ରସ କଲ୍ଲୋଳ
ପ୍ରାୟ ୧୬୫୦–୧୭୧୦
- ପଢ଼ିବା ସମୟ
- ୧୯୪ ମିନିଟ୍
- ଶବ୍ଦ
- ୩୧୦୬୬
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ଛାନ୍ଦ - ବନ୍ଦନା
ରାଗ - ସଙ୍ଗମତି ଆହାରୀକର ସାଧୁଜନମାନେ ମନକୁ ଏକ ।କର ଧୀରେ ଧ୍ୟାନ ନୀଳାଚଳ ନାୟକ ।୧।କମନୀୟ ଶ୍ରୀମୁଖ ଚନ୍ଦ୍ରରୁ ଅଧିକ ।କଲେ ଦର୍ଶନ ନରହେ କଳୁଷଶୋକ ।୨।କମଳ ନୟନ କୋଟି ସୁଖଦାୟକ ।କଳାଡୋଳା ଚୁମ୍ୱିଲା ଭ୍ରମର ପ୍ରାୟକ ।୩।କପାଳେ ସୁବର୍ଣ୍ଣରାହୁ ରେଖା ଝଳକ ।କେଉଁ ଲୋକ ଅଙ୍ଗ ନ କରଇ ପୁଲକ ।୪।କହି ନୁହଇ ସୁରଙ୍ଗ ଅଧର ଟେକ ।କବି ଜଡ଼ ହୋଏ ଯାହା କରି ବିଲୋକ ।୫।କର୍ଣ୍ଣେ ମକର କୁଣ୍ଡଳ ଭାଲେ ତିଳକ ।କରେ କଚଟି ବାହୁଟି ହୃଦେ ପଦକ ।୬।କମ୍ଭୁକଣ୍ଠେ କଉସ୍ତୁଭମଣି ନାୟକ ।କଳୁଷ ଅନ୍ଧକାରକୁ ଦିନ- ନାୟକ ।୭।କଳିତ ଲଳିତ ଫୁଲମାଳ ଅନେକ ।କରଇ ଅବଶ୍ୟ ବଶ ତ୍ରୈଲୋକ ଲୋକ ।୮।କଳ୍ପବୃକ୍ଷେ ନାନା ରତ୍ନ ଫଳ ପ୍ରାୟକ ।କଳାପି- କଳାପେ ଶୋଭା ଶ୍ରୀଅଙ୍ଗଯାକ ।୯।କରେ ଶଙ୍ଖ ଚକ୍ର କଷ୍ଟ ଦୁଷ୍ଟମାରକ ।କର୍ପୂର ଚନ୍ଦନୁ ଆହାଲଦ କାରକ ।୧୦।କନକ କିଙ୍କିଣୀ ପୀତାମ୍ବର ଧାରକ ।କରୁଣା କଟାକ୍ଷେ ସୁର ନର ତାରକ ।୧୧।କମ୍ୱୁ କଟକ ମଧ୍ୟରେ ନାଗର ଏକ ।କଉତୁକ କଥାମାନଙ୍କରେ ରସିକ ।୧୨।କମଳ-ନେତ୍ର କମଳା – ପ୍ରାଣନାୟକ ।କଳା ପର୍ବତରେ ଲୀଳା କର ଅନେକ ।୧୩।କଲେ ଇଚ୍ଛା ମନ୍ଦେ ହେବା କଂସଅନ୍ତକ ।କରିବା ଉଶ୍ୱାସ ମହୀଭରା ଅନେକ ।୧୪।କପଟେ ହୋଇବା ନନ୍ଦ ବ୍ରଜବାଳକ ।କଉତୁକେ ବୋଲାଇବା ପଶୁପାଳକ ।୧୫।କରି ଏ ବିଚାର କଇବଲ୍ୟ ଦାୟକ ।କଂସ ଆଦି ମାରିବାକୁ ହେଲେ ଉତ୍ସୁକ ।୧୬।କଚ୍ଛପ ଆଦି ମତ୍ସ୍ୟ ଅବତାରଯାକ ।କରିବାକୁ ଜାତ ଜଗନ୍ନାଥ ଜନକ ।୧୭।କହି ନୋହେ ତାହାଙ୍କ ମହିମା ଯେତେକ ।କରିନ୍ତି କୃତାର୍ଥ ଜୀବ ହରି ପାତକ ।୧୮।କମଳସମ୍ଭବ ଭବ ସୁରନାୟକ ।କଉଣପ ଆଦି ଲୋକ ଯାହାର ଲୋକ ।୧୯।କରୁଣା ସାଗର ସାଗରଜା-ନାୟକ ।କର ଅଭୟ ଅଭୟକର ଦାୟକ ।୨୦।କଷ୍ଟ ମହୀଧର – କଣ୍ଟକ ।କଳମଷ ବାରଣ ବାରଣ ଅନ୍ତକ ।୨୧।କର ଆଜ୍ଞା ସୁର –ସୁର ପ୍ରଭୁ ଏତେକ ।କହୁ ଦୀନକୃଷ୍ଣ କୃଷ୍ଣକଥା ଅନେକ ।୨୨।
ଦ୍ୱିତୀୟ ଛାନ୍ଦ - ଶ୍ରୀକୃଷ୍ଣ ଜନ୍ମ
