ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ)
କବି ସମ୍ରାଟ · ପ୍ରାୟ ୧୬୭୦–୧୭୪୦ · ରୀତି ଯୁଗ
- ପଢ଼ିବା ସମୟ
- ୨୪୨ ମିନିଟ୍
- ଶବ୍ଦ
- ୩୮୭୦୧
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ଛାନ୍ଦ
(ରାଗ–ପାହାଡ଼ିଆ କେଦାର)ବନ୍ଦଇ ଦୀ(ଦି)ନବାନ୍ଧବ ହରି ୟଯେ ତମଚକ୍ର ଖଣ୍ଡନକାରୀସଦା କମଳାନନ୍ଦ ବିସ୍ତାରି ସ୍ୱଭାବେ ଈନ ଯେ ।ବିଭୁ ଅନନ୍ତ–ଅଙ୍କ–ବିହାରୀ କର ପ୍ରତାପ ସାର ସଞ୍ଚରିନିଶାଚରଙ୍କ ଉଲ୍ଲାସ ହରି ପୂଜେ ସୁମନ ଯେ ।ବଇନତେୟ ଯାହା ଅଗ୍ରତେ ସ୍ଥିତ ଯେ ।ବଇକୁଣ୍ଠ–ପକ୍ଷକ–ଲୋକ ତୋଷିତ ଯେ ।ବିକାଶ ଅଖଣ୍ଡିତ–ମଣ୍ଡଳେ ସିଂହଭାବରେ କ୍ରିଡ଼ିତ କାଳେଭବେ ତରଣି ହୋଇ ମଞ୍ଜୁଳେ ଗିରି ଉଦିତ ଯେ ।୧।
୧ମ ପଦ–(ବିଷ୍ଣୁଙ୍କ ପକ୍ଷରେ) ଦୀନବାନ୍ଧବ–ଦରିଦ୍ରର ବନ୍ଧୁ (ବିଷ୍ଣୁ) । ତମ–ରାହୁ । ଚକ୍ର ଖଣ୍ଡନ କାରୀ–ଯେ ରାହୁକୁ ଚକ୍ରଦ୍ୱାରା ଛେଦନ କରିଥିଲେ । (ଅନ୍ୟର୍ଥ–ଯେ ଶୋକ ସମୂହକୁ ଛେଦନ କରନ୍ତି) । କମଳାନନ୍ଦ ବିସ୍ତାରି–ଯେ ଲକ୍ଷ୍ମୀଙ୍କର ଆନନ୍ଦ ବଢ଼ାନ୍ତି । ଈନ(ଈ = ଲକ୍ଷ୍ମୀ)–ଲକ୍ଷ୍ମୀପତି । ଅନନ୍ତ–ଅଙ୍କ–ବିହାରୀ–ଅନନ୍ତ ନାଗର କୋଳରେ ଯେ ବିହାର କରୁଥାନ୍ତି । କର ପ୍ରତାପ–ବାହୁ ପରାକ୍ରମ । ନିଶାଚରଙ୍କ–ରାକ୍ଷସମାନଙ୍କର । ସୁମନ–ଦେବତା । ବଇନତେୟ–ଗରୁଡ଼ । ବଇକୁଣ୍ଠ–ପକ୍ଷକ ଲୋକ–ବିଷ୍ଣୁଭକ୍ତ ଲୋକ । ଅଖଣ୍ଡିତ ମଣ୍ଡଳେ–ସମସ୍ତ ବ୍ରହ୍ମାଣ୍ଡରେ । ସିଂହ ଭାବରେ–ନୃସିଂହ ଅବତାରରେ । ଭବେ–ସଂସାରରେ । ତରଣୀ–ନୌକା । ମଞ୍ଜୁଳ–ସୁନ୍ଦର । ଗିରି ଉଦିତ–ନୀଳଗିରିରେ ପ୍ରକାଶିତ । ୧ମ ପଦ–ବିଦୂଷ–ପଣ୍ଡିତ । ଦୁଷଣବର୍ଜିତ–ଦୋଷଶୂନ୍ୟ-। ତ୍ୱରିତ–ଶୀଘ୍ର ।
(ସୂର୍ଯ୍ୟଙ୍କ ପକ୍ଷରେ) ଦିନବାନ୍ଧବ–ଦିନର ବନ୍ଧୁ(ସୂର୍ଯ୍ୟ) । ତମ–ଚକ୍ରଖଣ୍ଡନକାରୀ–ଯେ ଅନ୍ଧାରସବୁକୁ ନାଶ କରନ୍ତି । କମଳାନନ୍ଦ ବିସ୍ତାର–ପଦ୍ମ ଫୁଲର ଆନନ୍ଦ ବଢ଼ାଇ । ଈନ–ସୂର୍ଯ୍ୟ । ଅନନ୍ତଅଙ୍କ ବିହାରୀ–ଆକାଶ କ୍ରୋଡ଼ରେ ଯେ ବିହାର କରେ । କରପ୍ରତାପ–ତେଜ ପରାକ୍ରମ । ନିଶାଚରଙ୍କ–ପେଚକଙ୍କର । ସୁମନ–ପଣ୍ଡିତ ଲୋକ । ବେନତେୟ–ଅରୁଣ । ବୈକୁଣ୍ଠପକ୍ଷକ ଲୋକ–ଇନ୍ଦ୍ର ଯାହାଙ୍କର ସାହାଯ୍ୟକାରୀ । ଅଖଣ୍ଡିତ ମଣ୍ଡଳେ–ପୂର୍ଣ୍ଣ ଗୋଲାକାର ଭାବରେ । ସିଂହ–ସିଂହ ରାଶିରେ । ଭାବରେ–ଶ୍ରେଷ୍ଠ ଜ୍ୟୋତି (ଭା–ଜ୍ୟୋତି) । ତରଣି–ସୂର୍ଯ୍ୟ । ଗିରି ଉଦିତ–ଉଦୟ ଗିରିରେ ପ୍ରକାଶିତ ।
୧ମ ପଦ–(ବିଷ୍ଣୁଙ୍କ ପକ୍ଷରେ) ଯେଉଁ ଦରିଦ୍ରର ବନ୍ଧୁ ବିଷ୍ଣୁ ରାହୁକୁ ଚକ୍ରଦ୍ୱାରା ଛେଦନ କରିଥିଲେ, (ଯେ ଶୋକ ସମୂହକୁ ଦୂର କରନ୍ତି ବା ଅଜ୍ଞାନତା ବିନାଶ କରନ୍ତି) ଯେ ଲକ୍ଷ୍ମୀଙ୍କର ଆନନ୍ଦ ବଢ଼ାନ୍ତି, ଯେ ଲକ୍ଷ୍ମୀପତି (ଶୋଭାର ଆଧାର), ଯେ ଅନନ୍ତ ନାଗର କୋଳରେ ବିହାର କରନ୍ତି, ଯାହାର ବାହୁ ପରାକ୍ରମରେ ଅସୁରମାନଙ୍କ ଆନନ୍ଦ ହରଣ ହୋଇଥାଏ, ଯାହାଙ୍କୁ ଦେବତାମାନେ ପୂଜା କରନ୍ତି, ଯାହାଙ୍କ ଆଗରେ ଗରୁଡ଼ ସର୍ବଦା ଅବସ୍ଥାନ କରିଥାଏ, ଯେ ବିଷ୍ଣଭକ୍ତ ଲୋକମାନଙ୍କୁ ତୋଷ କରନ୍ତି, ଯେ ସମସ୍ତ ବ୍ରହ୍ମାଣ୍ଡରେ ପ୍ରକାଶିତ ହୋଇ ଅଛନ୍ତି, ଯେ ନୃସିଂହ ଅବତାରରେ ସମୟରେ ବିହାର କରିଥିଲେ, ଯେ ସଂସାରରୂପ ସାଗରରୂପ ସାଗରରେ ନୌକାସ୍ୱରୂପ ଅଟନ୍ତି, ଯେ ନୀଳଗିରିରେ (ଶ୍ରୀକ୍ଷେତ୍ରରେ) ପ୍ରକାଶିତ ହୋଇ ଅଛନ୍ତି, ସେହି ବିଷ୍ଣୃଙ୍କୁ ବନ୍ଦନା କରେ ।
(ସୂର୍ଯ୍ୟଙ୍କ ପକ୍ଷରେ) ଦିବସର ବନ୍ଧୁ ଯେଉଁ ସୂର୍ଯ୍ୟ ଅନ୍ଧକାର ସମୂହକୁ ନାଶ କରନ୍ତି, ଯେ ସର୍ବଦା ପଦ୍ମର ଆନନ୍ଦ ବଢ଼ାନ୍ତି, ଯେଉଁ ସୂର୍ଯ୍ୟ (ଈନ) ସ୍ୱୀୟ କିରଣରେ ଚତୁର୍ଦ୍ଦିଗକୁ ଉଜ୍ଜ୍ୱଳ କରନ୍ତି, ଯେ ଅନନ୍ତ ଆକାଶ କୋଳରେ ବିହାର କରନ୍ତି, ଯାହାଙ୍କର ତେଜପ୍ରଭାରେ ପେଚକଙ୍କ ଆନନ୍ଦ ଦୂର ହୁଏ, ପଣ୍ଡିତମାନେ ଯାହାଙ୍କୁ ପୂଜା କରନ୍ତି, ଯାହାଙ୍କ ଆଗରେ ଅରୁଣ ସର୍ବଦା ବିଦ୍ୟମାନ, ଇନ୍ଦ୍ର ଯାହାଙ୍କର ସାହାଯ୍ୟକାରୀ, ଯାହାଙ୍କ ଦର୍ଶନରେ ଲୋକମାନେ ସନ୍ତୋଷ ଲାଭ କରନ୍ତି, ଯେ ପୂର୍ଣ୍ଣ ଗୋଲକାର ରୂପରେ ବିଦ୍ୟମାନ, ସିଂହମାସରେ ଯାହାଙ୍କ ତେଜ ଶ୍ରେଷ୍ଠତ୍ୱ ଲଭିଥାଏ, ଯେ ସଂସାରରେ ତରଣି ନାମରେ ପ୍ରସିଦ୍ଧ, ଯେ ପ୍ରତ୍ୟହ ଉଦୟ ପର୍ବତରେ ଉଦିତ ହୁଅନ୍ତି, ସେହି ସୂର୍ଯ୍ୟଦେବଙ୍କୁ ବନ୍ଦନା କରେ ।
ବହିତ ଯେହୁ ରୋହିତମୂର୍ତ୍ତି ଶ୍ରୁ(ସୃ)ତି ରଞ୍ଜନକାରକ ଅତି,ହଂସ ହୋଇଣ ଯାହା ପ୍ରଶସ୍ତି ଅଛି ପ୍ରବର୍ତ୍ତି ଯେ ।ବିରାଜ ରୂପ ଯାହାର ପୁଣି ଦ୍ୱିଜଚକ୍ର ଯା ଦର୍ଶନ ଗୁଣି,ଆତ୍ମଭୂପର ସଂସାରେ ଭଣି କି ଶୁଭ୍ରକିର୍ତ୍ତି ଯେ ।ବୁଧଜନକ–ଶିବଭୂଷଣ ଯେହି ଯେ ।ବିନୟରୁ ଯେ ଆନ ବାଣୀ ନ କହି ଯେ ।ବଳି ଯାହାକୁ ସର୍ବଦା ନାହିଁ ଦ୍ୱୀ(ଦ୍ୱି)ପ ପ୍ରସନ୍ନ କରତା ସେହି,ପୁନତ ଧର୍ମ ସ୍ୱରୁପଗ୍ରାହୀ କି ସ୍ତୁତି ତହିଁ ଯେ ।୨।
