ଶ୍ରୀମଦ୍ ଭାଗବତ (ପଞ୍ଚମ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୩ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ଅଧ୍ୟାୟ
ଶ୍ରୀଶୁକ ଉବାଚଭରତ ମହା ଭାଗ୍ୟବନ୍ତ ।ଋଷଭେ ହୋଇଣ ସମ୍ଭୁତ ॥
ତାହାଙ୍କ ଆଜ୍ଞା ଶିରେ ଘେନି ।ଆନନ୍ଦେ ପାଳନ୍ତି ଅବନୀ ॥
ବିଶ୍ୱ ରୂପାର କନ୍ୟା ସେହି ।ବେଦ ବିଧିରେ ବିଭା ହୋଇ ॥
ପଞ୍ଚକୁମରେ ତା ଉଦରେ ।ହୋଇଲେ ଅତି ମନୋହର ॥
ଧୂମକେତୁ ସୁଦରଶନ ।ସୁମତି ରାଷ୍ଟ୍ରଭୃତ୍ୟ ନାମ ॥
ଅପରେ ଆବରଣ ନାମ ।ହୋଇଲେ ଅତି ଅନୁପମ ॥
ଏ ଦେଶ ଅଜ ନାମ ଥିଲା ।ଭରତୁ ଭାରତ ହୋଇଲା ॥
ଏମନ୍ତେ ଶୁଣି ପରୀକ୍ଷିତ ।ବିଷ୍ଣୁର ଭକ୍ତ ସେ ଭରତ ॥
ବେଦ ପ୍ରମାଣେ ପ୍ରଜାଜନ ।ଆଦରେ କରଇ ପାଳନ ॥
ଯେ ଯାହା କର୍ମବିନୁ ନର ।ଆନ୍ୟ ନ କରନ୍ତି ଆଚାର ॥
ଯେ ଦଶମାସ ପୂର୍ଣ୍ଣ ଆଦି ।ଚତୁର ମାସ ଯେ ପ୍ରସିଦ୍ଧି ॥
ଯେ ଅଗ୍ନିହୋତ୍ର ପଶୁଯାଗ ।ବିଶେଷ କରି ସୋମଯାଗ ॥
ଏ ଆଦି ଯେତେ ଯଜ୍ଞମାନ ।ବିଧିରେ କରି ସମାଧାନ ॥
ପ୍ରକୃତି ବିକୃତି ଯେ କରି ।କହନ୍ତି ସେ ନୃପକେଶରୀ ॥
ଯଜ୍ଞେ ସକଳ ଦେବ ତୋଷି ।ଯେ ଯାହାମତେ ରାଜଋଷି ॥
ନାନା ଯଜ୍ଞରେ ସେ ରାଜନ ।ସୁଦୃଢେ ପୂଜି ଭଗବାନ ॥
ସେ ଦେବ ସର୍ବମୂଳ ଯେହି ।ଅଶେଷ ପ୍ରଭୁ ଭାବଗ୍ରାହୀ ॥
ଅଖିଳ ଦେବଙ୍କର ପର ।ସକଳ ବ୍ରହ୍ମାଣ୍ଡ ଠାକୁର ॥
ତାହାଙ୍କ ଚରଣାରବିନ୍ଦେ ।ମନ ନିବେଶି ଅପ୍ରମାଦେ ॥
ସକଳ ଯଜ୍ଞ ଅବସାନେ ।ଦେବେ ସନ୍ତୋଷହେଲେ ମନେ ॥
ପରମକଲ୍ୟାଣ ସେ କରି ।ହରଷେ ଗଲେ ଯେଝା ପୁରୀ ॥
ସୁକର୍ମ ପ୍ରସାଦ ରାଜାର ।ନିର୍ମଳ ହୋଇଲା ଶରୀର ॥
ସତ୍ତ୍ୱ ଗୁଣରେ ନୃପମଣି ।ଏମନ୍ତେ ଚିନ୍ତି ଚକ୍ରପାଣି ॥
ଆକାଶ ପ୍ରାୟ ଯେ ଶରୀର ।ଶୁଦ୍ଧ ନିର୍ମଳ ସତ୍ୟସାର ॥
ପରମ ବ୍ରହ୍ମ ବାସୁଦେବ ।ଅନାଦି ପୁରୁଷ ମାଧବ ॥
ନାନାଲକ୍ଷଣେ ବିରାଜିତ ।ଚତୁରଭୁଜଅବିରତ ॥
ଶ୍ରୀବତ୍ସ କଉସ୍ତୁଭ ମଣି ।ଗଦା କମଳ ଚକ୍ରପାଣି ॥
ଶଙ୍ଖ ଶୋଭିତ ଏକ କରେ ।ପନମାଳାଏ ଲମ୍ବେ ଉରେ ॥
ଏ ଆଦି ଯେତେ ନାନା ଚିହ୍ନ ।ଅବନୀ କରିଣ ପାଳନ ॥
ସକଳ କର୍ମ ସାଧ୍ୟ କଲେ ।ପୁତ୍ରଙ୍କୁ ରାଇ ଆଜ୍ଞା ଦେଲେ ॥
