ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ · ଭାଗ ୧୧ / ୧୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଏକାଦଶ ଛାନ୍ଦ
(ରାଗ–ବସନ୍ତବରାଡ଼ି)
ବେଳ ଶୁଭଦରେ ପ୍ରବେଶ ଆବେଶ
ବେଳ ଶୁଭଦରେ ପ୍ରବେଶ ଆବେଶ ବେଶ ସଖୀଏ ସାରିଥିଲେ ।ବିଚାରେ ସୁମନା ଶ୍ରୀ–କରେ ସୁମିନା–ସୁମନା–ମାଳା ନେଇ ଦେଲେ ।ବୋଇଲେ, ବଶକ ଏ କଳାଭୃଙ୍ଗର ।ବସି ଦଶରଥ–ସୁତ–ଜାନୁ–ରଥ ଯେ ମନୋରଥ ସାର୍ଥ କର ॥ ।୧।ବେଷ୍ଟିତତର ତରଳାକ୍ଷୀକି ତାର ତାର ପରିଧି କି ବିଧୂରେ ।ବିଧିରେ ମଙ୍ଗଳବିଧିରେ କେ ହୁଳହୁଳୁକି ବିହିଲେ ବିଧୀରେ ।ବିଞ୍ଚନ୍ତି, ବିଧୂଚୂର୍ଣ୍ଣ କେହୁ ଆଗରେ ।ବଜାଇ ହେଜାଇ ମାର୍ଗ କେ ପ୍ରବୀଣା ବୀଣା ଧରି ଅନୁରାଗରେ ॥ ।୨ ।ବ୍ୟଜନ ରଞ୍ଜନ କରି କେ ଚାଳନ୍ତି ଢାଳନ୍ତି କେ ଖଦୀ ଚାମର ।ବକ୍ତା ମଣିମା ମଣିମା ପଦରେ କେ ଅଣିମାଦିଦାୟୀ ଛାମୁର ।ବାରିଧି, ବାରିମଧ୍ୟୁଁ ବେଢି ରମ୍ଭାଦି ।ବିଜେ କରାନ୍ତି ଉତ୍ପତ୍ତିହୀନେ ସୁରାସୁର ଆଗେ ଶ୍ରୀକି ସମ୍ପାଦି ॥ ।୩ ।ବିତାନ–ଚିର ଧରିଛନ୍ତି ଉପର ବୀଚିର ରୁଚିର ସେ ହିତ ।ବଳାନିନାଦ ପ୍ରବାଳ ଅବଳାଙ୍କ ଶୁକ୍ତି ଉକ୍ତିକି ସେ ମୋହିତ ।ବାସୁକି, ବାହୁ କି ଉରଜ ମନ୍ଦର ।ବିଚଳିତ ସ୍ୱତଃ ଲଳିତ କଳିତ ଅଛି ହାସ ସୁଧା ସଂଚାର ॥ ।୪।ବିଳସି ବିଳସି ଗର୍ଭାଳସୀ ହଂସୀ ମନ୍ଥର ମନ୍ଥନ ଗତିରେ ।ବର ସନ୍ନିଧିକି ସେ ଶୋଭାନିଧିକି ନେଉଁ ଧିକି ଧିକି ରତିରେ ।ବିହିଲେ, ବସୁମତୀପତି ସକଳେ ।ବିଧାତା ବିଧାନୀ ଉଚ୍ଚାଟ ନିଧାନୀ ନୋହେ ସାବଧାନୀ ହୋଇଲେ ॥ ।୫।୧ମ ପଦ–ସୁମନା–ସୁଚତୁରୀ, ପୁଷ୍ପମାଳା ।
୧ମ ପଦ–ବରଣ କରିବାପାଇଁ ଶୁଭ ପ୍ରବେଶ ହେଲା । ପୂର୍ବରୁ ସଖୀମାନେ ବେଶକାର୍ଯ୍ୟ ଶେଷ କରିଥିଲେ । ସଖୀମାନେ ବିଚାରକରି ଆନନ୍ଦମନା ହୋଇ ସୀତାଙ୍କ ଶ୍ରୀହସ୍ତରେ ଫୁଲମାଳ ନେଇ ଦେଲେ । (ଅନ୍ୟାର୍ଥ–ଇଷ୍ଟଦେବତାଙ୍କୁ ସ୍ମରଣ କରି ଲକ୍ଷ୍ମୀ ରୂପୀ ସୀତାଙ୍କ ହସ୍ତରେ ଉତ୍ତମମନା ହୋଇ ପୁଷ୍ପମାଳା ଦେଲେ) । କହିଲେ, ‘‘ଏ ଫୁଲମାଳା କଳାଭ୍ରମରରୂପ ରାମଚନ୍ଦ୍ରଙ୍କୁ ବଶ କରିବ । ଦଶରଥ ସୁତ ରାମଙ୍କ ଜାନୁ ରୂପ ରଥରେ ବସି ତୁମ୍ଭ ମନକାମନା ପୂର୍ଣ୍ଣ କର ।’’
୨ୟ ପଦ–ବେଷ୍ଟିତତର–ଅତି ଘନଭାବରେ ବେଢ଼ିବା । ତରଳାକ୍ଷୀ–ଚଞ୍ଚଳାକ୍ଷୀ । ତାର ତାର–ଉଜ୍ଜ୍ୱଳ ତାରକା । ପରିଧି–ମଣ୍ଡଳ । ବିଧୀରେ–ଉଚ୍ଚରେ । ବିଧୂଚୂର୍ଣ୍ଣ–କର୍ପୁର ଗୁଣ୍ଡା ।
