ହରିବଂଶ (ଚତୁର୍ଥ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୭ / ୮ · ଗୋପାଳଙ୍କ ସହିତ ନନ୍ଦର ଗୋପପୁର ପ୍ରତ୍ୟାବର୍ତ୍ତନ (୫)
ସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟମଲ୍ଲ ମାରି ପୁଣି ବଧ କଲେ କଂସ ।ମୃତ ପୁତ୍ର ଜୀଆଇଲେ ଏହି ପୀତବାସ ॥
ଏତେ ଗୁଣ ରହିଅଛି ଯା ଦେହରେ ପୂରି ।ସଭାକୁ ଅଯୋଗ୍ୟ ହେଲେ ସେ କୃଷ୍ଣ କିପରି ॥
ଏହା ଶୁଣି ଜରାସନ୍ଧ ବୋଲେ କଥା ସନ୍ଧି ।ନ ବୁଝିଣ କହୁଅଛ କିପାଇଁ ଅବିଧି ॥
ମୂର୍ଦ୍ଧାଅଭିଷେକୀ ରାଜା ବସଇ ସଭାରେ ।କିବା ରାଜପୁତ୍ର ହୋଇଥିଲେ ବସିପାରେ ॥
ଯେବେ ଜାଣ ବସୁଦେବ ପୁତ୍ର ଏ ସ୍ୱରୂପ ।କହ ବସୁଦେବ ଅଟେ କେଉଁ ଦେଶେ ନୃପ ॥
ମଥୁରାରେ ଉଗ୍ରସେନ ହୋଇଅଛି ରାଜା ।ସକଳ ଯାଦବଗଣେ ତାହାର ପରଜା ॥
ପାତ୍ର ପୁତ୍ର ହୋଇ କୃଷ୍ଣ ଏ ରାଜ ସଭାରେ ।କିପରି ବସିବ ଏହା କହୁଛ ମୁଖରେ ॥
ଜରାସନ୍ଧ କଥା ଶୁଣି ସାଧୁ ନୃପଯାକ ।ବୋଇଲେ କୌଶିକ ରାଜ୍ୟେ ହେଲେ ଅଭିଷେକ ॥
ଅଭିଷିକ୍ତ ହୋଇ ରାଜ୍ୟେ ରାଜା ହେଲେ ଯେବେ ।ରାଜସଭା ମଧ୍ୟେ କିପାଁ ବସି ନ ପାରିବେ ॥
ଏହା ଶୁଣି କୋପଭରେ ଉଠି ଶିଶୁପାଳ ।ବୋଇଲେ ନ ଜାଣି କିପାଁ କରୁଅଛ ଗୋଳ ॥
ଧର୍ମବନ୍ତ ବୋଲି ଯାହା ବୋଲୁଛ ଏହାଙ୍କୁ ।ସ୍ତିରୀହତ୍ୟା ଅରଜିଲା ମାରି ପୂତନାକୁ ॥
ଷଣ୍ଢା ବଧ କରି ନେଲା ଗୋରୁହତ୍ୟା ଦୋଷ ।ଗୁରୁପତ୍ନୀ ହରି ବନେ କରିଲା ରାହାସ ॥
ଗୌଡ଼ଘରେ ଅନ୍ନ ଖାଇ ଭ୍ରଷ୍ଟ କଲା କାୟା ।ତଥାପି ୟା ଠାରେ ତୁମ୍ଭେ କରୁଅଛ ଦୟା ॥
ମୂର୍ଖପଣେ କଉଶିକ ରାଜ୍ୟ ତାକୁ ଦେଲା ।ପାପୀ ସଙ୍ଗେ ସଙ୍ଗ ହୋଇ ପାପ ଅରଜିଲା ॥
ତୁମ୍ଭେ ତାକୁ ବସାଇଲେ ଆମ୍ଭ ଯିବୁ ଉଠି ।ଜାଣୁ ଜାଣୁ ପାପୀ ସଙ୍ଗେ କରିବୁ କି ଗୋଷ୍ଠୀ ॥
ଏହା ଶୁଣି ମନେ ଲଜ୍ଜା ପାଇ ଚକ୍ରଧର ।ବାହୁଡ଼ିଲେ କରେ ଧରି ବଳଦେବ କର ॥
ଅପମାନ ପାଇ ରଥେ ବିଜେକଲେ ଯାଇ ।ସୁରଥ ସହିତେ ସଙ୍ଗେ ଛନ୍ତି ଷଡ଼ଭାଇ ॥
କୌଶିକ ରଜାଙ୍କୁ ଘେନି ବସି ଦେବରଥେ ।ଗରୁଡ଼କୁ ସୁମରଣା କଲେ ଅନ୍ତର୍ଗତେ ॥
ଜୟ ଜୟ ଖଗେଶ୍ୱର ଅନାଦି ଅନନ୍ତ ।ପରମ ବୈଷ୍ଣବ ତୁମ୍ଭେ ବିନତାର ସୁତ ॥
ଅକ୍ଷୟ ଅଜରାମର ଅଟ ମହାଯୋଗୀ ।ପନ୍ନଗ ଅଶନ ତୁମ୍ଭେ ଅଇଶ୍ୱର୍ଯ୍ୟ ଭୋଗୀ ॥
ସୁବର୍ଣ୍ଣ ବରନ ତନୁ ଦିଶେ ଜ୍ୟୋତିର୍ମୟ ।କ୍ଷଣକରେ ତ୍ରିଭୁବନ କରିପାରେ ଜୟ ॥
କଳା କାମ ନିଦ୍ରା ଆଦି ବିବର୍ଜିତ ଅଙ୍ଗ ।ଜ୍ଞାନବଳେ କରିଅଛ ପରମାତ୍ମା ସଙ୍ଗ ॥
ତବ ଅଙ୍ଗେ ନ ଭେଦଇ ଜନ୍ମ ମୃତ୍ୟୁ ବେନି ।ନିମିଷକେ ଭ୍ରମିପାର ସକଳ ମେଦିନୀ ॥
କଶ୍ୟପ ବିନତା ଦୁହେଁ ତୁମ୍ଭେ ପିତା ମାତା ।ତୁମ୍ଭେ ଭୂତ ଭବିଷ୍ୟତ ବର୍ତ୍ତମାନ ଜ୍ଞାତା ॥
ଅଷ୍ଟାଙ୍ଗ ଯୋଗରେ ଗତି ରୀତି ସବୁ ଜାଣ ।ଚଉରାଶୀ ଖଣ୍ଡ ଜ୍ଞାନ ଆପଣେ ବଖାଣ ॥
କଳ୍ପ କଳ୍ପାନ୍ତର କାଳେ ନାହିଁ ତୁମ୍ଭ ମୃତ୍ୟୁ ।ପୃଥ୍ୱୀ ଆପ ତେଜ ବାୟୁ ଆକାଶର ହେତୁ ॥
ଶଉଚ ନିର୍ମଳ ସଦାକାଳେ ନବଯୁବା ।ସବୁ ପକ୍ଷୀମାନଙ୍କର ଅଟ ତୁମ୍ଭେ ଦେବା ॥
ପକ୍ଷାଘାତ ଅଣଞ୍ଚାଶ ବାୟୁ ହୁଏ ଜାତ ।ଚଞ୍ଚୁ ପୁଟେ ବହିଥିଲ ବ୍ରହ୍ମାଣ୍ଡ ସପତ ॥
ନାସିକା ରନ୍ଧ୍ରେ ଶୋଷଣ କଲ ସପ୍ତସିନ୍ଧୁ ।ମହତ ମର୍ଯ୍ୟାଦାବନ୍ତ ପ୍ରାଣୀଙ୍କର ବନ୍ଧୁ ॥
ଆଚାରେ ନିର୍ଜିତ ତୁମ୍ଭେ ବିଚାରେ ସୁବୋଧ ।ଯତିଙ୍କର ଯତି ତୁମ୍ଭେ ସିଦ୍ଧଙ୍କର ସିଦ୍ଧ ॥
ନମସ୍ତେ ବିନତା ସୁତ ନାଗଙ୍କ ବଇରୀ ।ସପତ ଭାଣ୍ଡ ଅମୃତ ରକ୍ଷା ଅଧିକାରୀ ॥
ନାନା ରତ୍ନ ଭୂଷଣରେ ଶୋହେ ତୁମ୍ଭ ତନୁ ।ଯା ମହିମା ବଖାଣନ୍ତି ସ୍ୱର୍ଗେ ଶତମନ୍ୟୁ ॥
ଇନ୍ଦ୍ରିୟ ନିଗ୍ରହ କରି ଯୋଗ କଲ ସିଦ୍ଧି ।ହୃଦୟ କମଳେ ମନ ଥୋଇ ଜ୍ଞାନ ସାଧି ॥
ଆଦିତ୍ୟ ରଥେ ସାରଥି ଅରୁଣ ଯା ଭାଇ ।ବିଷ୍ଣୁ ଲୋକ ପରିଯନ୍ତେ ହେଳେ ପାର ଯାଇ ॥
ଅପାର ମହିମା ଯାର ଆଦି ଅନ୍ତ ନାହିଁ ।ମୁଁ କିସ କହିବି ଅବା ନରଦେହ ବହି ॥
ଖଗପତି ଚରଣରେ ଶତେ ବାର ନମି ।ଅଚ୍ୟୁତ ଦାସ କବିକି ଉଦ୍ଧରିବା ସ୍ୱାମୀ ॥
ଏସନକ ସ୍ତୁତି ଯହୁଁ କଲେ ଚକ୍ରଧର ।ଜାଣିଲେ ରମ୍ୟକ ଦ୍ୱୀପେ ଥାଇ ଖଗେଶ୍ୱର ॥
ରତ୍ନପୀଠ ସବିତରେ କମ୍ପିଲା ଆସନ ।ବିଚାରିଲେ ସୁମରିଲେ ମୋତେ ଭଗବାନ ॥
ଏତେ ବୋଲି ଧାତିକାରେ ଉଡ଼ିଲେ ଗଗନେ ।ଅନଳ ସମାନେ ତେଜ ବିରାଜଇ ଶୂନ୍ୟେ ॥
ପ୍ରଚଣ୍ଡ ଆଦିତ୍ୟ ପ୍ରାୟ ବିକାଶଇ ଜ୍ୟୋତି ।ପବନହୁଁ ବେଗ ହୋଇ ଗଲେ ଶୀଘ୍ର ଗତି ॥
ପକ୍ଷ ଚାଳି ଉଡ଼ିଯାନ୍ତେ କମ୍ପଇ ବ୍ରହ୍ମାଣ୍ଡ ।ଅଣଞ୍ଚାଶ ବାୟୁ ଯେହ୍ନେ ବହଇ ପ୍ରଚଣ୍ଡ ॥
ଶବଦେ ସ୍ତବଧ ହୋଇ ସକଳ ନୃପତି ।ନୟନକୁ ସ୍ଥିର କରି ଆକାଶେ ଚାହାଁନ୍ତି ॥
ଦେଖିଲେ ଗରୁଡ଼ ମୂର୍ତ୍ତି ଦିଶଇ କରାଳ ।ନିର୍ଧୂମ ଅନଳ ଜିଣି ତେଜ ଅନ୍ତରାଳ ॥
ମଧ୍ୟାହ୍ନ ସୂର୍ଯ୍ୟକୁ ଯେହ୍ନେ ନ ପାରନ୍ତି ଚାହିଁ ।ଶ୍ରବଣ ଛୁଇଁଲେ ନୃପେ ଚକ୍ଷୁ ବୁଜିଦେଇ ॥
କାହାର ହସ୍ତରୁ ଖସି ତଳେ ପଡ଼େ ଅସ୍ତ୍ର ।ଭୟରେ କାତର ହୋଇ କମ୍ପେ କାହା ଗାତ୍ର ॥
ଓଷ୍ଠ କଣ୍ଠ ଶୁଖି ଶୀର୍ଣ୍ଣ ଦିଶେ କାହା ତନୁ ।ଥୋକାଏ ନୃପତି ଧରି ନ ପାରିଲେ ଧନୁ ॥
ଭୟେ ଧରି ନ ପାରିଲେ ଶସ୍ତ୍ର ଯେ ଯାହାର ।ବାତେ ରମ୍ଭାବନ ପ୍ରାୟ କମ୍ପଇ ଶରୀର ॥
କେଶ ବାସ ଅସମ୍ଭାଳ ସିଂହାସନ ଛାଡ଼ି ।ଉଠନ୍ତେ ପଡ଼ିଲେ ତଳେ ହୋଇଣ କଚାଡ଼ି ॥
କାହା ମୁକୁଟ କମ୍ପିଲା କମ୍ପିଲା କା ଶିର ।କାହା ଛାତି କମ୍ପେ କାର କମ୍ପେ ବେନିକର ॥
ଭେଳିକି ଲାଗିଲା କଥା ନ ପାରନ୍ତି କହି ।ଭୟେ କମ୍ପମାନ ହେଲା ସମସ୍ତଙ୍କ ଦେହୀ ॥
ତରସ୍ତ ହୋଇ ଦେଖନ୍ତି ସବୁ ନୃପବର ।ମିଳିଲା ଶ୍ରୀକୃଷ୍ଣ ପାଶେ ଆସି ଖଗେଶ୍ୱର ॥
ଶିରେ କରପତ୍ର ଯୋଡ଼ି ବୋଲେ ପକ୍ଷିରାଣ ।କି କାରଣେ ସୁମରିଲ ମୋତେ ନାରାୟଣ ॥
ତବ ଦରଶନେ ମୋର ପାପ କ୍ଷୟ ଗଲା ।ନିସ୍ତରିଲି ସୁପ୍ରଭାତ ଆଜ ହୋଇଥିଲା ॥
ଭକ୍ତି ମୁକ୍ତି ଲାଭ କଲି ସିଦ୍ଧ ହେଲା କାର୍ଯ୍ୟ ।ଏତେକାଳେ ଦରଶନ ଦେଲ ଦେବରାଜ ॥
କି କାର୍ଯ୍ୟ ପଡ଼ିଛି ଏବେ କରିବି ମୁଁ କହ ।ଶ୍ରୀମୁଖରୁ ଆଜ୍ଞା ହେଲେ ଫିଟିବ ସନ୍ଦେହ ॥
ଶ୍ରୀଜଗନ୍ନାଥ ବୋଇଲେ ଶୁଣ ପକ୍ଷିରାଜା ।ଏ ଦୁଷ୍ଟ ରାଜାଙ୍କ ମୁଖେ ପାଇଲି ମୁଁ ଲଜ୍ଜା ॥
ଅନେକ ଭର୍ତ୍ସନା କରି ନ ଦେଲେ ବସାଇ ।ଲେଉଟି ଅଇଲୁ ଆମ୍ଭେ ଅପମାନ ପାଇ ॥
ଗରୁଡ଼ ବୋଇଲେ ମୋତେ ଆଜ୍ଞା ଦିଅ ହରି ।ନିମିଷକେ ସମସ୍ତଙ୍କୁ ଦେବି ମୁଁ ସଂହାରି ॥
ଶ୍ରୀକୃଷ୍ଣ ବୋଇଲେ କ୍ଷଣେ କୋପ ସଂହରିବି ।ଏ ଘାନ୍ତି ଘଉଡ଼ି ଦେଇ ପଛନ୍ତେ ମାରିବି ॥
ଦେବକାର୍ଯ୍ୟ ହେବ ପୃଥ୍ୱୀ ହୋଇବ ଉଶ୍ୱାସ ।ବାଞ୍ଛା ସିଦ୍ଧ କରି ଆମ୍ଭେ ଲଭିବା ସୁଯଶ ॥
ଆମ୍ଭର ବଚନ ଏବେ ଶୁଣ ପକ୍ଷୀ ବର ।ସର୍ବେ ଅପମାନ ପାନ୍ତୁ ସଭା ଭଙ୍ଗ କର ॥
ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏ ରହିବ ଏ କଥା ।ପ୍ରାଣେ ନ ମରି ପଳାନ୍ତୁ ପାଇ ଲାଜ ବ୍ୟଥା ॥
ଗରୁଡ଼କୁ ଏହି ଆଜ୍ଞା ଦେଇ ଚକ୍ରଧର ।ଆକଶକୁ ଉଠିଗଲେ ଚଢ଼ି ରହୁବର ॥
ସ୍ୱାମୀ ଆଜ୍ଞା ମସ୍ତକରେ ଘେନି ଖଗପତି ।ଭୟଙ୍କର ରୂପ ଧରି ହେଲେ ଉଗ୍ରମୂର୍ତ୍ତି ॥
ଆକାଶ ମଣ୍ଡଳେ ଶିର ଲାଗିଲାକ ଯାଇ ।ବୃନ୍ଦାରକେ ପଳାଇଲେ ଦେଖି ଭୟ ପାଇ ॥
ପଞ୍ଚାଶ ସହସ୍ର ଯୂଣ ବିସ୍ତାରିଲେ ଡେଣା ।ଆକାଶ ଘୋଟନ୍ତେ ସୂର୍ଯ୍ୟ ତେଜ ହେଲା ଊଣା ॥
ମେରୁ ମନ୍ଦର ପରାୟେ ଦିଶେ ବେନି ପାଦ ।ପ୍ରଚଣ୍ଡ ମେଘ ଗର୍ଜ୍ଜନ ପ୍ରାୟ ଘୋର ନାଦ ॥
ରଟମଟ ଦନ୍ତପାଟି ବିକଟାଳ ମୂର୍ତ୍ତି ।ଧ୍ରୁବଲୋକ ପରିଯନ୍ତେ ବିରାଜଇ ଜ୍ୟୋତି ॥
କରାଳ ବଦନ କାଳନଳ ଚକ୍ଷୁ ବେନି ।ଦିନକର ଉଇଁଲେ କି କୋଟି ରଶ୍ମି ଘେନି ॥
ଦହ ଦହ ଦମ ଦମ କୁହୁ କୁହୁ ନାଦ ।ଶବଦରେ ତ୍ରିଭୁବନ ହୋଇଲା ସ୍ତବଧ ॥
ଲାଙ୍ଗୁଳ ହଲାଇ ପକ୍ଷୀ ଡେଣା ଦେଲା ଝାଡ଼ି ।ପ୍ରଚଣ୍ଡ ପବନ ବହେ ବୃକ୍ଷାନ୍ତ ଉପୁଡ଼ି ॥
ଉଡ଼ିଲେ ପର୍ବତ ଶାଳ ଶିଳ ଆଦିକରି ।ମଟ ମଟ ହୋଇ ସଭା ଭାଙ୍ଗି ହେଲା ଚୂରି ॥
ବତାସ ବହିଲେ ଯେହ୍ନେ ଉଡ଼େ ତୂଳାକୁଢ଼ ।ଭାଙ୍ଗିଲା ପ୍ରାସାଦ ପୁର ଅଟ୍ଟାଳିକା ମେଢ଼ ॥
ଛିନ୍ନଛତ୍ର ହୋଇ ପଡ଼େ ରୁଅ ଶେଣୀ କାଠ ।ଗଜବନ୍ଧମାନ ଛିଡ଼ି ପଡ଼ିଲା କବାଟ ॥
ସିଂହାସନ ସହିତରେ ସବୁ ନୃପମଣି ।କେଣେ ଉଡି ପଳାଇଲେ ତା କେହି ନ ଜାଣି ॥
କେ ଦଶଯୋଜନେ ପଡ଼େ କେ ବିଂଶ ଯୋଜନେ ।ଶତ ଯୋଜନେ ପଡ଼ିଲେ ଉଡ଼ି କେଉଁମାନେ ॥
କର ଚରଣ ମସ୍ତକ ଛିଡ଼ିଲା କାହାର ।କାର ଆଣ୍ଠୁ ଗଣ୍ଠି ଛିଡ଼ି ବହଇ ରୁଧିର ॥
କାହା ଅଙ୍ଗ ମେଞ୍ଚା ହେଲା ବିଷମ ଆଘାତେ ।କେ ଜଳେ ପଡ଼ିଲା କେହୁ ଦୁର୍ଗମ ବନସ୍ତେ ॥
ପଡ଼ିଲା ଠାବରୁ କେତେ ନ ପାରନ୍ତି ଚଳି ।ନାସିକା ଶ୍ରବଣେ ଫୁଟେ ରୁଧିର ନିକିଳି ॥
ଗଜ ଅଶ୍ୱ ରଥ ରଥୀ ପଦାତି ସହିତେ ।ଦେଖଣାହାରୀଏ ଉଡ଼ିଗଲେ ଶୂନ୍ୟପଥେ ॥
ସ୍ୱୟମ୍ୱର ସଭା ଭାଙ୍ଗି ହେଲା ରଣଭଣ ।ଅନେକ ଦୂରେ ପଡ଼ିଲେ ଉଡ଼ି ରାଜାଗଣ ॥
ରତ୍ନବସ୍ତ୍ର ଆଦିକରି ଦେହ ଅଳଙ୍କାର ।ଛିନ୍ନଛତ୍ର ହେଲା ଅଙ୍ଗୁ ପଡ଼ି ନୃପଙ୍କର ॥
ରଥୀଙ୍କ ଉପରେ ରଥ ପଡ଼ିଲା କଚାଡ଼ି ।ଅଶ୍ୱ ତୁଲେ ପଦାତିଏ ପଳାଇଲେ ଉଡ଼ି ॥
କା ମୁଣ୍ଡେ ପଡ଼ିଲା ମାଡ଼ି ଗୃହ ଭଗ୍ନକାଠ ।ଛିନ୍ନ ଭିନ୍ନ ହେଲେ ଲକ୍ଷେ ନୃପଙ୍କର ଥାଟ ॥
ଚାରି ଊଣା ଲକ୍ଷେ ରାଜା କେଣେ ଉଡ଼ିଗଲେ ।ଚାରି ସହସ୍ର ଚାରିଶ ସେ ସ୍ଥାନରେ ଥିଲେ ॥
କେତେ ରଥ ଅଶ୍ୱ ଗଜ ସେନା ମଲେ ପଡ଼ି ।ଚାରିଆଡ଼େ କୁଢ଼ ହେଲେ ମୃତଶବ ପଡ଼ି ॥
ସଭା ଭଗ୍ନ ହେଲା ଦେଖି ଭୀଷ୍ମକ ରାଜନ ।ପାଞ୍ଚପୁତ୍ର ସଙ୍ଗେ ଘେନି କଲେ ପଳାୟନ ॥
ନଗର ଭିତରେ ପଶି ଲୁଚିଲେ ଭୟରେ ।ଦାସୀଗଣ ଜଣାଇଲେ ରୁକ୍ମିଣୀ ଛାମୁରେ ॥
ଅପୂର୍ବ କଥାଏ ମାଗୋ ଶୁଣ ଦେଇ ମନ ।ସଭା ମଧ୍ୟେ ବିଜେକଲେ ରାମ ଭଗବାନ ॥
ମାଗୋ ତୁମ୍ଭ ଜ୍ୟେଷ୍ଠ ଭାଇ ରୁକ୍ମିଣୀ କୁମର ।ଜଗନ୍ନାଥଙ୍କୁ ବହୁତ କଲେ ତିରସ୍କାର ॥
ଦୁଷ୍ଟ ରାଜାମାନେ ମଧ୍ୟ ହୋଇ ଏକମେଳି ।ବସିବା ଠାବ ନ ଦେଲେ ଦେଲେ ବହୁ ଗାଳି ॥
ଦୂଷିତ ବଚନେ କଲେ ଅନେକ ଭର୍ତ୍ସନ ।ବିଶ୍ୱମ୍ୱର ପୁରୁଷକୁ ଦେଲେ ଅପମାନ ॥
ଅପମାନ ପାଇ ରାମକୃଷ୍ଣ ଫେରିଗଲେ ।ଶୂନ୍ୟେ ରହି ଗରୁଡ଼ଙ୍କୁ ସୁମରଣା କଲେ ॥
ବିନତା ନନ୍ଦନ ଆସି କୃଷ୍ଣ ଆଜ୍ଞା ପାଇ ।ବେନି ପକ୍ଷ ବିଞ୍ଚିଲେ ସେ ଆକାଶରେ ଥାଇ ॥
