ପଞ୍ଚମ ଛାନ୍ଦ - ଶ୍ରୀକୃଷ୍ଣଙ୍କ ବଲ୍ୟଲୀଳା — ରସ କଲ୍ଲୋଳ — ଦୀନକୃଷ୍ଣ ଦାସ · ସ୍ୱର୍ଣ୍ଣଲିପିକଜ୍ଜ୍ୱଳରେଖା ନୟନର ଶୋଭା ॥
କପାଳର ଚାରୁ କସ୍ତୁରୀ ଚିତା ।କୁଳ ଉଦ୍ଧାରଣ ଯଶୋଦା ମାତା ॥
କାହିଁରେ, ନନ୍ଦ କଲେ କି ତପ ।କଉଁ ଭାଗ୍ୟରୁ ପାଇଲେ ଏ ରୂପ ।୮।କାହା କାଖରୁ କେଛଡ଼ାଇ ନେଇ ।କୋଳେ ଧରି ମୁଖେ ଚୁମ୍ୱନ ଦେଇ ॥
କରେ ତୋଳି କୁଚ ଶିରେ ଲଗାଇ ।କମଳ ଚରଣ ଶୀତଳ ପାଇ ॥
କରଇ, ନିନ୍ଦା ଚନ୍ଦ୍ର ଚନ୍ଦନ ।କି ଗୁଣକୁ ଏହା କରି ବନ୍ଦନ ॥୯।କରନ୍ତି ଏହିରୂପେ ଭାବ କେତେ ।କହିବାକୁ ସେ ଅଗୋଚର ମୋତେ ॥
କହି ନୁହଇ ସମୁଦ୍ର ତରଙ୍ଗ ।କମଳ ନେତ୍ର ବାଳ ଲୀଳା ରଙ୍ଗ ॥
କଲେ ସେ, ଦିନ କି ରୂପେ ଗୋଳ ।କ୍ରୋଧେ ଯଶୋଦା ଖଟାଇଲେ ରୋଳ ।୧୦।କମଳ କୁମାର-କୁମାର ଶାପେ ।କୁବେର ପୋଏ ଥିଲେ ବୃକ୍ଷରୂପେ ॥
କେତେହେଁ, ଦିନେ ଚାଳିଲେ ହରି ।କରି ଆନନ୍ଦ ଜାତ ଗୋପପୁରି ।୧୧।କ୍ରମେ କରି ସଖାମାନଙ୍କୁ ସଙ୍ଗ ।କଉତୁକେ ଦିନ ନେଲେ ଶ୍ରୀରଙ୍ଗ ॥
କଉଁ ପୁରେ ପଶି ଲବଣୀ ହରି ।କାହିଁ ଦହି ଦୁଧ ଏକତ୍ୱ କରି ॥
କେ ଯାଇଁ, ଯଶୋଦାଙ୍କୁ କହନ୍ତି ।କେ ଅବା ସ୍ନେହ ଭାବରୁ ସହନ୍ତି ।୧୨।କଉଁଗୋପୀ ଶୋକେ ବେଲଇ କୋପେ ।କେମନ୍ତେ ଆଉ ରହିବା ଏ ଗୋପେ ॥
କୃଷ୍ଣ ପ୍ରତାପ ତ ନୋହିଲା ସହି ।କେ ଅବା ଶୁଣିବ କହିବା କାହିଁ ॥
କଂସକୁ, ଯେବେ ନୋହିଲା ଭୟ ।କଉଁ ଲୋକ ତହିଁ ପାଇବ ଥୟ ।୧୩।କାଳଯାକ ହେଲା ଗୋପରେ ଡକା ।କଅଁଳା ପୁଅର ଚୋରୀ ଜୀବିକା ॥
କଉଁ ଛଟକେ ମନ୍ଦିରେ ପଶଇ ।କି କରି ସର ଲବଣୀ ଭକ୍ଷଇ ॥
କାହିଁ ମୁଁ, ଦେଖି ନାହିଁ ଏ ପୁଅ ।କ୍ରୋଧରେ ହସାଇ ଆରମ୍ଭି ଛୁଅ ।୧୪।କନ୍ଦାଇ ହସାଇ ବିନା କାରଣେ ।କି କି କରି ଚାହେଁ ନୟନ କୋଣେ ॥
କିଳ କିଞ୍ଚତ ଭାବକୁ ବଢାଇ ।କହୁଁ କହୁଁ ମୋଟ୍ଟାୟିତକୁ ପାଇ ॥
କାଲି ତ, ଆମ୍ଭ ଆଗରେ ଜାତ ।କାହୁଁ ଶିଖିଲା ଏ ଏତେ ଚରିତ ।୧୫।କେ ବୋଲେ ଦିନେ ମୁଁ କହିଲି ଧୀରେ ।କାହିଁକି ଗୋଲକର ଗୋପପୁରେ ॥
