ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
କବି ସମ୍ରାଟ · ପ୍ରାୟ ୧୬୭୦–୧୭୪୦ · ରୀତି ଯୁଗ
- ପଢ଼ିବା ସମୟ
- ୩୩୪ ମିନିଟ୍
- ଶବ୍ଦ
- ୫୩୪୦୬
- ସ୍ଥିତି
- ସାର୍ବଜନୀନ (Public domain)
ବିଜୟୀ ଜଗତରେ କାତର ବିମନେ ।ବିଜୟି ପଥେ ତୋଳିଲେ କଦମ୍ବ ସୁମନେ ।ବୀର ହେଜେ କେଉଁ ଦିନ କରିବି ଦର୍ଶନ ।ବିରହେ ଯେ ହୋଇଥିବ କପୋଳେ ଏସନ ॥ ୧ ।ବିବସନ କରି ନଖ ଚାଳନ୍ତେ କିଞ୍ଚିତ ।ବିବସରୁ ହେବ କି ଏ ରୂପେ ରୋମାଞ୍ଚିତ ?ବଙ୍କିଳ ହରି ଖୋଜିଲେ ନ ପାଇ ବିମତି ।ବଙ୍କିମ ନୟନା ମୋ ହୋଇଲା ଏହିମତି ॥ ୨ ।ବିଚକ୍ଷଣ ହୋଇଲେ କି ହେବ ପରମ୍ପରା ।ବିଚଳିତ ଦମ୍ଭ ଠାବ ନ କରିବି ପରା ।ବିବେକ ଜାତରେ ପୁଷ୍ପ ପକାଇ ବେଗରେ ।ବିବେଚନା କଲେ ଅଛି କର୍ବୁର ନଗରେ ॥ ୩ ।ବହିଲେ କୋପ ଛେଦି ପକାଇ ଦେବି ଶିର ।ବହିଲେ ପଥେ ଝମକ ପ୍ରକାଶି ଅସିର ।ବିରାଧପର ଲକ୍ଷ୍ମଣ ଧୃତ ଧନୁଶର ।ବିରାଜିଲେ ଋଷ୍ୟମୂକ ଗିରି ପାରୁଶର ॥ ୪ ।ବବରଗତ ସୁଗ୍ରୀବ ଦେଖି ସେ ଉଭୟ ।ବି-ବର ଲୋକନେ ଯଥା ପନ୍ନଗ ସଭୟ ।ବଳିଷ୍ଠ କରି ପେଷିଛି ପାଞ୍ଚି ବେନିଚାର ।ବଳିମୁଖରାଜେ ଯେଣୁ ଗିରି ଅପ୍ରଚାର ॥ ୫ ।ବଧିବେ ମୋତେ ବିଚାରି ବେପଥୁ ରଚନ ।ବଧିର ପ୍ରାୟେ ନ ଶୁଣେ ମନ୍ତ୍ରୀଙ୍କ ବଚନ ।ବାଳିଶ କି ତୁମ୍ଭେ ତାକୁ କହେ ହନୁମାନ ।ବାଳି ବିନା ପରାକ୍ରମେ କେ ଆମ୍ଭ ସମାନ ? ॥ ୬ ।୧ମ ପଦ :- ବିଜୟି -ଯାଉ ଯାଉ ।
୧ମ ପଦ :- ଏହି ଜଗତର ଏକମାତ୍ର ବିଜୟୀ ରାମଚନ୍ଦ୍ର ସୀତାଙ୍କ ଯୋଗୁଁ ମନଦୁଃଖରେ ବାଟରେ ଯାଉଁ ଯାଉଁ ଗୋଟିଏ କଦମ୍ବ ଫୁଲ ତୋଳିଲେ । ତାହାକୁ ହାତରେ ଧରି ମନେ ମନେ ଭାବିବାକୁ ଲାଗିଲେ, ‘ଆହା ! କେଉଁଦିନ ପ୍ରିୟାକୁ ଦେଖିବି ? ବିରହ ହେତୁ ତାଙ୍କର ଗଣ୍ଡସ୍ଥଳ ତ ଏହି କଦମ୍ବଫୁଲ ପରି ହୋଇଥିବ, ଅର୍ଥାତ୍ ଲୋମରାଶି ଟାଙ୍କୁରି ଉଠିଥିବ ।’
୨ୟ ପଦ :- ବିବସନ- ଉଲଗ୍ନ । ବିବସ - ବିହ୍ୱଳା । ବଙ୍କିଳ – କଦମ୍ବ, ନାଡ଼ । ବିମତି - ବିଚଳିତମନା । ବଙ୍କିମ ନୟନା - ବାମାକ୍ଷୀ, ବକ୍ରନୟନା ।
୨ୟ ପଦ:- ରାମଚନ୍ଦ୍ର ପୁଣି ଭାବିବାକୁ ଲାଗିଲେ, ପ୍ରିୟାକୁ ଉଲଗ୍ନ କରି ତାର ଦେହରେ ଧୀରେ ଧୀରେ ନଖଦ୍ୱାରା ଆଘାତ କଲେ ସେ ବିହ୍ୱଳିତ ହୋଇ ଏହି କଦମ୍ବଫୁଲ ପରି ରୋମାଞ୍ଚିତ ହେବ କି ?’ ଏହିପରି ଭାବୁ ଭାବୁ ସେହି ଫଳରୁ ନାଡ଼ଟିକୁ ଛିଣ୍ଡାଇ ଦେଇ ସେହି ଛିଣ୍ଡାସ୍ଥାନକୁ ଖୋଜି ଖୋଜି ନ ପାଇବାରୁ ଅତିଶୟ ଦୁଃଖିତ ହୋଇ ଭାବିଲେ, ‘ମୋର ବକ୍ରଲୋଚନା ସୀତା ଏହିପରି ହେଲା । ଅର୍ଥାତ୍ ଏହିପରି ମୁଁ ତାକୁ ହରାଇ ଖୋଜୁ ଖୋଜୁ ଆଉ ମିଳିଲା ନାହିଁ ।
୩ୟ ପଦ :- ବିଚକ୍ଷଣ - ବୁଦ୍ଧିମାନ୍ ବା ସୁଚତୁର । ପରଂପରା - ପରିପାଟୀ । କର୍ବୁରନଗର –ରାକ୍ଷସପୁରୀ ।
୩ୟ ପଦ :- ‘ମୁଁ ଖୁବ୍ ବୁଦ୍ଧିମାନ୍ ହେଲେ ସୁଦ୍ଧା କଣ ହେବ ? ବର୍ତ୍ତମାନ ମୋର ଧୈର୍ଯ୍ୟଚ୍ୟୁତ ହୋଇଥିବାରୁ ପ୍ରତ୍ୟେକ ସ୍ଥାନ ଖୋଜି ତାଙ୍କୁ ଠାବ କରି ପାରିବି ନାହିଁ ପରା !’ ଏହି ସମୟରେ ତାଙ୍କର ସଦ୍ବୁଦ୍ଧି ଉଦୟ ହେବାରୁ ହଠାତ୍ ସେହି ଫୁଲକୁ ଫିଙ୍ଗିଦେଇ ବିଚାର କଲେ, ପ୍ରିୟା ତ ରାକ୍ଷସପୁରୀ ଲଙ୍କାରେ ଅଛି ।’
୪ର୍ଥ ପଦ :- ସଙ୍ଗେ ସଙ୍ଗେ କୋପାନ୍ୱିତ ହୋଇ ‘ତାହାର ମସ୍ତକ ଛେଦନ କରିବି’ - ଏହା କହି ଖଣ୍ଡାକୁ ଖୋଳରୁ ବାହାର କରି ଅତି ଶୀଘ୍ର ବାଟ ଚାଲିବାକୁ ଲାଗିଲେ । (ସେଠାରୁ ଗମନ କଲେ ) । ଏହିପରି ଯାଉଁ ଯାଉଁ ସେହି ଧନୁଶରଧାରୀ ରାମ ଲକ୍ଷ୍ମଣ ଦୁହେଁ ଋଷ୍ୟମୁକ ପର୍ବତର ନିକଟରେ ପ୍ରବେଶ ହେଲେ ।
୫ମ ପଦ :- ବିବରଗତ - ଗାତରେ ପ୍ରବେଶ କରିବା । ବି-ବର - ପକ୍ଷୀଶ୍ରେଷ୍ଠ ଅର୍ଥାତ ଗରୁଡ଼ । ପନ୍ନଗ - ସର୍ପ । ବଳିମୁଖରାଜେ - ବାନରପତି ବାଳିର । ଅପ୍ରଚାର - ଅଗମ୍ୟ ।
୬ଷ୍ଠ ପଦ :- ବେପଥୁ - କମ୍ପନ । ବାଳିଶ -ମୁର୍ଖ ।
୫ମ ଓ ୬ଷ୍ଠ ପଦ :- ସାପମାନେ ଗରୁଡ଼କୁ ଦେଖି ଯେପରି ଭୟରେ ଅସ୍ଥିର ହୋଇ ଗାତ ଭିତରେ ପ୍ରବେଶ କରନ୍ତି, ସୁଗ୍ରୀବ ସେହିପରି ରାମ ଲକ୍ଷ୍ମଣଙ୍କୁ ଦେଖି ଭୟରେ ଅସ୍ଥିର ହୋଇ ଗାତ ଭିତରେ (ପର୍ବତ ଗୁମ୍ଫାରେ) ପ୍ରବେଶ କଲା । କାରଣ ସେ ମନେ କଲା, ‘ବାନର ରାଜା ବାଳୀ ଏହି ପର୍ବତରେ ପ୍ରବେଶ କରି ନ ପାରିବାରୁ ବନଶାଳୀ ଦୁଇଗୋଟି ଦୂତଙ୍କୁ ପଠାଇଅଛି; ଏ ଦୁହେଁ ମତେ ମାରି ପକାଇବେ ।’ ଏହି କଥା ଭାବି କମ୍ପିବାକୁ ଲାଗିଲା ଏବଂ କାଲପରି ମନ୍ତ୍ରୀମାନଙ୍କର କଥା ଶୁଣିଲା ନାହିଁ । ହନୁମାନ ତାକୁ କହିଲା, ‘‘ତୁମେ କଣ ମୁର୍ଖ ? ବାଳୀ ଛଡ଼ା ଆଉ କିଏ ଆମ୍ଭମାନଙ୍କ ସମାନ ଅଛି ଯେ ତୁମ୍ଭେ ଭୟ କରୁଛ ?’’
ବିଧୁରେ ଏ ପ୍ରଭା ଥିବ ଲକ୍ଷ୍ୟ ଯୋଖିବାରେ ।ବିଧୁରେ ଏ ପ୍ରଭା ନାହିଁ ପୂର୍ଣ୍ଣେ ଦେଖିବାରେ ।ବାନପ୍ରସ୍ଥ-ବେଶଧାରୀ ମନକୁ ନ ପାଇ ।ବାନରପତିର ଚାର ହେବେ ଏ କିପାଇଁ ? । ୭ ।ବଶୀଭୂତ ନୋହି ନଭମାର୍ଗେ ସ୍ୟନ୍ଦନରେ ।ବସି ଯାଉଥିଲା ରାମା ଯୁକ୍ତ କ୍ରନ୍ଦନରେ ।ବଲ୍ଲରୀ ପଶୁ-ପକ୍ଷୀଙ୍କି କରୁଥିଲା ସାକ୍ଷ୍ୟ ।ବଲ୍ଲଭ ସେ ନାରୀର ହେବେ କି ସାରସାକ୍ଷ ॥ ୮ ।ବିରହୀ ହେଲା ପରାୟ ଦିଶଇ ତନୁ ତ ।ବିରଞ୍ଚି ରଚିବାରେ ସୁନ୍ଦରେ ଏହି ନୁତ ।ବାଡ଼ବେୟସୁତ ଭାଷେ ସତ ଏ ତରକ ।ବାର ଏତେ କନ୍ୟା ଯେଉଁ ନାମ ଉଚ୍ଚାରକ ॥ ୯ ।ବିହି କଙ୍କବେଶେ ଯାଇ କେ ତୁମ୍ଭେ ପଚାର ।ବିହିବ ସେ ତାହି ଯେବେ ହୋଇବ ପ୍ରଚାର ।ବାହାର ହେବ ବଚନ ପ୍ରାକ୍ରମ ଭରସା ।ବାହା ଧନୁ ଦେଖି ମଣି ଜିଣିପାରେ ରସା ॥ ୧୦ ।୭ମ ପଦ :- ବିଧୁରେ – ବିଷ୍ଣୁଙ୍କଠାରେ, ଚନ୍ଦ୍ରଠାରେ । ବାନପ୍ରସ୍ଥ ବେଶଧାରୀ -ବନବାସୀ ବେଶଧାରୀ ବା ମୁନି ବେଶଧାରୀ ।
୭ମ ପଦ :- ‘‘ତୁଳନା କଲେ ଜଣାଯାଏ, ଏହିପରି ତେଜ କେବଳ ବିଷ୍ଣୁଙ୍କଠାରେ ଥାଇପାରେ କିନ୍ତୁ ପୂର୍ଣ୍ଣଚନ୍ଦ୍ରଠାରେ ସୁଦ୍ଧା ଦେଖାଯାଏ ନାହିଁ । ଏମାନେ ମୁନିବେଶ ଧାରଣ କରିଅଛନ୍ତି, କାହିଁକି ବାଳିର ଦୂତ ହେବେ ? ଏମାନେ ବାଳୀର ଦୂତ ଏହା ମୋର ମନକୁ ପାଉନାହିଁ ।’’
୮ମ ପଦ :- ବଶୀଭୁତ - ଅନୁରକ୍ତ । ନଭୋମାର୍ଗେ - ଆକାଶମାର୍ଗରେ । ସ୍ୟନ୍ଦନରେ - ରଥରେ । ବଲ୍ଲରୀ - ଲତା । ସାରସାକ୍ଷ- ରାଜୀବଲୋଚନ ।
୮ମ ପଦ :- ‘‘ସେଦିନ ନେଇ ଯାଉଥିବା ପୁରୁଷ ପ୍ରତି ‘ବଶୀଭୂତ’ ରାଜି ନ ହୋଇ ଆକାଶମାର୍ଗରେ ରଥରେ ବସି କାନ୍ଦି କାନ୍ଦି ଯାଉଥିବା ସୁନ୍ଦରୀ ସ୍ତ୍ରୀ ଲୋକଟି ଲତା, ପଶୁ, ପକ୍ଷୀମାନଙ୍କୁ ସାକ୍ଷୀ କରୁଥିଲା । ଏହି କମଳଲୋଚନ ସେହି ସ୍ତ୍ରୀର ବର ହେବେ କି ?’’
୯ମ ପଦ :- ବିରଞ୍ଚି - ବିଧାତା । ନୁତ - ପ୍ରଶଂସିତ । ବାଡ଼ବେୟସୂଚ - ନଳ ନାମକ ବାନର । ବାର -ବିଚାର ପୂର୍ବର ସ୍ଥିର କର ।
୯ମ ପଦ :- ‘‘ଏହାଙ୍କର ଦେହରୁ ଏ ବିରହୀ ହେଲାପରି ଦେଖା ଯାଉଛନ୍ତି ଏବଂ ବିଧାତା ରଚନା କରିବା ସୁନ୍ଦର ପୁରୁଷମାନଙ୍କ ମଧ୍ୟରେ ଏ ପ୍ରଶଂସିତ (ପ୍ରଧାନ) ଅଟନ୍ତି ।’’ ହନୁର ଏହିପରି ବିଚାର ଶୁଣି ନଳ କହିଲା, ‘‘ତୁମ୍ଭର ଏହି ‘ତର୍କ’ ବିଚାର ସତ୍ୟ ଅଟେ । ମାତ୍ର ଏତିକି ବାର (ଉଣ୍ଡ), ସେ କନ୍ୟା ଯେଉଁ ନାମ କହୁଥିଲା, ଏମାନେ ସେହି ନାମଧାରୀ ଅଟନ୍ତି କି ନାହିଁ । ’’
୧୦ମ ପଦ :- କଙ୍କବେଶ - କପଟ ବ୍ରାହ୍ମଣ ବେଶ । ରସା - ପୃଥିବୀ । ବିହିବ -ବିଧାନ କରିବ ଅର୍ଥାତ କହିବ ।
୧୦ମ ପଦ :- ‘‘ହେ ହନୁମାନ, ତୁମ୍ଭେ ବ୍ରାହ୍ମଣ ବେଶ ଧାରଣ କରି ତାଙ୍କ ନିକଟକୁ ଯାଇ ‘ତୁମ୍ଭେ କିଏ’ ବୋଲି ପଚାର । ସେ ଯଦି ସେହି କଥା କହିବେ (ମୋର ସ୍ତ୍ରୀ ଚୋରି ଯାଇଛି; ମୁଁ ରାମ ଇତ୍ୟାଦି ) ତାହାହେଲେ ପ୍ରକାଶ ପାଇବ । ଏହାଙ୍କର ବାହୁ ଓ ଧନୁ ଦେଖି ମୁଁ ମନେ କରୁଛି, ଏ ପୃଥିବୀ ଜିଣି ପାରନ୍ତି ।’’
ବହନ କରି କପଟ ମୂରତି ବିଧାନ ।ଚହତୁ ସେ କରୁଣାନିଧାନ ସନ୍ନିଧାନ ।ବଦତି ବିହରୁଅଛ ଘୋର କାନନର ।ବଦରିକା ତେଜି କିପା ନାରାୟଣ ନର ॥ ୧୧ ।ବାହୁଜମୂର୍ତ୍ତି ତ ଜଟା ମୁକୁଟ ମଣ୍ଡନ ।ବାହୁ ବହ ଶସ୍ତ୍ର ଇଚ୍ଛି କାହାର ଖଣ୍ଡନ ?ବାଚକ ହୋଇଣ ପୁଚ୍ଛା କରୁଁ ରଘୁରାଣ ।ବାଚସ୍ପତିକି ବ୍ରହ୍ମା କି ବୁଝାଇ ପୁରାଣ ॥ ୧୨ ।ବହୁତ ବିଧାନେ ଦଶରଥଙ୍କ ତନୟ ।ବହୁଁ ରାମ ଲକ୍ଷ୍ମଣ ନାମକୁ ସବିନୟ ।ବିଶ୍ୱାମିତ୍ର ଆସି ନେଲେ ଯାଗକୁ ପଚାରି ।ବିଶ୍ୱାମିତ୍ର ସୁବାହୁର ବିନାଶ ବିଚାରି ॥ ୧୩ ।ବିଭାବସୁ-କୋଟି-ପ୍ରଭା ଶିବଧନୁ ଧରି ।ବିଭା ହେଲୁଁ ସୀତା କି ଶୋଭିତା ବିମ୍ବାଧରୀ ।ବନ୍ଦାରୁ ପରଶୁରାମ ଦର୍ପ ବିଭଞ୍ଜନ ।ବନ୍ଦାନ୍ତେ ପ୍ରାତେ ଜନକ କରିଣ ରାଜନ ॥ ୧୪ ।ବିଧାୟକ ବନଗତି ମନ୍ଥରା ମନ୍ଥିଲା ।ବିଧାତା ଭାଲ ଲେଖନ ପ୍ରିୟା ଦୂର ଥିଲା ।ବଞ୍ଚୁଥିଲୁଁ ଦିନ ପଞ୍ଚବଟୀରେ ବିହରି ।ବଞ୍ଚକ ହରି ବଲ୍ଲଭୀ ଏ ଅଦ୍ଭୁତ ହରି ॥ ୧୫ ।୧୧ଶ ପଦ :- ବହତୁ -ପଥିକ । ନରନାରାୟଣ -ବଦରିକାଶ୍ରମସ୍ଥ ଋଷିହୟ ।
୧୧ଶ ପଦ :- ଏହା ଶୁଣି ହନୁମାନ ଶୀଘ୍ର କପଟରୁପ ଧାରଣ କରି ସେହି ପଥିକ କରୁଣାସାଗର ରାମଚନ୍ଦ୍ରଙ୍କର ନିକଟବର୍ତ୍ତୀ ହୋଇ କହିଲା, ‘‘ହେ ନର, ହେ ନାରାୟଣ ! ତୁମ୍ଭେ ଦୁହେଁ ବଦରିକାଶ୍ରମ ଛାଡ଼ି କାହିଁକି ଏ ଘୋର ଅରଣ୍ୟରେ ଭ୍ରମଣ କରୁଅଛ ?’’
