କାଞ୍ଚି କାବେରୀ ଯୁଦ୍ଧ
ଗୋବିନ୍ଦ ରଥ · ଭାଗ ୫ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
୧୯ଶ ଛାନ୍ଦ-ରାଗ ବରାଡ଼ି-ଆଷାଢ଼ଶୁକଳବାଣୀ ।
ଶୁଣ ଜନେ କାଞ୍ଚୀସଇନ ରଣେ ।ହାରି ପଳାଇଁ ଯାଉଁ ଏଣେ ତେଣେ ।ଓଡ଼ିଶାରାଜାର ସଇନ ଲୋକେ ।ଗୋଡ଼ାଇଁ ମାରନ୍ତି ତାପତରକେ ।ଯହିଁ ରାମ ହରି ।ଯୁଝନ୍ତି ତହୁଁ କେ ନ ଯିବ ହାରି ।୧।ଏହା ଦେଖି କଳେବର ନରେଶ ।ସୈନ୍ୟଭଙ୍ଗେ ହୋଇଁ ହୀନସାହସ ।ପଳାଇଁ ଯାଇଁ ଈଷ୍ଟଦେବ ପାଖେ ।କରନ୍ତେ ନିବେଦନ ମନଦୁଃଖ ।ହାରିଯିବା କଥା ।ଶୁଣି ତା କହିଲେ ବାରଣମଥା ।୨।ଶୁଣ କଳେବର ନରଈଶ୍ୱର ।କାଲି ଜୟ କରାଇଲି ତୋହର ।ଆଜି ଯୁଦ୍ଧରେ ରାମ ଜଗନ୍ନାଥ ।ଯୁଝନ୍ତି ତାଙ୍କୁ ଦେଖି ହେଲି ଭୀତ ।ସେ ସୃଷ୍ଟିକାରଣ ।କରିବ କେ ତାଙ୍କ ସଙ୍ଗରେ ରଣ ।୩।ସେହି ଜଗନ୍ନାଥ ବ୍ରହ୍ମା ହୁଅନ୍ତି ।ପ୍ରଳୟହୁଅନ୍ତେ ଜଗତ କରନ୍ତି ।ନାରାୟଣରୂପେ ତାକୁ ପାଳନ୍ତି ।ରୁଦ୍ରରୂପ ଧରି ପୁଣି ନାଶନ୍ତି ।ଏପରି ଯେ ହରି ।ତାଙ୍କୁ ଜିଣିବ କେ ଶରୀର ଧରି ।୪।ଏବେ ଯାଇଁ ତାଙ୍କ ଶରଣ ହୁଅ ।ନୋହିଲେ କୁଟୁମ୍ବ ଘେନି ପଳାଅ ।ଆଜିଯାଏ ଥିଲୁ ଦୁର୍ଜୟ ହୋଇଁ ।ଏଣିକି ଆଉ ମୋର ବଳ ନାହିଁ ।ଶୁଣି କାଞ୍ଚୀନାଥ ।ସେଠାରୁ ପଳାଇଲା ହୋଇଁ ଭୀତ ।୫।ନାରୀଦୁହିତାଙ୍କୁ ଘେନି ସଙ୍ଗରେ ।ପଳାଇଁ ଯାନ୍ତେ ବନକୁ ବେଗରେ ।ଜାଣି ତାହା ରାମ କଳାକହ୍ନାଇ ।ନୃପର ପ୍ରତିଜ୍ଞା ରଖିବା ପାଇଁ ।କେତେକ ସିପାଇ ।ଘେନି ତାହାଙ୍କୁ ଓଗାଳିରେ ଯାଇଁ ।୬।ରାଜା ପଳାଇଁଗଲେ ପ୍ରାଣଡ଼ରେ ।ରାଣୀ ପଦ୍ମାବତୀ ପଡ଼ିଲେ ଘେରେ ।ରାଜସୁତାକୁ ସେଠାରୁ ଘେନାଇ ।ଅଇଲେ ରାଣୀ କି ସେ ଛାଡ଼ିଦେଇ ।ପାଶେ ନୃପଙ୍କର ।ପଦ୍ମାବତୀକି ଦେଲେ ଲସକର ।୭।ଶ୍ରୀ ପୁରୁଷୋତ୍ତମଦେବ ନରେଶ ।ପଦ୍ମାବତୀକି ଦେଖି ହୋଇ ବଶ ।କହିଲେ ଏ କନ୍ୟା ଜାତି ପଦ୍ମିନୀ ।ଅଛି ଅଙ୍ଗେ କେତେ ଲକ୍ଷଣ ଘେନି ।ଲି ହେବ ହୋଇଲେ ।ଚଣ୍ଡାଳକୁ ଦେବା ଏଠାରୁ ନେଲେ ।୮।ଏହା ବିଚାରି ଓଡ଼ିଶାରାଜନ ।ମନ୍ତ୍ରୀଙ୍କି ପାଶେ ଡକାଇଁ ବହନ ।ବୋଇଲେ ତୁମ୍ଭେ ଏ କନ୍ୟାକୁ ନିଅ ।ବିଚାରି କେଉଁ ଚଣ୍ଡାଳକୁ ଦିଅ ।