ପକ୍ଷଘାତେ ଜାତ ହେଲା ପ୍ରଚଣ୍ଡ ପବନ ।ସଭା ନୃପଗଣେ ଉଡ଼ି ହେଲେ ଛିନ୍ନ ଭିନ୍ନ ॥
ଏଡ଼େ ବଡ଼ ସଭା ଭାଙ୍ଗି ହେଲା ଛାରଖାର ।ସିଂହାସନେ ବସିଥିଲେ ଯେତେ ନୃପବର ॥
ମୋହମାନ ହେଲେ ସର୍ବେ ଶସ୍ତ୍ରମାନ ଛାଡ଼ି ।ପକ୍ଷବାତେ ତୃଣ ପ୍ରାୟ ଶୂନ୍ୟେ ଗଲେ ଉଡ଼ି ॥
ଏଡ଼େ ବଡ଼ କାର୍ଯ୍ୟ ମାଗୋ ହେଲା ଅକାରଣ ।ନ ଜାଣିଲୁ କାହିଁ ଉଡ଼ିଗଲେ ନୃପଗଣ ॥
ଅପାର ଲଜ୍ଜା ପାଇଲେ ସର୍ବ ନୃପମଣି ।ମଲେ କି ଜୀଇଲେ ତାହା ନ ପାରିଲୁ ଜାଣି ॥
ତୋହର ନିମନ୍ତେ ପିତା ସ୍ୱୟମ୍ୱର କଲା ।କିଛି କାର୍ଯ୍ୟ ନ ହୋଇ ସେ ସଭା ଧ୍ୱଂସ ହେଲା ॥
ରୁକ୍ମିଣୀ ବୋଇଲେ ମୁହିଁ ଅର୍ଜିଅଛି ଯିସ ।ତହିଁକି ନିସତ ହେଲେ ହେବ ଆଉ କିସ ॥
ଏ ରାଜାମାନଙ୍କୁ ମୋର ଚିତ୍ତ ନ ବଳଇ ।ଅକାରଣେ ପିତା ଗଞ୍ଜି ହେଲେ କାହିଁପାଇଁ ॥
ବିଧି ଏହା ଘଟାଇଲା ମୋର ମନ ଜାଣି ।ଏମନ୍ତ ବୋଲି ମଉନ ହୋଇଲେ ରୁକ୍ମିଣୀ ॥
ସେ ରୁକ୍ମିଣୀ ପାଦପଦ୍ମେ ସଦା ମୋର ସେବା ।ଅଚ୍ୟୁତ ଦାସ କରିବୁ ଗତି ମୁକ୍ତି ଦେବା ॥
ରାମକୃଷ୍ଣଙ୍କ ଇନ୍ଦ୍ରଭୁବନ ପ୍ରବେଶଶୁକ ବୋଇଲେ ହେ ଶୁଣ ପରୀକ୍ଷିତ ରାୟେ ।ଅଧାସ୍ୱର୍ଗେ ଥାଇ ଦେଖୁଥିଲେ ଦେବତାଏ ॥
ଭଗ୍ନବଳ ଘେନି ତହୁଁ ସକଳ ନୃପତି ।ଯେ ଯାହା ରାଜ୍ୟକୁ ଗଲେ ମନେ ପାଇ ଭୀତି ॥
ଅନେକ ସଇନ ତୁଲେ ମଲେ ଅଶ୍ୱଗଜ ।ଜନମୁଖେ ନୃପଙ୍କର ଉପୁଜିଲା ଲାଜ ॥
କେ ଅଇଲା କେ ନଇଲା କେ ରହିଲା ବାଟେ ।କେତେ ଛୋଟା ହେଲେ କେତେ ମଲେ ଛଟପଟେ ॥
ମଲାଲୋକକୁ କେ କରି ପାରିବ ଗଣିତା ।କେ ବୋଲଇ ଭାଇ ସଙ୍ଗେ ମଲା ମୋର ପିତା ॥
କେ ବୋଲଇ ପୁତ୍ରମଲା ଭଡ଼ି ଘୋର ବାତେ ।କେ ବୋଲେ ପଡ଼ିଲା କାହିଁ ଦେଖିବି କେମନ୍ତେ ॥
ବନ୍ଧୁ ବାନ୍ଧବ ସୁମରି କରନ୍ତି କାରୁଣ୍ୟ ।ପଚାରି ଦୁଃଖ କରନ୍ତି ଯେଝା ବନ୍ଧୁଗଣ ॥
ଏସନ ଉଚ୍ଚାଟ ତହିଁ କରାନ୍ତେ ଶ୍ରୀହରି ।ଅସୁର ରାଜାଏ ମନେ ଶଙ୍କା କଲେ ଡରି ॥
ବଳ ଓଜ ହାନି ହେଲା ହେଲେ ହତବୀର୍ଯ୍ୟ ।ଦୁଷ୍ଟ ଦୈତ୍ୟମାନଙ୍କର ଚ୍ୟୁତ ହେଲା ଧୈର୍ଯ୍ୟ ॥
ସନ୍ଥ ରାଜାମାନେ ଦେଖି ହରଷ ହୋଇଲେ ।ଯେ ଯାହାର କୁଳଗୋତ୍ର ଘେନି ମାନ୍ୟ କଲେ ॥
ଭକ୍ତମାନଙ୍କର ଭାଗ୍ୟ ହୋଇଲା ଉଦୟ ।ଶୂନ୍ୟେ ସୁର ସିଦ୍ଧମୁନି କଲେ ଜୟ ଜୟ ॥
ଅଶେଷ ଲୋକ ଜାଣିଲେ ନାରାୟଣ ଏହି ।ପରମ ନିରଞ୍ଜନ ଏ ପୁଣ୍ୟମୟ ଦେହୀ ॥
କେ ବୋଲଇ ଏଡ଼େ ବଡ଼ ସଭା ଭଗ୍ନ କଲେ ।କେ ବୋଲଇ ମଲା ଲୋକ ଜୀଆଇଁ ଆଣିଲେ ॥
କେ ବୋଲନ୍ତି ଏ କଂସକୁ ମାଇଲା ଦିନହୁଁ ।ପରତେ ଗଣିଲୁ ଆମ୍ଭେ ତୁମ୍ଭର ନ କହୁଁ ॥
କେ ବୋଲଇ ଏ କଲେଣି ଯେତେବେଳେ କର୍ମ ।ତା ଦେଖି ଜାଣିଲୁ ଏହୁ ନିଶ୍ଚେ ଭଗବାନ ॥
କେ ବୋଲେ ୟାଙ୍କ ମହିମା ଜାଣି ତ ନପାରି ।ନିଶ୍ଚଳେ ରହିବା ୟାଙ୍କ ପାଦେ ସେବା କରି ॥
ଏଥୁ ଅନନ୍ତରେ ଶୂନ୍ୟେ ରାମକୃଷ୍ଣ ବେନି ।ବିମାନ ଆରୋହି ଗଲେ ଭ୍ରାତୃଗଣ ଘେନି ॥
ବୃହସ୍ପତି ଜଣାଇଲେ ଇନ୍ଦ୍ରମୁଖ ଚାହିଁ ।ଆମ୍ଭର ବଚନ ତୁମ୍ଭେ ଶୁଣ ଶଚୀସାଇଁ ॥
ଗୁରୁପତ୍ର ଆଣି ଦେଇ ଭ୍ରାତଗଣ ଘେନି ।ମଥୁରାକୁ ଯାଉଛନ୍ତି ରାମକୃଷ୍ଣ ବେନି ॥
ରୁକ୍ମିଣୀର ସ୍ୱୟମ୍ୱର ଭାଙ୍ଗି ଦେବ ହରି ।ଛୟାଣୋଇ ସସ୍ର ରାଜା ଥିଲେ ସଭା କରି ॥
ଦୁଷ୍ଟ ନୃପେ କୃଷ୍ଣ ପ୍ରତି ଆଚରିଲେ ମନ୍ଦ ।କୋପ ଶାନ୍ତ କଲେ ହରି ନ କରିଣ ମନ୍ଦ ॥
ଜାଣନ୍ତି ନାନାଦି କୂଟମାୟା ବାସୁଦେବ ।ଗରୁଡ଼ ହସ୍ତେ ସବୁଙ୍କୁ ଦେଲେ ପରାଭବ ॥
ଅବହେଳେ ପକ୍ଷିରାଜା ପକ୍ଷ ଦେଲେ ଝାଡ଼ି ।ଛିନ୍ନଛତ୍ର ହୋଇ ନୃପେ ପଳାଇଲେ ଭଡ଼ି ॥
ଥୋକେ ମଲେ ଥୋକେ ଉଡ଼ି ପଳାଇଲେ ପୁଣ ।ଅସୁରଙ୍କ ଦର୍ପ ଚ୍ୟୁତ କଲେ ନାରାୟଣ ॥
ଆମ୍ଭର ନିମନ୍ତେ କୃଷ୍ଣ ଏତେ କାର୍ଯ୍ୟ କଲେ ।ବରୁଣଙ୍କୁ ସଙ୍ଗେ ଘେନି ଯମପୁର ଗଲେ ॥
ଏଡ଼େ ସୁଲଭ କି ଆମ୍ଭେ ପାଇବା ସୁଯୋଗ ।ସ୍ୱର୍ଗେ ବିଜେ କରାଇବା ଚାଲ ଆଣି ବେଗ ॥
ନୟନେ ଦେଖିଲେ ରତ୍ନ କେବା ଛାଡ଼ି ପାରି ।ଏତେ କହି ସଜ ହେଲେ ଗୁରୁ ବଜ୍ରଧାରୀ ॥
ତାଙ୍କ ସଙ୍ଗେ ବାହାରିଲେ ଗନ୍ଧର୍ବ କିନ୍ନର ।ଆବର ଯେ ଚଉଷଠି କୋଟି ବିଦ୍ୟାଧର ॥
ଲକ୍ଷେ ଶ୍ୱେତଛତ୍ର ଲକ୍ଷେ ଚାମର ବିମଳ ।ଆଲମ୍ୱ ପତାକା ସଙ୍ଗେ ଉଡ଼ଇ ଚିରାଳ ॥
ଦୁନ୍ଦୁଭି ମୃଦଙ୍ଗ ଭେରୀ ଶୁଭେ ଶଙ୍ଖଧ୍ୱନି ।ସାମ ଗାୟନ କରନ୍ତି ସୁରସିଦ୍ଧ ମୁନି ॥
ଢ଼ୋଲ ଟମକ ନିଶାଣ ବୀରତୂର ବାଜେ ।ଗୋବିନ୍ଦଙ୍କୁ ନେବାପାଇଁ ଇନ୍ଦ୍ର କଲେ ବିଜେ ॥
ଅମରବୃନ୍ଦ ଗୋଡ଼ାଇ ଆସୁଛନ୍ତି ସଙ୍ଗେ ।ଯେ ଯାହା ଯାନ ବାହନ ଚଢ଼ି ନାନାରଙ୍ଗେ ॥
ଥୋକାଏକ ଦୂରେ ଆସି ହେଲେ ଭେଟାଭେଟି ।ଦେଖି ରଥ ରୁହାଇଲେ ଗୋବିନ୍ଦ ପାଲଟି ॥
ଐରାବତ ଗଜ ତେଜି ଅଇଲେ ବାସବ ।ରଥରୁ ଓହ୍ଲାଇଗଲେ ରାମ ବସୁଦେବ ॥
ଏକକୁ ଆରେକ ଧରି କୋଳାକୋଳି ହେଲେ ।ପରସ୍ପରେ ଯେ ଯାହାର କୁଶଳ ପୁଚ୍ଛିଲେ ॥
ଇନ୍ଦ୍ର ବୋଇଲେ ଏଠାକୁ ପାଲଟିଣ ଯିବା ।ଥୋକେ ଦିନ ସ୍ୱର୍ଗପୁରେ ବିଶ୍ରାମ କରିବା ॥
ତୁମ୍ଭେ ପ୍ରଭୁ ଇନ୍ଦ୍ରପଦ ଦେଇଅଛ ମୋତେ ।ସେ ପଦ ପ୍ରତିଷ୍ଠା ଏବେ କର ଲକ୍ଷ୍ମୀପତେ ॥
ତବ ପାଦରଜ ମୋର ମନ୍ଦିରେ ପଡ଼ିବ ।ବାରସ୍ୱତୀ ଭୁବନରୁ ପାତକ ଛାଡ଼ିବ ॥
ଏତେ କହି ସୁରପତି ସମ୍ଭାବନା କରି ।ସ୍ୱର୍ଗକୁ ଚଳିଲେ ରାମ କୃଷ୍ଣ ସଙ୍ଗେ ଧରି ॥
ଅନେକ ସେନେହ ତାଙ୍କୁ କଲେ ସୁରବୃନ୍ଦ ।ସୁଧର୍ମା ସଭାରେ ବିଜେ କଲେକ ଗୋବିନ୍ଦ ॥
ମଣିମାଣିକ୍ୟ ମଣ୍ଡଣି ରତ୍ନସିଂହାସନ ।ତହିଁପରେ ବିଜେକଲେ ରାମ ଭଗବାନ ॥
କର୍ଣ୍ଣରେ କୁଣ୍ଡଳ ଶିରେ ଶୋହଇ ମୁକୁଟ ।ମଣିରତ୍ନ ଆଭରଣ ଦିଶେ ଝଟ ଝଟ ॥
କଙ୍କଣ ବାହୁଟି ବିଦ ମୁଦି ରତ୍ନହାର ।ରାମକୃଷ୍ଣ ଅଙ୍ଗେ ଶୋଭା ନାନା ଅଳଙ୍କାର ॥
ଶଚୀ ଆଦିକରି ଯେତେ ସ୍ୱର୍ଗ ବିଳାସିନୀ ।ରାମକୃଷ୍ଣେ ବନ୍ଦାଇଲେ ଅର୍ଘ୍ୟଥାଳି ଘେନି ॥
ମଙ୍ଗଳ ଗୀତ ଗାଇଲେ ହୁଳହୁଳି ଦେଇ ।ଆନନ୍ଦ ହୁଅନ୍ତି ସର୍ବେ କୃଷ୍ଣମୁଖ ଚାହିଁ ॥
ଯମ ନଇର୍ଋତ ଅଗ୍ନି ବରୁଣ କୁବେର ।କିନ୍ନର ଗନ୍ଧର୍ବ ଯକ୍ଷ ଚନ୍ଦ୍ର ଦିବାକର ॥
କରଣ ନକ୍ଷତ୍ର ଯୋଗ ବାର ତାର ତିଥି ।ବୁଧ ଶୁକ୍ର ଶନିଶ୍ଚର ରାହୁ ବୃହସ୍ପତି ॥
ସନକ ଯେ ସନାତନ ବିଶ୍ୱଦେବ ମୁନି ।ବ୍ରହ୍ମଋଷି ଦେବଋଷି ସଙ୍ଗତରେ ଘେନି ॥
ସମସ୍ତ ଦେବତାମାନେ ଘେରି ରହିଛନ୍ତି ।ନିର୍ମଳ ଗଗନେ ଯେହ୍ନେ ଦିଶେ ଗ୍ରହପନ୍ତି ॥
କେ ବୋଲେ ଚନ୍ଦ୍ରମଣ୍ଡଳ ପଟାନ୍ତର ଦେବା ।ସଦାକାଳେ ଶଶଧର ନୁହେ ନବଯୁବା ॥
ପକ୍ଷେକ ଛିଡ଼ଇ ପୁଣି ପକ୍ଷେକ ବଢ଼ଇ ।ଆବର କଳଙ୍କ ନିଜ ହୃଦରେ ବହଇ ॥
କେ ବୋଲଇ ସଖି ଦେଖ ଗୋବିନ୍ଦଙ୍କ ମୁଖ ।ଦେଖିଲା ମାତ୍ରକେ ତୁଟିଯାଏ ସର୍ବଦୁଃଖ ॥
ଅପାଙ୍ଗ ଦୃଷ୍ଟିରେ ଚାହୁଁଛନ୍ତି ବକ୍ର କରି ।ଶରୀର ବିଦାରି ପ୍ରାଣ ନେଉଛନ୍ତି ହରି ॥
ରମ୍ଭା ଅପସରା ବୋଲେ ଶୁଣ ଗୋ ମେନକା ।ଜଗଦ୍ ବନ୍ଦନ ପୁରୁଷ ଏହି କୃଷ୍ଣ ଏକା ॥
ଦ୍ୱାପରେ ପୃଥିବୀ ଭାର ନିବାରଣ ପାଇଁ ।କୌତୁକରେ ଜନ୍ମିଛନ୍ତି ନରତନୁ ବହି ॥
ଅନାଦି ସ୍ୱୟମ୍ଭୁ ବିଷ୍ଣୁ ଏ ଯେ ପୁଣ୍ୟମୟ ।ସନ୍ଥ ପାଳି ଦୁର୍ଜ୍ଜନଙ୍କୁ ଏ କରିବେ କ୍ଷୟ ॥
ଏ ଶ୍ରୀରଙ୍ଗ ଜାଣିଛନ୍ତି ନାନା କେଳିରଙ୍ଗ ।ଗୋପ ସ୍ତିରୀଙ୍କର ସଙ୍ଗେ ହୋଇଥିଲେ ସଙ୍ଗ ॥
ନୃତ୍ୟଗୀତ ବାଦ୍ୟରସ କଉତୁକେ ନାନା ।ଏହାଙ୍କୁ ପାଇ ଗୋପରେ କଲେ ଗୋପାଙ୍ଗନା ॥
ନବଧାର ସେ ରସିକ ଏହି ଶିରୀପତି ।ଏକାକେ ରମିଲେ ଷୋଳ ସହସ୍ର ଯୁବତୀ ॥
ସବୁନ୍ତି ଶୃଙ୍ଗାର ରସେ ରସାଇଲେ ଏକା ।ଏହାଙ୍କୁ ବଶ ହୋଇଲେ ଲକ୍ଷେକ ନାୟିକା ॥
ଏହି ସେ ପରମାନନ୍ଦ ଆଦିକନ୍ଦ ଯୋଗୀ ।ଗୌରବ ସ୍ତିରୀଙ୍କି କଲେ ବିଡ଼ମ୍ୱନ ଭାଗୀ ॥
ଶାଶୁ ଶ୍ୱଶୁର ଦିଅର ସ୍ୱାମୀ ଦେଖୁଥାନ୍ତେ ।ଏହାଙ୍କ ସଙ୍ଗେ ରମଣ କଲେ ବେଶ୍ୟାମତେ ॥
ଜାଣନ୍ତି ଶୃଙ୍ଗାର ରସେ ଅଛି ଯେତେ ଭେଦ ।ଏକାକୀ ଖଣ୍ଡିଲେ ଷୋଳସସ୍ର ନାରୀ ଖେଦ ॥
ହାଟ ବାଟ ଘାଟେ ରଖୁଆଳପଣ କଲେ ।କଦମ୍ୱ ଶିଖରେ ବସି ବେଣୁ ବଜାଇଲେ ॥
ଶୁଣିଣ ଉଚ୍ଚାଟ ହେଲେ ସକଳ ଗୁଆଳୀ ।କ୍ରୀଡ଼ାରସେ ରାସ କଲେ ବୃନ୍ଦବନେ ମିଳି ॥
ବନ୍ଧଭେଦ ମୁଦ୍ରାରସେ ଲଭିଲେ ଶୃଙ୍ଗାର ।ଜାଣନ୍ତି ସକଳ ରସ ଏ ରସିକବର ॥
ସର୍ବଜ୍ଞ ପୁରୁଷ ଏହି ସର୍ବ ଘଟେ ଛନ୍ତି ।ଏହାଙ୍କ ମହିମା ହର ବ୍ରହ୍ମା ନ ଜାଣନ୍ତି ॥
ଏ ରୂପ ଲାବଣ୍ୟ ସଙ୍ଗେ ନାହିଁ ପଟାନ୍ତର ।ଅମୂଲ୍ୟ ରତନ ଏହି ଅମୂଲ୍ୟ ଭଣ୍ଡାର ॥
ଅଶେଷ କୋଟି ବ୍ରହ୍ମାଣ୍ଡ ଠାକୁରାଣଙ୍କ ମଣି ।ସାରଦା କମଳା ଦୁହେଁ ଏହାଙ୍କ ଘରଣୀ ॥
ରାମ ଅବତାରେ ପାଇଥିଲେ ବଡ଼ କଷ୍ଟ ।ଭାରିଯା ହରାଇ ହୋଇଥିଲେ ରାଜ୍ୟଭ୍ରଷ୍ଟ ॥
କନ୍ଦମୂଳ ଫଳ ଖାଇ ବୁଲୁଥିଲେ ବନେ ।ନିଶାକାଲେ ନିଦ୍ରା ଯାନ୍ତି ପଲ୍ଲବ ଶୟନେ ॥
ସେ ଦୁଃଖମାନେ ମନରୁ ପାସୋରିବା ପାଇଁ ।ରଙ୍ଗାବତାର ହୋଇଲେ ନରତନୁ ବହି ॥
ପୁରୁଷଉତ୍ତମ ସଖି ଏହି ଲକ୍ଷ୍ମୀନାହା ।ଚାରିଖାନି ଚାରିବାନି ପ୍ରାଣୀଙ୍କର ସାହା ॥
ସ୍ୱର୍ଗପୁର ଶୋଭାବନ ଦିଶିଲା ଗୋ ସଖି ।ନିସ୍ତାରିଲେ ନଟବର ରୂପ ନେତ୍ରେ ଦେଖି ॥
ଉର୍ବଶୀ ବୋଲଇ ସଖି ଏ ମୂରତି ଚାହିଁ ।ମଦନରେ ଅସାଷ୍ଟମ ହେଉଅଛି ମୁହିଁ ॥
କୋଟି କନ୍ଦର୍ପ ଲାବଣ୍ୟରୂପ ଏହାଙ୍କର ।ଦେଖିଲେ ହୃଦରେ ଧୈର୍ଯ୍ୟ ରହିବ କାହାର ॥
କହିବା ଚାହିଁବା ଭଙ୍ଗୀ ଆନ ଆନ ପ୍ରତି ।ବିରହିଣୀ ଘାତୁକ ଏ କନ୍ଦର୍ପ ମୂରତି ॥
ନୀଳ ଇନ୍ଦୀବର ଦଳ ପ୍ରାୟ ଦିଶେ ତନୁ ।ନିର୍ମଳ ମେଘରେ ଯେହ୍ନେ ରାଜେ ଇନ୍ଦ୍ରଧନୁ ॥
କି ଶୋଭା ଦିଶଇ ଶିରେ ବହିପୁଚ୍ଛଚୂଳ ।ସୁବାସ କୁସୁମ ହାର ଲମ୍ୱେ ବକ୍ଷସ୍ଥଳ ॥
କସ୍ତୁରୀ ତିଳକ ଭାଲେ ଦିଶେ କେଡ଼େ ଶୋଭା ।ଚନ୍ଦ୍ର ମଣ୍ଡଳରେ ଯେହ୍ନେ ମୃଗାଙ୍କ ପ୍ରତିଭା ॥
କୁଞ୍ଚିତ କେଶ କି ଶୋଭା ଦିଶଇ ଗୋ ଶିରେ ।ବିରାଜେ ତରଙ୍ଗ ଯେହ୍ନେ ଯମୁନାର ନୀରେ ॥
ବରହୀ କଣ୍ଠ ପରାୟେ ଦିଶୁଅଛି କାନ୍ତି ।ପଦ୍ମ ପୁଷ୍ପେ ବେଢ଼ିଲେ କି ମଧୁକର ପନ୍ତି ॥
ଆକର୍ଣ୍ଣ ଶୋଭା ଚନ୍ଦନ ଚାରୁ ଚିତାପାଟୀ ।ଆର୍ଦ୍ରାବଳି ମଣ୍ଡଳେ କି ଚନ୍ଦ୍ର ଅଛି ଘୋଟି ॥
ସୁରେଖ ଗୋଚିନା ଚିତା ସିନ୍ଦୂରର ଟୋପି ।ଅରୁଣ କିରଣ ନିନ୍ଦା କରୁଅଛି ବ୍ୟାପି ॥
ନିଶ୍ଚୟେ ଜାଣିଲି ଭକ୍ତଜନଙ୍କର ପାଇଁ ।ପାପଦହନ ଅନଳ ଭାଲେ ଛନ୍ତି ବହି ॥
ଭୂରୁଲତା କାମଧନୁ ଅପାଙ୍ଗ ଚାହାଣି ।ତହିଁରେ ସୀମନ୍ତ କାମଦେବର ନିଶାଣି ॥
ନାସା ଫୁଲାଇ କହନ୍ତି ସୁମଧୁର କଥା ।ଶୁଣିଲେ ଛାଡ଼ଇ ଅଙ୍ଗୁ କାମଜ୍ୱର ବ୍ୟଥା ॥
କର୍ଣ୍ଣରେ କୁଣ୍ଡଳ ବେନି ଦିଶେ ଜକ ଜକ ।ଅପୂର୍ବ ମୁଖକୁ ଶୋଭା ପାଉଅଛି ଦେଖ ॥
ତିଳ ପୁଷ୍ପ ପ୍ରାୟ ନାସା ଘଟଣ ସୁସଞ୍ଚ ।ନାହିଁ ପଟାନ୍ତର ସ୍ୱର୍ଗ ରସାତଳ ମଞ୍ଚ ॥
ସୁରଙ୍ଗ ଅଧର ପକ୍ୱ ବିମ୍ୱର ସଦୃଶ ।ବଚନକୁ ଗଳି ପଡୁଅଛି ସୁଧାରସ ॥
ବଧୁଲି ପୁଷ୍ପ ପରାୟେ ଶୋଭା ଦିବ୍ୟକାନ୍ତି ।ସିନ୍ଦୂର ମୁକୁତା ଶୋଭା କୁନ୍ଦଦନ୍ତପନ୍ତି ॥
ସୁବିଶାଳ ବକ୍ଷସ୍ଥଳ ଲମ୍ୱ ଭୁଜ ବେନି ।ଏହି ଭୁଜେ ଜିଣିବେ ଏ ସକଳ ମେଦିନୀ ॥
କରିକୁମ୍ଭ ସମାନରେ ଦିଶେ ଗଣ୍ଡସ୍ଥଳ ।ରକତ କୁମୁଦ ପ୍ରାୟେ ଶୋହେ କରତଳ ॥
ଅଙ୍ଗୁଳି ଦିଶଇ ଚମ୍ପାକଢ଼ିର ସମାନ ।ହରଡ଼ମ୍ୱରୁ ସଦୃଶ କଟୀ ମଝା କ୍ଷୀଣ ॥
ମଦନ ରାଜାର ସିଂହାସନ ଊରୁବେନି ।ପାଦକେ ଚାପିଲେ ପୂର୍ବେ ଏ ଭୁବନ ତିନି ॥
ସର୍ବ ସୁଲକ୍ଷଣ ଅଙ୍ଗେ ପୂରି ରହିଅଛି ।ଜୀବନ ଥିବା ପର୍ଯ୍ୟନ୍ତେ ନୁହଇ ମୁରୁଛି ॥
ଦେବକୀ ନନ୍ଦନ ଏହି ବସୁଦେବ ସୁତ ।ଏହି କଂସ ବନ୍ଦିଘରେ ହୋଇଥିଲେ ଜାତ ॥
ମଥୁରାରେ ଜନ୍ମ ହୋଇ ଗୋପରେ ବଢ଼ିଲେ ।ତେଣୁ ନନ୍ଦ ଯଶୋଦାର ପୁତ୍ର ବୋଲାଇଲେ ॥
ଏହିଟି ଶ୍ରୀକୃଷ୍ଣ ବଳଦେବର ସାନୁଜ ।ଏହି ଦଶରଥ ପୁତ୍ର କୌଶଲ୍ୟା ତନୁଜ ॥
ଏ ମତ୍ସ୍ୟ କୂର୍ମ ବରାହ ଅବତାର ଧାରୀ ।ନୃସିଂହ ବାମନ ପର୍ଶୁରାମ ରାବଣାରି ॥
ହଳଧର ବୌଦ୍ଧ କଳ୍କି ଏହି ନାନା ମୂର୍ତ୍ତି ।ଏ ବିଶ୍ୱ ସଂସାରେ ଆଦି କରତା ଅଟନ୍ତି ॥
ଏହି ଗୋପୀନାଥ ଚନ୍ଦ୍ରାବଳୀ ପ୍ରାଣବନ୍ଧୁ ।ଏହିଟି ପରମ ଧାମ କୃପାଜଳ ସିନ୍ଧୁ ॥
ଯୋଗୀଜନମାନଙ୍କର ଏହି ଯୋଗଲୟ ।ଏ ଦେବାଧିଦେବରାଜ ସ୍ୱୟଂ ଜ୍ୟୋତିର୍ମୟ ॥
ଏହି ବେଦ ଉଦ୍ଧରିଲେ ଶଙ୍ଖାସୁର ମାରି ।ଏହି ବେଦତତ୍ତ୍ୱଜ୍ଞାତା ଶଙ୍ଖଚକ୍ର ଧାରୀ ॥
ଏସନକ ବିଚାରନ୍ତି ଅପସରା ବୃନ୍ଦ ।ଦେବସ୍ତିରୀଗଣ ଦେଖି ହୋଇଲେ ଆନନ୍ଦ ॥
ଜଗତନାଥଙ୍କୁ ଦେଖି ସର୍ବେ ହେଲେ ମୋହି ।ଦେଖିଲା ମାତ୍ରେ ଉପେକ୍ଷି ନ ପାରନ୍ତି କେହି ॥
ସର୍ବେ ଚାହିଁ ରହିଛନ୍ତି ନେତ୍ର କରି ସ୍ଥିର ।ଐରାବତ ଆରୋହିଲେ ଇନ୍ଦ୍ର ଦାମୋଦର ॥
ଟେକିଣ ଧବଳ ଛତ୍ର ଧରି ବିଦ୍ୟାଧରେ ।ଆଲଟ ଚାମର ଧୂପ କାଠି ଧରି କରେ ॥
ଅମର ଦୁନ୍ଦୁଭି ତୁଲେ ବୀରତୁର ବାଜେ ।ରାମକୃଷ୍ଣ ଘେନି ଇନ୍ଦ୍ର ଐରାବତେ ବିଜେ ॥
ନିରନ୍ତର ପୁଷ୍ପବୃଷ୍ଟି ହୁଅଇ ଛାମୁରେ ।ସ୍ୱର୍ଗପୁରେ ଦେବରାଜ ବିଜୟେ ସମ୍ଭାରେ ॥
ସିଂହଦ୍ୱାର ଜିଣି ଯାଇ ନବରରେ ପଶି ।ମଙ୍ଗଳ ପଢ଼ନ୍ତି ଆଗେ ସୁର ସିଦ୍ଧ ଋଷି ॥
ଇନ୍ଦ୍ର ଗୋବିନ୍ଦ ବିଜୟେ ଦେଖି ବିଶ୍ୱକର୍ମା ।ନାନା ମଣି ରତନରେ ମଣ୍ଡିଲେ ସୁଧର୍ମା ॥
ମେରୁ ପ୍ରଥମ ପାବଚ୍ଛ ଅଶୀ ସସ୍ର ଯୂଣ ।ତହିଁର ଉପରେ ସ୍ୱର୍ଗ ଭୁବନ ନିର୍ମାଣ ॥
ଇନ୍ଦ୍ର ଚନ୍ଦ୍ର ଆଦିକରି ଦଶଦିଗପାଳ ।ବସନ୍ତି ତେତିଶ କୋଟି ଦେବତା ମଣ୍ଡଳ ॥
ଅକ୍ଷୟ ସ୍ୱର୍ଗଭୁବନ ଦେବତାଙ୍କ ବାସ ।ବ୍ରହ୍ମାଙ୍କୁ ବରଷେ ହେଲେ ହୁଅଇ ବିନାଶ ॥
ଦୁର୍ଲ୍ଲଭ ସେ ବାରସ୍ୱତୀ ସ୍ୱର୍ଣ୍ଣମୟ ଭୂମି ।ଯୋଗବଳେ ସରଜନା କଲେ ପଦ୍ମଯୋନି ॥
ସେ ଇନ୍ଦ୍ରଭୁବନେ ବିଜେ କଲେ ଦେବହରି ।ମଣୋହିରେ ବିଜେ ପ୍ରଭୁ ନିତ୍ୟକର୍ମ ସାରି ॥
ସମସ୍ତ ଦେବଙ୍କୁ ସଙ୍ଗେ ଘେନି ପରମେଷ୍ଠି ।ନାନା କଉତୁକେ ଥାନ୍ତି ନିରନ୍ତରେ ଖଟି ॥
ଶ୍ରୀକୃଷ୍ଣ ସୁରଥ ବଳଦେବ ଷଡ଼ଭାଇ ।ରହିଲେ ଇନ୍ଦ୍ରଙ୍କଠାରୁ ଗଉରବ ପାଇ ॥
ଭୋଜନେ ଶୟନେ ଭେଦ ନୋହିଣ ମଘବା ।ଶଚୀ ଆଦି କରି ସର୍ବେ କରିଥାନ୍ତି ସେବା ॥
ଗନ୍ଧ ପୁଷ୍ପ ଆଦି ଯେତେ ରାଜଭୋଗ ବିଧି ।ସମସ୍ତ ଯୋଗାଇ ଦ୍ୟନ୍ତି ଆଗେ ଜମ୍ଭଭେଦୀ ॥
ଏମନ୍ତ ରହିଲେ କୃଷ୍ଣ ସ୍ୱର୍ଗ ଭୁବନରେ ।ଭଜଇ ଅଚ୍ୟୁତ ଦାସ ତାଙ୍କ ଶ୍ରୀପୟରେ ॥
କୃଷ୍ଣଙ୍କର ନନ୍ଦନବନ ଭ୍ରମଣ ଓ ନିବାତକବଚର ସ୍ୱର୍ଗ ଆକ୍ରମଣଏଥୁ ଅନନ୍ତରେ ତହିଁ କେତେ ଦିନ ଯାନ୍ତେ ।କଉତୁକେ ବିଜେ କଲେ ଇନ୍ଦ୍ର ଗୋପୀନାଥେ ॥
ଥୋକେ ଲୋକ ଗୋଡ଼ାଇଲେ ତାଙ୍କ ପଛ ପଛ ।ବୁଲନ୍ତି ଇନ୍ଦ୍ରଙ୍କୁ ସଙ୍ଗେ ଘେନି ନନ୍ଦବତ୍ସ ॥
ଆକାଶ ଗଙ୍ଗାରୁ ଯାଇ କୃଷ୍ଣଭଦ୍ରା ଜିଣି ।ନନ୍ଦନବନେ ପଶିଲେ ଇନ୍ଦ୍ର ଚକ୍ରପାଣି ॥
ମଧ୍ୟେ କାମପାଳ କୃଷ୍ଣ ଇନ୍ଦ୍ର ବେନି ପାଶେ ।ଆଗପଛେ ଦେବଗଣେ ଖଟନ୍ତି ହରଷେ ॥
ଫଳିତ ପୁଷ୍ପିତ ବନ ବାସବ ଦେଖାନ୍ତି ।ଧାଡ଼ି ଧାଡ଼ି ରେଖ ରେଖ ବୃକ୍ଷ ପନ୍ତି ପନ୍ତି ॥
ଅଷ୍ଟରତ୍ନରେ ଚଉରା ବେଦୀ ବୃକ୍ଷତଳେ ।କର୍ପୂର ପନୀର ପାଣି ଢ଼ାଳିଛନ୍ତି ମୂଳେ ॥
ଅବସନ୍ତରେ ବସନ୍ତ ବହେ ଘନ ଘନ ।ସୁଶୀତଳ ତରୁଲତା ବିସ୍ତାର ଶୋଭନ ॥
ସୁଗନ୍ଧ ଶୀତଳ ମନ୍ଦ ବହଇ ମୁରତି ।ଦେଖିଲା ମାତ୍ରକେ ମନ ହୁଏ ପ୍ରଫୁଲ୍ଲିତ ॥
ଧନ୍ୟ ସେ ନନ୍ଦନ ବନ କି ଉପମା ଦେବା ।ବୃଦ୍ଧ ଗଲେ ସେ ବନକୁ ହୁଏ ନବଯୁବା ॥
ଯେତେକ ଅପୂର୍ବ ତରୁ ଚଉଦ ଭୁବନେ ।ସବୁ ରୁଣ୍ଡ ହୋଇଅଛି ସେ ନନ୍ଦନ ବନେ ॥
ମାଳତୀ ମାଧବୀ ଜାଈ ଜୁଈ ଛୁରିଅନା ।ପାଟଳି ବକୁଳ ନାଗେଶ୍ୱର ପୁଷ୍ପ ନାନା ॥
ଅଶୋକ ଚମ୍ପକ କିଆ କେତକୀ ଟଗର ।ତରାଟ ସେବତୀ ସ୍ୱର୍ଣ୍ଣଚମ୍ପା କନିଅର ॥
ପଦ୍ମ ନୀଳୋତ୍ପଳ କୋକନଦ ଚନ୍ଦ୍ରକାନ୍ତି ।ଲବଙ୍ଗ କଳିକା ପାରିଜାତ ଗନ୍ଧବତୀ ॥
ଦାରାକ୍ଷ ପେଣ୍ଡି ଖଜୁରୀ ଫଳ ଦିବ୍ୟଶାଖା ।ପଣସ ନଡ଼ିଆ ଗୁଆ କଦଳୀ ଆଲେଖା ॥
ଅଗୁର ସରଳ ଗନ୍ଧସାର ଦେବଦାରୁ ।କମଳା ଲେମ୍ୱାଉ ଟଭା ନାଗରଙ୍ଗ ତରୁ ॥
ଭଇଁଚ ଜେଉଟ ଆମ୍ୱ କ୍ଷୀରକୋଳି ଗୁଆ ।କୋଳାହଳ କରୁଛନ୍ତି ପିକ ଶାରୀ ଶୁଆ ॥
କୁମ୍ଭାଟୁଆ କେକୀ ବଣକୁକୁଡ଼ା ଡାହୁକ ।ବୃକ୍ଷ ଗହଳରେ ଥାଇ ଦେଉଛନ୍ତି ଡାକ ॥
କଇଥ ଯେ କରମଙ୍ଗା କେନ୍ଦୁ ବରକୋଳି ।ବାରମାସେ ଫଳ ଫୁଲ ଅମୃତ କଦଳୀ ॥
ଲବଙ୍ଗ ଯେ ଅଳାଇଚ ଜାତିଫଳ ଜୀରା ।ଦିଶନ୍ତି ତରୁଏ ଫଳ ଳି ଅତି ତୋରା ॥
ଗୁଡ଼ତ୍ୱକ ଯଷ୍ଟିମଧୁ ହରୀତକୀ ଅଁଳା ।ଏପରି ଏନେକ ବୃକ୍ଷ ଦିଶେ ଅସଂଖଳା ॥
ଏକ ଏକ ନାମ ଧରି କେ ପାରିବ କହି ।ଅନେକ ଯତ୍ନେ ସଞ୍ଚିଲା ଯାହା ଶଚୀସାଇଁ ॥
ଅଶୀଲକ୍ଷ ତୋଟାଳେ ସେ ବନ ପ୍ରତିପାଳି ।ବତିଶ ଲକ୍ଷ ଗନ୍ଧର୍ବ ତହିଁ ରଖୁଆଳି ॥
ଆନନ୍ଦେ ବାସବ ରାମକୃଷ୍ଣ ଘେନି ସଙ୍ଗେ ।ବୁଲନ୍ତି ନନ୍ଦନବନ ଦେଖି ନାନା ରଙ୍ଗେ ॥
ଗମନ୍ତେ ମିଳିଲେ ଯାଇ ପାରିଜାତ ମୂଳେ ।ପଛରେ ଗୋଡ଼ାଇଛନ୍ତି ତୋଟା ରଖୁଆଳେ ॥
ପାରିଜାତ ବୃକ୍ଷ ଦିଶେ ଅତ୍ୟନ୍ତ ବିଶାଳ ।ନୂତନ ପଲ୍ଲବେ ପୁଣି ହୋଇଛି ଗହଳ ॥
ଯୋଜନେ ଉତ୍ସର୍ଗ ବେନି ଯୂଣ ଦୀର୍ଘ ପ୍ରତି ।ପ୍ରହରକେ ଧରଇ ସେ ଆନ ଆନ ମୂର୍ତ୍ତି ॥
କ୍ରୋଶେକ ଓସାର ମୂଳେ ସୁବର୍ଣ୍ଣ ଚଉରା ।ମଣି ମାଣିକ୍ୟ ମଧ୍ୟାହ୍ନ ସୂର୍ଯ୍ୟତେଜ ହୀରା ॥
ପାଞ୍ଚଯୂଣ ଦୂରେ ତାର ଚଉପାଶେ ବେଢ଼ା ।ଲୋହଦଣ୍ଡ କବାଟରେ ଖଞ୍ଜା ବାଡ଼ ପୁଡ଼ା ॥
ଆବର୍ତ୍ତକ ସମ୍ୱର୍ତ୍ତକ ଆଦି ମେଘ ଚାରି ।ଉପରେ ଛାୟାମଣ୍ଡପ ହୋଇ ଜଳଧାରୀ ॥
ଲକ୍ଷେକ ପ୍ରହରୀଗଣ ଜଗନ୍ତି ବାହାରେ ।ଚନ୍ଦ୍ର ସୂର୍ଯ୍ୟ ଦୁହେଁ ରକ୍ଷା କରନ୍ତି ଭିତରେ ॥
ବେନି ବରଷେ ବୃକ୍ଷରୁ ପାଖୁଡ଼ାଏ ଝଡ଼ି ।ପବନ ଲାଗନ୍ତେ ସବୁ ଧୂଳି ଯାଏ ଉଡ଼ି ॥
ପୁଷ୍ପ ଫଳ ଅଲୋକିତ ଲାଗଇ ଶୀତଳ ।ନୟନକୁ ଦିଶଇ ସେ ଅତି ପରିମଳ ॥
ଅପୂର୍ବୁ ଫୁଲ ଫୁଟଇ ସ୍ୱର୍ଣ୍ଣ ବର୍ଣ୍ଣ ଜ୍ୟୋତି ।ପାଞ୍ଚଯୂଣ ପରିଯନ୍ତେ ବାସେ ଚଉକତି ॥
ବରଷେକ ପୂର୍ଣ୍ଣ ହେଲେ ଫୁଟେ ଏକ କଢ଼ି ।ବେନି ବର୍ଷ ପୂର୍ଣ୍ଣ ହେଲେ ତଳେ ପଡ଼େ ଝଡ଼ି ॥
ଆଙ୍କୁଡ଼ି ଲଗାଇ ଫୁଲ ତୋଳନ୍ତି ତୋଟାଳେ ।ଗୁନ୍ଥି ଇନ୍ଦ୍ର ଇନ୍ଦ୍ରାଣୀଙ୍କୁ ଦ୍ୟନ୍ତି ମାଳେ ମାଳେ ॥
ଆବର ଯେତେକ ପୁଷ୍ପ ବଳଇ ଦେଖନ୍ତି ।ଅନଳରେ ପୋଡ଼ି ପାଂଶ ଜଳରେ ପକାନ୍ତି ॥
ଇନ୍ଦ୍ର ଇନ୍ଦ୍ରାଣି ସେ ଫୁଲ ଲାଗି ହୋନ୍ତି ଏକା ।ସମୁଦ୍ର ମନ୍ଥକୁ ଜାତ ହେଲା କଳ୍ପ ଶାଖା ॥
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଶ୍ରେଷ୍ଠ ତରୁବର ।ଜଗଜ୍ଜନମୋହନ ସେ ଶାଖୀ ଶୋଭାକର ॥
ପାଚିଲା ପତ୍ର ବୃକ୍ଷରୁ ପଡ଼ନ୍ତେଣ ଝଡ଼ି ।ପବନ ଘାତରେ ଅନ୍ତରୀକ୍ଷେ ଯାଏ ଉଡ଼ି ॥
ସେ ବୃକ୍ଷର ତଳେ ଉଭା ହେଲେ ଦେବହରି ।ଇନ୍ଦ୍ର ତୁଲେ ଭ୍ରାତୃଗଣ ସଙ୍ଗତରେ ଧରି ॥
ଏମନ୍ତ ସମୟେ ଆସି ଚାର ଜଣାଇଲା ।ନିବାତ କବଚ ସ୍ୱର୍ଗପୁରକୁ ବାହିଲା ॥
ଏଥକୁ ଯେ ସାବଧାନ ହୁଅ ବଜ୍ରପାଣି ।ନିଶ୍ଚୟ ବାରତା ଆମ୍ଭେ ଆଣି ଦେଲୁ ଜାଣି ॥
ଶୁଣି ଇନ୍ଦ୍ର ଦେବତାର ଉଡ଼ିଲା ସାହସ ।ବୋଲେ ଆଜ ସ୍ୱର୍ଗପୁର ଗଲା ନିଶ୍ଚେଁ ନାଶ ॥
ଗନ୍ଧର୍ବ କିନ୍ନର ବିଦ୍ୟାଧରଗଣ ଭୟେ ।ଗୃହ ବିତ୍ତ ଛାଡ଼ି ଦେଇ ପଳାନ୍ତି ସଭିଏଁ ॥
ସ୍ୱର୍ଗପୁର ଯାକ ପଡ଼ିଗଲା ହାଳହୋଳି ।ରଖି ନ ପାରିଲେ ପୁତ୍ର ଭାରିଯା ସମ୍ଭାଳି ॥
ଯେ ଯାହା ପ୍ରାଣ ଘେନି ପଳାନ୍ତି ଭୟରେ ।କେ ଯାଇ ଲୁଚିଲେ ପଶି ପର୍ବତ କନ୍ଦରେ ॥
ଭାଙ୍ଗିଲା ସକଳ ଶ୍ରଦ୍ଧା ଜାତ ହେଲା ଭୀତି ।କହୁ କହୁ ଅସମ୍ଭାଳ ହେଲେ ସୁରପତି ॥
ମନ ଛନ୍ନ ଛନ୍ନ ଚିତ୍ତ ହେଲା ଅନ୍ତରାଳ ।ବାତୁଳ ପରାଏ ଭ୍ରମି ହେଲେ ଆଖଣ୍ଡଳ ॥
ତାଳୁ କଣ୍ଠ ସହିତରେ ଶୁଖିଲା ଅଧର ।ଭୟ ହେତୁ ଶ୍ରମଝାଳେ ତିନ୍ତିଲା ଶରୀର ॥
ଇନ୍ଦ୍ର ଭୟାତୁର ହେବା ଦେଖି ଚକ୍ରପାଣି ।ପଚାରିଲେ ଡର କିପାଁ କାରଣ ନ ଜାଣି ॥
ସ୍ୱର୍ଗପୁରେ ରାଜା ତୁମ୍ଭେ ଅଜର ଅମର ।ଛାର ଅସୁରଙ୍କୁ କିପାଁ ଏଡ଼େ ଭୟ କର ॥
ସମରେ ପଶିବ ଯେବେ କରେ ବଜ୍ର ଘେନି ।କ୍ଷଣକେ ଜିଣିବ ତୁମ୍ଭେ ସକଳ ମେଦିନୀ ॥
ଇନ୍ଦ୍ରଦେବତା ବୋଇଲେ ଶୁଣ ଚକ୍ରଧର ।ନିବାତ କବଚ ବଡ଼ ବଳିଷ୍ଠ ଅସୁର ॥
ଅନେକ ବେଳ ସ୍ୱର୍ଗକୁ ଅଇଲାଣି ବାହି ।ତା ନାମ ଶୁଣିଲେ ଦେବେ ନ ପାରନ୍ତି ରହି ॥
ସେ ଏବେ ସ୍ୱର୍ଗକୁ ଧାଡ଼ି ଦେଲେ ରଣରଙ୍କା ।ତେଣୁ କରି ମୋ ହୃଦରେ ଜାତ ହୁଏ ଶଙ୍କା ॥
ଏକ୍ଷଣି ଭାଙ୍ଗିବ ଆସି ବଳେ ସ୍ୱର୍ଗପୁରୀ ।ରହି ନ ପାରିବା ଚାଲ ଯିବା ଅପସରି ॥
ତା ସଙ୍ଗେ ସଂଗ୍ରାମ କରି ସମର୍ଥ ନୋହିବା ।ଯୁଦ୍ଧ କଲେ ଅନିମିତ୍ତେ ପ୍ରାଭବ ପାଇବା ॥
ଗୋବିନ୍ଦ ବୋଇଲେ ଦେଖି କରିବା ଆରେଣି ।ପଛେ ଅପସରି ଯିବା ନ ପାରିଲେ ଜିଣି ॥
କ୍ଷତ୍ରିୟ ହୋଇଣ ଯେବେ ସଂଗ୍ରାମକୁ ଡରି ।ବ୍ରାହ୍ମଣ ହୋଇ ଜଳକୁ ଯେବେ ଭୟ କରି ॥
ସତୀ ହୋଇ ଅନଳକୁ ଯେବେ କରେ ଭୀତି ।ପଣ୍ଡିତ ହୋଇଣ ଯେବେ ନୁହେ ଶୁଦ୍ଧମତି ॥
କୁଳବଧୂ ହୋଇ ଯେବେ ନ କରଇ ଲଜ୍ଜା ।ଧନବନ୍ତ ହୋଇ ଯେବେ ଧର୍ମ କରେ ତ୍ୟଜା ॥
