ଶ୍ରୀମଦ୍ ଭାଗବତ (ପଞ୍ଚମ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୫ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଦ୍ଦଶ ଅଧ୍ୟାୟ
ଶ୍ରୀ ଶୁକ ଉବାଚଦେହାଭିମାନେ ଯେଉଁ ନର ।ସତ୍ୟାଦି ଗୁଣ ଅହଂକାର ॥
କୁଶଳ ଅକୁଶଳ ଦୁଇ ।ଏଥେ ନିର୍ମିତ ସେ ହୁଅଇ ॥
ବିବିଧ ନର ଦେହ ବହି ।ସଂଯୋଗ ବିଯୋଗ କରଇ ॥
ପାପ ନିର୍ମିତ ଏ ସଂସାରେ ।ରହଇ ନିନ୍ଦିତ କର୍ମରେ ॥
ଭଗବାନ ପ୍ରଭୁ ଈଶ୍ୱର ।ଯେ ବିଷ୍ଣୁ ଅଖିଳ ଠାକୁର ॥
ଏହା ମାୟାରେ ବଶ ହୋଇ ।ଏ ଜୀବ କିଛି ନ ଜାଣଇ ॥
କର୍ମଶୂନ୍ୟ ଦେହ ନିର୍ମିତ ।ଏହାକୁ ଅନୁଭବ ମତ ॥
ଶ୍ମଶାନ ପ୍ରାୟ ସେ ଅଟଇ ।ଏହାର ମତ ନ ଜାଣଇ ॥
ଘୋର ନରକ ଏ ସଂସାର ।ଏଥିରେ ରହି ମୂଢ଼ ନର ॥
ବିବିଧ ବିଫଳ ଯେ କର୍ମ ।ତେଣୁ ହୁଅଇ ମତିଭ୍ରମ ॥
ପ୍ରଭୁଙ୍କ ଚରଣାରବିନ୍ଦ ।ସୁସ୍ୱାଦୁ ଗନ୍ଧ ମକରନ୍ଦ ॥
ଏହାକୁ ଆଶ୍ରୟ ଯେ କରି ।ଅଛନ୍ତି ସେ ପାଦ ଆବୋରି ॥
ପାପ ଧ୍ୱଂସଇ ସୁଖ ଦେଇ ।ଏମନ୍ତ ପଦ ନ ସେବଇ ॥
ସେ ପଦ ଆଶ୍ରୟ ନ କରି ।ଭ୍ରମନ୍ତି ମାୟାକୁ ଆବୋରି ॥
ଏ ଦେହରେ ଇନ୍ଦ୍ରିୟଗଣ ।ନାନା ଉପଭୋଗ କାରଣ ॥
କାମ ଭୋଗରେ ଭୋଳ ହୋଇ ।ଅର୍ଜିତ ଯେତେ ଆତ୍ମାଦେହୀ ॥
କରନ୍ତି ଆତ୍ମା ପୁଣ୍ୟ ଥରେ ।ଏଣୁ ଏ ପୁଣ୍ୟ ନୃପବରେ ॥
ଅଥବା କୁଟୁମ୍ବ ବିଷୟେ ।ଅପତ୍ୟ-ସ୍ନେହେ ମାୟାମୋହେ ॥
କଦର୍ଯ୍ୟ କୁଟୁମ୍ବ କାରଣ ।ମୋହେ ହୁଅନ୍ତି ହତଜ୍ଞାନ ॥
ଅସତ୍ୟ ସଙ୍ଗ ଯେଉଁ ନର ।ଲଭଇ ପାଷାଣ୍ଡ ଶରୀର ॥
ଦାରା ତନୟ ଗୃହେ ଥାଇ ।କେବେହେଁ ସୁଖ ନ ଲଭଇ ॥
ଯେବେ ସେ ରାଜା ହରେ ଧନ ।ନାନା କ୍ଳେଶରେ ଦୁଃଖମନ ॥
ଜୀବନ ମୃତ୍ୟୁ ପ୍ରାୟ ହୋଇ ।କେ ଅବା କ୍ଷଣେ ତ୍ରାସ ପାଇ ॥
କେବେହେଁ ଦେହ ମିଥ୍ୟା ମାନି ।ନିବର୍ତ୍ତ ମନ ନୁହେଁ ପ୍ରାଣୀ ॥
ନିଦ୍ରାରେ ସ୍ୱପ୍ନପ୍ରାୟ କରି ।ତକ୍ଷଣେ ପୁଣି ସେ ପାସୋରି ॥
ଯେ ଧରେ ଦେହ ଗୃହାଶ୍ରମେ ।ଜନ୍ମ ଲଭଇ ମାୟା ଭ୍ରମେ ॥
ପାପ ଅନଳେ ଦେହ ଧରି ।ନିତ୍ୟ ଭ୍ରମଇ କର୍ମ କରି ॥
ଲୌକିକ ବ୍ୟସନ ନିମିତ୍ତ ।କ୍ଷଣକ୍ଷଣକେ ଦୁଃଖ ଚିତ୍ତ ॥
କଣ୍ଟକ ଦୁର୍ଗମ ପର୍ବତେ ।ନିତ୍ୟଭ୍ରମଇ ଦୃଢ଼ ଚିତ୍ତେ ॥
ଶ୍ମଶାନେ ଶବ ପ୍ରାୟ ହୋଇ ।ସୁଖ ଦୁଃଖକୁ ନ ଜାଣଇ ॥
