ଶ୍ରୀମଦ୍ ଭାଗବତ (ପଞ୍ଚମ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୬ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତଦଶ ଅଧ୍ୟାୟ
ଶ୍ରୀଶୁକ ଉବାଚଶୁଣ ରାଜନ ପରୀକ୍ଷିତ ।ସେ ଯଜ୍ଞଲିଙ୍ଗ ଯେ ଅଚ୍ୟୁତ ॥
ମାୟା ବାମନ ଅବତାର ।ତାହାଙ୍କ ବାମ ଯେ ଅପାର ॥
ଯାହା କନିଷ୍ଟ ଅଙ୍ଗୁଳିରେ ।ବ୍ରହ୍ମାଣ୍ଡ ଭାଜିବ ନିର୍ଭରେ ॥
ତହୁଁ ଅଦ୍ଭୁତ ଜଳଧାର ।କି ଅବା ଦେବା ପଟ୍ଟାନ୍ତର ॥
ଦୁରିତ ନାଶଇ ସ୍ମରଣେ ।ପ୍ରାଣୀ ତରନ୍ତି ସ୍ନାନପାନେ ॥
ତହୁଁ ଚଳିଣ ଅତି ଖରେ ।ପଡ଼ଇ ଭୃଙ୍ଗ ପର୍ବତରେ ॥
ଅଳକାନନ୍ଦା ନାମ ହୋଇ ।ବହୁ ଗିରିରେ ସେ ଭ୍ରମଇ ॥
ସୁବର୍ଣ୍ଣଗିରି ହିମାଳୟ ।ତାହାଙ୍କୁ କରି ସେ ଆଶ୍ରୟ ॥
ଅତି ପ୍ରଖର ବ୍ୟଗ୍ର ଦିଶେ ।ପଡ଼ଇ ଭୂମିଭାଗ ଦେଶେ ॥
ତହୁଁ ଲବଣ ସିନ୍ଧୁଜଳେ ।ପ୍ରବେଶ ହୁଅଇ ନିଶ୍ଚଳେ ॥
ଅନ୍ୟ ଯେ ନଦନଦୀ ଯେତେ ।ଶତ ସହସ୍ର ଯେଝାମତେ ॥
ନାନା ଗିରିରୁ ଜନ୍ମ ହୋଇ ।ସିନ୍ଧୁରେ ପ୍ରବେଶନ୍ତି ଯାଇ ॥
ଭାରତବରଷେ ରାଜନ ।ଏ କର୍ମକ୍ଷେତ୍ର କରି ଜାଣ ॥
ଅପରେ ଅଷ୍ଟ ଯେ ବରଷ ।ସ୍ୱର୍ଗଲୋକରେ ଯେହୁ ବାସ ॥
ତହିଁ ପୁରୁଷଙ୍କ ଆୟୁଷ ।ଦଶ ସହସ୍ର ଯେ ବରଷ ॥
ଦେବତା ତୁଲ୍ୟ ପରାକ୍ରମ ।ନିତ୍ୟେ ହୁଅନ୍ତି ଶେଷ ଦିନ ॥
ତାହାଙ୍କ ରୂପର କାରଣ ।ପଛେ କହିବା ହେ ରାଜନ ॥
ପରମ ଭାଗବତ ଜନ୍ମ ।ମହାପୁରୁଷ ଯେ ରାଜନ ॥
ଦୈତ୍ୟ ଦାନବ କୁଳମଣି ।ସୁଶୀଳ ସାଧୁ ସତ୍ୟବାଣୀ ॥
ପ୍ରହ୍ଲାଦ ନାମ ଦୈତ୍ୟ ବହି ।ପ୍ରଭୁଙ୍କ ପ୍ରିୟ ସେ ଅଟଇ ॥
ଇନ୍ଦ୍ରିୟଗଣଙ୍କୁ ନିବାରି ।ଚଞ୍ଚଳ ମନ ସ୍ଥିର କରି ॥
ସେ ସ୍ଥୂଳ ଲୋକଙ୍କ ସହିତେ ।ପ୍ରଭୁଙ୍କୁ ଚିନ୍ତେ ଅବିରତେ ॥
ଏହି ସ୍ତବରେ ସ୍ତୁତି କରି ।ସେବଳ ପ୍ରଭୁ ନରହରି ॥
ନମସ୍ତେ ପ୍ରଭୁ ଦଇତାରି ।ଯାହାର ତେଜେ ଦିଗ ପୂରି ॥
ନିଜର ତେଜ ଯେ ପ୍ରକାଶ ।ରବି କିରଣ କରି ନାଶ ॥
କରାଳ ଦୃଷ୍ଟି ଯେ ବଦନ ।ଅନଳ ପ୍ରାୟ ସେ ଲୋଚନ ॥
ଯାହାର ନାମେ ଦୁଷ୍ଟ ତରେ ।ନମଇଁ ସେ ବେନି ପୟରେ ॥
ଭୋ ନାଥ ତୋହର ପ୍ରସାଦେ ।ପ୍ରାଣୀ ରହନ୍ତି ଅପ୍ରମାଦେ ॥
ତୁମ୍ଭର ଅଭୟ ପୟରେ ।ମୋ ମନ ରହୁ ଯେ ନିଶ୍ଚଳେ ॥
ଏ ଯେ ତନୟ ଗୃହେ ମୋର ।ମନ ମୋ ରହୁ ହେ ଈଶ୍ୱର ॥
ତୁମ୍ଭର ଭକ୍ତଜନ ସଙ୍ଗେ ।ସୁଖେ ବଞ୍ଚିବି ନାନାରଙ୍ଗେ ॥
