କାଞ୍ଚି କାବେରୀ ଯୁଦ୍ଧ
ଗୋବିନ୍ଦ ରଥ · ଭାଗ ୪ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
୧୫ଶ ଛାନ୍ଦ-ମଙ୍ଗଳ କାମୋଦୀ ।
ଚାହିଁ ନ ଚାହିଁଲାଯେ ଚିତ୍ତେ ଜନମାଇଁ ଲାଜ ।ଦାଶରଥି ମହାସୁଆରଟି ଯାହା କହିଲେ ଶୁଣି ତା ନୃପ ।ମାନସେ ବିଚାର କରି କଲେ ସ୍ଥିର ଏକଥା ଅଟେ ସ୍ୱରୂପ ।ବାଣୀ ଭଣିଲେ ଯା । ଦାଶରଥି ଆନ ନୋହେ ।କରୁଣା ମୋଠାରେ କରି ଯୁଝିବାରେ ଗଲେ ରାମକୃଷ୍ଣ ଦୁହେଁ ।୧।ମୋର ଭାଗ୍ୟ କେଡ଼େ ମୋଠାରେ ଯେ ଏଡ଼େ କୃପା କରି ଜଗନ୍ନାଥ ।ରାମଙ୍କ ସଙ୍ଗରେ ସିପାଇ ରଙ୍ଗରେ କାଞ୍ଚୀକି ଗଲେ ତୁରିତ ।ଜୟ ଦେବାକୁ ଯେ । ମୋତେ ପ୍ରଭୁ ଗିରିଧର ।ଜାଣୁଚି ଏ ମହୀମଣ୍ଡଳରେ ନାହିଁ ମୋ ସମେ ଭକ୍ତ ତାଙ୍କର ।୨।ଏତେକ ଗରବ କରୁଁ ନରଧବ ଜାଣି ତାହା ଦେବ ହରି ।ବିଚାରିଲେ ନରଈଶ ଅହଂକାର ବହିଚି ଦେବା ତା ସାରି ।ଏଥୁ ଅନ୍ତରେ ଯେ । ସୁନା ହେ ଭକତ ଧୀରେ ।ମାଣିକୀହାତରୁ ମୁଦି ନେଇ ଗରୁଭକତିରେ ତା ପାଶରେ ।୩।ନରେଶ କହନ୍ତି ହେ ଗୋପଯୁବତୀ ତୁମ୍ଭ ଜନମ ସଫଳ ।କେତେ ତପ କାହିଁ କରିଥିଲ ସେହି ପୁଣ୍ୟରୁ ଏଡ଼େ ମଙ୍ଗଳ ।କଥା ତୁମ୍ଭଙ୍କୁ ଯେ । ହେଲା ସିନା ପରାପତ ।ଯୋଗୀ ଯୋଗେ ଯାର ନ ଜାଣେ ସଞ୍ଚାର ତୁମ୍ଭର ହେଲା ସାକ୍ଷାତ ।୪।ମୁଁ ବହୁକାଳରୁ ଭଜି ତାଙ୍କ ଗୁରୁଚରଣ ଚିହ୍ନ ନ ଦେଖି ।ସବୁ ସୁଖ ଛାଡ଼ି ଚିନ୍ତାଜଳେ ବୁଡ଼ି ସର୍ବଦା ଅଛଇଁ ଦୁଃଖୀ ।ଏବେ ମାଣିକୀ ଗୋ । ତୁମ୍ଭଙ୍କୁ ସେ ଦୟା କଲେ ।ଯାହା ଛନ୍ତିଖାଇ ଛେନା-ଦୁଧ-ଦହି ମୁଦି ବନ୍ଧା ଦେଇ ଗଲେ ।୫।ଆମ୍ଭେ ଜାଣିବାକୁ ଏପରି ଭାବକୁ ପରିଚୟ ଦେଇଛନ୍ତି ।ରଖୁଅଛୁଁ ମୁଦି ଆମ୍ଭଠାରୁ ସାଧି ନିଅ କଉଡ଼ି ଯୁବତୀ ।ଖାଇଅଛନ୍ତି ଯେ । ଯେତେ ଦୁଧ-ଦହି-ସର ।ତହିଁର ଉଚିତ୍ତ ମୂଲ । କହ ସତ ଦେବୁଁ ତା ସବୁ ତୁମ୍ଭର ।୬।ରାଜବାଣୀ ଶୁଣି ମାଣିକୀ ସେକ୍ଷଣି ଚେତି ବୋଲେ ମୁଁ କି କଲି ।ମାଗିଥିଲେ ପଦେ ମୁଁ ପରମପଦେ ବସିଥାନ୍ତି ଭୁଲିଗଲି ।ଧିକ ମୋହର ଯେ । ବୁଦ୍ଧିକି ହେଉ କି ଆଉ ।ସେ ପ୍ରଭୁବଦନ କରି ଦରଶନ ତରିବି ତା ଦେବ କେହୁ ।