ତ୍ରୟୋଦଶ ପରିଚ୍ଛେଦ — ଟଙ୍କାଗଛ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତ୍ରୟୋଦଶ ପରିଚ୍ଛେଦ
କେତେ ଜଣ ଗ୍ରାମବାସୀ ସହ ହେମହରି ସାମନ୍ତ ଦାଣ୍ଡ ବଙ୍ଗଳାରେ ବସିଅଛନ୍ତି । ଶୂନ୍ୟାୟିତ ଶୁଷ୍କ ଦୃଷ୍ଟିରୁ ବୋଧ ହେଉଅଛି, ଯେମନ୍ତ କି ତାଙ୍କର ଦେହ ସେଠାରେ ପଡ଼ି ରହିଅଛି; ମାତ୍ର ମନ କେଉଁ ମହାଶୂନ୍ୟରେ ଉଡ଼ି ବୁଲୁଅଛି । ତାଙ୍କର ଯେଉଁ ଜୀବନ ଚିରଆନନ୍ଦର ନିବେଦନସ୍ୱରୂପ ଥିଲା, ସେ ଆଜି ଶୋକ ଦୁଃଖରେ ସଂକ୍ଷୁବ୍ଧ । ଅଦୃଷ୍ଟ କଅଣ ନ କରେ ? ତାହାର ଗତି ଅଚିନ୍ତ୍ୟ । ସେ କେତେବେଳେ ମାନବକୁ ଆନନ୍ଦର ସପ୍ତସ୍ୱର୍ଗକୁ ଘେନିଯାଏ, କେତେବେଳେ ଅବା ବିଷାଦର ଅନନ୍ତ ନରକରେ ନିକ୍ଷେପ କରେ । ସୁଖ ପରି ଭାଗ୍ୟର ସୁଦ୍ଧା ପୂର୍ଣ୍ଣତା ନାହିଁ । ରାନ୍ଧୁଣୀ-ଗାଧୁଆବେଳେ ଜ୍ୟୋତିଷ ବନମାଳୀ ନାୟକ ଓରଫ୍ ବନା ନାହକ ଆସି ସେଠାରେ ଉପସ୍ଥିତ ହେଲା । ପାର୍ଶ୍ୱବର୍ତ୍ତୀ କେତେଖଣ୍ଡ ଗ୍ରାମରେ ବନମାଳୀର ଖୁବ୍ ନାମ ଡାକ । ତାହାର ଗୋସବାପ ଅମଳରୁ ଅନେକ ଜ୍ୟୋତିଷ-ଗ୍ରନ୍ଥ ତାଙ୍କ ଘରେ ସାଇତା ହୋଇରହିଅଛି । ଲୋକେ କହନ୍ତି–ବନମାଳୀ ଗଣନାକରି ଗଛର ପତ୍ର-ସଂଖ୍ୟା ଠିକ୍ କରି କହିପାରେ । ବାସ୍ତବରେ ଯାହା ଘରେ ଏତେ ଗ୍ରନ୍ଥ ପୋଷାହୋଇ ରହିଅଛି, ସେ ଯେ ଅସାଧାରଣ ପ୍ରତିଭାର ସୁବର୍ଣ୍ଣଖଣି, ଏଥିରେ ସଂଶୟ କଅଣ ଅଛି ? ସ୍ଥୁଳତଃ ସେ ବରାହମିହିରଙ୍କର ନୂତନ ସଂସ୍କରଣ । ଏ ଯୁଗରେ ତ ବିକ୍ରମାଦିତ୍ୟ ବା ଭୋଜରାଜଙ୍କ ପରି ଗୁଣତ୍ରେତା ନାହାନ୍ତି; ସୁତରାଂ ତାହାର ଗୁଣ ବୁଝିବ କିଏ ? ବର୍ତ୍ତମାନ ତାହା ପାଣ୍ଡିତ୍ୟର ମୂଲ୍ୟ ଚାଉଳ ମୁଠାଏ ନଚେତ୍ ଅତିଜୋର ବଡ଼ି ପୁଞ୍ଜାଏ । ସେ ଶ୍ମଶାନତୁଳସୀ ପରି ଗ୍ରାମର ଏକ କୋଣରେ ପଡ଼ିଥାଏ । କାହାରି ଗାଈ ବାଛୁରୀ ହଜିଲେ କିମ୍ବା କେହି ଗର୍ଭବତୀ ହେଲେ ତାହାକୁ ଡାକରା ପଡେ । ଜ୍ୟୋତିଶ୍ଚନ୍ଦ୍ର କାଖରୁ ତାଳପତ୍ର ପାଞ୍ଜିବିଡ଼ା ବାହାର କରି ଦୁଇଗୋଡ଼ ଫରକଟା କରି ମାଆନ୍ତଙ୍କ ସମ୍ମୁଖରେ ଦୃଢ଼ରୂପେ ଠିଆହେଲା । ତହିଁ ପରେ ଦୁଇହାତରେ ପାଞ୍ଜି ଧରି ଆଗକୁ ଈଷତ୍ ଝୁଙ୍କିପଡ଼ି ଉଦାତ୍ତ ଅନୁଦାତ୍ତ ସ୍ୱରରେ ‘‘ଆଦିତ୍ୟୋ ରଜନୀପତିଃ କୁଜ ବୁଧୋ ବାଚସ୍ପତୋ ଭାର୍ଗବୋ ସୌରି ରାହୁଶ୍ଚ କେତୁ ନକ୍ଷତ୍ର ପ୍ରଚଣ୍ଡ ବଦନା ସର୍ବେ ନବଗ୍ରହେ ଏକାଦଶସ୍ଥାଶୁଭଦା ଭବନ୍ତୁ’’ ଏହି ଶ୍ଳୋକଟି ପାଠ କରି ସେ ଦିନର ତିଥି, ନକ୍ଷତ୍ର, ଯୋଗ, କରଣ, ଚନ୍ଦ୍ର ପ୍ରଭୃତ ଗଳଗଳ କରି ଅନର୍ଗଳ ଓକାଳି ପକାଇଲା । ସାଆନ୍ତେ ବସିବାକୁ ଇଙ୍ଗିତ କଲେ । ବନମାଳୀ ଅଞ୍ଜଳି ବିସ୍ତାର କରି କହିଲା–‘‘ଆଜ୍ଞା, ବସୁଛି, ଟିକିଏ ଦାଣ୍ଡରୁ ଆସେ-।’’ ଏହା କହି ତରତର ହୋଇ ଦାଣ୍ଡକୁ ଚାଲିଗଲା । କୁଞ୍ଚତଳୁ ଗୋଟାଏ ବିଶାଳ ବଟୁଆ ବାହାରକରି ଫିଟାଇ ପକାଇଲା । ବଟୁଆଟି ଅନନ୍ତଗର୍ଭ, ଭିତରେ ଆଠଦଶଟା କୋଠରୀ । କେଉଁ କୋଠରୀରେ ପାନର ସରଞ୍ଜାମ, କାହିଁରେ ଶୁଣ୍ଠି ଖଣ୍ଡେ, ମରିଚ ପୁଞ୍ଜାଏ, କାହିଁରେ ଖଣ୍ଡିଆ ଖଡ଼ି ଗୋଟଳା ଦୁଇଟା, କାହିଁରେ ତା ତାଳପତ୍ର ଫାଳେ, ଏହିପରି ନାନା ପଦାର୍ଥ ରହିଅଛି । ସଂକ୍ଷେପରେ କହିବାକୁ ଗଲେ ବଟୁଆରେ ଯାହା ଖୋଜିବ, ତାହା ଅଛି । ବନମାଳୀ ଗୋଟାଏ କୋଠରୀରୁ ସୋଲ, ଚକମକି ପଥର, ଲୁହା ଏବଂ ଖଣ୍ଡେ ଦରପୋଡ଼ା ପିକା ବାହାର କରି ପକାଇଲା । ଶୀଘ୍ର ହସ୍ତରେ ଚକମକି ପଥର ଝାଡ଼ିଦେଇ ସୋଲରେ ନିଆଁ ଧରିଲା । ପିକା ଲଗାଇ ଦୁଇଚାରି ସଟକା ଟାଣିନେଇ ବୁଦ୍ଧ ଉପରେ ଗୋଟାଏ ପୁଟ ଚଢ଼ାଇ ଦେଲା । କୁଣ୍ଡଳୀକୃତ ଧୂମରାଶି ଗର୍ଭକୁ ପ୍ରେରଣ କରି ପ୍ରତିଭାର ଇଞ୍ଜିନ ଗରମ କରି ରଖିଲା । ଦୁଇ ତିନିଥର ଗଳାଖଙ୍କାରି ଏବଂ ନାକଫୁରୁଡ଼ି ଦେଇ ବାକ୍ୟଭଣ୍ଡାରର ସିଂହଦ୍ୱାର ମୁକୁଳା କରି ରଖିଲା । ଅନନ୍ତର ବଂଶୀବାଦନ ଶେଷରେ ତଟୁଆଟି ଯଥାସ୍ଥାନରେ ଖୋଷିଦେଇ ସାମନ୍ତଙ୍କ ନିରୁପିତ ସ୍ଥାନରେ ଆସି ବସି ଚକା ମାଡ଼ି ଆସନ ଜମାଇ ବସିପଡ଼ିଲା । ସାମନ୍ତ କହିଲେ, ‘‘ବନମାଳୀ; ମଧୁ କଥା ବୁଝିଲ ?’’ ଆଜ୍ଞା, ବୁଝିଛି ବୋଲି କହି ନାହାକେ ଅଣ୍ଟିରୁ ଖଡ଼ିଗୋଟଳା ବାହାର କରି ମହାଆଡ଼ମ୍ବରରେ ତଳେ ଛକି କାଟି ତହିଁରେ ଗ୍ରହମାନଙ୍କ ନାମରେ ପ୍ରଥମ ଅକ୍ଷର ଉପରେ ମଧ୍ୟମାଙ୍ଗୁଳି ସ୍ପର୍ଶ କରି କିଛିକ୍ଷଣ ମନେ ମନେ କଅଣ ଗୁଣିହେଲା । ଶେଷରେ ଟିକିଏ ମୁରୁକି ହସି ଦେଇ କହିଲା–‘‘ଆଜ୍ଞା, ଭଲ ତ ଲେଖିଲା । ମଙ୍ଗଳଗ୍ରହ ବୃହସ୍ପତି, ସେ ରହିଲେ କର୍ମ ସ୍ଥାନରେ । ପୁଣି ଏପରି ସେପରି ନୁହେଁ ମିତ୍ରଗ୍ରହୀ ହୋଇଅଛନ୍ତି, ଅନ୍ୟ ଶୁଭଗ୍ରହମାନଙ୍କ ଉପରେ ତାଙ୍କର ପୂର୍ଣ୍ଣ ଦୃଷ୍ଟି ଅଛି । ବୃହସ୍ପତି ଏଥର ସାନ ବାବୁଙ୍କର ମଙ୍ଗଳକୃତ୍ୟ ନ କରାଇ ଛାଡ଼ିବେ ନାହିଁ । ଯାହାହେଉ, ମୋ କପାଳରେ ପାଟଯୋଡ଼ ପାଚିଲା ।’’ ଏହା ଶୋକ, ଏତେ ଚିନ୍ତା, ତଥାଚ ସାମନ୍ତେ ନ ହସି ରହିପାରିଲେ ନାହିଁ; ମାତ୍ର ସେ ହାସ୍ୟ ବଡ଼ ନିଷ୍ପ୍ରଭ-ଯେପରି ଛାୟାପ୍ରସ୍ପୁଠିତ ପୁଷ୍ପ, କିମ୍ବା ବୁଦ୍ଧିହୀନର ବିଦ୍ୟା ଅଥବା ତୈଳଶୂନ୍ୟ ଶଳିତା । ସମସ୍ତଙ୍କ ମୁଖରେ ହାସ୍ୟ ଦେଖି ଜ୍ୟୋତିଷପୁଙ୍ଗବଙ୍କର ମୁଖ ବିରସ ହୋଇଗଲା । ସେ ବିସ୍ମୟ ବିହ୍ୱଳ ଦୃଷ୍ଟିରେ ଅନାଇ ରହିଲା । ତାକୁ ଅପ୍ରତିଭ ହେବାର ଦେଖି ସାମନ୍ତେ କହିଲେ, ‘ନାହିଁ ହେ, ଚାରିଦିନ ହେଲା ମଧୁ କେଉଁଆଡ଼େ ପଳେଇ ଯାଇଛି–ସେହି କଥା ବୁଝ ।
ବନମାଳୀ–(ଜିହ୍ୱା ଦଂଶନ କରି) ପଳେଇଛନ୍ତି–କେବେ ମଣିମା ?