ନାନା ସମ୍ପଦେ ଯଥୋଚିତେ ।ବିଭାଗ କରି ଯେଝାମତେ ॥
ଦେଇ ସେ ଋଷଭକୁମର ।ଆପଣେ ହୋଇଲେ ବାହାର ॥
ପୁଲହ ମୁନିଙ୍କ ଆଶ୍ରମ ।ତହିଁକି କଲେ ସେ ଗମନ ॥
ଅଦ୍ୟାପି ଭଜି ଭଗବାନ ।ଯହିଁ ଅଛନ୍ତି କରି ସ୍ଥାନ ॥
ତହିଁ ଗଣ୍ଡୁକୀ ନଦୀ ନାମ ।ସ୍ପରଶେ ପାପ ବିନାଶନ ॥
ପୁଲହାଶ୍ରମ ଉପବନେ ।ବିବିଧ ବିଟପୀ ଗହନେ ॥
ନାନା କୁସୁମ ପରିମଳ ।ନିର୍ମଳ ସୁଶୀତଳ ଜଳ ॥
ମନ୍ଦ ପବନ ଅବିରତେ ।ତହିଁ ଭରତ ଶୁଦ୍ଧ ଚିତ୍ତେ ॥
କୋମଳ ତୁଳସୀର ଦଳ ।ଶୀତଳ ପକ୍ୱ ଫଳମୂଳ ॥
ଅନ୍ୟ ଯେ ବନ ଉପହାର ।ନିବେଶି ଗୋବିନ୍ଦ ପୟର ॥
ଇନ୍ଦ୍ରିୟଗଣଙ୍କୁ ନିବାରି ।ବିଷୟ ରସ ଦୂରକରି ॥
ନିତ୍ୟେ ଗୋବିନ୍ଦ ଆରାଧନ ।କରଇ ହରଷେ ରାଜନ ॥
ମହାପୁରୁଷ ସେବା ବିନେ ।ଅନ୍ୟ ନ ଭାବଇ ସେ ମନେ ॥
ଭଜଇ ପ୍ରଭୁ ନାରାୟଣେ ।ଶ୍ରଦ୍ଧା କରଇ ଅନୁକ୍ଷଣେ ॥
ଲୋମ ପୁଲକ ଅଶ୍ରୁପାତ ।ହରଷ ହୁଏ ଅବିରତ ॥
ଏମନ୍ତ ପ୍ରଭୁ ଯେ ଗୋବିନ୍ଦ ।ତାହାଙ୍କ ଚରଣାରବିନ୍ଦ ॥
ସୂର୍ଯ୍ୟମଣ୍ଡଳେ ସେ ରାଜନ ।ବ୍ରହ୍ମରୂପକୁ କରି ଧ୍ୟାନ ॥
ଏମନ୍ତ ବାକ୍ୟ ଅନୁମାନେ ।କହଇ ଆନନ୍ଦିତ ମନେ ॥
ଯେ ପରାପର ବ୍ରହ୍ମ ରୂପ ।ତାକୁ ଚିନ୍ତଇ ନିତ୍ୟ ନୃପ ॥
ଭକ୍ତଙ୍କ କର୍ମ ଅନୁସରି ।ସୁହୃଦ ଚିତ୍ତ ଦୃଢେ ଧରି ॥
ସେ ପ୍ରଭୁ ଚରଣାରବିନ୍ଦେ ।ମନ ନିବେଶି ଅପ୍ରମାଦେ ॥
କହଇ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭରତ ତପସ୍ୟା ଗମନେନାନା ସପ୍ତମୋଽଧ୍ୟାୟଃ װ
ଅଷ୍ଟମ ଅଧ୍ୟାୟ
ଶ୍ରୀଶୁକ ଉବାଚଶୁଣ ରାଜନ ସାବଧାନେ ।ମହାନଦୀରେ ଏକ ଦିନେ ॥
ସ୍ନାନଦି ନିତ୍ୟକର୍ମ ସାରି ।ଭରତ ଗୋବିନ୍ଦ ସୁମରି ॥
ମୁହୂର୍ତ୍ତେ ଶୀତଜଳେ ରହି ।ଏକାନ୍ତେ ବିଷ୍ଣୁଙ୍କୁ ଭଜଇ ॥
ତକ୍ଷଣେ ଦେଖେ ମହୀପାଳ ।ହରିଣୀ ହୋଇ ତୃଷାକୁଳ ॥
ମିଳିଲା ଜଳାଶୟ ତୀରେ ।ଜଳ ପିଅଇ ସେ ସଧୀରେ ॥
ଏମନ୍ତ ସମୟେ ରାଜନ ।ଶୁଣି ହରିଣୀ ସିଂହ ସ୍ୱନ ॥
ଡେଇଁଣ ମୃଗେନ୍ଦ୍ର ଭୟରେ ।ପଳାଏ ଅତି ଦୁରାନ୍ତରେ ॥
ଲୋକେ ପୁଚ୍ଛିଲେ ଯେଉଁ କ୍ଷଣେ ।ଥିରେ ରହିଲା ସେ ଯେ ବନେ ॥
ସେ ମୃଗବଧୂ ଯେ ଗର୍ଭିଣୀ ।ଜଳ ପିଅନ୍ତେ ଛନ୍ନ ପୁଣି ॥
ଜଳ ପାନରେ ତୃଷା ତାର ।ପୂର୍ଣ୍ଣ ହୋଇଲା ନୃପବର ॥
ଚାରିଦିଗରେ ସେ ନୟନ ।ବୁଲାଇ ଅତି ଘନ ଘନ ॥