ଆତ୍ମାରୁ ପ୍ରିୟ ଯେ ଅପରେ ।ନାହିଁ ଏ ଅଖିଳ ସଂସାରେ ॥
ସକଳ ଆତ୍ମାର ଠାକୁର ।ତେଣୁ ତୁ ପ୍ରିୟ ପ୍ରାଣୀଙ୍କର ॥
ତୁମ୍ଭର ନାମ ସୁମରଣ ।ଅଶେଷ ପରମ କାରଣ ॥
ଏମନ୍ତ ଯାହାର ପ୍ରଭାବ ।ତାହାଙ୍କୁ କେବା ନ ସେବିବ ॥
ତୁମ୍ଭର ପାଦେ ଭକ୍ତି ଯାର ।ପୂଜ୍ୟ ସେ ଦେବ ଦାନବର ॥
ସକଳଗୁଣ ତାଙ୍କଠାରେ ।ଆଶ୍ରୟ କରନ୍ତି ତାହାରେ ॥
ତୋହର ଅନ୍ତ ପ୍ରାଣୀମାନେ ।ସଂସାର ବନ୍ଧନ କାରଣେ ॥
ଯାହାର ନାମ ଗୁଣକର୍ମ ।ମନ ବଚନେ ନୁହେଁ ଭ୍ରମ ॥
ତୁ ତମ ମାୟା ଗୁଣେ ବନ୍ଦି ।ସଂସାର କରୁଅଛୁ ବନ୍ଦୀ ॥
ଯାହାର ସଦୃଶ ଅପାରେ ।ନାହିଁ ଏ ବ୍ରହ୍ମାଣ୍ଡ ଭିତରେ ॥
ଉତ୍ପତ୍ତି ପ୍ରଳୟ ପାଳନ ।ଏ ସର୍ବ ଯାହାର ଭିଆଣ ॥
ଯାହାର ଆଦି ଅନ୍ତନାହିଁ ।ଅନନ୍ତ ନାମ ସେ ବୋଲାଇ ॥
ଯା ରଥ ସାକ୍ଷ୍ୟ ଯାର ପ୍ରାଣ ।ନମସ୍ତେ ପୁରୁଷ ପୁରାଣ ॥
ଯାହାର ତହୁଁ ଜନ୍ମ ହୋଇ ।ଅଯଶ ସାର ଯାର ଦେହା ॥
ବ୍ରହ୍ମାଣ୍ଡ ଆଦି ଯେ ସକଳେ ।ସେବନ୍ତି ତାର ପାଦତଳେ ॥
ରଜ୍ଜୁ ବନ୍ଧନ ପ୍ରାୟ ହୋଇ ।ଯନ୍ତ୍ରିତେ ହୋଇଛନ୍ତି ରହି ॥
ଅନୁଗ୍ରହରୁଟି ଯାହାର ।ଭିଆଣ ନ ରହେ ସଂସାର ॥
ତ୍ରିଗୁଣ ସଙ୍ଗତେ ବନ୍ଧନ ।ଯାର ମାୟାରେ ପ୍ରାଣୀମନ ॥
ତ୍ରିଗୁଣ ବଶେ ମୋହି ହୋଇ ।ଜନ୍ମ ମରଣ ନ ଜାଣଇ ॥
ଏ ମାୟା ହେତୁ ଯେ ବିସ୍ତାରି ।ଯେ ପ୍ରଭୁ ଜଗତେ ବିହରି ॥
ତାହାଙ୍କୁ ମୋର ନମସ୍କାର ।ଯେ ପ୍ରଭୁ ଜଗତ ଠାକୁର ॥
ରାଜନ ଶୁଣ ଏହି ବାଣୀ ।ପଞ୍ଚମସ୍କନ୍ଧେ ପରିମାଣି ॥
କହଇ ବିପ୍ର ଜଗନ୍ନାଥ ।ପଞ୍ଚମସ୍କନ୍ଧେ ଭାଗବତ ॥
ମୁହିଁ ପାମର ଦୁରାଚାର ।ଭୋ ନାଥ କୃପା ମୋତେ କର ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ସଂସାର ବ୍ୟବହାର ବର୍ଣ୍ଣନେନାମ ସପ୍ତଦଶୋଽଧ୍ୟାୟଃ װ
ଅଷ୍ଟାଦଶ ଅଧ୍ୟାୟ
ଶ୍ରୀଶୁକ ଉବାଚଭଦ୍ରାଶ୍ୱ ବୀରର ବିଧାନ ।ରାଜନ ଶୁଣ ସାବଧାନ ॥
ଭଦ୍ରଶ୍ରବା ନାମ ତାଙ୍କର ।ସାକ୍ଷାତେ ଧର୍ମର କୁମର ॥
ତାହାର କୁଳେ ହୋଇ ଜାତ ।ଯେତେକ ପୁରୁଷ ବିଦିତ ॥
ଅଖିଳ ବ୍ରହ୍ମାଣ୍ଡ କାରଣ ।ଅନନ୍ତ ପ୍ରଭୁ ନାରାୟଣ ॥
ତାହାଙ୍କ ସନ୍ତୋଷ କାରଣେ ।ପରମ ସାନନ୍ଦ ବିମାନେ ॥
ପ୍ରଭୁ ଯେ ଧର୍ମରୂପ ହୋଇ ।ଅଛନ୍ତି ପ୍ରାଣୀ ହିତପାଇଁ ॥
ତାହାଙ୍କ ସେବା ଅବିରତେ ।ବଞ୍ଚନ୍ତି ଯେଝା ଅନୁମତେ ॥
ପରମ ପ୍ରିୟ ଭାବ ଧରି ।ହେତୁ ମତିରେ ସ୍ତୁତି କରି ॥