ଏଣିକି ଆମ୍ଭର ।ଅଧିକାର ନାହିଁ ହେଲା ତୁମ୍ଭର ।୯।ଶୁଣି ମନ୍ତ୍ରୀ ଯେ ଆଜ୍ଞା ବୋଲି କହିଁ ।ରଖାଇଲା ପଦ୍ମାବତୀକି ନେଇ ।ଆଜ୍ଞା ଦେଲା ପରିଚାରେ ଡକାଇଁ ।ଓଡ଼ିଶାରାଣୀ ହୋଇବେଟି ଏହି ।ଏହାଙ୍କୁ ଯତନେ ।ରଖିବ କିଛି ନ କହି ବଚନେ ।୧୦।ମନ୍ତ୍ରୀ ବଚନ ଶୁଣି ପଦ୍ମାବତୀ ।ଶୋକଗଦଗଦେ ବାଣୀ କହନ୍ତି ।ଆହେ ମନ୍ତ୍ରୀ ମୋ କପାଳରେ ଏହା ।ଅଛି କି ଆଜ୍ଞା ଦେଲ ତୁମ୍ଭେ ଯାହା ।ମୋର ଭାଗ୍ୟ କାହିଁ ।ଓଡ଼ିଶା-ନୃପତି-ରାଣୀ ହେବଇଁ ।୧୧।କରିଛନ୍ତି ରାଜା ନିୟମ ବଡ଼ ।ମୋତେ ଚାଣ୍ଡାଳକୁ ଦେବେ ଏ ଦୃଢ଼ ।କେବଳ ତୁମ୍ଭେ ପିତା ମାତା ମୋର ।ଆଉ ଭରସା ପ୍ରଭୁ ଚକ୍ରଧର ।ଏହା କହିଁ ଶୋକ ।କରୁଁ ସେ ମନ୍ତ୍ରୀ ଭାଷେ ଧୀରେ ବାକ୍ୟ ।୧୨।ନ କର ଗୋ ପଦ୍ମାବତୀ କ୍ରନ୍ଦନ ।ଜାଣ ଥିବାଯାଏ ମୋର ଜୀବନ ।ତୁମ୍ଭଙ୍କୁ ଚଣ୍ଡାଳ ହାତେ କେ ଦବ ।ପ୍ରଭୁଙ୍କ କୃପାରେ ରାଣୀ ହୋଇବ ।ଏହା କହିଁ ତାଙ୍କୁ ।ସତ୍ୱରେ ଆସି ଭେଟିଲା ନୃପଙ୍କୁ ।୧୩।ତେଣେ କାଞ୍ଚୀ ସୈନ୍ୟ ଯାନ୍ତେ ପଳାଇଁ ।ଓଡ଼ିଶା ପାଇକେ କୁହାଟିଦେଇଁ ।ମାରି ଶୂନ୍ୟଚିରା ଫରି କମ୍ପାଇଁ ।ନୃପଙ୍କ ନିକଟେ ମିଳି ଵିନୋଇ ।କହିଲେ ଭାରତୀ ।ହେ ଦେବ ହାରିଗଲା କାଞ୍ଚୀପତି ।୧୪।ଶୁଣି ଗଜପତି ହରଷ ହେଲେ ।ଦାଶରଥିଙ୍କି ସଙ୍ଗରେ ଘେନିଲେ ।ଆସି ଛାଉଣିରେ ବେଗେ ମିଳିଲେ ।ପ୍ରଭୁଙ୍କୁ ବହୁ ପ୍ରଣାମ ସେ କଲେ ।କହେ କପିଳେଶ ।ହେ ନୃପ ତୁମ୍ଭର ବଡ଼ ବିଶ୍ୱାସ ।୧୫।
୨୦ଶ ଛାନ୍ଦ-ରାଗ ରଣବିଜେ ହରିଚଉତିଶାବାଣୀ ।
ହେଉଁ କାଞ୍ଚୀପୁର-ଜୟ ନରେଶ୍ୱର ଶ୍ରୀ ପୁରୁଷୋତ୍ତମଦେବ ।ହୋଇ ଚିତ୍ତେ ତୋଷୀ ଛାଉଣୀରେ ବସି କହନ୍ତି ସୈନ୍ୟଙ୍କୁ ଜବ ହେ ।ବୀରେ । କାଞ୍ଚୀନୃପ ପଳାଇଁ ଭୟରେ ।ଯାଇଁ ଲୁଚିଅଛି ଅରଣ୍ୟରେ ହେ ।୧।ଯାଇଁ ତୁମ୍ଭେ ବେଗେ ଆଣ ନେବା ସଙ୍ଗେ ତା ଈଷ୍ଟ ଗଣନାଥଙ୍କୁ ।ଜଗନ୍ନାଥଙ୍କର ପଛରେ ମନ୍ଦିର କରି ରଖାଇବା ତାଙ୍କୁ ଯେ ।ଆଉ । ଯାହା ପାଇବ ଯେ ତାହା ନେଉ ସେ ।ନ ଆଣିବ କାର ଝିଅ ବୋହୁ ଯେ ।୨।ଉତ୍ତମ ଦେବତା ମୂର୍ତ୍ତି ଦେଖିଲେ ତା ଆମ୍ଭପାଇଁ ଘେନିଆସ ।