ଜଳୁ ଉଠିଣ ଧାତିକାରେ ।ଡେଇଁଲା ମରଣ କାତରେ ॥
ସ୍ୱଭାବେ ଗର୍ଭ ହୋଇଥିଲା ।ସେ ଗର୍ଭ ଜଳରେ ପଡିଲା ॥
ଗର୍ଭ ନିପାତେ ଖେଦମତି ।ପ୍ରାଣ ତେଜିଲା ମୃଗସ୍ୱତୀ ॥
ନଦୀରେ ଦେଖି ମୃଗବାଳ ।ସେ ଯେ ଭରତ ମହୀପାଳ ॥
ମାତାର ମୃତ୍ୟୁ ତାର ଦେଖି ।ଦୟାରେ ଅଶୂ ପୂର୍ଣ୍ଣ ଆଖି ॥
ମୃଗନନ୍ଦନ ଘେନି ତୀରେ ।ଆଶ୍ରମେ ମିଳିଲେ ତତ୍ପରେ ॥
ସେ ମୃଗ ନନ୍ଦନରେ ତହିଁ ।ଅତ୍ୟନ୍ତ ସ୍ନେହଭର ହୋଇ ॥
ନିତ୍ୟ କୋମଳ ତୃଣାଙ୍କୁର ।ଲୋଡି ଆଣଇ ନୃପବର ॥
ଯାହା ସେ କରେ ଅଭିଳାଷେ ।ତାହା ଦିଅଇ ମନତୋଷେ ॥
ତା ସେବା ନିରତେ କରଇ ।ମାୟାରେ ମତିଭ୍ରମ ହୋଇ ॥
ନିୟମ ଶ୍ରଦ୍ଧା ଆଦି ଯେତେ ।ବିସ୍ମୃତ ହେଲା ରାଜା ଚିତ୍ତେ ॥
କେତେହେଁ ଦିନର ଅନ୍ତର ।ପ୍ରଭୁର ସେବା କଲା ଦୂର ॥
ଦେଖ ଏହାର ମୁଢମନ ।ମୃଗ ବାଳକେ ହତଜ୍ଞାନ ॥
ସକଳ କର୍ମ ଦୂର କଲା ।ମୃଗରେ ଚିତ୍ତ ନିବେଶିଲା ॥
ଜଗତ ପିତାମାତା ହରି ।ତାଙ୍କ ଚରଣେ ଚିତ୍ତ ଧରି ॥
ଦାରା ତନୟ ଆଦି ଯେତେ ।ସକଳ ଦୂରକରି ଚିତ୍ତେ ॥
ଏ ଭାବେ ଥାଇ ନୃପବର ।ସକଳ କର୍ମ କଲା ଦୂର ॥
ଅସାଧୁ ସଙ୍ଗ ଅକାରଣ ।ଏବେ ତ ଶୁଣ ହୋ ରାଜନ ॥
ଅଶନ ଶୟନ ଗମନେ ।ସ୍ନାନ ଭୋଜନ ଜନପାନେ ॥
ମୃଗ ବାଳକେ ମନ ତାର ।ନିମିଷ ମାତ୍ର ନୁହେଁ ଦୂର ॥
କାଷ୍ଠ ପଲ୍ଲବ ଆଣିବାରେ ।ଯେବେ ସେ ଯାଏ ବନ ଦୂରେ ॥
ମୃଗ ବାଳକ ଘେନି ସଙ୍ଗେ ।ପଥେ ଚଳଇ ନାନାରଙ୍ଗେ ॥
ବାଳକ ଚାଲି ନ ପାରଇ ।କନ୍ଧେ ତାହାକୁ ପୁଣି ବହି ॥
ହୃଦରେ ଆରୋପି ହରଷେ ।ବାହୁରେ ଭିଡେ ସ୍ନେହବସେ ॥
ସ୍ନାନ ଭୋଜନ ବେଳ ତାର ।ନିମିଷମାତ୍ର ନୁହେଁ ଦୂର ॥
ଏଥି ଉତ୍ତାରେ କିଛି ଦିନେ ।ମୃଗବାଳକ ଗଲା ବନେ ॥
ସେ ଅବସରେ ନୃପବର ।ନ ଦେଖି ମୃଗର କୁମର ॥
ଚଞ୍ଚଳ ଚିତ୍ତ ସ୍ଥିର କରେ ।ଆଶ୍ୱାସି ଦିଅଇ ତାହାରେ ॥
ହେ ବତ୍ସ ତୋହର କଲ୍ୟାଣ ।ସର୍ବତ୍ର କରୁ ନାରାୟଣ ॥
ଯେବେ ନିମିଷେ ନ ଦେଖଇ ।ଶୋକ ସାଗରେ ସେ ବୁଡଇ ॥
କୃପଣ ଦ୍ରବ୍ୟକୁ ଯେସନ ।ଚଉର୍ଯ୍ୟ କରି ନେଇ ଆନ ॥
ଏମନ୍ତ ପ୍ରାୟେ ମହୀପାଳ ।କ୍ଷଣେ ନ ଦେଖି ମୃଗବାଳ ॥
ଭ୍ରମେ କହଇ ବାକ୍ୟମାନ ।ମଲା କି ମୃଗର ନନ୍ଦନ ॥
କି କର୍ମ କଲି ମୁଁ କିରାତ ।ଗଲା କେଣେ ମୋ ମୃଗସୁତ ॥