୨ୟ ପଦ–(ରାମଙ୍କୁ ବରଣ କରିବା ନିମିତ୍ତ ସୀତାଙ୍କ କରରେ ପୁଷ୍ପମାଳା ଦେଇ) ଚଞ୍ଚଳାକ୍ଷୀ ସଖୀମାନେ ଚଉଦିଗରେ ଘନଭାବରେ ବେଢ଼ି ରହିଲେ, ତାହା ଦେଖି ବୋଧହେଲା–ଉଜ୍ଜ୍ୱଳ ତାରାସମୂହ ଚନ୍ଦ୍ରଙ୍କର ଚଉପାଶରେ ଘେରି ରହି ଅଛନ୍ତିକି ? ତାଙ୍କ ମଧ୍ୟରୁ କେହି ମଙ୍ଗଳ ବିଧାନର ସୂଚନାସ୍ୱରୂପ ଉଚ୍ଚ ସ୍ୱରରେ ହୁଳହୁଳି ଦେଲେ । କେଉଁ ସଖୀ ଆଗରେ କର୍ପୂର ଧୂଳି ବିଞ୍ଚିଲେ । କେଉଁ ପଣ୍ଡିତା ସଖୀ ଯିବାବେଳେ ପଥ ଜଣାଇଦେବା ଉଦ୍ଦେଶ୍ୟରେ ବୀଣା ଧରି ଅନୁରାଗରେ ବଜାଇଲା ।
୩ୟ ପଦ–ବ୍ୟଜନ–ବିଞ୍ଚଣା । ଐଶ୍ୱର୍ଯ୍ୟଦାୟୀ–ଯେ ଅଣିମାଦି ଅଷ୍ଟେଶ୍ୱର୍ଯ୍ୟ ଦିଏ । ଶ୍ରୀକି–ଲକ୍ଷ୍ମୀଙ୍କି ।
୩ୟ ପଦ–କେହି ଆଲଟ ପଙ୍ଖା ପକାଇଲେ, କେହି ଖଦି ଚାମର ଢାଳିଲେ । ଅଣିମାଦି ଅଷ୍ଟଐଶ୍ୱର୍ଯ୍ୟଦାୟିନୀ ସୀତାଙ୍କ ଛାମୁରେ କେହି କେହି ମଣିମା ମଣିମା ଡାକ ଦେଲେ । ତାହା ଦେଖି ମନେହୁଏ, ସମୁଦ୍ରର ଜଳ ମଧ୍ୟରୁ ଉଠିଥିବା ରମ୍ଭା ଆଦି ଅପ୍ସରାମାନେ ବେଢ଼ି ଦେବତା ଓ ଅସୁରମାନଙ୍କ ଅପ୍ରତରେ ଉତ୍ପତ୍ତି–ହୀନା ଲକ୍ଷ୍ମୀଙ୍କର ଶୋଭା ସମ୍ପାଦନ କରାଇ ନାରାୟଣଙ୍କ ସମୀପକୁ ବିଜେ କରାଉଅଛନ୍ତିକି ? ( ଲକ୍ଷ୍ମୀ ସମୁଦ୍ରରୁ ଉତ୍ପନ୍ନ, ମାତ୍ର ସୀତା ଉତ୍ପତ୍ତି ହୀନ । ସେଠାରେ ସୁରାସୁର ଅର୍ଥ ବୀର ଓ ଭୀରୁ)
୪ର୍ଥ ପଦ–ବିତାନଚିର–ଚାନ୍ଦୁଆ ଲୁଗା । ବୀଚି–ଲହରୀ । ରୁଚିର–ମନୋହର । ଶୁକ୍ତି–ଶାମୂକା । ଉରଜ–ସ୍ତନ ।
୪ର୍ଥ ପଦ–ସୀତାଙ୍କ ଉପରେ ଧରାଯାଇଥିବା ଚାନ୍ଦୁଆ ଲୁଗା ସମୁଦ୍ରର ଲହରୀ ପ୍ରାୟ ସୁନ୍ଦର ଦିଶୁଅଛି । ‘ଅବଳାମାନଙ୍କର’ ସଖୀମାନଙ୍କର ପାଦର ପ୍ରବଳ ବଳାଶବ୍ଦ ସମୁଦ୍ରର ଶାମୁକା ଶବ୍ଦକୁ ମୋହିତ କରୁଅଛି । ବାହୁ ରୂପବାସୁକି ସ୍ତନ ରୂପ ମନ୍ଦର ପର୍ବତକୁ ବିଚଳିତ କରି ସେ ସମୁଦ୍ରକୁ ମନ୍ଥନ କରିବାରୁ ମନୋହର ହାସ–ସୁଧା ସେଥିରୁ ଉତ୍ପନ୍ନ ହେଉଅଛି । (ନୀଳସାଗର ମନ୍ଦର ପର୍ବତ ଓ ବାସୁକି ସର୍ପଦ୍ୱାରା ମନ୍ଥୀତ ହେବାବେଳେ ଶାମୁକା ପ୍ରଭୃତିଙ୍କର କଳ କଳ ସ୍ୱନ ଓ ଅମୃତ ଉଦ୍ଭବ ହୋଇଥିଲା, ଏଠାରେ ନୀଳବର୍ଣ୍ଣ ଚନ୍ଦ୍ରାତବ ତରଙ୍ଗ, ସ୍ତନ ମନ୍ଦର, ବାହୁ ବାସୁକି, ବଳାଶବ୍ଦ ଶାମୁକାର ସ୍ୱନ, ଆନନ୍ଦ ହାସ ଅମୃତ ସହିତ ଉପମିତ) ।
୫ମ ପଦ–ବସୁମତୀପତି–ରାଜା । ଉଚ୍ଚାଟନିଧାନୀ–ଚିତ୍ତ ଉଦ୍ଦୀପନକାରିଣୀ । ସାବଧାନୀ ହେଲେ–ବିଚାରପୂର୍ବକ ଯୁକ୍ତିଯୁକ୍ତ କଥା କହିଲେ ।
୫ମ ପଦ–ଗର୍ଭଭାରରେ ଧୀର ଗତି କରୁଥିବା ହଂସୀ ପରି ସର୍ବଶୋଭାର ଭଣ୍ଡାର ସୀତାଙ୍କୁ ମନ୍ଥର ଗତି କରାଇ ରାମଙ୍କ ସମୀପକୁ ନେଲାବେଳେ, ସେ ଶୋଭା ରତିକି ମଧ୍ୟ ଧିକ୍କାର କଲା । ତାହା ଦେଖି ରାଜାମାନେ ସାବଧାନରେ ବିଚାର କଲେ, ‘ଚିତ୍ତ ଉଚ୍ଚାଟନକାରିଣୀ ସୀତା ବିଧାତାଙ୍କଦ୍ୱାରା ନିର୍ମିତ ହୋଇ ନାହାଁନ୍ତିକି ?(ସୀତାଙ୍କ ଶୋଭା ଯାବତୀୟ ବିଧିସୃଷ୍ଟ ଶୋଭାଠାରୁ ବଳି ମନୋହର, ତେଣୁ ସେ ସ୍ୱୟଂ ସୃଷ୍ଟ ବୋଲି ବୋଧ ହେଲା) ।
ବିଘ୍ନରାଜ ସତ ଉପମାରାଜିତ ରାଜିତମାନ କରି ଲୋଡ଼ି ।ବକ୍ରତୁଣ୍ଡ ହେଲେ ବର୍ଣ୍ଣି ଆଣୁ ଯେଣୁ ସେମାନେ ସେମାନେ ବାହୁଡ଼ି ।ବିବେକ, ବର୍ଜ୍ଜନ ଏ କଦା ନୁହଁନ୍ତି ।ବୃହତ୍କୁକ୍ଷି ତୁର୍ଣ୍ଣେ ସେ ପୂର୍ଣ୍ଣ ହୋଇଲେ ଧନ୍ୟ ସୀତା ମାତେ ଜପନ୍ତି ॥ ।୬।ବିପୁଷ୍ଟି ଦୃଷ୍ଟି ସୃଷ୍ଟି ଯହିଁ ଉଶନା ଏକଦୃଷ୍ଟି କବି ବୋଲାଇ ।ବଣା ହେବାରେ ଲକ୍ଷଣା ବାରେ ବାରେ ଗଣା ତା କରିବା କିପାଇଁ ।ବାଳାରେ, ବିଲୋକ କରି ତୋ ଶୋଭିତ ।ବହିଲେ ଅନନ୍ତ ଅନନ୍ତ ଲପନ ବର୍ଣ୍ଣି ଆଣନ୍ତେ ଲାଳାୟିତ ॥ ।୭।ବିଦ୍ୟାବିଶାରଦା ଶାରଦା ଶାରଦା ବିନୟୀ ଧରାତନୟୀ ! ହେଲେ ତୋତେ ।ବଡ଼ିମା ରକ୍ଷଣେ ସୁଷମା ଅସମା ଉପମା ଅଙ୍ଗୀକାର ବୃତେ ।ବାଳାରେ, ବତ୍ସଳା ହେଲେ ଭକ୍ତିଯୁକ୍ତେ ।ବିନ୍ୟାସ କରନ୍ତି କବିତ୍ୱ ଚାତୁରୀ କବି ସମ୍ମତେ ମତିମତେ ॥ ।୮।ବିଶ୍ରମ୍ଭ ପଦର ଗମନେଆଦର କରି କେ ସୁମନେଭାଳଇ ।ବିଶାଳ ଉରୁ କରେ ଚାରୁ ଯୌବନ–କରା କୋକନଦ ଚାଳଇ ।ବାଳାର, ବୋଲେ କେ ନିରେଖି ଅଙ୍ଗୁଳି ।ବାଳିକା ମହୀ ମାଳିକା କରିତ ହିଁ ଅଶୋକ କଳିକାରୁ ଝଳି ॥ ।୯।ବିହେଠନ ମୁଖ ପୟୋଧର ଶିଖ ଦେଖି କେତେ ଯୋଖି ଉପମା ।ବିଷମସନ୍ତାପ ସମ୍ଭୁତେ ଶମ୍ଭୁର ଶୂନ୍ୟୁ ଖସି ଆସି ଚନ୍ଦ୍ରମା ।ବାଳାର, ବିଗତ ହେଉଁ କୋଣେ ଡୋଳା ।ବିହରି ହରିଣ କି ବିଷଧାରଣ ବେନି ସଂଶୟ ଉପୁଜିଲା ॥ ।୧୦।୬ଷ୍ଠ ପଦ–ବିଘ୍ନରାଜ–ଗଣେଷ । ରାଜିତମାନ–ଶୋଭମାନ ବା ଦେବୀପ୍ୟମାନ । ବୃହତ୍ କୁକ୍ଷି–ବଡ଼ ପେଟ । ତୁର୍ଣ୍ଣି–ଶୀଘ୍ର ।
୬ଷ୍ଠ ପଦ–ବିଘ୍ନରାଜ ଗଣେଶ ଉକ୍ତୃଷ୍ଟ ଉପମାମାନ ଲୋଡ଼ି, ସୋମନଙ୍କ ସହିତ ସୀତାଙ୍କର ସୌନ୍ଦର୍ଯ୍ୟ ତୁଳନା କରିବାକୁ ଯାଇ ଅକୃତକାର୍ଯ୍ୟ ହୋଇ ବକ୍ରତୁଣ୍ଡ ହେଲେ । ସେ ଉପମା ସମୂହ ଅପମାନିତ ହୋଇ ବାହୁଡ଼ି ଯିବାକୁ ବସିଲେ । ସେମାନଙ୍କୁ ବର୍ଜନ କରାଯାଇ ନ ପାରେ’– ଏହା ଭାବି ଗଣେଶ ଉପମାମାନଙ୍କୁ ଚଞ୍ଚଳ ଆଣି ନିଜ ଗର୍ଭରେ ରଖିବାର ଲମ୍ବୋଦର ହୋଇଅଛନ୍ତି ତଥାପି ବର୍ଣ୍ଣି ନ ପାରି ‘ଧନ୍ୟ ସୀତା’ ‘ଧନ୍ୟ ସୀତା’ ମାଳା ଯୋଗେ ଏହି ତପ କରୁଅଛନ୍ତି ।
୭ମ ପଦ–ଉଶନା–ଶୁକ୍ର । ଅନନ୍ତ ଶେଷଦେବ । ଅନନ୍ତ ଲପ–ବହୁସଂଖ୍ୟକ ମୁଖ ।
୭ମ ପଦ–ସୀତାଙ୍କର ସୌନ୍ଦର୍ଯ୍ୟ ସହିତ ଉପମାମାନଙ୍କ ଲକ୍ଷ୍ୟ ଦେବା ଉଦ୍ଦେଶ୍ୟରେ ଶୁକ୍ର ବାରମ୍ବାର ଦୃଷ୍ଟି ଦେଇ ମଧ୍ୟ ବଣା ହେଲେ । ଅବଶେଷରେ ଏକଦୃଷ୍ଟି କବି (ଶୁକ୍ରଙ୍କର ଗୋଟିଏ ଚକ୍ଷୁ) ବୋଲାଇଲେ । ତାଙ୍କୁ ଅବା କାହିଁକି କବି ମଧ୍ୟରେ ଗଣନା କରିବା ? ଗୋ ସୀତେ ! ତୁମ୍ଭର ଶୋଭାକୁ ବର୍ଣ୍ଣନା କରିବା ନିମିତ୍ତ ଶେଷଦେବ ଅସଂଖ୍ୟ ମୂଖ ଧାରଣ କଲେ, ତଥାପି ତୁମ୍ଭ ଶୋଭାକୁ ବର୍ଣ୍ଣିବାକୁ ଯିବା ସମୟରେ ମୂଖ ଲାଳଯୁକ୍ତ ହେବାରୁ ବର୍ଣ୍ଣିପାରିଲେ ନାହିଁ ।