୭।ଏପରିରେ ଗୋଳ ହୁଅନ୍ତେ ଚହଳ ମାଣିକୀଗ୍ରାମ-ଗୋପାଳେ ।ସକଳଚରିତ ଶୁଣି ହରଷିତ ହୋଇ ଆସି ତତକାଳେ ।କଲେ ପ୍ରଣାମ ଯେ । ନରପତିଙ୍କ ପାଶରେ ।ମାଣିକୀର ଗୁଣ କହୁଁ ନରରାଣ ଶୁଣି ମଜ୍ଜିଲେ ତୋଷରେ ।୮।କହିଲେ ସେ ନରଈଶ ଯେବେ ବର ଦେବ ମାଗୁଅଛୁଁ ଶୁଣ ।ରହିବ କୀରତି ଆମ୍ଭର ବସତି ପାଇଁ ଭୂମି ବିତରଣ ।କର କେତେକ ଯେ । ଶୁଣି ରାଜା ମୋଦଭରେ ।ଆଜ୍ଞା ଦେଲେ ଏହା ମାଣିକୀ ତୁ ଯାହା ମାଗିବୁ ଦେବି ସତ୍ୱରେ ।୯।ଶୁଣି ରାଜାବାଣୀ ମାଣିକୀ ଯେ ଭଣି ହେ ପ୍ରଭୁ ମୁଁ ଗଉଡ଼ୁଣୀ ।ମୋର ବୁଦ୍ଧି ନାହିଁ ଥିଲେ କିପାଁ ମୁହିଁ ସିପାଇ ଦୁହିଁଙ୍କି ଜାଣି ।ତାଙ୍କ ପାଶରୁ ଯେ । ଇଛା ବର ନ ନିଅନ୍ତି ।ସେପରି ସୁଯୋଗ ନାହିଁ ମୋତେ ଭୋଗ ମୁଁ ମୁଢ଼ ଗୁଆଳୀଜାତି ।୧୦।ଆଜ୍ଞା କର ଏହା ଆହେ ନରନାହା ମୋ ଜାତିମାନଙ୍କୁ ଘେନି ।ବୁଲିଯିବି ଯେତେ ଭୂମିକି ତା ମୋତେ ଦତ୍ତ କଲେ ଆଜ୍ଞା ଘେନି ।ଘର କରିବୁଁ ଯେ । ସକଳ ଗୋପାଳେ ତହିଁ ।ତୁମ୍ଭର କୀରତି ହେବ ଲୋକେ ଖ୍ୟାତି ସବୁଦିନେ ଥିବ ରହି ।୧୧।ମାଣିକୀବଚନ ଶୁଣନ୍ତେ ରାଜନ କହିଲେ ଏକେତେ ଛାର ।ମାଗିଲେ ମୁଁ ତୋର ହୋଇବି କିଙ୍କର ତୁ ନୋହୁ ସାମାନ୍ୟ ନର ।ରାମକହ୍ନାଇ ଯେ । ତୋତେ ଦେଖା ଦେଇ ଗଲେ ।ଦେଲୁ ପୁଣି ଯାହା ଖାଇଗଲେ ତାହା ତୋ ଜନମ ସାର୍ଥ କଲେ ।୧୨।ନରେଶବାଣୀକି ଶୁଣି ସେ ମାଣିକୀ ରସନା ଚାପି ରୋଦନେ ।ବୋଲେ ଆହେ ନରଈଶ ମୁହିଁ ଛାର ଗଉଡ଼ୁଣୀ ହୀନଜନେ ।ହୋଇ ଗଣନା ଯେ । ବଞ୍ଚଇ ଜୀବିକା କରି ।ଆପଣ ଯେପରି କହିଲେ ବାହାରିଯାଏ ଜୀବ ଶୁଣି କରି ।୧୩।ଏହା କହି ବେଗେ ସୁମତିଙ୍କି ସଙ୍ଗେ ଘେନି ସେ ମାଣିକୀ ଗୋଇ ।ଅଇଲା ସତ୍ୱରେ ମଣ୍ଡଳଆକାରେ କେତେ ସ୍ଥାନ ବୁଲିଯାଇ ।ଦେଖି ନରେଶ ଯେ । ଆନନ୍ଦେ କହିଲେ ଏତେ ।କଲୁ ଆମ୍ଭେ ଦିନ ତୁମ୍ଭଙ୍କୁ ଏସ୍ଥାନ ନ ଦେବ କର କିଞ୍ଚିତେ ।୧୪।କୁଶଳ ତୁମ୍ଭର ହେଉ ଯାଅ ଘର କଲ୍ୟାଣ କର ଆମ୍ଭଙ୍କୁ ।କାଞ୍ଚୀ ପରାଜୟ ପ୍ରଭୁଙ୍କ ସହାୟ ଘେନିକରି ସଦନକୁ ।ଯାଉଁ ଶୁଭରେ ଯେ । ଶୁଣି ଜୟଧ୍ୱନୀ କଲେ ।ସେଠାରେ ଯେ ଥିଲେ କପିଳେଶ ବୋଲେ ସକଳ ଆନନ୍ଦ ହେଲେ ।୧୫।
