ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ · ଭାଗ ୮ / ୧୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟମ ଛାନ୍ଦ
(ରାଗ: କାଳୀ)
ବିଜୟୀବୀର ! ବିଜୟ କର
ବିଜୟୀ–ବୀର ! ବିଜୟ କର ଯିବା ମିଥିଳାପୁର ।ବାହାର ହୋଇ ବିହର ତହିଁ କରନ୍ତି ମୁନିବର ॥
ବଇଦେହୀ ଯେ ସୁନ୍ଦରୀବ୍ରଜେ ଅମୂଲ୍ୟ ଚୂଡ଼ାମଣି ।ବର୍ତ୍ତମାନ ସେ ଭୂତ ଭବିଷ୍ୟେ ନାହିଁ ନୋହିବ ପୁଣି ॥
।୧।ବଶୀକରଣ ମୂର୍ତ୍ତି ଧାରଣ ଉଚ୍ଚାଟନ ତା ଚାରୁ ।ବିଧିସୁନ୍ଦରୀ ସେ ପୁରନ୍ଦରୀ ତାହାକୁ ବୋଲିବାରୁ ॥
ବିହିଲା ବିହି ପ୍ରଭା ଏ କାହିଁ ଶୋଭାସଂଗ୍ରହ ପାଇ ।ବଣା ବିବେକ ପଣ୍ଡିତ ଲୋକମାନଙ୍କୁ କରି ଦେଇ ॥
।୨।ବିଗ୍ରହକାନ୍ତି କି ଝଟକନ୍ତି କନକ ଅନାଇଲା ।ବାନ ବଢ଼ାଇ ଅଗ୍ନିରେ ଦହି ଶିଳେ କଷାଇ ହେଲା ॥
ବଣିକଶ୍ରେଣୀ ଅସମ ଜାଣି ହେଲେ ପ୍ରହାରଦାନୀ ।ବସାଇ ତୁଲେ ରତିଏ ବୋଲେ ତେତିକି ଲକ୍ଷ ଘେନି ॥
।୩।ବିଚିର ଜ୍ୟୋତି ଲଭି ସେ ଭୀତି ବିଦ୍ୟୁ ଲକ୍ଷଣ ଏତେ ।ବୁଜି ଈକ୍ଷଣ ହୋଏ ତକ୍ଷଣ ଯାହା ଦର୍ଶନ ମାତ୍ରେ ॥
ବଡ଼ାଇ ହୀନ କଣ୍ଟକପର୍ଣ୍ଣ ମଧ୍ୟର ଦରେ ଲୁଚି ।ବାସସ ମେଳ କେତକୀ ଫୁଲ କେତେ ମନକୁ ରୁଚି ॥
।୪।ବାହ୍ଲୀକ ଚୂର୍ଣ୍ଣ କରି ସେବନ ମନକୁ ମନାଇଲା ।ବରବର୍ଣ୍ଣନା ଜଗଦ୍ବନ୍ଦନା ଏଣୁ କି ବୋଲାଇଲା ?ବରବର୍ଣ୍ଣନା କବିରୋଚନା ବୋଲାଇ ତର୍କ ହୋଏ ।ବିଲକ୍ଷ ସ୍ୱର ପ୍ରିୟାଟି ସ୍ମର ରତି ନାମକୁ ପାଏ ॥
।୫।୧ମ ପଦ–ସୁନ୍ଦରୀ ବ୍ରଜେ–ସୁନ୍ଦରୀ ସମୂହରେ । ଚୁଡ଼ାମଣି–ଶିରୋମଣି ।
୧ମ ପଦ–‘‘ହେ ବିଜୟୀ ବୀର । ଚାଲ ମିଥିଳା ପୁରକୁ ଯିବା ।’’ ବିଶ୍ୱାମିତ୍ର ଏହା କହିବାରୁ ତିନିହେଁ ବାହାର ହୋଇଗଲେ । ବାଟରେ ମୁନିବର କହିଲେ, ‘‘ସୀତା ସୁନ୍ଦରୀମାନଙ୍କ ମଧ୍ୟରେ ଶିରୋମଣି ଅଟନ୍ତି । ତାଙ୍କ ପରି ବର୍ତ୍ତମାନ କାଳରେ ଆଉ କେହି ନାହାନ୍ତି, ଅତୀତ କାଳରେ ନ ଥିଲେ ବା ଭବିଷ୍ୟତରେ ହେବେ ନାହିଁ ।’’
୨ୟ ପଦ–ବଶୀକରଣ ମନ୍ତ୍ର–ଯେଉଁ ମନ୍ତ୍ର ଜପ କଲେ ସମସ୍ତେ ବଶ ହୁଅନ୍ତି । ସୁନ୍ଦରୀପୁରନ୍ଦରୀ–ସୁନ୍ଦରୀ ଶୀରୋମଣି । ପ୍ରଭା–କାନ୍ତି ।
୨ୟ ପଦ–‘‘ସେ ସୀତା ବଶୀକରଣ ମନ୍ତ୍ରର ମୂର୍ତ୍ତି ଧାରଣ କରିଅଛନ୍ତି (ତାଙ୍କୁ ଦେଖିଲେ ଯେ କୌଣସି ଲୋକ ବଶୀଭୂତ ହେବ ।) ପୁଣି ତାଙ୍କର ମନୋହର ରୂପ ଦେଖି ସମସ୍ତେ ଉଚ୍ଚାଟ ହେବେ । ବିଧାତା ନିର୍ମିତ ସୁନ୍ଦରୀମାନଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠା; ଏହା କହିଲେ ମଧ୍ୟ ଯଥେଷ୍ଟ ହେବ ନାହିଁ । ବିହି କାହୁଁ ଏତେ ଶୋଭାମାନ ସଂଗ୍ରହ କରି ସେ ଗଢ଼ିଲା ? ଏହି ପ୍ରଶ୍ନ ପଣ୍ଡିତମାନଙ୍କର ବିବେକକୁ ବଣା କରିଦେଉଅଛି । (ପଣ୍ଡିତମାନେ କିଛି ବିଚାର କରି ନ ପାରି ବଣା ହେଉଅଛନ୍ତି) ।
୩ୟ ପଦ–ବିଗ୍ରହକାନ୍ତି–ଦେହଶୋଭା । କନକ–ସୁନା । ବାନ–କାନ୍ତି ବା ଶୋଭା ।୫ମ ପଦ–ବାହ୍ଳୀକ ଚୂର୍ଣ୍ଣ–କୁଙ୍କୁମ ଚୂର୍ଣ୍ଣ । ସ୍ମରପ୍ରିୟା–ରତି । ସ୍ମରି–ସ୍ମରଣ କର ।
୩ୟ ପଦ–‘‘ତାହାଙ୍କ ଶରୀରର ଅନିର୍ବାଚନୀୟ ଶୋଭାକୁ ଦେଖି ସୁବର୍ଣ୍ଣ (ମୁଁ ଏହିପରି ହେବି ମନେକରି) ଅଗ୍ନିରେ ନିଜ ଅଙ୍ଗକୁ ଦଗ୍ଧ କଲା, କଷଟି ପଥରରେ ନିଜକୁ ଘସାଇଲା । ତେବେ ସୁଦ୍ଧା ବଣିଆମାନେ ସୀତାଙ୍କ କାନ୍ତିକୁ ସମାନ ନ ହେବାର ଜାଣି ତାକୁ ପ୍ରହାର କଲେ । ତୁଳ ପାତ୍ରରେ ବସାଇ ତୁଳି ରତିଏ ପ୍ରମାଣ ହେବାର ଲକ୍ଷ୍ୟ କଲେ । (ସୀତାଙ୍କ କାନ୍ତି ତୁଳନାରେ ଏ ରତିଏ ମାତ୍ର ଅଟେ ।)’’
୪ର୍ଥ ପଦ–‘‘ବିଜୁଳିର ଜ୍ୟୋତିକୁ ଚାହିଁଲା ମାତ୍ରକେ ଚକ୍ଷୁ ବୁଜି ହୋଇଯାଏ । ସେ ବିଜୁଳି (ସୀତାଙ୍କ ରୂପ ଦେଖି) ଭୟ ପାଇ ଦେଖାଦେବା ମାତ୍ରେ ଲୁଚି ଯାଉଅଛି । (ବିଜୁଳିର ଶୋଭା କ୍ଷଣସ୍ଥାୟୀ, ମାତ୍ର ସୀତାଙ୍କ ଶୋଭା ଚିରସ୍ଥାୟୀ; ବିଜୁଳିକୁ ଦେଖିଲେ ଆଖି ବୁଜି ହୋଇଯାଏ, ସୀତାଙ୍କ କାନ୍ତିକୁ ଚାହିଁଲେ ଆଉ ବେଶିବେଳ ଦେଖିବାକୁ ମନ ହୁଏ । ତେଣୁ ସୀତାଙ୍କ କାନ୍ତିଠାରୁ ଉତ୍କୃଷ୍ଟତର) ! କେତକୀ ଫୁଲ ନିଜ ଦେହ ଶୋଭା ଓ ସୁବାସକୁ ସୀତାଙ୍କ ଶୋଭା ଓ ବାସନଠାରୁ ହୀନ ଭୟରେ କଣ୍ଟାପତ୍ର ମଧ୍ୟରେ ଲୁଚି ରହିଲା ।’’
୫ମ ପଦ–‘‘ସୀତାଙ୍କ କାନ୍ତିକୁ ସମାନ ହେବ ବୋଲି କୁଙ୍କୁମ ଚୂର୍ଣ୍ଣହୋଇ ତାଙ୍କୁ ସେବା କରିବାକୁ ମନ ମନାଇଲା । ତେଣୁ ଜଗତ୍ ବନ୍ଦନୀୟା ସୀତା କୁଙ୍କୁମବର୍ଣ୍ଣା ଆଖ୍ୟା ପାଇଲେ । ଶ୍ରେଷ୍ଠ ବର୍ଣ୍ଣବିଶିଷ୍ଟ ଗୋରଚନା (ତାଙ୍କ କାନ୍ତିକୁ ସମାନ ନ ହୋଇ) ସୀତାଙ୍କର ସ୍ତୁତି ବ୍ୟାଜରେ ରତ ହେଲା-। ସୀତାଙ୍କ ଶୋଭାକୁ ଲକ୍ଷ୍ୟ ନ ହେବାରୁ କାମଦେବର ସ୍ତ୍ରୀ ରତି ନାମକୁ ଧାରଣ କଲା । (ଅର୍ଥାତ୍ ସୀତାଙ୍କ ଶୋଭା ସହିତ କାମଦେବ ପତ୍ନୀର ଶୋଭା ତୁଳନା କଲେ ରତିଏ ପ୍ରମାଣ ହେବ-।)
ବିହୁଁ ସମୁଦ୍ର ମନ୍ଥନୁ ଚନ୍ଦ୍ର ଜନମ ଯେଉଁକାଳେ ।ବିହୀନ କ୍ଷୀଣ କଳଙ୍କେ ଜାଣ ନିର୍ମଳ ହୋଇଥିଲେ ॥
ବଦନେ ଜାନକୀର ସମାନ ମନ ଜାଣିଟି ବିହି ।ବିମ୍ବବେଷ୍ଟେନ ନୋହିଲା ବର୍ଣ୍ଣ ଭାବେଟି କାଟିଦେଇ ॥
।୬।ବନଜ ଆଦରଶ କି ବାଦ ରଚି ହୁଅନ୍ତେ ଯୋଖ ।ବିସ୍ତାରି ଆହା କି ଝଳି ଆହାଲ୍ଲାଦ ସୁବାସ ମୁଖ ॥
ବିଲୋଳ ଚଳ ସୁଧା କଲ୍ଲୋଳ ଲାବଣ୍ୟ ସରିତରେ ।ବିକାଶ ହାସ କରଇ ହାସ–ହୀରାକୁ ନିରନ୍ତରେ ॥
।୭।ବିଧୁ ବିଧୂର ଗର୍ବରୁ ଚୂର ପବିତ୍ର ଦ୍ରବ୍ୟ ଦର୍ଭ ।ବିକଶିତରେ ସେ ଈଷିତରେ ନ ଲଭିଲା ସନ୍ଦର୍ଭ ॥
ବିକଶିତ ଯେ କୁମୁଦପୁଞ୍ଜେ ଦିନେ ସଙ୍କୋଚ ବହି ।ବୁଡ଼ଣାନୀରେ ପଡ଼ି ଲାଜରେ ଦୃଢ଼ ଆୟୁଷୁଁ ଜୀଇଁ ॥
।୮।ବିଷ୍ଫାରିତ ତା ଲୋଚନ ଗତାଗତ କରଇ ଡୋଳା ।ବିଲଜ୍ଜଭୃଙ୍ଗ ସରୋଜେ ସଙ୍ଗ ହୋଇ ଶିଖେ ସେ ଲୀଳା ॥
ବାତେ ଚଳଇ ନୀଳୋତ୍ପଳହିଁ ସେ ଛବି ଲକ୍ଷ ହେଜି ।ବାଳକ କରେ ସାରେଣୀ କରେ ଖେଳା ତରୁଣ ତେଜି ॥
।୯।ବକ୍ର ଭ୍ରୁଲତା ନିକଟେ ସ୍ଥିତା ଚାହିଁ କମାଣେ ରହି ।ବିଶିଖ ଗତି କରୁଅଛନ୍ତି ପକ୍ଷ୍ମପକ୍ଷକୁ ବହି ॥
ବର୍ଣ୍ଣ ତ୍ରିବିଧୁଁ ଶାଳିତ ସାଧ ହିଙ୍ଗୁଳ କଳା ଶଙ୍ଖେ ।ବହୁରୂପ ଏ ଆନ ପରାୟେ ଯଥା ଆପଣ ସୁଖେ ॥
।୧୦।
୬ଷ୍ଠ ପଦ–‘‘ଦେବତା ଅସୁର ମିଶି ସମୁଦ୍ରମନ୍ଥନ କରିବାରୁ ଯେତେବେଳେ ଚନ୍ଦ୍ର ଜନ୍ମ ହେଲେ, ସେତେବେଳେ ସେ ପୂର୍ଣ୍ଣ ଓ କଳଙ୍କ ବିହୀନ (ନିଷ୍କଳଙ୍କ) ହୋଇଥିଲେ । (ମୁଁ ଜାନକୀର ବଦନ ସହିତ ସମାନ ହେଲି) ଏହା ମନେକରିବାରୁ ବିଧାତା ମୁଣ୍ଡଳାକାଟି ଚନ୍ଦ୍ରକୁ ଭୁଲ ବୋଲି ଜଣାଇ ଦେଲେ । (ନିଷ୍କଳଙ୍କ ପୂର୍ଣ୍ଣଚନ୍ଦ୍ର ମଧ୍ୟ ସୀତାଙ୍କ ବଦନକୁ ସମାନ ହେଲାନାହିଁ, ବର୍ତ୍ତମାନ ଚନ୍ଦ୍ରରେ ତ କଳଙ୍କ ଓ କ୍ଷୀଣତା ପ୍ରକାଶ ପାଇଛି; ସେ ବା କିପରି ସମାନ ହେବ ? ମୁଁ ସୀତାଙ୍କର ବଦନ ସହିତ ସମାନ ହେଲି,– ଚନ୍ଦ୍ର ବୃଥାରେ ଏହି ଗର୍ବ କରିବାରୁ ତାର ଗର୍ବ ଭାଙ୍ଗିବାପାଇଁ ବିଧାତା ତାକୁ ମୁଣ୍ଡଳା ମଧ୍ୟରେ ଅର୍ଥାତ୍ ଚନ୍ଦ୍ର ମଣ୍ଡଳ ଭିତରେ ରଖିଲେ) ।’’
୭ମ ପଦ–ବନଜ–ପଦ୍ମ । ଆଦରଶ–ଦର୍ପଣ । ବିଲୋଳ–ଚଞ୍ଚଳ ।
୭ମ ପଦ–‘‘ପଦ୍ମ ଓ ଦର୍ପଣ ଏ ଦୁହେଁ ବାଦ କରି ସୀତାଙ୍କ ମୁଖ ସହିତ ସମାନ ହୁଅନ୍ତେ କି-? (ସମାନ ହେଲେ ନାହିଁ) । ଲାବଣ୍ୟ ତରଙ୍ଗୀଣୀରେ ଚଞ୍ଚଳ ଓ ଢଳ ଢଳ ଅମୃତମୟ ତରଙ୍ଗପରି ହୀରାକୁ ଦାସ କରି ରଖିଥିବା ଯେଉଁ ଦାସ ବିଶିଷ୍ଟ ମୁଖ, ସେଥିରେ ସୌରଭ ଓ ଆହ୍ଲାଦ ଉଭୟ ବିଦ୍ୟମାନ । (ପଦ୍ମରେ କେବଳ ସୌରଭ ଓ ଦର୍ପଣରେ କେବଳ ଆହ୍ଲାଦ ଗୁଣ ଅଛି, ମାତ୍ର ସୀତାଙ୍କ ବଦନରେ ଉଭୟ ଥିବାରୁ, ସେମାନେ ତୁଳନୀୟ ନୁହଁନ୍ତି) ।’’