ଦୁର୍ଗମ ଦ୍ୱନ୍ଦ୍ୱ ଦୁଃଖ ହରି ।ଉନ୍ନିଦ୍ର ଭାବକୁ ଆଚରି ॥
ବ୍ୟଥିତ ହୃଦୟକୁ ପାଇ ।ଅନ୍ନ ଯେସନେ କଷ୍ଟଦେଇ ॥
ଅଜ୍ଞାନ ଭାବ ପାପ ଚିତ୍ତେ ।ତମେ ପଡ଼ଇ ପ୍ରାଣୀ ଅନ୍ତେ ॥
କେବେହେଁ ନ କରେ ପ୍ରଧାନ ।ସ୍ୱକାମେ ହରେ ପ୍ରାଣୀ ମନ ॥
ସ୍ୱାମୀରେ ଦ୍ରୋହ ଚିନ୍ତା କରେ ।ଦୁର୍ଗମ ନରକ ଆବୋରେ ॥
ଏମନ୍ତେ ଆତ୍ମା କର୍ମଫଳେ ।ପ୍ରାଣୀ ଭ୍ରମନ୍ତି ଏ ଶୟଳେ ॥
ଜନ୍ମ ବାସନା ଫଳେ ତାର ।ପୁଣି ଜନ୍ମଇ ଏ ସଂସାର ॥
ଶୁଣ ରାଜନ ଏକମନ ।ଯେବେ ଏ କର୍ମେ କର୍ମମାନ ॥
ଛେଦନ୍ତି ହରି ଆଶ୍ରେକରି ।ତେବେ ସେ ଭବୁଯାନ୍ତି ତରି ॥
କେବେହେଁ ନାନାମତ ବାଦେ ।ଦୈବର ବିଭୂତି ସମ୍ପଦେ ॥
କେବେହେଁ ହୃଦେ ନ ଚିନ୍ତିବ ।ବିଷ୍ଣୁର ପାଦେ ମନ ଦେବ ॥
ଅନ୍ୟର ଧନ ଅନ୍ୟ ନେଇ ।ସ୍ୱଭାବେ କର୍ମ ନ ଜାଣଇ ॥
ଏ ଯେ ସଂସାର ଘୋରପଥ ।ନାନା ଉପସର୍ଗ ସହିତ ॥
ଏହା ଆଶ୍ରୟ କରି ପ୍ରାଣୀ ।ଏ ସର୍ବ ଅନୁଭବ ଜାଣି ॥
ଶୋକ ଲୋଭାଦି ମୋହମାନ ।ମାତ୍ସର୍ଯ୍ୟ କ୍ରୋଧ କ୍ଷୁଧା ଜନ୍ମ ॥
ପାପାତ୍ମା ଆଧିବ୍ୟାଧି ଯେତେ ।ଜରା ମରଣାଦି ସହିତେ ॥
ଦେବ ମାୟାରେ ମୋହହୋଇ ।ନାରୀର ବଶଭାବ ବହି ॥
ଅମୃତ ଲତାରେ ବନ୍ଧନ ।ତହିଁରେ ମନ କରି ଛନ୍ନ ॥
ତା ଅବଲୋକନେ ବିହାରେ ।ତେଣେ ଆସକ୍ତ ମୂଢ଼ନରେ ॥
ସୁତ ଦୁହିତାର ବଚନେ ।ଚିତ୍ତ ନିବେଶି ଅନୁକ୍ଷଣେ ॥
ହୃଦରେ ଆନନ୍ଦିତ ହୋଇ ।ଆତ୍ମାକୁ ତହିଁରେ ବଢାଇ ॥
ଅଜୀବ ଆତ୍ମା ଯେ ଅଟନ୍ତି ।ଜୀବକୁ ନରକେ ପକାନ୍ତି ॥
କେବେହେଁ ନ କର ପୀଡ଼ିତ ।ଯହିଁ ବୁଡ଼ଇ ନିତ୍ୟ ଚିତ୍ତ ॥
କେବେହେଁ ନ କର ପୀଡ଼ିତ ।ଯହିଁ ବୁଡ଼ଇ ନିତ୍ୟ ଚିତ୍ତ ॥
ଯାହାର କାଳଚକ୍ର କରି ।ଆତ୍ମାର ଶତ୍ରୁକୁ ନିବାରି ॥
ସକଳେ ବଶଟି ଯାହାର ।ଏମନ୍ତ ପ୍ରଭୁ ଯେ ଈଶ୍ୱର ॥
ଯାହାର କାଳଚକ୍ର କରେ ।ଭ୍ରମଇ ଅଖିଳ ସଂସାରେ ॥
ଯେ ଯଜ୍ଞ ପୁରୁଷ ଠାକୁର ।ତାହାକୁ କରି ଅନାଦର ॥
ଆତ୍ମାର ଗତି ନ ବିଚାରି ।ବିବିଧ କୁପଥ ଆଚରି ॥
ନିଗମ ଅକାରଣ କର୍ମ ।କରନ୍ତି ହୋଇ ମତିଭ୍ରମ ॥
ପାଷଣ୍ଡ ଭାବରେ ବିଦିତ ।ଆତ୍ମାକୁ କରନ୍ତି ବଞ୍ଚିତ ॥
ଅଜ୍ଞାନ-ପାଷାଣ୍ଡ ବେଭାରେ ।ନିରତେ ବିଷୟା ବିହରେ ॥
ଅତି କୃପଣ ବୁଦ୍ଧି ହୋଇ ।ଅନନ୍ୟେ ସ୍ନେହଭାବ ବହି ॥
