ସୀତା-ବନବାସ
୧୮୭୫–୧୯୨୮
- ପଢ଼ିବା ସମୟ
- ୪୨ ମିନିଟ୍
- ଶବ୍ଦ
- ୬୭୬୨
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ସର୍ଗ
ସରସ୍ୱତୀ-ଆବାହନସରଯୂ ତଟିନୀ ତଟେ ଅଯୋଧ୍ୟାନଗରୀ,ସୁରଧୁନିତୀରେ ଯେହ୍ନେ ସ୍ୱର୍ଗବିଦ୍ୟାଧାରୀ,ଅଯୋଧ୍ୟା ନଗରୀ ଧନ୍ୟା ଯୋଧେନ୍ଦ୍ରଜନନୀ,ଯା ଯଶ ଆନନ୍ଦେ ଗାଏ ନିଖିଳ ଅବନୀ;ଜଗତ–ନୟନ–ଭାନୁ–ସୁପବିତ୍ର–ବଂଶଇକ୍ଷ୍ୱାକୁ ମାନ୍ଧାତା ମନୁ ଯାର ଅବତଂସ;ମୃତ୍ୟୁଞ୍ଜୟ ଦିଲୀପ ଯେ ରଘୁ ଦିଗ୍ବିଜୟୀ,ଅପ୍ସରାମୋହନ ଅଜ ଜନ୍ମିଥିଲେ ଯହିଁ;ପ୍ରକୃତିରଞ୍ଜନେ ସାର୍ଥ ପୂତ ରାଜା ନାମ,ପ୍ରକୃତିରଞ୍ଜନେ ସାର୍ଥ ପୂତ ରାଜା ନାମ,ଅପୂର୍ବ ଆଦର୍ଶ ଯାର ରଘୁପତି ରାମ;ପ୍ରଜାହିତ ଅର୍ଥେ ପତ୍ନୀ–ବନନିର୍ବାସନନାହିଁ ପଟାନ୍ତର ଯାର ନିଖିଳ ଭୁବନ;ଆଦିକବି ରଚିତ ସେ ମଧୁ ରାମାୟଣଏ ସାରା ସଂସାରେ ଯାହା ଅମୂଲ୍ୟ ରତନ;କେତେ କବି କବୀନ୍ଦ୍ର ଯେ ମଧୁ ବୀଣାସ୍ୱନେ,ଗାଇଗଲେ ମଧୁଗାଥା; ମଧୂ ପାରବଣେମଧୁର ଶୈଶବକାଳେ ଯେ ଗୀତ ଶ୍ରବଣେବହୁଥିଲା ବାରିଧାରା ମୋ ଶିଶୁ ନୟନେ;ସରଳ ଭାଷାରେ ଆଜି ଗାଇବି ସେ ଗୀତ,ଶୁଣି ଯାହା ତୃପ୍ତ ହେବ ଭାବୁକଙ୍କ ଚିତ୍ତ ।ବନ୍ଦେ ବାଣୀ ବରଦେ ଗୋ ଭୁବନମୋହିନି,ଜଗତପାବନି ମୃତ୍ୟୁଭୟବିନାଶିନି !ହୃଦସଦ୍ମେ ଆଣି ଦିଅ କଳ୍ପନା ସମ୍ପଦ,କଣ୍ଠେ ବସି ମାଗୋ ମୋତେ କହିଦିଅ ପଦ ।
ଦ୍ୱିତୀୟ ସର୍ଗ
ରାମରାଜ୍ୟଚତୁର୍ଦ୍ଦଶ ବର୍ଷ ରାମ ସମାପ କାନନେବ୍ରତ ଅନ୍ତେ ପ୍ରତ୍ୟାଗତ ଅଯୋଧ୍ୟାଭବନେ,ସୀତା ସହ ସାକେତର ରାଜସିଂହାସନବିହିତ ବିଧାନେ ରାମ କଲେ ଆରୋହଣ ।ତିନି ଭାଇ ସଙ୍ଗେ ସଭାଗତ ରାମ ରାୟେସାମ ଦାନ ଭେଦ ଦଣ୍ଡ ଉପାୟ ପରାଏ ।ରାଜ୍ୟର ବିବିଧ ହିତେ ନିୟୋଜିତ ମତିଶାନ୍ତିସୁଖେ ପାଳି ପ୍ରଜା ଅଯୋଧ୍ୟା ନୃପତି ।ଶ୍ରୀରାମ ଚରିତ୍ରେ ଭୀମ–କାନ୍ତ ଗୁଣାବେଶ,ଦୁଷ୍ଟ–ଅରି ଶିଷ୍ଟ–ମିତ୍ର ଧର୍ମାତ୍ମା ନରେଶ ।ପାପୀ ପ୍ରତି ଦୟା ପୁଣି ନ୍ୟାୟ ପାପ ପ୍ରତିବିହିଣ ପାଳନ୍ତି ପ୍ରଜା ନୀତିଜ୍ଞ ନୃପତି ।ପ୍ରବୀଣ ନରେଶ ନିୟୋଜିଣ ଗୁପ୍ତଚରବୁଝୁଥାନ୍ତି ଦୁଃଖ ସୁଖ ପ୍ରକୃତିପୁଞ୍ଜର ।ଅସ୍ତ୍ରଶସ୍ତ୍ର ବେଦବିଦ୍ୟା ହୁଏ ଆଲୋଚନା,ଜ୍ଞାନ ପାଇଁ ଜ୍ଞାନୀ କରେ ଜ୍ଞାନ ଆରୋଧନା ।ସପ୍ତାଙ୍ଗ ସାମ୍ରାଜ୍ୟ ତାଙ୍କ ଲଭେ ସମୁନ୍ନତି,ରଘୁରାଜ୍ୟଲକ୍ଷ୍ମୀ ଏବେ ଷୋଳକଳାବତୀ ।ରତ୍ନଗର୍ଭା ବସୁନ୍ଧରା ବହୁ ଶସ୍ୟବତୀ,ଧେନୁଗଣ ରାମରାଜ୍ୟେ ବହୁ ଦୁଗ୍ଧବତୀ ।ମୃଦୁ ମନ୍ଦ ପ୍ରବାହିତ ଶୀତଳ ପବନପତ୍ର ପୁଷ୍ପ ଫଳେ ତରୁଲତା ବିମଣ୍ଡନ ।ଦୁର୍ଭିକ୍ଷ ଅକାଳମୃତ୍ୟୁ ଦୁଃଖଶୋକମାନନିର୍ଲୋଭ ଶୋକାଘ୍ନ ରାମ–ରାଜ୍ୟଁ ଅନ୍ତର୍ଦ୍ଧାନ ।ତସ୍କର ପାତକୀ ରାମ–ସୁଶାସିତ ଦେଶେରହିଲେ,ଶବଦ ମାତ୍ର ହୋଇ ଅବଶେଷେଅଳଙ୍କାର ରୂପେ ରାମ–ସେନା ସୁରକ୍ଷିତ,କେବଳ ପ୍ରଭାବେ ହୁଏ ରାଜ୍ୟ ସୁଶାସିତ ।ସାମନ୍ତ ସ୍ୱରୂପେ ସର୍ବ ସ୍ୱାଧୀନ ନୃପତିରାମ ପୂତପଦ ତଳେ ଅର୍ପିଲେ ଭକତି ।ସଂଯମୀ ନୃପତି ରାଜ୍ୟାଶ୍ରମ ଋଷିରୂପେସମ୍ପାଦନ୍ତି ରାଜକାର୍ଯ୍ୟ ତପସ୍ୟା ସ୍ୱରୂପେ ।ଅନ୍ତର୍ଯ୍ୟାମୀରୂପେ ହୋଇ ଅସଂଖ୍ୟ ମୂରତିଜାଣନ୍ତି ହୃଦ୍ଗତ ଭାବ ନୀତିଜ୍ଞ ନୃପତି ।ମହତୀ ଦେବତାରୂପେ ଲଭନ୍ତି ଗରିମା,ଆସମୁଦ୍ର ବିଘୋଷିତ ଶ୍ରୀରାମ–ମହିମା ।‘ବିଶ୍ୱାମିତ୍ର ସହ ଯାତ୍ରା, ଅହଲ୍ୟା–ପ୍ରସଙ୍ଗତାଡ଼କା ସୁବାହୁ ବଧ, ହର ଧନୁର୍ଭଙ୍ଗ,ପିତୃସତ୍ୟ ପାଳନାର୍ଥ ଦୀର୍ଘ ବନବାସ,କାନନେ ତ୍ରିଶିରା ଖର–ଦୂଷଣ ବିନାଶ,କିସ୍କିନ୍ଧ୍ୟାର ମହାବଳ ବାଳି ବିନାଶନ,ସର୍ବଶେ ରାବଣ ବଧ, ସୀତା ଉଦ୍ଧାରଣ’—ଲୋକୋତ୍ତର କୀର୍ତ୍ତିରାଜି ହେଉଁ ପ୍ରଚାରିତ,ଦିଶି ଦିଶି ହୋଇଗଲା ତାହା ବିଘୋଷିତ ।ଲତା ଦୋଳାସନେ ବସି ବନଦେବୀଗଣଘନବନେ ରାମନାମ କରନ୍ତି ଗାୟନ ।ଗିରିଗୁହା ପ୍ରତିଧ୍ୱନି ପର୍ବତକନ୍ଦରେପ୍ରଭଞ୍ଜନ ରାମନାମ ଗାଏ ଉଚ୍ଚସ୍ୱରେ ।ଜଳଦେବୀ ଖେଳି ସିନ୍ଧୁ–ଊର୍ମି ତାଳେ ତାଳେ,ତରଙ୍ଗିଣୀ କୋଳେ ଢଳି ଢଳି ବୀଚିମାଳେ,ଗାଏ ରାମନାମ ଗୀତ ସୁନ୍ଦର ମୋହନ,ସ୍ଥାବର ଜଙ୍ଗମ ପ୍ରିୟ ପ୍ରଶାନ୍ତ ପାବନ ।ନାବ ବାହି ନାଉରୀଏ ଗାଆନ୍ତି ସେ ଗୀତଗୋଗୋଷ୍ଠେ ଗୋପାଳ ଗାଈ ହରେ ଜନଚିତ୍ତ ।ଗାଆନ୍ତି ପଥିକେ ତାହା କାନ୍ତାରେ ପ୍ରାନ୍ତରେ,ପଳାନ୍ତି ଶ୍ୱାପଦେ ଶୁଣି ସଂନ୍ତ୍ରସ୍ତ ଅନ୍ତରେ ।ବୁଲେ ଶିଶୁ ଗ୍ରାମଦାଣ୍ଡେ ରାମନାମ ଗାଇ,ସେ ନାମେ ଦିଅନ୍ତି ଶିଶୁ ମାତାଏ ବୋଧାଇ ।ପଥ ଓଗାଳନ୍ତେ ବୃକ୍ଷ ଅବା ବିଷଧରପାଇଯାନ୍ତି ମୁକ୍ତି ଜପି ସେ ନାମ ମନ୍ତର ।ପ୍ରପୀଡ଼ିତ ହୁଏ ଯେବେ ଏକାନ୍ତ ଦୁର୍ବଳଉଚ୍ଚାରନ୍ତେ ରାମ ନାମ ପରାସ୍ତ ସବଳ ।ସତ୍ୟସନ୍ଧ ଶୁଦ୍ଧଚେତା ରାମ ପୁଣ୍ୟନାମଧରିଣ ମୁମୂର୍ଷୁ ତେଜି ଯାନ୍ତି ଧରାଧାମ ।
ତୃତୀୟ ସର୍ଗ
ଶୁଦ୍ଧାନ୍ତ-ସୁଖ(ରାଗ-ରାମକେରୀ)ସଖୀ ସଙ୍ଗେ ସୀତା ଶୀତାଂଶୁମୁଖୀ ସାକେତପୁରେବସି ବନବାସ–ବାରତା ବାହୁନନ୍ତି ମଧୁରେ ।ଯୋଡ଼ି କର ପରିଚାରିକା ଆସି କହେ ବାରତା,“ବିଜେ ହେବେ ପୁରେ ନୃପେନ୍ଦ୍ର ରଘୁକୁଳକରତା ।”ଶୁଣି ଆଳୀବ୍ରଜ ରାଣୀଙ୍କ ପାଶୁଁ ହେଲେ ଅନ୍ତର,ଭାନୁଉଦେ ଯଥା ପରାଚୀ–ପୁରୁଁ ତାରାନିକର ।ପ୍ରଶାନ୍ତ ମୂରତି ଶ୍ରୀରାମ ସୁପ୍ରସନ୍ନ ଶ୍ରୀମୁଖରାଜୀବନୟନା ଜାନକୀ ଚାହିଁ ଲଭନ୍ତି ସୁଖ;ପ୍ରଶାନ୍ତ ସୁନୀଳ ଅମ୍ବରେ ଶୋଭାବତୀ ଧରଣୀବିବକଚକୁସୁମ ଲୋଚନେ ନିରେଖଇ କି ଧନୀ ?ଆସନ୍ତେ ପ୍ରାଣେଣ ପାଶକୁ ଉଠି ଆୟାସେ ସତୀକୋକନନ୍ଦ କରେ ନମନ୍ତି କାନ୍ତେ ଦୋହଦବତୀ ।“ବସ, ବସ” ବୋଲି ଶ୍ରୀରାମ ଆସି କଲେ ବାରଣ,ନିରେଖିଲେ ସ୍ନିଗଧନୟନେ ପ୍ରିୟା–ପଦ୍ମବଦନ ।ଭାନୁକରେ ନବନଳିନୀ ଯେହ୍ନେ ଉଠଇ ହସି,କାନ୍ତଦରଶନେ ତେସନ ହେଲେ ରାମ–ପ୍ରେୟସୀ ।କୁଶଳ–ପ୍ରଶନ ପଚାରି ବସି ଅଯୋଧ୍ୟା–ରାଣକଉତୁକ–କଥ କହିଲେ ତୋଷି ପ୍ରେୟସୀ–ପ୍ରାଣ ।ନବଘନ ପାଶେ ଯେସନ ଶୋହେ ତୋରା ଦାମିନୀ,ରାମ ପାଶେ ତେହ୍ନେ ଶୋଭନ୍ତି ସୀତା ବରବର୍ଣ୍ଣିନୀ ।ପ୍ରିୟାଙ୍କୁ ସେନେହେ ଶ୍ରୀରାମ ବୋଲୁଛନ୍ତି ବଚନ,“କହ ଗୋ ପ୍ରେୟସି ! କି ଦ୍ରବ୍ୟେ ତବ ବଳୁଛି ମନ ?”ଶୁଣି ତା ଜନକ–ତନୁକା–ଗଣ୍ଡ ଲଜ୍ଜା–ପାଟଳ,ମଧୁ ଦରହାସେ ଜାନକୀ ଶିର ପୋତନ୍ତି ତଳ ।କହନ୍ତି ଶ୍ରୀରାମ, “ସୁନ୍ଦରି !ଏତେ ଲଜ୍ଜା କିପାଇଁ,ନାହିଁ ନାହିଁ, କର ଈଷତ ହସି ମୁହିଁ ହଲାଇ ।”ବୋଲନ୍ତି ବୈଦେହୀ, “ଭୋପ୍ରଭୋ ! ନାହିଁ କାହିଁରେ ମନ,ତୁମ୍ଭ ଶ୍ରୀଚରଣ ଚାହିଁଣ ଯାଉ ଏ ମୋ ଜୀବନ ।ତୁମ୍ଭ କୋଳେ କୁଳନନ୍ଦନ ରଖି ହେ ରଘୁରାଣ,ତୁମ୍ଭ ମୁଖ ଦେଖି ହେ ସ୍ୱାମି, ଯାଉ ଏ ଦାସୀ–ପ୍ରାଣ ।”ପୋଛି ପ୍ରେମ–ଅଶ୍ରୁ ଶ୍ରୀରାମ ବେଲୁଛନ୍ତି ଆଦରେ,‘କହ କହ ପ୍ରିୟେ ! ଶରଧା ତବ କେଉଁ ଦ୍ରବ୍ୟରେ ?ଯେଡ଼େ ଦୁର୍ଲ୍ଲଭତା ହେଲେହେଁ ଆଣି ଦେବଇଁ ମୁହିଁକହ କହ ଫେଡ଼ି ମୋ ରାଣ ଚାରୁଚନ୍ଦ୍ରମାମୁହିଁ ।”କହନ୍ତି ଜନକ ତନୁଜା, “ନାଥ ! ହେଉଛି ମନ,ଋଷି–ତପୋବନ–ସୁଷମା କରନ୍ତେଇଁ ଦର୍ଶନ ।ବନବାସକାଳେ ଭୋ ନାଥ ! ଦେଖିଥିଲଇଁ ଯାହା;ପୁଣି କିପାଁ ମନ ହେଉଛି ଯାଇଁ ଦେଖନ୍ତେ ତାହା ।ମୁନିକନ୍ୟାମାନେ ତଟିନୀତଟେ ବଢ଼ାଇ ସ୍ନାନ,କରନ୍ତି ନୀବାର–ତଣ୍ଡୁଳ ମଧୁ–ଅର୍ଘ୍ୟ ପ୍ରଦାନ;ଏକ–ହସ୍ତୁଁ ଆନ ଛଡ଼ାଇ କରୁଥାନ୍ତି ଭୋଜନ,ହାସ୍ୟ–କଉତୁକ ତାଙ୍କର ଦରଶନେ ମୋ ମନ ।ଗର୍ଭାଳସା ଏଣୀ ଆସିଣ ଖାଇ ତଣ୍ଡୁଳ ବଳେକରନ୍ତି ରୋମନ୍ଥ ଶୋଇଣ ତଟ–ବିଟପିତଳେ ।ତରୁଶାଖେ ବସି ବିହଙ୍ଗେ ରାବୁଥାନ୍ତି ସୁସ୍ୱରେ,ଉଡ଼ି ଆସି ବସି ଯାଆନ୍ତି ମୁନି–ତନୟା–କରେ ।ତପୋବନ ହବିଃ–ସୌରଭେ ସଦା ସୁପ୍ରମୋହିତ,ତରୁଶିର ଭେଦି ସମିଧ ଧୂମ ହୁଏ ଉତ୍ଥିତ ।ପୁଣ୍ୟ ବେଦଗୀତେ ପବିତ୍ର ସଦା ସେ ତପୋବନ,ଫଳ–ପୁଷ୍ପ ଭାରେ ଆନତ ତରୁ ବ୍ରତତୀଗଣ ।ବୁଲି ବନେ ତୁମ୍ଭ ସଙ୍ଗତେ କରନ୍ତି ତା ଦର୍ଶନ,କାନନସିକତାପୀଠରେ କରି ଉପବେଶନ ।ବାସ ଅଳଙ୍କାର ବିତରି ମୁନି–ତନୟାଗଣେ,ଆଶୀଃ ରାଶି ଘେନି ଆସନ୍ତି ପୁଣି ତୁମ୍ଭ ଗହଣେ ।”ପ୍ରିୟାବାଣି ଶୁଣି କହନ୍ତି ରଘୁପତି ବଚନ,“ସୁଚିତ୍ତେ ସୁନ୍ଦରି ! କରିବି ତବ ବାଞ୍ଛା ପୂରଣ ।କିଛି ନାହିଁ ମୋର ଅଦେୟ ଦେଇପାରେଁ ଜୀବନ,“କାଲି ପ୍ରାତେ ଯାଇଁ କରିବ ତପୋବନ ଦର୍ଶନ ।ଏମନ୍ତ ସମୟେ ପ୍ରବେଶୁଁ ଭଦ୍ର ନାମେ ଦୂତକ,ଗମିଲେ ଗୁପତ–ମନ୍ତ୍ରଣା–ଗୃହେ ରଘୁନାୟକ ।