୨ୟ ପଦ–(ବିଷ୍ଣୁଙ୍କ ପକ୍ଷରେ) ବହିତ–ବହନ କରି । ରୋହିତ ମୂର୍ତ୍ତି–ରୋହିତ ମତ୍ସ୍ୟସ୍ୱରୂପ-। ଶ୍ରୁତି–ରଞ୍ଜନକାରକ–ବେଦର ମଣ୍ଡନକାରୀ । ହଂସ–ପରମାତ୍ମା । ପ୍ରଶସ୍ତି–ଯଶ, ପ୍ରସିଦ୍ଧ । ବିରାଜ ରୂପ–ବିରାଟ ରୂପ । ଦ୍ୱଜଚକ୍ର–ବ୍ରାହ୍ମଣ ସମୂହ । ଆତ୍ମଭୂ–ବ୍ରହ୍ମା, କନ୍ଦର୍ପ । ପର–ଶ୍ରେଷ୍ଠ । ବୁଧଜନକ(ଚନ୍ଦ୍ର)–ଶିର ଭୂଷଣ–ଚନ୍ଦ୍ର ଶିରରେ ଭୂଷିତ ଯାହାର ଅର୍ଥାତ ମହାଦେବ । ଦ୍ୱିପ–ହାତୀ । ଧର୍ମ ସ୍ୱରୂପଗ୍ରାହୀ–ଧାର୍ମିକର ରକ୍ଷାକର୍ତ୍ତା । କି ସ୍ମୃତି ତହିଁ–ସେଠାରେ କି ସ୍ତୁତି କରିବି ? ଅର୍ଥାତ୍ ସ୍ତୁତି କରି ହେବ ନାହିଁ ।
(ସୂର୍ଯ୍ୟଙ୍କ ପକ୍ଷରେ) ରୋହିତ–ରକ୍ତବର୍ଣ୍ଣ । ସତି–ବାଟ । ହଂସ–ସୂର୍ଯ୍ୟଙ୍କୁ ଅପର ନାମ । ଦ୍ୱିଜ–ପକ୍ଷୀ । ଚକ୍ର–ଚକ୍ରବାକ(ଚକୁଆ) । ବୁଧଜନ–ପଣ୍ଡିତବ୍ୟକ୍ତି । କ–ଭୂଷଣ ଶିରୋମଣି । ଦ୍ୱୀପପ୍ରସନ୍ନକରତା–ସପ୍ତ ଦ୍ୱୀପର ଉଜ୍ଜ୍ୱଳକର୍ତ୍ତା । ଧର୍ମ ସ୍ୱରୂପଗ୍ରାହୀ–ଯେ ଧର୍ମ ନାମରେ ଅଭିହିତ ।
୨ୟ ପଦ–ବାମଦେବ–ଶିବ । ଦେବରାଜ–ଇନ୍ଦ୍ର । ଗୁରୁ–ବୃହସ୍ପତି । ସୁମନେ–ଦେବଗଣ-।
୨ୟ ପଦ–(ବିଷ୍ଣୁଙ୍କର ପକ୍ଷରେ) ଯେଉଁ ବିଷ୍ଣୁ ରୋହିତ ମତ୍ସ୍ୟର ରୂପ ଧାରଣ କରିଥିଲେ, ବେଦରେ ଯେ ପରମାତ୍ମା ବୋଲି ଖ୍ୟାତି ଲାଭ କରିଅଛନ୍ତି, ଯେ ବିରାଟ ରୂପବାନ୍, ବ୍ରାହ୍ମଣମାନେ ଯାହାଙ୍କ ଦର୍ଶନ ପାଇବାପାଇଁ ସର୍ବଦା ଗୁଣି ହେଉଛନ୍ତି, ଯେ କନ୍ଦର୍ପଠାରୁ ବେଶି ରୂପବାନ୍ (ଅଥବା ବ୍ରହ୍ମାଙ୍କଠାରୁ ଉତ୍କୃଷ୍ଟ), (ଯାହାଙ୍କର କୀର୍ତ୍ତିସମୂହ ଶୁଭ୍ରବର୍ଣ୍ଣ, ମହାଦେବ ଯାହାଙ୍କ ସହିତ ବିନୀତ ଭାବରେ କଥାବାର୍ତ୍ତା କରନ୍ତି, ଯାହାଙ୍କଠାରୁ ବ୍ରହ୍ମାଣ୍ଡରେ ବଳବାନ୍ ଆଉ କେହି ନାହାନ୍ତି, ଯେ ଗଜକୁ ଆନନ୍ଦ ପ୍ରଦାନ କରିଥିଲେ (କୁମ୍ଭୀର ମୁଖରୁ ରକ୍ଷା କରି), ଯେ ଧାର୍ମିକର ରକ୍ଷାକର୍ତ୍ତା, ଏପରି ଯେ ବିଷ୍ଣୁ ତାଙ୍କୁ କେଉଁ ବାକ୍ୟରେ ବା ସ୍ତୁତି କରିବି ?
(ସୂର୍ଯ୍ୟଙ୍କ ପକ୍ଷରେ) ଯେଉଁ ସୂର୍ଯ୍ୟ ରକ୍ତବର୍ଣ୍ଣ ମୂର୍ତ୍ତି ଧାରଣ କରନ୍ତି, ଯେ ମାର୍ଗର ଶୋଭା ବଢ଼ାନ୍ତି, ଯାହାଙ୍କର ନାମ ହଂସ, ଯାହାଙ୍କର ବିରାଜମାନ ରୂପକୁ ଦର୍ଶନ କରିବାପାଇଁ ଚକ୍ରବାକ ସର୍ବଦା ଗୁଣି ହେଉଥାଏ, ଯେହୁ ଶ୍ରେଷ୍ଠ ବ୍ରହ୍ମ ବୋଲି ଖ୍ୟାତ, ଯାହାଙ୍କର କିରଣ ଅତ୍ୟନ୍ତ ଶଭ୍ର, ପଣ୍ଡିତମାନେ ଯାହାଙ୍କୁ ସର୍ବଦା ବିନୟ ହୁଅନ୍ତି, ଯାହାଙ୍କର ତେଜକୁ ବଳି ଶ୍ରେଷ୍ଠ ତେଜୀୟାନ ଆଉ କେହି ନାହିଁ, ଯେ ସପ୍ତଦ୍ୱୀପର ଉଜ୍ଜ୍ୱଳକର୍ତ୍ତା ପୁଣି ଯେ ଧର୍ମ ନାମରେ ଅଭିହିତ, ଏପରି ଯେ ସୂର୍ଯ୍ୟଦେବ, ତାଙ୍କୁ କିପରି ବା ସ୍ତୁତି କରିବି ?
ବିଷ୍ଟରଶ୍ରବା ବ୍ରହ୍ମାଣ୍ଡେଶ୍ୱର ପରମ ପଦ ଭଜିଲା ନର,ଲଭେ ଏ ଘେନି ଗ୍ରନ୍ଥ ଆଦ୍ୟର ଭାବିତ ତାଙ୍କୁ ଯେ ।ବଂଶ ଯାହାରିଠାରୁ ଉତ୍ପତ୍ତି କବି ବିଚାରେ ସେ ଦେବେ ସ୍ତୁତି,ବିଧାନ କରି ଅତି ସୁମତି ଆଣ ମନକୁ ଯେ ।ବର୍ଣ୍ଣ ଅଭଙ୍ଗସଭଙ୍ଗରେ ଏ ଶ୍ଳେଷ ଯେ ।ବୁଝ ସ୍ଥାନ ସ୍ଥାନକେ କରି ପ୍ରକାଶ ଯେ ।ବଳାଇ ଚିତ୍ତ ଅନବରତ ଭାଗ୍ୟେ ଗ୍ରହଣ ତାରକ ମନ୍ତ୍ର,ସୀତା ଶ୍ରୀରାମ ଚରିତ ଗୀତ କୃତେ ଲାଳସ ଯେ ।୩।
୩ୟ ପଦ–ବିଷ୍ଟରଶ୍ରବା–(ବିଷ୍ଟର–କୁଶମୁଷ୍ଟ, ଶ୍ରବା–ଶ୍ରବଶ ଯାହାର) ବିଷ୍ଣୁ । ବ୍ରହ୍ମାଣ୍ଡେଶ୍ୱର–ଜଗତ୍କର୍ତ୍ତା । ପରମପଦେ–ବୈକୁଣ୍ଠ । ସୁମତି–ପଣ୍ଡିତ ବ୍ୟକ୍ତି । ଶ୍ଳେଷ–ଦୁଇ ଅର୍ଥ ପ୍ରକାଶକ ଅଳଙ୍କାର । ୩ୟ ପଦ– କ୍ଷୋଭିତ–ତ୍ରସ୍ତ । ଭୀତେ–ଭୟରେ । ବ୍ରହ୍ମା ପ୍ରମୁଖରେ–ବ୍ରହ୍ମାଙ୍କ ଅଗ୍ରଣୀରେ । ବିଶ୍ୱମ୍ଭର–ବିଷ୍ଣୁ ।
୩ୟ ପଦ–ଜଗତ୍କର୍ତ୍ତା ବିଷ୍ଣୁଙ୍କୁ ଭଜନ କରିବା ବ୍ୟକ୍ତି ବୈକୁଷ୍ଣ ପ୍ରାପ୍ତ ହୁଏ । ଆଉ ମଧ୍ୟ ସୂର୍ଯ୍ୟଦେବଙ୍କଠାରୁ ସୂର୍ଯ୍ୟବଂଶର ଉଦ୍ଭବ ହୋଇଛି । ତେଣୁ ବିଷ୍ଣୁ ଓ ସୂର୍ଯ୍ୟଙ୍କ ସ୍ତୁତି କରି ଗ୍ରନ୍ଥ ଆରମ୍ଭ କରିବି । ହେ ବୁଦ୍ଧିମାନ୍ ପଣ୍ଡିତମାନେ ! ଏ ବିଷୟ ମନକୁ ଆଣ । ବର୍ଣ୍ଣର ଅଭଙ୍ଗ ଓ ସଭଙ୍ଗ ଦୁଇ ଅର୍ଥବୋଧକ ଶେଷ ଅଳଙ୍କାରରେ ସ୍ଥାନେ ସ୍ଥାନେ ଏହା ପ୍ରକାଶ କରିବି । ସବୁବେଳେ କବିତା ଲେଖିବାକୁ ମନ ବଳାଇଥିଲି । ଭାଗ୍ୟକୁ ରାମତାରକ ମନ୍ତ୍ର ଗ୍ରହଣ କଲି । ସେହି ମନ୍ତ୍ର ପ୍ରସାଦରୁ ମୋହର କବିତ୍ୱର ସ୍ଫୁର୍ତ୍ତି ହେଲା, ତେଣୁ ସୀତା ରାମଙ୍କ ଚରିତମାନ ଗୀତରେ ରଚନା କରିବାକୁ ଅଭିଳାଷ ହେଲା ।
ବାଲ୍ମୀକି, ବ୍ୟାସ, କବି ଯହିଁରେ ମହାକାବ୍ୟ କେ ପୁରାଣ କରେ,ମହାନାଟକ ବାତସୁତରେ ହେଲେ ରଚିତା ଯେ ।ବିହିଲେ କାବ୍ୟ ଯେ କାଳିଦାସେ ଚମ୍ପୂ ରଚନା ଭୋଜନରେଶେ,କୃପାସିଦ୍ଧାଏ ଗୀତ ପ୍ରକାଶେ ଛାଡ଼ିଲି ଚିନ୍ତା ଯେ ।ବିବେକହିଁ ଉଦୟ ଏମନ୍ତ ଧ୍ୟାୟି ଯେ ।ବ୍ୟୋମେ ତାରକା ଯେବେ ଝଲକୁଥାଇ ଯେ ।ବିଭାବରୀରେ ଜ୍ୟୋତିରିଙ୍ଗଣ ଗଣ ଜ୍ୟୋତିକି ଦେଖାନ୍ତି ପୁଣ ।ସୁଜନେ ସାବଧାନରେ ଶୁଣ ଛାନ୍ଦ ରଚଇ ଯେ ।୪।
