ତପସ୍ୱିନୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିପ୍ରଥମ ସର୍ଗ
ରାଗ: ମଙ୍ଗଳ ଗୁଜ୍ଜରୀକିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ-ଶୁଭ-ବେଶା,ଇନ୍ଦ୍ରନୀଳ-ଦ୍ୟୁତି-ଜିତ-ମନୋହର-କେଶା? । ୧ ।ତନୁକାନ୍ତି ଭେଦି ତୋର ଶୁଭ୍ର ସୂକ୍ଷ୍ମ ବାସ,ଆହ୍ଲାଦ ଦେଉଛି ତୋର ହୃଦେ ହୋଇ ସୁପ୍ରକାଶ । ୨ ।କୌମୁଦୀ କି ଘନ ହୋଇ ବହିଛୁ ଶରୀର ?କେଶଛଳେ ଚରଣେ ତୋ ଲୋଟୁଛି ତିମିର । ୩ ।ସୁବିରଳ ସମୁଜ୍ଜ୍ୱଳ ଚାରୁ ତାରାଗ୍ରହ,ମଣ୍ଡିଛନ୍ତି-ରତ୍ନ-ଭୂଷା-ରୂପେ ତୋ ବିଗ୍ରହ । ୪ ।୧ । ଜ୍ୟୋତିର୍ମୟୀ – ଆଲୋକମୟୀ, ଶୁଦ୍ଧ-ପବିତ୍ର, ଇନ୍ଦ୍ରନୀଳ-ଦ୍ୟୁତଜିତ-ଇନ୍ଦ୍ରନୀଳ ମଣିକୁ ଜିଣିଥିବା ଶୋଭା ।୨ । ତନୁକାନ୍ତି – ଶରୀରର ଜ୍ୟୋତି, ସୂକ୍ଷ୍ମବାସ – ଅତି ସରୁ ଲୁଗା ।୩ । କୌମୁଦୀ – ଚନ୍ଦ୍ରକିରଣ, ତିମିର – ଅନ୍ଧକାର ।୪ । ସୁବିରଳ – ଛଡ଼ାଛଡ଼ି, ରତ୍ନଭୂଷା – ସ୍ୱର୍ଣ୍ଣ ଅଳଙ୍କାର, ବିଗ୍ରହ – ଶରୀର ।ଅସଂଖ୍ୟ ଧବଳ ପୁଷ୍ପହାର ଶୋଭେ ଗଳେ,ଗ୍ରଥିତ ହୋଇଛି ସବୁ ଅଦ୍ଭୁତ କୌଶଳେ । ୫ ।ଶ୍ରୀଅଙ୍ଗ-ସୌରଭେ ମୁଗ୍ଧ ହେଉଛି ଜଗତ,ପ୍ରଫୁଲ୍ଲତା ହେଉଅଛି ପ୍ରାଣେ ଉପଗତ । ୬ ।କି ଢାଳୁଛୁ କରେ ଧରି, ଲୋକେ କରି ପାନ,ଦୈବତ ସଦୃଶ ହେଉଛନ୍ତି ତେଜୀୟାନ । ୭ ।କି ମନ୍ତ୍ର ଦେଇଛୁ ପୁଣି ବାଛି ବାଛି ଲୋକ,ତମ ନାଶି ସୃଜୁଛନ୍ତି ସେମାନେ ଆଲୋକ । ୮ ।ପଦାଙ୍କେ ତୋ ଫୁଟୁଅଛି ଶ୍ୱେତ ଶତଦଳ,କୌମୁଦୀ ବୋଲିବା ତେଣୁ ନୋହୁଛି ସଫଳ । ୯ ।ଦରିଦ୍ରତା-ପଙ୍କ-ପୂର୍ଣ୍ଣ ମୋ' ଜୀବନ-ସର,ଜଞ୍ଜାଳ-ଜଳଦ-ଜଳେ ଆବିଳ ଉଦର । ୧୦ ।ଶରଦ ସଦୃଶ ତୋତେ କରି ଦରଶନ,ହୋଇ ଯାଉଅଛି ସେ ତ ସ୍ୱତଃ ପରସନ୍ନ । ୧୧ ।ବିକଶିତ ହେଉଅଛି ହୃଦୟ-କମଳ,ସତେ କି ପାଇଲା ଦେବି, ତୋ ପଦ-ସମ୍ବଳ? ୧୨ ।ପୟର-ସ୍ପରଶେ ପ୍ରାଣ ହେଲାଣି ମୋହିତ,ଇଚ୍ଛାମତେ କର ଯାହା ବିଚାରୁ ବିହିତ । ୧୩ ।୫ । ଗ୍ରଥିତ – ଗୁନ୍ଥା ହୋଇଛି ।୬ । ଉପଗତ – ପ୍ରାପ୍ତ ।୭ । ଦୈବତ – ଦେବତାଙ୍କ ପରି ।୯ । ଶତଦଳ – ପଦ୍ମ, ପଦାଙ୍କେ – ପାଦ ଚିହ୍ନରେ ।୧୦ । ଜୀବନ ସର – ଜୀବନ ରୂପକ ପୁଷ୍କରିଣୀ, ଜଳିଦ – ମେଘ, ଆବିଳ – କଳୁଷିତ ।୧୧ । ଶରଦ – ଶରତକାଳୀନ, ପରସନ୍ନ – ପ୍ରଫୁଲ୍ଲ ।୧୩ । ପୟର – ପାଦ, ବିହତ – ଉପଯୁକ୍ତ ।ବାଲମୀକି ଆଶ୍ରମକୁ ଧାଇଁଅଛି ମନ,କରିବାକୁ ନିର୍ବାସିତା ସୀତାକୁ ଦର୍ଶନ । ୧୪ ।କେମନ୍ତେ ସେ କଲେ ଜୀର୍ଣ୍ଣ ହୃଦୟ ସୀବନ ?କାହା ସଙ୍ଗେ କେମନ୍ତେ ବା ଯାପିଲେ ଜୀବନ? ୧୫ ।
