କାଞ୍ଚି କାବେରୀ ଯୁଦ୍ଧ
୧୮୪୮–୧୯୧୮
- ପଢ଼ିବା ସମୟ
- ୮୦ ମିନିଟ୍
- ଶବ୍ଦ
- ୧୨୭୪୯
- ସ୍ଥିତି
- ସାର୍ବଜନୀନ (Public domain)
୧ମ ଛାନ୍ଦ-ରାଗ ବଙ୍ଗଳାଶ୍ରୀ
ଜୟ ସଦାଶିବ ଗିରିସୁତାଧବ ଭକତର ବରଦାତା ।ଜୟ ପଞ୍ଚ-ମାଥ ଜୟ ତିନିନେତ୍ର ତ୍ରିପୁରନାଶକରତା ।୧।ଜୟ ବିଶ୍ୱନାଥ ଜୟ ଶୂଳହସ୍ତ ଶ୍ମଶାନବିହାରୀ ହର ।କରୁଛି ଦୟିନୀ ମୋ ବିନୟ ଘେନି ମନବାଞ୍ଛା ପୂର୍ଣ୍ଣ କର ।୨।ଚିତ୍ତେ ଅଛି ପାଞ୍ଚି କହିବି ମୁଁ କାଞ୍ଚିକାବେରୀ-ଜୟ-ଚରିତ ।ଶ୍ରୀ ପୁରୁଷୋତ୍ତମଦେବଙ୍କ ମହିମ ବିଷୟ ଅତି ପବିତ୍ର ।୩।ଜୟ ଜଗନ୍ନାଥ ଶଙ୍ଖଚକ୍ରହସ୍ତ ନୀଳାଚଳପତି ହରି ।ପାପୀ-ପାପ କରୀ ଦେଖି ଦୂରୁଁ ଡରି ପଳାଏ ରହି ନ ପାରି ।୪।ହେ ଦେବ ମୁଁ ବଡ଼ ଅଧମ ଯେ ଜଡ଼ ନ ଜାଣଇଁ ଜ୍ଞାନ ଧ୍ୟାନ ।ହୋଇ ବିପ୍ରସୁତ ବେଦରୁ ରହିତ ଆଉ କି କହିବି ଆନ ।୫।କେବଳ ଶ୍ରୀହରି ନାମକୁ ସୁମରି ପାପୀମାନେ ଯାନ୍ତି ତରି ।ପୁରାଣେ ଏ ବାଣୀ ଥିବାରୁ ମୁଁ ଶୁଣି ସବୁ ଚିନ୍ତା ପରିହରି ।୬।କରିଅଛି ତୁମ୍ଭ ନାମକୁ ଏ ଭବଜଳଧି ତରିବା ତରୀ ।କରି କୃପା ମୋତେ କଷଣୁ ତୁରିତେ ଉଦ୍ଧର ହେ ମଧୁହାରି ।୭।ତୁମ୍ଭର ଭକତ ଜଗତେ ବିଖ୍ୟାତ ଶ୍ରୀ ପୁରୁଷୋତ୍ତମଦେବ ।ସେ ଯେପରି କାଞ୍ଚିକାବେରିକି ପାଞ୍ଚି ଜିଣିଲେ ତା ଛାନ୍ଦ ହେବ ।୮।ତୁମ୍ଭେ କୃପା କଲେ କହିବି ତା ହେଲେ ସରଳଭାଷାଛାନ୍ଦରେ ।ଶୁଣି ତାହା ଜନେ ହରଷିତମନେ ଗାଇବେ ପ୍ରମୋଦଭରେ ।୯।ପୁରାଅ ମୋହର ଏ ଆଶା ଶ୍ରୀଧର ଜଣାଣ କରୁଛି ପାଦେ ।କପିଳେଶ ନନ୍ଦ ବୋଲେ ମୋ ବିପଦ ହରି ରଖ ଅପ୍ରମାଦେ ।୧୦।
୨ୟ ଛାନ୍ଦ-ରାଗ ବରାଡ଼ୀ । ଅଷାଢ଼ଶୁକ୍ଲ ବାଣୀ ।