୮ମ ପଦ–ବିଦ୍ୟାବିଶାରଦା–ସମସ୍ତ ବିଦ୍ୟାରେ ପଣ୍ଡିତା । ଶାରଦା–ସରସ୍ୱତୀ । ଧରାତନୟୀ–ସୀତା । ସୁଷମା–ପରମାଶୋଭା । ବତ୍ସଳା– ସ୍ନେହଯୁକ୍ତା । ମତିମତେ–ଇଚ୍ଛାନୁସାରେ-।
୮ମ ପଦ–ହେ ସୀତେ ! ସର୍ବ ବିଦ୍ୟାରୁପିଣୀ ଶାରଦା ‘ତୁମ୍ଭର ପରମା ଶୋଭା ସହିତ ସମସ୍ତ ଉପମା ଅସମାନ ଅଟନ୍ତି–ଏହା ଅଙ୍ଗୀକାର କରିବାକୁ ଯାଇ ତୁମ୍ଭ ପାଖରେ ବିନୟୀ ହେଲେ । ଏହାଦ୍ୱାରା ତାଙ୍କର ବଡ଼ିମା ରକ୍ଷା ପାଇଲା । (ବିନୟୀ ହେଲେ ମଧ୍ୟ ବଡ଼ିମା ଊଣା ନ ହୋଇ ବର୍ଦ୍ଧିତ ହେଲା) । ହେ ଭକ୍ତବତ୍ସଳେ ସୀତେ ! ତୁମ୍ଭେ ତାଙ୍କର ଭକ୍ତିଯୁକ୍ତ ବାକ୍ୟରେ ସନ୍ତୁଷ୍ଟ ହେବାରୁ କବିମାନେ ଇଚ୍ଛାନୁସାରେ କବିତ୍ୱ ଚାତୁରୀକି ନାନାପ୍ରକାର ପ୍ରକାଶ କରୁଅଛନ୍ତି । (କବିମାନେ ସରସ୍ୱତୀଙ୍କ ବର ପୁତ୍ର) ।
୯ମ ପଦ–ବିଶ୍ରୟ–ଗୁପ୍ତକଥା । କୋକନଦ–ରକ୍ତପଦ୍ମ ।
୯ମ ପଦ–ସୀତାଙ୍କ ଗମନ ସମୟରେ ତାଙ୍କ ପାଦ ବିନ୍ୟାସକୁ ଚାହିଁ କେଉଁ ରାଜା ସୁଚିତ୍ତରେ ଭାଳୁଅଛି,–ମନୋହର ଯୌବନ ହସ୍ତୀ ବିଶାଳ ଉରୁରୂପ ଥୋରହସ୍ତରେ ରକ୍ତପଦ୍ମକୁ ଚାଲୁଅଛିକି ? ତାଙ୍କ ପଦାଙ୍ଗୁଳିକୁ ନିରେଖି କେଉଁ ରାଜା କହିଲା,–ଅଶୋକ କଢ଼ିଠାରୁ ବେଶି କାନ୍ତିଯୁକ୍ତ ପଦାଙ୍ଗୁଳିରେ ମାଳା ନିର୍ମାଣ କରି ଏ କନ୍ୟା ମହୀକୁ ଦେଉଅଛିକି ।
୧୦ମ ପଦ–ଲଜ୍ଜ୍ୟା ହେତୁରୁ ସୀତାଙ୍କର ମୁଖ ଅଧୋଗତି ହୋଇ ସ୍ତନର ଅଗ୍ରଭାଗର ନିହିତ ଥିବାର ଦେଖି କେଉଁ କେଉଁ ନୃପତି ଉପମା ଦେଲେ, ମହାଦେବଙ୍କର ଅତିଶୟ ଗରଳ ତପ ଜାତ ହେବାରୁ, ସନ୍ତାପ ଶାନ୍ତି ନିମିତ୍ତ ଶୂନ୍ୟରୁ ଚନ୍ଦ୍ରମା ଖସି ଆସୁଛନ୍ତିକି (ସ୍ତନ ଶମ୍ଭୁ ସହିତ ଓ ମୁଖ ଚନ୍ଦ୍ରମା ସହିତ ଉପମିତ) । ତାଙ୍କର ଡୋଳା ଚକ୍ଷୁକୋଣରେ ଗତାଗତ ହେଉଥିବାରୁ ବୋଧହେଲା, ଚନ୍ଦ୍ରଙ୍କ ଦେହରେ ମୃଗ ବିହାର କରୁଅଛିକି ? ଅବା ଶିବଙ୍କ ବିଷଜ୍ୱାଳା ଅପସାରିତ ହୋଇ ଚାଲିଯାଉଅଛିକି ? ଏହିପରି ଦୁଇଟି ସନ୍ଦେହ ମନରେ ଜାତ ହେଲା ।
ବିଘଟନା ଲକ୍ଷବୃତେ କେତେ ଦକ୍ଷ ଚାହିଁ ଦେଇ ଚାରୁ ଅଳକ ।ବିଲୋମଲୋମ ବର୍ଣ୍ଣସ୍ତୋମ ଏ କାମଦରକୁ କରତା ତାରକା ।ବାଳାର, ବିଚିତ୍ର ତିଳକ ଶାୟକ ।ବିଶ୍ୱକେତୁକୁ ଧନ୍ୱୀ ବୋଲି ଦଇବେ ହୋଇବ କି ଏବେ ଫରିକ ॥ ।୧୧।ବୁଧାନେ ଉପମା ବିଧାନେ ଆଣିଲେ କେଶ–ବେଶ–ଜାଲି ସିନ୍ଦୂରେ ।ବିପ୍ରଚିତ୍ତିସୁତ ମଧ୍ୟ ପାଟସୂତ୍ର ସିହାଁରୁ ଭୂଷିତ ଟୋପରେ ।ବାଳାର, ବିଶୀର୍ଣ୍ଣ ଝିଲିମିଲି ମାଳି ।