୪ର୍ଥ ପଦ–ବାତସୁତ–ହନୁମାନ । କୃପାସିଦ୍ଧା–ସିଦ୍ଧିକବି ବଳରାମ ଦାସ । ବ୍ୟୋମ–ଆକାଶ । ବିଭାବରୀ–ରାତ୍ର । ଜ୍ୟୋତିରିଙ୍ଗଣଗଣ–ଜୁଳୁ ଜୁଳା ପୋକ ସବୁ ।
୪ର୍ଥ ପଦ–ଯେଉଁ ରାମସୀତାଙ୍କ ବିଷୟ ନେଇ ବାଲ୍ମୀକି ରାମାୟଣ, ବ୍ୟାସଦେବ ଅଧ୍ୟାତ୍ମ୍ୟ ରାମାୟଣ, ହନୁମାନ ମହାନାଟକ, କାଳିଦାସ ରଘୁବଂଶ କାବ୍ୟ, ଭୋଜରାଜ ଚମ୍ପୁ, ସିଦ୍ଧି କବି ବଳରାମ ଦାସ ଦାଣ୍ଡି ରାମାୟଣ ପ୍ରଭୃତି ଗ୍ରନ୍ଥ ରଚନା କରିଯାଇ ଅଛନ୍ତି; ମୁଁ ବା ଅଧିକା ଆଉ କ’ଣ ଲେଖିବି ? ତେଣୁ ମୁଁ ତାହା ରଚନା କରିବାପାଇଁ ବଡ଼ ସଙ୍କୁଚିତ ହେଉଥିଲି । ମାତ୍ର ରାତ୍ରିରେ ଉଜ୍ୱଳ ତାରକାଗଣ ଆକାଶରେ ବିଦ୍ୟମାନ ଥିଲେହେଁ, ଜୁଳୁଜୁଳା ପୋକମାନେ ସେମାନଙ୍କର ଜ୍ୟୋତି ପ୍ରକାଶ କରିଥାନ୍ତି, ଏହି କଥା ଭାବି ମୁଁ ଗ୍ରନ୍ଥ ରଚନା କରିବାକୁ ମନ ବଳାଇଛି । ହେ ସୁଜନମାନେ; ସାବଧାନରେ ଶୁଣ ।
ବିଦ୍ୟୁତକେଶ ବଂଶରେ ଜାତ, ସୁମାଳୀ ମାଳୀ ଯେ ମାଲ୍ୟବନ୍ତ,ସ୍ୱର୍ଗ ଲୁଣ୍ଠନେ ଅହି ଅହିତ ଧିଆନ କରି ଯେ ।ବିଧୂ–ସମରେ ଜ୍ୟୋତି ଜ୍ୱଳିତ ବିଧୂ ସମରେ ହେଲେ ଆଗତସେ ଆରୋହିତ ଅହି–ଅହିତ ଗଦାବ୍ଜ ଧରି ଯେ ।ବଜାଇଣ ଶଙ୍ଖାରି କରଣେ ଘାତ ଯେ ।ବଧ କଲେ ଶଙ୍ଖାରି ଦ୍ୱିତୀୟ ଭ୍ରାତ ଯେ ।ବଡ଼ଭୀ ଲଭି ପାତାଳେ ଲୁଚି ଲଙ୍କା ବଡ଼ଭିପୁରକୁ ମୁଞ୍ଚି,ଲଙ୍କା ଯେ ଦଣ୍ଡ ପାଣିରେ ରଚି ଭୟ ଯେମନ୍ତ ଯେ ।୫।
୫ମ ପଦ–ଅହି–ଅହିତ–(ଅହି–ବୃତ୍ତ୍ରାସୁର, ତାହାର ଯେ ଅହିତାଚରଣ କରିଥିଲେ) ଇନ୍ଦ୍ର-। ବିଧୁ–ସମରେ–ଚନ୍ଦ୍ର ସମାନରେ । ଜ୍ୟୋତିଜ୍ୱଳିତ–ଦେବିପ୍ୟମାନ । ବିଧୁସମରେ–ଦେବ ଯୁଦ୍ଧରେ । ଅହି–ଅହିତ–ଗରୁଡ଼ [ଅହି–ସର୍ପ, ଯେ ସେମାନଙ୍କର ଅହିତାରଣ କରେ] । ଗଦାବ୍ଜ–ଗଦାପଦ୍ମ । ଶଙ୍ଖାରି–ଶଙ୍ଖ ଓ ଚକ୍ର । ଶଙ୍ଖାରି–(ଶଙ୍ଖ+ଅରି) ଅର୍ଥାତ୍ ଶଙ୍ଖ ନାମକ ରାକ୍ଷସର ଶତ୍ରୁ, ବିଷ୍ଣୁ । ଦଣ୍ଡପାଣି–ଦଣ୍ଡୁଆସି ।
୫ମ ପଦ–ବିଦ୍ୟୁତକେଶ ରାକ୍ଷସବଂଶରେ ମାଳୀ, ସୁମାଳୀ ଓ ମାଲ୍ୟବନ୍ତ ନାମରେ ତିନି ପୁତ୍ର ଜାତ ହୋଇଥିଲେ । ସେମାନେ ସ୍ୱର୍ଗ ଲୁଟି କରନ୍ତେ ଇନ୍ଦ୍ର ବିଷ୍ଣଙ୍କୁ ଧ୍ୟାନ କଲେ । ଚନ୍ଦ୍ର କିରଣ ପରି ଜ୍ୟୋତିର୍ମୟ ବିଷ୍ଣ ଗରୁଡ଼ ଆରୋହଣ କରି, ଗଦା ପଦ୍ମ ହସ୍ତରେ ଧରି ଦେବାସୁର ଯୁଦ୍ଧରେ ଉପସ୍ଥିତ ହେଲେ । ସେ ଚକ୍ରାଘାତରେ ମାଳୀ ଓ ମାଲ୍ୟବନ୍ତ ରାକ୍ଷସକୁ ବଧ କରି ଶଙ୍ଖନାଦ କଲେ । ତାହା ଦେଖି ସୁମାଳୀ ଅତ୍ୟନ୍ତ ଭୀତ ହୋଇ ବିଟପୀ ସ୍ତ୍ରୀ ରାଜଦଣ୍ଡୁଆସିକୁ ଡରି ଲୁଚିଲା ପରି, ଲଙ୍କାଗଡ଼ ତ୍ୟାଗ କରି ପାତାଳରେ ଲୁଚିଲା ।
ବାହାର ପୁଣ୍ୟଜନେ ହୋଇଲେ ବିହାର ପୁଣ୍ୟଜନେ ବିହିଲେ,ରଞ୍ଜନ ପୁଣ୍ୟଜନେ କୁବେରେ ସେ ଦୀପ୍ତିମାନ ଯେ ।ବାସ ନଗର ପାଶ ନଗର ନଗର ତଳେ କରି ସତ୍ୱର,ଜଗତତାତ–ସୁତ–କୁମର କଲେ ସେ ସ୍ଥାନ ଯେ ।ବହୁ ସମୟ ଅନ୍ତେ ଏହି ପ୍ରକାରେ ଯେ ।ବାର୍ତ୍ତା ପାଇ ସୁମାଳୀ ଏମାନ ଚାରେ ଯେ ।ବିଶ୍ରବାଋଷିର ସନ୍ନିଧିକି ନେଲା ଦୁହିତା ରସନିଧିକିଶୋଭାରେ କରେ ସେ ଧିକି ଧିକି ନାରୀମାତରେ ଯେ ।୬।
୬ଷ୍ଠ ପଦ–ପୁଣ୍ୟଜନେ–ରାକ୍ଷସମାନେ । ପୁଣ୍ୟଜନେ–ଉତ୍ତମ ଲୋକମାନେ । ପୂଣ୍ୟଜନ–ଯକ୍ଷଗଣ । ବାସ ନଗର–ଲଙ୍କାପୁର । ପାଶ ନଗର–ପାଖରେ ଥିବା ପର୍ବତ, ସୁବଳ । ନଗର ତଳେ–ବୃକ୍ଷ ମୂଳରେ । ଜଗତ–ତାତ–ସୁତ–କୁମର–(ଜଗତ ତାତ = ବ୍ରହ୍ମା, ତାଙ୍କ ସୁତ ପୁଲସ୍ତ୍ୟ, ତାଙ୍କ କୁମର) ବିଶ୍ରବା ଋଷି । ଧିକି ଧିକି କରେ–ନିନ୍ଦାକରେ ।
୬ଷ୍ଠ ପଦ–ରାକ୍ଷସମାନେ ଲଙ୍କାସୁରରୁ ବାହାର ହୋଇଗଲେ, ଉତ୍ତମ ଲୋକମାନେ ଆସି ତହିଁରେ ବିହାର କଲେ, କୁବେର ଯକ୍ଷମାନଙ୍କ ସହିତ ସେଠାରେ ବାସ କରିବାରୁ ତାହା ଅଶେଷ ଶୋଭା ଧାରଣ କଲା । ଲଙ୍କା ନଗରର ଅଦୂରରେ ଥିବା ସୁବଳ ପର୍ବତର ନିମ୍ନଦେଶରେ ଗୋଟିଏ ବୃକ୍ଷ ମୂଳକୁ ଭଲ ସ୍ଥାନ ମନେକରି ବିଶ୍ରବା ଋଷି ସେହିଠାରେ ବାସ କଲେ । କେତେକ ଦିନପରେ ସୁମାଳୀ ଏ ସମସ୍ତ ବିଷୟ ଚାରଦ୍ୱାରା ଶୁଣିପାରି, ଶୃଙ୍ଗାର ରସର ନିଧି ଅଟେ ଯେ ଦୁହିତା (ନିକଷା) ତାହାକୁ ବିଶ୍ରବା ଋଷିଙ୍କ ନିକଟକୁ ନେଲା । ସେହି କନ୍ୟା ନିଜର ଶୋଭାରେ ସମସ୍ତ ନାରୀଙ୍କୁ ଧିକ୍କାର କରୁଥିଲା ।
ବାଙ୍କେ ଅନାଇଁ ଅଙ୍କେ ପକାଇ ସେ ପଙ୍କେରୁହ ଶରକୁ ନେଇଶଙ୍କେ ମଦନ ଆତଙ୍କେ ତହିଁ ମୁନିଉତ୍ତମ ଯେ ।ବୋଲେ ସୁନ୍ଦରୀ କୋଳେ ମୋ ବସ ତୁଲେ ମଜ୍ଜ ତୋ ହୋଇବି ତୋଷଭୁଲେ ତୋ ରୂପେ ମୋର ମାନସ ପ୍ରକାଶ ପ୍ରେମରେ ।ବାମା ଓଳଗି ସନମତ କରାଇ ଯେ ।ବହ୍ନି ସାକ୍ଷିରେ ବିଭାଭାବ ବଢ଼ାଇ ଯେ ।ବେଗେ ସୁରତ ରତ ସନ୍ଧ୍ୟାରେ ସନ୍ଧ୍ୟାମଟ୍ଟୀ ସେ ତାର ଗର୍ଭରେଜାତ ହୋଇଲେ ରକ୍ଷ ଶରୀରେ ସୁତ ତନୟୀ ଯେ ।୭।
୭ମ ପଦ–ଅଙ୍କ–କ୍ରୋଡ଼ । ପଙ୍କେରୂହ–ପଦ୍ମ । ମଦନ ଆତଙ୍କେ–କନ୍ଦର୍ପ ଭୟରେ । ରକ୍ଷଶରୀରେ–ଅସୁର ଦେହରେ । ସନ୍ଧ୍ୟାମଟ୍ଟୀ–ରାତ୍ରି ଚରୀ, ରାକ୍ଷସୀ ।
