୁ ।ନିକଟେ ଆସିବେ ପୋଏ ଦିନ ଲେଖୁ ଲେଖୁ ॥
ଉଗ୍ରସେନ ରଖାଇଲେ ତାଙ୍କୁ ଶ୍ରଦ୍ଧା କରି ।ରାଜାଙ୍କର ଆଜ୍ଞା ପ୍ରିୟେ ଲଘିଂତ ନ ପାରି ॥
ବୁଝାଇ କହନ୍ତେ ନନ୍ଦ ଏସନକ ବାଣୀ ।ଯଶୋବନ୍ତୀ ସମ୍ଭୀଭୂତ ହେଲେ ତାହା ଶୁଣି ॥
ବେନି ନୟନରୁ ଫୁଟି ବହେ ଅଶ୍ରୁଜଳ ।ହା ହା ପୁତ୍ରବୋଲି ଦେବୀ ହୋଇଲେ ବିକଳ ॥
ଅନାଥ ବାନ୍ଧବ ମୋର ଅନ୍ଧକ ଲଉଡ଼ି ।ଦେଖୁ ଦେଖୁ ନାଥ କେହ୍ନେ ଅଇଲ ଯେ ଛାଡ଼ି ॥
ତୁମ୍ଭେ କି ନ ଜାଣ ମୋର ପୁତ୍ରଙ୍କର କଥା ।ଦଣ୍ଡେ ନ ଦେଖିଲେ ମନେ ଲାଗୁଥାଇ ବ୍ୟଥା ॥
କେମନ୍ତେ ପୁତ୍ରଙ୍କୁ ମୂର୍ଚ୍ଛି ଅଇଲଟି ଅବା ।ରାମକୃଷ୍ଣ ନ ଥିଲେ କି ପୁର ଦିଶେ ଶୋଭା ॥
ନବର ମନ୍ଦିର ନାରଖାର ତ ଦିଶିଲା ।ପୁଣ୍ୟକ୍ଷୟ ଯାଇ ଏବେ ପାପ ପ୍ରସରିଲା ॥
କେତେ କଷ୍ଟେ ପୁତ୍ର ବେନି ପାଳିଥିଲି ଆହା ।କହୁ କହୁ ଧାତା ହରି ଘେନିଗଲା ତାହା ॥
କେତେ ଗୁଣ ବାହୁନିବି ବସି ଏକେ ଏକେ ।କିସ ପଟାନ୍ତର ଦେବି ଏ ତିନି ତ୍ରୈଲୋକ୍ୟେ ॥
ଭୋ ନାଥ ଅନ୍ତୁଡ଼ି ଶାଳ କଥା ଅଛ ଜାଣି ।କପଟେ ଆସି ପୂତନା ନାମେ ରାକ୍ଷସୁଣୀ ॥
ବିଷ ଦୁଧ ପିଆଇଣ ଆପେ ନାଶ ଗଲା ।ଦ୍ୱିଦିନ କଅଁଳା ପୁଅ ଏଡ଼େ କର୍ମ କଲା ॥
ପୁଣି ତୃଣାବର୍ତ୍ତ ଦୈତ୍ୟ ନେଲାକ ଉଡ଼ାଇ ।ଆକାଶ ମାର୍ଗରେ ଥାଇ ଦେଲା ଫୋପଡ଼ାଇ ॥
ଅସୁରକୁ ଘେନି ପୁତ୍ର ପଡ଼ି ମହୀତଳେ ।ତେଡ଼େ ପ୍ରମାଦରୁ ରକ୍ଷା ହେଲା ପୁଣ୍ୟବଳେ ॥
ଯାମଳା ଦୁଃସହ ଯେଉଁ ଅରଜୁନ ବୃକ୍ଷ ।ସେ କୃଷ୍ଣ ଅଙ୍ଗରେ ମାଡ଼ି ପଡ଼ିଲା ପ୍ରତ୍ୟକ୍ଷ ॥
ବାଳୁତ ପୁଅର ବାମ ପାଦ ହାବୁଡ଼ନ୍ତେ ।ଖଣ୍ଡ ଖଣ୍ଡ ହୋଇ ବୃକ୍ଷ ପଡ଼େ ଶୂନ୍ୟପଥେ ॥
ତଦନ୍ତେ ଶକଟାସୁର ଅଇଲା କପଟେ ।ଅବହେଳେ ରାମକୃଷ୍ଣ ଖେଳୁଥିଲେ ବାଟେ ॥
ଶଗଡ଼ ମାଡ଼ନ୍ତେ କୃଷ୍ଣ ଯୋଗେ ଜାଣି ଭଲା ।ବାମପାଦ ଝାଡ଼ି ଦ୍ୟନ୍ତେ ଶୂନ୍ୟେ ଉଡ଼ିଗଲା ॥
ଧୂଳିଖେଳ କାଳେ କୃଷ୍ଣ ଭକ୍ଷିଥିଲେ ମାଟି ।ମୁଁ ରାଢ଼େଣୀ କୋପଭରେ ଧରି ପୁତ୍ର ପିଟି ॥
ମୁଖରେ ଅଙ୍ଗୁଳି ଭରି ବିସ୍ତାରିଲି ତୁଣ୍ଡ ।ଗର୍ଭରେ ଦିଶିଲା ମୋତେ ସପତ ବ୍ରହ୍ମାଣ୍ଡ ॥
ଏ ସକଳ କଥା ମୁହିଁ ପ୍ରତ୍ୟକ୍ଷେ ଜାଣଇଁ ।ସେ ପୁତ୍ରକୁ ଦେଖି ସବୁ ଦୁଃଖ ପାସୋରଇଁ ॥
ଗୋ ଗୋଷ୍ଠରେ ରହିଥିଲା ଷଣ୍ଢାସୁର ଲୁଚି ।ହେମାରାବ କରିଣ ସେ ମାଇଲା ପହଞ୍ଚି ॥
ବଜ୍ର ସହ ଶୃଙ୍ଗ ତାରେ ପ୍ରହାରନ୍ତେ ଆଣି ।ଚାପୋଡ଼ା ମାଇଲା ତାକୁ କୃଷ୍ଣ ତାହା ଜାଣି ॥
ସେହି ଚାପୋଡ଼ାରେ ତାର ମୂର୍ଦ୍ଧା ହେଲା ଚୂନା ।ଏତିକିରେ ନାଶଗଲା ଷଣ୍ଢାସୁର ଯେନା ॥
ଯମୁନା ନଦୀର ତୀରେ କାଳିନାଗ ଭୟେ ।ଡରେ ପଥ ନ ଚାଲନ୍ତି ପାଞ୍ଚ କୋଶଯାଏ ॥
ପ୍ରଚଣ୍ଡ ଅନଳ ସମ ବିଷ ଜ୍ୱଳା ବଳି ।କୂଳ ବୃକ୍ଷେ ପୋଡ଼ିଯାନ୍ତି ତା ତେଜରେ ଜଳି ॥
ଉପରେ ପକ୍ଷୀଏ ଉଡ଼ି ନ ପାରନ୍ତି ଡରେ ।ରାତ୍ର ଦିନ ବିଷ ବୃଷ୍ଟି ହୁଏ ନିରନ୍ତର ॥
ବାଳୁତ କାଳୁ କୃଷ୍ଣର ଅଟେ ଏଡ଼େ ଦର୍ପ ।ଘଉଡ଼ି ବାହାର କଲା ତେଡ଼େ ବଡ଼ ସର୍ପ ॥
ଭୋ ନାଥ ତୁମ୍ଭେ ତ ଜାଣ ଇନ୍ଦ୍ରପୂଜା ଦିନ ।ଖଟୁଲିରେ ମାଡ଼ିବସି କୃଷ୍ଣ ଭଗବାନ ॥
ପଇଡ଼ ଗୋଟିକା ଇକ୍ଷୁପଣା ଖଣ୍ଡ ଖଜା ।ସବୁଖାଇ ଆପେ କୃଷ୍ଣ ଘେନିଲେ ସେ ପୂଜା ॥
ସେଥିପାଇଁ ମହାକୋପ କରି ବଜ୍ରପାଣି ।ଆପଣେ ବିଜୟ କଲେ ସମଦଣ୍ଡ ଘେନି ॥
ସାତଦିନ ସାତ ରାତ୍ରି କଲେ ଘୋର ବୃଷ୍ଟି ।କମ୍ପିଲା ଗର୍ଜ୍ଜନ ଘାତେ ଚରାଚର ସୃଷ୍ଟି ॥
ଅସ୍ଥି ଖପରା ସହିତେ ଶାଳ ଶିଳ ବର୍ଷି ।ଦିବସେ ଅନ୍ଧାର କିବା ହେଲା ଘୋର ନିଶି ॥
ଭୟଙ୍କର ବିଜୁଳି ଯେ ପ୍ରଚଣ୍ଡ ପବନ ।ବଜ୍ରାଘାତେ ତରୁମାନେ ହେଲେ ଛିନ୍ନଭିନ୍ନ ॥
ଶ୍ରୀକୃଷ୍ଣର ମୁଖ ଚାହିଁ ସମସ୍ତେ ବିକଳ ।ପର୍ବତ ଟେକିଲା କରେ ସାତ ବର୍ଷକାଳ ॥
ଅପାର ଗୋପାଳ ଗୋରୁ ସମ୍ପଦ ସହିତେ ।ଗିରିତଳେ ଆଶ୍ରାକଲେ ଯେ ଯାହାର ମତେ ॥
ଏତେକରି ଇନ୍ଦ୍ର ଯହୁଁ ନ ପାରିଲେ ଜିଣି ।ବଜ୍ରଶର ପ୍ରହାରିଲେ କୋପେ ସେହିକ୍ଷଣି ॥
ବଜ୍ର ଚୂନା ହୋଇଯାନ୍ତେ ନ ସ୍ଫୁରିଲା ବୁଦ୍ଧି ।ଉପଇନ୍ଦ୍ର ପଦ ଦେଇଗଲେ ଜମ୍ଭଭେଦୀ ॥
କେଶୀ ଅଘା ବକାସୁର ପ୍ରଳମ୍ୱା ଗରିଷ୍ଠ ।ଏମାନଙ୍କୁ ଆଦିକରି ଯେତେ ମହାଦୁଷ୍ଟ ॥
ମୋ ପୁତ୍ରଙ୍କୁ କଲେ ଆସି ଯେତ ଅମରିଷ ।ଦଇବ ଯୋଗରୁ ଗଲେ ଯେ ଯାହାରେ ନାଶ ॥
ବଳବନ୍ତ ରୂପବନ୍ତ ସର୍ବ ଗୁଣ ରାଶି ।ଆମ୍ଭେ ସର୍ବେ ତାରାଗଣ ରାମକୃଷ୍ଣ ଶଶୀ ॥
ଦିବସେ ଅନ୍ଧାର ମୋତେ ଦିସେ ଦଶ ଦିଶ ।କେମନ୍ତେ ଆସିବେ ଆଉ ରାମ ହୃଷୀକେଶ ॥
କିପରି ମୁରୂଛି ତାଙ୍କୁ ଆସିଅଛ ଛାଡ଼ି ।ଥୋକାଏ ଦୂରରୁ କିପାଁ ନ ଗଲ ବାହୁଡ଼ି ॥
ରାଜା ଆଗେ ନ କହିଲ କିପାଁ ଆଉ ବେଳେ ।କୁଳଚନ୍ଦ୍ରମାଙ୍କୁ ମୋର ମୂରୁଛିଲ ଢ଼ାଳେ ॥
ତୁମ୍ଭଙ୍କୁ କହିବି କିସ ମୋର ମନ୍ଦକର୍ମ ।ସପ୍ତାଙ୍ଗେ କଟାଳ କଲା ଆସିମୋତେ ଧର୍ମ ॥
ରାମ କୃଷ୍ଣଙ୍କୁ ନ ଦେଖି ମୁଁ ବଞ୍ଚିବି କି ଢ଼ାଳେ ।ଆହା ଦୈବ ଘଟାଇଲୁ ଏହା କର୍ମଫଳେ ॥
ଏତେବୋଲି ଯଶୋବନ୍ତୀ କରନ୍ତି ରୋଦନ ।ଆହା ମୋର ପୁତ୍ର ବଳଦେବ ଭଗବାନ ॥
କହୁ କହୁ ନନ୍ଦଘରେ ଶୁଭିଲା ଚହଳ ।ସବୁ ଗୋପ ଗୋପୀ ଆସି ହେଲେ ଏକଠୁଳ ॥
ଅପୂର୍ବ ସୁନ୍ଦରୀ ସର୍ବେ ଗୋପପୁର ବାଳୀ ।କାମବଶେ ସୁମରନ୍ତି ନିତି ବନମାଳୀ ॥
ପଚାରନ୍ତି ନନ୍ଦ ମୁଖ ଚାହିଁ ବାରମ୍ୱାର ।କି ବୋଇଲେ ରାମକୃଷ୍ଣ କହ ତା ସତ୍ୱର ॥
କେତେ ଦିନେ ଆସିବେ ସେ କହ ତାହା ଜବ ।ସତେ କି ମୂରୁଛି ଦେବେ ଆମ୍ଭଙ୍କୁ ମାଧବ ॥
ଆମ୍ଭ ତହୁଁ ସମାଦର ସେ ପାଇବେ କାହିଁ ।ଯହିଁ ଥିଲେ ତାଙ୍କ ମନ ଥିବ ଆମ୍ଭ ତହିଁ ॥
ଏହି ଯେ କାଳିନ୍ଦୀ ନଦୀ ଏହି ବୃନ୍ଦାବନ ।ଏହି କଦମ୍ୱର ଶିଖେ କରି ବେଣୁସ୍ୱନ ॥
ନାନା କଉତୁକ ଯେତେ କେଳି କରିଛନ୍ତି ।ତା ମନେ ପଡ଼ିଲେ କେଭେ ମୂର୍ଚ୍ଛି ନ ପାରନ୍ତି ॥
ନନ୍ଦ ବୋଲେ କେହି ଶୋକ ନକର ଗୋ ଆର୍ତ୍ତେ ।ତୁମ୍ଭଙ୍କୁ ବୋଧିବା ପାଇଁ ପଠାଇଲେ ମୋତେ ॥
ସେହି ଆଜିକାଲି ପରି ନିକଟେ ଆସିବେ ।ରାଜା ଆଜ୍ଞା ନ ଭାଙ୍ଗିଣ କିଛିଦିନ ଥିବେ ॥
ବିଳମ୍ୱ ହୋଇଲେ ଆମ୍ଭେ ଆଉ ଥରେ ଯିବା ।ଉଗ୍ରସେନ ଆଗେ କହି ଅବଶ୍ୟ ଆଣିବା ॥
ନନ୍ଦ କହିଲେକ ଯହୁଁ ଏସନକ ବାଣୀ ।ଗୋପ ନଗ୍ର ଲୋକେ ଚିନ୍ତା ଛାଡ଼ିଲେ ତା ଶୁଣି ॥
ଯଶୋଦା ସମ୍ପ୍ରତେ ଯାଇ ନନ୍ଦର ବଚନେ ।ବୋଲେ ଯାତ୍ରା ଦେଖି ଯାଇ ନ ଆସିବେ କେହ୍ନେ ॥
ପୂର୍ବେ ଯାହା କରିଅଛି ବିଧାତା ପୁରୁଷ ।ତହିଁକି ନିସତ ହେଲେ ହେବ ଆଉ କିସ ॥
ମୁଁ ଅବା ଆତଙ୍କ ମନେ ମୂର୍ଚ୍ଛି ନ ପାରୁଛି ।ଦଇବ ସକଳ କଥା ଘଟଣା କରୁଛି ॥
ଅବିରୋଧେ ପୁତ୍ରେ ମୋର ଅଛନ୍ତି ଜୀବନ୍ତା ।ଯେତେଦିନେ ଆସନ୍ତୁ ସେ ନାହିଁ ମୋର ଚିନ୍ତା ॥
ଦିନକୁ ଦିନ ବାରତା ପାଇବି ପ୍ରତ୍ୟକ୍ଷେ ।ତହିଁରୁ ବିଳମ୍ୱ ହେଲେ ମୁଁ ଯିବଇଁ ପଛେ ॥
ନଗ୍ର ନାରୀନର ମନେ ଭାବି ଏହି କଥା ।ଏକୁ ଏକ ତିଆରନ୍ତି ଛାଡ଼ ମନୁ ବ୍ୟଥା ॥
ଯୋଶାଦା ଦେବୀର ପୁତ୍ରେ ସର୍ବ ଅନ୍ତର୍ଯ୍ୟାମୀ ।ସର୍ବ ଭୂତ ଘଟେ ପୂରି ରହିଛନ୍ତି ସ୍ୱାମୀ ॥
ଏତେ ବୋଲି ଗୋପାଲୋକେ ହୋଇଣ ହରଷ ।ମନକୁ ସମ୍ପ୍ରତେ କରି ଗଲେ ଯେଝାବାସ ॥
ନାମ ରୂପ ଚିନ୍ତାରପି ଚାହୁଁଥାନ୍ତି ବାଟ ।ରାତ୍ର ଦିବସେ ଲାଗିଲା ଗୋବିନ୍ଦେ ଉଚ୍ଚାଟ ॥
ରାମକୃଷ୍ଣଙ୍କର ଗୁଣ ଗାଇ ଯେ ଯାହାରେ ।ଭୋଜନ ଶୟନ ଆଦି ନ କଲେ ଦୁଃଖରେ ॥
ସ୍ତ୍ରୀ ପୁରୁଷ ଆଦି ଯେତେ ଗୋପପୁର ଜନ ।ରାମକୃଷ୍ଣ ଆସିବାକୁ ଡ଼େରିଛନ୍ତି କାନ ॥
କହନ୍ତି ପରୀକ୍ଷ ଆଗେ ଶୁକ ମହାମୁନି ।ଇତି ଶ୍ରୀ ପୁରାଣ ପୁଣ୍ୟ ଭାଗବତ ଧ୍ୱନି ॥