ଗୁଣ ବିହାର ଅନୁକ୍ଷଣେ ।ଇତ୍ୟାଦି କର୍ମେ ପଥଶ୍ରମେ ॥
ବିସ୍ମିତ କାମ ପାଏ ତହିଁ ।ଆନନ୍ଦେ ସୁଖରେ ଭ୍ରମଇ ॥
ବନର ପଶୁଏ ଯେସନେ ।ନିରାଶ ବୃକ୍ଷମାନ ଭଗ୍ନେ ॥
ଦାରା ତନୟ ପୋଷିବାରେ ।ପଶନ୍ତି ଗିରିର କନ୍ଦରେ ॥
ଶୀତ ତପତ ଦୁଃଖମାନ ।ଦେହର ବିଭୂତି ବ୍ୟସନ ॥
ଦୁସ୍ତର ଚିନ୍ତାମଗ୍ନ ହୋଇ ।ବିଖଣ୍ଡ ଭାବରେ ରହଇ ॥
ଦ୍ରବ୍ୟ ସଂହାରେ ସେ ସ୍ୱଭାବ ।କ୍ଷୀଣ ଧନରେ ଅଳ୍ପ ଲାଭ ॥
କେବେହେଁ ଉପଭୋଗ ତାର ।ଦ୍ରବ୍ୟ ବିହୀନେ ହୁଏ ଦୂର ॥
ପୁଣି କେବେହେଁ ମନୋରଥ ।ଦ୍ରବ୍ୟ ଲାଳସେ ଉପଗତ ॥
ପୁଣି କେବେହେଁ ଦ୍ରବ୍ୟ ପାଇ ।ମତି ତାହାର ତୁଟେ ହୋଇ ॥
ସୁଖ ବିହାର ଆଦି ଯେତେ ।ଅଛଇ କଳତ୍ର ସହିତେ ॥
ଏମନ୍ତେ ଚିତ୍ତବୃତ୍ତି ସଙ୍ଗେ ।ବୁଡଇ ସ୍ନେହ-ଅନୁରାଗେ ॥
ତେଣୁ ସେ ପୂଣ୍ୟ ବାସନାରେ ।ବହଇ ବିବିଧ ଶରୀରେ ॥
ତେଣୁ ସଂସାର ପଥେ ନର ।ନାନା କ୍ଲେଶ ବ୍ୟାଧି ଶରୀର ॥
ପୁଣି ଜନ୍ମିଣ ନାଶ ଯାଇ ।ସେ ପଥ ନର ନ ଦେଖଇ ॥
ବିବିଧ ଶୋକ ମୋହ ତାର ।ଦ୍ୱନ୍ଦ ପାଷଣ୍ଡ ଯେ ଶରୀର ॥
ଅସାଧୁ ବନ୍ଧନେ ବଞ୍ଚଇ ।ସେ ପଥ ନର ନ ଦେଖଇ ॥
ଯେ ପଥ ଅତ୍ୟନ୍ତ ନିର୍ମଳ ।ସୁସାଧୁ ନର ଯହିଁ ଠୁଳ ॥
ଅସାଧୁ ନର ହୀନ ହୋଇ ।ସେ ପଥ ନର ନ ଦେଖଇ ॥
ମାୟାକୁ ପରିହାର କରି ।ଯେ କର୍ମେ ଆୟୁର୍ବଳ ସାରି ॥
ଆପଦୁ ନରକ ବିମୁକ୍ତ ।ଯାହାକୁ ଭାବନ୍ତି ଜଗତ ॥
ଅଗ୍ରତ ରାଜା ଋଷିଙ୍କର ।ପଥ ଯେ ଅତି ଅଗୋଚର ॥
ପ୍ରାଣୀର ମନୋରଥ ପଥେ ।ଅଗମ୍ୟ ଅଟଇ ଯୁକତେ ॥
ଗରୁଡ଼ପତି ବ୍ରହ୍ମା ଯହିଁ ।ସଚ୍ଚିଦାନନ୍ଦ ରୂପ ତହିଁ ॥
ଦୁହିତା ସୁତ ରାଜ୍ୟ ଧନ ।ଯେ ଏଥୁ ଦୂର କରେ ମନ ॥
ଯେ ଏହା ତୁଚ୍ଛପ୍ରାୟ ବୁଝେ ।ଉତ୍ତମ ଶ୍ଳୋକ ପାଦେ ଭଜେ ॥
ଏହାଙ୍କୁ ଯେ ରାଜା ବିଭବ ।ତ୍ରିଦଶମାନଙ୍କୁ ଦୁର୍ଲ୍ଲଭ ॥
ଏହା ନ ଦେଖି ସାଧୁ ଜନ ।ମହତ ପୁରୁଷ ଆଖ୍ୟାନ ॥
ସେ ପାଦେ ଭକ୍ତି ଭାବ ବହି ।ଅଛନ୍ତି ମନକୁ ବୁଡାଇ ॥
ଏ ଯଜ୍ଞ ଧର୍ମ ତପୋମୟ ।ବିଧି ନିର୍ଗୁଣ ଯୋଗ ଦେହ ॥
ସାଂଖ୍ୟ ଯୋଗରେ ଯେହୁ ସାର ।ଯେ ପ୍ରଭୁ ପ୍ରକୃତି ଈଶ୍ୱର ॥
ସେ ନାରାୟଣ କୃଷ୍ଣ ହରି ।ଏମନ୍ତ ନାମ ମୁଖେ ଧରି ॥
ଛାଡିଲେ ମୃଗ କଳେବର ।କି ଅବା ଦେବା ପଟାନ୍ତର ॥