୭ମ ପଦ–ସେହି କନ୍ୟା ଋଷିଙ୍କି ବକ୍ରଭାବରେ ଅନାଇ, ତାଙ୍କ ଉପରେ ନିଜର ଶର ରୂପ ପଦ୍ମନେତ୍ର ନିକ୍ଷେପ କଲା (କଟାକ୍ଷ ପାତକଲା); ତେଣୁ ମୁନିଶ୍ରେଷ୍ଠ ବିଶ୍ରବା କନ୍ଦର୍ପ ଭୟରେ ଭୀତ ହୋଇ କହିଲେ, ‘‘ହେ ସୁନ୍ଦରୀ ! ମୋ କୋଳରେ ବସ ତୋ ସହିତ ମଜ୍ଜି ମୁଁ ସନ୍ତୁଷ୍ଟ ହେବି । ତୋହର ରୂପଶୋଭା ଦେଖି ମୋ ମନ ଭୁଲିଗଲା, ତୁ ପ୍ରେମ ପ୍ରକାଶ କର ।’’ ଋଷି ଏହା କହିବାକୁ କନ୍ୟା ତାଙ୍କୁ ଓଳଗି ହୋଇ ସମ୍ମତ ପ୍ରକାଶ କଲା । ଋଷି ଅଗ୍ନି ସାକ୍ଷିକରି ବିବାହକାର୍ଯ୍ୟ ବଢ଼ାଇଲେ । ସନ୍ଧ୍ୟା ସମୟରେ ତାହା ସହିତ ସୁରତରେ ରତ ହେଲେ । ସେ ତ ରାକ୍ଷସୀ, ତେଣୁ ତାହା ଗର୍ଭରୁ ରାକ୍ଷସ ଶରୀରରେ ପୁତ୍ର ଓ କନ୍ୟା ଜାତ ହେଲେ ।
ବିଂଶତିଭୁଜ ଦଶାନନରେ କି ଦଶା ଦେବ ଦେବ କିନ୍ନରେ,ନର ନାଗରେ ଧରଣୀ ଥରେ ହେଉଁ ପତନ ଯେ ।ବିକଟରୂପ ପ୍ରକଟ ଅତି ରକତ ପରା ବ୍ୟକତ କାନ୍ତି,ଘଟଣ ଘଟ ସଦୃଶ ଶ୍ରୁତି ଭୈରବ ସ୍ୱନ ଯେ ।ବଧୀରତା ନିକଟ ଶୁଣିଲା ଜନ ଯେ ।ବିଗତ ସେ ଭୀଷଣେ ତିନି ନନ୍ଦନ ଯେ ।ବୋଇଲେ ସେ ଦଶ ବଦନ, କୁମ୍ଭ–ଶ୍ରବଣ ସେ ବିଭୀଷଣନନ୍ଦିନୀ ସୂର୍ପଣଖାର ନଖ ସୂର୍ପସମାନ ଯେ ।୮।
୮ମ ପଦ–ନର ନାଗରେ–ନର ଲୋକରେ ଓ ନାଗ ଲୋକରେ । ଘଟସଦୃଶ–ମାଠିଆପରି । ଘଟଣ–ଗଢ଼ଣ । ଶ୍ରୁତି–କର୍ଣ୍ଣ । ଭୈରବ–ଭୟଙ୍କର । ବିଗତ–ରହିତ । ସୂର୍ପସମାନ–କୁଲାପରି ।
୮ମ ପଦ–କୋଡ଼ିଏ ହାତ, ଦଶମୁଖ ବିଶିଷ୍ଟ ପୁତ୍ରର ଗର୍ଭରୁ ପତନ ହୁଅନ୍ତେ ‘ଦେବ କିନ୍ନର ନର ନାଗ ଲୋକଙ୍କୁ କି ଦଶା ଦେବ ?’–ଏହା ଭାବି ଧରଣୀ କମ୍ପିଲା । ଅତି ବିକଟାଳ ରୂପବିଶିଷ୍ଟ ରକ୍ତବର୍ଣ୍ଣ କାନ୍ତି, ମାଠିଆ ପରି କାନକୁ ଧାରଣ କରି ଦ୍ୱିତୀୟ ପୁତ୍ର ଜାତ ହେଲା । ତାହାର ଶବ୍ଦରେ ନିକଟରେ ଥିବା ଲୋକମାନେ ବଧିର ହୋଇଗଲେ । ଭୀଷଣ ରହିତ (ଅର୍ଥାତ୍ ସୁନ୍ଦର) ତୃତୀୟ ପୁତ୍ର ଜାତ ହେଲା । ସେମାନେ ଦଶାନନ, କୁମ୍ଭକର୍ଣ୍ଣ, ବିଭୀଷଣ ନାମରେ ଖ୍ୟାତ ହେଲେ । ଯେଉଁ କନ୍ୟା ଜାତ ହେଲା, ତାହାର ନଖସବୁ କୁଲାପରି ଥିବାରୁ ତାହାର ନାମ ସୂର୍ପଣଖା ହେଲା ।
ବୃଦ୍ଧି ଯତନ ଦିନକୁ ଦିନୁ, ଗିରି ସମରେଦିଶିଲା ତନୁ,ଗିରୀଷମରେ ଏ ଅନୁମାନୁ ନହଇ ଆନ ଯେ ।ବିଶାଳ ମହାଶାଳ କି କର, ସାନୁ ସମାନେ ଉନ୍ନତ ଶିର,କୁଶାନୁ ପରି ତେଜନିଜର ଜ୍ୱଳିତ ଘେନ ଯେ ।ବିଦ୍ୟମାନ କ୍ରୋଟର ତଥା ଲୋଚନ ଯେ ।ବର୍ଦ୍ଧମାନକରତା ଜୀବ ଶୋଚନ ଯେ ।ବୁଲିଲେ ପୁରେ ପୁରେ ସ୍ୱଚ୍ଛରେ ମାତିଲେ ନାନାଦ୍ରବ୍ୟ ଭକ୍ଷରେଗଲା ଦ୍ୱାଦଶ ସମ୍ବତ୍ସରରେ ଯେ କୁମ୍ଭକର୍ଣ୍ଣ ଯେ ।୯।୯ମ ପଦ–ଗିରି–ପର୍ବତ । ତନୁ–ଦେହ । କର–ହାତ । ସାନୁ–ଶୃଙ୍ଗ । କୁଶାନ–ଅନଳ । କ୍ରୋଟର–କନ୍ଦରା । ଶୋଚନ–ଶୋକ ।
୯ମ ପଦ–ପୁତ୍ରମାନେ ଯତ୍ନରେ ଦିନକୁ ଦିନ ବଢ଼ିଲେ । ସେମାନଙ୍କର ଦେହ ଗ୍ରୀଷ୍ମକାଳର ପର୍ବତପରି ଦେଖାଗଲା । ଏହା ଅନୁମାନରୁ ଆନ ନୁହେଁ । ତାହାଙ୍କର ହାତ ମହାଶାଳ ପରି ବିଶାଳ, ଶିର ପର୍ବତ, ନେତ୍ର କନ୍ଦରାର ଆକାର ଧାରଣ କଲା ଏବଂ ଦେହର ତେଜ ଅଗ୍ନି ସମାନ ଝଟକି ଉଠିଲା । ସେମାନେ ସମସ୍ତ ପ୍ରାଣୀଙ୍କର ଶୋକ ବଢ଼ାଇଲେ । ମନ ଇଚ୍ଛାରେ ଚାରିଆଡ଼େ ବୁଲି ନାନାପ୍ରକାର ଦ୍ରବ୍ୟ ସବୁ ଖାଇଲେ । ଏହିପରି ବାରବର୍ଷ ବିତିଗଲା; ତତ୍ପରେ କୁମ୍ଭକର୍ଣ୍ଣ–
ବହୁତ ଜନ ଜୀବନ ନେଇ ଉତ୍ତରକୁରୁ ପ୍ରଦେଶେ ଯାଇଉତ୍ତର କ୍ରୁରତର ନ ସହି ଇନ୍ଦ୍ରେ ନ ମାନି ଯେ ।ବଜ୍ରାଘାତକୁ ମଣି ଇତର ଉତ୍ପାଟି ଦନ୍ତ ଐରାବତରପ୍ରହାରେ ମୋହ ସୁଈଶ୍ୱର ପଳାଇ ଘେନି ଯେ ।ବିଭୀଷଣ ପକ୍ଷରେ ଦ୍ୱନ୍ଦ୍ୱ ରଚିତ ଯେ ।ବପ୍ତାଶ୍ୱଶୁର ସ୍ଥାନେ ଦଶାସ୍ୟ ଗତ ଯେ ।ବିରୋଜା ମଣ୍ଡଳରେ ତପସ୍ୟା ଜଗଜ୍ଜୟରେ କରି ମନୀଷାଅଶନହୀନେ ଦିବସ ନିଶା କାଳ ବଞ୍ଚିତ ଯେ ।୧୦।
୧୦ମ ପଦ–ଉତ୍ତରରୁ ପ୍ରଦେଶ–ସ୍ୱର୍ଗ । କ୍ରୁରତର–କର୍କଶ, ନିଷ୍ଠୁର । ଉତ୍ତର–ପ୍ରତିବାକ୍ୟ । ଇତର–ତୁଚ୍ଛ । ସୁରଈଶ୍ୱର–ଇନ୍ଦ୍ର । ବପ୍ତାଶ୍ୱର ସ୍ଥାନ–ବାପର ଶଶୁର ଘର, ସୁମାଳିର ବାସଭବନ, ପାତାଳ । ଦଶାସ୍ୟ–ରାବଣ । ବିରଜାମଣ୍ଡଳରେ–ଦେବୀ ପୀଠରେ । ମନୀଷା–ଇଚ୍ଛା । ଅଶନହୀନେ–ଅନାହାରରେ ।
୧୦ମ ପଦ–(ତତ୍ପରେ କୁମ୍ଭକର୍ଣ୍ଣ) ବାଟରେ ବହୁତ ପ୍ରାଣୀ ବିନାଶ କରି ସ୍ୱର୍ଗକୁ ଯାଇ ନାନା ଉପଦ୍ରବ କଲା । ଇନ୍ଦ୍ରଙ୍କୁ ନ ମାନି ତାଙ୍କୁ ନିଷ୍ଠୁର କଥାମାନ କହିଲା । ଇନ୍ଦ୍ରଙ୍କ ବଜ୍ର ପ୍ରହାରକୁ ତୁଚ୍ଛ ମନେକରି ଐରାବତ ହସ୍ତୀର ଦନ୍ତକୁ ଉପାଡ଼ି ଇନ୍ଦ୍ରଙ୍କୁ ପ୍ରହାରନ୍ତେ, ଇନ୍ଦ୍ର ଅଚେତନ ହେଲେ । ଐରାବତ ତାହାଙ୍କୁ ନେଇ ପଳାଇ ଗଲା । ବିଭୀଷଣ ଯକ୍ଷ ଲୋକରେ ଯୁଦ୍ଧ ଆରମ୍ଭ କଲା । ରାବଣ ପାତାଳପୁରକୁ ଜୟ କରିବାକୁ ଗଲା । (ଏହିପରି ତିନିଭାଇଙ୍କୁ ତିନିପୁରରେ ଯୁଦ୍ଧ କରି ସାରି) ଜଗତ୍ଜୟ କରିବା ଇଚ୍ଛାରେ ବିରୋଜା ଦେବୀଙ୍କ ପୀଠରେ ଅନାହାରରେ ଦିନ ରାତି ତପସ୍ୟା କରିବାକୁ ଲାଗିଲେ ।