ପବିତ୍ର ଗଙ୍ଗା ଜଳ ଏ ଗ୍ରନ୍ଥ ପୁଣ୍ୟମୟେ ।ଇନ୍ଦ୍ର ସପ୍ତଚତ୍ୱାରିଂଶ ଅଧ୍ୟା ଶେଷ ହୋଏ ॥
ବନ୍ଦଇ ଶାରଦା ମାଗୋ ବିଷ୍ଣୁ ପାଟାରଣୀ ।ତୁ ପରମ ମାହେଶ୍ୱରୀ ଜ୍ଞାନ ଚିନ୍ତାମଣି ॥
ବ୍ରହ୍ମାର ନନ୍ଦିନୀ ଦେବୀ ଅଟୁ ବୁଦ୍ଧି ମାତ ।ଚାରିବେଦ ଷଡ଼ ଶାସ୍ତ୍ର ତୋ ବାକ୍ୟରୁ ଜାତ ॥
ଗୋକ୍ଷୀର ଶଙ୍କ ପରାୟେ ବିରାଜଇ ତନୁ ।ଯୋଗ ନିଦ୍ରାରେ ବିଷ୍ଣୁଙ୍କ ସୀମସ୍ଥାନେ ଜାନୁ ॥
ବଜାଇ ସୁସଞ୍ଚ ବୀଣା ଗାନ୍ଧାର ଉଚ୍ଚାରି ।ସୁଲଳିତ ଗୀତେ ତୋଷ କଲୁ ଦେବହରି ॥
ନାନା ରତ୍ନ ଆଭରଣେ ଭୂଷଣ ତୋ ଅଙ୍ଗ ।ବୁଦ୍ଧି ବିଦ୍ୟାଦାୟିନୀ ତୁ ଜାଣୁ ନାନାରଙ୍ଗ ॥
ଭର ହର ମୁଦ୍ରା ମୂଳେ ହେଉଛନ୍ତି ଗଞ୍ଜି ।ପାପ ପୁଣ୍ୟ ଲେପନ ଯେ କୃତାନ୍ତକ ପାଞ୍ଜି ॥
ଦିନେ ଗଲେ ପ୍ରାଣୀ ଆୟୁ ହେଉଅଛି ନାଶ ।କହୁ କହୁ ସମାପତ ଶତେକ ବରଷ ॥
ବାଳକ ତରୁଣ ବୃଦ୍ଧ ଏହି ତିନିରୂପ ।ମାୟାଜାଲ ଛନ୍ଦେ ପଡ଼ି ପ୍ରାଣୀ କରେ ପାପ ॥
ତାହା ଘେନି ଭୁଞ୍ଜଇ ସେ ଶୁଭାଶୁଭ କର୍ମ ।ପାପ ପୁଣ୍ୟ ଫଳେ ପାଏ ନାନା ଯୋନି ଜନ୍ମ ॥
ପୂର୍ବେ ଯାହା ଦେଇଥାଏ ଏବେ ତାହା ପାଏ ।ନିଜେ କଲା କର୍ମ ଫଳ ସଙ୍ଗେ ସଙ୍ଗେ ଯାଏ ॥
ପାଣିର ଭିତରେ ଯେହ୍ନେ ଜଳବିମ୍ୱ ଫୁଟି ।ତେସନ ସଞ୍ଜାତ ଏହି ଜୀବ ଆତ୍ମା ଗୋଟି ॥
ଦେହେ ପ୍ରାଣ ଥିବାଯାଏ ଶରୀର ବରଣି ।ଜୀବ ଛାଡ଼ିଗଲେ ତାକୁ ଅଶୁଚିରେ ଗଣି ॥
ବ୍ରହ୍ମା ଆଦି କରି କୀଟ ସରୀସୃପ ଯାଏ ।ରକ୍ତ ମାଂସ ମଳ ମୂତ୍ରେ ଗଢ଼ା ସବୁ କାୟେ ॥
ଯେ ଦେହକୁ ଘେନି ପ୍ରାଣୀ ଭୋଗ କରୁଥିବ ।ପ୍ରାଣ ଗଲେ ସେହି ପୁଣି ହୁଏ ମୃତ୍ୟୁଶବ ॥
କୁବେର ବରୁଣ ଯମ ନୈର୍ଋତ ସହିତେ ।ବୈଷ୍ଣବୀ ମାୟାରେ ମୋହି ହୁଅନ୍ତି ସମସ୍ତେ ॥
ଭାରା ନିବାରଣ ଅର୍ଥେ କୋଟି ଜନ୍ମଯାଏ ।ଏକା ନାରାୟଣ ଆପେ ହୁଅନ୍ତି ଉଦୟେ ॥
ଭାରାଭର ନିବାରଣେ ସ୍ଥାପି ପୁଣ୍ୟ ପାପ ।ଦେହ ଧରି ବିଷ୍ଣୁ ନାଥ ହ୍ୱନ୍ତି ନାନା ରୂପ ॥
ବ୍ରହ୍ମାର ଦିବସେ ବିଷ୍ଣୁ ଦ୍ୱାଦଶ ମୂରିତ ।ମର୍ତ୍ତ୍ୟପୁରେ ଜନ୍ମ ହୋଇ ମରଣ ଲଭନ୍ତି ॥
ଆପେ ପାପ ପୁଣ୍ୟ କରି ଆପେ କରେ ଭୋଗ ।ଆପେ ହୁଏ ଅଉଷଧି ଆପେ ହୁଏ ରୋଗ ॥
ଆପଣେ ସେ ମାୟାଧର ଆପେ ଜ୍ଞାନ ବୁଦ୍ଧି ।ଅସାଧ୍ୟକୁ ସାଧ୍ୟ କରି କରେ ସର୍ବସିଦ୍ଧି ॥
କରିବା ସଞ୍ଚିତ କର୍ମ ସେ କରଇ ଆନ ।ହରିନାମ ଦ୍ୱି ଅକ୍ଷର ଅମୃତ ସମାନ ॥
ହରିନାମ ସୁମରନ୍ତେ ଖଣ୍ଡେ ସର୍ବ ଭୟ ।ହରିନାମ ସୁମରନ୍ତେ ପ୍ରାଣୀ ଲଭେ ଜୟ ॥
ହରିନାମ ଔଷଧିରେ ଭବରୋଗ ଖଣ୍ଡି ।ହରି ବୋଲୁଥିଲେ ଯମ ନ ପାରଇ ଦଣ୍ଡି ॥
ହରିନାମ ସୁମରନ୍ତେ ମିଳେ ସର୍ବ ଯଶ ।ହରିନାମେ ଧ୍ୱଂସ ହୁଏ କଳିକଳମଷ ॥
ସ୍ୱୟଂ ଅବତାର ହରି ଚଣ୍ଡ ଦାବାନଳ ।ମୋହେ ପୁତ୍ର ଦାରା ବନ୍ଧୁ ଲୋଡ଼ିଲେ ସକଳ ॥
ଅନିତ୍ୟ ସଂସାର ମାୟା ମୋହର ଯାତନା ।ଜାଣୁ ଜାଣୁ ପ୍ରାଣୀମାନେ ହେଉଛନ୍ତି ବଣା ॥
ସଦମାର୍ଗ ଛାଡ଼ି ଲୋକେ କୁମାର୍ଗରେ ଯାନ୍ତି ।ଏ ଦେହ ଅର୍ଜିଲା କର୍ମ ଏ ଦେହେ ଭୁଞ୍ଜନ୍ତି ॥
ସ୍ୱପନ ସଦୃଶ ଏହି ଦେହ ସତ୍ୟ ନୋହେ ।ପଞ୍ଚଭୂତ ପ୍ରକୃତିକି ଘେନି ଜନ୍ମି ଥାଏ ॥
ରଜ ବୀର୍ଯ୍ୟ ସଙ୍ଗତରେ ସର୍ବ ଥାନ୍ତି ମିଶି ।ଏକତ୍ର ବୋଲିଣ ପୂର୍ବ ଜନ୍ମକୁ ଅଭ୍ୟାସି ॥
ଶୁଣ ହେ ସୁଜନ ଜନେ ହରି ଦିବ୍ୟ ବାଣୀ ।ଭାଗ୍ୟେ ମୁକ୍ତିଲାଭ କର ଭାଗବତ ଶୁଣି ॥
ହରିବଂଶ ପୁରାଣ ଏ ପୁଣ୍ୟମୟ ଗ୍ରନ୍ଥ ।ପଦ ପଦକରେ ଏଥୁଁ ଗଳଇ ଅମୃତ ॥
ଦ୍ୱାପରେ ରଙ୍ଗାବତାର ହେଲେ ଦେବରାୟେ ।ପୃଥ୍ୱୀଭାରା ନିବାରିବେ ଦୁଷ୍ଟ କରି କ୍ଷୟ ॥
ନରଦେହେ ଅବତାର ଦେବ ନାରାୟଣ ।ଶ୍ରୀ ମହାଭାରତ ଯୁଦ୍ଧ କରିବେ ଭିଆଣ ॥
ତା ସଂକ୍ଷେପି କହିବାକୁ ବିଚାରି ମାନସେ ।ଠିକ ଠିକ କହିଗଲି ପ୍ରାକୃତ ଅଭ୍ୟାସେ ॥
ଜନ୍ମରୁ ମୂରୁଖ ମୁହିଁ ନ ଜାଣଇ ଏହା ।ବ୍ରହ୍ମା ନନ୍ଦିନୀ ସାରଦା ଦେବୀ ମୋତେ ସାହା ॥
ଆପଣେ ସେ ସରସ୍ୱତୀ ମୂର୍ତ୍ତିମତୀ ହୋଇ ।ସଂକ୍ଷେପିଣ ପଦେ ପଦେ ଦେଉଛନ୍ତି କହି ॥
ନାରାୟଣ ସ୍ୱାମୀ ଯାହା ଆଜ୍ଞା କରି ମୋତେ ।କହନ୍ତି ତା ବିସ୍ତାରିଣ ଲେଖିବଇଁ କେତେ ॥
ଦଶ ବିଂଶ ପଞ୍ଚାଶତ ଶଏ ପଦ ଛାଡ଼ି ।ଠିକ ଠିକ ପଦମାନ ଲେଖୁଅଛି ବଢ଼ି ॥
ଅଗୋଚର ଅସଂଖ୍ୟ ଏ ହରିବଂଶ ଗ୍ରନ୍ଥ ।ଶୁଣନ୍ତେ ସଞ୍ଚିତ ପାପ କରଇ ସେ ଧ୍ୱଂସ ॥
ଅଷ୍ଟାଦଶ ପୁରାଣରେ କଥିତ ଏ ଗ୍ରନ୍ଥ ।ତଦନ୍ତ ଜାଣନ୍ତି ୟାର ସତ୍ୟବତୀ ସୁତ ॥
ଜାହ୍ନବୀ ନର୍ମଦା ଗୋଦାବରୀ ଭାନୁମତୀ ।ଯମୁନା ରେଣୁକା ପୁଣ୍ୟତୋୟା ସରସ୍ୱତୀ ॥
ବୈତରଣୀ ଚନ୍ଦ୍ରଭାଗା ଆଦି ତୀର୍ଥ କଲେ ।ସମ ନୁହେ ହରିବଂଶ ଶ୍ରବଣରେ ତୁଲେ ॥
ରାମାୟଣ ଭାରତ ଯେ ବେଦ ବେଦଶାଖା ।ହରିନାମ ଆଦି କରି ସବୁ ହୁଏ ଲେଖା ॥
ଏ କଳିକାଳ ପାତକ ଖଣ୍ଡିବା ନିମନ୍ତେ ।ଶ୍ରୀ ଭାଗବତ ପୁରାଣ ରଚିଲଇଁ ଗୀତେ ॥
ଏକମନ ହୋଇ ଏହା ଶୁଣ ପୁଣ୍ୟ ପ୍ରାଣୀ ।ମୁକ୍ତିମାର୍ଗ ଦେଖାଇଲି ନିକଟରେ ଆଣି ॥
ସୁପଣ୍ଡିତ ଜନଙ୍କର ଦାସର ମୁଁ ଦାସ ।ବାଳୁତ ବଚନ ମଣି ନ ଧର ମୋ ଦୋଷ ॥
ପାଠ ନ ପଢ଼ିଣ ବିଦ୍ୟା ନ ଜାଣିଲି ମୁହିଁ ।କେବଳ ଶ୍ରୀହରି ନାମ ହୃଦେ ଅଛି ବହି ॥
ନ ପଢ଼ିଲି କାବ୍ୟ ଶାସ୍ତ୍ର ନ ଜାଣେ ପୁରାଣ ।କେବଳ ମୋ ପୂର୍ବ ହେତୁ ହୋଇଣ ସ୍ମରଣ ॥
ଶ୍ରୀ ଗୋପୀନାଥ ଅନୁଜ୍ଞା ଦେଲେ ନିରାଧାର ।ଲେଖ ତୁ ଆମ୍ଭର କୀର୍ତ୍ତି ହରିବଂଶ ସାର ॥
ତେଣୁ ମୁଁ ଲେଖନୀ ଧରି ଲିହିଲି ଅବଧି ।ନୋହିଲେ ମାନବ ମୋର କାହିଁ ଏତେ ବୁଦ୍ଧି ॥
ଶ୍ରୀଜଗନ୍ନାଥ ପ୍ରଭୁଙ୍କ ଶ୍ରୀଚଣରେ ସେବି ।ମୁଁ ଦୀନ ଅଚ୍ୟୁତ ଦାସ ବୋଲାଇଲି କବି ॥
ଜୟ ଜୟ ଗଜାନନ ପାର୍ବତୀର ବଳା ।ଅପୂର୍ବ ଚାରୁବଦନ ପୂର୍ଣ୍ଣଚନ୍ଦ୍ର କଳା ॥
ମାନବ ଶରୀର ସ୍ୱାମୀ ତୋର ଗଜମୁଖ ।କିରୀଟ ମୁକୁଟ ଶିରେ ଶୋହେ ସପ୍ତଶିଖ ॥
ଶ୍ରୀଖଣ୍ଡ ଚନ୍ଦନ ଭାଲେ ମଣ୍ଡିତ ସିନ୍ଦୂର ।ମନଗାମୀ ରଥ ତୋର ବାହନ ଇନ୍ଦୁର ॥
ପାଶ ଅଙ୍କୁଶ ଅଭୟ ବର ଚାରିଭୁଜ ।ସର୍ବବିଘ୍ନ ଖଣ୍ଡୁ ତୋର ନାମ ବିଘ୍ନରାଜ ॥
ବୁଦ୍ଧିମନ୍ତ ଗୁଣବନ୍ତ ଜ୍ଞାନବନ୍ତ ତିନି ।ଅଯୋନି ସମ୍ଭୂତ ନାଥ ବିଷ୍ଣୁ ତେଜ ଘେନି ॥
ଚତୁର୍ଦ୍ଦଶ ଭୁବନରେ ଆଗ ପାଉ ପୂଜା ।ତୁ ନାଥ ଦେବଙ୍କ ପରେ ଅଟୁ ଦେବରାଜା ॥
ନାନା ମଣି ରତନରେ ଶୋହେ ଦିବ୍ୟ ତନୁ ।ଅକ୍ଷୟ ତୁ ଅଜ୍ରାମର ଯୁଗକଳ୍ପ ଭାନୁ ॥
ସର୍ବଦା ତାଣ୍ଡବ ନୃତ୍ୟେ ଭୋଳ ତୋର ମତି ।ନମସ୍ତେ ନମସ୍ତେ ବିଶ୍ୱନାଥ ଗଣପତି ॥
ଭକ୍ତଙ୍କ ସୋଦର ବନ୍ଧୁ ବୁଦ୍ଧି ବିଦ୍ୟାଦାତା ।ଭୂତ ଭାବୀ ବର୍ତ୍ତମାନ ତିନି କାଳଜ୍ଞାତା ॥
ଚାରିବେଦ ଷଡ଼ଶାସ୍ତ୍ର ଦଶାଷ୍ଟ ପୁରାଣ ।ଜ୍ୟୋତିଷ ନାଟକ ତୋର ମୁଖରୁ ନିର୍ମାଣ ॥
ବେଦବ୍ୟାସ କହନ୍ତି ତୁ ଲେଖୁ ପତ୍ର ଘେନି ।ତେଣୁ ଆତଯାତ ହୁଏ ସକଳ ମେଦିନୀ ॥
ତୁହି ଦେବ ଆଦି ଅଟୁ ତୁ ଦେବ ଅନାଦି ।ତୁ ଦେବ ଅନଳ ଜଳ ସ୍ଥଳ ବାୟୁଭେଦୀ ॥
ଅମୃତ ଲଡୁ ଭୋଜନେ ସନ୍ତୋଷ ତୋ ମତି ।ପରାପର ପୁରୁଷ ତୁ ନିରଞ୍ଜନ ଜ୍ୟୋତି ॥
ତୁ ନାଥ ପ୍ରସନ୍ନ ମୋତେ ହୁଅ ଆଦିଦେବା ।ତୋ ପଦ୍ମ ପୟରେ ମୋର ନିରନ୍ତର ସେବା ॥
ସଦାଶିବ ନନ୍ଦନ ତୋ ମହିମା ଅଶେଷ ।ଭୋଦେବ ତୋ ପାଦେ ଭୃତ୍ୟ ମୁଁ ଅଚ୍ୟୁତ ଦାସ ॥
ଗୋପିକାମାନଙ୍କର ଶାପ ବିମୋଚନଏଥୁ ଅନନ୍ତରେ ପୁଣି ପରୀକ୍ଷିତ ରାଜା ।ଶୁକବ୍ରହ୍ମା ଚରଣରେ କଲେ ଦିବ୍ୟପୂଜା ॥
ଧୂପ ଦୀପ ନଇବେଦ୍ୟ ଗନ୍ଧପୁଷ୍ପ ଦେଇ ।ପୁଣ ପୁଣ ନମସ୍କାର କରି ପଚାରଇ ॥
ଭୋ ମୁନି ପବିତ୍ର ହେଲି ଶୁଣି ହରିବଂଶ ।କଂସବଧ ଆଖ୍ୟାନରେ ହେଲା ଧ୍ୱଂସ ॥