ସମ୍ବନ୍ଧିତ ରଚନା
ଅଯୋଧ୍ୟା ଦୃଶ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ରାଧାନାଥ ରାୟ
କୃପା ବହି କୃପାମୟୀ, ଶକ୍ତି ଦାନ କର,
ପବିତ୍ର ହେଉ ମୋ ମନ ଦେଖି, ଲେଖି କର । ୧୬ ।
ବହୁଅଛି ଭାଗୀରଥୀ ବିପିନ ଭିତରେ,
ତଡ଼ି ତାଡ଼ି ତରଙ୍ଗ ତା ପଶ୍ଚିମ ତଟରେ । ୧୭ ।
ବନ-ଦୃଶ୍ୟ ଦେଖିବାକୁ ହୋଇ ଅଗ୍ରସର,
ବିକଳ ଜୀବନେ ଯେହ୍ନେ ଚାଲୁଛି ପୟର । ୧୮ ।
ସେହି କୁଳେ ବଇଦେହୀ ଗାଢ଼ ମନୋଦୁଃଖେ,
ଉଭା ହୋଇ ଚାହୁଁ ଥିଲେ ପୂର୍ବ-ଅଭିମୁଖେ । ୧୯ ।
ଅବିରଳ ବହି ତାଙ୍କ ନେତ୍ର-ନୀର-ଝର,
ଅବିରତ ପଡୁଥିଲା ବକ୍ଷର ଉପର । ୨୦ ।
ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ,
ଅସ୍ତାଚଳ ପ୍ଳାବି ଦିଏ ଅଜସ୍ର-ଆସାରେ । ୨୧ ।
୧୪ । ନିର୍ବାସିତା – ପରିତ୍ୟକ୍ତା ।
୧୫ । ଜୀର୍ଣ୍ଣ – ଖଣ୍ଡବିଖଣ୍ଡିତ, ସୀବନ – ସିଲାଇ ।
୧୭ । ଭାଗୀରଥୀ – ଗଙ୍ଗା, ବିପିନ – ବର ।
*ବାଲ୍ମୀକି ଆଶ୍ରମ ଗରୋୟାଳ ନିକଟରେ ଗଙ୍ଗା ଦକ୍ଷିଣବାହିନୀ । ସେଠାରୁ ଅଯୋଧ୍ୟା ପୂର୍ବଦିଗ ।
୧୯ । ବଇଦାହୀ – ବିଦେହ ରାଜକନ୍ୟା ସୀତା ।
୨୦ । ଅବିରତ – ଅନବରତ ।
୨୧ । ଜଳଧର ମେଘ, ପଶ୍ଚିମ ଆଶାରେ – ପଶ୍ଚିମ ଦିଗରେ, ଅସ୍ତାଚଳ – ଅସ୍ତପର୍ବତ, ଆସାରେ – ଜଳଧାରାରେ ।
କରୀନ୍ଦ୍ର-କର-ଶୀକର ସରସୀ-ଉରସେ,
ପଡ଼ି ସିକ୍ତକରେ କରେ ପ୍ରଦୋଷ-ସାରସେ । ୨୨ ।
"ହା ନାଥ" ଉଚ୍ଚାରି ଦେବୀ ବ୍ୟାକୁଳେ କୋମଳେ,
ଅବଶରେ ବସୁଁ ବସୁଁ ବସୁନ୍ଧରା ତଳେ । ୨୩ ।
ସଂଜ୍ଞାବିରହିତ ହୋଇ ପଡ଼ିଲେ ଉତ୍ତାନେ,
ନ ଥିଲେ ଧରିବା ପାଇଁ କେହି ସନ୍ନିଧାନେ । ୨୪ ।
ଶତ ଶତ ସେବିକା ଯା ସେବୁଥିଲେ ପଦ,
ଜଣେ ନ ଦେଖିଲେ ତାଙ୍କ ଦାରୁଣ ଆପଦ । ୨୫ ।
ଆହେ! ନିୟତିର ଏହି ଭୟଙ୍କର ରୀତି,
ଦେଖିଲେ କାହାର ହୃଦେ ନ ଆସିବ ଭୀତି ? ୨୬ ।
ତା ଚାହିଁ ବିହଙ୍ଗ-ମୁଖେ କାନ୍ଦିଲା ସେ ବନ,