ବିଖନ ଭାଲ ଲେଖନବର୍ଣ୍ଣ ମୂଣ୍ଡ ପ୍ରଚଣ୍ଡାନଳେ ଦହନକରିଣ କଲା ଜ୍ୟେଷ୍ଠ ପଠନ କଷ୍ଟ ଅତ୍ୟନ୍ତ ଯେ ।ବଲ୍ଲକୀ ରଚି ଭୁଜ ମୂର୍ଦ୍ଧାରେ ସେ ଦଣ୍ଡ ତୁମ୍ବୀ ଭାବେ ଶ୍ରଦ୍ଧାରେଧମନୀ ଗୁଣ କରି ବେଧାରେ ବିନୟୀ ଗୀତ ଯେ ।ବାଉଁ ଗାଉଁ ହୋଇଲେ ଆସି ପ୍ରସନ୍ନ ଯେ ।ବର କାମନାପୂର୍ଣ୍ଣେ କଲେ ପ୍ରଦାନ ଯେବର୍ତ୍ତବୁ ଯୁଗ ଛପନଗଣ୍ଡା ବରଣୀ ହେବ ବ୍ରହ୍ମାଣ୍ଡେ ଖଣ୍ଡାସୀତା ହରଣ ନିଶ୍ଚେ ମରଣ ଜାଣରେ ।୧୧।
୧୧ଶ ପଦ–ବିଖନ–ବିଖନ–ବିଧାତା । ଭାଲ–କପାଳ । ଲେଖନବର୍ଣ୍ଣ ମୁଣ୍ଡ–ଅକ୍ଷର ଲେଖାଥିବା ମୁଣ୍ଡ । ଜ୍ୟେଷ୍ଠ–ରାବଣ । ବଲ୍ଲକୀ–ବୀଣା । ଧମନୀ–ଶିରା । ବେଧାରେ–ବ୍ରହ୍ମାଙ୍କ । ବରଣୀ ହେବ–ପୂଜା ପାଇବ ।
୧୧ଶ ପଦ–(ଜ୍ୟେଷ୍ଠ) ରାବଣ ଆପଣାର ମୁଣ୍ଡମାନଙ୍କୁ ପ୍ରଚଣ୍ଡ ଅନଳରେ ଦଗ୍ଧ କରି ଲଲାଟରେ ଥିବା ବିଧାତା ଲିଖିତ ଅକ୍ଷରମାନଙ୍କୁ ଅତି କଷ୍ଟରେ ପାଠ କଲା । (ନିଜ ଲଲାଟରେ ଭଲ ଲେଖାନାହିଁ–ଏହା ଜାଣି) ସେ ନିଜ ଭୂଜକୁ ଦଣ୍ଡ, ମୁଣ୍ଡକୁ ତୁମ୍ୱୀ, ଶିରାକୁ ତାର କରି ସେହି ବୀଣାରେ ବିନୟରେ ବ୍ରହ୍ମାଙ୍କର ସ୍ତବ ଗାନ କଲା । ବ୍ରହ୍ମା ପ୍ରସନ୍ନ ହୋଇ ଆସି କହିଲେ, ‘‘ତୁ ଛପନଗଣ୍ଡା ଯୁଗ ଯାଏ ବଞ୍ଚି ରହିବୁ । ତୋହର ଖଣ୍ଡା ସମଗ୍ର ଜଗତରେ ପୂଜା ପାଇବ (ତୁ ଜଗତ୍ଜୟୀ ହେବୁ) । ମାତ୍ର ସୀତା ହରଣ ତୋହର ମରଣ କାରଣ ଅଟେ–ଏହା ମନେରଖ ।’’
ବେଭାରେ ସୀତା ବହୁ ଯୋଷିତା ଯେ ହୋଇଥିବ ଜନକସୁତାବହୁତ ରାମ ପରକାଶିତା ଯେ ଦାଶରଥି ଯେ ।ବାଗ୍ଦେବୀ ଆସି ବସିଲେ ଗଳେ କୁମ୍ଭକର୍ଣ୍ଣର ବରଦକାଳେନିଦ୍ରା ମୁଁ ଯିବି ବୋଲି ଚପଳେ ମାଗିଲା ତଥି ଯେ ।ବତ୍ସରକ ନ ପୂରୁ ଉଠିବୁ ଯେବେ ରେ ।ବଧ ଅବଶ୍ୟ ହେବ ତୋହର ତେବେ ରେ ।ବିଷ୍ଣୁ ଭକତ ହୋଇ ଅମର ଜଗତ ମଧ୍ୟେ କର ବିହାରଗତ ପଦ୍ମଜ ଦେଇ ଏ ବର ସାନୁଜେ ଜବେ ଯେ ।୧୨।
୧୨ଶ ପଦ–ବେଭାରେ–ଜଗତରେ । ଯୋଷିତା–ସ୍ତ୍ରୀ । ବାଗ୍ଦେବୀ–ସରସ୍ୱତୀ । ବରଦକାଳେ–ବରଦେବା ସମୟରେ । ଚପଳେ–ଶୀଘ୍ର । ପଦ୍ମଜ–ବ୍ରହ୍ମା । ସାନୁଜ–ବିଭୀଷଣ । ଜବ–ଶୀଘ୍ର ।
୧୨ଶ ପଦ–‘ଜଗତରେ ବହୁତ ସ୍ତ୍ରୀ ଲୋକ ସୀତା ନାମ ବହିଛନ୍ତି; ରାମ ନାମରେ ବହୁତ ଲୋକ ଥାଇ ପାରନ୍ତି, ମାତ୍ର ଯେଉଁ ସୀତା ଜନକରାଜାଙ୍କର କନ୍ୟା ହୋଇଥିବେ, ତାହାଙ୍କୁ ହରିଲେ, ଦଶରଥଙ୍କର ପୁତ୍ର ରାମଚନ୍ଦ୍ର ତୋତେ ମାରିବେ ।’ କୁମ୍ଭକର୍ଣ୍ଣକୁ ବରଦେବା ସମୟରେ ସରସ୍ୱତୀ ଆସି ତାହା କଣ୍ଠରେ ବସିଲେ । ତେଣୁ ସେ ତରତରରେ ‘ମୁଁ ନିଦ୍ରା ଯିବି’ ବୋଲି ବର ମାଗି ଦେଲା-। ତାହା ଶୁଣି ବ୍ରହ୍ମା ବର ଦେଲେ ‘‘ବର୍ଷେ ପୂର୍ଣ୍ଣ ନ ହେଉଣୁ ଯେବେ ନିଦ୍ରାରୁ ଉଠିବୁ, ତାହା ହେଲେ ଅବଶ୍ୟ ତୋର ବିନାଶ ହେବ ।” ‘‘ବିଷ୍ଣୁ ଭକ୍ତ ଓ ଅମର ହୋଇ ଜଗତରେ ବିହାର କରିବୁ’’–ଏହି ବର ସାନ ଭାଇ ବିଭୀଷଣକୁ ଦେଇ ବ୍ରହ୍ମା ବେଗରେ ସେଠାରୁ ଚାଲିଗଲେ ।
ବାହୁଡ଼ି ତହୁଁ ପାତାଳେ ରାଜି ନିକଷାତ୍ମଜପୁଞ୍ଜକୁ ସାଜିବେଢ଼ିଲେ ଲଙ୍କା କୁବେର ତେଜି ଗଲା ସେ ପୁର ଯେ ।ବିମାନେ ନେଲା ସର୍ବ ସମ୍ପତ୍ତି ବି–ମାନେ ଯଥା ଗଗନେ ଗତିସେ ମନୋରଥ ରଥ ପ୍ରାପତ ଇଚ୍ଛ ସମର ଯେ ।ବିଶ୍ୱେ ଉତ୍କୃଷ୍ଟପ୍ରଭା ପ୍ରକଟ କରି ଯେ ।ବିଧୂ ନ୍ତୁଦ ବିଧୂକୁ ଗ୍ରାସିଲା ପରି ଯେ ।ବିଶ୍ୱ କେତୁରେ ହୋଇ ଅଦମ୍ଭା ଶୋଭା ଆରମ୍ଭ ରମ୍ଭା ସୁରମ୍ଭାଉରୁକୁ ହରି ହୋଇଲା ବିଭା ମୟକୁମାରୀ ଯେ ।୧୩।
୧୩ଶ ପଦ–ରାଜି–ଶୋଭିତ ହୋଇ । ନିକଷାତ୍ମଜପୁଞ୍ଜକୁ–ଅସୁରଗଣଙ୍କୁ । ସାଜି–ସଜ କରି । ବି–ମାନେ–ପକ୍ଷୀମାନେ । ମନୋରଥ–(ମନ ଅନୁସାରେ ଯେଉଁ ରଥ ଗତି କରେ) ପୁଷ୍ପକବିମାନ । ବିଧୁନ୍ତୁଦ–ରାହୁ ବିଶ୍ୱକେତୁ–କନ୍ଦର୍ପ । ଅଦମ୍ଭା–ଦମ୍ଭହୀନ । ଶୋଭା ଆରମ୍ଭା–(ଶୋଭାରେ ଯେ ପ୍ରଥମ) ଅତି ସୁନ୍ଦରୀ । ସୁରମ୍ଭା–ଉତ୍ତମ କଦଳୀଗଛ । ମୟକୁମାରୀ–ମୟଦୈତ୍ୟର କନ୍ୟା ମନ୍ଦୋଦରୀ ।
୧୩ଶ ପଦ–(ସେ ତିନିଭାଇ ବ୍ରହ୍ମାଙ୍କଠାରୁ ବର ପାଇଲା ପରେ) ସେଠାରୁ ବାହୁଡ଼ି ପାତାଳ ପୁରରେ ବିରାଜିତ ହେଲେ । ଅସୁରମାନଙ୍କୁ ସଜ୍ଜୀଭୂତ କାରି ଲଙ୍କାକୁ ଯାଇ ଚଢ଼ାଉ କଲେ-। କୁବେର ପୁଷ୍ପକଯାନରେ ବସି ସମସ୍ତ ସମ୍ପତ୍ତି ନେଇ ପକ୍ଷୀମାନେ ଆକାଶରେ ଉଡ଼ିଗଲାପରି ଲଙ୍କାପୂର ଛାଡ଼ି ଚାଲିଗଲେ । ରାବଣ ମନ ଜାଣି ଗତି କରୁଥିବା ପୁଷ୍ପକବିମାନ ପାଇବା ଇଚ୍ଛାରେ କୁବେରଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ଗଲା ଓ ବିମାନକୁ ବଳାତ୍କାରରେ ତାଙ୍କଠାରୁ ଛଡ଼ାଇ ଆଣିଲା । ରାହୁ ଚନ୍ଦ୍ରମାଙ୍କୁ ଗ୍ରାସ କଲାପରି ସେ ଭୟଙ୍କର ତେଜ ପ୍ରକାଶ କରି ସମଗ୍ର ସଂସାରକୁ ଗ୍ରାସ କଲା (ଜୟ କଲା) । କନ୍ଦର୍ପ ପୀଡ଼ାରେ ଅସ୍ଥିର ହୋଇ ସେ ପରମାସୁନ୍ଦରୀ ରମ୍ଭୋରୁବିଶିଷ୍ଟା ରମ୍ଭା ଅପ୍ସରାକୁ ହରଣ କଲା ଓ ମୟଦୈତ୍ୟକୁମାରୀ ମନ୍ଦୋଦରୀକୁ ବିବାହ କଲା-।