ମୃଗ ବାଳକ ସୁକଲ୍ୟାଣେ ।ଚରୁଥିବ କି ଉପବନେ ॥
ପ୍ରଭୁ କି ରଖିଥିବେ ତାରେ ।ଦେଖିବି ନୟନ ଗୋଚରେ ॥
ରବିର ଅସ୍ତକାଳ ହୋଇ ।କେବେହେଁ ବାଳମୃଗ ନାହିଁ ॥
ଶୋକେ ଆକୁଳ ମୋର ଦେହୀ ।ସେମୋତେ ଦେଖା ଯେବେଦେଇ ॥
ସେ ଯେ ମୃଗରାଜ କୁମର ।ମନୋଜ୍ଞ ଗମନ ତାହାର ॥
ତେଣେ ଆଶ୍ରମୀ ଲୋକଙ୍କର ।ଦୁଃଖ ଖଣ୍ଡଇ ନିରନ୍ତର ॥
ମିଥ୍ୟାରେ ଚକ୍ଷୁ ବୁଜି ମୁହିଁ ।କ୍ଷଣମାତ୍ରକେ ଯେବେ ରହି ॥
କିଙ୍କର ପ୍ରାୟେକ ସେ ହୋଇ ।ମୋର ଅଗ୍ରତେ ଲୋଟଇ ॥
ଋଷି କୁମରଙ୍କର ସଙ୍ଗେ ।ଖେଳୁ ଯେ ଥାଇ ନାନରଙ୍ଗେ ॥
କୋମଳ ତୃଣ ଘାସମାନ ।ବାଳକେ ଦିଅନ୍ତି ବହନ ॥
ସେ ସର୍ବସୁଖ କେଣେ ଗଲା ।ମୃଗବାଳକ କେଣେ ମଲା ॥
ଅତ୍ୟନ୍ତ ଦୁଃଖ ମୋତେ ଦେଇ ।ତା ବିନୁ ମୋର କେହି ନାହିଁ ॥
ଏ ଯେ ଆଶ୍ରୟ ମୁନିଗଣ ।କରନ୍ତି ନାନା ଶୁଭ କର୍ମ ॥
ହରଷେ ସେ ଯେ ମୁନିଗଣ ।କରନ୍ତି ତାହାରେ କଲ୍ୟାଣ ॥
ସିଂହ ଭୟରେ ମାତା ତାର ।ପ୍ରସବି ଛାଡ଼ିଲା ଶରୀର ॥
ତେଣୁ ମୁଁ ଲଭିଲି ତାହାରେ ।ଏବେ ସେ ଗଲା ବନ ଘୋରେ ॥
ମୃଗଶାବକ ଖୋଜିବାରେ ।ନୃପତି ହୋଇଲା ବାହାରେ ॥
ପଥରେ ପଦଚିହ୍ନ ଦେଖି ।କହଇ ନିରେଖି ନିରେଖି ॥
ଧନ୍ୟ ପୃଥିବୀ ତୋର ପୁଣ୍ୟ ।ଏ ଚିହ୍ନ କଲୁ ତୁ ଧାରଣ ॥
ବିପ୍ରଙ୍କ ଯଜ୍ଞସ୍ଥାନ ପ୍ରାୟେ ।ତୋ ଦେହ ଶୋଭାକୁ ଯେପାଏ ॥
ତଦନ୍ତେ ଊର୍ଦ୍ଧ୍ୱ ଦୃଷ୍ଟି କଲା ।ଯହୁଁ ସେ ଚନ୍ଦ୍ରଙ୍କୁ ଦେଖିଲା ॥
ତହିଁ ଦେଖିଣ ମୃଗଚିହ୍ନ ।ଭାବିଲା ନିଜେ ମନେ ମନ ॥
ମୃଗଶାବକ ଦେଖି ଏକ ।ଦୟା କଲେ ତାରା ନାୟକ ॥
ସିଂହ ଭୟରୁ ରକ୍ଷା କରି ।ରଖିଲେ ନିଜେ ଦୟାକରି ॥
ଏମନ୍ତେ ଶୁଣ ମହୀପାଳ ।କ୍ଷଣେ ନ ଦେଖି ମୃଗବାଳ ॥
ବ୍ୟର୍ଥ କର୍ମରେ ସେ କାତର ।ସୁକର୍ମ ତେଜି ନୃପବର ॥
ପୂର୍ବ ଉତ୍ପନ୍ନ କର୍ମ ତାର ।ଶୁଭ କର୍ମକୁ କଲା ଦୂର ॥
ଅଖିଳ ବ୍ରହ୍ମାଣ୍ଡ କାରଣ ।ଅନାଦି ନାଥ ନାରାୟଣ ॥
ତାର ଚରଣ ଦୂରକରି ।ମୃଗବାଳକେ ମନ ଧରି ॥
ମୋକ୍ଷ ବନ୍ଧନୁ ପ୍ରତିବନ୍ଧ ।ସେ ମୃଗବାଳ ପଶୁବନ୍ଧ ॥
ତାଠାରେ ସ୍ନେହ ରାଜା କଲା ।ଯୋଗ ନାଶନ ନ ଜାଣିଲା ॥
ମୃଗର ଲାଳନ ପାଳନ ।କରି ବଞ୍ଚଇ ସେହୁ ଦିନ ॥
ଏମନ୍ତେ କେତେଦିନ ଗଲା ।ଆୟୁଷ ଶେଷ ତା ହୋଇଲା ॥