ଭଦ୍ରଶ୍ରବା ଉବାଚନମଇ ଧର୍ମ ଅବତାର ।ଆତ୍ମାର ଅଂଶେ ପ୍ରାଣୀଙ୍କର ॥
ଏତେ ଆଶ୍ଚର୍ଯ୍ୟ ଯେ ମହତ ।ପ୍ରଭୁର ଯେତେ ବିଚେଷ୍ଟିତ ॥
ଶରୀର ମାତ୍ର ସେ ଅଟଇ ।ତଥାପି ପ୍ରାଣୀ ନ ଜାଣଇ ॥
ବିଶ୍ୱ ସଂସାରେ ମୂର୍ଖଜନେ ।ସତ୍ୟ କହନ୍ତି ଅନୁକ୍ଷଣେ ॥
ପଣ୍ଡିତଜନେ ଏହା ଜାଣି ।ମିଥ୍ୟା ସେ ମନେ ପରିମାଣି ॥
ତଥାପି ତାହାର ମାୟାରେ ।ପଣ୍ଡିତେ ଭ୍ରମନ୍ତି ସଂସାରେ ॥
ସେ ଅଜ ବ୍ରହ୍ମାଣ୍ଡ ଠାକୁର ।ତାହାଙ୍କୁ କରି ନମସ୍କାର ॥
ସକଳ ଆବୃତ ସେ ହୋଇ ।ତାହାର ଅବୟବ ମହୀ ॥
ଏକଥା ଉଚିତ ତୋହର ।କାର୍ଯ୍ୟ କାରଣ ତୁ ଠାକୁର ॥
ନାନା ଶରୀରବନ୍ତ ହୋଇ ।ନାନା ଭୋଗକୁ ଭୁଞ୍ଜ ତୁହି ॥
ଦୈତ୍ୟେ ଯେ ବେଦକୁ ହରିଲେ ।ନେଇ ସମୁଦ୍ରେ ମାଡ଼ି ଦେଲେ ॥
ପ୍ରଳୟ ଅବସାନେ ତୁହି ।ହୟଗ୍ରୀବ ମୂର୍ତ୍ତିକି ବହି ॥
ରସାତଳରୁ ଉଦ୍ଧରିଲୁ ।ବ୍ରହ୍ମା ମାଗନ୍ତେ ତାକୁ ଦେଲୁ ॥
ତୋତେ ମୋହର ନମସ୍କାର ।ତୁ ନାଥ ସକଳ ଈଶ୍ୱର ॥
ତୁ ନାଥ ବଳବନ୍ତ ହୋଇ ।ତୋହର ଅବୟବ ମହୀ ॥
ଏ କଥା ଉଚିତ ମୋହର ।ତୋତେ ମୁଁ କରେ ନମସ୍କାର ॥
ଏମନ୍ତ ନାନା ସ୍ତୁତି ମତେ ।ସେବନ୍ତି ତାଙ୍କ ପାଦଗତେ ॥
ନୃସିଂହ ନାମେ ଯେ ଠାକୁର ।ଅଛନ୍ତି ଭଦ୍ର ସରୋବର ॥
ତାହାଙ୍କ ରୂପର କାରଣ ।ପଛେ କହିବା ହେ ରାଜନ ॥
ପରମ ଭାଗବତ ଜନ ।ମହାପୁରୁଷ ହେ ରାଜନ ॥
ଦୈତ୍ୟ ଦାନବ କୁଳ ମଣି ।ସୁଶୀଳ ସାଧୁ ସତ୍ୟ ବାଣୀ ॥
ପ୍ରହ୍ଲାଦ ନାମ ସେ ବହଇ ।ପ୍ରଭୁର ପ୍ରିୟ ସେ ଅଟଇ ॥
ଇନ୍ଦ୍ରିୟଗୁଣଙ୍କୁ ନିବାରି ।ଚଞ୍ଚଳ ମନ ସ୍ଥିରକରି ॥
ସେ ସ୍ଥୂଳ ଲୋକଙ୍କ ସହିତେ ।ପ୍ରଭୁଙ୍କୁ ଚିନ୍ତେ ଅବିରତେ ॥
ଏହି ସ୍କୃତିରେ ସ୍ତୁତି କରି ।ସେବନ୍ତି ପ୍ରଭୁ ନରହରି ॥
ନଖଙ୍କ ତେଜେ ଯେ ପ୍ରକାଶ ।ରବି କିରଣ କରେ ନାଶ ॥
କରାଳ ଦଂଷ୍ଟ୍ର ସେ ବଦନ ।ବିକଚ କମଳ ଲୋଚନ ॥
ଯାହାର ନାମେ ଦୁଷ୍ଟ ତରେ ।ନମଇଁ ପ୍ରଭୁଙ୍କ ପୟରେ ॥
ଭୋ ନାଥ ତୋହର ପ୍ରସାଦେ ।ପ୍ରାଣୀ ତରନ୍ତି ଅପ୍ରମାଦେ ॥
ତୋହର ଅଭୟ ଚରଣେ ।ମନ ମୋ ରହୁ ଅନୁକ୍ଷଣେ ॥
ଦାରା ତନୟ ଗୃହେ ମୋର ।ମନ ନ ରହେ ଭୋ ଈଶ୍ୱର ॥
ତୁମ୍ଭର ପ୍ରିୟଜନ ସଙ୍ଗେ ।ସୁଖେ ବଞ୍ଚିବି ନାନାରଙ୍ଗେ ॥
ଅମୋହ ପ୍ରିୟ ଯେ ଅପରେ ।ନାହିଁ ଏ ଅଖିଳ ସଂସାରେ ॥
ତୋହର ତହିଁ ଭକ୍ତି ଯାର ।ଯେ ପୂଜ୍ୟ ଦେବମାନଙ୍କର ॥
ସକଳ ଗୁଣ ତାହାଠାରେ ।ଆଶ୍ରୟ କରନ୍ତି ବେଭାରେ ॥