କିମ୍ପା ମୋ ପୁରକୁ ବିଜେ ନ କର ।କେତେ ଖାଇବ ଦଧି ଦୁଧ ସର ॥
କେଶବ, ଶୁଣି ବୋଇଲେ ହସି ।କେତେ ପାଣି ତୋ ଦୁଗ୍ଧ ଅଛି ମିଶି ।୧୬।କଥା ଛଳରେ ନନ୍ଦୁସତ ବନ୍ଧ ।କଲେ ମୋତେ ମନମଥରେ ଅନ୍ଧ ॥
କିଛି ହିଁ ନରହିଲା ଧୈର୍ଯ୍ୟ ବନ୍ଧ ।କବନ୍ଧ – ବଳରେ ଯେମନ୍ତ ବନ୍ଧ ॥
କହିବି, କେତେ ସେ ପୁଅ କଥା ।କହିଲେ ଛାଡ଼ଇ ସମସ୍ତ ବ୍ୟଥା ।୧୭।କେ ବୋଲେ ଦିନେ ପଶିଲେ ମୋପୁରେ ।କି କି ହୋଇ ପଡ଼ିଗଲେ ଆଗରେ ॥
କଲି ଅନେକ ପ୍ରକାରେ ଆକ୍ଷେପ ।କି ତୁମ୍ଭେ ଗୋପରେ ହୋଇଲ ଭୂପ ॥
କଟାକ୍ଷ ଭଙ୍ଗୀକଲେ କି କରି ।କାମଶର ମୋ ଅଙ୍ଗେ ଗଲା ପୁରି ।୧୮।କର ଚରଣ ନ ଚଳିଲା ମୋର ।କମ୍ପ ପୁଲକ ଚୁମ୍ୱଲା ଶରୀର ॥
କହିବାକୁ ଆଉ ନଇଲା ଭାଷା ।କି ଭାଗ୍ୟେ ଢଳି ନପଡ଼ିଲା ରସା ॥
କଲେ ସେ, ମୋତେ ଚିତ୍ରପ୍ରତିମା ।କେତେ କହିବି ସେ କୃଷ୍ଣ ମହିମା ।୧୯।କରୁଥାଇ ସେହି ଦିନୁ ବିଚାର ।କରିବେ ଏ ଯୁବେବେଳେ ଅସାର ॥
କୁଳବତୀ କୁଳବତୀ ନୋହିବେ ।କୁଳଟା ହୋଇ ବନେ ବିହରିବେ ॥
କହୁଛି, ଏହା ଥିବଟି ଜାଣି ।କାମିନୀ କୁଳର ଭାଙ୍ଗିବେ ଠାଣି ।୨୦।କେ ବୋଲେ ସଖି ! ମୋହଠାରୁ ଶୁଣ ।କାମର ଏ ନୀଳଉତ୍ପଳ ବାଣ ॥
କପଟେ ହୋଇଛି ମାନବ ରୂପ ।କରିବ ପବିତ୍ରତା ବ୍ରତ ଲୋପ ॥
କରୁଛ, ଚିନ୍ତା ଦୁଧ ସରକୁ ।କାଳେ ଯାଚିଦେବ ପରୟାଧରକୁ ।୨୧।କେ ବୋଲେ କିଛି ନ ବୋଲିବା ଆଉ ।କୃଷ୍ଣ ଭୋଗରେ ସବୁ ପଛେ ଯାଉ ॥
କରିଥାଇ ଯେ ଅନେକ ସୁକୃତ ।କେଶବ କାର୍ଯ୍ୟେ ଲାଗଇ ତା ଚିତ୍ତ ॥
କୃତାର୍ଥ, ବାଟ ନନ୍ଦନନ୍ଦନ ।କରିବା ତାଙ୍କୁ ସମସ୍ତେ ବନ୍ଦନ ।୨୧।କହୁଁ କହୁଁ ଗୋପୀ ଏହି ପ୍ରସଙ୍ଗ ।କି କି ହୋଇ ମିଳି ଗଲେ ଶ୍ରୀଅଙ୍ଗ ॥
କରେ ଧରି ନବନୀତ ସମ୍ବଳ ।କରୁଛନ୍ତି କଳେ ବଳେ କବଳ ॥
କପାଳେ, ନୀଳ ଅଳକା ଲୁଳେ ।କମଳ ଶୋଭା ଯେହ୍ନେ ଶଇବାଳେ ।୨୩।କଳା କଳେବର ଧୂଳିଧୂସର ।କଟିରେ କିଙ୍କିଣୀ ନାହିଁ ଅମ୍ବର ॥
କାକର ପ୍ରାୟେ ଝାଳ ବିନ୍ଦୁ ବିନ୍ଦୁ ।କଳିତ କରିଛି ଶ୍ରୀମୁଖ ଇନ୍ଦୁ ॥
