ଟଙ୍କାଗଛ
ଚିନ୍ତାମଣି ମହାନ୍ତି · ଭାଗ ୧୫ / ୧୫
ସମ୍ପୂର୍ଣ୍ଣ ସୂଚୀପତ୍ର
ବିଂଶ ପରିଚ୍ଛେଦ
‘‘ମଧୁ, ଏ ମଧୁ !’’ ଦକ୍ଷିଣୀ ‘‘ଝଟକା’’ ଗାଡ଼ିର ଅସ୍ଥିଚର୍ମସାର ଘୋଡ଼ାପରି ଭୀମ ସିଂହ ସାହେବଙ୍କ କୋଠିଆଡ଼ୁ ଖର ଗତିରେ ଆସି ବସା ଖଣ୍ଡେ ଦୂର ଅଛି ସେହିଠାରୁ ଉଚ୍ଚସ୍ୱରରେ ଡାକିଲା,–‘ମଧୁ, ଏ ମଧୁ । ସେ ସ୍ୱର ବଡ଼ ବ୍ୟଗ୍ର ଏବଂ ଉଲ୍ଳାସବୋଳା । ମଧୁ ଘରଭିତରେ ଥିଲା । ଜଗନ୍ନାଥଙ୍କ ମଣୋହି ଶେଷରେ ଦ୍ୱାର ଖୋଲା ହେଲେ ଦର୍ଶନାର୍ଥୀମାନେ ଯେପରି ହୁଡାହୁଡ଼ି, ଠେଲାଠେଲି ହୋଇ ମନ୍ଦର ମଧ୍ୟରେ ପ୍ରବେଶ କରନ୍ତି; ସେହିପାରି ନାନାବିଧ ଚିନ୍ତା ଏକସମୟରେ ମଧୁର ମସ୍ତିଷ୍କରେ ପ୍ରବେଶ କରି ତାହାକୁ ବିବ୍ରତ କରୁଥିଲା । ଆନନ୍ଦ ସମୟରେ ଅନେକ କଥା ମନରେ ପଡ଼େ । ସ୍ୱୀୟ ଅତୀତ ଜୀବନର ଦୁଃଖ, ସାହେବଙ୍କ କୃପା ଏବଂ ଭୀମର ଅଗାଧ ସ୍ନେହ, ଏହିପରି ନାନା ଚିନ୍ତାରେ ସେ ବିଭୋର । ଏହି ସମୟରେ ଭୀମର ଡାକ ଶୁଣି, ସୁପ୍ତ ବ୍ୟକ୍ତି ହଠାତ୍ ଘନ ଗର୍ଜନରେ ଚମକି ଉଠିଲାପରି ମଧୁ ଭଗ୍ନଚିନ୍ତ ହୋଇ ଦେଖିଲା, ଭୀମ ଆସି ତାହାପାଖରେ ଉପସ୍ଥିତ । ତାହାର ମୁଖ ଏବଂ ନେତ୍ର ଆନନ୍ଦପ୍ରଭାବରେ ପ୍ରଦୀପ୍ତ । ସେ ମୃଦୁହାସ୍ୟରେ କହିଲା–‘‘ମଧୁ, ତୋତେ ଆଜି ଗୋଟାଏ ଶୁଭ ସମ୍ବାଦ ଦେବି, ତୁ ମୋତେ କଅଣ ଇନାମ ଦେବୁ କହ ?’’ ଭୀମ ଯେଉଁ ଶୁଭ ସମ୍ବାଦ ଦେବ, ମଧୁ ତାହା ଜାଣେ; ମାତ୍ର ତାହା ପ୍ରକାଶ କଲେ ଭୀମର ଉତ୍ସାହଭଙ୍ଗ ସଙ୍ଗେ ସଙ୍ଗେ କଥାର ରସଭଙ୍ଗ ହୋଇଯିବ, ଏହା ଭାବି ମଧୁ ନ ଜାଣିଲାପରି କହିଲା, ‘‘ତୋତେ ଆଉ ଇନାମ କଅଣ ଦେବି, ମୁଁ ତ ଗୋଟାଯାକ ତୋର । ଏ ପ୍ରାଣଟା ତ ତୋହରି ଉପରେ ନିର୍ଭରକରି ରହିଛି; ନୋହିଲେ ମୋହର ଧୂଳି ପାଉଁଶ ସୁଦ୍ଧା ଥାଆନ୍ତା ନାହିଁ । ମୋର ଏହି କେଶରେ କମ୍ବଳ ବୁଣି ତୋର ବସିବାର ଆସନ କରିଦେଲେ ବି ମୁଁ ତୋର ଋଣ ଶୁଝି ପାରିବି ନାହିଁ-।’’ ଭୀମ ମଧୁର ଏହି ବିନୟସିକ୍ତ କଥା ଶୁଣି ଜିହ୍ୱା ଦଂଶନପୂର୍ବକ କହିଲା,-‘‘ମଧୁ, ତୁ କଅଣ ପାଗଳ ହେଲୁଣି କି ? ଏ ସବୁ କଅଣ କହୁଛୁ ! ଆଉ ମୁଁ ବା ତୋର କଅଣ କରିଛି, ଯାହା କରନ୍ତି, ସବୁ ଈଶ୍ୱର । ତାଙ୍କର ହାତ, ତାଙ୍କର ଗୋଡ଼, ତାଙ୍କର ଦେହ, ସବୁ ତାଙ୍କରି, କେବଳ ମଧ୍ୟରେ ଗୋଟାଏ ‘‘ମୁଁ’’ କେଉଁଠୁ ଆସି ରହି ସବୁ ଅଲଗା କରିଦିଏ । ସେହି ଅନର୍ଥର ମୂଳ ‘‘ମୁଁ’ ଟା ବଡ଼ ଦୁଷ୍ଟ । ଯେପରି ଦୁଇଟି ଭାଇ ଏକ ଆତ୍ମା ଏକ ପ୍ରାଣ ହୋଇଥାଆନ୍ତି; ମାତ୍ର ଅପର ଜଣେ ଈର୍ଷାଳୁ ଆସି ସେମାନଙ୍କର ସେହି ଏକାତ୍ମତା ଏବଂ ଏକପ୍ରାଣତା ଭାଙ୍ଗିଦିଏ, ସେହି ଏହି ପରଶ୍ରୀକାତର ‘‘ମୁଁ’’ ସବୁ ଭେଦବୁଦ୍ଧିର କାରଣ । ମନୁଷ୍ୟର ନିଜରକ୍ଷଣ ଅସମ୍ଭବ, ସେ ପୁଣି ଅନ୍ୟର ରକ୍ଷାକର୍ତ୍ତା ହେବ କିପରି-? କାଠ କଣ୍ଢାଇର ତ ଜଣେ ନିର୍ମାଣକର୍ତ୍ତା ଅଛି, ପୁଣି ସେ କାହାକୁ ନିର୍ମାଣ କରିବ, ଏହା ଯେ ବଡ଼ ଅସଙ୍ଗତ ଆଉ ନିତାନ୍ତ ହାସ୍ୟକର କଥା । ସେ ଯାହା ହେଉ ଏବେ ଶୁଭ ଖବରଟା ଶୁଣ । ତୁ ଅଙ୍ଗ୍ରିଜୀରେ ଯେଉଁ ‘‘ଇମ୍ତାନ୍’’ ଦେଇଥିଲୁ, ତାହା ‘‘କାଏମ୍’’ ହେଲା । ମୁଁ ଏଇଛୁଣିକା ସାହେବଙ୍କ କତିରୁ ଶୁଣି ଆସିଲି । ସାହେବ ଭାରି ଖୁସି, ଯେ ଆସୁଛି ତାକୁ କହି ତୋତେ ଢେର ପ୍ରଶଂସା କରୁଛନ୍ତି । ତୁ ଏଥର ଖୁବ୍ଗୋଟାଏ ବଡ଼ ଚାକିରୀ ପାଇବୁ ।’’
ମଧୁ–ଖୁବ୍ବଡ଼ ଚାକିରୀ ? –ଘୋଡ଼ାପରି ନା ହାତୀପରି ?
ଭୀମ–ଘୋଡ଼ାହାତୀପରି ନୁହେଁ ରେ, ତୁ ଏବେ ଘୋଡ଼ାହାତୀରେ ଚଢ଼ିବୁ ।
ମଧୁ–ହଁ, ଏବେ ବୁଝିଲି, ଘୋଡ଼ାସଇଷ ହେବି, ନ ହେଲେ ହାତୀମାହୁନ୍ତ ହେବି ।
ଭୀମ–ଦୂର, ମୁଁ କଅଣ ତା କହୁଛି ? ତୁ ଘୋଡ଼ାସଇଷ କି ହାତୀମାହୁନ୍ତ ହେବୁ କାହିଁକି-? ତାହା ତୋର ଶତ୍ରୁ ହେଉ; ମାତ୍ର ତୁ ଘୋଡ଼ାସଇଷ ଆଉ ହାତୀମାହୁନ୍ତ ରଖିବୁ । ଆଛା, ମଧୁ । ତୁ ବଡ଼ ଚାକରୀ କଲେ ତୋର ଏ ଗରୀବ ଭୀମାନାକୁ ପଚାରିବୁ ନା ?
