ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ · ଭାଗ ୧୩ / ୧୩
ସମ୍ପୂର୍ଣ୍ଣ ସୂଚୀପତ୍ର
ତ୍ରୟୋଦଶ ଛାନ୍ଦ
(ରାଗ–ଭୂପାଳ)
ବସିଛନ୍ତି ଦଶରଥ ସଭା ମଧ୍ୟେ ।
ବେତ୍ର–ହସ୍ତ ଦ୍ୱାସ୍ଥ କହେ ଅତିଶ୍ରଦ୍ଧେ ॥
।୧ ।ବାରଣାରି ଦ୍ୱାରେ ହୋଇଛନ୍ତି ସ୍ଥିତ ।ବହି ଶ୍ରୀରାମବାର୍ତ୍ତା ମିଥିଳା ଦୂତ ॥
।୨।ବେଗେ ରାଜା ଆଣ ବୋଲୁ ନେଲା ମୁନି ।ବଶିଷ୍ଠରେ ନମି ନୃପମାନ୍ୟ ଘେନି ॥
।୩ ।ବାର୍ତ୍ତା କହେ ସରୂପକେ ଶତାନନ୍ଦ ।ବିଶ୍ୱାମିତ୍ରଗୁରୁ ସଙ୍ଗେ ରାମଚନ୍ଦ୍ର ॥
।୪ ।ବନ–ବ୍ୟୋମେ ଉଦେ କରି ପ୍ରଭାକର ।ବିଧ୍ୱଂସିଲେ ତାଡ଼କା ଘୋରାନ୍ଧକାର ॥
।୫ ।
୧ମ–୩ୟ ପଦ–ଦଶରଥ ସଭା ମଧ୍ୟରେ ବସି ଅଛନ୍ତି । ସେହି ସମୟରେ ବେତ୍ରଧାରୀ ଦ୍ୱାରପାଳ ଅତି ଶ୍ରଦ୍ଧାରେ କହିଲା, ‘‘ମିଥିଳାପୁରର ଦୂତ ଶ୍ରୀରାମଙ୍କ ବାର୍ତ୍ତା ଆଣି ସିଂହଦ୍ୱାରରେ ବସି ଅଛନ୍ତି ।’’ ତାହା ଶୁଣି ‘‘ଶୀଘ୍ର ତାଙ୍କୁ ଆଣ’’ ରାଜା ଏପରି କହନ୍ତେ ଦ୍ୱାରୀ ଶତାନନ୍ଦ ମୁନିଙ୍କ ସଭାକୁ ନେଲା । ସେ ମୁନି ବଶିଷ୍ଠଙ୍କୁ ନମସ୍କାର କଲେ ଓ ଦଶରଥ ରାଜାଙ୍କର ମାନ୍ୟ ଗ୍ରହଣ କଲେ ।
୪ର୍ଥ ପଦ–ଶତାନନ୍ଦ ରୂପକ ସହିତ ବାର୍ତ୍ତା କହିଲ,–ବିଦ୍ୟାଗୁରୁ ବିଶ୍ୱାମିତ୍ର ବୃହସ୍ପତି ହେଲେ, ତାହାଙ୍କ ସଙ୍ଗରେ ରାମଚନ୍ଦ୍ର ରମଣୀୟଚନ୍ଦ୍ର ହେଲେ ।
୫ମ ପଦ–ଅରଣ୍ୟ ଆକାଶରେ ‘ରାମଚନ୍ଦ୍ର’ । ମନୋହର ଚନ୍ଦ୍ର ଉଦିତ ହୋଇ ନିଜ ହସ୍ତପ୍ରଭା ରୂପ କିରଣ ପ୍ରଭାରେ ଘୋର ଅନ୍ଧକାର ରୂପ ତାଡ଼କାକୁ ବିନାଶ କଲେ । (ଚନ୍ଦ୍ରର କିରଣରେ ଅନ୍ଧକାର ଦୂର ହେଲାପରି ରାମଚନ୍ଦ୍ରଙ୍କ ବାହୁ ବଳରେ ତାଡ଼କୀ ମଲା) ।
ବିଚେଷ୍ଟିତ ମାରୀଚ ବାୟସ କରି ।ବିଟପତି ସୁବାହୁକୁ ସେ ନିବାରି ॥
।୬।ବିକଶିତ ଯେ ଯଜ୍ଞ କୁମୁଦ କଲେ ।ବିଧୂଶିଳା ଅହଲ୍ୟାକୁ ଦ୍ରବାଇଲେ ॥
।୭।ବ୍ୟବସ୍ଥିତେ ପୁଣ ସଲକ୍ଷ୍ମଣ ସେହି ।ବୈଦେହିକ ଜନ ଚକୋରକୁ ମୋହି ॥
।୮।ବଇଦେଶ ଧୈର୍ଯ୍ୟ ଧନୁ ଅଜଗବ ।ବିଭଞ୍ଜନ କଲେ ସ୍ପରଶରେ ଜୀବ ॥
।୯।ବସୁପତି ପଦ୍ମ ମୁଦି ଲଜ୍ଜାବଳେ ।ବସାଇବେ ସୀତା ରୋହିଣୀକି କୋଳେ ॥
।୧୦।
୬ଷ୍ଠ ପଦ–ମାରୀଚ ରୂପ ବାୟସକୁ ବିଚେଷ୍ଟିତ ଓ ସୁବାହୁ ରୂପ ବିଟ ପୁରୁଷକୁ ନିବାରିତ କଲେ । (ଚନ୍ଦ୍ର ଉଦିତ ହେଲେ ବାୟସମାନେ ନିଦ୍ରାରେ ବିଚେଷ୍ଟିତ ହୁଅନ୍ତି ଓ ବିଟପୁରୁଷମାନେ ଭୟରେ ଗମନା ଗମନ ବନ୍ଦ କରିଦିଅନ୍ତି । ସେହିପରି ରାମଚନ୍ଦ୍ର ମାରୀଚକୁ ହତଜ୍ଞାନ କଲେ ଓ ସୁବାହୁ ରାକ୍ଷସକୁ ବିନାଶ କଲେ) ।
୭ମ ପଦ–ରାମଚନ୍ଦ୍ର ଯଜ୍ଞରୂପ କୁମୂଦକୁ ବିକାଶ କଲେ ଓ ଅହଲ୍ୟାରୂପ ଚନ୍ଦ୍ରକାନ୍ତମଣିକୁ ତରଳାଇଲେ (ପ୍ରସ୍ତର ତରଳାଇ ନାରୀରୂପ ଦେଲେ) ।୮ମ ପଦ–ଚିହ୍ନଯୁକ୍ତ ଚନ୍ଦ୍ର ଚକୋରମାନଙ୍କୁ ମୋହିତ କଲାପରି, ଲକ୍ଷ୍ମଣଯୁକ୍ତ ରାମଚନ୍ଦ୍ର ବିଦେହ ଦେଶର ଲୋକମାନଙ୍କୁ ମୋହିତ କଲେ ।
୯ମ ପଦ–ଚନ୍ଦ୍ର ବିଦେଶୀ ଲୋକର ଅର୍ଥାତ୍ ବିରହୀ ଲୋକର ଧୈର୍ଯ୍ୟ ଭଙ୍ଗ କଲାପରି ରାମଚନ୍ଦ୍ର ବିଦେହସ୍ଥ ଅଜଗବ ଧନୁକୁ ଛୁଇଁଲା ମାତ୍ରକେ ଭଗ୍ନ କଲେ ( ଅନାୟାସରେ ଭାଙ୍ଗି ଦେଲେ-) ।