କମଳେ, ଭୃଙ୍ଗ ଖେଳିଲା ପ୍ରାୟେ ।କଳାଡ଼ୋଳା ଚଳେ ଅପାଙ୍ଗ ଯାଏ ।୨୪।କୃଷ୍ଣଙ୍କୁ ଦେଖି ଡ଼ାକିଲେ ଯୁବତୀ ।କେବୋଲେ ଆସ ହେ ସୁଖ ସମ୍ପତ୍ତି ॥
କଞ୍ଜନୟନ ଅଳକା ବଳୀୟା ।କୁମୁଦଦାନୀ ଘନଶ୍ୟାମଳୀୟା ॥
କଣ୍ଠର, ଦିବ୍ୟ ମର୍କତ ମଣି ।ବର ନାଟ ଆମ୍ଭେ ଦେବୁ ଲବଣୀ ।୨୫।କରେ ପୋପୀମାନେ ଧଇଲେ ତାଳି ।କମଳନୟନ ନାଚନ୍ତି ଢଳି ॥
କଟି କିଙ୍କୀଣୀ କିଣି କିଣି ବାଜେ ।କନକ ନୂପୁର ଚରଣେ ରାଜେ ॥
କହିବି, କେତେ ସେ ନାଟ ଛବି ।କବି ଜଡ଼ ହୋଇ ରହେ ଯା ଭାବି ।୨୬।କେ ନେଇ ଶ୍ରଦ୍ଧାରେ ଦିଅନ୍ତି ସର ।କରନ୍ତି ମଣୋହି ଶ୍ରୀ ଦାମୋଦର ॥
କେ ବୋଲଇ ମୁଁ ଲୁଚିଯାଇ କିନା ।କେ ବୋଲେ ଶ୍ରୀଅଙ୍ଗ ଫୁଟିବ ସିନା ॥
କର ଯା, ବିଜେ ପୁରକୁ ଏବେ ।କାତର ହୋଇ ମାଏ ଲୋଡ଼ୁଥିବେ ।୨୭।କଉଁ ଗୋପୀ କରେ ଲବଣୀ ଦେଇ ।କାଖରେ ବସାଇ ପୁରକୁ ନେଇ ॥
କଲା ଯଶୋଦାଙ୍କୁ ଆଗରେ ଉଭା ।କେ କହିବା ଅବା ସେ କାଳ ଶୋଭା ॥
କୋଳରେ ମାଏ ଧଇଲେ ନେଇ ।କାହିଁଥିଲୁ ବୋଲି ଚୁମ୍ୱନ ଦେଇ ।୨୮।କରି ଶ୍ରୀଅଙ୍ଗ ତଇଳ ମର୍ଦ୍ଦନ ।କଲେ ତା ଝୀନ ବସନେ ମାର୍ଜ୍ଜନ ॥
କଉଷେୟ କାଚ୍ଛେ ପିନ୍ଧାଇ ଦେଇ ।କରପଦ୍ମେ ଦିବ୍ୟ ଅନ୍ନ ଭୁଞ୍ଜାଇ ॥
କରାଇ, ଆଚମନ ସଧୀରେ ।କଲେ ଶ୍ରୀମୁଖ ପୋଛା ବସନରେ ।୨୯।କେତେ କହିବି ବାଳଲୀଳା ଭାବ ।କହିଲେ ପଦ ବହୁତ ହୋଇବ ॥
କଳପେ ବସି କଳପିଲେ ଯାହା ।କହି ନ ପାରିବେ ଗିରିଜା ନାହା ॥
କୋଟିଏ, କୋଟି କୀଟେ ମୁଁ ଏକ ।କେତେ ମୋର ବୁଦ୍ଧି କେତେ ବିବେକ ।୩୦।କେ ଅବା ଲେଖିବ ଗଗନ ତାରା ।କେତେ ମୋର ବୁଦ୍ଧି କେତେ ବିବେକ ॥
କେ ଅବା ଗଣିବ ସିନ୍ଧୁ ଲହରୀ ।କେ ପାରିବ ପୟୋନିଧି ପହଁରି ॥
କେ ଅବା, ଏହା କରିପାରିବ ।କୃଷ୍ଣ ମହିମା କହି ନ ପାରିବ ।୩୧।କୃଷ୍ଣ ନାମରେ ପପ କ୍ଷୟ ଯେତେ ।କରି ନ ପାରେ ପାପୀ ପାପ ତତେ ॥
ବୁଧର ପ୍ରମାଣେ ତୁଳାକୁ ଶିଖୀ ।କଣ ମାତ୍ରକେ ନ ଦିଅଇ ରଖି ॥