ଶୁଣି ସୈନ୍ୟମାନେ ଆନନ୍ଦିତ ମନେ ଗମିଲେ ପାଇ ହରଷ ଯେ ।କାଞ୍ଚୀ । ପୁରେ ପଶିଲେ ମନସେ ପାଞ୍ଚୀ ଯେ ।କେହି ନ ରହେ ପଛକୁ ଘୁଞ୍ଚି ଯେ ।୩।ଓଡ଼ିଶାର ସୈନ୍ୟ ଯାଇଁ ସେ ବହନ କାଞ୍ଚୀ ନୃପ ଈଷ୍ଟଦେବ ।ଗଣେଶଙ୍କୁ ଖରେ ଘେନାଇଁ ଯେଠାରେ ଥିଲେ ଓଡ଼ିଶାର ଧବ ଯେ ।ତହିଁ । ଆଣି ରଖିଲେ ନିଃଶଙ୍କ ହୋଇଁ ଯେ ।ଦେଖି ତୁଷ୍ଟ ହେଲେ ନରସାଇଁ ଯେ ।୪।ମନ୍ତ୍ରୀଙ୍କି ଡକାଇଁ କହିଲେ ବୁଝାଇଁ ଏହାଙ୍କୁ ଯତନେ ନେବା ।ଜଗନ୍ନାଥଙ୍କର ପଛରେ ମନ୍ଦିର କରାଇଁ ତହିଁ ରଖିବା ଯେ ।ଏହା । ପ୍ରକାଶରେ କହୁଁ ନରନାହା ଯେ ।ମନ୍ତ୍ରୀ ବୋଲଇ କରିବା ତାହା ଯେ ।୫।କଥାଭାଷା ଏହିପରି ହେଉଁ ତହିଁ କେତେକ ସଇନ ଆସି ।ସୁଲକ୍ଷଣ ଅତି ଗୋପାଳମୂରତି ସଙ୍ଗେ ଘେନି ହସି ହସି ଯେ ।ବାଣୀ । କହିଲେ ହେ ଶୁଣ ନୃପମଣି ଯେ ।ନେବା ଏହାଙ୍କୁ ଅଛୁଁ ତ ଆଣି ଯେ ।୬।ଦେଖି ନରପତି ଲଭି ତୋଷମତି ଗୋପାଳ ଗଣେଶ ଦୁଇ ।ମୂରତି ସଙ୍ଗରେ ଘେନାଇଁ ରଙ୍ଗରେ ଓଡ଼ିଶାକୁ ଯିବାପାଇଁ ଯେ ।ଇଛା । କଲେ ପୂରିବାରୁ ମନବାଞ୍ଛା ଯେ ।ହେଲା ଯୁଦ୍ଧତ ମନ ମୁରୁଛା ଯେ ।୭।ଜୟ ପରଦିନ ସକଳ ସଇନ ଲୁଟି ଦ୍ରବ୍ୟ ଆଦିଘେନି ।ଶକଟ ବଳଦେ ଲଦାଇଁ ପ୍ରମୋଦେ ମନେ କରି ରାଜଧାନୀ ଯେ ।ବେଗେ । ଅନୁକୂଳ ସେ କଲେ ସରାଗେ ଯେ ।ଦାଶରଥି ଛନ୍ତି ସଙ୍ଗେ ସଙ୍ଗେ ଯେ ।୮।ଶ୍ରୀ ପୁରୁଷୋତ୍ତମଦେବ ଚିତ୍ତେ ପ୍ରେମ ବହି ଈଷ୍ଟଦେବ ଚିନ୍ତି ।ସଇନ ଘେନାଇ ଦିନେ ଦିନେ ଯାଇ ନ କରି ମାନସେ ଭୀତି ଯେ ।ତୋଷେ । ଯାଇ ମିଳିଲେ ଆପଣାଦେଶେ ଯେ ।ପଥ-ନୃପେ ପୂଜିଲେ ବିଶେଷେ ଯେ ।୯।ଶ୍ରୀ ପୁରୁଷୋତ୍ତମଦେବ ନିଜଧାମ ରାଜଧାନୀରେ ରହିଲେ ।ଜଗନ୍ନାଥଙ୍କର ପଛେ ବିଘ୍ନହରଦେବଙ୍କୁ ରଖାଇଁ ଦେଲେ ଯେ ।ତହିଁ । ତୁରିତରେ ମନ୍ଦିର କରାଇଁ ଯେ ।ସତ୍ୟବାଦୀରେ ଗୋପାଳ ରହିଁ ଯେ ।୧୦।ଶୁଣ ସେ ଗୋପାଳଙ୍କର କଥା ଠୁଳଭାବେ ଏଥେଁ କହିଁଥାଁଇଁ ।ବିପ୍ରଜଣଦୁଇ ବାରାଣଶୀ ଯାଇଁଥିଲେ ତୀର୍ଥସ୍ନାନ ପାଇଁ ଯେ ।ତହିଁ । ଏକ ଶାସନୀ ବିପ୍ର ଅଟଇ ଯେ ।ଅରଜଣକତ ପଣ୍ଡା ଥାଇଁ ଯେ ।୧୧।ସେହି ବିପ୍ରଦୁଇ ଏକସ୍ଥାନେ ରହିଁ ପ୍ରୀତିଭାବେ ଚଳୁଥାନ୍ତି ।