ତୋର ମାୟାରେ ପ୍ରାଣୀଗଣ ।ସଂସାରେ ବନ୍ଧନ କାରଣ ॥
ଏହା ଜାଣିଣ ଯେବା ନର ।ଭଜଇ ନୃସିଂହ ପୟର ॥
ଅଶେଷ ଭୟରୁ ତରଇ ।କର୍ମବନ୍ଧନ କ୍ଷୟ ଯାଇ ॥
ଶୁଣ ରାଜନ ମନତୋଷେ ।କେତୁମାଳ ନାମେ ବରଷେ ॥
ଅଖିଳ ବ୍ରହ୍ମାଣ୍ଡ କାରଣ ।କାମଦେବ ରୂପ ଧରିଣ ॥
ଲକ୍ଷ୍ମୀର ସନ୍ତୋଷ କାରଣେ ।ବିହାର କରନ୍ତି ଆପଣେ ॥
ସେ ସ୍ଥୂଳ ଲୋକ ପୁଣ୍ୟଫଳେ ।ନାନା ବିହାର ସୁଖଭୋଳେ ॥
ଅତି ଲଳିତ ତୋଷଭରେ ।ବିଳାସ ନାନା ମନୋହରେ ॥
ରୁଚିର ହାସ୍ୟ ନଖମାନ ।କଟାକ୍ଷେ ଯେ ଅବଲୋକନ ॥
ବିକଚ ବଦନାରବିନ୍ଦ ।ନିନ୍ଦଇ ପୂର୍ଣ୍ଣମୀର ଚନ୍ଦ୍ର ॥
ଲଳିତ ଲତା ମୂଖସ୍ଥଳେ ।ଲକ୍ଷ୍ମୀ ସହିତ କୁତୂହଳେ ॥
କ୍ରୀଡା କରନ୍ତି ସୁଖମନେ ।ଇନ୍ଦ୍ରିୟ ଭୋଗ ଅନୁମାନେ ॥
ପ୍ରଜାପତି-ଦୁହିତା ସଙ୍ଗେ ।ତହିଁ ଯେ ଲକ୍ଷ୍ମୀଦେବୀ ସଙ୍ଗେ ॥
ପରମ ସମାଧି ଗୋଚରେ ।ସ୍ତୁତି କରନ୍ତି କୃଷ୍ଣଠାରେ ॥
ନମଇଁ ପ୍ରଭୁ ହୃଷୀକେଶ ।ସକଳ ପ୍ରାଣୀ ଯହିଁ ବଶ ॥
ଷୋଡଶ-ବଳବନ୍ତ ତୁହି ।ଦେବେ ତୋହର ନିଜଦେହୀ ॥
ସକଳ ଆତ୍ମା ତୁ ଈଶ୍ୱର ।ଅମୃତମୟ ତୋ ଶରୀର ॥
ତୁ ଯେ ପରମ ଭୟଙ୍କର ।ତୁ ନାଥ ସକଳ ଈଶ୍ୱର ॥
ଅତି ସୁଶୀଳ ଶାନ୍ତ ତୁହି ।ତୋ ତହୁଁ ଅନ୍ୟ ନାହିଁକେହି ॥
ଭୋ ନାଥ ତୋ ପାଦକମଳେ ।ସେବି ଲଭନ୍ତି ନାନା ଫଳେ ॥
ତୋହର ଜନ ଯେ ହୁଅଇ ।ତାଙ୍କୁ ସଙ୍କଟୁ ରଖୁ ତୁହି ॥
ତୋ ପାଦ ସରୋରୁହ ଦୁଇ ।ନିରତେ ଯେମନ୍ତ ସେବଇ ॥
ଏମନ୍ତ ଆଜ୍ଞା ମୋତେ କର ।ତୁ ନାଥ କରୁଣା ସାଗର ॥
ତୋତେ ଯେ ଭାବେ ଆରାଧଇ ।ତାହାର ମନୋହର ସେହି ॥
ତୁମ୍ଭ ପ୍ରସନ୍ନ ବିନୁ ତାର ।ଫଳ ନୁହଇ ହେ ଠାକୁର ॥
ତେଣୁଟି ସକଳ ଈଶ୍ୱର ।ଦ୍ୱିତୀୟେ ନାହିଁ ପଟ୍ଟାନ୍ତର ॥
ଭୋ ନାଥ ତୁମ୍ଭେ ନାନାଦେହୀ ।ସାଧୁଙ୍କ ନିସ୍ତାରଣ ପାଇଁ ॥
ତୁମ୍ଭର ଚେଷ୍ଟା ଏ ସଂସାରେ ।ବ୍ରହ୍ମାଦି କେବା ଜାଣିପାରେ ॥
ବିଶ୍ୱଙ୍କ ବରଷ ଚରିତ ।ଶୁଣ ରାଜନ ପରୀକ୍ଷିତ ॥
ପ୍ରଭୁର ମତ୍ସ୍ୟ-ଅବତାର ।ଦେବ ମାନବେ ଆଗୋଚର ॥
ଅତି ସୁନ୍ଦର ରୂପରାଶି ।ମନୁଙ୍କ ବଂଶ ତହିଁ ବସି ॥
ସେ ରୂପ ଆରାଧନା ପାଇଁ ।ଅନେକ ସ୍ତୁତି ଯେ କରଇ ॥
ନମଇଁ ପରମ ଈଶ୍ୱର ।ଯାହାର ନାମ ଅଗୋଚର ॥
ବିସ୍ତାରେ-ମତ୍ସ୍ୟ ତୋ ଶରୀର ।ତୁ ପ୍ରଭୁ ସକଳ ପ୍ରାଣୀର ॥
ତୁ ଥାଇ ଅନ୍ତର ବାହାରେ ।ତୋ ମାୟା କେବା ଜାଣିପାରେ ॥
ଏ ତୋର ମୀନମାୟା ଦେହୀ ।ଦେବମାନବେ କେହି ନାହିଁ ॥