୧୦ମ ପଦ–ଚନ୍ଦ୍ର ପଦ୍ମକୁ ମୁଦ୍ରିତ କରି ରୋହଣୀକୁ କୋଳରେ ବସାଇଥିଲେ; ସେହିପରି ରାମଚନ୍ଦ୍ର ପୃଥିବୀର ରାଜାମାନଙ୍କୁ ଲଜ୍ଜା ଦେଇ ଅଛନ୍ତି । ବିବାହ ପରେ ସୀତାଙ୍କୁ କୋଳରେ ବସାଇବେ ।
ବିଧିରେତ ଜନକ ସାଗର ସତ ।ବିଭଙ୍ଗର ଛଳେ ତୋଷ ଉଚ୍ଛୁଳିତ ॥
।୧୧।ବେଳା ଅତିକ୍ରମି ହେଲେ ସ୍ନେହ–ବାର ।ବିହରିଲେ ସଙ୍ଗେ ମୀନ ରାଶିବାର ॥
।୧୨।ବାର୍ଭଟ କି ଗଜଯୂଥ ଭେଳା ହୟ ।ବହିତ୍ର କି ରଥ ଭେକ ପତ୍ତିଚୟ ॥
।୧୩।ବାଦ୍ୟନାଦ ଗରଜନ ତହିଁ ମେଳ ।ବଡ଼ ବଡ଼ ଲୋକ ନିଶ୍ଚେ ପୋତମାଳ ॥
।୧୪।ବନ୍ଦର ଯେ ମିଥିଳା ମିଳିବେ ଯାଇଁ ।ବିଲୋକିଲାକ୍ଷଣି ରାମା ରତ ତହିଁ ॥
।୧୫।ବୋଲିବେ ଯେ କି ଉପମାଏ ଅମୂଲ୍ୟ ।ବ୍ୟୁତ୍ପତ୍ତିରେ କବି କଲା ଏତେ ମୂଲ୍ୟ ॥
।୧୬।
୧୧ଶ ପଦ–ଦଶରଥ ସଗର ବଂଶରୁ ଜାତ–ତେଣୁ ସେ ସାଗର ହେଲେ । ପୁଣି ଚନ୍ଦ୍ର ସାଗରରୁ ଉତ୍ପନ୍ନ । ରାମଚନ୍ଦ୍ର ତ ଦଶରଥଙ୍କଠାରୁ ଜାତ । ଏହା ମିଥ୍ୟା ନୁହେଁ । ଚନ୍ଦ୍ର ନିଜ କିରଣରେ ସମୁଦ୍ରରେ ତରଙ୍ଗ ଉତ୍ପାଦନ କଲା ପରି ରାମଚନ୍ଦ୍ରଙ୍କ ଯଶ କଥା ଶୁଣି ଦଶରଥଙ୍କର ହୃଦୟରେ ସନ୍ତୋଷର ଢେଉ ଖେଳିଗଲା ।
୧୨ଶ ପଦ–ବେଳା–ସମୁଦ୍ରତଟ, ଅଶୁଭ ସମୟ । ସ୍ନେହବାର–ସ୍ନେହଜଳ । ମୀନା ରାଶିବାର–ମୀନାଦିରାଶି ଓ ରଦ୍ୟାଦି ବାର ସମୂହ ।
୧୨ଶ ପଦ–ସମୁଦ୍ର ଉଦ୍ବେଳିତ ହେଲାବେଳେ ମୀନାଦି ଜଳଚର ପ୍ରାଣୀକୁ ଦେହରେ ଧାରଣା କରି ତୀର ପ୍ରଦେଶକୁ ଅତିକ୍ରମ କରେ-ସେହିପରି ଦଶରଥ ଆନନ୍ଦିତ ହୋଇ ବାରବେଳା, କାଳବେଳା ଇତ୍ୟାଦି ଅତିକ୍ରମ କରି (ଶୁଭାଶୁଭ କିଛି ନ ମାନି) ମାଛ ଓ ଦହି ଭାର ଧରି ବାହାରିଲେ-।
୧୩ଶ ପଦ–ବାଭର୍ଟ–କୁମ୍ଭୀର । ଦ୍ୱୟ–ଘୋଡ଼ା । ବହିତ୍ର–ବୋଇତ । ପତ୍ତିଚୟ–ପଦାତ ସମୂହ ।
୧୩ଶ ପଦ–ସମୁଦ୍ରରେ କୁମ୍ଭୀର, ଭେଳା, ବୋଇତ ଓ ବେଙ୍ଗ ସବୁ ଦେଖାଗଲା ପରି ଦଶରଥଙ୍କ ସହିତ ହସ୍ତୀ, ଅଶ୍ୱ, ରଥ ଓ ପଦାତିକ ସବୁ ଗମନ କଲେ । (ଏହାଦ୍ୱାରା ଚତୁରଙ୍ଗବଳ ଯାଉଥିବାର ସୂଚିତ ହେଲା) ।
୧୪ଶ ପଦ–ସମୁଦ୍ରରେ ଲହରୀସମୂହ ଗର୍ଜନ କଲାପରି ଏଠାରେ ବାଦ୍ୟନାଦର ଗର୍ଜନ ହେଉଅଛି । ତହିଁରେ ପୋତାଧ୍ୟକ୍ଷମାନେ ଥିଲାପରି ଏଠାରେ ବଶିଷ୍ଠ ସୁମନ୍ତ୍ରାଦି ବଡ଼ ବଡ଼ ଲୋକମାନେ ଅଛନ୍ତି ।
୧୫ଶ ଓ ୧୬ଶ ପଦ–ମିଥିଳା ଦେଶ କନ୍ଦରସ୍ୱରୂପ ହେଲା । ଏମାନେ (ଦଶରଥ ଓ ତାଙ୍କ ଦଳବଳମାନେ) ସେଠାରେ ପହଞ୍ଚି ମିଥିଳାର ରମଣୀ ରତ୍ନମାନଙ୍କୁ ଦେଖିଲାକ୍ଷଣି କହିବେ, ‘ଏମାନଙ୍କୁ ଆଉ ଉପମା ନାହିଁ ।’ କବି ବହୁତ ଚିନ୍ତାକରି ସୁଦ୍ଧା ସେ ରତ୍ନମାନଙ୍କର ମୂଲ୍ୟ ନିରୂପଣ କରି ନ ପାରି ତାହାଙ୍କୁ ଅମୂଲ୍ୟ ଆଖ୍ୟ ଦେଲେ । (ପୋତାଧ୍ୟକ୍ଷମାନେ ବନ୍ଦରରେ ପହଞ୍ଚି ମୂଲ୍ୟ ଦେଇ ରତ୍ନ କିଣନ୍ତି । ମାତ୍ର ମିଥିଳା ବନ୍ଦରରେ ଥିବା ରମଣୀରତ୍ନ ସବୁ ଅମୂଲ୍ୟ) ।
ବାକୀ ଏ ଦୃଷ୍ଟି ଜନକ ରାଜଋଷି ।ବାଲମୀକି କୌଶିକ ଗୌତମମିଶି ॥
।୧୭।ବୈଖାନସଗଣ ଘେନି ବାଟେ ମେଳା ।ବାରାନିଧି ସଙ୍ଗମ କି ଋଷିକୁଲ୍ୟା ॥
।୧୮।ବିଶ୍ରାମକ ସୁଖାସନ ଦୂରେ କିଛି ।ବ୍ରହ୍ମପୁତ୍ରେକ ପୁରୁଷୋତ୍ତମ ଅଛି ॥
।୧୯।ବ୍ୟାପ୍ତ ଦିବ୍ୟ କଟକରେ ନେଇ କରି ।ବସା ନିବାସେ ରଖି ଜନକ ଠାରି ॥
।୨୦।୧୮ଶତ ପଦ–ବୈଖାନସ ଗଣ–ଋଷିମାନେ । ବାରାନିଧ୍ୱ–ସମୁଦ୍ର ।