ଶୁଣ ଜନେ ଚିତ୍ତ କରି ସୁସ୍ଥିର ।କାଞ୍ଚିକାବେରୀଜୟ ସମାଚାର ।ଶ୍ରୀ ପୁରୁଷୋତ୍ତମଦେବ ନୃପତି ।ଯେପରି ହୋଇଲେ ସେ କ୍ଷିତିପତି ।ବୁଝ ତାହା ଆଗେ ।ପୂର୍ବ ଚରିତ ଯିବ ତହିଁ ସଙ୍ଗେ ।୧।ଓଡ଼ିଶା-ନରଇଶ ଗଜପତି ।କପିଳଇନ୍ଦ୍ରଦେବ ନାମେଖ୍ୟାତି ।ପୁରୁଷୋତ୍ତମରେ କରି ଉଆସ ।ସେଠାରେ ରହନ୍ତି ବହୁ ଦିବସ ।ଖୋରଧା ଗାଦିରେ ।ରାଜକାର୍ଯ୍ୟ ହେଉଁ ଥାଇ ବିଧିରେ ।୨।ଜଗନ୍ନାଥଙ୍କ ପାଦରେ ଭକତି ।ଦୃଢ଼େ ରଖିଥାନ୍ତି ସେ ନରପତି ।ହୋଇଲେ ତାଙ୍କର ଅଠର ସୁତ ।ଏକକୁ ଆର ଅତି ବଳବନ୍ତ ।କାହାକୁ କେ ଉଣା ।ନୁହନ୍ତି ସମରେ ସମସ୍ତେ ଜିଣା ।୩।ଏକ ଅନ୍ତରସୁତ ରାଜାଙ୍କର ।ଥାଏ ପୁରୁଷୋତ୍ତମ ନାମ ତାର ।ଶାନ୍ତ ସୁଶୀଳ ଅତି ଗୁଣଵାନ ।ଜଗନ୍ନାଥଙ୍କଠାରେ ରଖି ଧ୍ୟାନ ।ଦେବ-ବିପ୍ରଭକ୍ତ ।ହୋଇ ପିତାଙ୍କୁ ସେବିଥାଏ ନିତ୍ୟ ।୪।ପୁରୁଷୋତ୍ତମର ଦେଖି ସୁରୀତି ।ଅତି ସ୍ନେହ କରିଥାନ୍ତି ନୃପତି ।ବେଳେ ବେଳେ ଚିତ୍ତେ କରନ୍ତି ଏହା ।ନୃପତି ଯେବେ ହୁଅନ୍ତା ପୁରିଆ ।ତେବେ ଉତ୍ତମରେ ।ପାଳନ୍ତା ଦେଶ ଦିଶେ ଏପରିରେ ।୫।ଏରୂପେ ବିଚାରି ମଉନେ ଥାନ୍ତି ।କାହାକୁ ମନକଥା ନ କହନ୍ତି ।ନୀତି ସନ୍ଧ୍ୟାଧୂପବେଳେ ରାଜନ ।ସଙ୍ଗରେ ଘେନି ସମସ୍ତ ନନ୍ଦନ ।ଦରଶନ ପାଇଁ ।ପରମ ଭକତି ମାନସେ ବହିଁ ।୬।ଜଗନ୍ନାଥଙ୍କ ନିକଟକୁ ଯାନ୍ତି ।ଦରଶନ କରି ଦୁଃଖ ଜଣାନ୍ତି ।କହନ୍ତି ହେ ପ୍ରଭୁ କର ବିଚାର ।ଏ ମୋର ପୁତ୍ରେ ସର୍ବେ ବଳିଆର ।କେ ହେବ ନରେଶ ।ବିଚାରି ଆଜ୍ଞା କର ଜଗଦୀଶ ।୭।ଏପରି ନୀତି ଜଣାନ୍ତେ ନୃପତି ।ବିଚାରି ତାହା ପ୍ରଭୁଶିରୀପତି ।ଏକନିଶୀରେ ନିଦ୍ରାସମୟରେ ।ସ୍ୱପନେ ରାଜାକୁ ଏହିପରିରେ ।କହିଲେ ହେ ନୃପ ।କାହିଁପାଇଁ ଲଭୁଅଛୁ ସନ୍ତାପ ।୮।କେଉଁ ପୁତ୍ର ତୋର ନରେଶ ହେବ ।ତାହା ଆଗହୁଁ କରିଅଛୁଁ ଧ୍ରୁବ ।ଯେବେ ଜାଣିବା ଇଛା ଅଛି ତୋର ।ଆସନ୍ତା କାଲି ସନ୍ଧ୍ୟାରେ ମୋହର ।ଦରଶନ ପାଇଁ ।କୁମରମାନଙ୍କୁ ସଙ୍ଗେ ଘେନାଇଁ ।୯।ମନ୍ଦିରକୁ ଗଲାବେଳେ ତୋହର ।ବାଇଶି ପାବଛେ ଲାଗିବ ଫେର ।ତାକୁ ତୋଳି ଧରିବ ଯେ ସେକାଳେ ।ଓଡ଼ିଶା ନୃପ ପଦ ତା କପାଳେ ।