ବୈଦେହୀଶ ବିଳାସ (ଦ୍ୱିତୀୟ ଖଣ୍ଡ)
କବି ସମ୍ରାଟ · ପ୍ରାୟ ୧୬୭୦–୧୭୪୦ · ରୀତି ଯୁଗ
- ପଢ଼ିବା ସମୟ
- ୨୭୪ ମିନିଟ୍
- ଶବ୍ଦ
- ୪୩୮୬୩
- ସ୍ଥିତି
- ସାର୍ବଜନୀନ (Public domain)
ବେହରଣ ଭାଙ୍ଗି ବିଭାଦିନ ମୂଳ କରି ।
ବିଶୁଦ୍ଧ ତାର ଲଗ୍ନକୁ ଜ୍ୟୋତିଷେ ବିଚାରି ଯେ । ୧।ବର୍ଦ୍ଧିକୀଚୟ କି ମୟ ବିଶ୍ୱକର୍ମା ଗୁରୁ ।ବେଦିକାମଣ୍ଡପ କଲେ ଅତିଶୟ ଚାରୁ ଯେ । ୨।ବଇକୁଣ୍ଠପୁରୁ ରଥ ପଡ଼ିଲା କି ଖସି ।ବଇକୁଣ୍ଠ-ପୁରସଭାଶୋଭାନକୁ ହସି ଯେ । ୩।ବିହରିତ ହରିତବସନେ ହୋଇଛନ୍ତି ।ବିଲଗନ ତଳରେ ଉପରେ ରମ୍ଭା ସ୍ଥିତି ଯେ । ୪।ବେହରଣ ଭାଙ୍ଗି ବିଭାଦିନ ମୂଳ କରି ।ବିଶୁଦ୍ଧ ତାର ଲଗ୍ନକୁ ଜ୍ୟୋତିଷେ ବିଚାରି ଯେ । ୧।ବର୍ଦ୍ଧିକୀଚୟ କି ମୟ ବିଶ୍ୱକର୍ମା ଗୁରୁ ।ବେଦିକାମଣ୍ଡପ କଲେ ଅତିଶୟ ଚାରୁ ଯେ । ୨।ବଇକୁଣ୍ଠପୁରୁ ରଥ ପଡ଼ିଲା କି ଖସି ।ବଇକୁଣ୍ଠ-ପୁରସଭାଶୋଭାନକୁ ହସି ଯେ । ୩।ବିହରିତ ହରିତବସନେ ହୋଇଛନ୍ତି ।ବିଲଗନ ତଳରେ ଉପରେ ରମ୍ଭା ସ୍ଥିତି ଯେ । ୪।ବିଭ୍ରମିଲା ଚିତ୍ତ ଛାୟାମଣ୍ଡପକୁ ଚାହିଁ ।ବେଢ଼ି ରହିଲା କି ସୁରସଭାଆସି ତହିଁ ଯେ । ୫।୧ମ ପଦ :- ବେହରଣ-ସଭା । ବିଶୁଦ୍ଧ-ନିର୍ଦ୍ଦୋଷ ବା ଉତ୍ତମ । ତାର-ନକ୍ଷତ୍ର ।
୧ମ ପଦ :- କନ୍ୟା ଦେଖାପରେ ସଭା ଭାଙ୍ଗି ଜ୍ୟୋତିଷମାନଙ୍କ ସହିତ ବିଚାର କରି ବିବାହ ପାଇଁ ଶୁଭଲଗ୍ନ, ଶୁଭଚନ୍ଦ୍ର ଓ ଭଲ ଦିନ ସ୍ଥିର କଲେ ।
୨ୟ ପଦ :- ବର୍ଦ୍ଧକୀଚୟ-ବଢ଼ାଇମାନେ ।
୨ୟ ପଦ :- ବଢ଼ାଇମାନେ ବେଦୀ ଓ ବିଭାମଣ୍ଡପ ଅତ୍ୟନ୍ତ ସୁନ୍ଦରରୂପେ ନିର୍ମାଣ କଲେ । ତାହା ଦେଖି ମନେହେଲା, ସେମାନେ ମୟଦୈତ୍ୟ ଓ ବିଶ୍ୱକର୍ମା ଏ ଦୁହିଙ୍କର ଗୁରୁ ଅଟନ୍ତି କି ? (ଏ ଦୁହେଁ ପ୍ରସିଦ୍ଧ ଶିଳ୍ପୀ, ମାତ୍ର ମଣ୍ଡପନିର୍ମାତା ବଢ଼େଇମାନଙ୍କ ଅପେକ୍ଷା ନ୍ୟୂନ ଅଟନ୍ତି ) ।
୩ୟ ପଦ :- ବୈକୁଣ୍ଠପୁର-ସ୍ୱର୍ଗପୁର ବା ବିଷ୍ଣୁ ପୁର । ବଇକୁଣ୍ଠପୁରସଭା-ସୁଧର୍ମାସଭା ।
୩ୟ ପଦ :- ସେହି ବେଦୀ ଓ ମଣ୍ଡପର ଶୋଭା ଦେଖି ମନେହେଲା, ବୈକୁଣ୍ଠ ଭୁବନରୁ ବିଷ୍ଣୁରଥ ମର୍ତ୍ତ୍ୟକୁ ଖସି ପଡ଼ିଲାକି? ଇନ୍ଦ୍ରଙ୍କର ସୁଧର୍ମାସଭାର ସୌନ୍ଦର୍ଯ୍ୟକୁ ମଧ୍ୟ ସେ ମଣ୍ଡପର ଶୋଭା ଉପହାସ କଲା ।
୪ର୍ଥ ପଦ :- ହରିତବସନ-ହଳଦିଆ ଲୁଗା, ବିଷ୍ଣୁ । ରମ୍ଭା-ରମ୍ଭାନାମ୍ନୀସ୍ୱର୍ଗ ବେଶ୍ୟା, କଦଳୀ ଗଛ ।
୪ର୍ଥ ପଦ :- ବିଷ୍ଣୁରଥ ନାରାୟଣଙ୍କ ସହିତ ଶୋଭିତ ହୋଇଥାଏ, ସେହିପରି ଏ ବେଦୀ ରାମ ସୀତାଙ୍କ ସହ ଶୋଭା ପାଇବ । ସୁଧର୍ମା ସଭାରେ ଦିଗମ୍ୱରମାନେ ବିହାର କରୁଥାନ୍ତି, ଏ ମଣ୍ଡପରେ ବନ୍ଧା ହୋଇଥିବା ହଳଦିଆ ବର୍ଣ୍ଣ ଲୁଗାସବୁ ପବନ ଯୋଗେ ଦୋହଲୁଅଛନ୍ତି । ସେ ସଭାରେ ରମ୍ଭା ଅପ୍ସରା ଥାଏ, ସେହିପରି ଏ ସଭାରେ ତଳ ଉପର ହୋଇ କଦଳୀଗଛ ସବୁ ପୋତା ଯାଇଅଛି ।
୫ମ ପଦ :- ଛାୟାମଣ୍ଡପ-ଛାମୁଣ୍ଡିଆ । ସୁରସଭା-ଦେବସଭା ।୫ମ ପଦ :- ଛାମୁଣ୍ଡିଆକୁ ଚାହିଁ ଚିତ୍ତରେ ଭ୍ରମ ଜାତହେଲା, ମନେହେଲା ଦେବସଭା ଆସି ଏଠାରେ ବେଢ଼ି ରହିଲାକି?ବିନୟ ତ ସୁମନମାଳାରେ ଅବିରତ ।ବାଞ୍ଛା-କଳ୍ପଦ୍ରୁମ ପରି ଫଳରେ ପୂରିତ ଯେ । ୬ ।ବରଣ ବରୁଣାଳୟ ପ୍ରାୟ ବେଷ୍ଟନାରେ ।ବିଚିତ୍ର ଚିତ୍ର ମକର ଗଙ୍ଗା ଯମୁନାରେ ଯେ । ୭।ବେନି ନରେଶ୍ୱରଙ୍କରମଣ୍ଡିତ ନବରେ ।ବିହାଇଲେଗନ୍ଧଷଣ ମହା ଉତ୍ସବରେ ଯେ । ୮।ବ୍ରାହ୍ମଣୀ ସାତ ଅଳଙ୍କାର କରି ତହିଁ ।ବସ୍ତ୍ର ପାଟେ ଲଲାଟେ ସିନ୍ଦୂର ଚିତା ଦେଇ ଯେ । ୯।ବିଯୋଗିଲେ ଚନ୍ଦ୍ର ଦୀପ୍ୟମାନକୁମ୍ଭରାଶି ।ବନ୍ଧୁରତାରେ ଧନିଷ୍ଠା ହୋଇ ପରଶଂସି ଯେ । ୧୦।