ଚତୁର୍ଥ ସର୍ଗ
ଜନାପବାଦପ୍ରବେଶିଣ ରାଜ୍ୟେଶ୍ୱର ଗୁପତ ଭବନଗୁପ୍ତଚର ଭଦ୍ରମୁଖେ ପୃଛନ୍ତି ପ୍ରଶନ ।‘‘କି ସମ୍ବାଦ ଆହେ ଭଦ୍ର ଆଣିଅଛ ପୁଣି ?”କହେ ଚର, “ଆସିଲି ମୁଁ ତବ ଯଶ ଶୁଣି ।”କହନ୍ତି ନରଶେ, “ଦୂତ, ପ୍ରତିଦିନ ଆଣିଦେଇଥାଅ ମୋତେ ହର୍ଷେ ମୋହୋ ଯଶୋବାଣୀ ।ଆଜି କାହିଁ ପାଇଁ ମୁଖ ଦିଶୁଛି ବିମର୍ଷ,ରାଜ୍ୟେ କି ଘୋଷିତ ହୁଏ ମୋର ଅପଯଶ ?କେହି କି ମୋହର ଆଜି ରଟିଅଛି ଦୋଷ ?କହ ହେ ଡଗର ସତ୍ୟ, ନ ବହିବି ରୋଷ ।ବିଶ୍ୱାସ ଅଟଇ ଦୂତ–ଶ୍ରେଷ୍ଠଗୁଣ ଜାଣ,ବିଶ୍ୱାସବିହୀନ ଦୂତ ସଂସପ ସମାନ ।ନ କହିଲେ ସତ୍ୟ, ରାଷ୍ଟ୍ରବିଧି ଅନସାରେଆବଦ୍ଧ ହୋଇବ ଦୂତ ରାଜକାରାଗାରେ ।”କହେ ଦୂତ ବର୍ଜି ଅଶ୍ରୁ, “ରାଜରାଜେଶ୍ୱର,ସବତ୍ର ଘୋଷିତ ହୁଏ ସୁକୀର୍ତ୍ତି ତୁମ୍ଭର ।କହନ୍ତି ସମସ୍ତେ ‘ରାମ ନରପତି ପରିତ୍ରିଜଗତେ ନାହିଁ ନ ଥିବଟି ସମସରି ।କିନ୍ତୁ ଇନ୍ଦୁକଳା ପରି ରାଣୀଙ୍କ କଳଙ୍କଲାଗି କୃଷ୍ଣ ଦିଶେ ସୂର୍ଯ୍ୟବଂଶ ନିଷ୍କଳଙ୍କ ।ନିର୍ଜନ ବିପିନ ରକ୍ଷ ଜାନକୀଙ୍କୁ ଧରିରଥେ ବସାଇଣ ପାଶେ ନେଲା ଚୋରି କରି ।ନିଜ ଗଡ଼େ ବହୁଦିନ ରଖିଲା ରାବଣ,ମାରି ତାଙ୍କୁ ରାମ କଲେ ସୀତାଙ୍କୁ ଗ୍ରହଣ ।ରାଜଧର୍ମ ଅନୁସରି ପ୍ରଜାଏ ଚଳନ୍ତି,ପ୍ରଜାଙ୍କ ଆଦର୍ଶ ସିନା ହୁଅନ୍ତି ନୃପତି ।ନୃପତି ବରିବେ ଯେବେ ଆପେ ଅନାଚାର,ଦୁରାଚାର ନିବାରିବେ କେମନ୍ତ ପ୍ରଜାର ?ଯେ ନାରୀ ହୋଇଲେ ପରପୁରୁଷେ ସେବିତା,ସେହି ହେଲେ ଆମ୍ଭ ରାଣୀରୂପେ ଅଭିଷିକ୍ତା ।କୁଳନାରୀମାନେ ଆଉ ନ ମାନିବେ ପତି,ଅଯୋଧ୍ୟାରେ ନ ରହିବେ ଆଉ କେହି ସତୀ ।’ଏ ବାର୍ତ୍ତା ଶ୍ରବଣେ ଛାମୁ ଶ୍ରୀପଦ–ଦର୍ଶନକରିବାକୁ ନ ବଳିଲା ଏ ଦାସର ମନ ।ଗୁପ୍ତ ଦୂତ–ଧର୍ମ ଘୃଣା–ଭୀତି–ସମ୍ବରଣ,ଅନୃତ–ବର୍ଜନ, ରାଷ୍ଟ୍ର–ଶାନ୍ତି–ସଂରକ୍ଷଣ,ସତ୍ୟପ୍ରିୟ ସରସ୍ୱତୀ ସୁଦର୍ଲ୍ଲଭ ଜାଣିନିବେଦିଲି ସ୍ୱାମି ସତ୍ୟ ଅପ୍ରିୟ ଏ ବାଣୀ ।‘ରାଜଜ୍ଞା ଅଲଙ୍ଘନୀୟ’ ସ୍ମରଣ ଭୋ ପ୍ରଭୁ,କର୍ତ୍ତବ୍ୟର ଅନୁରୋଧେ ନିବେଦିଲି ସବୁ ।ଏତେଦିନେ ହେଲା ପ୍ରଭୋ ବିଫଳ ମୋ ନାମ ।’ପ୍ରବୋଧି ବିଦାୟ ଦେଲେ ଦୂତ ରାଜା ରାମ ।
ପଞ୍ଚମ ସର୍ଗ
ବନବିବାସନଶୁଣି ଗୁପ୍ତଚର ମୁଖୁଁ ସୀତା ଅପଯଶସର୍ବାଙ୍ଗ ରାମଙ୍କ ହେଲା ଅଚଳ ଅବଶ ।ଦୁଃଖେ ସୁଖେ ଧୀର ସଦା ଅଚଳ ଅଟଳହିମାଦ୍ରି ପ୍ରତିମ ରାମ ହୋଇଲେ ବିକଳ ।“ଆହା ସୀତେ !” ବୋଲି ଶୋକେ ଶ୍ରୀରଘୁନନ୍ଦନନିର୍ଜ୍ଜନେ ବସିଣ କଲେ ବିକଳ ରୋଦନ ।“ରାଜେନ୍ଦ୍ର ଜନକ–କନ୍ୟା ସୁଖେ ସୁପାଳିତାଅତି ସୁକୁମାର–ଅଙ୍ଗୀ ପତିପ୍ରାଣ ସୀତା ।ଅଭିଷେକ ଦିବସରେ ଗଲେ ଘୋରବନେ,କେତେ କେଶ ସହିଲେ ସେ ଗହନ କାନନେ ।ହରି ନେଇ ବନ୍ଦୀ କଲା ପାପିଷ୍ଠ ରାବଣ,କଲା ନିଷ୍କଳଙ୍କ ଚନ୍ଦେ କଳଙ୍କ ଲେପନ ।ଜାଣେ ମୁଁ ମଦ୍ ଗତପ୍ରାଣା ମୈଥିଳୀଙ୍କୁ ଅତି,କଠିନ ପରୀକ୍ଷା ଦେଲେ ଲଙ୍କାଠାରେ ସତୀ ।ବିନା ଦୋଷେ ସତୀ ଭାର୍ଯ୍ୟା ଘୋର ଅସମୟେକେମନ୍ତେ ବର୍ଜିବି ମୁହିଁ ଦାରୁଣ ହୃଦୟେ ?”ଅବଶେଷେ ମହିଷୀଙ୍କୁ ବିଜନ କାନନେନିର୍ବାସିବେ ବୋଲି ରାଜା ସ୍ଥିର କଲେ ମନେ ।ଭରତ ଲକ୍ଷ୍ମଣ ସହ ଶତ୍ରୁଘ୍ନେ ହକାରିକାନ୍ଦନ୍ତି ବିକଳେ ରାମ ନିଜକୁ ଧିକ୍କାରିଦେଖି ତିନି ଭାଇ ଭୟେ କଥା ନ କହନ୍ତିଅବଶେଷେ ଆରମ୍ଭିଲେ ରଘୁକୁଳପତି ।“ଚୋରି କରି ନେଇଥିଲା ସୀତାଙ୍କୁ ରାବଣ,ତେଣୁ ସର୍ବଶେ ମୁଁ ତାକୁ କଲି ବିନାଶନ ।ବହୁକାଳ ରକ୍ଷୋଗୃହେ ବନ୍ଦୀ ଥିଲେ ସୀତା,ସର୍ବସମକ୍ଷରେ ତେଣୁ ହେଲେ ପରୀକ୍ଷିତା ।ସର୍ବସମ୍ମତିରେ ସୀତା କଲି ମୁଁ ଗ୍ରହଣ,ଅଛି ତାର ସାକ୍ଷୀ ତୁମ୍ଭେ ନିଜେ ତ ଲକ୍ଷ୍ମଣ ।ଦୁର୍ବୁଦ୍ଧି ଯୋଗରୁ ଆସି ଅଯୋଧ୍ୟାରେ ଯାହାପରୀକ୍ଷା ନ କରି ଲଙ୍କାଠାରେ କଲି ତାହା ।ଜାନକୀ ଚରିତ୍ରେ ସନ୍ଦିହାନ ପ୍ରଜାଗଣ,ଆଜିଠାରୁ କଲି ମୁହିଁ ସୀତାବିସର୍ଜ୍ଜନ ।କାଲି ପ୍ରାତେ ଲକ୍ଷ୍ମଣ ହେ ତୁମ୍ଭରି ଗହଣେନେଇଯାଇ ଛାଡ଼ି ଆସ ସୀତା ଘୋରବନେ ।”କହନ୍ତି ସୌମିତ୍ରି, “ଅଜ୍ଞ ଅଶିକ୍ଷିତ ଜନନୁହନ୍ତି ଶାସ୍ତ୍ରଜ୍ଞ କିବା ପ୍ରଜ୍ଞାପରାୟଣ,ନ୍ୟାୟାନ୍ୟାୟ ସତ୍ୟାସତ୍ୟ ବିଚାରେ ଅଶକ୍ତ,ଧରନ୍ତି ପାଶବ ବୁଦ୍ଧି, ପଶୁମାଂସରକ୍ତ ।ପଶୁସମ ନିଦାରୁଣ ଜ୍ଞାନହୀନ ନର,ପଶୁଠାରୁ ଥୋକେ ନର ଭୟଙ୍କରତର ।ପ୍ରଶଂସନ୍ତି ଆଜି ଯାହା ଜନସାଧାରଣ,କରନ୍ତି ତାଠାରେ କାଲି ଦୋଷ–ଆରୋପଣ ।ନିଜେ ମୁଁ ଦେଖିଛି ସୀତା ଅଦ୍ଭୁତ ପ୍ରକାରେସତୀତ୍ୱ ପ୍ରମାଣିଛନ୍ତି ଅଗ୍ନି–ପରୀକ୍ଷାରେ ।ନିର୍ବୋଧଜନଙ୍କ କଥା ଅନୁସାରେ ଆର୍ଯ୍ୟ !କେବେହେଁ ନ କର ଏହି ଅନଚିତ କାର୍ଯ୍ୟ ।”କହିଲେ ନରେନ୍ଦ୍ର ରାମ, “ପ୍ରଜାତୁଷ୍ଟି ପାଇଁତେଜି ପାରେଁ ପ୍ରାଣ ପ୍ରାଣାଧିକ ତିନି ଭାଇ ।ରାଜାର ଜୀବନ ଧନ ସର୍ବ ପ୍ରଜାପାଇଁ,ଆତ୍ମ–ପରିବାର–ସ୍ୱାର୍ଥ ନୃପତିର ନାହିଁ ।ରାଜାର କର୍ତ୍ତବ୍ୟ ଭାଇ ପ୍ରକୃତିରଞ୍ଜନ,କର୍ତ୍ତବ୍ୟବିଭଷ୍ଟ ହେଲେ ବିଫଳ ଜୀବନ,କୀତ୍ତମାନ ମରି ଭବେ ଲଭଇ ଜୀବନ,କଳଙ୍କିତ ପ୍ରାଣେ ଭାଇ କିବା ପ୍ରୟୋଜନ ?କଳଙ୍କିତ ହେବ ନିଷ୍କଳଙ୍କ ସୂର୍ଯ୍ୟବଂଶ,ରଟିବ ସଂସାରେ ମୋର ଘୋର ଅପଯଶ,ଏମନ୍ତ ଜୀବନ ଘେନି ବଞ୍ଚିବି କେସନ,ଏ ହୀନ ଜୀବନେ ଭାଇ କିବା ପ୍ରୟୋଜନ ?କର୍ତ୍ତବ୍ୟ ପାଳି ସେ ସୁଖ ଲଭେ କର୍ମବୀର,ସେ ସୁଖ ଲଲାଟେ ଲେଖା ନାହିଁ କଳଙ୍କିର ।କଠିନ କର୍ତ୍ତବ୍ୟେ ଅଛି ସଞ୍ଚିତ ରେ ସୁଖ,ଜିଣିଛି ସେ ମମ ଦୀର୍ଘ ବନବାସ ଦୁଃଖ ।ଯେ କର୍ତ୍ତବ୍ୟ ପ୍ରେରଣାରେ ତେଜି ସିଂହାସନ,ପ୍ରିୟତମ ଭରତର ବ୍ୟାକୁଳ କ୍ରନ୍ଦନ,ଏଡ଼ି ମୁଁ ନିର୍ମମ ସମ ଭ୍ରାତା ଭାର୍ଯ୍ୟା ସହ,ସହିଲି ଅରଣ୍ୟ–ବାସ–କ୍ଳେଶ ଦୁର୍ବିଷହ,ଭ୍ରମିଲି ଭିକ୍ଷୁକବେଶେ ଭୀଷଣ କାନନେ,ଗର୍ଜ୍ଜୁଅଛି ସେ କର୍ତ୍ତବ୍ୟ ‘ପ୍ରେର ସୀତା ବନେ’ ।”ବୁଝାଇ ଲକ୍ଷ୍ମଣ ଆଦି ଭାଇ ତିନି ଜଣଏ ଦାରୁଣ କର୍ମୁଁ ଯେତେ କଲେ ନିବାରଣ,ତଥାପି ଶ୍ରୀରାମ ରାଜା ପ୍ରକୃତିରଞ୍ଜନକଳଙ୍କ ଭୟରେ ଦେଲେ ସୀତା ନିର୍ବାସନ ।ଋଷିକନ୍ୟା ସହ ବନ–ଶୋଭା–ଦରଶନେଯିବାପାଇଁ କହିଥିଲେ ସୀତା ତପୋବନେ ।ନେଇଗଲେ ସେହି ବ୍ୟାଜେ ଅନୁଜ ଲକ୍ଷ୍ମଣସନ୍ତପ୍ତହୃଦୟେ ଦେବାପାଇଁ ନିର୍ବାସନ ।ଋଷି–କୁମାରୀଙ୍କ ପାଇଁ ବାସ ଆଭରଣସଙ୍ଗେ ଘେନି ସୀତା କଲେ ରଥେ ଆରୋହଣ ।ରଥ ଚଳୁଁ ସୀତାଦେବୀ କହନ୍ତି, “ଲକ୍ଷ୍ମଣ,ବାଞ୍ଛାକଳ୍ପତରୁ ପ୍ରଭୁ ଅଯୋଧ୍ୟାରାଜନ ।ପ୍ରାର୍ଥନା ମାତ୍ରକେ ତପୋବନ–ସନ୍ଦର୍ଶନ—ବାଞ୍ଛା ପୂର୍ଣ୍ଣ କଲେ ପ୍ରଭୁ ଶ୍ରୀରଘୁନନ୍ଦନ ।କିନ୍ତୁ ଆଜି ନ ଆସିଲେ ମୋ ସଙ୍ଗେ କିପାଇଁ ?ରାଜକାର୍ଯ୍ୟୁ ଅବା ତାଙ୍କୁ ଅବକାଶ ନାହିଁ ।”ପଥେ ସତୀ ପଚାରନ୍ତି ବିବିଧ ପ୍ରଶନ,ଦିଅନ୍ତି ବିଷର୍ଣ୍ଣମୁଖେ ଉତ୍ତର ଲକ୍ଷ୍ମଣ ।ଦେଖିଣ ଜାନକୀ ତାଙ୍କୁ ପୃଚ୍ଛନ୍ତି କାରଣ,ଲଜ୍ଜାଦୁଃଖେ ନ କହନ୍ତି କିଛିହିଁ ଲକ୍ଷ୍ମଣ ।ଯାଉଁ ଯାଉଁ ଅହେତୁକୀ ଆକୁଳତା ମନସତୀଙ୍କର ଆସି କଲା ସଂଶୟ–ଆଚ୍ଛନ୍ନ ।କହନ୍ତି “ଲକ୍ଷ୍ମଣ ଭାଇ ! ଚଞ୍ଚଳ ମୋ ମନ,ସୁଦୂର ବିଳାପ–ଧ୍ୱନି ବାଜଇ ଶ୍ରବଣ ।ଶୁଣିଥିଲି ଥରେ ଯେହ୍ନେ ପଞ୍ଚବଟୀ ବନେଦୂରାଗତ ମାୟାମୃଗ–ବିକଳ କ୍ରନ୍ଦନେ;ସେହିପରି ପୁଣି ଭାଇ ଉଦ୍ବିଗ୍ନ ମୋ ମନ,ସୁମରୁଅଛନ୍ତି କିବା ମୋତେ ପ୍ରାଣଧନ,ଅବା ପ୍ରାଣେଶଙ୍କୁ କିଛି ପଡ଼ିଲା ବିପତ୍ତି,ତପୋବନ–ଦରଶନେ ନାହିଁ ଆଉ ମତ ;ନେଉଟାଇ ରଥ ଏବେ ନିଅ ବୀରବର !ଅଚିରେ ଦେଖାଅ ମୋତେ ରାମ–ଶ୍ରୀପୟର ।”କହୁ କହୁ ରଥ ଭାଗୀରଥୀ ହେଲା ପାର,ଲକ୍ଷ୍ମଣ–ନୟନୁ ବାରି ଝରେ ଦୁର୍ନିବାର ।ବୈଦେହୀ–ନିର୍ବନ୍ଧ ଶୁଣି ଶୋକାର୍ତ୍ତ ଲକ୍ଷ୍ମଣସଭୟେ ଭାଷିଲେ ବାଣୀ ସଜଳନୟନ ।“ଏକାକିନୀ ଥିଲ ଦେବି ! ରାବଣଭବନ,ସନ୍ଦିଗ୍ଧ ଚରିତ୍ରେ ତବ ରାଜ୍ୟବାସିଗଣ ।ଅପବାଦ ଶୁଣି ରାମ କଳଙ୍କଭଞ୍ଜନେତେଜିଲେ ତୁମ୍ଭଙ୍କୁ ଦେବି ! ଗହନ କାନନେ ।”ପାଳିଣ ଅଲଂଘନୀୟ ଆଜ୍ଞା ଗୁରୁଙ୍କର,ବାଞ୍ଛିଲେ ଦାରୁଣ–ପ୍ରାଣ ଶେଷ ବୀରବର ।ଶ୍ରବଣେ ହତଚେତନା ହୋଇ ସତୀ ସୀତାବାତାହତା ହେମଳତା ପ୍ରାୟେ ଭୂପତିତା ।ଦେଖି ହତବୁଦ୍ଧି ବୀର ସୁଧୀର ଲକ୍ଷ୍ମଣକରାଇଲେ ଭୂଲୁଣ୍ଠିତା ସୀତାଙ୍କୁ ଚେତନ ।ଚେତନା ପାଇଣ ସତୀ ବିଚଳିତା ଦୁଃଖେ,ଚାହିଁଲେ ସୁସ୍ଥିର ନେତ୍ରେ ଲକ୍ଷ୍ମଣଙ୍କ ମୁଖେ ।ହତବୁଦ୍ଧି ଚିତ୍ରାର୍ପିତ ପରାୟେ ଲକ୍ଷ୍ମଣଚାହିଁଲେ ଅବନୀତଳେ, ସଜଳନୟନ ।