ଷୋଡ଼ଶ ପରିଚ୍ଛେଦ — ଟଙ୍କାଗଛ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଷୋଡ଼ଶ ପରିଚ୍ଛେଦ
ଭାରତ-ଅମରାବତୀ କଲିକତା ସହର ଦେଖି ମଧୁ ବିସ୍ମୟ ଏବଂ ଆନନ୍ଦରେ ବିହ୍ୱଳ ହୋଇଗଲା । ତାହାର ଏତେ ଆନନ୍ଦ ହେଲା ଯେ, ସେହି ଆନନ୍ଦରେ ସେ ନିଜକୁ ହାତେ ବଢ଼ିଗଲା ପ୍ରାୟ ମଣିଲା । ଆନନ୍ଦାତିଶଯ୍ୟରେ ତାହାର ଚେତନା ଘନଘନ ବୁଡ଼ିଲା । ଯେ କେବେ କୌଣସି ସହର ଦେଖି ନାହିଁ, ଏକାବେଳକେ କଲିକତା ଦର୍ଶନ ତାହାପକ୍ଷରେ ମାୟାପୁରୀର ସ୍ୱପ୍ନ ପ୍ରାୟ ବୋଧ ହେବା ସ୍ୱାଭାବିକ । ଦୁଇ ପାଖରେ ଚିତ୍ର ପର୍ବତମାଳା ପ୍ରାୟ ଅଟ୍ଟଳିକାଶ୍ରେଣୀ, ମଧ୍ୟରେ ଉଭୟ ଦିଗ ବାହିନୀ ମାନବ-ନଦୀର ମହାବନ୍ୟା, ତହିଁ ମଧ୍ୟରେ ମତ୍ସ୍ୟ-କୁମ୍ଭୀରତୁଲ୍ୟ ଯାନବାହାନର ଯାତାୟତ ଏ ସବୁ ଅଦୃଷ୍ଟ-ଅଶ୍ରୁତପୂର୍ବ ଦୃଶ୍ୟରାଜିରେ ଜଣେ ଗୃହକୋଣବର୍ଦ୍ଧିତ ପଲ୍ଲୀବାଳକ-ହୃଦୟରେ ଯେରୂପ ଭାବ ଜାତ ହୋଇପାରେ, ମଧୁ ହୃଦୟରେ ଠିକ୍ ସେହିରୂପ ଭାବ ଜାତ ହେଲା-। ଏହାଠାରୁ ସରଳଭାଷାରେ ତାହାର ହୃଦୟର ଭାବ ବୁଝାଇ ହେବ ନାହିଁ । ସ୍ଥୁଳତଃ ତାହାର ମନୋଗତ ଭାବର ମହାଭାର ଭାଷା ଟେକି ପାରିବ ନାହିଁ, ସେ ଅସହ୍ୟ ଭାରରେ ଭାଷାର କଳେବର ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ଧୂଳିପରି ଉଡ଼ିଯିବ । ମଧୁ ଯେପରି ଗୋଟାଏ ବିରାଟ ଉଲ୍ଲାସର ସ୍ୱପ୍ନରାଜ୍ୟରେ ପ୍ରବେଶ କରିଅଛି । ଗର୍ବରେ ତାହାର ଛାତି କୁଣ୍ଢେମୋଟରେ ଫୁଲି ଉଠିଲା ଏବଂ ତହି ସଙ୍ଗେ ସଙ୍ଗେ ବାବାଜି ପ୍ରତି ତାହାର ଭକ୍ତି ମଧ୍ୟ ମହମଦିଆ ପୁରିପରି ଫୁଲି ଉଠିଲା । ବିବିଧ-ପଣ୍ୟୋଜ୍ଜ୍ୱଳ ବିପଣୀମାଳା ଦେଖି ସେ ଭାବିଲା–‘‘ଏ ଗୋଟାଏ ଦିବସର ରାଜ୍ୟ, ଏଠାରେ କେବେ ରାତି ହୁଏ ନାହିଁ ।’’ ଦୃଶ୍ୟ ଦର୍ଶନର ଲୋଭ ସମ୍ୱରଣ ତାହା ପକ୍ଷରେ ଅସାଧ୍ୟ ହୋଇ ଉଠିଲା । ଦୃଷ୍ଟିର ଅବସାଦ ନାହିଁ–ଆକାଙ୍କ୍ଷାର ବିରାମ ନାହିଁ, ଯେଉଁ ଦିଗକୁ ଚକ୍ଷୁ ଗଲା, ସେହି ଦିଗକୁ ନିର୍ନିମେଷ ଦୃଷ୍ଟିରେ ଚାହିଁ ରହିଲା । ସେ ମାନବ ଜୀବନରୁ ଉନ୍ମୁତ ହୋଇ ଗୋଟାଏ ସୁଖମୟ ନବୀନ ଜୀବନ ଲାଭ କଲା ପ୍ରାୟ ମଣିଲା । ପ୍ରତି ରଥ୍ୟାର ଉଭୟ ପାର୍ଶ୍ୱରେ ପ୍ରୋଥିତ ଆଲୋକ ସ୍ତମ୍ଭ ସରଳ ପ୍ରାକୃତିକ ଲୋକର ହୃଦୟପରି କି ସ୍ୱଚ୍ଛ, କି ନିର୍ମଳ । ମଧୁର ନୟନମନ ଅଠା କାମ୍ପାରେ ପକ୍ଷୀ-ପର ପ୍ରାୟ ସେଥିରେ ଲାଖିରହିଲା । ସେ ନୀରବ ନିସ୍ପନ୍ଦଭାବରେ ଚିତ୍ରପ୍ରତିମା ପରି ଏକଧ୍ୟାନରେ ତାହାକୁ ଚାହିଁ ରହିଲା,–ତାହାର ଚିନ୍ତାସ୍ରୋତ ଏକାବେଳକେ ରୁଦ୍ଧ ହୋଇଗଲା । ଆଲୋକ-ସ୍ତମ୍ଭ-ଗାତ୍ରରେ ଦୃଷ୍ଟିରେଖା ଏରୂପ ଭାବରେ ବିଦ୍ଧ ହୋଇଗଲା ଯେ, ତାହା ଆଉ ବାହାରି ଆସି ପାରିଲା ନାହିଁ । ପ୍ରାଣହୀନ ଶରୀର ପ୍ରାୟ ତାହାର ଶରୀର ନିସ୍ତବଧ୍ ହୋଇଗଲା । ତାହାକୁ ତଦତସ୍ଥ ଦେଖି ବାବାଜି ପଚାରିଲା,–‘‘କିରେ ମଧୁ, କଅଣ ଦେଖୁଛୁ ?’’ ସ୍ୱପ୍ନମଗ୍ନ ମନୁଷ୍ୟ ଅନ୍ୟର ସ୍ପର୍ଶରେ ଚମକି ଉଠି ବସିଲା ପରି ମଧୁ ବାବାଜି ଆଡ଼କୁ କ୍ଷିପ୍ର ଦୃଷ୍ଟିରେ ଚାହିଁ ଦେଇ କହିଲା–‘‘ବାବାଜି, ଏ କଉଁ ଗାଁ ?’’ ବାବାଜି ଏଣ୍ଡୁଅଠାଣିରେ ଶିର କମ୍ପାଇ ବିଜ୍ଞବାବୋଳା ଉଲ୍ଲାସ ବାଣୀରେ କହିଲା, ‘‘ଏ କଲିକତା ସହରରେ ବାବା । ଯେ କଲିକତା ଦେଖି ନାହିଁ, ସେ ମା ପେଟରୁ ଜନ୍ମ ହୋଇନାହିଁ । ମହୀମଣ୍ଡଳରେ ଏପରି ସହର ନାହିଁ, ନଥିଲା, ନ ହେବରେ ମଧୁ । ଆଚ୍ଛା, ତତେ କିମିତି ଲାଗୁଛି କହିଲୁ ?’’