ବହିଲା ନିଃଶ୍ୱାସ ରୂପେ ସର ସର ସ୍ୱର;
କାରୁଣ୍ୟ ଲହରୀ ପ୍ରାୟେ ଚଳିଲେ ପତର । ୨୮ ।
ଏଦିଗେ ସେ ଦିଗେ ଚାହିଁ ଚକିତ-ଲୋଚନେ,
ମୃଗମାନେ ରହିଗଲେ ବିଚଳିତ ମନେ ।୨୯ ।
ଜନନୀ-ରୋଦନ ଚାହିଁ ନ ବୁଝି ତା ମାନେ,
ବ୍ୟସ୍ତ ଯଥା ହୋଇଥାନ୍ତି ତା ସନ୍ତାନମାନେ । ୩୦ ।
୨୨ । କରୀ-କର-ଶୀକର- ହସ୍ତିଶୁଣ୍ଡ ଜଳ, ସରସୀ – ପୁଷ୍କରିଣୀ, ପ୍ରଦୋଷ-ସାରସେ – ସନ୍ଧ୍ୟାକାଳୀନ ପଦ୍ମ ଉପରେ ।
୨୩ । ଅବଶ – ନିସ୍ତେଜ, ବସୁନ୍ଧରା – ପୃଥିବୀ ।
୨୪ । ସଂଜ୍ଞାବିରହତ – ଚେତାଶୂନ୍ୟ, ଉତ୍ତାନେ – ଚିତ୍ହୋଇ ।
୨୫ । ଦାରୁଣ ଆପଦ – ଭୟଙ୍କର ଦୁଃଖ ।
୨୬ । ନିୟତି – ଭାଗ୍ୟ ।
୨୭ । ବିହଙ୍ଗ ।
କରିବାକୁ ନିୟତିର ସହିତ ସମର,
ତୃଣରାଜ ଖଡ଼ଗ-କରେ ଗର୍ଜିଲା ପ୍ରଖର । ୩୧ ।
ବାୟାବସା ତୂଣୀରକୁ ଝାଡ଼ି ବାରମ୍ବାର,
ପତ୍ର-କଙ୍କପତ୍ର କଲା କି ଅବା ବାହାର । ୩୨ ।
କମ୍ପିତ ସରିତ-ବୀଚି-ଉତଥିତ ଶୀକର,
ପଡ଼ିଲା ପୁଳିନେ ତେଜି ତରଙ୍ଗ ଶିଖର । ୩୩ ।
ଭରି କି ସୀସକ-ଗୁଳି ତରଙ୍ଗର ତୋପେ
ନିୟତିକି ଭାଗୀରଥୀ ପ୍ରହାରିଲା କୋପେ ? ୩୪ ।
କମଳ ସକଳ ହୋଇ ବିଚଳିତ ସରେ,
ପଦ୍ମ-ବ୍ୟୂହ ରଚି ଯୁଦ୍ଧ କଲେ ଅଳି ଶରେ । ୩୫ ।
ବନଫୁଲେ ବୃନ୍ତ ତେଜି ଭୂମିତଳେ ପଡ଼ି,
ଧୂଳି ମାଖି ମଲ୍ଲଯୁଦ୍ଧେ ହେଲେ ଗଡ଼ାଗଡ଼ି । ୩୬ ।
ଲତା ଲୂତା-ତନ୍ତୁ-ରୂପ ନିୟତି-ବନ୍ଧନ
ଛିନ୍ନ କରି କ୍ରୋଧଭରେ କଲା ଆସ୍ଫାଳନ । ୩୭ ।
ବ୍ୟାହତ ହୃଦୟ ଶୀର୍ଣ୍ଣ ଶରୀର ବାଦଲ,
ଦଉଡ଼ି ଆସିଲା କୋପେ ଘେନି ଦଳବଳ । ୩୮ ।
ଚକ୍ଷୁ ଚମକାଇ, କରି ଗଭୀର ଗର୍ଜ୍ଜନ,
ଦେଖାଇଲା ନିୟତିର ଉପରେ ତର୍ଜନ । ୩୯ ।
ସତୀ-ମୁଖେ ସୁଶୀତଳ ବିନ୍ଦୁ ବିନ୍ଦୁ ପାଣି,
ସିଞ୍ଚି ସିଞ୍ଚି ଜୀବନରେ ସଂଜ୍ଞା ଦେଲା ଆଣି । ୪୦ ।
୩୧ । ତୃଣରାଜ – ତାଳବୃକ୍ଷ, ତୁଣୀର – ଶରମୁଣା ।
୩୨ । କଙ୍କପତ୍ର – ବାଣ ।
୩୩ । ଶୀକର – ଜଳକଣା, ପୁଲିନେ – ଉପକୂଳରେ ।
୩୫ । ପଦ୍ମବ୍ୟୁହ – ପ୍ରାଚୀନକାଳରେ ସୈନ୍ୟ-ସଜ୍ଜାର କୌଶଳ ।
୩୭ । ଲୂତା – ମାଙ୍କଡ଼ସା ।
ସାଧ୍ୱୀ କୁଳବଧୂଙ୍କର ଦୁର୍ବିପାକ ଚାହିଁ,
ଲଜ୍ଜାଭରେ ଭାନୁ ଦେଲେ ବଦନ ଲୁଚାଇ । ୪୧ ।
ଦିଗବଧୁସକଳ ବସି ବିଷର୍ଣ୍ଣ ବଦନେ