୬ଷ୍ଠ ପଦ :- ଦେବସଭାରେ ଦେବତାମାନେ ଅନବରତ ବିନୟ ବା ନମ୍ର ହୋଇଥାନ୍ତି, ସେହିପରି ଏ ଛାୟାମଣ୍ଡପରେ ଫୁଲମାଳସବୁ ସର୍ବଦା ‘ବିନୟ’ ଓହଳି ଝୁଲୁଅଛି । ସେ ଛାୟାମଣ୍ଡପ କଳ୍ପଦ୍ରୁମସମ ବୋଧହେଲା । କଳ୍ପଦ୍ରୁମ ବାଞ୍ଛିତ ଫଳରେ ଯେପରି ପୂର୍ଣ୍ଣ ହୋଇଥାଏ, ଏ ମଣ୍ଡପ ସେହିପରି ଗୁଆ, ନଡ଼ିଆ ଆଦି ଫଳରେ ପରିପୂର୍ଣ୍ଣ ହୋଇଅଛି ।
୭ମ ପଦ :- ବରଣ-ପ୍ରାଚୀର । ବରୁଣାଳୟ-ସମୁଦ୍ର । ଚିତ୍ର-ଚିତଳମାଛ ।
୭ମ ପଦ :- ସମୁଦ୍ର ପୃଥ୍ୱୀକୁ ବେଷ୍ଟନ କରି ରହିଲାପରି ପ୍ରାଚୀର ଏ ସଭାକୁ ବେଢ଼ି ରହିଅଛି । ସମୁଦ୍ରରେ ଗଙ୍ଗା ଯମୁନା ନଦୀ ପତିତ ହୋଇଅଛନ୍ତି ଓ ମକର, ମତ୍ସ୍ୟ ପ୍ରଭୃତି ଜଳଚର ପ୍ରାଣୀ ତହିଁରେ ବିହାର କରନ୍ତି, ସେହିପରି ପ୍ରାଚୀରରେ ଗଙ୍ଗାଯମୁନା ଓ ମତ୍ସ୍ୟ ମକର ପ୍ରଭୃତିଙ୍କର ଚିତ୍ର ଅଙ୍କିତ ହୋଇଅଛି ।
୮ମ ପଦ :- ନବର-ପୁର । ଗନ୍ଧପଣ-ଚନ୍ଦନ, କର୍ପୂରାଦି ସୁଗନ୍ଧ ଦ୍ରବ୍ୟ ।
୮ମ ପଦ :- ଦଶରଥ ଓ ଜନକଙ୍କର ମଣ୍ଡଣି ପୁରରେ ପରିଚାରିକାମାନେ ମହୋତ୍ସବରେ ଗନ୍ଧଷଣ ବିଧାନକୁ ବିହିଲେ (ଆନନ୍ଦର ସହିତ ଗନ୍ଧଚନ୍ଧନାଦିଦ୍ୱାରା ପୁରକୁ ସୁବାସିତ କରାଇଲେ ) ।
୯ମ ପଦ :- ସଅଳଂକାର-ଅଳଂକାରଭୂଷିତ ।୧୦ମ ପଦ :- ଚନ୍ଦ୍ର-ସୁବର୍ଣ୍ଣ, ଚନ୍ଦ୍ର । କୁମ୍ଭରାଶି-ସ୍ୱର୍ଣ୍ଣଘଟ ସମୂହ, ରାଶି ବିଶେଷ । ଧନିଷ୍ଠା-ଧନିଷ୍ଠା ନକ୍ଷତ୍ର ।
୯ମ ଓ ୧୦ମ ପଦ :- ତତ୍ପରେ ସାତଜଣ ବ୍ରାହ୍ମଣ କନ୍ୟାଙ୍କୁ ଅଳଙ୍କାର ମଣ୍ଡିତ କରି ଓ ପଟ୍ଟବସ୍ତ୍ର ପିନ୍ଧାଇ ଲଲାଟରେ ସିନ୍ଦୁର ଚିତା ଭୂଷିତ କରାଇ, ସେମାନଙ୍କ କାଖରେ ସ୍ୱର୍ଣ୍ଣ ନିର୍ମିତ ଘଟସବୁ ଦେଲେ । ଯେପରି ଚନ୍ଦ୍ର କୁମ୍ଭ ରାଶିରେ ଯୁକ୍ତହୋଇ ଧନିଷ୍ଠା ନକ୍ଷତ୍ର ସହିତ ବନ୍ଧୁତା କଲେ ନିଜକୁ ପ୍ରଶଂସିତ ମନେକରେ, ସେହିପରି ସେ ସମୟରେ ବନ୍ଧୁ ଲୋକମାନେ ଅନୁରକ୍ତ ହୋଇ ନିଜକୁ ଭାଗ୍ୟବନ୍ତ ବୋଲି ପ୍ରଶଂସା କଲେ ।
ବିଷମେଷୁ ସୂର୍ପଯୁକ୍ତ ନାରୀକେଳତିରେ ।ବିରହିଣୀ ପ୍ରାୟ ଦିବାକୀର୍ତ୍ତି- ନାରୀ ଧରେ ଯେ । ୧୧।ବିଜ୍ଜ୍ୱଳିତ ଦୀପେ ଯେ ସରିତଈଶ ସରି ।ବେଶ୍ୟାବାର ସଙ୍ଗୀତ ମନ୍ଦିର ଶୋଭା ଧରି ଯେ । ୧୨।ବୀଣାକଣ୍ଠ ପୟୋଧର ମର୍ଦ୍ଦଳ ରାଜିତ ।ବିସ୍ତାରି ନୃତ୍ୟ ନର୍ତ୍ତକୀ ନେତ୍ର ଖ୍ୟାତ ଗୀତ ଯେ । ୧୩।ବାହାରୁଁ ଯେ ମୁଖର-ରସନା ସ୍ୱନ କଲେ ।ବିସ୍ତରେ ଅନ୍ତଃପୁରସ୍ଥା ଦ୍ୱିବିଧ ମଙ୍ଗଳେ ଯେ । ୧୪।ବାରାସନ ନଳ ପ୍ରାୟ ନିଷେଧ ଅଧିପ ।ବାଜିବାରେ ରାଜି ବାଦ୍ୟ ସାଦିଙ୍କ ସ୍ୱରୁପ ଯେ । ୧୫।୧୧ଶ ପଦ :- ବିଷମେଷୁ-କନ୍ଦର୍ପ । ସୂର୍ପ-କୁଲା । ଦିବାକୀର୍ତ୍ତିନାରୀ-ଭଣ୍ଡାରୁଣୀ ।
୧୧ଶ ପଦ :- କନ୍ଦର୍ପ ଯେପରି ରତିଦେବୀ ସହିତ ଯୁକ୍ତ ଥାଏ, ସେହିପରି କୁଲା ନଡ଼ିଆ ଓ କାଣ୍ଡଶର ଏ ଦୁଇ ପଦାର୍ଥରେ ଯୁକ୍ତ ହୋଇଅଛି । ବିରହିଣୀ ଯେପରି କାମ ବିକାରକୁ ଧରିଥାଏ, ଭଣ୍ଡାରୁଣୀ ସେହିପରି ଏ କୁଲାକୁ ଧରିଅଛି ।
୧୨ଶ ପଦ :- ସରିତଈଶ-ସମୁଦ୍ର । ବେଶ୍ୟାବାର-ବେଶ୍ୟାସମୂହ ।
୧୨ଶ ପଦ :- ପୁଣି ସେ କୁଲା ସମୁଦ୍ର ପ୍ରାୟ ହୋଇଅଛି । ସମୁଦ୍ର ଯେପରି ଦ୍ୱୀପମାନଙ୍କରେ ଶୋଭିତ ହୋଇଥାଏ, କୁଲା ସେହିପରି ପ୍ରଦୀପମାନ ଜଳିବାଦ୍ୱାରା ଶୋଭା ପାଉଅଛି । ବେଶ୍ୟାମାନେ ସଙ୍ଗୀତ ଗୃହର ଶୋଭାକୁ ଧାରଣ କରି ଅଛନ୍ତି ।
୧୩ଶ ପଦ :- ପୟୋଧର-ସ୍ତନ ।
୧୩ଶ ପଦ :- ସଙ୍ଗୀତ ଗୃହ ବୀଣା ଆଉ ମର୍ଦ୍ଦଳରେ ମଣ୍ଡିତ ହୋଇଥାଏ, ତଦ୍ରୂପ ଏହି ବେଶ୍ୟାଗଣ ବୀଣା ତୁଲ୍ୟ କଣ୍ଠ ସ୍ୱରରେ ଓ ମାର୍ଦ୍ଦଳ ତୁଲ୍ୟ ସ୍ତନ ଯୁଗଳରେ ମଣ୍ଡିତ ହୋଇଅଛନ୍ତି । ପୁଣି ସଙ୍ଗୀତ ଗୃହରେ ନର୍ତ୍ତକୀସବୁ ନୃତ୍ୟ କରନ୍ତି । ଏଠାରେ ବେଶ୍ୟାମାନଙ୍କର ଭ୍ରୃଭଙ୍ଗୀ ନେତ୍ର ଚାଳନା ସହିତ ନୃତ୍ୟ ଓ ଗୀତ ଖ୍ୟାତି ଲଭିଅଛି ।
୧୪ଶ ପଦ :- ମୁଖର-ଶବ୍ଦାୟମାନ । ରସନା-କିଙ୍କିଣୀ । ମୁଖର ରସନା-ହୁଳିହୁଳି ଶବ୍ଦ ।