ଏମନ୍ତେ ଶୁଣ ହୋ ରାଜନ ।କାଳର ହେଇଲା ଅଧୀନ ॥
ସଙ୍ଗେ ନ ଦେଖି ମୃଗବାଳ ।ଶୋକରେ ହୋଇଲା ବ୍ୟାକୁଳ ॥
ପୁତ୍ରର ପ୍ରାୟେ ସ୍ନେହଭରେ ।ମନ ଅର୍ପିଲା ତାହାଠାରେ ॥
ପ୍ରଭୁର ସେବା ନଷ୍ଟ ହୋଇ ।ମନେ ବହୁତ ତାପ ପାଇ ॥
ଅତ୍ୟନ୍ତ ଶୋକକରି ମନେ ।ପ୍ରାଣ ଛାଡିଲା ତତକ୍ଷଣେ ॥
ମୃଗରେ ଯହିଁ ମନ ଥିଲା ।ତେଣୁ ସେ ମୃଗ ଜନ୍ମ ହେଲା ॥
ପୂର୍ବ ଜନ୍ମର କଥା ତାର ।ସ୍ମରଣ ହେଲା ନୃପବର ॥
ପୂର୍ବ ଜନ୍ମର ଯେ କାରଣ ।ମନେ ଜାଣିଲା ସେ ରାଜନ ॥
ଅତ୍ୟନ୍ତ ଶୋକ କରି ମନେ ।କହଇ ଲୋତକ ନୟନେ ॥
ଭ୍ରଷ୍ଟ ହୋଇଲି ମୁଁ ପାମର ।ପ୍ରଭୁର ସେବା କଲି ଦୂର ॥
ସମସ୍ତ ସଙ୍ଗ ମୁଁ ଛାଡ଼ିଲି ।ବିବିଧ-ଯଜ୍ଞ ଉପେକ୍ଷିଲି ॥
ନାମ ଶ୍ରବଣ ଉଚ୍ଚାରଣ ।ନିରତେ କରି ପରାଧୀନ ॥
ସକଳ ଆତ୍ମା ଭଗବାନ ।ମନ ଛାଡ଼ିଲି ଅନୁଦିନ ॥
ସୁକର୍ମ ସକଳ ତେଜିଲି ।ମୃଗ ଶିଶୁରେ ମତି ଦେଲି ॥
ଏମନ୍ତ ମନରେ ବିଚାରି ।ଚଞ୍ଚଳ ମନ ସ୍ଥିର କରି ॥
ତାହାର ମାତା ଯେ ହରିଣୀ ।ତାହାକୁ ତେଜି ନୃପମଣି ॥
ପ୍ରଭୁର ଅତି ପ୍ରିୟସ୍ଥାନ ।ଯେ ତୀର୍ଥ ଶାଳଗ୍ରାମ ନାମ ॥
ପରମ ସାଧୁ ମୁନିଗଣେ ।ଅଛନ୍ତି ଯହିଁ ଅନୁକ୍ଷଣେ ॥
ତହିଁକି ଶୀଘ୍ରେ ଚଳିଯାଇ ।ରହିଲା ମୃତ୍ୟୁ ବାଟ ଚାହିଁ ॥
କୁସଙ୍ଗ ଦୋଷକୁ ସେ ଡରି ।ମନେ ଚିନ୍ତଇ ନରହରି ॥
ନୀରସ ଦଳ ସେ ଭକ୍ଷଇ ।ମୃଗ ଶରୀର ଯିବାପାଇଁ ॥
ମନରେ କରଇ ବିଚାର ।କେମନ୍ତେ ଯିବ ଏ ଶରୀର ॥
ଏମନ୍ତେ ଶୁଣ ନରନାଥ ।ମନେ ଚିନ୍ତିଲା ପୂର୍ବକୃତ୍ୟସେ ତୀର୍ଥ ଜଳରେ ତାହାର ।ତେଜିଲା ମୃଗ କଳେବର ॥
ଏମନ୍ତେ କରଇ ବିଚାର ।ଯେ ଆଦି ପୂର୍ବ କର୍ମ ତାର ॥
ଯେ ପ୍ରଭୁ ବ୍ରହ୍ମାଣ୍ଡ କାରଣ ।ବ୍ରହ୍ମା ଚିନ୍ତଇ ଯା ଚରଣ ॥
ସେ ଚକ୍ରଧର ନାରୟଣ ।ପାଦ ପଙ୍କଜ ସୁମରିଣ ॥
କହଇ ଦାସ ଜଗନ୍ନାଥ ।ସାଧୁଙ୍କ ହିତେ ଭାଗବତ ॥
ପଞ୍ଚମସ୍କନ୍ଧେ ହରିବାଣୀ ।ଶୁଣି ସଂସାରୁ ତର ପ୍ରାଣୀ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭରତ ଚରିତେନାମ ଅଷ୍ଟମୋଽଧ୍ୟାୟଃװ
ନବମ ଅଧ୍ୟାୟ
ଶ୍ରୀଶୁକ ଉବାଚଶୁଣ ହେ ରାଜା ପରୀକ୍ଷିତ ।ଏ ଅନ୍ତେ ଯେମନ୍ତ ଚରିତ ॥
ଏକହିଁ ବ୍ରାହ୍ମଣ ଯେ ଥିଲେ ।ନବକୁମର ତାଙ୍କ ହେଲେ ॥
