ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ · ଭାଗ ୭ / ୧୩
ସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ଛାନ୍ଦ
(ରାଗ–ପଟ୍ଟମହଞ୍ଜରୀ)
ବିଡ଼ୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ ।
ବେନିଭ୍ରାତା ମୂନି ସଙ୍ଗେ ଦେଖେ ସିଦ୍ଧବନ ॥
।୧।ବୃକ୍ଷତତି ତପିପନ୍ତି ତହିଁ ଏକାକୃତି ।ବଳ୍କଳ ପିଧାନ କରି ଜଟା ଧରିଛନ୍ତି ॥
।୨।ବେଦି ସାର ମୂଳ ସଦା ସୁମନା ଫଳଦ ।ବାସବୃତ ପୂର୍ଣ୍ଣଚୟ ଅତି ସ୍ଥିର ହୃଦ୍ୟ ॥
।୩।ବନାଧାର ପ୍ରାୟେ ଲତାତଳ ମନୋହର ।ବିଶ୍ରମିଛନ୍ତି କମଳ ହଂସ ତାପ ଦୂର ॥
।୪।ବିଘଟିତ ଘନ ପୁଷ୍ପ ଭ୍ରମରେ ସହିତ ।ବିନୋଦି ଜନମାନଙ୍କୁ ହରୁଅଛି ଚିତ୍ତ ॥
।୫।୧ମ ପଦ–ବିଡ଼ୋଜା–ଇନ୍ଦ୍ର । ସୁଧାଂଶୁ–ଚନ୍ଦ୍ର । ଗୁରୁ–ବୃହସ୍ପତି ।
୧ମ-୨ୟ ପଦ–ଚନ୍ଦ୍ର ଓ ବୃହସ୍ପତି ଇନ୍ଦ୍ରଙ୍କ ସହ ମିଳିତ ହେଲା ପରି ରାମ ଓ ଲକ୍ଷ୍ମଣ ଦୁଇ ଭାଇ ବିଶ୍ୱାମିତ୍ରଙ୍କ ସହ ମିଳି ସିଦ୍ଧବନ ନାମକ ତପୋବନ ଦେଖିବାକୁ ଲାଗିଲେ । ସେମାନେ ଦେଖିଲେ, ସେହି ତପୋବନରେ ଥିବା ବୃକ୍ଷଗୁଡ଼ିକ ଓ ଋଷିମାନେ ଏକାକାର ଦେଖା ଯାଉଅଛନ୍ତି । ଯେ ହେତୁ ବୃକ୍ଷମାନେ ଋଷିମାନଙ୍କ ପରି ଜଟା ଓ ବକଳରେ ମଣ୍ଡିତ ହୋଇଅଛନ୍ତି ।
୩ୟ ପଦ–ବେଦିସାର–ଶ୍ରେଷ୍ଠ ବେଦୀ, ଯାଜ୍ଞିକ । ସୁମନା–ପୁଷ୍ପ, ନିର୍ମଳ ମନା । ଫଳଦ–ଫଳଦାତା, କରଦାତା (ବାଞ୍ଛିତ ଫଳ ଦାତା) । ପୂର୍ଣ୍ଣଚୟ–ପତ୍ରସମୂହ । ସ୍ଥିରହୃଦ୍ୟ–ଶାନ୍ତିଚେତା । ବାସ–ରହିବା ସ୍ଥାନ, ବସ୍ତ୍ର ।
୩ୟ ପଦ–ସେହିସବୁ ବୃକ୍ଷମାନଙ୍କ ମୂଳରେ ବଡ଼ ବଡ଼ ବେଦୀ (ପିଣ୍ଡ) ନିର୍ମିତ ହୋଇଅଛି ଏବଂ ସେମାନେ ସର୍ବଦା ଋଷିମାନଙ୍କୁ ବା ବନବାସୀମାନଙ୍କୁ ଫୁଲ ଓ ଫଳଦାନ କରି ବହୁପତ୍ର ଧାରଣପୂର୍ବକ ଅତି ସ୍ଥିର ଭାବରେ ନିଜ ନିଜ ସ୍ଥାନରେ ରହି ବନର ଶୋଭା ବିସ୍ତାର କରୁଅଛନ୍ତି । ସେହିପରି ଋଷିମାନେ ବେଦର ସାର, ତପଃ, ଯଜ୍ଞ, ଧ୍ୟାନ ଏମାନଙ୍କୁ ମୂଳ କରି ସର୍ବଦା ଆନନ୍ଦ ମନରେ ପ୍ରାର୍ଥନାକାରୀଙ୍କୁ ପ୍ରାର୍ଥିତ ଫଳ (ଇଚ୍ଛାବର) ପ୍ରଦାନ କରି, ମନୋହର ପର୍ଣ୍ଣ କୂଟୀରରେ ସ୍ଥିର ଚିତ୍ତରେ ବାସ କରୁଅଛନ୍ତି । (କୌଣସି କୌଣସି ଅର୍ଥକାରମାନେ ଏହି ପଦର ‘‘ଅତି ସ୍ଥିର ହୃଦ୍ୟ’ ଏହି ସ୍ଥଳରେ ‘‘ସ୍ଥି’’ ସ୍ଥାନରେ ‘ଥି’ ଏହି ଅକ୍ଷରକୁ ରଖି ନିମ୍ନଲିଖିତ ପ୍ରକାରେ ଅର୍ଥ କରନ୍ତି) ଯଥା–ସେହି ବୃକ୍ଷମାନେ ଯେପରି ବେଦୀକୁ ମୂଳରେ ଅର୍ଥାତ୍ ବେଦୀ ଉପରେ ରହି ସବୁବେଳେ ପୁଷ୍ପ ଫଳ ଦାନ କରୁଅଛନ୍ତି ଏବଂ ଅତିଥିର ଆରାମଦାୟକ ‘ବାସ’ ସୁଗନ୍ଧଯୁକ୍ତ ପତ୍ର ସମୂହରେ ମଣ୍ଡିତ ହୋଇଅଛନ୍ତି, ସେହିପରି ଋଷିମାନେ ବେଦୀ ଓ ‘ସାର’ ଯଜ୍ଞ ଏ ଦୁହିଁଙ୍କୁ ‘ମୂଳ’ ପ୍ରଧାନ ଭାବରେ ଆଶ୍ରୟ କରି (ଯଜ୍ଞ ବେଦୀ ଉପରେ ହୁଏ) ଅଥବା ସର୍ବଦା ସେହି ବୃକ୍ଷ ମୂଳସ୍ଥ ‘ବେଦୀସାର’ ଶ୍ରେଷ୍ଠବେଦୀ ଅର୍ଥାତ୍ ପରିଷ୍କୃତ ପିଣ୍ଡି ଉପରେ ବସି ନିର୍ମଳମନା ଭକ୍ତମାନଙ୍କୁ ସେମାନଙ୍କ ଇପ୍ସିତ୍ (ବାଞ୍ଛିତ)ଫଳଦାନ କରୁଅଛନ୍ତି ଏବଂ ‘ଅତିଥିର’ ଅତି ସ୍ଥିର ‘ହୁଦ୍ୟ’ ହୃଦୟରେ ପର୍ଣ୍ଣକୁଟୀର ବାସ କରୁଅଛନ୍ତି ।
୪ର୍ଥ ପଦ–ଜଳାଧାର–ଜଳାଶୟ । କମଳ–ପଦ୍ମ, ମୃଗ । ହିଂସ–ସୂର୍ଯ୍ୟ, ରାଜହଂସ ।
