ବୁଲା ଫକୀର
୧୮୬୭–୧୯୪୩
- ପଢ଼ିବା ସମୟ
- ୧୩୧ ମିନିଟ୍
- ଶବ୍ଦ
- ୨୦୯୪୫
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ପରିଚ୍ଛେଦ
ସୁନ୍ଦରପୁର ଗୋଟିଏ ସୁନ୍ଦର ଗ୍ରାମ । ତାହାର ନାମ ଯେପରି ମଧୁର, ପ୍ରାକୃତିକ ଦୃଶ୍ୟ ସେହିପରି ରମଣୀୟ । ତାହାର ଉତ୍ତର ଏବଂ ଦକ୍ଷିଣ ସୀମାରେ ବିରୁପାକ୍ଷୀ ଏବଂ ସୁରୁପାକ୍ଷୀ ନାମରେ ଦୁଇଟି କ୍ଷୁଦ୍ର ନଦୀ ପ୍ରବାହିତ ହୁଏ । ପୂର୍ବ ଓ ପଶ୍ଚିମରେ ବିସ୍ତୃତ ପ୍ରାନ୍ତର ଏବଂ ତହିଁପରେ ଅରଣ୍ୟ । ପ୍ରକୃତିରାଣୀ ଏହି ଗ୍ରାମ ଖଣ୍ଡିକୁ ଆଦରିଣୀ କନ୍ୟା ତୁଲ୍ୟ କୋଳରେ ଘେନି ବସିଅଛନ୍ତି । ଗ୍ରାମର ନିକଟ ଶୋଭା ଅପେକ୍ଷା ଦୂର ଶୋଭା ଆହୁରି ନେତ୍ରପ୍ରୀତିକର । ଦୂରତ୍ୱ ସିନା ଦୃଶ୍ୟକୁ ପ୍ରାଣ ଦାନ କରି ସୌନ୍ଦର୍ଯ୍ୟ କୁହୁକରେ ମଣ୍ଡିତ କରେ ! ଗ୍ରାମଟି ଗ୍ରାମ୍ୟ ସମ୍ପଦ ଏବଂ ଆଧ୍ୟତ୍ମିକ ସମ୍ପଦର ଆଳୟ । ଜ୍ଞାନ ଗହଳରେ ଥାଏ ନାହିଁ, ଗହନରେ ଥାଏ । ଗ୍ରାମରେ ନାନା ଜାତୀୟ ଲୋକେ ବାସ କରନ୍ତି । ସେମାନଙ୍କର ସୁଖଶାନ୍ତିମୟ ଆନନ୍ଦ ଜୀବନ ନାଗିରିକ ପକ୍ଷରେ ଲୋଭନୀୟ । ବାସ୍ତବରେ ପଲ୍ଲି ଗ୍ରାମଗୁଡ଼ିକ ଲୋକାଳୟ ହେଲେ ହେଁ, ତାହା ଶାନ୍ତିର ଶାନ୍ତିନିଳୟ, ସାଧନାର ସ୍ୱର୍ଗ, ସୁଖ ଓ ଆନନ୍ଦର ପବିତ୍ର ତୀର୍ଥ ।
ପୁରନ୍ଦର ମହାପାତ୍ର ସେହି ଗ୍ରାମର ଜଣେ ସଙ୍ଗତି ସମ୍ପନ୍ନ ଅଧିବାସୀ । ତାଙ୍କର ବିଷୟ ବାଡ଼ି ଯଥେଷ୍ଟ ଅଛି । ମହାପାତ୍ରେ ଜାତିରେ କରଣ । ସେ ବଂଶାନୁକ୍ରମିକ ଧନୀ ନୁହନ୍ତି ଏକପୁରୁଷା ଧନୀ । ପବିତ୍ର ସତ୍ ବ୍ୟବସାୟଦ୍ୱାରା ସେ ବହୁ ଅର୍ଥ ଉପାର୍ଜନ କରିଥିଲେ । ଟଙ୍କା ତ ରହିବା ପଦାର୍ଥ ନୁହେଁ–ସେ ଯିବାପାଇଁ ଆସେ । ଅର୍ଥଶାସ୍ତ୍ରର ଏ ସୂକ୍ଷ୍ମ ତତ୍ତ୍ୱରେ ମହାପାତ୍ରେ ଖୁବ୍ ବିଶାରଦ ଥିଲେ । ସୁତରାଂ ଉପାର୍ଜିତ ଅର୍ଥରେ ସେ ଅନେକ ଭୂସମ୍ପତ୍ତି କିଣି ପକାଇଥିଲେ । ବର୍ତ୍ତମାନ ତାହାରି ରକ୍ଷଣାବେକ୍ଷଣ କରନ୍ତି । ଆବାଲ୍ୟ ଦାରିଦ୍ର୍ୟ ସଙ୍ଗରେ ବିପୁଳ ସଂଗ୍ରାମ କରି କେବଳ ଆତ୍ମପ୍ରଚେଷ୍ଟା, ସ୍ୱାବଲମ୍ୱନ ଏବଂ କର୍ତ୍ତବ୍ୟନିଷ୍ଠା