ଅଙ୍ଗିରା ଗୋତ୍ରରୁ ସମ୍ଭୁତ ।ହେବାରୁ ହୋଇଲା ବିଖ୍ୟାତ ॥
ସେ ବିପ୍ର ଶମ ଦମ ଦାନେ ।ସମ୍ପୂର୍ଣ୍ଣ ଥିଲେ ଆତ୍ମଜ୍ଞାନେ ॥
ପିତାର ଗୁଣ ଅନୁସାରେ ।ହେଲେ ଯେ ସେ ନବକୁମରେ ॥
ତାର ଦ୍ୱିତୀୟା ନାରୀଠାରୁ ।ପୁତ୍ରେକ ହୋଇଲା ସୁଚାରୁ ॥
ଏହି ପୁତ୍ରଟି ଭାଗବତ ।ଲୋକରେ ହୋଇଲା ବିଖ୍ୟାତ ॥
ଏ ପୁତ୍ର ରାଜର୍ଷି ଭରତ ।ଜନ୍ମିଲେ ଛାଡ଼ିଣ ମୃଗତ୍ୱ ॥
ଅପରେ ତାର ସହୋଦର ।ଉତ୍ତମ ସାଧୁଶୀଳବର ॥
ସେ ସାଧୁ ସଙ୍ଗରୁ ରାଜନ ।ତାର ହୋଇଲା ଦିବ୍ୟଜ୍ଞାନ ॥
ଯେଣୁ କର୍ମବନ୍ଧ ଖଣ୍ଡନ ।ଶ୍ରୀକୃଷ୍ଣ ନାମରେ ଶରଣ ॥
ତାହା ଶୁଣାଇ ଅବିରତ ।ପଦାରବିନ୍ଦେ ଦେଇ ଚିତ୍ତ ॥
ପ୍ରଭୁର କୃପାରେ ରାଜନ ।ପୂର୍ବଜନ୍ମର କଥାମାନ ॥
ସ୍ମରଣ ହୋଇଲା ତାହାରେ ।ଅସାଧୁ ସଙ୍ଗକୁ ସେ ଡ଼ରେ ॥
ଜଡ଼ ଉନ୍ନତ ଚିତ୍ତ ଧୀର ।ହୋଇ ସେ ବ୍ରାହ୍ମଣ-କୁମର ॥
ଅଶେଷ ଜ୍ଞାନେ ଶ୍ରେଷ୍ଠା ସେହି ।କପଟ ଲୋକଙ୍କୁ ଦେଖାଇ ॥
ତେବେହେଁ ପୁତ୍ରଠାରେ ତାର ।ସ୍ନେହୀ ହୋଇଲା ନୃପବର ॥
ସୁସାଧୁ ଦେଖି ବିପ୍ରବର ।ସଂସ୍କାର କଲା ସେ କୁମର ॥
ବେଦ ବିହିତ କ୍ରିୟାମତେ ।ଦଶ କର୍ମକୁ ଯଥୋଚିତେ ॥
କହିବା ଶୁଣ ନୃପବର ।ସେ ଯେ ବ୍ରାହ୍ମଣର କୁମର ॥
ଶଉଚ ଆଚମନ ବିଧି ।ବ୍ରାହ୍ମଣ କର୍ମ ଯେବା ଆଦି ॥
ଜାଣଇ ଆତ୍ମା ଅନୁମାନେ ।ସକଳ ଶାସ୍ତ୍ରର ପ୍ରମାଣେ ॥
ପୁତ୍ରର ଶୁଦ୍ଧମନ ଜାଣି ।ସେ ଯେ ବ୍ରାହ୍ମଣ ଶିରୋମଣି ॥
ଅତ୍ୟନ୍ତ ସ୍ନେହଭାବ ବହି ।ମନ ଅର୍ପିଲା ତାର ତହିଁ ॥
ଓଁକାର ଆଦି ବେଦ ସାର ।ବ୍ୟାହୃତି-ପ୍ରଣବ-ଅକ୍ଷର ॥
ସାବିତ୍ରୀ-ମୂଳ ମନ୍ତ୍ର-ସାର ।ସକଳ ଦେଲେ ନୃପବର ॥
ଯଜନ ଆଦି ଷଟକର୍ମ ।ଏ ଯେ ବ୍ରାହ୍ମଣ ନିଜ ଧର୍ମ ॥
ଗୁରୁ ଶିଷ୍ୟ ସମେତେ ଯେତେ ।ସବୁ କହିଲେ ଯଥୋଚିତେ ॥
ପୁତ୍ର ସ୍ନେହରେ ବିପ୍ରବର ।ଶିକ୍ଷା କରାନ୍ତି ନିରନ୍ତର ॥
ଏମନ୍ତେ ଶୁଣି ନରନାଥ ।ପୂର୍ଣ୍ଣ ହୋଇଲା ମନୋରଥ ॥
ଅତି ସନ୍ତୋଷ ସେ ବ୍ରାହ୍ମଣ ।କାଳର ହୋଇଲା ଅଧୀନ ॥
ଏଥୁ ଅନ୍ତରେ ଦ୍ୱିଜ ସତୀ ।ସେ ଯେ ଅଭାବ ଜଡ଼ମତି ॥
ତାହାର ଶ୍ରେଷ୍ଠ ସହୋବରେ ।ସମର୍ପି ଦେଲ ସେ କୁମରେ ॥
ଆପଣେ ପତିର ସଙ୍ଗତେ ।ଚଳଇ ଆନନ୍ଦିତ ଚିତ୍ତେ ॥