ଶାସନୀ ରୋଗରେ ପଡ଼ନ୍ତେ ପୀଡ଼ାରେ ଆସନରୁ ନ ଉଠନ୍ତି ଯେ ।ସେହି । ସମୟରେ ପଣ୍ଡା ପାଖେ ଥାଇଁ ଯେ ।ତାଙ୍କୁ ସର୍ବଦା ସେବା କରଇ ଯେ ।୧୨।ପୀଡ଼ା କିଛିଦିନେ ଉଣା ହେଉଁ ମନେ ସନ୍ତୋଷ ଲଭି ବ୍ରାହ୍ମଣ ।କହିଲେ ପଣ୍ଡାକୁ ତୋତେ ଦୁହିତାକୁ ବିବାହ ଦେବି ମୁଁ ଜାଣ ରେ ।ବାବୁ । କାହାକଥାକୁ ତୁ ନ ଶୁଣିବୁରେ ।ମୋର ବାଣୀ ଚିତ୍ତେ ଘେନିଥିବୁରେ ।୧୩।ଗୋପାଳ ମନ୍ଦିର ଭିତରେ ଏଗିର କହିଁ ସେ ଦେବଙ୍କୁ ସାକ୍ଷୀ ।କରି ଦୁହେଁ ଗଲେ ନିଜପୁରେ ହେଲେ ମାନସରେ ହୋଇଁ ସୁଖୀ ଯେ ।ତହିଁ । କେତେଦିନ ଯହୁଁ ଗଲା ବହିଁ ଯେ ।ପଣ୍ଡା କନ୍ୟା ମାଗୁଁ ତାକୁ ଯାଇଁ ଯେ ।୧୪।ନ ମାନନ୍ତେ ବିପ୍ର ପଣ୍ଡା ଯାଇଁ କ୍ଷିପ୍ର ଗୋପାଳଙ୍କୁ ସାକ୍ଷୀ ଆଣି ।ହେଲା ବିଭା ତାହାକନ୍ୟାକୁ ଯେ ଏହା ଜନବାଦେ ଅଛି ଶୁଣି ହେ ।ଜନେ । ଈଷ୍ଟଦେବଙ୍କୁ ଭଜ ସୁମନେ ହେ ।କପିଳେଶ ନଭଜଇ ଦିନେ ହେ ।୧୫।
୨୧ଶ ଛାନ୍ଦ-ରାଗ ପଞ୍ଚମବରାଡ଼ୀ ବିପ୍ରସିଂଘା ବାଣୀ ।
ପଦ୍ମାବତୀକି ଘେନାଇଁ ମନ୍ତ୍ରୀ ମିଳି ପୁରେ ଯାଇଁ ଡାକି ପାଶେ ନିଜନାରୀ ସୁତା ।କହଇ ଶୁଣ ମୋ ବାଣୀ ନ ହୋଇବେ ପାଟରାଣୀ ମୋ ଜୀବିତେ ଏ ନୋହିବ ବୃଥା ଯେ ।ଜଗନ୍ନାଥ । ଦେବ ବଳରାମଙ୍କ ସଙ୍ଗରେ ।ଯୁଦ୍ଧ କରି ବୀରଙ୍କ ରଙ୍ଗରେ ।ଏହାଙ୍କୁ ଆଣି ଧରାଇଁ ନୃପ ପାଶେ ଛନ୍ତି ଦେଇଁ ରଖିବାକୁ ପ୍ରତିଜ୍ଞା ଲୋକରେ ଯେ ।୧।ନୋହିଲେ ପ୍ରଭୁଙ୍କ କୃପା କାଞ୍ଚୀନରପତି କିମ୍ପା ହାରିଯାଇଁ ପଶନ୍ତେ ବନରେ ।ତାଙ୍କସଙ୍ଗେ ମାତା ସୁତା ପଳାଇଁ ଯାଉଁଟି କେ ତା ଓଗାଳି ରଖିଲା ସେ ପନ୍ଥାରେ ଯେ ।ଏହା ଶୁଣି । ପଦ୍ମାବତୀ କହନ୍ତି ହେ ତାତ ।ବେନି ନେତ୍ରୁ କରି ଅଶ୍ରୁପାତ ।ପିତାଙ୍କ ସଙ୍ଗେ ପଳାଇଁ ଯାଉଁ ମାତା ସଙ୍ଗେ ମୁହିଁ ଆଗେ ଆସି ହେଲେ ଉପଗତ ଯେ ।୨।କଳାଧଳା ଘୋଡ଼ା ଚଢ଼ି ଶିରରେ ବାନ୍ଧି ପଗଡ଼ି ହାତେ ଧରିଛନ୍ତି ନିଶ ମୋଡ଼ି ।କାଳିଆ ଗୋରା ରଙ୍ଗରେ ଦୁଇ ସିପାଇ ବେଗରେ ପୁଣି ପୁଣି ଦେଇଁ ବୀରରଡ଼ି ଯେ ।ରହ ରହ । ବୋଲି ଡାକୁଁ ଆମ୍ଭେ ସେ ଦୁହିଁକି ।ଦେଖି ପାଦ ରହିଲା ଯେ ଲାଖି ।