ରାଗ - ଚୋଖିକର ଆହେ ସାଧୁଜନମାନେ ମନେ ଏକ ଧ୍ୟାନ,କର୍ଣ୍ଣ ଦେଇ କମଳନୟନ କଥାକୁ ।କଳିକଳୁଷ ସଂଘାତ ଉପରେ କରିସଂଘାତ ସଂଶୟ ନଥାଉ କାଳଦଣ୍ଡ ବ୍ୟଥାକୁ ।କଳାକରେ ଅନ୍ଧାର ପ୍ରାୟ ।କୃଷ୍ଣକଥା ଶ୍ରବଣରେ ଦୂରିତ କ୍ଷୟ ।୧।କଉଣପକୁଳେ ଭାରୀ ହୋଇ ଧରଣୀସୁନ୍ଦରୀ ବିନୟୀ ହୋଇ ବ୍ରହ୍ମାଣ୍ଡ ଆଗେ କହିଲା ।କଂସ ପ୍ରତାପରେ ଦେହ ହୋଇଲାଅତିଦୁଃସହ କି କରିବି ଏବେ କହ ବୋଲି କହିଲା କୁଶକେତୁ ଶୁଣି ଏ କଥା ।କହିଲେ ଜଗନ୍ନାଥଙ୍କୁ ଅବନୀ ବ୍ୟଥା ।୨।କମଳମୁଖୀ କମଳା କଣ୍ଠ ମରକତମାଳା,ଆଜ୍ଞାଦେଲେ କରୁଣା କଟାକ୍ଷେ ଅନାଇଁ ।କିଛି ନ ବିଚାର ତୁମ୍ଭେ, ଯଦୁକୁଳେ ଯାଇ ଆମ୍ଭେ,ଜାତ ହେବୁ କଂସ ପ୍ରାଣ ଘେନିବା ପାଇଁ ।କର ତୁମ୍ଭେ ଏବେ ଗଗନ ।କରିବାକୁ ଗୋପକେଳି ଆମ୍ଭର ମନ ।୩।କୃପାସିନ୍ଧୁ ଆଜ୍ଞାପାଇ, ପରମ ଆନନ୍ଦ ହୋଇ, ପଦ୍ମଯୋନି ପରବେଶ ହୋଇଲେ ପୁରେ ।କିଛିଦିନ ଅନ୍ତେ ହରି, କୋଟିକାମ ରୂପ ଧରି,ରହିଲେ ଯାଇ ଦେବକୀ ଦେବୀ ଗର୍ଭରେ ।କେତେଦିନ ହୋଇଲେ ଜାତ ।କେ ଅବା କହିବ ତାହାଙ୍କର ଚରିତ ।୪।କରେ ଶଙ୍ଖ ଚକ୍ର ଧରି, କଂସଠାରେ କ୍ରୋଧକରି, ବାଳକାଳୁ ବୀରବେଶ କଲେ ପ୍ରକାଶ ।କଣ୍ଠେ କଉସ୍ତୁଭମଣି, କୋଟି ଶଶଧର ଜିଣି,କରିଣ ପ୍ରକାଶ ପାପ ଅନ୍ଧାର ନାଶ ।କଟିତଟେ, ପୀତବାସନ ।କଳାମେଘ କୋଳରେ ବିଜୁଳି ଯେସନ ।୫।କର୍ଣ୍ଣେ ମକର କୁଣ୍ଡଳ, ଝଟକେ ଗଣ୍ଡମଣ୍ଡଳ,ମସ୍ତକରେ ମଣିୟମ ମୁକୁଟ ଶୋହେ ।କଳିତ ଲଳିତ ହୃଦ ଦେଶରେ ।ଶ୍ରୀବତ୍ସପଦେ ଭାବଗ୍ରାହୀ ନାଥ ଭକ୍ତ ଭାବରେ ।ବହେ କୋଟିକାମ ନିନ୍ଦେ ଶ୍ରୀଅଙ୍ଗ ।କରେ କଙ୍କଣ ଚରଣେ ନୂପୁର ସଙ୍ଗ ।୬।କରି ଏରୂପ ଦର୍ଶନ, କଲେ ସ୍ତୁତି ନିବେଦନ,ଜନକ ଜନନୀ ଅତି ଆଶ୍ଚର୍ଯ୍ୟ ହୋଇ ।କହୁଁ କହୁଁ ମାୟା କରି, ସେରୂପ ସଂହାରି କହି, ବାଳମୁକୁନ୍ଦ ସ୍ୱରୁପ ହେଲେ ଗୋସାଇଁ ।କଂସର ଯେତେକ ପ୍ରହରୀ ।କାଳନିଦ୍ରାରେ ଚେତନା ନାହିଁ କାହାରି ।୭।କଲା କାଳେ କନ୍ୟାଦାନ, ବସୁଦେବ ଉଗ୍ରସେନ,କଉତୁକେ କଂସରଥ ବାହୁ ଯେ ଥିଲା ।କୋମଳ ଗଭୀର ବାଣୀ, ଆକାଶମଣ୍ଡଳୁ ଶୁଣି,ଭଗ୍ନୀ ଭିଣୋଇଙ୍କୁ ନେଇ ଶାଙ୍କୋଳି ଦେଲା ।କାଳେ ସେ ଚରଣୁ ଫିଟିଲା । କରିବାକୁ ବିଜେ ଶୁଭଲଗ୍ନ ଖଟିଲା ।୮।କରେ ଧରି ପୁତ୍ର ଧୀରେ, ଗମନ କରନ୍ତେ ଖରେ,ଉଗ୍ରସେନ ଆସି ଓଗାଳିଲା ଆଗରେ ।କରେ ଶଙ୍ଖଚକ୍ର ଧରି, ଦରଶନ ଦେଇ ହରି,ପ୍ରବେଶ ହୋଇଲେ ଗୋପେ ନନ୍ଦ ମନ୍ଦରେ ।କି କି ହୋଇ ଦଇବଯୋଗେ ।କୁମାରୀ ହୋଇଲା ନନ୍ଦଙ୍କର ସେ ଲାଗେ ।୯।କରି ତାହା ପ୍ରତିଦାନ ସତ୍ୱରେ କରି ଗମନପ୍ରବେଶ ହୋଇଲେ ବସୁଦେବ ମନ୍ଦିରେ ।କୁଆଁ କୁଆଁ ବାଣୀ ଶୁଣି ଉଠିଲେ ରକ୍ଷକଶ୍ରେଣୀ,କହିଲେ କଂସକୁ ଯାଇ ନିଶି ଶେଷରେ ।କଠୋର ହୃଦୟ ଦଇତ ।କରିବାକୁ ନାଶ ତା ଅଇଲା ତ୍ୱରିତ ।୧୦।କ୍ରୋଧଭରେ ବୋଲେ ବାଣୀ,ଦିଅ ସେ ବାଳକ ଆଣି,କାଳ ମୋର ଜନମିଛି ତୁମ୍ଭ କୋଳରେ ।କହିଛନ୍ତି ଦେବଗଣ, ଅବଶ୍ୟ ତୁମ୍ଭର ପ୍ରାଣ,ନେବ ଏହାର ଅଷ୍ଟମ ଗର୍ଭ ବଳରେ ।କରଇ ମୁଁ ତାହାକୁ ନାଶ ।କଲେ ହେଳା ଶତ୍ରୁନାଶ ନ ପାଇ ଯଶ ।୧୧।କରଯୋଡ଼ି ବସୁଦେବ ବୋଲଇ ଶୁଣ ହେ ଦେବ,କୁମର ନୁହଇ ସେ ହୋଇଛି କୁମାରୀ ।କରୁଣା ହୃଦୟ ହୁଅ, ମୋତେ ସେ ଦୁହିତା ଦିଅ ବିଚାରିଲେ ତୁମ୍ଭର ଏ ନୋହେ ବଇରୀ ।କଲେହେଁ ଅନେକ ଯତନ । କଳା ଧଳା କରିବାକୁ କେବଳ ଭାଜନ ।୧୨।କର୍ପୂର ଚନ୍ଦନ ଦେଇ ଲଶୁନ ରୋପିଲେ ନେଇକେତେବେଳେ ନ ଛାଡ଼େ କୁତ୍ସିତ ବାସନା ।କୁଟିଳ, ଦୁଷ୍ଟ, ନାସ୍ତିକ , ମହାପାପୀ,ଅବିବେକ ଲୋକଙ୍କ ସ୍ୱାଭାବ ସେହି ପ୍ରକାର ସିନା ।କୋକିଳ ବଚନ ମଧୁର । କରଇ ବିଯୋଗୀଜନ ମନ ବିଧୁର ।୧୩।କଲା ମନରେ ବିଚାର ବିଷ୍ଣୁ ମାୟା ଆଗୋଚର,କାମିନୀ ରୂପେ ମାରିଛି ବଇଲୋଚନ ।କରିଛି ଶିବଙ୍କୁ ଯାହା, କର୍ଣ୍ଣେ ଶୁଣି ଅଛି ତାହା,କେମନ୍ତେ ମୁଁ ଏହାକୁ କରିବି ମୋଚନ ।କତ୍ୟାୟିନୀ ଯୁବତୀ ହୋଇ ।କଉଣପ କୁଳକୁ ସେ କି କରି ନାହିଁ । ୧୪।କରେ ଧରି କୁମାରୀକି କଚାଡ଼ନ୍ତେ ଶିଳେ ଟେକି,ଆକାଶମଣ୍ଡଳେ ଦେବୀ ଯାଇ ରହିଲେ ।କାରଣ ନଥାଇ ମୋତେ, କୋପ ଯେ କଲୁ ତୁ ଚିତ୍ତେ,କାଳେ କାଳକୁ ଦେଖିବୁ ଏତେ ବୋଇଲେ ।କହିଦେଲେ ଅନ୍ତହରିତ ।କୁରାଳଚକ୍ର ପ୍ରାୟେକ ଭ୍ରମିଲା ଚିତ୍ତ ।୧୫।କଲା ଶୁଣି ସୁବିଚାର, କେଶୀ, ଅଘା,ବକାସୁର,ଶକଟା, ତୃଣାବତ୍ତକ, ପୂତନା ଡ଼ାକି ।କରିବ ତୁମ୍ଭେ ଏତେକ, କଅଁଳା ପୁଅ ଯେତେକ,ମାରିବାକୁ ଯେ ଯାହାରେ ରହିବ ଟାକି ।କଂସ ଆଜ୍ଞା ପାଇଣ ଦୂତେ ।କଲେ ବାଳକ ନାଶନ ଉପାୟ ଚିତ୍ତେ ।୧୬।କମଳ ନୟନ ହରି, ଗୋପପୁରେ ବିଜେ କରି,କଲେ ନାନା ଉତ୍ସବ ଆନନ୍ଦ ଭିଆଣ ।କେତେଠାରେ କେତେ ଗୀତ, କେତେରୂପେ ହୋଏ ନଅତ୍ୟ,କହିବାକୁ ବଚନେ କେ ଅବା ସିଆଣ ।କଲେ ସୁତଗୃହ ବିଧାନ ।କେ କହିବ ନନ୍ଦ ଦେଲେ ଯେତେକ ଦାନ ।୧୭।କନକଦୀପ ଆବଳୀ, ବେନିପାରୁଶରେ ଜାଳି,ଗୁରୁ ଚନ୍ଦ୍ରାତପମାନ ନେଇ ମଣ୍ଡିଲେ ।କର୍ପୂର ଚନ୍ଦନ ଛରା, ପକାଇ ସେ ପୁର ତୋରା,କରାଇ ଅଳକାପୁର ପରା ମଣ୍ଡିଲେ ।