ଏମନ୍ତେ ପିତାର ଅନ୍ତରେ ।ସେ ଯେ ବ୍ରାହ୍ମଣର କୁମରେ ॥
ଜଡ ଯେ ତାହାଙ୍କ ସୋଦର ।ତାହାଙ୍କୁ କଲେ ହତାଦର ॥
ତାହାର ପ୍ରଭାବ ନ ଜାଣି ।ଜଡ଼ର ପ୍ରାୟ ତାକୁ ମଣି ॥
ଜଡ଼ ବଧିର ଯେ ଉନ୍ନତ ।ଏମନ୍ତ ରୂପେ ଯେ ଭରତ ॥
ମୃଗସେନର ପଶୁ ଯେତେ ।ତାହାଙ୍କୁ ରଖାଇ ନିରତେ ॥
ପର ଅଧୀନ ପ୍ରାୟ ହୋଇ ।ଲୋକର କାର୍ଯ୍ୟକୁ କରଇ ॥
ଲୋକ ଶ୍ରଦ୍ଧାରେ ଯାହା ଦେଇ ।ପରମ ସନ୍ତୋଷେ ଭୁଞ୍ଜଇ ॥
କେବେହେଁ ଇନ୍ଦ୍ରିୟ ପ୍ରୀତିରେ ।ପରଶ ନ କରି କାହାରେ ॥
ନିବୃତ୍ତ ହୋଇ ସର୍ବଠାରେ ।ପରମ ଆନନ୍ଦ ଶରୀରେ ॥
ସର୍ବ ଦୁଃଖରେ ସମ ତାର ।ହୃଦେ ନ କରେ ଅହଂକାର ॥
କଷ୍ଟେ ବରଷା ଶୀତ ତପ୍ତ ।ସକଳ ସହେ ସେ ଭରତ ॥
ଦିଶଇ ମହାମଣି ସମ ।ଶରୀର ଅତି ସ୍ଥୂଳ ପୀନ ॥
ଅତ୍ୟନ୍ତ ବ୍ରହ୍ମ ତେଜ ହୋଇ ।ଜଡ଼ର ପ୍ରାୟ ସେ ଭ୍ରମଇ ॥
ଆହାର ଆଦି ସର୍ବଠାରେ ।ସେ ଥାଇ ନିଷ୍ଠା ବ୍ୟବହାରେ ॥
ତଥାପି ଶୁଣ ହେ ରାଜନ ।ତାହାର ନିଜ ଭ୍ରାତୃଗଣ ॥
କୃଷି ରକ୍ଷଣ କର୍ମଠାରେ ।ନିଯୁକ୍ତ କରନ୍ତି ତାହାରେ ॥
ଭ୍ରାତୃ ବଚନ ଅନୁମତେ ।କୃଷି ରଖଇ ଅବିରତେ ॥
ମୃଗ ବରାହଙ୍କୁ ନିବାରି ।ଥାଇ ଯେ ନିରତେ ଆବୋରି ॥
ଶୁଣ ହୋ ଅଭିମନ୍ୟୁ ବଳା ।ଏମନ୍ତେ କେତେଦିନ ଗଲା ॥
ବୃଷଳୀପତି ସେ ରାଜନ ।ପୁତ୍ର କାମରେ ହୋଇ ଛନ୍ନ ॥
ଚଣ୍ଡୀର ସନ୍ତୋଷ କାରଣେ ।ସେ ନରପଶୁ ସମ୍ପାଦନେ ॥
ସେ ନର ପଶୁ କେଣେ ଗଲା ।ତୋ ଅନୁଚର ଯେ ଜାଣିଲା ॥
ତାହାର ପଥ ଅନୁସାରେ ।ଧାଇଁଲେ ତାର ଅନୁଚରେ ॥
ନିଶି ଅନ୍ଧାର ମହାତମ ।ଖୋଜନ୍ତି ନାନା ଦେଶଗ୍ରାମ ॥
ପଶୁ ନ ପାଇ ଅନୁଚରେ ।ନିରାଶ ହୋଇଲେ ଅନ୍ତରେ ॥
ଗୃହକୁ କରନ୍ତେ ଗମନ ।ଦେଖିଲେ ବିପ୍ରଙ୍କ ନନ୍ଦନ ॥
ଏ ଅନନ୍ତରେ ନୃପମଣି ।ଜଡ଼ର ପ୍ରଭାବ ନ ଜାଣି ॥
ବନ୍ଧନ କରି ତତ୍କ୍ଷଣେ ।ସ୍ୱାମୀର କର୍ମ ସମ୍ପାଦନେ ॥
ଚଣ୍ଡିକା ଗୃହେ ପ୍ରବେଶିଲେ ।ସ୍ୱାମୀଙ୍କି ସମର୍ପିଣ ଦେଲେ ॥
ସୁଗନ୍ଧ ଶୀତଳ ଜଳରେ ।ସ୍ନାନ କରାଇଣ ବିଧିରେ ॥
ଶୁଭ ନିର୍ଭଳ ବସ୍ତ୍ର ଦେଲେ ।ନାନା ଭୂଷଣେ ସେ ମଣ୍ଡିଲେ ॥
ବିବିଧ ସ୍ୱାଦ ଦ୍ରବ୍ୟମାନ ।ତାହାଙ୍କୁ କରାଇ ଭୋଜନ ॥
ସୁଗନ୍ଧ ଧୂପ ଦୀପ ଦେଇ ।ମାଳାଏ କଣ୍ଠରେ ଲମ୍ବାଇ ॥
ମୃଦଙ୍ଗ ଶଙ୍ଖ ଘୋର ସ୍ୱନ ।କରାଇ ତହିଁ ସ୍ତବଗାନ ॥