କ୍ଷଣ ପରେ ସୀତା ନେତ୍ରୁଁ ପ୍ରବଳବେଗରେବହିଲା ଲୋତକ, ଶ୍ୱାସ ଚଳିଲା ପ୍ରଖରେ ।କମ୍ପିଲା କୋମଳ ତନୁ, ବିହ୍ୱଳ ଲକ୍ଷ୍ଣଣହତବୁଦ୍ଧି ପ୍ରାୟ ଉଭା ନ ସ୍ଫୁରେ ବଚନ ।କିଛି କ୍ଷଣେ ଧୈର୍ଯ୍ୟେ ସୀତା ବୋଇଲେ ବଚନ,“କାହାକୁ ଦୋଷିବି, ଏ ମୋ ଲଲାଟ–ଲିଖନ ।ପିତା ମୋ ମିଥିଳାନାଥ ରାଜର୍ଷିଜନକ,ମୋ ଶ୍ୱଶୁର ଦଶରଥ ଅଯୋଧ୍ୟାନାୟକ,ନିଷ୍କଳଙ୍କ ସୂର୍ଯ୍ୟବଂଶେ ବଧୂତ୍ୱ ମୋହର,ପ୍ରତି ମୋ ଶ୍ରୀରାମଚନ୍ଦ୍ର ରାଜରାଜେଶ୍ୱର ।କଙ୍ଗାଳୁଣୀ ପ୍ରାୟେ ମୁହିଁ ବାଟଭିକାରୁଣୀ,ଜନପଦ–ଅଯୋଗ୍ୟା ମୁଁ ଅଶୁଦ୍ଧଚାରିଣୀ ।ରାଜସୁତା, ରାଜବଧୂ ନୃପତି ଘରଣୀ,କହ ମୋହୋ ସରି କିଏ ଜନମଦୁଃଖିନୀ ?ନାରୀଜନ୍ମ ଦେଇଅଛି ଧାତା ଆଜୀବନସହିବାକୁ ଦୁର୍ବିଷହ ଦାରୁଣ କଷଣ ।ଅବଶେଷେ ଘଟିବ ଯେ ଏ ଦଶା ମୋହର,କାହାକୁ ବିଧାତା ! ଏହା ଥିଲାଟି ଗୋଚର ?ବହୁକାଳେ ହେଲା ସ୍ୱାମୀ ସହିତେ ମିଳନ,ଭାଳିଲେ ଏଠାରୁ ହେଲା ମୋ ଦୁଃଖ–ମୋଚନ ।କିନ୍ତୁ ଶତଗୁଣେ ଦୁଃଖ ଲେଖିଛି ବିଧାତା,ସ୍ୱପନେ ତ ଜାଣି ନାହିଁ ଦାରୁଣ ବାରତା ।ଆହା ରେ ବିଧାତା ! ଏହା ଥିଲା ତୋହ ମନେ”କହିଣ ଧରଣୀତଳଗତା ବିଚେତନେ ।ବହୁଯତ୍ନେ ଦୀର୍ଘଶ୍ୱାସ ତେଜି ଶୋକଭରେକହନ୍ତି, “ଲକ୍ଷ୍ମଣ, କରିଥିଲି ଜନ୍ମାନ୍ତରେକେତେ ମହାପାତକ ମୁଁ, ନୋହିଲେ ବିଧାତାଏତେ ଦୁଃଖ ମୋ କପାଳେ ଲେଖି ନା ଥାଆନ୍ତି !ଅଥବା କି ଅପରାଧ ଅଛି ବିଧାତାର,ସମସ୍ତେ ଭୁଞ୍ଜନ୍ତି କର୍ମଫଳ ଆପଣାର ।ପୂର୍ବଜନ୍ମେ ମୁହିଁ କରିଥିଲି ମହାପାପ,ଭୋଗୁଅଛି ତାହା ଫଳେ ଏ ଘୋର ସନ୍ତାପ ।ପତିପ୍ରାଣା କାମିନୀକୁ କଲି ବିୟୋଜିତ ।ଜନାନ୍ତରେ, ଆଜି ତାର ହେଲା ପ୍ରାୟଶ୍ଚିତ୍ତ ।ନତୁବା ପ୍ରାଣେଣ ସ୍ନେହଦୟାପୂର୍ଣ୍ଣ ଚିତ୍ତ,ମୋତେ ପତିପ୍ରାଣା, ଶୁଦ୍ଧଚାରିଣୀ ବିଦିତ ।ତଥାପି ଏସନ କାଳେ ତେଜିଲେ ନିର୍ଦ୍ଦୋଷେଘଟିଲା ଏ ପୂର୍ବଜନ୍ମାର୍ଜିତ କର୍ମଦୋଷେ ।ବତ୍ସ ! ମୁଁ କାତର କେଭେଁ ନୁହେ ବନବାସେ,ଥିଲି ବହୁକାଳ ବନେ ସୁଖେ ତାଙ୍କ ପାଶେ ।ଯାବତ ଜୀବନ ପ୍ରାଣେଶ୍ୱର ସହବାସବନବାସେ ଥିଲେ ନ ଥାଆନ୍ତା ଦୁଃଖ ଲେଶ ।ଯେବେ ମୋତେ ପଚାରିବେ ମୁନିକନ୍ୟାଗଣ,‘କେଉଁ ଦୋଷେ ହେଲା ତୁମ୍ଭ ବନ–ନିର୍ବାସନ ?’କରୁଣାସାଗର ରାମ ଜାଣନ୍ତି ସମସ୍ତେ,କହିଲେ ପ୍ରକୃତ ହେତୁ ନ ଯିବେ ପରତେ ।‘ବୋଲିବେ ଅବଶ୍ୟ ଗୁରୁ ପାପ କଲେ ସୀତା,ବିଜନ ବନରେ ତେଣୁ ହେଲେ ନିର୍ବାସିତା ।ବତ୍ସ ! କି କହିବି ରାମ–ସତ୍ତ୍ୱ ଏ ଉଦରେନ ଥିଲେ, ପ୍ରବେଶି ଏହି ଜାହ୍ନବୀଜଳରେ,ଏହି ମୁହୂର୍ତ୍ତରେ ତେଜି ଏ ଦଗ୍ଧ ପରାଣଏ ଦୁଃସହ ଲଜ୍ଜା ଦୁଃଖ କରନ୍ତି ନିର୍ବାଣ ।ଆଉ ଏ ଜୀବନେ ମୋର କିବା ପ୍ରୟୋଜନ,ଉଚିତ କି ଏ ଦଶାରେ ରଖିବା ଜୀବନ ?ଆଶ୍ଚର୍ଯ୍ୟ ପ୍ରାଣେଶ କଲେ ମୋତେ ପରିତ୍ୟକ୍ତି,ଶୁଣି ଏହା ପ୍ରାଣ ମୋର ନ ହେଲା ନିର୍ଗତ ।ଏପରି କଠିନ ପ୍ରାଣ ଆଉ କାହିଁ ନାହିଁ ;ନତୁବା ଏକ୍ଷଣି ଉଡ଼ି ନ ଯାଏ କିପାଇଁ ।ସୁଚିରଦୁଃଖିନୀ ଅବା କରିବା କାରଣସଂକଳ୍ପ କରିଣ ଧାତା ଦେଲେ ମୋ ଜୀବନ ।ସଂକଳ୍ପ ବିଫଳ ହେବ ହେଲେ ମୋ ମରଣ,ଏଥିପାଇଁ ଲକ୍ଷ୍ମଣ ହେ ନ ଯାଏ ଜୀବନ ।”ଏସନ ଆକ୍ଷେପି ସୀତା ବିଳାପି ବିକଳେ“ଆହା ରାମଚନ୍ଦ୍ର !” ବୋଲି ପଡ଼ିଲେ ଭୂତଳେ ।ଦେଖି ଶୁଣି ସୀତା ଦୁଃଖ ଲକ୍ଷ୍ମଣ ସୁଧୀରନିତାନ୍ତ କାତର ଦୁଃଖେ ହେଲେ ସେ ଅଧୀର ।ଦୁଃଖଶୋକେ ଅଭିଭୂତ ଏକାନ୍ତ ଲକ୍ଷ୍ମଣ,ଅବିରଳଧାରେ ଅଶ୍ରୁ କଲେ ବିସର୍ଜ୍ଜନ ।“ପ୍ରକୃତିରଞ୍ଜନ ଆଶେ ଦାରୁଣ ନୃପତିନିର୍ଦ୍ଦୋଷେ ତେଜିଲେ ଆହା ବନେ ସୀତା ସତୀକେତେ କଷ୍ଟ ସହିଥିଲେ ସୁକୁମାରୀ ବନେ,ରାବଣ ବନ୍ଦିନୀ କଲା ଅଶୋକକାନନେ ।ଦୁର୍ବିଷହ ଦୁଃଖ ସହି ଲଙ୍କାର ସଂଗ୍ରାମଯୁଝିଲୁଁ କି ଏଥିପାଇଁ, ହା ନୃଶଂସ ରାମ ।”ଏସନେ ଆକ୍ଷେପି ବହୁ ସୁଶୀଳ ଲକ୍ଷ୍ମଣଜାହ୍ନବୀ–ଜୀବନେ କଲେ ସୀତାଙ୍କୁ ଚେତନ ।ସଚେତନା ମହାସତୀ କହନ୍ତି ବଚନ,“ଅଯୋଧ୍ୟାକୁ ଫେରିଯାଅ ସୁଧୀର ଲକ୍ଷ୍ମଣ ।ହୋଇଥିବେ ରାମଚନ୍ଦ୍ର ମୋ ତ୍ୟାଗେ ଉନ୍ମନା,ବାହୁଡ଼ି ଲକ୍ଷ୍ମଣ ତାଙ୍କୁ ଦେବ ପ୍ରବୋଧନା ।ଏକାକୀ ରହିଲେ ହେବେ ଶ୍ରୀରାମ କାତର,ସର୍ବଦା ସୌମିତ୍ରି ଥିବ ତାଙ୍କ ସଙ୍ଗତର ।ନିଜ ଦୁଃଖେ ଯେତେ ନୁହେଁ ଆକୁଳ ମୋ ଚିତ୍ତ,ମୋ ବିରହେ ଶ୍ରୀରାମଙ୍କ ଦୁଃଖେ ମୁଁ ଚିନ୍ତିତ ।ଭାର୍ଯ୍ୟାପଣୁଁ ଦାସୀ ସିନା ହେଲା ବହିର୍ଭୂତ,ପ୍ରଜାପଣୁଁ ନ କରିବେ ହୃଦରାଜ୍ୟୁଁ ଚ୍ୟୁତ ।ସସାଗରା ଘରଣୀରେ ରାମଚନ୍ଦ୍ର ରାଜା,ଯେଉଁଠାରେ ଥାଏଁ ମୁହିଁ ତାଙ୍କରି ପରଜା ।ତାଙ୍କରି ରାଜ୍ୟରେ ପାଳି ତାଙ୍କରି ସନ୍ତାନେବଞ୍ଚିବି ଗହନବନେ ତାଙ୍କ ପଦ ଧ୍ୟାନେ ।ହେଲେହେଁ ତାଙ୍କ ବିଚ୍ଛେଦେ ଦୁର୍ବିଷହ ଦୁଃଖ,ତାଙ୍କ ଶୁଭ ସମ୍ବାଦରେ ପାଇବି ମୁଁ ସୁଖ ।ସ୍ନେହଶୀଳା ଊର୍ମିଳାଦି ମୋ ପ୍ରାଣ ଭଗିନୀମୋହ ପାଇଁ ହେବେ ନିଶ୍ଚେ ହୃଦୟେ ଦୁଃଖିନୀ ।ନ ଦେଇ ଅଘାତ ତାଙ୍କ କୋମଳହୃଦୟେ,ରଖିବ ମୋ ଭଗିନୀଙ୍କୁ ସସ୍ନେହେ ସଦୟେମୁହିଁ ତ ଚିରଦୁଃଖିନୀ, ଭଗିନୀଙ୍କ ସୁଖ—ବାରତା ଶୁଣିଣ କିଛି ଘୁଞ୍ଚିବ ମୋ ଦୁଃଖ ।କୌଶଲ୍ୟା ସୁମିତ୍ରା ଆଦି ପୂଜ୍ୟ ଗୁରୁଜନ,ନିବେଦିତ ମୋ ପ୍ରଣତି ତାଙ୍କ ଶ୍ରୀଚରଣ ।କହିବ ମୋ ଲାଗି ଆଉ ଦୁଃଖ ନ କରିବେ,ସ୍ମୃତି–ପଟୁଁ ସୀତା ନାମ ପୋଛି ପକାଇବେ ।”ଶୋକେ ଉଚ୍ଛଳିତ ପ୍ରାଣ ଶୁଣି ସତୀବାଣୀ,ପ୍ରଣମି ଲକ୍ଷ୍ମଣ ଦୁଃଖେ ଘେନିଲେ ମେଲାଣି,ବଦ୍ଧକରପୁଟେ ବୀର ବିକଳ ବଚନେ,“ହେ ସତି, କରିବ କ୍ଷମା ପାଷାଣ୍ଡଲକ୍ଷ୍ମଣେ ।”ଶୁଣିଣ କହନ୍ତି ସୀତା, “ନାହିଁ ତବ ଦୋଷ,କିପାଇଁ ବହିବି ତୁମ୍ଭଠାରେ ବୃଥା ରୋଷ ?ଅଗ୍ରଜଙ୍କ ଆଜ୍ଞାବହ ସୁଶୀଳ ସୁଧୀରଲେଶମାତ୍ର ଦୋଷ ତବ ନାହିଁ ଏଥି ବୀର ।ଜନ୍ମେ ଜନ୍ମେ ତୁମ୍ଭ ପରି ସୁଶୀଳ ଦେବରମିଳୁ ମୋତେ, ଏ ମିନତି ପ୍ରଭୁଙ୍କ ପୟର ।”ଏକାନ୍ତେ ଶ୍ରୀରାମଗତପ୍ରାଣା ତାଙ୍କୁ ଜାଣିକାନ୍ଦନ୍ତି ଲକ୍ଷ୍ମଣ ଶୁଣି ବୈଦେହୀଙ୍କ ବାଣୀ ।ବୋଇଲେ, “ଚେ ବଜ୍ରହୃଦ ! ହୁଅ ତୁ ବିଦୀର୍ଣ୍ଣ,ଏହିକ୍ଷଣି ତ୍ୟଜ ପ୍ରାଣ ନୃଶଂସ ଲକ୍ଷ୍ମଣ ।”କହନ୍ତି ବୈଦେହୀ, “ବତ୍ସ, ନ କର ରୋଦନ,ଭୁଞ୍ଜିବି ଅବଶ୍ୟ ମୁହିଁ କପାଳଲେଖନ ।”ରୋରୁଦ୍ୟମାନା ସୀତାଙ୍କୁ ତେଜିଣ କାନନେଭାଗୀରଥୀ ପାର ହୋଇ ସଜଳନୟନେଅନାଇ ପଛକୁ ଥରେ ଶୋକାର୍ତ୍ତ ଲକ୍ଷ୍ମଣରଥେ ଚଢ଼ି ଅଯୋଧ୍ୟାକୁ କଲେ ସେ ଗମନ ।
ଷଷ୍ଠ ସର୍ଗ
ଶ୍ରୀରାମଙ୍କ ଅନୁଶୋଚନାଶୁଣି ସଉମିତ୍ରି–ମୁଖୁଁ “ସୁକୁମାରୀ ସୀତାନିର୍ବାସନ ଦଣ୍ଡେ ଆହା ଦାରୁଣ ବ୍ୟଥିତା !”“ଆହା ସୀତେ ।” ବୋଲି ହସ୍ତ ରଖି ଶିରତଳେଆକ୍ଷେପି କହନ୍ତି ବାଣୀ ଶ୍ରୀରାମ ବିକଳେ ।“ବିଦେହନରେଶ ଜ୍ଞାନୀ ଜନକ ରାଜଷମୁନିଜନପୂଜ୍ୟ ବିଶ୍ୱଚୂଢ଼ତତ୍ତ୍ୱଦର୍ଶୀ ।କିପାଇଁ ଏ ମୂର୍ଖ ରାମେ କଲେ କନ୍ୟାଦାନ,ତୁଳସୀଲତାକୁ କଲେ ଭୁଜଙ୍ଗେ ପ୍ରଦାନ ।ରାଜସୁତା, ରାଜବଧୁ, ରୂପଗୁଣବତୀ,କେତେ କ୍ଳେଶ ସହିଲି ଗୋ ସୁକୁମାରି ସତି !କନକଲତିକାସମ ସୁକୁମାର ଅଙ୍ଗକିପାଇଁ ବିଧାତା କଲା ଏ ଭୁଜଙ୍ଗ ସଙ୍ଗ ?ତେଜି ଗୃହ–ସୁଖ ପୁଣି ଆତ୍ମୀୟ ସ୍ୱଜନସଙ୍ଗେ ମୋର ଗମିଥିଲ ଗହନ କାନନ ।ଅଶେଷ କଷଣ ସହି ଜନକତନୁଜା,ସେ ଗହନବନେ ମୋର କଲ ପାଦପୂଜା ।ପାପିଷ୍ଠ ରାବଣ ଯେବେ ଏକାକିନୀ ଗୋରି,ପଞ୍ଚବଟୀ ବନୁଁ କରି ଘେନିଗଲା ଚୋରି ।ସୁବର୍ଣ୍ଣ ଲଙ୍କାର ରାଜା ବଳିଷ୍ଠ ରାବଣରାଣୀ କରିବାକୁ ଦେଖାଇଲା ପ୍ରଲୋଭନ ।ସେ କଥାକୁ ମହାସତି, ବିଷ ମନେକରିରାତ୍ରି ଦିନ ଯାପିଥିଲା ରାମନାମ ଧର ।ବନବାସୀ ଭିକାରୀ ଯେ ଅଭାଗା ଶ୍ରୀରାମ,କିପାଇଁ ଜପିଲ ଦେବି, ଦୁଃଖି–ରାମ–ନାମ ?ଚାହିଁଲ ରାବଣ–ନାଶ ମୋ ସଙ୍ଗେ ମିଳନ,ବାରିଦେ ଚାତକ ପକ୍ଷୀ ଚାହିଁଥା ଯେସନ,ବନ୍ଦିନୀ କରାଇ ଘୋର ଅଶୋକକାନନଦାରୁଣ ଯାତନା ଦେଲା ପାତକୀ ରାବଣ ।ଦୀର୍ଘ କାରାବାସେ ଦୁଃଖ ନ ହେଲା ନିଃଶେଷ,କଳଙ୍କ ଭୟରେ ଦେଲି ବର୍ଜନ–ଆଦେଶ ।ଦୁଃସହ ଯାତନା ଭୋଗିଥିଲ କାରାବାସେ,ତେଜିଲ ଜୀବନ–ଆଶା ପ୍ରତ୍ୟାଖାନାଦେଶେ ।ଢଳ ଢଳ ନେତ୍ରେ ସତି, ଚାହିଁଲ ମୋ ମୁଖ,ସେ ନେତ୍ର ସୁଚିଲା ହୃଦେ ଦୁର୍ବିଷହ ଦୁଃଖ ।ବିଭୀଷଣ ସ୍ୱଗ୍ରୀବ ଯେ ବହୁ ସେନାପତିଲକ୍ଷ ଲକ୍ଷ ଲୋକେ ଲଙ୍କା ଲୋକାରଣ୍ୟ ଅତି ।