ମାତା ସୁତା ମଥା ପୋତି ରହୁଁ ସେ ଆସି ଝଟତି କହିଁ ଦେଲେ ବଚନେ ଏତିକି ଯେ ।୩।ପଦ୍ମାବତୀକି ତା ତାତ ରାଜାଙ୍କୁ ଦେଇଁ ଅଛିତ ତାକୁ ନେଇଁ ଦେବା ନୃପଆଗେ ।ରାଜରାଣୀ କୁଳବତୀ ଯାଉ ଯହିଁ ତାରପତି କହିଁ ତାକୁ ଛାଡ଼ିଦେଲେ ବେଗେ ଯେ ।ସେ ପଳାଇଁ । ଯିବାପରେ ସୈନ୍ୟ ମିଳୁଁ ତହିଁ ।ସେଠାରୁ ସେ ଦୁହେଁ ଗଲେ କାହିଁ ।ଏତିକି ଅଛି ମୁଁ ଦେଖି କହୁଁ ପଦ୍ମାବତୀ ଆଖି ଦୁଇରୁ ଲୋତକ ଯାଏ ବହିଁ ଯେ ।୪।ଶୁଣି ମନ୍ତ୍ରୀ ହସି କହେ ନ କାନ୍ଦ ନ କାନ୍ଦ କୋହେ ଦେଖିଲ ଯା ସିପାଇ ଦୁହିଁକି ।ଦୁର୍ଦ୍ଦଶା ଯାହା ତୁମ୍ଭର ଥିଲା ସେହି ଦିନୁ ଦୂର ହୋଇଅଛି ନ ଭାଳ ତହିଁକି ଗୋ ।ରାଜସୁତେ । ଏ ଓଡ଼ିଶା ଗଜପତିଙ୍କର ।ପାଟରାଣୀ ପଦ ଯେ ତୁମ୍ଭର ।ହୋଇ ଅଛଇ ନ ଭାଳ ସିପାଇ ରାମଗୋପାଳ ତାଙ୍କୁ ସନ୍ତତରେ ଚିନ୍ତା କର ଗୋ ।୫।ଯାହାକୁ ସେ ରାମହରି ଆଣିଛନ୍ତି ଯିଦି କରି ପୁଣି କନ୍ୟାରତ୍ନ ଶିରୋମଣି ।କିପରି ଅବା ସେ ତାକୁ ଦିଆଇବେ ଚଣ୍ଡାଳକୁ ସତଯିବ ଏଥେଁ କେଉଁ ପ୍ରାଣୀ ଯେ ।ପ୍ରଭୁଙ୍କର । କୃପାରୁ ମୁଁ ରଥଯାତ୍ରା ଯାଏ ।ଥିଲେ ପ୍ରାଣେ ଯେପରି ଉପାୟେ ।ଜଗନ୍ନାଥଙ୍କୁ ଜଣାଇ ଏଥେଁ ପାଟମହାଦେଈ କରାଇବି ତୁମ୍ଭଙ୍କୁ ନିଶ୍ଚୟେ ଯେ ।୬।ମନ୍ତ୍ରୀର ଏ ବାଣୀ ଶୁଣି ପଦ୍ମାବତୀ ସେହିକ୍ଷଣି ଯାଇଁ ତା-ଚରଣତଳେ ପଡ଼ି ।ଶୋକେ ବଚନ କହଇ ମୋହରତ କେହି ନାହିଁ ସବୁ କୁଳ ଦେଇଅଛି ଛାଡ଼ି ଯେ ।ଏକ ତୁମ୍ଭେ । ତାତ ମାତ ଭାଇ ଯାହା କହ ।ଏଥେଁ ଲେଶେ ନାହିଁ ଯେ ସନ୍ଦେହ ।ଏହା ଦେଖି ତାକୁ ମନ୍ତ୍ରୀ ଦୁହିତାଭାବେ ଝଟତି ତୋଳି ତାର ଝାଡ଼ିଦେଲା ଦେହ ଯେ ।୭।କହିଲା ପୁଣି ସେ ମନ୍ତ୍ରୀ ଶୁଣଆଗୋ ରାଜପୁତ୍ରି ଜଗନ୍ନାଥଙ୍କର କୃପା ତୋତେ ।ହେବାରୁ ସିନା ତୁ ତାଙ୍କୁ ଦେଖିଲୁ ବୁଝ ମନକୁ ଆନକୁ କି ମିଳେ ଭାଗ୍ୟ ଏତେ ଗୋ ।ପଦ୍ମାବତୀ । ଯେ କରିଚି ପ୍ରଭୁଙ୍କୁ ଦର୍ଶନ ।ତାର ସାର୍ଥକ ହୋଇଛି ଜୀବନ ।ସେ ପୁଣି କିପରି ଯାଇ ଚଣ୍ଡାଳଗୃହରେ ରହିଁ କଟାଇବ ପାପକାର୍ଯ୍ୟେ ଦିନ ଗୋ ।୮।ତାହାଙ୍କୁ ଏପରି କହି ଯାୟା ଦୁହିତାଙ୍କୁ ଚାହିଁ କହେ ଶୁଣ ତୁମ୍ଭେ ମୋ ବଚନ ।