ପାଇଲି ପରମଗତି ହେଲି ପୁଣ୍ୟମୟ ।ଖଣ୍ଡିଲି ସକଳ ବାଧା ନାହିଁ ଯମଭୟ ॥
ଏଥୁ ଅନନ୍ତରେ ପୁଣ ହେଲା କିସ ଆନ ।ସେ କଥା ବିସ୍ତାରି କହ ବ୍ୟାସଙ୍କ ନନ୍ଦନ ॥
ନୃପବାକ୍ୟେ କହନ୍ତି ଯେ ଶୁକ ମହାଯତି ।ସାବଧାନେ ହୋଇ ଶୁଣ ସୁଭଦ୍ରାର ନାତି ॥
ଦେବ ଶତ୍ରୁ କଂସ ତୁଲେ ଅଷ୍ଟମଲ୍ଲ ମାରି ।ରହିଲେ ମଥୁରାପୁରେ ବଳଦେବ ହରି ॥
ଗୋପପୁର ମୁହାଁସକୁ ଛାଡ଼ି ଶିରୀରଙ୍ଗ ।ଅଚିନ୍ତେ ରହିଲେ ପାଇ ଯାଦବଙ୍କ ସଙ୍ଗ ॥
କୋଟି ଇନ୍ଦ୍ର ଭୋଗ ଯହିଁ ପାଇଲେ ଶ୍ରୀବତ୍ସୀ ।ଯେ ଶ୍ରୀମନ୍ତ ତାକୁ ପୂଜା ସବୁଠାରେ ଅଛି ॥
ଗୋପିକା ଗୋପାଳ ବୃନ୍ଦ ଗାଈ ଗୋରୁବତ୍ସା ।ନନ୍ଦ ଯୋଶଦାକୁ ଆଦି କଲେକ ଉପେକ୍ଷା ॥
ଯମୁନା କଦମ୍ବତରୁ ନିକୁଞ୍ଜ ଦାନବ ।ସମସ୍ତ ଛାଡ଼ିଲେ ତହିଁ ନ ବଳାଇ ମନ ॥
ଚନ୍ଦ୍ରମୁଖୀ ରାଧାମୂଳେ ଅନେକ ଗୁଆଳୀ ।ସୁକୁମାର ସୁଲକ୍ଷଣୀ ସର୍ବେ ଶୁଦ୍ଧଶାଳୀ ॥
ଜଣ ପ୍ରତି ଭିନ୍ନ ଭିନ୍ନ ଭାବ କରୁଥିଲେ ।ତେଡ଼େ ବଡ଼ ମମତାକୁ କ୍ଷଣକେ ଛାଡ଼ିଲେ ॥
ନିରାକାର ପୁରୁଷ ସେ ଅନାଦି ଅଚ୍ୟୁତ ।ଯହିଁ ସେ ରହିଲେ ତହିଁ ହୋଇଲେକ ସୁସ୍ଥ ॥
ଯା ଆଜ୍ଞାରେ କୋଟି କୋଟି ସୃଷ୍ଟି ଆତ ଯାତ ।ଜଳ ସ୍ଥଳ ଅନଳ ଯେ ସର୍ଜିଲା ସମସ୍ତ ॥
ଯାର ପ୍ରିୟା ସରସ୍ୱତୀ ପୁଣି ମହାଲକ୍ଷ୍ମୀ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେ ସବୁ ଭିଆଇଛି ॥
କୁବେର ବରୁଣ ଯମ ବାୟୁ ବୈଶ୍ୱାନର ।ଦଶ ଦିଗପାଳ ଆଦି ବ୍ରହ୍ମା ଗଙ୍ଗାଧର ॥
ଯାହାର ଶରୀରୁ ଜାତ ହୁଅନ୍ତି ଏମାନେ ।ତାକୁ କି ଅପୂର୍ବ ଅଛି ଥିଲେ ଯେଉଁ ସ୍ଥାନେ ॥
ଯେତେବେଳେ ଗୋପ ଛାଡ଼ି ଅଇଲେ ଶ୍ରୀଧର ।ଦିଶିଲା ସେ ଗୋପନଗ୍ର ଅତି ନାରଖାର ॥
ଜୀବ ଗଲାପରେ ଦେହ ଯେଉଁ ଭାବେ ଦିଶି ।ତଣ୍ଡୁଳ ବିହୀନେ ଯେହ୍ନେ ଦିଶେ ତୃଣରାଶି ॥
ଫଳପୁଷ୍ପ ବିନା ବୃକ୍ଷେ ଶୋଭା ନ ପାଆନ୍ତି ।ଅକ୍ଷର ବିହୀନେ ଯେହ୍ନେ ପୁସ୍ତକେ ଦିଶନ୍ତି ॥
ପତି ବିନା ନାରୀ ଯେହ୍ନେ ଦିଶଇ ବିନଷ୍ଟ ।ଗନ୍ଧ ବିହୀନେ ଅଶୋଭା ଚନ୍ଦନର କାଠ ॥
ଜଳ ବିହୀନେ ଅଶୋଭା ଦିଶେ ସରୋବର ।ନୃପତି ବିହୀନେ ଶୋଭା ନାହିଁ ପ୍ରଜାଙ୍କର ॥
ଚନ୍ଦ୍ରମା ବିହୀନେ ଯଥା ନ ଶୋହେ ନକ୍ଷତ୍ର ।ଗୃହ ଶୋଭା ନାହିଁ ଯେହ୍ନେ ନ ଥିଲେଟି ପୁତ୍ର ॥
ତେହ୍ନେ ଲକ୍ଷ୍ମୀ ଛାଡ଼ିଗଲା ଜୁଆର ପରାଏ ।ଗୋପପୁର ଯାକ ସବୁ ଦିଶେ ମ୍ଳେଛମୟେ ॥
ଦାଣ୍ଡ ହାଟପାଟଣାକେ ବଣିଜାରୁ ଶେଠ ।ବିରୂପ ଦିଶିଲେ ସର୍ବେ ଘୋଟିଲା ଅରିଷ୍ଟ ॥
ଦିନୁ ଦିନ ଲକ୍ଷ୍ମୀ ତୁଟିଗଲେ ଠାବେ ଠାବେ ।ବତ୍ସାନ୍ତ ଆବୋରି ଦୁଗ୍ଧ ନ ଦିଅନ୍ତି ଗାବେ ॥
ତୃଣ ନ ପାଇଣ ଗୋରୁ ହୋଇଲେ ଦୁର୍ବଳ ।ଧରଣୀରୁ ତୁଟିଗଲା ଶସ୍ୟ ଫଳମୂଳ ॥
ବହୁଥିଲା ଅବସନ୍ତେ ବସନ୍ତ ପବନ ।ଶୁକ ପିକ ଝିଙ୍କାରିଏ କରୁଥିଲେ ସ୍ୱନ ॥
ନନ୍ଦନ ବନରୁ ତରୁଲତା ଆସିଥିଲେ ।ରାମ କୃଷ୍ଣ ଯିବାରୁ ସେ ଯେଝାସ୍ଥାନେ ଗଲେ ॥
ଗୋପାଳ ହୋଇଣ ଗୋପେଥିଲେ ଦେବତାଏ ।ଶାପୁଁ ମୁକ୍ତ ହୋଇ ସ୍ୱର୍ଗେ ଚଳିଲେ ସଭିଏ ॥
ଗନ୍ଧର୍ବ ଯେ ବିଦ୍ୟାଧର ଅପସରାବୃନ୍ଦ ।ଗୋପେ ଗୀତ ନୃତ୍ୟ କରି ତୋଷିଲେ ଗୋବିନ୍ଦ ॥
ଯେ ଯାହା ସ୍ଥାନକୁ ସର୍ବେ ଗଲେ ବେଗହୋଇ ।କୃଷ୍ଣଙ୍କୁ ନ ଦେଖି ଆଉ ରହିବେ କିପାଇଁ ॥
ଗୋମାତା ଗୁପତ ହୋଇଥିଲେ ଗୋରୁମେଳେ ।ବତ୍ସାନ୍ତ ଘେନିଣ ଗଲେ ଗୋଲୋକ ମଣ୍ଡଳେ ॥
ପୁଷ୍କର କୋଟିଏ ତୀର୍ଥ ଘେନି ନିଜସାଥେ ।ଗୋପେ ଥିଲେ ରାମକୃଷ୍ଣ ସ୍ନାହାନ ନିମନ୍ତେ ॥
ଗୋପ ଛାଡ଼ି ମଥୁରାକୁ ଯାନ୍ତେ ବେନିଭାଇ ।ଯମୁନା ନଦୀରୁ ଗଲେ ସେ ବାହାର ହୋଇ ॥
ସଙ୍ଗେ ସପ୍ତନିଧି ଘେନି ଧନପତି ଥିଲେ ।କୃଷ୍ଣ ଯିବା ଦେଖି ନିଜ ଭୁବନେ ସେ ଗଲେ ॥
ବ୍ରହ୍ମା ଇନ୍ଦ୍ର ଦେବଋଷି ବ୍ରହ୍ମଋଷି ମୂଳେ ।ନିତି ସ୍ନାନ କରୁଥିଲେ ଯମୁନାର ଜଳେ ॥
ପବିତ୍ର ନିକୁଞ୍ଜ ବନେ କୃଷ୍ଣଙ୍କୁ ନ ଦେଖି ।ଯେଝା ସ୍ଥାନେ ଚଳିଗଲେ ଗୋପକୁ ଉପେକ୍ଷି ॥
ଜଗନ୍ନାଥ ଯାନ୍ତେ ସର୍ବେ ଗଲେ ନିଜ ସ୍ଥାନ ।ନନ୍ଦ ଗୃହ ଦେଖାଗଲା ଯେସନେ ଶ୍ମଶାନ ॥
ସକଳ ନାରୀଏ ଗୋପେ ଷୋଡ଼ଶ ବୟସୀ ।ଜଗତେ ଅତୁଳ ଶୋଭା ତାଙ୍କ ରୂପରାଶି ॥
ଗୋବିନ୍ଦ ଶ୍ରୀଅଙ୍ଗ ସଙ୍ଗ ନ ପାନ୍ତେ ଅଦ୍ୟାପି ।ଯେ ଯାହାର ନିଜରୂପ ଧଇଲେ ସେ ଗୋପୀ ॥
ସ୍ୱର୍ଗସମ ହୋଇଥିଲା ଗୋପପୁର ଦେଶ ।କୃଷ୍ଣ ଯାନ୍ତେ ଦିଶିଲା ସେ ଅରଣ୍ୟ ସଦୃଶ ॥
ତୁଟିଲା ଯେ ଧନ ଧର୍ମ ଲକ୍ଷ୍ମୀ ଦୟା ଶ୍ରଦ୍ଧା ।ବଳବୀର୍ଯ୍ୟ ହାନି ହେଲା ଦରିଦ୍ରର ବାଧା ॥
ନନ୍ଦ ଯଶୋଦାଙ୍କ ମନ କ୍ଷଣେ ସୁସ୍ଥ ନାହିଁ ।ରାମ କୃଷ୍ଣ ଆସିବାକୁ ଛନ୍ତି ବାଟ ନାହିଁ ॥
ନନ୍ଦ ବୋଲେ ମୋତେ ପେଷିଦେଲେ ଆଗକରି ।ରାଜାଠାରୁ ଆଜ୍ଞା ପାଇ ଆସିବେ ଶ୍ରୀହରି ॥
ଆମ୍ଭଙ୍କ ମନରୁ ମୂର୍ଚ୍ଛିଥିବେ କେତେ ଦିନ ।ଦିନେ ଓଳିକେ ଆସିବେ ରାମ ଭଗବାନ ॥
ବାଳୁତ ପୁତ୍ରର ମନ ମାତା ପିତା ତହିଁ ।ବନ୍ଧୁ ବାସ ହୁଡ଼ି କେହ୍ନେ ଅଛନ୍ତିଟି ରହି ॥
କ୍ଷୁଧା କଲେ ମନ ଜାଣି ଅନ୍ନ ଦେବ କିଏ ।ଦୁଃଖୀର ସଙ୍ଖାଳି ତୁମ୍ଭେ ମୋର ବେନିପୋଏ ॥
ତୁମ୍ଭଙ୍କୁ ନ ଦେଖି ଦଣ୍ଡେ ନ ପାରେ ମୁଁ ରହି ।ଏଡ଼େ ବିଡ଼ମ୍ୱନ ମୋତେ କରିଅଛ ବହି ॥
କପାଳରେ କର ମାରି କାନ୍ଦନ୍ତି ସେ ମାୟେ ।କେଶ ବାସ ଅସମ୍ଭାଳ ତଳେ ଲୋଟେ କାୟେ ॥
ଚାହାନ୍ତି ନବରୁ ଯାଇଁ ଉଚ୍ଚସ୍ଥାନେ ଉଠି ।ଗଲା ପଥ ଅନୁସରି ଦୂରେ ଦ୍ୟନ୍ତି ଦୃଷ୍ଟି ॥
ପଥିକମାନଙ୍କୁ ଦେଖି ପଚାରନ୍ତି ବାର୍ତ୍ତା ।ତୁମ୍ଭେ କି ଜାଣିଛ ବାବୁ ରାମ କୃଷ୍ଣ କଥା ॥
ମଥୁରାରେ ଅଛନ୍ତି କି ଆସୁଛନ୍ତି ବାଟେ ।ଦୂରେ ଅଛନ୍ତି କି ଆସି ହେଲେଣି ନିକଟେ ॥
ପଥିକେ ବୋଇଲେ ଆମ୍ଭେ ତଦନ୍ତ ନ ଜାଣୁ ।ଏକ୍ଷଣି ଆସିଲା ପ୍ରାୟେ ମାତ୍ର ମନେ ମଣୁ ॥
ଶୁଣିଣ ଯଶୋଦା ଦେବୀ ଛାଡ଼ି ମନୁ ଭ୍ରାନ୍ତି ।ବୋଇଲେ ନିଶ୍ଚୟ ପୋଏ ଆସିବେ ଏ ଘାନ୍ତି ॥
ଗୋଟିକା ଲବଣୀ ଛେନା ଅଧାମ ଯେ ସର ।ଦହି ଦୁଧ ଖଣ୍ଡ ଖଜା ଅନେକ ପ୍ରକାର ॥
କ୍ଷୀରିଷା ନବାତ ଲଡ଼ୁ ରସକୋରା ଫେଣୀ ।ଆଖୁ ପଣା ପଇଡ଼ ଯେ ସୁବାସିତ ପାଣି ॥
ଆମ୍ୱ ପଣସ ଖଜୁରୀ ତାଳ ଛେନାପଣା ।ନାନାଦି ବ୍ୟଞ୍ଜନ କଲେ ବିବିଧ ରାନ୍ଧଣା ॥
ଅନେକ ପ୍ରକାରେ ପିଠା କରି ନାନାଜାତି ।ଅମୃତ ମଣୋହୀ ଯାହା କରନ୍ତି ସେ ନିତି ॥
ଶ୍ରୀଖଣ୍ଡ ଚନ୍ଦନ ଆପେ ଘୋରି ନନ୍ଦରାଣୀ ।କର୍ପୂର ତାମ୍ୱୁଳ ଯତ୍ନେ ସଜାଡ଼ିଲେ ଆଣି ॥
ସୁବର୍ଣ୍ଣ ଥାଳିରେ ତାହା ସବୁ ସଜ କରି ।ବସିଛନ୍ତି ରାମକୃଷ୍ଣ ପଥ ଅନୁସରି ॥
ନନ୍ଦ ଆଗେ ଗୋପୀମାନେ ପଚାରନ୍ତି ଯାଇ ।ତୁମ୍ଭେ ତ ଅଇଲ କୃଷ୍ଣ ନ ଅଇଲେ କିପାଇଁ ॥
କେମନ୍ତେ ପୁତ୍ରକୁ ଛାଡ଼ି ଅଇଲ କହ ତ ।ଏ କଥା କରିବା ପାଇଁ ବଳିଲା କି ଚିତ୍ତ ॥
ଅନେକ ଭାଗ୍ୟରେ ପାଇଥିଲ ପୁତ୍ରବେନି ।ପାଇଲ ଅଚଳଲକ୍ଷ୍ମୀ ଗୋପେ ତାଙ୍କୁ ଘେନି ॥
ଆଜି ତ ଆପଣେ କିପାଁ ଆପେ ଗଲ ଉଠି ।ଗୁଣବନ୍ତ ପୁତ୍ର ଛାଡ଼ି ଅଇଲ ଲେଉଟି ॥
ଅମର କଣ୍ଟକ ଦୈତ୍ୟ କଂସ ନାଶ ଗଲା ।ଏଥିର ସୁଲଭ ଆଉ ଅଛଇ କି ଭଲା ॥
କଂସ ମଲା ଦିନୁ ସୁସ୍ଥ ହେଲା ତିନିପୁରୀ ।ଏଥିରେ କେବଳ ନାଶ ଗଲା ଗୋପଶିରୀ ॥
ଶ୍ରୀକୃଷ୍ଣ ବିହୀନେ ଆମ୍ଭେ ବଞ୍ଚିବୁ କେସନେ ।ଦଇବ ଦୋରେହା ହେଲୁ ଗୋପୁପୁର ଜନେ ॥
ଶରୀର ଭିତରୁ ନେଲା ଜୀବଆତ୍ମା କାଢ଼ି ।ଆଉ କି ପାଇବୁ ସୁତେ ଶ୍ରୀକୃଷ୍ଣଙ୍କୁ ଲୋଡ଼ି ॥
ନିର୍ବାଣ ମୁକତି ଫଳ କରପୁଟେ ଥିଲା ।ସ୍ୱପ୍ନ ନିଧି ପ୍ରାୟେ ତାହା ଚାହୁଁ ଚାହୁଁ ଗଲା ॥