୧୨ଶ ପଦ :- ବାହୁଜ ମୂର୍ତ୍ତି - କ୍ଷତ୍ରିୟ ରୂପ । ବାଚସ୍ପତି - ବୃହସ୍ପତି ।
୧୨ଶ ପଦ :- ତୁମ୍ଭେ ଜଟା ଓ ମୁକୁଟ ଧାରଣ କରିଥିଲେ ମଧ୍ୟ କ୍ଷତ୍ରୀୟ ତ, ଅର୍ଥାତ ନିଶ୍ଚୟ କ୍ଷତ୍ରୀୟ । କାହାକୁ ମାରିବା ନିମିତ୍ତ ହସ୍ତରେ ଶସ୍ତ୍ର ଧାରଣ କରି ଅଛ, ମୁଁ ଏହି କଥା ପଚାରୁଅଛି ।’’ ବ୍ରହ୍ମା ବୃହସ୍ପତିଙ୍କୁ ପୁରାଣ ବୁଝାଇଲା ପରି ରାମଚନ୍ଦ୍ର କହିବାକୁ ଲାଗିଲେ, -
୧୩ଶ ପଦ :- ବିଶ୍ୱାମିତ୍ର -ଜଗତର ଶତ୍ରୁ ।
୧୩ଶ ପଦ :- ‘‘ରାଜା ଦଶରଥ ବେଦର ନିୟମାନୁସାରେ ଯାଗ ଆଦି ବହୁତ କାର୍ଯ୍ୟ କରିବାରୁ ତାହାଙ୍କର ପୁତ୍ର ରୂପରେ ଆମ୍ଭେ ଜନ୍ମଲାଭ କରି ରାମ ଓ ଲକ୍ଷ୍ମଣ ଏହି ଦୁଇ ନାମକୁ ଧାରଣ କରିଅଛୁ । ଯାଗ ବିନାଶକାରୀ ଜଗତର ଶତ୍ରୁ ସୁବାହୁ ରାକ୍ଷସର ବିନାଶ ଆମ୍ଭଦ୍ୱାରା ସାଧିତ ହେବ ଏହି କଥା ବିଚାର କରି ଆମ୍ଭର ପିତା ଦଶରଥକୁ ପଚାରି ବିଶ୍ୱାମିତ୍ର ଋଷି ଆମ୍ଭଙ୍କୁ ଯାଗସ୍ଥାନକୁ ନେଇ ଯାଇଥିଲେ । [ଅର୍ଥାତ୍ ଆମ୍ଭେ ସେଠାରେ ଉପସ୍ଥିତ ହୋଇ ଅସୁରକୁ ମାରି ଯାଗରକ୍ଷା କଲୁ ] ।
୧୪ଶ ପଦ :- ବିଭାବସୁ-କୋଟି- ପ୍ରଭା - କୋଟି ସୂର୍ଯ୍ୟକାନ୍ତି । ବନ୍ଦାରୁ - ସ୍ତୁତିପାଠକ ।୧୫ଶ ପଦ :- ବଞ୍ଚକ ବିଲୁଆ - ପ୍ରତାରକ । ହରିବଲ୍ଲଭୀ - ସିଂହୀ ।
୧୪ଶ ଓ ୧୫ଶ ପଦ :- ‘‘ତତ୍ପରେ କୋଟିସୂର୍ଯ୍ୟବିନିନ୍ଦିତ କାନ୍ତି ଶିବଧନୁ ଧାରଣ କରି ପରମାସୁନ୍ଦରୀ ବିମ୍ୱୋଷ୍ଠୀ ସୀତାଙ୍କୁ ବିବାହ କଲୁଁ । ସୀତାଙ୍କୁ ଘେନି ଆସିବା ସମୟରେ ବାଟରେ ପର୍ଶୁରାମଙ୍କର ଦର୍ପଦଳନ କରିବାରୁ ସେ ଆମ୍ଭମାନଙ୍କୁ ସ୍ତୁତି କଲେ । ଦିନେ ପ୍ରଭାତ ସମୟରେ ପିତା ଆମ୍ଭଙ୍କୁ ରାଜା କରି ବନ୍ଦାଇବାକୁ ଇଚ୍ଛା ପ୍ରକାଶ କରନ୍ତେ, କୈକେୟୀଙ୍କର ଦାସୀ ମନ୍ଥରା ସେ କଥା ଭାଙ୍ଗି ଆମ୍ଭଙ୍କୁ ବନବାସ କରିବା ପାଇଁ ଆଦେଶ କରାଇଦେଲା । ଅର୍ଥାତ କୈକେୟୀ ଦାସୀଦ୍ୱାରା ପ୍ରେରିତ ହୋଇ ପିତାଙ୍କୁ ମନାଇ ଆମ୍ଭଙ୍କୁ ବନକୁ ପଠାଇଦେଲେ । ବିଧାତା ମୋର କପାଳରେ ପ୍ରିୟା ଅନ୍ତର ହେବ ବୋଲି ଲେଖିଥିଲା । ଆମ୍ଭେମାନେ ପଞ୍ଚବଟୀ ବନରେ ଆନନ୍ଦରେ ବିହାର କରି ଦିନ କଟାଉଥିଲୁ, କିନ୍ତୁ ସିଂହର ଗୃହିଣୀକୁ ଶୃଗାଳ ହରି ନେଲା ପରି, କୌଣସି ଏକ ‘ବଞ୍ଚକ’ ଠକ ମୋର ପ୍ରିୟତମାକୁ ହରଣ କରି ନେଲା, ଏହାହିଁ ଆଶ୍ଚର୍ଯ୍ୟ କଥା ।’’
ବିଲୋକନ କରାଇଲା ବିଚିତ୍ର କୁରଙ୍ଗ ।ବିଲୋଳ ହୋଇ ତା ସଙ୍ଗେ କରିବାରୁ ରଙ୍ଗ ।ବେଦନା ଅଗୋଚରରୁ ଜାତ ଅକଥିତ ।ବେଦଚୋର ଶଙ୍ଖ ପ୍ରାୟ ସିନ୍ଧୁ ମଧ୍ୟେ ସ୍ଥିତ ॥ ୧୬ ।ବିଚ୍ଛେଦୀ ଜାନକୀ ଅଛି ବୋଲି ଲଙ୍କାଦେଶ ।ବିଚ୍ଛେଦୁଁ କବନ୍ଧ ବାହୁ କହିଲା ସନ୍ଦେଶ ।ବିଂଶ ସଂଖ୍ୟା କର ଦଶ ସଂଖ୍ୟା ତା ଲପନ ।ବିଷମ ବିଶିଖେ ମୋତେ କରିଛି ତାପନ ॥ ୧୭ ।ବିଷମ ବିଶିଖେ ତାକୁ କରିବି ଅବଶ ।ବିଂଶଭୁଜ ଦଶମୁଣ୍ଡ ଛେଦିବି ଅବଶ୍ୟ ।ବିଗ୍ରହୁଁ ମୋ ଜୀବ ଭିନ୍ନ କରି ସେ ପ୍ରକଟ ।ବିଗ୍ରହୁଁ ତା ଜୀବ ଭିନ୍ନ କରିବି ନିକଟ ॥ ୧୮ ।ବିଭିନ୍ନ ଶିରେ କବନ୍ଧ ନୃତ୍ୟନ୍ତ ସମରେ ।ବିଭୀତେ ପ୍ରାଣ ବିହୀନେ ଭ୍ରମେ ସେ ସମରେ ।ବିକା ମୋର ପ୍ରାଣ ମନ ଜାନକୀ ପାଶରେ ।ବିକାଶ ତୁମ୍ଭେ କେ ଭ୍ରମ ଏ ବନ ଦେଶରେ ॥ ୧୯ ।ବଳବୁଦ୍ଧି ହେଲା ଯେଣୁ ରାମ ଦରଶନୁ ।ବଳରିପୁସୋଦରଜ କହେ ପରସନ୍ନୁ ।ବଳିମୁଖଶ୍ରେଷ୍ଠ ବାଳି ସୁଗ୍ରୀବ ସୋଦର ।ବଳି ନାହିଁ ବଳେ ତାଙ୍କୁ ବେନି ବିବାଦର ॥ ୨୦ ।ବନବାସୀ ସୁଗ୍ରୀବ ଏ ଗିରି ଅନୁସରି ।ବନଧିରେ ମଇନାକ ଲୁଚିଲାର ସରି ।ବହିଣୀତନୁଜ ମୁହିଁ ନାମ ହନୁମାନ ।ବହିଣ ତାହାରେ ପ୍ରୀତି ରହେ ସାନୁ ମାନ ॥ ୨୧ ।କୁରଙ୍ଗ -ମୃଗ । ବିଲୋଳ - ଚଞ୍ଚଳ । ବିଚ୍ଛେଦୁଁ - ଛେଦିବାରୁ ।
୧୬ଶ ପଦ :- ‘‘ସେହି ଠକ ପ୍ରଥମେ ଆମ୍ଭମାନଙ୍କୁ ଗୋଟିଏ ନାନାବର୍ଣ୍ଣରେ ଚିତ୍ରିତ ମୃଗ ଦେଖାଇଲା । ମୁଁ ଅତିଶୟ ଚଞ୍ଚଳ ହୋଇ ତାର ସଙ୍ଗେ ସଙ୍ଗେ ବିହାର କରିବାରୁ (ତାର ପଛେ ପଛେ ଦୌଡ଼ିବାରୁ) ଏହା ହେଲା, ଅର୍ଥାତ୍ ପ୍ରିୟା ବିଯୋଗ ଘଟିଲା । ବେଦଚୋର ଶଙ୍ଖାସୁର ବେଦକୁ ଚୋରି କରି ସମୁଦ୍ର ମଧ୍ୟରେ ରଖିଲା ପରି ଏହି ଚୋର ମୋର ପ୍ରିୟାକୁ ସମୁଦ୍ର ମଧ୍ୟରେ ଲୁଚାଇ ରଖିଛି । ମାତ୍ର ଏହି କଥା ଭଲରୁପେ ଜଣା ନ ପଡ଼ିବାରୁ ଅସହ୍ୟ ଯନ୍ତ୍ରଣା ଜାତ ହେଉଅଛି ।’’
୧୭ଶ ପଦ :- ଲପନ - ମୁଖ । ବିଷମବିଶିଖ - କନ୍ଦର୍ପ । ବିଷମ ବିଷିଖ- ସୁତୀକ୍ଷ୍ଣ ଶର ।୧୮ଶ ପଦ :- ବିଗ୍ରହୁଁ - ଦେହରୁ, ଯୁଦ୍ଧ କରି ।
୧୭ଶ ଓ ୧୮ଶ ପଦ :- ‘‘ ଆମ୍ଭେ ଏହି ସ୍ଥାନକୁ ଆସିବାର ପଥରେ କବନ୍ଧ ନାମକ ରାକ୍ଷସଦ୍ୱାରା ଧୃତ ହେବାରୁ ତାହାର ବାହୁହୟ ଚ୍ଛେଦନ କଲୁ, ତହୁଁ ଶାପମୁକ୍ତ ହୋଇ ଆକାଶ ମାର୍ଗରେ ଯିବାବେଳେ ଏହି ସମ୍ବାଦ ଦେଲା ଯେ, ବିରହିଣୀ ସୀତା ଲଙ୍କା ଦେଶରେ ଅଛନ୍ତି । ତାଙ୍କୁ ଯେଉଁ ଲୋକ ଚୋରାଇ ନେଇଅଛି, ତାର କୋଡ଼ିଏ ଗୋଟି ହାତ ଓ ଦଶ ଗୋଟି ମୁଖ ଅଛି । ତାହାହେଲେ ସେହି ଲୋକ ମୋତେ କନ୍ଦର୍ପବାଣମାନଙ୍କ ହାରା ସନ୍ତାପିତ କରାଉଅଛି । ଏଣୁ ମୁଁ ମଧ୍ୟ ତାକୁ ଅତିଶୟ ମୁନିଆଁ ଶରମାନ ମାରି ଅସ୍ଥିର କରିବି ଏବଂ ତାର ବିଂଶହାତ ଓ ଦଶମୁଣ୍ଡ ଅବଶ୍ୟ ଛେଦନ କରିବି । ସେ ମୋର ଦେହରୁ (ଅଙ୍କରୁ ) ଜୀବନ ତୁଲ୍ୟ ସୀତାଙ୍କୁ ପ୍ରକାଶ୍ୟ ଭାବରେ ଭିନ୍ନ କରିଅଛି, ମୁଁ ତାହାର ଦେହରୁ ‘ଜୀବ’ ପ୍ରାଣକୁ ସେହିପରି ଅତି ନିକଟରେ ବିଭିନ୍ନ କରାଇ ଦେବି । (ଅର୍ଥାତ୍ ତାର ମରଣ ବିଧାନ କରିବି) ।’’
୧୯ଶ ପଦ :- କବନ୍ଧ - ମସ୍ତକହୀନ ଶରୀର । ବିଭୀତେ - ନିର୍ଭୟରେ ।
୧୯ଶ ପଦ :- ‘‘ଯୁଦ୍ଧ କ୍ଷେତ୍ରରେ ମୁଣ୍ଡହୀନ କବନ୍ଧ ଯେପରି ନୃତ୍ୟ କରୁଥାଏ - ଅର୍ଥାତ୍ ଇତସ୍ତତଃ ଧାବମାନ ହେଉଥାଏ, ‘ସେ ସମରେ’ ସେହିପରି ମୁଁ ଜୀବନ ତୁଲ୍ୟ ସୀତାଙ୍କୁ ହରାଇ କନ୍ଦର୍ପଠାରୁ ଅତିଶୟ ଭୟ ପ୍ରାପ୍ତ ହୋଇ ଇତସ୍ତତଃ ଭ୍ରମଣ କରୁଅଛି । କାରଣ ମୋର ମନ ଓ ପ୍ରାଣ ସୀତାଙ୍କ ନିକଟରେ ବିକା ହୋଇଅଛି । ହେ ବିପ୍ର ! ତୁମ୍ଭେ କିଏ ? କାହିଁକି ଏହି ବନ ପ୍ରଦେଶରେ ଭ୍ରମଣ କରୁଅଛ ପ୍ରକାଶ କର ।’’
୨୦ଶ ପଦ :- ବଳରିପୁସୋଦରଜ - ଇନ୍ଦ୍ରଙ୍କର ଭ୍ରାତୁଷ୍ପୁତ୍ର ଅର୍ଥାତ୍ ପବନର ପୁଅ ହନୁମାନ । ବଳିମୁଖଶ୍ରେଷ୍ଠ - ବାନର ଶ୍ରେଷ୍ଠ ।୨୧ଶ ପଦ :- ବନଧି- ସମୁଦ୍ର । ବହିଣୀ ତନୁଜ - ଭଣଜା । ସାନୁୟାନ - ପର୍ବତ ।
୨୦ଶ ଓ ୨୧ଶ ପଦ :- ରାମଙ୍କୁ ଦେଖି ହନୁମାନର ବଳ ବଢ଼ିଯିବାରୁ ସେ ଆନନ୍ଦିତ ହୋଇ କହିଲା, ‘‘ବାନର ଶ୍ରେଷ୍ଠ ବାଳି ଓ ସୁଗ୍ରୀବ ଦୁହେଁ ସହୋଦର ଭାଇ ଅଟନ୍ତି, ମାତ୍ର ସେ ଦୁହିଁଙ୍କ ମଧ୍ୟରେ ବିବାଦ ହେବାରୁ ମୈନାକ ପର୍ବତ ସମୁଦ୍ରକୁ ଆଶ୍ରୟ କରି ରହିଲା ପରି, ସୁଗ୍ରୀବ ଏହି ପର୍ବତକୁ ଆଶ୍ରୟ କରି ରହିଅଛି । ଅର୍ଥାତ୍ ବାଳି ଭୟରେ ଏଠାରେ ଲୁଚିଅଛି । ମୁଁ ତାର ଭଉଣୀର ପୁତ୍ର (ଭଣଜା) ହନୁମାନ, ତାହାଠାରେ ସ୍ନେହ ବହି ତା ସହିତ ପର୍ବତରେ ରହିଅଛି ।’’
ବିଜେ କର ଘନଶ୍ୟାମ ସେ ହେଉ ସାରଙ୍ଗ ।ବିଜେ ତୁମ୍ଭ କୃପାଜଳ ବଶେ କରୁ ରଙ୍ଗ ।ବିଧୁକରେ ମହୋଜ୍ୱ୍ୱଳ ଯେମନ୍ତ ରଜନୀ ।ବିଧୁପ୍ରଭା ଅଧିକ ରଜନୀ ହେଲେ ଜନି ॥ ୨୨ ।ବ୍ୟବସ୍ଥିତେ ପଡ଼ିଅଛି ସେହି କାଳ ସାର ।ବ୍ୟବହାରେ ହେବ ଏବେ ବିଖ୍ୟାତ ସଂସାର ।ବିଲୋମେ ପଦ୍ମଲୋଚନ ଭାଷେ ଭାରତୀକି ।ବିଲୋକ କରିବା ଧର ନିଜ ମୁରତିକି ॥ ୨୩ ।ବହୁ ବୀର ଶାଖା ମୃଗ ତନୁ ତତ୍ପର ।ବହୁତ ଆନନ୍ଦ ଚାହିଁ ହେଲେ ଖରପର ।ବିଭୁ ଜଗତର ଚାହିଁ ପୁଚ୍ଛିଲେ ଝଟିତ ।ବିଭୂଷଣ କପି ହୋଇ ଦିବ୍ୟ କିରୀଟି ତ ॥ ୨୪ ।ବ୍ରହ୍ମାବରେ ପାଇଛି ମୁଁ ପବନତନୟ ।ବ୍ରହ୍ମାଣ୍ଡନାଥ ଶୁଣ ହେ ବୋଲି ସବିନୟ ।ବାର ବାର ପଦ୍ମପାଦେ ବିହି ଦଣ୍ଡବତ ।ବାରଣତ୍ରାଣଙ୍କୁ ଘେନି ଗଲା ପରବତ ॥ ୨୫ ।
୨୨ଶ ପଦ :- ଘନଶ୍ୟାମ - ଶ୍ୟାମମୂର୍ତ୍ତି, ନୀଳମେଘ । ସାରଙ୍ଗ - ଚାତକପକ୍ଷୀ । ବି- ପକ୍ଷୀ । ବିଧୁକର - ଚନ୍ଦ୍ରକିରଣ । ରଜନୀ - ରାତ୍ରି । ଜନି - ଜାତହେବୀ ।
୨୩ଶ ପଦ :- ବିଲୋମେ- ଲୋମଶୂନ୍ୟ, ଛଦ୍ମ ଦ୍ୱିଜବେଶଧାରୀ ହନୁମାନକୁ । ଭାରତୀ -ବଚନ ବା କଥା ।
୨୨ଶ ଓ ୨୩ଶ ପଦ :- ‘‘ ହେ ଘନଶ୍ୟାମ ! ଆପଣ ‘ଶ୍ୟାମ ଘନ’ ସଦ୍ୟ ବର୍ଷଣକାରୀ କୃଷ୍ଣ ମେଘ ପରି ସେହି ପର୍ବତକୁ ବିଜେ କରନ୍ତୁ । (ବର୍ଷୁକ ମେଘ ହଠାତ୍ପର୍ବତ ଶିଖରକୁ ଆବୃତ କରିଥାଏ) । ସେହି ସୁଗ୍ରୀବ ଚାତକ ହେଉ । ଚାତକପକ୍ଷୀ ବର୍ଷାଜଳ ପାଇ ଯେପରି ଆନନ୍ଦରେ କ୍ରୀଡ଼ା କରେ, ଏହି ସୁଗ୍ରୀବଚାତକ ସେହିପରି ଆପଣଙ୍କର କୃପାରୂପ ଜଳକୁ ପ୍ରାପ୍ତ ହୋଇ ଆନନ୍ଦରେ କ୍ରୀଡ଼ା କରୁ । ଚନ୍ଦ୍ରକିରଣ ଯୋଗୁଁ ରାତ୍ରିରେ ଯେପରି ଉଜ୍ଜ୍ୱଳତା ଓ ରାତ୍ରି ଯୋଗୁ ଚନ୍ଦ୍ରକିରଣରେ ଯେପରି ଉଜ୍ଜ୍ୱଳତା ଜାତ ହୁଏ, ବର୍ତ୍ତମାନ ସେହିପରି ଶୁଭସମୟ ଉପସ୍ଥିତ ହୋଇଅଛି । ଏହି ଉତ୍ତମ ସମୟକୁ ବ୍ୟବହାର କଲେ [ସୁଗ୍ରୀବ ସହ ବର୍ତ୍ତମାନ ଆପଣଙ୍କର ମିଳନ ହେଲେ] ସଂସାରରେ ଖ୍ୟାତି ଲାଭ ହେବ । ଆପଣ ସୁଗ୍ରୀବ ସହିତ ‘ପୂର୍ଣ୍ଣ ପ୍ରାଣରେ’ ଖୋଲାମନରେ ମିଳିତ ହେଲେ ଜଗତରେ ଆପଣ ଦୁହେଁ ହିଁ ପ୍ରକୃତମିତ୍ର ବୋଲି ଖ୍ୟାତି ଲାଭକରିବେ] ।’’ ଏହା ଶୁଣି ରାମଚନ୍ଦ୍ର, କହିଲେ, ‘‘ହେ ‘ଲୋମଶୂନ୍ୟ’ ମନୁଷ୍ୟ ଦେହଧାରୀ ! ତୁମ୍ଭେ ନିଜର ରୁପକୁ [ମର୍କଟ ରୁପକୁ] ଧାରଣକର, ଦେଖିବା ।’’ ଅଥବା ପଦ୍ମଲୋଚନ ରାମଚନ୍ଦ୍ର ବ୍ୟଙ୍ଗ ଉକ୍ତିରେ କହିଲେ,‘‘ତୁମ୍ଭେମାନେ ନିଜ ନିଜର ସ୍ୱଭାବିକ ରୁପକୁ ଧର ଅର୍ଥାତ୍ ତୁମ୍ଭର ଏହି କପଟ ମନୁଷ୍ୟ ରୂପକୁ ଦେଖି ମନେ ହୁଏ, ତୁମ୍ଭର କଥା ମଧ୍ୟ କପଟରେ ପୂର୍ଣ୍ଣ ହୋଇଥିବ ଏବଂ ଯାହାଙ୍କ କଥା ପ୍ରକାଶ କରୁଅଛ ସେ ମଧ୍ୟ ତୁମ୍ଭପରି କପଟୀ ହୋଇଥିବେ । ଅତଏବ ତୁମ୍ଭେମାନେ ସମସ୍ତ କପଟ ତ୍ୟାଗକରି ସ୍ୱାଭାବିକ ଆକାର ଓ ପ୍ରକୃତି ଧାରଣ କର । ଦେଖିବା [ତୁମ୍ଭମାନଙ୍କର ରୂପକୁ ଦେଖିବା ] ବା ତୁମ୍ଭମାନଙ୍କସହ ମିତ୍ର ହେବା କଥା ବିଚାର କରିବା’’ ।
୨୪ଶ ପଦ :- ଶାଖାମୃଗ -ବାନର । ତନୁ - ଦେହ । ତପୁର - ଆସକ୍ତ । ଖରପର - ଖରାରାକ୍ଷସର ଶତ୍ରୁ ରାମଚନ୍ଦ୍ର । କିରୀଟି- ମୁକୁଟ ।
୨୪ଶ ପଦ :- ଏହା ଶୁଣି ସେହି ବୀର ହନୁମାନ ହଠାତ୍ ମର୍କଟ ଦେହକୁ ଧାରଣ କରନ୍ତେ, ଖର ରାକ୍ଷସର ଶତ୍ରୁ ଜଗତର ପ୍ରଭୁ ରାମ ତାକୁ ଦେଖି ଅତିଶୟ ଆନନ୍ଦିତ ହୋଇ ପଚାରିଲେ, ‘‘ତୁମ୍ଭେ ମର୍କଟ ହୋଇ ସ୍ୱର୍ଗୀୟ କିରୀଟିରେ କାହିଁକି ମଣ୍ଡିତ ହୋଇଅଛ । ଅର୍ଥାତ୍ ତୁମ୍ଭେ ମାଙ୍କଡ଼ ହୋଇ କୀରାଟି କାହିଁକି ପିନ୍ଧିଛ ?’’