୮ମ ପଦ–ବିଧୂ–କର୍ପୂର । ବିଧିର–କାତର । ଦର୍ଭ–କୁଶ । ସନ୍ଦର୍ଭ–ଶ୍ରେଷ୍ଠତା, ଏଠାରେ ପୂର୍ଣ୍ଣତା ।
୮ମ ପଦ–‘‘ସୀତାଙ୍କ ହାସକୁ ସମ ବୋଲି ଗର୍ବ କରିବାରୁ କର୍ପୂର ବିଶେଷ ଭାବରେ ଚୂର୍ଣ୍ଣ ହେଲା । ପବିତ୍ରଦ୍ରବ୍ୟ କୁଶ ପ୍ରଷ୍ଫୁଟିତ କୁସୁମରେ ସୀତାଙ୍କ ହାସ ପରିପାଟୀକୁ ଲେଶମାତ୍ର ସରି ହେଲା ନାହିଁ । କୁମୁଦମାନେ ସୀତାଙ୍କ ହାସଛଟାକୁ ଦିନେ ହେଲେ ସମାନ ନ ହେବାରୁ ଲଜ୍ଜିତ ହୋଇ ମରିବା ଇଚ୍ଛାର ପାଣିରେ ବୁଡ଼ିଲେ, ମାତ୍ର ଆୟୁଃବଳ ଥିବାରୁ ନ ମରି ବଞ୍ଚି ରହିଲେ । (ସୀତାଙ୍କ ହାସ ଛଟାକୁ କର୍ପୂର, କୁଶ ଫୁଲ ଓ କୁମୁଦ ମଧ୍ୟ ସମାନ ନୁହନ୍ତି) ।’’
୯ମ ପଦ–ବିସ୍ଫାରିତ–ବିସ୍ତାରିତ । ବିଲକୁଭୃଙ୍ଗ–ନିର୍ଲ୍ଲଜ ଭ୍ରମର । ସରୋଜ–ପଦ୍ମ । ତରୁଣ–ଯୁବକ । ଶାଳିତ–ଚିତ୍ରିତ । ସାରେଣୀ–ନଟୁ ବା ନଟୁ ଜାତୀୟ ଖେଳନା ।
୯ମ ପଦ–ସୀତାଙ୍କ ବିସ୍ତାରିତ ଲୋଚନରେ ଗତାଗତ କରୁଥିବା ଡୋଳାକୁ ଚାହିଁ ନିର୍ଲଜ ଭ୍ରମର ପଦ୍ମର ସଙ୍ଗ ହୋଇ ସେ ଡୋଳା ଲୀଳାକୁ ଶୁଖୁଅଛି । ତାହା ସେ କାହୁଁ ପାଇବ ? ନୀଳୋତ୍ପଳ ପବନଦ୍ୱାରା ଚାଳିତ ହେବା ଛବି ସେ ନେତ୍ର ଡୋଳାର ଗତାଗତ ଛବିକୁ ମଧ୍ୟ ଲକ୍ଷ୍ୟ ନୁହେଁ । ସେ ନେତ୍ର ଡୋଳାର ଚଞ୍ଚଳତାକୁ ନ ପାଇ ସାରେଣୀ ଯୁବକଙ୍କଦ୍ୱାରା ତେଜ୍ୟହୋଇ ବାଳକମାନଙ୍କ ହସ୍ତରେ ଖେଳା କରୁଅଛି । (ଡୋଳାର ଚଞ୍ଚଳତାକୁ ସମାନ ନ ହେବାକୁ ଯୁବକମାନେ ସାରେଣୀକୁ ତ୍ୟାଗକଲେ; ମାତ୍ର ଅଜ୍ଞାନ ବାଳକମାନେ କିଛି ଜାଣି ପାରୁ ନ ଥିବାରୁ ସାରେଣୀ ତାଙ୍କ ହସ୍ତର କ୍ରୀଡ଼ାନକ ହେଲା) ।’’
୧୦ମ ପଦ–କମାଣ–ଧନୁ । ବିଶିଖ–ଶର । ଶାଳିତ–ଚିତ୍ରିତ ।
୧୦ମ ପଦ–ସୀତାଙ୍କ ନେତ୍ର ଲୋମକୁ ବହି ବକ୍ର ଭ୍ରୂଲତା ନିକଟରେ ରହିଅଛି । ତାହାକୁ ଦେଖି ମନେହୁଏ, ପକ୍ଷଯୁକ୍ତ ଶର ଧନୁରେ ରହି ନେତ୍ରର ଗତି କରୁଅଛିକି ? ବହୁରୂପା ନୃତ୍ୟକରମାନେ ନିଜ ଇଚ୍ଛାରେ ଭିନ୍ନରୂପେ ଚିତ୍ରିତ ହେଲା ପ୍ରାୟ ସେ ଲୋଚନଶର ରକ୍ତ, କୃଷ୍ଣ ଓ ଶୁକ୍ଳବର୍ଣ୍ଣ ଧାରଣ କରିଅଛି । (ନେତ୍ରର ଉପରେ ଲୋମ ଥାଏ ଓ ପାଖରେ ବକ୍ର ଭ୍ରୁଲତା ଥାଏ । ଶର ନେତ୍ର ଗତି ସହିତ ସମାନ ହେବା ପାଇଁ ମୂଳରେ ପକ୍ଷ ଧାରଣ କଲା ଓ ବକ୍ର ଧନୁରେ ଅବସ୍ଥାନ କଲା, ନେତ୍ର ତ୍ରିବର୍ଣ୍ଣ ଧାରଣ କଲାପରି ଶର ମଧ୍ୟ ତ୍ରିବର୍ଣ୍ଣ ହେଲା ତଥାପି ସେ ସମାନ ହୋଇ ପାରିଲା ନାହିଁ । କାରଣ ସେ ପରଦ୍ୱାରା ଚାଳିତ ହୁଏ, ମାତ୍ର ନେତ୍ରଶର ସ୍ୱଇଚ୍ଛାରେ ଚଳେ ।)
ବିପିନ ଘନେ ପଶି ବହନେ ଚଞ୍ଚଳେ ହରି ମୃଗ ॥
ବଂଶରେ କେହି ସେ ସମ ଧ୍ୟାୟୀ ମରି ଇନ୍ଦୁରେ ଯୋଗ ।ବାଞ୍ଛିତ କର୍ମହୀନର ଶ୍ରମ କଲେ ପ୍ରାପତ କାହିଁ ?ବିମଳ ପଦାର୍ଥକୁ ସର୍ବଦା ସମଳ କଲା ଯହିଁ ॥
।୧୧।ବସିଲେ ତୁଳେ ଦଇବ ବଳେ ଗୁଞ୍ଜା କି ରତ୍ନ ପ୍ରାୟେ?ବିନିମିଷେ ଯେ ମୀନସମାଜେ, ଖଞ୍ଜନ କମ୍ପେ ଭୟେ ॥
ବୁଡ଼ାଇ ରାଗକୁଣ୍ଡରେ ବେଗ ବେଗ ଅପାଙ୍ଗ ଢାଳି ।ବଡ଼ିଶ ପରି ନିଏ ଓଟାରି ମନ ମୀନକୁ ବାଳୀ ॥
।୧୨।ବିଲୋକ କରି ଅଳକ ଫରୀ ଏଥିକି ସମ ନୋହି ।ବେତାଳ ବଇଭବକୁ ଧ୍ୟାୟି ଖଡ଼୍ଗ ପ୍ରହାର ବହି ॥
ବାସ ଲଲାଟ ପଛରେ ପଟ ଆଉ ତା କି ଲକ୍ଷିବା ?ବିଗଳିତାଙ୍କ ଅର୍ଦ୍ଧଶଶାଙ୍କ ଯୋଖିବା ନ ଯୋଖିବା ॥
।୧୩।ବିଫଳ ହେବ ତୋଷିବା ଶିବ ତପସ୍ୟା ଗଙ୍ଗାକୂଳ ।ବଚନେ ନାହିଁ ସର୍ବାଙ୍ଗେ ଯହିଁ ଦେବା ଉପମା ତୁଲ ॥
ବିସୋରିଥିଲେ ଉରଜ ଭଳି ନୋହେ ସେ ଶମ୍ଭୁ ଅଙ୍ଗେ ।ବିଶ୍ଚୁପଦୀ ତ ହୋଇ ଲଜ୍ଜିତ ହାରିଛି ହାର ସଙ୍ଗେ ॥
।୧୪।ବଡ଼ିମା–ତତି ଶୋଭାର ଶ୍ରୁତି ବିଶ୍ରାମ ଖଟ ଦୋଳି ।ବୋଲି ପାଟଳି ପା ବୋଲୁଁ ଟଳିଲାର ଉପମା ଝଳି ॥
ବର୍ଜିତ ସାର ଦୀର୍ଘ ଌଲୁ କାର ହ୍ରସ୍ୱ ତ ସାନ ହେଲା ।ବୁଦ୍ଧିକି ପାଶ କରନ୍ତେ ପାଶ ଗର୍ଭରେ ବୁଡ଼ିଗଲା ॥