ସନ୍ନ୍ୟାସୀ ହୋଇଣ ଯେବେ ନୋହେ ତୀର୍ଥ ବାସୀ ।ଗୃହସ୍ଥ ହୋଇଣ ଯେବେ ପର ଅନ୍ନ ଗ୍ରାସି ॥
ପୃଥିବୀରେ ରାଜା ହୋଇ ଛାଡ଼େ ରାଜନୀତି ।ଧର୍ମାଧର୍ମ ନ ବିଚାରେ ଯେବେ ସଭାପତି ॥
ଯୋଗୀ ହୋଇ ଯେଉଁ ଲୋକ ଛାଡ଼େ ଯୋଗ ମାର୍ଗ ।ଏହାଙ୍କୁ ପ୍ରାପତ କେଭେ ନ ହୁଅଇ ସ୍ୱର୍ଗ ॥
ତୁମ୍ଭେ ଦେବରାଜା ସ୍ୱର୍ଗେ ପାଇଅଛ ପାଟ ।ଅଧର୍ମ କରିବ କେହ୍ନେ ଛାଡ଼ି ଧର୍ମ ବାଟ ॥
କ୍ଷତ୍ରି ହୋଇ କରିବା କି ମରଣକୁ ଭୀତି ।ସଂଗ୍ରାମରେ ହାର ଜିଣ କ୍ଷତ୍ରିକୁଳ ରୀତି ॥
ଦେବ ଇନ୍ଦ୍ର ବୋଇଲେ ମୁଁ ଅଛି ସବୁ ଜାଣି ।ଯାହାକୁ ନ ପାରେ ତାଠୁଁ ଘୁଞ୍ଚି ଯାଏ ପୁଣି ॥
ଏ ଦୁଷ୍ଟ ସ୍ୱର୍ଗକୁ ଧାଡ଼ି ଦେଇ କେତେବେଳ ।ତେତିଶ କୋଟି ଦେବଙ୍କୁ କଲେ ଅସମ୍ଭାଳ ॥
ଅମର ଭଣ୍ଡାର ଭାଙ୍ଗି ସବୁ କରେ ଜୂର ।ଭାଙ୍ଗଇ ସୁଧର୍ମା ସଭା ସଙ୍ଗେ ସ୍ୱର୍ଗପୁର ॥
ସମୟେକ ଭୋକ କରି ପୁଣି ଯାଏ ଛାଡ଼ି ।ସେ ଯାନ୍ତେଣ ବିଶ୍ୱକର୍ମା ସଜାଡ଼େ ବାହୁଡ଼ି ॥
ନିର୍ଲ୍ଲଜ ଜୀବନ ଘେନି ପୁଣି ଆସି ରହୁ ।ସ୍ୱର୍ଗର ଦେବତା ହୋଇ ଏତେ କଷ୍ଟ ସବୁ ॥
ତୁମ୍ଭେ ଏ ସାହାସ କିପାଁ କରି ଦେବରାଜ ।ଆପେ ବ୍ୟଥା ପାଇ ପରେ କରାଇବ ଲାଜ ॥
କହୁ କହୁ ତୁମ୍ଭେ ଏତେ ବିଳମ୍ୱ କରିଲେ ।ନ ଯାଇ ପାରିବା ତାର ହାବୋଡ଼େ ପଡ଼ିଲେ ॥
ଏସନକ ବିଚାରନ୍ତେ ଇନ୍ଦ୍ର ନାରାୟଣ ।ଛାମୁରେ ଜଣାନ୍ତି ପୁଣି ଆସି ଚାରଗଣ ॥
ଭୋ ଦେବ ତୁ ସାବଧାନେ ଶୁଣ ଶଚୀସାଇଁ ।ନିବାତକବଚ ସ୍ୱର୍ଗେ ଆସିଅଛି ବାହି ॥
ଅଗୁଆଣି ଥାଟ ଆସି ହେଲେଣି ନିକଟେ ।ନିବାତକବଚ ଅଛି ଥୋକେ ଦୂର ବାଟେ ॥
ବିଳମ୍ୱ ନ କରି ଦେବ ପଳାଇବା ଆସ ।ଆଗରେ ପଡ଼ିଲେ ନିଶ୍ଚେଁ ସର୍ବେ ଯିବା ନାଶ ॥
ତୁମ୍ଭେ ନାଶ ଗଲେ ସ୍ୱର୍ଗ ହେବ ହତ ପାଟ ।ସମସ୍ତଙ୍କୁ ନାଶି ଦୈତ୍ୟ ନେବ ସମରାଷ୍ଟ୍ର ॥
ଚରାଚର ଜଗତ କି ଥିବ ଆଉ ଢାଳେ ।ରସାଗତ ହୋଇ ପୃଥ୍ୱୀ ପଡ଼ିବ ପାତାଳେ ॥
ଇନ୍ଦ୍ର ବୋଇଲେ ଯେ ବନ ବୁଲି ଆସିଥିଲୁ ।ଅନବସରେ ଅଦ୍ଭୁତ ବାରତା ପାଇଲୁ ॥
ନାନା ନଟ କୂଟ ମାୟା ଜାଣନ୍ତି ଶ୍ରୀପତି ।ତେଣୁ ଆମ୍ଭ ଶରୀରକୁ ନାହିଁ କିଛି ଭୀତି ॥
ଏହି କୃଷ୍ଣ ବିନାଶିବେ ସବୁ ଅସୁରଙ୍କୁ ।ଜାଣିଣ ବିଧାତା ଅବା ଆଣିଛି ଏହାଙ୍କୁ ॥
ଏମନ୍ତ ବୋଲି ରହିଲେ ଇନ୍ଦ୍ର ଧୈର୍ଯ୍ୟ ଘେନି ।ସେ କାଳେ ମିଳିଲେ ଆସି ନିବାତ ସଇନୀ ॥
ଶୁଭଇ ଶତେକ ଯୂଣ ଅନ୍ତେ ରଥ ଘୋଷ ।ଗର୍ଜ୍ଜନ ନାଦରେ ପୂରି ଉଠେ ଦଶଦିଗ ॥
କିଳିକିଳା ରେରେକାର ଭୟଙ୍କର ଶବ୍ଦ ।ଟମକ ମହୁରୀ ଭେରୀ ଶିଘଂବାଦ୍ୟ ନାଦ ॥
ତର୍ଜ୍ଜନ୍ତି ଗର୍ଜ୍ଜନ୍ତି ବୀରେ ହୋଇ ମତୁଆଳ ।ଭୟଙ୍କର ନିଶାଚରେ ଅତି ବିକଟାଳ ॥
କେ ଘୋଡ଼ା ମଇଁଷି ଗୋରୁ ଗଧ ଓଟ ଚଢ଼ି ।କାହାର ବାହନ ହସ୍ତୀ ଶାର୍ଦ୍ଦୂଳ ବିରାଡ଼ି ॥
କେ ଚଢ଼ିଛି ବ୍ୟାଘ୍ର ଗଣ୍ଡା ଗୟଳ ଯେ ଶଶା ।କେ ଶୃଗାଳ କେ ହରିଣ କେ ନେପାଳି ମୂଷା ॥
କେ ଆସଇ ରଥ ଚଢ଼ି କେ ଅଶ୍ୱ ପିଠିରେ ।ସାଜନ୍ତି କମାଣ ଗଦା ଶକ୍ତି ଧରି କରେ ॥
ଫରୀ ଖଣ୍ଡା ଭିନ୍ଦିପାଳ ଧନୁ ତୀକ୍ଷ୍ଣ ଶର ।ଛେଲ ଚକ୍ର ନାଗପାଶ ଭୁଷଣ୍ଡି ତୋମର ॥
ଯମଦାଢ଼ ଅଧାଚନ୍ଦ୍ର ଛୁରୀ ତୀକ୍ଷ୍ଣମୁନା ।ମୁଦ୍ଗର ପଟ୍ଟିଶ ତିନି କେନା ପାଞ୍ଚ କେନା ॥
କଟାରୀ ଶାବେଳୀ ପର୍ଶୁ ଲୋହ ପାଶ କାତି ।ଏରୂପେ ଅନେକ ଶସ୍ତ୍ର କରେ ଧରିଛନ୍ତି ॥
ଏକକୁ ଆରେକ ବଳି ଧାଇଁଛନ୍ତି ରାଗେ ।ବାଜଇ ବିବିଧ ବାଜା ବୀର ତୂର ଆଗେ ॥
ଟମକ ନିଶାଣ ଢ଼ୋଲ ମର୍ଦ୍ଦଳ ମହୁରୀ ।ଜୟଶଙ୍ଖ ବିଜିଘୋଷ ଝର୍ଝରିକା ଭେରୀ ॥
କଡ଼ା ଘୁମୁରା କାହାଳି ନାନା ବାଦ୍ୟ ବାଜେ ।ମହା ପ୍ରଳୟରେ କିବା ସପ୍ତସିନ୍ଧୁ ସାଜେ ॥
କ୍ରୀଡ଼ନ୍ତି ସେ ମତୁଆଳେ ଦେଇ ସିଂହରଡ଼ି ।ଶ୍ରାବଣ ମାସରେ ଯେହ୍ନେ ମେଘ ଘଡ଼ଘଡ଼ି ॥
ଏକାଶୀ ମର୍ଭୁତ ରଥ ନବ ଲକ୍ଷ ଗଜ ।ପଞ୍ଚାଣୋଇ ବୃନ୍ଦ ଅଶ୍ୱ ହୋଇଛନ୍ତି ସଜ ॥
ଅଠାଣୋଇ ଖର୍ବ ପଦାତିକ ମହାଯୋଧୀ ।କ୍ଷଣକରେ ତ୍ରିଭୁବନ ପାରନ୍ତି ଏ ସାଧି ॥
ଧାମନ୍ତି ଅସୁରବଳ ଅନ୍ତରୀକ୍ଷ ମାର୍ଗେ ।ଧାତିକାରେ ପ୍ରବେଶିଲେ ସ୍ୱର୍ଗପୁର ଲାଗେ ॥
ଅପସରୀ ବିଦ୍ୟାଧରୀ ଗନ୍ଧର୍ବ କିନ୍ନରେ ।ଯେଝାବାଟେ ପଳାଇଲେ ପ୍ରାଣ ବିକଳରେ ॥
ଶଚୀ ଆଦି ପଳାଇଲେ ମହାଭୟ ପାଇ ।କୈଳାସ କନ୍ଦରେ ସର୍ବେ ଲୁଚିଲେକ ଯାଇ ॥
ଈଶ୍ୱର ଦେବତା ଗୃହ କୈଳାସ ନିଳୟ ।ସେ ସ୍ଥାନକୁ ନ ଲାଗଇ ଅସୁରଙ୍କ ଭୟ ॥
ମହା ପ୍ରଳୟରେ କ୍ଷୟ ନୁହଇ ସେ ଗିରି ।ତହିଁରେ ଲୁଚିଲେ ତେବେ ପୁତ୍ରଦାର ଧରି ॥
କେବଳ ଅଛନ୍ତି ଇନ୍ଦ୍ର ଗୋବିନ୍ଦ ସୁରଥ ।ଆବରହିଁ ବଳଦେବ ସଙ୍ଗେ ଷଡ଼ଭ୍ରାତ ॥
କହୁଁ କହୁଁ ଘୋଟିଗଲେ ନିଶାଚର ବଳ ।ବନ୍ଧ ଭାଙ୍ଗିଗଲେ ଯେହ୍ନେ ମାଡ଼ିଆସେ ଜଳ ॥
ତେସନେକ ଦୈତ୍ୟଥାଟ ପଡୁଛନ୍ତି ମାଡ଼ି ।ବନପାଳେ ପଳାଇଲେ ଭୟେ ତୋଟା ଛାଡ଼ି ॥
ଇନ୍ଦ୍ର ଗୋବିନ୍ଦ ସୁରଥ ରାମ ଷଡ଼ଭ୍ରାତ ।ଏମାନେ କେବଳ ଛନ୍ତି ଚଢ଼ି ଏକରଥ ॥
ଶ୍ରୀକୃଷ୍ଣ ଆଶ୍ରୟେ ଇନ୍ଦ୍ର ଛାଡ଼ି ମନୁ ଭୀତି ।ବିଚାରିଲେ ସ୍ୱର୍ଗ ରକ୍ଷା ହୋଇବ ଏ ଘାନ୍ତି ॥
ଚକ୍ରକୂଟ ମାୟାଧର ଏହି ନାରାୟଣ ।ଦନୁଜ ଅନ୍ତକ ବାନା ବହିଛନ୍ତି ପୁଣ ॥
ଏହି ସେ ଭିଆଣ କଲେ ସୃଷ୍ଟି ଚରାଚର ।ଶୁଭାଶୁଭ କର୍ମଦାନୀ ଏହି ଦାମୋଦର ॥
ଏ ଯେବେ ଅଛନ୍ତି ମୋର ଆଉ କିସ ଭୟ ।ଏତେ ଚିନ୍ତି ଶଙ୍କା ଦୂର କଲେ ସୁରାୟ ॥
ଅନ୍ତର୍ଯ୍ୟାମୀ ନାରାୟଣ ଜାଣି ଇନ୍ଦ୍ର ମନ ।ଅନ୍ତର୍ଗତେ ସୁମରିଲେ ନନ୍ଦିଘୋଷ ଯାନ ॥
ଶଙ୍ଖ ଚକ୍ର ଗଦା ପଦ୍ମ ସାରଙ୍ଗ ଆୟୁଧ ।ଯହିଁରେ ଅମର ଶତ୍ରୁମାନେ ହେବେ ବଧ ॥
ପିତାମହ ମୂଳମନ୍ତ୍ର ମନ ମଧ୍ୟେ ସ୍ମରି ।ଏକାଗ୍ର ମାନସ ଚିନ୍ତା କଲେ ଦଇତ୍ୟାରି ॥
ଜପନ୍ତି ଦ୍ୱାଦଶ ମୁଦ୍ରା ଧରି ଭଗବାନ ।ବ୍ରହ୍ମଲୋକେ ବ୍ରହ୍ମାଙ୍କର କମ୍ପିଲା ଆସନ ॥
ସେ କଥାକୁ ପିତାମହ ଧ୍ୟାନେ ଜାଣିପାରେ ।ବିଚାରନ୍ତି ସୁମରଣା କଲେ ନରହରି ॥
ନିବାତ ବଚ ସ୍ୱର୍ଗପୁରେ ଦେଲା ଧାଡ଼ି ।ତେତିଶ କୋଟି ଦେବତା ପଳାଇଲେ ଛାଡ଼ି ॥
ନିଃଶସ୍ତ୍ର ହୋଇଣ ସ୍ୱର୍ଗେ ଛନ୍ତି ବାସୁଦେବ ।ନ ପୁଣ ପ୍ରାଭବ ତାଙ୍କୁ ଦିଅଇ ଦାନବ ॥
ଦୁର୍ବାର ଅସୁର ସେ ଯେ ଅଟେ ରଣରଙ୍କା ।କାହା ପ୍ରତି ମନରେ ସେ ନ କରଇ ଶଙ୍କା ॥
ଯଦ୍ୟପି ନ ଜାଣି କୃଷ୍ଣ କରିବେ ଆରେଣି ।ଇନ୍ଦ୍ରଗୋବିନ୍ଦ ତାହାକୁ ନ ପାରିବେ ଜିଣି ॥
ଏତେ ଚିନ୍ତି ଆସନରୁ ଉଠିଣ ସତ୍ୱର ।ମରାଳ ପିଠିରେ ବିଜେ କଲେ ବେଦବର ॥
ଶଙ୍ଖ ଚକ୍ର ଗଦା ପଦ୍ମ ସାରଙ୍ଗ ସହିତେ ।ସମସ୍ତ ଆୟୁଧ ଥୋଇ ନନ୍ଦିଘୋଷ ରଥେ ॥
ପବନ ବେଗରେ ଧାତା ଗମି ଶୂନ୍ୟମାର୍ଗେ ।ତକ୍ଷଣେ ମିଳିଲେ ଯାଇ ଶ୍ରକୃଷ୍ଣଙ୍କ ଆଗେ ॥
ବିଧାତାଙ୍କୁ ଦେଖି ନମସ୍କାର କଲେ ହଳୀ ।ଚରଣେ ପ୍ରଣାମ କଲେ ଇନ୍ଦ୍ର ବନମାଳୀ ॥
ଆବର ଯେ ଷଡ଼ଭ୍ରାତା ସୁରଥ ସହିତେ ।ବ୍ରହ୍ମା ପାଦେ ନମସ୍କାର କଲେ ଯେଝାମତେ ॥
ସମସ୍ତଙ୍କୁ ସୁକଲ୍ୟାଣ କଲେ ବେଦବର ।ବୋଇଲେ ସ୍ମରଣା କିପାଁ କର ଚକ୍ରଧର ॥
ଗୋବିନ୍ଦ ବୋଇଲେ ତୁମ୍ଭେ ସମସ୍ତଙ୍କ ପିତା ।ଭୂତ ଭାବୀ ବର୍ତ୍ତମାନ ତିନି କାଳ ଜ୍ଞାତା ॥
ତୁମ୍ଭେ ସେ ଭିଆଣ କଲ ସକଳ ମେଦିନୀ ।ଆଦ୍ୟରୁ ସଞ୍ଚିଲ ଦେବ ଦାନବ ଏ ବେନି ॥
ଦେବଙ୍କୁ ଦାନବେ ଦୁଃଖ ଦ୍ୟନ୍ତି ସବୁକାଳେ ।ସ୍ୱର୍ଗଶିରୀ ଦେବକନ୍ୟା ହରିନ୍ୟନ୍ତି ବଳେ ॥
ନିବାତକବଚ ଏବେ ବାହିଲା ସ୍ୱର୍ଗକୁ ।ଏଘୋର ସଙ୍କଟୁ ରକ୍ଷାକର ଦେବତାଙ୍କୁ ॥
ଗନ୍ଧର୍ବ କିନ୍ନର ବିଦ୍ୟାଧର ଆଦି କରି ।ଦେବଗଣେ ପଳାଇଲେ ଛାଡ଼ି ସ୍ୱର୍ଗଶିରୀ ॥
ତେତିଶ କୋଟି ଦେବତା ଜଣେ କେହି ନାହିଁ ।ଆମ୍ଭେ ନବ ଜାଣ ମାତ୍ର ଅଛୁ ଏଥେ ରହି ॥
କେବଳ ପ୍ରକାରେ ଦୈତ୍ୟ ହେବ ପ୍ରାଣେ ନାଶ ।ଏଥକୁ ବିଚାର ତୁମ୍ଭେ ଦିଅ ଲୋକଈଶ ॥
ବିଧାତା ବୋଇଲେ ଇନ୍ଦ୍ର ନ ଡର ତୁ କିଛି ।ଦୈତ୍ୟ ଭୟ ନିବାରିବେ ଏହି ଶିରୀବତ୍ସି ॥
ଚକ୍ରକୂଟ ମାୟା କରି ଏହି ନାରାୟଣ ।ପୃଥ୍ୱୀଭାର ନିବାରିବେ ମାରି ଦୈତ୍ୟଗଣ ॥
କେବଳ କଥାଏ ମାତ୍ର କରିବା ଅସାଧ୍ୟ ।ଗୋବିନ୍ଦ ହସ୍ତେ ନୋହିବ ଏ ଅସୁର ବଧ ॥
ଶୁଣି ଅତି ଚିନ୍ତାକୁଳ ହେଲେ ପୁରନ୍ଦର ।ବୋଲନ୍ତି ନିଶ୍ଚୟ ନାଶ ଗଲା ସ୍ୱର୍ଗପୁର ॥
ଅସୁରନାଶନ ବାନା ବହନ୍ତି ଶ୍ରୀହରି ।ତାହାଙ୍କୁ ଅସାଧ୍ୟ ହେଲେ ଆନେନୋହେ ମାରି ॥
ନିଶ୍ଚୟେ ଜାଣିଲି ସ୍ୱର୍ଗ ସମ୍ପଦ ସରିଲା ।ଏତେ ବୋଲି ସୁରପତି ଭୟରେ କମ୍ପିଲା ॥
ଏକା ଅସୁରର ଭାରା ଲାଗିଲାଣି ଏତେ ।ଏହା ପ୍ରାୟ ଦୁଷ୍ଟ ଦୈତ୍ୟ ନାହାନ୍ତି ବା କେତେ ॥
ସର୍ବେ ଯେବେ ଏହିପରି ଆସୁଥିବେ ବାହି ।କେତେ ଅବସ୍ଥା ସହିବା ଆମ୍ଭେ ଏଥେଁ ରହି ॥
ଏତେ ବୋଲି ଦେବଇନ୍ଦ୍ର ହୋଇଲେ ବିକଳ ।ସହସ୍ର ନେତ୍ରରୁ ଫୁଟି ବହେ ଅଶ୍ରୁଜଳ ॥
ବିଧାତା ବୋଇଲେ ତୁମ୍ଭେ ଶୁଣ ଦେବରାୟ ।ଏଥକୁ ଆମ୍ଭର ଅଛି ଅନେରକ ଉପାୟ ॥
ହରି ହର ବ୍ରହ୍ମା ଆମ୍ଭେ ତିନି ଏକ ହୋଇ ।ତବ ବୀର୍ଯ୍ୟେ ଜନ୍ମିଅଛୁ ନରଦେହ ବହି ॥
ସେ ପୁତ୍ର ଅର୍ଜ୍ଜୁନ ନାମେ ହୋଇ ଅବତାର ।ଦ୍ୱାପରେ କରିବ ମହାଭାରତ ସମର ॥
ନିବାତକବଚ ବଂଶ ମାରିବ ସେ ଜାଣ ।ନିଶ୍ଚୟ କହିଲୁ ଏହା ତଥ୍ୟ କରି ଘେନ ॥
ସରିଲାଣି କଷ୍ଟ ଏବେ ମନୁ ଛାଡ଼ ଭୀତି ।ଏସନକ ଆଜ୍ଞା ଯହୁଁ ଦେଲେ ବେଦପତି ॥
ଶୁଣିଣ ଇନ୍ଦ୍ର ଦେବତା ସନ୍ତୋଷ ହୋଇଲେ ।ଭୋ ପିତା ଆଶ୍ଚର୍ଯ୍ୟ କଥା କହିଲ ବୋଇଲେ ॥
ବାସୁଦେବ ହସ୍ତରେ ଯେ ନୁହଇ ବିନାଶ ।ତା ସଙ୍ଗେ ଯୁଝିବ ଅଛି କାହାର ସାହସ ॥
ମୁହିଁ ତ ପ୍ରତ୍ୟକ୍ଷେ ହାରିଗଲି କେତେ ବାର ।ଈଶ୍ୱରଙ୍କୁ ଜିଣିଲା ସେ ପ୍ରତାପୀ ଅସୁର ॥
ତୁମ୍ଭେ ବର ଦେଇଅଛ ନ ମରିବ ତାକୁ ।ତିନି ପୁରେ ଆଉ କିଏ ଅଛି ଯୁଝିବାକୁ ॥
ଏଡ଼େ ଦାନବ ମାରିବ କେ ମାନବ ହୋଇ ।ତୁମ୍ଭେ ସିନା ଜାଣ ପୂର୍ବୁ କି ଅଛ ଭିଆଇ ॥
ବିଧାତା ବୋଇଲେ ତୁମ୍ଭେ ଶୁଣ ସସ୍ରଯୋନି ।ଦେବକୀ ଦୈବକୀ ଉଗ୍ରସେନ କନ୍ୟା ବେନି ॥
ଦେବକୀନାମେ ଯେ କନ୍ୟା ସେ ଅଟଇ ଜ୍ୟେଷ୍ଠା ।ସୁରୁମାରୀ ସୁଲକ୍ଷଣୀ ସୁନ୍ଦରୀ ଗରିଷ୍ଠା ॥
ଅନେତ ଯତନେ ରାଜା ପ୍ରତିପାଳେ ଜେମା ।ସହସ୍ରେ ଯୋଜନ ରାଜ୍ୟ ମଥୁରା ତା ସୀମା ॥
ନେପାଳ ଦେଶର କୁନ୍ତଭୋଜ ନରପତି ।ଉଗ୍ରସେନ ସଙ୍ଗେ ତାର ବାଲ୍ୟକାଳୁ ପ୍ରୀତି ॥
ଉଗ୍ରସେନର ଯେ ତିନି କନ୍ୟା ବେନି ପୁତ୍ର ।କୁନ୍ତ ଭୋଜର ହୋଇଲା ଏକ ପୁତ୍ର ଜାତ ॥