୧୬ଶ ଛାନ୍ଦ-ରାଗ ଚୋଖୀ ସପନଚେତିଆବାଣୀ ।
ମାଣିକୀ ଜାତିଙ୍କି ଘେନି ବୁଲି ଅଇଲା ଅବନୀ ଯେତେକ ତହିଁରେ ସର୍ବ ଗୋପାଳେ ରହିଁ ।ମାଣିକୀପାଟଣା ତାର ନାମ ଦେଲେ ନୃପବର ଆଜିଯାଏ ସେହିନାମ ଅଛଇ ରହିଁ ।ଶୁଣ ଜନେ ତହିଁ ଉତ୍ତାରେ ।ଶ୍ରୀ ପୁରୁଷୋତ୍ତମଦେବ ସୈନ୍ୟସଙ୍ଗରେ ।୧।ଗମନ କରି ସତ୍ୱର ଯାଇଁ ସେ କାଞ୍ଚୀନଗର ନିକଟରେ ମିଳି ଖଣ୍ଡଦୂରେ ରହିଲେ ।ଛାଉଣି କରି ସେଠାରେ ଦୂତ ପେଶିଲେ ସତ୍ୱରେ କାଞ୍ଚି ନରେଶ ନିକଟେ ସେ ଯାଇ ବୋଲେ ।ଆହେ କଳେବର ରାଜନ ।ଯାହା କହେଁ ଶୁଣ ନିବେଶି ମନ ।୨।ଓଡ଼ିଶାର ନରଧବ ଶ୍ରୀ ପୁରୁଷୋତ୍ତମ ଦେବ ଆସିଛନ୍ତି ଯୁଦ୍ଧ କରିବାକୁ ବିଚାରି ।କହ କରି ତା ନିଶ୍ଚୟ ଯୁଦ୍ଧ କରିବା ସମୟ ଶୁଣି ଭାଷେ କାଞ୍ଚୀପୁର ନୃପକେଶରୀ ।ହେଉ ହେଲା ଉତ୍ତମ ଏହା ।ଇଷ୍ଟଦେବ କଲେ ଥିଲା ମୋ ମନେ ଯାହା ।୩।ଆରେ ଦୂତ ଯାଅ ତୁହି କହ ନୃପକୁ ବୁଝାଇ ଗଣପତି ପରଶନେ ମୁଁ ବଳିଆର ।ଦେଖୁ ନାହିଁ ମୋତେ କେହି ଜିଣିମେ ସମରେ ରହି ତଥାପି ନିୟମ ହେଲା ଏହି ଆମ୍ଭର ।ହାରିବ ଯେ ତା ଈଷ୍ଟଦେବ ।ଜୟକଲା ନୃପଈଷ୍ଟପଛେ ରହିବ ।୪।କାଲିପ୍ରଭାତୁଁ ସମର ହୋଇବ ଜିଣି ଏଥର ପୁରୁଷୋତ୍ତମଦେବକୁ ବାନ୍ଧି ରଖିବି ।ନିଳାଚଳୁ ଜଗନ୍ନାଥ ସୁଭଦ୍ରା ରାମସହିତ ତିନିଦାରୁମୂରତି ଘେନାଇଁ ଆସିବି ।ମୋର ଈଷ୍ଟ ଗଜବଦନ ।ତାଙ୍କପଛେ ରଖାଇବି ନୋହିବ ଆନ ।୫।ଶୁଣି ତା ଦୂତ ଚଳିଲା ଛାଉଣି ମଧ୍ୟେ ମିଳିଲା ପୁରୁଷୋତ୍ତମଦେବଙ୍କ ଛାମୁରେ ରହିଁ ।କାଞ୍ଚୀନୃପ ଠାରୁ ଯାହା ଶୁଣିଥିଲା କାହୁଁ ତାହା ଶ୍ରବଣରେ ଓଡ଼ିଶାର ଅବନୀସାଇଁ ।କୋପେ ହୋଇଁ ଅଗ୍ନିମୂରତି ।କହିଲେ ଉଚ୍ଚରେ ଶୁଣ ହେ ଦାଶରଥି ।୬।କାଞ୍ଚୀକଳେବରେଶ୍ୱର କରି ବଡ଼ ଅହଙ୍କାର ଆମ୍ଭଙ୍କୁ ରଖିବ ବାନ୍ଧି ପୁଣି ପ୍ରଭୁଙ୍କୁ ।ନିଳାଚଳରୁ ଅଣାଇଁ ତା ଈଷ୍ଟ ଯେ ଗଣସାଇଁ ବିଚାରିଛି ତାଙ୍କପଛେ ରଖାଇବାକୁ ।ଜଗନ୍ନାଥ ତାର ଗରବ ।ଜାଣିଥାଅ ନିଶ୍ଚଏଁ କରିବେ ଖରବ ।୭।ତହୁଁ ବୋଲେ ଦାଶରଥି ଶୁଣଶୁଣ ଗଜପତିନରେଶ ଏଥିକି କିଛି ଚିନ୍ତା ନ କର ।