୪ର୍ଥ ପଦ–ସେହି ବନରେ ଥିବା ଲତାମାନଙ୍କ ‘ତଳ’ ମୂଳ ପ୍ରଦେଶ ଅର୍ଥାତ୍ ଜଳପୂର୍ଣ୍ଣ ମନ୍ଦାଗୁଡ଼ିକ ପୁଷ୍ପରିଣୀ ପରି ମନୋହର ହୋଇଅଛି । କାରଣ ପୃଷ୍କରିଣୀରେ ପଦ୍ମ ଥାଏ ଏବଂ ହଂସମାନେ ତହିଁରେ ସନ୍ତରଣ କରି ନିଜ ନିଜର କଷ୍ଟ ଦୂର କରୁଥାନ୍ତି । ସେହିପରି ଏହି ଲତାମାନଙ୍କର ତଳ ପ୍ରଦେଶରେ ମୃଗମାନେ ବିଶ୍ରାମ କରିଅଛନ୍ତି ଏବଂ ସେହି ସ୍ଥାନଟି ଛାୟା ଓ ଜଳଯୁକ୍ତ ହୋଇ ଥିବାରୁ ସୂର୍ଯ୍ୟ ତାପ ଦୂର କରୁଅଛି ।
୫ମ ପଦ–ଘନ ପୁଷ୍ପ–ଜଳ, ପୁଷ୍ପାଚ୍ଛାଦିତ । ଭ୍ରମରେ–ଆବର୍ତ୍ତ (ଡଅଁର)ରେ, ଭ୍ରମରମାନଙ୍କଦ୍ୱାରା ।
୫ମ ପଦ–ଯେପରି ଜଳାଶୟର ଜଳ ତଟପ୍ରଦେଶରେ ବାଜି ଡଅଁର ଜାତ ହେଲେ, ତାହାର ଶୋଭା ସେହି ଜଳାଶୟ କୂଳରେ ବିହାର କରୁଥିବା ଲୋକମାନଙ୍କର ଚିତ୍ତକୁ ହରଣ କରେ, ସେହିପରି ଏହି ତପୋବନ ବୃକ୍ଷ ଓ ଲତାମାନଙ୍କର ଭ୍ରମର ଚୁମ୍ବିତ ସାନ୍ଧ୍ର ପୁଷ୍ପ ରାଶିରେ ବିମଣ୍ଡିତ ହୋଇ ସେହି ବନରେ ବିହାର କରୁଥିବା ଲୋକମାନଙ୍କର ଚିତ୍ତକୁ ହରଣ କରୁଅଛି ।
ବନର କେଉଁ ପ୍ରଦେଶ ଅଦିତି ପ୍ରକାର ।ବତ୍ସକ ଅନୁଭାବରେ ଶିଖୀ ଶୋଭାକର ॥
।୬।ବରୁଣ ଦେବବଲ୍ଲଭ ଉଦୟ କରିଛି ।ବହୁ ସୁମନା ସନ୍ତୋଷକର ହୋଇଅଛି ॥
।୭।ବନର କେଉଁ ପ୍ରଦେଶ ଦିତି ଛବି ଧରି ।ବିଜନିତ ଦୈତ୍ୟ ଗଣ–ରୂପ ଅଛି ଧରି ॥
।୮।ବିସ୍ତାରିଛି ପବନଲୀଳାକୁ ନିରନ୍ତର ।ବିଶେଷତ ମୁନି ନଗରେ ସେ ମନୋହର ॥
।୯।ବନର କେଉଁ ପ୍ରଦେଶ ରଞ୍ଜନେ ରଞ୍ଜନ ।ବିନତା ପ୍ରାୟେ ଅରୁଣ ସୁପର୍ଣ୍ଣ ସୁମନ ॥
।୧୦।୬ଷ୍ଠ ପଦ–ଅଦିତି–ଦେବମାତା । ବତ୍ସକ–ପୁତ୍ର, ଗିରିମଲ୍ଲିକା (ବଣମଲ୍ଲୀ) । ଅନୁଭାବ–ତେଜ । ଶିଖା–ବୃକ୍ଷ, ମୟୂର, ଅଗ୍ନି ।
୬ଷ୍ଠ ପଦ–ସେହି ତପୋବନର କୌଣସି ଅଂଶ ଦେବମାତା ଅଦିତିଙ୍କ ପରି ଦେଖାଯାଉଅଛି । କାରଣ ଦେବମାତା ଯେପରି ପୁତ୍ର ଅଗ୍ନିଙ୍କର ତେଜରେ ତେଜସ୍ୱିନୀ (ମନୋହରା) ଦେଖାଯାନ୍ତି, ଏହି ବନ ସେହିପରି ଗିରିମଲ୍ଲିକାର ସୌନ୍ଦର୍ଯ୍ୟରେ ସୌନ୍ଦର୍ଯ୍ୟାନ୍ୱିତ ବୃକ୍ଷମାନଙ୍କଦ୍ୱାରା ସୁଶୋଭିତ ହୋଇଅଛି, ଅର୍ଥାତ୍ ବଣମଲ୍ଲୀଗୁଡ଼ିକ ବୃକ୍ଷ ଉପରେ ମାଡ଼ି ସଦ୍ୟ ପ୍ରସ୍ଫୁଟିତ କୁସୁମରେ ମଣ୍ଡିତ ହୋଇଥିବାରୁ ବନର କେଉଁ କେଉଁ ଅଂଶ ମନୋହର ଦେଖାଯାଇଅଛି ।
୭ମ ପଦ–ବରୁଣା–ଜଳାଧିପତି ଦେବତା, ବରୁଣ ବୃକ୍ଷ । ଦେବ ବଲ୍ଲଭ–ଇନ୍ଦ୍ର, ପୁନ୍ନାଗ ବୃକ୍ଷ । ସୁମନା–ଦେବତା, ପୃଷ୍ପ ।
୭ମ ପଦ–ଆଉ ମଧ୍ୟ ଦେବମାତା ଯେପରି ବରୁଣ ଓ ଇନ୍ଦ୍ରଙ୍କୁ ଭିନ୍ନକରି ଦେବତାମାଙ୍କର ଅସୀମ ସନ୍ତୋଷ ବିଧାନ କରିଅଛନ୍ତି, ସେହିପରି ଏହି ବନର କୌଣସି କୌଣସି ଅଂଶର ବରୁଣ ଓ ପୁନ୍ନାଗ ବୃକ୍ଷମାନେ ଜନ୍ମି ବନ ପୁଷ୍ପରେ ମଣ୍ଡିତ ହୋଇଥିବାରୁ ବନସ୍ଥଳୀ ଦର୍ଶକମାନଙ୍କର ସନ୍ତୋଷ ବିଧାନ କରୁଅଛି ।
୮ମ ପଦ–ବିତି–ରାକ୍ଷସ ମାତା । ଦୈତ୍ୟ–ରାକ୍ଷସ, କଣ୍ଟାଗଛ ।୯ମ ପଦ–ମୁନି ନଗରେ କଶ୍ୟପଙ୍କ ନଗରେ, ଅଗସ୍ତି ବୃକ୍ଷରେ ।
୮ମ ଓ ୯ମ ପଦ–ସେହି ବନର କେଉଁ ପ୍ରଦେଶ ଦୈତ୍ୟମାତା (ଦିତି)ଙ୍କର ଛବି ଧାରଣା କରିଅଛି । କାରଣ ଦୈତ୍ୟମାତା ଯେପରି ଦୈତ୍ୟ (ରାକ୍ଷସ)ମାନଙ୍କୁ ଜନ୍ମ କରିଅଛନ୍ତି, ଏ ସେହିପରି ‘ଦୈତ୍ୟଗଣରୂପ’ ରାକ୍ଷସମାନଙ୍କ ତୁଲ୍ୟ ଅତି ଭୀଷଣ ‘ଦୈତ୍ୟ’ ମୁରାମାଂସୀ ପ୍ରଭୃତି କଣ୍ଟା ବୃକ୍ଷମାନଙ୍କୁ ଜନ୍ମ କରିଅଛି ଏବଂ ଦିତି ଯେପରି କଶ୍ୟପ ଋଷିଙ୍କର ପୃଥିବୀରେ ସବୁବେଳେ ଅତି ଅଧିକ ଭାବରେ ପୁତ୍ର ପବନକୁ ଖେଳାଉଥିଲେ । ଅର୍ଥାତ୍ ଦିତି କଶ୍ୟପଙ୍କର ଜ୍ୟେଷ୍ଠା ପତ୍ନୀ, ତାଙ୍କର ପୁତ୍ର ଅସୁରମାନେ କନିଷ୍ଠା ଅଦିତିଙ୍କ ପୁତ୍ର ଦେବତାମାଙ୍କଠାରୁ ଭୟ ପାଇ ପିଲାଦିନୁ ଘର ଛାଡ଼ି ଚାଲି ଯାଉଥିବାରୁ ଦିତି ପୁତ୍ରମାନଙ୍କୁ ଖେଳାଇ ପାରି ନ ଥିଲେ । ପବନ ଦେବତା ହୋଇ ତାଙ୍କଠାରୁ ଜନ୍ମ ହୋଇଥିବାରୁ, ଦେବତାମାଙ୍କୁ ଭୟ ନ କରି ପିଲାଦିନେ ଘରେ ରହିଥିଲେ ଓ ଦିତିଙ୍କଦ୍ୱାରା ଅତି ଆଦରରେ ଲାଳିତ ପାଳିତ ହୋଇଥିଲେ) । ସେହିପରି ପବନ ଏହି ବନର ମନୋହର ଅଗସ୍ତି ବୃକ୍ଷ ସଂକୁଳ କେଉଁ ପ୍ରଦେଶରେ ଅନ୍ୟାନ୍ୟ ପ୍ରଦେଶ ଅପେକ୍ଷା ଅତି ଅଧିକ ଭାବରେ ସବୁବେଳେ କ୍ରୀଡ଼ା କରୁଅଛି । (ଅର୍ଥାତ୍ ଅଗସ୍ତି ବୃକ୍ଷଗୁଡ଼ିକ ଅତିଶୟ ଡେଙ୍ଗା ହୋଇଥିବାରୁ ଅତି ଧୀର ପବନରେ ମଧ୍ୟ ଦୋହଲୁ ଅଛନ୍ତି ।
୧୦ମ ପଦ–ରଞ୍ଜନେ–ରକ୍ତଚନ୍ଦନ ବୃକ୍ଷରେ । ରଞ୍ଜନ–ଅନୁରାଗଜନକ ଅର୍ଥାତ୍ ଶୋଭିତ-। ବିନତା–ଗରୁଡ଼ଙ୍କ ମାତା । ଅରୁଣ–ସୂର୍ଯ୍ୟଙ୍କ ସାରଥି, ଈଷିତ୍ ରକ୍ତବର୍ଣ୍ଣ । ସୁପର୍ଣ୍ଣ–ଗରୁଡ଼, କୋମଳ ପତ୍ର । ସୁମନ–ଆନନ୍ଦ ମନ, ପୁଷ୍ପ ।
୧୦ମ ପଦ–ସେହି ବନର ଅନ୍ୟ କେଉଁ ପ୍ରଦେଶ ରକ୍ତଚନ୍ଦନ ବୃକ୍ଷମାନଙ୍କଦ୍ୱାରା ଶୋଭିତ ହୋଇଥିବାରୁ ଗରୁଡ଼ ମାତା ବିନତାଙ୍କ ପରି ଦେଖାଯାଉଛି । କାରଣ ବିନତା ଯେପରି ଅରୁଣ ଓ ଗରୁଡ଼ ଦୁଇ ପୁତ୍ରଙ୍କଦ୍ୱାରା ଶୋଭିତ ହୋଇଥାନ୍ତି, ଏହି ବନର ରକ୍ତଚନ୍ଦନ ବୃକ୍ଷସଂକୁଳ ପ୍ରଦେଶ ମଧ୍ୟ ଈଷତ୍ ରକ୍ତବର୍ଣ୍ଣ କୋମଳ ପୁତ୍ରମାନଙ୍କୁ ଧାରଣା କରିଅଛି ଓ ପୁଷ୍ପ ବିମଣ୍ଡିତ ହୋଇଅଛି ।
ବନର କେଉଁ ପ୍ରଦେଶ କଦ୍ରୁ ଛବି ବହି ।ବିହୃଷ୍ଟହର ହୋଇଅଛି ନାଗଈଶ୍ୱରହିଁ ॥
।୧୧।ବନ କେଉଁ ପ୍ରଦେଶ ସଙ୍ଗୀତର ଶାଳା ।ବ୍ୟୋମଲାସିକା ନର୍ତ୍ତନେ ହୋଇଅଛି ମେଳା ॥
।୧୨।ବିରଳ ଗନ୍ଧର୍ବଗାନେ ଖ୍ୟାତ ସାତସ୍ୱର ।ବିତାଳ ହୋଇଣ ରାଗ ଜାତ ମନୋହର ॥
।୧୩।ବସନ୍ତ ବାସ କରିଛି କେଦାରହିଁ ମେଳ ।ବିଚଳିତ ଯହିଁରେ ସଦା ସୁମରଦଳ ॥
।୧୪।ବର୍ଣ୍ଣୁଥିଲେ ସରିବାର ନୁହେଁ ଏ ଚରିତ ।ବିଶ୍ରାମ କଲେ କୌଶିକମଠେ ରଘୁସୁତ ॥
।୧୫।୧୧ଶ ପଦ–କଦ୍ରୁ–ନାଗମାତା । ନାଗେଶ୍ୱର–ନାଗଶ୍ରେଷ୍ଠ, ନାଗେଶ୍ୱର ବୃକ୍ଷ ।
୧୧ଶ ପଦ–ସେହିପରି ଅନ୍ୟକେଉଁ ପ୍ରଦେଶ ନାଗମାତାଙ୍କର ଶୋଭାକୁ ଧାରଣା କରିଅଛି-।-କାରଣ ନାଗମାତା ଯେପରି ନାଗଶ୍ରେଷ୍ଠମାନଙ୍କଦ୍ୱାରା ଶୋଭିତ ହୋଇଥାନ୍ତି, ସେ ପ୍ରଦେଶ ସେହିପରି ନାଗେଶ୍ୱର ବୃକ୍ଷମାନଙ୍କଦ୍ୱାରା ଶୋଭିତ ହୋଉଅଛି ।
୧୨ଶ ପଦ–ପ୍ରଦେଶ–ଅଂଶ । ବ୍ୟୋମଲାସିକା–ଶୂନ୍ୟନର୍ତ୍ତକୀ, ଭରତିଆ ପକ୍ଷୀ ।୧୩ଶ ପଦ–ବିରଳ–ନିର୍ମଳ । ଗନ୍ଧର୍ବ–ଗାୟକ, କୋକିଳ । ରାଗ–ଗୀତର ରାଗ, ସ୍ନେହ ।୧୪ଶ ପଦ–ବସନ୍ତ–ବସନ୍ତ ରାଗ, ହଳଦୀବସନ୍ତ ପକ୍ଷୀ । କେଦାର–ରାଗ ବିଶେଷ । ଆଳବାଳ–ମନ୍ଦ । ସୁ–ମରଦଳ–ଉତ୍ତମ ମର୍ଦ୍ଦଳ, ପୁଷ୍ପ ।
୧୨ଶରୁ୧୪ଶ ପଦ–ବନର କେଉଁ ଅଂଶ ସଙ୍ଗୀତଶାଳା ପରାୟ ହୋଇଅଛି । ସଙ୍ଗୀତଶାଳା ସ୍ୱର୍ଗ ନର୍ତ୍ତକୀର ନୃତ୍ୟରେ ରଞ୍ଜିତ ହେଲା ପରାୟ ଏହା ଭରତିଆ ପକ୍ଷୀର ନୃତ୍ୟରେ ଶୋଭିତ ହୋଇଅଛି । ଗନ୍ଧର୍ବଙ୍କ ପରି ଗାନ କରୁଥିବା ସୁଗାୟକମାନଙ୍କର ସୁନ୍ଦର ରାଗ ଓ ତାଳ ବିଶିଷ୍ଟ ସପ୍ତସ୍ୱର ଗାନରେ ସଙ୍ଗୀତଶାଳା ମୁଖରିତ ହେଲା ପରି (ବନର କେଉଁ ଅଂଶ) କୋକିଳର ଅନୁରାଗ ଜଡ଼ିତ ସପ୍ତସ୍ୱରରେ (ସାତ = ସୂକ୍ଷ୍ମ; ସୂକ୍ଷ୍ମସ୍ୱର ମଧ୍ୟ ହେବ) ମୁଖରିତ ହେଉଅଛି । (ସଙ୍ଗୀତଶାଳାରେ ତାଳ ଲୟ ବିଶିଷ୍ଟ ସଙ୍ଗୀତ ଗାନ ହୁଏ) ବନ ପ୍ରଦେଶରେ ମଧ୍ୟ ତାଳ ଗଛ ବିଶେଷ ଭାବରେ ବିଦ୍ୟାମାନ ଥାଏ । ସଙ୍ଗୀତ ଶାଳରେ ବସନ୍ତ ରାଗ ବାସ କରିଥାଏ, କେଦାର ରାଗ ମଧ୍ୟ ମିଳିତ ହୋଇଥାଏ, ସେଥିରେ ଉତ୍ତମ ମର୍ଦ୍ଦଳମାନ ବାଜୁଥାଏ । ସେହିପରି ବନ ପ୍ରଦେଶରେ ବସନ୍ତପକ୍ଷୀ (ହଳଦୀ ବସନ୍ତ) ଓ ବୃକ୍ଷମୂଳର ମନ୍ଦା ସବୁ ରହିଅଛି, ଆଉ ମଧ୍ୟ ଫୁଲର ପାଖୁଡ଼ା ସବୁ (ସୁମ–ଫୁଲ, ଦଳ–ପାଖୁଡ଼ା) ପବନରେ ବିଚଳିତ ହେଉ ଅଛନ୍ତି ।