ଏହା ଶୁଣି ମଧୁର ଚକ୍ଷୁ ଅଶ୍ରୁ ଛଳଛଳ ହୋଇଆସିଲା । ସେ କୃତଜ୍ଞଦୃଷ୍ଟିରେ ଚାହିଁ କହିଲା,-‘‘ତାହା କହି ନା, ଭାଇ, ଈଶ୍ୱର ଏତେ କଷ୍ଟ ଦେଲେ,- ଆହୁରି ପଛକେ ଦେଉନ୍ତୁ; ମାତ୍ର ଅକୃତଜ୍ଞ ବୁଦ୍ଧି ନ ଦେଉନ୍ତୁ, ମୋର ବଡ଼ ଚାକିରୀ ପାଇବା ତ ଆକାଶକୁସୁମ, ଯଦି ତୋ କଲ୍ୟାଣରୁ ଏ ପୋଡ଼ା କପାଳରେ ତାହା ଘଟେ, ତେବେ ତୋତେ ନ ପଚାରିଲେ ସେଥିରେ ତୋର କିଛି କ୍ଷତି ନାହିଁ–କ୍ଷତି ସିନା ମୋର । ମନୁଷ୍ୟର ଅଧଃପତନର ଯେତେ କାରଣ ଅଛି, ସେଥି ମଧ୍ୟରେ କୃତଘ୍ନତା ପ୍ରଧାନ । କୃତଘ୍ନତାଠାରୁ ବଳି ପାପ ନାହିଁ । ମୁଁ ତୋତେ ନ ପଚାରିଲେ ତୁ ନରକଗାମୀ ହେବୁନାହିଁ, କିମ୍ବା ପଚାରିଲେ ଚତୁର୍ଭୁଜ ହୋଇ ସ୍ୱର୍ଗକୁ ଯିବୁନାହିଁ; ମାତ୍ର ମୋର ପାପ ରଖିବାକୁ ବିଶ୍ୱବ୍ରହ୍ମାଣ୍ଡରେ ସ୍ଥାନ ମିଳିବନାହିଁ । ଯେ ଉପକାରୀର ଉପକାର ବିସ୍ମୃତ ହୁଏ, ସେ ଦେବତା ହେଲେ ସୁଦ୍ଧା ପାମର । ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କର ଉପକାର ବିସ୍ମୃତ ହୋଇଥିଲା; ମାତ୍ର ଶେଷ ଫଳ ଯାହା ହେଲା, ତାହା ଭାବିଲେ ଆଜି ଯୁଗାନ୍ତରରେ ସୁଦ୍ଧା ଚିତ୍ତ ଘୃଣାରେ ତିକ୍ତ ହୋଇଯାଏ ।’’ ଏହିପରି କଥୋପକଥନ ସମୟରେ ଉତ୍ତରଦିଗରୁ ମେଘ ଉଠାଇ ଯୁଦ୍ଧ ବାରପରି ଆକାଶଫଟା ଗର୍ଜନ କରିବାକୁ ଲାଗିଲା । ମର୍ମାହତର ଖର ତପ୍ତ ଶ୍ୱାସ ପ୍ରାୟ ଭୀଷଣ ବାୟୁ ପ୍ରବାହିତ ହେଲା । ସେଦିନ ପ୍ରାୟ ଦୁଇଶ ମହଣ ଚା ପତ୍ର ଖରାରେ ଶୁଖୁଥିଲା, ବର୍ଷାରେ ତିନ୍ତିଯିବା ଏବଂ ପବନରେ ଉଡ଼ିଯିବା ଆଶଙ୍କା କରି ସେଗୁଡ଼ିକର ରକ୍ଷଣାବେକ୍ଷଣ ସକାଶ ଭୀମ ଏବଂ ମଧୁ ଭୂରିତପଦ-ବିକ୍ଷେପରେ ବସାରୁ ବାହାରିଗଲେ ।
ଦିନେ ଅଟକେ ନାହିଁ,–ସୁଖେ ଦୁଃଖେ ଚାଲିଯାଏ । ଏଥି ମଧ୍ୟରେ ମଧୁ ଉନ୍ନତି-ନିଶୁଣୀର ଦୁଇ ତିନି ଫଳି ଉପରକୁ ଉଠିଯାଇଅଛି । ଅଧ୍ୟାତ୍ମିକ ବଳପରି ଚାରିତ୍ୟବଳ ମଧ୍ୟ ମାନବ ଆଗରେ ଉନ୍ନତିର ସୋପାନ ପକାଇଦିଏ ।
ମଧୁର ସେହି ଚାରିତ୍ରେବଳରେ ସାହେବ ସନ୍ତୁଷ୍ଟ । ବାଲ୍ୟକାଳରେ ଯେ ଦୃଷ୍ଟି ଏବଂ ଅବାଧ୍ୟ ଥାଏ, ପଛକୁ ସେ ଶାନ୍ତ ଏବଂ ଶିଷ୍ଟ ହୁଏ । ମଧୁର ଜୀବନରେ ତାହାହିଁ ପ୍ରମାଣିତ ହୋଇଅଛି । ସେ ସମ୍ପ୍ରତି ମାସିକ ଚଳିଶଟଙ୍କା ବେତନରେ ସାହେବଙ୍କ ପାଖରେ କିରୋଣୀ କାର୍ଯ୍ୟ କରୁଅଛି । ବେତନ ପାଇଲାକ୍ଷଣି ନେଇ ଭୀମ ହାତରେ ଦିଏ ତାହାର ମାସିକ ଖର୍ଚ୍ଚ ଯାଇ ଯାହା ବଳେ ଭୀମ ତାହା ଗଚ୍ଛିତ ରଖେ । ମଧୁର ବେତନରେ ଦୁହିଙ୍କର ଖର୍ଚ୍ଚ ଚଳାଇବା ସକାଶେ ସେ ଅନେକ ଥର ଭୀମକୁ ଅନୁରୋଧ କରିଥିଲା; ମାତ୍ର ଭୀମ ତାହା ପ୍ରତ୍ୟାଖ୍ୟାନପୂର୍ବକ କହିଥିଲା,-‘‘ମୋର ତ ବେତନ ଅଛି, ଖର୍ଚ୍ଚ ଯାଇ କିଛି କିଛି ମାସରେ ବଳେ, ଅଭାବ ତ ନାହିଁ, ଅକାରଣ କାହିଁକି ତୋର ଜଳଗ୍ରହ ହେବି ?’’ ମଧୁ ବାରମ୍ୱାର ଅକୃତକାର୍ଯ୍ୟ ହୋଇ ଆଉ ବାଧ୍ୟ କରେନାହିଁ । ମଧୁର ଇଂରାଜୀ ହସ୍ତଲିପି ଖୁବ୍ଭଲ, ଅନେକ ସମୟରେ ସାହେବ ତାହା ହାତରେ ଚିଠିପତ୍ର ଲେଖାନ୍ତି, କୁଲିମାନଙ୍କର ହାରୀ ଫେରାଦାର ଦରଖାସ୍ତ ସାହେବଙ୍କ ପାଖରେ ପଡ଼େ । ସାହେବ ସେଥିର ନିଷ୍ପତ୍ତିର ଭାର ମଧୁ ଉପରେ ନ୍ୟସ୍ତ କରନ୍ତି । ମଧୁ ଯେଉଁ ମୀମାଂସା କରେ, ତାହା ସାହେବଙ୍କର ମନୋମତ ହୁଏ । ମଧୁର ଚରିତ୍ର ଶରତକାଳର ନଦୀଜଳ ପ୍ରାୟ ନିର୍ମଳ ଏବଂ ଦେବ-ପାଦୋଦକ ପ୍ରାୟ ପବିତ୍ର । ଏହିହେତୁ କୁଲିମାନେ ତାକୁ ବିଶେଷ ଶ୍ରଦ୍ଧା କରନ୍ତି । ଉଚ୍ଚ ଅଧିକାରରେ ଥାଇ ସୁଦ୍ଧା ସେ କେବେ କାହାରିଠାରୁ କିଛି ହେଲେ ଉତ୍କୋଚ ଗ୍ରହଣ କରେ ନାହିଁ ପ୍ରଭ୍ୟୁତ କାହାରି ଅଭାବ ଦେଖିଲେ ସେ ଯଥାଶକ୍ତି ସାହାଯ୍ୟ କରେ । ଏ କାଳରେ ଯେ ଯେତେ ଉତ୍କୋଚ ନେଇପାରିଲା, ସେ ତେତେ ବାହାଦୂର । ଉତ୍କୋଚର ନାମ ହୋଇଛି ‘‘ଉପରି ଲାଭ ।’’ ଧର୍ମଭେକଧାରୀଙ୍କ ମଧ୍ୟରେ ଏହି ଉପରି ଲାଭଟା ଧର୍ମର ଅଙ୍ଗ ସ୍ୱରୂପ । ସେମାନେ ଯେଉଁ ହାତରେ ମାଳା ଜପନ୍ତି, ସେହି ହାତରେ ଗରିବଙ୍କ ତଣ୍ଟି ଚିପି ଉପରି ଲାଭ ରୂପ ଅମେଧ୍ୟ ଭକ୍ଷଣ କରିବାକୁ ଘୃଣାବୋଧ କରନ୍ତିନାହିଁ । ସମାଜରେ ସେମାନଙ୍କର ଉପାଧି, ‘‘ବିରାଡ଼ି ବୈଷ୍ଣବ’’ ବା ‘‘ତୁଳସୀ ବଣର ବାଘ ।’’ ସେମାନେ ବୁଡ଼ି ପାଣି ପିଇଲେ ଦେବତାଙ୍କର ବାପେ ସୁଦ୍ଧା ଟେର୍ ପାଇବେନାହିଁ । ସାନଠାରୁ ବଡ଼ ପର୍ଯ୍ୟନ୍ତ ଅନେକେ ଏହି ପାପରେ ଧାର୍ମିକ । ପ୍ରଭେଦ ଏତିକି ଯେ, ସାନ ଏହାକୁ ମିଠାଇଖିଆ ପୁରସ୍କାର କହନ୍ତି; ମାତ୍ର ଏହା ପବିତ୍ର ପୁରସ୍କାର ଶବ୍ଦର ଅଧୌତ କଳଙ୍କ । ବଡ଼ଲୋକଙ୍କର ତ ଏହା ତପ୍ତ ବୈତରଣୀ ପାର ହେବାର ନୌକାଭଡ଼ା । ମନୁଷ୍ୟ ହୋଇ ଯେ ମନୁଷ୍ୟର ରକ୍ତପାନ କରେ, ତାହାକୁ ଶୃଗାଳ ଶକୁନ ଜନ୍ମ ନ ଦେବା ବିଧାତାଙ୍କର ଗୋଟାଏ ପ୍ରକାଣ୍ଡ ଭ୍ରମ ନୁହେଁ ତ ଆଉ କଅଣ ? ଦୟା, ମାୟା, ସହାନୁଭୂତି ଉଠିଯାଇ ଏଣିକି ଉତ୍କୋଚର ମାତ୍ରା ବଢ଼ି ଉଠୁଅଛି; ସୁତରାଂ ନବ୍ୟ ଅଭିଧାନକାରମାନେ ଏହି ସବୁର ଅର୍ଥ ‘‘ଉତ୍କୋଚ’’ ବୋଲି ନିର୍ଦ୍ଦେଶ କରିବାକୁ ପରାଙ୍ମୁଖ ହେବେ ନାହିଁ ।
ଆମେରିକାରେ ବୈଜ୍ଞାନିକମାନଙ୍କର ଗୋଟିଏ ସଙ୍ଘ ଅଛି । ବଡ଼ ବଡ଼ ବୈଜ୍ଞାନିକମାନେ ସେଥିରେ ସଭ୍ୟ । ଆମ୍ଭମାନଙ୍କର ରେ ସାହେବ ସେଥିମଧ୍ୟରେ ଜଣେ ସେହି ସଙ୍ଘର କେତେ ଜଣ ସଭ୍ୟ ମଧ୍ୟରେ ପୃଥିବୀ ପରିଭ୍ରମଣ କରିବାସକାଶେ ବହାରିବେ ଏବଂ ଯେଉଁ ସ୍ଥାନରେ ଯେଉଁ ବିଷୟକ ବୈଜ୍ଞାନିକ ପରୀକ୍ଷାର ସୁବିଧା ହେବ, ସେହି ସ୍ଥାନରେ ରହି, ସେହି ବିଷୟର ପରୀକ୍ଷା କରିବେ । ପୃଥିବୀ ମଧ୍ୟରେ ଏହିପରି ଷାଠିଏ ଗୋଟି ସ୍ଥାନ ନିରୂପିତ ହୋଇଅଛି । ପ୍ରତ୍ୟେକ ସ୍ଥାନରେ ମାସେ ଲେଖାଏଁ ରହି ପରୀକ୍ଷା କରାଯିବ । ସାହେବ ସେହି ଦଳର ଅଧ୍ୟକ୍ଷ ମନୋନୀତ ହୋଇଅଛନ୍ତି; ସୁତରାଂ ତାଙ୍କୁ ଦୀର୍ଘ ପାଞ୍ଚବର୍ଷ କାଳ ପୃଥିବୀର ନାନାସ୍ଥାନରେ ବୁଲିବାକୁ ହେବ । ସେ ସମ୍ୱାଦ ପାଇ ଉତ୍ଫୁଲ୍ଲିତ ଏବଂ ଉତ୍ସାହିତ ହୋଇଉଠିଲେ; ମାତ୍ର ତାଙ୍କ ଅନୁପସ୍ଥିତି ସମୟରେ ବିଶାଳ ଚା କାରଖାନା କିରୂପେ ପରିଚାଳିତ ହେବ, ସେ ବିଷୟ ଚିନ୍ତା କରିବାକୁ ଲାଗିଲେ । ଶେଷରେ ସ୍ଥିର କଲେ, ଜଣେ ସୁଦକ୍ଷ ମେନେଜର ରଖି କାରଖାନାର ସୂଚାରୁ ପରିଚାଳନାର ବ୍ୟବସ୍ଥା କରି ସେ ଯିବେ । ଅଳ୍ପଦିନ ମଧ୍ୟରେ ତଦନୁସାରେ କାର୍ଯ୍ୟ ମଧ୍ୟ ହେଲା । ମାସିକ ପାଞ୍ଚଶତ ଟଙ୍କା ବେତନରେ ଜଣେ ଇଉରୋପୀୟ ମେନେଜର ନିଯୁକ୍ତ ହେଲେ । ସେତେବେଳକୁ ଯେଉଁ କୁଲିମାନଙ୍କର କାର୍ଯ୍ୟକାଳ ଶେଷ ହୋଇ ଆସିଥିଲା, ସେମାନଙ୍କୁ ଉପଯୁକ୍ତ ପାଥେୟ ଏବଂ ପୁରସ୍କାରପ୍ରଦାନପୂର୍ବକ ବିଦାୟ ଦିଆଗଲା । ଭୀମସିଂହ ପାଥେୟ ଛଡ଼ା ତିନିଶ ଟଙ୍କା ପୁରସ୍କାର ପାଇଲା । ସାହେବଙ୍କ ସଙ୍ଗରେ କଲିକତା ଯାଇ ସେ ସେହିଠାରୁ ବିଦାୟ ନେବ । କୁଲି ଏବଂ କର୍ମଚାରୀମାନଙ୍କୁ ସାହେବ କିଛି କିଛି ପୁରସ୍କାର ଦେଇ ଯଥାରାତି କାର୍ଯ୍ୟ କରିବାକୁ ଉପଦେଶ ଦେଲେ ଏବଂ ସେମାନଙ୍କୁ ସୁଖ ସୁବିଧା ପ୍ରତି ସର୍ବଦା ସତର୍କ ଦୃଷ୍ଟି ରଖିବା ସକାଶେ ନବନୀଯୁକ୍ତ ମେନେଜରଙ୍କୁ ସନିର୍ବନ୍ଧ ଅନୁରୋଧ କଲେ । ଏହିପରି ଗମନର ପୂର୍ବବର୍ତ୍ତୀ କାର୍ଯ୍ୟମାନ ଶେଷ ହେଲା ।
ଅନନ୍ତର ସାହେବ ମଧୁ କଥା ଏହିପରି ଭାବିଲେ,-ମଧୁର ଦଶବର୍ଷ ପୂର୍ଣ୍ଣ ହୋଇଅଛି, ତାକୁ ଏତେଦିନ ଅଟକାଇ ରଖିବାର କଥା ନୁହେଁ, ଖାଲି ଏହି ଟଙ୍କାଟା ସକାଶେ ବାଧ୍ୟ ହୋଇ ରଖିବାକୁ ହୋଇ ଅଛି । ଏବେ ତାର ହିତାହିତ ବୁଝିବାର ବୟସ ଯଥେଷ୍ଟ ହୋଇଅଛି ଏବଂ ଶକ୍ତି ମଧ୍ୟ ଜନ୍ମି ଅଛି । ସେ ଏବେ ନିଜକୁ ନିଜେ ରକ୍ଷା କରିପାରିବ ଏବଂ ଅର୍ଥର ସଦ୍ବ୍ୟବହାର ମଧ୍ୟ କରିପାରିବ । ସେ ଧନୀ ପିତାର ପୁତ୍ର, ତାହା ପକ୍ଷରେ ଚାକିରୀରୂପ ଦାସତ୍ୱର ଆବଶ୍ୟକତା ନାହିଁ, ତେବେ ଯୋଗ୍ୟତା ଉପାର୍ଜନ ପରେ ଖାଲି ବସି ରହିବା ଭଲ ନୁହେଁ ବୋଲି ତାକୁ ଗୋଟାଏ କାର୍ଯ୍ୟରେ ଲଗାଇ ଦିଆଯାଇଥିଲା । ଚାକିରୀ ସିନା ନିଃସମ୍ୱଳର ସହାୟ; ନଚେତ୍ ସେଥିରେ ମନୁଷ୍ୟତା ବିକାଶ ପାଏନାହିଁ । ଯେ ପରାଧୀନତାର ବିବିଡ଼ ଶୃଙ୍ଖଳାରେ, ଆବଦ୍ଧ, ତାହାର ସ୍ୱାଧୀନ ଚିନ୍ତା ପଦେ ପଦେ କ୍ଷୂର୍ଣ୍ଣ ହୁଏ । ସ୍ୱାଧୀନ ବ୍ୟବସାୟ ମନକୁ ଉନ୍ନତ କରେ । ମନ ଉନ୍ନତ ହେଲେ ନୈତିକ ଜୀବନ ଲାଭହୁଏ ଏବଂ ହୃଦୟ ପ୍ରଶସ୍ତତର ହୁଏ । ଯେ ପର ପଦରେ ଆତ୍ମବଳୀ ଦିଏ, ତାହାର ହୃଦୟ ଚିର ସଙ୍କୀର୍ଣ୍ଣ ଏବଂ ତାହାର ଆତ୍ମା ପଙ୍ଗୁ ହୋଇଯାଏ । ନୂତନ ଚିନ୍ତା ବା ନୂତନ ଉଭାବନ ତାହାର ଦୁର୍ବଳ କ୍ଳୀବ ମସ୍ତିଷ୍କକୁ ସ୍ପର୍ଶ କରିପାରେନାହିଁ । ପରାଧୀନତା ପରି ଆତ୍ମୋନ୍ନତିର ପରିପନ୍ଥୀ ଆଉ କିଛି ନାହିଁ । ତାହା ତମୋମୟ କାରଗାର । ପଶୁ ପକ୍ଷୀ ପ୍ରଭୃତି ଇତର ପ୍ରାଣୀ ସୁଦ୍ଧା ପରାଧୀନତାକୁ ଘୃଣା କରନ୍ତି । ମାନବ ପକ୍ଷରେ ତ ତାହା ଶିରଶ୍ଚେଦ ଶାସ୍ତି । ପରାଧୀନାତା ସତ୍ତ୍ୱେ କେହି କେହି ମନିଷୀ ବ୍ୟକ୍ତି ଉନ୍ନତି ସୋପାନରେ ଆରୋହଣ କରି ଅଛନ୍ତି ସତ୍ୟ; ମାତ୍ର ପୂର୍ଣ୍ଣ ସ୍ୱାଧୀନତା ପାଇଥିଲେ, ସେମାନେ ଆହୁରି ଅସମ୍ଭାବିତ ଉନ୍ନତି କରିପାରି ଥାଆନ୍ତେ ଏଥିରେ ସନ୍ଦେହ ନାହିଁ । ପରାଧୀନତା ସେମାନଙ୍କ ଉନ୍ନତିକୁ ସୀମାବଦ୍ଧ କରିରଖିଅଛି । ମଧୁର ଶିକ୍ଷା ଅଛି, ସମ୍ୱଳ ଅଛି; ସୁତରାଂ ସେ ସ୍ୱାଧୀନ ବ୍ୟବସାୟରେ ଯଥେଷ୍ଟ ଅଗ୍ରସର ହୋଇ ପାରିବ । ତାହାର ଟଙ୍କା ତାକୁ ଦେଇ, ଏବେ ବିଦାୟ ଦେବା ଉଚିତ ।’’ ସାହେବଙ୍କର ଏହି ଚିନ୍ତାସ୍ରୋତ ଚାଲିଥିବା ସମୟରେ ମଧୁ ଆସି ଉପସ୍ଥିତ ହେଲା । ସାହେବ ତାହାକୁ କହିଲେ,-‘‘ମଧୁ, ଏବେ ତୋତେ ଘରକୁ ପଠାଇ ଦେବି, ତୋତେ କିଛି ଶିକ୍ଷା ଦେବାକୁ ମୋର ଉଦ୍ଦେଶ୍ୟ ଥିଲା, ସେ ଉଦ୍ଦେଶ୍ୟ ସିଦ୍ଧ ହୋଇଅଛି, ଏଣିକି ତୁ ସ୍ୱଦେଶକୁ ଯାଇ ମାତୃଭୂମିର କିଛି ଉପକାର କର । ତୋର ପିତାକୁ ତୁ ଆଜି ପତ୍ର ଲେଖ, ସେ କଲିକତା ପର୍ଯ୍ୟନ୍ତ ଆସନ୍ତୁ । ମୁଁ ତୋତେ ସଙ୍ଗରେ କଲିକତା ନେଇଯାଇ ତାଙ୍କର ଜିମା କରିଦେଇ ଆସିବି । ଆଉ ଅଧିକ ସମୟ ନାହିଁ, ମୋତେ ଅତିଶୀଘ୍ର ଆମେରିକା ଯିବାକୁ ହେବ । ଆଗାମୀ ଜାନୁୟାରୀ ପନ୍ଦର ତାରିଖରେ ତାଙ୍କୁ ଆସିବାକୁ ଲେଖିବୁ । ମୁଁ ତାଙ୍କ ଆସିବାର ସୁବିଧା କରିଦେବି । ଆମ୍ଭର ଜାହାଜ ଚାନ୍ଦବାଲି ଯିବ । ସେ ସେହି ଜାହାଜରେ ଆସିବେ । ପିତା ପୁତ୍ର ଦୁହେଁ ପୁଣି ସେହି ଜାହଜରେ କଲିକତାରୁ ଚାନ୍ଦବାଲି ପର୍ଯ୍ୟନ୍ତ ଯିବ । ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି, ସେ ତୋର ଚିର ସହାୟ ହେଉନ୍ତୁ ।’’ ଏହା ଶୁଣି ମଧୁର ଚକ୍ଷୁ ଆନନ୍ଦରେ ଲୋତକସିକ୍ତ ହୋଇ ଆସିଲା । ସେ ଗଦ୍ଗଦ୍ ସ୍ୱରରେ କହିଲା–ହଜୁରଙ୍କର ମଙ୍ଗଳ ଆଦେଶ ମୋର ଦେବନିର୍ମାଲ୍ୟପରି ଶିରୋଧାର୍ଯ୍ୟ । ମୁଁ ହଜୁରଙ୍ଗ ସ୍ନେହ ଏବଂ ଦୟା ଜୀବନରେ ଭୁଲି ପାରିବିନାହିଁ । ହଜୁର ଏ ଅଧମ ବାଳକର ପିତୃତୁଲ୍ୟ ଅରାଧ୍ୟ ଦେବତା ।’’ ମଧୁ ଆଉ କିଛି କହିପାରିଲାନାହିଁ, ଆନନ୍ଦର ପ୍ରବଳ ଉଚ୍ଛ୍ୱାସ ତାହାର କଣ୍ଠରୋଧ କରିଦେଲା । ସେ ସାହେବଙ୍କ ପଦଦ୍ୱୟ ଭକ୍ତିପୂର୍ବକ ମସ୍ତକରେ ଲଗାଇ ପତ୍ର ଲେଖିବା ସକାଶେ ବସାକୁ ବାହାରିଗଲା ।
ମଧୁର ରେଜେଷ୍ଟରୀ ପତ୍ର ଯଥାସମୟରେ ହେମହରି ସାମନ୍ତଙ୍କର ହସ୍ତଗତ ହେଲା । ପତ୍ର ଆଣି ପ୍ରକାଶ ମହାଭାରତ । ଭଣ୍ଡ ବାବାଜି ଟଙ୍କାଗଛ ଲୋଭ ଦେଖାଇ ଠକାଇ ନେଇଯିବା, ଚା ବଗିଚାରେ ମଧୁକୁ ବିକ୍ରୟ କରିବା, ସାହେବଙ୍କର ସ୍ନେହ, ବାବାଜିର ମୃତ୍ୟୁ ଏବଂ ମଧୁର ଶିକ୍ଷୋନ୍ନତି ପ୍ରଭୃତି ଯାବତୀୟ ବିଷୟ ସେଥିରେ ବିସ୍ତାରିତ ରୂପେ ଲିଖିତ ହୋଇଥିଲା । ସାମନ୍ତ ଶଙ୍କାକମ୍ପିତ କରରେ ପତ୍ରଖଣ୍ଡି ଖୋଲି ପାଠକଲେ । ଅସମ୍ଭାଳ ଆନନ୍ଦରେ ତାଙ୍କର ନେତ୍ର ଅଶ୍ରୁବର୍ଷଣ କଲା । କ୍ଷଣକ ମଧ୍ୟରେ ଏ କଥା ଗ୍ରାମ ମଧ୍ୟରେ ରାଷ୍ଟ୍ର ହୋଇଗଲା । ଗ୍ରାମରେ ଗୋଟାଏ ଆନନ୍ଦ ଏବଂ ବିସ୍ମୟର ସ୍ରୋତ ବହିଗଲା । ଗ୍ରାମବାସୀ ଦଳ ଦଳ ହୋଇ ସାମନ୍ତଙ୍କ ଘରକୁ ଧାଡ଼ି ଦେଲେ । ସାମନ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପତ୍ରଖଣ୍ଡି ଆମୂଳଚୂଳ ପାଠକଲେ । ପଢ଼ି ପଢ଼ି ତାଙ୍କର ତଣ୍ଟି ବସିଗଲା । ଶ୍ରୋତାବୃନ୍ଦ ସାମନ୍ତଙ୍କର ଧର୍ମବଳ ଏବଂ ମଧୁର ଶୁଭଦୃଷ୍ଟିର ଭୂୟସୀ ପ୍ରଶଂସା