ଅଛି ତାକୁ ରକ୍ଷା କରିବି ଵିପଦୁଁ ବହିଁ ମୁଁ କଷା ।୧୦।ଏତେ କହି ପ୍ରଭୁ ହେଉଁ ଅନ୍ତର ।ନିଦ୍ରା ଭାଜିଗଲା ନରପତିର ।ଦେଖିଲେ ରଜନୀ ହୋଇଁଚି ଶେଷ ।ଶେଯୁଁ ଉଠି ଇଷ୍ଟ ଚିନ୍ତି ନରେଶ ।ନିତ୍ୟକର୍ମ ସାରି ।ସ୍ୱପନକଥାକୁ ହୁଅଇ ଘାରି ।୧୧।ନ କହଇ କାହା ଆଗରେ କିଛି ।କିପରି ସନ୍ଧ୍ୟା ହେବ ଚାହିଁ ଅଛି ।ମନରୁ ସଂଶୟ ଦୂର ହୋଇବ ।ଏହା ବିଚାରେ ନୃପ ଜନେ ଭାବ ।କହେ କପିଳେଶ ।କଲାକର୍ମ ଫଳ ଫଳେ ଅବଶ୍ୟ ।୧୨।
୩ୟ ଛାନ୍ଦ । ରାଗ ରାମକେରୀ
ଶୁଣ ହେ ସୁଜନେ ଅପୂର୍ବ ଚରିତକୁ ସୁଧୀରେ ।କିପରି ଫଳଇ କପାଳ ପାପ-ପୁଣ୍ୟ ରୀତିରେ ।୧।ଗଜପତି ନରଈଶ୍ୱର ଓଡିଶାର ରାଜନ ।ଲକ୍ଷ ନରପତି ମଉଡ଼ମଣି ଗୁଣନିଧାନ ।୨।ବିଚାରନ୍ତି ସନ୍ଧ୍ୟା ହୋଇଲେ ମୋର ସଂଶୟ ଦୂର ।ହୋଇବ ଜାଣିବି କାହାକୁ କୃପା କରି ଈଶ୍ୱର ।୩।ଏ ଓଡ଼ିଶା ରାଜଗାଦିରେ ଅଧିପତି କରିବେ ।ପୁଣି କହିଛନ୍ତି ତାହାକୁ ବିପଦରୁ ତାରିବେ ।୪।ମୋର ଏ ସକଳ କୁମରେ ରାଜସମ୍ପଦେ ମତ୍ତ ।ନ ଜାଣନ୍ତି ଦ୍ୱିଜ ଦେବତା ଧର୍ମେ ନ ଥାଇ ଚିତ୍ତ ।୫।ସେମାନଙ୍କୁ କେବେ ନୃପତି-ପଦ ମିଳିବ ନାହିଁ ।ଦେଖୁଚି ପୁରିଆ କେବଳ ଧର୍ମପଥେ ଚାଲଇ ।୬।ଜଗନ୍ନାଥପଦ ଧ୍ୟାନରେ ନିଶୀଦିବା ବଞ୍ଚଇ ।ଅଧରମେ ଚିତ୍ତ ସ୍ୱପନେ ହେଲେ ଦିଅଇ ନାହିଁ ।୭।ଜଗନ୍ନାଥ ଦେବଙ୍କର କି ତାହାଠାରେ କରୁଣା ।ହୋଇଅଛି ମୋତେ ଏପରି ଯାଉଁ ଅଛଇ ଜଣା ।୮।ଏମନ୍ତ ବିଚାର ନରେଶ କରୁଁ କରୁଁ ଦିବସ ।ଶେଷ ହୋଇ ସନ୍ଧ୍ୟା ସମୟ ଆସି ହେଲା ପ୍ରବେଶ ।୯।ରବି ଅସ୍ତ ହେବା ଅନାଇଁ ନରବର ତୁରିତେ ।ଜଗନ୍ନାଥଦରଶନକୁ ବିଜେ ଆନନ୍ଦଚିତ୍ତେ ।୧୦।ନରେଶ ଗମନ ସମୟ ଜାଣି ସକଳ ସୁତେ ।ରାଜାଙ୍କ ନିକଟେ ମିଳିଲେ ଆସି ଯେ ଯାହାମତେ ।୧୧।ସେପରି ଯେ ପୁରୁଷୋତ୍ତମ ଆସି ନିକଟେ ମିଳି ।ପ୍ରଣମିଲେ ନୃପଚରଣେ ଶିରେ ଦେଇ ଅଞ୍ଜଳି ।୧୨।ସମସ୍ତ ପୁତ୍ରଙ୍କୁ ସଙ୍ଗରେ ଘେନି ନରଈଶ୍ୱର ।ଦରଶନ ପାଇଁ ଚଳିଲେ କହେ କପିଳେଶ୍ୱର ।୧୩।