୧୫ଶ ପଦ–ସେହି ମନକଥା ବର୍ଣ୍ଣନା କରୁଥିଲେ ସୁଦ୍ଧା ସରିବାର ନୁହେଁ । ସେ ବନରେ ଥିବା ବିଶ୍ୱାମିତ୍ରଙ୍କ ମଠରେ ରାମ ଲକ୍ଷ୍ମଣ ବିଶ୍ରାମ କଲେ ।
ବାନପ୍ରସ୍ଥ ଗୃହିମାନେ ତ୍ୱରିତେ ମିଳିଲେ ।ବ୍ରହ୍ମଚାରୀ ଦଣ୍ଡୀ ଆସି ଆଶିଷ ବିହିଲେ ॥
।୧୬।ବୋଧି ବିବିଧ ଅଶନେ ମନ ତାହାଙ୍କର ।ବସିଲେ ରାତ୍ରରେ ଚନ୍ଦ୍ରକରେ ଅଙ୍ଗଣର ॥
।୧୭।ବିଗତ ଭୟ ହୋଇଣ ରାକ୍ଷସଙ୍କ ହେତୁ ।ବୋଇଲେ ରଘୁନନ୍ଦନ ଆରମ୍ଭ ହେ କ୍ରତୁ ॥
।୧୮।ବଚ ପ୍ରକାଶରୁ ଋଷି ଆନନ୍ଦ ହୋଇଲେ ।ବିବିଧ ବିଧି ସମିଧେ ଯଜ୍ଞ ଆରମ୍ଭିଲେ ॥
।୧୯।ବୀତିହୋତ୍ର ପ୍ରିୟା ନାଦ ଶ୍ରବଣେ ଅସ୍ରପେ ।ବ୍ୟଗ୍ରବନ୍ତେ ପରବେଶ ହୋଇଲେ ସମୀପେ ॥
।୨୦।
୧୬ଶ ପଦ–(ରାମଚନ୍ଦ୍ର ଆସିବାର ଖବର ପାଇ) ଗୃହୀମାନେ ଓ ବାନପ୍ରସ୍ଥାଶ୍ରମୀମାନେ ଆସି ତ୍ୱରିତ ମିଳିଲେ । ତାହାପରେ ବ୍ରହ୍ମଚାରୀମାନେ ଓ ଦଣ୍ଡିମାନେ ଆସି ଆଶୀର୍ବାଦ କଲେ ।
୧୭ଶ ପଦ–ଅଶନ–ଭୋଜନ । ଅଙ୍ଗଣ–ଅଗଣା ।୧୭ଶ ପଦ–ତତ୍ପରେ ବିଶ୍ୱାମିତ୍ର ନାନା ପ୍ରକାର ଭୋଜନରେ ତାହାଙ୍କର ମନକୁ ବୋଧ କରି ରାତ୍ରରେ ଚନ୍ଦ୍ର କିରଣରେ ଅଗଣା ମଧ୍ୟରେ ବସିଲେ ।୧୮ଶ ପଦ–ବିଗତଭୟ–ନିର୍ଭୟ । କ୍ରତୁ–ଯଜ୍ଞ ।୧୮ଶ ପଦ–ରାମ କହିଲେ, ‘‘ହେ ମୁନିଶ୍ରେଷ୍ଠ ! ରାକ୍ଷସମାନଙ୍କଠାରୁ ତୁମ୍ଭେ ନିର୍ଭୟ ହୋଇ ଯାଗ ଆରମ୍ଭ କର ।’’୧୯ଶ ପଦ–ସମିଧ–ହୋମକାଷ୍ଠ ।
୧୯ଶ ପଦ–ରାମ ଏହି ବଚନ ପ୍ରକାଶ କରନ୍ତେ, ବିଶ୍ୱାମିତ୍ର ଆନନ୍ଦ ହୋଇ ନାନା ପ୍ରକାର ଯଜ୍ଞୋପକରଣ ଜିନିଷ ଓ ହୋମ କାଷ୍ଠରେ ଯଜ୍ଞ ଆରମ୍ଭ କଲେ ।
୨୦ଶ ପଦ–ବୀତିହୋତ୍ର ପ୍ରିୟା–ସ୍ୱାହା ଦେବୀ । ଅସ୍ରପେ–ରାକ୍ଷସମାନେ ।୨୦ଶ ପଦ–ରାକ୍ଷସମାନେ ଅଗ୍ନିଙ୍କର ପ୍ରିୟ ସ୍ୱାହା ଶବ୍ଦ ଶୁଣି ଖରତରରେ ଆସି ଯଜ୍ଞ ସମୀପରେ ପ୍ରବେଶ ହେଲେ ।ବରାୟୁଧ ଧୃତ କ୍ରୋଧେ ପ୍ରଜ୍ଜ୍ୱଳିତ ମୂର୍ତ୍ତି ।ବିଶ୍ୱକେତୁ ନାମ ପୁନଃ ପୁନଃ ବୋଲୁଛନ୍ତି ॥
।୨୧।ବ୍ୟାଘ୍ରଗନ୍ଧ ଆଘ୍ରାଣେ ଗୋ ପରି ପଳାଇତ ।ବୋଲି ବେନିଅର୍ଥେ ରକ୍ଷ ରକ୍ଷ ଋଷିବ୍ରାତ ॥
।୨୨।ବାଣ ଧନୁ ଦୃଢ଼େ ଧରି ଶ୍ରୀରାମ ଲକ୍ଷ୍ମଣ ।ବୀରୁଁ ଅନ୍ତରୁ ବାହାର ଏ ରବ ଶ୍ରବଣ ॥
।୨୩।ବୋଲି ଏକାନ୍ତ ସ୍ଥଳର ନାମ ପୁନଃ ପୁନଃ ।ବାହିନୀ ଦୁହିଁଙ୍କି ଘେନି ତୃଣର ସମାନ ॥
।୨୪।ବାତାସ୍ତ୍ରେ ମାରୀଚ ଲକ୍ଷେ ଯୋଜନେ ପଳାଇ ।ବିଭାବସୁ ଅସ୍ତ୍ରେ ଦେଲେ ସୁବାହୁ ଜଳାଇ ॥
।୨୫।୨୧ଶ ପଦ–ବିଶ୍ୱକେତୁ–ମାର ।୨୧ଶ ପଦ–ସେ ରାକ୍ଷସମାନେ ଖଡ଼୍ଗ ଧରି ଅଛନ୍ତି ଓ କ୍ରୋଧରେ ଅତି ପ୍ରଜ୍ୱଳିତ ହୋଇ ମାର ମାର ବୋଲି ଥରକୁ ଥର କହୁ ଅଛନ୍ତି ।୨୨ଶ ପଦ–ଋଷିବ୍ରାତ–ମୁନି ସମୂହ ।୨୨ଶ ପଦ–ଗୋରୁସବୁ ବ୍ୟାଘ୍ର ଗନ୍ଧ ଗ୍ରହଣରେ ପଳାୟନ କଲାପରି ମୁନିମାନେ ‘‘ରାକ୍ଷସ ରାକ୍ଷସ’’ କହି ପଳାଇ ଗଲେ ।୨୩ଶ ପଦ–ବୀରୁ–ଲତା ମଧ୍ୟରୁ ।
୨୩ଶ ପଦ–(ମୁନିଙ୍କର) ଏପରି ଶବ୍ଦ (ରକ୍ଷ ରକ୍ଷ ଶବ୍ଦ) ଶ୍ରବଣ କରି ରାମ ଓ ଲକ୍ଷ୍ମଣ ଦୁହେଁ ବାଣ ଓ ଧନୁକୁ ଦୃଢ଼ର ସହିତ ଧରି ଲତା ଅନ୍ତରାଳରୁ ବାହାର ହେଲେ ।
୨୪ଶ ପଦ–ଏକାନ୍ତ ସ୍ଥଳର ନାମ–‘ଇହ’ । ବାହିନୀ–ସେନା ।୨୫ଶ ପଦ–ବାତସ୍ତ୍ରେ–ପବନାସ୍ତ୍ରରେ । ବିଭାକସୁ ଅସ୍ତ୍ର–ଆଗ୍ନେୟାସ୍ତ୍ର ।
୨୪ଶ ଓ ୨୫ଶ ପଦ–ସେ ଦିହେଁ ‘ରହ ରହ’ ବୋଲି କହି ଆସିଲେ । ମାରୀଚ ଓ ସୁବାହୁ ଏ ଦୁଇ ସେନାପତିଙ୍କୁ ତୃଣ ସମାନ ମନେକରି ପବନଶାସ୍ତ୍ରରେ ମାରୀଚ ଦୈତ୍ୟକୁ ଲକ୍ଷ ଯୋଜନ ପର୍ଯ୍ୟନ୍ତ ଉଡ଼ାଇ ଦେଲେ ଓ ଅଗ୍ନି ଅସ୍ତ୍ରରେ ସୁବାହୁ ରାକ୍ଷସକୁ ପୋଡ଼ି ଦେଲେ ।