କର ହେ, ଜନେ କୃଷ୍ଣ କୀତ୍ତନ ।କର୍ଣ୍ଣରେ ଶୁଣ କୃଷ୍ଣ କଥାମାନ ।୩୨।କୃଷ୍ଣ ବିଚିତ୍ର ମହିମା ଏମନ୍ତ ।କରି ଅମୃତ ବିନ୍ଦୁ ମୂତ୍ତବନ୍ତ ॥
କମ୍ବୁ ଚକ୍ର ଧରି ହୃଦେ ବିହରି ।କରନ୍ତି ଜଠର ଜ୍ଜ୍ୱାଳାରୁ ପାରି ॥
କରଇ, ନାହିଁ ଯେ ତାହାଙ୍କୁ ସେବା ।କୃତଘ୍ନ ସେହି ଲୋକକୁ ବୋଲିବା ।୩୩।କୃଷ୍ଣ କଥାରେ ଯାର ସ୍ନେହ ନାହିଁ ।କାଳେ ସଂଘାତକୁ ଦେଖିବ ସେହି ॥
କାଳଦଣ୍ଡେ ସଂଘାତ ସେ ହୋଇବ ।କଷ୍ଟ ସଂଘାତକୁ ନିଶ୍ଚେ ପାଇବ ॥
କହଇ, ଦୀନକୃଷ୍ଣ କଥା ।କେବେହେଁ ହୋଇବ ନାହିଁ ଅନ୍ୟଥା ।୩୪।
ଷଷ୍ଠ ଛାନ୍ଦ
(ଲୀଳା ଛଳରେ ଅସୁର ନିଧନ ଓ ଗୋପଗୋପୀ ଆନନ୍ଦ )ରାଗ - କୌଶିକକର୍ଣ୍ଣ ମନ ଦେଇ ଶ୍ରଦ୍ଧାବନ୍ତ ହୋଇ ଶୁଣ ଜନେ କୃଷ୍ଣଚରିତ ।କଳାକରକରେ, ଅନ୍ଧାର ପରାଏ, ନାଶ ଯାଉ ସର୍ବ ଦୁରିତ ।କଞ୍ଜନୟନ, ଅଞ୍ଜନ ବରନ କେଶବ ।କାମପାଳ ସଙ୍ଗେ, ଘେନି ନାନା ରଙ୍ଗେ, କରନ୍ତି ବାଳଲୀଳାଭାବ ।୧।କେତେ ବଳେ ବଳେ ଗୋପସୁତ ମେଳେ ନବନୀତ ଘେନି ପଳାନ୍ତି ।କେତେବେଳେ ଗୃହ କର୍ମରୁ ବିଗ୍ରହ କରି ଜନନୀଙ୍କି ଚଳାନ୍ତି ।କେତେବେଳେ ସେ, କୋକିଳ ଗୋଳ କରି ରାଗେ ।କେତେବେଳେ କାନ୍ଦି କଣ୍ଠେ କଣ୍ଠ ଛନ୍ଦି କାଖରେ ବସନ୍ତି ସରାଗେ ।୨।କେତେବେଳେ ନନ୍ଦ କାନ୍ଧେ ବସି ଚାନ୍ଦ ମାଗନ୍ତି ରଜନୀ ସମୟେ ।କରି ମନ ତୋଷ, ଜହ୍ନମାମୁଁ ଆସ, ଆସ ବୋଲନ୍ତି ନନ୍ଦରାଏ ।କେତେବେଳେ ଯେ କଉତୁକେ ହୋଇ ଉତ୍ସାହ ।କାମି କାମଦୁହା ଗୋଧନ ସୋରେହା ହୋଇ ଶିଖନ୍ତି ଗାଈଦୁହଁ ।୩।କମଳନୟନ ନୟନମଣ୍ଡଳ କ୍ରମେ ପାରିଲେ ବତ୍ସା ରଖି ।କଳାକରମୁଖୀ ଗୋପୀମାନେ ଦେଖି ମନେ ହୋଅନ୍ତି ମହାସୁଖୀ ।କଉଁ ଗୋପୀକା, କାରୁଣ ରସକୁ ବହଇ ।କୃଷ୍ଣ ସ୍ନେହ ଘେନି, ଯଶୋଦାଙ୍କୁ ମାନୀ ହୋଇ ସଖା ଆଗେ କହଇ ।୪।କଉଁ ସୁଖ ନାହିଁ ନନ୍ଦଘରେ ଏହି ପୁଅ ଯାଏ ବୃନ୍ଦାବନକୁ ।କରୁଣା ହୃଦୟ ନୁହନ୍ତି ନିର୍ଦ୍ଦୟ ଧିକ ଏହାଙ୍କର ଧନକୁ ।କଉଁ ବିଧାତା, କଲା ଏମନ୍ତ ଅବିଚାର ।କୋଟି ଲକ୍ଷ୍ମୀ ଯାହା ସେବାକୁ ଉତ୍ସାହା ସେ କରେ ବନକୁ ସଞ୍ଚାର ।୫।