ବିଜୃମ୍ଭିତବଶେ ଜମ୍ଭାଦି ଦନ୍ତାଳ ଉତ୍ତଂସ ଘେନି ଦିଶେ ଝଳି ॥ ।୧୨।ବିଲକ୍ଷିତ କଲେ କ୍ଷିତି କ୍ଷତ୍ରିକୁଳେ ପ୍ରଦୀପ୍ତ ତାଟଙ୍କ ଅନାଇ ।ବିଶ୍ୱକେତୁତମ ଘୋଟିତ ଜନରେ ପ୍ରସନ୍ନ ଦରଶନ ପାଇଁ ।ବାଳା ଯେ, ବିଲମ୍ବାଇ ବେନି ପ୍ରଦୀପ ।ବିଜ୍ଜ୍ୱଳିତକାରୀ ରତନ ଝୁଣାରେ ଯତନ ଦିଶଇ ସ୍ୱରୂପ ॥ ।୧୩।ବ୍ୟକ୍ତିଏ ଓଷ୍ଠ ପରା ତୋରା ସୁରଙ୍ଗେ ପରମ୍ପରା ନାହିଁ କେ ଭାଳି ।ବଳେ ତାମ୍ବୁଳେ କ୍ଷାଳିତ ବୁଦ୍ଧିବଳେ ଦେଲେଟି ତାହା ଦର୍ପ ଦଳି ।ବାଳାର, ବିମ୍ବ ଗଣ୍ଡଚିତ୍ର ଅନାଇଁ ।ବିକ୍ଷପ୍ତ ରସ ହରଷ ହାସପୂର୍ଣ୍ଣ ସ୍ଥାନ ଏକେ ଲକ୍ଷ ମିଶାଇ ॥୧୪।ବଲ୍ଗୁ ଚିବୁକେ କସ୍ତୁରୀ ଜାଣି କେହି ସୁମରେ ତିଳ କୁସୁମରେ ।ବଶରେ ଯାଉଁ ଭ୍ରମର ଶ୍ୱାସବଶେ ପାତକୀ ଲାବଣ୍ୟ ଭ୍ରମରେ ।ବାଳାର, ବିଲମ୍ବମାଳା ଫୁଲି ଦେଖି ।ବାନା ଚରମ ମନୋରମ ପ୍ରଭାରେ ବନ୍ଧା କେ ଏମନ୍ତ କେ ପୋଖି ॥ ।୧୫।
୧୧ଶ ପଦ–ଦକ୍ଷ–ନିପୁଣ ବା ପ୍ରବୀଣ । ବର୍ଣ୍ଣସ୍ତୋମ–ବର୍ଣ୍ଣସମୂହ । ଶାୟକ–ଖଡ଼୍ଗ । ବିଶ୍ୱେକେତୁ–କନ୍ଦର୍ପ । ଧନ୍ୱୀ–ଧନୁର୍ଦ୍ଧର । ଫରକ–ପ୍ରଭେଦ ।
୧୧ଶ ପଦ–ମନୋହର ଚୂର୍ଣ୍ଣ କୁନ୍ତଳକୁ (କୁଞ୍ଚିତ କାଶକୁ) ଚାହିଁଦେଇ କେତେକ ଚତୁର ରାଜା ଲକ୍ଷ୍ୟକଲେ ଯେ, ଏହା ‘ଲାମ ବିଲୋମ’ ଓଲଟପାଲଟ ହୋଇ ରହିଥିବା ଅକ୍ଷର ଶ୍ରେଣୀ । ଆଉ ମଧ୍ୟ ଏହା କନ୍ଦର୍ପ ଭୟର କାରକ ଓ କନ୍ଦର୍ପ ଭୟର ତ୍ରାଣକର୍ତ୍ତା ଅଟେ । (କେହି କେହି ଏହାକୁ ଦେଖି କନ୍ଦର୍ପ ପୀଡ଼ିତ ହେବ, ଆଉ ମଧ୍ୟ କାହାର କନ୍ଦର୍ପପୀଡ଼ା ଦୂର ହେବ) । କନ୍ଦର୍ପ ଦେବଯୋଗରେ ଧନୁର୍ଦ୍ଧର, ମାତ୍ର ସୀତାଙ୍କର ଆଶ୍ଚର୍ଯ୍ୟ ତିଳକ ଖଡ଼୍ଗପରି ଶୋଭମାନ, ତେଣୁ କେହି ମନେକଲେ, କନ୍ଦର୍ପ ଏବେ ଖଡ଼୍ଗଧାରୀ ହେଲାକି ?(ସୀତା କନ୍ଦର୍ପଠାରୁ ଧନୁଶର ଛଡ଼ାଇ ନେଇ ତାହାର ଚିରାଚରିତ ଖ୍ୟାତି ଲୋପ କଲେକି ? ଏଠାରେ ସୀତାଙ୍କର ଲଲାଟପଟ ଫରି ଓ ବିକଳ ଖଣ୍ଡାରୂପେ କଳ୍ପିତ ।)
୧୨ଶ ପଦ–ବୁଧାନେ–ପଣ୍ଡିତମାନେ । ବିପ୍ରଚିତ୍ତସୁତ–ରାହୁ । ବିଜୃମ୍ଭିତବଶେ–ହାଇ ମାରିବାଦ୍ୱାରା ।
୧୨ଶ ପଦ–ପଣ୍ଡିତମାନେ କେଶରେ ମଣ୍ଡିତ ହୋଇଥିବା ମୋତିଜାଲି ଓ ସିନ୍ଦୁର ଗାରକୁ ଦେଖି ଉପମା ଦେଲେ, ରାହୁ ମଧ୍ୟଦେଶ ପାଟସୁତ୍ରଦ୍ୱାରା ସିଆଁ ହୋଇଥିବା ଟୋପିରେ ଭୂଷିତ ହୋଇଅଛିକି ? (କେଶ ରାହୁସହିତ, ମୁକ୍ତାଜାଲି ଟୋପି ଓ ସିନ୍ଦୁରଗାର ପାଟସୁତା ସହିତ ଉପମିତ) । ସୀତାଙ୍କର ବିପୁଳ ଝିଲିମିଲି ମାଳି ଓ କର୍ଣ୍ଣାବତଂସ ନାମକ ଭୂଷଣ ଦେଖି ମନେହେଲା,-– ସେହି କେଶ–ରାହୁ ହାଇ ମାରିବା ଛଳରେ ମୁଖ ମଧ୍ୟସ୍ଥିତ ଦନ୍ତର ଶୋଭାକୁ ଦେଖାଉ ଅଛି କି-?