ମାଣିକୀତ ଅଛି କହିଁ ରାମକୃଷ୍ଣ ବେନି ଭାଇ ଚଢ଼ି କଳା ଧଳା ଘୋଡ଼ା ହୋଇ ସୁଆର ।ଆସିଛନ୍ତି ଆମ୍ଭଆଗରେ ।କରିବ କେ କରୁ ଯୁଦ୍ଧ ତାଙ୍କ ସଙ୍ଗରେ ।୮।ଏପରି ଅନେକ କଥାଭାଷା ହୋଇଗଲେ ଯଥାକାଳ କର୍ମ କରିବାକୁ ତହିଁଉତ୍ତାରେ ।ସେନାପତିଙ୍କି ଡକାଇଁ କହିଲେ ବହୁ ବୁଝାଇଁ ସମର ହୋଇବ କାଲି ନିଶୀଶେଷରେ ।ଜଗିରଖି ଯୁଦ୍ଧ କରିବ ।ଯେପରି ଏଠାରେ ଆମ୍ଭହାର ନୋହିବ ।୯।ଶୁଣି ନୃପଵାକ୍ୟ ସେନାପତିମାନେ ନିଜ ବାନା ଟେକ ରଖି ବହୁ ଆଡ଼ମ୍ବର ଦେଖାଇଁ ।କହନ୍ତି ହେ ନରବର କାଲି ହୋଇଲେ ସମର ଦେଖିବ ଯେ ଆମ୍ଭମାନଙ୍କର ଲଢ଼ାଇ ।ଏହିପରି କରି ଗାରିମା ।କହିଲେ ଦେଖାଇଁ ନିଜନିଜ ମହିମା ।୧୦।ତହୁଁ ଯେଝାସ୍ଥାନେ ଗଲେ ସୁଖେ ରଜନୀ ବଞ୍ଚିଲେ ହୁଅନ୍ତେ ପାହାନ୍ତି ନିଶୀ ନୃପ ଆଜ୍ଞାରେ ।ଟମକ ଦିଆନ୍ତେ ସର୍ବେ ଉଠି ନିଜ ନିଜ ଭାବେ ସାରି ନିତ୍ୟକର୍ମ ଯୁଦ୍ଧ ପାଇଁ ସତ୍ୱରେ ।ବୀରବେଶେ ହେଲେ ବାହାର ।ଧରି କରେ କାଣ୍ଡ ଖଣ୍ଡା ଅସ୍ତ୍ରନିକର ।୧୧।ଯାଇଁ ଯୁଦ୍ଧ ଅଗଣାରେ ମିଳନ୍ତେ ସେ ଅଗଣାରେ କାଞ୍ଚୀରାଜା ସୈନ୍ୟ ଆସି ତାଙ୍କ ସଙ୍ଗରେ ।ଆରମ୍ଭ କଲେ ସମର କେ କାହାକୁ ବିନ୍ଧେ ଶର କେ କାହାକୁ ହାଣେ ଖଣ୍ଡା ଧରି ହସ୍ତରେ ।କେ ପକାଇ ବାରଦ ଗୁଳି ।ବିପକ୍ଷକୁ ଲାଖ କରି ଲାଛଇ ନଳୀ ।୧୨।ଭାଲ ଧରି କେ ଭୁଷଇ କେ ଦୂରୁ କୁନ୍ତ ଫିଙ୍ଗଇ ବାଜଇ ସେ ଯାର ଅଙ୍ଗେ ସେ ଯମବାସେ ।ଅତି ସତ୍ୱରେ ଗମଇ କେ ବରଛା ଧରି ଧାଇଁ ମାରେ ଯାକୁ ସେ ଭୂମିରେ ଜୀବନ ଶେଷେ ।ଶୁଅଇ କେ ଧରି ଲଗୁଡ଼ା ।ପ୍ରହାର କରନ୍ତେ ଭାଙ୍ଗେ ବିପକ୍ଷହାଡ଼ ।୧୩।ହାତି ଘୋଡ଼ା ଓଟପରେ କେ କେ ବସି ସେ ସମରେ ଆପଣାର ତେଜ ଦେଖାଇ ସେ ଯୁଝନ୍ତି ।କେ କେ ମାଲ ବିନ୍ଧାଣରେ ଲଢ଼ନ୍ତି ପ୍ରାଣପଣରେ ସୈନ୍ୟଗହଳରେ କେବା ଦଳି ହୁଅନ୍ତି ।ଏହିପରି ଘୋର ସମର ।ହେଉଁ ଅସ୍ତ ଶିଖରିକି ଗଲେ ମିହୀର ।୧୪।କାଞ୍ଚୀପୁର ରାଜସୈନ୍ୟ ଜୟକୁ ଲଭ ସେ ଦିନ ଆନନ୍ଦ ମାନସେ ନିଜପୁରେ ଚଳିଲେ ।ଦେଖି ତାହା ଗଜପତି ହୋଇ ସେ ବିରସମତି ନିଜ ଛାଉଣୀରେ ବସି ବିଳାପ କଲେ ।କପିଳେଶ ନନ୍ଦ କହଇ ।ହୋଇବ ଜୟ ଚିନ୍ତିତ ନୁହ ଗୋସାଇଁ ।୧୫।