ନଭ ବିକମ୍ପିତ କଲେ ସ୍ତନିତ ରୋଦନେ । ୪୨ ।
ସଂଜ୍ଞା ଲଭି ମହାଦେବୀ କେତେକାଳ ପରେ
ଅନାଇଲେ ଦଶ ଦିଶ ନିରାଶେ କାତରେ । ୪୩ ।
ଦିଶିଲା ସକଳ ଦିଗ ରାମଚନ୍ଦ୍ରମୟ ।
ବସିଛନ୍ତି ପ୍ରଭୁ ହୋଇ ବିଷର୍ଣ୍ଣ ହୃଦୟ । ୪୪ ।
ଯୁଗ୍ମକରେ ଆଗେ ଉଭା ସୁଧୀର ଲକ୍ଷ୍ମଣ,
ହୋଇଛି ଦୁହିଁଙ୍କ ନେତ୍ର ଲୋତକ-ଝରଣ । ୪୫ ।
ନ ପାରନ୍ତି ପୁଚ୍ଛି ରାମ ସୀତାର ଖବର,
କହିବାକୁ ବାକ୍ୟ ସ୍ଫୁରୁ ନାହିଁ ଲକ୍ଷ୍ମଣର । ୪୬ ।
ରବି କି ଚାହାନ୍ତେ, ରବି କୋଳେ ରଘୁନାଥ
ନତମୁଖେ ବସିଛନ୍ତି ଶିରେ ଦେଇ ହାତ । ୪୭ ।
ଦିଶିଲା ପଡ଼ନ୍ତେ ନେତ୍ର ଭାଗୀରଥି ପ୍ରତି,
ଚାଲିଛନ୍ତି ଭଗୀରଥ ପଛେ ରଘୁପତି । ୪୮ ।
ଗଙ୍ଗାଧାର ସମ ରାମନେତ୍ର-ଜଳ-ରାଶି,
ତହିଁ ଯାନ୍ତି ରାମ ଥରେ ମଜ୍ଜି, ଥରେ ଭାସି, ୪୯ ।
ଫେରାଇ ତହିଁରୁ ସତୀ ଗର୍ଭେ ଦେଇ ଦୃଷ୍ଟି
ଅନର୍ଗଳ ଧାରେ ନିଜେ କଲେ ଅଶ୍ରୁ ବୃଷ୍ଟି । ୫୦ ।
ଶ୍ୟାମଦୂର୍ବା ଚାହିଁ ସୀତା ହୋଇ ସଙ୍କୁଚିତ
ପାଷାଣକୁ ଯିବାପାଇଁ ବଳାଇଲେ ଚିତ୍ତ । ୫୧ ।
୪୧ । ସାଧ୍ୱୀ – ସତୀ, ଦୁର୍ବିପାକ – ବିପଦ, ମନ୍ଦ ଅବସ୍ଥା, କୁଳବଧୂ – ସୂର୍ଯ୍ୟବଂଶର ବୋହୂ ସୀତା, ଭାନୁ – ସୂର୍ଯ୍ୟ ।
୪୨ । ସ୍ତନିତ – ମେଘ ଗର୍ଜନ ।
ନ ଗଲେ ତେଣିକି ମଧ୍ୟ ମନରେ କି ଭାଳି;
ନ ପାରିଲେ ରୋଦନର ଆବେଗ ସମ୍ଭାଳି । ୫୨ ।
ଆରତ ବିକଳ ସ୍ୱରେ ବିଦଗ୍ଧ ଲପନେ
ବନ ସ୍ତବ୍ଧ କରିଦେଲେ ଘୋର ବିଳପନେ । ୫୩ ।
ବୋଲୁଥାନ୍ତି ସେ ଦୁଃଖିନୀ, "ହା ହା ପ୍ରାଣେଶ୍ୱର !
କରୁଣା-ସରିତ-ପତି, ସ୍ନେହ ଜଳଧର, ୫୪ ।
କି କୁଲଗ୍ନେ ଧରିଥିଲ ଅଭାଗିନୀ କର ।
ତା ଲାଗି ଆଳୟ ହେଲୀ ଦାରୁଣ ଦୁଃଖର । ୫୫ ।
ନ ଜାଣି ମୁଁ ପ୍ରଭୁଙ୍କର ପ୍ରଭୂତ ମହିମା,
ଧନୁଟିଏ ରଖିଥିଲି ଆବରି ଗରିମା । ୫୬ ।
ଭାଙ୍ଗିଦେଇ ସେ ଧନୁକୁ ଇକ୍ଷୁ-ଦଣ୍ଡପରି,
ତା'ରସ-ମାଧୁର୍ଯ୍ୟ ମୋତେ ଥିଲ ମନେ କରି । ୫୭ ।
କାନନ ଭ୍ରମଣେ ପଦ-ଶୃଙ୍ଖଳ ନ ମଣି,
ସ୍ନେହେ ସଙ୍ଗେ ନେଲ ମୋତେ ବୀର ଚୂଡ଼ାମଣି । ୫୮ ।
ପଦ ଶାଙ୍କୁଳିକୁ କରି ହୃଦୟର ହାର,
କଲ ପୁଣ୍ୟ-ତୀର୍ଥ ପୁଣ୍ୟ-ଆଶ୍ରମ ବିହାର । ୫୯ ।
କେତେ ସ୍ନେହ ଢାଳୁଥିଲ ମୋ ଉପରେ ବନେ,
କେମନ୍ତେ ଭୁଲିବି ତାହା ଭେଦିଛି ଜୀବନେ । ୬୦ ।