ସଂସାର ସାଗରେ ତୋ ଜନ୍ମ ।ମାୟା ତରଙ୍ଗ ତହିଁ ଭ୍ରମ ॥
ପରମ ମହାବଳୀ ହେଉ ।ସଂସାରେ ନାନା ଦେହ ବହୁ ॥
ଜଗତ ପ୍ରାଣୀଙ୍କ ଠାକୁର ।ତୋ ପାଦେ ମୋର ନମସ୍କାର ॥
ହିରଣ୍ୟ ବତ୍ସର ଏ ବାଣୀ ।ରାଜନ ଶୁଣ ପରିମାଣି ॥
ଅଖିଳ-ବ୍ରହ୍ମାଣ୍ଡ-ଠାକୁର ।ଧରିଣ କୁମର ଶରୀର ॥
ମର୍ଯ୍ୟାଦା ତୁଲେ ପିତୃଗଣେ ।ଯେତେ ଅଛନ୍ତି ସେହି ସ୍ଥାନେ ॥
ତାହାଙ୍କୁ ଘେନି ପିତୃପତି ।ପ୍ରଭୁଙ୍କୁ ଆନନ୍ଦେ ସେବନ୍ତି ॥
ଏମନ୍ତେ ନାନା ସ୍ତୁତିମତେ ।ସେବନ୍ତି ପ୍ରଭୁ-ପାଦଗତେ ॥
ନମସ୍ତେ ପ୍ରଭୁ ସତ୍ତ୍ୱଗୁଣ ।ଲେଖି ନ ପାରେ ଯାର ସ୍ଥାନ ॥
ଯାର ଅଶେଷ ନାମ ଗୁଣ ।ନମଇଁ ପ୍ରଭୁ ଭଗବାନ ॥
ନିଜ ମାୟାରେ ରୂପ ଧରି ।ଅଶେଷ ଦେହ ସେ ଆବୋରି ॥
ନାନା-ଜନ୍ମରେ ସେ ପ୍ରସିଦ୍ଧି ।ସଂସାରେ ଯେବା ଯାର ବୁଦ୍ଧି ॥
ଚର ଅଚର ପିତୃଭୂତ ।ଇନ୍ଦ୍ରିୟ ଆଦି ଯେ ସମ୍ଭୁତ ॥
ଆକାଶ ଆଦି ମହୀତଳ ।ଗିରି କାନନ ନାନା ଜଳ ॥
ଦିଗ ବରଷ ଯେ ସାଗର ।ସେ ସବୁ ନାମଟି ତୋହର ॥
ବ୍ରାହ୍ମଣ ଯେତେକ ଅଛନ୍ତି ।କବିଏ ଯାହା ଉଚ୍ଚାରନ୍ତି ॥
ସେ ସର୍ବରୂପ ତୁ ଠାକୁର ।ନମଇଁ ତୋହର ପୟର ॥
ଉତ୍ତର ବରଷେ ରାଜନ ।ବରାହ ରୂପୀ ଭଗବାନ ॥
କୁରୁମ ଦେହ ତୁହି ବହି ।ଆଗମ ସ୍ତୁତି ଯେ କରଇ ॥
ନମଇଁ ଅନାଦି ଅବ୍ୟୟ ।ସକଳ ଯଜ୍ଞ ଯାହା ଦେହ ॥
ସକଳ ଗୁଣ ରୂପଧାରୀ ।ନମସ୍ତେ ପ୍ରଭୁ ନରହରି ॥
ନିବୃତ୍ତି ତୃଷ୍ଣା ଜ୍ଞାନୀ ଜନ ।ମାୟାଟି ତା ନାମେ ଖଣ୍ଡନ ॥
ସୃଷ୍ଟି ଉଦୟେ ଯାର କାୟେ ।ଯେ ଗୁଣେ ତ୍ରିଗୁଣରେ ରହେ ॥
ଏ ତୋର ମାୟାରେ ଈଶ୍ୱର ।ଭୋ ନାଥ ତୋତେ ନମସ୍କାର ॥
ସଂଗ୍ରାମେ ନାଶି ଦୁଷ୍ଟଗଣ ।ମାୟା ଶୂକର ରୂପ ଜନ୍ମ ॥
ଉଗ୍ର ଦନ୍ତରେ ତୋର ପଣ ।ଭୋ ନାଥ ପ୍ରଭୁ ନାରାୟଣ ॥
ତୋହର ପାଦପଦ୍ମ ଦୁଇ ।ଆନନ୍ଦେ ନମଇଁ ଯେ ମହିଁ ॥
କହଇ ବିପ୍ର ଜଗନ୍ନାଥ ।ହରି ଚରିତ ଭାଗବତ ॥
ବରାହ ଧରଣୀର ବାଣୀ ।ଶୁଣି ସଂସାରୁ ତର ପ୍ରାଣୀ ॥
ସୁଜନ ଜନଙ୍କ ପୟରେ ।ମୋ ମନ ରହୁ ନିରନ୍ତରେ ॥
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭୁବନକୋଷ ବର୍ଣ୍ଣନେନାମ ଅଷ୍ଟାଦଶୋଽଧ୍ୟାୟଃ ।
ଊନବିଂଶ ଅଧ୍ୟାୟ
ଶ୍ରୀଶୁକ ଉବାଚଏବେ କିଂପୁରୁଷର ବାଣୀ ।ରାଜନ ଶୁଣ ପରିମାଣି ॥
ସୀତା ରମଣ ରଘୁରାଣ ।ତାହାଙ୍କ କନିଷ୍ଠ ଲକ୍ଷ୍ମଣ ॥
ପରମ ବ୍ରହ୍ମ ସେ ଈଶ୍ୱର ।ଯାହାର ହନୁମନ୍ତ ବୀର ॥