ମଧୁ–ମନ ଭାରି ଖୁସି ହଉଚି ବାବାଜି ।
ବାବାଜି–ହଁ ଖୁସି ହବାର ତ କଥା, ଖାଲି ଖୁସି ନୁହେଁ–ତୋର ମଣିଷ ଜନ୍ମ ସାର୍ଥକ ହୋଇଗଲା । ଏମିତି ସହର ତମ ଗାଁ ଲୋକ କେହି ଦେଖିଚିନା ?
ମଧୁ–ଇସ୍, ସାତ ଜନ୍ମରେ କିଏ ଦେଖିବ ନା ଆଗେ ।
ବାବାଜି–ସାତ ଜନ୍ମ କଅଣରେ, ଚୌଦ ଜନ୍ମ ଗଲେ ବି କେହି ଦେଖିପାରିବ ନାହିଁ । ତୁ ଏକା କପାଳିଆ । ‘‘ଯେ ନ ଦେଖିଛି କଲିକତା, ମଣିଷ ନୁହେଁ ସେ ଶିଳପତା’’ ବୁଝିଲୁ ?
ମଧୁ–ସବୁ ତମରି କଲ୍ୟାଣରୁ ବାବାଜି । ଏ ସବୁ ଯେ ଗୋଡ଼ଜାମା ହାତଜାମା ପିନ୍ଧି ମୁଣ୍ଡରେ ପିଠା ପଲମ ପରି କଅଣ ଗୋଟେ ଉଗୁଡ଼େଇ ଧାଇଁଛନ୍ତି, ଏମାନେ କିଏ ?
ବାବାଜି–ସେଗୁଡ଼ାକ ଫିରିଙ୍ଗି ଲୋକ, କେହି ଦୋକାନୀ, କେହି କୋମ୍ପାନୀର ଚାକର ।
ମଧୁ–ଜାମା ଚୋରକୁଠିରେ ଖଣ୍ଡେ ଖଣ୍ଡେ ଚିରାକନା କାହିଁକି ରଖିଚନ୍ତି ?
ବାବାଜି–ସେ ରୁମାଲ, ସେଥିରେ ଝାଳ ପୋଛି ହୁଅନ୍ତି ।
ମଧୁ–କଳସୀ ଗୋଟେ ଗୋଟେ ହାତରେ ଧରି ବସିଚନ୍ତି କିଏ ?
ବାବାଜି–ସେମାନେ ବଙ୍ଗାଳୀ, ହୁକା ଧରି ଗୁଡ଼ାଖୁ ଟାଣୁଛନ୍ତି । ତମ ଗାଁରେ ଯିମିତି ପିକା ଟାଣନ୍ତି, ସିମିତି ।
ମଧୁ–ତା ଉପରେ ଗୋଟେ ନିଆଁ ଉହ୍ୱେଇ ରଖିଚନ୍ତି କାହିଁକି ?
ବାବାଜି–ଉହ୍ୱେଇ ନୁହେଁ, –ତାକୁ ଚିଲମ କହନ୍ତି । ସେଥିରେ ଗୁଡ଼ାଖୁ ରଖି ତା ଉପରେ ନିଆଁ ଦେଇ ଧୂଆଁ ପିଅନ୍ତି ।
ଏହିପରି କଥା କହି କହି ସମସ୍ତେ ଯାଇ ମେଛୁଆ ବଜାରରେ ପହଞ୍ଚିଲେ । ସେଠାରେ ଆଡ଼କାଟିଙ୍କର ଭଡ଼ାଘର ଥିଲା, ସେହି ଘରେ ଆହାର କରି ରାତ୍ରି ଯାପନ କଲେ ।
ପରଦିନ ପୂର୍ବାହ୍ନ ଦଶଘଣ୍ଟା ସମୟରେ ଆଡ଼କାଟିମାନେ ପୂର୍ବୋକ୍ତ ପନ୍ଦରଜଣ ହତଭାଗ୍ୟକୁ ଘେନି ରେଜେଷ୍ଟରୀ ଅଫିସରେ ଉପସ୍ଥିତ ହେଲେ । ଚା କୋମ୍ପାନୀର ଏଜେଣ୍ଟ ଏବଂ କେତେଜଣ କର୍ମଚାରୀ ସେଠାରେ ସେମାନଙ୍କ ଅପେକ୍ଷାରେ ଥିଲେ । କର୍ମପ୍ରାର୍ଥୀ କୁଲିମାନେ ପହୁଞ୍ଚିଲାକ୍ଷଣି ଏଜେଣ୍ଟ ଯାଇ ରେଜିଷ୍ଟାରଙ୍କୁ ଜଣାଇଲେ । ତହୁଁ ରେଜିଷ୍ଟାରଙ୍କ ଆଦେଶନୁସାରେ ଜଣେ କ୍ଲର୍କ କୁଲିମାନଙ୍କର ସ୍ୱୀକାରୋକ୍ତି ଖଣ୍ଡେ କାଗଜରେ ଲେଖି ସମସ୍ତଙ୍କର ବାମହସ୍ତସ୍ଥ ବୃଦ୍ଧାଙ୍ଗୁଳିର ଟିପଚିହ୍ନ ନେଇଗଲା । ଆଡ଼କାଟିମାନେ ଯାହାକୁ ଯେପରି ଶିକ୍ଷା ଦେଇଥିଲେ, କୁଲିମାନେ ଠିକ୍ସେହିପରି ସ୍ୱୀକାରୋକ୍ତି କଲେ । କେହି କହିଲା,–ମୁଁ ଖାଇବାକୁ ନପାଇ କୁଲିକାର୍ଯ୍ୟ କରିବାକୁ ଆସିଛି, କେହି କହିଲା,–ମହାଜନ ଦେଣା ପରିଷୋଧର ଉପାୟ ନପାଇ ମୁଁ କାହାରି ବିନା ଶିକ୍ଷା ବିନା ବଳହାରରେ ସ୍ୱଇଚ୍ଛାରେ ଅର୍ଥୋପାର୍ଜନ କରିବାକୁ ଆସିଅଛି । କେହି କହିଲା, ମୁଁ ପରିବାର ପୋଷଣ ସକାଶେ କୁଲିକାର୍ଯ୍ୟ କରିବାକୁ ଆସିଅଛି । ଚାଟପିଲାମାନେ ପରୀକ୍ଷକ ଆଗରେ ଅଭ୍ୟସ୍ତ ବିଦ୍ୟା ଅନର୍ଗଳ ଆବୃତ୍ତ କଲା ପ୍ରାୟ ସମସ୍ତେ କ୍ଲାର୍କ ଆଗରେ ଆଡ଼କାଟିଙ୍କ ପ୍ରଦତ୍ତ ଶିକ୍ଷାମତେ ଏହିପରି କହିଗଲେ । ରେଜେଷ୍ଟରୀ କାର୍ଯ୍ୟ ଅବାଧରେ ସମ୍ପନ୍ନ ହେଲା । ଏଜେଣ୍ଟ ସମସ୍ତଙ୍କୁ ଘେନି ହୁଗୁଳି ମୁହାଣରେ ଥିବା ଆସାମଗାମୀ ଜାହାଜରେ ଚଢ଼ିଲା । ବାବାଜିରୂପୀ ଆଡ଼କାଟି ସର୍ଦ୍ଦାର ପ୍ରତ୍ୟେକ କୁଲି ସକାଶେ ପାଞ୍ଚଶତ ଟଙ୍କା ଲେଖାଏଁ ଏଜେଣ୍ଟଠାରୁ ପୁରସ୍କାର ପାଇ ସଦଳରେ କଲିକତାକୁ ଫେରି ଆସିଲା । ଦୁର୍ଭାଗ୍ୟ କୁଲିମାନେ ଆଡ଼କାଟିର ପ୍ରତାରଣା ବିନ୍ଦୁ ବିସର୍ଗ ଜାଣିପାରିଲେ ନାହିଁ । ଜାହାଜ ବଂଶୀଧ୍ୱନିକରି ଆସାମ ଅଭିମୁଖରେ ଧାବିତ ହେଲା । ପ୍ରତାରିତ ପନ୍ଦରଜଣ ଯାକ ଜାହାଜର ଗୋଟାଏ ପ୍ରକୋଷ୍ଠରେ ଥିଲେ । କୋମ୍ପାନୀର ପ୍ରହରିମାନେ ଚାରିପାଖରେ ସେମାନଙ୍କୁ ଜଗି ବସିଲେ । ମଧୁ ବାବାଜି, ବାବାଜି ବୋଲି ଚିତ୍କାର କରି ଉଠିଲା । ପ୍ରହରିଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିଲା, ସେ ମଧୁର ଚିତ୍କାର ଶୁଣି କହିଲା,–‘‘ଆଉ ବାବାଜିକୁ ପାଇବୁ ନାହିଁ, ସେ ଚିତା କାଟିଦେଇ ଚାଲିଗଲାଣି । ତମ ସମସ୍ତଙ୍କୁ ସେ ଚା ବଗିଚା ମେନେଜରଙ୍କୁ ବିକିଦେଇ ଗଲା, ଦଶବର୍ଷଯାଏଁ ତମେ କେହି ଘର ଦେଖି ପାରିବ ନାହିଁ । ସେ ଗୋଟାଏ ଭାରି ଜୁଆଚୋର, ତମେ ହୁଣ୍ଡାଗୁଡ଼ାକ କାହିଁକି ତା ପାଲରେ ପଡ଼ି ମରିବାକୁ ଆସିଲ ? ଏବେ ଚାଲ ଚା ବଗିଚାରେ ଚା ପତ୍ର ତୋଳି ତୋଳି ପଚି ସଢ଼ିବ । ଦଶ ବର୍ଷ ପରେ ସମସ୍ତେ ଛାଡ଼ ପାଇବ । ଏହିକ୍ଷଣି କାନ୍ଦିଲେ କି ମୁଣ୍ଡ କୋଡ଼ି ହେଲେ କିଛି ହେବନାହିଁ । ସୁନାପୁଅ ପରି ଜାହାଜରେ ବସି ଚାଲ । ନହେଲେ ମାଡ଼ ଖାଇ ହାଡ଼ଚୂନା ହେବ ।’’
ଏହା ଶୁଣି ମଧୁର ହଂସା ଉଡ଼ିଗଲା । ଗୋଟାଏ ବିରାଟ ହାହାକାର ତାହାର ହୃଦୟରୁ ଉଠି ପରକ୍ଷଣରେ ମୂର୍ଚ୍ଛିତ ହୋଇପଡ଼ିଲା । ଶୋକ ହାତୁଡ଼ିର ନିର୍ମମ ଆଘାତରେ ତାହାର ବାତ କୋମଳ ଶରୀର ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡ଼ିଲା । ଆକାଶରେ ସେ ଯେଉଁ ମନୋହର ରାଜହର୍ମ୍ୟ ସର୍ଜନା କରିଥିଲା ତାହା ବିଧ୍ୱସ୍ତ ହୋଇଗଲା । ନୟନର ଅଶ୍ରୁପ୍ରବାହ ବହିର୍ମୁଖୀ ହୋଇ ଉଠିଲା; ତାହା ଚାପିରଖି ହେଲାନାହିଁ; ଶତ ଧାରାରେ ବାହାରି ପଡ଼ିଲା । ମୂର୍ତ୍ତିମତୀ ମୌନ ବ୍ୟାକୁଳତା ତାହାର ପ୍ରାଣକୁ ପ୍ରବଳ ଭାବରେ ଭିଡ଼ି ଧରିଲା । ମୁଖରୁ ବାକ୍ୟ ସ୍ଫୂର୍ତ୍ତି ହେଲା ନାହିଁ, ଆକସ୍ମିକ ଦୂର୍ବହ ବେଦନା ତାହାର କଣ୍ଠନାଳୀ ରୁଦ୍ଧ କରିଦେଲା । ବାବାଜି ପ୍ରତି ତାହାର ବିବର୍ଦ୍ଧମତିଭକ୍ତି କ୍ରୋଧାଗ୍ନିରେ ବାଷ୍ପ ହୋଇ ଉଡ଼ିଗଲା । ବିଷମ କ୍ରୋଧର ଭୀଷଣ ପଦାଘାତରେ ବିଶ୍ୱାସ ଚୂର୍ଣ୍ଣ ହୋଇଗଲା । ଉଚ୍ଛ୍ୱସିତ ଉଦ୍ବେଳିତ ଆଶା-ସମୁଦ୍ରରେ ଭଟ୍ଟ ପଡ଼ିଗଲା । ନୈରାଶ୍ୟ ପ୍ରେତର ବିକଟ ହୁଙ୍କାରରେ ଶରୀର ଶୀରା ଉପଶୀରା ଛିନ୍ନ ବିଚ୍ଛିନ୍ନ ହୋଇଗଲା । ମସ୍ତକ ଖସିପଡ଼ିଲା ପ୍ରାୟ ବୋଧହେଲା । ଆହତ ପକ୍ଷୀ ପରି ଅନ୍ତରାତ୍ମା ଆକାଶରେ ଉଡ଼ି କାନ୍ଦି ବୁଲିଲା । ସେ କ୍ରନ୍ଦନ ବଡ଼ କରୁଣ ଏବଂ ମର୍ମନ୍ତୁଦ । କୃତକର୍ମର ଫଳ ମୂର୍ତ୍ତି ଧରି ତାହାକୁ ପରିହାସ କରିବାକୁ ଲାଗିଲା । ହାୟ, ସେ ପରିହାସ କି ନିଷ୍ଠୁର, କି ଜ୍ୱାଳାମୟ । ସେହି ପରିହାସରେ ତାହାର ମନ, ପ୍ରାଣ ଏବଂ ଶରୀର ଦଗ୍ଧ ହୋଇଗଲା । ସେହି ରିଗ୍ଧ ପ୍ରାଣ ସହାନୁଭୂତିର ଶୀତଳ ଅଙ୍କାଶ୍ରୟ ଖୋଜି ବୁଲିଲା । କିନ୍ତୁ ହାୟଅକୂଳ ସମୁଦ୍ରଗର୍ଭରେ ସହାନୁଭୂତିର ଅମୃତସ୍ପର୍ଶ କାହୁଁ ମିଳିବ ? ଗୋଟିଏ ଟଙ୍କାଗଛ ଲୋଭରେ ସେ ଗୃହତ୍ୟାଗୀ, ଏ ସମୟରେ ପଦେ ସହାନୁଭୂତିର କଥା ଶୁଣିଲେ କୋଟିଏ ସୁବର୍ଣ୍ଣ ଟଙ୍କାଗଛ ଲାଭ ତୁଲ୍ୟ ମଣନ୍ତା । ବାଳକ ଆଉ ହସି ନ ପାରି ଅନୁଶୋଚନାରେ ମୂର୍ଚ୍ଛିତ ହୋଇପଡ଼ିଲା । ଅଜ୍ଞାନ ବାଳକର ତ ଏଭଳି ଅବସ୍ଥା, ତାହାର ସମଧର୍ମୀ ବୟସ୍କ ହତଭାଗ୍ୟଗଣର ଦୂରବସ୍ଥା ନ ଲେଖିବା ହିଁ ଉଚିତ । ସେ ବର୍ଣ୍ଣନା ମାନବ ହୃଦୟ ସହ୍ୟ କରିବା ତ ଅସମ୍ଭବ କଥା, ଅଧିକନ୍ତୁ ନିର୍ଜୀବ ଲେଖନୀ-ଦଣ୍ଡ ସମବେଦନାରେ କାନ୍ଦି ପକାଇବ,- କାକତ ଖଣ୍ଡ ଥରି ଉଠିବ ଏବଂ ମସୀଧାରା ଉଷ୍ଣ ହୋଇ ଘନୀଭୂତ ହୋଇଯିବ । ପାଷାଣ ହୃଦୟ ଦୈତ୍ୟଦାନବ ତାହା ବର୍ଣ୍ଣନା କରିପାରେ, ମାତ୍ର ମାନବର ଅସାଧ୍ୟ । ମାନବ ନେତ୍ରରୁ ରୁଧିରପାତ ହେବ, ମାନବ ହସ୍ତ ଅସାଢ ହୋଇଯିବ ଏବଂ ମାନବ ଆତ୍ମା ଫାଟି ଶତଖଣ୍ଡ ହୋଇଯିବ । ହା ବିଧାତଃ, ତୁମ୍ଭେ କେତେବେଳେ କାହା ଭାଗ୍ୟଚକ୍ର କି ଭାବରେ ଘୂର୍ଣ୍ଣନ କର, ତାହା ବୁଝିବା ଅସାଧ୍ୟ । ତୁମ୍ଭେତ ସମସ୍ତଙ୍କୁ ହୃଦୟ ଦେଇଅଛ, ନିଜ ପାଇଁକି କିଛି ରଖିନାହଁ ପ୍ରଭୁ ? ଏହା କହିବାକୁ ଯେ ସାହାସ ବଳୁନାହିଁ,–କିଏ ଯେପରି ବଜ୍ର କଠୋର ହସ୍ତରେ ତଣ୍ଟି ଚିପି ଧରୁଅଛି । ମାୟାଧର, ଅନନ୍ତ-ଅକଳନ ତୁମ୍ଭର ମହାମାୟା ।
ନିର୍ବୋଧ ବାଳକର ଏ ମୂର୍ଚ୍ଛାର ଅପନୋଦନ କେତେ ଦୂରରେ,-ତାହାର ସହାନୁଭୂତିର ସ୍ଥାନ ବା କେଉଁଠାରେ ତାହା କଳିବା ବାଳକର କ୍ରୀଡ଼ା ପରି ସହଜ ସାଧ୍ୟ ନୁହେଁ । ତେବେ କି ସଂସାରରେ ସମବେଦନା ନାହିଁ ? ଏ ସଂସାରଟା କି ତୁଚ୍ଛା ମରୁଭୂମି ? ନା, ନା, ସମବେଦନା ନିଶ୍ଚୟ ଅଛି,–ଏ ଅଥଳ ଅକୂଳ ଭୀଷଣ ଜଳଧି ବକ୍ଷରେ ସୁଦ୍ଧା ଅଛି । ସଂସାରରେ ସବୁ ଅଛି, ସେ ଅବା ନ ଥିବ କାହିଁକି ? ସହାନୁଭୂତି, ବିଧାତର ଜଗତ ପ୍ରତି ଅତିରିକ୍ତ ମହାଦାନ । ତାହା ପ୍ରାଣେ ପ୍ରାଣେ ବିଦ୍ୟମାନ, ସେ କେଉଁଠାରେ ଫୁଟି ଉଠେ,- କେଉଁଠାରେ ଦରଫୁଟା ହୋଇରହେ–କେଉଁଠାରେ ବା ଫୁଟେ ନାହିଁ । ଦେଖୁଁ ଦେଖୁଁ ଦଣ୍ଡକ ମଧ୍ୟରେ ଭବିଷ୍ୟତ-ଦ୍ୱାର ମୁକୁଳା ହୋଇଗଲା,–ମେଘାଡ଼ମ୍ୱର ଅନ୍ଧକାର ରାତ୍ରି ବକ୍ଷରେ ଖଦ୍ୟୋତର ଆଲୋକ ରେଖା ପ୍ରାୟ ସହାନଭୂତିର ଆଭା ଫୁଟି ଉଠିଲା । ଦର୍ପଣରେ ପତିତ ଖରା କାନ୍ଥରେ ପ୍ରତିଫଳିତ ହେଲା ପ୍ରାୟ ବାଳକର ଦୁଃଖ ଜଣକ ହୃଦୟରେ ପ୍ରତିଫଳିତ ହେଲା । ସେ ସମବେଦନା ପୟରରେ ନିଜକୁ ଢାଳି ଦେଲା ଏବଂ ମୂର୍ତ୍ତିମାନ ସମବେଦନାରୂପେ ଧାଇଁ ଆସି ମୂର୍ଚ୍ଛିତ ବାଳକକୁ କୋଳରେ ଘେନି ବସିଲା-। ହରି ହେ, ଏ ପୁଣି କି ଅସମ୍ଭବ ଅଜ୍ଞେୟ ବ୍ୟାପାର ! ତୁମ୍ଭର ଏକ ହସ୍ତରେ ଦଣ୍ଡ ଏବଂ ଅନ୍ୟ ହସ୍ତରେ ଦୟା ! ତୁମ୍ଭେ ମାର ପୁଣି ତୁମ୍ଭେ ଆଉଁସି ଦଅ । ଆଗେ ବିପଦକୁ ପଠାଇ ପଛେ ପଛେ ସହାନୁଭୂତି ରୂପ ଧରି ଆସ । ଯେଉଁ ଆକାଶରେ ପ୍ରଚଣ୍ଡ ସୂର୍ଯ୍ୟ ଉଦିତ ହୁଏ, ସେହି ଆକାଶରେ ପୁଣି ଶୀତଳ ଚନ୍ଦ୍ର ଦେଖାଯାଏ, ଏହା ଦେଖି ଭକ୍ତ ଭାବୁକ ନିଜେ ପାଗଳ ହୋଇ ତୁମ୍ଭଙ୍କୁ ମଧ୍ୟ ପାଗଳ ଜ୍ଞାନ କରେ । ବାସ୍ତବରେ ଯାହାର ଅନନ୍ତ ଜ୍ଞାନ, ସେ ପାଗଳ । ଓଃ, କି ଆପଦ, ମନଟା କି ଅବାଧ୍ୟ ! ତାହାର ଗତି ବା କି ବକ୍ର, ତାହାକୁ ଯେତେ ସଳଖାଇଲେ ସୁଦ୍ଧା ସେ ବଙ୍କେଇ ବଙ୍କେଇ ଚାଲେ । ଘଟଣାସ୍ଥଳରୁ ସେ କେତେ ବଙ୍କେଇ ଗଲାଣି, ଏବେ ତାକୁ ସଳଖାଇବା ଦରକାର । ବାତ୍ୟାପତିତ ନୌକାପରି ସେ ଦିଗଭ୍ରାନ୍ତ ହୋଇ ଇତସ୍ତତଃ ଚାଲିଅଛି । ଅମଣ ବଳଦକୁ ହଳରେ ଯୋଚିଲେ ସେ ଯେପରି ରୀତିମତ ଆଉଚା ନ କାଟି କେବେ ଏଣେ, କେବେ ତେଣେ ଲଙ୍ଗଳକୁ ଟାଣିନେଇ ଯାଏ, ମନର ଗତି ଠିକ୍ ସେହିପରି । କର୍ଣ୍ଣଧାର ଯେବେ ସତର୍କ ହେଲେ ସୁଦ୍ଧା ଘାଟର ନୌକା ଠିକ୍ ସିଧାରେ ନଲାଗି ଖଣ୍ଡେ ଦୂର ଭାସିଯାଏ ।