କନ୍ୟାସ୍ତମ୍ଭେ ଖଯାଇ ଦୋଳୀ ।କୁମରକୁ ଶୁଆଇ ଦେଲେ ହୁଳହୁଳି ।୧୮।କାମପାଳ ଆଗହୋଇ, ଜନମି ଯେ ଥିଲେ ତହିଁ,କ୍ରମେ ବେନି ଭାଇଯାଇ ହୋଇଲେ ସଙ୍ଗ ।କାଳନ୍ଦୀ ସୁର ସରିତ, ହୋଇଲା ପ୍ରାୟ ଏକତ୍ୱ,କମନୀୟ ଦିଶେ କଳା ଧଳା ଶ୍ରୀଅଙ୍ଗ ।କରିବାକୁ କଳୁଷ ନାଶ ।କଲା ବିହି ମଣେ ବେନି ତୀର୍ଥ ପ୍ରକାଶ ।୧୯।କରଇ ପବିତ୍ର ସ୍ଥାନ, ତୀର୍ଥଜଳେ କଲେ ସ୍ନାନ,ଏ ତୀର୍ଥ ନାମରେ ନାନା ଦୂରିତ ନାଶ ।କଇବଲ୍ୟ ଲଭି ହେଳେ, ନ ପଡ଼ି ଜଠରଜଳେ,ବଇକୁଣ୍ଠେ ବସି କଇକୁଣ୍ଠ ସଦୃଶ ।କରି ଏହି କଥା କୀତ୍ତନ ।କରୁଥାଇ ଦୀନକୃଷ୍ଣ ଦିନ କତ୍ତନ ।୨୦।
ତୃତୀୟ ଛାନ୍ଦ - କୃଷ୍ଣ ରୂପ ମାଧୁରୀ
ରାଗ କେଦାର - ଚକ୍ରକେଳିକର୍ଣ୍ଣେ ନନ୍ଦସୁତ ହେବା ଶୁଣିଲେ ।କଳାକାରମୁଖୀ ଗୋପୀ ଧାଇଁଲେ ।୧।କୋଟିନିଧି ପାଇଲା ପ୍ରାୟ ହୋଇ ।କେଉଁ ଗୋପୀ ଆନନ୍ଦରେ ଗମଇ ।୨।କରୁଥିଲା ଯେ ଗୃହକର୍ମମାନ ।କଲା ଶ୍ରବଣ ମାତ୍ରକରେ ଆନ ।୩।କଲା ଭୂଷଣ କେହୁ ବିପରୀତ ।କରାଇଲା ବିଭ୍ରମ ସ୍ନେହ ଚିତ୍ତ ।୪।କରୁଥିଲା କେ କୁନ୍ତଳ ମାଜନ ।କରାଇଲା ଉଚ୍ଚାଟ ତା ବର୍ଜନ ।୫।କେଶରଞ୍ଜନୀ କରେ ଧରି କରି ।କରୀବର ଗତି ଦେଲା ବିସ୍ତାରି ।୬।କାନ୍ତକୋଳ ବିଷ ହେଲା କାହାକୁ ।କରିବାରୁ ଆଶ୍ରୟ ଉତ୍ସାହକୁ ।୭।କରୁଥିଲେ କେ କାନ୍ତ ସଙ୍ଗେ ଲୀଳା ।କଳା ମାତ୍ରକେ ତାହା କଲା ହେଳା ।୮।କେତେରୂପେ ଧାଇଁଲେ ଗୋପବାଳୀ ।କେ କହିବ ଅବା ତା ମନେ ଭାଳି ।୯।କାଦମ୍ୱିନୀ କୋଳେ ଯେହ୍ନେ ବିଜୁଳି ।କରେ ଝଟକ ସବୁ ଦିଗେ ମିଳି ।୧୦।କଳଧଉତ ଲତା ବାତେ ଯେହ୍ନେ ।କାମିନୀଙ୍କ ଗଗନ ଅଙ୍ଗ ତେହ୍ନେ ।୧୧।କାହା କବରୀରୁ ଫୁଲ ଖସଇ ।କବି ମନେ ଏମନ୍ତ ଆଭାସଇ ।୧୨।କଳାକାର କି ରାହୁ କବଳରୁ ।କ୍ରମେ ଗଳି ପଡ଼ୁଅଛି ଗଳାରୁ ।୧୩।କଳାମେଘୁଁ ଚନ୍ଦ୍ର ହୋୟେ ବାହାର ।କରେ ଚରମରେ କିବା ବିହାର ।୧୪।କାହା ନିତମ୍ବ ବିମ୍ବ ଅତି ଗରୁ ।କଟି ସରୁ କେଶରୀ ମଧ୍ୟଠାରୁ ।୧୫।କଳହଂସ ପ୍ରାୟେ କରେ ଗମନ ।କରେ ହଂସକ ହରଷରେ ସ୍ୱନ ।୧୬।କବି ମନକୁ ଏମନ୍ତ ଆସଇ ।କି ସେ ନେଉଛି ପହଣ୍ଡ ମଣାଇ ।୧୭।କେହୁ କରନ୍ତେ ସତ୍ୱରେ ଗଗନ ।କୁଚିକୁମ୍ଭ ହୁଅଇ କମ୍ପମାନ ।୧୮।କୃଷ୍ଣ ଜନମ ଜାଣି ଆନନ୍ଦରେ ।କୃତ୍ତବାସ ନାଚେ ଶମ୍ଭୁ ରୂପରେ ।୧୯।କାବ୍ୟ କଟିରେ ଡାକି କାଞ୍ଚମାଳା ।କହୁଅଛି ଧୀରେ ଆରେ ଅବଳା ।୨୧।