ପରମଭାଗବତ ସେହି ।ନିଶ୍ଚଳେ ଭକ୍ତି ଯୋଗ ନେଇ ॥
ପ୍ରଭୁ ପଦାରବିନ୍ଦ ତଳେ ।ସେବଇ ମନର ନିଶ୍ଚଳେ ॥
ସେ ରାମ ନାଥ ପୁଣ୍ୟୋତ୍ତମ ।ଗନ୍ଧର୍ବେ କରନ୍ତି ଗାୟନ ॥
ସେ ଅଷ୍ଟ ସେନାର ସହିତେ ।ହନୁଟି ଶ୍ରେଷ୍ଠ ଭକ୍ତିମତେ ॥
ଏମନ୍ତେ କରନ୍ତି ଗାୟନ ।ସ୍ତୁତି କରନ୍ତି ତୋଷମନ ॥
ଉତ୍ତମ ଶ୍ଳୋକ ତୁ ଠାକୁର ।ନମଇଁ ତୋହର ପୟର ॥
ସର୍ବ ଲକ୍ଷଣ ତୋର ତହିଁ ।ସକଳ ଶ୍ରେଷ୍ଠ ତୁ ଗୋସାଇଁ ॥
ସର୍ବ-ବନ୍ଦନ ତୁ ଠାକୁର ।ତୋତେ ମୋହର ନମସ୍କାର ॥
ନର ନାରୟଣ ଶରୀର ।ପରମହଂସ ତୁ ଠାକୁର ॥
ନମଇଁ ବ୍ରହ୍ମାଣ୍ଡ ଠାକୁର ।ସକଳ ଦେବଙ୍କର ବର ॥
ମହାପୁରୁଷ ମହାରାଜ ।ନମସ୍ତେ ବ୍ରହ୍ମାଣ୍ଡର ବୀଜ ॥
ସ୍ୱତେଜେ କରି ତିନିଗୁଣ ।ବିନାଶ କରୁ ନାରାୟଣ ॥
ପ୍ରଶାନ୍ତ-ସାଧୁ ତୁ ଠାକୁର ।ତୋତେ ମୋହର ନମସ୍କାର ॥
ତୋହର ନାମ ରୂପ ଯେତେ ।କେହି ନ ଜାଣନ୍ତି ଜଗତେ ॥
ମାୟା ସଂସାରେ ତୋର ଜନ୍ମ ।ରାକ୍ଷସ ସଂହାର କାରଣ ॥
ଅନ୍ୟ ମୋ ନାହିଁ ଭଗବାନ ।ସୀତା ହରଣେ କ୍ଷୋଭ ମନ ॥
ଅଖିଳ-ବ୍ରହ୍ମାଣ୍ଡ-ଠାକୁର ।ତୁମ୍ଭେ ବା କି କରି ନ ପାର ॥
କେବେହେଁ ପତ୍ନୀ ନିମନ୍ତରେ ।କିବା ମାନବ-ଅବତାରେ ॥
ଏ କି ତୋହରେ ସମ୍ଭବଇ ।ଭୋ ନାଥ ତୋର ମାୟା ଏହି ॥
ଜନ୍ମ ମରଣ ଯାର ନାହିଁ ।ଅଖିଳ ପ୍ରଭୁ ଭାବଗ୍ରାହୀ ॥
ସୁର-ଅସୁର ଆଦିକରି ।ବ୍ରହ୍ମାଣ୍ଡେ ଯେତେ ଦେହଧାରୀ ॥
ଏସର୍ବ ଆତ୍ମାର ଈଶ୍ୱର ।କି ଅବା ଅକର୍ତ୍ତବ୍ୟ ତାର ॥
ଉତ୍ତର କୋଶଳରେ ଯାଇ ।ଯେ ପ୍ରଭୁ ନରଦେହ ବହି ॥
ସେ ରାମ ପାଦତଳେ ମୁହିଁ ।ହରଷେ ପ୍ରଣାମ କରଇ ॥
ଶୁଣ ରାଜନ ମନତୋଷେ ।ଏବେ ଯେ ଭାରତବରଷେ ॥
ନର ନାରାୟଣ ଯେ ହରି ।କଳ୍ପେ ପର୍ଯ୍ୟନ୍ତ ତପ କରି ॥
ସାଧୁଙ୍କ ପରିତ୍ରାଣ ନାହିଁ ।ତପସ୍ୟା ରୂପବନ୍ତ ହୋଇ ॥
ଭ୍ରମନ୍ତି ଆତ୍ମା ସୁଖମତେ ।ନାରଦ ତାଙ୍କୁ ତୋଷଚିତ୍ତେ ॥
ଭକତ ସାଧୁଜନ ମେଳେ ।ସ୍ତୁତି କରନ୍ତି ସେ ନିଶ୍ଚଳେ ॥
ନମସ୍ତେ ପ୍ରଭୁ ଆଦିମୂଳ ।ତୋ ରୂପ ଚିନ୍ତି ଏ ନିର୍ମଳ ॥
ଋଷିଙ୍କ ବର ତୁ ଠାକୁର ।ତୋତେ ମୋହର ନମସ୍କାର ॥
ସର୍ବ ବନ୍ଦନ ତୁ ଠାକୁର ।ତୋତେ ମୋହର ନମସ୍କାର ॥
ସକଳ ଆତ୍ମାଭୂତ ତୁହି ।ତୋ ପାଦ ପଦ୍ମେ ମନ ଦେଇ ॥
ସକଳ କର୍ତ୍ତା ତୁ ଈଶ୍ୱର ।ଦର୍ଶନ ନାହିଁ ଯେ ତୋହର ॥
ତୁହି ଯେ ମାନବ ଶରୀର ।ଭୋଗ ତୁ କରୁ ମେଦିନୀର ॥