ବୃଷସଦୃଶ ସୁରଭିଆଳୀ ଗୋଷ୍ଠୀ କୋଷ୍ଠିରେ କଲା ସେ କେଳିପ୍ରଜାପତିଙ୍କ ସମାନେ ଝଳି ଅନେକ ସୁତ ଯେ ।ବର୍ଣ୍ଣିବା କିସ ଜ୍ୟେଷ୍ଠକୁମାର ଜାତ ରଡ଼ିକି ଶୁଣି କୁମାରଛାଡ଼ି ସେ ମେଘନାଦ ଉପର ପଡ଼ି ଅଚେତ ଯେ ।ବଳେ ମେଘନାଦରୁ ତାହାର ସ୍ୱନ ଯେ ।ବହେ ସେ ମେଘନାଦ ନାମ ପ୍ରଧାନ ଯେ ।ବନ–ବେଷ୍ଟିତ ସ୍ଥାନରେ ରହି ସିଂହ ଶାର୍ଦ୍ଦୁଳ ବଳିଷ୍ଠେ ହୋଇ,ବଇରି–ମୃଗ ପିଶିତ ଧ୍ୟାୟି ଆଉ ନନ୍ଦନ ଯେ ।୧୪।
୧୪ଶ ପଦ–ସୁରଭି–କାମଧେନୁ । ଆଳୀ–ସଖୀ(ଏଠାରେ ସ୍ତ୍ରୀ) । ଗୋଷ୍ଠରେ–ସମୂହରେ-। କୋଷ୍ଠି–ଘର । ପ୍ରଜାପତି–ବ୍ରହ୍ମା । କୁମାର–କାର୍ତ୍ତକେୟ । ମେଘନାଦ–ମୟୂର । ବନ ବେଷ୍ଟିତ–ସ୍ଥାନ–ଜଳବେଷ୍ଟିତ ସ୍ଥାନ ଅର୍ଥାତ୍ ଲଙ୍କା । ପିଶିତ–ମାଂସ ।
୧୪ଶ ପଦ–ବୃଷଭ ଯେପରି ଗାଈଗୋଠରେ କେଳି କରେ, ସେହିପରି ସେ ରାବଣଗୃହରେ ବୃଷଭ ପରି ସୁନ୍ଦରୀ ସ୍ତ୍ରୀମାନଙ୍କ ସହିତ କେଳି କଲା । ସେହିହେତୁରୁ ଦକ୍ଷଙ୍କ ସମାନ ଦୀପ୍ତିମାନ ପୁତ୍ରସବୁ ଜନ୍ମ ହେଲେ । ସେମାନଙ୍କ କଥା କଅଣ ବା ବର୍ଣ୍ଣନା କରିବି ? ଜ୍ୟେଷ୍ଠପୁତ୍ରର ଜନ୍ମ ସମୟର ରଡ଼ିକୁ ଶୁଣି କାର୍ତ୍ତିକେୟ ମୟୂର ପିଠିରୁ ତଳେ ପଡ଼ିଯାଇ ଅଚେତନ ହେଲେ । ତାହାର ଶବ୍ଦ ମେଘଧ୍ୱନିରୁ ବଳିଯିବାରୁ ତାହାର ପ୍ରଧାନ ନାମ ମେଘନାଦ ହେଲା । ତତ୍ପରେ ଆଉ ଯେତେ ପୁତ୍ର, ସେମାନେ ସିଂହ–ବ୍ୟାଘ୍ରଙ୍କ ପରି ବଳିଷ୍ଠ ହୋଇ ଶତ୍ରୁରୂପ ମୃଗର ମାଂସକୁ ଧ୍ୟାନ କରି ଜଳବେଷ୍ଟିତ ଲଙ୍କାପୁରରେ ରହିଲେ । (ସିଂହ–ବ୍ୟାଘ୍ରମାନେ ମୃଗମାଂସ ଖାଇବା ଆଶାରେ ବନ ମଧ୍ୟରେ ରହିଥାନ୍ତି ।)
ବାମକରରେ ହୋଇଣ ବାମ ବାମଦେବର ଗିରି କୁସୁମ,ପରି ଉତ୍ପାଟି ଧରଣେ କ୍ଷମ ହେବାକାଳରେ ଯେ ।ବାହାର ଦରବଶେ ଏ ସ୍ୱର ଈଶ୍ୱରଠାରୁ ରାବଣେଶ୍ୱର,ଦେଖିଲେ ପଞ୍ଚଦ୍ୱିଗୁଣ ଶିର ସେ ବହିବାର ଯେ ।ବିଶେଷତ ଦେଖିଲେ ଇକ୍ଷଣ କର ଯେ ।ବିଳାସକୁ ଦୈତ୍ୟର ସ୍ୱର୍ଣ୍ଣନଗର ଯେ ।ବିଲୋକି ରୌପ୍ୟନଗରେ ସ୍ଥିତ ଉପୁଜି ଯାଇ ଏ ଊଣା ଭୀତିଭୋଗ ତ ବେନିଜନେ ବିଭୁତି ଆନ ପ୍ରକାର ଯେ ।୧୫।୧୫ଶ ପଦ–ବାମ–ବିପକ୍ଷ । ବାମଦେବର ଗିରି–ମହାଦେବଙ୍କର ଗିରି, କୈଳାସ ପର୍ବତ-। ଦରବଶେ–ଭୟରେ । ଈକ୍ଷଣ–ଚକ୍ଷୁ । ବିଭୂତି–ଐଶ୍ୱର୍ଯ୍ୟ ।
୧୫ଶ ପଦ–ରାବଣ ପ୍ରତିକୂଳ ହୋଇ ବାମହସ୍ତରେ ଶିବଙ୍କର ଗିରି କୈଳାସକୁ ଫୁଲପରି ଉପାଡ଼ି ଧରିବାକୁ ଗଲାବେଳେ, ଭୟ ପାଇ ମହାଦେବ ତାକୁ ଦେଖି ଏହା କହିଲେ– ‘‘ମୁଁ ଈଶ୍ୱର, ରାବଣେଶ୍ୱର, ମୋହର ପାଞ୍ଚ ବଦନ, ଏହାର ଦଶବଦନ । ବିଶେଷରେ ଗଣନା କରି ଜାଣିଲେ, ମୋହିର ପନ୍ଦର ଆଖି, ଏହାର କୋଡ଼ିଏ ଆଖି । ମୁଁ ରୌପ୍ୟମୟ କୈଳାସକନ୍ଦରରେ ବାସ କରେ, ସେ ସ୍ୱର୍ଣ୍ଣମୟ ଲଙ୍କାପୁରରେ ବାସ କରୁଛି । ଭୋଗ ବିଷୟରେ ମୋହର ବିଭୂତି (ଭସ୍ମ) ଭୋଗ ଓ ତାହାର ବିଭୂତି ବିଶେଷ ଐଶ୍ୱର୍ଯ୍ୟ ଭୋଗ । ଅତଏବ ଏହାଠାରୁ ମୁଁ ସବୁ ଗୁଣରେ ଊଣା ।’’ (ଏପରି ଭୀତି ତାଙ୍କ ମନରେ ଜାତ ହେଲା) ।
ବାରିରାଶି ଏ ତରଳ–ତର ଅଧିର ଥିଲା ଅତି ମାତର,ଯାହା ପ୍ରତାପେ ହୋଇ କାତର ସେ ତରତର ଯେ ।ବ୍ୟାକୁଳ ଜାତ ପାଞ୍ଚ ପାଞ୍ଚର ଆମ୍ଭେ ସ୍ୱଭାବେ ଏହା ଆହାର,ବେନି ଘେନିଲେ ହୃଦଭିତର ଏହି ବିଚାର ଯେ ।ବାହି ନ ପୁଣ ଯାଇ ମୀନଙ୍କୁ ଖାଇ ଯେ ।ବଡ ବିଂଶତିଭୁଜ ବହିବା ଚାହିଁ ଯେ ।ବନ୍ଧୁଭାବରେ ସେ ଶାନ୍ତି କାନ୍ତି ନାମେ ସମର୍ପି ଦିବ୍ୟ ଯୁବତୀ,ସୁନାମ କଲେ କୋଷେ ତା ସ୍ଥିତି ରତ୍ନକୁ ଦେଇ ଯେ ।୧୬।୧୬ଶ ପଦ–ବାରିରାଶି–ସାଗର । କୋଷ–ଭଣ୍ଡାର ।
୧୬ଶ ପଦ–ସମୁଦ୍ର ସବୁ ଅତିଶୟ ତରଳ, ତେଣୁ ଅଳ୍ପ ଚଞ୍ଚଳ ଥିଲା, ମାତ୍ର ରାବଣ ପ୍ରତାପରେ ଅତ୍ୟନ୍ତ ଭୀତ ହୋଇ ବର୍ତ୍ତମାନ ତରଙ୍ଗଯୁକ୍ତ ହୋଇଅଛି । ତା ମଧ୍ୟରୁ ପଞ୍ଚସମୁଦ୍ର [ଇକ୍ଷୁ, ସୁରା, ସର୍ପ, ଦଧି ଦୁଗ୍ଧ ସମୁଦ୍ର ] ପାଞ୍ଚିଲେ, ‘‘ଆମ୍ଭେ ସ୍ୱଭାବରେ ଏହାର ଭକ୍ଷ ପଦାର୍ଥ । ଆମ୍ଭଙ୍କୁ ଖାଇଯିବ ନାହିଁ ତ ?’’ ଏହା ଭାବି ତାଙ୍କର ଭୟ ଜାତ ହେଲା । ବେନି ସମୁଦ୍ର [ଲବଣ ଓ ଜଳସମୁଦ୍ର] ହୃଦୟମଧ୍ୟରେ ବିଚାର କଲେ, ‘‘ଏ ବଡ଼ ବଡ଼ ବିଂଶ ବାହୁକୁ ବଢ଼ାଇ ମୀନମାନଙ୍କୁ ଖାଇବା ଆଶାରେ ଆମ ଜଳସବୁକୁ ବୁହାଇ ଦେବ ନାହିଁ ତ ?” ସମସ୍ତେ ଏହା ବିଚାର କରି କାନ୍ତି ନାମରେ ଗୋଟିଏ ଦିବ୍ୟ ଯୁବତୀକି ତାକୁ ସମର୍ପି ଓ ତାହାର ଶାନ୍ତି ପାଇ ବହୁତ ରତ୍ନ ଦାନ କରି ତାହାର ଭଣ୍ଡାରକୁ ନିଜ ନାମରେ ଅଭିହିତ କଲେ (ଭଣ୍ଡାରର ନାମ ରତ୍ନାକର ଦେଲେ) ।
ବହୁ କୃପାଣ ସାଧନ କରେ ଛେଦର ଶଙ୍କା ଜମ୍ବୁ ପ୍ଳକ୍ଷରେ,ଆରମ୍ଭ, ହୋମ କର୍ମ କୁଶରେ ବହନ ଭୀତି ଯେ ।ବାଟୁଳି ଧରୁ କ୍ରୋଞ୍ଚ ଚମକେ ଭୋଜନକାଳେ ଭୟଦ ଶାକେ,ଶୟନେ ତୁଳୀ କରଣେ ଶଙ୍କେ ଶାଳ୍ମଳୀ ନିତି ଯେ ।ବିହୁଁ ଦେବପୂଜନ ପୁଷ୍ପରେ ଭୟ ଯେ ।ବଳେ ଉପାଡ଼ଇ ନେବ ହୋଏ ଉଦୟ ଯେ ।ବିଭୋଗ କର ପ୍ରତାପେ କର କରଇ ହେଲେ ପ୍ରଜାଆକାରପୃଥ୍ୱୀମଣ୍ଡଳ ରାଜାନିକର ମହାଦୁର୍ଜ୍ଜୟ ଯେ ।୧୭।