ଗାନ କଲେ ଏବଂ ସଙ୍ଗେ ସଙ୍ଗେ ଧୃର୍ତ୍ତ ଆଡ଼କାଟିର ଚତୁର୍ଦ୍ଦଶ ପୁରୁଷ ଉଦ୍ଦେଶ୍ୟରେ ଅନାଭିଧାନିକ ତିକ୍ତ ଆଶୀର୍ବାଦ ଅଜାଡ଼ିଦେଲେ । କେହି ବା କ୍ରୋଧରେ ଦନ୍ତ କଡ଼ମଡ଼ କରି ଉଠିଲେ । ଏହିପରି ଗୋଟାଏ ବ୍ୟର୍ଥ ଆସ୍ଫାଳନ ଆତ୍ମପ୍ରକାଶ କଲା । ସେଥିରୁ ପ୍ରତୀୟମାନ ହେଲା, ବାବାଜି ସେଠାରେ ଉପସ୍ଥିତ ଥିଲେ, ତାହାର ହାଡ଼ମାଂସ ଘେନି ଗୋଟାଏ ଅସୁରିକ କାଣ୍ଡ ସଂଘଟିତ ହୋଇଥାଆନ୍ତା । ତଥାପି କେହି କେହି ମୃଷ୍ଟିବଦ୍ଧ ହୋଇ, ଗୋଟାଏ ହାସ୍ୟକର ଶ୍ୱନ୍ୟ ସଂଗ୍ରାମର ଅଭିନୟ ଦେଖାଇବାରେ ତ୍ରୁଟି କରିନଥିଲେ । ସାମନ୍ତ ଆଉ ବିଳମ୍ୱ ନକରି ସେହିଦିନ ଚାନ୍ଦବାଲି ଯିବା ସକାଶେ ପ୍ରସ୍ତୁତ ହେଲେ । ତାଙ୍କୁ ଆଉ ଅନ୍ନଜଳ ରୁଚିଲାନାହିଁ । ଆନନ୍ଦରେ ତ ଉଦରପୂର୍ଣ୍ଣ ହୋଇଅଛି, ଆଉ ଅନ୍ନଜଳ ଧରିବ କାହିଁରେ ? ସେ ସଙ୍ଗରେ ଜଣେ ଲୋକ ନେଇ ସେହିଦିନ ରାତ୍ରିରେ ଚାନ୍ଦବାଲି ଗଲେ । ସେଠାରେ ଦୁଇଦିନ ରହି ଜାହାଜକୁ ଅପେକ୍ଷା କଲେ । ତୃତୀୟ ଦିନ ଜାହାଜ ଆସି ପହୁଞ୍ଚିଲା । ସେହି ଜାହାଜରେ ଚଢ଼ି ସେ କଲିକତା ଅଭିମୁଖରେ ଯାତ୍ରା କଲେ ।
ପୂର୍ବରୁ ସାହେବ ମଧୁକୁ ଘେନି କଲିକତା ଆସିଥିଲେ । ଜାହାଜ ଆସିବା ଦିନ ଏଧୁ ଏବଂ ଭୀମ ଆଗରୁ ଆସି ବନ୍ଦରରେ ଅପେକ୍ଷା କରିଥିଲେ । ଜାହାଜ ଲାଗିବାକ୍ଷଣି ଆରୋହୀମାନେ ଅବତରଣ କଲେ । ସାମନ୍ତ ମଧ୍ୟ ଓହ୍ଲାଇ ଆସିଲେ । ସେ ଅତିବୃଦ୍ଧ, ଜରା-ରାକ୍ଷସୀର ଧ୍ୱଂସପଟୁ ହସ୍ତର ଚିହ୍ନ ତାଙ୍କ ଶରୀରରେ ସ୍ପଷ୍ଟ ଦେଖା ଯାଉଅଛି । ପଞ୍ଜରା ହାଡ଼ ଗଣି ହେଉଛି । ଯମରାଜାର ନୋଟିସ ପ୍ରାୟ ମସ୍ତକରେ ଶୁକ୍ଳକେଶ ଫର ଫର ହୋଇ ଉଡ଼ୁଅଛି । ଆଖି ଝାପସା ମାରିଗଲାଣି । ଆଉ ପୂର୍ବପରି ସ୍ପଷ୍ଟ ଦେଖାଯାଉନାହିଁ । ମଧୁ ଏବଂ ଭୀମ ତାଙ୍କର ପଦସ୍ପର୍ଶପୂର୍ବକ ପ୍ରଣାମ କଲେ । ବୃଦ୍ଧ ହଠାତ୍ ଦୃଷ୍ଟିରେ ପୁତ୍ରକୁ ଚିହ୍ନି ପାରିଲେନାହିଁ । ଦଶବର୍ଷ ମଧ୍ୟରେ ମଧୁର ଯଥେଷ୍ଟ ଶାରୀରିକ ପରିବର୍ତ୍ତନ ଘଟିଅଛି; ଅଧିକନ୍ତୁ ସେ ମୂଲ୍ୟବାନ ପୋଷାକ ପରିଚ୍ଛଦରେ ଆବୃତ୍ତ । ଭୀମ ଉଚ୍ଚସ୍ୱରରେ କହିଲା–‘‘ଏ ଆପଣଙ୍କ ପୁଅ ମଧୁ ।’’ ତହୁଁ ବୃଦ୍ଧ ଅଧୀର ଆବେଗରେ ‘‘ମୋ ବାପ ମଧୁରେ’’ ବୋଲି କହି ପୁଅକୁ କୁଣ୍ଢାଇପକାଇଲେ । ଆଶ୍ୱିନ ମାସର ବିଦ୍ୟୁତ୍ବଜ୍ର ଶୂନ୍ୟ ବର୍ଷାଧାର ପ୍ରାୟ ନୟନରୁ ଅଶ୍ରୁ ଝରିପଡ଼ିଲା । ମଧୁ ମଧ୍ୟ ଭୋ ଭୋ ଶବ୍ଦରେ କାନ୍ଦି ପକାଇଲା । ତାହାର ବହୁଦିନ ସଞ୍ଚିତ ରୁଦ୍ଧ ବେଦନା ଅଶ୍ରୁ ପ୍ରବାହରୂପ ବହିଗଲା । ଦୁଃଖାଶ୍ରୁ ଆନନ୍ଦାଶ୍ରୁ ଏବଂ ସ୍ନେହାଶ୍ରୁ ପରସ୍ପର ମିଳିତ ହୋଇ ତ୍ରିବେଣୀଧାରା ବହିଗଲା । କିଛିକ୍ଷଣ ପର୍ଯ୍ୟନ୍ତ କାହାରି ତୁଣ୍ଡରୁ ବାକ୍ୟସ୍ଫୁର୍ତ୍ତ ହେଲାନାହିଁ । କେବଳ ପିତାପୁତ୍ର ଦୁହେଁ ପରସ୍ପରକୁ ଅଶ୍ରୁଜଳରେ ଅଭିଷକ୍ତ କଲେ । ଏ ମିଳନ ଆନନ୍ଦ ବିଚ୍ଛେଦ ପରେ ମିଳନ-ଆନନ୍ଦଠାରୁ ବଳି ଆଉ ଆନନ୍ଦ ନାହିଁ । ସେ ଆନନ୍ଦ ବଡ଼ ସୁଖପ୍ରଦ ଏବଂ ଶାନ୍ତିପ୍ରଦ । ସେ ଆନନ୍ଦ ଯେ ଉପଭୋଗ କରେ, ସେ ନବଜୀବନ-ଲାଭ ତୁଲ୍ୟ ମଣେ । ସେ ଆନନ୍ଦ ସମୁଦ୍ରଠାରୁ ଗଭୀର ଏବଂ ଅମୃତଠାରୁ ମଧୁର । ମିସିରି ସରବତ ପାନଦ୍ୱାରା କଫରୋଗୀର ବକ୍ଷନିବଦ୍ଧ ଶ୍ଲେଷ୍ମା ବାହାରିଗଲେ ସେ ଯେପରି ଆଶ୍ୱସ୍ତ ମଣେ, ସେହିପରି ପିତାପୁତ୍ରର ଘନୀଭୂତ ଦୁଃଖରାଶି ମିଳନାମୃତ ପାନରେ ତରଳିତ ହୋଇ ଅଶ୍ରୁରୂପରେ ବାହାରିଯିବାରୁ ଉଭୟେ ହୃଦୟବେଦନା ଲଘୁତର ମଣିଲେ । ହୃତନିଧି ପାଇଲେ ରଙ୍କ ଯେରୂପ ଆନନ୍ଦିତ ହୁଏ, ପୁତ୍ରକୁ ପାଇ ପିତା ସେହିରୂପ ଅପ୍ରତ୍ୟାଶିତ ପରମାନନ୍ଦ ଲାଭକଲେ । ବିଚ୍ଛେଦ ସିନା ମିଳନକୁ ମଧୁର କରେ ।
ଭୀମ ଖଣ୍ଡେ ଭଡ଼ାଗାଡ଼ି ଆଣି ଉପସ୍ଥିତ କଲା । ତିନିହେଁ ସେଥିରେ ବସିଲେ । ଅଶ୍ୱିନୀକୁମାରଦ୍ୱୟ ମେଲେରିଆଗ୍ରସ୍ତ କିମ୍ୱା ଦୁର୍ଭିକ୍ଷପୀଡ଼ିତ ପ୍ରାୟ କଙ୍କାଳ ସାର । ସେମାନେ ଅପୂର୍ବ ନୃତ୍ୟଭଙ୍ଗୀରେ ମନ୍ଥର ଗତିରେ ଚାଲିଲେ । ଗାଡ଼ି ଘଡ଼ ଘଡ଼ ଶବ୍ଦରେ ବିଚିତ୍ର ରାଗିଣୀ ବିସ୍ତାର କରି ସେ ନୃତ୍ୟରେ ଯୋଗ ଦେଲା । ବାଟରେ ଯାଉଁ ଯାଉଁ ପିତାପୁତ୍ର ମଧ୍ୟରେ ଅନେକ କଥା ହେଲା । ମଧୁ ଆତ୍ମ କାହାଣୀ ସବୁ ପିତାଙ୍କ ନିକଟରେ କହିଲା । ଭୀମର ପରିଚୟ ଦେଇ ତାହାର ଉପକାରର କଥା ମଧ୍ୟ କହିଲା । ବୃଦ୍ଧ ସଜଳ ନେତ୍ରରେ ସବୁ ଶୁଣିଲେ ଏବଂ ଭୀମକୁ କୋଳକୁ ଟାଣି ନେଇ ତାହା ମସ୍ତକରେ ହାତ ବୁଲାଉଁ ବୁଲାଉଁ ଆନନ୍ଦବୋଳା କରୁଣ ସ୍ୱରରେ କହିଲେ–‘‘ପୂର୍ବଜନ୍ମରେ ତୁ ମୋର ପୁଅ ଥିଲୁ, ଆଜିଠାରୁ ବଡ଼ ପୁଅ ହେଲୁ । ତୋର ୠଣ ମୁଁ ଜନ୍ମଜନ୍ମାନ୍ତରେ ଶୁଝିପାରିବ ନାହିଁ ।’’ ଭଣ୍ଡ ସାଧୁର କୀର୍ତ୍ତିକଳାପ ଶୁଣି ବୃଦ୍ଧ ସ୍ତମ୍ଭିତ ହୋଇରହିଲେ । ଘଡ଼ିଏଯାଏଁ ତାଙ୍କ ମୁଖରୁ ଭାଷା ବାହାରିଲା ନାହିଁ । ସେ ଦୀର୍ଘନିଃଶ୍ୱାସ ପକାଇ ଉର୍ଦ୍ଧ୍ୱକୁ ଚାହିଁ ମସ୍ତକଲେ ହସ୍ତ ସଂଯୋଗପୂର୍ବକ କହିଲେ,–‘‘ଭଗବାନ, ତୁମ୍ଭ ପବିତ୍ର ସୃଷ୍ଟିରେ ଏଭଳି ନାରକୀ ଜନ୍ମ ଗ୍ରହଣ କରନ୍ତି ? ତୁମ୍ଭେ ଅନ୍ତର୍ଯ୍ୟାମୀ, ମାନବ-ଅନ୍ତରର ଗୁପ୍ତ ପାପ ସୁଦ୍ଧା ତୁମ୍ଭର ଅଗୋଚର ନୁହେଁ । ପାପର ଦଣ୍ଡ ନ ଥିଲେ ଏ ସୃଷ୍ଟି କଅଣ ହୋଇଥାନ୍ତା ଦୟାମୟ ? ତୁମ୍ଭ କରୁଣାର ପଟାନ୍ତର ନାହିଁ, ଅଧମ ମାନବ ମୁଁ ତୁମ୍ଭ ମାୟା କଅଣ ବୁଝିପାରିବି ?’’ ଗାଡ଼ି ଯାଇ ସାହେବଙ୍କ ବଙ୍ଗଳାରେ ପହୁଞ୍ଚିଲା-। ସାହେବ ଖବରକାଗଜ ପଢ଼ୁଥିଲେ । ବୃଦ୍ଧ ଗାଡ଼ିରୁ ଓହ୍ଲାଇ ସାହେବଙ୍କ ଗୋଡ଼ ଉପରେ ମସ୍ତକ ରଖି କାନ୍ଦିବାକୁ ଲାଗିଲେ । ଯେମନ୍ତ କି ତାଙ୍କ ଅଶ୍ରୁ ଝରର ମୁହଁ କିଏ ଅଜ୍ଞାତରେ ମୁକୁଳା କରିଦେଲା । ସେହି ଅଶ୍ରୁ-ପ୍ରବାହରେ ସାହେବଙ୍କ ପଦ ପ୍ଳାବିତ ହୋଇଗଲା । ସେ ଶଶବ୍ୟସ୍ତ ହୋଇ ବୃଦ୍ଧକୁ ଉଠାଇ ହାସ୍ୟମୁଖରେ କହିଲେ,–‘‘ତୁମ୍ଭର ପୁଅକୁ ତ ପାଇଲ, ଆଉ କାନ୍ଦୁଛ କାହିଁକି-?’’ ବୃଦ୍ଧ ଆନନ୍ଦର ଆବେଗରେ କଇଁ କଇଁ ହୋଇ ଅର୍ଦ୍ଧସ୍ଫୁଟ ସ୍ୱରରେ କହିଲେ,-‘‘ସବୁ ଆପଣଙ୍କର ଦୟା । ମୁଁ ମଧୁଠାରୁ ସମସ୍ତ ଶୁଣିଅଛି, ଆପଣଙ୍କ ଭଳି ମହାପ୍ରାଣ ପୁରୁଷଙ୍କ ଦର୍ଶନରେ ମୋର ନେତ୍ର ପବିତ୍ର ହେଲା । ମୋର ଦୁଇଟି ଚକ୍ଷୁ ମଧ୍ୟରୁ ଗୋଟିଏ ଦଶବର୍ଷ ହେଲା ଫୁଟିଯାଇଥିଲା. ଆପଣ ଆଜି ମୋତେ ସେ ଚକ୍ଷୁଟି ଦାନ କଲେ । ଆଉ ତହିଁ ସଙ୍ଗେ ସଙ୍ଗେ ଦ୍ୱିତୀୟ ଜୀବନ ଦାନ ମଧ୍ୟ କଲେ । ଆପଣ ମନୁଷ୍ୟ ନୁହନ୍ତି, ମନୁଷ୍ୟର ହୃଦୟ ଏତେ ପ୍ରଶସ୍ତ ହୋଇପାରେନାହିଁ । ହୃଦୟର କୃତଜ୍ଞତା ପ୍ରକାଶ କରିବାକୁ ମୁଁ ଉପଯୁକ୍ତ ଭାଷା ପାଉନାହିଁ । ଆପଣଙ୍କର କାର୍ଯ୍ୟ କୃତଜ୍ଞତାର ସୀମା ଅତିକ୍ରମ କରି ବହୁଦୂର ଚାଲିଯାଇଅଛି ।’’ ସାହେବ ଆଉ କିଛି କହିବାକୁ ଅବସର ନ ଦେଇ କହିଲେ–‘‘ ନା, ସାମନ୍ତ, ମୁଁ କ୍ଷୁଦ୍ରାଦପି କ୍ଷୁଦ୍ରମାନବ, ମୋର ଶକ୍ତି ପରମାଣୁଠାରୁ କ୍ଷୁଦ୍ର, ମୁଁ ଆପଣଙ୍କର ଏପରି କିଛି କରିନାହିଁ–ଯାହାପାଇଁ ଆପଣଙ୍କର ମହତ୍ ପ୍ରଶଂସାର ଯୋଗ୍ୟ ହେବି । ସବୁ କାର୍ଯ୍ୟରେ ଏକମାତ୍ର ଅଦ୍ୱିତୀୟ କର୍ତ୍ତା ଇଶ୍ୱର । ଆପଣ ତାଙ୍କରି ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରନ୍ତୁ । ଆପଣ ବଡ଼ କ୍ଳାନ୍ତ ହୋଇଅଛନ୍ତି, ଏବେ ବସାକୁ ଯାଇ ବିଶ୍ରାମ କରନ୍ତୁ । ମୁଁ ଏଠାରେ ଆଉ ଦୁଇଦିନ ରହିବି, ଏଥିମଧ୍ୟରେ ଅନେକଥର ସାକ୍ଷାତ ହେବ । ଆପଣଙ୍କୁ ଏପରି ବୃଦ୍ଧ ଜାଣିଥିଲେ ମୁଁ ଏତେଦୂର ଆଣି କଷ୍ଟ ଦେଇନଥାନ୍ତି, ନିଜେ ଯାଇ ମଧୁକୁ ଆପଣଙ୍କ ପାଖରେ ଛାଡ଼ି ଆସିଥାନ୍ତି । ଆପଣ ମୋର ଅଜ୍ଞାତ ତ୍ରୁଟି ମାର୍ଜନା କରିବେ ।’’ ବୃଦ୍ଧ ଏହା ଶୁଣି ଅଶ୍ରୁ ସମ୍ୱରଣ କରିପାରିଲେ ନାହିଁ । ପୁନଶ୍ଚ ସାହେବଙ୍କ ପଦସ୍ପର୍ଶପୂର୍ବକ ଅତି ଲଜ୍ଜିତ ହୋଇ କାତର କଣ୍ଠରେ କହିଲେ, ‘‘ଆପଣ ଏପରି କଥା କହନ୍ତୁନାହିଁ, ତାହା ମୋର ଜୀର୍ଣ୍ଣ ହୃଦୟ ସହିପାରିବନାହିଁ, ଶତଧା ବିଦୀର୍ଣ୍ଣ ହୋଇଯିବ । ଇଶ୍ୱର ଯାହାଙ୍କୁ ବଡ଼ କରନ୍ତି ତାହାଙ୍କୁ ଏହିପରି ବିନୟ ନମ୍ରତାରୂପ ଦୁର୍ଲ୍ଲାଭ ମହାରତ୍ନରେ ମଣ୍ଡିତ କରନ୍ତି । ଆପଣ ଯେ କେତେ ବଡ଼, ତାହା ମୁଁ ଧାରଣା କରିପାରୁ ନାହିଁ । କ୍ଷୁଦ୍ର ହୃଦୟରୁ ଏଭଳି ଉଦାରତା କାହୁଁ ମିଳିବ, ବିଧାତା ଅଙ୍ଗାର-ଖଣିରେ ମଣି ରଖନ୍ତି ନାହିଁ । ମୁଁ ଆପଣଙ୍କର ସେବା-ଦାସ ହୋଇପାରିଲେ ଜନ୍ନ ସାର୍ଥକ ମଣନ୍ତି ।’’ ବୃଦ୍ଧ ଏହା କହି ସାହେବଙ୍କୁ ସଲାମ କରି ମଧୁ ଏବଂ ଭୀମ ସଙ୍ଗରେ ବସାକୁ ଗଲେ ।