୧୩ଶ ପଦ–କ୍ଷିତିକ୍ଷତ୍ରି କୁଳେ–ରାଜାମାନେ । ବିଶ୍ୱକେତୁ–କନ୍ଦର୍ପ । ତମ–ଅନ୍ଧକାର ।
୧୩ଶ ପଦ–ରାଜାମାନେ ସୀତାଙ୍କ କର୍ଣ୍ଣସ୍ଥିତ ଉଜ୍ଜ୍ୱଳ ତାଟଙ୍କ ଦ୍ୱୟକୁ ଦେଖି ଲକ୍ଷ୍ୟକଲେ,–କନ୍ଦର୍ପର ଅନ୍ଧକାରରେ ଆଚ୍ଛନ୍ନ ହୋଇଥିବା ଲୋକଙ୍କୁ ଆଲୋକ ଦେବାପାଇଁ ସୀତା ତାଙ୍କର କର୍ଣ୍ଣରେ ଦୁଇଟି ପ୍ରଦୀପ ଧାରଣ କରି ତାହାକୁ ରତ୍ନଝୁଣାରେ ପ୍ରଜ୍ଜ୍ୱଳିତ କରୁଅଛନ୍ତିକି ? ସେହି ଆଲୋକରେ ତାଙ୍କ ଶରୀର ସୁନ୍ଦର ଦିଶୁଅଛି ।
୧୪ଶ ପଦ–ସୁରଙ୍ଗେ–ରକ୍ତମାରେ । କ୍ଷାଳିତ–ଧୌତ । ବିମ୍ବଗଣ୍ଡ–ଦର୍ପଣ ତୁଲ୍ୟ ଗଣ୍ଡମଣ୍ଡଳ । ରସ–ସ୍ନେହ ।
୧୪ଶ ପଦ–(ପାନ ବୋଳରେ ରକ୍ତବର୍ଣ୍ଣ ଧାରଣ କରିଥିବା ଅଧରକୁ ଦେଖି) କେହି ରାଜା ଭାବିଲେ, ‘ଏହାଙ୍କ ଅଧର ସମାନ ଗାଢ଼ ରକ୍ତବର୍ଣ୍ଣ ପଦାର୍ଥ ଆଉକିଛି ନାହିଁ । ତେଣୁ ତାମ୍ବୁଳ ଭକ୍ଷଣର ଛଳନାରେ ଏ ନିଜ ଅଧରକୁ ଧୋଇ ପାନର ଗର୍ବକୁ ଖର୍ବ କରିଦେଇଛନ୍ତି ।’ ତାଙ୍କର ଦର୍ପଣ ପରାୟ ଗଣ୍ଡମଣ୍ଡଳରେ ଅଧିଷ୍ଠିତ ହୋଇଥିବା ମକରୀ ଚିତ୍ରକୁ ଅନାଇ କେଉଁ ରାଜା ବିଚାର କଲା, ‘‘ଅନୁରାଗ, ପ୍ରମୋଦ, ହାସ୍ୟ ଏ ତିନିହେଁ ଏକତ୍ରିତ ହୋଇ ଏକାକାର ଧାରଣା କଲେ–ଏ ଲକ୍ଷ୍ୟକୁ ମଧ୍ୟ ସେ ଶୋଭା ଫିଙ୍ଗି ଦେଉଅଛି ।(ଏ ତିନିହେଁ ଏକାକାର ହୋଇ ମଧ୍ୟ ତା ସହିତ ସମାନ ନୁହନ୍ତି) ।’’
୧୫ଶ ପଦ–କଲ୍ଗୁ–ସୁନ୍ଦର । ଚରମ–ପୃଷ୍ଠଦେଶ ।
୧୫ଶ ପଦ–ମନୋହର ଚିବୁକରେ ମୃଗମନ୍ଦ ଭ୍ରମରୀକୁ ଚାହିଁ କେଉଁ ରାଜା ଭାବିଲେ, ‘ନାସିକାକୁ ତିଳ ଫୁଲ ମନେକରି ଭ୍ରମବଶତଃ ଗୋଟିଏ ଭ୍ରମର ତା’ ପାଖକୁ ଯାଉ ଯାଉ ନିଶ୍ୱାସ ପବନର ଆଘାତରେ ଜଳଭଉଁରୀ ରୂପ ଚିବୁକ ମଧ୍ୟରେ ପଡ଼ିଗଲାକି ?’ ପୁଣି ପୃଷ୍ଠ ଭାଗରେ ଲମ୍ବମାନ ଫୁଲ ସବୁ ଦେଖି ମନେହେଲା, ପୃଷ୍ଠ ଭାଗରେ ଶୋଭା ଜଗତରେ ଅନୁପମ ବୋଲି ତହିଁରେ ବାନା ବନ୍ଧା ହୋଇଛିକି ?