ଉଗ୍ରସେନ ବୋଲେ କୁନ୍ତଭୋଜ ମୁଖ ଚାହିଁ ।ଭୋ ମଇତ୍ର କନ୍ୟାଟିଏ ପ୍ରତିପାଳ ନେଇ ॥
ତୁମ୍ଭର ଗୋଟିଏ ପୁତ୍ର ହୋଇଲା ସ୍ୱଭାବେ ।ମନେ କଷ୍ଟ ହେଉଥିବ ଦୁହିତା ଅଭାବେ ॥
ଶୁଣି ତୋଷ ହେଲା କୁନ୍ତଭୋଜଙ୍କର ମନ ।ଚନ୍ଦ୍ର ଆହାଲାଦେ ଯେହ୍ନେ ବିକାଶେ ନଳିନ ॥
ବୋଇଲେ ଭୋ ମିତ୍ର ଭାବୁଥିଲି ଯେଉଁ କଥା ।ତୁମ୍ଭେ ତାହା କହି ଛଡ଼ାଇଲେ ମୋର ବ୍ୟଥା ॥
ତୁମ୍ଭର ଦୁହିତା ଦେଖି ମୋର ବଡ଼ ଶ୍ରଦ୍ଧା ।କନ୍ୟାଟିଏ ଦିଅ ମୋର ତୁଟୁ ମନ ବାଧା ॥
ଲାଜେ ନ ମାଗଇ ତୋତେ ନ କହଇ ଫେଡ଼ି ।ସେଥିପାଇଁ ଆସିଅଛି ସବୁ କାର୍ଯ୍ୟ ଛାଡ଼ି ॥
ତୁମ୍ଭେ ଯେବେ ମୋର ମନ ଜାଣିଲ ମଇତ୍ର ।କନ୍ୟାଟିଏ ଦିଅ ପାଳି ହୋଇବି ପବିତ୍ର ॥
ଏହା ଶୁଣି ଉଗ୍ରସେନ ସନ୍ତୋଷ ହୋଇଲେ ।ନିଜ ଦୁହିତାକୁ ଆଣି ସମର୍ପଣ କଲେ ॥
କୁନ୍ତଭୋଜ ସେ କନ୍ୟାକୁ ପାଳି ଯତନରେ ।କୁନ୍ତୀ ନାମ ଦେଲେ ତାକୁ ରଖି ନିଜ ଘରେ ॥
ଥୋକାଏ ଦିନରେ କନ୍ୟା ହୁଅନ୍ତେ ଯୁବତୀ ।ବିଭା ହୋଇ ନେଲେ ତାଙ୍କୁ ପଣ୍ଡୁ ନରପତି ॥
ଦୁର୍ବାସା ଋଷିଙ୍କି କୁନ୍ତୀ ସେବା କରିଥିଲେ ।ସନ୍ତୋଷରେ ମହାମୁନି ଜପାମାଳ ଦେଲେ ॥
କନ୍ୟାକାଳେ ମାଳା ଧରି ଜପ କଲେ କୁନ୍ତୀ ।ସୂର୍ଯ୍ୟଦେବ ଉଭା ହେଲେ ଆସି ତାଙ୍କ କତି ॥
ତାଙ୍କ ଅଙ୍ଗ ସଙ୍ଗେ କୁନ୍ତୀ ଗର୍ଭବତୀ ହେଲେ ।ଲଜ୍ଜା ପାଇ କର୍ଣ୍ଣ ବାଟେ ପୁତ୍ର ପ୍ରସବିଲେ ॥
ତେଣୁ କର୍ଣ୍ଣ ବୋଲି ନାମ ହେଲା ସେ ପୁତ୍ରର ।ଏହିମତେ ପଞ୍ଚପୁତ୍ର ଜନ୍ମିଲେ ଆବର ॥
ଧର୍ମ ଅଂଶରେ ଜାତ ହେଲେ ଯୁଧିଷ୍ଠିର ରାଜା ।ମହାବଳୀ ଭୀମସେନ ପବନ ଆତ୍ମଜା ॥
ବାସବ ଅଂଶରେ ଜାତ ହୋଇଲେ ଅର୍ଜୁନ ।ନକୁଳ ଯେ ସହଦେବ ମାଦ୍ରୀର ନନ୍ଦନ ॥
ଅଶ୍ୱିନୀ କୁମାର ଅଂଶେ ଜନ୍ମିଲେ ସେ ଦୁଇ ।ଏସନ ପ୍ରକାରେ ପାଞ୍ଚ ପାଣ୍ଡବ ବୋଲାଇ ॥
ବିଧାତା ବୋଲନ୍ତି ଶୁଣ ଗୋବିନ୍ଦ ବାସବ ।ଯେ ସେ ଅରଜୁନ ସେହି ହରି ବ୍ରହ୍ମାଶିବ ॥
ଆପେ ଜନ୍ମ କରିଅଛ ତୁମ୍ଭେ ବଜ୍ରଧର ।ନ ଜାଣିଲା ପ୍ରାୟେ କିପାଁ ଆମ୍ଭଙ୍କୁ ପଚାର ॥
ନିବାତକବଚ ବଂଶ ନାଶିବ ଅର୍ଜୁନ ।ପୃଥ୍ୱୀଭାରା ନିବାରଣେ ପାଣ୍ଡବଙ୍କ ଜନ୍ମ ॥
ଧୃତରାଷ୍ଟ୍ର ନୃପତିର ଶତେ ପୁତ୍ର ଜାତ ।ଗାନ୍ଧାରସେନ ଦୁହିତା ଅଟେ ତାଙ୍କ ମାତ ॥
ପାଣ୍ଡବଙ୍କ ଭଗାରି ସେ ଗାନ୍ଧାରୀ ତନୟ ।ହସ୍ତିନା କଟରକେ ରାଜା ଦୁର୍ଯ୍ୟୋଧନ ରାୟ ॥
ଭୀଷ୍ମ ଦ୍ରୋଣ ଦ୍ରୋଣୀ କର୍ଣ୍ଣ ଆବର ଶକୁନି ।ଏମାନଙ୍କ ମୂଳେ ତାର ଅନେକ ସଇନି ॥
ଭୂରିଶ୍ରବା ଜୟଦ୍ରଥ ଆଦି ମହାବୀର ।ହାତୀ ରଥ ମହାରଥୀ ଅଛନ୍ତି ଅପାର ॥
ସଂଗ୍ରାମେ ଶକତା ସର୍ବେ ଏକୁ ଏକ ଯୋଧୀ ।ମନ କଲେ ପାରନ୍ତି ଏ ତିନିପୁର ସାଧି ॥
ସତ୍ୟ ଧର୍ମ ପରାୟଣ ଯୁଧିଷ୍ଠିର ରାଜା ।ପ୍ରାଣଗଲା ସୁଦ୍ଧା ଧର୍ମ ନ କରନ୍ତି ତେଜ୍ୟା ॥
କୌରବ ପାଣ୍ଡବ ଶଏ ପଞ୍ଚୋତ୍ତର ଭ୍ରାତ ।ପରସ୍ପର ବିରୋଧରେ ଦ୍ୱନ୍ଦ ହେବ ଜାତ ॥
ଅଠର ଦିନ କରିବେ ଭାରତ ସମର ।ହାତୀ ରଥୀ ମହାରଥୀ ପଡ଼ିବେ ଅପାର ॥
ତୁମ୍ଭେ ଯେବେ ପାଣ୍ଡବଙ୍କ ସାହା ହେବ ହରି ।ତେବେ କୁରୁସାଗର ସେ ହୋଇଯିବେ ପାରି ॥
ଯହିଁ ଧର୍ମ ଥାଏ ତୁମ୍ଭେ ରହିଥାଅ ତହିଁ ।ଅର୍ଜ୍ଜୁନର ତୁମ୍ଭର ତ ଭେଦାଭେଦ ନାହିଁ ॥
ବିଚାରିଲେ ପଣ୍ଡୁପୁତ୍ରେ ନୁହନ୍ତି ନା ପର ।ସ୍ୱଭାବେ ମାଉସୀ ପୁତ୍ର ଅଟନ୍ତି ସୋଦର ॥
ଆବର ତହିଁରେ ପୁଣି ଦେବକାର୍ଯ୍ୟ ଅଛି ।ପାଣ୍ଡବଙ୍କୁ ରକ୍ଷା ତୁମ୍ଭେ କରିବ ଶ୍ରୀବତ୍ସି ॥
ଭାରତେ ଭାରୋଇ ମଲ୍ଲବୀର ଫାଲଗୁନି ।ଭାରା ନିବାରିବ ତୁମ୍ଭେ ତାକୁ ସଙ୍ଗେ ଘେନି ॥
ଇନ୍ଦ୍ରଙ୍କୁ ବୋଇଲେ ତୁମ୍ଭେ ଶୁଣ ସ୍ୱରେଶ୍ୱର ।ନିଜ ପୁତ୍ର ଅରଜୁନ ଅଟଇ ତୁମ୍ଭର ॥
ଅଳ୍ପଦିନେ ଭୟ ଯିବ ପାଣ୍ଡବଙ୍କ ଯୋଗେ ।ସୁସ୍ଥ ହୋଇ ସୁରଗଣ ବିହରିବ ସ୍ୱର୍ଗେ ॥
ନିବାତ କବଚ ଏବେ ଆସୁଅଛି ବାହି ।ତା ସଙ୍ଗେ ସମର କଲେ ତୁମ୍ଭ ଯଶ ନାହିଁ ॥
ଅନମିତ୍ତେ ଶ୍ରମକରି ପାଇବ କଷଣ ।ଚାଲ ଅପସରି ଯିବା ନ କରିବା ରଣ ॥
ଶ୍ରୀକୃଷ୍ଣ ବୋଇଲେ ଦୈତ୍ୟ ହେଲାଣି ନିକଟେ ।ପଳାଇ ଲୋଡ଼ିଲେ ଏବେ ଯିବା କେଉଁବାଟେ ॥
ନିସତ ହୋଇଲେ ଏବେ ନ ପାଇବା କାର୍ଯ୍ୟ ।ଲାଗି ଭାଜି ପଳାଇବା ପଛେ ହେଉ ଲାଜ ॥
ନ ଯୁଝି ଯିବାର କେଭେ ନୁହଇ ବେଭାର ।ଜନମୁଖେ ଅପଖ୍ୟାତି ହୋଇବ ଅପାର ॥
କ୍ଷତ୍ରିୟଙ୍କୁ ଲାଗିଅଛି ହାରଜିଣ ଦୁଇ ।ନ ଜିଣିଲେ ପଳାଇବା ରଣ ଚାଡ଼ିଦେଇ ॥
ବ୍ରହ୍ମାଏ ବୋଇଲେ ଆମ୍ଭେ କରାଇବୁ ସନ୍ଧି ।ଅକାରଣେ ଯୁଦ୍ଧ କରି ନୁହ ତୁମ୍ଭେ ଧନ୍ଦି ॥
ଆମ୍ଭଠାରୁ ବର ପାଇଅଛି ସେ ଦାନବ ।ଆମ୍ଭେ ମନାକଲେ ନିଶ୍ଚେ ଫେରି ପଳାଇବ ॥
ଏ କଥାକୁ ନାସ୍ତି ତୁମ୍ଭେ ନକର ଶ୍ରୀହରି ।ଏକ୍ଷଣି ଆସିବୁ ଆମ୍ଭ ସବୁ ସାଧ୍ୟ କରି ॥
ଗୋବିନ୍ଦ ବୋଇଲେ ତୁମ୍ଭେ ସୃଷ୍ଟି ଅଧିପତି ।ଯାହା ତୁମ୍ଭେ ଇଚ୍ଛା ତାହା କର ବେଦପତି ॥
ଏହା ଶୁଣି ଧାତା ଇନ୍ଦ୍ର ଗୋବିନ୍ଦ ରୁହାଇ ।ଧାତିକାରେ ବିଜେ କଲେ ମରାଳ ଆରୋହି ॥
ଗଗନ ମାର୍ଗରେ ଚଳିଗଲେ ଅତି ବେଗେ ।ମିଳିଲେକ ସେ ନିବାତ କବଚର ଆଗେ ॥
ପିତାମହ ଆଗମନ ଦେଖି ଦୈତ୍ୟବୀର ।ରଥୁଁ ଡ଼େଇଁ ପାଦତଳେ କଲା ନମସ୍କାର ॥
ଅଷ୍ଟରତ୍ନ ପାତ୍ରେ ଗଙ୍ଗା ଉଦକ ଭରିଲା ।ସେ ଜଳରେ ବ୍ରହ୍ମାଙ୍କର ପାଦ ପଖାଳିଲା ॥
ସୁଗନ୍ଧ ଚନ୍ଦନ ପୁଷ୍ପ ଦେଇ କଲା ପୂଜା ।କର ପତ୍ର ଯୋଡ଼ି ସ୍ତୁତି କରେ ଦୈତ୍ୟରାଜା ॥
ପୁଣି ବୋଲେ ପିତାମହ ତବ ପରସାଦେ ।ସକଳ ସମ୍ପଦ ମୋର ହେଲା ଅପ୍ରମାଦେ ॥
ତୁମ୍ଭେ ବର ଦେଇ ମୋତେ କଲ ଏଡ଼େ ଗୁଣ ।ତବ କୃପାବଳେ ମୋର ଏଡ଼େ ବଡ଼ ପଣ ॥
ସ୍ୱର୍ଗ ମଞ୍ଚ ରସାତଳ ସବୁ କଲି ସାଧ୍ୟ ।ମୋ ନାମ ଶୁଣିଲେ ଭୟେ ପଳାନ୍ତି ବିବୁଧ ॥
ଏବେ ସ୍ୱର୍ଗ ଭୁବନକୁ ଦେଉଅଛି ଧାଡ଼ି ।ଦିଗପାଳମାନଙ୍କୁ ମୁଁ ଆଜ ଦେବି ପୋଡ଼ି ॥
ଅମର ଭଣ୍ଡାର ଭାଙ୍ଗି କରିବଇଁ ଜୂର ।ସୁରବଧୂଗଣ ହରି ନେବି ନିଜ ପୁର ॥
ଭାଙ୍ଗିବି ସୁଧର୍ମା ସଭା ମାରି ଦେବଗଣ ।ଆନ ଇନ୍ଦ୍ର କରି ଆଜି ବସାଇବି ଜାଣ ॥
ସ୍ୱର୍ଗପୁରେ ନ ରଖିବି ଗୋଟିଏ ତ୍ରିଦଶ ।ଅମର ସମ୍ପଦ ଯାକ କରିଦେବି ଧ୍ୱଂସ ॥
ଏହା ଶୁଣି ପିତାମହ ପାଇଲେ ବୈରାଗ ।ବୋଲନ୍ତି କିପାଇଁ ଛାଡ଼ୁଅଛୁଁ ଧର୍ମମାର୍ଗ ॥
ଦେବତାମାନଙ୍କୁ ପୀଡ଼ା ଦେଉଛୁ ଅଦ୍ୟାପି ।ଧନ ଧର୍ମ ଆୟୁ ତୁଟିଯିବ ହେବୁ ପାପୀ ॥
ବାବୁରେ ତୋ ଭଳି ଲୋକ କଲେ ଅବିଚାର ।ଧର୍ମ ଲୋପ ହେବ ନାଶ ଯିବ ଏ ସଂସାର ॥
ଛାଡ଼ ମନୁ ପରିତାପ ଛାଡ଼ ଦୁଷ୍ଟ ମତି ।ଚିରକାଳ ରହିଥିବ ତୋର ଏ ସମ୍ପତ୍ତି ॥
ଛାଡ଼ ଦୁଷ୍ଟ ବୁଦ୍ଧି ବାବୁ କର ଆମ୍ଭ ବୋଲ ।ଆମ୍ଭ କଥା ଲଘିଂଗଲେ ନୋହିବଟି ଭଲ ॥
ଶୁଣି ନିବାତକବଚ ପାଇ ମନେ ଭୀତି ।ବୋଲେ ଯା କହିବ ତାହା କରିବି ସଂପ୍ରତି ॥
ବିଧାତା ବୋଇଲେ ଏବେ ଯାଅ ଯା ବାହୁଡ଼ି ।ତୁ ଯାହା କହିବୁ ଦେବେ ନ ପାରବେ ଏଡ଼ି ॥
ତୋର ହୋଇ ଦେବଗଣ ଥାନ୍ତୁ ସ୍ୱର୍ଗପୁରେ ।ଅକାରଣେ କିପାଁ ରୋଷ କରୁ ତାଙ୍କଠାରେ ॥
ଆମ୍ଭେ ଏଥିପାଇଁ ତୋତେ କହୁଛୁ ବହୁତ ।ଦେବତାଙ୍କୁ ପୀଡ଼ା ଆଉ ନ ଦେବୁ କିଞ୍ଚିତ ॥
ଯାହାଠାରେ ଦେବଗଣେ କରୁଥାନ୍ତି ଭୟ ।ଶାସ୍ତ୍ର ପ୍ରମାଣରେ ତାର ଆୟୁ ହୁଏ କ୍ଷୟ ॥
ତୋ ପାଇଁରେ ଆମ୍ଭେ କହୁଅଛୁ ପରିଘାଇ ।ତୁ କୁଶଳେ ଥିଲେ ଆମ୍ଭ ମନ ତୋଷ ହୋଇ ॥
ଚକ୍ରକୂଟ ମାୟା ଜାଣିଛନ୍ତି ନାରାୟଣ ।ସ୍ୱହସ୍ତେ ନ ମାରି କୂଟେ ଘେନନ୍ତି ପରାଣ ॥
ଇନ୍ଦ୍ର ଗୋବିନ୍ଦର ଆଜି ହୋଇଅଛି ଭେଟ ।ସଂଗ୍ରାମକୁ ଗଲେ ନିଶ୍ଚେଁ ପଡ଼ିବ ସଙ୍କଟ ॥
ସୈନ୍ୟ ସଜ କରି ରଖିଛନ୍ତି ତୋର ପାଇଁ ।ଈଶ୍ୱର ଆସିବେ ଏହା ଶୁଣି ପରିଘାଇ ॥
ଏହାଙ୍କ ଉପ୍ରୋଧ ଆମ୍ଭେ ନ ପାରିବୁ ଛାଡ଼ି ।ତୁ ଏହା ବିଚାର କରି ଯାଅ ଯା ବାହୁଡ଼ି ॥
ଯେବେ ବଳିଆଇ ଯିବୁ ଲଘିଂ ଆମ୍ଭ ବୋଲ ।ଏ ତଥ୍ୟ ବଚନ ତୋର ନୋହିବଟି ଭଲ ॥
ନିବାତକବଚ ଶୁଣି ମନେ ପାଇ ଭ୍ରାନ୍ତି ।ବୋଲେ ପିତାମହ ତୁମ୍ଭେ ଅଟ ମୋର ଗତି ॥
ବାହୁଡ଼ି ଯାଉଛି ତୁମ୍ଭେ ଆଜ୍ଞା ଦେଲ ଯେବେ ।ଯେ ଯାହା ପଦରେ ସ୍ୱର୍ଗେ ରହିଥାନ୍ତୁ ଦେବେ ॥
ଏତେ କହି ବ୍ରହ୍ମାପାଦେ ନମସ୍କାର କରି ।ଆପଣାର ସେନାପତିମାନଙ୍କୁ ହକାରି ॥
ଆଜ୍ଞା ଦେଲା ବାହୁଡ଼ାଇ ଘେନିଆସ ଥାଟ ।ବ୍ରହ୍ମା ବୋଲ ନ ମାନିଲେ ପଡ଼ିବ ସଙ୍କଟ ॥
ଶୁଣି ସେନାପତିମାନେ ସୈନ୍ୟ ପାଲଟାଇ ।ବାହୁଡ଼ିଲେ ସମଦଣ୍ଡ ଘେନି ତ୍ୱରା ହୋଇ ॥
ନିବାତ କବଚ ମିଳେ ଆପଣା ରାଜ୍ୟରେ ।ପିତାମହ ଚଳିଗଲେ ବସି ମରାଳରେ ॥
ନନ୍ଦନବନ ଭିତରେ ପାରିଜାତ ମୂଳେ ।କାତରେ ଅଛନ୍ତି ଇନ୍ଦ୍ର କୃଷ୍ଣ କାମପାଳେ ॥
ଏକାଳେ ମିଳିଲେ ତହିଁ ଯାଇ ବେଦବର ।ଦୂରୁ ଦେଖି ସେ ସମସ୍ତେ କଲେ ନମସ୍କାର ॥
ଇନ୍ଦ୍ର ପଚାରିଲେ ତାତ କି କାର୍ଯ୍ୟ କରିଲ ।ବ୍ରହ୍ମାଏ ବୋଇଲେ ସବୁ ହୋଇଅଛି ଭଲ ॥
ଚିନ୍ତା ଛାଡ଼ି ସ୍ୱର୍ଗ ଭୋଗ କର ବଜ୍ରପାଣି ।ଦାନବକୁ କହି ଆମ୍ଭେ ଫେରାଇ ଦେଲୁଣି ॥
ଆବର ତୁମ୍ଭୁଙ୍କୁ ଭୟ ନାହିଁ ଆଉ କିଛି ।ଅର୍ଜ୍ଜୁନ ଆସିବାଯାଏ ଅବଧି ରହିଛି ॥
ଏହା ଶୁଣି ଶାନ୍ତମନା ହେଲେ ସୁରପତି ।କହଇ ଅଚ୍ୟୁତ ଦାସ ଦୂର ହେଲା ଭୀତି ॥
ବ୍ରହ୍ମା ସହ ରାମକୃଷ୍ଣଙ୍କର ବ୍ରହ୍ମଲୋକ ପ୍ରବେଶବଦନ୍ତି ଯେ ଇଦଂ ପ୍ରତିବାକ୍ୟ ବେଦବର ।ଭୋ କୃଷ୍ଣ ଆମ୍ଭ ପୁରକୁ ତୁମ୍ଭେ ବିଜେ କର ॥
ବଡ଼ୁ ବଡ଼ ପବିତ୍ରାଣ ସଂସାରିକ ବିଧି ।ତା ନୋହିଲେ କ୍ଷତ୍ରି ବୃତ୍ତି ନ ହୁଅଇ ସିଦ୍ଧି ॥
ମହାଯଜ୍ଞ ଉପବୀତ ଅଛି ବେଦମତି ।ତହିଁରେ ପ୍ରତିଷ୍ଠା ହେବ ତୁମ୍ଭ କ୍ଷତ୍ରିବୃତ୍ତି ॥
ବୃଷୀବଂଶେ ଜାତ ତୁମ୍ଭେ ଅଟ ଶୁଦ୍ଧଜାତି ।ଦେବକୀ ଗର୍ଭରୁ ଜାତ ମାନବ ମୂରତି ॥
ବସୁଦେବ ବୀର୍ଯ୍ୟେ ଜାତ ହେଲ ମଥୁରାରେ ।ଆଠବର୍ଷ ଯାଏ ଥିଲ ନନ୍ଦନ ଗୋପଘରେ ॥
କଂସକୁ ସଂହାରି ମଧୁବନେ ବିହରିଲ ।ବିଦ୍ୟା ପଢ଼ି ଗୁରୁପୁତ୍ର ଜୀଆଇ ଆଣିଲ ॥
ସ୍ୱର୍ଗର ଶତ୍ରୁକୁ ଏବେ କଲ ସମାଧାନ ।ଜଗତ କରତା ତୁମ୍ଭେ ପ୍ରଭୁ ଭଗବାନ ॥
ଏପରି ସଂଯୋଗ ଆଉ କେମନ୍ତେ ପାଇବା ।ଆଚାର୍ଯ୍ୟ ହୋଇ ପବିତ୍ର ତୁମ୍ଭଙ୍କୁ ଯେ ଦେବା ॥
ତୁମ୍ଭେ ବା ବୋଲିବ ଆମ୍ଭେ କରମ କରତା ।ସ୍ଥାବର ଜଙ୍ଗମକୀଟ ପତଙ୍ଗ ପାଳାନ୍ତା ॥
ଜୀବେ ଅଜୀବେ ସବୁରି ଦେହେ ଅଛୁ ପୂରି ।ହବି ହୋମ ସ୍ୱାହାମନ୍ତ୍ର ବେଦ ଆଦିକରି ॥
ଏମନ୍ତ ବିଚାର ଯେବେ ମନରେ କରିବ ।ତୁମ୍ଭେ କର୍ମ ନ କରିଲେ ଧର୍ମ ନାଶ ଯିବ ॥