ସମସ୍ତଙ୍କ ଆଗେ ପ୍ରିୟେ ଦୁଃଖଲଜ୍ଜାଭରେପ୍ରବେଶଲ ପ୍ରଜ୍ଜ୍ୱଳିତପାବକଭିତରେ ।ଧନ୍ୟ ଧନ୍ୟ ସତି, ପତିପ୍ରାଣା, ପତିବ୍ରତା,କେମନ୍ତେ ମୁଁ ପାଶୋରିବି ତବ ଗୁଣ କଥା ?ରାବଣ ଅଶୋକବନେ ବନ୍ଦିନୀ କରାଇଶତ ଶତ ଦାସୀ ତଥି ଥିଲାକ ଜଗାଇ ।ନିଷ୍ଠୁର ଶ୍ରୀରାମ ନେଇ ଗହନ କାନ୍ତାରେସମର୍ପଣ କଲା ସୀତା ହିଂସ୍ରଜନ୍ତୁଠାରେ ।ବୈଦେହି ! ବିବାହ କଲ ଯାହା ହସ୍ତ ଧରିରକ୍ଷଠାରୁ ସେ ତୁମ୍ଭର ଘୋରତର ଅରି ।ପଞ୍ଚମାସ ଅନ୍ତଃସତ୍ୱା ହେଲ ଯେବେ ସଖି,ଇଚ୍ଛା ଅନୁସାରେ ଥାନ୍ତ ନାନା ସାଧ ଭକ୍ଷି ।ନିର୍ବୋଧଜନଙ୍କ ନିନ୍ଦା ଶୁଣି ସତୀ ସୀତାବିନାଦୋଷେ କଲି ଘୋରବନେ ନିର୍ବାସିତା ।ଭରତ ଶତ୍ରୁଘ୍ନ ପୁଣି ସୁବୁଦ୍ଧି ଲକ୍ଷ୍ମଣପାପ ଅନୁଷ୍ଠାନୁଁ କେତେ କଲେ ନିବାରଣ ।ନୃଶଂସ ରାକ୍ଷସ ପରି କହିଲି ଲକ୍ଷ୍ମଣେ,‘ସୀତାଙ୍କୁ ନିର୍ବାସି ଆସ ଗହନ କାନନେ ।’ସୁଧୀର ଲକ୍ଷ୍ମଣ ନେଇ ଭାଗୀରଥୀପାରେବିସର୍ଜି ଆସିଲେ ଦୁଃଖେ ଗହନ କାନ୍ତାରେ ।ତବ ବିନା ପ୍ରାଣେଶ୍ୱରି, ନିଦାରୁଣ କ୍ଳେଶବିଦୀର୍ଣ୍ଣ କରୁଛି ଏବେ ଏ ହୃଦୟଦେଶ ।କାହିଁ ନେଇ ସୀତା ତେଜି ଆସିଲ ଲକ୍ଷ୍ମଣ,ଏ ଜୀବନେ ଆଉ ସତେ ପାଇବି ଦର୍ଶନ ?ଭାଇ ହେ ଲକ୍ଷ୍ମଣ, କାହିଁ ଛନ୍ତି ସୀତା ସତୀ,ନ ଦେଖି ତାହାଙ୍କୁ ସ୍ଥିର ହେଉ ନାହିଁ ମତି ।କେଉଁ ଘୋରବନେ କଲ ତାହାଙ୍କୁ ବର୍ଜ୍ଜନ,କେମନ୍ତେ ବଳିଲା ମନ ତୁମ୍ଭର ଲକ୍ଷ୍ମଣ ?ପାପିଷ୍ଠ ରାକ୍ଷସ ପରି ମୁହିଁ ସିନା ଭାଇ,ଦୟା କ୍ଷମା ମୋହଠାରେ ତିଳେ ସୁଦ୍ଧା ନାହିଁ ।ସୁବୁଦ୍ଧି ସୁଶୀଳ ତୁମ୍ଭେ ସଦା ତ ଲକ୍ଷ୍ମଣ,ଘୋରବନେ କଲ ସୀତା କିପରି ବର୍ଜ୍ଜନ ?ଅଥବା ମୋ ଆଜ୍ଞାବହ ସୁଧୀରପ୍ରବର,କି ଦୋଷ ଏଥିରେ ଅଛି ବୀର ହେ ତୁମ୍ଭର ?ନୟନପ୍ରତିମା ମୋର ରହିଛନ୍ତି ଯହିଁଛାଡ଼ି ଆସ ଲକ୍ଷ୍ମଣ ହେ ମୋତେ ନେଇ ତହିଁ ।ଅଯୋଧ୍ୟାର ସିଂହାସନେ ବସ ହେ ଭରତ,ବନେ ଯାଇ ଆଚରେ ମୁଁ ବାନପ୍ରସ୍ଥ–ବ୍ରତ ।କର ଏହିକ୍ଷଣି ଅଭିଷେକ–ଆୟୋଜନ,ମନ୍ତ୍ରିପଣ କର ତୁମ୍ଭେ ବିଧିଜ୍ଞ ଲକ୍ଷ୍ମଣ,କରିଲେ କରନ୍ତୁ ନିନ୍ଦା ରାଜ୍ୟପ୍ରଜାଗଣ,ସୀତା ବିନୁ ନ ରହିବ ଏ ମୋର ଜୀବନ ।ଆହା ସୁକମାରୀ ହୋଇଥିବେ ତ ମୂର୍ଚ୍ଛିତା,ବନ୍ୟପଶୁଗଣେ ହୋଇଥିବେ ବା ଭକ୍ଷିତା ।”‘ଆହା ସୀତେ !’ ବୋଲି ଝାମ ଗଲେ ବହୁକ୍ଷଣ,ବ୍ୟଜନେ ସଚେତ କଲେ ଭାଇ ତିନିଜଣ ।ଝରେ ଅଶ୍ରୁ ସୌମିତ୍ରିଙ୍କ, ବାକ୍ୟ ନାହିଁ ମୁଖେ,ବୋଧନ୍ତି ଭରତ ଭ୍ରାତେ ଦୁଃଖୀ ହୋଇ ଦୁଃଖେ ।କହନ୍ତି, “ଶ୍ରୀଛାମୁ ତୁଲ୍ୟ ପ୍ରକୃତି–ରଞ୍ଜନନାହିଁ, ନ ଥିଲା, ନୋହିବ ନିଖିଳ ଭୁବନ ।ଏ ବୟସେ ବନେ ଯିବା ନୁହେଁ କୁଳରୀତି,ନିଷ୍କଳଙ୍କ ଭାନୁବଂଶେ ରଟିବ ଅକୀର୍ତ୍ତି ।ତୃତୀୟ ଆଶ୍ରମେ ବନେ ଯିବେ ତ ଆପଣ,କାନନେ ସତୀଙ୍କ ସଙ୍ଗେ ହେବ ସମ୍ମିଳନ ।ଋଷିଜନେ ଦେଖି ସୀତା ନେଇ ତପୋବନେରଖିବେ ଆଶ୍ରମେ ତାଙ୍କୁ ଆଦରେ ଯତନେ ।ବହ୍ନିସମା ମହାସାଧ୍ୱୀ ହିଂସ୍ରଜନ୍ତୁଗଣଦେଖିଣ କରିବେ ପାଶୁଁ ନିଶ୍ଚେ ପଳାୟନ ।ଜନକ ତନୁଜା ପୁଣ୍ୟବଳେ ଶକ୍ତିମତୀ,କଦାପି ବିପଦେ ନ ପଡ଼ିବେ ମହାସତୀ ।”
ସପ୍ତମ ସର୍ଗ
ବନବାସରଥ ଯହୁଁ ନେତ୍ରପଥୁଁ ହେଲା ଅନ୍ତର୍ହିତ,ବାତାହତା ଲତା ପ୍ରାୟ ବୈଦେହୀ ମୂର୍ଚ୍ଛିତ ।କେତେକ୍ଷଣେ ସଜ୍ଞା ଲଭି ତଳୁ ଉଠି ବସି,କାନ୍ଦିଲେ କୁରରୀ ପରି ଶ୍ରୀରାମ–ପ୍ରେୟସୀ ।ଶିରେ କର ମାରି ଉଚ୍ଚେ ବିଳପୁଁ ବିକଳେଚାହିଁଲେ ଏଣୀଏ ତେଜି ସ୍ୱ–ତୃଣକବଳେ ।“ହା ନାଥ ! କା ମୁଖ ଚାହିଁ ଯାପିବି ଜୀବନ ?”ବୋଲି ବଇଦେହୀ ପୁଣି ହେଲେ ବିଚେତନ ।କେତେକ୍ଷଣେ ଉଠି ପୁଣି ବିଦେହ–ଦୁଲଣୀବିକଳେ କାନ୍ଦନ୍ତି ବନେ ଶ୍ରୀରାମଘରଣୀ,‘ରାଜରାଣୀ ହୋଇଣ ମୁଁ କଲି ବନବାସ,ବନେ ବନେ ବୁଲିଲି ମୁଁ ଚଉଦ ବରଷ ।ହରିନେଇ ବନ୍ଦିକଲା ପାପିଷ୍ଠ ରାବଣ,କଲା ଶୁଭ୍ର ସୂର୍ଯ୍ୟବଂଶେ କଳଙ୍କ ଲେପନ ।ସୁଦୀର୍ଘ ବିଚ୍ଛେଦ ଅନ୍ତେ ସ୍ୱାମି–ସମ୍ମିଳନ,ଅସମୟେ ହେଲା ପୁଣି ତାହା ତ ଖଣ୍ଡନ ।ଦୁଃଖ ଭୁଞ୍ଜିବାକୁ ମୁହିଁ ପାଇଛି ଜୀବନେ,ଆହା ରେ ଦଇବ ଏହା ଥିଲା ତୋର ମନେ !କେମନ୍ତେ ବୁଡ଼ିବ ବେଳ ସରିବ ମୋ ଦିନ,ନୀର ବିନା କେମନ୍ତେ ହା ବଞ୍ଚିବ ଏ ମୀନ ।ଅନ୍ତର୍ଯ୍ୟାମୀ ପ୍ରଭୁ ତୁମ୍ଭେ କରୁଣହୃଦୟ,କେମନ୍ତେ କଲ ଏ କାର୍ଯ୍ୟ ପ୍ରଭୁ ଦୟାମୟ !ଶ୍ରୀକରେ ଅଭାଗୀ–ପ୍ରାଣ ଘେନିଥାନ୍ତି ଯେବେ,ଭାଗ୍ୟବତୀ ବୋଲି ମୋତେ ମଣିଥାନ୍ତି ତେବେ ।କେତେକାଳ ବହିବି ମୁଁ ଏ ଜୀବନଭାର,ତୁମ୍ଭ ବିନା ଯାହା ପ୍ରଭୁ ବିଫଳ ଅସାର ।ଚିରକାଳ ପ୍ରାଣେଶ୍ୱର ତେଜିଲ କି ସତେ,କହ ତୁମ୍ଭ ବିନା ଦିନ ବଞ୍ଚିବି କେମନ୍ତ ?ସରୋଜିନୀ ବଞ୍ଚଇ କି ମୃଣାଳବିଚ୍ଛିନ୍ନ,ବଞ୍ଚଇ କି ପ୍ରଭୁ ମୀନ ହୋଇ ନୀର ହୀନ ?ସୌଦାମିନୀ ପାରଇ କି ରହି ଘନ ବିନା,ବର୍ତ୍ତଇ କି ଛାୟା କେବେ ହୋଇ କାୟାହୀନା ?କେମନ୍ତେ କହ ହେ ନାଥ, ଶ୍ରୀପଦନଳିନ—ଦର୍ଶନ–ବଞ୍ଚିତା ସୀତା ବଞ୍ଚିବ ତା ଦିନ ?ଅଳପ କାଳରେ ପ୍ରଭୁ ତବ ଶ୍ରୀଚରଣଲାଗିଲାଣି ମୋତେ ଯେହ୍ନେ ଅସ୍ପଷ୍ଟ ସ୍ୱପନ,ଏ ଦୀର୍ଘ ଜୀବନପଥ ହୋଇ ଏକାକିନୀଚାଲିବ ସହାୟହୀନା କେହ୍ନେ ଅଭାଗିନୀ,କେଉଁ ପ୍ରାଣେ ଲକ୍ଷ୍ମଣ ହେ ନେଇଗଲ ରଥ,କେଉଁ ଆଡ଼େ ଯିବି ଆହା ନ ଜାଣଇଁ ପଥ ।ଆଶ୍ରତର ବଜ୍ରସେହ୍ନା ଶରଣପଞ୍ଜର,ଏକାନ୍ତ ଅଧୀନା ଏହି ଦାସୀର ତୁମ୍ଭରକିଏ ଏ ଗହନ ବନେ ହେବଟି ଆଶ୍ରୟ ?”ବୋଲନ୍ତେ ବିଦୀର୍ଣ୍ଣ ଶୋକେ କାନନହୃଦୟ !ଏ ସମୟେ ଆଦିକବି ବାଲ୍ମୀକି ମହଷଦେଖିଲେ କାନ୍ଦନ୍ତି ବନେ ଶ୍ରୀରାମପ୍ରେୟସୀ ।ପ୍ରଣମିଲେ ଋଷିପଦେ ହୋଇ ସୀତା ତୁନି,ପ୍ରବୋଧି ଆଶ୍ରମପଦେ ଘେନିଗଲେ ମୁନି ।ତାପସ–କୁମାରୀଚୟ ସଜଳନୟନଅଞ୍ଚଳେ ପୋଛିଲେ, ବୋଲି ପ୍ରବୋଧବଚନ ।ଯାପିଲେ ସନ୍ତାପେ ଦିନ ଶ୍ରୀରାମପ୍ରେୟସୀ,କ୍ଷୀଣ ଦିନୁଦିନ ଯେହ୍ନେ କୃଷ୍ଣପକ୍ଷ–ଶଶୀ ।କାଳକ୍ରମେ ଜାତ ହେଲେ ଯାମଳ ତନୟ,ହର୍ଷେନିମଜ୍ଜତ ହେଲା ସଖୀଙ୍କ ହୃଦୟ ।ପୁତ୍ରମୁଖ ଚାହୁ ସୀତା ବିଷାଦିତା ଅତି,ଅବିରଳ ନେତ୍ରୁ ଧାରା ବରଷିଲେ ସତୀ ।ଭାଳିଲେ, ଏ ସୁସଂବାଦେ ଅଯୋଧ୍ୟାଗଗନଉତ୍ସବ–ବାଦିତ୍ରେ କମ୍ପୁଥାନ୍ତା ଘନଘନ ।ଶୁକ୍ଳପକ୍ଷ ଶଶିପ୍ରାୟେ ବଢ଼ିଲେ ନନ୍ଦନ,ସ୍ପର୍ଶସୁଖେ ନିମାଳିତ ଜାନକୀନୟନ ।ଶୁଣି ପୁତ୍ରଙ୍କର ଦରୋଟିଆ ‘ମା ମା’ ସ୍ୱନ,କୋଳେ ଧରି ମୁଖେ ସୀତା ଦିଅନ୍ତି ଚୁମ୍ବନ ।ଭାଳନ୍ତି, “ମୋ କର୍ମଦୋଷେ ଅଭାଗା କୁମରେ,ନୋହିଲେ ଥାଆନ୍ତେ ବସି ନରେଶ ଅଙ୍କରେ ।ନିଜ ପୁତ୍ରେ ପ୍ରାଣେଶଙ୍କ କୋଳେ ଦେବା ସୁଖହରିଛି ଦାରୁଣ ବିଧି ହୋଇଣ ବିମୁଖ ।”ଯେତେ ଦିନ ନିଃସହାୟ ଥିଲେ ଦୁଇ ବାଳ,ସେମାନଙ୍କ ଲାଳନରେ ଗଲା ବହି କାଳ ।କାଳକ୍ରମେ ଜନନୀଙ୍କ ସତର୍କ ପାଳନନୋହିଲା ଶିଶୁଙ୍କ ଆଉ ତେତେ ପ୍ରୟୋଜନ ।ସେତେବେଳେ ହେଲେ ସୀତା କର୍ମଶୂନ୍ୟହସ୍ତା,ବିଶେଷେ ଶ୍ରୀରାମେ ଝୁରି ହେଲେ ଶୋକଗ୍ରସ୍ତା ।ଦିନ କାଟୁଥିଲେ ଋଷିକୁମାରୀସଙ୍ଗରେବିଚ୍ଛେଦ–ବିଧୁରା ସୀତା ଦୁଃସହଦୁଃଖରେ ।ରାମ ସହ ଘୋର ବନେ ପତିବ୍ରତା ସୀତାକେତେ ସୁଖେ କାଳ କାଟୁଥିଲେ ବିନୋଦିତା ।ସଖୀ–ପରିବୃତା ଭୟଶୂନ୍ୟ ତପୋବନ,ନ ପାରେ କିପାଇଁ ମୋହି ମୈଥିଳୀଙ୍କ ମନ ।ଧନ୍ୟରେ ପ୍ରଣୟ ଧନ୍ୟ ସଂସାରେ ସୁସାର,ଅମୃତ–ନିଦାନ ପୁଣି ବିଷର ଆଧାର !ଦିବସେ ତପସ୍ୟା କରି ଜନକତନୁଜା,ମନାସି ଶ୍ରୀରାମ ଶୁଭ କଲେ ଦେବ–ପୂଜା ।ବାଲ୍ମୀକି–ରଚିତ ମଧୁ ରାମାୟଣ–ଗୀତଗାଇ ଲବକୁଶ ମୋହୁଥିଲେ ମାତା–ଚିତ୍ତ ।ରାମ ସୀତା ଗୁଣରାଶି ପ୍ରଶଂସି ନନ୍ଦନେଅପାର ଆନନ୍ଦ ଦେଉଥିଲେ ମାତା–ମନେ ।ନିଜ ପରିଚୟ ଦେବାପାଇଁ ଜାନକୀଙ୍କିମନା କରିଥିଲେ ବେଳୁଁ ଋଷି ବାଲମୀକି ।ରାତ୍ରି ଆସୁଁ କାଳ ଆସେ ପତିପ୍ରାଣା ସୀତାଦୁଃସହ ବିଷାଦେ ହେଉଥିଲେ ବିଚଳିତା ।ଘନ ବର୍ଷାଋତୁ, ସାନ୍ଦ୍ର ତରୁ ଗିରି ବନ,ତୁହାଇ ତୁହାଇ ବାରି ବରଷଇ ଘନ ।ପଡ଼େ ପଲ୍ଲବରେ ନୀର ଝର ଝର ସ୍ୱନେ,ଆନ୍ଦୋଳିତ ତରୁଲତା ଚଞ୍ଚଳ ପବନେ ।ନିବିଡ଼ ନିଶୀଥେ ସର୍ବେ ଘୋର ନିଦ୍ରାଗତ,ଏକାକିନୀ ରାମନାରୀ ଥାଆନ୍ତି ଜାଗ୍ରତ ।ଦର ଦର ଧାରେ ସତୀ ନୟନରୁ ନୀରବହୁଥିଲା ଅବିଶ୍ରାନ୍ତଭାବେ ଦୁର୍ନିବାର ।ଶୈଶବ–ନିଳୟ, ପୁଣି ଅଯୋଧ୍ୟ–ଜୀବନ,ବନବାସ–କାଳ ସଙ୍ଗେ ରାବଣହରଣ,ଶ୍ରୀରାମ ମଧୁର ମୂର୍ତ୍ତି ପ୍ରଣୟବଚନବିକଳେ ବିଳାପି ସତୀ କରନ୍ତି ସ୍ମରଣ ।