୧୪ଶ ପଦ :- ନର୍ତ୍ତକୀମାନେ ସଙ୍ଗୀତଶାଳାରୁ ବାହାରିବାବେଳେ ଯେପରି ସେମାନଙ୍କର କଟୀସ୍ଥ କିଙ୍କିଣୀର ସ୍ୱନ ଶୁଣାଯାଏ, ସେହିପରି ଏମାନେ ଅନ୍ତଃପୁରରୁ ବାହାରିବାବେଳେ ସ୍ତ୍ରୀମାନେ ମଙ୍ଗଳସୂଚକ ହୁଳହୁଳି ଶବ୍ଦ କଲେ ।
୧୫ଶ ପଦ :- ବାରସନ-ଦ୍ୱାରୀ । ବାଜିବାରେ-ବାଜିବାରୁ,ଅଶ୍ୱମାନଙ୍କର । ରାଜି-ସମୂହ, ଶୋଭାପାଇ । ସାଦି-ଅଶ୍ୱାରୋହୀ ।
୧୫ଶ ପଦ :- ସେ ସମୟରେ ଦ୍ୱାରପାଳମାନେ ନଳରାଜାଙ୍କ ପ୍ରାୟ ହେଲେ । ନଳରାଜା ନିଷଧ ଦେଶର ଅଧିପତି, ସେହିପରି ଦ୍ୱାରପାଳମାନେ ନିଷଧ ଅର୍ଥାତ ବାରଣ କରିବାରେ ଅଧିପତି ଅଟନ୍ତି । ବାଦ୍ୟସମୂହ ବାଜିବାରୁ ତାହା ଅଶ୍ୱାରୋହୀଙ୍କ ସ୍ୱରୂପ ହେଲା । ଅଶ୍ୱାରୋହୀମାନେ ‘ବାଜୀବରେ’ ଅଶ୍ୱସମୂହରେ ଶୋଭିତ ହୋଇଥାନ୍ତି-ଏ ବାଜିବାରୁ ଶୋଭିତ ।
ବନ୍ଧୁରାଏ ଚାହୁଁଛନ୍ତି ଘଣ୍ଟିମୃଗ ପରିବିଶିଷ୍ଟ ଭବନ ଜନ୍ୟ ଶମ୍ବରକୁ ଧରି ଯେ । ୧୬।ବନ୍ଦିଲେ ଦେବୀ ଦେବଙ୍କୁ ପରସ୍ପରେ ଯାଇ ।ବର କନ୍ୟା ଗନ୍ଧଷିଲେଗନ୍ଧପୁଷ୍ପ ଦେଇ ଯେ । ୧୭।ବିଯୋଗ ନିଦ୍ରାରେ ଭୃତ୍ୟେ ନିଶା ଥାଉଁ ଯାମେ ।ବୁଡ଼ି ବହି ପରଭୃତ ପରାକୃତ ନାମେ ଯେ । ୧୮।ବିଜନ ସ୍ଥାନେ ପୂଜାରଲବଣଚାମରୀ ।ବ୍ରତାଚାରୀ ପରି କରି ଚାରି ସୁକୁମାରୀ ଯେ । ୧୯।ବେଗେ ଯାଉ ଦିବସ ଏ ବଶ ବର କନ୍ୟା ।ବିରକ୍ତ ହେଉଁ ଏ ରକ୍ତବନ୍ତେ ଭାନୁ ଧନ୍ୟା ଯେ । ୨୦।
୧୬ଶ ପଦ :- ମୃଗମାନେବ୍ୟାଧର ଘଣ୍ଟି ଶବ୍ଦ ଶୁଣି ଚାହିଁଲାପରି ବନ୍ଧୁରାଜାମାନେ ଏ କନ୍ୟାମାନଙ୍କୁ ହୁଳହୁଳି ଶବ୍ଦ ଶୁଣି ଚାହୁଁଅଛନ୍ତି । ବନରେ ବ୍ୟାଧମାନେ ଅତି ଶୋଭାଯୁକ୍ତ ବନଜାତି ସମ୍ୱର, ମୃଗ ଧରିଲାପରି ଏଠାରେ ରମଣୀମାନେ ପ୍ରଧାନ ପ୍ରଧାନ ଘରୁ ଜଳ ସଂଗ୍ରହ କରି ଧଇଲେ,(ବାଡ଼ୁଅ ପାଣି ଗ୍ରାମରେ କେତେକ ଘରୁ ସଂଗ୍ରହ କରାଯାଇ ଥାଏ । )
୧୭ଶ ପଦ :- ତାହାପରେ (ଜଳତୋଳା ସରିଲା ପରେ) ଜଣେ ଜଣେ ଯାଇ ଦେବଦେବୀମାନଙ୍କୁ ପୂଜାକଲେ ଓ ବରକନ୍ୟାଙ୍କୁ ଗନ୍ଧପୁଷ୍ପ ଦେଇ ମଙ୍ଗୁଳିଲେ ।୧୮ଶ ପଦ :- ଯମ-ପ୍ରହର । ପରଭୃତ-କୋକିଳ ।
୧୮ଶ ପଦ :- ଭୃତ୍ୟମାନେ ରାତ୍ର ପ୍ରହରେ ଥାଉଁ ନିଦ୍ରା ତେଜି ଉଠି କୋକିଳର ପ୍ରକୃତ ନାମ ବୁଡ଼କୁ ବିହିଲେ । (ବରକନ୍ୟାଙ୍କୁ କୋଇଲିବୁଡ଼ କରାଇଲେ । )
୧୯ଶ ପଦ :- ଲବଣଚାମରୀ- ଲୁଣଚାଉଁରୀ । ବତାଚାରୀ-ବ୍ରତାବଲମ୍ବିନୀ ।୧୯ଶ ପଦ :- ତଦନନ୍ତର ସୀତା ପ୍ରଭୃତି ଚାରି କୁମାରୀଙ୍କୁ ବ୍ରତାଚାରିଣୀ ପରି ନିର୍ଜନ ସ୍ଥାନରେ ଲବଣଚଉଁରୀ ପୂଜାଇଲେ ।
୨୦ଶ ପଦ :- ‘ଶୀଘ୍ର ଦିନ ଶେଷ ହେଉ’ ଏହି କଥାରେ ବଶ ହୋଇ ବରକନ୍ୟା ବିରକ୍ତ ପ୍ରକାଶ କରନ୍ତେ, ସୂର୍ଯ୍ୟ ତାହା ଜାଣିପାରି ଅସ୍ତ ହୋଇଗଲେ । ତେଣୁ ସେ ବରକନ୍ୟା ପ୍ରଶଂସ୍ୟା ଅଟନ୍ତି । (ସୂର୍ଯ୍ୟ ମଧ୍ୟ ତାଙ୍କ ମନକଥା ଜାଣି ଶୀଘ୍ର ଅସ୍ତ ହୋଇଗଲେ) ।
ବ୍ୟାସକ୍ତ ଅନୁରାଗରେ ସବିତା ଏକାଳେ ।ବିଳପୃଷ୍ଟ ବୋଲି ନିଜ ନିବାସକୁ ଚଳେ ଯେ । ୨୧।ବୁଡ଼ାଇ କି ସିନ୍ଧୁ ଜଳେ ତାମ୍ରପାତ୍ର ରବି ।ବିଭା ସୀତା ରାମର ନିକଟ ଧାତା ଭାବି ଯେ । ୨୨।ବାରିଧିଜ ଉଦେ ଅଙ୍କ ଦୁର୍ବାଦଳ ଭରି ।ବନ୍ଦାଇବ ରୂପାସ୍ଥାଳୀପ୍ରାଚୀନାରୀ ଧରି ଯେ । ୨୩।ବିଭବେ ଉତ୍ସବ ହେଲା ବେନି ରାଜା ଦ୍ୱାରେ ।ବର୍ଷାଋତୁମୁର୍ତ୍ତିମନ୍ତେ କିବା ଅନୁସରେ ଯେ । ୨୪।ବୃନ୍ଦ ବୃନ୍ଦ ଦିଶିଲେ ଜଳଦ କରୀବର ।ବ୍ୟୋମ-ପୂର୍ଣ୍ଣ ସ୍ତନିତ ପଟ୍ଟହ ନାଦ ତାର ଯେ । ୨୫।୨୧ଶ ପଦ :- ସବିତା-ସୂର୍ଯ୍ୟ । ବଳିପୁଷ୍ଟ-କୁଆ ।
୨୧ଶପଦ :- ସୂର୍ଯ୍ୟ ଅନୁରାଗରେ ରକ୍ତବର୍ଣ୍ଣ ପ୍ରତି ସ୍ନେହ ପ୍ରକାଶ କରିବାର ଦେଖି କାକଗଣ ‘ସ୍ନେହରେ ବିଶେଷରେ ଆସକ୍ତ ହୁଅ’ ଏହା ସମସ୍ତଙ୍କୁ କହି ନିଜ ନିଜ ବସାକୁ ଉଡ଼ିଗଲେ ।
୨୨ଶ ପଦ :- ସୂର୍ଯ୍ୟ ବୁଡ଼ିଯିବାର ଦେଖି ବୋଧହେଲା, ‘ସୀତା ରାମଙ୍କ ବିବାହ ନିକଟ ହେଲା’ ଏହା ଭାବି ବିଧାତା ରବି ରୂପ ତାମ୍ରପାତ୍ରକୁ ସମୁଦ୍ର ଜଳରେ ବୁଡ଼ାଇଲେ କି ?