ଗୁଣରେ ମାନବ କିପରି ଆତ୍ମୋନ୍ନତି କରିପାରେ, କିପରି କର୍ମମୟ ଜୀବନ ସମୁଜ୍ଜଳ କରିପାରେ ଏବଂ କିପରି ବା ସାଫଲ୍ୟ-ଗୌରବରେ ମଣ୍ଡିତ ହୋଇପାରେ, ମହାପାତ୍ରେ ସେଥିର ଜୀବନ୍ତ ଦୃଷ୍ଟାନ୍ତର ସ୍ଥଳ । ସଦ୍ଗୁଣ ଏବଂ ସଚ୍ଚରିତ୍ରତା ତାଙ୍କୁ ସମସ୍ତଙ୍କଠାରେ ସମାଦୃତ କରାଇଥିଲା । ସେହି ଉଭୟ ବଳରେ ସେ ସମସ୍ତଙ୍କର ଭକ୍ତିପ୍ରୀତି-ଆକର୍ଷଣରେ ସମର୍ଥ ହୋଇଥିଲେ । ନିଜର ପ୍ରାଣ ବିୟୋଗରେ ଯଦି କାହାରି ପ୍ରାଣ ରକ୍ଷା ହୁଏ, ତେବେ ସେ ତାହା କରିବାକୁ କୁଣ୍ଠିତ ବା ଅନିଚ୍ଛୁକ ନୁହନ୍ତି । ଧର୍ମରେ ତାଙ୍କର ଅଚଳା ମତି । ସତ୍ୟ, ଦୟା, କ୍ଷମା ଏବଂ ପରୋପକାରିତା ତାଙ୍କ ସ୍ୱଭାବକୁ ମାଧୁରି-ମଣ୍ଡିତ କରିଥିଲା । ତାଙ୍କର ଏତେ ଥିଲେ ସୁଦ୍ଧା ସେ ପ୍ରାଣରେ ଗୋଟାଏ ଅଭାବ ଏବଂ ଶୂନ୍ୟତା ସର୍ବଦା ଅନୁଭବ କରୁଥିଲେ । ସେଥିରେ କାରଣ ସେ ଅପୁତ୍ରିକ । ବାସ୍ତବରେ ଗୃହସ୍ଥ ପକ୍ଷରେ ଅପୁତ୍ରିକ ହେବାଠାରୁ ଦୁଃଖ ଆଉ ନାହିଁ । ସେ ଦୁଃଖ ଜୀବନକୁ ବିଫଳ କରିଦିଏ । ସର୍ବ ସୁଖରେ ସୁଖୀ ହୋଇ ସୁଦ୍ଧା ପୁତ୍ରାଭାବରେ ସେ ସୁଖ ଅପୂର୍ଣ୍ଣ ଏବଂ ବିଷାକ୍ତ ବୋଧହୁଏ ।
ମହାପାତ୍ରଙ୍କର ଗୋଟିଏ ମାତ୍ର କନ୍ୟା । କନ୍ୟାଟିର ନାମ ଜାନକୀ । ସେ ପିତାମାତାଙ୍କର ଜୀବନମଣି । କନ୍ୟାଟି ଖୁବ୍ ସୁନ୍ଦରୀ । ଏକମାତ୍ର କନ୍ୟା ହେତୁ ପିତାମାତା ତାହାକୁ ଅତିରିକ୍ତ ସ୍ନେହ କରନ୍ତି । ଥାରେ କହନ୍ତି, ‘‘ଯାହାର ପୁଅ ନାହିଁ, ସେ ଝିଅକୁ ବାପ ବୋଲି ଡାକେ ।’’ ଅଲଣା ଜୀବନ ଝିଅଟାକୁ ଏତେ ସ୍ନେହ କରିବାର ଦେଖି ଅନେକେ ଶ୍ଳେଷ ବିଦ୍ରୁପ କରନ୍ତି । କେହି କେହି କହନ୍ତି, ‘ମହାପାତ୍ର ଘର ଜାନକୀ ଯେପରି ଗେହ୍ଲା, ଜଣେ ରାଜପୁତ୍ର ବି ସେପରି ଗେହ୍ଲା ହେବ ନାହିଁ ।’ ଏସବୁ କଥାରେ ମହାପାତ୍ରଦମ୍ପତି କର୍ଣ୍ଣଦାନ କରନ୍ତି ନାହିଁ । ବାସ୍ତବରେ ସମସ୍ତଙ୍କ କଥା ଶୁଣିବାକୁ ଗଲେ ସଂସାରର ଅନେକ ଆକାଙ୍କ୍ଷା ପୂର୍ଣ୍ଣ ହେବ ନାହିଁ । ଲୋକେ ସିନା କହିବେ; ମାତ୍ର କେହି ତ ଆଉ ତାଙ୍କ ହୃଦୟର ହାହାକାର ନିବାରଣ କରି ପାରିବ ନାହିଁ । ତେବେ କାହା କଥାରେ ଯାଏ କେତେ ବା ଆସେ କେତେ ? ପିତାମାତା ଅତିରିକ୍ତ ସ୍ନେହ କରନ୍ତି ସତ; ମାତ୍ର ଅତିରିକ୍ତ ସ୍ନେହର ଅବଶ୍ୟମ୍ଭାବୀ ଫଳ ଅବାଧ୍ୟତାର ବ୍ୟଥା ସେମାନଙ୍କୁ ସହ୍ୟ କରିବାକୁ ହୁଏ ନାହିଁ; ଯେହେତୁ କନ୍ୟାର ପ୍ରକୃତି ଖୁବ୍ ଶାନ୍ତ ଓ ଶୀତଳ । ଜାନକୀ ଖାଲି ସୁନ୍ଦରୀ ନୁହେ, ନାନା ଗୁଣରେ ଗୁଣବତୀ । ଫୁଲରେ ଖାଲି ସୌନ୍ଦର୍ଯ୍ୟ ଥାଏ ନାହିଁ–ସୌରଭ ସୁଦ୍ଧା ଥାଏ । ସେହି ସୌରଭ ସେହି ସୌନ୍ଦର୍ଯ୍ୟର ସ୍ୱର୍ଗୀୟ ଅଳଙ୍କାର । ଦୁଇବର୍ଷ ହେଲା ଜାନକୀର ବିବାହ ହୋଇଯାଇଅଛି । ମହାପାତ୍ରେ ଧନୀ ଘରେ ନ୍ୟା ଦେଇ ନାହାନ୍ତି, ଶିକ୍ଷିତ ସଚ୍ଚରିତ୍ର ପାତ୍ର ହସ୍ତରେ କନ୍ୟାଦାନ କରିଅଛନ୍ତି । ଝିଅଟି ଖାଇ ପିନ୍ଧି ସୁଖରେ ବିଳାସରେ ଆନନ୍ଦରେ କାଳ କ୍ଷେପଣ କରୁ, ଏହା ତାଙ୍କର ଲକ୍ଷ୍ୟ ନୁହେ । ତାଙ୍କର ଲକ୍ଷ୍ୟ ଅତି ମହତ୍, ଅତି ଉଦାର, ଅତି ପବିତ୍ର ଓ ଅତି ମୂଲ୍ୟବାନ୍ । ଝିଅ ସୁଖରେ ରହୁ, ଏହା କେଉଁ ପିତାମାତାର ବାଞ୍ଚନୀୟ ନୁହେ ? ମାତ୍ର କନ୍ୟାର ଭବିଷ୍ୟତ ଧର୍ମ ଜୀବନ ଏବଂ ନୈତିକ ଜୀବନ ପ୍ରତି କେତେ ଜଣଙ୍କର ଦୃଷ୍ଟି ଥାଏ । ଅଧିକାଂଶ ତ ‘‘ଦେଲା ନାରୀ ହେଲା ପାରି’’ ଶ୍ରେଣୀୟ, କନ୍ୟାର ଆଧ୍ୟାତ୍ମିକ ଉନ୍ନତି ଚିନ୍ତା କିଏ କରୁଛି ? କିନ୍ତୁ ମହାପାତ୍ରେ ସେ ଧରଣର ଲୋକ ନୁହନ୍ତି । ସେ ଉପଯୁକ୍ତ ଧାର୍ମିକ ଚରିତ୍ରବାନ୍ ସାଧୁ ପୁରୁଷ ଦେଖି ଜାମାତା ନିର୍ବାଚନ କରିଥିଲେ । ତାହା ସଂସର୍ଗରେ କନ୍ୟାର ଧର୍ମ ଜୀବନ ଉଜ୍ଜ୍ୱଳ ହେବ, ଏ ବିଶ୍ୱାସ ତାଙ୍କର ଥିଲା । ତାଙ୍କର ଜାମାତା ବିଷୟବାନ୍ ନୁହେ; କିନ୍ତୁ ଉପାର୍ଜନକ୍ଷମ । ଜାମାତାର ଆଉ କେହି ନାହିଁ । ଘରକୁ ସ୍ତ୍ରୀ ପୁରୁଷ ଦୁଇ ପ୍ରାଣୀ । ଆଉ ଗୋଟିଏ ଭାଇ ଅଛି; ମାତ୍ର ସେ ପୃଥକ୍ । ସେ ତାହାର ସାନ ଭାଇ, ତାହା ଘରକୁ ଗୃହସ୍ଥ, ଭାର୍ଯ୍ୟା ଏବଂ ଗୋଟିଏ ଶିଶୁପୁତ୍ର ଏହି ତିନିଜଣ ।