ଶାରଦଚନ୍ଦ୍ରିକା ଦେଖି ବିରହିଣୀ ସୀତାଅଯୋଧ୍ୟା ପ୍ରାସାଦ–କ୍ରୀଡ଼ା ସ୍ମରି ବିଷାଦିତା ।ବାତ–ଆନ୍ଦୋଳିତ କାଶଫୁଲ ଦରଶନେଅଯୋଧ୍ୟା–ଶ୍ୱେତଚାମର ପଡ଼େ ରାଣୀମନେ ।ଚକ୍ରବାକ–ପ୍ରେୟସୀର କରୁଣ ନିଃସ୍ୱନଶୁଣି ସୀତା କରୁଥାନ୍ତି ତାକୁ ସମ୍ବୋଧନ ।“ଯାମିନୀ ପାହିଲେ ହେବ ପ୍ରଣୟିମିଳନୁ,ତେବେହେଁ ବିହଙ୍ଗି, ଏତେ କରୁ ଲୋ ରୋଦନ ।ଆମରଣ କାଳ ହୋଇ ପତି–ବିରହିତା,ନିଷ୍ଠୁର ପରାଣେ ମୁହିଁ ରହିଛି ଜୀବିତା ।”ଶିଶିର–ନିଶାରେ ପିନ୍ଧି ବଳକ୍ଳ–ବସନଶ୍ରୀରାମଙ୍କ ଅଙ୍କ ସତୀ କରନ୍ତି ସ୍ମରଣ ।ନବୀନ ବସନ୍ତେ ରାବେ “କୁହୁ କୁହୁ” ପିକସେ ସ୍ୱନ ଶ୍ରବଣେ ହୁଏ ବିଷାଦ ଅଧିକ ।ମଳୟ ବହନ୍ତେ ତରୁ ଲତା ପଲ୍ଲବିତ,କୋଟିଗୁଣେ ସୀତା–ଶୋକ ହୁଏ ଉଚ୍ଛଳିତ ।ଭାଳନ୍ତି କରନ୍ତେ ଏ ବସନ୍ତ ଆଗମନକମନୀୟ କିଶଳୟ–କୁସୁମେ କାନନ ।ମୋ ପ୍ରାଣେ ବସନ୍ତି ବାୟୁ ନ ରହିବି ଆଉ,ସୃଷ୍ଟିଛଡ଼ା ମୋହଠାରେ ଦୁର୍ଭାଗ୍ୟର ଦାଉ !ଚଞ୍ଚଳ ବାରିଦମାଳା ବିଧୁକୁ ଅନାଇନିଦାଘକାଳର ନିଶା ଯାଉଥାଏ ପାହି ।ଭାଳନ୍ତି ଗଗନେ ଚାହିଁ ଶ୍ରୀରାମବନିତା —“ଦୁଃଖ ସୁଖେ ସିନା ସୃଷ୍ଟି ରହିଛି ପୂରିତା ।ନୀରଦପଟଳ କ୍ଷଣେ ଚନ୍ଦ୍ରେ ଆବରନ୍ତି,ମୁକ୍ତ କରି ପରକ୍ଷଣେ ଦିଗନ୍ତେ ଗମନ୍ତି ।ସୁଖ ପରେ ଦୁଃଖ ପୁଣି ଦୁଃଖ ପରେ ସୁଖ,ମୁହିଁ ଏକାକିନୀ ଭୁଞ୍ଜିବଇଁ ଚିରଦୁଃଖ ।ମୋ ଦୁଃଖ–ମେଘର ଆଉ ନୋହିବ ମୋଚନ,ମୋ ସୁଖଚନ୍ଦ୍ରମା ଚିରକାଳ ମେଘାଚ୍ଛନ୍ନ ।ଦିନ ସରୁ ନାହିଁ ମୋର ବେଳ ବୁଡ଼ୁ ନାହିଁ !ଆହା ମୋର ପ୍ରାଣେଶ୍ୱର ରହିଛନ୍ତି କାହିଁ ।ଦଗ୍ଧନେତ୍ରେ ଦେଖନ୍ତି ମୁଁ ବାରେ ଶ୍ରୀଚରଣ,ଲାଗୁଅଛି ମୋତେ ଯାହା ଅପୂର୍ବ ସ୍ୱପନ ।ଜାଣିଥାନ୍ତ ଯେବେ ସ୍ୱାମି, ଦାସୀର ଏ ମନ,ପର କଥାରେ କି ମୋତେ କରନ୍ତି ବର୍ଜ୍ଜନ ?ପ୍ରତିବିନ୍ଦୁ ରକ୍ତେ ମୋର ତୁମ୍ଭରି ପ୍ରଣୟ,କେମନ୍ତେ ଦାସୀଙ୍କ ପାସୋରିଲ ଦୟାମୟ !”ଅତି ଦୁଃଖେ ମହାସତୀ କ୍ଷଣେ ଗଲେ ଝାମ,ଦେଖିଲେ ଅଯୋଧ୍ୟାପୁରେ ରଘୁପତି ରାମକାନ୍ଦୁଛନ୍ତି ମହାଶୋକେ–ସୀତା ଗୁଣ ଗୁଣି,ପାଷାଣ ତରଳି ଯିବ ସେ ବିଳାପି ଶୁଣି ।ବିଷର୍ଣ୍ଣ–ଆନନ ରାମ ଅବସନ୍ନ–ମନ,ମଉଳି ଯାଉଛି ରୂପ କ୍ଷୀଣ ଅପଘନ ।ମୁକୁଟର ମଣି–ଜ୍ୟୋତି ଦିଶୁଛି ମଳିନ,ଅଯୋଧ୍ୟାର ଶିରୀ ତୁଟି ଦିଶେ ଦୀନହୀନ ।କାହା ମୁଖେ ହସ ମନେ ସୁଖ ଆଉ ନାହିଁ,ଏଡ଼େ ବଡ଼ ପୁରୁଁ ସୁଖ ଗଲା ଆହା କାହିଁ !ସରଯୂ ତଟିନୀ ତଟେ ନିଶାଶେଷଯାମେଦିଅନ୍ତି ବଶିଷ୍ଠ ଋଷି ସାନ୍ତ୍ୱନା ଶ୍ରୀରାମେ ।“ଶରୀର–ସମ୍ପର୍କ ସିନା ତୁଟିଛି ରାଜନ,ଆତ୍ମା–ଆତ୍ମା ମଧ୍ୟେ ଅଛି ଅଚ୍ଛେଦ୍ୟ ବନ୍ଧନପ୍ରଜା ପାଳି କରୁଅଛ କୀର୍ତ୍ତି ପୁଣ୍ୟାର୍ଜ୍ଜନ,ଭବିଷ୍ୟତ ରାଜା ସୀତା କରନ୍ତି ପାଳନ ।କଠୋର କର୍ତ୍ତବ୍ୟ–ଯୋଗେ ମହାରାଜ ବ୍ରତୀ,କୋମଳ ଭକତି–ଯୋଗେ ରତ ମହାସତୀ ।ବେନି ସମଧର୍ମୀ ଦୁଇ ଯୋଗ ଏକ ମିଳିକର୍ମଫଳ ସଞ୍ଚୁଅଛ ରାଘବମୈଥିଳୀ ।ସେ ପୁଣ୍ୟ ମହିମା କେଭେଁ ନୋହିବ ମଳିନ,ଯୁଗ ଯୁଗାନ୍ତର ତାହା ରହିବ ଅକ୍ଷୁର୍ଣ୍ଣ ।ଦେଶଦେଶାନ୍ତର ତାହା ହେବ ବିସ୍ତାରିତ,ସର୍ବତ୍ର ସର୍ବଦା ହେବ ସର୍ବଥା ବନ୍ଦିତ ।ସର୍ବଶ୍ରେଷ୍ଠ ସେ ଆଦର୍ଶ ଜାଣି ଏ ଭୁବନେଜୀବନ–ତରଣୀ ଚଳାଇବେ ଧରା–ଜନେ ।କୀର୍ତ୍ତିମୟ ଜୀବନ ତ ଏ ସଂସାରେ ସାରଶରୀର–ସମ୍ପର୍କ ବଡ଼ ନୁହେ ଦୁନିଆର ।”ଦିନ ପରେ ଦିନ ଯାଏ, ମାସ ପରେ ମାସ,ବର୍ଷ ପରେ ବର୍ଷ, ନୁହେଁ ବିଷାଦର ହ୍ରାସ ।ଏହିପରି ବାର ବର୍ଷେ ପତିପ୍ରାଣା ସୀତାଶିଶିର–ପଦ୍ମିନୀ ପ୍ରାୟେ ହେଲେ ନିମୀଳିତା !ପାପିଷ୍ଠ ସଂସାର ଧିକ ଧିକ ତୋ ବିଚାରେ,ବନବାସେ ବୈଦେହୀଙ୍କୁ ଦେଖ ଆସି ବାରେ ।କଳଙ୍କିନୀ ନୁହନ୍ତି ରେ ସତୀ ବଇଦେହୀ,ତାହାର ପ୍ରମାଣ ନିଜେ ଅଟନ୍ତି ରେ ସେହି ।
ଅଷ୍ଟମ ସର୍ଗ
ଅଶ୍ୱମେଧ ଯଜ୍ଞକାଳକ୍ରମେ ଲବ କୁଶେ ଏକାଦଶ ବର୍ଷେବହୁ ଶାସ୍ତ୍ର ଶିକ୍ଷା ଦେଲେ ଋଷି ମହାହର୍ଷେ ।ବୟସ ଦ୍ୱାଦଶ ବର୍ଷ ହେଲା ପୁତ୍ରଙ୍କର,ଦେଖିଣ ବାଲ୍ମୀକି ମୁନି ଚିନ୍ତିନ୍ତ–ଅନ୍ତର ।ଉପସୁକ୍ତ ଅସ୍ତ୍ରଶସ୍ତ୍ର ଶିକ୍ଷା କ୍ଷତ୍ରିୟରତପୋବନେ ରହି ପାଇ ନାହାନ୍ତି କୁମର ।ଅଯୋଧ୍ୟା–ନରେଶ ସୀତା କଲେ ନିର୍ବାସନ,କରିବେ କି ନାହିଁ ସୀତାପୁତ୍ରଙ୍କୁ ଗ୍ରହଣ ?କିପରି ଏ ଦୁହିଙ୍କର ଦେବି ପରିଚୟ ।ଏମନ୍ତ ବିଚାରେ ଋଷି ଚିନ୍ତିତହୃଦୟ ।ଏ ସମୟେ ଶ୍ରୀରାମଙ୍କ ଘେନି ନିମନ୍ତ୍ରଣଦୂତ ଏକ ଆଶ୍ରମକୁ କଲା ଆଗମନ,ଗୋମତୀତଟରେ ପୁଣ୍ୟ ନୈମିଷ ଅରଣ୍ୟେଅଶ୍ୱମେଧ ଯଜ୍ଞେ ବାଲ୍ମୀକିଙ୍କ ଆମନ୍ତ୍ରଣେ ।ଆମନ୍ତ୍ରଣ ଘେନି ଋଷି ଅତିଥିସତ୍କାରକରିଣ ପୃଚ୍ଛିଲେ ସର୍ବବାର୍ତ୍ତା ଅଯୋଧ୍ୟାର ।ପଚାରିଲେ ଦୂତେ ଋଷି, “ମହାରାଜ ରାମଏକପତ୍ନୀବ୍ରତ, ପୁଣ୍ୟମନା ସତ୍ୟକାମ ।ପତ୍ନୀହୀନ–ଯଜ୍ଞକାର୍ଯ୍ୟ ନିଷିଦ୍ଧ ଶାସ୍ତ୍ରରେ,ରାଜା କି ବିବାହ କଲେ ବ୍ରତ ଉଦ୍ଦେଶ୍ୟରେ ?”କହଇ ସନ୍ଦେଶହର “କୁଳପୁରୋହିତବହୁ ଅନୁରୋଧ କଲେ ବିବାହ ନିମିତ୍ତ ।ଅଟଳପ୍ରତିଜ୍ଞା ରାମ ନୋହିଲେ ସମ୍ମତ,ହିରଣ୍ମୟୀ ସୀତା ଗଢ଼ି କଲେ ଯଜ୍ଞବ୍ରତ ।”ଏ ସମୟେ ଲବ କୁଶ ରାମାୟଣ ଗାଇରାମ ଗୁଣ ଗୁଣି ଆନନ୍ଦିତ ଦୁଇ ଭାଇ ।ଦୂତଠାରୁ ଶ୍ରୀରାମଙ୍କ ସର୍ବ ସମାଚାର ।ଶୁଣି ପ୍ରଶଂସିଲେ ମନେ ତାହାଙ୍କୁ ଅପାର“ଧନ୍ୟ ଧନ୍ୟ” ବାଣୀ ଭାଷି ଉଭୟ କୁମରେବିଳମ୍ବେ ମିଳିଲେ ଯାଇଁ ଜନନୀ ପାଶରେ ।ଅସ୍ଥିର ଅନ୍ତରେ ସୀତା ପର୍ଣ୍ଣକୁଟୀଦ୍ୱାରେଉଭା ହୋଇଛନ୍ତି ପୁତ୍ରଙ୍କର ପ୍ରତୀକ୍ଷାରେ ।ବ୍ୟାକୁଳା ଶ୍ରୀରାମ–ନାରୀ କିପାଇଁ କୁମରେବାହୁଡ଼ିଲେ ନାହିଁ ଆଜି ଯଥାସମୟରେ ।ଏ ସମୟେ ଲବ କୁଶ ହାସ ପରିହାସେଆନନ୍ଦେ ମିଳିଲେ ଆସି ଜନନୀଙ୍କ ପାଶେ ।ପୁତ୍ରେ କୋଳେ ଧରି ସୀତା ଦିଅନ୍ତି ଚୁମ୍ବନ,ସସ୍ନେହେ ବୋଲନ୍ତି ମାତା ଆଦର–ବଚନ ।“ଦରିଦ୍ରସଙ୍ଖାଳି ମୋର ଅନ୍ଧର ଲଉଡ଼ି;ସୁବର୍ଣ୍ଣର ଅଣ୍ଟାସୂତା, ଚମ୍ପାର ଚାଙ୍ଗୁଡ଼ି,ରଙ୍କୁଣୀ–ରତନ ମୋର ମହୁଡ଼ର ମଣି,ନୟନପିତୁଳା ତୁମ୍ଭେ ମୋ ଅଫିଟା ଖଣି ।ଏତେବେଳଯାଏ ଆଜି ଥିଲ କେଉଁଠାରେ,କେତେବେଳୁଁ ବସିଅଛି ତୁମ୍ଭ ପ୍ରତୀକ୍ଷାରେ ।”କହନ୍ତି ଯାମଳ ଭାଇ “ଶୁଣ ଗୋ ଜନନି,ରାମାୟଣ–ନାୟକ ଯେ ରାମ ରଘୁମଣି ।ପବିତ୍ର ନୈମିଷାରଣ୍ୟେ ଗୋମତୀତଟରେକରୁଛନ୍ତି ଅଶ୍ୱମେଧ ମହା ଆଡ଼ମ୍ବରେ ।ଗୁରୁଙ୍କ ଆମନ୍ତ୍ରିଛନ୍ତି ଅଯୋଧ୍ୟା ନୃପତି,ଶ୍ରୀରାମ ଦର୍ଶନେ ମାତଃ ଇଚ୍ଛା ହୁଏ ଅତି ।”ପତ୍ନୀହୀନ ହୋଇ ଯଜ୍ଞ ନ କରନ୍ତି କେହି—ଭାବି ବଜ୍ରାହତା ହେଲେ ସତୀ ବଇଦେହୀ ।ହେଲେହେଁ ଗହନବନେ ନିର୍ବାସୀତା ସତୀ,ଜାଣନ୍ତି ସ୍ୱାମୀଙ୍କ ପ୍ରେମ ଅଛି ତାଙ୍କ ପ୍ରତି ।ଜନ–ଅପବାଦେ ସିନା ଡରିଲେ ଶ୍ରୀରାମ,ତଥାପି ସ୍ମୃତିରୁ ଲିଭି ନାହିଁ ସୀତାନାମ ।ଯଜ୍ଞ କଥା ଶୁଣି ସୀତା ରହିଲେ ବିସଣ୍ଣେରାମ ବିବାହିତ ହେଲେ ଭାଳି ନିଜ ମନେ ।ଜନନୀଙ୍କୁ ନିରୁତ୍ତରା ଦେଖି ବେନି ଭାଇକହନ୍ତି, “ଜନନି, କେଭେ ନ କର ଗୋ ନାହିଁଶ୍ରୀରାମ ନୃପତି ଆହା କେଡ଼େ ନ କର ଗୋ ନାହିଁଶ୍ରୀରାମ ନୃପତି ଆହା କେଡ଼େ ଗୁଣବାନ !ଏ ଜଗତେ ନାହିଁ କେହି ତାହାଙ୍କ ସମାନ ।ପିତୃସତ୍ୟ ପାଳି ରାମ ଗଲେ ଘୋରବନ,ବନମଧ୍ୟେ କଲେ ବୀର ଦୁର୍ବୃତ୍ତ ଶାସନ ।ପ୍ରକୃତିରଞ୍ଜନ ପାଇଁ ସ୍ୱପ୍ରାଣ–ପ୍ରେୟସୀଦେଲେ ବନ–ନିର୍ବାସନେ ରଘୁକୁଳଶଶୀ ।ଇଚ୍ଛା କରିଥିଲେ ତିଳେ ରାମ ରଘୁମଣିପାରନ୍ତେ ବିବାହ କରି ସହସ୍ର ରମଣୀ ।କିନ୍ତୁ ନିର୍ବାସିତା–ସୀତା–ସୁବର୍ଣ୍ଣ–ମୂରତୀଗଢ଼ାଇଣ କରୁଛନ୍ତି ଯଜ୍ଞ ସୀତାପତି ।”ସୁବର୍ଣ୍ଣ–ବିଗ୍ରହ କଥା ଶୁଣି ସତୀ ସୀତାରାମ–ପ୍ରେମ ସ୍ଥିର ଜାଣି ହେଲେ ଆନନ୍ଦିତା ।ସୌଭାଗ୍ୟ–ଗର୍ବରେ କ୍ଷଣେ ରାଘବପ୍ରେୟସୀବନବାସ କଷ୍ଟରାଶି ବିସୋରିଲେ ହସି ।ଏ ସମୟେ ବାଲମୀକି ସେଠାରେ ମିଳିଲେ,“କି ଅଳି କରନ୍ତି ପିଲା ବୋଲି ପଚାରିଲେ ।କରନ୍ତି ଉତ୍ତର ଶୁଣି, ରାଜନିମନ୍ତ୍ରଣଆସିଅଛି, ଯଜ୍ଞେ ଆମ୍ଭେ କରିବୁଁ ଗମନ ।ତବ ସୁତେ ବତ୍ସେ ତହିଁ ଯିବୁଁ ସଙ୍ଗେ ଘେନି ।”ଜନନୀସ୍ୱୀକାରେ ଯଜ୍ଞେ ଗଲେ ସୂତ ବେନି ।କହିଲେ ବାଲ୍ମୀକି ଋଷି, “ଯଜ୍ଞସ୍ଥାନେ ଯିବ,ମଧୁତାନେ ରାମାୟଣ ଗାଇଣ ବୁଲିବ ।ସିଂହଦ୍ୱାରେ, ଯଥାତଥା କରିବ ଗାୟନ,ନୃପତି ଡାକିଲେ ତହିଁ କରିବ ଗମନ ।କହିଲେ ସମ୍ମୁଖେ ତାଙ୍କ କରିବ ଗାୟନ,ବିଶେଷରେ ରାମସୀତା–ପ୍ରଣୟ–ବର୍ଣ୍ଣନ ।ଚାଞ୍ଚଲ୍ୟ କରିବ ତ୍ୟାଗ, ଲୋଭ ସମ୍ବରଣ,କରିବ ମୁହୁତ୍ତ୍ୱ ନୃପ ପାଶେ ପ୍ରଦର୍ଶନ ।”