୧୭ଶତ ଓ ୧୮ଶତ ପଦ–ବହୁତ ଉପନଦୀସହ ଋଷିକୁଲ୍ୟାନଦୀ ଯାଇ ସମୁଦ୍ରରେ ମିଶିଲାପରି ଜନକ ବାଲ୍ମୀକି, ବିଶ୍ୱାମିତ୍ର, ଗୌତମ ଆଦି ଋଷିମାନଙ୍କୁ ସଙ୍ଗରେ ନେଇ ଯାଇ ଦଶରଥଙ୍କ ସହିତ ମିଳିତ ହେଲେ ।
୧୯ଶ ପଦ–ସୁଖାସନ–ଅନନ୍ତ ଶୟନ, ଯାନ ବାହନ ଇତ୍ୟାଦି ।
୧୯ଶ ପଦ–ଯେଉଁ ସମୁଦ୍ରର ବନ୍ଦରରେ ପୋତ ରହେ ତାହାର କିୟତ୍ ଦୂରରେ ପୁରୁଷୋତ୍ତମ ନାରାୟଣ ଅନନ୍ତ ଶଯ୍ୟାରେ ସୁଖରେ ଶୟନ କରିଥାନ୍ତି ଓ ତହିଁରେ ଗରଳ ଥାଏ । ସେହିପରି ମିଥିଳା ରାଜ୍ୟ ସୀମାରେ ଦଶରଥ ସୈନ୍ୟସବୁ ଉପସ୍ଥିତ ହେଲେ, ତାଙ୍କ ସହିତ ବଶିଷ୍ଠ ରହିଅଛନ୍ତି ଓ ସେହି ସୀମାର କିୟତ୍ ଦୂରରେ ରାଜଉପବନରେ ପୁରୁଷୋତ୍ତମ ରାମଚନ୍ଦ୍ର ସୁଖରେ ବିରାଜମାନ କରିଅଛନ୍ତି ।
୨୦ଶ ପଦ–କଟକ–ନଗର । ସାମୁଦ୍ରିକ–ଲବଣ ।
୨୦ଶ ପଦ–ସମୁଦ୍ର ଲବଣରେ ବ୍ୟାପ୍ତ ହୋଇଥିଲାପରି ଦଶରଥ ମିଥିଳା ରାଜଧାନୀରେ ସୈନ୍ୟସହ ପରିବ୍ୟାପ୍ତ ହୋଇଗଲେ । ଜନକଙ୍କ ଇଙ୍ଗିତକ୍ରମେ ଭୃତ୍ୟାମାନେ ସେମାନଙ୍କୁ ନେଇ ବସା ଗୃହମାନଙ୍କରେ ରଖିଲେ ।
ବିଚାରହିଁ ହୋଇଥିଲେ ଶତାନନ୍ଦ ।ବଶିଷ୍ଠରେ କହିଲେ ଏ ଚାରିପଦ ॥
।୨୧।ବେଳୁଁ ଶ୍ରୀରାମ ହେଲେ ତ୍ରିପୁରଜେତା ।ବିଚାରଇ ତାଙ୍କ ଧାର୍ଯ୍ୟକାରୀ ସୀତା ॥
।୨୨।ବାର୍ଦ୍ଧି ଲକ୍ଷ୍ମଣ ଗମ୍ଭୀର–ଗୁଣଗ୍ରାହୀ ।ବିହୁ ଉର୍ମିଲାବନ୍ୟ କେଳିକି ସେହି ॥
।୨୩।ବିଦ୍ୟମାନ ଶୁଭଇତ ସୁମୂର୍ତ୍ତିକି ।ବିଧି ନ ଦେବା ସୁମନେମାଳିନୀକି ॥
।୨୪।ବୈରି–ଘନ ସୁକୀର୍ତ୍ତିରେ ଯୁକ୍ତ ସତ ।ବଚନରେ ଶତାନନ୍ଦ କଲେ ଜାତ ॥
।୨୫।୨୧ଶ ପଦ–ଶତାନନ୍ଦ ଜନକଙ୍କ ସହିତ ପୂର୍ବରୁ ବିଚାର କରିଥିଲେ । ବର୍ତ୍ତମାନ ସମୟ ଜାଣି ବଶିଷ୍ଠଙ୍କୁ ଏହି ଚାରିପଦ କହିଲେ–
୨୨ଶ ପଦ–ତ୍ରିପୁର ବିଜୟୀ ମହାଦେବ ଗଙ୍ଗାଙ୍କୁ ଧାରଣା କରିଅଛନ୍ତି । ସେହିପରି ଯେତେବେଳକୁ ରାମଚନ୍ଦ୍ର ତ୍ରିପୁରଜେତା ବୋଲି ଜଣାଗଲେଣି, ମୁଁ ବିଚାରୁଛି; ଗଙ୍ଗାରୂପୀ ସୀତାଙ୍କୁ ତାଙ୍କର ଧାରଣ କରିବା ଉଚିତ । (ରାମ ତ୍ରିପୁରବିଜୟୀ ଶିବଙ୍କର ଧନୁ ଭାଙ୍ଗିଲାବେଳୁ ତ୍ରିପୁରଜେତା ବୋଲି ଜଣାଗଲେଣି ) ।
୨୩ଶ ପଦ–ଉର୍ମିଲାବନ୍ୟ–ମନୋହର ଢେଉ, ଉମଳା ।
୨୩ଶ ପଦ–ସୁଗଭୀର ସମୁଦ୍ରରେ ‘ଉମ’ ଢେଉ ଯେପରି ସୁନ୍ଦର କେଳି ରଚନା କରେ, ସେହିପରି ଗଭୀର ଓ ଶୌର୍ଯ୍ୟାଦି ଗୁଣ ମଣ୍ଡିତ ଲକ୍ଷ୍ମଣଙ୍କ ହୃଦୟରେ ‘ଉର୍ମିଳା’ ସୀତାଙ୍କ ଭଗ୍ନୀ ଶୋଭା ବିସ୍ତାରପୂର୍ବକ କ୍ରୀଡ଼ା କରନ୍ତୁ । (ଲକ୍ଷ୍ମଣ ଉର୍ମିଳାଙ୍କୁ ବିବାହ କରନ୍ତୁ) ।
୨୪ଶ ପଦ–ବିଦ୍ୟମାନ–ଦେବୀପ୍ୟମାନ । ସୁମର୍ତ୍ତି–ମନୋହର ମୂର୍ତ୍ତି । ସୁମନେ–ନିର୍ମଳ ମନରେ ।
୨୪ଶ ପଦ–ମଙ୍ଗଳପ୍ରଦ ସୁନ୍ଦର ବିଗ୍ରହଙ୍କୁ ପୁଷ୍ପମାଳା ଦେବା ବିଧି ନୁହେଁକି ? ସେହିପରି ସୁନ୍ଦର ଓ ଶୌର୍ଯ୍ୟାଶାଳୀ ଭରତଙ୍କୁ ମାଳିନୀ (ମାଣ୍ଡବୀ) କନ୍ୟାଙ୍କୁ ଉତ୍ତମ ଚିତ୍ତରେ ପ୍ରଦାନ କରିବା ଉଚିତ ।
୨୫ଶ ପଦ–ବେରିଘନ–ଶସ୍ତ୍ର ହନ୍ତା ।
୨୫ଶ ପଦ–ଶତ୍ରୁହନ୍ତା ଲୋକ ସୁକୀର୍ତ୍ତିଯୁକ୍ତ ହେଲା ପରି ଶତ୍ରୁଘ୍ନ ସୁକୀର୍ତ୍ତି (ଶ୍ରୁତକୀର୍ତ୍ତି)ରେ ଶୋଭିତ ହୁଅନ୍ତୁ ( ଶତ୍ରୁଘ୍ନ ଶ୍ରୁତକୀର୍ତ୍ତିଙ୍କୁ ବିବାହ କରନ୍ତୁ ) । ଶତାନନ୍ଦ ଏହି କଥା ବଶିଷ୍ଠଙ୍କୁ କହିଲେ ।