ବିଚ୍ଛେଦିଲେ ଲକ୍ଷ୍ମଣ ସମସ୍ତ ସୈନ୍ୟ–କରୀ ।ବଂଶଭାବୁଁ ତାକୁ ସେ କୁଠାରପାଣି ପରି ॥
।୨୬।ବହୁତକାଳୁଁ ଅପୂଜା ପୃଥ୍ୱୀଦେବୀ ଥିଲେ ।ବିହି ରଙ୍ଗ ଶୋଣିତେ କି ମନ୍ଦାର ପୂଜିଲେ ॥
।୨୭।ବାଷ୍ପ ଖଷା ଖସାଇଲା ନେତ୍ରୁଁ ଚିନ୍ତାକୁଳେ ।ବିଷ୍ଟି ହେଲା ଆଜୁଁ ମୋ ପୁତ୍ରଙ୍କ ଅନୁକୂଳେ ॥
।୨୮।ବସାଇଲେ ଅଧଃସ୍ୱର୍ଗେ ହଟରେ ତ୍ରିଶଙ୍କୁ ।ବାହୁଡ଼ି ସେ ଆରମ୍ଭିଲେ ଯଜ୍ଞକୁ ନିଃଶଙ୍କୁ ॥
।୨୯।ବାସବାଦି ଦେବେ ହବି ଭୁଞ୍ଜି ତୋଷ ହେଲେ ।ବାହୁଡ଼ୁଁ ପୁରକୁ ରାମଭଦ୍ର ପଚାରିଲେ ॥
।୩୦।
୨୬ଶ ପଦ–କୁଳର ଗୋଟିଏ ପ୍ରତିଶବ୍ଦ ‘ବଂଶ’ ଶୁଣି ବଂଶର ଅନ୍ୟ ନାମ ବାଉଁଶ, ଅତଏବ ‘ବଂଶଭାବୁ’ ଅର୍ଥାତ୍ ସେମାନଙ୍କର କୁଳକୁ ବାଉଁଶ ମନେକରି । କୁଠାରପାଣି–ଶବର ।
୨୬ଶ ପଦ–ରାକ୍ଷସମାନଙ୍କୁ ବାଉଁଶ ଗଛ ମନେକରି ଶବର କୁଠାରଦ୍ୱାରା ବାଉଁଶ ଗଛ ନିର୍ମୁଳ କଲା ନ୍ୟାୟ ଲକ୍ଷ୍ମଣ ରାକ୍ଷସ ବଂଶ ବିଶେଷ ଭାବରେ ବିନାଶ କଲେ । [କରୀ ବଂଶ ଭାବୁଁ–ଗଜାସୁର ବଂଶଧର ବୋଲି ଭାବି ଲକ୍ଷ୍ମଣ ମହାଦେବଙ୍କ ପରି ସମସ୍ତଙ୍କୁ ବିନାଶ କଲେ ] ।
୨୭ଶ ପଦ–ପୃଥ୍ୱୀଦେବୀ ବହୁ କାଳରୁ ଅପୂଜା ଥିଲେ । ରାକ୍ଷସମାନେ ଯାଗ ନଷ୍ଟ କରି ଦେଉଥିବାରୁ ଯଜ୍ଞାଦିକର୍ମ ହୋଇ ପାରୁ ନ ଥିଲା । ରାମ ଲକ୍ଷ୍ମଣ ପୃଥ୍ୱୀକୁ ରାକ୍ଷସଙ୍କ ରକ୍ତରେ ରଙ୍ଗ କରିଦେଲେ । ଏହା ଦେଖି ମନେହେଲା, ସେ ମନ୍ଦାର ପୁଷ୍ପରେ ପୃଥ୍ୱୀ ଦେବୀଙ୍କୁ ପୂଜା କଲେକି ?
୨୮ଶ ପଦ–ବିଷ୍ଟ–ଅଶୁଭ । ବାଷ୍ପ–ଲୋତକ । ଖଷା–ରାକ୍ଷସମାତା ଦିତି ।
୨୮ଶ ପଦ–ରାକ୍ଷସ ମାତା ଚିନ୍ତାରେ ଆକୁଳ ହୋଇ ନେତ୍ରର ଲୋତକ ବୁହାଇଲା । (ସେ ଭାବିଲା) ଆଜିଠାରୁ ମୋ ପୁତ୍ରଙ୍କର ଅନୁକୂଳରେ ଅଶୁଭ ହେଲା ।
୨୯ଶ ପଦ–କୌତୁକରେ ତ୍ରିଶଙ୍କୁ ରାଜାଙ୍କୁ ଅର୍ଦ୍ଧସ୍ୱରରେ ଯେଉଁ ବିଶ୍ୱାମିତ୍ର ବସାଇଥିଲେ, ସେ ନିର୍ଭୟରେ ବାହୁଡ଼ି ପୁଣି ଯଜ୍ଞ ଆରମ୍ଭ କଲେ ।
୩୦ଶ ପଦ–(ଯାଗ ହେବାରୁ) ଇନ୍ଦ୍ରାଦି ଦେବତାମାନେ ଯଜ୍ଞଭାଗ ପାଇ ତୋଷ ହେଲେ ଅର୍ଥାତ୍ ଯଜ୍ଞ ଶେଷ ହେଲା । ତାହା ପରେ ରାମଚନ୍ଦ୍ର ବିଶ୍ୱାମିତ୍ରଙ୍କୁ ପଚାରିଲେ, ‘‘ଆମେ ଅଯୋଧ୍ୟାକୁ ବାହୁଡ଼ି ଯାଉଛୁଁ ।’’
ବିପୁଳ କାମ୍ୟକ ବନେ ଥରେ ଭ୍ରମିଯିବା ।ବୋଲି ବାହାରିଲେ ମୁନି ଘେନି ବେନି ଯୁବା ॥
।୩୧।ବାଟେ ସେ ବନରେ ପଡ଼ିଥିଲା ଦିବ୍ୟଶିଳା ।ବିଶୋଉଁ ରାମଚରଣ ଲାଗି ସେ ଅବଳା ॥
।୩୨।ବିସ୍ମୟ ହୋଇ ଅନାଇଁ ଭାବି ରଘୁପତି ।ବନୀତାର ବନିତାର ପ୍ରଭା ଏକାକୃତି ॥
।୩୩।ବନପ୍ରିୟ ତୋଷଦାନୀ ରମଣୀ ଏ ଲୋକେ ।ବନପ୍ରିୟ ତୋଷଦାନୀ ରମଣୀଏ ଲୋକେ ॥
।୩୪।ବିରାଜି ବର–କନକ–କଦମ୍ବ ରୁଚିରେ ।ବି–ରାଜିବର କନକ କଦମ୍ବ ରୁଚିରେ ॥
।୩୫।ବାସରେ ଆଚ୍ଛନ୍ନ ଶୋଭା ତୁଙ୍ଗ ପୟୋଧରେ ।ବାସରେ ଆଚ୍ଛନ୍ନ ଶୋଭା ତୁଙ୍ଗ ପୟୋଧରେ ॥
।୩୬।ବେଣୀ କେଶରେ ରଞ୍ଜନ ସିନ୍ଦୂର ଚିତାରେ ।ବେଣୀ କେଶରେ ରଞ୍ଜନ ସିନ୍ଦୂର ଚିତାରେ ॥
।୩୭।ବଳା, ମଲ୍ଲିକଢ଼ି, ଫୁଲ ମଣ୍ଡନ ଅତୁଲ ।ବଳା, ମଲ୍ଲିକଢ଼ି, ଫୁଲ ମଣ୍ଡନ ଅତୁଲ ॥
।୩୮।ବିଲୋକି ବିଲୋକି ପୁଚ୍ଛା କଲେ ଦାଶରଥି ।ବରାଙ୍ଗନା ହେଲା ଶିଳା କି ବିଷୟ ଏଥି ?।୩୯।ବିଶ୍ୱାମିତ୍ର ବୋଲେ ଆହେ ମିତ୍ରବଂଶୀ ଶୁଣ ।ବିଧାତା ଭଗ୍ନ ଉର୍ବଶୀ ସୁନ୍ଦରିମା ଟାଣ ॥
।୪୦।ବିଧାତା ସର୍ବଲାବଣ୍ୟଧାମ କରି କରୁଁ ।ବୃତ୍ରାରି ଭାନୁ ମାଗିଲେ ଦେଖି ଏହା ଚାରୁ ॥