ନବମ ସର୍ଗ
ଯଜ୍ଞସଭାନେମିଷ–ଅରଣ୍ୟେ ଆଜି ଘୋର କୋଳାହଳ,ଗହ ଗହ ଚଉଦିଗେ ଶୁଭଇ ଚହଳ ।ଅଶ୍ୱମେଧ କରୁଛନ୍ତି ଚକ୍ରବର୍ତ୍ତୀ ରାମ,ଦେଶେ ଦେଶେ ପ୍ରଳୀର୍ତ୍ତିତ ପୁଣ୍ୟ ରାମନାମ ।ଏମନ୍ତ ସମୟେ ଆସି କହେ ବାର୍ତ୍ତାହର,“ଶୁଣିବାକୁ ଆଜ୍ଞା ହେଉ ରାଜରାଜେଶ୍ୱର !ବାଲ୍ମୀକି ଋଷିଙ୍କ ଶିଷ୍ୟ ଯାମଳ ସୋଦର,ତରୁଣ ବୟସ ତନୁ ଅପୂର୍ବ ସୁନ୍ଦର ।ବୀଣା ସଙ୍ଗେ ମିଶାଇଣ ବୀଣାଜିଣା ସ୍ୱନକରୁଛନ୍ତି ରାମାୟଣ–ସଙ୍ଗୀତ ଗାୟନ ।ଶୁଣିଣ ପାଷାଣ–ମନ ହେଉଛି ଗଳିତ,ଯେହୁ ଶୁଣୁଅଛି ସେହୁ ହେଉଛି ମୋହିତ ।ବାଲ୍ମୀକି ରଚିତ ତବ ଅପୂର୍ବ କୀରତିଶୁଣିବାକୁ ମହାରାଜ ହେଉ ଅନୁମତି ।”ତାହା ଶୁଣି ନରେଶ୍ୱର ବରଗିଲେ ଦୂତ,ଆଜ୍ଞା ଦେଲେ “ସଭା ମଧ୍ୟେ ଆଣ ଋଷିସୁତ ।”ରାଜସମୀପକୁ ଆସି ଗାଇଲେ କୁମରେରାଜ–ଆଜ୍ଞାମତେ ରାମାୟଣ ମଧୁସ୍ୱରେ ।ଯେଉଁଠାରେ ସୀତା ରାମ ପ୍ରେମର ବର୍ଣ୍ଣନ,ଗୁରୁ ଆଜ୍ଞା ସ୍ମରି ତାହା କଲେ ସେ ଗାୟନ ।ଶୁଣି ରାମ ମନେ ମନେ ହୋଇଲେ ବ୍ୟଥିତ;ଫାଟିଯାଏ ଏ ବକ୍ଷ କିବା ଦଗ୍ଧ ହୁଏ ଚିତ୍ତ !ସଭାରେ ବହୁତ ବେଳ ରାମ ରଘୁବୀରନ ପାରିଲେ ବସି, ଶୋକେ ହେଲେ ସେ ଅଧୀର ।ପ୍ରକାଶ୍ୟେ ଜଣାଇ ତୁଷ୍ଟି ଶ୍ରୀରାମ ନରେଶବହୁ ଅର୍ଥ ଦାନେ କଲେ ଲକ୍ଷଣେ ଆଦେଶ ।ଦାନ–କଥା ଶୁଣି ଶିଷ୍ୟେ କହନ୍ତି ବଚନ,“ବନେ ଥାଉଁ, ବନଫଳ କରିଣ ଭକ୍ଷଣ,ସୁବର୍ଣ୍ଣ ନେଇଣ କି କରିବୁଁ ଆମ୍ଭେମାନେ,କାନନେ ରଖିବୁ ତାହା ନେଇ କେଉଁ ସ୍ଥାନେ ?”ରାମ “ଧନ୍ୟ, ଧନ୍ୟ” ଭାଷି ପର ଦିବସରେସମସ୍ତ ଶୁଣିବେ କହି ଗଲେ ଶଯ୍ୟା–ଘରେ ।ଝୁରିଲେ ସୀତାଙ୍କୁ ରାମ ଲୋଟିଣ ଶଯ୍ୟାରେ,ଯାମିନୀ ଯାପିଲେ ରାଜା ଶୋକ–ହାହାକାରେ ।ଋଷିଶିଷ୍ୟ ବେନିଠାରେ ତେଜଃ କ୍ଷନ୍ତ୍ରିୟର,ସୀତାଙ୍କ ନୟନ ଠାଣି, ଗଠନ ନିଜରଦେଖି ରାମ ଗର୍ଭବତୀ ସୀତାଙ୍କୁ ସ୍ମରଣକରି ମନେ କଲେ “ଏ କି ଜାନକୀନନ୍ଦନ ?”ପୁଣି ସେ ପାଞ୍ଚନ୍ତି, ସ୍ୱଚ୍ଛସ୍ରୋତା ନଦୀ ତ୍ୟଜିକଳ୍ପନା–ମରୀଚିକାରେ କିପାଁ ଅଛି ମଜ୍ଜି !ଆଶାୟୀ ସମସ୍ତ ସିନା ମଣେ ଆତ୍ମଗତ,କଳ୍ପନା–କନକ–ଚଡ଼େ ଶୋଇଣ ଉଷତ ।ଭାଳନ୍ତି ଶ୍ରୀରାମ ଯେବେ ଋଷି ଶିଷ୍ୟଗଣହୋଇଥିବେ ଜାନକୀଙ୍କ ଯାମଳ ନନ୍ଦନ,ତପୋବନେ ଥିବ ଯେବେ ପ୍ରେୟସୀ ଜୀବନେ,ପ୍ରତିଗ୍ରହ କରିବି ମୁଁ ସମାତା ନନ୍ଦନେ ।ପୁଣି ବିଚାରନ୍ତି ରାମ ରାଜ୍ୟ–ପ୍ରଜାମାନପ୍ରତିଗ୍ରହେ ନ କଲେ ସେ ସମ୍ମତି ପ୍ରଦା ,କିପରି ପ୍ରିୟାଙ୍କୁ ମୁହିଁ କରିବି ଗ୍ରହଣ,ବ୍ୟର୍ଥ ହୋଇଯିବ ସିନା ଦୁହିଙ୍କ କଷଣ ।ଯେଉଁ ଅପଯଶ ଭୟେ ମୁଁ ନିଷ୍ଠୁର ମନେ,ନିର୍ବାସିଲ ପ୍ରେୟସୀଙ୍କୁ ଗହନ କାନନେ,ସେହି ଅପବାଦ ଯେବେ ଘୋଷିବ ସଂସାର,କାହିଁକି ସହିଲେ ସୀତା ଯାତନା ଅପାର ?ନୋହିଲେ ଭରତେ କରି ରାଜ୍ୟ ସମ୍ପ୍ରଦାନବାନପ୍ରସ୍ଥେ ସୀତା ସହ କରିବି ପ୍ରସ୍ଥାନ ।“ଅସତୀ ଭାର୍ଯ୍ୟାର ପାଇଁ ରାଜ୍ୟ ସିଂହାସନେତ୍ୟଜି ରାମଚନ୍ଦ୍ର ଗଲେ ବନନିର୍ବାସନେ ।ଭାର୍ଯ୍ୟା ପାଇଁ ସ୍ୱକର୍ତ୍ତବ୍ୟ ଏଡ଼ିଲେ ଶ୍ରୀରାମ,”ଏ କଳଙ୍କେ ହେବ ଚିର ଲେପିତ ମୋ ନାମ ।ହାୟ ! ରାଜସିଂହାସନେ କି ବିପଦ ଦୁଃଖ,ଏ ଜଗତେ ନୃପତିର ନାହିଁ ତିଳେ ସୁଖ ।ଏହିପରି ଭାଳୁଁ ଭାଳୁଁ ପାହିଲା ରଜନୀ,ନିତ୍ୟକୃତ୍ୟେ ବ୍ରତୀ ହେଲେ ରାମ ରଘୁମଣି ।
ଦଶମ ସର୍ଗ
ରାମାୟଣ ଗୀତଆରୋହି ମରୀଚିମାଳି ସ୍ୱର୍ଣ୍ଣ–ରବିରଥେଆରମ୍ଭିଲେ ଦୈନନ୍ଦିନ ଯାତ୍ରା ଶୂନ୍ୟପଥେ ।ଜନସ୍ରୋତ ବହେ ପଥେ ପ୍ରାବୁଟେ ଯେସନ,ସିନ୍ଧୁମୁଖେ ମହାନଦୀ କରଇ ଧାବନ ।ଲୋକେ ଲୋକାରଣ୍ୟ ଆଜି ଯଜ୍ଞ ସଭାସ୍ଥାନ,ଯଜ୍ଞପୀଠେ ହେବ ଆଜି ରାମାୟଣ ଗାନ ।ଜନକଳନାଦେ ପୂର୍ଣ୍ଣ ଗୋମତୀର ତୀର,ମଧୁଚକ୍ରେ ଲେଷ୍ଟ୍ରପାତ ସମାନ ଅସ୍ଥିର ।କଟାକ୍ଷେ ସେ ଜନସିନ୍ଧୁ ରହିଲା ତଟସ୍ଥେ,ନିଶ୍ୱାସ ନେବାକୁ ଯେହ୍ନେ ସଶଙ୍କ ସମସ୍ତେ ।ମେଘାସନ ଗିରି ସମ ଅବିଚଳ ଧୀର,କୀଚକ ମୁକୁଟଶିର ରାମ ରଘୁବୀର,ହୈମସିଂହାସନେ ରାଜା ଉପବିଷ୍ଟ ଯାଇଁ,ବସିଲେ ଦକ୍ଷିଣପାର୍ଶ୍ୱେ ଅନ୍ୟ ତିନି ଭାଇ ।ବଶିଷ୍ଠ, କାଶ୍ୟପ, ବାମଦେବ ସୁମନ୍ତ୍ରାଦି,ସୁଗ୍ରୀବ, ଅଙ୍ଗଦ, ହନୁ, ବିଭୀଷଣ ଆଦିଅନ୍ୟ ପାର୍ଶ୍ୱେ କୌଶଲ୍ୟାଦି ବୃଦ୍ଧା ରାଣୀଗଣ,ଉର୍ମିଳା, ମାଣ୍ଡବୀ, ଶ୍ରୁତକୀର୍ତ୍ତି ବଧୂଜନ;ଯଥାସ୍ଥାନେ ଅବହିତଭାବେ ଉପବିଷ୍ଟ,ସଶିଷ୍ୟ ବାଲ୍ମୀକି ଋଷି ସଭାରେ ପ୍ରବିଷ୍ଟ ।ସସମ୍ମାନେ ଉଭା ହେଲେ ସର୍ବ ସଭାଜନ,ବାଲ୍ମୀକି ସଶିଷ୍ୟ କଲେ ଆସନ ଗ୍ରହଣ ।ଶ୍ରୀରାମଙ୍କ ଅନୁରୋଧେ ବାଲ୍ମୀକି–ଆଦେଶେରାମବେନିସୁତ ବେନି ଋଷି–ଶିଷ୍ୟବେଶେମଧୁ ରାମାୟଣ ଗୀତ ମଧୁତାନେ ଗାଇମୋହିଲେ ସକଳେ ଲବ କୁଶ ବେନି ଭାଇ ।ରାମ–ଲକ୍ଷ୍ମଣାଦି–ଜନ–ବାଳକ୍ରୀଡ଼ା ଶିକ୍ଷା,ଯଜ୍ଞରକ୍ଷା ଅର୍ଥେ ବିଶ୍ୱାମିତ୍ର–ରାମଭିକ୍ଷା,ତାଡ଼କା–ସୁବାହୁ–ବଧ, ଶିବଧନୁର୍ଭଙ୍ଗ,ସୀତା ଉର୍ମିଳା ଆଦିଙ୍କ ବିବାହ–ପ୍ରସଙ୍ଗ,ପଥେ ପର୍ଶୁରାମ ଜୟ, ଅଯୋଧ୍ୟାଗମନ,ରାମାଭିଷେକ–ପ୍ରସ୍ତାବ, କୈକେୟୀ ମନ୍ତ୍ରଣ,ରାମବନବାସ, ଚିତ୍ରକୂଟଗିରିବାସ,ସୁମନ୍ତ୍ର–ପ୍ରତ୍ୟାଗମନ, ଦଶରଥ–ନାଶ;ପଞ୍ଚବଟୀବାସ, ସୃର୍ପଣଖା ଆଗମନ,ଖର–ଦୂଷଣ–ତ୍ରିଶିରା–ରାକ୍ଷସ ନିଧନ,ସୁବର୍ଣ୍ଣର ମାୟାମୃଗ, ବୈଦେହୀ ହରଣ,ମିତ୍ରତା ସୁଗ୍ରୀବ ସହ, ବାଳିବିନାଶନ,ସୀତାଠାବ, ସିନ୍ଧୁପାର, ଲଙ୍କାଗଡ଼ରଣ,ଜାନକୀ–ଉଦ୍ଧାର–ଅଗ୍ନି ପରୀକ୍ଷା–ଗ୍ରହଣ,ବିଭୀଷଣ–ଅଭିଷେକ, ଅଯୋଧ୍ୟାଗମନ,ସୀତାସହ ସିଂହାସନେ ରାମ–ଆରୋହଣ,ପ୍ରଜାଜନ–ଅପବାଦେ ସୀତା ବନବାସ—ଶୁଣି ରାମ ତ୍ୟାଗ କଲେ ବିଶାଦ–ନିଶ୍ୱାସ ।
ଏକାଦଶ ସର୍ଗ
ଲବକୁଶ ପରିଚୟବଧୁ ଦୁଃଖେ ସନ୍ତାପିତା ଶ୍ରୀରାମଜନନୀ,ଅଧୀର ହୋଇଣ ଶୋକେ ପଡ଼ିଲେ ଅବନୀ ।‘ଆହା ସୀତେ ।’ ବୋଲି ମାତା ହେଲେ ଅଚେତନ,ସୁମିତ୍ରା ଉର୍ମିଲା ଆଦି କଲେ ସଚେତନ ।କହନ୍ତି ଚେତନା ପାଇ ଦୁଃଖେ ବୃଦ୍ଧା ରାଣୀ,“ଶ୍ରୀରାମଗଠନ ସୀତାନୟନର ଠାଣି ।ସ୍ପଷ୍ଟରୂପେ ଦେଖେଁ ମୁହିଁ ଏ ବେନି ବାଳୁତେ,ନିଶ୍ଚୟ ଅଟନ୍ତି ସୀତାପୁତ୍ର ବେନି ସୁତେ ।”ଲକ୍ଷ୍ମଣେ ଡକାଇ ମାତା କହନ୍ତି ବଚନ,“ଜଣାଯାଏ ମୋତେ ଏହୁ ଶ୍ରୀରାମନନ୍ଦନ ।”ନିଜେ ସଉମିତ୍ରି ଏହା ପାଞ୍ଚିଥିଲେ ମନ,ବଶିଷ୍ଠ, ଭରତ, ନିଜେ ରାଜା, ଶତ୍ରୁ ଘନ ।ସଭା ଭାଙ୍ଗି ସଉମିତ୍ରି ଉଭୟ କୁମରେଆଣି ଉଭା କରାଇଲେ କୌଶଲ୍ୟା ପାଶରେ ।ଅତି ସ୍ନେହେ ରାଣୀ ତାଙ୍କୁ କୋଳେ ବସାଇଲେ,ନାମ ଧାମ ପିତାମାତା ନାମ ପଚାରିଲେ ।ଉତ୍ତରିଲେ ବେନି ଭାଇ, “ଜାହ୍ନବୀ–ତଟରେବାଲ୍ମୀକି ଋଷିଙ୍କ ତପୋବନର ଭିତରେଥାଉଁ ଆମ୍ଭେ ବାଲ୍ମୀକିଙ୍କ ଶିଷ୍ୟ ଦୁଇ ଭାଇ,ଜନନୀ ଜାନକୀ, ଆଉ କିଛି ଜାଣୁ ନାହିଁ ।”ଜନନୀଙ୍କ ସ୍ୱାସ୍ଥ୍ୟ–କଥା କୌଶଲ୍ୟା ପୁଚ୍ଛନ୍ତେ,ମୁକ୍ତାନିନ୍ଦୀ ଅଶ୍ରୁ ବିନ୍ଦୁ ଝାରି ନେତ୍ର–ଅନ୍ତେକହନ୍ତି, “ଦୁଃଖିନୀ ମାତା ଦିନୁଦିନ କ୍ଷୀଣ,ନୟନୁଁ ତାଙ୍କର ନୀର ଝରେ ଅନୁଦିନ ।”ବାଲ୍ମୀକି–ଋଷିଙ୍କି ଡାକି ଆଣିଲେ ଲକ୍ଷ୍ମଣ,ସବିଶେଷ ବିବରଣ ଜାଣିବା କାରଣ ।ପୃଚ୍ଛନ୍ତେ କହିଲେ ଋଷି, ଗହନକାନନେଦେଖି ତ୍ୟକ୍ତା ଜାନକୀଙ୍କୁ ନିର୍ବାସନ–କ୍ଷଣେପ୍ରବୋଧି ଆଶ୍ରମପଦେ ଘେନି ରଖାଇଲି,ଋଷିକନ୍ୟା ପେଷି ପରିଚର୍ଯ୍ୟା କରାଇଲି,ଯଥାକାଳେ ଜାତ ହେଲେ ଯାମଳ ତନୟ;ଶ୍ରୀରାମ–ତନୁଜ ଲବ କୁଶ ଏ ଉଭୟ ।ଜାଣନ୍ତି ଏ ବାର୍ତ୍ତା ନିଜେ ବୀର ଶତ୍ରୁଘନ,ଲବଣ ଦାନବ ଜୟେ ଥିଲେ ତପୋବନ ।”ଚିହ୍ନି ଲବ କୁଶେ ମୁନି ବାଲ୍ମୀକିଙ୍କ ମୁଖେନାଚିଲା ନରେଶପୁରୀ ଅପରୂପ ସୁଖେ ।କହନ୍ତି ବାଲ୍ମୀକି ଗୁରୁ ଲବ କୁଶେ ଚାହିଁ,“ନୃପତି–ଶ୍ରୀରାମ ସୁତ ଅଟ ବେନି ଭାଇ ।ଯେଉଁରାମ ସୀତାଙ୍କର ପୁଣ୍ୟମୟୀ ବାର୍ତ୍ତାରାମାୟଣେ ପଢ଼ିଛ ସେ ତବ ପିତା ମାତା ।ଅଗ୍ରଜବତ୍ସଳ ବୀର ଲକ୍ଷ୍ମଣ ସୁଧୀର,ତୁଳନା ଯାହାଙ୍କ ନାହିଁ ସାରା ପୃଥିବୀର,ଏହି ସେ ପିତୃବ୍ୟ ତବ ତୁମ୍ଭରି ଆଗରେ,ପଢ଼ିଛ ଯାହାଙ୍କ କଥା ମୋ ରାମାୟଣରେ ।”ଶୁଣିଣ “ଲକ୍ଷ୍ମଣ” ନାମ ଉଭୟ ବାଳକକୌତୂହଳେ ଚାହିଁ ତାଙ୍କ ଆପାଦମସ୍ତକ,ସାଷ୍ଟାଙ୍ଗେ ପ୍ରଣାମ କଲେ ମହାଭକ୍ତିଭରେପୂର୍ବ କୀର୍ତ୍ତିମାନ ତାଙ୍କ ସ୍ମରିଣ ମନରେ ।ଭରତ ଶତ୍ରୁଘ୍ନ ଆଦି ଖୁଡୁତାମାନଙ୍କୁକୌଶଲ୍ୟା ସୁମିତ୍ରା ଆଦି ମହିଷୀଗଣଙ୍କୁଚିହ୍ନି ଲବ କୁଶ ବେନି ପ୍ରାଣାମାଦି କରିପଚାରୁଁ ମାତାଙ୍କ କଥା କହନ୍ତି ବିବରି ।