୨୫ଶ ପଦ :- ପବନତନୟ - ହନୁମାନ । ବାରଣତ୍ରାଣଙ୍କୁ - ଗଜୋଦ୍ଧାରୀ ରାମଚନ୍ଦ୍ରଙ୍କୁ ।
୨୫ଶ ପଦ :- ଏହି ପ୍ରଶ୍ନର ଉତ୍ତରରେ ହନୁମାନ କହିଲା, ‘‘ହେ ବ୍ରହ୍ମାଣ୍ଡର ଅଧିପତି । ଶୁଣ, ମୁଁ ପବନଙ୍କର ପୁତ୍ର, ବ୍ରହ୍ମାଙ୍କବରରେ ଏହି ମୁକୁଟ ପାଇଅଛି । ତତ୍ପରେ ତାଙ୍କର ପଦ୍ମପାଦରେ ବାରମ୍ବାର ଦଣ୍ଡବତ କରି ଗଜ ଉଦ୍ଧାରକର୍ତ୍ତା ରାମଚନ୍ଦ୍ରଙ୍କୁ ୠଷ୍ୟମୂକ ପର୍ବତକୁ ଘେନିଗଲା ।
ବୋଧି ମାତୁଳକୁ ରାମ ପାଶେ ଭେଟାଇଲା ।ବୋଧିଦ୍ରୁମ ତଳେ ପ୍ରବାଳରେ ବସାଇଲା ।ବିକଶିତ କଲେ ରାମ ବେଗେ ସ୍ୱଚରିତ ।ବିକର୍ତ୍ତନସୁତ ପୁନଃ କଥିତ ତ୍ୱରିତ ॥ ୨୬ ।ବିଧିବଶେ ୠକ୍ଷରାଜା ପଶି ସ୍କନ୍ଦବନେ ।ବିଧିରେ ହୋଇଣ ସ୍ତିରୀସ୍ୱରୂପ ଜବନେ ।ବୃଷା, ଭାନ ଯାଉଁ ବିଧାତାକୁ ସଂଖୋଳିତ ।ବୃଷାଳ ଉରୁକୁ ଦେଖି ରେତହିଁ ସ୍ଖଳିତ ॥ ୨୭ ।ବାଳ ଗ୍ରୀବେ ପତନେ ପତନ ହେଲୁଁ ମହୀ ।ବାଳ ବେନି ଖ୍ୟାତ ବାଳି ସୁଗ୍ରୀବ ନମହିଁ ।ବନରୁ ଉଦ୍ଭବ ସମର୍ପିଲେ ଖଡ଼ଦରେ ॥ ୨୮ ।ବସୁଁ ରାଜା ଯୁବରାଜପଦେ କିସ୍କିନ୍ଧ୍ୟାରେ ।ବସୁଧାରେ ବାଳି ସମ ନାହିଁ କେ ଯୋଦ୍ଧାରେ ।ବାରିକବନ୍ଧୁ ଉଦେକୁ ଏଡ଼େ ବୀରପଣ ।ବାରିଧି ଚାରିରେ କରି ଆସଇ ତର୍ପଣ ॥ ୨୯ ।ବାତକୀ ପରାୟେ ରିପୁ ଦର୍ଶନେ ଥରିତ ।ବାତ ପୁଷ୍ପଗନ୍ଧ ପ୍ରାୟେ ବଳାର୍ଦ୍ଧ ହରିତ ।ବାଦନ ନ କଲେ ସ୍ୱର୍ଗେ ଦେହତା ଦୁନ୍ଦୁଭି ।ବାଦ ତରିବ ବିଚାରି ଶୁଣିଲେ ଦୁନ୍ଦୁଭି ॥ ୩୦ ।୨୬ଶ ପଦ :- ମାତୁଳ - ମାମୁ । ବୋଧିଦ୍ରୂମ - ଅଶ୍ୱତ୍ଥ ବୃକ୍ଷ । ପ୍ରବାଳ - କଅଁଳିଆପତ୍ର । ବିକର୍ତ୍ତନ ସୁତ - ସୁଗ୍ରୀବ ।
୨୬ଶ ପଦ :- ହନୁମାନ ପର୍ବତ ଉପରିସ୍ଥ ଏକ ଅଶ୍ୱତ୍ଥ ବୃକ୍ଷ ତଳେ କେତେଗୁଡ଼ିଏ କଅଁଳିଆ ପତ୍ର ବିଛାଇ ରାମଚନ୍ଦ୍ରଙ୍କୁ ବସାଇ ମାମୁଁ ସୁଗ୍ରୀବକୁ ଉପରୋକ୍ତ କଥା ପ୍ରକାଶ ପୂର୍ବକ ବୁଝାଇ ତାଙ୍କ ନିକଟରେ ଭେଟାଇଲା । ଏହାପରେ ରାମଚନ୍ଦ୍ର ନିଜର ଚରିତ (ନିଜର ଜନ୍ମଠାରୁ ସୀତା ହରଣ ପର୍ଯ୍ୟନ୍ତ କଥା) ପ୍ରକାଶ କଲେ ଓ ସୁଗ୍ରୀବ ମଧ୍ୟ ନିଜର ଚରିତ କହିବାକୁ ଲାଗିଲେ ।
୨୭ଶ ପଦ :- ବିଧିବଶେ - ଦୈବଯୋଗେ । ଜବନା - ଶୀଘ୍ର । ବୃଷା - ଇନ୍ଦ୍ର । ଭାନୁ - ସୂର୍ଯ୍ୟ । ବୃଷାଳଉରୁ - ବିଶାଳ ଜଙ୍ଘ ।
୨୭ଶ ପଦ :- ‘‘ୠକ୍ଷ ନାମକ ଜଣେ ରାଜା ସ୍କନ୍ଦ ନାମକ ଏକ ବନ ମଧ୍ୟରେ ପ୍ରବେଶ କରିବାରୁ ନିୟମାନୁସାରେ ହଠାତ୍ ସ୍ତ୍ରୀ ରୂପ ଧାରଣ କଲେ । ପୂର୍ବ କାଳରେ ପାର୍ବତୀ ନିଜ ପୁତ୍ର କାର୍ତ୍ତିକେୟଙ୍କ ନାମରେ ଏକ ଉପବନ ପ୍ରତିଷ୍ଠା କରି ନିୟମ କରିଥିଲେ ଯେ, ବିନା ଅନୁମତିରେ ଏହି ଉପବନରେ ଯେ ପ୍ରବେଶ କରିବ, ସେ ସ୍ତ୍ରୀ ରୂପ ଧାରଣ କରିବ । ସେହି ସମୟରେ ଇନ୍ଦ୍ର ଓ ସୂର୍ଯ୍ୟ ବ୍ରହ୍ମାଙ୍କୁ ସଙ୍ଖୋଳିବା ପାଇଁ ଶୂନ୍ୟରେ ସେହି ବାଟ ଦେଇ ଯାଉ ଯାଉ ସେହି ସ୍ତ୍ରୀର ଅତି ଉନ୍ନତ ଉରୁ ଦ୍ୱୟକୁ ଦେଖିବାରୁ ତାହାଙ୍କର ବୀର୍ଯ୍ୟ ପତିତ ହେଲା ।’’
୨୮ଶ ପଦ :- ବାଳଗ୍ରୀବେ - ବାଳରେ ଓ ଗ୍ରୀବାରେ । ବନରୁ ଉଦ୍ଭବ - ବ୍ରହ୍ମା ।
୨୮ଶ ପଦ :- ସେହି ବୀର୍ଯ୍ୟ ଯଥାକ୍ରମେ ବାଳ ଓ ଗ୍ରୀବଦେଶରେ ପଡ଼ିବାରୁ ଅର୍ଥାତ୍ ଇନ୍ଦ୍ରଙ୍କର ବୀର୍ଯ୍ୟ ମୁଣ୍ଡବାଳରେ ଓ ସୂର୍ଯ୍ୟଙ୍କର ବେକରେ ପଡ଼ିଥିବାରୁ ଆମ୍ଭେ ଦୁଇଗୋଟି ବାଳକ ରୂପ ଧାରଣ କରି ସଙ୍ଗେ ସଙ୍ଗେ ପୃଥିବୀରେ ପତିତ ହେଲୁଁ ଏବଂ ବାଳି ଓ ସୁଗ୍ରୀବ ନାମରେ ଖ୍ୟାତ ହେଲୁଁ । ତତ୍ପରେ ବ୍ରହ୍ମା ପାର୍ବତୀଙ୍କର ସେହି ସ୍କନ୍ଦବନରୁ ଆମ୍ଭ ଦୁହିଁଙ୍କୁ ଅତି ଆଦରରେ ଉଦ୍ଧାର କରି ଖଡ଼ଦ ନାମକ କିସ୍କିନ୍ଧ୍ୟାରେ ରାଜାଙ୍କୁ ସମର୍ପଣ କଲେ ।’’
୨୯ଶ ପଦ :- ବାରଜବନ୍ଧୁ - ସୂର୍ଯ୍ୟ । ବାରିଧି - ସୁମଦ୍ର ।
୨୯ଶ ପଦ :- ‘‘କିଛିଦିନ ପରେ ଆମ୍ଭେ ଦୁହେଁ କିସ୍କିନ୍ଧ୍ୟାରେ ଯଥାକ୍ରମେ ରାଜା ଓ ଯୁବରାଜ ପଦରେ ବସିଲୁଁ ଅର୍ଥାତ ବାଳି ରାଜା ଓ ମୁଁ ଯୁବରାଜ ହେଲି । ଏହି ପୃଥିବୀରେ ବାଳି ସମାନ ବୀର କେହି ନାହାଁନ୍ତି । ସେ ଏପରି ବୀର ଯେ, ସୂର୍ଯ୍ୟ ଉଦୟ ହେବାବେଳକୁ ଚାରି ସମୁଦ୍ରର ଜଳରେ ତର୍ପଣ କରି ଫେରିଆସେ ।’’
୩୦ଶ ପଦ :- ବାତକୀ - ବାତରୋଗୀ ।
୩୦ଶ ପଦ :- ‘‘ତାହାକୁ ଦେଖିଲେ ଶତ୍ରୁମାନେ ବାତରୋଗୀ ଥରିଲା ପରି ଥରନ୍ତି ଏବଂ ପବନ ଯେପରି ଫୁଲକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ସେଥିରୁ ଗନ୍ଧ ହରଣ କରେ, ବାଳି ସେହିପରି ଶତ୍ରୁକୁ ଦେଖିବା ମାତ୍ରେ ତାଠାରୁ ଅଧେ ବଳ ହରଣ କରି ନିଏ । ପୂର୍ବକାଳରେ ଦୁନ୍ଦୁଭି ନାମରେ ଏକ ରାକ୍ଷସ ଥିଲା । ସେ ଦୁନ୍ଦୁଭି ନାମକ ବାଦ୍ୟର ଶବ୍ଦ ଶୁଣିବା ମାତ୍ରେ ଯୁଦ୍ଧକୁ ବାହାର ହେଉଥିଲା । ତେଣୁ ଦେବତାମାନେ ସ୍ୱର୍ଗରେ ଦୁନ୍ଦୁଭି ବଜାଉ ନ ଥିଲେ, କାରଣ ସେମାନେ ମଧ୍ୟ ଦୁନ୍ଦୁଭି ସହ ବିବାଦ କରିବାକୁ ଭୟ କରୁଥିଲେ ।’’
ବାହାସ୍ଫୋଟ ମାରିବାକୁ ସୁମେରୁ ପର୍ବତେ ।ବାହାରୁ ସେ ଦୈତ୍ୟ ଭୟେ ସ୍ତୁତିରେ ପ୍ରବର୍ତ୍ତେ ।ବିଭ୍ରାଟ ପାରିଲେ ରତ କପୀଶେ ସଂଗ୍ରାମ ।ବିଭାବରୀଚର ଶୁଣି ଭାଙ୍ଗିଲା ଏ ଗ୍ରାମ ॥ ୩୧ ।ବିଧାନେ ମଦାନ୍ଧକରୀ ସେ ଏ ହରିବର ।ବିଧା ପ୍ରହାର ଉଚିତେ ପ୍ରକଟ ଭାବର ।ବଳୀ ଗର୍ବ ଖର୍ବ ହୋଇ ଏତେକେ ଦଇତ ।ବଳିବର୍ଦ୍ଦ ରୂପ ଧରି ହେଉଁ ପଳାୟିତ ॥ ୩୨ ।ବାମ ଯାରେ ଇନ୍ଦ୍ରସୁତ କାହିଁ ତା ରକ୍ଷଣ ?ବାମକରେ ପାଦ ଧରି ବୁଲାଉଁ ତତ୍କ୍ଷଣ ।ବିସର୍ଜିଲା ପ୍ରାଣ ନାସାରନ୍ଧ୍ରେ ଜାତ ରକ୍ତ ।ବିପତିତେ ମାତାଙ୍କ ଆଶ୍ରମେ ସେ ବିରକ୍ତ ॥ ୩୩ ।ବିହିତ ମଣି ଅମହିତ ସେ ରୋଷିଲେ ।ବିହି ଶାପ ତୋର ମୃତ୍ୟୁ ଏ ଶୈଳେ ଆସିଲେ ।ବହି ଶବ ତାହା ଜାଣି ଆଣି ଏ ନିକଟେ ।ବହିତ୍ର ଯେମନ୍ତ ସ୍ଥିତ ସମୁଦ୍ରେ ପ୍ରକଟେ ॥ ୩୪ ।ବଳାହକୁଁ ପୃଥୁ ତୁଙ୍ଗ ନ ଭେଦେ ଭିଦୁର ।ବଳାତ୍କରେ ବାଳି କେଡ଼େ ବହି ଏତେ ଦୂର ।ବଡ଼ କ୍ରୋଧେ ତା ଭ୍ରାତ ମାୟାବୀ ଆଗତରେ ।ବଡ଼ଭୀ ପ୍ରସାଦ ଭାଙ୍ଗି ନଗରୁ ସତ୍ୱରେ ॥ ୩୫ ।୩୧ଶ ପଦ :- ବିଭବରୀତର - ରାକ୍ଷସ ।
୩୧ଶ ପଦ :- ‘‘ସେହି ଦୁନ୍ଦୁଭି ଦୈତ୍ୟ ଦିନେ ସୁମେରୁ ପର୍ବତରେ ବାହାସ୍ଫୋଟ ମାରିବାକୁ ବାହାରିବାରୁ, ସେହି ସୁମେରୁ ଅତିଶୟ ଭୀତ ହୋଇ ସ୍ତୁତିପାଠପୂର୍ବକ କହିଲା;- ହେ ବୀର, ତୁମ୍ଭେ ଯଦି ସମର୍ଥ ଅଟ, ତାହାହେଲେ ବାନରରାଜ ବାଳିଙ୍କ ସଙ୍ଗରେ ତୁମୁଳ ଯୁଦ୍ଧ ଆରମ୍ଭ କର, (ମୋ ଭଳି - ଅସମର୍ଥ ସହ ଯୁଦ୍ଧ କଲେ ଯଶଃ ନ ମିଳି ନିନ୍ଦା ମିଳିବ) । ତାହାର ଏହିପରି କଥା ଶୁଣି ସେହି ରାକ୍ଷସ ଫେରି ଆସି କିସ୍କିନ୍ଧ୍ୟାକୁ ଭାଙ୍ଗିଲା ।’’
୩୨ଶ ପଦ :- ମଦା କାରୀ - ମଦମତ୍ତ ହସ୍ତୀ । ହରିବର - ସିଂହରାଜ । ବଳିବର୍ଦ୍ଧ - ବଳଦ ।
୩୨ଶ ଓ ୩୩ଶ ପଦ :- ‘‘ପ୍ରକୃତରେ ସେହି ରାକ୍ଷସ ମତ୍ତହସ୍ତୀ ତୁଲ୍ୟ ଓ ବାଳି ସିଂହ ତୁଲ୍ୟ ପରକ୍ରମଶାଳୀ ଅଟନ୍ତି, ସୁତରାଂ ବାଳି ତାହାକୁ ଏକମାତ୍ର ବିଧା ପ୍ରହାର କରିବାରୁ ସେ ଦୀର୍ଘରଡ଼ି ଛାଡ଼ିଲା ଏବଂ ସେହି ଗୋଟିକ ବିଧା ଦ୍ୱାରା ସେହି ବଳବାନ ରାକ୍ଷସର ଗର୍ବ ଖର୍ବ ହୋଇଯିବାରୁ ସେ ବଳଦ ରୂପ ଧରି ପଳାଇଗଲା । ଇନ୍ଦ୍ରପୁତ୍ର ବାଳି ଯାହାର ଶତ୍ରୁ ହେବ, ତାକୁ ରକ୍ଷା କରିବାକୁ ଆଉ କିଏ ଅଛି ? ରାକ୍ଷସ ଏହିପରି ପଳାଇବାର ଦେଖି ବାଳି ହଠାତ୍ ତାହାର ପାଦକୁ ବାମହସ୍ତରେ ଧରି ବୁଲାଇବାରୁ ସେ ପ୍ରାଣତ୍ୟାଗ କଲା । ଏହି ସମୟରେ ତାହାର ନାକପୁଡ଼ାରୁ ବାହାରୁ ଥିବା ରକ୍ତ ଛିଟିକି ମାତଙ୍କ ୠଷିଙ୍କ ଆଶ୍ରମରେ ପଡ଼ିବାରୁ ସେ କୁପିତ ହେଲେ ।’’
୩୪ଶ ପଦ :- ‘‘ସେହି ୠଷି ଦେବତାମାନଙ୍କର ହିତକର ଦୁନ୍ଦୁଭିର ମରଣକୁ ଅହିତ ମନେ କରି ବାଳିକୁ ‘ତୁ ଏହି ପର୍ବତକୁ ଆସିଲେ ତୋର ମରଣ ହେବ, ଏହି ଶାପ ପ୍ରଦାନ କଲେ । ବାଳି ଏହି ଶାପ ବୃତ୍ତାନ୍ତ ଜାଣିପାରି ସେହି ଦୁନ୍ଦୁଭିର ମୃତଦେହକୁ ବହି ଆଣି ଏହି ପର୍ବତର ନିକଟରେ ପକାଇ ଦେଲା । ସମୁଦ୍ରରେ ବୋଇତ ରହିଥିଲେ ଯେପରି ଦେଖାଯାଏ, ଦୁନ୍ଦୁଭିର ମୃତ ଦେହ ଏଠାକୁ ସେହିପରି ଦେଖାଯାଉଛି ।’’
୩୫ଶ ପଦ :- ବଳାହକ - ପର୍ବତ । ପୃଥୁ - ମୋଟା । ତୁଙ୍ଗ - ଉଚ୍ଚ । ଭିଦୁର - ବଜ୍ରାବଡଭୀ- ଚନ୍ଦ୍ରଶାଳା ପୁର । ପ୍ରାସାଦ – ଅଟ୍ଟାଳିକା ।
୩୫ଶ ପଦ :- ‘‘ଦୁନ୍ଦୁଭିର ଯେଉଁ ମୃତଦେହ ପର୍ବତଠାରୁ ଅଧିକ ମୋଟା ଓ ଉଚ୍ଚା, ଯାହାକୁ ବଜ୍ରସୁଦ୍ଧା ଭେଦ କରିପାରେ ନାହିଁ, ବାଳି ତାକୁ ବଳପୂର୍ବକ ଏଠାକୁ ବହି ଆଣିଅଛି, ସୁତରାଂ ସେ କେତେ ବୀର ଅନୁମାନ କରନ୍ତୁ । ପରେ ତାର ଭାଇ ମାୟାବୀ ଭ୍ରାତୃବଧ ବାର୍ତ୍ତା ଶୁଣି ଅତି କ୍ରୋଧରେ କିସ୍କିନ୍ଧ୍ୟା ଆକ୍ରମଣ କରି ନଗରରେ ଥିବା ରାଜାଙ୍କ ଚନ୍ଦ୍ରଶାଳାପୁର ଓ ଅନ୍ୟାନ୍ୟ ପକ୍କା ଘର ସବୁ ଭାଙ୍ଗି ପକାଇଲା ।’’
ବର ସେ ଯୋଦ୍ଧାରେ ମରାମରି ତଳେ ତଳେ ।ବରଷେ ଯୁଝି କଢ଼ାଇ ନେଇ ରସାତଳେ ।ବିଳଦ୍ୱାରେ ଦୈତ୍ୟ ନାଶେ ବାହାର ରୁଧିର ।ବିକସେ ଚିତ୍ତରେ ବାଳି ବିନାଶ ଅଧୀର ॥ ୩୬ ।ବସୁଧାଭୃତରେ ପାତି ଆସିଲୁଁ ବିବର ।ବସୁଁ ଅଭିଷେକେ ମୁହିଁ ମିଳେ କପିବର ।ବାଳାକୁ ମୋ କୋଳୁଁ ଧରି ରଚି ନିଧୁବନ ।ବାଳାକର୍ଷିବାରେ ନେଉଥିଲା ମୋ ଜୀବନ ॥ ୩୭ ।ବିକଳ ହୋଇ ପଳାଉଁ ଗୋଡ଼ାଇ ଚରମେ ।ବିକଳେ ଲୋକାଲୋକ ଡ଼େଇଁଲି କି ଧରମେ ?ବାହୁଡ଼ିଥିବ ସେଠାରୁ ନିଜ କଟକର ।ବାହୁଜବର ମୁଁ ପଡ଼ୁ ସୁବର୍ଣ୍ଣ ପଙ୍କର ॥ ୩୮ ।ବିହାୟସ ବାଣୀ ଶୁଣି ନୟନ ବୁଜିଲି ।ବିହାର ଡ଼େଇଁ ପଡ଼ି ଏ ଗିରିରେ ସର୍ଜିଲି ।ବିଲମ୍ବି ଛତ୍ର ଚାମର ଯାହା ଯାହା କରେ ।ବିଲଟ କରି ରଖି ନ ଦେଲା କଟକରେ ॥ ୩୯ ।ବୀର ଏକେ ଏକେ ଜିଣି ପାରନ୍ତି ଧରଣୀ ।ବିଭଙ୍ଗ ତାହା ଯୁଦ୍ଧକୁ ଏହାଙ୍କ କରଣୀ ।ବିଂଶକର ନେଲା ଦିନ ସ୍ୟନ୍ଦନେ ନଭରେ ।ବିଷମ ବ୍ୟଥିତମତି ହେଲା ଶୋକଭରେ ॥ ୪୦ ।ବାଳିକି ଛଡ଼ାଇଥାନ୍ତୁ ଆମ୍ଭେ ତୁଚ୍ଛ ରଣେ ।ବାଳିମିତ୍ର ଭୟ ହେଲା ଗୁହାରି କରଣେ ।ବିମାନ ଚାହିଁବାକୁ କିସ୍କିନ୍ଧ୍ୟା ପାଶେ ଥିଲା ।ବାମାତୃଜ ନୋହେ ବ୍ୟର୍ଥେ ମୋ ଦର୍ପ ମନ୍ଥିଲା ॥ ୪୧ ।୩୬ଶ ପଦ :- ବର - ଶ୍ରେଷ୍ଠ ବା ମହତ୍ । ରସାତଳ - ପାତାଳ । ରୁଧିର - ରକ୍ତ । ତଳେ ତଳେ - ଚାପୋଡ଼ ମରାମରି ।
୩୬ଶ ପଦ :- ‘‘ସେହି ବାଳି ଓ ମାୟାବୀ ଦୁହେଁ ବୀରପଣରେ ଶ୍ରେଷ୍ଠ ହୋଇଥିବାରୁ କେବଳ ଚାପୁଡ଼ା ମରାମରି ହୋଇ ଏକବର୍ଷ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ । ତତ୍ପରେ ମାୟାବୀ ବାଳିକୁ ପାତାଳପୁରକୁ କୌଶଳକ୍ରମେ ନେଇଗଲା ଅର୍ଥାତ୍ ସେ ମାଡ଼ଖାଇ ଧୀରେ ଧୀରେ ପାତାଳ ଆଡ଼କୁ ଯିବାରୁ ବାଳି ମଧ୍ୟ ତାକୁ ଗୋଡ଼ାଇ ଗୋଡ଼ାଇ ପାତାଳକୁ ଗଲା । ସେହି ଦୈତ୍ୟ ବାଳିଦ୍ୱାରା ପାତାଳରେ ବିନାଶ ପ୍ରାପ୍ତ ହେବାରୁ ସେ ଦୁହେଁ ପାତାଳକୁ ଯାଇଥିବା ଗର୍ତ୍ତ ମୁଖରେ ରକ୍ତ ଦେଖାଗଲା । ତାହା ଦେଖି ବାଳି ମରିଗଲା- ଏହିକଥା ମନରେ ବିଚାର ଆମ୍ଭେମାନେ ଅଧୀର ହେବାକୁ ଲାଗିଲୁଁ ।’’
୩୭ଶ ପଦ :- ବସୁଧାଭୃତରେ - ପର୍ବତରେ । ବିବର - ଗର୍ତ୍ତ । ନିଧୂବନ - ରତି ।