ଏମନ୍ତେ ନାନାବିଧିମତେ ।ସ୍ଥାପିଲେ ଦେବୀର ଅଗ୍ରତେ ॥
ବୃଷଳୀପତି ଏ ଅନ୍ତରେ ।ତୀକ୍ଷ୍ଣ ଖଡଗ ଘେନି କରେ ॥
ତାହାର ରୁଧିର ସେ ଦେଇ ।ଦେବୀ ସନ୍ତୋଷ ହେବାପାଇଁ ॥
ଏମନ୍ତେ ଶୁର ହେ ରାଜନ ।ବୃଷଳେ ହୋଇ ମତିଭ୍ରମ ॥
ଧନ ସମ୍ପଦେ ମୋହ ଭରି ।ଧର୍ମ ଅଧର୍ମ ନ ବିଚାରି ॥
ଈଶ୍ୱର ଅଂଶକୁ ନ ଧରେ ।ହିଂସା କରଇ ଯେ ତାହାରେ ॥
ଦାରୁଣ କର୍ମ ଏହାଙ୍କର ।ପ୍ରତ୍ୟକ୍ଷ ବିପ୍ରର କୁମର ॥
ବିଷ୍ଣୁର କଳାବନ୍ତ ସେହି ।ତାହାକୁ କଦର୍ଯ୍ୟନ୍ତି ନେଇ ॥
ସେ ସର୍ବ ଭୂତେ ସମଚିତ୍ତ ।ବିଷ୍ଣୁ ଜପଇ ଅବିରତ ॥
ତାହାକୁ ପଶୁରେ ବିଚାରି ।ନିକଟେ ହୋଇ ଖଡ୍ଗଧାରୀ ॥
ଏଥୁ ଅନ୍ତରେ ପରୀକ୍ଷିତ ।ବ୍ରାହ୍ମଣ ତେଜେ ଅପ୍ରମିତ ॥
ସୁନାଭି କରାଳ ନୃସିଂହ ।ତେଣୁ କଦର୍ଯ୍ୟ ଦେବୀ ଦେହ ॥
ତକ୍ଷଣେ ଉଚ୍ଚାଟ ସେ ହୋଇ ।ଉଠିଲା ଅତି ତେଜ ବହି ॥
ସେ ଦେବୀ ଚଣ୍ଡୀ ଭଦ୍ରକାଳୀ ।ଅତ୍ୟନ୍ତ ତେଜରେ ପ୍ରଜ୍ୱଳି ॥
ନେତ୍ର ଭ୍ରୁକୁଟି ଯୋଗେ ତାର ।ବଦନ ଦିଶେ ଭୟଙ୍କର ॥
ଦନ୍ତ ଦିଶଇ ଯେ କରାଳ ।ଅରୁଣ ନୟନ ଯୁଗଳ ॥
ଅଟ୍ଟହାସ୍ୟରେ ଘୋର ସ୍ୱନ ।ପୂର୍ଣ୍ଣ ନୋହିଛି ଦେବୀ ମନ ॥
ଧାଇଁଲେ ଅତି ଶୀଘ୍ରତରେ ।ପାପିଷ୍ଠମାନଙ୍କ ଉପରେ ॥
ତାହାଙ୍କ ହସ୍ତୁ ଖଡ୍ଗ ଘେନି ।ଶୁଣ ପରୀକ୍ଷ ନୃପମଣି ॥
ଶାଣିତ ଅତି ତୀକ୍ଷ୍ଣ ଧାର ।ଛେଦିଲେ ତାହାଙ୍କର ଶିର ॥
ପରମ ସନ୍ତୋଷ ସେ ହୋଇ ।ଆପଣା ଗଣ ସଙ୍ଗେ ନେଇ ॥
ରୁଧିର ସୁରା କରି ପାନ ।ଭୋଳେ ହୋଇଲେ ମନ ଛନ୍ନ ॥
ଦେବୀର ଯେତେ ପାରିଷଦ ।ଆନନ୍ଦେ କରି ଗୀତ ନାଦ ॥
ମସ୍ତକମାନ ଘଣ୍ଟ କରି ।ହରଷେ ବଜାନ୍ତି ବିହରି ॥
ଶୁଣ ରାଜନ ସାବଧାନେ ।ଯେତେ ବୃଷଳ ପାପୀମାନେ ॥
ସାଧୁଙ୍କୁ କଲେ ପରମାଦ ।ଆପଣେ ନାଶିଲେ ସମ୍ପଦ ॥
ବିଷ୍ଣୁ ଭକତ ଯେତେ ନରେ ।ଦୟା ବହନ୍ତି ସର୍ବଠାରେ ॥
ବୈରାଗ୍ୟ ହିଂସା ଦୂରେ ତେଜି ।ସେ ପାଦପଦ୍ମ ଯୁଗେ ଭଜି ॥
ପରମହଂସ-ଭାଗବତ ।ତାହାକୁ ରଖନ୍ତି ଅନନ୍ତ ॥
କହଇ ଦାସ ଜଗନ୍ନାଥ ।ପଞ୍ଚମସ୍କନ୍ଧେ ଭାଗବତ ॥
ପ୍ରଭୁର ପାଦ ପଦ୍ମ ତଳେ ।ମୋ ମନ ରହିବ ନିଶ୍ଚଳେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଜଡ଼ଭରତ ଚରିତେନାମ ନବମୋଽଧ୍ୟାୟଃ ।