୪ର୍ଥ ଛାନ୍ଦ ରାଗ କୁମ୍ଭକାମୋଦୀ ।
ଓଡ଼ିଶାରାଜନ ସକଳ ସନ୍ତାନମାନଙ୍କୁ ଘେନାଇଁ ।ଗମନ କରନ୍ତି ମାନସରେ ଚିନ୍ତି ଜଗତଗୋସାଇଁ ।୧।ଜଗନ୍ନାଥ ଦରଶନେ ତତପର ହୋଇ ନର ଇଶ ।ଯାଇ ସେ ବାଇଶପାବଚ୍ଛର ପାଶ ହୋଇ ପରବେଶ ।୨।ଚିତ୍ତେ ହରି ଚିନ୍ତା ଧୀରେ ଗଜପତି ରାଜନ ଚରଣ ।ବଢ଼ାନ୍ତେ ପାବଚ୍ଛ ଉପରକୁ ମିଛ ନୋହେ ଏହା ଜାଣ ।୩।ଈଶ୍ୱରକଥନ ନୁହଇ ଯେ ଆନ ନୃପ ପିନ୍ଧା ଫେର ।ପାବଚ୍ଛ ଉପରେ ଚରଣତଳରେ ରହୁଁ ନରବର ।୪।ଝୁଣ୍ଟିଲା ପରାଇ ରହି ଯାଉଁ ତହିଁ ସକଳ କୁମରେ ।ଥିଲେହେଁ ସେବାରେ କେ ତାହା ବେଗରେ ନ ଟେକି ଗର୍ବରେ ।୫।ଚାଲିଗଲେ ଆଗେ ନୃପପୃଷ୍ଠଭାଗେ ଥିଲା ଯେ ପୁରିୟାତା ।ଧାଇଁ ଆସି ଫେର ଟେକି ଧରୁ ନରବର ଦେଖି ତାହା ।୬।ଧରି ତାର ହସ୍ତ ହୋଇ ହରଷିତ ମନ୍ଦିରେ ପଶନ୍ତେ ।ଦେଖି ତାହା ଖଳପଣେ କଲେ ଗୋଳ କୁମର ସମସ୍ତେ ।୭।ବୋଇଲେ ହେ ନରଇଶ ଯେ ଅନ୍ତର କୁମର ତୁମ୍ଭର ।ଅଟେତ ପୁରିଆ ତାହାଠାରେ ନୂଆରୀତି କିପାଁ କର ।୮।ଆମ୍ଭମାନଙ୍କର ଦେହରେ ଯେ କର ନ ଦିଅ ସ୍ନେହରେ ।ଆଜି ପୁରିଆର ଧରିଅଛ କର କହ କି ବିଚାରେ ।୯।ଶୁଣି ନରପତି ସୁତଙ୍କ ଭାରତୀ ଏପରି ଚାହାନ୍ତି ।ଗଜପତି ରାଜଶିରୀ ଦେଲେ ଆଜ ପୁରୀକି ଶ୍ରୀପତି ।୧୦।ସ୍ୱପନଚରିତ କହନ୍ତେ ସମସ୍ତ ସେମାନଙ୍କୁ ତହିଁ ।ବୋଲନ୍ତି ସକଳେ ଜାଳି କୋପାନଳେ ନରେଶଙ୍କୁ ଚାହିଁ ।୧୧।ଥାଇଁ ଆମ୍ଭେମାନେ ପୁରିଆ କେସନେ ହୋଇବ ନୃପତି ।ଦେଖିବା କିପରି ଵିପଦୁଁ ଉଦ୍ଧରି ରଖିବେ ଶ୍ରୀପତି ।୧୨।ସେମାନଙ୍କ କୋପ ଦେଖି ଚିତ୍ତେ ତାପ ଲଭି ସେ ପୁରିଆ ।ହରିଙ୍କି ମାନସେ ଚିନ୍ତା କରି ଭାଷେ ନ ହୋଇ ଡରୁଆ ।୧୩।ଆହେ ଜଗନ୍ନାଥ ତୁମ୍ଭେ ମୋର ନାଥ ଏ କିସ କରିବେ ।ରାଜା ସହିତରେ ଦେଉଳ ଭିତରେ ମିଳିଲେ ସେ ଜବେ ।୧୪।କରି ଦରଶନ ସକଳେ ବହନ ହୋଇ ଫେରି ଗଲେ ।କହେ କପିଳେଶ ସେଦିନୁ ବିରସ ସମସ୍ତେ ହୋଇଲେ ।୧୫।