ଏ ପଦ୍ମାବତୀର ମନେ ନ ପଡ଼ିବ ଚିନ୍ତା ଯେହ୍ନେ କରୁଥିବ ସେପରି ବିଧାନ ଯେ ।ପ୍ରଭୁ କଲେ । ଏ ହୋଇବେ ଯେବେ ପାଟରାଣୀ ।ତେବେ ତୁମ୍ଭ ଉପକାର ଗୁଣି ।କି କି ଭଲ ନ କରିବେ ତୁମ୍ଭେ ଏହା ଭାବି ଏବେ ଖଟିଥିବ ତାଙ୍କଚିତ୍ତ ଜାଣି ଯେ ।୯।ଏହା ଶୁଣି ପଦ୍ମାବତୀ କହଇ ମନ୍ତ୍ରୀଙ୍କ କତି ତୁମ୍ଭେ ମୋର ତାତ ଏ ଜନନୀ ।ଏ ଯେ ତୁମ୍ଭର ଦୁହିତା ସେ ମୋର ଭଗିନୀ ଯଥା ଏପରି ମୁଁ ଚିତ୍ତେ ଅଛି ଘେନି ହେ ।ମନ୍ତ୍ରୀବର । ଏପରି କି କରିବେ ଈଶ୍ୱର ।ହୋଇ ମୁଁ ଏ ଚିନ୍ତାସିନ୍ଧୁ ପାର ।ତୁମ୍ଭମାନଙ୍କ ଆଶିଷ ଭୋଗ କରିବି ମାନସ ମଧ୍ୟରେ ତା ହେଉ ନାହିଁ ସ୍ଥିର ହେ ।୧୦।ଯେଉଁ କଳାଗୋରା ଦୁଇ ସିପାଇଁକି ଦେଖିଛଇଁ ସେ ଯେବେଟି ରାମହରି ସତ ।ତେବେ ମୋର ଯେତେ ପାପ ତା ସବୁ ହୋଇଛି ଲୋପ ଏଥେଁ କିଛି ସନ୍ଦେହ ନାହିଁତ ହେ ।ମନ୍ତ୍ରୀବର । ଅବଶ୍ୟ ସେ ପ୍ରଭୁ କୃପା କରି ।କରିବେ ଏ ଦୁଃଖୁଁ ମୋତେ ପାରି ।ତୁମ୍ଭେ ମୋର ଧର୍ମେ ତାତ ତୁମ୍ଭ କଲ୍ୟାଣ ନିୟତ ଫଳିବ ମୁଁ ଭାବୁଛି ଏପରି ହେ ।୧୧।ପୁଣି ହୋଏ ମନେ ମୋର କରିଛି କି ପାପଘୋର ସେଫଳୁ ଏ ଦଣ୍ଡକୁ ଲଭିଲି ।ଅଲିଅଳା ରାଜସୁତା ହୋଇଥିଲି ଆହେ ପିତା ଏବେ ଆସି ବନ୍ଦୀରେ ରହିଲି ହେ ।ମନ୍ତ୍ରୀବର । କେଣେ ଗଲା ସେ ସୁଖଟି ମୋର ।ଜନକ ଯେ ଜନନୀ ଆବର ।ଛାଡ଼ି ମୋତେ ପଳାଇଲେ ଯେଉଁ ବିହି ଏହା କଲେ ହେବେ କି ସେ ସୁଖ ପାରାବାର ହେ ।୧୨।କେବଳ ଭରସା ଅଛି ଯେବେ ମୋ କପାଳେ କିଛି ସୁଖ ନ ଥାନ୍ତାଟି ନୃପବର ।ପ୍ରତିଜ୍ଞା ରଖିବା ପାଇଁ ଚଣ୍ଡାଳେ ମୋତେ ନ ଦେଇଁ କିମ୍ପା କରିଥାନ୍ତେ ଏ ବିଚାର ଯେ ।ତୁମ୍ଭକରେ । ସମର୍ପି କହନ୍ତେ ଏପରିରେ ।ଏକନ୍ୟାର ଭାର ତୁମ୍ଭ ପରେ ।ରହିଲା ଏଣିକି ତୁମ୍ଭଇଛା ଯେ ଚଣ୍ଡାଳେ ହେବ ତାକୁ ଦିଅ କହିଲୁଁ ସତ୍ୱରେ ଯେ ।୧୩।ଶୁଣି ମନ୍ତ୍ରୀ ହସି କହେ ରାଜନନ୍ଦନାକୁ ସ୍ନେହେ ଆଗୋ ପଦ୍ମାବତୀ ତୁ ଏପରି ।ମାନସେ ଦୁଃଖ ନ ଧର ତୋହଶିରେ ଚକ୍ରଧର ଢାଳିଦେଇଛନ୍ତି କୃପାବାରି ଯେ ।ଏଥେଁ ଆନ । ନାହିଁ ଏହା ପ୍ରକୃତ ମଣଇଁ ।ଗଲା ତୁମ୍ଭଦୁଃଖ ମୁଁ ଜାଣଇ ।ଆସନ୍ତା ଗୁଣ୍ଡିଚାଯାତ ଦିନ ତୁମ୍ଭଙ୍କୁ ଶ୍ରୀନାଥ ରାଜରାଣୀ କରିବେ ଗଣଇଁ ଯେ ।