୨୩ଶ ପଦ :- ବାରିଧିଜ-ଚନ୍ଦ୍ର । ଅଙ୍କ-କଳଙ୍କ । ପ୍ରାଚୀନାରୀ-ପୂର୍ବଦିଗରୂପ ରମଣୀ ।
୨୩ଶ ପଦ :- ସେହି ସମୟରେ ଚନ୍ଦ୍ର ଉଦିତ ହେଲେ । ତାହା ଦେଖି ମନେହେଲା, ପୂର୍ବଦିଗରୂପା ସ୍ତ୍ରୀ କଳଙ୍କ ରୂପ ଦୁର୍ବାଦଳକୁ ରଖି ରାମ ସୀତାଙ୍କୁ ବନ୍ଦାଇବ ବୋଲି ରୂପାଥାଳି ଧାରଣ କରିଅଛି କି ? (ଚନ୍ଦ୍ର ରୂପାଥାଳି ଓ ତନ୍ମଧ୍ୟସ୍ଥ କଳଙ୍କ ଦୁର୍ବାଦଳ ସହିତ ଉପମିତ ) ।
୨୪ଶ ପଦ :- ଦଶରଥ ଓ ଜନକଙ୍କ ଦ୍ୱାରରେ ଆଡ଼ମ୍ୱର ସହିତ ଉତ୍ସବ ହେଲା । ତାହା ଦେଖି ବୋଧହେଲା, ବର୍ଷା ଋତୁ ମୂର୍ତ୍ତିମନ୍ତ ହୋଇ ସେଠାରେ ପ୍ରବିଷ୍ଟ ହେଲା କି ?
୨୫ଶ ପଦ :- ଜଳଦ-ମେଘ । ବ୍ୟୋମ-ଆକାଶ । ସ୍ତନିକ-ମେଘଗର୍ଜନ । ପଟ୍ଟହ-ବାଦ୍ୟ ବିଶେଷ ।
୨୫ଶ ପଦ :- ଯୂଥ ଯୂଥ ହୋଇ ଯାଉଥିବା ଶ୍ରେଷ୍ଠ ହସ୍ତୀସବୁ ମେଘମାଳପରି ଦେଖାଗଲେ । ମେଘ ଗର୍ଜନ ତୁଲ୍ୟ ପଟ୍ଟହ ପ୍ରଭୃତି ବାଦ୍ୟନାଦରେ ଆକାଶ ପୂର୍ଣ୍ଣ ହେଲା ।
ବିଗଳିତ ଜଳଧାରା ଯହିଁ ଦାନଜଳ ।ବଜ୍ର ନିର୍ଘୋଷ ନାଗରା ବାଦନ ଚହଳ ଯେ । ୨୬।ବ୍ୟୁହ ଭୟାଳହି ଅଶ୍ୱ ଚଞ୍ଚଳ ହୁଅନ୍ତି ।ବୈଶମ୍ପାୟନଙ୍କ ଚିନ୍ତା ମାଗଧଙ୍କ ସ୍ତୁତି ଯେ । ୨୭।ବାଲ୍ମୀକନଳିତ ଇନ୍ଦ୍ରକୋଦଣ୍ଡ ହାବେଳି ।ବହ୍ନିକଣା ଜାତ କି ଖଦ୍ୟୋତ ଦିଶେ ଝଳି ଯେ । ୨୮।ବିଦ୍ୟୁତ ଚଞ୍ଚଳ ପୀତ-ଚିରାଳ ପ୍ରଚଳ ।ବିଭ୍ରମେ ଚାତକପନ୍ତି ଚ୍ୟୁତ ତ୍ରୋଣାମେଳ ଯେ । ୨୯।ବକ ଶଙ୍ଖଦାତ୍ୟୁହମଧୁରୀ କଙ୍କଭେରୀ ।ବର୍ଷାଭୂ ଟମକ ନାଦେ ଦଶଦିଶ ପୂରି ଯେ । ୩୦।୨୬ଶ ପଦ :- ବ୍ୟୂହ-ସମୂହ । ମାଗଧ-ସ୍ତୁତି ପାଠକ ବା ଭାଟ ।
୨୬ଶ ପଦ :- ହସ୍ତିମାନଙ୍କର ଗଣ୍ଡସ୍ଥଳରୁ ଝରୁଥିବା ମଦବାରିସବୁ କିମ୍ୱା ବିବାହ ଯୋଗୁ ଦାନ ଦେବାପାଇଁ ବ୍ରାହ୍ମଣମାନଙ୍କ ହାତକୁ ଟେକି ଦେଉଥିବା ଜଳସବୁ ବର୍ଷାଧାରା ପରି ଦେଖାଗଲା ଏବଂ ବାଜୁଥିବା ନାଗରାର ଚହଳ ବଜ୍ର ନିର୍ଘୋଷ ପରିବୋଧ ହେଲା ।
୨୭ଶ ପଦ :- ବଜ୍ର ନିର୍ଘୋଷରେ ଭୟାତୁର ଲୋକମାନେ ଚଞ୍ଚଳ ହେଲାପରି, ବାଦ୍ୟର ଅତ୍ୟୁଚ୍ଚ ନାଦରେ ଘୋଟକସବୁ ଚଞ୍ଚଳ ହେଲେ । ବଜ୍ର ଭୟରୁ ରକ୍ଷା ପାଇବାପାଇଁ ଲୋକେ ବୈଶମ୍ପାୟନଙ୍କୁ ଚିନ୍ତା କଲା ପରି ଏଠାରେ ଭାଟମାନଙ୍କର ସ୍ତୃତିପାଠ ନିର୍ଦ୍ଦିଷ୍ଟ ହେଲା ।
୨୮ଶ ପଦ :- ବାଲ୍ମୀକ-ସ୍ତୁପମେଘ । କୋଦଣ୍ଡ-ଧନୁ । ଇନ୍ଦ୍ରକୋଦଣ୍ଡ-ଇନ୍ଦ୍ରଧନୁ । ବହ୍ନିକଣା-ଅଗ୍ନିକଣା । ଖଦ୍ୟୋତ-ଜୁଳୁଜୁଳୁା ପୋକ ।
୨୮ଶ ପଦ :- ସ୍ତୁପମେଘରୁ ଇନ୍ଦ୍ରଧନୁ ଜାତ ହେଲାପରି ନଳୀମାନଙ୍କରୁ ହାବେଳୀ ବାଣ ପ୍ରକାଶ ପାଇଲା । (ଗାଢ଼ ମେଘ କୃଷ୍ଣବର୍ଣ୍ଣ ଓ ଲୁହାନଳୀ କୃଷ୍ଣବର୍ଣ୍ଣ) । ସେହି ହାବେଳୀରୁ ଜାତ ଅଗ୍ନିକଣାସବୁ ଜୁଳୁଜୁଳା ପୋକପରି ସବୁଦିଗକୁ ଉଜ୍ଜ୍ୱଳ କଲେ । (ସେହି ବାଣ ଲାଗିବାରୁ ସବୁଦିଗ ଉଜ୍ଜ୍ୱଳ ଦେଖାଗଲା) ।
୨୯ଶ ପଦ :- ହଳଦିଆ ପତାକାସବୁ ପବନ ଯୋଗେ ଉଡ଼ୁଥିବାରୁ ଝଟକ ବିଜୁଳି ପ୍ରାୟ ଦେଖାଗଲା । ଆମ୍ୱପତ୍ରର ତୋରଣ ଚାତକ ପକ୍ଷୀ ଏଣେତେଣେ ଉଡ଼ିଲା ପରି ଇତସ୍ତତଃ ଦୋହଲିବାକୁ ଲାଗିଲା ।
୩୦ଶ ପଦ :- ଦାତ୍ୟୁହ-ଡାହୁକ । ବର୍ଷାଭୁ-ବେଙ୍ଗ ।
୩୦ଶ ପଦ :- ଶଙ୍ଖରୂପ ବଗ, ମହୁରୀରୂପ ଡାହୁକ, ଭେରୀରୂପ କଙ୍କପକ୍ଷୀ, ଟମକରୂପ ବେଙ୍ଗଙ୍କର ନାଦରେ ଦଶଦିଗ ପୂରିଗଲା । ବର୍ଷାଦିନେ ବଗ, ଡାହୁକ, କଙ୍କ ଓ ବେଙ୍ଗଙ୍କ ଶବ୍ଦରେ ଦଶଦିଗ ପୂରିଉଠେ, ସେହିପରି ଏଠାରେ ଶଙ୍ଖ, ମହୁରୀ, ଭେରୀ ଓ ଟମକ ନାଦରେ ଦଶଦିଗ ପୂରି ଉଠିଲା ।