ଏହା ଯେ ଶୁଣେ ଶୁଦ୍ଧଚିତ୍ତେ ।ଶୁଦ୍ଧ ଗୁଣକର୍ମ ଭାରତେ ॥
ପବିତ୍ର ଭାରତ ଚରିତ ।ଯେ ଜନ ପଢ଼େ ଅବିରତ ॥
ଆୟୁଷ ଯଶ ଧନ ତାର ।ହୁଅଇ ମଙ୍ଗଳ ଅପାର ॥
ଏହା ଯେ ଶୁଣେ ଶୁଦ୍ଧଚିତ୍ତେ ।ଭରତ ଜ୍ଞାନ ଅନୁମତେ ॥
ପ୍ରଭୁ ଚରଣେ ଭକ୍ତି ତାର ।ଅଶେଷ ପାପ ହୁଏ ପାର ॥
ପ୍ରଭୁ ପଦାରବିନ୍ଦଗତେ ।ମନ ମୋ ରହୁ ଅବିରତେ ॥
କହଇ ବପ୍ର ଜଗନ୍ନାଥ ।ପଞ୍ଚମସ୍କନ୍ଧେ ଭାଗବତ ॥
ଇତିଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭରତ ଉପାଖ୍ୟାନେନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।
ପଞ୍ଚଦଶ ଅଧ୍ୟାୟ
ଶ୍ରୀଶୁକ ଉବାଚଶୁଣ ପରୀକ୍ଷ ନୃପବର ।ସୁମତି ଭରତ କୁମର ॥
ଅପରେ ତାହାର ତନୟ ।ଋଷଭ ପଥ ସେ ଆଶ୍ରୟ ॥
କରିବ କଳିଯୁଗ ଧର୍ମ ।ପାପିଷ୍ଠ ନାନା କର୍ମମାନ ॥
ସୁମତି ପତ୍ନୀଠାରେ ସୁତ ।ହୋଇଲା ନାମ ଦେବଜିତ ॥
ତାହାର ହୋଇଲା କୁମର ।ଦେବଦ୍ୟୁମନ ନାମ ତାର ॥
ପରମେଷ୍ଠୀ ନାମେ କୁମର ।ଜନ୍ମିଲା ଧେନୁମତୀଠାର ॥
ସୁବର୍ଚ୍ଚଳାଠାରେ ତାହାର ।ଜନ୍ମିଲା ପ୍ରତୀହ କୁମାର ॥
ଏ ଆତ୍ମା ବିଦ୍ୟାମତେ କରି ।ଭଜିଲା ପ୍ରଭୁ ନରହରି ॥
ତାହାର ପ୍ରତିହର୍ତ୍ତା ନାମ ।ତନୟ ହୋଇଲେ ଜନମ ॥
ପ୍ରତିହର୍ତ୍ତାର ଯେ କୁମର ।ବହୁ ଅପତ୍ୟ ନୃପବର ॥
ଅଜ ଓ ଭୂମା ଯେ କୁମର ।ହୋଇଲା ସତ୍ୟଠାରେ ତାର ॥
ଋଷିକୁଲ୍ୟାର ଠାରେ ତାର ।ଜନମ ହୋଇଲା କୁମର ॥
ଦେବକୂଲ୍ୟାର ତହିଁ ତାର ।ହୋଇଲା ପ୍ରସ୍ତାବ କୁମର ॥
ବିରୁତ୍ସା କନ୍ୟା ତହିଁ ତାର ।ଏକଇ ହୋଇଲା କୁମର ॥
ରତିର ଠାରେ ଯେ ତାହାର ।ପୃଥୁ ଯେ ହୋଇଲା କୁମର ॥
ଆକୁତିଠାରେ ତାର ସୁତ ।ନକ୍ତସେନ ନାମେ ବିଦିତ ॥
ଗୟ ନାମକ ଯେ କୁମର ।ହୋଇଲା ଶୁଣ ନୃପବର ॥
ସେ ବିଷ୍ଣୁ ଅଂଶକୁ ବହଇ ।ନାନା ଲକ୍ଷଣେ ପୂର୍ଣ୍ଣ ହୋଇ ॥
ସ୍ୱଧର୍ମେ ପ୍ରଜା ପାଳନରେ ।ମନ ତାହାର ନିରନ୍ତରେ ॥
ଯେ ମହାପୁରୁଷ ଈଶ୍ୱର ।ତାହାଙ୍କୁ ମୋର ନମସ୍କାର ॥
ଅନାଦିନାଥ ନିରାକାର ।ସେ ସର୍ବ ଦେବଙ୍କ ଈଶ୍ୱର ॥
ତାହାଙ୍କ ତହିଁ ମନ ଥୋଇ ।ପରମ ତତ୍ତ୍ୱ ଭାବ ବହି ॥
ସତ୍ତ୍ୱିକ ଧର୍ମ ମତି ହୋଇ ।ଆନନ୍ଦେ ପାଳଇ ସେ ମହୀ ॥
ତାହାର ଗୁଣ ମହୀତଳେ ।ଗାୟନ କରନ୍ତି ସକଳେ ॥