ସାମନ୍ତ–ଚକ୍ରତୀର୍ଥା ଯାତ୍ରା-ଦିନରୁ ।
ବନମାଳୀ–ମୁଁ ଶୁଣି ନାହିଁ । ବିବାହ-ବେଭାର ଘେନି ପାଞ୍ଚଦିନ ହେଲା ବନ୍ଧୁ ଘରକୁ ଯାଇଥିଲି । କାଲି ରାତି ଛଅ ଘଡ଼ିବେଳେ ଆସି ଘରେ ପହଞ୍ଚିଲି । ଆଛା, ତେବେ, ଲଗ୍ନଖଡ଼ି ପକାଇ ବୁଝେ ।
ଏହା କହି ନାସାପୁଡ଼ାରେ ଘନ ଘନ ଅଙ୍ଗୁଳି ସ୍ପର୍ଶ କରି କେଉଁ ପୁଡ଼ାରେ ଅଧିକ ପବନ ଆସୁଅଛି, ତାହା ବାରି ଲଗ୍ନ ନିରୂପଣ କଲା । ପୂର୍ବ ଛକି ନିଭାଇ ଦେଇ ନୂତନ ଛକି କାଟିଲା ଏବଂ ପୂର୍ବପରି ଗ୍ରହ ସ୍ଥାପନା କଲା । ପୁଣି କଅଣ ମନରେ ବିଚାରି ବାହାରକୁ ଯାଇ ନିଜର ଛାଇ ମାପିଲା-। ଛାୟା-ଗୁରୁଠାରୁ ଶିକ୍ଷାଗ୍ରହଣ ପୂର୍ବକ ଛକିର ଯଦ୍ଦୃଚ୍ଛା ସ୍ଥାନରେ ଖଡ଼ି ରଖିବା ସକାଶେ ଜଣକୁ ଡାକି କହିଲା । ସେ ଆସି ଗୋଟିଏ ସ୍ଥାନରେ ଖଡ଼ି ରଖିଦେଇଗଲା । ବନମାଳୀ ଅସ୍ପଷ୍ଟ ଭାଷାରେ ଦୁଇଟା କି ଶ୍ଳୋକ ଆବୃତ୍ତ କରି କହିଲା, ‘‘କୁଆଡ଼େ ତ ଯାଇନାହାନ୍ତି ମଣିମା, ଏହି ଗ୍ରାମରେ କିମ୍ବା କୋଶକ ମଧ୍ୟରେ ଦେବାଳୟ ଆଶ୍ରାରେ ଅଛନ୍ତି, ତିନିଦିନ ପରେ ଆପେ ଆପେ ଆସି ପହଞ୍ଚିବେ । ମନରେ କିଛି ଧୁକା କରନ୍ତୁ ନାହିଁ । ସାନବାବୁ ବେଶ୍ ଆଛା କୁଶଳରେ ଅଛନ୍ତି ।’’ ଉପବିଷ୍ଟ ଲୋକମଧ୍ୟରୁ ଜଣେ ପଚାରିଲା–ନାହାକପୁଅ, ବାଘ ନେଇଗଲା ବୋଲି ତ ଗୋଟେ ଉଆକା ଉଠିଛି–ଭଲ କରି ବୁଝନି । ବନମାଳୀ ସଗର୍ବ ବାଣୀରେ ଉତ୍ତର ଦେଲା–‘‘ନା, ମିଛ କଥା, ଅପଘାତ କଥା ତ ପାଠ କହୁନାହିଁ ।’’ ଅନ୍ୟ ଜଣେ କହିଲା–‘‘ଠିକ୍ ଯାହା, ତାହା କୁହ, ମନଧରା କଥା କହିଲେ ନିଜେ ମିଛୁଆ ହେବ ।’’ ତହୁଁ ଗ୍ରହପୁତ୍ର ଦୁଷ୍ଟଗ୍ରହ ପରି କ୍ରୂଧ ହୋଇ ପାଞ୍ଜଟାକୁ ତଳେ କଚାଡ଼ିଦେଇ କର୍କଶ କଣ୍ଠରେ କହିଲା–‘‘କେମନ୍ତ, ମୁଁ ପରା ମିଛ କହୁଛି ? ତେବେ ଆଉ ଦିନେ ଏ ଦ୍ୱାରେ ଠିଆ ହୋଇପାରିବି ? ମୋର ଯଜମାନଘର ନେଉଟିଆଶାଗ-କିଆରୀ, ବାଡ଼ିରେ ନେଉଟିଆଶାଗ-କିଆରୀ ଥିଲେ ଯେତେବେଳେ ଇଚ୍ଛା କାଟିଆଣି ପାରିବ, ସେହିପରି ରାତି ଅଧରେ ଆସିଲେ ବି ଯଜମାନଘରୁ ପୋଷେ ଚାଉଳ ମିଳିବ । ଅନ୍ନପୂର୍ଣ୍ଣାଙ୍କ ଆଗରେ ମିଛ କହିବି, ଏ ବେକ କାଟିଦେଲେ ବି ତା ହବନାହିଁ । ଏ ଚଷାମୁଣ୍ଡିଆ ଜାଗା ନୁହେଁରେ ଭାଇ, ପାଠ ଯାହା କହିଲା, ମୁଁ ତାହା କହିଲି । ଜ୍ୟୋତିଷଶାସ୍ତ୍ର କଅଣ ମିଛ ? ମୋ କଥା ମିଛ ହେଲେ ମୁଁ ଏ ପାଞ୍ଜି ପୋଡ଼ି ପକାଇବି ।’’ ଜ୍ୟୋତିଷପ୍ରବର ପାଞ୍ଜି ପୋଡ଼ିଲା କି ନାହିଁ, ଆମ୍ଭେମାନେ ସେ ସମ୍ବାଦ ଆଜି ଅବଧି ପାଇନାହୁଁ । ସାଆନ୍ତେ ଏ ଆଶାର ବାଣୀ ଶୁଣି ସତ୍ୟନାରାୟଣ ପୂଜା ମାନସିକ କଲେ, ଆହୁରି ଅନେକ ଦେବଦେବୀଙ୍କୁ ମଧ୍ୟ ଉତ୍କୋଚ ଯାଚିଲେ । ହାୟ, ଦେବତା, କି ଦୁର୍ଭାଗ୍ୟ ତୁମ୍ଭର ! ତୁମ୍ଭେ ସୁଦ୍ଧା ଲାଞ୍ଚରେ ବଶ ! କେବେ ମନୁଷ୍ୟର ଅପରାଧ କଅଣ !!! ତାହାପାଇଁ ରାଜଦଣ୍ଡର ବ୍ୟବସ୍ଥା କାହିଁକି-? ତୁମ୍ଭେ କି ଏଡ଼େ ପେଟବିକଳିଆ ! ସ୍ୱର୍ଗରେ ତେବେ ପେନାଲକୋଡ଼ ଆଇନ୍ ନାହିଁ ! ଧିକ୍ ମାନବ, ଦେବତା ଭକ୍ତିର ବଶ, ଉତ୍କୋଚର ବଶ ନୁହନ୍ତି–ଏ ଶିକ୍ଷା କେତେ ଜନ୍ମପରେ ତୁମ୍ଭର ହେବ-? ଦେବତା ଉତ୍କୋଚଗ୍ରାହୀ ହୋଇଥିଲେ ଧନୀ ମହାଧନୀମାନଙ୍କର ଆଦୌ ଆପଦବିପଦ ଥାଆନ୍ତା ନାହିଁ, ତୁମ୍ଭ ଭଳି ଲୋକର କିଏ ଜ୍ଞାନ ନାହିଁ ? ତୁମ୍ଭେ କାନ୍ଦ, ନଚେତ୍ ଏ ପାପରୁ ପରିତ୍ରାଣ ଲଭିବ ନାହିଁ । ପାପ-ପଙ୍କ ଏକମାତ୍ର ଅଶ୍ରୁଜଳରେ, ଧୋଇଯାଏ–ତୀର୍ଥଜଳରେ ନୁହେଁ । ଅନୁତାପ, ଅଶ୍ରୁଜଳ ବ୍ୟତୀତ ଅନ୍ୟ କେହି ପାପୀକୁ ନିର୍ମଳ କରିପାରେ ନାହିଁ, ତାହାହିଁ ପାପର ସର୍ବଶ୍ରେଷ୍ଠ ପ୍ରାୟଶ୍ଚିତ୍ତ । ପ୍ରାଣର ସହିତ ଡାକିଲେ ଦେବତାଙ୍କ କୃପାଲାଭ କରିପାରିବ; ମାତ୍ର ଲାଞ୍ଚ ଯାଚିଲେ ସେ ତୁମ୍ଭ ପାଖରୁ ଦୂରକୁ ପଳାଇଯିବେ । ଏହା ପୁରୁଷାନୁକ୍ରମେ ମାନବପ୍ରକୃତି ବୋଲି କହିପାରେ; ମାତ୍ର ତାହା ଭୁଲ୍, ମହାଭୁଲ୍; ମାରାତ୍ମକ ଓ ଉତ୍କଟ ଭୁଲ୍ । ପ୍ରକୃତିକି ଛାଡ଼ି ହୁଏନାହିଁ ? ଦେଖ, ପଦ୍ମ ପଙ୍କରୁ ଜନ୍ମ ହୋଇ ସୁଦ୍ଧା ମଳିନତା-ବର୍ଜିତ । ଯାହା ଭାଷା-ବିବେକ-ଶୂନ୍ୟ ଜଡ଼ ପଦାର୍ଥ ପାରେ, ତାହାକି ତୁମ୍ଭେ ପାରିବ ନାହିଁ ? ଜଣେ ଭ୍ରନ୍ତ ହେଲା ବୋଲି ତୁମ୍ଭେ କାହିଁକି ଭଲ ନ ହେବ ? ଯାଉ ସେ କଥା-। ଜ୍ୟୋତିଷରତ୍ନଟି ସେରେ ଚାଉଳ ପାରିତୋଷିକ ପାଇ ସାମନ୍ତଙ୍କ ଛାମୁରୁ ବିଦାୟ ଗ୍ରହଣ କଲା ।
ଏଣେ ଶକୁନ୍ତଳା ନାହାକର କଥା ଶୁଣିବା ପାଇଁ ଉତ୍କର୍ଣ୍ଣ ହୋଇ ବସିଛନ୍ତି । ସେ ସମସ୍ତ ଇନ୍ଦ୍ରିୟର ଶକ୍ତି ଆଜି କର୍ଣ୍ଣରେ ସନ୍ନିବେଶ କରିଅଛି । ଚାତକ ଘନଗର୍ଜନ ଶୁଣିବା ଆଶାରେ କିମ୍ବା ସାଧକ ବିବେକବାଣୀ ଶୁଣିବା ଆଶାରେ ଏରୂପ ଉତ୍କର୍ଣ୍ଣ ହୁଅନ୍ତି ନାହିଁ । ଶକୁନ୍ତଳାର ସମବୟସ୍କା ଗ୍ରାମବାସିନୀ ପାର୍ବତୀ ଏବଂ ମାଳତୀ ପାର୍ଶ୍ୱରେ ଉପବିଷ୍ଟା । ମାଳତୀ ଶକୁନ୍ତଳାକୁ ଚାହିଁ କହିଲା–ବହୁ, ତମର ଦିହ କଳାକାଠ ପଡ଼ିଗଲାଣି, ତମେ ଆଉ ଏତେ ଭାବନା କରନାହଁ । ଯାହା ତ ହବାର ଥିବ, ତାହା ହେବ, ତମେ ଏତେ ଭାବିଲେ କଣ ହେବ ?
ଶକୁନ୍ତଳା–ପୋଡ଼ା ମନ କିଛି ମାନୁଛି ଭଉଣୀ, ମୁଁ ଯେ ମଧୁକୁ ପୁଅ ପରି ସ୍ନେହ କରିଥିଲି । ଚାରିଆଡ଼େ ମୁଁ ତାହାର ହାତ ଦେଖିପାରୁଛି । ଏହି ଯେ ପିଞ୍ଜରାଟା ଟଙ୍ଗା ହୋଇଅଛି, ଏଟା ତାହାରି ହାତର ତିଆରି । ଏ ସାର ଚଢ଼େଇଟାକୁ ସେହି ଆଣି ପାଳିଥିଲା । ଏହି ଯେ କାନ୍ଥରେ ପଳାପଦ୍ମଟା ଦେଖୁଚ, ଏ ବି ତାହାରି ହାତର ଚିତ୍ର । ଦିନରାତି ଏହାସବୁ ଆଖି ଆଗରେ ଦେଖି ରକ୍ତମାଂସର ଦିହ କେତେକେ ସହିପାରିବ ?
ପାର୍ବତୀ–ସତ ଲୋ ମାଳତୀ ଅପା, ଗାଁରେ କଅଣ ଦିଅର ଭାଉଜ ନାହାନ୍ତି ନା, ଇମିତି ପୁଅ ପରି ଦିଅରକୁ କିଏ ଦେଖୁଚି ?
ମାଳତୀ–ହଁ, ପୁଅ ପରି ଦେଖୁଚନ୍ତି ନା ଗୃହପରି ଦେଖୁଚନ୍ତି । ବହୁ ଯିମିତି ଦିଅରକୁ ଶରଧା କରନ୍ତି, ସିମିତି ମା ବି ପୁଅକୁ କରିବ ନାହିଁ ।
ପାର୍ବତୀ–ତାହା ଆଉ କହିବାକୁ ଅଛି ନା । ସେହିଲାଗି ତ ବହୁଙ୍କ ନାଁରେ ଗାଁସାରା ଧନ୍ୟ ଧନ୍ୟ ପଡ଼ିଚି ।
ଏହି ସମୟରେ ପୁନେଇ, ରୂପେଇ ଦାସୀ ଦୁହେଁ ଦାଣ୍ଡଆଡ଼ୁ ଧାଇଁ ଆସିଲେ । ସେମାନେ ନାହାକ କଥା ଶୁଣିବାକୁ ଯାଇଥିଲେ । ରୂପେଇ କହିଲା–‘‘ବହୁ ମଣିମା, ମୋତେ କଅଣ ଦେବ କୁହ ।’’ ଏହି କଥାଟା ଶକୁନ୍ତଳାର ରୁଦ୍ଧ ଆଶା-ଦ୍ୱାରରେ ସବଳରେ ଆଘାତ କଲା । ସେ ଆଖିରୁ ଦୁଇଟୋପା ଲୁହ ଗଡ଼ାଇ ପକାଇ ଉତ୍କଣ୍ଠିତ ଭାବରେ ପଚାରିଲା–‘‘କି ଲୋ, ମଧୁ ମିଳିଲା କି-? ତୋତେ ଆଉ ଦେବି କଅଣ–ମୁଁ ତୋର ।’’
ରୂପେଇ–ନା, ମିଳିନାହାନ୍ତି-ଆଜି କି କାଲି ମିଳିବେ ବୋଲି ନାହାକ ଖଡ଼ି ପକେଇ କହିଲା ।