ବ୍ୟାଖ୍ୟାନ ଶାମୁକ ନାଦ ଦାସୀ ହୁଳହୁଳି ।ବିଳସିତା ଇନ୍ଦ୍ରଗୋପ ବେଶ୍ୟା ପାଟଚୋଳି ଯେ । ୩୧।ବିଶଦ ଶିଳୀନ୍ଦ୍ର ଛତ୍ର ସହଜେ ଦିଶିଲେ ।ବାଣାଦି ଜାଇ ଯୁଇ ତ ସତ ଫୁଟିଗଲେ ଯେ । ୩୨।ବରହିଣ ନର୍ତ୍ତକ ନର୍ତ୍ତନ ପ୍ରକାଶିତ ।ବ୍ୟାପେ ଦୁର୍ଦ୍ଦିନ କୁହୁକ ଜାଲିକରେ ସତ ଯେ । ୩୩।ବର୍ଷୋତ୍ପତ ପାତ ଦାତା ରଜତ ପ୍ରଦାନ ।ବାହାର ପୁର-ଗିରିରୁ ହେଲେ ଝର-ସୈନ୍ୟ ଯେ । ୩୪।ବିବର୍ଦ୍ଧନ ରାଜମାର୍ଗ ନଦୀ ହେଲା ତହିଁ ।ବିଭରଣ ଉଷ୍ଣୀଷ ହିଣ୍ଡୀରମାନ ଯହିଁ ଯେ । ୩୫।୩୧ଶ ପଦ :- ଇନ୍ଦ୍ରଗୋପ-ସାଧବ ବୋହୂ ବା ଲାଲବର୍ଣ୍ଣ କୀଟ ବିଶେଷ ।
୩୧ଶ ପଦ :- ଦାସୀମାନଙ୍କର ହୁଳହୁଳି ଶବ୍ଦ ଶାମୁକର ନାଦପରି ଶୁଣାଗଲା ଓ ନୃତ୍ୟଲୀଳା କରୁଥିବା ବେଶ୍ୟାମାନଙ୍କର ପାଟ କାଞ୍ଚଲା ସାଧବବୋହୂ ପୋକପରି ଦେଖାଗଲା । (ବର୍ଷାଦିନେ ଶାମୁକାନାଦ ଶୁଣାଯାଏ ଓ ବହୁତ ଗାଢ଼ ଲାଲବର୍ଣ୍ଣ ସାଧବବୋହୂ ପୋକ ଦେଖାଯାନ୍ତି । ସେହିପରି ଏଠାରେ ହୁଳହୁଳି ଶବ୍ଦ ଶୁଣାଗଲା ଓ ନୃତ୍ୟକାରିଣୀମାନଙ୍କ ଲାଲବର୍ଣ୍ଣର କାଞ୍ଚଲା ସାଧବବୋହୂ ପୋକ ପ୍ରାୟ ପ୍ରତୀୟମାନ ହେଲା) ।
୩୨ଶ ପଦ :- ବିଶଦ-ଶୁକ୍ଳବର୍ଣ୍ଣ । ଶିଳୀନ୍ଦ୍ର-କନ୍ଦଳୀ ।
୩୨ଶ ପଦ :- ଶୁକ୍ଳବର୍ଣ୍ଣର ଛତ୍ରସବୁ କନ୍ଦଳୀ ପୁଷ୍ପ ପ୍ରାୟ ଦିଶିଲେ । ବାଣ ସବୁ ଫୁଟିବାରୁ, ଜାଈ, ଯୁଇ ଫୁଲ ଫୁଟିଲା ପ୍ରାୟ ଦେଖାଗଲା । (ବର୍ଷାଦିନେ ନୀଳବାଣ ପ୍ରଭୃତି ଜାଈ ଯୂଇ ଫୁଲ ଫୁଟନ୍ତି ) ।
୩୩ଶ ପଦ :- ବରହିଣ(ବହଣ)-ମୟୁରସମୂହ । ଦୁର୍ଦ୍ଦିନ-ମେଘ ଘୋଡ଼ାଇଥିବା ଦିନ । ଜାଲିକ-ଯେ କୁହୁକ ଦେଖାଏ ।
୩୩ଶ ପଦ :- ନର୍ତ୍ତକମାନେ ମୟୁର ପ୍ରାୟ ହୋଇ ନୃତ୍ୟ କଲେ । ଇନ୍ଦ୍ରଜାଲିକ(କୁହୁକ କଲା ବ୍ୟକ୍ତି)ର କୁହୁକ ମେଘାଚ୍ଛନ୍ନ ଦିବସ ପ୍ରାୟ ଅସ୍ପଷ୍ଟ ଦେଖାଗଲା । (ବର୍ଷାଦିନେ ମୟୁରମାନେ ନୃତ୍ୟ କରନ୍ତି, ମେଘାଚ୍ଛନ୍ନ ହେତୁ ଦିନ ସ୍ପଷ୍ଟ ଦେଖାଯାଏ ନାହିଁ, ସେହିପରି ନର୍ତ୍ତକମାନେ ଏଠାରେ ନୃତ୍ୟ କରୁଛନ୍ତି ଏବଂ ଐନ୍ଦ୍ରଜାଲିକର କୁହୁକ କୌଶଳ ସ୍ପଷ୍ଟ କେହି ବୁଝିପାରୁ ନାହାନ୍ତି ) ।
୩୪ଶ ପଦ :- ବର୍ଷୋତ୍ପଳ-କୁଆପଥର ।
୩୪ଶ ପଦ :- ଦାତାମାନଙ୍କର (ଦଶରଥ ଓ ଜନକ ଦୁଇରାଜାଙ୍କର) ରୌପ୍ୟମୁଦ୍ରା କରକାପାତ ପ୍ରାୟ ପ୍ରତୀୟମାନ ହେଲା । ନଗର ରୂପ ପର୍ବତରୁ ସୈନ୍ୟମାନେ ଝରଣା ସଦୃଶ ବହିର୍ଗତ ହେଲେ ।
୩୫ଶ ପଦ :- ସେ ସୈନ୍ୟରୂପ ଝରଣାଦ୍ୱାରା ରାଜପଥରୂପ ନଦୀ ବର୍ଦ୍ଧିତ ହେଲା । ସୈନ୍ୟମାନଙ୍କର ମୁଣ୍ଡର ପାଗ ସବୁ ପାଣିର ଫେଣରୂପେ ପୂର୍ଣ୍ଣକାରରେ ଦେଖାଗଲା ।
ବୀରତରୁ ପୁଷ୍ପବନ୍ତ ହୋଇ ସମଧୂପ ।ବେନିକୁଳ ବେନିପାଶେ ସ୍ଥିତି ବୃକ୍ଷଦୀପ ଯେ । ୩୬।ବୀଚି ବେଗରେ ଗମନ ଲିଭିଲା ସେ ଶାନ୍ତି ।ବନ୍ଧ ସିଂହଦ୍ୱାରରେ ଏମନ୍ତ ବ୍ୟୁତପତ୍ତି ଯେ । ୩୭।ବିଦେଶୀ ପାନ୍ଥ ପ୍ରଧାନ ଜନତରୀ ଜାନ ।ବହନ ତେଜି କଲେ ସେ ସଦନ ଗମନ ଯେ । ୩୮।ବେଶ୍ମସ୍ଥା ମୃଦୁସୁଲୀକ ନିଉଞ୍ଛାଇ ଅନ୍ନ ।ବରିଲେ ବର ଶାଳକେ ଦିଶିଲେ ତେସନ ଯେ । ୩୯।ବିବାହ ସ୍ଥାନରେ ବରବେଶେ ବସାଇଲେ ।ବ୍ରହ୍ମା ଆଚାର୍ଯ୍ୟ ବେଦିକେ ଯୁଗଯୁଗ ହେଲେ ଯେ । ୪୦।୩୬ଶ ପଦ :- ବୀରତରୁ-ଅର୍ଜ୍ଜୁନ ବୃକ୍ଷ ।
୩୬ଶ ପଦ :- ବର୍ଷାଦିନେ ଅର୍ଜୁନ ବୃକ୍ଷମାନେ ପୁଷ୍ପବନ୍ତ ଓ ଭ୍ରମରଯୁକ୍ତ ହୋଇ ନଦୀର ବେନି କୂଳରେ ରହିଥାନ୍ତି; ସେହିପରି ଏ ରାଜପଥ ରୂପ ନଦୀର ଉଭୟ ପାର୍ଶ୍ୱରେ ବୃକ୍ଷ ଦୀପମାନେ ଫୁଲଝାଡ଼ ଶୋଭିତ ଓ ମଦ୍ୟପ ଶବରାଦି ଯୁକ୍ତ ହୋଇ ଠିଆ ହୋଇଅଛନ୍ତି ।
୩୭ଶ ପଦ :- ବୀଚି-ଲହରୀ ।
୩୭ଶ ପଦ :- ନଦୀ ତରଙ୍ଗଯୁକ୍ତହୋଇ ବେଗରେ ଗମନ କରୁ କରୁ ବନ୍ଧ ପାଇଲେ ସ୍ଥିର ହୋଇଯାଏ । ସେହିପରି ସୈନ୍ୟମାନେ ଅଳ୍ପ ବେଗରେ ଯାଇ (ଶୋଭାଯାତ୍ରାରେ ଯାତ୍ରୀଗଣ ଧୀରେ ଧୀରେ ଯାନ୍ତି) ସିଂହଦ୍ୱାର ରୂପ ବନ୍ଧକୁ ପାଇ ସ୍ଥିର ହୋଇ ରହିଲେ ।
୩୮ଶ ପଦ :- ପାନ୍ଥ-ପଥିକ । ତରୀ-ନୌକା ।