୫ମ ଛାନ୍ଦ । ରାଗ ଚିନ୍ତାଦେଶାକ୍ଷ ।
ଏଥୁ ଅନ୍ତେ ଧୀରେ ଶୁଣ ଜନେ ।ଗଜପତିଙ୍କ କୁମରମାନେ ।ମାରିବାକୁ ପୁରୁଷୋତ୍ତମକୁ ଗରୁକୋପେ ଜଗିଥାନ୍ତି ରାତ୍ରଦିନେ ଯେ । ସେମାନେ ।୧।ବସି ଅଠର ଭାଇ ଏକାନ୍ତେ ।କଲେ ବିଚାର ଏହା ଗୁପତେ ।ଯେ ପାରିବ ଯହିଁ ପୁରିଆକୁ ତହିଁ ଧରି ମାରିବ ମରେ ଯେମନ୍ତ ଯେ । ଯତନେ ।୨।କରି ସୀଉକାର ତହିଁ ସର୍ବେ ।ପୁରୁଷୋତ୍ତମର ହିଂସା ଭାବେ ।ସକଳେ ବୁଲନ୍ତି କେହି ନ ଜାଣନ୍ତି ଜଗନ୍ନାଥଙ୍କୁ ପୁରିଆ ସେବେ ଯେ । ସର୍ବଦା ।୩।ଦିନେ ପୁରିଆ ଯାଏ ଏକାକୀ ।ତାକୁ ଏକ ରାଜସୁତ ଦେଖି ।ଘୋଡ଼ା ଝପଟାଇ ତା ନିକଟେ ଯାଇଁ ବାଣୀ କହଇ ଏପରି ଡାକି ଯେ । ସେକାଳେ ।୪।ଆରେ ପୁରିଆ ଏମୋ ସାବେଳୀ ।ମୁଠାଘାତରୁ ଗଲେ ତୁ ବଳି ।ହୋଇ ନରପତି ଭୁଞ୍ଜିବୁ ସମ୍ପତ୍ତି ଇଷ୍ଟ ସୁମରି ଯାଅ ସମ୍ଭାଳିରେ । ପୁରିଆ ।୫।ପୁରୁଷୋତ୍ତମ ଏ ବାକ୍ୟ ଶୁଣି ।ମାନସରେ ଚିନ୍ତି ଚକ୍ରପାଣି ।ଅଚଳ ପରାଏ ସେହିସ୍ଥାନେ ରହେ ତାର ବାକ୍ୟରେ ଭୟ ନ ଗଣି ଯେ । ସେକାଳେ ।୬।ରାଜପୁତ୍ର ଘୋଡ଼ାପରେ ଥାଇଁ ।ପୁରୁଷୋତ୍ତମ ଅଙ୍ଗକୁ ଚାହିଁ ।ଲକ୍ଷକରି ମୋତେ ଶାବେଳୀ କୋପରେ ତିନିବାର ତୁହାଇଁ ତୁହାଇଁ ଯେ । ବେଗରେ ।୭।ପୁରୁଷୋତ୍ତମ ବୁଜିଛି ନେତ୍ର ।ଚିତ୍ତେ ଚିନ୍ତୁଅଛି ଜଗନ୍ନାଥ ।ଶାବେଳୀ ତାଅଙ୍ଗେ ନ ବାଜି ଅଲଗେ ଯିବା ଦେଖି ହୋଇ ଚମକିତ ସେ । ନୃପଜ ।୮।ବିଚାରିଲା ଏ ହେବ ନୃପତି ।ଗଲା ଶାବେଳୀ ଘାତୁଁ ବରତି ।ଜଗନ୍ନାଥେ ରକ୍ଷା କଲେ ବହି କକ୍ଷା ଆଉ ନାହିଁ ଏହାକୁ ଦୁର୍ଗତି ଯେ । କେବେହେଁ ।୯।ଗଲା ପଳାଇ ଏହା ବିଚାରି ।ଲୋକେ ଦେଖିଲେ ନିନ୍ଦିବେ ଡରି ।ସେ ଯିବାର ଦେଖି ଭୟକୁ ଉପେଖି ପୁରୁଷୋତ୍ତମ ଚିନ୍ତିଲା ହରି ଯେ । ସେକାଳେ ।୧୦।ତହୁଁ ଧୀରଧୀର ହୋଇଁ ଯାଇଁ ।