୧୭ଶ ପଦ–କୃପାଣ–ଖଡ଼୍ଗ । ଜମ୍ଭୁ–ଜମ୍ବୁଦୀପ, ଜାମୁଗଛ-। ପ୍ଳକ୍ଷ–ପ୍ଳକ୍ଷଦ୍ୱୀପ, ତିନ୍ତୁଳି ବୃକ୍ଷ-। କୁଶ–କୁଶଦ୍ୱୀପ, କୁଶ । କ୍ରୌଞ୍ଚ–କ୍ରୌଞ୍ଚଦ୍ୱୀପ, ବକପକ୍ଷୀ ଶାକ–ଶାକଦ୍ୱୀପ, ଶାଗ । ତୁଳା–ତୁଳାଶେଷ । ଶାଳ୍ମଳୀ–ଶାଳ୍ମଳୀ ଦ୍ୱୀପ, ଶିମିଳୀ ତୁଳା ।
୧୭ଶ ପଦ–ସାଧନ କରିବାପାଇଁ ଖଡ଼୍ଗ କହିବାରୁ ଜମ୍ବୁଦ୍ୱୀପ ଓ ପ୍ଳକ୍ଷଦ୍ୱୀପ ଶଙ୍କା କଲେ ଯେ, ଏ ଆମ୍ଭଙ୍କୁ ଜାମୁଗଛ ଓ ତିନ୍ତୁଳି ଗଛ ଭାବି ହାଣି ପକାଇବକି ? କୁଶ ଦ୍ୱୀପର ଭୟ ଜାତ ହେଲା ଯେ, ମୋତେ କୁଶ ଭାବି ଏ ହୋମ କାର୍ଯ୍ୟରେ ଲଗାଇବକି ? ବାଟୁଳି ଧରିବାରୁ କ୍ରୌଞ୍ଚିଦ୍ୱୀପ ଭୟରେ ଚମକି ବିଚାରିଲା, ମୋତେ ବଗପକ୍ଷୀ ମନେକରି ବାଟୁଳି ମାରିବକି ? ଭୋଜନ ସମୟରେ ଶାକଦ୍ୱୀପ ଭୟ କଲା, ମୋତେ ଶାଗ ଭାବି ଖାଇ ଦେବ ନାହିଁତ ? ପ୍ରତିଦିନ ଶୟନ ସମୟରେ ଶାଳ୍ମଳୀଦ୍ୱୀପ ଶଙ୍କା ମନରେ ଭାବିଲା, ମୋତେ ଶିମୁଳୀ ତୁଳା ମନେକରି କାଳେ ଶଯ୍ୟା କରିବ । ଦେବପୂଜା କରିବାବେଳେ ପୁଷ୍ପର ଦ୍ୱୀପ ଭୟ କଲା, ମୋତେ ପଦ୍ମଫୁଲ ବିଚାରି କାଳେ ଉପାଡ଼ି ନେବ । ପୃଥ୍ୱୀ ମଣ୍ଡଳରେ ଯେତେ ରାଜାସବୁ ଥିଲେ; ତାଙ୍କୁ ପ୍ରଜାପରି କରି, ନିଜର ବାହୁ ପ୍ରତାପରେ ତାଙ୍କଠାରୁ କର ଆଦାୟପୂର୍ବକ ବିଶେଷ ଭାବରେ ଭୋଗ କଲା । ଏଣୁ ସମସ୍ତଙ୍କର ଅଜେୟ ହୋଇ ବିଳସିଲା । (ପୃଥିବରୀ ସମସ୍ତ ରାଜା ବାହାର ପ୍ରଜା ହେଲେ ।
ବନ୍ଦୀ ବଳୀର ଫେଡ଼ନେ ଯାର ଭରସାକୃତ ରସାତଳରକୋଟିଏ ସିଂହ ବଳ ବାଳିର ଧରଣେ ଇଚ୍ଛି ଯେ ।ବିକଳଭାବ ନୋହିଲା ଲବ ପାଇଁ ନିବିଡ଼ ଭିଡ଼ି ପ୍ରାଭବ,କେମନ୍ତ ମଲ୍ଲ କୋବିଦେ ଭାବ ତୁଲ କି ଅଛି ଯେ ।ବାହୁଁ ସହସ୍ରଭୁଜେ ହୋଇଲା ବାଦୀ ଯେ ।ବହିବାରୁ ପାଲଟି ନର୍ମଦାନଦୀ ଯେ ।ବନ୍ଧନେ ପଡ଼ି ଖଡ଼୍ଗେ ନ ଛିଡ଼ି, ଅନଳଯୋଗେ ନ ଗଲା ପୋଡ଼ି,ଜଳେ ନ ବୁଡ଼ି ସଂଶୟ ଛାଡ଼ି ବରେ ପ୍ରମୋଦି ଯେ ।୧୮।୧୮ଶ ପଦ–ଭରସାକୃତ–ସାହସପୂର୍ବକ । ରସାତଳ–ପାତାଳ । କୋବିନ୍ଦ–ପଣ୍ଡିତ । ସହସ୍ରଭୂଜ–ସହସ୍ରାର୍ଜୁନ ।
୧୮ଶ ପଦ–ଯେଉଁ ରାବଣର ପାତାଳରେ ଥିବା ବଳି ରାଜାର ବନ୍ଧନ ଫେଡ଼ିବାକୁ ସାହସ ହେଲା, କୋଟିସିଂହ ପରାକ୍ରମ ବାଳିକୁ ଧରିବାକୁ ଇଚ୍ଛାହେଲା, ସେ ବାଳିଠାରୁ ବହୁତ ପରାଭବ ପାଇଲେହେଁ ଲେଶମାତ୍ର ବିକଳ ହେଲା ନାହିଁ; ପଣ୍ଡିତମାନେ ମନରେ ଭାବ, ସେ କିପରି ବୀର; ତାକୁ ଆଉ କେହି ସରିସମ ନାହାନ୍ତି । ନର୍ମଦା ନଦୀ ଓଲଟି ବହିବାର ଦେଖି ସହସ୍ରାର୍ଜୁନ ସହିତ ବିବାଦୀ ହେଲା । ସେଠାରେ ବନ୍ଧନରେ ପଡ଼ିଲା (ସହସ୍ରାର୍ଜୁନଦ୍ୱାରା ବନ୍ଦୀ ହେଲା) । ସହସ୍ରାର୍ଜୁନ ତାକୁ ଖଡ଼୍ଗରେ ହାଣନ୍ତେ ଛିଡ଼ିଲା ନାହିଁ, ଅନଳରେ ପୋଡ଼ନ୍ତେ ଦଗ୍ଧ ହେଲା ନାହିଁ, ଜଳରେ ପକାନ୍ତେ ବୁଡ଼ି ନ ଯାଇ ରହିଲା । ମରିବା ବିଷୟରେ କୌଣସି ସନ୍ଦେହ ନ ରହିବାରୁ, ବ୍ରହ୍ମା ବରରେ ଆନନ୍ଦିତ ହେଲା । (ଅନ୍ୟର୍ଥ–କାହିଁରେ ନ ମରିବାର ଦେଖି ସହିସ୍ରାର୍ଜୁନ ମନରୁ ସନ୍ଦେହ ଦୂର ହେଲା ଯେ, ଏ ବ୍ରହ୍ମା ବର ବଳରେ ଆଦୌ ମରିବ ନାହିଁ ।)
ବେଦମତୀରେ ମତି ବଳାଇ ଦେଲା ସେ କନ୍ୟା ତନୁ ଜଳାଇମୋ ହେତୁ ମୃତ୍ୟୁ ଏ ଶାପ ପାଇ ତହୁଁ ଚପଳେ ଯେ ।ବୋଲି ମର୍କଟ ନିନ୍ଦି ନନ୍ଦୀରେ ଆନନ୍ଦ ହରି ତଳପ୍ରହାରେବୋଲେ ସେ ହେଉ ପ୍ରାଭବ ତୋରେ ବାନରେ ନରେ ଯେ ।ବଧିଲା ଅନରଣ୍ୟକୁ ଅଯୋଧ୍ୟା ପୁରେ ଯେ ।ବରାହବରେ ଅତି ମାୟାଯୁଦ୍ଧରେ ଯେ ।ବଂଶେ ମୋ ନାଶ ଯିବୁ ଅବଶ୍ୟ ନର ଅବଜ୍ଞା କଲୁ ରାକ୍ଷସ,କହିଲା ତହିଁ ସେହି–ମହୀଶ ହତକାଳରେ ଯେ ।୧୯।୧୯ଶ ପଦ–ନନ୍ଦୀ–ଶିବଙ୍କ ଦ୍ୱାରପାଳ । ତଳ ପ୍ରହାରେ–ଚାପଡ଼ାରେ । ବରାହବରେ–ପ୍ରଧାନ ଯୁଦ୍ଧରେ । ମହୀଶ–ରାଜା ।
୧୯ଶ ପଦ–ଦେବବତୀ କନ୍ୟାଠାରେ ମନ ବଳାଇ ତାକୁ ବଳାତ୍କାର କରିବାରୁ ସେ କନ୍ୟା ‘ମୋ ଯୋଗୁଁ ତୋହର ମରଣ ହେଉ’ ଏହି ଶାପ ଦେଇ ନିଜ ଦେହକୁ ଅଗ୍ନିରେ ପୋଡ଼ି ପକାଇଲା । ସେଠାରୁ ଏପରି ଶାପପାଇ କୈଳାସ ଶୀଘ୍ର ଯାଇ ନନ୍ଦୀକୁ ମର୍କଟ ବୋଲି ନିନ୍ଦା କଲା ଓ ଚାପୋଡ଼ା ମାରି ତାହାକୁ ଦୁଃଖ ଦେଲା । ନନ୍ଦୀ କହିଲା, ‘‘(ମୋତେ ମର୍କଟ ବୋଲି ନିନ୍ଦା କଲୁ) ତୁ ମର୍କଟ ଓ ମନୁଷ୍ୟଙ୍କଦ୍ୱାରା ଅଶେଷ ଦୁଃଖ ପାଇବୁ ।’’ ତହୁଁ ଅଭିଶାପ ପାଇ ଯାଇ ଅଯୋଧ୍ୟାରେ ଅନରଣ୍ୟ ରାଜାଙ୍କୁ ଭୟଙ୍କର ଯୁଦ୍ଧରେ ମାୟା ସମର କରି ବଧ କରନ୍ତେ, ସେ ମଲାବେଳେ ଶାପ ଦେଲେ,‘‘ରେ ରାକ୍ଷସ, ତୁ ନର ବୋଲି ମୋତେ ଅବଜ୍ଞା କଲୁ, ତୁ ମୋ ବଂଶର ରାଜା ହସ୍ତରେ ବିନାଶ ହେବୁ-।’’
ବିବୁଧାଳୟ ଆଭୀରଗ୍ରାମ ପରି ସୁରଭୀ ଲୁଣ୍ଠନେ କ୍ଷମସୁମନବ୍ରଜେ ସେ ଦଣ୍ଡ କ୍ରମ କ୍ରମଶେ ଦେଇ ଯେ ।ବାନ୍ଧିଲା ଅଧିକାରକି ସୁତ ଯାହା ଆଜ୍ଞାରେ ସେ ଇନ୍ଦ୍ରଜିତଶାଢ଼ୀ ପାଇଲା ଜଗତତାତ ବିଧିରେ ତହିଁ ଯେ ।ବଳିସଦ୍ମ ପକ୍ୱଣ ପ୍ରାୟକ କଲା ଯେ ।ବାଜୁଁ ଟମକ ତାଙ୍କୁ ଚମକ ଦେଲା ଯେ ।ବଞ୍ଚିଲେ ଲୁଚି ସେ ମଦଭର ନାଗେଶବର ଗୋପ୍ୟ ସ୍ଥାନରମଣି ଦିହୁଡ଼ି ଦେଖାଇବାର ସମ୍ମତି ହେଲା ଯେ ।୨୦।