ସୁନେଇ–ସତୀଟା ସତ କଥା କହିପକାଇଲା । ନା ସାଆନ୍ତାଣିଏ, ନାହାକ କହିଲା, ତିନିଦିନ ଗଲେ ଆପେ ଆପେ ଘରକୁ ଆସିବେ ।
ରୂପେଇ–ମୋତେ ଯେ ସତୀ ବୋଲି କହିଲା, ସେହି ସତୀ ହେଉ ।
ଏହା ଶୁଣି ସମସ୍ତେ ହସି ଉଠିଲେ । ଘନଛିଦ୍ରାଗତ କ୍ଷୀଣ ଖଡ଼ିଲ୍ଲେଖାପ୍ରାୟ ଶକୁନ୍ତଳା–ଅଧରରେ ମଧ୍ୟ ହାସ୍ୟ ଫୁଟିଉଠିଲା; ମାତ୍ର ମୁହୁର୍ତ୍ତକ ମଧ୍ୟରେ ସେହି ହାସ୍ୟ ସେହି ଅଧରରେ ମିଳେଇଗଲା । ପାର୍ବତୀ ହସି ହସି କହିଲା–‘‘ସୁନେଇକି ତୁ ଗାଳି ଦେଲୁ, ନା କଲ୍ୟାଣ କଲୁ ଲୋ ରୂପେଇ ! ସତୀ ହେବାଟା କି ଏଡ଼େ ଖରାପ କଥା, ଅଲାଗି ହୁଣ୍ଡୀଟାକୁ ମରଣ ନାହିଁ ।’’ ରୂପେଇ ମହାତ୍ମାଣୀ ଓଷ୍ଠ କମ୍ପାଇ କଅଣ କହିବାକୁ ଯାଉଥିଲା; ମାତ୍ର ଶକୁନ୍ତଳାର ମୁହଁକୁ ଅନାଇ କି ସଙ୍କେତ ପାଇ ତୁନି ହୋଇ ରହିଲା । ଶକୁନ୍ତଳା ଦେହରୁ ଅଳଙ୍କାରମାନ ବାହାର କରି ତଳେ ରଖି ଗ୍ରାମଦେବତା ରଘୁନାଥଙ୍କ ନାମରେ ପାଣି ଛଡ଼ାଇ ଦେଇ କହିଲା– ‘‘ହେ, ବାବା ରଘୁନାଥ, ମଧୁ ମିଳିଲେ ମୁଁ ଏହିଗୁଡ଼ିକ ଭାଙ୍ଗି ତମ ଲାଗି ଗହଣା ଗଢ଼ାଇ ଦେବି ।’’ ପୁନଶ୍ଚ କହିଲା–‘‘ନାହାକ କଥା ଯେବେ ସତ ହେବ, ତେବେ ବାବା ତ ତାକୁ ଯାହା ଦବାର ଦେବେ, ଆଉ ମୁଁ ବାବାଙ୍କୁ କହି ତାକୁ ମାଣେ ଜମି ଦେବି, ଏହା ମୋର ସତ୍ୟ ରହିଲା ।’’ ଏହି ସମୟରେ ସାମନ୍ତଙ୍କ ବଡ଼ ପୁଅ ଖାଇବାକୁ ଆସିବାରୁ ସମସ୍ତେ ଉଠିଗଲେ ।
ହେମହରି ସାମନ୍ତ ଜ୍ୟୋତିଷକୁ ବିଦାୟ କରିଦେଇ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ । ସେହିକ୍ଷଣି କେତେ ଜଣ ଗ୍ରାମବାସୀଙ୍କୁ ଡାକି ମଧୁକୁ ଖୋଜିବା ସକାଶ ସୁନାଘାଇ ପର୍ବତ ଉପରକୁ ପଠାଇଲେ । ସେମାନଙ୍କୁ କହିଲେ–‘‘ଦେବାଳୟ ଆଶ୍ରୟରେ ଅଛି ବୋଲି ନାହାକ ଖଡ଼ି ପକାଇ କହିଗଲା, ତୁମ୍ଭେମାନେ ପର୍ବତର ପ୍ରତି ଦେବତା ଆସ୍ଥାନରେ ଭଲରୁପେ ଖୋଜିବ । ତୁମ୍ଭମାନଙ୍କୁ ଦୁରକୁ ଦେଖି ସେ ଲୁଚିଯାଇପାରେ, ତୁମ୍ଭେମାନେ ଖୁବ୍ ଗୋପନରେ ଯିବ ।’’ ସେମାନେ ପର୍ବତାଭିମୁଖରେ ଯାତ୍ରା କଲେ । ପର୍ବତର ପ୍ରତ୍ୟେକ ଗୁମ୍ଫା, ଦେବାୟତନ ଏବଂ ବଡ଼ ବଡ଼ ଗଛ ତନ୍ନ ତନ୍ନ ଭାବରେ ଅନ୍ୱେଷଣ କଲେ, ମାତ୍ର କେଉଁଠାରେ ମଧୁର ସାକ୍ଷାତ୍ ପାଇଲେ ନାହିଁ-। ସୁତରାଂ ଅତିକ୍ଲାନ୍ତ ହୋଇ ସନ୍ଧ୍ୟାସମୟରେ ଫେରି ଆସି ସାମନ୍ତଙ୍କୁ ଏହି ବିଫଳବାର୍ତ୍ତା ପ୍ରଦାନ କଲେ ।
ସାମନ୍ତେ ଅନନ୍ୟୋପାୟ ହୋଇ ଭାବିଲେ–କାଳେ ବନ୍ଧୁଘରକୁ ଚାଲି ଯାଇଥିବ, ସେଠାରେ ମଧ୍ୟ ଅନୁସନ୍ଧାନ କରିବା ଆବଶ୍ୟକ । ବିକଳା ଭଣ୍ଡାରୀ ଆମ୍ଭର ସବୁ ବନ୍ଧୁଘର ଦେଖିଚି, ତାହାକୁ ପଠାଇଲେ ଭଲ ହେବ । ଏହା ଭାବି ବିକଳାକୁ ଡକାଇଲେ । ବିକଳା ଭାରି ଚଳୁଆ ଲୋକ-। ଥରକେ ଦେଢ଼ ସେର ଚାଉଳର ଭାତ ଉଡ଼ାଇଦିଏ–ଉଦରଟା ମଧ୍ୟ ଅସ୍ୱାଭାବିକ ପୃଥୂଳ । ପିଲାମାନେ ତାକୁ ‘‘ହାତୀପେଟା’’ ବୋଲି କହିଲେ ସେ ବାଳ ଛିଣ୍ଡାଇ ଚଳି ମରେ । ସାମନ୍ତଙ୍କ ନାମ ଶୁଣି ବିକଳା ତରଛରେ ଘରୁ ବାହାରି ଆସିଲା । ଏହି ସମୟରେ ଗୋଟିଏ ଦୁଷ୍ଟ ପିଲା ଅନ୍ତରାଳରେ ଥାଇ ବିକୃତ ସ୍ୱରରେ କହିଲା–‘‘ହାତୀପେଟା’’ । ଆଉ ବିକଳାକୁ ସମ୍ଭାଳେ କିଏ ? ସେ ହାତୀପରି ଗର୍ଜିଉଠି କହିଲା–‘‘ବେଧୁଆ ବାଳୁଙ୍ଗା ଟୋକା, ରହ, ରହ, ମୁଁ ଆସେ, ତୋତେ ଦେଖିବି । ଏକ ଚାପଡ଼େ ଦେବି ଯେ ତୋର ଗାଲପାଟି ଭାଙ୍ଗିଯିବ । ତୋର କେଉଁ ବାପ ପିଠିରେ ପଡ଼ିବ ଭଲା ଦେଖିବି ।’’ ବିକଳାର ଗର୍ଜନ ଶୁଣି ଆହୁରି କେତେଟା ପିଲା ବାହାରି ଆସି ‘‘ହାତୀପେଟା’’ ‘‘ହାତୀପେଟା’’ କହି ତାଳି ମାରି ନାଚିବାକୁ ଲାଗିଲେ । ବିକଳାର କ୍ରୋଧ ମଗଜକୁ ଉଠିଗଲା । ନିରସ୍ତ୍ର ଯୋଦ୍ଧା ପ୍ରାୟ ସେ ଇଟା, ପଥର, ଡାଙ୍ଗ ଯାହା ଆଗରେ ପାଇଲା, ତାହା ଫୋପାଡ଼ିଲା । ପିଲାମାନେ ଆହୁରି ଉତ୍ତେଜିତ ହୋଇ ଚଳାଇଲେ, ଏହିପରି ଖଣ୍ଡଯୁଦ୍ଧ ଲାଗିଗଲା । ହରି ବେହେରା ଆସି ମଧ୍ୟରେ ପଡ଼ି ନ ଥିଲେ ସେଦିନ ଗୋଟାଏ ବିଷମ କାଣ୍ଡ ଘଟିଥାଆନ୍ତା । ହରି ପଚାରିଲା–‘‘କଣ ବାରିକ ପୁଅ, ଏତେ ଗରମ କାହିଁକି ?’’ ବିକଳା ଉତ୍ତେଜିତ କଣ୍ଠରେ କହିଲା–‘‘ରକ୍ତମାଂସ ଦିହ, ଗରମ ହେବିନାହିଁ । ପିଲାଗୁଡ଼ାକ କଅଣ ଗାଁରେ ରଖେଇ ଦେବେ ନାହିଁ–ମୁଁ କଅଣ କାହା ବାବା ଦାଦାର ଖାଏଁ । ସବୁବେଳେ ବଦମାସଗୁଡ଼ାକ ମୋହରି ପଛରେ ଲାଗିଛନ୍ତି । ମୋ ପେଟ ହାତୀପେଟପରି–ମୁଁ ବେଶି ଭାତ ଖାଏଁ, ଏହା କାହାରି ଦିହରେ ସହୁ ନାହିଁ-। ମୋ ଖାଇବା ତମେ ବଦଜାତ ସାତ ଜନ୍ମରେ ପାଇବା ନା ? ମୁଁ ତ କାହାରି ହଳଦିଆ ପାଣିରେ ଗୋଡ଼ ଧୋଇବା ଲୋକ ନୁହେଁ–ତମେ କାହିଁକି ମୋ ଖୋଦ୍ ଗୋଡ଼େଇ ଥାଅ । ମୁଁ ହାତୀ ହେଲି ବା ଯା’ ହେଲି, କାହାରି କଦଳୀବାଡ଼ି ତ ଉଜାଡ଼ିବାକୁ ଯାଉନାହିଁ ।’’ ହରି କହିଲା, ‘‘ପିଲାଗୁଡ଼ାକ କଥାରେ କଅଣ ଅଛି ?’’ ଅଗ୍ନିରେ ଆହୁତି ଦେଲାପ୍ରାୟ ବିକଳା ଜଳି ଉଠି କହିଲା–‘‘ହଁ ହୋ, ମୁଁ ସମସ୍ତଙ୍କ କଥା ଜାଣେ । ବାଗଡ଼ ପିଲାଗୁଡ଼ାକ ତୁମେ ସବୁ ଟେଇ ଦେଇଚ । ନ ହେଲେ ସେ କହନ୍ତେ, ଦାନ୍ତ ଭାଙ୍ଗି ଦିଅନ୍ତି ନାହିଁ । ହରି ମୁହଁରେ ଲୁଗା ଢାଙ୍କି ମୁରୁକି ହସା ଦେଇ ଚାଲିଗଲା । ବିକଳା ବଡ଼ର ବଡ଼ର ହୋଇ ସାଆନ୍ତଙ୍କ ଉଆସ ଆଡ଼କୁ ଗଲା ।
ବିକଳା କେଉଁ କେଉଁ ଗ୍ରାମକୁ ଯିବ, ସେଥିର ଗୋଟାଏ ମୌଖିକ ତାଲିକା ସାମନ୍ତଙ୍କଠାରୁ ଆଦାୟ କରିନେଲା । ଗ୍ରାମଗୁଡ଼ାକର ନାମ ନଜାଣିଲେ କାହାରି କୌଣସି କ୍ଷତିର ସମ୍ଭାବନା ନାହିଁ । ବିଶେଷତଃ ଜଣେ ସଙ୍ଗତି ବିଶିଷ୍ଟ ଭଦ୍ରବ୍ୟକ୍ତିଙ୍କର ଜାବତୀୟ କଥା ପଦାରେ ପକାଇବାକୁ ଆମ୍ଭେମାନେ ଶିଷ୍ଟାଚାରଭଙ୍ଗ ଭୟରେ ଏକାନ୍ତ ନାରାଜ । ପାଠକମାନେ ମଧ୍ୟ ସେ ନାଡ଼ିନକ୍ଷତ୍ର ବୃତ୍ତାନ୍ତ ଶୁଣି ଭଦ୍ରତାରେ ଜଳାଞ୍ଜଳି ଦେବାକୁ ଆଗ୍ରହାନ୍ୱିତ ହେବେ ନାହିଁ । ସୁତରାଂ ତାହା ଢାଙ୍କି ରଖିବା ହିଁ ଉଚିତ୍ । ବିକଳା ଉପଯୁକ୍ତ ପାଥେୟ ନେଲା ଏବଂ କିଛି ଚୁଡ଼ାଚାଉଳ ବାନ୍ଧିଲା-। ତାକୁ ଆଜି ଅନ୍ତତଃ ତିନିକୋଶ ବାଟ ଚାଲିବାକୁ ହେବ । ସୁତରାଂ ବାଟରେ କିଛି ଖାଇଲେ ତାହାର ହଂସା ଉଡ଼ିଯିବ । ପାଠକେ ତାହାର ପେଟୁ କଥା ପୂର୍ବରୁ ଜାଣିଅଛନ୍ତି । ଦିନେ ଦିନେ ତାହା ଘରେ ଭାତରନ୍ଧାର ଉଛୁର ହେଲେ ସେ ଭୋକ ସହି ନ ପାରି ସେରେ ଚାଉଳ ତିନ୍ତାଇ ସେଥିରେ ଚିମୁଟେ ଲୁଣ ଗୋଳାଇଦେଇ ଗୋଟାଏ ଲଘୁ ଆହାର କରିନିଏ । ପରେ ଭାତରନ୍ଧା ସରିଲେ ପୂର୍ଣ୍ଣ ଆହାର କରେ । ତରକାରୀ ସଙ୍ଗରେ ଆନ୍ତରିକ ବନ୍ଧୁତା ନଥିବାରୁ ସେ ଖାଇବାବେଳେ ତାକୁ ଆହ୍ୱାନ କରେ ନାହିଁ । ମାତ୍ର ବଳେ ବଳେ ଆସି ପତ୍ରରେ ପଡ଼ିଲେ ଅଗ୍ରାହ୍ୟ କରେ ନାହିଁ । ଗୋଟାଏ ଦଗଧ ପଦ୍ମକାଷ୍ଠ କିମ୍ବା ତାହା ଅଭାବରେ ଟିକିଏ ଲୁଣ ହେଲେ ଭାତ ଆଉ କେଉଁଠାରେ ଅଟକି ନରହି ସଳଖେ ସଳଖେ ଉଦର ଗହ୍ୱରକୁ ବିନା ଓଜର ଆପତ୍ତିରେ ଚାଲିଯାଏ । ଭଣ୍ଡାରୀ ଲୋକ, ସୁତରାଂ ବାହା ସୁହାଣିରେ ଗୁଆବେଭାର ଘେନି ତାହାକୁ ବାରଆଡ଼େ ଯିବାକୁ ପଡ଼େ, ମାତ୍ର ଯେଉଁଠାରେ ତାହାର ପେଟଟି ସନ୍ତୁଷ୍ଟ ହୁଏ, ସେଠାରୁ ସେ ସହଜରେ ଗୋଡ଼ କାଢ଼ିବାକୁ ମଙ୍ଗେ ନାହିଁ । ପେଟଟି ପୁରିଲେ ଘରଦ୍ୱାର ଭାଙ୍ଗିଯାଉ ବା ପିଲାପିଲି ଉପାସରେ ମରନ୍ତୁ, ସେ ଆଡ଼କୁ ତାହାର ଦୃଷ୍ଟି ଥାଏ ନାହିଁ । ‘‘ଆପେ ଥିଲେ ବାପର ନାମ’’ ଏ ପ୍ରବାଦକୁ ସେ ବେଦବାଣୀ ତୁଲ୍ୟ ମଣେ । ନିଜେ ନିଜେ ଉପାର୍ଜନ କରି ଖାଇବା ସକାଶ ଈଶ୍ୱର ସମସ୍ତଙ୍କୁ ହାତଗୋଡ଼ ଦେଇଅଛନ୍ତି, ତାହାର ସ୍ତ୍ରୀପୁତ୍ରାଦିଙ୍କୁ ମଧ୍ୟ ଦେଇଅଛନ୍ତି । ତେବେ ସେ କାହିଁକି ନିଜର ହାଡ଼ ଭାଙ୍ଗି ସେମାନଙ୍କୁ ପୋଷି ଈଶ୍ୱରଙ୍କ ନିୟମ ଲଙ୍ଘନରୁପ ମହାପାପ କରିବାକୁ ଯିବ ? ସେ ତ ଆଉ ପୋଷିବାପାଇଁ ଏଗ୍ରିମେଣ୍ଟ ଲେଖିଦେଇ ପିଲାମାନଙ୍କୁ ଜନ୍ମ କରିନାହିଁ । ପିଲାଗୁଡ଼ାକୁ ପୋଷିଲେ ସେମାନେ ଅଳସୁଆ ହୋଇ ସ୍ୱାବଲମ୍ବନ ତ୍ୟାଗ କରିବେ, ସେଥିରେ ସମାଜରେ ଅକର୍ମଣ୍ୟର ସଂଖ୍ୟା ଅଧିକ ହେବା ଭଣ୍ଡାରୀବାପୁଡ଼ା କାହିଁକି ବା ସମାଜକୁ ପଙ୍ଗୁ ବା କ୍ଲୀବ କରି ରଖିବ, ସେ ପାପର କି ପ୍ରାୟଶ୍ଚିତ ଅଛି ? ସାଆନ୍ତେ ତାହାର ଏସବୁ କଥା ଜାଣନ୍ତି, ତେଣୁ ତାକିତ୍ କରି କହିଲେ–‘‘ଖବରଦାର୍ ବିକଳା, ଡେରି ନ କରି ଚଞ୍ଚଳ ଫେରି ଆସିବୁଟି !’’ ବିକଳା କାନରେ ହାତ ଦେଇ କହିଲା–‘‘ରାମ, ରାମ, ମୋତେ କଅଣ ଦଇବ ଛାଡ଼ିଚି, ହଜୁରଙ୍କ କାମରେ ଡେରି କରିବି, ମୁଁ ସେମିତି ଲୋକ ନୁହେଁ, ଅବଧାନ । ମୋ କଥା ଫେର୍ ପଛରେ ବୁଝିବ ନାହିଁ କି । ତମେ କିଛି ଚିନ୍ତା କର ନାହିଁ, ସାନ ବାବୁଙ୍କୁ ମୁଁ କାନ୍ଧରେ ବସାଇ ଘିନି ଆସିବି । ସେ ତ ମାମୁଘରେ କି ଭିଣେଇ ଘରେ ଥିବେ । ସେହି ଦି’ଜାଗାକୁ ମୁଁ ଆଗେ ଯିବି ।’’ ଏହା କହି ସାଆନ୍ତଙ୍କୁ ଗୋଟାଏ ଦୀର୍ଘ ଦଣ୍ଡବତ ପକାଇ ବିକଳା ଚାଲିଗଲା ।
ବିକଳାକୁ ପଠାଇ ଦେଇ ସାଆନ୍ତେ ବସି ଆକାଶ ପାତାଳ ନାନା ଚିନ୍ତା କରିବାକୁ ଲାଗିଲେ । ଭାବିଲେ, କାଳେ ମଧୁ ସେଠାକୁ ଯାଇ ନଥିବ । ପୁଣି ଭାବିଲେ ନ ଯାଇଥିଲେ ନାହିଁ, ମୁଁ ଆଉ କଅଣ କରିବି ? ଜନ୍ମ ଦେଇଛି ବୋଲି ତ କର୍ମ ଦେଇନାହିଁ, ଯାହା ତା’ ଅଦୃଷ୍ଟରେ ଥିବ, ତାହା ହେବ, ମୋର ଆଉ କି ଚାରା ଅଛି ? ଏହିପରି ନାନା ଭାବନାରେ ଦୁଇ ଦିନ ଅତିବାହିତ ହେଲା । ତୃତୀୟ ଦିନ ବିକଳା ଫେରି ଆସି ଦୁଇ ଖଣ୍ଡ ତାଳପତ୍ର ତାଙ୍କ ହସ୍ତରେ ଦେଲା । ସାମନ୍ତ କମ୍ପିତ କରରେ ଖଣ୍ଡିଏ ଫିଟାଇ ପାଠ କରିବାକୁ ଲାଗିଲେ । ସେଥିରେ ଏହିପରି ଲେଖାଥିଲା–‘‘ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚରଣେ ଶରଣ–ଶ୍ରୀ ବାବା ବୈଦ୍ୟନାଥଙ୍କ ଚରଣେ ଶରଣ–ଶ୍ରୀ ମା ଗଙ୍ଗାକାଳୀଙ୍କ ଚରଣେ ଶରଣ–ଶ୍ରୀ ଇଷ୍ଟଦେବତା ଇଷ୍ଟଦେବୀଙ୍କ ଚରଣେ ଶରଣ–ଶ୍ରୀ ଗ୍ରାମଦେବତୀ ମା ବାଘେଇଶୁଣୀଙ୍କ ଚରଣେ ଶରଣ । ଦାନୀକର୍ଣ୍ଣ-ମାନୀ ଦୁର୍ଯ୍ୟୋଧନ–କହିବାକୁ ଶୁକ-ଦେବ–ଣୁଣିବାକୁ ପରୀକ୍ଷିତ-ଗଙ୍ଗାଜଳ ନିର୍ମଳ–ଏଠାରେ ସର୍ବକୁଶଳ ମଙ୍ଗଳ-ସେଠାରେ କୁଶଳମଙ୍ଗଳକୁ ଶ୍ରୀ ଶ୍ରୀ ଜିଉ ବିଚାର କରୁଥିବେ । ଶ୍ରୀ ଶ୍ରୀ ସାମନ୍ତ ଶଶୁର ଶ୍ରୀ ଗୌରଗୋବିନ୍ଦ ହରିଚନ୍ଦନ ମଙ୍ଗରାଜ ଭ୍ରମରବର ରାୟ ମହାପାତ୍ରଙ୍କର ଜାମାତା ଶ୍ରୀ ଶ୍ରୀ ହେମହରି ସାମନ୍ତ ବାବୁଜିଉଙ୍କୁ ତ୍ରିକାଳସନ୍ଧ୍ୟାରେ ଧନପୁତ୍ର ଗୋପଲକ୍ଷ୍ମୀବାଞ୍ଛିତ ବହୁତ ବହୁତସୁକଲ୍ୟାଣ । ଶ୍ରୀ ଶାଶୁ ଗୋସାଇଙ୍କର ସାମନ୍ତ ପୁଅଙ୍କୁ ଆଶୀର୍ବାଦ । ଗୋକୁଳି, ସଇତା ଓଗେର ପିଲାମାନଙ୍କର ପିଉସାଙ୍କୁ ଶତକୋଟି ଭୂମିଷ୍ଠ ଦଣ୍ଡବତ । ନାତି ଗୋପାଳକୁ ଅଜା ଓ ଆଈ ସାଆନ୍ତାଣୀଙ୍କର ଅଶେଷ କଲ୍ୟାଣ-। ଲେଖିବାର କାରଣ ଏହିକି, ବାବୁ, ତୁମ୍ଭ ଲେଖିବାର ଚିଟାଉ କରପଇଠ ହୋଇ ଆମ୍ଭ ଛାମୁରେ ପାଠ ହେଲା । ତୁମ୍ଭେ ଯେ ଲେଖିଅଛ ମଧୁବାବୁଙ୍କ କଥା, ମାତ୍ର ସେ ବାବାଜି ଏଠା ମୁକାମ୍ ଆମ୍ଭ ଉଆସକୁ ଆସିନାହାନ୍ତି ଜାଣିବ । ଆମ୍ଭର ଏଠାରେ ଆଠଦିନ ତଳେ ଭାରି ଭାରି ଆପଦ ଘଟିଗଲା–ଆମ୍ଭର ପାଣୁଆ ନାମରେ ଗୋଟାଏ ବଳଦ ମରିଗଲା । ସେ ବଳଦଟା ଆହୁରି ତିନିପାଣି ମାରିଥାନ୍ତା–ସେଟା ଖାଡ଼ିଆଶିଙ୍ଗା ହୋଇ ଖୁବ୍ ଅଝାଲ୍ ବଳଦ । ସେ ବଳଦ ନୁହେଁ ଯେ, ଗୋଟାଏ ହାତୀ ଥିଲା । ହଳ କରିବାକୁ, ଛେଲା କହିବାକୁ ଗୋଟାଏ ରାହୁ । ଦିହରେ ପାଞ୍ଚଣବାଡ଼ି ବଜାଇ ଦିଏ ନାହିଁ । ତୁମ୍ଭ ଶାଶୁ ତାହାଲାଗି ତିନିଦିନଯାଏ ଅନ୍ନ ଜଳ ବିଷ କରିଥିଲେ, ତାଙ୍କ ଆଖିରୁ ହାଣ୍ଡିଏ କି ଦେଢ଼ହାଣ୍ଡି ଲୁହ ବାହାରିଗଲା–ସେ ଝୁରି ଝୁରି କଣ୍ଟାପରି ହେଲେଣି । ଆଉ ବାବୁ, ତୁମ୍ଭ ମଧୁ ଲାଗି ଭାବିତ ହେବ ନାହିଁ, ପ୍ରଭୁ ଅଛନ୍ତି -ସବୁ କାଳିଆର ଲୀଳା ଇତି-ମୁକାମ ତାରିଖ ସଦର । ଲିଖିତଂ ତୁମ୍ଭର ଶଶୁର ସାଆନ୍ତେ ।’’ ପତ୍ର ପାଠ କରି ସାରି ହେମହରି ସାଆନ୍ତେ ହତାଶ ଦୃଷ୍ଟିରେ ଘଡ଼ିଏ କାଳ ଆକାଶକୁ ଅନାଇ ରହିଲେ–ପରେ ଅନ୍ୟ ପତ୍ରଖଣ୍ଡି ଉଠାଇ ଫିଟାଇବାକୁ ଲାଗିଲେ, ସେ ଖଣ୍ଡିକର ଆକାର ପିଲାଙ୍କ ଚଉରାମୁଣ୍ଡୀ ପରି-ମଧ୍ୟଭାଗରେ ଖଣ୍ଡେ ତାଳପତ୍ର ଶିରା ତିନିପରସ୍ତ ଗୁଡ଼ା ହୋଇଅଛି । ସେଥିରେ ଲେଖାଥିଲା–
‘‘ଶ୍ରୀହରିଃ ଶରଣମ୍ । ମୁକାମ୍ ସଦର–୫ ଦିନ ମାହେ ଆଷାଢ଼ ଶନିବାର ବେଳ ଦୁଇଘଡ଼ି ସରିକ୍ ପୂଜନୀୟ ଶ୍ରୀ ଶ୍ରୀ ଶ୍ରୀ ଶଶୂର ସାମନ୍ତଙ୍କୁ ଶ୍ରୀ ଶ୍ରୀ ନଟବର ବଜ୍ରଧର ଭୂୟାଁ ବୀରବର ଜଗଦ୍ଦେବ ସାମନ୍ତଙ୍କର କୋଟି କୋଟି ପାଲାଗି ଦଣ୍ଡବତ । କାର୍ଯ୍ୟାଞ୍ଚାଗେ କି ବୋଇଲେ ବିକଳା ଭଣ୍ଡାରୀଠାରୁ ସକଳ ବେଉରା ଶୁଣି ଦୁଃଖିତ ହେଲୁଁ । ମଧୁ ଆମ୍ଭ ଘରକୁ ଆସିଥିଲେ ଆମ୍ଭେ ତକ୍ଷଣେ ପଠାଇ ଦେଇଥାଆନ୍ତୁ । ଆମ୍ଭେ ଅନୁସନ୍ଧାନରେ ରହିଲୁଁ, ଭେଟ ହେଲାକ୍ଷଣି ସଙ୍ଗରେ ଲୋକ ଦେଇ ପଠାଇଦେବୁଁ । କେଭେଁ ଖିଲାପ କରିବୁଁ ନାହିଁ ଜାଣିବା ହେବେ । ଦିବ୍ୟଚିତ୍ତକୁ ଆଣିବେ ଯେ, ଆମ୍ଭେ ଆପଣଙ୍କର କିଣା ଚାକର । ଆପଣଙ୍କ ଆଜ୍ଞାରେ ଆରମ୍ଭ ହେଳା ନାହିଁ । ଆମ୍ଭର କଳେଇମଳା ଶେଷ ହୋଇଅଛି–ଏଥର ଧାନ ୮୧ ଭରଣ ତିନି ଛେଲା ପନ୍ଦର ପୁଡ଼ି ନ’ ବିଶ୍ୱା ହେଲା । ଆମ୍ବ ପଣସ ବି ତୋଟାରେ ଢେର ଫଳିଥିଲା । ଆପଣଙ୍କ ଖୋଦ ଶ୍ରୀହସ୍ତଲେଖା ଦସ୍ତୁରି ଚିଟାଉ ଖଣ୍ଡିକରେ ମଧୁଙ୍କର ମିଳିବା ନ ମିଳିବା ଲେଖି ପରିତୋଷ କରିବା ହେବେ । ଆଉ ଗୋଟିଏ ଖୋସ୍ଖବର ଏହି କି, ଆପଣ ଦେଇଥିବା ଯୌତୁକୀ ଛଡ଼ାଟି ଗୋଟିଏ ମାଈବାଛୁରୀ ପ୍ରସବ କରିଅଛି । ଅତ୍ର ସମସ୍ତ ମଙ୍ଗଳ । ଭାଇ ଗୋପାଳଙ୍କୁ ଆମ୍ଭର ଯେ ବିଧି ଜଣାଇଦେବେ । ଇତି ।’’