କାହା ଆଗରେ କିଛି ନ କହିଁ ।କରି ଇଷ୍ଟଧ୍ୟାନ ବଞ୍ଚିଲା ସେ ଦିନ ଶୁଣ ପୁଣି ହୋଇଲା ଯା ତହିଁ ହୋ ସୁଜନେ ।୧୧।ମାରି ଶାବଳୀ ଲଜ୍ଜାକୁ ପାଇଁ ।ରାଜପୁତ୍ର ଭାଇଙ୍କି ଡକାଇଁ ।କହିଲା ପୁରିଆ ହେବ ନରନାହା ଏଥେଁ ସନ୍ଦେହ ନକର କେହି ହେ । ସୋଦରେ ।୧୨।ବୋଲି ଏହା ସେହୁ ଅନ୍ୟଦେଶେ ।ଯାଉଁ ଆନଭାଇମାନେ ରୋଷେ ।ଜଳରେ ବୁଡ଼ାଇ ମାରିବାକୁ ନେଇଁ ପୁରିଆକୁ ସେ ଏକଦିବସେ ଯେ । କୂଟରେ ।୧୩।ଜଳେ ବୁଡ଼ାଉଁ ତାହାକୁ ହରି ।ରକ୍ଷାକଲେ ସର୍ବେ ଗଲେ ହାରି ।ଏହିପରି ଯେତେ ଦୁଃଖ ଦେଲେ କେତେ ତାହା କହିବି ଅବା ବିଚାରି ହେ । ସୁଜନେ ।୧୪।ଶେଷେ ହାରି ସମସ୍ତେ ପଳାଇଁ ।ରହିଲେ ସେ କାହିଁ କାହିଁ ଯାଇଁ ।କହେ କପିଳେଶ ପୁରିଆମାନସ କଲେ ପୂରଣ କମଳାସାଇଁ ହେ । ସୁଜନେ ।୧୭।
୬ଷ୍ଠ ଛାନ୍ଦ । ରାଗ ଶଙ୍କାରାଭରଣ ।
ପୁରୁଷୋତ୍ତମକୁ ନାଶ କରିବା ବିଚାର ।ବାନ୍ଧି ଶେଷେ ରାଜାଙ୍କର ଅଠରକୁମର ।ସର୍ବେ ହତାଶ ହୋଇଲେ ।ଲାଜେ କିଏ କେଉଁଆଡ଼େ ତହୁଁ ପଳାଇଲେ ।୧।ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କ ସେବାରେ ।ମାନସ ମଜ୍ଜାଇ ଥାଏ ରଜନୀ-ଦିବାରେ ।ଏହିପରି କେତେଦିନ ।ଯାଉଁ ଗଜପତିରାଜା ହୋଇଲେ ନିଧନ ।ପୁରୁଷୋତ୍ତମ ଶ୍ରୀପୁରୁଷୋତ୍ତମରେ ରହି ।ଜଗନ୍ନାଥଙ୍କ କୃପାରେ ହେଲେ ନରସାଇଁ ।ତାଙ୍କ କୀରତି ବିଖ୍ୟାତ ।ହେଉଁ ନରପତିମାନେ ଶୁଣି ହେଲେ ଭୀତ ।୩।ଶ୍ରୀ ପୁରୁଷୋତ୍ତମଦେବ ଗାଦୀଶ୍ୱର ହୋଇ ।ଧର୍ମେ ପ୍ରଜାଙ୍କୁ ପାଳିଲେ ରିପୁକୁଳ ଦହି ।ରକ୍ଷକଟି ଜଗନ୍ନାଥ ।ଯାହାର ହୁଅନ୍ତି ତାକୁ କିଅବା ବିଚିତ୍ର ।୪।କାଞ୍ଚିକାବେରୀ ରାଜନ କଳେବରେଶ୍ୱର ।ଓଡ଼ିଶାର ଦକ୍ଷିଣଭାଗରେ ତାର ଘର ।ସେ ନୃପର ଈଷ୍ଟଦେବ ।ଗଣପତି ଥିବାରୁ ତା ମନରେ ଗରବ ।୫।କଳେବର ନରେଶ୍ୱର ଅତ୍ୟନ୍ତ ପ୍ରତାପୀ ।ଥାଏ ଯେପରି ତା କେତେ କହିବି ସନ୍ତାପି ।ଈଷ୍ଟଦେବତା ବଳରେ ।