କୁଟୁମ୍ୱ ସୋଦର ଘର ଜାତି କୁଳ ଲଜ୍ଜା ।ପିତା ମାତା ବନ୍ଧୁ ଜନ ସବୁ କଲୁ ତ୍ୟଜ୍ୟା ॥
ଗୁରୁଜନେ ଦେଖୁଥାନ୍ତେ ହେଲୁ ଦୋଚାରୁଣୀ ।ତଥାପି ଆମ୍ଭଙ୍କୁ ଛାଡ଼ିଗଲେ ବେଣୁପାଣି ॥
ଅନେକ ମତେ ମୁହାଁସ ଲଗାଇଣ ହରି ।ଛାଡ଼ିଗଲେ ଯେବେ କିପାଁ ନଗଲେ ସେ ମାରି ॥
ଆଶା ନ ପୂରିଲା ଭଣ୍ଡିଗଲେ ଦେବରାୟେ ।କେମନ୍ତେ ପାସୋର ଯିବ ଜୀବ ଥିବାଯାଏ ॥
ଗାନ୍ଧାର ରାଗରେ ବସି ବାଉଥାନ୍ତି ବେଣୁ ।ଆମ୍ଭ ପଞ୍ଚଭୂତ ଆତ୍ମା ହରିନେଲେ ତେଣୁ ॥
ଅପାଙ୍ଗ ଭଙ୍ଗୀରେ ଚାହିଁଦ୍ୟନ୍ତି ବକ୍ର କରି ।ତା ମନେ ପଡ଼ିଲେ ହୃଦ ହେଉଛି ବିଦାରି ॥
କହନ୍ତି ଅମୃତ ତୁଲ୍ୟ ମିଷ୍ଟ ମୃଦୁ ବାଣୀ ।କିପରି ମୂର୍ଚ୍ଛିବ ତାହା ଶୁଣିଥିବା ପ୍ରାଣୀ ॥
ଶିରେ ଦିବ୍ୟ ଶୋଭା ପାଏ ଶିଖି ପୁଚ୍ଛଚୂଳ ।ବ୍ୟାଘ୍ରନଖ ଗୁନ୍ଥା ହାର ଲମ୍ୱେ ବକ୍ଷସ୍ଥଳ ॥
ନୀଳେନ୍ଦୀ ଦଳ ପ୍ରାଏକ ଶୋହେ ଦିବ୍ୟତନୁ ।ସୁରେଖ ଲଲାଟ ଭୂରୁଲତା କାମଧନୁ ॥
ବିସ୍ତାର ବିପୁଳ ବକ୍ଷ କ୍ଷୀଣ ମଝାକଟୀ ।ପୂର୍ଣ୍ଣିମା ଚନ୍ଦ୍ରକୁ ନିନ୍ଦେ ମୁଖ ପରିପାଟୀ ॥
ନାସାରେ ସୁବର୍ଣ୍ଣ ଗୁଣା ମୁକ୍ତା ଫଳ ଲମ୍ୱେ ।ବଧୁଲୀ ପୁଷ୍ପରେ ଯେହ୍ନେ ମଧୁକର ଚୁମ୍ୱେ ॥
ମତ୍ତ ମତଙ୍ଗଜ ପରି ଗମନ ସୁସଞ୍ଚ ।ନାହିଁ ପଟାନ୍ତର ସ୍ୱର୍ଗ ରସାତଳ ମଞ୍ଚ ॥
ହସ୍ତୀ ଥୋର ହସ୍ତ ପ୍ରାୟେ ଲମ୍ୱେ ଭୁଜଦଣ୍ଡ ।ମନ୍ଦହାସେ ମୋହିପାରେ ପୃଥ୍ୱୀ ନବଖଣ୍ଡ ॥
ସୁନ୍ଦର ମୁକୁତା ସମ ଶୋହେ ଦନ୍ତପନ୍ତି ।ଅଙ୍ଗୁଳିଏ ଚମ୍ପାକଢ଼ି ପରାୟେ ଦିଶନ୍ତି ॥
ନାନା ମଣି ରତନରେ ଶୋଭାପାଏ ତନୁ ।ନୀଳ ଜଳଧରେ କିବା ଉଦେ ଇନ୍ଦ୍ରଧନୁ ॥
ଅଶେଷ କୋଟି ବ୍ରହ୍ମାଣ୍ଡେ ଯେତେ ଗୁଣ ଥିଲା ।ବିଧାତା ସକଳ ଆଣି ଏକ ଠାବ କଲା ॥
ସର୍ବଗୁଣେ ସୁଲକ୍ଷଣ ଯଶୋଦାଙ୍କ ବତ୍ସ ।ଯା ପାଦରୁ କୋଟିକାମ ନୁହେଁ ସମକଚ୍ଛ ॥
ଯେଉଁଦିନ କୃଷ୍ଣ ଜନ୍ମହେଲେ ନନ୍ଦଘରେ ।ସେଦିନୁ ଅଚଳ ଲକ୍ଷ୍ମୀ ବଢ଼ିଲା ଗୋପରେ ॥
ଏବେ ଗୋପପୁର ଛାଡ଼ି ଗଲେ ଗୁଣନିଧି ।ତାଙ୍କ ପଛେ ପଳାଇଲା ସକଳ ସମୃଦ୍ଧି ॥
କେତେ ବାହୁନିବା ତାଙ୍କ ଗୁଣ ଏକେ ଏକେ ।ନୁହନ୍ତି ମାନବ ସେହୁ ଦେବ ସପ୍ତଲୋକେ ॥
ପ୍ରୟାଗରେ ଝାସ ଦେଇ ଅର୍ଜିଥିଲେ ତପ ।ସେ ପୁଣ୍ୟଫଳେ ଦେଖିଲେ ପ୍ରଭୁଙ୍କ ସ୍ୱରୂପ ॥
ଗତ ଜନ୍ମ ତପ ଯହୁଁ ସରିଲା ଆମ୍ଭର ।ତେଣୁ କରି ଉପେକ୍ଷିଲେ ପ୍ରଭୁ ଚକ୍ରଧର ॥
ଆବର ଲୋଡ଼ିଲେ ଆମ୍ଭ ପାଇବା ସେ କାହିଁ ।ନିର୍ଲ୍ଲଜ ଜୀବନ କିପାଁ ଦେହେ ଅଛି ରହି ॥
ସଙ୍ଗରେ ଗୋଡ଼ାଇଥିଲେ ହୋଇଥାନ୍ତା ଭଲା ।ବିନାଶ କାଳକୁ ବୁଦ୍ଧି ବିପରୀତ ହେଲା ॥
କ୍ଷୁଧା ତୃଷା ନିଦ୍ରା ନାହିଁ ଆମ୍ଭର କାହାରି ।ଶ୍ରୀକୃଷ୍ଣ ଉଚ୍ଚାଟେ ସର୍ବେ ହେଉଥାଇଁ ଘାରି ॥
ହରାଇଲୁ ଜାତି କୁଳ ମର୍ଯ୍ୟାଦା ବିବେକ ।ଶତେ ଯୁଗ ହୋଇଲା କି ଏକ ନିମିଷକ ॥
ଆପଣା ଶରୀର ହେଲା ଆପଣାକୁ ଭାରି ।ସପ୍ତାଙ୍ଗରେ ଭେଦୁଅଛି ମଦନ ଲହରୀ ॥
କାହାକୁ ଦେବା ଏ ସ୍ତନ ଯଉବନ ଯାଚି ।ପୂର୍ବ କଥା ସୁମରିଲେ ମନ ନୋହେ ମୂର୍ଚ୍ଛି ॥
ନଖଦନ୍ତଘାତେ କୃଷ୍ଣ ବିଦାରିଲେ ଦେହ ।ଦୋଚାରୀ କରାଇ ପଛେ ଛାଡ଼ିଲେ ସେନେହ ॥
ଅଧରେ ଅଧର ଚାପି ଭୁଜେ ଭୁଜ ଭିଡ଼ି ।ତାହା ସୁମରନ୍ତେ ପ୍ରାଣ ଯାଉଅଛି ଛାଡ଼ି ॥
ନିକୁଞ୍ଜ ବନରେ କଲେ ଯେତେ ରଙ୍ଗେ କ୍ରୀଡ଼ା ।ସେ ଏବେ ଦେଉଛି ଆମ୍ଭ ଶରୀରକୁ ପୀଡ଼ା ॥
ଯନ୍ତ୍ର ଅଳାବେଣୀ ବୀଣା ନୃତ୍ୟ ଗୀତରଙ୍ଗେ ।ନାନା କଉତୁକେ ଦିନ ବଞ୍ଚିଲେ ତା ସଙ୍ଗେ ॥
ଚନ୍ଦନ କର୍ପୂର ନାନା ଫୁଲ ମୃଗନାଭ ।ଦେବାଙ୍ଗ ବସନ ଦେଇ କଲେ ପ୍ରିୟଭାବ ॥
ନାନବିଧ ପକ୍ୱଫଳ ନାନାସ୍ୱାଦୁ ଦ୍ରବ୍ୟ ।ଯେତେବେଳେ ଯାହା ଲୋଡ଼ୁ ତାହାପାଉ ସର୍ବ ॥
ହୀରା ନୀଳା ଆଦି ରତ୍ନ ଦେବଭୋଗ୍ୟ ଯାଏ ।ଯେ ଯାହା ମନକୁ ବାଛି ମଣ୍ଡି ହେଉଁ କାୟେ ॥
ନିର୍ବାଣ ମୁକତି ଲାଭ କଲୁ ଦେହ ବହି ।ଲଭିଲୁ ପରମଗତି କୃଷ୍ଣ ସଙ୍ଗ ପାଇ ॥
କେବଣ ଅପ୍ରାଧ ଆମ୍ଭେ କଲୁ ଗୋପନାରୀ ।ଏକାବେଳେ ଆମ୍ଭ ଭେଳା ବୁଡ଼ାଇଲେ ହରି ॥
କହନ୍ତି ପରୀକ୍ଷ ଆଗେ ଶୁକ ମହାମୁନି ।ପୁରାଣ ଶ୍ରୀ ଭାଗବତ ପୁଣ୍ୟମୟ ଧ୍ୱନି ॥
ଏସନ ବିକଳ ଗୋପୀମାନଙ୍କର ଦେଖି ।ଲଜ୍ଜା ଛାଡ଼ି ଆଗ ବଢ଼ି କହେ ଏକ ସଖୀ ॥
ଅକାରଣେ ଆର୍ତ୍ତ କିପାଁ ହେଉଛ ଗୁଆଳୀ ।ଗୋପକୁ ଆସିବେ ଜାଣ ନିଶ୍ଚେ ବନମାଳୀ ॥
ଧନୁଯାତ୍ରା ଦେଖିବାକୁ ଅକ୍ରୂର ଯେ ନେଲା ।ଉଗ୍ରସେନ ରାଜା ହେଲେ ଦୁଷ୍ଟ କଂସ ମଲା ॥
ଯାଦବେ ରଖାଇଛନ୍ତି ଗଉରବ କରି ।ଆଗରେ ଆସିଲେ ନନ୍ଦ ଗୋପାଳଙ୍କୁ ଧରି ॥
ପ୍ରଜା ହୋଇ ରାଜା ଆଜ୍ଞା ଲଘିଂ କେ ପାରଇ ।ନନ୍ଦ ଆସିଛନ୍ତି କଣ୍ଟ ପ୍ରମାଣ କରାଇ ॥
ଗୋପୀଙ୍କର ପଞ୍ଚପ୍ରାଣ ଅଟନ୍ତି ମାଧବ ।ଆମ୍ଭ ପ୍ରୀତି ତାଙ୍କ ମନୁ ପାସୋର ନ ଯିବ ॥
ଏ କଦମ୍ୱ ତରୁ କୁଞ୍ଜବନ ପରିମଳ ।ନାନା ପୁଷ୍ପ ଫଳ ବୃକ୍ଷ ଯମୁନାର ଜଳ ॥
ଯଶୋଦା ପ୍ରାୟେ ଜନନୀ ନନ୍ଦ ପ୍ରାୟ ପିତା ।ଛାଡ଼ିଦେଇ ରହିବେ କି ନ କରିଣ ଚିନ୍ତା ॥
ଜଣେ ଜଣେ ହୋଇ ଆମ୍ଭେ ସର୍ବେ ତାଙ୍କ ଦେହ ।ଆମ୍ଭହୁଁ ଅଧିକ ତାଙ୍କୁ କେ କରିବ ସ୍ନେହ ॥
ଏତେ ଛାଡ଼ି ମଥୁରାରେ ରହିଲେ କି ଦେଖି ।ଅକାରଣେ ଆର୍ତ୍ତ କିପାଁ ହୁଅ ସର୍ବସଖୀ ॥
ଯଦ୍ୟପି ବିଳମ୍ୱ ତହିଁ କରିବେ ଅଚ୍ୟୁତ ।ଲେଖା ଦେଇ ତାଙ୍କ ପାଶେ ପଠାଇବା ଦୂତ ॥
ନୋହିଲେ ସମସ୍ତେ ଯିବା ସେ ଅଛନ୍ତି ଯହିଁ ।ଗୋପକୁ ଆଣିବା ତାଙ୍କ ମାନସ ରଞ୍ଜାଇ ॥
ଯଦି ଆମ୍ଭ ଶ୍ରଦ୍ଧା ରଖି ନ ଆସିବେ ସତେ ।ତାଙ୍କ ସଙ୍ଗେ ଆମ୍ଭେ ଥିବା ଆସିବା ପର୍ଯ୍ୟନ୍ତେ ॥
ଏସନ ଆକୁଳ ହୋଇ ଭାଳନ୍ତି ବିଚାରି ।ଗୋପନଗ୍ରେ ସୁଖ ନାହିଁ ମନରେ କାହାରି ॥
ଚିନ୍ତା ଜଳଧିରେ କୃଷ୍ଣ ବୁଡ଼ାଇଣ ଗଲେ ।ଏକ୍ଷଣି ଆସିବି ବୋଲି କହି ନ ଅଇଲେ ॥
ବିଶ୍ୱାସ ଘାତକ ନିଶ୍ଚେଁ ସେହି ନନ୍ଦବତ୍ସି ।ଅମୃତ ଭିତରେ ବିଷ ପୂରାଇ ମାରୁଛି ॥
ମହତଙ୍କ କଥା କେଭେ ନୁହଇ ତ ଆନ ।ଡକାଇତ ପଣ କିପାଁ କଲେ ଭଗବାନ ॥
ଜଙ୍ଘେ ସୀମସ୍ଥାନ ଦେଇ କାଟିଦେଲେ ତୋଟି ।ସ୍ଫଟିକ ରଖାଇ ହରି ନେଲେ ରତ୍ନ କଣ୍ଠି ॥
କର୍ପୂର କସ୍ତୁରୀ ନେଇ କନା ଗଲେ ଛାଡ଼ି ।ପିଣ୍ଡ ଅଛି ହୃଦୟରୁ ପ୍ରାଣ ନେଲେ କାଢ଼ି ॥
ସୁଧା ନେଇ ଛାଡ଼ିଗଲେ ତୁଚ୍ଛା ଭାଣ୍ଡ ଗୋଟା ।ମଧୁ ଚିପୁଡ଼ି ନେଇଣ ଥୋଇଗଲେ ସିଠା ॥
ଦେବତା ନ ଥିଲେ କାହିଁ ଦେଉଳକୁ ପୂଜା ।ରାଜା ବିହୀନରେ ବର୍ତ୍ତିପାରନ୍ତି କି ପ୍ରଜା ॥
ଆଦିତ୍ୟ ନ ଥିଲେ ଶୋଭା ନ ପାଏ ଦିବସ ।ଚନ୍ଦ୍ରହୀନ ରଜନୀରେ ପ୍ରୟୋଜନ କିସ ॥
ଜୀବନ ବିହୀନେ ଯେହ୍ନେ ଅକାରଣ ତନୁ ।କ୍ଷୀର ବିହୀନେ ନିଷ୍ଫଳ ଯେହ୍ନେ କାମଧେନୁ ॥
ତଣ୍ଡୁଳ ବିହୀନେ ଧାନ ତଷୁ ହୁଏ ଯେହ୍ନେ ।କୃଷ୍ଣ ବିନା ଗୋପପୁର ହୋଇଲାକ ତେହ୍ନେ ॥
କୃଷ୍ଣ ଥିଲାବେଳେ ଏହି ଗୋପ ଚଉକତି ।ନୟନକୁ ଦିଶୁଥିଲା ଯେହ୍ନେ ବାରସ୍ୱତୀ ॥
ଅକ୍ରୂର ଯେ ଦିନ ଏଥୁ ରାମକୃଷ୍ଣ ନେଲା ।ସେହି ଦିନୁ ଗୋପପୁରୁ ଲକ୍ଷ୍ମୀ ଛାଡ଼ିଗଲା ॥
ଆଉ ଏକ ସଖୀ ବୋଲେ ଶୁଣ ସଙ୍ଗାତୁଣି ।ନିଶ୍ଚୟେ ଆମ୍ଭର କୃଷ୍ଣ ବୋଲିଥିଲୁ ଜାଣି ॥
ଏଡ଼େ ବଡ଼ ସ୍ନେହ ଛାଡ଼ି ପାରିବ କେମନ୍ତେ ।କମଠ କଠୋର ହୃଦ ଅଟଇ କି ସତେ ॥
ଆମ୍ଭଠାରୁ ସ୍ନେହ ଯେବେ ଛାଡ଼ିବ ଅଦ୍ୟାପି ।ନିଶ୍ଚୟ ସେ ଗୋପୀନାଥ ହେବ ମହାପାପୀ ॥
ଆବର ଗୋପୀଏ ବୋଲେ ତାକୁ ନାହିଁ ଭୟ ।ସନାତନ ପୁରୁଷ ସେ ସଦା ପୁଣ୍ୟମୟ ॥
ଅଶେଷ କୋଟି ବ୍ରହ୍ମାଣ୍ଡ ଭିଆଇଛି ଏକା ।ବେଦର ସେ ଆତ୍ମା ଅଟେ ବେଦ ତାର ସଖା ॥
ଦେବଙ୍କ ଉପରେ ଦେବ ଅଟଇ ସେ ହରି ।କଲା କର୍ମମାନଙ୍କୁ ସେ ପାରେ ଆନ କରି ॥
ପଞ୍ଚଭୂତ ପଞ୍ଚବିଂଶ ପ୍ରକୃତିର ମୂଳ ।ନିରାକାର ପୁରୁଷ ସେ ଅଟେ ଶୂନ୍ୟ ଠୁଳ ॥
ଭୂଲୋକ ଯେ ଭୁବଲୋକ ସ୍ୱର୍ଲୋକ ଏ ତିନି ।ମହଲ୍ଲୋକ ସତ୍ୟଲୋକ ଜନଲୋକ ଘେନି ॥
ଇନ୍ଦ୍ର ବ୍ରହ୍ମା ରୁଦ୍ର ଲୋକ ସହିତରେ ଯେତେ ।ଚରାଚର ସୃଷ୍ଟି ଅଛି ତାର ଗର୍ଭ ଗତେ ॥
ଭୂତ ଭାବୀ ବର୍ତ୍ତମାନ ତିନିକାଳ ଜାଣେ ।ଜଗତେ ତାଠାରୁ କେହି ନାହିଁ ବଡ଼ ଜଣେ ॥
କୌତୁକେ ମାନବରୂପେ ହୋଇଲା ସେ ଜାତ ।ବିଶ୍ୱରୂପେ ଘୋଟିଅଛି ସକଳ ଜଗତ ॥
ଧରଣୀର ଭାରାଭର ନିବାରିବା ପାଇଁ ।ନାରାୟଣ ପୁରୁଷ ସେ ଜନ୍ମିଅଛି ମହୀ ॥
ଆଉ ଏକ ସଖୀ ଶୁଣି ପାଇ ଦିବ୍ୟଜ୍ଞାନ ।ବୋଲଇ ଦୁର୍ଲ୍ଲଭ ଅଟେ କୃଷ୍ଣ କଥାମାନ ॥
ଜନ୍ମ ହେଲା ଆର ଦିନ ଅନ୍ତୁଡ଼ି ଶାଳରେ ।ଯାହା କଲା ଦେଖିଥାଇଁ ଆମ୍ଭ ସକ୍ଷାତରେ ॥
କପଟେ ମାରିବା ପାଇଁ ବିଷ ଭରି ସ୍ତନେ ।ପୂତନା ରାକ୍ଷସୀ ଆସି ମିଳିଲା ସେ ସ୍ଥାନେ ॥
ଅସୁରୀର କୂଟବୁଦ୍ଧି ଜାଣି ନାରାୟଣ ।ସ୍ତନ୍ୟ ସଙ୍ଗେ ଶୋଷିନେଲେ ତାର ପଞ୍ଚପ୍ରାଣ ॥
ତୃଣାବର୍ତ୍ତ ମୂଢ଼ମତି ଆସିଣ ଗୁପତେ ।ଝାମ୍ପିକରି କାଖେ ଜାକିନେଲା ଶୂନ୍ୟପଥେ ॥
ଆକାଶରେ ଥାଇ ତାହା ଜାଣି ବିଶ୍ୱବାସ ।ଖଣ୍ଡ ଖଣ୍ଡ କରି ତାକୁ କଲେ ପ୍ରାଣେ ନାଶ ॥
ଅନେକ କାଳୁ ଥିଲା ଯାମଳାର୍ଜ୍ଜୁନ ବୃକ୍ଷ ।ରୋଳେ ଉପାଡ଼ିଣ କୃଷ୍ଣ ଭାଙ୍ଗିଲେ ପ୍ରତ୍ୟକ୍ଷ ॥
ଶକଟାସୁରର ଯହୁଁ କାଳପ୍ରାପ୍ତ ହେଲା ।କଂସ ଆଜ୍ଞା ଘେନି ଦୁଷ୍ଟ ଗୋପକୁ ଅଇଲା ॥
କୃଷ୍ଣଙ୍କୁ ମାରିବା ପାଇଁ ରହନ୍ତେ ଗୋପନେ ।ତା ମନର କଥା ପ୍ରଭୁ ଜାଣିଲେ ଶୟନେ ॥
ଅନେକ ପ୍ରଭାବ ତାକୁ ଦେଇ ପାଦଘାତେ ।ମସି ଗୁଣ୍ଡା କରି ଉଡ଼ାଇଲେ ମହାବାତେ ॥
ଅଘାସୁର ବକାସୁର ଷଣ୍ଢାସୁର ତିନି ।ଏହାଙ୍କ ନାମେ କମ୍ପଇ ସକଳ ମେଦିନୀ ॥
ତ୍ରିଭୁବନେ ବୀର ନାହିଁ ତାଙ୍କ ସମସରି ।ଖେଳ କଉତୁକେ ତାଙ୍କୁ ମାଇଲେ ଶ୍ରୀହରି ॥
କଂସଠାରୁ ବଳବନ୍ତ କେଶୀ ରଣରଙ୍କା ।ଯା ନାମ ଧରନ୍ତେ ସ୍ୱର୍ଗେ ଇନ୍ଦ୍ର କରେ ଶଙ୍କା ॥
ତା ତୁଣ୍ଡ ଭିତରେ ନେଇ ପୂରାଇଲେ ହାତ ।ବେନି ଫାଳ କରି ତାକୁ ଚିରିଲେ ଅଚ୍ୟୁତ ॥
ବାସୁକିର ସାନ ଭାଇ କାଳି ନାମ ସର୍ପ ।ତ୍ରିଭୁବନ ଦହିପାରେ ଯେ କରନ୍ତେ କୋପ ॥
ଘର କରି ରହିଥିଲା କାଳନ୍ଦୀ ହ୍ରଦରେ ।ଗୋବିନ୍ଦ ତା ଦର୍ପ ଗଞ୍ଜି ତଡ଼ିଦେଲେ ଦୂରେ ॥
ଅଖାଦ୍ୟ ସେ ଜଳ ହୋଇଥିଲା ବିଷ ପଡ଼ି ।କୃଷ୍ଣ ତା ଅମୃତ କଲେ କାଳିୟକୁ ତଡ଼ି ॥
ପୂର୍ବରୁ ସାମାନ୍ୟ ହୋଇଥିଲା କୁଞ୍ଜବନ ।କୃଷ୍ଣଯୋଗେ ଦିଶିଲା ସେ ସ୍ୱର୍ଗର ସମାନ ॥
ଇନ୍ଦ୍ର ବିବାଦେ ଟେକିଲେ ଗୋବର୍ଦ୍ଧନ ଗିରି ।ତେଡ଼େ ବଡ଼ ପର୍ବତ କି ଆନେ ହୋଏ ଧରି ॥
ସମଦଣ୍ଡ ଘେନି ବିଜେ କଲା ଇନ୍ଦ୍ରରାୟେ ।ଘୋର ବର୍ଷା କଲା ପୁଣି ସାତଦିନ ଯାଏ ॥
ଶାଳ ଶିଳା ସହିତରେ ଖପରା ବରଷି ।ବୁଡ଼ିଲା ନଗର ଗ୍ରାମ ଘୋଟି ଜଳରାଶି ॥
ଭୟଙ୍କର ଅନ୍ଧାର ଯେ ମେଘ ଘଡ଼ଘଡ଼ି ।ଅଣଞ୍ଚାଶ ପବନରେ ବୃକ୍ଷେ ଗଲେ ଉଡ଼ି ॥
ଘନ ଘନ ବିଜୁଳିର ସଙ୍ଗେ ବଜ୍ରପାତ ।ପୃଥ୍ୱୀ ଟଳ ଟଳ ହୋଇ କମ୍ପିଲା ଜଗତ ॥
ଗୋପପୁର ବାସୀ ଲୋକେ ପାଇ ମହାଭୀତି ।କୃଷ୍ଣଙ୍କୁ ନିନ୍ଦିଲେ ଥୋକେ ଥୋକେ କଲେ ସ୍ତୁତି ॥
ସେ କାଳେ ଏଡ଼େ ସାହସ ନନ୍ଦସୁତ କଲା ।ତେଡ଼େ ବଡ଼ ଗିରି କରେ ଟେକିଣ ଧଇଲା ॥
ତାହା ଦେଖି କୋପେ ଇନ୍ଦ୍ର ବଜ୍ର ପ୍ରହାରନ୍ତେ ।ଚୂର୍ଣ୍ଣ ହେଲା ବଜ୍ରଶର ବାଜି କୃଷ୍ଣ ହସ୍ତେ ॥
ବଜ୍ର ଭାଙ୍ଗି ଯାନ୍ତେ ଇନ୍ଦ୍ର ପାଇ ବଡ଼ ଲଜ୍ଜା ।ଦେବଗଣ ଘେନି କଲା କୃଷ୍ଣ ପାଦେ ପୂଜା ॥
ଗିରିତଳେ ସମ୍ଭାଳିଲା ଗୋପପୁର ଶିରୀ ।ନରନାରୀ ଗାଈ ଗୋରୁ ବତ୍ସା ଆଦି କରି ॥
ବତ୍ସାତୁଲେ ବାଳକଙ୍କୁ ବ୍ରହ୍ମା ହରି ନେଲେ ।କୁଶବଟୁ ଭୁବନରେ ଗୁପତେ ରଖିଲେ ॥
ମାୟାଧର ପୁରୁଷ ତା ଜାଣି ଅନ୍ତର୍ଯ୍ୟାମୀ ।ଶ୍ରୀଅଙ୍ଗୁ ଗୋପଳ ବତ୍ସା ଜାତ କଲେ ସ୍ୱାମୀ ॥
ଏମନ୍ତ ପ୍ରକାରେ ତହୁଁ ବରଷେକ ଗଲା ।ତ୍ରୈଲୋକ୍ୟ ଭିତରେ କେହି ଜାଣନ୍ତା ନୋହିଲା ॥
ତାହା ଦେଖି ମନେ ଲଜ୍ଜା ପାଇ ପଦ୍ମଯୋନି ।କୃଷ୍ଣଙ୍କୁ ଦର୍ଶନ କଲେ ବାଳ ବତ୍ସା ବେନି ॥
ଆବର ଅଦ୍ଭୂତ କର୍ମ କରିଛନ୍ତି ଯେତେ ।ଏକ ଏକ କରି ତାହା କହିବଇଁ କେତେ ॥
ଆମ୍ଭେ ସଖି ଗୋପପୁରେ ଷୋଳସସ୍ର ନାରୀ ।ଜଣ ଜଣ କରେ ହେବା ରମ୍ଭା ସଙ୍ଗେ ସରି ॥
ସୁନ୍ଦରୀ ଯେ ସୁଲକ୍ଷଣୀ ସର୍ବେ ନବବାଳା ।ସବୁରି ମନ ତୋଷିଲା ଏକା ନନ୍ଦବଳା ॥
ଅନେକ ପ୍ରକାରେ କଲା ରମଣ ବିଳାସ ।ଚୌଷଠି ଶୃଙ୍ଗାର ବନ୍ଧେ ତୋଷିଲା ମାନସ ॥
ମଜ୍ଜିଲୁ କାମ ସଂଗ୍ରାମେ ନ ଜିଣିଲୁ ଢ଼ାଳେ ।କୁଳ ଧର୍ମ ଲଜ୍ଜା ତ୍ୟାଗ କଲୁ ଅବହେଳେ ॥
ଆବରହିଁ କୃତ୍ୟ କରିଛନ୍ତି ଯେତେ ଯେତେ ।କଅଁଳାପୁଅ ସେ ଭାବ ଜାଣନ୍ତା କେମନ୍ତେ ॥
ଶୃଙ୍ଗାରରେ ଯେତେ କର୍ମ ପ୍ରେମ ଆଲିଙ୍ଗନ ।ଅଭିସାରିକା ନୋହି କି ଜାଣନ୍ତା ଏମାନ ॥
ଦଧିଦାନ ବସ୍ତ୍ର ଚୋରି ନାବ ବାହିବାର ।ଏମାନ ସ୍ମରିଲେ ଧୈର୍ଯ୍ୟ ରହିବ କାହାର ॥
ସର୍ପ ବ୍ୟାଘ୍ର ବହନି ଯେ କୋକଜୀବ ଭୀତି ।ଏମନ୍ତ ପ୍ରକାରେ କ୍ରୀଡ଼ା କରୁଥିଲେ ନିତି ॥
ମାୟାଧର ପୁରୁଷ ସେ ଦେବଙ୍କର ଦେବା ।ମାନବ ବୋଲିଣ ତାଙ୍କୁ କେମନ୍ତେ ବୋଲିବା ॥
ଜନ୍ମ ମୃତ୍ୟୁ ନାହିଁ ଯାର ପାପ ପୁଣ୍ୟ ନାହିଁ ।ଅନ୍ତର୍ଯ୍ୟାମୀ ପୁରୁଷ ସେ ସର୍ବ ଭୂତେ ଥାଇ ॥
ଧନୁଯାତ୍ରା ବୋଲି କଂସ ଡକାଇଣ ନେଲା ।ଚାଣୁର ମୁଷ୍ଟିକ ଗଜ କୁବଳୟା ମଲା ॥
ଧନୁଭଗ୍ନ ହେଲା ପୁଣି ଯାତ୍ରା ହେଲା ଧ୍ୱଂସ ।ରୂପ ଦେଖି ଜଗତୀରୁ ପଡ଼ି ମଲା କଂସ ॥
କ୍ଷଣକରେ କୋଟି ଇନ୍ଦ୍ର ଯେ ପାରଇ ଜିଣି ।କିଞ୍ଚିତେ ବଧିଲେ ତାକୁ ପ୍ରଭୁ ଚକ୍ରପାଣି ॥
କଂସ ମାରି ମଥୁରାରୁ ଜୟଶିରୀ ନେଲେ ।ଉଗ୍ରସେନ ରାଜା ଶିରେ ଶାଢ଼ୀ ବନ୍ଧାଇଲେ ॥
ଏ ଦୁସ୍ତର କର୍ମମାନ ଯେ କରିଛି ଏକା ।ମାନବ ସଙ୍ଗରେ ତାକୁ କରିବା କି ଲେଖା ॥
କାଚ ଯେବେ ପଦ୍ମରାଗମଣି ସଙ୍ଗେ ଥାଏ ।ପଦ୍ମରାଗ ଯୋଗେ ତାର ତେଜ ଶୋଭାପାଏ ॥
ଆମ୍ଭେ ସର୍ବ ହୀନନାରୀ ପାମରୀ ଗୁଆଳୀ ।ଦେବନାରୀ ସଙ୍ଗେ ତୁଲ୍ୟ କଲେ ବନମାଳୀ ॥
ତାଙ୍କର ଶ୍ରୀଅଙ୍ଗ ତେଜ ଆମ୍ଭ ଅଙ୍ଗେ ଲାଗି ।ଏ ଦେହେ ମୁକତି ପାଇ ହେଲେ ସଉଭାଗୀ ॥
ରମିଲେ ତାଙ୍କର ସଙ୍ଗେ ଦେଖିଲେ ଶ୍ରୀମୁଖ ।ଲଭିଲେ କୈବଲ୍ୟ ମୁକ୍ତି ଖଣ୍ଡି ଜନ୍ମଦୁଃଖ ॥
ପରଶୁ ପଥର ଲାଗି ଲୁହା ହୁଏ ସୁନା ।କୃଷ୍ଣ ଅଙ୍ଗ ଲାଗି ମୋକ୍ଷ ହେଲୁ ଗୋପାଙ୍ଗନା ॥
ଗୋବିନ୍ଦ ଆସିବାପାଇଁ ଶୋଚନା ନ କର ।ହୃଦୟାଦି ଦୃଢ଼ କରିଥିବ ଯେ ଯାହାର ॥
ବଢ଼ାଇ ସେ ନିରପେକ୍ଷ ଦେବ ଶିରୀରଙ୍ଗ ।ବଜ୍ରହୁଁ କଠିନ ଜାଣ ଅଟେ ତାର ଅଙ୍ଗ ॥
ଆମ୍ଭଙ୍କୁ ଚିତୋଇ ମନେ କିପାଁ ସେ ଲୋଡ଼ିବ ।ଶ୍ରୀମନ୍ତ ପୁରୁଷ ତାକୁ କିସ ଅପୂରବ ॥
ଧନବସ୍ତ୍ର ଅଳଙ୍କାର ସାର ଦ୍ରବ୍ୟ ଯେତେ ।କୃଷ୍ଣଙ୍କୁ ଅପୂର୍ବ ହୋଇ କି ଅଛଇ ଜଗତେ ॥
ସତେ କି ଆସିବେ କୃଷ୍ଣ ଆଉ ଆମ୍ଭ ପାଇଁ ।ଏ କଥା ମନକୁ ମୋର ପରତେ ନ ଯାଇ ॥
ବସଇ ଯେ ନବଲକ୍ଷ ଘର ଗୋପପୁରେ ।ଏହି କଥା ବିଚାରନ୍ତି ସର୍ବେ ପରସ୍ପରେ ॥
ପ୍ରସାଦ ମଣ୍ଡପ ମେଢ଼ ଦାଣ୍ଡ ଘାଟ ବାଟ ।ନଗ୍ରଯାକ ହାଲହୋଳି ଗୋବିନ୍ଦ ଉଚ୍ଚାଟ ॥
ବ୍ରହ୍ମପୁତ୍ର ବାଲଖିଲ୍ୟା ଗୋପୀ ହୋଇଥିଲେ ।କୃଷ୍ଣ ଯୋଗେ ଶାପୁଁ ତରି ବ୍ରହ୍ମଲୋକ ଗଲେ ॥
ଦୂତିକା ଗୋପରେ ଥିଲେ ମଧ୍ୟସ୍ଥ ହୋଇଣ ।ବିମାନ ଆରୋହି ଗଲେ ସ୍ୱର୍ଗେ ତତକ୍ଷଣ ॥
ଦେବରାଜ ସଭାମଧ୍ୟେ ମିଳନ୍ତେ ସେ ଦୂତୀ ।ପରମ ସନ୍ତୋଷ ହେଲେ ଦେଖି ସୁରପତି ॥
