ଶନିସପ୍ତା
ଚିନ୍ତାମଣି ମହାନ୍ତି · ଭାଗ ୭ / ୧୭
ସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ପରିଚ୍ଛେଦ
ସୁଖ, ଶାନ୍ତି ଏବଂ ଆନନ୍ଦରେ ବ୍ରାହ୍ମଣ ପରିବାରର ଦିନ ପାଣିପରି ବହିଯାଉଅଛି । ଦେଖୁଁ ଦେଖୁଁ ବର୍ଷେ କାଳ ଅତିବାହିତ ହୋଇଗଲା । ଦିନ ଯେତେ ଯାଉଥିଲା, ସୌଦାମିନୀ ପ୍ରତି ଶେଫାଳିକାର ସ୍ନେହ ତେତେ ଗାଢ଼ ହୋଇ ଆସୁଥିଲା । ସୌଦାମିନୀ ଶେଫାଳିକାଙ୍କର ସମ୍ପୂର୍ଣ୍ଣ ବଶୀଭୂତ । ଦୁଇ ସଉତୁଣୀ ମଧ୍ୟରେ ଅତୁଳ ସଦ୍ଭାବ ଦେଖି ନନ୍ଦଙ୍କ ମନରୁ ଗୋଟିଏ ଦାରୁଣ ଆଶଙ୍କାର ଗୁରୁ ଭାର ଓହ୍ଲାଇ ଗଲା । ମୁସଲମାନମାନେ କହନ୍ତି– ‘‘ଜାମିନ୍, ଜୋରୁ, ଜହର (ରତ୍ନ) ଏ ତିନୋ କଜିଆକା ଘର ।’’ ନନ୍ଦେ କଳହ ବୃକ୍ଷ ରୋପଣ କରିଅଛନ୍ତି ସେଥିରେ ବିଷାକ୍ତ ଫଳ ଫଳିବ ଏହା ସେ ଜାଣନ୍ତି । ସୁତରାଂ ଆଶାଙ୍କା ପୋଷଣ ତାଙ୍କ ପକ୍ଷରେ ସ୍ୱାଭାବିକ । କିନ୍ତୁ ତାଙ୍କର ସେ ଭାବ ବାହାରକୁ ଜଣାଯାଉନଥିଲା । ଅନ୍ତଃସଲିଳା ଫଲ୍ଗୁନଦୀର ସ୍ରୋତପରି ତାଙ୍କର ଚିନ୍ତାଧାରା ଏକାବେଳକେ ଶୁଖି ମରିଗଲା– ‘‘ସଉତୁଣୀ ହିଂସା’’ ବୋଲି ସମସ୍ତେ ଦାୟିକା ଦେଇ କହନ୍ତି । ହିଂସ୍ରପଶୁ ହିଂସା ଛାଡ଼ିପାରେ; ମାତ୍ର ସଉତୁଣୀ କେବେ ହିଂସା ଛାଡ଼ିପାରେ ନାହିଁ । ନାଗୁଣୀ କି ବିଷ ତ୍ୟାଗ କରିପାରେ ? ଅଗ୍ନିଶାଖା କି ଉତ୍ତାପ ବର୍ଜନ କରିପାରେ । ପକ୍ଷାନ୍ତରେ ସଉତୁଣୀ ମାତ୍ର ଯେ ଈର୍ଷାନ୍ୱିତା, ତାହା ନୁହେଁ । ବନରେ କେବଳ କଣ୍ଟା ଗଛ ଥାଏ ନାହିଁ, ଚନ୍ଦନ ମଧ୍ୟ ଥାଏ । ନନ୍ଦଙ୍କ ଭାଗ୍ୟକୁ ତାଙ୍କର ଦୁଇଟିଯାକ ସ୍ତ୍ରୀ ଦୁଇଟି ଚନ୍ଦନ ଗଛ । ସେ ନୂତନ ପତ୍ନୀର ଗୁଣରେ ମୁଗ୍ଧ-। ସେହି ଗୁଣ ଯେ ପ୍ରଥମାଦତ୍ତ ସୁଶିକ୍ଷାର ଶୁଭଫଳ, ତାହା ମଧ୍ୟ ତାଙ୍କର ଅପରିଜ୍ଞାତ ନୁହେଁ-। ସେ ଏବେ ବୁଝିପାରିଲେ ଯେ, ‘‘ଶେଫାଳିକା ମନୁଷ୍ୟ ଗଢ଼ି ଜାଣେ ।’’
ଦିନେ ଶେଫାଳିକା ମୁହଁ ଅନ୍ଧାରରୁ ଉଠି ପହଁରା ମୁଠାଏ ଧରି ବାହାର ଖରକୁ ଥିଲେ । ଚରାଚର ଶବ୍ଦରେ ସୌଦାମିନୀର ନିଦ ଭାଙ୍ଗିଗଲା । ସେ, ଘରୁ ଉଠିଆସି ଶେଫାଳିକାଙ୍କ ହାତରୁ ପହଁରା ଛଡ଼ାଇନେଇ କହିଲା– ‘‘କାଲି ତମକୁ ଜ୍ୱର ହୋଇଥିଲା, ରାତିରେ କିଛି ଖାଇ ନାହଁ, ଆଜି ସକାଳୁ ଉଠି ବାସିପାଇଟି ନ କଲେ କଅଣ ଚଳିବ ନାହିଁ ? ଥାଉ, ମୁଁ କରିବି ।’’ ଶେଫାଳିକା ମୃଦୁ ହସି କହିଲେ– ନା ଲୋ, ଆଜି ଗୁରୁବାର ଯେ, ବାହାରଟା ଖରକି ଦେଉଥିଲି, ବାସି ଅଳିଆ ପଡ଼ିରହିଲେ ଲକ୍ଷ୍ମୀ ଛାଡ଼ିଯିବେ ।
ସୌଦାମିନୀ– ଦେହ ବଡ଼, ନା ଗୁରୁବାର ବଡ଼ ? ନା, ଆଜି ମୁଁ ସବୁ କରିବି, ତମକୁ କିଛି କରାଇ ଦେବି ନାହିଁ ।
ଶେଫାଳିକା– ମୋତେ ଜର ଛାଡ଼ିଗଲାଣି, ମାଇକିନିଆ ଜନ୍ମ ପାଇ ଟିକିଏ ଜରକୁ କି ଟିକିଏ ପେଟଟଣା ଡରିଲେ ଚଳିବ କିମିତି ? ତୁ କାହିଁକି କାକରଟାରେ ଏତେବେଳୁ ଉଠିପଡ଼ିଲୁ ସଦୂ ? ପିଲା ଲୋକ, ଦେହ ଖରାପ ହେବ ।
ସୌଦାମିନୀ– ମୁଁ କଅଣ ମାଇକିନିଆ ଜନ୍ମ ପାଇନାହିଁ, ମରଦଜନ୍ମ ପାଇଛି ? ମୋ ଦେହ କଅଣ ଲହୁଣୀରେ ଗଢ଼ା ହୋଇଛି ଯେ, ତରଳିଯିବ ଆଉ ତମ ଦେହ ପଥରରେ ଗଢ଼ାହୋଇଛି ପରା, ତମର କିଛି ହେବ ନାହିଁ ? ମୁଁ ପିଲା; ମୋର ନାହି ଲାଖିଛି, ଆଉ ତମେ ବୁଢ଼ୀ-।
ଶେଫାଳିକା– ଦୂର ପାଗଳୀ, ତୋତେ କଥାରେ କିଏ ପାରିବ ? ତୁ ତାଙ୍କୁ ଜୁହାର ହୋଇ ଆସିଛୁଁ ନା ଉଠି ଏଣିକି ପଳାଇ ଆସିଲୁ ?