୧୭ଶ ଛାନ୍ଦ । ରାଗ କେଦାରକାମୋଦି ।
ହୁଅନ୍ତେ ପରାଜୟ ପୁରୁଷୋତ୍ତମ ।ଦେଵନୃପତିଙ୍କର ମାନସେ ଭ୍ରମ ଯେ ।ଜନମି ବିଚାରିଲେ ଏ କିସ ହେଲା ।କି ଦୋଷେ ମୋର ଜୟପତାକା ଗଲା ଯେ ।୧।କହୁଁଥିଲେତ ଦାଶରଥି ସୁଆରେ ।ପ୍ରଭୁ ବିଜୟ କରି ଗଲେ ଆଗରେ ଯେ ।ଚାଲ ଏ ଯୁଦ୍ଧେ ନିଶ୍ଚେଁ ଜୟ ହୋଇବ ।ଯେ ଅଛି ତୁମ୍ଭ ମନବାଞ୍ଛା ପୁରିବ ଯେ ।୨।ପୁଣିତ ବାଟେ ଆସୁଁ ଆସୁଁ ମାଣିକୀ ।କହିଲା ଦେଖିଅଛି ମୁଁ ସିପାଇଙ୍କି ଯେ ।ଖାଇ ତାଠାରୁ ଦୁଧ ଦହି ମୁଦିକି ।ଦେଇଥିଲେତ ବନ୍ଧା ଏ ମିଛନିକି ଯେ ।୩।କଳା ଧଳା ଘୋଡ଼ାରେ ଚଢ଼ି ସେ ଦୁଇ ।ଗୋରା କାଳିଆରଙ୍ଗେ ସିପାଇ ହୋଇ ଯେ ।କହିତ ଆସିଥିଲେ କେଣିକି ଗଲେ ।କି ଦୋଷେ ମୋତେ ଆଜ ସେ ହରାଇଲେ ଯେ ।୪।ଏପରି ନାନା କଥା କରି ବିଚାରି ।ପାଶକୁ ଡାକି ଦାଶରଥି ସୁଆର ଯେ ।ତାଙ୍କ ଆଗରେ ନେତ୍ରୁ ନୀର ବୁହାଇ ।କହନ୍ତି ଅତି ଦୁଃଖେ ଅବନୀସାଇଁ ଯେ ।୫।ଶୁଣ ହେ ଦାଶରଥି ମହାସୁଆରେ ।କହିଥିଲେତ ପ୍ରଭୁ ତୁମ୍ଭ ଆଗରେ ଯେ ।ହେବାକୁ ଜୟ କିମ୍ପା ହୋଇଲା ହାର ।ଥିଲେତ ପ୍ରଭୁ ହୋଇ ଘୋଡ଼ାସୁଆର ଯେ ।୬।ମାଣିକୀ ଗଉଡ଼ୁଣୀ କହିଲା ଯାହା ।ବିଶ୍ୱାସ ନ କରିବ କେ ଶୁଣି ତାହା ଯେ ।କାହିଁକି ପ୍ରଭୁ ମୋରେ ହେଲେ ନିରାଶ ।ହାରିଗଲେ ମୁଁ ତାଙ୍କୁ ହେବ ଅଯଶ ଯେ ।୭।ଶୁଣି ନରେଶବାଣୀ ସେ ଦାଶରଥି ।ନୃପଙ୍କୁ ବହୁ ବୋଧ କରି କହନ୍ତି ଯେ ।ନୁହ ବିମନ ଆହେ ନରଈଶ୍ୱର ।ଅବଶ୍ୟ ଏଥେ ଜୟ ହେବ ତୁମ୍ଭର ଯେ ।୮।ଶ୍ରୀ ଜଗନ୍ନାଥ ଆଜ୍ଞା ଦେଇ ଅଛନ୍ତି ।ମିଥ୍ୟା କି ହୋଇଯିବ ତାଙ୍କ ଭାରତୀ ଯେ ।ପୁଣିତ ଆସିଛନ୍ତି ହୋଇ ସିପାଇ ।ମାଣିକୀ କହିବାରୁ ଜଣା ହୁଅଇ ଯେ ।୯।କାହିଁକି ପରାଜୟ ଆଜି ହୋଇଲା ।ତାର ମରମ କିଛି ଜଣା ନ ଗଲାଯେ ।ଯାଉଁଚି ଲଗାଏଁ ମୁଁ ପ୍ରଭୁଙ୍କୁ ଧ୍ୟାନ ।ଅବଶ୍ୟ ଜଣାଯିବ ତାର ବିଧାନ ଯେ ।୧୦।ଏପରି କହି ଦାଶରଥି ଚଳିଲେ ।ଏ କାନ୍ତସ୍ଥାନେ ଯାଇଁ ଧ୍ୟାନେ ବସିଲେ ଯେ ।ଲୟ ଲଗାଇଁ କରୁ ପ୍ରଭୁଙ୍କୁ ଧ୍ୟାନ ।