କଲିକତାରେ ସାହେବଙ୍କର ଆଉ ଦୁଇ ଦିନ ରହିବାର କଥା ଥିଲା; ମାତ୍ର ବନ୍ଧୁମାନଙ୍କ ଅନୁରୋଧରେ ଅଧିକ ଦୁଇ ଦିନ ରହିବାକୁ ହେଲା । ଏଥିମଧ୍ୟରେ ତାଙ୍କ ସହିତ ସାମନ୍ତଙ୍କର ତିନିଚାରି ଥର ସାକ୍ଷାତ ଏବଂ କଥୋପକଥନ ହୋଇଅଛି । ସାମନ୍ତଙ୍କ ଘରର କଥା, ଗ୍ରାମର କଥା, ସମାଜର ରୀତିନୀତି, ଆଚାର ବ୍ୟବହାର ପ୍ରଭୃତି ଅନେକ କଥା ସାହେବ ଜାଣି ନେଇଅଛନ୍ତି । ଧୂର୍ତ୍ତି ଅଡ଼କାଟିର କଥା ମଧ୍ୟ ଛାଡ଼ ଯାଇନାହିଁ । ସାହେବ ପରିହାସ କରି କହିଥିଲେ–‘‘ଯାହାହେଉ ସେ ଯେ ଦୟା କରି ମରିଅଛି, ଏହି ଅନୁଗ୍ରହ ସକାଶେ ସେ ଆମ୍ଭମାନଙ୍କର କୃତଜ୍ଞତାର ପାତ୍ର । ବଞ୍ଚିଥିଲେ ସେ ଆହୁରି କେତେ ଘର ବୁଡ଼ାଇ, କେତେ ଲୋକଙ୍କର ଜୀବନ ମାଟି କରିଥାଆନ୍ତା । ମୁଁ ତାହା ନାମରେ ମୋକଦ୍ଦମା କରିବାକୁ ଇଚ୍ଛା କରିଥିବାରୁ ମୋତେ ବି ନାନା ହରବରରେ ପଡ଼ିବାକୁ ହୋଇଥାଆନ୍ତା । ସେ ମରିଯାଇ ସୁବୁଦ୍ଧିର କାର୍ଯ୍ୟ କରିଅଛି ସତ୍ୟ; ମାତ୍ର ତାହାର ଶତ୍ରୁ ସୁଦ୍ଧା ତାକୁ ଏଭଳି କଠୋର ନର୍ମମ ଅଭିଶାପ ଦିଅନ୍ତାନାହିଁ ।’’ ଏହିପରି ନାନା କଥାବାର୍ତ୍ତାରେ ତିନିଦିନ ଅତିବାହିତ ହେଲା । ଶେଷଦିନ ସାହେବ ପିତାପୁତ୍ରଙ୍କୁ ଡାକି କହିଲେ,–‘‘ଆଜି ରାତ୍ରିରେ ମୋତେ ଆସାମ ଯିବାକୁ ହେବ; ଅତଏବ ତୁମ୍ଭେମାନେ ଆଜି ବିଦାୟ ହୋଇଯାଅ ।’’ ଏହା କହି ସାହେବ ବେହେରାକୁ ଡାକି ହାତ ବାକ୍ସ ଆଣିବାକୁ ଆଦେଶ ଦେଲେ । ଆଦେଶ ପ୍ରତିପାଳିତ ହେଲା । ସାହେବ ଚାବି ଖୋଲି ବିଡ଼ାଏ ନୋଟ ବାହାର କରି,ମଧୁ ହାତରେ ଦେଲେ ଏବଂ କହିଲେ, ‘‘ଏ ତିନିଲକ୍ଷ ଟଙ୍କା ତୋର ଏହା ଗଣି ନେ ।’’ ଅନନ୍ତର ସେ ଟଙ୍କା କିପରି କେଉଁଠାରୁ ଆସିଲା, ସେଥିର ଆମୂଳ ବିବରଣ ବର୍ଣ୍ଣନାକଲେ ଏବଂ ସାମନ୍ତଙ୍କୁ ଅନାଇ କହିଲେ,–ମଧୁକୁ ଅନେକ ଦିନରୁ ଛାଡ଼ି ଦିଆଯାଇଥାଆନ୍ତି; ମାତ୍ର ତାକୁ କିଛି ଶିକ୍ଷା ନ ଦେଲେ ସେ ଏତେଗୁଡ଼ାଏ ଟଙ୍କାର ସଦ୍ବ୍ୟବହାର କରିପାରିବ ନାହିଁ, ଏହି ବିବେଚନାରେ ତାକୁ ଏଣ୍ଟ୍ରାନ୍ସ ପ୍ରର୍ଯ୍ୟନ୍ତ ପଢ଼ାଇବାକୁ ହେଲା । ଏହି ହେତୁ ବିଳମ୍ୱ ହେଲା ।’’ ପୁନଶ୍ଚ ମଙ୍ଗଳ-ଆଶୀର୍ବାଦବୋଳା ନେତ୍ରରେ ମଧୁକୁ ଚାହିଁ ସହାସ୍ୟବଦନରେ କହିଲେ,–‘‘ମଧୁ, ଭଣ୍ଡ ସାଧୁ ତୋତେ ଟଙ୍କାଗଛ ଦେବ ବୋଲି କହି, ବହଲାଇ ଆଣିଥିଲା, ତାହା କଥା ସାର୍ଥକ ହୋଇଅଛି,–ତୁ ବର୍ତ୍ତମାନ ଟଙ୍କାଗଛ । ଏହି ଟଙ୍କାଦ୍ୱାରା ତୁ ନିଜର ଏବଂ ସ୍ୱଦେଶର ଉନ୍ନତି କରିପାରିବୁ । ଏହା ଶୁଣି ମଧୁକୁ ଭେଳକା ମାରିନେଲା, ତାହା ପାଟିରୁ କଥା ବାହାରିଲା ନାହିଁ । ଏହା ସ୍ୱପ୍ନ କି ସତ୍ୟ, ତାହା ସ୍ଥିର କରିପାରିଲା ନାହିଁ, ନିଜର ଚକ୍ଷୁକୁ ମଧ୍ୟ ବିଶ୍ୱାସ କରିପାରିଲା ନାହିଁ, କିଏ ଯେପରି ତାହା ମସ୍ତିଷ୍କର ଯନ୍ତ୍ରମାନ ଗୋଳମାଳ କରିଦେଲା, ସେ କାଠପରି ଠିଆ ହୋଇ ରହିଲା । ବୃଦ୍ଧ ସାମନ୍ତ ଆଶ୍ଚର୍ଯ୍ୟର ଶେଷ ସୀମାକୁ ଉଠିଯାଇ କହିଲେ,–‘‘ଆପଣ ମନୁଷ୍ୟ ନା ଦେବତା କିମ୍ୱା ତହୁଁ ବଳି ଆଉ କିଛି ? ମୋର ଦୃଢ଼ ବିଶ୍ୱାସ, ଆପଣ ମୋ ବଂଶର ସୌଭାଗ୍ୟ ଦେବତା, ମୋତେ ଭୁଲାଇବା ପାଇଁ ମାନବରୂପ ଧାରଣ କରିଅଛନ୍ତି ।’’ ସାହେବ ତାଙ୍କୁ ଆଉ ଅଧିକ କହିବାକୁ ନ ଦେଇ, ମଧୁକୁ ପାଖକୁ ଟାଣିନେଇ ତାହାର ପୃଷ୍ଠରେ ସ୍ନେହର ହସ୍ତସଞ୍ଚାଳନପୂର୍ବକ କହିଲେ–‘‘ମଧୁ, ମୋତେ ମନରେ ରଖିଥିବୁ, ସମୟ ସମୟରେ ପତ୍ର ଲେଖିବୁ, ମୁଁ ମଧ୍ୟ ଲେଖିବି ।’’ ଏଥର ମଧୁ କଥା କହିଲା । ତାହାର ବାକ୍ୟ-ଭଣ୍ଡାରର ଦ୍ୱାର ଅଲକ୍ଷ୍ୟରେ; ମୁକୁଳା ହୋଇଗଲା । ସେ ସାଶ୍ରୁଲୋଚନରେ ସାହେବଙ୍କ ଗୋଡ଼ ଉପରେ ପଡ଼ି କହିଲା–‘‘ଆପଣ ମୋର ପିତାଠାରୁ ଅଧିକ, ମୋର ଚର୍ମରେ ଯୋତା ପ୍ରସ୍ତୁତ କରି ଆପଣଙ୍କ ପବିତ୍ର ପାଦରେ ପିନ୍ଧାଇଦେଲେ ସୁଦ୍ଧା ମୁଁ ଆପଣଙ୍କର ଦେବଦୁର୍ଲଭ ଦୟାର କଣିକାଏ ମାତ୍ର ପରିଶୋଧ କରିପାରିବି ନାହିଁ । ମୋର ଏହା ଗର୍ବସିକ୍ତ ଶୂନ୍ୟଗର୍ଭ କଥା ନୁହେଁ, ହୃଦୟର ଗଭୀରତମ ପ୍ରଦେଶସ୍ଥ ଆତ୍ମର କଥା । ମୁଁ ଆଜିଠାରୁ ଆପଣଙ୍କୁ ହୃଦୟର ସ୍ୱର୍ଣ୍ଣ ସିଂହାସନରେ ବସାଇ ଭକ୍ତି-ପ୍ରୀତିରୂପ ପୁଷ୍ପ ଚନ୍ଦନରେ ପୂଜା କରିବି ଏବଂ ମୋର ଜୀବନର ପ୍ରତ୍ୟେକ କାର୍ଯ୍ୟ ମଧ୍ୟରେ ଆପଣଙ୍କ ମହିମିତ ଦେବମୂର୍ତ୍ତି ଦର୍ଶନ କରି ଆତ୍ମା ପବିତ୍ର କରିବି ।’’ ଏହା ପରେ ଆହୁରି ଅନେକ କଥା ହେଲା, ତାହା ବିଚ୍ଛେଦର କଥା । ହିତୈଷୀ ସୁହୃଦବିଚ୍ଛେଦ ପ୍ରାଣାନ୍ତକ ବ୍ୟଥାଜନକ । ତାହା ଶୁଣିଲେ ପାଠକମାନଙ୍କର ଅନ୍ତରାତ୍ମା କାନ୍ଦିଉଠିବ; ସୁତରାଂ ଲେଖିବା ଆବଶ୍ୟକ ।
ସପୁତ୍ର ସାମନ୍ତ ଏବଂ ଭୀମ ସାହେବଙ୍କଠାରୁ ବିଦାୟ ଘେନି ଆସିଲେ । ବାଟରେ ସାମନ୍ତ ଭୀମକୁ କୁଣ୍ଢାଇ ପକାଇ କହିଲେ,‘‘ବାବା, ତୁ ଆଉ କୁଆଡ଼େ ଯିବୁ, ମୋ ସଙ୍ଗରେ ଚାଲ । ମୋର ଦୁଇ ପୁଅ ଥିଲେ, ଆଜିଠାରୁ ତିନିପୁଅ ହେଲେ । ତୋତେ ପୁତ୍ର ରୂପରେ ପାଇ ମୁଁ ଗୌରବ ଅନୁଭବ କରୁଅଛି । ତୋତେ ଭୂମିବାଡ଼ ଦେଇ ରଖିବି, ଘର କରିଦେବି, ବାହାଘର ମଧ୍ୟ କରାଇବି । ଯହିଁରେ ତୁ ବଡ଼ଲୋକ ପରି ସୁଖ ସ୍ୱଛନ୍ଦରେ ରହିବୁ ତାହା କରିଦେବି, ତୋର କୌଣସି ଅଭାବ ରହିବ ନାହିଁ ।’’ ଭୀମ ମୃଦୁହାସ୍ୟରେ ସମ୍ମତି ଜ୍ଞାପନ କଲା । ତହୁଁ ତିନିହେଁ ଯାଇ ଜାହାଜରେ ଚଢ଼ିଲେ । ଯଥାସମୟରେ ଚାନ୍ଦବାଲିରେ ଓଲ୍ଲାଇ, ସେହିଠାରୁ ସୁଆରି କରି ଶୀତଳପୁରରେ ପହୁଞ୍ଚିଲେ । ସାମନ୍ତଙ୍କ ଘରେ ଉତ୍ସବ ଲାଗିଲା, ସମସ୍ତେ ଆନନ୍ଦରେ ମଗ୍ନ । ଦେବାଳୟମାନଙ୍କରେ ମହାଆଡ଼ମ୍ୱରରେ ଷୋଡ଼ଶୋ–ପଚାରରେ ପୂଜାର ବ୍ୟବସ୍ଥା ହେଲା । କେଉଁଠାରେ ଚଣ୍ଡୀଗୁଣ୍ଡା, କେଉଁଠାରେ ରୁଦ୍ରାଭିଷେକ, କେଉଁଠାରେ ସହସ୍ର ନାମ ଆବୃତ୍ତି ଏହିପରି ନାନା ମଙ୍ଗଳାନୁଷ୍ଠାନରେ ଗ୍ରାମ କମ୍ପି ଉଠିଲା । ଦଶବର୍ଷ ପୂର୍ବରେ ଦିନେ ଯାହା ପାଇଁ ଏହି ଗ୍ରାମରେ ଦୁଃଖରେ ହାହାକାର ଉଠୁଥିଲା, ଆଜି ତାହାରିଲାଗି ସୁଖର ସ୍ରୋତ ବହିଯାଉଅଛି । ବୋଧହୁଏ ଆଜି ଦିନକୁ ଆଣିବା ସକାଶେ ସେ ଦିନଟି ଆସିଥିଲା ସୁଖ ଏହିପରି ଦୁଃଖ ରୂପରେ ଆସି ଏଣ୍ଡୁଅପରି ରୂପ ବଦଳାଇଦିଏ-। ଅନେକେ ମଧୁକୁ ଦେଖିବାକୁ ଆସିଲେ । ମଧୁ ସମସ୍ତଙ୍କୁ ଯଥୋପଯୁକ୍ତ ଅଭ୍ୟର୍ଥନା କଲା । ସେମାନେ ଫେରି ଯିବାବେଳେ କୁହାକୁହି ହୋଇଗଲେ, ‘‘ମଧୁ ଖଲି ଇଂରାଜୀ ପଢ଼ି ଯୋଗ୍ୟ ହୋଇ ଆସିନାହିଁ, ଟଙ୍କାଗଛ ହୋଇ ଆସିଛି ।’’
କିଛିଦିନ ପରେ ଜଣେ ଜମିଦାର ଆକଣ୍ଠ ଋଣଗ୍ରସ୍ତ ହୋଇ ସ୍ୱୀୟ ବିଶାଳ ଜମିଦାର ଦୁଇଲକ୍ଷ ଟଙ୍କା ମୂଲ୍ୟରେ ମଧୁକୁ ବିକ୍ରୟ କଲା । ସେ ସମୟରେ ଜମିଦାରୀର ମୂଲ୍ୟ ଅଧିକ ଥିଲାନାହିଁ । ମଧୁ ଜମିଦାର ହୋଇ ଅବଶିଷ୍ଟ ଏକଲକ୍ଷ ଟଙ୍କା ଖର୍ଚ୍ଚ କରି ଜମିଦାରୀର ସଂସ୍କାର କଲା-। କୂପ ପୁଷ୍କରିଣୀ ଖନନ, ଦେବାଳୟ ନର୍ମାଣ, ଚିକିତ୍ସାଳୟ ଏବଂ ବିଦ୍ୟାଳୟ ସ୍ଥାପନ ପ୍ରଭୃତି ବହୁବିଧ ପ୍ରଜାହିତକର କାର୍ଯ୍ୟ ଦ୍ୱାରା ଅଳ୍ପଦିନ ମଧ୍ୟରେ ପ୍ରଜାମାନଙ୍କର ଭକ୍ତିଭାଜନ ହୋଇଉଠିଲା । ଭୀମକୁ ଦଶବାଟି ଭୂମି ଦେଇ ଗୋଟିଏ ସୁନ୍ଦର କୋଠା କରି ଦେଲା; ଅଧିକନ୍ତୁ ମାସିକ ପଚାଶ ଟଙ୍କା ବୃତ୍ତଦାନର ବ୍ୟବସ୍ଥା କରିଦେଲା । ତାହାର ପ୍ରଜାପାଳନର ସୁଖ୍ୟାତି ଦେଶ ମଧ୍ୟରେ କୋଟି କଣ୍ଠରେ ବିଘୋଷିତ ହେଲା । ସେଥିର ପୁରସ୍କାର ସ୍ୱରୁପ ରାଜସରକାରରୁ ସେ ‘ରାୟ ମହାପାତ୍ର’ ଉପାଧିରେ ଅଳଙ୍କୃତ ହୋଇ ସୁଖ ସ୍ୱଚ୍ଛନ୍ଦରେ କାଳଯାପନ କଲା । ସେହିଦିନଠାରୁ ମଧୁ ଆଖ୍ୟା ଲମ୍ୱିଯାଇ ନାମ ହେଲା, ‘ରାୟ ମଧୁସୂଦନ ସାମନ୍ତ ମହାପାତ୍ର କାଲି ଯେ ହେୟ, ନଗଣ୍ୟ, ଆଜି ସେ ଲକ୍ଷପୋଷୀ ରାଜା । ଈଶ୍ୱର ଯାହାକୁ ବଢ଼ାନ୍ତି, ଏହିପରି ଅସମ୍ଭାବିତ ରୂପେ ବଢ଼ାନ୍ତି । ‘ଭାଗ୍ୟଂ ଫଳତି ସର୍ବତ୍ର, ନ ବିଦ୍ୟା ନ ଚ ପୌରୁଷଂ ।’’ ମୁସଲମାନମାନେ କହନ୍ତି, ଆଲ୍ଲା ଦେଗା ତୋ ଛପର୍ ଫାଡ଼କେ ଦେଗା ।’