ସୌଦାମିନୀ– ଲଜ୍ଜାରେ ମୁହଁପୋତି ଠିଆହୋଇ ରହିଲା; ମାତ୍ର କିଛି କହିଲା ନାହିଁ । ତାହାକୁ ନୀରବ ଦେଖି ଶେଫାଳିକା ଟିକିଏ ଉତ୍କଣ୍ଠରେ କହିଲେ– ‘‘ତୋତେ ଆଉ କେତେଥର କାନେ କାନେ କହିବି ? ସ୍ୱାମୀ ଦେବତା, ତାଙ୍କୁ ଗୋଟାଏ ଜୁହାର ହେବାକୁ ପରା ତୋତେ ଏତେ ଲାଜ ମାଡ଼ୁଛି ?
ସୌଦାମିନୀ– ମୁଁ ଅନ୍ୟ ଦେବତା ଜାଣେନାହିଁ ନାନୀ, ଯେଉଁ ଦେବୀ ପ୍ରତିମାଠାରୁ ମାତୃସ୍ନେହର ଅମୃତଧାରା ପାନ କରୁଛି, ସେହି ଏକା ମୋର ଆରାଧ୍ୟା ଇଷ୍ଟଦେବୀ ।
ଶେଫାଳିକା– କୃତ୍ରିମ କ୍ରୋଧ ପ୍ରକାଶପୂର୍ବକ ଈଷତ ରୂଢ଼ସ୍ୱରରେ କହିଲେ– ‘‘ସଦୂ !’’
ସୌଦାମିନୀ– କଅଣ, ନାନୀ ?
ଶେଫାଳିକା– ତୁ ମୋର କିଏ ?
ସୌଦାମିନୀ– ତମର ସାନ ଭଉଣୀ, ନା ନା, ଦାସୀ ।
ଶେଫାଳିକା– ଫେର କହୁଛୁ ଦାସୀ ମୋର, ଉପଯୁକ୍ତ ସାନ ଭଉଣୀ ହେବାକୁ ହେଲେ ମୋର ଆଦେଶ ପାଳନ କରିବାକୁ ହେବ, ତାହା ପାରିବୁ !
ସୌଦାମିନୀ– କାହିଁକି ନ ପାରିବି ? ଅଗ୍ରଜା ଅନୁଜାକୁ ଉପଦେଶ ଦିଏ ନାହିଁ, ଆଦେଶ ଦିଏ । ତୁମ୍ଭର ଆଦେଶ ଏ ସେବିକା ପକ୍ଷରେ ସୌଭାଗ୍ୟ ଦେବତାର ଶୁଭାଶୀର୍ବାଦ ।
ଶେଫାଳିକା– ତେବେ ଶୁଣ ଅଭାଗି । ସ୍ତ୍ରୀ ସ୍ୱାମୀର ବିଳାସସଙ୍ଗିନୀ ନୁହେଁ, ସେବ ଦାସୀ-। ସ୍ୱାମୀସେବା ନାରୀର ସର୍ବଶ୍ରେଷ୍ଠ ଧର୍ମ । ସ୍ୱାମୀ ଦରିଦ୍ର ହେଉ, ରୋଗୀ ହେଉ, କ୍ରୋଧୀ ହେଉ, ନିଶାଖୋର ହେଉ ବା ଦୁଶ୍ଚରିତ୍ର ହେଉ; ମାତ୍ର ସେ ସ୍ତ୍ରୀର ପୂଜାର ଦେବତା । ସ୍ୱାମୀସେବା ନାରୀର ତପସ୍ୟା । ସ୍ୱାମୀ ଦେବତା ଏବଂ ପରମ ଗୁରୁ । ସ୍ୱାମୀ ସ୍ୱର୍ଗ, ସ୍ୱାମୀ ତୀର୍ଥ, ସ୍ୱାମୀ ତପ, ସ୍ୱାମୀ ଜପ, ସ୍ୱାମୀ ଧ୍ୟାନ, ସ୍ୱାମୀ ଗତି, ସ୍ୱାମୀ ମୁକ୍ତି, ସ୍ୱାମୀ ଇହକାଳ, ସ୍ୱାମୀ ପରକାଳ ଏବଂ ସ୍ୱାମୀ ନାରୀର ଜୀବନର ଜୀବନ । ସ୍ୱାମୀ ଆଜ୍ଞା ଲଙ୍ଘନ କରିବା ମହାପାପ । ତୁ କାୟମନଃପ୍ରାଣରେ ସ୍ୱାମୀଙ୍କର ମନସ୍ତୁଷ୍ଟି କରିବୁ, ସ୍ୱାମୀଙ୍କ ପ୍ରତି ଅପ୍ରିୟ ବାକ୍ୟ ପ୍ରୟୋଗ କରିବୁ ନାହିଁ । ସକାଳୁ ଉଠି ତାଙ୍କର ଚରଣରେଣୁ ମସ୍ତକରେ ଧାରଣ କରିବୁ । ସ୍ୱାମୀଙ୍କ ପାଦୋଦକ ସେବନ ନ କରି ଜଳସ୍ପର୍ଶ କରିବୁ ନାହିଁ । ଦୋଷରେ ହେଉ ବା ଅଦୋଷରେ ହେଉ ସ୍ୱାମୀ ଭର୍ତ୍ସନା କଲେ ବିରକ୍ତ ହେବୁ ନାହିଁ କିମ୍ୱା ପ୍ରତିବାଦ କରିବୁ ନାହିଁ । ନତମସ୍ତକରେ ତାଙ୍କର ଅତ୍ୟାଚାର ସହ୍ୟ କରିବୁ । ସ୍ୱାମୀ କୁପଥଗାମୀ ହେଲେ ତାଙ୍କ ଚରିତ୍ର ସଂଶୋଧନ ସକାଶେ ପ୍ରାଣପଣେ ଯତ୍ନ କରିବୁ । ସ୍ତ୍ରୀ ସ୍ୱାମୀର ଶରୀରର ପ୍ରହରୀ ଏବଂ ଚରିତ୍ରର ପ୍ରହରୀ । ସ୍ୱାମୀଙ୍କ ସୁଖରେ ସୁଖୀ ଏବଂ ଦୁଃଖରେ ଦୁଃଖୀ ହୋଇ ସହଧର୍ମିଣୀ ନାମ ସାର୍ଥକ କରିବୁ । ଭ୍ରମରେ ବା କୌତୁକରେ ସ୍ୱାମୀ ନିନ୍ଦା କରିବୁ ନାହିଁ, ସେଥିରେ ଜିହ୍ୱା କଳୁଷିତ ଏବଂ ଅପବିତ୍ର ହୋଇ ଛିଡ଼ିପଡ଼େ । ସ୍ୱାମୀ ସେବାରେ ଲଜ୍ଜା ବା ସଙ୍କୋଚ କରିବୁ ନାହିଁ । ତାହାକୁ ଗୌରବର କଥା ବୋଲି ମଣିବୁ । ତାହାହେଲେ ମୃତ୍ୟୁ ପରେ ପବିତ୍ର ସତୀସ୍ୱର୍ଗର ସ୍ୱର୍ଣ୍ଣ ସିଂହାସନରେ ବସି ଅକ୍ଷୟ ସୁଖାନନ୍ଦ ଉପଭୋଗ କରିବୁ; ଏଥିରେ କିଛିମାତ୍ର ସଂଶୟ ନାହିଁ ।