ବିଖନକୁ ପ୍ରଶଂସନ୍ତି ସାଧୁଜନେ ।ବର ଚାରି ଚାରି କନ୍ୟା ଏକସ୍ଥାନେ ॥
।୨୬।ବିହିଥିଲା ନୋହିଥିଲେ କାହିଁ ବିହି ।ବାହୁଡ଼ିଲେ ଜନକ ପ୍ରମୋଦ ବହି ॥
।୨୭।ବ୍ୟତିପାତ ବିଷ୍ଟି ବିବର୍ଜିତ ଦିନ ।ବୁଝି କନ୍ୟା ଦେଖିବାକୁ ଆଗମନ ॥
।୨୮।ବାମଦେବ ଜାବାଳି କଶ୍ୟପ ତିନି ।ବଶିଷ୍ଠଙ୍କୁ ସୁମନ୍ତ୍ରଙ୍କୁ ସଙ୍ଗେ ଘେନି ॥
।୨୯।ବିଜେ ଜନକମନ୍ଦିରେ ଦଶରଥ ।ବୋଲେ ଜାମାଙ୍କୁ ଆଣ ଦେଖୁଣି ଅଥ ॥
।୩୦।୨୬ଶତ ପଦ–ବିଖନ–ବିଧାତା ।
୨୬ଶ ଓ ୨୭ଶ ପଦ–ଏପରି ଚାରୋଟି ବର ପାଇ ସର୍ବାଂଶରେ ଉପଯୁକ୍ତା ଚାରି କନ୍ୟା ଏକସ୍ଥାନରେ ଘଟନ ହୋଇଥିବାର ଦେଖି ପଣ୍ଡିତମାନେ (ବଶିଷ୍ଠାଦିମାନେ) ବିଧାତାଙ୍କୁ ପ୍ରଶଂସା କରି କହିଲେ, ‘‘ଏହିପରି ଉପଯୁକ୍ତ ବରକନ୍ୟା ବିଧାନ କରୁ ନ ଥିଲେ ସେ ବିଧାତା ନାମ କାହିଁକି ବୋଲାନ୍ତେ ?’’ (ଏଥିରୁ ବଶିଷ୍ଠାଦିଙ୍କର ସମ୍ମତି ପ୍ରକାଶ ପାଇଲା) । ତତ୍ପରେ ଜନକ ବୋଧ ହୋଇ ଆନନ୍ଦ ମନରେ ପୁରକୁ ବାହୁଡ଼ିଲେ ।
୨୮ଶ ଓ ୨୯ଶ ପଦ–ବ୍ୟତିପାତ ଓ ବିଷ୍ଟ ବିବର୍ଜିତ ଦିନ (ଶୁଭଦିନ) ବୁଝି କନ୍ୟା ଦେଖିବା ନିମିତ୍ତ କାମଦେବ, ଯାବାଳି, କଶ୍ୟପ, ଏ ତିନିଜଣ ବଶିଷ୍ଠ ଓ ସୁମନ୍ତଙ୍କୁ ସଙ୍ଗରେ ଘେନି ଆଗମନ କଲେ ।
୩୦ଶ ପଦ–ଦଶରଥ ଜନକଙ୍କ ମନ୍ଦିରରେ ବିଜେ କରି କହିଲେ, ‘‘ଦେଖିବା ନିମିତ୍ତ ରାଜକନ୍ୟାମାନଙ୍କୁ ଆଣ ।’’ବେଶ କରି ସାରିଥିଲେ ଆଗୁ ଜାଣି ।ବେହରାଏ ସର୍ବ ଶୋଭାପୁରୀ ପୁଣି ॥
।୩୧।ବିଦ୍ୟକୁନ୍ତଳ ଚମ୍ପାପୁଷ୍ପାଲିଙ୍ଗନ ।ବିମଳକ ଚୋର ମାଳବରେ ପୁନ ॥
।୩୨।ବିଚଳିତ କାଞ୍ଚନ କଟକ କାଞ୍ଚୀ ।ବେଳେବେଳେ ଖଞ୍ଜିତ ହେବାର ପାଞ୍ଚି ॥
।୩୩।ବିଭୂଷଣ ରତ୍ନପୁର ଶ୍ରୀନଗର ।ବିଶାଳରେ କରିଅଛି ସେ ଆଦର ॥
।୩୪।ବାହ୍ଲୀକରେ ଅଙ୍ଗକୁ କରାଇ କୋଳ ।ବର୍ଦ୍ଧମାନ କରେ ହାସ ମହୋଜ୍ଜ୍ୱଳ ॥
।୩୫।
୩୧ଶ ପଦ–ପୂର୍ବରୁ ଜାଣି ବେଶକାରିଣୀମାନେ ସୀତା ପ୍ରଭୃତିଙ୍କୁ ବେଶ କରି ସାରିଥିଲେ-। ‘ବେହରଣକାରୀମାନେ’ ଦଶରଥାଦି ଅଯୋଧ୍ୟାର ଲୋକେ ମିଥିଳାର ରାଜକନ୍ୟାଙ୍କୁ ଦେଖି ମନେକଲେ, ଏ କନ୍ୟା ସର୍ବ ଶୋଭାର ସ୍ଥାନ ଅଟନ୍ତି ।
୩୨ଶ ପଦ–କନ୍ୟାମାନଙ୍କ କେଶରେ ଚମ୍ପାପୁଷ୍ପ ଭୂଷିତ ହୋଇଥିବାରୁ କୁନ୍ତଳ ପୁରୀ ଓ ଚମ୍ପାପୁରୀ ସୂଚନା ଦେଲା । ପୁଣି ନିର୍ମଳ କାଞ୍ଚଲାକୁ ଶ୍ରେଷ୍ଠ ହାର ସବୁ ଆଲିଙ୍ଗନ କରିଥିବା ଦୃଶ୍ୟ ଚୋଳ ପୁରୀ ଓ ମାଳବ ପୁରୀର ଇଙ୍ଗିତ ଦେଲା ।
୩୩ଶ ପଦ–କାଞ୍ଚନ–କଟକ–ସୁବର୍ଣ୍ଣ କଙ୍କଣ, ଲଙ୍କାପୁରୀ । କାଞ୍ଚୀ–କିଙ୍କିଣୀ, କାଞ୍ଚିନଗରୀ-।
୩୩ଶ ପଦ–ସମୟ ସମୟରେ ଆନ୍ଦୋଳିତ ହେବ ବୋଲି ଭାବି ସଖୀମାନେ ସୁବର୍ଣ୍ଣ ବଳୟ ଓ କାଞ୍ଚୀ (ବଟୀ ଭୂଷଣ ବିଶେଷ) ଖଞ୍ଜିଥିଲେ (ହସ୍ତ ଚାଳନାରେ ବିଳୟ ଓ ଗମନରେ କାଞ୍ଚୀ ବିଚଳିତ ହେବ)–ଏହାଦ୍ୱାରା ଲଙ୍କାପୁରୀ ଓ କଞ୍ଚୀପୁର ସୂଚିତ ହେଲା ।
୩୪ଶ ପଦ–କନ୍ୟାମାନେ ନାନାରତ୍ନମାନଙ୍କରେ ମଣ୍ଡିତ ହୋଇ ବିଶାଳ ଶୋଭାର ଆଧାର ହୋଇଅଛନ୍ତି (ଖୁବ୍ ଶୋଭା ଦିଶୁ ଅଛନ୍ତି) । ଏହାଦ୍ୱାରା ରତ୍ନପୁର ଶ୍ରୀନଗର ଓ ବିଶାଳା ପୁରୀର ସଙ୍କେତ ଦିଆଗଲା ।