।୧୫।
୧୧ଶ ପଦ–ସୀତାଙ୍କ ନେତ୍ରର ଚଞ୍ଚଳତାରେ ମୃଗର ଗତି ହାରି ଯିବାରୁ ମୃଗ ଗହନ ବନରେ ପଶି ଲୁଚିଲା । ସେହି ମୃଗ ବଂଶରେ କେହି ସୀତାଙ୍କ ନେତ୍ରରେ ଚଞ୍ଚଳତା କଥା ଚିନ୍ତା କରି ମଲା ଓ ଚନ୍ଦ୍ରରେ ଯାଇ ଅବସ୍ଥାନ କଲା । ନିଜେ ତ ସମାନ ହେଲା ନାହିଁ, ଯାହା ନିର୍ମଳ ଚନ୍ଦ୍ରଙ୍କୁ କଳଙ୍କିତ କଲା ଏହିମାତ୍ର ଫଳହେଲା । କର୍ମହୀନ ଲୋକ ଯେତେ ଶ୍ରମକଲେ ସୁଦ୍ଧା ମନୋରଥକୁ ପାଇଥାଏକି ? (କେବେହେଲେ ପାଏ ନାହିଁ) ।
୧୨ଶ ପଦ–ଗୁଞ୍ଜା–କାଇଁଚ । ନିମିଷ–ପକ୍ଷ୍ମପାତ ଶୂନ୍ୟ । ବାଳୀ–ସୀତାଦେବୀ ।
୧୨ଶ ପଦ–ଦେବ ବିଧାନରେ କାଇଁଚ ତୁଳ ପାତ୍ରରେ ବସିଲା ସୁଦ୍ଧା ସୁବର୍ଣ୍ଣ ସହିତ ସମାନ ହୁଏକି ? ସେହିପରି ଚନ୍ଦ୍ର ଅଙ୍ଗରେ ଶଶା ବସ ମଧ୍ୟ ସୀତାଙ୍କ ନେତ୍ର ଚାଞ୍ଚଲ୍ୟକୁ ସମାନ ହେଲା ନାହିଁ । ମାଛମାନେ ନେତ୍ରର ସମାନ ନ ହୋଇ ନିର୍ନିମେଷ ହେଲେ, ଖଞ୍ଜନ ପକ୍ଷୀ ଭୟରେ କମ୍ପିତ ହେଲା । ସୀତାଙ୍କର ଅନୁରାଗ ରଞ୍ଜିତ ଚଞ୍ଚଳ କଟାକ୍ଷ ପାତ ବନିଶ କଣ୍ଟାପରି ପୁରୁଷର ମନରୂପ ମୀନକୁ ଓଟାରି ନିଏ ।
୧୩ଶ ପଦ–ଅଳକ–କୁର୍ଣ୍ଣ କୁନ୍ତଳ । ବିଗିଳିତାଙ୍କ–କଳଙ୍କହୀନ ।
୧୩ଶ ପଦ–ଲଲାଟକୁ ଦେଖି ପରୀ ତାହାକୁ ସମାନ ନ ହୋଇ ବେତାଳ ଭୈରବ ଦୁହିଁଙ୍କ ଧ୍ୟାୟି ମଧ୍ୟ ଖଡ଼୍ଗ ପ୍ରହାର ସହ୍ୟ କଲା । ଯେଉଁପଟ ଲଲାଟର ପଶ୍ଚାଦ୍ ଭାଗରେ ଅବସ୍ଥାନ କରିଅଛି, ତାହାକୁ ସେହି ଅଳକା ସହିତ କାହିଁକି ବା ଲକ୍ଷ୍ୟ ଦେବା ? ନିଷ୍କଳଙ୍କ ଅର୍ଦ୍ଧଚନ୍ଦ୍ରକୁ ଲଲାଟ ସହିତ କାହିଁକି ବା ସମ କରିବା ?(ତାହା ସମାନ ହେବାର ଅନୁପଯୁକ୍ତ) ।
୧୪ ଶ ପଦ–(ସୀତାଙ୍କ ଅଳକା ସହିତ ଉପମା ନ ଦେଲେ) ଚନ୍ଦ୍ରର ଗଙ୍ଗା କୂଳରେ ତପସ୍ୟା କରି ଶିବଙ୍କୁ ତୋଷ କରିବାର ପରିଶ୍ରମ ବିଫଳ ହେବ । (କବି ଏହା କହିସାରି ପୁଣି କହୁଛନ୍ତି) ମୁଁ ପାସୋରି ଦେଇଥିଲି ଯେ ଶମ୍ଭୁ ତ ନିଜେ ସୀତାଙ୍କ ଅଙ୍ଗରେ ଥିବା ସ୍ତନ ସହିତ ସମାନ ନୁହଁନ୍ତି । ଗଙ୍ଗା ଲଜ୍ଜିତ ହୋଇ ତାଙ୍କ ହାର ସହିତ ହାର ମାନି ରହିଛନ୍ତି । (ନିଜେ ଶିବ ସମାନ ନୁହନ୍ତି, ଗଙ୍ଗା ମଧ୍ୟ ସମାନ ନୁହଁନ୍ତି, ତେବେ ଯେଉଁ ଚନ୍ଦ୍ର ଗଙ୍ଗା କୂଳରେ ଶିବଙ୍କୁ ପୂଜା କରି ବଡ଼ ହେବାକୁ ଭାବିଛନ୍ତି, ସେ ବା କିପରି ସମାନ ହେବେ )?
୧୫ଶ ପଦ–ଶୋଭାସମୂହର ଆଧାର ଯେଉଁ ଶ୍ରବଣ ଯୁଗଳ, ତାକୁ ପାଟଳୀଫୁଲର ଉପମା କିପରି ଦେବା ? (ଉପମାକୁ ପା, ଏହା କହୁ କହୁ) ସେ ଟଳି ପଡ଼ିଲା । ଦୀର୍ଘକାଳର ଗାର କଟିଗଲେ ହ୍ରସ୍ୱ ହେଲା । ହ୍ରସ୍ୱ ଅର୍ଥ ସାନ– ସେ ବା କିପରି ଶ୍ରବଣକୁ ଲକ୍ଷ୍ୟ ହେବ ? ପୁଣି ପାଶକୁ କର୍ଣ୍ଣ ସହିତ ଉପମା ଦେବାପାଇଁ ବୁଦ୍ଧି ଖେଳାନ୍ତେ ତାହା ଗର୍ଭରେ ବୁଡ଼ିଗଲା । (ଅର୍ଥାତ୍ ପାଶ ମଧ୍ୟ ଉପମାଯୋଗ୍ୟ ନୁହେଁ ।)
ବ୍ୟତିରିକ୍ତ ଏ ଦୃଷ୍ଟିତ ନୁହେ ଖଣ୍ଡି ଉପମା ରୁଣ୍ଡ ।ବିମ୍ବ ନିର୍ମଳ କୃତମଣ୍ଡଳ–ଖଣ୍ଡ ମଣ୍ଡଳ ଗଣ୍ଡ ॥
ବୋଲାଉଅଛି ଦର୍ପଣ ଛି ଛି କର କଳଙ୍କେ ସେହି ।ବନ୍ଦ୍ୟ କି ଖଡ଼୍ଗପାଳି ପଦଗ କରେ କଳଙ୍କ ବହି ॥
।୧୬।ବରାରୋହାର ନାସାଡ଼ମ୍ବର ଇଚ୍ଛା କଲାକୁ ଶୁକ ।ବିନା ଦୋଷରେ ଶିକୁଳି ଛଳେ ଶାଙ୍କୋଳି ଦିଏ ଲୋକ ॥
ବିହଗ ସିନା ହୋଇ ତନ୍ମନା ପାରିଲା ନାହିଁ ପାଞ୍ଚି ।ବିନତାସୁତ ସିଦ୍ଧି ଉନ୍ନତ ଚାହିଁ ଖଗେନ୍ଦ୍ର ରଚି ॥
।୧୭।ବୁଝାଇ ତିଳ ଅସମେ ତିଳସୁମନ ବିହି ନାମେ ।ବିଧିକି ତୂଣ ଉପମା ପୂଣ ନିର୍ମାଣ ପଶୁଚର୍ମେ ॥
ବେଣୁ ବରୁଣ ଘେନିଣ ଜାଣ ସମୁଦ୍ର ମଧ୍ୟେ ପଶେ ।ବ୍ୟାଳ ଗ୍ରାସିତ ମଳୟ ବାତ ତୁଳା ହେଲାରୁ ଶ୍ୱାସେ ॥
।୧୮।ବାଳା ଅଧର ଅରୁଣ ସାର ଛବି ବହିବା ସ୍ମରି ।ବାଳ ଅରୁଣ ଘେନି ଅରୁଣ ପଦାନୁରାଗେ ପୂରି ॥