ସୌଦାମିନୀ– ନାନୀ, ତୁମ୍ଭଠାରୁ ଧର୍ମୋପଦେଶ ଶୁଣି ମୁଁ ପବିତ୍ର ହେଲି, ମୋର ଜନ୍ମ ସାର୍ଥକ ହେଲା । ମୁଁ ଅନ୍ୟ ଧର୍ମ ଜାଣେ ନାହିଁ । ତୁମ୍ଭରି ଆଦର୍ଶ ମୋର ପରମଧର୍ମ । ମୁଁ ସେହି ଆଦର୍ଶ ଅନୁକରଣ କରି ଧନ୍ୟ ହେବି । ମୁଁ ତୁମ୍ଭର ଉପଯୁକ୍ତ ଭଉଣୀ ହୁଏଁ, ମୋତେ ଏହି ଆଶୀର୍ବାଦଦ୍ୱାରା ମୋର ନାରୀତ୍ୱ ପୂର୍ଣ୍ଣତା ପ୍ରାପ୍ତ ହେବ ।
ସୌଦାମିନୀ ଏବେ ସୁଗୃହିଣୀ, ସପତ୍ନୀର ସଦୂପଦେଶ ତାହା ଉପରେ ଯଥେଷ୍ଟ ପ୍ରଭାବ ବିସ୍ତାର କରିଅଛି । ସେ ଯେଉଁ କାର୍ଯ୍ୟ କରେ, ତାହା ଅତ୍ୟନ୍ତ ନିପୁଣତାର ସହିତ ସମ୍ପାଦନ କରେ । ଦରିଦ୍ର ପିତୃଗୃହରେ ସେ ମା ସରସ୍ୱତୀଙ୍କ ଆରାଧନାରେ ସୁବିଧା ପାଇ ନ ଥିଲା । ସଙ୍ଗିମାନଙ୍କ ସାହାଯ୍ୟରେ ଯାହା ଟିକିଏ ବିଦ୍ୟାର୍ଜନ କରିଥିଲା, ତେତିକି ବିଦ୍ୟା ତାହାର ଗୁରୁବାର ଦିନ ଲକ୍ଷ୍ମୀପୁରାଣ ପାଠକୁ ନିଅଣ୍ଟ । ଜଟିଳ ଯୁକ୍ତକ୍ଷରଗୁଡ଼ାକ ତାହାର ଗନ୍ତବ୍ୟ ପଥର ଦୁର୍ଲଙ୍ଘ୍ୟ ଲୌହ ପ୍ରାଚୀର ସଦୃଶ । ସେଗୁଡ଼ାକ କୌଣସି ବାଗେ ତାହାର ଆୟତ୍ତ ହେଲେ ନାହିଁ । ତାଙ୍କରି ଦୌରାତ୍ମ୍ୟ ଏବଂ ଅବାଧ୍ୟତାରେ ବିଚାରୀ ଜଳିପୋଡ଼ି ମରେ । ଯୁକ୍ତାକ୍ଷରଗୁଡ଼ାକର ଏରୂପ ବ୍ୟବହାର ନିଶ୍ଚୟ ଭଦ୍ରଜନୋଚିତ ନୁହେଁ । ସୌଦାମିନୀ ପଢ଼ୁ ପଢ଼ୁ ଯୁକ୍ତାକ୍ଷର ପାଖରେ ହାବୁଡ଼ି ପଡ଼ି ଅଟକିଯାଏ । ଯୁକ୍ତାକ୍ଷରକୁ ଛାଡ଼ିଦେଇ ପଢ଼ିଲେ ଅର୍ଥ ବୁଝାଯାଏ ନାହିଁ । ଯୁକ୍ତାକ୍ଷରକୁ ପଢ଼ିପାରେ ନାହିଁ, କି ଛାଡ଼ିପାରେ ନାହିଁ; ସୁତରାଂ ଏଭଳି ଉଭୟ ସଙ୍କଟରେ ପଡ଼ି ଅତି ବିଜ୍ଞ ପାଠକମାନେ ଯେଉଁ ତୃତୀୟ ପନ୍ଥା ଅବଲମ୍ୱନ କରନ୍ତି, ସୌଦାମିନୀ ତାହାହିଁ କରେ । ଅର୍ଥାତ୍ ଗୋଳାଇ ଦେଇ ପଢ଼ିଯାଏ । ଖାଲି ପାଠ ଗୋଳାଇ ଦେଇ ଚାଲିଯାଏ ନାହିଁ, ସଙ୍ଗେ ସଙ୍ଗେ ଯୁକ୍ତାକ୍ଷରଗୁଡ଼ାକୁ ବଂଶ ନିପାତର କଠୋର ଅଭିସମ୍ପାତ ଦିଏ, ଆଉ ଯୁକ୍ତକ୍ଷର ସ୍ରଷ୍ଟାର ଚତୁର୍ଦ୍ଦିଶ ପୁରୁଷଙ୍କୁ ବୁଦ୍ଧିହୀନତାର ଉଚ୍ଚସାର୍ଟିଫିକେଟ ପ୍ରଦାନ କରିବାକୁ ଭୁଲେ ନାହିଁ; କିନ୍ତୁ ବର୍ତ୍ତମାନ ସୌଦାମିନୀର ଆଉ ପୂର୍ବ ଅବସ୍ଥା ନାହିଁ, ଶେଫାଳିକାଙ୍କ ସାହାରେ ସେ ବିଦ୍ରୋହୀ ଯୁକ୍ତାକ୍ଷରଗୁଡ଼ାକୁ ନଜରବନ୍ଦୀ କରି ରଖିଅଛି । ଏବେ ଆଉ ସେଗୁଡ଼ାକ ତାକୁ ଭୂତ ପ୍ରେତ ବା ଡାହାଣୀ ଚିରକୁଣୀ ପରି ଭୟଙ୍କର ଦିଶନ୍ତି ନାହିଁ; ବରଂ ସେମାନଙ୍କ ସହିତ ଆଳାପ–ସଦ୍ଭାବ ଘନିଷ୍ଠତର । ସୌଦାମିନୀକୁ ପ୍ରତ୍ୟହ ଖରାବେଳେ ଶେଫାଳିକା ପଢ଼ାନ୍ତି । ତାହାର ଶିକ୍ଷାର କ୍ଷୁଦ୍ର ପରିଧି ଯଥେଷ୍ଟ ବିସ୍ତାର ପ୍ରାପ୍ତ ହୋଇଅଛି । ସୌଦାମିନୀର ସ୍ମୃତିଶକ୍ତି ଖୁବ୍ ପ୍ରଖର, ସେ ଯାହା ଥରେ ଶିଖେ, ତାହା ଆଉ ଭୁଲିଯାଏ ନାହିଁ । ଶିଷ୍ୟର ବିଦ୍ୟା ଦେଖି ଗୁରୁ ମୁଗ୍ଧ ଏବଂ ସ୍ତମ୍ଭିତ ହୁଅନ୍ତି । ସୌଦାମିନୀ ରାମାୟଣ, ମହାଭାରତ ପ୍ରଭୃତି ଭଲ ପଢ଼ିପାରେ ଏବଂ ଅର୍ଥ ମଧ୍ୟ ବୁଝିପାରେ । ଶେଫାଳିକା ସପତ୍ନୀକୁ ଠିକ୍ ନିଜପରି ଗଢ଼ିନେଇ ଅଛନ୍ତି । ସପତ୍ନୀ ତାଙ୍କର ଦ୍ୱିତୀୟ ସଂସ୍କରଣ । ଦୁହିଙ୍କର ସ୍ୱଭାବ ଏକ ଛାଞ୍ଚରେ ଢଳା ହେଲାପରି ବୋଧହୁଏ ।
ପ୍ରତ୍ୟହ ଖିଆପିଆ, କାମ ପାଇଟି ଶେଷରେ ଖରାବେଳେ ଉଭୟ ସପତ୍ନୀ ଭକ୍ତି ପ୍ରୀତି ପରି ଏକତ୍ର ବସି ଧର୍ମଗ୍ରନ୍ଥ ପାଠ କରନ୍ତି । ରମଣୀକଣ୍ଠର ମଧୁର ସ୍ୱର ଶ୍ରୋତାର କର୍ଣ୍ଣରେ ଅମୃତ ବର୍ଷଣ କରେ । ସମୟ ସମୟରେ ଗ୍ରାମର ସ୍ତ୍ରୀଲୋକମାନେ ଆସି ଶୁଣନ୍ତି । ବଳିଆ ମା ତେଲୁଣୀ ସେଥି ମଧ୍ୟରେ ନିୟମିତ ଶ୍ରୋତ୍ରୀ । ସେ ଦିନେ ସୁଦ୍ଧା କମେଇ କରେ ନାହିଁ, ପ୍ରତ୍ୟହ ଆସି ଶୁଣେ । ବଳିଆ ମା ବିଧବା, ବୟସ ଚାଳିଶିର ପାଖାପାଖି । ବର୍ଣ୍ଣ ଗୌର; ମାତ୍ର ଉଜ୍ଜ୍ୱଳ ଗୌର ନୁହେଁ– ଶ୍ୟାମଳ ବର୍ଣ୍ଣକୁ ଖୁବ୍ ରଗଡ଼ି ମାଜିଦେଲେ ଯେଉଁ ପରି ଦିଶେ, ଠିକ୍ ସେହିପରି । ପୋଥି ଶୁଣିବାକୁ ତାହାର ଭାରି ଆଗ୍ରହ । ତାହାର ବିଶ୍ୱାସ, ସେଥିରେ ତାହାର ‘‘ଅକାୟା ପିଣ୍ଡ କାୟା’’ ହୁଏ । ବଳିଆ ମା ଟିକିଏ ଅଲଗା, ଛନ୍ଦଫନ୍ଦ ଜାଣେ ନାହିଁ, କଥା କହିବାବେଳେ ଖାଲ ଠିକର ନ ଭାବି ଯାହା ମନକୁ ଆସେ ତାହା କହି ପକାଏ । ଏ ହେତୁ ସମୟ ସମୟରେ ତାକୁ ଟିକଏ ସଂଘର୍ଷଣର ଯନ୍ତ୍ରଣା ମଧ୍ୟ ସହିବାକୁ ପଡ଼େ; ମାତ୍ର ‘‘ପ୍ରକୃତିର୍ନୈବ ମୁଚ୍ୟତେ’’; ତଥାପି ସେ ପ୍ରକୃତି ଛାଡ଼େ ନାହିଁ । ଦିନେ ଦିନେ ପୋଥି ପଢ଼ା ସ୍ଥାନରେ ଧୂମକେତୁ ପରି ପିତେଇର ଆବିର୍ଭାବ ହୁଏ । ଉଦ୍ଦେଶ୍ୟ ଧର୍ମାର୍ଜନ ନୁହେଁ– ଶୟନ ସୁଖ ଭୋଗ । ସେ କାନି ବିଛାଇ ଶୋଇ ନିଶ୍ଚିନ୍ତ ମନରେ ନାସିକା–ଖଙ୍ଖ ବାଦନରେ ବିଭୋଳ ହୁଏ । କେବେ ଅବା ତଳେ କହୁଣୀ ଭରା ଦେଇ, ହାତ ଚକି ଉପରେ ମସ୍ତକ ରଖି ସାପ ଫେଣା ଟେକି ରହିଲା ପରି ଅର୍ଦ୍ଧଶାୟିତ ଅର୍ଦ୍ଧ ଉତ୍ଥିତ ଅବସ୍ଥାରେ କାନ ଡେରି ପୋଥି ଶୁଣେ; ମାତ୍ର କିଛି ବୁଝେ କି ନାହିଁ, ତାହା ଅନ୍ତର୍ଯ୍ୟାମୀ ଜାଣନ୍ତି । କେହି ପଚାରିଲେ ଖୁବ୍ ବୁଝିଛି ବୋଲି କହେ । ଦିନେ ସୌଦାମିନୀ ପଚାରିଲା– ‘‘ପିତେଇ ରାମାୟଣରେ କି କଥା ପଡ଼େ ଜାଣୁନା?’’ ପିତେଇ କହିଲା, ‘ଜାଣେ ଗୋ ଜାଣେ, ପିତେଇ ଗଉଡ଼ୁଣୀ ନ ଜାଣି ଶାସ୍ତ୍ର ନାହିଁ । ‘ରାମାୟଣ’ରେ କି ହକେତ ପଡ଼େ ଶୁଣିବୁ ? ସେହି ଯେ କଅଣ କହନ୍ତି– ପାଞ୍ଚରଥ ନା ଦଶରଥ ତା ନା, ସେହି ରଜା ଅଯୋଧ୍ୟା ରାଣୀର ପୁଅ ପର୍ଶୁରାମକୁ ବଣକୁ ପଠାଇ ଆପେ ବିଷ ଖାଇ ମଲା, ‘‘ରାମାୟଣ’ରେ ତାହାରି ଚରିତ ପଡ଼େ ।’’ ସୌଦାମିନୀ ଏହା ଶୁଣି ହୋ ହୋ କରି ହସିଉଠି କହିଲା, ‘‘ଖୁବ୍ ଶାସ୍ତ୍ର ତୁ ଜାଣୁ, ବାଃ ତୁ ନ ମରି ବଞ୍ଚିଥା । ଦଶରଥ ତ ପୁତ୍ରଶୋକରେ ମଲେ ଆଉ ବିଷ ଖାଇ କିଏ ମଲା ଲୋ ?’’ ପିତେଇ କହିଲା– ‘ହଁ ଗୋ ହଁ, କେତେ ବହଲଉଛ, ମୁଁ ସବୁ ଜାଣେ । ଯାହାର ପୁଅ ମରିଯାଉଛି , ସେ ତ ମରୁ ନାହିଁ, ଆଉ ପୁଅ ବଣକୁ ଗଲା ବୋଲି ବାପ ମରିଗଲା । କନିଆଁ ମାଇପ ବୁଦ୍ଧିରେ ବିନା ଦୋଷରେ ପୁଅଟାକୁ ଘରୁ କାଢ଼ିଦେଇ ଏଡ଼େ ବଡ଼ ରାଜାଟା ଲୋକନିନ୍ଦା ହେବ ବୋଲି ବିଷ ଖାଇ ମରିଗଲା । ଏହା ତ ଅନ୍ଧକୁ ଗୋହରୀ ବାଟ, କି, ନ ଜାଣେ ଯେ, ହାତୀ ମଲା କୁଲା ଢାକୁଣୀ ପଡ଼ିଚି-। ଶାଗ ଢାଙ୍କି ମାଛ ଲୁଚାଇଲା ପରି କଅଣ ନା, ପୁଅ ଦୁଃଖରେ ମରି ଗଲା । ଇମିତି ଭଲା କେତେଟା ମଲେଣି ? ଲୋକେ ଛି ଛି କରିବେ ବୋଲି ତ ମାଇପ ସୁଆଗିଆ ବୁଢ଼ାଟା ଲାଜରେ ବିଷ ଖାଇ ମରିଗଲା, ଆଉ ତମେ କଅଣ ଜାଣ ? ଆଭୀର ସୁନ୍ଦରୀର ଏ ଅସାଧାରଣ ଶାସ୍ତ୍ରଜ୍ଞାନ ଦେଖି ସୌଦାମିନୀ ଆଉ ତର୍କ ନ କରି ନୀରବ ରହିଲା । ସେଫାଳିକା ଟିକିଏ ମୁରୁକି ହସା ଦେଲେ; ମାତ୍ର କିଛି କହିଲେ ନାହିଁ । ଅନନ୍ତର ରାମାୟଣ ପାଠ ଆରମ୍ଭ ହେଲା । ସୀତାଙ୍କର ଅଶୋକ ବନରେ ଅବସ୍ଥାନ ବୃତ୍ତାନ୍ତ ପଡ଼ିଲା । ତାଙ୍କୁ ଯେଉଁ ରାକ୍ଷସୀମାନେ ଜଗିଥିଲେ, ସେମାନଙ୍କର ଅଦ୍ଭୁତ ରୂପ ବର୍ଣ୍ଣନା ହେଲା । କାହାର ଦାନ୍ତ ମଳାପରି କାହାର ମୁଣ୍ଡର ବାଳ ତାଳଗଛ ପରି, ନାକ ଦିପଖାକା ଚୁଲି ପରି, କାନ କୁଲାପରି, କାହାର ହାତଗୋଡ଼ ଖଜୁର ଗଛପରି ପାଣ୍ଡୁର ଏବଂ ବନ୍ଧୁର-। ଏହିପରି ଅପୂର୍ବ ରୂପ ବର୍ଣ୍ଣନା ପଢ଼ୁ ପଢ଼ୁ ସୌଦାମିନୀ ଶେଫାଳିକାଙ୍କୁ କହିଲା– ‘ନାନୀ, ଅସୁରୁଣୀଗୁଡ଼ାକ ଖୁବ୍ ସୁନ୍ଦରୀ । ଶେଫାଳିକା ହସିଲେ,; ମାତ୍ର ବଳିଆ ମା କହିଲା– ‘‘ହଁ ଲୋ ଝିଅ, ପିତେଇ ପରି ସୁନ୍ଦରୀ ।’’ ପିତେଇ ଏହା ଶୁଣି କ୍ରୋଧରେ କମ୍ପିଉଠିଲା, ତାହାର ହୃଦୟରେ ଖାଣ୍ଡବ ଦାହନ ଆରମ୍ଭ ହେଲା । ସେ ଗୋଟାଏ ଗର୍ଜନ ଛାଡ଼ି କହିଲା– ‘‘ଦେଖ ଦେଖ ମା ଠାକୁରାଣୀ, ସକଳଖାଇ ରାଣ୍ଡ ତେଲୁଣୀର ଉଗୁରି ଦେଖ, ମୋତେ ଟାହୁଲି କରୁଛି, କହୁଛି ସୁନ୍ଦରୀ । କିଲୋ ହାତ ଗୋଡ଼ ଖାଇ, ଅଁଶ ବଅଁଶ ଖାଇ, ତୁ ସୁନ୍ଦରୀ ହ, ତୋର ଝିଅ ରାଣ୍ଡ ସୁନ୍ଦରୀ ହେଉ, ତୋ ବୋହୂ ଆଣ୍ଠୁକୁଡ଼ୀ ସୁନ୍ଦରୀ ହେଉନ୍ତୁ ।’’ ଏହିପରି ଯାହା ମନକୁ ଆସିଲା ଅନର୍ଗଳ ବକିବାକୁ ଲାଗିଲା-। ଘଟଣା ଗୁରୁତର ଦେଖି ଶେଫାଳିକା ପୋଥି ବାନ୍ଧି ଦେଇ ପିତେଇକୁ ସାନ୍ତ୍ୱନା ଦେବାକୁ ଲାଗିଲେ; ମାତ୍ର ତାହା ଶୁଣୁଛି କିଏ ? ପିତେଇର ମନ କଅଣ ତାହା ଦେହରେ ଅଛି ? ତାହାର ମନ ତ ଯାଇ ଦୂର୍ବାର କ୍ରୋଧରେ କୋଟି ଯୋଜନ ଉର୍ଦ୍ଧ୍ୱରେ ଉଡ଼ି ବୁଲୁଛି । ସାନ୍ତ୍ୱନା କ୍ରୋଧ ବ୍ୟାଧିର ପ୍ରଧାନ ଔଷଦ; ମାତ୍ର ବ୍ୟାଧି ପ୍ରବଳ ହେଲେ ଔଷଧ ମାନେ ନାହିଁ । କିଛିକ୍ଷଣ ପରେ ଶେଫାଳିକାଙ୍କ ମୁଖରେ ଘୃଣା ଏବଂ ବିରକ୍ତିର ଚିହ୍ନ ଦେଖି ପିତେଇ ଟିକିଏ ନରମ ହୋଇ କହିଲା– ‘ଆଚ୍ଛା ମା ଠାକୁରାଣୀ, ତମେ ଭଲା ବିଚାର କରନି– ତୁଚ୍ଛାଟାରେ ସେ ମୋତେ କାହିଁକି ଏତେ ବେଉନ୍ତିଲା, ମୁଁ ତାହାର ଖାଏଁ ନା ଧାରେ ? ଏ ଗଞ୍ଜଣା ଖାଇ ମୋର ମରିଯିବାକୁ ଇଚ୍ଛା ହେଉଛି ।’’ ଶେଫାଳିକା କିଛି ନ କହୁଣୁ ବଳିଆ ମା ଲଘୁ ସ୍ୱରରେ କହିଲା– ‘ମରିଯା, ତୁ ମରିଗଲେ ଏ ଗାଁରେ କାହାର କଅଣ ଊଣା ହୋଇଯିବ ?’’ ଏ କଥାଟା ପିତେଇର କ୍ରୋଧାନଳରେ ଆହୁତି ତୁଲ୍ୟ ହେଲା, ସେ ଜିହ୍ୱାରେ ଆଉ ଟିକିଏ ବିଷ ବୋଳି ଦେଇ ଆହତା ତମ୍ପୁଣୀ ପରି ଫୁଲିଉଠି କହିଲା– ‘‘ତୁ ଟା ମୋତେ କହିଁକି ବାଛିବୁ ଲୋ ? ତୁ କଅଣ ମୋଠଉଁ ବେଶୀ ଶୋଭାକାର ? ମୋର ଯେତେବେଳେ ବଳ ବୟସ ଥିଲା, ରଜାପୁଅ ବି ଘଡ଼ିଏ ଠିଆହୋଇ ଚାହୁଁଥିଲା । ମୋର ଶଶୁର କହନ୍ତି– ମୋ ବୋହୂ ଖଣ୍ଡେ ଛବି ପରି ସୁନ୍ଦରୀ, ସେ ମୋ ଘରର ଲକ୍ଷ୍ମୀଠାକୁରାଣୀ ।’’ ବଳିଆ ମା ଅପୂର୍ବ ଭଙ୍ଗୀରେ ହାତ ମୁହଁ ହଲାଇ ପୂର୍ବପରି ଲଘୁ ସ୍ୱରରେ କହିଲା– ‘‘ଆହା ତୁ ଯେଉଁ ଶ୍ରୀମତୀ, ଘରେ ଗୋଡ଼ ଦେଇ ଲକ୍ଷ୍ମୀଠାକୁରାଣୀଙ୍କୁ ତଣ୍ଟିଆ ମାରି ଘଉଡ଼ି ଦେଲୁ ।’’ ସୌଭାଗ୍ୟବଶତଃ ଏ କଥା ପିତେଇର କର୍ଣ୍ଣଗୋଚର ହୋଇ ନାହିଁ, ନଚେତ୍ ଉପଦ୍ରବର ମାତ୍ରା ସୀମା ଅତିକ୍ରମ କରିଥାନ୍ତା । ଶେଫାଳିକା କହିଲେ– ‘‘ବଳିଆ ମା ତୋତେ କଅଣ କହିଲା ଯେ, ତୁ ଏତେ ଚଳି ହେଉଛୁ ପିତେଇ-? ତୋର ନବରଙ୍ଗ ଦେଖି ହସି ହସି କାନ୍ଦ ମାଡ଼ୁଛି । ସୁନ୍ଦରୀ ବୋଲି କହିବା କି ଦୋଷର କଥା ?’’ ପିତେଇ କହିଲା– ‘‘କି ସେ ମୋତେ କାହିଁକି ଟିକଲ କରିବ । ସେ କହିବ, ଆଉ ମୁଁ କହିବି ନାହିଁ, ଛାଡ଼ି ଦେବି ?’’ ଏହା କହି କ୍ରନ୍ଦନ ସ୍ୱରରେ ପୁନଶ୍ଚ କହିଲା– ‘‘ତମେ ବି ତାହାର ପଟ ଧରିଲ ମା ଠାକୁରାଣୀ ! ମୁଁ ଦୁଃଖୀ ରଙ୍କୀ ହେଲିବୋଲି ମୋ ଦେହରେ କଣ ରକ୍ତ ନାହିଁ ? ହାୟ, ମୋ ବାପ ମୋତେ କେତେ ଗେହ୍ଲା କରିଥିଲା ।’’ ଅନନ୍ତର ପିତେଇ ଭୋ ଭୋ ହୋଇ ରଡ଼ି ଛାଡ଼ି ଆଖିରେ ଦୁଇ ମେଞ୍ଚା ଲୁଗା ଚାପି ଧରି କହିଲା, ‘‘ହାୟ, ମୋ ବାପ ଲୋ, କୁଆଡ଼େ ଛାଡ଼ିଗଲୁ ଲୋ, ତୋର ଗେହ୍ଳା ଝିଅର ଦୁଃଖ ଆସି ଦେଖି ଯା ଲୋ ।’’ ତାହା ଆଖିରୁ ଲୁହ ବୋହୁଥିଲା କି ନାହିଁ, ତାହା ଅନ୍ତର୍ଯ୍ୟାମୀ ଠାକୁରେ ଜାଣନ୍ତି; ମାତ୍ର ଲୁଗା କାନିରେ ଲୁହ ପୋଛିବା ସମସ୍ତେ ଦେଖିଅଛନ୍ତି । ଆଉ ତାହାର ସେହି ଆତୁର ଡାକ ତାହାର ସ୍ୱର୍ଗତଃ ପିତୃଚରଣ ତଳେ ପହଞ୍ଚିଲା କି ନାହିଁ କିମ୍ୱା ପିତୃଦେବଙ୍କ ପ୍ରେତାତ୍ମା ଆସି ଅଲକ୍ଷ୍ୟରେ ପ୍ରିୟ ଦୁଲଣାର ଦୁଃଖ ଦେଖିଗଲେ କି ନାହିଁ, ତାହା ଜାଣିବାର ଉପାୟ ନାହିଁ । ପିତେଇର କାଣ୍ଡ ଦେଖି ସମସ୍ତେ ତାଟଙ୍କା ହୋଇ ରହିଲେ– କାହାରି ମୁହଁରୁ ଆଉ ଭାଷା ବାହାରିଲା ନାହିଁ । ଏହିପରି କିଛିକ୍ଷଣ ଅତିବାହିତ ହେଲା ପରେ ପିତେଇ ଆଖିରୁ ଲୁଗା କାଢ଼ିଦେଇ ଫକ୍କରି ହସିଦେଇ କହିଲା, ‘‘ମା ଠାକୁରାଣୀ, ମନଊଣା କଲ କି ?’’ ନା ଲୋ, ମୁଁ ଗେଲ ହେଉଥିଲି ।’’ ଏହା ଶୁଣି ସମସ୍ତେ ହସି ଉଠିଲେ । ହାସ୍ୟର ଗୋଟାଏ ବିପୁଳ ତରଙ୍ଗ ସେଠାରେ ଖେଳିଗଲା । ଶେଫାଳିକା ହାସ୍ୟମୁଖରେ କୃତ୍ରିମ କ୍ରୋଧର ଛାୟାପାତ କରି ବିସ୍ମୟବୋଳା ସ୍ୱରରେ କହିଲେ– ‘‘ତୁ ଏତେ ଛଟକ ଜାଣୁ ନା ଛଟକି ? ଚଳିହୋଇ କାନ୍ଦୁଥିଲୁ ପରା ଲୋ ?’’ ପିତେଇ କହିଲା– ‘‘ଚଳିହେବି କାହିଁକି ମା ? ଯେ ଯାହା, ତାକୁ ତାହା କହିଲେ କଅଣ ସେ ଚଳେ ? ତୁମେ ସୁନ୍ଦରୀ, ତୁମକୁ ସୁନ୍ଦରୀ ବୋଲି କହିଲେ କଅଣ ତୁମେ ଚଳିବ ? ସେହିପରି ମୁଁ ଅସୁନ୍ଦରୀ ମୋତେ ଅସୁନ୍ଦରୀ କହିଲେ ମୁଁ ମୁଣ୍ଡ ବାଡ଼େଇ ହେବି କାହିଁକି ? ଏଥିରେ ଚଳ ନାହିଁ କି ଛଳ ନାହିଁ । ତୁମ ମନ ଖୁସି କରିବା ପାଇଁ ଟିକିଏ କୌତୁକ କରୁଥିଲି । ହେଉ, ଏବେ ପୋଥି ପଢ଼-।’’
ଶେପାଳିକା– କି, ତୁ ଶୁଣିବୁ କି ?