କାମମଦ ମତ୍ତେ ତୁ ହୋଇ ଭୋଳା ।କରୁ ମଧ୍ୟମଠାରେ ଏଡ଼େ ହେଳା ।୨୨।କି ତୁ ଜାଣି ନାହୁଁ ଏ ଯେଡ଼େ ସରୁ ।କୁଚ ଯୁଗଳ ତୋର ଯେଡ଼େ ଗୁରୁ ।୨୩।କରୁଅଛୁ ଯାହା ଦ୍ରୁତଗମନ ।କାଳେ ଏହାକୁ ହୋଉଛୁ ଶମନ ।୨୪।କି ତୋ ସାହସ ଜାୟାଜୀବ ପ୍ରାୟେ ।କିବା ଏହାଠାରେ ଏଡ଼େ ନିର୍ଦ୍ଦୟେ ।୨୫।କି କି ହୋଇ ଏ ଯେବେ ଯିବ ଭାଙ୍ଗି ।କାଳେ ତୁହି ମରିବୁ ଏହା ଲାଗି ।୨୬।କାଞ୍ଚମାଳା ମଧ୍ୟରେ ଡାକିବାର ।କଲା କବି ମନକୁ ଅଧ୍ୟାହାର ।୨୭।କେତେ ରୂପେ ଧାଇଁଲେ କେତେ ନାରୀ ।କହିବାକୁ ତା ବଚନ ନ ପାରି ।୨୮।କାନ୍ତା କଦମ୍ବ ହୋଇ ଏକମେଳ ।କଲେ ଦର୍ଶନ ଯାଇଁ ନନ୍ଦବାଳ ।୨୯।କଳାମେଘ ପାଶରେ ଚନ୍ଦ୍ର ପ୍ରାୟେ ।କୁମାରଙ୍କ ଶ୍ରୀଅଙ୍ଗେ ଶୋପାଭାଏ ।୩୦।କଉଁ ଗୋପୀ ଅନାଇ ସୁଚକିତ ।କେହୁ ହୋଇଲା ଚିତ୍ରନାରୀ ମତ ।୩୧।କାହା ଅଙ୍ଗ ହୋଇଲା ପୁଲକିତ ।କଲା ଆନନ୍ଦେ ଅଶ୍ରୁଜଳ ଜାତ ।୩୨।କେ ବୋଲଇ ଯଶୋଦା ଭାଗ୍ୟବନ୍ତ ।କୋଳେ ଧଇଲା ପ୍ରତ୍ୟକ୍ଷେ ଅନନ୍ତ ।୩୩।କେ ବୋଲଇ ନନ୍ଦ କି ତପ କଲା ।କେତେ ପ୍ରକାରେ କେତେ ଦାନ ଦେଲା ।୩୪।କେ ବୋଲଇ କଳ୍ପତରୁ ଅଙ୍କୁର ।କେ ବୋଲଇ କନ୍ଦର୍ପ ଅବତାର ।୩୫।କରିଥିଲେ ଯେ କପର୍ଦୀ ଅନଙ୍ଗ ।କ୍ରମେ ଧଇଲା ଏତେକାଳେ ଅଙ୍ଗ ।୩୬।କେ ବୋଲଇ ଚାହଁ ସଖି ନିଶ୍ଚଳେ ।କେତେ ଲକ୍ଷଣ ଅଛି ପାଦତଳେ ।୩୭।କମ୍ବୁ ଚକ୍ର ମୀନ ପଦ୍ମ କୁଳିଶ ।କଲଶାଦି କାର୍ମୁକ ଅଷ୍ଟାଦଶ ।୩୮।କେହୁ ବୋଲଇ କିଶୋର ହୋଇଲେ ।କେଉଁ ସ୍ତିରୀ ନ ମୋହିବ ଚାହିଁଲେ ।୩୯।କୁଳ ଯୁବତୀଙ୍କ କୁଳ ବୁଡ଼ିବ ।କ୍ରମେ ପବିତ୍ରତା ବ୍ରତ ଛାଡ଼ିବ ।୪୦।କେ ବୋଲଇ କବି ବାଟ ପଡ଼ିଲା ।କ୍ରମେ ବିଧାତା ତାହାଙ୍କୁ ଛାଡ଼ିଲା ।୪୧।କରୁଥିଲେ ଯହିଁକି ଯାହା ଲକ୍ଷ୍ୟ ।କାଳେ ସବୁ ସେ ଆସି ହେଲା ମିଛ ।୪୨।କରୁଥିବାର ଜଳରେ ତପସ୍ୟା ।କେତେ ଥିବ ପଦ୍ମର ପ୍ରତିଆଶା ।୪୩।କଳାନିଧି ମହେଶଙ୍କୁ ସେବିଛି ।କିଛି ହୋଇବ ଅବା ସେହୁ ଲକ୍ଷି ।୪୪।କଣ୍ଠୀରବ ଭଜିଅଛି ଶିବାଙ୍କୁ ।କର୍ମେ ଥିଲେ ପାଇବ ଉପମାକୁ ।୪୫ ।କଳା କମଳ କଜ୍ଜ୍ୱଳ ତମାଳ ।କଳାମେଘେ ମଘବା ମଣିମାଳ ।୪୬।କଳିନ୍ଦକନ୍ୟା କମଳ ଅତସୀ ।କୁହୁନିଶୀ ନିବିଡ଼ ତମରାଶି ।୪୭।କଳା ମଧ୍ୟେ ଏ ହୋଇଥିଲେ ଗୁରୁ ।କୁମାର ରୂପ ଦେଖି ନବାରୁ ।୪୮।କୁନ୍ଦ କୁମୁଦ କର୍ପୂର ଗୋକ୍ଷୀର ।କମ୍ଭୁ ଶମ୍ଭୁ ପର୍ବତ ଗଙ୍ଗାନୀର ।୪୯।କଳ ଧଉତ ସ୍ଫଟିକ ତୁଷାର ।