କାହାର କି କାମନା ବା ନୁହଇ ଫଳରେ ।୬।ସେ ରାଜାର ଏକ କନ୍ୟା ପଦ୍ମିନୀ ସୁନ୍ଦରୀ ।ଦେଖି ତା ରୂପକୁ ଯୋଗିଜନେ ହୋନ୍ତି ଘାରି ।କି କରିବି ତା-ବର୍ଣ୍ଣନା ।ନାହିଁ ତା ପଦନାମଧ୍ୟେ କର ଘେନା ।୭।ନାମ ତାର ପଦ୍ମାବତୀ ଅତି ସୁକୁମାରୀ ।ଶୋଭାଗୁଣେ ଦେଵକନ୍ୟା ତାକୁ ଯିବେ ହାରି ।କଳେବର ନରପତି ।କନ୍ୟାକୁ ଦେଖି ଏପରି ବିଚାର କରନ୍ତି-ଲକ୍ଷରାଜା ମଉଡ଼ମଣି ଯେ ଗୁଣବଳେ ।ଶ୍ରୀ ପୁରୁଷୋତ୍ତମଦେବ ଗଜପତି-କୁଳେ ।ତାଙ୍କ ଗୁଣ କୀରତିରେ ।ପୂରିଛି ଧରାମଣ୍ଡଳ ଶୁଣୁଚି ଶ୍ରୁତିରେ ।୯।ପୁଣି ଜଗନ୍ନାଥଙ୍କର ଅନୁଗ୍ରହ ପାତ୍ର ।ଅଟନ୍ତି ଏକଥା ଲୋକେ ହୋଇଛି ବିଖ୍ୟାତ ।ସେହି ନୃପତିଙ୍କି ମୋର ।ପଦ୍ମାବତୀକି ପ୍ରଦାନ କରିବ ନିକର ।୧୦।କରି ଏପରି ବିଚାର ରାଣୀସମୀପରେ ।କହିଁ କଳେବର ନୃପ ବିଧିବିଧାନରେ ।କନ୍ୟାଦାନ ଜଉତୁକ ।ବିଧିସଙ୍ଗେ ଘେନି କାଞ୍ଚିକାବେରୀ ନାୟକ ।ଜାୟାସୁତ ସହୋଦର ସୈନ୍ୟ ସହିତରେ ।ଯାତ୍ରା କଲା ନରପାଳ ଆନନ୍ଦଚିତ୍ତରେ ।ଆସି ପୁରୁଷୋତ୍ତମରେ ।କନ୍ୟାଦାନ କରିବ ବିଚାରି ମାନସରେ ।୧୧।ଦିନେଦିନେ ଯାଇ କାଞ୍ଚିକାବେରୀ ରାଜନ ।ପୁରୁଷୋତ୍ତମେ ମିଳିଲା ଥାଇଁ ଦେବସ୍ନାନ ।ବସା କରି ସେ ରହିଲା ।ପ୍ରଥମଦିନରେ ଦରଶନ କରି ଗଲା ।୧୨।ଦେଉଳଭିତରେ ପଶି ନିରୀକ୍ଷଣ କଲା ।ଦାରୁରୂପଧାରୀ ତିନିଦେବଙ୍କୁ ଦେଖିଲା ।ତହିଁ ତାଙ୍କୁ ନମସ୍କାର ।ନ କରି ପ୍ରସାଦ ନ ଘେନିଲା ନରେଶ୍ୱର ।୧୩।ପଣ୍ଡାମାନଙ୍କୁ କହିଲା ଏହା ସେ ନୃପତି ।ମୋର ଈଷ୍ଟ ଗଣପତି ଏଠାରେ ନାହାନ୍ତି ।କାହା ପ୍ରସାଦ ଗ୍ରହଣ ।କରିବି ଏବାଣୀ କହି ଗଲା ନରରାଣ ।୧୪।ଆପଣାବସାରେ ସାରି ରନ୍ଧନ ଭୋଜନ ।ନିଶୀଯୋଗେ ଶେଯେ ଯାଇ କଲା ସେ ଶୟନ ।କହେ କପିଳେଶନନ୍ଦ ।ଯାର ଯେ ଈଷ୍ଟ ସେ ତାର ସକଳ ସମ୍ପଦ ।୧୫।
୭ମ ଛାନ୍ଦ । ମୁନିବରବାଣୀ ।