୩୭ଶ ପଦ :- ‘‘ତତ୍ପରେ ସେହି ଦୈତ୍ୟଠାରୁ ଭୟର ଆଶଙ୍କା କରି, ସେହି ଗର୍ତ୍ତରେ ପର୍ବତ ପୋତି ଅର୍ଥାତ୍ ରାସ୍ତାକୁ ବନ୍ଦ କରି ଆସିଲୁ । କିଛିଦିନ ପରେ ମୁଁ ରାଜପଦରେ ଅଭିଷିକ୍ତ ହେବା ସମୟରେ ବଳି ଆସି ପହଞ୍ଚିଲା । ସେ କ୍ରୋଧାନ୍ଧ ହୋଇ ମୋର ସ୍ତ୍ରୀକୁ ମୋ କୋଳରୁ ଟାଣି ନେଇ ତା ସହିତ ରତି କରିବାକୁ ଲାଗିଲା ଏବଂ ମୋର ବାଳକୁ ଏତେ ଜୋରରେ ଟାଣିଲା ଯେ, ମୁଁ ମରି ଯାଉଥିଲି ।’’
୩୮ଶ ପଦ :- ଚରମ - ପୃଷ୍ଠଦେଶ । ବାହୁଜବର - କ୍ଷତ୍ରିୟଶ୍ରେଷ୍ଠ ।୩୯ଶ ପଦ :- ବିହାୟସ ବାଣୀ - ଆକାଶ ବାଣୀ । ବିଲଗ - ପୃଥକ ।
୩୮ଶ ଓ ୩୯ଶ ପଦ :- ‘‘ହେ କ୍ଷତ୍ରିୟ ଶ୍ରେଷ୍ଠ, ତତ୍ପରେ ମୁଁ ବିକଳ ହୋଇ ପଳାୟନ କରିବାରୁ ସେ ମୋ ପଛେ ପଛେ ଗୋଡ଼ାଇବାକୁ ଲାଗିଲା । ମୁଁ ତାହା ଦେଖି ବିହ୍ୱଳରେ କେଉଁ ପୁଣ୍ୟ ବଶରୁ ଲୋକାଲୋକ ପର୍ବତକୁ ଡେଇଁପଡ଼ିଲି । ସେ ବୋଧହୁଏ ସେଠାରୁ ନିଜ ରାଜଧାନୀକୁ ଫେରି ଯାଇଥିବ l ଯେତେବେଳେ ମୁଁ ଲୋକାଲୋକର ପଶ୍ଚାତ୍ଭାଗରେ ଥିବା ସୁନାପଲଙ୍କରେ ପଡ଼ିଗଲି, ସେହି ସମୟରେ ଆକାଶବାଣୀ ହେଲା, - ତୁମ୍ଭେ ଆକ୍ଷି ବୁଜିଲେ ଏହି ପର୍ବତକୁ ଡେଇଁ ଯାଇପାରିବ । ଏହା ଶୁଣି ମୁଁ ସଙ୍ଗେ ସଙ୍ଗେ ଆକ୍ଷି ବୁଜି ତାହାକୁ ଡେଇଁ ଏହି ୠଷ୍ୟମୁକକୁ ଆସି ବାସ କରୁଅଛି । ମୁଁ ଅଭିଷେକ ହେବା ସମୟରେ ଯେଉଁମାନେ ଛତ୍ର ଚାମର ପ୍ରଭୃତି ଧରିଥିଲେ, ବାଳି ସେମାନଙ୍କୁ ମଧ୍ୟ କିସ୍କିନ୍ଧ୍ୟା ନଗରରୁ ବାହାର କରି ଦେଇ ଅଲଗା କରି ରଖିଅଛି ।’’
୪୦ଶ ଓ ୪୧ଶ ପଦ :- ‘‘ମୋ ସଙ୍ଗର ଥିବା ବୀରମାନଙ୍କ ମଧ୍ୟରୁ ଜଣେ ଜଣେ ବୀର ଏହି ପୃଥିବୀକୁ ଜୟ କରିପାରନ୍ତି କିନ୍ତୁ ବାଳି ସହିତ ଯୁଦ୍ଧ କରିବାକୁ ହେଲେ ସେମାନଙ୍କର ସାମର୍ଥ୍ୟ ନଷ୍ଟ ହୋଇ ଯାଉଅଛି । ଯେଉଁଦିନ ରାବଣ ଆପଣଙ୍କ ସ୍ତ୍ରୀ ସୀତାଙ୍କୁ ରଥରେ ବସାଇ ଆକାଶ ମାର୍ଗରେ ନେଲା, ସେହିଦିନ ତାଙ୍କୁ ଦେଖି ଆମ୍ଭେମାନେ ଅତିଶୟ ଦୁଃଖରେ କାନ୍ଦିବାକୁ ଲାଗିଲୁ । ସାମାନ୍ୟ ଯୁଦ୍ଧ କରି ଛଡ଼ାଇ ଆଣି ପାରିଥାନ୍ତୁ କିନ୍ତୁ ଆମ୍ଭମାନଙ୍କ ମନରେ ଭୟ ହେଲା, କାରଣ ସେ ତାର ମିତ୍ର ବାଳି ଆଗରେ ଗୁହାରି କରିପାରେ । ଏହିପରି ଭାବି ଚାହିଁଲାବେଳକୁ ରଥ କିସ୍କିନ୍ଧ୍ୟା ନିକଟବର୍ତ୍ତୀ ହୋଇଯାଇଥିଲା । ବାଳି ବୈମାତୃକ ଭାଇ ନ ହୋଇ ସୁଦ୍ଧା ବୃଥାରେ ମୋର ଦର୍ପ ଚୂନା କରିଦେଲା ।’’
ବିଭୂତି ଜଟା-ଧାରଣ ଚିହ୍ନ ସେ କାହାର ।ବିଭୂଷା ପକାଇଛି କେୟୁର ମଣିହାର ।ବୋଲି ସେ ଗୁହାରୁ ଆଣି ଦେଲା ସେ ଭୂଷଣ ।ବୋଳିଦେଲା କି ଚନ୍ଦନ ଶମ୍ବରଦୁଷଣ ॥ ୪୨ ।ବସନେ ଅମ୍ଲାନ ହୋଇଥିଲା ସେ ବନ୍ଧନ ।ବଶଚିତ୍ତ କବଚକୃତକୁ ଦେଲା ଧନ ।ବୀଥି ବୀଥି ବାଣ ପ୍ରହାରିବାରେ ଅତନୁ ।ଚିଥିର ହୋଇ ଏଥିରେ ଘୋଡ଼ାଇବି ତନୁ ॥ ୪୩ ।ବାସଗଣ୍ଠି ଫିଟାଇ ଦେଖିଲେ ଅଳଙ୍କାର ।ବାସଅଙ୍ଗୀ ପ୍ରଶଂସା କହିଲେ ଏ ପ୍ରକାର ।ବାମନେତ୍ରାଟି ମଣ୍ଡନ ରତ୍ନମଣ୍ଡନକୁ ।ବାମ ହେଲା ବିଧି ଏତେକାଳେ ଏମାନଙ୍କୁ ॥ ୪୪ ।ବିହୀନବେଶ ସେ ନୋହି ଏ ହୋଇ ସମ୍ମତ ।ବିହିତ ଶୋଭା ଅଶେଷ ପ୍ରିୟା ନଭ ମତ ।ବିଭିନ୍ନ ଦୀନ ହେବାରେ ନକ୍ଷତ୍ରମାଳାରେ ।ବିଭୀତ ଚିତ୍ତ ନୋହିବ ରଜନୀ ମେଳାରେ ॥ ୪୫ ।୪୨ଶ ପଦ :- କେୟୁର - ତାଡ଼ । ଶମ୍ବରଦୁଷଣ - ବଟାହୋଇଥିବା ।
୪୨ଶ ପଦ :- ହେ ଜଟ ଭସ୍ମଧାରୀ ରାମ ! ସେହି ସ୍ତ୍ରୀ ତାଡ଼ ଓ ମୁକ୍ତାମାଳ ପ୍ରଭୃତି କେତେ ଅଳଙ୍କାର ପକାଇ ଦେଇଛି, ସେ କାହାର ଚିହ୍ନନ୍ତୁ ?’’ ଏହା କହି ପର୍ବତ ଗୁହାରୁ ସେହିସବୁ ଅଳଙ୍କାର ଆଣି ତାଙ୍କୁ ଦେଲା । ରାମ ସେଗୁଡ଼ିକ ପାଇ ଗ୍ରୀଷ୍ମସଂତପ୍ତ ଲୋକ ବଟାଚନ୍ଦନ ବୋଳି ହେଲେ ଯେଉଁପରି ଆନନ୍ଦ ଅନୁଭବ କରେ ସେହିପରି ଆନନ୍ଦିତ ହେଲେ ।
୪୩ଶ ପଦ :- କବଚକୃତକୁ - ସାଞ୍ଜ କରିବାକୁ । ବୀଥି ବୀଥି – ମାଳ ମାଳ । ଅତନୁ - କନ୍ଦର୍ପ । ବିଥିର - ଅତିଶୟସ୍ଥିର
୪୩ଶ ପଦ :- ସେହି ଅଳଙ୍କାରଗୁଡ଼ିକ ଅମ୍ଲାନ ବସ୍ତ୍ରରେ ତ ହୋଇଥିଲା; ତେଣୁ ରାମ ସେହି ବସ୍ତ୍ରକୁ ଦୁରରୁ ଦେଖିବା ମାତ୍ରେ ତାହାଙ୍କର ଚିତ୍ତ ସ୍ଥିର ହେବାକୁ ଲାଗିଲା (ବିରହୀ କାନ୍ତାର ବସ୍ତ୍ର ଦେଖି ଦୁଃଖ ଅପନୋଦନ କରେ, ଏହା କବି ପ୍ରସିଦ୍ଧ ) ‘ତହୁଁ ସେ ଏହିପରି ଭାବିବାକୁ ଲାଗିଲେ’ ଏହାକୁ ଦେଖି ମୋର ଚିତ୍ତ ସ୍ଥିର ହୋଇ ଯାଉଅଛି । ବୋଧହୁଏ ଧନୀ ଏହି ବସ୍ତ୍ରକୁ ସାଞ୍ଜୁ କରି ପିନ୍ଧିବାକୁ ଦେଇ ଯାଇଅଛି । ଯେତେବେଳେ କନ୍ଦର୍ପ ଗୋଛା ଗୋଛା ବାଣ ମାରିବ, ମୁଁ ସେହି ସମୟରେ ଏହି ବସ୍ତ୍ରଦ୍ୱାରା ଦେହକୁ ଘୋଡ଼ାଇ ହୋଇ ଅତିଶୟ ସ୍ଥୈର୍ଯ୍ୟ ଅବଲମ୍ବନ କରିବି ଅଥାର୍ତ ସ୍ଥିର ହେବି ।
୪୪ଶ ଓ ୪୫ଶ ପଦ :- ରାମଚନ୍ଦ୍ର ବସ୍ତ୍ର ଗଣ୍ଠି ଫିଟାଇ ସେହି ଅଳଙ୍କାର ଗୁଡ଼ିକୁ ଦେଖି ପଦ୍ମଗନ୍ଧା ସୀତାକୁ ପ୍ରଶଂସାକରି କହିଲେ, ସେହି ସୁନ୍ଦର ନୟନା ସୀତା ଏହି ରତ୍ନ ଅଳଙ୍କାରମାନଙ୍କର ଅଳଙ୍କାର ଅଟେ, ଅର୍ଥାତ୍ ଅଳଙ୍କାରମାନେ ସୀତାଙ୍କ ଦେହର ସୌନ୍ଦର୍ଯ୍ୟ ବୃଦ୍ଧି ନ କରି, ତାଙ୍କର ଦେହ ପ୍ରଭାଦ୍ୱାରା ନିଜେ ନିଜେ ସୁନ୍ଦର ଦେଖାଯାନ୍ତି । ବିଧାତା ଏତେକାଳରେ ଏହି ଏହି ଅଳଙ୍କାରମାନଙ୍କ ପ୍ରତି ପ୍ରତିକୂଳ ହେଲା । ଏମାନେ ତାଙ୍କ ଦେହରୁ ପୃଥକ ହୋଇ ଶୋଭାହୀନ ହେଲେ । ମାତ୍ର ସେ ଶୋଭାହୀନ ହୋଇ ନାହିଁ, ଏହା ମୋର ମତ ।’’ ଏହିପରି ଭାବନା କରିବା ମାତ୍ରେ ରାମଙ୍କର ଦୃଷ୍ଟି ମୁକ୍ତାମାଳା ଉପରେ ପଡ଼ିବାରୁ ସେ ଏହିପରି ଭାବିଲେ, ଦିବସକାଳୀନ ଆକାଶରୁ ତାରାଗୁଡ଼ିକ ଅନ୍ତର୍ହିତ ହୋଇଯିବାରୁ ସେ ଆକାଶ ଯେପରି ସମସ୍ତ ଶୋଭାରୁ ରହିତ ହୋଇଯାଏ, ପ୍ରିୟା ସେହିପରି ଏହି ନକ୍ଷତ୍ରମାଳା (ସତେଇଶ ଗୋଟି ମୁକ୍ତା ଥିବା ମାଳା)କୁ ଦୁଃଖର ସହିତ ତ୍ୟାଗ କରିବାରୁ ସମସ୍ତ ଶୋଭାକୁ ବଞ୍ଚିତ ହୋଇଥିବ । ମାତ୍ର ଦିବସ, ରାତ୍ରି ମିଳିତ ହେଲେ, ଅର୍ଥାତ୍ ଦିନପରେ ରାତ୍ରି ଆସିଲେ; ଆକାଶର ଚିତ୍ତରେ ଭୟ ପ୍ରବେଶ କରେ ନାହିଁ, କାରଣ ସେ ପୁନର୍ବାର ତାରକା ସମୁହ ଦ୍ୱାରା ମଣ୍ଡିତ ହୋଇ ଅତିଶୟ ଶୋଭା ଧାରଣ କରେ । କିନ୍ତୁ ଆହା! ମୋର ପ୍ରିୟାର ଚିତ୍ତ ସବୁବେଳେ ଭୟଯୁକ୍ତ ହୋଇଥିବାରୁ ‘‘ରଜନୀ ମେଳା’’ ହରିଦ୍ରା ସହିତ ମିଳିପାରିବ ନାହିଁ; ଅର୍ଥାତ ଆଉ ହଳଦୀ ଲଗାଇବ ନାହିଁ । ଅଥବା ପ୍ରିୟା ଦୁଃଖିତା ହୋଇ ମୁକ୍ତାମାଳା କାଢ଼ି ପକାଇଲେ ସୁଦ୍ଧା ତାରାବଳି ଶୂନ୍ୟ ଦିବସର ଆକାଶ ପରି ଶୋଭା ଧାରଣ କରିଥିବ । ଆକାଶ ରାତ୍ରି ସହିତ ମିଳିତ ହେଲେ ଯେପରି ଅତିଶୟ ଭୀତ ହୁଏ, ସେହିପରି ରାତ୍ରି ହେଲେ ସୀତା ଅତିଶୟ ଭୀତ ହେଉଥିବ ।’’
ବିଦୀପ୍ତ ହେବାରୁ କରି ତାପ ଘନକାଳ ।ବିଦିତ କଲା କଙ୍କଣ ମୁଞ୍ଚିବା ତତ୍କାଳ ।ବିଦ୍ୟୁତ୍ଗୋରୀ ମାନସର ସ୍ମରଶର ଦରେ ।ବିଦୁରତା ହଂସକର ନିଶ୍ଚୟ ଆଦରେ ॥ ୪୬ ।ବନ୍ଦୀ ହୋଇ ରକ୍ଷପୁରେ ଏମନ୍ତ ମତିରେ ।ବନ୍ଦିଆ ରଖିଲା ପରା ତାହାର ଶ୍ରୁତିରେ ।ବିଧବା ବେଶ ଶଙ୍କାରେ ରଖିଛି ଅତୁଲ ।ବିଧ୍ୱଂସେ ଏ ଭାବ ଧୈର୍ଯ୍ୟ ସ୍ନେହୀ କାହିଁ ତୁଲ ? । ୪୭ ।ବର୍ଣ୍ଣନ୍ତେ ଏରୂପ ସ୍ୱରଭଙ୍ଗ ପରଚରେ ।ବର୍ଣ୍ଣମାନ ବ୍ୟକ୍ତ ହୋଇ ତହୁଁ ନ ଉଚ୍ଚରେ ।ବତ୍ସର ସମ ଲବକ ନୋହିଲା ନିବାରି ।ବତ୍ସସ୍ଥଳ ତିନ୍ତିଗଲା ପଡ଼ି ଅଶ୍ରୁବାରି ॥ ୪୮ ।ବିଷାଦେ ନିଶ୍ୱାସ ତେଜି ହା ସୀତା ଭାଷିତ ।ବିଷାବିଷ୍ଟ କାମକାଣ୍ଡେ ହେଲେ ଆକର୍ଷିତ ।ବାନ୍ଧନ୍ତେ ଭୂଷା ଲକ୍ଷ୍ମଣ ଏହା ଦେଖି ହେଳେ ।ବାନ୍ଧବି ରେ କି ଦଣ୍ଡ ହେଲାଟି କହି ହେଲେ ॥ ୪୯ ।ବଡ଼ଭୀ ଶୟନେ ହୁଦୁଁ ହୃଦୟ ଅନ୍ତରେ ।ବଡ଼ ଦୟାଳୁ ଚମକି ଭିଡ଼ଇ କାତରେ ।ବିଲୋପ ଜୀବନ ନୋହି ଥିବ ନିକି ସତୀ ।ବିଲୋକ ଦଶବଦନ ଭିଜହିଁ ବିଶତି ॥ ୫୦ ।
୪୬ଶ ପଦ :- ବିଦୀପ୍ତ - ଅତ୍ୟନ୍ତ ତାପିତ । ଘନକାଳ - ବର୍ଷା ସମୟ । କଙ୍କଣ - ଜଳବିନ୍ଦୁ ହସ୍ତଭୂଷଣ ବିଶେଷ । ମାନସର - ମାନସରୋବର । ସୁରଶର - କାମଶର । ଦରେ - ଭୟରେ । ହଂସକ - ହଂସପକ୍ଷୀ, ନୂପୁର ।
୪୬ଶ ପଦ :- ତତ୍ପରେ ‘କଙ୍କଣ’ ତାଡ଼କୁ ଦେଖି ଏହିପରି ଭାବିବାକୁ ଲାଗିଲେ - ହଁ ଜଣାଗଲା; ବର୍ଷା ସମୟ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ଭୁପୃଷ୍ଠରେ ଜଳବିନ୍ଦୁ ନିକ୍ଷେପ କରିବାଦ୍ୱାରା ସେହି ଭୂମିର ଗ୍ରୀଷ୍ମକାଳ ଜନିତ ଅଧିକ ତାପକୁ ଶାନ୍ତି କରିଥାଏ; ସେହିପରି ପ୍ରିୟାର ଦେହରେ ବିଯୋଗ ଜନିତ ଅତ୍ୟଧିକ ତାପ ପ୍ରକାଶିତ ହେବାରୁ, ସେ ‘ଘନକାଳ’ ବର୍ଷାକାଳ ରୂପ ବାଳକୁ ପ୍ରକାଶ କରି ଅର୍ଥାତ୍ କାନ୍ଦିବା ଆରମ୍ଭ କରି ସଙ୍ଗେ ସଙ୍ଗେ ‘କଙ୍କଣ’ ହସ୍ତର ଅଳଙ୍କାରକୁ ‘କଙ୍କଣ’ ଜଳକଣା ଅର୍ଥାତ୍ ହସ୍ତରେ ଲାଗିଥିବା ଲୋତକ ବିନ୍ଦୁ ମନେକରି ତ୍ୟାଗ କରି ଶାନ୍ତି ଲାଭକଲା । (ସାଧାରଣତଃ ଲୋକମାନେ କାନ୍ଦି ସାରିଲା ପରେ ହାତରେ ଲୁହକୁ ପୋଛି ଶୋକରୁ ନିବୃତ୍ତ ହୋଇଥାନ୍ତି) l ସେହିପରି ନୂପୁରକୁ ଦେଖି ମନେ କଲେ, ହଂସମାନେ ଶରତ୍କାଳ ଉପସ୍ଥିତ ହେଲେ ମାନସରୋବରକୁ ଛାଡ଼ି ବହୁଦୂର ଗଲାପରି, ବିଦ୍ୟୁତବରଣା ସୀତା ନୂପୁରକୁ ତ୍ୟାଗ କରି ବହୁଦୂରକୁ ଗଲେ । ଅର୍ଥାତ ସତୀ ବିରହ ଯୋଗୁଁ ସମସ୍ତ ଅଳଙ୍କାର ତ୍ୟାଗ କରି ପ୍ରୋଷିତପତିକାର ଲକ୍ଷଣ ଧାରଣ କଲେ ।
୪୭ଶ ପଦ :- ରକ୍ଷପୁରେ - ଲଙ୍କାଠାରେ । ବନ୍ଦିଆ - କର୍ଣ୍ଣଭୂଷଣ ବିଶେଷ । ଅତୁଲ - ଅଳଙ୍କାର ବିଶେଷ ।
୪୭ଶ ପଦ :- ‘ମୁଁ ବନ୍ଦୀ ହେଲି’ ଏହା ଭାବି କାନରେ ବନ୍ଦିଆନାମକ ଅଳଙ୍କାରକୁ ଏବଂ ‘ସମସ୍ତ ଅଳଙ୍କାର ତ୍ୟାଗ କଲେ ବିଧବା ପରି ଦେଖାଯିବ’ ଏହା ଭାବି ହାତରେ ଅତୁଲକୁ ରଖିଲେ ପରା ! ଆହା ପ୍ରିୟାର ଏହିଭାବ ମୋର ଧୈର୍ଯ୍ୟକୁ ଧ୍ୱଂସ କରୁଛି । ଏ ଜଗତରେ ତାଙ୍କ ସହ ଆଉ କିଏ ସମାନ ହେବ ?
୪୮ଶ ପଦ :- ପରଚରେ - (ପ୍ରଚରେ) ପ୍ରସରିଲା । ବତ୍ସସ୍ଥଳ - ବକ୍ଷସ୍ଥଳ । ବର୍ଣ୍ଣମାନ - ଅକ୍ଷରମାନ ।
୪୮ଶ ପଦ :- ଏହିପରି ବର୍ଣ୍ଣନା କରୁ କରୁ ରାମଙ୍କର ସ୍ୱରଭଙ୍ଗ ହେବାରୁ କଣ୍ଠରୁ ବର୍ଣ୍ଣମାନେ ସ୍ପଷ୍ଟରୂପେ ଉଚ୍ଚାରିତ ହେଲେ ନାହିଁ । ମୁହୂର୍ତ୍ତ ମାତ୍ର ସମୟ ତାଙ୍କୁ ଏକବର୍ଷ ପରି ବୋଧ ହେଲା । ଲୋତକ ଧାରା ଚକ୍ଷୁରୁ ଅବାହିତ ହୋଇ ବକ୍ଷସ୍ଥଳ ଭିଜିଗଲା ।
୪୯ଶ ପଦ :- ବିଷାବିଷ୍ଟ - ବିଷାକ୍ତ । କାମକାଣ୍ଡେ - କାମ ବାଣଦ୍ୱାରା ଭୂଷା ଅଳଙ୍କାର ।
୪୯ଶ ପଦ :- ସେ ଦୀର୍ଘ ନିଃଶ୍ୱାସ ତ୍ୟାଗ କରି ‘‘ହା ସୀତା ! ହା ସୀତା !’’ ବୋଲି କହି କନ୍ଦର୍ପର ବିଷବୋଳା ବାଣରେ ବିଦ୍ଧ ହେବାକୁ ଲାଗିଲେ । (ଅର୍ଥାତ୍ ଉନ୍ମାଦିତ ହେଲେ ) । ଏହି ସମୟରେ ଲକ୍ଷ୍ମଣ ସେହି ଅଳଙ୍କାର ଗୁଡ଼ିକୁ ବାନ୍ଧିବାର ଦେଖି, ରାମ ଲଜ୍ଜାଶୂନ ହୋଇ କହିଲେ, ‘‘ରେ ବାନ୍ଧବି ! କି ଦଣ୍ଡ ଉପସ୍ଥିତ ହେଲା ।’’ (ଏହାଦ୍ୱାରା ବ୍ରୀଡ଼ାତ୍ୟାଗ ଦଶା ବର୍ଣ୍ଣନା କରାଗଲ) ।
୫୦ଶ ପଦ :- ବଡ଼ଭୀ - ଚନ୍ଦ୍ରଶାଳାପୁର ।
୫୦ଶ ପଦ :- ‘‘ଚନ୍ଦ୍ରଶାଳା ପୁରରେ ଶୋଇଥିବା ବେଳେ ମୋର ବକ୍ଷରୁ ତୋର ବକ୍ଷ ଅନ୍ତର ହେଲେ ଭୟରେ ଚମକି ଉଠି କାତର ହୋଇ ମୋତେ କୋଳକରୁ । ହେ ସତୀ, ବର୍ତ୍ତମାନ ରାବଣର ଦଶଟା ମୁଣ୍ଡ ଓ କୋଡ଼ିଏ ଗୋଟା ହାତ ଦେଖି ତୁ ନ ମରି ବଞ୍ଚିଥିବୁ ଟିକି ?’’