ଏହାର ସମ କେ ସଂସାରେ ।ଯଜ୍ଞାଦି କର୍ମ କରିବାରେ ॥
ତାହାର ଭକ୍ତିଭାବୁ କରି ।ବଶ ହୋଇଲେ ନରହରି ॥
ତାହାକୁ ଦକ୍ଷ କନ୍ୟା ବରି ।ଆନନ୍ଦେ ଅଭିଷେକ କରି ॥
ସକଳ ତୀର୍ଥଜଳ ନେଇ ।ରାଜତ୍ୱ ପଣ ତାକୁ ଦେଇ ॥
ରାଜ୍ୟରେ ପ୍ରଜା ସୁଖ ପାଇ ।ବହୁତ ଶସ୍ୟଦେଲେ ମହୀ ॥
ମହୀରେ ଯେତେ ନୃପବର ।ଖଟନ୍ତି ପୟରେ ତାହାର ॥
ସଂଗ୍ରାମେ ଯାହାର ଚରିତ ।ସ୍ତୁତି କରନ୍ତି ଶୂରବନ୍ତ ॥
ଯାହାର ଯଜ୍ଞମାନଙ୍କରେ ।ସନ୍ତୁଷ୍ଟ ହେଲେ ବେଦବରେ ॥
ସୂର୍ଯ୍ୟାଦି ନବଗ୍ରହ ଯେତେ ।ସନ୍ତୁଷ୍ଟ ହୋଇଲେ ସମସ୍ତେ ॥
ଏ ଅନନ୍ତରେ ପରୀକ୍ଷିତ ।ତାହାର ହେଲେ ତିନିସୁତ ॥
ସୁଗତି ଚିତ୍ରରଥ ନାମ ।ତୃତୀୟ ଯେ ଅବିରୋଧନ ॥
ଚିତ୍ର ରଥର ପତ୍ନୀଠାରେ ।ସନ୍ତୁଷ୍ଟ ଚିତ୍ତେ ବେଦବରେ ॥
ଉର୍ଣ୍ଣବତୀ ପତ୍ନୀ ତାହାର ।ସମ୍ରାଟ ହୋଇଲା କୁମର ॥
ଉଜ୍ଜଳ ନାମ୍ନୀ ଭାର୍ଯ୍ୟା ତାର ।ମରୀଚି ହୋଇଲା କୁମର ॥
ତାହାର ବିନ୍ଦୁମତୀ ଠାରେ ।ବିନ୍ଦୁମାନ ହେଲା କୁମରେ ॥
ସେ ବିନ୍ଦୁମାନ ସେ ପତ୍ନୀର ।ମଧୁ ହୋଇଲା ଯେ କୁମର ॥
ମଧୁସୂଦନର କୁମର ।ସୁମନା ନାମେ ପତ୍ନୀ ତାର ॥
ବୀରବ୍ରତ ଯେ ପୁତ୍ର ହେଲା ।ଭୋଜାକୁ ସେ ତ ବିଭା ହେଲା ॥
ତାହାର ତହିଁ ବେନି ସୁତ ।ମନ୍ଥ ପ୍ରମନ୍ଥ ସେ ବିଦିତ ॥
ମନ୍ଥର ସତ୍ୟ ପତ୍ନୀ ତହିଁ ।ଭୌବନ ହୋଇଲା ତନୟୀ ॥
ଭୌବନ ପତ୍ନୀଠାରେ ତାର ।ତୁଷ୍ଟା ଜନିତ ଯେ କୁମର ॥
ବିରୋଚନାର ତହିଁ ତାର ।ବୀରଜ ହୋଇଲା କୁମର ॥
ଶୁଣ ରାଜନ ପରୀକ୍ଷିତ ।ବୀରଜ ପୁତ୍ର ହେଲେ ଶତ ॥
ତାହାଙ୍କ ମଧ୍ୟେ ଶ୍ରେଷ୍ଠବର ।ପ୍ରଜାରଞ୍ଜନ ପୁତ୍ର ତାର ॥
ବିମତୀ ପତ୍ନୀଠାରେ ତାର ।ଦୁଷ୍ଟ ଜନିତ ଯେ କୁମର ॥
ଯେଣୁ ଏ ଲୋକେ ହୋଇ ଜାତ ।ଶୁଣ ରାଜନ ପରୀକ୍ଷିତ ॥
ପ୍ରିୟବ୍ରତର ବଂଶମାନ ।ବିରାଜେ ଏ ଭାବୁଁ ରାଜନ ॥
ବିଦିତ ହେଲେ ଜନମାନେ ।ବିଷ୍ଣୁ ଭକତି ବିଦ୍ୟମାନେ ॥
କହଇ ବିପ୍ର ଜଗନ୍ନାଥ ।କୃଷ୍ଣ ଚରିତ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ପ୍ରିୟବ୍ରତ ରାଜା ବଂଶ ବର୍ଣ୍ଣନେନାମ ପଞ୍ଚଦଶୋଽଧ୍ୟାୟଃ ।
ଷୋଡ଼ଶ ଅଧ୍ୟାୟ
ରାଜାଉବାଚଏ ଭୂମିମଣ୍ଡଳ ବିସ୍ତାର ।ତୁମ୍ଭେ କହିଲ ମୁନିବର ॥