୩୮ଶ ପଦ :- ବିଦେଶୀ ପଥିକମାନେ ନଦୀ ପାର ହୋଇ ଆସିଲେ । ନୌକା ଛାଡ଼ି ନିଜ ନିଜ ଗୃହକୁ ଗମନ କରନ୍ତି । ସେହିପରି ବିବାହ ଯାତ୍ରୀ ହୋଇଥିବା ଶ୍ରେଷ୍ଠବ୍ୟକ୍ତିମାନେ ଶବାରି ପ୍ରଭୃତି ଯାନ ସବୁକୁ ତ୍ୟାଗ କରି ନିଜ ବାସଗୃହକୁ ଗଲେ ।
୩୯ଶ ପଦ :- ବେଶୁସ୍ଥା-ଗୃହବାସିନୀ ସ୍ତ୍ରୀ ।
୩୯ଶ ପଦ :- ତାହାପରେ ପୁର ମଧ୍ୟରେ ଥିବା ମୁଦୁସୁଲୀମାନେ ବରମାନଙ୍କୁ ଅନ୍ନଥାଳୀରେ ବନ୍ଦାପନା କଲେ, ଶାଳକମାନେ ବରଙ୍କୁ ବରଣ କରି ନେଲାବେଳେ ପ୍ରଧାନ ବ୍ୟକ୍ତିମାନଙ୍କୁ ବରଣ କରି ନେଲା ପ୍ରାୟ ଦେଖାଗଲା ।
୪୦ଶ ପଦ :- ବେଦିକେ-ପ୍ରତିବେଦୀରେ । ଯୁଗ ଯୁଗ-ଦୁଇ ଦୁଇ ।
୪୦ଶ ପଦ :- ତଦନନ୍ତର ବରମାନଙ୍କୁ ବରବେଶରେ ବିବାହ ସ୍ଥାନରେ ବସାଇଲେ, ପ୍ରତି ବେଦୀରେ ବ୍ରହ୍ମା ଓ ଆଚାର୍ଯ୍ୟ ଏହିପରି ଦୁଇ ଦୁଇଜଣ ବରଣ ହେଲେ ।
ବିଶିଷ୍ଠ ଶତାନନ୍ଦ, କାଶ୍ୟପ କଉଶିକ ।ବାମଦେବ ଗଉତମ, ଜାବାଳି ବାଲ୍ମୀକି ଯେ । ୪୧।ବହି ବିଚରିତ ଶାଳେ ଧୁଆଇଲେ ପଦ ।ବହିତ ଗମନାନିଳେ ଚମରୀ ବିନୋଦ ଯେ । ୪୨।ବିଦୃଷ୍ଟି ଅନ୍ତର ପାଟ କୁଜ୍ଝଟି ବଶରେ ।ବିଭାବସୁ ପଦ୍ମିନୀର ହୋଏ ପରସ୍ପରେ ଯେ । ୪୩।ବରଗିଲେ ସୁଯଜ୍ଞୋପବିତ ଦୂତୀ ତହିଁ ।ବିପ୍ରଲବ୍ଧା ହୋଇଥିଲେ ଆଣିଲେ ବୋଧାଇ ଯେ । ୪୪।ବାଞ୍ଛାକଳ୍ପଦ୍ରୁମ ପାଶେ କାମଧେନୁ ମିଳେ ।ବାମନେତ୍ରା ଦକ୍ଷିଣ କରାଇ ବସାଇଲେ ଯେ । ୪୫।
୪୧ଶ ପଦ :- ବଶିଷ୍ଠ-ଶତାନନ୍ଦ, କାଶ୍ୟପ-କୌଶିକ, ବାମଦେବ-ଗୌତମ, ଏବଂ ଜାବାଳି-ବାଲ୍ମୀକି ଏହିପରି ଚାରିବେଦୀରେ ବ୍ରହ୍ମା ଓ ଆଚାର୍ଯ୍ୟ ହୋଇ ବସିଲେ ।
୪୨ଶ ପଦ :- ପୁରୋହିତମାନେ ବିଧିବିଧାନ ଅନୁସାରେ ଶାଳକମାନଙ୍କଦ୍ୱାରା ବରମାନଙ୍କର ପାଦକୁ ଧୁଆଇଲେ । ଚମରୀମୃଗ ପବନରେ କ୍ରୀଡ଼ାରତ ହୋଇ ଆମୋଦ ଲଭିଲା ପରି, ସେ ବରକନ୍ୟାମାନେ ଲବଣ ଚାମରୀ ବିଧାନରେ ଆନନ୍ଦ ଉପଭୋଗ କଲେ ।
୪୩ଶ ପଦ :- ବିଭାବିସୁ-ସୂର୍ଯ୍ୟ ।
୪୩ଶ ପଦ :- ବରକନ୍ୟାଙ୍କର ଦେଖା ଦେଖି ନ ହେବାପାଇଁ ପାଟର ଅନ୍ତର ବାଡ଼ ମଧ୍ୟରେ ପକାଇଲେ । କୁହୁଡ଼ିଯୋଗୁଁ ସୂର୍ଯ୍ୟ ଓ ପଦ୍ମଙ୍କର ଯେପରି ଦେଖାଦେଖି ହୋଇ ନ ପାରେ, ସେହିପରି ଅନ୍ତର ପାଟ ଯୋଗୁଁ ସୂର୍ଯ୍ୟବଂଶ ଜାତ ରାମଚନ୍ଦ୍ରଙ୍କର ଓ ପଦ୍ମିନୀ ସ୍ତ୍ରୀ ସୀତାଙ୍କର ଦେଖାଦେଖି ହୋଇପାରିଲା ନାହିଁ ।
୪୪ଶ ପଦ :- ବିପ୍ରଲବ୍ଧା-ନାୟିକା ବିଶେଷ ଅର୍ଥାତ୍ ଆଠପ୍ରକାର ନାୟିକାଙ୍କ ମଧ୍ୟରୁ ଗୋଟିଏ, ମାନିନୀ ସ୍ତ୍ରୀ ।
୪୪ଶ ପଦ :- ଉତ୍ତମ ଯଜ୍ଞସୂତ୍ର (ମନ୍ତ୍ରୀତ ହୋଇଥିବା ଅଷାଢ଼ୁଆ ସୂତା) ଦୂତୀରୂପେ ବରମାନଙ୍କଠାରୁ ସଙ୍କେତ ନେଇ କନ୍ୟାମାନଙ୍କ ପାଖକୁ ପଠାଇବାରୁ କନ୍ୟାମାନେ ଆସିଲେ । ସେ କନ୍ୟାମାନେ ବିପ୍ରଲବ୍ଧା ହୋଇଥିଲେ, ତାଙ୍କୁ ବୋଧ କରାଇ ଆଣିଲେ । (ଦୂତିମାନେମାନିନୀ ନାୟିକାଙ୍କୁ ପ୍ରବୋଧ କରାଇ ସଙ୍କେତସ୍ଥଳକୁ ମଣାଇ ନେଲାପରି, ଅଷାଢ଼ୁଆସୂତା ଯିବାରୁ ସୀତା ପହଣ୍ଡମଣାଇ ବେଦୀ ଉପରକୁ ଆସିଲେ) ।
୪୫ଶ ପଦ :- ବାଞ୍ଚାପୂର୍ଣ୍ଣକାରୀ କଳ୍ପତରୁରୂପ ବରଙ୍କ ନିକଟରେ କାମଧେନୁ ରୂପୀ କନ୍ୟାମାନେ ଆସି ମିଳିତ ହେବାରୁ ପୁରୋହିତମାନେ ବାମଲୋଚନା କନ୍ୟାମାନଙ୍କୁ ଦକ୍ଷିଣଭାଗରେ ବସାଇଲେ ।
ବସୁନ୍ଧରା ପ୍ରାୟେ ସେ ଅଙ୍ଗଣ ନବଖଣ୍ଡେ ।ବିଭାବରୀ କି ଅମ୍ବରେ ତାରାପନ୍ତି ରୁଣ୍ଡେ ଯେ । ୪୬।ବୃକ୍ଷସ୍ତମ୍ଭେ ରାଜେ ଫଳବନ୍ତ ହୋଇ ସେହି ।ବାନ୍ଧବ-କୁମୁଦର କି ପ୍ରଭା ସୁଧା ବହି ଯେ । ୪୭।ବ୍ରହ୍ମା ଆନନକୁ ଯେ ହୋଇଲା ଅନୁରୂପ ।ବେଦବାକ୍ୟପୂର୍ଣ୍ଣ ହୋଇ ଚତୁର ମଣ୍ଡପ ଯେ । ୪୮।ବିପ୍ରେ ଲକ୍ଷିତ ହୋଇଲେ ତାଙ୍କ କର ସଂଗେ ।ବିଷ୍ଟର ତାମ୍ର ସୁପାତ୍ରୀ ଶ୍ରୂବଶ୍ରୂଚ ଯୋଗେ ଯେ । ୪୯।ବରକନ୍ୟାଙ୍କୁ ବୋଲନ୍ତି ଈଶ୍ୱର ପାର୍ବତୀ ।ବାନ୍ଧିଲେ ସେ ମୁକୁଟ କରି କି ଏହି ମତି ଯେ । ୫୦।୪୬ଶ ପଦ :- ବସୁନ୍ଧରା-ପୃଥିବୀ । ଅଙ୍ଗଣ-ଅଗଣା । ଅମ୍ୱର-ଆକାଶ, ବସ୍ତ୍ର । ତାରାପନ୍ତି-ନକ୍ଷତ୍ର ସମୂହ, ମୁକ୍ତାପନ୍ତି ।