ବଞ୍ଚକ ଆୟତ୍ତେ ଶଶ ପଡ଼ିଲା ପରିରେ ।ବଞ୍ଚନ ତା ଜୀବେ ଥିଲେ ଦିବା ଶର୍ବରୀରେ ।ବନ୍ଦୀ ବ୍ୟାଧଜାଲେ ହେଲା କପୋତୀ ଯେସନ ।ବନ୍ଦିତା କବିରେ ଯେ ସୁନ୍ଦରୀ ସେ ଏସନ ।୫୧ ।ବିନା ଦରଶନ ତାହା କଷଣ ଭାବନେ ।ବିନାଶ ନୋହି ରହିଛି କାହିଁକି ଜୀବନେ ।ବିରଚି ଆଦ୍ୟନ୍ତ ଅନୁପ୍ରାସ ଆସପଦେ ।ବୀରବର ଉପଇନ୍ଦ୍ର ଛାନ୍ଦ ବାନପଦେ ।୫୨ ।୫୧ଶ ପଦ :- ବଞ୍ଚକ - ଶୃଗାଳ । ଶଶ - ଠେକୁଆ ।
୫୧ଶ ପଦ :- ‘‘ମୋର ପ୍ରିୟା ଯଦିବା ବଞ୍ଚିଥିବ ତା ହେଲେ’ ଶୃଗାଳ ଆୟତ୍ତ ଶଶା ପରି ଦିନ ରାତ୍ରି ଯାପନ କରୁଥିବ । ଅଥବା ସେହି କବିବୃନ୍ଦ ବନ୍ଦନୀୟ ସୀତା ବ୍ୟାଧ ଜାଲରେ କପୋତୀ ବନ୍ଦୀ ହୋଇ ଭାବିଲା ପରି ରହିଥିବ ।’’
୫୨ଶ ପଦ :- ‘‘ମୁଁ ତାକୁ ନ ଦେଖି କେବଳ ତାର କଷ୍ଟ କଥା ଭାବି ଭାବି କାହିଁକି ନ ମରି ବଞ୍ଚି ରହିଛି ? ବୀରବର ଭଞ୍ଜ କବି ଆଦ୍ୟାନୁପ୍ରାସ ରଖି ଏ ଛାନ୍ଦକୁ ବାଉନ ପଦରେ ରଚନା କଲେ ।
ଅଷ୍ଟାବିଂଶ ଛାନ୍ଦରାଗ- ଦେଶାକ୍ଷଚକ୍ରକେଳି ବାଣୀବୋଲେ ସୁଗ୍ରୀବେ ରାମ କ୍ଲେଶଭାଷା ।ବେନି ଜନେ ପଡ଼ିଛି ଏକଦଶା।୧ ।ବଭାବସୁବଂଶେ ଜାତ ଆମ୍ଭର ।ବିଧିରେ ତ ତୁମ୍ଭେ ତାଙ୍କ କୁମର।୨ ।ବସୁ ଅଯେଧ୍ୟା କିସ୍କିନ୍ଧ୍ୟା ରାଜନ ।ବିଭୂତିରେ ବନେ ହେଲା ସଦନ।୩ ।ବାମା ବିଚ୍ଛେଦ ପର ଧରକ୍ଷଣେ ।ବିଞ୍ଚି ଦିନ ଫଳ ମୂଳ ଭକ୍ଷଣେ।୪ ।ବଞ୍ଚି ଅନୁଜ ମନ୍ତ୍ରୀ ପ୍ରବୋଧନେ ।ବୋଧ ହୋଇ ରହିଥାଇଁ ଜୀବନେ।୫ ।ବାଧା ମାତା ଭ୍ରାତାରେ ଉପୁଜିଛି ।ବଇରିକି ସାଧିବା ଇଚ୍ଛା ଅଛି।୬ ।ବ୍ୟବହାରେ ମିତ୍ର ହେବା ଉଚିତ ।ବୋଲେ ସୁଗ୍ରୀବ ଶୁଣ ରଘୁ ସୁତ।୭ ।ବୁଲ ଧରଣୀ ନିର୍ଭୟରେ ତୁମ୍ଭେ ।ବାଳି ଡରେ ଗିରିରେ ଲୁଚୁ ଆମ୍ଭେ।୮ ।ବଳବନ୍ତ ହେଲେ ଯଥା କେଶରୀ ।ବଧେ ଗଜାଦି ଶରଭକୁ ଡରି।୯ ।ବିହି ପାରିବି କେଉଁ ଉପକାର ।ବୋଲେ ମିତ୍ର ହେବା ତୁମ୍ଭ ଆମ୍ଭର।୧୦।
୧ମ ଓ ୨ୟ ପଦ :- ରାମଚନ୍ଦ୍ର ସୁଗ୍ରୀବଙ୍କୁ ନିଜ ଦୁଃଖର କଥା କହିବାକୁ ଲାଗିଲେ । ସେ କହିଲେ, ‘‘ଆମ୍ଭେ ସୂର୍ଯ୍ୟବଂଶ ଜାତ, ତୁମ୍ଭେ ସୂର୍ଯ୍ୟଙ୍କର ପୁତ୍ର । ସୁତରାଂ ଆମ୍ଭେ ଦୁହେଁ ଏକବଂଶୀୟ ।’’
୩ୟ ପଦ :- ବିଭୂତି - ଭସ୍ମ, ଉତ୍କର୍ଷଶୂନ୍ୟ । ବି - ଭୂତି - ଧନହୀନ ।
୩ୟ ପଦ :- ‘‘ଆମ୍ଭେ ଅଯୋଧ୍ୟାର ଏବଂ ତୁମ୍ଭେ କିସ୍କିନ୍ଧ୍ୟାର ସିଂହାସନରେ ବସୁବସୁ ଏପରି ଦଶା ପଡ଼ିଲା ଯେ; ଆମ୍ଭେ ‘ବିଭୂତି’ ଭସ୍ମ ବୋଳି ହୋଇ ଅର୍ଥାତ୍ ୠଷି କେଶ ଧାରଣ କରି ଏବଂ ତୁମ୍ଭେ ‘ବିଭୂତି’ ସମ୍ମାନହୀନ ହୋଇ (ଲୁଚିକରି ବନରେ ବାସ କରୁଥାଇଁ । (ଅଥବା ଧନହୀନ ହୋଇ ବନରେ ବାସ କରୁଥାଇଁ) ।’’
୪ର୍ଥ ପଦ :- ପରଧରଷଣ - ଶତ୍ରୁର ଉପଦ୍ରବ ବା ଦୌରାତ୍ମ୍ୟ ।
୪ର୍ଥ ପଦ :- ‘‘ଶତ୍ରୁର ଦୌରାତ୍ମ୍ୟ ଯୋଗୁଁ ଦୁହିଁଙ୍କର ପ୍ରିୟା ବିଚ୍ଛେଦ ଘଟିଅଛି ଏବଂ ଦୁହେଁ ମଧ୍ୟ ଫଳ ମୂଳ ଖାଇ ପ୍ରାଣ ଧାରଣ କରିଥାଇଁ ।’’
୫ମ ପଦ :- ଅନୁଜ - ସାନ ଭାଇ ! ପ୍ରବୋଧନ - ସାନ୍ତ୍ୱନା ।
୫ମ ପଦ :- ‘‘ମୁଁ ସାନ ଭାଇର ପ୍ରବୋଧ ବାକ୍ୟରେ ଜୀବନ ଧାରଣ କରିଅଛି, ସେହିପରି ତୁମ୍ଭେ ମଧ୍ୟ ମନ୍ତ୍ରୀର ପ୍ରବୋଦ ବାକ୍ୟରେ ଜୀବନ ଧାରଣ କରିଅଛି ।’’
୬ଷ୍ଠ ପଦ :- ‘‘ମୋର ମାତାଙ୍କ ଦ୍ୱାରା ଏବଂ ତୁମ୍ଭର ଭାଇଙ୍କ ଦ୍ୱାରା ରାଜ୍ୟ ପ୍ରାପ୍ତିରେ ବାଧା ଘଟିଛି । ଆମ୍ଭ ଦୁହିଙ୍କର ମଧ୍ୟ ଶତ୍ରୁ ସାଧିବା ଇଚ୍ଛା ଅଛି ।’’
୭ମ ପଦ :- ‘‘ଉପରୋକ୍ତ କାରଣଗୁଡ଼ିକ ଦୁହିଙ୍କ ପ୍ରତି ସମାନ ଭାବରେ ଘଟିଥିବାରୁ ଆମ୍ଭ ଦୁହିଁଙ୍କର ମିତ୍ର ହେବା ଉଚିତ ।’’ ସୁଗ୍ରୀବ କହିଲା, ‘‘ହେ ରାମଚନ୍ଦ୍ର ! ମୋ କଥା ଶୁଣନ୍ତୁ ।’’
୮ ପଦ :- ‘‘ଆପଣ ଭୟ ଶୂନ୍ୟ ହୋଇ ପୃଥିବୀ ପର୍ଯ୍ୟଟନ କରୁଛନ୍ତି, ମୁଁ ବାଳିକୁ ଭୟ କରି ପର୍ବତ ଗୁମ୍ଫାରେ ଲୁଚି ରହିଛି ।’’୯ମ ପଦ :- କେଶରୀ - ସିଂହ । ଶରଭ - ଅପଦ ବିଶିଷ୍ଟ ମୃଗ ।
୯ମ ପଦ :- ‘‘ବଳଶାଳୀ ସିଂହ ହାତୀ ପ୍ରଭୃତି ବଡ଼ ବଡ଼ ପ୍ରାଣୀମାନଙ୍କୁ ବିନାଶ କଲେ ସୁଦ୍ଧା ଅଷ୍ଟାପଦ ନାମକ ମୃଗକୁ ଯେପରି ଭୟ କରେ, ମୁଁ ସେହିପରି ବାଳିକୁ ଭୟ କରୁଛି ।’’
୧୦ମ ପଦ :- ‘‘ଏପରି ଅବସ୍ଥାରେ ମୁଁ ଆପଣଙ୍କର କି ଉପକାର କରି ପାରିବି ଯେ, ଆପଣ ମିତ୍ର ହେବାକୁ କହୁଛନ୍ତି ।’’ବୋଲେ ରଘୁବୀର ଶୁଣି ଉତ୍ସୁକେ ।ବିନ୍ଧି ପକାଇବି ବାଳି ବାଣକେ।୧୧ ।ବ୍ରହ୍ମଲୋକେ ଥିଲେ ସୀତା ଖୋଜାଇ ।ବାଦ ରଚନେ ଆଣିକି ସେ କହି।୧୨ ।ବୀର ଏରୂପ ମୋର ସଙ୍ଗେ ଅଛି ।ବାଳଭାନୁ ଜନ୍ତୁ ଡେଇଁ ଧରିଛି।୧୩ ।ବୋଲାବୋଲି ସେ ହୋଇ ଏତେ ମାତ୍ର ।ବହ୍ନି ସାକ୍ଷୀ କରଇ ହେଲେ ମିତ୍ର।୧୪ ।ବୋଲୁଁ ଶତ୍ରୁକୁ ଦେଖାଅ ରାଘବ ।ବୋଲୁଅଛି ସବିନୟେ ସୁଗ୍ରୀବ।୧୫ ।ବିନ୍ଧିବାକୁ ଇଚ୍ଛା ଯେବେ ବାଳି କି ।ବଳ କଷ ଦୁନ୍ଦୁଭି ଅସ୍ଥି ଟେକି।୧୬ ।ବିଜେ ରାମ ଶୁଣି ସେ ସନ୍ନିଧିର ।ବୃଦ୍ଧାଙ୍ଗୁଳି କି ବାମ ଚରଣର।୧୭ ।ବିନ୍ୟସ୍ତ ଯେ କଲେ ଅସ୍ଥି ଗିରିରେ ।ବନରୁହେ କରୀକର ପରିରେ।୧୮ ।ବେଗେ ତୋଳି ସେ କଳିସେ ଯେମନ୍ତେ ।ବିହାୟସେ ଫିଙ୍ଗିଦେଲେ ତେମନ୍ତେ।୧୯ ।ବରେ ଶୁଭନ୍ତେ ଶବଦ ତାହାର ।ବ୍ୟୋମେ ଦୃଷ୍ଟି କିସ୍କିନ୍ଧ୍ୟାବାସିଙ୍କର।୨୦ ।ବିତର୍କିଲେ ସେ ମଇନାକ ଉଡ଼ି ।ବଜ୍ରଘାଏ ବହୁତ ଦୂରେ ପଡ଼ି।୨୧ ।୧୧ଶ ପଦ :- ଏହା ଶୁଣି ରାମ ଆନନ୍ଦିତ ହୋଇ କହିଲେ, ‘‘ଗୋଟିଏ ମାତ୍ର ବାଣ ବିନ୍ଧି ବାଳିକୁ ମାରି ପକାଇବି ।’’
୧୨ଶ ପଦ :- ତହୁଁ ସୁଗ୍ରୀବ କହିଲା, ‘‘ସୀତା ବ୍ରହ୍ମଲୋକରେ ଥିଲେ ସୁଦ୍ଧା ମୁଁ ତାଙ୍କୁ ଦୂତମାନଙ୍କଦ୍ୱାରା ଖୋଜାଇ, ନେଇଥିବା ଲୋକସହ ଯୁଦ୍ଧ କରି ଆଣିବି ।’’
୧୩ଶ ପଦ :- ବାଳଭାନୁ - ନବୋଦିତ ସୂର୍ଯ୍ୟ ।୧୪ଶ ପଦ :- ବହ୍ନି - ଅଗ୍ନି ।
୧୩ଶ ପଦ ୧୪ଶ ପଦ :- ‘‘ଏପରି ଜଣେ ବୀର ମୋର ନିକଟରେ ଅଛି; ଯେ କି ଜନ୍ମ ହେବା ସଙ୍ଗେ ସଙ୍ଗେ ଡେଇଁ ଉଇଁ ଆସୁଥିବା ସୂର୍ଯ୍ୟଙ୍କୁ ଧରିଅଛି । ରାମ ଓ ସୁଗ୍ରୀବ ଦୁହେଁ ଏପରି କଥାବାର୍ତ୍ତା ହୋଇ (ଅର୍ଥାତ୍ ରାମ ବାଳିକୁ ବିନାଶ କରିବେ; ସୁଗ୍ରୀବ ସୀତାଙ୍କୁ ଖୋଜି ଦେବେ ଏହି କଥା ନିଶ୍ଚୟ କରି) ଅଗ୍ନିକୁ ସାକ୍ଷି ରଖି ମିତ୍ରତା ସୂତ୍ରରେ ଆବଦ୍ଧ ହେଲେ ।
୧୫ଶ ଓ ୧୬ଶ ପଦ :- ତତ୍ପରେ ରାମଚନ୍ଦ୍ର ତୁମ୍ଭ ଶତ୍ରୁ ବାଳି କେଉଁଠାରେ ଅଛି ଦେଖାଅ; ଏହି କଥା କହିବାରୁ; ସୁଗ୍ରୀବ ବିନୟାନ୍ୱିତ ହୋଇ କହିଲା, ‘‘ଆପଣ ଯଦି ବାଳିକୁ ମାରିବାକୁ ଇଚ୍ଛା କରନ୍ତି, ତେବେ ଦୁନ୍ଦୁଭି ଦୈତ୍ୟର ହାଡ଼କୁ ଟେକି ନିଜର ବଳ ପରୀକ୍ଷା କରନ୍ତୁ ।’’
୧୭ଶ ପଦ :- ସନ୍ନିଧ - ନିକଟ ।୧୮ଶ ପଦ :- ବିନ୍ୟସ୍ତ - ସ୍ଥାପନ । ବନରୁହ - ପଦ୍ମ ।
୧୭ଶ ଓ ୧୮ଶ ପଦ :- ସୁଗ୍ରୀବଙ୍କଠାରୁ ଏହି କଥା ଶୁଣି ପର୍ବତ ତୁଲ୍ୟ ଉନ୍ମତ୍ତ ସେହି ଦୁନ୍ଦୁଭି ଦୈତ୍ୟର ପଡ଼ିରହିଥିବା ଅସ୍ଥି ନିକଟକୁ ଯାଇ ହସ୍ତୀ ତାହାର ଶୁଣ୍ଢକୁ ପଦ୍ମ ଉପରେ ରଖିଲା ପରି, ରାମ ତାହା ଉପରେ ବାମ ପାଦର ବୃଦ୍ଧ ଅଙ୍ଗଳିକୁ ରଖିଲେ ।
୧୯ଶ ପଦ :- ସେ କଳି - ପଦ୍ମ କଳିକା ।୧୯ଶ ପଦ :- ହାତୀ ଯେଉଁ ପରି ପଦ୍ମ କଢ଼କୁ ତୋଳି ଫିଙ୍ଗିଦିଏ, ରାମଚନ୍ଦ୍ର ସେହିପରି ଦୁନ୍ଦୁଭିର ଅସ୍ଥିକୁ ଆକାଶକୁ ଫିଙ୍ଗି ଦେଲେ ।୨୧ଶ ପଦ :- ବରେ - ଉଚ୍ଚଶବ୍ଦରେ । ବ୍ୟୋମ - ଆକାଶ ।
୨୦ଓ ୨୧ଶ ପଦ :- ରାମ ସେହି ଅସ୍ଥିକୁ ଫିଙ୍ଗିଦେବା ସମୟରେ ଭୟଙ୍କର ଶବ୍ଦ ହୋଇଥିଲା । କିସ୍କିନ୍ଧ୍ୟାବାସୀମାନେ ସେହି ଶବ୍ଦ ଶୁଣି ଆକାଶକୁ ଚାହିଁ କିଛି ନ ଦେଖିବାରୁ ବିଚାର କଲେ, ‘‘ବୋଧହୁଏ ଇନ୍ଦ୍ରଙ୍କ ବଜ୍ରାଘାତରେ ମୈନାକ ପର୍ବତ ଉଡ଼ି ବହୁ ଦୂରରେ ପଡ଼ିଲା ।’’
ବିକଳ୍ପତା ଉପୁଜିଲା ସୁଗ୍ରୀବେ ।ବଡ଼ ଚାରୁ ଏ ହୋଇଥିଲା ପୂର୍ବେ।୨୨ ।ବସା ଆଦି ମାଂସ ଚର୍ମେ ସମ୍ପୂର୍ଣ୍ଣ ।ବିନାଶତ ପୂତିବଶେ ସେମାନ।୨୩ ।ବିବସ୍ୱାନ କିରଣେ ଶୁଷ୍କଭାବ ।ବହେ ବାଳି ତେବେ ଏବେ ରାଘବ।୨୪ ।ବୋଲେ କଥା ଏକ ଅଛି ଆହୁରି ।ବଜ୍ରୁଁ ଆଣ୍ଟ ସପ୍ତଶାଳ ମାଧୁରୀ।୨୫ ।ବାଳି ଜାତେ ଭାରା ମଣୁ ବସୁଧା ।ବଳ ଅଧେ ରଖିଛି ତହିଁ ବେଧା।୨୬ ।ବହେ ତୁଳପାତ୍ର ରହେ ସମାନେ ।ବିଭାଗରେ ଗୁରୁଦ୍ରବ୍ୟ ଯେସନେ।୨୭ ।ବିନ୍ଧି ଭେଦି ନ ପାରନ୍ତି ରୁଦ୍ରାଦି ।ବାଣ କରେ ପାରିବ ଯେବେ ଛେଦି।୨୮ ।ବିରାଧାର ବୋଇଲେ କାହିଁ କାହିଁ ।ବଳିମୁଖଶ୍ରେଷ୍ଠ ନେଇ ଦେଖାଇ।୨୯ ।୨୩ଶ ପଦ :- ବସା - ମେଦ ବା ଚର୍ବି । ପୂତିବସେ – ଦୁର୍ଗନ୍ଧ ହେତୁରୁ ।୨୪ଶ ପଦ :- ବିବସ୍ୱାନ - ସୂର୍ଯ୍ୟ ।
୨୨ଶ - ୨୪ଶ ପଦ :- ରାମ ସେହି ଅସ୍ଥିକୁ ଏପରି ଫିଙ୍ଗି ଦେବାର ଦେଖି ସୁଗ୍ରୀବ ମନେ ମନେ ଭାବିଲା, ପୂର୍ବେ ଏହି ଅସ୍ଥି ମେଦ, ମାଂସ ଓ ଚର୍ମ ପ୍ରଭୃତି ଦ୍ୱାରା ପୂର୍ଣ୍ଣ ହୋଇଥିବାରୁ ଅତିଶୟ ଓଜନ ହୋଇଥିଲା । ଏବେ ସେ ସବୁ ପଚିଯାଇ ନଷ୍ଟ ହୋଇଗଲାଣି ଏବଂ ଏହି ହାଡ଼ ମଧ୍ୟ ସୂର୍ଯ୍ୟ କିରଣରେ ଶୁଖି ଗଲାଣି ସୁତରାଂ ଓଜନ କମିଗଲାଣି । ଏହା ଓଜନ ଥିବା ସମୟରେ ବାଳି ବୋହି ଆଣିଥିଲା, ଏବେ ରାମଚନ୍ଦ୍ର ଟେକି ଫିଙ୍ଗିଦେଲେ । ଅତଏବ ବାଳିଠାରୁ ଏହାଙ୍କର ବଳ ଅଧିକ କି କମ୍ ଜଣାଗଲା ନାହିଁ ।’’
୨୫ଶ ପଦ :- ଏହା ଭାବି ସୁଗ୍ରୀବ ପୁନର୍ବାର କହିଲା, ‘‘ଆହୁରି ଗୋଟିଏ କଥା ଅଛି, ଶୁଣନ୍ତୁ ଏହିଠାରେ ସାତଗୋଟି ଶାଳ ବୃକ୍ଷ ବେଷ୍ଟିତ ଗୋଟିଏ କ୍ଷୁଦ୍ରବନ ଅଛି । ସେ ସପ୍ତଶାଳ ବୃକ୍ଷର ମାଧୁରୀ (ଗୁଣ) ଏହି ଯେ, ତାହା ବଜ୍ରଠାରୁ ଅଧିକ କଠିନ ଅଟେ ।’’