୧୪।ମନ୍ତ୍ରୀ ଏହା କହିଁ ଭଲେ ଆପଣା କାର୍ଯ୍ୟରେ ଗଲେ ତହୁଁ ତାଙ୍କ ନାରୀ ସୁତା ଦୁଇ ।ପଦ୍ମାବତୀର ମାନସ ଜାଣି ସଦା ତାକୁ ତୋଷ କରନ୍ତି ତାପାଶୁଁ ଭିନ୍ନ ନୋହିଁ ଯେ ।ଏପରିରେ । କେତେକ ଦିବସ ଗଲା ବହିଁ ।ପଦ୍ମାବତୀ ମନ୍ତ୍ରୀ ପୁରେ ଥାଇଁ ।କଟାଉଥାନ୍ତି ଦିବସ ଚିତ୍ତେ ଚିନ୍ତି ହୃଷିକେଶ କପିଳେଶ ଏହା ଶୁଣିଛଇ ଯେ ।୧୫।
୨୨ଶ ଛାନ୍ଦ-ରାଗ ସିନ୍ଧୁଡ଼ା କାମୋଦୀ
ଏଥୁଁଅନ୍ତେ ଜନେ ଶୁଣ ସାବଧାନେ କେତେକ ଦିନେ ବସନ୍ତ ।ଋତୁ ପରବେଶ ହେଉଁ ବନଦେଶ ନବପଲ୍ଲବେ ଶୋଭିତ ଯେ ।ହୋଇ କୁସୁମକଳୀ ।ଧରି ପ୍ରଫୁଲ୍ଲିତ ହେଉଁ ଅଳି ଯେ ।ଆସି ତା ପାଶେ କରଇ ଅଳି ଯେ ।୧।ଚୁତରେ ମୁକୁଳ ଦେଖି ପିକକୂଳ ବୃକ୍ଷେ ବସି ତାହା ଖାଇଁ ।ପଞ୍ଚମସ୍ୱରରେ ରାବି ବାରେବାରେ ବିଦେଶୀ ଚିତ୍ତକୁ ଦହି ଯେ ।କାମାନଳେ ଦିଅଇ ।ଯୋଗୀ ଜନମାନସ ମୋହଇ ଯେ ।କାନ୍ତାବିଛେଦିଙ୍କି ଧିକ୍କାରଇ ଯେ ।୨।ଦକ୍ଷିଣ ସମୀର ବହେ ଧୀରଧୀର ବାସନ୍ତୀ ସୁମଗନ୍ଧରେ ।ରମଣୀ ରମଣ ମାନସେ ସ୍ମରଣ କରାଇ ଭାବ ସଧିରେ ଯେ ।ଦେଖି ଗ୍ରାହକ ଜନ ।ତାର ଲଜ୍ଜାକୁ କରେ ଲୁଣ୍ଠନ ଯେ ।କରେ ତା-ସଙ୍ଗେ ସୁଖଵର୍ଦ୍ଧନ ଯେ ।୩।ଏପରି ସେ ଋତୁକଥା କରି ହେତୁ କହିଲେ ବହୁତ ହେବ ।ଏହି ସମୟରେ ଦିବସଶେଷରେ ଶ୍ରୀ ପୁରୁଷୋତ୍ତମଦେବ ଯେ ।ବସି ବାରୁ ପିଠିରେ ।ନୀତି ବୁଲନ୍ତି ପ୍ରତି ସାଇରେ ।ଯାନ୍ତି ମନ୍ତ୍ରୀ ଗୃହନିକଟରେ ଯେ ।୪।ମନ୍ତ୍ରୀ ଏହା ଦେଖି ସେ ପଦ୍ମାବତୀକି ନିତି ସୁବେଶ କରାଇଁ ।ରାଜ ଆଗମନକାଳରେ ସଦନଦୁଆରେ ଠିଆ କରାଇଁ ଯେ ।ନିଜେ ଅନ୍ତରେ ଥାଏ ।କେହି ତା ନିକଟକୁ ନ ଯାଏ ଯେ ।ନରେଶଙ୍କ ଦୃଷ୍ଟି ହେବା ଯାଏ ଯେ ।୫।ପଦ୍ମାବତୀ ପରେ ନୃପ ଦୃଷ୍ଟି ଥରେ ପଡ଼ି ଯାଉଁ ତାକୁ ଚାହିଁ ।ଶ୍ରୀପୁରୁଷୋତ୍ତମ ନୃପ ଗଲେ ଝାମ କାମବାଣେ ତାପୀ ହୋଇଁ ଯେ ।ପୁଣିପୁଣି ତାହାକୁ ।ଚାହୁଁ ଭଜି ସେ ଗୁରୁ ଲଜ୍ଜାକୁ ।ଭଙ୍ଗୀ ପ୍ରକାଶି ଗଲା ଗୃହକୁ ଯେ ।୬।ସେ ନୃପଶେଖର ସେହି ସମାଚାର କାହାରି ଆଗେ ନ କହିଁ ।ମନ୍ତ୍ରୀର ନନ୍ଦନା ହୋଇଥିବ ସିନା ବିଚାରି ସେ ତୁନି ହୋଇଁ ଯେ ।