ଜାନକୀ ସ୍ୱାମୀଗୃହ ଉଜ୍ଜ୍ୱଳ କଲା; ମାତ୍ର ମହାପାତ୍ରଙ୍କ ଗୃହ ଅନ୍ଧକାର କରିଗଲା । କେବଳ ପିତୃଗୃହ ଅନ୍ଧକାର କରି ଗଲା ନାହିଁ, ତାହା ଅଭାବରେ ଗୃହ ଶୂନ୍ୟ, ପିତାମାତାଙ୍କର ହୃଦୟ ଶୂନ୍ୟ ଏବଂ ଅଙ୍କ ଶୂନ୍ୟ ହେଲା । ପିତାମାତା ଦୁହେଁ କବତାକବତୀ ପରି ଶୂନ୍ୟ ଗୃହରେ, ଶୂନ୍ୟ ଆକାଙ୍କ୍ଷାରେ ଝୁରି ହେଲେ । ହିତୈଷୀ ବନ୍ଧୁବାନ୍ଧବମାନେ ମହାପାତ୍ରଙ୍କୁ ଅନେକ ବୁଝାଇଲେ ଏବଂ କେହି କେହି ଉପଦେଶ ଦେଇ କହିଲେ, ‘ଦେଖ ମହାପାତ୍ରେ ତୁମ୍ଭର ତ ପୁଅ ନାହିଁ, ଏ ବିପୁଳ ସମ୍ପତ୍ତି କିଏ ଭୋଗ କରିବ ? ତୁମ୍ଭେ ଗୋଟିଏ ପୋଷ୍ୟପୁତ୍ର ଗ୍ରହଣ କର । ଦେହ ପା ତ ଅଛି, ପଡ଼ିଲେ ସେବାଶୁଶ୍ରୂଷା କିଏ କରିବ ?’’ କେହି କେହି ସ୍ୱତଃପ୍ରବୃତ୍ତ ହୋଇ ପୁଅ ଯାଚିଲେ, କେହି ବା ଅନ୍ୟ ସ୍ଥାନରୁ ପୋଷ୍ୟପୁତ୍ର କରାଇ ଦେବାର ଆଶା ଦେଖାଇଲେ; ମାତ୍ର ମହାପାତ୍ରେ କାହାରି କଥାରେ ମଙ୍ଗିଲେ ନାହିଁ । ସେ କହିଲେ–ପୋଷ୍ୟପୁତ୍ର କଲେ କଅଣ ହେବ ? ଦୁଧର ଶାଧ କି ପିଠଉ ପାଣିରେ ମେଣ୍ଟିବ ? ମୋର ସମ୍ପତ୍ତି ଭୋଗ କରିବାକୁ ଅନେକ ଅଛନ୍ତି । ସଂସାରରେ ଗ୍ରହୀତାର ଅଭାବ ନାହିଁ । ଅଭାବ କେବଳ ଦାତାର । ମୋର ସମ୍ପତ୍ତି ଦେଶ ସେବାରେ ଉତ୍ସର୍ଗ କରିବି, ଅକ୍ଷମ ଦରିଦ୍ରକୁ ଦାନ କରିବି, ଦେଶ ହିତକର କାର୍ଯ୍ୟରେ ଲଗାଇବି; ନଚେତ୍ ମୋ ଝିଅର ପୁଅ ହେଲେ ସେ ଭୋଗ କରିବ । ତାହା ହେଲେ ମୋ ସମ୍ପତ୍ତିର ସଦ୍ବ୍ୟୟ ହେବ । ତାହା ନକରି ଅଜ୍ଞାତଚରିତ୍ର ଗୋଟିଏ ଅନ୍ୟ ଲୋକକୁ ପୋଷ୍ୟପୁତ୍ର କରିବାର ଫଳ କଅଣ ? କାକ ବସାରେ କୋକିଳ ପାଳିତ ହୁଏ, କାକୀ ତାହାକୁ ଆହାର ଦେଇ ନିଜର ଶାବକ ପରି ସ୍ନେହ ଯତ୍ନ କରେ, କାକ ତାହାକୁ ଶୈଶବରେ ଶତ୍ରୁ ମୁଖରୁ ରକ୍ଷାକରେ; ମାତ୍ର କୋକିଳ ଶାବକ କି ସେମାନଙ୍କୁ ମା ବାପ ବୋଲି ଡାକେ ? ବଢ଼ି ଉଡ଼ିଶିଖିଲେ ତାହାର ଭାଷା ଅଲଗା ହୋଇଯାଏ । କାକ ଦମ୍ପତ୍ତିର ଲାଭ ମଧ୍ୟରେ ଏତିକି ଯେ, ସେମାନେ ଦାରୁଣ ଅନୁଶୋଚନା ଭୋଗ କରନ୍ତି । ଏହି ତ ପୋଷ୍ୟପୁତ୍ରର ସୁଖ ? ସେ ସୁଖକୁ ଦୂରରୁ ଜୁହାର । ପୋଷ୍ୟପୁତ୍ରର ସୁଖ ଅପେକ୍ଷା ଅପୁତ୍ରିକତାର ଦୁଃଖ ବରଂ କୋଟିଗୁଣରେ ଶ୍ରେୟ । ପୋଷ୍ୟପୁତ୍ର କରିବା ଆଉ ସମ୍ପତ୍ତି ମୂଲ୍ୟରେ ଆପଦ ଉପଦ୍ରବ ପ୍ରଭୃତି ଜଞ୍ଜାଳ କିଣିବା ଏକା କଥା । କଥାରେ କହନ୍ତି, ‘‘ପୋଷେ ପୁଅ ଆଉ ଖୁଞ୍ଚା ରୁଅ କାମରେ ଆସନ୍ତି ନାହିଁ ।’’ ଯାହା ଦେହରେ ମୋହର ରକ୍ତ ନାହିଁ, ସେ ମୋର ପୁଅ ହେବ କିପରି, ଆଉ ମୋ ପ୍ରତି ତାହାର ମମତା ବା ହେବ କିପରି ? ପୁତ୍ର ପିତାର ଅଂଶ ବୋଲି ଶାସ୍ତ୍ରରେ ଶୁଣିଅଛି । ଯାହା ସଙ୍ଗରେ ମୋର କିଛି ସମ୍ପର୍କ ନାହିଁ, ମୋର ଅଂଶ ତାହା ଦେହକୁ କାହୁଁ ଆସିବ ? ଯାହାକୁ ପୋଷ୍ୟପୁତ୍ର କରିବି, ସେ ଯଦି କୁଚରିତ୍ର ହୁଏ ଏବଂ କୁକୁର୍ମରେ ମୋର ଧନ ଉଡ଼ାଇ ଦିଏ ତେତେ ମୋର କଷ୍ଟାର୍ଜିତ ଅର୍ଥର ସାର୍ଥକତା ସମ୍ପାଦନ ହେଲାକି ? ଯାହା ସଙ୍ଗରେ ରକ୍ତର ଆକର୍ଷଣ ନାହିଁ, ସେ ନିଜର ନୁହେଁ । ପରକୁ ଯେତେ ମଣ୍ଡିଲେ ସୁଦ୍ଧା ସେ ଆପଣାର ହୋଇ ପାରେ ନାହିଁ । ଦୁଗ୍ଧ ଓ ଶର୍କରାଦ୍ୱାରା ନିମଗଛକୁ ବଢ଼ାଇଲେ ସେ ତିକ୍ତଗୁଣ ତ୍ୟାଗକରି କେବେକି ମଧୁର ହୋଇପାରେ ? କେବଳ ଦୁଗ୍ଧଶର୍କରାର ଅପବ୍ୟହାର ହୁଏ ସିନା । ରୋଗବେଳେ ପୋଷ୍ୟପୁତ୍ର ସେବା କରିବ, ଏହି ମିଥ୍ୟା କଥା । ତେତେବେଳେ ସେ ପାଖ ନ ପଶି ଅଲଗା ହୋଇ ଦୂରରେ ବସିବ । ଏହା ଖାଲି କହିବାର କଥା ନୁହେ, ନିତ୍ୟ ପ୍ରତ୍ୟକ୍ଷୀଭୂତ ଘଟଣା । ‘‘ଏହିପରି ନାନା ଯୁକ୍ତିତର୍କ ଦେଖାଇ ମହାପାତ୍ରେ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ଏକାନ୍ତ ଅସ୍ୱୀକୃତ ହେଲେ । ଉପଦେଷ୍ଟାମାନେ ହତାଶ ବାଣୀ ଶୁଣି ଅତ୍ୟନ୍ତ ବିରକ୍ତ ହେଲେ । କେହି କେହି ମୁହଁ ଭାରି କରି କହିଲେ, ହଉ, ତୁମ୍ଭର ଇଚ୍ଛା, ଆମେ ସିନା ତୁମ ଭଲ ସକାଶେ କହୁଥିଲୁ । ତାହା ଯଦି ତୁମ ମନକୁ ନ ରୁଚିଲା, ତେବେ ଆମେ ନାଚାର ।’ ପ୍ରକାଶ୍ୟରେ ଏତିକି କହିଲେ; ମାତ୍ର ଗୋପନରେ ଆହୁରି ଅନେକ କଥା କହିଲେ । ତାହାସବୁ ଲେଖିବା ଅନାବଶ୍ୟକ-।
ଦିନ ପରେ ଦିନ ମାସ ପରେ ମାସ ଅତୀତ ହେବାକୁ ଲାଗିଲା । ବୁଢ଼ାବୁଢ଼ୀ ଦିଓଟିଙ୍କର ସୁଖେ ଦୁଃଖେ କାଳ କଟିଯାଉଥାଏ । ସେମାନଙ୍କର ଅନ୍ନବସ୍ତ୍ରର ଦୁଃଖ ନାହିଁ–ଦୁଃଖ କେବଳ ପୁତ୍ରାଭାବ ହେତୁ । ସେହି ଦୁଃଖ ସେମାନଙ୍କର ସମସ୍ତ ସୁଖକୁ ବିଷାକ୍ତ କରିଦେଇଥିଲା । ଯାହା ହେଉ ସେମାନେ କପାଳ ଠୁଙ୍କି ହରିଙ୍କୁ ଧ୍ୟାନ କରି ପଡ଼ି ରହିଥାନ୍ତି । କେବଳ ହରିଙ୍କ ମହିମା ଚିନ୍ତନ ଏବଂ କୀର୍ତ୍ତନ ସେମାନଙ୍କ ଜୀବନର ସୁଖସାନ୍ତ୍ୱନା ଥିଲା; ମାତ୍ର ଦୁର୍ଦ୍ଦୈବ ସେ ସୁଖଟି ସୁଦ୍ଧା ଅଧିକ କାଳ ସ୍ଥାୟୀ କଲା ନାହିଁ । ମହାପାତ୍ରଙ୍କ ସ୍ତ୍ରୀ ସଙ୍କଟ ପୀଡ଼ାରେ ଆକ୍ରାନ୍ତ ହେଲେ । ଦେଖୁ ଦେଖୁ ପୀଡ଼ା ଅସାଧ୍ୟ ହୋଇଉଠିଲା ଏବଂ ଶେଷ ଦିନ ଆସି ଉପସ୍ଥିତ ହେଲା । ରୁଦ୍ରଭୀଷଣ ମୃତ୍ୟୁ-ମହାନିଶାରେ ଉଲଗ୍ନ ମୂର୍ତ୍ତି ସମ୍ମୁଖରେ ଦେଖି ସତୀ ଭୀତା ହେଲେନାହିଁ । ଆଉ କାହିଁକି ବା ମୃତ୍ୟୁକୁ ଭୟ କରିବେ, ଏ ଯେ ତାଙ୍କାର ଆନନ୍ଦ ମହାଯାତ୍ରା । ଶଙ୍ଖା, ଶାଢ଼ୀ, ସିନ୍ଦୂର ଘେନି ଏଭଳି ସୌଭାଗ୍ୟ ମୃତ୍ୟୁ କେତେ ଜଣ ନାରୀଙ୍କ ଭାଗ୍ୟରେ ଘଟେ ? ଏରୂପ ମୃତ୍ୟୁ ନାରୀ-ସୌଭାଗ୍ୟର ଗୌରବ-ମୃତ୍ୟୁ, ତାହା ନାରୀର ବାଞ୍ଛନୀୟ । ସତୀ ସାଧ୍ୱୀ ମହାପାତ୍ରଙ୍କ ସ୍ତ୍ରୀ ଆରାଧ୍ୟ ଦେବତା ସ୍ୱାମୀଙ୍କ ମୁଖକୁ ଥରେ ସହାସ୍ୟ ବଦନରେ ଚାହିଁ ଦେଇ ନୀରବରେ ଶେଷ ବିଦାୟ ଘେନି ଚକ୍ଷୁ ବୁଜି ଅନନ୍ତ ଉତ୍ସବମୟ ସତୀସ୍ୱର୍ଗକୁ ଚାଲିଗଲେ । ପତ୍ନୀବିୟୋଗରେ ମହାପାତ୍ରେ ଚତୁର୍ଦ୍ଦିଗ ଅନ୍ଧକାର ଦେଖିଲେ । ତାଙ୍କର ପ୍ରାଣ ମଚକିଗଲା ଏବଂ ହୃତ୍ପିଣ୍ଡର କ୍ରିୟା ବିଶୃଙ୍ଖଳ ହୋଇଗଲା । ନିଃସଙ୍ଗ ନିଃସହାୟ ଜୀବନ ହାହାକାରରେ ପରିପୂର୍ଣ୍ଣ ହେଲା । ସେ ଝୁରି ଝୁରି ଅସ୍ଥିଚର୍ମସାର ହେଲେ । ତାଙ୍କୁ ଦେଖିଲେ ବୋଧହେଲା, ଯେମନ୍ତ କି ଶୋକ ମୂର୍ତ୍ତି ଧାରଣ କରିଅଛି । ଏହିପରି କିଛି ଦିନ ଅତିବାହିତ ହେଲା । ସଂସାର ଅଚିର ଏଠାରେ ସବୁ ଅଚିର । କାହାରି ସୁଖ-ଦୁଃଖ ବା ବର୍ଷ ବିଷାଦ ଚିର ନୁହେଁ । ମହାପାତ୍ରଙ୍କ ଶୋକ ସୁଦ୍ଧା ଅଧିକ ଦିନ ରହିଲା ନାହିଁ, ପତ୍ନୀଙ୍କ ଦ୍ୱାଦଶାହ କ୍ରିୟା ପରେ ତାହା କ୍ରମେ କ୍ରମେ ମିଳାଇ ଆସିଲା । ଏ ସଂସାରରେ ଏହିପରି ଆପାତ ଶ୍ମଶାନବୈରାଗ୍ୟ ସମସ୍ତଙ୍କୁ ଆକ୍ରମଣ କରେ । ଶବର ମୁଖାଗ୍ନି ସଙ୍ଗେ ସଙ୍ଗେ ଶୋକର ମୁଖାଗ୍ନି ହୋଇଯାଏ । ଆଜୀବନ ସମ୍ପର୍କ କ୍ଷଣକ ମଧ୍ୟରେ ତୁଟିଯାଏ । ଧନ୍ୟ ନିର୍ମମ ସଂସାର । ଶୋକର ଏହି ବିସ୍ମୃତି ନ ଥିଲେ ମାନବ-ପ୍ରାଣ ତିଷ୍ଠିବା ବଡ଼ କଠିନ ହୁଅନ୍ତା । ସେଥିପାଇଁ ସଂସାରର ଶୋକ ପଛେ ପଛେ ବିସ୍ମୃତି ଆନୟନ କରେ । ଶୋକ କାହିଁକି, ପୁଣି ଶୋକର ବିସ୍ମୃତି ବା କାହିଁକି, ଏ ଦୁରୁହ ରହସ୍ୟ କିଏ ଭେଦ କରିବ ? ମହାପାତ୍ରଙ୍କର ଦୁର୍ଦ୍ଦମନୀୟ ଶୋକ ଦେଖି ଅନେକେ ଭାବିଲେ, ବୋଧହୁଏ ସେ ବି ପତ୍ନୀଙ୍କ ପଛେ ପଛେ ମହାଯାତ୍ରା କରିବେ, ମାତ୍ର ତାହା ହେଲା ନାହିଁ, ସେ ଶୋକ ସହିଗଲେ । ମାନବ-ହୃଦୟ କି ବଜ୍ରକଠୋର ଉପାଦାନରେ ନିର୍ମିତ କେଜାଣି, ସେ ସବୁ ଆଘାତ ସହିପାରେ । ମହାପାତ୍ରଙ୍କର ଗୃହ ଶୂନ୍ୟ, ହୃଦୟ ଶୂନ୍ୟ, ଅନନ୍ତ ଆଶାଭାଣ୍ଡ ଶୂନ୍ୟ । ସେ ଏହି ବିରାଟ ମହାଶୂନ୍ୟତା ଘେନି କାଳକ୍ଷେପଣ କରିବାକୁ ଲାଗିଲେ । ଆଉ ତାହା ନ କରି ବା ଚାରା କଣ ଅଛି ? ମାନବ ତ ଅପର ହସ୍ତର କ୍ରୀଡ଼ା-ପୁତ୍ତଳି । କ୍ରୀଡ଼ାକାରୀ ତାକୁ ଯେତେବେଳେ ଯେଉଁ ଅବସ୍ଥାରେ ରଖିବ, ସେ ସେହି ଅବସ୍ଥାରେ ରହିବାକୁ ବାଧ୍ୟ । ଏହା ବ୍ୟତୀତ ତାହାର ସ୍ୱାଧୀନ ଇଚ୍ଛା ନାହିଁ ।
ବିପଦ ବିପଦର ଅନୁସରଣ କରେ । ବିପଦ ଯେତେବେଳେ ଆସେ, ତୁହା ତୁହା ହୋଇ ଆସେ । ଗୋଟିଏ କ୍ଷତର ଜଳାପୋଡ଼ା ବନ୍ଦ ନ ହେଉଣୁ ମହାପାତ୍ରଙ୍କ ହୃଦୟରେ ଆଉ ଗୋଟିଏ ପ୍ରଚଣ୍ଡ ଆଘାତ ଆସି ଲାଗିଲା । ସେ କ୍ଷତ ବଡ଼ ଗଭୀର, ଜ୍ୱାଳାମୟ । ଅଳ୍ପଦିନ ପରେ ତାଙ୍କର ଜାମାତୃବିୟୋଗ ଘଟିଲା । ବୃଦ୍ଧ ମହାପାତ୍ରଙ୍କର ଅର୍ଦ୍ଧ-ସୁପ୍ତ ବ୍ୟଥା ପୁଣି ଜାଗିଉଠିଲା । ଭାବୀ ଆଶା-ମନ୍ଦିରର କ୍ଷୀଣ ଦୀପ-ଶିଖାଟି ଦପ୍ କରି ନିଭିଗଲା । ସେ ଥରେ ଅତୀତ ଆଡ଼କୁ ଫେରି ଚାହିଁଲେ । ଦେଖିଲେ–ତାଙ୍କର ସେ ସୁଖମୟ ଜୀବନ, ସେ ନିଶ୍ଚିନ୍ତ ଆନନ୍ଦ ଜୀବନ କେତେ ପଛରେ ରହିଲାଣି । ହାୟ, ସେଠାକୁ ଫେରି ଯିବାର ଯଦି କିଛି ଉପାୟ ଥାଆନ୍ତା, ତେବେ ସେ ଏ ଦୁଃସହ ଶୋକରୂପେ ଅଗ୍ନି-ଶାର୍ଦ୍ଦୂଳ ମୁଖରୁ ତ୍ରାହି ଲଭନ୍ତେ । କିନ୍ତୁ ତାହା ଆକାଶ-କୁସୁମ । ତାଙ୍କର ଏହି ବାଲ୍ୟସ୍ମୃତି ଉପସ୍ଥିତ ଶୋକ ଯଜ୍ଞର ଘୃତାହୁତି ହେଲା । ଅତଃପର ସେ ପୂର୍ଣ୍ଣହୁତି ହେବେ । ତାଙ୍କ ନେତ୍ରରୁ ଅଶ୍ରୁପାତ ହେଲାନାହିଁ । ଶୋକ ସୀମା ଲଙ୍ଘନ କରିଗଲେ ଅଶ୍ରୁଝର ଶୁଷ୍କ ହୋଇଯାଏ । ସେ ଏଥର ବେଶି ଅସ୍ଥିର ହେଲେ ନାହିଁ । ଦୁର୍ଭାର ଶୋକ-ଶିଳା ହୃଦୟରେ ଚାପି ସ୍ଥିର ହୋଇ ରହିଲେ । କେବଳ ଗୋଟିଏ ଅଗ୍ନିବର୍ଷି ହତାଶ ନିଃଶ୍ୱାସ ତ୍ୟାଗ କରି କହିଲେ, ‘‘ପ୍ରଭୋ, ଏ କଣ କଲ ? ମୋର ଜୀବନର ଶେଷ ଚେରଟି ସୁଦ୍ଧା ଉପାଡ଼ିଦେଇ ! ଦୁଃଖୀକୁ ଦୁଃଖ ଦେବାପାଇଁ ତୁମ୍ଭେ କି ଦୁଃଖ ଉପରେ ଦୁଃଖ ସଜାଡ଼ି ରଖିଥାଅ, ଭଗବାନ୍ ! ହାୟ ନାରାୟଣ, ପିତା ହୋଇ ମୁଁ ପ୍ରାଣାଧିକା ବାଳିକା କନ୍ୟାର ବିଧବା ବେଶ ଦେଖିବି । ସେ ଦୃଶ୍ୟ ଯେ ପିତୃ-ନେତ୍ରରେ ଅସହ୍ୟ । ସେ ଦୃଶ୍ୟର ଅନଳ ଉତ୍ତାପରେ ମୁଁ ଅନ୍ଧ ହୋଇଯିବି । ଏ ଦୃଶ୍ୟ ଦେଖାଇବା ଅପାକ୍ଷା ମୋତେ ପିତା କରି ନଥିଲେ ବରଂ ମୋ ପ୍ରତି ଅସୀମ କୃପା ପ୍ରଦତ୍ତ ହୋଇଥାଆନ୍ତା । ତୁମ୍ଭେ ମଙ୍ଗଳମୟ, ସ୍ୱୀୟ ସ୍ପଷ୍ଟ ଜୀବନକୁ ଜାଳି ପୋଡ଼ି ମାରିବାଦ୍ୱାରା ତୁମ୍ଭର କି ମହା ମଙ୍ଗଳମୟ ଉଦ୍ଦେଶ୍ୟ ସାଧିତ ହୁଏ, ତାହା ତୁମ୍ଭେ ଜାଣ ପ୍ରଭୁ । ହାୟ, ମା ମୋର ନିରାଭରଣା କଙ୍ଗାଳୁଣୀ ବେଶରେ ଆସି ମୋ ଆଗରେ ଠିଆ ହେବ, ମୋ ଛାତି ଯେ ଫାଟି ଖଣ୍ଡ ଖଣ୍ଡ ହୋଇଯିବ, ଦୀନବନ୍ଧୁ ! ଅନାଥା ବାଳିକାର କି ଗତି ହେବ ହରି ! ତାହାର ଜନ୍ମ ଜୀବନ ଯେ ବୃଥା ହୋଇଗଲା । ସେ ଅଜ୍ଞାତ ବାଳୁତ, ପାପ ପୁଣ୍ୟ ଜାଣେ ନାହିଁ । ହାୟ, କି ଅପରାଧରେ ତାହା ପ୍ରତି ଏ କଠୋର ଶାସ୍ତି ? ତୁମ୍ଭର ଏ ଅଗ୍ନିମୟ ଅଭିଶାପରେ ବାଳିକାର କୋମଳ ହୃଦୟ ପୋଡ଼ି ଭସ୍ମ ହୋଇଯିବ । ଦୟାମୟ, ତୁମ୍ଭେ ଦଣ୍ଡଦାତା, ଆଉ ତୁମ୍ଭେ ହିଁ ଉଦ୍ଧାର କର୍ତ୍ତା । ତୁମ୍ଭେ ଦଣ୍ଡ ଦେଇଅଛ, ସେ ଦଣ୍ଡ ସହିବାର ଶକ୍ତି ତୁମ୍ଭେ ଏକା ଦେବ-। ବାଳିକାର ଭଗ୍ନ ହୃଦୟରେ ବଳ ଦିଅ, ମନରେ ଧୈର୍ଯ୍ୟ ଦିଅ, ପ୍ରାଣରେ ଶାନ୍ତି ଦିଅ, ତାହାର ଆତ୍ମାକୁ ନବଭାବରେ ଗଢ଼ିଦିଅ । ସେ ଜୀବନର ସମସ୍ତ ଦୁଃଖ, ତାପ ଭୁଲିଯାଇ ତୁମ୍ଭର ପୁଣ୍ୟପୂତ ପାଦପଦ୍ମରେ ଆତ୍ମସମର୍ପଣ କରୁ, ଭବ-ଯନ୍ତ୍ରଣା-ଦଗ୍ଧ ଏ ବୃଦ୍ଧାର, ଏ ଦୀନହୀନ ଭୃତ୍ୟର ସାଶ୍ରୁନେତ୍ରରେ ଏତିକି ସକାତର ମାଗୁଣି ପ୍ରଭୋ ।