୩୫ଶ ପଦ–ବାହ୍ଲ୍ମୀକ–କୁଙ୍କୁମ, ନଗର ବିଶେଷ ।
୩୫ଶ ପଦ–କନ୍ୟାଗଣ ଶରୀରରେ କୁଙ୍କୁମ ବୋଳି ହୋଇଥିଲେ ଓ ହାସ୍ୟ ପ୍ରକାଶ କରୁଥିଲେ । ଏହା ବାହ୍ମ୍ଲୀକ ନଗରୀ, ଅଙ୍ଗ ବର୍ଦ୍ଧମାନର ଭ୍ରମ ଜନ୍ମାଇଲା ।
ବଳାଇ ଯେ ପୁରୁଁ ଆଣିବାରେ ଦାସୀ ।ବିହି ଯନ୍ତ୍ର ପିତୁଳାପରାୟ ଦିଶି ॥
।୩୬।ବିଲୋକିତ ହେଲେ ସେ ରମଣୀ ଚାରି ।ବ୍ୟତିରେକେ ରମଣୀୟା ନାହିଁ ନାରୀ ॥
।୩୭।ବେଦୀଶ ବିକଳ୍ପି କର୍ମ ଆରମ୍ଭଣେ ।ବଳି ଜ୍ୟାରୁ ଜନ୍ମ ଅନୁପମେ ଜଣେ ॥
।୩୮।ବଳାରାତିର ଅବଳା ଉମା ରମା ।ବହି ଏକ ମୂରତି ନୋହିବେ ସମା ॥
।୩୯।ବ୍ୟକ୍ତେ ତାଙ୍କୁ ପଦରୁ ଅଧିକ ଧରି ।ବୋଲାଇଲେ ଏ ସୁନ୍ଦରୀ–ପୁରନ୍ଦରୀ ॥
।୪୦।
୩୬ଶ ପଦ–ତତ୍ପରେ ଦାସୀମାନେ ସେମାନଙ୍କୁ ପୁରରୁ ଘେନି ଆସିବା ସମୟରେ ସେମାନେ ବିଧାତାଙ୍କର ଯନ୍ତ୍ର ନିର୍ମିତ ପିତୁଳା ପ୍ରାୟ ଦିଶିଲେ । (ବିଧାତା ସ୍ୱହସ୍ତରେ ନିର୍ମାଣ ନ କରି ଯନ୍ତ୍ର ସାହାଯ୍ୟରେ ନିର୍ମାଣ କରି ଅଛନ୍ତି) ।
୩୭ଶ ପଦ–ଦଶରଥାଦିମାନେ ଯେଉଁ ଚାରି କନ୍ୟାଙ୍କୁ ଦେଖିଲେ, ତାଙ୍କ ପରି ସୁନ୍ଦରୀ ଆଉ ଏ ସଂସାରରେ କେହି ନାହାନ୍ତି,–ଏମନ୍ତ ମନେକଲେ ।୩୮ଶ ପଦ–ବେଦୀଶ–ବ୍ରହ୍ମା । ଜ୍ୟାରୁ–ପୃଥିବୀରୁ ।
୩୮ଶ ପଦ–ଦଶରଥ, ବଶିଷ୍ଠାଦିମାନେ ଭାବିଲେ, ବିଧାତା ଏହାଙ୍କୁ ନିର୍ମାଣ କରିବାର ଆରମ୍ଭରେ ମନେକଲେ, ପୃଥିବୀରେ ଉପମାରହିତା ସୁନ୍ଦରୀ ହୋଇ ଏମାନେ ଜନ୍ମ ହୁଅନ୍ତୁ । (ଅର୍ଥାତ୍ ଏ ଚାରିକନ୍ୟାଙ୍କର ଶୋଭାର ତୁଳନା ସାରା ସଂସାରରେ ଅନ୍ୟତ୍ର ଦୁର୍ଲ୍ଲଭ) ।
୩୯ଶ ପଦ–ବଳାରାତିଅବଳା–ଶଚୀ ।୩୯ଶ ପଦ–ଶଚୀ, ପାର୍ବତୀ, ଲକ୍ଷ୍ମୀ ଏ ତିନିଜଣ ଏକ ମୂର୍ତ୍ତି ହେଲେ ସୁଦ୍ଧା ଏହାଙ୍କ (ସୀତାଙ୍କ) ସହିତ ସମାନ ହେବେ ନାହିଁ ।
୪୦ଶ ପଦ–ଶଚୀ, ରମା, ଉମାଙ୍କଠାରୁ ଏ କନ୍ୟା ‘ସୀତା’ ଅଧିକ ଶ୍ରେଷ୍ଠା ଅଟନ୍ତି । ଶଚୀ ଲୋକଙ୍କ ମଧ୍ୟରେ ସୁନ୍ଦରୀ ବୋଲାନ୍ତି, ମାତ୍ର ଏ ସୁନ୍ଦରୀଙ୍କ ମଧ୍ୟରେ ପୁରନ୍ଦରୀ ଅଟନ୍ତି । (ତେଣୁ ଶଚୀଙ୍କଠାରୁ ଶ୍ରେଷ୍ଠା ହେଲେ) ।
ବାଣୀ ବିଖ୍ୟାତ ଗଉରୀ ଶିରୋମଣି ।ବିଦ୍ୟାବନ୍ତେ ଯେ କମଳାସାର ଭଣି ॥
।୪୧।ବନାଇବାରେ ପୁଣି ଯେ ପ୍ରତିମାଏ ।ବପୁବନ୍ତ ହେଲା ଘୁଣକ୍ଷର ପ୍ରାୟେ ॥
।୪୨।ବୋଲି ସ୍ତିରୀ ମଧ୍ୟେ ସାର ଯେଉଁ ରମ୍ଭା ।ବେଗେ ପାଦଦେଶ କେ ସେ ପରିରମ୍ଭା ॥
।୪୩।ବିଶ୍ୱକର୍ମାକୁ ଘେନି ଗଢ଼ିଲେ ଦୁଇ ।ବିନ୍ଧାଣିତ୍ୱ ବିବାଦକୁ ସେ ଦେଖାଇ ॥
।୪୪।ବାଳୀ ଏକ ତିଳେ ତିଳୋତ୍ତମା ହେଲା ।ବାଳୀ ଏକ ରତି ରତି ତାକୁ ଦେଲା ॥
।୪୫।
୪୧ଶତ ପଦ–ଉମାଙ୍କର ଗୌରୀ ନାମ ବଚନରେ ଖ୍ୟାତି ଅଟେ, ମାତ୍ର ଏ ସୀତା ଗୌରୀଶିରୋମଣି (କନ୍ୟା ଶିରୋମଣି) ଅଟନ୍ତି । ତେଣୁ ଗୌରୀଙ୍କଠାରୁ ଶ୍ରେଷ୍ଠା । ପଣ୍ଡିତମାନେ ଲକ୍ଷ୍ମୀଙ୍କର ନାମ କମଳା ଦେଇଥାନ୍ତି, ମାତ୍ର ସେହିମାନେ ଏହାଙ୍କୁ କମଳାସାର (ବରସ୍ତ୍ରୀ–ଶ୍ରେଷ୍ଠାସ୍ତ୍ରୀ) କହି ଅଛନ୍ତି । (ସେହି ହେତୁରୁ ଲକ୍ଷ୍ମୀଙ୍କରଠାରୁ ଶ୍ରେଷ୍ଠା ହେଲେ) ।
୪୨ଶତ ପଦ–କୀଟ କାଠ କାଟୁ କାଟୁ ଯେପରି ଅକ୍ଷର ସୃଷ୍ଟି ହୋଇଯାଏ, ସେହିପରି ପ୍ରତିମା ଗଢ଼ୁ ଗଢ଼ୁ ଏ ଉର୍ମିଳା କନ୍ୟା ଶରୀର ଧାରଣ କଲେକି ?