୪୬ଶ ପଦ :- ସେହି ଅଗଣା ବସୁନ୍ଧରା ପ୍ରାୟ ହୋଇଅଛି । ବସୁନ୍ଧରା ନବଖଣ୍ଡ ହେଲା ପ୍ରାୟ ଅଗଣା ଚାରିଗୋଟି ବେଦୀ ଓ ପାଞ୍ଚଗୋଟି ଅନ୍ତର ସ୍ଥାନ ଯୋଗେ ନବଖଣ୍ଡ ହୋଇଅଛି । ରାତ୍ରରେ ଆକାଶରେ ନକ୍ଷତ୍ର ଶ୍ରେଣୀ ରୁଣ୍ଡ ହୋଇଶୋଭା ପାଇଲା ପରି, ସେ ଅଗଣାରେ ଟଣା ହୋଇଥିବା ଚନ୍ଦ୍ରାତପ ସୁନ୍ଦର ଦିଶୁଅଛି । (ଏଠାରେ ଚନ୍ଦ୍ରାତପ ଆକାଶ ଓ ଚନ୍ଦ୍ରତପରେ ଖଞ୍ଜିତ ହୋଇଥିବା ମଣି ମୁକ୍ତାଦି ନକ୍ଷତ୍ର ସହିତ ଉପମିତ ) ।
୪୭ଶ ପଦ :- ସୁଧା-ଚ୍ୟୁନ, ଅମୃତ ।
୪୭ଶ ପାଦ :- ସେହି ଅଗଣାରେ ପୋତା ହୋଇଥିବା ସ୍ତମ୍ଭସବୁ ବୃକ୍ଷ ହେଲେ । ବୃକ୍ଷସବୁ ଫଳଦ୍ୱାରା ଶୋଭିତ ହେଲା ପ୍ରାୟ ସ୍ତମ୍ଭସବୁ ଗୁଆ ନଡ଼ିଆ ଇତ୍ୟାଦି ଫଳରେ ଭୂଷିତ ହୋଇଅଛନ୍ତି । ପୁଣି ସେ ସ୍ତମ୍ଭ ଚୂନଲିପ୍ତ ହୋଇଥିବାରୁ ଅମୃତର ଶୁଭ୍ର ପ୍ରଭା ଧାରଣ କରିଥିବା ଚନ୍ଦ୍ରପ୍ରାୟ ପ୍ରତୀୟମାନ ହୁଏ ।
୪୮ଶ ପଦ :- ସେହି ଚାରିଗୋଟି ମଣ୍ଡପ ବ୍ରହ୍ମାଙ୍କର ଚାରିମୁଖ ସହିତ ସମାନ ହେଲା । ଚତୁରାନନ ବେଦରେ ପୂର୍ଣ୍ଣ ହେଲାପରି ଏହି ଚାରିମଣ୍ଡପ ବ୍ରାହ୍ମଣ ମୂଖ ନିଃସୃତ ବେଦବାକ୍ୟରେ ପୂର୍ଣ୍ଣ ହୋଇଅଛି ।
୪୯ଶ ପଦ :- ସେହି ବ୍ରାହ୍ମଣଙ୍କ ହସ୍ତ ସହିତ ବିପ୍ରମାନେ (ବ୍ରହ୍ମା ଓ ଆଚାର୍ଯ୍ୟମାନେ) ଲକ୍ଷିତ ହେଲେ । ବ୍ରହ୍ମାଙ୍କ ହସ୍ତରେ କୁଶମୁଷ୍ଟି, ତମ୍ୱାପାତ୍ରୀ, ଶ୍ରୁବ, ଶ୍ରୁଚ ବିଦ୍ୟମାନ ଥିଲା ପ୍ରାୟ, ଏହି ବ୍ରାହ୍ମଣମାନଙ୍କ ହସ୍ତରେ କୁଶମୁଷ୍ଟି, ତମ୍ଭାପାତ୍ରୀ, ଶ୍ରୁବ, ଶ୍ରୁଚ ରହିଅଛି ।
୫୦ଶ ପଦ :- ବର କନ୍ୟାଙ୍କୁ ଈଶ୍ୱର ପାର୍ବତୀ କହନ୍ତି (ଉମା ପାଶୁପତେଃ); ସେହି ହେତୁରୁ ସେମାନେ ବରକନ୍ୟାଙ୍କ ମସ୍ତକରେ ମୁକୁଟ ବାନ୍ଧିଲେ କି ?
ବିହିତ ପୁଣ ଏ ଗୋତ୍ର ବଂଶବର ଖ୍ୟାତ ।ବିଶୀର୍ଣ୍ଣ ଭୀତହିଁ ହୋଏ କାମର ଉଦିତ ଯେ । ୫୧।ବୈଶାଳେଶୂଳ ଭରମ ଉପୁଜି ତା ଥିବ ।ବଳା ଡମ୍ବରୁ ନାଦକୁ ଶୁଣି ପଳାଇବ ଯେ । ୫୨।ବୀତିହୋତ୍ରେଲାଜା ହୋମ କରୁ ଲଜ୍ଜବଳି ।ବଳିରେ ବିଚାର କାହିଁ ହୋଇବ ସମ୍ଭାଳି ଯେ । ୫୩।ବନ୍ଧାଇଲେ ଦୁହିଁଙ୍କର କର ସେ କୋବିଦେ ।ବାମା ପୁଂସ ଏକ କରି ସେ ଦମ୍ପତି ପଦେ ଯେ । ୫୪।ବିପ୍ର ଦୁହିତାଏ ତହିଁ ପରବେଶ ହେଲେ ।ବିପଦପାଶ ଫିଟିଲା ପାଞ୍ଚି ଫିଟାଇଲେ ଯେ । ୫୫।
୫୧ଶ ପଦ :- ଗୋତ୍ର ବଂଶଜର-‘ଗୋତ୍ର’ । ପର୍ବତମାନଙ୍କ ମଧ୍ୟରେ ପ୍ରଧାନ ଅର୍ଥାତ୍ ହିମାଳୟ ପର୍ବତ, ପ୍ରଧାନ ସୂର୍ଯ୍ୟବଂଶ । ବିଶୀର୍ଣ୍ଣ-ଈଷତ୍ ଭୟ ।
୫୧ଶ ପଦ :- ବିବାହ ସମୟରେ ଗୋତ୍ର ବଂଶ ପ୍ରବର କଥିତ ହେବା ବିଧି; ପୁଣି କନ୍ଦର୍ପ ପର୍ବତଶ୍ରେଷ୍ଠ ହିମାଳୟରେ ବାସ କରୁଥିବା ମହାଦେବଙ୍କୁ ଦେଖି ଭୀତ ହେଲା ପରି ସୂର୍ଯ୍ୟବଂଶରେ ଜାତ ବରମାନଙ୍କୁ ଦେଖି ବିଶେଷ ଭାବରେ ଭୟ ପ୍ରାପ୍ତ ହେଲା ।
୫୨ଶ ପଦ :- ସେହି କନ୍ଦର୍ପ ବେଦୀ କଡ଼ରେ ପୋତା ହୋଇଥିବା ବହିଃଶାଲା ଦର୍ଶନରେ ମହାଦେବଙ୍କ ଶୂଳ ବୋଲି ଭ୍ରମ ଉପୁଜିଥିବ । ପୁଣି କନ୍ୟାମାନଙ୍କର ବଳା ଶବ୍ଦକୁ ମହାଦେବଙ୍କ ଡମ୍ୱରୁ ଶବ୍ଦ ବୋଲି ମନେକରି ନିଶ୍ଚୟ ପଳାଇ ଯିବ ।
୫୩ଶ ପଦ :- ବୀତହୋତ୍ର-ଅଗ୍ନି । ଲାଜା-ଲିଆ ।
୫୩ଶ ପଦ :- ଅଗ୍ନିରେ ଲାଜା ହୋମ କରିବାରୁ (ବିବାହବେଳେ ଅଗ୍ନିରେ ଲିଆ ପୋଡ଼ାଯାଏ, ତାହାକୁ ଲାଜା ହୋମ ବା ଲଜ୍ଜାହୋମ କହନ୍ତି) ଲଜ୍ଜା ସବୁ ବିଚାର କଲେ, ‘‘ଆମ୍ଭେ ଆଉ କେଉଁଠି ସମ୍ଭାଳି ହୋଇ ରହିବା ?’’