କମଳ ଚରଣ ଅତ୍ୟନ୍ତ ଅରୁଣ କେତେ ଲକ୍ଷଣ ଅଛି ଦେଖ ।କେମନ୍ତ ଉଜ୍ଜ୍ୱଳ ନକ୍ଷତ୍ରମଣ୍ଡଳ ପରାୟେ ତାରତର ନଖ ।କଉଁ ଉପମା, କରି ଜାନୁ ଜଙ୍ଘ ଶୋଭାକୁ ।କରୀ କଳଭର କରକୁ ଧିକ୍କାର ଶିଶୁ ମରକତ ରମ୍ଭାକୁ ।୬।କେମନ୍ତେ ମଧ୍ୟମ ଅତି ମନୋରମ ଦିଶେ ବିପୁଳ ବକ୍ଷସ୍ଥଳ ।କୁବଳୟମାଳେ କୋକନଦ ଝାମ୍ପା ପ୍ରାୟେ ଶୋଭା ବାହୁଯୁଗଳ ।କଥନୀୟ ତ, ନୋହଇ କଣ୍ଠ କର୍ଣ୍ଣ ନାସା ।କବି କବି ହୋଇ କହିବି ବୋଇଲେ ମୁଖରୁ ନ ଆସିବ ଭାଷା ।୭।କଳଙ୍କ ରହିତ କଳାକରଜିତ ଶ୍ରୀମୁଖ ସୁଖ ନିକେତନ ।କେତେକାଳ ବିହି କଉତୁକ ବହି ଗଢିଲା ଏ ରୂପ ରତନକରି ଥାନ୍ତାକି, ଦଇବ ଏ ପୁଅ ଆମ୍ଭର ।କରନ୍ତାଇଁ କଷ୍ଟ ଦେବତାରୁ ଶ୍ରେଷ୍ଠ ବସାଇ ପଲ୍ୟଙ୍କ ଉପର । ୮।କେମନ୍ତ ସୁନ୍ଦର କଳାକଳେବର, କେମନ୍ତେ ସୁରଙ୍ଗ ଅଧର ।କେମନ୍ତ ନୟନ କଟାକ୍ଷର ଧନ୍ୟ ଲଲାଟ ପାଟୀ ମନୋହର ।କେମନ୍ତ ମନ୍ଦ ହସି କହିବା ଚତୁରତା ।କେମନ୍ତ ପ୍ରକାରେ ନାଚଇ ସଧୀରେ କାମଧନୁ ଜିଣି ଭ୍ରୂଲତା ।୯।କମଳ ସମ୍ଭବ ଭବ ଆଦି ଦେବ ସ୍ତୁତି ଯାହାକୁ ତୁଚ୍ଛାମାତ୍ର ।କମଳୀ ଧବଳୀ ନୀଳୀ କୁଞ୍ଜଗଳୀ ଗାଈ ଡାକିବାକୁ ସେ ପାତ୍ର ।କାଳବଳ ୟେ, କାହାରି ଆୟତ ନୋହଇ ।କେମନ୍ତେ ନୋହିଲେ ଶ୍ରୀବନ୍ତ ହୋଇଲେ କନ୍ଧେ ପଶୁରଜ୍ଜୁ ବହଇ ।୧୦।କେ ବୋଲଇ ବଡ଼ ହେଲେ ହେଁ ଗଉଡ଼ – ଘରେ ପଡ଼ିଲେ ଯେତେବେଳୁ ।କଠାଉ ଦଉଡ଼ି ଶିକାଭାର ବାଡ଼ି ଆସ୍ଥା ହେଲାଣି ତତେ ବେଳୁଁ ।କାହୁଁ ଖାଇବେ, ନ ରଖିବେ ଯେବେ ଗୋଧନ ।କେ ବୋଲେ ଯେ ଯାହା ଜୀବିକା ସେ ତାହା ନ କଲେ କେହି ଯିବ ଦିନ ।୧୧।କମଳ ନୟନ ବନକୁ ଗମନ କରନ୍ତେ ପଡ଼େ ଏହି କଥା ।କେ ହୋଏ ହରଷ, କେ ହୋଏ ବିରସ, କେ ଏଭେ ମନେ ମହା ବ୍ୟଥା ।କାମପାଳଙ୍କୁ, କେଶବ ଘେନି ସଙ୍ଗତରେ ।କଉତୁକେ ବତ୍ସା ରଖୁଁ ରଖୁଁ ବତ୍ସାସୁରକୁ ମାଇଲେ ବୃକ୍ଷରେ ।୧୨।କେତେଦିନେ ହରି ବକ ଥଣ୍ଟ ଚିରି କାଳସଦନ ଦେଖାଇଲେ ।କରି ଗୋପସୁତମାନଙ୍କୁ ଚକିତ ବିଚିତ୍ର ମନେ ରଖାଇଲେ ।