ବାଜନ୍ତି ରସନା ବଳା ବରଜନା ନୂପୁର ପ୍ରଚାର ମାଧୁର୍ଯ୍ୟ ।ବୋଲନ୍ତି ରସ ନା ବଳା ନା ସୁମନା ତ୍ରିପୁର ଶୋଭାଟି ଏ ହେଜ ।ବାଳାର, ବପୁସଙ୍ଗରଙ୍ଗୁ ପଣ୍ଡିତ ।ବ୍ୟକତ ଭଙ୍ଗାଭଙ୍ଗ ଦତ୍ତାକ୍ଷର ଯେ ଚ୍ୟୁତଦତ୍ତାକ୍ଷରେ ମଣ୍ଡିତ ॥ ।୧୬।ବୁଝି ଏ ଶବଦ ରାଜନେ ସ୍ତବଦ ବୀରାୟୁଧମାନ ପତନ ।ବଦାବଦି ଯାଇଥିଲେ ଲାଜେ କେହି ଏ ଶୋଭା ହୁଅନ୍ତା ଦର୍ଶନ ।ବାଳା ଯେ, ବରଣମାଳା ଧରିଥିଲେ ।ବ୍ରୀଡାସଂଯୁତେ ଉତକଣ୍ଠୀ ସୁକଣ୍ଠୀରାମ ଗଳାରେ ଲମ୍ବାଇଲେ ॥ ।୧୭।ବର୍ଯ୍ୟା ପ୍ରଭାଙ୍ଗୀ କୋଣିଆଇ ଅନାଇସେ ଭଙ୍ଗୀ ଧୈର୍ଯ୍ୟେ ଭଙ୍ଗି ହେଲା ।ବାହୁଡ଼େ ହୁଡ଼େ ସେ ପଥରେ ମନ୍ଥରେ ମନ ପାଲଟ କରି ନେଲା ।ବାହୁର, ବିମଳ ଚମ୍ପାଦାମ ଭାବ ।ବାହୁଡ଼ାଇ ଧନ ଈଶ ହେବା ଦିନ ଦେବାକୁ ବିଚାରେ ରାଘବ ॥ ।୧୮।ବର୍ତ୍ତୀ ହୋଇ ଗଲା ଯୁବତୀରତନ ନେତ୍ରରୋଗ ଗଲା ନିବର୍ତ୍ତି ।ବିସ୍ମାପନ ରଚି ଜାଲିକ ଯେମନ୍ତ ଦେଖାଇ ହରଇ ତଡ଼ତି ।ବାଳାର, ବିଲୋଚନ ସେହି ପ୍ରକାର ।ବିସର୍ଜନେ ସଭା ରାଜନେ ଗମିଲେ ସ୍ଥିତ ରାମ ଆରାମପୁର ॥ ।୧୯।ବିଭା ମଙ୍ଗଳ କାଲି ପରି କରିବା ବିଶ୍ୱାମିତ୍ରେ କହେ ଜନକ ।ବିରୋଧିଲେ ଶୁଣି ସେ ବାଣୀ ଲକ୍ଷ୍ମଣ କି ବିଭା ନ ଜାଣି ଜନକ ।ବହତୁ, ବହନ ଶତାନନ୍ଦ ହେଲେ ।ବିଂଶ ପଦେ ଶେଷ ଶେଷଶାୟୀ ଚିନ୍ତି ଉପଇନ୍ଦ୍ର ଭଞ୍ଜ କହିଲେ ॥୨୦।
୧୬ଶ ପଦ–ସୀତାଙ୍କୁ ସଖୀମାନେ ପହଣ୍ଡ ମଣାଇ ନେବା ସମୟରେ ରସନା, ବଳା ଓ ନୂପୁର ବାଜିବା ଛଳରେ କହୁଅଛନ୍ତି, ‘ହେ ରାଜାମାନେ ! ସୀତାଙ୍କଠାରେ ରସନା (ରସ ନାହିଁ)– ଏ ଭଙ୍ଗ ହେଲା । ‘ବଳାନା ସୁମନ’–ଉତ୍ତମ କରି ମନକୁ ବଳାଅ ନାହିଁ–(ବଳା ଶବ୍ଦରେ ନା ସୁମନ ଦତ୍ତ ହେବାରୁ ଅଭଙ୍ଗ ଦତ୍ତାକ୍ଷର ହେଲା) । ନୂପୁର ଶବ୍ଦର ଆଦ୍ୟବର୍ଣ୍ଣ ‘ନୂ’ ଚ୍ୟୁତ ହୋଇ ‘ତ୍ରି’ ଦତ୍ତ ହେଲା ଓ ପ୍ରାନ୍ତରେ ‘ଶୋଭୀ’ ଦତ୍ତ ହୋଇ ତ୍ରିପୁର ଶୋଭି ହେଲା; ତେଣୁ ନୂପୁର କହିଲା, ‘ଏ ତ୍ରିପୁରଶୋଭା’ ( ଏ ଚ୍ୟୁତ ଦତ୍ତାକ୍ଷର ) । ( ଏହିପରି ରସନା, ବଳା ଓ ନୂପୁର ନାଦ ଛଳରେ ଭଙ୍ଗ, ଅଭଙ୍ଗ, ଦତ୍ତାକ୍ଷର ଓ ଚ୍ୟୁତ ଦତ୍ତାକ୍ଷରରେ ରାଜାମାନଙ୍କୁ କହୁ ଅଛନ୍ତି, ଏ ତ୍ରିପୁର ଶୋଭିନୀ ସୀତାଙ୍କଠାରେ ରସ ନାହିଁ କିମ୍ବା ମନ ବଳାଅ ନାହିଁ ) । ( ନିର୍ଜୀବ ପଦାର୍ଥ ସବୁ କିପରି କଥା କହିଲେ ?) ସୀତାଙ୍କର ଅଙ୍ଗ ସଙ୍ଗରେ ରହି ସେମାନେ ପଣ୍ଡିତ ହୋଇ ଅଛନ୍ତି; ତେଣୁ ଭଙ୍ଗ, ଅଭଙ୍ଗ, ଦତ୍ତାକ୍ଷର ମଣ୍ଡିତ ବାକ୍ୟମାନ କହିଲେ ।
୧୭ଶ ପଦ–ବୀରାୟୁଧ–ବୀରମାନଙ୍କର ଅସ୍ତ୍ର ଶସ୍ତ୍ର । ବ୍ରୀଡ଼ା–ଲଜ୍ଜା ।