ସକଳ ଦେଖୁ ତ ଠାକୁର ।ଗୁଣରେ ଦୃଶ୍ୟ ନାହିଁ ତୋର ॥
ଏ ତୋର ତହିଁ ଯାର ମନ ।ତାହାର ସଂସାର ଖଣ୍ଡନ ॥
ଦାରା ତନୟ ଧନ ଘର ।ଏଣେ ଅର୍ପିତ ମନ ଯାର ॥
ସେ ତୋତେ ପାଇବଟି କାହିଁ ।ଶ୍ରମ କେବଳ ତାଙ୍କ ଦେହୀ ॥
ଏ ମୋର ମୂଢ଼ ମତି ତୁହି ।ବିନାଶ କର ଭାବଗ୍ରାହୀ ॥
ତୋହର ଠାଇଁ ମୋର ମନ ।ନିଶ୍ଚଳେ ରହୁ ଭଗବାନ ॥
ଏ ଯେ ଭାରତ ବରଷର ।ପର୍ବତ ଅଛନ୍ତି ଅପାର ॥
ମଙ୍ଗଳ ପ୍ରସ୍ଥ ଯେ ଅଭାବ ।ମଳୟ ତ୍ରିକୂଟ ଋଷଭ ॥
ମନ୍ଦର ଦେବଗିରି ନୀଳ ।ଶୋକମୁଖ ଯେ ଇନ୍ଦ୍ରନୀଳ ॥
ଶ୍ରୀ ଶୈଳ ବ୍ୟାଙ୍କଟ ମୈନାକ ।କୋଶ୍ୱ କୋଟକ ଋଷ୍ୟମୁଳ ॥
ରୂପ ସ୍ୱରୂପ ସତ୍ୟ ଆଦି ।କୋଳାଗ୍ର ଦେବାଗ୍ର ପ୍ରସିଦ୍ଧି ॥
ମହୀନ୍ଦ୍ର ବିନ୍ଧ୍ୟଗିରିଧର ।ଶକ୍ତିମାନୃକ୍ଷ ବାରିଧର ॥
କୁକୁଭ ପାରିଜାତ ଦ୍ରୁମ ।ଚିତ୍ରକୂଟ ଯେ ଗୋବର୍ଦ୍ଧନ ॥
କାମ୍ୟ ସୁମେରୁ ଯେ ରୈବତ ।କମ୍ୟଗିରି ଏ ଆଦି ଶତ ॥
ଏମନ୍ତି ନଦ ନଦୀ ଆଦି ।ଶତ ସହସ୍ର ଯେ ପ୍ରସିଦ୍ଧି ॥
ଚନ୍ଦ୍ରରସା ଯେ ତୁଙ୍ଗଭଦ୍ରା ।ତାମ୍ୱ୍ରପର୍ଣ୍ଣୀ ଯେ ଅବଟୋଦା ॥
ଅର୍କରାବର୍ତ୍ତୀ ପୟସ୍ୱିନୀ ।କୃତମାଳା ତ୍ରିବେଣୀ ବେଣୀ ॥
ଶଙ୍କରୀ ଗୟାସତୀ ତହିଁ ।ଶୁଣ ରାଜନ ଏବେ କହି ॥
କୃଷ୍ଣବେଣୀ ଯେ ଗୋଦାବରୀ ।ଭାଗୀରଥି ସିନ୍ଧୁ କାବେରୀ ॥
ପୟୋଷ୍ଣୀ ତାପ୍ତୀ ରେବା ନଦୀ ।ସୁରେଖା ନର୍ମଦା ଏ ଆଦି ॥
ବେଦ ସ୍କୃତି ଯେ ମହାନଦୀ ।ତ୍ରିସାମା ଋଷିକୁଲ୍ୟା ନଦୀ ॥
କୌଶିକୀ ସରଯୁ ଗୋମତୀ ।ଗଙ୍ଗା ଯମୁନା ସରସ୍ୱତୀ ॥
ଦୃଶଦ୍ବତୀ ଯେ ରୋଷମତୀ ।ଷଷ୍ଠବତୀ ଯେ ସପ୍ତବତୀ ॥
ସୁସୋମା ବିଶ୍ୱା ଚର୍ମଣବତୀ ।ଚନ୍ଦ୍ରଭାଗା ଯେ ଭୀମରଥି ॥
ଶତଦ୍ରୁ ବିତସ୍ତା ଅସିକ୍ନୀ ।ଅନ୍ଧଶୋଣ ଏ ନଦୀ ଘେନି ॥
ମୁନିଏ ଋଷି ଆଦି ନାମ ।କର୍ମ କରନ୍ତି ଏତେ ସ୍ଥାନ ॥
ଏହି ପୁରୁଷ ହେ ରାଜନ ।କର୍ମରେ ପ୍ରାଣୀ ହୁଏ ଜନ୍ମ ॥
ସକଳ ହିତ କୃଷ୍ଣବର୍ଣ୍ଣ ।କର୍ମରୁ କରି ପ୍ରାଣୀ ଜନ୍ମ ॥
ସ୍ୱର୍ଗ ନରକ ଭୂମିଭାଗ ।କର୍ମ ଅଧିକ କରି ଭୋଗ ॥
ସେ ପ୍ରାଣୀ ସର୍ବଭୂତେ ବର ।କୃଷ୍ଣରେ ଭକ୍ତିଟି ଯାହାର ॥
ସର୍ବଭୂତରେ ଆତ୍ମା ସେହି ।ଅଖିଳ-ବ୍ରହ୍ମାଣ୍ଡ-ଗୋସାଇଁ ॥
ସେ ବାସୁଦେବ ଚକ୍ରଧର ।ତାହାର ତହିଁ ମତି ଯାର ॥
ଭକ୍ତିଯୋଗ ସେ ଦୃଢ଼ତାରେ ।ସେ ପ୍ରାଣୀ କର୍ମବନ୍ଧୁ ତରେ ॥
ମହାପୁରୁଷ ପ୍ରସଙ୍ଗରେ ।ହେଳାରେ ଶ୍ରଦ୍ଧାରେ ବା କରେ ॥