ବିରଙ୍ଗ ସେହି ଦଣ୍ଡକେ ହୋଇ ସନ୍ତାପ ବିଭୂଷଣ ।ବହେ ସନ୍ଧ୍ୟାରେ ମାଣିକ୍ୟ ଧାରେ,ଜ୍ୟୋତିକି କରି ଋଣ ॥
।୧୯।ବିତୁଳ ତେବେ ମଜ୍ଜି ଅର୍ଣ୍ଣବେ ପୁଣିହିଁ ସେ ବ୍ୟବସ୍ଥା ।ବାଳ ବୃଦ୍ଧର ଯଥା ପାସୋରା ଦିନ ଦିନକ କଥା ॥
ବୋଲିବା କାହୁଁ ମନ୍ଦାର ଆଉ ଧରିଛି ମନ୍ଦ କାଳି ।ବୈରାଗୀ ହେବ ବିଚାରି ବିମ୍ବ ଭସ୍ମ ହେଲା କି ବୋଳି ?।୨୦।
୧୬ଶ ପଦ–ସୀତାଙ୍କ ନିର୍ମଳ ଗଣ୍ଡମଣ୍ଡଳ ଉପମା ସମୂହକୁ ଖଣ୍ଡନ କରି ଚାହିଁଅଛି; ଏହା ଅତିଶୟୋକ୍ତି ନୁହେଁ । ଚନ୍ଦ୍ରମଣ୍ଡଳ ସେହି ଗଣ୍ଡମଣ୍ଡଳକୁ ଦେଖି ପରାଜିତ । (ଚନ୍ଦ୍ରମଣ୍ଡଳରେ କଳଙ୍କ ବିଦ୍ୟମାନ, ମାତ୍ର ସୀତାଙ୍କ ଗଣ୍ଡମଣ୍ଡଳ ନିଷ୍କଳଙ୍କ); ଦର୍ପଣ ବି ସେ ଗଣ୍ଡମଣ୍ଡଳକୁ ତୁଲ୍ୟ ହେବ ନାହିଁ-– କାରଣ ଦର୍ପଣ ହାତରେ ଥିବା ମଇଳାର ସଂସର୍ଗରେ କଳଙ୍କିତ ହୁଏ । ଖଡ଼୍ଗ ମଧ୍ୟ ସେ ଗଣ୍ଡ ମଣ୍ଡଳକୁ ଉପମିତ ହୋଇ ନ ପାରେ–କାରଣ ପାଇକର କରରେ ରହି ତାହା କଳଙ୍କିତ ।
୧୭ଶ ପଦ–ବରରୋହା–ପରମା ସୁନ୍ଦରୀ । ଉନ୍ନନା–ଉଦ୍ବିଗ୍ନା ବା ଉତ୍କଣ୍ଠିତା । ବିନିତାସୁର–ଗରୁଡ଼ । ଖଗେନ୍ଦ୍ର–ପକ୍ଷିରାଜ ।
୧୭ଶ ପଦ–ସେ ଶ୍ରେଷ୍ଠା ସୁନ୍ଦରୀ ସୀତାଙ୍କ ନାସିକା ସହିତ ଉମମିତ ହେବା ପାଇଁ ଶୁକପକ୍ଷୀ ଇଚ୍ଛା କରିବାକୁ ଲୋକେ ବିନା ଦୋଷରେ ତାକୁ ଶିକୁଳି ବଦ୍ଧ କରୁଛନ୍ତି । ସେ ଛାର ପକ୍ଷୀ (ବୁଦ୍ଧିହୀନ), ତନ୍ମୟ ହୋଇ କଥା ପାଞ୍ଚି ପାରିଲା ନାହିଁ (ତେଣୁ ଦଣ୍ଡ ପାଉଅଛି) । ଗରୁଡ଼ ଉନ୍ନତ ନାସିକାକୁ ଚାହିଁ ସ୍ତବ କରିବାରୁ ପକ୍ଷୀରାଜ ହେଲା । (ଅର୍ଥାତ୍ ନାସିକା ଶୁକ ନାସିକାଠାରୁ ସୁନ୍ଦର ଓ ଗରୁଡ଼ ନାସିକାଠାରୁ ଉନ୍ନତତର ଅଟେ) ।
୧୮ଶ ପଦ–ତୁଣ–ଶର ରଖିବାର ମୁଣା । ବ୍ୟଜମାନେ–ସର୍ବଦା–ସର୍ପମାନେ ।
୧୮ଶ ପଦ–ତିଳ ପୁଷ୍ପ ସୀତାଙ୍କ ନାସିକାକୁ ସମାନ ନ ହେବାରୁ ବିଧାତା ତାକୁ ତିଳ ନାମ ଦେଇଅଛି । ପଶୁ ଚର୍ମରେ ନିର୍ମିତ ତୃଣ (ଶର ରହିବା ମୁଣା)କୁ ତାହା ସହିତ ଉପମା ଦେବା ବିଧିସଙ୍ଗତ ନୁହେଁ । ବଂଶୀ ନାସା ସହିତ ସମାନ ନ ହେବାରୁ, ବରୁଣ ବଂଶୀକୁ ଘେନି ସମୁଦ୍ର ମଧ୍ୟରେ ପଶିଲା । ମଳୟ ପବନ ତାହାଙ୍କ ନିଶ୍ୱାସ ସହିତ ସମାନ ନ ହେବାରୁ ସର୍ପଦ୍ୱାରା ଭକ୍ଷିତ ହେଲା ।
୧୯ଶ ପଦ–ଅରୁଣ–ରକ୍ତବର୍ଣ୍ଣ, ସୂର୍ଯ୍ୟସାରଥି, ସୂର୍ଯ୍ୟ । ବିରଙ୍ଗ–ବିବର୍ଣ୍ଣ ।୨୦ଶ ପଦ–ଅର୍ଣ୍ଣବ–ସମୁଦ୍ର । ବିମ୍ବ–କଇଁଞ୍ଚିକାକୁଡ଼ି ।
୧୯ଶ ଓ ୨୦ପଦ–ସେହି ବାଳାର (ସୀତାଙ୍କର)ରକ୍ତବର୍ଣ୍ଣ ଅଧରକୁ ସ୍ମରଣ କରି ବାଳସୂର୍ଯ୍ୟ ରକ୍ତବର୍ଣ୍ଣ ହୋଇ (ସାରଥି) ଅରୁଣକୁ ସଙ୍ଗରେ ଘେନି ପଦ୍ମର ଅନୁରାଗ ଭାଜନ ହେଲେ, ତଥାପି ସେ ସମାନ ନ ହେବାରୁ ଦଣ୍ଡକ ମଧ୍ୟରେ ବିରଙ୍ଗ ହୋଇ ସନ୍ତାପିତ ହେଲେ । ଅଗ୍ନିମୟ ତେଜର ଦଗ୍ଧୀଭୂତ ହେଲେ । ପୁଣି ସନ୍ଧ୍ୟା ସମୟରେ ମାଣିକ୍ୟଠାରୁ ଜ୍ୟୋତିକୁ ଧାର ଆଣି ନିଜ ଅଙ୍ଗରେ ବହନ କଲେ, ମାତ୍ର ସମାନ ହୋଇ ନ ପାରିବାରୁ ସମୁଦ୍ରରେ ବୁଡ଼ିଗଲେ । ଯେପରି ବାଳକ ଓ ବୃଦ୍ଧଙ୍କର ଦିନ ଦିନକର କଥା ଆର ଦିନକୁ ମନେ ରହେନାହିଁ, ସେହିପରି ତାଙ୍କର ଏ କଥା ମନେ ନ ରହିବାରୁ ସେ ସୂର୍ଯ୍ୟ ପ୍ରତିଦିନ ସେହି ବ୍ୟବସ୍ଥାକୁ କଲେ । (ପ୍ରତିଦିନ ଲଜ୍ଜିତ ହେଉଥିଲେ ମଧ୍ୟ ସେ କଥା ମନେ ନ ରହିବାରୁ ପୁଣି ପରଦିନ ଉଦୟ ଓ ଅସ୍ତ ହେଉ ଅଛନ୍ତି) । ଯେଉଁ ଅଧରକୁ ବାଳସୂର୍ଯ୍ୟ ସମାନ ହେଲାନାହିଁ, ତା’ ସହିତ ମନ୍ଦାର ପୁଷ୍ପକୁ ତୁଳନା କରିବା ବା କାହିଁକି ? ମନ୍ଦାର ‘ମନ୍ଦ’ ଏହି କାଳିମାକୁ ବହନ କରିଅଛି, (ତେଣୁ ସେ ଉପମିତ ହୋଇ ନ ପାରେ)-। କଇଞ୍ଚିକାକୁଡ଼ି ବାଳାର ଅଧର ସମାନ ନ ହେବାରୁ ଅଭିମାନରେ ବୈରାଗୀ ହୋଇଯିବ ବୋଲି ବିଚାରି ଦେହରେ ପାଉଁଶ ବୋଳି ହେଲାକି ?