୨୬ଶ ଓ ୨୭ଶ ପଦ :- ‘‘ବାଳି ଜନ୍ମହେବା ଦ୍ୱାରା ପୃଥିବୀ ଭାର ବୋଧ କରିବାରୁ ବିଧାତା ବାଳି ବଳର ଅଧେ ବଳ ଏହି ବୃକ୍ଷରେ ରଖିଅଛନ୍ତି । କାରଣ ଗୁରୁ ପଦାର୍ଥକୁ ସମାନ ରୂପେ ଦୁଇ ଭାଗ କରି ନିକିତିର ଦୁଇ ପାଖରେ ରଖିଲେ ତାହା ଯେପରି କୌଣସି ଆଡ଼କୁ ନ ଢଳି ସମାନ ଭାବରେ ରହେ, ପୃଥିବୀ ସେହିପରି ଏହି ବୃକ୍ଷଦ୍ୱାରା କୌଣସି ଦିଗକୁ ନଢ଼ଳି ସମାନ ଭାବରେ ରହିଅଛି ।’’
୨୮ଶ ପଦ :- ‘‘ସେହି ବୃକ୍ଷକୁ ଇନ୍ଦ୍ରାଦି ଦେବତାମାନେ ବାଣଭେଦ କରି ପାରିନାହାନ୍ତି । ଯଦି ଆପଣ ବାଣମାରି ଛେଦନ କରିପାରିବେ, ତାହାହେଲେ ବାଳିକୁ ମାରି ପାରିବେ ।’’
୨୯ଶ ପଦ :- ବିରାଧାରି - ରାମଚନ୍ଦ୍ର । ବଳିମୁଖଶ୍ରେଷ୍ଠ - ମର୍କଟ ଶ୍ରେଷ୍ଠ, ସୁଗ୍ରୀବ ।
୨୯ଶ ପଦ :- ରାମଚନ୍ଦ୍ର ଏହି କଥା ଶୁଣି ‘‘ସେହି ସପ୍ତଶାଳ ବୃକ୍ଷ କାହିଁ ? କେଉଁଠାରେ ଅଛି ? ଏପରି କହିବାରୁ ବାନର ଶ୍ରେଷ୍ଠ ସୁଗ୍ରୀବ ତାଙ୍କୁ ସଙ୍ଗତରେ ନେଇ ସେହି ବୃକ୍ଷ ଦେଖାଇ ଦେଲେ ।
ନାଗବନ୍ଧବିଶାଳତା ପବି ଦୃଢ଼ ସେ ବନ ।ବୃକ୍ଷବୃତ ଶତପତ୍ର ରଞ୍ଜନ।୩୦ ।ବକ୍ରେ ରହି ସଶୋଭା ଧତା ସେହି ।ବହି ନାଗ ଗାଢ଼ ତରୁ ଦିଶଇ।୩୧ ।ବିପ୍ର ତାରତର ସାର ନବୀନ ।ବିଷ ସପ୍ରଭାରେ ବିହଗହୀନ।୩୨ ।ବନରୁହପଦ ପ୍ରତଳ ବଳ ।ବିନୟରତ ସର୍ପ ସପ୍ତଶାଳ।୩୩ ।ବ୍ୟାଳ ସଳଖି ହେଉଁ ରଘୁବୀର ।ବାଣ ପ୍ରୟୋଗ କଲେ ସେ ସତ୍ୱର।୩୪ ।ବୃକ୍ଷ ସାତ ଭେଦି ଭେଦି ପର୍ବତେ ।ବାହୁଡ଼ିଲା ସେ ମାର୍ଗଣ ତ୍ୱରିତେ।୩୫ ।ବିଷ୍ଣୁ ମଣି ଚକ୍ରବନ୍ଧେ ସୁଗ୍ରୀବ ।ବିନତ ସେ ଅଦ୍ଭୁତ ଦେଖି ଜବ।୩୬ ।୩୦ଶ ପଦ :- ପବି-ବଜ୍ର । ଶତପତ୍ର - ପଦ୍ମ ।
୩୦ଶ ପଦ :- ସେହି ସପ୍ତଶାଳା ବେଷ୍ଟିତ ବନ ଅର୍ଥାତ୍ ସେହି ସପ୍ତଶାଳା ବୃକ୍ଷ ଅତି ଉନ୍ନତ ବଜ୍ରତୁଲ୍ୟ କଠିନ ଓ ଅଧିକ ମୋଟା ଅଟେ । ସେହି ସାତଗୋଟି ଯାକ ବୃକ୍ଷ ଶାଖାପ୍ରଶାଖାଯୁକ୍ତ ହୋଇ ମଣ୍ଡଳାକାରରେ ଥିବାରୁ ଶତଦଳ ପଦ୍ମ ପରି ମନୋହର ଦେଖାଯାଉ ଅଛନ୍ତି ।
୩୨ଶ ପଦ :- ବପ୍ର - ପ୍ରାଚୀର । ତାରତର - ଦେଦୀପ୍ୟମାନ । ବିହଗହୀନ - ପକ୍ଷୀଶୂନ୍ୟ ।
୩୧ଶ ଓ ୩୨ଶ ପଦ :- ସେହି ବୃକ୍ଷଗୁଡ଼ିକ ଗୋଟିଏ ନାଗସର୍ପ ଦ୍ୱାରା ବେଷ୍ଟିତ ହୋଇଥିବାରୁ ଅଳ୍ପ ବଙ୍କା ହୋଇ ପ୍ରାଚୀର ବେଷ୍ଟିତ ଦୁର୍ଗର ଶୋଭାକୁ ଧାରଣ କରିଅଛନ୍ତି ଏବଂ ଉକ୍ତୃଷ୍ଟ ସାର (ପିଡ଼ିଆ ପ୍ରଭୃତି) ସରସ ଖାଦ୍ୟ ପାଇ ଗଜା ଗଛ ପରି ଦେଖାଯାଉ ଅଛନ୍ତି ! ସେହି ନାଗସାପର ଅତି ଉତ୍କଟ ବିଷ, ବିଷ ପ୍ରଭାବରୁ ପକ୍ଷୀଶୂନ୍ୟ ହୋଇ ଅଛନ୍ତି ।
୩୩ଶ ପଦ :- ବନରୁହନଦ ପ୍ରତଳ - ପଦ୍ମପାଦର ତଳିପା ।
୩୩ଶ ପଦ :- ରାମଚନ୍ଦ୍ର ତାହାଙ୍କର ପଦ୍ମପାଦରେ ସେହି ବୃକ୍ଷରେ ଗୁଡ଼ାଇ ହୋଇଥିବା ସାପଟାକୁ ମାଡ଼ି ଚିପି ଧରିବାରୁ, ସେ ବଳଶୂନ୍ୟ ହୋଇ ବିନତି କରିବାକୁ ଲାଗିଲା ।
୩୪ଶ ପଦ :- ବ୍ୟାଳ - ସର୍ପ ।୩୪ଶ ପଦ :- ପଦାଘାତ ସହି ନ ପାରି ସେହି ସାପ ସିଧା ହୋଇଯିବାରୁ; ରାମ ସେମାନଙ୍କ ପ୍ରତି ଅତିଶୀଘ୍ର ବାଣ ପ୍ରୟୋଗ କଲେ ।
୩୫ଶ ପଦ :- ସେହି ବାଣ ସାତଗୋଟିଯାକ ଶାଳ ବୃକ୍ଷକୁ କ୍ରମାନ୍ୱୟରେ (ଗୋଟାକ ପରେ ଅନ୍ୟ ଗୋଟାକୁ) ଭେଦ କରି ୠଷ୍ୟମୁକ ପର୍ବତ ଉପରେ ବସିଥିବା ରାମଙ୍କ ନିକଟକୁ ଶୀଘ୍ର ଫେରି ଆସିଲା ।
୩୬ଶ ପଦ :- ସୁଗ୍ରୀବ, ରାମଙ୍କଦ୍ୱାରା ଏହି ଅଦ୍ଭୁତ କାର୍ଯ୍ୟ ସାଧିତ ହେବାର ଦେଖି ବିଷ୍ଣୁ ମନେ କରି ଚକ୍ରବନ୍ଧରେ ବିନୀତ ହୋଇ, ସ୍ତୁତି କରିବାକୁ ଲାଗିଲା ।
ଚକ୍ରବନ୍ଧବିଭୁ ଖରପର ମେଳ ସାଧବୀ ।ବିଦ୍ଧଶାଳ ମେଘତନୁ ଭା-ରବି।୩୭ ।ବିରଭା-ନୁତ କ ସ୍ୱ ଭୂପ୍ରସବି ।ବୀଶପ୍ରଭୁ ସ୍ୱତରେ କି ବିଭାବି।୩୮ ।ବିଭାବିକରେ ଖେଦ ଭେଦ ପବି ।ବିପଦ ଭେଦନ ତାର ପଦବୀ।୩୯ ।ବିଦପର ତା ସମ ଦତ୍ତ ହବି ।ବିହ ତ ଦଶରୂପ ରଖ ଭୂବି।୪୦ ।ବୋଲି ଓଳଗି ହୋଇଲା ବାହାର ।ବେନି ସୋଦର ମନ୍ତ୍ରୀଏ ସଙ୍ଗର।୪୧ ।ବାଟେ ଯୋଉଁ ଦେଖିଲେ ଦିବ୍ୟ ସରେ ।ବାଦ୍ୟ ନାଦ ଶୁଭେ ଜଳ ଭିତରେ।୪୨ ।ବିଚିତ୍ର ତ ବୋଇଲେ ରାମଚନ୍ଦ୍ର ।ବକ୍ତା ଶୁଣି ପ୍ଲବଗକୁଳଚନ୍ଦ୍ର।୪୩ ।ବନୌକାଏ ନାମ ତା ମନ୍ଦକର୍ଣ୍ଣ ।ବିରଚଇ ତପସ୍ୟା ବସି ବନ।୪୪ ।ବଳାତ୍କରେ ଏ ଇନ୍ଦ୍ରପଦ ନେବ ।ବାର ବାର ଶତ୍ରୁ ଭୟ ସମ୍ଭବ।୪୫ ।ବାର ବାର ବଧକୁ ପେଷି ଦେଇ ।ବାରକୀର ବୁଦ୍ଧି ସେ ତାଙ୍କୁ ଚାହିଁ।୪୬ ।ବାର ମଧ୍ୟେ ପୁର ସୁରଶିଳ୍ପୀ ଯେ ।ବାରସ୍ୱତୀ ଲକ୍ଷ୍ୟ କରି କଳ୍ପି ଯେ।୪୭ ।ବଶ କରି ନୃତ୍ୟ ଗୀତେ ମନ ।ବାଜେ ମର୍ଦ୍ଦଳ ତାଳ ତାଳୀମାନ।୪୮ ।ବୁଧ କ୍ଷତ୍ରିୟବର ବୋଲି ଯାଇ ।ବନପତି ହାରରେ ସ୍ଥିତ ହୋଇ।୪୯ ।ବୀରଡ଼ାକ ସର୍ଜିଲା ଅତି ଟାଣ ।ବର୍ଷା ବିନା କି ଗର୍ଜ୍ଜେ ମେଘ ଦ୍ରୋଣ।୫୦ ।
୩୭ଶ ପଦ :- ବିଭୁ - ପରମେଶ୍ୱର । ଖରପର - ଖର ରାକ୍ଷସର ଶତ୍ରୁ (ରାମଚନ୍ଦ୍ର) । ଭା - ରବି - ସୂର୍ଯ୍ୟଙ୍କପରି ତେଜସ୍କର । ସାଧବୀ - ସ୍ୱାଧି ବା ପତିବ୍ରତ । ମେଘତନୁ - ମେଘପରି ଶ୍ୟାମଳ ସୁନ୍ଦର ଦେହ ।
୩୭ ପଦ :- ‘‘ହେ ରାମଚନ୍ଦ୍ର ! ଆପଣ ଏହି ଜଗତର ପ୍ରଭୁ ଅଟନ୍ତି । ଆପଣ ଖର ରାକ୍ଷସକୁ ନାଶ କରିଅଛନ୍ତି । ସାଧ୍ୱୀ ସୀତାଙ୍କ ସହ ମିଳିତ ହୋଇଅଛନ୍ତି, ଅର୍ଥାତ୍ ତାହାଙ୍କୁ ବିବାହ କରିଅଛନ୍ତି, ସପ୍ତଶାଳକୁ ଶର ଦ୍ୱାରା ଭେଦ କରିଅଛନ୍ତି, ଆପଣ ମେଘପରି ଶ୍ୟାମଳବର୍ଣ୍ଣ ଅଟନ୍ତି ଓ ସୂର୍ଯ୍ୟଙ୍କ ପରି ତେଜସ୍ୱୀ ଅଟନ୍ତି ।’’
୩୮ଶ ପଦ :- ବୀରଭା - ବିରତ । ନୁତ - ପୂଜିତ । କ - ନାରାୟଣ । ବୀଶପ୍ରଭୁ - ପକ୍ଷୀରାଜ ଗରୁଡ଼ର ପ୍ରଭୁ । କ - ବ୍ରହ୍ମା । ବିଭାବି - ଧ୍ୟାନ କରି ।
୩୮ଶ ପଦ :- ‘‘ଆପଣ ବୀରତ୍ୱରେ ପୃଥିବୀରେ ଖ୍ୟାତିଲାଭ କରିଅଛନ୍ତି । ଏହି ଜଗତରେ ଏକମାତ୍ର ପୁଜ୍ୟ ଅଟନ୍ତି - ଅର୍ଥାତ୍ ଆପଣଙ୍କୁ ସମସ୍ତେ ପୂଜା କରନ୍ତି ମାତ୍ର ଆପଣ ଯାହାଙ୍କୁ ପୂଜା କରିବେ ଏପରି ବ୍ୟକ୍ତି କେହି ନାହିଁ । ଆପଣ ସ୍ୱଂୟ ନାରାୟଣ ଅଟନ୍ତି । ନିଜକୁ ନିଜେ ଜନ୍ମ କରିଅଛନ୍ତି ଅର୍ଥାତ୍ ସ୍ୱୟଂଭୁ ଅଟନ୍ତି । ଗରୁଡ଼ଙ୍କର ପ୍ରଭୁ ଅଟନ୍ତି । ବ୍ରହ୍ମା ନିଜ ଇଚ୍ଛାରେ ଆପଣଙ୍କୁ ଚିନ୍ତା କରୁଅଛନ୍ତି ଅର୍ଥାତ୍ ଆପଣ ବ୍ରହ୍ମାଙ୍କର ଆରାଧ୍ୟ ଅଟନ୍ତି ।’’
୩୯ଶ ପଦ :- ପଦ :- ବିଭାବିକରେ - ବିଶେଷ ଭାବୁକ ଅର୍ଥାତ୍ ଭକ୍ତ । ଖେଦ - ଦୁଃଖ । ପବି - ବଜ । ତାର - ଖ୍ୟାତ । ପଦବୀ - ଉପାଧି ।
୩୯ଶ ପଦ :- ‘‘ଭକ୍ତମାନଙ୍କ ଦୁଃଖ ଖଣ୍ଡନ କରିବା ବିଷୟରେ ଆପଣ ବଜ୍ରପରି ଶକ୍ତିଶାଳୀ ଅଟନ୍ତି ସୁତରାଂ ଆପଣ ବିପଦଭଞ୍ଜନ ଏହି ଉପାଧିକୁ ଧାରଣ କରିଅଛନ୍ତି ।’’
୪୦ଶ ପଦ :- ବିପଦର - ଜ୍ଞାନଶ୍ରେଷ୍ଠ । ହବି - ଘୃତ ।
୪୦ଶ ପଦ :- ‘‘ଆପଣ ଯଜ୍ଞ କରିବା ନିମିତ୍ତ ଜ୍ଞାନୀଶ୍ରେଷ୍ଠ ୠଷିମାନଙ୍କୁ ଘୃତଦାନ କରୁଅଛନ୍ତି ଅର୍ଥାତ୍ ଆପଣ ଯଜ୍ଞ ଅଟନ୍ତି ଏବଂ ମୀନ କୂର୍ମ ପ୍ରଭୃତି ଦଶବିଧରୂପ ଧାରଣ କରି ଜଗତକୁ ରକ୍ଷା କରି ଅଛନ୍ତି ।’’
୪୧ଶ ପଦ :- ସୁଗ୍ରୀବ ରାମଚନ୍ଦ୍ରଙ୍କୁ ଏହିପରି ସ୍ତୁତି ଓ ପ୍ରଣାମ କରି ବାହାର ହେଲା । ରାମଚନ୍ଦ୍ର, ଲକ୍ଷ୍ମଣ ଓ ମନ୍ତ୍ରୀମାନେ ତାହାର ସଙ୍ଗେ ସଙ୍ଗେ ଯିବାକୁ ଲାଗିଲେ ।
୪୨ଶ ପଦ :- ଦିବ୍ୟସର - ସୁନ୍ଦର ପୁଷ୍କରିଣୀ ।
୪୨ଶ ପଦ :- ବାଟରେ ଯାଉଁ ଯାଉଁ ସେମାନେ ଗୋଟିଏ ମନୋହର ପୁଷ୍କରିଣୀ ଦେଖିଲେ ଏବଂ ସେହି ପୁଷ୍କରିଣୀର ଜଳ ମଧ୍ୟରେ ବାଦ୍ୟ ବାଜୁଥିବାର ଶୁଣିଲେ ।
୪୩ଶ ପଦ :- ପ୍ଲବଗକୁଳଚନ୍ଦ୍ର - ମର୍କଟକୁଳ ଚନ୍ଦ୍ରମା ସୁଗ୍ରୀବ ।୪୪ଶ ପଦ :- ବନୌକାଏ - ଜଣେ ୠଷି ବା ତପତ୍ସ୍ୱୀ ।୪୫ଶ ପଦ :- ଶନ୍ତ୍ର- ଇନ୍ଦ୍ର ।୪୬ଶ ପଦ :- ବାରବଧୁ - ବେଶ୍ୟା । ବାରକୀ - ପାପୀ ।
୪୩ଶ - ୪୬ପଦ :- ରାମଚନ୍ଦ୍ର ସେହି ବାଦ୍ୟନାଦ ଶୁଣି, ଏହା ଅତି ଆଶ୍ଚର୍ଯ୍ୟ ବୋଲି କହିବାରୁ, ବାନର କୁଳଚନ୍ଦ୍ରମା ସୁଗ୍ରୀବ କହିଲେ, ‘‘ମନ୍ଦକର୍ଣ୍ଣ ନାମକ ଜଣେ ୠଷି ଏହି ବନମଧ୍ୟରେ ବସି ତପସ୍ୟା କରୁଥିଲେ । ଏହି ୠଷି ତପସ୍ୟା ଦ୍ୱାରା ସିଦ୍ଧି ଲାଭ କଲେ ବଳପୂର୍ବକ ମୋର ଇନ୍ଦ୍ରପଦ ହରଣ କରିବେ - ଏହି ଆଶଙ୍କା ଇନ୍ଦ୍ରଙ୍କ ମନରେ ଜାତ ହେବାରୁ, ସେ ୠଷିଙ୍କର ତପସ୍ୟା ଭଙ୍ଗ କରିବା ନିମିତ୍ତ ବାରଜଣ ସ୍ୱର୍ଗବେଶ୍ୟାଙ୍କୁ ପ୍ରେରଣ କଲେ । ୠଷି ସେମାନଙ୍କୁ ଦେଖିବା ସଙ୍ଗେ ସଙ୍ଗେ ତାଙ୍କ ମନରେ ପାପବୁଦ୍ଧି ଜାତ ହେଲା । (ଅର୍ଥାତ୍ ୠଷି ସେମାନଙ୍କୁ ଦେଖି କାମଶରରେ ଜର୍ଜରିତ ହେବାରୁ, ତପସ୍ୟା ଛାଡ଼ି ସେମାନଙ୍କ ସହ ରତି କରିବାରେ ଲାଗିଲେ)’’ ।
୪୭ଶ ପଦ :- ବାରମଧ୍ୟେ - ଜଳମଧ୍ୟରେ । ସୁରଶିଳ୍ପୀ - ବିଶ୍ୱକର୍ମା । ବାରସ୍ୱତୀ - ବ୍ରହ୍ମାଙ୍କ ପୁର । କଳ୍ପି- ନିର୍ମାଣ କରି ।
୪୭ଶ ଓ ୪୮ଶ ପଦ :- ‘‘ତତ୍ପରେ ଇନ୍ଦ୍ରଙ୍କ ଆଦେଶନୁସାରେ ସ୍ୱର୍ଗଶିଳ୍ପୀ ବିଶ୍ୱକର୍ମା ଆସି ବ୍ରହ୍ମାଙ୍କ ପୁରକୁ ଲକ୍ଷ୍ୟ କରି ଏକ ପୁର ଏହି ଜଳ ମଧ୍ୟରେ ନିର୍ମାଣ କଲେ । ସେହି ପୁରରେ ନୃତ୍ୟ ଗୀତ କରି ସ୍ୱର୍ଗବେଶ୍ୟାମାନେ ୠଷିଙ୍କର ମନକୁ ବଶ କରିଅଛନ୍ତି, ଏଣୁ ମୃଦଙ୍ଗ ଝାଞ୍ଜ ଓ ଗିନି ପ୍ରଭୃତି ବାଜୁଅଛି ।’’
୪୯ଶ ପଦ :- ବନପତିହାର - ସିଂହଦ୍ୱାର ।
୪୯ଶ ପଦ :- ‘‘ହେ କ୍ଷତ୍ରିୟ ଶ୍ରେଷ୍ଠ ! ଏହାର କାରଣ ଏହି’’ ଏହାକହି ସୁଗ୍ରୀବ ସଙ୍ଗେ ସଙ୍ଗେ ଯାଇ ବାଳିର ସିଂହାସନରେ ଉପସ୍ଥିତ ହେଲା ।
୫୦ଶ ପଦ :- ସୁଗ୍ରୀବ ବାଳିର ସିଂହଦ୍ୱାରରେ ଠିଆ ହୋଇ ଅତି ଟାଣରେ ଗୋଟାଏ ବୀରରଡ଼ି ଦେଲା । ତାହା ଶୁଣି ମନେ ହେଲା, ଦ୍ରୋଣମେଘ ବିନା ବୃଷ୍ଟି ଗର୍ଜ୍ଜନ କଲା କି ?