୫୪ଶ ପଦ :- ବରଣ ହୋଇଥିବା ବ୍ରହ୍ମା ଓ ଆଚାର୍ଯ୍ୟ ବରକନ୍ୟା ଦୁହିଙ୍କର ହସ୍ତସବୁ ବାନ୍ଧିଲେ (ହାତଗଣ୍ଠି ପକାଇଲ) । ତବ୍ଦ୍ୱାରା ସେ ବର ଓ କନ୍ୟା ଦୁହିଙ୍କୁ ଦମ୍ପତି (ଜାୟା ଓ ପତି) ପଦରେ ଏକତ୍ର କରିଦେଲେ ।
୫୫ଶ ପଦ :- ତତ୍ପରେ ବ୍ରାହ୍ମଣ କନ୍ୟାମାନେ ସେଠାରେ ପ୍ରବେଶ ହେଲେ । କାମ ବିପତ୍ତି ରୂପ ଫାଶ ଏବେ ଫିଟିଗଲା-ଏହା ପାଞ୍ଚି ସେ ହାତଗଣ୍ଠିକୁ ଫିଟାଇ ଦେଲେ ।
୫୬ଶ ପଦ :- ବରକନ୍ୟା ଗଇଁଠାଳ ବସ୍ତ୍ରରେ ଭୂଷିତ ହୋଇ ବାହାରିଲେ । ତାହା ଦେଖି ମନେହେଲା, କନ୍ଦର୍ପ ସହିତ ଯୁଦ୍ଧାରମ୍ଭ କରିବାପାଇଁ ଏମାନେ ଶାଢ଼ି ପାଇଲେ କି ?
ବରାଟକେ ଅନ୍ତଃପୁରେ ଦ୍ୟୁତ ଖେଳାଇଲେ ।ବଳବନ୍ତ ଅବଳା ଧରଷି ନ ପାରିଲେ ଯେ । ୫୭।ବୃଦ୍ଧିନଦୀତଟତରୁଉତ୍ପାଟି ଭସାଇ ।ବେତସ ମଧ୍ୟରେ କିଛି କରି ନ ପାରଇ ଯେ । ୫୮।ବିହୁଁପଞ୍ଚଗ୍ରାସୀ ହସ୍ତ ସ୍ଥାଳୀରୁ ନ ଚାଳି ।ବଳୟେ ରାମମୂରତି ଦିଶନ୍ତେ ମୈଥିଳୀ ଯେ । ୫୯।ବାରି ବିଧୂ ବିମ୍ବେ ଯଥା ଚକୋର ସୁସ୍ନେହୀ ।ବସି ପତ୍ରାଚ୍ଛନ୍ନ ବୃକ୍ଷେ ଟେକି ନ ଅନାଇଁ ଯେ । ୬୦।ବଢ଼ିଲା ଏ ବିଧାନ ଶାଶୁଏ ବନ୍ଦାଇଲେ ।ବିତରଣ ଅମୂଲ୍ୟ ରତନମାନ କଲେ ଯେ । ୬୧।ବୀରବର ଭଞ୍ଜ ସୀତା ରାମକୁ ଧ୍ୟାଇଲା ।ବାଷଠି ପଦେ ଏ ଛାନ୍ଦ ଶେଷକୁ ବିହିଲା ଯେ । ୬୨।୫୭ଶ ପଦ :- ବରାଟକ-କଉଡ଼ି ।
୫୭ଶ ପଦ :- ଅନ୍ତଃପୁରରେ ବର କନ୍ୟାଙ୍କୁ କଉଡ଼ିରେ ଜୁଆ ଖେଳାଇଲେ । ବଳିଷ୍ଠବୀର ରାମଚନ୍ଦ୍ରାଦି ବରମାନେ ଅବଳା କନ୍ୟାମାନଙ୍କୁ ଜୟ କରିପାରିଲେ ନାହିଁ । (ଅର୍ଥାତ୍ କନ୍ୟାମାନଙ୍କ ହାତରୁ ଛଡ଼ାଇ ପାରିଲେ ନାହିଁ ) ।
୫୮ଶ ପଦ :- ବଢ଼ିଥିବା ନଈ ତାର ତୀରରେ ଥିବା ବଡ଼ବଡ଼ ବୃକ୍ଷମାନଙ୍କୁ ଉପାଡ଼ି ଭସାଇ ନିଏ, ମାତ୍ର ମଧ୍ୟରେ ଥିବା ବୁଦାରେ କିଛି କରିପାରେ ନାହିଁ । (ସେହିପରି ବଳିଷ୍ଠ ବୀରମାନେ ବଡ଼ବଡ଼ ବୀରଙ୍କୁ ହରାଇ ପାରନ୍ତି, ମାତ୍ର ଅବଳା ନିକଟରେ ହାରିଲେ) ।
୫୯ଶ ଓ ୬୦ଶ ପଦ :- ଯେପରି ଚକୋର ପକ୍ଷୀ ପତ୍ରାଚ୍ଛାଦିତ ବୃକ୍ଷରେ ବସି ଜଳ ମଧ୍ୟରେ ପଡ଼ିଥିବା ଚନ୍ଦ୍ରର ପ୍ରତିବିମ୍ୱ ଦେଖିଲେ ତତ୍ପ୍ରତି ସ୍ନେହୀ ହୋଇ ଆଉ ଉପରକୁ (ଚନ୍ଦ୍ରକୁ) ଅନାଏ ନାହିଁ, ସେହିପରି ସୀତା ପଞ୍ଚଗ୍ରାସୀ ସମୟରେ ହସ୍ତରେ ପିନ୍ଧିଥିବା କଙ୍କଣାଦି ଅଳଙ୍କାରରେ ରାମଙ୍କର ମୂର୍ତ୍ତି ଦେଖି ଥାଳିରୁ ଆଉ ହସ୍ତ ଚଳାଇଲେ ନାହିଁ । (ପ୍ରତିମୂର୍ତ୍ତି ଦେଖି ଏପରି ତନ୍ମୟ ହୋଇ ଯାଇଥିଲେ ଯେ, ହାତ ଆଉ ଚଳିଲା ନାହିଁ,- ଏ ଆଶଙ୍କା ହେବାରୁ ହାତ ଚଳାଇଲେ ନାହିଁ) ।
୬୧ତମ ପଦ :- ଏ ପଞ୍ଚଗ୍ରାସୀ ଯଥାବିଧିରେ ଶେଷ ହେଲା । ଶାଶୁମାନେ ବର କନ୍ୟାଙ୍କୁ ବନ୍ଦାପନା କଲେ ଓ ଅମୂଲ୍ୟ ରତ୍ନମାନ ବିତରଣ କଲେ ।୬୨ତମ ପଦ :- ବୀରବରଭଞ୍ଜ ସୀତା ରାମଙ୍କୁ ଧ୍ୟାନ କରି ଏ ଛାନ୍ଦ ବାଷଠି ପଦରେ ଶେଷ କଲେ ।ପଞ୍ଚଦଶ ଛାନ୍ଦ(ରାଗ-କେଦାର, ଚକ୍ରକେଳି ବାଣୀ)
ସମ୍ବନ୍ଧିତ ରଚନା
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ
ଲାବଣ୍ୟବତୀ
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