କୌଶଲ୍ୟା ଶ୍ରୀରାମେ ଡାକି କହନ୍ତି ବଚନ,“ଲବ କୁଶ ରାମଚନ୍ଦ୍ର ! ତୋହରି ନନ୍ଦନ ।କହିଲେ ବୈଦେହୀ ପାଶେ ଦୂତ ବରଗିବି,ଦୁଃଖିନୀ ବଧୂକୁ ମୋର ଫେରାଇ ଆଣିବି,ଶ୍ରୀରାମେ ଦେଖିଣ ମାତା ମଉନ ବିଷଣ୍ଣବରଗିଲେ ଦୂତ, ଜାଣି ସମ୍ମତି–ଲକ୍ଷଣ ।ଆଗହୁଁ ଶ୍ରୀରାମ ଚିହ୍ନିଥିଲେ ସ୍ୱସନ୍ତାନେ,ନ କହି ମଉନ ହେଲେ ମାତା ବିଦ୍ୟମାନେ ।ବାଲ୍ମୀକି ଋଷିଙ୍କି ଡାକି ଶ୍ରୀରାମ ନିର୍ଜନେକହିଲେ କୃତଜ୍ଞ “ସାକେତର ସିଂହାସନେସମର୍ପିଲି ଆଦିକବି ତବ ଶ୍ରୀଚରଣେ;ଭୋ ମୁନି ସଂଶୟ ନାହିଁ ସୀତାଙ୍କୁ ମୋ ମନେ,ଜନ–ଅପବାଦୁଁ ତାଙ୍କୁ କଲି ନିର୍ବାସନ,କିପରି କରିବି ଏବେ ତାହାଙ୍କୁ ଗ୍ରହଣ ?ଯଜ୍ଞସ୍ଥାନେ ରୁଣ୍ଡ ହେବେ କାଲି ଋଷିଜନ,ନିମନ୍ତ୍ରିତ ରାଜବୃନ୍ଦ ରାଜ୍ୟ ପ୍ରଜାଗଣ ।ସର୍ବସମକ୍ଷରେ କାଲି ମହର୍ଷି ଆପଣସୀତା–ନିର୍ଦ୍ଦୋଷତା ନିଜେ କରିବେ ଘୋଷଣ ।ସର୍ବସମ୍ମତିରେ ହେଲେ ସୀତାପରିଗ୍ରହ;ସୂର୍ଯ୍ୟବଂଶ–ପୁଣ୍ୟଯଶ ରହିବ ଅକ୍ଷୟ ।ନ କଲେ ପ୍ରକୃତିଗଣ ସମ୍ମତି ପ୍ରଦାନ;ସୀତାଙ୍କୁ ଦେବାକୁ ହେବ ସତୀତ୍ୱ–ପ୍ରମାଣ ।“ତଥାସ୍ତୁ” ବୋଲିଣ ଋଷି ଫେରିଲେ ସ୍ୱବାସେ,ସନ୍ଦିଗ୍ଧେ ଶ୍ରୀରାମ ଗଲେ ବିଶ୍ରାମ–ଆବାସେ ।
ଦ୍ୱାଦଶ ସର୍ଗ
ଜାନକୀ-ପ୍ରତ୍ୟାଗମନଦୂତଠାରୁ ଯଜ୍ଞ–ସଭା ସର୍ବ ବିବରଣ,ସ୍ୱାମୀ ଅନୁମତି ଶ୍ୱଶ୍ରୁ–ଅନୁଜ୍ଞା–ବଚନଶୁଣି ସୀତା ମନେ କଲେ ଶ୍ରୀରାମ ଗ୍ରହଣକରିବେ, ନୋହିଲେ କିପାଁ ଦୂତକୁ ପ୍ରେରଣକରନ୍ତେ କୌଶଲ୍ୟା ? ଭାବି ଏହା ସୀତା ସତୀଯାନେ ଚଢ଼ି ଆସୁଁ ଚିତ୍ତ ଆନ୍ଦୋଳିତ ଅତି ।“ଏତେ ଦିନେ ବିଧି ପୁଣି ହେଲେ ସୁପ୍ରସନଚାତକ ଦେଖିବ ଆଜି ବାରିଦ ବଦନ ।ସତେ କି ଏ ଦାସୀ ପୁଣି ପ୍ରାଣେଶ–ଚରଣଧରି ଅଭିମାନେ ଦୁଃଖେ କରିବ ରୋଦନ ?”କଳ୍ପନାନୟନେ ସୀତା ଦେଖନ୍ତି ପ୍ରାଣେଶେଲବ କୁଶେ ବସାଇ ଯେ ଛନ୍ତି ଅଙ୍କଦେଶେ ।ଉଠାଇ ସୁବର୍ଣ୍ଣସୀତା ଯଜ୍ଞାର୍ଥୀ ନରେଶସୀତାଙ୍କୁ ବସାଇଛନ୍ତି ନିଜ ବାମଦେଶ ।ଅନ୍ତଃପୁରେ ରାମଚନ୍ଦ୍ର ସୀତାହସ୍ତ ଧରିସ୍ୱୀକାର କରନ୍ତି ଦୋଷ କ୍ଷମା ଭିକ୍ଷା କରି ।ଅଭିମାନେ ସୀତା ତାଙ୍କୁ କଥା ନ କହନ୍ତି—ଯାନ ଆସି ପ୍ରବେଶିଲା ଯଜ୍ଞସ୍ଥାନ କତି ।ପଶ୍ଚିମାଶା–ଅଙ୍କେ ବହୁକ୍ଷଣୁଁ ଅଂଶୁମାଳୀଯାଇଥିଲେ କ୍ଷୋଭେ ଦୁଃଖେ ରକ୍ତକର ଢାଳି,ବାଲ୍ମୀକି–ଋଷିଙ୍କ ପାଇଁ ଯେ ବାସମନ୍ଦିରନିର୍ଦ୍ଦିଷ୍ଟ ହୋଇଣ ଥିଲା ଗୋମତୀର ତୀର,ବେନିସୁତ ଘେନି ତହିଁ ଶ୍ରୀରାମଗୃହିଣୀବାଲ୍ମୀକି–ଆଦେଶମତେ ଯାପିଲେ ଯାମିନୀ !କହିଲେ ବାଲ୍ମୀକି “ରାଜା ପ୍ରକୃତି–ରଞ୍ଜନଜନ–ଅପବାଦେ କଲେ ତବ ନିର୍ବାସନ ।ନୋହିଲେ ତାହାଙ୍କ ମନୁ ପୂର୍ବର ପ୍ରଣୟତୁମ୍ଭଠାରୁ ତିଳେମାତ୍ର ଲଭି ନାହିଁ କ୍ଷୟ ।ସବସମକ୍ଷରେ କାଲି ଶ୍ରୀରଘୁନନ୍ଦନଯଜ୍ଞପୀଠେ ରାଣୀରୂପେ କରିବେ ଗ୍ରହଣ ।”ପ୍ରଜା କେହି ନ ହୋଇବେ କେଭେଁ ଅସମ୍ମତଭାବି ଋଷି ନ କହିଲେ ପରୀକ୍ଷା ଉଦନ୍ତ ।ଲବ କୁଶଠାରୁ ରାତ୍ରେ ପରିଚୟ–ବାଣୀଶୁଣି ସେହି ନିଶା ପୁହାଇଲେ ରାମରାଣୀ ।
ତ୍ରୟୋଦଶ ସର୍ଗ
ବୈଦେହୀ–ବିୟୋଗ(ରାଗ ରସକୁଲ୍ୟା)ଅଯୋଧ୍ୟାର ରାଣୀ ଜନକକନ୍ୟାସତୀ–ସମାଜରେ ସଂସାରେ ଧନ୍ୟାଅପବାଦୁଁ ରାମ ଦାରୁଣ ମନେନିର୍ବାସିଣ ଥିଲେ ଗହନବନେରହି ଦୀର୍ଘ ବନବାସେଆଜି ଶୁଦ୍ଧଶୀଳା ଆସୁଛନ୍ତି ଫେରିପୁଣି ପ୍ରାଣକାନ୍ତ ପାଶେ । ୧ ।ରଟିଲା ଏ ନବବାର୍ତ୍ତାବହନେଘୋର କୋଳାହଳ ନୈମିଷାରଣ୍ୟେପୁଣ୍ୟ ଯଜ୍ଞପୀଠେ ଗୋମତୀ–ତୀରେଆସୁଛନ୍ତି ସତୀ ବିଷାଦେ ଧୀରେଦର ଅଶ୍ରୁ ବାରି ଧାରକହିପାଇଁ ପଦ୍ମପଳାଶ ନୟନୁବକ୍ଷେପଡ଼େ ଝର ଝର । ୨।ସ୍ୱର୍ଣ୍ଣ ସିଂହାସନେ ରଘୁନନ୍ଦନପାଶେ ଭରତ ଶତ୍ରୁଘ୍ନ ଲକ୍ଷ୍ମଣ,ଏକ ପାର୍ଶ୍ୱେ ବିଜେ ନୃପତିଗଣ,ନିମନ୍ତ୍ରିତ ସର୍ବ ଋଷି ବ୍ରାହ୍ମଣ,ଅନ୍ୟ ପାର୍ଶ୍ୱେ ରାଣୀଗଣ,ସମ୍ମୁଖରେ ଉଭା ପୁରପ୍ରଜାଗଣ,ସଭା ଲୋକେ ଲୋକାରଣ୍ୟ । ୩ ।ସମସ୍ତେ ସନ୍ତ୍ରସ୍ତ ସମସ୍ତେ ତୁନି,ଜାନକୀ ସଙ୍ଗତେ ବାଲ୍ମୀକି ମୁନି,ସଙ୍ଗେ ଛନ୍ତି ଲବ କୁଶ କୁମରେ,ଚକିତେ ପ୍ରବିଷ୍ଟ ସଭା ମଧ୍ୟରେ,ଠିଆ ହେଲେ ସର୍ବଜନବିଷାଦପ୍ରତିମା ପ୍ରିୟାଙ୍କୁ ଅନାଇଶ୍ରୀରାମ ବିକଳ ମନ । ୪ ।କ୍ଷୀଣ–ଇନ୍ଦୁକଳା ସମା ସୁଦୀନାଅଧୋଦୃଷ୍ଟି ସତୀ ଔଦ୍ଧତ୍ୟହୀନା,ଭାର୍ଯ୍ୟା ପୁତ୍ରେ ପାଇଁ ଅଯୋଧ୍ୟାପତିଭାତା ଗହଣରେ ପ୍ରଣମୁଁ ଯତିବିଶୁଦ୍ଧ ପୂତବଚନେଲବ କୁଶ ପରିଚୟ ପ୍ରଦାନିଣଯାଚିଲେ ସୀତା ଗ୍ରହଣେ । ୫ ।ବୋଲନ୍ତି ବାଲ୍ମୀକି ଗମ୍ଭୀର ସ୍ୱରେ,“ଅବଧାନ କର ସଭାସ୍ଥନରେ,ପବିତ୍ରହୃଦୟା ବୈଦେହୀ ସତୀ,ଅକୁଣ୍ଠିତେ ସର୍ବେ ଦିଅ ସମ୍ମତି,ସତୀଙ୍କୁ ରଘୁନନ୍ଦନ,କରି ପ୍ରତିଗ୍ରହ ରାଜ–ପରିବାରଦୁଃଖ କରନ୍ତୁ ମୋଚନ ” । ୬ ।ଏକକଣ୍ଠେ ଋଷି ରାଜମଣ୍ଡଳି,ଉଭା ହୋଇ କରି ବଦ୍ଧଅଞ୍ଜଳିସମ୍ମତି ଜଣାଉଁ, ରଘୁନନ୍ଦନଜନତାରେ ନିବେଶିଲେ ନୟନ,ନିଷ୍କମ୍ପ ନୀରଧି ପ୍ରାୟେମଉନେ ରହିଲା ବିଶାଳ ଜନତା,ଆକୁଳ ଅଯୋଧ୍ୟାରାୟେ । ୭ ।ବାଲ୍ମୀକି–ଆନନେ ସୀତାରମଣଅନାନ୍ତି, ସତୃଷ୍ଣ ବେନି ନୟନ ।ସାଗ୍ରହଚିତ୍ତରେ ସତୀ ବୈଦେହୀପତିଗ୍ରହ ଆଶେ ଥିଲେକ ରହି,ଦେଖୁଁ ପ୍ରଜା–ଅସମ୍ମତିଶତବଜ୍ର ଅବା ପଡ଼ିଲା ମସ୍ତକେମୃତକଳ୍ପା କୃଶା ସତୀ । ୮ ।ସୀତା ପ୍ରତିଗ୍ରହ ପ୍ରକୃତିଗଣକେବେହେଁ କରିବେ ନାହିଁ ବାରଣ,ଏହି ପ୍ରତୀତିରେ ବାଲ୍ମୀକି ରହିପରୀକ୍ଷାବୃତ୍ତାନ୍ତ ନ ଥିଲେ କହି,ସୀତାଙ୍କୁ ଏ ତ୍ରିଭୁବନଶୂନ୍ୟ ଦେଖାଗଲା କି କରିବେ କାହିଁଯିବେ ? ବିକଳ ଜୀବନ । ୯ ।ସୀତାଙ୍କୁ ବାଲ୍ମୀକି ଚାହିଁ କହନ୍ତି“ତୁମ୍ଭଙ୍କୁ ନୃପତି ଜାଣନ୍ତି ସତୀପୁରପ୍ରଜାଗଣ ଠୁଳ ଏ ସ୍ଥାନେକୁଣ୍ଠିତ ସେମାନେ ସମ୍ମତିଦାନେ,ଦିଅ ଏମନ୍ତ ପରୀକ୍ଷା,ରାଜ୍ୟବାସୀ ମନୁଁ ତୁଟୁ ଦୁଃସଂଶୟଶ୍ରୀରାମଙ୍କ ଏହି ଭିକ୍ଷା । ୧୦ ।ପୁଣ୍ୟର ପ୍ରତିମା ବୈଦେହୀ ସତୀଘୋର ଲଜ୍ଜା ଦୁଃଖେ ବିଷଣ୍ଣା ଅତିସର୍ବସମକ୍ଷରେ ଏହି ପ୍ରକାରେପରୀକ୍ଷିତା ହୋଇଥିଲେ ଲଙ୍କାରେ ।ସ୍ମରି ପୂର୍ବ ଦୁଃଖମାନମନ୍ଥି ହୋଇଗଲା ସତୀଙ୍କ ପରାଣକପୋଳ ଦିଶିଲା ମ୍ଳାନ । ୧୧ ।ଦୀର୍ଘବନବାସେ ଦୁଃଖିନୀ ସତୀହୋଇଥିଲେ କ୍ଷୀଣା ବିଷଣ୍ଣା ଅତି,ଅନୁକ୍ଷଣ ଦେବି ସ୍ୱପ୍ରତିଗ୍ରହଚାହିଁ ରହିଥିଲେ ଆଗ୍ରହ ସହ,ସମିଧେ ବହ୍ନି ଯେସନଅପମାନେ ସତୀ ବ୍ୟଥିତ ପରାଣଉତ୍ଥାନେ ହେଲା ଉଚ୍ଛନ୍ନ । ୧୨ ।ସହିଷ୍ଣୁତା ମୂର୍ତ୍ତି ବିଦେହସୁତାନ କହିଲେ କଥା ଦୁଃଖାଭିଭୂତା,କିନ୍ତୁ କୋଟି ଗୁଣ ପ୍ରଗଳ୍ଭ ଗିରପ୍ରକାଶ୍ରିତ କଲା ନୟନନୀର,ବିଷାଦ ପ୍ରତିମା ସତୀନିରେଖି ସେ ରୂପ ଗଳିବ କୁଳିଶକାରୁଣ୍ୟ କି ମୂର୍ତ୍ତିମତୀ ! ୧୩ ।ଋଷିଶିଷ୍ୟାର୍ପିତ ଜାହ୍ନବୀ–ନୀରେଆଚମନ କରି କହନ୍ତି ଧୀରେ“କାୟମନୋବାକ୍ୟେ ସ୍ୱାମୀଙ୍କୁ ଯେବେଅତିକ୍ରମି ନାହିଁ ଜୀବନେ କେବେପତିପଦେ ଯେବେ ପ୍ରାଣସମର୍ପି ଥିବି ମୁଁ ଏକାନ୍ତ ଚିତ୍ତରେଦିଅ ମା ଧରିତ୍ରୀ ! ସ୍ଥାନ । ୧୪ ।ଚିରଦୁଃଖିନୀ ମୁଁ ହେ ପ୍ରାଣସାଇଁଲଲାଟେ ମୋ ସୁଖ ଲିହିତ ନାହିଁ,ବଡ଼ ହୀନମାନ ସୀତା ପରାଣଅଦୃଶ୍ୟେ ଆଜି ସେ କରୁ ପ୍ରୟାଣ,ଚିରଦୁଃଖିନୀ ଭୋ ପ୍ରଭୁତୁମ୍ଭରି କୃପାରେ ଜନ୍ମଜନ୍ମାନ୍ତରେତୁମ୍ଭ ଶ୍ରୀଚରଣ ଲଭୁ” । ୧୫ ।କଟାକ୍ଷେ ବିଦୀର୍ଣ୍ଣ ଅବନୀତଳ,ନିର୍ଗମିଲା ତହୁଁ ପ୍ରଭାମଣ୍ଡଳ,ପ୍ରଭାପୁର ମଧ୍ୟେ ଦିବ୍ୟ ବିମାନ,ପୃଥ୍ୱୀଦେବୀ ତହିଁ ବିରାଜମାନ,ସ୍ନେହେ କଲେ ଆଲିଙ୍ଗନ,ପତିପ୍ରାଣା ସୀତା ନିବେଶିଲେ ପ୍ରେମେସ୍ୱାମୀ ଶ୍ରୀମୁଖେ ନୟନ । ୧୬ ।ପତିହୃଦ–ଜୋତ୍ସ୍ନାରାମରମଣୀସତୀସମାଜର ମୁକୁଟମଣିନୀରଦେ ଯେସନେ ମିଶେ ଚଞ୍ଚଳା,ଦିଶିଲେ ତେସନ ମହି–କମଳା;ରାମ ବଜ୍ରାହତ ପ୍ରାୟେ“ହା ହା ସୀତା” ବୋଲି ଧରଣୀତଳରେପଡ଼ି ମୋହ ଗଲେ ରାୟେ । ୧୭ ।ଚୈତନ୍ୟ ଲଭିଣ ଅଯୋଧ୍ୟା ରାଣଧରିଣ ସଂରମ୍ଭେ ସ୍ୱଧନୁର୍ବାଣପ୍ରଳୟ କରାଳ ରୂପେ ଗର୍ଜ୍ଜନକରୁଁ କମ୍ପେ ଚତୁର୍ଦ୍ଦଶ ଭୁବନ ।ତ୍ରିକାଳଜ୍ଞ ପୁରୋହିତ“ଦୈବ–ଦୁର୍ଘଟନା ଦୁର୍ନିବାର” ଆପ୍ତ—ବାକ୍ୟେ କଲେ ଶାନ୍ତ ଚିତ୍ତ । ୧୮ ।
ଚତୁର୍ଦ୍ଦଶ ସର୍ଗ