ଯାବତ ସୂର୍ଯ୍ୟର ପ୍ରକାଶ ।ନକ୍ଷତ୍ର ଚନ୍ଦ୍ରଙ୍କର ବାସ ॥
ପ୍ରିୟବ୍ରତର ଆଚରଣ ।ଯାବତ କରିଛି ଭ୍ରମଣ ॥
ତହିଁରୁ କୀର୍ତ୍ତି ଉପୁଜିଲା ।ଯେଣୁ ସପତ ସିନ୍ଧୁ ହେଲା ॥
ଏତ କହିଲ ବିପରୀତ ।ଅପରେ କିବା ଦ୍ୱୀପ ସାତ ॥
ଏହାର ଯେତେକ ପ୍ରମାଣ ।ଅପରେ ଯେତେକ ଲକ୍ଷର ॥
ବିଶେଷି କହ ମୁନିବର ।ଶୁଣିବା ଶ୍ରଦ୍ଧା ଯେ ମୋହର ॥
ଅଖିଳ-ବ୍ରହ୍ମାଣ୍ଡ-କାରଣ ।ଅନନ୍ତ ଆତ୍ମା ଯାର ପୁଣ୍ୟ ॥
ଏ ସ୍ଥୂଳ ରୂପ ଭଗବାନ ।ଯେ ଜ୍ୟୋତିରୂପ ସୂକ୍ଷ୍ମବ୍ରହ୍ମ ॥
ପରମ ପରଙ୍କର ପର ।ଯେ ବାସୁଦେବ ଚକ୍ରଧର ॥
ତାହାଙ୍କ ଚରଣାରବିନ୍ଦେ ।ମନ ମୋ ରହୁ ଅପ୍ରମାଦେ ॥
ଯେଣୁ ତୁମ୍ଭର ଅଗୋଚର ।ନାହିଁ ଏ ବ୍ରହ୍ମାଣ୍ଡ ଭିତର ॥
ଏଣୁ ମୋ ମନର ସଂଶୟ ।ଭୋ ମୁନି ବିସ୍ତାରିଣ କହ ॥
ବେନି ସହସ୍ର ଉର୍ଦ୍ଧ୍ୱ ତାର ।କି ଅବା ଦେବା ପଟ୍ଟାନ୍ତର ॥
ଶ୍ରୀଶୁକ ଉବାଚଶୁଣ ପରୀକ୍ଷ ନୃପବର ।ମାୟାରେ ପ୍ରଭୁର ଶରୀର ॥
ସଂସାରେ ତାହାର ଭିଆଣ ।ଅଶେଷ ଅଛି ଯାର ସ୍ଥାନ ॥
ନର ଅମର ଯେବେ ହୋଇ ।ତେବେହେଁ ବର୍ଣ୍ଣି ନ ପାରଇ ॥
ତଥାପି ଶ୍ରେଷ୍ଠ ଶ୍ରେଷ୍ଠ କରି ।କହିବା ଶୁଣ ଦଣ୍ଡଧାରୀ ॥
ଭୁଗୋଳ ଚରିତ ବର୍ଣ୍ଣନ ।ରାଜନ ହୁଅ ସାବଧାନ ॥
ଏ ଜମ୍ବୁଦ୍ୱୀପ ନୃପବର ।ବିକାଶେ କମଳ ଆକାର ॥
ଅତି ଅଦ୍ଭୂତ ଯେହୁ ସ୍ଥଳ ।ଅୟୁତେ ଯୋଜନ ବିସ୍ତାର ॥
ଏମନ୍ତେ ନବ ଯେ ବରଷ ।ସହସ୍ରେ ଯୋଜନ ପ୍ରକାଶ ॥
ମହତ ନବ ପର୍ବତରେ ।ବିଭାଗ ହୋଇ ସର୍ବଠାରେ ॥
ଏ ନବ ବରଷ ମଧ୍ୟରେ ।ବରଷ ଇଳାବୃତ୍ତଠାରେ ॥
ଯାହାକୁ ନାଭିଦେଶେ ତହିଁ ।ପର୍ବତରାଜ ଅଛି ରହି ॥
ସୁବର୍ଣ୍ଣମୟ ବିରାଜିତ ।ଅତ୍ୟନ୍ତ ସୁନ୍ଦର ଅଭୁତ ॥
ମସ୍ତକ ଯାହାର ପ୍ରମାଣ ।ବାଇଶ ସହସ୍ର ଯୋଜନ ॥
ସ୍ଥୂଳ ଯାହାର ପରିମାଣ ।ଷୋଡ଼ଶ ସହସ୍ର ଯୋଜନ ॥
ସୁବର୍ଣ୍ଣ ଶୃଙ୍ଗ ତିନି ତାର ।ମହୀରେ ସ୍ତମ୍ଭର ଆକାର ॥
ପୂର୍ଣ୍ଣ ଭାଗରେ ବେନି ଗିରି ।ନୀଳ ଧବଳ ରୂପ ଧରି ॥
ଲବଣସିନ୍ଧୁ ନିକଟରେ ।ନବ ସହସ୍ର ସେ ବିସ୍ତାରେ ॥
ନିଷଧ ହେମକୂଟ ଆଦି ।ଦକ୍ଷିଣେ ଏହାଙ୍କ ପ୍ରସିଦ୍ଧି ॥
ଏହା ଦକ୍ଷିଣେ ଗିରିବର ।ହିମାଳୟ ନାମ ତାହାର ॥
ସୁବର୍ଣ୍ଣ ଯଥାକ୍ରମେ ତାର ।ଅୟୁତେ ଯୋଜନ ବିସ୍ତାର ॥
ଅପରେ ମାଲ୍ୟ ପର୍ବ ବନ ।ବିଶାଳ ଯେ ଗନ୍ଧମାର୍ଦ୍ଦନ ॥