ଯାଇଁ ମିଳି ନବରେ ।କରି ସକଳ କାର୍ଯ୍ୟ ବିଧିରେ ଯେ ।ଶେଷେ ବସନ୍ତେ ପଲଙ୍କପରେ ଯେ ।୭।ଗହଣସେବକେ ଆସି ମିଳୁଁ ପାଖେ ଯେଝା ସେବା କରିବାକୁ ।ନୃପ ବିରସରେ କହିଲେ ଭାଷରେ ଏପରି ଡାକି ତାହାଙ୍କୁ ଯେ ।ତୁମ୍ଭେ ଯେଝା ସୁଖରେ ।ଯାଅ ନ ରହି ଆମ୍ଭପାଖରେ ଯେ ।ଶୁଣି ସେ ତା ଚଳିଗଲେ ଖରେ ଯେ ।୮।ବସି ନରନାଥ ହୋଇ ଏକଚିତ୍ତ କହନ୍ତି କି ଅପରୂପ ।ଦେଖିଲା ନୟନ ଆଜି ଶୁଭଦିନ ହୋଇଥିଲା କି ସ୍ୱରୂପ ଯେ ।ବୁଲିଯିବା ସମୟେ ।ଉଦେ ଏ ଭାବ ମାନସେ ହୋଏ ଯେ ।ତାହା ଦେଖି ନାହିଁ ଆଜଯାଏ ଯେ ।୯।ମନ୍ତ୍ରୀର ସଦନ-ଦୁଆର ମଣ୍ଡନ କରିଥିଲା ଯେଉଁ ବାଳା ।ଧନ୍ୟ ତାର ଛବି କେତେ ଅବା ଭାବି କହିବି କରି ସଂଖୋଳା ଯେ ।ତାର ଭୂରୁ କମାଣ ।ଖଞ୍ଜିଅଛି ନେତ୍ର ଫୁଲବାଣ ଯେ ।ରଖିଅଛି ତାହା ପଞ୍ଚବାଣ ଯେ ।୧୦।ଆହା ତା ଚାହିଁମା ଭଙ୍ଗୀର ଗାରିମା ବର୍ଣ୍ଣିବ ବା କେତେକାଳେ ।କେଉଁ କବି ମୋତେ ବି ଦିଶଇ ଏତେ ତିଳକ ଶୋଭା କପାଳେ ଯେ ।ହେବ କସ୍ତୁରୀବିନ୍ଦୁ ।ଅଙ୍କ ବହିଛି କି ମୁଖଇନ୍ଦୁ ଯେ ।ଦିଶେ ଅଧରେ ଝଲକି ମଧୁ ଯେ ।୧୧।ତାତିଳସୁମନ ନାସାରୁ ଶ୍ୱସନ ଚଳିବାବେଳେ ସଧୀରେ ।ଫୁଲୁଁ ଦୁଇଘୋଣା ଦେଖି ବୁଦ୍ଧି ବଣା ହୁଅଇ ଏହୁ ବିଚାରେ ଯେ ।ଏକି କାମର ଭାତି ।ତାଇ ଗଢ଼ଇ କି ହାସକାତି ଯେ ।ତହିଁ ବିଦାରିବ ଯୁବାଛାତି ଯେ ।୧୨।ବଧୂଲିସୁମନ ଅଧର ନିନ୍ଦନ କରଇ ତାର ତହିଁରେ ।ଅଛି ହାସ ସୁଧା କାଳେ କାମବାଧା ହରିବ ଯେ ତା-ସଙ୍ଗରେ ଯେ ।ଦାସ ପରାଏ ରହିଁ ।ଓ଼ଷ୍ଠେ ଚୁମ୍ବିବ କୋଳେ ବସାଇଁ ।ତହୁଁ ଅଧିକ କି ସ୍ୱର୍ଗେ ଯାଇଁ ଯେ ।୧୩।ପଙ୍କଜକଳୀର ପ୍ରାୟେ ପୟୋଧର ଯୁଗଳ ବାସକୁ ଠେଁସି ।ଦିଶୁଥିଲା ଯାହା ମନେ କଲି ଏହା ଶୋଭା ଦେଖି କାଶୀବାସୀ ଯେ ।ଲିଙ୍ଗରୂପକୁ ବହି ।ଆସିଛନ୍ତି କି ହୃଦୟେ ରହିଁ ଯେ ।ଜନଲାଜେ ବାସ ଘୋଡ଼ିହୋଇ ଯେ ।୧୪।ଏପରି ନୃପତି ଭାବି ପଦ୍ମାବତୀ ଶୋଭାକୁ ମାନସେ ଗୁଣି ।ନିଦ୍ରା ନୟନରେ ନଇଲା ନିଶୀରେ ବିଚାରୁଁ ତା ପୁଣିପୁଣି ଯେ ।କପିଳେଶ କହଇ ।ନାରୀରୂପେ ହର ହେଲେ ମୋହୀ ଯେ ।ରସେ ରସିକସିନା ମଜ୍ଜଇ ଯେ ।୧୫।