କ୍ରମେ ବିନାଶ, କଲେ ସେ ଅର୍ଘା ଅସୁରକୁ ।କଳୁଷ ପକାଇ ସୁରପୁରେ ଯାଇ ସମାନ ହୋଇଲା ସୁରକୁ ।୧୩।କଳାଗୋରା ବେନିଭାଇ ବଡ଼ ଦାନୀ ଧାର୍ମିକ ବିବେକୀ ସୁଶୀଳ ।କାଳକୁ କବଳ କରିଦେଲେ ତାଳ ପରାଏ ତାଳବନପାଳ ।କରି ଅସୁର, କୁଳକୁ ନିର୍ମୂଳ କେଶବ ।କୁଞ୍ଜକାନନରେ ବରଜ ସଙ୍ଗରେ କରନ୍ତି ନାନାରୂପେ ଭାବ ।୧୪।କେ କେକୀ ପରାୟେ ନାଚି ନାଚି ଯାଏ କେ ବଳ ପରାୟେ ବସନ୍ତି ।କେ ଭୃଙ୍ଗ ଝଙ୍କାର ଶୁଣି ଅହଙ୍କାର କରି ହୁଙ୍କାର ବିସ୍ତାରନ୍ତି ।କେକୀଶଶିଶୁ, ମାନଙ୍କୁ ଗୋଡ଼ାଇ ଧରନ୍ତି ।କେ କାହା କରରେ କର ମାରି ଖରେ ପଳାକି ପ୍ରତିଜ୍ଞା କରନ୍ତି ।୧୫।କେତେବେଳେ ବାହୁଯୁଦ୍ଧ କରି କେହୁ ଭାବେ ହୋଅନ୍ତି ଧରାଧରି ।କେତେବେଳେ ଫଳ ସମରେ ଚଞ୍ଚଳ କେତେବେଳେ ଆଖି ବୁଜାଳି ।କେତେବେଳରେ, କୃଷ୍ଣ ହୋଅନ୍ତି ନରପତି ।କରେ ଫୁଲଛତି ଧରି ସଖାପନ୍ତି, ମଣିମା ମଣିମା ବୋଲନ୍ତି ।୧୬।କଉତୁକେ ଖେଳ ଖେଳୁଁ ଖେଳୁଁ ବଳଦେବଙ୍କୁ ନିଅନ୍ତେ ପ୍ରଳମ୍ୱ ।କି କି କରି ଜାଣି ଭାଙ୍ଗି ତାର ଆଣି ପରାଣ କଲେ ଅବିଲମ୍ବ ।କୁଞ୍ଜବିହାରୀ, ପୁଣି ଅଦ୍ଭୁତ କଥା କଲେ ।କରାଳୁଁ କରାଳ ଅତ୍ୟନ୍ତ ପ୍ରବଳ ମହା ଦାବାନଳ ପିଇଲେ ।୧୭।କୁଶକେତୁ ମନ ଭ୍ରମାଇଲେ ବନଭୋଜନ ବତ୍ସାହରଣରେ ।କଲେ ଅତି ଖର୍ବ ଦେବରାଜ ଗର୍ବ ଗୋମତ ଗିରି ଧାରଣାରେ ।କରି ଉଶ୍ୱାସ, ଜଞ୍ଜାଳଜାଲ ନନ୍ଦବାଳ ।କଉତୁକେ ବନ ବିହରି ଗୋଧନ ରଖନ୍ତି ଘେନି କାମପାଳ ।୧୮।କୁମୁଦ ପ୍ରମୋଦ କମଳଙ୍କ ନିଦ ସମୟେ ଗୋପକୁ ଆସନ୍ତି ।କମନୀୟ ବେଶ ଧରି ପୀତବାସ ସୁନ୍ଦର ସୁନ୍ଦର ଦିଶନ୍ତି ।କେକୀ କଳାପ, କଳାପେ ରଞ୍ଚତ ମୁକୁଟ ।କାଦମ୍ବିନୀ କାଳେ କଳାମେଘ କୋଳେ ଇନ୍ଦ୍ରଧନୁ ଯେହ୍ନେ ପ୍ରକଟ ।୧୯।କଳାକାର ଅର୍ଦ୍ଧ କପାଳରେ ଉର୍ଦ୍ଧ୍ୱ କସ୍ତୁରୀ ତିଳକ ବିରାଜେ ।କାମିନୀଙ୍କି କାମ କରବାଳ ସମ ଚାହିଁଲେ କର୍ମଦେଶେ ବାଜେ ।କପାଳପଟ, ତଳେ ଗୁଞ୍ଜାରା ମୁଣ୍ଡମାଳି ।କିବା ଅରବିନ୍ଦ ପାଖେ ଅଳିବୃନ୍ଦ ରହେ ଅଙ୍ଗକୁ ଅଙ୍ଗ ଝଳି ।