୧୭ଶ ପଦ–ଏ ଶବ୍ଦ (ଅଳଙ୍କାରମାନଙ୍କର ବାକ୍ଚାତୁରୀ ଛଳରେ ଯେ ଶବ୍ଦ ହେଲା) ବୁଝିପାରି ରାଜାମାନେ ସ୍ତମ୍ଭୀଭୂତ ହୋଇଗଲେ । ତାହାଙ୍କ ହାତରୁ ବୀରର ଭୂଷଣ ଅସ୍ତ୍ରଶସ୍ତ୍ର ସବୁ ଖସିପଡ଼ିଲା । ସେମାନେ ପରସ୍ପରରେ କୁହାକୁହି ହେଲେ, ‘‘ଆମ୍ଭେମାନେ ଲଜ୍ଜାପାଇ ଏଠାରୁ ପଳାଇ ଯାଇଥିଲେ, ଏ ସୀତାଙ୍କ ଶୋଭା କିପରି ଦର୍ଶନ ହୋଇଥାନ୍ତା ?’’ ବରଣମାଳାଧାରିଣୀ ସୁକଣ୍ଠୀ ସୀତା ଲଜ୍ଜାଯୁକ୍ତ ହୋଇଯାଇ ଉଦ୍ବିଗ୍ନ ମନରେ ଚାହିଁଥିବା ରାମଚନ୍ଦ୍ରଙ୍କ ଗଳାରେ ମାଳା ଲମ୍ବାଇ ଦେଲେ ।
୧୮ଶ ପଦ–ବର୍ଯ୍ୟା–ସ୍ୱୟଂବରା । ଚମ୍ପାଦାମ–ଚମ୍ପାମାଳା । ଈଶ–ମହାଦେବ ପଦ ।
୧୮ଶ ପଦ–ସ୍ୱୟଂବରା ଶୋଭାଙ୍ଗୀ ସୀତା (ବରଣମାଳା ଦେବା ସମୟରେ) କୋଣିଆଇ ଅନାଇବାରେ ଯେ ଭଙ୍ଗୀ ପ୍ରକାଶ କଲେ, ତଦ୍ଦ୍ୱାରା ରାମଚନ୍ଦ୍ରଙ୍କର ଧୈର୍ଯ୍ୟଭଙ୍ଗ ହେଲା । ବରଣମାଳା ଦେଇସାରି ସୀତା ମନ୍ଥର ଗତିରେ ଫେରିଗଲାବେଳେ ପଥ ହୁଡ଼ିଗଲେ; କାରଣ ରାମଚନ୍ଦ୍ରଙ୍କୁ ନିଜ ମନଦେଇ ପକାଇଥିଲେ । (ରାମଚନ୍ଦ୍ରଙ୍କ ଦର୍ଶନରେ ବିହ୍ୱଳ ହୋଇ ପଡ଼ିଥିଲେ) । ସୀତା ଫେରିଯିବାରୁ ରାମଚନ୍ଦ୍ର ଭାବନା କଲେ–ସେ ଚମ୍ପାମାଳା ସଦୃଶ ବାହୁ ଦ୍ୱୟକୁ ମୋ ଗଳାରେ ନ ଦେଇ ଫେରାଇ ନେଲା କାହିଁକି ? ଇଶ୍ୱରଙ୍କୁ ସିନା ଚମ୍ପାମାଳ ଦିଆଯାଏ, ମୁଁ ଯେଉଁ ଦିନ ‘ଇଶ’ ସ୍ୱାମୀ ହେବି, ସେହି ଦିନ ସୀତା ମୋ ମାଳାକୁ ମୋ ଗଳାରେ ଦେବ ।
୧୯ଶ ପଦ–ବର୍ତ୍ତୀ–ନେତ୍ରାଞ୍ଜନ ବା ନେତ୍ରରୋଗରେ ଔଷଧ ବିଶେଷ । ବିସ୍ମାପନ–କୁହୁଳ । ଆରାମପୁଆ–ଉପବନସ୍ଥିତ ଗୃହ ।
୧୯ଶ ପଦ–ଯୁବତୀରତନ ସୀତା ନେତ୍ରାଞ୍ଜନସ୍ୱରୂପ ହେଲେ, ତଦ୍ୱାରା ରାମଚନ୍ଦ୍ରଙ୍କ ନେତ୍ରରୋଗ ଦୂର ହେଲା (ସୀତାଙ୍କୁ ଦେଖିବା ପାଇଁ ରାମଙ୍କର ଯେ ବ୍ୟାକୁଳତା ଥିଲା ତାହା ଦୂର ହେଲା) । ଐନ୍ଦ୍ରଜାଲିକ ଯେପରି କୁହୁକ ରଚନା କରି, କିଛି ଜିନିଷ ଦେଖାଇ ହଠାତ୍ ହରଣ କରିନିଏ, ସେହିପରି ସୀତାଙ୍କର ଦର୍ଶନ ହେଲା (ସୀତା ହଠାତ୍ ସଭା ମଧ୍ୟକୁ ଆସି ଦେଖାଦେଇ ପୁଣି ଚାଲିଗଲେ) ତତ୍ପରେ ସଭା ଭଗ୍ନ ହେବାକୁ ରାଜାମାନେ ବାହୁଡ଼ି ଗଲେ (ସ୍ୱ ସ୍ୱ ଦେଶକୁ ଫେରିଗଲେ) । ରାମଚନ୍ଦ୍ର ଜନକଙ୍କ ଉପବନରେ ଥିବାଗୃହରେ ରହିଲେ ।
୨୦ଶ ପଦ–ଜନକ ବିଶ୍ୱାମିତ୍ରଙ୍କୁ କହିଲେ, ‘ବିବାହୋତ୍ସବ କାଲି କିମ୍ବା ପଅର ଦିନ କରିବା-।’ ସେ କଥାରେ ବାଧା ଦେଇ ଲକ୍ଷ୍ମଣ କହିଲେ, ‘ପିତା ନ ଜାଣିଲେ ବିଭାଘର କିପରି ହେବ-?’ (ଏହାଦ୍ୱାରା ପିତୃଭକ୍ତିର ପରାକାଷ୍ଠା ଜଣାଗଲା) । (ଏହା ଶୁଣି ଜନକ ରାଜା ଶତାନନ୍ଦଙ୍କୁ ଦଶରଥଙ୍କ ପାଖକୁ ପଠାଇଲେ) । ‘ଶଦାନନ୍ଦ’ ଗୌତମ ମହର୍ଷିଙ୍କ ପୁତ୍ର ଶୀଘ୍ର ଦୂତ ହୋଇଗଲେ । ଉପେନ୍ଦ୍ର ଭଞ୍ଜ ନାରାୟଣଙ୍କୁ ଚିନ୍ତା କରି ଏ ଛାନ୍ଦ ବିଂଶ ପଦରେ ଶେଷ କଲେ ।