ଛାର ଦାସୀ ହେବ ବୋଲି କ୍ଷୁଧାରେ ଆକୁଳ;
ଗହନେ ସହଳେ ଆଣୁଥିଲ ଫଳମୂଳ । ୬୧ ।
୫୩ । ଲପନ – ମୁଖ ।
୫୪ । ଅଭାଗିନୀ – ଭାଗ୍ୟହୀନା ।
୫୫ । ଆଳୟ – ଗୃହ ।
୫୬ । ଗରିମା – ଅଭିମାନ ।
୬୧ । ଗହନ – ଜଙ୍ଗଳ, ସହଳ – ଚଞ୍ଚଳ ।
ପଲ୍ଲବ-ଆସନେ ସୁପ୍ତି ହେବନାହିଁ ବୋଲି,
ଅଙ୍କ-ପଲଙ୍କେ ତାପାଇଁ ସାଜୁଥିଲ ଦୋଳି । ୬୨ ।
ଛାର ମୋହ ସ୍ନେହେ ପଡ଼ି ଲଙ୍ଘି ମହାର୍ଣ୍ଣବ
ଦଶବଦନର ସଙ୍ଗେ କଲ ମହାହବ । ୬୩ ।
ସହିଲ ତହିଁରେ କେତେ ମହାସ୍ତ୍ର-ପ୍ରହାର,
ମଣୁଥିଲ ତା' କ୍ଷତକୁ ହୃଦୟର ହାର । ୬୪ ।
ସେ ହାର-ପଦକ ପାଇଁ ଉପଯୁକ୍ତ ମଣି ।
ମୋତେ ରଖୁଥିଲ ତହିଁ କରି ମଧ୍ୟ-ମଣି । ୬୫ ।
କ୍ଷତ-ଚିହ୍ନ-ଚାହିଁ ମୋର କ୍ଷୋଭ ହେଲେ ମନେ,
ତୋଷୁଥିଲ ସଦା ସୁଧା-ପୂରିତ ବଚନେ । ୬୬ ।
ବୋଲୁଥିଲ, 'ରଣଯଜ୍ଞେ ଦେଇ ରକ୍ତାହୁତି
ଲଭିଅଛି ପରା ତୋତେ ଦୁର୍ଲଭ ବିଭୂତି !' ୬୭ ।
ମେଣ୍ଟିନାହିଁ ଅଦ୍ୟାପି ସେ ଶର-ମୁଖ-ଚିହ୍ନ,
ମୁହିଁ ଅଭାଗିନୀ ହାୟ ହୋଇଗଲି ଭିନ୍ନ ! ୬୮ ।
ମୋ ସ୍ମୃତି ମେଣ୍ଟାଇ ଦେବ ହୃଦୟ-ଫଳକେ,
ତା' ନ କଲେ ଦୁଃଖ ହେବ ପଲକେ ପଲକେ । ୬୯ ।
ମୁଁ କି ଛାର, ହେଉ ତୁମ ପ୍ରକୃତି-ରଞ୍ଜନ,
ମୁଁ ମରେ, ତୁମ୍ଭର ହେଉ କଳଙ୍କ-ଭଞ୍ଜନ । ୭୦ ।
ଏଥିରୁ ଜନ୍ମିବ ଯେଉଁ ଅକ୍ଷୟ କୀରତି,
ହୃଦେ ରଖ ଗଢ଼ି ତାର ଅଲୟ ମୂରତି । ୭୧ ।
୬୨ । ସୁପ୍ତି – ନିଦ୍ରା ।
୬୩ । ମହାର୍ଣ୍ଣବ – ମହାସାଗର, ମହାହବ – ଘୋରତର ଯୁଦ୍ଧ ।
୬୯ । ଫଳକ – ପଟା, ପଲକେ – କ୍ଷଣମାତ୍ର ।
୭୦ । ପ୍ରକୃତି ରଞ୍ଜନ – ପ୍ରଜାମାନଙ୍କର ସୁଖବିଧାନ ।
ବଂଶର ଜନକ ତୁମ୍ଭ ଏହି ଦିବାକର,
ଭୁବନ-ମଙ୍ଗଳ ଦାନେ ସଦା ମୁକ୍ତକର । ୭୨ ।
ଧରା-ଧାତ୍ରୀ-ସ୍ୱରୂପିଣୀ ଏହି ଭାଗୀରଥୀ;
ତୁମ୍ଭରି ବଂଶର ଚିର-ବିଖ୍ୟାତ କୀରତି । ୭୩ ।
କୀର୍ତ୍ତି ଅନୁରୋଧେ ସିନା କଲ ମୋତେ ତ୍ୟାଗ,
ଏ ତୁମ୍ଭର ଉପଯୁକ୍ତ କର୍ମ ମହାଭାଗ । ୭୪ ।
ଏହି କୀର୍ତ୍ତି-ପତାକାରେ ପାପିନୀର ଚିତ୍ର,
ରହିଯିବ, ଏହା କିନ୍ତୁ ବିଷମ ବିଚିତ୍ର । ୭୫ ।
ଧିକ ମୋ ଜୀବନ, ନାଥ ! ଏକା ମୋହ ଲାଗି,
ଅକଳଙ୍କ ଥାଇ ହେଲ ଅପଯଶଭାଗୀ । ୭୬ ।
ତୁମ ଶ୍ରୀଚରଣ ତେଜି କାହିଁରେ ରହିବି ?