୨୦।କର୍ଣ୍ଣେ କମନୀୟ ମହାମଣିମୟ ମକର କୁଣ୍ଡଳ ଚଳନ୍ତି ।କମଳ ଉଭୟ ପାଶେ ସୁଖୋଦୟ ଯୁଗଳ ମିତ୍ର କି ଖେଳନ୍ତି ।କାବ୍ୟ ତାରରୁଁ ତାର- ମୋତି ନାସେ ଲଳଇ ।କରିବାର ସଙ୍ଗ ଅଧର ସୁରଙ୍ଗ ଲୋହିତ ଅଙ୍ଗକୁ ବଳଇ ।୨୧।କଣ୍ଠେ ତାର ହାର କାଳିନ୍ଦୀ – ବିହାର କରେ କି ରାଜ ହଂସପନ୍ତୀ ।କାଳକା କୋଳରେ ନାଦ ରହିତ୍ୱରେ ବଳାକାବଳି କି ଚଳନ୍ତି ।କଟି ତଟରେ, ପରିଧାନ ପୀତବସନ ।କନକ କିଙ୍କିଣୀ ଶ୍ରେଣୀ ତହିଁ ପୁଣି କରନ୍ତି ମଧୁର ନିଃସ୍ୱନ ।୨୨।କରେ ସୁବଳୟ ଫୁଲ କୁବଳୟ ଅଙ୍ଗେ ମଣ୍ଡିତ ଗୋରୁଧୂଳି ।କଦମ୍ବ କୁସୁମ ଶୋଭାକୁ ସୁଷମ ଦିଶଇ ରଙ୍ଗ ଜାମୁଡ଼ାଳି ।କନ୍ଧ ଉତ୍ତରୀ- ଛନ୍ଦେ ବନମାଳା – ଲମ୍ୱିତ ।କୁସୁମରସରେ ମାତି ମଧୁକରେ ମହାସୁଖଭରେ ଚୁମ୍ୱିତ ।୨୩।କେ ବେଣୁ ଶୃଙ୍ଗରେ ବିବିଧ ରଙ୍ଗରେ ଗୀତ ଶବଦମାନ କରେ ।କେ କାହାକୁ ବଳି ପତର କାହାଳୀ ବଜାନ୍ତି ମହା ମନୋହରେ ।କଉତୁକେ କେ, କରେ କରତାଳି ମଜାଇ ।କରେ କେ ଗଉଡ଼ ନାଟ କେ ଗଉଡ଼ ଗୀତ ଆନନ୍ଦ ମନେ ଗାଇ ।୨୪।କରି ଅଗ୍ରସର ସୁରଭି ନିକର ପଛେ ବିଜେ ଯଦୁଚନ୍ଦ୍ରମା ।କରି ଏହି ଲୟେ ବରଯେତନୟେ ଗ୍ରହଗଣ ପ୍ରାୟେ ଉପମା ।କଳାନିଧାନୀ, ଗୋପିକା ତୃଷିତ ଚକୋରୀ ।କରନ୍ତି ନୟନ ଚଞ୍ଚୁଦ୍ୱାରେ ପାନ ଶୋଭା ଅମୃତ ପୂର୍ଣ୍ଣ କରି ।୨୫।କେ ଡାଳେ ଧବଳୀ କମଳୀ କେ ଡ଼ାଳେ ନୀଳୀ, ପରିମଳୀ ।କେ ବୋଲଇ ହଂସା, କେ ବୋଲଇ ବଂଶୀ ପ୍ରିୟ ବଉଳୀ, କୁଞ୍ଜଗଳୀ ।କେତେ ପ୍ରକାରେ, ଡ଼ାକେ କେ କେତେ ନାମ ଧରି ।କେ କହିବ ଶୋଭେ ଜନମନ ଲୋଭା ଯେମନ୍ତ ସମୁଦ୍ର ଲହରୀ ।୨୬।କାମଶାଣ- ବାଣ ପରାୟେ ଅରୁଣ କଟାକ୍ଷ ପଡ଼େ ବେନିପାଶେ ।କି ସବ୍ୟସାଚିତ୍ୱ ସାଧୁଅଛି ଚିତ୍ତ ଜାତ ଜଗତ ଜୟ ଆଶେ ?କହି ନୋହଇ, କଳିତ ମୃଦୁ ମନ୍ଦ ହାସ ।କାମିନୀ ମୋହିନୀ କେତେ କଥା ଅବା କାମ ଦେଖିଲେ ହେବ ଦାସ ।୨୭।କଉଁ ଗୋପୀ ଦେଖି ଧଇର୍ଯ୍ୟ ନ ରଖି କଲେ ମଧୁର ଅଙ୍ଗଭଙ୍ଗ ।କର୍ଣ୍ଣକଣ୍ଡୁ ଛଳେ କର ଟେକି ହେଳେ ବଶ କରଇ ଶିରୀଅଙ୍ଗ ।