ଶ୍ରୀହସ୍ତରେ ଟେକି ଇନ୍ଦ୍ର ଶାଢ଼ୀ ମାଳ ଦେଲେ ।ଅନେକ ଗୌରବ କରି ପାଶେ ବସାଇଲେ ॥
ଏଥୁ ଅନନ୍ତରେ ଅସ୍ତ ହେଲେ ଦିନମଣି ।ଦିବସ ଅନ୍ତେ ପ୍ରବେଶ ହୋଇଲା ରଜନୀ ॥
ଯେ ଯାହାର ଗୃହକାର୍ଯ୍ୟ କଲେ ଗୋପବୃନ୍ଦ ।ବାଟ ଚାହିଁ ବସିଛନ୍ତି ଯଶୋବନ୍ତୀ ନନ୍ଦ ॥
ନାନା ବ୍ୟଞ୍ଜନ ଅନ୍ନ ଯେ ସ୍ୱର୍ଣ୍ଣ ପତ୍ରେ ବାଢ଼ି ।ଦୀପ ଜାଳି ଜଳପାତ୍ର ରଖନ୍ତି ସଜାଡ଼ି ॥
ଫୁଟି ଆସୁଥିବେ ପୋଏ ପଥଶ୍ରାନ୍ତ ହୋଇ ।ଭୁଞ୍ଜିବେ ସୁପକ୍ୱ ଅନ୍ନ ଜଳେ ପାଦ ଧୋଇ ॥
ଏମନ୍ତ ବିଚାର ବସି କରନ୍ତି ଯଶୋଦା ।ଦିବସରେ କ୍ଷୁଧା ନାହିଁ ରାତ୍ରେ ନାହିଁ ନିଦ୍ରା ॥
ଏପରି ସବୁରି ମନେ ଲାଗିଛି ଉଚ୍ଚାଟ ।ବୋଲନ୍ତି ଆସିବେ ଆଜି ନନ୍ଦ ବେନି ଚାଟ ॥
ନ ଆସିବେ ବୋଲି ନାହିଁ କାହାରି ପରତେ ।ଆସିବା ବାଟକୁ ଅଛନ୍ତି ସମସ୍ତେ ॥
ଗୋପିକାମାନଙ୍କ ମୋକ୍ଷ ଆଖ୍ୟାନ ଚରିତ ।ଶେଷ ହେଲା ଗୀତବନ୍ଧେ କହଇ ଅଚ୍ୟୁତ ॥
ଉଗ୍ରସେନ ସଭାରେ ଗର୍ଗମୁନିଙ୍କର ଅପମାନ କୈଳାସ ଗହ୍ୱରେ ତପସ୍ୟା ଓ ବରଲାଭଶୁତ ବୋଇଲେ ହେ ଶୁଣ ପରୀକ୍ଷିତ ନୃପ ।ନନ୍ଦ ଯଶୋବନ୍ତୀ ଦୁହେଁ କରନ୍ତି ବିଳାପ ॥
ଏଥିୁ ଅନନ୍ତରେ ପୁଣ ରାମକୃଷ୍ଣ ବେନି ।ମଥୁରା ରହିଲେ ସଙ୍ଗେ ଯାଦବଙ୍କୁ ଘେନି ॥
ଉଗ୍ରସେନ ନରପତି ଶିରେ ବାନ୍ଧି ପାଟ ।କରନ୍ତି ରାଜତ୍ୱ ଭୋଗ ପାଳି ସମରାଷ୍ଟ୍ର ॥
ଚୌରାଶୀ କୋଟି ଯାଦବେ ବଳେ ଅପ୍ରମିତା ।ହାତୀ ରଥୀ ମହାରଥୀ ଏକୁ ଏକ ଜିତା ॥
ସାତ୍ୟକି ଯେ କୃତବର୍ମା ଶକ୍ରାଜିତ ବୀର ।ବସୁଦେବ ଅନାଧୃଷ୍ଟ ଉଦ୍ଧର ଅକ୍ରୂର ॥
ସପ୍ତବଂଶ ଗଣନ୍ତି ଏ ସାତମନ୍ତ୍ରୀ ଘେନି ।ଅଚିନ୍ତେ ଭୋଗ କରନ୍ତି ମଥୁରା ମେଦିନୀ ॥
ଅମର କଣ୍ଟକ କଂସ ହେଲା ଯହୁଁ କ୍ଷୟ ।ଛାଡ଼ିଲେ ସକଳ ଭ୍ରାନ୍ତି ସ୍ୱର୍ଗେ ଦେବଚୟ ॥
ବସୁଦେବ ସଦନରେ ରାମ ଭଗବାନ ।ପିତାମାତା ସେନେହରେ ଆନନ୍ଦିତ ମନ ॥
ଚାରିପାଦେ ଲକ୍ଷ୍ମୀ ବିଜେ କଲେ ମଥୁରାରେ ।ବଢ଼ିଲା ଅଚଳ ଭାଗ୍ୟ ପୂରି ଘରେ ଘରେ ॥
କୁବେର ଅଳକା କିବା ଇନ୍ଦ୍ର ବାରସ୍ୱତୀ ।ରତ୍ନାକର ପାଟଣା କି ପ୍ରଜ୍ଜ୍ୱଳିତ ଜ୍ୟୋତି ॥
ଅବସନ୍ତେ ବସନ୍ତ ଯେ ବହେ ଘନ ଘନ ।ଫଳ ପୁଷ୍ପେ ତରୁଲତା ଦିଶନ୍ତି ଶୋଭନ ॥
ଶୁକ ପିକ ଝିଙ୍କାରିଙ୍କ ସୁମଧୁର ଧ୍ୱନି ।ମୋହିତ ହୁଅନ୍ତି ଶୁଣି ସୁର ସିଦ୍ଧ ମୁନି ॥
ଅତୁଳ ଦିଶଇ ସ୍ତରୀ ପୁରୁଷଙ୍କ ଶୋଭା ।ବୃଦ୍ଧମାନେ ପାଲଟିଣ ହେଲେ ନବଯୁବା ॥
ଯୋଗ ମାର୍ଗେ ଲୟ ଦେଇ ସନକାଦି ଗଣ ।ଯେବଣ ବିଷ୍ଣୁଙ୍କୁ ଧ୍ୟାନେ କରନ୍ତି ଦର୍ଶନ ॥
ସେ ମହା ପୁରୁଷ ହେଲେ କୃଷ୍ଣ ରୂପ ଏବେ ।ଚର୍ମ ନୟନରେ ତାଙ୍କୁ ଦେଖନ୍ତି ଯାଦବେ ॥
ଅନ୍ଧ କୁଷ୍ଠୀ ଧନହୀନ ଦୁଃଖୀ ଜଣେ ନାହିଁ ।ଖଣ୍ଡିଲେ ସକଳ ଦୁଃଖ କୃଷ୍ଣ ମୁଖ ଚାହିଁ ॥
ମିଥୁନ ମାସ ପୂର୍ଣ୍ଣିମୀ ଚନ୍ଦ୍ର ନାମେ ବାର ।ପୂର୍ବାଷାଢ଼ା ନକ୍ଷତ୍ର ଯେ ଅଟେ ସେ ଦିନର ॥
ବିଷ୍ଟି ନାମରେ କରଣ ବ୍ୟତିପାତ ଯୋଗ ।କକଡ଼ା ସଂକ୍ରାନ୍ତିଠାରୁ ବିଂଶଦିନ ଭୋଗ ॥
ଶନିଶ୍ଚର ଭୋଗବେଳ ପାଞ୍ଚଘଡ଼ିମାନେ ।ଉଗ୍ରସେନ ନରପତି ବିଜୟେ ଆସ୍ଥାନେ ॥
କଂସ ରାଜା କରିଥିଲା ଯେଉଁ ରଙ୍ଗ ସଭା ।ମଧ୍ୟାହ୍ନ ଆଦିତ୍ୟ ଜିଣି ଦିଶେ ତାର ପ୍ରଭା ॥
ସ୍ୱହସ୍ତରେ ବିଶ୍ୱକର୍ମା ନିର୍ମାଣ କରିଛି ।ସର୍ବଗୁଣେ ପୂର୍ଣ୍ଣ ଅବିଗୁଣ ନାହିଁ କିଛି ॥
ଦେବଭଣ୍ଡାରେ ଅମୂଲ୍ୟ ଦ୍ରବ୍ୟ ଯେତେ ଥିଲା ।ଦିଗବିଜେ କରି କଂସ ସମସ୍ତ ଆଣିଲା ॥
ହୀରା ନୀଳା ବଇଡ଼ୁର୍ଯ୍ୟ ମଣି ରତ୍ନ ହେମ ।ପଟାନ୍ତର ନାହିଁ ତାକୁ ଅତୁଳିତ କମ ॥
ଅପୂର୍ବ ମଣ୍ଡପ ଆୟତନ ବେନି କ୍ରୋଶ ।ଶୁଦ୍ଧ ସ୍ଫଟିକରେ ପୀଢ଼ ପ୍ରାଙ୍ଗଣ ଚୌପାଶ ॥
ମାରାଗ ରତନ ଖମ୍ୱ ସପ୍ତତାଳ ଉଚ୍ଚ ।ବାଙ୍କ ବକ୍ର ନାହିଁ ତାର ଘଟଣ ସୁସଞ୍ଚ ॥
ସୁବର୍ଣ୍ଣ ଜଡ଼ିତ ରୁଅ ରୌପ୍ୟ ଶେଣୀ କାଣ୍ଡ ।ଗଜଦନ୍ତରେ ପିତୁଳା କରିଅଛି ରୁଣ୍ଡ ॥
ଝିଙ୍କର ଛାଏଣି ଚାଳ ଦିଶେ ଶୁକ୍ଳ ଜ୍ୟୋତି ।ଝରା ଝୁମ୍ପାମାନ ଲମ୍ୱ ଶୋହେ ଚଉକତି ॥
ସ୍ୱର୍ଣ୍ଣ କଳଶ ଉପରେ ଚିତ୍ରଧ୍ୱଜ ଉଡ଼େ ।ଶାରଦ ମେଘରୁ ଖସି ବିଜୁଳି କି ପଡ଼େ ॥
ଆଗେ ଉଭା ତ୍ରୋଣ ଖମ୍ୱ ଆକାଶକୁ ଜିଣି ।ଚନ୍ଦ୍ରମା ମଣ୍ଡଳେ ଯେହ୍ନେ ଦିଶେ ତାରାଶ୍ରେଣୀ ॥
ନେତ ପତନି ସିନ୍ଧୁଆ ଧବଳ ମାଞ୍ଜିଷ୍ଠ ।ବସନ୍ତ ସୁପୀତ ନୀଳ ନାନା ବସ୍ତ୍ର ପାଟ ॥
ଖମ୍ୱେ ଖମ୍ୱେ ବାନ୍ଧିଅଛି ବାଛି ନୂଆ ନୂଆ ।ଉପରେ ସୁଚିତ୍ର ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ॥
ବଖରାକେ ମଣ୍ଡିଅଛି ଭିନ୍ନ ଭିନ୍ନ କରି ।ବିଚିତ୍ର ଶ୍ୱେତ ଚାମର ଲମ୍ୱେ କେରି କେରି ॥
ସେବତୀ ମଲ୍ଲିକା ଜାଈ ମାଳତୀ ବକୁଳ ।ପୁନ୍ନାଗ ପାଟଳି ଚମ୍ପା ନାଗେଶ୍ୱର ମାଳ ॥
କଞ୍ଚନ ଯେ ପାରିଜାତ ଅଶୋକ ଦୟଣା ।ନୀଳୋତ୍ପଳ ଆଦି ପୁଷ୍ପେ ଏକୁ ଏକ ଜିଣା ॥
ସୁଗନ୍ଧ ସୌରଭ ବାସେ ଚହଟଇ ସଭା ।ମାଳ ମାଳ ହୋଇ ଲମ୍ୱି ଦିଶେ ଦିବ୍ୟଶୋଭା ॥
କର୍ପୂର କସ୍ତୁରୀ ଚୁଆ ଧୂପଧୂମ ଉଠି ।ପରିମଳ ଗନ୍ଧେ ମନ ହରଇ ଚହଟି ॥
ଧନ୍ୟ ଧନ୍ୟ ରଙ୍ଗସଭା କଂସ ସରଜିଲା ।ଆପେ ବିଶ୍ୱକର୍ମା ଗଢ଼ି ମୂର୍ତ୍ତିମନ୍ତ କଲା ॥
ଅସଂଖ୍ୟ ଚିତ୍ର ପିତୁଳି ନନ୍ଦାବର୍ତ୍ତ କମ ।ହୀରା ନୀଳା ମୋତି ଖଞ୍ଜା ଘଟଣ ସୁଷମ ॥
ସଭାମଧ୍ୟେ ଶୋଭାପାଏ ରତ୍ନ ସିଂହାସନ ।ତହିଁରେ ବିଜୟ କଲେ ରାଜା ଉଗ୍ରସେନ ॥
କର୍ଣ୍ଣରେ କୁଣ୍ଡଳ ଶିରେ ଶୋହଇ ମୁକୁଟ ।ମଣିଗଣ କିରଣରେ ଦିଶେ ଝଟ ଝଟ ॥
ବକ୍ଷଦେଶେ ଲମ୍ୱିଅଛି ନବରତ୍ନ ହାର ।ବିଦ ମୁଦି କଙ୍କଣରେ ଶୋଭାପାଏ କର ॥
ଏହିରୂପେ ବୀରବେଶ ହୋଇ ଉଗ୍ରସେନ ।ରଙ୍ଗସଭା ସିଂହାସନେ କଲେ ଆରୋହଣ ॥
ଦକ୍ଷିଣରେ ଯମଦାଢ଼ ବାମେ ପାଟଖଣ୍ଡା ।ଆଗରେ ଶାବେଳୀ ଛୁରୀ କୋନ୍ତ ଗଣ୍ଡା ଗଣ୍ଡା ॥
ରାମ କୃଷ୍ଣ ବେନିଭାଇ ବସିଛନ୍ତି କୋଳେ ।ପଟୁଆରି ବେଢ଼ିଛନ୍ତି ରଙ୍ଗସଭା ତଳେ ॥
ଅଶ୍ୱାରୋହୀ ଗଜାରୋହୀ ପଦାତିକ ସେନା ।ରଥୀ ମହାରଥୀ କେତେ ନ ଯାଏ କଳନା ॥
ଚୌରାଶୀ କୋଟି ଯାଦବେ ସଭାମଧ୍ୟେ ବେଢ଼ି ।ବସିଛନ୍ତି ଯେ ଯାହାର ଖମ୍ୱେ ଖମ୍ୱେ ମାଡ଼ି ॥
ମଣିମା ମଣିମା ଡାକ ଶୁଭଇ ଛାମୁରେ ।ପଡ଼ିହାରୀ ବୁଲୁଛନ୍ତି ବେତ୍ର ଧରି କରେ ॥
ନାନାରଙ୍ଗେ ନୃତ୍ୟ କରି ବାର ବିଳାସିନୀ ।ତୋଷନ୍ତି ରାଜାଙ୍କ ମନ ବୀଣାଯନ୍ତ୍ର ଘେନି ॥
ପାତ୍ରମନ୍ତ୍ରୀ ଅମନାତ୍ୟ ବିଶ୍ୱାସିତ ଲୋକେ ।ସିଂହାସନ ପାଶେ ଉଭା ହୋଇଛନ୍ତି ଥୋକେ ॥
ପରମଧାର୍ମିକ ସେହି ଉଗ୍ରସେନ ରାଜା ।ପାତ୍ର ଆଦି ଯଥାମାନ୍ୟେ କରେ ତହିଁ ପୂଜା ॥
ଶୁଣ ହେ ପରୀକ୍ଷ ରାଜା ହରିବଂଶ ଧ୍ୱନି ।ଏକାଳେ ମିଳିଲେ ଆସି ଗର୍ଗ ମହାମୁନି ॥
ହସ୍ତେ କମଣ୍ଡଳୁ ଶୋହେ କାଖେ କୁଶବିଡ଼ି ।ବେଦକାଣ୍ଡି କଷାବାସ ଉତ୍ତରୀ ପଗଡ଼ି ॥
ତୁଳସୀମାଳ ଭୂଷଣ ଭାଲେ ଭସ୍ମଚିତା ।ତ୍ରିକଚ୍ଛୀ ବସନ ଶୋହେ କନ୍ଧରେ ପଇତା ॥
ପ୍ରତ୍ୟକ୍ଷ ଯେ ବ୍ରହ୍ମଋଷି ବ୍ରହ୍ମ ଅବତାର ।ଜାଜ୍ୱଲ୍ୟମାନ ତେଜରେ ନିନ୍ଦେ ଦିବାକର ॥
ବେଦମନ୍ତ୍ର ପଢ଼ି ମୁନି ହୁଅନ୍ତେ ପ୍ରବେଶ ।ଦୂରୁ ଦେଖି ଯଦୁବୀରେ କଲେ ଉପହାସ ॥
ସହସ୍ରା ଜିତର ସାନଭାଇ ମହାବୀର ।ପ୍ରସନ୍ନାଜିତ ବୋଲିଣ ନାମ ଅଟେ ତାର ॥
ସେ ବୋଇଲା ପୁରୋହିତ ଥାଉ ଥାଉ ଭଲେ ।ମୁଖ ନ ଚାହିଁଣ କିପାଁ ରାଜା ନାଶ ଗଲେ ॥
ଅଧର୍ମ ଆଚାର କରି କଂସ ଗଲା ନାଶ ।ଏ ସ୍ଥାନରେ ଏ ଥିବାର ପ୍ରୟୋଜନ କିସ ॥
ରାଜା ଅଟେ ନରଦେବ ମର୍ତ୍ତ୍ୟ ଭୁବନକୁ ।ନୃପତିର ପାପ ପୁଣ୍ୟ ଲାଗେ ପୁରୋଧାଙ୍କୁ ॥