ବଣା ବିବେକ ହେଲେ ପୁରଜନେ ।ବାଳିଥିଲା ଯେ ମଧ୍ୟାହ୍ନ ଶୟନେ।୫୧ ।ବାରୁଣୀକି ପାନହିଁ କରିଥିଲା ।ବାରୁଣୀରେ ଶବ୍ଦ ଶୁଣି ଧାଇଁଲା।୫୨ ।ବଜ୍ରମୁଥେ ସୁଗ୍ରୀବ ଦମ୍ଭଶୃଙ୍ଗ ।ବିଭଞ୍ଜନେ ବାହୁଡ଼ି ଗଲା ବେଗ।୫୩ ।ବିଲୋକିଲେ ଏତିକି ଚାପଧାରି ।ବିଦ୍ୟୁ ଝଟକି ଲୀନ ହେଲା ପରି।୫୪ ।ବିପଥ ଯେ ଶୁଷ୍କନଦୀ ଭାନୁଜ ।ବଢ଼ି ଜଳ ପଡ଼ି ଶୀଘ୍ର ସହଜ।୫୫ ।ବିଶ୍ରାମକୁ ନ ପାଇ କେଉଁଠାରେ ।ବିଲୀନ ସେ ଗିରି ଗୃହା ସାଗରେ।୫୬ ।ବାହୁଡ଼ାବିଜେ ଦାଶରଥି କହି ।ବଳ କିଛି ନାହିଁ ତ ମିତ୍ର ଦେହି।୫୭ ।ବାତାତ୍ମଜ ବାଣୀ କଲା ପ୍ରକାଶ ।ବ୍ରହ୍ମପ୍ରଳୟଜଳେ ମେରୁ ନାଶ।୫୮ ।ବୁଲି ୠଷ୍ୟମୁକେ ଖୋଜି ନ ପାଇ ।ବିବରକେ ସେ ଠାବ କଲେ ଯାଇଁ।୫୯ ।ବୃକ୍ଷବିଂଶ ଭୟେ ଯଥା ଇନ୍ଦୁର ।ବାହାରଇ ନାହିଁ ନିଜ ବିବର।୬୦ ।
୫୧ଶ ପଦ :- ସେହି ବୀରରଡ଼ି ଶୁଣି କିସ୍କିନ୍ଧ୍ୟାପୁରବାସୀ ଲୋକମାନଙ୍କର ବୁଦ୍ଧି ବଣା ହୋଇଗଲା - ଅର୍ଥାତ୍ ସେମାନେ ଏଇଟା କି ରଡ଼ି ବୋଲି ଜାଣିପାରିଲେନାହିଁ । ବାଳି ସେହି ସମୟରେ ଦିପ୍ରହରଆ ନିଦ୍ରାରେ ନିଦ୍ରିତ ଥିଲା ।
୫୨ଶ ପଦ :- ବାରୁଣୀ - ମଦ୍ୟ, ପଶ୍ଚିମ ଦିଗ ।
୫୨ ଓ ୫୩ଶ ପଦ :- ବାଳି ମଦ ପିଇ ଘରର ପଶ୍ଚିମ ଭାଗରେ ଶୋଇଥିଲା । ପଶ୍ଚିମ ଦିଗରୁ ଶବ୍ଦ ହେବାର ଶୁଣି ଉଦ୍ଧତ ଓ ବିରକ୍ତ ହୋଇ ଧାଇଁ ଆସି ବଜ୍ରତୁଲ୍ୟ ଏକ ବିଧା ମାରି ସୁଗ୍ରୀବର ଗର୍ବରୂପ ପର୍ବତର ଶୃଙ୍ଗକୁ ଚୁନା କରି ଦେଇ ଅର୍ଥାତ୍ ସୁଗ୍ରୀବକୁ ପରାସ୍ତ କରି ସେଠାରୁ ସଙ୍ଗେ ସଙ୍ଗେ ବାହୁଡ଼ିଗଲା ।
୫୪ଶ ପଦ :- ଧନୁର୍ଦ୍ଧାରୀ ରାମ କେବଳ ଏତିକି ଦେଖିଲେ ଯେ, ବିଜୁଳି ଝଟକ ସଙ୍ଗେ ସଙ୍ଗେ ଲୀନ ହେଲା ପରି ବାଳି ଓ ସୁଗ୍ରୀବ ଦୁହେଁ ସେ ସ୍ଥାନକୁ ଚାଲିଗଲେ ।
୫୫ଶ ପଦ :- ବିପଥ - ଅବାଟ । ଭାନୁଜ - ସୁଗ୍ରୀବ ।୫୬ଶ ପଦ :- ବିଲୀନ - ଗୁପ୍ତ ।
୫୫ ଓ ୫୬ଶ ପଦ :- ଶୁଖିଲା ନଦୀରେ ହଠାତ୍ ବଢ଼ି ଜଳ ପଡ଼ିଲେ ସେହି ଜଳ ଯେପରି ବାଟ ଅବାଟ ନମାନି ବହିଯାଏ, ସେହିପରି ସୁଗ୍ରୀବ ମାଡ଼ ଖାଇ ବିକଳରେ ବାଟ ଅବାଟ ନ ବାରି ଅତିଶୀଘ୍ର କେଉଁଆଡ଼େ ଚାଲିଗଲା । ନଦୀ ଜଳ ଯେପରି ବହି ଯାଉଁ ଯାଉଁ ବାଟରେ କୌଣସି ସ୍ଥାନରେ ନ ଅଟକି ଶେଷରେ ସୁମଦ୍ରରେ ଲୀନ ହୋଇଯାଏ, ସେହିପରି ସୁଗ୍ରୀବ ଯିବା ସମୟରେ କୌଣସିଠାରେ ନ ଅଟକି ଅର୍ଥାତ୍ ବିଶ୍ରାମ ନ କରି ଏକାବେଳକେ ଯାଇ ଗୋଟିଏ ପର୍ବତ ଗୁମ୍ଫାରେ ପଶି ଲୁଚିଲା ।
୫୭ଶ ପଦ :- ସୁଗ୍ରୀବ ପରାଜିତ ହୋଇ ଫେରି ଆସିବାର ଦେଖି, ରାମଚନ୍ଦ୍ର କହିଲେ ‘‘ମିତ୍ରଙ୍କ ଦେହରେ କିଛିମାତ୍ର ବଳ ନାହିଁ ।’’୫୮ଶ ପଦ :- ବାତାତ୍ମଜ - ହନୁମାନ ।
୫୮ଶ ପଦ :- ଏହା ଶୁଣି ହନୁମାନ କହିଲା, ‘‘ଯେଉଁ ପ୍ରଳୟ କାଳୀନ ଜଳରେ ବ୍ରହ୍ମା ନାଶ ହୁଅନ୍ତି, ସେହି ବ୍ରାହ୍ମୀପ୍ରଳୟ ଜଳରେ ମେରୁ ପର୍ବତ ନାଶ ହୁଏ । ( ଅର୍ଥାତ୍ ବାଳୀସହ ଯୁଦ୍ଧକଲେ ସୁଗ୍ରୀବ ନିଶ୍ଚୟ ପରାସ୍ତ ହେବ ଏବଂ ବାଳୀ ଭିନ୍ନ ଅନ୍ୟ ସହ ଯୁଦ୍ଧ କଲେ ନିଶ୍ଚୟ ଜୟ ଯୁକ୍ତ ହେବ ) ।’’
୫୯ଶ ପଦ :- ତାହାପରେ ରାମଚନ୍ଦ୍ର ପ୍ରଭୃତି ଋଷ୍ୟମୁକ ପର୍ବତଯାକ ବୁଲି ଖୋଜି ଖୋଜି ସୁଗ୍ରୀବକୁ ନ ପାଇ ଶେଷରେ ଅନ୍ୟ ଏକ ପର୍ବତର ଗୁହା ଭିତରେ ରହିଥିବାର ଜାଣି ପାରିଲେ ।
୬୦ଶ ପଦ :- ବୃକ୍ଷଦଂଶ-ବିରାଡ଼ି । ଇନ୍ଦୁର-ମୂଷା । ବିବର-ଗର୍ତ୍ତ ।
୬୦ଶ ପଦ :- ମୂଷା ବିରାଡ଼ି ଭୟରେ ଯେପରି ଗାତ ଭିତରୁ ବାହାରକୁ ବାହାରେ ନାହିଁ, ସୁଗ୍ରୀବ ସେହିପରି ବାଳି ଭୟରେ ଲୁଚିଥିବା ଗୁମ୍ଫା ଭିତରୁ ବାହାର ହେଲାନାହିଁ ।
ବୋଧ ନ ଘେନି ସେ ଏମନ୍ତ ବୋଲି ।ବୁକୁ ଚମକେ ଆଉ ଗଲେ ମଲି।୬୧ ।ବ୍ୟର୍ଥେ ନ ଅରଜ ପଶୁପାତକ ।ବେଳେ ଗଲି ନ ବୁଝି ଯେଣୁ ବାକ।୬୨ ।ବିଷ ଖାଇଛି ଜାଣୁ ଜାଣୁ କେହି ।ବର୍ତ୍ତିଥିଲେ ସମ୍ପତ୍ତି ଭୋଗ ହୋଇ।୬୩ ।ବିଚେଷ୍ଟାକୁ ଦେଖି ରଘୁନନ୍ଦନ ।ବଳ ଦେଲେ କରିଣ ଆଲିଙ୍ଗନ।୬୪ ।ବ୍ୟାଘ୍ର ବିପିନେ ଯଥା ଛପିଥାଇ ।ବାହାରର କ୍ଷୁଧାର୍ତ୍ତେ ରଡ଼ି ଦେଇ।୬୫ ।ବେନି ଭ୍ରାତ ଏକ ମୂର୍ତ୍ତି ବହନ୍ତି ।ବାରି ନୋହିଲେ ବୋଲି ରଘୁପତି।୬୬ ।ବନମଲ୍ଲୀମାଳା କରି ରଚନ ।ବିଲମ୍ବାଇ କଣ୍ଠରେ କଲେ ଚିହ୍ନ।୬୭ ।ବତାସର ପରାୟେ ଧ୍ୱନିମନ୍ତେ ।ବେଗେ ଯାଇଁ ନଗର ପାଶେ ସ୍ଥିତ।୬୮ ।ବୃକ୍ଷାନ୍ତରେ ରହିଲେ ରଘୁରାଣ ।ବସାଇଣ କୋଦଣ୍ଡ ଗୁଣେ ବାଣ।୬୯ ।ବ୍ୟାଧ ଜଗି ଯେମନ୍ତେ ଜଳଘାଟ ।ବାତାସନ ଆଗମରେ ଲମ୍ପଟ।୭୦ ।
୬୧ଶ ପଦ :- ରାମଚନ୍ଦ୍ର ତାକୁ ବୋଧ ଦେଇ ଡାକିଲେ, ‘‘ଆସ, ଆଉ ଥରେ ଯାଇ ବାଳିକୁ ନିଶ୍ଚୟ ମାରିବ ।’’ କିନ୍ତୁ ସୁଗ୍ରୀବ ତାଙ୍କର ଏହି ପ୍ରବୋଧ ବାକ୍ୟକୁ ଗ୍ରହଣ ନ କରି କହିଲା, ‘‘ମୋର ଛାତି ଥରୁଛି, ଆଉ ଥରେ ଗଲେ ନିଶ୍ଚୟ ମରିବି ।’’
୬୨ଶ ପଦ :- ପୁଣି କହିଲା, ‘‘ମୁଁ ଆପଣଙ୍କର କଥା ବୁଝି ନ ପାରି ଥରେ ଗଲି, ଆଉ ଥରେ ମୋତେ ପଠାଇ ବୃଥାରେ ପଶୁହତ୍ୟା ପାପ ଅର୍ଜନ କରନ୍ତୁ ନାହିଁ ।’’
୬୩ଶ ପଦ :- ‘‘କୌଣସି ଲୋକ ଜାଣୁ ଜାଣୁ ବିଷ ଖାଇଅଛି କି ? (ନା କେହି ଏପରି ବିଷ ଖାଏନାହିଁ) । ଜୀବନ ଥିଲେ ସିନା ସମ୍ପତ୍ତି ଭୋଗ ହୁଏ ।
୬୪ଶ ପଦ :- ସୁଗ୍ରୀବ ଏହିପରି କହି ନିଷ୍ପୃହ ହେବାର ଦେଖି ରଘୁକୁଳର ଆନନ୍ଦ ବର୍ଦ୍ଧନକାରୀ ରାମ ତାହାଙ୍କୁ ଆଲିଙ୍ଗନ କରି ବଳଦାନ କଲେ ( ଅର୍ଥାତ୍ ରାମ ତାଙ୍କୁ ସ୍ପର୍ଶ କରି ନିଜ ଦେହକୁ ବଳ ପ୍ରଦାନ କଲେ ) ।
୬୫ଶ ପଦ :- ବାଘ ଯେପରି ଜଙ୍ଗଲ ମଧ୍ୟରେ ଲୁଚି ରହିଥାଏ, କିନ୍ତୁ ଭୋଖିଲା ହେଲେ ରଡ଼ି କରି ସେ ମଧ୍ୟରୁ ବାହାରି ପଡ଼େ, ସେହିପରି ସୁଗ୍ରୀବ ରାମଙ୍କଠାରୁ ବୈଷ୍ଣବ ତେଜ (ବଳ) ପାଇବା ମାତ୍ରେ ବୀର ରଡ଼ି ଦେଇ ଯୁଦ୍ଧକୁ ବାହାର ହେଲା ।
୬୬ଶ ଓ ୬୭ଶ ପଦ :- ‘‘ସୁଗ୍ରୀବ ଓ ବାଳି ଦୁଇ ଭାଇଙ୍କର ଶରୀର ଗଠନ ସମାନ ହୋଇଥିବାରୁ, ପ୍ରଥମଥର ଯୁଦ୍ଧବେଳେ କିଏ ସୁଗ୍ରୀବ ଓ କିଏ ବାଳି ବୋଲି ବାରି ପାରିଲିନାହିଁ, ଏହି କଥା ପ୍ରକାଶ କରି ରାମଚନ୍ଦ୍ର ବଣମଲ୍ଲୀ ଫୁଲରେ ମାଳା ଗୁନ୍ଥି ଚିହ୍ନ ସ୍ୱରୁପ ସୁଗ୍ରୀବର ଗଳାରେ ଲମ୍ବାଇ ଦେଲେ ।
୬୮ଶ ପଦ :- ତାହାପରେ ସୁଗ୍ରୀବ ବତାସ ପବନ ପରି ଘୋର ଗର୍ଜନ କରି ଅତି ଶୀଘ୍ର ଯାଇ ନଗର ନିକଟରେ ଉପସ୍ଥିତ ହେଲା । ଅର୍ଥାତ୍ ପବନ ଯେପରି ପ୍ରତିବନ୍ଧକ ପାଇଲେ ଅଟକି ଯାଏ, ସୁଗ୍ରୀବ ସେହିପରି ବାଳିକୁ ପ୍ରତିବନ୍ଧକ ପାଇ ନଗର ପାଖରେ ଅଟକିଲା ।
୬୯ଶ ପଦ :- ରାମଚନ୍ଦ୍ର ବୃକ୍ଷ ଉହାଡ଼ରେ ଲୁଚି ରହି ଧନୁର ଗୁଣରେ ଶରକୁ ବସାଇଲେ । କାରଣ ତାଙ୍କୁ ଜଣାଥିଲା ଯେ ବାଳି ଶତ୍ରୁକୁ ଦେଖିବା ମାତ୍ରେ ତାହା ଦେହକୁ ଅଧେ ବଳ ହରଣ କରିନିଏ ।
୭୦ଶ ପଦ :- ବାତାସନ-ମୃଗ ।
୭୦ଶ ପଦ :- ବ୍ୟାଧ ଜଳ ଘାଟରେ ଜଗି ରହି ଯେପରି ମୃଗ ଆସିବାକୁ ଅପେକ୍ଷା କରିଥାଏ, ରାମ ସେହିପରି ସେହି ବୃକ୍ଷର ଅନ୍ତରାଳରେ ଲୁଚି ବସି ବାଳିର ଆଗମନକୁ ଅପେକ୍ଷା କରିଥିଲେ ।
ବିସ୍ମୟ ଯେ କିସ୍କିନ୍ଧ୍ୟାବାସୀ ଚାହିଁ ।ବୋଲେ ପୀତବାସ ହେଲା କି ତହିଁ।୭୧ ।ବୋଲେ କେ ଖଗବହ ପକ୍ଷ ଥିବ ।ବିଶେଷରେ ତେଜଚକ୍ର ସମ୍ଭବ।୭୨ ।ବୋଲେ ଅପୂର୍ବ ଶିବ ହେବ କେହି ।ବିଭୂଷଣେ ଫୁଲ ମାଳୀ ସେବଇ।୭୩ ।ବୋଲେ କେ କର୍ମ ଉଦୟହିଁ ଖ୍ୟାତ ।ବିଧିରେ ହଂସ ତୋଷଦାନେ ସ୍ୱତ।୭୪ ।ବୋଲେ କେହି ବନୌକାସାର ଏହି ।ବାଞ୍ଛା ଭସ୍ମ ଚିତାରେ କି କରଇ।୭୫ ।ବିକର୍ତ୍ତନସୁତ ଏହି ସମୟେ ।ବାଳି ଆସରେ ବୋଲି ଡାକ ଦିଏ।୭୬ ।ବୋଲାଉ ତୁ ମହୀଶ ଏ ଭୂବନ ।ବକ୍ଷଭେଦ ଷକାର ଏବେ ଘେନ।୭୭ ।ବିଭେଦ ନ ରହିବ ଚରମରେ ।ବୀରଶାର୍ଦ୍ଦୂଳ ମୁଖ-ପତନରେ।୭୮ ।ବର୍ଣ୍ଣ ଅଧିକ ମହୀଶ ପଦରେ ।ବିହାଇବା ଯେ ମହୀଶୟନରେ।୭୯ ।ବର୍ଷାମୁଖଷ ଶୁଣି ଯଥା ସ୍ତନିତ ।ବହି ଗରବ ଶରଭ ପ୍ରମତ୍ତ।୮୦ ।
୭୧ଶ ପଦ :- କିସ୍କିନ୍ଧ୍ୟାବାସୀମାନେ ସୁଗ୍ରୀବଙ୍କୁ ପୁନର୍ବାର ଆସିବାର ଦେଖି ବସ୍ମିତ ହେଲେ । ସେମାନଙ୍କ ମଧ୍ୟରୁ କେହି କେହି ମନେ କଲେ, ‘‘ଏହାର ତେଜ ( ଦେହରକାନ୍ତି ) ‘ପୀତବାସ’ ବିଷ୍ଣୁଙ୍କ ତେଜ ପରି ଦେଖାଯାଉଅଛି ।’’ ଏହିପରି କହୁଥିବା ଲୋକଙ୍କ କଥା ଶୁଣି; ପୁଣି କେହି କେହି କହିଲେ ‘‘ଆପଣମାନେ ଯାହା କହୁଛନ୍ତି ତାହା ନୁହେଁ; ତାହାର ପିତ୍ତାଧିକ୍ୟ ହେବାରୁ ସେ ପାଗଳ ହେଲାଣି ।’’
୭୨ଶ ପଦ :- ଖଗବହ-ନାରାୟଣ । ତେଜଚକ୍ର-ତେଜୋମୟ, ସୁଦର୍ଶନ ଚକ୍ର ।
୭୨ଶ ପଦ :- ପୁଣି କେହି କେହି ସେହି ପୀତବାସ ଶବ୍ଦର ଅନ୍ୟ ପ୍ରକାର ଅର୍ଥ କରି କହିଲେ, ‘‘ତାହାର ‘ଖଗବହ’ ଶରୀର ସଞ୍ଚାର ବାୟୁ ‘ପିତ୍ତବାସ’ ପିତ୍ତର ବଶ ହୋଇଥିବ, ତେଣୁ ଏହା ଦେହର ତେଜ ସମୂହ ଅତିଶୟ ଭାବରେ ବୃଦ୍ଧି ପାଇଥିବାର ସମ୍ଭବ ହେଉଅଛି ।’’ ଆହୁରି ମଧ୍ୟ କେହି କେହି କହିଲେ, ‘‘ଗରୁଡ଼ ରୋହଣକାରୀ ବିଷ୍ଣୁ ସହାୟ ହୋଇଥିବାରୁ ଏହାର ଦେହରେ ତେଜ ସମୂହ ବିଶେଷ ଭାବରେ ପ୍ରକାଶିତ ହୋଇଅଛନ୍ତି ।’’
୭୩ଶ ପଦ :- ପୁଣି କେହି କହିଲେ, ‘ଏହାର ଅପୂର୍ବ ‘ଶିବ’ ମଙ୍ଗଳ ଅର୍ଥାତ୍ ଅମଙ୍ଗଳ ହେବ । ତେଣୁ ‘ଫୁଲ ବିଭୂଷଣେ’ ଫୁଲମାଳା ବେକରେ ପିନ୍ଧିବା ଦ୍ୱାରା ଏହା ସୂଚିତ ହେଉଛି ଯେ, ଏହି ସୁଗ୍ରୀବ ( ‘ମା’ ଚଣ୍ଡୀ -‘ଆଳୀ’ ସମୂହ ) ଚଣ୍ଡୀମାନଙ୍କୁ ସେବା କରିବ ଅର୍ଥାତ୍ ବଳି ପଡ଼ିବ ( ହାଣ ଖାଇ ମରିବ ) ଅନ୍ୟମାନେ କହିଲେ, ‘‘ଅଳ୍ପ ସମୟ ପରେ ବାଳିଠାରୁ ମାଡ଼ ଖାଇ ପ୍ରାଣ ବିକଳରେ ବାହାରି ଯାଇଥିବା ସୁଗ୍ରୀବ ଯେ ପୁନର୍ବାର ସଙ୍ଗେ ସଙ୍ଗେ ଯୁଦ୍ଧ କରିବାକୁ ଆସିଛି, ଏହା ଅପୂର୍ବ-ଅର୍ଥାତ୍ ଆଶ୍ଚର୍ଯ୍ୟ କଥା । ତେଜରୁ ଅନୁମିତ ହୁଏ; ଏ ନିଶ୍ଚୟ ‘ଶିବ’ ମହାଦେବ ହେବେ । କାରଣ ଶିବଙ୍କୁ ଯେପରି ‘ମାଳୀ’ ମାଳାକାର ସେବା କରେ ଏବଂ ସେ ଫୁଲମାନଙ୍କ ହାର ‘ବିଭୂଷିତ’ ମଣ୍ଡିତ ହୋଇଥାନ୍ତି, ଏହି ଆଗନ୍ତୁକ ସେହିପରି ‘ଫୁଲ’ ବଣମଲ୍ଲୀ ଫୁଲ ଦ୍ୱାରା ପ୍ରସ୍ତୁତ ହୋଇଥିବା ମାଳାରେ ବିଭୂଷିତ ହୋଇଅଛନ୍ତି । ଅଥବା ଏ ଆଶ୍ଚର୍ଯ୍ୟ ଶିବ ହେବେ ଇତ୍ୟାଦି ।
୭୪ଶ ପଦ :- ହଂସ-ସୂର୍ଯ୍ୟ, ଭଗବାନ, ପ୍ରାଣ । ବିଧିରେ-ନିୟମାନୁସାରେ । ସ୍ୱତ-ଆପଣା ଇଚ୍ଛାରେ ।
୭୪ଶ ପଦ :- କେହି କେହି ବା କହିଲେ, ‘‘ଏ ଆପଣା ଇଚ୍ଛାରେ ‘ବିଧିରେ’ ଉପଯୁକ୍ତ କାର୍ଯ୍ୟରେ ପ୍ରାଣଦାନ କରୁଥିବାରୁ ଜଣାପଡ଼ୁଛି ଯେ, ଏହାର କର୍ମ ନିଶ୍ଚୟ ଉଦୟ ହେବ ଅର୍ଥାତ୍ ଏ ବାଳି ହାତରେ ମଲେ, ଏକ ପ୍ରକାର ଭାଗ୍ୟର ଉଦୟ ହେବ । ଯଦିବା ବାଳିକୁ ମାରିଲା; ତାହାହେଲେ ମଧ୍ୟ ରାଜା ହେବା ଦ୍ୱାରା ଭାଗ୍ୟ ଉଦୟ ହେବ । ଅଥବା- ଏ ‘ବିଧିରେ’ ଅଧୀର ହୋଇ ସ୍ୱଇଚ୍ଛା ପୂର୍ବକ ସନ୍ତୁଷ୍ଟ ହୋଇ ପ୍ରାଣଦାନ କରୁଥିବାରୁ, ଏହାର କର୍ମ ନିଶ୍ଚୟ ଉଦୟ ହୋଇ ଖ୍ୟାତି ଲାଭ କରିବ । ଅର୍ଥାତ୍ ପ୍ରାଣଦାନ ହିଁ ସାର ହେବ ମରିବା । ଅଥବା କେହି କେହି କହିଲେ, ‘‘ଏ ସ୍ୱତଃ ପ୍ରବୃତ୍ତ ହୋଇ ନିୟମାନୁସାରେ ନିଜ ପିତା ସୂର୍ଯ୍ୟଙ୍କୁ ସନ୍ତୋଷ ପ୍ରଦାନ କରୁଅଛି, ଏଣୁ ଏହାର ଭାଗ୍ୟରେ ନିଶ୍ଚୟ ଉଦୟ ହେବ ।’’
୭୫ଶ ପଦ :- ବନୌକାସାର-ପ୍ରଧାନ ଋଷି । ଚିତା-ଶ୍ମଶାନାଗ୍ନି ।
୭୫ଶ ପଦ :- ଅନ୍ୟମାନେ କହିଲେ, ‘‘ଏ ତ ଜଣେ ବନବାସିମାନଙ୍କ ମଧ୍ୟରେ ପ୍ରଧାନ ଅର୍ଥାତ୍ ମର୍କଟ ଶ୍ରେଷ୍ଠ ନୁହେଁ ଯେ ଋଷିଶ୍ରେଷ୍ଠ । ବର୍ତ୍ତମାନ ମଶାଣି ପାଉଁଶ ବୋଳି ହେବାକୁ ଇଚ୍ଛା କରୁଛି କି ?’’ ( ଏହାର ମରଣ ନିଶ୍ଚୟ )