୪୩ଶତ ପଦ–ସ୍ତ୍ରୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ଯେଉଁ ରମ୍ଭା ଖ୍ୟାତ ଅଟନ୍ତି, ସେହି ରମ୍ଭା ଉର୍ମିଳାଙ୍କର ପାଦଦେଶରେ ଶରଣାପନ୍ନ ହୋଇ ଅଛନ୍ତିକି ? (ତାଙ୍କ ଊରୁ ରମ୍ଭା ବୃକ୍ଷ ସଦୃଶା ଦେଖାଯାଉଥିଲା) ।
୪୪ଶ ଓ ୪୫ଶ ପଦ–ବ୍ରହ୍ମା ବିଶ୍ୱକର୍ମା ସହିତ ଶିଳ୍ପ ନୈପୁଣ୍ୟରେ ବିବାଦ ଲଗାଇବାପାଇଁ (କିଏ ଶ୍ରେଷ୍ଠ ଶିଳ୍ପୀ ଏହା ଦେଖାଇବାପାଇଁ) ଦୁଇଟି କନ୍ୟା ନିର୍ମାଣ କଲେ । ସେ ଦୁଇ କନ୍ୟା ତିଳୋତ୍ତମା ଓ ରତି । ମାଳିନୀ ତିଳୋତ୍ତମାକୁ ତିଳର ସହିତ ତୁଳନା କଲା । (ମାଳିନୀ ସହିତ ତିଳୋତ୍ତମା ତିଳେ ପ୍ରମାଣରେ ସୁଦ୍ଧା ସମାନ ହେବେ ନାହିଁ) । ଆଉ କାଳୀ ଶ୍ରୁତକୀର୍ତ୍ତ ରତିକୁ ରତି ପ୍ରମାଣରେ ଗଣନା କଲା । (ମାଳିନୀ ଓ ଶ୍ରୁତକୀର୍ତ୍ତି ତିଳୋତ୍ତମା ଓ ରତିଙ୍କଠାରୁ ବହୁତ ଗୁଣରେ ସୁନ୍ଦରୀ ଅଟନ୍ତି) ।
ବିଷ୍ଣୁ ମୋହିନୀରୂପକୁ ଧରିଥିଲେ ।ବୃଷାସନ ଦମ୍ଭକୁ ହରିଲେ ବଳେ ॥
।୪୬।ବାଦେ ଅଶେଷ ଲାବଣ୍ୟଶିରୀ ଆଣି ।ବହୁକାଳେ ଦେଖାଇଲେ ଶିରୀ ଆଣି ॥
।୪୭।ବାଳା–ଜ୍ୟୋଷ୍ଠା ଶ୍ରେଷ୍ଠା କୋଟି ବ୍ରହ୍ମାଣ୍ଡରେ ।ବିଭୂଷଣା ଆଉ ତିନି ତିନି ପୁରେ ॥
।୪୮।ବିଶ୍ୱମୋହିନୀ ରୂପ ସୀତାଙ୍କୁ ସାଜି ।ବର ହେଲେ ରାମରୂପେ ବିଷ୍ଣୁ ହେଜି ॥
।୪୯।ବର୍ଣ୍ଣୁଥିଲେ ନବ ପଦ ହୋଇ କବି ।ବଇଷ୍ଣବ ଗୁଣେ ଚାରିପଦ ଭାବି ॥
।୫୦।୪୬ଶ ପଦ–ବୃଷାସନ–ମହାଦେବ ।୪୭ଶ ପଦ–ଲାବଣ୍ୟଶିରୀ–ଶୋଭାସଂପଦ । ଶିରୀ–ଲକ୍ଷ୍ମୀ ।
୪୬ଶ ଓ ୪୭ଶ ପଦ–ବିଷ୍ଣୁ ମୋହିନୀରୂପକୁ ଧରି (ସମୁଦ୍ର ମନ୍ଥନ ସମୟରେ) ବଳାତ୍କାରରେ ମହାଦେବଙ୍କ ଧୈର୍ଯ୍ୟକୁ ଧ୍ୱଂସ କରିଥିଲେ । (ତାହାର ପ୍ରତିଶୋଧ ନେବା କାରଣ ମହାଦେବ) ବିଷ୍ଣୁଙ୍କର ଧୈର୍ଯ୍ୟ ଧ୍ୱଂସ କରିବାପାଇଁ ଅଶେଷ ଲାବଣ୍ୟର ଶୋଭା ଏକାଠି ଠୁଳ କରି ବହୁକାଳ ବସି ଲକ୍ଷ୍ମୀରୂପା ସୀତାଙ୍କୁ ନିର୍ମାଣ କରିଅଛନ୍ତିକି ?
୪୮ଶ ପଦ–ଜ୍ୟେଷ୍ଠା କନ୍ୟା ସୀତା କୋଟିବ୍ରହ୍ମାଣ୍ଡରେ ଶ୍ରେଷ୍ଠା ଅଟନ୍ତି । ଅନ୍ୟ ତିନି କନ୍ୟା ତିନିପୁରର (ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର) ମଣ୍ଡନ ସ୍ୱରୂପା ଅଟନ୍ତି ।
୪୯ଶ ପଦ–ସୀତା ବିଶ୍ୱମୋହନୀ ରୂପକୁ ସାଜିଅଛନ୍ତି (ଏହାଦ୍ୱାରା ସାକ୍ଷାତ୍ ଲକ୍ଷ୍ମୀବୋଲି ସୂଚନା ଦିଆଯାଉଛି) । ଏହା ଜାଣିପାରି ବିଷ୍ଣୁ ମନୋହର ରାମ ରୂପରେ ଅବତୀର୍ଣ୍ଣ ହୋଇ ତାଙ୍କର ବର ହେଲେ ।
୫୦ଶତ ପଦ–ରାମ ସୀତାଙ୍କର ଚାରିପାଦ ସ୍ମରଣ କରି ତାଙ୍କର ଶୋଭା ବର୍ଣ୍ଣନା କରୁଥିଲେ ବିଷ୍ଣୁ ଭକ୍ତ କବିମାନଙ୍କର ମନରେ ନୂତନ ଭାବମାନ ସ୍ଫୁରିତ ହୁଏ (ଅର୍ଥାତ୍ ଯେତେ ବର୍ଣ୍ଣନା କଲେ ହେଁ ତାହା ଶେଷ ହୁଏନାହିଁ । ତେଣୁ ଆଉ ବେଶୀ ବର୍ଣ୍ଣନା କରିବାରୁ ନିବର୍ତ୍ତାଇ) ଅଥବା–ବିଷ୍ଣୁଭକ୍ତ ବ୍ୟକ୍ତି ଏହି ଚାରିପଦ ଗୀତ (ବିଷ୍ଣୁ ମୋହିନୀ ରୂପକୁ ଧରିଥିଲେ–ଠାରୁ)ର ଭାବ ଚିନ୍ତା କଲେ ବିଷ୍ଣୁ ପଦକୁ ନିଶ୍ଚୟ ଲାଭ କରିବ ।
ବଧୂ ଦେଖାକୁ ବହୁତ ଅଳଙ୍କାର ।ବଢ଼ା ହୋଇଥିଲା ତହୁଁ ନରେଶ୍ୱର ॥
।୫୧।ବନିତାରେ ମଥାମଣି ଦେଲେ ତୋଳି ।ବନିତାରେ ଏ ପଦ ନ ବୋଲି ବୋଲି ॥
।୫୨।ବିଷ୍ଣୁ ଉରସ୍ଥ କୌସ୍ତୁଭ ନୃପମଣି ।ବସି ଯେଉଁ ରାମ ନାମ ଗୁଣି ଭଣି ॥
।୫୩।ବିଧୁର କି ହୁଅନ୍ତା ସେ ମୂର୍ତ୍ତି ଦୀପ୍ତେ ।ବ୍ୟାଜ ଏ ମଣିରୂପେ ପ୍ରବେଶ ଗୁପ୍ତେ ॥
।୫୪।ବତ୍ସେ ବିହରିବ ପୁଣି କାଳାନ୍ତରେ ।ବଳେ ଏବେ ସୀତାରାମ ଭାବନାରେ ॥
।୫୫।
୫୧ଶତ ଓ ୫୨ଶତ ପଦ–ବଧୂମାନଙ୍କ ଦେଖା ନିମିତ୍ତ (ସେମାନଙ୍କ ମୁହଁ ଦେଖି ଦେବା ନିମିତ୍ତ) ବହୁତ ଅଳଙ୍କାର ଆସି ଥୁଆ ହୋଇଥିଲା । ତା’ ମଧ୍ୟରୁ ଦଶରଥ ସୀତାଙ୍କୁ ସ୍ତ୍ରୀମାନଙ୍କ ମଧ୍ୟରେ ଏ ଶିରୋମଣି’– ଏହା ବିଚାର କରି ମାତ୍ର ପ୍ରକାଶ୍ୟରେ କିଛି ନ କହି ମଥାମଣି ଅଳଙ୍କାରକୁ ଦେଲେ ।
୫୩ଶତ ପଦ–ନୃପମଣି–ମଣିଶ୍ରେଷ୍ଠ ।୫୪ଶତ ପଦ–ବିଧୁର–ବିଯୁକ୍ତ ।
୫୩ ଓ ୫୪ଶ ପଦ–(ଦଶରଥ ସୀତାଙ୍କୁ ମଥାମଣି ଦେବାକୁ ମନେହୁଏ) କୌସ୍ତୁଭ ନାମକ ରାଜା ଯୋଗରେ ବସିବା ଜିତେନ୍ଦ୍ରିୟ ହୋଇ ରାମ ନାମ କୀର୍ତ୍ତନ କରିବାକୁ କାଳକ୍ରମେ ମଣି ରୂପରେ ବିଷ୍ଣୁଙ୍କର ବକ୍ଷସ୍ଥାଳରେ ସ୍ଥାନ ପାଇଲା । (ତେଣୁ ତା’ର ନାମ କୌସ୍ତୁଭମଣି ହୋଇଅଛି) । ସେହି ରାମ ବର୍ତ୍ତମାନ ଅବତାର ହୋଇଅଛନ୍ତି । ତାଙ୍କଠାରୁ ବିଚ୍ଛେଦ ନ ହେବା ଛଳରେ ସେ ଗୁପ୍ତରୂପରେ ଆସି ଏଠାରେ (ଏ ମଥାମଣି ରୂପରେ) ଉପସ୍ଥିତ ହେଲାକି ?