ବିଦ୍ରୁମ ଯହିଁ ଛୁଞ୍ଚି ମରାଇ ସୂଚିକା ବ୍ୟାଜେ ହୃଦ ।ବନ୍ଧୁଜୀବ ଯେ ଅଳ୍ପକେ ଭଜେ ମଳିନ ନ ସମ୍ବାଦ ।ବିହାଇ ସେ ତ ପରେ ଦଳିତ ଗୁପତ ସମ୍ପୂଟର ॥
।୨୧।ବଜ୍ର ଦଶନ କିଛି ପ୍ରସନ୍ନ ହରଣେ କରୁଁ ଚିନ୍ତା ।ବସାଇ ଶାଣେ କର୍ତ୍ତପ୍ରମାଣେ ଦଣ୍ଡ ଦିଅଇ ଧାତା ॥
ବୋଧାଇ ଶୁକ୍ତିଭବ ଉତ୍ପତ୍ତି ନୋହୁ ମୁଁ ଦନ୍ତଦାସ ।ବିମୁକ୍ତ ହୋଇ ମୁକ୍ତା ବୋଲାଇ ତାର କି ହେଲା ନାଶ ?।୨୨।ବାଳିକା ରଦ ଖେଦଦ କୁନ୍ଦକଳିକା ହୃଦ ଫୁଟି ।ବୀଜ ଦେଖାଇ ସମାନ ନୋହି ଦାଡ଼ିମ୍ବଫଳ ଫାଟି ॥
ବୃକ୍ଷରେ ଲମ୍ବେ ଲପନ ନମ୍ରେ ଏତିକି ଲଭି ଲାଭ !ବିଅର୍ଥ ହେଲା ତଣ୍ଡୁଳମାଳା ନାହିଁ ଝଲକପ୍ରଭ ॥
।୨୩।ବନ୍ଦାଇ ମିତ ଶାରଦା ନତ ହୋଇ ବଚନ ତୁଲେ ।ବାଣୀ ଭାରତୀ ସେ ସରସ୍ୱତୀ ଦୁହିଙ୍କି ଲୋକେ ବୋଲେ ॥
ବଲ୍ଲକୀ ତାର ତୁଲ କି ସ୍ୱର ପରବଶେ ସେ ଜାତ ।ବନପ୍ରିୟହିଁ କୁହୁ ଯା କହି ଅନ୍ଧାର ଦିଶି ସତ ॥
।୨୪।ବଡ଼ ମଧୁର ଦ୍ରାକ୍ଷାରୁ ଗର ସେହି ଚାତୁରୀ ସ୍ଥାନ ।ବର୍ଣ୍ଣୁଥିଲେ ତା ତୁଣ୍ଡକୁ ପିତା ଆନ ଚରିତମାନ ॥
ବିବୁଧାଶନ ଅମୃତ ପାନ ହୋଏ କେବଳ ମୁଖେ ।ବିବେକି ! ଘେନ ଶ୍ରବଣେ ପାନ ଯାହା କରନ୍ତି ସୁଖେ ॥
।୨୫।୨୧ଶ ପଦ–ବିଦ୍ରୁମ–ପ୍ରବାଳ । ବନ୍ଧୁଜୀବ–ବଧୂଲୀ ପୁଷ୍ପ । ସମ୍ପୂଟ–ଫରୁଆ ।
୨୧ଶ ପଦ–ପୋହଳା ତାଙ୍କ ଅଧରକୁ ସମାନ ହୋଇ ନ ପାରି ଅପମାନ ଅପେକ୍ଷା ମରଣ ଶ୍ରେୟସ୍କର, ଏହି ବିଚାରରେ ହୃଦୟରେ ଛୁଞ୍ଚିବିଦ୍ଧ କରାଉଅଛି । ବଧୁଲୀ ଫୁଲ ଅଳ୍ପ ସମୟ ମଧ୍ୟରେ ମଳିନ ହୋଇଯାଏ, ତେଣୁ ତାକୁ ଖୋଜିବା ଦରକାର ନାହିଁ, (ତାକୁ ତୁଳନା କରିବା ଧୃଷ୍ଟତାମାତ୍ର) । ନାରୀର ଲଲାଟପଟରେ ମଙ୍ଗଳ କାର୍ଯ୍ୟରେ ଶୋଭିତ ହେଉଥିବା ସିନ୍ଦୁର ସେ ଅଧରକୁ ସମାନ ହେବାକୁ ଯାଇ ଅନ୍ୟଦ୍ୱାରା ଦଳିତ ହେଲା, ମାତ୍ର (ସମାନ ନ ହେବାରୁ) ଫରୁଆ ମଧ୍ୟରେ ଲୁଚି ରହିଲା ।
୨୨ଶ ପଦ–ବଜ୍ର–ହୀରା । ପ୍ରସନ୍ନ–ନିର୍ମଳକାନ୍ତି । ଶୁକ୍ତିଭବ–ମୁକ୍ତା ।
୨୨ଶ ପଦ–ହୀରା ତାଙ୍କ ଦନ୍ତର ସାମାନ୍ୟ ତେଜକୁ ହରଣ କରିବାକୁ ଚିନ୍ତା କରିବାରୁ ବିଧାତା ଜାଣି କରତ ସମାନ ଶାଣରେ ତାକୁ ବସାଇ ଦଣ୍ଡ ଦେଉଅଛି । ମୁକ୍ତା ଜନ୍ମ ହେବା ପୂର୍ବରୁ ‘ମୁଁ ଦନ୍ତର ଦାସ’ ଏପରି କହିବାରୁ (ଶାମୁକା ବନ୍ଧନରୁ) ବିମୁକ୍ତ ହେଲା; (ଲୋକେ ତେଣୁ ତାକୁ ମୁକ୍ତା କହିଲେ) । ଏହାଦ୍ୱାରା ମୁକ୍ତାର କିଛି କ୍ଷତି ହେଲାକି ? (ହୀରା ଗର୍ବ ବହି ଦଣ୍ଡ ପାଇଲା, ମୁକ୍ତା ଦାସତ୍ୱ ସ୍ୱୀକାର କରି ସୁଦ୍ଧା ‘ମୁକ୍ତା’ ନାମ ବହିଲା, ଅର୍ଥାତ୍ ହୀରା କି ମୁକ୍ତା କେହି ସମାନ ହୋଇ ନ ପାରନ୍ତି) ।
୨୩ଶ ପଦ–ରଦ–ଦନ୍ତ । ଖେଦଦ–ଦୁଃଖଦାୟକ । ଦାଡ଼ିମ୍ବଫଳ– ଡାଳିମ୍ବ ।
୨୩ଶ ପଦ–ସୀତାଙ୍କ ଦନ୍ତପଙ୍କ୍ତି କୁନ୍ଦକଢ଼ିର ସନ୍ତାପପ୍ରଦ ହେଲା (କୁନ୍ଦ କଢ଼ି ଦନ୍ତ ପଙ୍କ୍ତିକୁ ଦେଖି ମନଦୁଃଖ କଲ ।) । ତେଣୁ ତାହାର ହୃଦୟ ଫାଟିଗଲା । ପୁଣି ପାଚିଲ ଡାଳିମ୍ବ ତାଙ୍କ ଦନ୍ତକୁ ସମାନ ହେବା ଆଶାରେ (ଫାଟିଯାଇ) ମଞ୍ଜି ସବୁକୁ ପଦାକୁ ଦେଖାଇଲା, ମାତ୍ର ସମାନ ନ ହେବାରୁ (ଲଜ୍ଜାରେ) ଅଧୋମୁଖରେ ବୃକ୍ଷରେ ଲମ୍ବି ରହିଲା । ତାହାର ଏତିକି ମାତ୍ର ଲାଭ ହେଲା, ଅଧୋମୁଖରେ ଦୋଳାୟମାନ ହୋଇ ତପସ୍ୟା କଲେ କେବେ ଅବା ସାମାନ ହୋଇପାରିବ । ତଣ୍ଡୁଳ ସବୁ ବ୍ୟର୍ଥ ହେଲା, କାରଣ ତହିଁରେ ଦନ୍ତର ପ୍ରାୟ ଉଜ୍ଜ୍ୱଳ ପ୍ରଭା ନାହିଁ, ତେଣୁ ତାହା ଉପମା ଯୋଗ୍ୟନୁହେଁ ।
୨୪ଶ ପଦ–ଶାରଦା–ସରସ୍ୱତୀ । ବଲ୍ଲକୀ–ବୀଣା । ବନପ୍ରିୟ–କୋକିଳ ।
୨୪ଶ ପଦ–ସରସ୍ୱତୀ ବିନୟ ପ୍ରକାଶ କରି ସୀତାଙ୍କ ବଚନ ସହିତ ମିତ ହେଲେ, ତେଣୁ ବଚନ ଓ ବାଗ୍ଦେବୀ ଉଭୟଙ୍କୁ ଲୋକେ ବାଣୀ ନାମ ଦେଇଅଛନ୍ତି । ବୀଣାସ୍ୱର ସରସ୍ୱତୀଙ୍କ ବଚନରେ ସମାନ ହେବ ନାହିଁ । କାରଣ ପର ହସ୍ତରେ ବୀଣାର ସ୍ୱର ପ୍ରକାଶିତ ହୁଏ (ମାତ୍ରସୀ ତାଙ୍କ ବଚନ ସ୍ୱତଃ ପ୍ରକାଶିତ ହୁଏ) । ସୀତାଙ୍କ ସ୍ୱର ଶୁଣି କୋକିଳକୁ ଚତୁର୍ଦ୍ଦିଗ ଅନ୍ଧକାର ଦିଶିବାରୁ ସେ ‘କୁହୁ’ ‘କୁହୁ’ ଅନ୍ଧାର ଯାହା କହୁଅଛି ତା ସତ ଅଟେ ।