ଅନଳ ନ ଦହେ ତନୁ, କାହିଁରେ ଦହିବି ? ୭୭ ।
ତୁମ୍ଭ କାନ୍ତି ଧରିଛନ୍ତି ଏହି ଦୂର୍ବାଚୟ;
ତାଙ୍କୁ ଚାଡ଼ି ବନେ ନେବି କାହାର ଆଶ୍ରୟ ? ୭୮ ।
ପାଷାଣେ ଫଳିତ ହୁଏ ତୁମ୍ଭ ଅନୁଗ୍ରହ;
ମୋତେ ଘେନି କାହିଁକି ସେ ଲଭିବେ ନିଗ୍ରହ ? ୭୯ ।
ଗର୍ଭେ ମୋର ଥୋଇଅଛ ଯେ ରତ୍ନନିଧାନ,
ନ କହିଲ ତା' ରକ୍ଷଣେ କି ପ୍ରତିବିଧାନ । ୮୦ ।
୭୨ । ଦବାକା – ସୂର୍ଯ୍ୟ ।
୭୩ । ଧରା ଧାତ୍ରୀ ସ୍ୱରୂପଣୀ ପୃଥିବୀର ସେବିକା ସ୍ୱରୂପା, ସୂର୍ଯ୍ୟବଂଶର ପୂର୍ବପୁରୁଷ ଭଗୀରଥ ତପସ୍ୟା ବଳରେ ଗଙ୍ଗାକୁ ଆନୟନ କରିଥିଲେ ।
୭୭ । ଲଙ୍କାରେ ଅଗ୍ନି ପରୀକ୍ଷାରେ ସୀତା ଦଗ୍ଧ ହୋଇ ନଥିଲେ ।୭୯ । ରାମଚନ୍ଦ୍ର ପାଷାଣ ପାଲଟିଥିବା ଅହଲ୍ୟାକୁ ଉଦ୍ଧାର କରିଥିଲେ, ନିଗ୍ରହ – ନିନ୍ଦା ।୮୦ । ପ୍ରତିବିଧାନ – ପ୍ରତିକାର ।ଦୃଢ଼ ଆଶା ଥିଲା ମୋର ହୃଦୟେ ପୋଷିତ,ପ୍ରଭୁକୋଳ କରିଥାନ୍ତି ଏ ରତ୍ନେ ଭୂଷିତ । ୮୧ ।ଆକାଶ-କୁସୁମ ହେଲା ଆଶା-ପରିଣାମ,ଧନ୍ୟରେ ଦଇବ ତୋତେ ସହସ୍ର ପ୍ରଣାମ । ୮୨ ।ପିତା ଯାର ମହାରାଜ ମହୀ-ମହାଯଶା,କି କରିବୁ ବିଧି ତାଙ୍କ କୁମରର ଦଶା ! ୮୩ ।ଗିରି-ଅଙ୍ଗେ ହୁଏ ସିନା ବଜ୍ରର ପ୍ରହାର,ହା ହା ତହିଁ ସଙ୍ଗେ ଗିରିବାସୀର ସଂହାର । ୮୪ ।ଧନ୍ୟ ନାଥ, ମୁଖ ତୁମ୍ଭ ପୀୟୁଷ-ନିର୍ଝର,ହୃଦୟାଦ୍ରି ସୁଧା ହିମ ଶିଳାର ଆକାର । ୮୫ ।ହେଲେ ହେଁ ସେ ହୃଦୟରେ ସନ୍ତାପ ପତିତ,ଅନ୍ୟ ନ ବାହାରେ ମୁଖେ ଅମୃତ ବ୍ୟତୀତ । ୮୬ ।ସହସା ଶୁଣିଲ ମୋର ଅପବାଦ କଥା,ଅବଶ୍ୟ ହୃଦୟେ ଲାଗିଥିବ ମହାବ୍ୟଥା । ୮୭ ।ତଥାପି ନ କହି ପଦେ ନିଦାରୁଣ ଭାଷା,ତ୍ୟାଗକଲ ଦେଇ ମୋତେ ମଧୁମୟୀ ଆଶା । ୮୮ ।ମୋ ଅର୍ଜିତ ପାପ ମୋର ଦୁଃଖର କାରଣ,ସେହି ପାପ ଏବେ ମୋର ହେଉଛି ସ୍ମରଣ । ୮୯ ।ମହିମାସାଗର ନାଥେ ମଣି ମୁଁ ଇତର,ତ୍ରାହିରେ ଲକ୍ଷଣ ରାବ ମଣିଲି ତାଙ୍କର । ୯୦ ।୮୩ । ବିଧି – ଦୈବ, ନିୟତି ।୮୫ । ପୀୟୁଷ – ଅମୃତ, ହୃଦୟାଦ୍ରି – ହୃଦୟ ରୂପକ ପର୍ବତ ।୮୬ । ସନ୍ତାପ – ଦୁଃଖ ।୮୮ । ନିଦାରୁଣ – ନିଷ୍ଠୁର ।୯୦ । ଇତର – ପର ।ନୀଚ ମନେ ଲକ୍ଷ୍ମଣଙ୍କୁ କରି ନୀଚ ଜ୍ଞାନ,ବଳାତ୍କାରେ ପଠାଇଲି ପ୍ରଭୁ ସନ୍ନିଧାନ । ୯୧ ।ସେହି ପାପେ ସେ ନାଥଙ୍କ ମହିମା ବର୍ଦ୍ଧନ,ଲାଗି ହେଲା ପାପିନୀର ଚିର ବିସର୍ଜନ ! ୯୨ ।