୫୫ଶତ ପଦ–ପୁଣି କାଳକ୍ରମେ ସେ ମଣି ରାମଙ୍କ ବକ୍ଷରେ ବିହାର କରିବ । (ଲଙ୍କାରୁ ହନୁମାନ ସୀତାଙ୍କର ସଙ୍କେତ ରୂପେ ଆଣି ରାମଚନ୍ଦ୍ରଙ୍କୁ ଦେଲେ, ରାମ ତାକୁ ବକ୍ଷରେ ଧରି ସୀତାଙ୍କ ବିଚ୍ଛେଦ ଯନ୍ତ୍ରଣା ଭୁଲିବେ) । ଏହା ଭାବି ସେ ବର୍ତ୍ତମାନ ରାମଚନ୍ଦ୍ରଙ୍କୁ ଛାଡ଼ି ସୀତାଙ୍କ ପାଖରେ ରହିଲା ।
ବିରାଜିତ ଉପଇନ୍ଦ୍ର ଭଞ୍ଜ ମନେ ।ବିରଚନା ବିଚାରିବ ସାଧୁଜନେ ॥
।୫୬।ବିଭୂଷିତ କରୁ ଶିରେ ଶିଳ୍ପକାରୀ ।ବିବିଧରେ ଉତ୍ପ୍ରେକ୍ଷାକୁ ଜାତ କରି ॥
।୫୭।ବିମଳିନ ନିଳୋତ୍ପଳଦଳେ ଜଳ ।ବିପୃଷ କି ପଡ଼ିବାରେ ଢଳ ଢଳ ॥
।୫୮।ବୃଷା–ନୀଳମଣି–ବୃନ୍ଦ ପ୍ରଭା ଚୋରି ।ବଜ୍ରଠାରୁ କରି କିବା କୋଳେ ଧରି ।।୫୯।ବିଜ୍ଜ୍ୱଳିତ କାଳୀମଣି କାଳିନ୍ଦୀରେ ।ବୀଚି କୁଞ୍ଚିତେ କିବା ଚାଞ୍ଚଲ୍ୟ ଧରେ ॥
।୬୦।
୫୬ଶତ ପଦ–ଉପେନ୍ଦ୍ର ଭଞ୍ଜ କବି ମନରେ (ମଥାମଣି ସମ୍ବନ୍ଧରେ) ଯେଉଁ ଭାବନା ଖେଲିଲା, ସେ ତାକୁ ପ୍ରକାଶ କଲେ । ସେ କଥା ସାଧୁଜନମାନେ ହୃଦୟରେ ବିଚାର କରିବେ ।
୫୭ଶତ ପଦ–ବେଶକାରିଣୀ ସେ ମଣିକୁ ସୀତାଙ୍କ ଶରିରେ ବିଭୁଷିତ କରନ୍ତେ ତାହା ନାନାପ୍ରକାର ଉପମାକୁ ଜାତ କଲା ।୫୮ଶତ ପଦ–ଜଳବିପୁଷ–ଜଳବିନ୍ଦୁ ।
୫୮ଶତ ପଦ–ନିର୍ମଳ ନୀଳପଦ୍ମର ପାଖୁଡ଼ାରେ ଜଳ ବିନ୍ଦୁ ପଡ଼ି ଢଳ ଢଳ ଦେଉଅଛିକି-?( ସୀତାଙ୍କ ମସ୍ତକରେ ସେ ମଣି ହଲୁଥିବାର ଦେଖି ଏ ଭାବନା ଆସିଲା । ବଳବିନ୍ଦ୍ର ଶୁକ୍ଳବର୍ଣ୍ଣ ଓ ମଣି ଶୁକ୍ଳବର୍ଣ୍ଣ ।)
୫୯ତମ ପଦ–ବୁଷା ନୀଳମଣିବୃନ୍ଦ–ଇନ୍ଦ୍ରନୀଳମଣି ସମୂହ । ବକ୍ରଠାରୁ–ହୀରାଠାରୁ ।୫୯ତମ ପଦ–ପୁଣି ମନେହୁଏ ଇନ୍ଦ୍ର ନୀଳମଣି ସମୂହ ହୀରାଠାରୁ ଜ୍ୟୋତି ଚୋରି କରି ନିଜ କୋଳରେ ଧାରଣ କରି ଅଛନ୍ତିକି ?
୬୦ତମ ପଦ–ଯମୁନାର କୁଞ୍ଚିତ ଉପରେ ପ୍ରଜ୍ଜ୍ୱଳିତ କାଳୀୟ ସର୍ପର ମଣି ଚଞ୍ଚଳ ଗତିରେ ଭାସୁଅଛିକି ? [ସୀତାଙ୍କ କୁଞ୍ଚିତ କେଶଦାମ ସହିତ ଯମୁନାର ଲହରୀ ଓ ମଥାମଣି ସହିତ କାଳୀୟ ସର୍ପର ମଣି ଉପମିତ ।]
ବିଦିତ ଯେ ସନ୍ଧ୍ୟାକାଳେ ହେଲା ପରା ।ବିହାୟସେ ଏକ କାବ୍ୟ ଦିବ୍ୟ ତାରା ।।୬୧।ବାରିବାହ ଭେଦି ଇନ୍ଦୁ ଉଦେ ତର୍କି ।ବାହାରିଛି ଜ୍ୟୋତିଛଳେ କିରଣକି ?।୬୨।ବାଳା ଅଶେଷ ଶୋଭା କହିବାପାଇଁ ।ବାର୍ତ୍ତାବହ ହୋଇ ପ୍ରଭା ଯଶ ଯାଇ ॥
।୬୩।ବଧୂ ତିନିଙ୍କି ଯେ ସ୍ତିରୀରତ୍ନ ଘେନି ।ବିଳୋଇଲେ ଅମୂଲ୍ୟ ରତନ ତିନି ॥
।୬୪।ବିଲମ୍ବାଇଲେ ବାମା କାହାର ହୃଦେ ।ବିନ୍ଧ୍ୟଗିରି ପାଶେ କି ଅଗସ୍ତ୍ୟ ଉଦେ ॥
।୬୫।୬୧ତମ ପଦ–ବିହାୟସ–ଆକାଶ । ବାଦ୍ୟ–ଶୁକ୍ରତାର ।୬୧ତମ ପଦ–ଅଦ୍ୱିତୀୟ ଉଜ୍ଜ୍ୱଳ ଶୁକ୍ରତାରା ସନ୍ଧ୍ୟାକାଳୀନ ଆକାଶରେ ପ୍ରକାଶିତ ହେଲା ପ୍ରାୟ ଦିଶିଲା ।୬୨ତମ ପଦ–ବାରିବାହ–ମେଘ । ଇନ୍ଦୁ–ଚନ୍ଦ୍ର ।
୬୨ତମ ପଦ–ମେଘକୁ ବିଦାରଣ କରି ଚନ୍ଦ୍ର ଉଦିତ ହୋଇଅଛନ୍ତିକି ? (ଗାଢ଼ ନୀଳବର୍ଣ୍ଣ କେଶ ମେଘ ସହିତ ଉପମିତ ହୋଇଅଛି) । ତେଣୁ ଚନ୍ଦ୍ରର ଜ୍ୟୋତ୍ସ୍ନାଛଳରେ ମଣିର ଜ୍ୟୋତି ପ୍ରକାଶିତ ହେଉଅଛି ।