।୪୧।ବୁଲି ଧରଣୀ ଯେ ଆଗେ ଆସିବ ଚପଳେ ।ବାମଲୋଚନା ତାହାକୁ ପ୍ରାପତି ବୋଇଲେ ॥
।୪୨।୩୧ଶ ପଦ–ଏହା ଶୁଣି ବିଶ୍ୱାମିତ୍ର ‘ବଡ଼ କାମ୍ୟକ ବନକୁ ଥରେ ବୁଲିଯିବା’ ଏହା କହି ରାମ ଲକ୍ଷ୍ମଣଙ୍କୁ ସଙ୍ଗରେ ଘେନି ବାହାରିଲେ ।୩୨ଶ ପଦ–ବିଶୋଉଁ–ବିଶ୍ରାମ କରୁଁ ।
୩୨ଶ ପଦ–ସେ କାମ୍ୟକ ବନକୁ ଯିବା ବାଟରେ ଗୋଟିଏ ସୁନ୍ଦର ପଥର ପଡ଼ିଥିଲା । ବିଶ୍ରାମ କରିବା ବେଳେ ରାମଙ୍କ ଚରଣ ଲାଗି ସେ ପଥର ସ୍ତ୍ରୀ ହୋଇଗଲା ।
୩୩ଶ ପଦ–ବନୀତାର–ପୁଷ୍ପବାଟିକାର । ବନିତା–ରମଣୀ । ପ୍ରଭା–ଦ୍ୟୁତି ବା କାନ୍ତି୩୩ଶ ପଦ–ରାମ ବିସ୍ମୟ ହୋଇ ତାକୁ ଅନାଇ ଭାବିଲେ, ‘ଏ କାମ୍ୟକ ବନର ଦୀପ୍ତି ଓ ଏ ବାମାର ଶୋଭା ଏକାଭଳି ହୋଇଅଛି ।’୩୪ଶ ପଦ–ବନପ୍ରିୟ–ଗୌତମ ମହର୍ଷି (ଜନପ୍ରିୟ ଯାହାଙ୍କର) । ଲୋକେ–ଅବୋଲୋକନଦ୍ୱାରା । ବନପ୍ରିୟ–କୋକିଳ । ରମଣୀ–ସ୍ତ୍ରୀ, କମନୀୟ ।
୩୪ଶ ପଦ–‘ଏ ବନ କୋକିଳଙ୍କର ଆନନ୍ଦଦାୟକ ଓ ପୃଥିବୀରେ ମନୋରମ ଅଟେ । ଏ ବନିତା ମଧ୍ୟ ମୁନିଙ୍କର ଆନନ୍ଦଦାୟିକା ଓ ଲୋକଙ୍କ ମଧ୍ୟରେ କମନୀୟା ଅଟେ ।’
୩୫ଶ ପଦ–ବର–କନକ । କଦମ୍ବ–ଉତ୍ତମ ବର୍ଣ୍ଣ ବିଶିଷ୍ଟସୁବର୍ଣ୍ଣ ସମୂହ । ରୁଚିରେ–ମନୋହର ଭାବରେ । ବିରାଜି–ପକ୍ଷୀସମୂହ ।
୩୫ଶ ପଦ–‘ଏ ବନ ପକ୍ଷୀମାନଙ୍କଦ୍ୱାରା ମଣ୍ଡିତ, ବର, ପଲାଶ, କଦମ୍ବ ବୃକ୍ଷରେ ଶୋଭିତ ହୋଇଅଛି; ସେହିପରି ଏ ବନିତାଶ୍ରେଷ୍ଠ ଶୁଦ୍ଧ ସୁବର୍ଣ୍ଣର ଦୀପ୍ତିରେ ଦେଦୀପ୍ୟମାନ ।’
୩୬ଶ ପଦ–ବାସରେ–ବସ୍ତ୍ରଦ୍ୱାରା, ସୁଗନ୍ଧଦ୍ୱାରା । ଆଚ୍ଛନ୍ନ–ଆବୃତ, ପରିପୂର୍ଣ୍ଣ । ତୁଙ୍ଗ–ସମୁନ୍ୱିତ, ଅତ୍ୟୁଚ୍ଚ । ପୟୋଧର–ସ୍ତନ, ନାରିକେଳ ବୃକ୍ଷ ।
୩୬ଶ ପଦ–‘ଏ ବନ ପୁଷ୍ପ ସୌରଭରେ ଆମୋଦିତ ଓ ଅତି ଉଚ୍ଚ ନାରୀକେଳ ବୃକ୍ଷମାନଙ୍କଦ୍ୱାରା ଆଚ୍ଛାଦିତ ହୋଇଅଛି । ଏ ବନିତା ମଧ୍ୟ ତଦ୍ରୁପ ଉନ୍ନତ ସ୍ତନ ଦ୍ୱୟକୁ ଲୁଗାରେ ଆଚ୍ଛାଦନ କରି ଶୋଭା ପାଉଅଛି ।’
୩୭ଶ ପଦ–ବେଣୀ–ଦେବତାଡ଼ ବୃକ୍ଷ । କେଶର–ନାଗେଶ୍ୱର ବୃକ୍ଷ । ରଞ୍ଜନ–ରକ୍ତଚନ୍ଦନ ବୃକ୍ଷ । ସିନ୍ଦୁରଚିତା–ରକ୍ତବର୍ଣ୍ଣ ବୃକ୍ଷ ବିଶେଷ ।
୩୭ଶ ପଦ–‘ଏ ବନ ଦେବତାଡ଼, ନାଗେଶ୍ୱର, ସିନ୍ଦୁର, ରକ୍ତଚନ୍ଦନ ବୃକ୍ଷରେ ରଞ୍ଜିତ ହୋଇଅଛି । ଏ ବନିତା କେଶରେ ପଡ଼ିଥିବା ବେଣୀ, ସିନ୍ଦୂର ଓ ତିଳକ ଚିତାରେ ଶୋଭିତ ହୋଇଅଛି ।’’
୩୮ଶ ପଦ–ଅତୁଲ–ଉପମାହୀନ ।୩୮ଶ ପଦ–‘ଏ ବନ ବାଡ଼ିଅଁଳାଗଛ ଏବଂ ଅତୁଳନୀୟ କଢ଼ ଓ ଫୁଲରେ ଶୋଭିତ ମଲ୍ଲୀ ଗଛରେ ମଣ୍ଡିତ ହୋଇଅଛି ।’୩୯ଶ ପଦ–ରାମ ସେ ବନିତାକୁ ଚାହିଁ ଚାହିଁ (ମୁନିଙ୍କୁ) ପଚାରିଲେ, ‘ପାଷାଣ ଦିବ୍ୟ ସ୍ତ୍ରୀ ହେଲା; ଏଥିରେ କାରଣ କ’ଣ?’’୪୦ଶ ପଦ–ମିତ୍ରବଂଶୀ–ସୂର୍ଯ୍ୟବଂଶୀୟ । ସୁନ୍ଦରୀମାଟାଣ–ସୌନ୍ଦର୍ଯ୍ୟ ଗର୍ବ ।୪୧ଶ ପଦ–ବୃତ୍ତାରି–ଇନ୍ଦ୍ର । ଭାନୁ–ସୂର୍ଯ୍ୟ ।
୪୦ଶ–୪୧ଶ ପଦ–ବିଶ୍ୱାମିତ୍ର କହିଲେ, ‘ହେ ସୂର୍ଯ୍ୟବଂଶ ରାମଚନ୍ଦ୍ର ! ଶୁଣ ! ବିଧାତା ଉର୍ବଶୀର ସୌନ୍ଦର୍ଯ୍ୟଗର୍ବ ଭଗ୍ନ କରିବା ନମିତ୍ତ ସର୍ବଲାବଣ୍ୟ ନିଧାନ ସ୍ତ୍ରୀ (ଏହି ଅହଲ୍ୟା) ନିର୍ମାଣ କଲେ । ତାହାର ଶୋଭା ଦେଖି ଇନ୍ଦ୍ର ଓ ସୂର୍ଯ୍ୟ ଦୁହେଁ (ତାହାଙ୍କୁ ନେବା ନିମିତ୍ତ) ମାଗିଲେ ।’’
୪୨ଶ ପଦ–ବିଧାତା କହିଲେ,–ଯେ ଧରଣୀକୁ ଶୀଘ୍ର ବୁଲି ଆଗ ଆସିବ, ତାହାକୁ ଏ ବାମଲୋଚନା ପ୍ରାପ୍ତ ହେବ ।’’ବଚ ସ୍ଫୁରୁଁ ଭ୍ରମିଗଲେ ଦୁଇ ଦେବୋତ୍ତମ ।ବ୍ୟଜନ ଚାଳନ କରୁଥିଲେ ଗଉତମ ॥
।୪୩।ବୋଇଲେ ତୁମ୍ଭେ ନ ଗଲ କିମ୍ପା ଏ ନିମିତ୍ତେ ।ବ୍ରହ୍ମ ପ୍ରଦକ୍ଷିଣ କରି ସେ କର ଯୋଡ଼ନ୍ତେ ॥