ଅୟୁତେ ଯୋଜନ ବିସ୍ତାର ।ବିରାଜେ ଯହିଁ ଗିରିବର ॥
ଭଦ୍ରାଶ୍ୱ କେତୁମାଳ ଆଦି ।ଏହାଙ୍କ ନାମରେ ପ୍ରସିଦ୍ଧି ॥
ମହେନ୍ଦ୍ର ମେରୁ ଯେ ମନ୍ଦର ।ସୁବର୍ଣ୍ଣ ଆଦି ଗିରିବର ॥
ସ୍ୱର୍ଣ୍ଣଗିରି ଚତୁର୍ଦ୍ଦିଗରେ ।ପ୍ରାକାର ବେଷ୍ଟିତ ଆକାରେ ॥
ବୃକ୍ଷ ଚନ୍ଦନ ଆଦିକରି ।ଜମ୍ବୁ କଦମ୍ବ ଏ ଚତ୍ୱାରି ॥
ପର୍ବତ ଅତି ମନୋହର ।ସହସ୍ର ଯୋଜନ ବିସ୍ତାର ॥
ଚତୁର ସିନ୍ଧୁ ତା ନିକଟେ ।ବିରାଜେ ଶୁଭ୍ର ନାନା ତଟେ ॥
ମଧୁର ଔଷଧି ଯେ ଫଳ ।ଯହିଁ ସକଳେ ଦେବମେଳ ॥
ଯେ ଯାହାମତେ କରି ଧ୍ୟାନ ।ପ୍ରଭୁଙ୍କୁ କରନ୍ତି ଭଜନ ॥
ଭଦ୍ର ରଥଜିତ ନନ୍ଦନ ।ବିରାଜେ ଗରୁଡ଼ ବାହନ ॥
ଯହିଁରେ ସମନସଗଣ ।କ୍ରୀଡା କରନ୍ତି ଅନୁକ୍ଷଣ ॥
କାମିନୀ ସଙ୍ଗତେ ଘେନିଣ ।ଯହିଁ ରହନ୍ତି ଦେବଗଣ ॥
ଏକାଶୀ ଯୋଜନ ବିସ୍ତାର ।ବହୁ କ୍ରୋଟର ସେ ଗିରିର ॥
ଅତ୍ୟନ୍ତ ତୁଙ୍ଗ ବୃକ୍ଷବର ।ସୁରଙ୍ଗ ବର୍ଣ୍ଣ ଫଳ ତାର ॥
ସୁଗନ୍ଧ ଅମୃତ ସୁସ୍ୱାଦ ।ରସ ଗଳଇ ବିଶାରଦ ॥
ସେଠାରୁ ଗୋଦାବରୀ ସାର ।ମନ୍ଦରେ ହୋଇଛି ବାହାର ॥
ଅମୃତ ତୁଲ୍ୟ ଜମ୍ବୁଫଳ ।ପାଚି ପଡଇ ମହୀତଳ ॥
ହସ୍ତପ୍ରମାଣେ ଫଳ ସାର ।ରସ ଗଳଇ ଯେ ଅପାର ॥
ତହିଁରୁ ଜମ୍ବୁନଦ ଜାତ ।ଶୁଣ ସୁମନେ ପରୀକ୍ଷିତ ॥
ତାହାର ଜଳ ସ୍ପରଶରେ ।ସୁବର୍ଣ୍ଣ ହୋଇଅଛି ତୀରେ ॥
ମହାକଦମ୍ବ-ତରୁବର ।ତାହାର ମଧ୍ୟରେ କ୍ରୋଟର ॥
ପରମ ଧାମ ରୂପ ହୋଇ ।ତହିଁରୁ ମଧୁ ଯେ ସ୍ରବଇ ॥
ଇଳାବୃତ୍ତ ଯେ ବେଢ଼ିକରି ।ବିଶାଳ ପୟସ୍ୱିନୀ ମିଳି ॥
ବିଷ୍ଣୁର ପୟରେ ରହିଲା ।ବହୁଳ କାଳ ତହୁଁ ଗଲା ॥
ସହସ୍ର ଯୁଗର ଅନ୍ତରେ ।ପଡ଼ିଲା ସ୍ୱର୍ଗୁ ମସ୍ତକରେ ॥
ଧ୍ରୁବ ପରମ ଭାଗବତ ।ଜାଣିଲେ ବିଷ୍ଣୁ ପାଦାମୃତ ॥
ଭକ୍ତି ଯୋଗରେ ବଶ ହୋଇ ।ଆନନ୍ଦେ ଅଙ୍ଗ ପୁଲକଇ ॥
ମାର୍ଜନା କରିବା ନିମନ୍ତେ ।ଶିରରେ ବହିଲେ ତୁରିତେ ॥
ଯେଣୁ ସକଳ ମୁନିଗଣ ।ପ୍ରଭାବ ଜାଣି ତତ୍କ୍ଷଣ ॥
ସକଳ ଆତ୍ମା ଭଗବାନ ।ତପ ସାଧିଲେ ଯୋଗଶୂନ୍ୟ ॥
ମୋକ୍ଷ କାରଣେ ସେ ଭଜନ୍ତି ।ପ୍ରଭୁଙ୍କ ଚରଣେ ପୂଜନ୍ତି ॥
ସେ ଜଳ ପାଇ ହୃଷ୍ଟ ହୋଇ ।ଜଟାରେ ଥୋଇଲେସେ ନେଇ ॥
ତହୁଁ ସେ ବହୁତ ପ୍ରକାରେ ।ତପେ ତୋଷିଲେ ପୁରନ୍ଦରେ ॥