ମାନବ ଶରୀର ଯେବେ ବହିଲ ଆପଣ ।ଯେ ଯହିଁର ଯଥାବିଧି ଘେନ ନାରାୟଣ ॥
ତୁମ୍ଭେ ସଦମାର୍ଗ ତ୍ୟାଗ କଲେ ଲକ୍ଷ୍ମୀସାଇଁ ।ଏ ସଂସାର ଜନେ ଧର୍ମ ପାଳିବେ ଯେ ନାହିଁ ॥
ଶ୍ରୀକୃଷ୍ଣ ବୋଇଲେ ଧାତା ଯେ ତୁମ୍ଭର ଦୀକ୍ଷା ।ଦେହ ଧରି କେବା ତାହା ନ କରିବ ରକ୍ଷା ॥
ଆମ୍ଭଙ୍କୁ ପଇତା ଦିଅ କରି ବ୍ରତ ବିଧି ।ତବ ପ୍ରସାଦରୁ ହେଉ ବେଦମନ୍ତ୍ର ସିଦ୍ଧି ॥
ଏମନ୍ତ ଉତ୍ତର ଯହୁଁ ଦେଲେ ଭଗବାନ ।ତକ୍ଷଣେ ମିଳିଲା ଆସି ନନ୍ଦିଘୋଷ ଯାନ ॥
ଉଲ୍ଲୁକ ମନ୍ତ୍ରକୁ ଧାତା ଗୋପ୍ୟ କରିଥିଲେ ।ଦେବ କାର୍ଯ୍ୟ ନିମନ୍ତେ ତା ଶ୍ରୀକୃଷ୍ଣଙ୍କୁ ଦେଲେ ॥
ଶଙ୍ଖ ଚକ୍ର ଗଦା ପଦ୍ମ ସାରଙ୍ଗ ସହିତେ ।ସମର୍ପଣ କଲେ ପୁଣି ଗୋବିନ୍ଦ ଶ୍ରୀହସ୍ତେ ॥
ଦେଖିଣ ପରମାନନ୍ଦ ହେଲେ ଦଇତ୍ୟାରି ।ରଥ ପ୍ରଦକ୍ଷିଣ କଲେ ନମସ୍କାର କରି ॥
ସୁରଥ ଦେବେନ୍ଦ୍ର ବଳରାମ ଷଡ଼ଭ୍ରାତ ।ସର୍ବେ ଆରୋହଣ କଲେ ନନ୍ଦିଘୋଷ ରଥ ॥
ମରାଳ ବାହନେ ବ୍ରହ୍ମା ହେଲେ ଆଗୁଆଣି ।କୁଶବଟୁ ଭୁବନକୁ ବିଜେ ଚକ୍ରାପାଣି ॥
ଅନ୍ତରୀକ୍ଷ ମାର୍ଗେ ରଥ ବାହିଲେ ମାତଳି ।ବ୍ରହ୍ମଲୋକେ ପରବେଶ ହେଲେ ବନମାଳି ॥
ଦେଖନ୍ତି ଯେ ପିତାମହ ଭୁବନ ସୁସଞ୍ଚ ।ନାହିଁ ପଟାନ୍ତର ସ୍ୱର୍ଗ ପାତାଳ ଯେ ମଞ୍ଚ ॥
ଅକ୍ଷୟ ପୁରୁଷେ ତହିଁ କରିଛନ୍ତି ବାସ ।ପ୍ରଳୟରେ ସେ ଭୁବନ ନୁହଇ ବିନାଶ ॥
ଭୂଲୋକ ଯେ ଭୁବଲୋକ ସ୍ୱର୍ଗଲୋକ ତିନି ।ମହଲୋକ ଜନଲୋକ ତପଲୋକ ଘେନି ॥
ସପ୍ତଲୋକ ଉପରେ ସେ ବ୍ରହ୍ମଲୋକ ଶ୍ରେଷ୍ଠ ।ସକଳ ଗୁଣରେ ସେ ଯେ ଅଟଇ ଗରିଷ୍ଠ ॥
ଅଠାଣୋଇ କୋଟି ଦ୍ୱିଜ ଘେନି ବେଦପତି ।ସେ ଅକ୍ଷୟ ବ୍ରହ୍ମଲୋକେ ବାସ କରିଥାନ୍ତି ॥
ପିତାମହ ପ୍ରସାଦରୁ ସର୍ବେ ପୁଣ୍ୟମୟ ।ବ୍ରହ୍ମପ୍ରଳୟ ପର୍ଯ୍ୟନ୍ତେ ନାହିଁ ମୃତ୍ୟୁଭୟ ॥
ନବରତ୍ନେ ସେ ଭୁବନ ହୋଇଛି ନିର୍ମାଣ ।ଦୀର୍ଘପ୍ରତି ଦଶଲକ୍ଷ ଯୋଜନ ପ୍ରମାଣ ॥
ସେ ଭୁବନେ ପରବେଶ ହେଲେ ରାମହରି ।ଅପୂର୍ବ ଆସ୍ଥାନ ଦେଖି ପରଶଂସା କରି ॥
ଇନ୍ଦ୍ର ଗୋବିନ୍ଦ ଆଗମ ଦେଖି ବ୍ରହ୍ମଲୋକେ ।ଏକକୁ ଆରେକ ଚାହିଁ ପଚାରନ୍ତି ଥୋକେ ॥
କେଉଁମାନେ ବୋଲନ୍ତି ଏ ସ୍ୱୟଂ ବିଶ୍ୱବାସ ।କେ ବୋଲନ୍ତି ଏହା ଜଗତ୍ବନ୍ଦନ ପୁରୁଷ ॥
କେଉଁମାନେ ବୋଲନ୍ତି ଏ ଭକ୍ତ ପ୍ରାଣବନ୍ଧୁ ।କେ ବୋଲଇ ଏ ଅଟନ୍ତି କୃପାଜଳସିନ୍ଧୁ ॥
କେ ବୋଲନ୍ତି ଏଟି ଲକ୍ଷ୍ମୀଦେବୀ ହୃଦମଣି ।କେ ବୋଲଇ ଏ ଅଶେଷ ଲୋକର କାରେଣି ॥
କେଉଁମାନେ ବୋଲନ୍ତି ଏ ସୃଷ୍ଟି ହିତକାରୀ ।କେ ବୋଲନ୍ତି ଜ୍ଞାନଗମ୍ୟ ଅଟନ୍ତି ଏ ହରି ॥
କେ ବୋଲନ୍ତି ଏହି କୃଷ୍ଣ କଂସ ନିସୂଦନ ।କେ ବୋଲଇ ଏହି ବସୁଦେବର ନନ୍ଦନ ॥
କେ ବୋଲଇ ଗୋପୁପୁରେ ଥିଲେ ଆଠବର୍ଷ ।କେ ବୋଲଇ ପୂତନାକୁ ଏହି କଲେ ନାଶ ॥
କେ ବୋଲଇ ଗୋବର୍ଦ୍ଧନଗିରି ଏ ତୋଳିଲେ ।କେ ବୋଲଇ ବୃନ୍ଦାବନେ ରାସ କରୁଥିଲେ ॥
କେ ବୋଲନ୍ତି ଏହି ଦେବଦେବ ବିଶ୍ୱବାସୀ ।ଏହି ଶଙ୍ଖଚକ୍ରଧାରୀ ବୈକୁଣ୍ଠ ନିବାସୀ ॥
ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି କରି ।ଜଳସ୍ଥଳ ଅନଳରେ ରହିଛନ୍ତି ପୂରି ॥
ବସୁମତୀ ଭାରାଭର ନିବାରିବା ପାଇଁ ।ଦ୍ୱାପରେ ଜନମିଛନ୍ତି ନରଦେହ ବହି ॥
କେ ବୋଲନ୍ତି ଧନ୍ୟ ଆମ୍ଭେ କରିଥିଲୁ ତପ ।ନୟନେ ଦେଖିଲୁ ତେଣୁ ଅବ୍ୟକ୍ତ ସ୍ୱରୂପ ॥
କେ ବୋଲନ୍ତି କିପାଁ ଏଥେଁ ବିଜେକଲେ ହରି ।ପିତାମହ ଆଣିଛନ୍ତି ଗଉରବ କରି ॥
କେହୁ ଯେ ବୋଲନ୍ତି ବ୍ରତ ହୋଇ ଏ ନାହାନ୍ତି ।ବ୍ରତ କରାଇବା ପାଇଁ ବ୍ରହ୍ମା ଆଣିଛନ୍ତି ॥
ଆଜହୁଁ ଏ ବ୍ରହ୍ମଲୋକ ହୋଇବ ପବିତ୍ର ।ନିରଞ୍ଜନ ସ୍ୱାମୀ ହେବେ ଏ ସ୍ଥାନରେ ବ୍ରତ ॥
ବନ୍ଧୁପଣେ ଆସିଛନ୍ତି ସଙ୍ଗେ ସୁରରାଣ ।ଆବର ଅଛନ୍ତି ତାଙ୍କ ଭାଇ ସଙ୍କର୍ଷଣ ॥
ଦେବକୀର ଷଡ଼ପୁତ୍ର ୟାଙ୍କ ଜ୍ୟେଷ୍ଠଭାଇ ।ମରିଥିଲେ ଏମାନଙ୍କୁ ଆଣିଲେ ଜୀଆଇଁ ॥
ଶ୍ରୀକୃଷ୍ଣ ସଙ୍ଗେ ସବୁରି ହେବ ବ୍ରତବିଧି ।ଏବେ ଆସି ଦେବଙ୍କର କାର୍ଯ୍ୟ ହେଲା ସିଦ୍ଧି ॥
ଏମନ୍ତ ବିଚାର କରି ବ୍ରହ୍ମଲୋକ ବାସୀ ।ରଥ ପଛେ ଗୋଡ଼ାଇଲେ ଦେଖି ବ୍ରହ୍ମାରାଶି ॥
ବେଦମନ୍ତ୍ର ପଢ଼ି ମୁଖେ କରନ୍ତି ସ୍ତବନ ।ସିଂହାଦ୍ୱାରେ ମିଳି ଧାତା ରୁହାଇଲେ ଯାନ ॥
ସୋଦରମାନଙ୍କୁ ସଙ୍ଗେ ଘେନି ଦେବରାଜେ ।ରଥରୁ ଓହ୍ଲାଇ କଲେ ଭିତରକୁ ବିଜେ ॥
ସାବିତ୍ରୀ ଗାୟତ୍ରୀ ବେନି ବ୍ରହ୍ମାଙ୍କ ଭାରିଯା ।ଅର୍ଘ୍ୟ ବନ୍ଦାଇଣ କଲେ ରାମକୃଷ୍ଣେ ପୂଜା ॥
ଶୁଦ୍ଧ ସୁବର୍ଣ୍ଣ ଥାଳିରେ ଦୁର୍ବାକ୍ଷତ ଭରି ।ସୁଗନ୍ଧ କୁସୁମ ଧୂପ ଦୀପ ଆଦିକରି ॥
ଆପଣେ ବ୍ରହ୍ମାଣୀ ଅର୍ଘ୍ୟଥାଳି ଘେନି ହସ୍ତେ ।ଅଭିଷେକ କଲେ ରାମକୃଷ୍ଣଙ୍କର ମାଥେ ॥
ରତ୍ନସିଂହାସନ ପରେ ଅପସର ଧୂଳି ।ଯେ ଆସନେ ବିଜେକଲେ ରାମ ବନମାଳୀ ॥
ଦେବଇନ୍ଦ୍ର ବିଜେକଲେ ସ୍ୱର୍ଣ୍ଣ ସିଂହାସନେ ।ରତ୍ନ ଖମ୍ୱେ ଆଉଜିଲେ ବସି ଭ୍ରାତାମାନେ ॥
ଆପଣେ ଗାୟତ୍ରୀଦେବୀ ସମ୍ପାଦିଲେ ପାକ ।ବିବିଧ ରାନ୍ଧଣା ଅନ୍ନ ବ୍ୟଞ୍ଜନ ଅନେକ ॥
ରାମ ଆଦି ଭ୍ରାତୃଗଣ ଘେନି ଦେବରାଜେ ।ନିତ୍ୟକର୍ମ ଶେଷକରି ମଣୋହିରେ ବିଜେ ॥
ଅମଳାନ ବାସ ପିନ୍ଧି ଶୁଦ୍ଧପୂତ ହୋଇ ।ଆପଣେ ବ୍ରହ୍ମାଣୀ ଅନ୍ନ ପରଷନ୍ତି ନେଇ ॥
ଶାଳିଅନ୍ନ ଗୁଆଘୃତ ବ୍ୟଞ୍ଜନର ମୂଳେ ।ଅନେକ ଦ୍ରବ୍ୟ ଦିଅନ୍ତି ସୁବର୍ଣ୍ଣର ଥାଳେ ॥
ଇନ୍ଦ୍ର ଗୋବିନ୍ଦ ସୁରଥ ହଳୀ ଷଡ଼ଭ୍ରାତା ।ଭୁଞ୍ଜନ୍ତି ସକଳ ଦ୍ରବ୍ୟ ପରଷନ୍ତି ମାତା ॥
ଅଧାମ ଗୋଟିକା ଦଧି ଦୁଗ୍ଧ ଛେନା ସର ।ଦାରାକ୍ଷ ଅମୃତ ପାନ କଦଳୀ ସାକର ॥
ଚୌରାଶୀ ବ୍ୟଞ୍ଜନ ବିଧି ରାଜଯୋଗ୍ୟ ଯେତେ ।ଏକ ଏକ ନାମ ଧରି କହିବା ତା କେତେ ॥
ବ୍ରହ୍ମାଙ୍କ ମନ୍ଦିରେ ଇନ୍ଦ୍ର ଗୋବିନ୍ଦ ମଣୋହି ।ଅମୃତ ଆଦି କେବଣ ଦ୍ରବ୍ୟ ତହିଁ ନାହିଁ ॥
ଭୋଜନରେ ଅବଶେଷେ କଲେ ଆଚମନ ।କର୍ପୂର ବିଡ଼ିଆ ଲାଗି ହେଲେ ଭଗବାନ ॥
ସୁଧାରୁ ଅଧିକ ଅଟେ ହରି କଥାମୃତ ।ସାଧୁଜନେ ପାନକରେ କହଇ ଅଚ୍ୟୁତ ॥
ହରିନାମ ଏ ସଂସାର ସାଗରକୁ ଭେଳା ।ହରିନାମ ଜପି ତର ନ କରିଣ ହେଳା ॥
ବ୍ରହ୍ମଙ୍କ ପୁରେ ରାମକୃଷ୍ଣଙ୍କର ଉପନୟନ ଓ ଶସ୍ତ୍ରାସ୍ତ୍ର ଲାଭଶୁକ ବୋଇଲେ ହୋ ଶୁଣ ପରୀକ୍ଷିତ ରାୟେ ।ଏଥୁ ଅନନ୍ତରେ ତହିଁ କେତେ ଦିନ ଯାଏ ॥
ଦିନକୁ ଦିନ ବିଶେଷ ଗଉରବ ପାଇ ।ବ୍ରହ୍ମଲୋକେ ବାସକଲେ ଇନ୍ଦ୍ର ଲକ୍ଷ୍ମୀସାଇଁ ॥
ନିବାତ ଭୟରେ ଦେବେ ପଳାଇଣ ଥିଲେ ।ଯେ ଯାହା ନଗରେ ଆସି ପୁଣି ସେ ରହିଲେ ॥
ବୈଶାଖ କୃଷ୍ଣ ପଞ୍ଚମୀ ତିଥି ଚନ୍ଦ୍ରବାର ।ପୂର୍ବାଷାଢା ନକ୍ଷତ୍ର ଯେ ଭୋଗ ସେ ଦିନର ॥
ଶୁଭନାମେ ଯୋଗ ଗର ନାମରେ କରଣ ।ଏକାଦଶ ଦିନ ଭୋଗ ମେଷ ସଂକ୍ରମଣ ॥
ସପତାଙ୍ଗେ ସର୍ବ ଶୁଭ ଚାପେ ଚନ୍ଦ୍ର ଅଛି ।ବେଳ ପାଞ୍ଚ ଘଡ଼ିଠାରେ ବ୍ରତ ଯୋଗାଉଛି ॥
ବିଶ୍ୱକର୍ମା ରାଇ ଆଜ୍ଞା ଦେଲେ ବେଦବର ।ଛାୟା ମଣ୍ଡପ ବେଦିକା ବେଗେ ସଜ କର ॥
ରାମକୃଷ୍ଣ ବ୍ରତ ପାଇଁ ଲାଗେ ଯେତେ ବିଧି ।କାମଧେନୁକୁ ବୋଇଲେ କର ସର୍ବ ସିଦ୍ଧି ॥
ବ୍ରହ୍ମା ଆଜ୍ଞା ପରମାଣେ ବିଶ୍ୱକର୍ମା ସ୍ୱାମୀ ।ତକ୍ଷଣେ ଛାୟା ମଣ୍ଡପ ବେଦି ନିରିମାଣି ॥
ଅଷ୍ଟରତ୍ନରେ ନିର୍ମିତ ସମ ଦୀର୍ଘ ପ୍ରତି ।ହୀରା ନୀଳା ବଇଡ଼ୁର୍ଯ୍ୟ ପ୍ରବାଳ ଆକୃତି ॥
କାମଧେନୁ କଳ୍ପନାରୁ ହୋଇଛି ଜଗତ ।ଉପଚାର ଦ୍ରବ୍ୟମାନ ସୃଜିଲେ ଗୋ ମାତ ॥
ରାମକୃଷ୍ଣ ବ୍ରତ କଥା ଶୁଭିଲା ତ୍ରିପୁରେ ।ଈଶ୍ୱର ବାରତା ପାଇ କୈଳାସ କନ୍ଦରେ ॥
ଚୌଦକୋଟି ରୁଦ୍ରଗଣ ଘେନାଇ ସଙ୍ଗତେ ।ବୃଷଭ ବାହନେ ବସି ଅଇଲେ ତ୍ୱରିତେ ॥
ନନ୍ଦି ଭୃଙ୍ଗରଟୀ କାର୍ତ୍ତିକେୟ ଗଜାନନ ।ପାର୍ବତୀ ଦେବୀଙ୍କି ଘେନି ବିଜେ ପଞ୍ଚାନନ ॥
ଡିବି ଡିବି ଡମ୍ୱରୁ ଯେ ବାଜେ ନବକୋଟି ।ଖଣ୍ଡ ଇନ୍ଦୁ ଗଙ୍ଗା ଶିରେ ଶୋଭିତ ଧୂର୍ଜଟୀ ॥
ଅଭୟ ପିନାକ ଶୂଳ ନାଗ ବାମ କରେ ।ପରଶୁ କପୋଳ ମୃଗବର ଦକ୍ଷିଣରେ ॥
ସର୍ବାଙ୍ଗରେ ଚିତାଭସ୍ମ ଶିରେ ଜଟାଜୂଟ ।ରୁଦ୍ରାକ୍ଷ ମାଳାରେ ଶୋଭା ପାଏ କଣ୍ଠତଟ ॥
ଅନେକ ସମ୍ଭାରେ ବିଜେ କରି ପଶୁପତି ।ବ୍ରହ୍ମଲୋକେ ପରବେଶ ହେଲେ ଶୀଘ୍ରଗତି ॥
ସନକାଦି ସପ୍ତଋଷି ବିଶ୍ୱଦେବା ମୁନି ।ଅଗସ୍ତି ଅଙ୍ଗିରା ଭୃଗୁ ବଶିଷ୍ଠ ଜୈମିନି ॥
ଏମାନଙ୍କ ଆଦି ଯେତେ ଋଷିଗଣ ଥିଲେ ।ମନଦଣ୍ଡେ ବସି ବ୍ରହ୍ମଲୋକରେ ମଳିଲେ ॥
ଦେବଋଷି ବ୍ରହ୍ମଋଷି ନାଗ ନର ଋଷି ।ବୃହତ୍ସାମ ଗାନ କଲେ ଗୋଷ୍ଠୀ ହୋଇ ବସି ॥
ସ୍ୱର୍ଗ ମଞ୍ଚ ପାତାଳରେ ଯେତେ ଦେବଗଣ ।ବ୍ରହ୍ମଲୋକରେ ପ୍ରବେଶ ହୋଇଲେ ତକ୍ଷଣ ॥
ରତ୍ନସିଂହାସନ ପରେ ଶେଯ ଅଛି ପଡ଼ି ।ସଭାରେ ବସିଲେ ସର୍ବେ ଯେଝାସ୍ଥାନ ମାଡ଼ି ॥
ମଙ୍ଗଳ ମହୁରୀ ବାଜେ ଶୁଭେ ଶଙ୍ଖଧ୍ୱନି ।ହୁଳହୁଳି ଦେଉଛନ୍ତି ସଧବା କାମିନୀ ॥
ଆପଣେ ଆଚାର୍ଯ୍ୟ ତହିଁ ହେଲେ ବେଦବର ।ଆହ୍ନିକ ସାରିଣ ବିଜେ ବେଦିକା ଉପର ॥
ଉତ୍ତର ମୁଖେ ବସିଲେ ରତ୍ନପୀଢ଼ାମାଡ଼ି ।ଅନାମିକା ଅଙ୍ଗୁଷ୍ଠିରେ କୁଶବଟୁ ଭିଡ଼ି ॥
ରାମକୃଷ୍ଣ ହସ୍ତେ ପୁଣି ବ୍ରହ୍ମା ଦେଲେ କୁଶ ।ପୂର୍ବ ମୁଖରେ ବସିଲେ ବସୁଦେବ ଶିଷ୍ୟ ॥
ବିଷ୍ଣୁ ବିଷ୍ଣୁ ବୋଲି ଦେଶକାଳ ବାକ୍ୟ କଲେ ।ଦିନ ବାର ତିଥି ଚନ୍ଦ୍ର ନକ୍ଷତ୍ରର ତୁଲେ ॥
ପ୍ରଥମ ସଂକଳ୍ପ କରି କୁମ୍ଭେ କଲେ ପୂଜା ।ଆଗେ ଗଣପତି ତହିଁପରେ ଜଳରାଜା ॥
ଆଦିତ୍ୟ ସୋମ ମଙ୍ଗଳ ବୁଧ ବୃହସ୍ପତି ।ଶୁକ୍ର ଶନିଶ୍ଚର ରାହୁ କେତୁ ଯେ ପୂଜନ୍ତି ॥
ଇନ୍ଦ୍ର ଯମ ଧନପତି ନୈର୍ଋତ ଈଶାନ ।ଦିନକର ନିଶାକର ଅନଳ ପବନ ॥
ତଦନ୍ତରେ ଏକାଦଶ ରୁଦ୍ର ଚୌଦମନୁ ।ଆବର ଷୋଳ ଚନ୍ଦ୍ରମା ଦ୍ୱାଦଶ ଯେ ଭାନୁ ॥
ସତ୍ୟ ତ୍ରେତୟା ଦ୍ୱାପର କଳିଯୁଗ ବରି ।ବରିଲେ ଯେ ଅଣଚାଶ ବାୟୁନାମ ଧରି ॥
ବାସୁକି ସହିତେ ଅଷ୍ଟକୁଳ ନାଗରାଜା ।ଗନ୍ଧପୁଷ୍ପ ଦେଇ କଲେ ଏମାନଙ୍କୁ ପୂଜା ॥
ପ୍ରାଣାପାନ ବ୍ୟାନୋଦାନ ସମାନର ତୁଲେ ।ସତ୍ତ୍ୱ ରଜ ତମ ଗୁଣ ପ୍ରକୃତି ବରିଲେ ॥
ଅଷ୍ଟଚଣ୍ଡୀ ଚଉଷଠୀ କୋଟି ଯେ ଯୋଗିନୀ ।ଅଷ୍ଟାଦଶ ମାତୃଗଣ ଆବର କାନ୍ତାନୀ ॥
କାଳାନ୍ତକ ଯୁଗାନ୍ତକ ଲୟାନ୍ତକ ତିନି ।ଏହାଙ୍କ ତୁଲେ ବରିଲେ ଚଉଦ ମେଦିନୀ ॥
ଋକ ଯଜୁ ସାମଦେବ ଅଥର୍ବ ଏ ଚାରି ।ଷଡ଼ଶାସ୍ତ୍ର ଅଷ୍ଟାଦଶ ପୁରାଣହିଁ ବରି ॥
ଆସନକୁ ଶୁଦ୍ଧ କରି ଭୂତ ଶୁଦ୍ଧି କଲେ ।ପ୍ରାଣାୟାମ ବିଧି ଯୋଗ ମାର୍ଗରେ ସାଧିଲେ ॥
ପଞ୍ଚାଶତ ବର୍ଣ୍ଣ ଭେଦ ଷଡ଼ଚକ୍ର ଘେନି ।ବାହ୍ୟ ଅନ୍ତର ମାତୃକା କଲେ ପଦ୍ମଯୋନି ॥