ପିତେଇ– ମୁଁ ପାପୀ ଲୋକ, କଅଣ ଶୁଣିବି ?
ଶେପାଳିକା– ଶୁଣ୍, ପାପ ଛାଡ଼ିଯିବ ।
ପିତେଇ– ପାପ କି କେବେ ଛାଡ଼ିଯାଏ ? ଧର୍ମ ଯୁଧିଷ୍ଠିଙ୍କ ପରି ଲୋକ, ସେତ ପାପ ଭୋଗ କଲେ, ଆଉ କିଏ ବା କି ଛାର ! ପାପ ଛାଡ଼ିଲେ କି ମଣିଷ ବଞ୍ଚିବ ?
ଶେପାଳିକା– ନା, ପାପ କଲେ ମଣିଷ ବଞ୍ଚନ୍ତି ?
ପିତେଇ– ତାହା ନୁହେଁ କଅଣ ? ମଣିଷ ଗଛରୁ ଫଳ ତୋଳେ, ଦାନ୍ତକାଠି ଭାଙ୍ଗେ, ମାଛ ଧରେ , ଧାନ ଗଛ କାଟିଆଣେ, କେତେ ଜୀବଜନ୍ତୁ ମାରି ଚାଷ କରେ ଏ ସବୁ କଅଣ ପାପ ନୁହେଁ ? ଆଉ ଏହା ନ କଲେ ସେ ବଞ୍ଚିବ କିପରି?
ଶେପାଳିକା– ତୁ ତ ଭାରି ପଣ୍ଡିତ ହୋଇ ଗଲୁଣି ଲୋ ପିତେଇ ? ହେଉ, ତାହା ହେଲେ ତୁ ବେଶୀ ପାପ କର, ଖୁବ୍ ବେଶି ଦିନ ବଞ୍ଚିବୁ ?
ଅନନ୍ତର ଶେପାଳିକା ପୁନଶ୍ଚ ପୁସ୍ତକ ପାଠରେ ମନୋନିବେଶ କଲେ । ପିତେଇ ତଳେ କାନି ବିଛାଇ ଶୋଇ ନିଦ୍ରାଦେବୀଙ୍କ ଆରାଧନାରେ ଆତ୍ମନିୟୋଗ କଲା ।
ନନ୍ଦଙ୍କ ଘରେ ଆନନ୍ଦ ଉଛୁଳି ପଡ଼ୁଅଛି । ଘରେ କେତେଜଣ ନୂତନ ଲୋକ ଦେଖା ଯାଉଅଛନ୍ତି । ବୋଧ ହୁଏ ସେମାନେ ପ୍ରତିବେଶୀ କିମ୍ୱା ଦୂରାଗତ ବନ୍ଧୁ ଅଥବା ଏହିପରି କିଛି ହେବେ । ପିତେଇର ଆଜି ସ୍ଫୂର୍ତ୍ତିର ସୀମା ନାହିଁ । ସେ ନାନା କାର୍ଯ୍ୟରେ ବ୍ୟସ୍ତ । ମଧ୍ୟରେ ଅବସର ସମୟରେ ଟିକିଏ ହସି ନେଉଅଛି । ବୋଧହୁଏ ସେ ଗୋଟାଏ ଉପାଦେୟ ପଦାର୍ଥର ଭାବୀ ଆସ୍ୱାଦ କଳ୍ପନାରେ ଆନନ୍ଦିତ । ତାହାର ହସ ଏକ ଅପୂର୍ବ ଧରଣର । ସେ ମାତୃଗର୍ଭରେ ଥିବାବେଳେ ଗ୍ରହଣ ସମୟରେ ତାହାର ମା ଗୋଟାଏ ପାନ ଚିରିଥିଲା । ଏହି ଅପରାଧରେ ବିଧତା ଗର୍ଭସ୍ଥ କନ୍ୟାର ଉପର ଓଠ ଚିରି ଦେଇଥିଲେ । ହସିବାବେଳେ ହାସ୍ୟଧାରା ସେଆଡ଼କୁ କେତେକ ବହିଯାଏ । ଶେପାଳିକାଙ୍କର ଗୋଡ଼ ଆଜି ତଳେ ପଡ଼ୁନାହିଁ । ତାଙ୍କର ମୁଖମଣ୍ଡଳ ଆନନ୍ଦର ମଧୁର ଜ୍ୟୋତ୍ସ୍ନାରେ ଆଲୋକିତ ଏବଂ ଶିର ଭାବୀ ସୌଭାଗ୍ୟର ଗର୍ବଭାରରେ ଆନମିତ । ସୌଦାମିନୀ ଅନ୍ତଃସତ୍ତ୍ୱା । ତିନିମାସରେ ଚିତଉ ଖାଇବାର ବିଧି ଅଛି । ଆଜି ତାହାର ସେହି ଚିତଉଖିଆ ଦିନ । ଏହିହେତୁ ଶେଫାଳିକା ଆନନ୍ଦିତା । ତାଙ୍କର ଚିରଶୁଷ୍କ ନିରାନନ୍ଦ ବନ୍ଧ୍ୟାଜୀବନରେ ମାତୃତ୍ୱର ଆଶା ଜାଗି ଉଠିଅଛି । ସେ ଦେବତାଙ୍କୁ ଶକ୍ତିର ଅତୀତ ଐଶ୍ୱର୍ଯ୍ୟରାଶି ମାନସିକ କରି କହୁଅଛନ୍ତି, ‘‘ହେ ଜଗନ୍ନାଥ, ହେ କାଳିଆ ସାମନ୍ତ, ତୁମ୍ଭେ ଦିନର ଆଲୁଅରେ, ରାତିର ଅନ୍ଧାରରେ, ନକ୍ଷେତ୍ରର ଜ୍ୟୋତିରେ, ଗଗନରେ, ପବନରେ ସବୁଠାରେ ଅଛ, ଏ ସେବକୀର କାତର ଗୁହାରି ଶୁଣ ପ୍ରଭୋ ! ମୋର ଶଶୁରକୁଳର ବଂଶରକ୍ଷା ହେଉ, ଏହାଛଡ଼ା ମୁଁ ଆଉକିଛି ଅଳି କରୁନାହିଁ ଦୟାମୟ । ତୁମ୍ଭ ବଡ଼ଦେଉଳର ନୀଳଚକ୍ରରେ ଷାଠିଏ ହାତ ନେତ ବାନ୍ଧିବି ପ୍ରଭୋ ମୋର ମନୋବାଞ୍ଛା ପୂର୍ଣ୍ଣକର ।’’ ଏହିପରି କାହାକୁ ରୂପାଆଖି, ପାଟଶାଢ଼ୀ, ବଳା, ବାଜୁ ଇତ୍ୟାଦି ନାନା ଦେବଦେବୀଙ୍କୁ ମାନସିକ କରିସାରିଲେଣି । ସେ ଆଶାରେ ଏତେଦୂର ଆଚ୍ଛନ୍ନ ହୋଇପଡ଼ି ଅଛନ୍ତି ଯେ, ଭବିଷ୍ୟତକୁ ଆଣି ବର୍ତ୍ତମାନର ଆସନରେ ବସାଇ ଦେଉଅଛନ୍ତି । ଭାବୁଛନ୍ତି– ଯେପରି ପୁତ୍ର ଜନ୍ମଲାଭର ପରକ୍ଷଣରେ ପଶୁଶାବକ ପରି ଚାଲିବୁଲି ତାଙ୍କୁ ମା, ମା, ବୋଲି ଡାକୁଅଛି, ଆଉ ସେ କି ବାବା, କି ବାବା କହି ପୁତ୍ରକୁ କୋଳକୁ ଟାଣି ନେଉଅଛନ୍ତି । ଏହି ସମୟରେ କିଏ କେଉଁଠି ଥାଇ ହସିଉଠି କହିଲା– ‘‘ବେଶ୍ ବେଶ୍, ଏତେ ଖାସା ଯାତ୍ରା ସୁଆଙ୍ଗ ଲାଗିଛି । ଶେଫାଳିକା ଚମକି ଉଠିଲେ, ତାଙ୍କର ଜାଗ୍ରତସ୍ୱପ୍ନ ଭାଙ୍ଗିଗଲା । କିଛିକ୍ଷଣ ପରେ ଗୋଟାଏ ପଞ୍ଜରଭଙ୍ଗା ଦୀର୍ଘ ନିଃଶ୍ୱାସ ତ୍ୟାଗକରି କହିଲେ– ‘‘ଏ କିଏ, ଆଶା ନାନୀ ନା ? ଆ ଆ ଭଉଣି, ଆ । ତୋ କାନଟା ମୋ ପାଖକୁ ବଢ଼ାଇ ଦେବୁଟି, ମୁଁ ବାଁହାତରେ ମୋଡ଼ିଦିଏଁ । ଏସବୁ କାମ କାହାର, ଆଉ ମୋତେ ବା ଏଥିରେ ମତେଇଛି କିଏ, ତୁ, ନା ଆଉ କେହି ? ନିର୍ଲ୍ଲଜ୍ଜା, ଫେର ଆସି ଟାପରା କରୁଛୁ ? ମୋର ନୈରାଶ୍ୟର ସ୍ମୃତି ଭସ୍ମସ୍ତୁପରେ ଫୁତ୍କାର ଦେଇ ନିର୍ବାଣ ପ୍ରାୟ ଅଗ୍ନିକୁ ଦାଉ ଦାଉ କଲା କିଏ ? ମୋର ଛନ୍ନ ପ୍ରାୟ ଜୀବନ ସୂତ୍ରରେ ଗଣ୍ଠି ପକାଇଲା କିଏ ? ଯା ଯା, ମୋ ସାଙ୍ଗରେ କଥା କହନା । ତୁ ଯେଉଁ ଭାବରେ ମତେଇଛୁ, ମୁଁ ସେହିଭାବରେ ମାତିଛି, ସେହି ମାତିବାରେ ମୋର ସୁଖ ଅଛି ।’’ ଆଶା ହସି ହସି କହିଲା– ‘‘ଆଲୋ ନିନ୍ଦୁକି, ମୁଁ ପରା ଦୂର୍ ହେବି, ତୋତେ କଥା କହିବି, ନାହିଁ ? ତେବେ ତୋତେ ବଞ୍ଚେଇ ରଖିବ କିଏ, ଆଉ ଏତେକାଳ ବା ବଞ୍ଚେଇ ରଖିଛି କିଏ ? ମୁଁ ଛାଡ଼ିଗଲେ ଯେ, ତୋର ଅସ୍ତିତ୍ୱ ରହିବ ନାହିଁ, ଏହା କି ଭୁଲିଗଲୁ ପାଗଳି ? କୃତଜ୍ଞତା ପ୍ରକାଶ କରନ୍ତୁ କଅଣ, ଆହୁରି ମୋତେ ଦୂର୍ ଦୂର୍ କରୁଛୁ । ଛି, ତମ ମନୁଷ୍ୟ ଜାତିଟା ଏଡ଼େ ବେମାନ ।’’ ଶେଫାଳିକା କହିଲା– ‘‘ଆହା, ବଞ୍ଚେଇ ରଖିବାଲାଗି ତୋ ଗୋଡ଼ଧରି ପ୍ରାର୍ଥନା କରୁଥିଲି । ତୋର ଯେଉଁ ଦାନ ଏ ହାତରେ ଦେଇ ସେ ହାତରେ ଛଡ଼ାଇନେଉ ।’’ ‘‘ନା ନା, ଏଥର ଆଉ ଛଡ଼ାଇନେବି ନାହିଁ, ତୁ ନିଶ୍ଚିନ୍ତ ରହ’’ ଏହା କହି ଆଶା ପ୍ରସ୍ଥାନ କଲା ଏବଂ ଶେଫାଳିକା ପୂର୍ବପରି ମନ ସଙ୍ଗରେ ଖେଲିବାକୁ ଲାଗିଲେ ।
ଆଉଦିନେ ଶେଫାଳିକା ଶୟନାବସ୍ଥାରେ ସ୍ୱପ୍ନ ଦେଖିଲେ– ସେ ପୁତ୍ରକୁ କୋଳରେ ଧରି ଶୋଇଅଛନ୍ତି ପୁଅ ମା–ମା ବୋଲି ଡାକିଲା– ‘‘ହଁରେ ବାପ, ମୁଁ ତୋ ପାଖରେ ଶୋଇଛି’’ ବୋଲି କହି ଶେଫାଳିକା ଉଠି ବସିଲେ । ନନ୍ଦେ ତାହା ଶୁଣି ପଚାରିଲେ, ‘କଅଣ କାହାକୁ କହୁଛ ?’ ଶେଫାଳିକା ଲଜ୍ଜିତ ହୋଇ କହିଲେ, ‘‘ନା, କିଛି ତ କହି ନାହିଁ, ସ୍ୱପ୍ନ ଦେଖିଥିବି ।’’ କି ସ୍ୱପ୍ନ ତାହା ନନ୍ଦେ ବୁଝିପାରିଲେ ଏବଂ ବନ୍ଧ୍ୟା ନାରୀର ହୃଦୟରେ କି ଅଧୀର ଆକାଙ୍କ୍ଷାର ହୁତାଶନ ସର୍ବଦା ଜଳୁଅଛି, ତାହା ମଧ୍ୟ ଜାଣିପାରି ମନେ ମନେ କହିଲେ– ‘‘ହେ ଗୋଲୋକ–ଆଲୋକ, ହେ ତ୍ରିଲୋକପାଳକ, ହେ ଗୋକୁଳବାଳକ, ବନ୍ଧ୍ୟାନାରୀର ଆତୁର ହୃଦୟରେ ଶାନ୍ତି–ସୁଖାମୃତଧାରା ସେଚନ କର ପ୍ରଭୋ ।’’ ଏହିପରି ଉଦ୍ବେଗରେ ପୁତ୍ରାର୍ଥିନୀ ଶେଫାଳିକାଙ୍କର ଦିନ କ୍ରମଶଃ କଟିବାକୁ ଲାଗିଲା ।