ତାହାଙ୍କୁ ଲକ୍ଷ୍ୟ କରିଗଲା ।ବ୍ରହ୍ମଲୋକରେ ସେ ପଡ଼ିଲା ॥
ତହୁଁ ସେ ବିଦ୍ୟମାନ ହୋଇ ।ଚତୁର୍ଦ୍ଧାରୂପକୁ ଯେ ବହି ॥
ଶୁଣ ପରୀକ୍ଷ ନୃପବର ।ଏ ନାମ ଚତ୍ୱାର ତାହାର ॥
ସୀତା ଅଳକା ନନ୍ଦା ଦୁଇ ।ସୁଭଦ୍ରା ନାମକୁ ଯେ ବହି ॥
ଚାରିଦିଗରେ ସେ ଭ୍ରମଇ ।ସିନ୍ଧୁରେ ପ୍ରବେଶ ହୁଅଇ ॥
ବ୍ରହ୍ମା ସଦନୁ ସୀତା ଯାଇ ।ଶିବାର୍ଚ୍ଚନାରେ ସେ ଭ୍ରମଇ ॥
ଅଧଃ ଉର୍ଦ୍ଧ୍ୱରେ ଭ୍ରମିଯାଇ ।ଗନ୍ଧମାର୍ଦନେ ସେ ପଡ଼ଇ ॥
ତାହାର ସଙ୍ଗରେ ବିହରି ।ଭଦ୍ରା ସୁବସୁ ସୂକ୍ଷ୍ମକରି ॥
ସୁରସିନ୍ଧୁର ପୂର୍ବଦିଗେ ।ପ୍ରବେଶି ଅଛି ଅତି ବେଗେ ॥
ମେରୁ ଶିଖରେ ଭଦ୍ରାଯାଇ ।ଉତ୍ତର ଦିଗେ ସେ ଭ୍ରମଇ ॥
ରବି ତରଙ୍ଗ ଶୃଙ୍ଗଦେଶେ ।ଅଳକାନନ୍ଦା ସେ ପ୍ରକାଶେ ॥
ଇଳାବୃତ୍ତର ଯେ ଉତ୍ତରେ ।ପ୍ରଜାଏ ସୁସ୍ଥ ଯାର ବଳେ ॥
ଯାବତ ଜୀବ ସୁଖୀ ହୋଇ ।ଅଛନ୍ତି ଯାର ଜଳ ଖାଇ ॥
ଚିତ୍ରକୂଟର ସୀମା ଆଦି ।କପିଳ ବୈଦୂର୍ଯ୍ୟ ପ୍ରସିଦ୍ଧି ॥
ନାନା କାନନେ ନଦ ନଦୀ ।ଏ ଆଦି ଯେତେକ ପ୍ରସିଦ୍ଧି ॥
ମେରୁ କର୍ଣ୍ଣକ ପ୍ରାୟ ହୋଇ ।ଏତେକ ଶୀଘ୍ର ପ୍ରକାଶଇ ॥
ଯାହାର ମେରୁ ପୃଷ୍ଠଦେଶେ ।ଅଠର ଯୋଜନ ପ୍ରକାଶେ ॥
ଦେବକୂଟ ଗିରିରେ ଯାଇ ।ମେରୁର ପୂର୍ବଦିଗେ ରହି ॥
ପବନ ପାରିଜାତ ଦୁଇ ।ତାହାର ପଶ୍ଚିମେ ସେ ହୋଇ ॥
କୈଳାସ କରବୀର ଦୁଇ ।ଦକ୍ଷିଣ ପାଶେ ବିରାଜଇ ॥
ଉତ୍ତରେ ତ୍ରିଶର ମକର ।ଅଛନ୍ତି ବେନି ଗିରିବର ॥
ଅଷ୍ଟଗିରିର ମଧ୍ୟଦେଶେ ।ସୁବର୍ଣ୍ଣ ଗିରି ଯେ ପ୍ରକାଶେ ॥
ସୁବର୍ଣ୍ଣ ଗିରି ଅଗ୍ରଦେଶେ ।ବ୍ରହ୍ମାର ପୁର ଯେ ପ୍ରକାଶେ ॥
ଅୟୁତେ ଯୋଜନ ସେ ହୋଇ ।ନାନାଦି କୁସୁମ ବାସଇ ॥
ସୁବର୍ଣ୍ଣ କୁଳମାନଙ୍କର ।କି ଅବା ଦେବା ପଟ୍ଟାନ୍ତର ॥
ହେମ କଳସ ଉଚ୍ଚ ପୁର ।ଚାରିଦିଗରେ ସେ ତାହାର ॥
ଇନ୍ଦ୍ରାଦି ଦିଗପାଳଙ୍କର ।ସୁବର୍ଣ୍ଣ ମନ୍ଦିରର ଘର ॥
ଏଥି କର୍ମରେ ଯେଝାମତେ ।ନିର୍ମିତ ପୁର ଯଥୋଚିତେ ॥
ଅଷ୍ଟପାଳଙ୍କ ଅଟେ ପୁର ।ସୁସଞ୍ଚ ଅତି ମନୋହର ॥
ପଞ୍ଚମସ୍କନ୍ଧେ ହୁଏ ବାଣୀ ।ଶୁଣି ସଂସାରୁ ତର ପ୍ରାଣୀ ॥
କହଇ ବିପ୍ର ଜଗନ୍ନାଥ ।କୃଷ୍ଣ ଚରିତ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭୁବନ କୋଷ ବର୍ଣ୍ଣନେନାମ ଷୋଡ଼ଶୋଽଧ୍ୟାୟଃ ।