ଶୁଣ ହେ ସୁଜନେ ଧୀରେ ।କଳେବର ଶୟନରେ ।ସ୍ୱପନେ ଦେଖିଲା ଯାହା ।କହୁଚି ତାହା ଯେ ।୧।ଆସି ଏକ ବୃଦ୍ଧ ଦ୍ୱିଜ ।ଭାଷନ୍ତି ହେ କାଞ୍ଚିରାଜ ।ତୁମ୍ଭ ଈଷ୍ଟ ଗଣେଶ୍ୱର ।ମୂରତି ମୋର ଯେ ।୨।ଆସନ୍ତା ପୂର୍ଣ୍ଣିମାଦିନ ।ହୋଇବ ଯେ ଦେବସ୍ନାନ ।ସେ-ସ୍ନାନମଣ୍ଡପେ ମୋତେ ।ତୁ ଭକ୍ତିଚିତ୍ତେ ଯେ ।୩।ଦର୍ଶନ କରିବୁ ଯାଇଁ ।ଗଣେଶରୂପରେ ମୁହିଁ ।ଦେବି ତୋତେ ଦରଶନ ।ନୋହିଁଵ ଆନ ଯେ ।୪।ଏତେ କହି ଅନ୍ତର୍ଦ୍ଧ୍ୟାନ ।ହେଲେ ଯହୁଁ ଭଗବାନ ।ରାଜା ନିଦ ଭାଜିଗଲା ।ନିଶୀ ପାହିଲା ଯେ ।୫।କଳେବର ନରପତି ।ତା ନ କହି କାହା କତି ।ମାନସରେ ରଖିଥିଲା ।ପୂର୍ଣ୍ଣିମା ହେଲା ଯେ ।୬।ସେ ଦିନ ସକାଳଧୂପ ।ଶେଷେ ତିନି ଦାରୁ ରୂପ ।ସ୍ନାନମଣ୍ଡପରେ ଯାଇ ।ବିଜୟ ହୋଇ ଯେ ।୭।ହାତୀବେଶ ହେଲାବେଳେ ।କଳେବର ନୃପ ଡୋଳେ ।ସେଠାରେ ଥାଇ ତା ଦେଖି ।ହୋଇଲା ସୁଖୀ ଯେ ।୮।ବୋଲେ ମୋ ପ୍ରଭୁ ଗଣେଶ ।ଅଟନ୍ତି ନୀଳାଦ୍ରିଈଶ ।ପୁରୁଷୋତ୍ତମ ନରେଶ ।ଏହାଙ୍କ ଦାସ ଯେ ।୯।ଦେବି ମୁଁ ତାଙ୍କୁ ଦୁହିତୀ ।ଏ ମୋର ସତ୍ୟ ଭାରତୀ ।ଏହା ଚିତ୍ତେ ସ୍ଥିର କଲା ।ତହିଁ ରହିଲା ଯେ ।୧୦।ଶୁଣ ଜନେ ଧିରମନେ ।ତହିଁପରେ କେତେଦିନେ ।ହେଲା ଆସି ରଥଯାତ ।ଦିନ ପ୍ରାପତ ଯେ ।୧୧।ଆଷାଢ଼ମାସ ଶୁକଳ ।ଦ୍ୱିତୀୟାତିଥି ମଞ୍ଜୁଳ ।ସେଦିନ ରଥକୁ ବିଜୋଦେବାଧିରାଜେ ଯେ ।୧୨।ରୁଣ୍ଡ ହୋଇ ନାନାଦେଶ ।ଲୋକେ କରି ହରିଘୋଷ ।ସେବକେ ଦାରୁ ମୂରତି ।ରଥେ ବସାନ୍ତି ଯେ ।୧୩।ସୁବର୍ଣ୍ଣ ଖଡ଼ିକା ଧରି ।ଓଡ଼ିଶାର ଦଣ୍ଡଧାରୀ ।ରଥପରେ ପହରନ୍ତି ।ଛରା ପକାନ୍ତି ଯେ ।୧୪।ତିନିଦେବଙ୍କ ଆଗରେ ।ସୁବର୍ଣ୍ଣ ମାଜନୀକରେ ।ଓଳାଇ ଚନ୍ଦନ ଛରା ।ପକାନ୍ତି ତୋରାଯେ ।୧୫।ଓଡ଼ିଶା ନୃପବଂଶର ।ଏ ବଡ଼ ସିଦ୍ଧି ବିଚାର ।କହେ କପିଳେଶ ନନ୍ଦ ।ଚିନ୍ତି ଗୋବିନ୍ଦ ଯେ ।୧୬।
ସମ୍ବନ୍ଧିତ ରଚନା
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