ଦୋଷହୀନ ଲକ୍ଷ୍ମଣଙ୍କୁ ଯେଉଁ ତିରସ୍କାର,ଦେଇଥିଲି, ପାଇଲି ତା ଯୋଗ୍ୟ ପୁରସ୍କାର । ୯୩ ।ଲକ୍ଷ୍ମଣଙ୍କୁ କରିବାକୁ ମୋ ନିକଟୁ ଦୂର,ହୃଦେ ତାଙ୍କ ମାରିଥିଲି ବଚନ-ଭିଦୁର । ୯୪ ।ଭକ୍ତି ଭରେ ସେ ଲକ୍ଷ୍ମଣ ପଡ଼ି ମୋ ଚରଣେ,ଦୂର କରିଦେଲେ ମୋତେ ବିନୟ ବଚନେ । ୯୫ ।ଛିନ୍ନ ଶିରଟିଏ ଆଣି ପାପୀ ଦଶାନନ,ମୋ ପାପ ନୟନ ଅଗ୍ରେ କଲା ପ୍ରଦର୍ଶନ । ୯୬ ।ସ୍ୱମୀଙ୍କର ଛିନ୍ନ ଶିର ବୋଲି ମୁଁ ଅଧୀରେ,କାନ୍ଦିଲି ବିକଳ ପ୍ରାଣେ ଭାସି ନେତ୍ରନୀରେ । ୯୭ ।ସେ ଶିର ଅନାଇ ଯାହା ନ ମରି ବହନ,ସେ ପାପେ ହେଲି ଏବେ ଜୀବନ୍ତ ଦହନ । ୯୮ ।ତୁମ୍ଭ ପଦ-ସେବା-ସୁଖ ମଣି ମୁଁ ଉଶ୍ୱାସ,ଆଶ୍ରମ-ଦର୍ଶନ ସୁଖ କଲି ଅଭିଳାଷ । ୯୯ ।ସେହି ପାପ ଶ୍ରୀଛାମୁରୁ କରାଇ ଅନ୍ତର,ବୋଲୁଛି 'ପାପିନୀ', ଯାହା ଇଚ୍ଛା ତାହା କର । ୧୦୦ ।ଅଯୋଧ୍ୟାର ରାଜଲକ୍ଷ୍ମୀ-ପୀରତିରେ ବଶ,ନହୋଇ ମୋ ସଙ୍ଗେ ଥିଲ ବହୁତ ଦିବସ । ୧୦୧ ।୯୩ । ତିରସ୍କାର – ଗାଳି, ଭିଦୁର – ବଜ୍ର, ବଚନ ଭିଦୁର – ଅତ୍ୟନ୍ତ ନିଷ୍ଠୁର କଥା ।୯୯ । ଉଶ୍ୱାସ – ତୁଚ୍ଛ ।ଅସୂୟାରେ ରାଜଲକ୍ଷ୍ମୀ ଲୋଡୁଥିଲା ଦାଉ,ବହୁଦିନ ସମ୍ଭାଳି ତା' ନ ପାରିଲା ଆଉ । ୧୦୨ ।ତା' ଦୁଃଖର ସଙ୍ଗୀ ଥିଲେ ଯେଉଁ ପୁରଜନେ,ତାଙ୍କୁ ହେତୁ କରାଇଲା ମୋର ବିସର୍ଜନେ । ୧୦୩ ।ଅଯୋଧ୍ୟାରେ ସପତ୍ନୀର ଶକ୍ତି ଗରୀୟସୀ,ନ ପାରଇ ତାକୁ ପତି-ଶକ୍ତି ମହୀୟସୀ । ୧୦୪ ।କୈକେୟୀଙ୍କ ପରାକ୍ରମ ଫଳିବାର ଶେଷେ,ରାଜଲକ୍ଷ୍ମୀ ବଳ ଉଭା ହେଲା ସେହି ଦେଶେ । ୧୦୫ ।"ପ୍ରକୃତି-ରଞ୍ଜନେ ଯେବେ ହୁଏ ପ୍ରୟୋଜନ,କରିପାରେଁ ପ୍ରାଣସମା ସୀତା ବିସର୍ଜନ" । ୧୦୬ ।ଅଷ୍ଟାବକ୍ର ମୁନି ଆଗେ ଯାହା ଭାଷିଥିଲ,ସୁରୁଥିବ ସେ ପ୍ରତିଜ୍ଞା ନ କରି ଶିଥିଳ । ୧୦୭ ।ପିତୃ-ବାକ୍ୟ ପାଳନରେ ତୁମ୍ଭେ ଅବିମୁଖ,ପତିବାକ୍ୟ ପାଳନରେ ନ ହେଲେ ମୋ ଦୁଃଖ, | ୧୦୮ ।୧୦୨ । ଅସୂୟା – ଦ୍ୱେଷ, ଦାଉ – ପ୍ରତିଶୋଧ ନେବା ।୧୦୪ । ସପତ୍ନୀ – ସଉତୁଣୀ, କୈକେୟୀଙ୍କ କଥାରେ ପରିଚାଳିତ ହୋଇ ରାଜା ଦଶରଥ ଜ୍ୟୋଷ୍ଠପୁତ୍ର ରାମଚନ୍ଦ୍ରଙ୍କ ବନବାସର କାରଣ ହୋଇଥିଲେ ।