ରାଜା ଥିଲେ ପୁରୋହିତ ରାଜ୍ୟେ ଅଧିକାରୀ ।ରାଜାଅନ୍ତେ ପୁରୋହିତ ହୁଏ ତପଚାରୀ ॥
ନୋହିଲେ ପ୍ରୟାଗ ବଟେ ଉଠି ଦେବ ଝାସ ।ଅଥବା ସକଳ ଛାଡ଼ି ହୋଇବା ସନ୍ନ୍ୟାସ ॥
ଆଶ୍ରମ କରିବା ଅବା ରହି ପୁଣ୍ୟସ୍ଥାନେ ।ଉଦାସୀନ ହୋଇ ଯୋଗ ସାଧି ବ୍ରହ୍ମଜ୍ଞାନେ ॥
ଏ ଯେ କଂସରାଜା ପୁରୋହିତ ହୋଇଥିଲା ।ରାଜାଙ୍କ ବିଯୋଗ କିପାଁ ବନକୁ ନ ଗଲା ॥
ଆବର ବିଶେଷେ ଏ ତ ବିଭା ହୋଇନାହିଁ ।ସନ୍ତତି ବିହୀନେ ଦେହ କାରଣ ନ ହୋଇ ॥
ବିଡ଼ମ୍ୱନ ପୁରୁଷ ୟା ଦେହ ଅପ୍ରତିଷ୍ଠା ।ସ୍ୱଭାବରେ କ୍ଳୀବ ଅଟେ ନାହିଁ ତପନିଷ୍ଠା ॥
ସର୍ବଗୁଣେ ନିଲକ୍ଷଣ ଏ ଯେ ମହାପାପୀ ।କର୍ମ ଚାଣ୍ଡାଳ ଏହାକୁ ବୋଲିଟି ଅଦ୍ୟାପି ॥
ଯୁକତେ ଏ ରାଜସଭା ସର୍ବେ ପୁଣ୍ୟମୟ ।ପୁଣ୍ୟବନ୍ତ ଲୋକେ ଏଥେ ବସି ହ୍ୱନ୍ତି ଥୟ ॥
ଆହେ ଗର୍ଗମୁନି ତୁମ୍ଭେ ବେଗେ ଉଠାଯାଅ ।ଏ ପୁଣ୍ୟବନ୍ତ ଲୋକଙ୍କୁ ପାପୀ ନ କରାଅ ॥
ପ୍ରସନ୍ନାଜିତ କହନ୍ତେ ଏସନକ ବାଣୀ ।ହସିଲେ ଯାଦବମାନେ ତା କଥାକୁ ଶୁଣି ॥
ରଙ୍ଗସଭାରେ ସେ ମୁନି ହୋଇଛନ୍ତି ଉଭା ।ସକଳ ଯାଦବେ ବସି ପାଉଛନ୍ତି ଶୋଭା ॥
ଯେଝାମତେ ତାକୁ ସର୍ବେ କରନ୍ତି ଭର୍ତ୍ସନା ।ଏହାର ମୁଖ ନ ଚାହିଁ ବୋଲି କଲେ ମନା ॥
ଶୁଣିଣ ଅନେକ ଲଜ୍ଜା ପାଇ ମୁନିବର ।ମଥା ପୋତି ମୌନ ହେଲେ ନ ଦେଇ ଉତ୍ତର ॥
ରାଜସଭା ମଧ୍ୟେ ଯହୁଁ ହେଲା ଅପମାନ ।ସ୍ତମ୍ଭୀଭୂତ ହୋଇ ମୁନି ହରାଇଲେ ଜ୍ଞାନ ॥
ଝର ଝର ହୋଇ ଝାଳ ପଡୁଅଛି ଗଳି ।ମନମଧ୍ୟେ ଅନ୍ତରାଳ ହେଲେ ତପଶାଳୀ ॥
ରାହୁଗ୍ରସ୍ତ ଚନ୍ଦ୍ର ପରି ଦିଶିଲା ବଦନ ।ଫେରିଯିବା ପାଇଁ କେଭେଁ ନ ବଳଇ ମନ ॥
ମୃତ୍ୟୁ ସମାନରେ ବ୍ୟଥା ପାନ୍ତେ ତପୋନିଷ୍ଠୀ ।ସଭା ଭାଙ୍ଗି ଉଗ୍ରସେନ ରାଜା ଗଲେ ଉଠି ॥
ବସୁଦେବ ବଳରାମ ଶ୍ରୀକୃଷ୍ଣ ସହିତେ ।ନିଜପୁରେ ବିଜେ କଲେ ଯେ ଯାହାର ମତେ ॥
ସାତବଂଶ ଯାଦବେ ଯେ ଚୌରାଅଶି କୋଟି ।ରଙ୍ଗସଭା ମଉଳିଲା ସର୍ବେ ଗଲେ ଉଠି ॥
ଅଢ଼ାଇ ପ୍ରହର ବେଳ ହୋଇଲାକ ଆସି ।ଏକ ଗର୍ଗ ବସିଛନ୍ତି ସର୍ବେ ଗଲେ ଖସି ॥
ମୁନି ବିଚାରନ୍ତି ଏହା କେବଣ ଚରିତ ।ମୋତେ କିପାଁ ଜିଘାଂସିଲେ ଏ ଯାଦବ ଗୋତ୍ର ॥
ମୁଁ ଏହାଙ୍କ କୁଳଗୁରୁ ସର୍ବଭାବେ ଶ୍ରେଷ୍ଠ ।ଅପମାନ ଦେଇ ମୋର ଜାତ କଲେ କଷ୍ଟ ॥
ଜଣେ ହୋଇ ଯେବେ ମୋତେ ବୋଲିଥାନ୍ତ ଏହା ।ଜାଣନ୍ତା ତକ୍ଷଣେ ତାକୁ କହନ୍ତି ମୁଁ ଯାହା ॥
ଗୁରୁନିନ୍ଦା କଲେ କେଭେ ବିଦ୍ୟା ନୁହେ ସିଦ୍ଧି ।ଭକତକୁ ନିନ୍ଦାକଲେ ତୁଟଇ ସମୃଦ୍ଧି ॥
ରାଜାକୁ ନିନ୍ଦିଲେ ନିଶ୍ଚେଁ ଆପେ ହୁଏ ଯକ୍ଷ ।ଶସ୍ତ୍ର ନିନ୍ଦାକଲେ ଯୁଦ୍ଧେ ନ ମିଳଇ ଜୟ ॥
ଅନ୍ନକୁ ଯେ ନିନ୍ଦେ ତାକୁ ନ ମିଳଇ ଗ୍ରାସ ।ଦେବତାଙ୍କୁ ନିନ୍ଦା କଲେ ନାଶଯାଏ ବଂଶ ॥
ମାତା ନିନ୍ଦା କଲେ ଜାଣ ହୋଏ ଜ୍ଞାନଭ୍ରଷ୍ଟ ।ପିତାକୁ ନିନ୍ଦିବା ଜନ ପାଏ ପୁତ୍ରକଷ୍ଟ ॥
ତୀର୍ଥ ନିନ୍ଦା କଲେ ଲଭେ ଅକାଳ ମରଣ ।ଯତି ସତୀ ନିନ୍ଦାକଲେ ନାଶଯାଏ ଜ୍ଞାନ ॥
ଯୁକତେ ବ୍ରାହ୍ମଣ ଆମ୍ଭେ ଅଟୁ ବ୍ରହ୍ମଚାରୀ ।ବେଦଶାସ୍ତ୍ରେ ବିନିର୍ଜିତ କ୍ରିୟା କର୍ମଚାରୀ ॥
ଯଦୁବଂଶେ ପୁରୋହିତ ଆମ୍ଭେ ସବୁଦିନେ ।ତାଙ୍କର ଅପ୍ରିୟ କେଭେ କରିନାହୁ ଜ୍ଞାନେ ॥
ଏହାଙ୍କ ଉପର ବଂଶେ ଶଶବିନ୍ଦୁ ନୃପ ।ସପ୍ତଦ୍ୱୀପା ପୃଥିବୀରେ ସେ ହେଲା ଅଧିପ ॥
ଏକ ଲକ୍ଷ ତିନିସସ୍ର ଭାରିଯା ତାହାର ।ଭାରିଯାକେ ଦଶ ଦଶ ଦୁହିତା କୁମର ॥
ଏକପୁତ୍ରେ ଦଶ ଦଶ ଝିଅ ପୁଅ ନାତି ।ନାତିକାରେ ଦଶ ଦଶ ପୁତ୍ର ଯେ ଦୁହିତୀ ॥
ଏହି ଅନୁସାରେ ଦଶ ପୁରୁଷ ବର୍ଦ୍ଧନ ।ଧନ ଧାନ୍ୟ ଗୋପ ଲକ୍ଷ୍ମୀ ହେଲା ଅକଥନ ॥
କହନ୍ତେ ନ ସରେ ଶଶବିନ୍ଦୁର ମହିମା ।ନବଦ୍ୱୀପ ସାତସିନ୍ଧୁ ଅଟେ ତାର ସୀମା ॥
ଇନ୍ଦ୍ର ଯମ ନଇର୍ଋତ ବରୁଣ କୁବେର ।ତେତିଶକୋଟି ଦେବତା ଅଧୀନ ତାହାର ॥
ବ୍ରାହ୍ମଣ ପ୍ରସାଦେ ଏଡ଼େ ରାଜ୍ୟେ ଭୋଗ କଲା ।ବ୍ରହ୍ମନିନ୍ଦା କରି ପୁଣି ସପତାଙ୍ଗେ ମଲା ॥
ସେ ବଂଶରେ ଜନ୍ମିଥିଲା ନହୁଷ ନୃପତି ।ନରଦେହେ ହୋଇଲା ସେ ସ୍ୱର୍ଗେ ସୁରପତି ॥
ତିନିପୁର ଲୋକେ ତାକୁ ଦେଖି କଲେ ଭୟ ।ଋଷିଙ୍କୁ ଯାନ ବୁହାଇ ଅଳ୍ପେ ଗଲା କ୍ଷୟ ॥
ଏବେ ସେ ଯାଦବେ କଲେ ମୋତେ ଉପହାସ ।ଆମ୍ଭ କୋପେ ଏକାବେଳେ ସର୍ବେ ଯିବେ ନାଶ ॥
ଏମନ୍ତ ବିଚାରି ମୁନି କୋପଭର ହୋଇ ।ସଭାରୁ ଓହ୍ଲାଇ ଗଲେ ମନେ ଲଜ୍ଜା ପାଇ ॥
ବେନି ନୟନରୁ ଫୁଟି ବହେ ଅଶ୍ରୁଧାର ।ମଥୁରା ନଗରୁ ମୁନି ହୋଇଲେ ବାହାର ॥
ଯମୁନାର କୂଳେ କୂଳେ ଥୋକେଦୂର ଗଲେ ।ମରହଟ୍ଟ ଦେଶ ଜିଣି ଡାହାଳେ ମିଳିଲେ ॥
ମଣିଭଦ୍ରା ନାମେ ଅଛି ଏକ ନଦୀ ଗୋଟି ।ସେ ନଦୀରେ ନିତ୍ୟକର୍ମ ସାରି ତପନିଷ୍ଠୀ ॥
କନ୍ଦମୂଳ ଫଳ ତହିଁ କରିଣ ଆହାର ।ମଧ୍ୟାହ୍ନ ସମୟେ ତହୁଁ ହୋଇଲେ ବାହାର ॥
ଅନେକ ବନ ପର୍ବତ ଶାଳଶିଳ ଲତା ।ଅମଗ୍ୟ ନିର୍ଝର ଗମି ଗଲେ ବ୍ରହ୍ମବେତ୍ତା ॥
ମଥୁରା ଧ୍ୱଂସିବେ ବୋଲି ମନରେ ବିଚାରି ।ଯାଦବଙ୍କ ଅପମାନ ହୃଦେ ଛନ୍ତି ଧରି ॥
ମାନଭଙ୍ଗେ କ୍ଷୁଧା ତୃଷା ନିଦ୍ରା ତେଜି ଋଷି ।ଅବିଶ୍ରାନ୍ତ ଗତିକରି ଗଲେ ଦିବାନିଶି ॥
ପଶ୍ଚିମକୁ ମୁଖ କରି ଗମନ୍ତି କେବଳ ।ଅନ୍ନ ବିହୀନରେ ଅଙ୍ଗ ହୋଇଲା ଦୁର୍ବଳ ॥
ସଖା ସହୋଦର କେହି ନାହିଁ ସଙ୍ଗତରେ ।ବେନି ମାସେ ପହଞ୍ଚିଲେ ରୁଦ୍ର ଗଙ୍ଗାତୀରେ ॥
କି କହିବା ସେ ନଦୀର ମହିମା କଥାଟି ।ଉତ୍ତର ବାହିନୀ ହୋଇ ଆସେ ମେରୁ ଫୁଟି ॥
ଶଙ୍କର କରନ୍ତି ଆସି ସେ ନଦୀରେ ସ୍ନାନ ।ଶିବ ପାଦୋଦକ ଜଳ ବହେ ପ୍ରତିଦିନ ॥
ଯୋଗିନୀ ଚଣ୍ଡିକାଗଣ ସର୍ବେ ଘେନି ନିତି ।ସ୍ନାନ ଆଦି ନିତ୍ୟକର୍ମ ଗିରିଜା କରନ୍ତି ॥
କାର୍ତ୍ତିକ ଗଣେଶ ନନ୍ଦୀ ଭୃକୁଟୀ ସହିତେ ।କୋଟି ରୁଦ୍ରଗଣେ ସ୍ନାନ କରୁଥାନ୍ତି ନିତ୍ୟେ ॥
ଶିବଙ୍କ ଉଦ୍ୟାନବନ ନଦୀ ବେନକୂଳେ ।ଅପୂର୍ବ ଶୋଭାବନ ସେ ତରୁ ପୁଷ୍ପ ଫଳେ ॥
କୈଳାସ କନ୍ଦର ଠାରୁ ଅମ୍ୱାବନ ଯାଏ ।ତିନିସସ୍ର ତୋଟା ସବୁ ସ୍ୱାଦୁ ଫଳମୟେ ॥
ସେ ତୋଟରେ ତଳେ ରୁଦ୍ର ଭଇରବ ସୀମା ।ମନ୍ଦର ଗିରିକି ସେହି ପର୍ବତ ଉପମା ॥
ସେ ଗିରିକି ଲାଗିଅଛି ରୁଦ୍ର ଗଙ୍ଗାଧାର ।ଶିବ ଗଙ୍ଗା ନାମେ ତହିଁ ବହେ ଏକଝର ॥
ସେ ଝର କୂଳେ ଦୁର୍ବାସା ଋଷି ଥିଲେ ରହି ।ବ୍ରହ୍ମ ଗୁମ୍ଫା ନାମେ ଏକ ଗୁମ୍ଫା ଅଛି ତହିଁ ॥
ପୁରନ୍ଦର ନାମେ ପୂର୍ବେ ଏକ ଇନ୍ଦ୍ର ଥିଲା ।ଅଗସ୍ତ୍ୟଙ୍କ ଶାପରେ ସେ ରାଜ୍ୟଭ୍ରଷ୍ଟ ହେଲା ॥
ସମୟେ ବଞ୍ଚିଲା ସେହି ଗୁମ୍ଫା ମଧ୍ୟେ ଯାଇ ।ପୁଣି ସ୍ୱର୍ଗେ ଇନ୍ଦ୍ର ହେଲା ରୁଦ୍ରବର ପାଇ ॥
ସେ ଗୁମ୍ଫା ଦ୍ୱାରେ ଅମର ନାମେ ଅଛି ବଟ ।ସେଠାରୁ ପାତାଳ ଯାଏ ଫିଟିଅଛି ବାଟ ॥
ମୟ ନାମେ ବିଶ୍ୱକର୍ମା ସର୍ଜିଲା ସେ ପୁର ।ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ରଖିଅଛି ଦ୍ୱାର ॥
ସେ ଗୁମ୍ଫାର ଦ୍ୱାର ଦେଶେ ମିଳି ଗର୍ଗ ଋଷି ।ପଥଶ୍ରମ ନିବାରିଲେ ବଟମୂଳେ ବସି ॥
ଗୁମ୍ଫାର କବାଟ ଫେଇ ପଶିଣ ଭିତରେ ।ଏ ସ୍ଥାନେ ରହିବା ବୋଲି ଭାବିଲେ ମନରେ ॥
ଜଳେ ସ୍ନାନ ସାରି ମୁନି କଲେ ନିତ୍ୟକର୍ମ ।ସନ୍ଧ୍ୟା ତର୍ପଣ ସହିତେ ବେଦ ଅଧ୍ୟୟନ ॥
ଷଟଦଶ ଉପଚାରେ ଦେବପୂଜା କଲେ ।ଦେବତା ପିତୃଙ୍କୁ ମୁନି ଭକ୍ତିରେ ତୋଷିଲେ ॥
ତଦନ୍ତେ ଆହୁତି ପୁଣି କଲେ ଯଥାବିଧି ।ପରିଶୁଦ୍ଧ ହେଲେ ପଞ୍ଚଭୂତ ଆତ୍ମା ଶୋଧି ॥
ବାହ୍ୟବଳି ବୈଶ୍ୱଦେବ ପୂଜାବିଧି ସାରି ।ତୁଳସୀ ସଲିଳ ପାନ କଲେ ତପଚାରୀ ॥