ଯୋଗନିଦ୍ରାରେ ଦେଖାଗଲା ସ୍ୱପନ ଯେ ।୧୧।ଜଗନ୍ନାଥ କହିଲେ ହେ ଦାଶରଥି ।ମନେ ଗରବ କଲା ଓଡିଶାପତି ଯେ ।ଭଗତ ବୋଲି ଯେଣୁ ତହିଁର ଫଳ ।ହୋଇଲା ଏହା ଏବେ ଚିତ୍ତେ ନ ଭାଳ ଯେ ।୧୨।କାଲି ସମରେ ନିଶ୍ଚେଁ ଜୟ ହୋଇବ ।ପଦ୍ମାବତୀକି ଯୁଦ୍ଧଶେଷେ ପାଇବ ଯେ ।ହାରି ପଳାଇଯିବ କାଞ୍ଚୀରାଜନ ।ଅବଶ୍ୟ ଏହା ହେବ ନ ବୁଝ ଆନ ଯେ ।୧୩।କହି ଏହା ଅନ୍ତର ହେଉଁ ଶ୍ରୀହରି ।ଦାଶରଥି ତା ଶିରେ ସତ୍ୱର ଧରି ଯେ ।ଆସନୁ ଉଠିଯାଇ ନରେଶପାଶେ ।ଦେଖିଲେ ବସିଛନ୍ତି ନୃପ ବିରସେ ଯେ ।୧୪।ଜୟ ହେଉ ଛାମୁର ଉଚ୍ଚରେ ଏହା ।ଦାଶରଥି କହନ୍ତେ ସେ ନରନାହା ଯେ ।ଉଠି ଆସନୁ କରି ତାହାଙ୍କୁ ମାନ୍ୟ ।ବସାଇଲେ ନିକଟେ ଦେଇ ଆସନ ଯେ ।୧୫।ରାଜାଙ୍କୁ ଦାଶରଥି କହନ୍ତି ହସି ।କିମ୍ପା ବିରସ ହୋଇ ଅଛତ ବସି ଯେ ।ବୋଲେ କପିଳେଶ୍ୱର ହେ ନରନାଥ ।ହୋଇବ ଜୟ ଆଉ ନୁହ ଚିନ୍ତିତ ଯେ ।୧୬।
୧୮ଶ ଛାନ୍ଦ । ରାଗ କାମୋଦି । ରୁକ୍ମିଣୀ-ଚଉତିଶା ବାଣୀ ।
ଦାଶରଥି କହନ୍ତି ଶୁଣ ଆହେ ନୃପତି ଛାମୁଙ୍କ ବିରସ ମୁଁ ଦେଖି ।ଯାଇଁ ବସି ଏକାନ୍ତେ ଲୟେ ଧ୍ୟାନ କରନ୍ତେ ନିକଟେ ଆସି ପଦ୍ମଆଖି ଯେ ।କହିଗଲେ । କାଲି ସମରେ ହେବ ଜୟ । ଏଥିପାଇଁ ।ନ କର ଚିତ୍ତେ କିଛି ଭୟ ତାହାଙ୍କୁ ମୁଁ ଦେଖନ୍ତେପଚାରିଲି ଦୁଃଖିତେ କିମ୍ପା ହୋଇଲା ପରାଜୟ ଯେ ।୧।ପୁଣି କହିଲି ଏହା ହେ ପ୍ରଭୁ ତୁମ୍ଭେ ଯାହା କହିଥିଲ ତା ଆନ ହେଲା ।ପୁଣିତ ତୁମ୍ଭେ ଦୁଇ ଭାଇ ହୋଇ ସିପାଇ ଥାଉଁ ବିପକ୍ଷ ଜୟ ନେଲା ଯେ ।ଏଥୁଁ ବଳି । ବିପତ୍ତି ଆଉ ହୋଇବ କି । କାହାକୁ ବା ।ପଚାରିବା ଏକଥା ଡାକି ।ଶୁଣି ମୋର ଏ ବାଣୀ ହରଷେ ଚକ୍ରପାଣି ଉତ୍ତର ବିହିଲେ ତହିଁକି ଯେ ।୨।ହେ ଦାଶରଥି ଶୁଣ ଆସନ୍ତେ ନରରାଣ ମାଣିକୀଠାରୁ ମୋ ବୃତ୍ତାନ୍ତ ।ଶୁଣି ପାଇଁ ମୁଦିକି ବିଚାରିଲେ ବୃଦ୍ଧିକି କରାଇଁ ଅତ୍ୟନ୍ତ ଗର୍ବିତ ଯେ ।ମୋହଠାରୁ । ବଳି ଭଗତ ପ୍ରଭୁଙ୍କର । ନ ଥିବେତ ।ହେଉଚି ଏପରି ବିଚାର ।ନୋହିଲେ କି ସିପାଇବେଶ ବହି ମୋପାଇଁ ଗମନ କରନ୍ତେ ସତ୍ୱର ଯେ ।୩।ସେହି ଗରବଫଳେ ହାରିଗଲା ସେ ବେଳେ ଏବେ ବସିଚି ଚିନ୍ତା ବହି ।