୨୦ଶ ପଦ–ବିବୁଧାଳୟ–ସ୍ୱର୍ଗ । ଆଭୀରଗ୍ରାମ–ଗୌଡ଼ସାହି । ସୁରଭୀ–କାମଧେନୁ । ସୁମନ–ଦେବତା । ବ୍ରଜ–ସମୂହ । କଳିସଦ୍ମ–ପାତାଳ । ପକ୍ୱଣ–ଶବରପଲ୍ଲୀ । ମଦଭର–ନାଗେ–ଗର୍ବିତ ନାଗସମୂହ ।
୨୦ଶ ପଦ–ରାବଣ ସ୍ୱର୍ଗକୁ ଗଉଡ଼ସାହି ବୋଲି ମନେକଲା । ସେ ସ୍ଥାନସବୁ ସ୍ୱର୍ଣ୍ଣ ଗାଈପରି ହେଲେ । ସେ ତାହା ଲୁଟିକରି ଗୋପାଳଙ୍କୁ ଦଣ୍ଡ ଦେଲା ପରି ଦେବତାମାନଙ୍କୁ ବହୁତ ଦଣ୍ଡ ଦେଲା । ତାହା ଆଜ୍ଞାରେ ତାହାର ପୁତ୍ର ଇନ୍ଦ୍ରଙ୍କୁ ବାନ୍ଧି ବିଧାତାଙ୍କଠାରୁ ଇନ୍ଦ୍ରଜିତ ନାମରେ ଶାଢ଼ି ପାଇଲା । ରାବଣ ପାତାଳ ପୁରକୁ ଶବରସାହି ପରି କଲା । ଟମକ ବାଜିଲେ ଶବରମାନେ ଯେପରି ଚମକନ୍ତି; ତାଙ୍କୁ ସେହିପରି ଚମକ ଦେଲା । ସେ ସ୍ଥାନର ଅତି ଗର୍ବୀ ଶ୍ରେଷ୍ଠ ନାଗମାନେ ଗୋପନୀୟ ସ୍ଥାନରେ ଲୁଚି ପ୍ରାଣରକ୍ଷା କରିବାକୁ ଭାବିଲେ; ମାତ୍ର ଲୁଚି ପାରିଲେ ନାହିଁ । କାରଣ ତାଙ୍କ ମସ୍ତକରେ ଥିବା ମଣି ଦିହଡ଼ି ପରି ଜଳି ତାଙ୍କୁ ଚିହ୍ନାଇ ଦେବାରୁ ସେମାନେ ରାବଣକୁ ଅନ୍ଧାରରେ ମଶାଲ ଦେଖାଇବେ ବୋଲି ରାଜି ହୋଇ ତାର ଦାସତ୍ୱ ସ୍ୱୀକାର କଲେ ।
ବଇଜୟନ୍ତି ଯାହା ଜଗତି ବଇଜୟନ୍ତ ଚଞ୍ଚଳେ ଭୀତିମୋତେ ଏ ବାନ୍ଧି ନେବାକୁ ଗତି କରେ ନଭରେ ଯେ ।ବିକର୍ତ୍ତନର ରଥ ହବୋଡ଼ି ଭଗନେ ମଧ୍ୟ ଗଗନ ଛାଡ଼ିବେନି ଅୟନ ଚଳନେ ଜଡ଼ି ଚିତ୍ତ ନିର୍ଭରେ ଯେ ।ବୃଥା ଏକଥା ନୋହୋ ବୁଝ ବିଚାରି ଯେ ।ବୋଲାଇଛି ସେ ମେଘଦଣ୍ଡ ପାଚେରୀ ଯେ ।ବଇରିପୂଗ ଦୁର୍ଗମଦୁର୍ଗ ଯହିଁ ପରିଖା ସାଗର ଆଗଏପରି ହୋଇ ପାତାଳ ସ୍ୱର୍ଗ ସେ ଧିକ କରି ଯେ ।୨୧।
୨୧ଶ ପଦ–ବଇଜୟନ୍ତି–ପତାକା । ଜଗତ–ଅଟ୍ଟଳିକା । ବଇଜୟନ୍ତ–ଇନ୍ଦ୍ରଙ୍କର ଅଟ୍ଟାଳିକା-। ବିକର୍ତ୍ତନ–ସୂର୍ଯ୍ୟ । ବେନି ଅୟନ–ଦୁଇ ମାର୍ଗ (ଉତ୍ତରାୟଣ ଓ ଦକ୍ଷଣାୟନ) । ପୂଗ–ସମୂହ । ଦୁର୍ଗମ ଦୁର୍ଗ–ଅଗମ୍ୟ ଗଡ଼ । ପରିଖା-ଗଡ଼ଖାଇ ।
୨୧ଶ ପଦ–ରାବଣ ଅଟ୍ଟାଳିକାର ପତାକା ପବନରେ ଫରଫର ଉଡ଼ିବାରୁ ଇନ୍ଦ୍ରଙ୍କ ପ୍ରାସାଦ ମନରେ ଭୟ କଲା, ‘ମୋତେ ବାନ୍ଧି ନେବାପାଇଁ ସେ ଆକାଶରେ ଗତି କରୁଅଛିକି ? ସୂର୍ଯ୍ୟ ମଧ୍ୟ ଆକାଶରେ ଗତି କଲାବେଳେ କାଳେ ରାବଣ ଅଟ୍ଟାଳିକାରେ ରଥ ବାଜି ଚୁନା ହୋଇଯିବ ଏହି ଭୟରେ ସେ ଉତ୍ତରାୟଣ ଓ ଦକ୍ଷିଣାୟନରେ ଗତି କରି ନିଶ୍ଚିନ୍ତ ହେଲେ । ବିଚାରି ବୁଝ (ହେ ପଣ୍ଡିତେ) ଏହା ମିଛ ନୁହେଁ । ଯାହାର ପାଚେରୀ ମେଘଦଣ୍ଡ (ପାଚେରୀ ଏତେ ଉଚ୍ଚ ଯେ ମେଘମାନେ ଆକାଶରେ ଗତି କଲାବେଳେ ସେଥିରେ ବାଜି ନଷ୍ଟ ହୋଇଯାନ୍ତି), ଗଡ଼ ଶତ୍ରୁଙ୍କଦ୍ୱାରା ଦୁର୍ଭେଦ୍ୟ ଓ ଗଡ଼ର ଖାଇରୂପେ ଚାରିଆଡ଼େ ସମୁଦ୍ର ବିଦ୍ୟମାନ,–ଏହିପରି ଯେ ଲଙ୍କା ସେ ପ୍ରଥମ ସ୍ଥାନ ପାଇ ସ୍ୱର୍ଗ ଓ ପାତାଳକୁ ନିନ୍ଦା କରୁଅଛି ।
ବଳୀ ଏକରେ ସେ ତ ରୁଚିର, ବହୁତ ବଳୀ ଛନ୍ତି ଏଥିର,ସେ ଚାରୁ ଶେଷରଙ୍ଗେ ଏ ଚିର, ଅଶେଷ ରଙ୍ଗେ ଯେ ।ବସଇ ସୁନାସୀରେକ ତହିଁ ଏ କେତେ ସୁନାସୀରରେ ଶୋହିଏପରି ହୋଇ ଚିତ୍ରରଥହିଁ କେବଳ ବର୍ଗେ ଯେ ।ବଡ଼ବଡ଼ ଦାନବ ପୂର୍ବରେ ଥିଲେ ଯେ ।ବଡ଼ାଇକି ଏରୂପେ କରି ନ ଥିଲେ ଯେ ।ବିରଚି ବୀରବର ଉପେନ୍ଦ୍ର– ଭଞ୍ଜ ସ୍ୱୋଚ୍ଛନ୍ଦେ ବିଚିତ୍ର ଛାନ୍ଦଚିତ୍ତ ନିଶ୍ଚିନ୍ତ ନୀଳାଦି ଚନ୍ଦ୍ର ଧ୍ୟାନ ସଫଳେ ଯେ ।୨୨।
୨୨ଶ ପଦ–ରୁଚିର–ଶୋଭନୀୟ । ବଳୀ–ବଳବାନ୍ ବ୍ୟକ୍ତି । ଚାରୁ–ସୁନ୍ଦର । ସୁନାସୀର–ଇନ୍ଦ୍ର । ସୁନାସୀର–ପ୍ରଧାନଯୋଦ୍ଧ । ବର୍ଗେ–ଅନେକ । ନୀଳାଦ୍ରି ଚନ୍ଦ୍ର–ଜଗନ୍ନାଥ ।
୨୨ଶ ପଦ–ପାତାଳ ପୁର (ଗୋଟିଏ ମାତ୍ର ବଳୀ (ବଳୀରାଜା)ଦ୍ୱାରା ଶୋଭା ପାଉଛି, ମାତ୍ର ଏ ଲଙ୍କାପୁରରେ ବହୁତ ବଳୀ (ବଳବାନ୍ ବୀର) ବିଦ୍ୟମାନ ଅଛନ୍ତି । ପାତାଳ ଶେଷଦେବଙ୍କ ରଙ୍ଗରେ (ତେଜରେ) ସୁନ୍ଦର, ମାତ୍ର ଏ ଲଙ୍କାପୁର ଅଶେଷ ରଙ୍ଗରେ (ବହୁତ ବର୍ଣ୍ଣରେ) ସୁନ୍ଦର । ସ୍ୱର୍ଗରେ ଗୋଟିଏ ମାତ୍ର ସୁନାସୀର (ଇନ୍ଦ୍ର) ବସେ, ମାତ୍ର ଏଠାରେ କେତେ ସୁନାସୀର (ସେନାପତି) ଶୋଭା ପାଉଛନ୍ତି । ସ୍ୱର୍ଗ ଏକ ମାତ୍ର ଚିତ୍ରରଥ (ଚିତ୍ରରଥ ନାମକ ଗନ୍ଧର୍ବ)ଦ୍ୱାରା ଶୋଭିତ, ମାତ୍ର ଏଠାରେ ଚିତ୍ରରଥବର୍ଗ (ବହୁତ ଚିତ୍ରିତ ରଥ ସବୁ) ବିଦ୍ୟମାନ । ବଡ଼ ବଡ଼ ଦାନବମାନେ ପୂର୍ବରେ ଥିଲେ, କିନ୍ତୁ ରାବଣ ପରି ଏତେ ବଢ଼ାଇ କରି ନ ଥିଲେ । ବୀରବର ଉପେନ୍ଦ୍ର ଭଞ୍ଜ ସ୍ୱଛନ୍ଦରେ ଓ ନିଶ୍ଚିନ୍ତରେ ନୀଳାଚଳନାଥଙ୍କ ଧ୍ୟାନରେ ସଫଳତା ଲଭି ଏ ବିଚିତ୍ର ଛାନ୍ଦ ରଚନା କଲେ ।
ସମ୍ବନ୍ଧିତ ରଚନା
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ
ଲାବଣ୍ୟବତୀ
ଉପେନ୍ଦ୍ର ଭଞ୍ଜ
ସୁବର୍ଣ୍ଣରେଖା
ଉପେନ୍ଦ୍ର ଭଞ୍ଜ