ଦଶ ବିଶ୍ୱଦେବା ଦଶ କଲସରେ ସ୍ଥାପି ।ଅଙ୍ଗନ୍ୟାସ କରନ୍ୟାସ କଲେ ବେଦରୂପୀ ॥
ଆବାହନ ଆଦି ଦଶ ମୁଦ୍ରାର ନିୟମ ।ଷଡ଼ଦଶ ଉପଚାରେ କଲେ ପୂଜାକର୍ମ ॥
ପଲାଶ ଖଦିର ଉଦୁମ୍ୱର କାଷ୍ଠ ଥାଇ ।ମହାମନ୍ତ୍ରେ ଅଗ୍ନି ଆରୋପଣ କଲେ ତହିଁ ॥
ବାୟୁ ବରୁଣ ମାହେନ୍ଦ୍ର ଅନଳ ପ୍ରଚଣ୍ଡ ।ଅଷ୍ଟାଦଶ ଯୂଣମାନେ କଲେ ଅଗ୍ନିକୁଣ୍ଡ ॥
ଘୃତ ତିଳ ଯବଧାନ ତଣ୍ଡୁଳର ମୂଳେ ।ମହାମନ୍ତ୍ର ପଢ଼ି ହୋମ କରନ୍ତି ଅନଳେ ॥
ସ୍ରୁବ ଘେନି ସ୍ୱାହା ମନ୍ତ୍ର କରିଣ ଉଚ୍ଚାର ।ଯେଉଁ ଦେବଙ୍କ ଆହୁତି ଯେବଣ ପ୍ରକାର ॥
ଲାଗିଲା ପ୍ରଚଣ୍ଡ ଶିଖା ଢ଼ାଳନ୍ତେ ଆହୁତି ।ନିଜ ନିଜ ମନ୍ତ୍ରେ ହୋମ କଲ ବେଦପତି ॥
ନୂତନ ସୁବର୍ଣ୍ଣ ଭାଣ୍ଡେ ଚରୁ ରନ୍ଧାଇଲେ ।ଶ୍ରୀଫଳ ଅନଳେ କ୍ଷେପି ପୂର୍ଣ୍ଣାହୁତି ଦେଲେ ॥
ଘୃତକୁଲ୍ୟା ମଧୁକୁଲ୍ୟା କଲେ ଉଚ୍ଚାରଣ ।ଗାୟତ୍ରୀ ସାବିତ୍ରୀ କର୍ଣ୍ଣେ କହିଲେ ଆପଣ ॥
ତଦନ୍ତେ ସହସ୍ର ଧାରା ଅଭିଷେକ କଲେ ।ଶଙ୍ଖୋଦକ ଅର୍ଘ୍ୟୋଦକ ମସ୍ତକେ ଢ଼ାଳିଲେ ॥
ନୂତନ ଝୀନ ବସନ ପିନ୍ଧି କଟିତଟ ।ସୁବାସ କୁସୁମ ଶିରେ ବାନ୍ଧିଲେ ମୁକୁଟ ॥
ପଞ୍ଚବର୍ଣ୍ଣି ଫୁଲଧଣ୍ଡା ଲମ୍ୱାଇ ଗଳାରେ ।ନବ ଅସରଳା ସୂତା ବାନ୍ଧିଲେ ବାହୁରେ ॥
ଲଲାଟେ ସିନ୍ଦୂର ଚିତା ଚନ୍ଦନର ପଟୀ ।ତଦନ୍ତେ ସନ୍ୟାସ ଦୀକ୍ଷ ଦେଲେ ଦଣ୍ଡଗୋଟି ॥
ପଞ୍ଚଗବ୍ୟ ପିଇ ନେଲେ ବ୍ରହ୍ମାଚାରୀ ଦୀକ୍ଷା ।କରେ ରମ୍ଭା ପତ୍ର ଘେନି ମାଗିଲେକ ଭିକ୍ଷା ॥
ସଗୋତ୍ର ଉଚ୍ଚାରି ପିତା ମାତା ନାମ ଧରି ।ମାତାମହଗଣ ତହିଁ ଉଚ୍ଚାରଣ କରି ॥
ଜନମ ସଂସ୍କାର ଆଦି ବ୍ରହ୍ମଚର୍ଯ୍ୟ ଯାଏ ।ଯେବଣ କର୍ମରେ ଯେଉଁ ବିଧିମାନ ହୋଏ ॥
ବେଦ ପ୍ରମାଣରେ ଯେହ୍ନେ ଅଛି ବଡ଼ୁ ବିଧି ।ସମସ୍ତ କର୍ମ ଆପଣେ କଲେ ବେଦନିଧି ॥
ସନ୍ନ୍ୟାସ ମୂର୍ତ୍ତି ବ୍ରାହ୍ମଣ ଧର୍ମରେ ସେ କାର୍ଯ୍ୟ ।ଜପ ତପ ଉପାସନା ଯଜ୍ଞକର୍ମାଚାର୍ଯ୍ୟ ॥
ଏସନକ ଅଷ୍ଟନାଗ ଦ୍ୱାରପାଳ ଚାରି ।ଯଥାବିଧାନରେ ପୂଜା କଲେ ଚକ୍ରଧାରୀ ॥
ଭୂତବଳି ପ୍ରେତବଳି ବାହ୍ୟବଳି ଦେଇ ।ବେଦୀ ପ୍ରଦକ୍ଷିଣ କଲେ ଘଣ୍ଟିକି ବଜାଇ ॥
ଦ୍ୱାରପାଳ ପୂଜା କରି ଶାଲାମଧ୍ୟେ ପଶି ।ଆହୁତି ଦେଲେ ଦକ୍ଷିଣ ମୁଖେ ପୁଣି ବସି ॥
ଡାହାଣ ବର୍ତ୍ତକ ଶଙ୍ଖେ ଜଳ ତିଳ ଭରି ।ବେନିଭାଇଙ୍କର ଶିରେ ଅଭିଷେକ କରି ॥
ନାରୀକେଳ ଫଳ ଭାଙ୍ଗି ପୁଷ୍ପାଞ୍ଜଳି ଦେଲେ ।ସାବିତ୍ରୀ ଗାୟତ୍ରୀ ମନ୍ତ୍ର ଶ୍ରବଣେ କହିଲେ ॥
ତଦନ୍ତରେ ଆରୋପଣ କରିଲେ ପଇତା ।ଯଜ୍ଞ ଉପବୀତ ମନ୍ତ୍ରେ ମନ୍ତ୍ରିଦେଲେ ଧାତା ॥
ଅନଳକୁ ପ୍ରଦକ୍ଷିଣ କଲେ ବାର ଥର ।ବ୍ରହ୍ମଗଣ୍ଠି ଦେଲେ ମନ୍ତ୍ର ପଢ଼ି ବାରମ୍ୱାର ॥
ବଳରାମଙ୍କୁ ପଇତା ଦେଲେ ଆଗ ଧରି ।ଦ୍ୱିତୀୟେ ପଇତା କନ୍ଧେ ବହିଲେ ଶ୍ରୀହରି ॥
ଆବର ଯେ ଷଡ଼ଭ୍ରାତ ସୁରଥ ସହିତେ ।ବ୍ରହ୍ମ ହସ୍ତରୁ ପଇତା ପାଇଲେ ସମସ୍ତେ ॥
ଯେ ଯାହା ପଇତା କନ୍ଧେ ଆଭରଣ କଲେ ।ଶୁଣ ହୋ ପରୀକ୍ଷ ରାଜା ଶୁକ ବ୍ରହ୍ମା ବୋଲେ ॥
ଏମନ୍ତ ପ୍ରକାରେ ରାମ କୃଷ୍ଣ ବ୍ରତ ବିଧି ।ଆପେ ପିତାମହ ବସି କଲେ ସବୁ ସିଦ୍ଧି ॥
ବ୍ରତ ଶେଷ ହେଲା ସର୍ବେ ଭୋଜନେ ବସିଲେ ।ଗାୟତ୍ରୀ ସାବିତ୍ରୀ ଦୁହେଁ ଅନ୍ନ ପରଷିଲେ ॥
ସନ୍ତୋଷରେ ଅନ୍ନ ଭୁଞ୍ଜି ସର୍ବେ ହେଲେ ଶାନ୍ତି ।ଯେ ଯାହାର ଅନୁରୂପେ ଯୌତୁକ ଦିଅନ୍ତି ॥
ରଥ ଗଜ ଅଶ୍ୱ ଧନ ଭଣ୍ଡାର ଯେ ଭୂମି ।ଯୌତୁକ ପାଇଲେ ତହିଁ ଜଗନ୍ନାଥ ସ୍ୱାମୀ ॥
ବ୍ରହ୍ମାଙ୍କୁ ଆଜ୍ଞା ମାଗିଣ ଦେବେ ଚଳିଗଲେ ।ଯେ ଯାହା ଭୁବନେ ଯାଇ ପ୍ରବେଶ ହୋଇଲେ ॥
କେବଳ ରହିଲେ ରାମ କୃଷ୍ଣ ଦୁହେଁ ତହିଁ ।ସୁରଥ ସହିତେ ସଙ୍ଗେ ଛନ୍ତି ଷଡ଼ ଭାଇ ॥
ବ୍ରହ୍ମା ତାଙ୍କୁ ରୁହାଇଲେ ଗଉରବ କରି ।ପଞ୍ଚରାତ୍ର ପରିଯନ୍ତେ ରହିଲେ ଶ୍ରୀହରି ॥
ବ୍ରହ୍ମାଏ ବୋଇଲେ ତୁମ୍ଭେ ଶୁଣ ଭଗବାନ ।ଶଙ୍ଖ ଚକ୍ର ଗଦା ପଦ୍ମ ଏ ଆୟୁଧ ଘେନ ॥
ତାଳଧ୍ୱଜ ନନ୍ଦିଘୋଷ ଲାଙ୍ଗଳ ମୂଷଳ ।ଏମାନଙ୍କୁ ଆଦି ତୁମ୍ଭେ ଆୟୁଧ ସକଳ ॥
ଯତ୍ନକରି ରଖିଅଛୁ ଘେନ ତୁମ୍ଭେ ଏବେ ।ଏତେ କହି ସମର୍ପଣ କଲେ ପ୍ରିୟଭାବେ ॥
କଲ୍ୟାଣ କରିଣ ଏହା କହିଲେ ଆବର ।ଏ ଶସ୍ତ୍ରରେ ପୃଥ୍ୱୀଭାରା ନିବାରଣ କର ॥
ଅନେକ କାଳୁ ସାଇତି ରଖିଅଛୁ ଆମ୍ଭେ ।ବାମନାବତାରଠାରୁ ଛାଡ଼ିଗଲ ତୁମ୍ଭେ ॥
ତହିଁପରେ ପର୍ଶୁରାମ ରୂପେ ଜନ୍ମ ହେଲ ।ପରଶୁ କୁଠାର ଧନୁ କରେ ବହିଥିଲ ॥
ରାମ ଅବତାରେ ହେଲ ଦଶରଥ ବଳା ।ଶ୍ରୀକରେ କୋଦଣ୍ଡ କାଣ୍ଡ ତେଜ ଅନର୍ଗଳା ॥
ରାବଣକୁ ବଧ କଲ ଧ୍ୱଂସ କରି ଲଙ୍କା ।ତ୍ରେତାଯୁଗେ ଦେବଙ୍କର ଛଡ଼ାଇଲ ଶଙ୍କା ॥
ସତର ସହସ୍ର ସତଷଠି ଯୁଗ ଅନ୍ତେ ।ପୁଣି କୃଷ୍ଣ ଅବତାର ଦ୍ୱାପର ଯୁଗାନ୍ତେ ॥
ମତ୍ସ୍ୟ କୂର୍ମ ବରାହ ଯେ ନୃସିଂହ ବାମନ ।ପାଞ୍ଚ ଅବତାରେ ଶଙ୍ଖ ଚକ୍ର ବିଦ୍ୟମାନ ॥
ବଳିକି ଚାପିଲ ଦାନେ ତା ସମ୍ପଦ ଘେନି ।ପାଦକରେ ଲୁଚାଇଲ ସକଳ ମେଦିନୀ ॥
ସେ ଦିନୁ ଚକ୍ର ସାଇତି ରଖିଅଛୁ ଆମ୍ଭେ ।ଏ ତୁମ୍ଭ ନିଜ ଆୟୁଧ ଘେନିଯାଅ ଏବେ ॥
ଶୁଣିଣ ପରମ ତୋଷ ହେଲେ ବନମାଳୀ ।ଶଙ୍ଖ ଚକ୍ର ଗଦା ପଦ୍ମ ଧଇଲେକ ତୋଳି ॥
ଲଙ୍ଗଳ ମୂଷଳ ଘେନି ରେବତୀର ନାଥ ।ହରଷରେ ଆରୋହିଲେ ତାଳଧ୍ୱଜ ରଥ ॥
ସୁରଥ ସହିତେ ଷଡ଼ଭାଇ ଘେନି ସଙ୍ଗେ ।ନନ୍ଦିଘୋଷେ ଆରୋହଣ କଲେ ଶିରୀଶଙ୍ଗେ ॥
ବିଧାତାକୁ ନମସ୍କାର କରି ଲକ୍ଷ୍ମୀପତି ।ବ୍ରହ୍ମଲୋକରୁ ବାହାରି ଗଲେ ଶୀଘ୍ରଗତି ॥
ଆକାଶ ମଣ୍ଡଳେ ରଥ ଚଳିଯାଏ ବେଗେ ।ଦେବେ ପୁଷ୍ପ ବୃଷ୍ଟି କଲେ ଥାଇ ଅଧା ସ୍ୱର୍ଗେ ॥
ଗନ୍ଧର୍ବ ଯେ ବିଦ୍ୟାଧର ଅପସରୀ ବୃନ୍ଦ ।ଗୀତଗାଇ ନୃତ୍ୟ କଲେ ହୋଇଣ ଆନନ୍ଦ ॥
ହୁଳହୁଳି କରତାଳି ମଙ୍ଗଳ ମହୁରୀ ।ସୁଲଳିତ ଗୀତ ଗାନେ ଶୂନ୍ୟ ଗଲା ପୂରି ॥
ଗୋବିନ୍ଦ ବହୁଡ଼ାବିଜେ ଦେଖନ୍ତି ବାସବ ।ବୃହସ୍ପତି ବୋଇଲେ ତୁ ଶୁଣ ଶଚୀଧବ ॥
ଛାଡ଼ିଲା ସ୍ୱର୍ଗରୁ ଭୟ ଆସି ଏତେକାଳେ ।ଏଣିକି ନିଶ୍ଚିନ୍ତ ହେବେ ଦେବତା ସକଳେ ॥
ସାନ୍ଦୀପନିଠାରୁ ରାମ କୃଷ୍ଣ ବିଦ୍ୟା ପଢ଼ି ।ମଥୁରା ପୁରକୁ ଯାଉଅଛନ୍ତି ବାହୁଡ଼ି ॥
ଦକ୍ଷିଣା କରି ଗୁରୁଙ୍କୁ ଷଡ଼ପୁତ୍ର ଦେଲେ ।ଆପଣାର ଷଡ଼ଭ୍ରାତ ଜୀଆଇ ଆଣିଲେ ॥
ଆବର ବଢ଼ିଲା ବ୍ରହ୍ମଲୋକେ ବ୍ରତ ବିଧି ।ଏଥିରେ ତୁମ୍ଭର ସବୁ କାର୍ଯ୍ୟ ହେଲା ସିଦ୍ଧି ॥
କହୁ କହୁ ଚଳିଗଲା ନନ୍ଦିଘୋଷ ଯାନ ।ବିଦ୍ୟା ପଢ଼ି ବାହୁଡ଼ନ୍ତି ରାମ ଭଗବାନ ॥
ଚାହୁଁ ଚାହୁଁ ଆକାଶରୁ ଯାନ ପଡ଼େ ଖସି ।ମର୍ତ୍ତ୍ୟପୁରେ ରାମ କୃଷ୍ଣ ପ୍ରବେଶିଲେ ଆସି ॥
ଶୁଣ ପରୀକ୍ଷ ବଦନ୍ତି ଶୁକ ମହାମୁନି ।ଇତିଶ୍ରୀ ପୁରାଣ ହରିବଂଶ ପୁଣ୍ୟଧ୍ୱନି ॥
ଭାଗ୍ୟେ ଭାଗବତ ଶୁଣି ପାପ କର କ୍ଷୟେ ।ଇଦଂ ପଞ୍ଚପଞ୍ଚାଶତ ଅଧ୍ୟା ଶେଷ ହୋଏ ॥
କହଇ ଅଚ୍ୟୁତ ଦାସ ଅମୂଲ୍ୟ ଏ ଗ୍ରନ୍ଥ ।ପଦ ପଦକରେ ଗଳି ପଡ଼ଇ ଅମୃତ ॥
ସେ ଅମୃତ ପାନ କଲେ ହୋଇବ ଅମର ।ସଂଶୟ ନ କରି ଭଜ ଶ୍ରୀକୃଷ୍ଣ ପୟର ॥
ଦୁର୍ବାସା ଋଷିଙ୍କ ଆଶ୍ରମରେ ରାମକୃଷ୍ଣଙ୍କର ପ୍ରବେଶ ଓ ରାମକୃଷ୍ଣଙ୍କ ସହିତ ଉଗ୍ରସେନର ଭେଟଏଥୁ ଅନନ୍ତରେ ବଳଦେବ ଦାମୋଦର ।ଗଗନ ଗଙ୍ଗାର କୂଳେ ରଖି ରହୁବର ॥
ବଦରିକା ଆଶ୍ରମରେ ନିତ୍ୟକର୍ମ ସାରି ।ଦୁର୍ବାସା ଋଷିଙ୍କି ଯାଇ ଭେଟିଲେ ଶ୍ରୀହରି ॥
ଦକ୍ଷକରେ କମଣ୍ଡକୁ ବାମେ କୁଶବିଡ଼ି ।କଟୀଦେଶେ କୃଷ୍ଣାଜିନ କାଖେ ଅଶାବାଡ଼ି ॥
ଗଳାରେ ରୁଦ୍ରାକ୍ଷ ମାଳା କର୍ଣ୍ଣରେ କୁଣ୍ଡଳ ।ତେଜ ବିରାଜଇ ଯେହ୍ନେ ଦଣ୍ଡ ଦାବାନଳ ॥
ସର୍ବାଙ୍ଗେ ଦୋହରା ଭସ୍ମ କାଖେ ବେଦପୋଥି ।କାନ୍ଧରେ ପଇତା ଶିରେ ଶୋହେ ଜଟାପନ୍ତି ॥
ବ୍ରହ୍ମାଙ୍କ ସମାନେ ମୁନି ବେଦତତ୍ତ୍ୱ ଜ୍ଞାତା ।ସାକ୍ଷାତେ ଏ ରୁଦ୍ର ମୂର୍ତ୍ତି ଅଷ୍ଟାଙ୍ଗର ଜିତା ॥
ଖଣ୍ଡେ ଦୂରୁ ତାଙ୍କୁ ଦେଖି ହଳୀ ଦାମୋଦର ।ନମସ୍କାର କରି ପାଦେ ଲଗାଇଲେ ଶିର ॥
ସୁରଥ ସହିତେ କୃଷ୍ଣଙ୍କର ଷଡ଼ଭାଇ ।ମୁନିଙ୍କର ପାଦତଳେ ଗଡ଼ଘାଲି ଶୋଇ ॥
ଦେଖିଣ ଦୁର୍ବାସା ଋଷି ସୁକଲ୍ୟାଣ କଲେ ।ଏ ଜନ୍ମ ସଫଳ ଆଜ ହୋଇଲା ବୋଇଲେ ॥
ଧ୍ୟାନେ ଦେଖୁଥିଲି ଯାହା ହୃଦୟ କମଳେ ।ସେ ବ୍ରହ୍ମସ୍ୱରୂପ ଆଜି ଦେଖିଲି ମୁଁ ଡ଼ୋଳେ ॥
ଷଟକର୍ମ କରୁଥିଲି ଯାହାଙ୍କ ନିମିତ୍ତେ ।ପୁରାଣ ଆଗମ ବେଦବେଦାନ୍ତ ସହିତେ ॥
ସେ ରୂପକୁ ଦେହ ବହି ସାକ୍ଷାତେ ଦେଖିଲି ।ନିର୍ବାଣ ମୁକତି ଲଭି କୃତାର୍ଥ ହୋଇଲି ॥
ଏତେ ବୋଲି କୃତ କୃତ୍ୟ ହେଲେ ମହାଯତି ।ଚନ୍ଦ୍ର ଉଦେ ହେଲେ ଯେହ୍ନେ କୋକନପଦନ୍ତି ॥
ଆଶିଷ ତଣ୍ଡୁଳ ନେଇ ରାମକୃଷ୍ଣ ଶିରେ ।କୃଷ୍ଣାଜିନ ଆଣିଦେଲେ ବସିବା ପାଇଁରେ ॥
ଆବର ସନ୍ତୋଷେ ଦେଇ ଶାଳଗ୍ରାମ ଜଳ ।ଭୁଞ୍ଜିବା ପାଇଁକି ଦେଲେ ପକ୍ୱଫଳ ମୂଳ ॥
ପିଇବା ନିମନ୍ତେ ଦେଲେ କମଣ୍ଡଳୁ ନୀର ।ସନ୍ତୋଷେ ଭୁଞ୍ଜିଲେ ବସି ରାମ ଦାମୋଦର ॥
ସୁରଥ ସହିତେ ତାଙ୍କ ଷଡ଼ଗୋଟି ଭାଇ ।ସନ୍ତୋଷ ହୋଇଲେ ସର୍ବେ ଫଳ ମୂଳ ଖାଇ ॥
ଜଗନ୍ନାଥ ଆଜ୍ଞା ଦେଲେ ଡାକି ସୁରଥକୁ ।ଶୀଘ୍ରେ ଚଳିଯାଅ ବାବୁ ମଥୁରା ପୁରକୁ ॥
ଉଗ୍ରସେନ ଆଗେ ଆମ୍ଭେ ଆସିବା ଜଣାଅ ।ଆବର ସକଳ କଥା ବୁଝାଇଣ କହ ॥
ପିତା ମାତା ଦୁହେଁ ମୋର ଥିବେ ବାଟଚାହିଁ ।ସନ୍ଦେଶ ବାରତା ତାଙ୍କୁ କହିବ ବୁଝାଇ ॥
ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ଶିରାଗ୍ରତ କରି ।ଚଳିଲେ ସୁରଥ ତହୁଁ ପାଦୁକା ସୁମରି ॥
ଗୋବିନ୍ଦ ସଙ୍ଗେ ଥିବାରୁ ଦେହେ ପାପ ନାହିଁ ।ଆବର ବିଶେଷ ନାନା ବିଦ୍ୟା ଅଛି ପାଇ ॥
କହିବା ମାତ୍ରକେ ତହୁଁ ଚଳି ଅତି ବେଗେ ।ତକ୍ଷଣେ ମିଳିଲା ଯାଇଁ ମଧୁବନ ଲାଗେ ॥
ବିମାନ ଆରୋହି ଶୂନ୍ୟମାଗୁଁ ପଡ଼େ ଖସି ।ନିବିଡ଼ ଅନ୍ଧାରେ ଚନ୍ଦ୍ର ବିମ୍ୱ ପାଏ ଦିଶି ॥
ସକଳ ଯାଦବେ ବସି ଅଛନ୍ତି ଆସ୍ଥାନେ ।ଦେଖିଲେ ସୁରଥ ଆସେ ବସି ଦିବ୍ୟଯାନେ ॥
ଚାହିଁଲେ ସକଳ ଉଠି ନଭେ ଦୃଷ୍ଟି ଦେଇ ।ରବିବିମ୍ୱ ପରି ଶୂନ୍ୟେ ବିମାନ ଦିଶଇ ॥
କେ ବୋଲଇ ଏତ ବଡ଼ ଅସମ୍ଭବ କଥା ।କେଉଁମାନେ ବୋଲନ୍ତି ଏ କେବଣ ଦେବତା ॥
ଚାହୁଁ ଚାହୁଁ ଯାନ ଆସି ହେଲ ଭୂମିଗତ ।ବିମାନୁ ଓହ୍ଲାଇ ଆସେ ସୁନାସର ସୁତ ॥
ସମସ୍ତ ଯାଦବମାନେ ଦେଇ ଏକଦୃଷ୍ଟି ।ଚିହ୍ନିଣ ବୋଇଲେ ଏତ ସୁନାସା ପୁତ୍ରଟି ॥
ରାମକୃଷ୍ଣ ସଙ୍ଗେ ବିଦ୍ୟା ପଢ଼ି ଯାଇଥିଲା ।ତାଙ୍କୁ ଛାଡ଼ି ଏକା ହୋଇ କେମନ୍ତେ ଅଇଲା ॥