ଯାଇଁ କହ ବୁଝାଇ କାଲି ଯୁଦ୍ଧରେ ମୁହିଁ ଯୁଝିବି କିପରି ରିଝାଇଁ ଯେ ।ନରପତି । ବୁଝିବ ସିନା ସେହିକାଳେ । ଆମ୍ଭେ ଦୁହେଁ ।ସୈନ୍ୟଙ୍କ ମଧ୍ୟେ ଯେତେବେଳେ ।କରୁଥିବୁଁ ସମର ତା ନ ଜାଣିବେ ଆର ଦେଖିବ ତୁମ୍ଭେ ଦୁହେଁ ଡୋଳେ ଯେ ।୪।ଏବେ କହ ନୃପକୁ ପ୍ରଭାତରୁ ଯୁଦ୍ଧକୁ ଯିବାପାଇଁକି ସାଜି ସୈନ୍ୟ ।ଟମକ ଦିଆଇଲେ ବିପକ୍ଷ ଆସି ମିଳେ ସିନା ତା ଇଛାରେ ବହନ ଯେ ।ଜୟ ପାଇଁ । ଅତି ଆନନ୍ଦେ ରହିଅଛି । ଏଥିଯୋଗେ ।ନାହିଁ ତାହାର ଭୟ କିଛି ।ପ୍ରଭୁ ଏମନ୍ତ କହି ଗଲେ ଅନ୍ତର ହୋଇ ଚେତି ମୁଁ ଏଠାକୁ ଆସିଛି ଯେ ।୫।ଦାଶରଥିବଚନ ଶୁଣନ୍ତେ ସେ ରାଜନ କହିଲେ ହେ ମହାସୁଆରେ ।ସତ ମାଣିକୀ ଯେବେ ସବୁ କହିଲା ତେବେ ମୁଦିକି ଘେନି ମାନସରେ ଯେ ।ବିଚାରିଲି । ପ୍ରଭୁ ମୋ ପାଇଁ ଅସୁଆର । ହୋଇଛନ୍ତି ।ସାମାନ୍ୟ ଭାଗ୍ୟ କି ମୋହର ।ଜାଣୁଛି ଏ ଜଗତେ ଭକତ ଅବା ମୋତେ ସମ କେ ଛନ୍ତି ହୋଇ ଗାର ଯେ ।୬।ଏତିକି ମାତ୍ର ହେବାରୁ ଅହଙ୍କାର ତହିଁର ଏ ଫଳ ଭୁଞ୍ଜିଲି ।ଗର୍ବନାଶବାନା ତାଙ୍କର ଏକା ସିନା ଏବେ ମୁଁ ଶରଣ ପଶିଲି ଯେ ।ଅପରାଧ । ଖଣ୍ଡନ କରି ମୋର ହରି । ଭୃତ୍ୟଠାରେ ।କରୁଣା ଲେଶମାତ୍ର କରି ।କାଞ୍ଚୀ ବିଜୟ ଦେଇଁ ଶତ୍ରୁମୁଖୁଁ ଜିଣାଇଁ କରନ୍ତୁ ଏଲଜ୍ଜାରୁ ପାରି ଯେ ।୭।ପୁରୁଷୋତ୍ତମଦେବ କହିଁ ଏହା ଗୌରବ ଦାଶସୁଆରଠାରେ ରଖି ।କରି ତାଙ୍କୁ ବିଦାୟ ହୋଇଁ ଚିତ୍ତେ ନିର୍ଭୟ ଚିନ୍ତାକୁ ମାନସୁଁ ଉପେଖି ଯେ ।ଆନନ୍ଦରେ । ଭୋଜନ ସାରି ନିଦ୍ରା ଗଲେ । ପାତ୍ରମନ୍ତ୍ରୀ ।ଶୁଣି ତା ସନ୍ତୋଷ ଲଭିଲେ ।ଶୁଣ ଜନେ କାଞ୍ଚିର ସୈନ୍ୟ ଜିଣି ସମର ରଙ୍ଗେ ପତାକା ଉଡ଼ାଇଲେ ଯେ ।୮।ଗଡ଼େ ପଶନ୍ତେ ସେହ୍ନା ନୃପତି ହୃଷ୍ଟମନା ହୋଇଲେ ଜୟ ଶ୍ରବଣରେ ।ଯାଇ ଈଷ୍ଟ ଦେବତା ଗଜମୁଖଙ୍କୁ ଯଥା ଵିଧାନେ ନାନା ଉପହାରେ ଯେ ।ପୂଜାକରି । କହଇ କଳେବରେଶ୍ୱର ।ଆହେ ଦେବ । ଗଣେଶ ମୁଁ ତୁମ୍ଭ କିଙ୍କର ।ଓଡ଼ିଶାନୃପ ହାରି ଯୁଦ୍ଧରେ ଆଜି ଫେରି ଯାଇଚି କୃପାରୁ ତୁମ୍ଭର ହେ ।୯।କାଲି ପ୍ରଭାତେ ଯାଇଁ ସୈନ୍ୟ ବେଢ଼ କରାଇଁ ପୁରୁଷୋତ୍ତମ ନରେଶକୁ ।