ଦେବେ ତାହାର ଗୁଣକର୍ମ ।ଆନନ୍ଦେ କରନ୍ତି ଗାୟନ ॥
ଧନ୍ୟ ତାହାର ଜନ୍ମସାର ।ମୁକୁନ୍ଦ ପାଦେ ଭକ୍ତିଯାର ॥
ଭାରତେ ମାନବ-ଜନ୍ମରେ ।ସେ ପ୍ରାଣୀ ଶ୍ରେଷ୍ଠ ସର୍ବଠାରେ ॥
ସୁକର୍ମ ଯଜ୍ଞ ତପ ଦାନ ।ଏଥିରେ ଅବା କି କାରଣ ॥
ଯଜନ ଆଦି ଯେତେ କର୍ମ ।ତାହା ତ ସବୁ ଅକାରଣ ॥
ଯେ ପ୍ରଭୁ ପାଦପଦ୍ମ ସାର ।ସୁମତି ନାହିଁଟି ଯାହାର ॥
ଜନ୍ମ ଆୟୁଷ ସୁଖମାନ ।ଏହା ସଂକଳ୍ପ ବ୍ୟର୍ଥମାନ ॥
କ୍ଷୀଣ ଆୟୁଷ ଭାବ ଧରେ ।ମନ ଯାହାର କୃଷ୍ଣଠାରେ ॥
ସେ ପ୍ରାଣୀ ସର୍ବଶ୍ରେଷ୍ଠ ହୋଇ ।ତାହାର ସମ କେହି ନାହିଁ ॥
ପ୍ରାଣ-ପ୍ରୟାଣ ସମୟରେ ।ଯେବେ ମାନବ କୃଷ୍ଣ-ସ୍ମରେ ॥
କ୍ଷଣକେ କର୍ମକୁ ଛେଦଇ ।ବୈକୁଣ୍ଠ ପଦକୁ ଲଭଇ ॥
ବୈକୁଣ୍ଠ କଥା ସୁଧାରସ ।ସ୍ଥୂଳରେ ହୋଏ ଯେ ପ୍ରକାଶ ॥
କୃଷ୍ଣ ଆଶ୍ରିତ ପ୍ରାଣୀମାନେ ।ଯହିଁରେ ନାହିଁ ସାଧୁଜନେ ॥
ଯଜ୍ଞର ମହୋତ୍ସବ ଆଦି ।ଏ ସ୍ଥଳେ ଯହିଁ ଏ ପ୍ରସିଦ୍ଧି ॥
ଇନ୍ଦ୍ରର ପୁର ଯେବେ ହୋଇ ।ତହିଁରେ ବାସ ନ ଯୋଗାଇ ॥
ମାନବ ଜନ୍ମ ହୋଇ ନର ।କାମେ ଅଜ୍ଞାନ ଧ୍ୱଂସ ତାର ॥
ତଥାପି ପ୍ରଭୁର ଜନମ ।ତେଜର ଛନ ଛନ ମନ ॥
ନାନା ଯୋନିରେ ଜନ୍ମ ନାହିଁ ।କର୍ମ ବନ୍ଧନରେ ପଡଇ ॥
ଶ୍ରଦ୍ଧାରେ ଆଉ ଯେତେ ନରେ ।ଯଜ୍ଞେ ପୂଜନ୍ତି ସେ ଅଗ୍ନିରେ ॥
ନାନା-ଦେବତା ରୂପ ହୋଇ ।ତହିଁ ତା ବିନୁ କେହି ନାହିଁ ॥
ତାହାକୁ ସେବନ୍ତି ଯେ ପ୍ରାଣୀ ।ତାହାକୁ ମନୁଷ୍ୟରେ ଗଣି ॥
ଇଚ୍ଛା ନ କଲେ ଫଳ ଦେଇ ।ଏଣୁ ତୋ ନାମ ଭାବଗ୍ରାହୀ ॥
ପଦପଲ୍ଲବ ଭଜନରେ ।ମନ ଯାହାର ଦୃଢତରେ ॥
ଭକ୍ତଜନ ପ୍ରାଣୀଙ୍କଠାରେ ।କରୁଣା କରନ୍ତି ବେଭାରେ ॥
ଜମ୍ବୁଦ୍ୱୀପରେ ନୃପବର ।ଅଷ୍ଟ ଉପଦ୍ୱୀପ ଓସାର ॥
ଅଷ୍ଟ ଯୌଜନ୍ତି ବସୁନ୍ଧରୀ ।ଶରଣ ପୁତ୍ରଙ୍କରେ କରି ॥
ପ୍ରଭା ହୋଇଲା ଚାରିଦିଗ ।ଏଣୁ ଏ ଅଷ୍ଟଦିଗ ଭାଗେ ॥
ଶୁଣ ହେ ପରୀକ୍ଷ ରାଜନ ।ଅଷ୍ଟ ଉପଦ୍ୱୀପର ନାମ ॥
ରମଣକ ଯେ ଆବର୍ତ୍ତକ ।ସ୍ୱର୍ଣ୍ଣପ୍ରସୂ ମନ୍ଦ ହରିତକ ॥
ପାଞ୍ଚଜନ୍ୟ ଚନ୍ଦ୍ର ଶୁକଳ ।ଲଙ୍କା ଆବର ଯେ ସିଂହଳ ॥
ବରଷ ବିଭାଗର ମତେ ।ଜମ୍ବୁଦ୍ୱୀପରେ ଯଥୋଚିତେ ॥
ତୁମ୍ଭର ପ୍ରଶ୍ନ ଅନୁସାରେ ।ଭୋ ନୃପ କହିଲି ତୁମ୍ଭରେ ॥
କହଇ ବିପ୍ର ଜଗନ୍ନାଥ ।ଭାଗବତର ଯେ ଚରିତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଜମ୍ବୁଦ୍ୱୀପ ବର୍ଣ୍ଣନେନାମ ଉନବିଂଶୋଽଧ୍ୟାୟଃ ।