୬୩ତମ ପଦ–କେଶର ଅବର୍ଣ୍ଣନୀୟ ଶୋଭାର ଯଶକୁ ପ୍ରଚାର କରିବାପାଇଁ, ସେ ନିଜ ପ୍ରଭାକୁ ଦୂତ କରି ପ୍ରେରଣ କରୁଅଛନ୍ତିକି?୬୪ତମ ପଦ–ଦଶରଥ ଅନ୍ୟବଧୂ ତିନିଙ୍କୁ ସ୍ତ୍ରୀରତ୍ନ ମନେକରି ସେମାନଙ୍କୁ ତିନିଗୋଟି ଅମୂଲ୍ୟ ରତ୍ନ ଦେଲେ ।
୬୫ତମ ପଦ–ସେହି ତିନିରତ୍ନ ମଧ୍ୟରୁ ସଖୀମାନେ କେଉଁ କନ୍ୟାର ହୃଦୟରେ ଗୋଟିଏ ରତ୍ନ ଲମ୍ବାଇ ଦେଲେ । ତାହା ବିନ୍ଧ୍ୟଗିରି ପାଶରେ ଅଗସ୍ତ୍ୟ ନକ୍ଷତ୍ର ଉଦିତ ହେଲେ ପ୍ରାୟ ଦିଶିଲା । (ଅଗସ୍ତ୍ୟ ନକ୍ଷତ୍ର ରକ୍ତବର୍ଣ୍ଣ; ମଣି ତାହା ସହିତ ତୁଳିତ ହୋଇଥିବାରୁ ଏହା ପଦ୍ମରାଗ ମଣି ବୋଲି ଜଣାଯାଉଛି) ।
ବାନ୍ଧି ମଣିବନ୍ଧରେ କାହାର ଆଳୀ ।ବନରୁହ ନାଡ଼ମୂଳେ କିବା ଅଳି ॥
।୬୬।ବିଭୂଷଣେ କଲେ କାହ କଣ୍ଠ ଶୋଭା ।ବୋଳ ପାନର ଫୁଟି ଦିଶିଲା ପ୍ରଭା ॥
।୬୭।ବାହୁଡ଼ାଇଲେ କନ୍ୟା ସୈରିନ୍ଧ୍ରୀବୃନ୍ଦ ।ବୋଧିଗଲା ଚକୋର ଦ୍ୱିତୀୟ ଚାନ୍ଦ ॥
।୬୮।ବିଲକ୍ଷିତ ଏହି ଲକ୍ଷ ଦରଶନେ ।ବିଦ୍ୟୁ ଝଟକିବା କାନ୍ତି ପରସନ୍ନେ ॥
।୬୯।ବିହି ଇକାର ନିଜ ନାମରେ କହି ।ବଶିଷ୍ଠ ଯେ ସର୍ବ କନ୍ୟାଗଣେ ଏହି ॥
।୭୦।ବାମଦେବ ଯେ ସଫଳ ହେଲା ବୋଲେ ।ବାମଦେବ ଯା ତ୍ରିନେତ୍ର ବହିଥିଲେ ॥
।୭୧।ବିଚକ୍ଷଣଙ୍କ ମନ ହୋଇଲା ତୋଷ ।ବାର ଅଧିକ ତ୍ରିବିଂଶ ପଦେ ଶେଷ ॥
।୭୨।
୬୬ତମ ପଦ–ପୁଣି ସଖୀ କେଉଁ କନ୍ୟାର ମଣିବନ୍ଧରେ ଗୋଟିଏ ରତ୍ନ ବାନ୍ଧିଦେଲା । ତାହା ପଦ୍ମନାଳ ମୂଳରେ ବସିଥିବା ଭ୍ରମରର ଶୋଭାକୁ ଧାରଣ କଲା । (ଭ୍ରମର ନୀଳବର୍ଣ୍ଣ–ତେଣୁ ଏହା ନୀଳମଣି ବୋଲି ଜଣାଯାଏ) ।
୬୭ତମ ପଦ–କେଉଁ କନ୍ୟାର କଣ୍ଠରେ ସଖୀମାନେ ରତ୍ନ ଭୂଷିତ କଲେ । ପାନର ବୋଳ କଣ୍ଠରେ ଫୁଟି ଦେଖାଗଲା ପ୍ରାୟ ତାହା ଶୋଭା ପାଇଲା । (ପାନ ବୋଳ ସହିତ ତୁଳନା ଦିଆଯିବାରୁ ଓ କଣ୍ଠର ଭୂଷଣ ହୋଇଥିବାରୁ ତାହା ପ୍ରବାଳ ବୋଲି ଅନୁମତି ହୁଏ ।)
୬୮ତମ ପଦ–ସୈରିନ୍ଧ୍ରୀବୃନ୍ଦ–ବେଶକାରିଣୀମାନେ ।
୬୮ତମ ପଦ–ରତ୍ନ ଭୂଷିତ କଲା ପରେ ବେଶକାରିଣୀମାନେ ଅନ୍ୟାମାନଙ୍କୁ ଅନ୍ତଃପୁରକୁ ବାହୁଡ଼ାଇ ନେଲେ । ଦ୍ୱିତୀୟା ଚନ୍ଦ୍ର ଚକୋର ପକ୍ଷୀକୁ ବୋଧ ଦେଇଗଲା ପ୍ରାୟ ପ୍ରତୀତି ହେଲା । (ଦ୍ୱିତୀୟା ଚନ୍ଦ୍ର ଅଳ୍ପ ସମୟ ଦେଖା ଦେଇ ଚାଲିଯାଏ । କନ୍ୟାମାନେ ଅଳ୍ପ ସମୟ ରହି ଦର୍ଶକଙ୍କ ନେତ୍ରକୁ ମୋହିତ କରି ପୁଣି ଚାଲିଗଲେ) ।
୬୯ତମ ପଦ–ସେହି କନ୍ୟାମାନଙ୍କ ଦର୍ଶନରେ ଏହି ଚନ୍ଦ୍ର ଚକୋର ଲକ୍ଷ୍ୟ ଉପମିତ ହେଲା-। ବିଦ୍ୟୁତ୍ ପ୍ରାୟ ସେମାନଙ୍କ ଜ୍ୟୋତି ଝଟକି ଅଳ୍ପ ସମୟ ପରେ ଅପସାରିତ ହେଲା । (ବିଦ୍ୟୁତ୍ କ୍ଷଣପ୍ରଭା–ସେହିପରି ଏମାନଙ୍କ ଉଜ୍ଜ୍ୱଳ କାନ୍ତି କ୍ଷଣକାଳ ରହି ଦୂର ହୋଇଗଲା ।)
୭୦ତମ ପଦ–ସେ ସମୟରେ ବଶିଷ୍ଠ ନିଜ ନାମରେ ଇକାର ବିଧାନ କରି (ବିଶିଷ୍ଠ) କହିଲେ, ସମସ୍ତ କନ୍ୟା ମଧ୍ୟରେ ଏମାନେ ବିଶିଷ୍ଟ ଅର୍ଥାତ୍ ପ୍ରଧାନ ।
୭୧ତମ ପଦ–ବାମଦେବ ଋଷି କହିଲେ, ‘‘ମହାଦେବ ଯାହା ତ୍ରିନେତ୍ର ଧାରଣ କରିଅଛନ୍ତି– ତା’ ସଫଳ ହେଲା । (ସେ ତିନି ନେତ୍ରରେ ଦେଖି ସନ୍ତୋଷ ଲାଭ କରିବେ–ଅନ୍ୟମାନେ ଦୁଇ ନେତ୍ରରେ ସେପରି ଦେଖିପାରିବେ ନାହିଁ) ।
୭୨ତମ ପଦ–ସେ କନ୍ୟାଙ୍କ ଶୋଭା ଦେଖି ପଣ୍ଡିତମାନଙ୍କ ମନ ତୋଷ ହେଲା । ଏ ଛାନ୍ଦ ବାସ୍ତରି ପଦରେ ଶେଷ ହେଲା ।