ଧରିଆଣି ତୁମ୍ଭର କରାଇବି କିଙ୍କର ପଣି ତାପଛେ ଓଡ଼ିଶାକୁ ଯେ ।ଯାଇଁ ବେଗେ । ଦାରୁମୂରତି ତିନିଆଣି ।ତୁମ୍ଭପଛେ । ରଖାଇବି ଏ ସତ୍ୟବାଣୀ ।ଏପରି ବହୁସ୍ତୁତି କରିସେ ନରପତି ଅଇଲା ପୁରକୁ ସେକ୍ଷଣି ଯେ ।୧୦।ଜୟ ହୋଇଛି ବୋଲି ନୃପ ଗରବେ ଫୁଲି ନାନାଉତ୍ସବ କରାଇଲା ।ସୁଖେ ସକଳେ ନିଶୀ ବଞ୍ଚିଲେ ନେତ୍ରେ ଆସି ନିଦ୍ରା କାହାର ନ ଲାଗିଲା ଯେ ।ଚାହୁଁ ଚାହୁଁ । ରଜନୀ ହୋଇଁ ଗଲା ଶେଷ ।କାଞ୍ଚୀପୁର । ସଇନମାନେ ଲଭି ତୋଷ ।ଯିବାକୁ ଯୁଦ୍ଧପାଇଁ ସଜ ହୁଅନ୍ତେ ଏହି ସମୟେ ଶୁଭେ ବାଦ୍ୟଘୋଷ ଯେ ।୧୧।ଓଡ଼ିଶାରାଜସୈନ୍ୟ ଯୁଦ୍ଧକୁ ଆଗମନ କରିବା କଥା ଦୂତ ଆସି ।କହନ୍ତେ କଳେବର ନରେଶ ଶୁଣି ଗିର କହଇ ଉଚ୍ଚରବେ ହସି ଯେ ।କି ବୋଳିବି । ଓଡ଼ିଶାରାଜା ବୁଦ୍ଧିହୀନ ।ନୋହିଲେ କି । ଯୁଦ୍ଧକୁ କରନ୍ତା ସେ ମନ ।କାଲି ଯାଇଁଚି ହାରି ପାଇଁ ନାହିଁ ସର୍ବରୀ ପୁଣି ଯା ସାଜିଛି ସଇନ ଯେ ।୧୨।ଏପରି ସେ ଅନେକ କହିଁ ଭର୍ତ୍ସନାବାକ୍ୟ ସୈନ୍ୟଙ୍କୁ ସଜ୍ଜାଇଁ ତୁରିତେ ।ନିଜେ ଆଗୁଆହୋଇଁ ଯୁଦ୍ଧକୁ ବାହାରଇ କିଛିହିଁ ଶଙ୍କା ନାହିଁ ଚିତ୍ତେ ଯେ ।ଗତ ଦିନ । ହୋଇଥିବାରୁ ଜୟ ତାର ।ମନେ ମନେ । କରଇ ଏପରି ବିଚାର ।ଆଜି ରାଜାକୁ ବାନ୍ଧି ଆଣି କରିବି ବନ୍ଦି ରକ୍ଷା କେ କରିବ ତାହାର ଯେ ।୧୩।ବିଚାରି ଏହା ମନେ ସୈନ୍ୟସଙ୍ଗେ ବହନେ ଯାଇଁ ସମରସ୍ଥାନେ ମିଳି ।ଯୁଝନ୍ତେ ଓଡ଼ିଶାର ସଇନେ ବଳିଆର ହୋଇ ତା ସୈନ୍ୟଙ୍କୁ ଓଗାଳି ଯେ ।ଯୁଦ୍ଧ କରୁଁ । କ୍ରମରେ କାଞ୍ଚୀପୁର-ଲୋକେ ।ବାଣଘାତେ । ପଶି ନ ପାରି ତାଙ୍କପାଖେ ।ଦେଖୁ ଦେଖୁ ପଳାଇଁ ଗଡ଼େ ପଶିଲେ ଯାଇଁ ନ ରହିଁ ଯୁଦ୍ଧର ସମ୍ମୁଖେ ଯେ ।୧୪।ସୈନ୍ୟ ପଛେ ନୃପତି ସଙ୍ଗରେ ଦାଶରଥି ସୁଆରଙ୍କୁ ସେ ଘେନି ଥିଲେ ।ବଳ ଆଗେ ଦେଖିଲେ ଦୁଇ ସିପାଇ ଭଲେ କାଳିଆ ଗୋରା ମିଶିଗଲେ ଯେ ।ରିପୁବଳେ । କଳା ଧଳା ଘୋଡ଼ାରେ ବସି ।ନୃପ ତାଙ୍କୁ । ଅନାଇଁ ଦେଇଁ ହେଲେ ତୋଷୀ ।କହେ କପିଳେଶ୍ୱର ଚିହ୍ନ ହେ ନୃପବର ସେ ପ୍ରଭୁ ନୀଳାଚଳବାସୀ ଯେ ।୧୫।