ଯେ ବିପନ୍ନ ବାଳକକୁ କୋଳରେ ଧରି ବସିଲା, ସେ ମହାପ୍ରାଣ ମାନବ କିଏ ? ସେ ପୂର୍ବୋକ୍ତ ଉତ୍କଳୀୟ ପ୍ରହରୀ । ଜାତୀୟତା ତାହା ପ୍ରାଣରେ ସହାନୁଭୂତି ଆନୟନ କଲା । ସ୍ୱଜାତିର ଦୁଃଖରେ ତାହାର ଜାତୀୟ ରକ୍ତ ଶୀତଳ ହୋଇ ଆସିଲା । ବାସ୍ତବରେ ଜାତୀୟତା ଅମୂଲ୍ୟ ମହାମଣି । ଯେଉଁ ଜାତିର ଜାତୀୟ ମମତା ନାହିଁ, ସେ ଜାତିର ଜୀବନ ଅସ୍ୱୀକାର୍ଯ୍ୟ । ଉତ୍କଳ ସେହି ଜାତୀୟତା ହରାଇ ନିର୍ଜୀବ । ସେ ଯେଉଁଦିନ ଜାତୀୟତା ଲାଭ କରିବ, ସେହିଦିନ ନବଜୀବନ ପ୍ରାପ୍ତ ହେବ ଏବଂ ସେହିଦିନ କୋଟି ହୃଦୟ ଏକ ହୋଇ ମହାମିଳନର ଅମୃତ ଭୂମିରେ ପରମ ଗୌରବରେ ବିଚରଣ କରିବ ।
ଏଠାରେ ସେହି ମହାନୁଭବ ପ୍ରହରୀର କିଞ୍ଚିତ ପରିଚୟ ଦେବା ଆବଶ୍ୟକ । ସେ ଉତ୍କଳୀୟ ରାଜପୁତ୍ର ତାହାର ନାମ ଭୀମ ସିଂହ । କେବଳ ନାମରେ ନୁହେଁ-ଆକୃତିରେ ମଧ୍ୟ ଭୀମର ଅନୁରୂପ । ତେବେ ମହାଭାରତୀୟ ଯୁଗର ଭୀମ ନ ହେଲେ ସୁଦ୍ଧା ଏ ଯୁଗର ଭୀମ କହିଲେ ଅସଙ୍ଗତ ହେବ ନାହିଁ । ଶରୀର ପ୍ରକାଣ୍ଡ ବର୍ଣ୍ଣ ଘୋରତର କୃଷ୍ଣ; ମୁଖରେ ନିଶ ଦାଢ଼ି ନାହିଁ । ଗାଲରେ ବିଶାଳ ଗାଲମୋଚା ଖଣ୍ଡେ କଳାମେଘର ଦୁଇପାଖରେ ଦୁଇଖଣ୍ଡ କଳାମେଘ ଆଉଜିଲାପରି ଦେଖାଯାଏ । ଦେହଯଷ୍ଟି ପୃଥୁଳଏବଂ ସୁବଳିତ । ଆକୃତି ଭୀଷଣ କିନ୍ତୁ ପ୍ରକୃତି ଶାନ୍ତ-। ବାହାର ଘର କଟକ ଜିଲାରେ, ସେ ଆବାଲ୍ୟ ପିତୃମାତୃଶୂନ୍ୟ । ପ୍ରଥମରେ ସେ କଲିକତାର ସୂତାକଳ ସାହେବ ପାଖରେ ଅର୍ଦ୍ଦଳୀ କାର୍ଯ୍ୟ କରୁଥିଲା । ସାହେବଙ୍କ ପାଞ୍ଚଜଣ ଅର୍ଦ୍ଦଳୀ ମଧ୍ୟରେ ସେ ସର୍ବାପେକ୍ଷା ବିଶ୍ୱାସୀ, ବାଧ୍ୟ, ପ୍ରଭୁଭକ୍ତ ଏବଂ ଧର୍ମଭୀରୁ । ଏହେତୁ ସାହେବତାକୁ ସର୍ବଦା ସମଧିକ ସ୍ନେହଚକ୍ଷୁରେ ଦେଖନ୍ତି । ସେ ମଧ୍ୟ ସାହେବଙ୍କ ମନ ଜାଣି କାର୍ଯ୍ୟ କରେ । ଥରେ ସାହେବଙ୍କର ବନ୍ଧୁ ଆସାମ ଚା ବଗିଚାର ମାଲିକ ‘‘ରେ’’ ସାହେବ ବନ୍ଧୁ ସଙ୍ଖୋଳିବାକୁ କଲିକତା ଆସିଥିଲେ । ସେ ଭୀମର ଗୁଣରେ ମୁଗ୍ଧ ହୋଇ ବନ୍ଧୁଙ୍କ ନିକଟରୁ ତାକୁ ଉଧାର ନେଇଗଲେ । ସେହି ଦିନଠାରୁ ଭୀମ ଚା ବଗିଚାର କୁଲିସର୍ଦ୍ଦାର -କାର୍ଯ୍ୟରେ ମାସିକ ତିରିଶ ଟଙ୍କା ବେତନରେ ନିଯୁକ୍ତ ଅଛି ।
ବାଳକର ମୁଖରେ ଶୀତଳ ଜଳ ସେଚନ କରି ଭୀମସିଂହ ତାହାକୁ ସଚେତ କଲା । ବାହାର ସହକର୍ମୀମାନେ ସୁଦ୍ଧା ସେହି କାର୍ଯ୍ୟରେ ତାକୁ ଅଳ୍ପାଧିକ ସହାୟତା କଲେ । ମଧୁ ଚକ୍ଷୁଫିଟାଇ ଭୀମସିଂହର ମୁଖକୁ ଅନିମେଷ ନେତ୍ରରେ ଚାହିଁ ରହିଲା । କେତେକ୍ଷଣ ପରେ ଚିହ୍ନିଲା, ସେ ସେହି ପ୍ରହରୀ । ତାହାର ମୁଖରୁ ସ୍ନେହସୁଧା ଝରି ପଡ଼ୁଅଛି । ଏକନେତ୍ରରେ ଦୟା ଏବଂ ଅନ୍ୟ ନେତ୍ରରେ ସମବେଦନା ଅଶ୍ରୁରୂପରେ ଢଳ ଢଳ ହେଉଅଛି । ସେ ପ୍ରସନ୍ନ ମୁଖରେ ମୃଦୁହାସ୍ୟ ଫୁଟାଇ ମଧୁର ସ୍ୱରରେ କହିଲା–‘‘ବାଳକ, ତୋର କିଛି ଭୟ ନାହିଁ, ମୁଁ ଅଛି, ଆଉ ଚିନ୍ତା କରନା, ମୁଁ ସାହେବକୁ କହି ତୋର ଯହିଁରେ ଭଲ ହେବ ତାହା କରାଇଦେବି । ଆଜିଠାରୁ ତୁ ମୋର ଧର୍ମଭାଇ ହେଲୁ–ମୁଁ ତୋତେ ଠିକ୍ ସାନଭାଇପରି ସ୍ନେହ ଚକ୍ଷୁରେ ଦେଖିବି, ତୋତେ କିଛି କାମକରିବାକୁ ପଡ଼ିବ ନାହିଁ, ମୁଁ ସବୁ ତୁଲେଇ ତୋତେ ମୋ ପାଖରେ ରଖିବି ।’’ ଏହା କହି ବିପନ୍ନ ବାଳକର ମସ୍ତକ ମୁଖ ଏବଂ ବକ୍ଷରେ ବାରମ୍ୱାର କରୁଣାର ଶୀତଳ କର ବୁଲାଇବାକୁ ଲାଗିଲା । ବାଳକର ସନ୍ତପ୍ତ ବ୍ୟାକୁଳ ହୃଦୟ ଯାହା ଖୋଜୁଥିଲା, ତାହା ପାଇଲା । ସେ ଭାବିଲା, କେଜାଣି କେଉଁ ସଦୟ ଦେବତା ମୋତେ ଏ ଅପବାଦରୁ ଉଦ୍ଧାର କରିବା ପାଇଁ ଏହି ପ୍ରହରୀରୂପ ଧରି ଆସିଅଛି । ଭୀମ କଲିକତାରୁ ନିଜ ସକାଶ କିଛି ଖାଦ୍ୟଦ୍ରବ୍ୟ କ୍ରୟ କରି ଆଣିଥିଲା । ତାହା ମଧୁକୁ ଖାଇବାକୁ ଦେଲା-। ମଧୁ ତାହା ଖାଇଲା–ଅଗାଧ ଭ୍ରାତୃସ୍ନେହ ଅମୃତସ୍ପର୍ଶରେ ସେହି ସାମାନ୍ୟ ଖାଦ୍ୟ ତାକୁ ଅମୃତପରି ମଧୁର ଲାଗିଲା, ସେ ପରିତୃପ୍ତ ହୋଇ ଆଶ୍ୱସ୍ତି ଅନୁଭବ କଲା । ଆଦର ବା ସ୍ନେହଦତ୍ତ ପଦାର୍ଥ ଯେପରି ମଧୁର ଲାଗେ, ଶତ ମସଲା ବା ମିଷ୍ଟ ପକ୍ୱ ପଦାର୍ଥ ସେରୂପ ମଧୁର ବୋଧହୁଏନାହିଁ, ଲୋକେ କଥାରେ କହନ୍ତି ‘‘ଆଦର ନାହିଁ ତ ଭୋଜନ ନାହିଁ, ଗାମୁଛା ନାହିଁ ତ ସ୍ନାନ ନାହିଁ ।’’ ଅର୍ଥାତ୍ ଆଦର ନଥିଲେ ଭୋଜନ ଏବଂ ଗାମୁଛା ନଥିଲେ ସ୍ନାନ ସୁଖକର ବୋଧହୁଏ ନାହିଁ-। ଶ୍ରୀକୃଷ୍ଣ ଦୂର୍ଯ୍ୟୋଧନର ଉପାଦେୟ ରାଜଖାଦ୍ୟ ଉପେକ୍ଷା କରି ବିଦୂର ଗୃହରେ ଶାକ ଭୋଜନ କରିଥିଲେ । ରାମଚନ୍ଦ୍ର ଶବରୀପ୍ରଦତ୍ତ ଉଚ୍ଛିଷ୍ଟ କୋଳି ଭକ୍ଷଣକରି ତୃପ୍ତ ହୋଇଥିଲେ ।
ଅନନ୍ତର ଭୀମ ମଧୁକୁ ପଚାରି ତାହାର ନାମ ବାସସ୍ଥାନ, ଜାତି ଏବଂ ପିତୃ ନାମ ପ୍ରଭୃତିର ଗୋଟାଏ ମୌଖିକଫାର୍ମ ପୂରଣରେ ଉଦ୍ୟତ ହେଲା । ମଧୁ ଯଥାଯଥ ଉତ୍ତର ଦେଇ ସେହି ଶ୍ରାଦ୍ଧ ଫାର୍ମପୂରଣରେ ସହାୟତା କଲା । ଭୀମ ସେଥିରୁ ବୁଝିଲା, ମଧୁ କ୍ଷତ୍ରିୟ । ଭୀମ ମଧ୍ୟ କ୍ଷତ୍ରିୟ, ଉଭୟ ମଧ୍ୟରେ ଭାଷାଗତ ପାର୍ଥକ୍ୟ ଥିଲେହେଁ ଜାତିଗତ ପାର୍ଥକ୍ୟ ନାହିଁ, ସୁତରାଂ ସ୍ୱଜାତି ଜ୍ଞାନରେ ମଧୁ ପ୍ରତି ତାହାର ଆକର୍ଷଣ ବହୁଗୁଣ ବର୍ଦ୍ଧିତ ହୋଇଉଠିଲା । ତହୁଁ ସେ ପଚାରିଲା, ଆଚ୍ଛା, ମଧୁ, ସେ ଦୁଷ୍ଟ ଗୁଇନ୍ଦାଟା ତୋତେ କିମିତି ନେଇ ଆସିଲା ? ମଧୁ କହିଲା–ମୋତେ ଟଙ୍କାଗଛ ଦେବ ବୋଲି କହି ଭୁଲାଇ ଘେନି ଆସିଲା । ଏହା ଶୁଣି ଭୀମ ଏବଂ ଅନ୍ୟାନ୍ୟ ପ୍ରହରୀ ହସି ଉଠିଲେ । ଭୀମ ମନେ ମନେ ଭାବିଲା,–ଆହା ଏ ବାଳକଟିର ବୟସ ବାଲ୍ୟସୀମା ଅତିକ୍ରମ କରିଥିଲେହେଁ ଅବଧି ଏହାର ଶିଶୁସୁଲଭ ସରଳ ବିଶ୍ୱାସ ଛାଡ଼ିଯାଇନାହିଁ । ବାସ୍ତବରେ ଏ ଗୋଟିଏ ଅନୁଗ୍ରହର ଉପଯୁକ୍ତ ପାତ୍ର । ମୁଁ ପ୍ରାଣପଣ ଯତ୍ନରେ ଏହାର କିଛି ଉପକାର କରିବି । ମନୁଷ୍ୟ ହୋଇ ଏତକ ଯଦି କରି ନ ପାରେ, ତେବେ ଆଉ ମୋର ମନୁଷ୍ୟତା କଅଣ ? ହେ ଦୟାମୟ ଭଗବାନ, ଏ କାର୍ଯ୍ୟରେ ତୁମ୍ଭେହିଁ ମୋର ଏକମାତ୍ର ସହାୟ । ପ୍ରଭୋ ! ହୃଦୟରେ ବଳ ଦିଅ, ଆଉ ଉଦ୍ୟମରେ ଫଳଦିଅ ।
ମଧୁ କଥାରେ କୌତୁହଳାକ୍ରାନ୍ତ ହୋଇ ଭୀମ ଅନ୍ୟ କୁଲିମାନଙ୍କୁ ପଚାରିଲା–‘‘ମଧୁକୁ ତ ଟଙ୍କାଗଛ ଦେବ ବୋଲି ବହଲେଇ ଆଣିଲା, ଆଉ ତୁମ୍ଭମାନଙ୍କୁ କି ଆଶା ଦେଖାଇ ଆଣିଲା ? ଜଣେ କହିଲା–‘‘ମୁଁ ବଡ଼ ଗରିବ ମୂଲ ମଜୁରି ଲାଗି ଅତି କଷ୍ଟରେ ଚଳେଁ । ଦୁଇ ଜଣ ଲୋକ ଆମ ଗାଁକୁ ଲୁଗା ବିକିବାକୁ ଆସି ମାସେ ଯାଏଁ ରହିଲେ । ସେମାନେ ପିଲାଙ୍କର ଟୋପି ଜାମା ଆଉ ବଟୁଆ କୁଥୁଳୀ ବିକୁଥିଲେ । ସେ ସବୁ ପିମ୍ପୋଳ ଦରଜିଙ୍କ ପିମ୍ପୋଳ କାମ ତମେ ଦେଖିଛଟି ପାଇକ ଭାଇ ? ଆଃ ସେମିତି ପାଇଟି ଦେଶ ଦୁନିଆରେ ଥିବନାହିଁ । କେତେ ହାତୀ, ଘୋଡ଼ା, ମଣିଷ ସେଥିରେ ସିଆଁ ହୋଇଚି ସତେ ଯେମିତି ସବୁ ଜୀଅନ୍ତା । ଧନ୍ୟ ସେ ଦରଜିର ବିନ୍ଧାଣିପଣ, କହିବ କଅଣ ଭାଇ ତମେ ଦେଖିଥିଲେ ନିଶ୍ଚେ ତାଟଙ୍ଗା ହୋଇ ଯାଇଥାଆନ୍ତ ।’’ ଭୀମ ବିରକ୍ତ ହୋଇ କଥା ନ ସରୁଣୁ କହିଲା–‘‘କିମ୍ଭୀର ନେଇ ମଝିନଈରେ କଲାଣି ତେବେ ବି ତୋର ବାଲିଙ୍ଗିର ବାକୀ ନାହିଁ । କବିତ୍ୱ ରଖି ଆଗେ କଥା କଣ କହିବୁ ତ କହ ।’’ ଏହି କେତୋଟି କଥାରେ ସେହି ବିପଦ ପାଶୋରା ବିଷମ ରସିଆର ରସଭଙ୍ଗ ହୋଇଗଲା । ତହୁଁ ସେ ମୁହଁଟାକୁ ପିତା ଖାଇଲାପରି ବିକୃତକରି ଅପ୍ରତିଭହୋଇ କହିଲା–‘‘ସେମାନେ ମୋତେ ଠିକାରେ ରଖି ଦିନକୁ ବାର ଅଣା ମଜୁରି ଦିଅନ୍ତି ମୁଁ ଲୁଗାମୋଟମୁଣ୍ଡାଇ ସେମାନଙ୍କ ସାଙ୍ଗରେ ଗାଁ ଗାଁ ବୁଲେ । ମାସକରେ ସବୁ ଲୁଗା ବିକା ସରିଗଲା ସେମାନେ ଆଉଥରେ ଲୁଗା ଆଣିବାକୁ ତାଙ୍କ ଗାଁକୁ ବାହାରିଲେ । ମତେ କହିଲେ ପାଣୁଆ ତୁ ଆମ ସାଙ୍ଗରେ ଚାଲ ପନ୍ଦର ଦିନ ପରେ ସମସ୍ତେ ଆସିବା । ଏହି ପନ୍ଦର ଦିନରେ ତୋତେ ଖାଇବା ବାହାରେ କୋଡ଼ିଏ ଟଙ୍କା ଦେବୁଁ । ଏହାଶୁଣି ମୋ ମନ ଭାରି ଖୁସି ହେଲା । ସେଇଠୁଁ ତାଙ୍କ ସଙ୍ଗରେ ଆସିଲି’’ ତାହା କଥା ଶେଷ ହେଲାରୁ ଆଉ ଜଣେ କହିଲା–‘‘ମୋର ମା ଛଡ଼ା ଆଉ କେହି ନାହାନ୍ତି, ଭାଇ ବିରାଦର ଯେ ଅଛନ୍ତି ସେମାନେ ଆମକୁ ପଚାରନ୍ତିନାହିଁ । ମୋର କୋଡ଼ିଏ ସାତବର୍ଷ ହେଲାଣି ଆଜି ଯାଏ ବିଭା ହୋଇ ନାହିଁ । ଆଜିକାଲି ତ ଆମ ଖଦାଳ ଜାତିରେ କନିଆ ସୁନା ଛକୋଡ଼ି ସାତକୋଡ଼ି–ଏତେ ଟଙ୍କା କଉଠୁ ପାଇମି ଯେ ବିଭାହେବି । ଜମି ବୋଲି ତିନିପା ଡିହଖଣ୍ଡେ ଅଛି ସେଥିରେ ଯେଉଁ ପନି ପରିବା ହୁଏ ତାହା ଭାତ ଲୁଗାକୁ ନିଅଣ୍ଟ । ମାଆଟି ବୁଢୀ ସେ କିଛି କାମଦାମ କରିପାରେ ନାହିଁ । ଦିନେ ମୁଁ ବିଲରେ ହଳ କରୁଥିଲି, ଦିଟା ମଣିଷ ମୁଣ୍ଡରେ ପଗଡ଼ି ଗୁଡ଼ାଇ କାନ୍ଧରେ ବାଡ଼ ପକାଇ କଉଠୁ ଆସି ହିଡ଼ ମୁଣ୍ଡରେ ଠିଆ ମୋତେ ଡାକିଲେ । ମୁଁ ହଳ ଛାଡ଼ି ତାଙ୍କ କତିକି ଆସିଲି । ଜଣେ ମୋତେ କହିଲା ତୁ ଭାରି ମେହେନ୍ତି, କଲିକତା ଗଲେ ମାସକୁ ଆଞ୍ଜୁଳା ଆଞ୍ଜୁଳା ରୋଜଗାର କରନ୍ତୁ । ଆଞ୍ଜୁଳା ଆଞ୍ଜୁଳା ଟଙ୍କା କଥାଶୁଣି ମୋ ମନ ବଡ଼ ଟାକୁଟାକୁ ହେଲା । ମୁଁ କହିଲି ମୁଁ ଗଲେ ମୋ ମା ବୁଢ଼ୀଟା ଖାଇବ କଅଣ ? ଦିନଦିଇଟାରେ ଉପାସରେ ମରିଯିବ । ସେଇଠୁ ଆର ଜଣକ କହିଲା–ତେବେ ଆଗତୁରା କିଛି ନେ ଆମ ସାଙ୍ଗରେ ଚାଲ, ଛମାସ ପରେ ତୋତେ ବାରକୋଡ଼ି ଟଙ୍କା ଦେଇ ତୋ ଘରେଆଣି ଛାଡ଼ି ଦେଇଯିବୁ । ଏହା କହି କୋଡ଼ିଏ ଟଙ୍କା ମୋ ହାତରେ ଗଣି ଦେଲେ । ମୁଁ ଆଉ କାମ କରିବି କଅଣ ହଳ ଫିଟେଇ ଦେଇ ସେମାନଙ୍କୁ ସାଙ୍ଗରେ ନେଇ ମା ପାଖକୁ ଧାଇଁଲି ସବୁ କଥା କହି ମା ହାତରେ ଟଙ୍କାତକ ଦେଲି, ମା ଗଣ୍ଡା ଗଣ୍ଡା କରି ଟଙ୍କା ଗଣିରଖି କହିଲା-ବାବା ଏତେଦିନେ ଠାକୁରେ ତତେ ଚାହିଁଲେ–ଛେଉଣ୍ଡ ଦେଖି ଦୟାକଲେ । ଆପଣା ଶିଙ୍ଗରେ ମାଟି ଖୋଳି ହାତ ଛନ୍ଦା ନହେଲେ ଭାଇ ଭଗାରି କଣ କରି ଦେବରେ ବାପ । ତୋ ବାପ ବଞ୍ଚିଥିଲେ କି ତୁ ଆଜି ଯାଏ ବାହାଚୁରା ହୋଇ ନ ଥାନ୍ତୁ । ମୋର ଏହି ପାଞ୍ଚଣ୍ଡା ଟଙ୍କା ଢେର ଛଟା ମାସତ କାଲି ପରି ଗଡ଼ିଯିବ ତୁ ତେବେ ଯା ବାର କୋଡ଼ି ଟଙ୍କା ଅଳ୍ପ ନୁହେଁ–ତୋ ଭାତ ଆନ ଖାଇବ । ଏହା କହି ମା ଦାଣ୍ଡକୁ ଆସି ସେମାନଙ୍କୁ ପଚାରିଲା । ସେମାନେ କହିଲେ–ଆମେ କଲିକତା କୁଲି ନେଇଯାଉ ଫେର ସେମାନଙ୍କୁ ଆଣି ଘରେ ଛାଡ଼ୁ । ଆମର ଏଇ ବେଉସା ଲୋ ମାଉସୀ । ତୁ କିଛି ଚିନ୍ତା କରନା ଛମାସ ପରେ ତୋ ପୁଅକୁ ବାରକୋଡ଼ି ଟଙ୍କା ଦେଇ ତୋ ପାଖରେ ଆଣି ଛାଡ଼ି ଦେଇ ଯିବୁ । ମା ଏହା ଶୁଣି ଭାରି ଖୁସି ହେଲା–ତୁଳସୀ ଚଉରା ମୂଳରୁ ଦୁଇଟା ପତ୍ର ଆଣି ସେ ଦୁହିଙ୍କ ପାଟିରେ ଗୁଞ୍ଜିଦେଇ କାନ୍ଦିପକାଇ କହିଲା–ତମେ ମୋର ଧରମପୁଅ, ଏ ବାପ ଛେଉଣ୍ଡଟିକି ଅଣହେଳା କରିବ ନାହିଁ । ଏହା କହି ମୋତେ ପଖାଳ କଂସେ ବାଢ଼ିଦେଲା ଆଉ ସେ ଦୁଇଜଣକୁ ଗୁଡ଼ିଆଘରୁ ଦିସେର ମୁଢ଼ି ଆଣିଦେଲା-। ଖାଇସାରି ଆମେ ତିନିଜଣ ବିଦା ହୋଇ ଆସିଲୁଁ ଏହା କହି ଲୋକଟା ଭୋ ଭୋ ହୋଇ କାନ୍ଦି ପକାଇଲା । ଚତୁର୍ଥ ବ୍ୟକ୍ତି କହିଲା–ମୋତେ ବି ତ ଏହିପରି କହିଥିଲା, ଯଦି ତାହାର ଦେଖା ପାଆନ୍ତି ତେବେ ଏହି ସମୁଦ୍ରକୁ ପେଲିଦେଇ ତାକୁ ବିଶାବଳୀ ଦିଅନ୍ତି । ଦଶଟା ବର୍ଷ ପାଣିପରି ବହିଯିବ, ତହିଁ ପରେ ତ ମୁଁ ଘରକୁ ଫେରିଯିବି, ହେଲେ ସେ ବିଶ୍ୱାସଘାତକ କଅଣ ଧର୍ମ ଦୁଆରରେ ଦଣ୍ଡ ପାଇବ ନାହିଁ । ଆଛା ପାଇକ ଭାଇ, ତମେ ତ ଖୁବ୍ ଓଡ଼ିଆ କଥା କହୁଚ, ତମେ କଅଣ ଓଡ଼ିଆ ?’’ ଭୀମ କହିଲା,–‘‘ମୋର ସାତପୁରୁଷ ଓଡ଼ିଶାରେ କଟିଗଲାଣି, ଓଡ଼ିଆ କଥା ନକହି ଆଉ କଅଣ କହିବି ? ଯାହା ହେଉ ତୋର ସାହସ, ଧୈର୍ଯ୍ୟ ଆଉ ବୀରତ୍ୱର କଥା ଶୁଣି, ମୋର ପ୍ରାଣ ପୁଲକରେ ପୂରିଉଠିଲା । ଓଡ଼ିଆ ଯେ ଗୋଟାଏ ବୀରଜାତି ଏହା ସତ । କର୍ପୂର ଯାଇ କନା ଅଛି, ତେବେ ବି ସେ ଜାତି ନିସ୍ତେଜ ନୁହେଁ ।’’ ଏହା ଶୁଣି ଲୋକଟା ଯଥେଷ୍ଟ ଆତ୍ମଶ୍ଳାଘା ଅନୁଭବ କରି ପୁନଶ୍ଚ ପଚାରିଲା,–‘‘ମାସରେ ଦୁଇକୋଡ଼ି ମୋତେ ମିଳିବତ ? ତାହାହେଲେ ଆଉ ପରତାଏ କଅଣ ? ଆଛା ଆମେ ସବୁ କଉଁଠିକି କାମ କରିବୁ ? ଭୀମ କହିଲା,–‘‘ତୁମ୍ଭେମାନେ କାଉଁରୀ-କାମଚଣ୍ଡୀ ମୁଲୁକରେ ଚା ବଗିଚାରେ କାମ କରିବ । ଚା କଅଣ ଜାଣୁନା ? ସାହେବମାନେ, ତାଙ୍କ ଦେଖାଦେଖି ବଡ଼ଲୋକମାନେ, ଯେଉଁ ପତ୍ର ସିଝାଇ ପାଣି ପିଅନ୍ତି, ସେହି ପତ୍ରକୁ ଚା କହନ୍ତି । ତୁମ୍ଭେମାନେ ସେହି ଚା କ୍ଷେତ୍ର ହଳକରି ମଞ୍ଜିବୁଣିବ, ଗଛ ହେଲେ ବେଉଷଣ କରି ଗଛକୁ ବଢ଼ାଇବ,–ପତ୍ର ତୋଳି ଶୁଖାଇ ବାକ୍ସ ବନ୍ଦୀ କରିବ । କାମ ବଡ଼ ଶକ୍ତ, ତେବେ ଆମ ସାହେବ, ଆଉ ଚା ବଗିଚାର ମାଲିକ ପରି, କୁଲିମାନଙ୍କୁ ଦିନସାରା ଖଟାନ୍ତି ନାହିଁ । ସକାଳ ଓଳି ତିନି ଘଣ୍ଟା ଆଉ ଉପର ଓଳି ଦୁଇଘଣ୍ଟା ଏହିପରି ଦିନରେ ପାଞ୍ଚଘଣ୍ଟା କାମ ନିଅନ୍ତି । ତାହା ଉପରେ ରବିବାର ଦିନ କମେଇଁ । ସେଦିନ କେହି କାମ କରନ୍ତି ନାହିଁ, ସେଥିରେ ବର୍ତ୍ତନ କଟିଯାଏ ନାହିଁ । ଆମ ‘‘ରେ ସାହେବ’’ ଖୁବ୍ଭଲ ଲୋକ । କେହି ବେମାର ହେଲେ ତାକୁ କାମ କରାଇଦିଅନ୍ତି ନାହିଁ,–ଡାକ୍ତର ଲଗାଇ ଚିକିତ୍ସା କରାନ୍ତି । ତାଙ୍କ ବଗିଚାରେ କୁଲିମାନେ ଆଛା ସୁଖରେ ଥାଆନ୍ତି,–ବର୍ତ୍ତନ ବି ବେଶି ପାଆନ୍ତି । ସେଠି ଗାଳିମନ୍ଦ କି ମାଡ଼ କହୁଣୀ କିଛି ନାହିଁ । କୁଲିମାନେ କହନ୍ତି,–ରେ ସାହେବଙ୍କ ବଗିଚାରେ ଆମକୁ ମାମୁଁ ଘରେ ରହିଲାପରି ଲାଗେ । ମୁଁ କୁଲିମାନଙ୍କର କାମ ଦେଖେଁ-। ତୁମ୍ଭମାନଙ୍କୁ ଖୁବ୍ଭଲରେ ରଖିବି, ତୁମ୍ଭମାନଙ୍କର କିଛି କଷ୍ଟ ହେବନାହିଁ ।’’ ଏହିପରି କଥାବାର୍ତ୍ତାରେ ଦୁଇଦିନ କଟିଗଲା । ତୃତୀୟ ଦିନ ଜାହାଜ ବ୍ରହ୍ମପୁତ୍ର-ମୁହାଣରେ ପହୁଞ୍ଚିଲା । ସେଠାରୁ ସମସ୍ତେ ନୌକାରେ ଯାଇ ଆସାମରେ ପହୁଞ୍ଚିଲେ । ପ୍ରହରିମାନେ କୁଲିଙ୍କୁ ଘେନି ଚା ବଗିଚାକୁ ଗଲେ । ଭୀମ ସମସ୍ତଙ୍କୁ ଗୋଟାଏ ଗୋଟାଏ ବସାଘର ଦେଇ, ମଧୁକୁ ନିଜ ବସାରେ ରଖିଲା । ନବାଗତ କୁଲିମାନେ ଅଗ୍ରୀମ ଦଶଟଙ୍କା ଲେଖାଏଁ ପାଇ ତହିଁ ପରଦିନଠାରୁ କାର୍ଯ୍ୟରେ ନିଯୁକ୍ତ ହେଲେ ।
ପାଠକମାନଙ୍କ ଶ୍ରୁତିତିକ୍ତହେବା ଆଶଙ୍କାରେ କେବଳ ଚାରିଜଣ ପ୍ରତାରିତଙ୍କର ଆତ୍ମ କାହାଣୀ ଲିଖିତ ହେଲା । ଭାତ ହାଣ୍ଡିରୁ ଗୋଟାଏ ଚିପିଲେ ଯଥେଷ୍ଟ । ଦୁଷ୍ଟ ଆଡ଼କାଟିମାନେ କିପରି ଅଭେଦ୍ୟ ଲୌହକୌଶଳ ଜାଲ ବିସ୍ତାର କରି ଶିକାର ଧରନ୍ତି, ତାହା ଏତିକିରୁ ସହଜରେ ଅନୁମେୟ ।