୭୬ଶ ପଦ :- ବିକର୍ତ୍ତନ ସୂତ-ସୁଗ୍ରୀବ ।୭୬ଶ ପଦ :- ‘‘ଲୋକମାନେ ଏହିପରି କଥାବାର୍ତ୍ତା ହେବା ସମୟରେ ସୁଗ୍ରୀବ ‘ରେ ବାଳି ଆ’ ବୋଲି ଡାକଦେଲା ।’’
୭୭ଶ ପଦ :- ସୁଗ୍ରୀବ କହିଲା, ‘‘ରେ ବାଳି ତୁ ଏହି କିସ୍କିନ୍ଧ୍ୟା ପୁରରେ ଆଜି ପର୍ଯ୍ୟନ୍ତ ମହୀଶ ( ରାଜା ) ବୋଲାଉ ଥିଲୁ, ଏବେ ସେହି ମହୀଶ ଶବ୍ଦରେ ଥିବା ଶକାରକୁ ମଧ୍ୟରେ ଗାର ପଡ଼ିଥିବା ‘ଷକାର’ ମନେ କର । ଅର୍ଥାତ୍ ଗୋଟିଏ ମହିଷ ପଶୁ ବୋଲି ଜାଣ ।’’
୭୮ଶ ପଦ :- ଶାର୍ଦ୍ଦୁଳ-ବ୍ୟାଘ୍ର । ଚରମ-ପୃଷ୍ଠଦେଶ । ବିଭେଦନ - କ୍ଷତ ବିକ୍ଷତ । ବୀରଶାର୍ଦ୍ଦୁଳ - ବୀରଶ୍ରେଷ୍ଠ । ଚରମ-ଚର୍ମ । ବିଭେଦ-ପ୍ରଭେଦ ।
୭୮ଶ ପଦ :- ‘‘ମହିଷ ମହାବଳ ବ୍ୟାଘ୍ରର ମୁଖରେ, ପଡ଼ିଲେ ବ୍ୟାଘ୍ର ତାହାର ପୃଷ୍ଠଦେଶକୁ କ୍ଷତ ବିକ୍ଷତ କରି ଯେପରି ପ୍ରାଣ ନାଶ କରିଥାଏ, ବୀରଶ୍ରେଷ୍ଠ ମୁଁ ଆଜି ତୋର ଦର୍ଶନ ପାଇବାମାତ୍ରେ ତୋର ଶରୀରରୁ ଚର୍ମ ରାଶିକୁ ଛିଣ୍ଡାଇ ପ୍ରାଣନାଶ କରିବି ।’’ ଅଥବା ସେ ବ୍ୟଙ୍ଗ ଉକ୍ତି କରି କହିଲା, ‘‘ତୁ ଆଜି ମୋର ସମ୍ମୁଖରେ ପଡ଼ିଲେ ବୀରଶ୍ରେଷ୍ଠ ରାମଚନ୍ଦ୍ରଙ୍କର ଶର ତୋର ଛାତିରେ ଫୁଟି ପିଠିପଟେ ବାହାରିବ ।’’
୭୯ଶ ପଦ :- ଆହୁରି କହିଲା, ‘‘ସେହି ମହୀଷ ପଦରେ’’ ୟ ନ ‘ଏହି ଦୁଇଟି ଅକ୍ଷର ଅଧିକା ଯୋଗ କରି ଅର୍ଥାତ୍ ତୋତେ ମାରି ମହୀରେ ଶୟନ କରାଇ ତୋର ସେହି ‘ମହୀଶ ପଦ’ ରାଜପଦକୁ ହରଣ କରିନେବି ।’’
୮୦ଶ ପଦ :- ବର୍ଷାମୁଖେ-ବର୍ଷାକାଳର ଆରମ୍ଭରେ । ସ୍ତନିତ-ମେଘ ଗର୍ଜନ । ଶରଭ - ଅଷ୍ଟାପଦ ମୃଗ ।
୮୦ଶ ପଦ :- ଅଷ୍ଟାପଦ ମୃଗ ବର୍ଷାକାଳର ଆରମ୍ଭରେ ମେଘ ଗର୍ଜନ ଶୁଣି ଯେପରି ଗର୍ବରେ ଉନ୍ମତ୍ତ ହୋଇଥାଏ, ସେହିପରି ବାଳି ସୁଗ୍ରୀବର ଗର୍ଜନ ଶୁଣି ଗର୍ବରେ ଉନ୍ମତ୍ତ ହେବାକୁ ଲାଗିଲା ।
କଡ଼ାଇରେ କେ ମୋ ଆଗେ ଗର୍ଜଇ ।ବିଦାରଣେ ନ ଜାଣି ମୃତ୍ୟୁ ଡେଇଁ।୮୧ ।ବାଳୀଶ ତ ତଥା କୋପେ ଗମିତ ।ବଳୀ ଶତପ୍ରକାରେ ନିଷେଧିତ।୮୨ ।ବାଳୀଶ ତ ନୁହ ଘେନି ସୁଚିତ ।ବାଳୀବରାଟ ଦ୍ୟୁତେ ସଦା ଜିତ।୮୩ ।ବାଦେ ସହାୟ ସେ କାର ପାଇଛି ।ବାସରଦେ ବେନି ଧର ଧାଇଁଛି।୮୪ ।ବିଡ଼ିଥିବ ପରୀକ୍ଷା କରି ସେହି ।ବଡ଼ ଶବ୍ଦ ଶୁଭିଲା ଆଜ କାହିଁ।୮୫ ।ବ୍ୟୋମେ ଦୁନ୍ଦୁଭି ଅସ୍ଥି ଉଡ଼ାଇଲା ।ବିନ୍ଧି ଅବା ସପ୍ତାଶାଳ ଥୋଇଲା।୮୬ ।ବଦନ ମୋ ଚନ୍ଦ୍ରପରି ତାଟଙ୍କ ।ବୃହସ୍ପତି ଶୁକ୍ର ପରି ଝଟକ।୮୭ ।ବିଧୁ ଥାଉଁ ସେ ତାରା ନୋହୁ ଅସ୍ତ ।ବାସ ପ୍ରସାରି ମାଗୁଅଛି କାନ୍ତ।୮୮ ।ବଲ୍ଲଭୀର ବଚନ ନ ଘେନିଲା ।ବାୟୁବେଗେ ଦୁର୍ଗ ଦ୍ୱାରେ ମିଳିଲା।୮୯ ।ବରାହବର ଦ୍ୱୀପୀ ଭେଟାଭେଟି ।ବରାହବ ରଚିଣ ଯଥା ରଟି।୯୦ ।
୮୧ଶ ପଦ :- ଅଷ୍ଟାପଦ ମୃଗ ମେଘ ଗର୍ଜନ ଶୁଣି ‘‘କିଏ ମୋ ଆଗରେ ବଡ଼ାଇ ଦେଖାଇ ଗର୍ଜୁଛି, ତାକୁ ଚିରି ପକାଇବି’’ ଏହିପରି ଭାବି ପର୍ବତ ଉପରୁ ଡେଇଁବା ଦ୍ୱାରା ଯେପରି ମରଣ ହେବ ବୋଲି ଜାଣିପାରି ନଥିଲା, ବାଳି ଠିକ୍ ସେହିପରି ମନେ କରି ଡିଆଁ ମାରି ଚାଲିଆସିଲା ।
୮୨ଶ ପଦ :- ଏହି ସମୟରେ ତାରା ତାକୁ ଅନେକ ପ୍ରକାର ବୁଝାଇ ନିଷେଧ କରିବାକୁ ଲାଗିଲା କିନ୍ତୁ ସେ ତାର ମନ ଘେନିଲା ନାହିଁ, ଯେହେତୁ ସେ ମୁର୍ଖ ଏବଂ କ୍ରୋଧାନ୍ଧ ହୋଇଥିଲା ।
୮୩ଶ ପଦ :- ବାଳୀଶ-ମୁର୍ଖ । ବାଳୀ-ବରାଟ-କ୍ଷୁଦ୍ର କଉଡ଼ି । ଦ୍ୟୁତ-ଜୁଆଖେଳ ।
୮୩ଶ ପଦ :- ତାରା କହିଲା, ‘‘ହେ ନାଥ । ଆପଣ ତ ମୁର୍ଖ ନୁହନ୍ତି, ସ୍ଥିର ଚିତ୍ତରେ ବିଚାର କରି ଦେଖନ୍ତୁ । ଛୋଟ ଛୋଟ କଉଡ଼ିମାନଙ୍କ ଦ୍ୱାରା ଯେଉଁ ଜୁଆଖେଳ ହୁଏ, ସେ ଖେଳରେ କଣ ସବୁବେଳେ ଜିତ୍ ହେଉଥାଏ ? ଏହା କଦାପି ନୁହେଁ । ( ଅତଏବ ଆପଣଙ୍କର ସେ ସବୁଥର ଜୟ ହେଉଥିବ ଏହା ବିଚାରନ୍ତୁ ନାହିଁ ) ।’’
୮୪ଶ ପଦ :- ବାସରକେ-ଏକଦିନରେ ।୮୪ଶ ପଦ :- ‘‘ସେ କାହାଠାରୁ ସାହାଯ୍ୟ ପାଇଥିବାରୁ ଯୁଦ୍ଧ କରିବାକୁ ଆସୁଛି, ନଚେତ୍ ଏକାଦିନକେ ଦୁଇଥର ଆସନ୍ତା କାହିଁକି ?’’
୮୫ଶ ପଦ :- ସେ ନିଶ୍ଚୟ ତାହାର ସହାୟକାରୀ ଲୋକକୁ ପରୀକ୍ଷା କରି ବିଡ଼ିଛି । ତାହା ନ ହୋଇଥିଲେ ଆଜି ଏତେ ବଡ଼ ଶବ୍ଦ ଶୁଣାଗଲା କାହିଁକି ?’’
୮୬ଶ ପଦ :- ବ୍ୟୋମ-ଆକାଶ ।
୮୬ଶ ପଦ :- ‘‘ମୁଁ ସେହି ଶବ୍ଦ ଶୁଣି ମନେ କରୁଛି ଯେ, ସେହି ସାହାଯ୍ୟକାରୀ ଦୁନ୍ଦୁଭିର ଅସ୍ଥିକୁ ଉଡ଼ାଇଲା ଅଥବା ସପ୍ତଶାଳକୁ ଶର ମାରି ଭେଦ କଲା ।’’
୮୭ଶ ଓ ୮୮ଶ ପଦ :- ‘‘ହେ ନାଥ ! ମୋର ମୁଖ ଚନ୍ଦ୍ରପରି ଝଟକୁ ଅଛି ଏବଂ ତାର ନିକଟରେ ତାଟଙ୍କ ( ତଡ଼କା ) ଦୁଇଗୋଟି ବୃହସ୍ପତି ଓ ଶୁକ୍ରଙ୍କ ପରି ଝଟକୁ ଅଛନ୍ତି । ଅତଏବ ମୋର ସେହି ମୁଖରୂପ ଚନ୍ଦ୍ର ଥାଉଁ ଥାଉଁ ତାହାର ନିକଟରେ ବୃହସ୍ପତି ଓ ଶୁକ୍ର ନାମକ ତାରା ଦୁଇଟି ପରି ରହିଥିବା ‘ତାରା’ ଅତି ଉଜ୍ଜଳ ତାଟଙ୍କ ଦୁଇଟି ‘ଅସ୍ତ’ ଦୁର ନ ହୁଅନ୍ତୁ ଅର୍ଥାତ୍ ମୁଁ ବିଧବା ହୋଇ କାନରୁ ତାଟଙ୍କ ନ କାଢ଼େ,-ଏହି କଥା କାନି ପତେଇ ମାଗୁଛି ।
୮୯ଶ ପଦ :- ବାଳି, ତାରାର କଥା ନ ଶୁଣି, ପବନ ବେଗରେ ଯାଇ ଗଡ଼ଦ୍ୱାରରେ ଉପସ୍ଥିତ ହେଲା ।୯୦ଶ ପଦ :- ବରାହବର-ବଳବାନ୍ ବରାହ । ଦ୍ୱୀପୀ-ହସ୍ତୀ । ବରାହବ-ଘୋର ଯୁଦ୍ଧ ।
୯୦ଶ ପଦ :- ଭୀଷଣକୃତ ବରାହ ଓ ହାତୀ ଭେଟାଭେଟି ହେଲେ ଯେପରି ଘୋର ଗର୍ଜ୍ଜନ କରି ଯୁଦ୍ଧ କରନ୍ତି, ସୁଗ୍ରୀବ ଓ ବାଳି ଭେଟାଭେଟି ହୋଇ ସେହିପରି ଘୋର ରଡ଼ି କରି ଯୁଦ୍ଧ କରିବାକୁ ଲାଗିଲେ ।
ବିବାଦୀ କି ସଉରୀ କୁଜ ଦୁଇ ।ବିଶ୍ୱମ୍ଭରା ଭାରବଶେ କମ୍ପଇ।୯୧ ।ବ୍ୟାଳଯୁଗ୍ମ କି ଖେଳି ଗଡ଼ାଗଡ଼ି ।ବୃକ୍ଷ ପାଷାଣ ତନୁ ଲାଗି ଛିଡ଼ି।୯୨ ।ବାଳି ସୁଗ୍ରୀବ ଉପରେ ଦିଶିଲା ।ବାଜ ଶୁକକୁ କି ମାଡ଼ି ବସିଲା।୯୩ ।ବାଣ ପ୍ରହାରେ ଦେଖି ଦୁଷଣାରି ।ବୁକୁ ଫୁଟି ପୁଷ୍ଠେ ମୁନ ବାହାରି।୯୪ ।ବିବୁଧାଦ୍ରିରେ ଯେସନେକ ହୋଇ ।ବାରଣେନ୍ଦ୍ର ଦଶନ ଭେଦ ରହି।୯୫ ।ବୋଲି ଅଙ୍ଗଦ ତକ୍ଷଣେ ଢଳିଲା ।ବିନା କାରଣେ ଅଙ୍ଗଦତ୍ତ ହେଲା।୯୬ ।ବିଘ୍ନରାଜ ମୂଷିକ କରି ଯମ ।ବନ୍ଧନରେ ପାଶରେ ଯଥା କ୍ଷମ।୯୭ ।ବାହୁ ଟେକି ହସ୍ତରେ ପେଲି ଦେଇ ।ବିରୋଚନନ୍ଦନ ଉଭା ହୋଇ।୯୮ ।ବାହାରିଲେ ଲକ୍ଷ୍ମଣ ରାମ ଘେନି ।ବୃକ୍ଷାନ୍ତରୁଁ ଯେ ସମଙ୍ଗ ସେନାନୀ।୯୯ ।ବ୍ୟାଘ୍ର ବିନ୍ଧ ପକାଇ କିଛି ଦୂରେ ।ବେଢ଼ି ଦେଖନ୍ତି ଯାଇ ଯଥା ନରେ।୧୦୦ ।୯୧ଶ ପଦ :- ସଉରୀ-ଶନି । କୁଜ-ମଙ୍ଗଳ ।ବିଶ୍ୱମ୍ଭରା-ପୃଥିବୀ ।୯୨ଶ ପଦ :- ବ୍ୟାଳ-ସର୍ପ । ଯୁଗ୍ମ-ଦୁଇ ।
୯୧ଶ ଓ ୯୨ଶ ପଦ :- ସେହି ଦୁହିଁଙ୍କର ଯୁଦ୍ଧ ଦେଖି ମନେ ହେଲା, ଶନି ଓ ମଙ୍ଗଳ ଯୁଦ୍ଧରେ ପ୍ରବୃତ୍ତ ହୋଇ ଅଛନ୍ତି କି ? ପୃଥିବୀ ସେହି ଦୁହିଁଙ୍କର ଭାରରେ କମ୍ପିବାକୁ ଲାଗିଲା । ଦୁଇଗୋଟି ସାପ ଗଡ଼ାଗଡ଼ି ହୋଇ ଖେଳିଲା ପରି ସେ ଦୁହେଁ ତଳେ ପଡ଼ି ଗଡ଼ାଗଡ଼ି ହେବାକୁ ଲାଗିଲେ, ଏଣୁ ଦୁହିଁଙ୍କର ଦେହ ଗଛ ଓ ପଥରରେ ବାଜି ଛିଡ଼ିଗଲା ( ଅର୍ଥାତ୍ ତୁମୁଳ ବାହୁଯୁଦ୍ଧ ଲାଗିଲା ।)’’
୯୩ଶ ପଦ :- ଏହିପରି ଗଡ଼ାଗଡ଼ି ହେଉ ହେଉ ବାଳି ସୁଗ୍ରୀବକୁ ମାଡ଼ି ବସିବାର ଦେଖାଗଲା । ତାହାଦେଖି ମନେ ହେଲା, ବାଜପକ୍ଷୀ ଶୁଆକୁ ମାଡ଼ି ବସିଲା କି ? ( ବାଜ ଶୁଆକୁ ଧରିଲେ ସୁଦ୍ଧା ତାହାର ଚଞ୍ଚୁଭୟରେ ଅଳ୍ପ ଦୁରକୁ ହଟି ବସିଥାଏ, ବାଳି ସେହିପରି ବିଷ୍ଣୁ ତେଜ ଭୟରେ ସୁଗ୍ରୀବଠାରୁ ଅଳ୍ପ ଦୁରରେ ବସି ହାତ ବଢ଼ାଇ ତାକୁ ମାଡ଼ି ବସିଥିଲା । )
୯୪ଶ ପଦ :- ରାମଚନ୍ଦ୍ର ଏହି ଅବସ୍ଥା ଦେଖି ବାଣ ପ୍ରହାର କଲେ । ସେହି ବାଣର ମୁନ ବାଳିର ବକ୍ଷ ଭେଦ କରି ପିଠିରେ ବାହାରିଲା ।୯୫ଶ ପଦ :- ବାରଣେନ୍ଦ୍ର-ଐରାବତ । ବିବୁଧାତି-ମେରୁ ପର୍ବତ ।
୯୫ଶ ପଦ :- ଐରାବତ ଦାନ୍ତ ଯେପରି ମେରୁ ପର୍ବତରେ ଲାଗି ରହିଥିଲା, ସେହିପରି ରାମଚନ୍ଦ୍ରଙ୍କ ଶର ବାଳି ଦେହରେ ଲାଗି ରହିଲା । (ଗଙ୍ଗା ମର୍ତ୍ତ୍ୟଲୋକକୁ ମେରୁ ପର୍ବତ ଦେଇ ଆସୁ ଆସୁ ଏକ ଗହ୍ୱରରେ ଅଟକ ଯାଇଥିଲେ, ଐରାବତ ଦନ୍ତାଘାତ କରି ସେହି ଗହ୍ୱରକୁ ଭେଦ କଲାବେଳେ ତାହାର ଦନ୍ତ ଲାଖି ରହିଥିଲା) ।
୯୬ଶ ପଦ :- ବାଳି ଏହିପରି ଅବସ୍ଥାରେ ପଡ଼ି ନିଜ ପୁତ୍ର ଅଙ୍ଗଦକୁ ଡାକି କହିଲା, ‘‘ମୋର ‘ଅଙ୍ଗ’ ଦେହ ବିନା କାରଣରେ ନଷ୍ଟ ହେଲା ।’’ ଏହା କହି ସେ ସଙ୍ଗେ ସଙ୍ଗେ ମୂର୍ଚ୍ଛିତ ହେଲା ।
୯୭ଶ ପଦ :- ବିଘ୍ନରାଜ-ଗଣେଶ ।୯୮ଶ ପଦ :- ବିରୋଚନ ନନ୍ଦନ-ସୁଗ୍ରୀବ ।
୯୭ ଓ ୯୮ତମ ପଦ :- ଗଣେଶ ଯମଙ୍କୁ ମୂଷା କରି ଫାଶରେ ଯେପରି ବନ୍ଧନ କରିବାକୁ ସମର୍ଥ ହୋଇଥିଲେ, ସୁଗ୍ରୀବ ସେହିପରି ସମର୍ଥ ହୋଇ ହାତ ଟେକି ବାଳିକୁ ଠେଲି ଦେଇ ଠିଆହେଲା ।
୯୯ଶ ପଦ :- ଗଣେଶ ଯମକୁ ମୂଷା କରି ବାନ୍ଧି ସାରିବା ପରେ କାର୍ତ୍ତିକେୟ ଯେପରି ସଙ୍ଗିମାନଙ୍କ ସହ ସେଠାରେ ଉପସ୍ଥିତ ହୋଇଥିଲେ, ସେହିପରି ରାମ ଓ ଲକ୍ଷ୍ମଣ ବୃକ୍ଷ ଉହାଡ଼ରୁ ବାହାରି ବାନର ସେନାପତିମାନଙ୍କ ସହ ସେହି ସ୍ଥାନରେ ଉପସ୍ଥିତ ହେଲେ ।
୧୦୦ ପଦ :- ମନୁଷ୍ୟମାନେ ବାଘକୁ ଶର ବିନ୍ଧି ମାରି ତାହାର ଚାରିପଟରେ ଅଳ୍ପ ଦୂରରେ ବେଢ଼ି ରହି ଯେପରି ଦେଖନ୍ତି, ସେହିପରି ରାମଚନ୍ଦ୍ରାଦିମାନେ ବାଳିକୁ ବେଢ଼ି କିଛି ଦୂରରେ ରହି ଦେଖିବାକୁ ଲାଗିଲେ ।
ବାନରେଶ ପାଶେ ଥିଲେ ଦେଖିଲା ।ବପୁବନ୍ତ ଦର୍ପକ ଏ ଯୋଖିଲା।୧୦୧ ।ବିଚାରିଲା ଦର୍ପକ ଏ ଅଗ୍ରତେ ।ବଳବାନ ସୁନ୍ଦର ଯେ ଜଗତେ।୧୦୨ ।ବସୁନ୍ଧରା ଚୂଡ଼ାମଣି ମର୍କତ ।ବିରାଜିବା ଜ୍ୟୋତି ଏବେ ବ୍ୟକତ।୧୦୩ ।ବୋଲୁଁ କେ ତୁମ୍ଭେ ବୋଇଲେ ଶ୍ରୀରାମ ।ବଂଶେ ରଘୁ ନୃପତିର ଜନମ।୧୦୪ ।ବସୁମତୀରେ ଭାରା ହେଲେ ଦୁଷ୍ଟେ ।ବସୁଁ ମତିରେ ଏହି କଥା ପୁଷ୍ଟେ।୧୦୫ ।ବୁଲି ବନରେ ବିରାଧ କବନ୍ଧ ।ବଳ ସହିତେ ଖର କଲୁଁ ବଧ।୧୦୬ ।ବାତାୟଏ ହୋଇ ଆସୁଁ ମାରୀଚ ।ବିନ୍ଧୁଁ ତାହାକୁ ଗୋଡ଼ାଇ ନାରାଚ।୧୦୭ ।ବିସର୍ଜୁ ସେ ପ୍ରାଣ ତ୍ରାହି ଲକ୍ଷ୍ମଣ ।ବଚ କଲା ଭ୍ରାତ ଗଲା ତତ୍କ୍ଷଣ।୧୦୮ ।ବାମା ସେନେହେ ସଙ୍ଗେ ଆସିଥିଲା ।ବୈଶ୍ରଗଣ ଏକା ଦେଖି ହରିଲା।୧୦୯ ।ବନିତାକୁ ଖୋଜୁ ୠଷ୍ୟମୁକର ।ବଡ଼ ଦୀନ ଦିନବନ୍ଧୁ କୁମର।୧୧୦ ।ବହି କରୁଣା ମିତ୍ର ଯେ ହୋଇଲୁଁ ।ବୈରୀ ମିତ୍ରର ବୋଲିଣ ମାଇଲୁଁ।୧୧୧ ।୧୦୧ଶ ପଦ :- ବପୁବନ୍ତ-ମୂର୍ତ୍ତିମନ୍ତ । ଦର୍ପକ-କନ୍ଦର୍ପ ।
୧୦୧ଶ ପଦ :- ରାମଚନ୍ଦ୍ର ସେହି ସମୟରେ ବାଳିର ନିକଟରେ ଠିଆ ହୋଇଥିଲେ । ବାଳି ତାଙ୍କୁ ଦେଖି ମନେ କଲା ‘‘ଏହି କନ୍ଦର୍ପସୁନ୍ଦର ପୁରୁଷ ମୋତେ ଶର ଯୋଖିଲା ଅର୍ଥାତ୍ ବାଣ ମାଇଲା ।’’
୧୦୨ୟ ପଦ :- ପୁଣି ମନେକଲା, ‘‘ଏହି ଜଗତରେ ଯେଉଁମାନେ ‘ଦର୍ପକ’ ଦାମ୍ଭିକ; ବଳବାନ୍ ଓ ସୁନ୍ଦର ଅଟନ୍ତି, ସେମାନଙ୍କ ମଧ୍ୟରେ ଏ ଅଗ୍ରଗଣ୍ୟ ଅଟେ ।’’
୧୦୩ୟ ପଦ :- ସେ ରାମଚନ୍ଦ୍ରଙ୍କର ଶ୍ୟାମଳ କାନ୍ତିକୁ ଦେଖି ମନେକଲା, ‘‘ପୃଥିବୀ ଦେବୀଙ୍କର ଇନ୍ଦ୍ରନୀଳମଣିରେ ନିର୍ମିତ ହୋଇଥିବା ମଥାମଣି ଏହିଠାରେ ସ୍ୱଷ୍ଟରୂପେ ଦେଖାଦେଇ ନିଜର ଜ୍ୟୋତିହାର ଶୋଭିତ ହୋଇଅଛି କି ?’’
ସମ୍ବନ୍ଧିତ ରଚନା
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ
ଲାବଣ୍ୟବତୀ
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ
ସୁବର୍ଣ୍ଣରେଖା
ଉପେନ୍ଦ୍ର ଭଞ୍ଜ