କିମ୍ଭୂତ କାରଣ ଏହା ଜାଣି ତ ନ ପାରି ।କି ଅବା କେବଣ ମାୟା କଲେ ଦେବହରି ॥
ଶୁଭାଶୁଭ କର୍ମ କରି ପାରନ୍ତି ସେ ଆନ ।ଏମନ୍ତ ବିଚାରି କରି ସେ ଯାଦବଗଣ ॥
ଥୋକାଏ ବିରସ ହେଲେ ଥୋକାଏ ହରଷ ।ଏମନ୍ତ ବେଳେ ସୁରଥ ସଭାରେ ପ୍ରବେଶ ॥
ଉଗ୍ରସେନ ପାଦତଳେ ନମସ୍କାର କଲା ।ବସୁଦେବ ଆଦି ଯଦୁବୀରଙ୍କୁ ବନ୍ଦିଲା ॥
ଉଗ୍ରସେନ ବୋଲେ ବାବୁ ଏ କି ବିପରୀତ ।ଏକସଙ୍ଗେ ଯାଇଥିଲ ତୁମ୍ଭେ ତିନି ଭ୍ରାତ ॥
ତୁ ଏକା ଆସିଲୁ ରାମକୃଷ୍ଣ ଗଲେ କାହିଁ ।ଏହା ଦେଖି ମନ ମୋର ବ୍ୟାକୁଳ ହୁଅଇ ॥
କେବଣ କାରଣେ ତାଙ୍କୁ ଅଇଲୁ ତୁ ଛାଡ଼ି ।କିବା ବାଟେ କଳି ଦ୍ୱନ୍ଦ ହେଲ କଥା ହୁଡ଼ି ॥
କି କାରଣେ ତ୍ୟାଗ କଲେ ତୋତେ ଦାମୋଦର ।ପିତା ଶତ୍ରୁ ବୋଲି ତାଙ୍କୁ କଲୁ କି ତୁ ପର ॥
କିବା ତାଙ୍କ ପାଦେ ସେବା ନ କଲୁ ତୁ କୁହ ।ତୋ ମୁଖୁ ଶୁଣିଲେ ମୋର ଫିଟିବ ସନ୍ଦେହ ॥
ନୃପତି ଆତଙ୍କ ବାଣୀ ଶୁଣିଣ ସୁରଥ ।ବୋଲେ ପିତାମହ ତୁମ୍ଭେ ନହ ଦୁଃଖମନା ॥
ବାର୍ତ୍ତା ଦେଇ ପେଷିଛନ୍ତି ମୋତେ ଜଗନ୍ନାଥ ।ତିନିଭାଇ ଲଘିଂଗଲୁ ବହୁଦୂର ପଥ ॥
ମୁନିଙ୍କ ଆଶ୍ରମେ ଯାଇ ପ୍ରଥମେ ରହିଲୁ ।ତହିଁ ଏକରାତ୍ର ବଞ୍ଚି ପ୍ରାତେ ଉଠିଗଲୁ ॥
ନିର୍ଝର ପର୍ବତ ବନ କନ୍ଦର ଗହ୍ୱର ।ତରୁ ଲତା ଗହଳରେ ଦିଶଇ ଅନ୍ଧାର ॥
ଏପରି ଦୁର୍ଗମ ବନ ପଥ ଜିଣି ଗଲୁ ।ଅବନ୍ତୀ ନଗରେ ଯାଇ ପ୍ରବେଶ ହୋଇଲୁ ॥
ପଚାରି ମିଳିଲୁ ଯାଇ ସାନ୍ଦୀପନି ଆଗ ।ଆମ୍ଭଙ୍କୁ ଦେଖି ସେ କଲେ ଅନେକ ସରାଗ ॥
ପିତାମହ ସମାନେ ଯେ ଶାସ୍ତ୍ର ତତ୍ତ୍ୱଜ୍ଞାତା ।ଗୋଚର ହୁଅଇ ତାଙ୍କୁ ତ୍ରିକାଳର କଥା ॥
ତାଙ୍କ ପାଶେ ପଢ଼ୁଥିଲେ ସହସ୍ରେକ ଚାଟ ।ସେ ଚାଟଙ୍କ ସଙ୍ଗେ ମିଶି ଆମ୍ଭେ ପଢ଼ୁ ପାଠ ॥
ଆମ୍ଭଙ୍କୁ ଦେଖି ଅନେକ ଶରଧା ସେ କଲେ ।ଭୋଜନ ଶୟନ ଠାରେ ଅଭେଦ ହୋଇଲେ ॥
ଗୁରୁପତ୍ନୀ ଆଦିକରି ଗୁରୁଙ୍କର ଶିଷ୍ୟ ।ଜଦଗ୍ବନ୍ଦନ ନାଥଙ୍କୁ ଦେଖି ହେଲେ ହର୍ଷ ॥
ସିଦ୍ଧରସ୍ତୁ ଆଦି ଅଙ୍କ ହରଗୁଣ ଯାଏ ।ପ୍ରଥମ ଦିନରେ ଶିକ୍ଷାକଲେ ଦେବରାୟେ ॥
ଚାରିବେଦ ଷଡ଼ଶାସ୍ତ୍ର ପୁରାଣ ସହିତେ ।ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ଯେତେ ॥
ନ୍ୟାୟ ଶାସ୍ତ୍ର ଜଉତିଷ ମୀମାଂସା ବେଦାନ୍ତ ।ଅସ୍ତ୍ର ଶସ୍ତ୍ର ଆଦି ବିଦ୍ୟା ପଢ଼ିଲେ ସମସ୍ତ ॥
ଚଉଦ ଦିନରେ ପଢ଼ି ଶେଷ କଲେ ପାଠ ।ଦେଖିଣ ଆଶ୍ଚର୍ଯ୍ୟ ହେଲେ ଗୁରୁ ଗୁରୁଚାଟ ॥
ପାଠପଢ଼ା ଶେଷ କରି ଆସିଲା ବେଳକୁ ।ଗୁରୁଙ୍କୁ ବୋଇଲେ ମାଗ ଦକ୍ଷିଣା ଆମ୍ଭଙ୍କୁ ॥
ଶୁଣି ସାନ୍ଦୀପନି ପଣ୍ଡା ହୋଇ ହସ ହସ ।ବୋଇଲେ ଦକ୍ଷିଣା ନେଇ କରିବି ମୁଁ କିସ ॥
ମୋ ଘରେ ଅଚଳା ଲକ୍ଷ୍ମୀ ଅଛି ପୂର୍ଣ୍ଣ ହୋଇ ।ତୁମ୍ଭର ଦକ୍ଷିଣା ଘେନି ଥୋଇବି ଯେ କାହିଁ ॥
ଶ୍ରୀକୃଷ୍ଣ ବୋଇଲେ ଗୁରୁ ଯେ ଯହିଁର ବିଧି ।ଦକ୍ଷିଣା ନ ଦେଲେ ଆମ୍ଭ ବିଦ୍ୟା ନୋହେ ସିଦ୍ଧି ॥
ଏମନ୍ତ କହି ଶୀକୃଷ୍ଣ ବୋଲୁଥାନ୍ତି ମାଗ ।ନାହିଁ ନାହିଁ କରୁଥାନ୍ତି ଗୁରୁ ମହାଭାଗ ॥
ଏମନ୍ତ ସମୟେ ଗୁରୁପତ୍ନୀ ଆସି ତହିଁ ।ବୋଇଲେ ମାଗିବି ଯାହା ପାରିବ କି ଦେଇ ॥
ଗୋବିନ୍ଦ ବୋଇଲେ ମାତ ମାଗ ଯାହା ଇଚ୍ଛା ।ନିଶ୍ଚେ ପୂର୍ଣ୍ଣ କରାଇବୁ ତୁମ୍ଭ ମନୋବାଞ୍ଛା ॥
ଗୁରୁପତ୍ନୀ ବୋଇଲେ ମୁଁ ସଂସାର ବାହାର ।ବାଲ୍ୟକାଳୁ ମରିଛନ୍ତି ଷଡ଼ପୁତ୍ର ମୋର ॥
ତାହାଙ୍କୁ ଜୀଆଇଁ ଯେବେ ଆଣିଦେବେ ମୋତେ ।ତୁମ୍ଭର ଏ ଯଶ କୀର୍ତ୍ତି ରହିବ ଜଗତେ ॥
ଉପହାସ କରି ଏହା ଗୁରୁଙ୍କ ଭାରିଯା ।ମାଗନ୍ତେ ନିଶ୍ଚୟେ ଦେବୁ କହି ଦେବରାଜା ॥
ଆମ୍ଭଙ୍କୁ ରୁହାଇ ଯମ ଭୁବନକୁ ଗଲେ ।ମଲାପୁତ୍ରମାନଙ୍କୁ ସେ ଜୀଆଇ ଆଣିଲେ ॥
ଏସନକ ଅସମ୍ଭବ କଲେ ଦେବ ହରି ।ହର ବ୍ରହ୍ମା ଇନ୍ଦ୍ର ଯାହା ନ ପାରିବେ କରି ॥
ଏ କଥାକୁ ଅସମ୍ଭବ ନ ବିଚାର କେହି ।ପ୍ରତ୍ୟକ୍ଷେ ଦେଖିବ ଯାହା କହୁଅଛି ମୁହିଁ ॥
ଦେବକୀ ଗର୍ଭରୁ ପୂର୍ବେ ଷଡ଼ ପୁତ୍ର ଜାତ ।କଚାଡ଼ି ମାଇଲେ ତାଙ୍କୁ କଂସ ନରନାଥ ॥
ଅସମ୍ଭବ କର୍ମ ହାଦେ କଲେ ଶିରୀରଙ୍ଗେ ।ସେ ପୁତ୍ର ଜୀଆଇ ଏବେ ଆଣୁଛନ୍ତି ସଙ୍ଗେ ॥
ଇନ୍ଦ୍ର ବାରସ୍ୱତୀପୁରେ ଥୋକେ ଦିନ ଥିଲୁ ।ବ୍ରହ୍ମା ଆସି ଡାକି ନେଲେ ବ୍ରହ୍ମଲୋକ ଗଲୁ ॥
ଗଣ ଗନ୍ଧର୍ବ ଦେବତା ସୁର ସିଦ୍ଧ ଘେନି ।ରାମ ଗୋବିନ୍ଦଙ୍କୁ ବ୍ରତ କଲେ ପଦ୍ମଯୋନି ॥
ଆମ୍ଭେମାନେ ତହିଁ ବ୍ରତ ହେଲୁ ତାଙ୍କ ସଙ୍ଗେ ।ବ୍ରହ୍ମଲୋକେ ଇନ୍ଦ୍ରଲୋକେ ବିହରିଲୁ ରଙ୍ଗେ ॥
ଅନେକ ଅପୂର୍ବ ଦ୍ରବ୍ୟ ଭୁଞ୍ଜିଲୁ ସେଠାରେ ।ଶରୀର ସଫଳ ହେଲା ବୁଲି ସ୍ୱର୍ଗପୁରେ ॥
ଶଙ୍ଖ ଚକ୍ର ଗଦା ପଦ୍ମ ନନ୍ଦିଘୋଷ ରଥ ।କୃଷ୍ଣଙ୍କୁ ସନ୍ତୋଷେ ଯାଚିଦେଲେ ଚଉମାଥ ॥
ତାଳଧ୍ୱଜ ରଥ ସଙ୍ଗେ ଲାଙ୍ଗଳ ମୂଷଳ ।ପିତାମହଠାରୁ ପାଇଛନ୍ତି କାମପାଳ ॥
ଏହିରୂପେ ପାଞ୍ଚଦିନ ବ୍ରହ୍ମଲୋକେ ରହି ।ରଥ ଚଢ଼ି ବାହୁଡ଼ିଲେ ବ୍ରହ୍ମା ଆଗେ କହି ॥
ନିମିଷକେ ଆକଶରୁ ଖସି ଦେବଯାନ ।ମଞ୍ଚପୁରେ ପରବେଶ ହୋଇଲାକ ଜାଣ ॥
ବଦରିକା ନିକଟରେ ଦୁର୍ବାସା ଆଶ୍ରମ ।ସେ ମହାମୁନିଙ୍କ ପାଶେ ଛନ୍ତି କୃଷ୍ଣ ରାମ ॥
ମୋତେ ଆଜ୍ଞା ଦେଇ ପ୍ରଭୁ ବୋଇଲେ ତୁ ଯାଅ ।ମଥୁରା ନଗରେ ଉଗ୍ରସେନ ଆଗେ କହ ॥
ସକଳ ଯାଦବଗଣ ସଙ୍ଗେ ମାତା ପିତା ।ତୋ ମୁଖୁ ଶୁଣନ୍ତୁ ଆମ୍ଭେ ଆସିବା ବାରତା ॥
ସୁରଥ ମୁଖରୁ ଏହା ଶୁଣି ଉଗ୍ରସେନ ।ଆନନ୍ଦ ସମୁଦ୍ର ଜଳେ ହୋଇଲେ ନିମଗ୍ନ ॥
ଦରିଦ୍ର ପାଇଲା ଯେହ୍ନେ କୋଟି ରତ୍ନନିଧି ।ଅନ୍ଧ ଚକ୍ଷୁ ଦାନ ପାଇ ହୁଏ ଯଥାବିଧି ॥
ବସୁଦେବ ଅନାଧୃଷ୍ଟ ସାତ୍ୟକି ଅକ୍ରୂର ।ଶକ୍ରାଜିତ କୃତବର୍ମା ପଦ୍ମନାଭ ବୀର ॥
କୌଶିକ ପ୍ରସନ୍ନାଜିତ ଆବର ଉଦ୍ଧବ ।ଏମାନଙ୍କ ମୂଳେ ଥିଲେ ଯେତେକ ଯାଦବ ॥
ସର୍ବେ ତୋଷ ହେଲେ ରାମକୃଷ୍ଣ ବାର୍ତ୍ତା ଶୁଣି ।ସୁରଥକୁ କୋଳେ ଧରି ଭୋଜ ନୃପମଣି ॥
ପୁନଃ ପୁନଃ ପଚାରନ୍ତି ହରଷିତ ହୋଇ ।ଅନ୍ତଃପୁରେ ମୁଦୁସୁଲୀ ଜଣାଇଲା ଯାଇ ॥
ରାଣୀ ମହାଦେଈମାନେ ସତ୍ୱରେ ଅଇଲେ ।ଗବାକ୍ଷ ଫିଟାଇ କର୍ଣ୍ଣ ଡେରିଣ ଶୁଣିଲେ ॥
ସୁରଥ କହଇ ବସି ରାମକୃଷ୍ଣ କଥା ।ଯିବାରୁ ଆସିବା ଯାଏ ଯେତେକ ବ୍ୟବସ୍ଥା ॥
କୃଷ୍ଣଙ୍କ ଜନନୀ ଆଉ ରାଣୀ ଇନ୍ଦୁମତୀ ।ପୁତ୍ରଙ୍କ ବାରତା ପାଇ ହେଲେ ତୋଷମତି ॥
ଆସ୍ଥାନର ଲୋକେ ଶୁଣି ହୋଇଳେ ହରଷ ।ମଥୁରା କଟକେ ଶୁଭେ ଜୟ ଜୟ ଘୋଷ ॥
ଉଗ୍ରସେନ ଆଜ୍ଞା ଦେଲେ ଦଣ୍ଡ ସଜ କର ।ରାମକୃଷ୍ଣଙ୍କୁ ପାଛୋଟି ଯିବା ଧାତିକାର ॥
ଆଜ୍ଞା ପାଇ ମନ୍ତ୍ରିଗଣେ ସୈନ୍ୟ କଲେ ସଜ ।ଅପ୍ରମିତ ରଥ ବାଜୀ ଅପ୍ରମିତ ଗଜ ॥
ପଦାତିକ ସେନା କେତେ ନାହିଁ ପାରାବାର ।ଲକ୍ଷେକ ଧବଳ ଛତ୍ର ଲକ୍ଷେକ ଚାମର ॥
ଗଗନ ମଣ୍ଡଳ ଘୋଟି ଉଡ଼ଇ ଚିରାଳ ।ସମୁଦ୍ର ଗର୍ଜିଲା ପ୍ରାୟେ ଶୁଭଇ ଚହଳ ॥
ଟମକ ନିଶାଣ ଢୋଲ ବୀରତରୁ ଭେରୀ ।ଯୋଡ଼ା ଶଙ୍ଖ ତୁଲେ ବାଜେ ମଙ୍ଗଳ ମହୁରୀ ॥
ଉପାଙ୍ଗ ଅଧାଟି ବେଣୁ ବୀଣା ଯନ୍ତ୍ର ସାର ।କରତାଳି ରାମତାଳି ବଜାଇ ଅପାର ॥
କେ ଅଶ୍ୱ ଉପରେ ବସେ କେ ରଥ ଆରୋହେ ।କେ ଗଜ ପିଠିରେ ଯାଇ ବସେ ସମାରୋହେ ॥
ଚୌରାଶୀ କୋଟି ଯାଦବେ ଯାନ ବାହନରେ ।ବସି କରି ବାହିରିଲେ ଉତ୍ସୁକ ମନରେ ॥
କେ ବୋଲନ୍ତି ଚାଲ ରାମକୃଷ୍ଣଙ୍କୁ ଦେଖିବା ।ଜନମ ସଫଳ ହେବ ଦୁଃଖ ଉପେକ୍ଷିବା ॥
କେ ବୋଲଇ କୃଷ୍ଣ ଅସମ୍ଭବ କର୍ମ କଲେ ।ମଲା ପୁତ୍ର ଯମପୁରୁ ଜୀଆଇ ଆଣିଲେ ॥
କଂସ ମାରିଥିଲା ପୂର୍ବେ ଦେବକୀ ପୁତ୍ରଙ୍କୁ ।ଯମ ଭୁବନରୁ ଆଣିଅଛନ୍ତି ତାହାଙ୍କୁ ॥
କେ ବୋଲନ୍ତି ଏ କଥାରେ ସତ ବଳୁ ନାହିଁ ।ନୟନେ ଦେଖିବା ଯାଏ ବିଶ୍ୱାସ ନୁହଇ ॥
କେ ବୋଲେ ସୁରଥ ଆସି କହିଲା ରାଜାଙ୍କୁ ।ବିଶ୍ୱାସ ନ ଯିବା କେହ୍ନେ ତାର ବଚନକୁ ॥
ସୁଜ୍ଞାନୀ ଯାଦବମାନେ ଯୋଗବଳେ ଜାଣି ।ବୋଲନ୍ତି ଗୁରୁଙ୍କୁ ପୁତ୍ର ଦେଲେ ଚକ୍ରପାଣି ॥
ଅଶେଷ କୋଟି ବ୍ରହ୍ମାଣ୍ଡ କରତା ଯେ ସ୍ୱାମୀ ।ଜଗତ ମୋହନ ନାଥ ସର୍ବ ଅନ୍ତର୍ଯ୍ୟାମୀ ॥
ଦେବଙ୍କ ଉପରେ ଦେବ ଅଟନ୍ତି ଶ୍ରୀଧର ।ସୃଷ୍ଟିରେ ଅସାଧ୍ୟ କାର୍ଯ୍ୟ କି ଅଛି ତାଙ୍କର ॥
ଏତେ ବୋଲି ଚଳିଗଲେ ସକଳ ସଇନି ।ଉଗ୍ରସେନ ସହିତରେ ସମଦଣ୍ଡ ଘେନି ॥
ଯମୁନା ଦକ୍ଷିଣ କୂଳେ ଚଳେ ସମଦଣ୍ଡ ।ପାଦଭରେ କମ୍ପମାନ ହୁଅଇ ବ୍ରହ୍ମାଣ୍ଡ ॥
ଶୁକ ବ୍ରହ୍ମା ବୋଲନ୍ତି ଯେ ଶୁଣ ଦଣ୍ଡଧାରୀ ।ଦୁର୍ବାସ ଆଶ୍ରମେ ଥିଲେ ବଳରାମ ହରି ॥
ସେ ମୁନିଙ୍କ ଆଜ୍ଞା ମାଗି ନନ୍ଦିଘୋଷ ବସି ।ତାଳଧ୍ୱଜ ରଥେ ରାମ ବିଜେ କଲେ ଆସି ॥
ବସାଇଣ ଷଡ଼ ଗୋଟି ଭାଇ ନିଜ ରଥେ ।ମଥୁରାଭିମୁଖେ ଯାତ୍ରା କଲେ ଜଗନ୍ନାଥେ ॥
ଦୁର୍ବାସା ଋଷି ଆଶ୍ରମେ ପଶ୍ଚିମରେ ଛାଡ଼ି ।ଚଳିଲା ସେ ନନ୍ଦିଘୋଷ ଦକ୍ଷିଣକୁ ମାଡ଼ି ॥
ପବନ ବେଗରେ ଯାନ ଚଳେ ଶୂନ୍ୟମାର୍ଗେ ।ପ୍ରବେଶ ହୋଇଲା ଆସି ଯମୁନାର ଲାଗେ ॥
ଥୋକାଏକ ଦୂରୁ ଶୁଭେ ସୈନ୍ୟ ମୁଖଧ୍ୱନି ।ପାଞ୍ଚଯୂଣ ମାଡ଼ି ଚଳେ ଯାଦବ ସଇନି ॥
ବଳଦେବ ପଚାରିଲେ ଏ କାହାର ସୈନ୍ୟ ।ଶ୍ରୀକୃଷ୍ଣ ବୋଲନ୍ତି ଆସେ ରାଜା ଉଗ୍ରସେନ ॥
ସୁରଥ କହନ୍ତେ ଶୁଣି ଅଇଲେ ପାଛୋଟି ।କହୁ କହୁ ସୈନ୍ୟ ସଙ୍ଗେ ହେଲେ ଭେଟାଭେଟି ॥
ନିକଟେ ଦେଖିଲେ ସର୍ବେ ନନ୍ଦିଘୋଷ ଯାନ ।ସୁବର୍ଣ୍ଣ କଳଶ ପରେ କପିଧ୍ୱଜ ଚିହ୍ନ ॥
ଅପୂର୍ବୁ ସେ ଯାନଶୋଭା ଦିଶେ ତେଜୋମୟ ।ଏକାବେଳେ କୋଟିସୂର୍ଯ୍ୟ ହେଲେ କି ଉଦୟ ॥
କୋଟିଏ ପ୍ରଳୟ ଜିଣି ଅଛଇ ସେ ରଥ ।ସମୁଦ୍ର ମନ୍ଥନକାଳେ ହୋଇଥିଲା ଜାତ ॥
କହନ୍ତେ ନ ସରେ ନନ୍ଦିଘୋଷର ମହିମା ।ନିର୍ମାଣ କରିଛି ଯାହା ଆପେ ବିଶ୍ୱକର୍ମା ॥
ହର ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ଦୁର୍ଗା ଆଦି କରି ।ଧ୍ୱଜେ ବସେ ହନୁମାନ ପଞ୍ଚରୂପ ଧରି ॥
ଶିଖରେ ଶୋଭନ ଧ୍ୱଜ ପତାକାର ଦଣ୍ଡ ।ମହୀଧର ଧାରଣା ସେ ଅଟଇ ଅଖଣ୍ଡ ॥
ସୃଷ୍ଟିକାଳେ ବ୍ରହ୍ମଦଣ୍ଡ ଭାଙ୍ଗି ପରମେଷ୍ଠି ।ଖଣ୍ଡେକ ପୋତି ରଖିଲେ ଚରାଚର ସୃଷ୍ଟି ॥
ଆର ଏକ ଖଣ୍ଡ ସିନ୍ଧୁଜଳେ ବୁଡ଼ିଥିଲା ।ସମୁଦ୍ର ମନ୍ଥନ କାଳେ ବାହାର ହୋଇଲା ॥
ତାହା ନେଇ ନନ୍ଦିଘୋଷ ଗଢ଼ିବା କାଳରେ ।ଧ୍ୱଜ ଖମ୍ୱ କରି ବସାଇଲା ରଥପରେ ॥
ଅନାଦି ଅକ୍ଷୟ ବ୍ରହ୍ମଦଣ୍ଡ ଅଟେ ସେହି ।ନୋହିଲେ କି ହନୁମାନ ଭାରା ପାରେ ବହି ॥
ରଥର ଉପରେ ସ୍ୱର୍ଣ୍ଣ କଳସ ଶୋଭନ ।ଦେହବନ୍ତେ ସପ୍ତନିଧି ଆପେ ବିଦ୍ୟମାନ ॥