କଉଁ ଯୁବତୀ, କରି କରୀବର ଗତି ।କୁଚରୁ ଅଞ୍ଚଳ ଖସାଇ ଯଦୁପତି ମତି ।୨୮।କଉଁ ଗୋପୀ ବିଷ ସମ ସରି ବେଶ ପ୍ରବେଶ କୃଷ୍ଣ ଦର୍ଶନକୁ ।କମଳ - କୁମାର – କୁମାର - କୁମାର ଯାନକୁ ଦେଇ ପ୍ରସନ୍ନକୁ ।କଉଁ ଗୋପିକା, ଜାନୁ କଦଳୀ ବୃକ୍ଷ ରୂପି ।କନକ - କଳଶ କମନୀୟ ବେଶ କୁଚ ମଣ୍ଡଳ କୁମ୍ଭ ସ୍ଥାପି ।୨୯।କରିଛି ଧବଳ ଗନ୍ଧସାର ଛଳ ଆସେ ବେଢାଇ ପୀତବାସ ।*କୁବଳୟ ଫଳ ଆସନ ମଣ୍ଡଳ ପତ୍ରାବଳୀ ପତ୍ର ବିଶେଷ ।କରୁଅଛି ସେ, ମନ୍ଦ ହାସରେ ପୁଷ୍ପବୃଷ୍ଟି ।କାନ୍ତିରେ ଉଜ୍ଜ୍ୱଳ ଶ୍ରୀମୁଖ ମଣ୍ଡଳ ଦର୍ପଣ ନେତ୍ର ଜୀବ ପ୍ରୋଷ୍ଠୀ ।୩୦।କହି କେ ପାରିବ ସେକାଳ ଉତ୍ସବ ଯେତେ ହାବ ଭାବ ବିଭାବ ।କଟାକ୍ଷେ କଟାକ୍ଷ ଭେଟରେ ପ୍ରତ୍ୟକ୍ଷ ହୋଇଛି ଯହିଁ ମନୋଭାବ ।କଉଁ ଗୋପିକା, କୁଚ ଶ୍ରୀଫଳ ଘେନି କର ।କଲା ନିମନ୍ତ୍ରଣ ଆଝୁଁ ମୋର ପ୍ରାଣ- ନାଥ ତୁମ୍ଭେ ହେ ବେଣୁଧାରୀ ।୩୧।କେ ବାହୁ ଯୁଗଳ କରି ଫୁଲମାଳ ମାନସିକେ କଲା ବରଣ ।କେ ମନ ବଚନ କଉବ୍ୟରେ ଲୀନ କରି କୃଷ୍ଣେ ହେଲା ଶରଣ ।କେତେ କହିବି, ଜଣ ଜଣକେ ଏହି ରୂପେ ।କଲେ ସ୍ୱୟମ୍ବର ହରିତ ଅମ୍ୱର, ଅନଙ୍ଗ ଦେଇ ଫୁଲଚାପେ ।୩୨।କାମ ଏକ ଦଶଠାରୁ ପ୍ରତି ଆଶା ରହିଲା ନବମ ସରି କି ।କେ କେତେ ହେଁ ଭୋଗ କରିବାକୁ ଯୋଗ ଅଛି ତାହା କରି ପାରି କି ।କହି ବସିଲେ ହେବ ଏ ଲୁତା ସୁତା ପ୍ରାୟେ ।କହୁ ଯାହା ଶେଷ ନ କରିବେ ଲେଶ କଳ୍ପାନ୍ତେ ନେତ୍ର କର୍ଣ୍ଣରାୟେ ।୩୩।କରୁଣ କଟାକ୍ଷ କଟାକ୍ଷ ଅଲକ୍ଷ ଘେନାଘେନି ଭାବ ଦେଖାଇ ।କଳାକର କରେ କୁମୁଦୁନୀ କରେ ଯେସନ ହଂସକୁ ରଖାଇ ।କଉତୁକରେ ପୁରରେ ପ୍ରବେଶ ହୋଇଲେ ।କର୍ମମାନ ସାରି କାମପାଳ ହରି ମଣୋହି ବଢାଇ ଶୋଇଲେ ।୩୪।କଳାପୀ କଳାପ କଳାପେ-କଳାପ କମନୀୟ ବେଶ ଯାହାର ।କରି ଅଘାଶିରେ ଅବିଧି ଦୁଆରେ ଗୋପସୁତେ କଲେ ବାହାର ।କଉତୁକରେ, ଅତିଶୟ ମନ ହରଷେ ।କଲା ତାଙ୍କୁ ଦୀନକୃଷ୍ଣ ଦରଶନ କପାଟ ଫିଟା ଅବକାଶେ ।୩୫।