୨୫ଶ ପଦ–ସୀତାଙ୍କ ବଚନ ଦ୍ରାକ୍ଷାରସଠାରୁ ବଡ଼ ମଧୁର ଓ ଚାତୁରୀପୂର୍ଣ୍ଣ ଅଟେ । ତାକୁ ବର୍ଣ୍ଣନା କରି ବସିଲେ ଆନ ଚରିତମାନ ତୁଣ୍ଡକୁ ପିତା ଲାଗେ । ଦ୍ରାକ୍ଷାରସ ଖାଇଲେ ଅନ୍ୟ କୌଣସି ସ୍ୱାଦ ଯେପରି ଭଲ ଲାଗେ ନାହିଁ, ସେହିପରି ତାଙ୍କ ବଚନ ଶୁଣିଲେ, ଅନ୍ୟର ବଚନ ସୁଖକର ହୁଏ ନାହିଁ । ଯେଉଁ ଅମୃତ ଦେବତାମାନଙ୍କର ଭୋଜନ ଅଟେ, ତାହା କେବଳ ମୁଖରେ ପାନ କରାଯାଏ, ମାତ୍ର ସୀତାଙ୍କ ବଚନାମୃତ ଶ୍ରୁତିମୁଖରେ ଲୋକେ ପାନ କରନ୍ତି । ହେ ବିବେକବନ୍ତ ଲୋକ, ସୀତାଙ୍କ ବଚନ ଯେ ଅମୃତଠାରୁ ଶ୍ରେଷ୍ଠ ଏହା ବିଚାର କର ।
ବିଭର୍ତ୍ତି ରସସାର ବିଶେଷ ଚିବୁକ ଦିବ୍ୟପାତ୍ରଚ ।ବିଧାତାଙ୍ଗୁଳି ଚିହ୍ନରେ ଝଳି ନାରଙ୍ଗ କେତେପାତ୍ର ॥
ବହି ତ୍ରିରେଖା ତ୍ରିପୁରେ ଦେଖା କଣ୍ଠକୁ ନାହିଁ ଲକ୍ଷେ ।ବ୍ରତ ବାଞ୍ଛିତ କପୋତବ୍ରାତ ଖଳୁ ଶିଳାକୁ ଭକ୍ଷେ ॥
।୨୬।ବ୍ୟକ୍ତ ଲକ୍ଷଣାମାନଙ୍କ ଉଣା ମୁଖମଣ୍ଡଳେ କରୁଁ ।ବିଳାପି ଶିଖୀ ଚମରୁ ଦେଖି କହନ୍ତି କେଶ ଚାରୁ ॥
ବରହୀ ଏଣୀ ପୁଚ୍ଛକୁ ଆଣି ଉତ୍ପାଟି ଛେଦି ଜନେ ।ବିକି ଏତିକି ମୂଲ୍ୟ ବୋଲି କି ଦେଖାନ୍ତି ଏ ଭୁବନେ ॥
।୨୭।ବିବେକୀ ଯେହି ସେ ନିଉଁଛାର ଢାଳିବା ବ୍ୟାଜେ କେଶେ ।ବ୍ୟୋମଧୂମକୁ ତାହା ସମକୁ ଲକ୍ଷିବା କି ମାସେ ?ବିରାବ କରି ନୋହେ ମୁଁ ସରି ବୋଲି ଉଦୟ କାଳେ ।ବିଷ୍ଣୁ ଯେ ରାହୁ ଉପମା ଯହୁଁ ଚକ୍ରରେ ଛେଦିଦେଲେ ॥
।୨୮।ବିକର୍ତ୍ତନଜା ସେ ସମେ ମଜ୍ଜା ବୀଚି କୁଞ୍ଚିତେ ସ୍ନେହୀ ।ବିଷ ଯେ କଳା ସଙ୍ଗମେ ମେଳା କାଳେ କାଳୀୟ ବହି ॥
ବିନାଶେ ଆଶା ପ୍ରବେଶ ଆଷାଢ଼ ଯେ ଆବିଳପ୍ରଦା ।ବିଶ୍ୱଲୋକନ–ରୋଚନ ଘେନ ତମସ ନୋହେ କଦା ॥
।୨୯।ବିବର୍ଣ୍ଣ ତୁଲ ତମାଳଦଳ ବୋଲି କେ ପୁରସ୍କାର ।ବେଭାରେ ପରିଣତ ସେ ଧରି ଝଡ଼ଇ ବାରମ୍ବାର ॥
ବିଷ୍ଣୁପଦହିଁ ନୀଳତା ବହି ଚିକୁର ତୁଳ ସ୍ନେହେ ।ବିହେ ତା ଧୂଳିଧୂସର–କର ବାତ କି ଗର୍ଜେ ନୋହେ ॥
।୩୦।
୨୬ଶ ପଦ–ବିଧାତା ଉତ୍ତମ ପାତ୍ରରେ ଶ୍ରେଷ୍ଠ ରସମାନ ପୁରାଇଲାବେଳେ ତାଙ୍କର ଅଙ୍ଗୁଳି ଚିହ୍ନ ଧାରଣ କରିଛିକି ? ଏପରି ଯେଉଁ ଚିବୁକ (ଅର୍ଥାତ୍ ଖୁବ୍ କୋମଳ ଚିବୁକ) ତାକୁ ନାରଙ୍ଗ ଉପମାଯୋଗ୍ୟ ହେବାକୁ କେତେମାତ୍ର ! (ଅର୍ଥାତ୍ କୌଣସି ପ୍ରକାରେ ତାହାର ଯୋଗ୍ୟ ହୋଇ ନ ପାରେ) । ସେତ ନାରଙ୍ଗ–ଯାହାର ରଙ୍ଗ ନାହିଁ । ସୀତାଙ୍କ କଣ୍ଠକୁ ଉପମା ଦେବାକୁ ତିନିଲୋକରେ ଆଉକିଛି ନାହିଁ, ତେଣୁ ତାହା ତ୍ରିରେଖା ଧାରଣ କରିଅଛି (ଏହାଦ୍ୱାରା କମ୍ଭୁଗ୍ରୀବାର ସୂଚନା ମିଳୁଛି) । କପୋତସବୁ ତାହାଙ୍କ କଣ୍ଠକୁ ସମାନ ହେବେ ବୋଲି ଇଚ୍ଛାକରି ଗୋଡ଼ି ଭକ୍ଷଣ କରୁଅଛନ୍ତି । (କଠୋର ତପସ୍ୟାକାରୀ ଗୋଡ଼ି ଭକ୍ଷଣ କରି ତପସ୍ୟା କରିଥାଏ) ।
୨୭ଶ ପଦ–ବିଳାପି–କାନ୍ଦ । ଶିଶୀ–ମୟୂର । ବରହୀ–ମୟୂର ।
୨୭ ପଦ–ସୀତାଙ୍କ ମୁଖମଣ୍ଡଳରେ ଥିବା ମନୋହର କେଶ ଉପମାମାନଙ୍କୁ ନ୍ୟୂନ କରେ-। (ସମସ୍ତ ଉପମା ମୁଖମଣ୍ଡଳ ନିକଟରୁ ହାର ମାନନ୍ତି । ତେଣୁ ମୟୂର ଓ ଚମରୀମୃଗ (ଉପମିତ ହୋଇ ନ ପାରି) ବିଳାପ କରି କହିଲେ, ‘‘ଆମ ପୁଚ୍ଛ ସୀତାଙ୍କ କେଶ ସହିତ ତୁଳନୀୟ ହୋଇପାରିଲା ନାହିଁ ।’’ ଲୋକେ ମୟୂର ଓ ଚମରୀ ମୃଗଙ୍କ ପୁଚ୍ଛ ଉପାଡ଼ି ଆଣି ସଂସାରରେ ବିକି ‘ଏତିକି ମୂଲ୍ୟ’ ବୋଲି ଚିହ୍ନାଇ ଦେଉଛନ୍ତି । ଅର୍ଥାତ୍ ମୟୂର ପୁଚ୍ଛ ଓ ଚମରୀ ମୃଗ ପୁଚ୍ଛର ମୂଲ୍ୟ ଅଛି; ମାତ୍ର ସୀତାଙ୍କ କେଶ ଅମୂଲ୍ୟ) ।
୨୮ଶ ପଦ–ବ୍ୟୋମଧୁମ–ମେଘ । ବିରାଜ–ବିଶେଷ ଶବ୍ଦ ।