।୪୪।ବିଭା କରୁଛନ୍ତି ତାଙ୍କୁ ହୋଇ ପୁରୋହିତ ।ବଡ଼ ଅଭିମାନ ପାଇ ରବି ପୁରୁହୂତ ॥
।୪୫।ବ୍ରାହ୍ମଣ ଜାୟା ହେବାରୁ ତପନ ନିବର୍ତ୍ତି ।ବିରହି ସେହି ବିଷୟେ ମହେନ୍ଦ୍ର ପ୍ରବର୍ତ୍ତି ॥
।୪୬।ବଶୀକରଣ ମନ୍ତ୍ରକୁ ସେଦିନୁ ଜପିଲେ ।ବାଞ୍ଛାବଟ ତଳେ ରାମା ସଙ୍ଗ ମନାସିଲେ ॥
।୪୭।
୪୩ଶ ପଦ–‘‘ବ୍ରହ୍ମାଙ୍କ ମୁଖରୁ ଏହି ବାଣୀ ସ୍ଫୁରିବାରୁ ଇନ୍ଦ୍ର ଓ ସୂର୍ଯ୍ୟ ଧରଣୀ ବୁଲିବାକୁ ଗଲେ । (ସେତେବେଳେ) ଗୌତମ ଋଷି (ବିଧାତାଙ୍କ ପାଖରେ) ପଙ୍ଖା ପକାଉଥିଲେ ।’’
୪୪ଶ ଓ ୪୫ଶ ପଦ–‘‘ବ୍ରହ୍ମା ଗୌତମକୁ କହିଲେ, ଏ କନ୍ୟାପାଇଁ ତୁମ୍ଭେ ନ ଗଲ କିଆଁ-? ଏହା ଶୁଣି ଗୌତମ ବ୍ରହ୍ମାଙ୍କ ଚାରି ପାଶ ବୁଲି ଆସି କରଯୋଡ଼ି ଠିଆ ହୁଅନ୍ତେ (ବ୍ରହ୍ମାଙ୍କ ଚାରିପାଖ ବୁଲିବା ଅର୍ଥ ବ୍ରହ୍ମ ଗର୍ଭରେ ସ୍ଥିତ ଭୂମଣ୍ଡଳକୁ ବୁଲିବା) ବ୍ରହ୍ମା ନିଜେ ପୁରୋହିତ ହୋଇ ତାଙ୍କୁ (ଗୌତମ ଓ ସେ କନ୍ୟା ଅହଲ୍ୟାଙ୍କୁ) ବିବାହ କରୁଅଛନ୍ତି, ସେତିକିବେଳେ ସୂର୍ଯ୍ୟ ଓ ଇନ୍ଦ୍ର (ପୃଥ୍ୱୀ ପର୍ଯ୍ୟଟନରୁ ଫେରି ବିବାହ କାର୍ଯ୍ୟ ଦେଖି) ବଡ଼ ଅପମାନିତ ହେଲେ ।’’
୪୬ଶ ପଦ–ତପନ–ସୂର୍ଯ୍ୟ । ମହେନ୍ଦ୍ର–ଇନ୍ଦ୍ର ।
୪୬ଶ ପଦ–‘‘ସେହି ସ୍ତ୍ରୀ ବ୍ରାହ୍ମଣର ସ୍ତ୍ରୀ ହେବାରୁ ସୂର୍ଯ୍ୟ ନିବୃତ୍ତ ରହିଲେ, ମାତ୍ର ଇନ୍ଦ୍ର ତାଙ୍କ ବିଷୟରେ ପ୍ରର୍ବତ୍ତି ବିରହୀ ହୋଇଥିଲେ ।’’
୪୭ଶ ପଦ–ବାଞ୍ଛାବଟ–ପ୍ରୟାଗସ୍ଥିତ ସୁନାମ ପ୍ରସିଦ୍ଧ ବଟବୃକ୍ଷ୪୭ଶ ପଦ–‘‘ସେହିଦିନ ଇନ୍ଦ୍ର ବଶୀକରଣ ମନ୍ତ୍ର ଜପିଲେ, ପୁଣି ବାଞ୍ଛାବଟ ତଳରେ ରାମା ସଙ୍ଗ ମାନସ କଲେ ।’’ବସନ୍ତ, କୋକିଳ, ଅନଙ୍ଗକୁ ଉଚ୍ଚାଟନେ ।ବରଗିଲେ ଅତି ଯତ୍ନ କରି ଏହି ବନେ ॥
।୪୮।ବାଡ଼ବେୟଠାରୁ ପାଲଟାଇ ମନୋହର ।ବକ୍ତ୍ରବିକାରକୁ ମାତ୍ର କରିଣ ଅନ୍ତର ॥
।୪୯।ବିନତି ଏକାନ୍ତେ ଦେଖି ଯେତେ ଭାବେ ହେଲେ ।ବିସମ୍ମତି ସମ୍ମତିକି କିଛି ନ ଜାଣିଲେ ॥
।୫୦।୪୮ଶ ପଦ–ବାଡ଼ବେୟ–ଅଶ୍ୱିନୀକୁମାର ।
୪୮ଶ ପଦ–‘‘ଅହଲ୍ୟାଙ୍କୁ ଉଚ୍ଚାଟନ କରିବାପାଇଁ ଇନ୍ଦ୍ର ବସନ୍ତ ଋତୁ, କୋକିଳ ଓ କନ୍ଦର୍ପଙ୍କ ଅତି ଯତ୍ନକରି ଏହି କାମ୍ୟକୁ ବନକୁ ପେଷିଲେ ।’’
୪୯ଶତ ପଦ–ବକ୍ନ୍ତ୍ରବିକାର–ମୁଖବିକୃତି ।
୪୯ଶତ ପଦ–‘‘ଇନ୍ଦ୍ର ବିକୃତି ମୁଖକୁ ଛାଡ଼ି (ଘୋଡ଼ାପରି ମୁହଁ ହୋଇଥିବାରୁ) ଅନ୍ୟ ସମସ୍ତ ସୁନ୍ଦର ରୂପକୁ ଅଶ୍ୱନୀକୁମାରଙ୍କଠାରୁ ବଦଳ କରାଇଲେ ।’’
୫୦ଶତ ପଦ–‘‘ଅହଲ୍ୟାଙ୍କୁ ଏକାକୀ ଦେଖି ଇନ୍ଦ୍ର ଯେତେ ଭାବରେ ବିନୟ କରି କହିଲେ ସୁଦ୍ଧା ତାହାଙ୍କର ସମ୍ମତି ବା ଅସମ୍ମତି କିଛି ଜାଣିପାରିଲେ ନାହିଁ ।’’
ବରବେଶ ବହି ରସେ ମାନସ ଉଲ୍ଲାସୁଁ ।ବୃଷଦଂଶ ରୂପେ ପଳାୟତ ଋଷି ଆସୁଁ ॥
।୫୧।ବଳପର ବିନୟୀ ଗୌତମ ପଚାରନ୍ତେ ।ବିଗ୍ରହେ ସହସ୍ରଭଗ ବହ ଲିଙ୍ଗ ହତେ ॥
।୫୨।ବୋଲି ରସାଣ ହେମାଙ୍ଗୀ ପାଷାଣ କରାଇ ।ବିଶ୍ୱମ୍ଭରା–ଧର–ରାଜେ–ବାସ କଲେ ଯାଇ ॥
।୫୩।ବାଜି ତବ ପଦ–ଗତି ଲଭିଲା ସୁଗତି ।ବନ୍ଦିଲା ଶ୍ରୀରାମେ ଶୁଣି ସେ ମୁନି ଭାରତୀ ॥
।୫୪।ବନ୍ଦିତ ପତିରେ ହୋଇ ଉଦିତ ସେନେହୀ ।ବିଶ୍ୱାମିତ୍ର ପୁଣି ହସ ହସ ହୋଇ କହି ॥
।୫୫।୫୧ଶତ ପଦ–ବୃଷଦଂଶ–ବିରାଡ଼ି ।
୫୧ଶତ ପଦ–‘‘ଗୌତମଙ୍କ ବେଶ ପରି ବେଶ ଧରି ଶୃଙ୍ଗାର ରସରେ ଅହଲ୍ୟାଙ୍କ ମନକୁ ଉଲ୍ଲାସ କରିବା ସମୟରେ ଋଷି ତପସ୍ୟାରୁ ଫେରିଲେ । ତାଙ୍କୁ ଦେଖି ଇନ୍ଦ୍ର ମାର୍ଜାର ରୂପ ଧରି ପଳାଇଗଲେ ।’’
୫୨ଶତ ପଦ–ବଳପର–ଇନ୍ଦ୍ର । ବିଗ୍ରହ–ଦେହ ।