କାଶ ସାଗର ଫେନ ଶଶଧର ।୫୦।କିଏ ଏ ପୁତ୍ରରୂପ ବିଲୋକନ ।କହୁଁ କହୁଁ ଏ ଦିଶିଲେ ନିଊନ ।୫୧।କହି ଏହାଙ୍କୁ ଏମନ୍ତ କାନ୍ତିକି ।କଲେ ଲକ୍ଷ୍ୟ ବୋଲିବା ଅବିବେକୀ ।୫୨।କାଚ କାଞ୍ଚନେ ତୁଳିବା ପରାଏ ।କବି ବାଣୀ ନିକିତିରେ ସେ ହୋଏ ।୫୩।କାଇଁଞ୍ଚକୁ ସେ ସୁନା ସଙ୍ଗେ ତୁଳି ।କ୍ରମେ ମୂଲ ବେଳକୁ ପଡ଼େ ବଳି ।୫୪।କବି ବଚନେ କରେ ତାରତମ ।କୁବେରକୁ ବୋଲନ୍ତି କୋଟିକାମ ।୫୫।କଉଁଠାରେ କନ୍ଦର୍ପ ହୋଏ ନିନ୍ଦା ।କେତେ କହିବି ତାଙ୍କ ମିଛଫନ୍ଦା ।୫୬।କହୁଁ କହୁଁ କୁମାର ଯେ ରୋଦନ୍ତି ।କଳକଣ୍ଠ-କଣ୍ଠ ହେଳେ ନିନ୍ଦନ୍ତି ।୫୭।କରଚରଣ ଚାଲିବାର ଭାବ ।କାମିନୀଙ୍କି ସେ କୋଟି କୋଟି ହାବ ।୫୮।କହି ଶେଷ କେ କରିବ ସେ ସୁଖ ।କବି ହୋଇଲେ ଦଶଶତ ମୁଖ ।୫୯।କହି ଯାହାର ମହିମା ଅନନ୍ତ ।କରି ନାହାନ୍ତି ଆଜି ଯାଏ ଅନ୍ତ ।୬୦।କୁମାରଙ୍କ ଶୋଭାକୁ ମନେ ଘେନି ।କଷ୍ଟେ ଗମିଲେ ବରଜ – କାମିନୀ ।୬୧।କମନୀୟ କୃଷ୍ଣ କଥା ପ୍ରସଙ୍ଗ ।କାଳ ସର୍ପକୁ ସେ କଥା ପ୍ରସଙ୍ଗ ।୬୨।କାଳ କାନ୍ତାରକୁ ଯେ ସୁନାଶର ।କରେ ଯାହାକୁ ଚିନ୍ତା ସୁନାସୀର ।୬୩।କଲେ ଜାତ ଯେ ସର୍ବତୋମୁଖକୁ ।କଲେ ଭ୍ରମ ଯେ ସର୍ବତୋମୁଖକୁ ।୬୪।କଷ୍ଟ ସରିତକୁ ଯେ ପାଥ ରଥ ।କାଳେ ଯେ ବାହୁଥିଲେ ପାର୍ଥ ରଥ ।୬୫।କୁମ୍ଭୀର ଯେ ମାରିବାକୁ ବାରଣ ।କଷ୍ଟ କଲେ ଯେ କୃପାରେ ବାରଣ ।୬୬।କଲେ କୀତ୍ତନ ଯା ନାମ ସଙ୍ଘାତ ।କାଳେ ପାପୀ ନ ଦେଖନ୍ତି ସଂଘାତ ।୬୭।କରୁଣାରେ ଯେ ବରୁଣ ଶରଣ ।କରେ ଅଶରଣ ଜନ ଶରଣ ।୬୮।କାମୀ ଲୋକର ଯେ ପାରିଜାତକ ।କଲେ ହରଣ ଯେ ପାରିଜାତକ ।୬୯।କରି ଫଣିମଣିବର ଶୟନ ।କରିଅଛନ୍ତି ସୁଖେ ଯେ ଶୟନ ।୭୦।କରେ ଶୋଭିତ ଯାହାର ଶଙ୍ଖାରି ।କୃଷ୍ଣ କଷ୍ଟ ହରିବେ ସେ ଶଙ୍ଖାରି ।୭୧।
ଚତୁର୍ଥ ଛାନ୍ଦ - ପୂତନା ବଧ
ରାଗ - ଆହାରୀକର୍ଣ୍ଣ ଦେଇ ଶୁଣ ଆହେ ସାଧୁଜନେ ।କୁମାରଙ୍କ ଜନମିଲା କେତେଦିନେ ।୧।କୁଚକୁମ୍ଭେ ଦେଇ କାଳକୂଟ ବିଷ ।କ୍ରୂରକର୍ମିଣୀ ପୂତନା ପରବେଶ ।୨।କଳା କୁଟିଳ କୁନ୍ତଳ ଖୋସା ଖୋସି ।କମନୀୟ ଫୁଲମାନେ ଅଛି ମିଶି ।୩।କପାଳରେ ସିନ୍ଦୂର ମଣ୍ଡଳ ଚିତା ।କଟାକ୍ଷରେ ମୋହୁଅଛି ଉର୍ଦ୍ଧ୍ୱରେତା ।୪।କର୍ଣ୍ଣେ ତାଟଙ୍କ ଭ୍ରମରୀଫୁଲ ଶୋହେ ।କଣ୍ଠେ କଣ୍ଠ- ଆଭରଣମାନ ବହେ ।୫।କରି ତାମ୍ବୁଳ ବୋଳରେ ଓଷ୍ଠ ରଙ୍ଗ ।କରୁଅଛି ପୁରୁଷଙ୍କ ଧୈର୍ଯ୍ୟ ଭଙ୍ଗ ।୬।କରି ନାସା – ଆଭରଣ ନାସାପୁଟେ ।କଜ୍ଜ୍ୱଳ ପରିପୂରିତ ନେତ୍ର ତଟେ ।୭।କଣ୍ଠସରିଯାଏ ଯାଇଅଛି ଲାଞ୍ଜୀ ।କାମୀ ଦେଖିଲେ କାମରେ ହୋଏ ଗଞ୍ଜୀ ।୮।କରେ ତାଡ଼ ଚଡ଼ୀ କଡ଼ିଆଳୀ ରାଜେ ।କ୍ୱଣକିତ ପାହୁଡ଼ ଚରଣେ ବାଜେ ।୯।କରତଟେ ଡେଉଁରିଆମାଳି ବାନ୍ଧି ।କଳାମେଘୀ ଶାଢୀ ଏକ ଅଛି ପିନ୍ଧି ।୧୦।କରୀବର ଗତିପ୍ରାୟ ଗତି ଭଙ୍ଗୀ ।କି ସେ ମନମଥ ମହାନଦୀ ଡଙ୍ଗୀ ।୧୧।କେତେବେଳେ କଣିଆଇଁ ଚାହେଁ ଢଳି ।କାଖେ ଅଛି ଭିନ୍ନେ ବିଷଲଡୁ ଥାଳି ।୧୨।କେହୁ କାହାକୁ ପଚାରଇ ଡ଼ାକିକରି ।କାହାର ଏ ଅପୂରୁବ ଯୁବା ନାରୀ ।୧୩।କେ ବୋଲଇ ହୋଇବ ଏ ଅପସରା ।କଉଁ ଯୁବତୀ ନୋହିଲେ ଏଡ଼େ ତୋରା ।୧୪।କେ ବୋଲଇ ଧନ୍ୟ ଏକା ରୂପରାଶି ।କଉଁ ବିହି ଏହା ଗଢୁଥିଲା ବସି ।୧୫।କି ଏ ସ୍ତବନ ମୋହନ ବଶମନ୍ତ୍ର ।କଇତବରେ ହୋଇଛି ମୂତ୍ତବନ୍ତ ।୧୬।କହୁଁ କହୁଁ ନନ୍ଦପୁରେ ପରବେଶ ।କୁମାରକୁ ଦେଖି ହୋଏ ହସ ହସ ।୧୭।କାଖୁଁ ବିଷଲଡ଼ୁ ଥାଳି ଥୋଇ ତଳେ ।କଥା ହୋଏ ନନ୍ଦ ଯୁବତୀଙ୍କ ମେଳେ ।୧୮।କର୍ଣ୍ଣେ ଶୁରିଲା ଦିନୁ ପୁଅଙ୍କ ଜନ୍ମ ।କରୁଥାଇ ଆସିବାକୁ ନିତି ମନ ।୧୯।କଲା ଏତେଦିନେ ଯୋଗ ଆସିବାକୁ ।କୁମାରକୁ ଦେଖି ଫୁଲୁଅଛି ବୁକୁ ।୨୦।କରାଇବି ଏହାଙ୍କୁ ମୁଁ କ୍ଷୀରପାନ ।କଲେ ସନ୍ତୋଷରେ ତୁମ୍ଭେ ଅବଧାନ ।୨୧।କଉତୁକ କଥା ଶୁଣି ନନ୍ଦରାଣୀ ।କୋଳେ ଦେଲା ନବଘନରୂପ ଆଣି ।୨୨।କରିଥାଇଁ ପୂର୍ବରେ ଯେ ଯେଉଁ କର୍ମ ।କାଳେ ତାକୁ ତା ଭୋଗ କରଇ ଧର୍ମ ।୨୩।କରାଇ ଯେ ଥିଲେ ଶିବେ ବିଷପାନ ।କେତେବେଳେ ସେ କଥା ନୋହିଲା ଆନ ।୨୪।କଉଁ କଥା ଅବା ତାଙ୍କୁ ଅପ୍ରତ୍ୟକ୍ଷ ।କଲେ ଜାଣୁ ଜାଣୁ ବିଷସ୍ତନ ଭକ୍ଷ ।୨୫।କଳା ବଦନେ ଦିଅନ୍ତେ ପୟ ନେଇ ।କକଳ ମାତ୍ରକେ ପ୍ରାଣ ଦେଲେ ପିଇ ।୨୬।କହୁଁ କହୁଁ ନିଜରୂପ ପ୍ରକାଶିଲା ।କାୟା ବିସ୍ତାର କରି ଅସୁରୀ ମଲା ।୨୭।କୃତାର୍ଥ ହୋଇ ବିଷ୍ଣୁ ଲୋକକୁ ଗଲା ।କାଳଦଣ୍ଡ ଘାତରେ ସେ ନ ପଡ଼ିଲା ।୨୮।କୃପାନିଧି ଯାହାଠାରେ କୃପା କରେ ।କୁମ୍ଭକାର ପୀଟପ୍ରାୟେ ମାରି ତାରେ ।୨୯।କଣ୍ଠାଗ୍ରତ ପ୍ରାଣ ହେଲେ ବଡ଼ ଲୋକ ।କେତେବେଳେ ନ ଛାଡ଼ଇ ନିଜ ଟେକ ।୩୦।କାଟିବାକୁ ବୃକ୍ଷ ଯଉଁ ଲୋକଯାଏ ।କି କି କରି ସେ ତାହାର ଛାଇ ପାଏ ।୩୧।କଲା ଅତି ଅପକାର ଦଇତୁଣୀ ।କଲେ ଉପକାର ତାକୁ ଯଦୁମଣି ।୩୨।କୁଚ ଉପରେ ସୁନ୍ଦର ଶିରୀରଙ୍ଗ ।