ବ୍ୟାଘ୍ର ଚର୍ମ ମାଡ଼ି ବସି ଯୋଗେ ମଗ୍ନ ହୋଇ ।ପଞ୍ଚାକ୍ଷର ମନ୍ତ୍ର ଜପ କଲେ ମନଦେଇ ॥
ପଞ୍ଚେନ୍ଦ୍ରିୟ ତ୍ୟାଗକଲେ ଛାଡ଼ି ଲୋଭ ମୋହ ।ଖରା ବର୍ଷା ଶୀତ ବୋଲି ନଜାଣଇ ଦେହ ॥
ମନ ସଙ୍ଗେ ଇନ୍ଦ୍ରିଗଣ ହୋଇ ଏକ ମେଳ ।ନ ଜାଣିଲେ ରାତ୍ର ଦିନ ପ୍ରାତଃ ସନ୍ଧ୍ୟାକାଳ ॥
ଲାଗିଲା ସମାଧି ଯୋଗ ଆତ୍ମାର ସୁଗତି ।ତୁଟିଲା ସଂସାର ଭ୍ରମ ମାୟାମୋହ ରୀତି ॥
ଶୁଖିଗଲା ରକ୍ତମାଂସ ନାଡ଼ି ଆଦିକରି ।କାଷ୍ଠ ପାଷାଣ ମୃତ୍ତିକା ବୋଲି ନୋହେ ବାରି ॥
ଶୁଖିଲା କାଠେ ବକଳ ଲାଗିଥାଏ ଯେହ୍ନେ ।ଗର୍ଗମୁନି ଦେହ ସଞ୍ଚା ଦିଶଇ ତେସନେ ॥
ଶୁଖିଲା ରକତ ମଜ୍ଜା କୃଶ ହେଲା ପିଣ୍ଡ ।କେବଳ ଦିଶଇ ଚକ୍ଷୁ ନାସା କର୍ଣ୍ଣ ମୁଣ୍ଡ ॥
ପର୍ବତ ଗହ୍ୱର ପରି ଦିଶେ ବେନି ଡ଼ୋଳା ।ନାସିକା ବିବର ଦୁଇ ଦିଶେ ଖୋଲା ଖୋଲା ॥
ଶରୀରରେ ପ୍ରାଣ ବାୟୁ ରହିଅଛି ମାତ୍ର ।ଦେଖିବାକୁ ଭୟଙ୍କର ଅସ୍ଥି ଚର୍ମ ଗାତ୍ର ॥
ଶିବଙ୍କୁ କେବଳ ମୁନି ଚିନ୍ତି ଅନ୍ତର୍ଗତେ ।ପଞ୍ଚାକ୍ଷର ମନ୍ତ୍ର ଜପ କଲେ ଏକଚିତ୍ତେ ॥
ଭେଦମୁଦ୍ରା ବନ୍ଧେ ବସେ ସମାଧିରେ ମାଡ଼ି ।କାଉଁରି ମଣ୍ଡଳେ ଅଛି କବାଟରୁ ଫେଡ଼ି ॥
ଷଡ଼ଚକ୍ର ପଞ୍ଚାଶତ ବର୍ଣ୍ଣ ସଙ୍ଗେ ମେଳ ।ଅଲେଖ ଚକ୍ରେ ସହସ୍ର ଦଳ ଯେ କମଳ ॥
ସେହି କମଳେ ଭ୍ରମର ଜୀବ କରେ ବାସ ।ମହାଶୂନ୍ୟ ଭେଦି ତହିଁ ଲାଗେ ଅଗ୍ନିତ୍ରାସ ॥
କହନ୍ତି ଯେ ଶୁକ ବ୍ରହ୍ମା ପଞ୍ଚବେଦ ଧ୍ୱନି ।ଅସଂଖ୍ୟକ ତପକଲେ ଗର୍ଗ ମହାମୁନି ॥
କମ୍ପିଲା ସେ ତପବଳେ ବ୍ରହ୍ମା ଇନ୍ଦ୍ରପୁର ।ଦେଖି ମହାଭୟ କଲେ ସକଳ ଅମର ॥
ମହାଘୋର ତପ ଯହୁଁ କଲେ ଗର୍ଗଯତି ।କୈଳାସ କନ୍ଦରେ ତାହା ଜାଣି ପଶୁପତି ॥
ତକ୍ଷଣେ ବୃଷଭ ପୃଷ୍ଠେ ବିଜୟେ ଧୂର୍ଜଟି ।ବାମ ଡାହାଣରେ ଛନ୍ତି ନନ୍ଦୀ ଭୁରୁକୁଟି ॥
ନବଲକ୍ଷ ଡମ୍ୱରୁ ଯେ ବାଜେ ଚଉକତି ।କୋଟିଚନ୍ଦ୍ର ନିନ୍ଦା କରେ ପଞ୍ଚମୁଖ ଜ୍ୟୋତି ॥
ଶ୍ରୀକରେ ପିନାକଧନୁ ତ୍ରିଶୂଳ ଆବର ।କଟୀତଟେ ବ୍ୟାଘ୍ର ଚର୍ମ ଶିରେ ଜଟାଭାର ॥
ବିଭୂତି ଭୂଷଣ ସ୍ୱାମୀ ଶୁକ୍ଳବର୍ଣ୍ଣ ତନୁ ।ତିନି ନୟନରେ ଶୋଭା ଚନ୍ଦ୍ର ଅଗ୍ନି ଭାନୁ ॥
ବାମକନ୍ଧେ ନାଗ ସର୍ପ ପଇତା ଉତ୍ତରୀ ।କୈଳାସ କନ୍ଦରୁ ବିଜେ କଲେ ତ୍ରିପୁରାରି ॥
ମସ୍ତକରେ ଗଙ୍ଗାଦେବୀ ହୈମବତୀ କୋଳେ ।ଝଟ ଝଟ ଚନ୍ଦ୍ରରେଖା ବିରାଜେ କପାଳେ ॥
ଧୀରେ ଧୀରେ ବିଜେ ସ୍ୱାମୀ ବୃଷଭରେ ବସି ।ଗର୍ଗମୁନି ଅଗ୍ରତରେ ଉଭା ହେଲେ ଆସି ॥
ଘୋର ତପ କରୁଛନ୍ତି ଗର୍ଗ ତପୋଧନ ।ଦେଖି ମନେ ମନେ ହୃଷ୍ଟହେଲେ ତ୍ରିଲୋଚନ ॥
ଅସ୍ଥି ଚର୍ମ କଳେବର ଦେଖି ଦେବକାଶୀ ।ବୋଇଲେ ଭୋ ମୁନି ତୁମ୍ଭ ତପେ ହେଲୁ ତୋଷୀ ॥
ଏତେ ବୋଲି ସଦାଶିବ ଅମୃତ ଦୁଷ୍ଟିରେ ।ଚାହିଁଦ୍ୟନ୍ତେ କ୍ଷଣକରେ ମୁନି ଯୁବାହେଲେ ॥
ଈଶ୍ୱରଙ୍କୁ ଦେଖି ଗର୍ଗ ଯୋଗାସନ ଛାଡ଼ି ।ଶତସଂଖ୍ୟା ଦଣ୍ଡବତ କଲେ ପାଦେ ପଡ଼ି ॥
କରପତ୍ର ଯୋଡ଼ି ପୁଣି କଲେ ବହୁ ସ୍ତୁତି ।ଜୟ ତୁମ୍ଭେ ନିରଞ୍ଜନ ନିରାକାର ଜ୍ୟୋତି ॥
ଜଳ ସ୍ଥଳ ଅଗ୍ନି ବାୟୁ ଠୁଳ ଶୂନ୍ୟକାୟ ।ଅବିନାଶୀ ପୁରୁଷ ତୁ ନାହିଁ ତୋର କ୍ଷୟ ॥
ଅନ୍ଧ କୁଷ୍ଠୀ ଦରିଦ୍ରଙ୍କୁ କଷ୍ଟୁଁ ପାରି କର ।ତୁମ୍ଭର ମହିମା ଦେବ ଅପାରୁ ଅପାର ॥
ସ୍ୱର୍ଗ ମର୍ତ୍ତ୍ୟ ରସାତଳ ଜିଣି ସର୍ବ ପୁରେ ।ସନାତନ ରୂପେ ତୁମ୍ଭେ ଅଛ ସବୁଠାରେ ॥
ତାଣ୍ଡବ ନୃତ୍ୟ ରଙ୍ଗରେ ତୋର ଭୋଳମତି ।ଅଚିନ୍ତ୍ୟ ଚିନ୍ତାମଣି ତୁ ଯୁଗାନ୍ତର ମୂର୍ତ୍ତି ॥
ତୁମ୍ଭ କଳ୍ପନାରୁ ଦେବ ସୃଷ୍ଟି ହେଲା ଜାତ ।ତେଣୁ ସର୍ବ ଜଗତର ତୁମ୍ଭେ ତାତ ମାତ ॥
ଅଷ୍ଟାଙ୍ଗ ଯୋଗ ସାଧନେ ସିଦ୍ଧ ତୁମ୍ଭ ତନୁ ।ଅମୃତ ଲୋଚନ ତୋର ଚନ୍ଦ୍ରାନଳ ଭାନୁ ॥
ପୃଥ୍ୱୀ ଆପ ତେଜ ପୁଣି ବାୟବ୍ୟ ଆକାଶ ।ପଞ୍ଚଭୂତ ଆତ୍ମା ମଧ୍ୟେ କରିଅଛ ବାସ ॥
ନମୋଽସ୍ତୁତେ ସଦାଶିବ ଉମା ପ୍ରାଣବନ୍ଧୁ ।କୈଳାସ କନ୍ଦର ବାସୀ କୃପାଜଳ ସିନ୍ଧୁ ॥
ନମସ୍ତେ ହେ ସଦାନନ୍ଦ ଇନ୍ଦ୍ର ଭୋଗଭୋଗୀ ।ନମସ୍ତେ ହେ ସଦାନନ୍ଦ ପରଂବ୍ରହ୍ମ ଯୋଗୀ ॥
କୀଟ ପତଙ୍ଗାଦିଙ୍କର ମନକଥା ଜାଣୁ ।ମୃତ ହେବା ପ୍ରାଣୀଙ୍କି ତୁ ଲେଉଟାଇ ଆଣୁ ॥
ଗଇଶ ଦୁଦୁରା ଅର୍କ ବିଲ୍ୱ ଦଳାକ୍ଷତେ ।ବାଲୁଙ୍କା ଲିଙ୍ଗରେ ତୋତେ ଯେ ପୂଜଇ ନିତ୍ୟେ ॥
ସେ ଲଭଇ ଇନ୍ଦ୍ରପଦ ଅଚଳା ସମ୍ପତ୍ତି ।ମହିମା ସାଗର ନାଥ ପଞ୍ଚ ବେଦପତି ॥
କରତାଳ ବଜାଇ ଯେ ତୋ ଛାମୁରେ ନାଚି ।ତୁ ତାକୁ ପ୍ରସନ୍ନ ହୋଇ ବର ଦେଉ ଯାଚି ॥
ତୋହର ମହିମା ଦେବ ଆଦିଅନ୍ତ ନାହିଁ ।ସହସ୍ର ମୁଖରୁ ଶେଷ ନ ପାରିବ କହି ॥
କିଞ୍ଚିତ ଭକତି ଦେବ ଘେନିବା ମୋହର ।ମହାଭ୍ରାନ୍ତି ଫେଡ଼ି ବାରେ ଦୋଷ କ୍ଷମାକର ॥
ବିଶ୍ୱନାଥ ଶ୍ରୀଚରଣେ ସଦା ମୋର ସେବା ।ଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ॥
ଏସନକ ସ୍ତୁତି ଯହୁଁ କଲେ ଗର୍ଗମୁନି ।ଶୁଣିଣ ପରମ ତୋଷ ହେଲେ ଶୂଳପାଣି ॥
ଆଜ୍ଞା କଲେ ବର ମାଗ ଯେ ତୋହର ଇଚ୍ଛା ।ପ୍ରସନ୍ନ ହୋଇଲୁ ଆମ୍ଭେ ପୂରାଇବୁ ବାଞ୍ଛା ॥
କାୟ କ୍ଳେଶ ଅଙ୍ଗେ ସହି କଲୁ ଘୋର ତପ ।ପାଇବୁ ପରମ ଗତି ଖଣ୍ଡି ମହାପାପ ॥
ଗର୍ଗମୁନି ବୋଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ ।ମୁଁ କିସ କହିବି ତୁମ୍ଭେ ନ ଜାଣ କି ସ୍ୱାମୀ ॥
ଅନେକ ଭର୍ତ୍ସନା ମୋତେ କହିଲେ ଯାଦବେ ।ମୋର ସେହି ଅପମାନ ଖଣ୍ଡିବା ହୋଇବେ ॥
ସବୁ ଯାଦବଙ୍କୁ ଯେହ୍ନେ ପାରିବି ମୁଁ ଜିଣି ।ତେସନକ ଆଜ୍ଞା ମୋତେ ଦିଅ ଶୂଳପାଣି ॥
ରାମ କୃଷ୍ଣ ଆଦି ମୋତେ ନ ଜିଣିବେ ରଣେ ।ଆବର ଗନ୍ଧର୍ବ ଦେବ ଦୈତ୍ୟ ଯକ୍ଷଗଣେ ॥
ବ୍ରହ୍ମା ଇନ୍ଦ୍ର ଆସିବେଟି ଯେବେ ପରିଘାଇ ।ସେ ମୋତେ ସଂଗ୍ରାମେ ହାରିଯିବେ ଲଜ୍ଜାପାଇ ॥
ନିଶ୍ଚୟ ପ୍ରସନ୍ନ ଯେବେ ହେଲ ତୁମ୍ଭେ ହର ।ଆନ ବରେ କାର୍ଯ୍ୟ ନାହିଁ ଦିଅ ଏହି ବର ॥
ଈଶ୍ୱର ବୋଇଲେ ତୁମ୍ଭେ ଜ୍ଞାନୀ ବ୍ରହ୍ମଚାରୀ ।ରାମ ଦ୍ୱେଷ ଅହଙ୍କାର ନ ଥାଏ ତୁମ୍ଭରି ॥
କାୟ କଦର୍ଥନ କରି ଅରଜିଛ ଧର୍ମ ।ତୁମ୍ଭ ପରା ଲୋକ କେହ୍ନେ କରିବ ଏ କର୍ମ ॥
ସଂଗ୍ରାମରେ ଗୋ ବ୍ରାହ୍ମଣ ଶିର ହୁଏ ଛେଦ ।ଆମ୍ଭଙ୍କୁ ନ ଗଲା ଦେଖ ହତ୍ୟା ଅପବାଦ ॥
ଅପମାନ ପାଇବାରୁ ଯୁଦ୍ଧେ କର ଶ୍ରଦ୍ଧା ।ସେ କର୍ମ କଲେ ଲାଗିବ ନିଶ୍ଚେଁ ପାପ ବାଧା ॥
ବିଶେଷରେ ବୃଦ୍ଧ ତୁମ୍ଭେ ପୁଣି ବ୍ରହ୍ମଋଷି ।ପାପକର୍ମ କରି ପୁଣ୍ୟ ଦେବ କିପାଁ ନାଶି ॥
ଆମ୍ଭର ବଚନ ଏବେ ଶୁଣ ପରମାଣ ।ଇହଲୋକେ ପରଲୋକେ ହୋଇବ କାରଣ ॥
ଯାଦବଙ୍କୁ ଜିଣିବାକୁ କରିଛ ବିଚାର ।ଆପଣା ହସ୍ତେ ନ ମାରି ପରହସ୍ତେ ମାର ॥
ଆବର ବିଶେଷେ ନାହିଁ ତୁମ୍ଭର ସନ୍ତତି ।ସନ୍ତାନ ନ ଥିଲେ ପ୍ରାଣୀ ନ ଲଭଇ ମୁକ୍ତି ॥
ଏବେ ଏକ ପୁତ୍ର ତୁମ୍ଭେ ପାଅ ବଳବନ୍ତ ।ଯାଦବଙ୍କୁ କିଞ୍ଚିତରେ ଜିଣିବ ସେ ପୁତ୍ର ॥
ରାମକୃଷ୍ଣ ଆଦି ତାକୁ ହାରିଯିବେ ରଣେ ।ନବଦ୍ୱୀପେ ସାତସିନ୍ଧୁ ଜିଣିବ ସେ ଜଣେ ॥
ଆପଣା କାର୍ଯ୍ୟ କରାଇ ଯେବେ ପୁତ୍ର ହସ୍ତେ ।ସାଧୁ ସାଧୁ ବଲି ତାକୁ ବୋଲନ୍ତି ସମସ୍ତେ ॥
ପୁତ୍ର ନ ପାରିଲେ ଯେବେ ନାତି କାର୍ଯ୍ୟକରେ ।ତାକୁ ବଡ଼ ଧନ୍ୟବାଦ ମିଳେ ଜଗତରେ ॥
ଗର୍ଗ ବୋଇଲେକ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ ।ଏ ତୁମ୍ଭ ଶ୍ରୀମୁଖ ଆଜ୍ଞା କେ ଲଘିଂବ ସ୍ୱାମୀ ॥
ସର୍ବଭୂତ ଆତ୍ମା ତୁମ୍ଭେ ଅନାଦି ଶଙ୍କର ।ଅପମାନ ସମୁଦ୍ରରୁ ମୋତେ ପାରିକର ॥
ବୃଦ୍ଧକାଳେ ଯେବେମୋତେ ଦେବ ପୁତ୍ର ଦାନ ।ଏଥିରୁ ଅଧିକ ଆଉ ଅଛଇ କି ପୁଣ୍ୟ ॥