ଶ୍ରୀରାମଙ୍କ ଅନ୍ତିମ ଜୀବନଦିନ–ଶ୍ରମ–ଅନ୍ତେ ଆସି ଶ୍ରୀରାମରାଜନବିଶ୍ରାମ–ଭବନେ ଏକା କରନ୍ତି ଶୟନ ।ନାନାରତ୍ନେ ଚରିତ ସେ ଅତୁଲ୍ୟ ଭବନ,ଲଜ୍ଜା ପାଏ ତାହା ପାଶେ ସତାର ଗଗନ ।ଜଳଇ ସେ ଗୃହେ ଶତ ରତ୍ନଦୀପାବଳୀପୂଣ୍ଣିମା–ଗଗନ ସମ ସେ ପୁରେ ଉଜଳି ।ଶିରୋପରି ଅଛି ଉଭା ହିରଣ୍ମୟୀ ସୀତାଯେଉଁ ଦିନୁଁ ଦୁଃଖେ ସତୀ ହେଲେ ଅନ୍ତର୍ହିତା ।ଏସନ ଶୟନ–ଗୃହେ ଅଯୋଧ୍ୟାରାଜନଅର୍ଦ୍ଧଶୂନ୍ୟ ଶଯ୍ୟା ପରେ କରନ୍ତି ଶୟନ ।ଘୋର ଅରଣ୍ୟରେ ସତୀ ବୈଦେହୀ ସଙ୍ଗରେତାପସ ବେଶରେ କ୍ଷୁଦ୍ର ପର୍ଣ୍ଣକୁଟୀରରେ ।କାଟୁଥିଲେ କାଳ ଯେଉଁ ରାମ ରାଜା ସମମଣନ୍ତି ଅଯୋଧ୍ୟା ଏବେ ଅରଣ୍ୟ ବିଷମ ।ସୁବର୍ଣ୍ଣ–ସୀତାକୁ ଚାହିଁ ଶ୍ରୀରାମ ଅଧୀରଭାଳନ୍ତି ନରେଶ, ନେତ୍ରୁ ବହିଯାଏ ନୀର ।କେଣେ ଛାଡ଼ିଗଲ ମୋତେ ମୋ ହୃଦୟେଶ୍ୱରି,କି ସୁଖ ରହିଲା ଆଉ ଜୀବନେ ମୋହରି !ବିଶ୍ରମ–ଆଳାପ ବେଳେ କହିଥିଲ ସତି,ଶିବଧନୁ ଯେବେ ମୁହିଁ ଭାଙ୍ଗି ନ ପାରନ୍ତି,ଚିରତପସ୍ୱିନୀ ହୋଇ କାଟନ୍ତି ଜୀବନଅବା ମୋତେ ଝୁରି ଝୁରି ଭଜନ୍ତି ମରଣ ।ଯାହାପାଇଁ ଧନୁପଣ ନିନ୍ଦା କରିଥିଲ,ସେ ରାମକୁ କେଉଁ ପ୍ରାଣେ ପ୍ରେୟସି ତେଜିଲ ?ହେଉଥିଲ ଲବେମାତ୍ର ବିଚ୍ଛେଦେ ବ୍ୟଥିତା,କେମନ୍ତେ ଏତେ ଅନ୍ତର କରିଦେଲ ସୀତା ?କେଉଁ ଦୂରଦେଶେ ଯାଇଁ କଲ ସୁଖଧାମ ?ଦେଖିବାରେ କି ଯାତନା ଭୋଗେ ଦୁଃଖୀରାମ ।ବନବାସେ ହେବ ବୋଲି କିଞ୍ଚିତ କଷଣ,ସେବା ପାଇଁ କଲ ସଙ୍ଗେ ଅରଣ୍ୟେ ଗମନ ।ଦାରୁଣ ଯାତନା ଆଜି ରାମପ୍ରାଣେ ଜାଳେ,ଦାସପ୍ରତି ନ ଅନାଅ କିପାଁ ଦେବି ଢାଳେ ?ଗୋଦାବରୀ–ତଟ–ବନେ ଚାନ୍ଦିନୀ ରାତ୍ରରେଢଳି ମୋ ଅଙ୍କରେ ପ୍ରିୟେ କହିଥିଲ ଥରେଘଡ଼ିକ ଅନ୍ତର ମୋର ନ ହୁଅଇ ସହି,କେଉଁ ଦୂରଦେଶେ ଆଜି ଅଛ ଯାଇଁ ରହି ?ଜାନକୀ ସଙ୍ଗତେ ତ୍ୟଜି ରାଜ୍ୟ ସିଂହାସନଗହନକାନନେ କିପାଁ ନ କଲି ଗମନ ?କିପାଁ ଧର୍ମେ ସାକ୍ଷୀ କରି ନେଲି ରାଜ୍ୟଭାର,ଅର୍ପିଲ ପ୍ରଜାଙ୍କୁ କିପାଁ ଆତ୍ମପରିବାର ?କି କଠିନ ରାଜକାର୍ଯ୍ୟ ଦୁଃସାଧ୍ୟ ବ୍ୟାପାରକି ନିର୍ମମ ନିଦାରୁଣ ଲୋକବ୍ୟବହାର ।ହୀରକମୁକୁଟ ସହ ଦୁଃସହ କଷଣଆସ ସିଂହାସନପ୍ରାର୍ଥି, କରି ମୋ ବହନ !ରାଜ୍ୟ ପାଇଁ ସ୍ନେହ, ପ୍ରେମ, ମମତା ବିସର୍ଜିଅଗାଧ ସନ୍ତାପନୀରେ ଅଛି ମୁହିଁ ମଜ୍ଜି ।ଉତ୍ତରକାଳକୁ ଲୋକେ “ଶ୍ରୀରାମ ନୃଶଂସ”ବୋଲିଣ ରଟିବେ ମୋ ଘୋର ଅପଯଶ ।ଅଶ୍ୱମେଧଯଜ୍ଞ କଲି ନୈମିଷ–ଅରଣ୍ୟେ,ଗୋମତୀତଟରେ ଆମନ୍ତ୍ରିଣ ଋଷିଜନେ ।ବାଲ୍ମୀକି ସଙ୍ଗତେ ଦେଖି ତବ ବେନିସୁତପ୍ରତିଗ୍ରହ–ଆଶେ ତବ ବରଗିଲି ଦୂତ ।ରମଣୀ ମାନିନୀ ଏହା ଖ୍ୟାତ ଏ ଭୁବନଫେରିଲ ଜାନକି ପାଳି ମୋ ଆଜ୍ଞା–ବଚନ ।ସୁବର୍ଣ୍ଣ ଜିଣିଣ କାନ୍ତି ତରୁଣ ମୀରତି,ଦ୍ୱାଦଶ ବରଷ ଶୋକେ କ୍ଷୀଣମ୍ଳାନ ଅତିଲାବଣ୍ୟ ପ୍ରତିମା ଆହା ମୋ ବିରହେ କ୍ଷୀଣ,ଦେଖି ଏ ପାପାଣବକ୍ଷ ନୋହିଲା ବିଦୀର୍ଣ୍ଣ !ଜାଣି ତ ନ ଥିଲ ଦୀର୍ଘକାଳ ପରେ ଆଣିଚଣ୍ଡାଳ ପରାୟେ ପୁଣି ଆଚରିବି ରାଶି ।ଦୁଃଖ ଶୋକେ ସୁକୁମାରି ଥିଲ ମ୍ରିୟମାଣ,ଯଜ୍ଞସଭା–ଅପମାନେ ଉଡ଼ିଗଲା ପ୍ରାଣ ।ଥରେ ଭଲା କହିଥାନ୍ତି ଅନ୍ତରର ବ୍ୟଥା;ନ କହି ଥାଆନ୍ତି ହେଲେ ପରୀକ୍ଷାର କଥା ।ଚିରଅପରାଧୀ କଳି କେତେ କେତେ ଦୋଷ,କେବେ ସତୀ–ଶିରୋମଣି ନ ବହିଲି ରୋଷ !ଭାବିଥିଲି ପ୍ରଜାଗଣ ନ ଦେଲେ ସମ୍ମତିତବ ପ୍ରତିଗ୍ରହେ, କରି ଭରତେ ନୃପତି,ତବ ସଙ୍ଗେ ବାନପ୍ରସ୍ଥେ ଗହନ କାନନେବିଜନେ କାଟିବି ମୋର ଉତ୍ତର ଜୀବନେ ।ଏ କଥା ସମୟେ ମୁହିଁ କିପାଁ ନ କହିଲି,ପ୍ରାଣପ୍ରିୟା ସୀତାଙ୍କୁ ଯେ ହରାଇ ବସିଲି !ସରଳା ଜନକସୁତା ସତୀଶିରୋମଣିହୋଇଥାନ୍ତ ଗୃହଲକ୍ଷ୍ମୀ ନରେଶ ଘରଣୀ ।ନୃଶଂସ ଶ୍ରୀରାମ ହରି ତବ ରାଜ୍ୟସୁଖପରାଶେ ମାରିଲା ଦେଇ ଦୁର୍ବିଷହ ଦୁଃଖ !ନାରୀହତ୍ୟା–ଭାର୍ଯ୍ୟାହତ୍ୟା–ସତୀହତ୍ୟା–ପାପଦଂଶନ କରନ୍ତି ମୋତେ ଯେହ୍ନେ କାଳସାପ ।ଯେ ପାଷଣ୍ଡ ତବ ପ୍ରାଣେ ଦେଲା ଏ କଷଣ,ନିଜ ହସ୍ତେ କର ତାକୁ ନରକେ କ୍ଷେପଣ,ସେ ନରକେ ଯାଉ ରାମ ସଡ଼ି ଅବା ଜଳିନରକଦଣ୍ଡରୁ ଓହୋ ! ଏ ଯନ୍ତ୍ରଣା ବଳି !ଫାଟିଯାଅ ହୃଦୟରେ ଯାଉ ଏ ଜୀବନନ ସହି ପାରିବି ଏ ଯେ ଅସହ୍ୟ କଷମ !ବିଳାପି ବିଳାପି ରାମ ହେଲେ ଅବସନ୍ନନିଦ୍ରାରେ ଦେଖନ୍ତି ରାଜା ମଧୁର ସ୍ୱପନ ।ମସ୍ତକେ ସିନ୍ଦୁର ଅଙ୍ଗେ କୁଙ୍କୁମ ଲେପିତଚରଣେ ଅଲକ୍ତ ସୀତା କବରୀ ଲମ୍ବିତ ।କହନ୍ତି ଶ୍ରୀରାମ ଆସି ମଧୁର ବଚନ,ଅପୂର୍ବଅମୃତସିକ୍ତ କର୍ଣ୍ଣରସାୟନ—“ଯେ ଶାଶ୍ୱତ କ୍ଷେତ୍ରେ ଆମ୍ଭ ଦୁହିଁଙ୍କ ମିଳନ,କିଏ କରିପାରେ ସଖା ଛିନ୍ନ ସେ ବନ୍ଧନ ?ମୁଁ କି ଜାଣେ ନାହିଁ ପ୍ରଭୁ ସେ ମହତ ପ୍ରାଣ ?ସେ ପୂତ ଚରଣ ତେଣୁ କରେଁ ଅନୁଧ୍ୟାନ ।ବୀର ଶୁର ଶୁଦ୍ଧଚେତା ଅଟନ୍ତି ଯେ ପତିତାହାଙ୍କୁ ଆଶ୍ରୟ ସଦା କରେ ସତୀ–ମତି ।ବିଳାସୀ ଦୁର୍ବଳଚେତା ଅଟେ ଯେଉଁ ବ୍ୟକ୍ତିପାଇ ପାରେ ବିଳାସିନୀ କାମିନୀ–ଆସକ୍ତି ।କିନ୍ତୁ ସତୀ ସାଧ୍ୱୀଙ୍କର ଆତ୍ମାର ଆକାଙ୍କ୍ଷାସାତ୍ତ୍ୱିକ ବୀରଙ୍କ ପଦେ ଆଶ୍ରା କରେ ଭିକ୍ଷା ।ଶରୀର ସମ୍ପର୍କ ସିନା ତୁଟିଲା ହେ ପ୍ରଭୁ !ତୁମ୍ଭେ ମୋତେ ଦେଇଅଛ ଅନ୍ତର୍ଯ୍ୟାମୀ ସବୁ ।ବିଶାଳ ହୃଦୟ ତବ ଅଟେ ସୀତାମୟ,ଏହାଠାରୁ ବଳି ନାଥ ସୁଖ କାହିଁ କହ !ନୁହେଁ ମୁଁ ସାମାନ୍ୟ ନାରୀ ଅବା ବିଳାସିନୀ,ଯୁଗେ ଯୁଗେ ତୁମ୍ଭେ ତପୀ ମୁଁ ସହଧର୍ମିଣୀ ।ମୋ ମାନସକ୍ଷେତ୍ରେ ଯେଉଁ ଆଦଶଉଦୟତବ କର୍ମକ୍ଷେତ୍ରେ ପ୍ରଭୁ ତାର ଅଭିନୟ ।ପ୍ରକୃତିପୁଞ୍ଜଙ୍କୁ ପ୍ରଭୁ କରିଣ ବଞ୍ଚନାକରିଥାନ୍ତ ସ୍ୱାମି ଯେବେ ନାରୀ–ଆରାଧନାସୀତା ଅନ୍ତରାତ୍ମା ତହିଁ ନ ଲଭନ୍ତା ଶାନ୍ତିଚାରି ଯୁଗେ ଧରାଜନେ ଭଜିଥାନ୍ତେ ଭ୍ରାନ୍ତି ।ଦେଖାଇଣ ସ୍ତ୍ରୈଣ ଜନେ ଆମ୍ଭରି ଦୃଷ୍ଟାନ୍ତକର୍ତ୍ତବ୍ୟବିଭ୍ରଷ୍ଟ ହୋଇ ହୋଇଯାନ୍ତେ ଭ୍ରାନ୍ତ ।ତୀବ୍ର ତପ କରି ପ୍ରଭୁ ଆହେ ସୀତାପତି !“ରାମ ରାଜ୍ୟ” ସ୍ଥାପିଅଛ, ରାଜ୍ୟାଶ୍ରମେ ପତି !ରକ୍ତ–ମାଂସ–ଶରୀ ସିନା ଲଭିଛି ଯତନା,ସତ୍ତ୍ୱିକ ସଂଯତ ଆତ୍ମା ଲଭିଛି ସାନ୍ତ୍ୱନା ।ଶରୀର ସମ୍ପର୍କ ମଧ୍ୟ ନୋହିଲା ବିଫଳ,ଲବ କୁଶ କରିଛନ୍ତି ତା ଅର୍ଥ ସଫଳ ।ଧର୍ମ ଅର୍ଥ କାମ ମୋକ୍ଷ ଚତୁବର୍ଗ ଫଳତବ ସଙ୍ଗେ ପାଉ ନାଥ ଜୀବନ ସଫଳ ।ଅଯୋଧ୍ୟାଭୁବନେ ନାଥ କୃତ୍ରିମବିଳାସେଥାଇ ଯାହା ନ ମିଳନ୍ତା, ହେଲା ବନବାସେ ।ତାରକାଖଚିତ ନୀଳ ନିର୍ମଳ ଗଗନ,ପବିତ୍ର ସରିତସ୍ରୋତ ବିସ୍ତୀର୍ଣ୍ଣ କାନନ,ବିଚିତ୍ର–ବିହଙ୍ଗ–ପନ୍ତି–ମଧୁର–ସୁତାନ,ସୁନ୍ଦର ପବିତ୍ର ମହା ପ୍ରକୃତିର ପ୍ରାଣ—ବାହାରେ ଏମନ୍ତ ଦୃଶ୍ୟ ନୟନାଭିରାମ,ଭିତରେ ଧାର୍ମିକ–ସ୍ୱାମୀ–ପ୍ରେମ ପ୍ରାଣାରାମ,ଇହଲୋକେ ପାଇଥିଲା ଦିବ୍ୟଲୋକ ସୁଖ’ତୁମ୍ଭ ଶିଷ୍ୟା ଜାନକୀର ନାହିଁ ନାହିଁ ଦୁଃଖ ।ନିର୍ଲିପ୍ତ ସଂସାରୀ ପିତା ରାଜର୍ଷି ଜନକରାଜ୍ୟାଶ୍ରମ ଋଷି ସ୍ୱାମୀ ହେ ରଘୁନାୟକ,ତୁମ୍ଭରି ସହଧର୍ମିଣୀ ହେବା ପାଇଁ ପ୍ରଭୁ,ପ୍ରକୃତି ତ କରିଥିଲା ଆୟୋଜନ ସବୁ ।ନାହିଁ ମୋର ଲବେ କ୍ଳେଶ ନାହିଁ ମୋର ଦୁଃଖଏ ଭାବନା ଭାବି ପ୍ରାଣେ ରଖ ପ୍ରଭୁ ସୁଖ ।ତୁମ୍ଭଠାରୁ ମୁହିଁ ତିଳେ ନୁହେଁ ତ ଅନ୍ତର,ଏକ ଆତ୍ମା ଏକ ଲକ୍ଷ୍ୟ ଆମ୍ଭ ଦୁହିଙ୍କର ।ବେନି ଦେହେଁ ଏକ ଆତ୍ମା ଥିଲୁ ତ ଜୀବନେ’ଏକ ଦେହେଁ ବେନି ଆତ୍ମା ହେଲା ମୋ ମରଣେ ।ସୀତା–ପ୍ରାଣ ରାମମୟ ରାମ ସୀତାମୟଦୁଇ ଆତ୍ମା ହୋଇଅଛି ଶାଶ୍ୱତେ ବିଲୟ ।”ଶବଦ ଶୁଣନ୍ତେ ରାମ ହେଲେ ସଚେତନ ।ଦେଖିଲେ ହସଇ ସୀତା କନକ–ବଦନ ।ମନେ ପଡ଼ିଗଲା କ୍ଷଣେ ଘଟନା ପୂର୍ବର,ଉଛୁଳି ଉଠିଲା ପୁଣି ବିଷାଦସାଗର ।ଏକାଳେ “ଶ୍ରୀରାମ ଜୟ” ଶବଦ ଶୁଭିଲା;ପ୍ରଭାତୀ ସଙ୍ଗୀତ ଆସି ବନ୍ଦୀ ଆରମ୍ଭିଲା ।“ଜୟ ଶ୍ରୀ ରଘୁତିଳକ, ତାଡ଼କାବିଧ୍ୱଂସି,ଜୟ ଶିବଧନୁର୍ଦ୍ଧାରୀ, ସୀତାହ୍ୱଦଶଶି ।ଜୟ ଜୟ ପର୍ଶୁରାମ–ଦର୍ପଚୂର୍ଣ୍ଣକାରି,ଜୟ ଜୟ ନାରାୟଣ, ଜୟ ରାବଣାରି,ଜୟ ପ୍ରଜାଜନପ୍ରିୟ, ଦୀନବନ୍ଧୁ ଜୟ,ଜୟ ଦୁଷ୍ଟନିବାରକ ସାଧୁଜନାଶ୍ରୟ ।”ପ୍ରାତଃକୃତ୍ୟ ବଢ଼ାଇଣ ବ୍ରତପରାୟଣଆରୋହଣ କଲେ ଯାଇଁ ସ୍ୱର୍ଣ୍ଣସିଂହାସନ ।ରାଜଦଣ୍ଡ ଚାଳି ପ୍ରଜାହୃଦୟରଞ୍ଜନ,କରନ୍ତି ପାଳନ ସନ୍ଥ, ଦୁଷ୍ଟନିବାରଣ ।ଏହିପରି ରାମରାଜା ପାଳନ୍ତି ଧରଣୀ,ପ୍ରାଣେ ତାଙ୍କ ଜଳୁଥାଏ ସୀତା–ଶୋକ–ବହ୍ନି ।ଯାଇଥିଲେ ସୀତା, ପୁଣି ଗଲେ ତ ଶ୍ରୀରାମ,ଏ ଜଗତେ ରହିଅଛି ସୀତାରାମ ନାମ ।
ସମ୍ବନ୍ଧିତ ରଚନା
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