କଳାମେଘ ଖଣ୍ଡି ଯେହ୍ନେ ମେରୁ ଶୃଙ୍ଗ ।୩୩।କରେ ଧରି ଯଶୋବନ୍ତୀ ଘେନିଗଲେ ।କୋଟି କୋଟି ଦାନ ପୁଣ୍ୟମାନ କଲେ ।୩୪।କରମ୍ୱିତ ହୋଇକରି ଗୋପେମିଳି ।କଉତୁକେ ଅସୁରୀକି ଦେଲେ ଜାଳି ।୩୫।କିଛିଦିନେ ଶକଟକା ନାଶକରେ ।କଣ୍ଠଚିପି ତୃଣାବତ୍ତ ପ୍ରାଣ ନେଲେ ।୩୬।କେତେ ପ୍ରକାରେ ଅଇଲେ ଦ୍ୱଜବର ।କେତେରୂପେ ନୃତ୍ୟ କଲେ ନୃତ୍ୟକାର ।୩୭।କେତେଦିନ ଅନ୍ତେ ଗର୍ଗଋଷି ଆସି ।କୃଷ୍ଣ ରାମ ନାମ ଦେଇହେଲେ ତୋଷି ।୩୮।କବି କୃତାର୍ଥ ହୋଇଲା ଏତେବେଳେ ।କୃଷ୍ଣ ଶବଦ ରହିଲା କର୍ଣ୍ଣବିଳେ ।୩୯।କେତେ କୟେବାର କଲେ ବନ୍ଦୀଗଣ ।କେତେ ଦେଲେ ନନ୍ଦ ଦାନ ଆଭରଣ ।୪୦।କହିବାକୁ ସେ ଅତି ହିଁ ଅଗୋଚର ।କେତେ ଉତ୍ସବ ହୋଇଲା ଗୋପପୁର ।୪୧।କୃଷ୍ଣ ନାମକରଣରେ ହୋଇ ତୋଷ ।କାହୁଁ କାତ୍ୟାୟନୀ ହୋଏ ପରବେଶ ।୪୨।କେଶ ଗଙ୍ଗା ଯମୁନା ଚାମର ପ୍ରାଏ ।କୁଚ ଲମ୍ବି ପଡ଼ିଅଛି ନାଭିଯାଏ ।୪୩।କଙ୍କତିକା ପ୍ରାୟେ ଦିଶେ ଦନ୍ତପନ୍ତି ।କୁହୁତିଥି ନିଶି ସମ ରୂପକାନ୍ତି ।୪୪।କରେ ଧରିଛି ସପତ ଫୁଲଲଙ୍କା ।କାହାକୁହିଁ ନାହିଁ ମନେ କରି ଶଙ୍କା ।୪୫।କରେ ଥରେ ଥରେ ଅଙ୍ଗଭଙ୍ଗିଛଟା ।କୋଣିଆଇ ଚାହିଁ ବାରେ ଆଖିଲଟା ।୪୬।କେତେବେଳେ ବୋଲେ କୁଚ ତୋଳିଧରି ।କଳେ ଖାଅରେ କୁମରେ ଆସି କରି । ୪୭।କେ ବୋଲଇ ପୂତନା ବହିଣୀକି ।କରୁଅଛି ତ ଶରଧା କହୁଣିକି ।୪୮।କିଛି ବିଚାର ତହିଁ କି ନାହିଁ ତା’ର ।କୃଷ୍ଣ ଉତ୍ସବେ ହୋଇଛି ତତପର ।୪୯।କଲା ଅନେକ ପ୍ରକାରେ ଗୀତ ନାଟ ।କୁତୁକେ ନନ୍ଦ ତାକୁ ଦେଲେ ପାଟ ।୫୦।କୃଷ୍ଣ ନାମ ସବୁଆଡ଼େ ବାଜିଗଲା ।କେତେ ଭକ୍ତିରେ କେ କେତେ ପୂଜାକଲା ।୫୧।କଳା ପୂର୍ଣ୍ଣ ହେଲେ ଯେହ୍ନେ କଳାକାର ।କର ବିସ୍ତାରି ନାଶଇ ଅନ୍ଧକାର ।୫୨।କାର ଅଙ୍ଗରୁ ଆଜନ୍ମ ପାତକାହିଁ ।କହି ନଯାଏ ରହିଲେ କାହିଁ କାହିଁ ।୫୩।କାହିଁ ପାଇଁ ଚିନ୍ତୁ ନାହିଁ ହୃଷୀକେଶ ।କେଶ ଧଇଲେ କାଳକି ଅବକାଶ ।୫୪।କାଶ କୁସୁମ ପରାୟେ ମନ କର ।କର ଭାବନା ବାଳମୁକୁନ୍ଦଙ୍କର ।୫୫।କର ଅରବିନ୍ଦେ ଧରି ପାଦ କଞ୍ଜ ।କଞ୍ଜନେତ୍ର ମଣ୍ଡିଛନ୍ତି ମୁଖକଞ୍ଜ ।୫୬।କଞ୍ଜ ଶିବ ଆଦି ଭଜେ ଯେଉଁ କୃଷ୍ଣ ।କୃଷ୍ଣ ଚିନ୍ତି ସେ କୃଷ୍ଣଙ୍କୁ ମହାତୃଷ୍ଣ ।୫୭।
ସମ୍ବନ୍ଧିତ ରଚନା
ପ୍ରସ୍ତାବ ସିନ୍ଧୁ
ଦୀନକୃଷ୍ଣ ଦାସ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