୧୦୭ । ଅଷ୍ଟାବକ୍ର – ମହାଭାରତ ମତରେ ଋଷି ଅଷ୍ଟାବକ୍ର କହୋଡ଼ ଋଷିଙ୍କ ଔରସରେ ସୁଜାତାଙ୍କ ଗର୍ଭରୁ ଜନ୍ମ । ଗର୍ଭରେ ଥାଇ ପିତାଙ୍କ ଅଧ୍ୟାପନାକୁ ସମାଲୋଚନା କରିବାରୁ ପିତୃ ଅଭିଶାପରେ ତାଙ୍କର ଶରୀର ଆଠଟି ସ୍ଥାନରେ ବକ୍ର ହୋଇ ଯାଇଥିଲା । ଥରେ ପିତା କହୋଡ଼ ଜନକଙ୍କ ରାଜସଭାରେ ବନ୍ଦୀ ହେବାରୁ ଅଷ୍ଟାବକ୍ର, ରାଜସଭାରେ ଯୁକ୍ତିତର୍କ କରି ପିତାଙ୍କୁ ଉଦ୍ଧାର କରିଥିଲେ ତାହା ‘ଅଷ୍ଟାବକ୍ର-ସଂହିତା’ ନାମରେ ପରିଚିତ ।
୧୦୮ । ଅବିମୁଖ – ପ୍ରସନ୍ନ ।ତେବେ ସିନା ତୁମ୍ଭ ପତ୍ନୀ ପଦର ଭାଜନ,ମୁଁ ହେବି, ଏକଥା ନିଶ୍ଚେ ବୁଝିବ ମୋ ମନ । ୧୦୯ ।ପରଜାରଞ୍ଜନ ବ୍ରତେ ଅଟ ତୁମ୍ଭେ ବ୍ରତୀ,ମୁଁ ସହଧର୍ମିଣୀ ତୁମ୍ଭ ପଦାଙ୍କେ ମୋ ଗତି । ୧୧୦ ।ହେଉ ମୋର ନିର୍ବାସନ ପ୍ରକୃତିର ତୋଷ,ପ୍ରଭୁଙ୍କର ବ୍ରତ ହେଉ ସଂପୂର୍ଣ୍ଣ ନିର୍ଦ୍ଦୋଷ" । ୧୧୧ ।ସତୀଙ୍କ ରୋଦନେ ଗତି ସମ୍ଭିଲା ବାତର,ଜଳ ସ୍ଥଳ ଘେନି ହେଲେ ନିସର୍ଗ କାତର । ୧୧୨ ।ସ୍ତମ୍ଭିଗଲା ଜାହ୍ନବୀର ତରଙ୍ଗ-ଆବଳୀ,ବନ୍ଦ ହୋଇଗଲା ବନେ ବିହଙ୍ଗ କାକଳି । ୧୧୩ ।ନ ହଲିଲା ପାଦପର ଗୋଟିଏ ପତର,ନ ଚଳିଲା ଲୀଳା-ଶିଳା-ବଲ୍ଲୀ-କଳେବର । ୧୧୪ ।ଡାଳେ ଡାଳେ ବସି ପକ୍ଷୀ ପାତିଲେ ଶ୍ରବଣ,ତାଳେ ତାଳେ ପ୍ରାଣେ ଭରି ଶୋକ-ପ୍ରସ୍ରବଣ । ୧୧୫ ।ମୃଗଶିଶୁ ଜନନୀର ସ୍ତନ ମୁଖେ ଧରି,ନିଶ୍ଚଳେ ରହିଲା କ୍ଷୀର ଶୋଷଣ ନ କରି । ୧୧୬ ।୧୦୯ । ଭାଜନ – ଯୋଗ୍ୟ ।୧୧୧ । ପ୍ରକୃତିର ତୋଷ – ପ୍ରଜାମାନଙ୍କର ସନ୍ତୋଷ ବିଧାନ ।୧୧୨ । ରୋଦନେ – କ୍ରନ୍ଦନରେ, ସ୍ତମ୍ଭିଲା – ଥମିଲା । ନିସର୍ଗ – ସୃଷ୍ଟି, କାତର – ବ୍ୟାକୁଳ ।
୧୧୩ । ଜାହ୍ନବୀ – ଗଙ୍ଗା, ଜହ୍ନୁ ଋଷିଙ୍କ ଅଙ୍ଗରୁ ଜାତ ହୋଇଥିବାରୁ ଗଙ୍ଗାଙ୍କ ଅନ୍ୟନାମ ଜାହ୍ନବୀ । ଆବଳୀ – ସମୂହ । ବିହଙ୍ଗକାକଳୀ – ପକ୍ଷୀମାନଙ୍କର କଳରବ ।
୧୧୫ । ପାତିଲେ ଶ୍ରବଣ – କାନ ଡେରିଲେ, ପ୍ରସ୍ରବଣ – ଝରଣା ।ମୁଖ-ଦର୍ଭ ମୁଖେ ଧରି ମୃଗମୃଗୀମାନେ,ଗ୍ରୀବା ଭାଙ୍ଗି ରହିଗଲେ ଶୋକ-ଧ୍ୱନି-ଧ୍ୟାନେ । ୧୧୭ ।ମୟୂର-ମୟୁରୀଗଣ ଶାବକ ସହିତ,ଚିତ୍ରିତ ପରାୟେ ହେଲେ ଚାପଲ୍ୟରହିତ । ୧୧୮ ।କରଭ କରିଣୀ କରୀ ହୋଇ ଡିତ୍ଥ ପରି,ପଥେ ରହିଗଲେ ଗଙ୍ଗା-ଗମନ ବିସ୍ମରି । ୧୧୯ ।୧୧୭ । ଦର୍ଭ – କୁଶ, ଗ୍ରୀବା – ବେକ ।୧୧୮ । ଶାବକ – ଶିଶୁ, ଚିତ୍ରିତ ପରାୟେ – ନିଶ୍ଚଳ ।୧୧୯ । କରଭ – ହାତୀଛୁଆ, କରୀ – ହାତୀ, ଡିତ୍ଥ – କାଠହାତୀ, ବିସ୍ମରୀ – ଭୁଲିଗଲେ ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