୫୨ଶତ ପଦ–‘‘ଗୌତମ (ଧ୍ୟାନ ବଳରେ ଜାଣିପାରି) ଇନ୍ଦ୍ରଙ୍କୁ ପଚାରନ୍ତେ, ସେ ବିନୟ ପ୍ରକାଶ କଲେ । ମୁନି କ୍ରୋଧରେ ଶାପ ଦେଲେ,–ତୁମ୍ଭର ଲିଙ୍ଗ ଭଗ୍ନ ହେଉ, ଦେହରେ ସହସ୍ର ଯୋନି ବହନ କର ।’’
୫୩ଶତ ପଦ–ବିଶ୍ୱମ୍ଭରା ଧର–ରାଜେ–ହିମାଳୟ ପର୍ବତରେ ।୫୩ଶତ ପଦ–‘‘ଇନ୍ଦ୍ରଙ୍କୁ ଏହା କହି ବିଶୁଦ୍ଧ ସ୍ୱର୍ଣ୍ଣବର୍ଣ୍ଣା ଅହଲ୍ୟାଙ୍କ ପାଷାଣ କରି ଋଷି ଯାଇ ହିମାଳୟ ପର୍ବତରେ ବାସ କଲେ ।’’
୫୪ଶତ ପଦ–‘‘ଅହଲ୍ୟା ତୁମ୍ଭ ପାଦ ବାଜିବାରୁ ଉତ୍ତମଗତ ଅର୍ଥାତ୍ ପାଷାଣତ୍ୱରୁ ମୁକ୍ତି ପାଇଲେ ।’’ ବିଶ୍ୱାମିତ୍ରଙ୍କର ଏ କଥା ଶୁଣି ଅହଲ୍ୟା ଶ୍ରୀରାମଙ୍କ (ଏ ସାକ୍ଷାତ୍ରେ ବିଷ୍ଣୁ ଜାଣି) ବନ୍ଦାପନା କଲେ ।
୫୫ଶତ ପଦ–ସେ ଅହଲ୍ୟା ଗୌତମଙ୍କ ପାଖକୁ ଯିବାପାଇଁ ଆଗ୍ରହ ପ୍ରକାଶ କଲେ ଓ ଯାଇ ସ୍ନେହିପାତ୍ରୀ ହେଲେ । ପୁଣି ବିଶ୍ୱାମିତ୍ର ହସ ହସ ହୋଇ ରାମଙ୍କୁ କହିଲେ–
ବିଶ୍ୱମୋହୀ–କନ୍ୟା ଏ ଦେଖିଲେ ଯେଡ଼େ ରମ୍ୟ ।ବିଦେହ ଦେଶେ ଧରାରୁ ସୁନ୍ଦରୀଏ ଜନ୍ମ ॥
।୫୬।ବିଜ୍ଞ ବିହି ଥିଲା ଶିଳା ଏହାକୁ କରାଇ ।ବିତର୍କି ଏ ସୀତାର ଚରଣଘଷା ଏହି ॥
।୫୭।ବର ସମେ ସୁଷମେ ଜଗତେ ନାହିଁ ଯେଣୁ ।ବ୍ୟୋମକେଶ ଧନୁଭଗ୍ନ ସ୍ୱୟମ୍ବର ତେଣୁ ॥
।୫୮।ବୀରଧୂ ପ୍ରକାଶ ତବ ହେଉ ଅତିଶୟେ ।ବଲ୍ଲଭ ହୁଅ ତା ରକ୍ଷା ଫଳୋଦୟେ ॥
।୫୯।ବିଭାକରବଂଶୀ ବୋଲେ ଅଛି ପରମ୍ପରା ।ବ୍ରହ୍ମାଣ୍ଡ ସାର–ସୁନ୍ଦରୀ ରମ୍ଭା ଅପସରା ॥
।୬୦।ବିଭାତି ଜ୍ୟୋତିରିଙ୍ଗଣ ରାତ୍ରରେ ଦେଖାଇ ।ବିଲୁପ୍ତ ପ୍ରଭାତ ପ୍ରଭା ଯେମନ୍ତ କରଇ ॥
।୬୧।ବୈଦେହୀ ଜାତରୁ ରମ୍ଭା ତଥା କହେ ଋଷି ।ବାଷଠି ପଦେ ଏ ଛାନ୍ଦ ଉପଇନ୍ଦ୍ର ଭାଷି ॥
।୬୨।
୫୬ଶତ ଓ ୫୭ଶତ ପଦ–‘‘ଏହି ଜଗତ୍ମୋହିନୀ କନ୍ୟାକୁ ଯେଡ଼େ ସୁନ୍ଦର ଦେଖିଲ, ମିଥିଳାରେ (ଏହିଠାରୁ ବଳି) ଏକ ସୁନ୍ଦରୀ କନ୍ୟା ପୃଥ୍ୱୀ ମଧ୍ୟରୁ ଜନ୍ମ ହୋଇଛି । ବିଶେଷରେ ଜ୍ଞାନୀ ବିଧାତା ସେ ସୀତାଙ୍କର ଚରଣ ଘସା ପଥର କରିବ–ଏହି ଯୁକ୍ତିରେ ଏହାକୁ (ଏ ଅହଲ୍ୟାକୁ) ପଥର କରାଇଥିଲା ।’’
୫୮ଶତ ପଦ–ସୁଷମେ–ଶୋଭାରେ । ବ୍ୟୋମକେଶ–ମହାଦେବ ।
୫୮ଶତ ପଦ–ଯେ ହେତୁରୁ ବ୍ରହ୍ମାଣ୍ଡରେ ତାହାର ଶୋଭା ସମାନରେ ବର ନାହିଁ, ତେଣୁ ମହାଦେବଙ୍କ ଧନୁଭଙ୍ଗ ପଣରେ ସ୍ୱୟଂବର ହେଲା । (ଅର୍ଥାତ୍ ଶିବଧନୁ ଯେ ଭାଙ୍ଗିବ ସେ କନ୍ୟାକୁ ବିବାହ କରିବ–ଏହି ପଣରଖି ସ୍ୱୟଂବର କରାଗଲା ।)
୫୯ତମ ପଦ–ବୀରଧୁ–ବୀରତ୍ୱ ।୬୦ତମ ପଦ–ବିଭାକର ବଂଶୀ–ସୂର୍ଯ୍ୟବଂଶୀୟ (ରାମଚନ୍ଦ୍ର) ।
୫୯ଶତ ପଦ–‘‘ତୁମ୍ଭର ବୀରତ୍ୱ ଖୁବ୍ ଭଲ ଭାବରେ ପ୍ରକାଶିତ ହେଉ । (ସୁବାହୁ, ମାରୀଚ ଇତ୍ୟାଦି ରାକ୍ଷସଙ୍କୁ ମାରିବାରୁ ଯେ ବୀରତ୍ୱ ଜଣାଯାଇଛି, ଧନୁର୍ଭଙ୍ଗରେ ଅତିଶୟ ପ୍ରକାଶିତ ହେବ) । ଆମ୍ଭ ଯାଗ ରକ୍ଷା କରିବାର ଫଳସ୍ୱରୁପ ତୁମ୍ଭେ ସେ ସୀତାଙ୍କର ସ୍ୱାମୀ ହୁଅ ।’’
୬୦ତମ ପଦ–(ବିଶ୍ୱାମିତ୍ରଙ୍କ ବାଣୀ ଶୁଣି) ରାମ କହିଲେ, ‘‘ପୁର୍ବରୁ ପ୍ରସିଦ୍ଧି ପରା–ରମ୍ଭା, ଅପସରା ବ୍ରହ୍ମାଣ୍ଡରେ ସାର ସୁନ୍ଦରୀ । (ସୀତା କ’ଣ ତାଙ୍କଠାରୁ ବଳି ସୁନ୍ଦରୀ ?)’’
୬୧ତମ ପଦ–ବିଭାତି–ପ୍ରଭା । ଜ୍ୟୋତିରିଙ୍ଗଣ–ଜୁଳୁଜୁଳୁକା ପୋକ ।
୬୧ତମ ଓ ୬୨ତମ ପଦ–ଋଷି କହିଲେ, ‘‘ଜୁଳୁଜୁଳା ପୋକ ରାତ୍ରିରେ ତେଜ ଦେଖାଇ ଯେପରି ପ୍ରଭାତରେ ନିଜ ନିଜ ଜ୍ୟୋତି ଗୁପ୍ତ କରନ୍ତି, ସୀତା ଜାତ ହେବାରୁ ରମ୍ଭା ସେହିପରି ହେଲାଣି ।’’ ଉପେନ୍ଦ୍ର ଭଞ୍ଜ ଏ ଛାନ୍ଦକୁ ବାଷଠି ପଦରେ ରଚନା କଲେ ।