୨୮ଶ ପଦ–ବିବେକବାନ୍ ଲୋକ ମୟୂରପୁଚ୍ଛ ଓ ମୃଗ ପୁଚ୍ଛ ଦୁହିଁଙ୍କି (ଚାମର କରି) ଢାଳି ସୀତାଙ୍କ କେଶକୁ ବନ୍ଦନା କରୁଅଛନ୍ତି । ମେଘକୁ ସୀତାଙ୍କ କେଶ ସହିତ କେଉଁ ମନରେ ବା ତୁଳନା କରିବା । ସେ ମେଘ ଉଦୟ କାଳରେ ‘ମୁଁ’ ସମାନ ନୁହେଁ ଏହି କଥା କହି ମହାଶବ୍ଦ କରୁଅଛି । ରାହୁ ସୀତାଙ୍କ କେଶ ସହିତ ତୁଳନୀୟ ନ ହେବାରୁ ବିଷ୍ଣୁ ତାକୁ ଚକ୍ରରେ ଛେଦି ଦେଲେ ।
୨୯ଶ ପଦ–ବିକର୍ତ୍ତନଜା–ସୂର୍ଯ୍ୟକନ୍ୟା(ଯମୁନା) । ବୀଚି–ଲହରୀ । ବିଷ–ଜଳ । ଆବିଳପ୍ରଦା–ଗୋଳିକାରୀ । ତମସ–ଅନ୍ଧକାର ।
୨୯ଶ ପଦ–ଯମୁନା ସୀତାଙ୍କ କୁଞ୍ଚିତ ଘନକେଶ ସହିତ ସମାନ ହେବା ଇଚ୍ଛାରେ ଦେହରେ ଲହରୀ ଖେଳାଇଲା ସମୟରେ କାଳୀୟ ସର୍ପକୁ ହୃଦୟରେ ଧରି ତାହାର ବିଷ ସହିତ ମିଶିଲା (ଯମୁନା ପାଣି କଳା, କାଳୀ ସାପର ବିଷମଧ୍ୟ କଳା) ମାତ୍ର ଆଷାଢ଼ ମାସ ପ୍ରବେଶ କଲାରୁ (ବର୍ଷା ହେଲାରୁ) ସେ ଗୋଳିଆ ହୋଇଗଲା, ତେଣୁ ତାହାର ଆଶା ବିନାଶ ହେଲା । ଅନ୍ଧକାର ତ ସଂସାରରେ ଲୋକଙ୍କ ଚକ୍ଷୁରେ ବଡ଼ ଅପ୍ରୀତିକର; ତାକୁ କଦାପି କେଶ ସହିତ ତୁଳନା କରାଯାଇ ନ ପାରେ ।
୩୦ଶ ପଦ–ବିବର୍ଣ୍ଣ–ମଳିନ । ପରିଣତ–ପକ । ବିଷ୍ଣୁପଦ–ଆକାଶ । ଚିକୁର–କେଶ ।
୩୦ଶ ପଦ–(ସୀତାଙ୍କ କେଶ ତୁଳନାରେ) ମଳିନ ପତ୍ରକୁ କେଶ ସହିତ ଉପମା ଦେବାର ବା କି ଲାଭ ? (ଉପମା ଦିଆଯାଇ ନ ପାରେ) । କାରଣ ତମାଳ ପତ୍ରର ସ୍ୱଭାବ, ସେ ପାଚି ଯାଇ ଥରକୁ ଥର ଝଡ଼ିପଡ଼େ ।(ସୀତାଙ୍କ କେଶ ନ ଝଡ଼ି ସବୁଦିନେ ରହିଥାଏ, ତେଣୁ କ୍ଷଣସ୍ଥାୟୀ ତମାଳ ପତ୍ରଠାରୁ ସେ ଉତ୍କୃଷ୍ଟତର) । ସୀତାଙ୍କ କେଶ ସହିତ ତୁଳନା ହେବା ଇଚ୍ଛାରେ ଆକାଶ ନୀଳିମା ଧାରଣ କଲା, (ମାତ୍ର ତାହା ସମାନ ନ ହେବାରୁ) ପବନ ଧୂଳି ରାଶିରେ ତାକୁ ପାଣ୍ଡୁର ବର୍ଣ୍ଣ କରି ଦେଲା ଓ ଗର୍ଜ୍ଜନସହ କହିଲା, ‘‘ଏହା କେଶ ସହିତ ସମାନ ନୁହେଁ’’ ।
ବହିଲେ ନୀଳ ଗଳେ ସେ ତୁଳ ବାଞ୍ଛାରେ ମହାଦେବେ ।ବିଚାରି ଉମା ନୋହେ ସେ ସମା ବେଢ଼ାଇ ବାହୁ ଭାବେ ॥
ବିଜିତ ସେ ଯେ ସୀତା ସୌନ୍ଦର୍ଯ୍ୟେ ଏମନ୍ତ ଘେନି ଚିତ୍ତ ।ବନ୍ଦେ ଗଉରୀପଦରେ କରି ସୁନ୍ଦରୀମଣି ମତ ॥
।୩୧।ବାରିତ ସୀମା ବାଡ଼ ଉପମା ଅଳକା ମୁଖ କେଶେ ।ବେଳାରେ ବ୍ୟାପୀ ଗଙ୍ଗାର ତପୀ ମୂକ ତରିବା ଆଶେ ॥
ବୋଧ ରାଘବେ ଏ ଦେଖି ଥିବେ ଏତିକି ବାତାୟନେ ।ବତିଶ ପଦେ ଏ ଛାନ୍ଦ ଉପେନ୍ଦ୍ର ତୋଷମନେ ॥
।୩୨।
୩୧ଶ ପଦ–ମହାଦେବ ସେହି କେଶ ସହିତ ତୁଳନା ହେବା ଇଚ୍ଛାରେ କଣ୍ଠରେ ନୀଳବର୍ଣ୍ଣ ଧାରଣ କଲେ, ମାତ୍ର ସମାନ ହେଲାନାହିଁ ଭାବି ପାର୍ବତୀ ନିଜ ବାହୁଦ୍ୱୟ ତାଙ୍କ ଗଳାରେ ଗୁଡ଼ାଇ ଦେଲେ (କଣ୍ଠର ନୀଳିମା ସମାନ ନ ହେବାରୁ ତାକୁ ଲୁଚାଇ ଦେଲେ) । ‘ସୀତାଙ୍କ ସହିତ ସୌନ୍ଦର୍ଯ୍ୟରେ ମୁଁ ପରାଜିତ ହେବି’–ପାର୍ବତୀ ଏହି କଥା ଚିତ୍ତରେ ଭାବି ଗୌରୀ ନାମ ବହି ସେହି ସୁନ୍ଦରୀ ଶିରୋମଣି ସୀତାଙ୍କର ମିତ ହୋଇ ନିନ୍ଦିତ ହୋଇଅଛନ୍ତି । (ସୀତା ପିଲାଦିନେ ଗୌରୀ–ଅଷ୍ଟବର୍ଷା ଭବେଦ୍ ଗୌରୀ–ଥିଲେ, ତେଣୁ ପାର୍ବତୀ ଗୌରୀ ନାମ ଧାରଣ କରି ତାଙ୍କର ମିତ ହେଲେ) ।
୩୨ଶ ପଦ–ଅଳକା–ଚୂର୍ଣ୍ଣକୁନ୍ତଳ । ବେଳାରେ–କୂଳରେ । ବାତାୟନ–ଗବାକ୍ଷ ବା ଝରକା-।
୩୨ଶ ପଦ–ମୁଖ ଓ କେଶ ମଧ୍ୟରେ ଅଳକା (ମୁଣ୍ଡରେ ପିନ୍ଧିଥିବା ଅଳଙ୍କାର ବିଶେଷ) ସୀମାବାଡ଼ ସଦୃଶ ଅଟେ (କେଶ ଓ ମୁଖର ସୀମାକୁ ଚିହ୍ନାଇଥିବା ବାଡ଼ପରି ଅଟେ) । ସୀତାଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କରୁ କରୁ ବିଶ୍ୱାମିତ୍ର ଗଙ୍ଗାତଟରେ ପ୍ରବେଶି ଗଙ୍ଗା ପାରି ହେବା ଆଶାରେ ତୁନୀ ହେଲେ । (ଅନ୍ୟାନ୍ୟ ଅଙ୍ଗର ବର୍ଣ୍ଣନା କଲେ ନାହିଁ) । ରାମଚନ୍ଦ୍ର ଭାବିଲେ, ମୁନି କେବଳ ଏତିକି (ମସ୍ତକ ଭାଗ) ଝରକାରେ ଦେଖିଥିବେ; (ସର୍ବାଙ୍ଗ ଦେଖି ନାହାନ୍ତି) । ଉପେନ୍ଦ୍ର ତୋଷ ମନରେ ଏ ଛାନ୍ଦକୁ ବତିଶ ଛନ୍ଦିଲେ ।